ଶ୍ରୀକାନ୍ତ

 

 

 

 

 

 

 

 

 

 

ଶ୍ରୀକାନ୍ତ

ମୂଳରଚନା : ଶରତ୍‌ଚନ୍ଦ୍ର

ଅନୁବାଦ : ଶ୍ରୀ ଯମେଶ୍ୱର ତ୍ରିପାଠୀ

 

କିଞ୍ଚିତେ କହୁଛି...

 

ସୂର୍ଯ୍ୟଙ୍କୁ ଦୀପ ଦେଖାଇ ଚିହ୍ନାଇବା ଭଳି ଭାରତୀୟ କଥା ସାହିତ୍ୟର ସମ୍ରାଟ ଶରତ୍‌ଚନ୍ଦ୍ରଙ୍କ (ଶରତ୍‌ଚନ୍ଦ୍ର ଚଟ୍ଟୋପାଧ୍ୟାୟ) କୀର୍ତ୍ତି ଓ କୃତୀ ବିଷୟରେ କିଛି ଲେଖି ବସିବାଟା ପ୍ରାୟ ସେହିଭଳି ହେବ । ତେଣୁ ସେ ବିଷୟରେ କିଛି ଉଲ୍ଲେଖ ନ କରି ବରଂ ଏଭଳି ଏକ ସର୍ବଭାରତୀୟ ଲୋକପ୍ରିୟ ଉପନ୍ୟାସକୁ ମୂଳ ବଙ୍ଗଳା ଭାଷାରୁ ଅନୁବାଦ କରିପାରିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି ।

 

ମନେପଡ଼ୁଛି, ‘‘ଶ୍ରୀକାନ୍ତ’’ର ଅନୁବାଦ କାର୍ଯ୍ୟରେ ଯେତେବେଳେ ବ୍ୟସ୍ତ ଥିଲି ସେତେବେଳେ ଜଣେ ଔପନ୍ୟାସିକ ବନ୍ଧୁ ମୋତେ କହିଥିଲେ ‘‘ନକଲ ମେ ଅକ୍‌କଲ କ୍ୟା ହୈ । ତୁମେ ତ ଜଣେ ସୃଜନଶୀଳ ସ୍ରଷ୍ଟା । ନିଜେ ଲେଖୁ ନାହଁ ?’’

 

ମୁଁ ତାଙ୍କୁ କିଛି ଉତ୍ତର ନ ଦେଇ କେବଳ ହସିଦେଇଥିଲି । ଗଳ୍ପ, ଉପନ୍ୟାସ, ନାଟକ ଭଳି ଅନୁବାଦ ହେଉଛି ସାହିତ୍ୟର ଗୋଟିଏ ବିଭାଗ । ଆମ ଓଡ଼ିଆ ସାହିତ୍ୟ ଏହି ବିଭାଗଟିରେ ଅତ୍ୟନ୍ତ ଦୁର୍ବଳ । ସାହିତ୍ୟର ଅନ୍ୟ କେତେକ ବିଭାଗରେ କଲମ ଚଳାଇବା ପରେ ଅନୁବାଦ ବିଭାଗ ପ୍ରତି ମୁଁ ଦୃଷ୍ଟି ଦେଇଥିଲି । ନକଲ କରିବାରେ ଅକ୍‌କଲ ରହେ କି ନାହିଁ ତାହାର ଉଚିତ ବିଚାରକ ହେଉଛନ୍ତି ମୋର ରସଗ୍ରାହୀ ପାଠକ ସମାଜ, ଯେହେତୁ ଶୁଆ ମୂଲ ଶୁଆ ତୁଣ୍ଡରେ ଥାଏ-

 

ଏହିଭଳି ଅସୂୟାର ଶରବ୍ୟହୋଇ ଦିନେ କବି ଦୀନକୃଷ୍ଣ ବୋଧହୁଏ ଲେଖିଥିଲେ–

 

କବିତା ବନିତା କବି ତା’ ପିତା

କହିବା ଲୋକ ତା’ର ଉପମାତା

ଭୋଗ କଲେ ତାକୁ ରସିକ ନେତା

କେବେହେଁ, ରହଇ ତା’ର ଯୋଗ୍ୟତା

କୁମତି ଗୁଆଁର

କେବଳ ବଇମାତ୍ର ଭାଇ ତା’ର ।

 

ଆଜି ‘ଶ୍ରୀକାନ୍ତ’ର ପ୍ରକାଶନ ଅବସରରେ ତିନିଜଣ ବ୍ୟକ୍ତିଙ୍କୁ ସ୍ମରଣ ନ କରି ମୁଁ ରହିପାରୁ ନାହିଁ । ତହିଁରୁ ଜଣେହେଲେ ଆମ ଗାଆଁର ଶ୍ରୀଯୁକ୍ତ ଚକ୍ରଧର ରଥ, (ଯାହାଙ୍କୁ କି ମୁଁ ଭାଇନା ବୋଲି ଡାକିଥାଏ) ଯାହାଙ୍କ ଉତ୍ସାହ ଓ ପ୍ରେରଣା ମୋତେ ଏହିଭଳି ଏକ ବିରାଟ ଉପନ୍ୟାସର ଅନୁବାଦ କାର୍ଯ୍ୟରେ ପ୍ରବୃତ୍ତ କରାଇପାରିଥିଲା । ସେଥିପାଇଁ ତାଙ୍କୁ ମୋର ଆନ୍ତରିକ ଭକ୍ତି ନିବେଦନ କରୁଛି ।

 

ଦ୍ୱିତୀୟ ଜଣକ ହେଉଛନ୍ତି ଓଡ଼ିଶା ବୁକ୍‌ ଷ୍ଟୋରର ସ୍ୱତ୍ୱାଧିକାରୀ, ବିଶିଷ୍ଟ ଋଚିଶୀଳ ପ୍ରକାଶକ ଶ୍ରୀଯୁକ୍ତ ଗୋବିନ୍ଦ ଚରଣ ପାତ୍ର; ଯିଏକି ଆଜିକାଲି ପୁସ୍ତକ ପ୍ରକାଶନ ଏକ ସଙ୍କଟମୟ ପରିସ୍ଥିତିରେ ଗତି କରୁଥିଲାବେଳେ ଦୁଃସାହସିକ ପଦକ୍ଷେପ ନେଇ ଏହାର ପ୍ରକାଶନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେଥିପାଇଁ ତାଙ୍କୁ ମୋର କୃତଜ୍ଞତା ଜଣାଉଛି ।

 

ତୃତୀୟ ଜଣକ ହେଉଛନ୍ତି ଗୀତାଞ୍ଜଳି ପ୍ରେସର ସ୍ୱତ୍ୱାଧିକାରୀ ବିଜୟକୁମାର ଦାଶ, ଯାହାଙ୍କର ଅକୁଣ୍ଠ ସହଯୋଗ ମୋର ଚିରଦିନ ମନେରହିବ । ତାଙ୍କୁ ଧନ୍ୟବାଦ ଜଣାଉଛି ।

 

ପରିଶେଷରେ, ଅନୁବାଦ ଏକ ଆୟାସ ସାଧ୍ୟ କାର୍ଯ୍ୟ ହୋଇଥିବାରୁ ଯଦି ଏଥିରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ସେଥିପାଇଁ ଉଦାର ପାଠକ ସମାଜ ମୋତେ କ୍ଷମା ଦେବାକୁ ନିବେଦନ କରୁଛି ।

 

 

ଇତି

ଅଲିଶା ବଜାର, କଟକ

ଯମେଶ୍ୱର ତ୍ରିପାଠୀ

Image

 

ଏହି ଲେଖକଙ୍କର....

 

ଉପନ୍ୟାସ

ଶିଶୁ ଓ କିଶୋର ସାହିତ୍ୟ

ସେକାଳ, ଏକାଳ, ଅନ୍ୟକାଳ

ଜନନେତା ଜୟ ପ୍ରକାଶ

କାହାଣୀ: ଆହତ ଆତ୍ମାର

ବିପ୍ଳବୀ ଖୁଦିରାମ

ସଞ୍ଜ ସକାଳ

ବିପ୍ଳବୀ ଭଗତ୍‌ ସିଂ

ବସନ୍ତ ବତାସ

ଝାନ୍‌ସିରାଣୀ ଲକ୍ଷ୍ମୀବାଈ

ମିଥୁନ ଲଗ୍ନ

ବିଜ୍ଞାନ ପ୍ରତିଭା ୫ଖଣ୍ଡ (ଏକସେଟ୍‌)

ମାଳବିକାର ସ୍ୱପ୍ନ

ବକୁଳ ବନର ଗୁରୁ

ଝଡ଼ ଓ ନୀଡ଼

ବକୁଳ ବନର ପଣ୍ଡିତ

ଚିତ୍ତ ଚକୋରୀ ଝୁରେ

ବନର ଆଚାର୍ଯ୍ୟ

ଅନୁରାଧା

ବକୁଳ ବନର ମନୀଷୀ

କଳଙ୍କିନୀ

ବକୁଳ ବନର ସାଧକ

ଚକୋରୀର ଅଶ୍ରୁ

ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା

ଲୁହର ସଂସାର

ସନ୍ଥ ବିନୋବା

 

ମଧୁବାବୁ

ଅନୁବାଦ

ସତ୍ୟର ଜୟ

ଶୁଭଦା

ଯାହା ଘରେ ନାହିଁ ବୁଢ଼ା

ଗୃହ ଦାହ

ରହସ୍ୟ ଉପନ୍ୟାସ

ଶରତ୍‌ ଚୟନିକା

ଗେଷ୍ଟହାଉସ୍‌

ମହେଶ

ଚାଲବାଜ

ଶ୍ରୀକାନ୍ତ

କ୍ଷୁଦ୍ର ଗଳ୍ପ ସଂଗ୍ରହ

 

ଛାୟା ଓ ଛବି

 

 

 

 

 

 

 

 

 

 

 

 

ଶ୍ରୀକାନ୍ତ

ପ୍ରଥମ ଭାଗ

 

ମୋର ଏହି ବାରବୁଲା ଜୀବନର ଅପରାହ୍‌ଣ ସମୟରେ କିଛି ଲେଖିବାକୁ ଗଲାବେଳେ କେତେ ଆଡ଼ୁ କେତେ କଥା ଆଜି ମନେପଡ଼ି ଯାଉଛି ।

 

ପିଲାଟି ବେଳରୁ ଏଇପରି ବୁଲି ବୁଲି ବୁଢ଼ା ହେଲି । ଆତ୍ମୀୟ, ଅନାତ୍ମୀୟ ସମସ୍ତଙ୍କ ମୁହଁରେ କେବଳ ଛିଃ–ଛିଃ ଶୁଣି ନିଜେ ମଧ୍ୟ ନିଜର ଜୀବନଟାକୁ ଛିଃ–ଛିଃ ବ୍ୟତୀତ ଆଉ କିଛି ଭାବିପାରିଲି ନାହିଁ । କିନ୍ତୁ କିପରି ଭାବରେ ଯେ ଜୀବନ ପ୍ରଭାତରୁ ଏହି ଛିଃ–ଛିଃର ଭୂମିକାକୁ ଚିହ୍ନିବାକୁ ହୋଇଥିଲା, ବହୁଦିନ ପରେ ଆଜି ସେହି ସବୁ ସ୍ମୃତି ଓ ବିସ୍ମୃତ କାହାଣୀର ମାଳା ଗୁନ୍ଥି ବସିଲାବେଳେ ମନରେ କିପରି ସନ୍ଦେହ ଜାତ ହେଉଛି ଯେ ଏଇ ଛିଃ–ଛିଃଟାକୁ ଯେତେବଡ଼ ବୋଲି ସମସ୍ତେ ଦେଖିପାରୁଥିଲେ ହୁଏତ ଏଇଟା ଠିକ୍‌ ସେତେବଡ଼–ନଥିଲା । ଭାବୁଛି ହୁଏତ ଭଗବାନ ଯାହାକୁ ତାଙ୍କର ବିଚିତ୍ର ସୃଷ୍ଟି ମଝିରେ ସ୍ଥାନ ଦିଅନ୍ତି ତାକୁ ଭଲପିଲା ବୋଲି ପରୀକ୍ଷା କରି ପାଶ୍‌ କରିବାର ସୁଯୋଗ ବୋଧହୁଏ ଦିଅନ୍ତି ନାହିଁ । ଗାଡ଼ି ପାଲିଙ୍କି ଚଢ଼ି ଲୋକବାକ ଗହଣ ଧରି ବୁଲି ତାହାକୁ ‘କାହାଣୀ’ ନାମଦେଇ ଛାପିବାର ଅଭିଋଚି ଦିଅନ୍ତି ନାହିଁ । ହୁଏତ ତା’ଠାରେ କିଛି ବୁଦ୍ଧି ଦିଅନ୍ତି । କିନ୍ତୁ ସଂସାର ଲୋକମାନେ ତାହାକୁ ସୁବୁଦ୍ଧି ବୋଲି କହନ୍ତି ନାହିଁ । ସେଥିପାଇଁ ସେମାନଙ୍କର ପ୍ରବୃତ୍ତି ଏପରି ଅସଙ୍ଗତ, ଏବଂ ଖାପଛଡ଼ା । ସବୁଠାରୁ ଲକ୍ଷ୍ୟ କରିବାର କଥା ଯେ ସେମାନଙ୍କର ତୃଷ୍ଣାଟା ଏପରି ବେଆଡ଼ା ହୋଇଉଠେ ଯେ ସେ ସବୁ ବର୍ଣ୍ଣନା କରିବାକୁ ବସିଲେ ସୁଧୀ ସମାଜ ବୋଧହୁଏ ହସି ହସି ବେଦମ୍‌ ହୋଇଉଠିବେ । ତାପରେ ସେହି ମନ୍ଦ ପିଲାଟି ଯେ କିପରି ଅନାଦରରେ, ଅବହେଳାରେ ମନ୍ଦ ଆକର୍ଷଣ ହେତୁ ହୋଇ, ଧକ୍‌କା ଖାଇ, ଠୋକ୍‌କର ଖାଇ, ଅଜ୍ଞାତ ସାରରେ ଅବଶେଷରେ ଦିନେ ଅପବାଦର ଝୁଲି କାନ୍ଧରେ ପକାଇ କେଉଁଆଡ଼େ ବାହାରିଯାଏ, ଯାହାର କି କୌଣସି ଠିକ୍‌ ଠିକଣା ଅନେକଦିନ ପର୍ଯ୍ୟନ୍ତ କେହି ରଖନ୍ତି ନାହିଁ ।

 

ଅତଏବ ଏ ସବୁ ଏଇଠାରେ ରହୁ । ଯାହା କହିବାକୁ ଭାବୁଛି ତାହା ଆଗ କହେ । କିନ୍ତୁ କହିଲେ ତ କହି ହୋଇଯାଏ ନାହିଁ । ଭ୍ରମଣ କରିବା ଏକ କଥା ଆଉ ତାକୁ ପ୍ରକାଶ କରିବା ଭିନ୍ନ କଳା । ଯାହାର ଦୁଇଟା ଗୋଡ଼ ଅଛି ସେ ଭ୍ରମଣ କରିପାରେ କିନ୍ତୁ ଦୁଇଟା ହାତ ଥିଲେ ତ ଲେଖାଯାଇପାରେ ନାହିଁ । ତାହା ଯେ ଭାରୀ ଶକ୍ତ କାମ ! ତା’ ଛଡ଼ା ସବୁଠାରୁ ବଡ଼ ମୁଷ୍କିଲ ବ୍ୟାପାର ହେଉଛି ଯେ ଭଗବାନ ମୋ ଭିତରେ କଳ୍ପନା କିମ୍ବା କବିତ୍ୱର ଏତେ ଟିକିଏ ସ୍ପର୍ଶ ସୁଦ୍ଧା ଦେଇନାହାନ୍ତି । ଏଇ ପୋଡ଼ା ଆଖିଦୁଇଟାରେ ଯାହା ମୁଁ କେବଳ ଦେଖେ ତାହା ଠିକ୍‌ ଦେଖେ । ଗଛକୁ ଠିକ୍‌ ଗଛ ଭଳି ଦେଖେ । ପାହାଡ଼ ପର୍ବତକୁ ଠିକ୍‌ ପାହାଡ଼ ପର୍ବତ ପରି ଦେଖେ । ପାଣିକୁ, ଚାହିଁଲେ ପାଣି ବ୍ୟତୀତ ଅନ୍ୟ କିଛି ମନେକରିପାରେ ନାହିଁ । ଆକାଶରେ ମେଘକୁ ଚାହିଁ ଚାହିଁ ଦେହକୁ କଷ୍ଟ ଦେଇଛି ସିନା କିନ୍ତୁ ସେ ସବୁ ମେଘ ବ୍ୟତୀତ କିଛି ନୁହେଁ । କାହାର ଆଲୁଳାୟିତ ଗୋଛାଏ କେଶ କଥା ଚୁଲିକୁ ଯାଉ କିନ୍ତୁ ଗୋଟିଏ କେଶର ସନ୍ଧାନ ସୁଦ୍ଧା ମୁଁ କେବେ ତାହା ଭିତରୁ ପାଇପାରି ନାହିଁ । ଚାନ୍ଦ ମୁହଁକୁ ଚାହିଁ ଚାହିଁ ଆଖିକୁ କ୍ଳାନ୍ତ କରିଛି ସିନା କିନ୍ତୁ କୌଣସିଠାରେ ସେପରି ମୁହଁଟିଏ ଆଜ ସୁଦ୍ଧା ଦେଖିପାରିନାହିଁ । ଏପରି ଭାବରେ ଭଗବାନ ଯାହାକୁ ବିଡ଼ମ୍ବିତ କରିଛନ୍ତି ତାହାଦ୍ୱାରା କବିତ୍ୱ କ’ଣ କେବେ ସମ୍ଭବ ହୋଇପାରେ ? ହଁ ସମ୍ଭବ ହେଲେ ହୋଇପାରିବ ସତ କଥାକୁ କେବଳ ସିଧାସଳଖ କହିହେବ । ଅତଏବ ମୁଁ ସେଇ କଥା ହିଁ କରିବି ।

 

କିନ୍ତୁ କାହିଁକି ବାରବୁଲା ହେଲି ସେ କଥା କହିବାକୁ ଗଲେ ଜୀବନ ପ୍ରଭାତରେ ମୋତେ କିଏ ଏଇ ନିଶାରେ ମତାଇ ଦେଇଥିଲା ତାହାର ସାମାନ୍ୟ ପରିଚୟ ଦେବା ଆବଶ୍ୟକ । ତା’ ନାମ ଥିଲା ଇନ୍ଦ୍ରନାଥ । ଗୋଟିଏ ଫୁଟବଲ ମ୍ୟାଚରେ ତା’ ସହିତ ମୋର ପ୍ରଥମ ପରିଚୟ । ଆଜି ସେ ବଞ୍ଚି ରହିଛି କି ନାହିଁ କହିପାରିବି ନାହିଁ । କାରଣ ବହୁତ ବର୍ଷ ତଳେ ଦିନେ ସକାଳେ ଘରଦ୍ୱାର, ବିଷୟ ସଂପତ୍ତି, ଆତ୍ମୀୟ ସ୍ୱଜନ ସମସ୍ତ ପରିତ୍ୟାଗ କରି ସେଇ ଯେ ଏକବସ୍ତ୍ର ହୋଇ ସେ ସଂସାରତ୍ୟାଗୀ ହୋଇ ଚାଲିଗଲା, ଆଉ କେବେ ଫେରିଆସିଲା ନାହିଁ । ଓଃ ସେଦିନ କଥା ଆଜି ମନେପଡ଼ିଲେ ।

 

ସ୍କୁଲ ପଡ଼ିଆରେ ବଙ୍ଗାଳୀ ଓ ମୁସଲମାନ ଛାତ୍ରଙ୍କ ଭିତରେ ଫୁଟବଲ ମ୍ୟାଚ । ବେଳ ରତ ରତ । ଖେଳ ଦେଖିବାରେ ମଜ୍ଜି ଯାଇଥାଏ । ଆନନ୍ଦର ସୀମା ନଥାଏ । ହଠାତ୍ ଆରେ ବାପ୍‌, ଏ କ’ଣ ହେଲାରେ ! ପଟାପଟ ଶବ୍ଦ ଏବଂ ମାର୍‌ ଶଳାକୁ ଧର ଶଳାକୁ ପାଟି । ମୁଁ ସ୍ତବ୍‌ଧ ହୋଇଗଲି । ମିନିଟ ଦୁଇ କି ତିନି ହେବେ; ଏହାଭିତରେ କିଏ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯିବାକୁ ବାଟ ଖୋଜିପାଇଲେ ନାହିଁ । ଯେତେବେଳେ ମୋ ପିଠିରେ ହଠାତ୍‌ ଗୋଟାଏ ଛତା ବେଣ୍ଟ ପଟାସ କରି ଭାଙ୍ଗିଲା, ଏବଂ ଆଉ ଗୋଟାଏ ଦୁଇଟା ମୋ ମୁଣ୍ଡ ଓ ଛାତିରେ ଆଘାତ କରିବାକୁ ଉଦ୍ୟତ ହୋଇଥାନ୍ତି ଠିକ୍‌ ସେତିକିବେଳେ ମୋର ଚେତା ଫେରିଲା । ଦେଖିଲି ପାଞ୍ଚ ସାତଜଣ ମୁସଲମାନ ଟୋକା ମୋତେ ଘେରିଯାଇ ଏକପ୍ରକାର ବ୍ୟୁହ ରଚନା କରି ବସିଛନ୍ତି । ପଳାଇଯିବା ପାଇଁ ଏତେ ଟିକିଏ ରାସ୍ତା ସୁଦ୍ଧା ନାହିଁ ।

 

ପୁଣି ଗୋଟାଏ ଛତା ବେଣ୍ଟର ମାଡ଼ । ପୁଣି ଆଉ ଗୋଟାଏ......ଠିକ୍‌ ସେହି ମୁହୂର୍ତ୍ତରେ ଯେଉଁ ମନୁଷ୍ୟଟି ବାହାରୁ ବିଜୁଳି ବେଗରେ ଧାଇଁଆସି ମୋତେ ଆଗୁଳି ବସିଲା–ସେଇ ହେଉଛି ଇନ୍ଦ୍ରନାଥ ।

 

ପିଲାଟି କଳା । ତା’ର ବଂଶୀ ଭଳି ନାକ । ପ୍ରଶସ୍ତ ଡଉଲଡାଉଲ କପାଳ । ମୁହଁରେ ଦୁଇଚାରିଟା ବସନ୍ତର ଦାଗ । ବୟସରେ ମୋ ଅପେକ୍ଷା କିଛି ବଡ଼ । କହିଲା; ଭୟ କ’ଣ ? ଠିକ୍‌ ମୋ ପଛେପଛେ ଚାଲିଆସ ।

 

ପିଲାଟିର ଛାତିଭିତରେ ସାହସ ଏବଂ କରୁଣା ଯାହା ଥିଲା, ତାହା ସୁଦୁର୍ଲ୍ଲଭ ହେଲେ ମଧ୍ୟ ଅସାଧାରଣ ହୁଏତ ନୁହେଁ । କିନ୍ତୁ ତା’ ହାତ ଦୁଇଟି ଯେ ଅସାଧାରଣ, ସେଥିରେ ଲେଶ ମାତ୍ର ସନ୍ଦେହ ନଥିଲା । କେବଳ ଯେ ଶକ୍ତି ପାଇଁ ଏକଥା କହୁଛି ତାହା ନୁହେଁ । ସେ ଦୁଇଟି ଲମ୍ବାରେ ତା’ ଆଣ୍ଠୁ ପର୍ଯ୍ୟନ୍ତ ଓହଳି ପଡ଼ିଥାଏ । ଏଥିର ପରମ ସୁବିଧା ଏଇଯେ; ଯେଉଁ ଲୋକ ଜାଣିନଥିବ ତା’ର କସ୍ମିନ୍‌ କାଳେ ଏ ଆଶଙ୍କା ମନରେ ଉଦୟ ହୋଇପାରିବ ନାହିଁ ଯେ ମାଡ଼ ଗୋଳ ଲାଗିବା ସମୟରେ ଏଇ ବାଙ୍ଗରା ଲୋକଟି ଅକସ୍ମାତ ତିନିହାତ ଲମ୍ବର ଗୋଟାଏ ହାତ କାଢ଼ି ଶତ୍ରୁର ନାକଉପରେ ଜୋରରେ ଗୋଟିଏ ମୁଖୀ ମାରିପାରିବ । ଆହା ସେ କି ମୁଥ ! ବାଘର ଥାବା କହିଲେ ଚଳିବ ।

 

ଦି’ ତିନି ମିନିଟ ଭିତରେ ତା’ ପିଠିରେ ଘଷିହୋଇ ବାହାରକୁ ଚାଲିଆସିଲି । ଇନ୍ଦ୍ର ବିନା ଆଡ଼ମ୍ବରରେ କହିପକାଇଲା–ଯା, ପଳା ଏଥର....

 

ଦୌଡ଼ି ପଳାଇ ଯାଉ ଯାଉ ପଚାରିଲି ଆଉ ତୁ.... ?

 

ସେ ଋକ୍ଷ ସ୍ୱରରେ ଜବାବ ଦେଲା,–ତୁ ପଳାନା, ଗଧ କେଉଁଠିକାର !

 

ପିଲାବେଳେ ମାଡ଼ପିଟ କିଏ ଅବା ନ କରିଛି ? କିନ୍ତୁ ପଲ୍ଲୀ ଗାଆଁର ପିଲା ମୁଁ । ଦୁଇ ତିନିମାସ ହେବ ପାଠ ପଢ଼ିବା ପାଇଁ ପିଉସୀଙ୍କ ଘରକୁ ସହରକୁ ଆସିଛି । ଏହା ପୂର୍ବରୁ ଏପରି ଛତାର ବେଣ୍ଟ କେବେ ପିଠିରେ ଭାଙ୍ଗିନଥିଲା । ତଥାପି ଏକା ପଳାଇ ପାରିଲି ନାହିଁ । ଇନ୍ଦ୍ର ଥରକ ପାଇଁ ମୋ ମୁହଁକୁ ଚାହିଁ କହିଲା–ଯାଉଛୁ ନା ନାହିଁ ? ଠିଆହୋଇ ମାଡ଼ ଖାଇବୁ କି ? ଏଇ ସେ ଦିଗରୁ ସେମାନେ ଆସୁଛନ୍ତି । ଆଚ୍ଛା, ତୁ ସେଆଡ଼େ ଜୋରରେ ଦୌଡ଼ି ପଳା...

 

ଏ କାମଟା ବରାବର ମୁଁ ଭଲ କରି କରିପାରେ । ବଡ଼ ରାସ୍ତାଉପରେ ମୁଁ ଯେତେବେଳେ ଆସି ପହଞ୍ଚିଲି ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା । ଦୋକାନ ଗୁଡ଼ିକରେ ଆଲୁଅ ସବୁ ଜଳିଉଠିଥିଲା । ରାସ୍ତାରେ ମ୍ୟୁନିସିପାଲଟିର କିରୋସିନି ବତୀଗୁଡ଼ାକ ଲୁହା ଖୁଣ୍ଟଉପରେ ଏଠାରେ ସେଠାରେ ଜଳାଇ ଦିଆଯାଇ ସାରିଥାଏ । ଆତତାୟୀମାନଙ୍କର ଶଙ୍କା ଆଉ ନାହିଁ । ଇନ୍ଦ୍ର ଅତି ସହଜ ଓ ସ୍ୱାଭାବିକ ଭାବରେ କଥା କହିଲା । ମୋ କଣ୍ଠ କିନ୍ତୁ ଶୁଖିଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏତେ ଟିକିଏ ଅଣନିଶ୍ୱାସି ସୁଦ୍ଧା ହୋଇନଥିଲା । ଏତେ ସମୟ ଧରି ଯେପରି କିଛି ଘଟି ନାହିଁ । ସେ ମାଡ଼ ଦେଇ ନାହିଁ, କିମ୍ବା ଦୌଡ଼ି ପଳାଇ ଆସି ନାହିଁ–ଏକଥା ତାକୁ ଦେଖିଲେ ବେଶ୍‌ ବୁଝାପଡ଼ୁଥିଲା । ସେ ମୋତେ ପଚାରିଲା–ତୋ ନାଆଁ କ’ଣ କିରେ ?

: ଶ୍ରୀ...କା.....ନ୍ତ ।

: ଶ୍ରୀକାନ୍ତ ? ଆଚ୍ଛା, ଆଚ୍ଛା । କହି ସେ ତା’ ଜାମା ପକେଟରୁ ମୁଠାଏ ଶୁଖିଲାପତ୍ର ବାହାର କରି ସେଥିରୁ କିଛି ନିଜ ପାଟିରେ ପୂରାଇ ବାକି ମୋ ହାତକୁ ବଢ଼ାଇଦେଇ କହିଲା–ପୁଅଙ୍କୁ ଆଚ୍ଛା କରି ପାନେ ଦେଇଛି । ଦେ–ଚୋବା ।

: କ’ଣ ଏଗୁଡ଼ାକ ?

: ଗଞ୍ଜେଇ ।

ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲି ଗଞ୍ଜେଇ ? ଏସବୁ ମୁଁ ଖାଏ ନାହିଁ ।

ସେ ମଧ୍ୟ ତତୋଽଧ‌ିକ ବିସ୍ମିତ ହୋଇ ପ୍ରଶ୍ନ କଲା–ଖାଉ ନାହୁଁ ! ଗଧ କେଉଁଠିକାର କିରେ ? ଖାଆ, ବେଶ୍‌ ନିଶା ହେବ । ଚୋବାଇ କରି ଗିଳିପକା ।

ନିଶା ଜିନିଷର ମାଧୁର୍ଯ୍ୟ ସେତେବେଳ ପର୍ଯ୍ୟନ୍ତ ମୁଁ ଜାଣିନଥାଏ । ତେଣୁ ମୁଣ୍ଡ ହଲାଇ ତାକୁ ଫେରାଇଦେଲି । ସେ ଆନନ୍ଦରେ ମୋଠାରୁ ସେତକ ନେଇ ଆପଣା ପାଟିରେ ପୂରାଇ ଆନନ୍ଦରେ ଚୋବାଇବାକୁ ଲାଗିଲା ।

: ଆଚ୍ଛା, ତାହାହେଲେ ସିଗାରେଟ ଖାଆ କହି ସେ ଆଉ ଗୋଟାଏ ପକେଟରୁ ଦିଆସିଲି ଓ ଦୁଇଖଣ୍ଡ ସିଗାରେଟ ବାହାର କରି, ଗୋଟାଏ ମୋ ହାତକୁ ବଢ଼ାଇଦେଇ ଆର ଖଣ୍ଡକରେ ନିଆଁ ଧରାଇ ଟାଣିବାକୁ ଲାଗିଲା । ବାପ୍‌ରେ ବାପ–ସେ କି ଟଣା ! ଗୋଟାଏ ଟାଣରେ ସିଗାରେଟର ନିଆଁ ତଳୁ ଯାଇ ଉପରେ ହାଜର । ଚାରିଆଡ଼େ ଲୋକଙ୍କର ଚଳାଚଳ । ମୋତେ ବଡ଼ ଭୟ ଲାଗିଲା । ଅତି ସଂଭ୍ରମରେ ମୁଁ ପଚାରିଲି–ସିଗାରେଟ ଖାଉଛ, ଯଦି କିଏ ଦେଖିପକାଏ-?

: ଦେଖିପକାନ୍ତୁନା । ସମସ୍ତେ ଜାଣନ୍ତି । କହି ସ୍ୱଚ୍ଛନ୍ଦରେ ସେ ସିଗାରେଟ ଟାଣିଟାଣି ରାସ୍ତାର ମୋଡ଼ ପାର ହୋଇ ଚାଲିଗଲାବେଳେ ସତେ ଯେପରି ମୋ ମନଉପରେ ଗୋଟାଏ ଛାପ ପକାଇଦେଇ ଗଲା ।

ଆଜି ମୋର ସେଇଦିନର ଅନେକ କଥା ହିଁ ମନେପଡ଼ୁଛି । କିନ୍ତୁ ଏତିକି ମାତ୍ର ମନେପଡ଼ୁ ନାହିଁ ଯେ ଏହି ଅଦ୍ଭୁତ ପିଲାଟିକୁ ଭଲପାଇ ବସିଥିଲି କିମ୍ବା ଖୋଲାଖୋଲି ଭାବରେ ଗଞ୍ଜା ଏବଂ ସିଗାରେଟ୍‌ ଖାଉଥିବାରୁ ତାକୁ ମନେମନେ ଘୃଣା କରୁଥିଲି ।

 

ତାପରେ ମାସେ ଖଣ୍ଡେ ବିତିଯାଇଛି । ସେଦିନର ରାତିଟା ଯେପରି ଗରମ ସେହିପରି ଅନ୍ଧକାର । ଗଛର ପତ୍ର ସୁଦ୍ଧା ଟିକିଏ ହେଲେ କେଉଁଠାରେ ହଲୁନଥାଏ । ଛାତଉପରେ ସମସ୍ତେ ଶୋଇଥିଲୁ । ବାରଟା ବାଜିଲାଣି । ତଥାପି କାହା ଆଖିରେ ନିଦ ନଥାଏ । ହଠାତ୍‌ କେଉଁଠାରୁ ଏକ ମଧୁର ବଂଶୀ ସ୍ୱର ଭାସିଆସିଲା । ସରଳ ରାମ ପ୍ରସାଦୀ ସୁର । ଆଗରୁ କେତେଥର ଶୁଣିଛି; କିନ୍ତୁ ବଂଶୀରେ ରାମ ପ୍ରସାଦୀ ସୁରଟା ଯେ ଏପରି ମନୋହର ହୋଇପାରେ ତାହା ଆଦୌ ଜାଣିନଥିଲି-। ଘରର ପୂର୍ବ–ଦକ୍ଷିଣ କୋଣରେ ଗୋଟାଏ ପ୍ରକାଣ୍ଡ ଆମ୍ବ–ପଣସର ବଗିଚା । ବଗିଚାଟା ଭାଗରେ ଦିଆଯାଇଥାଏ । କେହି ତା’ର ଖୋଜଖବର ରଖନ୍ତି ନାହିଁ । ସେଥିପାଇଁ ଏହା ଏକ ନିବିଡ଼ ଜଙ୍ଗଲରେ ପରିଣତ ହୋଇଉଠିଥାଏ । କେବଳ ଗାଈଗୋରୁ ଯିବାଆସିବା ହେତୁ ବଗିଚା ଭିତରେ ଗୋଟିଏ ସରୁ ରାସ୍ତା ପଡ଼ିଥିଲା । ଜଣାଗଲା ଯେପରି ସେଇ ବନ ପଥଦେଇ ବଂଶୀ ସ୍ୱର ଭାସିଆସୁଥାଏ । ପିଉସୀ ନାନୀ ଉଠି ବସିପଡ଼ି ତାଙ୍କ ବଡ଼ପୁଅଙ୍କୁ ଉଦ୍ଦେଶ୍ୟ କରି କହିଲେ–ଆରେ ନବୀନ, ବଂଶୀ କିଏ ବଜାଉଛି କିରେ ? ରାୟ ଘର ପୁଅ ଇନ୍ଦ୍ରନାଥ ବୋଧହୁଏ ? ଏଇଥିରୁ ଜାଣିପାରିଲି ଯେ ଏମାନେ ସମସ୍ତେ ଏଇ ବଂଶୀଧାରୀକୁ ଆଗରୁ ଚିହ୍ନନ୍ତି ।

 

ବଡ଼ ଭାଇ କହିଲେ–ସେଇ ହତଭାଗା ଛଡ଼ା ଏପରି ବଂଶୀ ବଜାଇବ କିଏ, ଆଉ ଏପରି ବଣ ଭିତରେ ପଶିବ ଅବା କିଏ ?

 

: କ’ଣ କହୁଛୁ ତୁ ! ସେ ଏଇ ଗୋସାଇଁ ତୋଟା ଭିତର ଦେଇଆସୁଛି ନା କ’ଣ ?

 

ବଡ଼ ଭାଇ କହିଲେ–ହଁ ।

 

ପିଉସୀ ଏଇ ଭୟଙ୍କର ଅନ୍ଧକାର ଭିତରେ ଅଦୂରବର୍ତ୍ତୀ ଗଭୀର ଜଙ୍ଗଲ କଥା ମନେମନେ ସ୍ମରଣ କରି ଭୟରେ ଶିହରିଉଠିଲେ । ଭୀତ କଣ୍ଠରେ ପ୍ରଶ୍ନକଲେ–ଆଚ୍ଛା ତା’ ମାଆ ତାକୁ କ’ଣ ମନା କରୁ ନାହିଁ ? ଗୋସେଇଁ ତୋଟାରେ କେତେ ଲୋକ ଯେ ସାପ କାମୁଡ଼ାରେ ମରିଛନ୍ତି ତା’ର ଇୟତା ନାହିଁ । ଏତେ ରାତିରେ ଏ ଅଝାଡ଼ ଜଙ୍ଗଲରେ ଏ ଟୋକାଟା ବୁଲୁଛି କାହିଁକି-?

 

ବଡ଼ଭାଇ ଟିକିଏ ହସିଦେଇ କହିଲେ–କିଛି କାରଣ ନାହିଁ । କେବଳ ସେ ଗାଆଁରୁ ଏ ଗାଆଁକୁ ଆସିବା ପାଇଁ ଏଇ ବାଟଟା ଅଳ୍ପ ଦୂର । ଯାହାର ଭୟ ନାହିଁ, ପ୍ରାଣ ପ୍ରତି ମାୟା ନାହିଁ, ସେ କାହିଁକି ବୁଲାଣି ରାସ୍ତାରେ ଆସିବ ? ଯିଏ ଶୀଘ୍ର ଆସିବାକୁ ଚାହେଁ ତା’ ଆସିବା ବାଟରେ ସାପ, ବାଘ, ଭାଲୁ, ନଈ, ନାଳ କିମ୍ବା ଖାଲଖମା ଥିଲେ ତା’ର କ’ଣ ପରବାୟ ଥାଏ ?

 

: ଧନ୍ୟ କହିବା ସେ ପିଲାକୁ । କହି ପିଉସୀ ଗୋଟିଏ ଦୀର୍ଘଶ୍ୱାସ ଛାଡ଼ି ନୀରବ ହୋଇଗଲେ । ବଂଶୀର ସ୍ୱର କ୍ରମେକ୍ରମେ ସୁସ୍ପଷ୍ଟ ହୋଇ ଆସ୍ତେଆସ୍ତେ ଅସ୍ପଷ୍ଟ ହୋଇ ମିଳାଇଗଲା-

 

ଏହି ସେଇ ଇନ୍ଦ୍ରନାଥ । ସେଦିନ ଭାବିଥିଲି ଯଦି ତା’ ପରି ଏଭଳି ବାଡ଼ିଆପିଟା କରିପାରୁଥାନ୍ତି କିମ୍ବା ବଂଶୀ ବଜାଇ ପାରୁଥାନ୍ତି.....

 

କିନ୍ତୁ କିପରି ଅବା କରିପାରିଥାନ୍ତି ? ସେ ଯେ ମୋଠାରୁ ଅନେକ ଉପରେ । ସେତେବେଳେ ସେ ଆଉ ଇସ୍କୁଲରେ ପଢ଼ୁନଥିଲା । ଶୁଣିଥିଲି ହେଡ଼ମାଷ୍ଟ୍ରେ ଅବିଚାର କରି ତା’ ମୁଣ୍ଡରେ ଗଧ ଟୋପି ପିନ୍ଧାଇବାର ଆୟୋଜନ କରୁଥିବାର ଜାଣି ସେ ମର୍ମାହତ ହୋଇ ହଠାତ୍‌ ହେଡ଼ମାଷ୍ଟ୍ରଙ୍କ ପିଠିଉପରେ କିଛି କୁକାର୍ଯ୍ୟ କରି ଝରକାର ରେଲିଂ ଭାଙ୍ଗି ଯେ ସ୍କୁଲରୁ ଚାଲିଆସିଥିଲା ଆଉ ଫେରିଲା ନାହିଁ । ଅନେକଦିନ ପରେ ତା’ ମୁହଁରୁ ଶୁଣିଥିଲି ସେ ଅପରାଧ କୁଆଡ଼େ ନିହାତି ମାମୁଲି । ହିନ୍ଦି ଶିକ୍ଷକଙ୍କୁ କ୍ଳାସରେ ନିଦମାଡ଼େ । ଥରେ ସେ ନିଦରେ ଢୁଳେଇଥିବାବେଳେ ଏ କେବଳ ତାଙ୍କ ଚୁଟିକୁ କଇଁଞ୍ଚି ଧରି କାଟି ଦେଇଥିଲା । ଏଥିରେ ବିଶେଷ କିଛି କ୍ଷତି ହୋଇନଥିଲା । କାରଣ ପଣ୍ଡିତ ମହାଶୟ ନିଜଘରେ ପହଞ୍ଚି ନିଜ ପଞ୍ଜାବୀ ପକେଟ ଭିତରେ ହାତ ପୂରାଇ ଆପଣା ଚୁଟିଟି ପାଇପାରିଥିଲେ । ସେ ଚୁଟିଟିକୁ କୁଆଡ଼େ ଫିଙ୍ଗି ଦେଇ ନଥିଲା କିମ୍ବା ତାହା ହଜିଯାଇ ନଥିଲା । ତଥାପି କାହିଁକି ପଣ୍ଡିତ ମହାଶୟଙ୍କର ରାଗ ଯେ ଶାନ୍ତ ହୋଇନଥିଲା ଏବଂ ସେ ହେଡ଼ମାଷ୍ଟ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ସେକଥା ଏବେ ସୁଦ୍ଧା ସେ ବୁଝିପାରେ ନାହିଁ । ଝରକା ରେଲିଂ ଭାଙ୍ଗି ଚାଲିଆସିବା ପରେ ପୁଣି ତା’ ପରଦିନ ସ୍କୁଲକୁ ଯିବାପାଇଁ ଗେଟ୍‌ ଖୋଲା ଅଛି କି ନାହିଁ ତାହା ଦେଖିବାକୁ ତା’ର ଇଚ୍ଛାନଥିଲା । ଏପରିକି ତା’ ଉପରେ ଦଶ କୋଡ଼ିଏ ଜଣ ଅଭିଭାବକ ଥିବା ସତ୍ତ୍ୱେ କେହି ଜଣେ ହେଲେ ସ୍କୁଲଆଡ଼କୁ ତା’ ମୁହଁକୁ ଫେରାଇବା ପାଇଁ ସକ୍ଷମ ହୋଇପାରିନଥିଲେ । ଇନ୍ଦ୍ର କଲମ ଫିଙ୍ଗିଦେଇ ନୌକାର କାତ ହାତରେ ଧରିଲା । ସେତେବେଳଠାରୁ ସେ ଦିନସାରା ଗଙ୍ଗା ନଦୀରେ ଡଙ୍ଗା ଉପରେ ରହେ । ତା’ ନିଜର ଖଣ୍ଡିଏ ଛୋଟ ଡଙ୍ଗା ଥିଲା । ପାଣି ନାହିଁ, ପବନ ନାହିଁ, ଦିନ ନାହିଁ, ରାତି ନାହିଁ–ଏକାକୀ ସଦାବେଳେ ତା’ ଉପରେ । ହଠାତ୍‌ ଦିନେ ସେ ପଶ୍ଚିମ ଦିଗ ଆଡ଼େ ଡଙ୍ଗାରେ କାତ ମାରି ଚାଲିଗଲା ସେ ପନ୍ଦରଦିନ ପର୍ଯ୍ୟନ୍ତ ତା’ର ଖୋଜଖବର ମିଳିଲା ନାହିଁ । ଏହିପରି ଦିନେ ସେ ଉଦ୍ଦେଶ୍ୟ ବିହୀନ ଭାବରେ ଯାତ୍ରା କରୁକରୁ ମୋ ସହିତ ତା’ର ମିଳନ ହୋଇଥିଲା । ସେଥିପାଇଁ ମୋତେ ଏତେକଥା କହିବାକୁ ହେଉଛି....

 

କିନ୍ତୁ ଯେଉଁମାନେ ମୋତେ ଜାଣନ୍ତି ସେମାନେ କହିବେ ତୋ ଭଳି ପିଲାକୁ ଏଗୁଡ଼ାକ ସାଜେନା ପୁଅ । ଗରିବ ପିଲା ତୁ । ଘରଛାଡ଼ି ପାଠ ପଢ଼ିବା ପାଇଁ ପର ଘରକୁ ଆସିଛୁ । ତୁ କାହିଁକି ତା’ ସହିତ ଏତେ ମିଳାମିଶା କଲୁ ? ସଙ୍ଗୀ ହେବାପାଇଁ ଏତେ ବ୍ୟାକୁଳ ହୋଇଉଠିଲୁ ? ସେ କଥା ନ ହୋଇଥିଲେ ତ ତୁ ଆଜି ତୋ ଭଳି....

 

ଥାଉ, ଆଉ ସେ କଥା କହି ବର୍ତ୍ତମାନ ଲାଭ ନାହିଁ । ସହସ୍ର ଲୋକ ମୋତେ ଏକଥା ଲକ୍ଷଥର କହିଥିବେ । ନିଜକୁ ନିଜେ ଏ ପ୍ରଶ୍ନ ମୁଁ କୋଟିଏ ବାର କରିଥିଲେ କରିଥିବି । କିନ୍ତୁ ସବୁ ମିଛ । କାହିଁକି ଯେ ତୁମକୁ ଏ ପ୍ରଶ୍ନର ଉତ୍ତର ଦେଇପାରିବି ନାହିଁ, ତା’ ସଙ୍ଗେ ନ ମିଶିଥିଲେ ମୁଁ କ’ଣ ଯେ ହୋଇପାରିଥାନ୍ତି, ସେ ପ୍ରଶ୍ନର ସମାଧାନ ତୁମେମାନେ କେହିହେଲେ କରିପାରିବ ନାହିଁ । ଯିଏ ସବୁ ଜାଣନ୍ତି ସେ କେବଳ କହିପାରିବେ କାହିଁକି ଏତେ ଲୋକଙ୍କୁ ଛାଡ଼ି ସେ ହତଭାଗାଟା ପ୍ରତି ମୋର ଏତେ ମମତା, ଏବଂ କାହିଁକି ସେହି ମନ୍ଦପିଲାଟି ସଙ୍ଗେ ମିଶିବାପାଇଁ ମୋ ଦେହର ପ୍ରତି ରକ୍ତବିନ୍ଦୁ ଉନ୍‌ମୁଖ ହୋଇଉଠିଥିଲା ।

 

ସେଦିନଟା ମୋର ଭଲକରି ମନେଅଛି । ସାରାଦିନ ଅବିରତ ବର୍ଷା ଚାଲିଥାଏ । ଶ୍ରାବଣ ମାସର ଆକାଶଯଶ କଳାକଳା ମେଘରେ ଆଚ୍ଛନ୍ନ ହୋଇଉଠିଥାଏ । ସନ୍ଧ୍ୟା ହେଉ ନ ହେଉଣୁ ଚାରିଆଡ଼ ଗାଢ଼ କଳା ଅନ୍ଧକାର ଘେରିଗଲା । ଚଞ୍ଚଳ ଚଞ୍ଚଳ ଖିଆପିଆ ସାରି ଆମେ କେତେ ଭାଇ ବୈଠକ ଘରେ ପ୍ରତିଦିନ ଭଳି ଜଡ଼ାତେଲରେ ଦୀପଜାଳି ପଢ଼ିବାକୁ ବସିଯାଇଥାଉ । ଏଣେ ବାହାର ବରଣ୍ଡାରେ ପିଉସା କ୍ୟାନ୍‌ଭାସ ଖଟିଆରେ ଶୋଇ ଢୁଳେଇବାରେ ଲାଗିଥାନ୍ତି । ଅନ୍ୟଦିଗରେ ବୃଦ୍ଧ ରାମକମଲ ଭଟ୍ଟାଚାର୍ଯ୍ୟ ଅନ୍ଧାରରେ ଆଖିବୁଜି ପୁଣି ହୁକା ଖାଇବାରେ ବ୍ୟସ୍ତ । ଅଗଣାରେ ହିନ୍ଦୁସ୍ଥାନୀ ପିଆଦାମାନଙ୍କ କଣ୍ଠରୁ ତୁଳସୀଦାସ ଭଜନ ଭାସିଆସୁଥାଏ । ଭିତରେ ଆମେ ତିନିଭାଇ ମଝିଆଁ ଭାଇଙ୍କ କଠୋର ତତ୍ତ୍ୱାବଧାନରେ ବିଦ୍ୟାଭ୍ୟାସ କରୁଥାଉଁ । ସାନଭାଇ, ଯତୀନ ଭାଇ ଓ ମୁଁ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର ପଢ଼ୁ । ଗମ୍ଭୀର ପ୍ରକୃତିର ମଝିଆଁ ଭାଇ ଦୁଇତିନିଥର ଏନ୍‌ଟ୍ରାନ୍‌ସ ପରୀକ୍ଷା ଦେଇ ଫେଲ ହୋଇ ଏଥର ଗଭୀର ମନଯୋଗ ସହିତ ପୁଣି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥାନ୍ତି । ତାଙ୍କର କଡ଼ା ଶାସନ ହେତୁ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ନଷ୍ଟ କରିବା ପାଇଁ କାହାର ଶକ୍ତି ନଥିଲା । ଆମମାନଙ୍କର ପଢ଼ିବାର ସମୟ ଥିଲା ସାତଟାରୁ ସାଢ଼େ ନଅଟା ପର୍ଯ୍ୟନ୍ତ । ଏତକ ସମୟ ଭିତରେ କଥାବାର୍ତ୍ତା କରି ସମୟ ନଷ୍ଟ କରିବା ମନା । କଥାବାର୍ତ୍ତା କରିବାକୁ ଇଚ୍ଛାହେଲେ ମଝିଆଁ ଭାଇ କଇଞ୍ଚିରେ କାଟିଥିବା କୋଡ଼ିଏ, ପଚିଶ ଖଣ୍ଡ କାଗଜର ସାହାସ୍ୟ ନେବାକୁ ହୁଏ । ସେଥିରୁ କେଉଁଟାରେ ଲେଖାଥାଏ ପରିସ୍ରା କରିଯିବା ପାଇଁ ପାସ୍‌, ପାଣି ପିଇବା ପାସ୍‌, ସିଙ୍ଘାଣୀ ପୋଛିବା ପାସ୍‌ । ଯତୀନ ଭାଇ ଗୋଟାଏ ସିଙ୍ଘାଣୀ ପୋଛିବା ପାସ୍‌ ନେଇ ମଝିଆଁ ଭାଇଙ୍କ ନିକଟରେ ହାଜର ହେଲା । ମଝିଆଁ ଭାଇ ସେଥିରେ ଦସ୍ତଖତ କରି ଲେଖିଦେଲେ–ଆଠଟା ତେତିଶ ମିନିଟରୁ ସାଢ଼େ ତେତିଶ ମିନିଟ ପର୍ଯ୍ୟନ୍ତ । ଅର୍ଥାତ୍‌ ଏତିକି ସମୟ ପାଇଁ ସେ ବାହାରକୁ ଯାଇ ସିଙ୍ଘାଣୀ ପୋଛିବାକୁ ବାହାରିଯିବା ସମୟରେ ସାନ ଭାଇ ଛେପ ପକାଇବା କାଗଜ ଖଣ୍ଡେ ନେଇ ହାଜର ହେଲେ । ମଝିଆଁ ଭାଇ ସେଥିରେ ‘‘ନା’’ ବୋଲି ଲେଖିଦେଲେ । ଫଳରେ ସାନଭାଇ ମୁହଁ ଭାରି କରି ଫେରି ନିଜ ସ୍ଥାନରେ ବସିଲେ ଏବଂ ପୁଣି ଦୁଇ ତିନି ମିନିଟ ପରେ ‘ପାଣି ପିଇବା’ ପାସ ପେଶ୍‌ କଲେ । ଏଥର ଅର୍ଜି ମଞ୍ଜୁର ହୋଇଗଲା । ମଝିଆଁ ଭାଇ ଦସ୍ତଖତ କରି ଲେଖିଦେଲେ–ଆଠଟା ଚାଳିଶ ମିନିଟରୁ ସତଚାଳିଶ ମିନିଟ ପର୍ଯ୍ୟନ୍ତ । ପରଓ୍ୱାନା ଧରି ଛୋଟ ଭାଇ ହସିହସି ବାହାରକୁ ଯିବାକ୍ଷଣି ମଝିଆଁ ଭାଇ ଫେରିଆସି ଟିକେଟ ଦାଖଲ କରିଦେଲେ । ମଝିଆଁ ଭାଇ ଘଡ଼ି ଦେଖି ସମୟ ମିଳାଇ ସେ ଟିକଟଟିକୁ ଗୋଟିଏ ଖାତାରେ ଅଠା ଲଗାଇ ରଖନ୍ତି । ଏ ସମସ୍ତ କାମପାଇଁ ଉପକରଣ ତାଙ୍କ ପାଖରେ ମହଯୁଦ ଥାଏ-। ସପ୍ତାହକ ପରେ ଏସବୁ ଟିକଟକୁ ମିଳାଇ ତାପରେ କୈଫିୟତ ତଲବ କରାଯାଏ ।

 

ଏହିପରି ଭାବରେ ମଝିଆଁ ଭାଇଙ୍କର ଅତି ସୁଶୃଙ୍ଗଳ ଶାସନ ହେତୁ ଆମର ଏବଂ ତାଙ୍କର କାହାର ହେଲେ ଟିକିଏ ସମୟ ନଷ୍ଟ ହୋଇପାରୁନଥିଲା । ପ୍ରତିଦିନ ଏହିପରି ଭାବରେ ଅଢ଼େଇ ଘଣ୍ଟା କାଳ ଅତିଶୟ ବିଦ୍ୟାଭ୍ୟାସ କରି ରାତି ଦଶଟାବେଳେ ଆମେମାନେ ଯେତେବେଳେ ଘରକୁ ଶୋଇବା ପାଇଁ ଆସୁ; ସେତେବେଳେ ମାଆ ସରସ୍ୱତୀ ନିଶ୍ଚୟ ଆମମାନଙ୍କୁ ଶୋଇବା ଘରର ଦୁଆରବନ୍ଧ ନିକଟରେ ବଳାଇ ଦେଇଯାଆନ୍ତି । ପରଦିନ ସ୍କୁଲରେ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ତାଙ୍କ ପାଇଁ ମିଳିଥାଏ । କିନ୍ତୁ ମଝିଆଁ ଭାଇଙ୍କର ଦୁର୍ଭାଗ୍ୟକୁ ତାଙ୍କ ଭଳି ଗୋଟିଏ ପଢ଼ୁଆ ଛାତ୍ରକୁ ତାଙ୍କର ପରୀକ୍ଷକମାନେ ଯାହା ଚିହ୍ନିପାରିଲେ ନାହିଁ । ନିଜର ଏବଂ ଅନ୍ୟର ବିଦ୍ୟାଭ୍ୟାସ ପାଇଁ ଏପରି ପ୍ରବଳ ଅନୁରାଗ ଓ ସମୟ ପ୍ରତି ଏତେ ଦାୟିତ୍ୱବୋଧ ଥିବା ସତ୍ତ୍ୱେ ତାଙ୍କୁ ବାରମ୍ବାର ଫେଲ କରିଦେଉଥିଲେ । ଏହାହିଁ ଅଦୃଷ୍ଟର ଅନ୍ଧ ବିଚାର । ଥାଉ, ବର୍ତ୍ତମାନ ସେ ଦୁଃଖ ଜଣାଇ ଅବା କ’ଣ ଲାଭ ?

 

ସେଦିନ ରାତିରେ ମଧ୍ୟ ଘରେ ଓ ବାହାରେ ଜମାଟ ବନ୍ଧା ଅନ୍ଧକାର ଏବଂ ବାରଣ୍ଡାରେ ଦୁଇଟି ବୁଢ଼ା ତନ୍ଦ୍ରାଭିଭୂତ । ଭିତରେ ମୃଦୁ ଦୀପାଲୋକ ଆଗରେ ଆମେ ଚାରୋଟି ଛାତ୍ର ଅଧ୍ୟୟନ ରତ ।

 

ଛୋଟ ଭାଇ ଫେରିଆସିବା କ୍ଷଣି ଶୋଷରେ ମୋ ତଣ୍ଟି ଶୁଖିଗଲା ପରି ଲାଗିଲା । ଫଳରେ ଟିକେଟ ପେଶ୍‌ କରି ଅନୁମତି ପାଇଁ ଚାହିଁ ରହିଲି । ମଝିଆଁ ଭାଇ ତାଙ୍କର ସେହି ଟିକେଟ ମରା ଖାତାଉପରେ ନଇଁପଡ଼ି ପରୀକ୍ଷା କରି ଦେଖିବାକୁ ଲାଗିଲେ–ତୃଷ୍ଣା ହେବାଟା ମୋର ଆଇନ ସଙ୍ଗତ କି ନାହିଁ ? ଅର୍ଥାତ୍‌ କାଲି ପଅରି ଦିନ ମୁଁ କେତେଥର ପାଣି ପିଇବାକୁ ପଢ଼ା ଛାଡ଼ି ଯାଇଥିଲି-?

 

ହଠାତ୍‌ ମୋ ପିଠି ପଛରେ ଗୋଟାଏ ଦୁମ୍ କରି ଶବ୍ଦ ଏବଂ ସଙ୍ଗେସଙ୍ଗେ ସାନଭାଇ ଓ ଯତୀନ ଭାଇ ଦୁହିଁଙ୍କର ସମ୍ମିଳିତ ଗଗନଭେଦୀ ଆର୍ତ୍ତଚିତ୍କାର ଶୁଣି ମୁଁ ପଛକୁ ଫେରି ଚାହିଁ ଦେଖିବା ପୂର୍ବରୁ ମଝିଆଁ ଭାଇ ଇଲୋ ମାଆଲୋ କହି ହାତ ଗୋଡ଼ ଛାଟିପିଟି ଶେଯକୁ ଓଲଟାଇଦେଲା । ସେତେବେଳେ ସେଇ ଅନ୍ଧକାର ଭିତରେ ସତେଯେପରି ଗୋଟାଏ ଦକ୍ଷ ଯଜ୍ଞ ଘଟିଗଲା । ମଝିଆଁ ଭାଇଙ୍କର ଥିଲା ମୂର୍ଚ୍ଛା ବାତ । ସେ ସଙ୍ଗେସଙ୍ଗେ ଗଁ ଗଁ ହୋଇ ଦୀପଟାକୁ ଓଲଟାଇଦେଇ ଚିତ୍‌ ହୋଇ ପଡ଼ି ହାତଗୋଡ଼ ସେଡ଼େଙ୍ଗା କରିପକାଇଲେ ।

 

ସମସ୍ତଙ୍କୁ ଠେଲିଠେଲି କରି ବାହାରକୁ ଆସି ଦେଖେ ପିଉସା ତାଙ୍କର ଅନ୍ୟ ଦୁଇପୁଅଙ୍କୁ କାଖ ତଳେ ଜାକି ପାଟିରେ ଘର ଫଟାଉଛନ୍ତି । ସତେ ଯେପରି ବାପ ପୁଅ ତିନିଜଣଙ୍କ ଭିତରେ କାହାର ଉଚ୍ଚସ୍ୱର ହୋଇପାରିବ ସେଥି ପାଇଁ ପ୍ରତିଯୋଗିତା ଚାଲିଛି ।

 

ଏହି ସୁଯୋଗରେ ଗୋଟାଏ ଚୋର କୁଆଡ଼େ ଦୌଡ଼ି ପଳାଇ ଯାଉଥିଲା, ଏବଂ ଦାଣ୍ଡରେ ଜଗିଥିବା ଜଗୁଆଳି ତାକୁ ଧରି ପକାଇଛି । ପିଇସା ବଡ଼ ପାଟିରେ ହୁକୁମ ଦେଇ କହୁଛନ୍ତି–ଆହୁରି ମାର । ଶଳାକୁ ମାରି ମାରି ମାରିଦିଅ, ଇତ୍ୟାଦି... ।

 

ମୁହୂର୍ତ୍ତକ ଭିତରେ ଆଲୁଅ, ଚାକର ବାକର ଏବଂ ପାଖ ପଡ଼ିଶା ଲୋକମାନଙ୍କ ଦ୍ୱାରା ଅଗଣାଟା ପରିପୂର୍ଣ୍ଣ ହୋଇଗଲା, ଦରୁଆନ ଚୋରଟାକୁ ମାରି ମାରି ଅଧାମରା କରି ଆଣି ସମସ୍ତଙ୍କ ଆଗରେ ଆଲୁଅରେ ଫିଙ୍ଗିଦେଲା । ସେତେବେଳେ ଚୋରର ମୁହଁ ଦେଖି ଘରସାରା ଲୋକଙ୍କର ମୁହଁ ଶୁଖିଗଲା । ସମସ୍ତଙ୍କ ତୁଣ୍ଡରୁ ବାହାରିପଡ଼ିଲା–ଆରେ ଏ ଯେ ଆମର ଭଟ୍ଟାଚାର୍ଯ୍ୟ ମହାଶୟ !

 

ସେତେବେଳେ କିଏ ପାଣି, କେହି ପଙ୍ଖାରେ ପବନ, କେହି ଅବା ତାଙ୍କ ମୁହଁରେ ହାତ ବୁଲାଇବାକୁ ଲାଗିଲେ । ଏଣେ ଘରଭିତରେ ମଧ୍ୟ ମଝିଆଁ ଭାଇଙ୍କ ପାଇଁ ସେହି ଏକ ପ୍ରକାର ବ୍ୟବସ୍ଥା ।

 

ପଙ୍ଖାର ପବନ ଏବଂ ପାଣିର ଛଟାଖାଇ ରାମକମଲ ପ୍ରକୃତିସ୍ଥ ହୋଇ କାନ୍ଦିବାକୁ ଲାଗିଲେ । ସମସ୍ତେ ପ୍ରଶ୍ନ କରିବାକୁ ଲାଗିଲେ ଆପଣ ଏପରି ଧାଇଁ ପଳାଉଥିଲେ କାହିଁକି ?

 

ଭଟ୍ଟାଚାର୍ଯ୍ୟ ମହାଶୟ କାନ୍ଦିକାନ୍ଦି କହିବାକୁ ଲାଗିଲେ–ଆରେ ବାବା ବାଘ ନୁହେଁ, ସେ ଗୋଟାଏ ବିରାଟ ଭାଲୁ । ବୈଠକଖାନା ଭିତରୁ ହଠାତ୍‌ ଲମ୍ଫମାରି ଚାଲିଗଲା ।

 

ଛୋଟଭାଇ ଓ ଯତୀନ ଭାଇ ବରାବର କହିବାକୁ ଲାଗିଲେ–ଭାଲୁ ନୁହେଁ ବାବା, ସେଇଟା ହେଉଛି ଗୋଟାଏ ଗଧିଆ । ଲାଞ୍ଜ ଜାକି ପାପୋଛ ଉପରେ ବସିଥିଲା ।

 

ମଝିଆଁ ଭାଇଙ୍କର ଚେତା ଫେରିବା କ୍ଷଣି ସେ କହିଉଠିଲେ–କ’ଣ କହିଲ ଗୋଟାଏ ମହାବଳ ବାଘ ! ଯାହାକୁ ଇଂରାଜୀରେ କହନ୍ତି ରୟାଲ ବେଙ୍ଗଲ ଟାଇଗର !

 

କିନ୍ତୁ ସେ ଗଲା କୁଆଡ଼େ ! ମଝିଆଁ ଭାଇଙ୍କ ଭାଷାରେ ରୟାଲ ବେଙ୍ଗଲ ଟାଇଗର ହେଉ, କିମ୍ବା ରାୟ କମଲ ବାବୁଙ୍କ ବିରାଟ ଭାଲୁ ହେଉ, ସେ ଆସିଥିଲା କିପରି ଆଉ ଗଲା କୁଆଡ଼େ ? ଏତେଗୁଡ଼ିଏ ଲୋକ ଯେତେବେଳେ ଆଖିରେ ଦେଖିଛନ୍ତି ତେବେ ନିଶ୍ଚୟ କିଛି ଆସିଥିଲା ।

 

ସେତେବେଳେ କେହି ବିଶ୍ୱାସ କଲେ ଆଉ କେହି ଅବିଶ୍ୱାସ ମଧ୍ୟ କଲେ । ତଥାପି କିନ୍ତୁ ସମସ୍ତେ ଲଣ୍ଠନ ଧରି ଚାରିଆଡ଼େ ଭୟ ଚକିତ ନେତ୍ରରେ ଖୋଜିବାକୁ ଲାଗିଲେ ।

 

ହଠାତ୍‌ ପହିଲିମାନ କିଶୋରୀ ସିଂ ଏଇ ବସିଛି କହି ଗୋଟାଏ ଡିଆଁମାରି ବାରଣ୍ଡା ଉପରେ ଆସି ହାଜର । ତାପରେ ସେ ଏକ କାଣ୍ଡ । ଏତେଗୁଡ଼ାଏ ଲୋକ ସମସ୍ତେ ଏକ ସଙ୍ଗରେ ବାରଣ୍ଡାକୁ ଉଠିବାକୁ ଚେଷ୍ଟା କଲେ । କାହାକୁ ଦଣ୍ଡେ ତର ସହୁନଥାଏ । ରୋଷାଇ ଘର କଣରେ ଗୋଟିଏ ଡାଳିମ୍ବ ଗଛ ଥିଲା । ଦେଖାଗଲା ତାହାରି ଡାଳରେ ବସିଛି ଏକ ବିରାଟକାୟ ଜାନୁଆର । ବାଘ ଭଳି ମନେହୁଏ । ଆଖିପିଛୁଡ଼ାକେ ବାରଣ୍ଡା ଖାଲି ହୋଇ ବୈଠକ ଘର ଭର୍ତ୍ତି ହୋଇଗଲା । ଆଉ ଅଗଣା କି ବାରଣ୍ଡାରେ ଗୋଟିଏ ହେଲେ କେହି ନାହାଁନ୍ତି । ବୈଠକଖାନା ଭିତରେ ଲୋକମାନଙ୍କ ଭିଡ଼ ଭିତରେ ଥିବା ପିଉସାଙ୍କର ବଡ଼ ପାଟି ପୁଣି ଶୁଣାଗଲା–ଆଣ, ଠେଙ୍ଗା ଆଣ । ଆମର ପଡ଼ୋଶୀ ଗଗନ ବାବୁଙ୍କ ଘରେ ଗୋଟାଏ ବନ୍ଧୁକ ଥିଲା । ତାଙ୍କର ଲକ୍ଷ୍ୟ ସେଇ ଅସ୍ତ୍ରଟା ଉପରେ । ଆଣ ବୋଲି ହୁକୁମ ଦେଉଛନ୍ତି ସତ କିନ୍ତୁ ଆଣିବାକୁ ଯାଉଛି କିଏ ? ଡାଳିମ୍ବ ଗଛଟା ଠିକ୍‌ କବାଟ ନିକଟରେ । ଗଛଟା ଉପରେ ଯେ ବାଘ ବସିଛି । ପହିଲିମାନ କିଶୋରୀ ସିଂର କୌଣସି ଜବାବ ନାହିଁ ଆଉ ତାମସା ଦେଖିବାକୁ ଯେଉଁମାନେ ବୈଠକ ଘରେ ପଶିଥିଲେ ସେମାନେ ସମସ୍ତ ଚୁପ୍‌ଚାପ ।

 

ଏପରି ବିପଦ ସମୟରେ ଇନ୍ଦ୍ର କେଉଁଠିଥିଲା ଆସି ହାଜର । ସେ ବୋଧହୁଏ ଆଗ ରାସ୍ତାରେ କୁଆଡ଼େ ଯାଉଥିଲା, ପାଟିଗୋଳ ଶୁଣି ଘର ଭିତରକୁ ପଶିଆସିଲା । ହଠାତ୍‌ ସମସ୍ତଙ୍କ ପାଟିରୁ ଏକ ସଙ୍ଗେ ବାହାରିଆସିଲା–ବାଘ–ବାଘ, ପଳାଇଆ ।

 

ପ୍ରଥମେ ସେ ଏତକ ଶୁଣି ଟିକିଏ ଥତମତ ହେଲା ଏବଂ ଦୌଡ଼ି ପଳାଇଆସି ଘରଭିତରେ ପଶିଗଲା । କିଛିକ୍ଷଣ ପରେ ଘଟଣାଟା ଶୁଣିସାରି ସେ ନିର୍ଭୟରେ ଲଣ୍ଠନଟା ଧରି ବାଘ ଖୋଜିବାକୁ ବାହାରିପଡ଼ିଲା ।

 

ଦୋତାଲା ଝରକା ଫାଙ୍କରେ ଝିଅମାନେ ଏଇ ଡକାୟତ ପିଲାଟିକୁ ଚାହିଁ ମନେମନେ ଦୁର୍ଗାଙ୍କୁ ସ୍ମରଣ କରିବାକୁ ଲାଗିଲେ । ପିଉସୀ କାନ୍ଦିପକାଇଲେ । ତଳେ ଭିଡ଼ ମଧ୍ୟରେ ଠିଆହୋଇ ହିନ୍ଦୁସ୍ଥାନୀ ସିପାହୀଟା ମୁହଁରେ ତାକୁ ଦମ୍ଭ ଓ ସାହସ ଦେବାକୁ ଲାଗିଥାଏ ।

 

ଭଲକରି ଖୋଜାଖୋଜି କରିସାରି ଇନ୍ଦ୍ର କହିଲା–ଦ୍ୱାରିକା ବାବୁ ଏ ବୋଧହୁଏ ବାଘ ନୁହେଁ । ତା’ର କଥାଟା ଶେଷ ହେଉ ନହେଉଣୁ ସେଇ ରୟେଲ ବେଙ୍ଗଲ ଟାଇଗର ତା’ର ଦୁଇହାତ ଯୋଡ଼ି ମଣିଷ କଣ୍ଠରେ କାନ୍ଦିଉଠିଲା । ପରିଷ୍କାର ବଙ୍ଗଳା ଭାଷାରେ କହିଲା–ନା, ବାବୁ, ମୁଁ ବାଘ ନୁହେଁ କି ଭାଲୁ ନୁହେଁ । ମୁଁ ହେଉଛି ତ୍ରିନାଥ ବହୁରୂପୀ ।

 

ଇନ୍ଦ୍ର ଏକଥା ଶୁଣି ହୋ–ହୋ–ହୋଇ ହସିଉଠିଲା ।

 

ସମସ୍ତଙ୍କ ଭିତରୁ ଭଟ୍ଟାଚାର୍ଯ୍ୟ ମହାଶୟ ହାତରେ କଠାଉଧରି ମାରିବାକୁ ଧାଇଁଆସି କହିଲେ–ହାରାମଜାଦା, ତୁ ତୋର ଢଙ୍ଗ ଦେଖାଇବାକୁ ଆଉ କେଉଁଠାରେ ଯାଗା ପାଇଲୁ ନାହିଁ ?

 

ପିଉସା ଭୀଷଣ ରାଗିଯାଇ ହୁକୁମ ଦେଲେ–ଶଳାର କାନଧରି ଏଠାକୁ ଟାଣିଟାଣି ଘେନିଆସ ।

 

କିଶୋରୀ ସିଂ ତାକୁ ସମସ୍ତଙ୍କ ଆଗରୁ ପ୍ରଥମେ ଦେଖିଥିଲା । ତେଣୁ ତା’ର ଦାବି ସମସ୍ତଙ୍କ ଅପେକ୍ଷା ଅଧିକ ବୋଲି ସେ ଯାଇ ପ୍ରଥମେ ତା’ର କାନଧରି ଘଡ଼ଘଡ଼ କରି ଟାଣିଆଣିଲା-। ଭଟ୍ଟାଚାର୍ଯ୍ୟ ମହାଶୟ ତା’ ପିଠିରେ ଖଡମରେ ଆଚ୍ଛା କରି ପାହାରଟା କଷିଦେଇ ରାଗରେ ହିନ୍ଦୀ ଭାଷାରେ କହିଉଠିଲେ ଏଇ ହାରାମଜାଦା ବଜ୍ଜାତ ପାଇଁ ମୋ ଗର୍ବ ଚୂନା ହେଲା-। ବିଧାମାରି ପଣସ ପଚାଇଲା ପରି ମାରି ମାରି ମୋ ପିଠିଟା ନାଲ କରିଦେଲ ।

 

ବାରାସତ ଗାଆଁରେ ତ୍ରିନାଥର ଘର । ପ୍ରତିବର୍ଷ ସେ ରୋଜଗାର କରିବା ପାଇଁ ଥରକ ପାଇଁ ଏପରି ବିଭିନ୍ନ ବେଶରେ ଆସିଥାଏ । କାଲି ମଧ୍ୟ ଏ ଘରକୁ ସେ ନାରଦ ବେଶ ସାଜି ବୀଣା ବଜାଇ ଗୀତ ଶୁଣାଇ ଯାଇଥିଲା ।

 

ସେ ଥରେ ଭଟ୍ଟାଚାର୍ଯ୍ୟ ମହାଶୟ ତ ଥରେ ପିଉସାଙ୍କ ପାଦତଳେ ମୁଣ୍ଡିଆ ମାରିବାରେ ଲାଗିଲା । ସେ କହିଲା–ପିଲାମାନେ ମୋତେ ଦେଖି ଏପରି ଭୟ ପାଇବା ହେତୁ ମୁଁ ନିଜେ ଆତଙ୍କିତ ହେଇ ଗଛଭିତରେ ଲୁଚିଗଲି । ଭାବିଥିଲି ସମସ୍ତେ ମନରୁ ଭୟ ଦୂର କରିସାରିଲା ପରେ ଗଛରୁ ଓହ୍ଲାଇଆସି ନିଜର ରୂପ ଦେଖାଇଥାନ୍ତି ! କିନ୍ତୁ ଘଟଣାଟା ଆସ୍ତେଆସ୍ତେ ଏପରି ଆକାର ଧାରଣ କଲା ଯେଉଁଥିରେ କି ଆସିବା ପାଇଁ ମୋର ଆଉ ସାହସ କୁଳାଇଲା ନାହିଁ ।

 

ତ୍ରିନାଥ କାକୁତିମିନତି କରିବାକୁ ଲାଗିଲା । କିନ୍ତୁ ପିଉସାଙ୍କର ରାଗ ଆଦୌ ଶାନ୍ତ ହେଲା ନାହିଁ । ପିଉସୀନାନୀ ଉପରୁ ଥାଇ କହିଲେ–ତୁମମାନଙ୍କର ଭାଗ୍ୟ ଭଲ ଯେ ସତସତିକା ବାଘ କିମ୍ବା ଭାଲୁ ବାହାରି ନାହିଁ । ଯେଉଁ ବୀରପୁରୁଷ ତୁମେମାନେ, ଆଉ ତୁମର ଦରଓ୍ୱାନ ଯାହା ଜଣାପଡ଼ିଲାଣି, ଛାଡ଼ିଦିଅ ବିଚରାକୁ । ଯାଅ ସମସ୍ତେ ଘର ଅଗଣା ଖାଲିକର । ସାମାନ୍ୟ ଗୋଟାଏ ଛୋଟ ପିଲାର ଯାହା ସାହସ ସେତକ ତୁମମାନଙ୍କର କାହାରି ହେଲେନାହିଁ ।

 

ପିଉସା କିନ୍ତୁ ଏସବୁ କଥା ଆଦୌ ଶୁଣିଲେ ନାହିଁ । ବରଂ ଆଖି ରଙ୍ଗେଇ ଯେପରି ଚାହିଁଲେ ସେଥିରୁ ଜଣାପଡ଼ୁଥିଲା ଏତେ ଲୋକ ନଥିଲେ ସେ ନିଶ୍ଚୟ ପିଉସୀଙ୍କ କଥାର ସଦୁତ୍ତର ଦେଇପାରନ୍ତେ । କିନ୍ତୁ ସ୍ତ୍ରୀଲୋକ କଥାରେ ଉତ୍ତର ଦେଇ କଜିଆ କରିବାଟା ପୁରୁଷମାନଙ୍କ ପକ୍ଷରେ ଅପମାନକର, ସେଥିପାଇଁ ରାଗିଉଠି ହୁକୁମ ଦେଲେ ସେଇ ବାଘର ଲାଞ୍ଜ କାଟିଦିଅ । ସେତେବେଳେ ନଡ଼ା ଦେହରେ କନାଗୁଡ଼ିଆ ହୋଇଥିବା ତ୍ରିନାଥର ଲାଞ୍ଜକୁ କାଟି ତାକୁ ତଡ଼ି ଦିଆଗଲା ।

 

ଠିକ୍‌ ସେତିକିବେଳେ ନାନୀ ହସି ହସି କହିଲେ–ହଁ, ସେଇଟାକୁ ସାଇତି ରଖିଥାଅ । ତୁମମାନଙ୍କର ବହୁତ କାମରେ ଆସିବ ।

 

ଏତେବେଳକେ ଇନ୍ଦ୍ର ମୋଆଡ଼କୁ ଚାହିଁ କହିଲା–ତୁ ବୋଧହୁଏ ଏଇ ଘରେ ରହୁଛୁ ଶ୍ରୀକାନ୍ତ ?

 

ମୁଁ କହିଲି–ହଁ । ତୁ କିନ୍ତୁ ଏତେ ରାତିରେ କୁଆଡ଼େ ଯାଇଥିଲୁ ?

 

ଇନ୍ଦ୍ର ହସିଦେଇ କହିଲା–ରାତି କାହିଁକିରେ ? ଏଇ ମାତ୍ର ତ ସନ୍ଧ୍ୟା ହୋଇଛି । ମୁଁ ଯାଉଛି ଆମ ନଈକୁ ମାଛ ମାରିବାକୁ । ତୁ ଯିବୁ ?

 

ମୁଁ ଭୟରେ କହିଉଠିଲି–ଏତେ ରାତିରେ ନଈକୁ ଯାଉଛୁ ?

 

ସେ ପୁଣି ହସିଲା । କହିଲା–ଭୟ କ’ଣ କିରେ ? ସେଇ ତ ମଜ୍ଜା । ତା’ ଛଡ଼ା ଅନ୍ଧାର ନହେଲେ କ’ଣ ମାଛ ଧରିହେବ ? ପହଁରା ଶିଖିଛୁ ?

 

: ଭଲ କରି ଜାଣେ ।

 

: ତେବେ ଆ ଭାଇ କହି ସେ ମୋର ହାତଟା ଧରିପକାଇଲା । କହିଲା ମୁଁ ଏତେ ସ୍ରୋତାରେ ଏକଲା ଉଜାଣି ବାହିପାରିବି ନାହିଁ । ଆଉ ଜଣେ କାହାକୁ ଖୋଜୁଥିଲି ଯିଏ କି ଭୟ ପାଉନଥିବ ।

 

ମୁଁ କୌଣସି ପ୍ରତିବାଦ କରିପାରିଲି ନାହିଁ । ତା’ ହାତଧରି ନୀରବରେ ଆସି ରାସ୍ତାଉପରେ ଠିଆହେଲି । ପ୍ରଥମେ ମୋର ଆଦୌ ବିଶ୍ୱାସ ହେଲା ନାହିଁ ଯେ ମୁଁ ଏତେ ରାତିରେ ଡଙ୍ଗାକୁ ଯାଉଛି । କାରଣ ଯେଉଁ ଆହ୍ୱାନ ହେତୁ ଏଇ ସ୍ତବ୍‌ଧ ନିବିଡ଼ ନିଶୀଥରେ ଏହି ଘରର ସମସ୍ତ କଠିନ ଶାସନ ଶୃଙ୍ଖଳାକୁ ତୁଚ୍ଛ କରିଦେଇ ଏକାକୀ ବାହାରି ଆସି ପାରିଛି, ତାହା ଯେ କେଡ଼େ ବଡ଼ ଆକର୍ଷଣ, ସେତେବେଳେ ବିଚାର କରି ଦେଖିବା ପାଇଁ ମୋର ସାଧ୍ୟ ନଥିଲା । ଅଳ୍ପ ସମୟ ପରେ ଗୋସେଇଁ ବଗିଚାର ସେହି ରାସ୍ତାରେ ଆସି ପହଞ୍ଚିଲି ଏବଂ ଇନ୍ଦ୍ରକୁ ଅନୁସରଣ କରି ସ୍ୱପ୍ନାବିଷ୍ଟ ଭଳି ତାହା ଅତିକ୍ରମ କରି ଗଙ୍ଗା ନଦୀ ତୀରରେ ଆସି ପହଞ୍ଚିଲି ।

 

ଅତଡ଼ାଖିଆ କୂଳ । ତା’ ତୀରରେ ଗୋଟିଏ ବହୁ ପ୍ରାଚୀନ ଅଶ୍ୱତ୍‌ଥ ବୃକ୍ଷ ମୂର୍ତ୍ତିମାନ ଅନ୍ଧକାର ଭଳି ନୀରବରେ ଠିଆହୋଇ ରହିଛି । ଏବଂ ପ୍ରାୟ ତାହାରି ମୂଳେ ତିରିଶ ହାତ ତଳେ ସୂଚୀଭେଦୀ ଅନ୍ଧକାର ଭିତରେ ପରିପୂର୍ଣ୍ଣ ବର୍ଷାର ଗଭୀର ଜଳସ୍ରୋତ ଧକ୍‌କା ଖାଇ ଆବର୍ତ୍ତ ସୃଷ୍ଟିକରି ଧାଇଁଚାଲିଛି । ଦେଖିଲି ସେହିଠାରେ ଇନ୍ଦ୍ରର ଛୋଟ ଡଙ୍ଗାଟି ବନ୍ଧା ହୋଇଛି ।

 

ମୁଁ ନିଜେ ମଧ୍ୟ କମ୍ ଭୀରୁନଥିଲି । କିନ୍ତୁ ଇନ୍ଦ୍ର ଯେତେବେଳେ ଉପରେ ରହି ମୋତେ ଗୋଛାଏ ଦଉଡ଼ି ଦେଖାଇ କହିଲା–କାଠୁଆ ଉପରକୁ ଏଇ ଦଉଡ଼ିକୁ ଧରି ଆସ୍ତେଆସ୍ତେ ଓହ୍ଲାଇଯାଆ, ଶୁଣ ସାବଧାନରେ ଯିବୁ । ଯଦି ପାଣିରେ ଖସିପଡ଼ିଯିବୁ ନା ଆଉ ତୋତେ ଖୋଜି ପାଇବା କଷ୍ଟକର । ସେତେବେଳେ ପ୍ରକୃତରେ ମୋ ଛାତି ଥରିଉଠିଲା । ମନେମନେ ଭାବିଲି ଏକଥା ସଂପୂର୍ଣ ଅସମ୍ଭବ । କହିଲି ମୋର ତ ଦଉଡ଼ି ହେଲେ ଅବଲମ୍ବନ ଅଛି । କିନ୍ତୁ ତୋର ?

 

ସେ କହିଲା ତୁ ଓହ୍ଲାଇଗଲା ପରେ ମୁଁ ଦଉଡ଼ି ଖୋଲିସାରି ଓହ୍ଲାଇଯିବି । ମୋ ପାଇଁ ଭୟ କରିବାର କିଛି ନାହିଁ । ମୋତେ ଅନେକ ଉପାୟ ଜଣାଅଛି ।

 

ଆଉ କୌଣସି ପ୍ରକାର ଉଚ୍ଚବାଚ ନ କରି ମୁଁ ଅତି ଯତ୍ନରେ ଦଉଡ଼ିକୁ ଧରି ଓହ୍ଲାଇ କାଠୁଆ ଉପରେ ବସିପଡ଼ିଲି । ତାପରେ ଦଉଡ଼ିକୁ ଖୋଲିଦେଇ ଓହଳିପଡ଼ିଲା । ସେ ଯେ କ’ଣ ଧରି କି ପ୍ରକାରରେ ଓହ୍ଲାଇ ପାରିଲା ତାହା ଏବେ ସୁଦ୍ଧା ମୁଁ ଜାଣିପାରି ନାହିଁ । ସେ ଓହ୍ଲାଉଥିବାବେଳେ ତାକୁ ଚାହିଁ ରହି ଛାତିଟା ମୋର ଏପରି ଭୟରେ କମ୍ପିଉଠୁଥିଲା ଯେ ଶେଷରେ ମୋ ଆଖି ଆପଣାଛାଏଁ ବନ୍ଦ ହୋଇଗଲା । ଦୁଇ ତିନି ମିନିଟ୍‌ ପର୍ଯ୍ୟନ୍ତେ ବିପୁଳ ଜଳ ଧାରର ମତ୍ତ ଗର୍ଜନ ଛଡ଼ା ମୁଁ ଆଉ କିଛି ଶୁଣିପାରୁନଥିଲି । ତାପରେ ହଠାତ୍‌ ହସିବାର ଶବ୍ଦ ଶୁଣି ଚକିତ ହୋଇ ଆଖିଫିଟାଇ ଚାହିଁଦେଇ ଦେଖେ ତ ଇନ୍ଦ୍ର ଦୁଇହାତରେ ଡଙ୍ଗାକୁ ପେଲିଦେଇ ନିଜେ ଡଙ୍ଗା ଉପରକୁ ଉଠିଆସିଲା । ଡଙ୍ଗାଟା ବିଜୁଳି ବେଗରେ ପାଣି ସୁଅରେ ଭାସିଯିବାକୁ ଲାଗିଲା ।

 

କିଛି ସମୟ ପରେ ଆଗରେ ଓ ପଛରେ ଅନ୍ଧକାର ଘନ ହୋଇଉଠିଲା । ବାମ ଓ ଦକ୍ଷିଣ ଦିଗରେ ସମାନ୍ତରାଳ ପ୍ରସାରିତ ବିପୁଳ ଉଦ୍ଦାମ ଜଳସ୍ରୋତ ଏବଂ ତା’ ଉପରେ ତୀବ୍ର ଗତିଶୀଳ ଏଇ ନୌକାଟି ଦୁଇଟି କିଶୋରବୟସ୍କ ବାଳକଙ୍କୁ ଧରି ଭାସି ଚାଲିଥାଏ । ପ୍ରକୃତି ଦେବୀଙ୍କର ସେହି ଅପରିମେୟ ଗମ୍ଭୀର ରୂପ ଉପଲବଧି କରିବାର ବୟସ ସେତେବେଳେ ତା’ର ନଥିଲା । ଏକଥା କିନ୍ତୁ ଏ ବୟସରେ ଆଜି ସୁଦ୍ଧା ମୁଁ ଭୁଲିପାରୁ ନାହିଁ । ବାୟୁହୀନ, ନିସ୍ତବ୍‌ଧ, ନିଃସଙ୍ଗ ନିଶିଥିନୀ ଯେପରି ଏକ ଭୟଙ୍କର କାଳୀମୂର୍ତ୍ତି ପରି ମନେହେଉଥିଲା । ତା’ର ନିବିଡ଼ କଳା କଳା କେଶରାଶି ଯେପରି ଦ୍ୟୁଲୋକ ଓ ଭୂଲୋକକୁ ଆଚ୍ଛନ୍ନ କରିପକାଇଛି ଏବଂ ସେହି ସୂଚୀଭେଦ୍ୟ ଅନ୍ଧକାରକୁ ବିଦୀର୍ଣ୍ଣ କରି କରାଳ ଦନ୍ତପନ୍ତି ପରି ଦିଗନ୍ତ ବିସ୍ତୃତ ଏହି ତୀବ୍ର ଜଳଧାରାରୁ କିପରି ଏକ ଅପରୂପ ଦ୍ୟୁତି, ନିଷ୍ଠୁର ଚାପା ହସଭଳି ବିଚ୍ଛୁଡ଼ି ହେଲାପରି ଜଣାପଡ଼ୁଥିଲା ।

 

ଆମ ନୌକା ଯେ ଭାସିଯାଉଥିଲା ମୁଁ କେବଳ ଏତିକି ଜାଣିପାରୁଥିଲି । କିନ୍ତୁ ପରିପାରିରେ କେଉଁଠାରେ ଇନ୍ଦ୍ର ଯେ ତା’ର ଲକ୍ଷ୍ୟ ସ୍ଥିର ରଖି କାତଧରି ନିର୍ଭୟରେ ବସି ରହିଛି ତାହା ଆଦୌ ବୁଝିପାରୁନଥିଲି । ଏତିକି ବୟସରେ ସେ ଯେ କେତେ ବଡ଼ କୁଶଳୀ ମାଝି ତାହା ମଧ୍ୟ ଭାବିପାରୁନଥିଲି । ହଠାତ୍‌ ସେ ତୁଣ୍ଡ ଫିଟାଇ ପଚାରିଲା–କ’ଣ ଶ୍ରୀକାନ୍ତ ଡରମାଡ଼ୁଛି କିରେ ?

 

ମୁଁ କହିଲି–ନା ।

 

ଇନ୍ଦ୍ର ଅତ୍ୟନ୍ତ ଖୁସିହୋଇ କହିଲା–ଏୟାତ ମୁଁ ଚାହେଁ । ଯିଏ ପହଁରି ଜାଣେ ସେ ନଈବଢ଼ିକୁ ଡରିବ ଅବା କାହିଁକି ?

 

ମୁଁ କେବଳ ନୀରବରେ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲି । ମନରେ ଆତଙ୍କ କାଳେ ସେ ଜାଣିପାରିବ କି ? କିନ୍ତୁ ଏଇ ରାତିରେ ପହଁରା ଜାଣିବାରେ ଏବଂ ନ ଜାଣିବାରେ କେଉଁ ଅବା ତଫାତ୍‌ ଅଛି ? ସେ ଆଉ କିଛି କହିଲା ନାହିଁ । ବହୁକ୍ଷଣ ଏପରି କଟିଯିବା ପରେ କ’ଣ ଯେପରି ଗୋଟାଏ କାନକୁ ଶୁଣାଗଲା । ତାହା ଅତ୍ୟନ୍ତ ଅସ୍ପଷ୍ଟ ଏବଂ କ୍ଷୀଣ । କିନ୍ତୁ ଡଙ୍ଗା ଯେତେ ଶୀଘ୍ର ଶୀଘ୍ର ଆଗେଇ ଚାଲିଥିଲା ସେହି ଶବ୍ଦ ସେତିକି ସ୍ପଷ୍ଟ ହୋଇଆସୁଥିଲା । ସତେଯେପରି ବହୁଦୂରକୁ କାହାର ଏକ କ୍ରୁଦ୍ଧ ଆହ୍ୱାନ । କେତେ ବାଧାବିଘ୍ନକୁ ଲଙ୍ଘି ଆମ କାନରେ ପହଞ୍ଚିବାରେ ଲାଗିଛି । ପଚାରିଲି–ଇନ୍ଦ୍ର, ଏ କାହା କଣ୍ଠସ୍ୱର କିରେ ?

 

ସେ ଡଙ୍ଗାର ମଙ୍ଗଟା ଟିକିଏ ସଳଖ କରିଦେଇ କହିଲା–ଜଳସ୍ରୋତରେ ସେପାରିରେ ନଈ ଅତଡ଼ା ଖାଇବାର ଶବ୍ଦ ।

 

: କେତେ ଜୋର ସ୍ରୋତ କିରେ ?

 

: ଏହା ଭୟଙ୍କର ସ୍ରୋତ । କାଲି ତ ନଈରେ ପାଣି ଆସିଛି କିନ୍ତୁ ଆଜି ସେ ପାଖରେ ଯାଇହେବ ନାହିଁ । ଯଦି ସେ ପାଖରେ ଯାଉ ଯାଉ ଦୈବାତ୍‌ ଖଣ୍ଡିଏ ଅତଡ଼ା ଖସିବନା, ତେବେ ଆମ ଡଙ୍ଗାଟି ପୂରାପୂରି ପୋତି ହୋଇଯିବ । ତୁ କାତମାରି ଜାଣୁ ?

 

: ହଁ ।

 

: ତେବେ ମାର ।

 

ମୁଁ କାତ ମାରିବା ଆରମ୍ଭ କଲି । ଇନ୍ଦ୍ର କହିଲା–ଏଇ, ଏଇ ଯେ ଆଗରେ ଦେଖାଯାଉଛି ସେଇଟା ହେଉଛି ଚଡ଼ା । ତାରି ତଳେ ଗୋଟାଏ ଖାଲ ପରି ଯାଗା ଅଛି । ତାରି ଭିତରଦେଇ ଆମକୁ ବାହାରିଯିବାକୁ ହେବ । କିନ୍ତୁ ଖୁବ୍‌ ଆସ୍ତେଆସ୍ତେ ଯିବାକୁ ହେବ । କାରଣ ଜାଲିଆ (କେଉଟ)ମାନେ ଟେର ପାଇଲେ ଆଉ ଫେରି ଆସି ହେବ ନାହିଁ । କାତ ବାଉଁଶରେ ମାରି ମାରି ପଙ୍କରେ ପୋତିଦେବେ ।

 

: ଏ ପୁଣି କି କଥା କିରେ ? ଭୟରେ କହିଉଠିଲି–ତାହାହେଲେ ସେ ପାଖରେ ନ ଗଲେ ?

 

ଇନ୍ଦ୍ର ବୋଧହୁଏ ସାମାନ୍ୟ ହସିଲା । କହିଲା–ଆଉ ତ ବାଟ ନାହିଁ । ଏଇ ବାଟଦେଇ ଆମକୁ ଯିବାକୁ ହିଁ ହେବ । ବଡ଼ ଚଡ଼ାର ବାଆଁ ଦିଗରେ ସ୍ରୋତ ଠେଲି ବଡ଼ ବଡ଼ ଜାହାଜ ମଧ୍ୟ ଯାଇପାରିବ ନାହିଁ । ଆଉ ଆମେମାନେ ଅବା ଯିବା କିପରି ? ଫେରିଆସି ହୋଇପାରିବ ସିନା କିନ୍ତୁ ସେଇବାଟେ ଯାଇହେବ ନାହିଁ ।

 

: ତେବେ ମାଛ ଚୋରି କରି କିଛି ଲାଭ ନାହିଁ ଭାଇ; କହି ମୁଁ ଡଙ୍ଗାଉପରେ କାତ ରଖିଦେଲି । ଆଖି ପିଛୁଳାକେ ଡଙ୍ଗା ଘୂରିପଡ଼ି ପଛକୁ ଚାଲିଗଲା । ଇନ୍ଦ୍ର ବିରକ୍ତ ହୋଇ ଫୁସ୍‍ଫୁସ୍‌ କରି ଗର୍ଜ୍ଜନ ତର୍ଜ୍ଜନ କରି କହିଉଠିଲା–ତେବେ ଆସୁଥିଲୁ କାହିଁକି ? ଚାଲ ତୋତେ କୂଳରେ ଛାଡ଼ିଦେଇ ଆସିବି । କାପୁରୁଷ ।

 

ସେତେବେଳେ ମୁଁ ଚଉଦ ବର୍ଷ ପାର ହୋଇ ପନ୍ଦର ବର୍ଷ ବୟସରେ ପାଦ ଦେଇଥାଏ । ମନେମନେ ଭାବିଲି–ମୁଁ ପୁଣି କାପୁରୁଷ ! ଦୁଲ କରି କାତକୁ ପାଣିକୁ ପକାଇଦେଇ ପ୍ରାଣପଣେ ବାହିବାକୁ ଲାଗିଲି ।

 

ଇନ୍ଦ୍ର ଖୁସିହୋଇ କହିଲା–ଏହା ହିଁ ଦରକାର । କିନ୍ତୁ ଭାଇ ଧୀରେଧୀରେ କାତ ମାର । କାରଣ ଶଳା ଗୁଡ଼ାକ ବଡ଼ ପାଜୀ । ମୁଁ ଝାଉଁବଣ ପାଖେପାଖେ ମକ୍‌କା କ୍ଷେତ ଭିତରେ ଏପରି ଭାବରେ ଡଙ୍ଗାକୁ ପୂରାଇ ବାହାର କରିନେବି ଯେ ଶଳାଏ ଆଦୌ ଟେର ପାଇପାରିବେ ନାହିଁ ।

 

ମୁଁ ସାମାନ୍ୟ ହସିଦେଇ ପୁଣି କହିଲି–ସେମାନେ ଜାଣିପାରିଲେ କ୍ଷତି ଅବା କ’ଣ ? ଧରିପକାଇବାଟା କ’ଣ ତୁଣ୍ଡର କଥା କି ?

 

: ଦେଖ ଶ୍ରୀକାନ୍ତ; ଅବଶ୍ୟ କିଛି ଭୟ କରିବାର ନାହିଁ । ସେମାନଙ୍କର ଚାରିଟା ଡଙ୍ଗା ଅଛି ସତ । କିନ୍ତୁ ଯଦି ଦେଖିପକାଇ ଘେରାଉ କରିପକାନ୍ତି ନା ଆଉ ପଳାଇଯିବାକୁ ବାଟ ପାଇବା ନାହିଁ । ସେତେବେଳେ ଡଙ୍ଗାରୁ ଫକ୍‌ କରି ଡେଇଁପଡ଼ି ବୁଡ଼ା ପହଁରା ମାରି ଯେତେଦୂର ପାର ବୁଡ଼ିଯାଇ ପାଣିରେ ଉଠିଲେ ଯାଇ ରକ୍ଷା । ଏ ଅନ୍ଧାରରେ ଆଉ ଦେଖିବାର ଶକ୍ତି କାହାର ନାହିଁ । ତାପରେ ଆନନ୍ଦରେ ସତୁୟା ଚଡ଼ାରେ ପହଞ୍ଚି ସକାଳେ ପହଁରି ଏ ପାରିରେ ଆସି ଗଙ୍ଗା କୂଳେକୂଳେ ଘରେ ପହଞ୍ଚିଗଲେ । ବେଶ୍‌ ତେଣିକି ଶଳାଏ କ’ଣ କରିବେ ?

 

ଚଡ଼ା ନାଆଁଟା ଶୁଣିଥିଲି, କହିଲି ସତୁୟା ଚଡ଼ା ତ ଘୋର ନଳାର ଆଗରେ । ସେ ତ ଅନେକ ଦୂର ।

 

ଇନ୍ଦ୍ର ତାତ୍ସଲ୍ୟ କରି କହିଲା ଅନେକ ଦୂର କେଉଁଠି ? ଛଅ ସାତ କୋଶ ଦୂର ହେବ କି ନ ହେବ । ହାତ ଘୋଳି ହୋଇଗଲେ ପାଣିରେ ଚିତ୍‌ ହୋଇ ଶୋଇ ରହିଲେ ଚଳିବ । ତା’ପରେ ମଡ଼ା ପୋଡ଼ା କେତେ କାଠ ଭାସିଯାଉଥିବାର ଦେଖିବାକୁ ପାଇବୁ ।

 

ଆତ୍ମରକ୍ଷା ପାଇଁ ଯେଉଁ ସରଳ ରାସ୍ତା ତାହା ସେ ଦେଖାଇଦେଲା । ତେଣୁ ଏଥିରେ ଆପତ୍ତି କରିବାର କିଛି ନଥିଲା । ଏହି ନିବିଡ଼ ଅନ୍ଧକାର ରାତିରେ ଆବର୍ତ୍ତ ସଂକୁଳ ଜଳ ସ୍ରୋତରେ ସାତ ଆଠ କୋଶ ଭାସିଯିବା ପରେ ପୁଣି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ତାପରେ ତୀରକୁ ଉଠିବାର ଶକ୍ତି ନଥିବ । ଦଶ ପନ୍ଦର ହାତ ଉଚ୍ଚର ବାଲିର ତୀରକୁ ଧରୁଧରୁ ବାଲି ଭୁଷ କରି ମୁଣ୍ଡଉପରେ ଭୁଶୁଡ଼ି ପଡ଼ିବ । ସେହିଠାରେ ପୁଣି ଗଙ୍ଗା ଦିଗ ପରିବର୍ତ୍ତନ କରି ଅର୍ଦ୍ଧବୃତ୍ତାକାରରେ ଜଳସ୍ରୋତ ପ୍ରଖର ଭାବରେ ଛୁଟିଚାଲିଛି । ଏସବୁ ଉପଲବ୍‌ଧ କରିବା ମାତ୍ରେ ମୋର ବୀର ହୃଦୟ ଭୟରେ ସଙ୍କୁଚିତ ହୋଇଉଠିଲା । କିଛି ସମୟ କାତ ମାରିବା ପରେ କହିଲି–ଆଚ୍ଛା ଆମ ଡଙ୍ଗାର ଅବସ୍ଥା ଫେର କ’ଣ ହେବ ?

 

ଇନ୍ଦ୍ର କହିଲା–ହେଇ ସେଦିନ ତ ମୁଁ ଏଇମିତି ପଳାଇଯାଇଥିଲି । ତା’ ପରଦିନ ଆସି ଡଙ୍ଗା ନେଇଗଲି । ପଚାରିଲାରୁ କହିଲି–ଘାଟରୁ ବୋଧହୁଏ ଆଉ କିଏ ଡଙ୍ଗା ଚୋରି କରିନେଇ ଆସିଥିବ–ମୁଁ କିନ୍ତୁ ନୁହେଁ ।

 

ତେବେ ଏ ସବୁ ଇନ୍ଦ୍ର ମନରୁ ଫାନ୍ଦି କରି କହିବା କଥା ନୁହେଁ । ଏକଦମ୍‌ ଅଙ୍ଗେ ନିଭେଇବାର କାହାଣୀ । ଏଥିରେ ସନ୍ଦେହ କରିବାର କିଛି ନାହିଁ । ନୌକାଟି ଖାଡ଼ି ନିକଟରେ ପହଞ୍ଚିବା କ୍ଷଣି ଦେଖାଗଲା ଜାଲିଆମାନଙ୍କର ଡଙ୍ଗାଗୁଡ଼ିକ ଧାଡ଼ିହୋଇ ବନ୍ଧାହୋଇ ରହିଛି ଏବଂ ସେଥିରେ ଦୀପ୍‌ ଦୀପ୍‌ ହୋଇ ଆଲୁଅ ଜଳୁଛି । ଦୁଇଟି ଚଡ଼ା ମଝିରେ ଏଇ ପ୍ରବାହଟା ଖାଲ କରି ପ୍ରବାହିତ ହେଉଥିଲା । ଆମେ ଡଙ୍ଗା ବୁଲାଇ ତା’ର ଅପର ଦିଗରେ ପହଞ୍ଚିଲୁ । ଏଠାରେ କେଉଟମାନେ ଜାଲ ପାତି ଦେଇ ଚୋରି ଆଶଙ୍କା ନକରି ଆନନ୍ଦରେ ଚାଲିଯାଇଥାନ୍ତି । ଏହି ଖାଲରେ ଯେଉଁ ଜାଲ ସେମାନେ ଘେରାଇ କରି ରଖିଥାନ୍ତି ତାକୁ ମାୟା ଜାଲ କହନ୍ତି । ଖାଲରେ ଯେତେବେଳେ ପାଣି ରହେ ନାହିଁ । ସେତେବେଳେ ଏ ଧାରରୁ ସେ ଧାର ପର୍ଯ୍ୟନ୍ତ ଉଚ୍ଚ ଉଚ୍ଚ କାଠି ସବୁ ପୋତିଦେଇ ତା’ ଆଗରେ ଜାଲ ସବୁ ଟାଙ୍ଗି ଦିଅନ୍ତି । ତାପରେ ବର୍ଷାର ଜଳ ସ୍ରୋତରେ ବଡ଼ ରୋହି, ମିରକାଳି ପ୍ରଭୃତି ଭାସିଆସି ଏଇ କାଠିରେ ବାଧାପାଇ ପଳାଇ ଯିବା ପାଇଁ ଡେଇଁପଡ଼ିବା କ୍ଷଣି ଏ ପେଖ ଜାଲରେ ଆସି ପଡ଼ିଯାଆନ୍ତି ।

 

ଦଶ, ପନ୍ଦର, କୋଡ଼ିଏ ସେର ରୋହି ଏବଂ ପାଞ୍ଚ ଛଅଟା ମିରକାଳି ଇନ୍ଦ୍ର ଆଖି ପିଛଡ଼ାକେ ସେଠାରୁ ଆଣି ଡଙ୍ଗାରେ ସାଇତି ରଖିଲା । ତାପରେ ହାତରେ ମାଛ ପରେ ମାଛ.....

 

ମୁଁ ପଚାରିଲି–ଏତେ ମାଛ କ’ଣ ଭାଇ ?

 

: ଦରକାର ଅଛି । ଆଉ ନେବା ନାହିଁ । ପଳାଇ ଯିବା ଚାଲ କହି ସେ ଡଙ୍ଗା ବୁଲାଇଦେଲା । ଆଉ କାତ ମାରିବାର ଆବଶ୍ୟକତା ନଥିଲା । ମୁଁ ଚୁପ୍‌ ହୋଇ ବସି ରହିଲି । ପୁଣି ସେତେବେଳେ ସେଇ ଗୋପନ ବାଟରେ ଫେରିଆସିବାକୁ ହେବ । ଅନୁକୂଳ ସ୍ରୋତରେ ତୀର ବେଗରେ ଥୋଡ଼ାଏ ବାଟ ଦୁଇ ତିନିମିନିଟ ଆସିବା ପରେ ପରେ ହଠାତ୍‌ ଗୋଟାଏ ସ୍ଥାନରେ ଦିଗ ପରିବର୍ତ୍ତନ କରି ଆମ ଛୋଟ ଡଙ୍ଗାଟା, ପାଖରେଥିବା ଗୋଟିଏ ଧାନବିଲ ଭିତରେ ପ୍ରବେଶ କଲା-। ଡଙ୍ଗାର ଏହି ଆକସ୍ମିକ ଗତି ପରିବର୍ତ୍ତନ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲି–କ’ଣ ! କ’ଣ ହେଲା ?

 

ଇନ୍ଦ୍ର ଗୋଟାଏ ଠେଲାମାରି ଡଙ୍ଗାଟାକୁ ଭିତରକୁ ଆହୁରି ଠେଲିଦେଇ କହିଲା–ଚୁପ୍ କର; ସେମାନେ ଜାଣିପାରିଛନ୍ତି । ଏଇ ଦେଖ ଚାରିଟା ଡଙ୍ଗା ଖୋଲି ସେମାନେ ଛୁଟିଛନ୍ତି ।

 

ସତେ ତ ! ପ୍ରବଳ ଜଳସ୍ରୋତରେ ଚାରିଟା ଡଙ୍ଗା ଆମଆଡ଼କୁ ତୀର ବେଗରେ ଛୁଟି ଆସୁଥିବାର ଦେଖାଗଲା । ଆଗ ରାସ୍ତା ଜାଲଦ୍ୱାରା ସେମାନେ ବନ୍ଦ କରିଛନ୍ତି । ପଛରେ ଡଙ୍ଗା ଓ ସେମାନେ । ପଳାଇ ବଞ୍ଚିବାର ରାସ୍ତା ନାହିଁ । ଏଇ ଧାନବିଲ ଭିତରେ ମଧ୍ୟ ଆତ୍ମଗୋପନ କରିବା ସମ୍ଭବପର ନୁହେଁ । ହଠାତ୍‌ ପଚାରି ବସିଲି–କ’ଣ କରିବା ଭାଇ ? ଏତକ କହିବା ସଙ୍ଗେସଙ୍ଗେ ଭୟରେ ମୋର କଣ୍ଠ ବାଷ୍ପାକୁଳ ହୋଇଉଠିଲା । ଭାବିଲି ଯଦି ସେମାନେ ଆମ ଦୁହିଁଙ୍କୁ ଖୁନ୍‌ କରି ଏଇ କ୍ଷେତ ଭିତରେ ପୋତି ଦିଅନ୍ତି ତେବେ କିଏ ଅବା ତା’ର ସନ୍ଧାନ ପାଇପାରିବ ଯେ ?

 

ଏହା ପୂର୍ବରୁ ଇନ୍ଦ୍ର ଚାରି, ଛଅଥର ‘‘ଚୋରିବିଦ୍ୟା ମହାବିଦ୍ୟା’’ ଏହା ପ୍ରମାଣ କରି ଯୁକ୍ତି ବାଢ଼ିବସିଥିଲା । ଏତେଦିନ ଚୋରି କରି ଧରାପଡ଼ିନଥିଲା । କିନ୍ତୁ ଆଜି ?

 

ସେ ସିନା ମୋ କଥା ଶୁଣି କହିପକାଇଲା–ଭୟ ନାହିଁ; କିନ୍ତୁ ଏଇ ପଦକ କହିଲାବେଳେ ଜଣାପଡ଼ୁଥିଲା ତା’ କଣ୍ଠସ୍ୱର କମ୍ପିଉଠୁଥିଲା । କିନ୍ତୁ ସେ ତା’ର ଚେଷ୍ଟାରେ ବିରତ ନଥିଲା । ପ୍ରାଣପଣେ ଚେଷ୍ଟା କରି ଡଙ୍ଗାକୁ କ୍ଷେତ ଭିତରେ ଲୁଚାଇବାକୁ ବିରତ ନଥିଲା । ପ୍ରାଣପଣେ ଚେଷ୍ଟା କରି ଡଙ୍ଗାକୁ କ୍ଷେତ ଭିତରେ ଲୁଚାଇବାକୁ ଚେଷ୍ଟା କରୁଥିଲା । ସମଗ୍ର ଚଡ଼ାଟା ଜଳାର୍ଣ୍ଣବ । ମଝିରେ ଏଇ ଧାନକ୍ଷେତ । ତାହା ଭିତରେ ଆମଭଳି ଦୁଇଟି ପ୍ରାଣୀ । କେଉଁଠାରେ ପାଣି ଅଣ୍ଟାଏ ତ କେଉଁଠାରେ ବେକ ପର୍ଯ୍ୟନ୍ତ ।

 

ଉପରେ ନିବିଡ଼ ଅନ୍ଧକାର । ଆକାଶ ମଧ୍ୟ ଜଣାପଡ଼ୁ ନାହିଁ । ଆଗ, ପଛ, ବାମ, ଡାହାଣ ଚାରିପାଖରେ ଜଳ, ଜଳ । ହଠାତ୍‌ ପଙ୍କରେ କାତ ଲାଗିଗଲା । ଆଉ ଡଙ୍ଗା ଏକଇଞ୍ଚ ସୁଦ୍ଧା ଆଗକୁ ଯିବାକୁ ନାରାଜ । ପଛରୁ କେଉଟମାନଙ୍କର ଅସ୍ପଷ୍ଟ କଥାବାର୍ତ୍ତା କାନକୁ କ୍ରମଶଃ ସ୍ପଷ୍ଟ ହବାକୁ ଲାଗିଛି । ସେଥିରୁ ଜାଣିବାକୁ ଆଉ ବାକି ରହିଲା ନାହିଁ ଯେ ସେମାନେ ଚୋରି ହେବା କଥା ଜାଣିଛନ୍ତି ଏବଂ ଚୋରକୁ ଖୋଜି ବୁଲୁଛନ୍ତି ।

 

ହଠାତ୍‌ ଡଙ୍ଗାଟା ସିଧାହୋଇ ଭିଡ଼ି ହେଉଥିବାର ଜାଣିପାରି ମୁଁ ଚାହିଁ ଦେଖିଲି ଡଙ୍ଗାରେ ମୁଁ ଏକାକୀ । ଆଉ ଅନ୍ୟ ଦ୍ୱିତୀୟ ବ୍ୟକ୍ତିଟି ନାହିଁ । ଭୟରେ ଡାକିଉଠିଲି–ଇନ୍ଦ୍ର ? ପାଞ୍ଚ ଛଅହାତ ଦୂରରେ ବଣ ଭିତରୁ ଉତ୍ତର ଆସିଲା–ମୁଁ ତଳେ ।

 

: ତଳେ କାହିଁକି କିରେ ?

 

ଡଙ୍ଗାକୁ କାଢ଼ି ବାହାର କରିବାକୁ ହେବ । ମୋ ଅଣ୍ଟାରେ ଦଉଡ଼ି ବନ୍ଧା ହୋଇଛି ।

 

: ଟାଣି କରି କେଉଁଠାକୁ ନେବୁ ?

 

: ଏଇ ଗଙ୍ଗାକୁ, ଅଳ୍ପବାଟ ଆଉ ଯାଇପାରିଲେ ତେଣିକି ?

 

ଏତକ ଶୁଣି ଚୁପ୍ ହୋଇଗଲି । କ୍ରମଶଃ ଧୀରେ ଧୀରେ ଅଗ୍ରସର ହେବାକୁ ଲାଗିଲି । ଅକସ୍ମାତ ବଣ ଭିତରେ କିଛି ଦୂରରେ ଟିଣବାଡ଼ିଆ ଓ ବାଉଁଶ ଠକ୍‍ଠକ୍‌ ଶବ୍ଦ ଶୁଣି ଚମକିପଡ଼ି ଭୟରେ ଶିହରିଉଠି ପଚାରିଲି–ଏ କ’ଣ ଭାଇ ?

 

ସେ ଉତ୍ତର ଦେଲା–ଚାଷୀମାନେ ମଞ୍ଚାଉପରେ ବସି କ୍ଷେତରୁ ବଣୁଆ ବାର୍‌ହାମାନଙ୍କୁ ତଡ଼ୁଛନ୍ତି ।

 

: ବଣୁଆ ବାର୍‌ହା ! କେଉଁଠାରେ ସେମାନେ ?

 

: ଇନ୍ଦ୍ର ନୌକାକୁ ଟାଣୁଟାଣୁ ତାତ୍ସଲ୍ୟ କରି କହିଲା–ମୁଁ କ’ଣ ଦେଖିପାରୁଛି ଯେ କହିବି-? ଥିବେ ଏଇଠାରେ କେଉଁଠି ।

 

ତା’ ଉତ୍ତର ଶୁଣି ମୁଁ ସ୍ତବ୍‌ଧ ହୋଇଗଲି । ଭାବିଲି–କାହା ମୁହଁ ଆଜି ସକାଳୁ ଉଠି ଦେଖିଲି କେଜାଣି ରାତିଅଧରେ ଘରେ ବାଘ ହାବୁଡ଼ରେ ପଡ଼ିଲି । ବର୍ତ୍ତମାନ ବଣ ଭିତରେ ବାର୍‌ହା ହାବୁଡ଼ରେ ପଡ଼ିବି । ଯାହାହେଉ ମୁଁ ହେଲେ ଡଙ୍ଗାଭିତରେ ବସିଛି । କିନ୍ତୁ ଏ ଲୋକଟି ତ କାଦୁଅ ଆଉ ପାଣିରେ ଘାଣ୍ଟିହେଉଚି । ପାଦ ଏପଟସେପଟ ହେବାକୁ ତା’ର ଚାରା ନାହିଁ । ପନ୍ଦର ମିନିଟ ଏହିପରି ଭାବରେ କଟିଲା । ଆଉ ଗୋଟାଏ ଜିନିଷ ଲକ୍ଷ୍ୟ କରିବାରେ ଲାଗିଥିଲି । ସାଧାରଣତଃ ଦେଖିବାକୁ ପାଉଥିଲି ପାଖାପାଖି ଗୋଟାଏ ଗୋଟାଏ ଜାନାରୀ କିମ୍ବା ଶାଗୁଆନ ଗଛରୁ ଦୁଲ କରି ଗୋଟାଏ ଶବ୍ଦ ଶୁଭୁଥିଲା । ଶଙ୍କିତ ହୋଇ ଇନ୍ଦ୍ରକୁ ସେ ବିଷୟରେ ପଚାରିବାରୁ ସେ ଅତି ସାଧାରଣ ଭାବରେ କହିଲା–ସେ ସବୁ କିଛି ନୁହେଁ । ଗଛରେ ସବୁ ସାପ ଲାଗି ରହିଛନ୍ତି । ଆମ ଡଙ୍ଗାର ଶବ୍ଦ ଶୁଣି ପାଣିକୁ ଡେଇଁପଡ଼ୁଛନ୍ତି ।

 

: କିଛି ନୁହେଁ !! ସାପ ! ଶୁଣି ଭୟରେ ଜଡ଼ ସଡ଼ ହୋଇ ଡଙ୍ଗା ଭିତରେ ବସି ରହିଲି । ଧୀରେ ଧୀରେ ପଚାରିଲି କି ସାପ କିରେ ଭାଇ ?

 

: ସବୁ ଜାତିର ଅଛନ୍ତି । ତମ୍ପ, ନାଗ, ବୋଡ଼ା, ଗୋଖର ଇତ୍ୟାଦି ପାଣିରେ ଭାସି ଭାସି ଗଛର ଆଶ୍ରା ପାଇ ଲଟକି ଯାଇଥିଲେ । ଦେଖୁଛୁ ଏଠାରେ କେଉଁଠି ହେଲେ ଗୋଟିଏ ଡଙ୍ଗା ନାହିଁ-

 

: ହଁ, ଦେଖିପାରୁଛି । ଏତିକି ସିନା କହିଲି କିନ୍ତୁ ଭୟରେ ଏଣେ ମୋର ନଖଠାରୁ ଶିଖା ପର୍ଯ୍ୟନ୍ତ କମ୍ପିବାରେ ଲାଗିଥାଏ, ସେ କିନ୍ତୁ ଟିକିଏ ହେଲେ ଭ୍ରୂକ୍ଷେପ କରୁନଥାଏ । ନିଜ କାମ କରୁ କରୁ କହି ଲାଗିଥାଏ–ସେମାନେ କିନ୍ତୁ କାମୁଡ଼ନ୍ତି ନାହିଁ । ଏମାନେ ନିଜେ ନିଜେ ତ ଭୟରେ ମରୁଛନ୍ତି । ପରର କ୍ଷତି କରିବେ କେତେବେଳେ ? ଦୁଇ ତିନିଟା ତ ମୋ ଦେହରେ ଘଷି ହୋଇ ଚାଲିଗଲେ, ଗୋଟାଏ ଗୋଟାଏ ସେଥିରୁ ମସ୍ତ ବଡ଼, ବଡ଼ । ବୋଧହୁଏ ବୋଡ଼ା କିମ୍ବା ଗୋଖର ହେବେ । ତାପରେ ଯଦି ସେମାନେ କାମୁଡ଼ନ୍ତି ତେବେ କ’ଣ ଅବା କରାଯାଇପାରିବ ? କାରଣ ଦିନେ ତ ଭାଇ ମରିବାକୁ ହେବ......ଏଇପରି ଭାବରେ ନିହାତି ସାଧାରଣ କଣ୍ଠରେ ସେ ଗପି ଚାଲିଥାଏ । ତା’ କଥାରୁ କେତେ ମୋ କାନ ଭିତରେ ପଶୁଥିଲା ଆଉ କେତେକ ପଶୁନଥିଲା । ନିର୍ବାକ ହୋଇ ଡଙ୍ଗାରେ ପଥର ଭଳି ବସି ରହିଥାଏ । ଭୟରେ ହଲଚଲ ମଧ୍ୟ ହେଉନଥାଏ, ମନେମନେ ଭାବି ଚାଲିଥାଏ । ଯଦି ହଠାତ୍‌ ସେମାନଙ୍କ ଭିତରୁ ଗୋଟାଏ ଏଇ ଡଙ୍ଗା ଭିତରକୁ ଭୁଲରେ ଡେଇଁପଡ଼ନ୍ତି !

 

ସେ ଯାହାହେଉ କିନ୍ତୁ ଏଇ ଲୋକଟା କ’ଣ ? ମଣିଷ ? ନା ଦେବତା ? ପିଶାଚ ? ନା ଆଉ କିଛି ? କ’ଣ ଏଇ ଲୋକଟା ? କାହା ସଙ୍ଗରେ ଏତେବଡ଼ ବଣରେ ଘୂରିବୁଲୁଛି ? ଯଦି ମଣିଷ ହୋଇଥାନ୍ତା ତେବେ ଭୟ ବୋଲି ଗୋଟାଏ ଜିନିଷ ଏ ବିଶ୍ୱବ୍ରହ୍ମାଣ୍ଡରେ ଅଛି ସେ କଥା କ’ଣ ଜାଣିପାରିନଥାନ୍ତା ? ତା’ ଛାତି କ’ଣ ପଥରରେ ତିଆରି ? ସେଇ ଛାତିଟା କ’ଣ ମୋ ଛାତି ଭଳି ସଂକୁଚିତ ଆଉ ପ୍ରସାରିତ ହୁଏ ନାହିଁ ? ତେବେ ଯେଉଁଦିନ ପଡ଼ିଆରେ ସମସ୍ତେ ପଳାଇଗଲାବେଳେ ଯିଏ ନିହାତି ଅପରିଚିତ ଭାବରେ ଶତ୍ରୁମାନଙ୍କ ବ୍ୟୁହ ଭିତରେ ପ୍ରବେଶ କରି ମୋତେ ନିର୍ବିଘ୍ନରେ ବାହାର କରି ଆଣିଲା, ଏ କ’ଣ ସେଇ ଯୁବକ ? ତାରି ଛାତି ତଳେ କ’ଣ ସେଦିନ ଏତେ କରୁଣା ନିହିତ ଥିଲା ! ଆଉ ଆଜି ? ସମସ୍ତ ବିପଦର ବାର୍ତ୍ତା ତନ୍ନ ତନ୍ନ କରି ଶୁଣି, ଅକୁଣ୍ଠିତ ଚିତ୍ତରେ ନୀରବ ଭାବରେ ଯିଏ ଏହି ଭୟାବହ, ଅତିଭୀଷଣ, ମୃତ୍ୟୁ ମୁହଁରେ ଠିଆ ହୋଇପଡ଼ିଲା, ସେ କ’ଣ ଥରକ ପାଇଁ କହିପାରନ୍ତା ନାହିଁ–ଏଇ ଶ୍ରୀକାନ୍ତ ତୁ ଡଙ୍ଗାରୁ ଓହ୍ଲାଇପଡ଼ ! ସେ ତ ଜୋର କରି ମୋତେ ଡଙ୍ଗାରୁ ଓହ୍ଲାଇଦେଇ ଖାଲି ଡଙ୍ଗାଟାକୁ ସୁବିଧା ଭାବରେ ଟାଣିନେଇପାରିଥାନ୍ତା ? ଏ ତ ଖେଳଘର କଥା ନୁହେଁ । ଜୀବନ ମରଣର ସନ୍ଧି କ୍ଷଣରେ ଠିଆହୋଇ କେତେଟା ଲୋକ ଏପରି ସ୍ୱାର୍ଥତ୍ୟାଗ ଏଇ ବୟସରେ କରିପାରନ୍ତି ? ମରିବାକୁ ହେଲେ ଦିନେ ତ ମରିବାକୁ ହେବ ଏଇଭଳି କଥାକୁ ଏତେ ସାଧାରଣ ଭାବରେ ଏପରି ବିପଦ ବେଳେ କେତେଜଣ କହିପାରନ୍ତି ? ସେ ମୋତେ ଏଇ ବିପଦ ଭିତରକୁ ଟାଣିଆଣିଛି ସତ, କିନ୍ତୁ ତା’ର ଏତେଗୁଡ଼ାଏ ସ୍ୱାର୍ଥତ୍ୟାଗକୁ ମୁଁ ମଣିଷ ହୋଇ କିପରି ଅବା ଭୁଲି ଯାଇପାରିବି ? ତାପରେ ଏଇପରି କେତେ ସୁଖ ଦୁଃଖ ଭିତରେ ଗତିକରି ଆଜି ବାର୍ଦ୍ଧକ୍ୟ ବୟସରେ ଉପନୀତ ହୋଇଛି । କେତେ ଦେଶ, କେତେ ନଦୀ, ପାହାଡ଼, ଜଙ୍ଗଲ, ଘାଟି ପର୍ବତ ସବୁ ଭ୍ରମଣ କରିଛି । କେତେ ପ୍ରକୃତିର, କେତେ ପ୍ରକାରର ଲୋକ ଏ ଦୁଇଆଖିରେ ଦେଖିଛି, କିନ୍ତୁ ଏପରି ମହତ୍‌ ହୃଦୟ କେଉଁଠାରେ ଦେଖିବାକୁ ପାଇଁ ନାହିଁ । ଆଜି ଇନ୍ଦ୍ର ନାହିଁ । ଗୋଟାଏ ପାଣି ଫୋଟକା ଭଳି ସେ ମଧ୍ୟ କୁଆଡ଼େ ମିଳାଇଗଲାଣି । କିନ୍ତୁ ଆଜି ସୁଦ୍ଧା ତା’ କଥା ମନେପଡ଼ିଲେ ଏଇ ଶୁଖିଲା ଆଖିପତା ଦୁଇଟା ମୋର ଓଦା ହୋଇଉଠେ । ଗୋଟାଏ ନିଷ୍ଫଳ ଅଭିମାନ କେବଳ ହୃଦୟ ଭିତରେ ଆଲୋଡ଼ିତ ହୋଇ ଉପରକୁ ଫେଣାଇଉଠେ; ହେ ସୃଷ୍ଟିକର୍ତ୍ତା ! ମୋଭଳି ଅପଦାର୍ଥ ଜୀବଟିକୁ କାହିଁକି ଅବା ସୃଷ୍ଟି କରି ପଠାଇଥିଲ ଏବଂ କାହିଁକି ଅବା ତା’ର ଜୀବନକୁ ଏପରି ବ୍ୟର୍ଥ କରି ପ୍ରତ୍ୟାହାର କରିନେଲ ? ବାରମ୍ବାର ମୋ ଅସହିଷ୍ଣୁ ମନ ବ୍ୟଥାରେ ବିଚଳିତ ହୋଇ ଏହି ପ୍ରଶ୍ନ ପଚାରିଉଠେ–ହେ ଭଗବାନ ! ଟଙ୍କା, କଉଡ଼ି, ଧନ ଦୌଲତ, ବିଦ୍ୟାବୁଦ୍ଧି, ଢେର ତ ତୁମ ଅସରନ୍ତି ଭଣ୍ଡାରରୁ ଦେଉଥିବାର ଦେଖୁଛି କିନ୍ତୁ ଏଇଭଳି ଏକ ମହାନ ପ୍ରାଣ ଆଜି ପର୍ଯ୍ୟନ୍ତ କେତେଟା ଅବା ଦେଇପାରିଛ ?

 

ଥାଉ; ସେ କଥା ସେତିକିରେ ଥାଉ । କ୍ରମଶଃ ଘୋର କଳକଲ୍ଲୋଳ ନିକଟବର୍ତ୍ତୀ ହେଉଥିବାର ଉପଲବ୍‌ଧ କରିପାରୁଥିଲି । ତେଣୁ ଆଉ କିଛି ପ୍ରଶ୍ନ ନ କରି ବୁଝିପାରିଲି ଏଇ ବନ ଅନ୍ତରାଳରେ ଯେଉଁ ଜଳସ୍ରୋତ ଯାହାକୁ ଷ୍ଟୀମର ସୁଦ୍ଧା ଅତିକ୍ରମ କରିଯାଇପାରିବ ନାହିଁ, ସେହିଭଳି ଜଳସ୍ରୋତ ଭିତରେ ଆମର ଛୋଟ ଡଙ୍ଗାଟି ପଡ଼ିଗଲାଣି । ହଠାତ୍‌ ଏଇ ସମୟରେ ଇନ୍ଦ୍ର ନୌକା ଉପରାକୁ ଉଠିଆସିଲା ଏବଂ ହାତରେ କାତଧରି ସମ୍ମୁଖରେ ସେଇ ଉଦ୍ଦାମ ଜଳସ୍ରୋତକୁ ଭେଟିବା ପାଇଁ ପ୍ରସ୍ତୁତ ହୋଇଉଠିଲା । କହିଲା–ଏଣିକି ଭୟ କରିବାର କିଛି ନାହିଁ । ମନେମନେ ମୁଁ ଭାବିଲି ଯଦି ଭୟ କରିବାର କିଛି ନ ଥାଏ ତ ତେବେ ଭଲ କଥା । କିନ୍ତୁ କେଉଁଥିପାଇଁ ଯେ ତୋର ଭୟ ଥିଲା ତାହା ତ ଏ ପର୍ଯ୍ୟନ୍ଦ ବୁଝିପାରିଲି ନାହିଁ । ତାପରେ ହଠାତ୍‌ ଆମର ଛୋଟ ଡଙ୍ଗାଟି ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଥରିଉଠିଲା ଏବଂ ହଠାତ୍‌ ଗଙ୍ଗାର ବନ ସ୍ରୋତରେ ପଡ଼ି ଉଲ୍‌କା ବେଗରେ ଭାସିଯିବାକୁ ଲାଗିଲା ।

 

ସେତେବେଳକୁ ଖଣ୍ଡ ବିଖଣ୍ଡିତ ମେଘ ଆଢ଼ୁଆଳରୁ ଚାନ୍ଦ ଉଙ୍କିମାରି ଚାହିଁବା ଆରମ୍ଭ କରିଥିଲା । ତେଣୁ ଯେଉଁ ଅନ୍ଧକାରରେ ଯାତ୍ରା ଆରମ୍ଭ ହୋଇଥିଲା ସେଭଳି ଅନ୍ଧକାର ଆଉ ନାହିଁ । ବର୍ତ୍ତମାନ ଅସ୍ପଷ୍ଟ ହେଲେ ମଧ୍ୟ ଅନେକ ଦୂର ପର୍ଯ୍ୟନ୍ତ ଦେଖିହେଉଥିଲା । ଦେଖିଲି ଝାଉଁ ଏବଂ ଜାନାରି ଜଙ୍ଗଲକୁ ବାଆଁକଡ଼ରେ ରଖି ଆମ ଡଙ୍ଗା ବିଜୁଳି ବେଗରେ ଛୁଟି ଚାଲିଛି ।

 

: ଭାରୀ ନିଦମାଡ଼ିଲାଣି, ଇନ୍ଦ୍ର । ଚାଲ୍‌ ଘରକୁ ଏଥର ଫେରିଯିବା ।

 

ଇନ୍ଦ୍ର ସାମାନ୍ୟ ହସି ଠିକ୍‌ ଝିଅପିଲାଙ୍କ ପରି ସ୍ନେହାର୍ଦ୍ର କୋମଳ ସ୍ୱରରେ କହିଲା–ନିଦ ତ ମାଡ଼ିବାର କଥା । କ’ଣ କରିବି ଶ୍ରୀକାନ୍ତ; ଆଜି ମୋର ଟିକିଏ ବିଳମ୍ବ ହେବ । ଯେହେତୁ ଆହୁରି ଅନେକ କାମ ବାକିପଡ଼ିଛି । ଆଚ୍ଛା ଗୋଟିଏ କାମ କରୁନୁ–ଏଇଠାରେ ଟିକିଏ ଘୁମାଇ ପଡ଼ୁନାହୁଁ ?

 

ଆଉ ଦ୍ୱିତୀୟଥର ପାଇଁ ଅନୁରୋଧ କରିବାକୁ ହେଲା ନାହିଁ, ମୁଁ ଜାକିଜୁକି ହୋଇ ସେ ଖଟିଆଉପରେ ଶୋଇପଡ଼ିଲି । ଆଖିକୁ କିନ୍ତୁ ନିଦ ଆସିଲା ନାହିଁ । ମିଞ୍ଜିମିଞ୍ଜି ହୋଇ ଚାହିଁ ରହି ଆକାଶରେ ବଉଦ କୋଳରେ ଚାନ୍ଦର ଲୁଚକାଳି ଖେଳ ଦେଖିବାରେ ଲାଗିଥିଲି । ପୁଣି କାନରେ ଜଳସ୍ରୋତର ସେଇ ଭୟଙ୍କର ହୁଂକାର ଶବ୍ଦ ଶୁଣାଗଲା । ମୋର ସାଧାରଣତଃ ଗୋଟାଏ କଥା ମନେପଡ଼ିଥାଏ ଯେ ସେଦିନ ଏତେ ଦୁଃଖ ଭୁଲିଯାଇ ମୁଁ କିପରି ଚାନ୍ଦର ଲୁଚକାଳି ଖେଳ ଦେଖିବାରେ ମଜ୍ଜିଯାଇ ପାରିଥିଲି ? ଚାନ୍ଦ ଦେଖି ତନ୍ମୟ ହେବା ବୟସ ସେତେବେଳେ ମୋର ତ ନଥିଲା । ଏଇ ଯେ ବୁଢ଼ାମାନେ ପୃଥିବୀର ବହୁତ ଘଟଣା ଅଙ୍ଗେ ନିଭାଇବା ପରେ କହନ୍ତି–ଏଇ ଯେ ଚାନ୍ଦଟା ଦିଶୁଛି ସେ କୁଆଡ଼େ କିଛି ନୁହେଁ, ମେଘ ମଧ୍ୟ କିଛି ନୁହେଁ । ସବୁ ମିଛ । ଅସଲ ହେଉଛି ଏଇ ମନଟା । ସେ ଯେତେବେଳେ ଯାହାକୁ ଦେଖାଏ, ସେତେବେଳେ ତାହା ବିଭୋର ହୋଇ ତାକୁ ଦେଖିବାରେ ଲାଗିଥାଏ । ମୋର ମଧ୍ୟ ସେହି ଦଶା । ଏତେବଡ଼ ଭୟଙ୍କର ଘଟଣା ଭିତରେ ଏପରି ନିରାପଦ ଭାବରେ ବାହାର ହୋଇ ମୋର ନିର୍ଜୀବ ମନଟା ବୋଧହୁଏ ଏଇଭଳି ଗୋଟାଏ ଶାନ୍ତ ଛବି ଭିତରେ ବିଶ୍ରାମ କରିବାକୁ ଇଚ୍ଛା କରିଥିଲା ।

 

ଏହା ଭିତରେ ଯେ ଦୁଇଘଣ୍ଟା ବିତିଯାଇଛି ତାହା ମୋତେ ଜଣାନାହିଁ । ମୋର କିପରି ମନେହେଲା ମୁଁ ଦେଖୁଥିବା ଚାନ୍ଦଟା ହଠାତ୍‌ ଆକାଶର ନୀଳସାଗରରେ ବୁଡ଼ା ପହଁରା ମାରି ଏ ଦିଗରୁ କେତେବେଳେ ଯାଇ ସେ ପାଖରେ ଉଠିଲାଣି । ମୁଣ୍ଡ ଉଠାଇ ଦେଖିଲି ନୌକାଟି ମଝି ନଈରୁ ଆସ୍ତେ ଆସ୍ତେ କୂଳଆଡ଼କୁ ଯାଉଛି । ପ୍ରଶ୍ନ କରିବାକୁ କିମ୍ବା କିଛି ହେଲେ ପଦେ କଥା କହିବାପାଇଁ ମୋର ସେତେବେଳେ ଆଦୌ ଇଚ୍ଛା ହେଉନଥିଲା । ସେଥିପାଇଁ ସେଇପରି ଆଖି ମେଲି ଡଙ୍ଗା ଭିତରେ ଶୋଇ ରହିଲି । ପୁଣି ଚାନ୍ଦର ଲୁଚକାଳି ଖେଳ ଆଖିଦୁଇଟି ଦେଖିବାରେ ଲାଗିଥିଲାବେଳେ କାନ ଦୁଇଟାରେ ସ୍ରୋତର ଗର୍ଜନ କେବଳ ପଡ଼ୁଥିଲା । ବୋଧହୁଏ ଏହିପରି ଭାବରେ ଆଉ ଘଣ୍ଟାଏ କଟିଗଲା ।

 

ଖସ୍–ସ୍‌ । ବୋଧହୁଏ ବାଲିଉପରେ ଡଙ୍ଗାଯାଇ ଲାଗିଲା । ବ୍ୟସ୍ତ ହୋଇଉଠି ବସିଲି । ଆରେ ଆମେ ଯେ ପ୍ରକୃତରେ କୂଳରେ ଆସି ପହଞ୍ଚି ଯାଇଛୁ । କିନ୍ତୁ କେଉଁ ସ୍ଥାନ ? ଏଠାରୁ ଆମ ଘର କେତେଦୂର ? କେବଳ ବାଲି ଛଡ଼ା ଆଉ କେଉଁଠାରେ କିଛି ହେଲେ ତ ଦେଖାଯାଉ ନାହିଁ । କିଛି ପଚାରିବା ପୂର୍ବରୁ ହଠାତ୍‌ କୁକୁରମାନଙ୍କର କୋଳାହଳ ଶବ୍ଦ ଶୁଣିପାରି ସିଧାହୋଇ ବସିଲି । ପାଖରେ କେଉଁଠାରେ ଗାଆଁଗଣ୍ଡା ନିଶ୍ଚୟ ଅଛି ।

 

ଇନ୍ଦ୍ର କହିଲା–ତୁ ଏଇଠାରେ ଶ୍ରୀକାନ୍ତ ଟିକିଏ ବସିଥାଅ । ମୁଁ ଏଇକ୍ଷଣି ଫେରିଆସିବି । ତୋର ଭୟ କରିବାର କିଛି ନାହିଁ । ସେପାଖରେ କେଉଟମାନଙ୍କର ଗ୍ରାମ ।

 

ସାହସର ଏତେଗୁଡ଼ାଏ ପରୀକ୍ଷାରେ ପାଶ୍ କରିବା ପରେ ଶେଷରେ ଏଇଠାରେ ଆସି ଫେଲ ହେବାପାଇଁ ମୋର ଆଦୌ ଇଚ୍ଛାନଥିଲା । ବିଶେଷତଃ ମଣିଷର ଏଇ କିଶୋର ବୟସ ଭଳି ମହା ବିସ୍ମୟକର ବସ୍ତୁ ବୋଧହୁଏ ଦୁନିଆଁରେ ଆଉ କିଛି ନାହିଁ । ଏପରିତ ସଦାବେଳେ ମନୁଷ୍ୟର ମାନସିକ ଗତିବିଧ ଦୁର୍ଜ୍ଞେୟ, କିନ୍ତୁ କିଶୋର କିଶୋରୀଙ୍କର ମନର ଗତି ଏକବାରେ ଅଜ୍ଞେୟ । ସେଥିପାଇଁ ବୋଧହୁଏ ଶ୍ରୀବୃନ୍ଦାବନଧାମରେ ସେହି କିଶୋର–କିଶୋରୀଙ୍କର ଲୀଳା ଆଜିପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଗଲା । ବୁଦ୍ଧି ଖଟାଇ ତାହାକୁ ଜାଣି ନପାରିଲା ପରେ କେହି କେହି କହିଲେ ଭଲ, କେହି କେହି କହିଲେ ମନ୍ଦ, କେଉଁମାନେ ନୀତି ଏବଂ ରୁଚିର ଦୋହାଇ ଦେଲାବେଳେ ଆଉ କେତେକ କୌଣସି ଯୁକ୍ତିତର୍କ ନ ଶୁଣି ବିଶ୍ୱାସ କରି ଭକ୍ତ ହୋଇପଡ଼ିଲେ । ଯେଉଁମାନେ ଭକ୍ତ ହେଲେ ସେମାନେ କେବଳ ବିଶ୍ୱାସ କଲେ ନାହିଁ, ଭକ୍ତିରେ ମଜ୍ଜିଲେ, ନାଚିଲେ, ଗାଇଲେ ଏବଂ ପାଗଳ ହୋଇ କାନ୍ଦି କାନ୍ଦି ସାରା ସଂସାରଟାକୁ ପାଗଳ କରାଇଦେଲେ । ସେତେବେଳେ ଯେଉଁମାନେ ମନ୍ଦ କହି ନିନ୍ଦା କରୁଥିଲେ ସେମାନେ କହି ବୁଲିଲେ ଏପରି ମହୋତ୍ସବ ସାରା ବୃଥିବୀରେ ଆଉ କେଉଁଠାରେ ନାହିଁ । ଯେଉଁମାନଙ୍କର ରୁଚି ସହିତ ମେଳ ଖାଉନଥିଲା ସେମାନେ କହିଲେ ଏଇ ପାଗଳ ଦଳଙ୍କ ଗୀତ ଭଳି ସଂକୀର୍ତ୍ତନ ଆଜି ପର୍ଯ୍ୟନ୍ତ କେଉଁଠାରେ ହେଲେ ଶୁଣିନଥିଲୁ ।

 

କିନ୍ତୁ ଏତେଗୁଡ଼ାଏ କାଣ୍ଡ ଯାହାଙ୍କୁ କେନ୍ଦ୍ର କରି ଘଟିଗଲା, ସେହି ଯେଉଁ ସର୍ବପ୍ରାଚୀନ, ଅଥଚ ନିତ୍ୟ ନୂତନ ବୃନ୍ଦାବନର ବଣେ ବଣେ ଦୁଇଟି କିଶୋର କିଶୋରୀଙ୍କର ଅପରୂପ ଲୀଳା, ବେଦାନ୍ତ ଯାହାଙ୍କ ନିକଟରେ କ୍ଷୁଦ୍ର, ମୁକ୍ତି ଫଳ ଯାହାଙ୍କ ନିକଟରେ ଇନ୍ଦ୍ରଙ୍କ ନିକଟରେ ଜଳ ବିନ୍ଦୁ ତୁଲ୍ୟ ତୁଚ୍ଛ, ତାଙ୍କର କିଏ କେବେ ଅନ୍ତ ଖୋଜି ପାଇପାରିଲା କି ? ପାଇପାରିଲେ ନାହିଁ । ପାଇପାରିବା ମଧ୍ୟ ସମ୍ଭବ ନୁହେଁ । ସେଥିପାଇଁ କହୁଥିଲି ସେହିଭଳି ମୋର ସେଇ କିଶୋର ବୟସ ଥିଲା । ଯୌବନର ତେଜ ଓ ଦୃଢ଼ତା ନଥିଲେ ସୁଦ୍ଧା ମନରେ ଦମ୍ଭ ଆସିଯାଇଥିଲା । ପ୍ରତିଷ୍ଠା ଏବଂ ଯଶପ୍ରାପ୍ତି ପାଇଁ ଆକାଂକ୍ଷା ମନଭିତରେ ଆସି ଯାଇଥିଲା । ତେଣୁ ଅପର ନିକଟରେ ନିଜକୁ ଭୀରୁବୋଲି ପ୍ରତିପାଦିତ କରିବାକୁ କିଏ ହେଲେ ଚାହିଁଥାନ୍ତା ଯେ ମୁଁ ଚାହିଁଥାନ୍ତି ? ତେଣୁ ତତ୍‌କ୍ଷଣାତ୍‌ ଜବାବ ଦେଇ କହିଲି–ଭୟ କରିବି କାହାକୁ ? ଆଚ୍ଛା, ତୁ ଯାଆନା ।

 

ଇନ୍ଦ୍ର ଆଉ ଲେଉଟି ପଦେହେଲେ କଥା ନକହି ପଲକମାତ୍ରେ ଅଦୃଶ୍ୟ ହୋଇଗଲା ।

 

ମୁଣ୍ଡଉପରେ ପୁଣି ସେଇ ଚାନ୍ଦର ଲୁଚକାଳି ଖେଳ ଏବଂ ପଛରେ ବହୁ ଦୂରକୁ ଭାସିଆସୁଥିବା ସେଇ ଅବିଶ୍ରାନ୍ତ ଗର୍ଜନ । ଆଗରେ ସେହି ବାଲିର ପାହାଡ଼ । କେଉଁ ସ୍ଥାନ ଏଇଟା ବସି ଚିନ୍ତା କରୁ କରୁ ହଠାତ୍‌ ଇନ୍ଦ୍ର ଆସି ପହଞ୍ଚିଗଲା । କହିଲା–ତୋତେ ଗୋଟାଏ କଥା କହିବାପାଇଁ ମୁଁ ଫେରିଆସିଲି ଶ୍ରୀକାନ୍ତ । କେହି ଯଦି ମାଛ ମାଗିବାକୁ ଆସେ, ଖବରଦାର ଆଦୌ ଦେବୁ ନାହିଁ । ତତେ ଭଲ କରି ସାବଧାନ କରିଦେଇ ଯାଉଛି । ଠିକ୍‌ ମୋ ପରି ହୋଇ ଯଦି କେହି ଆସେ ତଥାପି ତାକୁ ଦେବୁ ନାହିଁ । କହିବୁ ମାଛ କ’ଣ; ଆସିଲୁ ତୋ ମୁହଁରେ ପାଉଁଶ କୁଢ଼ାଇ ଦେବି-। ଯଦି ସାହସ ହେଉଛି ନିଜେ ହାତରେ ଉଠାଇନେଇ ଯାଅ । କିନ୍ତୁ ଖବରଦାର ଆଦୌ ନିଜହାତରେ ମାଛ କେବେ ଟେକିଦେବୁ ନାହିଁ, ମୁଁ ନିଜେ ହେଲେ ମଧ୍ୟ ନୁହେଁ । ଖବରଦାର......

 

: କାହିଁକି ଭାଇ ?

 

: ଫେରିଆସିଲେ କହିବି । କିନ୍ତୁ କହିଯାଉଛି ଖବରଦାର....କହୁ କହୁ ଯେପରି ଆସିଥିଲା ସେଇପରି ଝଡ଼ ବେଗରେ ଧାଇଁ ଚାଲିଗଲା ।

 

ଏଥର ମୋ ନଖଠାରୁ ଶିଖା ପର୍ଯ୍ୟନ୍ତ ଯେପରି କିଏ ଛୁଞ୍ଚିରେ ପୋଡ଼ି ଠିଆ କରାଇଦେଲା । ମନେହେବାକୁ ଲାଗିଲା ଯେପରି ମୋ ଦେହର ପ୍ରତି ଶିରା ଓ ଉପଶିରାରେ କିଏ ଥଣ୍ଡା ଗଙ୍ଗାଜଳ ଢାଳିବାକୁ ଲାଗିଲା । ମୁଁ ନିହାତି ପିଲା ନୁହେଁ ଯେ ଇନ୍ଦ୍ରର ଇଙ୍ଗିତକୁ ବୁଝିପାରିବି ନାହିଁ । ଜୀବନରେ ମୋର ଏପରି ଅନେକ ଘଟଣା ଘଟିଯାଇଛି ଯାହା ତୁଳନାରେ ଏହା ହେଉଛି ସମୁଦ୍ର ଆଗରେ ଗୋଷ୍ପଦ ପରି । ତଥାପି କିନ୍ତୁ ଏଇ ରାତିରେ ଏଭଳି ଅଭିଯାନରୁ ଯେଉଁ ଭୟ ଅନୁଭବ କରିପାରିଥିଲି ସେ କଥା ଭାଷାରେ ବର୍ଣ୍ଣନା କରିହେବ ନାହିଁ । ବୋଧହୁଏ ଭୟରେ ଜ୍ଞାନ ହରାଇବାର ଶେଷ ପାଦରେ ମୁଁ ପହଞ୍ଚି ଯାଇଥିଲି । ପ୍ରତି ମୁହୂର୍ତ୍ତରେ ମନେହେଉଥିଲା ସତେଯେପରି ସେଇ ବାଲିଗଦା ଉହାଡ଼ରୁ କିଏ ଯେପରି ଉଙ୍କିମାରି ଦେଖିବାରେ ଲାଗିଛି ।

 

ଦଣ୍ଡକ ଯୁଗଭଳି ଲାଗୁଥାଏ । ସତେ ଯେପରି ଇନ୍ଦ୍ର କେତେକାଳରୁ ଚାଲିଗଲାଣି ଆଉ ବୋଧହୁଏ ଫେରିବ ନାହିଁ.....

 

ମଣିଷର କଣ୍ଠସ୍ୱର ଶୁଣିବା ଭଳି ମୋତେ ଜଣାଗଲା । ପଇତାକୁ ବୁଢ଼ା ଅଙ୍ଗୁଳିରେ ଗୁଡ଼ାଇଧରି ଉତ୍‌କର୍ଣ୍ଣ ହୋଇ ମୁଣ୍ଡ ତଳକୁ କରି ବସି ରହିଲି । କଣ୍ଠସ୍ୱର ଆସ୍ତେଆସ୍ତେ ସ୍ପଷ୍ଟରୁ ସ୍ପଷ୍ଟତର ହେବାରୁ ବୁଝିପାରିଲି ଯେ, ଦୁଇ ତିନିଜଣ ଲୋକ କଥାବାର୍ତ୍ତା ହୋଇ ଏଇଆଡ଼କୁ ଆସୁଛନ୍ତି । ଜଣେ ହେଉଛି ଇନ୍ଦ୍ର, ଆଉ ଦୁଇଜଣ ହିନ୍ଦୁସ୍ଥାନୀ, କିନ୍ତୁ ସେ ଯାହା ହେଉ, ସେମାନଙ୍କ ମୁହଁକୁ ଚାହିଁବା ପୂର୍ବରୁ ଭଲ କରି ଦେଖିନେଲି ଯେ ସେମାନଙ୍କ ଛାଇ ଚନ୍ଦ୍ର କିରଣରେ ତଳେ ପଡ଼ୁଛି କି ନାହିଁ । କାରଣ ପିଲାବେଳରୁ ଭଲକରି ଜାଣିଛି ଯେ ସେମାନଙ୍କର ଛାଇ ଆଦୌ ନଥାଏ ।

 

ଆହାଃ ! ଏ ଯେ ଛାଇ । ପରିଷ୍କାର ନହେଲେ ମଧ୍ୟ ସେମାନଙ୍କ ପଛେ ପଛେ ଛାଇପଡ଼ିଛି । ଜଗତରେ ବୋଧହୁଏ ସେଦିନ ମୁଁ ଯେଉଁଭଳି ଆନନ୍ଦିତ ହୋଇଥିଲି ସେଇପରି କିଏ ହେଲେ କେବେ ହୋଇନଥିବେ । ସେ ଯାହାହେଉ ଯେଉମାନେ ଆସିଥିଲେ ସେମାନେ ଅସାଧାରଣ । ତରତର ହୋଇ ସେହି ବୃହତ୍‌ ଆୟତନ ମାଛଗୁଡ଼ିକୁ ନୌକା ଭିତରୁ ନେଇ ଜାଲ ଭଳି ଗୋଟାଏ ବିରାଟ ଲୁଗାରେ ବାନ୍ଧି ପକାଇଲେ ଏବଂ ତା’ ପ୍ରତିବଦଳରେ ଇନ୍ଦ୍ରହାତରେ କିଛି ଗୁଞ୍ଜିଦେଲେ ।

 

ଏହାପରେ ଇନ୍ଦ୍ର ଆସି ନୌକା ଖୋଲିଦେଲା । କିନ୍ତୁ ସ୍ରୋତରେ ଭସାଇଦେଲା ନାହିଁ । ନଈ କୂଳେକୂଳେ ପ୍ରତିକୂଳରେ ଧୀରେ ଧୀରେ ଆଗେଇବାକୁ ଲାଗିଲା ।

 

ମୁଁ କିଛି କହିଲି ନାହିଁ କାରଣ ମୋ ମନ ସେତେବେଳେ ତା’ ଉପରେ ଘୃଣାରେ ବିଷେଇ ଉଠିଥାଏ । ଅଥଚ ଏଇ ଟିକକ ଆଗରୁ ଜହ୍ନ ଆଲୁଅରେ ତାକୁ ଆସୁଥିବାର ଦେଖି ମୁଁ ତାକୁ କୁଣ୍ଢାଇ ପକାଇବାକୁ ଉଦ୍‌ବିଘ୍ନ ହୋଇଉଠିଥିଲି ।

 

ହଁ, ସେପରି ହେବାଟା ମନୁଷ୍ୟର ସ୍ୱାଭାବିକ । ଟିକିଏ ଦୋଷ ଦେଖିବାକୁ ପାଇଲେ ସମସ୍ତ ଆଦର ଏବଂ ସ୍ନେହକୁ ଭୁଲିଯିବାକୁ କେତେ ଦଣ୍ଡ ଅବା ଲାଗେ ? ଛିଃ ! ଛିଃ ! ଏଇମିତି ଭାବରେ ସେ ଟଙ୍କା ସଂଗ୍ରହ କଲା ! ଏ ପର୍ଯ୍ୟନ୍ତ ଏଇ ମାଛ ଚୋରିଟା କିନ୍ତୁ ମୋ ମନରେ ଠିକ୍‌ ଚୋରି ପରି ସ୍ଥାନ ପାଇପାରିନଥିଲା । କାହିଁକି ନା ପିଲାବେଳେ ଟଙ୍କା ପଇସା ଚୋରିଟାକୁ ବାସ୍ତବିକ୍‌ ଚୋରି ଏବଂ ଅନ୍ୟାୟ ବୋଲି ସମସ୍ତେ ଭାବୁଥିଲା ବେଳେ ମୁଁ ମଧ୍ୟ ସେଇଆ ଭାବୁଥିଲି । ନଚେତ୍‌ ଏଇ ଟଙ୍କା ଗେଞ୍ଜି ଦେବାଟାକୁ ଦେଖିବା କ୍ଷଣି କ୍ଷଣକ ଭିତରେ ଏତେ ପୌରୁଷ, ଏତେ ବୀରତ୍ୱ ଶୁଖିଲା ଘାସ ପରି ଝଡ଼ିପଡ଼ି ନଥାନ୍ତା । ସେ ଯଦି ମାଛଗୁଡ଼ାକ ପାଣିରେ ଫିଙ୍ଗି ଦେଇଥାନ୍ତା କିମ୍ବା ଆଉ ଯାହା ହେଉ କେବଳ ଟଙ୍କା ପଇସା ସହିତ ମାଛ ଚୋରିର ସମ୍ପର୍କ ରଖିନଥାନ୍ତା ତାହାହେଲେ ଆମର ଏଇ ମତ୍ସ୍ୟ ସଂଗ୍ରହ ଅଭିଯାନଟାକୁ ଯିଏ ଚୋରି ବୋଲି କହିଥାନ୍ତା ମୁଁ ସଙ୍ଗେ ସଙ୍ଗେ ତା’ ମୁଣ୍ଡ ଫଟାଇ ଛତୁ କରିଦେବା ପାଇଁ ଆଦୌ ପଛାଇନଥାନ୍ତି । କିନ୍ତୁ ଛିଃ ଛିଃ ଏ ସବୁ କି କାମ ? ଏ କାମ ତ ଜେଲ୍‍ର କଏଦୀମାନେ ହିଁ କରିପାରନ୍ତି ।

 

ଇନ୍ଦ୍ର ପଚାରିଲା–ତୁ ଆଦୌ ଭୟ ପାଇନଥିଲୁ ଶ୍ରୀକାନ୍ତ ?

 

ମୁଁ ସଂକ୍ଷେପରେ ଉତ୍ତର ଦେଇ କହିଥିଲି–ନା ।

 

ଇନ୍ଦ୍ର କହିଲା–ଜାଣୁ, ତୋ ଛଡ଼ା ଏଠାରେ ଆଉ କେହି ଏପରି ବସି ରହିପାରିନଥାନ୍ତେ । ତୋତେ ମୁଁ ଖୁବ୍‌ ଭଲପାଏ । ମୋର ତୋ ଭଳି ବନ୍ଧୁ ଆଉ କେହିହେଲେ ନାହାନ୍ତି । ମୁଁ ଏଣିକି ଯେତେବେଳେ ଆସିବି ତୋତେ ଡାକିଆଣିବି । ଆସିବୁ ତ ?

 

ମୁଁ କୌଣସି ଉତ୍ତର ଦେଲି ନାହିଁ । କିନ୍ତୁ ଏହି ସମୟରେ ତା’ ମୁହଁଉପରେ ସଦ୍ୟ ମେଘ ମୁକ୍ତ ଚାନ୍ଦର ଯେଉଁ ଆଲେକ ଟିକକ ପଡ଼ିଲା ସେଥିରେ ତା’ ମୁହଁଟା ମୋତେ ଏପରି ଦେଖାଗଲା, ଯାହା ଫଳରେ ମୋ ମନଭିତରେ ଥିବା ସବୁ ରାଗ, ରୋଷ, ଘୃଣା ମୁଁ ଭୁଲିଗଲି । ପ୍ରଶ୍ନକଲି–ଆଚ୍ଛା ଇନ୍ଦ୍ର, ତୁ କେବେ ସେମାନଙ୍କୁ ଦେଖିଛୁ ?

 

: କେଉଁମାନଙ୍କୁ ?

 

: ଏଇ ଯେଉଁମାନେ ମାଛ ନେବାକୁ ଆସୁଥିଲେ ।

 

: ନା ଭାଇ ଦେଖି ନାହିଁ । ଲୋକେ କହନ୍ତି ଯାହା ସେତିକି ଶୁଣିଛି ।

 

: ଆଚ୍ଛା ତୁ ଏଠାକୁ ଏକାକୀ ଆସିପାରିବୁ ?

 

ଏଥର ଇନ୍ଦ୍ର ହସିଲା । କହିଲା–ମୁଁ ତ ପ୍ରାୟ ଏଠାକୁ ଏକାକୀ ଆସିଥାଏ ?

 

: ତତେ ଡର ଲାଗେ ନାହିଁ ?

 

: ନା, ରାମନାମ ଜପ କରେ । ଯାହାଫଳରେ ସେମାନେ ଆଦୌ ଆସିପାରନ୍ତି ନାହିଁ । ଟିକିଏ ଅଟକି ଯାଇ କହିଲା–ରାମ ନାମଟାର ଶକ୍ତି କ’ଣ କମ୍ କିରେ ? ତୁ ଯଦି ରାମନାମ ଜପି ସାପ ମୁହଁରେ ହାତଦେଉ ତେବେ ତୋର କିଛି ହେବ ନାହିଁ ? ଦେଖିବୁ ସବୁ ସାପ ଭୟରେ ଆଡ଼େଇଯିବେ । କିନ୍ତୁ ଭୟ କଲେ ଚଳିବ ନାହିଁ । ଭୟ କଥା ଜାଣିପାରିଲେ ସେମାନେ ଚାଲାକି ହୋଇଯିବେ । କାରଣ ସେମାନେ ସବୁ ଅନ୍ତର୍ଯ୍ୟାମୀ କି ନା ?

 

ବାଲି ଶେଷ ହୋଇ ତଳେ ଏଣିକି ପଥର ଆରମ୍ଭ ହେଲାଣି । ଏଠାରେ ସ୍ରୋତର ପ୍ରକୋପ କମ୍‌ । ବରଞ୍ଚ ମନେହେଲା ଯେପରି ସ୍ରୋତ ଏଠାରେ ବିପରୀତ ଦିଗରେ ଗତି କରିଚାଲିଛି । ଏଥର ଇନ୍ଦ୍ର କାତକୁ ଡଙ୍ଗାଉପରେ ରଖିଦେଇ ଦୂରକୁ ଅଙ୍ଗୁଳି ନିର୍ଦ୍ଦେଶକରି କହିଲା–ହେଇ ଆଗରେ ଯେଉଁ ଜଙ୍ଗଲ ଦିଶୁଛି, ମୁଁ ସେଇଠାରେ ଟିକିଏ ଓହ୍ଲାଇପଡ଼ିବି । କେବଳ ଯିବି ଆଉ ଆସିବି । କ’ଣ କହୁଛୁ ?

 

ଅନିଚ୍ଛାସତ୍ତ୍ୱେ ମଧ୍ୟ କହିଲି–ହଉ । କାରଣ ନା ବୋଲି କହିବାର ବାଟ ଏକପ୍ରକାର ନିଜେ ମୁଁ ବନ୍ଦ କରିଦେଇଛି । ପୁଣି ଏଥର ମୋର ନିର୍ଭୀକତା ସମ୍ବନ୍ଧରେ ନିଶ୍ଚିନ୍ତ ହୋଇଛି । କିନ୍ତୁ କଥାଟା ଆଦୌ ମୋତେ ଭଲଲାଗିଲା ନାହିଁ । ଏଠାରୁ ସେ ସ୍ଥାନଟା ଜଙ୍ଗଲ ପରି ମୋତେ ଦେଖାଯାଉଥିଲା ଯେ ରାମନାମର ଅସାଧାରଣ ମାହାତ୍ମ୍ୟ ଶ୍ରବଣ କରିବା ସତ୍ତ୍ୱେ ମଧ୍ୟ ଏଇ ଅନ୍ଧକାରରେ ପ୍ରାଚୀନ ବଟବୃକ୍ଷ ତଳେ ନୌକାଉପରେ ଏକାକୀ ଏତେ ରାତିରେ ରାମନାମ ଜପର ଶକ୍ତି ସାମର୍ଥ୍ୟ ପରୀକ୍ଷା ପାଇଁ ମୋର ପ୍ରବୃତ୍ତି ହେଲା ନାହିଁ ଏବଂ ସେହି ମୁହୂର୍ତ୍ତରୁ ମୋ ଛାତି ଧଡ଼ଧଡ଼ ହେବାକୁ ଲାଗିଲା । ଅବଶ୍ୟ ସତକଥା ଆଉ ମାଛ ନଥିଲା, ସୁତରାଂ ମତ୍ସ୍ୟପ୍ରାର୍ଥୀମାନଙ୍କର ଶୁଭାଗମନ ନ ହୋଇପାରେ କିନ୍ତୁ ସମସ୍ତଙ୍କର ଲୋଭ ଯେ ମାଛଉପରେ ସେ କଥା କିଏ କହିପାରିବ ? ମଣିଷର ମୁଣ୍ଡ ମୋଡ଼ି ଈଷତ୍‌ ଉଷ୍ଣ ରକ୍ତ ପାନ ଏବଂ ମାଂସ ଚର୍ବଣର ଇତିହାସ ତ ଏ ସଂସାରରେ ଶୁଣାଅଛି ।

 

ଅନୁକୂଳ ସ୍ରୋତରେ ଡଙ୍ଗାଟି ଖୁବ୍‍ଶୀଘ୍ର ଗତିକରିବାକୁ ଲାଗିଲା । ଆଉ କିଛି ଦୂର ଅଗ୍ରସର ହେବାପରେ ଦକ୍ଷିଣ ଦିଗର ସେଇ ବଣର ବିରାଟ ବିରାଟ ବୃକ୍ଷମାନେ ଯେପରି ମଥାଟେକି ଏଇ ଦୁଇଟି ଦୁଃସାହସୀ ମାନବଶିଶୁଙ୍କ ମୁହଁକୁ ବିସ୍ମୟ ସ୍ତବ୍‌ଧ ଭାବରେ ଚାହିଁ ରହିଲେ ଏବଂ ଜଣାପଡ଼ୁଥିଲା ଯେପରି ମଝିରେ ମଝିରେ ମୁଣ୍ଡ ହଲାଇ ଦୁହିଁଙ୍କୁ ଅଗ୍ରସର ହେବାକୁ ବାରଣ କରୁଥିଲେ । ବାମଦିଗରେ ସେମାନଙ୍କର ଆତ୍ମୀୟ ପରିଜନମାନେ ସୁଉଚ୍ଚ ପାହାଡ଼ ଉପରେ ରହି ସେହିପରି ଭାବରେ ଆମକୁ ଚାହିଁ ରହି ଆମକୁ ମନାକରିବାକୁ ଲାଗିଲେ । ମୁଁ ଏକା ହୋଇଥିଲେ ନିଶ୍ଚୟ ସେମାନଙ୍କର ବାରଣ ମାନିନେଇଥାନ୍ତି । କିନ୍ତୁ ଯିଏ କର୍ଣ୍ଣଧାର, ତା’ ନିକଟରେ ରାମନାମ ଜପ ହେତୁ ସେମାନଙ୍କର ସମସ୍ତ ବାରଣ ବ୍ୟର୍ଥ ହେଲା । ସେ କୌଣସି ଦିଗକୁ ଭ୍ରୂକ୍ଷେପ କଲା ନାହିଁ-। ଦକ୍ଷିଣ ଦିଗରେ ବିସ୍ତୃତ ବାଲୁକା ଭିତରେ ଅଳ୍ପ ସଞ୍ଚିତ ଜଳ ହେତୁ ଏହା ଗୋଟିଏ ଛୋଟକାଟର ହ୍ରଦ ପରି ହୋଇଥିଲା । କେବଳ ଉତ୍ତର ଦିଗଟି ମୁକ୍ତ ଥିଲା । ପଚାରିଲି–ଆଚ୍ଛା ଡଙ୍ଗା ଏଠାରେ ରହିବା ପାଇଁ ତ ଘାଟ ନାହିଁ । ତୁ ଯିବୁ କିପରି ?

 

ଇନ୍ଦ୍ର କହିଲା–ଏଇ ଯେଉଁ ବରଗଛ, ଏହାରି ନିକଟରେ ଗୋଟିଏ ସରୁ ଘାଟ ଅଛି ।

 

କିଛିକ୍ଷଣ ହେବ କିପରି ଗୋଟାଏ ଦୁର୍ଗନ୍ଧ ଆସି ମଝିରେ ମଝିରେ ନାଳରେ ବାଜୁଥିଲା । ଯେତେ ଆଗକୁ ଆମେ ଯାଉଥିଲୁ ସେତିକି ସେଇ ଦୁର୍ଗନ୍ଧ ତୀବ୍ରତର ହେଉଥିଲା । ଏଥର ହଠାତ୍‌ ଦମକାଏ ପବନରେ ଦୁର୍ଗନ୍ଧଟା ଏପରି ବିକଟ ହୋଇଉଠିଲା ଯେ ନାକରେ ଲୁଗା ଦେବାପାଇଁ ବାଧ୍ୟହେଲି । କହିଉଠିଲି–ଏଠାରେ ନିଶ୍ଚୟ କିଛି ପଚୁଛି, ଇନ୍ଦ୍ର ?

 

ଇନ୍ଦ୍ର କହିଲା–ମଡ଼ା ଆଜିକାଲି ଭୟଙ୍କର କଲେରା ହୋଇଛି କି ନା ! ସମସ୍ତେ ତ ମଡ଼ା ପୋଡ଼ି ପାରୁନାହାନ୍ତି । ମୁହଁରେ ଟିକିଏ ନିଆଁ ଛୁଆଇଁ ପକାଇଦେଇ ଯାଉଛନ୍ତି । ବିଲୁଆ କୁକୁର ଖାଆନ୍ତି । ବାକି ଅବଶିଷ୍ଟାଂଶ ପଚେ । ସେ ସବୁା ଏଇ ଗନ୍ଧ ଆସୁଛି ।

 

: କେଉଁଠାରେ ପକାଇଦେଇ ଯାଆନ୍ତି ଭାଇ ?

 

: ଏଇ, ଏଇଠାରୁ ସେଠା ପର୍ଯ୍ୟନ୍ତ । ଏ ସବୁ ଯାଗା ଶ୍ମଶାନ କି ନା ! ଏଠାରେ ପକାଇଦେଇ ବରଗଛତଳ ଘାଟରେ ଗାଧୋଇପଡ଼ି ଘରକୁ ଫେରିଯାଆନ୍ତି । ତୁ ଡରୁଛୁ କିରେ ? ଆରେ ଡର କ’ଣ ? ଏ ଯେ ବିଲୁଆମାନଙ୍କ ଭିତରେ ଝଗଡ଼ା । ଆଚ୍ଛା ଆ, ମୋ ପାଖକୁ ଆସି ବସ-

 

ମୋ କଣ୍ଠରୁ ଭାଷା ସ୍ଫୁରିଲା ନାହିଁ । କୌଣସି ମତେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ତା’ ପାଖରେ ବସିପଡ଼ିଲି । ସେ କିଛି ସମୟ ପାଇଁ ମୋ ଦେହରେ ହାତମାରି ହସିଦେଇ କହିଲା–ଭୟ କ’ଣ କିରେ ଶ୍ରୀକାନ୍ତ ? କେତେ ରାତିରେ ଏକା ଏକା ମୁଁ ଏଇବାଟରେ ଯିବାଆସିବା କରେ । ତିନିଥର ରାମନାମ ଜପ କରିପାରିଲେ କାହାର ସାଧ୍ୟ ଅଛି ପାଖକୁ ଆସିବାକୁ ?

 

ତା’ ହାତର ସ୍ପର୍ଶ ପାଇପାରିଲା ପରେ ସତେ ଯେପରି ମୋ ମନରେ ଭୟ ଆସିଲା । ଧୀରେ ଧୀରେ କହିଉଠିଲି–ନା, ଭାଇ ତୋ ପାଦତଳେ ପଡ଼ୁଛି । ତୁ ଆଉ ଏଠାରେ ଆଦୌ ଓହ୍ଲାନାହିଁ । ସିଧା ଏଠାରୁ ବାହାରିଚାଲ ।

 

ସେ ପୁଣି ଥରକ ପାଇଁ ମୋ ପିଠିରେ ହାତ ଥାପୁଡ଼ାଇ କହିଲା–ନା ଶ୍ରୀକାନ୍ତ; ଥରକ ପାଇଁ ହେଲେ ମୋତେ ଯିବାକୁ ହେବ । ଏ ଟଙ୍କା କେତୋଟି ନ ଦେଲେ ନ ଚଳେ । ସେମାନେ ମୋ ବାଟ ଚାହିଁ ବସିଥିବେ । ମୁଁ ତିନିଦିନ ଧରି ସେମାନଙ୍କ ନିକଟକୁ ଆସିପାରି ନାହିଁ ।

 

: ଟଙ୍କା କାଲି ଦେଲେ ଚଳିବ ନାହିଁ ?

 

: ନା, ଏଇମିତି କଥା କହିବୁ ନାହିଁ ଭାଇ । ଡର ଯଦି ମାଡ଼ୁଛି ତୁ ପଛକେ ମୋ ସଙ୍ଗରେ ଚାଲ । କିନ୍ତୁ ଏକଥା ଆଉ ଯେପରି କାହାଆଗରେ କହିବୁ ନାହିଁ ।

 

ମୁଁ ପୁଣି ଅସ୍ପଷ୍ଟ ସ୍ୱରରେ ‘ନା’ କହି ତାକୁ ସେହିପରି ଧରି ପଥର ଭଳି ବସି ରହିଲି । କଣ୍ଠ ଶୁଖି ଅଠା ଅଠା ହୋଇଯାଉଥିଲା । ହାତ ବଢ଼ାଇ ନଈରୁ ପାଣି ଆଣିବା କିମ୍ବା ହଲଚଲ ହେବାପାଇଁ ମୋର ଆଦୌ ଶକ୍ତିନଥିଲା ।

 

ଗଛ ଛାଇରେ ଆସି ପହଞ୍ଚିବାକ୍ଷଣି ଅଳ୍ପ ଦୂରରେ ସେଇ ଘାଟଟି ଦେଖାଗଲା । ଯେଉଁଠାରେ ଆମକୁ ଓହ୍ଲାଇବାକୁ ପଡ଼ିବ ସେଠାରେ କୌଣସି ଗଛ ପତ୍ର ନଥିବାରୁ ଜ୍ୟୋତ୍ସ୍ନା ଆଲୋକରେ ସ୍ଥାନଟି ବେଶ୍‌ ଆଲୋକିତ ହୋଇଉଠିଥାଏ । ମନକୁ ଆନନ୍ଦ ଲାଗିଲା । ଘାଟ ପଥର ଉପରେ ଯେପରି ଡଙ୍ଗା ଧକ୍‌କା ନ ଖାଏ ସେଥିପାଇଁ ଇନ୍ଦ୍ର ଆଗରୁ ପ୍ରସ୍ତୁତ ହୋଇଥିଲା । ଡଙ୍ଗା କୂଳରେ ଲାଗୁ ନ ଲାଗୁ ‘ଇସ୍‌’ ବୋଲି କହି ଇନ୍ଦ ଡଙ୍ଗାରୁ ଡେଇଁପଡ଼ିଲା । ମୁଁ ମଧ୍ୟ ତା’ ପଛରେ ଥିଲି-। ତେଣୁ ଉଭୟେ ସେଇ ବସ୍ତୁଟି ଉପରେ ଦୃଷ୍ଟିପାତ କଲୁ । ତେବେ ସେ ତଳେ ଆଉ ମୁଁ ଡଙ୍ଗା ଉପରେ ।

 

ଅକାଳ ମୃତ୍ୟୁ ଆଉ ବୋଧହୁଏ ସେପରି କରୁଣ ଭାବରେ ମୋ ଆଖିରେ ପଡ଼ିନଥିଲା । ଏହା ଯେ କେତେ ହୃଦୟବିଦାରକ ଦୃଶ୍ୟ, ତାହା ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ଗଭୀର ରାତିରେ ଚାରିଆଡ଼େ ନିସ୍ତବ୍‌ଧତାରେ ପରିପୂର୍ଣ୍ଣ । କେବଳ ମଝିରେ ମଝିରେ ବଣ ଜଙ୍ଗଲ ଅନ୍ତରାଳରେ ଶଶ୍ମାନଚାରୀ ଶୃଗାଳମାନଙ୍କର କ୍ଷୁଧାର୍ତ୍ତ କଳହ ଚିତ୍କାର, କେତେବେଳେ ଅବା ବୃକ୍ଷଉପରେ ବସିଥିବା ଅର୍ଦ୍ଧଶୁପ୍ତ ବୃହତ୍‌କାୟ ପକ୍ଷୀର ତାଡ଼ନାରେ ଶବ୍ଦ ଆଉ ବହୁଦୂରାଗତ ତୀବ୍ର ଜଳ ପ୍ରବାହର ଅବିଶ୍ରାମ ହୁ–ହୁ–ହୁ–ଆର୍ତ୍ତନାଦ, ଏସବୁ ଭିତରେ ଠିଆହୋଇ ଉଭୟେ ନିର୍ବାକ, ନିସ୍ତବ୍‌ଧ ହୋଇ, ଏହି ମହା କାରୁଣ୍ୟ ଦୃଶ୍ୟଆଡ଼େ ଚାହିଁ ରହିଲୁ । ଗୋଟିଏ ଗୌରବର୍ଣ୍ଣ ଛଅ, ସାତବର୍ଷର ହୃଷ୍ଟପୁଷ୍ଟ ବାକଳ; ତାହାର ସର୍ବାଙ୍ଗ ଭାବୁଛି କେବଳ ମୁଣ୍ଡଟି ଯାହା ଘାଟଉପରେ ରହିଛି-। ଶୃଗାଳମାନେ ବୋଧହୁଏ ଏଇମାତ୍ର ତାକୁ ପାଣିରୁ ଉଦ୍ଧାର କରିଥିଲେ ଏବଂ ଆମମାନଙ୍କୁ ଦେଖି ବୋଧହୁଏ କେଉଁଠାରେ ଆତ୍ମଗୋପନ କରି ରହିଛନ୍ତି । ଖୁବ୍ ସମ୍ଭବତଃ ତିନି ଚାରିଘଣ୍ଟାରୁ ବେଶୀ ହେବ ନାହିଁ ତା’ର ମୃତ୍ୟୁର ସମୟ । ସତେ ଯେପରି ବିସୂଚିକାର ନିଦାରୁଣ ଯାତନା ଭୋଗ କରି ସେ ବିଚାରା ମାଆ ଗଙ୍ଗାଙ୍କ କୋଳରେ ଶୋଇପଡ଼ିଛି । ମାଆ ଅତି ସନ୍ତର୍ପଣରେ ତା’ର ସୁକୁମାର ଧନର ଦେହଟିକୁ ଏଇମାତ୍ର କୋଳରୁ ଆଣି ଏଇ ଭୂମି ଶଯ୍ୟାରେ ଶୁଆଇ ଦେଇଛନ୍ତି-। ଜଳ ଏବଂ ସ୍ଥଳରେ ଏପରି ଭାବରେ ପଡ଼ିଥିବା ସେହି ଘୁମନ୍ତ ଶିଶୁ ଦେହଟି ଉପରେ ସେଦିନ ଆମର ଆଖିପଡ଼ିଥିଲା ।

 

ମୁହଁଟେକି ଦେଖିଲି–ଇନ୍ଦ୍ରର ଦୁଇଆଖିରୁ ବଡ଼ ବଡ଼ ଦୁଇଟୋପା ଲୁହ ଝରିବାରେ ଲାଗିଛି । ସେ କହିଲା, ତୁ ଏଠାରେ ଟିକିଏ ଠିଆହୁଅ ଶ୍ରୀକାନ୍ତ । ମୁଁ ଏ ବିଚାରାକୁ ନୌକାରେ ନେଇ ଏଇ ଚଡ଼ାଭିତରେ ଥିବା ଝାଉଁବଣର ମଶାଣି ଭିତରେ ରଖିଦେଇଆସେ ।

 

ତା’ ଆଖିର ଲୁହ ଦେଖିବାମାତ୍ରେ ମୋ ଆଖିରେ ଅବଶ୍ୟ ଲୁହ ଆସିଥିଲା; କିନ୍ତୁ ଛୁଆଁଛୁଇଁର ପ୍ରସ୍ତାବରେ ମୁଁ ସଂପୂର୍ଣ୍ଣ ସଂକୁଚିତ ହୋଇପଡ଼ିଲି । ପର ଦୁଃଖରେ ଦୁଃଖିତ ହୋଇ ଆଖିରୁ ଲୁହ ଝରିବା ସହଜ କଥା ନୁହେଁ, ମୁଁ ମାନୁଛି, କିନ୍ତୁ ଏହା ବୋଲି ସେହି ଦୁଃଖଭିତରେ ନିଜକୁ ଜଡ଼ିତ କରାଇବାଟା ମଧ୍ୟ କମ୍‌ କଷ୍ଟକର କାମ ନୁହେଁ । ସେତେବେଳେ ନାନାଆଡ଼ୁ ମନକୁ ଛୋଟ ବଡ଼ ଅନେକ ବାଧା ଆସିଲା । ଏକରେ ଏଇ ପୃଥିବୀର ଶ୍ରେଷ୍ଠ ସନାତନ ଧର୍ମ ହିନ୍ଦୁ ଘରେ ବଶିଷ୍ଠ ଇତ୍ୟାଦିଙ୍କର ବଂଶଧର ହୋଇ ଜନ୍ମଗ୍ରହଣ କରିଥିବା ହେତୁ ମୃତ ଦେହକୁ ଛୁଇଁବା ପାପ ବୋଲି ଶିଖିଆସିଛି । ଏଥିପାଇଁ କେତେ ନା କେତେ ଶାସ୍ତ୍ର ବିଧାନରେ ବାରଣ କରାଯାଇଥିବାର ଶୁଣିଛି । ସେଥିରେ ପୁଣି ଏ ହଇଜା ରୋଗୀର ମଡ଼ା । କାହାର ପିଲା; କି ଜାତି, କିଛି ନ ଜାଣି ଏବଂ ମରିବା ପରେ ଏ ରୀତିମତ ବିଧି ଅନୁସାରେ ଅଣାଯାଇଛି ନାହିଁ କି ନ ବୁଝି ଏହାକୁ ଅବା ସ୍ପର୍ଶ କରାଯାଇପାରିବ କିପରି ?

 

କୁଣ୍ଠିତ ଭାବରେ ସେଇ ସବୁ ପ୍ରଶ୍ନ ପଚାରିବାକୁ ଯାଇ ମୁଁ କହିଲି–ସେ ମଡ଼ା କେଉଁ ଜାତି ଲୋକର ତୁ କ’ଣ ଜାଣିଛୁ ? ତୁ କ’ଣ ସତରେ ତାକୁ ଛୁଇଁବୁ ?

 

ଇନ୍ଦ୍ର ମୋ କଥାର ଉତ୍ତର ନ ଦେଇ ସେ ମଡ଼ା ନିକଟକୁ ଯାଇ ଗୋଟିଏ ହାତ ତା’ର ଆଣ୍ଠୁ ତଳେ ଏବଂ ଆର ହାତଟି ମୁଣ୍ଡତଳେ ଦେଇ ତାକୁ ଖଣ୍ଡିଏ ଶୁଖିଲା କାଠ ଭଳି ଟେକିଆଣି ମୁଁ ଶୋଉଥିବା ତକ୍ତପୋଷ ଉପରେ ଡଙ୍ଗା ଭିତରେ ରଖିଲା । ତା’ପରେ ଡଙ୍ଗାକୁ ପାଣି ଭିତରକୁ ଠେଲିଦେଇ ନିଜେ ସେଥିରେ ଉଠିଯାଇ କହିଲା–ମଡ଼ାର କ’ଣ ଜାତି ଥାଏ କିରେ ?

 

ମୁଁ ଯୁକ୍ତି କରିବାକୁ ଯାଇ କହିଲି କାହିଁକି ରହିବ ନାହିଁ ?

 

ଇନ୍ଦ୍ର କହିଲା–ଆରେ ଏ ଯେ ଶବ । ଶବର ପୁଣି ଗୋଟାଏ ଜାତି କ’ଣ ? ଏଇ ଯେପରି ଆମର ଡଙ୍ଗାଟା; ଏଇଟାର କ’ଣ ଜାତି ଅଛି ? ଆମ୍ବଗଛ, ଜାମୁଗଛ କିମ୍ବା ଅନ୍ୟ ଯେକୌଣସି କାଠରେ ତିଆରି ହେଉନା କାହିଁକି ବର୍ତ୍ତମାନ ଏହାକୁ ଡଙ୍ଗା ଛଡ଼ା ଆଉ କେହି କିଛି କହିବେ ନାହିଁ । ବୁଝିପାରିଲୁ ନା ? ଏ ମଡ଼ା ସେଇମିତି ।

 

ଉଦାହରଣଟି ଯେ ନିହାତି ପିଲାଳିଆ ସେ କଥା ବର୍ତ୍ତମାନ ସିନା ମୁଁ ଜାଣିପାରୁଛି । କିନ୍ତୁ ମନଭିତରେ ଏକଥାଟା ମଧ୍ୟ ଅସ୍ୱୀକାର କରିପାରୁନଥାଏ ଯେ ଏହାଭିତରେ ଗୋଟାଏ ସୂକ୍ଷ୍ମ ତଥ୍ୟ କେଉଁଠି କିପରି ଲୁଚି ରହିଅଛି । ସେଥିପାଇଁ ମୁଁ ଅନେକ ସମୟରେ ବସି ଚିନ୍ତା କରିଥାଏ ସେଇ ବୟସରେ କାହାଠାରୁ କିଛି ଶିକ୍ଷା ନ କରି ବିରଞ୍ଚି ପ୍ରଚଳିତ ଶିକ୍ଷା ସଂସ୍କାରକୁ ଅତିକ୍ରମ କରି ଏଇ ତତ୍ତ୍ୱ ସେ ପାଇଲା କେଉଁଠାରୁ ? କିନ୍ତୁ ବର୍ତ୍ତମାନ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେପରି ମୁଁ ଏହାର ଉତ୍ତରଟା ଆପେ ଆପେ ପାଇ ଯାଇ ପାରିଛି । କପଟତା ଇନ୍ଦ୍ର ଭିତରେ ଆଦୌ ନଥିଲା । ଉଦ୍ଦେଶ୍ୟକୁ ଗୋପନ କରି କୌଣସି କାର୍ଯ୍ୟ କରିବାକୁ ସେ ପସନ୍ଦ କରୁନଥିଲା । ସେଥିପାଇଁ ବୋଧହୁଏ ତା’ ହୃଦୟର ବ୍ୟକ୍ତିଗତ ବିଚ୍ଛିନ୍ନ ସତ୍ୟ; କୌଣସି ଅଜ୍ଞାତ ନିୟମ ବଶାନୁବର୍ତ୍ତୀ ହୋଇ; ସେହି ବିଶ୍ୱବ୍ୟାପୀ ନିଖିଳ ସତ୍ୟର ଦର୍ଶନ ପାଇପାରି ଅନାୟାସରେ ଅତି ସହଜ ଭାବରେ ନିଜଆଡ଼କୁ ଟାଣିଆଣି ପାରୁଥିଲା । ତା’ର ଶୁଦ୍ଧ ସରଳ ବୁଦ୍ଧି ପୋଖତ ଓସ୍ତାଦର ଉମେଦାରୀ ନ ଦେଖାଇଲେ ସୁଦ୍ଧା ଠିକ୍‌ ଘଟଣାଟି ବୁଝିପାରିଥାଏ । ବାସ୍ତବିକ ଅକପଟ–ସହଜ–ବୁଦ୍ଧି ହିଁ ସଂସାରରେ ଚରମ ଓ ପରମ ବୁଦ୍ଧି । ଏହାଉପରେ ତ ଆଉକିଛି ନାହିଁ । ଭଲକରି ଦେଖିଲେ ସଂସାରରେ ମିଥ୍ୟା ବୋଲି ତ କୌଣସି ବସ୍ତୁର ଅସ୍ତିତ୍ୱ ଏ ଆଖିରେ ପଡ଼େ ନାହିଁ । ମନୁଷ୍ୟର ବୁଝିବାର ଏବଂ ବୁଝାଇବାର ଫଳଟା ହିଁ କେବଳ ମିଥ୍ୟା । ସୁନାକୁ ପିତଳ ବୋଲି ବୁଝାଇବା ମିଥ୍ୟା ଏବଂ ବୁଝିବା ମଧ୍ୟ ମିଥ୍ୟା । ଏଥିରେ କିନ୍ତୁ ସୁନା କିମ୍ବା ପିତଳର ଯାଏ କେତେ ଆସେ କେତେ ? ତୁମେମାନେ ଯାହା ବୁଝିଲେ ବୁଝୁଥାଅ ପଛେ କିନ୍ତୁ ସେମାନେ ଯାହା ସେହିଆହିଁ ହୋଇ ରହିଛନ୍ତି । ସୁନା ମନେକରି ତାକୁ ସିନ୍ଧୁକରେ ବନ୍ଦ କରି ରଖିଲେ ମଧ୍ୟ ତା’ର ପ୍ରକୃତରେ ମୂଲ୍ୟ ବଢ଼ିନଥାଏ କିମ୍ବା ପିତଳ ବୋଲି ବାହାରେ ଫିଙ୍ଗିଦେଲେ ମଧ୍ୟ ତା’ର ଦାମ କମେ ନାହିଁ । ସେଦିନ ସେ ପିତଳ ଥିଲା ଆଉ ଆଜି ମଧ୍ୟ ସେହିପରି ପିତଳ ହୋଇ ରହିଛି । ତୁମର ମିଥ୍ୟାରୋପ ପାଇଁ ତୁମ ବ୍ୟତୀତ କେହି ଦାୟୀ ହୁଅନ୍ତି ନାହିଁ କିମ୍ବା ଭ୍ରୂକ୍ଷେପ କରନ୍ତି ନାହିଁ । ଏହି ବିଶ୍ୱ ବ୍ରହ୍ମାଣ୍ଡରେ ସକଳ ପଦାର୍ଥ ହିଁ ପରିପୂର୍ଣ୍ଣ ସତ୍ୟ । ମିଥ୍ୟାର ଅସ୍ତିତ୍ୱ ଯଦି କେଉଁଠାରେ ଥାଏ, ତେବେ ସେ ମଣିଷର ଅନ୍ତର ଭିତରେ-। ସୁତରାଂ ଏହି ଅସତ୍ୟକୁ ଇନ୍ଦ୍ର ଯେତେବେଳେ ଜାଣିକରି ହେଉ କିମ୍ବା ନଜାଣି କରି ହେଉ କୌଣସି ଦିନ ମନରେ ସ୍ଥାନ ଦେଇନାହିଁ ସେତେବେଳେ ତା’ର ବିଶୁଦ୍ଧ ବୁଦ୍ଧି ଯେ ମଙ୍ଗଳମୟ ସତ୍ୟକୁ ହିଁ ପାଇପାରିବ, ଏଥିରେ ବୈଚିତ୍ର୍ୟ କିଛି ନାହିଁ ।

 

କିନ୍ତୁ ତାହା ପକ୍ଷରେ ବିଚିତ୍ର ହେଲା ନାହିଁ ବୋଲି ଯେ ଆଉ କାହା ପକ୍ଷରେ ତାହା ହେବ ନାହିଁ ଏକଥା ମୁଁ କହୁ ନାହିଁ । ଠିକ୍‌ ଏଇ ଉପଲକ୍ଷରେ ମୋ ଜୀବନରେ ତା’ର ଯେଉଁ ପ୍ରମାଣ ପାଇଛି ତାହା ନ କହିବାର ଲୋଭ ସମ୍ବରଣ କରିପାରୁ ନାହିଁ । ଏହି ଘଟଣାର ଦଶ ବାରବର୍ଷ ପରେ ହଠାତ୍‌ ଦିନେ ଓପରଓଳି ଖବର ପାଇଲି ଯେ ସେ ଗାଆଁରେ ଜଣେ ବୃଦ୍ଧା ବ୍ରାହ୍ମଣୀ ସକାଳ ପହରରୁ ମରିପଡ଼ିଛି । ତାକୁ ସତ୍କାର କରିବାକୁ କେହି ଆଗେଇଯାଇ ନାହାଁନ୍ତି । ଆଗେଇ ନଯିବାର କାରଣ ଏଇଆ ହେଲା ଯେ, ସେ ବୃଦ୍ଧା ଜଣକ କାଶୀରୁ ଫେରିବା ବାଟରେ ରୋଗଗ୍ରସ୍ତା ହୋଇ ରେଳଗାଡ଼ିରୁ ଏଇ ସହରରେ ଓହ୍ଲାଇପଡ଼ି ଜଣେ ପରିଚିତ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିଲେ । ସେଠାରେ ଦୁଇରାତି ଧରି ଅସୁସ୍ଥା ହୋଇପଡ଼ିବା ପରେ ଆଜି ହଠାତ୍‌ ପ୍ରାଣତ୍ୟାଗ କଲେ । ଯେଉଁ ବନ୍ଧୁଙ୍କ ଘରେ ସେ ପ୍ରାଣତ୍ୟାଗ କଲେ ସେ ହେଉଛନ୍ତି ବିଲାତ ଫେରନ୍ତା । ତେଣୁ ଗାଁଆରେ ତାଙ୍କୁ ଏକଘରିଆ କରି ରଖାଯାଇଛି । ବୃଦ୍ଧାଙ୍କର ଅପରାଧ ହେଉଛି ଯେ ସେ ଏକଘରିଆ ହୋଇ ରହିଥିବା ତାଙ୍କର ପରିଚିତ ବିଲାତ ଫେରନ୍ତା ବନ୍ଧୁଙ୍କଘରେ ଯାହା ମରଣ ମୁହଁରେ ପଡ଼ିଗଲେ ।

 

ଯାହାହେଉ, ସତ୍କାର କରି ପରଦିନ ସକାଳେ ଫେରିଆସି ଦେଖାଗଲା ପ୍ରତ୍ୟେକଙ୍କ ଘରର କବାଟ ବନ୍ଦ ଅଛି । ଶୁଣିବାକୁ ମିଳିଲା ଯେ ଗତ ରାତିରେ ଗାଆଁର ମୁଖିଆ ଲଣ୍ଠନ ଧରି ଦ୍ୱାର କରି ବୁଲିଛନ୍ତି ଏବଂ କହିଦେଇଛନ୍ତି ଯେ ଏହି ଅତ୍ୟନ୍ତ ଶାସ୍ତ୍ର ବିରୁଦ୍ଧ ଅପକର୍ମ (ଦାହ) କରିବା ନିମନ୍ତେ ଏହି କୁଳାଙ୍ଗାରମାନଙ୍କୁ ଲଣ୍ଡା ହେବାକୁ ହେବ, ଶୁଦ୍ଧ ହେବାକୁ ଏବଂ ସର୍ବୋପରି ଏପରି ଗୋଟିଏ ବସ୍ତୁକୁ ସମସ୍ତଙ୍କ ଆଗରେ ଭୋଜନ କରିବାକୁ ହେବ ଯାହାକି ସୁପବିତ୍ର ହେଲେ ମଧ୍ୟ ଖାଦ୍ୟ ନୁହେଁ । ସେ ପୁଣି କହିଦେଇଛନ୍ତି ଯେ ଏଥିରେ ତାଙ୍କର କୌଣସି କଥା କରିବାର ନାହିଁ କାରଣ ସେ ଜୀଇଁ ଥାଉଥାଉ ସମାଜରେ କୌଣସି ଅଶାସ୍ତ୍ରୀୟ କାର୍ଯ୍ୟ ଆଦୌ କରାଇ ଦେଇପାରିବେ ନାହିଁ । ଆମେମାନେ ଅନ୍ୟ ଉପାୟ ନ ଦେଖି ଡାକ୍ତରବାବୁଙ୍କର ଶରଣାପନ୍ନ ହେଲୁ-। ସେ ସେତେବେଳେ ସର୍ବଶ୍ରେଷ୍ଠ ଚିକିତ୍ସକ ରୂପେ ଖ୍ୟାତି ଅର୍ଜିଥିଲେ ଏବଂ ବଙ୍ଗାଳୀମାନଙ୍କ ଘରେ ବିନା ଫିସ୍‌ରେ ଚିକିତ୍ସା କରୁଥିଲେ । ଆମମାନଙ୍କଠାରୁ ସବୁ ଶୁଣି ଡାକ୍ତରବାବୁ କ୍ରୋଧରେ ଜଳିଉଠି କହିଲେ–ଯେଉଁମାନେ ଏଇଭଳି ନିର୍ଯ୍ୟାତନା କରୁଛନ୍ତି, ସେମାନଙ୍କ ଘରେ ବିନା ଚିକିତ୍ସାରେ କେହି ଆଖିଆଗରେ ମରିଯାଉଥିଲେ ସୁଦ୍ଧା ସେ ଆଡ଼ଆଖିରେ ସେମାନଙ୍କୁ ଫେରି ଚାହିଁବେ ନାହିଁ-

 

କେଜାଣି କିଏ ଏଇ କଥା ନେଇ ସମାଜପତିଙ୍କ କାନରେ ପକାଇଦେଲା ଜଣା ନାହିଁ । ସନ୍ଧ୍ୟା ପୂର୍ବରୁ ଆମକୁ କୁହାଗଲା ଆଉ ଲଣ୍ଡାହେବାର ଆବଶ୍ୟକତା ନାହିଁ, କେବଳ ଶୁଦ୍ଧ ହୋଇ ସମସ୍ତଙ୍କ ଆଗରେ ସେହି ଅଭକ୍ଷ୍ୟକୁ ଭକ୍ଷଣ କଲେ ହିଁ ଚଳିବ । ଆମେମାନେ ଏଥିରେ ମଧ୍ୟ ସମ୍ମତ ନ ହେବାରୁ ସକାଳୁ ଶୁଣିଲୁ ସେହି ଅଭକ୍ଷ୍ୟକୁ ନ ଖାଇଲେ ଚଳିବ କିନ୍ତୁ ଶୁଦ୍ଧ ହେବାକୁ ପଡ଼ିବ । ଏହି ସଂଶୋଧିତ ରାୟକୁ ନମାନିବା ପରେ କୁହାଗଲା–ହଉ ଯାହା ହେବାର ହେଲାଣି, ଏଇଟା ପ୍ରଥମ ଦୋଷ ହେତୁ ସେମାନଙ୍କୁ କ୍ଷମା ଦିଆଗଲା । ପ୍ରାୟଶ୍ଚିତ ହେବାର ଆବଶ୍ୟକତା ନାହିଁ ସତ କିନ୍ତୁ ଏଇ ଦୁଇଦିନ ଧରି ଯେଉଁ କଷ୍ଟ ତାଙ୍କୁ ଦେଇଛନ୍ତି ସେଥିପାଇଁ ପ୍ରତ୍ୟେକ ଜଣଜଣ ହୋଇ ତାଙ୍କ ନିକଟକୁ ଆସି କ୍ଷମା ମାଗିନେଇ ଯିବାକୁ ହେବ, ନଚେତ୍‌ ଯଥା ପୂର୍ବ ତଥା ପରଂ । ଅର୍ଥାତ୍‌ ସମସ୍ତଙ୍କ ଘରକୁ ଯିବାଆସିବା ନିଷେଧ ।

 

ତା’ ପରଦିନ ସନ୍ଧ୍ୟାବେଳେ ବୃଦ୍ଧ ସମାଜପତିଙ୍କର ଶୁଭାଗମନ ଡାକ୍ତରବାବୁଙ୍କ ଘରକୁ ହୋଇଥିଲା । ଆଶୀର୍ବାଦ କରି ସେ କ’ଣ କହିଥିଲେ ଯଦିଓ ମୋତେ ଜଣାନାହିଁ କିନ୍ତୁ ପରଦିନ ଦେଖାଗଲା ଡାକ୍ତରବାବୁଙ୍କର ସେଇ ରାଗ ନାହିଁ କିମ୍ବା ଆମକୁ ଆଉ ପ୍ରାୟଶ୍ଚିତ୍ତ କରିବାକୁ ନିର୍ଦ୍ଦେଶ ନାହିଁ ।

 

ଯାଃ, କ’ଣ କହୁ କହୁ ଆସି କ’ଣ କହି ବସିଲିଣି । କିନ୍ତୁ ସେ ଯାହା ହେଉ ମୁଁ ଭଲ କରି ଜାଣେ ଏବଂ ଯେଉଁମାନେ ଜାଣନ୍ତି ସେମାନେ ନିଶ୍ଚୟ ଏଇ ନାମଧାମହୀନ ବିବରଣୀଟି ଭିତରେ ଥିବା ସମସ୍ତ ସତ୍ୟକୁ ନିଶ୍ଚୟ ଉପଲବ୍‌ଧି କରିପାରୁଥିବେ । ମୋର କହିବାର ମୂଳ କଥାଟି ହେଲା–ଇନ୍ଦ୍ର ଏଇ କିଶୋର ବୟସରେ ଯେଉଁ ସତ୍ୟଟିକୁ ଉପଲବ୍‌ଧି କରିପାରିଥିଲା ଏତେବଡ଼ ସମାଜପତି ବୁଢ଼ା ହେବାପର୍ଯ୍ୟନ୍ତ ତାହାର କୌଣସି ତତ୍ତ୍ୱ ପାଇନଥିଲେ ଏବଂ ଡାକ୍ତରବାବୁ ସେଦିନ ତାଙ୍କୁ ଏପରି ଶାସ୍ତ୍ରଜ୍ଞାନର ଚିକିତ୍ସା ନକରିଥିଲେ କୌଣସି ଦିନ ତାଙ୍କର ଏହି ବ୍ୟାଧି ଆରୋଗ୍ୟ ହୋଇପାରିଥାନ୍ତା କି ନାହିଁ ତାହା ଭଗବାନଙ୍କୁ ଜଣା ।

 

ଚଡ଼ାଉପରେ ପହଞ୍ଚି ଝାଉଁବଣର ଅନ୍ଧକାର ଭିତରେ ଜଳଉପରେ ଇନ୍ଦ୍ର ଯେତେବେଳେ ସେଇ ଅପରିଚିତ ଶିଶୁ ଦେହଟିକୁ ଅପୂର୍ବ ମମତାର ସହିତ ରଖିଦେଲା ସେତେବେଳକୁ ରାତି ପାହିବାକୁ ଆଉ ବେଶି ବେଳନଥିଲା । କିଛି କ୍ଷଣ ଧରି ସେ ଶବମୁହଁକୁ ଝୁଙ୍କିପଡ଼ି ଚାହିଁରହି ଅବଶେଷରେ ଯେତେବେଳେ ମୁହଁଟେକି ଚାହିଁଲା; ସେତେବେଳେ ଅଳ୍ପ ଚନ୍ଦ୍ରାଲୋକରେ ତା’ ମୁହଁରୁ ଯେତେ ଟିକିଏ ଦେଖାଗଲା, ସେଥିରୁ ଅତ୍ୟନ୍ତ ବିଷଣ୍ଡ, ଏବଂ ଉତକୀର୍ଣ୍ଣ ହୋଇ ଅପେକ୍ଷା କରି ରହିଲେ ଯେଉଁଭଳି ଦେଖାଯାଏ, ତା’ର ଶୁଖିଲା ମୁହଁରେ ଠିକ୍‌ ସେହି ଭାବ ପ୍ରକାଶ ପାଇଲା । ମୁଁ କହିଲି–ଇନ୍ଦ୍ର, ଚାଲ ଏଥର ଯିବା । ଇନ୍ଦ୍ର ଅନ୍ୟମନସ୍କ ଭାବରେ କହିଲା–କେଉଁଠାକୁ ?

 

: ଏଇ ଯେ କହୁଥିଲୁ, କୁଆଡ଼େ ଯିବୁ ବୋଲି ?

 

: ଥାଉ । ଆଉ ଆଜି ନୁହେଁ ।

 

ମୁଁ ଖୁସିହୋଇ କହିଲି–ହଉ ଭାଇ ତେବେ ଚାଲ ଘରକୁ ଫେରିଯିବା ।

 

ପ୍ରତ୍ୟୁତ୍ତରରେ ଇନ୍ଦ୍ର ମୋ ମୁହଁକୁ ଚାହିଁ ପ୍ରଶ୍ନ କଲା–ମରିଗଲା ପରେ ମନୁଷ୍ୟର କି ଗତି ହୁଏ ତୁ କହିପାରିବୁ ଶ୍ରୀକାନ୍ତ ?

 

ମୁଁ ସଙ୍ଗେ ସଙ୍ଗେ କହିଉଠିଲି–ନା, ଭାଇ, ଆଦୌ ଜାଣିନି । ତୁ ଘରକୁ ଚାଲ । ସେମାନେ ସମସ୍ତେ ସ୍ୱର୍ଗକୁ ଯାଆନ୍ତି ଭାଇ । ତୋ ପାଦ ତଳେ ପଡ଼ୁଛି ତୁ ମୋତେ ନେଇ ଘରେ ଛାଡ଼ିଦେଇ ଆସ ।

 

ଇନ୍ଦ୍ର ଯେପରି ମୋ କଥାକୁ ଆଦୌ କର୍ଣ୍ଣପାତ କଲା ନାହିଁ । କହିଲା–ସମସ୍ତେ ତ ସ୍ୱର୍ଗକୁ ଯାଇପାରନ୍ତି ନାହିଁ । ତା’ ଛଡ଼ା କେତେ ସମୟ ପାଇଁ ସମସ୍ତଙ୍କୁ ଏଠାରେ ରହିବାକୁ ହୁଏ । ଦେଖ ମୁଁ ଯେତେବେଳେ ତାକୁ ପାଣିଉପରେ ଶୁଆଇ ଦେଇଥିଲି ସେ ଚୁପ୍‌ ଚୁପ୍ ହୋଇ କହିଲା ଭାଇ.....

 

ମୁଁ କମ୍ପିତ କଣ୍ଠରେ କାନ୍ଦ କାନ୍ଦ ହୋଇ କହିଉଠିଲି–କାହିଁକି ଭୟ ଦେଖାଉଛୁ ଭାଇ, ତୁ ଏପରି କହିଲେ ମୁଁ ବେହୋସ ହୋଇଯିବି ।

 

ଇନ୍ଦ୍ର କିଛି କହିଲା ନାହିଁ, ଅଭୟ ମଧ୍ୟ ଦେଲା ନାହିଁ । ଧୀରେ ଧୀରେ ଡଙ୍ଗାକୁ ଝାଉଁବଣ ଭିତରୁ ଠେଲିଦେଇ ଆସ୍ତେ ଆସ୍ତେ ବାହି ଚାଲିଲା । ଦୁଇ ତିନିମିନିଟ ନୀରବ ରହିବାପରେ ଗମ୍ଭୀର ହୋଇ କହିଲା–ଶ୍ରୀକାନ୍ତ, ମନେମନେ ରାମନାମ ଜପକର । ସେ ନୌକା ଛାଡ଼ି ଯାଇ ନାହିଁ । ଆମ ପଛେ ଆସୁଛି ।

 

ତା’ପରେ ମୁହଁ ଗୁଞ୍ଜି ଚୁପ ହୋଇ ବସି ରହିଲି । ତାପରେ ଆଉ ମୋର କିଛି ମନେ ନାହିଁ । ଯେତେବେଳେ ଆଖି ମେଲି ଚାହିଁଲି ଦେଖିଲି ସେତେବେଳେ ଅନ୍ଧକାର ନାହିଁ । ନୌକା ଆସି କୂଳରେ ଲାଗିଯାଇଥିଲା । ଇନ୍ଦ୍ର ମୋ ପାଦତଳେ ବସିଥିଲା । କହିଲା–ଉଠ୍‌ ଶ୍ରୀକାନ୍ତ । ଏଥର ଯିବାକୁ ହେବ । ଏଇତକ ବାଟ ଚାଲି ଚାଲି ଯିବାକୁ ହେବ ।

 

ପାଦ ଆଉ ଚଳୁନଥାଏ...ଏଇପରି ଭାବରେ ଗଙ୍ଗାକୂଳରେ କଷ୍ଟରେ ଗୋଟିଏ ଗୋଟିଏ ପାଦ ପକାଇ ସକାଳବେଳକୁ ଘରକୁ ଫେରିଆସିଲ । ଆଖି ଅନିଦ୍ରା ହେତୁ ନାଲନାଲ, ମୁହଁ ମଳିନ ଏବଂ ଶୁଷ୍କ । ମୋତେ ଦେଖିବା କ୍ଷଣି ଘରଭିତରେ ଗୋଟାଏ କୋଳାହଳ ଜମିଉଠିଲା । ଏଇଯେ ! ଏଇଯେ ! କହି ସମସ୍ତେ ଏପରି ଭାବରେ ଅଭ୍ୟର୍ଥନା କରିବାକୁ ଧାଇଁଆସିଲେ ଯେ ମୋତେ ଜଣାଗଲା ସତେଯେପରି ମୋର ହୃତ୍‌ପିଣ୍ଡ କ୍ରିୟା ବନ୍ଦ ହୋଇଯିବ ।

 

ଯତୀନ ଭାଇ ପ୍ରାୟ ମୋର ସମବୟସ୍କ, ଅତଏବ ସମସ୍ତଙ୍କଠାରୁ ତା’ର ଆନନ୍ଦ କହିଲେ ନସରେ । ସେ କେଉଁଠାରେ ଥିଲା ଧାଇଁଆସି ଆନନ୍ଦରେ ପାଗଳ ହୋଇଉଠିଲା ଭଳି ଚିତ୍କାର କରି କହିଉଠିଲା–ଶ୍ରୀକାନ୍ତ ଆସିଛି । ଏଇ ବର୍ତ୍ତମାନ ଆସିଲା ମଝିଆଁ ଭାଇ, କହି ସେ ଘର କମ୍ପାଇ ମୋର ଆଗମନ ବାର୍ତ୍ତା ପ୍ରଚାର କରିବାରେ ଲାଗିଗଲା ଏବଂ ପରମ ଆଦରରେ ମୋ ହାତଧରି ମୋତେ ନେଇ ବୈଠକଖାନା ଘରର ପା–ପୋଛ ଉପରେ ଠିଆ କରାଇଦେଲା ।

 

ସେଠାରେ ମଝିଆଁ ଭାଇ ଗଭୀର ମନଯୋଗ ସହକାରେ ଖଣ୍ଡିଏ ବହି ପଢ଼ିବାରେ ମଗ୍ନ ଥିଲେ । ମୁହଁ ଟେକି ଆମକୁ ଟିକିଏ ଚାହିଁଦେଇ ପୁଣି ବହି ପଢ଼ାରେ ମନଦେଲେ । ଅର୍ତାତ୍‌ ବାଘ ଶିକାର କରିସାରିଲା ପରେ ନିରାପଦରେ ବସି ଯେଉଁପରି ଖାତିର ନ କରି ଅନ୍ୟଆଡ଼କୁ ଚାହିଁ ରହେ ମୋତେ କିପରି ତାଙ୍କର ସେଇ ଭାବ ସେଇପରି ଲାଗିଲା । ଶାସ୍ତି ଦେବା ନିମିତ୍ତ ଏପରି ଏକ ମାହେନ୍ଦ୍ର ଯୋଗ ଆଉ ଭାଗ୍ୟରେ କେବେ ଜୁଟିପାରିବ କି ନାହିଁ ବୋଧହୁଏ ସନ୍ଦେହ ।

 

କେତେକ ମିନିଟ ଚୁପ୍‌ଚାପ୍‌ । ସାରାରାତି ବାହାରେ କଟାଇଥିବା ହେତୁ ଦୁଇ କାନ ଓ ଉଭୟ ଗାଲର ଅବସ୍ଥା କ’ଣ ହେବ ସେ ବିଷୟ ମୋତେ ଅଜଣାନଥିଲା । କିନ୍ତୁ ମୁଁ ଯେ ଆଉ ଦଣ୍ଡେ ସୁଦ୍ଧା ଠିଆ ହୋଇପାରୁନଥିଲି । ଅଥଚ ଏଣେ କର୍ମକର୍ତ୍ତାଙ୍କୁ ଫୁର୍‌ସତ ନାହିଁ । ସେଥିରେ ତାଙ୍କର ପୁଣି ବହି ପଢ଼ା !

 

ମୋର ଏହି ମଝିଆଁ ଭାଇଟିକୁ ବୋଧହୁଏ ଆପଣାମାନେ କେହି ଭୁଲିଯାଇନଥିବେ । ଏ ହେଉଛନ୍ତି ସେଇ ମଝିଆଁ ଭାଇ ଯାହାଙ୍କର କଠୋର ତତ୍ତ୍ୱାବଧାନରେ ଆମେମାନେ କାଲି ସନ୍ଧ୍ୟାବେଳେ ବିଦ୍ୟାଭ୍ୟାସ କରୁଥିଲୁ ଏବଂ କ୍ଷଣକ ଭିତରେ ତାଙ୍କର ଗଁଗଁ ଶବ୍ଦ ଏବଂ ମେଜ ଓଲଟାଇବା ଫଳରେ ରାତ୍ରିରେ ସେଇ ରୟାଲ ବେଙ୍ଗଲ ଟାଇଗରଟା ଯାଇ ଡାଳିମ୍ବ ଗଛ ଉପରେ ବସିପଡ଼ିଥିଲା ।

 

ପାଜିଟାକୁ ଦେଖିଲୁ ସତୀଶ ଏ ବେଳା ମଧ୍ୟ ବାଇଗଣ ଖାଇବାକୁ ଆସିଛି କି ନାହିଁ କହି କହି ପିଉସୀ ପାଖ କବାଟ ଠେଲି ଘରେ ପାଦଦେଇ ମୋତେ ଦେଖି ବିସ୍ମିତ ହେବା ସଙ୍ଗେସଙ୍ଗେ ତାଙ୍କ ତୁଣ୍ଡରୁ ବାହାରିପଡ଼ିଲା–କେତେବେଳେ ଆସିଲୁକିରେ ? କୁଆଡ଼େ ଯାଇଥିଲୁ ? ଧନ୍ୟ ପିଲା ତୁ ବାପା । ରାତିଟା ସାରା ଶୋଇପାରି ନାହିଁ । ଭାବିଭାବି ମରିଛି । ସେଇ ଯେ ଇନ୍ଦ୍ର ସଙ୍ଗେ ଚୁପହୋଇ ଚାଲିଗଲୁ ଆଉ ଦେଖାନାହିଁ । ନା ଖିଆ, ନା ପିଆ । କେଉଁଠାରେ ଏତେବେଳ ପର୍ଯ୍ୟନ୍ତ ଥିଲୁକିରେ ପୋଡ଼ାମୁହାଁ ? ମୁହଁ କଳା ପଡ଼ିଯାଇଛି । ଆଖି ନାଲ ନାଲ । ଜର ଫର ହୋଇନାହିଁ ତ-? କାଇଁ ପାଖକୁ ଆସିଲୁ । ମୁଁ ତୋ ଦେହରେ ହାତମାରି ଦେଖେ । ଏତେଗୁଡ଼ିଏ ପ୍ରଶ୍ନ କରି ପିଉସୀ ସଙ୍ଗେ ସଙ୍ଗେ ମୋ ଦେହରେ ହାତମାରି କହିଉଠିଲେ–ଯାହା ଭାବିଛି ତା’ ସତ, ଏଇଯେ ଦେହ ତ ଭଲକରି ତାତିଛି । ଏପରି ପିଲାର ହାତ ଗୋଡ଼ ବାନ୍ଧି ପାଣିରେ ଫିଙ୍ଗିଦେଲେ ଯାଇ ମନ ସନ୍ତୋଷ ହେବ । ତୋତେ ଆଗ ଘରୁ ବିଦାୟ କଲାପରେ ଯାଇ ଆଉ କୌଣସି କାମ କରିବି । ଚାଲ ଘରେ ଯାଇ ଶୋଇବୁ । କେଉଁଠୁ ଏ ହତଭାଗାଟା ଆସି ଜୁଟିଲା କହି ଯେଉଁ ବାଇଗଣ ଖାଇବା କଥା କହିବାକୁ ଆସିଥିଲେ ତାକୁ ଭୁଲିଯାଇ ମୋ ହାତଧରି ତାଙ୍କ କୋଳ ନିକଟକୁ ଟାଣିନେଲେ-

 

ମଝିଆଁ ଭାଇ କଳଦ ଗମ୍ଭୀର କଣ୍ଠରେ କହିଉଠିଲା–ନା, ସେ ବର୍ତ୍ତମାନ ଯାଇପାରିବ ନାହିଁ ।

 

: କାହିଁକି ? ବର୍ତ୍ତମାନ ସେ କ’ଣ କରିବ ? ଯାହା ହେବ ପଛେ । ବର୍ତ୍ତମାନ ସେ ଦୁଇଟା ମୁହଁରେ ଦେଇ ଟିକିଏ ଶୋଇପଡ଼ୁ । ଆରେ ମୋ ସଙ୍ଗେ....କହି ପିଉସୀ ମୋତେ ସଙ୍ଗରେ ନେଇଯିବା ପାଇଁ ଉପକ୍ରମ କଲେ ।

 

କିନ୍ତୁ ଶିକାର ଯେ ହାତଛଡ଼ା ହୋଇଯାଉଛି । ମଝିଆଁଭାଇ ତେଣୁ ସ୍ଥାନକାଳପାତ୍ର ଭୁଲି ପ୍ରାୟ ଚିତ୍କାର କରିବା ଭଳି ମୋତେ ଧମକ ଦେଇ କହିଲେ–ଖବରଦାର ! ଯାଇପାରିବୁନି ଶ୍ରୀକାନ୍ତ-

 

ପିଉସୀ କ୍ଷଣକ ଭିତରେ ଯେପରି ଚମକିଉଠିଲେ । ତାପରେ ମଝିଆଁ ଭାଇଙ୍କ ଆଡ଼କୁ ମୁହଁ ଫେରାଇ କହିଉଠିଲେ–ସତେ ! ପିଉସୀ ଭାରୀ ରାଗୀ ଲୋକ । ଘରେ ସମସ୍ତେ ତାଙ୍କୁ ଭୟ କରନ୍ତି । ମଝିଆଁ ଭାଇ ସେଇ ଚାହାଣୀ ଆଗରେ ଯେପରି ଭୟରେ ଜଡ଼ସଡ଼ ହୋଇଉଠିଲେ । ପୁଣି ପାଖଘରେ ବଡ଼ ଭାଇ ବସନ୍ତି । କଥାଟା ଯଦି ତାଙ୍କ କାନକୁ ଯାଏନା ତେବେ ତ ଆଉ ରକ୍ଷା ନାହିଁ ।

 

ପିଉସୀଙ୍କର ଗୋଟିଏ ସ୍ୱଭାବ ବରାବର ମୁଁ ଲକ୍ଷ୍ୟ କରିଆସିଛି; ସେଇଟା ହେଲା ସଦାବେଳେ କୌଣସି ନା କୌଣସି କାରଣରୁ ପାଟିକରି ଲୋକଙ୍କୁ ଭୟଭୀତ କରାଇବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ଯେତେ ରାଗିଲେ ସୁଦ୍ଧା ସେ ଆଦୌ ବଡ଼ପାଟି କରନ୍ତି ନାହିଁ । ସେ କହିଲେ–ତାହାହେଲେ ସେ ଏଠାରେ ଠିଆ ହୋଇଥିବ ? ସତୀଶ, ତୁ ଯେତେବେଳେ ଇଚ୍ଛା ସେତେବେଳେ ପିଲାମାନଙ୍କୁ ମାରଧର କରୁଛୁ, ଦେଖ ତୋତେ କହିଦେଉଛି ଆଜିଠାରୁ ତୁ ଯଦି କେଉଁ ପିଲା ଦେହରେ ଟିପ ଦେଉନା ତେବେ ଚାକର ହାତରେ ବେତରେ ତୋ ପିଠି ମୁଁ ଫଟାଇଦେବି । ଲାଜ ମାଡ଼ୁନାହିଁ ତତେ । ନିଜେ ଛଅବର୍ଷ ଫେଲ୍‌ ହେଲୁଣି ଏଣେ ପରକୁ ଶାସନ କରିବାକୁ ଆଗଭର । କିଏ ପଢ଼ୁ ବା ନ ପଢ଼ୁ ତୁ କାହାକୁ କିଛି କହିପାରିବୁ ନାହିଁ, କହି ମୋ ହାତଧରି ଯେଉଁ ବାଟରେ ଆସିଥିଲେ ସେଇବାଟରେ ଫେରିଗଲେ ।

 

ମଝିଆଁ ଭାଇର ମୁହଁ କଳାପଡ଼ିଗଲା, ପିଉସୀଙ୍କ ଆଦେଶକୁ ଅମାନ୍ୟ କରିବାର ସାଧ୍ୟ ଆମ ଘରେ କାହାର ନଥିଲା । ଏକଥା ସେ ଭଲକରି ଜାଣେ ।

 

ସଙ୍ଗରେ ଆଣି ପିଉସୀ ମୋତେ ତାଙ୍କ ଘରେ ସଫା ଲୁଗା ପିନ୍ଧିବାକୁ ଦେଲେ ଏବଂ ପେଟ ପୂରାଇ ଗରମ ଜିଲାପି ଖାଇବାକୁ ଦେଇ ବିଛଣାରେ ଶୁଆଇଦେଇ ବାହାରୁ କବାଟ ଦେଇ ଚାଲିଗଲେ ।

 

ପାଞ୍ଚ ମିନିଟ୍‌ ପରେ ଖୁଟ୍‌ କରି କବାଟ ଫିଟାଇ ସାନ ଭାଇ ଆସି ମୋ ବିଛଣା ଉପରେ ଚିତ୍‌ ହୋଇ ଶୋଇପଡ଼ିଲା । ଆନନ୍ଦରେ ବିହ୍ୱଳ ହୋଇ ସେ ପ୍ରଥମେ କଥା କହିପାରିଲା ନାହିଁ । ଟିକିଏ ଦମ୍‌ ନେଇ ଫିସ୍‍ଫିସ୍‌ କରି କହିଲା,–ମଝିଆଁ ଭାଇକୁ ମାଆ କ’ଣ ହୁକୁମ ଦେଇଛି ଜାଣୁ ? ଆଉ ଆମର କୌଣସି କଥାରେ ପାଟି ଫିଟାଇପାରିବ ନାହିଁ । ତୁ ଓ ମୁଁ ଗୋଟିଏ ଘରେ ବସି ପଢ଼ିବା । ମଝିଆଁ ଭାଇ ଅନ୍ୟଘରେ ଯାଇ ପଢ଼ିବ । ଆମର ପୁରୁଣାପାଠକୁ ବଡ଼ଭାଇ ଦେଖିବ । ଆଉ ଆମେ କେୟାର କରିବା ନାହିଁ । କହି କହି ସେ ଆନନ୍ଦରେ ଦୁଇହାତର ପାପୁଲିକୁ ହଲାଇବାକୁ ଲାଗିଲା ।

 

ଯତୀନ ଭାଇ ମଧ୍ୟ ପଛେ ପଛେ ଆସି ହାଜର ହୋଇଗଲା । ସେ ନିଜ କୃତିତ୍ୱର ଉତ୍ତେଜନାରେ ଅଧୀର ହୋଇଉଠିଥିଲା ଏବଂ ଭାଇକୁ ଏଇ ସମ୍ୱାଦ ଦେଇ ମୋ ପାଖକୁ ପଠାଇଥିଲା । ପ୍ରଥମେ ସେ ଖୁବ୍‌ ମନପୂରାଇ ହସିନେଲା । କିଛି ସମୟ ପରେ ହସ ବନ୍ଦହେଲା । ତାପରେ ବାରମ୍ବାର ଛାତିରେ ହାତମାରି ସେ ଧଇଁସଇଁ ହୋଇ କହିଉଠିଲା; ମୋ ପାଇଁ କେବଳ ଏକଥା ସମ୍ଭବ ହୋଇପାରିଲା । ତାକୁ ମୁଁ ମଝିଆଁ ଭାଇ ପାଖକୁ ନ ନେଇଥିଲେ କ’ଣ ମାଆ ହୁକୁମ ଦେଇଥାନ୍ତେ ? ଛୋଟ ଭାଇ, କିନ୍ତୁ ତୋର କଳ ନଟୁଟା ମୋତେ ଦେବାକୁ ପଡ଼ିବ । ଏ କଥା ଏତିକିବେଳରୁ କହି ରଖୁଛି ।

 

: ଆଚ୍ଛା ଦେଇଦେଲି । ମୋ ଡେସ୍କ ଖୋଲି ନେଇଯିବୁ ଯା । ହଠାତ୍‌ ଛୋଟ ଭାଇ ହୁକୁମ ଦେଇଦେଲା । କିନ୍ତୁ ମୁଁ ଜାଣେ ସାରା ପୃଥିବୀଟା ବଦଳରେ ଯଦି କିଏ ତାକୁ ଏଇ ନଟୁଟା ମାଗନ୍ତା ତେବେ ସେ ଆଦୌ ଦେବା ଲୋକ ନୁହେଁ ।

 

ଏହା ହିଁ ହେଉଛି ମନୁଷ୍ୟର ସ୍ୱାଧୀନତାର ମୂଲ୍ୟ । ଏପରି ଭାବରେ ମନୁଷ୍ୟ ତା’ର ନ୍ୟାଯ୍ୟ ସ୍ୱାଧୀନତା ଲାଭ କରିପାରିଲେ ଆନନ୍ଦିତ ହୋଇଥାଏ । ମୋର ମନେହେଉଛି ଶିଶୁ ହେଲେ ମଧ୍ୟ ସ୍ୱାଧୀନତା ଲାଭର ଆନନ୍ଦ ସେମାନଙ୍କ ପକ୍ଷରେ ମଧ୍ୟ କମ୍‌ ନୁହେଁ । ମଝିଆଁ ଭାଇ ତା’ର ବଡ଼ଭାଇ ପଣିଆ ଦେଖାଇ ସ୍ୱେଚ୍ଛାଚାରୀ ହୋଇ ତଳର ସମସ୍ତଙ୍କର ଯେଉଁ ସ୍ୱାଧୀନତାକୁ କାଢ଼ିନେଇଥିଲା, ତାକୁ ଫେରିପାଇବା ସୌଭାଗ୍ୟ ହେତୁ ଛୋଟ ଭାଇ ତା’ର ପ୍ରାଣପ୍ରିୟ ବସ୍ତୁକୁ ନିଃସଙ୍କୋଚରେ ହାତଛଡ଼ା କରି ବସିଲା । ପ୍ରକୃତରେ ମଝିଆଁଭାଇର ଅତ୍ୟାଚାରର ସୀମା ନଥିଲା । ରବିବାର ଦିନ ଦିପହରର ଟାଇଁଟାଇଁଆ ଖରାରେ ମାଇଲିଏ ବାଟ ଛୁଟିରେ ସେ ଦିନରେ ଶୋଇଥିଲାବେଳେ ସାରା ସମୟତକ ତାଙ୍କୁ ବିଞ୍ଚଣା ଧରି ବିଞ୍ଚିବାକୁ ହେଉଥିଲା । ଶୀତଦିନରେ ସେ କମ୍ବଳ ଘୋଡ଼ିହୋଇ ତା’ ଭିତରେ ହାତ ପୂରାଇ କଇଁଛ ପରି ଜାକିଜୁକି ହୋଇ ବସି ପାଠପଢ଼ି ବସିଲାବେଳେ ଆମକୁ ପାଖରେ ବସି ତା’ ପଢ଼ା ବହିର ପୃଷ୍ଠା ଓଲଟାଇବାକୁ ପଡ଼ୁଥିଲା । ଏଇପରି ସବୁ କେତେ ନା କେତେ ଅତ୍ୟାଚାର । ଅଥଚ ଏହା ବିରୁଦ୍ଧରେ ପ୍ରତିବାଦ ଜଣାଇ ‘ନା’ ବୋଲି କହିବାର ଶକ୍ତି ନଥିଲା । କାହା ନିକଟରେ ଅଭିଯୋଗ କରିବାପାଇଁ ସାଧ୍ୟ ନଥିଲା । ଯଦି ସେ ଭୁଲରେ ଜାଣିପାରେ ଯେ ଆମେ କାହା ଆଗରେ ତା’ ବିରୁଦ୍ଧରେ କିଛି କହି ବସିଛୁ ତେବେ ସେ ତତ୍‌କ୍ଷଣାତ୍‌ ହୁକୁମ କରିବ–କେଶବ, ତୋର ଭୂଗୋଳ ବହି ଆଣିଲୁ । ପୁରୁଣା ପଢ଼ା ପଚାରିବି । ଯତୀନ ଯିବୁ ବାଡ଼ରୁ ଭଲ କରି ଖଣ୍ଡିଏ ବେତ ଭାଙ୍ଗି ଆଣିବୁ, ଅର୍ଥାତ୍‌ ପ୍ରହାର ଅନିବାର୍ଯ୍ୟ । ଏତଏବ ଆନନ୍ଦର ମାତ୍ରା ଯେ ଏହାଠାରୁ କେତେ ଅଧିକ ସେ କଥା କ’ଣ ପ୍ରକାଶ କରିହେବ ?

 

କିନ୍ତୁ ସେ ଯେତେ ଯାହା ହେଲେ ହେଉ ପଛକେ ବର୍ତ୍ତମାନ ଏହି କଥାକୁ ସେତିକିରେ ବନ୍ଦ କରିବାକୁ ହେବ । କାରଣ ବର୍ତ୍ତମାନ ସ୍କୁଲ ସମୟ ହେଲାଣି । ଛୋଟ ଭାଇକୁ ସ୍କୁଲକୁ ଯିବାକୁ ହେବ । ମୋତେ ତ ବର୍ତ୍ତମାନ ଜର । ସୁତରାଂ କୁଆଡ଼େ ଆଉ ଯିବାକୁ ପଡ଼ିବ ନାହିଁ ।

 

ମୋର ମନେପଡ଼ୁଛି ସେଦିନ ରାତିରେ ମୋର ଜର ଖୁବ୍‌ ବଢ଼ି ଯାଇଥିଲା । ଆଉ ମୁଁ ତାପରେ ସାତ ଆଠଦିନ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇ ରହିଥିଲି ।

 

ଜର ଛାଡ଼ିବାର କେତେଦିନ ପରେ ସ୍କୁଲକୁ ଯାଇଥିଲି ଏବଂ କେତେଦିନ ପରେ ଇନ୍ଦ୍ର ସହିତ ଦେଖାହୋଇଥିଲା ଏସବୁ ମୋର କିଛି ମନେ ନାହିଁ । କିନ୍ତୁ ସେ ସବୁ ଯେ ଅନେକଦିନ ପରେ ହୋଇଥିଲା–ଏକଥା ମନେପଡ଼ୁଛି । ସେଦିନ ଶନିବାର । ସ୍କୁଲରୁ ସକାଳୁ ସକାଳୁ ଆସିଥାଏ-। ଗଙ୍ଗାରେ ସେତେବେଳକୁ ପାଣି କମି ଆସିଥାଏ । ତାହାରି ସଂଲଗ୍ନ ଗୋଟାଏ ନାଳ ଧାରରେ ବସି ବନିଶୀ ଖାଡ଼ିରେ ମାଛ ମାରିବାକୁ ବସିପଡ଼ିଥାଏ । ଅନେକ ମାଛ ମଧ୍ୟ ମାରି ସାରିଥାଏ-। ହଠାତ୍‌ ଆଖିରେ ପଡ଼ିଲା ବୁଦୁବୁଦିଆ ଜଙ୍ଗଲ ଭିତରେ ବସି କିଏ ଖପାଖପ୍‌ ମାଛ ମାରିବାରେ ବ୍ୟସ୍ତ-। ଲୋକଟି କିଏ ଭଲ କରି ଦିଶୁନଥିଲେ କ’ଣ ହେବ ତା’ର ମାଛମରା କୌଶଳ କିନ୍ତୁ ବେଶ୍‌ ଦେଖିହେଉଥାଏ । ଅନେକ ସମୟ ଧରି ଏ ଯାଗାଟାକୁ ମୁଁ ଆଦୌ ପସନ୍ଦ କରିପାରୁନଥିଲି-। ମନେମନେ ଭାବିଲି–ଯାଏ ତାରି ନିକଟରେ ବସେ । ବନିଶୀଧରି ଠିଆହେବା ମାତ୍ରେ ସେ କହିଉଠିଲା–ଆ, ମୋ ଡାହାଣ ପାଖରେ ବସ । ଭଲ ଅଛୁ ତ ଶ୍ରୀକାନ୍ତ ? ଛାତି ଭିତରଟା ମୋର ହଠାତ୍‌ ଧଡ଼୍‌ କରି କମ୍ପିଉଠିଲା । ସେତେବେଳ ପର୍ଯ୍ୟନ୍ତ ତା’ ମୁହଁ ଦେଖିପାରିନଥାଏ-। କିନ୍ତୁ ବୁଝିପାରିଲି ଏ ହେଉଛି ଇନ୍ଦ୍ର ।

 

ତା’ କଣ୍ଠସ୍ୱର ଶୁଣିବା କ୍ଷଣି ଦେହଭିତରେ ବିଦ୍ୟୁତ୍‌ ସ୍ରୋତ ଏପରି ଭାବରେ ପ୍ରବାହିତ ହେଲାଯେ, ଯେଉଁଠାରେ ଠିଆହୋଇଥିଲି ସେଠାରୁ ଆଉ ଟିକିଏ ହେଲେ ହଲଚଲ ହୋଇପାରିଲି ନାହିଁ । ଆଖି ପଲକ ମାତ୍ରେ ସର୍ବାଙ୍ଗରେ ରକ୍ତ ଚଞ୍ଚଳ ହୋଇଉଠିଲା । କୌଣସି ପ୍ରକାରେ ତୁଣ୍ଡ ଲେଉଟାଇ ପଦଟିଏ ହେଲେ କଥା କହିପାରିବାକୁ ସକ୍ଷମ ହୋଇପାରିଲି ନାହିଁ । ଏ କଥାଗୁଡ଼ିକ ଲେଖିଗଲି ସତ, କିନ୍ତୁ ଘଟଣା ଗୁଡ଼ିକୁ ଭାଷାରେ ବ୍ୟକ୍ତ କରି ଅପରକୁ ବୁଝାଇବା ଯେ କେବଳ ଅତ୍ୟନ୍ତ କଠିନ ତାହା ନୁହେଁ ବରଂ ସଂପୂର୍ଣ୍ଣ ସାଧ୍ୟାତୀତ । କାରଣ କହିବାକୁ ହେଲେ ଏଇ ଯେ ବହୁ ବ୍ୟବହୃତ ମାମୁଲି ବାକ୍ୟରାଶି–ଯେପରି ଛାତିର ରକ୍ତ ଚଞ୍ଚଳ ହୋଇଉଠିଲା; ଛାତି ଧକ୍‌ ଧକ୍‌ ହେଲା, ଦେହରେ ବିଦ୍ୟୁତ୍‌ର ଶିହରଣ ଦେଖାଗଲା; ଏଇସବୁ କହିବା ବ୍ୟତୀତ ଆଉ ତ ବାଟ ନାହିଁ-। କିନ୍ତୁ ଏପରି କହିବା ଫଳରେ କେତେ ଅବା ମୁଁ ବୁଝାଇପାରିଲି ? ଯିଏ ଜାଣେ ନାହିଁ, ତାହା ନିକଟରେ ମୋ କଥା କେତେ ଅବା ପ୍ରକାଶ ପାଇପାରିଲା ! ମୁଁ ଅବା କ’ଣ କରି ତାକୁ ଜଣାଇପାରିବି ଏବଂ ସେ ମଧ୍ୟ କି ପ୍ରକାର ଅବା ବୁଝିପାରିବ ? ଯାହାକୁ ପ୍ରତ୍ୟେକ ମୁହୂର୍ତ୍ତରେ ସ୍ମରଣ କରିଆସିଛି, ତା’ର ଦର୍ଶନ କାମନା କରିଛି, ଅଥଚ କାଳେ କେଉଁଠାରେ କି ରୂପରେ ଦେଖାହୋଇଯିବ ବୋଲି ଅନବରତ ଚିନ୍ତା କରି ଭୟରେ ଆତଙ୍କିତ ହୋଇପଡ଼ିଛି ସେ ଅକସ୍ମାତ ଏପରି ଅଭାବନୀୟ ରୂପେ ମୋ ଆଖିଆଗରେ ମୋତେ ପାଖରେ ବସିବାକୁ ଅନୁରୋଧ କରି କହିବ, ତାହା କଳ୍ପନା ସୁଦ୍ଧା କରିନଥିଲି । ପାଖକୁ ଯାଇ ବସିଲି । କିନ୍ତୁ ତଥାପି ସୁଦ୍ଧା କଥା କହିପାରୁନଥାଏ ।

 

ଇନ୍ଦ୍ର କହିଲା–ସେଦିନ ଫେରିଆସି ବହୁତ ମାଡ଼ ଖାଇବାକୁ ଶ୍ରୀକାନ୍ତ ? ମୁଁ ତତେ ଡାକିନେଇ ଠିକ୍‌ କାମ କରିନାହିଁ । ମୋର ସେଥିପାଇଁ ମନରେ ବଡ଼ ଦୁଃଖ ହୁଏ ।

 

ମୁଁ ମୁଣ୍ଡ ହଲାଇ ମନାକରି କହିଲି–ମୁଁ ମାଡ଼ ଖାଇନାହିଁ ।

 

ଇନ୍ଦ୍ର ଖୁସିହୋଇ କହିଲା–ଖାଇ ନାହୁଁ ! ଦେଖ୍‌ ଶ୍ରୀକାନ୍ତ, ତୁ ଚାଲିଗଲାପରେ ମୁଁ ମାଆ କାଳୀଙ୍କୁ ମନେମନେ ପ୍ରାର୍ଥନା କରି କହିଥିଲି–ମାଆ, ଶ୍ରୀକାନ୍ତ ଯେପରି ଘରେ ପହଞ୍ଚି ମାଡ଼ ନଖାଏ-। ଦେଖିଲୁ କାଳୀ କିପରି ପ୍ରତ୍ୟକ୍ଷ ଠାକୁରାଣୀ । ମନ ପ୍ରାଣ ଦେଇ ଡାକିଜାଣିଲେ କେତେବେଳେ କାହାର ହେଲେ କିଛି କ୍ଷତି କରିପାରନ୍ତି ନାହିଁ । ମାଆ ଆସି ସେମାନଙ୍କୁ ଏପରି ଭୁଲାଇଦିଅନ୍ତି ଯେ, କେହି କିଛି କହିପାରନ୍ତି ନାହିଁ, କହି ସେ ବନିଶୀଟା ତଳେ ରଖିଦେଇ କାଳୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଦୁଇହାତ ଯୋଡ଼ି ପ୍ରଣାମ ଜଣାଇଲା ବନିଶୀରେ ଗୋଟାଏ ଜିଆ ଗୁନ୍ଥି ତାକୁ ପାଣିରେ ପକାଇଦେଇ କହିଲା–ମୁଁ ତ ଭାବିନଥିଲି ଯେ ତତେ ଜର ହେବ ବୋଲି ? ଯଦି ଜାଣିଥାନ୍ତି ନା ତେବେ ସେତକ ମଧ୍ୟ ହେବାକୁ ଦେଇନଥାନ୍ତି ।

 

ମୁଁ ତାକୁ ଧୀରେ ଧୀରେ ପଚାରିଲି–ତୁ କ’ଣ କରିଥାନ୍ତୁ ଇନ୍ଦ୍ର ?

 

ଇନ୍ଦ୍ର କହିଲା–କିଛି ନାହିଁ, କେବଳ ମନ୍ଦାର ଫୁଲ ତୋଳିଆଣି ମାଆ କାଳୀଙ୍କ ପାଦତଳେ ଦେଇଥାନ୍ତି । ସେ ମନ୍ଦାର ଫୁଲକୁ ଭଲପାଆନ୍ତି । ଯିଏ ଯାହା ମାଗେ ତାକୁ ସେ ତାହା ଦିଅନ୍ତି । ଏକଥା ତ ସମସ୍ତଙ୍କୁ ଜଣା । ଆଉ ତୁ କ’ଣ ଏକଥା ଜାଣିନୁ ?

 

ମୁଁ ପଚାରିଲି–ତୋର କ’ଣ ଦେହ କେବେ ଖରାପ ହୁଏ ନାହିଁ ?

ଶ୍ରୀକାନ୍ତ

 

ସେ ହଠାତ୍‌ ଉତ୍ସାହିତ ହୋଇ କହିଉଠିଲା, ଦେଖ୍‌ ଶ୍ରୀକାନ୍ତ, ତୋତେ ମୁଁ ଗୋଟାଏ ଜିନିଷ ଶିଖାଇଦେବି, ଯଦି ତୁ ଦୁଇଓଳି ଠାକୁର ଦେବତାଙ୍କର ନାମ ସ୍ମରଣ କରିବୁ ତେବେ ସେମାନେ ସଦାବେଳେ ଆପଦ ବିପଦରେ ତୋ ଆଗରେ ଆସି ଠିଆହେବେ । ଏକଥା ତୁ ଇଛାକଲେ ସ୍ପଷ୍ଟ ଦେଖିପାରିବୁ । ସେତେବେଳେ ତୋର ଆଉ କୌଣସି କଷ୍ଟ ରହିବ ନାହିଁ । କେହି ତୋର ରୁମ୍ ସୁଦ୍ଧା ସ୍ପର୍ଶ କରିପାରିବେ ନାହିଁ । ତୁ ନିଜେ ଏହା ଅନୁଭବ କରିପାରିବୁ । ମୋ ଭଳି ଯୁଆଡ଼େ ଇଚ୍ଛା ଯିବୁ । ଯାହା ଖୁସି କରିବୁ । କୌଣସି ଭୟନଥିବ । ବୁଝିଲୁ ?

 

ମୁଁ ମୁଣ୍ଡ ହଲାଇ କହିଲି–ହୁଁ । ବନ୍‌ଶୀରେ ଜିଆ ଗୁନ୍ଥି ପାଣିକୁ ପକାଇଦେଇ ପ୍ରଶ୍ନ କଲି–ଆଜିକାଲି କାହାକୁ ନେଇ ସେଠାକୁ ଯାଉଛୁ ?

 

: କେଉଁଠାକୁ ?

 

: ସେପାରିକୁ ମାଛ ଧରିବା ପାଇଁ ?

 

ଇନ୍ଦ୍ର ବନ୍‌ଶୀଟାକୁ ପାଣିରୁ କାଢ଼ିନେଇ ପାଖରେ ରଖି କହିଲା–ମୁଁ ଆଉ ଯାଇ ନାହିଁ ।

 

ତା’ କଥାଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପଚାରିଲି–ଆଉ ଦିନକ ପାଇଁ ସୁଦ୍ଧା ଯାଇନୁ ?

 

: ନା ଦିନକ ପାଇଁ ସୁଦ୍ଧା ନୁହେଁ । ମୋତେ ମୁଣ୍ଡ ଛୁଆଇଁ ନିୟମକରି....ଇନ୍ଦ୍ର କଥାକୁ ଶେଷ କରିନପାରି ଥଙ୍ଗ ଥଙ୍ଗ ହୋଇ ଚୁପ୍‌ ହୋଇଗଲା ।

 

ତା’ ସମ୍ବନ୍ଧରେ ଏଇ କଥାଟା ମୋତେ ବରାବର ଛୁଞ୍ଚିଭଳି ବିନ୍ଧିବାକୁ ଲାଗିଥାଏ । କୌଣସି ପ୍ରକାରେ, ସେଇଦିନର ମାଛ ବିକ୍ରି କଥାକୁ ମନରୁ ଭୁଲିପାରୁନଥାଏ । ସେଥିପାଇଁ ସେ ଯଦିଓ ନୀରବ ହୋଇଗଲା । ମୁଁ କିନ୍ତୁ ହୋଇପାରିଲି ନାହିଁ । ପଚାରିଲି–କିଏ ମୁଣ୍ଡ ଛୁଆଇଁ ନିୟମ କରାଇଲା ଭାଇ ? ତୋ ମାଆ ?

 

: ନା, ମାଆ ନୁହେଁ । କହି ଇନ୍ଦ୍ର ଚୁପ ହୋଇ ରହିଲା । ତାପରେ ସେ ବନ୍‌ଶୀ ଦେହରେ ସୂତାଟାକୁ ଆସ୍ତେ ଆସ୍ତେ ଗୁଡ଼ାଇ ଗୁଡ଼ାଇ ପଚାରିଲା ଆଚ୍ଛା ଶ୍ରୀକାନ୍ତ; ତୁ ସେଦିନକାର କଥା କ’ଣ ତୁମ ଘରେ କହିଦେଇଛୁ ?

 

ମୁଁ କହିଲି–ନା, କିନ୍ତୁ ତୋ ସଙ୍ଗରେ ଯାଇଥିଲି ବୋଲି ସମସ୍ତେ ଜାଣିଛନ୍ତି ।

 

ଇନ୍ଦ୍ର ଆଉ କୌଣସି ପ୍ରଶ୍ନ ପଚାରିଲା ନାହିଁ । ମୁଁ ଭାବିଥିଲି ସେ ବୋଧହୁଏ ଏଥର ଯିବାପାଇଁ ଉଠିବ । କିନ୍ତୁ ତାହା ମଧ୍ୟ ସେ କଲା ନାହିଁ । ସତେ ଯେପରି ସେ କ’ଣ ମୋତେ କହିବାକୁ ଇଚ୍ଛା କରୁଛି ଅଥଚ କହିପାରୁନାହିଁ । ବୋଧହୁଏ ସେଥିପାଇଁ ସେ ଉଠିଯାଇପାରୁ ନାହିଁ ଏବଂ ବସି ରହି ଆସ୍ୱସ୍ତି ଅନୁଭବ କରୁଛି । ଆପଣମାନେ ଏଠାରେ ହୁଏତ କହିପାରନ୍ତି–ନାଇଁ ବାବୁ ତୁମର ଏତକ ମିଛ କଥା । ଏତେଗୁଡ଼ିଏ ମନସ୍ତତ୍ତ୍ୱ ଜାଣିବାର ବୟସ ତ ତୁମର ସେତେବେଳେ ହୋଇନଥିଲା । ମୁଁ ମଧ୍ୟ ଆପଣମାନଙ୍କ କଥାକୁ ମାନୁଛି । କିନ୍ତୁ ଆପଣମାନେ ଏକଥାଟା ଭୁଲିଯାଉଛନ୍ତି ଯେ, ମୁଁ ଇନ୍ଦ୍ରକୁ ଖୁବ୍ ପାଇ ବସିଥିଲି । ଜଣେ ଆଉ ଜଣକର ମନକୁ ଭଲପାଇବା ଏବଂ ସହାନୁଭୂତି ଦ୍ୱାରା ହିଁ ବୁଝିପାରିଥାଏ । ବୁଦ୍ଧି ଏବଂ ବୟସ ଦ୍ୱାରା ନୁହେଁ । ସଂସାରରେ ଯିଏ ଯାହାକୁ ଯେତେ ଭଲପାଇ ପାରିଛି ଅପର ହୃଦୟର ଭାଷା ସେତିକି ତା’ ନିକଟରେ ବ୍ୟକ୍ତ ହୋଇପାରିଛି । ଏହା ଅତ୍ୟନ୍ତ କଠିନ ଅନ୍ତର୍ଦୃଷ୍ଟି ଅର୍ଥାତ୍‌ କେବଳ ଭଲପାଇବା ହେତୁ ଜାଣିହୁଏ, ଅନ୍ୟ କୌଣସି ଉପାୟରେ ଆଦୌ ସମ୍ଭବ ନୁହେଁ । ସେ ସବୁର ପ୍ରମାଣ ହେଉଛି, ଇନ୍ଦ୍ର ମୁହଁଟେକି କ’ଣ ଯେପରି କିଛି କହିବାପାଇଁ ଯାଉଥିଲା, କିନ୍ତୁ କହିନପାରି ସାରା ମୁହଁଟା ତା’ର ଅକାରଣରେ ନାଲ ହୋଇଉଠିଲା । ହଠାତ୍‌ ଗୋଟାଏ କାଶତଣ୍ଡୀର ଶରକୁ ଭାଙ୍ଗି ତଳକୁ ମୁହଁ କରି ପାଣିରେ ବୁଡ଼ାଇ କହିଲା–ଶ୍ରୀକାନ୍ତ ?

 

: କ’ଣ ଭାଇ ?

 

: ତୋର...ତୋ ପାଖରେ ଟଙ୍କା ଅଛି ?

 

: କେତେ ଟଙ୍କା ?

 

: କେତେ ଟଙ୍କା । ଏଇ ଧର ପାଞ୍ଚ ଟଙ୍କା.... ?

 

: ଅଛି । ତୁ ନେବୁ ? କହି ମୁଁ ଅତ୍ୟନ୍ତ ଖୁସିହୋଇ ତା’ ମୁହଁକୁ ଚାହିଁ ରହିଲି । ମୋ ପାଖରେ ଏଇ କେତୋଟି ମାତ୍ର ଟଙ୍କା ଥିଲା । ଇନ୍ଦ୍ର କାର୍ଯ୍ୟରେ ଲାଗିବା ଅପେକ୍ଷା ସେ ସବୁର ସଦ୍‍ବ୍ୟବହାର ମୁଁ କଳ୍ପନା କରିପାରୁନଥିଲି । କିନ୍ତୁ ଇନ୍ଦ୍ର ତ କାହିଁ ଖୁସି ହୋଇପାରିଲା ନାହିଁ ! ମୁହଁ ତା’ର ଲାଜରେ କିପରି ଝାଉଁଳିଗଲା । କିଛି ସମୟ ଚୁପ୍‌ ରହିବା ପରେ ସେ କହିଲା–ମୁଁ କିନ୍ତୁ ତୋତେ ବର୍ତ୍ତମାନ ଫେରାଇ ଦେଇପାରୁ ନାହିଁ ।

 

: ମୋର ଦରକାର ନାହିଁ । କହି ସଗର୍ବରେ ତା’ ମୁହଁକୁ ଚାହିଁ ରହିଲି ।

 

ପୁଣି କିଛିକ୍ଷଣ ପାଇଁ ମୁହଁ ତଳକୁ କରି ସେ ଧୀରେ ଧୀରେ କହିଲା–ମୋ ନିଜର ଦରକାର ନାହିଁ । ଜଣକୁ ଦେବାକୁ ହେବ । ସେ ବଡ଼ ଦୁଃଖୀ । ଖାଇବାକୁ ପାଉ ନାହିଁ, ତୁ ଯିବୁ ସେଠାକୁ ?

 

ଆଖିର ପଲକ ମାତ୍ରେ ମୋର ସେଦିନ ରାତିର କଥା ମନେପଡ଼ିଗଲା । କହିଲି–ସେହି ଯେଉଁମାନଙ୍କର ଟଙ୍କା ଦରକାର କହି ତୁ ସେଦିନ ଡଙ୍ଗାରୁ ଓହ୍ଲାଇଯିବା ପାଇଁ ଇଚ୍ଛା କରିଥିଲୁ ?

 

ଅନ୍ୟମନସ୍କ ଭାବରେ ମୁଣ୍ଡ ହଲାଇ ସେ କହିଲା–ହଁ, ସେଇମାନେ । ଟଙ୍କା ସେମାନଙ୍କୁ କେତେ ମୁଁ ଦେଇପାରନ୍ତି କିନ୍ତୁ ନାନୀ ଯେକୌଣସିମତେ ନେବାକୁ ରାଜି ନୁହେଁ । ତତେ ଥରକ ପାଇଁ ଯିବାକୁ ହେବ ଶ୍ରୀକାନ୍ତ । ନଚେତ୍‌ ଏ ଟଙ୍କା ସେ ଆଦୌ ନେବ ନାହିଁ । ଭାବିବ, ମୁଁ ବୋଧହୁଏ ମାଆଙ୍କ ବାକ୍‌ସରୁ ଚୋରି କରି ଆଣିଛି । ଯିବୁ ଶ୍ରୀକାନ୍ତ ?

 

: ସେ ବୋଧହୁଏ ତୋର ଭଉଣୀ ହୁଏ ?

 

ଇନ୍ଦ୍ର ସାମାନ୍ୟ ହସିଦେଇ କହିଲା–ନା, ଭଉଣୀ ହୁଏ ନାହିଁ । ମୁଁ ନାନୀ ବୋଲି ଡାକେ । ଯିବୁ ତ ? ମୋତେ ଚୁପ୍‌ ରହିବାର ଦେଖି ପୁଣି କହିଲା ଦିନବେଳେ ସେଠାକୁ ଗଲେ କୌଣସି ଭୟ ନାହିଁ । କାଲି ରବିବାର । ତୁ ଖାଇପିଇ ସାରି, ଏଇଠାରେ ଆସି ଠିଆହୋଇଥିବୁ । ମୁଁ ଆସି ତୋତେ ସଙ୍ଗରେ ନେଇଯିବି । ଆଉ ସଙ୍ଗେ ସଙ୍ଗେ ମଧ୍ୟ ଫେରିଆସିବା । ଯିବୁତ ଭାଇ, କହି ସେ ମୋ ହାତଟି ଧରିପକାଇ ମୋ ମୁହଁକୁ ଚାହିଁ ରହିଲା । ଯାହାଫଳରେ ମୁଁ ‘ନା’ ବୋଲି କହିପାରିଲି ନାହିଁ । ମୁଁ ଦ୍ୱିତୀୟଥର ପାଇଁ ତା’ ଡଙ୍ଗାରେ ଚଢ଼ି ଯିବାପାଇଁ ପ୍ରତିଶ୍ରୁତି ଦେଇ ଘରକୁ ଫେରିଆସିଲି ।

 

କଥା ସିନା ଦେଇଥିଲି କିନ୍ତୁ ତାହା ଯେ କେତେବଡ଼ ଦୁଃସାହସିକ କଥା ବୋଧହୁଏ ଏହା ମୋଠାରୁ ବେଶୀ କେହି ଜାଣନ୍ତି ନାହିଁ । ଓପରଓଳି ସାରା ମୋ ମନଟା ଚିନ୍ତାରେ ବ୍ୟସ୍ତ ହୋଇଉଠିଲା ଏବଂ ରାତିରେ ଅଶାନ୍ତିରେ ନିଦ ମଧ୍ୟ ହେଲା ନାହିଁ । ସକାଳୁ ଉଠିବା କ୍ଷଣି ପ୍ରଥମେ ଏୟାହିଁ ମନେପଡ଼ିଲା ଯେ ଆଜି ଯେଉଁଠାକୁ ଯିବାପାଇଁ ପ୍ରତିଶ୍ରୁତି ଦେଇଛି ସେଠାକୁ ଗଲେ ମୋର ଆଦୌ ଭଲ ହେବ ନାହିଁ । କୌଣସି ପ୍ରକାରରେ ଯଦି କେହି ଜାଣିପାରନ୍ତି ତେବେ ଫେରିଆସିଲା ପରେ ଯେଉଁ ଶାସ୍ତି ଭୋଗ କରିବାକୁ ହେବ, ମଝିଆଁ ଭାଇ ପାଇଁ ସେଭଳି ଶାସ୍ତି ଛୋଟ ଭାଇ ମଧ୍ୟ କାମନା କରିପାରିବ ନାହିଁ । ଅବଶେଷରେ ଖିଆପିଆ ସରିବା ପରେ ପାଞ୍ଚଟି ଟଙ୍କା ଲୁଚାଇକରି ଯେତେବେଳେ ଚୁପ୍‌ଚାପ୍‌ ବାହାରିପଡ଼ିଲି ସେତେବେଳେ ଏତିକି ମନେପଡ଼ିଲା ଯେ–କଥାଦେଇ କଥା ଯଦି ନରଖି ପାରିଲି ଏଥିରେ ତା’ର ଯାଏ କେତେ ଆସେ କେତେ ? ତାପରେ ଯଥାସ୍ଥାନରେ ପହଞ୍ଚି ଦେଖିଲି କାଶତଣ୍ଡୀ ପଠା ଭିତରେ ସେଇ ଛୋଟ ଡଙ୍ଗାଉପରେ ଇନ୍ଦ୍ର ଉଦ୍‌ଗ୍ରୀବ ହୋଇ ଅପେକ୍ଷା କରି ଠିଆହୋଇ ରହିଛି । ମୁହାଁମୁହିଁ ହେବା କ୍ଷଣି ସେ ଏପରି ଭାବରେ ହସିଦେଇ ଆହ୍ୱାନ ଜଣାଇଲା ଯେଉଁଥିରେ କି ନ ଯିବା କଥା ତୁଣ୍ଡକୁ ଆଣିପାରିଲି ନାହିଁ । ଧୀରେ ଧୀରେ ଓହ୍ଲାଇ ଚୁପ୍‌ ହୋଇ ଡଙ୍ଗାଉପରେ ବସିଲି । ଇନ୍ଦ୍ର ଡଙ୍ଗା ଛାଡ଼ିଦେଲା ।

 

ଆଜି ବସି ଭାବୁଛି ମୋର ବହୁଦିନର ପୁଣ୍ୟ ଫଳରେ ସେଦିନ ଯିବାକୁ ମୁଁ ଆଦୌ ପଛାଇନଥିଲି । ସେହି ଦିନଟିକୁ ଉପଲକ୍ଷ କରି ଯେଉଁ ଜିନିଷଟି ମୁଁ ଦେଖିପାରିଥିଲି, ଜୀବନସାରା ଘୂରି ବୁଲିଲେ ସୁଦ୍ଧା କେତେଜଣଙ୍କ ଭାଗ୍ୟରେ ସେପରି ଦେଖିବାକୁ ମିଳିଥାଏ ? ମୁଁ ମଧ୍ୟ ଜୀବନରେ ସେହିଭଳି ଆଉ କୌଣସିଠାରେ ଦେଖିବାକୁ ପାଇ ନାହିଁ । ଜୀବନରେ ଏପରି ଶୁଭ ମୁହୂର୍ତ୍ତ ସଦାବେଳେ ଆସେ ନାହିଁ । ଥରକ ପାଇଁ ଯଦି ଆସେ ତେବେ ତାହା ମନଉପରେ ଏପରି ଏକ ଗଭୀର ଛାପ ଆଙ୍କିବ ସେ ଯେ ପରବର୍ତ୍ତୀ ଜୀବନ ସେଇ ଛାପଉପରେ ହିଁ ଗଢ଼ି ହୋଇଥାଏ । ମୋର ବୋଧହୁଏ ସେଇଆ ହିଁ ହେଲା । ଫଳରେ ସ୍ତ୍ରୀଲୋକଙ୍କୁ ମୁଁ କେତେବେଳେ ଛୋଟ କରି ଦେଖିପାରିଲି ନାହିଁ । ବୁଦ୍ଧିଦ୍ୱାରା ଯେତେ କାହିଁକି ତର୍କ କରି ବସେ ଯେ ସଂସାରରେ କ’ଣ ପିଶାଚୀ ନାହାନ୍ତି ? ଯଦିଓ ନାହାନ୍ତି ତେବେ ରାସ୍ତାକଡ଼ରେ ଏତେ ଯେଉଁ ପାପର ମୂର୍ତ୍ତି ସବୁ ଦେଖୁଛି ସେ ସବୁ କାହାର ? ସମସ୍ତେ ଯଦି ସେଇ ଇନ୍ଦ୍ରର ଭଉଣୀ, ତେବେ ଏତେପ୍ରକାର ଦୁଃଖର ସ୍ରୋତରେ ଜୀବନ ତରୀ ବାହୁଛନ୍ତି କେତେ ଜଣ ? ତଥାପି କିପରି ମନେହୁଏ, ଏ ସମସ୍ତ ସେମାନଙ୍କର ବାହ୍ୟ ଆବରଣ, ଯେତେବେଳେ ଇଚ୍ଛା ଫିଙ୍ଗିଦେଇ ଠିକ୍‌ ତାରିପରି ସତୀର ଆସନରେ ଅନାୟାସରେ ଯାଇ ବସିପାରନ୍ତି । ବନ୍ଧୁମାନେ କହନ୍ତି ଏହା ମୋର ଗୋଟାଏ ସାଙ୍ଘାତିକ ଭ୍ରମଧାରଣା । ମୁଁ ତହିଁରେ ମଧ୍ୟ ପ୍ରତିବାଦ କରେ ନାହିଁ । କେବଳ କହେ ଏହା ମୋର ଯୁକ୍ତି ନୁହେଁ–ମୋର ସଂସ୍କାର । ଏହି ସଂସ୍କାରର ମୂଳ ଯେଉଁ ପୁଣ୍ୟବତୀ ଜାଣେ ନାହିଁ ସେ ଆଜି ବଞ୍ଚିଛନ୍ତି କି ନାହିଁ ? ଥିଲେ, କେଉଁଠାରେ କିପରି ଭାବରେ ଅଛନ୍ତି, ସେଥିପାଇଁ ତାଙ୍କରି ନିର୍ଦ୍ଦେଶରେ କେତେବେଳେ କୌଣସି ଖବର ରଖିବାକୁ ଚେଷ୍ଟା ମଧ୍ୟ କରିନାହିଁ । କିନ୍ତୁ କେତେବାର ଯେ ତାଙ୍କ ମନେମନେ ପ୍ରଣାମ କରି ବସିଛି, ତାହା ଯିଏ ସବୁ ଜାଣିପାରନ୍ତି ସେହି ହିଁ କେବଳ ଜାଣନ୍ତି ।

 

ଶ୍ମଶାନର ସେହି ବରଗଛ ତଳେ ଡଙ୍ଗାଟିକୁ ବାନ୍ଧି ଯେତେବେଳେ ଦୁଇଜଣ ଯିବାକୁ ବାହାରିପଡ଼ିଲୁ, ସେତେବେଳକୁ ସମୟ ଅନେକ ଥିଲା । କିଛି ଦୂର ବଣ ଭିତରେ ଯିବାପରେ ଡାହାଣ ଦିଗରେ ଠଉର କରି ଦେଖିଲୁ ଆଉ ଗୋଟିଏ ରାସ୍ତା ଦିଶୁଛି । ଇନ୍ଦ୍ର ସେହି ରାସ୍ତାରେ ଚାଲି ଭିତରକୁ ପ୍ରବେଶ କଲା । ପ୍ରାୟ ଦଶ ମିନିଟ ଚାଲିଲା ପରେ ଗୋଟାଏ ପତ୍ର କୁଡ଼ିମ ଦେଖାଗଲା । ନିକଟକୁ ଯାଇ ଦେଖିଲି, ଦୁଆରଟି ଗୋଟିଏ ତାଟିଦ୍ୱାରା ବନ୍ଦ । ଇନ୍ଦ୍ର ସାବଧାନରେ ସେଇ ତାଟିକୁ ଖୋଲି, ଧୀରେ ଧୀରେ ପ୍ରବେଶ କଲା ଏବଂ ମୋତେ ଭିତରକୁ ଟାଣିନେଇ ତାଟିକୁ ପୁଣି ସେଇପରି ବାନ୍ଧିଦେଲା । ମୁଁ ସେପରି ବାସସ୍ଥାନ ଆଗରୁ କେବେ ଦେଖିନଥିଲି । ଏକରେ ତ ଚାରିଆଡ଼େ ନିବିଡ଼ ଜଙ୍ଗଲ, ତହିଁରେ ପୁଣି ମୁଣ୍ଡଉପରେ ଗୋଟାଏ ବିରାଟ କଇଁଆ ଗଛ । ତା’ ଛାଇରେ ସାରା ସ୍ଥାନଟା ଅନ୍ଧକାର ହୋଇପଡ଼ିଛି । ଆମମାନଙ୍କର ଯିବା ଶବ୍ଦ ଶୁଣି କେତେଟା କୁକୁଡ଼ା ଏବଂ କୁକୁଡ଼ା ଛୁଆ ଚିତ୍କାର କରିଉଠିଲେ । ଗୋଟିଏ ପାଖରେ ବନ୍ଧା ହୋଇଥିବା ଚାରି ପାଞ୍ଚଟା ଛେଳି ମେଁ–ମେଁ କରି ରଡ଼ି ଛାଡ଼ିଲେ । ଆଗକୁ ଚାହିଁ ଦେଖି ଚମକିଉଠିଲି–ଆରେ ବାପ ! ଗୋଟାଏ ପ୍ରକାଣ୍ଡ ଅଜଗର ସାପ ଅଙ୍କାବଙ୍କା ହୋଇ ଚାଳ ସାରା ପ୍ରାୟ ଗୁଡ଼ାଇ ହୋଇ ରହିଛି, ତାକୁ ଦେଖି ଆର୍ତ୍ତ ଚିତ୍କାର କରି ମୁଁ କୁକୁଡ଼ା ରହିବା ଘରଉପରେ ଭୟରେ ଚଢ଼ିଗଲି । ଇନ୍ଦ୍ର ମୋର ଏପରି ଅବସ୍ଥା ଦେଖି ଖିଲ୍‌ ଖିଲ୍‌ ହୋଇ ହସିଉଠି କହିଲା–ଆରେ ଏଇଟି ବଡ଼ ଭଲ ଜନ୍ତୁ । କାହାର କିଛି କ୍ଷତି କରେ ନାହିଁ । ତା’ ନାମ ରହିମ୍‌ । ତାପରେ ପାଖକୁ ଯାଇ ତା’ର ପେଟଟାକୁ ଟେକି ଚାଳ ସେ ପାଖକୁ ପେଲିଦେଲା । ଏହାପରେ କୁକୁଡ଼ା ଘର ଉପରୁ ଓହ୍ଲାଇଆସି ମୁଁ ଡାହାଣ ଦିଗକୁ ଚାହିଁ ଦେଖିଲି ସେଇ ପତ୍ର କୁଡ଼ିଆର ବାରଣ୍ଡାରେ ଖଣ୍ଡିଏ ଛିଣ୍ଡା ମସିଣା ଓ ଛିଣ୍ଡା କନ୍ଥାଉପରେ ଗୋଟାଏ ଦୀର୍ଘକାୟ ପତଳା ଶରୀରର ଲୋକ ବସି ଖୁବ୍‌ କାଶି କାଶି ପେଲିହେଉଛି । ତା’ ମୁଣ୍ଡରେ ବିରାଟ ଜଟା । ଗଳାରେ ବିବିଧ ପ୍ରକାରର ଛୋଟ ବଡ଼ ମାଳୀ । ପିନ୍ଧିଥିବା ଲୁଗା ଏବଂ ଦେହରେ ଥିବା ଜାମା ଅତ୍ୟନ୍ତ ମଳିନ ଏବଂ ଏକ ପ୍ରକାର ହଳଦି ରଙ୍ଗରେ ରଞ୍ଜିତ । ତା’ର ଲମ୍ବା ଦାଢ଼ି ଖଣ୍ଡିଏ ଲୁଗାରେ ଜଟା ସହିତ ବନ୍ଧା ହୋଇଥିଲା ବୋଲି ପ୍ରଥମେ ଚିହ୍ନିପାରିଲି ନାହିଁ । କିନ୍ତୁ ପାଖକୁ ଆସିଲା ପରେ ଜାଣିପାରିଲି ଯେ ସେ ସାପୁଆ । ପାଞ୍ଚ ଛଅମାସ ପୂର୍ବେ ତାହାକୁ ଆଗେ ସବୁଠାରେ ଦେଖିପାରୁଥିଲି । ଇନ୍ଦ୍ର ତାକୁ ଶାହାଜୀ ସମ୍ବୋଧନ କଲା । ସେ ଆମଆଡ଼କୁ ବସିବାକୁ ଇଙ୍ଗିତ ଦେଇ, ହାତଟେକି ଇନ୍ଦ୍ରକୁ ଗଞ୍ଜେଇର ସାଜ ସରଞ୍ଜାମ ଏବଂ ଗଞ୍ଜେଇ କଲିକୁ ଦେଖାଇଦେଲା । ଇନ୍ଦ୍ର ଦ୍ୱିରୁକ୍ତି ନ କରି ଆଦେଶ ପାଳନ କରିବାରେ ଲାଗିଗଲା ଏବଂ ପ୍ରସ୍ତୁତ ହେବା କ୍ଷଣି ଶାହାଜୀ ସେଇ ଚିଲମରେ ଯେପରି ‘‘ମରିକରି ଜୀଏଁ’’ ପଣ କରି ଟାଣିବାକୁ ଲାଗିଲା ଏବଂ ଏକ ବିନ୍ଦୁ ଧୂଆଁ କାଳେ ବାହାରି ଯାଇପାରେ ଏଇ ଆଶଙ୍କାରେ ନାକ ଓ ମୁହଁରେ ବାମହାତ ପାପୁଲିକୁ ଚାପିଧରି ମୁଣ୍ଡକୁ ହଲାଇଦେଇ ଚିଲମଟିକୁ ଇନ୍ଦ୍ର ହାତକୁ ବଢ଼ାଇଦେଇ କହିଲା–ପିଅ ।

 

ଇନ୍ଦ୍ର ପିଇଲା ନାହିଁ । ଆସ୍ତେ ଆସ୍ତେ ଚିଲମଟାକୁ ତଳେ ରଖିଦେଇ କହିଲା–ନା, ଶାହାଜୀ ଅତ୍ୟନ୍ତ ବିସ୍ମିତ ହୋଇଉଠି କାରଣ ପଚାରିଲା । କିନ୍ତୁ ଉତ୍ତର ପାଇବାପାଇଁ ଦଣ୍ଡେ ସୁଦ୍ଧା ଅପେକ୍ଷା ନ କରି ସେଇଟାକୁ ନିଜେ ତଳୁ ଉଠାଇନେଇ ଟାଣି ଟାଣି ନିଃଶେଷ କରି ଓଲଟାଇ ରଖିଦେଲା । ତାପରେ ଦୁଇଜଣଙ୍କ ଭିତରେ ମୃଦୁ କଣ୍ଠରେ କଥାବାର୍ତ୍ତା ଆରମ୍ଭ ହେଲା । ସେଥିରୁ ଅଧିକାଂଶ ଶୁଣିପାରିଲି ନାହିଁ କି ବୁଝିପାରିଲି ନାହିଁ । କିନ୍ତୁ ଗୋଟିଏ ବିଷୟ ଲକ୍ଷ୍ୟକଲି ଯେ ଶାହାଜୀ ହିନ୍ଦିରେ କଥା କହିଲେ ସୁଦ୍ଧା ଇନ୍ଦ୍ର ବଙ୍ଗଳା ବ୍ୟତୀତ ଅନ୍ୟ ଭାଷାରେ କହିଲା ନାହିଁ ।

 

ଶାହାଜୀଙ୍କ କଣ୍ଠସ୍ୱର କ୍ରମେ କ୍ରମେ ଉତ୍ତପ୍ତ ହେବାକୁ ଲାଗିଲା ଏବଂ ଦେଖୁ ଦେଖୁ ତାହା ଉନ୍ମତ୍ତ ଚିତ୍କାରରେ ପରିଣତ ହେଲା । କାହାକୁ ଉଦ୍ଦେଶ୍ୟ କରି ସେ ଯେ ଏଭଳି ଅକଥ୍ୟ, ଅଶ୍ରାବ୍ୟ ଗାଳିଗୁଲଜ ଉଚ୍ଚାରଣ କରିବାକୁ ଲାଗିଲା, ତାହା ସେତେବେଳେ ବୁଝିଥିଲେ: ଇନ୍ଦ୍ର ସହ୍ୟ କରି ଯାଉଥିଲା ସିନା କିନ୍ତୁ ମୁଁ ସହ୍ୟ କରିନଥାନ୍ତି । ତାପରେ ଲୋକଟା କାନ୍ଥକୁ ଠେସ ଦେଇ ବସିଲା ଏବଂ ଅଳ୍ପ ସମୟ ପରେ ମୁଣ୍ଡଗୁଞ୍ଜି ଘୁମାଇପଡ଼ିଲା । ଦୁଇଜଣ କିଛି ସମୟ ଧରି ଚୁପ୍‍ଚାପ୍ ବସି ରହିବା ପରେ ମୁଁ ଅସ୍ଥିର ହୋଇଉଠି ପଚାରିଲି–ବେଳ ହୋଇଯିବ । ତୁ ସେଠାକୁ ଯିବୁ ନାହିଁକି ?

 

: କେଉଁଠାକୁ ଶ୍ରୀକାନ୍ତ ?

 

: ତୋ ଭଉଣୀକୁ ଟଙ୍କା ଦେବାକୁ ଯିବୁ ନାହିଁ ?

 

: ଭଉଣୀକୁ ଅପେକ୍ଷା କରି ତ ବସିଛି । ଏଇଟା ପରା ତାରି ଘର ।

 

: ଏଇଟା ତୋ ଭଉଣୀର ଘର ! ଏ ତ ସାପୁଆ । ମୁସଲମାନ ।

 

ଇନ୍ଦ୍ରା କ’ଣ କହି ଆସୁ ଆସୁ କଥାଟାକୁ ଚାପିରଖି ମୋଆଡ଼କୁ ଚାହିଁଲା । ଜଣାପଡ଼ୁଥିଲା ତା’ ଦୁଇଆଖିର ଚାହାଣିରେ ଯେପରି ବିଷଣ୍ଣତା ଭରି ରହିଥିଲା । ଦିନେ ତତେ ସବୁକଥା ଖୋଲି କରି କହିବି । ସାପ ଖେଳାଇବି । ଦେଖିବୁ ଶ୍ରୀକାନ୍ତ ?

 

ତା’ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି; ତୁ କ’ଣ ସାପ ଖେଳାଇବୁ କିରେ ? ଯଦି କାମୁଡ଼ି ପକାଇବ ?

 

ଇନ୍ଦ୍ର ଘରଭିତରକୁ ଚାଲିଯାଇ ଗୋଟିଏ ପେଡ଼ି ଏବଂ ଲାଉ ତୁମ୍ବା ଘେନିଆସିଲା । ପେଡ଼ିକୁ ଆଗରେ ରଖି ତା’ର ଘୋଡ଼ଣୀ ଫିଟାଇବାକୁ ଉଦ୍ୟତ ହୋଇ ବଂଶୀ ଫୁଙ୍କିବାକୁ ଲାଗିଲା । ମୁଁ ଭୟରେ କମ୍ପିଉଠିଲି । ପାଟିକରି କହିଉଠିଲି ଘୋଡ଼ଣୀ ଆଦୌ ଫିଟାନା ଭାଇ । ଯଦି ସେଥିରେ ଗୋଖର ସାପ ଥିବନା, ତେବେ....

 

ଇନ୍ଦ୍ର ମୋ କଥାର ଉତ୍ତର ଦେବାକୁ ବୋଧହୁଏ ଆବଶ୍ୟକ ମନେକଲା ନାହିଁ । କେବଳ ଇଙ୍ଗିତରେ ଜଣାଇଦେଲା ଯେ ସେ ଦୁଇଟା ଗୋଖର ସାପ ମାତ୍ର ଖେଳାଇବ ଏବଂ ପରକ୍ଷଣରେ ମୁଣ୍ଡ ହଲାଇ ବଂଶୀ ବଜାଇ ପେଡ଼ିର ଡାଲାଟା ଖୋଲିଦେଲା । ସଙ୍ଗେସଙ୍ଗେ ପ୍ରକାଣ୍ଡ ଗୋଖର ସାପ ହାତେ ଉଚ୍ଚ ପର୍ଯ୍ୟନ୍ତ ଫଣାଟେକି ଠିଆ ହୋଇଗଲା ଏବଂ ମୁହୂର୍ତ୍ତେ ମାତ୍ର ବିଳମ୍ବ ନ କରି ଇନ୍ଦ୍ର ଧରିଥିବା ଡାଲାଉପରେ ଗୋଟାଏ ଶକ୍ତ ଚୋଟ ମାରି ଡାଲାରୁ ବାହାରିପଡ଼ିଲା । ବାପରେ ! କହି ଇନ୍ଦ୍ର ଚୁଲିଉପରକୁ ଡେଇଁପଡ଼ିଲା । ମୁଁ ପିଣ୍ଡାଉପରେ ଆସି ହାଜର । କ୍ରୁଦ୍ଧ ସର୍ପରାଜ ବଂଶୀର ଲାଉତୁମ୍ବା ଉପରେ ଆଉ ଥରେ ଚୋଟ ମାରି ଘରଭିତରକୁ ଚାଲିଗଲା । ଇନ୍ଦ୍ରର ମୁହଁ କଳା ପଡ଼ିଗଲା । ସେ କହିଲା–ଏଇଟା ଏକବାର ବଣୁଆ । ମୁଁ ଯେଉଁଟାକୁ ଖେଳାଏ ଏଇଟା ସେ ନୁହେଁ ।

 

ଭୟ ଏବଂ ବିରକ୍ତିରେ ମୋତେ କାନ୍ଦ ମାଡ଼ିଆସୁଥିଲା । ମୁଁ ତାକୁ କହିଲି–ତୁ ଏପରି କାହିଁକି କରିବାକୁ ଯାଉଥିଲୁ ? ଏଇଟା ବାହାରି ଯଦି ଶାହାଜୀକୁ କାମୁଡ଼ି ପକାଏ ?

 

ଇନ୍ଦ୍ର ନିରୁପାୟ ହୋଇ ଏ ଦିଗ, ସେ ଦିଗକୁ ଚାହିଁ କହିଲା–ପୁଅକୁ କାମୁଡ଼ୁ । ବଣୁଆ ସାପ ଧରି ଆଣି..ଗଞ୍ଜା ଖୋର ବୁଢ଼ାର ଏତେ ଟିକିଏ ଅକଲ ନାହିଁ । ଏଇ ଯେ ନାନୀ ! ଭିତରକୁ ଆସନା, ଆସନା । ସେହିଠାରେ ଠିଆହୋଇ ରହ ।

 

ମୁଁ ଫେରିପଡ଼ି ଇନ୍ଦ୍ରର ଭଉଣୀକୁ ଦେଖିବାକୁ ଲାଗିଲି । ସତେ ଯେପରି ଭସ୍ମାଚ୍ଛାଦିତ ବହ୍ନି । ଯେପରି ଯୁଗ ଯୁଗାନ୍ତର କଠୋର ତପସ୍ୟା ଶେଷ କରି ଏଇ ମାତ୍ର ଆସନ ଛାଡ଼ି ସେ ଉଠିଆସିଛନ୍ତି । ବାମ ଛାତିପାଖରେ ଗୋଟିଏ ଅଣ୍ଟିରେ ଭର୍ତ୍ତି କିଛି ଶୁଖିଲା କାଠ ଆଉ ହାତରେ ଗୋଟିଏ ଡାଲାରେ କେତେ ଗୁଡ଼ିଏ ଶାଗ ସବ୍‌ଜି । ହିନ୍ଦୁସ୍ଥାନୀ ମୁସଲମାନଙ୍କ ଭଳି ଲୁଗା ପିନ୍ଧିଛନ୍ତି । ଲୁଗାଟି ଗେରୁଆ ରଙ୍ଗରେ ରଙ୍ଗିଆ ହେଲେ ସୁଦ୍ଧା ମଇଳାରେ ମଳିନ ନୁହେଁ । ହାତରେ ଦୁଇମୁଠା ପାଣି କାଚ । ମୁଣ୍ଡରେ ହିନ୍ଦୁ ନାରୀଙ୍କ ଭଳି ସିନ୍ଦୂର ବିନ୍ଦୁ । ସେ କାଠ ବୋଝକୁ କାଢ଼ି ରଖି ଦୁଆର ଖୋଲିବାକୁ ଉପକ୍ରମ କରୁକରୁ ପଚାରିଲେ–କ’ଣ ହେଲା ?

 

ଇନ୍ଦ୍ର ଅତ୍ୟନ୍ତ ବ୍ୟସ୍ତହୋଇ କହିଉଠିଲା–ନା, ନାନୀ ତୋ ପାଦତଳେ ପଡ଼ିଛି, ତୁ କବାଟ ଖୋଲ ନାହିଁ । କାରଣ ସେ ଘରଭିତରେ ମସ୍ତବଡ଼ ଗୋଟାଏ ସାପ ପଶିଛି ।

ତାପରେ ସେହି ତରୁଣୀ ମୋ ମୁହଁକୁ ଚାହିଁ କ’ଣ ଯେପରି କିଛି ଭାବି ତା’ପରେ ସାମାନ୍ୟ ହସିଦେଇ ଖାଣ୍ଟି ବଙ୍ଗଳା ଭାଷାରେ କହିଉଠିଲେ–ସାପୁଆ ଘରେ ସାପ ପଶିଛି ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?

ମୁଁ ଅପଲକ ନେତ୍ରରେ ତାଙ୍କ ମୁହଁକୁ ଚାହିଁ ରହିଲି ।

: ସାପ କିପରି ପଶିଲାକିରେ ଇନ୍ଦ୍ର ?

ଇନ୍ଦ୍ର କହିଲା–ପେଡ଼ି ଭିତରୁ ଡେଇଁପଡ଼ିଛି । ଯାହାକୁ କହନ୍ତି ଏକଦମ ପୋଷା ଶିଖିନଥିବା ବଣୁଆ ସାପ ।

: ସେ ଶୋଇପଡ଼ିଛନ୍ତି ବୋଧହୁଏ ?

ଇନ୍ଦ୍ର ରାଗି କହିଉଠିଲା–ଗଞ୍ଜେଇ ଖାଇ ଏକପ୍ରକାର ଅଜ୍ଞାନ ହୋଇ ଶୋଇପଡ଼ିଛନ୍ତି । ପାଟିକରି ମରିଗଲେ ସୁଦ୍ଧା ଉଠିବେ ନାହିଁ ।

ଏକଥା ଶୁଣି ସେ ସାମାନ୍ୟ ହସିଦେଇ କହିଲେ–ଆଉ ସେଇ ଅବସର ଭିତରେ ତୁ ବୋଧହୁଏ ଶ୍ରୀକାନ୍ତକୁ ସାପ ଖେଳାଇବା ଦେଖାଇବାକୁ ଚେଷ୍ଟା କରିଥିଲୁ, କ’ଣ କହୁଛୁ ଏୟାନା ? ଆଚ୍ଛା ଆସ । ମୁଁ ତାକୁ ଧରିପକାଉଛି ।

 

: ତୁ ଯାଆ ନାହିଁ ନାନୀ, ତୋତେ ସେ ନିଶ୍ଚୟ କାମୁଡ଼ି ପକାଇବ । ମୁଁ ତୋତେ ଆଦୌ ଯିବାକୁ ଦେବିନାହିଁ, କହି ଇନ୍ଦ୍ର ଦୁଇହାତ ମେଲା କରି ତା’ ନାନୀ ଆଗରେ ବାଟ ଓଗାଳି ଠିଆ ହୋଇଗଲା । ତା’ର ଏଇ ବ୍ୟାକୁଳ କଣ୍ଠସ୍ୱର ଭିତରେ ଯେଉଁ ଭଲପାଇବା ପ୍ରକାଶ ପାଇଲା ତାହା ବୋଧହୁଏ ସେ ବୁଝିପାରିଲେ । ମୁହୂର୍ତ୍ତକ ପାଇଁ ତାଙ୍କ ଆଖି ଛଳଛଳ ହୋଇଉଠିଲା । ପୁଣି ପରକ୍ଷଣରେ ସେହି ଅବସ୍ଥାକୁ ଆମ ନିକଟରୁ ଗୋପନ କରି ହସି କହିଲେ–ଆରେ, ପାଗଳା ! ଏତେ ପୁଣ୍ୟ ତୋ ନାନୀର ନାହିଁ । ମୋତେ କାମୁଡ଼ିବ ନାହିଁରେ । ଦେଖ୍‌ ବର୍ତ୍ତମାନ ଧରିପକାଉଛି କହି ଚାଳରୁ ଗୋଟାଏ ଟିଣ ଡିବି କାଢ଼ି ତାକୁ ଜଳାଇ, ଘରଭିତରେ ପଶି ମୁହୂର୍ତ୍ତକ ଭିତରେ ସାପଟାକୁ ଧରି ପେଡ଼ିଭିତରେ ଭର୍ତ୍ତି କରି ଘୋଡ଼ଣୀ ଘୋଡ଼ାଇଦେଲେ ।

ଇନ୍ଦ୍ର ନଇଁପଡ଼ି ତାଙ୍କ ପାଦ ତଳେ ମୁଣ୍ଡିଆ ମାରି ପାଦ ଧୂଳି ନେଇ ମଥାରେ ମାରି କହିଲା–ନାନୀ, ତୁ ଯଦି ପ୍ରକୃତରେ ମୋର ଭଉଣୀ ହେଇଥାନ୍ତୁ.....

ସେ ଏହା ଶୁଣି ଇନ୍ଦ୍ରର ଚିବୁକକୁ ହାତ ବଢ଼ାଇ ସ୍ପର୍ଶ କରି, ତାପରେ ନିଜ ଅଙ୍ଗୁଳିକୁ ଚୁମ୍ବନ ଦେଇ ଅଲକ୍ଷ୍ୟରେ ମୁହଁ ବୁଲାଇ ଆଖିରୁ ଲୁହ ପୋଛିବାକୁ ଲାଗିଲେ । ନାହିଁ ଆଉ ଯଦି ବା ଦୁର୍ଭାଗ୍ୟକୁ କାମୁଡ଼ି ପକାନ୍ତି ତାହାହେଲେ ସେଥିରେ କ’ଣ ଅବା ହେବ ଯେ ? ଶାହାଜୀଙ୍କୁ ଟାଣି ଟାଣି ଆଣି ସଙ୍ଗେ ସଙ୍ଗେ ତାଙ୍କ ହାତରେ ବିଷ ପଥରଟା ଧରାଇଦିଅନ୍ତି । ଆଚ୍ଛା ନାନୀ, ଏଇ ବିଷ ପଥରଟା କେତେସମୟ ଭିତରେ ବିଷ ଟାଣି ନେଇପାରିବ ? କ’ଣ ଅଧଘଣ୍ଟା ? ଘଣ୍ଟାଏ ? ନା, ଏତେ ସମୟ ଲାଗେ ନାହିଁ, ନାନୀ ?

ନାନୀ କିନ୍ତୁ ସେହିପରି ନୀରବରେ ଚାହିଁ ରହିଲେ । ଇନ୍ଦ୍ର ଉତ୍ତେଜିତ ହୋଇଉଠିଥିଲା, କହିଲା–ଆଜି ମୋତେ ଗୋଟିଏ ସେଥିରୁ ଦିଅନା । ତୁମର ଦୁଇ, ତିନିଟା ଅଛି । ଆଉ ମୁଁ କେତେଦିନ ହେବ ତୁମକୁ ମାଗି ଚାଲିଛି । ଏତକ କହି ସେ ଉତ୍ତର ପାଇଁ ଅପେକ୍ଷା ନକରି, ଅଭିମାନଭରା କଣ୍ଠରେ ଦୁଃଖିତ ହୋଇ ସଙ୍ଗେ ସଙ୍ଗେ କହିଉଠିଲା–ମୋତେ ତୁମେ ଯାହା କହୁଛ ମୁଁ ତାହା କରୁଛି ଆଉ ତୁମେ ମୋତେ ଆଜି, କାଲି, ପଅର ଦିନ କହି ଠକି ଚାଲିଛ । ଯଦି ନଦେବା କଥା ତେବେ ମୋତେ ସଫା ସଫା କହିଦେଉନାହ କାହିଁକି ? ମୁଁ ଆଉ ଏଣିକି ଆସିବିନାହିଁ ଯା ।

 

ଇନ୍ଦ୍ର ଦେଖିପାରିଲା ନାହିଁ କିନ୍ତୁ ମୁଁ ତା’ର ନାନୀଙ୍କ ମୁହଁକୁ ଲକ୍ଷ୍ୟ କରି ବେଶ୍‌ ଦେଖିପାରିଲି ଯେ ତାଙ୍କର ମୁହଁଟି ଅପରିସୀମ ବ୍ୟଥା ଓ ଲଜ୍ଜ୍ୟାରେ ଯେପରି କାଳିବର୍ଣ୍ଣ ହୋଇଗଲା-। କିନ୍ତୁ ପରକ୍ଷଣରେ ଜୋର କରି ସାମାନ୍ୟ ହସର ରେଖା ଶୁଖିଲା ଓଠ ଉପରକୁ ଟାଣିଆଣି କହିଲେ–କହିଲୁ ତୁ କ’ଣ ସେଇ ସାପମସ୍ତ୍ର ଏବଂ ବିଷ ପଥର ପାଇଁ କେବଳ ତୋ ନାନୀ ପାଖକୁ ଆସିଛୁ ?

 

ଇନ୍ଦ୍ର କୌଣସି ସଙ୍କୋଚ ନରଖି କହିଲା–ସେଇଆ ନୁହେଁ ତ ଆଉ କ’ଣ ? ନିନ୍ଦ୍ରିତ ଶାହାଜୀଙ୍କ ଟିକିଏ ଆଡ଼ଆଖିରେ ଚାହିଁଦେଇ କହିଲା–କେବଳ ମୋତେ ଠକୁଛନ୍ତି–ଏ ତିଥି ନୁହେଁ । ସେ ତିଥି ନୁହେଁ । ସେଇ ସେ କେତେଦିନ ତଳେ ହାତ ସଫେଇ ମନ୍ତ୍ରତକ ଶିଖାଇଥିଲେ ଯେ ଆଉ କିଛି ଶିଖାଇବାକୁ ରାଜି ନୁହଁନ୍ତି । କିନ୍ତୁ ନାନୀ, ମୁଁ ଆଜି ଜାଣିପାରିଛି ତୁ ମଧ୍ୟ କମ୍‌ ନୁହଁ । ତୁ ସବୁ ଜାଣୁ । ତାଙ୍କୁ ଆଉ ମୁଁ ଖୋସାମତ କରିବାକୁ ଚାହୁଁନାହିଁ । ତୋ ନିକଟରୁ ସମସ୍ତ ମନ୍ତ୍ର ଆଦାୟ କରିନେବି । କହି ମୋଆଡ଼କୁ ଚାହିଁ ହଠାତ୍‌ ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ି ଶାହାଜୀଙ୍କୁ ଉଦ୍ଦେଶ୍ୟ କରି ସଂଭ୍ରମର ସହିତ କହିଉଠିଲା–ଶାହାଜୀ ସିନା ଗଞ୍ଜେଇ ଫଞ୍ଜେଇ ଖାଆନ୍ତି ଶ୍ରୀକାନ୍ତ କିନ୍ତୁ ତିନିଦିନର ବାସି ମଡ଼ାକୁ ଅଧଘଣ୍ଟା ଭିତରେ ଠିଆ କରାଇଦେଇପାରନ୍ତି । ଏତେବଡ଼ ଓସ୍ତାଦ ସେ ! ହଁ ନାନୀ ତୁ କ’ଣ ମଡ଼ାକୁ ବଞ୍ଚାଇପାରିବୁ ?

 

ନାନୀ ଅନେକ ସମୟ ଧରି ନୀରବ ରହିବାପରେ ହଠାତ୍‌ ଖିଲିଖିଲି ହୋଇ ହସିଉଠିଲେ । ସେ ହସ କି ମଧୁର । ଆଜିପର୍ଯ୍ୟନ୍ତ ଏପରି ହସିଥିବାର ଲୋକଙ୍କୁ ମୁଁ କମ୍‌ ଦେଖିଛି । କିନ୍ତୁ ସେ ହସ ନିବିଡ଼ ମେଘଭରା ଆକାଶରେ ବିଦ୍ୟୁତ୍‌ର ଦୀପ୍ତି ଭଳି ପରକ୍ଷଣରେ ଅନ୍ଧକାରରେ ମିଳାଇଗଲା ।

 

ଇନ୍ଦ୍ରର କିନ୍ତୁ ସେ ଆଡ଼କୁ ଦୃଷ୍ଟିନଥିଲା । ସେ ବରଂ ହସିଦେଇ କହିଲା–ମୁଁ ଜାଣେ, ତୁ ସବୁ ଜାଣୁ । କିନ୍ତୁ ମୋତେ ଗୋଟି ଗୋଟି କରି ସବୁ ବିଦ୍ୟା ତୋତେ ଦେବାକୁ ପଡ଼ିବ । ଏକଥା ତତେ ଭଲ କରି କହିରଖୁଛି । ମୁଁ ଯେତେଦିନ ବଞ୍ଚିଥିବି ସେତେଦିନ କିନ୍ତୁ ତୋର ଗୋଲାମ ହୋଇ ରହିବି । ତୁ କେତେଟା ମଡ଼ା ବଞ୍ଚାଇଛୁ କହିଲୁ ନାନୀ ?

 

ନାନୀ କହିଲେ–ମୁଁ ତ ମଡ଼ା ବଞ୍ଚାଇବା ଆଦୌ ଶିଖିନାହିଁରେ ଇନ୍ଦ୍ରନାଥ ।

 

ଇନ୍ଦ୍ର ପ୍ରଶ୍ନକଲା–ତତେ ଏ ମନ୍ତ୍ର ଶିଖାଇନାହାନ୍ତି ଶାହାଜୀ ?

 

ନାନୀ କ୍ଷଣକ ଭିତରେ ମୁଣ୍ଡ ହଲାଇ ‘ନା’ କହିଲେ ।

 

ଇନ୍ଦ୍ର କେତେ ମିନିଟ ଧରି ତାଙ୍କ ମୁହଁକୁ ଚାହିଁ ରହି ମୁଣ୍ଡ ହଲାଇ ହଲାଇ କହିଲା–ଏ ବିଦ୍ୟା କ’ଣ ଏତେଶୀଘ୍ର କେହି ଦେବାକୁ ଚାହେଁ କି ? ଆଚ୍ଛା, କଉଡ଼ି ପେଷିବା ମନ୍ତ୍ରଟାକୁ ବୋଧହୁଏ ଶିଖିନେଇଛୁ, ନୁହେଁ ?

 

ନାନୀ କହିଲେ–କାହାକୁ କଉଡ଼ି ପେଷିବା କହନ୍ତି–ମୁଁ ତ ଜାଣିନି ଭାଇ ।

 

ଇନ୍ଦ୍ର ବିଶ୍ୱାସ କଲା ନାହିଁ । କହିଲା–ବା’ରେ ! ଜାଣ ନାହିଁ ନା ? ମୋତେ ଶିଖାଇଦେବ ନାହିଁ, ସେ କଥା କହ । ମୋ ମୁହଁକୁ ଚାହିଁ ତାପରେ କହିଲା–କଉଡ଼ି ପେଷିବା କେବେ ଦେଖିଛୁ ଶ୍ରୀକାନ୍ତ ? ଦୁଇଟି କଉଡ଼ିକୁ ମନ୍ତ୍ର କରି ଛାଡ଼ିଦେଲେ ତାହା ଉଡ଼ିଯାଇ ଯେଉଁଠାରେ ସାପ ଥାଏ, ତା’ର ମୁଣ୍ଡକୁ କାମୁଡ଼ି ଧରି ଦଶଦିନ ଭିତରେ ଗାତରୁ ଟାଣିଆଣି ହାଜର କରିଦିଏ । ଏତେ ଜୋର ସେ ମନ୍ତ୍ରର ! ଆଚ୍ଛା ନାନୀ, ଘରବନ୍ଧନ, ଦେହ ବନ୍ଧନ, ଧୂଳି ପକା, ଏସବୁ ଜାଣୁ ତ ? ଆଉ ଯଦି ନଜାଣୁ ତେବେ ଏପରି ଭାବରେ ସାପଟାକୁ ଧରିପକାଇଲୁ କିପରି ? କହି ସେ ଜିଜ୍ଞାସୁ ଦୃଷ୍ଟିରେ ନାନୀଙ୍କ ମୁହଁକୁ ଚାହିଁ ରହିଲା ।

 

ନାନୀ ଅନେକ ସମୟ ଧରି ମୁହଁ ତଳକୁ କରି କ’ଣ ଯେପରି ଚିନ୍ତା କରିବାକୁ ଲାଗିଲେ-। ଶେଷରେ ମୁହଁଟେକି ଧୀରେଧୀରେ କହିଲେ–ଇନ୍ଦ୍ରରେ ତୋ ନାନୀକୁ କଣା କଉଡ଼ିର ବିଦ୍ୟା ଜଣା ନାହିଁ । କିନ୍ତୁ କାହିଁକି ଜଣା ନାହିଁ, ସେ କଥା ତୁ ଯଦି ବିଶ୍ୱାସ କରିବୁ ଭାଇ, ତାହାହେଲେ ଆଜି ତା’ର ନିକଟରେ ସବୁ କଥାକୁ ଖୋଲି କରି କହିଦେଇ ବୁକୁର ଜ୍ୱାଳାକୁ ହାଲ୍‌କା କରିବି । କହ; ଆଜି ତୁ ମୋ କଥା ବିଶ୍ୱାସ କରିବୁ ତ ? କହୁ କହୁ କଥାର ଶେଷ ଅଂଶ କିପରି ଭାରୀ ଭାରୀ ଜଣାପଡ଼ିଲା-

 

ମୁଁ ଏତେବେଳ ପର୍ଯ୍ୟନ୍ତ କୌଣସି କଥା କହିନଥିଲି । ଏଥର ଜୋରକରି କହିଉଠିଲି–ମୁଁ ତୁମର ସବୁକଥା ବିଶ୍ୱାସ କରିବି ନାନୀ, ଯାହା ଯାହା ତୁମେ କହିବ ସମସ୍ତ । ଗୋଟିଏ କଥା ହେଲେ ଅବିଶ୍ୱାସ କରିବି ନାହିଁ ।

 

ସେ ମୋଆଡ଼କୁ ଟିକିଏ ଚାହିଁ ହସି କହିଲେ–ବିଶ୍ୱାସ ନକରିବୁ କାହିଁକି ? କାରଣ ତୁ ତ ଭଦ୍ର ଘରର ପିଲା । ଯେଉଁମାନେ ଇତର, ସେହିମାନେ ହିଁ କେବଳ ଅଜଣା ଅଚିହ୍ନା ଲୋକ କଥାକୁ ସନ୍ଦେହ କରନ୍ତି । ତା’ ଛଡ଼ା ମୁଁ ତ କେତେବେଳେ ହେଲେ ମିଛ କଥା କହିନାହିଁ ଭାଇ, ଏତକ କହି ସେ ବିଷଣ୍ଣ ମୁହଁରେ ମୋତେ ଚାହିଁଦେଇ ଟିକିଏ ହସିଦେଲେ ।

 

ସେତେବେଳକୁ ସନ୍ଧ୍ୟାର ଝାପ୍‌ସା ଅନ୍ଧାରକୁ କାଟି ଆକାଶରେ ଚାନ୍ଦ ଉଠିଆସିଥିଲା ଏବଂ ତା’ର ଅସ୍ପଷ୍ଟ କିରଣ ଧାରା ଗଛର ଗହଳିଆ ଡାଳପତ୍ର ଫାଙ୍କ ଭିତରଦେଇ ତଳର ଗଭୀର ଅନ୍ଧକାର ଉପରେ ଝରିପଡ଼ୁଥିଲା ।

 

କେତେକ ସମୟ ନୀରବ ରହିବା ପରେ ନାନୀ ହଠାତ୍‌ କହିଉଠିଲେ–ଇନ୍ଦ୍ରନାଥ, ଭାବିଥିଲି ମୋ ମନଭିତର କଥା ସବୁ ତୋତେ ଖୋଲି କରି କହିଦେବା ପାଇଁ କିନ୍ତୁ ଦେଖୁଛି ବର୍ତ୍ତମାନ ସେ ସମୟ ଆସି ନାହିଁ । ମୋର ଏଇ କଥାତକ ଆଜି ବିଶ୍ୱାସ କର ଭାଇ, ମୋର ମୂଳରୁ ଶେଷଯାଏଁ ସବୁ କେବଳ ଫାଙ୍କି । ଆଉ ତୁ ମିଥ୍ୟା ଆଶା ନେଇ ଶାହାଜୀଙ୍କ ପଛେ ପଛେ ବୁଲନା । ଆମେମାନେ ତନ୍ତ୍ରମନ୍ତ୍ର କିଛି ଜାଣିନାହୁଁ; ମଡ଼ାକୁ ବଞ୍ଚାଇ ପାରୁନାହୁଁ କିମ୍ବା କଉଡ଼ି ପେଷି ସାପକୁ ବଶକରି ପାରୁ ନାହୁଁ । ଆଉ ମଧ୍ୟ କିଏ ଏହା କରିପାରନ୍ତି ତାହା ମଧ୍ୟ ଜାଣିନାହୁଁ ।

 

କେଜାଣି କାହିଁକି ମୁଁ ଏଇ ଅଳ୍ପ ସମୟ ଭିତରେ ତାଙ୍କର ପ୍ରତ୍ୟେକ କଥାକୁ ବିଶ୍ୱାସ କରି ବସିଲି । କିନ୍ତୁ ଏତେଦିନ ଧରି ଘନିଷ୍ଠ ପରିଚୟ ଥାଇ ସୁଦ୍ଧା ଇନ୍ଦ୍ର ପାରିଲା ନାହିଁ । ସେ ରାଗିଉଠି କହିଲା–ଯଦି ନପାର ତେବେ ସାପ ଧରିଲ କିପରି ?

 

ନାନୀ କହିଲେ–ଏଇଟା କେବଳ ହାତର କୌଶଳ । କୌଣସି ମନ୍ତ୍ର ଏଥିପାଇଁ ଆବଶ୍ୟକ ନୁହେଁ । ସାପ ଧରିବା ମନ୍ତ୍ର ଆମକୁ ଜଣାନାହିଁ ।

 

ଇନ୍ଦ୍ର କହିଲା–ଯଦି ଜାଣ ନାହିଁ । ତେବେ ତୁମେ ଦୁଇଜଣ ଜୁଆଚୋରୀ କରି ମୋଠାରୁ ଏତେ ଟଙ୍କା ଠକିନେଲ କାହିଁକି ?

 

ନାନୀ ହଠାତ୍‌ କୌଣସି ଉତ୍ତର ଦେଇପାରିଲେ ନାହିଁ । ବୋଧହୁଏ ନିଜକୁ ଟିକିଏ ସମ୍ଭାଳି ନେବାକୁ ଲାଗିଲେ । ଇନ୍ଦ୍ର ପୁଣି କର୍କଶ ସ୍ୱରରେ କହିଲା–ଠକ, ଜୁଆଚୋର । ଆଚ୍ଛା ମୁଁ ତୁମମାନଙ୍କର ମଜ୍ଜା ଦେଖିନେଉଛି ।

 

ଅଳ୍ପ ଦୂରରେ ଗୋଟିଏ କିରୋସିନୀ ଡିବି ଜଳୁଥିଲା । ମୁଁ ତାରି ଆଲୋକରେ ଦେଖିପାରିଲି ନାନୀର ମୁହଁଟା ଯେପରି ମଡ଼ାଭଳି ସାଦା ହୋଇଗଲା । ଭୟ ପାଇ ସଂକୋଚର ସହିତ କହିଲା–ଆମେମାନେ ଯେ ସାପୁଆ । ଠକିବା ଯେ ଆମମାନଙ୍କର ବ୍ୟବସାୟ ଭାଇ ।

 

: ତୁମ ବ୍ୟବସାୟ ମଜ୍ଜା ବାହାର କରିଦେଉଛି । ଚାଲରେ ଶ୍ରୀକାନ୍ତ । ଏ ଜୁଆଚୋର ଠକଙ୍କର ଛାଇ ସୁଦ୍ଧା ମାଡ଼ିବା ଉଚିତ ନୁହେଁ କହି ଇନ୍ଦ୍ର ହଠାତ୍‌ ମୋ ହାତ ଧରି ଠିଆ ହୋଇପଡ଼ିଲା ଏବଂ ଦଣ୍ଡେ ବିଳମ୍ବ ନ କରି ମୋତେ ଟାଣି ଟାଣି ଘେନିଆସିଲା ।

 

ଇନ୍ଦ୍ରକୁ ଦୋଷ ଦେଇପାରିଲି ନାହିଁ କାରଣ ତା’ର ଅନେକ ଦିନର ଅନେକ ବଡ଼ ଆଶା ଏକବାରେ ଆଖିପଲକ ମାତ୍ରେ ଭସ୍ମସାତ୍‌ ହୋଇଗଲା । କିନ୍ତୁ ମୋର ଦୁଇଆଖି ନାନୀର ଦୁଇଟି ଆଖିକୁ ଏକଲୟରେ ଚାହିଁ ରହିଲା । ଜୋର କରି ଇନ୍ଦ୍ରର ହାତ ଛଡ଼ାଇନେଇ ପାଞ୍ଚଟି ଟଙ୍କା ରଖିଦେଇ କହିଲି–ତୁମ ପାଇଁ ଆଣିଥିଲି ନାନୀ । ଏଇ ନିଅ ।

 

ଇନ୍ଦ୍ର ହଠାତ୍‌ ସେ ଟଙ୍କାକୁ ଉଠାଇନେଇ କହିଲା–ପୁଣି ଟଙ୍କା ! ଜୁଆଚୋରୀ କରି ଏମାନେ ମୋଠାରୁ କେତେ ଟଙ୍କା ନେଇଛନ୍ତି ତା’ କ’ଣ ତୁ ଜାଣିଛୁ ଶ୍ରୀକାନ୍ତ ? ଏମାନେ ନ ଖାଇ ନ ପିଇ ଶୁଖି ଶୁଖି ମରନ୍ତୁ, ମୁଁ ସେତିକି ଚାହେଁ ।

 

ମୁଁ ତା’ର ହାତ ଚାପିଧରି କହିଲି–ଇନ୍ଦ୍ର ସେ ଟଙ୍କା ତୁ ମୋତେ ଦେଇଦେ । ମୁଁ ନାନୀଙ୍କ ପାଇଁ ହିଁ ଆଣିଛି ।

 

: ଓଃ–ଭାରି ନାନୀ ତ ? କହି ସେ ମୋତେ ପେଲିଦେଲା ।

 

ଏତେ ସମୟ ପରେ ଗୋଳମାଳ ହେତୁ ଶାହାଜୀଙ୍କର ନିଶାର ନିଦ ଭାଙ୍ଗିଗଲା । ସେ କ’ଣ ହେଲା, କ’ଣ ହେଲା କହି କହିଉଠି ବସିଲେ ।

 

ଇନ୍ଦ୍ର ମୋତେ ଛାଡ଼ିଦେଇ ତାଙ୍କ ପାଖକୁ ଚାଲିଆସି କହିଲା–ଡାକୁ, ଶଳା, ରାସ୍ତାରେ ତୋତେ ଯଦି ଦେଖିବିନା ଚାବୁକ ମାରି ଚମଡ଼ା ଉତ୍ତାରିଦେବି । କ’ଣ ହେଲା ? ସତେଯେପରି କିଛି ଜାଣେ ନାହିଁ । କହି ବୁଲୁଛି କ’ଣ ନା ମଲା ମଣିଷ ମୁଁ ବଞ୍ଚାଇଦିଏ । ଏଣିକି ତୋତେ ଦେଖିଲେ ଭଲ କରି ବଞ୍ଚାଇଦେବି । କହି ସେ ଏପରି ଗୋଟାଏ ଅଶ୍ଳୀଳ ଇଙ୍ଗିତ ଦେଲା ଯେଉଁଥିରେ କି ଶାହାଜୀ ଚମକିଉଠିଲେ ।

 

ଏକରେ ଶାହାଜୀଙ୍କର ନିଶା ଜୋର । ପୁଣି ଏପରି ଅଭାବନୀୟ କାଣ୍ଡ । ଯାହାକୁ ସାଧୁ ଭାଷାରେ କହନ୍ତି ‘‘କିଂକର୍ତ୍ତବ୍ୟବିମୂଢ଼’’ ହୋଇ ବସି ରହିବା ଠିକ୍‌ ସେହିପରି ବଲ ବଲ ହୋଇ ଚାହିଁ ବସି ରହିଲେ ।

 

ଇନ୍ଦ୍ର ଯେତେବେଳେ ମୋତେ ସଙ୍ଗରେ ଧରି ଦ୍ୱାର ନିକଟରେ ପହଞ୍ଚିଲା, ସେତେବେଳେ ସେ ବୋଧହୁଏ କେତେକ ପରିମାଣରେ ପ୍ରକୃତିସ୍ଥ ହୋଇ ପରିଷ୍କାର ବଙ୍ଗଳା ଭାଷାରେ ଡାକି କହିଲେ–ଶୁଣ ଇନ୍ଦ୍ର । କ’ଣ ହୋଇଛି କହତ । ମୁଁ ତାଙ୍କୁ ଏଇ ପ୍ରଥମଥର ପାଇଁ ବଙ୍ଗଳା କହିବାର ଶୁଣିଲି ।

 

ଇନ୍ଦ୍ର ଫେରିଆସି କହିଲା–ତୁମେ ତ କିଛି ଜାଣ ନାହିଁ । କାହିଁକି ମୋତେ ମିଛଟାରେ ଏତେଦିନ ଧରି ଠକିକରି ଟଙ୍କା ନେଇଯାଉଥିଲ ? କ’ଣ ଉତ୍ତର ଦିଅ ?

 

ସେ କହିଲେ–ଜାଣିନି ବୋଲି ତତେ କିଏ କହିଲା ?

 

ଇନ୍ଦ୍ର ତତ୍‌କ୍ଷଣାତ୍‌ ସେହି ନତମୁଖୀ, ନାନୀଆଡ଼କୁ ହାତ ବଢ଼ାଇ କହିଲା–ଏଇ କହିଲେ ଯେ ତୁମଠାରେ କଣା କଉଡ଼ିଟାକର ବିଦ୍ୟା ନାହିଁ । ଆଉ ଯେଉ: ବିଦ୍ୟା ଅଛି ତାହା କେବଳ ଲୋକମାନଙ୍କୁ ଠକି ଜୁଆଚୋରୀ କରିବା ପାଇଁ ! ଯେହେତୁ ଏହା ହେଉଛି ତୁମମାନଙ୍କର ବ୍ୟବସାୟ । ଜୁଆଚୋର ମିଥ୍ୟାବାଦୀ ।

 

ଶାହାଜୀଙ୍କର ଆଖିଦୁଇଟା ଧକ୍‌ କରି ଜଳିଉଠିଲା । ସେ ଯେ କି ଭୀଷଣ ପ୍ରକୃତିର ଲୋକ ସେତେବେଳ ପର୍ଯ୍ୟନ୍ତ ଜାଣିନଥିଲି । କେବଳ ତାଙ୍କର ସେହି ଆଖିର ଦୃଷ୍ଟି ଯେପରି ମୋ ଦେହରେ କଣ୍ଟା ଫୋଡ଼ିଦେଲା । ସେ ତାଙ୍କର ଆଲୁରୁ ବାଲୁରୁ ଜଟାକୁ ସଜାଡ଼ୁ ସଜାଡ଼ୁ ଆସି ନାନୀଙ୍କ ଆଗରେ ଠିଆହୋଇ ଧମକାଇ କହିଲେ–ତୁ କହିଲୁ ?

 

ନାନୀ ସେହିପରି ମୁହଁ ତଳକୁ କରି ନୀରବରେ ବସି ରହିଲେ । ଇନ୍ଦ୍ର ମୋତେ ଗୋଟାଏ ଠେଲା ମାରି କହିଲା–ରାତି ହେଉଛି । ଚାଲନା । ରାତି ହେଉଛି ସତ କିନ୍ତୁ ମୋ ପାଦ ଯେ ଏକ ପାହୁଣ୍ଡ ମଧ୍ୟ ଟଳୁ ନାହିଁ । କିନ୍ତୁ ଇନ୍ଦ୍ର ସେ ଆଡ଼କୁ ଆଦୌ ଭ୍ରୂକ୍ଷେପ କଲା ନାହିଁ । ମୋତେ ପ୍ରାୟ ଜୋର କରି ଟାଣିନେଇ ଚାଲିଆସିଲା ।

 

କେତେ ପାଦ ଅଗ୍ରସର ହୋଇଛି ଏଇ ସମୟରେ ଶାହାଜୀଙ୍କର କଣ୍ଠସ୍ୱର କାନରେ ପଡ଼ିଲା–କାହିଁକି କହିଲୁ ?

 

ପ୍ରଶ୍ନ ଶୁଣିଲି ସତ । କିନ୍ତୁ ପ୍ରତ୍ୟୁତ୍ତର ଶୁଣିପାରିଲି ନାହିଁ । ଆମେ ଦୁହେଁ ଆଉ କେଇପାଦ ଅଗ୍ରସର ହୋଇଛୁ ଅକସ୍ମାତ ସେହି ନିବିଡ଼ ଅନ୍ଧକାର ବୁକୁଚିରି ଗୋଟାଏ ଆର୍ତ୍ତସ୍ୱର ତୀର ଭଳି ଛୁଟିଆସି ଆମ କାନରେ ବାଜିଲା ଏବଂ ପଲକ ମାତ୍ରେ ଇନ୍ଦ୍ର ସେହି କରୁଣ ସ୍ୱରକୁ ଅନୁସରଣ କରି ଅନ୍ତର୍ଦ୍ଧାନ ହୋଇଗଲା । କିନ୍ତୁ ମୋର ଭାଗ୍ୟରେ ଅନ୍ୟ ପ୍ରକାରରେ ଘଟିଲା । ମୋ ଆଗରେ ଗୋଟାଏ ବଡ଼ ଜଙ୍ଗଲ ଥିଲା । ମୁଁ ଜୋରରେ ଛଟିକି ଯାଇ ସେ ଜଙ୍ଗଲ ଉପରେ ପଡ଼ିଗଲି । କଣ୍ଟାରେ ମୋର ସର୍ବାଙ୍ଗ କ୍ଷତବିକ୍ଷତ ହୋଇଗଲା । ସେ ଯାହାହେଉ ନିଜକୁ ମୁକ୍ତ କରିବା ପାଇଁ ମୋତେ ଦଶ ମିନିଟ ସମୟ ଲାଗିଗଲା । ଏପାଖରୁ କଣ୍ଟା ଛଡ଼ାଇଲାବେଳେ ସେ ପାଖରେ ଲାଗି ଯାଉଥାଏ । ସେ ପାଖରୁ ଛଡ଼ାଇଲାବେଳେ ଏପାଖରେ ଲାଗି ଯାଉଥାଏ । ଏହିପରି ଭାବରେ ଅନେକ କଷ୍ଟରେ ଲୁଗାକୁ କଣ୍ଟା ଦେହରୁ ମୁକ୍ତ କରି ମୋତେ ଯାଇ ଶାହାଜୀଙ୍କର ଅଗଣାରେ ପହଞ୍ଚିବାକୁ ହେଲା । ସେତେବେଳେ ପହଞ୍ଚି ଦେଖିଲି ଅଗଣାର ଗୋଟିଏ କଣରେ ନାନୀ ମୂର୍ଚ୍ଛିତା ହୋଇପଡ଼ିଛନ୍ତି ଏବଂ ଆଉ ଗୋଟିଏ କଣରେ ଗୁରୁ ଶିଷ୍ୟ ଭିତରେ ରୀତିମତ୍‌ ଗୋଟାଏ ମଲ୍ଲଯୁଦ୍ଧ ଆରମ୍ଭ ହୋଇଯାଇଛି । ପାଖରେ ଗୋଟିଏ ଧାରୁଆ ବର୍ଚ୍ଛା ପଡ଼ି ରହିଛି ।

 

ଶାହାଜୀ ଅତ୍ୟନ୍ତ ବଳବାନ । କିନ୍ତୁ ଇନ୍ଦ୍ର ଯେ ତାଙ୍କଠାରୁ କେତେ ବଳଶାଳୀ ଏ ଖବର ବୋଧହୁଏ ତାଙ୍କୁ ଜଣାନଥିଲା । ଜଣାଥିଲେ ସେ ସମ୍ଭବତଃ ଏତେବଡ଼ ଦୁଃସାହସର ପରିଚୟ ଦେବାକୁ ଚେଷ୍ଟା କରିନଥାନ୍ତେ । ଦେଖୁ ଦେଖୁ ଇନ୍ଦ୍ର ତାଙ୍କୁ ଚିତ୍‌ କରି ଓଲଟାଇଦେଇ ତାଙ୍କ ଛାତିଉପରେ ବସିପଡ଼ି ଗଳା ଚିପିବାକୁ ଆରମ୍ଭ କଲା । ସେ ଏପରି ଭାବରେ ଚିପିବାକୁ ଲାଗିଲା ଯେ ଯଦି ମୁଁ ହୁଏତ ବାଧା ଦେଇନଥାନ୍ତି ତେବେ ଶାହାଜୀଙ୍କୁ କେହି ବଞ୍ଚାଇ ପାରିନଥାନ୍ତେ ।

 

ଅନେକ ଟଣା ଭିଡ଼ା ପରେ ଯେତେବେଳେ ଉଭୟଙ୍କୁ ଅଲଗା କରିଦେଲି ସେତେବେଳେ ଇନ୍ଦ୍ରର ଅବସ୍ଥା ଦେଖି ଭୟରେ ମୁଁ କାନ୍ଦିପକାଇଲି । ଅନ୍ଧକାରରେ ମୁଁ ପ୍ରଥମେ ଦେଖିପାରିନଥିଲି ଯେ ତା’ର ଲୁଗା କୁର୍ତ୍ତା ସବୁ ରକ୍ତରେ ଜୁଡ଼ୁ ସୁଡ଼ୁ ହୋଇଯାଇଛି ବୋଲି । ଇନ୍ଦ୍ର ଧଇଁସଇଁ ହୋଇ କହିଲା–ଶଳା ଗଞ୍ଜୋଡ଼, ମୋତେ ସାପ ମରା ବର୍ଚ୍ଛାଦ୍ୱାରା ମାରିଛି ଏଇ ଦେଖ୍‌ । କୁର୍ତ୍ତାଟା ଖୋଲି ଦେଖାଇଦେଲା । ଦେଖିଲି, ତା’ ବାହୁରେ ପ୍ରାୟ ଦୁଇ, ତିନି ଇଞ୍ଚର ଗୋଟାଏ କ୍ଷତ ଏବଂ ସେଥିରୁ ଅଜସ୍ର ରକ୍ତ ଧାର ଧାର ହୋଇ ବହିଚାଲିଛି ।

 

ଇନ୍ଦ୍ର କହିଲା–କାନ୍ଦ୍‌ନାରେ । ନେ, ଏଇ କନାଟା ନେଇ ମୋ ବାହୁରେ ଜୋର କରି ବାନ୍ଧିଦେ । ହଁ ଖବରଦାର; ଏଇପରି ବସି ରହି । ଯଦି ଉଠିବୁ ନା ଶଳାର ତଣ୍ଟିରେ ପାଦଦେଇ ଜିଭକୁ ଟାଣି ଛିଣ୍ଡାଇଦେବି । ହାରାମଜାଦା । ନେ ଶ୍ରୀକାନ୍ତ ତୁ ବାନ୍ଧ–ଡେରି କରନାହିଁ । କହି ସେ ଭଡ଼୍‌ କରି ତା’ ପିନ୍ଧାଲୁଗାର କୁଞ୍ଚକୁ ଟାଣିଦେଇ ଖଣ୍ଡିଏ କନା ମୋ ହାତକୁ ବଢ଼ାଇଦେଲା । ମୁଁ କମ୍ପିତ ହାତରେ କ୍ଷତଟାକୁ ବାନ୍ଧିବାକୁ ଲାଗିଲି ଏବଂ ଶାହାଜୀ ଅଳ୍ପ ଦୂରରେ ବସି ମୁମୂର୍ଷୁ ବିଷାକ୍ତ ସାପର ଆଖିପରି ନୀରବରେ ଦେଖିବାକୁ ଲାଗିଲା ।

 

ଇନ୍ଦ୍ର କହିଲା–ନା, ତତେ ବିଶ୍ୱାସ ନାହିଁ । ଦରକାର ପଡ଼ିଲେ ତୁ ଖୁନ୍‌ କରିଦେଇପାରୁ । ମୁଁ ତୋର ହାତ ଦୁଇଟା ଆଗ ବାନ୍ଧିପକାଏ, ଏତକ କହି ତା’ର ଗେରୁଆ ରଙ୍ଗର ପଗଡ଼ିକୁ ଟାଣିନେଇ ତାଙ୍କର ଦୁଇହାତକୁ ବାନ୍ଧି ପକାଇଲା । ସେ ବାଧାଦେଲେ ନାହିଁ, ପ୍ରତିବାଦ କଲେ ନାହିଁ-। ପଦେହେଲେ କଥା ମଧ୍ୟ କହିଲେ ନାହିଁ ।

 

ଯେଉଁ ଲାଠିମାଡ଼ରେ ନାନୀ ମୂର୍ଚ୍ଛା ହୋଇଯାଇଥିଲା । ତାକୁ ତଳୁ ଗୋଟାଇ କାନ୍ଥରେ ଡେରି ରଖୁ ରଖୁ ଇନ୍ଦ୍ର କହିଲା–ଶଳା, କି ନିମକହାରାମ ଏଇଟା । ବାପାଙ୍କଠାରୁ କେତେ ପଇସା ଚୋରି କରି ଏଇଟାକୁ ନ ଦେଇଛି ? ହୁଏତ ଆହୁରି କେତେ ମଧ୍ୟ ଦେବାକୁ ପଡ଼ିଥାନ୍ତା । ବୋଧହୁଏ ସେଥିପାଇଁ ସୁରୁଖୁରୁରେ ଫାର୍ସାଟା ମୋତେ ଫିଙ୍ଗିପାରିଲା । ନାନୀ ମୋତେ ତା’ ମୁଣ୍ଡ ଛୁଆଇଁ ନିୟମ କରି କହିଲା ବୋଲି ସିନା ! ତୁ ଶ୍ରୀକାନ୍ତ ଏଇଟାକୁ ଦେଖୁଥା । ମୁଁ ଯାଉଛି ପାଣି ଛାଟି ଆଗ ନାନୀର ଚେତା ଫେରାଏ ।

 

ମୁହଁରେ ପାଣି ଛିଞ୍ଚି ନାନୀକୁ ବିଞ୍ଚୁ ବିଞ୍ଚୁ ଇନ୍ଦ୍ର କହିଲା–ଯେଉଁଦିନ ନାନୀ କହିଲା ଯେ ଇନ୍ଦ୍ର ତୋ ରୋଜଗାର ଟଙ୍କା ହୋଇଥିଲେ ନେଇଥାନ୍ତି କିନ୍ତୁ ଏହାକୁ ନେଇ ମୋର ଇହକାଳ ପରକାଳ ନଷ୍ଟ କରିବି କାହିଁକି ? ସେଦିନ କ’ଣ ଏଇ ସଇତାନ ଲୋକଟା ନାନୀଙ୍କୁ କମ୍‌ ମାରିଛି ? ତଥାପି ନାନୀ ତାକୁ କାଠ ବିକ୍ରି କରି ଖାଇବାକୁ ଦେଇ ବଞ୍ଚାଇଛି ଏବଂ ପିଇବାକୁ ଗଞ୍ଜାଇ ଯୋଗାଇଦେଇଛି । ଏତେ କରି ସୁଦ୍ଧା ଏ ସଇତାନ ସନ୍ତୁଷ୍ଟ ନୁହେଁ । କିନ୍ତୁ ମୁଁ ଆଜି ଏହାକୁ ପୁଲିସ ହାତରେ ଧରାଇଦେଇ ତା’ପରେ ଯାଇ ଛାଡ଼ିବି । ତାହା ନହେଲେ ଏ ନାନୀକୁ ଖୁନ୍‌; ହଁ, ହଁ, ଖୁନ୍‌ କରିପକାଇବ ।

 

ମୋତେ କିପରି ଲାଗିଲା ଯେପରି ଲୋକଟା ଏଇ କଥା ଶୁଣି ଶିହରିଉଠି ମୁହଁକୁ ଟେକି ପୁଣି ତଳକୁ କରି ବସିଲା । ସେ କେବଳ ମୁହୂର୍ତ୍ତକ ପାଇଁ । କିନ୍ତୁ ଅପରାଧୀର ଭୟ ତା’ ମୁହଁରେ ଏପରି ପରିସ୍ଫୁଟ ହୋଇପଡ଼ିଥିଲା ଯେ ଏବେ ସୁଦ୍ଧା ତା’ର ସେତେବେଳକାର ଚେହେରାଟା ମୋ ଆଖିଆଗରେ ନାଚିଉଠୁଛି ।

 

ମୁଁ ଭଲକରି ଜାଣେ, ଏଇ ଯେଉଁ କାହାଣୀ ଆଜି ମୁଁ ଲିପିବଦ୍ଧ କଲି ତାହାକୁ ସତ୍ୟ ବୋଲି ଗ୍ରହଣ କରିବାକୁ ଲୋକମାନେ ଦ୍ୱିଧା ଅନୁଭବ କରିପାରନ୍ତି କିନ୍ତୁ ଉଦ୍ଭଟ କଳ୍ପନା ବୋଲି କଦାପି କହି ନ ପାରନ୍ତି । ତଥାପି ଏତେ କଥା ଜାଣୁ ସୁଦ୍ଧା ମୁଁ ଯେ କଥା ଲେଖି ବସିଲି ଯେହେତୁ ଏ ହେଉଛି ପ୍ରକୃତ ଅଭିଜ୍ଞତା ଲବ୍‌ଧ ସତ୍ୟ କଥା । କାରଣ ସତ୍ୟ ଉପରେ ଆସ୍ଥା ନଥିଲା କୌଣସି ପ୍ରକାରରେ ଏଇସବୁ କଥା ମୁହଁରୁ ବାହାରିପାରିବ ନାହିଁ । ପ୍ରତି ପଦେ ପଦେ ହୁଏତ ଭୟ ହୋଇଥାନ୍ତା ଯେ ଲୋକେ ମୋ କଥାକୁ ହସି ଉଡ଼ାଇଦେବେ ନାହିଁ ତ ? ଜଗତରେ ବାସ୍ତବ ଘଟଣା ଯେ କଳ୍ପନାକୁ ବହୁଦୂର ପର୍ଯ୍ୟନ୍ତ ଅତିକ୍ରମ କରିଯାଏ ଏ କୈଫିୟତ ନିଜଆଡ଼ୁ କହି କିଛି ଲାଭ ନାହିଁ, ବରଞ୍ଚ ହାତର କଲମଟା ଏହାର ପ୍ରକୃଷ୍ଟ ପରିଚୟ ଦିଏ ।

 

ଥାଉ ସେ କଥା ସେତିକିରେ । ନାନୀ ଯେତେବେଳେ ଆଖିଖୋଲି ଉଠିବସିଲେ । ସେତେବେଳକୁ ରାତି ବୋଧହୁଏ ଦି’ଘଡ଼ି ହେବ । ତାଙ୍କର ବିହ୍ୱଳଭାବକୁ ଘୁଞ୍ଚାଇବା ପାଇଁ ଆହୁରି ଘଣ୍ଟାଏ ସମୟ ଲାଗିଗଲା । ତାପରେ ଆମ ମୁହଁରୁ ସବୁ ଘଟଣା ଶୁଣିବାପରେ ଆସ୍ତେଆସ୍ତେ ସେ ଉଠିଯାଇ ଶାହାଜୀଙ୍କର ହାତରୁ ବନ୍ଧନ ଖୋଲିଦେଇ କହିଲେ–ଯାଅ, ଶୋଇବ ଯାଅ ।

 

ଲୋକଟା ଘର ଭିତରକୁ ଚାଲିଯିବା ପରେ ସେ ଇନ୍ଦ୍ରକୁ ପାଖକୁ ଡାକି ତା’ର ଡାହାଣ ହାତକୁ ନିଜର ମୁଣ୍ଡ ଉପରକୁ ଟାଣିନେଇ କହିଲେ–ଇନ୍ଦ୍ର । ଏଇ ମୋ ମୁଣ୍ଡଛୁଇଁ ନିୟମ କର ଭାଇ ଆଉ କେବେ ଏ ଘରକୁ ଆସିବୁ ନାହିଁ । ଆମର ଯାହା ହେବାର ହେବ ପଛେ କିନ୍ତୁ ତୁ ଆଉ ଆମର କୌଣସି ଖୋଜ ଖବର ରଖିବୁ ନାହିଁ ।

 

ଇନ୍ଦ୍ର ପ୍ରଥମେ ଟିକିଏ ବିସ୍ମିତ ହୋଇଉଠିଲା, ତାପରେ ନିଆଁରେ ଘିଅ ପଡ଼ିଲା ପରି ରାଗରେ ଜଳିଉଠି କହିଲା–ତା’ ଅବଶ୍ୟ ସତ । ସେ ମୋତେ ଯେ ଖୁନ୍‌ କରିବାକୁ ଯାଉଥିଲା ସେ ଘଟଣାଟା କିଛି ନୁହେଁ, ମୁଁ ଯେ ତାକୁ ବାନ୍ଧି ରଖିଥିଲି ସେଇଟା ମୋର ଦୋଷ ଆଉ ସେଥିପାଇଁ ତୋ ମନରେ ଏତେ ରାଗ । ଏଥିପାଇଁ ସିନା ଯୁଗକୁ କଳିଯୁଗ କହୁଛନ୍ତି । କିନ୍ତୁ ତୁମେ ଦୁହେଁ ଯେ କେତେଦୂର ନିମକହାରାମ ସେ କଥା ମୁଁ ଭାବିପାରୁନି । ଆ’ରେ ଶ୍ରୀକାନ୍ତ–ଆଉ ଏଠାରେ ମୁହୂର୍ତ୍ତକ ପାଇଁ ନୁହେଁ ।

 

ନାନୀ ନୀରବରେ ଠିଆହୋଇ ରହିଲେ । ପଦେ ମାତ୍ର ଅଭିଯୋଗ କିମ୍ୱା ପ୍ରତିବାଦ ସୁଦ୍ଧା କଲେ ନାହିଁ । କାହିଁକି ଯେ ସେ କିଛି କହିଲେ ନାହିଁ ସେ କଥା ପରେ ଯେତେ ବୁଝିପାରିଥିଲେ ସୁଦ୍ଧା ସେତେବେଳେ ଆଦୌ ବୁଝିପାରିନଥିଲି । ତଥାପି ମୁଁ ସେଇ ପାଞ୍ଚଟି ଟଙ୍କା ଦୁଆରବନ୍ଧ ଉପରେ ରଖିଦେଇ ଇନ୍ଦ୍ରକୁ ଅନୁସରଣ କଲି । ଇନ୍ଦ୍ର ଅଗଣା ବାହାରକୁ ଚାଲିଆସି ଚିତ୍କାର କରି କହିଲା–ହିନ୍ଦୁର ଝିଅ ହୋଇ ଯିଏ ମୁସଲମାନ ସଙ୍ଗେ ବାହାରିଆସେ ତା’ର ପୁଣି ଗୋଟାଏ ଧର୍ମ କର୍ମ କ’ଣ ? ସେ ମଲେ କେତେ ଥିଲେ କେତେ ? ଆଉ ମୁଁ କାହାର ଖୋଜ ଖବର ନେବି ନାହିଁ....କହି ତରତର ହୋଇ ବନପଥରେ ଅଗ୍ରସର ହେବାକୁ ଲାଗିଲା ।

 

ଦୁଇଜଣଯାକ ଆସି ଡଙ୍ଗାରେ ବସିଲୁ । ଇନ୍ଦ୍ର ଚୁପ୍‌ଚାପ ହୋଇ ଡଙ୍ଗା ବାହିବାକୁ ଲାଗିଲା ଏବଂ ମଝିରେ ମଝିରେ ହାତରେ ଆଖି ପୋଛିବାକୁ ଲାଗିଲା । ସେ ଯେ କାନ୍ଦିବାରେ ଲାଗିଛି, ତାହା ଭଲକରି ବୁଝିପାରି ଆଉ କୌଣସି ପ୍ରଶ୍ନ କରିବାକୁ ଉଚିତ୍‌ ମନେକଲି ନାହିଁ ।

 

ଶ୍ମଶାନର ସେଇ ବାଟଦେଇ ଫେରିଆସିଲି ଏବଂ ସେହି ବାଟଦେଇ ବର୍ତ୍ତମାନ ମଧ୍ୟ ଯାଉଛି; କିନ୍ତୁ କାହିଁକି ଜାଣେ ନାହିଁ ମୋ ମନରେ ଭୟର ସଞ୍ଚାର ମଧ୍ୟ ହେଲା ନାହିଁ । ବୋଧହୁଏ ମୋ ମନ ଏପରି ଭାବରେ ବିହ୍ୱଳିତ ହୋଇଯାଇଥିଲା ଯେ ଏତେ ରାତିରେ କିପରି ଭାବରେ ଯାଇ ଘରେ ପହଞ୍ଚିବି ଏବଂ ପହଞ୍ଚିଲେ ମଧ୍ୟ ମୋର ଦଶା କ’ଣ ଯେ ନ ହେବ ସେ ଚିନ୍ତା ମଧ୍ୟ ମନରେ ସ୍ଥାନ ପାଇଲା ନାହିଁ ।

 

ପ୍ରାୟ ରାତିର ଶେଷ ପହରରୁ ଡଙ୍ଗା ଆସି ଘାଟରେ ଲାଗିଲା । ମୋତେ ଡଙ୍ଗାରୁ ଓହ୍ଲାଇଦେଇ ଇନ୍ଦ୍ର କହିଲା–ତୁ, ଘରକୁ ଯାଆ । ତୁଟା ପ୍ରକୃତରେ ବଡ଼ ଅମଙ୍ଗୁଳିଆ । ତୋତେ ସଙ୍ଗରେ ନେଇ ଯୁଆଡ଼େ ଗଲେ କିଛି ନା କିଛି ବିପଦ ଘଟିବ । ଆଜିଠାରୁ ତୋତେ ମୁଁ ଆଉ କୌଣସି କାମରେ ଗଲେ ନେବି ନାହିଁ । ତୁ ମଧ୍ୟ ଆଉ ମୋ ପାଖକୁ ଆସିବୁ ନାହିଁ । ଯା–ଚାଲିଯାଆ କହି ସେ ଗଭୀର ଜଳସ୍ରୋତରେ ଡଙ୍ଗାକୁ ଠେଲିଦେଇ ଅଦୃଶ୍ୟ ହୋଇଗଲା । ମୁଁ ବିସ୍ମିତ ବ୍ୟଥିତ ଏବଂ ସ୍ତବ୍‌ଧ ଭାବରେ ପଦୀ ତୀରରେ ଏକାକୀ ଠିଆହୋଇ ରହିଲି ।

 

ନିସ୍ତବ୍‌ଧ ଗଭୀର ରାତ୍ରିରେ ମାଆ–ଗଙ୍ଗା । ଉପକୂଳରେ ଇନ୍ଦ୍ର ଯେପରି ଭାବରେ ମୋତେ ବିନା କାରଣରେ ଏକାକୀ ଛାଡ଼ିଦେଇ ଚାଲିଗଲା ସେତେବେଳେ ମୁଁ ନ କାନ୍ଦି ଆଉ ରହିପାରିଲି ନାହିଁ । ତାକୁ ଯେ ମୁଁ ଏତେ ଭଲପାଇ ବସିଥିଲି ଅଥଚ ସେଇ ଭଲପାଇବାରେ ଉଚିତ ମୂଲ୍ୟ ସେ ରଖିପାରିଲା ନାହିଁ । ପର ଘରେ ରହି ଯେଉଁ କଠିନ ଶାସନ ଶୃଙ୍ଖଳାକୁ ଉପେକ୍ଷାକରି ମୁଁ ତା’ ସଙ୍ଗରେ ଯାଇଥିଲି ତାହାର ଏତେ ଟିକିଏ ମର୍ଯ୍ୟାଦା ମଧ୍ୟ ରଖିଲା ନାହିଁ ବରଂ ନିହାତ ଅମଙ୍ଗୁଳିଆ, ଅକର୍ମଣ୍ୟ, ଅଯୋଗ୍ୟ କହି ଏକାନ୍ତ ଅସହାୟ ଅବସ୍ଥାରେ ମୋତେ ବିଦା କରିଦେଇ ସ୍ୱଚ୍ଛନ୍ଦରେ ଚାଲିଗଲା । ତା’ର ଏଇ ନିଷ୍ଠୁରତା ଯେ ମୋତେ କେତେ ବ୍ୟଥା ଦେଇଥିଲା, ତାହା କହିବା ବାହୁଲ୍ୟ ମାତ୍ର । ତାପରେ ଅନେକଦିନ ପର୍ଯ୍ୟନ୍ତ ସେ ମୋର ଖୋଜଖବର ରଖିଲା ନାହିଁ କି ମୁଁ ମଧ୍ୟ ତା’ର ଠିକଣା ଜାଣିବାକୁ ଇଚ୍ଛାକଲି ନାହିଁ । ଦୈବାତ୍‌ ଯଦି ରାସ୍ତାଘାଟରେ କେବେ କିମିତି ଦେଖାହୋଇଯାଏ, ମୁଁ ଏପରି ଭାବରେ ମୁହଁ ବୁଲାଇ ଚାଲିଯାଏ ସତେଯେପରି ତାକୁ ମୁଁ ଆଦୌ ଦେଖିପାରିନାହିଁ: । କିନ୍ତୁ ମୋର ଏଇ ‘‘ଯେପରିଟା’’ ମୋତେ ଦିନସାରା ଜାଳିପୋଡ଼ି ମାରୁଥିଲା । ପିଲାମାନଙ୍କ ଭିତରେ ସେ ଲିଡ଼ର । ଫୁଟବଲ, କ୍ରିକେଟ ମ୍ୟାଚରେ ସେ କର୍ତ୍ତା । ଆଖଡ଼ା ଘରେ ସେ ଓସ୍ତାଦ୍‌ । ତାହାର କେତେ ଅନୁଚର । କେତେ ଭକ୍ତ । ମୁଁ ତ ତା’ ତୁଳନାରେ କିଛି ନୁହେଁ । ତେବେ କେଉଁ କାରଣରୁ ସେ ଦୁଇଦିନର ପରିଚୟ ପରେ ମୋତେ ବନ୍ଧୁ ବୋଲି ଗ୍ରହଣ କରିନେଇଥିଲା । କାହିଁକି ଅବା ତ୍ୟାଗ କରି ଚାଲିଗଲା ? ସେ ଯେତେବେଳେ ମୋତେ ତ୍ୟାଗ କରିଗଲା ସେତେବେଳେ ମୁଁ ତାକୁ କାହିଁକି ଅବା ବାନ୍ଧି ରଖିପାରିଲି ନାହିଁ ? ମୋର ମନେପଡ଼େ ଯେତେବେଳେ ସାଙ୍ଗ ସାଥୀମାନେ ଇନ୍ଦ୍ର ସମ୍ୱନ୍ଧରେ ନାନାପ୍ରକାର ଅଦ୍ଭୁତ ଗଳ୍ପ କହିବା ଆରମ୍ଭ କରିଦିଅନ୍ତି ସେତେବେଳେ ମୁଁ ଚୁପ୍‍ଚାପ୍‌ ହୋଇ ଶୁଣେ । କଥା ଲହସରେ କେତେବେଳେ କହିପକାଏ ନାହିଁ ଯେ ସେ ମୋତେ ଚିହ୍ନେ, କିମ୍ୱା ତା’ ବିଷୟରେ ମୁଁ ଅନେକ କିଛି ଜାଣେ ବୋଲି । ସେହି ବୟସରେ ମୁଁ କିପରି ଜାଣିପାରିଥିଲି ଯେ ଛୋଟ ଓ ବଡ଼ ଭିତରେ ବନ୍ଧୁତ୍ୱର ପରିଣତି ଏୟା ହିଁ ହୋଇଥାଏ । ବୋଧହୁଏ ପରବର୍ତ୍ତୀ ଜୀବନରେ ବହୁତ ବଡ଼ବଡ଼ ବନ୍ଧୁଙ୍କ ସଂସ୍ପର୍ଶରେ ଆସିବି ବୋଲି ଭଗବାନ ମୋତେ ଦୟାକରି ଏଇ ଜ୍ଞାନତକ ଦେଇଥିଲେ ଯେକୌଣସି ଦିନ ଯେପରି କୌଣସି କାରଣରୁ ହେଉନା କାହିଁକି, କୌଣସିଠାରେ ଅବସ୍ଥାକୁ ଛାଡ଼ି ବନ୍ଧୁତ୍ୱର ମୂଲ୍ୟାୟନ ମୁଁ କରି ନ ବସେ । କରିବସିଲେ ଦେଖୁ ଦେଖୁ ବନ୍ଧୁ ପ୍ରଭୁ ହୋଇ ଠିଆହୁଏ ଏବଂ ଆଦରର ବନ୍ଧୁତ୍ୱ ଫାଶ ଦାସତ୍ୱର ବେଡ଼ିହୋଇ ‘ଛୋଟ’ ପାଦରେ ବାଜେ । ଏଇ ଦିବ୍ୟ ଜ୍ଞାନତକ ଏତେ ସହଜରେ ଏପରି ନିଚ୍ଛକ ଭାବରେ ଶିଖିପାରିଥିଲି ବୋଲି ଚିରଦିନ ପାଇଁ ଲାଞ୍ଛନା ହାତରୁ ନିସ୍ତାର ପାଇପାରିଛି ।

 

ତିନି ଚାରିଦିନ କଟିଯାଇଛି । ଉଭୟ ଉଭୟଙ୍କୁ ତ୍ୟାଗ କରି ବସିଛୁ । ସେହି ବେଦନା ଦୁଇଜଣଙ୍କ ପକ୍ଷରେ ନିଦାରୁଣ ହେଲେ ମଧ୍ୟ କେହି କାହାର ଖୋଜ ଖବର ରଖିବାକୁ ଚେଷ୍ଟା କରିନାହୁଁ ।

 

ଦତ୍ତ ମହାଶୟଙ୍କ ଘରେ କାଳିପୂଜା ଉପଲକ୍ଷେ, ଗାଆଁର ପିଲାମାନେ ଥିଏଟର କରିବାପାଇଁ ଷ୍ଟେଜ ବନ୍ଧା ସରିଥାଏ । ‘‘ମେଘନାଦ ବଧ’’ ନାଟକ ଅଭିନୀତ ହେବ । ଏହାପୂର୍ବରୁ ମୁଁ ଯାତ୍ରା ଅନେକ ଦେଖିଛି; କିନ୍ତୁ ମଫସଲ ଗାଆଁରେ ଥିଏଟର ବେଶୀ ଦେଖିନଥିଲି । ଦିନସାରା ମୋର ଗାଧୁଆପାଧୁଆ ଖିଆପିଆ ନଥାଏ । ବିଶ୍ରାମ ନେବାକୁ ଫୁରସତ ନଥାଏ । ଷ୍ଟେଜ ବାନ୍ଧିବାରେ ସାହାଯ୍ୟ କରିବାକୁ ଯାଇ ନିଜକୁ କିପରି କୃତାର୍ଥ ମନେକରୁଥାଏ । କେବଳ ସେତିକି ନୁହେଁ । ଯିଏ ରାମ ପାର୍ଟ୍ ନେବେ ସେଦିନ ସେ ମୋତେ ଗୋଟେ ଦଉଡ଼ି ଧରିବାକୁ କହିଥିଲେ । ତେଣୁ ଆଶାକରିଥିଲି ଯେ ରାତ୍ରିରେ ଯେତେବେଳେ ସାଇ ପିଲାମାନେ ଚିରାକନା ଭିତରେ ଉଙ୍କିମାରି ଗ୍ରୀନ୍‌ରୁମକୁ ଚାହିଁଥିବା ହେତୁ ଠେଙ୍ଗାରେ ଗେଞ୍ଜଣା ଖାଉଥିବେ ସେତେବେଳେ ଶ୍ରୀରାମଙ୍କ କୃପାରୁ ମୁଁ ହୁଏତ ରକ୍ଷା ପାଇପାରିବି କିମ୍ୱା ମୋତେ ଦେଖିଲେ ଥର ଅଧକ ପାଇଁ ଭିତରକୁ ଡାକି ନେଇପାରନ୍ତି । କିନ୍ତୁ ହାୟରେ ଦୁର୍ଭାଗ୍ୟ ! ଦିନସାରା ଯେଉଁ ପ୍ରାଣମୂର୍ଚ୍ଚା ପରିଶ୍ରମ କଲି ସନ୍ଧ୍ୟାପରେ କିନ୍ତୁ ସେଥିପାଇଁ କୌଣସି ପୁରସ୍କାର ପାଇପାରିଲି ନାହିଁ । ଘଣ୍ଟା ଘଣ୍ଟା ଧରି ଗ୍ରୀନ୍‌ ରୁମ୍‌ ନିକଟରେ ଠିଆହୋଇ ରହିଲି । ରାମଚନ୍ଦ୍ର କେତେଥର ବାହାରକୁ ଆସିଲେ । ଗଲେ । ମୋତେ କିନ୍ତୁ ଆଦୌ ଚିହ୍ନିପାରିଲେ ନାହିଁ । ଥରକ ପାଇଁ ସୁଦ୍ଧା ପଚାରିଲେ ନାହିଁ ଯେ ଏପରି ମୁଁ ଏଠାରେ ଠିଆହୋଇ ରହିଛି କାହିଁକି ? କୃତଘ୍ନ ରାମଚନ୍ଦ୍ର ! ଦଉଡ଼ି ଧରାଇବାର ଆବଶ୍ୟକତା କ’ଣ ତାଙ୍କର ଆଉ ପଡ଼ିବ ନାହିଁ ?

 

ରାତି ଦଶଟା ବେଳକୁ ଥିଏଟରର ପ୍ରଥମ ବେଲ୍ ବାଜିବା ପରେ ଅତ୍ୟନ୍ତ ଦୁଃଖିତ ମନରେ ଆସି ପ୍ରଥମ ଧାଡ଼ିରେ ଗୋଟିଏ ଜାଗା ଦଖଲ କରି ବସିପଡ଼ିଲି । ଅଳ୍ପ ସମୟ ଭିତରେ ସବୁ ଅଭିମାନ କିନ୍ତୁ ଭୁଲିଗଲି । ସେ କି ପ୍ରକାର ପ୍ଳେ ! ଜୀବନରେ ଅନେକ ପ୍ଳେ କେବେ ଆଗରୁ ଦେଖିନଥିଲି । ମେଘନାଦ ସ୍ୱୟଂ ଏକ ଅଦ୍ଭୁତ ଜୀବ ! ତା’ର ଛଅହାତ ଏବଂ ମସ୍ତ ଉଚ୍ଚା ଶରୀର । ପେଟର ଓସାର ସାଢ଼େ–ଚାରି ହାତ । ସମସ୍ତେ କହନ୍ତି ସେ ମରିଗଲେ ଶଗଡ଼ ଗାଡ଼ିରେ ଯିବା ବ୍ୟତୀତ ଆଉ ଅନ୍ୟ ଉପାୟ ତା’ ପାଇଁ ନାହିଁ । ଅନେକ ଦିନର କଥା । ମୋର ସବୁ ଘଟଣା ମନେନାହିଁ । କିନ୍ତୁ ଏତିକି ମନେଅଛି ଯେ ସେଦିନ ସେ ଯେଉଁ ପରାକ୍ରମ ଦେଖାଇଥିଲା, ଆମ ଗାଆଁ ହାରାଣ ପଲାସି ଭୀମ ପାର୍ଟ କରି ଗୋଟାଏ ବଡ଼ ସଜନା ଗଛର ଡାଳକୁ କାନ୍ଧରେ ବୋହିଆଣି ଦାନ୍ତ କଡମଡ଼ କରି ସେପରି ଅଭିନୟ କରିପାରିନଥିଲା ।

 

ଡ୍ରପ୍‌ସିନ ଉଠିଥାଏ । ବୋଧହୁଏ ସେ ଲକ୍ଷ୍ମଣ ହେବେ । ଅଳ୍ପ ସ୍ୱଳ୍ପ ବୀରତ୍ୱ ପ୍ରକାଶ କରିଛନ୍ତି; ଏତିକିବେଳେ ସେଇ ମେଘନାଦ କେଉଁଠାରୁ ଆସି କୁଦାମାରି ତାଙ୍କ ଆଗରେ ଠିଆ ହୋଇପଡ଼ିଲା । ସାରା ଷ୍ଟେଜଟା ମଡ଼ ମଡ଼ ଶବ୍ଦ କରି କମ୍ପିଉଠିଲା । ଫୁଟ୍‌ଲାଇଟର ପାଞ୍ଚ ଛଅଟା ଆଲୁଅ ଓଲଟିପଡ଼ି ଲିଭିଗଲା ଏବଂ ତହିଁ ସଙ୍ଗେସଙ୍ଗେ ନିଜ ପେଟରେ ବାନ୍ଧିଥିବା ଜରିର କମର ପଟିଟା ଫଟ୍‌ କରି ଛିଣ୍ଡିପଡ଼ିଲା । ହଇଚଇ ପଡ଼ିଗଲା । ତାକୁ ବସିପଡ଼ିବାକୁ କେହି କେହି ଅନୁନୟ ହୋଇ ଭୟରେ କହିବାକୁ ଲାଗିଲେ । କେହି କେହିବା ସିନ୍ ପକାଇଦେବାକୁ ଚିତ୍କାର କରିଉଠିଲେ । କିନ୍ତୁ ବାହାଦୁର ମେଘନାଦ କାହାର କେଉଁ କଥାରେ ଆଦୌ ବିଚଳିତ ହେଲେ ନାହିଁ । ବାମ ହାତରେ ଧରିଥିବା ଧନୁକୁ ଫିଙ୍ଗିଦେଇ ପେଣ୍ଡୁଲମ୍‌କୁ ଚାପିଧରି ଡାହାଣ ହାତରେ ଖାଲି ତୀରରେ ଯୁଦ୍ଧ କରିବାକୁ ଲାଗିଲେ ।

 

ଧନ୍ୟ ବୀର ! ଧନ୍ୟ ତୁମର ବୀରତ୍ୱ ! ଅନେକ ପ୍ରକାର ଯୁଦ୍ଧ ଦେଖିଛି ଏକଥା ମୁଁ ମାନୁଛି କିନ୍ତୁ ଧନୁ ନାହିଁ, ବାଆଁ ହାତର ଅବସ୍ଥା ମଧ୍ୟ ଯୁଦ୍ଧ କ୍ଷେତ୍ର ପାଇଁ ଅନୁକୂଳ ନୁହେଁ, କେବଳ ଡାହାଣ ହାତ ଏବଂ ତୀର ଧରି କ୍ରମାଗତ ଯୁଦ୍ଧ କରିବାର କାହାକୁ କେବେ ଦେଖିନାହିଁ । ଶେଷରେ ସେପରି ଯୁଦ୍ଧ କରି କରି ମେଘନାଦ ବିଜୟୀ ହେଲା । ଯାତ୍ରାରୁ ପଳାଇଯାଇ ଆତ୍ମରକ୍ଷା କରିବାକୁ ପ୍ରତିପକ୍ଷ ଲୋକ ବାଟ ପାଇଲା ନାହିଁ ।

 

ଆନନ୍ଦର ସୀମା ନଥାଏ । ଦେଖିବାରେ ମଜ୍ଜି ଯାଇଥାଏ । ଏହି ଅପରୂପ ଲଢ଼ାଇ ପାଇଁ ମନେମନେ ଶତକୋଟୀ ପ୍ରଶଂସା କରୁଥାଏ । ଏହି ସମୟରେ ପିଠିରେ କାହାର ଅଙ୍ଗୁଳିର ଚାପ ପଡ଼ିଲା । ମୁହଁ ବୁଲାଇ ଦେଖେ ତ ଇନ୍ଦ୍ର । ଚୁପ୍‌ଚୁପ୍‌ କରି ସେ କହିଲା–ଆ ଶ୍ରୀକାନ୍ତ, ନାନୀ ତୋତେ ଡାକିଛନ୍ତି । ମନ୍ତ୍ରମୁଗ୍‌ଧ ଭଳି ତା’ କଥା ଶୁଣି ସିଧା ଠିଆ ହୋଇପଡ଼ିଲି । ପାଟିରୁ ବାହାରିପଡ଼ିଲା–କାହିଁ ? କେଉଁଠି ସେ ?

 

: ବାହାରି ଚାଲିଆନା କହୁଛି ।

 

ବାଟରେ ଆସୁ ଆସୁ ସେ କେବଳ କହିଲା–ମୋ ସାଙ୍ଗରେ ଚାଲ ।

 

ଗଙ୍ଗା କୂଳରେ ପହଁଞ୍ଚି ଦେଖିଲି ତା’ ଡଙ୍ଗା ବନ୍ଧାହୋଇ ରହିଛି । ଚୁପ୍‌ଚାପ୍‌ ଦୁହେଁ ଡଙ୍ଗାରେ ଚଢ଼ି ବସିଲୁ । ଇନ୍ଦ୍ର ଡଙ୍ଗା ଖୋଲିଦେଲା ।

 

ପୁଣି ସେହିପରି ଘନ ଅନ୍ଧକାର ଭିତରେ ନଈରେ ଡଙ୍ଗା ବାହି ବାହି ଆସି ଶାହାଜୀଙ୍କ କୁଡ଼ିଆରେ ପହଞ୍ଚିଲୁ । ସେତେବେଳକୁ ବୋଧହୁଏ ରାତି ବେଶୀ ନାହିଁ ।

 

ଗୋଟାଏ କିରୋସିନୀ ଡିବିରି ଜଳାଇ ନାନୀ ବସିଥାଏ । ତୋ କୋଳରେ ଶାହାଜୀଙ୍କ ମୁଣ୍ଡ । ତା’ ପାଦତଳେ ଗୋଟାଏ ଗୋଖର ସାପ ଲମ୍ୱା ହୋଇ ପଡ଼ିଥାଏ ।

 

ନାନୀ ମୃଦୁ କଣ୍ଠରେ ଘଟଣାକୁ ସଂକ୍ଷେପରେ ବର୍ଣ୍ଣନା କଲେ । ଆଜି ଦି ପହରେ କାହା ଘରେ ସାପ ଧରିବା ପାଇଁ ବହିନା ଆଗରୁ ନେଇଥିଲେ । ସେଠାରେ ପହଁଞ୍ଚି ଏହି ସାପଟିକୁ ଧରି ଯାହା ବକ୍‍ସିସ୍‌ ପାଇଲେ ସେଥିରୁ କେଉଁଠୁ ତାଡ଼ି ପିଇ ମାତାଲ ହୋଇ ସନ୍ଧ୍ୟା ଆରମ୍ଭ ହେଉ ହେଉ ଘରକୁ ଫେରି ନାନୀର ବାରମ୍ୱାର ବାରଣ ସତ୍ତ୍ୱେ ସାପ ଖେଳାଇବାକୁ ଚେଷ୍ଟା କଲେ । ଖେଳାଇଲେ ମଧ୍ୟ । ଅବଶେଷରେ ଖେଳାସାରି ତା’ ଲାଞ୍ଜଧରି ଯେତେବେଳେ ତାକୁ ହାଣ୍ଡିଭିତରେ ପୂରାଇବାକୁ ଯାଆନ୍ତି ସେତେବେଳେ ନିଶା ଜୋରରେ ସାପ ମୁହଁକୁ ନିଜ ମୁହଁପାଖକୁ ଆଣି ଆଦରରେ ଚୁମ୍ୱନଟିଏ ଦେଉ ଦେଉ ସାପ ମଧ୍ୟ ଆଦର କରି ଶାହାଜୀଙ୍କ ବେକରେ ତୀବ୍ର ଚୁମ୍ୱନ ଦେଇଛି ।

 

ନାନୀ ତା’ର ମଳିନ ଶାଢ଼ି ପଣତରେ ଆଖି ପୋଛି ମୋତେ ଲକ୍ଷ୍ୟକରି କହିଲେ–ଶ୍ରୀକାନ୍ତ ! ଯେତେବେଳେ ତାଙ୍କର ଜ୍ଞାନ ଫେରିଲା ସେତେବେଳକୁ ଜାଣିପାରିଲେ ଯେ ଆଉ ତାଙ୍କର ବଞ୍ଚିବା ଆଶା ନାହିଁ । ତାପରେ ସାପକୁ ଧରି କହିଲେ–ଆ, ଦୁଇଜଣଯାକ ଏକ ସଙ୍ଗରେ ମିଶିକରି ଯିବା । ଏତିକି କହି ପାଦରେ ତା’ ମୁଣ୍ଡକୁ ଚାପିଧରି ଲାଞ୍ଜଧରି ଟାଣିଟାଣି ଏତେବଡ଼ ଲମ୍ୱା କରି ଫିଙ୍ଗି ଦେଇଛନ୍ତି । ଏଥି ସଙ୍ଗେସଙ୍ଗେ ଦୁଇଜଣଙ୍କର ଖେଳ ଶେଷ ହୋଇଗଲା । ଏତିକି କହିସାରି ନାନୀ ଅତି ସନ୍ତର୍ପଣରେ ଶାହାଜୀଙ୍କ ମୁହଁରୁ ଲୁଗାକାଢ଼ି ପକାଇ ଗଭୀର ସ୍ନେହରେ ତାଙ୍କ ସୁନୀଳ ଓଠକୁ ସ୍ପର୍ଶ କରି କହିଲେ–ଯାହାହେଉ ଭଲହେଲା ଇନ୍ଦ୍ରନାଥ । ଭଗବାନଙ୍କୁ ଏଥିପାଇଁ ମୁଁ ଏତେ ଟିକିଏ ହେଲେ ଦୋଷ ଦେଉ ନାହିଁ ।

 

ଆମେ ଦୁହେଁ ନୀରବରେ ଠିଆହୋଇ ରହିଲୁ । ତାଙ୍କ କଣ୍ଠସ୍ୱରରେ ଯେ କି ପ୍ରକାର ମର୍ମାନ୍ତିକ ବେଦନା, ଏବଂ କିଭଳି ସୁନିବିଡ଼ ଅଭିମାନ ପ୍ରକାଶ ପାଇଲା ତାହା ଯିଏ ଶୁଣିଛି ତାକୁ ଜୀବନରେ ଭୂଲିପାରିବା ପାଇଁ ତା’ର ସାଧ୍ୟ ନାହିଁ । କିନ୍ତୁ କାହିଁକି ଏତେବଡ଼ ଅଭିମାନ ?

 

କିଛି ସମୟ ନୀରବ ରହିବା ପରେ ପୁଣି ନାନୀ କହିଲେ–ତୁମେ ଦୁହେଁ ପିଲା ଲୋକ, କିନ୍ତୁ ତୁମ ଦୁଇଜଣଙ୍କ ବ୍ୟତୀତ ମୋର ତ ଆଉ କେହିନାହାଁନ୍ତି ଭାଇ । ସେଥିପାଇଁ ମୋର ଏତିକି ଭିକ୍ଷା ଯେ, ତାଙ୍କର ଟିକିଏ ସୁବ୍ୟବସ୍ଥା ତୁମେ ଦୁହେଁ କରିଦେଇ ଯାଅ । ଅଙ୍ଗୁଳିଦ୍ୱାରା କୁଟୀରର ଦକ୍ଷିଣ ଦିଗରେ ଥିବା ଜଙ୍ଗଲକୁ ନିର୍ଦ୍ଦେଶ କରି କହିଲେ, ଏଇଠାରେ ଟିକିଏ ଜାଗାଅଛି, ଇନ୍ଦ୍ରନାଥ । ମୁଁ ଅନେକ ଦିନରୁ ଭାବି ସ୍ଥିର କରିଛି ଯଦି ମୋର ମରଣ ହୁଏ, ତେବେ ଯେପରି ଏଇଠାରେ ମୋତେ ଶୁଆଇଦେଇ ଯିବ । ସକାଳ ହେବାକ୍ଷଣି ସେଇ ଜାଗାରେ ତାଙ୍କୁ ଶୁଆଇଦିଅ । ଜୀବନରେ ଅନେକ କଷ୍ଟ ସେ ଭୋଗ କରିଛନ୍ତି, ହେଲେ ମଲାପରେ ଟିକିଏ ଶାନ୍ତି ତ ପାଇପାରିବେ ।

 

ଇନ୍ଦ୍ର ପ୍ରଶ୍ନକଲା–ଶହାଜୀଙ୍କୁ କ’ଣ କବର ଦେବାକୁ ହେବ ?

 

ନାନୀ କହିଲେ–ଯେହେତୁ ମୁସଲମାନ ତେଣୁ ଦେବାକୁ ତ ପଡ଼ିବ ।

 

ଇନ୍ଦ୍ର ପୁଣି ପଚାରିଲା–ନାନୀ, ତୁମେ କ’ଣ ମୁସଲମାନ ?

 

: ହଁ, ମୁସଲମାନ ନୁହେଁ ତ ଆଉ କ’ଣ ?

 

ଉତ୍ତର ଶୁଣିବା ପରେ ଇନ୍ଦ୍ର କିପରି ସଂକୁଚିତ ଏବଂ କୁଣ୍ଠିତ ହୋଇପଡ଼ିଲା । ମୁଁ ଭଲକରି ବୁଝିପାରିଲି, ଇନ୍ଦ୍ର ଏଭଳି ଉତ୍ତର ଆଦୌ ଆଶା କରିନଥିଲା । ନାନୀଙ୍କୁ ସେ ବାସ୍ତବିକ ଭଲପାଇ ବସିଥିଲା । ତେଣୁ ମନେମନେ ସେ ଗୋଟିଏ ଗୋପନ ଆଶା ପୋଷଣ କରିଥିଲା ଯେ ନାନୀ ନିଶ୍ଚୟ ତା’ରି ଜାତିର ଲୋକ । ମୋର କିନ୍ତୁ ବିଶ୍ୱାସ ହେଲାନାହିଁ । ତାଙ୍କ ନିଜ ମୁହଁର ସ୍ୱୀକାରୋକ୍ତି ସତ୍ତ୍ୱେ କୌଣସିମତେ ଭାବିପାରିଲି ନାହିଁ ଯେ ସେ ହିନ୍ଦୁ କନ୍ୟା ନୁହଁନ୍ତି ବୋଲି ।

 

ବାକି ରାତିତକ କଟିଯିବା ପରେ ଇନ୍ଦ୍ର ଯାଇ ସେଠାରେ କବର ପାଇଁ ଗାତ ଖୋଳି ଆସିଲା ଏବଂ ଆମେ ତିନିଜଣ ମିଶି ଧରାଧରି କରି ଶାହାଜୀଙ୍କୁ କବରଦେଇ ଆସିଲୁ । ଗଙ୍ଗାର ଠିକ୍‌ ଉପରେ କଙ୍କର ବିଛା ହୋଇଥିବା ଗୋଟିଏ ସ୍ଥାନ ସତେ ଯେପରି କାହାର ଶେଷ ଶଯ୍ୟା ହେବାପାଇଁ ଆଗରୁ ଠିକ୍‌ ହୋଇଥିଲା । କୋଡ଼ିଏ ପଚିଶ ହାତ ତଳେ ଜାହ୍ନବୀମାଆର ପ୍ରବାହ । ମୁଣ୍ଡଉପରେ ବନଲତାର ଆଚ୍ଛାଦନ । ପ୍ରିୟ ବସ୍ତୁକୁ ପ୍ରକୃତରେ ଲୁଚାଇ ରଖିବାପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ । ବଡ଼ ଭାରାକ୍ରାନ୍ତ ହୃଦୟ ନେଇ ତିନିଜଣ ପାଖାପାଖି ବସିଲୁ । ଆଉ ଜଣେ ଆମମାନଙ୍କ ନିକଟରେ ମୃତ୍ତିକା ତଳେ ଚିର ନିଦ୍ରାରେ ଅଭିଭୂତ ହୋଇ ଶୋଇପଡ଼ିଲା । ସେତେବେଳ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ହୋଇନଥାଏ । ତଳେ ମନ୍ଦ–ସ୍ରୋତା ଭାଗୀରଥୀର କୁଳୁକୁଳୁ ଶବ୍ଦ କାନରେ ଆସି ବାଜିବାକୁ ଲାଗିଲା । ଆଖପାଖରେ ବନ ବିହଙ୍ଗୀମାନେ କାକଳୀ ଗାନ କରିବାକୁ ଆରମ୍ଭ କରିଦେଲେ । କାଲି ଯେ ଥିଲା ସେ ଆଜି ନାହିଁ । କାଲି ସକାଳେ କିଏ ଅବା ଭାବିଥିଲା ଯେ ଆଜି ଆମର ରାତି ଏଇପରି ଭାବରେ ପାହିବ ବୋଲି ! କିଏ ଜାଣିଥିଲା ଜଣଙ୍କର ଶେଷ ମୁହୂର୍ତ୍ତ ଏତେଶୀଘ୍ର ଆସି ପହଞ୍ଚିଯିବ !

 

ହଠାତ୍‌ ନାନୀ ସେଇ କବର ଉପରେ ଲୋଟିପଡ଼ି କରୁଣ କଣ୍ଠରେ କାନ୍ଦି କହିଉଠିଲେ–ମାଆ ଗଙ୍ଗା, ମୋତେ ତୋ ପାଦତଳେ ସ୍ଥାନ ଦେ ମାଆ, ମୋର ଯେ ମୁଣ୍ଡ ଗୁଞ୍ଜିବା ପାଇଁ ଆଉ କୌଣସିଠାରେ ସ୍ଥାନ ନାହିଁ । ତାଙ୍କର ଏଇ ପ୍ରାର୍ଥନା, ଏଇ ନିବେଦନ ଯେ କେଡ଼େ ମର୍ମାନ୍ତିକ, ତାହା ସେତେବେଳେ ସେପରି ବୁଝିପାରିନଥିଲି ଯେପରି ଦୁଇଦିନ ପରେ ବୁଝିପାରିଲି । ଇନ୍ଦ୍ର ଥରକ ପାଇଁ ମୁହଁଉଠାଇ ମୋତେ ଚାହିଁଲା । ତାପରେ ଉଠିଯାଇ ସେଇ ଭୁଲୁଣ୍ଠିତା ଆର୍ତ୍ତା ନାରୀଟିର ମଥାଟି ନିଜ କୋଳଉପରକୁ ଟେକିନେଇ ତାରି ପରି ଆର୍ତ୍ତ ସ୍ୱରରେ କହିଉଠିଲା–ନାନୀ, ତୁ ମୋ ପାଖରେ ରହିବୁ ଚାଲ । ମୋ ମାଆ ବର୍ତ୍ତମାନ ବଞ୍ଚିଛନ୍ତି । ସେ ତୋତେ କଦାପି ଫିଙ୍ଗିଦେବେ ନାହିଁ । କୋଳକୁ ଟେକିନେବେ । ସେ ବଡ଼ ସ୍ନେହୀ ଲୋକ । ଚାଲ ତାଙ୍କପାଖରେ ରହିବୁ । ତୁ ହେଉଛୁ ହିନ୍ଦୁ ରମଣୀ । ଆଦୌ ମୁସଲମାନ ନୋହୁ ।

 

ନାନୀ କୌଣସି ଉତ୍ତର ଦେଲେ ନାହିଁ । ମୂର୍ଚ୍ଛିତା ଭଳି ସେଇପରି ଭାବରେ ସେ କିଛିକ୍ଷଣ ପଡ଼ି ରହିବା ପରେ ଶେଷରେ ଉଠିବସିଲେ । ତା’ପରେ ତିନିଜଣ ଉଠିଆସି ଗଙ୍ଗା ସ୍ନାନ କଲୁ । ନାନୀ ହାତର ଚୁଡ଼ି ସବୁ ଭାଙ୍ଗିଦେଲେ । ମାଟିଧରି ସିନ୍ଥିରୁ ସିନ୍ଦୂର ସବୁ ପୋଛିଦେଇ ସଦ୍ୟ–ବିଧବା ବେଶରେ ସକାଳର ସୂର୍ଯ୍ୟୋଦୟ ହେବା ସଙ୍ଗେ ସଙ୍ଗେ ନିଜ କୁଟିରକୁ ଫେରିଆସିଲେ ।

 

ଏତେଦିନପରେ ଆଜି ପ୍ରଥମ କରି ସେ କହିଲେ ଯେ ପ୍ରକୃତରେ ଶାହାଜୀ ତାଙ୍କର ସ୍ୱାମୀ ଥିଲେ । ଇନ୍ଦ୍ର କିନ୍ତୁ ତାଙ୍କ କଥାଟାକୁ ଠିକ୍‌ ରୂପେ ଗ୍ରହଣ କରିନେବାକୁ ପ୍ରସ୍ତର ନଥିଲା । ତେଣୁ ସଂଦିଗ୍‌ଧ କଣ୍ଠରେ ପ୍ରଶ୍ନକଲା–ତୁମେ ଯେ ହିନ୍ଦୁ ଘରର ଝିଅ ?

 

ନାନୀ କହିଲେ–ହଁ, ବ୍ରାହ୍ମଣଘର ଝିଅ, ସେ ମଧ୍ୟ ବ୍ରାହ୍ମଣ ଥିଲେ ।

 

ଇନ୍ଦ୍ର କିଛି ସମୟ ଅବାକ୍‌ ହୋଇ କହିଲା–କିନ୍ତୁ ଜାତି ହରାଇଲ କାହିଁକି ?

 

: ସେ କଥା ଠିକ୍‌ ଭାବରେ କହିପାରିବି ନାହିଁ ଯଦିଓ, ତେବେ ସେ ଯେତେବେଳେ ଜାତି ଛାଡ଼ିଲେ ସେତେବେଳେ ତାଙ୍କ ସଙ୍ଗେ ସଙ୍ଗେ ମୋ ଜାତି ମଧ୍ୟ ଗଲା । ସ୍ତ୍ରୀପରା ସହଧର୍ମିଣୀ । ନଚେତ୍‌ ମୁଁ ମୋଆଡ଼ୁ ଅଜାତିକୁ ଯାଇନାହିଁ । କୌଣସି ଦିନ କିଛି ଅନାଚାର ମଧ୍ୟ କରି ନାହିଁ ।

 

ଇନ୍ଦ୍ର ଦୃଢ଼ ସ୍ୱରରେ କହିଲା–ସେ କଥା ନାନୀ ମୁଁ ବରାବର ଦେଖିଆସିଛି । ସେଥିପାଇଁ ମୋର ଏପରି ଧାରଣା ହୋଇଆସିଛି । ମୋତେ ମାଫ୍‌କର ନାନୀ, ବର୍ତ୍ତମାନ ମୁଁ କିଛି ଶୁଣିବି ନାହିଁ-। ତତେ ମୋ ସହିତ ଯିବାକୁ ହିଁ ହେବ । ବର୍ତ୍ତମାନ ଚାଲ ଯିବା ।

 

ନାନୀ ଅନେକ ସମୟ ପର୍ଯ୍ୟନ୍ତ ନୀରବରେ କେତେ କ’ଣ ଚିନ୍ତା କରିବାକୁ ଲାଗିଲେ । ତା’ପରେ କହିଲେ–ବର୍ତ୍ତମାନ ମୁଁ କୁଆଡ଼େ କିନ୍ତୁ ଯାଇପାରିବି ନାହିଁ ଇନ୍ଦ୍ର ।

 

: କାହିଁକି ଯାଇପାରିବ ନାହିଁ ?

 

: ମୁଁ ଜାଣେ, ସେ କିଛି କିଛି ଦେଣା ରଖିଯାଇଛନ୍ତି । ସେ ସବୁ ଶୁଝି ନ ସାରିବା ପର୍ଯ୍ୟନ୍ତ ମୁଁ ଏଠାରୁ କୌଣସି ମତେ ଘୁଞ୍ଚିପାରିବି ନାହିଁ ।

 

ଇନ୍ଦ୍ର ହଠାତ୍‌ ରାଗିଉଠି କହିଲା–ସେ କଥା ମୁଁ ଭଲଭାବରେ ଜାଣେ । ମଦ ଦୋକାନ ଆଉ ଗଞ୍ଜାଇ ଦୋକାନରେ ତାଙ୍କର ଦେଣା ଅଛି । ସେଥିରେ ତୁମର ଅବା ଯାଏ କେତେ ଆସେ କେତେ ? ତୁମକୁ ଟଙ୍କା ମାଗିବାକୁ ଏଠାରେ କାହାର ସାଙ୍ଗରେ, କିଏ ତୁମକୁ ଅଟକାଇ ରଖିବ ମୁଁ ଦେଖିବି.....

 

ଏତେ ଦୁଃଖ ମଧ୍ୟରେ ମଧ୍ୟ ନାନୀ ଅଳ୍ପ ଟିକିଏ ହସି ପକାଇଲେ । କହିଲେ–ଆରେ ପାଗଳା ! ଯିଏ ମୋତେ ଅଟକାଇ ରଖିବ ସେ ହେଉଚି ମୋର ଧର୍ମ । ସ୍ୱାମୀ କରିଥିବା ଋଣ ଯେ ସ୍ତ୍ରୀର ଋଣ । ସେ ପାଉଣା ଦାୟକୁ ତୁ କିପରି ଭାବରେ ବାଧା ଦେଇପାରିବୁ ଭାଇ ? ସେପରି କଥା କେବେ ସମ୍ଭବ ହୁଏ ନାହିଁ । ତୁ ଘରକୁ ଫେରିଯା । ମୋର ଅଳ୍ପ ସ୍ୱଳ୍ପ ଯାହା କିଛି ତାକୁ ବିକ୍ରି କରି ଧାରଉଧାର ଶୁଝିବାକୁ ଚେଷ୍ଟା କରିବି । କାଲି କିମ୍ୱା ପଅରଦିନ ଟିକିଏ ଆସିବୁ ।

 

ମୁଁ ଏତେ ସମୟ ଧରି ଚୁପ ହୋଇ ରହିଥିଲି । ଏଥର କିନ୍ତୁ କଥା କହିବାକୁ, ବାଧ୍ୟହେଲି-। କହିଲି, ନାନୀ ଘରେ ମୋପାଖରେ ଯେଉଁ ଚାରି, ପାଞ୍ଚଟାଟଙ୍କା ଅଛି, କ’ଣ ନେଇଆସିବି-? ମୋ ପାଟିରୁ କଥା ସରୁ ନ ସୁରୁଣୁ ସେ ମୋତେ ଛୋଟ ପିଲାଭଳି ଛାତି ଉପରକୁ ଟାଣିନେଇ ମୋ କପାଳରେ ତାଙ୍କର ଓଷ୍ଠାଧର ସ୍ପର୍ଶ କରାଇ, ମୋ ମୁହଁକୁ ଚାହିଁ କହିଲେ–ନା, ଭାଇ ଆଉ ଟଙ୍କାରେ ପ୍ରୟୋଜନ ନାହିଁ । ତୁ ସେ ଯେଉଁ ପାଞ୍ଚଟି ଟଙ୍କା ରଖି ଦେଇ ଯାଇଥିଲୁ, ତୋର ସେ ଦୟା ମଲା ପର୍ଯ୍ୟନ୍ତ ମୁଁ ମନେରଖିଥିବି । ମୁଁ ଆଶୀର୍ବାଦ କରୁଛି, ଭଗବାନ ଯେପରି ତୋ ଭିତରେ ସବୁଦିନ ରହି ଏହିପରି ଦୁଃଖୀମାନଙ୍କ ପାଇଁ ଆଖିରୁ ଅଶ୍ରୁ ଝରାନ୍ତି । ଏତିକି କହୁ କହୁ ତାଙ୍କର ଦୁଇଆଖିରୁ ଝରଝର ହୋଇ ଲୁହ ବହିବାକୁ ଲାଗିଲା !

 

ଆଠ କି ନଅଟା ସମୟରେ ଆମେ ଘରକୁ ଫେରିବାକୁ ଉଦ୍ୟତ ହେବାକ୍ଷଣି ସେ ଆମ ସଙ୍ଗେ ସଙ୍ଗେ ବଳାଇଦେବାକୁ ରାସ୍ତା ପର୍ଯ୍ୟନ୍ତ ଆସିଲେ । ଫେରିଯିବା–ବେଳେ ଇନ୍ଦ୍ରର ଗୋଟାଏ ହାତ ଧରିପକାଇ କହିଲେ–ଇନ୍ଦ୍ରନାଥ, ଶ୍ରୀକାନ୍ତକୁ ଆଶୀର୍ବାଦ କଲି ସତ, କିନ୍ତୁ ତୋତେ ଆଶୀର୍ବାଦ କରିବାକୁ ମୋର ସାହସ ହେଉନାହିଁ । ତୁ ମଣିଷର ଆଶୀର୍ବାଦ ବାହାରେ । ତଥାପି ଭଗବାନଙ୍କ ପୟରରେ ତୋତେ ଆଜି ମନେମନେ ସମର୍ପି ଦେଲି । ସେ ଯେପରି ତୋତେ ଆପଣାର କରିନିଅନ୍ତି ।

 

ଇନ୍ଦ୍ରକୁ ସେ ଚିହ୍ନିପାରିଥିଲେ । ତାଙ୍କର ବାଧା ଦେବା ସତ୍ତ୍ୱେ ଇନ୍ଦ୍ର ଜୋର କରି ତାଙ୍କ ପାଦତଳେ ମୁଣ୍ଡଲଗାଇ ପାଦଧୂଳି ନେଇ ମୁଣ୍ଡରେ ମାରିଲା । କାନ୍ଦ କାନ୍ଦ ହୋଇ କହିଲା–ଏ ଜଙ୍ଗଲରେ ତୋତେ ଏକାକୀ ଛାଡ଼ି ଚାଲିଯିବାକୁ ମନ ଆଦୌ ବଳୁ ନାହିଁ । ମୋର କିପରି ମନେହେଉଛି ଆଉ ବୋଧହୁଏ ତତେ ଦେଖିପାରିବି ନାହିଁ ।

 

ନାନୀ କୌଣସି ଉତ୍ତର ଦେଲେ ନାହିଁ । ହଠାତ୍‌ ମୁହଁ ଫେରାଇଦେଇ ବନପଥ ଦେଇ ନିଜ କୁଟୀରକୁ ଫେରିଗଲେ । ଯେତେ ସମୟ ପର୍ଯ୍ୟନ୍ତ ଦେଖାଯାଉଥିଲେ ସେତେ ସମୟ ପର୍ଯ୍ୟନ୍ତ ତାଙ୍କୁ ଠିଆହୋଇ ଦେଖିବାରେ ଲାଗିଥିଲି । କିନ୍ତୁ ଥରକପାଇଁ ସେ ମୁହଁ ଫେରାଇ ଆଉ ଆମ ଆଡ଼େ ଚାହିଁଲେ ନାହିଁ । ସେଇପରି ମଥାନତ କରି ଦୃଷ୍ଟି ବାହାରେ ମିଳାଇଗଲେ, ଅଥଚ ସେ ଯେ କାହିଁକି ଫେରି ଚାହିଁଲେ ନାହିଁ, ତାହା ଦୁଇଜଣ ମନେମନେ ଅନୁଭବ କରିବାକୁ ଲାଗିଲୁ ।

 

ତିନିଦିନ ପରେ ସ୍କୁଲଛୁଟି ପରେ ବାହାରକୁ ଆସି ଦେଖେ, ଇନ୍ଦ୍ର ଗେଟ୍‌ ବାହାରେ ଠିଆହୋଇ ରହିଛି । ତା’ ମୁହଁ ଶୁଖିଯାଇଛି, ପାଦରେ ଜୋତା ନାହିଁ ଏବଂ ଆଣ୍ଠୁ ପର୍ଯ୍ୟନ୍ତ ଧୂଳି ଭର୍ତ୍ତି-। ତାକୁ ଏପରି ଦୀନ ଭାବରେ ଦେଖି ମୁଁ ଭୟରେ ଶିହରିଉଠିଲି । ସେ ବଡ଼ ଲୋକର ପୁଅ-। ବାହାରକୁ ବାହାରିପଡ଼ିଲେ ଅନ୍ୟମାନଙ୍କଠାରୁ ବାରି ହୋଇପଡ଼େ । ଏପରି ଅବସ୍ଥା ତ ମୁଁ କେବେ ତା’ର ଦେଖିନାହିଁ । ଇସାରା ଦେଇ ମୋତେ ପଡ଼ିଆ ଆଡ଼େ ଡାକିନେଇ ଇନ୍ଦ୍ର କହିଲା–ନାନୀ ନାହାନ୍ତି । କୁଆଡ଼େ ଚାଲିଯାଇଛନ୍ତି । ମୋ ମୁହଁକୁ ସେ ଆଉ ଚାହିଁଲା ନାହିଁ । କହିଲା–କାଲିଠାରୁ ମୁଁ କେତେ ଜାଗା ଯେ ଖୋଜିଛି କିନ୍ତୁ କାହିଁ କେଉଁଠାରେ ତାକୁ ପାଇଲି ନାହିଁ । ତୋ ପାଖକୁ ଗୋଟାଏ ଚିଠି ଲେଖି ରଖି ଯାଇଛନ୍ତି–ଏଇନେ, କହି ସେ ଚଉତା ହୋଇଥିବା ଖଣ୍ଡେ ହଳଦିଆ କାଗଜ ମୋ ହାତରେ ଗୁଞ୍ଜିଦେଇ ଦ୍ରୁତ ପଦରେ ସେଠାରୁ ଚାଲିଗଲା । ବୋଧହୁଏ ତା’ ମନ ଏତେ ଦୁଃଖିତ ଏବଂ ଶୋକାତୁର ହୋଇପଡ଼ିଥିଲା ଯେ କାହା ସଙ୍ଗା ଆଲୋଚନା କରିବା ତା’ର ସାଧ୍ୟାତୀତ ହୋଇପଡ଼ିଥିଲା ।

 

ସେହିଠାରେ ମୁଁ ବସିପଡ଼ି ଚିଠିଟି ଖୋଲି ଆଖିଆଗରେ ଧରିଲି । ଚିଠିରେ ଯାହା ଲେଖାଥିଲା ଦିନ ପରେ ସେ ସବୁ ଯଦିସ ମନେ ନାହିଁ, ତଥାପି ଅନେକ କଥା ସ୍ମରଣ କରିପାରୁଛି । ଚିଠିରେ ଲେଖାଥିଲା, ଶ୍ରୀକାନ୍ତ, ଯିବା ସମୟରେ ମୁଁ ତୋତେ ଆଶୀର୍ବାଦ କରି ଯାଉଛି । କେବଳ ଆଜି ନୁହେଁ ଯେତେଦିନ ପର୍ଯ୍ୟନ୍ତ ବଞ୍ଚି ରହିବି ସେତେଦିନ ପର୍ଯ୍ୟନ୍ତ ତୋତେ ଆଶୀର୍ବାଦ କରୁଥିବି । କିନ୍ତୁ ମୋ ପାଇଁ ତୁ ଦୁଃଖ କରିବୁ ନାହିଁ । ଇନ୍ଦ୍ରନାଥ ମୋତେ ଖୋଜି ବୁଲିବ, ସେ କଥା ମୁଁ ଭଲକରି ଜାଣେ । କିନ୍ତୁ ତୁ ତାକୁ ବୁଝାଇ ସେଥିରୁ ନିବୃତ୍ତ କରାଇବୁ । ମୋର ସବୁ କଥା ତୁ ଆଜି ବୁଝିପାରିବୁନି; କିନ୍ତୁ ବଡ଼ ହେଲେ ଦିନେଦିନେ ବୁଝିପାରିବୁ ସେଇ ଆଶାରେ ଏ ପତ୍ର ଲେଖିଲି । ନିଜ କଥା ନିଜ ମୁହଁରେ ତୁମମାନଙ୍କ ଆଗେ କହିପାରିଥାନ୍ତି । କିନ୍ତୁ କହିବି କହିବି ହୋଇ କାହିଁକି ଚୁପ୍‌ ହୋଇ ରହିଯାଇଛି । ସେଇ କଥା ଆଜି କହିନପାରିଲେ ଆଉ ବୋଧହୁଏ କହିହେବ ନାହିଁ । ମୋ କଥା କେବଳ ମୋ ନିଜ କାହାଣୀ ନୁହେଁ–ମୋ ସ୍ୱାମୀଙ୍କର ମଧ୍ୟ କାହାଣୀ । ଆହୁରି ମଧ୍ୟ କହି ରଖୁଛି ତାହା ଭଲ କଥା ନୁହେଁ । ଏ ଜନ୍ମରେ ଆମର ପାପ ଯେ କେତେ; ଯଦି ଆମେ ଜାଣିପାରିନାହୁଁ କିନ୍ତୁ ପୂର୍ବ ଜନ୍ମରେ ଆମ ସହିତ ପାପର ଯେ ସୀମା ପରିସୀମା ନଥିଲା, ଏଥିରେ ସନ୍ଦେହର ଅବକାଶ ଆଦୌ ନାହିଁ । ସେଥିପାଇଁ ଯେତେବେଳେ କହିବା ପାଇଁ ଇଚ୍ଛା କରିଛି ସେତେବେଳେ ମନେହୋଇଛି ସ୍ତ୍ରୀ ହୋଇ ନିଜ ମୁହଁରେ ସ୍ୱାମୀର ନିନ୍ଦା କରି ସେ ପାପ ବୋଝକୁ ଆଉ ଭାରାକ୍ରାନ୍ତ କରିବି ନାହିଁ । କିନ୍ତୁ ସେ ବର୍ତ୍ତମାନ ପରଲୋକକୁ ଗଲେଣି । ଆଉ ଚାଲିଗଲେଣି ବୋଲି କହିଲେ ଯେ ଦୋଷ ନାହିଁ ତାହା ମଧ୍ୟ ଭାବିପାରୁ ନାହିଁ । ଅଇଚ କେଜାଣି କାହିଁକି ମୋର ଏଇ ଅନ୍ତ–ହୀନ ଦୁଃଖ କାହାଣୀକୁ ତୋ ଆଗରେ ନ କହି କୌଣସି ମତେ ବିଦାୟ ନେଇ ଯାଇପାରୁ ନାହିଁ । ଶ୍ରୀକାନ୍ତ, ତୋର ଏଇ ଦୁଃଖିନର ନାନୀର ନାମ ‘ଅନ୍ନଦା’ । ସ୍ୱାମୀଙ୍କ ନାମ କାହିଁକି ଗୋପନ କରିବାକୁ ଗଲି ତା’ର କାରଣ ଏ ଚିଠି ପଢ଼ିସାରିଲା ବେଳକୁ ଜାଣିପାରିବୁ । ମୋ ବାପା ଥିଲେ ଖୁବ୍‌ ବଡ଼ ଲୋକ । ତାଙ୍କର ପୁଅ ନଥିଲେ । ଆମେ ଦୁଇଟି ଭଉଣୀ । ସେଥିପାଇଁ ବାପା ଦରିଦ୍ର ଗୃହରୁ ସ୍ୱାମୀଙ୍କୁ ଅଣାଇ ନିଜପାଖରେ ରଖି ଲେଖାପଢ଼ା ଶିଖାଇବାକୁ ଚାହିଁଥିଲେ । ତାଙ୍କୁ ଲେଖାପଢ଼ା ଶିଖାଇ ସାରିଥିଲେ ସତ କିନ୍ତୁ ମଣିଷ କରିପାରିଲେ ନାହିଁ । ମୋ ବଡ଼ ଭଉଣୀ ବିଧବା ହୋଇ ଘରେ ଥିଲେ । ତାଙ୍କ ହତ୍ୟା କରି ସ୍ୱାମୀ ନିରୁଦ୍ଦିଷ୍ଟ ହେଲେ । ସେ ଯେ ତାକୁ କାହିଁକି ହତ୍ୟା କଲେ ଏହାର କାରଣ ତୁ ରର୍ତ୍ତମାନ ବୁଝି ନପାରିଲେ ମଧ୍ୟ ବଡ଼ ହେଲେ ଦିନେ ବୁଝିପାରିବୁ । ସେ ଯାହା ହେଉ କହିଲୁ ଶ୍ରୀକାନ୍ତ ଏ ଦୁଃଖ କେତେ ବେଦନାଦାୟକ ! ଏ ଲଜ୍ଜ୍ୟା କେତେ ମର୍ମାନ୍ତିକ-! ତଥାପି ତୋ ନାନୀ ସବୁ ସହି ଆସିଥିଲା । କିନ୍ତୁ ସ୍ୱାମୀ ହୋଇ ଯେଉଁ ଅପମାନର ଅଗ୍ନି ସେ ମୋ ଛାତିରେ ଜଳାଇ ଦେଇ ଯାଇଥିଲେ ତାହା ଏବେ ମଧ୍ୟ କମି ନାହିଁ । ଛାଡ଼ି–ସେ କଥା-। ତା’ପରେ ସାତବର୍ଷ ପରେ ପୁଣି ତାଙ୍କର ଦେଖାପାଏ । ଯେଉଁ ବେଶରେ ତୁମେ ଦୁହେଁ ତାଙ୍କୁ ଦେଖିଥିଲ ସେହି ବେଶରେ ଦିନେ ସେ ଆସିଲେ ଆମ ଦୁଆରେ ସାପ ଖେଳାଇବାକୁ । ତାଙ୍କୁ ଆଉ କେହି ଚିହ୍ନିପାରିଲେ ନାହିଁ; କିନ୍ତୁ ମୁଁ ଚିହ୍ନିପାରିଲି । ମୋ ଆଖିକୁ ସେ କିନ୍ତୁ ଫାଙ୍କି ଦେଇପାରିଲେ ନାହିଁ । ଶୁଣିଲି ଏ ଦୁଃସାହସ କାର୍ଯ୍ୟ ସେ କେବଳ ମୋ ପାଇଁ ହିଁ କରି ବସିଥିଲେ । କିନ୍ତୁ ସେ ସବୁ ମିଛ କଥା । ତଥାପି ଦିନେ ଗଭୀର ରାତିରେ କବାଟ ଫିଟାଇ ସ୍ୱାମୀଙ୍କ ପାଇଁ ଗୃହ ତ୍ୟାଗୀ ହେଲି । ସମସ୍ତେ ଶୁଣିଲେ । ସମସ୍ତେ ଜାଣିଲେ ଅନ୍ମଦା କୂଳତ୍ୟାଗ କରି ଚାଲିଗଲା । ଏଇ କଳଙ୍କର ଭାରକୁ ସବୁଦିନ ପାଇଁ ମୋତେ ବୋହି ଚାଲିବାକୁ ପଡ଼ୁଛି ଆଉ ପଡ଼ୁଥିବ । ଏହାର କୌଣସି ପ୍ରତିକାର ନାହିଁ । ଯେହେତୁ ସ୍ୱାମୀ ଜୀବିତ ଥିବା ସମୟରେ ମୁଁ ଆତ୍ମପ୍ରକାଶ କରିନାହିଁ । ବାପାଙ୍କୁ ଭଲକରି ଜାଣେ । ତାଙ୍କର ସନ୍ତାନ–ସନ୍ତତିଙ୍କୁ ଏଭଳି ଦୁଷ୍କର୍ମ ପାଇଁ କଦାପି କ୍ଷମା ଦିଅନ୍ତେ ନାହିଁ । କିନ୍ତୁ ଆଜି ଯେତେବେଳେ ସେ ଭୟ ନାହିଁ ସେତେବେଳେ ଯାଇ ତାଙ୍କୁ କହିପାରନ୍ତି । କିନ୍ତୁ ଏ ଗଳ୍ପ କ’ଣ ଏତେଦିନ ପରେ କେହି ବିଶ୍ୱାସ କରିପାରିବେ ? ସୁତରାଂ ପିତୃ ଗୃହରେ ମୋର ଆଉ ସ୍ଥାନ ନାହିଁ । ତା’ ଛଡ଼ା ଆଜି ମୁଁ ମୁସଲମାନ ।

 

ଏଠାରେ ସ୍ୱାମୀଙ୍କର ଯାହା ଋଣ ଥିଲା ସବୁ ପରିଶୋଧ କରିଦେଇଛି । ମୋ ପାଖରେ ସୁନାର ଦୁଇଟି ମାଙ୍କଡ଼ୀ ଥିଲା ତାକୁ ବିକ୍ରି କରିଦେଇଛି । ତୁ ଯେଉଁ ପାଞ୍ଚଟି ଟଙ୍କା ଦିନେ ରଖି ଯାଇଥିଲୁ, ତାକୁ ଖର୍ଚ୍ଚ କରି ନାହିଁ । ଆମ ବଡ଼ ରସ୍ତା ମୋଡ଼ରେ ଯେଉଁ ମୋଦୀ ଦୋକାନ ଅଛି ତା’ ମାଲିକ ପାଖରେ ରଖିଦେଇଛି । ଇଚ୍ଛାକଲେ ନେଇ ଯାଇପାରିବୁ । ଟଙ୍କା କେତେଟା ଫେରାଇଦେଲି ବୋଲି ମନରେ ଦୁଃଖ କରିବୁ ନାହିଁ ଭାଇ । କିନ୍ତୁ ତୋ ଭଳି ଗୋଟିଏ କଅଁଳ ମନର ସ୍ନେହକୁ ମୋ ବୁକୁରେ ସବୁଦିନ ପାଇଁ ସାଇତି ରଖିଲି । ଏଇଟି କିନ୍ତୁ ଯେ ନାନୀର ଆଦେଶ ବୋଲି ଭାବିବୁ ଶ୍ରୀକାନ୍ତ । ମୋ କଥା ଭାବି ତୁ ଆଦୌ ମନକଷ୍ଟ କରିବୁ ନାହିଁ । ମନେକରିବୁ ତୋ ନାନୀ ଯେଉଁଠାରେ ଥାଉ ନା କାହିଁକି ଭଲରେ ଥିବ । କାରଣ ଦୁଃଖ ସହି ସହି ଆଉ କୌଣସି ଦୁଃଖ ଏ ମନକୁ ଆଘାତ ଦେଇପାରିବ ନାହିଁ । ମୋର ଦୁଇଟି ଭାଇ । ତୋତେ ଆଉ କ’ଣ ଅବା କହି ଆଶୀର୍ବାଦ ଦେବି ? ତେବେ କେବଳ ମାତ୍ର ଏତିକି କହିଯାଉଛି–ଭଗବାନ ଯଦି ପତିବ୍ରତାର ମର୍ଯ୍ୟାଦା ରଖିଥାନ୍ତି ତେବେ ତୁମ ଦୁହିଁଙ୍କର ବନ୍ଧୁତ୍ୱ ଯେପରି ଚିରଦିନ ସେ ଅକ୍ଷୟ କରି ରଖନ୍ତି ।

 

ତୋର ନାନୀ

ଅନ୍ନଦା ।

 

ଆଜି ଏକାକୀ ଯାଇ ମୋଦି ଦୋକାନ ପାଖରେ ଠିଆହେଲି । ମୋ ପରିଚୟ ପାଇ ଦୋକାନୀ ଖଣ୍ଡିଏ ଛିଣ୍ଡା କନାର ପୁଟୁଳି ବାହାର କରି ତହିଁରୁ ଦୁଇଟି ମାଙ୍କଡ଼ୀ ଏବଂ ପାଞ୍ଚଟି ଟଙ୍କା ବାହାର କଲା । ଟଙ୍କା କେତୋଟି ମୋ ହାତକୁ ବଢ଼ାଇଦେଇ କହିଲା–ବୋହୂ, ସୁନାର ମାଙ୍କଡ଼ୀ ଦୁଇଟି ମାତ୍ର ଏକୋଇଶି ଟଙ୍କାକୁ ମୋତେ ବିକ୍ରି କରିଦେଇ ଶାହାଜୀର ସମସ୍ତ ଧାର ଶୁଝିଦେଇ ଚାଲିଯାଇଛନ୍ତି । କିନ୍ତୁ କୁଆଡ଼େ ଗଲେ ତାହା ମୁଁ ଜାଣି ନାହିଁ । ଏହା କହି ସେ ମୁହେଁ ମୁହେଁ କାହାର କେତେ ଋଣ ହିସାବ ଦେଇ କହିଲା–ଯିବା ସମୟରେ ବୋହୂହାତରେ ଆଉ ସାଢ଼େ ପାଞ୍ଚଅଣା ପଇସା ଥିଲା । ଅର୍ଥାତ୍‌ ମାତ୍ର ବାଇଶି ପଇସାକୁ ସମ୍ୱଳ କରି ଏଇ ନିରୁପାୟ, ନିରାଶ୍ରୟା ରମଣୀ ସଂସାରର ଦୁର୍ଗମ ପଥରେ ଏକାକିନୀ ଯାତ୍ରା ଆରମ୍ଭ କରିଦେଇଛନ୍ତି । କାଳେ ତାଙ୍କର ସେହି ସ୍ନେହାଷ୍ପଦ ବାଳକ ଦୁଇଟି ତାକୁ ଆଶ୍ରୟ ଦେବାପାଇଁ ବ୍ୟର୍ଥ ପ୍ରୟାସ ହେତୁ ଉପାୟହୀନ ବେଦନାରେ ବ୍ୟଥିତ ହୋଇପାରନ୍ତି ଏହି ଆଶଙ୍କା କରି ସେ ସମସ୍ତଙ୍କ ଅଲକ୍ଷ୍ୟରେ ନୀରବରେ ବାହାରି ଚାଲିଯାଇଛନ୍ତି । କୁଆଡ଼େ ଚାଲିଗଲେ ସେ କଥା ମଧ୍ୟ କାହାକୁ ଜଣାଇନାହାନ୍ତି । ନ ଜଣାନ୍ତୁ କିନ୍ତୁ ମୋ ପାଞ୍ଚଟି ଟଙ୍କା ମଧ୍ୟ ନେଲେ ନାହିଁ । ଅଥଚ ନେଇଛନ୍ତି ଭାବି କେତେଦିନ ଧରି ମନେମନେ ଆନନ୍ଦ ଓ ଗର୍ବରେ ଯେଉଁ ଆକାଶ କୁସୁମ ସୃଷ୍ଟି କରିଥିଲି ତାହା ମୋର ଶୂନ୍ୟରେ ଆଜି ମିଳାଇଗଲା । ଅଭିମାନରେ ଆଖିରୁ ମୋର ଲୁହ ଝରିପଡ଼ିଲା । ଦୋକାନୀ ବୁଢ଼ା ଆଗରୁ ସେଇ ଲୁହକୁ ଲୁଚାଇବା ପାଇଁ ଶୀଘ୍ର ସେଠାରୁ ଚାଲିଗଲି । ବାରମ୍ୱାର ମନେମନେ କହିବାକୁ ଲାଗିଲି–ଇନ୍ଦ୍ରଠାରୁ କେତେଥର କେତେ ଟଙ୍କା ନେଇଚନ୍ତି କିନ୍ତୁ ମୋଠାରୁ ଏଇ ଟଙ୍କା ପାଞ୍ଚଟା ଯାହା ନ ନେଇ ଫେରାଇ ଦେଇଗଲେ !

 

କିନ୍ତୁ ବର୍ତ୍ତମାନ ମୋର ସେ ଅଭିମାନ ମନରେ ନାହିଁ । ବଡ଼ ହୋଇ ବୁଝିପାରିଛି ମୁଁ ଏପରିକି ଅବା ପୁଣ୍ୟ କରିଛି ଯେ ତାଙ୍କୁ ଦାନ କରିପାରିବି ? ସେହି ଜ୍ୱଳନ୍ତ ଶିଖାରେ ଯାହା ମୁଁ ଦେବି ତାହା ପୋଡ଼ି ପାଉଁଶ ହୋଇଯିବ ବୋଲି ନାନୀ ମୋ ଦାନକୁ ଫେରାଇ ଦେଇଥିଲେ । କିନ୍ତୁ ଇନ୍ଦ୍ର ! ଇନ୍ଦ୍ର ମଉ ମୁଁ କ’ଣ ଗୋଟାଏ ଧାତୁରେ ତିଆରି ଯେ, ସେ ଯେଉଁଠାରେ ଦାନ କରିବ, ସେଠାରେ ମୁଁ ଦାନ କରିବା ପାଇଁ ହାତ ବଢ଼ାଇବି ? ତା’ ଛଡ଼ା ଏ କଥା ତ ବୁଝିପାରିଛି ଯେ, ନାନୀ କାହା ମୁହଁକୁ ଚାହିଁ: ଇନ୍ଦ୍ର ନିକଟରେ ହାତ ପାତିଥିଲେ । ଛାଡ଼ି ସେ କଥା ।

 

ତା’ପରେ ଅନେକ ସ୍ଥାନ ଘୂରିବୁଲିଛି । କିନ୍ତୁ ଏଇ ପୋଡ଼ା ଆଖିଦୁଇଟା କେଉଁଠାରେ ଆଉ ନାନୀକୁ ଦେଖିପାରିନାହିଁ । ନ ପାରିଲେ ମଧ୍ୟ ଅନ୍ତର ଭିତରେ ସେଇ ପ୍ରସନ୍ନ ହସ ହସ ମୁହଁ ଚିରଦିନ ସେହିପରି ଦେଖିବାକୁ ପାଏ । ତା’ ଚରିତ୍ର କଥା ସ୍ମରଣ କରି ଯେତେବେଳେ ମଥା ନୁଆଇଁ ପ୍ରଣାମ ଜଣାଏ, ସେତେବେଳେ ମୋର କେବଳ ଏଇ କଥା ମାତ୍ର ମନେହୁଏ, ହେ ଭଗବାନ ! ତୁମର କି ବିଚାର ଆମର ଏଇ ସତୀ–ସାବିତ୍ରୀ ଦେଶରେ ସ୍ୱାମୀ ପାଇଁ ସହଧର୍ମିଣୀକୁ ଅପରିସୀମ ଦୁଃଖ ଦେଇ ସତୀର ମାହାତ୍ମ୍ୟ ତୁମେ ଉଜ୍ଜ୍ୱଳତର କରି ସଂସାରକୁ ଦେଖାଇଦେଇଛ ସେ କଥା ମୁଁ ଜାଣେ । ସେମାନଙ୍କର ସମସ୍ତ ଦୁଃଖ–ଦୈନ୍ୟକୁ ଚିରସ୍ମରଣୀୟ କୀର୍ତ୍ତିରେ ରୂପାନ୍ତରିତ କରି ଜଗତର ସମସ୍ତ ନାରୀ ଜାତିକୁ କର୍ତ୍ତବ୍ୟର ଧ୍ରୁବ ପଥକୁ ଆକର୍ଷଣ କରିଛ, ତୁମର ସେ ଇଚ୍ଛାକୁ ହିଁ ବୁଝିପାରୁଛି-। କିନ୍ତୁ ମୋ ନାନୀର ଭାଗ୍ୟରେ ଏତେବଡ଼ ବିଡ଼ମ୍ୱନା ନିର୍ଦ୍ଦେଶ କରିଦେଲ କାହିଁକି-? କାହିଁକି ଏତେବଡ଼ ସତୀ କପାଳରେ ଅସତୀର ଗଭୀର କଳା ଛାପ ମାରି ଚିରଦିନ ପାଇଁ ତୁମେ ସଂସାରରୁ ନିର୍ବାସିତ କରିଦେଲ ? ତୁମେ ତା’ର ନନେଲ କ’ଣ ? ତା’ର ଜାତି ନେଲ, ଧର୍ମ ନେଲ, ସମାଜ, ସଂସାର, ସଂଭ୍ରମ ସବୁ କାଢ଼ିନେଲ । ଯେତେପ୍ରକାର ଦୁଃଖ ଦେଇଛ ସେଥିପାଇଁ ଆଜି ତ ତା’ର ସାକ୍ଷୀ ମୁଁ ରହିଛି । ଏଥିପାଇଁ କିନ୍ତୁ ମୁଁ ଦୁଃଖ କରୁନାହିଁ ଜଗଦୀଶ୍ୱର । କିନ୍ତୁ ଯାହାର ଆସନ ସୀତା, ସାବିତ୍ରୀ ସତୀ ସଙ୍ଗେ ସମାନ ତାକୁ ତା’ର ବାପ, ମାଆ, ଆତ୍ମୀୟ ସ୍ୱଜନ, ଶତ୍ରୁମିତ୍ର କ’ଣ ବୋଲି ଜାଣିଲେ ? ଜାଣିଲେ କୂଳଟା ବୋଲି । ବେଶ୍ୟା ବୋଲି । ଏଥିରେ ତୁମର କି ଅବା ଲାଭ ହେଲା-? ସଂସାର ମଧ୍ୟ କ’ଣ ପାଇପାରିଲା ?

 

ହାୟରେ ! କେଉଁଠି ଅଛନ୍ତି ତା’ର ଏଇସବୁ ଆତ୍ମୀୟ ସ୍ୱଜନ, ଶତ୍ରୁ ମିତ୍ର ? ଯଦି ଥରକପାଇଁ ସେମାନଙ୍କର ଠିକଣା ଜାଣିପାରନ୍ତି ତେବେ ସେ ଦେଶ ଯେତେଦୂର ହେଉନା କାହିଁକି, ଏ ଦେଶ ବାହାରେ ହେଲେ ମଧ୍ୟ ହୁଏତ ଏତେଦିନ ଭିତରେ ସେଠାରେ ଯାଇ ପହଞ୍ଚି କହିଦେଇ ଆସିପାରନ୍ତି ଏ ହେଉଛି ତୁମର ଅନ୍ମଦା ! ଏଇ ହେଉଛି ତା’ ଅକ୍ଷୟ କାହାଣୀ । ତୁମେମାନେ ଯେଉଁ ଝିଅଟିକୁ କୂଳତ୍ୟାଗିନୀ ବୋଲି ଆଜିଯାଏଁ ଭାବି ଆସିଛି ସକାଳବେଳା ଯଦି ତା’ ନାମଟା ପ୍ରତ୍ୟହ ସ୍ମରଣ କରିପାରିବ ତେବେ ତୁମମାନଙ୍କର ଅନେକ ଦୁଷ୍କୃତି ହୁଏତ ଖଣ୍ଡନ ହୋଇପାରିବ ।

 

ତେବେ ମୁଁ ଗୋଟିଏ ସତ୍ୟ ଏଥିରୁ ଉପଲବଧ୍‌ କରିପାରିଛି । ଆଗରୁ କହିରଖିଛି ନାରୀର କଳଙ୍କ ବିଷୟକୁ ମୁଁ ସହଜରେ ବିଶ୍ୱାସ କରିପାରେ ନାହିଁ । ମୋର ନାନୀ କଥା ମନେପଡ଼େ । ଯଦି ତା’ ଭାଗ୍ୟରେ ଏତେବଡ଼ ବଦନାମ ରଟିପାରେ ତେବେ ସଂସାରରେ ଅସମ୍ଭବ କ’ଣ ହୋଇପାରେ ? ଏକାକୀ ମୁଁ, ଆଉ ସେଇ ସମସ୍ତ କାଳର; ସମସ୍ତ ପାପପୁଣ୍ୟର ଯିଏ ସାକ୍ଷୀ ତାଙ୍କ ବ୍ୟତୀତ ଜଗତରେ ଆଉ କ’ଣ କେହି ଅଛନ୍ତି ଯେଉଁମାନେ ଅନ୍ମଦାନାନୀକୁ ଟିକିଏ ସ୍ନେହରେ ହେଲେ ଦିନେ ମନେପକାଇବେ ? ସେଥିପାଇଁ ମୁଁ ଭାବେ ଭଲକରି ନ ଜାଣି ନାରୀର କଳଙ୍କକୁ ଅବିଶ୍ୱାସ କରି ଠକି ଯିବା ବରଂ ଭଲ କିନ୍ତୁ ହଠାତ୍‌ ବିଶ୍ୱାସ କରି ପାପରେ ଭାଗୀ ହେବାରେ ଲାଭ ନାହିଁ ।

 

ତାପରେ ଅନେକଦିନ ପର୍ଯ୍ୟନ୍ତ ଇନ୍ଦ୍ରକୁ ଆଉ ଦେଖିନାହିଁ । ଗଙ୍ଗାକୂଳକୁ ବୁଲିବାକୁ ଗଲାବେଳେ ଦେଖିବାକୁ ପାଏ ତା’ ଡଙ୍ଗା ଘାଟରେ ବନ୍ଧାହୋଇ ରହିଛି । ପାଣିରେ ଭାସୁଛି । ଖରାରେ ଫାଟୁଛି । କେବଳ ଆଉ ଗୋଟିଏ ମାତ୍ର ଦିନ ଆମେ ଦୁହେଁ ଏ ଡଙ୍ଗାରେ ବସିଥିଲୁ । ସେଇ ଶେଷ । ତାପରେ ସେ ଆଉ ବସିନାହିଁ କିମ୍ୱା ମୁଁ ମଧ୍ୟ ନୁହେଁ । ଏଇ ଦିନଟା ମୋର ବେଶୀ ମନେପଡ଼େ । କେବଳ ଯେ ଆମ ଦୁହିଁଙ୍କର ନୌକାଯାତ୍ରାର ସମାପ୍ତି ବୋଲି ତା’ ନୁହେଁ । ସେଦିନ ସ୍ୱାର୍ଥପରତାର ଯେଉଁ ଉତ୍କଟ ଦୃଷ୍ଟାନ୍ତ ଦେଖିବାକୁ ପାଇଥିଲି ତାହା ସହଜରେ ଭୁଲିପାରି ନାହିଁ । ସେଇକଥାହିଁ ବର୍ତ୍ତମାନ କହିବି ।

 

ସେ ଏକ କନକନିଆ ଶୀତ ଋତୁର ସନ୍ଧ୍ୟା । ପୂର୍ବଦିନ ଅସରାଏ ଭଲ ବର୍ଷା ହୋଇଯାଇଥିବାରୁ ଶୀତଟା ଦେହରେ ଛୁଞ୍ଚିପରି ଫୋଡ଼ି ହୋଇଯାଉଥିଲା । ହଠାତ୍‌ ଏତିକିବେଳେ ଇନ୍ଦ୍ର ଆସି ପହଞ୍ଚିଲା । କହିଲା–ଥିଏଟର ହେବ, ଯିବୁ ? ଥିଏଟର ନା ଶୁଣି ମୁଁ ଆନନ୍ଦରେ ନାଚିଉଠିଲି ।

 

ଇନ୍ଦ୍ର କହିଲା–ତେବେ ଲୁଗାପଟା ପିନ୍ଧି ଶୀଘ୍ର ଆମ ଘରକୁ ଆସ ।

 

ପାଞ୍ଚ ମିନିଟ୍‌ ଭିତରେ ଖଣ୍ଡେ ରାପର ଟାଣିନେଇ ଶୀଘ୍ର ଘରୁ ବାହାରିପଡ଼ିଲି । ସେଠାକୁ ଯିବାକୁ ହେଲେ ଟ୍ରେନରେ ଯିବାକୁ ହେବ । ଭାବିଲି ତାଙ୍କ ଘର ଗାଡ଼ିରେ ଗଲେ ବୋଧହୁଏ ଶୀଘ୍ର ପହଞ୍ଚିପାରିବୁ ।

 

ଇନ୍ଦ୍ର ମୋ କଥା ଶୁଣି କହିଲା–ଗାଡ଼ି ନୁହେଁ, ଆମକୁ ଡଙ୍ଗାରେ ଯିବାକୁ ହେବ । ମୁଁ ଟିକିଏ ନିରୁତ୍ସାହିତ ହୋଇପଡ଼ିଲି । କାରଣ ଗଙ୍ଗାର ଉଜାଣି ସୁଅରେ ଡଙ୍ଗାକୁ ଠେଲି ନେଉନେଉ ବିଳମ୍ୱ ହୋଇପାରେ । ତେଣୁ ସମ୍ଭବତଃ ଠିକ୍ ସମୟରେ ଉପସ୍ଥିତ ନହୋଇପାରୁ । ଇନ୍ଦ୍ର ମୋ ମନର ଅବସ୍ଥା ବୁଝି କହିଲା–ଭୟ କରିବାର କିଛି ନାହିଁ । କାରଣ ପବନ ଜୋର ଅଛି । ତେଣୁ ବିଳମ୍ୱ ଆଦୌ ହେବ ନାହିଁ । ମୋର ଜଣେ ଭାଇ କଲିକତାରୁ ଆସିଛନ୍ତି । ସେ ଗଙ୍ଗା ନଦୀ ବାଟେ ଯିବାପାଇଁ ଚାହାନ୍ତି ।

 

ଯାହାହେଉ ଡଙ୍ଗାରେ ପାଲ ବାନ୍ଧି ଅନେକ ସମୟ ବସିବା ପରେ ଇନ୍ଦ୍ରର ନୂଆଭାଇ ଆସି ପହଞ୍ଚିଲେ । ଜହ୍ନ ଆଲୁଅରେ ତାଙ୍କୁ ଦେଖି ଭୟରେ ଶିହରିଉଠିଲି । କଲିକତି ବାବୁ ଅର୍ଥାତ୍‌ ଯାହାକୁ କହନ୍ତି ବାବୁ । ସିଲ୍‌କ ମୋଜା ଚକ୍‍ଚକ୍‌ ପମ୍ପସୁ, ଆଗପଛ ଓଭରକୋଟରେ ଆଚ୍ଛାଦିତ ଗଳାବନ୍ଦ କୋଟ, ହାତରେ ହାତମୋଜା, ମୁଣ୍ଡରେ ଟୋପି ଅର୍ଥାତ୍‌ ଶୀତ ସହିତ ମୁକାବିଲା କରିବାପାଇଁ ତାଙ୍କର ସତର୍କତାର ସୀମା ନଥିଲା । ଆମମାନଙ୍କର ଅତି ପ୍ରିୟ ଡଙ୍ଗାଟାକୁ ଯାଚ୍ଛାତା କହି ତାତ୍ସଲ୍ୟ କରି ଇନ୍ଦ୍ର କାନ୍ଧରେ ଭରାଦେଇ ଡରି ଡରି ସେ ଯାଇ ଡଙ୍ଗା ମଝିରେ ବସିଲେ ।

 

: ତୋ ନାଆଁ କ’ଣ କିରେ ?

 

ଭୟରେ କହିପକାଇଲି–ଶ୍ରୀକାନ୍ତ ।

 

ସେ ଦାନ୍ତ ନିକୁଟି ଖତେଇ ହେଲାଭଳି କହିଲେ–ଶ୍ରୀକାନ୍ତ ! କେବଳ କାନ୍ତ ନୁହେଁ ? ନେ, ତମାଖୁ ସଜା । ଇନ୍ଦ୍ର ହୁକା ରଖିଲୁ କେଉଁଠି ? ପିଲାଟାକୁ ଦେ, ସେ ତମାଖୁ ଠିକ୍‌ କରୁ ।

 

ଆରେ ବାପ୍‌ ! ମଣିଷ ତ ଚାକରକୁ ସୁଦ୍ଧା ଏପରି ଭାବରେ ହୁକୁମ କରୁନଥିବ !

 

ଇନ୍ଦ୍ର ଅପ୍ରତିଭ ହୋଇ କହିଉଠିଲା ଶ୍ରୀକାନ୍ତ । ଆ, ତୁ ଟିକିଏ କାତ ଧର: ମୁଁ ତମାଖୁ ସଜାଡ଼ି ଦେଉଛି ।

 

ମୁଁ ତାକୁ କିଛି ନକହି ତମାଖୁ ସଜାଡ଼ିବାରେ ଲାଗିପଡ଼ିଲି । କାରଣ ସେ ଇନ୍ଦ୍ରର ମାମୁଁ ପୁଅ ଭାଇ । କଲିକତାର ଅଧିବାସୀ ଏବଂ ବର୍ତ୍ତମାନ ଏଲ.ଏ. ପାଶ୍‌ କରିଛନ୍ତି । କିନ୍ତୁ ମୋ ମନଟା ସମ୍ପୂର୍ଣ୍ଣ ବିଗିଡ଼ିଗଲା । ତମାଖୁ ତିଆରି କରି ହୁକାଟାକୁ ହାତକୁ ବଢ଼ାଇଦେବା କ୍ଷଣି, ସେ ଆନନ୍ଦରେ ହୁକା ଟାଣୁଟାଣୁ ପଚାରିଲେ–ତୁ ଆଜିକାଲି ରହୁଛୁ କେଉଁଠାରେ କାନ୍ତ ?

 

ତୋ ଦେହରେ ଏଇ କଳାକନାଟା କ’ଣ କିରେ ? ରାପର ? ଆହା–ହା–ତୋ ରାପର କି....କୌନ୍ଦର୍ଯ୍ୟ ? ତେଲ ଗନ୍ଧରେ ଭୂତ ମଧ୍ୟ ଛାଟିପିଟି ହୋଇ ପଳାଇବ । ତଳେ ପକାଇବୁ ଦେଖି, ମୁଁ ଟିକିଏ ବସେ ।

 

ମୁଁ ଦେଉଛି ନୂଆଭାଇ । ମୋତେ ଶୀତ ଆଦୌ କରୁନାହିଁ–ଏଇ ନିଅ କହି ଇନ୍ଦ୍ର ତା’ ଦେହରୁ ଆଲୁଓ୍ୱାନଟା କାଢ଼ି ଫିଙ୍ଗିଦେଲା । ସେଇଟାକୁ ସେ ଭଲକରି ଭାଙ୍ଗି ତା’ ଉପରେ ବସି ଆରାମରେ ତମାଖୁ ଟାଣିବାକୁ ଲାଗିଲେ ।

 

ଶୀତଋତୁର ଗଙ୍ଗା । ଅଧିକ ପ୍ରଶସ୍ତ ନୁହେଁ । ଅଧଘଣ୍ଟା ଭିତରେ ଡଙ୍ଗା ଯାଇ ସେ କୂଳରେ ପହଞ୍ଚିଲା । କିନ୍ତୁ ସଙ୍ଗେ ସଙ୍ଗେ ଝଡ଼ବତାସ ମାଡ଼ିଆସିଲା ।

 

ଇନ୍ଦ୍ର କାତର ହୋଇ କହିଲା, ନୂଆଭାଇ ବର୍ତ୍ତମାନ ତ ବଡ଼ ଅସୁବିଧା ହେଲାଣି । ପବନ ମୁହଁରେ ଆମେ ପଡ଼ିଗଲେ । ଆଉ ତ ପାଲ ଟାଣିହେବ ନାହିଁ ।

 

ନୂଆଭାଇ ଜବାବ କହିଲେ–ଏଇ ପିଲାଟାକୁ କାତଧରି ଟାଣିବାକୁ କହନା । କଲିକତାବାସୀ ନୂଆ ଭାଇଙ୍କ ଅଭିଜ୍ଞତା ଦେଖି ଇନ୍ଦ୍ର ସାମାନ୍ୟ ହସିଦେଇ କହିଲା–କାତ ! କାହାର ସାଧ୍ୟ ନାହିଁ ଏ ପବନରେ ଉଜାଣି ବୁହାଇ ଯାଇପାରିବ । ବର୍ତ୍ତମାନ ଆମକୁ ଫେରିଯିବାକୁ ହେବ ।

 

ଏଭଳି ପ୍ରସ୍ତାବ ଶୁଣି ମୁହୂର୍ତ୍ତକ ଭିତରେ ନୂଆ ଭାଇ ରାଗରେ ଅଗ୍ନିବାଣ ହୋଇଉଠିଲେ-। କହିଲେ–ତେବେ ଆଣୁଥିଲୁ କାହିଁକି ? ଯେପରି ହେଉ ତୋତେ ସେଠାରେ ପହଞ୍ଚିବାକୁ ହେବ-। ମୁଁ ଯାଇ ଥିଏଟରରେ ହାରମୋନିୟମ ଯିମିତି ହେଲେ ବଜାଇବି । ସେମାନେ ମୋତେ ଆଗରୁ କହିଛନ୍ତି ।

 

ଇନ୍ଦ୍ର କହିଲା–ସେମାନଙ୍କର ବାଜା ବଜାଇବାପାଇଁ ଆଉ ଲୋକ ଅଛନ୍ତି । ତେଣୁ ତୁମେ ନଗଲେ ମଧ୍ୟ କାମ ଅଟକିଯିବ ନାହିଁ ।

 

: ନା, ଅଟକିଯିବ କେଉଁଠୁ ! ଏଇ ମଫସଲିଆ ଲୋକ ବଜାଇବେ ହାରମୋନିୟମ ! ଚାଲ–ଚାଲ । ଯେମିତି ହେଉ ମୋତେ ନେଇକରି ଚାଲ । ଏତିକି କହିବାକୁ ସେ ଯେଉଁ ମୁଖଭଙ୍ଗୀ କଲେନା, ସେଥିରେ ମୋ ଦେହ ରାଗରେ ଜଳିଉଠିଲା । ତାଙ୍କ ବାଜଣା ପରେ ଶୁଣିଥିଲି ତେଣୁ ସେ କଥା ଆଉ କହି ଲାଭ ନାହିଁ ।

 

ଇନ୍ଦ୍ରର ଅବସ୍ଥା ସଂକଟଜନକ ଅନୁଭବ କରି ମୁଁ ଆସ୍ତେଆସ୍ତେ କହିଲି ଇନ୍ଦ୍ର ଦଉଡ଼ି ଧରି ଟାଣି ଟାଣି ନେଲେ ହୁଅନ୍ତା ନାହିଁ ? କଥାଟା ମୋ ପାଟିରୁ ଶେଷ ହେଉ ନ ହେଉଣୁ ମୁଁ ଚମକିପଡ଼ିଲି । ତା’ ନୂଆଭାଇ ବିକୃତ ମୁଖଭଙ୍ଗୀ କରି କହି ଉଠିଲେ ଯାହାକି ଆଜି ସୁଦ୍ଧା ମୋର ମନେପଡ଼ିଯାଉଛି । କହିଲେ ଯାଉନୁ, ଟାଣିବା କଥା ତ ଟାଣ । ପଶୁଭଳି ବସି ରହିଛୁ କାହିଁକି ?

 

ତାହାପରେ ଥରେ ଇନ୍ଦ୍ର ତ ଥରେ ମୁଁ ଦଉଡ଼ି ଧରି ଟାଣିଟାଣି ଅଗ୍ରସର ହେବାକୁ ଲାଗିଲୁ-। କେତେବେଳେ ଉଚ୍ଚ ଯାଗା ତ କେତେବେଳେ ନୀଚ ଯାଗା ପୁଣି କେତେବେଳେ ବରଫ ଭଳି ଥଣ୍ଡା ଅଳ୍ପ ପାଣିଭିତରେ ଉଠିପଡ଼ି ଆମ ଦୁହିଁଙ୍କୁ ଟାଣିବାକୁ ହେଉଥାଏ । ପୁଣି ମଝିରେ ମଝିରେ ବାବୁଙ୍କର ତମାଖୁ ତିଆରି କରିବା ପାଇଁ ଡଙ୍ଗାକୁ ରଖିବାକୁ ପଡ଼ୁଥାଏ । ଅଥଚ ବାବୁ ଜଣକ ସେମିତି ବସିଥାନ୍ତି । ଟିକିଏ ହେଲେ ସାହାଯ୍ୟ କରିବାର ନାଁ ଧରୁନଥାନ୍ତି । ଇନ୍ଦ୍ର ଏଥର ତାଙ୍କୁ ଆହୁଲାଟା ଧରିବାକୁ କହିଲା । କିନ୍ତୁ ସେ କହିଲେ ଏତେ ଥଣ୍ଡାରେ ହାତ ମୋଜା ଖୋଲି ଆହୁଲା ମାରି ସେ ନିମୋନିୟାକୁ ନିମନ୍ତ୍ରଣ କରି ଆଣିପାରିବେ ନାହିଁ ।

 

ଇନ୍ଦ୍ର କହିବାକୁ ଲାଗିଲା–ହାତମୋଜା ନ ଖୋଲିଲେ ବି ଚଳିବ ।

 

: ହଁ, ଦାମୀ ହାତ ମୋଜାକୁ ମୁଁ ମାଟି କରିପକାଇବିନି ଆଉ କ’ଣ ? ଯାହା ପାରୁଛ ତୁମେ କର ।

 

ପ୍ରକୃତରେ ମୁଁ ଏଇଭଳି ଜଣେ ସ୍ୱାର୍ଥପର ଅସତ୍‌ ପ୍ରକୃତିର ଲୋକ ଜୀବନରେ ଅଳ୍ପ ଦେଖିଥିବି । ତାଙ୍କର ଗୋଟାଏ ବାଜେ ଖିୟାଲକୁ ଚରିତାର୍ଥ କରିବାକୁ ଯାଇ ଆମମାନଙ୍କୁ ଏତେ କଷ୍ଟ ସହ୍ୟ କରୁଥିବାର ଦେଖି ସୁଦ୍ଧା ସେ ଆଦୌ ବିଚଳିତ ହେଲେ ନାହିଁ । ଅଥଚ ଆମେମାନେ ବୟସରେ ତାଙ୍କଠାରୁ କେତେ ଛୋଟ ନଥିଲୁ ଅବା ? କାଳେ ଟିକିଏ ଥଣ୍ଡା ଲାଗି ସେ ଅସୁସ୍ଥ ହୋଇପାରନ୍ତି; କାଳେ ଟୋପାଏ ପାଣି ଲାଗି ତାଙ୍କର ଦାମୀ ଓଭରକୋଟ ନଷ୍ଟ ହୋଇପାରେ, କାଳେ ହଲଚଲ ହେଲେ ଦେହକୁ କଷ୍ଟ ହୋଇପାରେ, ବୋଧହୁଏ ଏଇ କଥା ଚିନ୍ତା କରି ସେ ଆଡ଼େଇହୋଇ ବସି ରହିଲେ ଏବଂ ଅବିଶ୍ରାନ୍ତ ଚିତ୍କାର କରି ହୁକୁମ ଜାହିର କରିବାକୁ ଲାଗିଲେ ।

 

ଆହୁରି ବିପଦ ଦେଖାଦେଲା । ଗଙ୍ଗାର ଋଚିକର ହାଓ୍ୱାରେ ବାବୁଙ୍କର କ୍ଷୁଧା ଉଦ୍ରେକ ହେଲା ଏବଂ ଚାହୁଁ ଚାହୁଁ ସେ କ୍ଷୁଧା ଅବିଶ୍ରାନ୍ତ ଗାଳିଦେବା ଚୋଟରେ ଭୀଷଣ ହୋଇଉଠିଲା । ଏପାଖରେ ଚାଲି ଚାଲି ରାତି ଦଶଟା ବାଜିଲାଣି । ଥିଏଟର ପାଖରେ ପହଞ୍ଚିବାକୁ ରାତି ଦୁଇଟା ବାଜିବ ଶୁଣି ବାବୁ ପ୍ରାୟ କ୍ଷିପ୍ତ ହୋଇଉଠିଲେ । ରାତି ଯେତେବେଳେ ଏଗାରଟା ସେତେବେଳେ କଲିକତି ବାବୁ କାବୁହୋଇ କହିଲେ–ହଇରେ ଇନ୍ଦ୍ର ! ଏଠାରେ ଗାଆଁଗଣ୍ଡା ନାହିଁ । ମୁଢ଼ି, ଚୁଡ଼ା କିଛି ମିଳିବ ନାହିଁ ?

 

ଇନ୍ଦ୍ର କହିଲା–ଆଗରେ ଗୋଟାଏ ବଡ଼ ଗାଁ ଅଛି । ସେଠାରେ ସବୁ ଜିନିଷ ମିଳିପାରିବ ।

 

: ତେବେ ସେଇଠାକୁ ଟାଣିନିଅ । ଆରେ ହେ ଟୋକା, ଟିକିଏ ଜୋର୍‌ରେ ଟାଣ । କ’ଣ ଭାତ ଖାଉନାହୁଁ କି ?

 

ଇନ୍ଦ୍ର କିମ୍ୱା ମୁଁ କେହି ତାଙ୍କ କଥାର ଉତ୍ତର ଦେଲୁ ନାହିଁ । ଯେପରି ଟାଣି ଚାଲିଥିଲୁ ସେଇପରି ଭାବରେ ଟାଣୁଟାଣୁ ଅଳ୍ପ ସମୟ ପରେ ଗୋଟାଏ ଗାଆଁ ନିକଟରେ ଆସି ପହଞ୍ଚିଲୁ । ଏଠାରେ କୁଳଟା ଢାଲୁ ଏବଂ ଓସାରିଆ ହୋଇ ପାଣି ସହିତ ମିଶିଥିଲା । ଡଙ୍ଗାକୁ ଠେଲାମାରି ଅଳ୍ପ ପାଣିରେ ଛାଡ଼ିଦେଇ ଆମେ ଦୁହେଁ ନିଃଶ୍ୱାସ ମାରି ସତେଅବା ବଞ୍ଚିଗଲୁ ।

 

ବାବୁ କହିଲେ–ହାତ ଗୋଡ଼ ଟିକିଏ ଖେଳାଇନେବା ଭଲ । ଓହ୍ଲାଇପଡ଼ିଲେ ହୁଅନ୍ତା । ଅତଏବ ଇନ୍ଦ୍ର ତାହାଙ୍କୁ କାନ୍ଧକରି ଓହ୍ଲାଇଆଣିଲା । ସେ ଜ୍ୟୋତ୍ସ୍ନା ଆଲୋକରେ ଗଙ୍ଗାର ଶୁଭ୍ର ସୈକତରେ ପଦଚାରଣ କରିବାକୁ ଲାଗିଲେ ।

 

ଆମେ ଦୁଇଜଣ ତାଙ୍କ କ୍ଷୁଧା ଶାନ୍ତି କରାଇବା ପାଇଁ ଗାଆଁ ଭିତରକୁ ଆଗେଇ ଚାଲିଲୁ । ଯଦିଓ ଭଲ କରି ଜାଣିଥିଲୁ ଯେ ଏତେ ରାତିରେ, ଏଇ ଦରିଦ୍ର ପଲ୍ଲୀରେ ଆହାର୍ଯ୍ୟ ବସ୍ତ୍ର ସଂଗ୍ରହ କରିବା ସହଜ ବ୍ୟାପାର ନୁହେଁ, ତଥାପି ଚେଷ୍ଟେ କରିବାକୁ ଉପାୟନଥିଲା । ଏଣେ ତାଙ୍କର ଏକାକୀ ରହିବାକୁ ଇଚ୍ଛା ନାହିଁ । ସେ ସେକଥା କହିବା କ୍ଷଣି ଇନ୍ଦ୍ର ତତ୍‌କ୍ଷଣାତ୍‌ ଆହ୍ୱାନ ଜଣାଇ କହିଲା ଆସନା ନୂଆଭାଇ । ଏକା ଏକା ରହିଲେ ତୁମକୁ ଡରମାଡ଼ିବ । ଆମମାନଙ୍କ ସଙ୍ଗରେ ଟିକିଏ ବୁଲିଆସିବ । ଏଠାରେ ଚୋରଫୋର କେହିନାହାନ୍ତି । ତେଣୁ ଡଙ୍ଗା ଚୋରିକରି ନେବାର ଭୟ ଆଦୌ ନାହିଁ । ଆସନା...

 

ନୂତନ ଭ୍ରାତା ଆମର ମୁଖକୁ ବିକୃତ କରି କହିଉଠିଲେ–ଭୟ ? ମୁଁ ଦର୍ଜୀ ପଡ଼ାର ପିଲା-। ଯମକୁ ସୁଦ୍ଧା ଭୟ କରେ ନାହିଁ । କିନ୍ତୁ ଏୟାବୋଲି ସେଇ ଛୋଟ ଲୋକଗୁଡ଼ାଙ୍କର DIRTY ଗାଆଁ ଭିତରକୁ ମୁଁ ଯାଏ ନାହିଁ । ସେମାନଙ୍କ ଦେହର ଗନ୍ଧ ବାଜିଲେ ମୋର ବାନ୍ତି ହୋଇଯିବ-। ଅଥଚ ତାଙ୍କର ମନୋଗତ ଅଭିପ୍ରାୟ ମୁଁ ତାଙ୍କ ପହରାରେ ନିଯୁକ୍ତ ହୋଇ ରହିଥାନ୍ତି ଏବଂ ଇନ୍ଦ୍ର ଫେରିଆସିବା ପର୍ଯ୍ୟନ୍ତ ତମାଖୁ ସଜାଇ ଯୋଗାଇ ଦେଉଥାନ୍ତି ।

 

କିନ୍ତୁ ମୁଁ ତା’ ବ୍ୟବହାରରେ ଏତେଦୂର ମନେମନେ ବିରକ୍ତ ହୋଇଉଠିଥିଲି ଯେ ଇନ୍ଦ୍ର ତାଙ୍କ ମନୋଭାବ କଥା ଆଭାସ ଦେବାକ୍ଷଣି ମୁଁ କୌଣସିମତେ ଏଇ ଲୋକଟା ପାଖରେ ଏକାକୀ ରହିବା ପାଇଁ ରାଜି ହେଲି ନାହିଁ । ଇନ୍ଦ୍ର ସାଙ୍ଗରେ ମିଶି ଗାଆଁ ଭିତରକୁ ଚାଲିଗଲି ।

 

ଦର୍ଜୀ ପଡ଼ାର ବାବୁ ହାତତାଳି ଦେଇ ଗୀତ ବୋଲିବାକୁ ଲାଗିଲେ–ଠୁନ୍‌–ଠୁନ୍–ପିଆଲା...

 

ଆମେମାନେ ଅନେକ ଦୂର ପର୍ଯ୍ୟନ୍ତ ତାଙ୍କର ସେଇ ମାଇଚିଆ ସ୍ୱରର ସଙ୍ଗୀତ ଚର୍ଚ୍ଛା । ଶୁଣି ଶୁଣି ଗଲୁ । ଇନ୍ଦ୍ର ନିଜେ ମଧ୍ୟ ତା’ ଭାଇଙ୍କର ଏପରି ବ୍ୟବହାରରେ ମନେମନେ ଅତିଶୟ ଲଜ୍ଜିତ ଏବଂ କ୍ଷୁବ୍‌ଧ ହୋଇଉଠିଥିଲା । ଚୁପ୍‍ଚୁପ୍‌ କରି କହିଲା–ଏ କଲିକତାର ଲୋକ କିନା ? ବୁଝିଲୁ ଶ୍ରୀକାନ୍ତ, ଆମମାନଙ୍କ ପରି ଏଠିକାର ପାଣିପବନ ସେ ସହ୍ୟ କରିପାରନ୍ତି ନାହିଁ ।

 

ମୁଁ କହିଲି–ହୁଁ ।

 

ଇନ୍ଦ୍ର ସେତେବେଳେ ମୋର ଶ୍ରଦ୍ଧା ଆକର୍ଷଣ କରିବାପାଇଁ ବୋଧହୁଏ ତାଙ୍କର ଅସାଧାରଣ ବିଦ୍ୟାବୁଦ୍ଧିର ପରିଚୟ ଦେଇ ଚାଲିଲା । ସେ ଅଳ୍ପଦିନ ପରେ ବି.ଏ. ପାଶ୍‌ କରି ଡେପୁଟି ହେବେ କଥା ପ୍ରସଙ୍ଗରେ ଏ କଥା ମଧ୍ୟ କହିଲା । ଯାହାହେଉ, ଏତେଦିନ ପରେ ଯେ ଡେପୁଟି ହୋଇଛନ୍ତି କି ନାହିଁ ସେ ସମ୍ୱାଦ ମୁଁ ଜାଣିନାହିଁ । କିନ୍ତୁ ମନେହୁଏ ଯେପରି ପାଇଯାଇଛନ୍ତି-। ନଚେତ୍‌ ବଙ୍ଗାଳୀ ଡେପୁଟିମାନଙ୍କର ଏତେ ସୁଖ୍ୟାତି ମଝିରେ ମଝିରେ ଶୁଣିବାକୁ ମିଳୁଥାନ୍ତା ଅବା କିପରି ? ସେତେବେଳେ ତାଙ୍କର ପ୍ରଥମ ଯୌବନ । ଶୁଣିଛି ଜୀବନର ଏହି ସମୟଟାରେ କୁଆଡ଼େ ହୃଦୟର ପ୍ରଶସ୍ତତା, ସମବେଦନାର ବ୍ୟାପକତା ଯେପରି ବୃଦ୍ଧିପାଏ ଏପରି ଆଉ କେଉଁ ସମୟରେ ସେପରି ହୋଇନଥାଏ । ଅଥଚ ଘଣ୍ଟାକର ସମ୍ପର୍କ ଭିତରେ ସେ ସବୁର ନମୁନା ବାବୁ ଜଣକ ଦେଖାଇ ଦେଇପାରିଥିଲେ । ଯାହାଫଳରେ ଏତେଦିନର ବ୍ୟବଧାନ ପରେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମନରୁ ତାହା ପାଶୋରିପାରୁ ନାହିଁ । ତେବେ ଭାଗ୍ୟରେ ଥିଲେ ଏପରି ନମୁନା ସବୁ କ୍ୱଚିତ ଦେଖିବାକୁ ମିଳିଥାଏ, ନଚେତ୍‌ ବହୁ ପୂର୍ବରୁ ସଂସାରଟା ରୀତିମତ୍‌ ଗୋଟାଏ ପୋଲିସ ଥାନାରେ ପରିଣତ ହୋଇଯାଇଥାନ୍ତା । ଛାଡ଼ି ସେ କଥା ।

 

ଭଗବାନ କିନ୍ତୁ ଯେ ତା’ ଉପରେ କ୍ରୁଦ୍ଧ ହୋଇଉଠିଲେ ଏ ଖବରଟା ପାଠକମାନଙ୍କୁ ଦେବା ନିହାତି ଆବଶ୍ୟକ । ଏ ଅଞ୍ଚଳରେ ରାସ୍ତାଘାଟ, ଦେକାନପତ୍ର ସବୁ ଇନ୍ଦ୍ରର ପରିଚିତ । ସେ ଯାଇ ମୋଦୀ ଦୋକାନରେ ପହଞ୍ଚିଲା । କିନ୍ତୁ ଦୋକାନ ବନ୍ଦ ଏବଂ ଦୋକାନୀ ବିଚରା ଶୀତ ଭୟରେ କବାଟ ଝରକା ସବୁ ଭିତରୁ ବନ୍ଦ କରି ଗଭୀର ନିଦ୍ରାରେ ମଗ୍ନ । ଏହି ଗଭୀରତା ଯେ କିପରି ଅତଳସ୍ପର୍ଶୀ ସେ କଥା ଯାହାର ଅଭିଜ୍ଞତା ନାହିଁ ତାକୁ ଲେଖାରେ ଲେଖି ବୁଝାଇ ହେବନାହିଁ-। ଯେଉଁମାନେ ଅମ୍ଳରୋଗୀ ନିଷ୍କର୍ମା ଜମିଦାର କିମ୍ୱା ବହୁ ଭାରାକ୍ରାନ୍ତ କନ୍ୟାଦାୟଗ୍ରସ୍ତ ବଙ୍ଗାଳୀ ଗୃହସ୍ଥ ନୁହଁନ୍ତି କେବଳ ସେମାନେହିଁ ଶୋଇ ଜାଣନ୍ତି । ଦିନସାରା ଖଟିଖଟି ରାତିରେ ଖାଇପିଇ ଥରେ ଖଟକୁ ଆଶ୍ରୟ କଲାପରେ ଘରେ ନିଆଁ ନ ଲଗାଇ, କେବଳ ଡକାଡକି କରି କିମ୍ୱା କବାଟ ଖଡ଼ଖଡ଼ କରି ଉଠାଇଦେବ, ଏପରି ପ୍ରତିଜ୍ଞା ଯଦି ସ୍ୱୟଂ ସତ୍ୟବାଦୀ ଅର୍ଜୁନ ଜୟଦ୍ରଥ–ବଧ ପରିବର୍ତ୍ତେ କରି ବସିଥାନ୍ତେ ତେବେ ତାଙ୍କୁ ମଧ୍ୟ ମିଥ୍ୟା ପ୍ରତିଜ୍ଞା ପାପରେ ଦଗ୍‌ଧ ହୋଇ ମରିବାକୁ ହୋଇଥାନ୍ତା ଏକଥା ଶପଥ କରି କୁହାଯାଇପାରେ ।

 

ଆମେ ଦୁଇଜଣ ବାହାରେ ଠିଆହୋଇ କରୁଣ ସ୍ୱରରେ ଚିତ୍କାର କରି ଏବଂ ଯେତେ ପ୍ରକାର ଫନ୍ଦ ମଣିଷ ମୁଣ୍ଡରେ ଜୁଟିପାରେ ତହିଁରୁ ପ୍ରତ୍ୟେକଟି ଗୋଟି ଗୋଟିକର ବ୍ୟବହାର କରିସାରି ଅଧଘଣ୍ଟା ପରିଶ୍ରମ କଲାପରେ ଶେଷରେ ରିକ୍ତ ହସ୍ତରେ ଫେରିଆସିବାକୁ ହେଲା । କିନ୍ତୁ ଘାଟ ଯେ ଜନଶୂନ୍ୟ ! ଜ୍ୟୋତ୍ସ୍ନାଲୋକରେ ଯେତେଦୂର ପର୍ଯ୍ୟନ୍ତ ଆଖିପାଏ ସେତେଦୂର ପର୍ଯ୍ୟନ୍ତ ଶୂନଶାନ୍‌ ! ଡଙ୍ଗା ଯିମିତି ବନ୍ଧାହୋଇ ରହିଥିଲା ସେଇପରି ରହିଛି । ତେବେ ସେ ଗଲେ କୁଆଡ଼େ ? ଦୁଇଜଣ ପ୍ରାଣପଣେ ଚେଷ୍ଟା କରି ଚିତ୍କାର କରି ଡାକ ପକାଇଲୁ ନୂଆଭାଇ–ନୂଆଭାଇ । କିନ୍ତୁ କେଉଁଠାରେ କାହିଁ କିଏ ? ଆମ ଦୁହିଁଙ୍କର ବ୍ୟାକୁଳ ଆହ୍ୱାନ ଦୂର ପାହାଡ଼ରେ ଧକ୍‌କା ଖାଇ ଅସ୍ପଷ୍ଟ ହୋଇ ଫେରିଆସିଲା । ଏ ଅଞ୍ଚଳରେ ମଝିରେ ମଝିରେ ବାଘ ଉପଦ୍ରବ ଶୁଣା ଯାଇଥାଏ । ଲୋକମାନେ ଏଇ ଶୀତଦିନରେ ଦଳବଦ୍ଧ ହୋଇ ଗାଆଁକୁ ଜଗନ୍ତି । ହଠାତ୍‌ ଇନ୍ଦ୍ର ସେଇ କଥା ମନେପକାଇ କହିଉଠିଲା ବାଘ ନେଇଗଲାଣି କି ? ଭୟରେ ଦୁହିଁଙ୍କ ଦେହରେ କିଏ ଯେପରି କଣ୍ଟା ଫୋଡ଼ି ଦେଇଗଲା । ଏ କ’ଣ ହେଲା ? ଅବଶ୍ୟ ଏଇ ଅଳ୍ପ ସମୟ ପୂର୍ବେ ତା’ର ଅମାନୁଷିକ ବ୍ୟବହାରରେ ମୁଁ ଅତ୍ୟନ୍ତ କୁପିତ ହୋଇଉଠିଥିଲି ସତ କିନ୍ତୁ ଅଭିଶାପ ଦେଇନଥିଲି ।

 

ହଠାତ୍‌ ଅଳ୍ପଦୂରରେ ବାଲିଉପରେ କ’ଣ ଗୋଟାଏ ଜିନିଷ ଜ୍ୟୋତ୍ସ୍ନା ଆଲୋକରେ ଚକ୍‌ଚକ୍‌ କରୁଥିବାର ନୁହେଁ ଦେଖିପାରିଲୁ । ପାଖକୁ ଯାଇ ଦେଖିଲୁ ତା’ର ସେଇ ବହୁମୂଲ୍ୟ ପମ୍ପସୁର ଗୋଟିଏ ପଟ । ଇନ୍ଦ୍ର ସେଇ ଭିଜା ବାଲିଉପରେ ଶୋଇପଡ଼ିଲା । କହିଲା–ମୋ ମାଇଁ ଆସିଛନ୍ତି । ମୁଁ ଆଉ ଘରକୁ ଫେରିବି ନାହିଁ । ତାପରେ ଆସ୍ତେ ଆସ୍ତେ ସବୁ ବିଷୟ ପରିଷ୍କାର ହୋଇ ଜଣାପଡ଼ିଗଲା । ଆମେ ଯେତେବେଳେ ମୋଦୀ ଦୋକାନକୁ ଯାଇ ଆହାର୍ଯ୍ୟ ଦ୍ରବ୍ୟ ପାଇଁ ବ୍ୟର୍ଥ ଚେଷ୍ଟା କରୁଥିଲୁ ଏଣେ ଏ ଦିଗରେ କୁକୁରଗୁଡ଼ାକ ଯେ ସମବେତ ଆର୍ତ୍ତ ଚିତ୍କାରଦ୍ୱାରା ଏହି ଦୁର୍ଘଟଣାରେ ସମ୍ୱାଦଟା ଜଣାଇବାକୁ ବ୍ୟର୍ଥ ପ୍ରୟାସ କରିଥିଲେ ତାହା ଜଳଜଳ ହୋଇ ଆଖିଆଗରେ ନାଚିଉଠିଲା । ସେତେବେଳେ ଆଉ ଅବୁଝା ରହିଲା ନାହିଁ ଯେ ବାଘ ଆସି ତାଙ୍କୁ ଘୋଷାରି ନେଇ ଅଦୂରରେ ଭୋଜନ କରିସାରିଛି ଏବଂ ସେଇ ଭୋଜନସ୍ଥାନର ଆଖପାଖରେ କୁକୁରଗୁଡ଼ାକ ବର୍ତ୍ତମାନ ଠିଆହୋଇ ଭୁକିବାରେ ଲାଗିଛନ୍ତି ।

 

ହଠାତ୍‌ ଇନ୍ଦ୍ର ସିଧାହୋଇ ଠିଆହୋଇପଡ଼ି କହିଲା–ମୁଁ ଯିବି । ମୁଁ ଭୟରେ ତା’ ହାତ ଧରିପକାଇ କହିଲି–ତୁ କ’ଣ ପାଗଳ ହୋଇଗଲୁ କି ? ଇନ୍ଦ୍ର ମୋ କଥାରେ କୌଣସି ଉତ୍ତର ଦେଲା ନାହିଁ । ଡଙ୍ଗାକୁ ଫେରିଯାଇ କାତ ବାଉଁଶଟାକୁ କାନ୍ଧରେ ଧରିଲା । ପକେଟରୁ ଛୁରି ବାହାର କରି ହାତରେ ଧରି କହିଲା–ତୁ ଥାଆ ଶ୍ରୀକାନ୍ତ, ମୁଁ ଯଦି ଫେରି ନ ଆସେ ତେବେ ଯାଇ ଆମଘରେ ଖବର ଦେଇଦେବୁ । ମୁଁ ଚାଲିଲି ଭାଇ...

 

ତା’ ମୁହଁଟା ପାଣ୍ଡୁର ଦିଶୁଥିଲା । କିନ୍ତୁ ଆଖିଦୁଇଟା ନିଆଁଭଳି ଜଳିବାକୁ ଲାଗିଥାଏ । ମୁଁ ତାକୁ ଭଲକରି ଚିହ୍ନେ । ଏ ତା’ର ନିଷ୍ଫଳ ଆସ୍ଫାଳନ ନୁହେଁ ଯେ ତା’ ହାତଧରି ଦୁଇଚାରି ପଦ କଥା ଭୟହେଲା ଭଳି କହିବସିଲେ ଏହି ମିଥ୍ୟା ଦମ୍ଭ ମିଳାଇଯିବ । ମୁଁ ଭଲକରି ଜାଣେ, କୌଣସିମତେ ତାକୁ ସେଥିରୁ ବିରତ କରିହେବ ନାହିଁ । ସେ ଯିବା କଥା ଥରେ ତୁଣ୍ଡରେ ଧରିଲେ ଯିବ ହିଁ ଯିବ । ଭୟ ସହିତ ଯାହାର ଆଦୌ ଚିହ୍ନାପରିଚୟ ନାହିଁ ତାକୁ ମୁଁ ଅବା କ’ଣ ବୋଲି କହିବି ଏବଂ କାହିଁକି ଅବା ବାଧାଦେବି ? ସେ ଯେତେବେଳେ ଯିବାକୁ ବାହାରିପଡ଼ିଲା, ସେତେବେଳେ ଆଉ ଏକାକୀ ରହିପାରିଲି ନାହିଁ ମୁଁ ମଧ୍ୟ ହାତରେ ଖଣ୍ଡେ ବାଉଁଶ ଧରି ତା’ର ଅନୁସରଣ କଲି । ଏଥର ଇନ୍ଦ୍ର ମୋ ହାତ ଧରିପକାଇ କହିଉଠିଲା–ତୁ ବୋଧହୁଏ ଶ୍ରୀକାନ୍ତ ରାଗିଯାଇଛୁ ? ତୁ କାହିଁକି ଯିବୁ ? ଏଥିରେ ତୋର ଦୋଷ କ’ଣ ଅବା ?

 

ତା’ କଣ୍ଠସ୍ୱର ଶୁଣି ଥରକ ପାଇଁ ମୋ ଆଖିରେ ଲୁହ ଆସିଗଲା । କୌଣସିମତେ ଲୁହକୁ ଗୋପନ କରି କହିଉଠିଲି; ତୋର ଦୋଷ କ’ଣ ଇନ୍ଦ୍ର ? ତୁ ଅବା କାହିଁକି ଯିବୁ ?

 

ପ୍ରତ୍ୟୁତ୍ତର ଦେବାକୁ ଯାଇ ଇନ୍ଦ୍ର ମୋ ହାତରୁ ବାଉଁଶଟା ଛଡ଼ାଇନେଇ ଡଙ୍ଗାଉପରକୁ ଫିଙ୍ଗିଦେଇ କହିଲା, ମୋର ଦୋଷ ନାହିଁ ଭାଇ । ମୁଁ ମଧ୍ୟ ନୂଆଭାଇକୁ ଆଣିବାକୁ ଚାହେଁ ନାହିଁ । କିନ୍ତୁ ଏକାକୀ ଘରକୁ ଫେରିପାରିବି ନାହିଁ । ତେଣୁ ମୋତେ ଯିବାକୁ ହିଁ ପଡ଼ିବ ।

 

କିନ୍ତୁ ମୋତେ ତ ନିହାତି ଯିବାକୁ ପଡ଼ିବ । କାରଣ ଆଗରୁ ମୁଁ କହି ରଖିଛି ଯେ ମୁଁ ଅତ୍ୟନ୍ତ ଡରକୁଳା ଥିଲି । ଅତଏବ ପୁଣି ବାଉଁଶଟା ଡଙ୍ଗାରୁ ଆଣିବା କ୍ଷଣି ଇନ୍ଦ୍ର ଆଉ କୌଣସି ବାକ୍‌ ବିତଣ୍ଡା ନକରି ମୋତେ ସଙ୍ଗରେ ନେଇ ଚୁପ୍‌ଚାପ ହୋଇ ଆଗେଇଯିବାକୁ ଲାଗିଲା । ମଝିରେ ସେ କେବଳ ଏତିକି କହିଲା ବାଲିରେ ଦଉଡ଼ିବୁ ନାହିଁ । ଚୋରାବାଲିରେ ଗୋଡ଼ ପଡ଼ିଗଲେ ଭୁସ୍‌ କରି ପାଣିରେ ପଡ଼ିଯିବୁ । ଖବରଦାର–ସେଭଳି ଚେଷ୍ଟା କରିବୁ ନାହିଁ ।

 

ଆଗରେ ଗୋଟାଏ ବାଲିଗଦା ଥିଲା । ସେଇଟା ଅତିକ୍ରମ କରିଯିବା ପରେ ଦେଖାଗଲା ଯେ ଅନେକ ଦୂରରେ ପାଣି ପାଖରେ ଠିଆହୋଇ ଆଠଦଶଟା କୁକୁର ଭୋ–ଭୋ–ହୋଇ ଭୁକିବାରେ ଲାଗିଛନ୍ତି । ଯେତେଦୂର ଜଣାପଡ଼ିଲା ଦଳେ କୁକୁର ଛଡ଼ା ବାଘ କ’ଣ ସାମାନ୍ୟ ବିଲୁଆଟି ମଧ୍ୟ ସେଠାରେ ନାହିଁ । ଅତି ସନ୍ତର୍ପଣରେ କିଛି ଦୂର ଯିବାପରେ ଦେଖିଲୁ ସେମାନେ ଗୋଟାଏ କ’ଣ କଳା ଜିନିଷକୁ ପାଣିଭିତରେ ଭାସୁଥିବାର ଦେଖି ପହରା ଦେଇ ଜଗିଛନ୍ତି । ଇନ୍ଦ୍ର ଏହି ସମୟରେ ବଡ଼ପାଟିରେ ଚିତ୍କାର କରି ଡାକିଉଠିଲା, ନୂଆଭାଇ.....

 

ନୂଆଭାଇ ବେକେ ପାଣିରେ ଠିଆହୋଇ ଅତି ଆର୍ତ୍ତସ୍ୱରରେ କହିଉଠିଲେ ଆରେ ମୁଁ ଏଇଠି ଯେ....

 

ଆମେ ଦୁଇଜଣ ପାଟି ଶୁଣି ଆଗେଇଗଲୁ । କୁକୁରଗୁଡ଼ାକ ଅପସରି ଗଲେ । ଇନ୍ଦ୍ର ପାଣିକୁ ହଠାତ୍‌ ଡେଇଁପଡ଼ି ଆକଣ୍ଠ ନିମଜ୍ଜିତ ମୂର୍ଚ୍ଛିତ ପ୍ରାୟ ତା’ର ଦର୍ଜୀପଡ଼ାର ମାମୁଁ ପୁଅ ଭାଇଙ୍କୁ ଟାଣିଟାଣି କୂଳକୁ ଆଣିଲା । ସେତେବେଳେ ମଧ୍ୟ ତାଙ୍କର ଗୋଟାଏ ଗୋଡ଼ରେ ବହୁମୂଲ୍ୟ ପମ୍ପ ସୁ, ଦେହରେ ଓଭରକୋଟ, ହାତରେ ହାତ ମୋଜା, ଗଳାରେ ଗଳାବନ୍ଦ କୋଟ ଏବଂ ମୁଣ୍ଡରେ ପିନ୍ଧିଥିବା ଟୋପିଟା ପାଣିରେ ଓଦାହୋଇ ଫୁଲିଫାଲି ରହିଥିଲା । ଆମେ ଗଲାବେଳେ ସେ ହାତତାଳି ମାରି ଯେଉଁ ଠୁନ୍ ଠୁନ୍‌ ପିଆଲା ଗୀତର ସୁର ଧରିଥିଲେ ବୋଧହୁଏ ସେଇ ସ୍ୱରରେ ମୁଗ୍‌ଧହୋଇ ଗ୍ରାମର କୁକୁରମାନେ ଦଳବାନ୍ଧି ଏକତ୍ରହୋଇ ଏହି ଅଶ୍ରୁତପୂର୍ବ ସଙ୍ଗୀତର ସ୍ୱର ଏବଂ ଅଦୃଷ୍ଟପୂର୍ବ ମହାମାନବଙ୍କୁ ଦେଖି ବିଭ୍ରାନ୍ତ ହୋଇ ଗୋଡ଼ାଇବାକୁ ଲାଗିଲେ । ଆତ୍ମରକ୍ଷା କରିବାର କୌଣସି ଉପାୟ ନ ପାଇ ବୋଧହୁଏ ଭଦ୍ରବ୍ୟକ୍ତି ଦୌଡ଼ି ଯାଇ ଯାଇ ନଈକୁ ଡେଇଁପଡ଼ିଲେ ଏବଂ ଏଇ ଦୁର୍ଦ୍ଦାନ୍ତ ଶୀତ ରାତିରେ, ଶୀତଳ ପାଣିରେ ଆକଣ୍ଠମଗ୍ନ ରହି ଏହି ଅର୍ଦ୍ଦଘଣ୍ଟା ! କାଳ ବ୍ୟାପୀ ପୂର୍ବକୃତ ପାପର ପ୍ରାୟଶ୍ଚିତ ବୋଧହୁଏ କରିବାରେ ଲାଗିଥିଲେ । କିନ୍ତୁ ପ୍ରାୟଶ୍ଚିତ ଜନିତ ଦୁର୍ଗତିରୁ ତାଙ୍କୁ ରକ୍ଷାକରି ପୁଣି ଚେଙ୍ଗାକରି ପୂର୍ବାବସ୍ଥାକୁ ଫେରାଇ ଆଣିବାପାଇଁ ଆମ ଦୁହିଁଙ୍କୁ କମ୍‌ ମେହନତ କରିବାକୁ ପଡ଼ିନଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଏହି ଯେ, ବାବୁ ଯିମିତି ଡଙ୍ଗାରେ ଉଠିଛନ୍ତି ପ୍ରଥମ କରି ଯେଉଁ ପଦକ କଥା ତୁଣ୍ଡରୁ ବାହାରିଲା ତାହା ହେଉଛି ମୋର ଆଉପଟେ ପମ୍ପ ସୁ କୁଆଡ଼େ ଗଲା....

 

ସେଇଟା ବର୍ତ୍ତମାନ ସୁଦ୍ଧା ସେଠାରେ ପଡ଼ିଛି ଏହି ସମ୍ୱାଦ ଦେବାକ୍ଷଣି ସେ ସମସ୍ତ କ୍ଳେଶ ବିସ୍ମୃତ ହୋଇ ତାହାକୁ ଅବିଳମ୍ୱେ ହସ୍ତଗତ କରିବାପାଇଁ ସିଧା ଠିଆହୋଇପଡ଼ିଲେ । ତା’ପରେ କୋଟ, ଓଭରକୋଟ, ଏବଂ ହାତମୋଜା ପ୍ରଭୃତି ପାଇଁ ଶୋକ ପ୍ରକାଶ କରିବାକୁ ଲାଗିଲେ । ପୁଣି ସେଇଦିନ ରାତିରେ ଯେପର୍ଯ୍ୟନ୍ତ ଆମେ ଘାଟରେ ପହଞ୍ଚି ପାରିନଥାଉ ସେତେବେଳ ପର୍ଯ୍ୟନ୍ତ କେବଳ ଏତିକି କହି ତିରସ୍କାର କରିବାରେ ଲାଗିଥାନ୍ତି ଯେ–କାହିଁକି ଆମେ ଦୁହେଁ ଶୀଘ୍ର ତାଙ୍କ ଦେହରୁ ସେ ସବୁ ନିର୍ବୋଧ ଭଳି ଖୋଲି ଦେଇଥିଲୁ । ନ ଖୋଲିଥିଲେ ବାଲି ମାଟି ଲାଗି ଏଗୁଡ଼ାକ ଏପରି ଅପରିସ୍କାର ଚାହୁଁନଥିଲେ । ଆମେମାନେ ମଫସଲୀ ଲୋକ–ଚଷାଭୁଷା । ଜୀବନରେ କଦାପି ଏସବୁ ପୋଷାକ ଆଖିରେ ଦେଖିନାହୁଁ ଏହିପରି ଅନେକ କିଛି ଅବିରତ ବକି ବକି ସେ ଯିବାକୁ ଲାଗିଲେ । ଯେଉଁ ଦେହଟାରେ ସେ ଟୋପାଏ ପାଣି ପକାଇବାକୁ ଆଦୌ ଚାହୁଁନଥିଲେ, ଜାମା କୁରୁତା ଓଦାହେବା ଶୋକରେ ସେହି ଦେହି କଥା ସେ ସଂପୂର୍ଣ୍ଣ ଭୁଲିଯାଇଥିଲେ । ଉପଲକ୍ଷ୍ୟ ସେ ଅସଲ ବସ୍ତୁକୁ କିପରି ଭାବରେ ବହୁଗୁଣ ଅତିକ୍ରମ କରିଯାଏ ତାହା ଏଇପରି ଲୋକଙ୍କ ସଂସର୍ଗରେ ନ ଆସିଲେ, ଆଖିରେ ପଡ଼େ ନାହିଁ ।

 

ରାତି ଦୁଇଟା ବେଳକୁ ଆମ ଡଙ୍ଗା ଆସି କୂଳରେ ଲାଗିଲା । ମୋର ଯେଉଁ ରାପରଟିର ବିକଟ ଗନ୍ଧରେ କଲିକତା ବାବୁ ଏହା ପୂର୍ବରୁ ମୁର୍ଚ୍ଛିତ ହୋଇଯାଉଥିଲେ ସେହି ଖଣ୍ଡିକ ଦେହରେ ପକାଇ ଏବଂ ଇନ୍ଦ୍ରର ଲୁଗା ପିନ୍ଧି ସେ ଇଜ୍ଜତ ବଞ୍ଚାଇ ଘରେ ଆସି ପହଞ୍ଚିଲେ । ଯାହାହେଉ ସେ ଯେ ଦୟାକରି ବ୍ୟାଘ୍ରଙ୍କ କବଳିତ ନ ହୋଇ ସଶରୀରରେ ପ୍ରତ୍ୟାବର୍ତ୍ତନ କରିପାରିଥିଲେ, ତାଙ୍କର ଏଇ ଅନୁଗ୍ରହ ଫଳରେ ଆମେ ଆନନ୍ଦିତ ହୋଇଉଠିଥିଲୁ । ଏତେ ଅତ୍ୟାଚାର ଓ ଉପଦ୍ରବକୁ ହସ ହସ ମୁହଁରେ ସହ୍ୟକରି ଆଜି ନୌକା ଚଢ଼ାକୁ ପରିସମାପ୍ତି କରି, ଏଇ ଦୁର୍ଜୟ ଶୀତ ରାତିରେ କମ୍ପି କମ୍ପି ଘରକୁ ଫେରିଆସିଲି ।

 

ଲେଖିବାକୁ ବସି ଅନେକ ସମୟରେ ଆଶ୍ଚର୍ଯ୍ୟ ହୋଇ ଭାବେ ଯେ, ଏଇସବୁ ଏଣୁତେଣୁ ଘଟଣା ଏପରି ଭାବରେ ସୁନ୍ଦର କରି କିଏ ମୋ ଭିତରେ ସଜାଇ କରି ରଖିଲା ? ଯେପରି ଭାବରେ କହୁଛି ସେପରି ସେଗୁଡ଼ିକ ତ ଗୋଟିକ ପରେ ଗୋଟିଏ ଶୃଙ୍ଖଳିତ ହୋଇ ଘଟିନାହିଁ । ଆଉ ପୁଣି ସେଇ ଶୃଙ୍ଖଳର ସବୁ ଗଣ୍ଠିଗୁଡ଼ିକ କ’ଣ ସେହିପରି ଅଛି କି ? ତାହା ତ ନୁହେଁ । କେତେ ଛିଣ୍ଡି ଯାଇଥିବ । ତଥାପି କିନ୍ତୁ ଚେଷ୍ଟାକଲେ ସେ ସବୁ ଗୁନ୍ଥି ଏକତ୍ର କରି ଦିଆଯାଇପାରିବ ।

 

ଆହୁରି ଗୋଟିଏ ଆଶ୍ଚର୍ଯ୍ୟର ବିଷୟ ଅଛି । ପଣ୍ଡିତମାନେ କହନ୍ତି କୁଆଡ଼େ ବଡ଼ମାନଙ୍କ ଚାପରେ ସାନମାନେ ଗୁଣ୍ଡ ହୋଇଯାଆନ୍ତି । କିନ୍ତୁ ତାହା ଯଦି ହେଉଥାନ୍ତା ତେବେ ଜୀବନର ମୁଖ୍ୟ ଓ ପ୍ରଧାନ ଘଟଣାଗୁଡ଼ିକ କେବଳ ମନେରହି ହେଉଥାନ୍ତା, କିନ୍ତୁ ତାହା ହେବାର ତ ଦେଖିପାରୁ ନାହିଁ-। ପିଲାବେଳର କଥାପ୍ରସଙ୍ଗରେ ହଠାତ୍‌ ଦିନେ ଦେଖିବାକୁ ପାଏ; ସ୍ମୃତି ମନ୍ଦିରରେ ଅନେକ ତୁଚ୍ଛ କ୍ଷୁଦ୍ର ଘଟଣା କିପରି ଭାବରେ ଜାଣେ ନାହିଁ, ବେଶ ବଡ଼ ହୋଇ ରହିଯାଇଛି ଏବଂ ବଡ଼ ଘଟଣାଗୁଡ଼ିକ ଛୋଟ ହୋଇ କେତେବେଳେ ମନରୁ ପାଶୋର ହୋଇଯାଇଛି । କହିଲାବେଳେ ମଧ୍ୟ ଠିକ୍‌ ସେଇପରି ଘଟେ । ତୁଚ୍ଛ ବଡ଼ ହୋଇ ଦେଖାଦିଏ ଆଉ ବଡ଼ ବିଷୟ ମନେପଡ଼େ ନାହିଁ-। ଅଥଚ କାହିଁକି ଯେ ଏପରି ହୁଏ, ସେ କୈଫିୟତ ମୁଁ କିନ୍ତୁ ପାଠକମାନଙ୍କୁ ଦେଇପାରିବି ନାହିଁ, କେବଳ ଯାହା ଘଟେ ତାହା ହିଁ ଜଣାଇଦେଲି ।

 

ଏପରି ଗୋଟାଏ ତୁଚ୍ଛ ବିଷୟ ଯେ ମନମଧ୍ୟରେ ଏତେଦିନ ଧରି ନୀରବରେ ଏବଂ ଏପରି ଭାବରେ ଗୋପନରେ ଏତେବଡ଼ ହୋଇଉଠିଥିଲା, ଆଜି ତାହାର ସଂଧାନ ପାଇ ମୁଁ ନିଜେ ମଧ୍ୟ କମ ଆଶ୍ଚର୍ଯ୍ୟ ହେଉନାହିଁ । ସେଇ କଥାହିଁ ବର୍ତ୍ତମାନ ପାଠକମାନଙ୍କୁ କହିବି । ଅଥଚ ଜିନିଷଟା ପ୍ରକୃତରେ କ’ଣ ତା’ର ଅସଲ ପରିଚୟ ଦେଇନପାରିବା ପର୍ଯ୍ୟନ୍ତ ପ୍ରକୃତ ଘଟଣାଟା ଜଣାପଡ଼ିପାରିବ ନାହିଁ । ଯଦି ଆରମ୍ଭରୁ କହିବି ଯେ ତାହା ଗୋଟିଏ ପ୍ରେମ ବ୍ୟାପାର, ତେବେ ଏହାଦ୍ୱାରା ମିଥ୍ୟା ଭାଷଣ ଆଦୌ ହେବ ନାହିଁ ସତ କିନ୍ତୁ ଘଟଣାଟା ଆପଣା ଚେଷ୍ଟାରେ ଯେତେବଡ଼ ହୋଇଉଠିଛି ମୋ ଭାଷାଟା ହୁଏତ ତାକୁ ଟପିଯାଇପାରିବ । ସୁତରାଂ ଅତ୍ୟନ୍ତ ସତର୍କ ହୋଇ କହିବାକୁ ପଡ଼ୁଛି ।

 

ସେ ଅନେକଦିନ ତଳର କଥା । ନାନୀର ସ୍ମୃତିଟା ସେତେବେଳକୁ ଝାପ୍‌ସା ହୋଇଉଠିଥାଏ । ଯାହାର ମୁହଁକୁ ମନେପକାଇଲେ, କେଜାଣି କାହିଁକି ପ୍ରଥମ ଯୌବନର ଉତ୍ସୃଙ୍ଖଳତା ଆପଣା ମୁଣ୍ଡ ଟେକି ଠିଆହୁଏ, ସେଇ ନାନୀକୁ ଆଉ ପୂର୍ବଭଳି ତେଣୁ ମନେପକାଇ ହୁଏ ନାହିଁ । ଏହା ହେଉଛି ସେଇ ସମୟର କଥା । ଜଣେ ରାଜପୁତ୍ରଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଶିକାର ପାର୍ଟିରେ ଯାଇ ଉପସ୍ଥିତ ହେବାକୁ ପଡ଼ିଥାଏ । ତାଙ୍କ ସଙ୍ଗେ ଅନେକଦିନ ଧରି ସ୍କୁଲରେ ପଢ଼ିଥିଲି । ଲୁଚାଇ ଲୁଚାଇ ଅନେକ ଅଙ୍କ କଷି ତାଙ୍କୁ ଦେଇଥିଲି । ତେଣୁ ଦୁହିଁଙ୍କ ଭିତରେ ଭାବ ବହୁତ ଥାଏ । ତାପରେ ଏଣ୍ଟ୍ରାନ୍‌ସ କ୍ଳାସ ପରେପରେ ଦୁହିଁଙ୍କ ଭିତରେ ଛଡ଼ା–ଛଡ଼ି ହୋଇଗଲା । ରାଜା ପିଲାମାନଙ୍କର ସ୍ମରଣଶକ୍ତି କମ୍‌ ତାହା ମଧ୍ୟ ଜାଣିଥାଏ । କିନ୍ତୁ ସେ ମନେପକାଇ ମୋ ପାଖକୁ ଚିଠିପତ୍ର ଲେଖିବା ଆରମ୍ଭ କରିଦେବେ ଏକଥା କେବେ କଳ୍ପନା ସୁଦ୍ଧା କରିନଥିଲି । ମଝିରେ ହଠାତ୍‌ ଦିନେ ଦେଖାହୋଇଯାଏ । ସେତେବେଳକୁ ସେ ସାବାଳକ ହୋଇଉଠିଥାନ୍ତି । ଅନେକ ଗଚ୍ଛିତ ଟଙ୍କା ତାଙ୍କ ହାତରେ ପଡ଼ିଥାଏ ଆଉ ଅନେକ କଥା ଇତ୍ୟାଦି ଇତ୍ୟାଦି ତାଙ୍କର ପେଶା ଓ ନିଶା ହୋଇଥାଏ । ତାଙ୍କ କାନକୁ ଯାଇଥାଏ, କେବଳ ଯାଇଥାଏ ନୁହେଁ ବରଂ ଅତିରଞ୍ଜିତ ହୋଇ ପହଞ୍ଚିଥାଏ ଯେ ରାଇଫଲ ଚଲାଇବା ସମକକ୍ଷ କେହି ମୋ ସଙ୍ଗେ କୁଆଡ଼େ ନାହାନ୍ତି । ସେଥିପାଇଁ ଠିକ୍‌ କରିଥାନ୍ତି ଯେ ମୁହିଁ ହିଁ କେବଳ ତାଙ୍କ ସଙ୍ଗେ ସାଙ୍ଗହେବା ପାଇଁ ଉପଯୁକ୍ତ ବ୍ୟକ୍ତି । ନିଜ ଲୋକମାନେ ସାଧାରଣତଃ ଆପଣା ଲୋକର ସୁଖ୍ୟାତି ଟିକିଏ ବଢ଼ାଇ କରି କହିଥାନ୍ତି । ନଚେତ୍‌ ସତକୁ ସତ ଯେ ଏତେଗୁଡ଼ାଏ ବିଦ୍ୟା ଏତିକି ବୟସରେ ମୁଁ ଅର୍ଜନ କରିପାରିଥିଲି ସେଭଳି ଅହଙ୍କାର କରିବା ମୋ ପକ୍ଷରେ ଶୋଭାପାଏ ନାହିଁ । ଅନ୍ତତଃ ସାମାନ୍ୟ ବିନୟ ପ୍ରକାଶ କରିବାଟା ଉଚିତ ଥିଲା । ଛାଡ଼ନ୍ତୁ, ସେ କଥା ଏତିକିରେ ଥାଉ । ଶାସ୍ତ୍ରକାରମାନେ କହିଛନ୍ତି–ରାଜାରାଜୁଡ଼ାମାନଙ୍କର ସାଦହ ଆହ୍ୱାନ କେତେବେଳେ ହେଲେ ଉପେକ୍ଷା କରିବ ନାହିଁ । ହିନ୍ଦୁ ମୁଁ, ତେଣୁ ଶାସ୍ତ୍ରକାରମାନଙ୍କ ଉପଦେଶକୁ ଅମାନ୍ୟ କରିପାରିଲି ନାହିଁ । ଫଳରେ ବାଧ୍ୟହୋଇ ଗଲି । ଷ୍ଟେସନଠାରୁ ଦଶ ବାରକୋଶ ବାଟ ହାତୀ ପିଠିରେ ବସି ଯିବାପରେ ଦେଖିଲି, ରାଜପୁତ୍ରଙ୍କର ପାଞ୍ଚଟା ଖଣ୍ଡେ ତମ୍ୱୁ ପଡ଼ିଯାଇଥାଏ । ସେଥିରୁ ଗୋଟିଏ ତାଙ୍କ ନିଜର, ଗୋଟିଏ ବନ୍ଧୁମାନଙ୍କର, ଗୋଟିଏ ଚାକରମାନଙ୍କର, ଗୋଟିଏ ଖାଇବା ପିଇବା ପାଇଁ, ଆଉ ଗୋଟିଏ ଏପରି ଟିକିଏ ଦୂରରେ; ସେଇଟା ଭାଗ କରି ଦୁଇଜଣ ବାଇଜୀ ଏବଂ ସେମାନଙ୍କ ସହିତ ଥିବା ସଙ୍ଗୀମାନଙ୍କର ଆଡ଼୍‌ଡ଼ା ପାଇଁ ।

 

ସେତେବେଳକୁ ସନ୍ଧ୍ୟା ହୋଇଆସିଥାଏ । ରାଜପୁତ୍ରଙ୍କ ଖାସ କାମରାରେ ଯେ ଅନେକ ସମୟ ଧରି ସଙ୍ଗୀତର ବୈଠକ ବସିଛି ତାହା ପହଞ୍ଚିବା ମାତ୍ରେ ଜାଣିପାରିଲି । ରାଜପୁତ୍ର ମୋତେ ବଡ଼ ସମାଦରରେ ଅଭ୍ୟର୍ଥନା ଜଣାଇଲେ । ଏପରିକି ଆଦରର ଆତିଶଯ୍ୟରେ ଠିଆହେବା ପାଇଁ ଚେଷ୍ଟା କରୁକରୁ ସେ ପୁଣି ତକିଆରେ ଆଉଜି ଶୋଇପଡ଼ିଲେ । ବନ୍ଧୁବାନ୍ଧବମାନେ ବିହ୍ୱଳ କଣ୍ଠରେ ସମ୍ୱର୍ଦ୍ଧନା ଜଣାଇଲେ । ମୁଁ ସଂପୂର୍ଣ୍ଣ ଅପରିଚିତ । କିନ୍ତୁ ସେମାନଙ୍କର ଯେଉଁ ବଅସ୍ଥା ତାହା ଅପରିଚିତମାନଙ୍କୁ ଲଜ୍ଜ୍ୟା ଦିଏ ନାହିଁ ।

 

ଏଇ ବାଈଜୀଟି ପାଟନାରୁ ଦୁଇସପ୍ତାହ ପାଇଁ ଅନେକ ଟଙ୍କା ପାଉଣା ଚୁକ୍ତି କରି ଆସିଥାଏ । ଏଠାରେ ରାଜକୁମାର ଯେଉଁ ବୁଦ୍ଧିମତ୍ତା ଏବଂ ବିବେକୀର ପରିଚୟ ଦେଇଛନ୍ତି ତାହା ସ୍ୱୀକାର କରିବାକୁ ହେବ । ବାଈଜୀ ଦେଖିବାକୁ ସୁଶ୍ରୀ, ସୁକଣ୍ଠୀ ଏବଂ ଗୀତ ଗାଇବାରେ ଏକପ୍ରକାର ଓସ୍ତାଦ ।

 

ମୁଁ ପ୍ରବେଶ କରିବାକ୍ଷଣି ସଙ୍ଗୀତ ଆସରଟା ଟିକିଏ ଥମିଯାଇଥିଲା । ତାପରେ ସମୟୋଚିତ ବାକ୍ୟାଳାପ ଓ ଆଦବ କାୟଦାରେ କିଛି ସମୟ ବିତିଲା । ରାଜପୁତ୍ର ଅନୁଗ୍ରହ କରି ମୋତେ ଗାନା ଫରମେସ କରିବାକୁ ଅନୁରୋଧ କଲେ । ରାଜାଜ୍ଞା ଶୁଣି ପ୍ରଥମେ କିପରି କୁଣ୍ଠିତ ହୋଇଉଠିଥିଲି ।

 

କିନ୍ତୁ ଅଳ୍ପ କିଛିକ୍ଷଣ ପରେ ବୁଝିପାରିଲି ଯେ; ଏଇ ସଙ୍ଗୀତ ମଜଲିସରେ ମୁଁ ଯାହାହେଉ ଝାପ୍‌ସା ଭାବରେ କିଛି ହେଲେ ଦେଖିପାରୁଛି ବାକି ଆଉ ସମସ୍ତେ ଛୁଞ୍ଚିରେ ଥିବା କଣା ପରି ଅନ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବାଈଜୀ ପାଟନାର ଲୋକ । ନାମ ପିଆରୀ । ସେଦିନ ରାତିରେ ସେ ଯେପରି ମନପ୍ରାଣ ଦେଇ ମୋତେ ଗୀତ ଶୁଣାଇଥିଲା ବୋଧହୁଏ ଏହା ପୂର୍ବରୁ ତା’ ଜୀବନରେ ସେ କେବେ କାହାକୁ ଗୀତ ଶୁଣାଇନଥିଲା । ମୁଁ ମୁଗ୍‌ଧ ହୋଇଯାଇଥିଲି । ଗୀତ ବନ୍ଦ ହେବା କ୍ଷଣି କେବଳ ମୋ ପାଟିରୁ ବାହାରିପଡ଼ିଲା ବେଶ୍‌ ।

 

ପିଆରୀ ମୁହଁ ତଳକୁ କରି ହସିବାକୁ ଲାଗିଲା । ତାପରେ ଦୁଇହାତ ମୁଣ୍ଡରେ ଛୁଆଁଇ ସଲାମ ଜଣାଇଲା । ମଜଲିସ ସେଦିନ ରାତି ପାଇଁ ସେତିକିରେ ଶେଷ ହେଲା ।

 

ସେତେବେଳକୁ ଦଳଭିତରେ କେହି କେହି ଶୋଇଗଲେଣି ତ କେତେ ତୁଳେଇବାକୁ ଲାଗିଲେଣି ଆଉ ଅଧିକାଂଶ ବେହୋସ । ନିଜ ତମ୍ୱୁକୁ ଫେରିଯିବା ପାଇଁ ବାଇଜୀ ଯେତେବେଳେ ଦଳବଳ ଧରି ପ୍ରସ୍ତୁତ ହେଉଥିଲା, ମୁଁ ସେତେବେଳେ ଅନନ୍ଦାତିଶଯ୍ୟରେ କହିପକାଇଲି–ବାଈଜୀ, ମୋର ବଡ଼ ସୌଭାଗ୍ୟ ଯେ, ମୁଁ ଦୁଇସପ୍ତାହ ଧରି ତୁମ ଗୀତ ଶୁଣିପାରିବି ।

 

ବାଈଜୀ ପ୍ରଥମେ ଟିକିଏ ଅଟକିଯାଇ ଠିଆହେଲା । ପରକ୍ଷଣରେ ମୋ ପାଖକୁ ଟିକିଏ ଘୁଞ୍ଚିଆସି କହିଲା–ଟଙ୍କା ଯେତେବେଳେ ନେଉଛି ସେତେବେଳେ ମୋତେ ତ ଗାଇବାକୁ ହିଁ ପଡ଼ିବ-। କିନ୍ତୁ ଆପଣ କାହିଁକି ଏ ପନ୍ଦର ଷୋଳ ଦିନ ଧରି ଏମାନଙ୍କ ସ୍ତୁତି ଗାନ କରିବେ ? କାଲି ଘରକୁ ଚାଲିଯାଆନ୍ତୁ ।

 

ଏକଥା ଶୁଣି ମୁଁ ବୋକା ହୋଇଗଲି । କାଠ ଭଳି ଠିଆହୋଇ କ’ଣ ଉତ୍ତର ଦେବି ଏଇକଥା ଭାବୁଭାବୁ ବାଈଜୀ ଘରୁ ବାହାରି ଚାଲିଗଲା । ତା’ ପରଦିନ ସକାଳୁ କୁମାର ହୋହଲ୍ଲା କରି ଶିକାର କରିବା ପାଇଁ ବାହାରିଗଲେ । ମଦ ଆଉ ମାଂସର ଆୟୋଜନ ସବୁଠାରୁ ବେଶୀ । ସଙ୍ଗରେ ଦଶଜଣ ଖଣ୍ଡେ ଶିକାରୀ ଅନୁଜର । ପନ୍ଦରଟା ବନ୍ଧୁକ ଏବଂ ତା’ ଭିତରୁ ହେଉଛି ଛଅଟା ରାଇଫଲ । ସ୍ଥାନ–ଗୋଟାଏ ନଦୀର ଅଧା ଶୁଖିଲା ଉଭୟତୀର । ଗୋଟିଏ ତୀରରେ ଗ୍ରାମ ତା’ ସେ ପାଖରେ ବାଲୁକା ପ୍ରାନ୍ତର । ଏ ପାଖରେ କୋଶ କୋଶ ଧରି ଶିମିଳି ଗଛ ତ ସେପାଖରେ କେବଳ କାଶତଣ୍ଡୀ ଏବଂ କୁଶ ବୁଦା । ସେହିଠାରେ ପନ୍ଦରଟା ବନ୍ଧୁକ ଧରି ତାଙ୍କୁ ଶିକାର କରିବାକୁ ହେବ ।

 

କିଏ କେଉଁ ଦିଗକୁ ଯିବେ, ସେ ବିଷୟରେ ଉତ୍ସାହର ସହିତ ପରାମର୍ଶ କରୁକରୁ ଗୋଟିଏ ଦୁଇଟି ପାତ୍ର ନିଜଆଡ଼କୁ ଟାଣିନେଇ ଦେହ ଓ ମନକୁ ବୀର ଭଳି କରିପକାଇଲେ । ମୁଁ ବନ୍ଧୁକ ଥୋଇଦେଲି । ଏକରେ ବାଈଜୀର ଖେଞ୍ଚା ଖାଇ ସାରାରାତିଟା ମୋର କଷ୍ଟରେ କଟିଥିଲା ତହିଁରେ ପୁଣି ସକାଳୁ ଶିକାରର ଆୟୋଜନ ଦେଖି ସାରା ଦେହ ମୋର ରାଗରେ ଜଳିଉଠିଲା ।

 

କୁମାର ପ୍ରଶ୍ନକଲେ–ଶ୍ରୀକାନ୍ତ; ତୁମେ ଯେ ଚୁପଚାପ ? ଏ କ’ଣ ବନ୍ଧୁକ ରଖିଦେଲ ଯେ-?

 

: ମୁଁ ପକ୍ଷୀ ମାରେନି ।

 

: ସେ କ’ଣ ? କାହିଁକି ମାରନାହିଁ ?

 

: ମୋର ନିଶଦାଢ଼ି ଉଠିବା ଦିନରୁ ବନ୍ଧୁକ ଛୁଇଁ ନାହିଁ । ତେଣୁ ବନ୍ଧୁକ ମାରିବା ପ୍ରାୟ ଭୁଲିଯାଇଛି ।

 

ଶ୍ରୀକାନ୍ତ

କୁମାର ସାହେବ ହସି ହସି ବେଦମ । କିନ୍ତୁ ତାଙ୍କ ହସରେ ସେହି ଦ୍ରବ୍ୟର ଗୁଣ ଯେ କେତେ ଥିଲା ତାହା ଅବଶ୍ୟ ଅଲଗା କଥା ।

 

ସୁରଜର ଆଖି, ମୁହଁ, ଲାଲ ହୋଇଉଠିଲା । ସେ ହେଉଛି ଏ ଦଳର ପ୍ରଧାନ ଶିକାରୀ ଏବଂ ରାଜପୁତ୍ରଙ୍କର ପ୍ରିୟ ପାର୍ଶ୍ୱଚର । ତା’ର ଅବ୍ୟର୍ଥ ଲକ୍ଷ୍ୟ ବିଷୟରେ ମୁଁ ଏଠାରେ ଆସି ଆଗରୁ ଶୁଣିଥିଲି । ରାଗି କରି ସେ କହିଉଠିଲା–ପକ୍ଷୀ ଶିକାର କରିବାରେ କ’ଣ କିଛି ଲଜ୍ଜ୍ୟା କରିବାର ଥାଏ କି ?

 

ମୋର ମଧ୍ୟ ମନ ଭଲନଥିଲା, ସୁତରାଂ ସଙ୍ଗେ ସଙ୍ଗେ ଜବାବ ଦେଇ କହିଲି–ସମସ୍ତଙ୍କର ନଥାଏ । କିନ୍ତୁ ମୋର ଅଛି । ଯାହାହେଉ ମୁଁ ତମ୍ୱୁକୁ ଫେରିଆସିଲି । କୁମାର ସାହେବଙ୍କୁ ମୋ ଦେହ ଭଲ ନାହିଁ ବୋଲି କହି ଆସିବାବେଳେ କେତେକ ହସିଉଠିଲେ । କିଏ ଆଖି ମିଟିକା ମାରିଲେ ତ କେତେକ ମୁଁ କାଳେ ଖରାପ ଭାବିବି ତେଣୁ ମୁହଁ ଅନ୍ୟଆଡ଼େ ବୁଲାଇନେଲେ । କିନ୍ତୁ ସେସବୁକୁ ଲକ୍ଷ୍ୟ କରି ଦେଖିବାପାଇଁ ମୋର ସମୟ ନଥିଲା ।

 

ସେଇକ୍ଷଣି ତମ୍ୱୁକୁ ଫେରିଆସି ଶେଯଉପରେ ଚିତ୍‌ ହୋଇ ପଡ଼ିଯାଇଥାଏ । ଏବଂ କପେ ଚାହା ପାଇଁ ଆଦେଶ କରି ମୁହଁରେ ଖଣ୍ଡେ ସିଗାରେଟ ଧରିଥାଏ, ମାତ୍ର ଏଇ ସମୟରେ ବେହେରା ଆସି ଜଣାଇଲା ଯେ, ବାଈଜୀ ମୋ ସହିତ ସାକ୍ଷାତ୍‌ କରିବାକୁ ଚାହୁଁଛନ୍ତି । ଠିକ୍‌ ମୁଁ ଏହା ହିଁ ପୂର୍ବରୁ ଆଶା କରିଥିଲି ଏବଂ ଆଶଙ୍କା ମଧ୍ୟ କରିଥିଲି । ପଚାରିଲି–ସାକ୍ଷାତ୍‌ କରିବାକୁ କାହିଁକି ଚାହୁଁଛନ୍ତି ?

 

: ସେ କଥା ଜାଣି ନାହିଁ ।

 

: ତୁମେ କିଏ ?

 

: ମୁଁ ବାଈଜୀଙ୍କର ଖାନସାମା ।

 

: ତୁମେ କ’ଣ ବଙ୍ଗାଳୀ ?

 

: ଆଜ୍ଞା ହଁ,–ପରମାଣିକ, ନାଆଁ ରତନ ।

 

: ବାଈଜୀ କ’ଣ ହିନ୍ଦୁ ?

 

ରତନ ହସିଦେଇ କହିଲା–ନହେଲେ ସେ ଏଠାରେ ରହିଥାନ୍ତେ କିପରି ?

 

ମୋତେ ସଙ୍ଗରେ ଧରି ବେହେରା ଆଣି ତମ୍ୱୁ ନିକଟରେ ଛାଡ଼ିଦେଇ ଆଡ଼େଇ ହୋଇଗଲା । ପର୍ଦ୍ଦା ଟେକି ଭିତରକୁ ପଶିଯାଇ ଦେଖିଲି ବାଈଜୀ ଏକାକିନୀ ପ୍ରତୀକ୍ଷା କରି ବସିଛନ୍ତି-। ଗତକାଲି ରାତିରେ ପୋଷାକର ସାଜସଜ୍ଜା ଏବଂ ଓଢ଼ଣା ଭିତରେ ଭଲ କରି ଦେଖିପାରିନଥିଲି ଆଜି କିନ୍ତୁ ଦେଖି ବେଶ୍‌ ଚିହ୍ନପାରିଲି ଯେ ଯାହା ହେଉନା କାହିଁକି ବାଈଜୀ ହେଉଛନ୍ତି ବଙ୍ଗାଳୀ ଘରର ଝିଅ । ଗୋଟିଏ ମୂଲ୍ୟବାନ କାର୍ପେଟ ଉପରେ ଗରଦର ଶାଢ଼ିଟିଏ ପିନ୍ଧି ବାଈଜୀ ବସିଥାନ୍ତି-। ପିଠିସାରା ଓଦା କେଶ ଫିଟି ଏଣେତେଣେ ପଡ଼ିଥାଏ । ହାତପାଖରେ ପାନୀୟ ସରଞ୍ଜାମ ଏବଂ ତମାଖୁର ହୁକା ସଜାହୋଇ ଥୁଆହୋଇଥାଏ । ମୋତେ ଦେଖି ସେ ସାମାନ୍ୟ ଅପସରି ଯାଇ ଇଙ୍ଗିତଦ୍ୱାରା ମୋତେ ବସିବାକୁ ସ୍ଥାନ ଦେଖାଇ କହିଲେ–ବସ । ତୁମ ଆଗରେ ଆଉ ତମାଖୁ ଖାଇବି ନାହିଁ । ଆରେ ହେ ରତନ, ଏଇ ହୁକାଟା ନେଇଯାଆ ତ । ଏ କ’ଣ ଠିଆହୋଇ ରହିଲ ଯେ ବସ ।

 

ରତନ ଆସି ହୁକାଟା ନେଇଗଲା ।

 

ବାଈଜୀ କହିଲେ–ତୁମେ ତମାଖୁ ଖାଅ ନାହିଁ ମୁଁ ଜାଣେ । ତେଣୁ ଯାଚିବି ଅବା କାହିଁକି-? ଅନ୍ୟ ଯେଉଁଠାରେ ଯାହା ଇଚ୍ଛା ତାହା କରିପାର କିନ୍ତୁ ଜାଣିଶୁଣି ମୁଁ ତ ମୋ ହୁକାଟାକୁ ଦେଇପାରିବି ନାହିଁ । ଆଚ୍ଛା, ଚୁରୁଟ୍‌ ମଗାଇଦେଉଛି–ଆରେ ହେ.... ।

 

: ଥାଉ, ଥାଉ, ଚୁରୁଟ ଦରକାର ନାହିଁ । ମୋ ପାଖରେ ଅଛି ।

 

: ଅଛି ତ ? ବେଶ୍‌, ତେବେ ଭଲକରି ଟିକିଏ ବସ । ବହୁତ କଥା ତୁମ ସହିତ ଅଛି । ଭଗବାନ ଯେ କେତେବେଳେ କାହା ସହିତ ସାକ୍ଷାତ୍‌ କରାଇ ଦିଅନ୍ତି ତାହା କେହି ଜାଣନ୍ତି ନାହିଁ । ଶିକାର କରିବା ପାଇଁ ପରା ଯାଇଥିଲ ? କିନ୍ତୁ ହଠାତ୍‌ ଫେରିଆସିଲ ଯେ ?

 

: ଭଲ ଲାଗିଲା ନାହିଁ ।

 

: ନ ଲାଗିବାର କଥା । କି ନିଷ୍ଠୁର ଏଇ ପୁରୁଷ ଜାତିଟା । ଅନର୍ଥକ ଜୀବହତ୍ୟା କରି କ’ଣ ଯେ ଆନନ୍ଦ ପାଆନ୍ତି ସେ କଥା ସେମାନଙ୍କୁ ଜଣା । ବାପା ଭଲ ଅଛନ୍ତି ?

 

: ବାପା ମରିଯାଇଛନ୍ତି ।

 

: ମରିଯାଇଛନ୍ତି ! ଆଉ ମାଆ ?

 

: ସେ ମଧ୍ୟ ବହୁ ପୂର୍ବରୁ ଚାଲିଯାଇଛନ୍ତି ।

 

: ଓହୋ ! ସେଥିପାଇଁ.....ଏତିକି କହି ବାଈଜୀ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ମୋ ମୁହଁକୁ ଚାହିଁ ରହିଲା । ମୋର ଯେପରି ମନେହେଲା ତା’ ଆଖିଦୁଇଟି ଛଳଛଳ ହୋଇଉଠିଲା । କିନ୍ତୁ ସେ ହୁଏତ ମୋ ମନର ଭୁଲ୍ ହୋଇପାରେ । କିନ୍ତୁ ପରକ୍ଷଣରେ ସେ ଯେତେବେଳେ କଥା କହିଲା ସେତେବେଳେ ମୋର ଆଉ ବୁଝିବାକୁ ଭୁଲହେଲ ନାହିଁ ଯେ ଏହି ମୁଖରା ନାରୀର ଚଟୁଳ ଏବଂ ପରିହାସ ଲଘୁ କଣ୍ଠସ୍ୱର ପ୍ରକୃତରେ ନରମ ଓ ଆର୍ଦ୍ର ହୋଇଉଠିଛି ବୋଲି । କହିଲା–ତୁମର ଯତ୍ନ ନେବାପାଇଁ ତେଣୁ ଆଉ ବୋଧହୁଏ କେହିନଥିଲେ କହିଲେ ଚଳେ । ପିଉସୀଙ୍କ ପାଖରେ ଅଛ ତ ? ନଚେତ୍‌ ଆଉ ଅବା ରହିବ କେଉଁଠି ? ବିବାହ କରିନ ସେ କଥା ଦେଖିଲେ ତି ବୁଝାପଡ଼ୁଛି । ପଢ଼ାଶୁଣା କରୁଛ ? ନା, ତାକୁ ମଧ୍ୟ ଶେଷ କରିସାରିଛ ?

 

ଏତେ ସମୟ ପର୍ଯ୍ୟନ୍ତ ତା’ର କୌତୂହଳ ଓ ପ୍ରଶ୍ନମାଳା ମୁଁ ଯଥାସାଧ୍ୟ ସହ୍ୟକରି ଯାଇଥିଲି । କିନ୍ତୁ ଏଇ ଶେଷ ବାକ୍ୟଟି ଯେପରି ମୋ ପକ୍ଷରେ ଅସହ୍ୟ ହୋଇଉଠିଲା । ବିରକ୍ତ ହୋଇ ରୁକ୍ଷକଣ୍ଠରେ କହିଉଠିଲି–ଆଚ୍ଛା, ତୁମେ କିଏ ? ଜୀବନରେ ତୁମକୁ କେବେ ଆଗରୁ ଦେଖିଥିଲା ପରି ତ ମନେହେଉ ନାହିଁ ? ମୋ ସମ୍ୱନ୍ଧରେ ତୁମେ ଏତେଗୁଡ଼ାଏ କଥା ଜାଣିବାକୁ ଇଚ୍ଛାକରୁଛ ଅବା କାହିଁକି ? ଆଉ ଜାଣି ତୁମର ଲାଭ କ’ଣ ଅବା ହେବ ?

 

ବାଈଜୀ ରାଗ କଲା ନାହିଁ । ହସିଲା । କହିଲା–ସଂସାରରେ କ’ଣ ଲାଭ କ୍ଷତିଟା ହେଉଛି ସବୁଠାରୁ ବଡ଼ କଥା ? ମାୟା, ମମତା, ଭଲପାଇବାଟା କିଛି ନୁହେଁ ? ମୋ ନାମ ପିଆରୀ, ମୋ ମୁହଁ ଦେଖି ଯେତେବେଳେ ମୋତେ ଚିହ୍ନିପାରିଲ ନାହିଁ ସେତେବେଳେ ପିଲାଦିନର ଡାକ ନାମ ଶୁଣି କ’ଣ ଚିହ୍ନିପାରିବ ? ତା’ ଛଡ଼ା ମୁଁ ତୁମ ଗାଆଁର ଝିଅ ନୁହେଁ ।

 

: ଆଚ୍ଛା, ତୁମ ଘର କେଉଁଠି କୁହ ?

 

: ନା, ମୁଁ କହିବି ନାହିଁ ।

 

: ତେବେ ତୁମ ବାପାଙ୍କ ନାଆଁ କ’ଣ କହିଲ ?

 

ବାଈଜୀ ଜିଭ କାମୁଡ଼ି କହିପକାଇଲା ଅନେକ ଦିନରୁ ତାଙ୍କର ସ୍ୱର୍ଗବାସ ହେଲାଣି । ଛି ଛି, ଆଉ କ’ଣ ତାଙ୍କ ନାମ ଏ ତୁଣ୍ଡରେ ଧରିପାରିବି ?

 

ମୁଁ ଅଧୀର ହୋଇଉଠିଲି । କହିଲି ତାହା ଯଦି କହିନପାର, ତେବେ ମୋତେ କିପରି ଚିହ୍ନିଲ ସେ କଥା ପ୍ରକାଶ କଲେ ବୋଧହୁଏ ଦୋଷ ହେବ ନାହିଁ ?

 

ପିଆରୀ ମୋ ମନଭାବ ଲାକ୍ଷ୍ୟକରି ପୁଣି ମୁହଁ ତଳକୁ କରି ଚାପାହସ ହସିଲା । କହିଲା–ନା, ସେଥିରେ ଦୋଷ ନାହିଁ, କିନ୍ତୁ ସେ କଥା ତୁମେ କ’ଣ ବିଶ୍ୱାସ କରିପାରିବ ?

 

: ପରୀକ୍ଷା କରି ଦେଖନା ।

 

ପିଆରୀ କହିଲା–ତୁମକୁ ଚିହ୍ନିଛି–ଦୁର୍ବୁଦ୍ଧିର ତାଡ଼ନାରେ....ଆଉ କେଉଁଥିପାଇଁ ? ତୁମେ ମୋତେ ଯେଉଁ ଆଖିର ପାଣିରେ ପକାଇ ଦେଇଥିଲ ନା ଭାଗ୍ୟକୁ ସୂର୍ଯ୍ୟଦେବ ତାକୁ ଶୁଖାଇ ଦେଇଛନ୍ତି । ନଚେତ୍‌ ଆଖି ପାଣିରେ ଗୋଟିଏ ପୋଖରୀ ଏତେବେଳୁ ହୋଇସାରନ୍ତାଣି । କହିଲ ବିଶ୍ୱାସ କରିପାରୁଛ କି ?

 

ପ୍ରକୃତରେ ବିଶ୍ୱାସ କରିପାରିଲି ନାହିଁ । କିନ୍ତୁ ସେଇଟା ମୋର ଭୁଲ୍ । ସେତେବେଳେ କୌଣସି ମତେ ମୋର ମନେହେଲା ନାହିଁ ଯେ, ପିଆରୀର ଓଠର ଗଢ଼ଣ ଏଇପରି–ଯେପରି ସେ ଥଟ୍ଟାକରି ସବୁ କଥା କହିପାରୁଛି ଏବଂ ମନେମନେ ହସିପାରୁଛି । ମୁଁ ଚୁପ୍‌ ହୋଇ ବସି ରହିଲି । ସେ ମଧ୍ୟ କିଛିକ୍ଷଣ ଚୁପ୍‌ ହୋଇ ରହିବାପରେ ଏଥର ସତକୁସତ ହସିଉଠିଲା । ହଠାତ୍‌ ମୋର କିପରି ମନେହେଲା–ସେ ଯେପରି ନିଜର ଲଜ୍ଜିତ ଅବସ୍ଥାକୁ ସମ୍ଭାଳି ନେଇପାରିଛି । ହସି ହସି ସେ କହିଲା–ନା, ବାବୁ, ତୁମକୁ ଯେତେଟା ବୋକା ବୋଲି ଭାବିଥିଲି କିନ୍ତୁ ତୁମେ ସେତେଟା ନୁହଁ । ଏହା ଯେ ମୋର କହିବାର ଭଙ୍ଗୀ ଏକଥା ତୁମେ ଠିକ୍‌ ଧରିପାରିଛ । କିନ୍ତୁ ଏକଥା କହି ରଖୁଛି ଯେ ତୁମଠାରୁ ଢେର ଢେର ବୁଦ୍ଧିମାନ ପିଲା ମୋର ଏଇ କଥାକୁ ଅବିଶ୍ୱାସ କରିପାରି ନାହାଁନ୍ତି । ସେଥିପାଇଁ କହୁଛି ଯଦି ଏତେ ବୁଦ୍ଧିମାନ ତେବେ ତୁମେ ଏଇ ଖୋସାମତିଆ ଚାକିରିଟା ଧରିଲ କାହିଁକି ? ଏ କାମ ତୁମଭଳି ଲୋକଦେଇ ଆଦୌ ହେବ ନାହିଁ । ଶୀଘ୍ର ଶୀଘ୍ର ଏଠାରୁ ଚାଲିଯାଅ ।

 

ରାଗରେ ସାରା ଦେହ ମୋର ଜଳିଉଠିଲା ପରି ଲାଗିଲା । ବାହାରକୁ ମୋର ମତିଗତି ବିଷୟରେ କିଛି ଜଣାଇ ଦେଲିନାହିଁ । ସରଳ ଭାବରେ ଉତ୍ତର ଦେଲି ଯେତେଦିନ ଚାକିରି ଅଛି ସେତେଦିନ ଭଲ । ଖାଲି ଖାଲି ବସି ରହିବା ଅପେକ୍ଷା ବରଂ ଖଟିବା ଭଲ । କ’ଣ କହୁଛ ? ଆଚ୍ଛା ମୁଁ ବର୍ତ୍ତମାନ ଯାଉଛି । ବାହାରେ ଲୋକମାନେ ହୁଏତ କିଛି ମନେକରିପାରନ୍ତି ।

 

ପିଆରୀ କହିଲା–ମନେକଲେ ସେ ତୁମର ସୌଭାଗ୍ୟର କଥା ବାବୁ । ଏଇଟା କ’ଣ ଗୋଟାଏ ଚିନ୍ତା କରିବାର ବିଷୟ ?

 

କୌଣସି ଉତ୍ତର ନଦେଇ ଯେତେବେଳେ ମୁଁ ଆସି ଦ୍ୱାରବନ୍ଧ ନିକଟରେ ପହଞ୍ଚିଛି ସେତେବେଳେ ସେ ହଠାତ୍‌ ହସି ହସି କହିଉଠିଲା; ବାବୁ ମୋ ଆଖିର ପାଣି ଗପଟା ଯେପରି ଭୁଲି ନ ଯାଆନ୍ତି । ବନ୍ଧୁବାନ୍ଧବ ମେଳରେ, କୁମାର ସାହେବଙ୍କ ଦରବାରରେ ପ୍ରକାଶ କଲେ ହୁଏତ ତୁମ ଭାଗ୍ୟର ପରିବର୍ତ୍ତନ ହୋଇପାରେ ।

 

ମୁଁ କୌଣସି ଉତ୍ତର ନ ଦେଇ ବାହାରିଆସିଲି । କିନ୍ତୁ ଏଇ ନିର୍ଲଜ୍ଜ ହସ ଏବଂ କଦର୍ଯ୍ୟ ପରିହାସ ଯେପରି ବିଛା କାମୁଡ଼ିଲା ପରି ମୋ ସର୍ବାଙ୍ଗରେ ବିନ୍ଧିବାକୁ ଲାଗିଲା ।

 

ନିଜ ରହିବା ଘରକୁ ଫେରିଆସି କପେ ଚାହା ପିଇସାରି ଖଣ୍ଡିଏ ଚୁରୁଟରେ ନିଆଁ ଧରାଇ ମୁଣ୍ଡକୁ ଯଥା ସମ୍ଭବ ଥଣ୍ଡା କରି ଭାବିବାକୁ ଲାଗିଲି କିଏ ଏଇ ସ୍ତ୍ରୀଲୋକ ଜଣକ ? ମୋର ପାଞ୍ଚବର୍ଷ ବୟସଠାରୁ ଏଯାବତ୍‌ ସମସ୍ତ ଘଟଣା ମୁଁ ମନେ ରଖିପାରିଛି । ଅତୀତର ଘଟଣା ଉପରେ ଯେତେଦୂର ପର୍ଯ୍ୟନ୍ତ ଆଖିପାଏ ସେତେଦୂର ପର୍ଯ୍ୟନ୍ତ ଦୃଷ୍ଟି ଫେରାଇ ତନ୍ନତନ୍ନ କରି ଖୋଜି ଖୋଜି କେଉଁଠାରେ ଏଇ ପିଆରୀଟିକୁ ପାଇପାରିଲି ନାହିଁ । ଅଥଚ ଏ ମୋତେ ଭଲକରି ଚିହ୍ନେ । ପିଉସୀନାନୀଙ୍କ କଥା ପର୍ଯ୍ୟନ୍ତ ଜାଣେ । ମୁଁ ଯେ ଦରିଦ୍ର ଏହା ମଧ୍ୟ ତାକୁ ଅଜଣା ନାହିଁ । ସୁତରାଂ ଆଉ କୌଣି ଅଭିସନ୍ଧି ରହିନପାରେ, ଅଥଚ ଯେପରି ହେଉ ସେ ମୋତେ ଏଠାରୁ ତଡ଼ାଇବାକୁ ଚାହେଁ । କିନ୍ତୁ କାହିଁକି ? ମୁଁ ରହିଲେ ତା’ର ଅବା କ୍ଷତି କ’ଣ ? ସେତେବେଳେ କଥାରେ କଥାରେ କହିପକାଇଛି କେବଳ ସଂସାରରେ ଲାଭ–କ୍ଷତିଟା କ’ଣ ହେଉଛି ସବୁ କିଛି ? ଭଲପାଇବଟାର କିଛି ମୂଲ୍ୟ ନାହିଁ ? ମୁଁ ଯାହାକୁ କେବେ ଆଖିରେ ଥରକ ପାଇଁ ଦେଖିନାହିଁ, ତା’ ତୁଣ୍ଡରୁ ଏଇ ପ୍ରକାର କଥା ମନେପକାଇ ମୁଁ ହସିଉଠିଲି । କିନ୍ତୁ ସମସ୍ତ କଥାବାର୍ତ୍ତାକୁ ପଛରେ ପକାଇ ତା’ର ଶେଷ ବିଦ୍ରୂପ ହସ ମୋତେ ମର୍ମାନ୍ତିକ ଯନ୍ତ୍ରଣା ଦେବାକୁ ଲାଗିଲା ।

 

ସନ୍ଧ୍ୟାପରେ ଶିକାରୀ ଦଳ ଫେରିଆସିଲେ । ଚାକର ମୁହଁରୁ ଶୁଣିଲି ଆଠଟା ହରଡ଼ ଚଡ଼େଇ ମରା ହୋଇ ଆସିଛି । କୁମାର ଡାକିପଠାଇଲେ । ଅସୁସ୍ଥତାର ଛଳନା କରି ବିଛଣାରେ ପଡ଼ିରହିଲି । ଏଇପରି ଭାବରେ ଅନେକ ରାତି ପର୍ଯ୍ୟନ୍ତ ପିଆରୀର ଗୀତ ଏବଂ ମାତାଲମାନଙ୍କର ବାହାବା ଶୁଣିବାକୁ ଲାଗିଲି ।

 

ତାପରେ ତିନିଚାରିଦିନ ପ୍ରାୟ ଏପରି ଭାବରେ କଟିଗଲା । କହିବାର କାରଣ କେବଳ ଶିକାର କରିବା ବ୍ୟତୀତ ଆଉ ସମସ୍ତ ଏକପ୍ରକାର । ପିଆରୀର ଅଭିଶାପ–ଫଳିଲା କି କ’ଣ ଆଉ ଏଣିକି ପ୍ରାଣୀ ହତ୍ୟା କରିବା ପାଇଁ କାହାର ଉତ୍ସାହ ହେଲା ନାହିଁ । କେହି ଯେପରି ତମ୍ୱୁ ବାହାରକୁ ଯିବାପାଇଁ ଚାହୁଁନଥିଲେ । ଅଥଚ ମୋତେ କେହି ବିଦାୟ ଦେଉନଥିଲେ । ମୁଁ ଚାଲିଯିବାର ବିଶେଷ କିଛି ଯେ କାରଣ ନଥିଲା ତାହା ନୁହେଁ । କିନ୍ତୁ ଏଇ ବାଇଜୀ ପ୍ରତି ମୋର ଯେଉଁ ଘୋର ବିତୃଷ୍ଣା ଜନ୍ମିଉଠିଲା ସେଥିରେ ମୁଁ ଅନୁଭବ କରୁଥିଲି ସେ ଆସିଲା ମାତ୍ରେ ମୋତେ ଯେପରି କିଏ ମାରିବାକୁ ଆସିଲା ପରି ଜଣାପଡ଼ୁଥିଲା ଏବଂ ସେଠାରୁ ସେ ଚାଲିଯିବା ପରେ ମୁଁ ସ୍ୱସ୍ତିରେ ନିଃଶ୍ୱାସ ମାରିପାରୁଥିଲି । ଯେତେବେଳେ ପଳାଇଯିବାର ଚେଷ୍ଟା କରି ବିଫଳ ହେଉଥିଲି ସେତେବେଳେ ଅନ୍ୟମନସ୍କ ରହୁଥିଲି କିମ୍ୱା ମୁହଁ ବୁଲାଇ କାହା ସହିତ ଗପ ଯୋଡ଼ି ଦେଉଥିଲି । ଅଥଚ ସେ ପ୍ରତିମୁହୂର୍ତ୍ତରେ ମୋ ଆଖି ସହିତ ତା’ ଆଖିକୁ ମିଳାଇବା ପାଇଁ ଚେଷ୍ଟା କରୁଥିଲା ସେକଥା ମୁଁ ଭଲରୂପେ ଜାଣିପାରୁଥିଲି । ପ୍ରଥମ ଦିନେ ଦୁଇଦିନ ମୋତେ ଲକ୍ଷ୍ୟ କରି ପରିହାସ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ମୋର ଭାବଭଙ୍ଗୀ ଦେଖି ସେ ଏକପ୍ରକାର ଚୁପ୍‍ ହୋଇଯାଇଥିଲା ।

 

ସେଦିନ ଥିଲା ଶନିବାର । ମୁଁ ଆଉ କୌଣସି ମତେ ରହିପାରିବି ନାହିଁ । ଖାଇପିଇ ସାରିବା ପରେ ଚାଲିଯିବା ସ୍ଥିର ହେବା ହେତୁ ଆଜି ସକାଳେ ସକାଳେ ଗାନ ବାଜଣା ଆସରରେ ଯାଇ ବସିପଡ଼ିଥିଲି । ଗୀତ ଗାଇସାରି ବାଈଜୀ କ୍ଳାନ୍ତ ହୋଇ ବସିପଡ଼ିଥାଏ ହଠାତ୍‌ ସବୁଠାରୁ ଗପ ଭିତରେ ଯିଏ ଶ୍ରେଷ୍ଠ ସେଇ ଭୂତ ଗଳ୍ପର ଆସର ଜମିଉଠିଲା । କ୍ଷଣକ ଭିତରେ ଯିଏ ଯେଉଁଠି ବସିଥିଲେ ଆସି ବକ୍ତାକୁ ଘେରି ବସିଲେ ।

 

ଗଳ୍ପ ଆରମ୍ଭ ବେଳେ ମୁଁ ତାତ୍ସଲ୍ୟ ଭାବରେ ଶୁଣୁଥିଲି । କିନ୍ତୁ ଶେଷକୁ ଆଗ୍ରହୀ ହୋଇଉଠିଲି । ବକ୍ତା ଥିଲେ ହିନ୍ଦୁସ୍ଥାନୀ ଭଦ୍ରଲୋକ । ଯେପରି ଗଳ୍ପ କହିବାକୁ ହୁଏ ସେ କଳା ତାଙ୍କୁ ଭଲଭାବରେ ଜଣା । ସେ କହୁଥିଲେ ପ୍ରେତର ପୁନର୍ଜନ୍ମ ଉପରେ ଯଦି କାହାର ଅବିଶ୍ୱାସ ଥାଏ ତେବେ ସେ ଆଜି ଶନିବାରର ଅମାବାସ୍ୟା ତିଥିରେ ଏଇ ଗ୍ରାମକୁ ଆସି ତା’ ଆଖି ଓ କାନର ବିବାଦକୁ ମୀମାଂସା କରି ଯାଇପାରେ । ସେ ଯେଉଁ ଜାତି, ଯେଉଁପରି ଲୋକ ହେଉ ଏବଂ ଯେତେ ଇଚ୍ଛା ସେତେ ଲୋକ ସଙ୍ଗରେ ଧରି ଯାଉନା କାହିଁକି ଆଜି ରାତିରେ ମହାଶ୍ମଶାନକୁ ଗଲେ ତା’ର ଉଦ୍ଦେଶ୍ୟ କେବେ ନିଷ୍ଫଳ ହେବ ନାହିଁ । ଆଜିର ଘୋର କାଳ ରାତିରେ ଏଇ ଶ୍ମଶାନଚାରୀ ପ୍ରେତାତ୍ମା ଗୁଡ଼ିକୁ ଯେ କେବଳ ଆଖିରେ ଦେଖିହେବ ତାହା ନୁହେଁ ବରଂ ସେମାନଙ୍କର କଣ୍ଠସ୍ୱର ଶୁଣିପାରିବ ଏବଂ ଇଛାହେଲେ ସେମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିପାରିବ । ମୁଁ ପିଲାବେଳର କଥା ମନେପକାଇ ହଠାତ୍‌ ହସିପକାଇଲି । ବୃଦ୍ଧ ଏହା ଲକ୍ଷ୍ୟ କରି କହିଲେ ତୁମେ ମୋ ପାଖକୁ ଆସ । ମୁଁ ତାଙ୍କ ନିକଟକୁ ଘୁଞ୍ଚିଗଲି । ତାପରେ ସେ ପ୍ରଶ୍ନକଲେ, ତୁମେ କ’ଣ ବିଶ୍ୱାସ କରୁନାହଁ ?

 

: ନା ।

 

: କାହିଁକି କରୁନାହଁ ? ନ କରିବାରେ କ’ଣ ବିଶେଷ କିଛି କାରଣ ଅଛି ?

 

: ନା ।

 

: ତେବେ ? ଏଇ ଗ୍ରାମରେ ଜଣେ ଦୁଇଜଣ ଏପରି ସିଦ୍ଧସାଧକ ଅଛନ୍ତି ଯେଉଁମାନେ ନିଜେ ଆଖିରେ ଦେଖିଛନ୍ତି । ତଥାପି ଯେ ତୁମେ ବିଶ୍ୱାସ କରିବ ନାହିଁ ମୁହଁ ଆଗରେ ବସି ହସିବ, ତାହା କେବଳ ଦୁଇପୃଷ୍ଠା ଇଂରେଜି ପାଠ ପଢ଼ିଥିବାର ଔଦ୍ଧତ୍ୟ । ବିଶେଷତଃ ବଙ୍ଗାଳୀମାନେ ନାସ୍ତିକ–ମ୍ଳେଚ୍ଛ । କେଉଁ କଥା ଆସି କେଉଁ କଥାରେ ପହଞ୍ଚିଲାଣି ଦେଖି ମୁଁ ଅବାକ୍‌ ହୋଇଉଠିଲି । କହିଲି: ଦେଖନ୍ତୁ ଏ ବିଷୟରେ କୌଣସି ତର୍କ କରିବାକୁ ମୁଁ ଚାହେଁନାହିଁ । ମୋର ବିଶ୍ୱାସ ମୋଠାରେ । ମୁଁ ନାସ୍ତିକ ହୁଏ, କିମ୍ୱା ମ୍ଳେଚ୍ଛ ହୁଏ; କିନ୍ତୁ ଭୂତଫୁତ ମାନେନାହିଁ । ଯେଉଁମାନେ ଆଖିରେ ଦେଖିଛନ୍ତି ବୋଲି କହୁଚନ୍ତି, ସେମାନେ ଠକି ହୋଇଛନ୍ତି ନଚେତ୍‌ ସେମାନେ ମିଥ୍ୟାବାଦୀ–ଏଇଟା ହେଉଛି ମୋର ବ୍ୟକ୍ତିଗତ ଧାରଣା ।

 

ଭଦ୍ରବ୍ୟକ୍ତି ଖପ୍‌ କରି ମୋ ଡାହାଣ ହାତଟା ଧରିପକାଇ କହିଉଠିଲେ ତୁମେ ଆଜି ରାତିରେ ଶ୍ମଶାନକୁ ଯାଇପାରିବ ?

 

ମୁଁ ହସିଦେଇ କହିଲି–ହଁ, ଯାଇପାରିବି । ମୁଁ ପିଲାବେଳରୁ ଅନେକ ଶ୍ମଶାନରେ ଅନେକ ରାତି ବିତାଇଛି ।

 

ବୃଦ୍ଧ ରାଗିଉଠି ତୁମେ ଆଦୌ ଥଟ୍ଟା କର ନାହିଁ ବାବୁ କହି ସେ ସମସ୍ତ ଶ୍ରୋତୃମଣ୍ଡଳୀକୁ ସ୍ତମ୍ଭିତକରି ଏଇ ଶ୍ମଶାନର ଭୟାବହ ବିବରଣୀ ବର୍ଣ୍ଣନା କରିବାରେ ଲାଗିଗଲେ । ଏଇ ଶ୍ମଶାନ ଏପରି ସେପରି ଶ୍ମଶାନ ନୁହେଁ, ଏଠାରେ ହଜାରେ ନର ମୁଣ୍ଡ ଗଣାହୋଇପାରିବ । ଏଇ ଶ୍ମଶାନରେ ମହାଭୈରବୀ ତାଙ୍କ ସାଙ୍ଗସାଥୀଙ୍କୁ ନେଇ ପ୍ରତ୍ୟହ ରାତିରେ ଏଇ ନର ମୁଣ୍ଡକୁ ନେଇ ନୃତ୍ୟ କରନ୍ତି । ସେମାନଙ୍କର ଖଳଖଳ ହସର ବିକଠ ଶବ୍ଦରେ କେତେଥର କେତେ ଯେ ଇଂରେଜ ଜଜ୍‌ ମାଜିଷ୍ଟ୍ରେଟଙ୍କର ହୃତସ୍ପନ୍ଦନ କମିଯାଇଛି । ଏପରି ସବୁ ଲୋମହର୍ଷଣ କାହାଣୀ ବର୍ଣ୍ଣନା କରିବାକୁ ଲାଗିଲେ ଯାହାଦ୍ୱାରା ଏତେ ଲୋକ ଗହଳିରେ ତମ୍ୱୁ ଭିତରେ ବସିରହି ମଧ୍ୟ ଅନେକ ଲୋକ ଆତଙ୍କିତ ହୋଇଉଠିଲେ । ଆଡ଼ଆଖିରେ ଚାହିଁ ଦେଖିଲି, ପିଆରୀ କେତେବେଳେ ଆସି ମୋ ପାଖରେ ଗୁଞ୍ଜି ହୋଇ ବସିପଡ଼ିଛି ଏବଂ କଥାଗୁଡ଼ାକ ଯେପରି ପିଇଯାଇଛି ।

 

ଏହି ପ୍ରକାରରେ ଏଇ ମହା ଶ୍ମଶାନର ଇତିହାସ ଯେତେବେଳେ ଶେଷ ହେଲା, ସେତେବେଳେ ବକ୍ତା ଗର୍ବରେ ମୋଆଡ଼କୁ କଟାକ୍ଷ ହାଣି ପ୍ରଶ୍ନକଲେ–କ୍ୟା, ବାବୁ ସାହେବ, ଆପ ୟାୟେଙ୍ଗେ ?

 

: ଯାୟେଗା

 

: ଯାୟେଗା ? ଆଚ୍ଛା, ଆପକା ଖୁସି । ପ୍ରାନ ଯାନେସେ....

 

ମୁଁ ହସିହସି କହିଲି–ନା, ବାବୁଜୀ, ନା । ପ୍ରାଣ ଚାଲିଗଲେ ସୁଦ୍ଧା ତୁମକୁ ଦୋଷୀ କରିବି ନାହିଁ । ସେଥିପାଇଁ ତୁମର ଭୟ କରିବାର କିଛି ନାହିଁ । ଅଜଣା ସ୍ଥାନକୁ ମୁଁ ଏକା ଯାଇପାରିବି ନାହିଁ-। ସଙ୍ଗରେ ବନ୍ଧୁକ ନେଇଯିବି ।

 

ସେତେବେଳେ ଆଲୋଚନାଟା ଟିକିଏ ସରଗରମ ହୋଇଯିବାର ଦେଖି ମୁଁ ସେଠାରୁ ଉଠି ଚାଲିଆସିଲି । ମୁଁ ପକ୍ଷୀମାରି ଜାଣେ ନାହିଁ କିନ୍ତୁ ବନ୍ଧୁକରେ ଭୂତ ମାରିପାରେ; ବଙ୍ଗାଳୀମାନେ ଇଂରାଜୀ ପଢ଼ି ହିନ୍ଦୁ ଶାସ୍ତ୍ରକୁ ମାନନ୍ତି ନାହିଁ, ସେମାନେ କୁକୁଡ଼ା ଖାଆନ୍ତି; ସେମାନେ ମୁହଁରେ ଯେତେ ଫୁଟାଣି ମାରନ୍ତୁ ନା କାହିଁକି କିନ୍ତୁ ଠିକ୍‌ କାମ ବଖତରେ ଭାଙ୍ଗିପଡ଼ନ୍ତି । ଏଇପରି ଆଲୋଚନା ତେଣିକି ଚାଲିବାକୁ ଲାଗିଲା । ଅର୍ଥାତ୍‌ ଯେଉଁସବୁ ଯୁକ୍ତିତର୍କ କଲେ ରାଜାରାଜୁଡ଼ାମାନଙ୍କର ମନ ଖୁସିହୁଏ ଏବଂ ସେମାନଙ୍କର ଚିନ୍ତା ଶକ୍ତିକୁ ଏଡ଼ାଇ ଯାଇପାରେ ନାହିଁ ଅର୍ଥାତ୍‌ ସେମାନେ ମଧ୍ୟ ହାଁଜୀ ହୋଇ ପଦେ ଦୁଇପଦ କଥା କହିପାରନ୍ତି; ସେଇଭଳି ସବୁ କଥାବାର୍ତ୍ତା ଚାଲିଲା ।

 

ସେମାନଙ୍କ ଦଳରେ କେବଳ ଗୋଟିଏ ବୋଲି ଲୋକଥିଲା ଯିଏ କି ସ୍ୱୀକାର କରିଥିଲା ଯେ ସେ ଶିକାର କରି ଜାଣେ ନାହିଁ ସେ ସମସ୍ତଙ୍କ ଆଗରେ ଏଇ କଥାଟା କମ କହେ ଏବଂ ମଦ ମଧ୍ୟ ସମସ୍ତଙ୍କ ଅପେକ୍ଷା ଖୁବ୍‌ କମ୍‌ ଖାଏ । ତା’ ନାମ ପୁରୁଷୋତ୍ତମ । ସେ ସନ୍ଧ୍ୟା ସମୟରେ ଆସି ମୋ ପାଖରେ ପହଞ୍ଚିଲା କହିଲା–ସାଙ୍ଗରେ ଯିବ । କାରଣ ଏହାପୂର୍ବରୁ ସେ ମଧ୍ୟ କେବେ ଭୂତ ଦେଖିନାହିଁ । ଅତଏବ ଆଜି ଯଦି ଏପରି ସୁଯୋଗ ମିଳିଛି ତେବେ ଛାଡ଼ିବ କାହିଁକି ? ଏତିକି କହି ସେ ଖୁବ୍‌ ହସିବାକୁ ଲାଗିଲା ।

 

ମୁଁ ତାକୁ ପଚାରିଲି–ତୁମେ କ’ଣ ଭୂତକୁ ବିଶ୍ୱାସ କର ନାହିଁ ?

 

: ଏକବାରେ ନୁହେଁ ।

 

: କାହିଁକି ମାନ ନାହିଁ ?

 

: ମାନେ ନାହିଁ କହି ସେ ପ୍ରଚଳିତ ଯୁକ୍ତି ସବୁ କହି ବାରମ୍ୱାର ଅସ୍ୱୀକାର କରିବାକୁ ଲାଗିଲା । ମୁଁ କିନ୍ତୁ ଏତେ ସହଜରେ ତାକୁ ସଙ୍ଗରେ ନେବାପାଇଁ ରାଜି ହେଲି ନାହିଁ । କାରଣ ବହୁଦିନର ଅଭିଜ୍ଞତା ହେତୁ ଜାଣିପାରିଥିଲି ଏସବୁ ଯୁକ୍ତିତର୍କର କଥା ନୁହେଁ । ଯାହାକୁ କହନ୍ତି ସଂସ୍କାର । ବୁଦ୍ଧିଦ୍ୱାରା ଯେଉଁମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି କିନ୍ତୁ ଏପରିକି ସମୟ ଆସିଲେ ସେମାନେ ଆଗ ମୂର୍ଚ୍ଛା ହୋଇପଡ଼ନ୍ତି ।

 

ପୁରୁଷୋତ୍ତମ କିନ୍ତୁ ନଛୋଡ଼ବନ୍ଦା । ସେ ମାଲକଚ୍ଛା ମାରି ପାଚିଲା ବାଉଁଶବାଡ଼ିକୁ କାଖରେ ଜାକି କହିଲା–ଶ୍ରୀକାନ୍ତ ବାବୁ, ଆପଣଙ୍କର ଇଚ୍ଛାହେଲେ ଆପଣ ବନ୍ଧୁକ ନେଇପାରନ୍ତି, କିନ୍ତୁ ମୋ ହାତରେ ଏଇ ଠେଙ୍ଗା ଖଣ୍ଡକ ଥିଲେ ଭୂତ ହୁଅନ୍ତୁ କିମ୍ୱା ପ୍ରେତ ହୁଅନ୍ତୁ କାହାକୁ ପାଖ ମଡ଼ାଇ ଦେବିନାହିଁ ।

 

: କିନ୍ତୁ ଠିକ୍ ସମୟରେ ହାତରେ ଠେଙ୍ଗା ରହିପାରିବ ତ ?

 

: ଠିକ୍‌ ରହିପାରିବ ବାବୁ । ଆପଣ ସେତେବେଳେ ଦେଖିବେ ନାହିଁ ? ଆମକୁ କୋଶେ ବାଟ ଯିବାକୁ ହେବ । ତେଣୁ ରାତି ଏଗାରଟା ଭିତରେ ବାହାରିପଡ଼ିବା ଦରକାର ।

 

ଦେଖିଲି ତା’ ଆଗ୍ରହଟା କିପରି ଅତିରିକ୍ତ ।

 

ଯାତ୍ରା ଆରମ୍ଭ କରିବାକୁ ସେତେବେଳକୁ ଘଣ୍ଟାଏ ବିଳମ୍ୱ ଥାଏ । ମୁଁ ତମ୍ୱୁ ବାହାରେ ପଦଚରଣା କରି ଏଇ ଘଟଣାକୁ ମନେମନେ ବିଶ୍ଳେଷଣ କରି ଦେଖୁଥିଲି–ସମ୍ଭବତଃ ଜିନିଷଟା କ’ଣ ହୋଇପାରେ ? ଏ ସବୁ ବିଷୟରେ ମୁଁ ଯାହାଙ୍କର ଶିଷ୍ୟ ସେଥିରେ ଆଉ ଭୂତ ଭୟ ଆଦୌ ନଥିଲା । ପିଲାବେଳର କଥା ମନେପଡ଼ିଲା–ସେଇ ଗୋଟିଏ ରାତିରେ ଇନ୍ଦ୍ର ଯେତେବେଳେ କହିଥିଲା । ଶ୍ରୀକାନ୍ତ ମନେମନେ ‘‘ରାମନାମ’’ ଜପକର । ମୃତ ପିଲାଟି ମୋ ପଛରେ ଥାଏ । ସେହିଦିନ ହିଁ କେବଳ ଭୟରେ ଜ୍ଞାନ ହରାଇ ବସିଥିଲି । ବାସ୍‌ ସେତିକି । ଆଉ କେବେ ନାହିଁ । ସୁତରାଂ ସେପରି ଭୟ ଆଉ ନଥିଲା । କିନ୍ତୁ ଆଜିକାର ଗପଟି ଯଦି ସତ୍ୟ ହୁଏ ତାହାହେଲେ ଏଇଟା ଅବା କ’ଣ ? ଇନ୍ଦ୍ର ନିଜେ ଭୂତକୁ ବିଶ୍ୱାସ କରୁଥିଲା । କିନ୍ତୁ ସେ କେବେ ଆଖିରେ ଭୂତ ଦେଖିନଥିଲା । ମୁଁ କିନ୍ତୁ ମନେମନେ ଯେତେ ଅବିଶ୍ୱାସ କରୁଥାଏ ନା କାହିଁକି, କିନ୍ତୁ ସ୍ଥାନ ଏବଂ କାଳ ମହାତ୍ମ୍ୟରୁ ମୋ ଦେହ ଯେ ଭିତରେ ଶିହରି ଉଠୁନଥିଲା ତାହା ନୁହେଁ । ହଠାତ୍‌ ଘେରିଥିବା ଏଇ ଦୁର୍ଭେଦ୍ୟ ଅମାବାସ୍ୟାର ଅନ୍ଧାକାରକୁ ଚାହିଁବା କ୍ଷଣି ମୋର ଆଉ ଗୋଟିଏ ଏଇଭଳି ରାତି କଥା ମନେପଡ଼ିଗଲା । ସେଦିନଟା ମଧ୍ୟ ଆଜିକାର ପରି ଶନିବାର ଥିଲା ।

 

ପାଞ୍ଚବର୍ଷ ପୂର୍ବେ ଆମର ପଡ଼ୋଶୀ ହତଭାଗିନୀ ନିରୁନାନୀ ବାଲ୍ୟବିଧବା ହୋଇ ଯେତେବେଳେ ସୂତିକା ରୋଗରେ ଛଅମାସ କାଳ କଷ୍ଟ ଭୋଗି ଭୋଗି ମରିଗଲା, ସେତେବେଳେ ତା’ର ମୃତ୍ୟୁ ଶଯ୍ୟା ନିକଟରେ ମୋ ବ୍ୟତୀତ ଆଉ କେହିନଥିଲେ । ବଗିଚା ଭିତରେ ଗୋଟିଏ ମାଟିଘରେ ସେ ଏକାକିନୀ ରହୁଥିଲା । ସମସ୍ତଙ୍କର ସବୁ ପ୍ରକାର ରୋଗ, ଶୋକ, ସଂପଦ, ବିପଦରେ ଏତେବଡ଼ ନିଃସ୍ୱାର୍ଥ ସେବା ପରାୟଣା ପରୋପକାରିଣୀ ମହିଳା ସାରା ଗାଆଁଟା ଭିତରେ ଆଉ କେହିନଥିଲେ । କେତେ ଝିଅଙ୍କୁ ସେ ଯେ ଲେଖାପଢ଼ା ଶିଖାଇ, ସିଲାଇ ଶିଖାଇ, ଘରକରଣାର ସବୁ ଦୂରୁହ କାର୍ଯ୍ୟ ଶିଖାଇ ମଣିଷ କରିଥିଲା ତା’ର ସଂଖ୍ୟା ନଥିଲା । ନିହାତି ଶାନ୍ତଶିଷ୍ଟ ସ୍ୱଭାବ ଏବଂ ସୁନିର୍ମଳ ଚରିତ୍ର ହେତୁ ଗାଆଁ ଲୋକମାନେ ତାକୁ କମ୍‌ ଭଲପାଉନଥିଲେ ! କିନ୍ତୁ ସେଇ ନିରୁ ନାନୀର ତିରିଶ ବର୍ଷ ବୟସ ବେଳେ ହଠାତ୍‌ ଯେତେବେଳେ ପାଦ ଖସିଗଲା, ଏବଂ ଭଗବାନ ଏହି କଠିନ ବ୍ୟାଧିଦ୍ୱାରା ତା’ର ସେଇ ବୀର ଉନ୍ନତ ମଥାକୁ ଯେତେବେଳେ ମାଟି ସଙ୍ଗେ ଏକାକର କରିଦେଲେ ସେତେବେଳେ ଏଇ ଦୁଃଖତନୀକୁ କୋଳକୁ ସାଉଣ୍ଟି ନେବାପାଇଁ ଗାଆଁକୁ କାହା ହାତ ଲମ୍ୱି ଆସିଲା ନାହିଁ । ନିର୍ମଳ ହିନ୍ଦୁ ସମାଜ ହତଭାଗିନୀ ପାଇଁ ସମସ୍ତ କବାଟ ଓ ଝରକା ବନ୍ଦ କରିଦେଲା । ସେ ଗାଆଁରେ ଏପରି ଗୋଟିଏ ହେଲେ ଲୋକ ବୋଧହୁଏ ନଥିଲା ଯିଏ କୌଣସି ନା କୌଣସି ଉପାୟରେ ନିରୁନାନୀର ସେବା ଉପଭୋଗ କରିନାହିଁ । ଅଥଚ ସେହି ଗାଆଁରେ ଗୋଟିଏ କୋଣରେ ଶଯ୍ୟାରେ ପଡ଼ି ଏଇ ହତଭାଗିନୀ ଘୃଣାରେ ଓ ଲଜ୍ଜ୍ୟାରେ, ଦିନ ଦିନ ଧରି ଏ ସୁଦୀର୍ଘ ଛଅମାସ କାଳ ନୀରବରେ ମୁହଁ ତଳକୁ ପୋତି ବିନା ଚିକିତ୍ସାରେ ପଦସ୍ଖଳନର ପାପର ପ୍ରାୟଶ୍ଚିତ କରି ଶ୍ରାବଣର ଗୋଟିଏ ଭଗୀର ରାତିରେ ଇହ ଲୋକକୁ ତ୍ୟାଗ କରି ଯେଉଁ ଲୋକକୁ ଯାତ୍ରା କଲା, ତାହାର ଅଭ୍ରାନ୍ତ ବିବରଣୀ ଯେକୌଣସି ସାର୍ତ୍ତ ଭଟ୍ଟାଚାର୍ଯ୍ୟ ବ୍ରାହ୍ମଣକୁ ପଚାରିଲେ ଜାଣିହେବ ।

 

ମୋ ପିଉସୀ ନାନୀ ଯେ ଅତି ଗୋପନରେ ତାକୁ ସାହାଯ୍ୟ କରିଥିଲେ, ଏକଥା ମୁଁ ଏବଂ ବୁଢ଼ୀ ଚାକେରିଆଣୀ ଛଡ଼ା ଆଉ ଦୁନିଆରେ କେହି ଜାଣନ୍ତି ନାହିଁ । ନାନୀ ଦିନେ ମୋତେ ଦିପହରେ ନିରୋଳାରେ ଡାକି କହିଲେ–ଶ୍ରୀକାନ୍ତ, ତୁ ପରା ଅନେକ ଲୋକକୁ ରୋଗ ଶୋକବେଳେ ଯାଇ ସେବା କରିଛୁ ଏବଂ ସାନ୍ତ୍ୱନା ଦେଇଛୁ । ତୁ ଏଇ ଗରିବଟାକୁ ଟିକିଏ ଯାଇ ଦେଖିଆସନ୍ତୁ ନାହିଁ ? ସେହିଦିନଠାରୁ ମୁଁ ମଝିରେ ମଝିରେ ଯାଇ ନିରୁନାନୀକୁ ଦେଖିଆସେ ଏବଂ ପିଉସୀ ନାନୀ ଦେଇଥିବା ପଇସାରେ ଏଇଟା ସେଇଟା କିଣିକରି ଦେଇଆସା । ତା’ ଶେଷ ମୁହୂର୍ତ୍ତରେ ମୁଁ ଏକା ତା’ ପାଖରେ ଥିଲି । ମରଣ କାଳେ ଏପରି ପରିପୂର୍ଣ୍ଣ ବିକାର ଏବଂ ପରିପୂର୍ଣ୍ଣ ଜ୍ଞାନ ମୁଁ ଆଉ କାହାଠାରେ ଦେଖିନାହିଁ । ବିଶ୍ୱାସ ନକଲେ ସୁଦ୍ଧା ଯେଉଁ ଭୟରେ ଦେହ ଶିହରିଉଠେ ମୁଁ ସେହି କଥାଟାକୁ ହିଁ କହୁଛି ।

 

ସେଦିନ ଶ୍ରାବଣ ଅମାବାସ୍ୟା ରାତି ବାରଟା ପରେ ଝଡ଼ ଓ ବର୍ଷାରେ ସତେ ଯେପରି ପୃଥିବୀ ଉପୁଡ଼ିପଡ଼ିଲା ପରି ଲାଗୁଥାଏ । ସବୁ କବାଟ ଝରକା ବନ୍ଦଥାଏ । ମୁଁ ଖଟର ଅଳ୍ପଦୂରରେ ଗୋଟିଏ ଭଙ୍ଗା ଆରାମ ଚୌକିଉପରେ ଶୋଇଥାଏ । ନିରୁନାନୀ ସ୍ୱାଭାବିକ ମୁକ୍ତ କଣ୍ଠରେ ମୋତେ ପାଖକୁ ଟାଣି ହାତ ବଢ଼ାଇ ମୋ କାନକୁ ତା’ ମୁହଁ ପାଖକୁ ଟାଣିନେଇ ଚୁପ୍‌ ଚୁପ୍‍ କରି କହିବାକୁ ଲାଗିଲେ–ଶ୍ରୀକାନ୍ତ, ତୁ ଘରକୁ ଯାଆ ।

 

: ଏ କି କଥା ନିରୁ ନାନୀ ! ଏଇ ଝଡ଼ ବର୍ଷା । ରାତିରେ.....

 

: ଯାହା ହେଉ ପଛେ; ପ୍ରାଣଟା ଆଗ ।

 

ସେ ବୋଧହୁଏ ପ୍ରଳାପ କରୁଛି ଭାବି ମୁଁ କହିଲି–ଆଚ୍ଛା, ମୁଁ ଯିବି । ବର୍ଷା ଟିକିଏ କମିଯାଉ ।

 

ନିରୁ ନାନୀ ଅତ୍ୟନ୍ତ ବ୍ୟସ୍ତହୋଇ କହିଉଠିଲା–ନା, ନା, ଶ୍ରୀକାନ୍ତ ତୁ ଶୀଘ୍ର ଚାଲିଯା...ଆଉ ଏତେ ଟିକିଏ ଡେରିକରନା ଭାଇ ! ତୁ ପଳା । ଏଥର ତା’ କଣ୍ଠସ୍ୱର ଭଙ୍ଗୀରେ ମୋ ଛାତି ଭିତରଟା କମ୍ପିଉଠିଲା । ମୁଁ କହିପକାଇଲି–ମୋତେ ଚାଲିଯିବାକୁ କହୁଛୁ କାହିଁକି ?

 

ପ୍ରତ୍ୟୁତ୍ତର ଦେବାକୁ ଯାଇ ସେ ମୋ ହାତଟା ଟାଣିନେଇ ବନ୍ଦ ହୋଇଥିବା ଝରକାଆଡ଼କୁ ଦେଖାଇ ଚିତ୍କାର କରି କହିଉଠିଲା–ଯିବୁନି ଏଠାରୁ କ’ଣ ଆଉ ପ୍ରାଣଟା ଦେଇବସିବୁ-? ଦେଖୁଛୁ, ମୋତେ ନେଇଯିବା ପାଇଁ କିପରି କଳାକଳା ସିପାହୀ ସବୁ ଆସୁଛନ୍ତି-? ତୁ ଅଛୁ ବୋଲି ମୋତେ ଏଇ ଝରକା ପାଖରେ ରହି ଡରାଉଛନ୍ତି ।

 

ତାପରେ ସେ ଆରମ୍ଭ କରିଦେଲା–ଏଇ ଖଟତଳେ, ଏଇ ତକିଆ ତଳେ, ଏଇ ମାରିବାକୁ ଆସିଲେ, ଏଇ ମୋତେ ନେଲେ–ନେଲେ: ମୋତେ ଧରିଲେ–ଧରିଲେ । ଆଉ ଶେଷରେ ଏ ଚିତ୍କାର ପାହାନ୍ତା ପ୍ରହରକୁ ତା’ ପ୍ରାଣବାୟୁ ଉଡ଼ିଯିବାରୁ କମିଗଲା ।

 

ସେହି ଘଟଣାଟା ଏବେ ମଧ୍ୟ ମୋ ଛାତିଭିତରେ ଗାରକାଟି ରହିଯାଇଛି । ସେଦିନ ରାତିରେ ଭୟ ପାଇଥିଲି ସତ, କିନ୍ତୁ ମୋତେ ଲାଗୁଥିଲା ମୁଁ ଯେପରି କାହାର ଚେହେରା ଦେଖିବାକୁ ପାଉଥିଲି । ବର୍ତ୍ତମାନ ଅବଶ୍ୟ ସେକଥା ମନେପଡ଼ିଲେ ହସମାଡ଼େ, କିନ୍ତୁ ସେଦିନ ଅମାବାସ୍ୟାର ଘୋର ଦୁର୍ଯ୍ୟୋଗକୁ ତୁଚ୍ଛ କରି ବୋଧହୁଏ ଦୌଡ଼ି ପଳାଇ ଯାଇଥାନ୍ତି ଯଦି ଏକଥା ନିଃସନ୍ଦେହରେ ବିଶ୍ୱାସ ହୋଇଥାନ୍ତା ଯେ, କବାଟ ଖୋଲି ବାହାରିବା ମାତ୍ରେ ନିରୁନାନୀର ସେଇ କଳାକଳା ସିପାହୀମାନଙ୍କ ହାବୁଡ଼ରେ ଯାଇ ନ ପଡ଼ିବି ବୋଲି । ଏସବୁ କିଛି ନଥିଲା । କିଛି ନ ଥାଏ ଏବଂ ମୁମୂର୍ଷୁ ଯେ କେବଳ ମାତ୍ର ନିଦାରୁଣ ବିକାର ବଶରେ ଏପରି ପ୍ରଳାପ କରି ଚାଲିଥାଏ ଯଦିଓ ଜାଣିଥାଏ ଅଥଚ...

 

: ବାବୁ ?

 

ଚମକି ବୁଲିପଡ଼ି ଦେଖିଲି, ରତନ ।

 

: କ’ଣ କିରେ ?

 

: ବାଈଜୀ ଆପଣଙ୍କୁ ନମସ୍କାର ଜଣାଇଛନ୍ତି ।

 

ଏକଥା ଶୁଣି ଯେତିକ ବିରକ୍ତ ହେଲି ସେତିକି ବିସ୍ମିତ ହେଲି । ଏତେ ରାତ୍ରିରେ ହଠାତ ଏପରି ନିମନ୍ତ୍ରଣ କେବଳ ଯେ ଅତ୍ୟନ୍ତ ଅପମାନକର ଆସ୍ପର୍ଦ୍ଧା ବୋଲି ମୋର ମନେହେଲା ତାହା ନୁହେଁ, ଗତ ତିନି ଚାରିଦିନ ଧରି ଉଭୟ ପକ୍ଷ ଭିତରେ ହୋଇଥିବା ଆଲୋଚନାଗୁଡ଼ିକୁ ସ୍ମରଣ କରି ଏ ପ୍ରଣାମ ପଠାଇବାଟାକୁ ଗୋଟାଏ ସୃଷ୍ଟିଛଡ଼ା କାଣ୍ଡ ବୋଲି ଭାବିଲି । କିନ୍ତୁ ଚାକର ଆଗରେ କୌଣସି ଉତ୍ତେଜନା କାଳେ ପ୍ରକାଶ ପାଇଯିବ ସେହି ଆଶଙ୍କାରେ ନିଜକୁ ପ୍ରାଣପଣେ ସମ୍ବରଣ କରି କହିଲି–ଆଜି ସମୟ ନାହିଁ ରତନ । ମୋତେ ବର୍ତ୍ତମାନ ବାହାରିବାକୁ ହେବ । କହିବୁ, କାଲି ଦେଖାହେବ ।

 

ରତନ ଏପରି ସେପରି ଚାକର ନୁହେଁ । ଯାହାକୁ କହନ୍ତି ସୁଶିକ୍ଷିତ ଭୃତ୍ୟ । ଆଦବ କାଏଦାରେ ପକ୍‌କା । ସଂଭ୍ରମତା ସହିତ ମୃଦୁ ସ୍ୱରରେ କହିଲା–ନିହାତି ଜରୁରୀ ବାବୁ । ବର୍ତ୍ତମାନ ଆପଣଙ୍କୁ ଟିକିଏ ପାଦଧୂଳି ସେଠାରେ ଦେବାକୁ ପଡ଼ିବ । ନଚେତ୍‌ ବାଈଜୀଙ୍କୁ ଆସିବାକୁ ହେବ ।

 

ମନେମନେ ଆତଙ୍କିତ ହୋଇ ଭାବିଲି–କି ସର୍ବନାଶ ! ଏଇ ତମ୍ବୁକୁ ଏତେ ରାତିରେ, ପୁଣି ଏତେ ଲୋକଙ୍କ ଆଗରେ ବାଈଜୀ ଆସିବ ! କହିଲି–ତୁମେ ବୁଝାଇ କହ ରତନ, ଆଜି ନୁହେଁ କାଲି ସକାଳୁ ନିଶ୍ଚୟ ଦେଖାହବ । ଆଜି ମୁଁ କୌଣସି ମତେ ଯାଇପାରିବି ନାହିଁ ।

 

ରତନ କହିଲା–ତାହାହେଲେ ସେ ଆସିବେ । ମୁଁ ଏଇ ପାଞ୍ଚବର୍ଷ ଧରି ଦେଖିଆସୁଛି ବାବୁ; ବାଈଜୀଙ୍କର କଥାର ଏତେ ଟିକିଏ କେବେ ଏପାଖ ସେପାଖ ହୋଇନାହିଁ । ଆପଣ ନଗଲେ ସେ ନିଶ୍ଚୟ ଆସିବେ–ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

 

ଏଇ ଅନ୍ୟାୟ ଏବଂ ଅସଙ୍ଗତ ଜିଦ୍‌ ଦେଖି ମୋର ନଖଠାରୁ ଶିଖା ପର୍ଯ୍ୟନ୍ତ ରାଗରେ ଜଳିଉଠିଲା । କହିଲି–ହଉ ଠିଆ ହଅ, ମୁଁ ଆସୁଛି ।

 

ତମ୍ବୁ ଭିତରକୁ ଯାଇ ଦେଖିଲି ସମସ୍ତେ ନିଦ୍ରାରେ ଅଚେତନ । ଚାକରମାନଙ୍କ ତମ୍ବୁରେ ଦୁଇ–ଚାରିଜଣ ମାତ୍ର ଚାହୁଁଛନ୍ତି । ତରତର ହୋଇ ପାଦରେ ବୁଟ୍‌ ଦିଇଟା ଗଳାଇ ଦେହରେ କୋଟଟା ପିନ୍ଧି ପକାଇଲି । ରାଇଫଲ ତ ଆଗରୁ ଠିକ୍‌ ହୋଇ ରହିଥିଲା । ହାତରେ ସେଇଟାକୁ ଧରି ରତନ ସଙ୍ଗରେ ଯାଇ ବାଈଜୀ ତମ୍ବୁରେ ପ୍ରବେଶ କଲି । ପିଆରୀ ଦାଣ୍ଡ ଦୁଆରେ ଠିଆହୋଇଥିଲା । ମୋର ଆପାଦ ମସ୍ତକ ବାରମ୍ବାର ନିରୀକ୍ଷଣ କରି କ୍ରୁଦ୍ଧ ସ୍ୱରରେ କହିଉଠିଲା–ସେ ମଶାଣିଫଶାଣିକୁ ତୁମେ ଆଦୌ ଯାଇପାରିବ ନାହିଁ ।

 

ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଉଠିଲି–କାହିଁକି !

 

: କାହିଁକି ପୁଣି କ’ଣ ? ଭୂତପ୍ରେତ କ’ଣ ନାହାନ୍ତି ଯେ ତୁମେ ଏଇ ଶନିବାରର ଅମାବାସ୍ୟା ରାତିରେ ଶ୍ମଶାନକୁ ଯିବ ? ପ୍ରାଣ ନେଇ କ’ଣ ସେଠାରୁ ଆଉ ଫେରିଆସି ହେବ ? କହୁ କହୁ ପିଆରୀ ହଠାତ୍‌ ଝରଝର ହୋଇ କାନ୍ଦିଉଠିଲା । ମୁଁ ଅବାକ୍‌ ହୋଇ ତାକୁ ନିରବରେ ଚାହିଁରହିଲି । କ’ଣ କରିବି, କ’ଣ କହିବି ସେକଥା ଭାବି ଠିକ୍‌ କରିପାରିଲି ନାହିଁ । ଠିକ୍‌ କରିନପାରିବାରେ ଅବା ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? କାରଣ ଯାହାକୁ ଚିହ୍ନିନାହିଁ କିମ୍ବା ଜାଣି ନାହିଁ ସେ ଯଦି ଏପରି ରାତିଟାରେ ମୋତେ ଡକାଇ ନିହାତି ନିଜର ହିତାକାଂକ୍ଷୀ ଭଳି ଆଗରେ କାନ୍ଦିଉଠେ, ତେବେ ଆଶ୍ଚର୍ଯ୍ୟ ନହେବି କିପରି ଅବା ?

 

ମୋ ପାଖରୁ କୌଣସି ଉତ୍ତର ନପାଇ ପିଆରୀ ଆଖି ପୋଛି ପୋଛି କହିଲା–ତୁମେ କ’ଣ କେବେ ଶାନ୍ତ ସୁବୋଧ ହେବ ନାହିଁ ? ଏଇପରି ଏକବୁଝା ହୋଇ ସାରା ଜୀବନଟା କଟାଇଦେବ ? ଦେଖି କିପରି ଯିବ ଯାଅ ତ । ମୁଁ ମଧ୍ୟ ସାଙ୍ଗରେ ଯିବି–କହି ସେ ଶାଳଖଣ୍ଡି ଭିଡ଼ିଆଣି ନିଜ ଦେହରେ ଘୋଡ଼ାଇ ହେବାକୁ ଲାଗିଲା ।

 

ମୁଁ ସଂକ୍ଷେପରେ କହିଲି–ଆଚ୍ଛା, ଯିବ ଯଦି ଚାଲ ।

 

ମୋର ଏଇ ପ୍ରଚ୍ଛନ୍ନ ବିଦ୍ରୂପ ଫଳରେ ପିଆରୀ ରାଗରେ ଜଳିଉଠି କହିଲା, ଭାବିଛ ଏପରି କଲେ ଦେଶ ବିଦେଶରେ ଯଶବାନା ଖୁବ୍‌ ଉଡ଼ାଇବ ପରା ? ବାବୁ ଶିକାର କରିବାକୁ ଆସି ଗୋଟାଏ ବାରବୁଲା ସଙ୍ଗରେ ରାତି ଅଧରେ ଭୂତ ଦେଖିବାକୁ ଯାଇଥିଲେ ? କହ ତୁମେ କ’ଣ ସଂମ୍ପୂର୍ଣ୍ଣ ଅଘୋରୀ ହୋଇପଡ଼ିଲଣି ? ଘୃଣା, ଲଜ୍ଜ୍ୟା ସରମ, ସମ୍ମାନ ବୋଧ ଏସବୁ କ’ଣ ତୁମର ଆଉ କିଛି ନାହିଁ ? କହୁ କହୁ ତା’ କଣ୍ଠସ୍ୱର ଯେପରି ପୁଣି ଓଜନ ହୋଇଉଠିଲା । ସେ ପୁଣି କହିଲା–କେବେ ତ ଏପରି ନଥିଲ ! ଏତେ ତଳକୁ ତୁମେ ଯାଇପାରିବ ଏକଥା କେବେ କେହି କଳ୍ପନା କରିପାରିନଥିଲେ ।

 

ଅନ୍ୟ ସମୟ ହୋଇଥିଲେ ତା’ର ଏଇ ଶେଷ କଥାଟିରେ ମୋର କ୍ରୋଧର ସୀମା ନଥାନ୍ତା, କିନ୍ତୁ ବର୍ତ୍ତମାନ ମୁଁ ଆଦୌ ତା’ ଉପରେ ବିରକ୍ତ ହୋଇପାରିଲି ନାହିଁ । ମୋତେ କିପରି ଲାଗିଲା ମୁଁ ହୁଏତ ପିଆରୀକୁ ଚିହ୍ନିଛି । କାହିଁକି ଯେ ଏପରି ମନେହେଲା ସେ କଥା ପରେ କହୁଛି । କହିପକାଇଲି–ଲୋକଙ୍କ ଧାରଣାର ଯେ କେତେ ଦାମ୍‌ ସେ କଥା ତୁମେ କ’ଣ କେବେ ଭାବିଛ ? ତୁମର ଯେ ଏତେ ଅଧଃପତନ ହେବ ସେ କଥା କେତେଜଣ ଅବା କଳ୍ପନା କରିଥିଲେ ?

 

ମୁହୂର୍ତ୍ତକ ପାଇଁ ପିଆରୀ ମୁହଁଉପରେ ଶରତା ମେଘଉପରେ ଜ୍ୟୋସ୍ନା ପରି ହସର ଗୋଟାଏ ସରଳରେଖା ଦେଖାଦେଲା । ସେ ହସର ଆଭା କ୍ଷଣକ ପାଇଁ । ତାପରେ ସେ ଭୟ ବିହ୍ୱଳିତ କଣ୍ଠରେ ପଚାରି ବସିଲା ମୋତେ କ’ଣ ତୁମେ ଚିହ୍ନିଛ ? ମୁଁ କିଏ କହିଲ ଦେଖି ?

 

: ତୁମେ ପିଆରୀ ।

 

: ସେ କଥା ତ ସମସ୍ତେ ଜାଣନ୍ତି ।

 

: ସମସ୍ତେ ଯେଉଁ କଥା ଜାଣନ୍ତି ନାହିଁ ସେ କଥା ମୁଁ ଜାଣେ । ଶୁଣିଲେ କ’ଣ ତୁମେ ଖୁସିହେବ ? ହେଲେ ନିଜ ପରିଚୟ ଆଗେ ଦେଇଦେବା ଭଲ । ଯେତେବେଳେ ନିଜ ପରିଚୟ ନିଜେ ଜଣାଇବାକୁ ଚାହୁଁନାହଁ ସେତେବେଳେ ମୋ ତୁଣ୍ଡରୁ କୌଣସି କଥା ପାଇପାରିବ ନାହିଁ । ଏଥର ନିଜେନିଜେ ଭାବି ଦେଖ ଆତ୍ମପ୍ରକାଶ କରିବ କି ନାହିଁ । କିନ୍ତୁ ବର୍ତ୍ତମାନ ମୋର ଆଉ ସମୟ ନାହିଁ । ମୁଁ ଚାଲିଲି... ।

 

ପିଆରୀ ମୋ ଆଗରେ ହାତ ଓଗାଳି ଠିଆହୋଇ କହିଲା–ଯଦି ଯିବାକୁ ନଦିଏ ? ଜୋର କରି କ’ଣ ଚାଲିଯାଇପାରିବ ?

 

: କିନ୍ତୁ ଯିବାକୁ କାହିଁକି ଅବା ବାଧା ଦେଉଛ ଯେ ?

 

ପିଆରୀ କହିଲା–ସତରେ କ’ଣ ଭୂତ ନାହାନ୍ତି ଯେ ତୁମେ ଯିବାକୁ କହିବା ମାତ୍ରେ ମୁଁ ଛାଡ଼ିଦେବି ? ପାଟିକରି ସମସ୍ତଙ୍କୁ ଏଠାରେ ଏକାଠି କରିଦେବି କହୁକହୁ ସେ ମୋ ହାତରୁ ବନ୍ଧୁକଟାକୁ ଛଡ଼ାଇ ନେବାକୁ ଚେଷ୍ଟା କଲା । ମୁଁ ପାହୁଣ୍ଡେ ପଛେଇଗଲି । କିଛିକ୍ଷଣ ପାଇଁ ମୋ ମୁହଁରେ ବିରକ୍ତ ପରିବର୍ତ୍ତେ ହସ ଦେଖାଗଲା । ଏଥର ହସିପକାଇ କହିଲି–ପ୍ରକୃତରେ ଭୂତ ଅଛନ୍ତି କି ନାହିଁ ଜାଣେ ନାହିଁ; କିନ୍ତୁ ମିଛ ମିଛରେ ବହୁତ ଭୂତ ଥିବାର ଜାଣେ । ସେମାନେ ଆଗରେ ଠିଆହୋଇ କଥା କହନ୍ତି । କଥା କହୁ କହୁ କାନ୍ଦିପକାନ୍ତି । ବାଟ ଓଗାଳନ୍ତି । ଏପରି ସବୁ ଅନେକ କୀର୍ତ୍ତି କରି ବସନ୍ତି । ପୁଣି ଦରକାର ପଡ଼ିଲେ ବେକ ମୋଡ଼ି ଖାଇବାକୁ ଟିକିଏ ପଛାନ୍ତି ନାହିଁ ।

 

ଏଥର ପିଆରୀ ମୁହଁ ବିଷଣ୍ଣତାରେ ଛାଇଗଲା । କିଛି ସମୟ ପାଇଁ କ’ଣ କହିବ ସେ କଥା ଠିକ୍ କରିପାରିଲା ନାହିଁ । ତାପରେ କହିଲା–ତାହାହେଲେ ତୁମେ ମୋତେ ଚିହ୍ନିଛ ? କିନ୍ତୁ ଏଇଟା ତୁମର ଭ୍ରମ ଯେ ସେମାନେ ଅନେକ କୀର୍ତ୍ତି କରିଥା’ନ୍ତି ସତ କିନ୍ତୁ ବେକମୋଡ଼ି ଖାଇବାପାଇଁ ଆଦୌ ପଥ ଓଗାଳି ଠିଆହୁଅନ୍ତି ନାହିଁ । ସେମାନଙ୍କର ମଧ୍ୟ ପର ଆପଣା ବୋଧଶକ୍ତ ଅଛି ।

 

ମୁଁ ପୁଣି ହସି ହସି ପ୍ରଶ୍ନକଲି ଏ ଯାହାସବୁ କହିଲ ସେ ତ ତୁମ ନିଜର କଥା । ତୁମେ ତାହାହେଲେ କ’ଣ ଭୂତ ?

 

ପିଆରୀ କହିଲା–ଭୂତ ନୁହେଁ ତ ଆଉ କ’ଣ ? ଯେଉଁମାନେ ମରିଯାଇ ସୁଦ୍ଧା ମରନ୍ତି ନାହିଁ ସେମାନଙ୍କୁ ଭୂତ କହନ୍ତି । ଏଇଟା ତ ତୁମର ବକ୍ତବ୍ୟ । କିଛି ସମୟ ଅଟକି ଯାଇ ପୁଣି କହିବାକୁ ଲାଗିଲା–ଗୋଟିଏ ଦିଗରୁ ଧରିଲେ ମୁଁ ଯେ ମରିସାରିଛି ଏହା ସତ୍ୟ । ସତ ହେଉ କି ମିଛ ହେଉ ମରଣ ହେବାଟା ମୁଁ ପ୍ରଚାର କରିନାହିଁ । ମାଆ ମାମୁଁଙ୍କଦ୍ୱାରା ପ୍ରଚାର କରାଇଥିଲେ । ଶୁଣିବ ସେ ସବୁ କଥା ?

 

ତା’ ମରଣ ଶୁଣିବାକ୍ଷଣି ମୋର ସନ୍ଦେହ କ୍ଷଣକରେ ଅପସରିଗଲା । ଠିକ୍‌ ଚିହ୍ନିପାରିଲି ଏ ହେଉଛି–ସେଇ ରାଜଲକ୍ଷ୍ମୀ । ଅନେକ ଦିନ ତଳେ ମାଆଙ୍କ ସହିତ ସେ ତୀର୍ଥଯାତ୍ରା କରିବାକୁ ଯାଇଥିଲା ଯେ ଆଉ ଫେରି ନାହିଁ । କାଶୀରେ ହଇଜାରେ ମରିଗଲା ବୋଲି ମାଆ ଆସି ଗାଆଁରେ କହିଥିଲେ । ତାକୁ ଯେ କେବେ ମୁଁ ପୂର୍ବରୁ ଦେଖିଛି ଏ କଥା ଆଦୌ ମନେକରି ପାରୁନଥାଏ ସତ; କିନ୍ତୁ ତା’ର ଗୋଟାଏ ଅଭ୍ୟାସ ମୁଁ ଏଠାକୁ ଆସିବା ଦିନରୁ ଲକ୍ଷ୍ୟ କରିଆସିଛି, ସେ ରାଗିଲେ ଓଠକୁ ଦାନ୍ତରେ କାମୁଡ଼ି ପକାଏ । କେଉଁଠାରେ, କାହାକୁ ଏପରି ରାଗିଲେ ଦାନ୍ତ କାମୁଡ଼ିବାର ଦେଖିଥିଲି, କେବେ ଦେଖିଥିଲି, କିଛି ହେଲେ ମନେପଡ଼ୁନଥାଏ । ସେଇ ରାଜଲକ୍ଷ୍ମୀ ଏପରି ହେବାର ଦେଖି ମୁଁ ବିସ୍ମୟରେ କ୍ଷଣକାଳ ଅଭିଭୂତ ହୋଇପଡ଼ିଲି । ମୁଁ ଯେତେବେଳେ ଆମ ଗାଆଁର ମନସା ପଣ୍ଡିତଙ୍କ ପାଠଶାଳାରେ ସର୍ଦ୍ଦାର ସେହି ସମୟରେ ତା’ର କୂଳୀନ ବାପ ଆଉ ଗୋଟିଏ ବିବାହ କରି ତା’ର ମାଆକୁ ତଡ଼ିଦେଲା । ସ୍ୱାମୀ ପରିତ୍ୟକ୍ତା ମାଆ ତା’ର ଦୁଇଝିଅ ସୁରଲକ୍ଷ୍ମୀ ଓ ରାଜଲକ୍ଷ୍ମୀକୁ ସଙ୍ଗରେ ନେଇ ନିଜ ବାପଘରକୁ ଚାଲିଆସେ । ସେତେବେଳେ ତାହାର ବୟସ ମାତ୍ର ସାତ ଆଠବର୍ଷ । ସୁରଲକ୍ଷ୍ମୀକୁ ବାର ତେରବର୍ଷ ହେବ । ତା’ ରଙ୍ଗଟା ବରାବର ତୋଫା । କିନ୍ତୁ ମେଲେରିଆ ଭୋଗିଭୋଗି ପେଟରେ ଏଡ଼େବଡ଼ ପ୍ଳୀହା ହେତୁ ସେଇଟା ଆଟିକା ପରି ଦିଶେ ଏବଂ ହାତଗୋଡ଼ ଗୁଡ଼ାକ କାଠିପରି ସରୁ ସରୁ । ମୁଣ୍ଡରବାଳ ଗୁଡ଼ାକ ତମ୍ବା ତାରି ପରି । ଏପରିକି ସେଗୁଡ଼ିକ ଇଚ୍ଛାକଲେ ଗଣିଦେଇହେବ । ମୋଠାରୁ ମାଡ଼ ଖାଇବା ଭୟରେ ପ୍ରତିଦିନ ଏଇ ଝିଅଟା ଭଇଁଚ କୋଳି ବଣରେ ବୁଲି ପ୍ରତିଦିନ ପାଚିଲା ଭଇଁଚ କୋଳିରେ ଗୋଟିଏ ମାଳ ଗୁନ୍ଥି ଆଣି ମୋତେ ଦେଉଥିଲା । ସେଇଟା କେଉଁଦିନ ଯଦି ଛୋଟ ହୋଇଯାଏ ତେବେ ସେଦିନ ତାକୁ ପୁରୁଣା ପଢ଼ା ପଚାରି ନିର୍ଘାତ ମାଡ଼ ମାରୁଥିଲି । ମାଡ଼ ଖାଇ ଏଇ ଝିଅଟା ଓଠକୁ ଦାନ୍ତରେ କାମୁଡ଼ି ଚୁପ ହୋଇ ବସି ରହୁଥିଲା ସିନା କିନ୍ତୁ ପ୍ରତିଦିନ ଏତେ କୋଳି କେଉଁଠାରୁ ସେ ପାଇପାରିବ, ଏକଥା କୌଣସିମତେ ତୁଣ୍ଡ ଫିଟାଇ କହିପାରୁନଥିଲା । ତଥାପି ମାଡ଼ ଭୟରେ ସେ ଏତେ କଷ୍ଟ ସ୍ୱୀକାର କରୁଥିଲା । ତା’ପରେ ତା’ର ବିବାହ । ସେ ମଧ୍ୟ ଏକ ଚମତ୍କାର ଘଟଣା । ଭାଣିଜୀମାନଙ୍କର ଯେ ଏପର୍ଯ୍ୟନ୍ତ ବିବାହ ହୋଇପାରି ନାହିଁ, ଏକଥା ଭାବି ମାମୁଁ ତାଙ୍କର ମନେମନେ ଭାରି ଖପ୍‌ପା । ହଠାତ୍‌ ଜଣାପଡ଼ିଲା ଯେ ବିରଞ୍ଚି ଦତ୍ତଙ୍କର ପୂଜାରୀ ବ୍ରାହ୍ମଣ କୂଳୀନ ସନ୍ତାନ । ଏହି କୂଳୀନ ସନ୍ତାନଟିକୁ ଦତ୍ତ ମହାଶୟ ବାଙ୍କୁଡ଼ାରୁ ବଦଳି ହୋଇଆସିବା ସମୟରେ ସଂଗ୍ରହ କରି ଆଣିଥିଲେ । ବ୍ରାହ୍ମଣର ଜାତି ରକ୍ଷା କରିବାକୁ ହେବ–ଏଇ କଥା କହି ବିରଞ୍ଚିଦତ୍ତଙ୍କ ଦୁଆରେ ମାମୁଁ ଧାରଣା ଦେବାକୁ ଲାଗିଲେ । ଏତେଦିନ ପର୍ଯ୍ୟନ୍ତ ସମସ୍ତେ ଜାଣିଥିଲେ ଯେ ଦତ୍ତ ମହାଶୟଙ୍କ ପୂଜାରୀଟା ଗୋଟିଏ ଭୋଳା ଲୋକ । ଯାହାକୁ କହନ୍ତି ବୋକା । କିନ୍ତୁ ଦରକାର ବେଳେ ଜଣାପଡ଼ିଥିଲା ଯେ ପୂଜାରୀ ପିଲାଟିର ବୁଦ୍ଧି କୌଣସି ସାଂସାରିକ ଜ୍ଞାନ ସଂପନ୍ନ ଲୋକ ଅପେକ୍ଷା ଆଦୌ କମ ନୁହେଁ । ଏକାବନ ଟଙ୍କାର ଯୌତୁକ କଥା ଶୁଣି ସେ ହଠାତ୍‌ ମୁଣ୍ଡ ହଲାଇ କହିଲା–ଏତେ ଶସ୍ତାରେ ହେବ ନାହିଁ ଆଜ୍ଞା, ବଜାର ବୁଲି ଦେଖନ୍ତୁ । ପଚାଶ ଏକ ଟଙ୍କାରେ ଯୋଡ଼ାଏ ଛେଳି କିଣିବାକୁ ମିଳିବ ନାହିଁ । ସେଥିରେ ପୁଣି ଆପଣା ଜ୍ୱାଇଁ ଖୋଜି ଆସିଛନ୍ତି ? ଏକଶହ ଏକ ଟଙ୍କା ଦିଅନ୍ତୁ ଥରେ ଏ ପିଢ଼ାରେ ଥରେ ସେ ପିଢ଼ା ଉପରେ ବସି ଫୁଲପାଣି ଛିଞ୍ଚିଦେବି । ଦୁଇଟି ଭାଣିଜୀଙ୍କୁ ଆପଣଙ୍କର ଏକ ସଙ୍ଗରେ କନ୍ୟାଦାୟରୁ ମୁକ୍ତ କରିଦେବି । ଶହେଟା ଟଙ୍କା ମାତ୍ର ? ଦୁଇଟା ଷଣ୍ଢ କିଣାର ଖର୍ଚ୍ଚ ସଙ୍ଗେ ସମାନ । ସେତକ କ’ଣ ଦେଇପାରିବେ ନାହିଁ ? କଥାଟା ଅସଙ୍ଗତ ମଧ୍ୟ ନୁହେଁ । ତଥାପି ବହୁତ ସୁପାରିଶ ଏବଂ କଷାକଷି ପରେ ସତୁରି ଟଙ୍କାରେ କଥା ତୁଟିଲା । ଏକା ରାତିରେ ସୁରଲକ୍ଷ୍ମୀ ଓ ରାଜଲକ୍ଷ୍ମୀର ବିବାହ ହୋଇଗଲା । ଦୁଇଦିନପରେ ସତୁରି ଟଙ୍କା ନଗଦ ନେଇ ଦୁଇଟି କନ୍ୟାର କୁଳୀନ ଜ୍ୱାଇଁ ବାଙ୍କୁଡ଼ା ଫେରିଗଲେ । ତେଣିକି ଆଉ କେହି କେବେ ଦିନକ ପାଇଁ ତାକୁ ସେ ଅଞ୍ଚଳରେ ଦେଖିବାକୁ ପାଇନାହାଁନ୍ତି । ଦେଢ଼ବର୍ଷ ପରେ ପ୍ଳୀହା ଜ୍ୱରରେ ସୁରଲକ୍ଷ୍ମୀ ମରିଗଲେ ଏବଂ ଆଉ ଦେଢ଼ବର୍ଷ ପରେ ଏଇ ରାଜଲକ୍ଷ୍ମୀ କାଶୀଧାମରେ ମରି ଶିବତ୍ୱ ଲାଭକଲା । ଏହା ହିଁ ହେଉଛି ପିଆରୀ ବାଈଜୀର ସଂକ୍ଷିପ୍ତ ଇତିହାସ ।

 

ବାଈଜୀ କହିଲା– ତୁମେ କ’ଣ ଭାବୁଛ କହିବି ?

 

: କ’ଣ ଭାବୁଛି ?

 

: ତୁମେ ଭାବୁଛ ଆହା ! ପିଲାବେଳେ ଏହାକୁ ଏତେକଷ୍ଟ ଦେଇଥିଲି । କଣ୍ଟାବଣକୁ ପଠାଇ ଦିନ ଦିନ ତାକୁ ଭଇଞ୍ଚି କୋଳି ତୋଳାଇଥିଲି । ତା’ ପ୍ରତିବଦଳରେ କେବଳ ମାରଧର କରିଥିଲି । ମାଡ଼ଖାଇ କେବଳ ଚୁପ ହୋଇ ବସୁଥିଲା ସିନା କିନ୍ତୁ କିଛି କହୁନଥିଲା । ଆଜି ଯଦି ଗୋଟାଏ କଥା କହୁଛି ତେବେ ମାନିନେଲେ କ୍ଷତି କ’ଣ ? ଶ୍ମଶାନକୁ ନଗଲେ କ’ଣ ଚଳିବ ନାହିଁ ? କ’ଣ ଏଇଆ ସବୁ ତ ?

 

ମୁଁ ହସ ସମ୍ଭାଳି ପାରିଲି ନାହିଁ, ହସିପକାଇଲି ।

 

ପିଆରୀ ମଧ୍ୟ ହସିପକାଇ କହିଲା–କ’ଣ ମାନିବ ? ପିଲାବେଳେ ଯାହାକୁ ଥରେ ଭଲପାଇବାକୁ ହୋଇଥାଏ ତାକୁ କ’ଣ ସହଜରେ ଭୁଲିହୁଏ ? ସେ ଯଦି କେବେ ଗୋଟାଏ ଅନୁରୋଧ କରେ ତାକୁ କ’ଣ କେହି ପାଦରେ ଠେଲି ଦେଇପାରେ ? ଏପରି ନିଷ୍ଠୁର ବୋଧହୁଏ ସଂସାରରେ ଆଉ ତୁମ ବିନା କେହିନଥିବେ ? ଚାଲ ଭିତରକୁ ଯାଇ ଟିକିଏ ବସିବା । ଅନେକ କଥା ହେବାକୁ ଅଛି । ରତନ ଆସିଲୁ, ବାବୁଙ୍କ ଗୋଡ଼ରୁ ବୁଟ୍‌ ହଳକ ଖୋଲି ଦେଇଯିବୁ । ହସୁଛ ଯେ...

: ହସୁଛି ଏଇଥିପାଇଁ ଯେ ତୁମେ କିପରି ମଣିଷକୁ ବଶ କରିଜାଣ ।

ପିଆରୀ ମଧ୍ୟ ହସିଲା । ତା’ ନୁହେଁ ଆଉ କ’ଣ ? ପରକୁ କଥାରେ ଭୁଲାଇ ବଶ କରାଯାଇପାରେ କିନ୍ତୁ ଜ୍ଞାନ ହେବାପର୍ଯ୍ୟନ୍ତ ନିଜେ ଯାହାର ବଶ ହୋଇଆସିଛି ତାକୁ କ’ଣ କଥାରେ ଭୁଲାଇ ହୁଏ ? ଆଚ୍ଛା ଆଜି ହୁଏତ କଥା କହୁଛି; କିନ୍ତୁ କହିଲି, ପ୍ରତିଦିନ କଣ୍ଟାରେ କ୍ଷତ ବିକ୍ଷତ ହୋଇ ଯେତେବେଳେ ଭଇଁଞ୍ଚ କୋଳିର ମାଳୀ ଗୁନ୍ଥୀ ଦେଇଥିଲି ସେତେବେଳେ କେତେ କଥା କହୁଥିଲି ଶୁଣେ ? ସେ କ’ଣ ତୁମ ମାଡ଼ ଭୟରେ ? କ’ଣ ମନେପଡ଼ୁନାହିଁ ? ସେ ଝିଅଟି କ’ଣ ରାଜଲକ୍ଷ୍ମୀ ନୁହେଁ ? କିନ୍ତୁ ମୁଁ ତୁମକୁ ସଂପୂର୍ଣ୍ଣ ଭୁଲିଯାଇଥିଲି । ଦେଖି ମଧ୍ୟ ଚିହ୍ନିପାରିନଥିଲି, କହି ହସିଉଠି ମୁଣ୍ଡ ହଲାଇବା କ୍ଷଣି ତା’ ଦୁଇକାନରେ ପିନ୍ଧିଥିବା ହୀରା ଅଳାଙ୍କାରଗୁଡ଼ାକ ନାଚିଉଠିଲା ।

ମୁଁ କହିଲି–ତୁମକୁ କେବେ ଅବା ମନେରଖିଥିଲି ଯେ ଭୁଲିଯିବି ନାହିଁ ? ବରଂ ଆଜି ଚିହ୍ନିପାରିଛି ଦେଖି ନିଜେ ମଧ୍ୟ କମ୍‌ ଆଶ୍ଚର୍ଯ୍ୟ ହେଉନାହିଁ । ଆଚ୍ଛା ବର୍ତ୍ତମାନ ବାରଟା ବାଜିଲାଣି; ଯାଉଛି ।

ପିଆରୀର ହସ ହସ ମୁହଁ କ୍ଷଣକ ଭିତରେ ବିଷଣ୍ଣ ଓ ମଳିନ ହୋଇଉଠିଲା । ଟିକିଏ ହସି ପୁଣି କହିଲା–ଆଚ୍ଛା ଭୂତ ପ୍ରେତ ନମାନ, ସାପ, ବାଘ, ଭାଲୁ, ଏମାନଙ୍କୁ ତ ବଣ ଜଙ୍ଗଲରେ ଅନ୍ଧକାର ରାତ୍ରିରେ ଡରି ଚଳିବା ଉଚିତ୍‌ ।

କହିଲି–ମୁଁ ସେମାନଙ୍କୁ ବରଂ ଯଥେଷ୍ଟ ସତର୍କ ହୋଇ ଜଙ୍ଗଲ ଭିତରେ ଯାଇଥାଏ ।

ମୋତେ ଯିବାପାଇଁ ଉଦ୍ୟତ ହେବାର ଦେଖି ଧୀରେ ଧୀରେ ସେ କହିଲା ତୁମେ ଯେଉଁ ଧାତୁର ମଣିଷ, ସେଥିରେ ତୁମକୁ ଯେ ଅଟକାଇପାରିବି ନାହିଁ ଏଇ ଆଶଙ୍କା ମୋର ଯଥେଷ୍ଟ ଥିଲା-। ତଥାପି ଭାବିଥିଲି କନ୍ଦାକଟା କରି ହାତ ଗୋଡ଼ ଧରିଲେ ହୁଏତ ତୁମେ ନଯାଇପାର-। କିନ୍ତୁ ମୋର କାନ୍ଦିବା ହିଁ କେବଳ ସାର ହେଲା ।

ମୁଁ କୌଣସି ଉତ୍ତର ନ ଦେବାରୁ ସେ ପୁଣି କହିଲା–ଆଚ୍ଛା ଯିବ ଯଦି ଯାଅ । ପଛରୁ ଡାକି ତୁମର ଅମଙ୍ଗଳ କରିବି ନାହିଁ । କିନ୍ତୁ କିଛି ଯଦି ଅଘଟଣ ଘଟେ ତେବେ ଏଇ ବିଦେଶ ଜାଗାରେ ସେତେବେଳେ ଏଇ ରାଜରାଜୁଡ଼ା ବନ୍ଧୁବାନ୍ଧବ କୌଣସି ହେଲେ କାମରେ ଲାଗିବେ ନାହିଁ । ସେତେବେଳେ ମୋତେ ହିଁ କଷ୍ଟ ଭୋଗିବାକୁ ହେବ । ମୋତେ ଚିହ୍ନ ନାହିଁ ବୋଲି ମୋ ମୁହଁଉପରେ ତୁମ ପୁରୁଷପଣିଆ ଦେଖାଇ ଚାଲିଗଲ କିନ୍ତୁ ମୋର ନାରୀ ହୃଦୟ ତ ବିପଦ ସମୟରେ ଆଉ କହିପାରିବ ନାହିଁ ଯେ ଏହାଙ୍କୁ ଆଦୌ ଚିହ୍ନି ନାହିଁ ବୋଲି ? ଏତିକି କହି ସେ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ିଲା ।

ମୁଁ ଯାଉଯାଉ ଫେରି ଟିକିଏ ହସିଦେଲି । ମନରେ କିପରି କଷ୍ଟ ଅନୁଭବ କଲି । କହିଲି; ବେଶ ବାଈଜୀ ସେପରି ଯଦି କିଛି ହୁଏ ତେବେ ତହିଁରେ ମୋର ଲାଭ ହେବ । ମୋର କେହି କେଉଁଠାରେ ନାହାଁନ୍ତି । ତଥାପି ଜାଣିପାରିବି ଯେ ଜଣେ ହେଲେ କିଏ ମୋର ହୋଇଅଛି ଯିଏକି ମୋତେ ଛାଡ଼ି ଚାଲି ଯାଇପାରିବ ନାହିଁ ।

ପିଆରୀ କହିଲା–ସେ କଥା କ’ଣ ତୁମେ ଜାଣ ନାହିଁ ? ଶହେଥର ବାଈଜୀ କହି ଯେତେ ଅପମାନ କରନା କାହିଁକି; ରାଜଲକ୍ଷ୍ମୀ ଯେ ତୁମଙ୍କୁ ଛାଡ଼ିଦେଇ ଚାଲି ଯାଇପାରିବ ନାହିଁ ଏକଥା କ’ଣ ତୁମେ ମନେମନେ ଜାଣ ନାହିଁ ? କିନ୍ତୁ ଛାଡ଼ିଦେଇ ଚାଲିଗଲେ ଭଲହୁଅନ୍ତା । ତୁମର ଗୋଟାଏ ଶିକ୍ଷା ହୁଅନ୍ତା । କିନ୍ତୁ କେଡ଼େ କଦର୍ଯ୍ୟ ଏଇ ସ୍ତ୍ରୀ ଜାତିଟା କହିଲ ? ଥରେ ଯଦି ଭଲପାଇଛନ୍ତି ତ ତେଣିକି ମରିବାକୁ ବାଧ୍ୟ ।

ମୁଁ କହିଲି–ପିଆରୀ, ଭଲ ସନ୍ନ୍ୟାସୀକୁ ଭିକ ମିଳେ ନାହିଁ; କାହିଁକି ଜାଣ ?

: ଜାଣେ । କିନ୍ତୁ ତୁମର ଏଇ ଖୁଞ୍ଚଣାରେ ଏତେ ଶକ୍ତି ନାହିଁ ଯାହାକି ମୋ ମନକୁ ଆଘାତ ଦେଇପାରିବ । ଏହା ହେଉଛି ମୋର ଈଶ୍ୱରଦତ୍ତ ଧନ । ଯେତେବେଳ ପର୍ଯ୍ୟନ୍ତ ସଂସାର ବିଷୟରେ ଭଲମନ୍ଦ ଜ୍ଞାନ ହୋଇନଥିଲା ସେତିକିବେଳୁ–ଏହା ଆଜିକାଲିର ନୁହେଁ ।

 

ମୁଁ ନରମ ହୋଇ କହିଲି–ବେଶ୍ ଭଲକଥା । ଆଶାକରୁଛି ମୋର ଆଜି କିଛି ହେଲେ ଘଟିବ । ଯଦି ଘଟେ ତେବେ ତୁମ ଈଶ୍ୱରଦତ୍ତ ଧନର ଗୋଟାଏ ପରୀକ୍ଷା ହୋଇଯିବ ।

 

ପିଆରୀ କହିଲା–ଛିଃ–ଛିଃ ଏପରି କଥା କେବେହେଲେ କଲନାହିଁ । ଭଲରେ ଭଲରେ ଫେରିଆସ । ଆଉ ତୁମକୁ କିଛି ଅନୁରୋଧ କରି ଲାଭ ନାହିଁ । ମୋର କ’ଣ ଏତେବଡ଼ ଭାଗ୍ୟ ଯେ ଦୁଃଖ ସମୟରେ ତୁମର ସେବା କରି ତୁମକୁ ସୁସ୍ଥସବଳ କରିପାରିବି ? ସେତକ ଯଦି ସୁଯୋଗ ମିଳିପାରନ୍ତା ତେବେ ଜାଣନ୍ତି ଯାହାହେଉ ଏ ଜନ୍ମରେ ଗୋଟାଏ ହେଲେ କାର୍ଯ୍ୟ କରିପାରିଛି । ଏତକ କହି ସେ ମୁହଁ ବୁଲାଇ ନେଇ ତା’ ଆଖିରେ ଲୁହକୁ ଲୁଚାଇବାକୁ ଚେଷ୍ଟା କଲା । କିନ୍ତୁ ଲଣ୍ଠନର କ୍ଷୀଣ ଆଲୋକରେ ସେତକ ସେ ମୋଠାରୁ ଲୁଚାଇ ରଖିପାରିଲା ନାହିଁ ।

 

: ଆଚ୍ଛା, ଭଗବାନ ତୁମର ଏଇ କାମନା ଦିନେନାଦିନେ ପୂର୍ଣ୍ଣ କରିଦେବେ କହି ମୁଁ ଆଉ ବିଳମ୍ବ ନକରି ତମ୍ବୁ ବାହାରକୁ ଚାଲିଆସିଲି । ଥଟ୍ଟା କରିବାକୁ ଯାଇ ମୁଁହରୁ ଯେ ଏତେବଡ଼ ସାଘାଂତିକ ସତ୍ୟଟା ବାହାରିପଡ଼ିବ ସେତେବେଳେ ଏ କଥା କିଏ ଅବା ଜାଣିଥିଲା ?

 

ତମ୍ବୁ ଭିତରୁ ଅଶ୍ରୁ ବିଜଡ଼ିତ କଣ୍ଠରୁ ଦୁର୍ଗା, ଦୁର୍ଗା, ନାମର ସକାତର ଧ୍ୱନି କାନରେ ଆସି ମୋର ବାଜୁଥିଲା । ମୁଁ ତରତର ହୋଇ ଶ୍ମଶାନକୁ ବାହାରିପଡ଼ିଲି ।

 

ପିଆରୀ କଥା ଭାବିଭାବି ମନଟା ଅସ୍ଥିର ହୋଇଉଠୁଥିଲା । କେତେବେଳେ ଆମ୍ବ ବଗିଚାର ଦୀର୍ଘ ଅନ୍ଧକାର ପଥ ପାର ହୋଇଗଲି କେତେବେଳେ ନଦୀ କୂଳେକୂଳେ ଚାଲିଚାଲି ସରକାରୀ ବନ୍ଧଉପରେ ପହଞ୍ଚିଗଲି ସେସବୁ ଜାଣିପାରିନଥିଲି । ବାଟସାରା କେବଳ ଏଇକଥା ଭାବି ଭାବି ଆସିଥିଲି ଯେ ପ୍ରକୃତରେ ଏଇ ନାରୀ ମନଟା ବଡ଼ ଦୁର୍ବୋଧ୍ୟ । କେବେ ଯେ ଏଇ ପିଳେହୀ ପେଟି, କାଠିଭଳିଆ ସରୁ ସରୁ ଧାଙ୍ଗେଡ଼ୀ ଝିଅଟା ମୋତେ ଭଲପାଇ ବସିଥିଲା ଏବଂ ଭଇଁଞ୍ଚ କୋଳିର ମାଳା ପିନ୍ଧାଇ ମନେମନେ ପୂଜା କରି ଆସିଥିଲା, ତାହା ମୁଁ ଆଦୌ ଜାଣିପାରିନଥିଲି । ଯେତେବେଳେ ଏତକ ଜାଣିପାରିଲି ସେତିକିବେଳୁ ମୋର ବିସ୍ମୟର ସୀମା ନଥିଲା । ମୁଁ କିନ୍ତୁ ସେଥିପାଇଁ ଆଶ୍ଚର୍ଯ୍ୟ ହୋଇନଥିଲି । ନଭେଲ ଓ ନାଟକରେ ବାଲ୍ୟ ପ୍ରଣୟର କଥା ଅନେକ ପଢ଼ିଛି । କିନ୍ତୁ ଏଇ ବସ୍ତୁଟି ଯାହାକୁ କି ସେ ତା’ର ଈଶ୍ୱରଦତ୍ତ ଧନ କହି ସଗର୍ବରେ ପ୍ରଚାର କରିବାକୁ କୁଣ୍ଠିତ ହେଲାନାହିଁ, ତାହାକୁ ସେ ଏତେଦିନ ଧରି ତା’ର ଏଇ ଘୃଣିତ ଜୀବନର ଶତକୋଟି ମିଥ୍ୟା ପ୍ରଣୟ–ଅଭିନୟ ମଧ୍ୟରେ କେଉଁଠାରେ ଜୀବନ୍ତ କରି ରଖିଥିଲା ? କେଉଁଠାରୁ ଏହା ପାଇଁ ଖାଦ୍ୟ ସଂଗ୍ରହ କରିଥିଲା ? କେଉଁପରି ସେ ଏତେବଡ଼ ଭଲପାଇବାକୁ ଲାଳନପାଳନ କରି ଆଜିପର୍ଯ୍ୟନ୍ତ ଜୀବନ୍ତ କରି ରଖିପାରିଥିଲା ?

 

ବାପ୍‍ରେ ବାପ୍‌ !

 

ଚମକିପଡ଼ିଲି । ଚାହିଁ ଦେଖେ ଆଗରେ ବିସ୍ତୀର୍ଣ୍ଣ ପ୍ରାନ୍ତର ଏବଂ ସେହି ପ୍ରାନ୍ତରକୁ ବିଦୀର୍ଣ୍ଣ କରି ଶୀର୍ଣ୍ଣ ନଦୀର ବକ୍ରରେଖା ଅଙ୍କାବଙ୍କା ହୋଇ କାହିଁ କେତେ ଦୂରରେ ମିଳାଇଯାଇଛି । ସାରା ମରୁ ପ୍ରାନ୍ତର ବ୍ୟାପୀ ଗୋଟାଏ ଗୋଟାଏ କାଶତଣ୍ଡୀର ବଣ । ଅନ୍ଧକାରରେ ହଠାତ୍‌ ମନେହେଲା ଯେପରି ଏଗୁଡ଼ାକ ପ୍ରତ୍ୟେକ ଗୋଟାଏ ଗୋଟାଏ ମଣିଷ । ସତେ ଯେପରି ଆଜିକାର ଏଇ ଭୟଙ୍କର ଅମାନିଶାରେ ପ୍ରେତାତ୍ମାମାନଙ୍କର ନୃତ୍ୟ ଦେଖିବାକୁ ଆମନ୍ତ୍ରିତ ହୋଇଆସିଛନ୍ତି ଏବଂ ବାଲୁକା ଆସ୍ତରଣ ଉପରେ ଯିଏ ଯାହାର ଆସନ ଗ୍ରହଣ କରି, ନୀରବରେ ପ୍ରତୀକ୍ଷା କରି ରହିଛନ୍ତି-। ମୁଣ୍ଡଉପରେ ନିବିଡ଼ କଳା ଆକାଶ । ସଂଖ୍ୟାହୀନ ଗ୍ରହ ତାରକା ମଧ୍ୟ ଆଗ୍ରହରେ ଆଖିଖୋଲି ଚାହିଁ ରହିଛନ୍ତି । ପବନ ନାହିଁ । କୌଣସିଠାରେ କିଛି ଶବ୍ଦ ମଧ୍ୟ ନାହିଁ । ନିଜ ଛାତିଭିତରେ ଥିବା ହୃତ୍‌ସ୍ପନ୍ଦନ ବ୍ୟତୀତ ଯେତେଦୂର ପର୍ଯ୍ୟନ୍ତ ଆଖିପାଏ କେଉଁଠାରେ କିଛି ଜୀବନ ଥିବାର ଟେର ସୁଦ୍ଧା ମିଳେ ନାହିଁ । ଯେଉଁ ରାତ୍ରିଚର ପକ୍ଷୀଟା ଥରକ ପାଇଁ ‘‘ବାପ୍‌ରେ ବାପ୍‌’’ କହି ଅଟକି ଯାଇଥିଲା, ତା’ ତୁଣ୍ଡରୁ ଆଉ ମଧ୍ୟ କଥା ବାହାରିଲା ନାହିଁ । ପଶ୍ଚିମ ଦିଗକୁ ଧୀରେଧୀରେ ଅଗ୍ରସର ହେଲି-। ଏହି ଦିଗରେ ସେ ମହାଶ୍ମଶାନ । ଦିନେ ଶିକାର କରିବାକୁ ଆସି ସେଇ ଯେ ଶିମିଳି ଗଛ ଗୁଡ଼ାକ ଦେଖିଯାଇଥିଲି । କିଛି ଦୂର ଆସିବା ପରେ ସେମାନଙ୍କର ସେଇ କଳାକଳା ଡାଳ ସବୁ ଆଖିରେ ପଡ଼ିଲା । ଏମାନେ ବୋଧହୁଏ ଏ ମହାଶ୍ମଶାନର ଦ୍ୱାରପାଳ । ଏମାନଙ୍କୁ ଅତିକ୍ରମ କରିଯିବାକୁ ହେବ । ଏଥର ଅତି ଅସ୍ପଷ୍ଟ ସ୍ୱରରେ ଜୀବନର ସୁରାକ୍‌ ପାଇପାରିଲି; କିନ୍ତୁ ସେଥିପାଇଁ ଆନନ୍ଦିତ ହେବାର କିଛି ନାହିଁ । ଆଉ କିଛି ଦୂର ଯିବାପରେ ତାହା ପରିଷ୍କାର ହୋଇଉଠିଲା । ଜଣେ ଜଣେ ମାଆ ‘‘କୁମ୍ଭକର୍ଣ୍ଣ ନିଦ’’ରେ ଶୋଇପଡ଼ିଥିଲେ ସେମାନଙ୍କର କଅଁଳା ପିଲା କାନ୍ଦିକାନ୍ଦି ଶେଷ ବେଳକୁ ଯେପରି ନିର୍ଜୀବ ହୋଇପଡ଼ି ରହି ରହି କାନ୍ଦେ, ଠିକ୍‌ ସେହିପରି ଶ୍ମଶାନରେ ଏକାନ୍ତ ହୋଇ କିଏ ଯେପରି କାନ୍ଦିବାକୁ ଲାଗିଥାଏ । ଯିଏ ଏଇ କ୍ରନ୍ଦନର ଇତିହାସ ଜାଣିନାହିଁ କିମ୍ବା ପୂର୍ବରୁ କେବେ ଶୁଣିନାହିଁ, ସେ ଯେ ଏଇ ଗଭୀର ଅମାନିଶିରେ ଆଉ ଏକପାଦ ସେଇଆଡ଼କୁ ଆଗେଇଯିବା ପାଇଁ ଇଚ୍ଛାକରିବ ନାହିଁ ସେକଥା ମୁଁ ବାଜିରଖି କହିପାରେ । ସେ ଯେ ମାନବ ଶିଶୁ ନୁହେଁ, ଶାଗୁଣାଛୁଆ ମାଆକୁ ନଦେଖି ଅନ୍ଧାର ରାତିରେ କାନ୍ଦିବାରେ ଲାଗିଛି, ନ ଜାଣିଥିଲେ କାହାର ସାଧ୍ୟ ନାହିଁ ଏକଥା ଠିକ୍ କରି କହିଦେବ । ଆହୁରି ନିକଟକୁ ଆସିବାପରେ ଦେଖିଲି–ପ୍ରକୃତରେ ତାହା ସତ । କଳାକଳା ଝୁଡ଼ି (ଟୋକେଇ) ଭଳି ଶିମିଳି ଗଛ ଡାଳରେ ଅସଂଖ୍ୟ ଶାଗୁଣା ବସା କରି ରହିଛନ୍ତି ଏବଂ ସେମାନଙ୍କ ଭିତରୁ କାହାର ଗୋଟାଏ ଦୁଷ୍ଟ ପିଲା ରାତିରେ ଏପରି ଭାବରେ ଆର୍ତ୍ତ କଣ୍ଠରେ ବାନ୍ଦୁଛି-

 

ଗଛଉପରେ ସେ କାନ୍ଦିବାକୁ ଲାଗିଥାଏ । ମୁଁ ଗଛ ତଳେ ଆଗେଇଯାଇ ଏଇ ମହାଶ୍ମଶାନର ଗୋଟିଏ କ’ଣରେ ଆସି ଠିଆହେଲି । ସକାଳେ ସେ କହିଥିଲେ ଯେ ଲକ୍ଷେ ନରମୁଣ୍ଡ ଗଣିହେବ । ପ୍ରକୃତରେ ଦେଖିଲି କଥାଟା ଅତ୍ୟୁକ୍ତି ନୁହେଁ । ସାରା ସ୍ଥାନଟା ନର କଙ୍କାଳରେ ପୂର୍ଣ୍ଣ ହୋଇଛି । ପେଣ୍ଡୁ ଖେଳିବା ଭଳି ଅସଂଖ୍ୟ ନର କଙ୍କାଳ ପଡ଼ି ରହିଛି ହେଲେ ଖେଳୁଆଡ଼ କେହି ସେପର୍ଯ୍ୟନ୍ତ ଆସି ପହଞ୍ଚି ନଥାନ୍ତି । ମୋ ବ୍ୟତୀତ ଆଉ କେହି ଅଶରୀର ଦର୍ଶକ ସେଠାରେ ଉପସ୍ଥିତ ଥିଲେ କି ନାହିଁ ତାହା ଏଇ ନଶ୍ୱର ଆଖିଦୁଇଟାରେ ଆବିଷ୍କାର କରିପାରିଲି ନାହିଁ । ସେତେବେଳେ ଘୋର ଅମାବାସ୍ୟାର ଅନ୍ଧକାର । ସୁତରାଂ ଖେଳ ଆରମ୍ଭ ହେବାକୁ ଆଉ ବେଶୀ ବିଳମ୍ବ ନାହିଁ ଭାବି ଗୋଟାଏ ବାଲିଗଦା ଉପରେ ବସିପଡ଼ିଲା । ବନ୍ଧୁକଟା ଖୋଲି, ଆଉଥରେ ଗୁଳିଗୁଡ଼ାକୁ ପରୀକ୍ଷା କରି ପୁଣି କୋଳ ଉପରେ ରଖି ପ୍ରସ୍ତୁତ ହୋଇ ରହିଲି । ହାଏରେ ଗୁଳି । କିନ୍ତୁ ବିପଦ ସମୟରେ ସେଗୁଡ଼ାକ କିଛି ସାହାଯ୍ୟ କରିପାରିଲେ ନାହିଁ ।

 

ପିଆରୀ କଥା ମନେପଡ଼ିଲା । ସେ କହିଥିଲା–ଯଦି ଅକପଟ ଚିତ୍ତରେ ବିଶ୍ୱାସ କର ନାହିଁ ତେବେ କଷ୍ଟଭୋଗ କରିବାକୁ ଯାଉଛି କାହିଁକି ? ଆଉ ଯଦି ବିଶ୍ୱାସ ଥାଏ ତେବେ ଭୂତପ୍ରେତ ଥା’ନ୍ତୁ କି ନଥାନ୍ତୁ ତୁମକୁ କୌଣସିମତେ ଛାଡ଼ିଦେବି ନାହିଁ । ସତ ତ ! ମୁଁ ଏ କ’ଣ ସବୁ ଦେଖିବାକୁ ଆସିଛି ? ମନ ଅଗୋଚରରେ ତ ପାପ ନାହିଁ । ମୁଁ କିଛି ଦେଖିବାକୁ ଆସିନାହିଁ ବରଂ କେବଳ ଦେଖାଇବାକୁ ଆସିଛି ମୋର ସାହସ କେତେ । ଏୟାନା ? ସକାଳେ ଯେଉଁମାନେ କହିଥିଲେ ବଙ୍ଗାଳୀମାନେ ଭୀରୁ, ଠିକ୍‌ ବଖତ ବେଳେ ପଛଘୁଞ୍ଚା ଦିଅନ୍ତି; ସେମାନଙ୍କ ନିକଟରେ ପ୍ରମାଣ କରି ଦେଖାଇ ଦେବାପାଇଁ ହେବ ଯେ ବଙ୍ଗାଳୀମାନେ କେତେ ବୀର ।

 

ମୋର ବହୁଦିନରୁ ଦୃଢ଼ ବିଶ୍ୱାସ ଯେ ମଣିଷ ମରିଗଲେ ଆଉ ବଞ୍ଚେ ନାହିଁ । ଯଦିବା ପ୍ରବୀଣ ବ୍ୟକ୍ତିଙ୍କ ମତ ଅନୁସାରେ ବଞ୍ଚୁଥାଏ ତେବେ ତା’ ପକ୍ଷରେ ଯେଉଁ ଶ୍ମଶାନରେ ତା’ର ପାର୍ଥିବ ଶରୀରକୁ ଅଶେଷ ନିପୀଡ଼ନ କରାଯାଇଥିଲା, ସେଠାକୁ ପୁଣି ଫେରିଆସି ନିଜ ମୁଣ୍ଡଟାକୁ ଗୋଇଠା ମାରି ଖେଳିବାକୁ ଇଚ୍ଛାହେବାଟା ତାପକ୍ଷରେ ସ୍ୱାଭାବିକ ନୁହେଁ–ଉଚିତ୍‌ ମଧ୍ୟ ନୁହେଁ । ଅନ୍ତତଃ ଜୀବନ୍ତ ମନୁଷ୍ୟ ହିସାବରେ ମୋ ପକ୍ଷରେ ମଧ୍ୟ ନ ହେବା ଉଚିତ୍‌ । ତେବେ କ’ଣ କି ମଣିଷ ଗୋଟିକେ ପ୍ରକୃତି ଗୋଟିଏ । ଯଦିବା ଏପରି କାହାର କାହାର କେବେ ହେଉଥିବ ତେବେ ଆଜି ରାତିରେ ଉଜାଗର ରହିବାଟା ମୋର ନିଷ୍ଫଳ ହେବ ନାହିଁ । ଯେହେତୁ ଆଜିକାର ପ୍ରବୀଣ ବ୍ୟକ୍ତି ଏପରି ଗୋଟାଏ ଲୋଭନୀୟ ଆଶା ମୋତେ ଦେଇଛନ୍ତି......

 

ହଠାତ୍‌ ଦମକାଏ ପବନ ଗୁଡ଼ାଏ ଧୂଳିବାଲି ଉଡ଼ାଇ ଦେହଉପର ଦେଇ ବହିଗଲା । ସେହି ଧୂଳି ଝଡ଼ଟା ଶେଷ ହେଉ ନ ହେଉଣୁ ଲାଗେ ଲାଗେ ଆଉ ଦୁଇଥର ଝଡ଼ ବହିଗଲା । ମନେମନେ ଭାବିଲି ଏସବୁ କ’ଣ ? ଏହା ପୂର୍ବରୁ ତ ଝଡ଼ର ଆଶଙ୍କା ଆଦୌ ନଥିଲା । ଯେତେ ଯାହା ମନକୁ ବୁଝାଇଲେ ସୁଦ୍ଧା ମରଣପରେ ଯେ କିଛି ଗୋଟାଏ ଅଜଣା ଜିନିଷ ରହିଛି ସେଇଟା ଆମର ଅସ୍ଥିମଜ୍ଜାଗତ । ଯେତେ ସମୟ ପର୍ଯ୍ୟନ୍ତ ଦେହରେ ହାଡ଼ ମାଂସ ଥିବ ସେତେଦିନ ପର୍ଯ୍ୟନ୍ତ ସେହି ଭାବନା ମନରେ ଥିବ । ପ୍ରେତ ଥାଆନ୍ତୁ କିମ୍ବା ନ ଥାନ୍ତୁ । ସୁତରାଂ ଏହି ଘୂର୍ଣ୍ଣିବାତ୍ୟା କେବଳ ଧୂଳିବାଲି ଉଡ଼ାଇଲା ନାହିଁ ବରଂ ମୋ ମନର ସେହି ଗୋପନ ସଂସ୍କାରକୁ ଯାଇ ଆଘାତ ଦେଲା ! କ୍ରମଶଃ ଧୀରେ ଧୀରେ ବେଶ୍‌ ଜୋରରେ ପବନ ବହିବାକୁ ଲାଗିଲା । ଅନେକ ହୁଏତ ଜାଣିନଥିବେ ଯେ ମଡ଼ା ଶରୀର ଭିତରେ ପବନ ପଶିଲେ ଠିକ୍ ନିଃଶ୍ୱାସ ଛାଡ଼ିବା ଭଳି ଶବ୍ଦ ହୁଏ । ଦେଖୁଦେଖୁ ଆଗପଛରେ ଏପରିକି ମୋ ଚାରିଆଡ଼ୁ ଯେପରି ଦୀର୍ଘ ନିଃଶ୍ୱାସର ଶବ୍ଦ ସବୁ ଭାସିଆସିଲା । ମୋର ମନେହେଲା, କେତେଗୁଡ଼ିଏ ଲୋକ ମୋତେ ଘେପରି ଯାଇ ଯେପରି ଅବିଶ୍ରାମ ଭାବରେ ହା–ହୁତାଶ ହୋଇ ନିଃଶ୍ୱାସ ଛାଡ଼ିବାରେ ଲାଗିଛନ୍ତି, ଇଂରାଜୀରେ ଯାହାକୁ କହନ୍ତି ‘‘uncarry feeling’’ ଠିକ୍ ସେଇ ଧରଣର ଗୋଟାଏ ଅସ୍ୱସ୍ତି କିପରି ମୋତେ ଜଣାଗଲା । ସେଇ ଶାଗୁଣା ପିଲାଟା ସେପର୍ଯ୍ୟନ୍ତ ସୁଦ୍ଧା ତା’ର କ୍ରନ୍ଦନ ବନ୍ଦ କରିନଥାଏ । ସେ ଯେପରି ପଛକୁ ପଛକୁ ଆହୁରି ଜୋରରେ କାନ୍ଦିଲା ପରି ମନେହେବାକୁ ଲାଗିଲା । ମୁଁ ଜାଣିପାରିଲି ବର୍ତ୍ତମାନ ମୁଁ ଭୟଭୀତ । ବହୁ ଅଭିଜ୍ଞତା ଫଳରେ ଭଲଭାବରେ ଜାଣିଥାଏ ଯେ ଯେଉଁ ସ୍ଥାନକୁ ମୁଁ ଆସିଛି ସେଠାରେ ଏ ସମୟରେ ଭୟକୁ ଦୂର କରିନପାରିଲେ ମୃତ୍ୟୁ ଅବଶ୍ୟମ୍ଭାବୀ । ପ୍ରକୃତରେ ଏପରି ଭୟଙ୍କର ସ୍ଥାନକୁ ଏହାପୂର୍ବରୁ ମୁଁ କେବେ ଏକାକୀ ଯାଇ ନାହିଁ । ଏକାକୀ ଯିଏ ସ୍ୱଚ୍ଛନ୍ଦରେ ଆସିପାରେ ସେ ହେଉଛି ଇନ୍ଦ୍ର କିନ୍ତୁ ମୁଁ ନୁହେଁ । ଅନେକଥର ଅନେକ ଭୟଙ୍କର ସ୍ଥାନକୁ ତା’ ସଙ୍ଗରେ ଯାଇ ଯାଇ ମୋର କିପରି ଧାରଣା ଜନ୍ମି ଯାଇଥିଲା ଯେ, ଇଚ୍ଛାକଲେ ମୁଁ ମଧ୍ୟ ଏକାକୀ ଏ ସବୁ ସ୍ଥାନକୁ ଯାଇପାରେ । କିନ୍ତୁ ସେପରି ଭାବନା ଯେ କେତେବଡ଼ ଭ୍ରମ ଏବଂ ମୁଁ ମଧ୍ୟ ଗୋଟାଏ ଝୁଙ୍କରେ ତାକୁ ଅନୁକରଣ କରିବାକୁ ଯାଇଥିଲି ବର୍ତ୍ତମାନ ତାହା ପରିଷ୍କାର ଭାବରେ ଜାଣିପାରିଲି । ମୋର ତା’ ଭଳି ଚଉଡ଼ା ଛାତି କ’ଣ ଅଛି ? ମୋର କ’ଣ ସେତିକି ଆତ୍ମବିଶ୍ୱାସ ତା’ ଭଳି ଅଛି ? ମୋର ସେଇ ରାମନାମର ଅଭେଦ୍ୟ କବଚ କ’ଣ ଅଛି ? ମୁଁ ତ ଇନ୍ଦ୍ର ନୁହେଁ ଯେ ଏଇ ପ୍ରେତ ଭୂମିରେ ଏକାକୀ ଠିଆହୋଇ, ଆଖି ଖୋଲି, ପ୍ରତାତ୍ମାମାନଙ୍କର ନର ମୁଣ୍ଡର ପେଣ୍ଡୁ ଖେଳକୁ ଦେଖିପାରିବି ? ମନେମନେ ଭାବିଲି ଯଦି ଗୋଟାଏ ଜୀଅନ୍ତା ବାଘ କିମ୍ବା ଭାଲୁକୁ ବର୍ତ୍ତମାନ ଦେଖିପାରନ୍ତି ତେବେ ହୁଏତ ବଞ୍ଚି ଯାଇପାରନ୍ତି । ହଠାତ୍‌ କିଏ ଯେପରି ପଛରେ ଠିଆହୋଇ ମୋ ଡାହାଣ କାନପାଖରେ ନିଃଶ୍ୱାସ ଛାଡ଼ିଲା । ତାହା ଏପରି ଥଣ୍ଡା ଯେ ବରଫ ଖଣ୍ଡ ଭଳି ମୋ କାନ ମୂଳରେ ଜମି ରହିଲା । ବେକ ନ ଭାଙ୍ଗି ମୁଁ ପରିଷ୍କାର ଦେଖିପାରିଲି ଯେ ଏ ନିଃଶ୍ୱାସ ଯେଉଁ ନାକପୁଡ଼ା ଦୁଇଟାରୁ ବାହାରିଆସିଲା ସେଥିରେ ଚମଡ଼ା ନାହିଁ, ମାଂସ ନାହିଁ, ଟୋପାଏ ରକ୍ତର ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ କେବଳ ଅଛି ହାଡ଼ ଏବଂ ଦୁଇଟା ଗାତ । ମୋ ଆଗରେ, ପଛରେ, ବାମ ଦିଗରେ, ଦକ୍ଷିଣ ଦିଗରେ ଭୀଷଣ ଅନ୍ଧକାର । ଆଖ ପାଖରୁ ହା–ହୁତାଶର ନିଃଶ୍ୱାସ ଗୁଡ଼ାକ ଆସି ମୋ ହାତ ଗୋଡ଼ରେ ବାଜିବାକୁ ଲାଗିଲା । କାନପାଖରେ ସେହିଭଳି କନ୍‌ କନ୍‌ ଥଣ୍ଡା ନିଃଶ୍ୱାସର ବିରାମ ନାହିଁ । ଏହି ଥଣ୍ଡା ନିଃଶ୍ୱାସ ହିଁ ମୋତେ ସବୁଠାରୁ ଅବଶ କରିପକାଇଲା । ମନେହେଲା ସାରା ପ୍ରେତ ଲୋକର ଥଣ୍ଡା ହାଓ୍ୱା ଯେପରି ଏଇ ଦୁଇ ଗାତଭିତରୁ ବହିଆସି ଦେହରେ ବାଜିବାରେ ଲାଗିଛି ।

 

ଏତେ କାଣ୍ଡ ଭିତରେ କିନ୍ତୁ ଏକଥାଟା ଭୁଲିନଥାଏ ଯେ କୌଣସି କାରଣରୁ ହେଉ ମୋତେ ସଜାଗ ରହିବାକୁ ହିଁ ହେବ । ତା’ ନହେଲେ ମୋର ମରଣ ଅନିବାର୍ଯ୍ୟ । ଦେଖିଲି ମୋ ଡାହାଣ ଗୋଡ଼ଟା ଥଣ୍ଡାରେ ଠକ୍‍ଠକ୍ ହୋଇ ଥରିବାରେ ଲାଗିଛି । ବନ୍ଦ କରିବାକୁ ଚେଷ୍ଟା କଲି । କିନ୍ତୁ ଥରିବା ଆଦୌ ବନ୍ଦ ହେଲା ନାହିଁ । ସତେ ଯେପରି ସେଇଟା ମୋ ଗୋଡ଼ ନୁହେଁ ।

 

ଠିକ୍‌ ଏଇ ସମୟରେ ଅନେକ ଦୂରରୁ ‘ବାବୁଜୀ’, ‘ବାବୁ ସାହେବ’ ଏଇ ସମବେତ ଚିତ୍କାର ଆସି ମୋ କାନରେ ବାଜିଲା । ସାରାଦେହରେ ଯେପରି ମୋର କିଏ କଣ୍ଟା ଫୋଡ଼ିଦେଲା ପରି ଲାଗିଲା । ମନେମନେ ଭାବିଲି–କାହାର ଏ ଡାକ ହୋଇପାରେ ?

 

ପୁଣି ଚିତ୍କାର ଭାସିଆସିଲା ‘ବାବୁଜୀ’ । ଯେପରି ଗୁଳି ନ ମାରନ୍ତି ।

 

ଶବ୍ଦ ସବୁ କ୍ରମଶଃ ମୋ ଆଡ଼କୁ ଆଗେଇ ଆସିବାକୁ ଲାଗିଲା । ଗୋଟାଏ ଦୁଇଟା କ୍ଷୀଣ ଆଲୋକ ରେଖା ମୋ ଆଖିରେ ଆସି ପଡ଼ିଲା । ମୋର କିପରି ମନେହେଲା ଏ ଚିତ୍କାର ଭିତରେ ଯେପରି ରତନ ଗଳାର ସନ୍ଧାନ ପାଇପାରିଲି । କିଛି ସମୟ ପରେ ଜାଣିପାରିଲି ଯେ, ପ୍ରକୃତରେ ତାରି ସ୍ୱର । ଆଉ କିଛିବାଟ ଆଗେଇ ଆସି ଗୋଟିଏ ଶିମୂଳି ଗଛ ଆଢ଼ୁଆଳରେ ରହି ସେ ଚିତ୍କାର କରି କହିଉଠିଲା–ବାବୁଜୀ ଆପଣ ଯେଉଁଠାରେ ଥାନ୍ତୁ କିନ୍ତୁ ଗୁଳିଫୁଳି ଆଦୌ ଫୁଟାଇବେ ନାହିଁ–ମୁଁ ହେଉଛି ରତନ । ମନେମନେ ଖୁସିହେଲି–ଭାବିଲ ଯାହା କହନ୍ତି–ରତନ ଲୋକଟା ପ୍ରକୃତରେ ଭଣ୍ଡାରୀ । ଏଥିରେ ଆଦୌ ଭୁଲ୍‌ ନାହିଁ ।

 

ଆନନ୍ଦରେ ନାଚିଉଠି ତାକୁ କିଛି କହିବାକୁ ଯାଉଛି କିନ୍ତୁ ମୋର ତୁଣ୍ଡରୁ କଥା ଆଦୌ ବାହାରିଲା ନାହିଁ । ପ୍ରବାଦ ଅଛି ଭୁତପ୍ରେତ ଗଲାବେଳେ କିଛି ନା କିଛି ଗୋଟାଏ କାଣ୍ଡ ଭିଆଇ ଚାଲିଯାଆନ୍ତି । ଯେଉଁମାନେ ମୋତେ ଘେରିଥିଲେ ସେମାନେ ବୋଧହୁଏ ମୋ ତୁଣ୍ଡରୁ କଥା କହିବା ଶକ୍ତିକୁ ହରଣ କରିନେଇ ଚାଲିଗଲେ ।

 

ରତନ ଏବଂ ଆଉ ତିନି ଚାରିଜଣ ଲୋକ ଦୁଇ ତିନିଟା ଲଣ୍ଠନ, ଓ ହାତରେ ଲାଠି ଧରି ମୋ ପାଖରେ ପହଞ୍ଚିଲେ । ଏଇ ତିନିଜଣ ଲୋକଙ୍କ ଭିତରେ ଜଣେ ହେଉଛନ୍ତି ଛୁଟୁଲାଲ–ସେ ତବଲା ବଜାନ୍ତି ଏବଂ ଆଉଜଣେ ପିଆରୀର ଦରଓ୍ୱାନ । ତୃତୀୟ ବ୍ୟକ୍ତିଟି ଗାଆଁର ଚୌକିଦାର ।

 

ରତନ କହିଲା–ଚାଲନ୍ତୁ...ବର୍ତ୍ତମାନ ରାତି ତିନିଟା ହେଲାଣି ।

 

: ଚାଲ୍‌, କହି ମୁଁ ଆଗେଇ ଚାଲିଲି ।

 

ବାଟରେ ଯାଉ ଯାଉ ରତନ କହିଲା–ବାବୁ ଧନ୍ୟ ତୁମର ସାହସ ! ଆମେ ଚାରିଜଣ ଯେ କେତେ ଭୟରେ ଏଠାକୁ ଆସିଛୁ ତାହା କଥାରେ କହିହେବ ନାହିଁ ।

 

: ଆସିଲ କାହିଁକି ?

 

: ଟଙ୍କା ଲୋଭରେ । ଆମେମାନେ ସମସ୍ତେ ମାସ ମାସକର ଆଗୁଆ ଦରମା ନଗଦ ପାଇଯାଇଛୁ କହି ମୋ ପାଖକୁ ଲାଗି ଆସି କଣ୍ଠକୁ ଆହୁରି କରୁଣ କରି କହିଉଠିଲା–ବାବୁ, ଆପଣ ଚାଲିଆସିବା ଦେଖି ମାଆ ବସି ବସି ବହୁତ କାନ୍ଦିଲେ । ମୋତେ ଶେଷରେ ପାଖକୁ ଡାକି କହିଲେ–ରତନ, କ’ଣ ହେବ କିଏ ଜାଣେ ? ତୁ ତାଙ୍କ ପଛେ ପଛେ ଯାଆ । ମୁଁ ପଛକେ ତୋତେ ମାସକର ଦରମା ବକ୍‌ଶିଶ୍‌ ଦେଉଛି । ମୁଁ କହିଲି, ଛୁଟୁଲାଲ୍‌ ଏବଂ ଗଣେଶକୁ ସଙ୍ଗରେ ନେଇ ମୁଁ ଯାଇପାରେ ମାଆ । କିନ୍ତୁ ବାଟ ତ ଚିହ୍ନି ନାହିଁ । ଏହି ସମୟରେ ଚୌକିଦାରର ଡାକ ଶୁଣି ମାଆ କହିଲେ–ତାକୁ ଡାକିଆଣ ତ । ସେ ନିଶ୍ଚୟ ବାଟ ଦେଖିଥିବ । ତମ୍ୱୁରୁ ବାହାରିପଡ଼ି ଚୌକିଦାରକୁ ଡାକିଆଣିଲି । ଚୌକିଦାର ନଗଦ ଛଅଟଙ୍କା ହାତରେ ଧରିସାରିବା ପରେ ଯାଇ ଆମକୁ ବାଟ ଦେଖାଇ ଦେଖାଇ ଆଣିଲା । ଆଚ୍ଛା ବାବୁ; କଅଁଳା ପିଲାର କାନ୍ଦଣା ଶବ୍ଦ ତୁମେ ଶୁଣିପାରିଛ ? କହି ରତନ ଭୟରେ ଶିହରିଉଠି ମୋ କୋଟ ପଛକୁ ମୁଠେଇ ଧରିଲା । କହିଲା–ଆଜ୍ଞା, ଆମ ଗଣେଶ; ପଣ୍ଡା ବ୍ରାହ୍ମଣ, ସେଥିପାଇଁ ଆଜି ତିନିଜଣ ରକ୍ଷା ପାଇଗଲୁ–ନଚେତ୍‌...

 

ମୁଁ କୌଣସି କଥା କହିଲି ନାହିଁ । ପ୍ରତିବାଦ କରି ତା’ ଭୁଲ୍ ଭାଙ୍ଗିବା ଭଳି ମନର ଅବସ୍ଥା ମୋର ନଥିଲା । ଚିନ୍ତାମଗ୍ନ ହୋଇ ଚାଲିଯିବାକୁ ଲାଗିଲି ।

 

କିଛି ବାଟ ଆସିବାପରେ ରତନ ପୁଣି ପ୍ରଶ୍ନକଲା–ଆଜି କ’ଣ କିଛି ଦେଖିପାରିଲି ବାବୁ-?

 

ମୁଁ କହିଲି–ନା,

 

ମୋର ଏଇ ସଂକ୍ଷିପ୍ତ ଉତ୍ତରରେ ରତନ କ୍ଷୁବ୍‌ଧ ହୋଇଉଠିଲା । କହିଲା ଆମେମାନେ ଆସିଥିବାରୁ ତୁମେ କ’ଣ ମନେ ମନେ ରାଗିଲ କି ବାବୁ ? ମାଆଙ୍କର କାନ୍ଦ ଦେଖିଲେ କିନ୍ତୁ....

 

ମୁଁ ସଙ୍ଗେସଙ୍ଗେ କହିଉଠିଲି ନା, ରତନ, ମୁଁ ଆଦୌ ରାଗ କରି ନାହିଁ ।

 

ତମ୍ବା ପାଖାପାଖି ହେବାକ୍ଷଣି ଚୌକିଦାର ତା’ କାମରେ ଚାଲିଗଲା । ଗଣେଶ ଓ ଛୁଟୁଲାଲ ଚାକରମାନେ ରହୁଥିବା ତମ୍ବୁକୁ ଚାଲିଗଲେ । ରତନ କହିଲା–ମାଆ କହିଥିଲେ ଯିବାବେଳେ ଥରକପାଇଁ ତାଙ୍କୁ ଦେଖାକରି ଯିବେ.... ।

 

ଏତକ ଶୁଣି ମୁଁ ଟିକିଏ ଅଟକି ଯାଇ ଠିଆ ହୋଇଗଲି । ଆଖିଆଗରେ ମୋତେ ଯେପରି ପରିଷ୍କାର ରୂପେ ଦେଖାଗଲା ଯେ ପିଆରୀ ଅଧୀର ଆଗ୍ରହରେ ସଜଳ ଚକ୍ଷୁରେ ଦୀପଆଗରେ ମୋ ପାଇଁ ପ୍ରତୀକ୍ଷା ତାହା ନିକଟକୁ ଦୌଡ଼ି ଚାଲିଛି ।

 

ରତନ ସହକାରେ କହିଲା, ଆସନ୍ତୁ ଆଜ୍ଞା....

 

ମୁହୂର୍ତ୍ତକ ପାଇଁ ଆଖିବୁଜି ଚିନ୍ତା କରି ଦେଖିଲି ସେଠାରେ ପ୍ରକୃତିସ୍ଥ କେହି ନଥିବେ । ସମସ୍ତେ ଆକଣ୍ଠ ମଦପିଇ ମାତାଲ ହୋଇଉଠିଥିବେ । ଛିଃ ! ଛି ! ଏଇ ମାତାଲମାନଙ୍କୁ ଦେଖାକରିବାକୁ ଯିବି ? ସେ କଥା ମୋ ଦେଇ କୌଣସି ମତେ ହୋଇପାରିବ ନାହିଁ ।

 

ମୁଁ ସଙ୍ଗେ ସଙ୍ଗେ କହିପକାଇଲି ନା, ରତନ । ବର୍ତ୍ତମାନ ନୁହେଁ–ମୁଁ ଯାଉଛି ।

 

ରତନ ଦୁଃଖିତ ହୋଇ କହିଲା ମାଆ କିନ୍ତୁ ବାଟ ଚାହିଁ ବସିରହିଛନ୍ତି–

 

: ବାଟଚାହିଁ ? ହୋଇପାରେ । ତାଙ୍କୁ ମୋର ଅସଂଖ୍ୟ ନମସ୍କାର ଜଣାଇ କହିଦେବୁ କାଲି ଯିବାପୂର୍ବରୁ ନିଶ୍ଚୟ ସାକ୍ଷାତ୍‌ କରିବି । ବର୍ତ୍ତମାନ କିନ୍ତୁ ନୁହେଁ । ମୋତେ ଭାରୀ ନିଦମାଡ଼ୁଛି ରତନ । ମୁଁ ଯାଉଛି କହି ବିସ୍ମିତ ଓ କ୍ଷୁବ୍‌ଧ ରତନକୁ ପ୍ରତ୍ୟୁତ୍ତର ଦେବାପାଇଁ ଫୁରସତ ନଦେଇ ତରତର ହୋଇ ମୁଁ ରହୁଥିବା ତମ୍ବୁଆଡ଼େ ଚାଲିବାକୁ ଲାଗିଲି ।

 

ମଣିଷ ଆପେ ଆପଣାକୁ ଚିହ୍ନିପାରି ସମସ୍ତ କାର୍ଯ୍ୟର ବିଚାର ଦାୟିତ୍ୱ ଅନ୍ତର୍ଯ୍ୟାମୀଙ୍କ ଉପରେ ନ୍ୟସ୍ତ ନକରି ଅଧିକାଂଶ ସମୟରେ କହିଉଠେ ମୁଁ ଏମିତି ମୁଁ ସେମିତି, ଏ କାମ କଦାପି ମୋଦ୍ୱାରା ହେବା ସମ୍ଭବ ନୁହେଁ, ସେ କାମ ମୁଁ ମରିଯାଇଥିଲେ ସୁଦ୍ଧା କଦାପି କରିନଥାନ୍ତି, ମୁଁ ଏକଥା ଶୁଣି ଲଜ୍ଜ୍ୟାରେ ଆଉ ବଞ୍ଚିନଥାନ୍ତେ ଇତ୍ୟାଦି ଇତ୍ୟାଦି....

 

କେବଳ ଯେ ମୋ ମନଟା ଏପରି ତାହା ନୁହେଁ ବରଂ ଅପର ଲୋକ ସମ୍ୱନ୍ଧରେ ମଧ୍ୟ ଦେଖେ ସେମାନଙ୍କର ଅହଙ୍କାରର ସୀମା ନାହିଁ । ଥରକ ପାଇଁ ସମାଲୋଚକମାନଙ୍କ ଲେଖାଗୁଡ଼ିକ ପଢ଼ି ଦେଖନ୍ତୁ ହସିହସି ମରିଯିବେ । କବିକୁ ଛାଡ଼ି ସେମାନେ ତା’ କାବ୍ୟର ମନୁଷ୍ୟଟିକୁ ଚିହ୍ନିପକାନ୍ତି-। ଜୋରକରି କହନ୍ତି–ଏ ଚରିତ୍ର କଦାପି ଏପରି ହୋଇପାରେ ନାହିଁ । ସେ ଚରିତ୍ର କୌଣସିମତେ ସେପରି କାର୍ଯ୍ୟ କରିପାରେ ନାହିଁ–ଏଇପରି କେତେ ନା କେତେ କଥା । ଲୋକମାନେ ବହାନା ଦେଇ କହନ୍ତି–ବାଃରେ ବାଃ ! ଏହାକୁ ସିନା କହନ୍ତି କ୍ରିଟିସିଜିମ୍‌, ଏହାକୁ ସିନା କହନ୍ତି ଚରିତ୍ର ସମାଲୋଚନା । ସତରେ ତ ! ଅମୁକ ସମାଲୋଚକ ବର୍ତ୍ତମାନ ଥିଲେ ନିଆଁ ପାଉଁଶ ଯାହା ଲେଖିଲେ କ’ଣ ଚଳନ୍ତା ? ଏଇ ଦେଖ ବହି ଖଣ୍ଡିକରେ କେତେ ଭୁଲ୍ ଭ୍ରାନ୍ତି ତନ୍ନତନ୍ନ କରି ଦେଖାଇ ଦେଇଛନ୍ତି ? ସେ ଦେଖାଇପାରନ୍ତି କିନ୍ତୁ ଭୁଲ୍ ଅବା କାହାର ନ ହୁଏ ଯେ ? କିନ୍ତୁ ତଥାପି ମୁଁ ଯେ ନିଜର ଜୀବନ ଆଲୋଚନା କରି, ଏସବୁ ପଢ଼ି ଲଜ୍ଜ୍ୟାରେ ଆପଣା ମୁଣ୍ଡଟା ଟେକିପାରୁ ନାହିଁ-। ମନେମନେ କହେ, ହାୟରେ ପୋଡ଼ା କପାଳ ! ମଣିଷର ଅନ୍ତର ଜିନିଷଟା ଯେ ଅନନ୍ତ । ସେ କ’ଣ କେବଳ ତୁଣ୍ଡର କଥା ଭଳି ? ଦମ୍ଭ ପ୍ରକାଶ କଲାବେଳେ ତା’ର କ’ଣ କଣା କଉଡ଼ିଟିକର ମୂଲ୍ୟ ନାହିଁ ? ତୁମର କୋଟି କୋଟି ଜନ୍ମର କେତେ ଅସଂଖ୍ୟ କୋଟି ଅଦ୍ଭୁତ ଘଟଣା ଯେ ଏହି ଅନ୍ତରରେ ମଗ୍ନ ରହିପାରେ ଏବଂ ହଠାତ୍‌ ଜାଗରିତ ହୋଇ ତୁମର ଭୂୟୋଦର୍ଶନ, ତୁମର ଲେଖାପଢ଼ା, ତୁମର ମଣିଷ ଚିହ୍ନିପାରିବାର ଜ୍ଞାନ ଭାଣ୍ଡଟାକୁ ଏକ ମୁହୂର୍ତ୍ତରେ ଗୁଣ୍ଡା କରିଦେଇପାରେ ଏ କଥା କ’ଣ ତୁମର ଥରକପାଇଁ ମନେପଡ଼େ ନାହିଁ ! ଏ କଥା କ’ଣ ମନେପଡ଼େ ନାହିଁ ଯେ, ଏଇଟା ହେଉଛି ସୀମାହୀନ ଆତ୍ମାର ଆସନ ।

 

ଏଇତ ମୁଁ ଅନ୍ନଦା ନାନୀକୁ ସ୍ୱଚକ୍ଷୁରେ ଦେଖିଛି, ତାଙ୍କର ଅମ୍ଳାନ ଦିବ୍ୟମୂର୍ତ୍ତି ତ ଏପର୍ଯ୍ୟନ୍ତ ଭୁଲିଯାଇପାରି ନାହିଁ । ନାନୀ ଯେତେବେଳେ ଚାଲିଗଲେ ସେତେବେଳେ କେତେ ଗଭୀର ନିସ୍ତବ୍‌ଧ ରାତିରେ ଆଖିର ଲୁହରେ ତକିଆ ଭିଜିଯାଇଛି, ଆଉ ମନେମନେ କହିଛି, ନାନୀ, ମୁଁ ମୋ ପାଇଁ ଆଦୌ ଭାବୁ ନାହିଁ, ତୁମର ପରଶମଣିର ସ୍ପର୍ଶରେ ମୋର ଅନ୍ତର ବାହାର ସବୁ ଲୁହାରୁ ସୁନା ପାଲଟି ଯାଇଛି । କେଉଁଠିକାର କେଉଁ ଜଳବାୟୁର ଦୌରାତ୍ମ୍ୟରେ ଆଉ ତାହା କ୍ଷୟ ହୋଇଯିବା କିମ୍ବା କଳଙ୍କ ଲାଗିଯିବାର ଭୟ ମଧ୍ୟ ନାହିଁ । କିନ୍ତୁ ତୁମେ ଯେ କୁଆଡ଼େ ଚାଲିଗଲ, ଫଳରେ ‘ନାନୀ’ ବୋଲି ଡାକିବା ସୌଭାଗ୍ୟରୁ ମୁଁ ବଞ୍ଚିତ ହେଲି । ଆଉ କେହି ମଧ୍ୟ ତୁମକୁ ଦେଖିପାରିଲେ ନାହିଁ । ଦେଖିପାରିଥିଲେ; ଯିଏ ଯେଉଁଠାରେ ଯେପରି ଯାଆନ୍ତୁ ନା କାହିଁକି ନିଶ୍ଚୟ ଯେ ସତ୍‌ଚରିତ୍ର ଓ ସାଧୁ ହୋଇଥିବେ ଏଥିରେ ମୋର ଲେଶମାତ୍ର ସନ୍ଦେହ ନାହିଁ । କି ଉପାୟରେ ଯେ ଏହା ସମ୍ଭବ ହୋଇପାରିଥିବ, ଏଥିପାଇଁ ସାରାରାତି ବିନିଦ୍ର ରହି ପିଲାଳିଆମି ଚିନ୍ତା କରିବାରେ ମୋର ବିରାମ ନଥିଲା । କେତେବେଳେ ଭାବିଥାଏ, ଦେବୀ ଚୌଧୂରୀ ରାଣୀ ଭଳି ଯଦି କେଉଁଠାରୁ ସାତ ମାଠିଆ ମୋହର ପାଆନ୍ତି ତେବେ ଅନ୍ନଦା ନାନୀକୁ ଗୋଟାଏ ବଡ଼ ସିଂହାସନରେ ବସାଇ, ବଣକାଟି, ଜାଗାକରି, ଦେଶର ଲୋକମାନଙ୍କୁ ଡାକି, ତା’ ସିଂହାସନ ଚତୁର୍ଦ୍ଦିଗରେ ଏକାଠି କରାନ୍ତି । କେତେବେଳେ ଭାବେ ଗୋଟାଏ ବିରାଟ ପଟୁଆର କରି ବ୍ୟାଣ୍ଡ ବାଜା ବଜାଇ ତାକୁ ଦେଶ ବିଦେଶ ଧରି ବୁଲନ୍ତି । ଏପରି କେତେ ଯେ କେତେ ଉଦ୍ଭଟ ଆକାଶ କୁସୁମ ମାଳା ଗୁନ୍ଥିବସେ, ସେ ସବୁ ମନେପଡ଼ିଲେ ବର୍ତ୍ତମାନ ଯେତିକି ହସମାଡ଼େ, ଆଖିରୁ ମଧ୍ୟ ସେତିକି କମ ଲୁହ ବହେନାହିଁ ।

 

ସେତେବେଳେ ମନରେ ଏପରି ବିଶ୍ୱାସ ହିମାଳୟ ଭଳି ଦୃଢ଼ ଥିଲା ଯେ ମୋତେ ଭୁଲାଇପାରିଲା ଭଳି ନାରୀ ଇହଲୋକରେ ନାହାନ୍ତି, ପରଲୋକରେ ଅଛନ୍ତି କି ନାହିଁ ତାହା ମଧ୍ୟ ଭାବିପାରିନଥାଏ । ମନେମନେ ଭାବେ ଜୀବନରେ ଯଦି କାହାଠାରୁ କେତେବେଳେ ଏପରି ମୃଦୁ କଥା, ଓଠରେ ଏପରି ମଧୁର ହସ, ଲଲାଟରେ ଏପରି ଅପରୂପ ଆଭା, ଆଖିରେ ଏପରି ସଜଳ କରୁଣ ଚାହାଁଣି ଦେଖିବି ତେବେ ଆଖିପୂରାଇ ଭଲକରି ଚାହିଁନେବି । ଯାହାକୁ ମନଦେବି, ସେ ଯେପରି ଏପରି ସତୀ, ଏପରି ସ୍ୱାଧ୍ୱୀ ହୁଏ । ପ୍ରତି ପଦକ୍ଷେପରେ ତା’ର ଯେପରି ଏପରି ଅନିର୍ବାଚନୀୟ ମହିମା ଫୁଟିଉଠେ । ଏପରି ଭାବରେ ସେ ଯେପରି ସଂସାରର ସମସ୍ତ ସୁଖ, ଦୁଃଖ, ସମସ୍ତଧର୍ମାଧର୍ମ ତ୍ୟାଗ କରି ମୋତେ ଗ୍ରହଣ କରିପାରେ ।

 

ସେଇ ତ ମୁଁ । ତଥାପି ଆଜି ସକାଳେ ନିଦ ଭାଙ୍ଗିବା ସଙ୍ଗେସଙ୍ଗେ ହିଁ କାହା ମୁହଁର କଥା, କାହା ଓଠର ହସ, କାହା ଆଖିର ଲୁହ ମନରେ ପଡ଼ି ଛାତି ଭିତରେ ଆଘାତ ଦେଲା ? ମୋର ସନ୍ନ୍ୟାସିନୀ ନାନୀ ସହିତ ତା’ର କ’ଣ କୌଣସି ଅଂଶରେ ମେଳ ଥିଲା ? ଅଥଚ ଏପରି ହୁଏ ।

 

ଛଅଦିନ ପୂର୍ବରୁ ଯଦି ଅନ୍ତର୍ଯ୍ୟାମୀ ଆସି ମୋତେ ଏକଥା କହି ଯାଇଥାନ୍ତେ–ମୁଁ ହସରେ ଉଡ଼ାଇଦେଇ କହିଥାନ୍ତି–ଅନ୍ତର୍ଯ୍ୟାମୀ ! ତୁମର ଏହି ଶୁଭକାମନାପାଇଁ ମୋର ତୁମକୁ ସହସ୍ର ଧନ୍ୟବାଦ । ତୁମେ ତୁମ କାମରେ ଯାଅ । ମୋ ପାଇଁ ବ୍ୟସ୍ତ ହେବା ଦରକାର ନାହିଁ । ମୋ ବୁକୁ ଭିତରେ କଷଟି ପଥରରେ ପକ୍‌କା ସୁନା କଷାହେବା ଭଳି ଶକ୍ତି ଅଛି, ସେଠାରେ ପିତଳର ଦୋକାନ ଖୋଲିଲେ ଖରିଦଦାର ଜୁଟିବେ ନାହିଁ ।

 

କିନ୍ତୁ ତଥାପି ଖରିଦଦାର ଜୁଟିଲେ । ମୋ ଅନ୍ତର ଭିତରେ ଯେଉଁଠାରେ କି ଅନ୍ନଦା–ନାନୀର ଆଶୀର୍ବାଦ ହେତୁ ପକ୍‌କା ସୁନା କଷିବାର କଷଟି ପଥର ଥିଲା, ସେହିଠାରେ ମୋ ଭଳି ଦୁର୍ଭାଗା ପିତଳର ଲୋଭ ସମ୍ଭାଳି ପାରିଲା ନାହିଁ । କିଣି ବସିଲା । ସେ କ’ଣ କମ ଆଶ୍ଚର୍ଯ୍ୟର କଥା-

 

ମୁଁ ବେଶ୍ ବୁଝିପାରିଛି ଯେଉଁମାନେ ଖୁବ୍‌ କଡ଼ା ସମଝଦାର ସେମାନେ ମୋ ଆତ୍ମକଥାରେ ଏଠାରେ ଅଧୀର ହୋଇ କହିଉଠିବେ, ବାବାରେ ! ଏତେ ଫେଣେଇ କରି କ’ଣ କହିବାକୁ ଚାହଁ ? ଭଲ କରି ଖୋଲିକରି କହୁନ ସେ ଘଟଣାଟା କ’ଣ ? ଆଜି ନିଦ ଭାଙ୍ଗିବା ମାତ୍ରେ ପିଆରୀ ମୁହଁ ମନେପଡ଼ିବାରୁ ତୁମକୁ କଷ୍ଟ ହୋଇଥିଲା–ଏଇୟା ତ ? ଯାହାକୁ ମନ ଦ୍ୱାରବନ୍ଧରୁ ଓଳାଇ କରି ଅଳିଆ ଭଳି ବାହାରକୁ ଫିଙ୍ଗି ଦେଇଥିଲ, ଆଜି ତାକୁ ଡାକି ଘରେ ବସାଇବାକୁ ଚେଷ୍ଟା କରୁଛ ଏୟା ତ ? ସେ ତ ଭଲକଥା । ଏକଥା ଯଦି ସତ୍ୟହୁଏ ତେବେ ଏହା ମଝିରେ ଆଉ ଅନ୍ନଦା ନାନୀ କଥା ଉଠାଇବ ନାହିଁ । କାରଣ ତୁମେ ଯେତେ କଥା ସଜାଇ କରି କହନା କାହିଁକି ଆମେମାନେ ମାନବ ଚରିତ୍ର କହିଲେ ଯାହା ବୁଝାଏ ତାକୁ ବୁଝୁ । ଜୋରକରି କହିପାରୁ, ସେ ସତୀ ସାଧ୍ୱୀର ଆଦର୍ଶ ତୁମ ମନଭିତରେ ସ୍ଥାୟୀ ହୋଇ ରହି ନାହିଁ । ତୁମେ ତାକୁ ମନପ୍ରାଣ ଦେଇ କସ୍ମିନକାଳେ ଆପଣାର କରିପାରି ନାହଁ । ପାରିଥିଲେ ଏ ଭୁଲରେ ତୁମେ ଆଦୌ ଭଳି ଯାଇପାରିନଥାନ୍ତ ।

 

ତା’ ସତ । ଆଉ ଯୁକ୍ତିକରି ଲାଭ ନାହିଁ । ମୁଁ ଜାଣିପାରିଛି ମଣିଷ ଶେଷ ପର୍ଯ୍ୟନ୍ତ କୌଣସିମତେ ନିଜର ସମସ୍ତ ପରିଚୟ ପାଇପାରେ ନାହିଁ । ସେ ଯାହା ନୁହେଁ, ତାହା ବୋଲି ନିଜକୁ ଜାଣିରଖିଥାଏ ଏବଂ ବାହାରେ ପ୍ରଚାର କରି କେବଳ ବିଡ଼ମ୍ବନା ସୃଷ୍ଟି କରେ ଏବଂ ଯେଉଁ ଦଣ୍ଡ ସେ ଏଥିପାଇଁ ପାଏ ତାହା ଆଦୌ ସାମାନ୍ୟ ନୁହେଁ । ସେ ସବୁ ଏତିକିରେ ଥାଉ । ମୁଁ ନିଜେ ତ ଜାଣେ, ମୁଁ କେଉଁ ନାରୀର ଆଦର୍ଶରେ ଏତେଦିନ ଏତେ କଥା ‘‘ପ୍ରିଚ୍’’ କରି ବୁଲୁଛି, ତେଣୁ ଆଜି ମୋର ଏ ଦୁର୍ଗତିର ଇତିହାସ ପଢ଼ି ଲୋକ ଯେତେବେଳେ କହିବେ ଶ୍ରୀକାନ୍ତଟା ‘ଟାଉଟର’, ‘ହିପୋକ୍ରାଟ’, ସେତେବେଳେ ମୋତେ ସେ ସବୁ ନୀରବରେ ଶୁଣିବାକୁ ହିଁ ହେବ । ଅଥଚ ‘ହିପୋକ୍ରାଟ’ ମୁଁ କେତେବେଳେ ନଥିଲି କିମ୍ବା ଟାଉଟରି ମରିବା ମୋର ସ୍ୱଭାବ ନୁହେଁ । ମୋର ଅପରାଧ କେବଳ ଏତିକି ଯେ, ମୋ ଭିତରେ ଯେଉଁ ଦୁର୍ବଳତା ଆତ୍ମଗୋପନ କରି ରହିଥିଲା, ସେ କଥା ମୁଁ ଜାଣିପାରିନଥିଲି । ଆଜି ଯେତେବେଳେ ସାଦର ନିମନ୍ତ୍ରଣ ଜଣାଇ ଏକଦମ ଅନ୍ତର ଭିତରେ ନେଇ ବସାଇ ଦେଇଛି, ସେତେବେଳେ ମୋ ଆଖିରୁ ସିନା କେବଳ ଅସହ୍ୟ ବିସ୍ମୟରେ ଜଳ ଝରି ଚାଲିଛି କିନ୍ତୁ ‘ଯାଅ’ ବୋଲି କହି ତାକୁ ବିଦାୟ ଦେଇପାରୁ ନାହିଁ । ଏହା ମଧ୍ୟ ଜାଣିପାରିଛି ଯେ ଆଜି ମୋର ଲଜ୍ଜ୍ୟା ଢାଙ୍କି ରଖିବାକୁ ସ୍ଥାନ ନାହିଁ; କିନ୍ତୁ ମୋ ହୃଦୟର ପ୍ରତି କୋଣର ଆଜି ପୁଲକ ଭରିଉଠିଛି । କ୍ଷତି ଯାହା ହେବାର ହେଉନା କାହିଁକି ହୃଦୟ ଯେ ଏହାକୁ ତ୍ୟାଗ କରିବାକୁ ଚାହେଁ ନାହିଁ ।

 

ବାବୁ ସାହେବ ! ଡାକି ରାଜଭୃତ୍ୟ ଆସି ଉପସ୍ଥିତ ହେଲା । ଶେଯଉପରେ ଉଠିବସିଲି । ସେ ସମ୍ମାନରେ ନିବେଦନ କଲା ଯେ କୁମାର ସାହେବ ଏବଂ ବହୁଲୋକ ମୋ ଗତ ରାତ୍ରିର କାହାଣୀ ଶୁଣିବାକୁ ଉଦ୍‌ଗ୍ରୀବ ହୋଇ ଅପେକ୍ଷା କରିଛନ୍ତି ।

 

ମୁଁ ପ୍ରଶ୍ନକଲି ସେମାନେ ଜାଣିଲେ କିପରି ?

 

ବେହେରା କହିଲା–ତମ୍ବୁର ଦରଓ୍ୱାନ ସମସ୍ତଙ୍କୁ କହିଦେଇଛି ଯେ ପାହାନ୍ତା ପହରକୁ ଆପଣ ଫେରିଆସିଛନ୍ତି ।

 

ହାତ ମୁହଁ ଧୋଇ, ଲୁଗା ବଦଳାଇ ବଡ଼ ତମ୍ବୁ ଭିତରେ ପ୍ରବେଶ କରିବାକ୍ଷଣି ସମସ୍ତେ ଚିତ୍କାର କରିଉଠିଲେ । ଏକ ସଙ୍ଗରେ ଏକଲକ୍ଷ୍ୟ ପ୍ରଶ୍ନ ଜମା ହୋଇପଡ଼ିଲା । ଲକ୍ଷ୍ୟକରି ଦେଖିଲି କାଲିର ସେହି ପ୍ରବୀଣ ବ୍ୟକ୍ତିଟି ଅଛନ୍ତି ଏବଂ ଅନ୍ୟପାଖରେ ପିଆରୀ ତା’ର ଦଳଦଳ ନେଇ ବସି ରହିଛି । ପ୍ରତିଦିନ ପରି ଆଜି ତା’ ସହିତ ମୁହାଁମୁହିଁ ହେଲି ନାହିଁ । ସେ ଯେପରି ଇଚ୍ଛାକରି ଅନ୍ୟଆଡ଼କୁ ମୁହଁ ବୁଲାଇ ବସି ରହିଥିଲା ।

 

ଉଚ୍ଛ୍ୱସିତ ପ୍ରଶ୍ନ ତରଙ୍ଗ ଶାନ୍ତ ହୋଇଆସିବା ପରେ ଉତ୍ତର ଦେବାକୁ ଆରମ୍ଭ କଲି ।

 

କୁମାରଜୀ କହିଲେ–ଧନ୍ୟ ସାହସ ତୁମର ଶ୍ରୀକାନ୍ତ ! କେତେ ରାତିରେ ସେଠାରେ ପହଞ୍ଚିଲ ?

 

: ବାରଟରୁ ଗୋଟାଏ ଭିତରେ । ପ୍ରବୀଣ ବ୍ୟକ୍ତି ଜଣକ କହିଲେ–ଘୋର ଅମାବାସ୍ୟା । ସାଢ଼େ ଏଗାରଟାପରେ ଅମାବାସ୍ୟା ଆରମ୍ଭ ହୋଇଥିଲା ।

 

ଚାରିପାଖରୁ ବିସ୍ମୟସୂଚକ ଧ୍ୱନି ଉତ୍‌ଥିତ ହୋଇ କ୍ରମଶଃ ପ୍ରଶମିତ ହେବାପରେ କୁମାରଜୀ ପୁଣି ପ୍ରଶ୍ନକଲେ–ତା’ପରେ ? କ’ଣ ସବୁ ଦେଖିଲ ?

 

ମୁଁ କହିଲି–ଅସଂଖ୍ୟ ହାତଗୋଡ଼ ଏବଂ ଶବମାନଙ୍କର ମୁଣ୍ଡ ।

 

କୁମାରଜୀ କହିଲେ–ଓହୋ ! କି ଭୟଙ୍କର ସାହସ ! ଶ୍ମଶାନ ଭିତରକୁ ଯାଇଥିଲ ନା ବାହାରେ ଠିଆ ହୋଇଥିଲ ?

 

ମୁଁ କହିଲି–ଶ୍ମଶାନ ଭିତରକୁ ଯାଇ ଗୋଟିଏ ବାଲିଗଦା ଉପରେ ବସିଥିଲି ।

 

: ତା’ପରେ ? ତା’ପରେ ? ବସିକରି କ’ଣ ଦେଖିଲ ?

 

: ଧୂ ଧୂ ବାଲିଝଡ଼ ।

 

: ଆଉ ?

 

: ଶିମିଳି ଗଛ ଆଉ ଛୋଟ ଛୋଟ କଣ୍ଟାବୁଦା ।

 

: ଆଉ ?

 

: ନଦୀଜଳ ।

 

କୁମାରଜୀ ଅଧୀର ହୋଇଉଠିଲେ–ଏସବୁ ତ ଥିବ । କହ ଆଉ କ’ଣ ଦେଖିଲ ?

 

ମୁଁ ହସିପକାଇଲି । କିହିଲି ଆଉ ଗୋଟାଏ ଦୁଇଟା ବାଦୁଡ଼ି ମୋ ମୁଣ୍ଡଉପରେ ଚକ୍‌କର କାଟି ଉଡ଼ିଗଲେ ।

 

ପ୍ରବୀଣ ବ୍ୟକ୍ତିଟି ସେତେବେଳେ ନିଜେ ଆଗେଇଆସି ପ୍ରଶ୍ନକଲେ ଅଉର କୁଚ୍ଛ ନେହିଁ ଦେଖା ?

 

: ନା,

 

ମୋ ଉତ୍ତର ଶୁଣି ତମ୍ବୁରେ ଥିବା ସମସ୍ତେ ଯେପରି ନିରାଶ ହୋଇପଡ଼ିଲେ ।

 

ପ୍ରବୀଣ ବ୍ୟକ୍ତିଟି ହଠାତ୍‌ ରାଗିଉଠି କହିଲେ–ଐସା କଭି ହୋ ନହି ସକତା, ଆପ୍‌ ଗୟା ନେହିଁ ।

 

ତାଙ୍କର ରାଗ ଦେଖି ମୁଁ କେବଳ ହସିବାକୁ ଲାଗିଲି । କାରଣ ସେ ରାଗିବାର କଥା । କୁମାରଜୀ ମୋ ହାତଟା ଚାପିଧରି ମିନତୀଭରା କଣ୍ଠ କହିଲେ–ତୋତେ ରାଣ ଅଛି ଶ୍ରୀକାନ୍ତ, କ’ଣ ଦେଖିଲୁ ସତ କରି କହ ।

 

: ସତକରି କହୁଛି, କିଛି ଦେଖିନାହିଁ ଆଜ୍ଞା ।

 

: କେତେ ସମୟ ଥିଲ ସେଠାରେ ?

 

: ତିନିଘଣ୍ଟା ପର୍ଯ୍ୟନ୍ତ ।

 

: ଆଚ୍ଛା, କିଛି ନ ଦେଖିଲେ ନାହିଁ କିନ୍ତୁ କିଛି ଶୁଣିନାହଁ ?

 

: ହଁ ଶୁଣିଛି ।

 

ମୁହୂର୍ତ୍ତକ ଭିତରେ ସମସ୍ତଙ୍କ ମୁହଁ ଉତ୍ସାହରେ ଝଲସିଉଠିଲା । କ’ଣ ଶୁଣିଛି; ଶୁଣିବାପାଇଁ ସେମାନେ ସମସ୍ତେ ଟିକିଏ ମୋ ପାଖକୁ ଘୁଞ୍ଚିଆସିଲେ । ମୁଁ ସେତେବେଳେ କହିବାକୁ ଆରମ୍ଭ କଲି, ହଠାତ୍‌ ବାଟରେ ଗୋଟାଏ ରାତ୍ରିଚର ପକ୍ଷୀ କିପରି ଧପ୍‌କରି ଉଡ଼ିଗଲା, କିପରି କଅଁଳା ଶିଶୁ କାନ୍ଦିଲା ଭଳି ଶାଗୁଣା ଛୁଆ ଶିମୁଳି ଗଛଉପରେ କାନ୍ଦିଉଠିଲା, କିପରି ଝଡ଼ଉଠିଲା, କିପରି ମଡ଼ା ଗୁଡ଼ାକଙ୍କର ମୁଣ୍ଡଗୁଡ଼ାକ ନିଃଶ୍ୱାସ ଛାଡ଼ିବାକୁ ଲାଗିଲେ ଏବଂ ସବା ଶେଷରେ କିଏ କିପରି ମୋ କାନପାଖରେ ତୁଷାର ଶୀତଳ ନିଃଶ୍ୱାସ ଛାଡ଼ିବାକୁ ଲାଗିଲା । ମୋ କଥା ଏତିକିରେ ଶେଷ ହୋଇଗଲା ସିନା କିନ୍ତୁ ବହୁକ୍ଷଣ ପର୍ଯ୍ୟନ୍ତ କାହାତୁଣ୍ଡରୁ କିଛି କଥା ବାହାରିଲା ନାହିଁ । ସାରା ତମ୍ବୁଟା ନିସ୍ତବ୍‌ଧ ହୋଇଉଠିଲା । ଅବଶେଷରେ ସେଇ ପ୍ରବୀଣ ବ୍ୟକ୍ତିଟି ଦୀର୍ଘନିଃଶ୍ୱାସ ଛାଡ଼ି ମୋ କାନ୍ଧଉପରେ ଗୋଟିଏ ହାତ ରଖି କହିଲେ–ବାବୁଜୀ, ଆପଣ ଯଥାର୍ଥରେ ବ୍ରାହ୍ମଣ ସନ୍ତାନ ବୋଲି କାଲି ପ୍ରାଣଧରି ବଞ୍ଚିକରି ଆସିପାରିଲ । କିନ୍ତୁ ଆଉ କେହି ହୋଇଥିଲେ ପାରିନଥାନ୍ତେ । କିନ୍ତୁ ଆଜିଠାରୁ ଏ ବୁଢ଼ାର ତୁମକୁ ରାଣ ରହିଲା, ଜୀବନରେ ଆଉ କେବେ ଏପରି ଦୁଃସାହସ କରିବ ନାହିଁ । ଆପଣଙ୍କ ପିତାମାତାଙ୍କ ଚରଣରେ ମୋର କୋଟି ପ୍ରଣାମ । ଏହା କେବଳ ସେମାନଙ୍କର ପୁଣ୍ୟର ଫଳ । ଏହା କହି ସେ ହଠାତ୍‌ ମୁହୂର୍ତ୍ତକ ଭିତରେ ମୋ ଦୁଇପାଦକୁ ଧରିପକାଇଲା ।

 

ପୂର୍ବରୁ ମୁଁ ତ କହିରଖିଛି ଯେ, ଏ ଲୋକଟି କଥା କହିବାରେ ପାରଙ୍ଗମ । ଏଥର ସେ କହିବାକୁ ଆରମ୍ଭ କଲା । ଆଖିଡ଼ୋଳା, ଭ୍ରୂଲତା କେତେବେଳେ ସଂକୁଚିତ ଓ ପ୍ରସାରିତ କରି ସେ ଶାଗୁଣା ଛୁଆ କାନ୍ଦିବାଠାରୁ ଆରମ୍ଭ କରି କାନଉପରେ ହିମ ଶୀତଳ ନିଃଶ୍ୱାସ ବାଜିବା ପର୍ଯ୍ୟନ୍ତ ବିଷୟବସ୍ତୁ ସହିତ ଏପରି ସୂକ୍ଷ୍ମରତ ସୂକ୍ଷ୍ମ ବ୍ୟାଖ୍ୟା ଯୋଡ଼ିଦେଲା ଯେ ଦିନବେଳଟାରେ ଏତେଗୁଡ଼ିଏ ଲୋକ ମଝିରେ ବସି ସୁଦ୍ଧା ମୋ ମୁଣ୍ଡର ବାଳ ସବୁ ଠିଆଠିଆ ହୋଇଗଲା । କାଲି ସକାଳ ଭଳି ଆଜି କେତେବେଳେ ପିଆରୀ ମଧ୍ୟ ଏ ଭିତରେ ଗୁଞ୍ଜିହୋଇ ବସିଥିଲା ସେ କଥା ମୁଁ ଲକ୍ଷ୍ୟ କରିପାରିନଥିଲି । ହଠାତ୍‌ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ିବା ଶବ୍ଦରେ ଚମକିପଡ଼ି ମୁଁ ବୁଲିପଡ଼ି ଦେଖେ ଯେ ସେ ମୋର ଠିକ୍ ପଛରେ ବସି ବକ୍ତାଙ୍କ ମୁହଁକୁ ଅପଲକ ନେତ୍ରରେ ଚାହିଁ ରହିଛି–ଏବଂ ସେ ସ୍ନିଗ୍‌ଧ ଉଜ୍ଜ୍ୱଳ ଗଣ୍ଡଉପରେ ଦୁଇଧାର ଲୁହ କେତେବେଳେ ବହି ଶୁଖିଯାଇଛି । କେତେବେଳେ ଓ କାହିଁକି ଯେ ତା’ ଆଖିରୁ ଅଶ୍ରୁ ଝରିପଡ଼ିଥିଲା ସେ ବୋଧହୁଏ ଜାଣିପାରି ନାହିଁ । ଜାଣିପାରିଥିଲେ ନିଶ୍ଚୟ ପୋଛି ପକାଇଥାନ୍ତା । କିନ୍ତୁ ସେଇ ଅଶ୍ରୁ କଳୁଷିତ ତଦ୍‌ଗତ ମୁହଁଟି ପଲକମାତ୍ରେ ଦୃଷ୍ଟିପାତରେ ମୋ ବୁକୁଭିତରେ ସତେଯେପରି ନିଆଁ ଜାଳିଦେଲା । ଗଳ୍ପ ଶେଷ ହେବାକ୍ଷଣି ସେ ଉଠି ଠିଆହେଲା କୁମାରଜୀଙ୍କୁ ସଲାମ ଜଣାଇ ଅନୁମତି ନେଇ ଧୀରେ ଧୀରେ ସେ ବାହାରି ଚାଲିଗଲା ।

 

ଆଜି ସକାଳୁ ମୋର ବିଦାୟ ନେଇଯିବାର ଥିଲା । କିନ୍ତୁ ଦେହଟା ଭଲନଥିଲା ବୋଲି କୁମାରଜୀଙ୍କ ଅନୁରୋଧକୁ ଭାଙ୍ଗି ନ ପାରି ଓପରିଓଳି ଯିବାପାଇଁ ମନେମନେ ଠିକ୍‌ କରି ନିଜ ତମ୍ବୁକୁ ଫେରିଆସିଲି । ଏତେଦିନ ପରେ ପିଆରୀର ଆଚରଣରେ ମୁଁ ଭବାନ୍ତର ଲକ୍ଷ୍ୟ କରିପାରିଲି-। ଏତେଦିନ ଧରି ସେ ଯେ ପରିହାସ କରିଚି, ବିଦ୍ରୂପ କରିଆସିଛି ଏବଂ କଳହର ଆଭାସ ପର୍ଯ୍ୟନ୍ତ ତା’ ଦୁଇଆଖିରେ କେତେଦୂର ଘନେଇ ଆସିଛି ତାହା ଅନୁଭବ କରି ଆସିଥିଲି କିନ୍ତୁ ଏପରି ଉଦାସୀନଭାବେ କେବେ ନଥିଲି । ଅଥଚ ଏଥିପାଇଁ ବ୍ୟଥା ବଦଳରେ ମୁଁ ଖୁସିହେଲି-। କାହିଁକି ଖୁସିହେଲି ତାହା ମୁଁ ଜାଣେ । ଯଦିଓ ଯୁବତୀ ନାରୀ ମନର ଗତିବିଧି ନେଇ ମୁଣ୍ଡ ଘୂରାଇବା ମୋର ପେଷା ନୁହେଁ, ଏବଂ ଇତିପୂର୍ବେ ଏଭଳି କାର୍ଯ୍ୟ ମଧ୍ୟ କେବେ କରିନାହିଁ; କିନ୍ତୁ ମୋ ମନଭିତରେ ବହୁ ଜନମର ଯେଉଁ ଅଖଣ୍ଡ ଧାରବାହିକତା ଲୁକ୍‌କାୟିତ ହୋଇ ରହିଥିଲା; ତାହାର ବହୁଦର୍ଶନ ଅଭିଜ୍ଞତା ହେତୁ ରମଣୀ ହୃଦୟର ନିଗୂଢ଼ ତାତ୍ପର୍ଯ୍ୟ ଧରାପଡ଼ିଗଲା । ସେ ଏହାକୁ ତାତ୍ସଲ୍ୟ ମନେକରି କ୍ଷୁଣ୍ଣ ହେଲାନାହିଁ, ବରଂ ପ୍ରଣୟ ଅଭିମାନ ଜାଣି ପୁଲକିତ ହୋଇଉଠିଲା । ବୋଧହୁଏ ଗୋପନ ଇଶାରାଦ୍ୱାରା ମୋର ଶ୍ମଶାନ ଅଭିଯାନର ଏତେବଡ଼ ଇତିହାସ ମଝିରେ କେବଳ ଏଇ କଥାଟାର ଉଲ୍ଳେଖ ମାତ୍ର କଲିନାହିଁ ଯେ, ପିଆରୀ କାଲି ରାତିରେ ମୋତେ ଫେରାଇ ଆଣିବା ପାଇଁ ଶ୍ମଶାନକୁ ଲୋକ ପଠାଇଥିଲା । ସେ ନିଜେ ମଧ୍ୟ ଗଳ୍ପ ଶେଷରେ ସେପରି ନୀରବରେ ବାହାରି ଚାଲିଯାଇଥିଲା । ସେଇ ଅଭିଯାନ ! କାଲି ରାତିରେ ଫେରିଆସି ଦେଖା ନକଲି ବୋଲି, ହୋଇଥିଲା । ଯେଉଁକଥା ସମସ୍ତଙ୍କ ଆଗରୁ ଏକାକୀ ବସି ଶୁଣିବାର ଅଧିକାର ତା’ର ଥିଲା, ସେକଥା ସେ ଆଜି ସମସ୍ତଙ୍କ ପଛେ ବସି ଯେପରି ଦୈବାତ୍‌ ଶୁଣିପାରିଛି । କିନ୍ତୁ ଅଭିଯାନ ଯେ କେତେ ମଧୁର, ଜୀବନରେ ଆଜି ପ୍ରଥମଥର ପାଇଁ ତାହାର ସ୍ୱାଦ ଅନୁଭବ କରିପାରି ଶିଶୁଭଳି ନିର୍ଜନରେ ବସି ଅବିରାମ ଚାଖି ଉପଭୋଗ କରିବାକୁ ଲାଗିଲି ।

 

ଆଜି ଦି’ପହର ବେଳେ ମୋର ଶୋଇପଡ଼ିବାର କଥା । ବିଛଣାରେ ଗଡ଼ି ଗଡ଼ି ମଝିରେ ନିଦ ମଧ୍ୟ ଆସି ଯାଉଥାଏ; କିନ୍ତୁ କ୍ରମାଗତ ରତନ ଆସିବାର ଆଶଙ୍କା ସତେ ଯେପରି ନିଦକୁ ଭାଙ୍ଗିଦେଉଥିଲା । ଏପରି ଭାବରେ ଦି’ପହର ଗଡ଼ିଗଲା କିନ୍ତୁ ରତନ ଆସିଲା ନାହିଁ । ସେ ନିଶ୍ଚୟ ଆସିବ ଏ ବିଶ୍ୱାସ ମୋ ମନରେ ଏତେ ଦୃଢ଼ ଥିଲା ଯେ, ବିଛଣା ଛାଡ଼ି ଯେତେବେଳେ ବାହାରକୁ ଆସି ଦେଖିଲି ସୂର୍ଯ୍ୟ ପଶ୍ଚିମ ଦିଗକୁ ବହୁତ ଢଳି ପଡ଼ିଲେଣି ସେତେବେଳେ ବାହାରକୁ ଆସି ଦେଖିଲି ସୂର୍ଯ୍ୟ ପଶ୍ଚିମ ଦିଗକୁ ବହୁତ ଢୂଳି ପଡ଼ିଲେଣି ସେତେବେଳେ ମନରେ ସ୍ଥିର କଲି ଯେ ହୁଏତ ମୁଁ କେତେବେଳେ ଘୂମାଇଁ ପଡ଼ିଥିବା ଅବସ୍ଥାରେ ରତନ ଆସି ମୋ ଘରେ ପଶି, ମୋ ନିଦକୁ ଭାଙ୍ଗିବା ଉଚିତ ମନେ ନକରି ଫେରିଯାଇଛି । ମୂର୍ଖ ! ଥରଟିଏ ଡାକି ଦେଇଥିଲେ କି କ୍ଷତି ଅବା ହେଉଥିଲା ? ଦ୍ୱିପହରର ନିର୍ଜନ ସମୟଟା ନିରର୍ଥକ ହୋଇଗଲା ଭାବି ମନେମନେ ଦୁଃଖିତ ହୋଇଉଠିଲି । କିନ୍ତୁ ସନ୍ଧ୍ୟାପରେ ସେ ଯେ ଆସିବ–ଗୋଟାଏ କିଛି ଅନୁରୋଧ, ନହେଲେ ଖଣ୍ଡିଏ ଚିଠି ଯାହାହେଉନା କାହିଁକି ଗୋପନରେ କିଛି ଦେଇଯିବ ଏଥିରେ ମୋର ଅଣୁମାତ୍ର ସଂଶୟ ନଥିଲା । କିନ୍ତୁ ଏଇ ସମୟତକ ଅବା କଟାଇବି କିପରି ? ଆଗକୁ ଚାହିଁବାମାତ୍ରେ ଅଳ୍ପ ଦୂରରେ ଗୁଡ଼ାଏ ପାଣି ଏକ ସଙ୍ଗରେ ଆଖିରେ ଝଲସିଉଠିଲା । ସେ ବୋଧହୁଏ କେଉଁ ବିସ୍ତୁତ ଜମିଦାରଙ୍କର ଏକ ବିରାଟ କୀର୍ତ୍ତି । ପୋଖରୀଟି ପ୍ରାୟ ମାଇଲିଏ ଲମ୍ବ ହେବ । ତା’ ଉତ୍ତର ଦିଗ ଘନ ଜଙ୍ଗଲରେ ପରିପୂର୍ଣ୍ଣ । ଗାଆଁ ବାହାରେ ଅଛି ବୋଲି ଗାଆଁର ଝିଅବୋହୂମାନେ ଏଥିରୁ ପାଣି ବ୍ୟବହାର କରିପାରନ୍ତି ନାହିଁ । କଥାରେ କଥାରେ ଶୁଣିଥିଲି ଯେ ଏଇ ପୋଖରୀଟି କାହିଁ କେତେଦିନର ଏବଂ କିଏ ଏହାକୁ ଖୋଳାଇଥିଲେ ତାହା କେହି ଜାଣନ୍ତି ନାହିଁ । ସେଠାରେ ଗୋଟାଏ ପୁରୁଣା ତୁଠ ଥିଲା । ସେଇଠି ଯାଇ ଏକାକୀ ବସିପଡ଼ିଲି । ଏକଦା ଏହାର ଚାରିପାଖରେ ଗୋଟିଏ ବର୍ଦ୍ଧିଷ୍ଣୁ ଗ୍ରାମ ଥିଲା ଏବଂ କେବେ ହଇଜା ବେମାରୀରେ ସାରା ଗାଆଁଟାର ଲୋକ ମରି ଉଚ୍ଛନ୍ନ ହୋଇଯିବାପରେ ଏପରି ଅବସ୍ଥା ହୋଇଛି । ପରିତ୍ୟକ୍ତ ଗୃହର ବହୁ ଚିହ୍ନ ଚାରିଆଡ଼େ ଦେଖିବାକୁ ମିଳୁଥାଏ । ଅସ୍ତଗାମୀ ସୂର୍ଯ୍ୟଙ୍କର ତୀର୍ଯ୍ୟକ୍‌ ରଶ୍ମିଛଟା ଧୀରେ ଧୀରେ ନଇଁଆସି ପୋଖରୀର କଳାପାଣିରେ ସତେ ଯେପରି ସୁନା ଛାଇଦେଲା । ମୁଁ ବସି ବସି ଏହାହିଁ ଲକ୍ଷ୍ୟ କରୁଥାଏ ।

 

ତା’ପରେ ଆସ୍ତେ ଆସ୍ତେ ସୂର୍ଯ୍ୟ ଅସ୍ତ ହେବାପରେ ପୋଖରୀର ପାଣି ଆହୁରି କଳା ହୋଇଉଠିଲା । ଅଳ୍ପ ଦୂରରେ ବଣରୁ ଆସି ଦୁଇଟି ପିପାସାର୍ତ୍ତ ଶୃଗାଳ ଭୟରେ ଏଣେତେଣ ଚାହିଁ ଜଳପାନ କରି ଚାଲିଗଲେ । ମୋର ଯେ ଫେରିବା ସମୟ ହେଲାଣି ଏବଂ ଯେଉଁ ସମୟତକ ବାହାରେ କଟାଇବା କଥା ଶେଷ ହୋଇଗଲାଣି, ଜାଣିପାରିଲେ ସୁଦ୍ଧା ଉଠିପାରିଲି ନାହିଁ । ଏଇ ପୁରୁଣା ଗାଧୁଆ ତୁଠ ଯେପରି ମୋତେ ଜୋରକରି ବସାଇ ରଖୁଥାଏ ।

 

ମନେହେଲା, ଏଇ ଯେଉଁଠାରେ ପାଦ ରଖି ବସିଛି, ସେଇଠାରେ କେତେ ଲୋକ ପାଦ ଦେଇ ଆସିଛନ୍ତି ଏବଂ ଯାଇଛନ୍ତି । ଏଇ ତୁଠରେ ସେମାନେ ସ୍ନାନ କରିଛନ୍ତି, ଦେହ ସଫା କରିଛନ୍ତି, ଲୁଗା କାଚିଛନ୍ତି ଏବଂ ପାଣି ମଧ୍ୟ ବ୍ୟବହାର ପାଇଁ ନେଇ ଫେରିଛନ୍ତି । ବର୍ତ୍ତମାନ ସେମାନେ ସେମାନଙ୍କର ନିତ୍ୟକର୍ମ ଅନ୍ୟ କେଉଁଠାରେ, ଅନ୍ୟ କେଉଁ ଜଳାଶୟରେ ନିଶ୍ଚୟ କରୁଥିବେ । ଏଇ ଗ୍ରାମ ଯେତେବେଳେ ଜୀବନ୍ତ ଥିଲା ସେତେବେଳେ ସେମାନେ ନିଶ୍ଚୟ ଏତେବେଳେ ଏଠାରେ ଆସି ବସୁଥିବେ, କେତେ ଗଳ୍ପ, କେତେ ଗୀତ ଗାନ କରି ସାରାଦିନର କ୍ଲାନ୍ତି ଦୂର କରୁଥିବେ । ତା’ପରେ ଅକସ୍ମାତ୍ ଦିନେ ଯେତେବେଳେ ମହାକାଳ ମହାମାରୀ ରୂପେ ଦେଖାଦେଇ ସାରା ଗାଆଁକୁ ନଷ୍ଟ କରିଦେଲା ସେତେବେଳେ ହୁଏତ କେତେ ମୁମୂର୍ଷ ତୃଷ୍ଣାରେ ବିକଳ ହୋଇ ଏହାର ଘାଟରେ ପ୍ରାଣତ୍ୟାଗ କରିନଥିବେ ! ହୁଏତ ସେମାନଙ୍କର ତୃଷ୍ଣିତ ଆତ୍ମା ଏଠାରେ ଘୂରି ବୁଲୁଥିବ । ଆଖିରେ ଦେଖିନଥିବା ଜିନିଷ ଯେ ନାହିଁ ତାହା କିଏ ଜୋରଦେଇ କେବେ କହିପାରିବ ? ଆଜି ସକାଳେ ସେହି ପ୍ରବୀଣ ବ୍ୟକ୍ତି ଜଣକ କହିଥିଲେ–ଆଜ୍ଞା ମୃତ୍ୟୁପରେ ଯେ କିଛି ରହେ ନାହିଁ କିମ୍ବା ଅସହାୟ ପ୍ରେତାତ୍ମାମାନେ ଯେ ଆମମାନଙ୍କ ଭଳି ସୁଖ–ଦୁଃଖ, କ୍ଷୁଧା–ତୃଷ୍ଣା ନେଇ ବିଚରଣ କରନ୍ତି ନାହିଁ, ଏକଥା କଦାପି ମନେକରିବେ ନାହିଁ । ଏହା କହି ସେ ରାଜା ବିକ୍ରମାଦିତ୍ୟଙ୍କ ଗଳ୍ପ, ତାଳ–ବେତାଳଙ୍କ ସିଦ୍ଧିର କାହାଣୀ ଏବଂ କେତେ ସାଧୁ ସନ୍ନ୍ୟାସୀ ଓ ତାନ୍ତ୍ରିକମାନଙ୍କର କହାଣୀ ବିସ୍ତାରିତ କରି ବର୍ଣ୍ଣନା କରିଥିଲେ । ଆଉ ମଧ୍ୟ କହିଥିଲ ଯେ ସମୟ ଓ ସୁଯୋଗ ପାଇଲେ ସେମାନେ ଦେଖାଦିଅନ୍ତି, କଥା କହିପାରନ୍ତି କିମ୍ବା କହନ୍ତି ନାହିଁ । ଏ କଥା ମଧ୍ୟ ଭାବନ୍ତୁ ନାହିଁ ଯେ ଆଉ ତୁମକୁ ସେଠାକୁ କେବେ ଯିବାପାଇଁ ମୁଁ କହିବି, କିନ୍ତୁ ଯେଉଁମାନେ ଏପରି କାର୍ଯ୍ୟ କରିପାରନ୍ତି ସେମାନଙ୍କର ସମସ୍ତ ଦୁଃଖ ଯେକୌଣସି ଦିନ ଘୁଞ୍ଚେ ନାହିଁ ଏକଥା ସ୍ୱପ୍ନରେ ସୁଦ୍ଧା ଅବିଶ୍ୱାସ କରିବ ନାହିଁ ।

 

ସେତେବେଳେ ସକାଳର ଆଲୁଅରେ ଯେଉଁ କଥାଗୁଡ଼ାକ ନିରର୍ଥକ ମନେହୋଇ ହସର ଉପାଦାନ ଯୋଗାଇ ପାରିଥିଲା, ବର୍ତ୍ତମାନ କିନ୍ତୁ ସେଇ କଥାଗୁଡ଼ାକ ନିର୍ଜନ ଗାଢ଼ ଅନ୍ଧକାର ଭିତରେ ଆହୁରି ଏକପ୍ରକାର ଭିନ୍ନରୂପ ନେଇ ଦେଖାଦେବାକୁ ଲାଗିଲେ । ମନେହେଲା–ଜଗତରେ ପ୍ରକୃତ ସତ୍ୟବୋଲି ଯଦି କିଛି ଥାଏ, ତେବେ ସେ ହେଉଛି ମରଣ । ଏଇ ଜୀବନବ୍ୟାପୀ ଭଲ–ମନ୍ଦ, ସୁଖ–ଦୁଃଖର ଅବସ୍ଥାଗୁଡ଼ାକ ସତେଯେପରି ଆତସବାଜିର ବିଚିତ୍ର ସାଜସଜ୍ଜି–ପରି କେବଳ କୌଣସି ଦିନ ପୋଡ଼ି ପୋଡ଼ି ପାଉଁଶ ହୋଇଯିବାପାଇଁ ଏତେ ଯତ୍ନରେ, ଏତେ କୌଶଳରେ ଗଢ଼ିଉଠିଛି ସିନା ! ତଥାପି ମୃତ୍ୟୁ ପରିପାରିର ଇତିହାସଟାକୁ ଯଦି କୌଣସି ଉପାୟରେ ଶୁଣି ହୋଇହୁଅନ୍ତା ତେବେ ତା’ଠାରୁ ଆଉ ଅଧିକ ଲାଭ ଅବା କ’ଣ ଅଛି ? ତାହା ସେ ଯିଏ କହନ୍ତୁ ନା ଯେପରି କହୁ କାହିଁକି ।

 

ହଠାତ୍‌ କାହାର ପାଦଶବ୍ଦରେ ମୋ ଧ୍ୟାନ ଭାଙ୍ଗିଗଲା । ଚାହିଁ ଦେଖିଲି କେବଳ ଅନ୍ଧକାର । କେହି କେଉଁଠାରେ ନାହାନ୍ତି । ଝାଡ଼ିଝୁଡ଼ି ହୋଇ ଉଠି ଠିଆହେଲି । ଗତ ରାତିରେ କଥା ସ୍ମରଣ କରି ମନେମନେ ହସି କହିବାକୁ ଲାଗିଲି–ନା, ଆଉ ବସି ରହିବା ଉଚିତ ନୁହେଁ । କାଲି ରାତିରେ ଡାହାଣ କାନରେ ଥଣ୍ଡା ନିଃଶ୍ୱାସ ବାଜିଥିଲା, ଆଉ ଯଦି ଆଜି ବାଆଁକାନରେ ଆରମ୍ଭ ହୋଇଯାଏ ତେବେ ଅବସ୍ଥା ଆଦୌ ଭଲ ହେବ ନାହିଁ.....

 

କେତେ ସମୟ ହେବ ବସି ରହିଲିଣି ଏବଂ ବର୍ତ୍ତମାନ ଯେ ରାତି କେତେ ହେବ ତାହା ଜାଣିପାରିଲି ନାହିଁ । ବୋଧହୁଏ ରାତିଅଧ ହେବ । ଫେରିଯିବାକୁ ଆରମ୍ଭ କଲି । କିନ୍ତୁ ଏ କ’ଣ ? ଚାଲିଛି ତ ଚାଲିଛି । ଏଇ ସଂକୀର୍ଣ୍ଣ ପାଦଚଲା ବାଟ କ’ଣ ଆଉ ଶେଷ ହେବ ନାହିଁ ? ଏତେଗୁଡ଼ାଏ ତମ୍ବୁର ଆଲୁଅ ମଧ୍ୟ ଦିଶୁ ନାହିଁ ତ । ଅନେକ ସମୟ ହେବ ଗୋଟାଏ ବାଉଁଶ ବଣ ମୋ ଆଖିଆଗରେ ଥିବାର ଦେଖି ହଠାତ୍‌ କିପରି ମନକୁ ଆସିଲା, କାହିଁ ! ଆସିଲାବେଳେ ତ ଏଇଟାକୁ ଲକ୍ଷ୍ୟ କରିନଥିଲି । ଧେତ୍ ଭୁଲରେ ଆଉ ଅନ୍ୟଗୋଟାଏ ବାଟରେ ଯାଉ ନାହିଁ ତ ? ଆଉ କିଛିବାଟ ଯିବାପରେ ଜାଣିପାରିଲି ଯେ, ସେଇଟା ବାଉଁଶ ବଣ ନୁହେଁ, କେତେଗୁଡ଼ାଏ ତେନ୍ତୁଳି ଗଛ ଛନ୍ଦଛନ୍ଦି ହୋଇ ଦିଗନ୍ତ ଆବୃତ କରି ଅନ୍ଧକାରକୁ ଆହୁରି ଗାଢ଼ତର କରିପକାଇଛନ୍ତି ଏବଂ ତା’ ତଳେ ବାଟଟା ଅଙ୍କାବଙ୍କା ହୋଇଯାଇଛି । ସ୍ଥାନଟା ଏପରି ଅନ୍ଧକାର ଯେ ନିଜର ହାତଟା ପର୍ଯ୍ୟନ୍ତ ଦେଖିହୁଏ ନାହିଁ । ଛାତି ଭିତରଟା ମୋର ଥରିଉଠିଲା । ମନେମନେ ଡାକିଲି–ଆରେ ! ମୁଁ ଯାଉଛି କୁଆଡ଼େ ? ଆଖିକାନ ବୁଜି କୌଣସିମତେ ସେ ତେନ୍ତୁଳି ଗଛର ଅନ୍ଧକାରକୁ ଟପି ଦେଖେ ଯେ ଆଗରେ ଅନନ୍ତ କଳା ଆକାଶ ଯେତେ ଦୂର ଦେଖାଯାଏ ସେତେ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । କିନ୍ତୁ ଆଗରେ ଏଇ ଉଚ୍ଚ ସ୍ଥାନଟା କ’ଣ ? ନଦୀ ଧାରେ ଧାରେ ସରକାରୀ ବନ୍ଧ ତ ନୁହେଁ ? ବନ୍ଧ ତ ସତରେ ! ପାଦ ଦୁଇଟା ଯେପରି ଚାଲି ଚାଲି ଥକିପଡ଼ିଲାଣି କୌଣସିମତେ ଟାଣିଟୁଣି ସେ ଦୁଇଟା ଉପରେ ଭାରଦେଇ ଠିଆହେଲି । ଯାହା ଭାବିଥିଲି ପ୍ରକୃତରେ ସେଇଆ । ଠିକ୍‌ ତଳେ ସେଇ ମହାଶ୍ମଶାନ । ପୁଣି କାହାର ପାଦ ଶବ୍ଦ ମୋ ଆଗଦେଇ ତଳକୁ ଶ୍ମଶାନକୁ ଯାଇ ମିଳାଇଗଲା । ଏଥର ଟଳିଟଳି ମୂର୍ଚ୍ଛା ଗଲାପରି ଧପ୍‌କରି ସେ ବାଲିଉପରେ ବସିପଡ଼ିଲି । ଆଉ ମୋର ସନ୍ଦେହ ରହିଲା ନାହିଁ ଯେ କିଏ ଯେପରି ଗୋଟାଏ ମହାଶ୍ମଶାନରୁ ଆଣି ଆଉ ଏକ ମହାଶ୍ମଶାନରେ ପହଞ୍ଚାଇ ଦେଇଗଲା । ସେଇ ଯାହାର ପାଦଶବ୍ଦ ଣୁଣି ପୁରୁଣା ଘାଟଠାରେ ଝାଡ଼ିଝୁଡ଼ି ହୋଇ ଫେରିଯିବାପାଇଁ ଠିଆ ହୋଇଥିଲି ତାହାର ପାଦଶବ୍ଦ ଏତେକ୍ଷଣ ପରେ ମୋ ଆଖିଆଗରେ ଏଇ ମହାଶ୍ମଶାନରେ ମିଳାଇଗଲା ।

 

ସମସ୍ତ ଘଟଣାଗୁଡ଼ିକର କାରଣ ଦେଖିବାର ଜିଦ୍‌ ମନୁଷ୍ୟର ଯେଉଁ ବୟସରେ ରହେ, ସେ ବୟସ ମୋର ପାର ହୋଇଗଲାଣି । ସୁତରାଂ କିପରି ଭାବରେ ଯେ ଏଇ ସୂଚୀଭେଦ୍ୟ ଅନ୍ଧକାରରାତ୍ରିରେ ଏକାକୀ ପଥ ଚିହ୍ନି ପୋଖରୀର ସେଇ ପୁରୁଣା ଘାଟରୁ ଏଇ ଶ୍ମଶାନ ଉପକଣ୍ଠରେ ଆସି ଉପସ୍ଥିତ ହେଲି ଏବଂ କାହାର ଅବା ସେଇ ପଦଧ୍ୱନୀ ସେଠାରୁ ଇଙ୍ଗିତଦ୍ୱାରା ଆହ୍ୱାନ ଭାବି ଏଠାରେ ମିଳାଇଗଲା, ଏ ସମସ୍ତ ପ୍ରଶ୍ନର ସମାଧାନ କରିବା ଭଳି ବୁଦ୍ଧି ମୋର ନାହିଁ-। ସେଥିପାଇଁ ପାଠକମାନଙ୍କ ନିକଟରେ ମୋର ଦୈନ୍ୟ ସ୍ୱୀକାର କରିବାପାଇଁ ମୁଁ ତିଳେମାତ୍ର ଲଜ୍ଜ୍ୟାବୋଧ କରୁନାହିଁ । ଏହି ରହସ୍ୟ ଆଜି ମଧ୍ୟ ମୋ ଆଗରେ ସେହିପରି ଅନ୍ଧକାରରେ ଆବୃତ୍ତ ହୋଇ ରହିଛି । କିନ୍ତୁ ତାହା ବୋଲି ପ୍ରେତଯୋନି ସ୍ୱୀକାର କରିବା ଏ ସ୍ୱୀକାରୋକ୍ତିର ପ୍ରଚ୍ଛନ୍ନ ତାତ୍ପର୍ଯ୍ୟ ନୁହେଁ । କିନ୍ତୁ ନିଜ ଆଖିରେ ତ ଦେଖିଛି ଯେ ଆମ ଗାଆଁରେ ଜଣେ ବୃଦ୍ଧ ପାଗଳ ଥିଲା-। ସେ ଦିନବେଳେ ଘର ଘର ବୁଲି ଭାତ ମାଗି ଖାଉଥିଲା ଆଉ ରାତିରେ ଗୋଟାଏ ଛୋଟ ମଇ ଗଛଉପରେ ପିନ୍ଧା ଲୁଗାପଟା ରଖିଦେଇ ପଥଧାରେ ଧାରେ ଗଛ ଛାଇରେ ବୁଲୁଥିଲା-। ସେ ଚେହେରା ଦେଖି ଯେ କେତେ ଲୋକଙ୍କର ଦାନ୍ତ ପାଟି ପଡ଼ି ନଯାଇଛି ତା’ର ସୀମା ନାହିଁ । କୌଣସି ସ୍ୱାର୍ଥ ନାହିଁ, ଅଥଚ ଏହା ଥିଲା ତା’ର ରାତିବେଳର କାଣ୍ଡ । ନିରର୍ଥକ ମନୁଷ୍ୟକୁ ଭୟ ଦେଖାଇବା ପାଇଁ ତା’ର କେତେ ଯେ ଫନ୍ଦି ଥିଲା ତା’ର ଅନ୍ତ ନାହିଁ । ଶୁଖିଲା କାଠକୁ ଗଛ ଡାଳରେ ବାନ୍ଧି ସେଥିରେ ନିଆଁ ଲଗାଉଥିଲା, ମୁହଁରେ କନା ମାଖି ବିଶାଳାକ୍ଷୀ ମନ୍ଦିର ଉପରକୁ ବହୁ କଷ୍ଟରେ ଚଢ଼ି ଠିଆହୋଇ ରହୁଥିଲା, ଗଭୀର ରାତିରେ ଘର ଚାଳଉପରେ ବସି ଖନ ଖନ ସ୍ୱରରେ ଚଷାମାନଙ୍କ ନାମଧରି ଡାକୁଥିଲା । ଅଥଚ କୌଣସି ଦିନ କେହି ତାକୁ ଧରିପାରୁନଥିଲେ ଏବଂ ଦିନବେଳେ ତା’ର ଚାଲିଚଳଣ ଦେଖି ଘୃଣାକ୍ଷରେ ତାକୁ କେହି ସନ୍ଦେହ ମଧ୍ୟ କରିପାରୁନଥିଲେ-। ଆଉ କେବଳ ଆମ ଗାଆଁ ନୁହେଁ ଆଖପାଖରେ ଆଠ ଦଶଖଣ୍ଡ ଗାଆଁରେ ସେ ଏଇପରି କାଣ୍ଡ କରି ବୁଲୁଥିଲା । ମରିବା ବେଳେ ନିଜର ଦୁଷ୍କୃତ ନିଜେ ସେ ସ୍ୱୀକାର କରିଯାଏ ଏବଂ ଭୂତର ଦୌରାତ୍ମ୍ୟ ମଧ୍ୟ ସେହିଦିନଠାରୁ ଶେଷ ହୁଏ । ଏ କ୍ଷେତ୍ରରେ ସେହିପରି କିଛି ଥିଲେ ଥାଇପାରେ-। ନଥାଇ ପାରେବି, ଛାଡ଼ ସେ କଥା ।

 

ହଁ ଯେତେବେଳେ ସେଇ ଧୂଳି ବାଲି ଭରା ବନ୍ଧଉପରେ ବେହୋସ ହେଲାଭଳି ବସିପଡ଼ିଲି ସେତେବେଳେ କେବଳ ଦୁଇଟି ଲଘୁପଦ ପାଦ ଧ୍ୱନି ଶ୍ମଶାନ ଭିତରେ ଯାଇ ମିଳାଇଗଲା । ମୋର ମନେହେଲା ସେ ଯେପରି ସ୍ପଷ୍ଟ ଭାବରେ ଜଣାଇଦେଲା ଯେ–ଛିଃ ! ଛିଃ ! ତୁ ଏ କ’ଣ କଲୁ ? ତୋତେ ଏତେବାଟ କଢ଼ାଇ କରି ଆଣିଲି କ’ଣ ଏଠାରେ ବସିପଡ଼ିବାକୁ ? ଆ–ଚାଲିଆ । ଥରକ ପାଇଁ ଆମ ଭିତରକୁ ଚାଲିଆ । ଏପରି ଅଛୁଆଁ ଭଳି ପ୍ରାଙ୍ଗଣର ଗୋଟାଏ କଣରେ ବସି ରହ ନାହିଁ । ଆମମାନଙ୍କ ମଝିରେ ଆସି ବସ । କଥାଗୁଡ଼ାକ କାନରେ ଶୁଣିଥିଲି କିମ୍ବା ଅନ୍ତର ଭିତରେ ଅନୁଭବ କରିଥିଲି ଏକଥା ଆଜି ଆଉ ସ୍ମରଣ କରି ହେଉନାହିଁ । କିନ୍ତୁ ତଥାପି ଯେ ଚୈତନ୍ୟ ରହିପାରିଲା, ତା’ର କାରଣ ଚୈତନ୍ୟକୁ ଜବରଦସ୍ତ କରି ଧରିଲେ ସେ ଏଇପରି ଅଟକି ରହେ । ଆଦୌ ଲୋପ ପାଇଯାଏ ନାହିଁ ଏକଥା ମୁଁ ବେଶ୍ ଜାଣିଥାଏ । ସେଥିପାଇଁ ଦୁଇଆଖି ମେଲି ଚାହିଁ ରହିଥାଏ ସତ, କିନ୍ତୁ ସେ ଚାହାଣି ଯେପରି ଏକ ତନ୍ଦ୍ରାର ଚାହାଣି ଭଳି । ସେ ଚାହାଣି ଘୂମାଇବାର ନୁହେଁ କିମ୍ବା ଜାଗରଣର ନୁହେଁ । ସେଥିରେ ନିଦ୍ରିତର ବିଶ୍ରାମ କିମ୍ବା ସଜାଗର ଉଦ୍ଦାମତା ନଥିଲା । ଏହିଭଳି ଏକ ତନ୍ଦ୍ରଚ୍ଛନ୍ନ ଚାହାଣି ।

 

ତଥାପି ଏ କଥାଟା ମୁଁ ଭୁଲିନଥାଏ ଯେ ଅନେକ ରାତି ହେଲାଣି, ମୋତେ, ତମ୍ବୁକୁ ଫେରିବାକୁ ହେବ ଏବଂ ସେଥିପାଇଁ ଅନ୍ତତଃ ଚେଷ୍ଟା କରିବା କଥା; କିନ୍ତୁ ସବୁ ବୃଥା ହେଲା । ଏଠାକୁ ମୁଁ ତ ଇଚ୍ଛା କରି ଆସିନଥିଲି କିମ୍ବା ଆସିବାର କଳ୍ପନା ସୁଦ୍ଧା କରିନଥିଲି । ସୁତରାଂ ଯିଏ ମୋତେ ଏଇ ଦୁର୍ଗମ ପଥରେ ବାଟ କଢ଼ାଇ ଘେନି କରିଆସିଛି ତା’ର ନିଶ୍ଚୟ କିଛି ଗୋଟାଏ ଉଦ୍ଦେଶ୍ୟ ଅଛି । ସେ ମୋତେ କେବଳ ଖାଲି ଖାଲି ଫେରିଯିବାକୁ ଦେବ ନାହିଁ । ପୂର୍ବେ ଶୁଣିଥିଲି ଯେ ନିଜ ଇଚ୍ଛାରେ ଏମାନଙ୍କ ହାତରୁ ମୁକ୍ତି ମିଳେ ନାହିଁ । ଯେଉଁ ପଥରେ ଯେପରି ଭାବରେ ଜୋର କରି ବାହାରିଯାଇ ହୁଏ ନାହିଁ କାହିଁକି ନା, ସବୁ ବାଟ ଗୋଲକ ଧନ୍ଦା ଭଳି ଏବଂ ଘୂରାଇ ଫେରାଇ ପୁଣି ଆଣି ଆସିଥିବା ବାଟରେ ଛାଡ଼ିଦିଏ ।

 

ସୁତରାଂ ବ୍ୟସ୍ତ ହୋଇ ଛଟପଟ ହେବା ସଂପୂର୍ଣ୍ଣ ଅନାବଶ୍ୟକ ଭାବି ଯିବାର ଉପକ୍ରମ କୌଣସି ପ୍ରକାରେ ନକରି ଯେତେବେଳେ ସ୍ଥିର ହୋଇ ବସିରହିଲି ସେତେବେଳେ ଅକସ୍ମାତ ଯେଉଁ ଜିନିଷଟା ମୋ ଆଖିରେ ପଡ଼ିଗଲା; ତାକୁ ମୁଁ କେବେ ଭୁଲି ନାହିଁ କିମ୍ବା ଭୁଲିପାରିବି ନାହିଁ ।

 

ରାତିରେ ଯେ ଗୋଟାଏ ରୂପ ଅଛି, ଏବଂ ତାହାକୁ ପୃଥିବୀର ଗଛପତ୍ର, ପାହାଡ଼ ପର୍ବତ, ଜଳସ୍ଥଳ, ବଣ ଜଙ୍ଗଲ ଜାତୀୟ ଦୃଶ୍ୟମାନ ବସ୍ତୁଠାରୁ ପୃଥକ୍‌ କରି, ଏକାନ୍ତ ଭାବେ ଦେଖାଯାଇପାରେ ଏହା ଯେପରି ଆଜି ମୋ ଆଖିରେ ପଡ଼ିଲା । ଚାହିଁ ଦେଖିଲି ଅନ୍ତ–ହୀନ କଳା ଆକାଶ ତଳେ ପୃଥିବୀକୁ ଆସନ କରି ଗଭୀର ରାତ୍ରି ନିମିଳୀତ ଚକ୍ଷୁରେ ଧ୍ୟାନକରି ବସିଛି, ଆଉ ସମସ୍ତ ଚରାଚର ବିଶ୍ୱ ମୁହଁ ବନ୍ଦକରି ନିଃଶ୍ୱାସ ରୁଦ୍ଧି ଅତ୍ୟନ୍ତ ସାବଧାନତାର ସହିତ ସ୍ତବ୍‌ଧ ହୋଇ ଶାନ୍ତି ଭିକ୍ଷା କରୁଛନ୍ତି । ହଠାତ୍‌ ଆଖିଆଗରେ ଯେପରି ସୌନ୍ଦର୍ଯ୍ୟର ତରଙ୍ଗ ଖେଳିଗଲା । ମନେହେଲା ଯେପରି କେଉଁ ମିଥ୍ୟାବାଦୀ ପ୍ରଚାର କରି କହୁଛି–କେବଳ ଆଲୋକର ରୂପ ଅଛି ଆଉ ଅନ୍ଧକାରର କିଛି ନାହିଁ ? ଏତେବଡ଼ ଭୁଲ୍‍କୁ ମଣିଷ କାହିଁକି ମାନିନେଉଛି ? ଏଇ ଯେ ଆକାଶ–ବତାଶ ସ୍ୱର୍ଗ–ମର୍ତ୍ତ୍ୟ ପରିବ୍ୟାପ୍ତ କରି ଦୃଷ୍ଟିର ଅନ୍ତର ବାହାରେ ଅନ୍ଧକାରର ପ୍ଳାବନ ବହି ଚାଲିଛି; କହିଲ ଦେଖି ଏପରି ଅପରୂପ ରୂପର ପ୍ରସ୍ରବଣ ଆଉ କେବେ କେଉଁଠାରେ ଦେଖିପାରିଛ କି ? ଏ ବ୍ରହ୍ମାଣ୍ଡରେ ଯାହା ଯେତେ ଗଭୀର, ଯେତେ ଅଚିନ୍ତ୍ୟ, ଯେତେ ସୀମାହୀନ, ତାହା ତ ସେତିକି ଅନ୍ଧାର । ଅଗାଧ ବାରିଧିର ରଙ୍ଗ ମସୀକୃଷ୍ଣ, ଅଗମ୍ୟ ଗହନ ଅରଣ୍ୟାନୀ ଭୀଷଣ ଅନ୍ଧାର, ସର୍ବଲୋକାଶ୍ରୟ, ଆଲୋକର ଆଲୋକ, ଗତିର ଗତି, ଜୀବନର ଜୀବନ, ସକଳ ସୌନ୍ଦର୍ଯ୍ୟର ପ୍ରାଣପୁରୁଷ ମଧ୍ୟ ମନୁଷ୍ୟ ଆଖିରେ ନିବିଡ଼ ଅନ୍ଧାର । କିନ୍ତୁ ସେ କ’ଣ ସୌନ୍ଦର୍ଯ୍ୟର ପ୍ରାଣପୁରୁଷ ମଧ୍ୟ ମନୁଷ୍ୟ ଆଖିରେ ନିବିଡ଼ ଅନ୍ଧାର । କିନ୍ତୁ ସେ କ’ଣ ରୂପର ଅଭାବରେ ଏପରି ? ଯାହାଙ୍କୁ ବୁଝିହୁଏ ନାହିଁ, ଜାଣିହୁଏ ନାହିଁ, ଯାହାଙ୍କ ଅନ୍ତର ଭିତରେ ପ୍ରବେଶ କରିବାପାଇଁ ପଥ ଜଣାନାହିଁ ସେ ମଧ୍ୟ ସେତିକି ଅନ୍ଧାର । ସେଥିପାଇଁ ମୃତ୍ୟୁପରା ମଣିଷ ଆଖିରେ ଏତେ କଳା । ସେଥିପାଇଁ ପରା ପରଲୋକୀର ରାସ୍ତା ଏପରି ଦୁସ୍ତର ଅନ୍ଧକାରରେ ମଗ୍ନ । ଏଇ ରାଧାର ଦୁଇଚକ୍ଷୁ ଭରି ଯେଉଁ ରୂପ ପ୍ରେମ ବନ୍ୟାରେ ଜଗତକୁ ଭସାଇଦେଲା, ସେ ତ ଘନଶ୍ୟାମ । କୌଣସି ଦିନ ଏକଥା ଭାବି ନାହିଁ କିମ୍ବା କେବେ ଏ ପଥରେ ପଥିକ ହୋଇ ନାହିଁ ତଥାପି କେଜାଣି କାହିଁକି ଜାଣେନା ଏହି ଭୟାକୀର୍ଣ୍ଣ ମହାଶ୍ମଶାନ ପ୍ରାନ୍ତରରେ ବସି ନିଜର ଏହି ନିରୁପାୟ ନିଃସଙ୍ଗତ୍ୱକୁ ଅତିକ୍ରମ କରି ଆଜି ହୃଦୟ ଗୋଟାଏ ଅକାରଣ ରୂପର ଆନନ୍ଦରେ ଭରିଉଠିଲା ଏବଂ ହଠାତ୍ ମନେହେଲା ଯେ, କଳାର ଯେ ଏତେ ଗୁଣଥିଲା କାହିଁ କେଉଁଦିନ ତ ଥରକପାଇଁ ଭାବିନଥିଲି ! ତେବେ ହୁଏତ ମୃତ୍ୟୁ କଳା ବୋଲି କୁତ୍ସିତ ନୁହେଁ । ଦିନେ ସେ ଯେତେବେଳେ ମୋତେ ଦେଖାଦେବାକୁ ଆସିବ, ସେତେବେଳେ ହୁଏତ ତା’ର ଏପରି ଅଫୁରନ୍ତ, ସୁନ୍ଦର ରୂପରେ ମୋ ଦୁଇଆଖି ଝଲସିଉଠିବ । ଆଉ ସେଇ ସାକ୍ଷାତ୍‌ର ଦିନ ଯଦି ଆଜି ଆସି ପହଞ୍ଚେ ତେବେ ହେ ମୋର କଳା ! ହେ ମୋର ମିଳାଇ ଯାଇଥିବା ପଦଧ୍ୱନି-! ହେ ମୋର ସର୍ବଦୁଃଖ ଭୟ–ବ୍ୟଥାହାରୀ ଅନନ୍ତ ସୁନ୍ଦର ! ତୁମେ ତୁମର ସେଇ ଅନାଦି ଅନ୍ଧକାରରେ ମୋର ସର୍ବାଙ୍ଗ ଭରିଦେଇ କେବଳ ମୋ ଦୁଇଟି ଆଖିରେ ପ୍ରତିଭାତ ହୁଅ-। ମୁଁ ତମର ଏଇ ଅନ୍ଧ ତମସାବୃତ୍ତ ନିର୍ଜନ ମୃତ୍ୟୁ ମନ୍ଦିର ଦ୍ୱାରରେ ତୁମକୁ ନିର୍ଭୟରେ ବରଣ କରି ମହାନନ୍ଦରେ ତୁମର ଅନୁସିରଣ କରେ । ହଠାତ୍‌ ମନେହେଲା–ସତେ ତ ! ତାହାର ଏଇ ନିର୍ବାକ ଆହ୍ୱାନକୁ ଉପେକ୍ଷା କରି ଅତ୍ୟନ୍ତ ହୀନ ଭାବରେ ବାହାରେ ଏପରି ତେବେ ବସିଥିବି କାହିଁକି ? ଥରକ ପାଇଁ ଭିତରକୁ ଯାଇ ବସିବି ନାହିଁ କାହିଁକି ?

 

ତଳକୁ ଓହ୍ଲାଇଯାଇ ଶ୍ମଶାନର ଠିକ୍‌ ମଝିରେ ବସିପଡ଼ିଲି । କେତେ ସମୟ ଧରି ଯେ ଏଠାରେ ବସିରହିଥିଲି ମୋର ହୋସ ନଥିଲା । ଯେତେବେଳେ ମୁଁ ଆସ୍ୱସ୍ଥ, ଦେଖିଲେ ସେପରି ଅନ୍ଧକାର ଆଉ ଆକାଶରେ ନାହିଁ । ଆକାଶର ଗୋଟିଏ କୋଣ ସଫା ହୋଇଗଲାଣି ଏବଂ ଅଦୂରରେ ଫୁକିଆ ତାରା ଦପ୍‌ ଦପ୍‌ ହୋଇଉଠିଲାଣି । ହଠାତ୍‌ ଚାପା ଗଳାର ଆଓ୍ୱାଜ ମୋ କାନକୁ ଆସିଲା । ନିରେଖି କରି ଦେଖି ଜାଣିପାରିଲେ ଯେ ଦୂରରେ ଶିମିଜୀ ଗଛତଳେ ବନ୍ଧଉପରେ କିଏ ଯେପରି ଯାଉଛନ୍ତି ଏବଂ ସେମାନେ ଧରିଥିବା ଦୁଇ ଚାରିଟା ଲଣ୍ଠନର ଆଲୋକ ଏଣେତେଣେ ବିଛାଡ଼ି ହୋଇପଡ଼ିଛି । ପୁନର୍ବାର ବନ୍ଧଉପରକୁ ଉଠିଆସି ସେହି ଆଲୋକରେ ଦେଖିପାରିଲି ଦୁଇଖଣ୍ଡ ଶଗଡ଼ଗାଡ଼ିର ଆଗପଛରେ କେତେ ଲୋକ ଏଇଆଡ଼କୁ ଆସୁଛନ୍ତି । ବୁଝିପାରିଲି କେହି ଏଇ ବାଟରେ ଷ୍ଟେସନକୁ ଯାଉଛନ୍ତି ।

 

ଭାବିଲି ବାଟ ଛାଡ଼ି ରାସ୍ତାରୁ ହଟିଯିବା ଉଚିତ୍‌ । କାରଣ ଆଗନ୍ତୁକ ମାନେ ଯେତେ ବୁଦ୍ଧିମାନ ଏବଂ ସାହସୀ ହୁଅନ୍ତୁ ନା କାହିଁକି, ହଠାତ୍‌ ଏଇ ଅନ୍ଧକାର ରାତିରେ ଏଇପରି ଭାବରେ ଏଠାରେ ମୋତେ ଏକାକୀ ଭୂତ ଭଳି ଠିଆହୋଇଥିବାର ଦେଖିଲେ ଆଉ କିଛି କରନ୍ତୁ କି ନାହିଁ ଭୟରେ ଯେ ଚିତ୍କାର କରିଉଠିବେ ଏଥିରେ ଆଦୌ ସନ୍ଦେହ ନାହିଁ ।

 

ଫେରିଆସି ପୁଣି ମୋ ପୂର୍ବସ୍ଥାନରେ ଠିଆହେଲି ଏବଂ ଅଳ୍ପକାଳ ପରେ ଦୁଇଟି ଶଗଡ଼ ଗାଡ଼ି ଓ ପାଞ୍ଚଛଅଜଣ ଲୋକ ଆସି ମୋ ଆଗରେ ପହଞ୍ଚିଲେ । ମୋତେ ଜଣାଗଲା ଶଗଡ଼ ଆଗରେ ଚାଲୁଥିବା ଦୁଇ ତିନିଜଣ ମୋ ମୁହଁକୁ କ୍ଷଣକ ପାଇଁ ଚାହିଁ ସେମାନଙ୍କ ଭିତରେ କ’ଣ ଚୁପ୍‌ଚାପ କଥା ହେବାକୁ ଲାଗିଲେ ଏବଂ ପୁଣି ଆରମ୍ଭ କରିଦେଲେ । ଅଳ୍ପ ସମୟ ପରେ ଶଗଡ଼ ଦୁଇଟା ବନ୍ଧଉପରେ ଥିବା ଗୋଟାଏ ଝଙ୍କା ଗଛତଳେ ଅନ୍ତର୍ଦ୍ଧାନ ହୋଇଗଲା । ରାତ୍ର ଆଉ ବେଶୀ ନାହିଁ ଜାଣି ଫେରିଯିବା ପାଇଁ ଉପକ୍ରମ କରୁଛି ଏପରି ସମୟରେ ସେଇ ବୃକ୍ଷ ଅନ୍ତରାଳ ଭିତରୁ ଉଚ୍ଚସ୍ୱରର ଡାକ କାନରେ ଆସି ବାଜିଲା–ଶ୍ରୀକାନ୍ତ ବାବୁ....

 

ଉତ୍ତର ଦେଲି–କିଏ ରତନ କିରେ ?

 

: ଆଜ୍ଞା ହଁ ବାବୁ ମୁଁ ! ଟିକିଏ ଆଗକୁ ଆସନ୍ତୁ ।

 

ତରତର ହୋଇ ବନ୍ଧଉପରକୁ ଉଠି ଡାକି କରି ପଚାରିଲି–ରତନ, ତୁମେ ସବୁ କ’ଣ ଘରକୁ ଯାଉଛ କିରେ ?

 

: ହଁ ବାବୁ, ଘରକୁ ଯାଉଛୁ । ମାଆ ଗାଡ଼ିଭିତରେ ଅଛନ୍ତି ।

 

: ଶଗଡ଼ ପାଖରେ ପହଞ୍ଚିବା ମାତ୍ରେ ପିଆରୀ ପର୍ଦ୍ଦା ବାହାରକୁ ମୁହଁ କାଢ଼ି କହିଲା, ଏଠାରେ ତୁମଛଡ଼ା ଆଉ କେହି ନାହାନ୍ତି ସେ କଥା ମୁଁ ଦରଓ୍ୱାନଠାରୁ ବୁଝିପାରିଛି । ଗାଡ଼ିକୁ ଉଠିଆସ, କଥା ଅଛି ।

 

ମୁଁ ଆହୁରି ନିକଟକୁ ଲାଗିଯାଇ ପଚାରିଲି–କି କଥା ?

 

: ଉଠିଆସ, କହୁଛି ।

 

ନା, ଯାଇପାରିବି ନାହିଁ, ବର୍ତ୍ତମାନ ସମୟ ନାହିଁ । ସକାଳ ହେବା ପୂର୍ବରୁ ମୋତେ ତମ୍ବୁରେ ପହଞ୍ଚିବାକୁ ହିଁ ପଡ଼ିବ । ପିଆରୀ ହାତ ବଢ଼ାଇ ମୋ ଡାହାଣ ହାତଟାକୁ ଖପ୍‌ କରି ଧରିପକାଇ ତା’ର ସ୍ୱଭାବ ସୁଲଭ କଣ୍ଠରେ ଜିଦ୍‌ କରି କହିଲା–ଚାକର ବାକରଙ୍କ ଆଗରେ ଆଉ ହଁ–ନାହିଁ କର ନାହିଁ । ତୁମ ପାଦତଳେ ପଡ଼ୁଛି ଦୟାକରି ଗାଡ଼ି ଭିତରକୁ ଚାଲିଆସ ।

 

ତା’ର ଅସ୍ୱାଭାବିକ ଉତ୍ତେଜନାରେ କେତେକ ପରିମାଣରେ ଯେପରି ସ୍ତବ୍‌ଧ ହୋଇ ମୁଁ ଗାଡ଼ିକୁ ଉଠିଯାଇ ବସିପଡ଼ିଲି ।

 

ପିଆରୀ ଗାଡ଼ି ଚଳାଇବାକୁ ଆଦେଶ ଦେଇ କହିଲା–ଆଜି ପୁଣି ତୁମେ ଏଠାକୁ କିପରି ଆସିଲ ?

 

ମୁଁ ସତ କହିଲି । କହିଲି, ଜାଣେ ନାହିଁ ।

 

ପିଆରୀ ବର୍ତ୍ତମାନ ସୁଦ୍ଧା ମୋ ହାତ ଛାଡ଼ି ନ ଥାଏ । ପଚାରିଲା–ଜାଣି ନାହିଁ ? ଆଚ୍ଛା ଭଲ କଥା । ତେବେ ଲୁଚିକରି ଚାଲି ଆସିଥିଲ କାହିଁକି ?

 

ଶ୍ରୀକାନ୍ତ

: ଏଠାରେ ମୋତେ କେହି ଚିହ୍ନନ୍ତି ନାହିଁ, କିନ୍ତୁ ଲୁଚିକରି ଆସି ନାହିଁ ।

 

: ମିଛ କଥା ।

 

: ନା ।

 

: ସତ କହୁଛ ?

 

: ସତ ଯଦି ଖୋଲିକରି କହିବି ତୁମେ କ’ଣ ବିଶ୍ୱାସ କରିବ ? ମୁଁ ଲୁଚି କରି ଆସି ନାହିଁ ଏବଂ ଏଠାକୁ ଆସିବା ପାଇଁ ଇଚ୍ଛା ମଧ୍ୟ ନଥିଲା ।

 

ପିଆରୀ ବିଦ୍ରୂପ କଲାଭଳି କହିଲା–ତାହାହେଲେ ତମ୍ବୁରୁ ତୁମକୁ କିଏ ଏଠାକୁ ଉଡ଼ାଇ ଆଣିଲା ? ଏୟା ବୋଧହୁଏ କହିବାକୁ ଚାହୁଁଛ ତ ?

 

: ନା, ସେ କଥା ମଧ୍ୟ କହିବାକୁ ଚାହେଁ ନାହିଁ । କେହି ମୋତେ ଉଡ଼ାଇ ଆଣି ନାହିଁ । ନିଜ ପାଦରେ ଚାଲି ଚାଲି ଆସିଛି ସତ, କିନ୍ତୁ କିପରି ଆସିଲି, କାହିଁକି ଆସିଲି, କେତେବେଳେ ଆସିଲି କହିପାରିବି ନାହିଁ ।

 

ପିଆରୀ ଚୁପ୍‌ ହୋଇ ବସି ରହିଲା ।

 

ମୁଁ କହିଲି, ରାଜଲକ୍ଷ୍ମୀ ! ତୁମେ ବିଶ୍ୱାସ କରିପାରିବି କି ନାହିଁ ଜାଣେ ନାହିଁ । କିନ୍ତୁ ପ୍ରକୃତରେ ଘଟଣାଟା ସଂପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ । ଏହାପରେ ମୁଁ ସମସ୍ତ ଘଟଣା ମୂଳରୁ ଚୂଳଯାଏ ଅବିକଳ ଗପି ଚାଲିଲି ।

 

ମୋ ଗପ ଶୁଣୁଥିବା ବେଳେ ମୋ ହାତକୁ ଧରିଥିବା ତା’ ହାତମୁଠାଟା ବାରମ୍ବାର ଶିଥିଳ ହେବାକୁ ଲାଗିଥାଏ, କିନ୍ତୁ ସେ ପଦେହେଲେ କଥା କହିଲା ନାହିଁ । ପର୍ଦ୍ଦା ଟେକା ହୋଇଥିଲା । ତେଣୁ ପଛକୁ ଚାହିଁ ଦେଖିଲି ଆକାଶରେ ଫସରା ଫାଟିଲାଣି । କହିଲି–ଏଥର ମୁଁ ଯାଉଛି ।

 

ସ୍ୱପ୍ନରେ ମଜ୍ଜି ଥିଲାଭଳି ପିଆରୀ କହିଲା–ନା ।

 

: ଏପରି ଚାଲିଗଲେ ଅର୍ଥ କ’ଣ ହେବ ଜାଣିଛ ତ ?

 

: ଜାଣିଛି । ସବୁ ଜାଣିଛି । ଏମାନେ ତୁମର ଅଭିଭାବକ ନୁହନ୍ତି ଯେ ଇଜ୍ଜତ ପାଇଁ ପ୍ରାଣ ଦେବାକୁ ହେବ ? ଏତକ କହି ସେ ମୋ ହାତ ଛାଡ଼ିଦେଇ ପାଦ ଦୁଇଟା ଧରି ଋଦ୍ଧ ସ୍ୱରରେ କହିଉଠିଲା–କାନ୍ତ ଭାଇନା, କିନ୍ତୁ ସେଠାକୁ ଫେରିଗଲେ ଆଉ ତୁମେ ଆଜି ବଞ୍ଚିବ ନାହିଁ । ତୁମେ ମୋ ସଙ୍ଗରେ ଯିବ ନାହିଁ ସତ କିନ୍ତୁ ତୁମକୁ ଆଉ ସେଠାକୁ ଫେରିଯିବାକୁ, ମୁଁ ଦେବି ନାହିଁ । ତୁମ ପାଇଁ ଟିକଟ କିଣି ଦେଉଛି । ତୁମେ ଟ୍ରେନରେ ବସି ଘରକୁ ଚାଲିଯାଅ କିମ୍ବା ଯୁଆଡ଼େ ଖୁସି ସେଆଡ଼େ ଚାଲି ଯାଇପାର କିନ୍ତୁ ସେଠାକୁ ମୁହୂର୍ତ୍ତକ ପାଇଁ ଯାଇପାରିବ ନାହିଁ ।

 

: ମୋର ଲୁଗାପଟା ସବୁ ସେଠାରେ ଅଛି ଯେ–

 

: ଥାଉ । ସେମାନଙ୍କର ଇଚ୍ଛାହେଲେ ସେଗୁଡ଼ାକ ପଠାଇ ଦେଇପାରନ୍ତା । ନ ପଠାଇଲେ ମଧ୍ୟ ଦୁଃଖ ନାହିଁ । କାରଣ ପ୍ରାଣଠାରୁ ସେଗୁଡ଼ାକର ଦାମ୍‌ ବେଶୀ ନୁହେଁ ।

 

: ସେଗୁଡ଼ାକର ଦାମ୍‌ ବେଶୀ ନୁହେଁ ସତ । କିନ୍ତୁ ଯେଉଁ ମିଥ୍ୟା କୁତ୍ସାରଟିତ ହେବ ତା’ର ମୂଲ୍ୟ ତ ଆଉ କମ୍‌ ନୁହେଁ ?

 

ପିଆରୀ ମୋ ପାଦ ଦୁଇଟା ଛାଡ଼ି ଚୁପ୍‌ ହୋଇ ବସି ରହିଲା । ଗାଡ଼ି ଏଇ ସମୟରେ ମୋଡ଼ାଣିରେ ବୁଲୁବୁଲୁ ପଛଟା ମୁଁ ଦେଖିପାରିଲି । ହଠାତ୍‌ କିପରି ମନେହେଲା, ସମ୍ମୁଖରେ ଏଇ ପୂର୍ବ ଆକାଶ ସହିତ ଏହି ପତିତା ମୁହଁଟାର ଯେପରି ସାମଞ୍ଜସ୍ୟ ଅଛି । ଉଭୟଙ୍କ ଭିତରୁ ଯେପରି ଗୋଟାଏ ବିରାଟ ଅଗ୍ନିପିଣ୍ଡ ଅନ୍ଧକାର ଭେଦ କରି ବାହାରି ଆସୁଛି । ପଚାରିଲି–ଚୁପ୍‌ ହୋଇ ବସିରହିଲ ଯେ ?

 

ପିଆରୀ ଅଳ୍ପ ଶୁଖିଲା ହସ ହସିଦେଇ କହିଲା–କେଜାଣି କାହିଁକି କାନ୍ତ ଭାଇନା, ଯେଉଁ କଲମ ଧରି କେବଳ ଜାଲ ଦସ୍ତଖତ କରିଆସିଛି ସେଇ କଲମଟା ଧରି ଆଜି ଆଉ ଦାନପତ୍ର ଲେଖିବା ପାଇଁ ହାତ ଯାଉନାହିଁ । ଆଚ୍ଛା ତୁମେ ଯିବ ? ହଉ ଫେରିଯାଅ । କିନ୍ତୁ କଥାଦିଅ ଯେ ଆଜି ଦିନ ବାରଟା ପୂର୍ବରୁ ତୁମେ ସେ ସ୍ଥାନ ଛାଡ଼ି ଛାଲିଯିବ ।

 

: ହଉ ।

 

: କେବେ କାହା ଅନୁରୋଧ ରକ୍ଷା କରି ଆଜି ରାତିଟା ଯେପରି ସେଠାରେ ନ ରୁହ ।

 

: ନା ।

 

ପିଆରୀ ହାତରୁ ମୁଦିଟା ଖୋଲି ମୋ ପାଦତଳେ ରଖି ଗଳବସ୍ତ୍ର ହୋଇ ମୋତେ ପ୍ରଣାମ କଲା । ଏହାପରେ ପାଦ ଧୂଳି ନେଇ ମୁଣ୍ଡରେ ମାରି ମୁଦିଟା ମୋ ପକେଟ ଭିତରେ ରଖିଦେଲା । କହିଲା–ଆଚ୍ଛା ଯାଅ, ବୋଧହୁଏ ତୁମକୁ ଦେଢ଼ କୋଶଠାରୁ ଅଧିକ ବାଟ ଚାଲି ଚାଲି କରି ଯିବାକୁ ପଡ଼ିବ ।

 

ଶଗଡ଼ରୁ ଓହ୍ଲାଇପଡ଼ିଲି । ସେତେବେଳକୁ ସକାଳ ହୋଇଯାଇଥିଲା ।

 

ପିଆରୀ ଅନୁନୟ କରି କହିଲା–ମୋର ଆଉ ଗୋଟିଏ କଥା ତୁମକୁ ରଖିବାକୁ ହେବ । ଘରକୁ ଫେରିଯାଇ ମୋ ପାଖକୁ ଖଣ୍ଡିଏ ଚିଠି ଦେବ ।

 

ମୁଁ ତା’ କଥାରେ ହଁ ଭରି ସେଠାରୁ ବାହାରିପଡ଼ିଲି । ଥରକ ପାଇଁ ପଛକୁ ସୁଦ୍ଧା ଫେରି ଚାହିଁଲି ନାହିଁ ଯେ; ସେତେବେଳ ପର୍ଯ୍ୟନ୍ତ ପିଆରୀ ଗାଡ଼ି ଠିଆକରି ମୋତେ ଚାହିଁ ରହିଛି କି ନାହିଁ । କିନ୍ତୁ ବହୁଦୂର ଚାଲି ଯାଉଥିବା ବେଳେ ଅନୁଭବ କରୁଥିଲି ଯେପରି ଦୁଇଟି ସଜଳ କରୁଣ ଦୃଷ୍ଟି ମୋ ପଛରେ ଲାଗି ରହିଛି ।

 

ଆଡ଼୍‌ଡ଼ାରେ ପହଞ୍ଚିବାକୁ ପ୍ରାୟ ଆଠଟା ବାଜିଗଲା । ବାଟରେ ପିଆରୀର ଭଙ୍ଗା ତମ୍ବୁର ବିକ୍ଷିପ୍ତ ପରିତ୍ୟକ୍ତ ଜିନିଷଗୁଡ଼ିକ ଆଖିରେ ପଡ଼ିବା କ୍ଷଣି ଗୋଟାଏ ନିଷ୍ଫଳ ଦୀର୍ଘଶ୍ୱାସ ବାହାରି ଆସିଲା । ମୁହଁ ବୁଲାଇ ନେଇ ମୋ ତମ୍ବୁ ଭିତରକୁ ପଶିଗଲି ।

 

ପୁରୁଷୋତ୍ତମ ପ୍ରଶ୍ନ କଲା–ଆପଣ କ’ଣ ବଡ଼ି ଭୋରରୁ ବୁଲି ବାହାରି ପଡ଼ିଥିଲେ ?

 

ମୁଁ ହଁ କି ନାହିଁ କିଛି ନକହି ଶେଯଉପରେ ଯାଇ ଚୁପ୍‌ ହୋଇ ଆଖିବୁଜି ଶୋଇପଡ଼ିଲି ।

 

ପିଆରୀ ନିକଟରେ ଯେଉଁ ସତ୍ୟ କରିଥିଲି ତାହା ଯେ ରଖିପାରିଛି ଏହି ଖବର ଜଣାଇ ଘରକୁ ଫେରି ତା’ ପାଖକୁ ଚିଠି ଦେଲି । ଅବିଲମ୍ବରେ ଉତ୍ତର ମଧ୍ୟ ଆସିଲା । ମୁଁ ଗୋଟାଏ ବିଷୟ ବରାବର ଲକ୍ଷ୍ୟ କରିଥିଲି ଯେ ପିଆରୀ ମୋତେ ସେ ରହୁଥିବା ତା’ର ପାଟନା ଘରକୁ କୌଣସି ଦିନ ଯିବାପାଇଁ ବାଧ୍ୟ କରିନାହିଁ, ଏପରିକି ଭଦ୍ରତା ଖାତିରରେ ତୁଣ୍ଡରେ ସୁଦ୍ଧା ନିମନ୍ତ୍ରଣ କରି ନାହିଁ । ଏଇ ପତ୍ରରେ ମଧ୍ୟ ଲେଶ ମାତ୍ର ଇଙ୍ଗିତ ନଥିଲା–କେବଳ ତଳ ଆଡ଼କୁ ଗୋଟାଏ ନିବେଦନ ଥିଲା–ଯାହାକୁ ମୁଁ ଆଜି ସୁଦ୍ଧା ଭୁଲିପାରି ନାହିଁ । ତାହାହେଉଛି–ସୁଖରେ ହେଉ କିମ୍ବା ଦୁଃଖରେ ହେଉ ମୋତେ ଯେପରି ଭୁଲି ନ ଯାଅ । ଏତିକି ମୋର ପ୍ରାର୍ଥନା ।

 

ଦିନ ଗଡ଼ିଯିବାକୁ ଲାଗିଲା । ପିଆରୀର ସ୍ମୃତି ଝାପ୍‌ସା ହୋଇ ପ୍ରାୟ ବିଲୀନ ହେବାକୁ ଲାଗିଲା । ଏଇ ଗୋଟାଏ ବିସ୍ମୟକର ବ୍ୟାପାର ମୋ ଆଖିରେ ବରାବର ପଡ଼ିବାକୁ ଲାଗିଲା ଯେ, ଏଥର ଶିକାରରୁ ଫେରିଲା ପରେ ପରେ ମୋ ମନ କିପରି ବିଚଳିତ ହୋଇଉଠିଛି । କିପରି ଗୋଟାଏ ଅଭାକର ବେଦନାବୋଧ ଲୁକ୍‌କାୟିତ ସର୍ଦ୍ଦି ଭଳି ଦେହର ରନ୍ଧ୍ରେ ରନ୍ଧ୍ରେ ପରିବ୍ୟାପ୍ତ ହୋଇଯାଉଛି । ବିଛଣାରେ ଶୋଇବାକୁ ଗଲେ ସେ ବ୍ୟଥା ବିଶେଷ ଜଣାପଡ଼େ ।

 

ଏଇଟା ମୋର ମନେପଡ଼େ । ସେଦିନ ହୋଲିର ରାତି । ମୁଣ୍ଡରୁ ସେ ପର୍ଯ୍ୟନ୍ତ ସୁଦ୍ଧା ସାବୁନ ଦେଇ ଅବିର ଗୁଣ୍ଡଗୁଡ଼ାକ ସଫାକରି ଧୋଇ ପାରିନଥାଏ । କ୍ଳାନ୍ତ ଦେହ, ଅବସ ମନରେ ବିଛଣା ଉପରେ ପଡ଼ିରହିଥିଲି । ପାଖ ଝରକାଟା ଖୋଲାଥିଲା ।

 

ଝରକା ଆଗରେ ଥିବା ଅଶ୍ୱତ୍‌ଥ ଗଛ ଫାଙ୍କ ଭିତରେ ଜ୍ୟୋସ୍ନାୟିତ ଆକାଶକୁ ଚାହିଁ ରହିଥିଲି । କେବଳ ଏତିକି ମନେପଡ଼େ । କିନ୍ତୁ କାହିଁକି ଯେ ଦୁଆର ଖୋଲି ସିଧା ଷ୍ଟେସନ ଚାଲିଗଲି ଏବଂ ପାଟନାକୁ ଟିକଟ କାଟି ଟ୍ରେନରେ ବସିପଡ଼ିଲି ଏ କଥା କିନ୍ତୁ ମୋର ମନେପଡ଼େ ନାହିଁ । ରାତିଟା ପାହିଲା । କିନ୍ତୁ ସକାଳେ ଯେତେବେଳେ ଜାଣିବାକୁ ପାଇଲି ଯେ ସେଇଟା ହେଉଛି ‘‘ବାଡ଼’’ ଷ୍ଟେସନ ଏବଂ ପାଟନାରେ ପହଞ୍ଚିବାକୁ ଆଉ ବେଶୀ ବିଳମ୍ବ ହେବ ନାହିଁ ସେତେବେଳେ ହଠାତ୍‌ ସେହିଠାରେ ଓହ୍ଲାଇପଡ଼ିଲି । ପକେଟରେ ହାତ ମାରି ଜାଣିପାରିଲି ଯେ ଉଦ୍‌ବିଗ୍ନ ହେବାର କିଛି କାରଣ ନାହିଁ । ଦୁଇଅଣା ଏବଂ ଗୋଟିକିଆ ପଇସା ଦଶଟା ପକେଟରେ ଅଛି । ଖୁସି ହୋଇ ଦୋକାନ ଖୋଜିବା ପାଇଁ ଷ୍ଟେସନରୁ ବାହାରିପଡ଼ିଲି । ଦୋକାନ ମିଳିଲା । ଚୁଡ଼ା, ଦହି ଏବଂ ଚିନି ମିଶାଇ ଅତି ଉତ୍‌କୃଷ୍ଟ ଭୋଜନ କରିବାରେ ତହିଁରୁ ଅଧା ଖର୍ଚ୍ଚ ହୋଇଗଲା । ସେତକ ଯାଉ । ଦୁଃଖ ନାହିଁ । କାରଣ ଜୀବନରେ ଏପରି ବହୁତ ଯାଏ । ସେଥିପାଇଁ ଦୁଃଖିତ ହେବାଟା କାପୁରୁଷତା-

 

ଗାଆଁ ଆଡ଼େ ଟିକିଏ ବୁଲିଯିବା ପାଇଁ ବାହାରିଲି । ଘଣ୍ଟାଏ ଖଣ୍ଡେ ବୁଲାବୁଲି କରିବା ପରେ ଜାଣିବାକୁ ପାଇଲି ଯେ ଏ ସ୍ଥାନର ଦହି, ଚୁଡ଼ା, ଯେପରି ଉତ୍କୃଷ୍ଟ ସେହିପରି ପାନୀୟ ଜଳ ଅତି ନିକୃଷ୍ଟ । ମୋର ଏତେ ଭୁରି ଭୋଜନକୁ ଏଇ ଅଳ୍ପ ସମୟ ଭିତରେ ଏପରି ପରିପାକ କରିଦେଲା ଯେ ମୋତେ ଜଣାଗଲା ଯେପରି ଆଜକୁ ଦଶ, କୋଡ଼ିଏ ଦିନ ହେବ ଗୋଟିଏ ଖୁଦକଣା ମୋ ପାଟିରେ ପଡ଼ି ନାହିଁ । ଏପରି କଦର୍ଯ୍ୟ ସ୍ଥାନରେ ଗୋଟିଏ ମୁହୂର୍ତ୍ତ ବାସ କରିବା ଆଦୌ ଉଚିତ ନୁହେଁ ଠିକ୍‌ ମୁଁ ଯେତେବେଳେ ସ୍ଥାନ ତ୍ୟାଗ ପାଇଁ ଚିନ୍ତା କରୁଛି, ଦେଖିଲି ଅଳ୍ପ ଦୂରରେ ଆମ୍ବ ବଗିଚା ଭିତରୁ ଧୂଆଁ ଉଠୁଛି ।

 

ମୋତେ ନ୍ୟାୟ ଶାସ୍ତ୍ର ଜଣାଥିଲା । ଧୂଆଁ ଦେଖି ଅଗ୍ନିର ସ୍ଥିତି ଅନୁମାନ କରିପାରିଲି । ସୁତରାଂ ସିଧା ସେହିଆଡ଼କୁ ଯିବାକୁ ଲାଗିଲି । ଆଗରୁ କହିରଖିଚି ଏଠିକାର ପାଣି ନିହାତି ଖରାପ-

 

ବାଃ–ଏୟା ତ ଦରକାର ! ଏ ଯେ ଖାଣ୍ଟି ସନ୍ନ୍ୟାସୀଙ୍କର ଆଶ୍ରମ । ମସ୍ତ ଧୂନି ଉପରେ ଗୋଟାଏ ବଡ଼ ଢାଳରେ ଚାହା ପାଇଁ ପାଣି ବସା ହୋଇଛି । ‘‘ବାବା’’ ଅର୍ଦ୍ଧ ମୁଦ୍ରିତ ଚକ୍ଷୁରେ ବସିଥାନ୍ତି । ତାଙ୍କ ଆଖପାଖରେ ଗଞ୍ଜେଇର ଉପକରଣ । ଜଣେ ବାଳକ ସନ୍ନ୍ୟାସୀ ଛେଳିଟିଏ ଦୁହିଁବାରେ ବ୍ୟସ୍ତ । ବୋଧହୁଏ ଚାହା କରିବା ପାଇଁ ଆବଶ୍ୟକ ହେବ । ଗୋଟାଏ ଓଟ, ଯୋଡ଼ାଏ ତଟୁ ଘୋଡ଼ା, ଏବଂ ଦୁଇଟା ଦୁହାଁଳିଆ ଗାଈ ଗଛଡାଳରେ ପାଖାପାଖି ହୋଇ ବନ୍ଧା ହୋଇଥାନ୍ତି । ପାଖରେ ଗୋଟିଏ ଛୋଟ ତମ୍ବୁ । ଉଙ୍କିମାରି ଦେଖିଲି ଯେ ଭିତରେ ମୋ ବୟସର ଗୋଟିଏ ଚେଲା ଦୁଇପାଦରେ ପଥର ବେଲାକୁ ଚାପିଧରି ଗୋଟାଏ ବଡ଼ ନିମ୍ବକାଠ ଧରି ଭାଙ୍ଗ ତିଆରି କରିବାରେ ବ୍ୟସ୍ତ । ଏସବୁ ଦେଖିକରି ମୋ ମନ ଭକ୍ତିରେ ଆପ୍ଲୁତ ହୋଇଉଠିଲା । ମୁଁ ସଙ୍ଗେ ସଙ୍ଗେ ସାଧୁ ବାବାଙ୍କ ପାଦତଳେ ଲୋଟିପଡ଼ିଲି । ପାଦଧୂଳି ମସ୍ତକରେ ଧାରଣ କଲା ପରେ ଦୁଇହାତ ଯୋଡ଼ି ମନେମନେ କହିବାକୁ ଲାଗିଲି, ଗଭବାନ ତୁମର କି ଅସୀମ କରୁଣା ! କିପରି ସ୍ଥାନରେ ଆଣି ମୋତେ ପହଞ୍ଚାଇ ନଦେଲ ! ଚୁଲିକୁ ଯାଉ ସେ ପିଆରୀ । ଏ ମୁକ୍ତି ମାର୍ଗରେ ସିଂହଦ୍ୱାର ଛାଡ଼ି ତିଳାର୍ଦ୍ଧ ଯଦି ଅନ୍ୟତ୍ର ଯାଏ, ତେବେ ମୋତେ ଯେପରି ଅନନ୍ତ ନରକରେ ସୁଦ୍ଧା ସ୍ଥାନ ନମିଳେ ।

 

ସାଧୁଜୀ କହିଲେ–କିଏରେ ବେଟା ?

 

ମୁଁ ଅତି ବିନୟ ସହିତ କହିଲି–ମୁଁ ଗୃହତ୍ୟାଗୀ । ମୁକ୍ତି ପଥାନ୍ୱେଷୀ ହତଭାଗ୍ୟ ଶିଶୁ । ମୋତେ ଦୟାକରି ଆପଣଙ୍କ ଚରଣ ସେବା କରିବାର ସୌଭାଗ୍ୟ ଦିଅନ୍ତୁ ।

 

ସାଧୁଜୀ ଅଳ୍ପ ହସି, ମୁଣ୍ଡ ହଲାଇ, ହିନ୍ଦୀ ଭାଷାରେ ସଂକ୍ଷେପରେ କହିଲେ–ବେଟା । ଘରକୁ ଫେରିଯାଅ, ଏ ପଥ ବଡ଼ ଦୁର୍ଗମ ।

 

ମୁଁ କରୁଣ କଣ୍ଠରେ ତତ୍‌କ୍ଷଣାତ୍‌ ପ୍ରତ୍ୟୁତ୍ତର ଦେଇ କହିଲି–ବାବା, ମହାଭାରତରେ, ଲେଖାଅଛି, ମହାପାପୀଷ୍ଠ ଜଗାଇ–ମାଧାଇ ବଶିଷ୍ଠ ମୁନିଙ୍କର ପାଦ ଧରି ସ୍ୱର୍ଗକୁ ଯାଇଥିଲେ । ଆଉ ଆପଣଙ୍କର ପାଦଧରି ମୁଁ କ’ଣ ମୁକ୍ତି ପାଇପାରିବି ନାହିଁ ? ନିଶ୍ଚୟ ପାଇପାରିବି ।

 

ସାଧୁଜୀ ଖୁସିହୋଇ କହିଲେ–ତେରା ବାତ୍‌ ସଚ୍‌ ହାୟ । ଆଚ୍ଛା ବେଟା ରାମଜୀ କା ଯୋ ଖୁସି । ଯିଏ ଦୁଧ ଦୁହୁଁଥିଲା ସେ ଆସି ଚାହା ତିଆରି କରି ବାବାଙ୍କୁ ଦେଲେ । ତାଙ୍କ ସେବା ପରେ ଆମ୍ଭେମାନେ ପ୍ରସାଦ ପାଇଲୁ ।

 

ସନ୍ଧ୍ୟା ପାଇଁ ଭାଙ୍ଗ ତିଆରି ହୋଇଥିଲା । ସୁତରାଂ ଅନ୍ୟପ୍ରକାର ମଉଜ ପାଇଁ ‘ବାବା’ ତାଙ୍କର ଦ୍ୱିତୀୟ ଚେଲାକୁ ଗଞ୍ଚେଇ କଲିଟାକୁ ଇଙ୍ଗିତ ଦ୍ୱାରା ଦେଖାଇଦେଲେ ଏବଂ ପ୍ରସ୍ତୁତ କରିବାକୁ ବିଳମ୍ବ ନକରିବା ପାଇଁ ଉପଦେଶ ଦେଲେ ।

 

ପ୍ରାୟ ଅଧଘଣ୍ଟାଏ କଟିଗଲା । ସର୍ବଦର୍ଶୀ ‘‘ବାବା’’ ମୋ ପ୍ରତି ପରମ ତୁଷ୍ଟ ହୋଇ କହିଲେ–ହାଁ ବେଟା, ତୋର ଅନେକ ଗୁଣ । ତୁ ମୋର ଚେଲା ହେବାପାଇଁ ଉପଯୁକ୍ତ ।

 

ମୁଁ ପରମ ଆନନ୍ଦରେ ଆଉଥରେ ବାବାଙ୍କ ପଦଧୂଳି ନେଇ ମୁଣ୍ଡରେ ମାରିଲି ।

 

ପରଦିନ ପ୍ରାତଃସ୍ନାନ କରି ଆସିଲି । ଦେଖିଲି ଗୁରୁଜୀଙ୍କ ଆଶୀର୍ବାଦରୁ ଅଭାବ କିଛିହେଲେ ନାହିଁ । ଯିଏ ପ୍ରଧାନ ଚେଲା, ସେ ଏକସେଟ୍‌ ନୂଆ ଗେରୁଆ ବସ୍ତ୍ର, ଦଶ ବାରଟା ରୁଦ୍ରାକ୍ଷ ଗୁନ୍ଥା ହୋଇଥିବା ଗୋଟିଏ ମାଳି, ଏବଂ ଏକ ଯୋଡ଼ା ପିତଳର ତାଗା ବାହାର କରିଦେଲେ-। ଯେଉଁଠାରେ ଯେଉଁଟାକୁ ପିନ୍ଧିଲେ ମାନିବ ମୋତେ ସେହିପରି ସାଜସଜ୍ଜା କରି, ଥୋଡ଼ାଏ ଧୂନି ପାଉଁଶ ମୋ ମୁହଁରେ ବୋଳିଦେଲେ । ଆଖି ବୁଜି ବୁଜି କହିଲି, ବାବାଜୀ, ଆଇନା ଫାଇନା କ’ଣ ଏଠାରେ କିଛି ଅଛିକି ? ମୁହଁଟାକୁ ଥରକପାଇଁ ଦେଖିନେବାକୁ ପ୍ରବଳ ଇଚ୍ଛାହେଉଛି-। ଦେଖିଲି ତାଙ୍କର ମଧ୍ୟ ରସବୋଧ ଅଛି । ତଥାପି ସାମାନ୍ୟ ଗମ୍ଭୀର ହୋଇ ତାତ୍ସଲ୍ୟ ଭରା ସ୍ୱରରେ କହିଲେ–ହାୟ ଏକଠୋ ।

 

: ଟିକିଏ ଲୁଚାଇ କରି ଆଣନ୍ତ ନାହିଁ ?

 

ଦୁଇ ତିନି ମିନିଟ୍ ପରେ ଆଇନାକୁ ନେଇ ଗୋଟାଏ ଗଛର ଆଢ଼ୁଆଳକୁ ଗଲି । ପଶ୍ଚିମା ଭଣ୍ଡାରୀମାନେ ଯେଉଁପରି ଗୋଟିଏ ଦର୍ପଣ ଧରି ଖିଅର ବାଆର କରନ୍ତି, ସେହିଭଳି ଗୋଟିଏ ଛୋଟ ଟିଣ ମୋଡ଼ା ଆଇନା । ଯାହାହେଉ ସେଥିରେ ମୁହଁ ଦେଖିପାରିଲି । ଆଇନା ଯତ୍ନ ସହକାରେ ପରିଷ୍କାର ଓ ପରିଚ୍ଛନ୍ନ ହୋଇ ରହିଥିବାର ଦେଖିଲି । ମୋ ଚେହେରାକୁ ଆଇନାରେ ଦେଖିବା କ୍ଷଣି ଆଉ ନ ହସି ରହିପାରିଲି ନାହିଁ । କିଏ କହିବ ମୁଁ ସେଇ ଶ୍ରୀକାନ୍ତ ଯିଏ କି କିଛି ସମୟ ପୂର୍ବେ ରାଜା ମହାରାଜାଙ୍କ ମଜଲିସ୍‌ରେ ବସି ବାଇଜୀଠାରୁ ଗୀତ ଶୁଣୁଥିଲା ! ଛାଡ଼ ସେ କଥା ।

 

ଘଣ୍ଟାକ ପରେ ଗୁରୁ ମହାରାଜଙ୍କ ପାଖରେ ଦୀକ୍ଷା ନେବାପାଇଁ ପହଞ୍ଚିଲି । ମହାରାଜା ମୋ ଚେହେରା ଦେଖି ଅତ୍ୟନ୍ତ ଖୁସିହୋଇ କହିଲେ, ବେଟା, ବହିନା ଏକଅଧ ଠହରୋ ।

 

ମନେମନେ ବହୁତ ଭଲ କହି, ତାଙ୍କର ପାଦଧୂଳି ଗ୍ରହଣ କରି ହାତ ଯୋଡ଼ି ଭକ୍ତିଭାବରେ ତାଙ୍କ ପାଖରେ ବସିପଡ଼ିଲି ।

 

ଆଜି କଥା କଥାକେ ସେ କେବଳ ଆଧ୍ୟାତ୍ମକତା ବିଷୟରେ ଅନେକ ଉପଦେଶ ଦେଲେ-। ଏହା ଗଭୀର ବୈରାଗ୍ୟ, ଏବଂ କଠୋର ସାଧନାର ବିଷୟ । ଆଜିକାଲି ଭଣ୍ଡ ପାଷାଣ୍ଡମାନେ କିପରି ଏହାକୁ କଳଙ୍କିତ କରିପକାଇଛନ୍ତି, ସେ ସବୁର ବିଶେଷ ବିବରଣୀ ଏବଂ ଭଗବତ୍‌ ପାଦପଦ୍ମର ମନ ସ୍ଥିର କରି ରହିବାକୁ ହେଲେ କ’ଣ କ’ଣ ଆବଶ୍ୟକ ସେ ସବୁ କହିବାକୁ ଲାଗିଲେ-। ଏହା ବ୍ୟତୀତ ବୃକ୍ଷଜାତୀୟ ଶୁଷ୍କ ବସ୍ତ୍ରଶେଷର ଧୂମ ଘନ ଘନ ମୁଖ ବିବର ଦ୍ୱାରା ଶୋଷଣ କରି ନାସାରନ୍ଧ୍ର ପଥରେ ଧୀରେ ଧୀରେ ନିର୍ଗତ କରିପାରିଲେ କିଭଳି ଉପକାର ମିଳେ, ତାହା ବୁଝାଇଦେଲେ ଏବଂ ଏ ସମ୍ପର୍କରେ ମୋ ନିଜର ଅବସ୍ଥା ଯେ ନିହାତି ଆଶାଜନକ ତାହା ମୋତେ ଇଙ୍ଗିତଦ୍ୱାରା ବୁଝାଇଦେଇ ଉତ୍ସାହିତ କରିବାକୁ ଲାଗିଲେ । ଏହିଭଳି ଭାବରେ ସେଦିନ ମୋକ୍ଷ ପଥର ଅନେକ ନିଗୂଢ଼ ତାତ୍ପର୍ଯ୍ୟ ଅବଗତ ହୋଇ ଗୁରୁମହାରାଜଙ୍କର ତୃତୀୟ ଚେଲାଭାବରେ ବାହାଲ ହୋଇଗଲି ।

 

ଗଭୀର ବିରାଗ ଏବଂ କଠୋର ସାଧନା ପାଇଁ ମହାରାଜଙ୍କ ଆଦେଶରେ ମୋ ସେବା ବ୍ୟବସ୍ଥା ସାମାନ୍ୟ କଠୋର ରକମର ଥିଲା । ତାହା ପରିମାଣ ଦୃଷ୍ଟିରୁ ଯେପରି, ସ୍ୱାଦ ଦୃଷ୍ଟିରୁ ମଧ୍ୟ ସେହିପରି । ଚା, ରୁଟି, ଘିଅ, ଦହି, ଦୁଧ, ଚୁଡ଼ା, ଚିନି ଇତ୍ୟାଦି କଠୋର ସାତ୍ତ୍ୱିକ ଭୋଜନ ଯୋଗାଇବାରେ ଏବଂ ସେସବୁ ଜୀର୍ଣ୍ଣ କରିବାର ମାର୍ଗ ଦେଖାଇବାରେ ସେ ତ୍ରୁଟି ରଖିନଥିଲେ । ଫଳରେ ମୋ ଶୁଖିଲା ଗଛରେ ଫୁଲ ଧରିବାକୁ ଲାଗିଲା । କେବଳ ଯେ ଫୁଲ ଫୁଟିଲା ତାହା ନୁହେଁ କଷି ମଧ୍ୟ ଦେଖାଦେଲା ।

 

ଗୋଟିଏ କାମଥିଲା–ଭିକ୍ଷା କରିବାକୁ ଯିବା । ସନ୍ନ୍ୟାସୀ ପକ୍ଷରେ ଏହା ସର୍ବପ୍ରଧାନ କାର୍ଯ୍ୟ ନହେଲେ ସୁଦ୍ଧା ଗୋଟିଏ ପ୍ରଧାନ କାର୍ଯ୍ୟ କହିଲେ ଚଳେ । କାରଣ ସାତ୍ତ୍ୱିକ ଭୋଜନ ସହିତ ଏହାର ଘନିଷ୍ଠ ସମ୍ପର୍କ ଥିଲା । କିନ୍ତୁ ମହାରାଜ ନିଜେ ଏହା କରନ୍ତି ନାହିଁ । ଆମେ ଯେଉଁମାନେ ତାଙ୍କର ସେବକ ସେମାନେ ପାଳି କରି ଏହା କରିଥାଉ । ସନ୍ନ୍ୟାସୀମାନଙ୍କର ଆଫରାପର କର୍ତ୍ତବ୍ୟ ବିଷୟରେ ମୁଁ ତାଙ୍କର ଅନ୍ୟ ଦୁଇ ଶିଷ୍ୟଙ୍କୁ ଟପିଗଲି । କେବଳ ଏଇ ବିଦ୍ୟାଟାରେ ଆଗେଇ ପାରିଲି ନାହିଁ ଭିକ୍ଷାବୃତ୍ତିକୁ କୌଣସିଦିନ ନିଜପାଇଁ ଋଚିକର ଏବଂ ସହଜ ବୋଲି ମନେ କରି ପାରୁନଥିଲେ ମଧ୍ୟ ଏତିକିମାତ୍ର ସୁବିଧା ଥିଲା ଯେ, ସେଇଟା ହିନ୍ଦୁସ୍ଥାନୀମାନଙ୍କର ଦେଶ । ମୁଁ ଭଲମନ୍ଦ କଥା କହୁନାହିଁ । ମୁଁ କହୁଛି ବଙ୍ଗଳାଦେଶ ଭଳି ସେଠିକାର ଝିଅମାନେ ହାତଯୋଡ଼ି ଆର ଘରକୁ ଯାଆନ୍ତୁ କହି ଉପଦେଶ ଦିଅନ୍ତି ନାହିଁ କିମ୍ବା ପୁରୁଷମାନେ ଚାକିରି ନକରି ଭିକ୍ଷାବୃତ୍ତି କାହିଁକି କରୁଛ ବୋଲି ପ୍ରଶ୍ନ କରନ୍ତି ନାହିଁ । ଧନୀ ଦରିଦ୍ର ନିର୍ବିଶେଷରେ ସେଠାରେ ପ୍ରତ୍ୟେକ ଗୃହସ୍ଥ ଭିକ୍ଷା ଦିଅନ୍ତି । କେହି ଫେରାଇ ଦିଅନ୍ତି ନାହିଁ । ଏହିପରି ଭାବରେ ଦିନ ପରେ ଦିନ ଚାଲିଲା । ପନ୍ଦରଟା ଦିନ ସେଇ ଆମ୍ବ ବଗିଚା ଭିତରେ କଟିଗଲା । ଦିନବେଳା କୌଣସି ଚିନ୍ତା ନାହିଁ, କେବଳ ରାତି ବେଳାରେ ମଶାଙ୍କ ଉପଦ୍ରବ ଫଳରେ ମନେମନେ ଭାବେ–ଥାଉ ଏ ମୋକ୍ଷ ସାଧନା, ଏତିକିରେ ଥାଉ । ଦେହର ଚମଡ଼ା ଆଉ ଟିକିଏ ମୋଟା ନ କରିପାରିଲେ ଏ ମଶାଙ୍କ ଦୌରାତ୍ମ୍ୟରୁ ମୁକ୍ତି ମିଳିପାରିବ ନାହିଁ । ଅନ୍ୟାନ୍ୟ ବିଷୟରେ ବଙ୍ଗାଳୀ ଯେତେ ଶ୍ରେଷ୍ଠ ହେଉନା କାହିଁକି, କିନ୍ତୁ ଏ ବିଷୟରେ ବଙ୍ଗାଳୀ ଅପେକ୍ଷା ହିନ୍ଦୁସ୍ଥାନୀଙ୍କର ଚମଡ଼ା ଯେ ସନ୍ନ୍ୟାସୀ ପାଇଁ ଢେର ବେଶୀ ଅନୁକୂଳ ତାହା ମାନିବାକୁ ହିଁ ପଡ଼ିବ । ସେଦିନ ପ୍ରାତଃ ସ୍ନାନ ସାରି, ସାତ୍ତ୍ୱିକ ଭୋଜନ ସଂଗ୍ରହ ପାଇଁ ବାହାରକୁ ବାହାରିଛି ଠିକ୍‌ ସମୟରେ ଗୁରୁମହାରାଜ ଡାକି କରି କହିଲେ–

 

‘‘ଭରଦ୍ୱାଜ ମୁନି ବସିହି ପ୍ରୟାଗା

ଯିବିହି ରାମପଦ ଅତି ଅନୁରାଗା’’

 

ଅର୍ଥାତ୍‌ ଷ୍ଟ୍ରାଇକ୍‌ ଦି ଟେଣ୍ଟ–ପ୍ରୟାଗ ଯାତ୍ରା କରିବାକୁ ପଡ଼ିବ । କିନ୍ତୁ ଏ କାର୍ଯ୍ୟ ତ ସହଜ ନୁହେଁ । ସନ୍ନ୍ୟାସୀର ଯାତ୍ରା କିନା ? ଗୋଡ଼ଛନ୍ଦା ହେଉଥିବା ଘୋଡ଼ାଙ୍କୁ ଖୋଜିଆଣି ତାଙ୍କ ଉପରେ ଜିନିଷ ଲଦିବା; ଓଟ ଉପରେ ମହାରାଜଙ୍କ ଜିନ କଷିବା, ଗୋରୁ ଛେଳିଙ୍କୁ ଏକାଠି ଏବଂ ପୁଟୁଳାପୁଟୁଳି ବନ୍ଧାବନ୍ଧି କରିବାରେ ଗୋଟାଏ ଓଳି ଚାଲିଗଲା । ତାପରେ ଯାଇ ସନ୍ଧ୍ୟା ପୂର୍ବରୁ ଦୁଇକୋଶ ଦୂରରେ ବିଠୋରା ଗ୍ରାମ ନିକଟରେ ଗୋଟିଏ ବରଗଛ ତଳେ ଆସ୍ଥାନ ଜମିଲା । ସ୍ଥାନଟି ମନୋରମ । ଗୁରୁମହାରାଜଙ୍କର ପସନ୍ଦ ହେଲା । ତା’ତ ହେଲା, କିନ୍ତୁ ସେହି ଭରଦ୍ୱାଜ ମୁନିଙ୍କ ଅସ୍ଥାନ ସ୍ଥଳୀରେ ପହଞ୍ଚିବା ପାଇଁ ଆମକୁ ଯେ କେତେ ମାସ ଲାଗିବ ସେ କଥା କିନ୍ତୁ ଅନୁମାନ କରିପାରିଲି ନାହିଁ ।

 

ଏହି ବିଠୋରା ଗ୍ରାମର ନାମଟା କାହିଁକି ମୋର ମନେଅଛି ତାହା ବର୍ତ୍ତମାନ କହିବି । ସେଦିନଟା ପୂର୍ଣ୍ଣିମା ତିଥି । ଅତଏବ ଗୁରୁଦେବଙ୍କ ଆଦେଶ ଅନୁସାରେ ଆମେ ତିନିଜଣ ଭିକ୍ଷା କରିବାକୁ ପଡ଼ିନଥାନ୍ତା । କିନ୍ତୁ ଆଜି ମୋର ସେ ଚିନ୍ତା ନଥିଲା ବୋଲି ଅନେକବାଟ ନିରର୍ଥକ ବୁଲିବାରେ ଲାଗିଥିଲି । ହଠାତ୍‌ ଗୋଟିଏ ଘରର ଖୋଲା ଦରଜା ଭିତରେ ଜଣେ ବଙ୍ଗାଳୀ ଝିଅର ଚେହେରା ଆଖିରେ ପଡ଼ିଲା । ତା’ ପିନ୍ଧା ଶାଢ଼ିଟା ଯଦିଓ ତନ୍ତବୁଣା ଥିଲା କିନ୍ତୁ ପିନ୍ଧିବାର ଭଙ୍ଗୀଟା ମୋର କୌତୂହଳ ଉଦ୍ରେକ କରିଥିଲା । ଭାବିଲି, ପାଞ୍ଚ ଛଅଦିନ ହେବ ଏଇ ଗ୍ରାମରେ ଅଛି, ପ୍ରାୟ ପ୍ରତ୍ୟେକଙ୍କ ଘରକୁ ଯାଉଛି କିନ୍ତୁ ବଙ୍ଗାଳୀ ଝିଅ ତ ଦୂରର କଥା, ଗୋଟାଏ ପୁରୁଷର ଚେହେରା ସୁଦ୍ଧା ଆଖିରେ ପଡ଼ିନାହିଁ । ସାଧୁ–ସନ୍ନ୍ୟାସୀମାନଙ୍କ ପାଇଁ ଅବାରିତ ଦ୍ୱାର । ଭିତରକୁ ପ୍ରବେଶ କରିବା ମାତ୍ରେ ଝିଅଟି ମୋ ମୁହଁକୁ ଚାହିଁ ରହିଲା । ତା’ ମୁହଁଟା ଆଜି ମଧ୍ୟ ମୁଁ ମନେରଖିପାରିଛି । ତା’ର କାରଣ ଏହି ଯେ ଦଶ ଏଗାର ବର୍ଷର ଝିଅ ଆଖିରେ ଏପରି କରୁଣ, ଏପରି ମଳିନ ଉଦାସ ଚାହାଣି, କାହାର ଥିବାର କେବେ ଦେଖିଥିବା ଭଳି ମନେହେଉନାହିଁ । ତା’ ମୁହଁରେ, ତା’ ଓଠରେ, ତା’ ଆଖିରେ, ତା’ ସର୍ବାଙ୍ଗରେ ଦୁଃଖ ଏବଂ ହତାଶା ଯେପରି ଫୁଟିଉଠୁଥିଲା । ମୁଁ ବଙ୍ଗଳା ଭାଷାରେ କହିଲି–ଗଣ୍ଡେ ଭିକ୍ଷା ଆଣ ତ ମାଆ । ପ୍ରଥମେ ସେ କିଛି କହିଲା ନାହିଁ । ତାପରେ ତା’ ଓଠ ଦୁଇଟି ଦୁଇଥର କମ୍ପିଉଠିଲା, ତାପରେ ସେ ଝରଝର ହୋଇ କାନ୍ଦି ପକାଇଲା ।

 

ମୁଁ ମନେମନେ ସାମାନ୍ୟ ଲଜ୍ଜିତ ହୋଇପଡ଼ିଲି । କାରଣ ଆଗରେ କେହି ନଥିଲେ ମଧ୍ୟ ପାଖ ଘରୁ ବିହାରୀ ଝିଅମାନଙ୍କର କଥାବାର୍ତ୍ତା ଶୁଣାଯାଉଥିଲା । ତାଙ୍କ ଭିତରୁ ଯଦି କେହି ବାହାରିପଡ଼ି, ଏ ଅବସ୍ଥାରେ ଦୁହିଁଙ୍କୁ ଦେଖିବ କ’ଣ ଭାବିବ, କ’ଣ କହିବ, ତାହା ଭାବି ନପାରି ଠିଆହେବି କି ଚାଲିଯିବି ସ୍ଥିର କରିବା ପୂର୍ବରୁ ଝିଅଟି କାନ୍ଦି କାନ୍ଦି ଏକ ନିଶ୍ୱାସରେ ସହସ୍ର ପ୍ରଶ୍ନ ପଚାରି କହିଉଠିଲା, ତୁମେ କେଉଁଠାରୁ ଆସିଛ ? ତୁମେ କେଉଁଠାରେ ଥାଅ ? ତୁମ ଘର କ’ଣ ବର୍ଦ୍ଧମାନ ଜିଲ୍ଲାରେ ? କେବେ ସେଠାକୁ ଯିବ ? ତମେ ରାଜପୁର ଗାଆଁ ଚିହ୍ନିଛ କି ? ସେଠିକାର ଗୌରୀ ତିୱାରୀକୁ ଜାଣ କି ?

 

ମୁଁ କହିଲି–ତୁମ ଘର କ’ଣ ବର୍ଦ୍ଧମାନର ରାଜପୁରରେ ?

 

ଝିଅଟି ହାତରେ ଆଖି ପୋଛି ନେଇ କହିଲା- ହଁ ମୋ ବାପାଙ୍କ ନାମ ଗୌରୀ ତିଓ୍ୱାରୀ-। ମୋ ଭାଇଙ୍କ ନାମ ରାମଲାଲ ତିଓ୍ୱାରୀ । ତୁମେ କ’ଣ ତାଙ୍କୁ ଚିହ୍ନ କି ? ମୁଁ ତିନିମାସ ହେବ ଶାଶୁ ଘରକୁ ଆସିଲିଣି କିନ୍ତୁ ଚିଠି ଖଣ୍ଡିଏ ପାଇ ନାହିଁ । ବାବା, ମାଆ, ଭାଇ, ଗିରିବାଳା, କିପରି ଅଛନ୍ତି ଜାଣି ନାହିଁ । ଏଇ ଯେ ଅଶ୍ୱତ୍‌ଥ ଗଛ, ତା’ ତଳେ ମୋ ନାନୀର ଶାଶୁଘର । ଏଇ ସୋମବାର ଦିନ ନାନୀ ଗଳାରେ ଦଉଡ଼ି ଦେଇ ମରିଛି । ଏମାନେ କହନ୍ତି କ’ଣ ନା ସେ କଲେରାରେ ମରିଛି-

 

ମୁଁ ଆଶ୍ଚର୍ଯ୍ୟରେ ସ୍ତବ୍‌ଧ ହୋଇଗଲି । ଘଟଣା କ’ଣ ? ଏମାନେ ତ ଦେଖୁଛି ପୂରା ହିନ୍ଦୁସ୍ଥାନୀ କିନ୍ତୁ ଝିଅଟି ଯେ ଏକବାରେ ଖାଣ୍ଟି ବଙ୍ଗାଳୀ । ଏତେ ଦୂରରେ ଏମାନଙ୍କ ଘରେ ଅବା ତା’ ବିଭାଘର ହେଲା କିପରି ? ଆଉ ତା’ ସ୍ୱାମୀ ଶଶୁର, ଶାଶୁ ଅବା ଏଠାକୁ କିପରି ଭାବରେ ଆସିପାରିଲେ ?

 

ମୁଁ ପଚାରିଲି–ତୁମ ନାନୀ ଗଳାରେ ଦଉଡ଼ି ଦେଇ ମଲେ କାହିଁକି ?

 

ସେ କହିଲା–ନାନୀ ରାଜପୁରକୁ ଯିବାପାଇଁ ଦିନରାତି କାନ୍ଦେ, ଖାଏ ନାହିଁ, ଶୁଏ ନାହିଁ । କାଲି ତା’ ବାଳକୁ ସାରାଦିନ ବାନ୍ଧି କରି ଓରାରେ ଟାଙ୍ଗି ଦିଆଯାଇଥିଲା । ସେଥିପାଇଁ ନାନୀ ଗଳାରେ ଦଉଡ଼ି ଦେଇଦେଲା ।

 

: ତୁମ ଶଶୁର ଓ ଶାଶୁ କ’ଣ ହିନ୍ଦୁସ୍ଥାନୀ ?

 

ଝିଅଟି ଆହୁରି ଥରେ କାନ୍ଦିପକାଇ କହିଲା–ହଁ । ମୁଁ ସେମାନଙ୍କର କଥା କିଛି ବୁଝିପାରି ନାହିଁ । ସେମାନଙ୍କର ରାନ୍ଧଣା ମୁହଁରେ ଦେଇପାରେ ନାହିଁ । ମୁଁ ଦିନରାତି କାନ୍ଦୁଛି କିନ୍ତୁ ବାପା ମୋ ପାଖକୁ ଚିଠି ଖଣ୍ଡିଏ ଲେଖନ୍ତି ନାହିଁ କିମ୍ବା ନେବାକୁ ସୁଦ୍ଧା ଆସନ୍ତି ନାହିଁ ।

 

: ଆଚ୍ଛା ତୁମ ବାପା ତୁମକୁ ଏତେ ଦୂରରେ ବିବାହ ଦେଲେ କାହିଁକି ?

 

: ଆମେମାନେ ଯେ ତିଓ୍ୱାରୀ, ଆମ ଜାତିର ଲୋକ ସେଆଡ଼େ ମିଳନ୍ତି ନାହିଁ ।

 

: ତୁମକୁ କ’ଣ ଏମାନେ ମାରଧର କରନ୍ତି ?

 

: କରନ୍ତି ନାହିଁ ? ଏଇ ଦେଖନ୍ତୁ ନା କହି ଝିଅଟି ବାହୁରେ, ପିଠିରେ, ଗାଲଉପରେ ଥିବା ଦାଗ ସବୁ ଦେଖାଇ ଦେଉ ଦେଉ ଆହୁରି ଜୋରରେ କାନ୍ଦିଉଠି କହିଲା–ମୁଁ ମଧ୍ୟ ଦିନେ ନାନୀଭଳି ଗଳାରେ ଦଉଡ଼ି ଦେଇ ମରିବି ।

 

ତା’ କାନ୍ଦ ଦେଖି ମୋ ଆଖି ମଧ୍ୟ ସଜଳ ହୋଇଉଠିଲା । ଆଉ ପ୍ରଶ୍ନୋତ୍ତର କିମ୍ବା ଭିକ୍ଷା କିଛି ନକରି ସେଠାରୁ ବାହାରିଯିବାକୁ ଲାଗିଲି । ଝିଅଟି କିନ୍ତୁ ମୋ ପଛେ ପଛେ ଆସି କହିଲା–ବାପାଙ୍କୁ ଦେଖିଲେ କହିବ ସେ ଯେପରି ଆସି ମୋତେ ଶୀଘ୍ର ନେଇଯାଆନ୍ତି । ନହେଲେ ମୁଁ.... । ଆଉ ତା’ ତୁଣ୍ଡର କଥା ଶୁଣିବାକୁ ସମୟ ନ ଦେଇ ମୁଁ ତରତର ହୋଇ ସେଠାରୁ ଅଦୃଶ୍ୟ ହୋଇଗଲି । ଝିଅଟିର ବୁକୁଫଟା ଆବେଦନ ମୋ ଦୁଇ କାନରେ ଅହରହ ବାଜିଉଠୁଥିଲା ।

 

ରାସ୍ତା ମୋଡ଼ ଉପରେ ଗୋଟାଏ ମଦ ଦୋକାନ । ପହଞ୍ଚିବା କ୍ଷଣି ଦୋକାନଦାର ମୋତେ ସମ୍ମାନର ସହିତ ଅଭ୍ୟର୍ଥନା ଜଣାଇଲା । ଖାଦ୍ୟଦ୍ରବ୍ୟ ଭିକ୍ଷା ନକରି ଯେତେବେଳେ ଖଣ୍ଡେ ଚିଠି ଲେଖିବା ପାଇଁ କାଗଜ ଓ କାଳି କଲମ ମାଗିବସିଲି ସେତେବେଳେ ସେ ଅବଶ୍ୟ ଆଶ୍ଚର୍ଯ୍ୟ ହେଲା ସତ, କିନ୍ତୁ ମନା କରିପାରିଲା ନାହିଁ । ସେହିଠାରେ ବସି ଗୌରୀ ତିଓ୍ୱାରୀ ନାମରେ ଖଣ୍ଡିଏ ଚିଠି ଲେଖି ପକାଇଲି । ସମସ୍ତ ବିବରଣୀ ବିସ୍ତୃତ ଭାବରେ ଲେଖି ସାରିଲାପରେ ଏକଥା ଲେଖିବାକୁ ଭୁଲିଲି ନାହିଁ ଯେ, ଝିଅଟିର ନାନୀ ସଂପ୍ରତି ଦଉଡ଼ି ଦେଇ ମରିଛି ଏବଂ ସେ ମଧ୍ୟ ମାରଧର, ସହ୍ୟ କରିନପାରି ସେଇ ପଥରେ ଯିବାପାଇଁ ସଙ୍କଳ୍ପବଦ୍ଧ । ସେ ନିଜେ ଯଦି ଆସି ଏ ଘଟଣାର ବିହିତ ପ୍ରତିକାର ନକରି ବସନ୍ତି ତେବେ କେତେବେଳେ କ’ଣ ଘଟିବ କହି ହେବ ନାହିଁ । ଖୁବ୍‌ ସମ୍ଭବ ତୁମେ ଦେଉଥିବା ଚିଠି ପତ୍ର ଏମାନେ ଝିଅଟିକୁ ଦେଉନାହାନ୍ତି । ଠିକଣା ଲେଖିଲି ବର୍ଦ୍ଧମାନ ଜିଲ୍ଲାର ରାଜପୁର ଗ୍ରାମ । ଜାଣେ ନାହିଁ ସେ ଚିଠି ଗୌରୀ ତିଓ୍ୱାରୀ ପାଖରେ ପହଞ୍ଚିଲା କି ନାହିଁ ଏବଂ ପହଞ୍ଚିଥିଲେ ସେ ଆସି ସେଠାରେ କିଛି ପ୍ରତିକାର କରିପାରିଥିଲା କି ନାହିଁ । କିନ୍ତୁ ଘଟଣାଟା ମୋ ମନ ଭିତରେ ଏପରି ଛାପାହୋଇ ରହିଯାଇଥିଲା ଯେ, ଏତେକାଳ ପରେ ସେସବୁ ସ୍ମରଣ କରିପାରୁଛି ଏବଂ ଏହି ଆଦର୍ଶ ହିନ୍ଦୁ ସମାଜର ସୂକ୍ଷ୍ମାତିସୂକ୍ଷ୍ମ ଜାତିଭେଦ ବିରୁଦ୍ଧରେ ଗୋଟାଏ ବିଦ୍ରୋହ ଭାବ ଆଜି ମଧ୍ୟ ମନରୁ ଯାଇପାରୁନାହିଁ ।

 

ଏଇ ଜାତିଭେଦ ବ୍ୟାପାରଟା ଖୁବ୍‌ ଭଲ ହୋଇପାରେ । ଏଇ ଉପାୟରେ ଯେତେବେଳେ ସନାତନ ହିନ୍ଦୁ ଜାତିଟା ଆଜି ପର୍ଯ୍ୟନ୍ତ ବଞ୍ଚି ରହିପାରିଛି ସେତେବେଳେ ଏହାର ଉପକାରିତା ସମ୍ବନ୍ଧରେ, ସନ୍ଦେହ କରିବାର କିମ୍ବା ପ୍ରଶ୍ନ କରିବାର କିଛି ନାହିଁ କହିଲେ ଚଳେ । କେଉଁଠାରେ କେଉଁ ଦୁଇଟା ଝିଅ ଗଳାରେ ଦଉଡ଼ି ଦେଇ ମରିବେ ବୋଲି ଏହାର କଠୋର ବନ୍ଧନକୁ ସାମାନ୍ୟ ଶିଥିଳ କରିବାର କଳ୍ପନା ହେଉଛି ଏକପ୍ରକାର ପାଗଳାମୀ । କିନ୍ତୁ ଝିଅଟାର ସେଇ କାନ୍ଧ ଯେଉଁଲୋକ ନିଜ ଆଖିରେ ଦେଖିଆସିଛି ତା’ର କିନ୍ତୁ ସାଧ୍ୟ ନାହିଁ ଏ ପ୍ରଶ୍ନ ନିକଟରେ ଅଟକି ରହିଯିବାକୁ । ଯେ କୌଣସି ମତେ ବଞ୍ଚି ରହିବାଟା ହିଁ ଯଦି ଚରମ ସାର୍ଥକତା ତେବେ ଏପରି ଅନେକ ଜାତି ତ ବଞ୍ଚିଛନ୍ତି । କୁକିରାମାନେ ଅଛନ୍ତି । କୋହ୍ଲ, ଭୀଲ, ସାନ୍ତାଳମାନେ ତ ବଞ୍ଚିଛନ୍ତି । ପ୍ରଶାନ୍ତସାଗରରେ ଅନେକ ଛୋଟ ଛୋଟ ଦ୍ୱୀପର ଅଧିବାସୀମାନେ ତ ବଞ୍ଚିଛନ୍ତି । ପ୍ରଶାନ୍ତ ମହାସାଗରରେ ଅନେକ ଛୋଟ ଛୋଟ ଦ୍ୱୀପର ଅଧିବାସୀମାନେ ତ ସୃଷ୍ଟିର ପ୍ରାରମ୍ଭରୁ ସେଇପରି ବଞ୍ଚି ଆସିଛନ୍ତି । ଆଫ୍ରିକାରେ ଅଛନ୍ତି, ଆମେରିକାରେ ଅଛନ୍ତି । ସେଠାରେ ମଧ୍ୟ କଡ଼ା ସାମାଜିକ ନିୟମ କାନୁନ ଅଛି ଯାହା ଶୁଣିଲେ କି ଦେହର ରକ୍ତ ବରଫ ପାଲଟି ଯାଏ । ବୟସ ହିସାବରେ ସେମାନେ ଅନେକ ଜାତି ଆଗରେ ବୃଦ୍ଧ, ପିତାମହ, ପ୍ରାଚୀନ, ଆମଠାରୁ ମଧ୍ୟ ପୁରାତନ, କିନ୍ତୁ ଏହା ବୋଲି ଯେ ସେମାନେ ଆମଠାରୁ ସାମାଜିକ ଆଚାର ବିଚାରରେ ଶ୍ରେଷ୍ଠ ଏପରି ଅଦ୍ଭୁତ ସନ୍ଦେହ ବୋଧହୂଏ କାହା ମନରେ ଉଠେ ନାହିଁ । ସାମାଜିକ ସମସ୍ୟା ସେଠାରେ ଏପରି ଭୟଙ୍କର ହୋଇ ଦେଖାଦିଏ ନାହିଁ । ଏପରି କେତେବେଳେ ଗୋଟାଏ ଅଧେ ଘଟଣା ହୁଏତ ଘଟିଥିଲେ ଘଟିଯାଇ ପାରିଥାଏ କିନ୍ତୁ ସେ ସବୁ ଅତି ନଗଣ୍ୟ । ନିଜର ବଙ୍ଗାଳୀ ଝିଅ ଦୁଇଟିଙ୍କୁ ଏଠାରେ ବିବାହ ଦେବାବେଳେ ଗୌରୀ ତିଓ୍ୱାରୀ ମନରେ ବୋଧହୁଏ ଏଇ ପ୍ରଶ୍ନ ଆସିଥିବ । କିନ୍ତୁ ସେ ବିଚାରା ଏଇ ଦୁରୂହ ପ୍ରଶ୍ନର କୌଣସି ସମାଧାନ ଖୋଜି ନପାଇ ପାରି ଶେଷରେ ସାମାଜିକ ଯୂପକାଠରେ କନ୍ୟାଦୁଇଟିଙ୍କୁ ବଳିଦେବାକୁ ବାଧ୍ୟ ହୋଇଥିବ । ଯେଉଁ ସମାଜ, ଏଇ ନିରୁପାୟ କ୍ଷୁଦ୍ର ବାଳିକା ଦୁଇଟିଙ୍କ ପାଇଁ ଶାନ୍ତି ଦେଇପାରିଲା ନାହିଁ, ଯେଉଁ ସମାଜ ଆପଣାକୁ ଏତେ ଟିକିଏ ପ୍ରଭାବିତ କରିବାର ଶକ୍ତି ରଖିପାରେ ନାହିଁ; ସେହି ପଙ୍ଗୁ ସମାଜ ପାଇଁ ମନରେ କୌଣସି ମତେ ଗୌରବ ଅନୁଭବ କରିପାରିଲି ନାହିଁ । କେବେ କେଉଁଠାରେ ଜଣେ ବିରାଟ ଲେଖକଙ୍କର ଗୋଟିଏ ଲେଖାରେ ପଢ଼ିଥିଲି ଯେ, ଆମ ସମାଜ ‘‘ଜାତିଭେଦ’’ ବୋଲି ଯେଉଁ ଗୋଟାଏ ବଡ଼ ରକମର ସାମାଜିକ ପ୍ରଶ୍ନ ସମ୍ମୁଖରେ ଧରାଇ ଦେଇଥିଲା, ତାହାର ଚୂଡ଼ାନ୍ତ ନିଷ୍ପତ୍ତି ଆଜି ସୁଦ୍ଧା ହୋଇପାରିନାହିଁ । କିନ୍ତୁ ଏଇ ସବୁ ଯୁକ୍ତିହୀନ ପ୍ରଶ୍ନର ଉତ୍ତର ଦେବାକୁ ଯେପରି ପ୍ରବୃତ୍ତି ହୁଏ ନାହିଁ, ହେବନାହିଁ, କହି ନିଜ ପ୍ରଶ୍ନର ଉତ୍ତର ନିଜ କଣ୍ଠରେ ଘୋଷଣା କରି ଯେଉଁମାନେ ବସି ଯାଆନ୍ତି ସେମାନଙ୍କୁ ଜବାବ ଦେବା ସେହିପରି କଠିନ ମଧ୍ୟ । ଛାଡ଼, ସେ କଥା ସେତିକିରେ ଥାଉ ।

ଦୋକାନରୁ ଉଠିଆସିଲି । ସନ୍ଧାନ ନେଇ ବେରିଙ୍ଗ ଚିଠିଟା ଡାକଘରେ ପକାଇଦେଇ ଯେତେବେଳେ ଆସ୍ଥାନକୁ ଫେରିଆସେ ସେତେବେଳ ପର୍ଯ୍ୟନ୍ତ ମୋର ସହଯୋଗୀ ଆର ଚେଲା ଦୁହେଁ ଅଟା, ଚାଉଳ ପ୍ରଭୃତି କରି ଫେରି ଆସିନଥାନ୍ତି ।

ଦେଖିଲି ସାଧୁବାବା ଆଜି କିପରି ବିରକ୍ତ ଅଛନ୍ତି । କାରଣ ମଧ୍ୟ ସେ ନିଜେ କହି ବସିଲେ । ସେ କହିଲେ–ଏ ଗ୍ରାମର ଅଧିବାସୀମାନେ ସାଧୁ ସନ୍ନ୍ୟାସୀମାନଙ୍କ ପାଇଁ ସେପରି ଅନୁରକ୍ତ ନୁହଁନ୍ତି । ସେବାଆଦି ବ୍ୟବସ୍ଥା ସେପରି ସନ୍ତୋଷଜନକ ନୁହେଁ । ସୁତରାଂ ଆସନ୍ତାକାଲି ଏ ସ୍ଥାନ ତ୍ୟାଗ କରିବାକୁ ହେବ । ‘‘ଯେ ଆଜ୍ଞା’’ କହି ମୁଁ ତାଙ୍କ ଉକ୍ତିକୁ ସମର୍ଥନ ଜଣାଇଲି ଯେହେତୁ ପାଟନା ଦେଖିବା ପାଇଁ ମନଭିତରେ ମୋର ପ୍ରବଳ କୌତୂହଳ ଥିଲା । ଏହା ବ୍ୟତୀତ ଏହି ବିହାରୀ ଗାଆଁ ଗଣ୍ଡାରେ କୌଣସି ରକମର ଆକର୍ଷଣ ଖୋଜି ପାଇପାରିଲି ନାହିଁ । ଏହା ପୂର୍ବରୁ ବଙ୍ଗଳାରେ ଅନେକ ଗାଆଁରେ ଭ୍ରମଣ କରିଆସିଛି କିନ୍ତୁ ସେମାନଙ୍କ ସହିତ ଏମାନଙ୍କର ତୁଳନା କରାଯାଇପାରେ ନାହିଁ । ନରନାରୀ, ଗଛବୃଛ, ଜଳବାୟୁ, କୌଣସିଟା ଆପଣାର ବୋଲି ମନେହୁଅନ୍ତି ନାହିଁ । ମନଟା ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ‘‘ପଳା’’ ‘‘ପଳା’’ ଡାକ ଛାଡ଼େ ।

ସନ୍ଧ୍ୟାବେଳେ ଗାଆଁରେ ଗାଆଁରେ ସେପରି ଭାବରେ ଖୋଳ କରତାଳ ସଙ୍ଗେ କୀର୍ତ୍ତନର ସୁର କାନକୁ ଆସେ ନାହିଁ । ଦେବ ମନ୍ଦିରରେ ଆରତି ବେଳେ କଂସା ଘଣ୍ଟା ସେପରି ମଧୁର ଗମ୍ଭୀର ଶବ୍ଦ କରେ ନାହିଁ । ଏ ଦେଶର ଝିଅମାନେ କ’ଣ ଶଙ୍ଖ ଗୁଡ଼ାକ ସେପରି ମଧୁର ଭାବରେ ବଜାଇ ଶିଖିନାହାନ୍ତି ? ଏଠାରେ କ’ଣ ମଣିଷ କେବଳ ସୁଖରେ ଥାଏ ? ମନେମନେ ଭାବିଲି ଏଭଳି ପଡ଼ା ଗାଆଁକୁ ଆସିବାକୁ ପଡ଼ିନଥିଲେ ଆଉ କେବେ ବୋଧହୁଏ ନିଜ ଗାଆଁର ମହତ୍ତ୍ୱ ବୁଝିପାରିନଥାନ୍ତି । ଆମମାନଙ୍କ ପାଣିରେ ବିସୂଚିକା, ପବନରେ ମେଲେରିଆ, ମନୁଷ୍ୟ ପେଟରେ ପେଟେ ପଙ୍କ, ଘରେ ଘରେ ମାମଲା; ସାଇ, ସାଇ ଭିତରେ ଦଳାଦଳି, ଯାହା ଥାଉନା କାହିଁକି ତାହା ଭିତରେ ଯେ କେତେ ରସ, କେତେ ତୃପ୍ତି ଥିଲା, ବର୍ତ୍ତମାନ ସେ ସବୁ ଯେପରି ବୁଝିପାରୁଛି ।

ପରଦିନ ତମ୍ବୁ ଭାଙ୍ଗି ଯାତ୍ରା ଆରମ୍ଭ କଲୁ ଏବଂ ସାଧୁବାବା ଯଥାଶକ୍ତି ଭରଦ୍ୱାଜ ମୁନିଙ୍କ ଆଶ୍ରମ ଦିଗକୁ ସଦଳବଳେ ଅଗ୍ରସର ହେବାକୁ ଲାଗିଲେ । ବାଟଟା ସରଳ ହେବ ବୋଲି ହେଉ କିମ୍ବା ମୁନି ମୋ ମନ କଥା ଜାଣିପାରିଲେ ବୋଲି ହେଉ ପାଟନାଠାରୁ ଦଶ କୋଶ ମଧ୍ୟରେ ଆଉ ତମ୍ବୁ ପକାଇଲେ ନାହିଁ । ମନରେ ମୋର ଗୋଟାଏ ବାସନା ଥିଲା । ଥାଉ ସେ ସବୁ ବର୍ତ୍ତମାନ । ଅନେକ ପାପ କରିବସିଛି ତେଣୁ ସାଧୁ ସଙ୍ଗ କରି ଦିନ କେତେଟା ଭିତରେ ଟିକିଏ ପବିତ୍ର ହୋଇ ଆସେ । ଦିନକର ସନ୍ଧ୍ୟା ଆଗମନ ପୂର୍ବରୁ ଯେଉଁ ଜାଗାରେ ଆମର ଆସ୍ଥାନ ଜମିଲା, ତାହାର ନାମ ‘‘ଛୋଟ ବାଘିୟା’’ ଆରା ଷ୍ଟେସନଠାରୁ ଆଠ କୋଶ ଦୂର ହେବ । ଏଇ ଗ୍ରାମରେ ଜଣେ ମହାନୁଭବ ବଙ୍ଗାଳୀ ଭଦ୍ରଲୋକଙ୍କ ସହିତ ପରିଚୟ ହୋଇଥିଲା । ତାଙ୍କ ସଦାଶୟତାର ଟିକିଏ ବିବରଣ ଏଠାରେ ଦେବି । ତାଙ୍କ ପୈତୃକ ନାମଟା ଗୋପନ ରଖି ରାମବାବୁ କହିଲେ ଚଳିବ । କାରଣ ବର୍ତ୍ତମାନ ସେ ଜୀବିତ ଅଛନ୍ତି ଏବଂ ପରେ ଅନ୍ୟତ୍ର ଯଦିଓ ତାଙ୍କ ସହିତ ସାକ୍ଷାତ୍‌ ଘଟିଥିଲା; ସେ କିନ୍ତୁ ମୋତେ ଚିହ୍ନିପାରିନଥିଲେ । ନପାରିବାରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ତାଙ୍କର ସ୍ୱଭାବ ଏପରି ଯେ ସେ ଗୋପନରେ ଯେଉଁସବୁ ସତ୍‌କାର୍ଯ୍ୟ କରି ବସନ୍ତି ତାକୁ ପ୍ରକାଶ କରିଦେଲେ ସେ ବିନୟରେ ସଙ୍କୁଚିତ ପଡ଼ନ୍ତି । ଅତଏବ ତାଙ୍କ ନାମ ରାମବାବୁ ।

କିପରି ଭାବରେ ଯେ ରାମବାବୁ ଏ ଗ୍ରାମକୁ ଆସିଥିଲେ ଏବଂ କିପରି ଭାବରେ ଜମିଜମା କିଣି ଏଠାରେ ଚାଷବନ୍ଦୀ କାର୍ଯ୍ୟ କରିଥିଲେ ଏତେଗୁଡ଼ାଏ କଥା ଅବଶ୍ୟ ମୁଁ ଜାଣି ନାହିଁ । ଏତିକି ମାତ୍ର ଜାଣେ ଯେ ସେ ଦ୍ୱିତୀୟ ପକ୍ଷ ସ୍ତ୍ରୀ ଏବଂ ତିନି ଚାରୋଟି ପୁତ୍ର କନ୍ୟାଙ୍କ ସହ ସେତେବେଳେ ସେଠାରେ ସୁଖରେ ବାସ କରୁଥିଲେ ।

ସକାଳବେଳେ ଶୁଣିବାକୁ ମିଳିଲା ଯେ ଏଇ ଛୋଟ ବାଘିୟା ଏବଂ ତା’ର ଆଖପାଖ ପାଞ୍ଚ ସାତ ଖଣ୍ଡି ଗାଆଁ ଭିତରେ ସେତେବେଳକୁ ବସନ୍ତ ରୋଗ ମହାମାରୀ ରୂପେ ଦେଖାଦେଇଛି । ପୂର୍ବରୁ ଦେଖାଯାଇଛି ଯେ ଗାଆଁମାନଙ୍କର ଏଇସବୁ ଦୁଃଖ ସମୟ ବେଳେ ଲୋକମାନେ ସାଧୁ ସନ୍ନ୍ୟାସୀମାନଙ୍କର ସେବା ଯତ୍ନ ବେଶ୍ ସନ୍ତୋଷଜନକ ଭାବରେ କରିଥାନ୍ତି । ସୁତରାଂ ସାଧୁବାବା ଅବିଚଳିତ ଭାବରେ ଏଇଠାରେ ଅବସ୍ଥାନ କରିବା ପାଇଁ ସଂକଳ୍ପ କଲେ ।

ଭୁଲ୍‍କଥା । ସନ୍ନ୍ୟାସୀ ଜୀବଟା ସମ୍ବନ୍ଧରେ ମୁଁ ଏଠାରେ ଗୋଟାଏ କଥା କହିବାକୁ ଚାହେଁ । ଜୀବନରେ ଅନେକ ଗୁଡ଼ିଏ ସନ୍ନ୍ୟାସୀ ଦେଖିଛି । ଚାରି ପାଞ୍ଚଥର ଏଇପରି ଘନିଷ୍ଠ ଭାବରେ ମିଶିଛି । ଦୋଷ ଯାହା ରହିବାର କଥା ସେ ତ ଅଛି । ମୁଁ କେବଳ ଗୁଣର କଥା କହିବି । କେବଳ ପେଟ ‘‘ବିକଳରେ ବାବାଜୀ’’ ହେବା କଥା ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଏମାନଙ୍କ ଭିତରେ ଏ ଦୁଇଟା ଦୋଷ ମୋ ଆଖିରେ ପଡ଼ି ନାହିଁ । ମୋର ଦୃଷ୍ଟିଶକ୍ତି ଯେ କମ୍‌ ତାହା ମଧ୍ୟ ନୁହେଁ । ସ୍ତ୍ରୀଲୋକମାନଙ୍କ ସମ୍ବନ୍ଧରେ ଏମାନଙ୍କର ସଂଯମ କଥା କହନ୍ତୁ କିମ୍ବା ଉତ୍ସାହର ସ୍ୱଳ୍ପତା କହନ୍ତୁ–ଖୁବ୍‌ ବେଶୀ ଏବଂ ପ୍ରାଣର ଭୟ ଏମାନଙ୍କର ଖୁବ୍‌ କମ୍‌ ।

‘‘ଯାବତ୍‌ ଜୀବେତ୍‌ ସୁଖଂ ଜୀବେତ୍‌’ ଏ ଆଶା ତ ଅଛି କିନ୍ତୁ କ’ଣ କଲେ ଅନେକ ଦନ ଜୀଇପାରିବେ ସେ ବୁଦ୍ଧି ସେମାନଙ୍କର ନାହିଁ । ଆମ ସାଧୁବାବାଙ୍କର ଏ କ୍ଷେତ୍ରରେ ମଧ୍ୟ ସେହି କଥା-। ପ୍ରଥମଟା ପାଇଁ ଦ୍ୱିତୀୟଟାକୁ ସେ ତୁଚ୍ଛ କରିଦେଲେ ।

ସାମାନ୍ୟ ଧୁନିପାଉଁଶ ଏବଂ ଦୁଇବୁନ୍ଦା କମଣ୍ଡଳୁ ଜଳ ବଦଳରେ ଯେଉଁ ସକଳ ବସ୍ତୁ ଘର ଭିତରକୁ ହୁ ହୁ ହୋଇ ଆସିବାକୁ ଲାଗିଲା, ତାହା ସନ୍ନ୍ୟାସୀ, ଗୃହୀ, କାହାର ମଧ୍ୟ ବିରକ୍ତିକର ହୋଇପାରି ନାହିଁ ।

ରାମବାବୁ ସସ୍ତ୍ରୀକ କାନ୍ଦି କାନ୍ଦି ଆସି ପହଞ୍ଚିଲେ । ଆଜି ସକାଳେ ଚାରିଦିନ ଜ୍ୱର ଭୋଗିବା ପରେ ବଡ଼ପୁଅଠାରେ ବସନ୍ତ ଦେଖାଦେଇଛି ଏବଂ ଛୋଟ ପୁଅଟି କାଲି ସକାଳଠାରୁ ଜରରେ ବେହୋସ । ବଙ୍ଗାଳୀ ହେତୁ ମୁଁ ମୋଆଡ଼ୁ ଯାଚି ହୋଇ ରାମବାବୁଙ୍କ ସହିତ ପରିଚିତ ହୋଇଥିଲି ।

ଏହାପରେ ଗଳ୍ପ ମଧ୍ୟରେ ମାସଖଣ୍ଡିଏ ବିଚ୍ଛେଦ ଦେବାକୁ ଚାହେଁ । କିପରି ଭାବରେ ଏ ପରିଚୟ ଘନିଷ୍ଠ ହେଲା, କିପରି ଭାବରେ ପିଲା ଦୁଇଟି ଭଲ ହେଲେ, ସେସବୁ ଅନେକ କଥା । କହିବସିଲେ ମୋର ଧୈର୍ଯ୍ୟ ରହିବ ନାହିଁ । ଆଉ ପାଠକମାନଙ୍କ କଥା ତ ବହୁତ ଦୂରରେ ଅଛି । ତେବେ ମଝିରୁ ଗୋଟାଏ କଥା କହିରଖୁଛି । ପନ୍ଦର ଦିନ ଭିତରେ ରୋଗ ଯେତେବେଳେ ଖୁବ୍ ଭୟାବହ, ସେତେବେଳେ ସାଧୁଜୀ ତାଙ୍କର ଆସ୍ଥାନ ଉଠାଇ ଚାଲିଯିବା ପାଇଁ ପ୍ରସ୍ତାବ କରିବସିଲେ-। ରାମବାବୁଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହିଲେ ଭାଇ, ତୁମେ ତ ପ୍ରକୃତରେ ସନ୍ନ୍ୟାସୀ ନୁହେଁ, ତୁମଠାରେ ଦୟାମାୟା ଅଛି । ମୋ ନବୀନ ବଞ୍ଚିବେ ନାହିଁ । ଦେଖି କିମିତି ଯିବ ତ ଗଲ ଦେଖି ? କହି ସେ ମୋ ପାଦ ଦୁଇଟି ଧରିପକାଇଲେ । ମୋ ଆଖିରେ ମଧ୍ୟ ଲୁହ ଆସିଗଲା । ରାମ ବାବୁ ମଧ୍ୟ ସ୍ତ୍ରୀଙ୍କ ସହିତ ଯୋଗଦେଇ କାକୁତିମିନତି କରିବାକୁ ଲାଗିଲେ । ସୁତରାଂ ମୁଁ ଯାଇପାରିଲି ନାହିଁ-। ସାଧୁ ବାବାଙ୍କୁ କହିଲି–ପ୍ରଭୁ ତୁମେ ଅଗ୍ରସର ହୁଅ । ମୁଁ ଯଦି ବାଟରେ ନପାରେ ତେବେ ପ୍ରୟୋଗଠାରେ ପହଞ୍ଚି ଆପଣଙ୍କର ପଦଧୂଳି ନେଇପାରିବି ଏଥିରେ ତିଳେହେଲେ ସନ୍ଦେହ ନାହିଁ । ପ୍ରଭୁ ମୋ କଥା ଶୁଣି କ୍ଷୁଣ୍ଣ ହେଲେ । ଶେଷରେ ବାରମ୍ବାର ଅନୁରୋଧ କରି, ବାଟରେ କେଉଁଠାରେ ଅଯଥା ବିଲମ୍ବ ନକରିବା ପାଇଁ ସତର୍କ ଉପଦେଶ ଦେଇ ଅନ୍ୟ ଦୁଇ ଚେଲାଙ୍କ ସହିତ ପ୍ରଭୁ ଯାତ୍ରା କଲେ-। ମୁଁ ରାମବାବୁଙ୍କ ଘରେ ଯାଇ ରହିଲି । ଏଇ ଅଳ୍ପଦିନ ଭିତରେ ମୁଁ ଯେ ପ୍ରଭୁଙ୍କର ଅତ୍ୟଧିକ ସ୍ନେହର ପାତ୍ର ହୋଇପଡ଼ିଥିଲି ଏବଂ ସେଠାରେ ଠାକି କରି ରହିପାରିଥିଲେ ତାଙ୍କ ସନ୍ନ୍ୟାସୀଲୀଳାର ଅବସାନ ପରେ ଉତ୍ତରାଧିକାର ସୂତ୍ରେ ସେ ଘୋଡ଼ା ଏବଂ ଓଟ ଦୁଇଟା ଯେ ଦଖଲ କରିପାରିଥାନ୍ତି ସେଥିରେ କୌଣସି ସନ୍ଦେହ ନଥିଲା । ଯାହାହେଉ ହାତରେ ଧରିବା ଲକ୍ଷ୍ମୀଙ୍କ ପାଦରେ ଠେଲି ସାରିବା ପରେ, ସେହି କଥା ପାଇଁ ଦୁଃଖ କରି ଲାଭ ନାହିଁ ।

 

ପିଲା ଦୁଇଟି ଆରୋଗ୍ୟ ହୋଇଉଠିଲେ । ଏହାପରେ ବସନ୍ତ ମହାମାରୀ ଆକାର ଧରିଲା । ସେ ଯେଉଁ ଦାରୁଣ କଷ୍ଟ ଯିଏ ଆଖିରେ ନ ଦେଖିଛି ତା’ ପକ୍ଷରେ ଲେଖା ପଢ଼ି, ଗଳ୍ପ ଶୁଣି, କିମ୍ବା କଳ୍ପନା କରି ହୃଦୟଙ୍ଗମ କରିବା ଅସମ୍ଭବ । ଅତଏବ ଏଇ ଅସମ୍ଭବକୁ ସମ୍ଭବ କରିବାର ପ୍ରୟାସ ମୁଁ କରିବି ନାହିଁ । ଲୋକମାନେ ଗାଆଁ ଛାଡ଼ି ପଳାଇବାକୁ ଆରମ୍ଭ କଲେ । ଏଥିପାଇଁ କେହି କୌଣସି ବାଛ ବିଚାର କଲେ ନାହିଁ । ଯେଉଁ ଘରେ ମନୁଷ୍ୟର ଚିହ୍ନ ଦେଖାଗଲା, ଉଙ୍କିମାରି ଦେଖିଲେ ଆଖିରେ ପଡ଼ିବ, କେବଳ ମାଆ ତା’ର ପୀଡ଼ିତ ସନ୍ତାନକୁ ଜଗି କରି ବସିଛି ।

 

ରାମବାବୁ ମଧ୍ୟ ତାଙ୍କ ଘରର ଜିନିଷପତ୍ର ଶଗଡ଼ରେ ବୋଝେଇ କଲେ, ଅନେକ ଦିନରୁ କରିସାରନ୍ତେଣି; କିନ୍ତୁ ବାଧ୍ୟହୋଇ କରିପାରିନଥିଲେ । ଆଜକୁ ଚାରି ପାଞ୍ଚଦିନ ହେବ ମୋତେ ଏପରି ଅଳସ ଲାଗୁଥିଲା ଯେ କିଛି ହେଲେ କରିବାକୁ ଇଚ୍ଛା ହେଉନଥାଏ । ମନେମନେ ଭାବୁଥାଏ ବୋଧହୁଏ ରାତି ଅନିଦ୍ରା ଏବଂ ଅତ୍ୟଧିକ ପରିଶ୍ରମ ହେତୁ ଏପରି ଜଣାପଡ଼ୁଛି । ସେଦିନ ସକାଳୁ ମୁଣ୍ଡବ୍ୟଥା ଆରମ୍ଭ ହେବାକୁ ଲାଗିଲା । ନିହାତି ଅନିଚ୍ଛା ସତ୍ତ୍ୱେ ଦି’ ପହରେ ଯାହା କିଛି ଖାଇଲି । ଓପରଓଳି ସେ ସବୁ ବାନ୍ତି ହୋଇଗଲା । ରାତି ନଅଟା ଦଶଟା ବେଳକୁ ଜାଣିପାରିଲି ମୋତେ ଜର ହେଲାଣି । ସେଦିନ ସାରା ରାତି ଧରି ସେମାନଙ୍କର ବନ୍ଧାବନ୍ଧି ଚାଲିଥିଲା ଏବଂ କେହି ଶୋଇନଥିଲେ । ସେତେବେଳକୁ ରାତି ଅନେକ ହେବ, ରାମବାବୁଙ୍କ ସ୍ତ୍ରୀ ମୁଁ ରହୁଥିବା ଘର ଭିତରକୁ ପଶିଆସି କହିଲେ–ସନ୍ନ୍ୟାସୀ ଭାଇ, ତୁମେ ଆମ ସହିତ ଆରା ପର୍ଯ୍ୟନ୍ତ ଚାଲନା ?

 

ମୁଁ କହିଲି–ହଁ ଯିବି । କିନ୍ତୁ ତୁମ ଗାଡ଼ିରେ ମୋତେ ଟିକିଏ ଯାଗାଦେବାକୁ ହେବ ।

 

ଭଗିନୀ ଆଶ୍ଚର୍ଯ୍ୟ ହେଲାପରି କହିଲେ–କାହିଁକି ଭାଇ ! ଦୁଇଟି ଗାଡ଼ିରୁ ଅଧିକ ଯୋଗାଡ଼ କରି ହେଲା ନାହିଁ । ଆମମାନଙ୍କୁ ତ ସେଥିରେ ଯାଗାହେବ ନାହିଁ ।

 

: ମୋର ଯେ ଚାଲି କରି ଯିବାପାଇଁ ଆଉ କ୍ଷମତା ନାହିଁ । ସକାଳୁ ମୋତେ ଜ୍ୱର ହୋଇଛି ।

 

: ଜର ! କ’ଣ କରିବି ଲୋ ମାଆ ? କହି ଉତ୍ତରକୁ ଅପେକ୍ଷା ନକରି ମୋ ନୂଆ ଭଉଣୀଟି ମୁଁହକୁ ଶୁଖେଇ ତତ୍‌କ୍ଷଣାତ୍‌ ସ୍ଥାନ ଛାଡ଼ି ଚାଲିଗଲେ ।

 

କେତେ ସମୟ ପରେ ଶୋଇପଡ଼ିଥିଲି ସେ କଥା ମୋର ହେତୁ ନାହିଁ । ନିଦ ଭାଙ୍ଗିବା ପରେ ଦେଖିଲେ ବେଳ ଅନେକ ହୋଇଗଲାଣି । ପ୍ରତ୍ୟେକ ଘରେ ତାଲା ଝୁଲୁଛି ଏବଂ ଜନମାନବ କାହାକୁ ହେଲେ ସେଠାରେ ଦେଖିବାକୁ ପାଇଲି ନାହିଁ ।

 

ବାହାରେ ଯେଉଁ ଘରଟାରେ ମୁଁ ଶୋଇ ରହିଥିଲି ତା’ ଆଗ ଦେଇ କଚା ରାସ୍ତାଟା ଆର ଷ୍ଟେସନକୁ ଯାଇଛି । ଏଇ ରାସ୍ତାରେ ଅନ୍ତତଃ ପ୍ରହ୍ୟହ ଚାରି ଛଅଟା ଗୋରୁ ଗାଡ଼ି ମୃତ୍ୟୁଭୀତ ନରନାରୀଙ୍କୁ ନେଇ ଷ୍ଟେସନକୁ ଯାଏ । ସାରାଦିନ ଚେଷ୍ଟା କରିବା ପରେ ସନ୍ଧ୍ୟାବେଳକୁ ଏଇଥିରୁ ଗୋଟିଏ ଗାଡ଼ିରେ ମୋ ପାଇଁ ସ୍ଥାନ ଟିକିଏ ମିଳିଲା । ଯେଉଁ ବୁଢ଼ା ବିହାରୀ ଭଦ୍ରଲୋକ ଜଣକ ମୋତେ ଗଛ ତଳେ ଓହ୍ଳାଇଦେଇ ବିଦାୟ ନେଇଗଲେ । ତାପରେ ମୋର ବସିବା ପାଇଁ ସାମର୍ଥ୍ୟ ନଥିଲା । ସେଇଠାରେ ଶୋଇପଡ଼ିଲି । ଅଳ୍ପ ଦୂରରେ ଗୋଟାଏ ଟିଣ ସେଡ଼୍‌ ଥିଲା । ପୂର୍ବେ ଏଇଟା ମୂଷାଫିରଖାନା ରୂପେ ବ୍ୟବହୃତ ହେଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଝଡ଼ବର୍ଷା । ଦିନେ ଗୋରୁ ଛେଳିଙ୍କ ବ୍ୟବହାର ବ୍ୟତୀତ ଅନ୍ୟ କୌଣସି କାମରେ ଲାଗୁନଥାଏ । ଭଦ୍ରଲୋକ ଷ୍ଟେସନକୁ ଯାଇ ଜଣେ ଯୁବକକୁ ଡାକି ଆଣିଲେ । ଯୁବକ ଜଣକ ଜାତିରେ ବଙ୍ଗାଳୀ ଥିଲେ । ମୁଁ ତାଙ୍କ ଦୟାରୁ କେତେ ଜଣ କୁଲିଙ୍କ ସାହାଯ୍ୟରେ ସେ ସେଡ଼ ଭିତରକୁ ବୁହାହୋଇ ଗଲି ।

 

ମୋର ଦୁର୍ଭାଗ୍ୟ, ମୁଁ ଯୁବକଟିର କୌଣସି ପରିଚୟ ଦେଇପାରୁ ନାହିଁ । କାରଣ ମୁଁ ତାଙ୍କୁ କିଛି ହେଲେ ପଚାରି ପାରିବାର ଅବସ୍ତାରେ ନଥିଲି । ପାଞ୍ଚ ଛଅମାସ ପରେ ଯେତେବେଳେ ପଚାରି ବୁଝିବାର ଶକ୍ତି ଏବଂ ସାମର୍ଥ୍ୟ ଆସିଲା ସେତେବେଳକୁ ସମ୍ୱାଦ ନେଇ ଜାଣିଲି ଯେ ବସନ୍ତ ରୋଗରେ ଇତି ମଧ୍ୟରେ ଏହି ପରପୋକାରୀ ଯୁବକଟି ଇହଲୀଳା ସଂବରଣ କରିସାରିଛନ୍ତି । ତେବେ ଏତିକି ମାତ୍ର ଜାଣିପାରିଥିଲି ଯେ ସେ ହେଉଛନ୍ତି ପୂର୍ବବଙ୍ଗର ଲୋକ ଏବଂ ମାସିକ ପନ୍ଦର ଟଙ୍କା ବେତନ ପାଇ ଏ ଷ୍ଟେସନରେ କାର୍ଯ୍ୟ କରୁଥିଲେ । ମୋତେ ଟିଣ ସେଡ଼ ଭିତରେ ଭର୍ତ୍ତି କରିଦେବାର କିଛିକ୍ଷଣ ପରେ ସେ ତାଙ୍କର ଶତଚ୍ଛିନ୍ନ ବିଛଣାଟି ଆଣି ମୋ ପାଖରେ ପହଞ୍ଚିଲେ ଏବଂ ବାରମ୍ବାର କହିବାକୁ ଲାଗିଥିଲେ ଯେ–ସେ ନିଜ ହାତରେ ରାନ୍ଧି ଖାଆନ୍ତି ଏବଂ ପରଘରେ ରହନ୍ତି । ଦ୍ୱିପ୍ରହର ବେଳେ କିଛି ଗରମ ଦୁଧ ଆଣି ମୋତେ ବଳାବଳି କରି ପିଆଇ ଦେଇ କହିଲେ–ଭଲ ହୋଇଯିବେ । ଭୟ କରିବାର କିଛି ନାହିଁ । ଆତ୍ମୀୟ ସ୍ୱଜନ କାହା ପାଖକୁ ଯଦି ଖବର ଦେବାକୁ ଇଚ୍ଛା କରୁଥାନ୍ତି ତେବେ ଠିକଣା ଦେଲେ ସେ ଟେଲିଗ୍ରାମ କରି ଜଣାଇ ଦେଇପାରିବେ ।

 

ସେତେବେଳକୁ ମୋର ଜ୍ଞାନ ଥିଲା । ତେଣୁ ଏ କଥା ବୁଝିବାକୁ ମୋର ବାକିନଥିଲା ଯେ ଏପରି ଅବସ୍ଥାରେ ପାଞ୍ଚ ଛଅଘଣ୍ଟାମାତ୍ର ମୁଁ ରହିପାରେ, ତେଣୁ ଯାହା କହିବାର କଥା, ଇଆ ଭିତରେ ହିଁ କହିବା ଉଚିତ୍‌ । ତେଣିକି ଆଉ କିଛି କହିବାର ନଥିବ.....

 

ମୋ ଭାବନା ଅବଶ୍ୟ ସତ୍ୟ । କିନ୍ତୁ ସମ୍ୱାଦ ପଠାଇବା ପାଇଁ ଠିକଣା ଦେବା ସମସ୍ୟା ହେତୁ ଭାବନାରେ ପଡ଼ିଗଲି । କାହିଁକି ପଡ଼ିଲି ସେ କଥା ଖୋଲିକରି କହିବାର ପ୍ରୟୋଜନ ନାହିଁ । ତେଣୁ ଠିକ୍‌ କଲି ବିଚାରା ଗରିବ ଯୁବକଟିର ପଇସା ଟେଲିଗ୍ରାମ କରାଇ ଅପବ୍ୟୟ କରି ବସିବି କାହିଁକି ?

 

ସନ୍ଧ୍ୟା ଭଦ୍ରଲୋକ ତାଙ୍କ ଡିଉଟି ଭିତରେ ଗୋଟିଏ ମାଠିଆ ପାଣି ଏବଂ ଛୋଟ କିରୋସିନି ଡିବିରିଟିଏ ଧରି ପହଞ୍ଚିଲେ । ସେତେବେଳକୁ ଜ୍ୱରର ଯନ୍ତ୍ରଣାରେ ମୁଣ୍ଡ ଠିକ୍ ରହୁନଥାଏ-। ତାଙ୍କୁ ପାଖକୁ ଡାକି କହିଲି–ଯେତେ ସମୟ ପର୍ଯ୍ୟନ୍ତ ମୋର ହୋସ୍ ଅଛି ତା’ ଭିତରେ ମଝିରେ ମଝିରେ ଆସି ମୋତେ ଟିକିଏ ଦେଖି ଯାଉଥିବେ । ତା’ ପରେ ଯାହାହେବ ତେଣିକି ଆପଣ ଆଉ ଚିନ୍ତିତ ହେବେ ନାହିଁ ।

 

ଭଦ୍ରଲୋକ ଅତ୍ୟନ୍ତ ଲାଜକୁଳା ପ୍ରକୃତିର ଲୋକ । କଥା ବାଗେଇ କରି କହିବା କ୍ଷମତା ତାଙ୍କର ନଥିଲା । ପ୍ରତ୍ୟୁତ୍ତର ଦେବାକୁ ଯାଇ କେବଳ ‘‘ନା’’ ନା’ କହିବାକୁ ଲାଗିଲେ ।

 

ମୁଁ କହିଲି ଆପଣ ସମ୍ବାଦ ଦେବାପାଇଁ କହିଥିଲେ । ମୁଁ ସନ୍ନ୍ୟାସୀ ଲୋକ । ତେଣୁ ଯଥାର୍ଥରେ ମୋର ଆପଣାର ଲୋକ ବୋଲି କେହି ନାହାନ୍ତି । ତେବେ ପାଟନାକୁ ପଆରୀ ବାଈ ଠିକଣାରେ ଯଦି ଖଣ୍ଡିଏ ପୋଷ୍ଟକାର୍ଡ଼ରେ ଲେଖିଦିଅନ୍ତୁ ଯେ ଶ୍ରୀକାନ୍ତ, ଆର ଷ୍ଟେସନରେ ଗୋଟାଏ ଟିଣ ସେଡ଼ ଭିତରେ ମରଣାପନ୍ନ ହୋଇପଡ଼ିଛି ତାହାହେଲେ...

 

ଭଦ୍ରବ୍ୟକ୍ତି ବ୍ୟସ୍ତହୋଇ–ମୁଁ ଏଇକ୍ଷଣି ଚିଠି ଏବଂ ଟେଲିଗ୍ରାମ ଦୁଇଟା ପଠାଇଦେଉଛି କହି ଉଠିଗଲେ । ମୁଁ ମନେମନେ କହିବାକୁ ଲାଗିଲି–ଭଗବାନ ସମ୍ବାଦସବୁ ଯେପରି ପିଆରୀ ପାଇପାରେ ।

 

ଜ୍ଞାନ ଫେରିବା ପରେ ପ୍ରଥମେ କିଛି ବୁଝିପାରିଲି ନାହିଁ । ମୁଣ୍ଡରେ ହାତ ମାରି ଜାଣିପାରିଲି ଯେ ସେଇଟା ଆଇସ ବ୍ୟାଗ୍‌ । ଆଖି ଖୋଲି ଦେଖିଲି ଘର ଭିତରେ ଗୋଟିଏ ଖଟ ଉପରେ ଶୋଇଛି । ଆଗରେ ଟୁଲ୍‍ଉପରେ ଗୋଟାଏ ଆଲୁଅ ପାଖରେ ଦୁଇ ତିନିଟା ଔଷଧ ଶିଶି ଥୁଆହୋଇଛି ଏବଂ ତାପରେ ଗୋଟିଏ ଦଉଡ଼ିଆ ଖଟିଆ ଉପରେ କିଏ ଜଣେ ଲୋକ ଚେକ୍‌ ଚଦରଟିଏ ଘୋଡ଼ିହୋଇ ଶୋଇଛି । ଅନେକ ସମୟ ପର୍ଯ୍ୟନ୍ତ କିଛି ଭାବିପାରିଲି ନାହିଁ । ତାପରେ ଗୋଟି ଗୋଟି ହୋଇ ସବୁ ମନେପଡ଼ିବାକୁ ଲାଗିଲା । ନିଘୋଡ଼ ନିଦରେ ଶୋଇ କେତେ କ’ଣ ସ୍ୱପ୍ନ ଦେଖୁଛି । ଅନେକ ଲୋକଙ୍କୁ ଯିବାଆସିବା କରିବା, ମୋତେ ଟେକି କରି ନେଇ ସବାରୀକୁ ଉଠାଇବା, ମୁଣ୍ଡକୁ ଟେକି ଔଷଧ ଖୁଆଇଦେବା ଏପରି କେତେ କ’ଣ ଘଟଣା ।

 

କିଛି ସମୟ ପରେ ଲୋକଟି ଯେତେବେଳେ ନିଦରୁ ଉଠି ବସିଲା, ସେତେବେଳେ ଦେଖି ଜାଣିପାରିଲି ଲୋକଟି ବଙ୍ଗାଳୀ । ଭଦ୍ରଲୋକ ଜଣଙ୍କର ବୟସ ଅଠର–ଉଣେଇଶିରୁ ବେଶୀ ନୁହେଁ । ସେତେବେଳେ ମୋ ମୁଣ୍ଡ ନିକଟରୁ ଯିଏ ଅତି ମୃଦୁ ସ୍ୱରରେ ତାକୁ ସମ୍ବୋଧନ କଲେ ତାଙ୍କ କଣ୍ଠସ୍ୱରକୁ ଚିହ୍ନିପାରିଲି ।

 

ପିଆରୀ ଅତି ମୃଦୁ ସ୍ୱରରେ ଡାକି କହିଲା–ବଙ୍କୁ; ବରଫଟା କାହିଁକି ଆଉ ଥରେ ବଦଳାଇ ଦେଲୁନି ବାବା ?

 

ପିଲାଟି କହିଲା–ଦେଉଛି । ତୁମେ ଟିକିଏ ଶୋଇପଡ଼ନା ମାଆ । ଡାକ୍ତରବାବୁ ଯେବେଠାରୁ କହିଗଲେଣି ଯେ ଏହା ବସନ୍ତ ନୁହେଁ; ସେତେବେଳେ ଆଉ କୌଣସି ଭୟ ନାହିଁ ମାଆ ।

 

ପିଆରୀ କହିଲା ଆରେ ବାବା, ଡାକ୍ତର ବାବୁ ଭୟ ନାହିଁ କହିଲେ କ’ଣ ଝିଅପିଲାମାନଙ୍କୁ ମନରୁ ଭୟ ଚାଲି ଯାଇପାରେ ? ତୋତେ ମୋ ପାଇଁ ଚିନ୍ତା କରିବାକୁ ହେବ ନାହିଁ । ତୁ ବାବା ଟିକିଏ ବରଫଟା ବଦଳାଇ ଦେଇ ଯାଆ ଶୋଇପଡ଼ିବୁ । ଆଉ ରାତି ଜାଗି ରହିବା ଦରକାର ନାହିଁ ।

 

ବଙ୍କୁ ଆସି ବରଫ ବଦଳାଇଦେଲା ଏବଂ ଫେରିଯାଇ ସେଇ ଖଟିଆଉପରେ ଶୋଇପଡ଼ିଲା । ଅଳ୍ପ ସମୟ ପରେ ସେ ଯେତେବେଳେ ଘୁଙ୍ଗୁଡ଼ି ମାରିବାକୁ ଲାଗିଲା ମୁଁ ଆସ୍ତେ ଆସ୍ତେ ଡାକିଲି; ପିଆରୀ–

 

ପିଆରୀ ମୋ ମୁହଁଉପରକୁ ନଇଁପଡ଼ି ମୁଣ୍ଡଉପରୁ ପାଣିଗୁଡ଼ାକୁ ନିଜ ପଣତ କାନିରେ ପୋଛି ପକାଇ, କହିଲା ମୋତେ କ’ଣ ଚିହ୍ନିପାରିଚ ? ବର୍ତ୍ତମାନ କିପରି ଲାଗୁଛି ?

 

: ଭଲଅଛି । କେବେ ଆସିଲ ? ଏଇଟା କ’ଣ ଆରା ?

 

: ହଁ । ଆରା । କାଲି ଆମେ ଘରକୁ ଯିବା ।

 

: କେଉଁଠାକୁ ?

 

: ପାଟନାକୁ । ମୋ ଘରକୁ ନେବା ବ୍ୟତୀତ ତୁମକୁ ଆଉ କେଉଁଠାରେ ବର୍ତ୍ତମାନ ଛାଡ଼ିଦେଇ ଯାଇପାରିବ ନାହିଁ ।

 

: ଏଇ ପିଲାଟି କିଏ ରାଜଲକ୍ଷ୍ମୀ ?

 

: ମୋ ସଉତୁଣୀର ପୁଅ । କିନ୍ତୁ ବଙ୍କୁ ମୋ ପେଟର ପିଲା ପରି । ମୋ ପାଖରେ ରହି ପାଟନା କଲେଜରେ ପଢ଼େ । ଆଜି ଆଉ ବେଶୀ କଥା କହ ନାହିଁ । କାଲି ସବୁ ତୁମକୁ କହିବି, କହି ସେ ମୋ ମୁହଁଉପରେ ହାତଦେଇ ମୋତେ ଚୁପ୍ ହେବାକୁ କହିଲା ।

 

ମୁଁ ହାତ ବଢ଼ାଇ ରାଜଲକ୍ଷ୍ମୀର ଡାହାଣ ହାତଟି ମୁଠାଭିତରେ ରଖି କର ଲେଉଟାଇ ଶୋଇପଡ଼ିଲି ।

 

ସେତେବେଳକୁ ବଙ୍କୁ ଦୁଇଆଖିରେ ଆଖିଏ ନିଦ ତଥାପି ଭର୍ତ୍ତି ହୋଇ ରହିଥାଏ । ସେ ମୁଦ୍ରିତ ଅବ୍ୟକ୍ତ ସ୍ୱରରେ ଉତ୍ତର ଦେଲା–ତୁ ଖାଲି ମୋଉପରେ ରାଗୁଛୁ ସିନା ମାଆ, କିନ୍ତୁ ଏପରି ଅବସ୍ଥାରେ ହଲ୍‌ଚଲ ହେବାକୁ ଆଦୌ ଇଚ୍ଛା ହେଉ ନାହିଁ ।

 

ପିଆରୀ ଟିକିଏ ହସିଦେଇ କହିଲା–ଆଗ ତୁ ଉଠ୍‌ । ଆଖି ମୁହଁ ଧୋ, ତାପରେ ହଲଚଲ ହେବା କଥା ଦେଖାଯିବ । ସୁନା ପୁଅଟା ମୋର, ଉଠିପଡ଼ିଲୁ ବାବା ।

 

ବଙ୍କୁ ବାଧ୍ୟହୋଇ ଶେଯ ଛାଡ଼ି ମୁହଁ ହାତ ଧୋଇ ଲୁଗା ବଦଳାଇ ଷ୍ଟେସନକୁ ଗଲା । ସେଇ ମାତ୍ର ସକାଳ ହୋଇଥିଲା । ଘରେ ଆଉ କେହିନଥିଲେ । ଧୀରେ ଧୀରେ ଡାକିଲି । ପିଆରୀ ବୋଧହୁଏ ମୋ ମୁଣ୍ଡଉପରେ ଥିବା କଟିଆ ଉପରେ ଇତି ମଧ୍ୟରେ କ୍ଳାନ୍ତି ବଶତଃ ଆଖି ଟିକିଏ ବୁଜିତ ଦେଉଥାଏ, ଧଡ଼ପଡ଼ ହୋଇ ମୋ ଡାକ ଶୁଣି ଉଠିପଡ଼ି ପାଖକୁ ଦଉଡ଼ିଆସି ପଚାରିଲା–କ’ଣ ନିଦ ଭାଙ୍ଗିଗଲା କି ?

 

: ମୁଁ ତ ଚାହିଁଛି ।

 

ପିଆରୀ ଉତ୍‌କଣ୍ଠିତା ହୋଇ ଯତ୍ନର ସହିତ ମୋ କପାଳରେ ହାତ ବୁଲାଉ ବୁଲାଉ କହିଲା–ଜ୍ୱର ବର୍ତ୍ତମାନ ଖୁବ୍‌ କମ୍ ଅଛି । ଟିକିଏ ଆଖିବୁଜି ଶୋଇବାକୁ ଚେଷ୍ଟା କରୁନ କାହିଁକି ?

 

: ଚେଷ୍ଟା ତ ବରାବର କରୁଛି । ଆଚ୍ଛା ପିଆରୀ, ଆଜିକୁ କେତେଦିନ ହେବ ମୋତେ ଜ୍ୱର ହେଲାଣି ?

: ତେର ଦିନ । କହି ସେ ଯେପରି ଜଣେ ବର୍ଷିୟସୀ ପ୍ରବୀଣା ଭଳି ଗମ୍ଭୀର ଭାବରେ କହିଲା–ପିଲାଛୁଆଙ୍କ ଆଗରେ ମୋତେ ଏଣିକି ଏପରି ଡାକିବେ ନାହିଁ । ସବୁଦିନ ତ ଲକ୍ଷ୍ମୀବୋଲି ଡାକି ଆସିଛ । ସେଇ ନାଆଁ ଧରି ଡାକୁନ କାହିଁକି ?

 

ଦୁଇଦିନ ହେବ ସମ୍ପୂର୍ଣ୍ଣ ଚେତା ଫେରିଆସିଲାଣି । ମୋର ସବୁ କଥା ମନେପଡ଼ିଲାଣି । ତାପରେ ଯାହା କହିବାପାଇଁ ଭାବିଥିଲି ସେ ସବୁ କଥାଗୁଡ଼ାକ ଏକତ୍ର କରି କହିଲି–ମୋତେ ନେଇଯିବା ପାଇଁ ଚେଷ୍ଟା କରୁଛ, କିନ୍ତୁ ତୁମକୁ ବହୁତ କଷ୍ଟ ଦେଲିଣି । ଆଉ ଅଧିକ ଦେବାପାଇଁ ଚାହୁଁନାହିଁ ।

 

: ତେବେ କ’ଣ କରିବାକୁ ଚାହଁ ?

 

: ମୁଁ ଭାବୁଛି । ବର୍ତ୍ତମାନ ଯେପରି ଅଛି ଯଦି ସେଇପରି ରହେ ତେବେ ତିନି ଚାରିଦିନ ଭିତରେ ସଂପୂର୍ଣ୍ଣ ଆରୋଗ୍ୟ ହୋଇଯିବି । ତୁମେ ବରଂ ଏଇ କେତେଟା ଦିନ ଏଠାରେ ରହିକରି ତୁମ ଘରକୁ ଫେରିଯାଅ ।

 

: ତାପରେ ତୁମେ କ’ଣ କରିବ ଶୁଣେ ?

 

: ସେ ଯାହା ହେଉ କିଛି ହେଲେ ଗୋଟାଏ ହେବ ।

 

: ହବ ଅବଶ୍ୟ; କହି ପିଆରୀ ସାମାନ୍ୟ ହସିଲା ।

 

ତାପରେ ମୋ ଆଗକୁ ଉଠିଆସି ଖଟର ଗୋଟିଏ କଡ଼ ଉପରେ ବସି, ମୋ ମୁହଁକୁ ଦଣ୍ଡକ ପାଇଁ ଚୁପ୍‌ କରି ଚାହିଁରହି, ପୁଣି ଟିକିଏ ହସିପକାଇ କହିଲା ତିନି ଚାରିଦିନ ହେଉ ନଚେତ୍‌ ଦଶବାରଦିନ ଭିତରେ ହେଉ ଏ ରୋଗଟା ଭଲ ହୋଇଯିବ । ଏକଥା ମୁଁ ଭଲରୂପେ ଜାଣେ । କିନ୍ତୁ ଅସଲ ରୋଗଟା କେତେଦିନରେ ଭଲହୋଇପାରିବ ସେକଥା ମୋତେ କହିପାରିବ ?

 

: ଅସଲରୋଗ ପୁଣି କ’ଣ ?

 

ପିଆରୀ କହିଲା–ଭାବିବି ପ୍ରକାରେ; କରିବ ପ୍ରକାରେ ଆଉ କହିବ ଆଉ ପ୍ରକାରେ । ଚିରକାଳ ଏଇ ଗୋଟିଏ ରୋଗ ତୁମର । ତୁମେ ଜାଣ ଯେ ମାସକ ପୂର୍ବରୁ ମୁଁ ତୁମକୁ ଛାଡ଼ିପାରିବି ନାହିଁ, ତଥାପି ଯଦି କହିବ, ତୁମକୁ କଷ୍ଟ ଦେଲେଣି, ତୁମେ ଯାଅ । ହେ ଦୟାମୟ ପୁରୁଷ ! ମୋ ଉପରେ ଯଦି ତୁମର ଏତେ ଦରଦ ଥାଏ, ତେବେ ସନ୍ନ୍ୟାସୀ ନହୋଇ, ସନ୍ନ୍ୟାସୀ ବେଶ ସାଜି କି ହଙ୍ଗାମା ସୃଷ୍ଟି ନକଲ ? ଆସି ଦେଖେ, ମାଟିଉପରେ ଛିଣ୍ଡା କନ୍ଥା ଉପରେ ଶୋଇ ସଂପୂର୍ଣ୍ଣ ବେହୋସ । ମୁଣ୍ଡଟା ଧୂଳିରେ ସରସର । ସର୍ବାଙ୍ଗରେ ରୁଦ୍ରାକ୍ଷର ମାଳା । ହାତରେ ଦୁଇମୁଠା ପିତଳ ବଳା । ମାଆ ଲୋ ମାଆ, ଦେଖିବା ମାତ୍ରେ କାନ୍ଦି ପକାଇଲି । କହୁ କହୁ ତା’ର ଆଖିଦୁଇଟା ଲୁହରେ ଛଳ ଛଳ ହୋଇଉଠିଲା । ତରତର ହୋଇ ପଣତ କାନିରେ ତାକୁ ପୋଛି ପକାଇ କହିଲା, ବଙ୍କୁ ପଚାରିଲା–ମାଆ ଏ କିଏ ସେ ? ମନେମନେ ଭାବିଲି–ତୁ ତ ପୁଅ । ତୋ ଆଗରେ କ’ଣ ସେ ସବୁ କଥା କହିହୁଏ ? ଓଃ ! କି ବିପଦର ଦିନ ସେ ! ଯାହାହେଉ ଭଗବାନଙ୍କ କୃପାରୁ କଟିଯାଇଛି-। କି ଶୁଭକ୍ଷଣରେ ସ୍କୁଲରେ ଦୁଇଜଣଙ୍କର ଚାରିଚକ୍ଷୁରେ ମିଳନ ହୋଇଥିଲା କେଜାଣି-? ଯେଉଁ ଦୁଃଖଟା ତୁମେ ମୋତେ ଦେଲ, ଏତେ ଦୁଃଖ ଭୂ–ଭାରତରେ ଆଉ କାହାକୁ ଦେଇନାହିଁ; କି କେବେ ଦେବ ନାହିଁ । ସହର ଭିତରେ ବସନ୍ତ ଦେଖାଦେଇଛି । ସମସ୍ତଙ୍କୁ ଧରି ଭୋରରୁ ପଳାଇ ପାରିଲେ ରକ୍ଷା–କହି ସେ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା ।

 

ସେଦିନ ରାତିରେ ଆମେମାନେ ଆରା ଛାଡ଼ିଲୁ । ଜଣେ ଯୁବକ ଡାକ୍ତର ବାବୁ ଅନେକ ପ୍ରକାର ଔଷଧ ଧରି ଆମକୁ ପାଟନାରେ ପହଞ୍ଚାଇ ଦେବାପାଇଁ ସଙ୍ଗରେ ଯାଇଥିଲେ ।

 

ପାଟନାରେ ପହଞ୍ଚିବା ପରେ ବାର ତେରଦିନ ଭିତରେ ପ୍ରାୟ ଭଲ ହୋଇ ଆସିଲି । ଦିନେ ସକାଳୁ ପିଆରୀର ପ୍ରତ୍ୟେକ ଘରେ ଏକାକୀ ବୁଲି ବୁଲି ତା’ର ଆସବାବପତ୍ର ଦେଖି ବିସ୍ମିତ ହୋଇଉଠିଲି ! ଏପରି ଯେ ଜିନିଷପତ୍ର ଆଗରୁ ଦେଖିନଥିଲି ତାହା ନୁହେଁ । ଜିନିଷଗୁଡ଼ିକ ଭଲ ଏବଂ ଅତ୍ୟନ୍ତ ମୂଲ୍ୟବାନ ସତ, କିନ୍ତୁ ଏଇ ମାରଓ୍ୱାଡ଼ି ପଡ଼ା ଭିତରେ, ଏଇ ସମସ୍ତ ଧନୀ ଓ ଅଳ୍ପଶିକ୍ଷିତ ସୌଖୀନ ମଣିଷମାନଙ୍କ ସଂସ୍ପର୍ଶରେ ଆସି ଏତେ ସାମାନ୍ୟ ଜିନିଷପତ୍ର ନେଇ ସେ ସନ୍ତୁଷ୍ଟ ହୋଇ ରହିପାରିଲା ଅବା କିପରି ? ଏହା ପୂର୍ବରୁ ମୁଁ ଆଉ ଯେତେଗୁଡ଼ିଏ ଘରଦ୍ୱାର ଦେଖିଛି, ସେମାନଙ୍କର କେଉଁ ଅଂଶ ସହିତ ଏହାର ସାଦୃଶ୍ୟ ନାହିଁ । ସେଠାରେ ପହଞ୍ଚିବା ପରେ ମନେହୋଇଛି ମଣିଷ ଏଠାରେ କ୍ଷଣକାଳ ପାଇଁ ରହେ କିପରି ? ସେଠାରେ ଥିବା ଝାଡ଼, ଲଣ୍ଠନ, ଛବି, ଆଇନା, ଆଲମିରା ଦେଖିଲେ ଆନନ୍ଦ ପରିବର୍ତ୍ତନ ଆଶଙ୍କା ମନରେ ଆସେ । ସ୍ୱାଭାବିକ ଭାବରେ ଶ୍ୱାସ–ପ୍ରଶ୍ୱାସ ନେବାକୁ କଷ୍ଟ ବୋଧହୁଏ । ବହୁଲୋକଙ୍କର, ବହୁବିଧ, କାମନା–ସାଧନାର ଉପହାର ଗୁଡ଼ିକ ଏପରି ଠେସାଠେସି, ଗଦାଗଦି ଭାବରେ ଆଖିରେ ପଡ଼ନ୍ତି ଯେ, ଦୃଷ୍ଟିପାତ ମାତ୍ରେହିଁ ମନକୁ ଆସେ, ଏହି ଅଚେତନ ଜିନିଷଗୁଡ଼ିକ ଭଳି ସେସବୁର ସଚେତନ ଦାତାମାନେ ମଧ୍ୟ ଯେପରି ଏଇ ଘରଭିତରେ ସାମାନ୍ୟ ଟିକିଏ ସ୍ଥାନ ପାଇବା ପାଇଁ ପରସ୍ପର ସହିତ ଠେଲାଠେଲି ହେଉଛନ୍ତି । କିନ୍ତୁ ପିଆରୀ ଘରଭିତରେ ଆବଶ୍ୟକୀୟ ବସ୍ତୁଠାରୁ ଅଧିକ ଗୋଟିଏ ହେଲେ ଜିନିଷ ଆଖିରେ ପଡ଼ିଲା ନାହିଁ–ଏବଂ ଯାହା ଆଖିରେ ପଡ଼ିଲା ସେଗୁଡ଼ିକ ଯେ ଗୃହ ସ୍ୱାମିନୀଙ୍କ ପ୍ରୟୋଜନ ହେତୁ ଆହୃତ ହୋଇଛି ଏବଂ ତାଙ୍କର ଅଭିରୁଚି ଓ ଇଚ୍ଛାକୁ ଅତିକ୍ରମ କରି କାହାକୁ ପ୍ରଲୁବ୍‌ଧ ପାଇଁ ଅନଧିକାର ପ୍ରବେଶ କରି ଯାଗା ମାଡ଼ି ବସିନାହାନ୍ତି, ତାହା ଅତି ସହଜରେ ବୁଝାପଡ଼େ । ଆଉ ଗୋଟିଏ ବିଷୟ ଦୃଷ୍ଟି ଆକର୍ଷଣ କଲା । ଗୋଟାଏ ନାମଜାଦା ବାଈଜୀ ଘରେ ଗାନ–ବାଜଣାର କୌଣସି ଆୟୋଜନ କେଉଁଠାରେ ଦେଖିଲି ନାହିଁ । ଏଘର, ସେଘର ବୁଲିବୁଲି ଆସି ଦୋତାଲାର ଗୋଟିଏ କଣ ଘର ଦରଜା ଆଗରେ ଠିଆହେଲି । ଏଇଟା ଯେ ବାଈଜୀର ଶୟନ ମନ୍ଦିର ତାହା ଭିତରକୁ ଚାହିଁବା ମାତ୍ରେ ଭାବିଥିଲି, କିନ୍ତୁ ସେ ସବୁ କିଛି ନାହିଁ । ଚଟାଣଟି ସାଦା ପଥରର । କାନ୍ଥ ଗୁଡ଼ିକ ଦୁଧଭଳି ଧୋବ ଫରଫର । ଘରଭିତରେ ଗୋଟିଏ ତକ୍ତପୋଷ । ସେଥିରେ ବିଛଣା ବିଛାହୋଇଥାଏ । ଗୋଟିଏ ଆଲଣା, କେତେ ଖଣ୍ଡି ପିନ୍ଧା ଶାଢ଼ି ଏବଂ ତା’ ପଛରେ ଗୋଟିଏ ଲୁହା ଆଲମାରି । ଆଉ କେଉଁଠାରେ କିଛି ନାହିଁ । ପାଦରେ ଯୋତା ମଡ଼ାଇ ଭିତରକୁ ପ୍ରବେଶ କରିବା ପାଇଁ ମନରେ କିପରି ସଙ୍କୋଚ ଆସିଲା । ବୋଧହୁଏ କ୍ଳାନ୍ତିବଶତଃ ତା’ ବିଛଣା ଉପରେ ବସିପଡ଼ିଲି ନଚେତ୍‌ ସେ ଘରେ ବସିବା ପାଇଁ ଆଉ କିଛି ଜାଗା ଥିଲେ ବସିଥାନ୍ତି । ଆଗ ଝରକାକୁ ଗୋଟାଏ ବଡ଼ ନିମଗଛ ଢାଙ୍କି ରହିଥାଏ । ତାହାରି ଭିତର ଦେଇ ଝିରିଝିରି ହୋଇ ପବନ ଆସୁଥିଲା । ସେହିଆଡ଼େ ଚାହିଁ ଉଠି ଚାହିଁଦେଖେ ଗୁଣୁଗୁଣୁ ଗୀତ ଗାଇ ପିଆରୀ ସେ ଘରେ ପ୍ରବେଶ କରୁଛି । ସେ ଗାଧୋଇବାକୁ ଗଙ୍ଗାକୁ ଯାଇଥିଲା । ଘର ଭିତରକୁ ଓଦାଲୁଗା ବଦଳାଇବା ପାଇଁ ଆସିଛି । ଏଣେତେଣେ ନଚାହିଁ ସିଧା ଆଲଣା ନିକଟରେ ପହଞ୍ଚି ପାଲଟିବା ପାଇଁ ଶାଢ଼ିକୁ ହାତ ବଢ଼ାଉଥିବାବେଳେ ମୁଁ ବ୍ୟସ୍ତହୋଇ କହିପକାଇଲି ଘାଟ ସଙ୍ଗରେ ଲୁଗା ନେଇ ଯାଉନ କାହିଁକି ?

 

ପିଆରୀ ଚମକିପଡ଼ି ଫେରି ଚାହିଁ ହସିଦେଲା । କହିଲା ଏଁ ! ଚୋରଭଳି ମୋ ଶୋଇବା ଘରେ ଲୁଚି ବସିଛି ତ ! ନା,ନା, ବସ, ଯିବା ଦରକାର ନାହିଁ । ମୁଁ ସେ ଘରେ ବଦଳାଇ ଆସୁଛି । କହି ହାତରେ ମଠା ଶାଢ଼ିଟା ଧରି ବାହାରିଗଲା ।

 

ପାଞ୍ଚମିନିଟ୍ ପରେ ପ୍ରଫୁଲ ମୁହଁରେ ଫେରି ଆସି ହସି ହସି କହିଲା–ମୋ ଘରେ କିଛି ନାହିଁ, କ’ଣ ଚୋରି କରିବାକୁ ଆସିଲ ତେବେ ? ମୋତେ ନୁହଁ ତ ?

 

ମୁଁ କହିଲି–ମୋତେ ଏତେ କୃତଘ୍ନ ବୋଲି କ’ଣ ଭାବିପାରୁଛ ? ତୁମେ ମୋର ଏତେ କଲ । ଶେଷରେ ତୁମକୁ ଚୋରି କରିବି ? ମୁଁ ଏତେ ଲୋଭୀ ନୁହେଁ ।

 

ପିଆରୀ ମୁହଁ ବିଷଣ୍ଣ ହୋଇଉଠିଲା । କଥାଟା କହିଲେ ସେ ଯେ କଷ୍ଟ ପାଇବ ତାହା ଭାବିନଥିଲି । କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନଥିଲା । ନଥିବା ମଧ୍ୟ ସ୍ୱାଭାବିକ । ବିଶେଷତଃ ଦୁଇ ତିନିଦିନ ମଧ୍ୟରେ ମୁଁ ଫେରିଯିବା ପାଇଁ ଠିକ୍ କରିଥିଲି । କଥାଟାକୁ ଏଡ଼ାଇଦେବା ପାଇଁ ମୁଁ ହସିପକାଇ କହିଲି–ନିଜ ଜିନିଷଟାକୁ କ’ଣ ଚୋରିକରିବାକୁ କେହି କେବେ ଆସେ କି ?

 

ଏତେ ସହଜରେ କିନ୍ତୁ ତାକୁ ଭୁଲାଇ ହେଲାନାହିଁ । ମଳିନ ମୁହଁରେ ସେ କହିଲା–ତୁମକୁ ଏଣିକି କୃତଜ୍ଞ ହେବାକୁ ପଡ଼ିବ ନାହିଁ । ଦୟାକରି ସେ ସମୟରେ ଯେ ମୋ ପାଖକୁ ଗୋଟାଏ ଖବର ପଠାଇ ପାରିଥିଲ ସେତିକି ମୋ ପାଇଁ ଯଥେଷ୍ଟ ।

 

ତା’ର ଶୁଦ୍ଧ ସ୍ନାତ ପ୍ରଫୁଲ୍ଲ ହସହସ ମୁହଁ ଖଣ୍ଡିକ ରୌଦ୍ରଜ୍ୱଳ ସକାଳ ବେଳଟାରେ ମଳିନ କରିଦେଇଥିବାରୁ ମନରେ ଭୀଷଣ କଷ୍ଟ ଅନୁଭବ କଲି । ସେଇ ହସଟିକକ ଭିତରେ କ’ଣ ଏପରି ମାଧୁର୍ଯ୍ୟ ଥିଲା ଯେ ତାହା ନଷ୍ଟ ହେବାର କ୍ଷତିଟା ସଙ୍ଗେ ସଙ୍ଗେ ଜାଣିପାରିଲି । ସେଇ ହସଟିକକୁ ଫେରିପାଇବା ଆଶାରେ ସଙ୍ଗେ ସଙ୍ଗେ ଅନୁତପ୍ତ ସ୍ୱରରେ କହିଉଠିଲେ–ଲକ୍ଷ୍ମୀ ତୁମ ପାଖରେ ମୋର ତ କିଛି ଲୁଚାଇ ରଖିବାର ନାହିଁ; ଏକଥା ତୁମେ ଭଲ କରି ଜାଣ । ତୁମେ ନଯାଇଥିଲେ ମୋତେ ସେଇ ଧୂଳିବାଲିରେ ଗଡ଼ିଗଡ଼ି ମରିବାକୁ ହୋଇଥାନ୍ତି । କେହିହେଲେ ସେତେଦୂର ଯାଇ ମୋତେ ହସ୍‌ପିଟାଲକୁ ପଠାଇବା ପାଇଁ ଚେଷ୍ଟା ମଧ୍ୟ କରିନଥାନ୍ତେ । ସେଇ ଯେ ଚିଠିରେ ଲେଖିଥିଲି ସୁଖ ଦିନରେ ନ ହେଉ ଦୁଃଖ ଦିନରେ ଯେପରି ମନେକରେ । ଆୟୁଷ ଥିଲା ବୋଲି କଥାଟା ମନେପଡ଼ିଥିଲା । ବର୍ତ୍ତମାନ ମୁଁ ବୁଝିପାରିଛି ।

 

: ପାର ?

 

: ନିଶ୍ଚୟ ।

 

: ତାହାହେଲେ ମୋ ପାଇଁ ଜାଣ ଜୀବନ ଫେରିପାଇଛ ?

 

: ଏଥିରେ ମୋର କୌଣସି ସନ୍ଦେହ ନାହିଁ ।

 

: ତାହାହେଲେ ତୁମ ଜୀବନଟା ଦାବି କରିପାରିବି କି ?

 

: ତାହା କରିପାର । କିନ୍ତୁ ମୋ ପ୍ରାଣଟା ଏଡ଼େ ତୁଚ୍ଛ ଯେ ତା’ ଉପରେ ତୁମର ଲୋଭ ହେବାଟା ଉଚିତ୍‌ ନୁହେଁ ।

 

ପିଆରୀ ଏତେ ସମୟ ପରେ ସାମାନ୍ୟ ହସିଦେଇ କହିଲା–ଯାହାହେଉ ମୋର ମୂଲ୍ୟ ମୁଁ ଏତେଦିନ ପରେ ବୁଝିପାରିଛି । କିନ୍ତୁ ପରକ୍ଷଣରେ ଗମ୍ଭୀର ହୋଇ କହିଲା–ସେ ତାମସା ସେତିକିରେ ରଖ । ଦିହ ତ ବର୍ତ୍ତମାନ ଭଲ ହେଲାଣି, ଯିବାକୁ କେବେ ଠିକ୍ କରିଛ ?

 

ତା’ ପ୍ରଶ୍ନର ଅର୍ଥ ଠିକ୍‌ କରି ବୁଝିପାରିଲି ନାହିଁ । ଗମ୍ଭୀର ହୋଇ କହିଲି କୁଆଡ଼େ ଯିବାପାଇଁ ମୋର ତ ବର୍ତ୍ତମାନ ଯୋଜନା ନାହିଁ । ସେଥିପାଇଁ ଭାବୁଛି ଆଉ କିଛି ଦିନ ଏଠାରେ ରହିଯିବି...

 

ପିଆରୀ କହିଲା–ମୋ ପୁଅ ଆଜିକାଲି ପ୍ରାୟ ବାଙ୍କୀ ପୁରରୁ ଆସୁଛି । ବେଶୀଦିନ ରହିଲେ ସେ ହୁଏତ କିଛି ଭାବିପାରେ ।

 

: ଭାବୁ । ତାକୁ ତ ତୁମେ ଭୟ କରି ଚଳ ନାହିଁ । ଏପରି ଆରାମ ଯାଗା ଛାଡ଼ି ମୁଁ ଆଉ କୁଆଡ଼େ ଘୁଞ୍ଚୁ ନାହିଁ ।

 

: ସେ କଥା କ’ଣ ସମ୍ଭବ ହୋଇପାରେ ! ବିରସ ମୁହଁରେ ଏତିକି କହି ପିଆରୀ ହଠାତ୍‌ ଉଠି ଚାଲିଗଲା ।

 

ପରଦିନ ଓପରଓଳି ମୁଁ ରହୁଥିବା ଘରର ପଶ୍ଚିମ ଦିଗ ବାରଣ୍ଡାରେ ଖଣ୍ଡିଏ ଇଜି ଚେୟାରରେ ଶୋଇ ସୂର୍ଯ୍ୟାସ୍ତ ଦେଖୁଥିଲି, ବଙ୍କୁ ଆସି ପହଞ୍ଚିଲା । ଏତେଦିନ ଧରି ତା’ ସହିତ ଭଲଭାବରେ କଥାବାର୍ତ୍ତା କରିବା ପାଇଁ ସୁଯୋଗ ପାଇନଥିଲି । ଗୋଟାଏ ଚଉକିରେ ବସିବାକୁ ଇଙ୍ଗିତ ଦେଇ ମୁଁ ପଚାରିଲି ବଙ୍କୁ, ତୁମେ କ’ଣ ପଢ଼ୁଛ ?

 

ପିଲାଟି ଅତ୍ୟନ୍ତ ସାଧାସିଧା । କହିଲା ଗତବର୍ଷ ମୁଁ ଏନ୍‌ଣ୍ଟ୍ରାନସ ପାସ୍‌ କରିଛି ।

 

: ବର୍ତ୍ତମାନ ତାହାହେଲେ ବାଙ୍କୀପୁର କଲେଜରେ ପଢ଼ୁଛ ତ ?

 

: ଆଜ୍ଞା ହଁ ।

 

: ତୁମର କେତୋଟି ଭାଇ ଭଉଣୀ ?

 

: ଭାଇ ଆଉ ନାହାଁନ୍ତି । ଚାରୋଟି ଭଉଣୀ ।

 

: ସେମାନଙ୍କର ବାହାଘର ସରିଯାଇଛି ?

 

: ଆଜ୍ଞା ହଁ । ମାଆ ହଁ ସମସ୍ତଙ୍କୁ ବିବାହ କରାଇ ଦେଇଛନ୍ତି ।

 

: ତୁମ ମାଆ ବଞ୍ଚିଛନ୍ତି ?

 

: ଆଜ୍ଞା ହଁ, ସେ ଗାଆଁରେ ଅଛନ୍ତି ।

 

: ତୁମର ଏଇ ମାଆ, କେବେ ତୁମ ଗାଆଁ ଘରକୁ ଯାଇଛନ୍ତି ?

 

: ଅନେକଥର । ଏଇମାତ୍ର ତ ପାଞ୍ଚ, ଛଅମାସ ହେବ ଆସିଛନ୍ତି ।

 

: ସେଥିପାଇଁ ଗାଆଁରେ କିଛି ଅସୁବିଧା ହୁଏ ନାହିଁ ?

 

ବଙ୍କୁ କିଛି ସମୟ ଚୁପ୍ ରହିଲା । ତାପରେ କହିଲା–ହେଲେ ହେଉ । ଆମକୁ ଏକଘରିଆ କରି ରଖିଚନ୍ତି ବୋଲି ଆମେ କ’ଣ ଆମ ମାଆଙ୍କୁ ଛାଡ଼ିଦେବୁ ? ଆଉ ଏପରି ମାଆ ଅବା କେତେ ଜଣଙ୍କର ଅଛନ୍ତି ?

 

ହଠାତ୍ ପଚାରିବାକୁ ଇଚ୍ଛାହେଲା, ମାଆ ଉପରେ ଏତେ ଭକ୍ତି କିପରି ଆସିଲା ? କିନ୍ତୁ ସେ କଥାକୁ ଚାପି ରଖିଲି ।

 

ବଙ୍କୁ କହିବାକୁ ଲାଗିଲା–ଆଚ୍ଛା କହନ୍ତୁ ତ, ଗୀତ ଗାଇବା ବଜାଇବାରେ କ’ଣ ଦୋଷ ଅଛି ? ମୋ ମାଆ ତ କେବଳ ସେତିକି ମାତ୍ର କରନ୍ତି । ପରନିନ୍ଦା, ପରଚର୍ଚ୍ଚା ତ କରନ୍ତି ନାହିଁ ? ବରଞ୍ଚ ଗାଆଁରେ ଯିଏ ଆମର ପରମ ଶତ୍ରୁ ତାଙ୍କର ଆଠ ଦଶଟି ପିଲାଙ୍କର ପଢ଼ା ଖର୍ଚ୍ଚ ଯୋଗାନ୍ତି । ଶୀତଦିନରେ କେତେ ଲୋକଙ୍କୁ କମ୍ବଳ ଦିଅନ୍ତି । ଏସବୁ କ’ଣ ମନ୍ଦ କାର୍ଯ୍ୟ ଭିତରେ ଯାଏ ?

 

: ନା, ଏସବୁ ତ ଖୁବ୍ ଭଲ କାର୍ଯ୍ୟ ।

 

: ତେବେ କହନ୍ତୁ ତ, ଆମ ଗାଆଁଭଳି ପାଜୀ ଗାଆଁ ଆଉ କେଉଁଠାରେ ଅଛି ? ଦେଖନ୍ତୁ ନା, ସେ ବର୍ଷ ଇଟା ପୋଡ଼ା ହୋଇ ଆମର କୋଠା ତିଆରି ହେଲା । ଗାଆଁରେ ଭୀଷଣ ଜଳ କଷ୍ଟ ଦେଖି ମାଆ ମୋ ମାଆଙ୍କୁ କହିଲେ–ନାନୀ, ଆଉ କିଛି ପଇସା ଖର୍ଚ୍ଚ କରି ଏଇ ଇଟାଖୋଳା ଗାତଟାକୁ ପୋଖରୀ କରିଦେଉଛି । ତିନି ଚାରି ହଜାରଟଙ୍କା ଖର୍ଚ୍ଚ କରି ପୋଖରୀ ମଧ୍ୟ ଖୋଳାଇଦେଲେ । ଘାଟ ତିଆରି କରିଦେଲେ । କିନ୍ତୁ ଗାଆଁ ଲୋକ ସେ ପୋଖରୀକୁ ପ୍ରତିଷ୍ଠା କରାଇଦେଲେ ନାହିଁ । ଏ ଜଳ କେହି ଖାଆନ୍ତି ନାହିଁ କିମ୍ବା ଛୁଅଁନ୍ତି ନାହିଁ । ଏଇଭଳି ବଜ୍ଜାତ ଲୋକଗୁଡ଼ାକ । ଆମର କାହିଁକି କୋଠାଘର ତିଆରି ହେଲା, ସେଇ ହିଂସାରେ ସମସ୍ତେ ଜଳିପୋଡ଼ି ମରିଯାଉଛନ୍ତି । ବୁଝିଲେନା ଆଜ୍ଞା ?

 

ମୁଁ ଆଶ୍ଚର୍ଯ୍ୟ ହୋଇ କହିଉଠିଲି : –କ’ଣ କହୁଛ ତୁମେ ! ଏଣେ ପାଣି ବିନା ମରଣାନ୍ତକ କଷ୍ଟ ଭୋଗ କରିବେ ଅଥଚ ସେ ପାଣି ଛୁଇଁବେ ନାହିଁ !

 

ବଙ୍କୁ ସାମାନ୍ୟ ହସିଦେଇ କହିଲା–ସେଇଆ ତ, କିନ୍ତୁ ସେ କଥା କ’ଣ ବେଶୀଦିନ ରହିପାରିଲା କି ? ପ୍ରଥମ ବର୍ଷ ଭୟରେ ସେ ଜଳ କେହି ଛୁଇଁଲେ ନାହିଁ । ବର୍ତ୍ତମାନ ଛୋଟ ଜାତିବାଲା ସମସ୍ତେ ନେଉଛନ୍ତି ପିଉଛନ୍ତି । ତଥାପି କିନ୍ତୁ ପୋଖରୀ ପ୍ରତିଷ୍ଠା କରାଇଦେଲେ ନାହିଁ । ଏଥିପାଇଁ ମାଆଙ୍କ ମନରେ କ’ଣ କମ୍ କଷ୍ଟ ?

 

ମୁଁ କହିଲି–ନିଜେ ଛିଙ୍କି ପରର ଯାତ୍ରା ଅନୁକୂଳକୁ ଭଣ୍ଡୁର କରିବା ଭଳି ଏହା ମଧ୍ୟ ଏକ କଥା ।

 

ବଙ୍କୁ ଜୋରଦେଇ କହିଉଠିଲା ଠିକ୍‌ ସେହିପରି । ଗାଆଁରେ ଏକଘରିଆ ହୋଇ ରହିବା ଯେପରି ପ୍ରଚ୍ଛନ୍ନ ଆଶୀର୍ବାଦ । ଆପଣ କ’ଣ କହୁଛନ୍ତି ?

 

ପ୍ରତ୍ୟୁତ୍ତର ଦେବାକୁ ଯାଇ ମୁଁ କେବଳ ହସି ହସି ମୁଣ୍ଡ ଟୁଙ୍ଗାରିଲି । ହଁ, କି ନାହିଁ କିଛି ସ୍ପଷ୍ଟ କରି କହିଲି ନାହିଁ । କିନ୍ତୁ ସେଥିରେ ବଙ୍କୁର ଉଦ୍ଦୀପନାରେ କୌଣସି ବାଧା ଆସିଲା ନାହିଁ । ଦେଖିଲି ପିଲାଟି ପ୍ରକୃତରେ ତା’ ସାବତ ମାଆକୁ ଅତ୍ୟନ୍ତ ଭଲପାଏ । ମନ ମୁତାବକ ଶ୍ରୋତା ପାଇପାରି ମୁଁ ଦେଖିଲି ସେ ଅତ୍ୟନ୍ତ ଉତ୍ସାହିତ ହୋଇ ତା’ ମାଆର ଅଜସ୍ର ସ୍ତୁତି ଗାନ କରି ମୋତେ ଅଥୟ କରିପକାଇଲା ।

 

ହଠାତ୍‌ ସେ ଜାଣିପାରିଲା ଯେ ଏତେ ଗପିବା ଭିତରେ ମୁଁ ତା’ର କୌଣସି କଥାରେ କିଛି ହଁ, କି ନାହିଁ କହି ନାହିଁ । ସେତେବେଳେ ସେ ଅପ୍ରତିଭ ହୋଇ ପ୍ରସଙ୍ଗଟା ଚାପି ଦେବା ପାଇଁ ପ୍ରଶ୍ନ କଲା, ଆପଣ ବର୍ତ୍ତମାନ ଏଠାରେ କିଛିଦିନ ଅଛନ୍ତି ତ ?

 

ମୁଁ ହସିଦେଇ କହିଲି–ନା, କାଲି ସକାଳେ ମୁଁ ଯାଉଛି ।

 

: କାଲି ?

 

: ହଁ, କାଲି ।

 

: କିନ୍ତୁ ଆପଣଙ୍କ ଦେହ ତ ବର୍ତ୍ତମାନ ସୁଦ୍ଧା ଭଲ ହୋଇ ନାହିଁ । ଆପଣ କ’ଣ ଭାବୁଛନ୍ତି ଆପଣ ସୁସ୍ଥ ହୋଇଗଲେଣି ?

 

: ସକାଳେ ଭଲ ହୋଇଗଲା ପରି ଜଣାପଡ଼ୁଥିଲା । ବର୍ତ୍ତମାନ କିନ୍ତୁ ସେପରି ବୋଧ ହେଉନାହିଁ । ଆଜି ଦି ପହର ବେଳୁ ପୁଣି ମୁଣ୍ଡଟା ବଥେଇବାରେ ଲାଗିଛି ।

 

: ତେବେ ଏତେଶୀଘ୍ର ଯିବେ କାହିଁକି ? ଏଠାରେ ତ ଆପଣଙ୍କର କୌଣସି ଅସୁବିଧା ନାହିଁ । କହି ପିଲାଟି ଚିନ୍ତିତ ମୁହଁରେ ମୋ ମୁହଁକୁ ଚାହିଁ ରହିଲା ।

 

କିଛିକ୍ଷଣ ମୁଁ ମଧ୍ୟ ତା’ ମୁହଁକୁ ଚାହିଁ ରହି ତା’ ମନଭିତରର କଥାଟା ଜାଣିବାକୁ ଚେଷ୍ଟା କଲି । ଯେତେଟା ଜାଣିପାରିଲି ସେଥିରେ ଛଳନାରେ କୌଣସି ଇଙ୍ଗିତ ପାଇପାରିଲି ନାହିଁ । ପିଲାଟି ଲଜ୍ଜ୍ୟା ପାଇଲା ସତ ଏବଂ ସେହି ଲଜ୍ଜ୍ୟାକୁ ଲୁଚାଇବାକୁ ଚେଷ୍ଟା କରି କହିଲା–ଆପଣ ବର୍ତ୍ତମାନ ଏଠାରେ ଯାଇୟପାରିବେ ନାହିଁ ।

 

କାହିଁକି ?

 

ଆପଣ ଏଠାରେ ରହିଲେ ମାଆ ବଡ଼ ଖୁସି ହୁଅନ୍ତି । କହିବାମାତ୍ରେ ତା’ ମୁହଁର ରଙ୍ଗ ବଦଳିଗଲା ଏବଂ ସେଠାରୁ ସେ ତତ୍‌କ୍ଷଣାତ୍‌ ଉଠି ଚାଲିଗଲା । ଦେଖିଲି ପିଲାଟି ସରଳ ହୋଇପାରେ କିନ୍ତୁ ନିର୍ବୋଧ ନୁହେଁ । ପିଆରୀ କାହିଁକି ଯେ କହିଥିଲା, ବେଶୀଦିନ ରହିଲେ କାଳେ ମୋ ପୁଅ କିଛି ଭାବିପାରେ କଥାଟି ସହିତ ପିଲାଟି ବ୍ୟବହାରକୁ ବିଚାର କରି ଅର୍ଥଟା ଯେପରି ବୁଝିପାରିଲି । ମାତୃତ୍ୱର ଏଇ ଛବିଟା ଆଖିଆଗରେ ଦେଖିବା ମାତ୍ରେ ଯେପରି ଗୋଟାଏ ନୂତନ ଜ୍ଞାନ ଲାଭ କରିପାରିଲି । ପିଆରୀ ହୃଦୟର ଏକାଗ୍ର ବାସନା ଅନୁମାନ କରିବା ମୋ ପକ୍ଷରେ କଠିନ ନୁହେଁ ଏବଂ ସେ ସଂସାରରେ ସବୁ ଦିଗରୁ ସ୍ୱାଧୀନ ଏକଥା କଳ୍ପନା କରିବା ବୋଧହୁଏ ପାପ ନୁହେଁ । ତଥାପି ସେ, ଯେଉଁ ମୁହୂର୍ତ୍ତରେ ଏହି ଦରିଦ୍ର ବାଳକଟିର ମାତୃପଦ ସ୍ୱେଚ୍ଛାରେ ଗ୍ରହଣ କରିଛି, ସେତେବେଳଠାରୁ ନିଜ ଦୁଇପାଦରେ ଲୁହାର ଶତ ଶତ ବେଡ଼ି ପିନ୍ଧି ସାରିଛି । ସେ ନିଜେ ଯାହା ହେଉନା କାହିଁକି କିନ୍ତୁ ତାହାକୁ ତ ବର୍ତ୍ତମାନ ମାଆର ସମ୍ମାନ ରଖିବାକୁ ପଡ଼ିବ । ତା’ର ଅସଂଯତ କାମନା ଉତ୍ସୃଙ୍ଖଳିତ ହୋଇ ତାକୁ ଯେତେ ଅଧଃପତିତ କରିବାକୁ ଚାହୁଁନା କାହିଁକି କିନ୍ତୁ ଏକଥା ସେ ଭୁଲିପାରେ ନାହିଁ, ସେ ହେଉଛି ଜଣକର ମାଆ । ସେହି ସନ୍ତାନର ଭକ୍ତିନତ ଦୃଷ୍ଟି ଆଗରେ ନିଜକୁ ଅପମାନିତ କରିବାକୁ ସେ ଇଚ୍ଛା କରେନାହିଁ । ତା’ର ବିହ୍ୱଳ ଯୌବନର ଲାଳସାମତ୍ତ ବସନ୍ତ ଦିନରେ କିଏ ଯେ ତାକୁ ଭଲପାଇ ଏଇ ‘ପିଆରୀ’ ନାଆଁଟା ଦେଇଥିଲା, ସେକଥା ମୁଁ ଜାଣେ ନାହିଁ । କିନ୍ତୁ ଏଇ ନାମଟା ପର୍ଯ୍ୟନ୍ତ ସେ ଯେ ତା’ ପୁଅ ନିକଟରୁ ଗୋପନ କରି ରାଖିବାକୁ ଚାହେଁ ଏକଥାଟା ମୋର ମନେପଡ଼ିଗଲା ।

 

ଆଖିଆଗରେ ସୂର୍ଯ୍ୟ ଅସ୍ତ ଗଲେ । ସେଇଦିଗକୁ ଚାହିଁ ରହି ସତେଯେପରି ମୋ ହୃଦୟଟା ନାଲ ହୋଇଉଠିଲା । ମନେମନେ କହିବାକୁ ଲାଗିଲି–ରାଜଲକ୍ଷ୍ମୀ ଆଉ ତ ମୁଁ ଛୋଟ ଆଖିରେ ଦେଖିପାରିବି ନାହିଁ । ମୁଁ ମୋର ବାହ୍ୟ ବ୍ୟବହାର ଯେତେଟା ସ୍ୱାତନ୍ତ୍ର୍ୟ ରକ୍ଷା କରି ଏତେଦିନ ଚାଲି ଆସିଥାଏନା କାହିଁକି, ସ୍ନେହରେ ଯେତେ ମାଧୁର୍ଯ୍ୟ ରଖିଥାଏନା କାହିଁକି, ଉଭୟଙ୍କର କାମନା ଯେ ଏକତ୍ର ସମ୍ମିଳିତ ହେବାପାଇଁ ଅବିରତ ଦୁର୍ନିବାର ବେଗରେ ଧାବିତ ହୋଇଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କିନ୍ତୁ ଆଜି ଦେଖିଲି ତାହା ଆଉ ସମ୍ଭବ ନୁହେଁ । ହଠାତ୍‌ ବଙ୍କୁର ମାଆ ଅଭ୍ରଭେଦୀ ହିମାଳୟ ପରି ରାଜଲକ୍ଷ୍ମୀ ଓ ମୋ ଭିତରେ ଠିଆହୋଇ ରହିଛି । ମନକୁମନ କହିବାକୁ ଲାଗିଲି–କାଲି ସକାଳୁ ମୁଁ ଯେତେବେଳେ ଚାଲିଯାଉଛି ସେତେବେଳେ ମନଭିତରେ ଯେପରି ଲାଭ କ୍ଷତିର ହିସାବ ନକରେ । ମୋର ବନ୍ଧନ ରଖି ନଯାଏ ଯେପରି କି ଯାହାର ଆଳ ଧରି ଆଉଦିନେ ମୁଁ ଏଠାରେ ଆସି ନ ପହଞ୍ଚେ ।

 

ଅନ୍ୟମନସ୍କ ହୋଇ ସେଠାରେ ବସି ରହିଥିଲି । ସନ୍ଧ୍ୟା ସମୟରେ ଧୂପଦାନିର ଧୂପ ଧରି ରାଜଲକ୍ଷ୍ମୀ ଏଇ ବାରଣ୍ଡା ଦେଇ ଅନ୍ୟଘରକୁ ଯାଉଥିଲା । ଅଟକିଯାଇ ଠିଆହୋଇ କହିଲା–କ’ଣ ମୁଣ୍ଡ ବିନ୍ଧୁଛି ? ଶୀତରେ ବସିରହିଛ କାହିଁକି ? ଘର ଭିତରକୁ ଯାଅ ।

 

ହସ ଲାଗିଲା । କହିଲି–ଆଶ୍ଚର୍ଯ୍ୟ କରାଇଲ ଲକ୍ଷ୍ମୀ ! ଶୀତ ବର୍ତ୍ତମାନ ଆସିବ କେଉଁଠୁ-?

 

ରାଜଲକ୍ଷ୍ମୀ କହିଲା–ଶୀତ ନପଡ଼ୁ, ଥଣ୍ଡା ପବନ ତ ଅଛି । ସେଇଟା କ’ଣ ଭଲ ?

 

: ନା ସେଇଟା ତୁମର ଭୁଲ୍ । ବର୍ତ୍ତମାନ ଥଣ୍ଡା କି ଗରମ କୌଣସି ପବନ ବହୁନାହିଁ ।

 

: ମୋର ତ ସବୁ ଭୁଲ୍ । କିନ୍ତୁ ମୁଣ୍ଡ ବିନ୍ଧିବାଟା ତ ଆଉ ମୋର ଭୁଲ୍ ନୁହେଁ ? ସେଇଟା ତ ସତ ? ଘରକୁ ଯାଇ ଟିକିଏ ଶୋଇପଡ଼ୁନ । ଆରେ ରତନ, କ’ଣ କରୁଛୁ କିରେ ? ସେ କ’ଣ ଟିକିଏ ଏଡ଼ିକୋଲୋନ ମୁଣ୍ଡରେ ଦେଇପାରନ୍ତା ନାହିଁ ? ଏ ଘରର ଚାକର ଗୁଡ଼ାକ ପରି ‘ବାବୁ’ ଚାକର ସାରା ପୃଥିବୀରେ ନଥିବେ, କହି କହି ରାଜଲକ୍ଷ୍ମୀ ନିଜ କାମରେ ଚାଲିଗଲା ।

 

ରତନ ସେତେବେଳେ ବ୍ୟସ୍ତ ଓ ଲଜ୍ଜିତ ହୋଇ ଏଡ଼ିକୋଲୋନ ଏବଂ ପାଣିନେଇ ଆସି ପହଞ୍ଚିଲା ଏବଂ ତା’ର ଭୁଲ୍ ପାଇଁ ବାରମ୍ବାର ଅନୁତପ୍ତ ବୋଲି କହି ଚାଲିଲା ସେତେବେଳେ ମୁଁ ଆଉ ନ ହସି ରହିପାରିଲି ନାହିଁ ।

 

ରତନ ସାହସ ପାଇ ଆସ୍ତେ ଆସ୍ତେ କହିଲା–ଏଥିରେ ମୋର ଯେ ଦୋଷ ନାହିଁ ଏକଥା କ’ଣ ମୁଁ ଜାଣିନାହିଁ ବାବୁ ? କିନ୍ତୁ ମାଆଙ୍କୁ ତ କହିବାର ଜୁ ନାହିଁ ଯେ ସେ ରାଗିବସିଲେ ଘରସାରା ଲୋକଙ୍କର ଦୋଷ ଦେଖିପାରନ୍ତି ବୋଲି ।

 

କୌତୂହଳୀ ହୋଇ ପଚାରିଲି–ରାଗିଛନ୍ତି କାହିଁକି ?

 

: ସେକଥା କ’ଣ କାହାର ଜାଣିବାର ଶକ୍ତି ଅଛି ? ବଡ଼ଲୋକଙ୍କର ରାଗ ବାବୁ, ସିମିତି ସିମିତି ହୋଇଥାଏ ଆଉ ସିମିତି ସିମିତି ଯାଇଥାଏ । ସେତେବେଳେ ଚୁପ୍‌ ନ ରହିପାରିଲେ ଚାକର ବାକରଙ୍କର ପ୍ରାଣ ଜାଣ ଗଲା ।

 

ଦ୍ୱାର ନିକଟରୁ ହଠାତ୍‌ ଗୋଟାଏ ପ୍ରଶ୍ନ ଆସି ଆମକୁ ବିସ୍ମିତ କରିପକାଇଲା । ସେତେବେଳେ କ’ଣ ତୋ ମୁଣ୍ଡ କାଟିପକାଏ କିରେ ରତନ ? ଆଉ ବଡ଼ଲୋକଙ୍କ ଘରେ ଯଦି ଏତେ ଯନ୍ତ୍ରଣା ତେବେ ଅନ୍ୟ କେଉଁଠାରେ ଚାଲି ଯାଉନାହିଁ କାହିଁକି ?

 

ମୁନିବଙ୍କର ପ୍ରଶ୍ନ ଶୁଣି ରତନ ଭୟରେ ଥରିଉଠି ତଳକୁ ମୁହଁ ପୋତି ରହିଲା ।

 

ରାଜଲକ୍ଷ୍ମୀ କହିଲା–ତୁ କି କାମ କରୁଛୁ ମୋତେ କ’ଣ ଜଣା ନାହିଁ ? ତାଙ୍କର ମୁଣ୍ଡ ବିନ୍ଧୁଛି ବୋଲି ବଙ୍କୁଠାରୁ ଶୁଣି ମୁଁ ତୋତେ ଡାକି; କହିଲି । ସେଥିପାଇଁ ବର୍ତ୍ତମାନ ଆଠଟା ରାତିରେ ଆସି ମୋର ସୁଖ୍ୟାତି ଗାଇ ବସୁଛୁ ? କାଲିଠାରୁ ଆଉ କେଉଁଠାରେ କାମ ଖୋଜି ଚାଲିଯାଆ । ଆଉ ଏଠାରେ ରହିବା ଦରକାର ନାହିଁ । ବୁଝିପାରିଲୁ ତ ?

 

ରାଜଲକ୍ଷ୍ମୀ ଚାଲିଗଲା । ରତନ ଓଡ଼ିକୋଲନ ଓ ପାଣିଦେଇ ମୋ ମୁଣ୍ଡକୁ ବିଞ୍ଚିବାକୁ ଲାଗିଲା ।

 

ରାଜଲକ୍ଷ୍ମୀ ତତ୍‌କ୍ଷଣାତ୍‌ ଫେରିଆସି ମୋତେ ପ୍ରଶ୍ନ କରି ବସିଲା–କାଲି ସକାଳେ କ’ଣ ଘରକୁ ଯିବ ?

 

ମୋର ଚାଲିଯିବାର ଇଚ୍ଛାଥିଲା । କିନ୍ତୁ ଘରକୁ ଫେରିବାର ସଂକଳ୍ପ ନଥିଲା । ସେଥିପାଇଁ ପ୍ରଶ୍ନଟାର ଉତ୍ତର ସିଧାସଳଖ ନ ଦେଇ କହିଲି–ହଁ କାଲି ସକାଳେ ଯିବି ।

 

: ସକାଳ କେତେଟା ଗାଡ଼ିରେ ଯିବ ?

 

: ସକାଳୁ ବାହାରିପଡ଼ିବ । ଯେଉଁ ଗାଡ଼ିଟା ମିଳିବ.....

 

: ଆଚ୍ଛା ! ଖଣ୍ଡିଏ ଟାଇମ୍‍ଟେବୁଲ ପାଇଁ ଦେଖେ କାହାକୁ ଷ୍ଟେସନକୁ ପଠାଇବାକୁ ହେବ-। କହି ସେ ଚାଲିଗଲା ।

 

ତା’ପରେ ଯଥା ସମୟରେ ରତନ ଚାଲିଗଲା । ତଳେ ଚାକରବାକରଙ୍କ ପାଟିତୁଣ୍ଡ ସଂପୂର୍ଣ୍ଣ ବନ୍ଦ । ବୁଝିପାରିଲି ବର୍ତ୍ତମାନ ବୋଧହୁଏ ସମସ୍ତେ ଶୋଇପଡ଼ିଲେଣି ।

 

ମୋ ଆଖିକୁ କିନ୍ତୁ କୌଣସିମତେ ନିଦ ଆସିଲା ନାହିଁ । ଗୁଡ଼େଇ ଗୋଟିଏ କଥା କେବଳ ଘାଣ୍ଟି ହେବାକୁ ଲାଗିଲା ଯେ ରାଜଲକ୍ଷ୍ମୀ ରାଗିଲା କାହିଁକି ? ଏପରି କି କାମ କରି ବସିଛି ଯାହାଫଳରେ ସେ ମୋ ଯିବାପାଇଁ ଏତେ ବ୍ୟାକୁଳ ? ରତନ କହୁଥିଲା–ବଡ଼ଲୋକଙ୍କର ରାଗ ସିମିତି ସିମିତି ହୁଏ । ତା’ର ଏଇ କଥାଟା ଆଉ କୌଣସି ବଡ଼ ଲୋକଙ୍କଠାରେ ଖାଟେ କି ନାହିଁ ଜାଣେ ନାହିଁ କିନ୍ତୁ ପିଆରୀଠାରେ ଆଦୌ ଖାଟେ ନାହିଁ । ସେ ଅତ୍ୟନ୍ତ ସଂଯମୀ ଓ ବୁଦ୍ଧମତୀ, ସେ ପରିଚୟ ମୁଁ ବହୁବାର ପାଇପାରିଛି । ମୋର ବୁଦ୍ଧି ନ ଥାଇପାରେ କିନ୍ତୁ ପ୍ରବୃତ୍ତି ସମ୍ପର୍କରେ ସଂଯମ ତା’ଠାରୁ କ’ଣ; ବୋଧହୁଏ ସଂସାରରେ କାହାଠାରୁ କମ୍‌ ନୁହେଁ । ପେଟ ଭିତରେ ଯାହା ଥାଉନା କାହିଁକି, ମୁହଁ ଖୋଲି ତାକୁ ପ୍ରକାଶ କରିବା ମୋ ପକ୍ଷରେ ଆଦୌ ସମ୍ଭବ ନୁହେଁ । ବ୍ୟବହାରରେ ମଧ୍ୟ କୌଣସି ବିଷ ପ୍ରକାଶ କରିଥିବାର ମନେହେଉ ନାହିଁ । ତା’ ନିଜ କାର୍ଯ୍ୟ ହେତୁ ଲଜ୍ଜ୍ୟା ପାଇବାର ଘଟଣା ଯଦି କିଛି ଘଟିଥାଇପାରେ ସେ ଅଲଗା କଥା । କିନ୍ତୁ ମୋ ଉପରେ ରାଗ କରିବାର ତା’ର କିଛି କାରଣ ନାହିଁ । ସୁତରାଂ ବିଦାୟ ସମୟରେ ତା’ର ଏଇ ଉଦାସୀନତା ମୋତେ ଯେଉଁ ବେଦନା ଦେବାକୁ ଲାଗିଲା ତାହା ଆଦୌ ଅକିଞ୍ଚିତ୍‌କର ନୁହେଁ ।

 

ଅନେକ ରାତିରେ ହଠାତ୍ ନିଦ ଭାଙ୍ଗି ଯିବାରୁ ଆଖି ମେଲି ଦେଖିଲି ରାଜଲକ୍ଷ୍ମୀ ଘରଭିତରେ ପ୍ରବେଶ କରି, ଟେବୁଲ ଉପରୁ ଆଲୁଅଟା ନେଇ କବାଟ କୋଣରେ ରଖିଦେଲା । ଝରକାଟା ସଂପୂର୍ଣ୍ଣ ଖୋଲା ଥିଲା । ସେଇଟା ବନ୍ଦ କରି ମୋ ବିଛଣା ନିକଟକୁ ଆସି ଦଣ୍ଡେ ଠିଆହୋଇ କ’ଣ ଭାବିବାକୁ ଲାଗିଲା । ତାପରେ ମଶାରି ଭିତରେ ହାତ ପୂରାଇ ମୋ କପାଳରୁ ଉତ୍ତାପ–ଅନୁଭବ କଲା । ପରେ ପରେ ମୋ ଜାମାର ବୋତାମ ଖୋଲି ମୋ ଛାତିରେ ହାତମାରି ଉତ୍ତାପ ଅନୁଭବ କଲା । ନିଭୃତ ଚାହାଣୀର ଗୋପନରେ ଏହି କର ସ୍ପର୍ଶରେ ପ୍ରଥମେ କିଛିଟା କୁଣ୍ଠିତ ଓ ଲଜ୍ଜିତ ହୋଇଉଠିଲି କିନ୍ତୁ ଠିକ୍‌ ସେତିକିବେଳେ ମନେମନେ ଭାବିଲି ସଂଜ୍ଞାହୀନ ଥିବାବେଳେ ଯିଏ ସେବା କରି ମୋର ଚେତନା ଫେରାଇ ଆଣିଲା ତା’ କର ସ୍ପର୍ଶରେ ମୋର ଲଜ୍ଜ୍ୟା କରିବାର କ’ଣ ଅଛି ? ତାପରେ ସେ ବୋତାମ ସବୁ ପୁଣି ଲଗାଇଦେଲା । ଦେହରୁ ଚଦରଟା ପଡ଼ି ଯାଇଥିଲା । ତାକୁ ପୁଣି ବେକ ପର୍ଯ୍ୟନ୍ତ ଘୋଡ଼ାଇ ଦେଲା । ଶେଷରେ ମଶାରିର ଧାରଗୁଡ଼ିକ ଶେଯତଳେ ଅତ୍ୟନ୍ତ ସାବଧାନତାର ସହିତ ଗୁଞ୍ଜିଦେଇ କବାଟ ବନ୍ଦ କରି ଚାଲିଗଲା ।

 

ମୁଁ ସମସ୍ତ ଦେଖିଛି । ସବୁ ଜାଣିପାରିଛି । ଯିଏ ଗୋପନରେ ଆସିଥିଲା ତାକୁ ଗୋପନରେ ଯିବାକୁ ଛାଡ଼ିଦେଲି । କିନ୍ତୁ ଏଇ ନିର୍ଜନ ରାତିରେ ସେ ଯେ କେତେ କ’ଣ ମୋ ନିକଟରେ ଛାଡ଼ି ଦେଇଗଲା ତାହା ସେ ଟିକିଏ ହେଲେ ଜାଣିପାରିଲା ନାହିଁ । ସକାଳେ ପୁଣି ଜ୍ୱର ସହ ନିଦ ଭାଙ୍ଗିଲା । ମୁଣ୍ଡ ଏତେ ଜୋରରେ ବିନ୍ଧିଥିଲା ଯେ ଉଠିବାକୁ ଆଦୌ ଇଚ୍ଛା ହେଉନଥିଲା । ତଥାପି ଯିବାକୁ ହେବ । ଏ ଘରକୁ ଆଉ ଦଣ୍ଡେ ହେଲେ ବିଶ୍ୱାସ ନାହିଁ । ଯେ କୌଣସି ମୁହୂର୍ତ୍ତରେ ଏହା ଭାଙ୍ଗିପଡ଼ିବ । ନିଜର ସୁରକ୍ଷା ପାଇଁ ଯେତେଟା ନୁହେଁ, ରାଜଲକ୍ଷ୍ମୀକୁ ନିରାପଦ ରଖିବା ପାଇଁ ହିଁ ଛାଡ଼ିଯିବାକୁ ପଡ଼ିବ । ଏଥିରେ ଟିକିଏ ଏପଟ ସେପଟ ହେଲେ ଚଳିବ ନାହିଁ ।

 

ମନେମନେ ଭାବି ଦେଖିଲି ସେ ଅତୀତ ଦିନର ଗୁଡ଼ିଏ କଳଙ୍କ ଧୋଇ ସଫା କରି ଦେଇପାରିଛି । ଆଜି ତା’ ଚାରିପାଖରେ ପୁଅ–ଝିଅମାନେ ମାଆ ବୋଲି ଭାବି ଘେରି ରହିଛନ୍ତି । ଏହି ପ୍ରୀତି ଓ ଆନନ୍ଦଧାମରୁ ତାକୁ ଅପମାନିତ କରି ଅଲଗା କରି ଆଣିବାକୁ ମୋର ମନ ବଳିଲା ନାହିଁ ।

 

ପିଆରୀ ଘରଭିତରକୁ ପଶିଆସି ପଚାରିଲା–ଦେହ କିପରି ଲାଗୁଛି ?

 

: ଖୁବ୍‌ ମନ୍ଦ ନୁହେଁ । ତେବେ ଯାଇପାରିବି ।

 

: ଆଜି ନ ଗଲେ କ’ଣ ଚଳନ୍ତା ନାହିଁ ?

 

: ଆଜି ଯିବା ଦରକାର ।

 

: ତାହାହେଲେ ଘରେ ପହଞ୍ଚି ଖଣ୍ଡିଏ ଚିଠି ଲେଖି ପଠାଇବ; ନଚେତ୍‌ ଭାବି ଭାବି ମୋର ରାତି ସରିବ ନାହିଁ ।

 

ପିଆରୀର ଅବିଚଳିତ ଧୈର୍ଯ୍ୟ ଦେଖି ଆନନ୍ଦିତ ହେଲି । ତତ୍‌କ୍ଷଣାତ୍‌ କହିପକାଇଲି–ହଁ, ମୁଁ ଘରକୁ ହିଁ ଯିବି । ଆଉ ଯାଇ ତୁମ ପାଖକୁ ନିଶ୍ଚୟ ଚିଠି ଲେଖିବି ।

 

: ହଁ; ଦେବ । ମୁଁ ମଧ୍ୟ ତୁମକୁ ଚିଠି ଲେଖି ଦୁଇ ତିନିଟା କଥା ପଚାରିବି ।

 

ବାହାରେ ପାଲିଙ୍କିରେ ବସିବାକୁ ଯେତେବେଳେ ଯାଏ ଦେଖିଲି ଦୋମହଲା ବାରଣ୍ଡାରେ ପିଆରୀ ଚୁପ୍ ହୋଇ ଠିଆହୋଇଛି । ତା’ ଛାତି ଭିତର ଯେ କ’ଣ ହେଉଥିଲା ତାହା ତା’ର ମୁହଁ ଦେଖି ଆଦୌ ଜାଣିପାରୁନଥିଲି ।

 

ମୋର ଅନ୍ନଦା ନାନୀ କଥା ମନେପଡ଼ିଲା । ବହୁଦିନ ପୂର୍ବେ ସେ ମଧ୍ୟ ଦିନେ ବିଦାୟ କାଳରେ ଏଇପରି ସ୍ତବ୍‌ଧ ଏବଂ ଏଇପରି ଗମ୍ଭୀର ହୋଇ ଠିଆହୋଇ ରହିଥିଲା । ତା’ର ସେଇ ଦୁଇଟି କରୁଣ ଆଖିର ଚାହାଣି ମୁଁ ଆଜି ସୁଦ୍ଧା ଭୁଲିପାରି ନାହିଁ । କିନ୍ତୁ ସେ ଚାହାଣିରେ ଯେଉଁ ଆସନ୍ନ ବିଦାୟର ବ୍ୟଥା ଘନୀଭୂତ ହୋଇଉଠିଥିଲା, ତାହା ତ ଜାଣିପାରିନଥିଲି । କେଜାଣି ସେପରି କିଛି ଆଭାସ ଆଜି ଏଇ କଳା ଆଖିଦୁଇଟିର ଚାହାଣିରେ ଅଛି କି ନାହିଁ !

 

ଦୀର୍ଘ ନିଃଶ୍ୱାସଟିଏ ମାରି ପାଲିଙ୍କି ଉପରେ ବସିଲି । ଅନୁଭବ କଲି ଗଭୀର ପ୍ରେମ କେବଳ ନିକଟକୁ ଟାଣେ ନାହିଁ ବଂର ଦୂରକୁ ମଧ୍ୟ ଠେଲି ଦେଇପାରେ । ଏମିତି ସିମିତି ମାମୁଲି ପ୍ରେମର ସାଧ୍ୟ ନଥିଲା ଏଇ ସୁଖୈଶ୍ୱର୍ଯ୍ୟ ପରିପୂର୍ଣ୍ଣ ସ୍ନେହ–ସ୍ୱର୍ଗରୁ ପିଆରୀର ମଙ୍ଗଳ ପାଇଁ ଓ କଲ୍ୟାଣ ପାଇଁ ଆଜି ମୋତେ ଏକ ଇଞ୍ଚ ସୁଦ୍ଧା ଟଳାଇ ପାରିଥାନ୍ତା । ବାହକମାନେ ପାଲିଙ୍କି ଧରି ଷ୍ଟେସନ ଅଭିମୁଖରେ ଯିବାପାଇଁ ବ୍ୟଗ୍ର ହୋଇଉଠିଲେ । ମନେମନେ ବାରମ୍ବାର କହିବାକୁ ଲାଗିଲି–ଲକ୍ଷ୍ମୀ, ଦୁଃଖ କରିବୁ ନାହିଁ । ଖୁବ୍ ଭଲ ହେଲା ମୁଁ ତୋ ଘର ଛାଡ଼ି ଚାଲିଯାଉଛି । ତୋ ଋଣ ଶୁଝିବାର ଶକ୍ତି ଇହଲୋକରେ ମୋର ନାହିଁ । କିନ୍ତୁ ଯେଉଁ ଜୀବନ ତୁ ଦାନ କଲୁ, ସେ ଜୀବନର ଅପବ୍ୟବହାର କରି ଆଉ ତୋର ଅପମାନ କରିବି ନାହିଁ । ଦୂରରେ ରହିଲେ ମଧ୍ୟ ଏହି ସଂକଳ୍ପକୁ ମୁଁ ଚିରଦିନ ଅକ୍ଷୁଣ୍ଣ ରଖିବି ।

Image

 

 

 

 

 

 

 

 

 

 

 

 

 

ଶ୍ରୀକାନ୍ତ

ଦ୍ୱିତୀୟ ଖଣ୍ଡ

 

ଏଇ ଲକ୍ଷ୍ମୀଛଡ଼ା ଜୀବନର ଯେଉଁ ଅଧ୍ୟାୟଟିକୁ ସେଦିନ ରାଜଲକ୍ଷ୍ମୀ ନିକଟରେ ବିଦାୟ ମୁହୂର୍ତ୍ତ ବେଳେ ଆଖି ଲୁହ ଭିତରେ ଶେଷ କରିଦେଇ ଆସିଥିଲି ଭାବିପାରିନଥିଲି ଯେ ପୁଣି ଦିନେ ତା’ର ଛିନ୍ନ ସୂତ୍ରକୁ ଏକାଠି କରିବା ପାଇଁ ମୋତେ ପୁଣି ଡାକରା ପଡ଼ିବ ବୋଲି । କିନ୍ତୁ ପ୍ରକୃତରେ ଯେତେବେଳେ ଡାକରା ଆସିଲା ସେତେବେଳେ ବୁଝିପାରିଲି ଯେ ମୁଁ ଯେତେ ଆଶ୍ଚର୍ଯ୍ୟ ଏବଂ ସଙ୍କୁଚିତ ହୁଏନା କାହିଁକି ଏ ଆହ୍ୱାନକୁ ଶିରୋଧାର୍ଯ୍ୟ କରିବାକୁ ଟିକିଏ ମାତ୍ର ଉଁ–ରୁଁ ହେଲେ ଚଳିବ ନାହିଁ ।

 

ସେଥିପାଇଁ ଆଜି ପୁଣି ଏଇ ଭ୍ରଷ୍ଟ ଫେରିଆସିବା ପରେ ମୋର ଏଇ ସୁଖ ଦୁଃଖ ମିଶା ଜୀବନଟାକୁ ଯେପରି ହଠାତ୍‌ କାଟି ଦୁଇଭାଗ କରିଦେଇଥିଲି । ସେତେବେଳେ ମନେହୋଇଥିଲା ମୋ ଦୁଃଖର ଭାର ମୋ ନିଜପାଇଁ ନୁହେଁ । ଏ ଦୁଃଖର ବୋଝ ସିଏ ବୋହିଚାଲିଥିଲା ଯାହାର ନିତାନ୍ତ ଗରଜ ଥିଲା । ଅର୍ଥାତ୍‌ ମୁଁ ଯେ ବଞ୍ଚିରହେ ତାହା ହିଁ ତ ରାଜଲକ୍ଷ୍ମୀର ଭାଗ୍ୟ ଲିଖନ । ମଖିଆଗରେ ଆକାଶର ରଙ୍ଗ ବଦଳିଗଲା । ପବନର ସ୍ପର୍ଶ ଅନ୍ୟପ୍ରକାର ଅନୁଭୂତ ହେଲା । କେଉଁଠାରେ ଆଉ ଯେପରି ଘରଦ୍ୱାର, ପର–ଆପଣା ଭାବ ରହିଲା ନାହିଁ । ଏପରି ଏକପ୍ରକାର ଅନିର୍ବାଚନୀୟ ଉଲ୍ଲାସରେ ମୋର ଅନ୍ତର–ବାହାର ଏକାକାର ହୋଇଉଠିଲା ଯେ, ଭୋଗକୁ ରୋଗ ବୋଲି, ବିପଦକୁ ବିପଦ ବୋଲି, ଏବଂ ଅଭାବକୁ ଅଭାବ ବୋଲି ଆଉ ମନେହେଲା ନାହିଁ । ସଂସାର ଭିତରେ କେଉଁଠାରେ ଯିବାପାଇଁ, କିମ୍ବା କୌଣସି କାର୍ଯ୍ୟ କରିବାକୁ ମନରେ ଲେଶ ମାତ୍ର ଦ୍ୱିଧା ଭାବ ରହିଲା ନାହିଁ ।

 

ଏ ସବୁ ଅନେକ ଦିନର କଥା । ସେ ଆନନ୍ଦ ଆଉ ମୋର ନାହିଁ । କିନ୍ତୁ ସେ ଦିନର ସେହି ଏକାନ୍ତ ବିଶ୍ୱାସର ନିଶ୍ଚିତ ନିର୍ଭୟତାର ସ୍ୱାଦ ଯେ ଜୀବନରେ ଦିନକ ପାଇଁ ଉପଭୋଗ କରିପାରିଛି; ତାହାହିଁ ମୋର ସୌଭାଗ୍ୟ । ଆଜି ସେ ସବୁ ହରାଇପାରିଛି ବୋଲି ମନରେ କେବେ ଦୁଃଖ ମଧ୍ୟ କରୁ ନାହୁଁ । କେବଳ ଏଇ କଥାଟାହିଁ ମଝିରେ ମଝିରେ ମନେହୁଏ, କେଉଁ ଶକ୍ତି ସେଦିନ ଏଇ ହୃଦୟ ଭିତରେ ଜାଗ୍ରତ ହୋଇ, ଏତେଶୀଘ୍ର ସଂସାର ଭିତରର ସମସ୍ତ ଏଇ କଥାଟାହିଁ ମଝିରେ ମଝିରେ ମନେହୁଏ, କେଉଁ ଶକ୍ତି ସେଦିନ ଏଇ ହୃଦୟ ଭିତରେ ଜାଗ୍ରତ ହୋଇ, ଏତେଶୀଘ୍ର ସଂସାର ଭିତରର ସମସ୍ତ ନିରାନନ୍ଦକୁ ହରଣ କରିନେଇଥିଲେ । ସେ କି ବିରାଟ ବ୍ୟକ୍ତି-! ଆହୁରି ମନେହେଲା ସେଦିନ ମୋଭଳି ଆଉ ଦୁଇଟି ହାତଉପରେ ଏତେବଡ଼ ଗୁରୁ ଭାରଟା ଚାପି ନ ଦେଇ ଯଦି ସମସ୍ତ ବ୍ରହ୍ମାଣ୍ଡର ଭାର ବହନ କରିଥିବା ସେଇ ଦୁଇଟି ହାତଉପରେ ମୋର ସେଦିନର ସେଇ ଅଖଣ୍ଡ ବିଶ୍ୱାସର ସମସ୍ତ ବୋଝ ସମର୍ପି ଦେବାପାଇଁ ଶିଖିପାରିଥାନ୍ତି ତେବେ ଆଜି ମୋର କ’ଣ ଅବା ଚିନ୍ତା ଥିଲା ? କିନ୍ତୁ ଛାଡ଼ନ୍ତୁ ସେକଥା.....

 

ପହଞ୍ଚିବା ଖବର ଜଣାଇ ରାଜଲକ୍ଷ୍ମୀ ପାଖକୁ ଚିଠି ଲେଖିଥିଲି । ସେ ଚିଠିର ଉିତ୍ତର ଆସିଲା ଅନେକଦିନ ପରେ । ସେଇ ଚିଠିରେ ସେ ମୋ ଅସୁସ୍ଥ ଶରୀର ପାଇଁ ଉଦ୍‌ବିଗ୍ନ ହେବା ସଙ୍ଗେ ସଙ୍ଗେ ମୋତେ ଶୀଘ୍ର ଏହାପରେ ସଂସାରୀ ପାଇଁ ଉଦ୍‌ବିଗ୍ନ ହେବା ସଙ୍ଗେସଙ୍ଗେ ମୋତେ ଶୀଘ୍ର ଏହାପରେ ସଂସାରୀ ହେବାପାଇଁ ଉପଦେଶ ଦେଇଥିଲା । ଆହୁରି ମଧ୍ୟ ଏକଥା ଲେଖିଥିଲା ଯେ କାର୍ଯ୍ୟବ୍ୟସ୍ତ ରହି ସେ ଠିକ୍‌ ସମୟରେ ପତ୍ର ଲେଖି ନ ପାରିଲେ ସୁଦ୍ଧା ମୁଁ ଯେପରି ମଝିରେ ମଝିରେ ମୋ ବିଷୟରେ ତାକୁ ସମ୍ୱାଦ ଦେବାରେ ତ୍ରୁଟି ନ କରେ ଏବଂ ତାକୁ ପର ବୋଲି ମନେ ନକରେ ।

 

ତଥାସ୍ତୁ ! ଏତେଦିନ ପରେ ସେଇ ରାଜଲକ୍ଷ୍ମୀର ଏଇ ଚିଠି !

 

ଆକାଶ କୁସୁମ ଆକାଶରେ ଶୁଖିଗଲା ଏବଂ ଯେଉଁ ଦୁଇଟା ଶୁଖିଲା ପାଖୁଡ଼ା ପବନରେ ଝରିପଡ଼ିଲା, ତାକୁ ଗୋଟାଇ ଆଣି ଘରେ ସାଇତି ରଖିବାପାଇଁ ଆଉ ହାତରେ ମାଟି ଲଗାଇଲି ନାହିଁ । ଆଖିରୁ ଯଦି ଅବା ଦୁଇ ଏକ ବିନ୍ଦୁ ଅଶ୍ରୁ ଝରିପଡ଼ିଥିବ ତ ପଡ଼ିଥାଇପାରେ ସେ କଥା କିନ୍ତୁ ମୋର ମନେନାହିଁ, ତେବେ ଏକଥା ମନେଅଛି ଯେ, ଦିନଗୁଡ଼ାକ ଆଉ ସ୍ୱପ୍ନ ଦେଖି ବିତାଇ ଦେବାକୁ ଚାହିଁଲି ନାହିଁ । ତଥାପି ଏପରି ଭାବରେ ଆଉ ପାଞ୍ଚ, ଛଅମାସ ମୋର କଟିଗଲା-

 

ଦିନେ ସକାଳେ ବାହାରକୁ ବାହାରିଛି ହଠାତ୍‌ ଖଣ୍ଡିଏ ଅଦ୍ଭୁତ ପତ୍ର ଆସି ପହଞ୍ଚିଲା । ଉପରେ ଝିଅପିଲାର ନୂଆ ଶିଖୁଥିବା ହସ୍ତାକ୍ଷରରେ ମୋ ନାମ ଓ ଠିକଣା । ଖୋଲିବା ମାତ୍ରେ ପତ୍ରଭିତରୁ ଆଉ ଖଣ୍ଡିଏ ଛୋଟ ପତ୍ର ଖସି ତଳେ ପଡ଼ିଗଲା । ତୋଳିନେଇ ତାହାର ଅକ୍ଷର ଏବଂ ଦସ୍ତଖତ ଆଡ଼େ ଚାହିଁଦେଇ ନିଜ ଆଖିଦୁଇଟାକୁ ହଠାତ୍ ଯେପରି ବିଶ୍ୱାସ କରିପାରିଲି ନାହିଁ । ମୋର ଯେଉଁ ମାଆ ଆଜକୁ ଦଶବର୍ଷ ପୂର୍ବେ ଦେହତ୍ୟାଗ କରିଥିଲେ, ଏହା ହେଉଛି ତାଙ୍କର ଶ୍ରୀହସ୍ତର ହସ୍ତାକ୍ଷର । ପଢ଼ି ଦେଖିଲି ମାଆ ତାଙ୍କର ‘‘ଗଙ୍ଗା ପାଣି’’କୁ ଯେପରି ଅଭୟ ଦେବାକୁ ହୁଏ ସେଇପରି ଦେଇଛନ୍ତି । ଘଟଣାର ସମ୍ଭବତଃ ଏଇ ଯେ ବାର ତେରବର୍ଷ ପୂର୍ବେ, ସେତେବେଳେ ଏଇ ‘‘ଗଙ୍ଗା ପାଣି’’ର ଅନେକ ବୟସରେ ଗୋଟିଏ କନ୍ୟାରତ୍ନ ଭୂମିଷ୍ ହୁଅନ୍ତି ସେତେବେଳେ ସେ ଦୁଃଖ, ଦୈନ୍ୟ, ଏବଂ ଦୁଃଶ୍ଚିନ୍ତା ଜଣାଇ ମାଆକୁ ଯେଉଁ ପତ୍ର ଲେଖିଥିଲେ ଏବଂ ତାହାର ପ୍ରତ୍ୟୁତ୍ତର ଜଣାଇ ମୋର ସ୍ୱର୍ଗବାସିନୀ ଜନନୀ ଏଇ ଗଙ୍ଗା ପାଣି ଦୁହିତାଙ୍କର ବିବାହର ସମସ୍ତ ଦାୟିତ୍ୱ ଗ୍ରହଣକରି ଯେଉଁ ଚିଠି ଲେଖିଥିଲେ, ଏ ଖଣ୍ଡିକ ହେଉଛି ସେହି ମୂଲ୍ୟବାନ ଦଲିଲ । ସାମୟିକ କରୁଣାରେ ବିଗଳିତ ହୋଇ ଉପସଂହାରର ଲେଖିଛନ୍ତି–ଯଦି ସୁପାତ୍ର ଅନ୍ୟକେଉଁଠାରେ ନମିଳିନ୍ତି ତେବେ ମୋ ପୁଅ ତ ଅଛି ତାହା ଅବଶ୍ୟ ସତ ! ସଂସାରରେ ସୁପାତ୍ରର ଯଦିବା ଏକାନ୍ତ ଅଭାବ ହୁଏ, ସେତେବେଳେ ମୁଁ ତ ରହିଛି ! ଆଗପଛ ପୂରା ଚିଠିଟାକୁ ଦୁଇଥର ପଢ଼ି ଦେଖିଲି, ପ୍ରକୃତରେ ବିଚକ୍ଷଣତା ଅଛି । ମାଆଙ୍କର ଓକିଲ ହେବା ଉଚିତ ଥିଲା । କାରଣ ଯେତେଦୂର କଳ୍ପନା କରାଯାଇପାରେ ସେ ନିଜେ ତାଙ୍କର ବଂଶଧରକୁ ଦାୟିତ୍ୱରେ ବନ୍ଧନ କରିଦେଇ ଯାଇଛନ୍ତି । ଦଲିଲରେ କେଉଁଠାରେ ଏତେ ଟିକିଏ ହେଲେ ତ୍ରୁଟି ରଖିଯାଇନାହାନ୍ତି ।

 

ସେ ଯାହାହେଉ, ‘ଗଙ୍ଗାପାଣି’ ଯେ ସୁଦୀର୍ଘ ଏଇ ତେରବର୍ଷ କାଳ ପକ୍‌କା ଦଲିଲଟି ଉପରେ ନିର୍ଭର ରଖି ନୀରବରେ ବସି ରହିଥିଲେ ତାହା ମୋର ଯେତିକି ମନେହେଲା ନାହିଁ, ବିରଞ୍ଚି ଅଧିକ ମନେହେଲା, ବହୁ ଚେଷ୍ଟା କରି, ଅର୍ଥ ଓ ଲୋକ ଅଭାବରୁ ଯେତେବେଳେ ସୁପାତ୍ର ପାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇଉଠିଲା ଏବଂ ଅନୂଢ଼ା କନ୍ୟାଟିର ଶାରୀରିକ ଉନ୍ନତି ପ୍ରତି ଦୃଷ୍ଟିପାତ କରି ଆନନ୍ଦରେ ରକ୍ତ ଯେତେବେଳେ ମଗଜ ଉପରେ ଚଢ଼ିବାକୁ ଉପକ୍ରମ କଲା, ସେତେବେଳେ ଏଇ ହତଭାଗ୍ୟ ସୁପାତ୍ର ଉପରେ ତାଙ୍କର ଏକମାତ୍ର ବ୍ରହ୍ମାସ୍ତ୍ର ନିକ୍ଷେପ କରିଛନ୍ତି ।

 

ମାଆ ବଞ୍ଚିଥିଲେ ହୁଏତ ଏଇ ଚିଠିଟା ପାଇଁ ମୁଁ ତାଙ୍କ ମୁଣ୍ଡ ଚୋବାଇ ଖାଇଥାନ୍ତି । ଅଥବା ବର୍ତ୍ତମାନ ସେ କେଉଁ ଉଚ୍ଚ ସ୍ଥାନରେ ବସି ହସୁଛନ୍ତି ସେଠାକୁ ଲମ୍ଫ ପ୍ରଦାନ କରି ତାଙ୍କ ପାଦ ଛୁଇଁ ଦେହର ରାଗକୁ ଶାନ୍ତକରନ୍ତି । କିନ୍ତୁ ସେ ପଥ ମଧ୍ୟ ମୋ ପାଇଁ ବନ୍ଦ ହୋଇଯାଇଛି ।

 

ସୁତରାଂ ମାଆଙ୍କର କିଛି ନପାରି, ତାଙ୍କ ‘‘ଗଙ୍ଗାପାଣି’’ଙ୍କର କ’ଣ କରିପାରେ କି ନପାରେ ପରୀକ୍ଷା କରିବାପାଇଁ ଦିନେ ରାତିରେ ଆସି ମୁଁ ଷ୍ଟେସନରେ ପହଞ୍ଚିଲି । ସାରା ରାତି ଟ୍ରେନ ଭିତରେ କଟାଇ ମୁଁ ଯେତେବେଳେ ତାଙ୍କ ପଲ୍ଲୀ ଭବନରେ ଆସି ପହଞ୍ଚିଲେ ସେତେବେଳକୁ ଉପରଓଳି । ଗଙ୍ଗାପାଣି–ମାଉସୀ ପ୍ରଥମେ ମୋତେ ଚିହ୍ନିପାରିଲେ ନାହିଁ । ଶେଷରେ ପରିଚୟ ପାଇ ଏଇ ତେରବର୍ଷ ପରେ ଏପରି ଭାବରେ କାନ୍ଦି ବସିଲେ ଯେ; କୌଣସି ଆପଣାର ଲୋକ ମୋ ଆଖିଆଗରେ ମାଆଙ୍କର ମୃତ୍ୟୁ ଦେଖି ଏପରି କାନ୍ଦି ପାରିନଥିଲେ ।

 

ସେ କହିଲେ ଧର୍ମତଃ ଏବଂ ଲୌକିକତା ଦୃଷ୍ଟିରୁ ସେ ମୋର ବର୍ତ୍ତମାନ ମାତୃ ସ୍ଥାନୀୟା । ସେଥିପାଇଁ ମୋର ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ସୋପାନ ସ୍ୱରୂପ, ମୋର ସାଂସାରିକ ଅବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବରେ ପର୍ଯ୍ୟାଲୋଚନା କରିବାକୁ ପ୍ରବୃତ୍ତ ହୋଇଛନ୍ତି । ବାବା କ’ଣ ରଖିଯାଇଛନ୍ତି-? ମାଆଙ୍କର କ’ଣ କ’ଣ ଗହଣା ଅଛି ? କାହା କାହା ନିକଟରେ ଅଛି ? ମୁଁ ଚାକିରି କାହିଁକି କରି ନାହିଁ ଏବଂ ଯଦି କରେ ତେବେ ଟଙ୍କା ଦରମା ପାଇପାରିବି ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ପଚାରି ବସିଲେ । ତାଙ୍କ ମୁହଁଦେଖି କିଛି ସମୟ ପରେ ମୁଁ ଜାଣିପାରିଲି ମୋ ସହିତ ଆଲୋଚନା କରି ସେ ସନ୍ତୋଷ ନୁହଁନ୍ତି ।

 

ସେ କହିଲେ–ତାଙ୍କର କୌଣସି ଏକ ଆତ୍ମୀୟ ବର୍ମା ମୁଲକରେ ଚାକିରି କରି ‘ଲାଲ’ ହୋଇଯାଇଛି ଅର୍ଥାତ୍‌ ଅତିଶୟ ଧନବାନ୍‌ ହୋଇପାରିଛି । ସେଠାରେ ବାଟ ଘାଟରେ ଟଙ୍କା ଫୋଫଡ଼ା ହୋଇଛି, କେବଳ ଗୋଟାଇପାରିଲେ ହେଲା । ସେଠାରେ ଜାହାଜରୁ ଓହ୍ଲାଉ ନ ଓହ୍ଲାଉଣୁ ସାହେବମାନେ ବଙ୍ଗାଳୀମାନଙ୍କୁ କାନ୍ଧରେ ବସାଇ ନେଇ ଚାକିରି ଦିଅନ୍ତି । ଏହି ରୂପ ଅନେକ କାହାଣୀ ଗପି ବସିଲେ ।

 

ପରବର୍ତ୍ତୀ ଜୀବନରେ ଦେଖିଛି ଏପରି ଭ୍ରାନ୍ତ ବିଶ୍ୱାସ କେବଳ ତାଙ୍କର ନୁହେଁ, ବରଂ ଏପରି ଅନେକ ଲୋକ ଏଇ ମାୟା ମରୀଚିକା ପଛରେ ଉନ୍ମତ୍ତ ପ୍ରାୟ ସହାୟ ସମ୍ବଳହୀନ ହୋଇ ସେଠାକୁ ଧାଇଁଯାଇଛନ୍ତି ଏବଂ ସେମାନଙ୍କର ମୋହ ଭାଙ୍ଗିଲା ପରେ ସେମାନଙ୍କୁ ଘରମାନଙ୍କୁ ପଠାଇ ଦେବା ପାଇଁ ମୋତେ କମ କ୍ଳେଶ ସହିବାକୁ ହୋଇନାହିଁ । କିନ୍ତୁ ସେ ସବୁ କଥା ବର୍ତ୍ତମାନ ଏଠାରେ ଥାଉ । ଗଙ୍ଗାପାଣି ମାଉସୀଙ୍କର ବର୍ମା ମୁଲକର କାହାଣୀ ମୋତେ ତୀର ବିନ୍ଧିବା ଭଳି ମନେହେଲା । ‘ଲାଲ’ ହେବା ଆଶାରେ ନୁହେଁ ବରଂ ମୋ ଭିତରେ ଯେଉଁ ବାରବୁଲା ଭାବଟା କିଛିଦିନ ହେବ ଘୂମାଇଁ ପଡ଼ିଥିଲା, ସେ ତା’ର କ୍ଳାନ୍ତି ମେଣ୍ଟାଇ ପୁଣି ଚେଙ୍ଗା ହୋଇଉଠିଲା । ଯେଉଁ ସମୁଦ୍ରକୁ ଏହାପୂର୍ବରୁ କେବଳ ଦୂରରୁ ଦେଖି ମୁଗ୍‌ଧ ହେଉଥିଲି, ସେହି ଅନନ୍ତ ଅଶାନ୍ତ ଜଳରାଶିକୁ କିପରି ଭେଦ କରି ଯାଇପାରିବି ଏହି ଚିନ୍ତା ହିଁ ମୋତେ ଅସ୍ଥିର କରିପକାଇଲା । କୌଣସି ପ୍ରକାରେ ଏଠାରୁ ପଳାଇ ପାରିଲେ ଯାଇ ରକ୍ଷା !

 

ମଣିଷକୁ ମଣିଷ ଯେତେପ୍ରକାର ଜେରା କରିପାରେ ସେଥିରୁ କୌଣସିଟାରୁ ଗଙ୍ଗାପାଣି ମାଉସୀ ମୋତେ ବାଦ୍‌ ଦେଇନାହାଁନ୍ତି । ସୁତରାଂ ନିଜ ଝିଅର ଉପଯୁକ୍ତ ପାତ୍ର ହିସାବରେ ସେ ଯେ ମୋତେ ମୁକ୍ତି ଦେଇପାରିଛନ୍ତି ଏ ବିଷୟରେ ମୁଁ ଏକପ୍ରକାର ନିଶ୍ଚିନ୍ତ ଥିଲି । କିନ୍ତୁ ରାତିରେ ଖାଇବାବେଳେ ତାଙ୍କ କହିବା ଭୂମିକାର ଢଙ୍ଗ ଦେଖି ମୁଁ ଉଦ୍‌ବିଗ୍ନ ହୋଇପଡ଼ିଲି । ଦେଖିଲି, ମୋତେ ସଂପୂର୍ଣ୍ଣଭାବରେ ହାତଛଡ଼ା କରିବା ତାଙ୍କର ଅଭିପ୍ରାୟ ନାହିଁ । ସେ ଏଇ କଥା କହି ଆରମ୍ଭ କଲେ ଯେ ଝିଅ କପାଳରେ ସୁଖ ନଥିଲେ, ଯେତେ ଟଙ୍କା କଉଡ଼ି, ଘରଦ୍ୱାର, ବିଦ୍ୟାବୁଦ୍ଧି ଦେଖିଦିଅନା କାହିଁକି ସମସ୍ତ ନିଷ୍ଫଳ ହୁଏ ଏବଂ ଏହି ସମ୍ପର୍କରେ ନାମ–ଧାମ ବିବରଣୀ ସହିତ ଅନେକଗୁଡ଼ିଏ ବିଶ୍ୱାସଯୋଗ୍ୟ ନଜିର ଦେଇ ବିଫଳତାର ପ୍ରମାଣ ମଧ୍ୟ ଦେଖାଇଦେଲେ । କେବଳ ସେତିକି ନୁହେଁ । ଅନ୍ୟ ପକ୍ଷରେ ଏପରି ଗୁଡ଼ିଏ ଲୋକଙ୍କର ନାମ ଉଲ୍ଲେଖ କଲେ, ଯେଉଁମାନେ ନିପଟ ମୂର୍ଖ ହୋଇ ମଧ୍ୟ ସ୍ତ୍ରୀ ନେଇଥିବା ଯୌତୁକ ହେତୁ ବର୍ତ୍ତମାନ ଟଙ୍କା ଉପରେ ଦିନରାତି ଉଠବସ ହୋଇପାରୁଛନ୍ତି ।

 

ମୁଁ ତାଙ୍କୁ ବିନୟର ସହିତ କହିଲି ଯେ, ଟଙ୍କା ଜିନିଷଟା ପ୍ରତି ମୋର ଆସକ୍ତି ଥିଲେ ସୁଦ୍ଧା ଚବିଶ ଘଣ୍ଟା ତାହା ଉପରେ ବସିରହିଥିବାଟାକୁ ମୁଁ ପ୍ରୀତିପଦ ମନେକରେ ନାହିଁ ଏବଂ ଏଥିପାଇଁ ମଧ୍ୟ ସ୍ତ୍ରୀ ଜରିଆରେ ଯୌତୁକ ପାଇବା ପାଇଁ ମୁଁ ଆଦୌ ଆଗ୍ରହୀ ନୁହେଁ । କିନ୍ତୁ ବିଶେଷ କିଛି ଫଳ ହେଲା ନାହିଁ । କାରଣ ତାଙ୍କୁ ନିବୃତ୍ତ କରି ହେଲା ନାହିଁ । କାରଣ ଯିଏ ସୁଦୀର୍ଘ ତେରବର୍ଷ ପରେ ଏପରି ଗୋଟାଏ ଚିଠିକୁ ଦଲିଲରୂପେ ଦାଖଲ କରିପାରନ୍ତି, ତାଙ୍କୁ ଏତେ ସହଜରେ ଭୁଲାଇ ଦେଇହୁଏ ନାହିଁ । ସେ ବାରମ୍ବାର କହିବାକୁ ଲାଗିଲେ ଯେ ଏହାକୁ ମାତୃ–ଋଣ ରୂପେ ଗ୍ରହଣ ଉଚିତ୍‌ ଏବଂ ଯେଉଁ ସନ୍ତାନ ସମର୍ଥ ହେଲା ପରେ ସୁଦ୍ଧା ମାତୃଋଣ ପରିଶୋଧ କରେ ନାହିଁ, ସେ ଇତ୍ୟାଦି ଇତ୍ୟାଦି.......

 

ମୁଁ ଯେତେବେଳେ ଅତିଶୟ ଶଙ୍କିତ ଓ ଉଦ୍‌ଭ୍ରାନ୍ତ ହୋଇପଡ଼ିଥାଏ ସେତେବେଳେ କଥା ଲହସରେ ଜାଣିବାକୁ ପାଇଲି ଯେ–ନିକଟବର୍ତ୍ତୀ ଗ୍ରାମରେ ଗୋଟିଏ ସୁପାତ୍ର ଅଛି ସତ କିନ୍ତୁ ପାଞ୍ଚଶହ ଟଙ୍କା କମ୍‌ରେ ତାକୁ ପାଇବା କଷ୍ଟ ।

 

ଗୋଟାଏ କ୍ଷୀଣ ଆଶାର ରଶ୍ମି ମୋତେ ଦେଖାଗଲା । ମାସକ ପରେ ଯାହାହେଉ ଗୋଟାଏ କିଛି ପନ୍ଥା ଅବଲମ୍ବନ କରିବି କଥାଦେଇ ପରଦିନ ସକାଳୁ ବାହାରିପଡ଼ିଲି । କିନ୍ତୁ କି ଉପାୟ ଅବଲମ୍ବନ କରିବି ଭାବି ଚାରିଆଡ଼କୁ ଚାହିଁ କୌଣସି କୂଳ କିନାରା ଦେଖିପାରିଲି ନାହିଁ ।

 

ମୋ ଉପରେ ଲଦି ଦିଆଯାଇଥିବା ଏ ବନ୍ଧନଟା ଯେ ପ୍ରକୃତରେ ସମ୍ଭବପର ହୋଇପାରିବ ନାହିଁ ତାହା ଅନେକ ପ୍ରକାରେ ଆପେ ଆପଣାକୁ ବୁଝାଇବାକୁ ଲାଗିଲା । କିନ୍ତୁ ତଥାପି ମାଆଙ୍କୁ ଏଇ ପ୍ରତିଶ୍ରୁତି ଫାସରୁ ଅବ୍ୟାହିତ ନଦେଇ, ନୀରବରେ ଖସିଯିବା କଥା କୌଣସି ମତେ ଚିନ୍ତା କରିପାରିଲି ନାହିଁ ।

 

ପିଆରୀକୁ କହିବା ବୋଧହୁଏ ମୋପାଇଁ ଏକମାତ୍ର ଉପାୟ ଥିଲା । କିନ୍ତୁ ବହୁଦିନ ପର୍ଯ୍ୟନ୍ତ ଏ ବିଷୟରେ ମନ ସ୍ଥିର କରିପାରିଲି ନାହିଁ । ଅନେକଦିନ ହେବ ତା’ ଖବର ରଖିପାରିନାହିଁ-। ସେଇ ପହଞ୍ଚିବା ଖବର ବ୍ୟତୀତ ଆଉ ଚିଠି ମୁଁ ତା’ ପାଖକୁ ଲେଖିନାହିଁ । ସେ ମଧ୍ୟ ତା’ର ଉତ୍ତର ଦେବା ବ୍ୟତୀତ ଆଉ ଦ୍ୱିତୀୟ ପତ୍ର ଦେଇନାହିଁ । ବୋଧହୁଏ ଚିଠିପତ୍ର ମାଧ୍ୟମରେ ଉଭୟଙ୍କ ଭିତରେ ଗୋଟାଏ ଯୋଗସୂତ୍ର ରହୁ ଏହା ସେ ଚାହେଁ ନାହିଁ । ଅନ୍ତତଃ ତା’ର ସେଇ ଗୋଟିଏ ଚିଠିରୁ ମୁଁ ଏତିକି ବୁଝିପାରିଥିଲି । ତଥାପି କିନ୍ତୁ ଆଶ୍ଚର୍ଯ୍ୟ ହେଲି ଯେ ପରଝିଅ ପାଇଁ ଭିକ୍ଷା କରିବା ଆଳରେ ମୋତେ ପ୍ରକୃତରେ ଦିନେ ପାଟନାରେ ଆସି ପହଞ୍ଚିବାକୁ ହେଲା ।

 

ଘରେ ପ୍ରବେଶ କରି ତଳେ ବୈଠକ ଘର ବାରଣ୍ଡାରେ ଦେଖିଲି ଦୁଇଜଣ ଉର୍ଦ୍ଦିପିନ୍ଧା ଦରଓ୍ୱାନ ବସିଛନ୍ତି । ସେମାନେ ହଠାତ୍‌ ଶ୍ରୀହୀନ, ଆଗନ୍ତୁକ ଅପରିଚିତକୁ ଦେଖି ଏପରି ଭାବରେ ଚାହିଁ ରହିଲେ ଯେ ମୁଁ ସିଧା ଉପରକୁ ଉଠିଯିବା ପାଇଁ ସଂକୋଚ ଅନୁଭବ କଲି । ଏମାନଙ୍କୁ ଏଠାରେ ପୂର୍ବରୁ ଦେଖିନଥିଲି । ପିଆରୀର ପୁରୁଣା ଦରଓ୍ୱାନ ବଦଳରେ କାହିଁକି ଯେ ଏଭଳି ଦୁଇଜଣ ଦରୱାନର ଆବଶ୍ୟକତା ପଡ଼ିଲା ତାହା ଭାବିପାରିଲି ନାହିଁ । ଯାହାହେଉ ଏମାନଙ୍କୁ ଆଗ୍ରହ୍ୟ କରି ଉପରକୁ ଉଠିଯିବି କିମ୍ବା ବିନୟର ସହିତ ସେମାନଙ୍କର ଅନୁମତି ପ୍ରାର୍ଥନା କରିବ ମନଭିତରେ ସ୍ଥିର କରୁ ନ କରୁଣୁ ଦେଖିଲି ରତନ ବ୍ୟସ୍ତହୋଇ ତଳକୁ ଓହ୍ଲାଇ ଆସୁଛି । ଅକସ୍ମାତ୍‌ ମୋତେ ଦେଖି ସେ ଅବାକ ହୋଇଗଲା । ପରେ ପରେ ମୋ ପଦତଳେ ଗୋଟାଏ ପ୍ରଣାମ ଜଣାଇ ସଙ୍ଗେ ସଙ୍ଗେ କହିଉଠିଲା–କେତେବେଳେ ଆସିଲେ ? ଏଠାରେ ଠିଆ ହୋଇଛନ୍ତି ଯେ !

 

: ଏଇମାତ୍ର ଆସିଲି । ଆଉ ସବୁ ଖବର ଭଲ ତ ରତନ ?

 

ରତନ ମୁଣ୍ଡ ହଲାଇ କହିଲା–ସବୁ ଭଲ ବାବୁ । ଆପଣ ଉପରକୁ ଯାଆନ୍ତୁ । ମୁଁ ବରଫ ଘେନି ଏଇ ବର୍ତ୍ତମାନ ଆସୁଛି କହି ଯିବାକୁ ଉଦ୍ୟତ ହେଲା ।

 

: ମାଲିକାଣୀ କ’ଣ ଉପରେ ଅଛନ୍ତି ?

 

: ଅଛନ୍ତି, କହି ସେ ତରତର ହୋଇ ଚାଲିଗଲା ।

 

ଉପରକୁ ଉଠିଯିବା ପରେ ଠିକ୍‌ ପାଖ ଘରଟା ହିଁ ବୈଠକୀ ଘର । ଭିତରୁ ଗୋଟାଏ ଜୋର ହସର ଶବ୍ଦ ଏବଂ ଅନେକ ଲୋକଙ୍କର କଣ୍ଠସ୍ୱର କାନରେ ଆସି ବାଜିଲା । ସାମାନ୍ୟ ବିସ୍ମିତ ହୋଇଉଠିଲି । କିନ୍ତୁ ପରକ୍ଷଣରେ ଦ୍ୱାର ନିକଟରେ ଆସି ପହଞ୍ଚି ଅବାକ୍‌ ହୋଇଗଲି । ଆଗଥର ଏଠାରେ ଥିଲାବେଳେ ଏ ଘର ବ୍ୟବହୃତ ହେବାର ଦେଖିନଥିଲି । ଅନେକଗୁଡ଼ିଏ ଆସବାବପତ୍ର, ଟେବୁଲ, ଚୌକି ପ୍ରଭୃତି ଗୋଟିଏ କଣରେ ଗଦା ହୋଇଥାଏ । କେହି ଏ ଘରକୁ ଆଦୌ ଆସନ୍ତି ନାହିଁ । କିନ୍ତୁ ଆଜି ଦେଖିଲି ସାରା ଘରଟାରେ ଗାଲିଚା ବିଛା ଯାଇଛି । ତା’ ଉପରେ ଶୁଭ ବିଛଣା ଚଦର ପରାହୋଇଛି । ତକିଆଗୁଡ଼ାକ ଆଶ୍ଚର୍ଯ୍ୟ ହୋଇପଡ଼ିଛି । ତା’ ଉପରକୁ ଆଉଜି ରହି କେତେ ଜଣ ଭଦ୍ରଲୋକ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁ ରଖିଛନ୍ତି । ସେମାନେ ବଙ୍ଗାଳୀଙ୍କ ଭଳି ଧୋତି ପଞ୍ଜାବୀ ପିନ୍ଧିଥିଲେ ମଧ୍ୟ ମୁଣ୍ଡରେ କାରୁକାର୍ଯ୍ୟକରା ମୁସଲିମ୍‌ ଟୋପି ପିନ୍ଧିଥିବାରୁ ବିହାରୀ ବୋଲି ମନେହେଲା । ଗୋଟାଏ ଯୋଡ଼ା ବାୟା–ତବଲା ନିକଟରେ ଜଣେ ହିନ୍ଦୁସ୍ଥାନୀ ତବଲ୍‌ଚି ଏବଂ ତାହାର ଅତି ନିକଟରେ ବସିଛି ପିଆରୀ ବାଈଜୀ ନିଜେ । ଗୋଟିଏ ପାଖରେ ଛୋଟ ହାରମୋନିୟମଟିଏ । ପିଆରୀ ଦେହରେ ମୁଜ୍‌ରାର ପୋଷାକ ନଥିଲା ସତ କିନ୍ତୁ ସାଜସଜ୍ଜାର ଅଭାବ ଆଦୌ ନଥିଲା । ବୁଝିପାରିଲି ଏଇଟା ସଙ୍ଗୀତର ବୈଠକ, କିଛି ସମୟ ପାଇଁ ବୋଧହୁଏ ବିଶ୍ରାମ ଆଳାପ ଚାଲିଛି ।

 

: ମୋତେ ଦେଖିବାକ୍ଷଣି ସତେଯେପରି ପିଆରୀ ମୁହଁରୁ ରକ୍ତ ଅର୍ନ୍ତହିତ ହୋଇଗଲା । ତାପରେ ଜୋରରେ ହସିଉଠି କହିଲା–ଏ କ’ଣ ! ଶ୍ରୀକାନ୍ତ ବାବୁ ଯେ ! କେତେବେଳେ ଆସିଲେ ?

 

: ଆଜି ।

 

: ଆଜି ! କେତେବେଳେ । କେଉଁଠାରେ ଅଛନ୍ତି ?

 

କିଛି ସମୟପାଇଁ ଜ୍ଞାନ ହରାଇ ବସି ରହିବି କି ଫେରିଯିବି ଭାବୁଭାବୁ ଉତ୍ତର ଦେବାରେ ସାମାନ୍ୟ ବିଳମ୍ବ ହୋଇଗଲା । କିନ୍ତୁ ଆପଣାକୁ ସମ୍ଭାଳି ନେବାପାଇଁ ମଧ୍ୟ ବେଶୀ ଡେରିହେଲା ନାହିଁ । କହିଲି–ଏଠାକାର ସମସ୍ତ ଲୋକଙ୍କୁ ତୁମେ ତ ଚିହ୍ନି ନାହଁ, ନାମ ଶୁଣିଲେ ଚିହ୍ନିପାରିବ ନାହିଁ ।

 

ଯେଉଁ ଭଦ୍ରଲୋକ ଜଣକ ଖୁବ୍ ଜମାଇ କରି ବସିଥିଲେ ସେ ବୋଧହୁଏ ଏ ଯଜ୍ଞର ଜଜମାନ ନିଜେ । କହିଲେ–ଆଇଏ, ବାବୁଜୀ, ବୈଠିଏ । ଏତିକି କହି ସେ ମୁରୁକେଇ ହସିବାକୁ ଲାଗିଲେ । ତାଙ୍କ ଭାବ ଭଙ୍ଗୀଦ୍ୱାରା ସେ ମୋତେ ବୁଝାଇଦେଲେ ଯେ ଆମ ଦୁହିଁଙ୍କର ସମ୍ବନ୍ଧଟା ସେ ଠିକ୍‌ ଅନୁମାନ କରିପାରିଛନ୍ତି । ତାଙ୍କୁ ସମ୍ମାନ ସହିତ ନମସ୍କାର କରି ଅବସ୍ଥାଟା ବିଷୟରେ ଚିନ୍ତା କରିବା ପାଇଁ ଜୋତାରୁ ଫିତା ଖୋଲିବାର ବାହାନା କଲି । ବିଚାର କରିବାକୁ ବେଶୀ ସମୟ ଅବଶ୍ୟ ନଥିଲା ସତ କିନ୍ତୁ ଏଇ କେତେ ମୁହୂର୍ତ୍ତ ଭିତରେ ଏକଥା ସ୍ଥିର କରିପକାଇଲି ଯେ ଭିତରକୁ ମୁଁ ଯାଇପାରେ କିନ୍ତୁ ମୋ ବ୍ୟବହାରରେ ଯେପରି କିଛି ପ୍ରକାଶ ନ ପାଏ । ମୋ ମୁହଁର କଥା, ମୋ ଆଖିର ଚାହାଣୀ, ଏବଂ ମୋର ସମସ୍ତ ପ୍ରକାର ଆଚରଣର ଫାଙ୍କ ଭିତରେ ଯେପରି ଅନ୍ତରର କ୍ଷୋଭ ବା ଅଭିମାନରୁ ବିନ୍ଦୁଟିଏ ବାହାରକୁ ଫିଟି ନ ପଡ଼େ । କିଛି ସମୟ ପରେ ଯେତେବେଳେ ସମସ୍ତଙ୍କ ସହିତ ଭିତରେ ଉପବେଶନ କଲି ସେତେବେଳେ ଅବଶ୍ୟ ନିଜ ମୁହଁର ଚେହେରାଟା ଆଖିରେ ଦେଖିପାରିଲି ନାହିଁ ସତ; କିନ୍ତୁ ଅନ୍ତର ଭିତରେ ଅନୁଭବ କରିପାରିଲି ଯେ ସେଥିରେ ବିଷଣ୍ଣତାର ଚିହ୍ନ ଲେଶମାତ୍ର ନାହିଁ । ରାଜଲକ୍ଷ୍ମୀକୁ ଚାହିଁ ହସି ହସି କହିଲି, ବାଇଜୀ, ଆଜି ଯଦି ଶୁକଦେବ ଠାକୁରଙ୍କର ଠିକଣାଟା ପାଆନ୍ତି ତେବେ ତାଙ୍କୁ ତୁମ ସାମନାରେ ବସାଇ ତାଙ୍କ ମନର ଜୋରଟା କଷି ଦିଅନ୍ତି । ଆଜି ଯେ ରୂପର ସମୁଦ୍ର ସୃଷ୍ଟି କରି ବସିଛି !

 

ମୋ ମୁହଁର ପ୍ରଶଂସା ଶୁଣି କର୍ମକର୍ତ୍ତା ବାବୁ ଜଣକ ଆନନ୍ଦରେ ହିଲ୍ଲୋଳିତ ହୋଇ ବାରମ୍ବାର ମୁଣ୍ଡ ହଲାଇବାକୁ ଲାଗିଲେ । ସେ ପୂର୍ଣ୍ଣିୟା ଜିଲ୍ଲାର ଲୋକ । ଦେଖିଲି ସେ ବଙ୍ଗଳା ନ କହିପାରିଲେ ସୁଦ୍ଧା ବେଶ୍ ବୁଝିପାରନ୍ତି । କିନ୍ତୁ ପିଆରୀର କାନମୂଳ ପର୍ଯ୍ୟନ୍ତ ମୋ କଥାରେ ରଙ୍ଗ ପଡ଼ିଗଲା । କିନ୍ତୁ ସେଇଟା ଯେ ଲଜ୍ଜ୍ୟା ନ ହୋଇ ରାଗ, ଏକଥା ବୁଝିବାକୁ ମୋ ପକ୍ଷରେ ବାକି ନଥିଲା । ମୁଁ କିନ୍ତୁ ଭ୍ରୂକ୍ଷେପ କରୁନଥିଲି । ବାବୁଟିକୁ ଉଦ୍ଦେଶ୍ୟ କରି ସେହିପରି ହସି ହସି ବଙ୍ଗଳା ଭାଷାରେ କହିଲି ମୋ ଆସିବା ହେତୁ ଆପଣମାନଙ୍କର ଆମୋଦ ପ୍ରମୋଦ ଯଦି କିଛି ବାଧା ଉପୁଜିଥାଏ ମୁଁ ଅତ୍ୟନ୍ତ ଦୁଃଖିତ । ସେଥିପାଇଁ ଗାନ–ବାଜଣା ଏଣିକି ସୁର୍‌ ହେଉ ।

 

ବାବୁ ଜଣକ ଏତେ ଖୁସି ହୋଇଉଠିଥିଲେ ଯେ ଆବେଗରେ ମୋ ପିଠିଉପରରେ ଗୋଟାଏ ଚାପୁଡ଼ା ମାରି କହିଉଠିଲେ–ବହୁତ ଆଚ୍ଛା ପିଆରୀ ବିବି, ଏକଠୋ ଭାଲା ସଙ୍ଗୀତ ହୋକ୍‌-

 

: ସନ୍ଧ୍ୟାପରେ ହେବ । ବର୍ତ୍ତମାନ ଆଉ ନୁହେଁ । କିନ୍ତୁ ପିଆରୀ ହାରମୋନିୟମଟାକୁ ଦୂରକୁ ଠେଲିଦେଇ ହଠାତ୍‌ ଉଠିଗଲା ।

 

ଏଥର ବାବୁ ଜଣକ ମୋ ପରିଚୟ ପାଇବା ଉପଲକ୍ଷରେ ନିଜ ପରିଚୟ ଦେବାକୁ ଲାଗିଲେ । ତାଙ୍କ ନାମ ରାମଚନ୍ଦ୍ର ସିଂହ । ସେ ପୂର୍ଲିୟା ଜିଲ୍ଲାର ଜଣେ ଜମିଦାର । ଦରଭଙ୍ଗା ମହାରାଜା ତାଙ୍କର କୁଟୁମ୍ବ । ପିଆରୀ ବିବିକୁ ସେ ଆଜକୁ ସାତ ଆଠବର୍ଷ ହେଲା ଜାଣନ୍ତି । ସେ ତାଙ୍କ ପୂର୍ଲିଆ ଘରକୁ ତିନି ଚାରିଥର ମୁଜୁରା କରିଆସିଛି । ସେ ନିଜେ ମଧ୍ୟ ଅନେକଥର ଏଠାକୁ ସଙ୍ଗୀତ ଶୁଣିବାକୁ ଏହାପୂର୍ବରୁ ଆସିଛନ୍ତି । ଆସିଲେ କେବେ କେବେ ଦଶବାରଦିନ ପର୍ଯ୍ୟନ୍ତ ରହିଯାଇଛନ୍ତି । ମାସକ ତଳେ ଥରେ ଆସି ସପ୍ତାହେ ରହିକରି ଯାଇଛନ୍ତି–ଇତ୍ୟାଦି ଇତ୍ୟାଦି । ମୁଁ କାହିଁକି ଆସିଛି, ଏଥର ସେ ପଚାରି ବସିଲେ । ମୁଁ କିଛି ଉତ୍ତର ଦେବା ପୂର୍ବରୁ ପିଆରୀ ଆସି ସେଠାରେ ପହଞ୍ଚିଗଲା । ତା’ ଆଡ଼କୁ ଚାହିଁ କହିଲି–ବାଈଜୀଙ୍କୁ ପଚାରୁ ନାହାନ୍ତି, କାହିଁକି ମୁଁ ଆସିଛି-?

 

ପିଆରୀ ମୋ ମୁହଁ ପ୍ରତି ଗୋଟାଏ ତୀବ୍ର କଟାକ୍ଷ ହାଣିଲା । କିନ୍ତୁ ନିହାତି ସରଳ ଓ ଶାନ୍ତ ସ୍ୱରରେ ଉତ୍ତର ଦେବାକୁ ଯାଇ କହିଲା–ଏ ହେଉଛନ୍ତି ଆମ ଦେଶର ଲୋକ ।

 

ମୁଁ ହସିଦେଇ କହିଲି–ବାବୁଜୀ, ମହୁ ଥିଲେ, ମହୁମାଛି ଆସି ଜୁଟନ୍ତି । ସେମାନେ ଦେଶ ବିଦେଶରେ ବିଚାର କରନ୍ତି ନାହିଁ । କିନ୍ତୁ କହିସାରି ଦେଖିଲି ଥଟ୍ଟାଟାକୁ ଭଲଭାବରେ ଗ୍ରହଣ କରିନପାରି, ପୂର୍ଲିୟା ଜିଲ୍ଲାର ଜମିଦାର ମୁହଁଟାକୁ ଗମ୍ଭୀର କରିପକାଇଲେ । ଏହି ସମୟରେ ତାଙ୍କ ଚାକର ଆସି ଜଣାଇଲା ଯେ ସନ୍ଧ୍ୟା ଆହ୍ନିକ ପାଇଁ ସେ ସବୁ ପ୍ରସ୍ତୁତ କରିସାରିଲାଣି । ଏହାଶୁଣି ସେ ସଙ୍ଗେ ସଙ୍ଗେ ସେଠାରୁ ଉଠି ଚାଲିଗଲେ । ତବଲଚୀ ଓ ଆଉ ଦୁଇଜଣ ଲୋକ ମଧ୍ୟ ତାଙ୍କ ପଛେପଛେ ବାହାରିଗଲେ । ତାଙ୍କ ମନର ଭାବଟା ଯେ କାହିଁକି ଏପରି ବିକଳ ହୋଇଉଠିଲା ତହିଁର କାରଣରୁ ବିନ୍ଦୁବିସର୍ଗ ସୁଦ୍ଧା ଜାଣିପାରିଲି ନାହିଁ ।

 

ରତନ ଆସି କହିଲା–ମାଆ ବାବୁଙ୍କ ପାଇଁ ବିଛଣା କେଉଁଠାରେ କରିବି ?

 

ପିଆରୀ ବିରକ୍ତ ହୋଇ କହିଲା–ଆଉ କ’ଣ ଘର ନାହିଁ ରତନ ? ମୋତେ ନପାଚାରି କ’ଣ ଏତେ ଟିକିଏ ବୁଦ୍ଧି କଟାଇ କାମ କରିପାରୁନୁ ? ଯାଆ ଏଠାରୁ, କହିବା ସଙ୍ଗେ ସଙ୍ଗେ ରତନ ସହିତ ସେ ମଧ୍ୟ ବାହାରି ଚାଲିଗଲା । ଭଲକରି ଦେଖିବାକୁ ପାଇଲି ଯେ ମୋର ଆକସ୍ମିକ ଆଗମନ ଫଳରେ ଏ ଘରର ଭାରସାମ୍ୟ କେନ୍ଦ୍ରଟା ସଂପୂର୍ଣ୍ଣ ବିଚଳିତ ହୋଇପଡ଼ିଛି । ପିଆରୀ କିନ୍ତୁ ଅଳ୍ପ ସମୟ ପରେ ଫେରିଆସି ମୋ ମୁହଁକୁ ଦଣ୍ଡକ ପାଇଁ ଚାହିଁରହି ତାପରେ କହିଲା–ବର୍ତ୍ତମାନ ହଠାତ୍‌ କାହିଁକି ଆସିବାକୁ ହେଲା ଶୁଣେ ?

 

କହିଲି, ଦେଶର ଲୋକ । ଅନେକଦିନ ହେବ ନଦେଖି ବଡ଼ ବ୍ୟାକୁଳ ହୋଇଉଠିଥିଲି ବାଈଜୀ ।

 

ପିଆରୀର ମୁହଁ ଆହୁରି ଗମ୍ଭୀର ହୋଇଉଠିଲା । ମୋ ପରିହାସରେ ସେ ଆଦୌ ଯୋଗ ନଦେଇ ପଚାରିଲା–ଆଜି ରାତିରେ ଏଠାରେ ରହିବ ତ ?

 

: ରହିବାକୁ କହିଲେ, ରହିବି ।

 

: ମୋର ପୁଣି କହିବାର କ’ଣ ଅଛି ? ତୁମର ବୋଧହୁଏ ଅସୁବିଧା ହୋଇପାରେ । ଯେଉଁ ଘରଟାରେ ତୁମେ ଶୁଅ ସେଇଟାରେ......

 

: ବାବୁ ଶୋଉଛନ୍ତି ? ବେଶ୍‌ ! ମୁଁ ତଳେ ଶୋଇବି । ତୁମ ତଳ ଘରଗୁଡ଼ାକ ତ ଚମତ୍କାର-

 

: ତଳେ ଶୋଇବ ? କ’ଣ କହୁଛ ! ମନରେ ଏତେ ଟିକିଏ ହେଲେ ବିକାର ନାହିଁ, ଦିନ ଦୁଇଟା ଭିତରେ ଏତେବଡ଼ ପରମହଂସ ହେଲ କିପରିମ ?

 

ମନେମନେ ଭାବିଲି–ପିଆରୀ, ତୁ ବର୍ତ୍ତମାନ ସୁଦ୍ଧା ମୋତେ ଚିହ୍ନିପରିନାହୁଁ । ତାପରେ କହିଲି–ମୋର ସେଥିରେ ମାନ ଅଭିମାନ ବୋଲି ଏତେ ଟିକିଏ ହେଲେ ନାହିଁ । ଆଉ ଅନ୍ୟ କଥା ଯଦି ଚିନ୍ତା କରୁଥାଅ ତେବେ ନିରର୍ଥକ । ମୁଁ ଘରୁ ବାହାରିଲା ବେଳେ ସବୁ ସମୟରେ ଖାଇବା ଓ ଶୋଇବା କଥା ମନରୁ ପୋଛିଦେଇ ଆସିଥାଏ । ସେକଥା ତ ତୁମେ ନିଜେ ଜାଣ । ଅଧିକା ବିଛଣା ଥିଲେ ଖଣ୍ଡିଏ ପକାଇ ଦେବାକୁ କହ । ନଥିଲେ ବି ଚଳିବ । ମୋର କମ୍ବଳଫମ୍ବଳ ସଙ୍ଗରେ ଅଛି ।

 

ପିଆରୀ ମୁଣ୍ଡ ହଲାଇ କହିଲା–ସେସବୁ ଥାଏ ତାହା ମୁଁ ଜାଣେ । କିନ୍ତୁ ଏଥିରେ ତୁମ ମନରେ କୌଣସି ଦୁଃଖ ହେବ ନାହିଁ ତ ?

 

ମୁଁ ହସିଦେଇ କହିଲି–ନା । କରଣ ଷ୍ଟେସନରେ ପଡ଼ିରହିବାଠାରୁ ଏହା ଶତଗୁଣରେ ଭଲ ।

 

ପିଆରୀ କିଛିକ୍ଷଣ ନୀରବ ରହିବା ପରେ କହିଲା–ମୁଁ ହୋଇଥିଲେ, ଗଛତଳେ ପଛକେ ପଡ଼ିଥାନ୍ତି କିନ୍ତୁ ଏତେ ଅପମାନ ସହ୍ୟ କରିପାରିନଥାନ୍ତି ।

 

ତା’ ଉତ୍ତେଜନାକୁ ଲକ୍ଷ୍ୟ କରି ମୁଁ ନ ହସି ରହିପାରିଲି ନାହିଁ । ସେ ଯେ କି କଥା ମୋ ତୁଣ୍ଡରୁ ଶୁଣିବାକୁ ଆଶାକରେ ତାହା ମୁଁ ଭଲଭାବରେ ଜାଣେ । କିନ୍ତୁ ଅତ୍ୟନ୍ତ ଶାନ୍ତ ଓ ସ୍ୱାଭାବିକ କଣ୍ଠରେ ଉତ୍ତର ଦେଇ କହିଲି–ମୁଁ ଏତେଟା ନୀଚ ନୁହେଁ ଯେ ତୁମେ ମୋତେ ଅପମାନିତ କରିବ ବୋଲି ତଳେ ଶୋଇବା ପାଇଁ କହୁଛ ବୋଲି ଭାବିବି । ତୁମର ସାଧ୍ୟ ଥିଲେ ତୁମେ ସେଥର ପରି ମୋ ଶୋଇବାର ବ୍ୟବସ୍ଥା କରିପାରନ୍ତ । ଛାଡ଼ ସେକଥା । ଏଇ ଛୋଟ କଥା ନେଇ ଯୁକ୍ତିତର୍କ କରି ଲାଭ ନାହିଁ । ତୁମେ ରତନକୁ ପଠାଇଦିଅ ତ । ସେ ମୋତେ ନେଇ ତଳ ଘରଟା ଦେଖାଇଦେଉ । ମୁଁ କମ୍ବଳ ବିଛାଇ ଶୋଇପଡ଼ିବି । ବଡ଼ କ୍ଲାନ୍ତ ଲାଗିଲାଣି ।

 

ପିଆରୀ କହିଲା–ତୁମେ ଜ୍ଞାନୀ ଲୋକ, ତୁମେ ମୋ ଅବସ୍ଥା ଠିକ୍‌ କରି ବୁଝିବ ନାହିଁ ତ ଆଉ କିଏ ବୁଝିପାରିବ ? ଯାହାହେଉ ରକ୍ଷା ପାଇଗଲି ! କହି ସେ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ପ୍ରଶ୍ନକଲା–ହଠାତ୍‌ ଆସିବାର ପ୍ରକୃତ କାରଣଟା ଶୁଣିପାରିଲି ନାହିଁ ଯେ ?

 

: ପ୍ରଥମ କାରଣଟା ଶୁଣିପାରିବ ନାହିଁ କିନ୍ତୁ ଦ୍ୱିତୀୟଟା ପାରିବ ।

 

: ପ୍ରଥମଟା ଶୁଣିପାରିବି ନାହିଁ କାହିଁକି ?

 

: ଅନାବଶ୍ୟକ ବୋଲି ।

 

: ଆଚ୍ଛା ଦ୍ୱିତୀୟଟା ଶୁଣେ ?

 

: ମୁଁ ବର୍ମାକୁ ଯାଉଛି । ହୁଏତ ଆଉ କେବେ ଦେଖା ନହୋଇ ପାରେ । ଅନ୍ତତଃ ଅନେକ ଦିନ ଯେ ଦେଖା ନ ହେବ ଏ କଥା ସତ୍ୟ । ଯିବା ପୂର୍ବରୁ ସେଥିଲାଗି ଥରକ ପାଇଁ ଦେଖିବାକୁ ଚାଲିଆସିଲି ।

 

ରତନ ଏ ସମୟରେ ଘରଭିତରକୁ ପଶିଆସି କହିଲା–ବାବୁ ! ଆପଣଙ୍କ ବିଛଣା ବିଛାଇ ବିଛାଇ ସାରିଲିଣି । ଆସନ୍ତୁ ।

 

ଖୁସିହୋଇ କହିଲି–ଚାଲ । ପିଆରୀକୁ କହିଲି–ମୋତେ ଭାରୀ ନିଦ ମାଡ଼ୁଛି, ଘଣ୍ଟାକ ପରେ ଯଦି ସମୟ ପାଅ ତ ତଳକୁ ଆସିପାର । ମୋର ଆହୁରିମଧ୍ୟ କିଛି କହିବାର ଅଛି, କହି ରତନ ସହିତ ସେ ଘରୁ ବାହାରି ଚାଲିଗଲି ।

 

ପିଆରୀର ଶୋଇବା ଘରକୁ ଆଣି ରତନ ଯେତେବେଳେ ମୋ ପାଇଁ ପ୍ରସ୍ତୁତ ହୋଇଥିବା ଶଯ୍ୟା ଦେଖାଇଦେଲା ସେତେବେଳେ ମୋର ବିସ୍ମୟର ସୀମା ରହିଲା ନାହିଁ । କହିଲି–ମୋ ପାଇଁ ତଳଘରେ ବିଛଣା ନପରା ହୋଇ ଏଠାରେ ପରାହେଲା କାହିଁକି ?

 

ରତନ ଆଶ୍ଚର୍ଯ୍ୟ ହୋଇ କହିଲା–ତଳଘରେ !

 

: ସେଇ ପ୍ରକାରର ତ କଥା ହୋଇଥିଲା ।

 

ସେ କିଛି ସମୟ ପାଇଁ ଅବାକ୍ ଭାବରେ ମୋ ମୁହଁକୁ ଚାହିଁ ରହି କହିଲା–ଆପଣଙ୍କ ବିଛଣା ତଳ ଘରେ ବିଛାହେବ ? ଆପଣ କ’ଣ ଥଟ୍ଟା କରୁଛନ୍ତି ବାବୁ ! କହି ହସିଦେଇ ରତନ ଚାଲିଯାଉଥିଲା, ମୁଁ ତାକୁ ପଛରୁ ଡାକି ପଚାରିଲି ତୋ ମାଲିକାଣୀ ଶୋଇବେ କେଉଁଠି ?

 

ରତନ କହିଲା–ବଙ୍କୁ ବାବୁଙ୍କ ଶୋଇବା ଘରେ ତାଙ୍କ ପାଇଁ ଶେଯ ତିଆରି କରିଦେଇଛି-। ପାଖକୁ ଆସି ଦେଖିଲି, ଏହା ସେହି ଦେଢ଼ହାତ ଓସାର ତକ୍ତପୋଷ ଉପରେ ରାଜଲକ୍ଷ୍ମୀର ବିଛଣା ନୁହେଁ, ଗୋଟାଏ ବିରାଟ ଖଟ ଉପରରେ ବିରାଟ ତୁଳା ଗଦି ବିଛା ହୋଇ ମୋ ପାଇଁ ଏକ ରାଜକୀୟ ଶଯ୍ୟା ପ୍ରସ୍ତୁତ କରାଯାଇଛି । ମୁଣ୍ଡଉପରେ ଗୋଟିଏ ଛୋଟ ଟେବୁଲ ଉପରେ ବତୀଟିଏ ଜଳୁଛି । ଗୋଟିଏ ପାଖରେ କେତେଖଣ୍ଡ ବଙ୍ଗଳା ବହି । ଅନ୍ୟପାଖରେ ଗୋଟିଏ ଥାଳିଆରେ କେତେଗୁଡ଼ିଏ ମଲ୍ଲୀଫୁଲ । ଆଖି ପଡ଼ିବାମାତ୍ରେ ବୁଝିପାରିଲି ଏଥିରୁ କୌଣସିଟା ଚାକରଦ୍ୱାରା ପ୍ରସ୍ତୁତ ହୋଇ ନାହିଁ । ମୋତେ ଯିଏ ବେଶୀ ଭଲପାଏ ଏସବୁ ତାରି ହାତ ତିଆରି-। ଶେଯ ଉପରର ବିଛଣା ଚଦରଟା ରାଜଲକ୍ଷ୍ମୀ ଯେ ନିଜ ହାତରେ ପକାଇ ଦେଇଛି ଏକଥା ଯେପରି ଅନ୍ତର ଭିତରେ ଅନୁଭବ କରିବାକୁ ଲାଗିଲି ।

 

ଆଜି ଏଇ ଭଦ୍ର ଲୋକଟି ସମ୍ମୁଖରେ ମୋର ଅଭାବନୀୟ ଆଗମନ ଫଳରେ ରାଜଲକ୍ଷ୍ମୀ ହତଜ୍ଞାନ ହୋଇ ପ୍ରଥମେ ଯେପରି ବ୍ୟବହାର କରୁନା କାହିଁକି, ମୋର ନିର୍ବିକାର ଔଦାସୀନ ହେତୁ ସେ ମନେମନେ କେତେ ଯେ ଶଙ୍କିତା ହୋଇଉଠିଥିଲା, ତାହା ମୋତେ ଆଉ ଅଗୋଚର ନଥିଲା । କାଳେ ମୋ ଭିତରେ କୌଣସି ଈର୍ଷାଭାବ ପ୍ରକାଶ କରିଥାଇପାରେ ଜାଣିବା ପାଇଁ ସେ ମୋତେ ଏତେ ସମୟ ଧରି ଆଘାତ ଦେବାରେ ଲାଗିଥିଲା । ସେ କଥା ମଧ୍ୟ ମୁଁ ବୁଝିପାରିଥିଲି । କିନ୍ତୁ ସମସ୍ତ ଜାଣିବା ସତ୍ତ୍ୱେ ନିଜ ଋକ୍ଷ ବ୍ୟବହାରକୁ ପୌରଷ ବୋଲି ମନେକରି ତା’ର ଅଭିମାନକୁ କୌଣସି ସମ୍ମାନ ତ ଦେଇନାହିଁ, ବରଂ ତା’ର ପ୍ରତ୍ୟେକ କ୍ଷୁଦ୍ର ଆଘାତଟିକୁ ଶତଗୁଣ କରି ତା’ ନିକଟକୁ ଫେରାଇଦେଇଛି ଭାବିବାକ୍ଷଣି ଯେପରି ମୋର ଏହି ଅନ୍ୟାୟ କାର୍ଯ୍ୟ ପାଇଁ ମନଭିତରେ ଛୁଞ୍ଚିରେ ଫୋଡ଼ି ଆଘାତ ଦେବାକୁ ଲାଗିଲା । ସେଥିପାଇଁ ଯଦିଓ ବିଛଣାରେ ଗଡ଼ିପଡ଼ିଲି କିନ୍ତୁ ଆଖିକୁ ନିଦ ଆଦୌ ଆସିଲା ନାହିଁ । ପିଆରୀ ଆସିବା ବାଟକୁ ସେଥିପାଇଁ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଲି ।

 

ଭାବୁ ଭାବୁ କ୍ଲାନ୍ତି ବଶତଃ ହୁଏତ କେତେବେଳେ ଆଖିଦୁଇଟା ବୁଜି ହୋଇଯାଇଛି ମୁଁ ଜାଣେନା । କିନ୍ତୁ ହଠାତ୍‌ ଯେତେବେଳେ ନିଦ ଭାଙ୍ଗିଲା ଦେଖିଲି—ପିଆରୀ ମୋ ଦେହଉପରେ ଗୋଟାଏ ହାତ ରଖି ବସି ରହିଛି । ଉଠିବସିବା ମାତ୍ରେ ସେ କହିଲା–ବର୍ମାକୁ ଗଲେ ମଣିଷ ହୋଇ ଫେରିଆସେ ନାହିଁ । ଏ କଥା ଜାଣିଛ ତ ?

 

: ନା, ଜାଣି ନାହିଁ ।

 

: ତେବେ ?

 

: ନିଶ୍ଚୟ ଫେରିବାକୁ ହେବ ଏଥିପାଇଁ କେହି ମୋତେ ରାଣ ପକାଇ କହି ନାହିଁ ?

 

: କାହିଁକି ? ତୁମେ କ’ଣ ପୃଥିବୀର ସମସ୍ତ ଲୋକଙ୍କର ମନକଥା ଜାଣିଛ କି ?

 

କଥାଟା ଅତି ସାମାନ୍ୟ । କିନ୍ତୁ ସଂସାରରେ ଏଇ କଥାଟା ବଡ଼ ଆଶ୍ଚର୍ଯ୍ୟ ଲାଗେ; ମନୁଷ୍ୟ ଦୁର୍ବଳତା କେତେବେଳେ କେଉଁ ଫାଙ୍କ ଦେଇ ଯେ ଆତ୍ମପ୍ରକାଶ କରିବସେ ତାହା ଆଦୌ ଅନୁମାନ କରିହୁଏ ନାହିଁ । ଏହା ପୂର୍ବରୁ କେତେ ନା କେତେ ଗୁରୁତର ଘଟଣା ଘଟିଯାଇଛି; କିନ୍ତୁ ମୁଁ କୌଣସି ଦିନ ଆପଣାକୁ ଧରାପକାଇଦେଇ ନାହିଁ । କିନ୍ତୁ ଆଜି ତା’ ମୁହଁର ଏଇ ସରଳ କଥାଟାକୁ ଆଉ ସହ୍ୟ କରିପାରିଲି ନାହିଁ । ମୁହଁରୁ ହଠାତ୍‌ ବାହାରିପଡ଼ିଲା–ସକଳର ମନକଥା ସିନା ଜାଣିନି ତ ରାଜଲକ୍ଷ୍ମୀ କିନ୍ତୁ ଜଣକର ତ ଜାଣିପାରିଛି । ଯଦି କୌଣସି ଦିନ ଫେରିଆସିବାକୁ ହୁଏ ତେବେ କେବଳ ତୁମ ପାଇଁ ହିଁ ଫେରିଆସିବି । ତୁମ ରାଣ ଖାଉଛି, ତୁମକୁ ମୁଁ ଆଦୌ ଅବହେଳା କରିପାରିବି ନାହିଁ ।

 

ପିଆରୀ ଏହାପରେ ମୋ ପାଦତଳେ ସଂପୂର୍ଣ୍ଣ ଭାବରେ ଲୋଟିପଡ଼ିଲା । ମୁଁ ଇଚ୍ଛାକରି ମଧ୍ୟ ପାଦ ଦୁଇଟାକୁ ପୁଣି ନେଇପାରିଲି ନାହିଁ । କିନ୍ତୁ ଦଶମିନିଟ୍‌ ବିତିଗଲା ପରେ ସେ ଯେତେବେଳେ ମୁହଁ ଉଠାଇଲା ନାହିଁ ସେତେବେଳେ ତା’ ମୁଣ୍ଡଉପରେ ମୋ ଡାହାଣ ହାତଟି ରଖିବା ମାତ୍ରେ ସେ ହଠାତ୍‌ ଶିହରିଉଠିଲା ସତ କିନ୍ତୁ ସେଇପରି ପଡ଼ି ରହିଲା । ମୁହଁ ଉଠାଇଲା ନାହିଁ କି କଥା କହିଲା ନାହିଁ । କହିଲି–ଉଠିବସ । ଏପରି ଅବସ୍ଥାରେ ଯଦି କେହି ଦେଖିପକାଏ ତେବେ ସେ ବିସ୍ମିତ ହୋଇଉଠିବ ।

 

କିନ୍ତୁ ପିଆରୀ ଯେତେବେଳେ ପଦଟିଏ ସୁଦ୍ଧା ଉତ୍ତର ଦେଲା ନାହିଁ; ସେତେବେଳେ ତାକୁ ଜୋର କରି ଉଠାଇବାକୁ ଯାଇ ଦେଖିଲି ତା’ର ନୀରବ ଅଶ୍ରୁପାତରେ ବିଛଣା ଚାଦରଟା ସଂପୂର୍ଣ୍ଣ ଭିଜିଯାଇଛି । ଟଣାଟଣା କରିବା ପରେ ସେ ନିହାତି ଋକ୍ଷ ସ୍ୱରରେ କହିଲା–ଆଗ ମୋର ଦୁଇ ତିନିଟା କଥାର ଉତ୍ତର ଦେଇସାର, ତେବେଯାଇ ମୁଁ ଉଠିବି ।

 

: କି କଥା କହିଲ ?

 

: ଆଗେ କୁହ, ଏ ଲୋକଟା ଏଠାରେ ଥିବାରୁ ତୁମେ ମୋତେ ଖରାପ ଭାବି ନାହଁ ତ ?

 

: ନା ।

 

ପିଆରୀ ପୁଣି କିଛି ସମୟ ନୀରବ ରହି କହିଲା–ମୁଁ ଯେ ଭଲ ଲୋକ ନୁହେଁ ଏକଥା ତ ତୁମେ ଜାଣ; ତଥାପି ତୁମର ସନ୍ଦେହ ହେଲା ନାହିଁ ?

 

ପ୍ରଶ୍ନଟା ଅତ୍ୟନ୍ତ କଠିନ । ସେ ଯେ ଭଲ ନୁହେଁ ଏକଥା ମୁଁ ଜାଣେ, ତଥାପି କିନ୍ତୁ ତାକୁ ମନ୍ଦ ବୋଲି ଭାବିପାରେ ନାହିଁ । ଚୁପ୍ କରି ବସି ରହିଲି ।

 

ହଠାତ୍‌ ସେ ଆଖିପୋଛି ଧଡ଼ପଡ଼ ହୋଇ ଉଠିପଡ଼ି କହିଲା–ଆଚ୍ଛା ତୁମକୁ ମୁଁ ପଚାରୁଛି, ପୁରୁଷ ଲୋକ ଯେତେ ମନ୍ଦ ହୋଇ ଥାଉନା କାହିଁକି ସେ ଯଦି ଭଲହେବାକୁ ଚାହେଁ ତା’ ପାଇଁ କିଛି ବାଧା ନାହିଁ କିନ୍ତୁ ଯେତକ ବାଧା ବନ୍ଧନ ସେ ସବୁ ଆମମାନଙ୍କ ବେଳକୁ କାହିଁକି ? ଅଜାଣତରେ ଅଭାବ ହେତୁ ଦିନେ ଯେଉଁ କାର୍ଯ୍ୟ କରି ବସିଥିଲି, ମୋତେ କାହିଁକି ଚିରକାଳ ପାଇଁ ସେଇଆହିଁ କରିବାକୁ ପଡ଼ୁଥିବ ? କାହିଁକି ତୁମେମାନେ ଆମମାନଙ୍କୁ ଭଲ ହେବାକୁ ଦେବ ନାହିଁ ?

 

ମୁଁ କହିଲି–ଆମେମାନେ କେବେ ମନାକରି ନାହୁଁ, କଲେ ମଧ୍ୟ ଭଲ ହେବା ବାଟରୁ କେହି କାହାକୁ ଟାଣି ରଖିପାରିବ ନାହିଁ ।

 

ପିଆରୀ ଅନେକ ସମୟ ପର୍ଯ୍ୟନ୍ତ ଚୁପ୍ ହୋଇ ମୋ ମୁହଁକୁ ଚାହିଁରହି ଶେଷରେ ଆସ୍ତେ ଆସ୍ତେ କହିଲା–ବେଶ୍ । ତୁମେ ତାହାହେଲେ ଟାଣି ରଖିପାରିବ ନାହିଁ ?

 

ମୁଁ କିଛି ଉତ୍ତର ଦେବା ଆଗରୁ ରତନର ଖଣ୍ଡିକାଶ ଦ୍ୱାରବନ୍ଧ ସେପଟୁ ଶୁଣାଗଲା ।

 

ପିଆରୀ ଡାକି କରି ପଚାରିଲା–କ’ଣ କିରେ ରତନ ?

 

ରତନ ଘରଭିତରକୁ ମୁହଁ ଦେଖାଇ କହିଲା, ରାତି ତ ଅନେକ ହେଲାଣି । ବାବୁଙ୍କ ପାଇଁ ଖାଇବାକୁ କ’ଣ ଏଇଠିକି ନେଇଆସିବି ? ବୁଢ଼ା ବ୍ରାହ୍ମଣଟା ରୋଷଘରେ ବସି ଢୁଳାଉ ଢୁଳାଉ ଶୋଇପଡ଼ିଲାଣି ।

 

: ସତରେ ! ତୋ ବାବୁ ଯେ ଏପର୍ଯ୍ୟନ୍ତ ଖାଇନାହାଁନ୍ତି ! କହି ପିଆରୀ ବ୍ୟସ୍ତ ଓ ଲଜ୍ଜିତ ହୋଇ ଉଠି ଠିଆ ହୋଇପଡ଼ିଲା । ମୋ ପାଇଁ ଖାଇବା ସେ ପ୍ରତିଥର ନିଜ ହାତରେ ଧରିଆସେ । ଆଜି ମଧ୍ୟ ଆଣିବା ପାଇଁ ତରତର ହୋଇ ଚାଲିଗଲା ।

 

ଆହାର ଶେଷକରି ଯେତେବେଳେ ବିଛଣାରେ ଶୋଇପଡ଼ିଲି ସେତେବେଳକୁ ରାତି ଗୋଟାଏ ବାଜିଲାଣି । ପିଆରୀ ଆସି ପୁଣି ମୋ ପାଦତଳେ ବସିଲା–ତୁମ ପାଇଁ ଅନେକ ରାତି ଉଜାଗରରେ କଟାଇଛି । ତେଣୁ ଆଜି ତୁମକୁ ଶୁଆଇଦେବି ନାହିଁ । କହି ମୋ ଅନୁମତିକୁ ଅପେକ୍ଷା ନକରି ମୋ ପାଦତଳକୁ ତକିଆଟା ଟାଣିନେଇ ବାଆଁହାତ ତା’ ଉପରେ ରଖି ଆଡ଼ ହୋଇ ଶୋଇପଡ଼ି ପୁଣି କହିଲା–ମୁଁ ଅନେକ ଚିନ୍ତା କରି ଦେଖିଲି ତୁମେ ଏତେଦୂର କୌଣସି ମତେ ଯାଇପାରିବ ନାହିଁ ।

 

: କାହିଁକି ଯାଇପାରିବି ନାହିଁ ? କ’ଣ ଏଇପରି ଘୂରିଘୂରି ବୁଲୁଥିବି ?

 

ପିଆରୀ ମୋ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ପଚାରିଲା–ତାଛଡ଼ା କାହିଁକି ଯେ ବର୍ମାକୁ ଯାଉଛ ଶୁଣେ ?

 

: ଚାକିରି କରିବାକୁ । ବୁଲିବାକୁ ନୁହେଁ ।

 

ମୋ କଥା ଶୁଣି ପିଆରୀ ଉତ୍ତେଜନାରେ ସିଧାହୋଇ ବସିପଡ଼ି କହିଲା–ଆଉ ଯାହାକୁ ଯାହା କହିପାର କିନ୍ତୁ ମୋତେ ଆଦୌ ଠକାଅ ନାହିଁ । ମୋତେ ଠକିଲେ ତୁମର ଇହକାଳ ନାହିଁ କି ପରକାଳ ମଧ୍ୟ ନାହିଁ । ସେ କଥା ଜାଣ ତ ?

 

: ସେଇଟା ଭଲକରି ଜାଣେ । ତେବେ ତୁମେ ମୋତେ କ’ଣ କରିବାକୁ ହେବ କହୁଛ ?

 

ମୋର ସ୍ୱୀକାରୋକ୍ତିରେ ପିଆରୀ ଖୁସି ହୋଇଉଠିଲା । ହସ ହସ ମୁହଁରେ କହିଲା ଝିଅପିଲାମାନେ ଚିରକାଳ ଯାହା କହି ଆସିଥାନ୍ତି ମୁଁ ତାହାହିଁ କହୁଛି । ଗୋଟିଏ ବାହାହୋଇପଡ଼ । ସଂସାରୀ ହୁଅ ।

 

: ପ୍ରକୃତରେ ତୁମେ କ’ଣ ଏଥିରେ ଖୁସିହେବ ?

 

ସେ ମୁଣ୍ଡ ହଲାଇ କାନର ଦୁଇ ଦୁଇଟାକୁ ଆନନ୍ଦରେ ଦୋଳାଇ କରି କହିଲା–ନିଶ୍ଚୟ । ଶହେବାର । ଏଥିରେ ମୁଁ ଖୁସିହେବିନି ତ ଆଉ କିଏ ହେବ ଶୁଣେ ?

 

: ଅବଶ୍ୟ ତାହା ମୁଁ ଜାଣିନି । କିନ୍ତୁ ଯାହାହେଉ ମୋର ଗୋଟାଏ ବଡ଼ ଦୁଃଶ୍ଚିନ୍ତା କଟିଗଲା । ପ୍ରକୃତରେ ଏଇ ସମ୍ୱାଦ ଦେବାକୁ ମୁଁ ଆସିଥିଲି ଯେ ବିବାହ ନ କରି ମୋର ଆଉ ଗତି ନାହିଁ ।

 

: ପିଆରୀ ଏଥର ପୁଣି ତା’ କାନର ସ୍ୱର୍ଣ୍ଣାଭରଣକୁ ଆଉଥରେ ହଲାଇଦେଇ ମହା ଆନନ୍ଦରେ କହିଉଠିଲା–ମୁଁ ତାହାହେଲେ କାଲି ଯାଇ କାଳୀମନ୍ଦିରରେ ଭୋଗକରି ଆସିବି । ଝିଅ ମୁଁ ଦେଖି ପସନ୍ଦ କରିବି ଏକଥା କିନ୍ତୁ ଆଗରୁ କହି ରଖୁଛି ।

 

ମୁଁ କହିଲି–ଏଥିପାଇଁ କିନ୍ତୁ ସମୟ ନାହିଁ । ପାତ୍ରୀ ସ୍ଥିର ହୋଇସାରିଛି ।

 

ମୋ ଗମ୍ଭୀର କଣ୍ଠସ୍ୱରକୁ ବୋଧହୁଏ ପିଆରୀ ଲକ୍ଷ୍ୟକଲା । ହଠାତ୍‌ ତା’ର ହସ ହସ ମୁହଁ ମଳିନ ପଡ଼ିଗଲା । କହିଲା–ହଁ, ଭଲ କଥା ତ, ସ୍ଥିର ହୋଇଯାଇଥିଲେ ମହା ଆନନ୍ଦର କଥା ।

 

: ଭଲମନ୍ଦ କଥା ମୁଁ ଜାଣିନି ରାଜଲକ୍ଷ୍ମୀ, ଯାହା ସ୍ଥିର ହୋଇଯାଇଛି ସେଇ କଥାହିଁ କେବଳ ତୁମକୁ କହିଲି ।

 

ପିଆରୀ ହଠାତ୍‌ ରାଗିଉଠି କହିଲା–ରଖ ତୁମର ଚାଲାକି । ଯାହା କହୁଛ ସବୁ ମିଛ କଥା ।

 

: ପଦେହେଲେ କଥା ମିଛ ନୁହେଁ, ଚିଠି ଦେଖିଲାମାତ୍ରେ ସବୁ ବୁଝିପାରିବ । ଏହା କହି ମୁଁ ଜାମା ପକେଟରୁ ଦୁଇଖଣ୍ଡି ଚିଠି ବାହାର କଲି ।

 

କାହିଁ ଦେଖି କହି ପିଆରୀ ଚିଠି ଦୁଇଖଣ୍ଡ ହାତରେ ଧରିପକାଇବା ମାତ୍ରେ ସତେଯେପରି ତା’ର ସାରା ମୁହଁ ଅନ୍ଧାର ହୋଇଗଲା । ହାତରେ ଚିଠି ଦୁଇଖଣ୍ଡ ଧରି ସେ କହିଲା–ପର ଚିଠି ପଢ଼ିବାରେ ମୋର ଯାଏ କେତେ ଆସେ କେତେ । ତେବେ କେଉଁଠାରେ ସ୍ଥିରହେଲା ଶୁଣେ ?

 

: ପଢ଼ି ଦେଖୁନ ।

 

: ମୁଁ ପର ଚିଠି ପଢ଼େ ନାହିଁ ।

 

: ତାହାହେଲେ ପରର ଖବର ରଖି ତୁମର ଲାଭ କ’ଣ ?

 

ମୁଁ ରଖିବାକୁ ଚାହେଁ ନାହିଁ; କହି ସେ ଚୁପ୍ ହୋଇ ଶୋଇପଡ଼ିଲା । ଚିଠି ଦୁଇଖଣ୍ଡ କିନ୍ତୁ ତା’ ମୁଠାଭିତରେ ରହିଲା । ବହୁ ସମୟ ପର୍ଯ୍ୟନ୍ତ ସେ କିଛି କଥା କହିଲା ନାହିଁ । ତାପରେ ଧୀରେ ଧୀରେ ଉଠିଯାଇ ଦୀପ ଆଲୁଅ ପାଖରେ ତଳେ ସ୍ଥିର ହୋଇ ବସି ରହିଲା । ଲେଖାଗୁଡ଼ାକୁ ସେ ବୋଧହୁଏ ଦୁଇ ତିନିଥର କରି ପଢ଼ିଲା । ତାପରେ ଉଠିଆସି ପୁଣି ସେଇପରି ଶୋଇପଡ଼ିଲା । ଅନେକକ୍ଷଣ ପର୍ଯ୍ୟନ୍ତ ଚୁପ୍‌ ରହିବା ପରେ କହିଲା–କ’ଣ ଶୋଇପଡ଼ିଲଣି ?

 

: ନା ।

 

: ସେଠାରେ କିନ୍ତୁ ତମକୁ ମୁଁ କୌଣସିମତେ ବାହାକରାଇ ଦେବି ନାହିଁ । ସେ ଝିଅ ଭଲ ନୁହେଁ । ତାକୁ ମୁଁ ପିଲାବେଳରୁ ଦେଖିଛି ।

 

: ମାଆଙ୍କ ଚିଠି ପଢ଼ିଲ ?

 

: ହଁ, କିନ୍ତୁ ମାଉସୀଙ୍କ ଚିଠିରେ ଏପରି କିଛି ଲେଖା ନାହିଁ ଯାହାଫଳରେ ତୁମେ ତା’ର ଦାୟିତ୍ୱ ନେବାକୁ ବାଧ୍ୟ । ଭଲ ହେଉ କି ମନ୍ଦ ହେଉ ମୁଁ କିନ୍ତୁ ଏ ଝିଅକୁ ଘରେ ପୂରାଇବି ନାହିଁ ।

 

: କିଭଳି ଝିଅଘରେ ପୂରାଇବାକୁ ଚାହଁ, ଶୁଣିପାରେ କି ?

 

: ସେ କଥା ମୁଁ ବର୍ତ୍ତମାନ ହଠାତ୍‌ କରି କିପରି କହିପାରିବି ? ବିଚାରକରି ଦେଖିବାକୁ ପଡ଼ିବ ତ ।

 

କିଛି ସମୟ ଚୁପ୍‌ ହେବାପରେ ହସି ହସି କହିଲି–ତୁମର ପସନ୍ଦ ଆଉ ବିବେଚନା ଉପରେ ନିର୍ଭର କରି ରହିଲେ ମୋତେ ଖୁଣ୍ଟରେ ବୁଢ଼ା ହେବା ଅପବାଦକୁ ଖଣ୍ଡନ କରିବାପାଇଁ ଏ ଜନ୍ମ ବିତିଯିବ ସିନା କିନ୍ତୁ କରିହେବ ନାହିଁ । ହଉ ବର୍ତ୍ତମାନ ପାଇଁ ଥାଉ । ଯଥା ସମୟରେ ସେ କଥା ବୁଝାଯିବ । ମୁଁ ମଧ୍ୟ ବର୍ତ୍ତମାନ ସେଥିପାଇଁ ଏତେ ବ୍ୟସ୍ତ ନୁହେଁ । କିନ୍ତୁ ଝିଅଟିକୁ ତୁମେ ଉଦ୍ଧାର କରିଦିଅ । ପାଞ୍ଚଶହ ଖଣ୍ଡେ ଟଙ୍କା ହେଲେ ହୋଇଯିବ । ମୁଁ ମଧ୍ୟ ବର୍ତ୍ତମାନ ପାଇଁ ଥାଉ । ଯଥା ସମୟରେ ସେ କଥା ବୁଝାଯିବ । ମୁଁ ମଧ୍ୟ ବର୍ତ୍ତମାନ ସେଥିପାଇଁ ଏତେ ବ୍ୟସ୍ତ ନୁହେଁ । କିନ୍ତୁ ଏଇ ଝିଅଟିକୁ ତୁମେ ଉଦ୍ଧାର କରିଦିଅ । ପାଞ୍ଚଶହ ଖଣ୍ଡେ ଟଙ୍କା ହେଲେ ହୋଇଯିବ । ମୁଁ ତାଙ୍କ ମୁହଁରୁ ଶୁଣି ଆସିଥିଲି ।

 

ପିଆରୀ ଏ କଥା ଶୁଣି ଆନନ୍ଦରେ ଉଠିପଡ଼ି କହିଲା–ତାହାହେଲେ କାଲି ମୁଁ ଏଇ ଟଙ୍କା ଉଠାଇଦେବି । ମାଉସୀଙ୍କର ସତ୍ୟକୁ ମିଥ୍ୟା କରିବାକୁ ଦେବି ନାହିଁ । ଟିକିଏ ଅଟକିଯାଇ ପୁଣି କହିଲା–ସତ କହୁଛି, ଏ ଝିଅଟା ଆଦୌ ଭଲ ନୁହେଁ ବୋଲି ମୁଁ ମନାକରୁଥିଲି, ନହେଲେ–

 

: ନହେଲେ ଆଉ କ’ଣ....

 

: ନହେଲେ ପୁଣି କ’ଣ ! ତୁମ ଉପଯୁକ୍ତ ପାତ୍ରୀ ଯୋଗାଡ଼ କରିସାରିଲା ପରେ ଯାଇ ତୁମ କଥାର ଉତ୍ତର ଦିଆଯିବ–ବର୍ତ୍ତମାନ ନୁହେଁ ।

 

ମୁଣ୍ଡ ହଲାଇ କହିଲି–ବୃଥା ଚେଷ୍ଟା କର ନାହିଁ ରାଜଲକ୍ଷ୍ମୀ, ମୋ ପାଇଁ ଉପଯୁକ୍ତ ଝିଅ ତୁମେ କେବେହେଲେ ଖୋଜି ବାହାର କରିପାରିବ ନାହିଁ ।

 

ସେ ଅନେକକ୍ଷଣ ଚୁପ୍‌ ବସିରହିବା ପରେ ହଠାତ୍‌ କହିଉଠିଲା–ଆଚ୍ଛା, ତା’ ହୁଏତ ପାରିବି ନାହିଁ କିନ୍ତୁ ତୁମେ ବର୍ମାକୁ ଗଲେ ମୋତେ ସଙ୍ଗରେ ନେବ ?

 

ତା’ ପ୍ରସ୍ତାବ ଶୁଣି ହସିପକାଇଲି । କହିଲି–ମୋ ସାଙ୍ଗରେ ଯିବାପାଇଁ ତୁମର ସାହସ ଅଛି ତ ?

 

ପିଆରୀ ମୋ ମୁହଁକୁ ତୀକ୍ଷ୍ମ ଭାବରେ ଚାହିଁ କହିଲା–ସାହସ ! ସେଇଟା କ’ଣ ଗୋଟାଏ ଭାରୀ କଷ୍ଟ କାମ ବୋଲି ତୁମେ ମନେକର ?

 

: ମୁଁ ଯାହାହେଲେ କରିପାରିବି । କିନ୍ତୁ ତୁମର ଏଇ ଘରଦ୍ୱାର, ଧନସଂପତ୍ତି ସେ ସବୁର ଅବସ୍ଥା କ’ଣ ହେବ ?

 

: ଯାହା ଇଚ୍ଛା ତାହା ହେଉ । ତୁମକୁ ଚାକିରି କରିବାପାଇଁ ଯେତେବେଳେ ଏତେଦୂର ଯିବାକୁ ହେଲା, ଏଠାରେ ରହି ସୁଦ୍ଧା ମୁଁ କୌଣସି କାମରେ ଯେତେବେଳେ ଆସିଲି ନାହିଁ ସେତେବେଳେ ସବୁ ବଙ୍କୁକୁ ସମର୍ପିଦେଇ ଚାଲିଯିବି ।

 

ଏ କଥାର କିନ୍ତୁ ଉତ୍ତର ଦେଇପାରିଲି ନାହିଁ । ଖୋଲା ଝରକାବାଟେ ବାହାରକୁ ଚାହିଁରହି ନୀରବରେ ବସି ରହିଲି ।

 

ସେ ପୁଣି କହିଲା–ଏତେଦୂର ନ ଗଲେ କ’ଣ ଚଳିବ ନାହିଁ ? ଏ ସବୁ ସଂପତ୍ତି କ’ଣ କୌଣସି ଦିନ ତୁମର ଉପକାରରେ ଲାଗିପାରିବ ନାହିଁ ?

 

: ନା, ଦିନକ ପାଇଁ ସୁଦ୍ଧା ନୁହେଁ ।

 

: ସେ କଥା ଅବଶ୍ୟ ମୁଁ ଭଲ କରି ଜାଣେ । କିନ୍ତୁ ମୋତେ ସଙ୍ଗରେ ନେବ କି ? କହି ମୋ ପାଦଉପରେ ପିଆରୀ ତା’ ହାତକୁ ପୁଣି ରଖିଲା । ଦିନେ ଏଇ ପିଆରୀ ହିଁ ଜୋର କରି ମୋତେ ତା’ ଘରୁ ବିଦାୟ କରିଦେଇଥିଲା । ସେଦିନ ତା’ର ଅସାଧାରଣ ଧୈର୍ଯ୍ୟ ଓ ମନର ଜୋର ଦେଖି ଅବାକ ହୋଇଯାଇଥିଲି । ଆଜି ପୁଣି ତା’ର ଏତେ ଦୁର୍ବଳତା, ଏଇ କରୁଣ କଣ୍ଠର ସକାତର ମିନତି, ସବୁକୁ ଏକ ସଙ୍ଗେ ମନେପକାଇବା କ୍ଷଣି ମୋ ବୁକୁ ଫାଟିଗଲା ପରି ଲାଗିଲା । କିନ୍ତୁ କୌଣସି ମତେ ହଁ ଭରିପାରିଲି ନାହିଁ । କହିଲି–ତୁମକୁ ସଙ୍ଗରେ ନେଇ ଯାଇପାରିବି ନାହିଁ ସତ, କିନ୍ତୁ ଯେତେବେଳେ ଡାକି ପଠାଇବ ସେତେବେଳେ ନିଶ୍ଚୟ ଫେରିଆସିବି । ଯେଉଁଠାରେ ଥାଏ ନା କାହିଁକି ମୁଁ ଚିରଦିନ ପାଇଁ ତୁମର ହୋଇ ହିଁ ରହିଥିବି ରାଜଲକ୍ଷ୍ମୀ ।

 

: ଏଇ ପାପୀଷ୍ଠାର ହୋଇ ତୁମେ ଚିରଦିନ ରହିପାରିବ ?

 

: ହଁ, ବଞ୍ଚିଥିବା ପର୍ଯ୍ୟନ୍ତ ।

 

: ତାହାହେଲେ ତୁମେ କୌଣସିଦିନ ବିବାହ କରିବ ନାହିଁ ?

 

: ନା । ତା’ର କାରଣ, ତୁମର ଇଚ୍ଛା ବିରୁଦ୍ଧରେ, ତୁମ ମନରେ ଦୁଃଖ ଦେଇ ଏ କାର୍ଯ୍ୟ କରିବା ପାଇଁ ମୋର କୌଣସି ଦିନ ପ୍ରବୃତ୍ତି ହେବ ନାହିଁ ।

 

ପିଆରୀ ଅପଲକ ନେତ୍ରରେ କିଛିସମୟ ପାଇଁ ମୋ ମୁହଁକୁ ଚାହିଁ ରହିଲା । ତାପରେ ତା’ ଦୁଇଆଖି ଲୁହରେ ପରିପୂର୍ଣ୍ଣ ହୋଇଉଠିଲା ଏବଂ ସେଥିରୁ ଟପ୍‌ ଟପ୍ ହୋଇ ଲୁହ ଝରିପଡ଼ିଲା-। ଆଖିଦୁଇଟାକୁ ପୋଛି କମ୍ପିତ କଣ୍ଠରେ କହିବାକୁ ଲାଗିଲା–ଏଇ ଅଭାଗିନୀଟା ପାଇଁ ତୁମେ ଚିରଦିନ ପାଇଁ ସନ୍ନ୍ୟାସୀ ହୋଇ ରହିଯିବ ?

 

: ହଁ, ତୁମ ନିକଟରୁ ଯେଉଁ ଜିନିଷ ମୁଁ ପାଇପାରିଛି ତା’ ବଦଳରେ ସନ୍ନ୍ୟାସୀ ହୋଇ ରହିବାରେ ମୋର କ୍ଷତି ନାହିଁ । ଯେଉଁଠାରେ ଥାଏ ନା କାହିଁକି, ତୁମେ ମୋର ଏଇ କଥାକୁ ଆଦୌ ଅବିଶ୍ୱାସ କରିବ ନାହିଁ ବୋଲି ଆଶାକରେ ।

 

ମୁହୂର୍ତ୍ତକ ପାଇଁ ଦୁହିଁଙ୍କର ଚାରିଚକ୍ଷୁର ମିଳନ ହେଲା । ତାପରେ ସେ ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼ିଲା । କେବଳ ଉଚ୍ଛ୍ୱସିତ କ୍ରନ୍ଦନ ଆବେଗରେ ତା’ର ସମସ୍ତ ଶରୀରଟା ଫୁଲି ଫୁଲି କମ୍ପିଉଠୁଥିଲା ।

 

ମୁହଁଟେକି ଚାହିଁଲା । ଘରସାରା ସମସ୍ତେ ଗଭୀର ସୁସୁପ୍ତିରେ ମଗ୍ନ । କେଉଁଠାରେ କେହି କୁଆଡ଼େ ଜାଗ୍ରତ ନାହାଁନ୍ତି । କେବଳ ଏତିକି ମନେହେଲା ଯେ ଝରକା ବାହାରେ ଅନ୍ଧକାର ରାତି; ଯିଏକି ପିଆରୀ ବାଇଜୀର କେତେ ଉତ୍ସବର ପ୍ରିୟ ସହଚରୀ, ତା’ର ବୁକୁଫଟା ଅଭିନୟ ଆଜି ଯେପରି ନୀରବରେ ଆଖିଖୋଲି ଅତ୍ୟନ୍ତ ପରିତୃପ୍ତିର ସହିତ ଦେଖିବାକୁ ଲାଗିଛି ।

 

ଗୋଟାଏ ଗୋଟାଏ କଥା ଦେଖିଛି ଯାହାକୁ ସାରା ଜୀବନରେ ଭୁଲିହୁଏ ନାହିଁ । ଯେତେବେଳେ ମନେପଡ଼େ ତା’ର ଶବ୍ଦଗୁଡ଼ାକ ପର୍ଯ୍ୟନ୍ତ ମନରେ ଯେପରି ବାଜିଉଠେ । ପିଆରୀର ଶେଷ କଥାଗୁଡ଼ିକ ଠିକ୍‌ ସେହିପରି । ଆଜି ମଧ୍ୟ ମୁଁ ତା’ର ଧ୍ୱନି ଶୁଣିବାକୁ ପାଇପାରେ । ସେ ଯେ ବାସ୍ତବିକ୍‌ କେତେ ସଂଯମୀ, ଏହି ପରିଚୟ ସେ ପିଲାଦିନରୁ ଦେଇପାରିଛି । ଏଥିସହିତ ଏତେଦିନ ପରେ ତାଠାରୁ ସାଂସାରିକ ବିଷୟରେ ଏଇ ଶିକ୍ଷା ପାଇପାରିଲି ! ଗତଥର ବିଦାୟ ମୁହୂର୍ତ୍ତରେ କୌଣସି ମତେ ପଳାଇଯାଇ ସେ ଆତ୍ମରକ୍ଷା କରିଥିଲା, ଏଥର କିନ୍ତୁ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ଚାକର ବାକର ସମସ୍ତଙ୍କ ଆଗରେ ସେ କାନ୍ଦି ପକାଇଲା । ଋଦ୍ଧ କଣ୍ଠରେ କହିଉଠିଲା–ଦେଖ ମୁଁ ଅବୋଧ ନୁହେଁ । ମୋ ପାପର ଗୁରୁଦଣ୍ଡ ମୋତେ ହିଁ ଭୋଗିବାକୁ ହେବ ତାହା ମୁଁ ଜାଣେ-। ତଥାପି କହୁଛି ଆମ ସମାଜ ବଡ଼ ନିର୍ଦ୍ଦୟ ଏବଂ ନିଷ୍ଠୁର ! ତାକୁ ଦିନେ ଏଥିପାଇଁ ଶାସ୍ତି ଭୋଗିବାକୁ ପଡ଼ିବ । ଭଗବାନ ଏହାର ଉପଯୁକ୍ତ ଦଣ୍ଡବିଧାନ କରିବେ ନା କରିବେ ।

 

ସମାଜକୁ କାହିଁକି ସେ ଏତେବଡ଼ ଅଭିଶାପ ଦେଲା, ସେକଥା ସେ ହିଁ ଜାଣେ, ଆଉ ଯଦି ଜାଣିଥିବେ ତେବେ ତା’ର ଅନ୍ତର୍ଯ୍ୟାମୀ ହିଁ ଜାଣିଥିବେ । ମୁଁ ଯେ ନ ଜାଣିଛି ତାହା ନୁହେଁ । କିନ୍ତୁ ମୁଁ ନିର୍ବାକ ହୋଇ ରହିଲି । ବୁଢ଼ା ଦରଓ୍ୱାନ ଗାଡ଼ିର କବାଟ ଖୋଲି ମୋ ମୁହଁକୁ ଚାହିଁଲା । ପାଦ ଉଠାଇବାକୁ ଉଦ୍ୟମ କରୁଛି ଏହି ସମୟରେ ପିଆରୀ ଛଳଛଳ ଆଖିରେ ମୋ ମୁହଁକୁ ଚାହିଁ ରହି ଟିକିଏ ହସିଦେଇ କହିଲା–କୁଆଡ଼େ ଯାଉଛ, ଆଉ ହୁଏତ ଦେଖା ନ ହୋଇପାରେ । ଗୋଟାଏ ଭିକ୍ଷା ମାଗିବ ଦେବ ?

 

: ଦେବି,

 

: ଭଗବାନ ନ କରନ୍ତୁ କିନ୍ତୁ ତୁମର ଜୀବନଯାତ୍ରା ଯେପରି ଭାବରେ ବିଚିତ୍ର ସେଥିରେ....ଆଚ୍ଛା, ଯେଉଁଠାରେ ରହନା କାହିଁକି ସେଠାରୁ ଖଣ୍ଡିଏ ଚିଠି ଦେବ । ଲଜ୍ଜ୍ୟା କରିବ ନାହିଁ-

 

: ନା, ଲଜ୍ଜ୍ୟା କରିବି କାହିଁକି ? ଚିଠି ଦେବି, କହି ଆସ୍ତେ ଆସ୍ତେ ଗାଡ଼ିଭିତରେ ଯାଇ ବସିଲି ।

 

ପିଆରୀ ମୋ ପଛେ ପଛେ ଆସି ତା’ର ପଣତକାନିରେ ମୋର ପାଦଧୂଳି ନେଲା ।

 

: କ’ଣ ଶୁଣୁଛ ? ମୁହଁଉଠାଇ ଦେଖିଲି ସେ ତା’ର ଓଷ୍ଠାଧାରର କମ୍ପନଟାକୁ ପ୍ରାଣପଣେ ଦମନ କରି କଥା କହିବା ପାଇଁ ଚେଷ୍ଟା କରୁଛି । ଦୁହିଁଙ୍କର ଦୃଷ୍ଟି ମିଶି ଏକତ୍ର ହେବାକ୍ଷଣି ତା’ ଆଖିରୁ ଲୁହ ପୁଣି ଝରଝର ହୋଇ ବହିଚାଲିଲା । ଅସ୍ପଷ୍ଟ ଆଉ ଅବରୁଦ୍ଧ ସ୍ୱରରେ ଚୁପ୍‌ଚୁପ୍‌ କରି କହିଲା–ଏତେ ଦୂରକୁ ନ ଯାଇ ରହିଲେ କ’ଣ ଚଳିନଥାନ୍ତା ?

 

ନୀରବରେ ଆଖିକୁ ଅନ୍ୟଆଡ଼େ ବୁଲାଇନେଲି । ଗାଡ଼ୁଓ୍ୱାନ ଗାଡ଼ି ଛାଡ଼ିଦେଲା । ଚାବୁକ ଓ ଚାରୋଟି ଚକର ସମ୍ମିଳିତ ସାପ ସପ୍‌ ଓ ଘଡ଼ଘଡ଼ ଶବ୍ଦରେ ସେଦିନର ଅପରାହ୍ନ ମୁଖରିତ ହୋଇଉଠିଲା । କିନ୍ତୁ ଏ ସମସ୍ତକୁ ଚାପିଦେଇ ଗୋଟିଏ ଋଦ୍ଧକଣ୍ଠର ଚାପା କ୍ରନ୍ଦନର ଧ୍ୱନି କେବଳ ମୋ କାନରେ ବାଜିବାକୁ ଲାଗିଥାଏ ।

 

ଦିନ ଚାରି ପାଞ୍ଚଟା ପରେ ଗୋଟାଏ ଲୁହା ଟ୍ରଙ୍କ ଏବଂ ଗୋଟିଏ ପତଳା ବିଛଣାକୁ ସମ୍ୱଳ କରି କଲିକତାର କୋଇଲାଘାଟରେ ଆସି ପହଞ୍ଚିଲି । ଗାଡ଼ି ଭିତରୁ ଓହ୍ଲାଉ ନ ଓହ୍ଲାଉଣୁ ଗୋଟେ ଖାକି କୁର୍ତ୍ତା ପିନ୍ଧା କୁଲି ଆସି ଛୁ ମାରି ଏ ଦୁଇଟାକୁ ନେଇ କୁଆଡ଼େ ଯେ ଅନ୍ତର୍ଦ୍ଧାନ ହୋଇଗଲା, ଖୋଜି ଆଖି ଦୁଇଟାରେ ଲୁହ ନ ଆସିବା ପର୍ଯ୍ୟନ୍ତ ତାହାର କୌଣସି ସନ୍ଧାନ ମିଳିଲା ନାହିଁ । ଗାଡ଼ିରେ ଆସିଲାବେଳେ ଦେଖିଥିଲି ଜେଟି ଏବଂ ବଡ଼ ରାସ୍ତାର ଅନ୍ତର୍ବର୍ତ୍ତୀ ସମସ୍ତ ଭୂଖଣ୍ଡଟା ହିଁ କେବଳ ନାନା ରଙ୍ଗର ପଦାର୍ଥରେ ଭର୍ତ୍ତି ହୋଇ ରହିଛି । ଲାଲ, କଳା, ପାଉଁଶିଆ ଓ ଗେରୁଆ ରଙ୍ଗର ସାମାନ୍ୟ କୁହୁଡ଼ିପରି ହୋଇଥିଲା । ଭାବିଥିଲି ବୋଧହୁଏ ଦଳେ ବାଛୁରୀ ବନ୍ଧା ହୋଇଛନ୍ତି, କୁଆଡ଼େ ଚାଲାଣ ହେବେ । ନିକଟକୁ ଆସି ଦେଖି ଜାଣିପାରିଲି ଚାଲାଣ ହେବେ ସତ କିନ୍ତୁ ବାଛୁରୀ ନୁହଁନ୍ତି ମଣିଷ । ସ୍ତ୍ରୀ ପିଲାଙ୍କ ହାତଧରି ସାରାରାତି ଏଇପରି କାକରରେ ପଡ଼ିରହିଛନ୍ତି; ସକାଳ ହେଲେ ଟିକିଏ ଭଲ ସ୍ଥାନ ପାଇପାରିବେ ବୋଲି । ଅତଏବ ଏମାନଙ୍କୁ ଅତିକ୍ରମ କରି ଜାହାଜର ପ୍ରବେଶ ପଥକୁ ଯିବାପାଇଁ କାହାର ସାଧ୍ୟ ଅଛି ? ଅଳ୍ପ ସମୟ ପରେ ଏଇ ଦଳ ଯେତେବେଳେ ସଜାଗ ହୋଇ ଠିଆହୋଇପଡ଼ିଲେ ସେତେବେଳେ ଦେଖିବାକୁ ପାଇଲି କାବୁଲଠାରୁ କୁମାରିକା ପର୍ଯ୍ୟନ୍ତ ଏଇ କୋଇଲା ଘାଟକୁ ପ୍ରତିନିଧି ପଠାଇବାକୁ କେହି ଯେପରି ଭୁଲିନାହାନ୍ତି ।

 

ସବୁପ୍ରକାର ଲୋକ ଅଛନ୍ତି, କଳା କଳା ଗେଞ୍ଜି ପିନ୍ଧା ଦଳେ ଚୀନା ଲୋକ ମଧ୍ୟ ବାଦ୍‌ଯାଇ ନାହାଁନ୍ତି । ମୁଁ କେବଳ ଡେକ୍‌ର ଯାତ୍ରୀ (ଅର୍ଥାତ୍‌ ଯାହା ତଳକୁ ଆଉ କିଛି ନାହିଁ) ତେଣୁ ଏମାନଙ୍କୁ ହଟାଇ ମୋର ମଧ୍ୟ ଖଣ୍ଡିଏ ଜାଗା ଦଖଲ କରିନେବାର କଥା । କିନ୍ତୁ ଏକଥା ମନେପଡ଼ିବା ସଙ୍ଗେ ସଙ୍ଗେ ମୋ ସର୍ବାଙ୍ଗ ଯେପରି ବରଫପରି ଥଣ୍ଡା ହୋଇ ଯିବାକୁ ଲାଗିଲା । ଅଥଚ ଯେତେବେଳେ ଯିବାକୁ ହିଁ ପଡ଼ିବ ଏବଂ ଜାହାଜ ବ୍ୟତୀତ ଅନ୍ୟ କୌଣସି ପଥ ମୋତେ ଜଣା ନାହିଁ, ସେତେବେଳେ ଯେପରି ଭାବରେ ହେଉ, ଏମାନଙ୍କର ଦୃଷ୍ଟାନ୍ତ ମୋର ଅବଲମ୍ବନ କରିବା ଉଚିତ୍‌ ବୋଲି ମନକୁ ଯେତେ ସାହସ ଦେବାକୁ ଲାଗିଲି ସେତିକି ଯେପରି ଭୟାର୍ତ୍ତ ହୋଇଉଠିଲି । ଜାହାଜ ଯେ କେତେବେଳେ ଆସି ଘାଟରେ ଲାଗିବ, ସେ କଥା ଜାହାଜକୁ ଜଣା । ହଠାତ୍‌ ଚାହିଁ ଦେଖିଲି ଏଇ ଚଉଦଶହ କି ପନ୍ଦରଶହ ଲୋକ ମେଣ୍ଢାପଲପରି ଏହାଭିତରେ କେତେବେଳେ ନିଜ ନିଜର ଜିନିଷପତ୍ର ବନ୍ଧାବନ୍ଧି କରି ପ୍ରସ୍ତୁତ ହୋଇଗଲେଣି । ଜଣେ ହିନ୍ଦୁସ୍ଥାନୀକୁ ପଚାରିଲି–ମଉସା, ସମସ୍ତେ ତ ବସିଥିଲ; ହଠାତ୍‌ ଏପରି କିଲବିଲ ହୋଇ ଠିଆ ହୋଇପଡ଼ିଲ କାହିଁକି ?

 

: ସେ କହିଲା–ଡଗ୍‌ ଦରି ହୋଗା ।

 

: ଡଗ୍‌ ଦରି କ’ଣ ମଉସା ?

 

ଲୋକଟା ପଛରୁ ଗୋଟାଏ ଠେଲା ସମ୍ଭାଳି ନେଇ ବିରକ୍ତ ସ୍ୱରରେ କହିଲା–ଆରେ ପିଲେଗ୍‌କା ଡଗ୍‌ଦରି ।

 

କଥାଟା ଆହୁରି ଦୁର୍ବୋଧ୍ୟ ହୋଇପଡ଼ିଲା । କିନ୍ତୁ ବୁଝେ ବା ନ ବୁଝେ ଏତେଗୁଡ଼େ ଲୋକଙ୍କର ଯାହା ଆବଶ୍ୟକ ମୋର ମଧ୍ୟ ତାହା ଦରକାର । କିନ୍ତୁ କି କୌଶଳରେ ଯେ ଏଇ ଗୋଠ ଭିତରେ ନିଜକୁ ଗୁଞ୍ଜି ଦେବି ଏହା ମୋ ପାଇଁ ଏକ ସମସ୍ୟା ହୋଇଉଠିଲା । କେଉଁଠାରେ ଟିକିଏ ଫାଙ୍କା ଅଛି କି ନାହିଁ; ଖୋଜୁ ଖୋଜୁ ଦେଖିଲି ଅନେକ ଦୂରରେ କେତେଗୁଡ଼ିଏ ଖିଦିରିପୁରିଆ ମୁସଲମାନ ଜାକିଜୁକି ହୋଇ ଠିଆ ହୋଇଛନ୍ତି । ଏହା ମୁଁ ନିଜ ଦେଶରେ ବିଦେଶରେ ସର୍ବତ୍ର ଲକ୍ଷ୍ୟ କରିଆସିଛି ଯେ ଯେଉଁଟା ଲଜ୍ଜ୍ୟାକର ଘଟଣା, ସେଠାରେ ବଙ୍ଗାଳୀମାନେ ଲଜ୍ଜିତ ହୋଇଉଠନ୍ତି । ଭାରତର ଅନ୍ୟ ଜାତିଙ୍କ ଭଳି ଠେଲାପେଲା ଆଦୌ କରିପାରନ୍ତି ନାହିଁ । ଏପରି ଭାବରେ ଠିଆହୋଇ ରହିବାଟା ଯେ ଗୋଟାଏ ହୀନମନ୍ୟତା, ଏହି ଲଜ୍ଜ୍ୟା ମୋ ଭିତରେ ସମସ୍ତଙ୍କ ଅଗୋଚରରେ ମୁଣ୍ଡଟେକି ଠିଆହୋଇଥାଏ । ଏହି ବଙ୍ଗୀୟ ମୁସଲମାନମାନେ ରେଙ୍ଗୁନରେ ଦରଜୀ କାମ କରନ୍ତି । ତେଣୁ ଅନେକଥର ଯିବାଆସିବା କଲେଣି ପଚାରିବାରୁ ବୁଝାଇଦେଲେ ଯେ ବର୍ତ୍ତମାନ ସୁଦ୍ଧା ବର୍ମାରେ ପ୍ଲେଗ ରୋଗ ପ୍ରବେଶ କରିପାରି ନାହିଁ-। ସେଥିପାଇଁ ଏଭଳି ସତର୍କତା । ଡାକ୍ତର ପରୀକ୍ଷା କରି ପାଶ୍‌ କରିବା ପରେ ଯାଇ ଜାହାଜରେ ଉଠିବାକୁ ହେବ । ଅର୍ଥାତ୍‌ ରେଙ୍ଗୁନ ଯିବାପାଇଁ ଯେଉଁମାନେ ଆଗ୍ରହୀ ସେମାନେ ପ୍ଲେଗ ରୋଗୀ କି ନୁହଁନ୍ତି ତାହା ପ୍ରଥମେ ପରୀକ୍ଷା ଦେବା ଦରକାର । ଇଂରେଜ ରାଜୁତି ଅମଳରେ ଡାକ୍ତରମାନଙ୍କର ପ୍ରବଳ ପ୍ରତାପ । ଶୁଣିଛି କଂସେଇଖାନାକୁ ଯାଉଥିବା ଯାତ୍ରୀମାନଙ୍କୁ ଜବେ (ହଣାହେବା) ହେବାର ଅଧିକାର ଟିକକ ପାଇଁ ଏମାନଙ୍କ ମୁହଁକୁ ଚାହିଁ ଅପେକ୍ଷା କରିବାକୁ ପଡ଼େ । କିନ୍ତୁ ଅବସ୍ଥାଚକ୍ରରେ ରେଙ୍ଗୁନଯାତ୍ରୀମାନଙ୍କ ସହିତ ସେମାନଙ୍କର ଯେ ଏତେ ସାମଞ୍ଜସ୍ୟ ଥିଲା ତାହା କିଏ ଜାଣିଥିଲା-। କ୍ରମଶଃ ‘ପିଲେଗକା ଡଗ୍‌ଦରୀ’ ଆସନ୍ନ ହୋଇଉଠିଲା । ସାହେବୀ ଡାକ୍ତର–ପିଆଦା ସହିତ ଆବିର୍ଭୂତ ହେଲେ । ଲାଇନରେ ଠିଆହେବାର ସୁବିଧା ସୁଯୋଗ ଯଥେଷ୍ଟ ନଥିଲେ ସୁଦ୍ଧା ତଥାପି ଆଗରେ ଠିଆ ହୋଇଥିବା ମୋ ସହଯାତ୍ରୀଙ୍କ ପ୍ରତି ପରୀକ୍ଷା ପଦ୍ଧତିର ପ୍ରୟୋଗରୁ ଯେଉଁ ଟିକକ ଦୃଷ୍ଟିଗୋଚର ହେଲା ସେଥିରେ ମୋର ଭାବନାର ସୀମା ରହିଲା ନାହିଁ । ଦେହର ଉପରାର୍ଦ୍ଧକୁ ଅନାବୃତ କରିବାପାଇଁ ଡରିବା ଭଳି (ଅବଶ୍ୟ ବଙ୍ଗାଳୀ ବ୍ୟତୀତ) କାପୁରୁଷ ସେଠାରେ କେହିନଥିଲେ । କିନ୍ତୁ ଆଗରେ ଠିଆ ହୋଇଥିବା ସେହି ସାହସୀ ବୀରପୁଙ୍ଗବମାନଙ୍କୁ ପରୀକ୍ଷା ସମୟରେ ଚମକି ଉଠୁଥିବାର ଦେଖିଦେଖି ମୁଁ ଶଙ୍କିତ ହୋଇଉଠିଲି । ସମସ୍ତେ ଜାଣନ୍ତି ପ୍ଲେଗ ରୋଗ ହେତୁ ଦେହର ସ୍ଥାନ ବିଶେଷ ଫୁଲିଉଠେ । ଡାକ୍ତର ସାହେବ କିନ୍ତୁ ଯେପରି ଭାବରେ ଅବଲୀଳା କ୍ରମରେ ଓ ନିର୍ବିକାର ଚିତ୍ତରେ ସେହି ସମସ୍ତ ସନ୍ଦେହମୂଳକ ସ୍ଥାନରେ ହସ୍ତ ପ୍ରବେଶ କରି ସ୍ଫୀତି ଅନୁଭବ କରିବାକୁ ଲାଗିଲେ; ସେଥିରେ କାଠ କଣ୍ଢେଇର ମଧ୍ୟ ଆପତ୍ତି କରିବାର କଥା-। କିନ୍ତୁ ଭାରତବାସୀଙ୍କର ସନାତନ ସଭ୍ୟତା ଅଛି ବୋଲି ସେ ଯାହାହେଉ ଥରକ ପାଇଁ ଚମକିଉଠି ଚୁପ ହୋଇଯାଇଥିଲି ନଚେତ୍‌ ଆଉ କୌଣସି ଜାତି ହୋଇଥିଲେ ସେଦିନ ଡାକ୍ତରଙ୍କର ହାତ ମୋଡ଼ି ଭାଙ୍ଗିଦେଇ ଛାଡ଼ିନଥାନ୍ତା । ସେ ଯାହାହେଉ ପାଶ୍‌ କରାଇବାଟା ଯେତେବେଳେ ତାଙ୍କର କର୍ତ୍ତବ୍ୟ ସେତେବେଳେ ଉପାୟ ଅବା କ’ଣ ଅଛି ? ଯଥା ସମୟରେ ଆଖିବୁଜି ସର୍ବାଙ୍ଗ ସଂକୁଚିତ କରି ଏକପ୍ରକାର ଶବ ଭଳି ମୁଁ ନିଜକୁ ଡାକ୍ତରଙ୍କ ହାତରେ ସମର୍ପଣ କଲି ଏବଂ ପାଶ୍ ମଧ୍ୟ କଲି-। ଏହାପରେ ଜାହାଜରେ ଉଠିବାର ପାଲା । କିନ୍ତୁ ଡେକ୍‌ ପ୍ୟାସେଞ୍ଜରମାନଙ୍କର ଏଇ ଅଧିରୋହଣ କ୍ରିୟା ଯେ କିଭଳି ଭାବରେ ନିଷ୍ପନ୍ନ ହୁଏ; ସେକଥା ବାହାର ଲୋକଙ୍କ ପକ୍ଷେ ଧାରଣା କରିବା ଅସାଧ୍ୟ । ତେବେ କଳକାରଖାନାରେ ଦାନ୍ତବାଲା ଚକର କ୍ରିୟା ଦେଖିଥିଲେ କିଛିଟା ପାରିବା ସମ୍ଭବପର ହୋଇପାରିବ । ସେ ଯେପରି ଆଗକୁ ଟାଣେ ଏବଂ ପଛକୁ ଠେଲା ପାଇଁ ଅଗ୍ରସର ହୋଇଚାଲେ ଆମେମାନେ ମଧ୍ୟ ଏଇ କାବୁଲୀ, ପଞ୍ଜାବୀ, ମାରୱାଡ଼ି, ମାନ୍ଦ୍ରାଜୀ, ମହାରାଷ୍ଟ୍ରୀ, ବଙ୍ଗାଳୀ, ଚିନା, ଓଡ଼ିଆମାନଙ୍କଦ୍ୱାରା ଗଠିତ ସୁବିପୁଳବାହିନୀ କେବଳ ମାତ୍ର ପରସ୍ପରର ଆକର୍ଷଣ ଓ ବିକର୍ଷଣ ବେଗହେତୁ ଡଙ୍ଗାରୁ ଜାହାଜର ଡେକ୍‌କୁ ସମସ୍ତଙ୍କ ଅଜ୍ଞାତସାରରେ ଉଠିଆସିଲୁ ଏବଂ ସେହି ଗତି ସେଇଠାରେ ମଧ୍ୟ ପ୍ରତିରୁଦ୍ଧ ହେଲା ନାହିଁ । ଆଗରେ ଦେଖିଲି ଗୋଟାଏ ଗାତ ଆଗରେ ସିଡ଼ି ଲଗା ହୋଇଛି । ଜାହାଜର ଖୋଳକୁ ଯିବାପାଇଁ ଏହା ହେଉଛି ବାଟ । ଆବଦ୍ଧ ନଳା ମୁହଁ ଫିଟାଇଦେଲେ ଯେପରି ସଞ୍ଚିତ ବୃଷ୍ଟିଜଳ ଶୀଘ୍ର ତଳକୁ ଫିଟି ପଡ଼େ ଠିକ୍‌ ସେହିପରି ଏଇ ଦଳ ସ୍ଥାନ ସଂରକ୍ଷଣ କରିବା ପାଇଁ ମରିପଡ଼ି ଜ୍ଞାନ ଶୂନ୍ୟ ହୋଇ ଆରୋହଣ କରିବାକୁ ଲାଗିଲେ । ମୋର ଯେତେଦୂର ମନେପଡ଼େ ମୋର ତଳକୁ ଯିବାକୁ ଇଚ୍ଛାନଥିଲା ତେଣୁ ପାଦ ଉଠାଇ ନାହିଁ ଏହି ସମୟରେ କ୍ଷଣକ ପାଇଁ ଚେତା ହରାଇ ବସିଲି । କେହି ଯଦି ମିଛ ବୋଲି ଭାବୁଥିବେ ତେବେ ଶପଥ କରି ଅସ୍ୱୀକାର କରିପାରିବି ନାହିଁ । ତେବେ ଯେତେବେଳେ ମୋର ଚେତା ଫେରିଲା ସେତେବେଳେ ଦେଖିଲି ଜାହାଜ ଭିତରେ ଗୋଟିଏ କଣରେ ମୁଁ ଏକାକୀ ଠିଆ ହୋଇଛି-। ପାଦ ତଳକୁ ଚାହିଁ ଦେଖିଲ ଭୋଜବାଜୀ ବିଦ୍ୟା ଭଳି ଆଖି ପଲକମାତ୍ରେ ଯିଏ ଯାହାର କମ୍ବଳ ବିଛାଇ ବାକ୍‌ସ ପେଟରା ରଖି ନିରାପଦରେ ବସି ପ୍ରତିବେଶୀଙ୍କର ପରିଚୟ ଗ୍ରହଣ କରିବାରେ ଲାଗିଛନ୍ତି-। ଏତେ ସମୟ ପରେ ସେଇ କୁଲି ଆସି ଦେଖାଦେଇ କହିଲା–ଟ୍ରଙ୍କ ଏବଂ ବିଛଣା ଉପରେ ରଖିଛି ଯଦି କହିବେ ତଳକୁ ନେଇଆସିବି ।

 

: ନା, ବରଞ୍ଚ ଯଦି ପାର ମୋତେ ଏଠାରୁ ଉଦ୍ଧାର କରି ଉପରକୁ ନେଇଗଲେ ଭଲ ହୁଅନ୍ତା ।

 

ମୁଁ ଏପରି ଭାବରେ ତାକୁ କହିବାର କାରଣ ପରର ବିଛଣା ନମାଡ଼ି, ତା’ ସହିତ ହାତାହାତି ହେବାର ସମ୍ଭାବନାକୁ ନ ଘଟାଇ ପାଦ ରଖିପାରିବା ଭଳି ଏପରି ଟିକିଏ ଯାଗା ମୋ ଆଖିରେ ପଡ଼ିଲା ନାହିଁ । ବର୍ଷାଦିନରେ ବର୍ଷାରେ ତିନ୍ତିବା ପଛେ ଭଲ କିନ୍ତୁ ଏଠାରେ ମୁହୂର୍ତ୍ତଟିଏ ନୁହେଁ । କୁଲିଟା ଆହୁରି ଅଧିକା ପଇସା ଲୋଭରେ ଅନେକ ଚେଷ୍ଟାରେ ଅଧିକ ସତର୍କତାର ସହିତ କମ୍ବଳ ଓ ସତରଞ୍ଜି କାଢ଼ି ମୋତେ ଉପରକୁ ଆଣିଲା ଏବଂ ମୋ ଅନ୍ୟାନ୍ୟ ଜିନିଷପତ୍ର ଦେଖାଇଦେଇ ବକ୍‌ସିସ ନେଇ ବିଦାୟ ନେଲା । ଏଠାରେ ମଧ୍ୟ ସେଇ ଅବସ୍ଥା । କମ୍ବଳ ବିଛାଇବା ପାଇଁ ଏତେଟିକିଏ ଯାଗା ନାହିଁ । ଫଳରେ ନିରୁପାୟ ହୋଇ ନିଜ ଟ୍ରଙ୍କ ଉପରେ ବସିପଡ଼ି ନିବିଷ୍ଟ ଚିତ୍ତରେ ମାଆ ଭାଗୀରଥିଙ୍କ ଉଭୟ କୂଳର ମହିମା ନିରୀକ୍ଷଣ କରିବାକୁ ଲାଗିଲି । ଷ୍ଟୀମାର ସେତେବେଳକୁ ଚାଲିବା ଆରମ୍ଭ କରିଥିଲା । ବହୁତବେଳୁ ଶୋଷ ଲାଗୁଥିଲା । ଏଇ ଦୁଇଘଣ୍ଟା ଧରି ଯେଉଁସବୁ ଘଟଣା ଘଟିଥିଲା; ସେଥିରେ ତଣ୍ଟି ଶୁଖିଯିବା ଲୋକ ସଂସାରରେ ଅଳ୍ପ ବୋଧହୁଏ ଥିବେ-! କିନ୍ତୁ ସବୁଠାରୁ ଦୁଃଖ ହେଉଛି ସଙ୍ଗରେ ଗୋଟେ ଗ୍ଲାସ କିମ୍ବା ଢାଳ ନଥିଲା । ସହଯାତ୍ରୀମାନଙ୍କ ଭିତରେ ଯଦିଓ କେତେ ବଙ୍ଗାଳୀ ଥିଲେ କିନ୍ତୁ କାଳେ କିଛି ଉପାୟ ପାଇପାରେ ଭାବି ପୁଣିଥରେ ବାହାରିପଡ଼ିଲି । ତଳକୁ ଓହ୍ଲାଇବା ପାଇଁ ସେଇ ଗର୍ତ୍ତ ନିକଟରେ ପହଞ୍ଚିବା କ୍ଷଣି ହଠାତ୍‌ ଭୀଷଣ ପାଟି ଶୁଣାଗଲା । କାହା ସହିତ ତାହାର ତୁଳନା କରିବି ସେପରି ଅଭିଜ୍ଞତା ସେତେବେଳେ କ’ଣ ଏତେବେଳେ ମଧ୍ୟ ମୋର ନାହିଁ । ଗାଈ ଗୁହାଳରେ ନିଆଁ ଲାଗିଲେ ଏପରି ଏକ ଆୱାଜ ଶୁଣାଯିବାର କଥା; କିନ୍ତୁ ଏପରି ଆୱାଜ ପାଇଁ ଯେତେବଡ଼ ଗୋଶାଳା ଦରକାର ହୁଏତ ମହାଭାରତ ଯୁଗରେ ବିରାଟ ରାଜାଙ୍କର ଥିଲେ ଥାଇପାରେ ସେ ଅଲଗା କଥା, କିନ୍ତୁ ଏଇ କଲିକାଳରେ ଏପରି ଥିବାର କଳ୍ପନା କରିବାଟା କଠିନ ।

 

ଭୟରେ ତଳକୁ ଚାହିଁ ଦେଖିଲି ଯାତ୍ରୀମାନେ ଯିଏ ଯାହାର ଜାତୀୟ ସଙ୍ଗୀତ ବୋଲିବା ଆରମ୍ଭ କରିଦେଇଛନ୍ତି । କାବୁଲଠାରୁ ବ୍ରହ୍ମପୁତ୍ର ଓ କୁମାରିକାଠାରୁ ଚୀନ ପର୍ଯ୍ୟନ୍ତ ଯେତେପ୍ରକାର ସଙ୍ଗୀତର ସୁର ଥାଇପାରେ ଜାହାଜର ଏହି ଆବଦ୍ଧ ଖୋଳ ଭିତରେ ବାଦ୍ୟଯନ୍ତ୍ର ସାହାଯ୍ୟରେ ସେସବୁର ସମବେତ ଅନୁଶୀଳନ ଚାଲିଚି । ଏଭଳି ମହା ସଙ୍ଗୀତ ଶୁଣିବା ସୌଭାଗ୍ୟ କଦାଚିତ୍‌ ଘଟେ ଏବଂ ସଙ୍ଗୀତ ଯେ ସର୍ବଶ୍ରେଷ୍ଠ ଲଳିତ କଳା, ତାହା ସେହିଠାରେ ଠିଆହୋଇ ସଂଭ୍ରମ ସହିତ ସ୍ୱୀକାର କରିନେଲି । କିନ୍ତୁ ସବୁଠାରୁ ବିସ୍ମୟର କଥା ଯେ, ଏତେଗୁଡ଼ିଏ ସଙ୍ଗୀତ ବିଶାରଦ ଏକତ୍ର ହୋଇପାରିଲେ କିପରି ?

 

ତଳକୁ ଓହ୍ଲାଇବାଟା ଠିକ୍‌ ହେବ କି ନାହିଁ ସ୍ଥିର କରିପାରିଲି ନାହିଁ । ଶୁଣିଛି ଇଂରେଜ ମହାକବି ସେକ୍‌ସପିଅର କୁଆଡ଼େ କହିଥିଲେ ଯେଉଁଲୋକ ସଙ୍ଗୀତରେ ମୁଗ୍‌ଧ ହୋଇପାରେ ସେ ଖୁନ୍‌ କରିବାକୁ ଆଦୌ ପଛାଏ ନାହିଁ । କିନ୍ତୁ ମିନିଟିଏ ଏଭଳି ସଙ୍ଗୀତ ଶୁଣିଲେ ମଣିଷର ଯେ ଖୁନ କରିବାର ପ୍ରବୃତ୍ତି କମିଯାଏ ଏହା ବୋଧହୁଏ ତାଙ୍କୁ ଜଣାନଥିଲା । ଜାହାଜର ସେଇ ଖୋଳଟି ବୀଣାପାଣୀଙ୍କର ପୀଠସ୍ଥଳୀ କି ନାହିଁ ଜାଣେ ନାହିଁ । ନଚେତ୍‌ କାବୁଲି ବାଲା ଗୀତ ଗାଇବ ଏ କଥା କ’ଣ କିଏ କଳ୍ପନା କରିପାରେ ? ଗୋଟିଏ ପ୍ରାନ୍ତରେ ଏଇ ଅଦ୍ଭୁତ କାଣ୍ଡ ଚାଲିଥିଲା । ମୁଁ ଆଁକରି ଚାହିଁଥାଏ । ହଠାତ୍‌ ଦେଖିଲି ଜଣେ ବ୍ୟକ୍ତି ଅଳ୍ପ ଦୂରରେ ଠିଆହୋଇ ହାତ ହଲାଇ ମୋର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବାରେ ଲାଗିଛି । ବହୁତ ଚେଷ୍ଟାରେ, ଅନେକ ଲୋକଙ୍କର ନାଲିଆଖିକୁ ମୁଣ୍ଡରେ ତୋଳିଧରି ଏଇ ଲୋକଟି ନିକଟରେ ଯାଇ ପହଞ୍ଚିଲି । ବ୍ରାହ୍ମଣ ବୋଲି ମୋତେ ଜାଣିପାରି ସେ ହାତଯୋଡ଼ି ନମସ୍କାର କଲା ଏବଂ ନିଜକୁ ରେଙ୍ଗୁନର ବିଖ୍ୟାତ ନନ୍ଦ ମିସ୍ତ୍ରୀ ବୋଲି ପରିଚୟ ଦେଇବସିଲା । ପାଖରେ ଜଣେ ବିଗତଯୌବନା ସ୍ଥୂଳାଙ୍ଗୀ ମୋତେ ଏକଦୃଷ୍ଟିରେ ଚାହିଁ ରହିଥିଲେ । ମୁଁ ତାଙ୍କ ମୁହଁକୁ ଚାହିଁବା କ୍ଷଣି ସ୍ତମ୍ଭିତ ହୋଇଗଲି । ମଣିଷର ଏତେବଡ଼ ଦୁଇଟା ଆଖି ଏବଂ ଏତେ ମୋଟା ଜୋଡ଼ାଏ ଭ୍ରୂଲତା ଥିବାର ମୁଁ ଆଦୌ ପୂର୍ବରୁ କେବେ ଦେଖିନଥିଲି । ନନ୍ଦ ମିସ୍ତ୍ରୀ ତା’ର ପରିଚୟ ଦେବାକୁ ଯାଇ କହି ବସିଲା ବାବୁ, ଏ ହେଉଛି ମୋ ପରି....

 

କଥାଟା ଶେଷ ହେଉ ନହେଉଣୁ ସ୍ତ୍ରୀଲୋକଟି ହଠାତ୍‌ ଗର୍ଜି କହିଉଠିଲା; ପରିବାର ! ମୋର ସାତ ଜନ୍ମର ସ୍ୱାମୀ ପରି କହୁଛନ୍ତି କ’ଣ ନା ମୋ ପରିବାର ! ଖବରଦାର କହୁଛି ମିସ୍ତ୍ରୀ, ଯାହା ତାହା ଆଗରେ ମିଛ କଥା କହି ମୋର ବଦନାମ କର ନାହିଁ ।

 

ମୁଁ ଆଶ୍ଚର୍ଯ୍ୟରେ ମୂକ ହୋଇଗଲି ।

 

ନନ୍ଦ ମିସ୍ତ୍ରୀ ଅପ୍ରତିଭ ହୋଇ କହିବାକୁ ଲାଗିଲା–ଆହା । ରାଗୁଛୁ କାହିଁକି ଟଗର ! ପରିବାର ଆଉ କାହାକୁ କହନ୍ତି ? କୋଡ଼ିଏ ବର୍ଷର...

 

ଟଗର ଭୀଷଣ ରାଗିଉଠି କହିଲା–କୋଡ଼ିଏ ବର୍ଷ ହେଲେ କ’ଣ ହେଲା ? ପୋଡ଼ା କପାଳୀ ମୁଁ, ବୈଷ୍ଣବ ଘରର ଝିଅହୋଇ କୈବର୍ତ୍ତର ସ୍ତ୍ରୀ ହେବି ? କାହିଁକି ? କେଉଁଥିପାଇଁ ? କୋଡ଼ିଏ ବର୍ଷ ଧରି ଘର ସଂସାର କରିଛି ସତ, କିନ୍ତୁ ଦିନକ ପାଇଁ ତୋତେ, ମୋ ବିଛଣା ଛୁଆଇଁ ଦେଇଛି କି ? ସେ କଥା କହିବା ପାଇଁ କାହାର ଜୁ ନାହିଁ । ଟଗର ବୈଷ୍ଣମୀ ମରିଯିବ ପଛକେ କିନ୍ତୁ ଜାତିରୁ ଯିବ ନାହିଁ । ଏକଥା ଭଲ କରି ଜାଣତ ? କହି ଏହି ଜାତିଆ ବୈଷ୍ଣବ ଘରର ଝିଅ ଜାତି ଗର୍ବରେ ମୋ ମୁହଁକୁ ଚାହିଁ ତା’ର–ମଇଁଷି ଭଳି ଆଖିଦୁଇଟାକୁ ନଚାଇବାକୁ ଲାଗିଲା ।

 

ନନ୍ଦ ମିସ୍ତ୍ରୀ ଲଜ୍ଜିତ ହୋଇ ବାରମ୍ବାର କହିବାକୁ ଲାଗିଲା–ଦେଖିଲେ ଆଜ୍ଞା; ଦେଖିଲେତ-। ଜାତି ପାଇଁ ତା’ର ଯେଉଁ ଗର୍ବ । ମୁଁ ସହ୍ୟ କରିଛି, ଆଉ କେହି ହେଲେ....କଥାଟାକୁ ସେ ତା’ର କୋଡ଼ିଏ ବର୍ଷର ପରିବାର ମୁହଁକୁ ହଠାତ୍‌ ଚାହିଁଦେଇ ଆଉ ଶେଷ କରିପାରିଲା ନାହିଁ ।

 

ମୁଁ କିଛି ନ କହି ଗୋଟାଏ ଗ୍ଲାସ ମାଗିନେଇ ବାହାରି ଆସିଲି । ଉପରକୁ ଆସିବା ପରେ ଏହି ଜାତିଆ ବୈଷ୍ଣମୀଟିର କଥାଗୁଡ଼ାକ ମନେପକାଇ ନ ହସି ରହିପାରିଲି ନାହିଁ କିନ୍ତୁ ପରକ୍ଷଣରେ ମନେପଡ଼ିଲା, ଏ ତ ଗୋଟାଏ ସାମାନ୍ୟ ଅଶିକ୍ଷିତା ସ୍ତ୍ରୀଲୋକ । କିନ୍ତୁ ମଫସଲ ଗାଆଁରେ ଏବଂ ସହରରେ କ’ଣ ଏପରି ଅନେକ ଶିକ୍ଷିତ ଏବଂ ଅର୍ଦ୍ଧଶିକ୍ଷିତ ପୁରୁଷ ନାହାନ୍ତି ଯେଉଁମାନଙ୍କନଦ୍ୱାରା ଏପରି ହାସ୍ୟକର ବ୍ୟାପାର ପ୍ରତ୍ୟହ ନ ଘଟୁଥିବ ! ଏବଂ ପାପର ସମସ୍ତ ଅନ୍ୟାୟ ପାଖରୁ କେବଳମାତ୍ର ଖାଇବା ଓ ଛୁଇଁବାକୁ ଜଗିଜଗି ପରିତ୍ରାଣ ପାଇପାରୁନଥିବେ ! ତେବେ ଏକଥା ହୁଏତ ହୋଇପାରେ ଯେ, ଏ ଦେଶରେ ପୁରୁଷମାନଙ୍କ ବେଳକୁ ତୁଣ୍ଡକୁ ଯେଉଁ ହସ ଆସେ ନାହିଁ, ତାହା କେବଳ ଆସେ ସ୍ତ୍ରୀଲୋକମାନଙ୍କ ବେଳକୁ ।

 

ଆଜି ସନ୍ଧ୍ୟା ହେଉ ହେଉ ଆକାଶରେ ଅଳ୍ପ ଅଳ୍ପ ମେଘ ଜମାହେବାକୁ ଲାଗିଥାନ୍ତି । ରାତି ଗୋଟାଏ ପରେ ସାମାନ୍ୟ ବର୍ଷା ଓ ପବନ ହେତୁ ଜାହାଜ ଟିକିଏ ହଲିଉଠିଥିଲା କିନ୍ତୁ ପରଦିନ ସକାଳୁ ଶାନ୍ତ ଭାବରେ ଗତିକରି ଚାଲିଲା । ଯେଉଁଟାକୁ ସମୁଦ୍ରପୀଡ଼ା (Sea sickness) କହନ୍ତି ସେଇଟା ମୋର ପିଲାଦିନରୁ ନୌକା ଉପରେ ବୋଧହୁଏ କଟିଯାଇଥିଲା । ସୁତରାଂ ବାନ୍ତି କରିବା ଉପସର୍ଗଟା ମୋର ଆଦୌ ଦେଖାଦେଇନଥିଲା । କିନ୍ତୁ ସପରିବାର ନନ୍ଦ ମିସ୍ତ୍ରୀର ଅବସ୍ଥା କ’ଣ ହେଲା ଏବଂ କିପରି ଭାବରେ ଗତ ରାତିଟା ସେ କଟାଇଲା ତାହା ଜାଣିବା ପାଇଁ ମୁଁ ସକାଳୁ ଆସି ତଳେ ପହଞ୍ଚିଲି । ଗତକାଲିର ଅଧିକାଂଶ ଗାୟକ ଶିରୋମଣୀ ସେତେବେଳକୁ ଚିତ୍‌ ହୋଇପଡ଼ିଥାନ୍ତି । ବୁଝିପାରିଲି ରାତ୍ରିର ଦାଉ ସମ୍ଭାଳି ନପାରି ସେମାନେ ଏ ପର୍ଯ୍ୟନ୍ତ ବୋଧହୁଏ ମହାନ ସଙ୍ଗୀତ ଗାନ କରିବା ପାଇଁ ପ୍ରସ୍ତୁତ ହୋଇପାରିନାହାନ୍ତି । ନନ୍ଦ ମିସ୍ତ୍ରୀ ଏବଂ ତା’ର କୋଡ଼ିଏ ବର୍ଷର ପରିବାର ଗମ୍ଭୀର ଭାବରେ ବସି ରହିଥିଲେ । ମୋତେ ଦେଖିପାରି ନନ୍ଦମିସ୍ତ୍ରୀ ପ୍ରଣାମ କଲା । ତା’ ମୁହଁର ଭାବଭଙ୍ଗୀରୁ ମନେହେଲା ଏହାପୂର୍ବରୁ ବୋଧହୁଏ କିଛି କଳହ ଘଟିଯାଇଛି । ପଚାରିଲି–ରାତିରେ କିପରି ଥିଲ ମିସ୍ତ୍ରୀ ?

 

ଭଲ ।

 

ସଙ୍ଗେ ସଙ୍ଗେ ତା’ ପରିବାର ରାଗରେ ଗର୍ଜିଉଠି ଏଡ଼େପାଟିରେ କହିଉଠିଲା–ଭଲ ନା ପୋଡ଼ା ପାଉଁଶ ? ମାଆ ଲୋ ମାଆ ! କି କାଣ୍ଡ ହୋଇ ନ ଗଲା !

 

ମୁଁ ସାମାନ୍ୟ ଉଦ୍‌ବିଗ୍ନ ହୋଇ ପଚାରିବସିଲି–କି କାଣ୍ଡ ?

 

ନନ୍ଦମିସ୍ତ୍ରୀ ମୋ ମୁହଁକୁ ଚାହିଁ ହାଇମାରିଲା । ଗୋଟାଏ ଦୁଇଟା ଫୁଟୁକି ମାରି ଶେଷରେ କହିଲା–କାଣ୍ଡ ସେପରି କିଛି ନୁହେଁ ଆଜ୍ଞା, କହୁଥିଲି କି ଆପଣ କଲିକତା ସହର ଗଳି ମୋଡ଼ରେ ସାଢ଼େ ବତିଶ ଭଜା ବିକ୍ରିହେବାର ଦେଖିଛନ୍ତି କି ? ଦେଖିଥିଲେ; ଆମମାନଙ୍କର ଅବସ୍ଥା ଠିକ୍‌ ବୁଝିପାରିବେ । ସେ ଯେପରି ଠୁଙ୍ଗା ତଳେ ଗୋଟିଏ ଦୁଇଟି ତିନୋଟି ଟିପାମାରି ଭଜା ଚାଉଳ, ଡାଲି, ମଟର, ବୁଟ, ମଶୁର, ଖେସାରୀ, ବରଗୁଡ଼ି ସବୁ ଏକତ୍ର କରି ପକାଏ ସେଇପରି ଦେବତାଙ୍କ କୃପାରୁ ଆମେ ସମସ୍ତେ ଏକତ୍ର ହୋଇଯାଇଥିଲୁ । ଏଇ କେତେ ସମୟ ହେବ ଯିଏ ଯାହାର ସ୍ଥାନ ବାଛି ନେଇ ଆସି ବସିଛୁ । ତା’ପରେ ଟଗର ମୁହଁକୁ ଚାହିଁ କହିଲା–ଭାଗ୍ୟ ଭଲ ଆଜ୍ଞା, ବୈଷ୍ଣବର ଜାତି ଯାଏ ନାହିଁ । ନହେଲେ ଆମ ଟଗର....

 

ଟଗର କ୍ଷିପ୍ତ ଭଲ୍ଲୁକ ପରି ଗର୍ଜିଉଠି କହିଲା–ପୁଣି ? ଆଉଥରେ....

 

ନା, ଥାଉ କହି ନନ୍ଦ ମିସ୍ତ୍ରୀ ଉଦାସୀନ ଭାବରେ ଅନ୍ୟଦିଗକୁ ଚାହିଁ ଚୁପ୍‌ ରହିଲା । ଅପରିଷ୍କାରର ଏକ ମୂର୍ତ୍ତିମାନ ପ୍ରତୀକରୂପେ ଦୁଇଜଣ କାବୁଲିବାଲା ପୃଥିବୀର ଯାବତୀୟ ଅପରିଚ୍ଛନ୍ନତା ଧରି ଅତ୍ୟନ୍ତ ତୃପ୍ତିର ସହିତ ରୁଟି ଭକ୍ଷଣ କରିବାରେ ଲାଗିଥିଲେ । କ୍ରୁଦ୍ଧା ଟଗର ନିର୍ନିମେଷ ନୟନରେ ସେଇ ହତଭାଗାମାନଙ୍କ ଉପରେ ତା’ ଚକ୍ଷୁକୁ ଅଗ୍ନିବର୍ଷଣ କରିବାକୁ ଲାଗିଲା-। ନନ୍ଦ ତା’ ପରିବାର ଉଦ୍ଦେଶ୍ୟରେ ପ୍ରଶ୍ନକଲା–କ’ଣ ଆଜି ତେବେ ଖାଇବା ପିଇବା ହେବନାହିଁ-?

 

ପରିବାର କହିଲେ–ମତେ ମରଣ ହେଉନି ! କିପରି ହେବ ଶୁଣେ ?

 

ଘଟଣା କ’ଣ ବୁଝିନପାରି ମୁଁ କହିଲି–ଏଇତ ମାତ୍ର ସକାଳ ହୋଇଛି । ଆଉ ଟିକିଏ ବେଳ ହେଉ....

 

ନନ୍ଦ ମୋ ମୁହଁକୁ ଚାହିଁ କହିଲା–ଆଜ୍ଞା, କଲିକତାରୁ ଗୋଟିଏ ବିରାଟ ରସଗୋଲା ହାଣ୍ଡି ଅଣାଯାଇଥିଲା । ଜାହାଜରେ ଉଠିବା ପର୍ଯ୍ୟନ୍ତ କହୁଛି ଆ ଟଗର କିଛି ଖାଇଦେବା । ଆତ୍ମାକୁ କଷ୍ଟ ଦେ ନାହିଁ । କହିଲୁ କ’ଣନା–ରେଙ୍ଗୁନକୁ ନେଇଯିବା । (ଟଗରପ୍ରତି) ଯାଆନା, ବର୍ତ୍ତମାନ ତୋ ରେଙ୍ଗୁନକୁ ନେଇ....

 

ଟଗର ଏଇ କ୍ରୁଦ୍ଧ ଅଭିଯୋଗର ସ୍ପଷ୍ଟ ପ୍ରତିବାଦ ନ କରି କ୍ଷୁବ୍‌ଧ ଅଭିମାନରେ ଥରକ ପାଇଁ ମୋ ଆଡ଼କୁ ଚାହିଁ, ପୁଣି ସେଇ କାବୁଲିବାଲାକୁ ଚକ୍ଷୁର ଦୃଷ୍ଟିରେ ଦଗ୍‌ଧ କରିବାକୁ ଲାଗିଲା ।

 

ମୁଁ ଆସ୍ତେ ଆସ୍ତେ ପଚାରିଲି–କ’ଣ ହେଲା ସେ ରସଗୋଲା ?

 

ନନ୍ଦ ଟଗର ଉଦ୍ଦେଶ୍ୟରେ କଟାକ୍ଷ ହାଣି କହିଲା–ସେଗୁଡ଼ାକ କ’ଣ ହେଲା କହିପାରିବି ନାହିଁ କିନ୍ତୁ ଏଇ ଦେଖନ୍ତୁ ଭଙ୍ଗା ହାଣ୍ଡି ଆଉ ବିଛଣାରେ ତା’ ସିଟ୍‌ । ଏହାଠାରୁ ଅଧିକ ଯଦି କିଛି ଜାଣିବାକୁ ଚାହୁଁଥାନ୍ତି ତ ତେବେ ଏଇ ଦୁଇ ହାରାମଜାଦାଙ୍କୁ ପଚାରନ୍ତୁ । କହି ସେ ଟଗରର ଦୃଷ୍ଟିକୁ ଅନୁସରଣ କରି କଟମଟ କରି ଚାହିଁ ରହିଲା ।

 

ମୁଁ ଅନେକ କଷ୍ଟରେ ହସକୁ ଚାପିରଖି ମୁହଁକୁ ତଳକୁ କରି କହିଲି–ହଉ ସେ ଯାଉ । ସଙ୍ଗରେ ଚୁଡ଼ା ଅଛି ତ ?

 

ନନ୍ଦ କହିଲା–ସେ ଦିଗରୁ ମଧ୍ୟ ସୁବିଧା ହୋଇଯାଇଛି । ବାବୁଙ୍କୁ ଟିକିଏ ଦେଖାଇ ଦେ ତ ଟଗର ।

 

ଟଗର ପାଦରେ ଗୋଟାଏ ଛୋଟ ପୁଟୁଳିକୁ ଠେଲିଦେଇ କହିଲା–ତୁମେ ଦେଖାଅ ।

 

ନନ୍ଦ କହିଲା–ଯାହା କହନ୍ତୁ ବାବୁ; କାବୁଲି ଜାତିଟାକୁ ନିମକହାରାମ କୁହାଯାଇପାରିବ ନାହିଁ । ସେମାନେ ରସଗୋଲା ଯେପରି ଖାଇପାରନ୍ତି ଏଇ ସେମାନଙ୍କ ଦେଶର ମୋଟା ରୁଟିକୁ ମଧ୍ୟ ସେହିପରି ଚୋବାଇ ପାରନ୍ତି । ଫିଙ୍ଗି ଦେ’ନା ଟଗର । ବାନ୍ଧିକରି ରଖ । ତୋ-ମାଲସା ଭୋଗପାଇଁ ଦରକାର ହୋଇପାରେ ।

 

ନନ୍ଦର ଏଭଳି ପରିହାସରେ ହୁଏତ ମୁଁ ହୋ–ହୋ ହୋଇ ହସି ପକାଇଥାନ୍ତି, କିନ୍ତୁ ପରକ୍ଷଣରେ ଟଗର ମୁହଁକୁ ଚାହିଁବା କ୍ଷଣି ଭୟ ପାଇଗଲି । ରାଗରେ ମୁହଁ ତା’ର ନାଲି ହୋଇଉଠିଲା । ମୋଟା ଗଳାରେ ବଜ୍ର କର୍କଶ ସ୍ୱରରେ ଜାହାଜର ସମସ୍ତ ଯାତ୍ରୀଙ୍କୁ ସଚକିତ କରାଇ ସେ ଚିତ୍କାର କରିଉଠିଲା–ଜାତି ବିଷୟ ନେଇ କଥା କହନି ମିସ୍ତ୍ରୀ । ଭଲହେବ ନାହିଁ । ସେ କଥା ଏତିକିବେଳୁ କହିଦେଉଛି ।

 

ଚିତ୍କାର ଶବ୍ଦ ଶୁଣି ଯେଉଁମାନେ ମୁହଁଟେକି ଚାହିଁଲେ, ସେମାନଙ୍କର ବିସ୍ମିତ ଦୃଷ୍ଟି ଆଗରେ ନନ୍ଦ ଏତେ ଟିକିଏ ହୋଇଗଲା । ଟଗରକୁ ସେ ଭଲରକମ ଚିହ୍ନିଛି । ଗୋଟାଏ ଖିଆଲି ଥଟ୍ଟା ପାଇଁ ତା’ ରାଗକୁ ଶାନ୍ତ କରିପାରିଲେ ଯାଇ ରକ୍ଷା ମିଳିବ । ଲଜ୍ଜିତ ହୋଇ ସେ ସଙ୍ଗେସଙ୍ଗେ କହିପକାଇଲା–ମୋ ମୁଣ୍ଡ ଖାଆ ଟଗର । ତୁ ରାଗ କରନା । ମୁଁ ତ ଥଟ୍ଟା କରୁଥିଲି ।

 

ଟଗର ସେ କଥାକୁ କାନରେ ପକାଇଲା ନାହିଁ । ଆଖିଦୁଇଟାର ଡୋଳା ଓ ଭୂରୁକୁ ଥରେ ବାମକୁ ଏବଂ ଥରେ ଡାହାଣକୁ ଘୂରାଇ ଗଳାର ସ୍ୱରକୁ ଆହୁରି ଟିକିଏ ଚଢ଼ା କରିଦେଇ ସେ କହିଲା–ଥଟ୍ଟା କ’ଣ ? ଜାତି ବିଷୟରେ ପୁଣି ଥଟ୍ଟା ? ମୁସଲମାନଙ୍କ ଛୁଆଁ ରୁଟିରେ କ’ଣ ମାଲସା ଭୋଗ ହୁଏ ? ତୋ କେଉଟ ମୁହଁରେ ନିଆ । ଦରକାର ଅଛି ତ ତୁ ସାଇତି ରଖ । ତୋ ବାପର ପିଣ୍ଡ ବାଢ଼ିବୁ ।

 

ଜ୍ୟା ମୁକ୍ତ ଧନୁପରି ନନ୍ଦ ସିଧା ଠିଆହୋଇପଡ଼ି ଟଗରର କେଶକୁ ଆକର୍ଷଣ କରି କହିଲା; ତୁ ହାରାମଜାଦୀ, ମୋ ବାପ ନାଁ ଧରିଲୁ ?

 

ଟଗର ଅଣ୍ଟାରେ ଲୁଗା ବାନ୍ଧୁ ବାନ୍ଧୁ ଧଇଁସଇଁ ହୋଇ କହିଲା–ତୁ ଜାତି କଥା ମୁହଁରେ ଧଇଲୁ କହି ଆକର୍ଣ୍ଣ ମୁଖ ବ୍ୟାଦାନ କରି ନନ୍ଦ ବାହୁର ଗୋଟାଏ ଅଂଶକୁ କାମୁଡ଼ି ଧରିଲା ଏବଂ କ୍ଷଣକ ଭିତରେ ନନ୍ଦ ମିସ୍ତ୍ରୀ ଏବଂ ଟଗର ବୈଷ୍ଣମୀର ମଲ୍ଲଯୁଦ୍ଧ ତୁମୂଳ ହୋଇଉଠିଲା । ଦେଖୁଦେଖୁ ସମସ୍ତେ ସେ ଦୁହିଁଙ୍କୁ ଘେରି ବସିଲେ । ହିନ୍ଦୁସ୍ଥାନୀମାନେ ‘ସମୁଦ୍ରପୀଡ଼ା’କୁ ଭୁଲିଯାଇ ଉଚ୍ଚସ୍ୱରରେ ବାହାବା ଦେବାକୁ ଲାଗିଲେ । ପଞ୍ଜାବୀମାନେ ଛିଃ–ଛିଃ କରିବାକୁ ଲାଗିଲେ । ଉତ୍କଳବାସୀମାନେ ଚିତ୍କାର କରିବାକୁ ଲାଗିଲେ ଏ କି କାଣ୍ଡ ! ମୁଁ ସ୍ତମ୍ଭିତ ହୋଇ ବିଷଣ୍ଣ ମୁହଁରେ ଠିଆହୋଇ ରହିଲି । ଏତେ ସାମାନ୍ୟ କାରଣରେ ଏତେବଡ଼ ଅନାବୃତ୍ତ ନିର୍ଲଜ୍ଜତା ଯେ ସଂସାରରେ ଘଟିପାରେ, ଏହା ତ ମୁଁ କଳ୍ପନା କରିପାରିଲି ନାହିଁ । ତାହା ପୁଣି ବଙ୍ଗାଳୀ ନରନାରୀମାନଙ୍କଦ୍ୱାରା ଗୋଟିଏ ଜାହାଜ ଭର୍ତ୍ତି ଲୋକଙ୍କ ଆଗରେ ଘଟିବାର ଦେଖି ଲଜ୍ୟାରେ ମୁଁ ମାଟିରେ ମିଶିଗଲା ପରି ଅନୁଭବ କଲି । ପାଖରେ ଜଣେ ଜୋନପୁରୀ ଦରୱାନ ଅତ୍ୟନ୍ତ ପରିତୃପ୍ତିର ସହିତ ତାମସା ଦେଖୁଥିଲା । ସେ ମୋତେ ଲକ୍ଷ୍ୟ କରି କହିଲା–ବାବୁଜୀ ବଙ୍ଗାଲୀନ ତ ବହୁତ ଅଛି ଲଡ଼ନେୱାଲୀ ହ୍ୟାଏ ! ହଟତି ନହିଁ !

 

ମୁଁ ତା’ ମୁହଁକୁ ଚାହିଁପାରିଲି ନାହିଁ । ନୀରବ ହୋଇ କୌଣସିମତେ ଭିଡ଼ ଠେଲି ଉପରକୁ ପଳାଇ ଆସିଲି ।

 

ସେଦିନ ଆଉ ତଳକୁ ଯିବାପାଇଁ ପ୍ରବୃତ୍ତି ହେଲା ନାହିଁ । ସୁତରାଂ ନନ୍ଦ ଟଗରର ଯୁଦ୍ଧ କି ଭାବରେ ଅବସାନ ହେଲା, ସନ୍ଧି ପତ୍ରରେ କେଉଁ କେଉଁ ବିଷୟ ନିର୍ଦ୍ଦିଷ୍ଟ ଭାବରେ ଲିପିବଦ୍ଧ ହୋଇଲା, କିଛି ଜାଣିପାରିଲି ନାହିଁ । ତେବେ ପରେ ଦେଖିଛି ସର୍ତ୍ତ ଯାହା ହେଉନା କାହିଁକି ବିପଦ ସମୟରେ ସେଇ ସ୍କ୍ରୀପ୍‌–ଅଫ ପେପରଟା କୌଣସି କାମରେ ଲାଗିଲା ନାହିଁ । ଯାହାର ଯେତେବେଳେ ଦରକାର ହୁଏ ତାହାକୁ ସେ ଅବଲୀଳାକ୍ରମେ ଛିଣ୍ଡାଇ ପକାଇ ଅପରର ବ୍ୟୁହ ଭେଦ କରେ । କୋଡ଼ିଏ ବର୍ଷ ଯେ କରିବେ ନାହିଁ ବୋଧହୁଏ ସ୍ୱୟଂ ବିଧାତା ପୁରୁଷ ଏପରି ଶପଥ କରି କହିପାରିବେ ନାହିଁ ।

 

ସାରାଦିନ ଆକାଶରେ ଖଣ୍ଡ ଖଣ୍ଡ ମେଘ ଯିବାଆସିବାର ବିରାମ ନଥିଲା । ବର୍ତ୍ତମାନ ଅପରାହ୍ନ ହେଉ ନ ହେଉଣୁ ଖଣ୍ଡେ ଗାଢ଼ କଳାମେଘ ଚକ୍ରବାଳ ଆଚ୍ଛନ୍ନ କରି ଧୀରେ ଧୀରେ ମୁଣ୍ଡଟେକି ଉଠିବାକୁ ଲାଗିଲା । ମନେହେଲା–ସବୁ ଖଲାସୀଙ୍କ ଆଖିରେ ଓ ମୁହଁରେ ଯେପରି ବିଷାଦର ଛାୟା ଦେଖାଦେଇଛି । ସେମାନଙ୍କର ଯିବା ଆସିବାରେ କିପରି ବ୍ୟସ୍ତତାର ଲକ୍ଷଣ ପରିସ୍ଫୁଟ । ଯାହାକି ଏହାପୂର୍ବରୁ ମୁଁ ଲକ୍ଷ୍ୟ କରିନଥିଲି ।

 

ଜଣେ ବୃଦ୍ଧ ଖଲାସୀକୁ ଡାକି ପଚାରିଲି–କ’ଣ ଆଜି ରାତିରେ କାଲି ରାତି ପରି ଝଡ଼ ହେବ ବୋଲି ଜଣାପଡ଼ୁଛି କି ?

 

ମୋ’ ବିନୟରେ ଖଲାସୀଟା ବଶ ହୋଇ ଠିଆହୋଇ କହିଲା–ଆଜ୍ଞା, ତଳକୁ ଚାଲିଯାଆନ୍ତୁ । କାପ୍ତାନ କହିଛି ସାଇକ୍ଲୋନ ହୋଇପାରେ ।

 

ପନ୍ଦର ମିନିଟ ଯାଇଛି କି ନାହିଁ ଦେଖିଲି କଥା ଆଦୌ ଅମୂଳକ ନୁହେଁ ଉପରେ ଯେତେ ଯାତ୍ରୀ ଥିଲେ ଖଲାସୀମାନେ ସମସ୍ତଙ୍କୁ ଜୋର କରି ହୋଲ୍ଲଡ଼ର ଭିତରକୁ ଓହ୍ଲାଇଦେଲେ । ଦୁଇ, ଚାରିଜଣ ଆପତ୍ତି କରିବାରୁ, ସେକେଣ୍ଡ ଅଫିସର ନିଜେ ଆସି ଧକ୍‌କା ମାରି ସେମାନଙ୍କୁ ଓହ୍ଲାଇଦେଇ ପାଦରେ ସେମାନଙ୍କର ବିଛଣା ପତ୍ରକୁ ଏକାଠି କରିଦେଲେ । ମୋ ଟ୍ରଙ୍କ ଏବଂ ବିଛଣାକୁ ଖଲାସୀମାନେ ତଳକୁ ନେଇଗଲେ । ମୁଁ କିନ୍ତୁ ଆଉ ଗୋଟିଏ ଦିଗକୁ ଚାଲିଗଲି । ଶୁଣିବାକୁ ପାଇଲି ସମସ୍ତଙ୍କୁ ଅର୍ଥାତ୍‌ ଯେଉଁ ହତଭାଗାମାନେ ଦଶ ଟଙ୍କାରୁ ଅଧିକ ଭଡ଼ା ଦେଇପାରି ନାହାଁନ୍ତି, ସେମାନଙ୍କୁ ଜାହାଜର ଖୋଲ ଭିତରେ ଭର୍ତ୍ତିକରି ଗାତର ମୁହଁକୁ ବନ୍ଦ କରି ଦିଆଯିବ । ସେମାନଙ୍କର ମଙ୍ଗଳ ପାଇଁ ଏବଂ ଜାହାଜର ମଙ୍ଗଳ ପାଇଁ ଏହିପରି ନିୟମ ସତ, କିନ୍ତୁ ନିଜ କଲ୍ୟାଣ ପାଇଁ ଏପରି ବ୍ୟବସ୍ଥାରେ ମୋ ମନ କିନ୍ତୁ ସନ୍ତୁଷ୍ଟ ହୋଇପାରିଲା ନାହିଁ । ଏହାପୂର୍ବରୁ ସାଇକ୍ଲୋନ ନାମକ ବସ୍ତୁଟିକୁ ଆଗରୁ କେବେ ସମୁଦ୍ରରେ ଦେଖିନାହିଁ । କ’ଣ ଏହାର କାର୍ଯ୍ୟ, କିପରି ଏହାର ରୂପ, ଅମଙ୍ଗଳ ଘଟାଇବାରେ ଏହାର କେତେଦୂର ଶକ୍ତି, ଏସବୁ କିଛି ଜାଣିନଥାଏ । ମନେମନେ ଭାବିଲି–ଭାଗ୍ୟବଳରୁ ଯଦି ଏପରି ବସ୍ତୁଟିର ଆବିର୍ଭାବ ଆସନ୍ନ ହୋଇପାରିଛି ତେବେ ଏହାକୁ ନଦେଖି ଛାଡ଼ିବି ନାହିଁ–ଯାହା ଭାଗ୍ୟରେ ଘଟିବାର ଅଛି ଘଟୁ ପଛକେ । ଆଉ ଯଦି ଝଡ଼ଦ୍ୱାରା ଜାହାଜ ବୁଡ଼ିଯାଏ ତେବେ ଏପରି ପ୍ଲେଗ ରୋଗର ମୂଷାଙ୍କ ଭଳି ପିଞ୍ଜରାରେ ଆବଦ୍ଧ ହୋଇ, ମୁଣ୍ଡ ପିଟି ପିଟି ପାଣି ପିଇ ମରିବାକୁ ଯିବି ଅବା କାହିଁକି ? ଯେତେ ସମୟ ପାରେ ହାତ ଗୋଡ଼ ହଲାଇ ଢେଉଉପରେ ଢେଉ ବୋଇତରେ ନାଚି ନାଚି ହଠାତ୍‌ ବୁଡ଼ିଯାଇ ପାତାଳ ରାଜାଙ୍କର ଅତିଥି ହେଲେ ବି ଚଳିବ । କିନ୍ତୁ ଅତିଥିଙ୍କର ଜାହାଜ ଯେ ଆଗପଛ ଲକ୍ଷ ଲକ୍ଷ ହାଙ୍ଗର–ଅନୁଚର ବ୍ୟତୀତ କଳାପାଣିରେ ଏକ ପାଦ ଆଗେଇପାରେ ନାହିଁ ଏବଂ ଜଳଖିଆ କରିଦେବା ପାଇଁ ସେମାନଙ୍କୁ ଯେ ମୁହୂର୍ତ୍ତଟିଏ ଲାଗିବ ନାହିଁ; ଏକଥା ସେତେବେଳେ ମୋତେ ଆଦୌ ଜଣାନଥିଲା ।

 

ଅନେକ ସମୟ ହେବ ଝିପିଝିପି ବର୍ଷା ହେଉଥିଲା । ସନ୍ଧ୍ୟା ସମୟକୁ ପବନ ଓ ବର୍ଷାର ବେଗ ଉଭୟ ବଢ଼ିବାକୁ ଲାଗିଲା । ଅବସ୍ଥା ଏପରି ହେଲା ଯେ ବାହାରେ ବୁଲିବାକୁ ଆଉ ଶକ୍ତି ରହିଲା ନାହିଁ । ଯେଉଁଠାରେ ହେଉ ସୁବିଧା ଦେଖି ଆଶ୍ରୟ ନ ନେଲେ ନ ଚଳେ । ଅନ୍ଧାରରେ ଯେତେବେଳେ ଅଣ୍ଡାଳି ଅଣ୍ଡାଳି ଆସି ନିଜ ସ୍ଥାନରେ ପହଞ୍ଚିଲି, ସେତେବେଳେ ଉପରର ଡେକ୍‌ ସଂପୂର୍ଣ୍ଣ ଜନଶୂନ୍ୟ । ମାସ୍ତୁଲ ପାଖରେ ଉଙ୍କିମାରି ଦେଖିଲି ଠିକ୍‌ ଆଗରେ ବୁଢ଼ା କାପ୍ତାନ ଦୂରବୀକ୍ଷଣ ଯନ୍ତ୍ର ହାତରେ ଧରି ବ୍ରିଜଉପରେ ଧା ଧଉଁଡ଼ ଲଗାଇଛି । ହଠାତ୍‌ ତାଙ୍କ ସୁନଜରରେ ପଡ଼ିଗଲେ ପୁଣି କାଳେ ସେଇ ଗର୍ତ୍ତରେ ପଶିବାକୁ ପଡ଼ିପାରେ ଏଇ ଭୟରେ ଗୋଟାଏ ସୁବିଧାଜନକ ସ୍ଥାନ ଖୋଜୁ ଖୋଜୁ ଏକବାରେ ଏକ ନିର୍ଭୟ ସ୍ଥାନ ମିଳିଗଲା । ଗୋଟିଏ ପାଖରେ ଅନେକଗୁଡ଼ିଏ ମେଣ୍ଢା, ମୁରୁଗି, ହଂସ ପ୍ରଭୃତିର ପଞ୍ଜୁରୀ ଗୋଟିକ ଉପରେ ଗୋଟିଏ ହୋଇ ରଖା ହୋଇଥିଲା । ମୁଁ ସେ ସବୁ ଉପରେ ଚଢ଼ିଯାଇ ବସିଲି । ମନେମନେ ଭାବିଲି ଏପରି ନିରାପଦ ସ୍ଥାନ ବୋଧହୁଏ ସାରା ଜାହାଜରେ ନଥିବ । ଯଦିଓ ସେତେବେଳକୁ ଜାହାଜ ବିଷୟରେ ଅନେକ କିଛି ଜାଣିବାପାଇଁ ମୋର ବାକି ଥିଲା ।

 

ବୃଷ୍ଟି, ବତାସ, ଅନ୍ଧକାର ଏବଂ ଜାହାଜର ଦୋଳନ ସବୁ ଆସ୍ତେ ଆସ୍ତେ ବଢ଼ିବାକୁ ଲାଗିଲା । ସମୁଦ୍ର ତରଙ୍ଗର ଆକୃତି ଦେଖି ମନେହେଲା ଏ ବୋଧହୁଏ ସେଇ ସାଇକ୍ଲୋନ । କିନ୍ତୁ ତାହା ଯେ ସାଗର ନିକଟରେ ଗୋଷ୍ପଦତୁଲ୍ୟ, ଏହା ହୃଦୟଙ୍ଗମ କରିବାକୁ ଲାଗିଲି ।

 

ହଠାତ୍‌ ଛାତି ଥରାଇଦେଇ ଜାହାଜର ବଂଶୀ ବାଜିଉଠିଲା । ଉପରକୁ ଚାହିଁ ଦେଖିଲି ମନ୍ତ୍ର କଲାଭଳି ଆକାଶର ରଙ୍ଗ ସଂପୂର୍ଣ୍ଣ ବଦଳି ଯାଇଛି । ସେଇ ଗାଢ଼ ମେଘ ଆଉ ନାହିଁ । ଆକାଶ ପରିଷ୍କାର ପରିଚ୍ଛନ୍ନ । ପରକ୍ଷଣରେ ଗୋଟାଏ ବିକଟ ଶବ୍ଦ ସମୁଦ୍ରକୂଳରୁ ଆସି କାନରେ ପଡ଼ିଲା ଯାହାକୁ ତୁଳନା କରି ବୁଝାଇ ଦେବାପାଇଁ ଏ ପର୍ଯ୍ୟନ୍ତ ମୁଁ ତୁଳନୀୟ ବସ୍ତୁ ପାଇପାରି ନାହିଁ ।

 

ପିଲାଦିନେ ବୁଢ଼ୀମାଆ କୋଳରେ ଅନ୍ଧାର ରାତିରେ ଜାକିକୁକି ହୋଇ ସେଇ ଯେ ଗଳ୍ପ ଶୁଣିଥିଲି କେଉଁ ଏକ ରାଜକୁମାର ବୁଡ଼ାଟିଏ ମାରି ପୋଖରୀ ଭିତରୁ ରୂପାର ଫରୁଆ ଆଣି ତହିଁରୁ ସୁନା ଭଅଁରକୁ କାଢ଼ି ହାତରେ ଦଳି ମାରିବାକ୍ଷଣି ସାତଶହ ରାକ୍ଷସୀଙ୍କ ପ୍ରାଣ ନେଇଥିଲା ଏବଂ ସେଇ ସାତଶହ ରାକ୍ଷସୀଙ୍କ ମୃତ୍ୟୁ ଯନ୍ତ୍ରଣାର ବିକଟ ଚିତ୍କାରରେ ସାରା ପୃଥିବୀ କମ୍ପିଉଠିଥିଲା; ସେଇପରି ଏକ ବିକଟ ଶବ୍ଦ କାନରେ ବାଜିଥିଲା । ସାତଶହ ନୁହେଁ ସାତଶହ କୋଟି ରାକ୍ଷସୀଙ୍କର ବିକଳ ଚିତ୍କାର ଭଳି ସେ ଶବ୍ଦ ପାଖକୁ ଭାସିଆସିଲା । କିଛିସମୟ ପରେ ଜଣାପଡ଼ିଲା–ସେ ଚିତ୍କାର ରାକ୍ଷସମାନଙ୍କର ନୁହେଁ । ତାହା ସାମୁଦ୍ରିକ ଝଡ଼ । ଭାବିଲି ଏଇ ଝଡ଼ ଅପେକ୍ଷା ବୋଧହୁଏ ସେମାନଙ୍କର ଆସିବାଟା ଉଚିତ୍‌ ଥିଲା ।

 

ଏହି ଦୁର୍ଜେୟ ବାୟୁର ଶକ୍ତି ବର୍ଣ୍ଣନା କରିବା ତ ଢେର ଦୂରର କଥା, ସମସ୍ତ ଚେତନ ଶକ୍ତିଦ୍ୱାରା ଅନୁଭବ କରିବା ଯେପରି ମନୁଷ୍ୟର ସାମର୍ଥ୍ୟ ବାହାରେ । ଜ୍ଞାନ–ବୁଦ୍ଧି ସମସ୍ତ ଅଭିଭୂତ କରି କେବଳ ଏପରି ଏକ ଅସ୍ପଷ୍ଟ ଅଥଚ ନିଃସନ୍ଦେହରେ ଧାରଣା ମନ ମଧ୍ୟରେ ଜାଗରିତ ହୋଇ ରହିଲା ଯେ ଦୁନିଆର ମିୟାଦ ନିଃଶେଷ ହେବାକୁ ଆଉ ସମୟ ଅବା କେତେ ! ପାଖରେ ଯେଉଁ ଲୁହାର ଖୁଣ୍ଟି ଥିଲା ସେଥିସହିତ ବେକରେ ପକାଇଥିବା ଚାଦରଦ୍ୱାରା ନିଜକୁ ବାନ୍ଧିଥିଲି । ଅନୁକ୍ଷଣରେ ମୋର ମନେହେଉଥିଲା ଯେପରି ଏଇ ସାଇକ୍ଲୋନ ମୋତେ ତହିଁରୁ ବିଚ୍ଛିନ୍ନ କରି ସମୁଦ୍ରରେ ପକାଇଦେବ ।

 

ହଠାତ୍‌ ମନେହେଲା–ଜାହାଜ ଦେହରେ କଳାପାଣି ଯେପରି ଭିତରର ଧକ୍‌କାଦ୍ୱାରା ବଜ୍‌ବଜ୍‌ ହୋଇ କ୍ରମାଗତ ଉପରଆଡ଼କୁ ଠେଲି ହୋଇଉଠୁଛି । ଆଗକୁ ଆଖି ପଡ଼ିଗଲା । ଆଉ ଦୃଷ୍ଟି ଫେରାଇ ପାରିଲି ନାହିଁ । ମୋତେ ଜଣାଗଲା ଯେପରି ଏହା ଏକ ପାହାଡ଼ । କିନ୍ତୁ ପରକ୍ଷଣରେ ଯେତେବେଳେ ମୋର ଭ୍ରମ ଭାଙ୍ଗିଲା; ସେତେବେଳେ ହାତଯୋଡ଼ି କରି କହିଲି; ଭଗବାନ ! ଏ ଆଖିଦୁଇଟି ତୁମେ ଯେପରି ଦେଇଥିଲ, ଆଜି ତାହାକୁ ତୁମେ ସେଇପରିହିଁ ସାର୍ଥକ କରିଦେଲ । ଏତେଦିନ ଧରି ଏ ସଂସାରରେ ଆଖିମେଲି ବୁଲିଛି । କିନ୍ତୁ ତୁମର ଏଇ ସୃଷ୍ଟିର ତୁଳନା କେଉଁଠି ଦେଖିବାକୁ ପାଇନଥିଲି । ଯେତେଦୂର ପର୍ଯ୍ୟନ୍ତ ଆଖି ପାଏ ସେତେଦୂର ଏଇ ଯେ ଅଚିନ୍ତନୀୟ ବିରାଟକାୟ ମହା ତରଙ୍ଗ ମଥାରେ ରଜତଶୁଭ କିରୀଟ ପିନ୍ଧି ଦ୍ରୁତ ପଦରେ ଅଗ୍ରସର ହୋଇଆସୁଥିବାର ଦେଖିପାରୁଛି । ଏହାଠାରୁ ବିସ୍ମୟକର ଜିନିଷ ଆଉ କ’ଣ ଜଗତରେ ଅଛି କି ?

 

ସମୁଦ୍ରରେ କେତେ ଲୋକ ତ ଯାଆଆସ କରନ୍ତି । ମୁଁ ନିଜେ ମଧ୍ୟ ଆହୁରି କେତେଥର ଏଇ ବାଟରେ ଯାତାୟତ କରିଛି । କିନ୍ତୁ ଏପରି ତ କେବେ ଦେଖିପାରିନଥିଲି । ତାପରେ ଆଖିରେ ନ ଦେଖିଲେ ଜଳ ତରଙ୍ଗ ଯେ ଏତେବଡ଼ ଗତିରେ ଉଠିପାରେ ଏକଥା କାହାକୁ ବୁଝାଇପାରିବା ସହଜ ନୁହେଁ ।

 

ମନେମନେ କହିଲି–ହେ ଢେଉ ସମ୍ରାଟ ! ତୁମର ସଂଘର୍ଷ ଫଳରେ ଆମର ଦଶା କ’ଣ ହେବ ତାହା ମୁଁ ଭଲକରି ଜାଣେ । କିନ୍ତୁ ବର୍ତ୍ତମାନ ତ ତୁମେ ଆସି ପହଞ୍ଚିବା ପାଇଁ ଅନ୍ତତଃ ଅଧମିନିଟ୍‌ କାଳ ବିଳମ୍ବ ଅଛି; ସେତିକି ସମୟ ଭିତରେ ତୁମ କଳେବରଟି ଯେପରି ଦେଖିନେଇପାରେ ।

 

ଗୋଟାଏ ଜିନିଷର ସୁବିପୁଳ ଉଚ୍ଚତା ଓ ତତୋଽଧ‌ିକ ବିସ୍ତୃତି ନ ଦେଖିଲେ ଏପରି ଭାବ ମନରେ କୌଣସି ମତେ ଆସିପାରିବ ନାହିଁ । ଉଦାହରଣ ସ୍ୱରୂପ ହିମାଳୟର ଯେକୌଣସି ଅଙ୍ଗପ୍ରତ୍ୟଙ୍ଗ ହିଁ ଯଥେଷ୍ଟ । କିନ୍ତୁ ଏଇ ଯେ ବିରାଟ ଘଟଣା ଜୀବନ୍ତ ପରି ମାଡ଼ିଆସୁଛି ସେଇ ଅପରିମେୟ ଗତିଶକ୍ତି ହିଁ ମୋତେ ଅଭିଭୂତ କରିପକାଇଲା ।

 

କିନ୍ତୁ ସମୁଦ୍ର ଜଳରେ ଧକ୍‌କାଦେଲେ ଯାହା ଜଳି ଜଳି ଉଠିଥାଏ ସେଇ ଜ୍ୱାଳା ନାନାପ୍ରକାରରେ ବିଚିତ୍ର ରେଖାରେ ଏହା ମଥାଉପରେ ଖେଳିନଥିଲେ, ଏଇ ଗଭୀର କୃଷ୍ଣଜଳରାଶିର ବିପୁଳତ୍ୱ ଏଇ ଅନ୍ଧକାରରେ ହୁଏତ ଯେପରି ଭାବରେ ଦେଖିପାରିନଥାନ୍ତି । ବର୍ତ୍ତମାନ ଯେତେଦୂର ପର୍ଯ୍ୟନ୍ତ ଦୃଷ୍ଟିଯାଏ, ସେତେଦୂର ଏଇ ଆଲୋକମାଳା, ଯେପରି କ୍ଷୁଦ୍ର ପ୍ରଦୀପ ଜାଳି ଏଇ ଭୟଙ୍କର ସୁନ୍ଦର ମୁହଁଟିକୁ ମୋ ଆଖି ସମ୍ମୁଖରେ ଉଦ୍‌ଘାଟିତ କରିଦେଲା ।

 

ଜାହାଜର ବଂଶୀ ଅସୀମ ବାୟୁ ବେଗରେ ଥର ଥର ହୋଇ କମ୍ପି କମ୍ପି ବାଜିବାକୁ ଲାଗିଲା ଏବଂ ଭୟାର୍ତ୍ତ ଖଲାସୀଦଳ ଆଲ୍ଲାଙ୍କ କର୍ଣ୍ଣରେ ସେମାନଙ୍କ ଆବେଦନ ପହଞ୍ଚାଇ ଦେବା ପାଇଁ ଗଳା ଫଟାଇ ସମସ୍ୱରରେ ଚିତ୍କାର କରିବାକୁ ଲାଗିଲେ ।

 

ଯାହାର ଶୁଭାଗମନ ପାଇଁ ଏତେ ଭୟ, ଏତେ ଡାକହାକ, ଏତେ ଆୟୋଜନ ସେହି ତରଙ୍ଗ ଆସି ପହଞ୍ଚିଲା । ଗୋଟାଏ ବିରାଟ ଆକାରର ଓଲଟପାଲଟ ମଧ୍ୟରେ ହରବଲ୍ଲଭ ପରି ପ୍ରଥମେ ମୋର ମନେହେଲା ନିଶ୍ଚୟ ଆମେମାନେ ବୁଡ଼ିଯାଇଛୁ ଅତଏବ ଦୁର୍ଗା ନାମ ଜପ କରି ଆଉ କ’ଣ ଅବା ହେବ ? ଆଖପାଖରେ, ଉପରତଳେ, ଚାରିଦିଗରେ କଳାଜଳ । ଜାହାଜ ସାରା ଲୋକ ଯେ ପାତାଳ ରାଜବାଟିକୁ ନିମନ୍ତ୍ରଣ ଖାଇବାକୁ ଯାଉଛୁ ଏଥିରେ ଆଉ ସନ୍ଦେହ ନାହିଁ । ବର୍ତ୍ତମାନ କେବଳ ଏତିକି ଚିନ୍ତା ଯେ ଖିଆପିଆଟା ସେଠାରେ କିପରି ହେବ ? କିନ୍ତୁ କେତେକ ମିନିଟ ପରେ ଦେଖାଗଲା, ନା, ଆମେମାନେ ବୁଡ଼ିଯାଉ ନାହୁଁ । ଜାହାଜଟା ସମୁଦ୍ର ଉପରେ ଭାସି ଚାଲିଛି । ଏହାପରେ ତରଙ୍ଗ ପରେ ତରଙ୍ଗର ଆଉ ଶେଷ ନାହିଁ । ଏତେକ୍ଷଣ ପରେ ଜାଣିପାରିଲି କାହିଁକି କାପ୍ତାନ୍‌ ମଣିଷଗୁଡ଼ାଙ୍କୁ ପଶୁମାନଙ୍କ ଭଳି ଗର୍ତ୍ତ ଭିତରେ ବନ୍ଦ କରି ଚାବି ଦେଇଥିଲା । ଡେକ୍‌ ଉପର ଦେଇ ମଝିରେ ମଝିରେ ଯେପରି ଜଳସ୍ରୋତ ବହିଚାଲିଲା, ମୋ ତଳେ ହଂସ ମୁରୁଗୀଗୁଡ଼ାକ ଡେଣାଗୁଡ଼ାକ ଫଡ଼ ଫଡ଼ କରି ଇହଲୀଳା ସାଙ୍ଗ କରିବାକୁ ଲାଗିଲେ । ମୁଁ କେବଳ ତାଙ୍କ ଉପରେ ବସି ଲୁହାର ଖୁଣ୍ଟିକୁ ଅବଲମ୍ବନ କରି ଭାବଲୀଳା ବଜାୟ ରଖି ଚାଲିବାରେ ଲାଗିଥାଏ । କିନ୍ତୁ ବର୍ତ୍ତମାନ ଆଉ ଏକପ୍ରକାର ବିପଦ ପୁଣି ଜୁଟିଲା । କେବଳ ଯେ ପାଣିଛାଟ ଆସି ଛୁଞ୍ଚିଭଳି ଦେହରେ ଫୋଡ଼ି ହୋଇଯିବାକୁ ଲାଗିଲା ତାହା ନୁହେଁ, ସବୁ ଜାମା ଲୁଗା ଭିଜି ଯାଇ ପ୍ରଚଣ୍ଡ ବତାସରେ ଏପରି ଶୀତ ଲାଗିଲା ଯେ ଦାନ୍ତରେ ଦାନ୍ତ ଠକ୍‌ଠକ୍‌ କରି ବାଜିବାକୁ ଲାଗିଲା । ମନେହେଲା ପାଣିରେ ବୁଡ଼ି ମରିବାଠାରୁ ଯଦିଓ ନିସ୍ତାର ମିଳିଲା କିନ୍ତୁ ନିମୋନିୟାଠାରୁ ଏଣିକି କିଭଳି ଅବା ପରିତ୍ରାଣ ମିଳିବ ? ଏଇପରି କିଛି ସମୟ ବସି ରହିଲେ ପରିତ୍ରାଣ ମିଳିବା ଯେ ସଂପୂର୍ଣ୍ଣ ଅସମ୍ଭବ ହୋଇପଡ଼ିବ; ତାହା ଅନୁଭବ କରିବାକୁ ଲାଗିଲି । ସୁତରାଂ ଯେପରି ହେଉ ଏ ସ୍ଥାନ ପରିତ୍ୟାଗ କରି ଏପରି କେଉଁଠାରେ ଆଶ୍ରୟ ନେବାକୁ ହେବ, ଯେଉଁଠାରେ ପାଣିଛାଟ ଖଣ୍ଡାଭଳି ଦେହରେ ବାଜୁନଥିବ । ହଠାତ୍‌ କିପରି ମନେହେଲା ଯଦି ହଂସ ମୁରୁଗୀମାନଙ୍କ ଝୁଡ଼ି ଭିତରେ ପଶିଯାଆନ୍ତି, ତେବେ କିପରି ହୁଅନ୍ତା ? କିନ୍ତୁ ସେ ଅବା କେତେ ଦୂର ନିରାପଦ ? ତା’ ମଧ୍ୟରେ ଯଦି ଲୁଣା ସ୍ରୋତ ପଶିଯାଏ । ହାତଗୋଡ଼ ପିଟି ମରିବା ସିନା ସାରହେବ !

 

କେବଳ ଗୋଟିଏ ବୋଲି ଉପାୟ ଅଛି । ଜାହାଜ ପାର୍ଶ୍ୱ ପରିବର୍ତ୍ତନ କଲାବେଳେ ସାମାନ୍ୟ ଅବକାଶ ମିଳିଥାଏ । ଅତଏବ ସେଇ ସମୟ ଭିତରେ ଆଉ ଯଦି ଯେଉଁଠାରେ ଯାଇ ବସି ଯାଇ ପାରେ ତ ତେବେ ରକ୍ଷା ମିଳିପାରିବ । ଯେମିତି ଭାବନା, ସେମିତି କାର୍ଯ୍ୟ ହେଲା । କିନ୍ତୁ ପଞ୍ଜୁରୀରୁ ଓହ୍ଲାଇ ତିନିବାର ବସିଉଠି ପୁଣି ପୁଣି ଯେତେବେଳେ ଯାଇ ସେକେଣ୍ଡ କ୍ଲାସ କେବିନଦ୍ୱାର ନିକଟରେ ପହଞ୍ଚିଲି ସେତେବେଳକୁ ଦ୍ୱାର ବନ୍ଦ । ହଜାର ବାର ଠେଲାଠେଲି କଲେ ସୁଦ୍ଧା ଲୁହାର କବାଟ ବାଟ ଦେଲା ନାହିଁ । ଅତଏବ ପୁଣି ସେଇ ବାଟକୁ ସେଇପରି କଷ୍ଟରେ ଅତିକ୍ରମ କରି ଫାଷ୍ଟକ୍ଲାସ ଦ୍ୱାର ନିକଟରେ ପୁଣି ଆସି ପହଞ୍ଚିଲି । ଏଥର ଭାଗ୍ୟ ଦେବତା ସୁପ୍ରସନ୍ନ ହୋଇ ମୋତେ ଗୋଟିଏ ନିରୋଳା ଘରେ ଆଶ୍ରୟ ଦେଲେ । ଟିକିଏ ମାତ୍ର ଦ୍ୱିଧା ନକରି କବାଟ ବନ୍ଦ କରି ଚୁପଚାପ ଖଟଉପରେ ଶୋଇପଡ଼ିଲି ।

 

ରାତି ବାରଟା ବେଳକୁ ଝଡ଼ବର୍ଷା କମିଗଲା ସତ । କିନ୍ତୁ ପରଦିନ ସକାଳ ପର୍ଯ୍ୟନ୍ତ ସମୁଦ୍ରର ରାଗ କମିଲା ନାହିଁ ।

 

ମୋ ଜିନିଷପତ୍ର ଏବଂ ସହଯାତ୍ରୀମାନଙ୍କର ଅବସ୍ଥା କ’ଣ ହେଲା, ବିଶେଷ କରି ମିସ୍ତ୍ରୀ ମହାଶୟ ସସ୍ତ୍ରୀକ କିପରି ରାତି ଅତିବାହିତ କଲେ, ଜାଣିବା ପାଇଁ ସକାଳ ବେଳା ତଳକୁ ଓହ୍ଲାଇଗଲି । କାଲି ନନ୍ଦ ମିସ୍ତ୍ରୀ ଟିକିଏ ରସିକତା କରି କହିଥିଲେ–ଆଜ୍ଞା ସାଢ଼େ ବତିଶ ଭଜା ଭଳି ଆମେମାନେ କାଲି ମିଶିଯାଇଥିଲୁ । ଏଇ ମାତ୍ର ଯିଏ ଯାହାର ଖୋପକୁ ଫେରିଆସିଛୁ । ଆଜିର ମିଶାମିଶି ସାଢ଼େ ବତିଶ ଭଜା ଭଳି ମିଶିଲା କି ନାହିଁ ଜାଣେ ନାହିଁ । କିନ୍ତୁ ଏପର୍ଯ୍ୟନ୍ତ କେହି ଯେ କାହାର ନିଜ ସ୍ଥାନକୁ ଫେରି ଆସିପାରିନାହାନ୍ତି, ତାହା ସ୍ୱଚକ୍ଷୁରେ ଦେଖିଆସିଲି ।

 

ସେମାନଙ୍କ ଅବସ୍ଥା ଦେଖିଲେ ପ୍ରକୃତରେ କାନ୍ଦମାଡ଼ିବ । ଏହି ତିନିଶହ ଚାରିଶହ ଯାତ୍ରୀ ଭିତରେ ସମର୍ଥ ଥିବା ଦୂରର କଥା ବୋଧହୁଏ ଅକ୍ଷତ ହୋଇ କେହିନଥିଲେ ।

 

ଝିଅମାନେ ଶିଳଉପରେ ନଇଁପଡ଼ି ଯେପରି ମସଲା ବାଟନ୍ତି ଗତକାଲିର ସାଇକ୍ଲୋନ ଏଇ ତିନି ଚାରିଶହ ଲୋକଙ୍କୁ ନେଇ ଠିକ୍‌ ସେହିପରି ସାରାରାତି ବାଟି ଲାଗିଥିଲା । ସମସ୍ତ ଜିନିଷପତ୍ର, ବାକ୍‌ସ ପେଟେରା ନେଇ, ଏ ଲୋକଗୁଡ଼ିକ ଜାହାଜର ଏପାଖରୁ ସେପାଖ ପର୍ଯ୍ୟନ୍ତ ଗଡ଼ାଗଡ଼ି କରୁଥିଲେ । ବାନ୍ତି ଏବଂ ଆଉ ଦୁଇଟା ପ୍ରକ୍ରିୟା ଏତେ ଭାବରେ କରିଥିଲେ ଯେ ଦୁର୍ଗନ୍ଧରେ ଠିଆହେବା କଷ୍ଟକର ବ୍ୟାପାର ହୋଇପଡ଼ିଥିଲା । ବର୍ତ୍ତମାନ ଡାକ୍ତରବାବୁ, ଜାହାଜର ମେହେନ୍ତର ଏବଂ ଖଲାସୀମାନଙ୍କୁ ନେଇ ଏମାନଙ୍କର ପଙ୍କୋଦ୍ଧାର କରିବାର ବ୍ୟବସ୍ଥା କରୁଛନ୍ତି ।

 

ଡାକ୍ତର ବାବୁ ମୋର ଆପାଦମସ୍ତକ ବାରମ୍ବାର ନିରୀକ୍ଷଣ କରି ମୋତେ ସେକେଣ୍ଡକ୍ଲାସର ଯାତ୍ରୀ ବୋଲି ସ୍ଥିର କରିନେଇଥିଲେ । ତଥାପି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ–ଆଜ୍ଞା, ଆପଣଙ୍କୁ ତ ଖୁବ୍‌ ତାଜା ଥିବାର ଦେଖୁଛି । ବୋଧହୁଏ ଗୋଟାଏ ନିରାପଦ ସ୍ଥାନ ପାଇଯାଇଥିଲେ–କ’ଣ ସତ ?

 

ନିରାପଦ ସ୍ଥାନ ପାଇବି କେଉଁଠୁ ଆଜ୍ଞା ? ହଂସ କୁକୁଡ଼ାଙ୍କ ପଞ୍ଜୁରୀ ପାଇଥିଲି ।

 

ଡାକ୍ତର ବାବୁ ଆଁ କରି ଚାହିଁ ରହିଲେ ।

 

ମୁଁ କହିଲି–ଡାକ୍ତର ବାବୁ, ଏ ଅଧମ ମଧ୍ୟ ଏଇ ନରକ କୁଣ୍ଡର ଯାତ୍ରୀ । କିନ୍ତୁ ଦୁବର୍ଳ ବୋଲି ଏଠାରେ ରହିପାରିନଥିଲି । ଯାତ୍ରା ଆରମ୍ଭରୁ ହିଁ ଡେକ୍‌ ଉପରେ ରହି ଆସିଥିଲି । କାଲି ସାଇକ୍ଲୋନ ଖବର ପାଇବାକ୍ଷଣି କିଛି ସମୟ ମେଣ୍ଢା, ହଂସ ଓ କୁକୁଡ଼ା ଥିବା ପିଞ୍ଜୁରୀ ଉପରେ ବସି, ଆଉ ବାକି ସମୟତକ ଫାଷ୍ଟ କ୍ଲାସର ଗୋଟାଏ ଘରେ ଅନଧିକାର ଭାବରେ ପ୍ରବେଶ କରି ଆତ୍ମରକ୍ଷା କରିଛି । କ’ଣ କହୁଛନ୍ତି କିଛି ଅନ୍ୟାୟ କରିପକାଇଛି କି ?

 

ସମସ୍ତ ଇତିହାସ ଶୁଣିବାପରେ ଡାକ୍ତରବାବୁ ଏତେ ଖୁସି ହୋଇଗଲେ ଯେ ବାକି ଦୁଇଟା ଦିନ କଟାଇବା ପାଇଁ ତାଙ୍କ ଘରକୁ ସାଦର ନିମନ୍ତ୍ରଣ ଜଣାଇ ବସିଲେ । ଅବଶ୍ୟ ତାଙ୍କର ସେ ନିମନ୍ତ୍ରଣ ମୁଁ ରକ୍ଷା କରିପାରିଲି ନାହିଁ, କେବଳ ତାଙ୍କ ଡେକ୍‌ ଚେୟାରଟା ନେଇଥିଲି ମାତ୍ର ।

 

ଦିପହରବେଳେ କ୍ଷୁଧା ତାଡ଼ନାରେ ନିର୍ଜୀବ ପରି ଡେକ୍‌ରେ ପଡ଼ି ରହି ବ୍ରହ୍ମାଣ୍ଡରେ ଯେତେ ଖାଦ୍ୟବସ୍ତୁ ଅଛି, ସେ ବିଷୟରେ ଚିନ୍ତା କରୁଥିଲି । କେଉଁଠାକୁ ଗଲେ, କି ପ୍ରକାର ଫନ୍ଦି କଲେ, କିଛି ଖାଦ୍ୟ ମିଳିପାରିବ ଏଇ ଦୁର୍ଭାବନାରେ ମଗ୍ନ ଥିଲି । ଏତିକିବେଳେ ଖିଦିରପୁରର ସେଇ ମୁସଲମାନ ଦର୍ଜିଭିତରୁ ଜଣେ ଆସି କହିଲା–ଆଜ୍ଞା, ଆପଣଙ୍କୁ ଜଣେ ବଙ୍ଗାଳୀ ଭଦ୍ର ମହିଳା ଡାକୁଛନ୍ତି ।

 

ଭଦ୍ରମହିଳା ! ବୁଝିପାରିଲି ଏ ନିଶ୍ଚୟ ଟଗର । କାହିଁକି ଯେ ଡାକୁଛି ତାହା ଅନୁମାନ କରିବାକୁ କଷ୍ଟ ହେଲା ନାହିଁ । ନିଶ୍ଚୟ ମିସ୍ତ୍ରୀ ସହିତ ସ୍ୱାମୀ–ସ୍ତ୍ରୀ ବିଷୟରେ ସତ୍ୱ ସାବ୍ୟସ୍ତ ନେଇ ମତଭେଦ ଘଟିଛି । କିନ୍ତୁ ଏ ସବୁ ବ୍ୟାପାରରେ ମୋତେ କାହିଁକି ଟାଣୁଛନ୍ତି ? Trial by ordeal କଠୋର ପରୀକ୍ଷା ଛଡ଼ା ବାହାରର ଲୋକ ଆସି ଯେକୌଣସି ଦିନ ଏସବୁ ସମସ୍ୟାର ମୀମାଂସା କରି ଦେଇପାରିଛନ୍ତି ତାହା ମନେକରିବା ମଧ୍ୟ ଶକ୍ତ ।

 

କହିଲି–ଘଣ୍ଟାକ ଭିତରେ ପହଁଞ୍ଚିବି, ଯାଇ କହିଦିଅ ।

 

ଲୋକଟି କୁଣ୍ଠିତ ହୋଇ କହିଲା–ନାଇଁ ଆଜ୍ଞା, ବଡ଼ କାତର ହୋଇ ସେ ଡକାଇଛନ୍ତି ।

 

କାତର ! ଟଗର କିନ୍ତୁ କାତର ହେଲାଭଳି ଝିଅ ନୁହେଁ । ପଚାରିଲି–ପୁରୁଷ ଲୋକଟି କ’ଣ କରୁଛି ?

 

ଲୋକଟି କହିଲା–ତାରି ବେମାରୀ ପାଇଁ ତ ଡାକୁଛି ।

 

ବେମାର ହେବାଟା କିଛି ଆଶ୍ଚର୍ଯ୍ୟକର ବିଷୟ ନୁହେଁ । ବାଧ୍ୟହୋଇଉଠିଲି । ଲୋକଟି ମୋତେ ସଙ୍ଗରେ ନେଇ ତଳକୁ ଓହ୍ଲାଇଲା । ଅନେକ ଦୂରରେ ଗୋଟିଏ କୋଣରେ କିଛି ନଡ଼ା ବିଛା ହୋଇଗଲା । ତାରି ଆଢ଼ୁଆଳରେ ଜଣେ ବାଇଶି ତେଇଶି ବର୍ଷ ବୟସର ଯୁବତୀ ବସିଥିଲା, ଯାହାକୁ କି ପୂର୍ବରୁ ମୁଁ କେବେ ଦେଖିନାହିଁ । ପାଖରେ ଜଣେ କ୍ଷୀଣକାୟ ଯୁବକ ଗୋଟିଏ ମଇଳା ସତରଞ୍ଜି ଉପରେ ମଡ଼ା ପରି ଆଖିବୁଜି ଶୋଇଥାଏ । ଅସୁସ୍ଥତା ହେଉଛି ଏଇ ଲୋକଟିର ।

 

ମୁଁ ପାଖରେ ପହଞ୍ଚିବା ମାତ୍ରେ ସ୍ତ୍ରୀଲୋକଟି ମୁହଁଉପରକୁ ଓଢ଼ଣା ଯଦିଓ ଟାଣିନେଲା କିନ୍ତୁ ମୁଁ ତାକୁ ଦେଖିପାରିଥିଲି ।

 

ସେ ଖୁବ୍‌ ସୁନ୍ଦରୀ ବୋଲି କହିଲେ ଯୁକ୍ତି କରାଯାଇପାରେ କିନ୍ତୁ ଏହା ବୋଲି ତାହାକୁ ଅବହେଳା କରିହେବ ନାହିଁ । ହୁଏତ ସୁନ୍ଦରୀ ସ୍ତ୍ରୀଲୋକମାନଙ୍କ ତାଲିକାରେ ତା’ ନାମ ସ୍ଥାନ ପାଇବ କି ନାହିଁ ଯଦିଓ ଜାଣେନି କିନ୍ତୁ ଏଇ ତରୁଣୀର ପ୍ରଶସ୍ତ ଲଲାଟ ଉପରେ ଏପରି ଏକ ବୁଦ୍ଧି ଓ ବିଚାରର କ୍ଷମତା ଅଙ୍କିତ ହୋଇଥିବାର ଦେଖିବାକୁ ପାଇଲି ଯାହାକି ଏହାପୂର୍ବରୁ କ୍ୱଚିତ୍‌ ଦେଖିଥିବି-। ମୋ ଅନ୍ମଦା ନାନୀର କପାଳ ମଧ୍ୟ ବଡ଼ ଥିଲା । ଅନେକଟା ଯେପରି ତାରିଭଳି ଦିଶୁଥାଏ-। ସିନ୍ଥିର ସିନ୍ଦୁର ଦପ୍‌ ଦପ୍‌ ହୋଇ ଜଳୁଥାଏ । ହାତରେ ପାଣିକାଚ ଓ ଶଙ୍ଖା–ଆଉ କୌଣସି ଅଳଙ୍କାର ନାହିଁ । ଖଣ୍ଡିଏ ସାଧାରଣ ରଙ୍ଗ ଧଡ଼ିଆ ଶାଢ଼ି ପିନ୍ଧିଥାନ୍ତି ।

 

ପରିଚୟ ନାହିଁ, କିନ୍ତୁ ଏପରି ସାଦାସିଧା ଭାବରେ ସେ କଥା କହିବାକୁ ଲାଗିଲେ ଯେ ବିସ୍ମିତ ନ ହୋଇ ରହିପାରିଲି ନାହିଁ । କହିଲେ–ଆପଣଙ୍କର ତ ଡାକ୍ତରବାବୁଙ୍କ ସହିତ ଚିହ୍ନାଜଣା ଅଛି, ଟିକିଏ ତାଙ୍କୁ ଡାକି ଆଣିପାରିବେ କି ?

 

କହିଲି–ପରିଚୟ ମାତ୍ର ଆଜି ହୋଇଛି । ତେବେ ମୋର କିପରି ମନେହୁଏ ଡାକ୍ତର ବାବୁ ବଡ଼ ଭଲ ଲୋକ । କିନ୍ତୁ କ’ଣ ଦରକାର ?

 

ସେ କହିଲେ–ଯଦି ନିହାତି ଭିଜିଟ୍‌ ଫିସ୍ ଚାହାଁନ୍ତି ତେବେ ଡାକିବା ଆବଶ୍ୟକ ନାହିଁ । ସେ ହୁଏତ କଷ୍ଟ ପାଇ ପାଇ ଉପରକୁ ଯାଇପାରନ୍ତି; କହି ସେଇ ରୁଗ୍‌ଣ ଲୋକଟିକୁ ଦେଖାଇଦେଲେ ।

 

ମୁଁ କିଛି ସମୟ ଚିନ୍ତା କରି କହିଲି–ଜାହାଜର ଡାକ୍ତର ବାବୁଙ୍କୁ ଡାକିଲେ କିଛି ବୋଧହୁଏ ଦେବାକୁ ପଡ଼େ ନାହିଁ । କିନ୍ତୁ ସେ ଯାହାହେଉ ତାଙ୍କର କ’ଣ ହୋଇଛି ?

 

ମୁଁ ମନେମନେ ସ୍ଥିର କରିନେଇଥିଲି ଯେ ରୋଗୀଟି ସ୍ତ୍ରୀଲୋକଟିର ସ୍ୱାମୀ । କିନ୍ତୁ ସ୍ତ୍ରୀଲୋକଟିର କଥାରେ କିପରି ମୋର ସନ୍ଦେହ ହେଲା । ଲୋକଟି ମୁହଁଉପରକୁ ନଇଁପଡ଼ି ପ୍ରଶ୍ନକଲେ–ଘରୁ ଆସିଲାବେଳେ ତୁମର ସାମାନ୍ୟ ପେଟ ଗଣ୍ଡଗୋଳ ଥିଲା ନା ?

 

ଲୋକଟି ମୁଣ୍ଡ ହଲାଇବା ପରେ ସେ ମୁହଁ ଉଠାଇ କହିଲେ, ହଁ ତାଙ୍କର ପେଟ ଗଣ୍ଡଗୋଳ ନିଜ ଘରୁ ଆସିଲାବେଳୁ ଥିଲା । କାଲିଠାରୁ ଜର ଆରମ୍ଭ ହୋଇଛି । ବର୍ତ୍ତମାନ ଦେଖୁଛି ଜରଟା ଟିକିଏ ବେଶୀ ହୋଇଛି । କିଛି ଔଷଧ ନ ଦେଲେ ଚଳେ ।

 

ମୁଁ ନିଜେ ମଧ୍ୟ ହାତମାରି ଲୋକଟିର ଦେହର ଉତ୍ତାପ ଅନୁଭବ କରି ଦେଖିଲି । ବାସ୍ତବିକ ଖୁବ୍ ଜର । ଡାକ୍ତରଙ୍କୁ ଡାକିବା ପାଇଁ ଉପରକୁ ଚାଲିଗଲି ।

 

ଡାକ୍ତରବାବୁ ତଳକୁ ଆସି ରୋଗ ପରୀକ୍ଷା କରି ଔଷଧପତ୍ର ଦେଇ କହିଲେ, ଚାଲନ୍ତୁ ଶ୍ରୀକାନ୍ତ ବାବୁ । ଘରକୁ ଯାଇ ଦିଚାରି ପଦ ଗପ କରିବା ।

 

ଡାକ୍ତରବାବୁ ଲୋକ ହିସାବରେ ବଡ଼ ଭଲ । ତାଙ୍କ ଘରକୁ ସାଙ୍ଗରେ ନେଇଯାଇ ପଚାରିଲେ ଚା’ ଖାଆନ୍ତି ତ ?

 

: ହଁ ।

 

: ବିସ୍କୁଟ ?

 

: ତା’ ମଧ୍ୟ ଖାଏ ।

 

: ଆଚ୍ଛା ।

 

ଖାଇବା ପିଇବା ସମାପ୍ତ ହେବାପରେ ଦୁଇଜଣ ଦୁଇଟି ଚୌକିରେ ମୁହାଁମୁହିଁ ହୋଇ ବସିଲୁ । ଡାକ୍ତରବାବୁ ତାପରେ ପ୍ରଶ୍ନକଲେ–ସେଠାରେ ଆପଣ ଢୁକିଲେ କିପରି ?

 

: ସ୍ତ୍ରୀଲୋକଟି ଡାକି ପଠାଇଥିଲା ।

 

ଡାକ୍ତରବାବୁ ଜଣେ ବିଜ୍ଞଲୋକ ଭଳି ମୁଣ୍ଡ ହଲାଇ ହଲାଇ କହିଲେ–ହଁ ପଠାଇବାର କଥା । ବାହାସାହା ହୋଇଛନ୍ତି ତ ?

 

: ନା ।

 

: ତାହାହେଲେ ଜୁଟି ଯାଆନ୍ତୁ । ନିହାତି ମନ୍ଦି ହେବ ନାହିଁ । ଲୋକଟାର ଏଇତ ଚେହେରା ! ତା’ ସହିତ ଟାଇଫଏଡ଼ର ଲକ୍ଷଣ ବୋଲି ମନେହେଉଛି । ଯାହାହେଉ ବେଶୀଦିନ ବଞ୍ଚିବ ନାହିଁ, ସେକଥା ନିଶ୍ଚିତ । ଇତିମଧ୍ୟରେ ଟିକିଏ ନଜର ରଖିଥିବେ ଯେପରି ଆଉ କେହି ସେଠାରେ ଜୁଟି ନ ଯାଆନ୍ତି ।

 

ଅବାକ ହୋଇ ମୁଁ କହିଲି–ଆପଣ ଏସବୁ କ’ଣ କହୁଛନ୍ତି ?

 

ଡାକ୍ତର ବାବୁ ଆଦୌ ଅପ୍ରତିଭ ନ ହୋଇ କହିଲେ–ଆଚ୍ଛା ଟୋକାଟା ତାକୁ ଧରି ବାହାରି ଆସିଛି ନା ଇୟେ ଟୋକାଟାକୁ ଧରି ବାହାରିପଡ଼ିଛି ? ଆପଣଙ୍କର କ’ଣ ମନେହେଉଛି କହନ୍ତୁ ତ ଶ୍ରୀକାନ୍ତ ବାବୁ ? ଖୁବ୍‌ forward ନା ? ସୁନ୍ଦର କଥାବାର୍ତ୍ତା ତ କରୁଛି ।

 

: ଏଭଳି ଧାରଣା ଆପଣଙ୍କ ମନରେ ଆସିଲା କିପରି ?

 

ଡାକ୍ତରବାବୁ କହିଲେ–ପ୍ରତ୍ୟେକ ଟ୍ରିପରେ ଦେଖିବାକୁ ପାଉଛି ଗୋଟେ ନା ଗୋଟେ ଯୋଡ଼ା ନିଶ୍ଚୟ ଥିବେ । ଗତଥର ତ ବେଲ୍‌ ଘରରୁ ଗୋଟେ ଯୋଡ଼ା ଥିଲେ । ଥରେ ଯାଇ ବର୍ମାରେ ପାଦ ଦିଅନ୍ତୁ ନା ଦେଖିବେ ମୋ କଥା ସତ କି ମିଛ ?

 

ବର୍ମା ବିଷୟରେ ତାଙ୍କ ମନ୍ତବ୍ୟଟା ଯେ ଅନେକ ପରିମାଣରେ ସତ୍ୟ ତାହା ଅବଶ୍ୟ ପରେ ଜାଣିପାରିଲି କିନ୍ତୁ ଆପାତତଃ ବର୍ତ୍ତମାନ ମନଟା ବିତୃଷ୍ଣାରେ ଯେପରି ତିକ୍ତ ହୋଇଉଠିଲା ।

 

ଡାକ୍ତରବାବୁଙ୍କ ନିକଟରୁ ବିଦାୟ ନେଇ ଥରକ ପାଇଁ ନନ୍ଦ ମିସ୍ତ୍ରୀର ଖବର ଜାଣିବା ପାଇଁ ତଳକୁ ଗଲି । ସେତେବେଳକୁ ସପରିବାର ନନ୍ଦମିସ୍ତ୍ରୀ ଫଳହାର କରିବା ଆୟୋଜନରେ ଥିଲେ । ମୁଁ ଗୋଟାଏ ନମସ୍କାର କରି ତାଙ୍କୁ ପଚାରିଲି–ସେ ସ୍ତ୍ରୀଲୋକ ଜଣକ କିଏ ?

 

ଟଗର ମୁଣ୍ଡବ୍ୟଥା ପାଇଁ ମୁଣ୍ଡରେ ଗୋଟାଏ ପଗଡ଼ି ବାନ୍ଧୁଥିଲା, ହଠାତ୍‌ ଗର୍ଜିଉଠି କହିଲା–ସେ କଥା ଜାଣି ତୁମର କ’ଣ ଲାଭହେବ ଶୁଣେ ?

 

ମିସ୍ତ୍ରୀ ମୋତେ ମଧ୍ୟସ୍ଥି ମାନି କହିଲା–ଦେଖିଲେ ଆଜ୍ଞା, ଏ ଲୋକଟାର କେଡ଼େ ଛୋଟ ମନ । ବଙ୍ଗାଳୀ ଘରର ସେ ଝିଅଟି କିଏ ରେଙ୍ଗୁନ ଯାଉଛି, ସେ ଖବର ନେବାଟା କ’ଣ ଦୋଷ ?

 

ଟଗର ମୁଣ୍ଡବ୍ୟଥା ଭୁଲିଯାଇ, ପଗଡ଼ିଟା ଫିଙ୍ଗିଦେଇ ମୋ ମୁହଁକୁ ଚାହିଁ ରହିଲା । ଆଖିକୁ ଏଡ଼େ ଏଡ଼େ କରି ମୋତେ କହିଲା–ଆଜ୍ଞା, ଟଗର ବୈଷ୍ଣମୀ ହାତରୁ କେତେ ଗଣ୍ଡା ମିସ୍ତ୍ରୀ ଏହିପରି ମଣିଷ ହୋଇଗଲେଣି, ବର୍ତ୍ତମାନ ଏ ମୋ ଆଖିରେ ଧୂଳି ଦେଇପାରିବ ? ଆରେ ତୁ ଡାକ୍ତର ନା ବୈଦ୍ୟ ଯେ, ସେଇ ଟିକିଏ ପାଣି ଆଣିବାକୁ ଯାଇଛୁ ଯେ ଯାଇଛୁ ? କାହିଁକି, ସେ କିଏ ତୋର ? ଭଲହବନି କହିଦେଉଛି ମିସ୍ତ୍ରୀ । ଆଉ ଯଦି ସେଆଡ଼େ ଯିବାର ଥରେ ଦେଖିଛି ନା, ତେବେ ତୋର ଦିନେକୁ ମୋର ଦିନେ ।

 

ନନ୍ଦ ମିସ୍ତ୍ରୀ ଗରମ ହୋଇ କହିଉଠିଲା ତୋର ମୁଁ କ’ଣ ପୋଷାମାଙ୍କଡ଼ ଯେ ଯେଉଁଦିଗକୁ ଶିକୁଳି ଧରି ଟାଣିବୁ ମୁଁ ସେଇଆଡ଼କୁ ଯିବି ? ମୋର ଇଚ୍ଛାହେଲେ ଆଉଥରେ ଯାଇ ବିଚାରାଟାକୁ ଦେଖିଆସିବି । ତୋ ଇଚ୍ଛା ଯାହା ତୁ କର କହି ସେ ଫଳ କାଟିବାରେ ମନଦେଲା ।

 

ଟଗର ମଧ୍ୟ କେବଳ ‘‘ଆଚ୍ଛା’’ କହି ତା’ ମୁଣ୍ଡରେ ପଗଡ଼ି ବାନ୍ଧିବାରେ ଲାଗିଲା । ମୁଁ ମଧ୍ୟ ଚାଲିଆସିଲି । ଭାବି ଭାବି ଆସିଲି ଏପରି ଭାବରେ ତେବେ ଏମାନେ କୋଡ଼ିଏଟି ବର୍ଷ ବିତାଇଲେଣି । ଅନେକ ଖେଞ୍ଚଣା ଖାଇ ଟଗର ବୁଝିପାରିଛି ଯେ ଯେଉଁଠାରେ ସତ ସତିକିଆ ବନ୍ଧନ ନାହିଁ ସେଠାରେ ଡୋରକୁ ଏତେ ଟିକିଏ ଶିଥିଳ କରିଦେଲେ ଚଳିବ ନାହିଁ । ପସ୍ତେଇବାକୁ ହେବ । ହୁଏତ ଅହର୍ନିଶି ଜୋର କରି ଦଖଲ ବଜାୟ ରଖିବାକୁ ହେବ, ନହେଲେ ଯୌବନରେ ନନ୍ଦ ମିସ୍ତ୍ରୀ ଯେପରି ଆସିଥିଲା ହୁଏତ ସେଇପରି ଦିନେ ଅଜାଣତରେ ଖସି ଯାଇପାରେ । କିନ୍ତୁ ଯାହାଙ୍କୁ ଉପଲକ୍ଷ କରି ଏଇ ବିଦ୍ୱେଷମୂଳକ, ତୀବ୍ର, କୁତ୍ସିତ କଟାକ୍ଷ ଡାକ୍ତରବାବୁ କହିଥିଲେ ସେ କିଏ ? ଟଗର ଯେଉଁ କହିଥିଲା ଯେ ଏଇ କାମ କରି କରି ତା’ର ମୁଣ୍ଡବାଳ ପାଚିଗଲାଣି ଏବଂ ତା’ ଆଖିରେ ପୁଣି ଧୂଳିଦେବ; ଏପରି ଝିଅପିଲା ଜନ୍ମ ହୋଇ ନାହିଁ; ସେ ମଧ୍ୟ କେଉଁଠି ?

 

ଡାକ୍ତରବାବୁ ମନ୍ତବ୍ୟ ପ୍ରକାଶ କରିଥିଲେ–ଏଇପରି କାଣ୍ଡ ପ୍ରତ୍ୟେକ ଟ୍ରିପ୍‌ରେ ଦେଖି ଦେଖି ତାଙ୍କର ଦିବ୍ୟଦୃଷ୍ଟି ଲାଭ ହୋଇଛି । ଆଜି ଭୁଲକରି ବସିଲେ ଏଭଳି ଦୁଇଟା ଆଖି ସେ ଉପାଡ଼ି ଫିଙ୍ଗି ଦେବାକୁ ରାଜି ଅଛନ୍ତି ।

 

ଏପରି ଘଟିଥାଏ । ଅନ୍ୟକୁ ବିଚାର କରିବାକୁ ଯାଇ କୌଣସି ମନ୍ତବ୍ୟ କେତେବେଳେ କେହି ଦେଉଥିବାର ଶୁଣିନାହିଁ ଯେ; ସେ ଅନ୍ତର୍ଯ୍ୟାମୀ ନୁହେଁ କିମ୍ବା ତା’ର ଭୁଲଭଟକା କେତେବେଳେ ହେଲେ ହୁଏ ନାହିଁ । ସମସ୍ତେ କହନ୍ତି ମନୁଷ୍ୟ ଚିହ୍ନିବାରେ ତାପରି କେହିନାହାନ୍ତି ଏବଂ ଏ ବିଷୟରେ ସେ ସମ୍ପୂର୍ଣ୍ଣ ଖାଣ୍ଟି ବଣିଆ । ଅଥଚ ସଂସାରରେ କିଏ କେତେବେଳେ ଅବା ନିଜ ମନଟାକୁ ଚିହ୍ନିପାରିଥିବାର ମୋତେ ଜଣାନାହିଁ । ତେବେ ମୋଭଳି ଯେ କେହି କଠିନ ଆଘାତ ପାଇଛି ତା’ ପକ୍ଷରେ ସତର୍କ ହୋଇ ଚଳିବା ଅବଶ୍ୟ ଉଚିତ୍‌ । ସଂସାରରେ ଅନ୍ନଦାନାନୀପରି ଲୋକ ଯେତେବେଳେ ଥାନ୍ତି ସେତେବେଳେ ନିଜକୁ ବୁଦ୍ଧିଆ ବୋଲି ଭାବି ଅହଙ୍କାରରେ ପରକୁ ମନ୍ଦ ମନେକରି ବୁଦ୍ଧିମାନ ହେବା ଅପେକ୍ଷା ଭଲ ଭାବି ନିର୍ବୋଧ ହେବାରେ ଯେ ବୁଦ୍ଧିର ମୂଲ୍ୟ ବେଶୀ ମିଳିଥାଏ; ସେକଥା ମନେମନେ ସ୍ୱୀକାର କରିବାକୁ ହିଁ ହେବ । ସେଥିପାଇଁ ଏହି ପରମ ବିଜ୍ଞ ନରନାରୀ ଦୁହିଁଙ୍କର ଉପଦେଶ ଅଭ୍ରାନ୍ତ ବୋଲି ନିଃସଙ୍କୋଚରେ ଗ୍ରହଣ କରିପାରିଲି ନାହିଁ । କିନ୍ତୁ ଡାକ୍ତରବାବୁ ଯେଉଁ କହିଥିଲେ ନିହାତି forward ତା’ ଅବଶ୍ୟ ସତ । ଏଇ କଥାଟା ହିଁ ମଝିରେ ରହି ରହି ମୋତେ ଖେଞ୍ଚା ମାରୁଥିଲା । ଅନେକ ରାତିରେ ପୁଣି ଆଉଥରେ ଡାକରା ପଡ଼ିଲା । ଏଥର ଏ ସ୍ତ୍ରୀଲୋକଟିର ପରିଚୟ ପାଇପାରିଲି । ଶୁଣିବାକୁ ପାଇଲି ତା’ ନାଆଁ ଅଭୟା । ଉତ୍ତର ରାଡ଼ୀ କାୟସ୍ଥ । ଘର ବାଲୁଚର ନିକଟରେ । ଯେଉଁ ବ୍ୟକ୍ତିଟି ପୀଡ଼ିତ ହୋଇପଡ଼ିଛି, ସେ ଗାଉଁଲି ସମ୍ପର୍କରେ ତା’ର ଭାଇ ହୁଏ । ନାଆଁ ରୋହିଣୀ ସିଂହ ।

 

ଔଷଧ ଖାଇବାଦ୍ୱାରା ରୋହିଣୀବାବୁଙ୍କର ବହୁତ ଉପକାର ହୋଇଛି ଏତିକି କହି କଥା ଆରମ୍ଭ କରି ଅଳ୍ପ ସମୟ ଭିତରେ ଅଭୟା ମୋତେ ଆପଣାର କରିପକାଇଲା । ଯଦିଓ ଏକଥା ମାନିବାକୁ ହେବ ଯେ ମୋ ମନଭିତରେ ଏକ କଠୋର ସମାଲୋଚନାର ଭାବ ଜାଗ୍ରତ ହୋଇଥିଲା ତଥାପି ଏଇ ସ୍ତ୍ରୀଲୋକଟିର ସମସ୍ତ ଆଳାପ–ଆଲୋଚନା ମଧ୍ୟରେ କେଉଁଠାରେ ଏତେ ଟିକିଏ ଅସଙ୍ଗତ କିମ୍ବା ଅଶୋଭନୀୟ ପ୍ରଗଳ୍‌ଭତା ଧରିପାରିଲି ନାହିଁ ।

 

ଅଭୟାର ମନୁଷ୍ୟକୁ ବଶ କରିବାର ଶକ୍ତି ଅଦ୍ଭୁତ ରକମର । ଏହାଭିତରେ ଯେ ସେ ମୋର ନାମଧାମ ଜାଣିନେଲା ତାହା ନୁହେଁ, ବରଂ ତା’ର ନିରୁଦ୍ଦିଷ୍ଟ ସ୍ୱାମୀକୁ କିପରି ଭାବରେ ଖୋଜି ବାହାର କରିଦେବି ସେ କଥା ମଧ୍ୟ ମୋ ମୁହଁରୁ ବାହାର କରି ନେଇପାରିଲା । ତା’ ସ୍ୱାମୀ ଆଠବର୍ଷ ପୂର୍ବେ ବର୍ମାକୁ ଚାକେରି କରିବା ପାଇଁ ଆସିଥିଲା । ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ତା’ଠାରୁ ଚିଠିପତ୍ର ମିଳୁଥିଲା । ଆଉ ଏଇ ଛଅବର୍ଷ ଧରି ତା’ର ଆଉ କୌଣସି ଠିକଣା ନାହିଁ । ଗାଆଁରେ ଆତ୍ମୀୟ ସ୍ୱଜନ ବୋଲି କେହି ନାହାଁନ୍ତି । ମାଆ ଥିଲେ, ସେ ମଧ୍ୟ ତିନିମାସ ପୂର୍ବେ ଇହଲୋକ ତ୍ୟାଗକରି ଚାଲିଯିବାରୁ ଅଭିଭାବକହୀନ ହୋଇ ବାପଘରେ ରହିବା ଅସମ୍ଭବ ହୋଇପଡ଼ିବାରୁ ରୋହିଣୀ ଭାଇକୁ ରାଜି କରାଇ ବର୍ମାକୁ ଯାଉଛି । କିଛି ସମୟ ନୀରବ ରହିବାପରେ, ହଠାତ୍‌ କହିଉଠିଲା, ଆଚ୍ଛା କହିଲେ, ସାମାନ୍ୟ ଚେଷ୍ଟା କରି ନ ଖୋଜି ଗାଆଁରେ ପଡ଼ିରହିଥିଲେ କ’ଣ ଭଲ କାମ ହୋଇଥାନ୍ତା ? ତା’ ଛଡ଼ା ଏ ବୟସରେ ଦୁର୍ନାମ କିଣିବାକୁ ଅବା କେତେ ସମୟ ଲାଗିବ ?

ମୁଁ ପଚାରିଲି–କାହିଁକି ସେ ଏତେଦିନ ଧରି ତୁମର କୌଣସି ଖୋଜଖବର ନେଲେ ନାହିଁ, ସେ ବିଷୟରେ କିଛି ଜାଣ କି ?

: ନା, କିଛି ଜାଣେ ନାହିଁ ।

: ଏହାପୂର୍ବରୁ କେଉଁଠାରେ ଥିଲେ, ସେ କଥା ଜାଣ କି ?

: ଜାଣେ । ରେଙ୍ଗୁନରେ ଥିଲେ, ବର୍ମା ରେଲୱେରେ କାର୍ଯ୍ୟ କରୁଥିଲେ । କେତେ ଚିଠି ଦେଇଛ କିନ୍ତୁ କୌଣସି ଚିଠିର ଉତ୍ତର ପାଇନାହିଁ, ଅଥଚ ମୋର ଗୋଟିଏ ହେଲେ ଚିଠି କୌଣସି ଦିନ ମୋ ପାଖକୁ ଫେରସ୍ତ ଯାଇ ନାହିଁ ।

ପ୍ରତ୍ୟେକ ପତ୍ର ଯେ ଅଭୟାର ସ୍ୱାମୀ ପାଇଛନ୍ତି, ଏଥିରେ ସନ୍ଦେହ ନାହିଁ, କିନ୍ତୁ କାହିଁକି ଯେ ଜବାବ ଦେଇନାହାନ୍ତି, ତା’ର କାରଣ ସମ୍ଭବତଃ ଏଇମାତ୍ର ଡାକ୍ତର ବାବୁଙ୍କଠାରୁ ଯାହା ଶୁଣିଥିଲି ତାହା ବି ହୋଇପାରେ । ଅନେକ ବଙ୍ଗାଳୀ ସେଠାକୁ ଯାଇ କୌଣସି ସୁନ୍ଦରୀ ବର୍ମା ରମଣୀ ଧରି ପୁଣି ଥରେ ଘରସଂସାର ବାନ୍ଧନ୍ତି । ଏପରି ଅନେକ ଅଛନ୍ତି, ଯେଉଁମାନେ ସାରାଜୀବନ ଆଉ କେବେ ନିଜ ଦେଶକୁ ଫେରିନାହାନ୍ତି । ମୋତେ ଚୁପ୍ ରହିବାର ଦେଖି ଅଭୟା ପ୍ରଶ୍ନ କଲା–ଆପଣ କ’ଣ ଭାବୁଛନ୍ତି ସେ ବଞ୍ଚି ନଥାଇ ପାରନ୍ତି ?

ମୁଣ୍ଡ ହଲାଇ କହିଲା–ବରଂ ଠିକ୍‌ ତା’ର ଓଲଟା । ସେ ଯେ ବଞ୍ଚି ରହିଛନ୍ତି ଏକଥା ମୁଁ ଶପଥ କରି କହିପାରେ ।

ହଠାତ୍‌ ଅଭୟା ମୋ ପାଦ ତଳୁ ଧୂଳି ନେଇ ମୁଣ୍ଡରେ ମାରି କହିଲା–ଆପଣଙ୍କ ମୁହଁରେ ଫୁଲଚନ୍ଦନ ପଡ଼ୁ ଶ୍ରୀକାନ୍ତବାବୁ । ମୁଁ ଆଉ କିଛି ଚାହେଁ ନାହିଁ । ସେ ବଞ୍ଚିଥିଲେ ହିଁ ମୋର ଯଥେଷ୍ଟ ।

ମୁଁ ପୁଣି ଚୁପ୍ ହୋଇଗଲି । ଅଭୟା ନିଜେ ମଧ୍ୟ କିଛି ସମୟ ନୀରବ ରହିବାପରେ କହିଲା–ଆପଣ କ’ଣ ଭାବୁଛନ୍ତି, ତାହା ମୁଁ ଜାଣେ ।

: ଜାଣନ୍ତି ?

: ଜାଣିନି ? ଆପଣ ପୁରୁଷ ହୋଇ ଭାବିପାରିଲେ ଆଉ ମୁଁ ଝିଅପିଲା ହୋଇ ସେ ଭୟ କ’ଣ କରୁନାହିଁ ? ତାହା ହୋଇଥିଲେ ମଧ୍ୟ ମୁଁ ଭୟ କରୁନି, ସଉତୁଣୀଙ୍କୁ ଧରି ବେଶ୍‌ ଘର ସଂସାର କରିପାରିବି ।

ତଥାପି ଚୁପ୍ ରହିଲି । କିନ୍ତୁ ମୋ ମନର କଥାକୁ ଅନୁମାନ କରିବାକୁ ଏଇ ବୁଦ୍ଧିମତୀ ନାରୀକୁ ଲେଶମାତ୍ର ବିଳମ୍ବ ହେଲା ନାହିଁ । କହିଲା–ଆପଣ ଭାବୁଛନ୍ତି ମୁଁ ଘର କରିବାକୁ ରାଜି ହେଲେ ତ ଚଳିବ ନାହିଁ, ମୋ ସଉତୁଣୀ ରାଜି ହେବ କି ନାହିଁ, ଏୟା ତ ?

 

ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଗଲି । କହିଲି ବେଶ୍‌ ତା’ ଯଦି ହୁଏ ତେବେ କ’ଣ କରିବ ?

 

ଏଥର ଅଭୟାର ଆଖିଦୁଇଟି ଛଳଛଳ ହୋଇଉଠିଲା । ମୋ ମୁହଁ ପ୍ରତି ସଜଳ ଦୃଷ୍ଟି ନିକ୍ଷେପ କରି କହିଲା–ସେଭଳି ବିପଦରେ ମୋତେ ଆପଣ ଟିକିଏ ସାହାଯ୍ୟ କରିବେ ଶ୍ରୀକାନ୍ତବାବୁ । ମୋ ରୋହିଣୀ ଭାଇ ଭାରି ସାଦାସିଧା ଲୋକ । ସେତେବେଳେ ତାଙ୍କଦ୍ୱାରା କୌଣସି ଉପକାର ହୋଇପାରିବ ନାହିଁ ।

 

ଶ୍ରୀକାନ୍ତ

ସମ୍ମତି ଜଣାଇ କହିଲି–ସାଧ୍ୟ ଥିଲେ ନିଶ୍ଚୟ ସାହାଯ୍ୟ କରିବି । କିନ୍ତୁ ଏସବୁ ବିଷୟରେ ବାହାର ଲୋକଙ୍କ ଦ୍ୱାରା ପ୍ରାୟ କିଛି ହୋଇନଥାଏ । ବରଂ ଭଲ ପରିବର୍ତ୍ତେ ମନ୍ଦ ହୋଇଥାଏ ସିନା-

 

: ସେ କଥା ଅବଶ୍ୟ ସତ । କହି ଅଭୟା ଚୁପ୍ ହୋଇ ଭାବିବାକୁ ଲାଗିଲା ।

 

ପରଦିନ ଏଗାରଟା ବେଳକୁ ଜାହାଜ ରେଙ୍ଗୁନରେ ପହଞ୍ଚିବା କଥା କିନ୍ତୁ ଭୋର ନ ହେଉଣୁ ସମସ୍ତ ଯାତ୍ରୀଙ୍କ ମୁହଁରେ ଭୟ ଓ ଚାଞ୍ଚଲ୍ୟ ଚିହ୍ନ ଦେଖାଦେଲା । ଚାରିପାଖରୁ ଗୋଟିଏ ଅଷ୍ପଷ୍ଟା ଶବ୍ଦ କାନକୁ ଆସିବାକୁ ଲାଗିଲା–କେରେଣ୍ଟିନ୍‌, କେରେଣ୍ଟିନ୍‌ । ଖବର ନେଇ ଜାଣିଲି କଥାଟା ପ୍ରକୃତରେ ହେଉଛି Quarantine (କ୍ୱାରାନ୍‌ଟାଇନ୍‌) । ସେତେବେଳେ ପ୍ଲେଗ ରୋଗ ଭୟ ହେତୁ ବର୍ମା ସରକାର ବିଶେଷ ସାବଧାନ । ସହରଠାରୁ ଆଠ, ଦଶ ମାଇଲ ଦୂରରେ ଗୋଟାଏ ଚଡ଼ାରେ କଣ୍ଟାତାର ଘେରାହୋଇ ଅନେକ ଗୁଡ଼ିଏ କୁଡ଼ିଆ ଘର ତିଆରି ହୋଇଥାଏ । ଏଠାରେ ସମସ୍ତ ଯାତ୍ରୀଙ୍କୁ ନେଇ ନିର୍ବିଚାର ଭାବରେ ଓହ୍ଲାଇ ଦିଆଯାଏ । ସେଠାରେ ଦଶଦିନ ବାସ କଲାପରେ ଯାଇ ସହରରେ ପ୍ରବେଶ କରିବାକୁ ହୁଏ । ତେବେ ଯଦି କାହାର କୌଣସି ଆତ୍ମୀୟ ସହରରେ ଥାଆନ୍ତି ଏବଂ ସେ port health officerଙ୍କ ନିକଟରୁ କୌଶଳ କରି ପ୍ରବେଶପତ୍ର ଯୋଗାଡ଼ କରିପାରନ୍ତି ତାହାହେଲେ ସେ ଅବଶ୍ୟ ଅଲଗା କଥା ।

 

ଡାକ୍ତରବାବୁ ମୋତେ ତାଙ୍କ ଘରକୁ ଡାକିନେଇ କହିଲେ–ଶ୍ରୀକାନ୍ତ ବାବୁ ଖଣ୍ଡିଏ ଚିଠି ଯୋଗାଡ଼ ନ କରି ଆପଣଙ୍କର ଆସିବାଟା ଉଚିତ ହୋଇ ନାହିଁ । Quarantine–ଏ ବିଷୟରେ ଏମାନେ ମଣିଷକୁ ଯେତେ କଷ୍ଟ ଦିଅନ୍ତି କୌଣସି କଂସେଇଖାନାରେ ଗୋରୁ, ମେଣ୍ଢା, ଛେଳିକୁ ମଧ୍ୟ ଏତିକି କଷ୍ଟ ଦିଆଯାଏ ନାହିଁ । ତେବେ ସେ ଯାହାହେଉ, ଛୋଟ ଲୋକମାନେ କୌଣସିମତେ ସହ୍ୟ କରିପାରିବେ, କେବଳ ଭଦ୍ରଲୋକମାନଙ୍କ ପାଇଁ ଏହା ମର୍ମାନ୍ତିକ ବ୍ୟାପାର । ଏକରେ ତ କୁଲି ନାହାଁନ୍ତି । ନିଜର ସବୁ ଜିନିଷପତ୍ର ନିଜକୁ କାନ୍ଧରେ ଧରି ଗୋଟାଏ ସରୁ ସିଡ଼ିରେ ଚଢ଼ି ଉଠିବାକୁ ହେବ, ତା’ପରେ ସେମାନେ ସବୁ ଜିନିଷକୁ ସେଠାରେ ଖୋଲି ଷ୍ଟୀମରେ ଫୁଟାଇ ଛିନ୍‌ଛତ୍ର କରିପକାନ୍ତି ଆଜ୍ଞା, ଆଉ ଏ ଖରାରେ କଷ୍ଟର ସୀମା ରହେ ନାହିଁ ।

 

ଅତ୍ୟନ୍ତ ଭୟଭୀତ ହୋଇ କହିଲି–ଏହାର କୌଣସି ପ୍ରତିକାର କ’ଣ ନାହିଁ ଡାକ୍ତରବାବୁ-?

 

ସେ ମୁଣ୍ଡ ହଲାଇ କହିଲେ–ନା । ତେବେ ଡାକ୍ତରବାବୁ ଜାହାଜକୁ ଆସିଲାବେଳେ ଆପଣଙ୍କ ପାଇଁ ଥରେ ତାଙ୍କୁ କହିବି । ତାଙ୍କରି କିରାଣି ବାବୁଟି ଯଦି ଆପଣଙ୍କ ଦାୟିତ୍ୱ ନେବାକୁ ରାଜି ହୁଅନ୍ତି–କଥାଟା ତାଙ୍କ ତୁଣ୍ଡରୁ ଶେଷ ହୋଇନାହିଁ ବାହାରେ ଏଇ ସମୟରେ ଏପରି ଏକ ଭୀଷଣ କାଣ୍ଡ ଘଟିଲା ଯାହାକୁ ଆଜି ମଧ୍ୟ ସ୍ମରଣ କଲାକ୍ଷଣି ଲଜ୍ଜ୍ୟାରେ ମରିଯିବାକୁ ହୁଏ । ଗଣ୍ଡଗୋଳ ଶୁଣି ଦୁଇଜଣ ଘର ବାହାରକୁ ଆସି ଦେଖିଲୁ, ଜାହାଜର ସେକେଣ୍ଡ ଅଫିସର ପାଞ୍ଚ, ଛଅଜଣ ଖଲାସୀଙ୍କୁ ଗୋଇଠା ମାରିବାରେ ଲାଗିଛନ୍ତି ଏବଂ ବୁଟ ମାଡ଼ ଖାଇ ଯେ ଯୁଆଡ଼େ ପଳାଇବାରେ ଲାଗିଛନ୍ତି । ଏହି ଇଂରାଜୀ ଯୁବକଟି ଅତ୍ୟନ୍ତ ଉଦ୍ଧତ ବୋଲି ମନେହେଲା ଏବଂ ଦିନେ ହୁଏତ ଡାକ୍ତରବାବୁଙ୍କ ସହିତ ବଚସା ହୋଇପାରେ ଭାବୁଭାବୁ ଆଜି ବି କଳହ ହୋଇଗଲା । ଡାକ୍ତରବାବୁ ରାଗିଯାଇ କହିଲେ ତୁମର ଏ ପ୍ରକାର ବ୍ୟବହାର ନିହାତି ଗର୍ହିତ । କହିରଖୁଛି ଦିନେ ନା ଦିନେ ତୁମକୁ ଏଥିପାଇଁ ଦୁଃଖ ପାଇବାକୁ ହେବ ।

 

ସେ ଲୋକଟା ଫେରିପଡ଼ି ପଚାରିଲା–କାହିଁକି ?

 

: ଏପରି ଭାବରେ ଗୋଇଠା ମାରିବା ଭାରୀ ଅନ୍ୟାୟ ।

 

: ମାଡ଼ ବିନା କ’ଣ କ୍ୟାଟଲ (ପଶୁ) ସାବାଡ଼ ହୋଇପାରେ ?

 

ଡାକ୍ତରବାବୁଙ୍କର ସ୍ୱଦେଶୀ ଅଭିମାନ ଥିଲା । ସେଥିପାଇଁ ଉତ୍ତେଜିତ ହୋଇ କହିଲେ–ଏମାନେ ଜାନୁଆର ନୁହନ୍ତି । ଗରିବ ମଣିଷ । ଆମଦେଶ ଲୋକମାନେ ଶାନ୍ତ ଓ ନମ୍ର ବୋଲି ତୁମ ନାଆଁରେ କ୍ୟାପ୍ତାନ୍‌ ପାଖରେ ଅଭିଯୋଗ କରୁନାହାନ୍ତି ଏବଂ ତମେ ସେଥିପାଇଁ ଅତ୍ୟାଚାର କରିବା ପାଇଁ ସାହସ କରିପାରୁଛ ।

 

ହଠାତ୍‌ ସାହେବ ମୁହଁଟା ଅକୃତ୍ରିମ ହସରେ ଭରିଉଠିଲା । ଡାକ୍ତରବାବୁଙ୍କ ହାତଟା ଟାଣିନେଇ ଆଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଦେଇ କହିଲା Look Doctor they are your Country men. You ought to be proud of them ! (ଦେଖ ଡାକ୍ତର, ସେମାନେ ପରା ତୁମ ଦେଶ ଲୋକ । ତୁମେ ପ୍ରକୃତରେ ସେମାନଙ୍କ ପାଇଁ ଗର୍ବିତ ହେବା ଆବଶ୍ୟକ ।)

 

ଚାହିଁ ଦେଖିଲି କେତେଟା ଉଚ୍ଚ ପିମ୍ପା ଆଢ଼ୁଆଳରେ ଠିଆହୋଇ ଏଇ ଲୋକଗୁଡ଼ାକ ଦାନ୍ତ ଦେଖାଇ ହସିବାରେ ଲାଗିଥାନ୍ତି ଏବଂ ଦେହରୁ ଧୂଳି ଝାଡ଼ୁ‌ଥାନ୍ତି । ସାହେବ ପାଟିରେ ପାଟିଏ ହସ ଧରି, ମୁଣ୍ଡକୁ ହଲାଇ ହଲାଇ ସେଠାରୁ ବାହାରି ଚାଲିଗଲେ । ବିଜୟର ଗର୍ବ ଯେପରି ସାରା ଅଙ୍ଗରେ ତାଙ୍କର ଫୁଟି ପଡ଼ୁଥିଲା ।

 

ଡାକ୍ତରବାବୁଙ୍କ ମୁହଁଟି ଲଜ୍ଜ୍ୟାରେ, କ୍ଷୋଭରେ ଓ ଅପମାନରେ, କଳା ପଡ଼ିଗଲା । ଦ୍ରୁତ ପଦରେ ଅଗ୍ରସର ହୋଇ ଚିତ୍କାର କରି କହିଉଠିଲେ–ଲାଜ ଲାଗୁନି, ବେହିଆଙ୍କ ଭଳି ଦାନ୍ତ ଦେଖାଇ ହସୁଛ ?

 

ଏତେବେଳକୁ ବୋଧହୁଏ ଦେଶୀଲୋକମାନଙ୍କର ଆତ୍ମସମ୍ମାନବୋଧ ଫେରିଆସିଲା । ସମସ୍ତେ ଏକ ସଙ୍ଗରେ ହସ ବନ୍ଦ କରି ଚଢ଼ା କଣ୍ଠରେ ଜବାବ ଦେଇ କହିଉଠିଲେ; ତୁମେ କହିବାକୁ କିଏ ? କାହାଠାରୁ ଧାର କରଜ କରି ଖାଇ କ’ଣ ଆମେମାନେ ହସୁଛୁ ?

 

ମୁଁ ଜୋର କରି ଡାକ୍ତରବାବୁଙ୍କୁ ଟାଣି ତାଙ୍କ ଘରକୁ ନେଇଗଲି । ସେ ଚୌକିଉପରେ ଲଥ କରି ବସିପଡ଼ିଲା କ୍ଷଣି ତାଙ୍କ ପାଟିରୁ ‘ଓହୋ’ ବୋଲି ଗୋଟିଏ ଶବ୍ଦ ମାତ୍ର ଉଚ୍ଚାରିତ ହେଲା ।

 

ଆଉ ଦ୍ୱିତୀୟ କଥା ତାଙ୍କ ମୁହଁରୁ ବାହାରିଲା ନାହିଁ । ବାହାର ହେବା ମଧ୍ୟ ସମ୍ଭବ ନଥିଲା ।

 

ଏଗାରଟା ବେଳକୁ କ୍ୱାରେନ୍‌ଟାଇନ୍‌ର ସମୟକୁ ଗୋଟାଏ ଛୋଟ ଷ୍ଟୀମାର ଆସି ଜାହାଜ ଦେହରେ ଲାଗିଲା । ଏହାରିଦ୍ୱାରା କୁଆଡ଼େ ଜାହାଜର ସମସ୍ତ ଯାତ୍ରୀ ସେଇ ଭୟଙ୍କର ସ୍ଥାନକୁ ନିଆଯିବେ । ଜିନିଷପତ୍ର ବନ୍ଧାବନ୍ଧିର ଧୂମଧାମ ବଢ଼ି ଯାଇଥାଏ । ମୋର ତରତର ହେବାର କିଛି ନଥିଲା, କାରଣ ଡାକ୍ତରବାବୁଙ୍କ ଲୋକ ଆସି କହିଦେଇଥିଲା ଯେ ମୋତେ ସେଠାକୁ ଯିବାକୁ ପଡ଼ିବ ନାହିଁ । ନିଶ୍ଚିନ୍ତ ହୋଇ ଯାତ୍ରୀମାନଙ୍କର କୋଳାହଳ ଏବଂ ଖଲାସୀମାନଙ୍କର ଧାଁଦଉଡ଼ ଦେଖୁଥିଲି–ଏଇ ସମୟରେ ଗୋଟାଏ କ’ଣ ଶବ୍ଦ ଶୁଣି ପଛକୁ ଫେରି ଚାହିଁ ଦେଖିଲି ଅଭୟା ଠିଆ ହୋଇଛି । ଆଶ୍ଚର୍ଯ୍ୟ ହୋଇ କହିଲି–ଆପଣ ଏଠାରେ ଯେ ?

 

ଅଭୟା କହିଲା–କାଇଁ, ଆପଣ ତ ଜିନିଷପତ୍ର ବନ୍ଧାବନ୍ଧି କଲେ ନାହିଁ ଯେ ?

 

ମୁଁ କହିଲି–ନା, ମୋର ଡେରି ଅଛି । ମୁଁ ଏଠାରେ ଓହ୍ଲାଇବି ନାହିଁ । ଏକବାରେ ସହରରେ ଓହ୍ଲାଇବି ।

 

ଅଭୟା କହିଲା–ନା, ନା, ଶୀଘ୍ର ବନ୍ଧାବନ୍ଧି କରିନିଅନ୍ତୁ ।

 

କହିଲି–ମୋର ଏବେ ସୁଦ୍ଧା ବହୁତ ସମୟ ଅଛି ।

 

ଅଭୟା ପ୍ରବଳ ଭାବରେ ମୁଣ୍ଡ ହଲାଇ କହିଲା–ନା ସେ କଥା ହୋଇପାରିବ ନାହିଁ । ମୋତେ ଛାଡ଼ି ଆପଣ କୌଣସିମତେ ଯାଇପାରିବେ ନାହିଁ ।

 

ମୁଁ ଅବାକ ହୋଇ କହିଲି–ସେ ପୁଣି କି କଥା ! ମୁଁ ତ ସେଠାକୁ କୌଣସିମତେ ଯାଇପାରିବି ନାହିଁ ।

 

ଅଭୟା କହିଲା–ତାହାହେଲା ମୁଁ ମଧ୍ୟ ଯିବି ନାହିଁ । ମୁଁ ପଛକେ ପାଣିକୁ ଡେଇଁପଡ଼ିବି କିନ୍ତୁ ଏପରି ନିରାଶ୍ରୟା ହୋଇ କଦାପି ସେଠାକୁ ଯାଇପାରିବି ନାହିଁ । ସେଠିକାର ସବୁ କଥା ମୁଁ ଶୁଣିଛି । କହୁ କହୁ ତା’ ଆଖିଦୁଇଟି ଛଳଛଳ ହୋଇଉଠିଲା । ମୁଁ ହତଜ୍ଞାନ ହୋଇ ବସି ରହିଲି । ଏ କିଏ ଯିଏ କି ଜୋରଜବରଦସ୍ତି କରି ମୋତେ ତା’ ଜୀବନ ସଙ୍ଗେ ଜାବୁଡ଼ି ଧରୁଛି ?

 

ସେ ପଣତ କାନିରେ ଆଖି ପୋଛି କହିଲା–ମୋତେ ଏକାକିନୀ କରି ଛାଡ଼ି ଚାଲିଯିବେ, ଏତେବଡ଼ ନିଷ୍ଠୁର ଆପଣ କଦାପି ହୋଇପାରିବେ ନାହିଁ । ଉଠନ୍ତୁ, ତଳକୁ ଚାଲନ୍ତୁ, ଆପଣ ନ ରହିଲେ ଏଇ ରୋଗିଣା ମଣିଷଟିକୁ ନେଇ ମୁଁ କ’ଣ କରିବି କହିଲେ ?

 

ନିଜ ଜିନିଷପତ୍ର ନେଇ ଯେତେବେଳେ ଛୋଟ ଷ୍ଟୀମର ଉପରକୁ ଚଢ଼ିଲି ସେତେବେଳେ ଡାକ୍ତରବାବୁ ଡେକ୍‌ ଉପରେ ଠିଆ ହୋଇଥିଲେ–ହଠାତ୍‌ ମୋତେ ଏପରି ଅବସ୍ଥାରେ ଦେଖି ହାତ ହଲାଇ ଚିତ୍କାର କରି କହିବାକୁ ଲାଗିଲେ–ନା, ନା, ଆପଣଙ୍କୁ ଯିବାକୁ ହେବ ନାହିଁ । ଫେରିଆସନ୍ତୁ–ଫେରିଆସନ୍ତୁ । ଆପଣଙ୍କୁ ନ ଯିବା ପାଇଁ ହୁକୁମ ପାସ୍ ହୋଇଯାଇଛି । ଆପଣ....

 

ମୁଁ ମଧ୍ୟ ହାତ ହଲାଇ କହିଲି–ଅସଂଖ୍ୟ ଧନ୍ୟବାଦ ଆପଣଙ୍କୁ । କିନ୍ତୁ ଆଉ ଗୋଟାଏ ହୁକୁମ ମାନି ମୋତେ ଯିବାକୁ ପଡ଼ୁଛୁ...

 

ହଠାତ୍‌ ବୋଧହୁଏ ତାଙ୍କର ଦୃଷ୍ଟି ରୋହିଣୀ ଓ ଅଭୟାଙ୍କ ଉପରେ ପଡ଼ିଲା । ମୁରୁକି ମୁରୁକି ହସି କହିଲେ–ତେବେ ମିଛଟାରେ ମୋତେ କଷ୍ଟ କାହିଁକି ଦେଲେ ?

 

: ସେଥିପାଇଁ କ୍ଷମା ଚାହୁଁଛି ଆଜ୍ଞା ।

 

: ନା, ନା, ସେ ସବୁର ଦରକାର ଆଦୌ ନାହିଁ । ମୁଁ ଆଗରୁ ତାହା ଜାଣିଥିଲି Good bye, ଯାଆନ୍ତୁ । କହି ଡାକ୍ତରବାବୁ ହସ ହସ ମୁହଁରେ ଚାଲିଗଲେ ।

 

କେରେଣ୍ଟିନ୍‌ କାରାବାସର ଆଇନ କୁଲିମାନଙ୍କ ପାଇଁ; କିନ୍ତୁ ଭଦ୍ରଲୋକମାନଙ୍କ ପାଇଁ ନୁହେଁ । ଯିଏ ଜାହାଜର ଭଡ଼ା ଦଶଟଙ୍କାରୁ ଅଧିକ ବେଶୀ ଦିଅନ୍ତି ନାହିଁ, ସେଇମାନେ ହିଁ କୁଲି । ଚାହା ବଗିଚାରେ ଆଇନରେ କ’ଣ ଅଛି ଅବଶ୍ୟ ମୁଁ ଜାଣେ ନାହିଁ ତେବେ ଜାହାଜର ଏଇ ହିଁ ଆଇନ ଏବଂ ଏଇ ଆଇନ କର୍ତ୍ତୃପକ୍ଷମାନେ ଜାଣନ୍ତି କି ନାହିଁ ତାହା ଅବଶ୍ୟ ସେମାନଙ୍କୁ ଜଣା । କିନ୍ତୁ ଅଫିସିଆଲି ସେମାନେ ଏହାଠାରୁ ଅଧିକା ଜାଣିବା ନିୟମ ନାହିଁ । ଅତଏବ ସେହି ଯାତ୍ରାରେ ଆମେ ସମସ୍ତେ କୁଲି ଶ୍ରେଣୀର ଥିଲୁ । ସାହେବମାନେ ଏକଥା ଜାଣନ୍ତି ଯେ କୁଲିର ଜୀବନଯାତ୍ରାର ସରଞ୍ଜାମ ଏପରି କିଛି ହୋଇପାରେ ନାହିଁ, ଅନ୍ତତଃ ହେବା ମଧ୍ୟ ଉଚିତ୍‌ ନୁହେଁ, ଯାହାକୁ ସେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଜେ ବୋହି ନପାରିବ । ସୁତରାଂ ଘାଟଠାରୁ କେରେଣ୍ଟିନ୍‌ ଯାତ୍ରୀମାନଙ୍କର ଜିନିଷପତ୍ର ବୋହିନେବା ପାଇଁ ଯେଉଁ ବ୍ୟବସ୍ଥା ନଥିଲା ସେଥିପାଇଁ ଦୁଃଖିତ ହେବାର କିଛି ନାହିଁ । ଏ ସମସ୍ତ ଯଦିଓ ସତ ତଥାପି ଆମେ ତିନୋଟି ପ୍ରାଣୀ ଯେ ମଥାଉପରେ ପ୍ରଚଣ୍ଡ ସୂର୍ଯ୍ୟକିରଣ ଏବଂ ପଦତଳେ ତତୋଽଧ‌ିକ ଉତ୍ତପ୍ତ ବାଲୁକାରାଶି ଉପରେ ଏକ ଅପରିଚିତ ନଦୀକୂଳରେ ଆଚ୍ଛା ରକମର ବୋଝକୁ ଧରି ପରସ୍ପରକୁ ଯାହା କେବଳ ଚାହିଁ ରହିଲୁ ତାହା ଆମର ଦୁର୍ଭାଗ୍ୟ । ସହଯାତ୍ରୀମାନଙ୍କର ପରିଚୟ ଏହା ପୂର୍ବରୁ ଦେଇଛି । ସେମାନେ ଯିଏ ଯାହାର ଲୋଟା କମ୍ବଳ ପିଠିରେ ପକାଇ ଏବଂ ଅପେକ୍ଷାକୃତ ଭାରୀ ବୋଝଗୁଡ଼ିକ ସେମାନଙ୍କ ଗୃହଲକ୍ଷ୍ମୀମାନଙ୍କ ମୁଣ୍ଡକୁ ଉଠାଇଦେଇ ସ୍ୱଚ୍ଛନ୍ଦରେ ଗନ୍ତବ୍ୟସ୍ଥାନକୁ ପାଦବଢ଼ାଇ ଚାଲିଲେ । ଦେଖୁ ଦେଖୁ ରୋହିଣୀ ଭାଇ ଗୋଟିଏ ପୁଟୁଳିରେ ଭରାଦେଇ କମ୍ପି କମ୍ପି ବସିପଡ଼ିଲା । ଜର, ପେଟର ଅସୁଖ ଏବଂ ଚରମ କ୍ଳାନ୍ତି ଏ ସବୁ ଏକତ୍ର ହୋଇ ତା’ ଅବସ୍ଥା ଏପରି ହୋଇଉଠିଥାଏ ଯେ ଚାଲିବା ତ ଦୂରର କଥା ବସିବା ମଧ୍ୟ ତା’ ପକ୍ଷରେ ଅସମ୍ଭବ, ହୁଏତ ଶୋଇପଡ଼ିଲେ ସେ ଯାଇ ବଞ୍ଚିପାରିବ । ଅଭୟା ସ୍ତ୍ରୀଲୋକ । କେବଳ ବାକି ରହିଲି ମୁଁ ଏବଂ ନିଜର ଓ ପରର । କେତେଗୁଡ଼ିଏ ବୋକଚାବୋକଚି । ମୋ ଅବସ୍ଥାଟା ଟିକିଏ ଚିନ୍ତା କରି ଦେଖିବା ଭଳି । ଏକ ଅପରିଚିତ ଅପ୍ରୀତିକର ସ୍ଥାନର ଯାତ୍ରୀ ହୋଇଛି-। ଗୋଟିଏ କାନ୍ଧରେ ଜଣେ ନିଃସଂପର୍କୀୟା ନାରୀର ଦାୟିତ୍ୱ ଏବଂ ଅପର କାନ୍ଧରେ ସେହିପରି ଏକ ଅପରିଚିତ ବ୍ୟାଧିଗ୍ରସ୍ତ ପୁରୁଷ ଝୁଲି ରହିଛି । ଜିନିଷପତ୍ର ଗୁଡ଼ାକ କଥା କିଏ ପଚାରେ-? ଏ ସମସ୍ତ ଭିତରେ ଭୀଷଣ ରୌଦ୍ରରେ ଆକଣ୍ଠ ପିପାସା ନେଇ ଗୋଟିଏ ଅଜଣା ସ୍ଥାନରେ ହତଭମ୍ବ ହୋଇ ଠିଆ ହୋଇରହିଥାଏ । ଚିତ୍ରଟି କଳ୍ପନା କରି ପାଠକ ହିସାବରେ ଆପଣମାନେ ହୁଏତ ପ୍ରଚୁର ଆନନ୍ଦ ପାଇପାରନ୍ତି । କିନ୍ତୁ କହିବାକୁ ଲଜ୍ଜ୍ୟା କହିବାକୁ ଲଜ୍ଜ୍ୟା ନାହିଁ ଯେ ଏଇ ହତଭାଗ୍ୟର ମନରେ ସେତେବେଳେ ବିତୃଷ୍ଣା ଓ ବିରକ୍ତି ଭରିଉଠିଥିଲା । ନିଜକୁ ସହସ୍ରବାର ଧିକ୍‌କାର ଦେଇ ମନ ମୋତେ କହିବାକୁ ଲାଗିଥିଲା–ଏତେବଡ଼ ଗଧ ଏ ସଂସାରରେ ତୋ ଭଳି ଆଉ କେହି ନଥିବେ-? କିନ୍ତୁ ପରମାଶ୍ଚର୍ଯ୍ୟ ଯେ ଏଇ ପରିଚୟ କିନ୍ତୁ ମୋ ଦେହରେ ଲେଖାନଥିଲା । ତଥାପି କିନ୍ତୁ ଅଭୟା ଏତେଲୋକ ଭିତରେ ମୋତେ ଏହି ଭାର ବୋହିବାକୁ ମୁହୂର୍ତ୍ତକରେ ଚିହ୍ନିପାରିଥିଲା । କିପରି ଅବା ? କିନ୍ତୁ ତା’ ହସରେ ମୋର ଭାବନାରେ ବାଧାପଡ଼ିଲା-। ସେ ମୁହଁ ଉଠାଇ ସାମାନ୍ୟ ହସିଲା । ଏହି ହସଦେଖି ମୋର ଧ୍ୟାନ ସିନା ଭାଙ୍ଗିଲା, କିନ୍ତୁ ତା’ର ଭୟଙ୍କର କଷ୍ଟ ଏଥର ମୋ ଆଖିରେ ପଡ଼ିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ହୋଇଗଲି ଏଇ ପଲ୍ଲୀ–ବାସିନୀ ଝିଅଟି କଥା ପାଇଁ-। ଲଜ୍ଜ୍ୟାରେ ଓ କୃତଜ୍ଞତାରେ ମାଟିରେ ମିଶିଯିବ କ’ଣ ବରଂ ହସିଦେଇ କହିଲା–ଖୁବ୍‌ ଠକି ଯାଇଛନ୍ତି ବୋଲି ଯେପରି ମନେ ନ କରନ୍ତି । ଅନାୟାସରେ ଯିବାର ସୁବିଧାପାଇ ଯିଏ ଯାଇ ନପାରେ ତା’ ନାମ ଦାନ । ଏପରି ଦାନ କରିବାକୁ ସୁଯୋଗ ହୁଏତ ଜୀବନରେ ଖୁବ୍‌ କମ୍‌ ପାଇପାରନ୍ତି । ଛାଡ଼ନ୍ତୁ ସେ କଥା । ଜିନିଷପତ୍ର ଏଇଠି ପଡ଼ିଥିଲେ ପଡ଼ିଥାଉ-। ଚାଲନ୍ତୁ ଏଇଠି କେଉଁଠି ଯଦି ଛାଇରେ ତାଙ୍କୁ ଟିକିଏ ଶୁଆଇ ଦେଇପାରିବା ।

 

ବୋକଚା–ବୋକଚିର ମମତା ଆପାତତଃ ତ୍ୟାଗ କରି ମୁଁ ରୋହିଣୀ ଭାଇଙ୍କୁ ପିଠିରେ ଲାଉ କରି କେରେଣ୍ଟିନ ଉଦ୍ଦେଶ୍ୟରେ ଯାତ୍ରା କଲି । ଅଭୟା ଗୋଟିଏ ଛୋଟ ବାକ୍‌ସ ଧରି ମୋତେ ଅନୁସରଣ କଲା । ଅନ୍ୟାନ୍ୟ ଜିନିଷପତ୍ର ସେହିଠାରେ ପଡ଼ିରହିଲା । ଅବଶ୍ୟ ସେ ସବୁ ଆମର ଚୋରି ହୋଇଗଲା ନାହିଁ । ଦୁଇଘଣ୍ଟା ପରେ ଅବଶ୍ୟ ସେ ସବୁ ଆସି ପହଞ୍ଚି ପାରିଥିଲା ।

 

ଅଧିକାଂଶ ସ୍ଥଳରେ ଦେଖାଯାଏ ପ୍ରକୃତ ବିପଦ କାଳ୍ପନିକ ବିପଦ ଅପେକ୍ଷା ଢେର ଅଧିକ ସହନୀୟ । ପ୍ରଥମରୁ ଏହା ମନେ କରିପାରିଥିଲେ ଅବଶ୍ୟ ଅନେକ ଦୁଶ୍ଚିନ୍ତାକୁ ଏଡ଼ାଇ ହୋଇପାରିଥାନ୍ତା । ସୁତରାଂ ଯଦିଓ କିଛି କିଛି କ୍ଲେଶ ଓ ଅସୁବିଧା ନିଶ୍ଚିତ ଭାବରେ ଭୋଗ କରିବାକୁ ହୋଇଥିଲା, ତଥାପି ଏକଥା ସ୍ୱୀକାର କରିବାକୁ ହେବ ଯେ, କେରେଣ୍ଟିନ୍‌ର ନିର୍ଦ୍ଦିଷ୍ଟ ମିଆଦଗୁଡ଼ିକ ଆମର ଖୁବ୍ ଭଲଭାବରେ କଟିଥିଲା । ତାଛଡ଼ା ପଇସା ଖର୍ଚ୍ଚ କରିପାରିଲେ ଯେତେବେଳେ ଯମ ରାଜ୍ୟରେ ମଧ୍ୟ ବହୁକୁଟୁମ୍ବୀ ଆଦର ପାଇପାରେ ସେତେବେଳେ ଏ ତ ମାତ୍ର କେରେଣ୍ଟିନ୍‌ । ଜାହାଜର ଡାକ୍ତରବାବୁ କହିଥିଲେ ସ୍ତ୍ରୀଲୋକଟି ବେଶ୍‌ Forward । କିନ୍ତୁ ଆବଶ୍ୟକ ପଡ଼ିଲେ ଏ ସ୍ତ୍ରୀଲୋକଟି ଯେ କିଭଳି ଫରୱାଡ଼ ହୋଇପାରେ ତାହା ବୋଧହୁଏ ସେ କଳ୍ପନା କରିପାରିନଥିଲେ । ରୋହିଣୀବାବୁଙ୍କୁ ଯେତେବେଳେ ପିଠିରୁ ଓହ୍ଲାଇଦେଲି ସେତେବେଳେ ଅଭୟା କହିଲା–ଏଣିକି ଆଉ ଆପଣଙ୍କୁ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ । ଏଥର ଆପଣ ବିଶ୍ରାମ କରନ୍ତୁ । ଯାହା କରିବାର କଥା ମୁଁ କରିବି ।

 

ବିଶ୍ରାମ ପ୍ରକୃତରେ ମୋର ଆବଶ୍ୟକ ହେଉଥିଲା । ପାଦ ଦୁଇଟି କ୍ଲାନ୍ତିରେ ଭାଙ୍ଗିପଡ଼ୁଥିଲା ପରି ଲାଗୁଥିଲା । ତଥାପି ଆଶ୍ଚର୍ଯ୍ୟ ହୋଇ ପଚାରିଲି–ଆପଣ କ’ଣ କରିବେ !

 

ଅଭୟା ଉତ୍ତର ଦେଇ କହିଲା–କ’ଣ କମ୍‌ କାମ ବାକି ରହିଛି କି ? ଜିନିଷଗୁଡ଼ିକ ଆଣିବାକୁ ହେବ । ଗୋଟିଏ ଭଲ ଘର ଯୋଗାଡ଼ କରି ଆପଣ ଦୁଇଜଣଙ୍କ ପାଇଁ ବିଛଣା ତିଆରି କରିବାକୁ ହେବ । ରାନ୍ଧିକରି ଆପଣ ଦୁହିଁଙ୍କୁ ଦିଇଟା ଦେଇପାରିଲେ ତେବେ ଯାଇ ମୋର ଛୁଟି । ତେଣିକି ମୁଁ ଟିକିଏ ହେଲେ ବସିପାରିବି । ନା, ନା, ମୋ ରାଣ, ବର୍ତ୍ତମାନ ଆଦୌ ଉଠନ୍ତୁ ନାହିଁ । ମୁଁ ବର୍ତ୍ତମାନ ସବୁ ଠିକ୍‍ଠାକ୍‌ କରିଦେଉଛି । ସାମାନ୍ୟ ହସିଦେଇ ପୁଣି କହିଲା, ଭାବିଛନ୍ତି ଝିଅପିଲା ହୋଇ ମୁଁ କିପରି ଏସବୁ ଯୋଗାଡ଼ କରିପାରିବି ? ତା’ ନୁହେଁ ତ କ’ଣ ? ଆପଣଙ୍କୁ ଯୋଗାଡ଼ କରିପାରିଥିଲା କିଏ ? ସେ ମୁଁ ନା ଆଉ କିଏ ? କହି ସେ ଛୋଟ ବାକ୍‌ସଟି ଖୋଲିଦେଇ କେତୋଟି ଟଙ୍କା ପଣତ କାନିରେ ବାନ୍ଧି କରେଣ୍ଟିନ୍‌ ଅଫିସ୍ ଘରଆଡ଼କୁ ଚାଲିଗଲା ।

 

ସେ ପାରୁ କି ନପାରୁ, ମୁଁ ତ ଆପାତତଃ ଟିକିଏ ବସିପାରି ବଞ୍ଚିଗଲି । ଅଧଘଣ୍ଟା ପରେ ଜଣେ ଚପରାସି ମୋତେ ଡାକିବାକୁ ଆସିଲା । ରୋହିଣାକୁ ସଙ୍ଗରେ ନେଇ ତା’ ସହିତ ଯାଇ ଦେଖିଲି ଘରଟି ଭଲ । ମେମସାହେବ ଓ ଡାକ୍ତର ଦୁହେଁ ମିଶି ଲୋକ ଲଗାଇ ସବୁ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି । ଜିନିଷପତ୍ର ଆସି ପହଞ୍ଚିଯାଇଛି । ଦୁଇଟି ଖଟିଆ ଉପରେ ଦୁଇଜଣଙ୍କ ବିଛଣା ସୁଦ୍ଧା ତିଆରି ସରିଛି । ଏକପ୍ରକାର ହାଣ୍ଡି, ଚାଉଳ, ଡାଲି, ଆଳୁ, ଘିଅ, ମଇଦା, କାଠ ସମସ୍ତ ମହଜୁଦ । ମାନ୍ଦ୍ରାଜୀ ଡାକ୍ତରଙ୍କ ସଙ୍ଗେ ଅଭୟା ଭଙ୍ଗା ଭଙ୍ଗା ହିନ୍ଦିରେ ବେଶ୍‌ କଥାବାର୍ତ୍ତା ଚଳାଇଥାଏ-। ମୋତେ ଦେଖିପାରି କହିଲା ମୁଁ ଯାଉଛି ମୁଣ୍ଡରେ ଦିଢାଳ ପାଣି ଢାଳି ଆସେ, ସେତିକି ସମୟ ପର୍ଯ୍ୟନ୍ତ ଦୁହେଁ ଶୋଇପଡ଼ନ୍ତୁ । ଏ ବେଳା ପାଇଁ ଚାଉଳ ଡାଲି ପକାଇ ମୁଠାଏ ଖେଚୁଡ଼ି ରାନ୍ଧି ଦେବି, ଆର ଓଳିକି ଦେଖାଯିବ କହି ଗାମୁଛା ଏବଂ ଲୁଗା ଧରି ମେମସାହେବଙ୍କୁ ସଲାମ ଜଣାଇ ଖଲାସୀକୁ ସାଙ୍ଗରେ ନେଇ ସ୍ନାନ କରିବାକୁ ଚାଲିଗଲା । ତା’ପରେ ତାହାରି ଅଭିଭାବକତ୍ୱରେ ଦିନଗୁଡ଼ିକ ଯେ ଖୁବ୍‌ ଭଲଭାବରେ କଟିଯାଇଥିଲା ଏକଥା ସ୍ୱୀକାର କରିବାଟା ଅତ୍ୟୁକ୍ତି ହେବ ନାହିଁ-

 

ଏହି ଅଭୟା ନିକଟରେ ଶେଷ ପର୍ଯ୍ୟନ୍ତ ଦୁଇଟା ଜିନିଷ ଲକ୍ଷ୍ୟ କରିଥିଲି । ଏଭଳି ଅବସ୍ଥାରେ ନିଃସଂପର୍କୀୟ ନର–ନାରୀଙ୍କ ଭିତରେ ଘନିଷ୍ଠତା ଖୁବ୍‍ଶୀଘ୍ର ବଢ଼ି ଯାଇଥାଏ । କିନ୍ତୁ ଏହା ଘଟିବା ପାଇଁ ସେ କୌଣସି ଦିନ ସୁଯୋଗ ଦେଇନଥିଲା । ତା’ର ବ୍ୟବହାରରେ କ’ଣ ଏମିତି ଗୋଟାଏ ଥିଲା ଯାହାକି ପ୍ରତ୍ୟେକ ମୁହୂର୍ତ୍ତରେ ସ୍ମରଣ କରାଇ ଦେଉଥିଲା ଯେ ଆମେମାନେ କେବଳ ଗୋଟିଏ ସ୍ଥାନର ଯାତ୍ରୀ । କାହା ସହିତ କାହାର ପ୍ରକୃତରେ କୌଣସି ସମ୍ୱନ୍ଧ ନାହିଁ । ଆଉ ଦୁଇଦିନ ପରେ ହୁଏତ ସାରା ଜୀବନ ଧରି କାହା ସହିତ କାହାର ସାକ୍ଷାତ ନ ହୋଇପାରେ । ଆଉ ଏପରି ଆନନ୍ଦର ସହିତ ପରିଶ୍ରମ କରିବାର କାହାକୁ ମଧ୍ୟ ଦେଖିନାହିଁ । ସାରାଦିନ ଆମମାନଙ୍କ ସେବା ପାଇଁ ସେ ବ୍ୟସ୍ତ । ସବୁ କାମ ନିଜେ କରିବାକୁ ଚାହେଁ । ସାହାଯ୍ୟ କରିବାକୁ ଉଦ୍ୟମ କଲାମାତ୍ରେ ହସିଦେଇ କହେ, ଏସବୁ ତ ମୋର ନିଜ କାମ । ନଚେତ୍‌ ରୋହିଣୀ ଭାଇଙ୍କର ଅବା ଏତେ କଷ୍ଟ ସହିବାର କି ଦରକାର ଥିଲା ? ଆପଣଙ୍କର ଅବା ଏ ଜେଲଖାନାକୁ ଆସିବା ପାଇଁ ମୁଣ୍ଡ ବଥେଇବାର କି କାରଣ ଥିଲା ? ମୋ ପାଇଁ ତ ଆପଣମାନଙ୍କର ଏତେ ଦୁଃଖ !

 

ହୁଏତ ଖାଇପିଇ ସାରିବା ପରେ ସାମାନ୍ୟ ଗପ ହୋଇଥିବ, ଏଇ ସମୟରେ ଅଫିସ୍ ଘଣ୍ଟାରେ ଦୁଇଟା ବାଜିବାମାତ୍ରେ ଠିଆହୋଇ ଅଭୟା କହେ–ଯାଉଛି, ଚାହା ତିଆରି କରିଆଣେ, ଦୁଇଟା ବାଜିଲାଣି ଯେ ।

 

ମନେମନେ କହେ–ତୁମ ସ୍ୱାମୀ ଯେତେ ପାପିଷ୍ଠ ହୁଅନ୍ତୁ ନା କାହିଁକି ପୁରୁଷ ତ ! ଯଦି କେତେବେଳେ ତାକୁ ପାଇପାର, ସେତେବେଳେ ନିଶ୍ଚୟ ସେ ତୁମର ମୂଲ୍ୟ ବୁଝିପାରିବେ ।

 

ତାପରେ ଦିନେ ଆମମାନଙ୍କର ମିଆଦ ପୂରିଲା । ରୋହିଣୀ ଭାଇ ମଧ୍ୟ ଭଲ ହୋଇଗଲେ । ମୁଁ ମଧ୍ୟ ସରକାରୀ ଛାଡ଼ପତ୍ର (pass) ପାଇ ପୁଟୁଳାପୁଟୁଳି ବନ୍ଧାବନ୍ଧି କରି ରେଙ୍ଗୁନ ଯାତ୍ରା କଲି । ଯିବାବେଳେ କଥାଥିଲା, ସହରର ମୁଷାଫିରଖାନାରେ ଦିନେ ଦୁଇଦିନ ରହି; ସେମାନଙ୍କ ରହିବା ପାଇଁ ଗୋଟିଏ ଭଡ଼ାଘର ଠିକ୍ କରି ଦେଇସାରି ତେବେ ଯାଇ ମୁଁ ମୋର ଗନ୍ତବ୍ୟ ସ୍ଥାନକୁ ଯାଇପାରିବି ଏବଂ ଯେଉଁଠାରେ ରହେନା କାହିଁକି ତା’ର ସ୍ୱାମୀଙ୍କର ଠିକଣା ଜାଣି ତାହା ପାଖକୁ ସମ୍ବାଦ ପଠାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିବି ।

 

ସହରରେ ଯେଉଁଦିନ ପ୍ରବେଶ କଲି ସେଦିନ ବ୍ରହ୍ମବାସୀମାନଙ୍କର କ’ଣ ଗୋଟାଏ ପର୍ବଦିନ । ଆଉ ଏପରି ପର୍ବ ପ୍ରାୟ ତ ଲାଗି ରହିଥାଏ । ଦଳଦଳ ହୋଇ ଲୋକ ପଶମ ପୋଷାକ ପିନ୍ଧି ସେମାନଙ୍କର ମନ୍ଦିରକୁ ଚାଲିଥାନ୍ତି । ସ୍ତ୍ରୀ ସ୍ୱାଧୀନତାର ଦେଶ । ସୁତରାଂ ଆନନ୍ଦ ଓ ଉତ୍ସବରେ ସେମାନଙ୍କର ସଂଖ୍ୟା ଅଧିକ ଦେଖାଯାଆନ୍ତି । ବୃଦ୍ଧା, ଯୁବତୀ, ବାଳିକା–ସକଳ ବୟସର ସ୍ତ୍ରୀଲୋକ ଅପୂର୍ବ ପୋଷାକପତ୍ରରେ ସଜ୍ଜିତ ହୋଇ ହସିହସି, ଗପ କରିକରି, ସାରାପଥ ମୁଖରିତ କରି ଚାଲିଥାନ୍ତି । ଏମାନଙ୍କର ବର୍ଣ୍ଣ ଖୁବ୍ ସଫା । ମେଘରଙ୍ଗର ଅଧିକାଂଶ ରମଣୀଙ୍କର କେଶ ଆଣ୍ଠୁତଳକୁ ଲମ୍ବିଥାଏ । ଖୋସାରେ ଫୁଲ, କାନରେ ଫୁଲ, ଗଳାରେ ଫୁଲର ମାଳା, ମୁଣ୍ଡରେ ଓଢ଼ଣା ନାହିଁ, କିମ୍ବା ପୁରୁଷ ଦେଖିଲେ ଲଜ୍ଜ୍ୟାରେ ଧାଇଁ ପଳାଇବାର ଉଦ୍ୟମ ନାହିଁ । ଦ୍ୱିଧା ଓ ସଙ୍କୋଚହୀନ ଝରଣା ପରି ମୁକ୍ତ ପ୍ରବାହର ଛନ୍ଦରେ ବହି ଚାଲିଥାନ୍ତି । ପ୍ରଥମ ଦୃଷ୍ଟିରେ ମୁଗ୍ଧ ହୋଇଗଲି । ନିଜ ଦେଶ ସହିତ ସେମାନଙ୍କର ତୁଳନା କରି ମନେମନେ ସେମାନଙ୍କୁ ଅଶେଷ ପ୍ରଶଂସା କରି କହିଲି–ଏହା ହିଁ ତ ଦରକାର । ନହେଲେ ଆମର ଜୀବନ ! ସେମାନଙ୍କର ସୌଭାଗ୍ୟଟା ଯେପରି ଈର୍ଷାଭଳି ବୁକୁଭିତରେ ପ୍ରତିଧ୍ୱନିତ ହେଲା । କହିଲି–ଏଇ ଯେ ସେମାନେ ଚାରିଆଡ଼େ ଆନନ୍ଦ ସୃଷ୍ଟିକରି ଚାଲିଛନ୍ତି ତାହା କ’ଣ ଅବହେଳା କରିବାର ଜିନିଷ ? ରମଣୀମାନଙ୍କୁ ସ୍ୱାଧୀନତା ଦେଇ ଏଠାକାର ପୁରୁଷମାନେ କ’ଣ ଏପରି ଠକି ଯାଇଛନ୍ତି; ଆଉ ଆମେମାନେ ସେମାନଙ୍କୁ ଘରଭିତରେ ବାନ୍ଧିରଖି କ’ଣ ଏପରି ଠକି ଯାଇଛନ୍ତି; ଆଉ ଆମେମାନେ ସେମାନଙ୍କୁ ଘରଭିତରେ ବାନ୍ଧିରଖି କ’ଣ ଅବା ଜିତିଯାଇଛୁ କି ? ଆମମାନଙ୍କର ଝିଅମାନେ ଯଦି ଏପରି ଦିନେ.....ହଠାତ୍‌ ଗୋଟାଏ ଗୋଳମାଳ ଶୁଣି ପଛକୁ ଫେରି ଚାହିଁ ଯାହା ଦେଖିବାକୁ ପାଇଲି ତାହା ଏତେଦିନ ପରେ ମଧ୍ୟ ବେଶ୍ ମନେଅଛି । ଘୋଡ଼ାଗାଡ଼ିର ଭଡ଼ାନେଇ ବଚସା ବଢ଼ିଚାଲିଛି । ଗାଡ଼ୁଆନ ହେଉଛି ଆମ ହିନ୍ଦୁସ୍ଥାନୀ ମୁସଲମାନ । ସେ କହୁଥାଏ ଚୁକ୍ତିହେଉଛି ଆଠଅଣା, ଆଉ ତିନିଜଣ ବ୍ରହ୍ମଦେଶୀ ଭଦ୍ରମହିଳା ଗାଡ଼ିରୁ ଓହ୍ଲାଇ ସମସ୍ୱରରେ ଚିତ୍କାର କରି କହି ଚାଲିଥାନ୍ତି ନା, ପାଞ୍ଚଅଣା । ଦୁଇ ତିନି ମିନିଟ ଯୁକ୍ତିତର୍କ ପରେ ବଳଂ ବଳଂ ବାହୁବଳମ୍‌ । ରାସ୍ତାକଡ଼ରେ ଜଣେ ଲୋକ ଆଖୁଦଣ୍ଡାକୁ ଗଦା କରି ବିକ୍ରି କରୁଥିଲା । ଅକସ୍ମାତ୍‌ ତିନିଜଣ ଦଉଡ଼ିଯାଇ ତିନିଖଣ୍ଡ ଆଖୁଦଣ୍ଡା ଭିଡ଼ିଆଣି ବିଚାରା ହତଭାଗା ଗାଡ଼ୁଆନକୁ ଏକ ସଙ୍ଗରେ ଆକ୍ରମଣ କରିବାକୁ ଲାଗିଲେ-। ସେ କି ଭୟଙ୍କର ମାଡ଼ ! ସେ ବିଚାରା ତ ସ୍ତ୍ରୀଲୋକମାନଙ୍କ ଦେହରେ ହାତ ମାରିବା ଦୂରର କଥା କେବଳ ଆତ୍ମରକ୍ଷା କରିବା ପାଇଁ ଜଣକୁ ଅଟକାଇବାକୁ ଗଲାବେଳେ ଅପରର ମାଡ଼ ତା’ ଦେହରେ ବସୁଥିଲା । ଲୋକମାନେ ଚାରିଆଡ଼ୁ ଆସି ସେଠାରେ ଜମା ହୋଇଗଲେ । ତାକୁ ରକ୍ଷା କରିବାକୁ ନୁହେଁ ବରଂ ତାମସା ଦେଖିବା ପାଇଁ । ସେ ଦୁର୍ଭାଗାର କୁଆଡ଼େ ଗଲା ଟୋପି–ପଗଡ଼ି-। କୁଆଡ଼େ ପଡ଼ିଲା ହାତର ଚାବୁକ । ଆଉ ସହ୍ୟ କରିନପାରି ସେ ଯୁଦ୍ଧ କ୍ଷେତ୍ରରୁ ପୁଲିସ ପୁଲିସ, ଚିତ୍କାର କରି କରି ପଳାଇବାକୁ ବାଟ ପାଇଲା ନାହିଁ ।

 

ଏଇମାତ୍ର ବଙ୍ଗଳାଦେଶରୁ ଆସିଛି, ସେ ପୁଣି ପଲ୍ଲୀ ଗାଆଁରୁ । କଲିକତାରେ ସ୍ତ୍ରୀ ସ୍ୱାଧୀନତା ଥିବାର ଶୁଣିଛି କିନ୍ତୁ ଆଖିରେ ଦେଖିନାହିଁ । କିନ୍ତୁ ସ୍ୱାଧୀନତା ପାଇଲେ ଭଦ୍ର ଘରର ଅବଳା ଯେ ଗୋଟାଏ ଯୁଆନ ପୁରୁଷକୁ ପ୍ରକାଶ୍ୟ ରାଜପଥ ଉପରେ ଏପରି ଆକ୍ରମଣ କରି ସବଳା ହୋଇପାରନ୍ତି ଏପରି ଭାବନା ମୋର କଳ୍ପନା ବାହାରେ ଥିଲା । ଅନେକ ସମୟ ଧରି ଅବାକ୍‌ ହୋଇ ଠିଆହୋଇ ରହିବାପରେ ନିଜ କାମରେ ଆଗେଇଲି । ମନେମନେ କହିବାକୁ ଲାଗିଲି–ସ୍ତ୍ରୀ ସ୍ୱାଧୀନତା ଭଲ କି ମନ୍ଦ, କିମ୍ବା ସମାଜରେ ଏହାଦ୍ୱାରା ଆନନ୍ଦର ମାତ୍ରା ବଢ଼େ କି କମେ ଏ ବିଚାର ହୁଏତ ଆଉ ଦିନେ କରିବି କିନ୍ତୁ ଆଜି ଯାହା ସ୍ୱଚକ୍ଷୁରେ ଦେଖିଲି ସେଥିରେ ମୋ ମନ ଉଦ୍‌ଭ୍ରାନ୍ତ ହୋଇଗଲା ।

 

ରୋହିଣୀ ଭାଇ ଓ ଅଭୟାକୁ ସେମାନଙ୍କ ନୂଆବସାରେ ନୂଆ ଘରକରଣା ଭିତରେ ପ୍ରତିଷ୍ଠିତ କରାଇ ଯେଉଁଦିନ ସକାଳେ ନିଜପାଇଁ ଆଶ୍ରୟ ଖୋଜିବା ପାଇଁ ରେଙ୍ଗୁପନ ରାଜପଥରେ ବାହାରିପଡ଼ିଲି ସେଦିନ ଏଇ ଦୁଇଟି ଲୋକଙ୍କ ସମ୍ପର୍କରେ ମୋ ମନରେ ଯେ ଏକବାରେ କୌଣସି ଗ୍ଲାନି ସ୍ପର୍ଶ କରିନଥିଲା ଏ କଥା ମୁଁ କହିବାକୁ ଚାହେଁ ନାହିଁ । କିନ୍ତୁ ଏଇ ଅପବିତ୍ର ଚିନ୍ତାଟାକୁ ମନରୁ ବିଦାୟ କରି ଦେବାପାଇଁ ମୋତେ ବେଶୀ ସମୟ ଲାଗିନଥିଲା । କାରଣ କୌଣସି ଦୁଇଟି ବିଶେଷ ବୟସର ନର–ନାରୀଙ୍କୁ କୌଣସି ଏକ ବିଶେଷ ଅବସ୍ଥାରେ ଦେଖିପାରିବା ମାତ୍ରେ କିଛି ବିଶେଷ ସମ୍ବନ୍ଧ କଳ୍ପନା କରିବା ଯେ କେତେ ବଡ଼ ଭ୍ରାନ୍ତି ଏ ଶିକ୍ଷା ମୋର ହୋଇଥିଲା । ଭବିଷ୍ୟତରେ ଜଟିଳ ସମସ୍ୟାକୁ ଭବିଷ୍ୟତ ହାତରେ ଛାଡ଼ିଦେଇ କେବଳ ମାତ୍ର ନିଜର ଭାର ନିଜ କାନ୍ଧରେ ଲଦି ମୁଁ ସେଦିନ ସକାଳେ ସେମାନଙ୍କର ନୂଆ ବସାରୁ ବାହାରିପଡ଼ିଲି । ଏବକାର ପରି ସେ କାଳରେ ନୂତନ ବଙ୍ଗାଳୀ ବର୍ମା ମୁଲକରେ ପଦାର୍ପଣ କରିବାମାତ୍ରେ ହିଁ ପୁଲିସର ପ୍ରକାଶ୍ୟ ଏବଂ ଗୁପ୍ତ କର୍ମଚାରୀ ଦଳ ତାହାକୁ ପ୍ରଶ୍ନକରି, ଲାଞ୍ଛିତ କରି, ବିନା ଅପରାଧରେ ଥାନାକୁ ଟାଣିନେଇ ଭୟ ଦେଖାଇ ଯନ୍ତ୍ରଣାରେ ଅସ୍ଥିର କରିପକାନ୍ତି ନାହିଁ । ମନଭିତରେ ପାପ ନ ଥିଲେ ସେତେବେଳେ ପରିଚିତ ଓ ଅପରିଚିତ ପ୍ରତ୍ୟେକ ନିର୍ଭୟରେ ବିଚରଣ କରିବାର ଅଧିକାର ଥିଲା ଏବଂ ଆଜିକାଲି ଭଳି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାର ନିରତିଶୟ ଅପମାନକର ଗୁରୁଭାର ସେତେବେଳେ ନବାଗତ ବଙ୍ଗବାସୀଙ୍କ ଉପରେ ଚାପି ଦିଆଯାଉନଥିଲା । ଅତଏବ ସ୍ୱଚ୍ଛନ୍ଦ ଚିତ୍ତରେ କୌଣସି ଗୋଟିଏ ଆଶ୍ରୟ ସ୍ଥାନ ଖୋଜିବା ପାଇଁ ସେଦିନ ସକାଳଟା ବାଟେ ବାଟେ ଘୂରି ବୁଲିଥିଲି, ସେ କଥା ଏବେ ଭଲକରି ମନେପଡ଼େ । ଜଣେ ବଙ୍ଗାଳୀଙ୍କ ସହିତ ସାକ୍ଷାତ୍‌ ହେଲା । ସେ କୁଲି ମୁଣ୍ଡରେ ଗୋଟିଏ ବୋଝରେ ପନିପରିବା ଲଦି ଝାଳ ପୋଛି ପୋଛି ଚାଲିଥାନ୍ତି । ପଚାରିଲି–ଆଜ୍ଞା ଏଠାରେ ନନ୍ଦ ମିସ୍ତ୍ରୀର ବସାଟା କେଉଁଠି କହିପାରିବେ କି ?

 

ଲୋକଟି ଅଟକିଯାଇ କହିଲା–କେଉଁ ନନ୍ଦ ? ରିବଟ୍‌ ଘରର ନନ୍ଦ ପାଗଡ଼ିକୁ ଖୋଜୁଛନ୍ତି କି ?

 

: ସେ କଥା ତ କହିପାରିବି ନାହିଁ ଆଜ୍ଞା, ସେ କେବଳ ମୋତେ ପରିଚୟ ଦେଇ କହିଥିଲା, ରେଙ୍ଗୁନର ସେ ବିଖ୍ୟାତ ନନ୍ଦମିସ୍ତ୍ରୀ ବୋଲି ଜଣାଶୁଣା ।

 

ଲୋକଟି ଅପମାନ ସୂଚକ ଏକ ମୁଖଭଙ୍ଗୀ କରି କହିଲା–ଓ ମିସ୍ତ୍ରୀ ! ଏମିତି ସମସ୍ତେ ନିଜକୁ ମିସ୍ତ୍ରୀ କହିବୁଲନ୍ତି ଆଜ୍ଞା । କିନ୍ତୁ ମିସ୍ତ୍ରୀ ହେବାଟା ସହଜ ନୁହେଁ । ମର୍କଟ ସାହେବ ଯେତେବେଳେ ମୋତେ କହିଥିଲେ, ହରିପଦ, ତୁମ ବ୍ୟତୀତ ମିସ୍ତ୍ରୀ ହେବାପାଇଁ ଲୋକ ତ କାହିଁ ଦେଖିପାରୁ ନାହିଁ, ସେତେବେଳେ ବଡ଼ ସାହେବଙ୍କ ନିକଟରେ କେତେ ବେନାମୀ ଚିଠି ଯାଇ ପଡ଼ିଥିଲା ଜାଣନ୍ତି ? ଗଦା, ଗଦା । ଆରେ ମୁଣ୍ଡରେ ମସଲା ଥିଲେ ବେନାମୀ ଚିଠି କ’ଣ କରିପାରିବ ?

 

ଦେଖିଲି, ଅଜାଣତରେ ଲୋକଟାର ଏପରି ଜାଗାରେ ଆଘାତ କରିପକାଇଛି ଯେ, ଏହାର ସମାଧାନ ହେବା ଅତ୍ୟନ୍ତ କଷ୍ଟ । ସେଥିପାଇଁ ଶୀଘ୍ର କଥାରେ ବାଧାଦେଇ କହିଲି–ତାହାହେଲେ ନନ୍ଦ ବୋଲି କୌଣସି ଲୋକକୁ ଆପଣ ଜାଣନ୍ତି ନାହିଁ ?

 

ଶୁଣ ଏଙ୍କ କଥା ? ଚାଳିଶ ବର୍ଷ ଧରି ରେଙ୍ଗୁନରେ ରହିଲିଣି, ମୁଁ ପୁଣି ଚିହ୍ନିନି କାହାକୁ ? ନନ୍ଦ କ’ଣ ଏଠାରେ ଗୋଟିଏ ? ତିନିଟା ନନ୍ଦ ଅଛନ୍ତି ? ନନ୍ଦ ମିସ୍ତ୍ରୀ କହୁଛନ୍ତି ତ ? ଆସିଛନ୍ତି କେଉଁଠୁ ? ବୋଧହୁଏ ବଙ୍ଗଳା ଦେଶରୁ । ଓହୋ ! ସେ କଥା କହୁନାହାଁନ୍ତି । ଟଗରର ମଣିଷକୁ ଖୋଜୁଛନ୍ତି ତ ?

 

ମୁଣ୍ଡ ହଲାଇ କହିଲି–ହଁ, ଆଜ୍ଞା ହଁ, ସେଇଆଙ୍କୁ ଖୋଜୁଛି ।

 

: ସେ କଥା କହନ୍ତୁ । ପରିଚୟ ନ ଦେଲେ ଚିହ୍ନିବି କିପରି ? ଆସନ୍ତୁ ମୋ ସଙ୍ଗରେ । କାମ ବରାଦ କରି ଆସୁଛି ଆଜ୍ଞା, ନହେଲେ ନନ୍ଦ ପାଗଡ଼ି କ’ଣ ଗୋଟାଏ ମିସ୍ତ୍ରୀ ? ଆଜ୍ଞା, ଆପଣ ଜାତିରେ ?

 

ବ୍ରାହ୍ମଣ ଶୁଣି ଲୋକଟା ରାସ୍ତାଉପରେ ହିଁ ନଇଁପଡ଼ି ପ୍ରଣାମ କଲା । କହିଲା–ସେ କ’ଣ ଆପଣଙ୍କୁ ଚାକେରି କରାଇ ଦେଇପାରିବ ? ହୁଏତ ତା’ ସାହେବଙ୍କୁ ଗୋଟାଏ ଚାକେରି ଯୋଗାଡ଼ କରିବାପାଇଁ କହିଦେଇପାରେ କିନ୍ତୁ ଆଜ୍ଞା ଦୁଇମାସର ଦରମା ଆଗତୁରା ଘୁଷ୍‌ ଦେବାକୁ ହେବ । ପାରିବେ ତ ? ତାହାହେଲେ ଅଠର ଅଣା ବା ପାଞ୍ଚ ସିଉକା ରୋଜ୍‌ ହାତରେ ଧରିପାରନ୍ତି । ଏହାଠାରୁ ଆଉ ଅଧିକ ନୁହେଁ ଆଜ୍ଞା ।

 

ଜଣାଇଦେଲି ଯେ ଆପାତତଃ ଚାକେରି ଅନ୍ୱେଷଣ କରିବାକୁ ଯାଉନାହିଁ, ସାମାନ୍ୟ ଆଶ୍ରୟ ଯୋଗାଡ଼ କରିଦେବ ଏଇ ଆଶା ମୋତେ ନନ୍ଦମିସ୍ତ୍ରୀ ଜାହାଜ ଉପରେ ଦେଇଥିଲା ।

 

ମୋ କଥା ଶୁଣି ହରିପଦ ମିସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଆପଣ ଭଦ୍ରଲୋକ । କାହିଁକି ଭଦ୍ରଲୋକ ରହୁଥିବା ମେସ୍‌କୁ ଯାଉନାହାଁନ୍ତି ?

 

: ମେସ୍‌ କେଉଁଠାରେ ଅଛି ତାହା ମୁଁ ତ ଜାଣେନି ?

 

ସେ ମଧ୍ୟ ଜାଣେ ନାହିଁ ବୋଲି ସ୍ୱୀକାର କଲା । କିନ୍ତୁ ଏ ବେଳା ସନ୍ଧାନ ନେଇ ଜଣାଇବ ଆଶା ଦେଇ କହିଲା–ଏତେବେଳେ ତ ନନ୍ଦ ସଙ୍ଗେ ଦେଖା ହୋଇପାରିବ ନାହିଁ । ସେ କାମକୁ ଯାଇଛି । ଟଗର କବାଟରେ କିଳିଣି ଦେଇ ଶୋଇଛି । ଡକାଡକି କରି ତା’ ନିଦ ଭଙ୍ଗାଇଲେ ଆଉ ନିସ୍ତାର ମିଳିବ ନାହିଁ ।

 

ସେ କଥା ଅବଶ୍ୟ ଭଲକରି ଜାଣେ । ସୁତରାଂ ବାଟ ମଝିଟାରେ ମୋତେ ଇତସ୍ତତଃ ହେଉଥିବାର ଦେଖି ସାହସ ଦେଇ ସେ କହିଲା–ଆଚ୍ଛା ସେଠାକୁ ନଗଲେ କ’ଣ ଚଳିବ ନାହିଁ ? ତୋଫା ଦାଦା ଠାକୁରର ହୋଟେଲ ଅଛି । ଗାଧୋଇ ସାରି, ଖାଇପିଇ ଶୋଇପଡ଼ି ବେଳ ଗଡ଼ିଲା ପରେ ତେଣିକି ଦେଖିବା । ଚାଲନ୍ତୁ ।

 

ହରିପଦ ସହିତ କଥାବାର୍ତ୍ତା ହୋଇ ହୋଇ ଦାଦା ଠାକୁରଙ୍କ ହୋଟେଲରେ ଆସି ଯେତେବେଳେ ପହଞ୍ଚିଲି, ସେତେବେଳେ ଡାଇନିଂ ରୁମ୍‌ରେ ଲୋକ ପନ୍ଦରଟାଖଣ୍ଡେ ଖାଇବସିଥିଲେ-

 

ଇଂରାଜୀରେ ଦୁଇଟା କଥା ଅଛି, instinct ଏବଂ prejudice । କିନ୍ତୁ ମୋ ନିକଟରେ ତାହା କେବଳ ସଂସ୍କାର । ଗୋଟାଏ ଯେ ଆଉ ଗୋଟାଏ ନୁହେଁ ଏହା ମଧ୍ୟ ବୁଝିବା କଠିନ ନୁହେଁ । କିନ୍ତୁ ଆମର ଏଇ ଜାତିଭେଦ, ଖାଇବା ପିଇବା, ଛୁଇଁବା ଯେ instinct ହିସାବରେ ସଂସ୍କାର ନୁହେଁ ତାହା ଦାଦା ଠାକୁରଙ୍କ ଏହି ହୋଟେଲ ସଂସ୍ରବରେ ଆସି ପ୍ରଥମ କରି ଜାଣିପାରିଲି । ସଂସ୍କାର ହୋଇଥିଲେ, ଏହା ଯେ କେତେ ତୁଚ୍ଛ ସଂସ୍କାର, ଏହାର ବନ୍ଧନରୁ ମୁକ୍ତ ହେବା ଯେ କେତେ ସହଜ ତାହା ଦେଖିପାରି ଆଶ୍ଚର୍ଯ୍ୟ ହୋଇଗଲି । ଆମ ଦେଶରେ ଏଇ ଯେଉଁ ଜାତିଭେଦର ଶୃଙ୍ଖଳ, ତାହାକୁ ଦୁଇପାଦରେ ପିନ୍ଧି ଛମ୍‌ ଛମ୍‌ କରି ବିଚରଣ କରିବାରେ ଗୌରବ ଏବଂ ମଙ୍ଗଳ ଯେ କେତେଦୂର ବିଦ୍ୟମାନ, ସେ ଆଲୋଚନା ବର୍ତ୍ତମାନ ଥାଉ । କିନ୍ତୁ ଏ କଥା ମୁଁ ନିଃସନ୍ଦେହରେ କହିପାରେ ଯେ, ଯେଉଁମାନେ ଗାଆଁ ଭିତରେ ନିଜକୁ ନିରାପଦରେ ପ୍ରତିଷ୍ଠିତ କରାଇ ଏହା ପୁରୁଷାନୁକ୍ରମରେ ପ୍ରାପ୍ତ ସଂସ୍କାର ବୋଲି ସ୍ଥିର କରି ରଖିଛନ୍ତି ଏବଂ ଏହାର ଶାସନ ଫାଶକୁ ଚ୍ଛିନ୍ନ କରିବାର ଦୁରୂହତା ସମ୍ୱନ୍ଧରେ ଯେଉଁମାନଙ୍କର ଲେଶମାତ୍ର ଅବିଶ୍ୱାସ ନାହିଁ, ସେମାନେ ଗୋଟାଏ ଭୁଲ୍ ଜିନିଷ ଜାଣିଛନ୍ତି । ବସ୍ତୁତଃ ଯେକୌଣସି ଦେଶରେ ଖାଇବା ପିଇବା ନେଇ ବାଛ ବିଚାର ପ୍ରଚଳିତ ନାହିଁ, ଯେପରି ଦେଶ ମିଳିଲେ; ଦେଖିବାକୁ ମିଳେ ଯେ ଏଇ ଛପନ ପୁରୁଷଧରି ଖାଇବା ପିଇବାର ଫାଶ କିପରି ହଠାତ୍‌ ରାତାରାତି ଖସିଯାଇଛି । ବିଲାତ ଗଲେ ଜାତିଯାଏ, ଏହାର ଗୋଟାଏ ମୁଖ୍ୟ କାରଣ ନିଷିଦ୍ଧ ମାଂସକୁ ଆହାର କରିବାକୁ ପଡ଼େ । ନିଜ ଦେଶରେ ଯିଏ ମାଂସ ଖାଏ ନାହିଁ ତାହାରି ହିଁ ଜାତିଯାଏ । କାରଣ ଜାତି ମାରିବାର ମାଲିକମାନେ କହନ୍ତି ଯେ ସେଠାରେ ଖାଇବା, ନ ଖାଇବା ସବୁ ସମାନ । ନ ଖାଇଲେ ମଧ୍ୟ ଖାଇବା ବୋଲି ଧରି ନିଆଯାଏ । ସେମାନେ ନିହାତି ମିଛ କଥା କହନ୍ତି ନାହିଁ । ବର୍ମା ତ ତିନି ଚାରିଦିନର ବାଟ । ଅଥଚ ଦେଖିଛି ପନ୍ଦର ଅଣା ଭଦ୍ରଲୋକ, ବୋଧହୁଏ ବ୍ରାହ୍ମଣ ହିଁ ବେଶୀ ହେବେ, କାରଣ ଏ ଯୁଗରେ ସେମାନଙ୍କର ଲୋଭଟା ସମସ୍ତଙ୍କୁ ପରାସ୍ତ କରାଇଦେଇଛି, ଜାହାଜର ହୋଟେଲରେ ଶସ୍ତାରେ ପେଟପୂରା ଆହାର କରି ଡଙ୍ଗାରେ ପଦାର୍ପଣ କରନ୍ତି । ସେଠାରେ ମୁସଲମାନ ଓ ଗୋୟାନିଜ୍‌ ପୂଜାରୀ କ’ଣ ରାନ୍ଧି ସର୍ଭ (ପରଶନ୍ତି) କରନ୍ତି ପ୍ରଶ୍ନ କରିବାଟା ଅଭଦ୍ରାମି ହୋଇପାରେ । କିନ୍ତୁ ସେମାନେ ଯେ ହବିଷାନ୍ନ ରୋଷାଇ କରି କଦଳୀ ପତ୍ରରେ ପରିବେଷଣ କରନ୍ତି ନାହିଁ; ତାହା ଭାଟପଡ଼ାର ଭଟ୍ଟାଚାର୍ଯ୍ୟମାନଙ୍କ ପକ୍ଷେ ଅନୁମାନ କରିବା ବୋଧହୁଏ କଷ୍ଟକର ହେବ । ମୁଁ ତ ସହଯାତ୍ରୀ । ଯେଉଁମାନେ ନିହାତି ଏସବୁ ଖାଇବାକୁ ଚାହାନ୍ତି ନାହିଁ, ସେମାନେ ଅନ୍ତତଃ ଚାହା, ରୁଟି, ପକୁଡ଼ି କିମ୍ବା ଫଳଟାଏକୁ ଖାଇବାକୁ ଭୁଲନ୍ତି ନାହିଁ । ଅଥଚ ସେଇ ନିଷିଦ୍ଧ କରାଯାଇଥିବା ମାଂସଠାରୁ ବର୍ତ୍ତମାନର ପାଚିଲା କଦଳୀ ପର୍ଯ୍ୟନ୍ତ ଯେ ଏକାଠି ଗଦାଗଦି ହୋଇ ଜାହାଜର କୋଲ୍‌ଡ଼ ରୁମ୍‌ରେ ରଖା ହୋଇଥାଏ, ଏହା ଯେପରି କାହାକୁ ଅଗୋଚର ରଖିବାର ପଦ୍ଧତି ଜାହାଜର ଆଇନ କାନୁନରେ ଥିବାଭଳି ଦେଖିପାରିଲି ନାହିଁ । ତେବେ ଆନନ୍ଦର କଥା ଏତିକି ଯେ ବର୍ମା ପ୍ରବାସୀମାନଙ୍କର ଜାତି ଚାଲିଯିବାଟା ଯେପରି ଶାସ୍ତ୍ରକାରମାନଙ୍କର ଦୃଷ୍ଟି ଏଡ଼ାଇପାରିଛି । ନହେଲେ ପୁଣି ଗୋଟିଏ ଛୋଟକାଟର ବ୍ରାହ୍ମଣ ସଭାର ଆବଶ୍ୟକ ପଡ଼ୁଥାନ୍ତା । ଯାହାହେଉ ଭଦ୍ରଲୋକଙ୍କର କଥା ଏଇଠି ଆଉ । ହୋଟେଲରେ ଯେଉଁମାନେ ଧାଡ଼ି ଧାଡ଼ି ହୋଇ ପଂକ୍ତି ଭୋଜନରେ ବସିଥିଲେ ସେମାନେ ଭଦ୍ରଲୋକ ନୁହଁନ୍ତି । ଅନ୍ତତଃ ଏଇଟା ମୋର ମତ । ସମସ୍ତେ କାରିଗର । ୱାର୍କସପରେ କାମ କରନ୍ତି । ସାଢ଼େ ଦଶଟାରେ ଛୁଟିହେଲେ ଭାତ ଖାଇବାକୁ ଆସିଛନ୍ତି-। ସହରର ଉପକଣ୍ଠରେ ମସ୍ତ ଗୋଟିଏ ପଡ଼ିଆରେ ତିନି ଦିଗରେ ନାନା ରକମର ଏବଂ ନାନା ଆକାରର ଅନେକ ଗୁଡ଼ିଏ କାରଖାନା ଏବଂ ଆଉ ଗୋଟିଏ ପାଖରେ ଏଇ ପଲ୍ଲୀ ଭିତରେ ଦାଦା ଠାକୁରଙ୍କ ହୋଟେଲ । ଏହା ଏକ ବିଚିତ୍ର ପଲ୍ଲୀ । ଲାଇନ କରା ହୋଇ ପୁରୁଣା ପଳଖା କାଠକୁ କାଠ ମିଶାଇ ଛୋଟ ଛୋଟ କୁଡ଼ିଆ ତିଆରି ହୋଇଥାଏ । ଏଥିରେ ଚୀନା, ବ୍ରହ୍ମଦେଶୀ, ମାନ୍ଦ୍ରାଜୀ, ଓଡ଼ିଆ, ତେଲୁଗୁ, ଚଟ୍ଟଗ୍ରାମବାସୀ ମୁସଲମାନ ଓ ହିନ୍ଦୁ ଅଛନ୍ତି । ଆହୁରି ଅଛନ୍ତି ମୋର ସ୍ୱଜାତି ବଙ୍ଗାଳୀ । ଏହିମାନଙ୍କଠାରୁ ପ୍ରଥମେ ଶିଖିପାରିଥିଲି ଯେ ଛୋଟ ଜାତି ବୋଲି ଘୃଣା କରିବାର ବଦଭ୍ୟାସ ପରିତ୍ୟାଗଟା ବଡ଼ କଷ୍ଟକର କାର୍ଯ୍ୟ ନୁହେଁ । ଯେଉଁମାନେ କରନ୍ତି ନାହିଁ, ସେମାନେ ଯେ ପାରନ୍ତି ନାହିଁ ବୋଲି କରନ୍ତି ନାହିଁ ତାହା ନୁହେଁ, ବରଂ ଯେଉଁଥିପାଇଁ କରନ୍ତି ନାହିଁ ତାହା କହିବସିଲେ ବିବାଦ ଉପୁଯିବ ।

 

ଦାଦା ଠାକୁର ଆସି ମୋତେ ଆଗ୍ରହରେ ଅଭ୍ୟର୍ଥନା ଜଣାଇ ଗୋଟିଏ ଛୋଟ ଘର ଦେଖାଇଦେଇ କହିଲେ, ଆପଣ ଯେତେଦିନ ଇଚ୍ଛା ଏଇ ଘରେ ରହି ମୋ ହୋଟେଲରେ ଖାଇପାରନ୍ତି । ଚାକିରି ବାକେରୀ କଲାପରେ ମୋ କରଜ ତୁଟାଇଦେବେ ।

 

ମୁଁ କହିଲି–ତୁମେ ତ ମୋତେ ଚିହ୍ନି ନାହଁ, ମାସେଖଣ୍ଡେ ରହି ଖାଇପିଇ ପଇସା ନଦେଇ ଚାଲିଯାଇପାରେ ।

 

ଦାଦା ଠାକୁର ନିଜର କପାଳକୁ ଦେଖାଇ କହିଲେ–ଆଉ ଏଇଟାକୁ ତ ସାଙ୍ଗରେ ନେଇକରି ଯାଇପାରିବ ନାହିଁ ?

 

କହିଲି–ନା, ସେଇଟାପ୍ରତି ମୋର ଲୋଭ ନାହିଁ ।

 

ଦାଦା ଠାକୁର ଏଥର ଅତ୍ୟନ୍ତ ଗମ୍ଭୀର ହୋଇ ମୁହଁ ହଲାଇ କହିଲେ–ତେବେ ଦେଖନ୍ତୁ, ଆଜ୍ଞା ସବୁ ହେଉଛି ଭାଗ୍ୟର ବରାଦ୍‌ । ଏହାଛଡ଼ା ଆଉ ବାଟ ନାହିଁ । ଏକଥା ମୁଁ ସମସ୍ତଙ୍କୁ କହେ ।

 

ପ୍ରକୃତରେ ଏହା କେବଳ ତାଙ୍କ ମୁହଁର କଥା ନଥିଲା । ଏଇ ସତ୍ୟକୁ ସେ ନିଜେ କିପରି ଅକପଟ ଭାବରେ ବିଶ୍ୱାସ କରନ୍ତି ପ୍ରମାଣ କରିବାପାଇଁ ଦିନେ ସକାଳେ ଦେଖାଗଲା ମାସମାସ ଛଅମାସଧରି ନିଜପାଖରେ ଅନେକଙ୍କର ଗଚ୍ଛିତ ରଖିଥିଟା ଟଙ୍କା ପଇସା, ସୁନାମୁଦି ଓ ଘଣ୍ଟା ପ୍ରଭୃତିକୁ ସଙ୍ଗରେ ଧରି ସେମାନଙ୍କର ମୁଣ୍ଡ ପିଟିବା ପାଇଁ ହୋଟେଲରେ ଖାଲି ଟେବୁଲ ଗୁଡ଼ାକ ଛାଡ଼ି ଚାଲିଗଲେ । ଯାହାହେଉ ଦାଦା ଠାକୁରଙ୍କ କଥା ଶୁଣିବାକୁ ମନ୍ଦ ଲାଗିନଥିଲା । ଏବଂ ମୁଁ ମଧ୍ୟ ତାଙ୍କର ଗୋଟିଏ ମହକିଲ ସାଜି ଭଙ୍ଗାଘର ଆବୋରି ବସିଲି । ରାତିରେ ଜଣେ ଅଳ୍ପ ବୟସର ବଙ୍ଗାଳୁଣୀ ଚାକରାଣୀଙ୍କର ମୁଁ ରହୁଥିବା ଘରେ ଖାଇବା ପାଇଁ ଆସନ କରିବାକୁ ଆସି ପହଞ୍ଚିଲା । ଅଳ୍ପ ଦୂରରେ ଡାଇନିଙ୍ଗ୍‌ ଘରେ ବହୁଲୋକଙ୍କର କଳରବ ଶୁଣା ଯାଉଥିଲା । ପଚାରିଲି–ମୋତେ ସେଠାରେ ଖାଇବାକୁ ନଦେଇ ଏଠାରେ ଦେଉଛ କାହିଁକି ?

 

ସେ କହିଲା–ସେମାନେ ସବୁ ‘ନୋୟାକାଟ’ । ସେମାନଙ୍କ ସଙ୍ଗେ ଆପଣଙ୍କୁ କ’ଣ ଖାଇବାକୁ ଦେଇପାରିବି ବାବୁ ?

 

ଅର୍ଥାତ୍‌ ସେମାନେ ସମସ୍ତେ ୱାର୍କ ମେନ । ମୁଁ ଭଦ୍ରଲୋକ । ହସିଦେଇ ମୁଁ କହିଲି–ମୋତେ କ’ଣ କାଟିବାକୁ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ସେ ଯାହାହେଉ ଆଜି ଦେଉଛ ଦିଅ । କିନ୍ତୁ କାଲିଠାରୁ ମୋତେ ସେମାନଙ୍କ ସଙ୍ଗରେ ଖାଇବାକୁ ଦେବ ।

 

: କ’ଣ କହିଲେ ବାବୁ ? ଆପଣ ବ୍ରାହ୍ମଣ ଲୋକ । ସେ ଘରେ ଆପଣ ଖାଇବେ !

 

: କାହିଁକି ?

 

ଚାକରାଣୀଟି ଗଳାକୁ ଟିକିଏ କରୁଣ କରି କହିଲା, ସମସ୍ତେ ବଙ୍ଗାଳୀ ସତ । କିନ୍ତୁ ସେମାନଙ୍କ ଭିତରେ ଜଣେ ଡମ ଅଛି ।

 

: ଡମ ! ଗାଆଁରେ ଏଇ ଜାତିଟା ଅସ୍ପୃଶ୍ୟ । ଛୁଇଁ ପକାଇଲେ ସ୍ନାନ କରିବାଟା Compulsory କି ନାହିଁ, ଯଦିଓ ଜାଣେ ନାହିଁ, କିନ୍ତୁ ଲୁଗା ପାଲଟି ଯେ ଗଙ୍ଗାଜଳ ମୁଣ୍ଡରେ ସିଞ୍ଚିବାକୁ ହୁଏ ଏକଥା ଭଲଭାବରେ ଜାଣେ । ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲି–ଆଉ ସମସ୍ତେ-?

 

: ଆଉ ସମସ୍ତେ ଭଲ ଜାତି । କାୟସ୍ଥ ଅଛନ୍ତି । କୈବର୍ତ୍ତ, ଗୋପାଳ, କମାର ପ୍ରଭୃତି ବି ଅଛନ୍ତି ।

 

: ଏମାନେ କେହି ଆପତ୍ତି କରନ୍ତି ନାହିଁ ?

 

ଚାକରାଣୀଟି ଅଳ୍ପ ଟିକିଏ ହସିଦେଇ କହିଲା–ଏଇ ବିଦେଶକୁ ସାତ ସମୁଦ୍ର ପାର ହୋଇ ଆସି ଏତେ ବାଛବିଚାର କଲେ ଚଳେ ବାବୁ ? ସେମାନେ କହନ୍ତି ଦେଶକୁ ଫେରିଗଲା ପରେ ଗଙ୍ଗାସ୍ନାନ କରି ପ୍ରାୟଶ୍ଚିତ୍ତ କରିନେଲେ ଚଳିବ ।

 

ହୁଏତ ଚଳୁଥିବ । କିନ୍ତୁ ମୁଁ ଜାଣେ ଯେଉଁ ଦୁଇ ଚାରିଜଣ ମଝିରେ ମଝିରେ ଗାଆଁକୁ ଆସନ୍ତି ସେମାନେ ଆସିଲା ବାଟରେ କଲିକତାଠାରେ ଗଙ୍ଗାରେ ଅବଶ୍ୟ ସ୍ନାନ କରନ୍ତି କିନ୍ତୁ ପ୍ରାୟଶ୍ଚିତ୍ତ କେତେବେଳେ କରନ୍ତି ନାହିଁ । ବିଦେଶ ଆବହାୱା ଗୁଣ ହେତୁ ସେମାନେ ଏସବୁକୁ ବିଶ୍ୱାସ କରିପାରନ୍ତି ନାହିଁ ।

 

ହୋଟେଲରେ ମାତ୍ର ଦୁଇଟି ହୁକା ଥିବାର ଦେଖିଲି । ସେଥିରୁ ଗୋଟିଏ ବ୍ରାହ୍ମଣମାନଙ୍କ ପାଇଁ ଆଉ ଅନ୍ୟଟି ବ୍ରାହ୍ମଣେତର ଜାତି ପାଇଁ । ଆହାର ପରେ କୈବର୍ତ୍ତ ହାତରୁ ଡମ ଏବଂ ଡମହାତରୁ କମାର ପର୍ଯ୍ୟନ୍ତ ସ୍ୱଚ୍ଛନ୍ଦରେ ହୁକାକୁ ନେଇ ଟାଣିବାରେ ଲାଗନ୍ତି । ଦ୍ୱିଧା କରିବାର ଲେଶମାତ୍ର ଚିହ୍ନ କାହାଠାରେ ନଥାଏ । ଦୁଇଦିନ ପରେ ଦିନେ ଏଇ କମାରକୁ ପଚାରିଲି–ଆଚ୍ଛା କହିଲ, ଏପରି ହୁକା ଖାଇବାରେ ତୁମର ଜାତି ଯାଏନାହିଁ ?

 

କମାରଟି କହିଲା–ଯାଏନା କ’ଣ ଆଜ୍ଞା ? ଯାଏ ।

 

: ତେବେ ?

 

: ଏ କ’ଣ ପ୍ରଥମେ ଆସି ନିଜକୁ ଡମ ବୋଲି ପରିଚୟ ଦେଇଥିଲା ? କହିଥିଲା–କୈବର୍ତ୍ତ । ପରେ ସିନା ସବୁ ଜଣାପଡ଼ିଗଲା ।

 

: ସେତେବେଳେ ତୁମେମାନେ କେହି କିଛି କହିଲ ନାହିଁ ?

 

: କ’ଣ ଆଉ କହିବୁ ବାବୁ ? ସେ ତ ଗୋଟାଏ ଅନ୍ୟାୟ କାର୍ଯ୍ୟ କରି ପକାଇଛି ତାହା ମାନିବାକୁ ହେବ । ତେବେ ଲୋକଟାକୁ ଅପମାନ ଲାଗିବ ସେଥିପାଇଁ ସମସ୍ତେ ଛପି ରହିଲେ ।

 

: କିନ୍ତୁ ନିଜ ଗାଆଁରେ ଏପରି ହୋଇଥିଲେ କ’ଣ ହୋଇଥାନ୍ତା ?

 

ଲୋକଟା ଯେପରି ଶିହରିଉଠିଲା । କହିଲା–ତାହା ହୋଇଥିଲେ ଆଉ କ’ଣ କାହାର ରକ୍ଷା ଥିଲା ? ତାପରେ ଟିକିଏ ଚୁପ୍ ରହି ପୁଣି କହିବାକୁ ଲାଗିଲା–ତେବେ କ’ଣ ଜାଣନ୍ତି ବାବୁ ? ବ୍ରାହ୍ମଣମାନଙ୍କ କଥା ଧରାଯାଏ ନାହିଁ । କାରଣ ସେମାନେ ହେଲେ ବର୍ଣ୍ଣରେ ଗୁରୁ । ସେମାନଙ୍କ କଥା ସେଥିପାଇଁ ଅଲଗା । ନହେଲେ ଆଉ ସମସ୍ତେ ସମାନ । ନବ ଶାଖା କହନ୍ତୁ ଆଉ ହାଡ଼ି, ଡମ, ପାଣ କଥା କହନ୍ତୁ କିଛି କାହା ଦେହରେ ଲେଖା ହୋଇନଥାଏ । ସମସ୍ତେ ଭଗବାନଙ୍କ ସୃଷ୍ଟି । ସମସ୍ତେ ଏକ । ସମସ୍ତେ ପେଟ ଦାଉରେ ବିଦେଶକୁ ଆସିଛନ୍ତି । ଲୁହା ପିଟୁଛନ୍ତି । ଆଉ ଯଦି ଧରିବସନ୍ତି ବାବୁ, ତେବେ ହରି ମୋଡ଼ାଲ ଡମ ହେଲେ କ’ଣ ହେବ, ମଦ ଖାଏ ନାହିଁ କି ଗଞ୍ଜାଇ ଛୁଏଁ ନାହିଁ । ଆଚାର ବ୍ୟବହାର ଦେଖିଲେ କାହାର ସାଧ୍ୟ ନାହିଁ କହିଦେବ ଯେ, ସେ ଭଲ ଜାତିର ପିଲାନୁହେଁ, ଡମ ବୋଲି । ଆଉ ଏଇ ଲକ୍ଷ୍ମଣ ? ଦେଖନ୍ତୁ ତ ଉଚ୍ଚ କାୟସ୍ଥ ଘରର ପିଲା । ଏହାର ବ୍ୟବହାରଟା ଟିକିଏ ଲକ୍ଷ୍ୟ କରି ଦେଖନ୍ତୁ ତ । ପୁଅ ଦି, ଦିଥର ଜେଲଯାଇ ଫେରିଚି । ଆମେ ସମସ୍ତେ ନଥିଲେ ତାକୁ ଏତେଦିନ ଧରି ଜେଲରେ ମେହେନ୍ତର ହାତରୁ ଖାଇବାକୁ ପଡ଼ିଥାନ୍ତା ଯେ ।

 

ଲକ୍ଷ୍ମଣ ସମ୍ବନ୍ଧରେ ମୋର କୌତୂହଳ ନଥିଲା, କିମ୍ବା ହରି ମୋଡ଼ାଲ ଯେ ତା’ର ଡମ୍ବତ୍ୱ ଗୋପନ କରି କେତେବଡ଼ ଅନ୍ୟାୟ କରି ବସିଛି ସେ ମୀମାଂସା କରିବା ପାଇଁ ପ୍ରବୃତ୍ତି ମଧ୍ୟ ହେଲା ନାହିଁ । ମୁଁ କେବଳ ଭାବିବାକୁ ଲାଗିଲି ଯେଉଁ ଦେଶରେ ଭଦ୍ରଲୋକମାନେ ଚର ଲଗାଇ ସେମାନଙ୍କର ଆଜନ୍ମ ପ୍ରତିବେଶୀର ଛିଦ୍ର ଅନ୍ୱେଷଣ କରି ସେମାନଙ୍କର ପିତୃଶ୍ରାଦ୍ଧକୁ ପଣ୍ଡ କରିଦେଇ ଆତ୍ମପ୍ରସାଦ ଲାଭ କରିପାରନ୍ତି ସେଇ ଦେଶର ଅଶିକ୍ଷିତ ଛୋଟ ଲୋକ ହୋଇ ମଧ୍ୟ ଏମାନେ ଜଣେ ଅପରିଚିତ ବଙ୍ଗାଳୀର ଏତେବଡ଼ ମାରାତ୍ମକ ଅପରାଧକୁ ମାଫ କରିଦେଇଛନ୍ତି । କେବଳ ସେତିକି ନୁହେଁ, କାଳେ ତାକୁ ଏଇ ବିଦେଶରେ ହୀନ ଓ ଲଜ୍ଜିତ ହେବାକୁ ପଡ଼ିପାରେ; ଏଇ ଆଶଙ୍କାରେ ସେ କଥା ଉପସ୍ଥାପନ ପର୍ଯ୍ୟନ୍ତ କରିନାହାନ୍ତି । ଏପରି ଅସମ୍ଭବ କିପରି ଅବା ସମ୍ଭବ ହୋଇପାରିଲା ? ବିଦେଶୀମାନେ ବୁଝିପାରିବେ ନାହିଁ ସତ କିନ୍ତୁ ମୁଁ ତ ବୁଝିପାରିଛି । ହୃଦୟରେ କେତେଦୂର ପ୍ରଶସ୍ତତା ଏବଂ ମନରେ କେତେଦୂର ଔଦାର୍ଯ୍ୟ ଏଥିପାଇଁ ଆବଶ୍ୟକ । ଏହା ଯେ କେବଳ ସେମାନଙ୍କର ଦେଶ ଛାଡ଼ି ପ୍ରବାସକୁ ଆସିବାର ଫଳ ଏଥିରେ ଆଉ ସନ୍ଦେହ ନାହିଁ । ମନେହେଲା ଏହି ଶିକ୍ଷା ହିଁ ବର୍ତ୍ତମାନ ଆମ ଦେଶରେ ସମସ୍ତଙ୍କ ପାଇଁ ନିହାତି ପ୍ରୟୋଜନ । ଆମମାନଙ୍କ ଭିତରୁ ଅଧିକାଂଶ ଯେଉଁ ପଲ୍ଲୀ ଗ୍ରାମରେ ସାରାଜୀବନ କଟାଇଥାଉ ସେଥିପାଇଁ ମନୁଷ୍ୟକୁ ସବୁ ବିଷୟରେ ଛୋଟ ଆଖିରେ ଦେଖିଥାଉ । ଥାଉ ସେ କଥା ଏଇଠି । ବହୁଦିନ ପର୍ଯ୍ୟନ୍ତ ମୁଁ ଏମାନଙ୍କ ଭିତରେ ରହିଲି । ମୋର ଯେ ଅକ୍ଷର ପରିଚୟ ଅଛି ଯେତେଦିନ ପର୍ଯ୍ୟନ୍ତ ଏ ସମ୍ବାଦ ଜାଣିବାର ସୁଯୋଗ ସେମାନେ ପାଇନଥାନ୍ତି ସେତେଦିନ ପର୍ଯ୍ୟନ୍ତ ମୁଁ ସେମାନଙ୍କ ସହିତ ଘନିଷ୍ଠ ଭାବରେ ମିଶିବାର ସୁଯୋଗ ପାଇଥିଲି ଏବଂ ସେମାନଙ୍କର ସକଳ ସୁଖଦୁଃଖର ଅଂଶୀଦାର ହୋଇପାରିଥିଲି । କିନ୍ତୁ ଯେଉଁ ମୁହୂର୍ତ୍ତରେ ସେମାନେ ଜାଣିପାରିଲେ ଯେ ମୁଁ ଭଦ୍ରଲୋକ, ମୁଁ ଇଂରାଜୀ ପଢ଼ି ଲେଖି ଜାଣେ, ସେଇ ମୁହୂର୍ତ୍ତରୁ ସେମାନେ ମୋତେ ପର କରିଦେଲେ । ଆପଦ ବିପଦ ସମୟରେ ଇଂରାଜୀ ଜାଣିଥିବା ଭଦ୍ରଲୋକ ପାଖକୁ ସେମାନେ ଆସନ୍ତି ସତ କିନ୍ତୁ ସେମାନଙ୍କୁ ବିଶ୍ୱାସ କରନ୍ତି ନାହିଁ କିମ୍ବା ଆପଣାର ଲୋକ ବୋଲି ମଣନ୍ତି ନାହିଁ । ମୁଁ ଯେ ସେମାନଙ୍କୁ ଛୋଟ ମନେକରି ମନେମନେ ଘୃଣା କରେ ନାହିଁ କିମ୍ବା ପରୋକ୍ଷରେ ଉପହାସ କରେ ନାହିଁ । ଏଇ କୁସଂସ୍କାରକୁ ସେମାନେ କିନ୍ତୁ ଏଡ଼ାଇ ମୋତେ ବିଶ୍ୱାସ କରିପାରନ୍ତି ନାହିଁ । କେବଳ ଏଇଥିପାଇଁ ମୋର ଯେ କେତେ ସତ୍‌ ସଂକଳ୍ପ ଏମାନଙ୍କ ଭିତରେ ବିଫଳ ହୋଇଯାଇଛି ବୋଧହୁଏ ତା’ର ଇୟତ୍ତା ନାହିଁ । କିନ୍ତୁ ସେ କଥାମଧ୍ୟ ଆଜି ଥାଉ । ଦେଖିଲି ବଙ୍ଗାଳୀ ସ୍ତ୍ରୀଲୋକଙ୍କ ସଂଖ୍ୟା ଏ ଅଞ୍ଚଳରେ କମ୍‌ ନାହିଁ । ସେମାନଙ୍କର କୂଳ–ପରିଚୟ ପ୍ରକାଶ ନକରିବାଟା ଭଲ । କିନ୍ତୁ ଆଜି ସେମାନେ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇ ଏକବାରେ ଖାଣ୍ଟି ଗୃହିଣୀ ପାଲଟି ଯାଇଛନ୍ତି । ପୁରୁଷମାନଙ୍କ ମନଭିତରେ ହୁଏତ ଆଜି ସେମାନଙ୍କର ସାବକ ଜାତି କଥା ମନେଥାଇପାରେ, କିନ୍ତୁ ସ୍ତ୍ରୀଲୋକମାନେ ନିଜ ଦେଶକୁ ଆଉ ଫେରିଆସନ୍ତି ନାହିଁ କିମ୍ବା ଦେଶ ସହିତ କୌଣସି ସମ୍ପର୍କ ସୁଦ୍ଧା ରଖନ୍ତି ନାହିଁ । ସେମାନଙ୍କ ପୁଅ ଝିଅଙ୍କୁ ପଚାରିଲେ ସେମାନେ କହନ୍ତି ଆମେମାନେ ବଙ୍ଗାଳୀ । ଅର୍ଥାତ୍‌ ମୁସଲମାନ କିମ୍ବା ଖ୍ରୀଷ୍ଟାନ ଧର୍ମାବଲମ୍ବୀ ନୋହୁଁ, ଖାଣ୍ଟି ହିନ୍ଦୁ ବଙ୍ଗାଳୀ । ଆପୋଷରେ ବିବାହାଦି ଆଦାନ–ପ୍ରଦାନ ସ୍ୱଚ୍ଛନ୍ଦରେ ଚାଲେ । କେବଳ ଚଟ୍ଟଗ୍ରାମୀ ବଙ୍ଗାଳୀ ହେଲେ ହିଁ ଯଥେଷ୍ଟ । ବଙ୍ଗାଳୀ ବ୍ରାହ୍ମଣ ଆସି ମନ୍ତ୍ର ପଢ଼ି ଦୁଇହାତ ଏକ କରିଦେଇ ଗଲେ ହେଲା । ବିଧବା ହୋଇଥିଲେ, ବିଧବା ବିବାହର ପ୍ରଚଳନ ନାହିଁ । ବୋଧହୁଏ ପୁରୋହିତ ମନ୍ତ୍ର ପଢ଼ିବାକୁ ରାଜି ନୁହନ୍ତି ବୋଲି । କିନ୍ତୁ ବୈଧବ୍ୟ ମଧ୍ୟ ଏମାନଙ୍କୁ ଭଲପାଏ ନାହିଁ । ପୁଣି ଘର ସଂସାର ପାତି ବସନ୍ତି । ପୁଣି ପିଲାଝିଲା ହୁଅନ୍ତି । ସେମାନେ ମଧ୍ୟ କହନ୍ତି ଆମେ ବଙ୍ଗାଳୀ । ଆଉ ସେମାନଙ୍କ ବିବାହବେଳେ ପୁଣି ପୁରୋହିତ ଆସି ମନ୍ତ୍ର ପଢ଼ି ବିବାହ କରାଇଦେଇ ଯାଏ । ଏଥର କିନ୍ତୁ ପୁରୋହିତ ଏତେ ଟିକିଏ ହେଲେ ଆପତ୍ତି କରନ୍ତି ନାହିଁ । ସ୍ୱାମୀ ଅତ୍ୟନ୍ତ ଦୁଃଖ ଯନ୍ତ୍ରଣା ଦେଲେ ଏମାନେ ଅନ୍ୟ ପ୍ରତି ଗ୍ରହଣ କରନ୍ତି ସତ, କିନ୍ତୁ ସେଇଟା ଅତ୍ୟନ୍ତ ଲଜ୍ଜ୍ୟାକର କଥା ହେତୁ ଦୁଃଖ ଯନ୍ତ୍ରଣାଟା ଅତ୍ୟଧିକ ହେବା ଆବଶ୍ୟକ । ଅଥଚ ଏମାନେ ହିଁ ଯଥାର୍ଥରେ ହିନ୍ଦୁ ଏବଂ ଦୁର୍ଗା ପୂଜାଠାରୁ ଷଷ୍ଠୀ ପୂଜା ପର୍ଯ୍ୟନ୍ତ କୌଣସି ପୂଜା ପର୍ବକୁ ବାଦ୍‌ ଦିଅନ୍ତି ନାହିଁ ।

 

ବାଟରେ ଯେଉଁମାନଙ୍କର ସୁଖ ଦୁଃଖରେ ଅଂଶଗ୍ରହଣ କରି କରି ଏଇ ବିଦେଶରେ ଆସି ପହଞ୍ଚିଲି ଘଟଣା ଚକ୍ରରେ ସେମାନେ ସହରର ଗୋଟିଏ ପ୍ରାନ୍ତରେ ରହିଗଲେ । ଆଉ ମୋତେ ଆଶ୍ରୟ ମିଳିଲା ଅନ୍ୟ ଏକ ପ୍ରାନ୍ତରେ । ସୁତରାଂ ପନ୍ଦର ଷୋଳଦିନ ଧରି ସେଆଡ଼କୁ ଆଉ ଯାଇପାରି ନାହିଁ । ତାହାଛଡ଼ା ପ୍ରତ୍ୟେକ ଦିନ ଚାକିରି ଖୋଜି ଖୋଜି ଏତେ କ୍ଲାନ୍ତ ହୋଇପଡ଼ୁଥିଲି ଯେ ଦ୍ୱିପହରେ କିମ୍ବା ସନ୍ଧ୍ୟା ପରେ ବସାକୁ ଫେରି ଆସିବାକ୍ଷଣି ଆଉ କେଉଁଆଡ଼େ ଯିବାପାଇଁ ଶକ୍ତି ରହୁନଥିଲା । ସୁତରାଂ ଦିନ ଯେତେ ଗଡ଼ି ଚାଲିଥିଲା ସେତିକି ମନେହେଉଥିଲା ଯେ ବିଦେଶରେ ଚାକେରି ମିଳିବା ଠିକ୍ ନିଜ ଦେଶଭଳି କଷ୍ଟ ।

 

ଅଭୟା କଥା ମନେପଡ଼ିଲା । ଯେଉଁ ଲୋକଟି ଉପରେ ନିର୍ଭର କରି ସେ ସ୍ୱାମୀଙ୍କୁ ଖୋଜିବା ପାଇଁ ଘରଛାଡ଼ି ଆସିଛି, ସନ୍ଧାନ ନ ମିଳିଲେ ସେ ଲୋକଟିର ଅବସ୍ଥା କ’ଣ ନ ହେବ ! ଘରୁ ଗୋଡ଼ କାଢ଼ି ଚାଲିଆସିବାର ବାଟ ଯଥେଷ୍ଟ ଉନ୍ମୁକ୍ତ ରହିଲେ ସୁଦ୍ଧା ଫେରିଯିବାର ବାଟ ଯେ ସେହିପରି ପ୍ରଶସ୍ତ ନ ଥାଏ ଏହା ବଙ୍ଗଳା ଦେଶର ଆବହାୱାରେ ମଣିଷ ହୋଇ ମୁଁ ବେଶ ବୁଝିପାରିଛି । ନିଜକୁ ଅଧିକା ଦିନ ପୋଷିପାରିବାର ଅର୍ଥବଳ ଯେଉଁମାନଙ୍କର ଅଛି ସେମାନେ ମଧ୍ୟ ଏପରି କାର୍ଯ୍ୟରେ ପାଦ ବଢ଼ାନ୍ତି ନାହିଁ । ବାକି ରହିଲା କେବଳ ସେଇ ରାସ୍ତାଟା ଯାହାକି ପନ୍ଦରଅଣା ବଙ୍ଗାଳୀଙ୍କର ଏକମାତ୍ର ଅବଲମ୍ବନ–ଅର୍ଥାତ୍‌ ମାସ ଶେଷ ଯାଏଁ ଚାକେରି କରି ମରଣ ପର୍ଯ୍ୟନ୍ତ କୌଣସିମତେ ହାଡ଼ ମାଂସଗୁଡ଼ିକୁ ଏକାଠି କରି ରଖି ବଞ୍ଚିବା । ରୋହିଣୀ ବାବୁଙ୍କର ଯେ ତାହା ବ୍ୟତୀତ ଅନ୍ୟ ପନ୍ଥା ନାହିଁ, ଏକଥା କହିବା ବାହୁଲ୍ୟ ମାତ୍ର । କିନ୍ତୁ ଏଇ ରେଙ୍ଗୁନ ସହରରେ ମୋ ନିଜ ପେଟଟାକୁ ବଞ୍ଚାଇ ରଖିବା ପାଇଁ ଚାକିରି କରିବାକୁ ଯାଇ ଯେତେବେଳେ ଏପରି ହାଲ୍‌, ସେତେବେଳେ ଗୋଟିଏ ସ୍ତ୍ରୀଲୋକର ଦାୟିତ୍ୱ ବହନ କରି, ଅଭୟାର ସେଇ ଭାଇଟିର ଯେ କି ଅବସ୍ଥା ହେବ, ସେ କଥା ଚିନ୍ତା କଲାକ୍ଷଣି ମୁଁ ଯେପରି ଭୟରେ ଆତଙ୍କିତ ହୋଇଉଠିଲି । ଠିକ୍‌ କଲି, କାଲି ଯେପରି ହେଉ, ଥରକ ପାଇଁ ଯାଇ ସେମାନଙ୍କର ଖବର ବୁଝିଆସିବି ।

 

ପରଦିନ ଓପରଓଳି ପ୍ରାୟ କୋଶେ ବାଟ ଚାଲି ଚାଲି ସେମାନଙ୍କ ବସାରେ ଯାଇ ପହଞ୍ଚି ଦେଖିଲି–ବାହାର ବାରଣ୍ଡାରେ ଗୋଟିଏ ବେତ ମୋଡ଼ା ଉପରେ ରୋହିଣୀ ଭାଇ ଆସୀନ । ତାଙ୍କ ମୁଖମଣ୍ଡଳ ନବଜଳଧର ମଣ୍ଡିତ ଆଷାଢ଼ସ୍ୟ ପ୍ରଥମ ଦିବସ ପରି ଗୁରୁଗମ୍ଭୀର । ମୋତେ ଦେଖିପାରି କହିଉଠିଲେ–ଆରେ ଶ୍ରୀକାନ୍ତ ବାବୁ ଯେ ! କ’ଣ ସବୁ ଭଲ ତ ?

 

କହିଲି–ଆଜ୍ଞା ହଁ ।

 

: ଯାଆନ୍ତୁ । ଭିତରେ ଯାଇ ବସନ୍ତୁ ।

 

ସଭୟେ ପ୍ରଶ୍ନକଲି–ଆପଣମାନଙ୍କର ଖବର ସବୁ ଭଲ ତ ?

 

: ହଁ । ଭିତରକୁ ଯାଆନ୍ତୁ । ସେ ଘରଭିତରେ ଅଛନ୍ତି ।

 

: ହଁ ଯାଉଛି । ଆପଣ ଆସୁନାହାନ୍ତି ?

 

: ନା, ମୁଁ ଏଇଠି ଟିକିଏ ବସିଛି । ଖଟି ଖଟି ତ ହାଲିଆ । ଦି ଘଡ଼ି ଟିକିଏ ଆରାମରେ ବସେ ।

 

ସେ ପରି ପରିଶ୍ରମାଧିକ୍ୟେ ଯେ ମୃତକଳ୍ପ ହୋଇପଡ଼ୁଛନ୍ତି ତାହା ତାଙ୍କର ଚେହେରାରୁ ଜଣାପଡ଼ୁନଥିଲେ ସୁଦ୍ଧା ମନେମନେ ମୁଁ ଟିକିଏ ଉଦ୍‌ବିଗ୍ନ ହୋଇପଡ଼ିଲି । ରୋହିଣୀ ଭାଇଙ୍କ ଭିତରେ ଯେ ଏତେଦୂର ଗାମ୍ଭୀର୍ଯ୍ୟ ପ୍ରଚ୍ଛନ୍ନ ଭାବରେ ଥିଲା, ତାହା ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର । କିନ୍ତୁ ଘଟଣା କ’ଣ ? ମୁଁ ତ ନିଜେ ରାସ୍ତାରେ ବୁଲି ବୁଲି ଆଜି ସୁଦ୍ଧା ବେକାର ଆଉ ମୋର ଏଇ ଭାଇଟି କ’ଣ ଏ ଭିତରେ.....

 

କବାଟ ଆଢ଼ୁଆଳରୁ ଅଭୟା ତା’ର ହସ ହସ ମୁହଁଟି କାଢ଼ି ନିଃଶବ୍ଦ ସଂକେତ ଦେଇ ମୋତେ ଭିତରକୁ ଡାକିଲା । ଦ୍ୱିଧାଗ୍ରସ୍ତ ଭାବରେ ମୁଁ କହିଲି–ଚାଲନ୍ତୁ ନା ରୋହିଣୀ ଭାଇ । ଭିତରେ ବସି ଦି ଚାରିପଦ ଗପ କରିବା ।

 

ରୋହିଣୀ ଭାଇ କହିଲେ–ଗପ ! ବର୍ତ୍ତମାନ ଯଦି ମରଣ ହୋଇଯାଆନ୍ତା ନା ମୁଁ ରକ୍ଷା ପାଇଯାଆନ୍ତି, ସେ କଥା ଆପଣ ଜାଣନ୍ତି ଶ୍ରୀକାନ୍ତ ବାବୁ ?

 

ଜାଣେ ନାହିଁ ବୋଲି ସ୍ୱୀକାର କଲି ।

 

ତାପରେ ସେ ପ୍ରତ୍ୟୁତ୍ତର ଦେବାକୁ ଯାଇ ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ି କହିଲେ–ନଜାଣିଥିଲେ ଦୁଇଦିନ ପରେ ଜାଣିପାରିବେ ।

 

ପୁଣି ଅଭୟାର ନୀରବ ଆହ୍ୱାନକୁ ଏଡ଼ାଇଦେବା ବାହାରେ ଠିଆହୋଇ କଥାବାର୍ତ୍ତା କରିବାଟା ଉଚିତ ମନେ ନକରି ଘରଭିତରକୁ ଗଲି । ଭିତରେ ରୋଷାଇ ଘର ବ୍ୟତୀତ ଶୋଇବା ଘର ଦୁଇବଖରା । ତହିଁରୁ ବଡ଼ ବଖରାଟିରେ ରୋହିଣୀ ବାବୁ ଶୁଅନ୍ତି । ଗୋଟିଏ ପାଖରେ ଦଉଡ଼ିଆ ଖଟିଆଟିଏ ଉପରେ ତାଙ୍କ ବିଛଣା ପକା ହୋଇଥିବାର ଦେଖିବାକୁ ପାଇଲି । ଘର ଭିତରକୁ ପାଦ ବଢ଼ାଇବା ମାତ୍ରେ ଆଖିରେ ପଡ଼ିଲା ମଝିରେ ଆସନ ପଡ଼ିଛି ଏବଂ ଗୋଟିଏ ରେକାବିରେ ଲୁଚି, ତରକାରୀ, ଅଳ୍ପ ହାଲୁଆ ଏବଂ ଗ୍ଲାସଟିଏ ପାଣି ଥୁଆହୋଇଛି । ଅନୁମାନ ଦ୍ୱାରା ଜାଣିପାରିଲି ଯେ ଏସବୁ ଆଦୌ ମୋ ପାଇଁ ବୁଢ଼ା ହୋଇ ନାହିଁ । ସୁତରାଂ ସଙ୍ଗେ ସଙ୍ଗେ ବୁଝିପାରିଲି ଯେ ମୋ ଆସିବା ଆଗରୁ ଦୁହିଁଙ୍କ ଭିତରେ ନିଶ୍ଚୟ ରଗାରଗି ଚାଲିଥିଲା । ସେଥିପାଇଁ ରୋହିଣୀ ବାବୁଙ୍କ ମୁହଁ ମେଘାଚ୍ଛନ୍ନ ଏବଂ ସେ ମରିଗଲେ ତରିଯିବେ ବୋଲି କହିଲେ । ନୀରବ ହୋଇ ଖଟଉପରେ ଯାଇ ବସିଲି । ଅଭୟା ଅଳ୍ପ ଦୂରରେ ଠିଆହୋଇ ପଚାରିଲା–କ’ଣ ଭଲ ଅଛନ୍ତି ? ଏତେଦିନ ପରେ ବୋଧହୁଏ ଗରିବମାନେ ମନେପଡ଼ିଲେ ?

 

ଖାଇବା ରେକାବିକୁ ଅଙ୍ଗୁଳୀଦ୍ୱାରା ନିର୍ଦ୍ଦେଶ କରି କହିଲି–କିନ୍ତୁ ଏ ସବୁ କ’ଣ ?

 

ଅଭୟା ହସିଲା । ଅଳ୍ପ ସମୟ ଚୁପ୍‌ ରହିବା ପରେ କହିଲା–ନାହିଁ କିଛି ନୁହେଁ । ଆପଣ କିପରି ଅଛନ୍ତି ଆଗ କୁହନ୍ତୁ ନା ?

 

: କିପରି ଅଛି, ସେ କଥା ନିଜେ ତ ଜାଣେନି ଆଉ ଅପରକୁ ଅବା କହିବି କିପରି ? କିଛି ସମୟ ଚୁପ୍ ରହିବାପରେ କହିଲି–ଗୋଟାଏ ଚାକିରି ଯୋଗାଡ଼ ନ ହେବା ପର୍ଯ୍ୟନ୍ତ ଏ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷରେ ବଡ଼ କଠିନ । ରୋହିଣୀ ବାବୁ ଯେ କହୁଥିଲେ...ମୋ ତୁଣ୍ଡକଥା ମୋ ତୁଣ୍ଡରେ ଅଛି ଏଇ ସମୟରେ ରୋହିଣୀ ବାବୁ ତାଙ୍କ ଛିଣ୍ଡା ଚପଲରେ ଏକ ଅସ୍ୱାଭାବିକ ଖଟ୍‌ ଖଟ୍‌ ଶବ୍ଦ କରି ଘରଭିତରକୁ ପଶିଆସି, କାହାରିକୁ ନ ଚାହିଁ ପାଣି ଗ୍ଲାସଟା ଉଠାଇନେଇ ଗୋଟାଏ ନିଶ୍ୱାସରେ ଅଧ ଗ୍ଲାସ ଏବଂ ପରେ ଦୁଇ ଚାରି ଢୋକରେ ବାକିତକ ପିଇସାରି ଖାଲି ଗ୍ଲାସଟାକୁ ଦୁମ୍‌ କରି ଟେବୁଲ ଉପରେ କଚାଡ଼ି ରଖିଦେଇ ଏଇଆ କହି କହି ବାହାରକୁ ଚାଲିଗଲେ ଯେ–ଯା–କେବଳ ପାଣିପିଇ ପେଟ ପୂରାଇବି । ମୋର ଏଠାରେ ଆପଣାର ବୋଲି କିଏ ଅଛି ଯେ ଭୋକ ହେଲେ ଖାଇବାକୁ ଦେବ ?

 

ମୁଁ ଅବାକ ହୋଇ ଅଭୟାକୁ ଚାହିଁ ଦେଖିଲି ଯେ କ୍ଷଣକ ପାଇଁ ତା’ ମୁହଁଟା ରାଗରେ ଲାଲ ହୋଇଉଠିଲା । କିନ୍ତୁ ତତ୍‌କ୍ଷଣାତ୍‌ ନିଜକୁ ସମ୍ଭାଳି ନେଇ ସେ ହସି ହସି କହିଲା–ଭୋକ କରୁଥିଲେ ପାଣି ଗ୍ଲାସ ଅପେକ୍ଷା ଖାଇବା ଥାଳିଟା କିନ୍ତୁ ଲୋକ ଆଖିରେ ଆଗ ପଡ଼େ ।

 

ରୋହିଣୀ ବାବୁ ସେ କଥାକୁ କାନକୁ ନେଲେ ନାହିଁ । ବାହାରକୁ ଚାଲିଗଲେ । କିନ୍ତୁ ଅଧ ମିନିଟିଏ ନଯାଉଣୁ ପୁଣି ଫେରିଆସି କବାଟ ପାଖରେ ଠିଆହୋଇ ମତେ ସମ୍ବୋଧନ କରି କହିବାକୁ ଲାଗିଲେ–ସାରାଦିନ ଅଫିସରେ ଖଟି ଖଟି ଭୋକରେ ତାଳୁଠାରୁ ତଳିପା ପର୍ଯ୍ୟନ୍ତ ଜଳୁଥିଲା ଶ୍ରୀକାନ୍ତ ବାବୁ । ସେଥିପାଇଁ ସେତେବେଳେ ଆପଣଙ୍କ ସହିତ କିଛି କଥାବାର୍ତ୍ତା ହୋଇପାରିଲି ନାହିଁ । ଏଥିପାଇଁ କିଛି ମନେକରିବେ ନାହିଁ ।

 

ମୁଁ କହିଲି–ନା ।

 

ସେ ପୁଣି କହିଲେ–ଆପଣ ଯେଉଁଠାରେ ରହୁଛନ୍ତି ସେଠାରେ ମୋ ପାଇଁ କିଛି ବନ୍ଦୋବସ୍ତ କରି ଦେଇପାରିବେ କି ?

 

ତାଙ୍କ ମୁଖ ଭଙ୍ଗୀ ଦେଖି ମୁଁ ହସି ପକାଇ କହିଲି–ସେଠାରେ କିନ୍ତୁ ଲୁଚି କି ହାଲୁଆ ମିଳେ ନାହିଁ ।

 

ରୋହିଣୀ ବାବୁ କହିଲେ–ସେ ସବୁରେ କି ଅବା ଦରକାର ? ଭୋକ ସମୟରେ ଯଦି ପାଣିରେ କିଏ ଗୁଡ଼ ମିଶାଇ ଗ୍ଲାସଟିଏ ଦିଏ ସେଇ ଯେ ଅମୃତ ! ଏଠାରେ ସେତକ ଅବା କିଏ ଦେଉଛି ?

 

ମୁଁ ଜିଜ୍ଞାସୁ ଦୃଷ୍ଟିରେ ଅଭୟା ମୁହଁକୁ ଚାହିଁବା କ୍ଷଣି ସେ ଧୀରେ ଧୀରେ କହିଲା–ମୁଣ୍ଡ ବଥେଇଲା ବୋଲି ଅବେଳରେ ଶୋଇପଡ଼ିଥିଲି, ସେଥିପାଇଁ ଜଳଖିଆ ତିଆରି କରିବାକୁ ଟିକିଏ ବିଳମ୍ବ ହୋଇଗଲା, ଶ୍ରୀକାନ୍ତ ବାବୁ ।

 

ଆଶ୍ଚର୍ଯ୍ୟ ହୋଇ କହିଲି–ଏଇ ସାମାନ୍ୟ ଅପରାଧକୁ...

 

ଅଭୟା ସେହିଭଳି ଶାନ୍ତ କଣ୍ଠରେ କହିଲା–ଏ କ’ଣ ତୁଚ୍ଛ ଅପରାଧ ଶ୍ରୀକାନ୍ତ ବାବୁ ?

 

: ତୁଚ୍ଛ ନୁହେଁ ଆଉ କ’ଣ ?

 

: ଆପଣଙ୍କ ନିକଟରେ ହୋଇପାରେ କିନ୍ତୁ ଯିଏ ଗଳଗ୍ରହକୁ ଖାଇବାକୁ ଦିଅନ୍ତି ସେ ଅବା ମାଫ୍‌ କରିବାକୁ ଯିବେ କାହିଁକି ? ମୋର ମୁଣ୍ଡ ବଥେଇଲେ ତାଙ୍କର ଯାଏ କେତେ ଆସେ କେତେ ?

 

ରୋହିଣୀ ବାବୁ ହଠାତ୍‌ ଗର୍ଜିଉଠି କହିଲେ–ତୁମେ ମୋର ଗଳଗ୍ରହ ! ଏ କଥା ମୁଁ କେବେହେଲେ କହିଛି ?

 

ଅଭୟା କହିଲା–ମୁହଁରେ କହିବ କାହିଁକି ? ହଜାରେ ପ୍ରକାରରେ ଦେଖାଇଦେଉଛ ।

 

: ଦେଖାଇଦେଉଛି ! ତୁମ ମନେମନେ ଯେତେକ ଛଳନା ! ତୁମ ମୁଣ୍ତ ବଥେଇଥିଲା ଏକଥା ମୋତେ କହିଥିଲ କି ?

 

: ତୁମକୁ କହି ଲାଭ କ’ଣ ? କହିଲେ ତୁମେ କ’ଣ ବିଶ୍ୱାସ କରିଥାନ୍ତ କି ?

 

ରୋହିଣୀ ବାବୁ ମୋ ଆଡ଼କୁ ଚାହିଁ ଚିତ୍କାର କରି କହିଉଠିଲେ–ଶୁଣନ୍ତୁ କଥାଗୁଡ଼ାକ ଶ୍ରୀକାନ୍ତବାବୁ । ତା’ ପାଇଁ ମୁଁ ଦେଶାନ୍ତରୀ ହେଲି । ଘରକୁ ଫେରିଯିବାର ବାଟ ମୋର ବନ୍ଦ । ତା’ ମୁହଁର କଥା ଶୁଣନ୍ତୁ ଓହୋ !

 

ଅଭୟା ଏଥର ରାଗିଯାଇ ଉତ୍ତର ଦେଇ କହିଲା–ମୋ ପାଇଁ ତମେ କାହିଁକି ଏତେ କଷ୍ଟ ସହିବାକୁ ଯିବ ? ମୁଁ ତୁମର କିଏ କି ? ଏତେ ଖୁଣ୍ଟା ଦେବା ଅପେକ୍ଷା...

 

ତା’ କଥା ଶେଷ ନ ହେଉଣୁ ରୋହିଣୀବାବୁ ପ୍ରାୟ ଚିତ୍କାର କଲାଭଳି କହିଉଠିଲେ, ଶୁଣନ୍ତୁ ଶ୍ରୀକାନ୍ତବାବୁ । ଦିଇଟା ରାନ୍ଧି ଦେବା ପାଇଁ...ନାଇଁ–ନାଇଁ କଥାଗୁଡ଼ାକ ଆପଣ ଶୁଣନ୍ତୁ । ଆଚ୍ଛା ଆଜିଠାରୁ ତୁମେ ଯଦି ରାନ୍ଧିବା ପାଇଁ ରୋଷାଇ ଘରକୁ ଯାଅ ତ ତେବେ...ମୁଁ ପଛେ ହୋଟେଲରେ ଖାଇବି । କହୁ କହୁ ତାଙ୍କର କଣ୍ଠସ୍ୱର କାନ୍ଦିଲା ଭଳି ଶୁଭିଲା ଏବଂ ସେ ପାଟିରେ ଲୁଗା କୁଞ୍ଚକୁ ପୂରାଇ ସେଠାରୁ ବାହାରିଗଲେ । ଅଭୟା ବିବର୍ଣ୍ଣ ମୁହଁକୁ ଉପରକୁ ଉଠାଇଲା । କେଜାଣି ଆଖିର ଲୁହକୁ ଗୋପନ କରିଥିଲା କି ନାହିଁ ମୁଁ କିନ୍ତୁ ଏ ଦୃଶ୍ୟ ଦେଖି କାଠ ପାଲଟି ଯାଇଥିଲି । କିଛିଦିନ ଧରି ଉଭୟଙ୍କ ଭିତରେ ଯେ କଳହ ଲାଗି ରହିଛି ତାହା ତ ଆଖିରେ ଦେଖିପାରିଲି । କିନ୍ତୁ ଏହାର ନିଗୂଢ଼ କାରଣଟା ଏକାନ୍ତ ଅନ୍ତରାଳରେ ରହିଲେ ସୁଦ୍ଧା ତାହା ଯେ କ୍ଷୁଧା ଏବଂ ରାନ୍ଧିବାର ତ୍ରୁଟିଠାରୁ ବହୁତ ଦୂରରେ ରହିଛି ତାହା ବୁଝିବାକୁ ଆଉ ଟିକିଏ ହେଲେ ବିଳମ୍ବ ହେଲା ନାହିଁ । ତେବେ ସ୍ୱାମୀ ଅନ୍ୱେଷଣ ଗଳ୍ପଟା.....

 

ଉଠି ଠିଆହେଲି । ଏଇ ନୀରବତାକୁ ଭଙ୍ଗ କରିବାକୁ ମୋତେ ମଧ୍ୟ କିପରି ସଂକୋଚ ଲାଗିଲା । ସାମାନ୍ୟ ଇତସ୍ତତଃ ହୋଇ ଶେଷରେ କହିଲି–ମୋତେ ଅନେକ ଦୂର ଯିବାକୁ ହେବ । ବର୍ତ୍ତମାନ ତାହାହେଲେ ମୁଁ ଯାଉଛି ।

 

ଅଭୟା ମୁହଁଟେକି ଚାହିଁଲା । କହିଲା–ପୁଣି କେବେ ଆସିବେ ?

 

: ମୁଁ ତ ଅନେକ ଦୂରରେ...

 

: ତାହାହେଲେ ଟିକିଏ ଠିଆ ହୁଅନ୍ତୁ; କହି ଅଭୟା ବାହାରି ଚାଲିଗଲା । ପାଞ୍ଚ ଛଅ ମିନିଟ ପରେ ଫେରିଆସି ମୋ ହାତରେ ଖଣ୍ଡିଏ କାଗଜ ଗୁଞ୍ଜିଦେଇ କହିଲା–ଯେଉଁଥିପାଇଁ ମୁଁ ଆସିଛି ସେ ସବୁ ଏଥିରେ ସଂକ୍ଷେପରେ ଲେଖିଦେଇଛି; ପଢ଼ି ଦେଖିବେ । ଯାହା ଭଲ ମନେକରିବେ ତାହା କରିବେ । ଆପଣଙ୍କୁ ଏହାଠାରୁ ଅଧିକ କିଛି ମୁଁ କହୁ ନାହିଁ, କହି ଆଜି ସେ ଗଳବସ୍ତ୍ର ହୋଇ ପାଦତଳେ ପ୍ରମାଣ ଜଣାଇଲା । ତାପରେ ଉଠି ଠିଆହୋଇ ମୋତେ ପଚାରିଲା–ଆପଣଙ୍କର ଠିକଣା କ’ଣ ?

 

ତା’ ପ୍ରଶ୍ନର ଉତ୍ତର ଦେଇ ମୁଁ ସେଇ ଛୋଟ କାଗଜ ଖଣ୍ଡି ମୁଠାଭିତରେ ଗୋପନ ରଖି ଧୀରେ ଧୀରେ ଚାଲିଆସିଲା । ବାରଣ୍ଡାରେ ସେହି ବେତ ମୋଡ଼ାଟି ବର୍ତ୍ତମାନ ଶୂନ୍ୟ । ଆଖପାଖରେ କାହିଁ କେଉଁଠାରେ ରୋହିଣୀବାବୁଙ୍କୁ ଦେଖିବାକୁ ପାଇଲି ନାହିଁ । ବସାରେ ପହଞ୍ଚିବା ପର୍ଯ୍ୟନ୍ତ କୌତୂହଳ ଦମନ କରିପାରିଲି ନାହିଁ । ବାଟରେ ଗୋଟିଏ ଚାହା ଦୋକାନ ଦେଖି ବସିପଡ଼ିଲି । କପେ ଚାହା ମଗାଇ ଲ୍ୟାମ୍ପ ଆଲୋକରେ ସେଇ ଲେଖାଟିକୁ ଆଖିଆଗରେ ଧରିବସିଲି । ପେନ୍‌ସିଲରେ ଲେଖା କିନ୍ତୁ ଠିକ୍‌ ପୁରୁଷ ଲୋକଭଳି ହସ୍ତାକ୍ଷର । ପ୍ରଥମେ ସେ ତା’ର ସ୍ୱାମୀର ନାମ ଓ ତା’ର ପୂର୍ବର ଠିକଣା ଦେଇ ତଳେ ଲେଖିଛି ଆଜି ଯାହା ମନେକରି ଗଲେ ତାହା ମୁଁ ଜାଣିପାରିଛି ଏବଂ ବିପଦରେ ମୁଁ ଆପଣଙ୍କ ଉପରେ କେତେଦୂର ନିର୍ଭର କରିଛି ତାହା ମଧ୍ୟ ଆପଣ ଜାଣନ୍ତି । ସେଥିପାଇଁ ଆପଣଙ୍କ ଠିକଣାଟା ପଚାରି ବୁଝି ରଖିଲି ।

 

ଅଭୟାର ଲେଖାତକ ବାରମ୍ବାର ପଢ଼ିଲି । କିନ୍ତୁ ଏଇ କଥାଟା ଛଡ଼ା ଆଉ ଅଧିକା କିଛି ଅନ୍ଦାଜ କରିପାରିଲି ନାହିଁ ଯେ ଆଜି ସେମାନଙ୍କର ପରସ୍ପର ପ୍ରତି ବ୍ୟବହାର ଦେଖି ଯେକୌଣସି ବାହାରର ଲୋକ ଯେ କ’ଣ ମନେକରିପାରେ, ଏହା ଅଭୟା ଭଳି ବୁଦ୍ଧିମତୀ ନାରୀପକ୍ଷରେ ଅନୁମାନ କରିବା ଆଦୌ କଷ୍ଟକର ନୁହେଁ । ତଥାପି କିନ୍ତୁ ସେ ସତ୍ୟ–ମିଥ୍ୟା ସମ୍ୱନ୍ଧରେ ଏତେ ଟିକିଏ ସୁଦ୍ଧା ଇଙ୍ଗିତ ଦେଲା ନାହିଁ । ତା’ ସ୍ୱାମୀର ନାମ ଓ ଠିକଣା ତ ପୂର୍ବରୁ ଶୁଣିଥିଲି, ବିପଦ ସମୟରେ ମୋ ଉପରେ ନିର୍ଭର କରିବା ତ ବାରମ୍ବାର ଆଖିରେ ଦେଖିଛି କିନ୍ତୁ ତା’ପରେ ? ବର୍ତ୍ତମାନ କିନ୍ତୁ ତାହାର ସନ୍ଧାନ ସେ ପ୍ରକୃତରେ ଚାହେଁ କି ନାହିଁ କିମ୍ବା ଆଉ କୌଣସି ବିପଦ ଅବଶ୍ୟମ୍ଭାବୀ ଭାବି ସେ ମୋର ଠିକଣା ଜାଣି ରଖିଲା, କୌଣସିଟାର ଆଭାସ ପର୍ଯ୍ୟନ୍ତ ତାହା ଲେଖା ଭିତରୁ ଖୋଜି ପାଇପାରିଲି ନାହିଁ । କଥାବାର୍ତ୍ତାରୁ ଅନୁମାନ ହେଲା–ରୋହିଣୀବାବୁ କୌଣସି ଅଫିସରେ ବୋଧହୁଏ ଚାକିରି ଯୋଗାଡ଼ କରିଛନ୍ତି । କିପରି ଭାବରେ ପାଇପାରିଲେ ଯଦିଓ ଅନୁମାନ କରିପାରିଲି ନାହିଁ ତେବେ ଆପାତତଃ ମୋ ଭଳି ଖାଇବା–ପିନ୍ଧିବା ଚିନ୍ତାଟା ସେମାନଙ୍କର ଆଉ ନାହିଁ । ଖାଇବାକୁ ଲୁଚି ମଧ୍ୟ ଭାଗ୍ୟରେ ଜୁଟି ପାରୁଛି । ତଥାପି ଅଭୟା ଯେ କି ରକମ ବିପଦର ସମ୍ଭାବନାଟା ମୋତେ ଶୁଣାଇ ରଖିଲା ଏବଂ ଏହି ଶୁଣାଇବାର ସାର୍ଥକତା ଅବା କ’ଣ ତାହା ଅଭୟା ହିଁ ଜାଣେ ।

 

ସେଠାରୁ ବାହାରି କେବଳ ସେଇମାନଙ୍କ କଥା ବାଟଯାକ ଭାବି ଭାବି ଆସି ବସାରେ ପହଞ୍ଚିଲି । କିଛି ଠିକ୍‌ କରିପାରିଲି ନାହିଁ । କେବଳ ଏତିକି ମାତ୍ର ମନେମନେ ସିଦ୍ଧାନ୍ତ କଲି ଯେ ଅଭୟାର ସ୍ୱାମୀ ଲୋକଟି ଯିଏ ହୁଅନ୍ତୁ ନା କାହିଁକି ଏବଂ ଯେଉଁଠାରେ ଯେପରି ଭାବରେ ଥାଆନ୍ତୁନା କାହିଁକି, ସ୍ତ୍ରୀ ବିଶେଷ ଅନୁମତି ବ୍ୟତୀତ ତାହାଙ୍କୁ ସନ୍ଧାନ କରି ବାହାର କରିବାର କୌତୂହଳକୁ ମୋତେ ସମ୍ୱରଣ କରିବାକୁ ପଡ଼ିବ ।

 

ପରଦିନଠାରୁ ନିଜ ପାଇଁ ଚାକିରି ଯୋଗାଡ଼ କରିବା କାମରେ ଲାଗିପଡ଼ିଲି । କିନ୍ତୁ ସହସ୍ର ଚିନ୍ତା ଭିତରୁ ଅଭୟାର ଚିନ୍ତାକୁ କାଢ଼ି ଫିଙ୍ଗି ଦେଇପାରିଲି ନାହିଁ ।

 

ଚିନ୍ତା କିନ୍ତୁ ଯାହା କରେନା କାହିଁକି ଦିନ ପରେ ଦିନ ଗଡ଼ି ଚାଲିଲା । ଏ ପାଖରେ ଦାଦା ଠାକୁରଙ୍କ ପ୍ରସନ୍ନ ମୁହଁ ମେଘାଚ୍ଛନ୍ନ ହୋଇଉଠିବାକୁ ଲାଗିଲା । ଭାତ ସହିତ ତରକାରୀର ପରିମାଣ ପ୍ରଥମ ଦିନଠାରୁ ଆସ୍ତେ ଆସ୍ତେ କମି କମି ଅନ୍ତର୍ଦ୍ଧାନ ହେବାକୁ ଲାଗିଲେ ସୁଦ୍ଧା ଚାକିରି କିନ୍ତୁ ମୋ ସମ୍ବନ୍ଧରେ ତା’ର ମତ ଟିକିଏ ମାତ୍ର ପରିବର୍ତ୍ତନ କଲା ନାହିଁ । ଯେଉଁ ଦୃଷ୍ଟିରେ ପ୍ରଥମ ଦିନ ଦେଖିପାରିଥିଲି ସେହି ଦୃଷ୍ଟିରେ ମାସାଧିକକାଳ ଦେଖିବାକୁ ଲାଗିଲି । କ୍ରମଶଃ ଉତ୍କଣ୍ଠିତ ଏବଂ ବିରକ୍ତ ହେବାକୁ ଲାଗିଲି । କିନ୍ତୁ ସେତେବେଳେ ତ ଜାଣିନଥିଲି ଯେ ଚାକିରି ପାଇବାର ଯଥେଷ୍ଟ ପ୍ରୟୋଜନ ନଥିଲେ ତା’ର ଦେଖା ମିଳେ ନାହିଁ । ହଠାତ୍‌ ଦିନେ ରୋହିଣୀ ବାବୁଙ୍କୁ ବାଟରେ ଦେଖିପାରି ଏଇ ଜ୍ଞାନଟିକ ଲାଭ କରିପାରିଲି । ସେ ବଜାରରୁ ପନିପରିବା କିଣିବାରେ ଲାଗିଥିଲେ-। ମୁଁ ଅଳ୍ପ ଦୂରରେ ଠିଆହୋଇ ତାଙ୍କୁ ଲକ୍ଷ୍ୟ କରିବାରେ ଲାଗିଥିଲି, ଯଦିଓ ତାଙ୍କର ପୋଷାକପତ୍ର ଜୀର୍ଣ୍ଣତାର ଶେଷ ସୀମାରେ ପହଞ୍ଚିଥାଏ, ପ୍ରଚଣ୍ତ ରୌଦ୍ର ତାପରେ ମଥାଉପରେ ସାମାନ୍ୟ ଛତା ଖଣ୍ଡିଏ ନ ଥାଏ କିନ୍ତୁ ଆହାର୍ଯ୍ୟ ଦ୍ରବ୍ୟଗୁଡ଼ିକ ସେ ବଡ଼ଲୋକ ଭଳି କିଣିବାରେ ଲାଗିଥିଲେ-। ହାଙ୍ଗାମା ଯେତେ ହେଉ ପଛେ କିନ୍ତୁ ଭଲ ଜିନିଷ କିଣିବା ପାଇଁ ସେ ପ୍ରାଣପଣେ ଆକୁଳ । ପଲକ ମାତ୍ରେ ସମସ୍ତ ଘଟଣାଟା ମୋ ଆଖିରେ ପଡ଼ିଗଲା । ଏ ସବୁ କିଣାକିଣି ଭିତର ଦେଇ ତାଙ୍କର ବ୍ୟଗ୍ର ବ୍ୟାକୁଳ ସ୍ନେହ ଯେ କେଉଁଠାରେ ଯାଇ ପହଞ୍ଚି ପାରିଛି ତାହା ମୁଁ ଯେପରି ସୂର୍ଯ୍ୟର ଆଲୋକ ପରି ସୁସ୍ପଷ୍ଟ ଦେଖିପାରିଲି । କାହିଁକି ଯେ ଏ ସବୁ ନେଇ ସେ ଘରେ ପହଞ୍ଚିବାକୁ ଏକାନ୍ତ ବ୍ୟଗ୍ର, କାହିଁକି ଯେ ଏ ସବୁର ମୂଲ୍ୟ ଦେବା ପାଇଁ ତାଙ୍କୁ ଚାକେରି ମିଳିପାରିଛି ଏ ସମସ୍ୟାର ମୀମାଂସା କରିବାକୁ ଆଉ ଲେଶମାତ୍ର ବିଳମ୍ବ ହେଲା ନାହିଁ । ଆଜି ବୁଝିପାରିଲି କେଉଁଥିପାଇଁ ଏ ଜନ ଅରଣ୍ୟ ଭିତରେ ସେ ଚାକିରି ପାଇପାରିଲେ ଆଉ ମୁଁ ପାଇପାରୁନାହିଁ ।

 

ଏଇ ଯେ ଶୀର୍ଣ୍ଣ ଲୋକଟି ରେଙ୍ଗୁନର ରାଜପଥ ଉପରେ ଏତେ ବୋଝ ବୋହି ଶତଚ୍ଛିନ୍ନ ମଳିନ ପୋଷାକ ପିନ୍ଧି ଘରକୁ ଫେରୁଛି ଆଢ଼ୁଆଳରେ ରହି ମୁଁ ତାଙ୍କର ପରିତୃପ୍ତ ମୁହଁଟିକୁ ଲକ୍ଷ୍ୟ କରିବାରେ ଲାଗିଲି । ନିଜ ପ୍ରତି ଦୃଷ୍ଟି ଦେବାକୁ ତାଙ୍କୁ ଯେପରି ତିଳେମାତ୍ର ଫୁରସତ୍‌ ନାହିଁ । ହୃଦୟ ତାଙ୍କର ଯେଉଁଥିରେ ପରିତୃପ୍ତ ହୋଇଉଠିଛି ତାହା ଆଗରେ ପୋଷାକପତ୍ରର ଦୈନ୍ୟ ଅକିଞ୍ଚିତକର ମନେହେଲା । ଆଉ ମୁଁ ? ପିନ୍ଧା ଲୁଗାଟିର ସାମାନ୍ୟ ମଳିନତାରେ ଯେପରି ସଂକୋଚରେ ଜଡ଼ସଡ଼ ହୋଇଉଠୁଛି, ପଥଚାରୀ ଲୋକର ସାମାନ୍ୟ ଦୃଷ୍ଟିପାତରେ ସେପରି ଲାଜରେ ମରିଯାଉଛି ।

 

ରୋହିଣୀ ବାବୁ ଚାଲିଗଲେ । ତାଙ୍କୁ ମୁଁ ପଛରୁ ଆଉ ଡାକିଲି ନାହିଁ ଏବଂ କିଛି କ୍ଷଣ ପରେ ଲୋକ ଗହଳି ଭିତରେ ସେ ମିଳେଇଗଲେ । ଜାଣେ ନାହିଁ କାହିଁକି ଏଥର ମୋ ଆଖିଦୁଇଟା ଅଶ୍ରୁଜଳରେ ଝାପ୍‌ସା ହୋଇଉଠିଲା । ଚାଦରର କୁଞ୍ଚରେ ଆଖି ଦୁଇଟାକୁ ପୋଛି ପୋଛି ରାସ୍ତାର ଗୋଟିଏ କଡ଼ରେ ଧୀରେ ଧୀରେ ଚାଲି ଚାଲି ଆସି ବସାରେ ପହଞ୍ଚିଲି ଏବଂ ଆପଣା ମନକୁ ବାରବାର କହିବାକୁ ଲାଗିଲି ଏଇ ଭଲପାଇବା ଭଳି ଏତେବଡ଼ ଶକ୍ତି, ଏତେବଡ଼ ଶିକ୍ଷକ ସଂସାରରେ ବୋଧହୁଏ ଆଉ ନାହିଁ । ଏହାଦ୍ୱାରା ନ କରିପାରିବା ଭଳି କାର୍ଯ୍ୟ ବୋଧହୁଏ ଆଉ କିଛି ନାହିଁ ।

 

ତଥାପି ବହୁ ବହୁ ଯୁଗ ସଞ୍ଚିତ ଅନ୍ଧ ସଂସ୍କାର ମୋ କାନରେ ଫିସ୍‌ ଫିସ୍‌ କରି କହିବାକୁ ଲାଗିଲା–ଭଲ ନୁହେଁ, ଏହା ଆଦୌ ଭଲ ନୁହେଁ । ତାହା ପବିତ୍ର ନୁହେଁ । ଶେଷରେ ଏହାର ଫଳ ଆଦୌ ଭଲହୁଏ ନାହିଁ ।

 

ବସାରେ ଆସି ପହଞ୍ଚି ଗୋଟାଏ ବଡ଼ ଲଫାପାର ଚିଠି ପାଇଲି । ଖୋଲି ଦେଖିଲି, ଚାକିରି ପାଇଁ ଦରଖାସ୍ତ ମୋର ମଞ୍ଜୁର ହୋଇଯାଇଛି । ସେଗୁନ ବିରାଟ କାଠ ବ୍ୟବସାୟୀ । ଅନେକ ଆବେଦନ ପରେ ସେ ଏଇ ଗରିବ ପ୍ରତି ପ୍ରସନ୍ନ ହୋଇଛନ୍ତି । ଭଗବାନ ତାହାର ମଙ୍ଗଳ କରନ୍ତୁ ।

 

ଚାକେରି ଜିନିଷ ସହିତ ମୂଳରୁ ପରିଚୟ ନଥିଲା, ସୁତରାଂ ପାଇଲେ ମଧ୍ୟ ସନ୍ଦେହ ରହିଲା ତାହା ବଜାୟ ରହିବ କି ନାହିଁ ? ମୋର ଯିଏ ‘‘ସାହେବ’’ ହେଲେ ସେ ଖାଣ୍ଟି ସାହେବ ହେଲେ ମଧ୍ୟ ଦେଖିଲି ବେଶ୍‌ ବଙ୍ଗଳା ଜାଣନ୍ତି । କାରଣ ସେ କଲିକତା ଅଫିସରୁ ବଦଳି ହୋଇ ବର୍ମାକୁ ଆସିଛନ୍ତି ।

 

ଦୁଇ ସପ୍ତାହ ଚାକିରି କରିବା ପରେ ଦିନେ ଡାକି କହିଲେ–ଶ୍ରୀକାନ୍ତ ବାବୁ ତୁମେ ଏଇ ଟେବୁଲରେ କାମ କର । ଦରମା ପ୍ରାୟ ଅଢ଼େଇଗୁଣ ଅଧିକା ପାଇପାରିବ ।

 

ପ୍ରକାଶ୍ୟରେ ଏବଂ ମନେମନେ ସାହେବଙ୍କୁ ଲକ୍ଷେ ଆଶୀର୍ବାଦ କରି ଭଙ୍ଗା ପୁରୁଣା ଟେବୁଲ ଛାଡ଼ି ଏକବାର ସବୁଜ ବନାତି ମୋଡ଼ା ଟେବୁଲଉପରେ କାମ କରିବାକୁ ଲାଗିଲି । ମନୁଷ୍ୟର ଯେତେବେଳେ ଭାଗ୍ୟ ଫେରେ ସେତେବେଳେ ଏହିପରି ପରିବର୍ତ୍ତନ ହୋଇଥାଏ । ଆମ ହୋଟେଲର ଦାଦା ଠାକୁର ସେଦିନ ନିହାତି ମିଛ କଥା କହିନଥିଲେ ।

 

ଗାଡ଼ିଭଡ଼ା କରି ଅଭୟାକୁ ଏଇ ସୁସମ୍ବାଦ ଦେବାପାଇଁ ଗଲି । ରୋହିଣୀବାବୁ ସେଇମାତ୍ର ଅଫିସରୁ ଫେରି ଜଳଖିଆ ଖାଇ ବସିଥିଲେ । ଆଜି କିନ୍ତୁ କେବଳ ପାଣି ପିଇ ତାଙ୍କର କ୍ଷୁଧାକୁ ନିବାରଣ କରିବାର ଦେଖିଲି ନାହିଁ । ବରଞ୍ଚ ଯାହା ସାହାଯ୍ୟରେ ସେ ନିଜର ଉଦର ପରିପୂର୍ଣ୍ଣ କରିବାରେ ଲାଗିଥିଲେ, ସେସବୁ ଦ୍ୱାରା ଉଦରପୂର୍ଣ୍ଣ କରିବା ପାଇଁ ସଂସାରରେ ଆଉ କାହାର ଆପତ୍ତି ରହିଲେ ରହିପାରେ କିନ୍ତୁ ମୋର ନଥିଲା । ତେଣୁ ଅଭୟା ପ୍ରସ୍ତାବରେ ଯେ ଅସମ୍ମତ ହୋଇପାରିଲି ନାହିଁ କହିବା ବାହୁଲ୍ୟ ମାତ୍ର । ଖାଇସାରିବା ପରେ ରୋହିଣୀବାବୁ ଦେହରେ ଜାମା ଗଳାଇବାକୁ ଲାଗିଲେ । ଅଭୟା କ୍ଷୁବ୍‌ଧ କଣ୍ଠରେ କହିଲା, ତୁମକୁ ସଦାବେଳେ କହୁଛି ରୋହିଣୀ ଭାଇ, ଏଭଳି ଦେହରେ ତୁମେ ଏତେ ପରିଶ୍ରମ କର ନାହିଁ । ଆଚ୍ଛା ବେଶୀ ଟଙ୍କା ରୋଜଗାର କଲେ ଆମର କ’ଣ ଅବା ହେବ ? ଏତିକିରେ ତ ବେଶ୍‌ ଚଳିଯାଇପାରୁଛେ ।

 

ରୋହିଣୀବାବୁଙ୍କ ଦୁଇଆଖି ଦେଇ ଯେପରି ସ୍ନେହ ଝରିବାକୁ ଲାଗିଲା । ତାପରେ ସାମାନ୍ୟ ହସିଦେଇ କହିଲେ, ଆଚ୍ଛା, ଆଚ୍ଛା, ସେ ସବୁ ହେବ । ଗୋଟାଏ ପୂଜାରୀ ପର୍ଯ୍ୟନ୍ତ ରଖିପାରୁ ନାହିଁ ଯାହାଫଳରେ ନିଆଁପାଖରେ ଦୁଇଓଳି ସିଝି ସିଝି ତୁମ ଦେହ ଯେ ଝଡ଼ିଗଲାଣି । ଏତିକି କହି କଳରେ ପାନ ଖଣ୍ଡିଏ ଜାକି ଘରୁ ବାହାରି ଚାଲିଗଲେ ।

 

ଅଭୟା ଗୋଟିଏ ନିଃଶ୍ୱାସ ଛାଡ଼ି ସାମାନ୍ୟ ହସିଦେଇ କହିଲା–ଦେଖନ୍ତୁ ତ ଶ୍ରୀକାନ୍ତବାବୁ ତାଙ୍କର ନ୍ୟାୟ । ସାରାଦିନ ହାଡ଼ଭଙ୍ଗା ଖଟଣି ପରେ ଘରକୁ ଆସି କେଉଁଠାରେ ଟିକିଏ ବସିବେ କ’ଣ ପୁଣି ରାତି ନଅଟା ପର୍ଯ୍ୟନ୍ତ ପିଲାଙ୍କୁ ଟିଉସନ୍‌ କରିବାକୁ ବାହାରିପଡ଼ିଲେଣି । ମୁଁ ଯେତେ କହିଲେ ସୁଦ୍ଧା ଆଦୌ ଶୁଣିବେ ନାହିଁ । ଆମ ଦୁଇଜଣଙ୍କ ରୋଷାଇ ପାଇଁ ବ୍ରାହ୍ମଣଟିଏ ରଖିବାର କ’ଣ ଅବା ଆବଶ୍ୟକ ? ସବୁଥିରେ ତାଙ୍କର ବଡ଼ଲୋକି ଚାଲ୍‌...କହି ସେ ଅନ୍ୟଆଡ଼େ ମୁହଁ ଫେରାଇନେଲା ।

 

ମୁଁ କେବଳ ନୀରବରେ ଅଳ୍ପ ହସିଲି । ହଁ କି ନାହିଁ ଜବାବ ଦେବାର ଆବଶ୍ୟକତା ମୁଁ ଅନୁଭବ କରିପାରିଲି ନାହିଁ । ଆମମାନଙ୍କର ବିଧାତା ପୁରୁଷଙ୍କର ଏପରି ପ୍ରଶ୍ନର ଉତ୍ତର ଦେବା ଉଚିତ୍‌ ଥିଲା କି ନାହିଁ ତାଙ୍କୁ ହିଁ ଜଣା ।

 

ଅଭୟା ଉଠିଯାଇ ଖଣ୍ଡିଏ ଚିଠି ଆଣି ମୋ ହାତରେ ଧରାଇଦେଲା । କେତେଦିନ ହେବ ବର୍ମା ରେଳ କମ୍ପାନୀ ଅଫିସରୁ ଏହା ଆସିଛି । ବଡ଼ ସାହେବ ଦୁଃଖର ସହିତ ଜଣାଇଛନ୍ତି ଯେ–ଅଭୟାର ସ୍ୱାମୀ ପ୍ରାୟ ଦୁଇବର୍ଷ ତଳେ ଗୋଟାଏ କିଛି ଗୁରୁତର ଅପରାଧ ଫଳରେ ଚାକିରିରୁ ଅବ୍ୟାହତି ନେଇଯାଇଛନ୍ତି । ସେ କେଉଁଠାରେ ରହିଛନ୍ତି ତାହା ତାଙ୍କୁ ଜଣାନାହିଁ ।

 

ଉଭୟ ବହୁ ସମୟ ପର୍ଯ୍ୟନ୍ତ ସ୍ତବ୍‌ଧ ହୋଇ ବସିରହିଲୁ । ଅବଶେଷରେ ଅଭୟା ହିଁ ପ୍ରଥମେ କଥା କହିବାକୁ ଯାଇ କହିଲା–ଏଥର ଆପଣ କ’ଣ ଉପଦେଶ ଦେଉଛନ୍ତି ?

 

ମୁଁ ଧୀରେ ଧୀରେ କହିଲି–ମୁଁ ଏଥିରେ କ’ଣ ଅବା ଉପଦେଶ ଦେଇପାରିବି ?

 

ଅଭୟା ମୁଣ୍ଡ ହଲାଇ କହିଲା–ନା, ସେ କଥା ହେବ ନାହିଁ । ଏପରି ଅବସ୍ଥାରେ ଆପଣଙ୍କୁ ହିଁ ଉପାୟ ସ୍ଥିର କରି ବତାଇ ଦେବାକୁ ହେବ । ଏ ଚିଠି ପାଇବା ସମୟରୁ ହିଁ ମୁଁ ଆପଣଙ୍କ ବାଟ ଚାହିଁ ବସି ରହିଛି ।

 

ମନେମନେ ଭାବିଲି–ଏ’ତ ବଡ଼ ବିଚିତ୍ର କଥା ! ସେ କ’ଣ ମୋ ଉପଦେଶ ନେଇ ଘରୁ ବାହାରିପଡ଼ିଥିଲେ ଯେ ମୋ ଉପଦେଶ ପାଇଁ ବାଟ ଚାହିଁ ବସିରହିଛନ୍ତି ।

 

ମୁଁ ପଚାରିଲି–ଘରକୁ ଫେରିଯିବା ବିଷୟରେ ଆପଣଙ୍କର ମତ କ’ଣ ?

 

: କିଛି ନାହିଁ । କହିଲେ–ଫେରିଯାଇପାରିବି । କିନ୍ତୁ ମୋର ତ ସେଠାରେ କେହି ନାହାଁନ୍ତି-

 

: ରୋହିଣୀବାବୁ କ’ଣ କହୁଛନ୍ତି ?

 

: ସେ କହୁଛନ୍ତି, ସେ ଗାଆଁକୁ ଆଦୌ ଫେରିଯିବେ ନାହିଁ । ଅନ୍ତତଃ ଦଶବର୍ଷ ଭିତରେ ନୁହେଁ ।

 

ପୁଣି ବହୁ ସମୟ ଧରି ନୀରବ ହୋଇ ରହିବା ପରେ କହିଲି–ସେ କ’ଣ ସଦାବେଳ ପାଇଁ ତୁମର ଭାର ଗ୍ରହଣ କରିପାରିବେ ?

 

: ପର ମନର କଥା କିପରି ଜାଣିବି କହିଲେ ? ତା’ ଛଡ଼ା ସେ ନିଜେ ଅବା ଜାଣିବେ କିପରି ? କହିଦେଇ କ୍ଷଣ କାଳ ଚୁପ ରହି ପୁଣି କହିବାକୁ ଲାଗିଲା–ଗୋଟାଏ କଥା ଅଛି । ସେ ମୋପାଇଁ ଏତେ ଟିକିଏ ହେଲେ ଦାୟୀ ନୁହନ୍ତି । ଦୋଷ କହନ୍ତୁ କିମ୍ବା ଭୁଲ୍ କହନ୍ତୁ ସେ ସବୁ ଏକା ମୋର ।

 

ଗାଡ଼ିବାଲା ବାହାରୁ ଥାଇ ବଡ଼ପାଟି କରି ଡାକ ଛାଡ଼ିଲା–ବାବୁ ଆଉ କେତେ ଡେରିହେବ ?

 

ମୁଁ ଯେପରି ରକ୍ଷା ପାଇଗଲି । ଏଇ ଅବସ୍ଥା ଭିତରେ ପରିତ୍ରାଣ ପାଇଁ କୌଣସି ଉପାୟ ଖୋଜି ପାଇପାରୁନଥିଲି । ଅଭୟା ସେ ବାସ୍ତବିକ ଅକୂଳ ସାଗରରେ ପଡ଼ି ଉବୁଟୁବୁ ହେଉଛି; ତାହା ବିଶ୍ୱାସ କରିବାକୁ ମୋ ମନ ଚାହୁଁନଥିଲା ଯେହେତୁ ନାରୀମାନଙ୍କର ଏତେ ଓଲଟପାଲଟ ଅବସ୍ଥା ମୁଁ ଜୀବନରେ ଦେଖିପାରିଛି ତେଣୁ ସେ ଦୁଇଟା ଚକ୍ଷୁର ଦୃଷ୍ଟିକୁ ବିଶ୍ୱାସ କରିବା ମୋର ଭୁଲ୍ ହେବ ବୋଲି ନିଃସନ୍ଦେହରେ ବୁଝିପାରିଥିଲି ।

 

ଗାଡ଼ିବାଲାର ପୁନଶ୍ଚ ଆହ୍ୱାନ ଫଳରେ ଆଉ ମୁଁ ମୁହୂର୍ତ୍ତେ ସୁଦ୍ଧା ବିଳମ୍ବ ନ କରି ଉଠି ଠିଆହୋଇ କହିଲି–ମୁଁ ଶୀଘ୍ର ଏ ଭିତରେ ଦିନେ ଆସିବି । ଏତିକି କହି ତରତର ହୋଇ ମୁଁ ସେଠାରୁ ବାହାରିଆସିଲି ।

 

ଅଭୟା କୌଣସି କଥା ନକହି କେବଳ ନିଶ୍ଚଳ ହୋଇ ତଳକୁ ମୁହଁ ପୋତି ବସି ରହିଲା-

 

ଗାଡ଼ିରେ ଆସି ବସିବା କ୍ଷଣି ଗାଡ଼ି ଛାଡ଼ିଦେଲା । କିନ୍ତୁ ଦଶହାତ ନଯାଉଣୁ ମନେପଡ଼ିଲା ଯେ ବାଡ଼ିଟା ସେଠାରେ ଛାଡ଼ିଦେଇ ଆସିଛି । ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇ ଫେରି ଘରେ ପହଞ୍ଚିବା କ୍ଷଣି ଆଖିରେପଡ଼ିଲା–ଠିକ୍‌ ଦ୍ୱାରବନ୍ଧ ଆଗରେ ଅଭୟା ଚିତ୍‌ ହୋଇପଡ଼ି ଶରବିଦ୍ଧ ପଶୁଭଳି ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହୋଇ ଯେପରି ପ୍ରାଣ ବିସର୍ଜନ କରିବାରେ ଲାଗିଛି ।

 

କିପରି ଭାବରେ ତାକୁ ଯେ ସାନ୍ତ୍ୱନା ଦେବି ସେ କଥା ଭାବି ସ୍ଥିର କରିପାରିଲି ନାହିଁ । କେବଳ ବଜ୍ରାହତ ଭଳି କିଛି ସମୟ ଠିଆହୋଇ ରହି ପୁଣି ସେଇପରି ନୀରବରେ ଫେରିଆସିଲି । ଅଭୟା ଯେପରି କାନ୍ଦୁଥିଲା, ସେହିପରି କାନ୍ଦିବାରେ ଲାଗିଲା । ଥରକ ପାଇଁ ଜାଣିପାରିଲି ନାହିଁ ଯେ ତାହାର ଏହି ନିଗୁଢ଼ ଅପରିସୀମ ବେଦନାର ଜଣେ ନିର୍ବାକ ସାକ୍ଷୀ ଏ ଜଗତରେ ବିଦ୍ୟମାନ ରହିଲା ବୋଲି ।

 

ରାଜଲକ୍ଷ୍ମୀର ଅନୁରୋଧକୁ ମୁଁ ଭୁଲି ଯାଇନଥିଲି । ପାଟନାରୁ ଖଣ୍ଡେ ଚିଠି ପଠାଇବାର ଥିଲା । ଆସିବା ପର୍ଯ୍ୟନ୍ତ ସେ କଥା ମନେଥିଲା । କିନ୍ତୁ ଏଣେ ସଂସାରରେ କେତେ ତ ଜଞ୍ଜାଳ ଅଛି; ତଥାପି ଚିଠି ଲେଖିବାକୁ କମ୍‌ ଗୁରୁତ୍ୱ ଦେଇନଥିଲି । ତାପରେ ତା’ ପାଖକୁ କ’ଣ ଅବା ଲେଖିଥାନ୍ତି-? ଆଜି କିନ୍ତୁ ଅଭୟାର କାନ୍ଦ ମୋ ମନରେ ଏପରି କରୁଣତା ଭରିଦେଇଥିଲା ଯେ ସେଥିରୁ କିଛି ଅଂଶ ବାହାର କରି ନ ଦେଲେ ଯେପରି ବଞ୍ଚିପାରିବି ନାହିଁ, ଏପରି ମନେହେବାକୁ ଲାଗିଲା-। ସେଥିପାଇଁ ବସାରେ ପହଞ୍ଚିବା ମାତ୍ରେ କାଗଜ କଲମ ଧରି ବାଈଜୀ ପାଖକୁ ଚିଠି ଲେଖିବାକୁ ବସିପଡ଼ିଲି । ଆଉ ତା’ ବ୍ୟତୀତ ମୋ ହୃଦୟର ବ୍ୟଥାରେ ଅଂଶଗ୍ରହଣ କରିବା ପାଇଁ ସଂସାରରେ ଅବା କିଏ ଅଛି ? ଦୁଇ ତିନି ଘଣ୍ଟା ସାହିତ୍ୟ ଚର୍ଚ୍ଚା ପରେ ଯେତେବେଳେ କଲମ ରଖିଲି ସେତେବେଳକୁ ରାତି ବାରଟା ବାଜିଯାଇଛି । କିନ୍ତୁ କାଳେ ସକାଳ ବେଳାର ଦିନ ଆଲୁଅରେ ଏ ଚିଠି ପଠାଇବାକୁ ଲଜ୍ଜ୍ୟାବୋଧ କରିପାରେ ସେଥିପାଇଁ: ମିଞ୍ଜାଜ୍‌ ଗରମ ଥାଉ ଥାଉ ସେହି ରାତିରେ ଡାକ ବାକ୍‌ସରେ ପକାଇଦେଇ ଆସିଲି ।

 

ଜଣେ ଭଦ୍ର ନାରୀର ନିଦାରୁଣ ବେଦନାର ଗୋପନ ଇତିହାସ ଆଉ ଜଣେ ରମଣୀ ନିକଟରେ ପ୍ରକାଶ କରିବାଟା ଠିକ୍‌ କି ନାହିଁ ଏଭଳି ସନ୍ଦେହ ମୋର ଥିଲା, କିନ୍ତୁ ଅଭୟାର ଏହି ପରମ ଓ ଚରମ ସଂକଟ ବେଳେ ରାଜଲକ୍ଷ୍ମୀ, ଯେ କି ଦିନେ ପିଆରୀ ବାଈର ମର୍ମାନ୍ତିକ ତୃଷ୍ଣା ମଧ୍ୟ ଦମନ କରିପାରିଥିଲା ସେ କ’ଣ ହିତୋପଦେଶ ଦେଉଛି ତାହା ଜାଣିବାର ଆକାଂକ୍ଷା ମୋତେ ଅତିଷ୍ଠ କରିପକାଇଲା । କିନ୍ତୁ ଆଶ୍ଚର୍ଯ୍ୟ କଥା ଏଇ ଯେ, ପ୍ରଶ୍ନଟା ଅପର ଦିଗରୁ ଆଦୌ ଥରକ ପାଇଁ ବିଚାର କରିପାରିଲି ନାହିଁ । ଅଭୟାର ସ୍ୱାମୀଙ୍କ ପତ୍ତା ନ ମିଳିବା ହେତୁ ସମସ୍ୟାର ଜଟିଳତା ବାରମ୍ବାର ମନେପଡ଼ିବାକୁ ଲାଗିଲା । କିନ୍ତୁ ପତ୍ତା ମିଳିଗଲା ପରେ ଯେ ସମସ୍ୟା ଆହୁରି ଜଟିଳତର ହୋଇଉଠିପାରେ ଏ କଥା କିନ୍ତୁ ଥରକ ପାଇଁ ମନରେ ଉଦୟ ହୋଇପାରିଲା ନାହିଁ । ଆଉ ଏ ଗଣ୍ଡଗୋଳ ଆବିଷ୍କାର କରିବାର ଭାରଟା ବିଧାତା ପୁରୁଷ ଯେ ମୋ ପାଇଁ ନିର୍ଦ୍ଦିଷ୍ଟ କରି ରଖିଥିଲେ, ତାହା ଅବା କିଏ ଭାବିଥିଲା ! ଚାରି ପାଞ୍ଚଦିନ ପରେ ଆମ ଅଫିସର ଜଣେ ବର୍ମା କିରାଣି ମୋ ଟେବୁଲ ଉପରେ ଗୋଟିଏ ଫାଇଲ ରଖିଦେଇ ଗଲା । ଉପରେ ନୀଳ ପେନ୍‌ସିଲରେ ସାହେବଙ୍କର ମନ୍ତବ୍ୟ ଲେଖା ଅଛି । ସେ କେଶ୍‌ଟାକୁ ମୋତେ ନିଷ୍ପତ୍ତି କରିବାକୁ ହୁକୁମ ଦେଇଛନ୍ତି । ମୂଳରୁ ଶେଷ ଯାଏଁ ଫାଇଲଟା ପଢ଼ି ଘଟଣା କ’ଣ ଜାଣିପାରି ଏକବାର ସ୍ତମ୍ଭିତ ହୋଇଉଠିଲି, ଘଟଣାଟି ସଂକ୍ଷେପରେ ହେଉଛି : –

 

ଆମ ପ୍ରୋମ ଅଫିସର ଜଣେ କିରାଣିକୁ ସେଠିକାର ମ୍ୟାନେଜର କାଠ ଚୋରି ଅଭିଯୋଗରେ ସସ୍‌ପେଣ୍ଡ କରିଛନ୍ତି । କିରାଣିର ନାଆଁ ଦେଖି ବୁଝିପାରିଲି ଯେ ଏଇ ହିଁ ହେଉଛି ଅଭୟାର ସ୍ୱାମୀ । ତାଙ୍କର ମଧ୍ୟ ଚାରି ପାଞ୍ଚଖଣ୍ଡ କୈଫିୟତ ଯୋଡ଼ା ହୋଇଥିଲା । ବର୍ମା ରେଲୱେରୁ ତାହାର ଯେ ଚାକିରି କୌଣସି ଗୁରୁତର ଅପରାଧରେ ଚାଲି ଯାଇଥିଲା ଏହା ଜାଣିବାକୁ ବିଳମ୍ବ ଲାଗିଲା ନାହିଁ । କିଛି ସମୟ ପରେ ସେ କିରାଣି ଆସି କହିଲେ ଯେ ଜଣେ ଭଦ୍ରବ୍ୟକ୍ତି ମୋ ସହିତ ଦେଖାକରିବାକୁ ଅପେକ୍ଷା କରିଛନ୍ତି । ଏଥିପାଇଁ ମୁଁ ପ୍ରସ୍ତୁତ ହୋଇସାରିଥିଲି-। ନିଶ୍ଚିତ ଭାବରେ ଅନୁମାନ କରିଥିଲି ଯେ କେଶର ତଦ୍‌ବିର କରିବାକୁ ପ୍ରୋମରୁ ସେ ସ୍ୱୟଂ ଆସି ଦିନେ ପହଞ୍ଚିବେ । ସୁତରାଂ କେତେ ମିନିଟ୍‌ ପରେ ଭଦ୍ରଲୋକ ଯେତେବେଳେ ସ୍ୱଶରୀରରେ ଆସି ଦେଖାଦେଲେ ସେତେବେଳେ ଅନାୟାସରେ ଚିହ୍ନିପାରିଲି ଯେ ଏହି ହିଁ ଅଭୟାର ସ୍ୱାମୀ-। ଲୋକଟିକୁ ଦେଖିବା କ୍ଷଣି ସାରା ଦେହ ମୋର ଘୃଣାରେ କଣ୍ଟକିତ ହୋଇଉଠିଲା । ହ୍ୟାଟ୍‌–କୋଟ ପିନ୍ଧିଥାଏ ସତ କିନ୍ତୁ ସେଗୁଡ଼ାକ ଯେତିକି ପୁରୁଣା ସେତିକି ଅପରିଷ୍କାର । କଳା ମୁହଁ ସାରା ଦାଢ଼ିରେ ପରିପୂର୍ଣ୍ଣ । ତା’ ଉପରେ ଏତେ ପାନ ଖାଇଥାଏ ଯେ ପାନ ପିକ ଦୁଇକଳରେ ବୋହିଆସି ବୋର ବସିଯାଇଥାଏ । କଥା କହିଲେ ଡରମାଡ଼େ । କାଳେ ଦେହରେ ପିକ ପଡ଼ିଯିବ କି-?

 

ପତି: ନାରୀର ଦେବତା । ତା’ର ଇହକାଳ ଆଉ ପରକାଳ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏଇ ଇତର ଲୋକଟା ପାଖରେ ଅଭୟାକୁ କଳ୍ପନା କରିବାକୁ ମନ ଯେପରି କୁଣ୍ଠିତ ହୋଇଉଠିଲା । ଅଭୟା ଆଉ ଯାହା ହୋଇପାରେ କିନ୍ତୁ ସେ ସୁଶ୍ରୀ ଏବଂ ମାର୍ଜିତ ରୁଚିର ଭଦ୍ର ମହିଳା । କିନ୍ତୁ ଏଇ ଅରଣା ମଇଁଷିଟା ବର୍ମାର କେଉଁ ଜଙ୍ଗଲରୁ ବାହାରିଆସିଲା ସେ କଥା ତାହାକୁ ସୃଷ୍ଟି କରିଥିବା ଦେବତା ହିଁ କେବଳ କହିପାରିବେ ।

 

ତାଙ୍କୁ ବସିବାକୁ ନିର୍ଦ୍ଦେଶ କରି ପଚାରିଲି–ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ କ’ଣ ସତ୍ୟ ?

 

ଉତ୍ତର ଦେବାକୁ ଯାଇ ଲୋକଟା ଅନର୍ଗଳ ଦଶ ମିନିଟ୍‌ ଧରି ବକି ଚାଲିଲା । ତାହାର ଭାବାର୍ଥ ଏଇ ଯେ ସେ ସଂପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ସେ ରହିବାରୁ ପ୍ରୋମ ଅଫିସର ମ୍ୟାନେଜର ଦୁଇହାତରେ ଲୁଟ୍‌ କରିପାରିଲେ ନାହିଁ ବୋଲି ଆକ୍ରୋଶରେ ଏପରି ଅଭିଯୋଗ କରିଛନ୍ତି । କୌଣସି ମତେ ତାକୁ ସେଠାରୁ ବିଦା କରି ନିଜେ ଜଣେ ଲୋକକୁ ଭର୍ତ୍ତି କରିବା ପାଇଁ ତାଙ୍କର ଏହି ଚକ୍ରାନ୍ତ । ମୁଁ ତା’ କଥାରେ ଏତେ ଟିକିଏ ସୁଦ୍ଧା ବିଶ୍ୱାସ କଲି ନାହିଁ । କହିଲି–ଏ ଚାକେରି ଚାଲିଗଲେ ଅବା ତୁମର କ’ଣ ବିଶେଷ କ୍ଷତି ଘଟିବ କି ? ତୁମ ଭଳି କର୍ମଦକ୍ଷ ଲୋକର ବର୍ମା ମୁଲକରେ ଭାବନା ଅବା କ’ଣ ? ରେଲୱେର ଚାକିରି ଚାଲିଯିବା ପରେ କେତେଦିନ ଅବା ତୁମକୁ ବେକାର ହୋଇ ବସି ରହିବାକୁ ହୋଇଥିଲା ଯେ ?

 

ଲୋକଟି ଇତସ୍ତତଃ ହୋଇ କହିଲା–ଯାହା କହିଲେ ତାକୁ ତ ମିଛ ବୋଲି କହିପାରୁ ନାହିଁ । କିନ୍ତୁ କ’ଣ ଜାଣନ୍ତି ଆଜ୍ଞା; ମୁଁ ହେଉଛି ଫ୍ୟାମିଲି ମ୍ୟାନ । ଅନେକ ଗୁଡ଼ିଏ ପିଲା ଝିଲା....

 

: ଆପଣ କ’ଣ ବର୍ମା ମୁଲକର ଝିଅ ବିବାହ କରିଛନ୍ତି କି ?

 

ଲୋକଟା ହଠାତ୍‌ ଚଟି ଯାଇ କହିଲା–ସାହେବ ବେଟା ଏଇ କଥା ବୋଧହୁଏ ରିପୋର୍ଟ କରିଛି ? ଏଇଥିରୁ ବୁଝିପାରିବେ ସେ ଶଳାର ରାଗ, କହି ମୋ ମୁହଁକୁ ଚାହିଁ କଣ୍ଠସ୍ୱର ଆହୁରି ନରମ କରି କହିଲା–ଆପଣ କ’ଣ ଏକଥା ବିଶ୍ୱାସ କରୁଛନ୍ତି ?

 

ମୁଁ ମୁଣ୍ଡ ହଲାଇ କହିଲି–ସେଥିରେ ଅବା ଦୋଷ କ’ଣ ?

 

ଲୋକଟା ଉତ୍ସାହିତ ହୋଇ କହିଲା–ଯାହା କହିଲେ ଆଜ୍ଞା, ତା’ ସତ । ସେଥିପାଇଁ ପରା ମୁଁ ସମସ୍ତଙ୍କୁ କହେ ଯାହା କରିବ ତାକୁ ବୋଲ୍‍ଡଲି ସ୍ୱୀକାର କରିବ । ମୋର ସେଥିପାଇଁ ଭିତରେ ଗୋଟାଏ କଥା ବାହାରେ ଗୋଟାଏ କଥା ନାହିଁ । ମୁଁ ପୁରୁଷ ଲୋକ । ଯାହା କହିବି ତାହା ସ୍ପଷ୍ଟ କରି କହିବି । ମୋର ଦେଶରେ (ଅର୍ଥାତ୍‌ ଗାଆଁରେ) କେହିନାହାନ୍ତି । ଆଉ ଏଠାରେ ଯେତେବେଳେ ଚାକିରି କରି ଚିରକାଳ ଖାଇପିଇ ବଞ୍ଚି ରହିବାକୁ ପଡ଼ିବ....ବୁଝିଲେ ନା ଆଜ୍ଞା ।

 

ମୁଁ ମୁଣ୍ଡ ହଲାଇ କହିଲି–ସବୁ ବୁଝିପାରିଲି । ଆପଣଙ୍କ ଗାଆଁରେ କ’ଣ କେହିନାହାନ୍ତି ?

 

ଲୋକଟା ଅମ୍ଳାନ ମୁହଁରେ କହିଲା–ଆଜ୍ଞା ନାହିଁ । କେହି କେଉଁଠାରେ ନାହାନ୍ତି । କାକସ୍ୟ ପରି ବେଦନା । ଥିଲେ କ’ଣ ଏଇ ଦେଶରେ ପଡ଼ି ରହିଥାନ୍ତି ? ଆଜ୍ଞା, କହିଲେ ବିଶ୍ୱାସ କରିବେ ନାହିଁ, ମୁଁ ଏପରି ସେପରି ଘରର ପିଲା ନୁହେଁ । ଆମେମାନେ ମଧ୍ୟ ଜମିଦାର ଥିଲୁ । ଏବେବି ଆପଣଙ୍କ ଆଖି ଗାଆଁରେ ଆମ ଘରକୁ ଚାହିଁଲେ ଲାଖି ରହିବ । କିନ୍ତୁ ମୋତେ ଅଳ୍ପ ବୟସ ହୋଇଥିଲାବେଳେ ସମସ୍ତେ ମରିହଜି ଗଲେ । ସେଥିପାଇଁ ମନେମନେ ଭାବିଲି ବିଦେଶରେ ରହିବା ଭଲ । ଏ ବିଷୟ ସମ୍ପତ୍ତି କାହା ପାଇଁ ? ତେଣୁ ସବୁ ସମ୍ପତ୍ତିକୁ ଜ୍ଞାତିକୁଟୁମ୍ବଙ୍କୁ ବାଣ୍ଟିଦେଇ ବର୍ମାକୁ ଚାଲିଆସିଲି ।

 

ଅଳ୍ପ ସମୟ ନୀରବ ରହି ମୁଁ ପ୍ରଶ୍ନ କଲି–ଆପଣ ଅଭୟାକୁ ଜାଣନ୍ତି ?

 

ଲୋକଟା ଯେପରି ଚମକିଉଠିଲା । କିଛି ସମୟ ଗମ୍ଭୀର ହୋଇ ରହି ପଚାରିଲା–ଆପଣ ତାକୁ କିପରି ଜାଣିଲେ ?

 

: ଏପରି ହୋଇଥାଇପାରେ ଯେ ସେ ଆପଣଙ୍କୁ ଖୋଜି ଖୋଜି ଏଠାରେ ଆସି ପହଞ୍ଚି ଖାଇବାକୁ ନପାଇ ଏ ଅଫିସକୁ ଚାକିରି ପାଇଁ ଦରଖାସ୍ତ କରିପାରିଥାଏ ।

 

ଲୋକଟା ଅପେକ୍ଷାକୃତ ପ୍ରଫୁଲ୍ଲ କଣ୍ଠରେ କହିଲା–ଆଜ୍ଞା, ତାହା ବି ହୋଇପାରେ । ଦିନେ ସେ ମୋ ସ୍ତ୍ରୀ ଥିଲା ସତ ।

 

: ବର୍ତ୍ତମାନ ?

 

: କେହି ନୁହେଁ । ତାକୁ ଛାଡ଼ପତ୍ର ଦେଇ ଆସିଛି ।

 

: ତା’ର ଅପରାଧ ?

 

ଲୋକଟା ବିମର୍ଷତାର ଛଳନା କରି କହିଲା–ଫ୍ୟାମିଲି ସିକ୍ରେଟ କହିବା ଉଚିତ୍‌ ନୁହେଁ ଆଜ୍ଞା । କିନ୍ତୁ ଆପଣ ଯେତେବେଳେ ମୋର ଆତ୍ମୀୟ ହୋଇସାରିଲେଣି ସେତେବେଳେ କହିବାକୁ ଲଜ୍ଜ୍ୟା ନାହିଁ ଯେ, ସେ ଗୋଟାଏ ନଷ୍ଟ ଚରିତ୍ରର ସ୍ତ୍ରୀଲୋକ । ତାରି ପାଇଁ ଘୃଣାରେ ମୁଁ ତ ଦେଶତ୍ୟାଗୀ ହେଲି । ନ ହେଲେ ଏପରି ଦେଶକୁ ଆସିବାକୁ କିଏ କ’ଣ ସୁଖ ପାଏ ? ଆପଣ କହନ୍ତୁ ନା–ଏ ମନର ଘୃଣା କ’ଣ କମ୍‌ କଥା ?

 

କ’ଣ ଉତ୍ତର ଦେବି ଏଇ କଥା ଭାବି ଲାଜରେ ମୋ ମୁଣ୍ଡ ତଳକୁ ହୋଇଗଲା । ଆରମ୍ଭରୁ ଏ ଲୋକଟା ଯେ ମିଥ୍ୟାବାଦୀ ଏବଂ ସେ କହିଥିବା କୌଣସି କଥାକୁ ମୁଁ ଯେ ବିଶ୍ୱାସ କରିନଥିଲି କିନ୍ତୁ ବର୍ତ୍ତମାନ ନିଃସଂଶୟ ଭାବରେ ବୁଝିପାରିଲି ଯେ ଲୋକଟା ଯେପରି ମିଥ୍ୟାବାଦୀ, ସେହିପରି ନୀଚ ଆଉ ନିଷ୍ଠୁର ।

 

ଅଭୟା ବିଷୟରେ ମୁଁ କିଛି ଜାଣେ ନାହିଁ । କିନ୍ତୁ ତଥାପି ଶପଥ କରି କହିପାରେ ଯେଉଁ ଅପବାଦ ସ୍ୱାମୀ ହୋଇ ଏହି ପାଷାଣ୍ଡ ନିଃସଙ୍କୋଚରେ ଦେଇପାରିଲା ପର ହୋଇ ସୁଦ୍ଧା ମୁଁ ତାହା ଉଚ୍ଚାରଣ କରିପାରିବି ନାହିଁ । କିଛି ସମୟ ପରେ ଫାଇଲରୁ ମୁହଁ ଉଠାଇ କହିଲି–ତା’ର ଏଇ ଅପରାଧ କଥା ଆସିଲାବେଳେ ତାକୁ ତ କହି ଆସିଲେ ନାହିଁ ? ଏଠାକୁ ଆସିବା ପରେ କିଛିଦିନ ଧରି ଟଙ୍କା କଉଡ଼ି, ଚିଠିପତ୍ର ସବୁ ପଠାଉଥିଲେ ତ ? ସେତେବେଳେ ହେଲେ ତ ଲେଖି ଜଣାଇ ପାରିଥାନ୍ତେ ?

 

ମହାପାପୀଷ୍ଠ ସ୍ୱଚ୍ଛନ୍ଦରେ ତା’ର ସ୍ଥୂଳ ଓଷ୍ଠାଧରକୁ ହାସ୍ୟଦ୍ୱାରା ବିଷ୍ଫାରିତ କରି କହିଲା–ଏ ଦେଖନ୍ତୁ ଆଜ୍ଞା ଜାଣନ୍ତି ମୁଁ ଭଦ୍ରଲୋକ । ସବୁ କଥା ନୀରବରେ ସହ୍ୟ କରିପାରେ କିନ୍ତୁ ଛୋଟ ଲୋକଙ୍କ ଭଳି ନିଜ ସ୍ତ୍ରୀର କଳଙ୍କ ତ ଡେଙ୍ଗୁରା ପିଟି ପ୍ରଚାର କରିପାରିବି ନାହିଁ । ଥାଉ ଆଜ୍ଞା, ସେ କଥା ସେତିକିରେ ବନ୍ଦ କରନ୍ତୁ । ଏସବୁ ଇତର ସ୍ତ୍ରୀଲୋକଙ୍କ କଥା ତୁଣ୍ଡରେ ଧରିଲେ ପାପ । ତାହାହେଲେ ମୋ କେଶ୍‌ଟା ଆପଣ ଡିସ୍‌ପୋଜଡ଼୍‌ କରିବେ ? ଯାହାହେଉ, ବଞ୍ଚିଗଲି । ତଥାପି କହି ରଖୁଛି; ସାହେବଟାକୁ ଏପରି ଏପରି ଛାଡ଼ିଦେବେ ନାହିଁ । ବେଶ୍‌ ଏପରି ମନ୍ତବ୍ୟ ଲେଖି ଛାଡ଼ିଦେବେ ଯେ ପୁଅ ଯେପରି ଆଉ କେବେ ମୋ ପଛରେ ଲାଗିବାକୁ ସାହସ କରିବ ନାହିଁ । ମୋର ମଧ୍ୟ ବ୍ୟାକିଙ୍ଗ୍‌ ଅଛି ଏଇଟା ଯେପରି ମନେରଖିବେ । ଆଚ୍ଛା; ମୁଁ କହୁଥିଲି କି ସେଇ ହାରାମଜାଦାଟାକୁ ହେଡ଼ ଅଫିସକୁ ଟାଣି ଆଣି ପାରିବେ ନାହିଁ ?

 

ମୁଁ କହିଲି–ନା ।

 

ଲୋକଟା ହସି ହସି ମୋ ଆଗକୁ ଟିକିଏ ଫାଇଲଟା ଠେଲିଦେଇ କହିଲା–ଏଇ ଥଟ୍ଟାକୁ ରଖିଦିଅନ୍ତୁ । ସାହେବ ଯେ ଆପଣଙ୍କ ମୁଠା ଭିତରେ ସେ ଖବର କ’ଣ ମୁଁ ନ ନେଇଆସିଛି ? ହଉ ସେ ନ ଆସିଲେ ନ ଆସୁ । କିନ୍ତୁ ସେ ଯେପରି ଭବିଷ୍ୟତରେ ମୋ ସଙ୍ଗେ ଆଉ ନ ଲାଗେ ସେତିକିର ବ୍ୟବସ୍ଥା କରିଦେବେ । ଆଜ୍ଞା ବଡ଼ ସାହେବଙ୍କ ପାଖରୁ ଏଇ ଅର୍ଡ଼ରଟା ପାଶ୍‌ କରାଇ ମୋତେ ହାତେ ହାତେ ଆଜି ଦେଇହେବ ନାହିଁ ? ତାହାହେଲେ ନଅଟା ଗାଡ଼ିରେ ଚାଲି ଯାଇଥାଆନ୍ତି । ରାତିଟା ଆଉ କଷ୍ଟ ପାଇବାକୁ ହେଇନଥାନ୍ତା । କ’ଣ କହୁଛନ୍ତି ଆଜ୍ଞା ?

 

ହଠାତ୍‌ ଉତ୍ତର ଦେଇପାରିଲି ନାହିଁ । କାରଣ ଖୋସାମତ୍‌ ଜିନିଷଟା ଏପରି ଯେ; ସମସ୍ତ ଦୂରଭିସନ୍ଧି ଜାଣି ବୁଝି ମଧ୍ୟ କଷ୍ଟ ଦେବାକୁ ଦୁଃଖଲାଗେ । ଓଲଟା କଥାଟା କହିବାକୁ ଯେପରି ଥତମତ ହେଲି । କିନ୍ତୁ କଥାଟା ମୋ ବାଧା ମାନିଲା ନାହିଁ । ନିଜକୁ ଖୁବ୍‌ ଶକ୍ତ କରି କହିପକାଇଲି–ବଡ଼ ସାହେବଙ୍କ ହୁକୁମ ହାତେ ହାତେ ନେଇ ଆପଣଙ୍କର କିଛି ଲାଭ ହେବ ନାହିଁ । ଆପଣ ଅନ୍ୟତ୍ର କେଉଁଠାରେ ଚାକିରି ପାଇଁ ଚେଷ୍ଟା କରନ୍ତୁ ।

 

ମୁହୂର୍ତ୍ତକ ଭିତରେ ଲୋକଟା ଯେପରି କାଠ ପାଲଟି ଗଲା । କିଛି ସମୟ ପରେ କହିଲା–ତା’ମାନେ ?

 

: ଅର୍ଥାତ୍‌ ମୁଁ ଆପଣଙ୍କୁ ଡିସ୍‌ମିସ୍‌ କରିବା ପାଇଁ ନୋଟ୍‌ ଲେଖିଦେବି । ମୋଦ୍ୱାରା ଆପଣଙ୍କର କୌଣସି ଉପକାର ହେବ ନାହିଁ ।

 

ସେ ଉଠି ଠିଆ ହୋଇଥିଲା, ସଙ୍ଗେ ସଙ୍ଗେ ବସିପଡ଼ିଲା । ତା’ ଆଖିଦୁଇଟା ଛଳଛଳ କରିବାକୁ ଲାଗିଲା । ହାତଯୋଡ଼ି କହିଲା–ବଙ୍ଗାଳୀ ହୋଇ ବଙ୍ଗାଳୀକୁ ମାରିଦେବେ ନାହିଁ; ଆଜ୍ଞା । ପିଲାପିଲି ଧରି ମୁଁ ମରିଯିବି ବାବୁ ।

 

: ସେ ସବୁ ବିଚାର କରିବା ମୋର କର୍ତ୍ତବ୍ୟ ନୁହେଁ । ଆପଣଙ୍କୁ ଯେପରି ଚିହ୍ନେ ନାହିଁ, ସେହିପରି ଆପଣଙ୍କ ସାହେବ ବିରୁଦ୍ଧରେ ମୁଁ ଯାଇପାରିବି ନାହିଁ ।

 

ଲୋକଟା ଏକ ଦୃଷ୍ଟିରେ ମୋତେ ଚାହିଁ ରହି ଜାଣିପାରିଲା ଯେ କଥାଟା ଆଦୌ ପରିହାସ ନୁହେଁ । ଆହୁରି କିଛି ସମୟ ନୀରବ ହୋଇ ରହିଲା । ତାପରେ ହଠାତ୍‌ ସେ ଭୋ ଭୋ ହୋଇ କାନ୍ଦିଉଠିଲା । କିରାଣି ପିଅନ ଯିଏ ଯେଉଁଠାରେ ଥିଲେ ଏପରି ଅଭାବନୀୟ ପରିସ୍ଥିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଉଠିଲେ । ମୁଁ ନିଜେ ମଧ୍ୟ ନିଜକୁ ଲଜ୍ଜିତ ମନେକଲି । ତାକୁ ବନ୍ଦ ହେବାକୁ କହି ପୁଣି କହିଲି–ଅଭୟା ତୁମପାଇଁ ବର୍ମାରେ ଆସି ପହଞ୍ଚିଛି । ଦୁଃଶ୍ଚରିତ୍ରା ସ୍ତ୍ରୀକୁ ଆପଣ ଗ୍ରହଣ କରିବାକୁ ଅବଶ୍ୟ ମୁଁ କହୁନାହିଁ । କିନ୍ତୁ ଆପଣଙ୍କ ସମସ୍ତ କଥା ଶୁଣି ଯେ ଯଦି ସାଫ୍‌ କରେ ଏବଂ ଏଥିପାଇଁ ତାଠାରୁ ଯଦି ଲେଖା ଆଣିପାରନ୍ତି ତେବେ ଆପଣଙ୍କ ଚାକିରି ରଖିବା ପାଇଁ ହୁଏତ ମୁଁ ଚେଷ୍ଟା କରିପାରେ । ନଚେତ୍‌ ମୋ ସହିତ ଦେଖାକରିବେ ନାହିଁ । ମୁଁ ଆଦୌ ମିଛ କଥା କହୁନାହିଁ ।

 

ଏଇ ନୀଚ ପ୍ରକୃତିର ଲୋକ ଗୁଡ଼ାକ ଯେ ଅତ୍ୟନ୍ତ ଭୀରୁ ହୁଅନ୍ତି ତାହା ମୋତେ ଜଣା । ସେ ଆଖି ପୋଛି କହିଲା–ସେ କେଉଁଠାରେ ଅଛି ?

 

: କାଲି ଏତିକିବେଳେ ଆସିଲେ ତା’ ଠିକଣା କହିଦେବି ।

 

ଲୋକଟା ଆଉ କିଛି ନ କହି ଦୀର୍ଘନିଶ୍ୱାସ ଛାଡ଼ି ସେଠାରୁ ଚାଲିଗଲା ।

 

ସନ୍ଧ୍ୟାବେଳେ ମୋ ମୁହଁରୁ ସବୁକଥା ଅଭୟା ଚୁପ୍‍ଚାପ ହୋଇ ଶୁଣିବା ପରେ କେବଳ ପଣତକାନିରେ ଆଖି ପୋଛିଲା । କିଛି କହିଲା ନାହିଁ । ଅନେକ ସମୟ ପରେ ମୁଁ ତାକୁ ପଚାରିଲି–ତୁମେ ତାକୁ ମାଫ୍‌ କରିପାରିବ ?

 

ଅଭୟା କେବଳ ତା’ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

 

: ତୁମକୁ ନେଇଯିବା ପାଇଁ ଚାହିଁଲେ ତୁମେ କ’ଣ ଯିବ ?

 

ସେ ସେହିପରି ମୁଣ୍ଡ ହଲାଇ ଉତ୍ତର ଦେଲା ।

 

: ବର୍ମା ଝିଅମାନଙ୍କର ସ୍ୱଭାବ କ’ଣ ତାହା ତୁମେ ପ୍ରଥମ ଦିନରୁ ହିଁ ଜାଣିପାରିଛ । ଏକଥା ଜାଣି ସୁଦ୍ଧା ତୁମେ କ’ଣ ସେଠାକୁ ଯିବ ?

 

ଏଥର ଅଭୟା ତଳୁ ମୁହଁ ଉଠାଇବା କ୍ଷଣି ମୁଁ ଦେଖିପାରିଲି ତା’ ଦୁଇଆଖିରୁ ଅଶ୍ରୁଧାରା ବହିଚାଲିଛି । ସେ କଥା କହିବାକୁ ଚେଷ୍ଟା କଲା କିନ୍ତୁ କହିପାରିଲା ନାହିଁ । ତାପରେ ବାରମ୍ବାର ପଣତକାନିରେ ଲୁହ ପୋଛୁ ପୋଛୁ ରୁଦ୍ଧ କଣ୍ଠରେ କହିଲା–ନଯାଇ ଆଉ ମୋର ଉପାୟ କ’ଣ ଅଛି କହନ୍ତୁ ତ ?

 

କଥାଟା ଶୁଣି ଖୁସିହେବି କି କାନ୍ଦିବି ତାହା ଠିକ୍‌ କରିପାରିଲି ନାହିଁ କିମ୍ବା ଉତ୍ତର ଦେଇପାରିଲି ନାହିଁ ।

 

ସେଦିନ ଆଉ କୌଣସି ବିଶେଷ କଥାବାର୍ତ୍ତା ହୋଇପାରିଲା ନାହିଁ । ଘରକୁ ଫେରିବା ବାଟରେ ଆପଣାକୁ ଏହି ପ୍ରଶ୍ନ ବାରମ୍ବାର ପଚାରି ବସିଲି କିନ୍ତୁ କୌଣସି ଦିଗରୁ କିଛି ଉତ୍ତର ପାଇପାରିଲି ନାହିଁ । କେବଳ ଛାତି ଭିତରଟା–ଏକ ଦିଗରେ ଯେପରି କ୍ରୋଧରେ ଜଳିବାକୁ ଲାଗିଲା, ଅପର ଦିଗରେ ସେହିପରି ଗୋଟିଏ ନିରାଶ୍ରୟା ତରୁଣୀର ତତୋଽଧିକ ନିରୁପାୟ ପ୍ରଶ୍ନ ହେତୁ ବ୍ୟଥିତ ଓ ଭାରାକ୍ରାନ୍ତ ହୋଇଉଠିଲା । ପରଦିନ ଅଭୟାର ଠିକଣା ଜାଣିବା ପାଇଁ ଯେତେବେଳେ ଲୋକଟା ଆସି ପହଞ୍ଚିଲା ସେତେବେଳେ ଘୃଣାରେ ତାକୁ ମୁଁ ଚାହିଁପାରିଲି ନାହିଁ । ମୋ ମନଭାବ ବୁଝିପାରି ସେ ମୋ ସହିତ ବିଶେଷ କିଛି କଥାବାର୍ତ୍ତା ନ କରି କେବଳ ଠିକଣା ନେଇ ଚାଲିଗଲା । କିନ୍ତୁ ତା’ ପରଦିନ ପୁଣି ଯେତେବେଳେ ସାକ୍ଷାତ କରିବାକୁ ଆସିଲା ସେତେବେଳେ ଲକ୍ଷ୍ୟ କରି ଦେଖିପାରିଲି ତା’ ମୁହଁର ଭାବ ସମ୍ପୂର୍ଣ୍ଣ ବଦଳି ଯାଇଛି । ନମସ୍କାର କରି ଅଭୟାର ଗୋଟିଏ ଚିଠି ମୋ ଟେବୁଲ ଉପରେ ରଖିଦେଇ କହିଲା–ଆପଣ ଯେ ମୋର କି ଉପକାର କଲେ ତାହା ମୁହଁରେ କହିବା କଷ୍ଟକର । ତେବେ ଯେତେଦିନ ବଞ୍ଚି କରି ରହିବି ସେତେଦିନ ଧରି ଆପଣଙ୍କ ଗୋଲାମ ହୋଇ ରହିବି ।

 

ଅଭୟାର ଚିଠିଟାକୁ ଚାହିଁ ରହି କହିଲି–ଆପଣ ଯାଆନ୍ତୁ; କାମ କରନ୍ତୁ । ବଡ଼ ସାହେବ ଏଥର ଆପଣଙ୍କୁ ମାଫ୍‌ କରିଦେଇଛନ୍ତି ।

 

ସେ ହସ ହସ ମୁହଁରେ କହିଲା–ମୁଁ ବଡ଼ ସାହେବଙ୍କ କଥା ଆଉ ଭାବୁ ନାହିଁ । ଆପଣ କ୍ଷମା କରିଲେ ଯାଇ ମୁଁ ବର୍ତ୍ତି ଯିବି । ଆପଣଙ୍କ ଶ୍ରୀଚରଣରେ ମୁଁ ବହୁତ ଅପରାଧ କରି ବସିଛି । ଏହା କହି ସେ ପୁଣି କହିବାକୁ ଆରମ୍ଭ କଲା । ସେହିପରି ଅନର୍ଗଳ ମିଛ ଏବଂ ଚାଟୁ କଥା ଓ ମଝିରେ ମଝିରେ ସେ ଆଖିରୁ ଲୁହ ମଧ୍ୟ ପୋଛିବାକୁ ଲାଗିଲା । ଏତେ କଥା ଶୁଣିବା ପାଇଁ କାହାର ଧୈର୍ଯ୍ୟ ରହିବ ନାହିଁ ତେଣୁ ସେ କଷ୍ଟ ମୁଁ ମୋର ପାଠକମାନଙ୍କୁ ନ ଦେଇ କେବଳ ତା’ର ବକ୍ତବ୍ୟଟା ସଂକ୍ଷେପରେ କହିଦେଉଛି । ତାହା ହେଉଛି ସେ ତା’ ସ୍ତ୍ରୀ ସମ୍ପର୍କରେ ଅପବାଦ ଦେଇ ଯାହା ସବୁ କହିଥିଲା ସେ ସବୁ ସଂପୂର୍ଣ୍ଣ ମିଥ୍ୟା କଥା । ସେ କେବଳ ଲଜ୍ଜ୍ୟାରୁ ରକ୍ଷା ପାଇବା ପାଇଁ ଏପରି ସିନା କହି ବସିଥିଲା ନହେଲେ ଏପରି ସତୀ ଲକ୍ଷ୍ମୀ ନାଆଁରେ କିଏ କ’ଣ କେତେ କହିପାରେ ? ସେ ଅଭୟାକୁ ଚିରକାଳ ପ୍ରାଣଠାରୁ ଅଧିକ ଭଲପାଏ ତେବେ ଏଠାରେ ଯେଉଁ ଅଘଟଣାଟା ଘଟିଯାଇଛି ସେଥିପାଇଁ ତା’ର ଆଦୌ ଇଚ୍ଛାନଥିଲା । କେବଳ ବର୍ମା ଅଧିବାସୀଙ୍କ ଭୟରେ ପ୍ରାଣ ବଞ୍ଚାଇବାକୁ ଯାଇ ଏପରି କରି ବସିଛି । (ଏଥିରେ ଅବଶ୍ୟ କିଛି ସତ୍ୟତା ଥାଇପାରେ) କିନ୍ତୁ ଆଜି ରାତିରେ ସେ ଯେତେବେଳେ ଘରକୁ ତା’ର ଗୃହଲକ୍ଷ୍ମୀକୁ ନେଇ କରି ଯାଉଛି ସେତେବେଳେ ସେ ଝିଅଟାକୁ ବାହାର କରିଦେବା ପାଇଁ କେତେ ସମୟ ଅବା ଲାଗିବ ? ଆଉ ପିଲାପିଲିଙ୍କ କଥା ? ଆହା–ହା ! ପିଲାଗୁଡ଼ାଙ୍କର ଯେପରି ରୂପ, ସେହିପରି ସ୍ୱଭାବ ! ସେଗୁଡ଼ାକ ବଞ୍ଚିଲେ ଅବା କି ଦରକାରରେ ଯେ ଆସିବେ ? ବେଳପଡ଼ିଲେ ଦୁଇଟା ଖାଇବାକୁ ଖଣ୍ଡେ ପିନ୍ଧିବାକୁ ଦେବେ ନାହିଁ । ନିଜେ ନ ମଲେ ପାଣି ଆଞ୍ଜୁଳାଏ ପିଇବା କଷ୍ଟକର । ଗଲେ ସମସ୍ତଙ୍କୁ ଏକ ସଙ୍ଗେ ବାଡ଼େଇ ବାହାର କରିଦେବ । ତେବେ ଯାଇ ମୋ ନାଆଁ...ଇତ୍ୟାଦି–ଇତ୍ୟାଦି ।

 

ପଚାରିଲି–ଆଜି ରାତିରେ କ’ଣ ଅଭୟାକୁ ଘରକୁ ନେଇଯାଉଛନ୍ତି ?

 

ସେ ବିସ୍ମୟରେ ଅବାକ ହୋଇ ମୋ ମୁହଁକୁ ଚାହିଁ କହିଲା–ଏଥିରେ ଭୁଲ୍ ଅଛି ? ଯେତେଦିନ ଆଖିରେ ପଡ଼ିନଥିଲା ସେତେଦିନ ଚଳୁଥିଲା । କିନ୍ତୁ ଆଖିରେ ଥରେ ଦେଖିବା ମାତ୍ରେ ଆଉ କ’ଣ ଚକ୍ଷୁର ଅନ୍ତରାଳରେ ରଖିହେବ ? ଏକାକିନୀ ଏତେଦୂର ଦେଶକୁ ଏତେ କଷ୍ଟ ସହ୍ୟ କରି କେବଳ ମୋରି ପାଇଁ ହିଁ ଆସିଛି । ଥରେ ଘଟଣାଟାକୁ ଚିନ୍ତା କରି ଆପଣ ଦେଖନ୍ତୁ ତ ।

 

: ସେ ଦୁହିଁଙ୍କୁ କ’ଣ ଏକ ସଙ୍ଗରେ ରଖିବେ ?

 

: ଆଜ୍ଞା ନା, ବର୍ତ୍ତମାନ ପ୍ରୋମ ପୋଷ୍ଟମାଷ୍ଟରଙ୍କ ପାଖରେ ରଖିବି । ତାଙ୍କ ସ୍ତ୍ରୀଙ୍କ ପାଖରେ ସ୍ୱଚ୍ଛନ୍ଦରେ ରହିପାରିବ । କେବଳ ଦିଦିନ ପାଇଁ । ମାତ୍ର । ତେଣିକି ଆଉ ନୁହେଁ....ତା’ ପାଇଁ ଗୋଟାଏ ବସା ଠିକ୍‌ କଲାପରେ ଘରର ଲକ୍ଷ୍ମୀକୁ ସେଠାକୁ ନେଇଯିବି ।

 

ଅଭୟାର ସ୍ୱାମୀ ଚାଲିଗଲା । ମୁଁ ମଧ୍ୟ ମୋର ସେଦିନର କାମ କରିବା ପାଇଁ ଫାଇଲ ଦେଖିବାରେ ମନଦେଲି ।

 

ତଳେ ଅଭୟାର ଲେଖାଟି ଆଖିରେ ପୁଣି ପଡ଼ିଲା । ତେବେ କେତେଥର ଯେ ସେ ଦୁଇଧାଡ଼ିକୁ ପଢ଼ିଛି ତାହା କହିପାରିବି ନାହିଁ । ପିଅନ କହୁଥିଲା–ବାବୁଜୀ; ଆପଣଙ୍କ ବସାରେ କ’ଣ ଆଜି କିଛି କାଗଜପତ୍ର ନେଇ ଦେଇଆସିବି କି ? ଚମକିପଡ଼ି ଚାହିଁ ଦେଖିଲି–କେତେବେଳେ ଆଗରେ ଝୁଲୁଥିବା ଘଣ୍ଟାରେ ସାଢ଼େ ଚାରିଟା ବାଜିଯାଇଛି ଏବଂ କିରାଣିମାନେ ଦଳ ଦଳ ହୋଇ ଯିଏ ଯାହାର କାମ ସାରି ଘରକୁ ଚାଲିଯିବାରେ ଲାଗିଛନ୍ତି ।

 

ପୁଣି ଅଭୟା ସ୍ୱାମୀଠାରୁ ପତ୍ର ପାଇଲି । ପୂର୍ବଭଳି ସାରା ଚିଠିରେ କୃତଜ୍ଞତା ବିଛାଡ଼ି ଦେଇ ଏଥର ସେ କିଭଳି ସଙ୍କଟରେ ପଡ଼ିଛି ସେ ବିଷୟ ବିସ୍ତାରିତ ଭାବରେ ଲେଖି ମୋର ଉପଦେଶ ଚାହିଁବସିଛି । ବିଷୟଟା ସଂକ୍ଷେପରେ ହେଉଛି ଯେ ତା’ର ଶକ୍ତିର ବାହାରେ ହେଲେ ସୁଦ୍ଧା ସେ ଗୋଟିଏ ବଡ଼ଘର ଭଡ଼ା ନେଇଛି ଏବଂ ସେଥିରେ ଗୋଟିଏ ପାଖରେ ତା’ର ବର୍ମ୍ମୀ ସ୍ତ୍ରୀ ଓ ପିଲାପିଲିଙ୍କୁ ଆଣି ଏବଂ ଅନ୍ୟପାଖରେ ଅଭୟାକୁ ଆଣି ରଖିବାପାଇଁ ଚେଷ୍ଟା କରିଚାଲିଛି । କିନ୍ତୁ କୌଣସିମତେ ତାକୁ ରାଜି କରାଇ ପାରୁନାହିଁ । ସହଧର୍ମିଣୀର ଏ ପ୍ରକାର ଅବାଧ୍ୟତା ହେତୁ ସେ ଅତିଶୟ ମର୍ମବେଦନା ଅନୁଭବ କରୁଛି । ଏହା ଯେ କେବଳ କଳିକାଳର ଫଳ ଏବଂ ସତ୍ୟଯୁଗରେ ଯେ ଏଭଳି ଘଟୁନଥିଲା, ତାହା ବୁଝାଇବା ପାଇଁ ସେ ବଡ଼ବଡ଼ ମୁନିଋଷିଙ୍କ ପର୍ଯ୍ୟନ୍ତ ଉଦାହରଣ ଦେଇ ଦେଇ ଲେଖିଛି । କାହାନ୍ତି ସେହି ଆର୍ଯ୍ୟ ଲଳନା ସବୁ ? ସେ ସୀତା ସାବିତ୍ରୀ କୁଆଡ଼େ ଗଲେ-। ଯେଉଁ ଆର୍ଯ୍ୟ ନାରୀ ସ୍ୱାମୀଙ୍କର ପଦଯୁଗଳକୁ ବକ୍ଷରେ ଧାରଣ କରି ହସି ହସି ଚିତାରେ ପ୍ରାଣ ବିସର୍ଜନ କରି ସ୍ୱାମୀ ସହ ଅକ୍ଷୟ ସ୍ୱର୍ଗଲାଭ କରନ୍ତି ସେମାନେ କେଉଁଠି ? ଯେଉଁ ହିନ୍ଦୁ ମହିଳା ହସ ହସ ମୁହଁରେ ତାହାର ଗଳିତ କୁଷ୍ଠରୋଗୀ ସ୍ୱାମୀ ଦେବତାକୁ କାନ୍ଧରେ ବସାଇ ବାରଙ୍ଗନା ଗୃହ ପର୍ଯ୍ୟନ୍ତ ନେଇକରି ଯାଇଥିଲା କେଉଁଠାରେ ସେ ସବୁ ପତିବ୍ରତା ରମଣୀ ? କୁଆଡ଼େ ଗଲା ସେ ସ୍ୱାମୀଭକ୍ତି ? ହାୟରେ ଭାରତବର୍ଷ ! ତୋର କ’ଣ ଏତେ ଅଧଃପତନ ହୋଇଗଲା ? ଆଉ କ’ଣ ଆମେମାନେ ସେ ସବୁ ଆଖିରେ ଦେଖିବାକୁ ପାଇବୁ ନାହିଁ ? ଆଉ କ’ଣ ଆମେମାନେ–ଇତ୍ୟାଦି ଇତ୍ୟାଦି ଦୁଇପୃଷ୍ଠା ଧରି ବିଳାପ କରାହୋଇଛି । ଅଭୟାର ପତିଦେବତା କିନ୍ତୁ ଏତିକି ମନୋବେଦନା ଜଣାଇ କ୍ଷାନ୍ତ ହୋଇନାହାନ୍ତି । ଆହୁରି ଅଛି, ସେ ଲେଖିଛନ୍ତି–କେବଳ ଯେ ତାଙ୍କ ସ୍ତ୍ରୀ ପରଘରେ ରହିଥିଲା ସେତିକି ନୁହେଁ ତା’ର ପରମ ବନ୍ଧୁ ପୋଷ୍ଟମାଷ୍ଟ୍ରଙ୍କଠାରୁ ଜାଣିପାରିଛି-। ଯେ କିଏ ଗୋଟାଏ ରୋହିଣୀ ତା’ ସ୍ତ୍ରୀ ପାଖକୁ ଚିଠି ଲେଖିଛି ଏବଂ ଟଙ୍କା ପଠାଇଛି । ଏହାଦ୍ୱାରା ତା’ ନିଜର କେତେଦୂର ଇଜ୍ଜତ ନଷ୍ଟ ହୋଇଯାଇଛି ତାହା ଲେଖି ଜଣାଇବା ଅସାଧ୍ୟ ।

 

ଚିଠିଖଣ୍ଡ ପଢ଼ୁପଢ଼ୁ ହସ ସମ୍ଭାଳି ନପାରିଲେ ସୁଦ୍ଧା ରୋହିଣୀର ବ୍ୟବହାର ପାଇ ମନରେ କ’ମ ରାଗ ଆସିଲା ନାହିଁ । ପୁଣି ଅଭୟା ପାଖକୁ ସେ ଚିଠି ଲେଖୁଛି ଏବଂ ଟଙ୍କା ପଠାଇଛି ଅବା କାହିଁକି ? ଯିଏ ଆପଣାଛାଏଁ ସ୍ୱାମୀ ସହିତ ଘରସଂସାର କରିବ ବୋଲି ଏତେ କଷ୍ଟ ସ୍ୱୀକାର କରିଆସିଛି, ଜାଣିକରି ହେଉ କିମ୍ବା ଅଜାଣତରେ ହେଉ ପୁଣି ତା’ ଚିତ୍ତକୁ ବିକ୍ଷିପ୍ତ କରିବାର ଦରକାର କ’ଣ ? ଆଉ ମଧ୍ୟ ଅଭୟା ପୁଣି ଏପରି ବ୍ୟବହାର ଅବା ଆରମ୍ଭ କରିଛି କାହିଁକି ଯେ ? ସେ କ’ଣ ଚାହେଁ ତା’ ସ୍ୱାମୀ ଯାହାକୁ ସ୍ତ୍ରୀରୂପେ ଗ୍ରହଣ କରିଛି, ଯେଉଁ ପିଲାପିଲି ସୃଷ୍ଟି କରିଛି ସେମାନଙ୍କୁ ତ୍ୟାଗକରି କେବଳ ତାକୁ ହିଁ ନେଇ ଘର ସଂସାର କରୁ ? କାହିଁକି ବର୍ମାଦେଶରେ ଝିଅମାନେ କ’ଣ ଝିଅ ନୁହନ୍ତି ? ସେମାନଙ୍କର କ’ଣ ସୁଖ ଦୁଃଖ ମାନ–ଅପମାନ କିଛି ନାହିଁ ? ନ୍ୟାୟ–ଅନ୍ୟାୟ ଆଇନ୍‌ କ’ଣ ସେମାନଙ୍କ ପାଇଁ ଅଲଗା ହୋଇ ତିଆରି ହୋଇଛି ? ଆଉ ତାହା ଯଦିବା ହୋଇଥାଏ ତେବେ ସେଠାକୁ ସେ ଯାଉଥିଲା ଅବା କାହିଁକି ? ସବୁ ଝନ୍‌ଝଟକୁ ଏଇଠାରେ ସମାପ୍ତି କରିଦେଲେ ତ ଚଳିବ ।

 

ସେ ପର୍ଯ୍ୟନ୍ତ ରୋହିଣୀ ସଙ୍ଗେ ସାକ୍ଷାତ୍‌ କରିବାକୁ ମୁଁ ଯାଇପାରିନାହିଁ । ସେ ଯେ ଅଯଥାରେ କଷ୍ଟ ଭୋଗୁଛି ତାହା ମନେମନେ ବେଶ୍‌ ବୁଝିପାରିଛି । ବୋଧହୁଏ ସେ ଦିଗକୁ ପାଦ ବଢ଼ାଇବା ପାଇଁ ମୋର ପ୍ରବୃତ୍ତି ନଥିଲା । ଆଜି ଛୁଟି ପୂର୍ବରୁ ଗାଡ଼ି ଡକାଇ ପଠାଇ ଯିବାପାଇଁ ଉଠୁଉଠୁ ହେଉଛି ଏହି ସମୟରେ ଅଭୟାର ଚିଠି ଆସି ପହଞ୍ଚିଲା । ଖୋଲି ଦେଖିଲି ମୂଳରୁ ଶେଷଯାଏ କେବଳ ରୋହିଣୀ କଥାରେ ପରିପୂର୍ଣ୍ଣ । ଯେପରି ସଦାସର୍ବଦା ତା’ ପ୍ରତି ଦୃଷ୍ଟି ରଖିବି, ସେ ଯେ କେତେ ଦୁଃଖୀ, କେତେ ଦୁର୍ବଳ, କେତେ ଅପଟୁ, କେତେ ଅସହାୟ ଏଇ ଗୋଟିଏ ମାତ୍ର କଥା ପ୍ରତି ପୃଷ୍ଠାରେ ଅକ୍ଷରେ ଅକ୍ଷରେ ଏପରି ମର୍ମାନ୍ତିକ ବ୍ୟଥାରେ ଫାଟିପଡ଼ିଛି ଯେ ଅତି ସବଳ ହୃଦୟ ଲୋକ ଏଇ ଆବେଦନର ତାତ୍ପର୍ଯ୍ୟକୁ ବୁଝିବାକୁ କଦାପି ଭୁଲ୍ ବୋଲି କହିବ ମନେହେଲା ନାହିଁ । ନିଜ ସୁଖ–ଦୁଃଖର କଥା ପ୍ରାୟ କିଛି ସେଥିରେ ନାହିଁ । ତେବେ ନାନା କାରଣ ହେତୁ ଯେ ସେଠାରେ ରହିଛି, ଯେଉଁଠାରେ ସେ କି ପ୍ରଥମେ ରହିଥିଲା ତାହା ପତ୍ରର ଶେଷରେ ଜଣାଇଛି ।

 

ପତିହିଁ ସତୀର ଏକମାତ୍ର ଦେବତା କି ନୁହେଁ ଏ ବିଷୟରେ ମୋର ମତାମତ ଛାପା ଅକ୍ଷରରେ ବ୍ୟକ୍ତ କରିବାର ଦୁଃସାହସ ନାହିଁ । ତହିଁର ଆବଶ୍ୟକତା ମଧ୍ୟ ବର୍ତ୍ତମାନ ଦେଖିପାରୁ ନାହିଁ । କିନ୍ତୁ ସର୍ବାଙ୍ଗୀନ ସତୀ ଧର୍ମର ଗୋଟାଏ ଅପୂର୍ବତା, ଦୁଃସହ ଦୁଃଖ ଓ ଏକାନ୍ତ ଅନ୍ୟାୟ ମଧ୍ୟରେ ତାହାର ଅଭ୍ରଭେଦୀ ବିରାଟ ମହିମା ଯାହାକି ମୋ ଅନ୍ମଦା ନାନୀର ସ୍ମୃତି ସହିତ ଚିରଦିନ ମନଭିତରେ ଜଡ଼ିତ ହୋଇ ରହିଛି ଏବଂ ଆଖିରେ ନ ଦେଖିଲେ ଯାହାର ଅପରୂପ ସୌନ୍ଦର୍ଯ୍ୟକୁ ମନରେ ଧାରଣା କରିହୁଏ ନାହିଁ ଏବଂ ଯାହା ନାରୀକୁ ଏକ ସଙ୍ଗେ ଅତି କ୍ଷୁଦ୍ର ଏବଂ ବୃହତ୍‌ କରିପାରିଛି, ମୋର ସେଇ ଯେଉଁ ଅବ୍ୟକ୍ତ ଉପଲବ୍‌ଧି, ତାହା ଆଜି ଏଇ ଅଭୟା ଚିଠିରେ ପୁଣି ଆଲୋକିତ ହୋଇଉଠିଲା ।

 

ଜାଣେ ସମସ୍ତେ ଅନ୍ନଦା ନାନୀ ନୁହଁନ୍ତି । ସେହି କଳ୍ପନାତୀତ ନିଷ୍ଠୁର ଧୈର୍ଯ୍ୟ ବୁକୁ ପାତି ସହ୍ୟ କରିବା ପାଇଁ ଏତେବଡ଼ ବୁକୁ ମଧ୍ୟ ସମସ୍ତ ନାରୀମାନଙ୍କର ନାହିଁ ଏବଂ ଯାହାର ନାହିଁ, ତାହା ପାଇଁ ଅହରହ ଶୋକପ୍ରକାଶ କରିବା ପ୍ରତ୍ୟେକ ଗ୍ରନ୍ଥକାରମାନଙ୍କର ଏକାନ୍ତ କର୍ତ୍ତବ୍ୟ କି ନାହିଁ, ତାହା ମଧ୍ୟ ଭାବି ସ୍ଥିର କରିପାରୁନଥିଲେ ସୁଦ୍ଧା ସାରା ମନ ମୋର ବେଦନାର ଭରିଉଠିଲା । ରୋଗରେ ଯାଇ ଗାଡ଼ିରେ ବସିଲି । ସେହି ଅପଦାର୍ଥ, ପର ସ୍ତ୍ରୀରେ ଆସକ୍ତ, ରୋହିଣୀଟାକୁ ବେଶ୍‌ ଆଚ୍ଛାକରି ଦୁଇପଦ ଶୁଣାଇଦେବି ଭାବି ଭାବି ତାହାରି ବସାଆଡ଼େ ଚାଲିଲି ଗାଡ଼ି ପହଞ୍ଚିଲା ପରେ ଗାଡ଼ିରୁ ଓହ୍ଲାଇ ଯେତେବେଳେ କବାଟ ଠେଲି ତା’ ଘରଭିତରେ ପ୍ରବେଶ କଲି ସେତେବେଳକୁ ସନ୍ଧ୍ୟାଦୀପ ମାତ୍ର ଲାଗିଥିବ କି ନାହିଁ । ଅର୍ଥାତ୍‌ ଦିନର ଆଲୋକ ଶେଷ ହୋଇ ରାତ୍ରିରେ ଅନ୍ଧାର ନଇଁଆସିଛି ମାତ୍ର ।

 

ସେଇଟା ମାସ ଭାଦର ନୁହେଁ କିମ୍ବା ଭରା ବାଦଲ ମଧ୍ୟ ନୁହେଁ । କିନ୍ତୁ ଶୂନ୍ୟ ମନ୍ଦିରର ଚେହେରା ଯଦି କିଛି ଥାଏ ତ ସେହି ଆଲୋକ ଅନ୍ଧାକାରର ମଝିରେ ଯାହା ଆଖିରେ ପଡ଼ିଲା; ତାହା ଯେ ଏହାଛଡ଼ା ଆଉ କ’ଣ ଆଜି ପର୍ଯ୍ୟନ୍ତ ମୁଁ ଜାଣି ନାହିଁ । ପ୍ରତ୍ୟେକ ଘରର କବାଟ ମେଲାହୋଇ ଖାଁ ଖାଁ ଶୁଭୁଥାଏ କେବଳ ରୋଷାଇ ଘର ଗୋଟିଏ ଝରକା ଭିତର ଦେଇ ଧୂଆଁ ବାହାରୁଥିଲା । ଡାହାଣ ଦିଗକୁ ଟିକେ ଆଗେଇଯାଇ ଉଙ୍କିମାରି ଦେଖିଲି, ଚୁଲି ଜଳି ପ୍ରାୟ ନିଭିଆସିଛି ଏବଂ ଅଳ୍ପ ଦୂରରେ ରୋହିଣୀ ଗୋଟିଏ ବାଇଗଣକୁ ଦିଫାଳ କାଟିଦେଇ ଗିନାରେ ରଖି ଚୁପ୍‌ ହୋଇ ବସିଛି । ମୋର ପାଦଶବ୍ଦ ସେ ବୋଧହୁଏ ଶୁଣିପାରି ନାହିଁ । କାରଣ କର୍ଣ୍ଣେନ୍ଦ୍ରିୟର ଯିଏ ମାଲିକ ଯେ ସେତେବେଳେ ଯେଉଁଠାରେ ଥାଆନ୍ତୁ ନା କାହିଁକି; ବାଇଗଣ ଉପରେ ଯେ ଏକାଗ୍ର ହୋଇନଥିଲେ ତାହା ମୁଁ ନିଃସନ୍ଦେହରେ କହିପାରେ । ଆଉ ମଧ୍ୟ ଗୋଟାଏ କଥା ଏପରି ନିଃସଂଶୟରେ କହିପାରେ । କିନ୍ତୁ ନିଃଶବ୍ଦରେ ଯାଇ ଥିରିଥିରି ଯେତେବେଳେ ସେ ଘରଭିତରେ ଠିଆହେଲି ସେତେବେଳେ ଆଖିଆଗରେ ସ୍ପଷ୍ଟ ଦେଖିପାରିଲି ସମସ୍ତ ସମାଜ, ସମସ୍ତ ଧର୍ମଅଧର୍ମ, ସମସ୍ତ ପାପପୁଣ୍ୟକୁ ପଛରେ ପକାଇ ଏକ ଉତ୍କଟ ବେଦାନାବିଦ୍ଧ ରୋଦନ ଯେପରି ଘରସାରା ଭରି ଉଠି ଶେଷରେ ଦାନ୍ତରେ ଦାନ୍ତ ଚିପି ବନ୍ଦ ହୋଇଯାଇଛି ।

 

ବାହରକୁ ଆସି ବାରଣ୍ଡା ଉପରେ ଥିବା ମୋଡ଼ାଉପରେ ବସିପଡ଼ିଲି । କେତେ ସମୟ ପରେ ବୋଧହୁଏ ଆଲୁଅ ଜାଳିବା ପାଇଁ ରୋହିଣୀ ବାରଣ୍ଡାକୁ ଆସି ଭୟରେ ପଚାରିଉଠିଲା–କିଏ ସେ ?

 

ଉତ୍ତର ଦେବାକୁ ଯାଇ କହିଲି–ମୁଁ ଶ୍ରୀକାନ୍ତ ।

 

: ଶ୍ରୀକାନ୍ତ ବାବୁ ! ଓହୋ ! କହି ସେ ତରତର ହୋଇ ମୋ ନିକଟକୁ ଆସିଲା ଏବଂ ପୁଣି ଘର ଭିତରକୁ ଯାଇ ଆଲୁଅ ଲଗାଇ ମୋତେ ନେଇ ବସାଇଲା । ତାପରେ କାହା ମୁହଁରେ କଥା ନାହିଁ । ଦୁଇଜଣ ଚୁପ୍‌ଚାପ୍‌ । ମୁଁ ପ୍ରଥମେ କଥା କହିଲି । କହିଲି ରୋହିଣୀ ବାବୁ ଆଉ ଏଠାରେ କାହିଁକି ? ମୋ ସଙ୍ଗରେ ଚାଲନ୍ତୁ ।

 

ରୋହିଣୀ ପଚାରିଲା–କାହିଁକି ?

 

କହିଲି, ଏଠାରେ ଆପଣଙ୍କୁ କଷ୍ଟ ହେଉଛି, ସେଇଥିପାଇଁ ।

 

ରୋହିଣୀ କିଛି ସମୟ ପରେ କହିଲା–ଆଉ କଷ୍ଟ କ’ଣ ?

 

: ତା’ ତ ସତ । କିନ୍ତୁ ଏ ବିଷୟରେ ତ ଆଲୋଚନା ହୋଇପାରେ ନାହିଁ । କେତେ ନା କେତେ ତିରସ୍କାର କରିବି, କେତେନା କେତେ ପରାମର୍ଶ ଦେବି ବୋଲି ଭାବିକରି ଆସିଥିଲି, ସବୁ ପାଣିରେ ଭାସିଗଲା । ଏତେବଡ଼ ଭଲପାଇବାକୁ ଅପମାନ କରିହୁଏ ଏକଥା ମୁଁ କୌଣସି ନୀତିବାକ୍ୟ ଲେଖାଥିବା ପୋଥିରେ ପଢ଼ି ନାହିଁ । କୁଆଡ଼େ ଗଲା ମୋର କ୍ରୋଧ ! କୁଆଡ଼େ ଗଲା ମୋର ବିଦ୍ୱେଷ ! ସମସ୍ତ ସାଧୁ ସଂକଳ୍ପ ଯେ କେଉଁଠାରେ ମୁଣ୍ଡପୋତି ରହିଲେ ସେ ସବୁର ସନ୍ଧାନ ପାଇପାରିଲେ ନାହିଁ ।

 

ରୋହିଣୀ କହିଲା–ସେ ପ୍ରାଇଭେଟ ଟିଉସନ୍‌ଟା ଛାଡ଼ି ଦେଇଛି । କାରଣ ସେଥିରେ ସ୍ୱାସ୍ଥ୍ୟ ଖରାପ ହେଲା । ସେହି ଅଫିସଟା ମଧ୍ୟ ନୁହେଁ । ବହୁତ ଖଟିବାକୁ ପଡ଼ୁଛି । ନହେଲେ ମୋର କଷ୍ଟ କ’ଣ ଅଛି ?

 

ଚୁପ୍‌ ହୋଇ ରାହିଲି । କାରଣ ଏଇ ରୋହିଣୀ ମୁହଁରେ ଅଳ୍ପଦିନ ତଳେ ଓଲଟା କଥା ଶୁଣିଥିଲି । ସେ କିଛିକ୍ଷଣ ନୀରବ ରହିବା ପରେ ପୁଣି କହିବାକୁ ଲାଗିଲା–ଅଫିସରୁ କ୍ଳାନ୍ତି ହୋଇ ଆସିବା ପରେ ଆଉ ଏଇ ରନ୍ଧାବଢ଼ା ବଡ଼ ବିରକ୍ତକର । କ’ଣ କହୁଛନ୍ତି ଶ୍ରୀକାନ୍ତ ବାବୁ ?

 

କ’ଣ ଅବା କହିବି । ନିଆଁ ନିଭିଗଲା ପରେ ଅଙ୍ଗାର ପୁଣି ଥରେ ଜଳେ ସିନା କିନ୍ତୁ ସେଥିରେ ଇଞ୍ଜିନ୍‌ ଚାଲିପାରେ ନାହିଁ–ଏ’ତ ଜଣାଶୁଣା କଥା ।

 

ତଥାପି ସେ ଏ ବସା ଛାଡ଼ି ଅନ୍ୟତ୍ର ଯିବାପାଇଁ ରାଜି ହେଲାନାହିଁ । କଳ୍ପନାର କେହି ତ ସୀମା ନିର୍ଦ୍ଦେଶ କରିଦେଇପାରେ ନାହିଁ, ତେଣୁ ସେ କଥା ଏଠାରେ କହୁନାହିଁ, କିନ୍ତୁ ଅସମ୍ଭବ ଆଶା ଯେ ତା’ ମନରେ କୌଣସି ମତେ ସ୍ଥାନ ପାଇପାରିନାହିଁ ତାହା ତା’ର କେତେଟା କଥାରୁ ବୁଝିପାରିଥିଲି । ତଥାପି ସେ ଯେ କାହିଁକି–ଏ ଦୁଃଖର ଘରକୁ ପରିତ୍ୟାଗ କରିବାକୁ ଚାହେଁନାହିଁ ତା’ ମୁଁ ଅବଶ୍ୟ ମନେମନେ ଭାବି ଠିକ୍‌ କରିପାରିଲି ନାହିଁ ସତ, କିନ୍ତୁ ତା’ର ଅନ୍ତର୍ଯ୍ୟାମୀଙ୍କୁ ଅଗୋଚର ନଥିଲା, ଯେଉଁ ହତଭାଗାର ଘରକୁ ଫେରିବା ବାଟ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି ତାକୁ ଯଦି ଏ ଘରର ପୁଞ୍ଜିଭୂତ ବେଦନା ଠିଆ କରାଇ ନପାରେ ତେବେ ଧୂଳିସାତ୍‌ରୁ ରକ୍ଷା କରିବାର ସାଧ୍ୟ ସଂସାରରେ ଆଉ କାହାର ମଧ୍ୟ ନାହିଁ ।

 

ବସାରେ ପହଞ୍ଚିଲା ବେଳକୁ ରାତି ହୋଇଯାଇଥିଲା । ଘରଭିତରେ ପଶି ଦେଖେ ଗୋଟିଏ କଣରେ ବିଛଣା ପାରି କିଏ ଜଣେ ଜାକିଜୁକି ହୋଇପଡ଼ିଛି । ଚାକରାଣୀକୁ ପଚାରିବା କ୍ଷଣି କହିଲା–କିଏ ଜଣେ ଭଦ୍ରଲୋକ ।

 

: ସେ ପୁଣି ମୋ ଘରେ !

 

ଖାଇପିଇ ସାରିବା ପରେ ଏଇ ଭଦ୍ରଲୋକଙ୍କ ସହିତ ଆଳାପ ହେଲା । ତା’ ଘର ଚଟ୍ଟଗ୍ରାମ ଜିଲାରେ । ଚାରିବର୍ଷ ହେଲା ନିରୁଦ୍ଦିଷ୍ଟ ହୋଇଥିବା ସାନ ଭାଇର ସନ୍ଧାନ ମିଳିଛି । ତାକୁ ଘରକୁ ଫେରାଇନେବା ପାଇଁ ସେ ନିଜେ ଆସିଛି । ସେ କହିଲେ–ଆଜ୍ଞା, ଗଳ୍ପରେ ଶୁଣିଥିଲି ଆରେ କୁଆଡ଼େ କାମରୂପର ଝିଅମାନେ ବିଦେଶୀ ପୁରୁଷମାନଙ୍କୁ ମେଣ୍ଢା ବନାଇ ରଖୁଥିଲେ । କେଜାଣି ସେତେବେଳେ ସେମାନେ କ’ଣ କରୁଥିଲେ, କିନ୍ତୁ ଏ କାଳରେ ବର୍ମୀଦେଶର ଝିଅମାନଙ୍କର କ୍ଷମତା ଯେ ସେମାନଙ୍କଠାରୁ ସୋରିଷଟାକରୁ କମ୍‌ ନୁହେଁ, ସେ କଥା ମୁଁ ହାଡ଼େ ହାଡ଼େ ଜାଣିପାରିଛି ।

 

ଆହୁରି ଅନେକ କଥା କହିସାରି ସେ ତାଙ୍କ ଛୋଟ ଭାଇଟିକୁ ଉଦ୍ଧାର କରିବା ପାଇଁ ମୋର ସାହାଯ୍ୟ ପ୍ରାର୍ଥନା କଲେ । ତା’ର ସେହି ସାଧୁ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ମୁଁ ଯେ ଅଣ୍ଟାଭିଡ଼ି ସାହାଯ୍ୟ କରିବି ଏ ପ୍ରତିଶ୍ରୁତି ତାକୁ ଦେଲି । କାହିଁକି ଯେ ଦେଲି ସେ କଥା କହିବା ବାହୁଲ୍ୟ ମାତ୍ର । ତା’ ପରଦିନ ସନ୍ଧାନ ନେଇ ଛୋଟ ଭାଇର ବର୍ମା ଶଶୁର ଘରେ ଯାଇ ପହଞ୍ଚିଲି । ବଡ଼ଭାଇ ରାସ୍ତାରେ ପଦଚାରଣ କରିବାକୁ ଲାଗିଲେ ।

 

ଛୋଟ ଭାଇ ଘରେ ନଥିଲେ । ସାଇକେଲ ଧରି ପ୍ରାତଃଭ୍ରମଣ କରିବାକୁ ବାହାରି ଯାଇଥିଲେ । ଘରେ ଶାଶୁ ଶଶୁର ନାହାନ୍ତି । କେବଳ ସ୍ତ୍ରୀ ତା’ର ଛୋଟ ଭଉଣୀ ଏବଂ ଜଣେ ଦୁଇଜଣ ଦାସୀଙ୍କୁ ନେଇ ରହିଥାଏ । ବର୍ମା–ଚୁରୁଟ ତିଆରି କରିବା ସେମାନଙ୍କର ଜୀବିକା । ସକାଳବେଳା ସମସ୍ତେ ଏଇ କାର୍ଯ୍ୟରେ ବ୍ୟାପୃତ ଥିଲେ । ମୋତେ ବଙ୍ଗାଳୀ ଦେଖି, ସମ୍ଭବତଃ ତା’ ସ୍ୱାମୀଙ୍କର କେହି ବନ୍ଧୁ ହୋଇପାରେ ମନେକରି ଆଦର ଅଭ୍ୟର୍ଥନା ଜଣାଇଲେ । ବ୍ରହ୍ମଦେଶର ରମଣୀମାନେ ଅତ୍ୟନ୍ତ ପରିଶ୍ରମୀ । କିନ୍ତୁ ପୁରୁଷମାନେ ନିହାତି ଅଳସୁଆ । ବାହାରର କାମଦାମଠାରୁ ବ୍ୟବସାୟ ବାଣିଜ୍ୟ ପର୍ଯ୍ୟନ୍ତ ସବୁ ସ୍ତ୍ରୀଲୋକଙ୍କ ହାତରେ । ସେଥିପାଇଁ ଲେଖାପଢ଼ା ସେମାନଙ୍କର ନ ଶିଖିଲେ ନ ଚଳେ । କିନ୍ତୁ ପୁରୁଷମାନଙ୍କ କଥା ଅଲଗା । ଶିଖିଲେ ଭଲ ନ ଶିଖିଲେ ମଧ୍ୟ ଲଜ୍ଜିତ ହେବାର କିଛି ନାହିଁ । ଅକର୍ମା ପୁରୁଷ ଘରେ ତା’ ସ୍ତ୍ରୀ ରୋଜଗାରରେ ଅନ୍ନଧ୍ୱଂସ କରି ବାହାରେ ବାବୁପଣିଆ କରି ବୁଲିଲେ ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ । ସ୍ତ୍ରୀମାନେ ମଧ୍ୟ ଛିଃ–ଛିଃ କରି ସେମାନଙ୍କୁ କାମ କରିବାକୁ ଅତିଷ୍ଠ କରିପକାନ୍ତି ନାହିଁ । ବରଞ୍ଚ ଏଇଟା ସେମାନଙ୍କ ସମାଜରେ ଗୋଟାଏ ନିହାତି ସାଧାରଣ ଆଚାର ବୋଲି–ଗୃହୀତ ହୋଇଯାଇଛି ।

 

ଦଶ ମିନିଟ ଭିତରେ ‘‘ବାବୁ ସାହେବ’’ ତାଙ୍କ ଦ୍ୱିଚକ୍ର ଯାନରେ ଫେରିଆସିଲେ । ତାଙ୍କ ଦେହସାରା ଇଂରାଜୀ ପୋଷାକ, ହାତରେ ଦୁଇ ତିନିଟା ମୁଦି, ଆଉ ବେକରେ ଗୋଟାଏ ଚେନ୍‌ । କାମଦାମ କିଛି କରିବାକୁ ପଡ଼େନାହିଁ । ଅଥଚ ଅବସ୍ଥା ଦେଖିଲି ବେଶ୍‌ ସ୍ୱଚ୍ଛଳ । ତା’ ବର୍ମୀ–ଗୃହିଣୀ କାମ ଛାଡ଼ି ଉଠିଯାଇ ତା’ ହାତରୁ ବାଡ଼ି ଓ ଟୋପିଟା ଆଣି ରଖିଲା । ଛୋଟ ଭଉଣୀ ଚୁରୁଟ–ଦିଆସିଲି ପ୍ରଭୃତି ଆଣିଦେଲା । ଜଣେ ଦାସୀ ଚାହା ସରଞ୍ଜାମ ଓ ଅନ୍ୟ ଜଣକ ପାନ ବଟ୍‌ଟା ଧରି ପହଞ୍ଚିଲା । ‘‘ବାଃ, ଲୋକଟା ଯେ ପ୍ରକୃତରେ ଗୋଟାଏ ରାଜାଭଳି ଅଛି । ଲୋକଟାର ନାଆଁ ମୁଁ ଭୁଲିଯାଇଛି । ବୋଧହୁଏ ଚାରୁକିଟାରୁ କ’ଣ ଏଇମିତି ଗୋଟାଏ ହେବ । ଛାଡ଼–ତାକୁ କେବଳ ବାବୁ କହିଲେ ବର୍ତ୍ତମାନ ଚଳିବ ।

 

ବାବୁ ପ୍ରଶ୍ନ କଲେ–ମୁଁ କିଏ ?

 

କହିଲି–ମୁଁ ତା’ ଭାଇଙ୍କର ବନ୍ଧୁ ।

 

ସେ କିନ୍ତୁ ବିଶ୍ୱାସ କଲେ ନାହିଁ । କହିଲେ–ଆପଣ ତ କଲିକତିଆ । କିନ୍ତୁ ମୋ ଭାଇ ତ କେବେ ସେଠାକୁ ଯାଇନାହାନ୍ତି । ବନ୍ଧୁତ୍ୱ ହେଲା କିପରି ?

 

କିପରି ଭାବରେ ବନ୍ଧୁତ୍ୱ ହେଲା, କେଉଁଠାରେ ହେଲା, କେଉଁଠାରେ ଅଛନ୍ତି ଇତ୍ୟାଦି ସଂକ୍ଷେପରେ କହିବା ପରେ ତାଙ୍କ ଆସିବାର ଉଦ୍ଦେଶ୍ୟଟା ମଧ୍ୟ ଜଣାଇଲି ଏବଂ ସେ ଯେ ଭାତୃରତ୍ନଙ୍କର ଦର୍ଶନ ପାଇଁ ଉଦ୍‌ଗ୍ରୀବ ହୋଇଉଠିଛନ୍ତି, ତାହା ମଧ୍ୟ ମୁଁ ନିବେଦନ କଲି ।

 

ପରଦିନ ଆମ ହୋଟେଲରେ ବାବୁଟିର ପାଦଧୂଳି ପଡ଼ିଲା ଏବଂ ଉଭୟ ଭ୍ରାତାଙ୍କ ଭିତରେ ବହୁତ ସମୟ ଧରି କଥାବାର୍ତ୍ତା ହେଲାପରେ ସେ ବିଦାୟ ନେଇ ଚାଲିଗଲେ । ସେହି ପରଠାରୁ ଦୁଇଭାଇଙ୍କ ଭିତରେ ଯେ କି ମିଳନ ହୋଇଗଲେ ଯାହାଫଳରେ ସକାଳ ନାହିଁ, ସନ୍ଧ୍ୟା ନାହିଁ ବାବୁଟି ଭାଇ ବୋଲି ଡାକିଦେଇ ଯେତେବେଳେ ଇଚ୍ଛା ସେତେବେଳେ ଆସି ପହଞ୍ଚିବାକୁ ଲାଗିଲେ ଏବଂ ଫୁସ୍‌ଫୁସ୍‌ ମନ୍ତ୍ରଣା, ଆଳାପ, ଆପ୍ୟାୟନ, ଖାଇବା–ପିଇବାର ଆଉ ସୀମା ରହିଲା ନାହିଁ । ଦିନେ ଓପରଓଳି ମୋତେ ଏବଂ ତା’ ଭାଇକୁ ଚାହା–ବିସ୍କୁଟ ଖାଇବା ପାଇଁ ନିମନ୍ତ୍ରଣ ପର୍ଯ୍ୟନ୍ତ କରିଦେଇଗଲା ।

 

ସେଦିନ ଜାଣ ତା’ର ସେଇ ବର୍ମା–ଦେଶୀୟ ସ୍ତ୍ରୀଟି ସହିତ ମୋର ଭଲ ରକମ କଥାବାର୍ତ୍ତା ହେଲା । ଝିଅଟି ଅତିଶୟ, ସରଳ ଏବଂ ଭଦ୍ର । ଭଲପାଇ ଆପଣ ଇଚ୍ଛାରେ ତାକୁ ବିବାହ କରିବସିଛି ଏବଂ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବୋଧହୁଏ ଦିନକ ପାଇଁ ତା’ ମନରେ ଦୁଃଖ ଦେଇନାହିଁ । ଚାରି ପାଞ୍ଚଦିନ ପରେ ଦିନେ ବଡ଼ ଭାଇ ଗାଲରେ ଗାଲେ ହସଧରି ମୋ କାନରେ ଚୁପ୍‍ଚୁପ୍‌ କରି କହିଲେ ସେ ପଅରଦିନ ସକାଳ ଜାହାଜରେ ସେମାନେ ଘରକୁ ଫେରିଯାଉଛନ୍ତି । ଶୁଣିବାକ୍ଷଣି ମନରେ କିପରି ଗୋଟାଏ ଭୟ ଆସିଲା । ପଚାରିଲି–ଆପଣଙ୍କ ଭାଇ ପୁଣି ଫେରିଆସିବେ ତ ?

 

ଭାଇ କହିଲେ–ପୁଣି !! ରାମ, ରାମ, କେବଳ ଥରେ ଜାହାଜରେ ଚଢ଼ିପାରିଲେ ହେଲା....

 

: ଝିଅଟିକୁ ଏ କଥା ଜଣାଇଛନ୍ତି ?

 

ବାପରେ ! ତାହାହେଲେ ଆଉ ରକ୍ଷା ଅଛି ? ଝିଅଟିର ଯିଏ ଯେଉଁଠାରେ ଅଛନ୍ତି ଶୁଣିଲେ ଆସି ଓଡ଼ିଶା ଭଳି କାମୁଡ଼ି ଧରିବେ । କହି ଆଖିଦୁଇଟାକୁ ମିଟିମିଟି କରି ସହାସ୍ୟେ କହିଲେ–ଫ୍ରେଞ୍ଚ ଲିଭ ଆଜ୍ଞା, ଫ୍ରେଞ୍ଚ ଲିଭ । ଏଥର ବୁଝିପାରିଲେ ତ ?

 

ମନରେ ଭାରି କଷ୍ଟ ଅନୁଭବ କଲି । କହିଲି, ଝିଅଟି ତାହାହେଲେ ଭାରି କଷ୍ଟ ପାଇବ-?

 

ମୋ କଥା ଶୁଣି ଭାଇ ତ ଏକପ୍ରକାର ହସି ହସି ପାଗଳ । କୌଣସି ପ୍ରକାରରେ ହସ ବନ୍ଦ ହେବାପରେ ସେ କହିବାକୁ ଲାଗିଲେ–ଏଙ୍କ କଥା ଶୁଣ ମ ? ବର୍ମା ଦେଶର ଝିଅମାନଙ୍କର ପୁଣି କଷ୍ଟ ! ଏ ଶିଳା ଦେଶର ଲୋକ ଖାଇକରି ଆଞ୍ଚାନ୍ତି ନାହିଁ । ନା ଅଛି ସେମାନଙ୍କର ଜାତି ଜନ୍ମର ବିଚାର, ନା ଅଛି ଧର୍ମ କର୍ମ ।

 

ଝିଅଗୁଡ଼ାକ ସବୁ ନେପ୍‌ସୀ (ଏକପ୍ରକାର ପଚା ମାଛ ଯାହାକୁ ଡଂପୀ ବି କହନ୍ତି) ଖାଆନ୍ତି, ତା’ ଗନ୍ଧରେ ଭୂତ ପ୍ରେତ ଛାଡ଼ି ପଳାନ୍ତି । ଏଠିକାର ଟୋକା ଟୋକୀଙ୍କର ପୁଣି କଷ୍ଟ । ଗୋଟାଏ ଗଲେ ଆଉ ଗୋଟାକୁ ଧରିବେ । ଯାବତୀୟ ଇତର ଲୋକଗୁଡ଼ାକ......

 

: ବନ୍ଦ କରନ୍ତୁ ଆଜ୍ଞା, ବନ୍ଦ କରନ୍ତୁ । ଆପଣଙ୍କ ଭାଇଟିକୁ ଯେ ଏଇ ଚାରିବର୍ଷ ଧରି ସେ ରାଜାଭଳି ଖୁଆଇଛି, ବିନ୍ଧିବାକୁ ଦେଇଛି, ଆଉ କିଛି ନହେଲେ ଏଥିପାଇଁ ତ ଗୋଟାଏ କୃତଜ୍ଞତା ରହିବାର କଥା ।

 

ଭାଇଙ୍କର ମୁହଁ ଏଥର ଗମ୍ଭୀର ହୋଇଗଲା । ଟିକିଏ ଅଟକିଯାଇ ସେ କହିଲେ–ଆପଣ ତ ଆଶ୍ଚର୍ଯ୍ୟ କରିଦେଲେ ଆଜ୍ଞା ? ପୁରୁଷ ପିଲାଟା ବିଦେଶ ଭୂଇଁକୁ ଆସି ହୁଏତ ଗୋଟାଏ ସଉକ୍‌ କରିପକାଇଛି । କେଉଁ ମଣିଷଟା ଅବା ନକରେ କହନ୍ତୁ ତ ? ଆମର ହୁଏତ ଜଣାପଡ଼େ ନାହିଁ । ତା’ର ଅବା ଜଣାପଡ଼ିଯାଇଛି । ଏଥିପାଇଁ କ’ଣ ସବୁଦିନ ପାଇଁ ସେ ଏପରି ଘୂରି ବୁଲୁଥିବ କି ? ଭଲ ମଣିଷ ହୋଇ ସଂସାର କର୍ମକରି ପାଞ୍ଚଜଣରେ ଜଣେ ହୋଇପାରିବ ନାହିଁ ? ଆଜ୍ଞ ଏ ଅବା କି କର୍ମ ଯେ ! ହୋଟେଲରେ ପଶି ଯୁବକକାଳେ ଅନେକ ଲୋକ କ’ଣ ମୁରୁଗୀ ଖାଇକରି ଆସନ୍ତି ନାହିଁ ? କିନ୍ତୁ ବୟସ ଗଡ଼ିଲେ ଆଉ କ’ଣ ସେପରି କରନ୍ତି କି ? ଆପଣ ବିଚାର କରନ୍ତୁ ମୁଁ କଥାଟା ସତ କି ମିଛ କହୁଛି ?

 

ପ୍ରକୃତରେ ବିଚାର କରିବାର ବୁଦ୍ଧି ମୋତେ ଭଗବାନ ଦେଇନାହାନ୍ତି । ସୁତରାଂ ଚୁପ୍‌ ହୋଇ ରହିଲି । ଅଫିସ ବେଳ ହୋଇଯାଉଥିଲା । ତେଣୁ ଗାଧୋଇ ସାରି ଖାଇପିଇ ଅଫିସକୁ ବାହାରିପଡ଼ିଲି ।

 

କିନ୍ତୁ ଅଫିସରୁ ଫେରିବାକ୍ଷଣି ସେ ହଠାତ୍‌ କହିଉଠିଲେ–ଭାବି ଦେଖିଲି ଆପଣଙ୍କ ପରାମର୍ଶ ଭଲ ଆଜ୍ଞା, ଏ ଜାତିକୁ ବିଶ୍ୱାସ ନାହିଁ । କେଜାଣି କ’ଣ ଗୋଟାଏ କରି ବସିବେ ? ତେଣୁ ଭାବିଲି କହିକରି ଯିବାଟା ଉଚିତ୍‌ । ଆଉ ଏ ଝିଅମାନେ ମଧ୍ୟ ନ କରିପାରନ୍ତି କ’ଣ ? ନା ଅଛି ଲଜ୍ଜ୍ୟା ସରମ–ନା ଅଛି ଧର୍ମଜ୍ଞାନ । ପଶୁ କହିଲେ ଚଳିବ ।

 

କହିଲି–ହଁ ସେଇଟା କରିବା ଭଲ ।

 

କିନ୍ତୁ କଥାଟାକୁ ବିଶ୍ୱାସ କରିପାରିଲି ନାହିଁ । କିପରି ମନେହେଲା, ଭିତରେ ବୋଧହୁଏ କିଛି ଷଡ଼ଯନ୍ତ୍ର ଅଛି । ଷଡ଼ଯନ୍ତ୍ର ପ୍ରକୃତରେ ଥିଲା । କିନ୍ତୁ ସେ ଯେ ଏତେ ନୀଚ, ଏତେ ନିଷ୍ଠୁର ତାହା ଆଖିରେ ନ ଦେଖିଲି କେହି ବିଶ୍ୱାସ କରିବେ ନାହିଁ ।

 

ଚଟ୍ଟଗ୍ରାମକୁ ଜାହାଜ ରବିବାର ଦିନ ଛାଡ଼େ । ଅଫିସ ବନ୍ଦ । ସକାଳ ବେଳଟାରେ କ’ଣ ଅବା କରିବି ତେଣୁ ସେମାନଙ୍କୁ See off (ବିଦାୟ) କରିବା ପାଇଁ ଜାହାଜ ଘାଟରେ ଯାଇ ପହଞ୍ଚିଲି । ଜାହାଜ ସେଇମାତ୍ର ଜେଟିରେ ଆସି ଲାଗିଥାଏ । ଯେଉଁମାନେ ଯିବେ, ଯେଉଁମାନେ ନଯିବେ ସମସ୍ତଙ୍କର ଧାଁ ଦଉଡ଼, ଡକାଡକିରେ କାହା କଥା କିଏ ଅବା ଶୁଣୁଛି ? ଏପରି ପରିସ୍ଥିତିରେ ଏଣେତେଣେ ଚାହୁଁ ଚାହୁଁ ସେ ବର୍ମାଦେଶରେ ଝିଅଟି ଉପରେ ଆଖିପଡ଼ିଲା । ଗୋଟିଏ ପାଖରେ ସେ ତା’ ଛୋଟ ଭଉଣୀଟିର ହାତଧରି ଠିଆହୋଇଛି । ସାରା ରାତି କାନ୍ଦି କାନ୍ଦି ତା’ ଆଖିଦୁଇଟି ମନ୍ଦାର ଫୁଲ ଭଳି ନାଲି ଦିଶୁଥାଏ । ଛୋଟ ବାବୁ ମହାବ୍ୟସ୍ତ । ତାଙ୍କର ଦୁଇଚକ୍ର ଯାନ, ବିଛଣା, ଟ୍ରଙ୍କ ଏବଂ ଆଉ କେତେ ଜିନିଷପତ୍ର ଧରି କୁଲି ସହିତ ଏପାଖରୁ ସେପାଖକୁ ଯିବାଆସିବା କରିବାରେ ଫୁରସତ ନାହିଁ ।

 

କ୍ରମେ କ୍ରମେ ସବୁ ଜିନିଷ ଜାହାଜରେ ଉଠିଲା ଯାତ୍ରୀମାନେ ଠେଲାଠେଲି ହୋଇ ସମସ୍ତେ ଯାଇ ଉପରେ ଚଢ଼ିଲେ । ଅଣଯାତ୍ରୀମାନେ ତଳକୁ ଓହ୍ଲାଇଆସିଲେ । ଆଗରେ ନଙ୍ଗର ଫିଟା ଚାଲିଲା । ଏଥର ଛୋଟବାବୁ ଜାହାଜରେ ତାଙ୍କ ଜିନିଷପତ୍ର ଭଲଭାବରେ ରଖିସାରି ତାଙ୍କୁ ବର୍ମାଦେଶୀୟ ସ୍ତ୍ରୀଠାରୁ ବିଦାୟ ନେବା ଆଳରେ ସଂସାରର ନିଷ୍ଠୁରତମ ଏକ ଅଙ୍କର ଅଭିନୟ କରିବା ପାଇଁ ଜାହାଜରୁ ଓହ୍ଲାଇ ଆସିଲେ । ଦ୍ୱିତୀୟ ଶ୍ରେଣୀର ସେ ଯାତ୍ରୀ ଥିଲେ । ତେଣୁ ସେ ଅଧିକାର ତାଙ୍କର ଥିଲା ।

 

ମୁଁ ଅନେକ ସମୟରେ ଭାବିଛି ଏ ସବୁର କ’ଣ ଅବା ପ୍ରୟୋଜନ ଥିଲା ? କାହିଁକି ମଣିଷ ଆପଣାଛାଏଁ ଆପଣାର ମାନବାତ୍ମାକୁ ଏପରି ଭାବରେ ଅପମାନିତ କରେ । ସେ ଅବା ବିବାହିତା ସ୍ତ୍ରୀ ନ ହେଲା, କିନ୍ତୁ ସେ ତ ନାରୀ ! ସେ ତ କନ୍ୟା–ଭଗିନୀ, ଜନନୀର ଜାତି ! ତା’ରି ଆଶ୍ରୟରେ ସେ ତ ଏଇ ସୁଦୀର୍ଘ ସମୟ ଧରି ସ୍ୱାମୀର ଯାବତୀୟ ଅଧିକାର ନେଇ ବାସକରି ଆସିଥିଲା । ତା’ ବିଶ୍ୱସ୍ତ ହୃଦୟର ସମସ୍ତ ମାଧୁର୍ଯ୍ୟ, ସମସ୍ତ ଅମୃତ, ସବୁ ତ ସେ କାୟମନୋବାକ୍ୟରେ ଅର୍ପଣ କରିଦେଇଥିଲା । କିନ୍ତୁ କେଉଁ ଲୋଭରେ ସେ ତାକୁ ଏତେଗୁଡ଼ିଏ ଯାତ୍ରୀଙ୍କ ଆଗରେ ଏପରି ଭାବରେ ନିର୍ଦ୍ଦୟ ବିଦ୍ରୂପ ଏବଂ ହାସ୍ୟକର ପାତ୍ରୀ କରି ଫିଙ୍ଗିଦେଲା । ଲୋକଟି ଗୋଟିଏ ହାତରେ ରୁମାଲ ଧରି ଦୁଇ ଚକ୍ଷୁ ଆବୃତ୍ତ କରି କ୍ରନ୍ଦନ ସ୍ୱରରେ ଅନ୍ୟ ହାତଟିରେ ତା’ ବର୍ମା ଦେଶୀୟ ସ୍ତ୍ରୀର ଗଳାକୁ ଧରି କ’ଣ ଯେପରି କହିବାରେ ଲାଗିଥାଏ ଏବଂ ସେହି ଝିଅଟି ପଣତରେ ମୁହଁ ଢାଙ୍କି ଉଚ୍ଛ୍ୱସିତ ଭାବରେ କାନ୍ଦିବାରେ ଲାଗିଥାଏ ।

 

ଆଖପାଖରେ ଅନେକଗୁଡ଼ିଏ ବଙ୍ଗାଳୀ ଥିଲେ । ସେମାନଙ୍କ ଭିତରୁ କେହି କେହି ମୁହଁ ଫେରାଇ ଚାହିଁ ହସିଲେ ତ କେହି କେହି ମୁହଁରେ ରୁମାଲ ଗୁଞ୍ଜି ହସ ଚାପି ରଖିବା ପାଇଁ ଚେଷ୍ଟାକରିବାକୁ ଲାଗିଲେ । ମୁଁ ଟିକିଏ ଦୂରରେ ଥିଲି ବୋଲି ପ୍ରଥମ କଥାବର୍ତ୍ତା କିଛି ବୁଝିପାରିନଥିଲି କିନ୍ତୁ ପାଖକୁ ଆସିବାକ୍ଷଣି ସବୁ ଶୁଣିପାରିଲି । ଲୋକଟା କାନ୍ଦିବା ଭଳି କଣ୍ଠରେ ବର୍ମାର ଭାଷା ଓ ଇତର ବଙ୍ଗାଳୀଙ୍କ ଭାଷା ମିଶାଇ ବିଳାପ କରିବାକୁ ଲାଗିଛି । ବଙ୍ଗଳାଟା କିଞ୍ଚିତ ମାର୍ଜିତ କରି ଲେଖିଲେ ଏଇରୂପେ ଶୁଣାଯାଏ–ମାସକ ପରେ ରଙ୍ଗପୁରରୁ ତମାଖୁ କିଣି ଯାହା ଫେରିଆସିବି ତାହା ମୁଁ ଜାଣେ । ଆରେ ମୋର ରତ୍ନମଣି, ତୋତେ କଦଳୀ ଦେଖାଇ ଚାଲିଗଲିରେ–କଦଳୀ ଦେଖାଇ ଚାଲିଗଲି ।

 

ଏସବୁ ଆମମାନଙ୍କ ଭଳି କେତେଜଣ ବଙ୍ଗାଳୀଙ୍କୁ ଆମୋଦ ଦେବାପାଇଁ, କିନ୍ତୁ ଝିଅଟି ତ ବାଙ୍ଗଳା ବୁଝେ ନାହିଁ, ତେଣୁ କେବଳ କାନ୍ଦି କାନ୍ଦି ଯେପରି ତା’ର ଛାତି ଫାଟି ଯାଉଥାଏ ଏବଂ କୌଣସିମତେ ସେ ତା’ ଆଖି ପୋଛି ଲୋକଟିକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥାଏ ।

 

ଲୋକଟା ଜବରଦସ୍ତି କାନ୍ଦିବା ଭଳି ଅଭିନୟ କରି କହୁଥାଏ–ମାତ୍ର ପାଞ୍ଚଶହ ଟଙ୍କା ମୋତେ ତମାଖୁ କିଣିବାକୁ ଦେଲୁ; ଆଉ ତୋ ପାଖରେ କ’ଣ କିଛି ନାହିଁ ? ମୋ ପେଟ ପୂରିଲା ନାହିଁ । ଯଦି ତୋ ଘରଟା ବିକ୍ରି କରିପାରି ଟଙ୍କା ନେଇ ଘରକୁ ଚାଲିଯାଇ ପାରିଥାନ୍ତି ତେବେ ଜାଣିଥାନ୍ତି ଯେ ଗୋଟାଏ କିଛି ପାରିଲାର କାମ କରିପାରିଲି । କିନ୍ତୁ କ’ଣ କରିବି କିଛି ହୋଇପାରିଲା ନାହିଁରେ.....

 

ଆଖପାଖ ଲୋକମାନେ ହସ ଚାପି ନ ରଖି ଜୋରରେ ହସିଉଠିବାକୁ ଲାଗିଲେ । କିନ୍ତୁ ଯାହା ପାଇଁ ଏ ହସର ସୃଷ୍ଟି ସେ କିନ୍ତୁ ଦୁଃଖରେ ମୁହ୍ୟମାନ ।

 

ଖଲାସୀମାନେ ଉପରୁ ଥାଇ ଡାକ ଛାଡ଼ି କହିଲେ–ବାବୁ ସିଡ଼ି ଉଠିବ ।

 

ଶ୍ରୀକାନ୍ତ

ଲୋକଟା ଗଳା ଛାଡ଼ିଦେଇ ତତ୍‌କ୍ଷଣାତ୍‌ ଜାହାଜକୁ ଲେଉଟି ଆସୁ ଆସୁ ପୁଣି ଅଧବାଟରୁ ଫେରିଗଲା । ଝିଅଟି ହାତରେ ପୁରୁଣା କାଳର ଗୋଟିଏ ସୁନାମୁଦି ଥିଲା । ସେଇଟା ଉପରେ ହାତରଖି କାନ୍ଦି କାନ୍ଦି କହିଲା–ଆରେ ଦେ ଏଇ ମୁଦିଟା ହେଲେ ନେଇଯାଇଥାଏ, ଯେମିତି ହେଲେ ଦୁଇଶହ ଅଢ଼େଇଶହ ଟଙ୍କା ତ ହେବ । ଏଇଟାକୁ ଅବା ଛାଡ଼ିଦେଇ ଯିବି କାହିଁକି ?

 

ଝିଅଟି ସଙ୍ଗେ ସଙ୍ଗେ ସେଇ ମୁଦିଟା ଖୋଲି ପ୍ରିୟତମ ଆଙ୍ଗୁଠିରେ ପିନ୍ଧାଇଦେଲା । ଯଥାଲାଭ ! କହି ଲୋକଟି ସିଡ଼ି ଦେଇ ଉପରକୁ ଚଢ଼ି ଆସିଲା । ଜାହାଜଟି ଜେଟି ଛାଡ଼ି ଧୀରେ ଧୀରେ ଦୂରକୁ ଚାଲିଯିବାକୁ ଲାଗିଲା ଏବଂ ଝିଅଟି ପଣତ କାନିରେ ମୁହଁକୁ ଚାପିରଖି ଆଣ୍ଠୁମାଡ଼ି ସେହିଠାରେ ବସିପଡ଼ିଲା । ଅନେକ ଲୋକ ଦାନ୍ତ ଦେଖାଇ ହସିହସି ସେଇବାଟ ଦେଇ ଚାଲିଗଲେ-। କେହି ଅବା କହିଲେ ଆଚ୍ଛା ପିଲା ! କେହି ଅବା କହିଲେ ବାହାଦୁର ବଚା । ଆଉ ଅନେକ କହିଲେ–ଟୋକାଟେ କି ମଜ୍ଜାଟାଏ କରି ନ ଗଲା ! ହସି ହସି ପେଟ ଦରଜ ହୋଇଗଲା-। ଏହିପରି କେତେ କ’ଣ ମନ୍ତବ୍ୟ । କେବଳ ମୁଁ ସେଇ ସମସ୍ତଙ୍କର ହସ–ଥଟ୍ଟା ତାମସାରେ ପାତ୍ରୀ ବୋକୀ ଝିଅଟାର ଅପରିସୀମ ଦୁଃଖର ନୀରବ ସାକ୍ଷୀରୂପେ ଠିଆ ହୋଇ ରହିଲି ।

 

ଛୋଟ ଭଉଣୀଟି ଆପଣାର ଆଖିରୁ ଲୁହ ପୋଛି ପୋଛି ବଡ଼ ଭଉଣୀକୁ ଯିବାପାଇଁ ଭିଡ଼ିବାରେ ଲାଗିଥାଏ । ମୁଁ ଧୀରେ ଧୀରେ ସେମାନଙ୍କ ପାଖରେ ଯାଇ ଠିଆହେବା ପରେ ସେ କହିଲା, ବାବୁଜୀ ଆସିଲେଣି, ଅପା ଏଥର ଉଠ୍‌ ଯିବା ।

 

ମୁହଁଟେକି ସେ ମୋ ଆଡ଼କୁ ଚାହିଁଲା ଏବଂ ସଙ୍ଗେ ସଙ୍ଗେ କ୍ରନ୍ଦନ ତା’ର ବାଧା ବନ୍ଧନ କିଛି ମାନିଲା ନାହିଁ, ମୋର ଅବା ସାନ୍ତ୍ୱନା ଦେବାପାଇଁ କ’ଣ ଥିଲା ? ତଥାପି ସେଦିନ ତାହା ସଙ୍ଗ ତ୍ୟାଗ କରିପାରିଲା ନାହିଁ । ତା’ ପଛେ ତାହାର ଗାଡ଼ିରେ ବସିଲି । ସାରାବାଟ କାନ୍ଦିକାନ୍ଦି ସେ କେବଳ କହିବାକୁ ଲାଗିଥାଏ–ବାବୁଜୀ ଘରଟା ଆଜି ମୋ ଶୂନ୍ୟ ହୋଇଗଲା । କିପରି ଭାବରେ ସେଠାରେ ଯାଇ ମୁଁ ପହଞ୍ଚିବି । ମାସକ ପାଇଁ ତମାଖୁ କିଣିବା ପାଇଁ ଯାଇଛନ୍ତି । ଏଇ ଗୋଟାଏ ମାସ ମୁଁ କିପରି ଅବା କଟାଇବି ! ବିଦେଶ ସ୍ଥାନରେ ନ ଜାଣେ କେତେ ନା କେତେ କଷ୍ଟ ହେବ । କାହିଁକି ମୁଁ ଅବା ତାଙ୍କୁ ଯିବାପାଇଁ ହଁ ଭରିଲି । ରେଙ୍ଗୁନ ବଜାରରୁ ତମାଖୁ କିଣି ତ ଫେର ଏତେଦିନ ଆମର ଚଳୁଥିଲା । କାହିଁକି ତେବେ ବେଶୀ ଆଶାରେ ତାଙ୍କୁ ଏତେ ଦୂରକୁ ପଠାଇଲି । ଦୁଃଖରେ ମୋର ଛାତି ଫାଟିଯାଉଛି; ବାବୁଜୀ, ମୁଁ ପଛ ଜାହାଜରେ ତାଙ୍କ ପାଖକୁ ଚାଲିଯିବି–ଏଇପରି କେତେ କ’ଣ........

 

ମୁଁ ତାହା କଥାର ଗୋଟାଏ ହେଲେ ଜବାବ ଦେଇପାରିଲି ନାହିଁ । କେବଳ ଝରକା ବାଟେ ବାହାରକୁ ଚାହିଁରହି ଆଖିର ଅଶ୍ରୁକୁ ଗୋପନ ରଖିବାକୁ ଚେଷ୍ଟା କରୁଥାଏ ।

 

ଝିଅଟି କହିବାକୁ ଲାଗିଲା–ବାବୁଜୀ ଆପଣଙ୍କ ଜାତିର ଲୋକମାନେ ଯେପରି ଭଲପାଇପାରନ୍ତି ସେପରି ଆମ ଜାତିର ଲୋକ ନୁହଁନ୍ତି । ତୁମମାନଙ୍କ ଭଳି ଦୟା–ମାୟା ଆଉ କୌଣସି ଦେଶର ଲୋକଙ୍କର ନାହିଁ ।

 

ଟିକିଏ ରହି ଦୁଇ ତିନିଥର ଆଖି ପୋଛି ସାରି କହିବାକୁ ଲାଗିଲା–ବାବୁଜୀଙ୍କୁ ଭଲପାଇ ଯେତେବେଳେ ଦୁଇଜଣ ଏକତ୍ର ବାସ କରିବାକୁ ଲାଗିଲୁ, କେତେ ଲୋକ ମୋତେ ଭୟ ଦେଖାଇ ବାରଣ କରିଥିଲେ, କିନ୍ତୁ ମୁଁ କାହା କଥା ଶୁଣି ନାହିଁ, ବର୍ତ୍ତମାନ କେତେ ଝିଅ ମୋତେ ହିଂସା କରନ୍ତି-

 

ଚାରିଛକ ନିକଟରେ ପହଞ୍ଚି ମୁଁ ବସାକୁ ଯିବାକୁ ବାହାରିବା କ୍ଷଣି ସେ ବ୍ୟାକୁଳ ହୋଇ ତା’ ଦୁଇହାତଦ୍ୱାରା ଗାଡ଼ିର ଦରଜାକୁ ଆଗୁଳି ରଖି କହିଲା–ନା, ବାବୁଜୀ ସେ କଥା ହେବ ନାହିଁ । ତୁମେ ମୋ ସଙ୍ଗରେ ଯାଇ କପେ ଚାହା ଚାଲ ଖାଇ ଆସିବେ ।

 

ଆପତ୍ତି କରିପାରିଲି ନାହିଁ । ଗାଡ଼ି ଚାଲିବାକୁ ଲାଗିଲା । ସେ ହଠାତ୍‌ ପ୍ରଶ୍ନ କଲା, ଆଚ୍ଛା ବାବୁଜୀ ରଙ୍ଗପୁର ଏଠାକୁ କେତେଦୂର ହେବ ? ତୁମେ ସେଠାକୁ କେବେ ଯାଇଛ ? ସେ କିପରି ଜାଗା ? ଦେହ ଖରାପ ହେଲେ ଚିକିତ୍ସା ପାଇଁ ଡାକ୍ତର ମିଳନ୍ତି ତ ?

 

ବାହାରଆଡ଼େ ଚାହିଁ କହିଲି–ହଁ, ମିଳନ୍ତି ନାହିଁ କ’ଣ ?

 

ସେ ଗୋଟାଏ ନିଃଶ୍ୱାସ ଛାଡ଼ି କହିଲା–ଭଗବାନ ତାଙ୍କୁ କୁଶଳରେ ରଖନ୍ତୁ । ତାଙ୍କ ସଙ୍ଗେ ସଙ୍ଗେ ତାଙ୍କ ଭାଇ ଅଛନ୍ତି । ସେ ଅତି ଭଲ ଲୋକ ଛୋଟ ଭାଇକୁ ପ୍ରାଣଦେଇ ଦେଖିବେ । ତୁମମାନଙ୍କର ଯେ ମାୟାର ଶରୀର ! ମୋର କୌଣସି ଭାବନା ନାହିଁ ତାହାହେଲେ ବାବୁଜୀ ?

 

ଚୁପ୍‌ ହୋଇ ବାହାର ଦିଗକୁ ଚାହିଁ କେବଳ ଭାବିବାକୁ ଲାଗିଲି–ଏ ମହାପାତକର କେତେ ଅଂଶ ମଧ୍ୟ ମୋ ନିଜର । ଆଳସ୍ୟବଶତଃ ହେଉ, କିମ୍ବା ଚକ୍ଷୁଲଜ୍ଜ୍ୟା ହେତୁ ହେଉ ଅବା ବୁଦ୍ଧି ବିବେକ ହରାଇଥିବାର ହେଉ ଏଇ ଯେଉଁ ଅନ୍ୟାୟକୁ ମୁହଁ ବୁଜି ଘଟିଯିବାର ମୁଁ ଦେଖିଲି, ପଦଟିଏ ସୁଦ୍ଧା କହିଲି, ନାହିଁ, ଏହି ଅପରାଧ ହେତୁ ମୁଁ କ’ଣ ନିଷ୍କୃତି ପାଇପାରିବି ? ଆଉ ତାହା ଯଦି ହୋଇପାରେ ତେବେ ମୁଣ୍ଡ ଟେକି ସିଧା ଭାବରେ ତା’ ମୁହଁକୁ ଚାହିଁପାରୁ ନାହିଁ କାହିଁକି ?

 

ଚାହା ବିସ୍କୁଟ ଖାଇ, ତାହା ଜୀବନର ଲକ୍ଷ କୋଟି ତୁଚ୍ଛ ବିସ୍ତୃତ ଇତିହାସ ଶୁଣିସାରି ଯେତେବେଳେ ଘରକୁ ଆସିବା ପାଇଁ ବାହାରିଲି ସେତେବେଳକୁ ବେଳ ଆଉ ବେଶୀ ନାହିଁ । ଘର ଆସିବା ପାଇଁ ପ୍ରବୃତ୍ତି ହେଲାନାହିଁ । ଦିନ ଶେଷରେ କର୍ମସାରି ସମସ୍ତେ ବସାକୁ ଫେରିଆସିଛନ୍ତି–ଦାଦା ଠାକୁର ହୋଟେଲ ସେତେବେଳେ ନାନାବିଧ କଳହାସ୍ୟୋରେ ମୁଖରିତ । ଏଇ ସମସ୍ତ କୋଳାହଳ ଯେପରି ମୋତେ ବିଷପର ମନେହେଲା ।

 

ଏକାକୀ ରାସ୍ତାରେ ବୁଲୁବୁଲୁ କେବଳ ଭାବିବାକୁ ଲାଗିଲି ଏସବୁ ସମସ୍ୟାର ସମାଧାନ କିପରି ହୋଇପାରିବ ? ବର୍ମାଦେଶରେ ବିବାହ ପାଇଁ ସେପରି କିଛି ଧରାବନ୍ଧା ନିୟମ ନାହିଁ । ବିବାହ ମଧ୍ୟ ଭଦ୍ରଭାବରେ ଅନୁଷ୍ଠିତ ହୁଏ, ଆଉ ସ୍ୱାମୀ–ସ୍ତ୍ରୀ ଭଳି ଯେକୌଣସି ନର–ନାରୀ ତିନିଦିନ ଏକତ୍ର ବାସକରି ତିନିଦିନ ଏକତ୍ର ଭୋଜନ କରିପାରିଲେ ସେହି ହିଁ ବିବାହ । ସମାଜ ସେମାନଙ୍କୁ ଅସ୍ୱୀକାର କରେ ନାହିଁ । ସେ ହିସାବରେ ଝିଅଟିକୁ ଖରାପ ଭାବି ହୁଏନାହିଁ । ଆଉ ବାବୁଟି ପାଇଁ ହିନ୍ଦୁଆଇନ୍‌ ଦୃଷ୍ଟିର ଏହା କିଛି ନୁହେଁ । ଏଭଳି ସ୍ତ୍ରୀ ନେଇ ନିଜ ଦେଶରେ ସେ ଯାଇ ବସବାସ କରିପାରିବ ନାହିଁ । ହିନ୍ଦୁ ସମାଜ ତାକୁ ଗ୍ରହଣ ନ କଲେ ନାଇଁ, କିନ୍ତୁ ଆସାମର ସାଧାରଣ ଯେ ତାକୁ ଘୃଣିତ ଚକ୍ଷୁରେ ଦେଖିବେ, ତାହା ସାରା ଜୀବନ ସହ୍ୟ କରିବା ତାହା ପକ୍ଷରେ ମଧ୍ୟ କଠିନ ହୋଇପଡ଼ିବ । ହୁଏତ ଚିରକାଳ ପାଇଁ ପ୍ରବାସରେ ନିର୍ବାସିତ ଭଳି ବାସ କରିବ ନଚେତ୍‌ ଏ ଭାଇଟି ଛୋଟ ଭାଇ ପାଇଁ ଯେଉଁ ବ୍ୟବସ୍ଥା କରିଦେଲା ତାହା ହୁଏତ ଠିକ୍‌ । ଅଥଚ ଧର୍ମ କଥାଟାର ଯଦି କୌଣସି ଅର୍ଥ ଥାଏ ତ, ସେ ହିନ୍ଦୁ ହେଉ, ବା ଅନ୍ୟ କୌଣସି ଜାତି ହେଉ, ଏତେବଡ଼ ନୃଶଂସ ବ୍ୟାପାର ଯେ କିଭଳି ଠିକ୍‌ ହୋଇପାରେ ତାହା ମୋର ବୁଦ୍ଧିର ଅତୀତ । ଏସବୁ ହୁଏତ ସାରା ରାତି ଚିନ୍ତାକରି ଦେଖିବି କିନ୍ତୁ ଏଇ ଯେ କାପୁରୁଷଟା ଆଜି ବିନା ଦୋଷରେ ଏଇ ସରଳା ନାରୀର ପରମ ସ୍ନେହ ଉପରେ ବେଦନାର ବୋଝ ଚାପିଦେଇ ତାକୁ ମୁହଁ ବୁଲାଇ ଚାଲିଗଲା, ଏହି ଆକ୍ରୋଶଟା ହିଁ ମୋତେ ଦଗ୍‌ଧ କରିବାକୁ ଲାଗିଲା ।

 

ରାସ୍ତାର ଗୋଟିଏ କଡ଼ରେ ଚାଲିଛି ତ ଚାଲିଛି । ଦିନେ ଅଭୟାର ପତ୍ର ପଢ଼ିବା ପାଇଁ ପୂର୍ବେ ଯେଉଁ ଚାହା ଦୋକାନରେ ପ୍ରବେଶ କରିଥିଲି ସେହି ଦୋକାନୀଟି ବୋଧହୁଏ ମୋତେ ଦେଖି ଚିହ୍ନିପାରି ଡାକଦେଇ କହିଲା–ବାବୁସାହେବ, ଆଇୟେ ।

 

ହଠାତ୍‌ ଯେପରି ନିଦ ମୋର ଭାଙ୍ଗିଗଲା ଚମକିଉଠି ଦେଖେ ଯେ, ଏ’ ସେହି ଦୋକାନ ଏବଂ ରୋହିଣୀ ବସା ଏଇ ନିକଟରେ । ବିନାବାକ୍ୟରେ ତା’ ଦୋକାନ ଭିତରକୁ ପଶି କପେ ଚାହା ଖାଇ ବାହାରିଆସିଲି । ରୋହିଣୀ ବସାକୁ ଚାହିଁ ଦେଖିଲି ତାହା ଭିତରୁ ବନ୍ଦ ଅଛି । କଡ଼ା ଦୁଇଥର ହଲାଇବା ପରେ, କବାଟ ଖୋଲିଗଲା । ଦେଖିଲି ଆଗରେ ଠିଆ ହୋଇଛି ଅଭୟା !

 

: ତୁମେ ଯେ ?

 

ଅଭୟାର ଆଖି ମୁହଁ ରଙ୍ଗ ପଡ଼ିଗଲା ଏବଂ ସେ କୌଣସି ଉତ୍ତର ନଦେଇ ସିଧା ନିଜ ଘରଭିତରକୁ ଦଉଡ଼ି ଯାଇ ଭିତରୁ କିଳିଣି ଦେଇଦେଲା । କିନ୍ତୁ ଲଜ୍ଜ୍ୟାରେ ଯେଉଁ ମୂର୍ତ୍ତି ସନ୍ଧ୍ୟାରେ ସେଇ ଅସ୍ପଷ୍ଟ ଆଲୋକରେ ତାହା ମୁହଁରେ ଫୁଟିଉଠିବାର ଦେଖିଲି ସେଥିରେ ଆଉ ପଚାରିବା ପାଇଁ ମୋର କିଛି ନଥିଲା । ଅଭିଭୂତ ପରି କିଛିକ୍ଷଣ ଠିଆହୋଇ ରହିବାପରେ ନୀରବରେ ଫେରିଯିବାକୁ ବସିଛି ଏତିକିବେଳେ ଏକ ସଙ୍ଗରେ ଦୁଇରକମର କାନ୍ଦଣାର ସ୍ୱର ମୋ କାନରେ ପଡ଼ିବାକୁ ଲାଗିଲା । ଗୋଟାଏ ସେଇ ପାପିଷ୍ଠର ଏବଂ ଆଉ ଗୋଟାଏ ସେଇ ବର୍ମାଦେଶ ଝିଅଟିର-। ଫେରିଯାଉଥିଲି ହଠାତ୍‌ ଫେରିଆସି ସେମାନଙ୍କ ଅଗଣା ମଝିରେ ଠିଆହୋଇପଡ଼ିଲି-। ମନେମନେ ଭାବିଲି ନା ଏପରି ଭାବରେ ଅପମାନ କରି ଚାଲିଯିବାଟା ଠିକ୍‌ ହେବ ନାହିଁ । ନାଇଁ, ନାଇଁ–ଏପରି କହନ୍ତୁ ନାହିଁ–ଏପରି କରିବି ନାହିଁ–ଏହା ଆଦୌ ଉଚିତ୍‌ ନୁହେଁ–ଏସବୁ ଭଲ ନୁହେଁ, ଅଭ୍ୟାସମତେ ଅନେକଥର ଏସବୁ ଶୁଣି ଆସିଛି । ଅନେକଥର ଶୁଣାଇ ଆସିଛି । କିନ୍ତୁ ଏଣିକି ଆଉ ନୁହେଁ । କ’ଣ ଭଲ, କ’ଣ ମନ୍ଦ; କାହିଁକି ଭଲ, କାହିଁକି, କେଉଁଠାରେ, କାହାପାଇଁ ମନ୍ଦ, ଏସବୁ ପ୍ରଶ୍ନ ପାରେ ଯଦି ତା’ ନିଜ ମୁହଁରୁ ଶୁଣି ତା’ ମୁହଁକୁ ଚାହିଁ ବିଚାର କରିପାରିବି ନହେଲେ କେବଳ ପୋଥିରେ ଲେଖା ଅକ୍ଷର ପ୍ରତି ଦୃଷ୍ଟିରଖି ମୀମାଂସା କରିବାକୁ ଅଧିକାର ମୋର ନାହିଁ, ତୁମର ନାହିଁ, ବୋଧହୁଏ ବିଧାତାଙ୍କର ମଧ୍ୟ ନାହିଁ ।

 

ହଠାତ୍‌ ଅଭୟା କବାଟ ଫଟାଇ ଆଗରେ ଆସି ଠିଆହେଲା । କାହିଲା–ଜନ୍ମ–ଜନ୍ମାନ୍ତରର ଅନ୍ଧ ସଂସ୍କାର ଧକ୍‌କାଟା । ପ୍ରଥମେ ସମ୍ଭାଳି ପାରିଲି ନାହିଁ ବୋଲି ପଳାଇ ଯାଇଥିଲି ଶ୍ରୀକାନ୍ତ ବାବୁ । ନହେଲେ ଏଇଟା ମୋର ପ୍ରକୃତ ଲଜ୍ଜ୍ୟା ବୋଲି ଯେପରି ମନେ ନ କରନ୍ତି ।

 

ତା’ ସାହସ ଦେଖି ଅବାକ୍‌ ହୋଇଗଲି । ଅଭୟା କହିଲା–ଆପଣଙ୍କୁ ବସାକୁ ଫରିଯିବା ପାଇଁ ଆଜି ଟିକିଏ ବିଳମ୍ବ ହୋଇଯିବ । ରୋହିଣୀବାବୁ ଆସିଲେ ବୋଲି ଜାଣନ୍ତୁ । ଆଜି ଆମେ ଦୁଇଜଣଯାକ ଆପଣଙ୍କର ଆସାମୀ, ବିଚାରରେ ଯେଉଁ ଦଣ୍ଡ ସାବ୍ୟସ୍ତ ହେବ, ଆମେମାନେ ସେହି ଦଣ୍ଡ ଗ୍ରହଣ କରିନେବୁ ।

 

ରୋହିଣୀକୁ ‘‘ବାବୁ’’ କହିବାର ଏଇ ପ୍ରଥମ ଥର ପାଇଁ ଶୁଣିପାରିଲି । ପଚାରିଲି–ଆପଣ ଫେରିଆସିଲେ କେବେ ?

 

ଅଭୟା କହିଲା–ପଅରଦିନ । କ’ଣ ହୋଇଛି ବୋଲି ଜାଣିବା ପାଇଁ ଆପଣଙ୍କର ନିଶ୍ଚୟ କୌତୂହଳ ହେଉଥିବ । କହି ସେ ନିଜର ଦକ୍ଷିଣ ବାହୁ ଉପରୁ ଲୁଗାଟେକି ଦେଖାଇଲା । ରକ୍ତଦାଗ ଚମଡ଼ା ଉପରେ ଏବେବି ଲାଗି ରହିଛି । କହିଲା ଶ୍ରୀକାନ୍ତବାବୁ; ଏପରି ଆହୁରି ଅନେକ ସ୍ଥାନ ଅଛି ଯାହାକି ଆପଣଙ୍କୁ ଦେଖାଇ ପାରୁନାହିଁ ।

 

ଯେଉଁ ସକଳ ଦୃଶ୍ୟରେ ତା’ର ହିତାହିତ ଜ୍ଞାନ ହରାଇ ବସେ ଏହା ହେଉଛି ତହିଁରୁ ଗୋଟିଏ । ଅଭୟା ମୋର ସ୍ତବ୍‌ଧ–କଠିନ ମୁହଁକୁ ଚାହିଁ ଆଖିପଲକ ମାତ୍ରେ ସବୁ ବୁଝିପାରିଲା, ଏବଂ ଏଥର ଟିକିଏ ହସିଦେଇ କହିଲା–କିନ୍ତୁ ଫେରିଆସିବାର ଏଇ ମୋର ଏକମାତ୍ର କାରଣ ନୁହେଁ ଶ୍ରୀକାନ୍ତ ବାବୁ । ମୋ ସତୀଧର୍ମର ଏହା ହେଉଛି ସାମାନ୍ୟ ପୁରଷ୍କାର । ସେ ଯେ ମୋର ସ୍ୱାମୀ ଏବଂ ମୁଁ ଯେ ତାଙ୍କର ବିବାହିତା ପତ୍ନୀ, ଏ ସବୁ ହେଉଛି ତା’ର ଚିହ୍ନ ମାତ୍ର ।

 

କିଛିକ୍ଷଣ ଚୁପ୍ ରହି ସେ ପୁଣି କହିବାକୁ ଲାଗିଲା–ମୁଁ ଯେ ସ୍ତ୍ରୀ ହୋଇ ସ୍ୱାମୀଙ୍କ ବିନାଅନୁମତିରେ ଏତେଦୂର ଆସି ତାଙ୍କର ଶାନ୍ତି ଭଙ୍ଗ କରିଛି, ଝିଅପିଲାମାନଙ୍କର ଏତେବଡ଼ ସ୍ପର୍ଦ୍ଧାକୁ ପୁରୁଷ ହୋଇ ସେ ସହ୍ୟ କରିପାରିଲେ ନାହିଁ । ଏହା ହେଉଛି ସେହି ଦୋଷର ଶାସ୍ତି । ସେ ଅନେକ ପ୍ରକାରରେ ମୋତେ ଭୁଲାଇକରି ତାଙ୍କ ବସାକୁ ନେଇଯାଇ କୈଫିୟତ୍‌ ଚାହିଁ ବସିଲେ–କାହିଁକି ମୁଁ ରୋହିଣୀ ସଙ୍ଗେ ଗାଆଁରୁ ଆସିଲି ? କହିଲି–ସ୍ୱାମୀଙ୍କର ଭିଟାମାଟି କେଉଁଟା ତାହା ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରି ନାହିଁ । ମୋର ବାପା ନାହାନ୍ତି । ମାଆ ମରିଯାଇଛନ୍ତି । ଗାଁରେ ଖାଇବାକୁ ପିନ୍ଧିବାକୁ ଦେବାପାଇଁ କେହିନାହାନ୍ତି । ତୁମ ପାଖକୁ ବାରମ୍ବାର ଚିଠି ଲେଖି ସୁଦ୍ଧା ଉତ୍ତର ପାଇପାରିଲି ନାହିଁ ।

 

ସେ ଗୋଛାଏ ବେତ ଧରିପକାଇ କହିଲେ–ଆଜି ତା’ର ଜବାବ ଦେଉଛି । ଏହା କହି ଅଭୟା ତା’ର ପ୍ରହୃତ ଦକ୍ଷିଣ ବାହୁଟା ଆଉଥରେ ଦେଖାଇବାକୁ ଲାଗିଲା ।

 

ସେହି ହୀନ ଅମଣିଷ ବର୍ବରଟା ବିରୁଦ୍ଧରେ ମୋର ଅନ୍ତରଟା ପୁଣି ଆଲୋଡ଼ିତ ହୋଇଉଠିଲା । କିନ୍ତୁ ଯେଉଁ ଅନ୍ଧ ସଂସ୍କାରର ଫଳ କହି ଅଭୟା ମୋତେ ଦେଖିବାମାତ୍ରେ ହିଁ ଦୌଡ଼ି ପଳାଇଥିଲା, ସେ ସଂସ୍କାର ତ ପୁଣି ମୋର ଥିଲା ! ମୁଁ ମଧ୍ୟ ତହିଁରୁ ବାଦ୍‌ ଯାଇ ନାହିଁ ! ସୁତରାଂ ‘‘ଭଲ କରିଛ’’ ଏହି କଥାଟା କହିପାରିଲି ନାହିଁ କିମ୍ବା ‘‘ଭୁଲ କରିଛ’’ ଏଇ କଥାଟା ମଧ୍ୟ ପାଟିରୁ ବାହାର କରିବାକୁ ଇଚ୍ଛାହେଲା ନାହିଁ । ଅନ୍ୟର ସଙ୍କଟ ସମୟରେ ଯେତେବେଳେ ନିଜର ବିବେକ ଏବଂ ସଂସ୍କାରର ସ୍ୱାଧୀନ ଚିନ୍ତାରେ ଓ ପରାଧୀନ ଜ୍ଞାନରେ ସଂଘର୍ଷ ଘଟେ ସେତେବେଳେ ପରାମର୍ଶ ଦେବାଭଳି ବିଡ଼ମ୍ବନା ସଂସାରରେ ଅଳ୍ପ ଅଛି । କିଛିକ୍ଷଣ ନୀରବ ରହିବା ପରେ କହିଲି–ଚାଲିଆସିବାଟା ଯେ ଏକାନ୍ତ ଭାବରେ ଅନ୍ୟାୟ ମୁଁ ଏକଥା କହିପାରୁ ନାହିଁ କିନ୍ତୁ.......

 

ଅଭୟା କହିଲା–ଏଇ କିନ୍ତୁଟାର ବିଚାର ମୁଁ ତ ଆପଣଙ୍କଠାରୁ ଚାହୁଁଛି ଶ୍ରୀକାନ୍ତବାବୁ । ସେ ତା’ର ବର୍ମା–ସ୍ତ୍ରୀକୁ ନେଇ ସୁଖରେ ରହୁ । ମୁଁ ମକଦ୍ଦମା କରିବାକୁ ଯାଉନାହିଁ କିନ୍ତୁ ସ୍ୱାମୀ ଯେତେବେଳେ ମୁଠାଏ ବେତ ଧରି ଜୋରରେ ସ୍ତ୍ରୀର ସମସ୍ତ ଅଧିକାର କାଢ଼ିନେଇ ତାକୁ ଅନ୍ଧକାର ରାତିରେ ଘରୁ ଏକାକୀ ବାହାର କରିଦେଲା ପରେ ମଧ୍ୟ ବିବାହର ବୈଦିକ ମନ୍ତ୍ର ଜୋରରେ ସ୍ତ୍ରୀର କର୍ତ୍ତବ୍ୟର ଦାୟିତ୍ୱ ବଜାୟ ରହିବ କି ନାହିଁ, ସେହି କଥା ତ ଆପଣଙ୍କଠାରୁ ଜାଣିବାପାଇଁ ଚାହୁଁଛି ।

 

ମୁଁ କିନ୍ତୁ ଚୁପ୍‌ ରହିଲି । ସେ ମୋ ମୁହଁକୁ ସେଇପରି ଭାବରେ ଚାହିଁରହି ପୁଣି କହିଲା–ଅଧିକାର ବ୍ୟତୀତ ତ କର୍ତ୍ତବ୍ୟ ରହିପାରେ ନାହିଁ । ଏଇଟା ତ ପୁରୁଣା କଥା । ସେ ତ ମୋ ସହିତ ସେହି ମନ୍ତ୍ର ଉଚ୍ଚାରଣ କରିଥିଲେ । କିନ୍ତୁ ସେ ଏକ ନିରର୍ଥକ ପ୍ରଳାପ ଭଳି ତାଙ୍କ ପ୍ରବୃତ୍ତିକୁ, ତାଙ୍କ ଇଚ୍ଛାକୁ ତ ଏତେ ଟିକିଏ ହେଲେ ବାଧା ଦେଇପାରିଲେ ନାହିଁ ! ଅର୍ଥହୀନ ଆବୃତ୍ତି ତାଙ୍କ ମୁହଁରୁ ବାହାର ହେବା ସଙ୍ଗେ ସଙ୍ଗେ ହିଁ ମିଥ୍ୟା ହୋଇ ମିଳାଇଗଲା । କିନ୍ତୁ ସେ କ’ଣ ସମସ୍ତ ବନ୍ଧନ, ସମସ୍ତ ଦାୟିତ୍ୱବୋଧ କେବଳ ଝିଅପିଲା ବୋଲି ମୋଉପରେ ନ୍ୟସ୍ତ କରି ବସିଲେ କି ? ଆପଣ ଶ୍ରୀକାନ୍ତ ବାବୁ କେବଳ ମାତ୍ର ‘‘କିନ୍ତୁ’’ ବୋଲି କହି ଅଟକି ଗଲେ । ଅର୍ଥାତ୍‌ ସେଠାରୁ ଚାଲିଆସିବାଟା ମୋର ଅନ୍ୟାୟ ହୋଇନାହିଁ, କିନ୍ତୁ....ଏଇ କିନ୍ତୁଟାର ଅର୍ଥ କ’ଣ ଏହି ଯେ, ଯାହାର ସ୍ୱାମୀ ଏତେବଡ଼ ଅପରାଧ କରିବସିଛି ତା’ ସ୍ତ୍ରୀକୁ ସେହି ଅପରାଧର ପ୍ରାୟଶ୍ଚିତ କରିବାପାଇଁ ସାରାଜୀବନ ଜୀବନ୍ମୃତ ହୋଇ ରହିବାକୁ ପଡ଼ିବ ? ଦିନେ ମୋ ସହିତ ବୈଦିକ ମନ୍ତ୍ର ବୋଲି ଦେଇଥିଲେ ବୋଲି ସେହି ମନ୍ତ୍ର ଉଚ୍ଚାରଣଟା ହିଁ ମୋ ଜୀବନର ପରମ ସତ୍ୟ, ଆଉସବୁ ନିଚ୍ଛକ ମିଥ୍ୟା ? ଏତେଗୁଡ଼ାଏ ଅନ୍ୟାୟ, ଏତେ ନିଷ୍ଠୁର ଅତ୍ୟାଚାର ମୋ ପ୍ରତି କ’ଣ କିଛି ନୁହେଁ ? ଆଉ ମୋର ପତ୍ନୀତ୍ୱର ଅଧିକାର ନାହିଁ ? ମାଆ ହେବାର ଅଧିକାର ନାହିଁ ? ସମାଜ, ସଂସ୍କାର, ଆଉ ଆନନ୍ଦ କେଉଁଥିରେ ମୋର କିଛି ଅଧିକାର ନାହିଁ ? ଜଣେ ନିର୍ଦ୍ଦୟ, ମିଥ୍ୟାବାଦୀ, କଦାଚାରୀ ସ୍ୱାମୀ ବିନା ଦୋଷରେ ତା’ ସ୍ତ୍ରୀକୁ ତଡ଼ିଦେଲା ବୋଲି କ’ଣ ତା’ର ସମସ୍ତ ନାରୀତ୍ୱ ବ୍ୟର୍ଥ, ପଙ୍ଗୁ ହୋଇଯିବା ଦରକାର ? ଏଥିପାଇଁ କ’ଣ ଭଗବାନ ଝିଅପିଲାମାନଙ୍କୁ ଗଢ଼ି ସୃଷ୍ଟିକୁ ପଠାଇଥିଲେ ? ସବୁ ଧର୍ମରେ, ସବୁ ଜାତିରେ ଏଇ ଅବିଚାରର ପ୍ରତିକାର ଅଛି, କିନ୍ତୁ ମୁଁ ହିନ୍ଦୁଘରେ ଜନ୍ମପାଇଛି ବୋଲି କ’ଣ ସବୁଦିଗରୁ ମୋ ପାଇଁ ବାଟ ବନ୍ଦ ହୋଇଯାଇଛି, ଶ୍ରୀକାନ୍ତାବାବୁ ?

 

ମୋତେ ନୀରବ ରହିଥିବାର ଦେଖି ଅଭୟା କହିଉଠିଲା–ଜବାବ ଦିଅନ୍ତୁ ଶ୍ରୀକାନ୍ତ ବାବୁ-?

 

କହିଲି–ମୋର ଜବାବ ଦେବାରେ କ’ଣ ଅବା ଯାଏଆସେ ? ମୋ ମତାମତ ପାଇଁ ତ ଆପଣ ଅପେକ୍ଷା କରିନାହାନ୍ତି ?

 

ଅଭୟା କହିଲା–କିନ୍ତୁ ସେଥିପାଇଁ ତ ସମୟ ନଥିଲା ?

 

କହିଲି–ତାହା ହୋଇପାରିଥାଏ । କିନ୍ତୁ ଆପଣ ଯେତେବେଳେ ମୋତେ ଦେଖି ପଳାଇଗଲେ ସେତେବେଳେ ମୁଁ ମଧ୍ୟ ଫେରିଯାଉଥିଲି । କିନ୍ତୁ ପୁଣି ଫେରିଆସିଲି କାହିଁକି ଜାଣନ୍ତି-?

 

: ନା ।

 

: ଫେରିଆସିବାର କାରଣ, ଆଜି ମୋ ମନ ଭାରି ଖରାପ ହୋଇଯାଇଛି । ଆପଣଙ୍କଠାରୁ ଆହୁରି ବେଶୀ ନିଷ୍ଠୁର ଆଚରଣ ଆଉ ଗୋଟିଏ ଝିଅଉପରେ ହେବାରେ ଆଜି ସକାଳେ ଦେଖିଆସିଛି । ଏହା କହି ଜାହାଜ ଘାଟରୁ ସେହି ବର୍ମା ଝିଅଟିର କରୁଣ କାହାଣୀ ବିସ୍ତୃତ ଭାବରେ ବର୍ଣ୍ଣନା କରିସାରି ପଚାରିଲି–ଏଇ ଝିଅଟି କି ଉପାୟ କରିପାରିବ ଆପଣ କହିପାରିବେ କି-?

 

ଅଭୟା ଶିହରିଉଠିଲା । ତା’ପରେ ମୁଣ୍ଡ ହଲାଇ କହିଲା–ନା, ମୁଁ କହିପାରିବି ନାହିଁ ।

 

କହିଲି–ଆପଣଙ୍କୁ ଆଉ ଦୁଇଟି ଝିଅଙ୍କ ଇତିହାସ ଆଜି ଶୁଣାଇବି । ଜଣେ ହେଉଛି ମୋର ଅନ୍ନଦା ନାନୀ, ଅପରଟି ହେଉଛି ପିଆରୀ ବାଇ । ଦୁଃଖର ଇତିହାସରେ ଯେ ଏ ଦୁହିଁଙ୍କର ଆସନ ଆପଣଙ୍କଠାରୁ ଆଦୌ ତଳରେ ନାହିଁ ।

 

ଅଭୟା ଚୁପ୍‌ ରହିଲା । ମୁଁ ଅନ୍ନଦା ନାନୀର ସମସ୍ତ ବୃତ୍ତାନ୍ତ ମୂଳରୁ ଚୂଳ ପର୍ଯ୍ୟନ୍ତ କହିସାରି ଦେଖିଲି, ଅଭୟା କାଠର ମୂର୍ତ୍ତି ଭଳି ସ୍ଥିର ହୋଇ ବସି ରହିଛି । ତା’ ଦୁଇଆଖିରୁ ଅଶ୍ରୁ ବହିବାରେ ଲାଗିଛି । କିଛି ସମୟ ଏଇପରି ଭାବରେ ରହିବାପରେ ସେ ମାଟିରେ ମୁଣ୍ଡ ଲଗାଇ ନମସ୍କାର କରିସାରି ଉଠିବସିଲା, ପଣତ କାନିରେ ଆଖି ପୋଛି କହିଲା–ତା’ପରେ ?

 

କହିଲି–ତା’ପରେ ଆଉ କିଛି ଜାଣିନାହିଁ । ଏଥର ପିଆରୀ ବାଈଜୀର କଥା ଶୁଣ । ତାହା ନାମ ଯେତେବେଳେ ରାଜଲକ୍ଷ୍ମୀ ଥିଲା, ସେତେବେଳଠାରୁ ସେ ଜଣକୁ ଭଲପାଉଥିଲା । କିଭଳି ଭଲପାଇବା ଜାଣନ୍ତି ? ରୋହିଣୀବାବୁ ଆପଣଙ୍କୁ ଯେପରି ଭଲପାଆନ୍ତି, ସେହିପରି । ଏହା ମୁଁ ଆଜି ସ୍ୱଚକ୍ଷୁରେ ଦେଖିପାରିଲି ବୋଲି ତୁଳନା ଦେଇପାରିଲି । ତା’ପରେ ବହୁକାଳପରେ ଦୁଇଜଣଙ୍କ ଭିତରେ ହଠାତ୍‌ ଦେଖାହୁଏ । ସେତେବେଳେ ସେ ଆଉ ରାଜଲକ୍ଷ୍ମୀ ନୁହେଁ ପିଆରୀ ବାଈ ପାଲଟିଯାଇଛି । କିନ୍ତୁ ରାଜଲକ୍ଷ୍ମୀ ଯେ ମରି ନାହିଁ ଏବଂ ପିଆରି ବାଈ ଭିତରେ ଚିରଦିନ ପାଇଁ ଅମର ହୋଇ ରହିଥିଲା ସେଦିନ ତା’ର ପ୍ରମାଣ ମିଳିଗଲା ।

 

ଅଭୟା ଉତ୍ସୁକ ହୋଇ ପଚାରିଲା–ତା’ପରେ ?

 

ପର ଘଟଣାଗୁଡ଼ିକୁ ଗୋଟିକ ପରେ ଗୋଟିଏ କରି ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ଲାଗିଲି । ତା’ପରେ ଏପରି ଗୋଟିଏ ଦିନ ଆସି ପହଞ୍ଚିଲା ଯେଉଁଦିନ ପିଆରୀ ତା’ର ପ୍ରାଣଧିକ ପ୍ରିୟତମକୁ ଦୂରକୁ ଠେଲିଦେଲା ।

 

ଅଭୟା ପଚାରିଲା–ତା’ପରେ କ’ଣ ହେଲା ଜାଣନ୍ତି ?

 

: ଜାଣେ । କିନ୍ତୁ ତା’ପରେ ଆଉ ନୁହେଁ ।

 

ଅଭୟା ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲା–ଆପଣ କ’ଣ ଏଇଆ କହିବାକୁ ଚାହାଁନ୍ତି ଯେ କେବଳ ମୁଁ ନୁହେଁ.....ଏପରି ଦୁର୍ଭାଗ୍ୟ ଝିଅମାନଙ୍କ ଭାଗ୍ୟରେ ବରାବର ଘଟି ଆସିଛି ଏବଂ ସେ ସବୁ ଦୁଃଖ ସହ୍ୟ କରିବାଟା ହେଉଛି ସେମାନଙ୍କ ଜୀବନର ବଡ଼ କୃତିତ୍ୱ ?

 

ମୁଁ କହିଲି–ମୁଁ ଏସବୁ କିଛି କହିବାକୁ ଚାହେଁ ନାହିଁ । କେବଳ ଏତିକି ମାତ୍ର ତୁମକୁ ଜଣାଇ ଦେବାକୁ ଚାହେଁ ଯେ ଝିଅପିଲାମାନେ ପୁଅପିଲା ନୁହଁନ୍ତି । ସେମାନଙ୍କର ଆଚାର ବ୍ୟବହାର ଗୋଟିଏ ନିକିତିରେ ମାପ କରା ହୋଇପାରେ ନାହିଁ ଏବଂ ଯଦି କରାହୁଏ ତେବେ ବହୁତ ଅସୁବିଧା ଉପୁଜିଥାଏ ।

 

: କାହିଁକି କରାହୋଇପାରିବ ନାହିଁ ତା’ର କାରଣ କହିପାରିବେ କି ?

 

: ନା, ତାହା ମଧ୍ୟ କହିପାରିବି ନାହିଁ । ତା’ଛଡ଼ା ଆଜି ମୋ ମନ ଏପରି ଉଦ୍‌ଭ୍ରାନ୍ତ ହୋଇପଡ଼ିଛି ଯେ, ଏସବୁ ଜଟିଳ ସମସ୍ୟାର ସମାଧାନ କରିବାର ଶକ୍ତି ନାହିଁ । ଆପଣଙ୍କ ପ୍ରଶ୍ନକୁ ମୁଁ ଆଉ ଦିନେ ଭାବିକରି ଦେଖିବି । ତେବେ ଆଜି କେବଳ ଆପଣଙ୍କୁ ଏଇ କଥାଟି କହିଦେଇ ଯାଇପାରେ ଯେ, ମୋ ଜୀବନରେ ଯେଉଁ କେତୋଟି ନାରୀ ଚରିତ୍ର ଦେଖିବାକୁ ପାଇଛି ସେମାନେ ସମସ୍ତେ ଦୁଃଖ ଭିତରେ ହିଁ ମୋ ମନଭିତରେ ବଡ଼ ହୋଇପାରିଛନ୍ତି । ମୋ ଅନ୍ନଦା ନାନୀ ଯେ ତା’ର ସମସ୍ତ ଦୁଃଖର ଭାରକୁ ନୀରବରେ ବହନ କରିବା ବ୍ୟତୀତ ଆଉ କିଛି କରିପାରିନଥାନ୍ତା ଏକଥା ମୁଁ ଶପଥ କରି କହିପାରିବି । ସେ ଭାର ଅସହ୍ୟ ହେଲେ ମଧ୍ୟ ସେ ଯେ ଆପଣଙ୍କ ପନ୍ଥାରେ ପାଦ ଦେଇପାରିବ ଏକଥା ଭାବିବାକ୍ଷଣି ହୁଏତ ମୋ ଅନ୍ତର ଦୁଃଖରେ ଫାଟିଯିବ ।

 

ଆଉ ଅଳ୍ପ ସମୟ ଚୁପ୍‌ ରହିବା ପରେ କହିଲି–ଆଉ ସେ ରାଜଲକ୍ଷ୍ମୀ ! ଆଉ ତା’ର ତ୍ୟାଗର କଷ୍ଟ ଯେ କେତେ ବଡ଼, ସେ କଥା ମୁଁ ଆଖିରେ ଦେଖି କରିଆସିଛି । ଏଇ ଦୁଃଖ ପାଇଁ ହିଁ ସେ ଆଜି ମୋ ହୃଦୟରେ ଆସନ ପାତି ରହିପାରିଛି ।

 

ଅଭୟା ଚମକିଉଠି ପଚାରିଲା–ତେବେ ଆପଣ କ’ଣ ତା’ର......

 

କହିଲି ତାହା ନ ହୋଇଥିଲେ ସେ ମୋତେ ଏତେ ସ୍ୱଚ୍ଛନ୍ଦରେ ଦୂରକୁ ଠେଲିଦେଇ ପାରିନଥାନ୍ତା । ହରାଇବା ଭୟରେ ପ୍ରାଣପଣେ ପାଖରେ ବାନ୍ଧି ରଖିବାକୁ ଚାହିଁଥାନ୍ତା ।

ମୁଁ କହିଲି–କେବଳ ଭୟ ନୁହେଁ, ରାଜଲକ୍ଷ୍ମୀ ଜାଣେ ଯେ ମୋତେ ହରାଇବାର ଶକ୍ତି ତା’ର ନାହିଁ । ପାଇବା ଏବଂ ହରାଇବାର ବାହାରେ ଆଉ ଗୋଟାଏ ସମ୍ୱନ୍ଧ ଅଛି ଏବଂ ମୋର ବିଶ୍ୱାସ ସେ ସେତକର ସନ୍ଧାନ ପାଇପାରିଛି ବୋଲି ବର୍ତ୍ତମାନ ମୋ ପାଖରେ ତା’ର ଆବଶ୍ୟକତା ନାହିଁ । ଦେଖନ୍ତୁ ମୁଁ ମଧ୍ୟ ମୋ ଜୀବନରେ କମ୍ ଦୁଃଖ ତ ପାଇ ନାହିଁ । ସେତିକିରୁ ଏତିକି ଶିକ୍ଷା ଲାଭ କରିପାରିଛି ଯେ ଦୁଃଖ ଜିନିଷଟା ଅଭାବ ନୁହେଁ କିମ୍ବା ଶୂନ୍ୟ ନୁହେଁ । ଭୟ ବ୍ୟତୀତ ଯେଉଁ ଦୁଃଖ ତାକୁ ସୁଖ ଭଳି ଉପଭୋଗ କରାଯାଇ ପାରି ହୁଏ ।

ଅଭୟା ଅନେକ ସମୟ ପର୍ଯ୍ୟନ୍ତ ନୀରବ ରହିବା ପରେ ଧୀରେ ଧୀରେ କହିଲା–ମୁଁ ଆପଣଙ୍କ କଥା ବୁଝିପାରିଛି ଶ୍ରୀକାନ୍ତ ବାବୁ । ଅନ୍ନଦା ନାନୀ, ରାଜଲକ୍ଷ୍ମୀ, ଏମାନେ ଦୁଃଖ ଭିତରେ ସୁଦ୍ଧା ସମ୍ୱଳ ପାଇପାରିଛନ୍ତି କିନ୍ତୁ ମୋ ହାତରେ ସେତକ ସୁଦ୍ଧା ନାହିଁ । ସ୍ୱାମୀଙ୍କ ନିକଟରୁ ମୁଁ ପାଇଛି ଅପମାନ । କେବଳ ଲାଞ୍ଛନା ଓ ଗ୍ଳାନି ଘେନି ମୁଁ ଫେରିଆସିଛି । ଏଇ ମୂଳଧନକୁ ଧରି ଆପଣ କ’ଣ ମୋତେ ବଞ୍ଚି ରହିବାକୁ ପରାମର୍ଶ ଦେଉଛନ୍ତି ?

ଅତ୍ୟନ୍ତ କଠିନ ପ୍ରଶ୍ନ । ମୋତେ ନିରୁତ୍ତର ରହୁଥିବାର ଦେଖି ଅଭୟା ପୁଣି କହିଲା ଏମାନଙ୍କ ସହିତ ମୋ ଜୀବନର କୌଣସି ସାମଞ୍ଜସ୍ୟ ନାହିଁ ଶ୍ରୀକାନ୍ତ ବାବୁ । ସଂସାରରେ ସମସ୍ତ ନରନାରୀ ଗୋଟିଏ ଛାଞ୍ଚରେ ତିଆରି ନୁହଁନ୍ତି । ସେମାନଙ୍କର ଜୀବନ ସାର୍ଥକ ହେବାର ପଦ୍ଧତି ମଧ୍ୟ ଏକ ନୁହେଁ । ସେମାନଙ୍କର ଶିକ୍ଷା, ସେମାନଙ୍କର ପ୍ରବୃତ୍ତି, ସେମାନଙ୍କର ମନର ଗତି କେବଳ ଗୋଟିଏ ଦିଗରେ ଯାଇ ତାଙ୍କୁ ସାଫଲ୍ୟ ଆଣି ଦେଇପାରେ ନାହିଁ । ସେଥିପାଇଁ ସମାଜରେ ବ୍ୟବସ୍ଥା ଥିବା ଦରକାର । ଥରେ ଭଲକରି ମୂଳରୁ ଶେଷଯାଏଁ ଭାବି ଦେଖନ୍ତୁ ତ, ମୋତେ ଯିଏ ବିବାହ କରିଥିଲେ, ତାଙ୍କ ପାଖକୁ ନ ଆସି ମୋର ଅନ୍ୟ ଉପାୟ ନଥିଲା, ଏବଂ ଆସି ମଧ୍ୟ କୌଣସି ଲାଭ ହେଲା ନାହିଁ । ବର୍ତ୍ତମାନ ତାଙ୍କ ସ୍ତ୍ରୀ, ତାଙ୍କ ପିଲାଛୁଆ, ତାଙ୍କ ଭଲପାଇବା କିଛିଟା ମୋର ନୁହଁନ୍ତି । ତଥାପି କ’ଣ ତାଙ୍କ ପାଖରେ ଗୋଟାଏ ଗଣିକା ଭଳି ପଡ଼ି ରହିଥିଲେ ମୋ ଜୀବନର ସାର୍ଥକତା ଫଳ ଫୁଲରେ ଭରି ଉଠିଥାନ୍ତା ଶ୍ରୀକାନ୍ତବାବୁ ? ଆଉ ସେଇ ନିଷ୍ଫଳତାର ଦୁଃଖକୁ ସାରା ଜୀବନ ବୋହି ବୁଲିବାଟା କ’ଣ ମୋ ନାରୀ ଜୀବନର ସବୁଠାରୁ ବଡ଼ ସାଧନା ହୋଇଥାନ୍ତା ? ରୋହିଣୀବାବୁଙ୍କୁ ତ ଆପଣ ଦେଖିଛନ୍ତି ? ତାଙ୍କର ଭଲପାଇବା ତ ଆପଣଙ୍କୁ ଅଗୋଚର ନାହିଁ, ଏପରି ଗୋଟାଏ ଲୋକର ସାରା ଜୀବନଟାକୁ ପଙ୍ଗୁ କରିଦେଇ ଆଉ ମୁଁ ସତୀ ନାମ କିଣିବାକୁ ପସନ୍ଦ କରିପାରିଲି ନାହିଁ ଶ୍ରୀକାନ୍ତବାବୁ ।

ହାତଉଠାଇ ଅଭୟା ଆଖି କୋଣ ଦୁଇଟାକୁ ପୋଛି ପକାଇ ଅବରୁଦ୍ଧ କଣ୍ଠରେ କହିଲା–ଗୋଟିଏ ରାତିରେ ବିବାହ ଅନୁଷ୍ଠାନ ଯାହାକି ସ୍ୱାମୀ–ସ୍ତ୍ରୀଙ୍କ ଭିତରେ ସ୍ୱପ୍ନ ଭଳି ମିଥ୍ୟା ହୋଇଯାଇଛି । ତାକୁ ଜୋର କରି ସାରା ଜୀବନ ଧରି ସତ୍ୟ ବୋଲି ପ୍ରତିପାଦିତ କରିବା ପାଇଁ ଏଇ ଏତେବଡ଼ ଭଲପାଇବାଟାକୁ ସଂପୂର୍ଣ୍ଣ ବ୍ୟର୍ଥ କରିଦେବି ? ଯେଉଁ ବିଧାତା ଭଲପାଇବା ସୃଷ୍ଟି କରିଛନ୍ତି ସେ କ’ଣ ଏହାଦ୍ୱାରା ସନ୍ତୁଷ୍ଟ ହେବେ ନାହିଁ ? ଆପଣ ମୋତେ ଯାହା ଇଚ୍ଛା ତାହା ଭାବିପାରନ୍ତି, ମୋର ଭାବୀ ସନ୍ତାନମାନେ ମୋତେ ଯାହା ଇଚ୍ଛା ତାହା କହିପାରନ୍ତି ଯଦି ବଞ୍ଚିରହି ଶ୍ରୀକାନ୍ତ ବାବୁ ମୋର ନିଷ୍ପାପ ଭଲପାଇବାରୁ ଯେଉଁ ସନ୍ତାନମାନେ ସୃଷ୍ଟି ହେବେ ସେମାନେ ମନୁଷ୍ୟ ହିସାବରେ ଜଗତରେ କାହାଠାରୁ ଛୋଟ ହେବେ ନାହିଁ–ଏକଥା ମୁଁ ଆପଣଙ୍କୁ ନିଶ୍ଚିତଭାବରେ କହିପାରେ । ମୋ ଗର୍ଭରେ ସେମାନଙ୍କର ଜନ୍ମଗ୍ରହଣଟାକୁ ସେମାନେ କଦାପି ଦୁର୍ଭାଗ୍ୟ ବୋଲି ମନେକରିପାରିବେ ନାହିଁ । ସେମାନଙ୍କ ଦେଇଯିବା ଭଳି ଜିନିଷ ହୁଏତ ସେମାନଙ୍କର ବାପାଙ୍କର କିଛି ନଥାଇପାରେ କିନ୍ତୁ ସେମାନଙ୍କର ମାଆ ସେମାନଙ୍କୁ ଏଇ ବିଶ୍ୱାସତକ ଦେଇକରି ଯିବି ଯେ ସେମାନେ ସତ୍ୟ ଭିତରୁ ଜନ୍ମ ନେଇଛନ୍ତି ଏବଂ ଏ ସଂସାରରେ ସତ୍ୟ ବ୍ୟତୀତ ବଡ଼ ସମ୍ୱଳ ସେମାନଙ୍କ ପାଇଁ ଆଉ କିଛି ନାହିଁ । ସତ୍ୟଠାରୁ ସାମାନ୍ୟ ବିଚ୍ୟୁତି ହେଲେ ଚଳିବ ନାହିଁ । ଏବଂ ଯଦି ଏହି ସତ୍ୟ ପଥରୁ ବିଚ୍ୟୁତ ହୁଅନ୍ତି ତେବେ ସଂସାରରେ ସେମାନେ ଅକିଞ୍ଚିତ୍‌କର ହୋଇପଡ଼ିବେ ।

ଅଭୟା ଚୁପ୍‌ ହୋଇ ରହିଲା । କିନ୍ତୁ ସାରା ଆକାଶଟା ଯେପରି ମୋ ଆଖିଆଗରେ କମ୍ପିବାକୁ ଲାଗିଲା । ମୁହୂର୍ତ୍ତକ ପାଇଁ ମନେହେଲା ଏଇ ଝିଅଟି ମୁହଁର କଥାଗୁଡ଼ିକ ଯେପରି ରୂପ ଧରି ବାହାରକୁ ଆସି ଆମ ଦୁହିଁଙ୍କୁ ଜାବୁଡ଼ି ଧରି ବସିଛି । ଏପରି ହୁଏ ସତ୍ୟ ଯେତେବେଳେ ପ୍ରକୃତରେ ମନୁଷ୍ୟର ହୃଦୟରୁ ବାହାରି ଆଗରେ ଉପସ୍ଥିତ ହୁଏ ସେତେବେଳେ ମନେହୁଏ ସତେ ଯେପରି ଏହା ଜୀବନ୍ତ । ଯେପରି ଏହାର ରକ୍ତ ମାଂସ ଅଛି । ଯେପରି ତା’ ଭିତରେ ପ୍ରାଣ ଅଛି । ନାହିଁବୋଲି ଅସ୍ୱୀକାର କରି ବସିଲେ ଯେପରି ସେ ଆଘାତ କରି କହିଉଠିବ ଚୁପ୍‌ କର; ମିଥ୍ୟା ଯୁକ୍ତି କରି ଅନ୍ୟାୟ କର ନାହିଁ ।

ଅଭୟା ହଠାତ୍‌ ମୋତେ ଗୋଟାଏ ସରଳ ପ୍ରଶ୍ନ ପଚାରି ବସିଲା । କହିଲା ଆପଣ ନିଜେ ମୋତେ କ’ଣ ଘୃଣା ଚକ୍ଷୁରେ ଦେଖିବେ ଶ୍ରୀକାନ୍ତ ବାବୁ ? ଆଉ ଆମ ଘରକୁ ଆସିବେ ନାହିଁ-?

ଉତ୍ତର ଦେବାପାଇଁ ମୋତେ କିଛି ସମୟ ଇତସ୍ତତଃ ହେବାକୁ ପଡ଼ିଲା । ତା’ପରେ କହିଲି ଅନ୍ତର୍ଯ୍ୟାମୀଙ୍କ ନିକଟରେ ହୁଏତ ଆପଣ ନିଷ୍ପାପ । ସେ ନିଶ୍ଚୟ ଆପଣଙ୍କୁ କଲ୍ୟାଣ କରିବେ-। କିନ୍ତୁ ମଣିଷ ତ ମଣିଷର ଅନ୍ତର ଦେଖିପାରେ ନାହିଁ, ତେଣୁ ପ୍ରତ୍ୟେକର ହୃଦୟ ଅନୁଭବ କରି ବିଚାର କରିବା ସମ୍ଭବପର ହୁଏ ନାହିଁ । ପ୍ରତ୍ୟେକ ପାଇଁ ଅଲଗା ନିୟମ ଗଢ଼ିବାକୁ ଗଲେ ତ ସେମାନଙ୍କ ସମାଜର ନୀତି ନିୟମ, ଶୃଙ୍ଖଳା, ସବୁ ଭାଙ୍ଗିଯିବ ।

ଅଭୟା କାତର ହୋଇ କହିଲା–ଯେଉଁ ଧର୍ମରେ, ଯେଉଁ ସମାଜରେ, ଆମମାନଙ୍କୁ ତୋଳି ନେବା ପାଇଁ ଉଦାରତା ଅଛି, ଆପଣ କ’ଣ ଆମମାନଙ୍କୁ ସେଇ ସମାଜରେ ଆଶ୍ରୟ ନେବା ପାଇଁ କହୁଛନ୍ତି ?

ଏହାର କ’ଣ ଉତ୍ତର ଦେବି ଭାବି ଠିକ୍‌ କରିପାରିଲି ନାହିଁ ।

ଅଭୟା କହିଲା ଆପଣା ଲୋକ ହୋଇ ନିଜର ଲୋକକୁ ଆପଣମାନେ ସଂକଟକାଳେ ଆଶ୍ରୟ ଦେଇପାରିବେ ନାହିଁ, ଆଉ ସେ ଆଶ୍ରୟ ଆମକୁ ପରଠାରୁ ଭିକ୍ଷା ମାଗି ଗ୍ରହଣ କରିବାକୁ ହେବ ? ସେଥିରେ କ’ଣ ଗୌରବ ବଢ଼େ ଶ୍ରୀକାନ୍ତବାବୁ ?

ପ୍ରତ୍ୟୁତ୍ତର ସ୍ୱରୂପ ଗୋଟାଏ ଦୀର୍ଘଶ୍ୱାସ ବ୍ୟତୀତ ଆଉ କିଛି ମୁହଁରୁ ବାହାରିପାରିଲା ନାହିଁ ।

ଅଭୟା ନିଜେ ମଧ୍ୟ କିଛି ସମୟ ଚୁପ୍‌ ରହିବା ପରେ କହିଲା–ଛାଡ଼ନ୍ତୁ ଆପଣମାନେ ସ୍ଥାନ ନ ଦେଲେ ନାହିଁ । ମୋର ସାନ୍ତ୍ୱନା କିନ୍ତୁ ଏହି ଯେ, ଜଗତରେ ଆଜି ଆଉ ଗୋଟିଏ ବଡ଼ ଜାତି ଅଛି ଯେଉଁମାନେ କି ପ୍ରକାଶ୍ୟରେ ଏବଂ ସ୍ୱଚ୍ଛନ୍ଦରେ ସ୍ଥାନ ଦେଇପାରନ୍ତି ।

 

ତା’ କଥାରେ ସାମାନ୍ୟ ଆଘାତ ପାଇ କହିଲି–ସକଳ କ୍ଷେତ୍ରରେ ଆଶ୍ରୟ ଦେବାଟାକୁ କ’ଣ ଭଲ କାର୍ଯ୍ୟ ବୋଲି ମାନିନେବାକୁ ହେବ ?

 

ଅଭୟା କହିଲା ତା’ର ପ୍ରମାଣ ତ ହାତେ ହାତେ ରହିଛି ଶ୍ରୀକାନ୍ତବାବୁ । ପୃଥିବୀରେ କୌଣସି ଅନ୍ୟାୟ ବେଶୀଦିନ ଧରି ଶ୍ରୀ ବୃଦ୍ଧି କରେ ନାହିଁ । ଏହା ଯଦି ସତ୍ୟ ହୋଇଥାଏ, ତେବେ ସେମାନେ କ’ଣ ଅନ୍ୟାୟଟା ପ୍ରଶୟ ଦେଇ ଦିନକୁଦିନ ବଡ଼ ହୋଇ ଚାଲିଛନ୍ତି ? ଆଉ ଆପଣ ନ୍ୟାୟ ଓ ଧର୍ମକୁ ଆଶ୍ରୟ କରି ପ୍ରତିଦିନ କ୍ଷୁଦ୍ର ଏବଂ ତୁଚ୍ଛ ହୋଇଯାଉଛନ୍ତି ବୋଲି କହିବାକୁ ହେବ ? ଆମେମାନେ ତ ଏଠାକୁ ଅଳ୍ପଦିନ ହେବ ଆସିଛେ କିନ୍ତୁ ଏଇ ଅଳ୍ପଦିନ ଭିତରେ ମୁଁ ଦେଖୁଛି ଏ ଦେଶଟା ମୁସଲମାନଙ୍କ ଦ୍ୱାରା ଭର୍ତ୍ତି ହୋଇଗଲାଣି । ଶୁଣିବାକୁ ପାଉଛି ଏପରି ଗ୍ରାମ ନାହିଁ କି ଯେଉଁଠାରେ ମୁସଲମାନ ଘରଟିଏ ହେଲେ ନାହିଁ କିମ୍ବା ଯେଉଁଠାରେ ଗୋଟିଏ ହେଲେ ମସ୍‌ଜିଦ୍‌ ତିଆରି ହୋଇ ନାହିଁ । ହୁଏତ ଆମ୍ଭେମାନେ ମରିବାପୂର୍ବରୁ ଆଖିରେ ଦେଖିପାରିବା ନାହିଁ କିନ୍ତୁ ଏପରି ଦିନ ଶୀଘ୍ର ଆସିବ ଯେଉଁଦିନ ଆମ ଦେଶଭଳି ଏ ବର୍ମା ଦେଶଟା ମଧ୍ୟ ଗୋଟାଏ ମୁସଲମାନ–ପ୍ରଧାନ ଦେଶ ହୋଇଉଠିବ । ଆଜି ଜାହାଜ ବନ୍ଦରରେ ଯେଉଁ ଅନ୍ୟାୟ ଦୃଶ୍ୟ ଦେଖି ଆପଣଙ୍କର ମନ ଦୁଃଖିତ ହୋଇଉଠିଛି, ଆପଣ କହନ୍ତୁ ତ; କୌଣସି ମୁସଲମାନ ବଡ଼ଭାଇ କ’ଣ ସମାଜ ଏବଂ ସମାଜପତିଙ୍କ ଭୟରେ ଏଇ ଷଡ଼ଯନ୍ତ୍ର ଏବଂ ହୀନତାକୁ ଆଶ୍ରୟ କରି ଏପରି ଗୋଟାଏ ଆନନ୍ଦର ସଂସାରକୁ ଛାରଖାର କରିଦେଇ ପଳାଇଯିବାକୁ ଉଚିତ୍‌ ମନେ କରିପାରିଥାନ୍ତା-? ବିରଞ୍ଚି ସେ ଏ ଦୁହିଁଙ୍କୁ ନିଜ କୋଳକୁ ଟାଣିନେଇ ଆଶୀର୍ବାଦ କରି ଅଗ୍ରଜର ସମ୍ମାନ ଓ ମର୍ଯ୍ୟାଦା ଧରି ଘରକୁ ଫେରିଯାଇଥାନ୍ତା । କେଉଁଟାରେ ପ୍ରକୃତ ଧର୍ମ ବଜାୟ ହୋଇ ରହିପାରିଥାନ୍ତା ଶ୍ରୀକାନ୍ତ ବାବୁ ?

 

ଗଭୀର ଶ୍ରଦ୍ଧା ସହିତ ପଚାରିଲି–ଆଚ୍ଛା, ଆପଣ ତ ମଫସଲ ଗାଆଁର ଝିଅ, ଆପଣ ଏତେ କଥା ଜାଣିଲେ ଅବା କିପରି ? ମୋର ତ ମନେହୁଏ ନାହିଁ, ଏତେବଡ଼ ଉଦାର ହୃଦୟ, ଆମ ପୁରୁଷମାନଙ୍କର ବୋଧହୁଏ ଥିବ । ଆପଣ ଯାହାର ମାଆ ହେବେ, ତାକୁ ହତଭାଗା ବୋଲି କୌଣସିମତେ ଅନ୍ତତଃ ମୁଁ ତ ଭାବିପାରିବି ନାହିଁ ।

 

ଅଭୟା ବିଷଣ୍ଣ ମୁହଁରେ ସାମାନ୍ୟ ହସର ରେଖା ଫୁଟାଇ କହିଲା–ତାହାହେଲେ ଶ୍ରୀକାନ୍ତ ବାବୁ, ଆମମାନଙ୍କୁ ସମାଜରୁ ବାହାର କରିଦେଲେ କ’ଣ ହିନ୍ଦୁ ସମାଜ ବେଶୀ ପବିତ୍ର ହୋଇଉଠିବ ? ଏହାଦ୍ୱାରା କ’ଣ କୌଣସି ପ୍ରକାରରେ ସମାଜରେ କ୍ଷତି ଘଟିବ ନାହିଁ ?

 

କିଛି ସମୟ ନୀରବ ରହିଲା ପରେ, ପୁଣି ହସିଦେଇ କହିଲା–ମୁଁ କିନ୍ତୁ କୌଣସିମତେ ସମାଜରୁ ବାହାରି ଯାଇପାରିବି ନାହିଁ । ସମସ୍ତ ଅପଯଶ; ସମସ୍ତ କଳଙ୍କ, ସମସ୍ତ ଦୁର୍ଭାଗ୍ୟକୁ ମଥାପାତି ସହିନେଇ ମୁଁ ଚିରଦିନ ପାଇଁ ଆପଣମାନଙ୍କର ହୋଇ ରହିବି । ମୋର ଗୋଟିଏ ସନ୍ତାନକୁ ଯଦି କୌଣସିଦିନ ମଣିଷ ପରି ମଣିଷଟିଏ କରି ଗଢ଼ିପାରିବି, ସେଦିନ ମୋର ସକଳ ଦୁଃଖ ସାର୍ଥକ ହେବ, ଏଇ ଆଶା ନେଇ ମୁଁ ବଞ୍ଚିରହିବି । ପ୍ରକୃତରେ ମଣିଷ ଭିତରେ ମଣିଷ ପଣିଆ ବଡ଼ ନା ତା’ର ଜନ୍ମ ଇତିହାସଟା ଜଗତରେ ବଡ଼, ଏକଥା ମୋତେ ତୁଳନା କରି ଦେଖିବାକୁ ହେବ-

 

ମନୋହର ଚକ୍ରବର୍ତ୍ତୀ ବୋଲି ଜଣେ ପ୍ରାଜ୍ଞ ବ୍ୟକ୍ତିଙ୍କ ସହିତ ମୋର ଆଳାପ ହୋଇଥିଲା-। ଦାଦାଠାକୁରଙ୍କ ହୋଟେଲରେ ଗୋଟିଏ ହରି ସଂକୀର୍ତ୍ତନ ଦଳ ଥିଲା । ସେ ପୁଣ୍ୟ ସଞ୍ଚୟ କରିବା ଅଭିପ୍ରାୟରେ ମଝିରେ ମଝିରେ ସେଠାକୁ ଆସୁଥିଲେ । କିନ୍ତୁ କେଉଁଠାରେ ରହନ୍ତି, କେଉଁଠାରେ କ’ଣ କରନ୍ତି, ତାହା ମୁଁ ଜାଣିନଥାଏ । ଏଇମାତ୍ର ମୁଁ ଶୁଣିଥିଲି ଯେ ତାଙ୍କର କୁଆଡ଼େ ଅନେକ ଟଙ୍କା ଏବଂ ସକଳ ଦିଗରୁ ସେ ଅତ୍ୟନ୍ତ ହିସାବୀ । କାହିଁକି ଜାଣେନା, ସେ ମୋ ପ୍ରତି ଅତ୍ୟନ୍ତ ପ୍ରସନ୍ନ ହୋଇ ଦିନେ ନିଭୃତରେ କହିଲେ–ଦେଖନ୍ତୁ ଶ୍ରୀକାନ୍ତବାବୁ; ଆପଣଙ୍କର ବୟସ ଆଳ୍ପ, ଆପଣ ଯଦି ଜୀବନରେ ଉନ୍ନତ କରିବାକୁ ଚାହାନ୍ତି ତ, ଆପଣଙ୍କୁ ଏପରି କେତୋଟି ସତ୍‌ ପରାମର୍ଶ ଦେଇପାରେ ଯାହାର ଦାମ୍‌ ଲକ୍ଷେ ଟଙ୍କା ସଙ୍ଗେ ସମାନ । ମୁଁ ନିଜେ ଯାହାଙ୍କ ନିକଟରୁ ଏହି ପରାମର୍ଶ ପାଇଥିଲି, ସେ ସଂସାରରେ କିଭଳି ଭାବରେ ଉନ୍ନତ କରିପାରିଥିଲେ ଶୁଣିଲେ ହୁଏତ ଆପଣ ଅବାକ୍‌ ହୋଇଯିବେ । କିନ୍ତୁ ଘଟଣା ସତ୍ୟ, ପଚାଶଟି ଟଙ୍କା ମାତ୍ର ସେ ଦରମା ପାଆନ୍ତି, କିନ୍ତୁ ମଲାବେଳକୁ ଘରବାଡ଼ି, ପୋଖରୀ ବଗିଚା, ଜମିଜମା ଛଡ଼ା ପ୍ରାୟ ନଗଦ ଦୁଇହଜାର ଟଙ୍କା ରଖିଯାଇଛନ୍ତି-। କହନ୍ତୁ ତ ଏହା କ’ଣ କମ୍‌ ସହଜ କଥା ! ଆପଣାର ବାପ–ମାଆଙ୍କ ଆଶୀର୍ବାଦ ଫଳରେ ମୁଁ ନିଜେ ମଧ୍ୟ ତ....

 

କିନ୍ତୁ ନିଜ କଥାଟାକୁ ଏଠାରେ ଚାପିଦେଇ କହିଲେ,–ଆପଣ ଦରମାପତ୍ର ତ ମୋଟା ଅଙ୍କର ପାଉଥିବାର ଶୁଣିଲି, କପାଳ ଆପଣଙ୍କର ଖୁବ୍‌ ଭଲ । ବର୍ମା ଆସି ଏପରି କାହାର ହୁଏ ନାହିଁ । କିନ୍ତୁ ଅପବ୍ୟୟଟା କିଭଳି କରୁଛନ୍ତି କୁହନ୍ତୁ ତ ! ଭିତରେ ଭିତରେ ସନ୍ଧାନ ନେଇ ଦୁଃଖରେ ମୋର ଛାତି ଫାଟିଯାଉଛି । ଦେଖିପାରିଥିବେ ତ ମୁଁ କାହାରି କଥାରେ ନଥାଏ । କିନ୍ତୁ ମୋ କଥା ଅନୁସାରେ ବେଶୀ ନୁହେଁ, ଦୁଇଟି ବର୍ଷ ମାତ୍ର ଚଳନ୍ତୁ ଦେଖି, ମୁଁ ଆପଣଙ୍କୁ କହି ରଖୁଛି, ଆପଣା ଦେଶକୁ ଫେରିଯାଇ ନିଶ୍ଚୟ ବାହାହେଇପାରିବେ ।

 

ଏହି ସୌଭାଗ୍ୟ ପାଇଁ ଅନ୍ତର ଭିତରେ ମୁଁ ଏପରି ଲାଳାୟିତ ହୋଇଉଠିଛି, ଏ ତଥ୍ୟ ସେ କିଭଳି ଭାବରେ ସଂଗ୍ରହ କଲେ ଜାଣେନା, ତଥାପି ସେ ଭିତରେ ଭିତରେ ସନ୍ଧାନ ନେବା ବ୍ୟତୀତ କାହାର କୌଣସି କଥାରେ ନଥାନ୍ତି ବୋଲି ବ୍ୟକ୍ତ କରିସାରିଥିଲେ ।

 

ଯାହାହେଉ, ତାଙ୍କର ଉନ୍ନତିର ବୀଜମନ୍ତ୍ର ସ୍ୱରୂପ ସତ୍‌ପରାମର୍ଶ ପାଇଁ ଲୁବ୍‌ଧ ହୋଇଉଠିଲି । ସେ କହିଲେ–ଦେଖନ୍ତୁ ଦାନଧର୍ମ କରିବା କଥା ଛାଡ଼ି ଦିଅନ୍ତୁ । ମୁଣ୍ଡ ଝାଳ ପାଦରେ ମାରି ରୋଜଗାର କରିବାକୁ ହୁଏ, ଅଣ୍ଟାରେ ଗାମୁଛା ଭିଡ଼ି ମାଟି ନ ହାଣିଲେ ଗୋଟାଏ ପଇସା ସୁଦ୍ଧା କେହି ଦେବେ ନାହିଁ । ସେକଥା କହୁନାହିଁ, ନିଜ ରକ୍ତ ସବୁ ପାଣି ଫଟାଇ ରୋଜଗାର କରିଥିବା କଉଡ଼ିକୁ ପରକୁ ଦାନକରିବା ଭଳି ପାଗଳ ଅବା କିଏ ଅଛି ? ନିଜର ପିଲାଝିଲାଙ୍କ ପାଇଁ ରଖି ସାଇତି ଗଲା ପରେ ସିନା ଆଉ ଯାହା ? ସେ କଥା ଛାଡ଼ିଦିଅନ୍ତୁ, ତା’ ନହୋଇପାରେ । କିନ୍ତୁ ଦେଖନ୍ତୁ, ଯାହା ସଂସାରରେ ଅଭାବ ଦେଖିବେ କଦାପି ସେପରି ଲୋକକୁ ପ୍ରଶ୍ରୟ ଦେବେନାହିଁ । ବେଶୀ ନୁହେଁ, ଦୁଇ ଚାରିଦିନ ଯିବାଆସିବା କରିବା ପରେ ପିଲାଛୁଆଙ୍କର ଅଭାବ ଅନାଟନ କଥା କହିବସି ଟଙ୍କା ଦୁଇଟା ମାଗିବସିବେ । ଦେଲେ ତ ସଇଲା, କାରଣ ବାହାର କଜିଆକୁ ଘରକୁ ଡାକି ଆଣିବା ସଙ୍ଗେ ସମାନ । ଦି’ ଦି ଟଙ୍କାର ମାୟା, ଅବଶ୍ୟ କେହି ଛାଡ଼ିପାରେ ନାହିଁ । ତାଗିଦା କରିବାକୁ ହୁଏ । ସେତେବେଳେ କଜିଆ, ମନାନ୍ତର ସୃଷ୍ଟି ହୁଏ । କାହିଁକି ସେଥିରେ ଅବା ଆମର ଆବଶ୍ୟକ କ’ଣ ? କହନ୍ତୁ ଦେଖି ?

 

ମୁଁ ମୁଣ୍ଡ ହଲାଇ କହିଲି–ସତ୍ୟ ତ !

 

ସେ ଉତ୍ସାହିତ ହୋଇ କହିଲେ–ଆପଣ ଭଦ୍ର ସନ୍ତାନ । ସେଥିପାଇଁ କଥାଟାକୁ ଚଟ୍‌କରି ବୁଝିପାରିଲେ । କିନ୍ତୁ ଏଇ ଲୁହା କାଟୁଥିବା ଛୋଟ ଲୋକଗୁଡ଼ାଙ୍କୁ ବୁଝାନ୍ତୁ ତ ? ହାରାମଜାଦା ପିଲାଏ ସାତଜନ୍ମରେ ଏକଥା ବୁଝିବେ ନାହିଁ । ପିଲାଙ୍କର ନିଜର ପଛେ ରୋଜଗାର ପଇସାରୁ ପାଖରେ ଗୋଟିଏ ନଥିବ, କିନ୍ତୁ ପରଠାରୁ ଉଧାର ଆଣି କରଜ ଦେବେ । ଏହି ଛୋଟଲୋକଗୁଡ଼ାକ ଏଡ଼ିକି ଅପଦାର୍ଥ !

 

ତାପରେ ସାମାନ୍ୟ ଚୁପ୍‌ ରହି କହିଲେ–ତେବେ ଦେଖନ୍ତୁ, ମୁଁ କାହାକୁ କେବେ ଟଙ୍କା ଧାର ଦିଏ ନାହିଁ । ମାଗିଲେ କହେ, ଭାରି ଅଭାବ । ଟଙ୍କା ପାଖରେ ଗୋଟିଏ ହେଲେ ନାହିଁ । ଯଦି ତୁମର ପ୍ରକୃତରେ ଅଭାବ ତେବେ ଦୁଇଭରି ସୁନା ଆଣି ରଖିଦିଅ । ଦଶଟଙ୍କା ଧାର ଦେବି, କ’ଣ କହୁଛନ୍ତି ?

 

କହିଲି–ଠିକ୍‌ ତ !

 

ସେ କହିଲେ–ଠିକ୍‌ ନୁହେଁ କ’ଣ ? ଶହେବାର ଠିକ୍‌ । ଆଉ ଦେଖନ୍ତୁ କଳି କଜିଆ ଲାଗିଥିବା ସ୍ଥାନକୁ କଦାପି ଯିବେ ନାହିଁ । ଜଣେ ଯଦି ଖୁନ ହୋଇଯାଏ ନା ! କ’ଣ ଅବା ଆମର ଆବଶ୍ୟକ ? ଛଡ଼ାଇବାକୁ ଗଲେ ଦୁଇ ଚାରିଟା ବିଧା ଯେ ନିଜ ଦେହରେ ନ ବାଜିବ ତା’ କିଏ କହିପାରିବ ? ତା’ ଛଡ଼ା ଗୋଟାଏ ପକ୍ଷ ତୁମକୁ ସାକ୍ଷୀ ମାନି ବସିବ । ସେତେବେଳେ ଲଗା ଦଉଡ଼ କଚେରୀକୁ । ବରଞ୍ଚ ଟିକିଏ ରହିଯାଇପାରିଲେ, କଜିଆ ଥମିଗଲା ପରେ ଇଚ୍ଛା ହେବ ତ ଯାଇ ଦୁଇ ଚାରିଟା ଉପଦେଶ ଦେବାଭଳି କଥା କହି ଆସିଲେ ପାଞ୍ଚ ପଚିଶରେ ନାଆଁ ହେବ । କ’ଣ କହୁଛନ୍ତି ଆଜ୍ଞା ?

 

ସାମାନ୍ୟ ନୀରବ ରହିବା ପରେ ସେ ପୁଣି କହିଲେ, ଆଉ ଏ ଲୋକମାନଙ୍କର ବେମାରୀରେ, ମୁଁ ତ ମହାଶୟ, ପାଖ ମାଡ଼େ ନାହିଁ । ଗଲାକ୍ଷଣି ସଙ୍ଗେ ସଙ୍ଗେ କହି ବସିବେ, ଆଜ୍ଞା ଏ ବିପଦ ସମୟରେ ଟଙ୍କା ଦୁଇଟା ସାହାଯ୍ୟ ଦିଅନ୍ତୁ । ଆଜ୍ଞା, ମଣିଷର ବଞ୍ଚିବା, ଜୀଇବା କଥା କ’ଣ କହିହୁଏ ? ସେମାନଙ୍କ ଟଙ୍କା ଦେବା ଯାହା ସେ ଟଙ୍କାକୁ ପାଣିରେ ପକାଇ ଦେବା ସଙ୍ଗେ ସମାନ । ସେ କ୍ଷେତ୍ରରେ ମଧ୍ୟ ଯିବା ଠିକ୍‌ ନୁହେଁ ବରଞ୍ଚ ଗଲେ ଟଙ୍କା ନ ମାଗିଲେ କହିବେ ଆସନ୍ତୁ ଟିକିଏ ରାତି ଅନିଦ୍ରା ହୋଇ ଜଗି ବସିବେ । ଆଜ୍ଞା, ମୁଁ ଯିବି ତାଙ୍କର ଅସୁଖ ସମୟରେ ରାତି ଉଜାଗର ହେବାପାଇଁ ? କହନ୍ତୁ ତ ଏଇ ବିଦେଶ ଭୂଇଁରେ ମୋର ଯଦି କିଛି ଏପରି, ମା’ ମଙ୍ଗଳା ନ କରନ୍ତୁ, ଏଇ ନାକ କାନ ମୋଡ଼ି ଦୁଇହାତରେ ନମସ୍କାର କରି କହିଲେ–ଆମେମାନେ ସମସ୍ତେ ତ ତାରି ଚରଣରେ ପଡ଼ିଥାଉ, କିନ୍ତୁ କହନ୍ତୁ ଦେଖି ସେପରି ବିପଦରେ ଆମକୁ ଅବା ଦେଖିବ କିଏ-?

 

ଏଥର ମୁଁ ଆଉ ଉତ୍ତର ଦେଇପାରିଲି ନାହିଁ । ମୋତେ ନୀରବ ରହିବାର ଦେଖି ସେ ବୋଧହୁଏ ମନେମନେ ଟିକିଏ ଦ୍ୱିଧାରେ ପଡ଼ିଯାଇ କହିଲେ–ଦେଖନ୍ତୁ ଏଇ ସାହେବମାନଙ୍କୁ ! ସେମାନେ କଦାପି ଏପରି ସ୍ଥାନକୁ ପାଆନ୍ତି କି ? କଦାପି ନୁହେଁ । ନିଜର ଗୋଟାଏ କାର୍ଡ଼ ପଠାଇଦିଅନ୍ତି । ବେଶ୍‌ ହୋଇଗଲା । ସେଥିପାଇଁ ସେମାନଙ୍କର ଉନ୍ନତିଟା ଦେଖନ୍ତୁ ତ ଆଜ୍ଞା ! ତାପରେ ଭଲ ହୋଇଗଲା ପରେ ପୁଣି ଯେମିତି ମିଳାମିଶା ସବୁ ସେଇପରି । ଆଜ୍ଞା ସେଥିପାଇଁ କାହାର ଜଞ୍ଜାଳ ଭିତରକୁ ଆଦୌ ଯିବାକୁ ଚେଷ୍ଟା କରିବେ ନାହିଁ ।

 

ଅଫିସ ସମୟ ହୋଇଯାଉଛି କହି ଉଠିପଡ଼ିଲି । ଏଇ ପ୍ରାଜ୍ଞଙ୍କର ସାଧୁ ପରାମର୍ଶରେ ମୋର ଏ ବୟସରେ ମାନସିକ ଉନ୍ନତି ହେବା ସମ୍ଭବପର ନୁହେଁ । ଏପରିକି ତାଙ୍କ କଥା ମନଭିତରେ ଆନ୍ଦୋଳନ ସୁଦ୍ଧା କରିପାରିଲା ନାହିଁ । କାରଣ ଏପରି ବିଜ୍ଞ ବ୍ୟକ୍ତିଙ୍କର ଏକାନ୍ତ ଅଭାବ ପଲ୍ଲୀଗ୍ରାମରେ ସୁଦ୍ଧା ଅନୁଭବ କରିନାହିଁ । ଅପରାଧର ଦୁର୍ନାମ ସେମାନଙ୍କର ଯେତେ ଥାଉନା କାହିଁକି ପରାମର୍ଶ ଦେବାକୁ ସେମାନେ କାର୍ପଣ୍ୟ କରନ୍ତି ନାହିଁ । ଏବଂ ଏ ପରାମର୍ଶ ଯେ ସୁପରାମର୍ଶ ତାହା ସାମାଜିକ ଜୀବନରେ ଯେତେ ନହେଉ: ପାରିବାରିକ ଜୀବନରେ ଜୀବନଯାତ୍ରାରେ କାର୍ଯ୍ୟରେ ଯେ ଅବିସମ୍ବାଦୀ, ସାଧୁ ଉପାୟ, ତାହା ଦେଶର ଲୋକମାନେ ମାନି ନେଇଛନ୍ତି । ବଙ୍ଗାଳୀ ଗୃହସ୍ଥର କୌଣସି ପିଲା ଯଦି ଏହାକୁ ଅକ୍ଷରେ ଅକ୍ଷରେ ପ୍ରତିପାଳନ କରି ଚଳେ ସେଥିରେ ବାପା–ମାଆ ଅସନ୍ତୁଷ୍ଟ ହୁଅନ୍ତି । ବଙ୍ଗାଳୀ ପିତାମାତାଙ୍କ ବିରୁଦ୍ଧରେ ଏତେବଡ଼ ମିଥ୍ୟା ବଦ୍‌ନାମ ରଟନା କରିବାକୁ ପୁଲିସ୍‌ କିମ୍ବା ସି: ଆଇ: ଡ଼ି: ଲୋକଙ୍କ ବିବେକକୁ ବାଧାଦିଏ । ସେ ଯାହାହେଉ କିନ୍ତୁ ଏଇ ପ୍ରାଜ୍ଞତାର ଭିତରେ ଯେ କେତେ ବଡ଼ ଅପରାଧ ଥିଲା, ସପ୍ତାହ ଦୁଇଟା ଯାଉ ନ ଯାଉଣୁ ଭଗବାନ ତାହାରି ସାହାର୍ଯ୍ୟରେ ହିଁ ପ୍ରମାଣ କରିଦେଲେ ।

 

ସେହିଦିନରୁ ଆଉ ଅଭୟା ଘରକୁ ଯାଇନାହିଁ । ଯାଇପାରିଥିଲେ ତାହାର ସମସ୍ତ ଅବସ୍ଥା ସହିତ ତା’ର କଥାଗୁଡ଼ିକ ମିଳାଇ କରି ଆଗପଛ ଜିନିଷଟା ଏକରକମ ଦେଖିପାରିଥାନ୍ତି–ତାହା ଅବଶ୍ୟ ସତ୍ୟ । ତାହାର ଚିନ୍ତାର ସ୍ୱାଧୀନତା, ତାହାର ଆଚରଣର ନିର୍ଭୀକ ସତ୍ୟତା, ସେମାନଙ୍କର ପରସ୍ପର ପ୍ରତି ଅପରୂପ ପ୍ରୀତି ଓ ଅସାଧାରଣ ସ୍ନେହ ମୋର ବୁଦ୍ଧିକୁ ଯେ ସେଇଦିଗକୁ ଆକର୍ଷଣ କରୁଥିଲା ତାହା ମଧ୍ୟ ଠିକ୍‌ । କିନ୍ତୁ ତଥାପି ମୋର ଜନ୍ମଗତ ସଂସ୍କାର ସେ ଦିଗରେ ପାଦ ବଢ଼ାଇବାକୁ ଚାହୁଁନଥିଲା । କେବଳ ମନେପଡ଼ୁଥିଲା–ମୋର ଅନ୍ନଦା ନାନୀ କଦାପି ଏପରି କାର୍ଯ୍ୟ କରିନଥାନ୍ତା । କେଉଁଠାରେ ଦାସୀବୃତ୍ତି କରି ଲାଞ୍ଛନା, ଅପମାନ ଓ ଦୁଃଖ ଭିତର ଦେଇ ତା’ର ଅବଶିଷ୍ଟ ଜୀବନଟା ବିତାଇ ଦେଇଥାନ୍ତା । ପଛକେ କିନ୍ତୁ ବ୍ରାହ୍ମଣର ସମସ୍ତ ସୁଖ ପରିବର୍ତ୍ତେ ଯାହା ସହିତ ତା’ର ବିବାହ ହୋଇନାହିଁ, ତାହା ସହିତ ଘରସଂସାର କରିବାକୁ ଆଦୌ ରାଜି ହୋଇନଥାନ୍ତା-। ମୁଁ ଭଲକରି ଜାଣେ ସେ ତା’ର ସମସ୍ତ ସୁଖ ଦୁଃଖକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦେଇଥିଲା । ତା’ର ସେଇ ସାଧନା ଭିତର ଦେଇ ପବିତ୍ରତାର ଯେଉଁ ଯନ୍ତ୍ରଣା ଓ କର୍ତ୍ତବ୍ୟବୋଧର ଯେଉଁ ଜ୍ଞାନ ଟିକକ ଲାଭ କରିପାରିଥିଲା–ତାହା କ’ଣ ଅଭୟାର ସୁତୀକ୍ଷ୍‌ଣ ବୁଦ୍ଧିର ମୀମାଂସା ନିକଟରେ ସଂପୂର୍ଣ୍ଣ ପିଲାଳିଆମି ?

 

ଅଭୟାର ଗୋଟାଏ କଥା ହଠାତ୍‌ ମନେପଡ଼ିଲା । ସେତେବେଳେ ଭଲକରି ସେଇଟାକୁ ବୁଝିବାକୁ ଚେଷ୍ଟା କରିପାରିନଥିଲି । ସେଦିନ ସେ କହିଥିଲା–ଶ୍ରୀକାନ୍ତବାବୁ ଦୁଃଖ ଭୋଗ କରିବା ମଧ୍ୟରେ ଗୋଟାଏ ମାରାତ୍ମକ ମୋହ ଅଛି । ଅନୁଷ୍ୟ ବହୁ ଯୁଗର ଜୀବନଯାତ୍ରା ଭିତରେ ଏଇଟା ଦେଖିପାରିଛି ଯେ, କୌଣସି ବିଶେଷ ଧରଣର ଲାଭ ବଡ଼ ରକମର ଦୁଃଖ ଭୋଗ ନ କରି ପାଇହୁଏ ନାହିଁ । ତା’ର ଜନ୍ମଜନ୍ମାନ୍ତର ଅଭିଜ୍ଞତା ଆଜି ଏହି ଭ୍ରମଟାକୁ ଏକବାର ସତ୍ୟ ବୋଲି ଜଣାଇଦେଇଛି ଯେ, ଜୀବନର ମାନଦଣ୍ଡରେ ଏକ ଦିଗରେ ଯେତେବେଶୀ ଦୁଃଖର ଭାର ଚାପି ଦିଆଯାଏ, ଅନ୍ୟଦିଗରେ ସେତିକି ସୁଖର ବୋଝ ଜମା ହୋଇପଡ଼େ । ସେଥିପାଇଁ ତ ମନୁଷ୍ୟ ସ୍ୱଇଚ୍ଛାରେ ଯେତେବେଳେ ସଂସାରର ସହଜ ଏବଂ ସ୍ୱାଭାବିକ ପ୍ରବୃତ୍ତିକୁ ବର୍ଜନ କରି, ତପସ୍ୟା କରିଥାଏ, ମନଇଚ୍ଛାରେ ଚାରିଆଡ଼େ ନିରାହାରରେ ଭ୍ରମଣ କରିଥାଏ, ସେତେବେଳେ ଯେ କେଉଁଠାରେ ନା କେଉଁଠାରେ ତା’ ପାଇଁ ଚତୁର୍ଗୁଣ ଆହାର୍ଯ୍ୟ ସଞ୍ଚିତ ହୋଇ ରହିଥାଏ, ଏ ବିଷୟରେ ନା ତା’ ନିଜର ଅବା ଅନ୍ୟ କାହାର ତିଳାର୍ଦ୍ଧ ସଂଶୟ ଉଦିତ ହୋଇନଥାଏ । ଏଥିପାଇଁ ସନ୍ନ୍ୟାସୀ ଯେତେବେଳେ ନିଦାରୁଣ ଶୀତରେ ଆକଣ୍ଠ ଜଳମଗ୍ନ ହୋଇ, ଏବଂ ଗ୍ରୀଷ୍ମର ଭୀଷଣ ରୌଦ୍ର ମଧ୍ୟରେ ଅଗ୍ନିକାଣ୍ଡ ସ୍ଥାପନ କରି ମାଟିରେ ମୁଣ୍ଡ ଏବଂ ପାଦ ଦୁଇଟା ଆକାଶରୁ ଟେକିରଖି ବସିରହେ, ସେତେବେଳେ ତାହାର ଦୁଃଖ ଭୋଗର କଠୋରତା ଦେଖି ଦର୍ଶକମାନେ କେବଳ ଯେ ମନେମନେ କଷ୍ଟ ଅନୁଭବ କରନ୍ତି ତାହା ନୁହେଁ ବରଂ ମୁଗ୍‌ଧ ହୋଇଉଠନ୍ତି । ତାହାର ଭବିଷ୍ୟତ ଆରାମରେ ଅସମ୍ଭବ ହିସାବକୁ ଚିନ୍ତାକରି ପ୍ରଲୁବ୍‌ଧ ଚିତ୍ତରେ ଈର୍ଷାକୁଳ ହୋଇଉଠନ୍ତି ଏବଂ ଏହି ଉପରକୁ ପାଦ ଟେକିଥିବା ବ୍ୟକ୍ତିଟା ଯେ ସଂସାରରେ ଧନ୍ୟ, ଏବଂ ଦେବତା ହୋଇ ନରରୂପ ଧାରଣ କରି ସେ ଯେଉଁ ଅସମ୍ଭବ କାର୍ଯ୍ୟ କରିଚାଲିଛି ଏବଂ ସେମାନେ ଏ ସଂସାରରେ ଜନ୍ମ ହୋଇ ଯେ କିଛି କରିପାରୁନାହାନ୍ତି, ବୃଥାରେ ଜୀବନ ଅତିବାହିତ କରୁଛନ୍ତି, ଏହି ରୂପରେ ମନକୁମନ ସହସ୍ରବାର ଧିକ୍‌କାର ଜଣାଇ ଘରକୁ ଫେରିଯାଆନ୍ତି । ଶ୍ରୀକାନ୍ତବାବୁ, ସୁଖ ପାଇଁ ଦୁଃଖ ସହିବାକୁ ହୁଏ ଏକଥା ସତ୍ୟ କିନ୍ତୁ ଏହା ବୋଲି ଏହାକୁ ଓଲଟାଇ ଦେଇ ଯେପରି ଭାବରେ ହେଉ କେତେଗୁଡ଼ାଏ ଦୁଃଖ ଭୋଗ କରିବସିଲେ ଯେ ସୁଖ ଆସି କାନ୍ଧରେ ବସିପଡ଼ିବ–ଏହା ଆଦୌ ସ୍ୱତଃସିଦ୍ଧ ନୁହେଁ, ଇହକାଳରେ ସତ୍ୟ ନୁହେଁ କିମ୍ବା ପରକାଳରେ ମଧ୍ୟ ନୁହେଁ ।

 

ମୁଁ କହିବାକୁ ଯାଉଥିଲି–କିନ୍ତୁ ବିଧବାର ବ୍ରହ୍ମଚର୍ଯ୍ୟ....

 

ଅଭୟା ମୋତେ ଅଟକାଇଦେଇ କହିଥିଲା–ବିଧିବାର ଆଚରରଣ କହନ୍ତୁ କିନ୍ତୁ ତା ସହିତ ବ୍ରହ୍ମର ବିନ୍ଦୁ ବିସର୍ଗ ସମ୍ୱନ୍ଧ ନାହିଁ । ବିଧବାର ଚାଲିଚଳଣଟା ଯେ ବ୍ରହ୍ମ ଲାଭର ଉପାୟ ସେ କଥା ମାନିବାକୁ ମୁଁ ଆଦୌ ପ୍ରସ୍ତୁତ ନୁହେଁ । ପ୍ରକୃତରେ ଏହା କିଛି ନାହିଁ । କୁମାରୀ, ସଧବା, ବିଧବା, ଯେ କେହି ତାହାର ନିଜ ନିଜର ପଥରେ ବ୍ରହ୍ମ ଲାଭ କରିପାରନ୍ତି । ବିଧବାର ଚାଲିଚଳଣଟା ସେଥିପାଇଁ ଏକଚାଟିଆ କରି ରଖାହୋଇ ନାହିଁ ।

 

ମୁଁ ହସିଦେଇ କହିଲି–ବେଶ୍ ନହେଲେ ନ ହୋଇପାରେ । ସେମାନଙ୍କର ଆଚରଣଟାକୁ ବ୍ରହ୍ମଚର୍ଯ୍ୟ ନ କହିଲେ ନାହିଁ । ନାମରେ ଅବା ଯାଏ ଆସେ କେତେ ?

 

ଅଭୟା ରାଗ କରି କହିଥିଲା–ନାମ ହେଉଛି ସବୁ ଶ୍ରୀକାନ୍ତ ବାବୁ । ଏହା ବ୍ୟତୀତ ଆଉ ଦୁନିଆଁରେ ଅବା କ’ଣ ଅଛି ? ଭୁଲ ନାମ ଭିତର ଦେଇ ମନୁଷ୍ୟର ବୁଦ୍ଧିର, ଚିନ୍ତାର, ଜ୍ଞାନର ଧାରା ଯେ କେତେ ବଡ଼ ଭୁଲ ମଝିରେ ଚାଳନା କରାଯାଏ, ସେ କଥା କ’ଣ ଆପଣ ଜାଣନ୍ତି ନାହିଁ ? ଏଇ ନାମର ଭୁଲ ହେତୁ ତ ସକଳ ଦେଶରେ, ସକଳ ଯୁଗରେ, ବିଧବାର ଚାଲିଚଳଣକୁ ଶ୍ରେଷ୍ଠ ବୋଲି ଭାବି ଆସିଛେ । ଏହା ହେଉଛି ନିରର୍ଥକ ତ୍ୟାଗର ନିଷ୍ଫଳ ମହିମା ଶ୍ରୀକାନ୍ତ ବାବୁ । ପୂରାପୂରି ଭାବରେ ଭୁଲ ଏବଂ ସମ୍ପୂର୍ଣ୍ଣ ବ୍ୟର୍ଥ । ମନୁଷ୍ୟର ଇହ–ପରକାଳକୁ ପଣ୍ଡ କରିଦେବା ପାଇଁ ଏହାଠାରୁ ବଡ଼ ଭଣ୍ଡାମୀ ଆଉ କିଛି ନାହିଁ ଶ୍ରୀକାନ୍ତ ବାବୁ ।

 

ସେତେବେଳେ ଆଉ ଯୁକ୍ତି ନକରି ନୀରବ ହୋଇଯାଇଥିଲି । ପ୍ରକୃତରେ ତର୍କ କରି ତାକୁ ପରାସ୍ତ କରିବା ଏକବାରେ ଅସମ୍ଭବ ଥିଲା । ପ୍ରଥମେ ଯେତେବେଳେ ଜାହାଜରେ ପରିଚୟ ହୁଏ, ସେତେବେଳେ ଡାକ୍ତର ବାବୁ ତା’ର ବାହାର ରୂପଟାକୁ ଦେଖି ଥଟ୍ଟା କରି କହିଥିଲେ ଝିଅଟି ଭାରି Forward କିନ୍ତୁ ସେତେବେଳେ ଦୁଇଜଣଯାକ କେହି ଭାବିନଥିଲୁ ଯେ, ଏଇ Forward କଥାଟାରେ ଅର୍ଥ କେଉଁଠାରେ ଯାଇ ପହଞ୍ଚିପାରେ । ଏ ଝିଅଟି ଯେ ତା’ ସମସ୍ତ ଅନ୍ତରଟା ପର୍ଯ୍ୟନ୍ତ କିଭଳି ଅକୁଣ୍ଠିତ ଭାବରେ ବାହାରକୁ ଟାଣିଆଣି ସାରା ପୃଥିବୀ ଆଗରେ ଖୋଲି ଦେଇପାରେ; ଲୋକମାନଙ୍କର ମତାମତ ଗ୍ରାହ୍ୟ କରେ ନାହିଁ, ସେତେବେଳେ ସେ ସବୁ ଧାରଣା ଆମ ଦୁହିଁଙ୍କର ନଥିଲା । ଅଭୟା ତ କେବଳ ତା’ ମତକୁ ପ୍ରମାଣ କରିବା ପାଇଁ କଥା କଟାକଟି କରୁନଥିଲା ବରଂ ସେ ତା’ର ନିଜ କାର୍ଯ୍ୟକୁ ଠିକ୍ ବୋଲି ପ୍ରମାଣ କରିବା ପାଇଁ ଯେପରି ଯୁଦ୍ଧ କରୁଥିଲା । ତାର ମତ ଏକ ରକମ ଆଉ କାର୍ଯ୍ୟ ଅନ୍ୟ ପ୍ରକାରର ନଥିଲା । ସେଥିପାଇଁ ବୋଧହୁଏ ମୁଁ ଅନେକ ସମୟରେ ତା ମୁହଁରେ ଜବାବ ଦେବା ପାଇଁ ଭାଷା ଖୋଜି ପାଉ ନଥିଲି । କିପରି ଏକ ରକମ ଥତମତ ହୋଇଯାଉଥିଲି ଅଥଚ ବସାକୁ ଫେରିଲା ପରେ ମନେହେଉଥିଲା, ଏହା ତ ବେଶ୍‌ ଉତ୍ତର ଥିଲା । ଯାହା ହେଉ ! ତା’ ସମ୍ବନ୍ଧରେ ଯେ ମୋ ମନରୁ ଆଜି ସୁଦ୍ଧା ସନ୍ଦେହ ଘଞ୍ଚି ନାହିଁ, ଏକଥା ସଂପୂର୍ଣ୍ଣ ଭାବରେ ଠିକ୍‌ । ଯେତେ ମୁଁ ଆପଣାକୁ ଆପେ ପ୍ରଶ୍ନ କରେ ଯେ ଏହାଛଡ଼ା ଅଭୟାର ଆଉ କ’ଣ ଅବା ଗତି ଥିଲା ? ମନ ମୋର ସେତିକି ତାହାରି ବିରୁଦ୍ଧରେ ହିଁ ଠିଆ ହେଉଥିଲା । ଯେତେ ନିଜକୁ କହୁଥିଲି ଯେ ତାକୁ ଘୃଣା କରିବାର ଅଧିକାର ମୋର ଲେଶମାତ୍ର ନାହିଁ, ସେତିକି ଯେପରି ଅବ୍ୟକ୍ତ ବିତୃଷ୍ଣାରେ ଅନ୍ତର ଭରିଉଠୁଥିଲା । ମୋର ମନେପଡ଼େ; ଏପରି ଗୋଟାଏ କୁଣ୍ଠିତ, ଅପ୍ରସନ୍ନ ମନ ନେଇ ମୋର ଦିନ କଟୁଥିଲା ବୋଲି, ତାହା ପାଖକୁ ନ ଯାଇପାରୁଥିଲା, ନା ତାକୁ ଦୂରକୁ ଠେଲି ଦେଇପାରୁଥିଲି ।

 

ଏପରି ସମୟରେ ହଠାତ୍‌ ଦିନେ ସହର ମଝିରେ ପ୍ଲେଗ ଆସି ତା’ର ଓଢ଼ଣା ଖୋଲି କଳା ମୁହଁଟି ଦେଖାଇଦେଲା । ହାୟରେ ! ତାହାକୁ ସମୁଦ୍ର ପରପାରେ ଅଟକାଇ ରଖିବାର ଲକ୍ଷ୍ୟ କୋଟି ଯନ୍ତ୍ର ତନ୍ତ୍ର କର୍ତ୍ତୃପକ୍ଷଙ୍କର ନିଷ୍ଠୁରତମ ସତର୍କତା, ସବୁ ଯେପରି ଏକ ସଙ୍ଗରେ ଧୂଳିସାତ୍‌ ହୋଇଗଲା । ଆତଙ୍କ ତ ଆଉ ସୀମା ରହିଲା ନାହିଁ ସହରର ଚଉଦ ଅଣା ଲୋକ ହୁଏତ ଚାକେରିଜୀବୀ ନଚେତ୍‌ ବାଣିଜ୍ୟଜୀବି । ତେଣୁ ବାହାରକୁ ପଳାଇଯିବାର ଯୁ ନାହିଁ । ଏହା ଯେପରି ରୁଦ୍ଧ ଘରଭିତରେ କିଏ ବାରୁଦ ଲଗାଇଦେଲା କିଭଳି ହେଲା । ଭୟରେ ଏ ପଡ଼ାର ଲୋକ ଗୁଡ଼ାକ ପୋଟଳା, ପୁଟୁଳି, ପିଲା କବିଲା ଧରି ସେ ପଡ଼ାକୁ ପଳାଇଲେ ଏବଂ ସେ ପଡ଼ାରେ ଲୋକମାନେ ସେହିପରି ଏ ପଡ଼ାକୁ ଚାଲି ଆସିଲେ । ‘‘ମୂଷା’’ କହିଲେ ଆଉ ରକ୍ଷା ନାହିଁ । ସେଇଟା ମରିଛି କି ବଞ୍ଚିଛି ତାହା ଶୁଣିବା ପୂର୍ବରୁ ଲୋକମାନେ ଦୌଡ଼ି ପଳାଇବାକୁ ବ୍ୟଗ୍ର । ମନୁଷ୍ୟର ପ୍ରାଣଗୁଡ଼ାକ ସତେ ଯେପରି ଗଛରେ ଫଳ ଭଳି ପ୍ଲେଗ ଆବହାୱାରେ ପାଚିଯାଇ ଡେମ୍ଫରେ ଝୁଲୁଛି । କାହାର ଯେ କେତେବେଳେ ଟୁପ୍‌ କରି ଗଛରୁ ଖସି ତଳେ ପଡ଼ିଯିବ ତାହାର କୌଣସି ନିଶ୍ଚୟତା ନାହିଁ ।

 

ସେଦିନଟା ଥିଲା ଶନିବାର । କ’ଣ ଗୋଟାଏ କାମରେ ସକାଳୁ ବାହାରିପଡ଼ିଥାଏ । ସହର ମଧ୍ୟରେ ଗୋଟାଏ ଗଳି ଭିତର ଦେଇ ବଡ଼ ରାସ୍ତାକୁ ଯିବା ପାଇଁ ତରତର ହୋଇ ଚାଲିଥାଏ, ଦେଖିଲି ଗୋଟାଏ ଅତ୍ୟନ୍ତ ଜୀର୍ଣ୍ଣ ପୁରାତନ ଘରର ଦୋତାଲା ବାରଣ୍ଡା ଉପରେ ଠିଆହୋଇ ମୋତେ ଡକାହକା କରିବାରେ ଲାଗି ପଡ଼ିଛନ୍ତି ପ୍ରାଜ୍ଞ ମନୋହର ଚକ୍ରବର୍ତ୍ତୀ ।

 

ହାତ ହଲାଇ କହିଲି । ବର୍ତ୍ତମାନ ସମୟ ନାହିଁ ।

 

ସେ ନିହାତି ଅନୁନୟର ସହିତ କହିଲେ–ଦୁଇମିନିଟ ପାଇଁ ଟିକିଏ ଉପରକୁ ଆସନ୍ତୁ–ଶ୍ରୀକାନ୍ତବାବୁ । ମୋର ବଡ଼ ବିପଦ.....

 

ବାଧ୍ୟହୋଇ ସଂପୂର୍ଣ୍ଣ ଅନିଚ୍ଛାସତ୍ତ୍ୱେ ମୋତେ ଉପରକୁ ଉଠିବାକୁ ହେଲା । ମୁଁ ତ ସେଥିପାଇଁ ମଝିରେ ମଝିରେ ଭାବେ; ମନୁଷ୍ୟର ପ୍ରତ୍ୟକଟି ଗତିବିଧି କ’ଣ ଆଗରୁ ବିଧି ନିର୍ଦ୍ଦିଷ୍ଟ ? ନଚେତ୍‌ ମୋର କାର୍ଯ୍ୟ ସେତେ ଗୁରୁତର ନଥିଲା ଏବଂ ଏହି ଗଳିରେ ଆଗକୁ କେବେ ମଧ୍ୟ ପ୍ରବେଶ କରିନଥିଲି । ଆଜି ସକାଳେ ଅବା ଏବାଟେ ଯାଉଥିଲି କାହିଁକି ?

 

ପାଖକୁ ଯାଇ କହିଲି–ଅନେକଦିନ ହେବ ତ ଆପଣ ଆମ ହୋଟେଲକୁ ଆସିନାହାନ୍ତି-? କ’ଣ ଏଇଠାରେ ରହନ୍ତି କି ?

 

ସେ କହିଲେ–ନାଇଁ ଆଜ୍ଞା, ମୁଁ ମାତ୍ର ବାର ତେରଦିନ ହେବ ଆସିଛି । ଏକରେ ତ ମାସେ ହେବ ଡିସେଣ୍ଟ୍ରି ରୋଗ ଭୋଗିଛି, ତା’ପରେ ଆମ ପଡ଼ାରେ ହେଲା ପ୍ଲେଗ ରୋଗ । କ’ଣ କହିବି ଆଜ୍ଞା, ଉଠି ବସିବାକୁ ବଳ ପାଉନାହିଁ ତଥାପି ପ୍ରାଣ ବଞ୍ଚାଇବାକୁ ପଳାଇ ଆସିଛି ।

 

କହିଲି–ଭଲ କରିଛନ୍ତି !

 

ସେ କହିଲେ–ଭଲ କଲେ କ’ଣ ହେବ ଆଜ୍ଞା, ମୋର Combined hand ଭୟାନକ ବଜ୍ଜାତ । କହିଲା କ’ଣ ନା ଚାଲିଯିବି, ଦିଅନ୍ତୁ ତ ଦେଖି ତାକୁ ଟିକିଏ ଧମକାଇ !

 

ଟିକିଏ ବିସ୍ମିତ ହୋଇଉଠିଲି । ତାହା ପୂର୍ବରୁ ଏଇ Combined hand ବସ୍ତୁଟାର ସାମାନ୍ୟ ବ୍ୟାଖ୍ୟା ଆବଶ୍ୟକ । କାରଣ ଯେଉଁମାନଙ୍କୁ ଜଣା ନାହିଁ ଯେ ପଇସା ପାଇଁ ହିନ୍ଦୁସ୍ଥାନୀ ଜାତିଟା କ’ଣ କରିନପାରେ ଏପରି କାମ ସଂସାରରେ ନାହିଁ, ସେମାନେ ଶୁଣିଲେ ବିସ୍ମିତ ହେବେ ଯେ, ଏଇ ଇଂରାଜୀ କଥାଟାର ମାନେହେଉଛି ଦୂବେ, ଚୋବେ ଏବଂ ତିୱାରୀ ପ୍ରଭୃତି ହିନ୍ଦୁସ୍ଥାନୀ ବ୍ରାହ୍ମଣର ଦଳ । ଏଠାରେ ଯେଉଁମାନେ ଚୁଲିମୁଣ୍ଡକୁ ଗଲେ ଚମକିଉଠନ୍ତି ସେମାନେ ସେଠାରେ ରୋଷାଇ କରନ୍ତି, ଅଇଁଠା ବାସନ ମାଜନ୍ତି, ତମାଖୁ ସଜାଡ଼ନ୍ତି, ଏବଂ ବାବୁମାନେ ଅଫିସକୁ ଗଲାବେଳେ ସେମାନଙ୍କୁ ଜୋତା ବଢ଼ାଇ ଦିଅନ୍ତି ସେହି ବାବୁମାନେ ଯେଉଁ ଜାତିର ହୁଅନ୍ତୁ ନା କାହିଁକି । ଅବଶ୍ୟ ଦୁଇ ଚାରି ଟଙ୍କା ଅଧିକ ଦରମା ଦେଇ ତ୍ରିବେଦୀ, ଚତୁର୍ବେଦୀ ପ୍ରଭୃତି ପୂଜ୍ୟ ବ୍ରାହ୍ମଣଙ୍କୁ ଚାକର ଏବଂ ବ୍ରାହ୍ମଣ ଦୁଇଟା କାର୍ଯ୍ୟ ଏକତ୍ର କରିବାକୁ Combined କହିବାକୁ ହୁଏ । ମୂର୍ଖ ଓଡ଼ିଆ ବା ବଙ୍ଗାଳୀ ବ୍ରାହ୍ମଣମାନଙ୍କୁ ଆଜିସୁଦ୍ଧା ଏ କାର୍ଯ୍ୟପାଇଁ ରାଜି କରାଯାଇପାରିନାହିଁ । କେବଳ ରାଜି କରାହୋଇଛି ଏହିମାନଙ୍କୁ । କାରଣ ପୂର୍ବରୁ କହିଛି ଯେ ପଇସା ପାଇଲେ କୁସଂସ୍କାର ବର୍ଜନ କରିବାକୁ ହିନ୍ଦୁସ୍ଥାନୀମାନଙ୍କୁ ମୁହୂର୍ତ୍ତଟିଏ ବିଳମ୍ବ କରିବାକୁ ହୁଏ ନାହିଁ । (କୁକୁଡ଼ା ରାନ୍ଧିବା ପାଇଁ ଆଉ ଚାରିଅଣା, ଆଠଅଣା ମାସ ମାସ ଭିତରେ ଅଧିକା ଦେବାକୁ ହୁଏ । କାରଣ ମୂଲ୍ୟଦ୍ୱାରା ସମସ୍ତ ପରିଶୁଦ୍ଧ ହୁଏ, ଶାସ୍ତ୍ରର ଏଇ ବଚନର ଅର୍ଥକୁ ଯଥାର୍ଥ ହୃଦୟଙ୍ଗମ କରିବା ପାଇଁ ଏବଂ ଶାସ୍ତ୍ର ବାକ୍ୟରେ ଅବିଚଳିତ ଆସ୍ଥା ରଖିବା ପାଇଁ ଆଜିପର୍ଯ୍ୟନ୍ତ କେହି ଯଦି ସମର୍ଥ ହୋଇପାରିଥାଏ ତେବେ ସେମାନେ ହେଉଛନ୍ତି ଏଇ ହିନ୍ଦୁସ୍ଥାନୀମାନେ । ଏକଥା ଆମମାନଙ୍କୁ ସ୍ୱୀକାର କରିବାକୁ ହେବ ।)

 

କିନ୍ତୁ ମନୋହର ବାବୁଙ୍କର ଏଇ Combined handକୁ ମୁଁ ଅବା କାହିଁକି ଧମକ ଦେବାକୁ ଯିବି ଏବଂ ସେ ଅବା ମୋ ଧମକକୁ ଶୁଣିବାକୁ ଯିବ କାହିଁକି ତାହା ମଧ୍ୟ ଭାବିପାରିଲି ନାହିଁ-। ଏଇ ହ୍ୟାଣ୍ଡଟି ମନୋହର ବାବୁଙ୍କର ନୂତନ । ଏତେଦିନ ଧରି ସେ ନିଜେ ନିଜର Combined hand ଥିଲେ । କେବଳ ଡିସେଣ୍ଟ୍ରି ଖାତିରରେ ଅଳ୍ପଦିନ ଜଣକୁ ନିଯୁକ୍ତ କରିଥିଲେ-। ମନୋହର ବାବୁ କହିବାକୁ ଲାଗିଲେ–ଆଜ୍ଞା, ଆପଣ କ’ଣ ସହଜ ଲୋକ ! ସାରା ସହରର ଲୋକ ଆପଣଙ୍କ କଥାରେ ମରନ୍ତି ଆଉ ବଞ୍ଚନ୍ତି । ତାହା କ’ଣ ଆଉ ଜାଣିନି ଭାବିଛନ୍ତି ? ବେଶୀ ନୁହେଁ, ଟିକିଏ ଦି’ଧାଡ଼ି ଯଦି ଲାଟସାହେବ ପାଖକୁ ଲେଖିଦିଅନ୍ତି ତ ଏହାର ଚଉଦବର୍ଷ ଜେଲ ହୋଇଯିବ, ସେ କଥା କ’ଣ ମୁଁ ଶୁଣି ନାହିଁ ? ଦିଅନ୍ତୁ ତ ପିଲାକୁ ଟିକିଏ ଶାସନ କରି ?

 

ଏକଥା ଶୁଣି ମୁଁ ଯେପରି ଦିଗହରା ହୋଇଗଲି । ଯିଏ ଲାଟସାହେବଙ୍କର ନାମଟା ପର୍ଯ୍ୟନ୍ତ ଶୁଣିନାହିଁ, ତାହାକୁ ବେଶୀ ନୁହେଁ, ମାତ୍ର ଦି’ଧାଡ଼ି ଚିଠି ଲେଖିଦେଲେ ଗୋଟାଏ ଲୋକର ଚଉଦବର୍ଷର କାରାଦଣ୍ଡର ସମ୍ଭାବନା, ଏତେବଡ଼ ଅଦ୍ଭୁତ ଶକ୍ତିର କଥା, ଏତେବଡ଼ ପ୍ରାଜ୍ଞ ବ୍ୟକ୍ତିଙ୍କ ମୁହଁରୁ ଶୁଣି କ’ଣ ଯେ କହିବି, ଆଉ କ’ଣ ଯେ କରିବି, ତାହା ଭାବି ଠିକ୍‌ କରିପାରିଲି ନାହିଁ । ତଥାପି ତାଙ୍କର ବାରମ୍ବାର ଅନୁଯୋଗ ଓ ବାଧ୍ୟବାଧକତା ଫଳରେ ଅଗତ୍ୟା ସେହି ହତଭାଗା Combined handକୁ ଶାସନ କରିବା ପାଇଁ ରୋଷାଇ ଘରେ ପହଞ୍ଚି ଦେଖେ, ସେଇଟା ଗୋଟାଏ କୂପଭଳି ଅନ୍ଧକାର ।

 

ଅନ୍ଧକାର ଭିତରେ ଠିଆହୋଇ ସେ ପ୍ରଭୁଙ୍କ ମୁହଁରୁ ମୋ କ୍ଷମତାର ବଢ଼ାଇ ଶୁଣିକରି କାନ୍ଦ କାନ୍ଦ ହୋଇ ହାତଯୋଡ଼ି କରି ଜଣାଇଲା ଯେ, ଏ ଘରେ ‘‘ଦିଅଁ’’ ଅଛି, ଏଠାରେ ସେ କୌଣସିମତେ ରହିପାରିବ ନାହିଁ । ସେ କହିଲା, ନାନାପ୍ରକାର ‘‘ଛାୟା’’ ଦିନରାତି ଏଠାରେ ଘୂରିବୁଲୁଛି । ବାବୁ ଯଦି ଆଉ କେଉଁଠାକୁ ଯାଆନ୍ତି, ତେବେ ସେ ଅନାୟାସରେ ଚାକେରି କରିପାରେ କିନ୍ତୁ ଏ ଘରେ......

ଯେଉଁ ପ୍ରକାର ଅନ୍ଧକାର ଘର ସେଥିରେ ‘‘ଛାୟା’’ର ଅବା ଅପରାଧ କ’ଣ ? କିନ୍ତୁ ଛାୟାପାଇଁ ନୁହଁ, ଗୋଟାଏ ଉତ୍କଟ ପଚାଗନ୍ଧ ଘରେ ପଶିବାକ୍ଷଣି ମୋ ନାକରେ ବାଜିଲା । ମୁଁ ପଚାରିଲି ଏ ଦୁର୍ଗନ୍ଧ କେଉଁଥିରୁ ଆସୁଛି ?

Combined hand କହିଲା–ମୂଷା ବୋଧହୁଏ କେଉଁଠି ମରି ପଚି ଯାଇଥିବ ।

ଚମକିଉଠି ପଚାରିଲି ସତରେ ମୂଷାକିରେ ? ଏ ଘରେ ତେବେ ମରନ୍ତି କି ?

ସେ ହାତ ଦୁଇଟା ହଲାଇ ତାତ୍ସଲ୍ୟ କଣ୍ଠରେ କହିଲା–ପ୍ରତ୍ୟହ ଅନ୍ତତଃ ପାଞ୍ଚ ଛଅଟା କରି ମଲା ମୂଷା ସେ ବାହାର ଗଳିରେ ପକାଇଦେଇ ଆସେ ।

କିରାସିନି ଡିବି ଜଳାଇ ଅନୁସନ୍ଧାନ କରାଗଲା କିନ୍ତୁ ପଚା ମୂଷାର ସନ୍ଧାନ ମିଳିଲା ନାହିଁ-। କିନ୍ତୁ ତଥାପି ମୋ ଦେହଟା ଝିମ୍‌ଝିମ୍‌ କରିବାକୁ ଲାଗିଲା । କିନ୍ତୁ କୌଣସିମତେ ମନଖୋଲି ସେ ଲୋକଟାକୁ ଉପଦେଶ ଦେଇପାରିଲି ନାହିଁ ଯେ, ପୀଡ଼ିତ ବାବୁଟିକୁ ଏକାକୀ ଛାଡ଼ିଦେଇ ଚାଲିଯିବାଟା ତା’ର ଆଦୌ ଉଚିତ୍‌ ନୁହେଁ ।

ଶୋଇବା ଘରକୁ ଫେରିଆସି ଦେଖିଲି ମନୋହର ବାବୁ ମୋତେ ଅପେକ୍ଷା କରି ଖଟଉପରେ ବସିଛନ୍ତି । ମୋତେ ପାଖରେ ବସାଇ ସେ ଘରର ଗୁଣ କହିବାକୁ ଲାଗିଲେ । ବର୍ତ୍ତମାନ ଅଳ୍ପ ଭଡ଼ାରେ ଏତେ ଭଲଘର ଏ ସହରରେ ଆଉ ନାହିଁ । ଏପରି ଭଦ୍ରଘର ମାଲିକ ମଧ୍ୟ ନାହିଁ ଏବଂ ଏପରି ପଡ଼ୋଶୀ ମଧ୍ୟ ସହଜରେ ମିଳନ୍ତି ନାହିଁ । ପାଖଘରେ ଯେଉଁ ଚାରି ପାଞ୍ଚଜଣ ମାନ୍ଦ୍ରାଜୀ ଖ୍ରୀଷ୍ଟାନ ଲୋକ ମେସ୍‌ କରି ବାସ କରନ୍ତି ସେମାନେ ଯେପରି ଶିଷ୍ଟ, ଶାନ୍ତ, ସେହିପରି ଅମାୟିକ । ସେ ସାମାନ୍ୟ ସୁସ୍ଥ ହେଲାପରେ ଏ ବ୍ରାହ୍ମଣ ପିଲାଟାକୁ ତଡ଼ିଦେବେ । ହଠାତ୍‌ କହିଲେ–ଆଚ୍ଛା, ଆପଣ କ’ଣ ସ୍ୱପ୍ନ ଦେଖିବାରେ ବିଶ୍ୱାସ କରନ୍ତି ?

କହିଲି–ନା ।

ସେ କହିଲେ–ମୁଁ ମଧ୍ୟ ନୁହେଁ । କିନ୍ତୁ କି ଆଶ୍ଚର୍ଯ୍ୟ କଥା ଆଜ୍ଞା, କାଲି ରାତିରେ ସ୍ୱପ୍ନ ଦେଖିଲି ମୁଁ ସିଡ଼ି ଉପରୁ ପଡ଼ିଯାଇଛି । ଆଉ ନିଦରୁ ଉଠିପଡ଼ି ଦେଖେ ତ ଡାହାଣ ପାଦର ଗଣ୍ଠି ଫୁଲିଉଠିଛି । ସତ କି ମିଛ ମୋ ଦେହରେ ହାତଦେଇ ଦେଖନ୍ତୁ ତ ଆଜ୍ଞା, ଏପର୍ଯ୍ୟନ୍ତ ଜର ମଧ୍ୟ ରହିଛି ।

 

ଶୁଣିବାକ୍ଷଣି ମୋ ମୁହଁ କଳା ପଡ଼ିଗଲା । ତା’ପରେ ପାଦ ପାଖ ଗଣ୍ଠି ଦେଖିଲି । ଦେହଟା ହାତମାରି ଜ୍ୱର ମଧ୍ୟ ଦେଖିଲି ।

 

ମିନିଟିଏ ଖଣ୍ଡେ ସ୍ତବ୍‌ଧ ହୋଇ ବସି ରହିବା ପରେ ଶେଷରେ କହିଲି–ଡାକ୍ତର ଡାକି ପଠାଇଲେ ନାହିଁ କାହିଁକି ? ଶୀଘ୍ର ପଠାନ୍ତୁ ।

 

ସେ କହିଲେ–ଆଜ୍ଞା, ଏ ଯେଉଁ ଦେଶ; ଏଠାରେ କ’ଣ ଡାକ୍ତର ଫିସ୍‌ କମ୍‌ କି ? ଡାକିବାକ୍ଷଣି ତ ଚାରି ପାଞ୍ଚଟଙ୍କା ବାହାରିଯିବ । ତା’ ଛଡ଼ା ପୁଣି ଔଷଧ । ସେ ପୁଣି ଧରନ୍ତୁ ପ୍ରାୟ ଆଉ ଦୁଇଟଙ୍କାର ଧକ୍‌କା ।

 

କହିଲି–ସେ ହେଉପଛେ, ଡାକି ପଠାନ୍ତୁ ।

 

: କିଏ ଯିବ ଆଜ୍ଞା ? ତେୱାରୀ ଲୋକଟା ତ କାହାକୁ ଚିହ୍ନି ନାହିଁ ତା’ଛଡ଼ା ସେ ଗଲେ ଅବା ରାନ୍ଧିବ କିଏ ?

 

: ଆଚ୍ଛା ମୁଁ ଯାଉଛି କହି ବାହାରିପଡ଼ିଲି ।

 

ଡାକ୍ତର ଆସି ପରୀକ୍ଷା କରିସାରି ମୋତେ ଆଢ଼ୁଆଳକୁ ଡାକି କହିଲେ–ଏ ଆପଣଙ୍କର କ’ଣ ହୁଅନ୍ତି ?

 

କହିଲି–କେହି ନୁହଁନ୍ତି ଏବଂ କିଭଳି ଭାବରେ ଏଠାରେ ଆସି ପହଞ୍ଚି ଯାଇଛି ସେ କଥା ମଧ୍ୟ ଖୋଲିକରି କହିଲି ।

 

ଡାକ୍ତର ପ୍ରଶ୍ନ କଲେ–ଏହାଙ୍କର କୌଣସି ଆତ୍ମୀୟ କ’ଣ ଏଠାରେ ଅଛନ୍ତି ?

 

କହିଲି–ଜାଣେ ନାହିଁ, ବୋଧହୁଏ କେହି ନାହାଁନ୍ତି ।

 

ଡାକ୍ତର କିଛି ସମୟ ନୀରବ ରହିବା ପରେ କହିଲେ–ମୁଁ ଗୋଟାଏ ଔଷଧ ଲେଖିଦେଉଛି । ମଥାରେ ବରଫ ଦେବା ଦରକାର । କିନ୍ତୁ ସବୁଠାରୁ ଆବଶ୍ୟକ ତାଙ୍କୁ ପ୍ଳେଗ ହସପିଟାଲ ପଠାଇଦେବା । ଆପଣ ଆଉ ଏ ଘରେ ରହିବେ ନାହିଁ । ଆଉ ଦେଖନ୍ତୁ ମୋତେ ଫିସ୍‌ ଦେବାର ଆଦୌ ଦରକାର ନାହିଁ ।

 

ଡାକ୍ତର ଚାଲିଗଲେ । ମୁଁ ବହୁ ସଙ୍କୋଚ ପରେ ତାଙ୍କୁ ହସପିଟାଲ ଯିବାପାଇଁ ପ୍ରସ୍ତାବ କରିବାକ୍ଷଣି ସେ କାନ୍ଦିବାକୁ ଲାଗିଲେ । ସେଠାରେ ବିଷ ଦେଇ ମାରିପକାଉଛନ୍ତି, ସେଠାକୁ ଗଲେ କେହି କେବେ ଫେରନ୍ତି ନାହିଁ । ଏଇପରି କେତେ କ’ଣ ଗପିବାକୁ ଲାଗିଲେ ।

 

ଔଷଧ ଆଣିବା ପାଇଁ ପଠାଇବାକୁ ତେୱାରୀକୁ ଖୋଜିବସି ଦେଖେ Combined hand ତାହାର ଲୋଟା କମ୍ବଳ ନେଇ ଇତିମଧ୍ୟରେ ଅଲକ୍ଷ୍ୟରେ ପ୍ରସ୍ଥାନ କରିସାରିଛି । ସେ ବୋଧହୁଏ ଡାକ୍ତରଙ୍କ ସହିତ ମୋ ଆଲୋଚନାକୁ ଆଢ଼ୁଆଳରେ ରହି ଶୁଣିପାରିଛି । ହିନ୍ଦୁସ୍ଥାନୀ ଆଉକିଛି ବୁଝୁ ନ ବୁଝୁ ‘‘ପିଲେଗ୍‌’’ କଥାଟା କିନ୍ତୁ ଭଲକରି ବୁଝିପାରନ୍ତି ।

 

ସେତେବେଳେ ମୋତେ ହିଁ ବାଧ୍ୟହୋଇ ଔଷଧ ଆଣିଯିବାକୁ ପଡ଼ିଲା । ବରଫ, ଆଇସ୍‌ ବ୍ୟାଗ ଯାହାକିଛି ଦରକାର ସବୁ କିଣିକରି ଆଣି ଆସି ପହଞ୍ଚିଲି । ତାପରେ ରହିଲୁ ମୁଁ-ମୁଁ ଓ ସେ । ଥରେ ମୁଁ ତାଙ୍କ ମୁଣ୍ଡରେ ଆଇସ୍‌ ବ୍ୟାଗ ଥୋଇଦିଏ–ଆଉ ସେ ପୁଣି ମୋ ମୁଣ୍ଡରେ ଆଇସ୍‌ ବ୍ୟାଗକୁ ଥୋଇଦିଅନ୍ତି । ଏଇପରି ଭାବରେ ଧସ୍ତାଧସ୍ତି ହେଉହେଉ ଦିନ ଦୁଇଟା ବାଜିଲା । ତାପରେ ସେ ନିସ୍ତେଜ ହୋଇ ଶୋଇପଡ଼ିଲେ । ମଝିରେ ମଝିରେ ସେ ଚେତା ହରାଇ ବସନ୍ତି । ପୁଣି ବେଳେ ବେଳେ ଚୈତନ୍ୟ ଫେରି ପାଇଲେ ଜ୍ଞାନର କଥା କହନ୍ତି । ଓପରଓଳି ପାଖାପାଖି ସେ କ୍ଷଣକପାଇଁ ମୋ ମୁହଁକୁ ଚାହିଁରହି କହିଲେ–ଶ୍ରୀକାନ୍ତ ବାବୁ, ମୁଁ ଆଉ ଏଣିକି ବଞ୍ଚିବି ନାହିଁ ।

 

ମୁଁ ଚୁପ୍‌ ହୋଇଗଲି । ସେତେବେଳେ ସେ ବହୁ କଷ୍ଟରେ ଅଣ୍ଟାରୁ ଚାବି ନେଇ ମୋ ହାତରେ ଦେଇ କହିଲେ–ମୋ ପେଟେରା ଭିତରେ ତିନିଶହ ଗିନି ଅଛି । ସ୍ତ୍ରୀ ପାଖକୁ ପଠାଇଦେବେ । ଠିକଣା ମୋ ବାକ୍‌ସ ଖୋଜିଲେ ପାଇପାରିବେ ।

 

ମୋର ଗୋଟାଏ ସାହସ ଥିଲା–ପାଖ ମେସ୍‌ଟା । ସେମାନଙ୍କର କଥାବର୍ତ୍ତା ପ୍ରାୟ ଶୁଣିବାକୁ ପାଉଥିଲି । ସନ୍ଧ୍ୟାପରେ ସେମାନଙ୍କ ମେସ୍‌ରେ ଖଡ଼ଖାଡ଼ ଶବ୍ଦ ଟିକିଏ ବେଶୀ ଶୁଣାଗଲା ଏବଂ କିଛି ସମୟ ପରେ ଜାଣିପାରିଲି ଯେ ସେମାନେ ଘରେ ତାଲା ବନ୍ଦ କରି ଅନ୍ୟ କେଉଁଆଡ଼େ ଚାଲିଯାଉଛନ୍ତି । ବାହାରକୁ ଆସି ଦେଖିଲି, ପ୍ରକୃତରେ ସତକଥା । ଦ୍ୱାରରେ ତାଲା ଝୁଲୁଛି । ମନକୁ ବୁଝାଇଲି ସେମାନେ ବୋଧହୁଏ ବୁଲି ବାହାରି ଯାଇଛନ୍ତି ହୁଏତ କିଛି ସମୟ ପରେ ଫେରିଆସିବେ-। ତଥାପି କିନ୍ତୁ ମନଟା ଆହୁରି ଖରାପ ଲାଗିଲା ।

 

ଏ ଦିଗରେ ଆମ ଘରର ଲୋକଟି ଉତ୍ତୋରତ୍ତର ଯେଉଁ ସକଳ କାଣ୍ଡ କରିବସିଲେ ସେ ସମ୍ବନ୍ଧରେ ଏତିକିମାତ୍ର କହିପାରେ ଯେ, ଏକାକୀ ରାତିରେ ସେ ସବୁ ଉପଭୋଗ କରିବା ଭଳି ବସ୍ତୁ ଆଦୌ ନୁହେଁ । ଏଣେ ରାତି ବାରଟା ବାଜିବାକୁ ଲାଗିଲା କିନ୍ତ ପାଖ ଘର ଖୋଲିବାର ଶବ୍ଦ ଶୁଣାଗଲା ନାହିଁ । ବାହାରକୁ ଆସି ଦେଖିଲି ତାଲା ସେଇମିତି ଝୁଲୁଛି । ହଠାତ୍‌ ଆଖିରେ ପଡ଼ିଗଲା ଯେ କାଠ ପାର୍ଟିସନ୍‌ କାନ୍ଥରେ ଥିବା କଣା ଭିତରଦେଇ ସରୁ ଆଲୁଅର ରେଖାଟିଏ ଆସି ଆମ ଘରେ ପଡ଼ୁଛି । କୌତୂହଳବଶତଃ ସେଇ ଛିଦ୍ର ଦେଇ ଆଲୋକର କାରଣଟା ଯାହା ଦେଖିଲି ସେଥିରେ ମୋ ସର୍ବାଙ୍ଗରେ ରକ୍ତ ବରଫ ପାଲଟିବାକୁ ଲାଗିଲା । ଆଗ ଖଟରେ ଦୁଇଜଣ ଯୁବକ ମୁହାଁମୁହିଁ ହୋଇ ଶୋଇଛନ୍ତି ଆଉ ଖଟ ବାଡ଼ଉପରେ ଗୋଟିଏ ମହମବତୀ ଜଳି ଜଳି ପ୍ରାୟ ଶେଷ ହେବାକୁ ବସିଲାଣି ! ମୁଁ ପୂର୍ବରୁ ଜାଣିଥିଲି ଯେ, ରୋମାନ କ୍ୟାଥ୍‍‌ଲିକମାନେ ମୃତ ଲୋକର ମୁଣ୍ଡଉପରେ ଆଲୋକ ଜାଳି ରଖନ୍ତି । ସୁତରାଂ ଏ ଦୁଇଜଣଙ୍କର ନିଦ ଯେ ହଜାର ଡକାଡକିରେ ଆଉ ଭାଙ୍ଗିବ ନାହିଁ ଏବଂ ଏପରି ଦୁଇଟି ହୃଷ୍ଟପୁଷ୍ଟ ଯୁବକ ଏପରି ଅବେଳରେ ଶୋଇପଡ଼ିବାର କାରଣ କ’ଣ ତାହା ମୁହୂର୍ତ୍ତକ ଭିତରେ ବୁଝିପାରିଲି ।

 

ଏ ଘରେ ମଧ୍ୟ ଆମ ମନୋହର ବାବୁ ପ୍ରାୟ ଆଉ ଘଣ୍ଟାଏ ଦୁଇଘଣ୍ଟା ଛଟପଟ ହୋଇ ତେବେ ଯାଇ ଶୋଇପଡ଼ିଲେ । ଯାହାହେଉ ବଞ୍ଚିଗଲି ।

 

କିନ୍ତୁ ତାମସାଟା ଏଇ ଯେ, ଯିଏ ଜଣାଶୁଣା ଲୋକଙ୍କର ପୀଡ଼ିତ ଖବର ପାଇ ଛାଇ ମାଡ଼ିବା ଉଚିତ୍‌ ନୁହେଁ ବୋଲି ମୋତେ ଉପଦେଶ ଦେଉଥିଲେ, ତାଙ୍କର ମୃତଦେହଟା ଏବଂ ଗିନିପୂର୍ଣ୍ଣ ବାକ୍‌ସଟାକୁ ପହରା ଦେବାପାଇଁ ଭଗବାନ ମୋତେ ନିଯୁକ୍ତ କରିଦେଲେ ।

 

ସେ ତ ଯାହା ନିଯୁକ୍ତି ଦେଲେ କିନ୍ତୁ ବାକି ରାତିଟା ଯେ କିପରି ଭାବରେ କଟିଲା ତାହା ଲେଖି ଜଣାଇବା ପାଇଁ ମୋର ସାଧ୍ୟ ନାହିଁ କିମ୍ବା ପ୍ରବୃତ୍ତି ନାହିଁ । ତେବେ ମୋଟରେ ଯେ ଭଲଭାବରେ କଟିଲା ନାହିଁ, ଏକଥା ବୋଧହୁଏ କୌଣସି ପାଠକ ମାତ୍ରେ ଅବିଶ୍ୱାସ କରିବେ ନାହିଁ ।

 

ପରଦିନ Death certificate ନେବାପାଇଁ, ପୁଲିସ୍‌ ଡାକିବା ପାଇଁ, ଟେଲିଗ୍ରାଫ କରିବା ପାଇଁ, ଗିନିର ସୁବ୍ୟବସ୍ଥା କରିବା ପାଇଁ ଏବଂ ମଡ଼ା ବାହାର କରିବା ପାଇଁ ବେଳ ପ୍ରାୟ ତିନିଟା ବାଜିଗଲା । ଯାହାହେଉ, ମନୋହର ତ ଠେଲାଗାଡ଼ି ଚଢ଼ି ବୋଧହୁଏ ସ୍ୱର୍ଗକୁ ଚାଲିଗଲେ ଏବଂ ବସାକୁ ଫେରିଆସିଲି । ଆଗଦିନ ଏକାଦଶୀ କରିଥିଲି ଏବଂ ଆଜି ଅପରାହ୍ନ ହେଲାଣି । ବସାକୁ ଫେରିବାକ୍ଷଣି ମୋତେ କିପରି ଜଣାଗଲା ମୋ ଡାହାଣ ପାଖ କାନଟା କିପରି ଫୁଲିଉଠିଛି ଏବଂ ଦରଜ ଲାଗୁଛି । କେଜାଣି କାହିଁକି ସାରା ରାତି ନିଜେ ହିଁ ବେଦନା ସୃଷ୍ଟି କରି କରି କଷ୍ଟ ପାଇଲି କିମ୍ବା ଗିନି ସବୁ ଗଣିକରି ହିସାବ ଦେବାକୁ ହେବ ବୋଲି ସ୍ୱର୍ଗକୁ ଯିବାକୁ ପଡ଼ିବ ଭାବିପାରିଲି ନାହିଁ । କିନ୍ତୁ ଏକଥା ବୁଝିବାକୁ ବିଳମ୍ବ ହେଲା ନାହିଁ ଯେ, ପରେ ଯାହାହେଉ, ସଂପ୍ରତି ଜ୍ଞାନ ଥାଉ ଥାଉ ନିଜର ବିଲ୍ ବ୍ୟବସ୍ଥାଟାକୁ ନିଜକୁ ହିଁ କରିବାକୁ ପଡ଼ିବ । ଯେହେତୁ ମନୋହର ପରି ଆଇସ୍‌ ବ୍ୟାଗଟା ଟଣାଟଣି କରିବା ସଙ୍ଗତ ନୁହେଁ ଏବଂ ଶୋଭନ ମଧ୍ୟ ନୁହେଁ । ସ୍ଥିର କରିବାକୁ ବିଳମ୍ବ ହେଲାନାହିଁ, କାରଣ ଆଖି ପଲକ ମାତ୍ରେ ଦେଖିପାରିଲି କିପରି ଏତେବଡ଼ ଘୃଣ୍ୟ ବେମାରୀର ଭାର କୌଣସି ପୁଣ୍ୟାତ୍ମା ସାଧୁଲୋକ ଉପରେ ନିକ୍ଷେପ କରିବାକୁ ଗଲେ ନିଶ୍ଚୟ ହିଁ ମୋର ଗୁରୁତର ପାପ ହେବ । ଭଲ ଲୋକଙ୍କୁ ବିବ୍ରତ କରିବା କର୍ତ୍ତବ୍ୟ ନୁହେଁ, ଏହା ଅଶାସ୍ତ୍ରୀୟ ମଧ୍ୟ । ସୁତରାଂ ସେପରି କହିବା ଉଚିତ୍‌ ନୁହେଁ, ବରଞ୍ଚ ସେଇ ଯେ ରେଙ୍ଗୁନର ଏକ କୋଣରେ ଅଭୟା ବୋଲି ମହା ପାପିଷ୍ଠା ଏକ ପତିତା ନାରୀ ଅଛି, ଏତେଦିନ ଧରି ଯାହାକୁ ଘୃଣା କରିଆସିଛି; ତାହାରି କାନ୍ଧଉପରେ ଏଇ ମାରାତ୍ମକ ବୋଝଟା ଘୃଣାର ସହିତ ଥୋଇଦେଇ ଆସିବି, ମଲେ ସେ ମରିବ । ହୁଏତ ଏଥିରେ କିଛି ପୁଣ୍ୟ ସଞ୍ଚିତ ହୋଇପାରିବ । ଏହା ଭାବି ଚାକରକୁ ଗାଡ଼ି ଡାବିକା ପାଇଁ ପଠାଇଦେଲି ।

 

ସେଦିନ ଯେତେବେଳେ ମୃତ୍ୟୁର ପରୱାନା ହାତରେ ଧରି ଅଭୟାର ଦୁଆରେ ଆସି ଠିଆହେଲି ସେତେବେଳେ ମରଣଠାରୁ ମରଣ ଲଜ୍ଜ୍ୟା ମୋତେ ବେଶୀ ଭୟ ଦେଖାଇଥିଲା ।

 

ଅଭୟା ମୁହଁ ପାଣ୍ଡୁର ହୋଇଗଲା । କିନ୍ତୁ ସେହି ମଳିନ ଓଷ୍ଠାଧର ଫୁଟି କେବଳ ଏଇ କେତୋଟି କଥା ବାହାର ହେଲା–ତୁମ ଦାୟିତ୍ୱ ମୁଁ ନେବି ନାହିଁ ତ ଆଉ ନେବ କିଏ ? ଏଠାରେ ମୋ ଛଡ଼ା ଆଉ କାହାର ଅବା ଗରଜ ପଡ଼ିଛି ?

 

ମୋ ଆଖିଦୁଇଟି ଲୁହରେ ଭର୍ତ୍ତିହୋଇଉଠିଲା । ତଥାପି କହିଲି–ମୁଁ ତ ଯିବାକୁ ବାହାରିଲିଣି । କଷ୍ଟ ମୋତେ ହିଁ ଭୋଗିବାକୁ ହେବ, ତାକୁ ବନ୍ଦ କରିବାକୁ ସାଧ୍ୟ କାହାର ନାହିଁ । କିନ୍ତୁ ଯିବା ମୁହୂର୍ତ୍ତରେ ତୁମର ଏଇ ନୂତନ ଘରସଂସାର ଭିତରେ ଏତେବଡ଼ ବିପଦ ପକାଇଦେଇ ଯିବାପାଇ ମୋ ମନ ବଳୁନାହିଁ । ବର୍ତ୍ତମାନ ଗାଡ଼ି ଠିଆହୋଇ ରହିଛି ମୋ ମଧ୍ୟ ଜ୍ଞାନ ଅଛିଳ ଏବଂ ବର୍ତ୍ତମାନ ସୁଦ୍ଧା ପ୍ଲେଗ୍‌ ହସ୍‌ପିଟାଲରେ ଯାଇ ପହଞ୍ଚି ଯାଇପାରେ । ତୁମେ କିନ୍ତୁ ମୁହୂର୍ତ୍ତିକ ପାଇଁ ମନକୁ ଶକ୍ତକରି କେବଳ କହିଦିଅ–ତୁମେ ଚାଲିଯାଅ ।

 

ଅଭୟା କୌଣସି ଉତ୍ତର ନ ଦେଇ ମୋତେ ହାତଧରି ଆଣି ଶୁଆଇଦେଇ ଏଥର ନିଜେ ଆଖିରୁ ଲୁହ ପୋଛିଲା । ମୋ ଉତ୍ତପ୍ତ ଲଲାଟ ଉପରେ ଧୀରେ ଧୀରେ ହାତ ବୁଲାଇ କହିଲା–ତୁମକୁ ଯାଅ ବୋଲି ଯଦି କହିପାରନ୍ତି ତେବେ ନୂଆକରି ସଂସାର କରିବାକୁ ଯାଇନଥାନ୍ତି । ଆଜିଠାରୁ ମୋ ନୂତନ ସଂସାର ପ୍ରକୃତରେ ସଂସାର ହେଲା ।

 

ଖୁବ୍‌ ସମ୍ଭବ ସେ ବେମାରୀ ମୋର ପ୍ଲେଗ ନୁହେଁ । ସେଥିପାଇଁ ମରଣ ମୋତେ ବ୍ୟଙ୍ଗ କରି ଚାଲିଗଲା । ଦିନ ଦଶଟା ପରେ ଭଲ ହୋଇ ଠିଆହେଲି । କିନ୍ତୁ ଅଭୟା ଆଉ ମୋତେ ହୋଟେଲକୁ ଫେରିଯିବାପାଇଁ ଛାଡ଼ିଲା ନାହିଁ ।

 

ଅଫିସକୁ ଯିବା କିମ୍ବା ଆଉ କିଛିଦିନ ଛୁଟିନେଇ ବିଶ୍ରାମ କରିବି ଭାବୁଛି, ଏପରି ସମୟରେ ଦିନେ ଅଫିସର ପିଅନ ଆସି ଚିଠି ଦେଇଗଲା । ଖୋଲି ଦେଖିଲି, ପିଆରୀର ଚିଠି । ବର୍ମା ଆସିବାପରେ ଏଇ ତା’ର ପ୍ରଥମ ଚିଠି । ମୋ ପାଖକୁ ଉତ୍ତର ନ ଦେଲେ ସୁଦ୍ଧା ମଝିରେ ମଝିରେ ମୁଁ ପତ୍ର ଲେଖୁଥିଲି । ଆସିଲାବେଳେ ଏଇ ସର୍ତ୍ତ ସେ ମୋଠାରୁ ଆଦାୟ କରିନେଇଥିଲା । ପତ୍ରର ପ୍ରଥମେ ସେ ଏହାହିଁ ଉଲ୍ଲେଖ କରିଥିଲା ଯେ, ମୁଁ ମଲେ ତୁମେ ନିଶ୍ଚୟ ଖବର ପାଇବ । ମୁଁ ବଞ୍ଚିଥିବାବେଳେ ଏପରି ଅବସ୍ଥା କେବେ ସୃଷ୍ଟି ନ ହେବ; ଯାହା ତୁମେ ନ ଜାଣିଲେ ନ ଚଳେ । କିନ୍ତୁ ମୋ ପକ୍ଷରେ ତାହା ନୁହେଁ । ମୋର ପ୍ରାଣଟି ଯେ ଏହି ବିଦେଶ ଭୂଇଁରେ ପଡ଼ି ରହିଛି, ସେ କଥା ଏତେ ବଡ଼ ସତ୍ୟ ଯେ ଯାହାକୁ ତୁମେ ବିଶ୍ୱାସ କରିବାକୁ ବାଧ୍ୟ । ସେଥିପାଇଁ ମୋଠାରୁ ଉତ୍ତର ନ ପାଇଲେ ସୁଦ୍ଧା ମଝିରେ ମଝିରେ ତୁମକୁ ମୋ ପାଖକୁ ଚିଠି ଲେଖିଦେବାକୁ ହେବ ଯେ–ତୁମେ ଭଲ ଅଛ ।

 

ମୁଁ ଏଇ ମାସ ଭିତରେ ବଙ୍କୁର ବିବାହ କରିବାକୁ ଠିକ୍‌ କରିଛି । ତୁମେ ମତ ଦିଅ । ପରିବାର ପ୍ରତିପାଳନ କରିବାର କ୍ଷମତା ନ ଆସିବା ପର୍ଯ୍ୟନ୍ତ ଯେ ବିବାହ କରିବା ଉଚିତ୍‌ ନୁହେଁ, ତୁମର ଏ ଯୁକ୍ତିକୁ ମୁଁ ଅସ୍ୱୀକାର କରିପାରୁ ନାହିଁ । ବଙ୍କୁର ସେପରି କ୍ଷମତା ହୋଇନାହିଁ । ତଥାପି କାହିଁକି ଯେ ତୁମର ମତାମତ ଲୋଡ଼ି ବସିଛି ସେ କଥା ମୋତେ ଥରକପାଇଁ ଆଖିରେ ନ ଦେଖିଲେ ବୁଝିପାରିବ ନାହିଁ । ଯେପରି ଭାବରେ ହେଉ ତୁମେ ଆସିବ । ତୁମକୁ ମୋ ରାଣ ରହିଲା-

 

ପତ୍ର ଶେଷ ଆଡ଼କୁ ଅଭୟା କଥା ଥିଲା । ଅଭୟା ଯେତେବେଳେ ଫେରିଆସି କହିଥିଲା ଯେ, ସେ ଯାହାକୁ ଭଲପାଏ, ତାହା ସହିତ ଘର ସଂସାର କରିବା ପାଇଁ ଗୋଟାଏ ପଶୁକୁ ସବୁଦିନ ପାଇଁ ତ୍ୟାଗ କରିଆସିଛି, ଏବଂ ଏଥିନିମନ୍ତେ ସାମାଜିକ ରୀତିନୀତି ସମ୍ୱନ୍ଧରେ ସ୍ପର୍ଦ୍ଧାର ସହିତ ତର୍କ କରିଥିଲା, ସେଦିନ ମୁଁ ଏପରି ଭାବରେ ବିଚଳିତ ହୋଇପଡ଼ିଥିଲି ଯେ ପିଆରୀ ପାଖକୁ ଅନେକ କଥା ଲେଖି ପକାଇଥିଲି । ଆଜି ତାହାରି ପ୍ରତ୍ୟୁତ୍ତରରେ ସେ ଲେଖିଛି ତୁମ ମୁହଁରୁ ଯଦି ସେ ମୋ ନାମ ଶୁଣିପାରିଥାଏ ତ, ତାକୁ ମୋ ଅନୁରୋଧ ରକ୍ଷାକରି ଥରକପାଇଁ ଦେଖାକରି କହିବ ଯେ, ରାଜଲକ୍ଷ୍ମୀ ତାକୁ ସହସ୍ର କୋଟି ନମସ୍କାର ଜଣାଇଛି । ସେ ବୟସରେ ମୋଠାରୁ ଛୋଟ କି ବଡ଼ ମୁଁ ଜାଣେ ନାହିଁ । ଜାଣିବାର ଆବଶ୍ୟକତା ମଧ୍ୟ ନାହିଁ । ସେ କେବଳ ତା’ର ତେଜଦ୍ୱାରା ମୋପରି ସାମାନ୍ୟ ରମଣୀର ପ୍ରଣମ୍ୟ । ଆଜି ମୋର ଗୁରୁଦେବଙ୍କର ଶ୍ରୀମୁଖ କଥାଗୁଡ଼ାକ ବାରମ୍ବାର ମନେପଡ଼ୁଛି । ମୋ କାଶୀରେ ଥିବା ଘରେ ଦୀକ୍ଷାର ସମସ୍ତ ଆୟୋଜନ ହୋଇସାରିଥାଏ । ଗୁରୁଦେବ ଆସନ ଗ୍ରହଣ କରି ସ୍ତବ୍‌ଧ ହୋଇ କ’ଣ ଯେପରି ଭାବୁଥାନ୍ତି, ମୁଁ ଆଢ଼ୁଆଳରେ ରହି ତାଙ୍କର ସେହି ପ୍ରସନ୍ନ ମୁହଁକୁ ଚାହିଁ ଦେଖିବାରେ ଲାଗିଥାଏ । ହଠାତ ଭୟରେ ମୋ ଛାତିଭିତରେ ଧଡ଼ପଡ଼ ହେବାକୁ ଲାଗିଲା । ତାଙ୍କ ପାଦ ତଳେ ଲୋଟିପଡ଼ି କାନ୍ଦି କାନ୍ଦି କହିଲି–ବାବା, ମୁଁ ମନ୍ତ୍ର ନେବି ନାହିଁ । ସେ ବିସ୍ମିତ ହୋଇ ମୋ ମୁଣ୍ଡଉପରେ ହାତ ରଖି କହିଲେ–କାହିଁକି ନେବୁନି ମାଆ ? କହିଲି–ମୁଁ ମହା ପାପିଷ୍ଠା । ସେ ବାଧାଦେଇ କହିଲେ–ତାହାହେଲେ ତ ତୋର ମନ୍ତ୍ର ନେବା ବେଶୀ ଦରକାର ମାଆ ।

 

କାନ୍ଦି କାନ୍ଦି କହିଲି–ମୁଁ ଲାଜରେ ମୋର ପ୍ରକୃତ ପରିଚୟ ଦେଇନାହିଁ । ଦେଇଥିଲେ ଆପଣ ଏ ଘରର ଦୁଆରବନ୍ଧ ସୁଦ୍ଧା ମାଡ଼ିବାକୁ ଇଚ୍ଛା କରିନଥାନ୍ତେ ।

 

ଗୁରୁଦେବ ସ୍ମିତ ମୁଖରେ କହିଲେ–ତଥାପି ମାଡ଼ିଥାନ୍ତି ଏବଂ ଦୀକ୍ଷା ଦେଇଥାନ୍ତି । ପିଆରୀର ଘର ହୁଏତ ନ ମାଡ଼ିଲେ ନାହିଁ କିନ୍ତୁ ମୋ ରାଜଲକ୍ଷ୍ମୀ ମାଆର ଘରକୁ କାହିଁକି ଆସିନଥାଆନ୍ତି ?

 

ମୁଁ ଚମକିପଡ଼ି ସ୍ତବ୍‌ଧ ହୋଇଗଲି । କିଛି ସମୟ ନୀରବ ରହିବା ପରେ କହିଲି–କିନ୍ତୁ ମୋ ମାଆର ଗୁରୁ ଯେ କହିଥିଲେ; ଆମମାନଙ୍କୁ ଦୀକ୍ଷା ଦେଲେ ପତିତ ହେବାକୁ ପଡ଼ିବ । ସେ କଥା କ’ଣ ସତ ନୁହେଁ ?

 

ଗୁରୁଦେବ ହସିଲେ । କହିଲେ–ସତ ବୋଲି ତ ସେ ଦେଇପାରିଲେ ନାହିଁ ମାଆ । କିନ୍ତୁ ସେପରି ଭୟ ଯାହାର ନାହିଁ ସେ କାହିଁକି ଦେଇନପାରିବ ?

 

ପଚାରିଲି–ଭୟ ନାହିଁ କାହିଁକି ?

 

ସେ ପୁଣି ହସିଦେଇ କହିଲେ–ଗୋଟିଏ ଘରେ ଯେଉଁ ରୋଗରେ ଜୀବାଣୁ ଜଣକୁ ମାରିପକାଏ, ଅଥଚ ଆଉ ଜଣକୁ କାହିଁକି ସ୍ପର୍ଶ କରିପାରେ ନାହିଁ କହିପାରିବୁ ମାଆ ?

 

କହିଲି–ସ୍ପର୍ଶ କରେ । କିନ୍ତୁ ଯିଏ ସବଳ ସେ ରୋଗ ଜୀବାଣୁକୁ ପ୍ରତିରୋଧ କରିପାରେ ଆଉ ଯିଏ ଦୁର୍ବଳ ତାକୁ ଜୀବାଣୁ ମାରିପକାଏ ।

 

ଗୁରୁଦେବ ମୋ ମୁଣ୍ଡଉପରେ ହାତରଖି କହିଲେ–ଏଇ କଥାଟାକୁ କେବେ ଭୁଲିଯିବୁନି ମାଆ । ଯେଉଁ ଅପରାଧ ଜଣକୁ ଭସ୍ମସାତ୍‌ କରିଦିଏ ସେଇ ଅପରାଧରେ ହୁଏତ ଆଉ ଜଣେ ସ୍ୱଚ୍ଛନ୍ଦରେ ଉତ୍ତୀର୍ଣ୍ଣ ହୋଇଯାଇପାରେ । ସେଥିପାଇଁ ସମସ୍ତ ବିଧିନିଷେଧ ସମସ୍ତଙ୍କୁ ଗୋଟିଏ ଦଉଡ଼ିରେ ବାନ୍ଧି ରଖିପାରେ ନାହିଁ । ସଂକୋଚ ସହିତ ଆସ୍ତେ ଆସ୍ତେ ପଚାରିଲି–ଯାହା ଅନ୍ୟାୟ, ଯାହା ଅଧର୍ମ, ତାହା କ’ଣ ସବଳ ଦୁର୍ବଳ ଉଭୟଙ୍କ ନିକଟରେ ସମାନ ଅନ୍ୟାୟ ଅଧର୍ମ; ନୁହେଁ ? ନ ହୋଇଥିଲେ ତାହା କ’ଣ ଅବିଚାର ନୁହେଁ ?

 

ଗୁରୁଦେବ କହିଲେ–ନାହିଁ ମାଆ । ବାହାରକୁ ଯେପରି ଦେଖାଯାଆନ୍ତି କିନ୍ତୁ ସେମାନଙ୍କର ଫଳ ସମାନ ନୁହେଁ । ତାହାହେଲେ ସଂସାରରେ ଦୁର୍ବଳ ଓ ସବଳ ଭିତରେ କୌଣସି ପ୍ରଭେଦ ରହିପାରିନଥାନ୍ତା । ଯେଉଁ ବିଷ ପାଞ୍ଚ ବର୍ଷ ଶିଶୁ ପକ୍ଷରେ ମାରାତ୍ମକ, ସେହି ବିଷ ଯଦି ଜଣେ ତିରିଶ ବର୍ଷ ଲୋକକୁ ମାରିନପାରେ ତେବେ କାହାକୁ ଦୋଷ ଦେବୁ ମାଆ ? କିନ୍ତୁ ଆଜି ଯଦି ମୋ କଥା ବୁଝିପାରୁନଥିବୁ, ତେବେ ଏତିକି ସ୍ମରଣ ରଖ ଯେ, ଯାହା ଭିତରେ ନିଆଁ ଜଳୁଥାଏ ଏବଂ ଯାହା ଭିତରେ କେବଳ ପାଉଁଶ ଗଦା ହୋଇଥାଏ ସେମାନଙ୍କର କର୍ମର ଓଜନ ଗୋଟିଏ ନିକିତିରେ ଓଜନ କରାଯାଇନପାରେ ! ସେପରି କରାଗଲେ ଭୁଲହୁଏ ।

 

ଶ୍ରୀକାନ୍ତ ଭାଇନା, ତୁମ ଚିଠି ପଢ଼ି ମୋ ଗୁରୁଦେବଙ୍କର ସେଇ ଅନ୍ତରରେ ନିଆଁ ଜଳୁଥିବା କଥା ମନେପଡ଼ିଗଲା । ଅଭୟାକୁ ଆଖିରେ ଦେଖି ନାହିଁ; କିନ୍ତୁ ମନେହେଉଛି ତା’ ଭିତରେ ଯେପରି ବହ୍ନି ଜଳିବାରେ ଲାଗିଛି । ସେହି ଶିଖାର ଆଭାସ ଯେପରି ତୁମ ଚିଠିରେ ଦେଖିବାକୁ ପାଇଲି । ତା’ କର୍ମର ବିଚାର ଟିକିଏ ସାବଧାନରେ କରିବ । ମୋ ଭଳି ସାଧାରଣ ସ୍ତ୍ରୀଲୋକର ବଟକରା ନେଇ ତା’ର ପାପ ପୁଣ୍ୟର ଓଜନ ତରବର ହୋଇ କରି ବସିବ ନାହିଁ ।

 

ଚିଠି ଖଣ୍ଡକୁ ଅଭୟା ହାତକୁ ବଢ଼ାଇଦେଇ କହିଲି–ରାଜଲକ୍ଷ୍ମୀ, ତୁମକୁ ଶତ ସହସ୍ର ନମସ୍କାର ଜଣାଇଛି । ଏଇ ନିଅ ପଢ଼ ।

 

ଅଭୟା ଦୁଇ ତିନିଥର କରି ଚିଠିଟି ପଢ଼ିସାରି କୌଣସି ଉପାୟରେ ମୋ ବିଛଣା ଉପରକୁ ଚିଠିଟା ପକାଇ ଦେଇ ଦ୍ରୁତ ପଦରେ ଘରଭିତରକୁ ଚାଲିଗଲା । ଦୁନିଆଁ ଆଖିରେ ତା’ର ଯେଉଁ ନାରୀତ୍ୱ ଆଜି ଲାଞ୍ଛିତ ଏବଂ ଅପମାନିତ, ଆଜି ତାହାରି ଉପରେ ଶତସହସ୍ର ଯୋଜନ ଦୂରରୁ ଯେଉଁ ଅପରିଚିତା ନାରୀ ଅଯାଚିତ ସମ୍ମାନର ପୁଷ୍ପାଞ୍ଜଳି ଅର୍ପଣ କରିଛି, ତାହାରି ଅପରିସୀମା ଆନନ୍ଦ–ବେଦନାକୁ ସେ ପୁରୁଷ ଦୃଷ୍ଟିରୁ ତରତର ହୋଇ ଲୁଚେଇ ନେଇଗଲା ।

 

ପ୍ରାୟ ଅଧଘଣ୍ଟାକ ପରେ ଅଭୟା ଭଲଭାବରେ ମୁହଁ ହାତ ଧୋଇ ଫେରିଆସି କହିଲା–ଶ୍ରୀକାନ୍ତ ଭାଇନା...

 

ବାଧାଦେଇ କହିଲି–ଏ ପୁଣି କ’ଣ ? ଭାଇନା ହେଲିଣି କେବେଠାରୁ ?

 

: ଆଜିଠାରୁ ।

 

: ନା, ନା, ଭାଇନା ନୁହେଁ–ଭାଇନା ନୁହେଁ । ସମସ୍ତେ ମିଳିମିଶି ସବୁଦିଗରୁ ମୋ ରାସ୍ତା ବନ୍ଦ କରିଦିଅ ନାହିଁ ।

 

ଅଭୟା ହସିଦେଇ କହିଲା–ମନରେ ବୋଧହୁଏ ତେବେ ଅନ୍ୟ ମତଲବ ଥିଲା ?

 

: କାହିଁକି ମୁଁ କ’ଣ ମନୁଷ୍ୟ ନୁହେଁ ?

 

ଅଭୟା କହିଲା ବିଷମ ମନୁଷ୍ୟ ଦେଖୁଛି ଯେ ! ରୋହିଣୀ ବାବୁ ଅସୁସ୍ଥ ଥିବା ସମୟରେ ତୁମକୁ ଆଶ୍ରୟ ଦେଲେ । ବର୍ତ୍ତମାନ ଭଲ ହୋଇସାରି ଦେଖୁଛି ତାଙ୍କୁ ଭଲ ପୁରସ୍କାର ଦେବାକୁ ଠିକ୍‌ କରିଛି ! ସେ ସମୟରେ ମୁଁ ଯଦି ଟେଲିଗ୍ରାମ୍‌ କରିଦେଇଥାନ୍ତି ତେବେ ସେ ତୁମକୁ ସିନା ଦେଖିବାକୁ ଆସିପାରିଥାନ୍ତେ ।

 

ମୁଣ୍ଡ ହଲାଇ କହିଲି–ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

ଅଭୟା କିଛି ସମୟ ନୀରବ ରହି କହିଲା–ତୁମେ ମାସେ ଖଣ୍ଡେ ଛୁଟିନେଇ ଥରକ ପାଇଁ ଯାଆ ଶ୍ରୀକାନ୍ତ ଭାଇନା । ମୋର ମନେହେଉଛି ତୁମ ପାଖରେ ତାଙ୍କର ବହୁତ କାମ ଅଛି । କେଜାଣି କାହିଁକି ମୁଁ ମଧ୍ୟ ଅନୁଭବ କରିପାରିଲି ଯେ ମୋର ଆବଶ୍ୟକତା ରାଜଲକ୍ଷ୍ମୀ ନିକଟରେ ଯଥେଷ୍ଟ ଅଛି । ପରଦିନ ଅଫିସକୁ ଚିଠି ଲେଖି ଆଉ ଗୋଟିଏ ମାସ ଛୁଟି ନେଲି ଏବଂ ଆଗାମୀ ମେଲରେ ଟିକଟ କାଟିବାକୁ ଚାକରକୁ ପଠାଇଦେଲି ।

 

ଯିବା ସମୟରେ ଅଭୟା ନମସ୍କାର କରି କହିଲା–ଶ୍ରୀକାନ୍ତ ଭାଇନା, ଗୋଟାଏ କଥା ଦିଅ ।

 

: କେଉଁ କଥା ?

 

: ସଂସାରରେ ସମସ୍ତ ସମସ୍ୟାକୁ ପୁରୁଷ ମୀମାଂସା କରିପାରେ ନାହିଁ । ଯଦି କେତେବେଳେ ଆବଶ୍ୟକ ପଡ଼େ ଚିଠି ଲେଖି ମୋର ମତାମତ ନେବ ।

 

ସ୍ୱୀକାର କରି ବନ୍ଦର ଉଦ୍ଦେଶ୍ୟରେ ଗାଡ଼ିରେ ଯାଇ ବସିଲି । ଅଭୟା ଗାଡ଼ି ଦୁଆର ମୁହଁରେ ଠିଆହୋଇ ଆଉ ଥରେ ନମସ୍କାର କଲା । କହିଲା–ରୋହିଣୀ ବାବୁଙ୍କଦ୍ୱାରା କାଲି ମୁଁ ସେଠାକୁ ଟେଲିଗ୍ରାମ୍‌ କରିଦେବି । କିନ୍ତୁ ଜାହାଜ ଉପରେ ଯେଉଁ କେତେଟା ଦିନ ରହିବ ନିଜର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ରଖିବ । ଆଉ ତୁମଠାରୁ ଅଧିକା କିଛି ଚାହୁଁ ନାହିଁ; ଶ୍ରୀକାନ୍ତ ଭାଇନା ।

 

ଆଚ୍ଛା; କହି ମୁହଁଟେକି ଦେଖିଲି ଅଭୟାର ଦୁଇଟି ଆଖି ଲୁହରେ ଛଳଛଳ ହୋଇଉଠିଛି-

 

କଲିକତା ବନ୍ଦରରେ ଜାହାଜ ଆସି ଲାଗିଲା । ଦେଖିଲି ଜେଟି ଉପରେ ବଙ୍କୁ ଠିଆହୋଇଛି । ସେ ତରତର ହୋଇ ସିଡ଼ିରେ ଚଢ଼ି ଆସି ମୋ ପାଦତଳେ ଭୂମିଷ୍ଠ ପ୍ରଣାମ ଜଣାଇ ଉଠି ଠିଆହେଇ ପଡ଼ିଲା । ତାକୁ ଦେଖିବାକ୍ଷଣି ପାଟିରୁ ବାହାରିପଡ଼ିଲା–କ’ଣ ରତନ ଯେ ! ସବୁ ଭଲ ତ ?

 

ଗାଲରେ ଗାଲେ ହସ ରଖି ରତନ କହିଲା–ଆପଣଙ୍କ ଆଶୀର୍ବାଦରୁ । ଏତକ କହି ମୋତେ ବାଟ କଢ଼ାଇ ଆଣି ଗାଡ଼ିପାଖରେ ପହଞ୍ଚାଇବା କବାଟ ଖୋଲିଦେଲା । ରାଜଲକ୍ଷ୍ମୀ କହିଲା–ଆସ । ରତନ, ତୁ ଓ ତୋର ବାବୁ ଆଉ ଗୋଟାଏ ଗାଡ଼ିକରି ପଛରେ ଆସ । ଦୁଇଟା ବାଜିଲାଣି । ଏପର୍ଯ୍ୟନ୍ତ ତାଙ୍କର ଗାଧୁଆ ଖିଆପିଆ ହୋଇନାହିଁ । ଆମେ ଦୁହେଁ ବସାକୁ ଯାଉଛୁ । ଗାଡ଼ୁଆନ୍‌କୁ ଗାଡ଼ି ଚଳାଇବାକୁ କହ ।

 

ମୁଁ ଗାଡ଼ିଭିତରେ ଯାଇ ବସିଲି । ରତନ ଯେ ଆଜ୍ଞା କହି ଗାଡ଼ିର ଦରଜା ବନ୍ଦ କରିଦେଇ ଗାଡ଼ୁଆନ୍‌କୁ ଗାଡ଼ି ଚଲାଇବାକୁ ଇଙ୍ଗିତ ଦେଲା । ରାଜଲକ୍ଷ୍ମୀ ନଇଁପଡ଼ି ମୋ ପାଦଧୂଳି ନେଇ ମୁଣ୍ଡରେ ମାରି ପଚାରିଲା–ଜାହାଜରେ ଆସିବାବେଳେ କିଛି କଷ୍ଟ ହୋଇନାହିଁ ତ ?

 

: ନା ।

 

: ଦେହଖରାପ ହୋଇଥିଲା କି ?

 

: ଖରାପ ହୋଇଥିଲା । କିନ୍ତୁ ସେପରି ବିଶେଷ ଧରଣର ନୁହେଁ । କିନ୍ତୁ ତୁମେ ତ ବଡ଼ ଦୁର୍ବଳ ଦିଶୁଛ ଯେ ! ଘରୁ କେବେ ଆସିଲ ?

 

: ଦୁଇଦିନ ତଳେ । ଅଭୟାଠାରୁ ଚିଠି ପାଇବାମାତ୍ରେ ଆମେମାନେ ବାହାରିପଡ଼ିଲୁ । ସେଇ ଆସିବା ହେଲା–କିନ୍ତୁ ଦୁଇଦିନ ଆଗରୁ ଆସିଲୁ । ଏଠାରେ ତୁମର କେତେ କାମ ଅଛି ଜାଣ-?

 

କହିଲି–କାମ କଥା ପରେ ଶୁଣିବି । କିନ୍ତୁ ତୁମେ ଏପରି ଦିଶୁଛ କାହିଁକି ? କ’ଣ ହୋଇଥିଲା ?

 

ରାଜଲକ୍ଷ୍ମୀ ହସିଲା । ଏ ହସଟି ଯେ କେତେଦିନ ତଳେ ଦେଖିଥିଲି ତାହା ଦେଖିବାକ୍ଷଣି ମନେପଡ଼ିଲା ଏବଂ ସଙ୍ଗେ ସଙ୍ଗେ ଯେ କେତେବଡ଼ ଅଦମ୍ୟ ସ୍ପୃହା ନୀରବରେ ଦମନ କରି ବସିଲି ସେ କଥା ଅନ୍ତର୍ଯ୍ୟାମୀ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ସେ ବିସ୍ମିତ ହେଲାଭଳି ମୋ ମୁହଁକୁ ଦଣ୍ଡେ ଚାହିଁ ରହି ପୁଣି ହସିଦେଇ ପଚାରିଲା–କିପରି ଦିଶୁଛି ? କ’ଣ ରୋଗା ?

 

ହଠାତ୍‌ ଏ ପ୍ରଶ୍ନର ଉତ୍ତର ଦେଇପାରିଲି ନାହିଁ । ରୋଗା ? ହଁ ସାମାନ୍ୟ ରୋଗା ସତ । କିନ୍ତୁ ସେ କିଛି ନୁହେଁ । ମନେହେଲା ଯେପରି ସେ ପଦ ବ୍ରଜରେ ଦେଶ ଦେଶାନ୍ତର ତୀର୍ଥ ପର୍ଯ୍ୟଟନ କରିସାରି ଏଇମାତ୍ର ବୋଧହୁଏ ଫେରିଆସିଛି ତେଣୁ ଏପରି କ୍ଲାନ୍ତ ଓ ଏତେ ପରିଶ୍ରାନ୍ତ ! ନିଜ ଭାର ନିଜେ ବହନ କରିବାକୁ ଆଉ ତା’ର ଶକ୍ତି ନାହିଁ କିମ୍ବା ପ୍ରବୃତ୍ତି ବୋଧହୁଏ ନାହିଁ । ଏଥର ଏଣିକି ନିଶ୍ଚିନ୍ତରେ ଶୋଇବା ପାଇଁ ଟିକିଏ ଯାଗା ଅନ୍ୱେଷଣ କରୁଛି । ମୋତେ ନିରୁତ୍ତର ହେବାର ଦେଖି କହିଲା–କ’ଣ କିଛି କହିଲ ନାହିଁ ଯେ ?

 

କହିଲି–ନ ଶୁଣିଲେ ?

 

ରାଜଲକ୍ଷ୍ମୀ ପିଲାଙ୍କ ଭଳି ମୁଣ୍ଡ ହଲାଇ କହିଲା– ନ କହିଲେ ନ କହ । କିନ୍ତୁ ଲୋକମାନେ କହୁଛନ୍ତି ମୁଁ କୁଆଡ଼େ ଦେଖିବାକୁ ଖୁବ୍‌ ଅସୁନ୍ଦରୀ ହୋଇଯାଇଛି, କ’ଣ ସତରେ ?

 

ମୁଁ ଗମ୍ଭୀର ହୋଇ କହିଲି–ସତ ।

 

ରାଜଲକ୍ଷ୍ମୀ ହସିପକାଇ କହିଲା–ତୁମେ ମଣିଷକୁ ଏପରି ଅପ୍ରତିଭ କରିପକାଅ ଯେ..ଆଚ୍ଛା ବେଶ୍‌ ଭଲହେଲା ! ଶ୍ରୀ ମୋର କ’ଣ ଅବା ହେବ ? ତୁମ ସାଙ୍ଗରେ ମୋର ସୁଶ୍ରୀ–ବିଶ୍ରୀ ଦେଖାଦେଖି ସମ୍ପର୍କ ନାହିଁ ଯେ ସେଥିପାଇଁ ମୋତେ ଭାବି ଭାବି ମରିବାକୁ ହେବ ।

 

ମୁଁ କହିଲି–ତା’ ଅବଶ୍ୟ ଠିକ୍‌ । ସେଥିପାଇଁ ଭାବି ମରିବାର କୌଣସି କାରଣ ନାହିଁ । କାରଣ ଏକରେ ଲୋକମାନେ ଆଦୌ ଏକଥା କହୁନାହାନ୍ତି ଏବଂ କେହି କହିଲେ ମଧ୍ୟ ତୁମେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ । ମନେମନେ ଭାବ ଯେ......

 

ରାଜଲକ୍ଷ୍ମୀ ରାଗକରି କହିଉଠିଲା–ତୁମେ ଅନ୍ତର୍ଯ୍ୟାମୀ କିନା ! ସେଥିପାଇଁ ସମସ୍ତଙ୍କର ମନକଥା ଜାଣିପାରିଛ । ମୁଁ କେତେବେଳେ ଏ କଥା ଭାବିନାହିଁ । ତୁମେ ନିଜେ ସତ କରି କହିଲ, ସେଇ ଶିକାର କରିବାକୁ ଯାଇ ମୋତେ ଯେପରି ଭାବରେ ଦେଖିଥିଲ, ସେପରି ବର୍ତ୍ତମାନ ଦେଖାଯାଉଛି କି ନାହିଁ ? ନା ତାଠାରୁ ଅଧିକ ଅସୁନ୍ଦର ହୋଇଯାଇଛି ?

 

ମୁଁ କହିଲି–ବରଞ୍ଚ ତାହା ଅପେକ୍ଷା ଭଲ ଦେଖାଯାଉଛ ।

 

ରାଜଲକ୍ଷ୍ମୀ ଆଖି ପଲକମାତ୍ରେ ଝରକା ବାହାରକୁ ମୁହଁ ବୁଲାଇ ନେଇ ବୋଧହୁଏ ତା’ର ହସ ହସ ମୁହଁଟିକୁ ମୋ ଆଖିଆଗରୁ ଲୁଚାଇନେଲା ଏବଂ କୌଣସି ଉତ୍ତର ନ ଦେଇ ଚୁପ୍‌ ହୋଇ ବସିରହିଲା । ଅନେକ ସମୟ ପରେ ପରିହାସର ସମସ୍ତ ଚିହ୍ନ ମୁହଁରୁ ଅପସାରଣ କରିସାରି ସେ ମୋ ମୁହଁକୁ ଫେରି ଚାହିଁଲା । ପଚାରିଲା–ତୁମକୁ କ’ଣ ଜ୍ୱର ହୋଇଥିଲା ? ସେ ଦେଶର ଜଳବାୟୁ କ’ଣ ଦେହରେ ଯାଉନଥିଲା ?

 

କହିଲି–ନ ଗଲେ ବି ଉପାୟ ନାହିଁ । ଯେପରି ଭାବରେ ହେଉ ସହ୍ୟ କରିନେବାକୁ ହେଉନଥିଲା ।

 

ମୁଁ ମନେମନେ ଭଲକରି ଜାଣିଥିଲି ଯେ ରାଜଲକ୍ଷ୍ମୀ ଏ କଥାର କ’ଣ ଜବାବ୍‌ ଦେବ । କାରଣ ଯେଉଁ ଦେଶର ଜଳବାୟୁ ଆଜିସୁଦ୍ଧା ଆପଣାର ହୋଇପାରିନାହିଁ, କୌଣସି ସୁଦୂର ଭବିଷ୍ୟତରେ ତାକୁ ଆତ୍ମୀୟ କରିନେବାରେ ଆଶା ଉପରେ ନିର୍ଭର କରି ସେ କୌଣସିମତେ ମୋ ପ୍ରତ୍ୟାବର୍ତ୍ତନରେ ସମ୍ମତ ହେବନାହିଁ, ବରଞ୍ଚ ଘୋର ଆପତ୍ତି ଉଠାଇ ବାଧାଦେବ । ଏହା ହିଁ ମୋର ମନେହୋଇଥିଲା । କିନ୍ତୁ ସେପରି ହେଲାନାହିଁ, ସେ କିଛି ସମୟ ନୀରବ ରହିବା ପରେ କହିଲା–ତାହା ସତ । ତା’ ଛଡ଼ା ସେଠାରେ ତ ଆଉ କେତେ ବଙ୍ଗାଳୀ ଅଛନ୍ତି । ସେମାନଙ୍କ ଦେହରେ ଯେତେବେଳେ ଜଳବାୟୁ ଯାଇଛି ତୁମ ଦେହରେ ନ ଯିବ ଅବା କାହିଁକି ? କ’ଣ କହୁଛ ?

 

ମୋ ସ୍ୱାସ୍ଥ୍ୟ ସମ୍ବନ୍ଧରେ ତା’ର ଏଇ ଉଦ୍‌ବେଗହୀନତା ମୋତେ ଆଘାତ ଦେଲା । ସେଥିପାଇଁ କେବଳ ଇଙ୍ଗିତରେ ତା’ କଥାର ଉତ୍ତର ଦେଇ ମୁଁ ନୀରବ ରହିଲି । ଗୋଟାଏ କଥା ମୁଁ ବରାବର ଭାବୁଥାଏ, କିପରି ଭାବରେ ମୋ ପ୍ଲେଗ ରୋଗର କାହାଣୀ ମୁଁ ତାକୁ ଶୁଣାଇପାରିବି । ସୁଦୂର ପ୍ରବାସରେ ମୁଁ ଯେତେବେଳେ ଜୀବନ–ମରଣର ସନ୍ଧି ସ୍ଥଳରେ ଦିନ ବିତାଉଥିଲି, ସେତେବଳକାର ସହସ୍ର ପ୍ରକାର ଦୁଃଖର ବିବରଣୀ ଶୁଣୁଶୁଣୁ ତା’ ବୁକୁଭିତରେ କି ପ୍ରକାର ଝଡ଼ଉଠିବ, ଦୁଇ ଚକ୍ଷୁ ପ୍ଳାବିତ କରି କିପରି ଭାବରେ ଅଶ୍ରୁଧାର ଛୁଟି ଚାଲିବ, ତାହା କେତେ ରସରେ, କେତେ ରଙ୍ଗରେ ଭାବିବସି ଦିନ ପରେ ଦିନ କଳ୍ପନାରେ ସେସବୁ ଦେଖିଛି, ତାହା କହିପାରିବି ନାହିଁ । ବର୍ତ୍ତମାନ ସେଇ କଳ୍ପନା ହିଁ ମୋତେ ବେଶୀ ଲଜ୍ଜ୍ୟା ଦେବାକୁ ଲାଗିଲା । ମନେହେଲା–ଛିଃ–ଛିଃ–ଦୁନିଆରେ କେହି କାହା ମନର ଖବର ରଖନ୍ତି ନାହିଁ । ନହେଲେ...ଛାଡ଼ ସେ କଥା । ମନେମନେ କହିଲି–ଆଉ ଯାହା କରେ କିନ୍ତୁ ସେହି ମରଣ ମୁହଁରୁ ବର୍ତ୍ତିବା ଗଳ୍ପକୁ ତାକୁ ଆଦୌ କହିବି ନାହିଁ ।

 

ବହୁବଜାର ବସାରେ ଆସି ପହଞ୍ଚିଲି । ରାଜଲକ୍ଷ୍ମୀ ହାତ ବଢ଼ାଇ ଦେଖାଇ କହିଲା–ଏଇ ସିଡ଼ି ! ଆଉ ତୁମ ବସା ହେଉଛି ତିନି ମହଲାରେ । ଯାଇ ଟିକିଏ ଶୋଇପଡ଼ । ମୁଁ ଯାଉଛି, କହି ସେ ନିଜେ ରୋଷଘର ଆଡ଼କୁ ଚାଲିଗଲା ।

 

ଘରଭିତରେ ପହଞ୍ଚି ଦେଖିଲି, ପ୍ରକୃତରେ ଏଘର ମୋ ପାଇଁ । ପାଟନା ଘରୁ ମୋ ବହିପତ୍ର, ଏପରିକି ମୋ ତମ୍ବାଖୁ ଖାଇବା ହୁକାଟି ପର୍ଯ୍ୟନ୍ତ ଆଣିବାକୁ ପିଆରୀ ଭୁଲିନାହିଁ । ଗୋଟାଏ ଦାମୀ ସୂର୍ଯ୍ୟାସ୍ତର ଛବି ମୋତେ ଭାରୀ ଭଲ ଲାଗେ । ସେହି ଛବିଟି ପର୍ଯ୍ୟନ୍ତ ସେ କଲିକତାକୁ ଆଣିଛି ଏବଂ ସେହିଟିକୁ କାନ୍ଥରେ ଟଙ୍ଗାଇ ଦେଇଛି । ମୋର ଲେଖିବାର ସରଞ୍ଜାମ, ମୋ ଲୁଗାପଟା, ମୋର ସେଇ ନାଲି ରଙ୍ଗର ମଖମଲି ଚଟି ହଳକ ପର୍ଯ୍ୟନ୍ତ ଠିକ୍‌ ସେହିପରି ସଜା ହୋଇ ରହିଛି । ଖଣ୍ଡିଏ ଆରାମ ଚୌକି ମୁଁ ସେଠାରେ ଥିଲାବେଳେ ପ୍ରାୟ ବ୍ୟବହାର କରୁଥିଲି; ସେଇଟି ବୋଧହୁଏ ଆଣିବା ସମ୍ଭବପର ହୋଇନାହିଁ । ସେଥିପାଇଁ ନୂଆ ଖଣ୍ଡିଏ ଚଉକି ଠିକ୍‌ ସେଇପରି ଝରକା ନିକଟରେ ପକାହୋଇଛି । ଧୀରେ ଧୀରେ ଯାଇ ତାରି ଉପରେ ଶୋଇପଡ଼ିଲି । ମନେହେଲା ଯେପରି ଭଟ୍ଟା ପଡ଼ିଥିବା ନଈରେ ପୁଣି ଜୁଆରର ଜଳୋଚ୍ଛ୍ୱାସ ଶବ୍ଦ ଶୁଣିବାକୁ ପାଇଲି-

 

ସ୍ନାନାହାର ସାରି କ୍ଲାନ୍ତବଶତଃ ଦିପହର ସମୟରେ ଶୋଇପଡ଼ିଥିଲି । ନିଦ ଭାଙ୍ଗିବା ମାତ୍ରେ ଦେଖିଲି ପଶ୍ଚିମ ଦିଗର ଝରକା ଦେଇ ଅପରାହ୍ନର–ଖରା ମୋ ପାଦତଳେ ଆସି ପଡ଼ିଛି ଏବଂ ପିଆରୀ ଗୋଟିଏ ହାତରେ ଭାରଦେଇ ମୋ ମୁହଁଉପରକୁ ନଇଁପଡ଼ି ଅନ୍ୟ ହାତରେ ପଣତଦ୍ୱାରା ମୋ କପାଳ, କାନ୍ଧ ଏବଂ ଛାତିରୁ ଝାଳ ପୋଛିବାରେ ଲାଗିଛି । କହିଲା–ଝାଳରେ ତକିଆ ଏବଂ ବିଛଣା ସବୁ ଭିଜିଯାଇଛି । ଏ ଘରଟା ଭାରି ଗରମ । କାଲି ଦୋତାଲାରେ ମୋ ଶୋଇବାଘର ପାଖଘରେ ତୁମପାଇଁ ବିଛଣା କରିଦେବି । ଏହା କହି ମୋ ନିକଟରେ ବସିପଡ଼ି ପଙ୍ଖାଟା ଧରି ବିଞ୍ଚିବାକୁ ଲାଗିଲା । ରତନ ଘରଭିତରକୁ ପଶିଆସି କହିଲା–ମାଆ, ବାବୁଙ୍କ ପାଇଁ ଚାହା ଏଠାକୁ ନେଇଆସିବି ?

 

: ହଁ ନେଇଆ । ଆଉ ଯଦି ବଙ୍କୁ ଘରଭିତରେ ଥାଏ ତାକୁ ଟିକିଏ ପଠାଇଦେବୁ । ମୁଁ ପୁଣି ଆଖିବୁଜିଲି । କିଛି ସମୟ ପରେ ଚଟିର ଖସ୍‍ଖସ୍‌ ଶବ୍ଦ ବାହାରେ ଶୁଣାଗଲା । ପିଆରୀ ଡାକି କହିଲା–କିଏ ବଙ୍କୁ ? ଏଆଡ଼େ ଟିକିଏ ଆସିଲୁ ।

 

ତାହାର ପାଦଶବ୍ଦରୁ ବୁଝିପାରିଲି ଯେ ଅତିଶୟ ସଙ୍କୁଚିତ ଭାବରେ ଘରେ ପ୍ରବେଶ କରୁଛି । ପିଆରୀ ସେହିପରି ଭାବରେ ବିଞ୍ଚୁ ବିଞ୍ଚୁ କହିଲା–ଏଠାରେ କାଗଜ ପେନ୍‌ସିଲ ଧରି ବସ । କ’ଣ କ’ଣ କିଣିବାକୁ ହେବ, ତା’ର ଗୋଟାଏ ତାଲିକା କର । ତାପରେ ଦରୱାନକୁ ସଙ୍ଗରେ ନେଇ କାର ଧରି ବଜାରକୁ ଯାଇ କିଣିବୁ ଯାଆତ ବାପା ।

 

ଦେଖିଲି ଏହା ଏକ ବିରାଟ ବ୍ୟାପାର । ଅସୁସ୍ଥ ଅବସ୍ଥା ତ ଦୂରର କଥା, କିନ୍ତୁ ସୁସ୍ଥ ଥିବାବେଳେ ସେ କେବେ ଏତେ ନିକଟରେ ମୋତେ ବିଞ୍ଚି ନାହିଁ । ହୁଏତ ଏହା ଦିନେ ସମ୍ଭବ ହୋଇପାରିଥାନ୍ତା ବୋଲି ଭାବିପାରେ କିନ୍ତୁ ବର୍ତ୍ତମାନ ଯେ ବିନ୍ଦୁମାତ୍ର ସଙ୍କୋଚ କଲା ନାହିଁ । ଚାକର ବାକର, ଏପରିକି ବଙ୍କୁ ଆଗରେ ବର୍ତ୍ତମାନ ଦର୍ପଭରେ ନିଜକୁ ପ୍ରକାଶ କରିଦେଲା ! ଏହି ଅପରୂପ ସୌନ୍ଦର୍ଯ୍ୟ ମୋତେ ଅଭିଭୂତ କରିପକାଇଲା । ମୋର ସେଦିନର କଥା ମନେପଡ଼ିଲା ଯେଉଁଦିନ ବଙ୍କୁ କିଛି ମନେକରିପାରେ ଏଥିପାଇଁ ମୋତେ ପାଟନା ଘରୁ ବିଦାୟ ନେବାକୁ ହୋଇଥିଲା । ତାହା ସହିତ ଆଜିକାର ଆଚରଣ କେତେ ନା କେତେ ପ୍ରଭେଦ !

 

ଜିନିଷପତ୍ର ତାଲିକା କରି ବଙ୍କୁ ଚାଲିଗଲା । ପିଆରୀ ମୋ ମୁହଁକୁ କିଛି ସମୟ ଚାହିଁରହି ପ୍ରଶ୍ନକଲା–ଗୋଟାଏ କଥା ତୁମକୁ ପଚାରିବି । ଆଚ୍ଛା, ରୋହିଣୀ ବାବୁ ଓ ଅଭୟା ଭିତରେ କିଏ ବେଶୀ ଭଲପାଏ କହିପାରିବ ?

 

ହସିଦେଇ କହିଲି–ଯିଏ ତୁମକୁ ପାଇପାରିଛି, ସେଇ ଅଭୟା ହିଁ ବେଶୀ ଭଲପାଏ ।

 

ରାଜଲକ୍ଷ୍ମୀ ହସିଲା । କହିଲା–ସେ ମୋତେ ପାଇପାରିଛି, ତୁମେ ଏକଥା କିପରି ଜାଣିଲ-?

 

କହିଲି–ଯେପରି ହେଉ ଜାଣେ । ସତ କି ନାହିଁ କହିଲ ଦେଖି ?

 

ରାଜଲକ୍ଷ୍ମୀ ମୁହୂର୍ତ୍ତକ ପାଇଁ ଅଟକିଯାଇ କହିଲା–ସେ ଯାହାହେଉ କିନ୍ତୁ ବେଶୀ ଭଲପାଆନ୍ତି ରୋହିଣୀବାବୁ । ପ୍ରକୃତରେ ଭଲପାଆନ୍ତି ବୋଲି ସଂସାରରେ ଏତେ ବଡ଼ ଦୁଃଖକୁ ସେ ମୁଣ୍ଡପାତି ସହିନେଲେ । ନଚେତ୍‌ ଏହାତ ତାଙ୍କର କର୍ତ୍ତବ୍ୟ ନଥିଲା । ଅଥଚ ସେହି ତୁଳନାରେ ଅଭୟାକୁ ଅବା କେତେ ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିଛି କହିଲ ?

 

ତାହାର ପ୍ରଶ୍ନ ଶୁଣି ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଗଲି । କହିଲି ବରଞ୍ଚ ମୁଁ ଦେଖିଲି ଠିକ୍‌ ବିପରୀତ ଏବଂ ସେ ହିସାବରେ ଯାହା କିଛି କଠିନ ଦୁଃଖ, ତ୍ୟାଗ, ସେସବୁ ଅଭୟାକୁ ହିଁ କରିବାକୁପଡ଼ିଛି । ରୋହିଣୀବାବୁ ଯାହା କିଛି କରନ୍ତୁ ନା କାହିଁକି ସେ କିନ୍ତୁ ସମାଜ ଆଖିରେ ପୁରୁଷ–ଏହି ଅଭ୍ରାନ୍ତ ସତ୍ୟଟା ଭୁଲିଯାଉଛ କିପରି ?

 

ରାଜଲକ୍ଷ୍ମୀ ମୁଣ୍ଡ ହଲାଇ କହିଲା–ମୁଁ କିଛି ଭୁଲି ନାହିଁ । ପୁରୁଷଲୋକ କହି ତୁମେ ଯେଉଁ ସୁଯୋଗ ଏବଂ ସୁବିଧାର ଇଙ୍ଗିତ କରୁଛ ସେ ହେଉଛି କ୍ଷୁଦ୍ର ଏବଂ ଇତର ମନୁଷ୍ୟମାନଙ୍କ ପାଇଁ, କିନ୍ତୁ ରୋହିଣୀବାବୁଙ୍କ ଭଳି ଲୋକପାଇଁ ନୁହେଁ । ସଉକ୍‌ ମେଣ୍ଟିଲା କିମ୍ବା ସୁବିଧା ଜୁଟି ନାହିଁ । ସୁବିଧା ପାଇଲେ ପୁଣି ଛାଡ଼ି ପଳାଇଯାଇ ଘରେ ପହଞ୍ଚି ମାନ୍ୟଗଣ ଭଦ୍ରଲୋକ ସାଜି ଜୀବନଯାତ୍ରା ଆରମ୍ଭ କରିଦେବେ ଏଇ କଥା କହୁଚ ତ ? ହୋଇପାରେ ସତ । କିନ୍ତୁ ଏହାବୋଲି ସମସ୍ତେ କ’ଣ କରିପାରନ୍ତି ? ତୁମେ କ’ଣ କରିପାର ? ଯିଏ କରିପାରେ ନାହିଁ ତା’ ଓଜନଟା ଟିକିଏ ବିଚାର କରି ଦେଖିଲି ? ନିନ୍ଦିତ ଜୀବନକୁ ନେଇ ଘର କୋଣରେ କଟାଇବା ଯୁ ତା’ର ନାହିଁ, ତାକୁ ସଂସାର ମଝିରେ ଦ୍ୱନ୍ଦ୍ୱ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଆସିବାକୁ ହୁଏ । ଅବିଚାର ଏବଂ ଅପଯଶର ବୋଝକୁ ଏକାକୀ ନୀରବରେ ବହନ କରିବାକୁ ପଡ଼େ । ତା’ର ଏକାନ୍ତ ସ୍ନେହର ପାତ୍ରୀ, ତା’ର ଭାବୀ ସନ୍ତାନର ଜନନୀକୁ ବିରୁଦ୍ଧ ସମାଜର ସମସ୍ତ ଅମର୍ଯ୍ୟଦା ଏବଂ ଅକଲ୍ୟାଣଠାରୁ ରକ୍ଷା କରିବାକୁ ହୁଏ, ତାହାକୁ କ’ଣ ଦୁଃଖ ବୋଲି ତୁମେ ମନେକରିପାରୁଛ ? ଆଉ ସବୁଠାରୁ ବଳି ବଡ଼ ଦୁଃଖ ଏଇ ଯେ, ଅନାୟାସରେ ଏଇ ଦୁଃଖର ବୋଝକୁ ଯିଏ ଓହ୍ଲାଇଦେଇ ଚାଲିଯାଇପାରେ, ତାକୁ ଏଇ ସର୍ବନାଶୀ ବିକଟ ପ୍ରଲୋଭନଠାରୁ ଅହୋରାତ୍ର ଆପଣାକୁ ଆପେ ରକ୍ଷା କରି ବଞ୍ଚି ରହିବାର ଗୁରୁଭାରକୁ ମଧ୍ୟ ବହନକରି ଚାଲିବାକୁ ପଡ଼େ । ଦୁଃଖର ମାନଦଣ୍ଡରେ ଏଇ ଆତ୍ମତ୍ସୋର୍ଗ ସଙ୍ଗେ ଓଜନ ସମାନ ରଖିବା ପାଇଁ ଯେ ପ୍ରେମହିଁ ଦରକାର । ପୁରୁଷଲୋକ ଯଦି ଆପଣା ଭିତରେ ଏହା ଅନୁଭବ କରାଇଦେଇପାରିବ ।

 

କଥାଟାକୁ ଏପରି ଭାବରେ ଏହି ଦିଗରୁ କୌଣସି ଦିନ ସୁଦ୍ଧା ଚିନ୍ତାକରି ପାରିନଥିଲି । ରୋହିଣୀର ସେହି ସାଦାସିଧା ଚୁପ୍‌ଚାପ୍ ଭାବ, ତା’ପରେ ଅଭୟା ଯେତେବଳେ ତା’ ସ୍ୱାମୀ ଘରକୁ ଚାଲିଗଲା, ସେତେବେଳେ ତା’ର ସେଇ ଶାନ୍ତ ମୁଖମଣ୍ଡଳ ଉପରେ ଅପରିସୀମ ବେଦନାକୁ ନୀରବରେ ବହନ କରିବାର ସେ ଯେଉଁ ଛବି ସ୍ୱଚକ୍ଷୁରେ ଦେଖିଥିଲି ଆଖି ପିଛୁଳାମାତ୍ରକେ ସେ ସବୁ ଗୋଟି ଗୋଟି ହୋଇ ମୋ ମନଭିତରେ ଦେଖାଦେଲା । କିନ୍ତୁ ମୁହଁ ଫିଟାଇ କହିଲି–ଚିଠିରେ ତ କେବଳ ଅଭୟା ପାଇଁ ପୁଷ୍ପାଞ୍ଜଳି ପଠାଇଥିଲ ଯେ ?

 

ରାଜଲକ୍ଷ୍ମୀ କହିଲା–ତା’ର ପ୍ରାପ୍ୟ ତାକୁ ହିଁ ଦେଇଛି । କାହିଁକି ନା ମୋର ବିଶ୍ୱାସ, ଯାହାକିଛି ପାପ, ଯାହାକିଛି ଅପରାଧ, ସେ ସବୁ ତା’ର ଅନ୍ତରର ତେଜରେ ଦଗ୍‌ଧ ହୋଇ ତାକୁ ଶୁଦ୍ଧ ଏବଂ ନିର୍ମଳ କରିପକାଇଛି । ତାହାହେଲେ ସେ ଆଜି ନିହାତି ସାଧାରଣ ସ୍ତ୍ରୀଲୋକ ପରି ତୁଚ୍ଛ ଏବଂ ହୀନ ହୋଇପଡ଼ିଥାନ୍ତା ।

 

: ହୀନ କାହିଁକି ହୋଇଥାନ୍ତା ?

 

ରାଜଲକ୍ଷ୍ମୀ କହିଲା–ବେଶ୍‌ ! ସ୍ୱାମୀ ପରିତ୍ୟାଗ ପାପର କ’ଣ ସୀମା ଅଛି କି ? ସେ ପାପକୁ ଧ୍ୱଂସ କରିବା ଭଳି ନିଆଁ ତା’ ଭିତରେ ନଥିଲେ ତ ଆଜି ସେ...

 

କହିଲି–ନିଆଁ କଥା ଥାଉ । କିନ୍ତୁ ତା’ ସ୍ୱାମୀଟି ଯେ କି ପଦାର୍ଥ, ସେ କଥା ଟିକିଏ ଭାବିକରି ଦେଖିଲ ।

 

ରାଜଲକ୍ଷ୍ମୀ କହିଲା–ପୁରୁଷ ପୁଅମାନେ ଚିରକାଳ ଉତ୍ସୃଙ୍ଖଳ, କିଛି କିଛିଟା ଅତ୍ୟାଚାରୀ ମଧ୍ୟ । କିନ୍ତୁ ଏହାବୋଲି ସ୍ତ୍ରୀ ପକ୍ଷରେ ଛାଡ଼ି ବଳାଇ ଯିବାର ଯୁକ୍ତିଟା କିନ୍ତୁ ଶୋଭାପାଏ ନାହିଁ । ସ୍ତ୍ରୀମାନଙ୍କୁ ସହ୍ୟ କରିବାକୁ ହିଁ ପଡ଼ିବ । ନହେଲେ ତ ସଂସାର ଚାଲିପାରିବ ନାହିଁ ।

 

ଏକଥା ଶୁଣିବାକ୍ଷଣି ମୋର ଚିନ୍ତାଧାରା ସବୁ ଗୋଳମାଳ ହୋଇଗଲା । ମନେମନେ କହିଲି–ସ୍ତ୍ରୀଲୋକମାନଙ୍କର ଏ ତ ସେହି ସନାତନ ଦାସତ୍ୱର ସଂସ୍କାର ! ସାମାନ୍ୟ ଅସହିଷ୍ଣୁ ହୋଇ ପଚାରିଲି–ଏତେ ସମୟ ଧରି ତୁମେ ତାହାହେଲେ ନିଆଁ, ନିଆଁ କହି କ’ଣ ଗୁଡ଼ାଏ ଗପିଚାଲିଥିଲ ?

 

ରାଜଲକ୍ଷ୍ମୀ ହସହସ ମୁହଁରେ କହିଲା–କ’ଣ ଗପି ଚାଲିଥିଲି ଶୁଣିବ ? ଦୁଇଘଣ୍ଟା ପୂର୍ବେ ପାଟନା ଠିକଣାରେ ଲେଖା ଅଭୟାର ଚିଠିଟା ପାଇଛି । ନିଆଁଟା କ’ଣ ଜାଣିଛ ? ସେଦିନ ପ୍ଲେଗ ରୋଗ ବୋଲି ଯେତେବେଳେ ତା’ର ନୂଆ କରି ଆରମ୍ଭ କରିଥିବା ସୁଖର ଘରକରଣା ଦୁଆର ବନ୍ଧରେ ଆସି ଠିଆହେଲ, ସେତେବେଳେ ଯେଉଁ ବସ୍ତୁଟି ନିର୍ଭୟରେ, ନିର୍ବିଚାରରେ ତୁମକୁ ଡାକିନେଇଥିଲା, ମୁଁ ତାକୁ ହଁ କହୁଛି ତା’ର ନିଆଁ । ସେତେବେଳେ ସୁଖର ଖିଆଲ ତା’ର ଆଉନଥିଲା । କର୍ତ୍ତବ୍ୟ କହିଲେ ଯେଉଁ ତେଜ ମନୁଷ୍ୟକୁ ଆଗକୁ ଠେଲେ ଦ୍ୱିଧାରେ ପଡ଼ି ପଛେଇବାକୁ ଦିଏ ନାହିଁ, ମୁଁ ତାକୁ ହିଁ ଏତେ ସମୟ ଧରି ‘ନିଆଁ’ ‘ନିଆଁ’ ବକି ଚାଲିଥିଲି । ନିଆଁର ଆଉ ଗୋଟିଏ ନାମ ସର୍ବଭକ୍ଷ ବୋଲି କ’ଣ ଜାଣିନାହଁ ? ସେ ସୁଖ–ଦୁଃଖ ଦୁହିଁଙ୍କୁ ହିଁ ଟାଣିନିଏ । ତା’ର ବିଚାର ନାହିଁ । ସେ ଆଉ ଗୋଟାଏ କଥା କ’ଣ ଲେଖିଚି ଜାଣ ? ସେ ରୋହିଣୀ ବାବୁଙ୍କୁ ସାର୍ଥକ କରି ଗଢ଼ିବାକୁ ଚାହେଁ । କାରଣ ତା’ର ବିଶ୍ୱାସ ତା’ ନିଜ ଜୀବନର ସାର୍ଥକତା ଭିତର ଦେଇ କେବଳ ସଂସାରରେ ଅପର ଜୀବନରେ ସାର୍ଥକତା ଆଣିହେବ । ଆଉ ବ୍ୟର୍ଥ ହେଲେ କେବଳ ଗୋଟାଏ ଜୀବନ ବ୍ୟର୍ଥହୁଏ ନାହିଁ ବରଂ ଆହୁରି ଅନେକ ଜୀବନକୁ ନାନା ଦିଗରୁ ବିଫଳ କରିଦେବାକୁ ହୁଏ । କ’ଣ ନିହାତି ସତକଥା ନା ? କହି ସେ ହଠାତ୍‌ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ଚୁପ୍‌ ହୋଇଗଲା । ତାପରେ ଦୁଇଜଣ ଅନେକ ସମୟ ଧରି ଚୁପ୍‌ ହୋଇ ବସି ରହିଲୁ । ବୋଧହୁଏ ସେ କହିବା ପାଇଁ କିଛି ଭାଷା ପାଇନପାରି ବର୍ତ୍ତମାନ ମୋ ମୁଣ୍ଡଭିତରେ ଆଙ୍ଗୁଳିଦ୍ୱାରା ରୁକ୍ଷ କେଶଗୁଡ଼ାକ ନିରର୍ଥକ, ଚିପିଚିପି ବିପର୍ଯ୍ୟସ୍ତ କରିବାକୁ ଲାଗିଲା । ଆଜି ତା’ର ଏପରି ଆଚରଣ ଏକବାରେ ନୂଆ । ହଠାତ୍‌ କହିଲା–ସେ ଖୁବ୍‌ ଶିକ୍ଷିତା ନା ? ନଚେତ୍‌ ତା’ର ଏତେ ତେଜ ଆସିବ କେଉଁଠାରୁ ?

 

କହିଲି–ପ୍ରକୃତରେ ସେ ଶିକ୍ଷିତା ରମଣୀ ।

 

ରାଜଲକ୍ଷ୍ମୀ କହିଲା–କିନ୍ତୁ ସେ ଗୋଟାଏ କଥା ମୋତେ ଲୁଚାଇଛି । ତା’ର ମାଆ ହେବାର ଲୋଭଟା ସେ ବରାବର ଚିଠି ଭିତରେ ଚାପି ରଖିବାକୁ ଚେଷ୍ଟା କରିଛି ।

 

କହିଲି–ଏ ଲୋଭ ତା’ର ଅଛି ନା କ’ଣ ? କାହିଁ ମୁଁ ତ ଶୁଣିନାହିଁ !

 

ରାଜଲକ୍ଷ୍ମୀ କହିଉଠିଲା–ବାଃ ! ଏ ଲୋଭ ପୁଣି କେଉଁ ସ୍ତ୍ରୀଲୋକର ନାହିଁ ! ଏହା ବୋଲି କ’ଣ ସେଗୁଡ଼ାକ ପୁରୁଷ ଲୋକମାନଙ୍କ ଆଗରେ ଗାଇ ବୁଲିବାକୁ ହେବ ? ତୁମେ ତ ଆଚ୍ଛା ଲୋକ-!

 

କହିଲି–ତାହାହେଲେ ତୁମର ଅଛି ନା କ’ଣ ?

 

: ଯାଆ.. କହି ସେ ହଠାତ୍‌ ଲଜ୍ଜ୍ୟାରେ ନାଲ ପଡ଼ିଗଲା ଏବଂ ପରକ୍ଷଣରେ ସେଇ ଆରକ୍ତ ମୁହଁକୁ ଲୁଚାଇବା ପାଇଁ ଶେଯଉପରେ ନଇଁପଡ଼ିଲା । ସେତେବେଳେ ଅସ୍ତୋନ୍‌ମୁଖ ସୂର୍ଯ୍ୟ ରଶ୍ମି ଦିଗର ଖୋଲା ଝରକାଦେଇ ଭିତରକୁ ପ୍ରବେଶ କରିଥିଲା । ସେହି ଆରକ୍ତ ଆଭା, ତା’ର ମେଘ ଭଳି କଳା କେଶଉପରେ ଅପରୂପ ଶୋଭା ସୃଷ୍ଟି କରି ବସିଲା, ଏବଂ କାନରେ ପିନ୍ଧିଥିବା ହୀରା ଦୁଲ୍‌ ଦୁଇଟିରେ ନାନା ରଙ୍ଗର ଦ୍ୟୁତି ଝକ୍‍ମକ୍‌ କରି ଖେଳା କରିବାକୁ ଲାଗିଲା । କ୍ଷଣକପରେ ସେ ଆତ୍ମ ସମ୍ବରଣ କରି ସିଧାହୋଇ ବସିପଡ଼ି କହିଲା–କାହିଁକି, ମୋର ପିଲାଛୁଆ ନାହାନ୍ତି ଯେ ଲୋଭ ହେବ ? ଝିଅମାନଙ୍କୁ ବାହା କରିଦେଇଛି । ପୁଅର ବାହାଘର କରିବାକୁ ଆସିଛି । ଗୋଟିଏ, ଦିଓଟି ନାତି ନାତୁଣୀ ହେବେ । ସେମାନଙ୍କୁ ଧରି ଆନନ୍ଦରେ ରହିବି–ମୋର ଆଉ ଅଭାବ କ’ଣ କହ ତ ?

 

ଚୁପ୍‌ ହୋଇ ରହିଲି । ଏକଥା ନେଇ ଉତ୍ତର–ପ୍ରତ୍ୟୁତ୍ତର କରିବା ପାଇଁ ଇଚ୍ଛାହେଲା ନାହିଁ-

 

ରାତିରେ ରାଜଲକ୍ଷ୍ମୀ କହିଲା–ବଙ୍କୁର ବାହାଘର ଆଉ ଦଶ ବାରଦିନ ଡେରି ଅଛି । ଚାଲ କାଶୀରେ ତୁମକୁ ମୋ ଗୁରୁଦେବଙ୍କୁ ଦେଖାକରାଇ ନେଇଆସିବି ।

 

ହସିଦେଇ କହିଲି–ମୁଁ କ’ଣ ଗୋଟାଏ ଦେଖାଇହେବାର ଜିନିଷ ?

 

ରାଜଲକ୍ଷ୍ମୀ କହିଲା–ସେ ବିଚାର ଭାର ଯିଏ ଦେଖାଏ ତାହାର । ତୁମର ନୁହେଁ ।

 

କହିଲି–ତାହା ଯଦି ହୋଇଥାଏ, ତେବେ ଏଥିରେ ମୋର ଅବା ଲାଭ କ’ଣ ?

 

ରାଜଲକ୍ଷ୍ମୀ ଗମ୍ଭୀର ହୋଇ କହିଲା–ଲାଭ ତୁମର ନୁହେଁ–ମୋର । କେବଳ ମୋ ପାଇଁ ଚାଲ ।

 

ସୁତରାଂ ରାଜିହେଲି । ଆଗରେ ବହୁତଦିନ ଧରି ଅଶୁଦ୍ଧ କାଳ ଥିବାରୁ ଚାରିଆଡ଼େ ଏଇ ସମୟଟାରେ ଯେପରି ବିବାହର ବନ୍ୟା ଛୁଟିଥିଲା । ଯେତେବେଳେ ସେତେବେଳେ ବ୍ୟାଣ୍ଡର କର୍ଣ୍ଣେଟ, ଏବଂ ବ୍ୟାଗ ପାଇପର ବଂଶୀ ବିବିଧ ପ୍ରକାର ବାଦ୍ୟଯନ୍ତ୍ର–ସହଯୋଗରେ ମନୁଷ୍ୟକୁ ପାଗଳ କରିଦେବା ପାଇଁ ଆୟୋଜନ ଆମେ ଷ୍ଟେସନକୁ ଯିବା ବାଟରେ ଏହିପରି କେତେଟା ଉନ୍ମତ୍ତ ଶବ୍ଦର ଝଡ଼ ପ୍ରଚଣ୍ଡ ବେଗରେ ବହି ଚାଲିଥାଏ । ଶବ୍ଦ ଟିକିଏ କମିଗଲା ପରେ ରାଜଲକ୍ଷ୍ମୀ ହଠାତ୍‌ ବାହାହେବେ ନାହିଁ । ଘର ସଂସାର କରିବ ନାହିଁ । ତାହାହେଲେ ସୃଷ୍ଟି ଚଳିବ କିପରି ?

 

ତାହାର ଅସାମାନ୍ୟ ଗାମ୍ଭୀର୍ଯ୍ୟ ଦେଖି ହସିପକାଇଲି । କହିଲି–ସୃଷ୍ଟି ରକ୍ଷା ପାଇଁ ତୁମର ଆଦୌ ଦୁଶ୍ଚିନ୍ତାର ଆବଶ୍ୟକ ନାହିଁ । କାରଣ ମୋ ମତରେ ଚାଲିବାର ଲୋକ ପୃଥିବୀରେ ବେଶୀ ନାହାନ୍ତି । ଅନ୍ତତଃ ଆମ ଦେଶରେ ଆଦୌ ନାହାନ୍ତି କହିଲେ ଚଳିବ ।

 

ରାଜଲକ୍ଷ୍ମୀ କହିଲା–ନଥିବା ତ ଭଲ । ବଡ଼ଲୋକ ବୋଲି ଆମେମାନେ କ’ଣ ମନୁଷ୍ୟ ଆଉ ଗରିବ ବୋଲି ସେମାନେ କ’ଣ ଭାସି ଆସିଛନ୍ତି ? ସେମାନଙ୍କର ପିଲାଛୁଆ ଧରି ଘର ସଂସାର କରିବାର ଆନନ୍ଦର–ପ୍ରୟୋଜନ ନାହିଁ ? କହିଲି–ଆନନ୍ଦ–ଆହ୍ଲାଦ ଥିଲେ ଯେ ତାକୁ ପ୍ରଶ୍ରୟ ଦେବାକୁ ହେବ, ଏହାର କ’ଣ କିଛି ଅର୍ଥ ଅଛି ?

 

ରାଜଲକ୍ଷ୍ମୀ ପଚାରିଲା–କାହିଁକି ନାହିଁ ମୋତେ ବୁଝାଇଦିଅ ।

 

ଚୁପ୍‌ ହୋଇ କିଛି ସମୟ ବସି ରହିଲି । ତାପରେ କହିଲି–ଦରିଦ୍ରମାନଙ୍କ ପାଇଁ ମୋର ଏ ମତ ନୁହେଁ । ମୋର ମତ, କେବଳ ଦରିଦ୍ର ଭଦ୍ର ଗୃହସ୍ଥମାନଙ୍କ ସମ୍ପର୍କରେ ଏବଂ ତା’ର କାରଣ ତୁମେ ଜାଣ ବୋଲି ମୋର ବିଶ୍ୱାସ ।

 

ରାଜଲକ୍ଷ୍ମୀ ଜିଦ୍‌ କଲାଭଳି କଣ୍ଠରେ କହିଲା–ତୁମର ଏ ମତ ଭୁଲ ।

 

ମୋର ଜିଦ୍‌ ଧରିବାକୁ ଇଚ୍ଛାହେଲା ନାହିଁ । କହିଉଠିଲା–ହଜାର ଭୁଲ ହେଲେ ସୁଦ୍ଧା ତୁମ ମୁହଁରେ ତାହା ଶୋଭାପାଏ ନାହିଁ । ବଙ୍କୁର ବାପ ଯେତେବେଳେ ତୁମ ଦୁଇଭଉଣୀଙ୍କୁ ମାତ୍ର ବାସ୍ତରୀଟି ଟଙ୍କା ଲୋଭରେ ବିବାହ କରିଥିଲା; ସେଦିନ ଆଜିଭଳି ଏତେ ପୁରୁଣା ହୋଇ ନାହିଁ ଯେ ତୁମର ମନେ ନାହିଁ । ସେଦିନ ସେ ଲୋକଟାର ନିହାତି ପେଷା ବୋଲି ରକ୍ଷା, ନହେଲେ ଧର; ସେ ଯଦି ତୁମକୁ ତା’ ଘରକୁ ନେଇଯାଇଥାନ୍ତା, ତୁମର ଦୁଇ–ତିନିଟି ପୁଅଝିଅ ହୋଇଥାନ୍ତେ–ଥରକ ପାଇଁ ଅବସ୍ଥାଟା ଟିକିଏ ଭାବି ଦେଖିପାରୁଛ ତ ?

 

ରାଜଲକ୍ଷ୍ମୀ ଆଖିରେ କଳହ ଘନେଇଆସିଲା । କହିଲା–ଭଗବାନ ଯାହାକୁ ସୃଷ୍ଟିକୁ ପଠାନ୍ତି; ସେହି ହିଁ କେବଳ ତା’ର ଦାୟିତ୍ୱ ନିଅନ୍ତି । ତୁମେ ନାସ୍ତିକ ବୋଲି କେବଳ ବିଶ୍ୱାସ କରୁ ନାହିଁ ।

 

ମୁଁ ମଧ୍ୟ ଉତ୍ତର ଦେଇ କହିଲି–ମୁଁ ନାସ୍ତିକ ହୁଏ କିମ୍ୱା ଯାହା ହୁଏ, କିନ୍ତୁ ସେ ଦାୟିତ୍ୱ ନିଅନ୍ତି ନାହିଁ । ମୁଁ କିନ୍ତୁ ତୁମ ଭଳି ଏତେ ଭୟାଳୁ ନୁହେଁ । ମୁଁ ଦ୍ୱାର ଦ୍ୱାର ବୁଲି ଭିକ୍ଷା କରି ସେମାନଙ୍କୁ ପୋଷିଥାନ୍ତି । ଆଉ ଯାହା ହେଉ ବାର ଦୁଆରୀ ହେବା ଅପେକ୍ଷା ଏ ଭଲ ହୋଇଛି ।

 

ମୁଁ ଆଉ ଯୁକ୍ତି କଲି ନାହିଁ । ଆଲୋଚନାଟା ନିତ୍ୟାନ୍ତ ବ୍ୟକ୍ତିଗତ ଏବଂ ଅପ୍ରିୟ ଧାରାକୁ ଚାଲି ଆସୁଥିବାରୁ ଝରକାଦେଇ ବାହାର ରାସ୍ତାକୁ ଚାହିଁ ନିରୁତ୍ତର ହୋଇ ବସି ରହିଲି ।

 

ଆମ ଗାଡ଼ି କ୍ରମଶଃ ସରକାରୀ ଏବଂ ବେସରକାରୀ ଅଫିସ, ଟପି ଅନେକ ଦୂରରେ ଆସି ପହଞ୍ଚିଲା । ସେଦିନଟା ଥିଲା ଶନିବାର । ଦିନ ଦୁଇଟାରେ ଅଧିକାଂଶ କିରାଣି ଅଫିସକୁ ଛୁଟି ପାଇ ଅଢ଼େଇଟାରେ ଟ୍ରେନ ଧରିବା ପାଇଁ ଦ୍ରୁତ ପଦରେ ଚାଲିଥିଲା । ପ୍ରାୟ ସମସ୍ତଙ୍କ ହାତରେ କିଛି ନା କିଛି ଖାଦ୍ୟ ସାମଗ୍ରୀ । କାହା ହାତରେ ଦୁଇଟା ବଡ଼ ଚିଙ୍ଗୁଡ଼ି ତ କାହା ରୁମାଲରେ ବନ୍ଧା ହୋଇଥାଏ ମାଂସ ଅବା କାହା ହାତରେ ମଫସଲ ଗାଆଁରେ ଦୁର୍ଲ୍ଲଭ ଥିବା ପନିପରିବା ଏବଂ ଫଳମୂଳ । ସାତଦିନ ପରେ ଘରେ ପହଞ୍ଚି ଉତ୍ସୁକ ପିଲାପିଲିଙ୍କ ମୁହଁରେ ଟିକିଏ ଆନନ୍ଦରେ ହସି ଦେଖିବାପାଇଁ ସମସ୍ତେ ହିଁ ଅଳ୍ପ ମିଷ୍ଟାନ୍ନ କିଣି ଚାଦର କାନିରେ ବାନ୍ଧି ଚାଲିଥାନ୍ତି । ପ୍ରତ୍ୟେକଙ୍କ ମୁହଁରେ ଆନନ୍ଦ ଏବଂ ଟ୍ରେନ ଧରିବା ପାଇଁ ଉତ୍କଣ୍ଠା ଏପରି ଏକ ସଙ୍ଗରେ ପରିସ୍ଫୁଟ ହୋଇଉଠିଛି ଯେ, ରାଜଲକ୍ଷ୍ମୀ ମୋ ହାତଟା ଟାଣିଧରି ଅତ୍ୟନ୍ତ କୌତୂହଳୀ ହୋଇ ପ୍ରଶ୍ନକଲା–ଏମାନେ କେଉଁ ଗାଆଁର ଲୋକ, ଏପରି ଭାବରେ ଷ୍ଟେସନକୁ ଦୌଡ଼ୁଛନ୍ତି ? ଆଜି କ’ଣ କି ?

 

ମୁଁ ଫେରିପଡ଼ି ଚାହିଁ କହିଲି–ଆଜି ଶନିବାର । ଏମାନେ ସବୁ ଅଫିସର କିରାଣି । ରବିବାର ଛୁଟି ହେତୁ ଗାଡ଼ିକୁ ଯାଉଛନ୍ତି ।

 

ରାଜଲକ୍ଷ୍ମୀ ମୁଣ୍ଡ ହଲାଇ କହିଲା–ହଁ–ସେଇଆ ହେବ । ଆଉ ଦେଖ ସମସ୍ତେ ଗୋଟାଏ ନା ଗୋଟାଏ କିଛି ଖାଇବାର ଜିନିଷ ସଙ୍ଗରେ ଧରି ଯାଉଛନ୍ତି । ପଡ଼ା ଗାଆଁରେ ଏସବୁ ତ ମିଳେ ନାହିଁ । ସେଥିପାଇଁ ବୋଧହୁଏ ପୁଅ ଝିଅମାନଙ୍କ ହାତରେ ଦେବାପାଇଁ ନେଇକରି ଯାଉଛନ୍ତି ?

 

ମୁଁ କହିଲି–ହଁ ।

 

ତାହାର କଳ୍ପନା ଦ୍ରୁତ ପଥେ ଚାଲିଥିଲା । ତତ୍‌କ୍ଷଣାତ୍‌ ସେଥିପାଇଁ କହିଲା–ଆହାଃ । ପିଲାଗୁଡ଼ିକଙ୍କର ଆଜି କେତେ ଆନନ୍ଦ । କିଏ ଚିତ୍କାର କରିବ ତ, କେହି ବାପର ବେକରେ ଓହଳିପଡ଼ି କୋଳକୁ ଉଠିବାକୁ ଚେଷ୍ଟା କରିବ, କେହି ଅବା ମାଆକୁ ଖବର ଦେବାପାଇଁ ରୋଷଘରକୁ ଦୌଡ଼ିବ, ଘରେ ଘରେ ଆଜି ଆନନ୍ଦ ଉଲ୍ଲାସର ଗୋଟାଏ ଢେଉ ଖେଳିଯିବ, ନୁହେଁ-? କହୁ କହୁ ତା’ର ମୁହଁଟା ଜଳିଉଠିଲା ।

 

ମୁଁ ଉତ୍ତର ଦେଇ କହିଲି–ଖୁବ୍‌ ସମ୍ଭବ ସେଇଆ ।

 

ରାଜଲକ୍ଷ୍ମୀ ଝରକାବାଟେ ସେମାନଙ୍କୁ କିଛିକ୍ଷଣ ଚାହିଁ ରହିବା ପରେ ଫେଁକରି ଗୋଟାଏ ନିଶ୍ୱାସ ଛାଡ଼ି କହିଲା–ଏମାନଙ୍କର ଦରମା କେତେ ?

 

କହିଲି–କିରାଣିମାନଙ୍କର ଦରମା କେତେ ଅବା ହେବ ? ଏଇ ପଚିଶ, ତିରିଶ, କୋଡ଼ିଏ, ଏଇପରି କିଛି.....

 

ରାଜଲକ୍ଷ୍ମୀ କହିଲା–ଘରେ ତ ଏମାନଙ୍କ ମାଆ ଥିବେ । ଭାଇ ଭଉଣୀ ଥିବେ, ସ୍ତ୍ରୀ ଥିବେ, ସେଥିରେ ପୁଣି ପିଲାପିଲି ଅଛନ୍ତି.......

 

ମୁଁ ତା’ କଥା ସହିତ ଯୋଗକରି କହିଲି–ଗୋଟିଏ, ଦୁଇଟା ବିଧବା ଭଉଣୀ ଥିବେ, ପର୍ବପର୍ବାଣି, ଲୌକିକତା ଭଦ୍ରତା ଅଛି, କଲିକତାରେ ବସା ଖର୍ଚ୍ଚ ଅଛି, ଅବିଚ୍ଛିନ୍ନ ରୋଗର ଖର୍ଚ୍ଚ–ବଙ୍ଗାଳୀ କିରାଣି ଜୀବନର ଏ ସମସ୍ତ ହିଁ ନିର୍ଭର କରେ ମାତ୍ର ଏଇ ତିରିଶ ଟଙ୍କା ଉପରେ ।

 

ରାଜଲକ୍ଷ୍ମୀର ଯେପରି ନିଃଶ୍ୱାସ ବନ୍ଦ ହୋଇଆସୁଥିଲା । ଯେ ବ୍ୟାକୁଳ ହୋଇ କହିଉଠିଲା । ତୁମେ ଜାଣ ନାହିଁ, ଏମାନଙ୍କ ଘରେ ଅନ୍ୟସବୁ ବିଷୟ ସମ୍ପତ୍ତି ନିଶ୍ଚୟ ଅଛି ।

 

ରାଜଲକ୍ଷ୍ମୀର ଯେପରି ନିଃଶ୍ୱାସ ବନ୍ଦ ହୋଇଆସୁଥିଲା । ଯେ ବ୍ୟାକୁଳ ହୋଇ କହିଉଠିଲା । ତୁମେ ଜାଣ ନାହିଁ, ଏମାନଙ୍କ ଘରେ ଅନ୍ୟସବୁ ବିଷୟ ସମ୍ପତ୍ତି ନିଶ୍ଚୟ ଅଛି ।

 

ତା’ ମୁହଁକୁ ଚାହିଁବା କ୍ଷଣି ତାକୁ ନିରାଶ କରିବା ପାଇଁ ମୋତେ କଷ୍ଟ ଲାଗିଲା । ତଥାପି କହିଲି–ଏମାନଙ୍କର ଘରକରଣାର ଇତିହାସ ମୁଁ ଭଲଭାବରେ ଜାଣେ । ମୁଁ ନିଃସଂଶୟ ଭାବରେ ଜାଣେ ଏମାନଙ୍କ ଭିତରୁ ଚଉଦଅଣା ଲୋକଙ୍କର କିଛି ନାହିଁ । ଚାକିରି ଚାଲିଯିବା ପରେ ହୁଏତ ଭିକ୍ଷା, ନହେଲେ ସାରା ପରିବାର ଉପବାସ କରିବେ । ଏମାନଙ୍କ ପୁଅ ଝିଅମାନଙ୍କର କଥା ଶୁଣିବ-?

 

ରାଜଲକ୍ଷ୍ମୀ ଅକସ୍ମାତ ଦୁଇହାତ ଟେକି ଚିତ୍କାର କରି କହିଉଠିଲା–ନା, ନା, ଶୁଣିବି ନାହିଁ । ଶୁଣିବି ନାହିଁ । ମୁଁ ଆଉ ଶୁଣିବାକୁ ଚାହେଁ ନାହିଁ ।

 

ସେ ଯେ ପ୍ରାଣପଣେ ଅଶ୍ରୁ ସମ୍ୱରଣ କରିଛି ଏହା ତା’ ଆଖିକୁ ଚାହିଁଲା ମାତ୍ରେ ଜାଣିପାରିଲି । ସେଥିପାଇଁ ଆଉ କିଛି ନକହି ପୁଣି ରାସ୍ତାଆଡ଼କୁ ମୁହଁ ବୁଲାଇନେଲି । ଅନେକ କ୍ଷଣ ପର୍ଯ୍ୟନ୍ତ ତାଠାରୁ କିଛି ସୋରଶବ୍ଦ ପାଇପାରିଲି ନାହିଁ । ଏତେକ୍ଷଣ ଧରି ବୋଧହୁଏ ଆପଣା ସଙ୍ଗେ ଓକିଲାତି କରି ଶେଷରେ ନିଜର କୌତୂହଳ ନିକଟରେ ପରାଜୟ ସ୍ୱୀକାର କରି ମୋ ଜାମାର କଣକୁ ଧରି ଟାଣିଲା । ମୁହଁ ଫେରେଇବେ କ୍ଷଣି ସେ କରୁଣ କଣ୍ଠରେ କହିଲା- ଆଚ୍ଛା କହିଲ, ସେମାନଙ୍କର ପିଲାପିଲିଙ୍କର କଥା । ତୁମ ପାଦତଳେ ପଡ଼ୁଛି, ଆଦୌ ବଡ଼ିମା କରି କିଛି କହିବ ନାହିଁ, ତୁମକୁ ମୋ ରାଣ ।

 

ତା’ର ମିନତୀ କରିବା ଭଙ୍ଗୀ ଦେଖି ମୋତେ ହସମାଡ଼ିଲା । କିନ୍ତୁ ହସିଲି ନାହିଁ । ବରଞ୍ଚ କିଞ୍ଚିତ୍‌ ଅତିରିକ୍ତ ଗାମ୍ଭୀର୍ଯ୍ୟର ସହିତ କହିଲା, ବଡ଼ିମା କରି କହିବା ତ ଦୂରର କଥା, ପଚାରିବା ସତ୍ତ୍ୱେ ସୁଦ୍ଧା ତୁମକୁ ଶୁଣାଇନଥାନ୍ତି, ଯଦିନା ତୁମେ ଟିକିଏ ଆଗରୁ ନିଜ ସମ୍ୱନ୍ଧରେ ଭିକ୍ଷା କରି ପିଲା ହେବାର କଥା କହିଥାନ୍ତ । ଭଗବାନ୍‌ ଯେଉଁମାନଙ୍କୁ ପଠାନ୍ତି, ସେ ହିଁ ସେମାନଙ୍କର ସୁବ୍ୟବସ୍ଥାର ଭାର ନିଅନ୍ତି । ଏଇଟା ସତ କଥା ମୁଁ ମାନୁଛି । ଅସ୍ୱୀକାର କଲେ ନାସ୍ତିକ କରି ହୁଏତ ମୋତେ ଗାଳିମନ୍ଦ କରିପାର, କିନ୍ତୁ ସନ୍ତାନର ଦାୟିତ୍ୱ ବାପମାଆଙ୍କ ଉପରେ କେତେ ଏବଂ ଭଗବାନଙ୍କ ଉପରେ କେତେ ଏ ଦୁଇ ସମସ୍ୟାର ମୀମାଂସା ତୁମେ ନିଜେ ହିଁ କର । ମୁଁ ଯାହା ଜାଣିଛି କେବଳ ସେତିକିମାତ୍ର କହିବି, କ’ଣ ହେଲା ?

 

ସେ ନୀରବରେ ମୋ ମୁହଁକୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଥିବାର ଦେଖି କହିଲି–ପିଲାଜନ୍ମ ହେଲାପରେ ତାକୁ ବୁକୁର ଦୁଧପିଆଇ କିଛିଦିନ ବଞ୍ଚାଇ ରଖିବାର ଦାୟିତ୍ୱ ତା’ ମାଆଉପରେ ଥାଏ ବୋଲି ମୋର ମନେହୁଏ । ଭଗବାନଙ୍କ ଉପରେ ମୋର ଅଚଳା ଭକ୍ତି । ତାଙ୍କ ଦୟାଉପରେ ମୋର ମଧ୍ୟ ଅନ୍ଧବିଶ୍ୱାସ । କିନ୍ତୁ ମାଆ ବଦଳରେ ସେ ନିଜେ ଏଇ ଭାରଟା ଗ୍ରହଣ କରିବାର ଉପାୟ କିଛି ଅଛି କି ନାହିଁ......

 

ରାଜଲକ୍ଷ୍ମୀ ରାଗିଉଠି ପୁଣି ହସିପକାଇ କହିଲା–ସେ ଚାଲାକି ରଖିଦିଅ । ମୁଁ ସେକଥା ଜାଣେ ?

 

କ’ଣ ? ଯାହାହେଉ ଗୋଟାଏ ଜଟିଳ ସମସ୍ୟାର ସମାଧାନ ହୋଇଗଲା । କିନ୍ତୁ ତିରିଶ ଟଙ୍କିଆ କିରାଣି ଜନନୀର ଦୁଧର ଉତ୍ସ ଶୁଖିଆସିବାକୁ ଯେ କାହିଁକି ବିଳମ୍ୱ ହୁଏ ନାହିଁ, ସେ କଥା ଜାଣିବାକୁ ହେଲେ କୌଣସି ତିରିଶଟଙ୍କିଆ ଘରର ପ୍ରସ୍ତୁତିର ଆହାର ସମୟରେ ଉପସ୍ଥିତି ରହିବା ଆବଶ୍ୟକ । କିନ୍ତୁ ସେ କଥା ଯେତେବେଳେ କରିପାରିବ ନାହିଁ, ସେତେବେଳେ ମୋ କଥାଟା ତାହାହେଲେ ମାନିନିଅ ।

 

ରାଜଲକ୍ଷ୍ମୀ ମଳିନ ମୁହଁରେ ନୀରବରେ ଚାହିଁ ରହିଲା ।

 

ମୁଁ କହିଲି–ପଡ଼ା ଗାଆଁରେ ଯେ ଗାଈ ଦୁଧର ଏକାନ୍ତ ଅଭାବ, ଏକଥାଟା ତୁମକୁ ମାନିନେବାକୁ ହେବ ।

 

ରାଜଲକ୍ଷ୍ମୀ ସଙ୍ଗେ ସଙ୍ଗେ କହିଉଠିଲା–ଏକଥା ମୁଁ ଭଲକରି ଜାଣେ । ଘରେ ଗାଈଥିଲେ ତ ଭଲ ନଚେତ୍‌ ଆଜିକାଲି ପଲ୍ଲୀ ଗ୍ରାମରେ ମୁଣ୍ଡପିଟିଲେ ସୁଦ୍ଧା ଟୋପାଏ ଦୁଧ ମିଳିପାରିବ ନାହିଁ । ଗାଈ ତ ନାହିଁ, ତା’ର ପୁଣି ଦୁଧ ।

 

କହିଲି–ଯାହାହେଉ ଆଉ ଗୋଟାଏ ସମସ୍ୟାର ସମାଧାନ ହୋଇଗଲା । ସେତେବେଳେ ପିଲାଟି କପାଳରେ ରହିଲା କେବଳ ସ୍ୱଦେଶୀ ଖାଣ୍ଟି ପଚାପୋଖରୀର ପାଣି ଆଉ ପାଣି । ଆଉ ବିଦେଶୀ ଡବା ଭର୍ତ୍ତି ଖାଣ୍ଟି ବାଲିର ଗୁଣ୍ଡ । ଯାହାହେଉ ସେତେବେଳେ ମଧ୍ୟ ହତଭାଗାଟାର ଅଦୃଷ୍ଟରେ ହୁଏତ ଟୋପାଏ ମାତ୍ର ସ୍ୱାଭାବିକ ଖାଦ୍ୟ ଜୁଟିଥାଏ କିନ୍ତୁ ସେ ସୌଭାଗ୍ୟ ଏ ଘରେ ବେଶୀଦିନ ରହିବା ଆଇନ୍‌ ନାହିଁ । ମାସ ଚାରିଟା ଯାଇନଥିବ ଆଉ ଜଣେ ଆଗନ୍ତୁକ ତା’ ଆସିବାର ନୋଟିସ୍‌ ଦେଇ ଭାଇର ମାତୃଦୁଧର ବରାଦ ଏକବାରେ ବନ୍ଦ କରିଦେବ । ଏକଥା ବୋଧହୁଏ ତୁମେ......

 

ରାଜଲକ୍ଷ୍ମୀ ଲାଜରେ ନାଲପଡ଼ି କହିଉଠିଲା–ହଁ; ହଁ–ଜାଣେ । ମୋତେ ଆଉ ବାଖ୍ୟା କରି ବୁଝାଇବାକୁ ପଡ଼ିବ ନାହିଁ । ତାପରେ ହିଁ, ତୁମେ କୁହ–

 

: ତାପରେ ପିଲାଟାକୁ ଆକ୍ରମଣ କରେ ପେଟ ବେମାର କିମ୍ୱା ସ୍ୱଦେଶୀ ମ୍ୟାଲେରିଆ ଜ୍ୱର । ସେତେବେଳେ ବାପାର ଦାୟିତ୍ୱ ହେଉଛି ବିଦେଶୀ କୁଇନାଇନ୍‌ ଓ ବାର୍ଲିଗୁଣ୍ଡ ଯୋଗାଇବା ଏବଂ ଏସବୁ ଖୁଆଇବା ମାଆ ଉପରେ ପଡ଼େ । ଆଉ ଏଇସବୁ ଏନ୍ତୁଡ଼ି ଶାଳରେ ପୁଣି ଭର୍ତ୍ତିହେବାର ଫୁରସତ୍‌ ମୁହୂର୍ତ୍ତରେ ମାଆକୁ କରିବାକୁ ହୋଇଥାଏ । ତାପରେ ଯଥା ସମୟରେ ସୂତିକା ଗୃହର ଜଞ୍ଜାଳ ତୁଟାଇ ନବକୁମାରକୁ କୋଳରେ ଧରି ଫେରିଆସିବା ପରେ ପ୍ରଥମ ପିଲାଟା ଉପରେ ଦିନସାରା ବିରକ୍ତ ହେବାକୁ ପଡ଼େ ।

 

ରାଜଲକ୍ଷ୍ମୀ ନୀଳ ପଡ଼ିଯାଇ କହିଲା–ବିରକ୍ତ ହେବା କ’ଣ ଦରକାର ?

 

କହିଲି–ଏଇଟା ମାଆଙ୍କ ସ୍ୱଭାବ ବୋଲି । ଏପରିକି କିରାଣି ଘରେ ଏ କଥାର ଅନ୍ୟଥା ହୁଏ ନାହିଁ ଯେପର୍ଯ୍ୟନ୍ତ ଭଗବାନ୍‌ ତାଙ୍କର ଦାୟିତ୍ୱ ମେଣ୍ଟାଇବା ପାଇଁ ପିଲାଟାକୁ ଶ୍ରୀଚରଣକୁ ଟାଣି ନେଇନଥାନ୍ତି ।

 

ଏତେ ସମୟ ଧରି ବାହାରକୁ ଚାହିଁ ରହି କଥା କହୁଥିଲି । ଅକସ୍ମାତ ଫେରିପଡ଼ି ଚାହିଁ ଦେଖିଲି, ତା’ର ବଡ଼ ବଡ଼ ଆଖିଦୁଇଟି ଅଶ୍ରୁଜଳରେ ଭାସୁଛି । ଅତ୍ୟନ୍ତ କଷ୍ଟ ଅନୁଭବ କଲି । ମନେମନେ ଭାବିଲି ଏ ବିଚାରୀଟାକୁ ନିରର୍ଥକ କଷ୍ଟ ଦେଇ ମୋର ଅବା କ’ଣ ଲାଭ ହେବ ? ଅଧିକାଂଶ ଧନୀଙ୍କ ଭଳି ତାକୁ ବୋଧହୁଏ ଏଇ ବିରାଟ ଦୁଃଖର ଦିଗଟା ଅଗୋଚର ଥାଇପାରେ । ବଙ୍ଗଳାର କ୍ଷୁଦ୍ର ଚାକେରିଜୀବି ପ୍ରକାଣ୍ଟ ଦରିଦ୍ର ଗୃହସ୍ଥର ପରିବାର ଯେ କେବଳ ଖାଦ୍ୟାଭାବ ହେତୁ, ମେଲେରିଆ, ଓଲାଉଠା ପ୍ରଭୃତି ଭୋଗି ଭୋଗି କ୍ରମଶଃ ଶୂନ୍ୟ ହେବାକୁ ଲାଗିଛନ୍ତି, ଅନ୍ୟ ବଡ଼ ଲୋକଙ୍କ ଭଳି ହୁଏତ ସେ ଏହା ଜାଣି ନ ଥାଇପାରେ । ଜାଣିଲେ ଅବା ଏଥିରେ କ’ଣ ତା’ର ବେଶୀ କ୍ଷତି ହେବ ଯେ !

 

ଠିକ୍‌ ଏଇ ସମୟରେ ରାଜଲକ୍ଷ୍ମୀ, ଆଖି ପୋଛୁ ପୋଛୁ ଅବରୁଦ୍ଧ ସ୍ୱରରେ ହଠାତ୍‌ କହିଉଠିଲା–ହୁଅନ୍ତୁ କିରାଣି । ତଥାପି ସେମାନେ ତୁମଠାରୁ ଢେଉ ଭଲ । ତୁମେ ତ ପାଷାଣ । ତୁମ ନିଜର କୌଣସି ଦୁଃଖ ନାହିଁ ବୋଲି ଏମାନଙ୍କର କଷ୍ଟକୁ ଏପରି ବର୍ଣ୍ଣନା କରି କହିପାରୁଛି । ମୋର କିନ୍ତୁ ଛାତି ଫାଟିଯାଉଛି । କହି ସେ ପଣତ କାନିରେ ଘନ ଘନ ଆଖି ପୋଛିବାକୁ ଲାଗିଲା । ମୁଁ କିନ୍ତୁ ଏହାର ପ୍ରତିବାଦ କଲି ନାହିଁ । କାରଣ ତହିଁରେ ଲାଭ ଚାହୁଁନଥିଲେ । ବିରଞ୍ଚି ସବିନୟ ଭାବରେ କହିଲି–ଏମାନଙ୍କ ସୁଖର ଭାଗ୍ୟଟା ମଧ୍ୟ ମୋ କପାଳରେ ଜୁଟେ ନାହିଁ । ଘରେ ପହଞ୍ଚିବା ପାଇଁ ଏମାନଙ୍କର ଆଗ୍ରହଟାକୁ ଲକ୍ଷ୍ୟ କରିବାର କଥା ।

 

ରାଜଲକ୍ଷ୍ମୀର ମୁହଁ ହସ ଓ କାନ୍ଦରେ ଦୀପ୍ତ ହୋଇଉଠିଲା । କହିଲା, ମୁଁ ମଧ୍ୟ ସେହି କଥା କହୁଛି । ଆଜି ବାବା ଆସିବେ ବୋଲି ପିଲାଗୁଡ଼ାକ ସବୁ ବାଟ ଚାହିଁ ବସିଥିବେ । କଷ୍ଟ କ’ଣ ? ଦରମା ହୁଏତ କମ୍‌, ସେପରି ବାବୁଆନ ମଧ୍ୟ ନାହିଁ । କିନ୍ତୁ ଏହା ବୋଲି ତିରିଶ ଟଙ୍କା, କି ପଚିଶ ଟଙ୍କା ! ଏତେ କମ୍‌ ! କଦାପି ନୁହେଁ । ଅନ୍ତତଃ ଶହେ, ଦେଢ଼ଶହ ଟଙ୍କା, ମୁଁ ନିଶ୍ଚୟ କରି କହୁଛି ।

 

କହିଲି–ହୋଇଥାଇପାରେ । ହୁଏତ ମୁଁ ଠିକ୍‌ ଜାଣି ନ ଥାଇ ପାରେ ।

 

ଉତ୍ସାହ ପାଇ ରାଜଲକ୍ଷ୍ମୀ ଲୋଭ ବଢ଼ିଉଠିଲା । ଅତିଶୟ କ୍ଷୁଦ୍ର କିରାଣିଟିଏ ପାଇଁ ମାସକୁ ଦେଢ଼ଶହ ଟଙ୍କା ତ ମନକୁ ପାଇଲା ନାହିଁ । କହିଲା, କେବଳ କ’ଣ ଦରମାଟା ଏମାନଙ୍କର ଏକମାତ୍ର ଭରସା ବୋଲି ତୁମେ ମନେକର ? ସେମାନେ ଉପୁରି କେତେ ପାଆନ୍ତି ଜାଣ ?

 

କହିଲି– ଉପୁରିଟା କେତେ ?

 

ଆଉ ସେ କିଛି କହିଲା ନାହିଁ । ମୁହଁଟାକୁ ଭାରି କରି ରାସ୍ତା କରି ରାସ୍ତାଆଡ଼କୁ ଚାହିଁ ରହିଲା । କିଛି ସମୟ ପରେ ବାହାରକୁ ମୁହଁ ରଖି କହିଲା–ତୁମକୁ ଯେତେ ଦେଖୁଛି, ମୋ ମନ ତୁମ ଆଡ଼କୁ ସେତିକି ଢଳୁଛି । ତୁମ ଛଡ଼ା ମୋର ଅନ୍ୟ ଗତି ନାହିଁ; ଜାଣ ବୋଲି ମୋତେ ଏପରି କଷ୍ଟ ଦେଉଛି ?

 

ଏତେଦିନ ପରେ ବୋଧହୁଏ ପ୍ରଥମ କରି ତାହାର ହାତ ଦୁଇଟି ଜୋର କରି ଟାଣିନେଇ ମୋ ହାତରେ ଚାପିଧରିଲି । ତା’ ମୁହଁକୁ ଚାହିଁ କ’ଣ ଯେପରି କହିବାକୁ ଇଚ୍ଛାହେଉଥିଲା, କିନ୍ତୁ ଗାଡ଼ି ଆସି ଷ୍ଟେସନ ନିକଟରେ ଠିଆହେଲା । ଗୋଟାଏ ସ୍ୱତନ୍ତ୍ର ଗାଡ଼ି ରିଜର୍ଭ ହୋଇଥିବା ସତ୍ତ୍ୱେ ବଙ୍କୁ ପୂର୍ବାହ୍ନରୁ କିଛି କିଛି ଜିନିଷପତ୍ର ନେଇ ଆସି ସାରିଥିଲା । ସେ ରତନକୁ କୋଚ ବାକ୍‌ସ ଭିତରେ ବସିଥିବାର ଦେଖି ଚୁପ୍‌ କରି ଖସି ଆସି ଠିଆହେଲା । ହାତ ଦୁଇଟି ତା’ର ଛାଡ଼ିଦେଇ ସିଧା ହୋଇ ବସିପଡ଼ିଲି । ଯେଉଁ କଥାଟା ମୁହଁକୁ ଆସି ଯାଇଥିଲା, ପୁଣି ତାହା ନୀରବରେ ଯାଇ ମନଭିତରେ ଲୁଚିଗଲା ।

 

ଅଢ଼େଇଟାରେ ଲୋକାଲ ଛାଡ଼ ଛାଡ଼ । ଆମମାନଙ୍କର ଟ୍ରେନ ପରେ । ଏହି ସମୟରେ ଜଣେ ପ୍ରୌଢ଼ ବୟସର ଦରିଦ୍ର ଭଦ୍ରଲୋକ ଗୋଟାଏ ହାତରେ ନାନା ଜାତିର ପନିପରିବାର ପୁଟୁଳି ଏବଂ ଆର ହାତରେ ଗୋଟିଏ ମାଟିର କଣ୍ଢେଇ ଧରି କେବଳ ପ୍ଳାଟଫର୍ମ ପ୍ରତି ଲକ୍ଷ୍ୟରଖି, ଦିଗ ବିଦିଗକୁ ନ ଚାହିଁ ଅନ୍ୟମନସ୍କ ଭାବରେ ଯାଉଯାଉ ରାଜଲକ୍ଷ୍ମୀ ଦେହରେ ଝୁଣ୍ଟି କରି ପଡ଼ିଗଲେ । ହାତରେ ଧରିଥିବା ମାଟିର କଣ୍ଢେଇଟି ତଳେ ପଡ଼ି ଭାଙ୍ଗିଗଲା । ଲୋକଟି ଏହି ସମୟରେ ହାୟ ! ହାୟ ! କହି ଦୁଃଖ କରିବାକୁ ଯିବାବେଳେ ପାଣ୍ଡେଜୀ ହୁଙ୍କାର ଛାଡ଼ି ଗୋଟାଏ କୁଦାରେ ତାଙ୍କୁ ମାଡ଼ିବସିଲା ଏବଂ ବୁଙ୍କୁ ବାଡ଼ି ଧରି ‘‘ବୁଢ଼ୀ’’, ‘‘କଣା’’ ଇତ୍ୟାଦି କହି ମାରେ କି ନ ମାରେ । ମୁଁ ଟିକିଏ ଦୂରରେ ଅନ୍ୟମନସ୍କ ଥିଲି । ପାଟିଶୁଣି ବ୍ୟସ୍ତହୋଇ ୠଣସ୍ଥଳରେ ଆସି ପହଞ୍ଚିଗଲି । ଲୋକଟି ଭୟରେ ଏବଂ ଲଜ୍ୟାରେ ବାରବାର କହିବାକୁ ଲାଗିଥାଏ, ଆଜ୍ଞା ଦେଖିପାରି ନାହିଁ । ମାଆ; ମୋର ବଡ଼ ଭୁଲ ହୋଇଯାଇଛି । ମୁଁ.......

 

ମୁଁ ତରତର ହୋଇ ସେମାନଙ୍କୁ ଛଡ଼ାଛଡ଼ି କରିଦେଇ କହିଲି, ଯାହା ହେବାର ହୋଇଛି ଆପଣ ଶୀଘ୍ର ଯାଆନ୍ତୁ । ଆପଣଙ୍କ ଟ୍ରେନ ଛାଡ଼ିଦେଲା ବୋଲି ଜାଣନ୍ତୁ ।

 

ଲୋକଟି ତଥାପି ତା’ ମାଟି କଣ୍ଢେଇର କେତେଗୁଡ଼ିଏ ଅଂଶ ଏକାଠି କରି ଦୌଡ଼ି ପଳାଇବାକୁ ଲାଗିଲା । କିନ୍ତୁ ଅଧିକଦୂର ଯାଇପାରିଲା ନାହିଁ । ଗାଡ଼ିଟା ଛାଡ଼ିଦେଲା । ସେତେବେଳେ ଫେରିଆସି ପୁଣି ଏକଦଫା କ୍ଷମାଭିକ୍ଷା କରି, ଅବଶିଷ୍ଟ ଭଙ୍ଗା ଅଂଶଗୁଡ଼ିକୁ ଏକାଠି କରୁଥିବାର ଦେଖି ମୁଁ ଅଳ୍ପ ହସିଦେଇ କହିଲି–ଏଗୁଡ଼ାକ ନେଇ ଆଉ କ’ଣ ହେବ ?

 

ଲୋକଟି କହିଲା–କିଛି ନାହିଁ ଆଜ୍ଞା, ଝିଅଟିର ଦେହ ଖରାପ । ଗଲା ସୋମବାର ଦିନ ଘରୁ ଆସିଲାବେଳେ କହିଥିଲା ମୋ ପାଇଁ ଗୋଟିଏ କଣ୍ଢେଇ ନେଇଆସିବ । କିଣିବାକୁ ଗଲି । ବିଚାରା ଗରଜ ବୁଝି ଦର ହାଙ୍କିଲା ଦୁଇଅଣା ଅଧିକ । ସେଥିରୁ ଗୋଟିଏ ପଇସା ପିଙ୍ଗିଦେଇ କିଣି ଆଣିଲି । କିନ୍ତୁ ଏପରି ଅଦୃଷ୍ଟ ଦେଖନ୍ତୁ ଯେ ବାଟରେ ଆଣୁ ଆଣୁ ଭାଙ୍ଗି ବସିଲି । ରୋଗିଣୀ ଝିଅଟା ହାତରେ ଦେଇପାରିଲି ନାହିଁ । ଝିଅଟା କାନ୍ଦି କାନ୍ଦି କହିବ–ବାପା ଆଣିଲେ ନାହିଁ । ଯାହାହେଉ ଏ ଭଙ୍ଗାଗୁଡ଼ାକ ନେଇ ତାକୁ ଦେଖାଇ କହିବି ମାଆ, ଏ ମାସରେ ଦରମା ପାଇଲେ ଆଗ ତୋ ପାଇଁ କଣ୍ଢେଇ କିଣିସାରିଲେ ଯାଇ ଯେଉଁ କାମ । ଏତିକି କହି ସବୁ ଭଙ୍ଗା ଅଂଶଗୁଡ଼ିକ ଏକାଠି କରି ଗାମୁଛାରେ ବାନ୍ଧି ପୁଣି କହିଲା–ଆପଣଙ୍କ ସ୍ତ୍ରୀଙ୍କୁ ବୋଧହୁଏ ବହୁତ ଜୋରରେ ଆଘାତ ଲାଗିଛି । ମୁଁ ଆଦୌ ଦେଖିସାରି ନାହିଁ । ଲୋକସାନକୁ ଲୋକସାନ ହେଲା, ଗାଡ଼ିଟା ପାଇଲି ନାହିଁ । ପାଇଥିଲେ ଅବା ଅଧଘଣ୍ଟା ଆଗରୁ ଯାଇ ଗୋରିଣୀ ଝିଅଟାକୁ ଟିକିଏ ଦେଖିପାରିଥାନ୍ତି କହି କହି ଲୋକଟି ପୁଣି ପ୍ଳାଟଫର୍ମଆଡ଼କୁ ଯିବାକୁ ଲାଗିଲା । ବଙ୍କୁ ପାଣ୍ଡେଜୀଙ୍କୁ ଧରି କ’ଣ ଗୋଟାଏ କାମରେ ଅନ୍ୟଆଡ଼େ ଚାଲିଗଲା । ମୁଁ ହଠାତ୍‌ ଫେରିପଡ଼ି ଚାହିଁ ଦେଖେ ଶ୍ରାବଣର ଜଳଧାରା ପରି ରାଜଲକ୍ଷ୍ମୀ ଆଖିରୁ ଲୁହ ବହି ଚାଲିଛି । ବ୍ୟସ୍ତ ହୋଇ ତା’ ପାଖକୁ ଯାଇ ପଚାରିଲି–ଆଘାତଟା ବୋଧହୁଏ ଜୋରରେ ଲାଗିଛି ? କେଉଁଠି ବାଜିଲା ?

ରାଜଲକ୍ଷ୍ମୀ ପଣତ କାନିରେ ଆଖି ପୋଛୁ ପୋଛୁ କହିଲା–ହଁ, ଖୁବ୍‌ ଜୋରରେ ଲାଗିଛି । କିନ୍ତୁ ଏପରି ଜାଗାରେ ଲାଗିଛି ଯେ ତୁମପରି ପାଷାଣ ହୃଦୟ ଲୋକର ଦେଖିବାର ଶକ୍ତି ନାହିଁ କିମ୍ୱା ବୁଝିବାର ଯୁ ନାହିଁ ।

ଶ୍ରୀମାନ ବଙ୍କୁକୁ କାହିଁକି ଯେ ବାଧ୍ୟହୋଇ ଆମପାଇଁ ଗୋଟାଏ ସ୍ୱତନ୍ତ୍ର ବଗି ରିଜର୍ଭ କରିବାକୁ ହୋଇଥିଲା, ଏହି ଖବରଟା ମୁଁ ଯେତେବେଳେ ତା’ଠାରୁ ସଂଗ୍ରହ କରୁଥିଲି ସେତେବେଳେ ରାଜଲକ୍ଷ୍ମୀ କାନପାତି ଶୁଣୁଥିଲା । ବର୍ତ୍ତମାନ ସେ ଅନ୍ୟତ୍ର ଚାଲିଯିବାର ଦେଖି ରାଜଲକ୍ଷ୍ମୀ ନିହାତି ଉପରେ ପଡ଼ି ମୋତେ ଶୁଣାଇଦେଲା ଯେ, ନିଜପାଇଁ ବାଜେ ଖର୍ଚ୍ଚ କରିବାକୁ ସେ ଯେତିକି ନାରାଜ, ସେତିକି ତା’ ଭାଗ୍ୟରେ ଏସବୁ ଘଟୁଛି । ସେକେଣ୍ଡ କ୍ଳାସ, ଫାଷ୍ଟକ୍ଳାସରେ ଗଲେ ଯଦି ସେ ସନ୍ତୋଷ ହୁଅନ୍ତି ତେବେ ବେଶ୍‌ ତ ମୋ ପାଇଁ ସ୍ତ୍ରୀଲୋକଙ୍କ କମରା ଥିଲା । କାହିଁକି ରେଲ କମ୍ପାନୀକୁ ମିଛଟାରେ ଏତେଗୁଡ଼ାଏ ପଇସା ଦିଆଗଲା ?

ବଙ୍କୁର କୈଫିୟତ୍‌ ସଙ୍ଗେ ତାହାର ମାଆର ଏଇ ମିତବ୍ୟୟ ନିଷ୍ଠାର ବିଶେଷ କୌଣସି ସାମଞ୍ଜସ୍ୟ ଦେଖିବାକୁ ପାଇଲି ନାହିଁ । କିନ୍ତୁ ସେ କଥା ଯଦି ସ୍ତ୍ରୀଲୋକଙ୍କୁ କୁହାଯାଏ ତେବେ କଳହ ଉପୁଜିବ । ଅତଏବ ଚୁପ୍ ହୋଇ ଶୁଣି ଗଲି । କିଛି କହିଲି ନାହିଁ ।

ପ୍ଳାଟଫର୍ମରେ ଖଣ୍ଡିଏ ବେଞ୍ଚ ଉପରେ ବସି ସେହି ଭଦ୍ରଲୋକଟି ଟ୍ରେନ ପାଇଁ ଅପେକ୍ଷା କରିଥିଲେ । ତାଙ୍କ ଆଗଦେଇ ଯିବା ସମୟରେ ପଚାରିଲି–କେଉଁଠାକୁ ଯିବେ ?

ଲୋକଟି କହିଲା–ବର୍ଦ୍ଧମାନ ।

ଶ୍ରୀକାନ୍ତ

ସାମାନ୍ୟ ଆଗେଇଯିବା ମାତ୍ରେ ରାଜଲକ୍ଷ୍ମୀ ଚୁପ୍‌ଚାପ୍‌ କରି କହିଲା–ତାହାହେଲେ ସେ ତ ଅନାୟାସରେ ଆମ ବଗିରେ ଯାଇପାରନ୍ତେ । ଭଡ଼ା ମଧ୍ୟ ଲାଗିବ ନାହିଁ । ତେଣୁ ତାଙ୍କୁ କାହିଁକି କହୁନାହିଁ ?

କହିଲି–ଟିକଟ ନିଶ୍ଚୟ କିଣା ସରିଛି । ତେଣୁ ଭଡ଼ା ଟଙ୍କା ତାଙ୍କର ବଞ୍ଚିବ ନାହିଁ ।

ରାଜଲକ୍ଷ୍ମୀ କହିଲା–ତାହା ହେଉ ପଛକେ କିନ୍ତୁ ଭିଡ଼ର କଷ୍ଟରୁ ତ ରକ୍ଷା ମିଳିବ ।

କହିଲି–ତାଙ୍କର ଅଭ୍ୟାସ ଅଛି । ତେଣୁ ଭିଡ଼ର କଷ୍ଟକୁ ସେମାନେ ଅଗ୍ରାହ୍ୟ କରନ୍ତି ନାହିଁ-

ରାଜଲକ୍ଷ୍ମୀ ସେତେବେଳେ ଜିଦ୍‌ ଧରି କହିଲା–ନା, ନା, ତୁମେ ତାଙ୍କୁ କହ । ଆମେ ତିନିଜଣ କଥାବାର୍ତ୍ତା ହୋଇ ଏତେବାଟ ଆନନ୍ଦରେ ଯାଇପାରିବା ।

ବୁଝିପାରିଲି–ବର୍ତ୍ତମାନ ସେ ନିଜ ଭୁଲଟା ଜାଣିପାରିଛି । ବଙ୍କୁ ଏବଂ ନିଜର ଚାକରବାରକଙ୍କ ଆଖିଆଗରେ ମୋ ସହିତ ଗୋଟିଏ ଅଲଗା ବଗିରେ ଉଠିବାର ଦୃଷ୍ଟି କଟୁତାକୁ ବର୍ତ୍ତମାନ ସେ କୌଣସି ମତେ ସାମାନ୍ୟ ଫିକା କରିନେବାକୁ ଚାହେଁ । ତଥାପି ଏହାକୁ ଟିକିଏ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖାଇବା ପାଇଁ ତାତ୍ସଲ୍ୟ ଭରି ସ୍ୱରରେ କହିଲି–ଗୋଟାଏ ବାଜେ ଲୋକକୁ ବଗିଭିତରେ ପୂରାଇ ଲାଭ କ’ଣ ହେବ ଶୁଣେ ? ତୁମେ ଯେତେ ପାର ମୋ ସଙ୍ଗରେ କଥା ହୋଇପାର । ଏଥିରେ ସମୟ ବେଶ୍‌ କଟିଯାଇପାରିବ ।

 

ରାଜଲକ୍ଷ୍ମୀ ମୋ ପ୍ରତି ଗୋଟାଏ ତୀକ୍ଷ୍‌ଣ କଟାକ୍ଷ ନିକ୍ଷେପ କରି କହିଲା–ସେ କଥା ମୁଁ ଜାଣେ । ମୋତେ ଜବତ କରିବା ପାଇଁ ଏତେବଡ଼ ସୁଯୋଗ ହାତମୁଠାରେ ପାଇ ତୁମେ କ’ଣ ଛାଡ଼ି ଦେଇପାର ! ଏହା କହି ସେ ନୀରବ ହୋଇଗଲା ।

 

କିନ୍ତୁ ଟ୍ରେନ ଷ୍ଟେସନରେ ଲାଗିବା କ୍ଷଣି ମୁଁ ତାଙ୍କୁ ଯାଇ କହିଲି–ଆପଣ ଆମ ବଗି ଭିତରକୁ ଆସନ୍ତୁ । ଆମ ଦୁଇଜଣଙ୍କ ବ୍ୟତୀତ ଆଉ କେହିନାହାନ୍ତି । ଅନ୍ତତଃ ଭିଡ଼ର କଷ୍ଟ ତ ଆପଣଙ୍କର ଦୂର ହୋଇପାରିବ ।

 

କହିବା ବାହୁଲ୍ୟ ଯେ ତାଙ୍କୁ ରାଜି କରିବା ପାଇଁ କ୍ଳେଶ ପାଇବାକୁ ହେଲା ନାହିଁ । ଅନୁରୋଧ କରିବା ମାତ୍ରେ ସେ ତାଙ୍କର ପୁଟୁଳି ଧରି ଆମମାନଙ୍କ ସହିତ ଆସି ବସିଗଲେ ।

 

ଗୋଟିଏ ଦୁଇଟା ଷ୍ଟେସନ ପାର ହେଉ ନ ହେଉଣୁ ରାଜଲକ୍ଷ୍ମୀ ତାଙ୍କ ସହିତ କଥାବାର୍ତ୍ତା ଯୋଡ଼ିଦେଲା ଏବଂ ଆଉ କେତେଟା ଷ୍ଟେସନ ପାର ହେବା ମଧ୍ୟରେ ସେ ତାଙ୍କର ଘର ଖବର, ଗାଆଁ ଖବର, ଏପରିକି ଆଖପାଖ, ଗ୍ରାମଗୁଡ଼ିକର ଖବର ପର୍ଯ୍ୟନ୍ତ ପଚାରି ବୁଝିନେଲା ।

 

ରାଜଲକ୍ଷ୍ମୀର ଗୁରୁଦେବ କାଶୀରେ ନାତି–ନାତୁଣୀ ନେଇ ବାସ କରନ୍ତି । ସେମାନଙ୍କ ପାଇଁ ସେ ଅନେକ ଜିନିଷ କଲିକତାରୁ ନେଇଯାଉଥିଲା । ବର୍ଦ୍ଧମାନ ପାଖାପାଖି ଆସିବା କ୍ଷଣି ଟ୍ରଙ୍କ ଖୋଲି ସେ ତାହାଭିତରୁ ଖଣ୍ଡିଏ ରେଶମୀ ଶାଢ଼ି ବାହାର କରି କହିଲା–ଆପଣଙ୍କ ଝିଅକୁ ତା’ କଣ୍ଢେଇ ବଦଳରେ ଏଇ ଶାଢ଼ିଟି ଦେବେ ।

 

ଭଦ୍ରଲୋକ ପ୍ରଥମେ ଅବାକ୍‌ ହେଲେ । ପରେ ସଲ୍ଲଜ ଭାବରେ କହିଉଠିଲେ–ନା, ନା, ମାଆ ମୋ ଝିଅ ସରଳାକୁ ମୁଁ ଆରଥରକୁ ପଛେ କଣ୍ଢେଇଟିଏ କିଣିଦେବି, ତୁମେ ଶାଢ଼ି ରଖିଦିଅ । ତା’ ଛଡ଼ା ଏ ଯେ ବଡ଼ ଦାମୀ ଶାଢ଼ି !

 

ରାଜଲକ୍ଷ୍ମୀ ଲୁଗା ଖଣ୍ଡିକ ତାଙ୍କ ପାଖରେ ରଖିଦେଇ କହିଲା–ବେଶୀ ଦାମ୍‌ ନୁହେଁ । ତା’ ଦାମ୍‌ ଯାହା କିଛି ହେଉନା କାହିଁକି, ଏ ଖଣ୍ଡିକ ତା’ ହାତରେ ଦେଇ କହିବେ, ତା’ ମାଉସୀ ତାକୁ ସେ ଭଲହେଲା ପରେ ପିନ୍ଧିବ ବୋଲି ଦେଇଛି ।

 

ଭଦ୍ରଲୋକଙ୍କ ଆଖି ଛଳଛଳ ହୋଇଉଠିଲା । ଅଧଘଣ୍ଟାକର ଆଳାପ ପରେ ଜଣେ ଅପରିଚିତ ଲୋକ ପୀଡ଼ିତ କନ୍ୟାକୁ ଏପରି ଖଣ୍ଡିଏ ମୂଲ୍ୟବାନ୍‌ ଶାଢ଼ି ଉପହାର ଦେବା ଜୀବନରେ ବୋଧହୁଏ ସେ ଆଉ କେବେ ଦେଖିନଥିଲେ । କହିଲେ–ଆପଣ ଆଶୀର୍ବାଦ କରନ୍ତୁ, ସେ ଭଲ ହୋଇଯାଉ । କିନ୍ତୁ ଗରିବ ଘରେ ଏତେ ଦାମୀ ଶାଢ଼ି ନେଇ ସେ କ’ଣ କରିବ ମାଆ ? ଆପଣ ନେଇ ରଖିଦିଅନ୍ତୁ । କହି ସେ ମୋ ଆଡ଼କୁ ଥରକ ପାଇଁ ଚାହିଁଲେ । ମୁଁ କହିଲି–ତା’ ମାଉସୀ ଯେତେବେଳେ ତାକୁ ପିନ୍ଧିବାକୁ ଦେଉଛି ସେତେବେଳେ ଆପଣଙ୍କର ନେଇ ତାକୁ ଦେଇଦେବାଟା ଉଚିତ ହେବ । ଏତିକି କହି ହସିଦେଇ ପୁଣି କହିଲି ସରଳାର ଭାଗ୍ୟ ଭଲ । ମୋର ଏପରି ଗୋଟିଏ ମାଉସୀ ଥିଲେ ମୁଁ ବଞ୍ଚି ଯାଇଥାନ୍ତି, ଆଜ୍ଞା । ଏଥର ଦେଖିବେ ଆପଣଙ୍କ ଝିଅଟି ଶୀଘ୍ର ଭଲ ହୋଇଉଠିବ ।

 

ଭଦ୍ରଲୋକଙ୍କର ମୁହଁଟି କୃତଜ୍ଞତାରେ ଉଛୁଳିଉଠିଲା । ସେ ଆଉ ଆପତ୍ତି ନ କରି ଶାଢ଼ି ଖଣ୍ଡିକ ଗ୍ରହଣ କଲେ । ପୁଣି ଦୁଇଜଣଙ୍କର କଥାବାର୍ତ୍ତା ଚାଲିଲା । ସମାଜର କଥା, ସଂସାରର କଥା, ସୁଖ ଦୁଃଖର କଥା, ଏପରି କେତେ କ’ଣ ? ମୁଁ କେବଳ ସ୍ତବ୍‌ଧ ହୋଇ ବାହାରକୁ ଚାହିଁ ରହିଲି । ଏବଂ ଯେଉଁ ପ୍ରଶ୍ନ ବହୁଥର ଆପଣାକୁ ଆପେ ପଚାରିଛି–ଏ ଯାତ୍ରାର ସମାପ୍ତି କେଉଁଠାରେ ?

 

ଖଣ୍ଡିଏ ଦଶ-ବାର ଟଙ୍କାର ଶାଢ଼ି ଦାନ କରିବାଟା ରାଜଲକ୍ଷ୍ମୀ ପକ୍ଷରେ କଠିନ ନୁହେଁ । ନୂତନ ମଧ୍ୟ ନୁହେଁ । ତା’ ଦାସୀ, ଚାକର ଏମାନେ ମଧ୍ୟ ଏଇ ଘଟଣା ନେଇ କେବେ ଦଣ୍ଡକ ପାଇଁ ସୁଦ୍ଧା ଆଲୋଚନା କରିବେ ନାହିଁ । କିନ୍ତୁ ମୋର ଚିନ୍ତାଧାରା ଅଲଗା ଧରଣର । ସେଇ ଦେବା ଜିନିଷଟା ଯେ ଦାନ ହିସାବରେ କିଛି ନୁହେଁ; ତାହା ମୁଁ ଭଲ କରି ଜାଣେ ଏବଂ କାହାଠାରୁ ମଧ୍ୟ କମ ଜାଣେ ନାହିଁ । କିନ୍ତୁ ମୁଁ ଭାବୁଥିଲି ତାହାରି ହୃଦୟର ଧାରାଟା ଯେଉଁ ଦିଗକୁ ଲକ୍ଷ୍ୟ କରି ଆପଣାକୁ ନିଃଶେଷ କରିବାକୁ ଉଦାମ ହୋଇ ଛୁଟି ଚାଲିଥିଲା ତାହାର ଅବସାନ ହେବ କେଉଁଠାରେ ଏବଂ କିପରି ଭାବରେ ।

 

ସମସ୍ତ ରମଣୀମାନଙ୍କ ହୃଦୟରେ ‘ନାରୀ’ ବାସ କରେ କି ନାହିଁ, ତାହା ଜୋର କରି କହିବା ଅତ୍ୟନ୍ତ ଦୁଃସାହସିକ କାର୍ଯ୍ୟ । କିନ୍ତୁ ନାରୀର ଚରମ ସାର୍ଥକତା ଯେ ମାତୃତ୍ୱରେ, ଏ କଥା ବୋଧହୁଏ କଣ୍ଠ ଫିଟାଇ ପ୍ରଚାର କରାଯାଇପାରେ ।

 

ରାଜଲକ୍ଷ୍ମୀକୁ ଭଲ କରି ଚିହ୍ନିଥିଲି । ପିଆରୀ ବାଇକୀ ଯେ ତାହାର ଅପରିଣତ ଯୌବନରେ ସମସ୍ତ ଦୁର୍ନାମ ଆକ୍ଷେପକୁ ନେଇ ପ୍ରତି ମୁହୂର୍ତ୍ତରେ ମରିବାକୁ ଲାଗିଛି, ସେ କଥା ମୁଁ ଲକ୍ଷ୍ୟ କରି ଦେଖିବାକୁ ଲାଗିଥାଏ । ଆଜି ସେ ନାମଟା ଉଚ୍ଚାରଣ କଲେ ସେ ଯେପରି ଲଜ୍ୟାରେ ମାଟିରେ ମିଶିଯାଉଛି । ମୋର ଅବସ୍ଥା ମଧ୍ୟ ସେହିପରି ହୋଇଛି ।

 

ସର୍ବସ୍ୱ ଦେଇ ସଂସାରର ଉପଭୋଗ କରିବାର ସେହି ଉତ୍ତପ୍ତ ଆବେଗ ଆଉ ରାଜଲକ୍ଷ୍ମୀ ଭିତରେ ନାହିଁ । ଆଜି ସେ ଶାନ୍ତ, ସ୍ଥିର । ତା’ର କାମନା–ବାସନା ଆଜି ତା’ ଭିତରେ ଏପରି ରହିଯାଇଛି ଯେ, ବାହାରକୁ ପ୍ରକାଶ ପାଇବା ଏବେବି ସନ୍ଦେହପୂର୍ଣ୍ଣ । ତାହା ଏହି ସାମାନ୍ୟ ଘଟଣାକୁ ଉପଲକ୍ଷ କରି, ମୋତେ ପୁଣି ସ୍ମରଣ କରାଇଦେଲା ଯେ, ଆଜି ଏହି ପରିଣତ ଯୌବନରେ ସୁଗଭୀର ତଳ ଦେଶରୁ ଯେଉଁ ମାତୃତ୍ୱ ହଠାତ୍‌ ଜାଗିଉଠିଛି; ସଦ୍ୟ ନିଦ୍ରୋତ୍‌ଥିତ କୁମ୍ଭକର୍ଣ୍ଣ ପରି ତାହାର ବିରାଟ କ୍ଷୁଧାକୁ ଆହାର ମିଳିବ କେଉଁଠୁ ? ତାହାର ନିଜର ସନ୍ତାନ ଥିଲେ ଯାହା ସହଜ ଏବଂ ସ୍ୱାଭାବିକ ହୋଇପାରନ୍ତା ତାହାରି ଅଭାବରେ ହିଁ ସମସ୍ୟା ଏପରି ଜଟିଳ ହୋଇଉଠିଛି ।

 

ସେଦିନ ପାଟନାରେ ତାହା ଭିତରେ ଯେଉଁ ମାତୃ ରୂପ ଦେଖି ମୁଗ୍‌ଧ ହୋଇଉଠିଥିଲି ଆଜି ତା’ର ସେହି ମୃର୍ତ୍ତିକୁ ସ୍ମରଣ କରିବା କ୍ଷଣି ଅତ୍ୟନ୍ତ ବ୍ୟଥାର ସହିତ ମୋର ମନେପଡ଼ିବାକୁ ଲାଗିଲା ଯେ, ସେତେବଡ଼ ନିଆଁକୁ କଦାପି ଫୁଙ୍କି ନିଭାଯାଇପାରେ ନାହିଁ ବୋଲି ଆଜି ପର ପୁଅକୁ କଳ୍ପନା କରି ପୁଅ ଖେଳାଇଲେ ସୁଦ୍ଧା ରାଜଲକ୍ଷ୍ମୀ ବୁକୁର ତୃଷ୍ଣା ଆଦୌ ଶାନ୍ତ ହୋଇ ନାହିଁ । ସେଥିପାଇଁ କେବଳ ବଙ୍କୁ ଆଜି ତା’ ପାଇଁ ଯଥେଷ୍ଟ ନୁହେଁ, ଆଜି ଦୁନିଆରେ ଯେଉଁଠାରେ ଯେତେ ପିଲା ଅଛନ୍ତି ସମସ୍ତଙ୍କ ସୁଖ ଦୁଃଖ ତା’ ହୃଦୟକୁ ଆଲୋଡ଼ିତ କରି ପକାଉଛି ।

 

ବର୍ଦ୍ଧମାନଠାରେ ଭଦ୍ରଲୋକ ଓହ୍ଲାଇ ଚାଲିଯିବା ପରେ ରାଜଲକ୍ଷ୍ମୀ ଅନେକ ସମୟ ପର୍ଯ୍ୟନ୍ତ ନୀରବ ହୋଇ ବସି ରହିଲା । ମୁଁ ଝରକା ଆଡ଼ୁ ଆଖିଫେରାଇ ପଚାରିଲି–ଏଇ କାନ୍ଦଣାଟା କାହାର କଲ୍ୟାଣ ପାଇଁ ହେଲା ? ସରଳା ନା ତା’ ମାଆର ?

 

ରାଜଲକ୍ଷ୍ମୀ ମୁହଁଟେକି କହିଲା–ତୁମେ ବୋଧହୁଏ ଏତେ ସମୟ ଧରି ଆମ ଦୁହିଁଙ୍କ କଥା ତେବେ ଶୁଣିପାରିଛ ?

 

କହିଲି–ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ନିଜେ କଥା କହୁନଥିବାବେଳେ ପରର କଥା ଆସି ଆପଣା ଛାଏଁ ଛାଏଁ କାନରେ ବାଜିଥାଏ । ସଂସାରରେ କମ୍‌ କଥା କହୁଥିବା ଲୋକମାନଙ୍କ ପାଇଁ ଭଗବାନ ଏପରି ଶାନ୍ତି ସୃଷ୍ଟି କରି ରଖିଛନ୍ତି । ଫାଙ୍କିଦେବାର ଯୁ ନାହିଁ । ସେ ଯାହାହେଉ, ଆଖିରୁ ପାଣି କାହା ପାଇଁ ଝରିଲା କହିଲ ନାହିଁ ତ ?

 

ରାଜଲକ୍ଷ୍ମୀ କହିଲା–ମୋ ଆଖିରୁ ପାଣି କାହାପାଇଁ ଝରେ, ସେ କଥା ଶୁଣି ତୁମର ଲାଭ ନାହିଁ ।

 

କହିଲି–ଲାଭର ଆଶା ଆଦୌ ନାହିଁ, କେବଳ କ୍ଷତି ନ କରି ବଞ୍ଚିପାରିଲେ ସେଇ ମୋର ଯଥେଷ୍ଟ ହେବ । ସରଳା କିମ୍ୱା ତା’ ମାଆପାଇଁ ଯେତେ ଇଚ୍ଛା ସେତେ ଲୁହ ଝରୁ ମୋର ସେଥିରେ ଆଦୌ ଆପତ୍ତି ନାହିଁ । କିନ୍ତୁ ତା’ ବାପ ପାଇଁ ଝରିବାଟାକୁ ମୁଁ ଆଦୌ ପସନ୍ଦ କରେ ନାହିଁ ।

 

ରାଜଲକ୍ଷ୍ମୀ କେବଳ ‘‘ହୁଁ’’ ବୋଲି ଶବ୍ଦଟିଏ କହି ଝରକା ଭିତର ଦେଇ ବାହାରକୁ ଚାହିଁ ରହିଲା ।

ଭାବିଥିଲି ଏପରି ଗୋଟାଏ ରସିକତା ବୋଧହୁଏ ବିଫଳ ହେବ ନାହିଁ । ଏହା ଅନେକ ଅବରୁଦ୍ଧ ଉତ୍ସକୁ ମୁକ୍ତ କରିଦେବ । କିନ୍ତୁ ସେ କଥା ତ ହେଲା ନାହିଁ ବିରଞ୍ଚି ସେ ମୋ ଆଡ଼କୁ ଯାହା ଚାହିଁଥିଲା ଏଥର ଅନ୍ୟଦିଗକୁ ମୁହଁ ଫେରାଇ ବସିଲା ।

ମୁଁ କିନ୍ତୁ ବହୁ ସମୟ ମୌନ ରହିଲି । କଥା କହିବାକୁ ଭିତରେ ଭିତରେ ଗୋଟାଏ ଆବେଗ ଅନୁଭବ କରୁଥିଲି । ସେଥିପାଇଁ ଆଉ ଅଧିକ ସମୟ ନୀରବ ହୋଇ ରହିପାରିଲି ନାହିଁ । ପୁଣି କହିଲି–ବର୍ଦ୍ଧମାନଠାରୁ କିଛି ଖାଇବା ଜିନିଷ କିଣିନେଲେ ହୁଅନ୍ତା ।

ରାଜଲକ୍ଷ୍ମୀ କୌଣସି ଉତ୍ତର ଦେଲା ନାହିଁ, ସେହିପରି ଚୁପ୍‌ ହୋଇ ବସି ରହିଲା ।

କହିଲି–ପରଲୋକର ଦୁଃଖ ପାଇଁ ଏତେ ସମୟ ଧରି କାନ୍ଦି ଭସାଇଦେଲ ଆଉ ଘର ଲୋକର ଦୁଃଖକୁ କାନରେ ପକାଉ ନାହଁ ? ଏଇ ବିଲାତ–ଫେରନ୍ତା ବିଦ୍ୟା ଶିଖିଲ କାହାଠାରୁ ?

ରାଜଲକ୍ଷ୍ମୀ ଏଥର ଧୀରେ ଧୀରେ କହିଲା–ବିଲାତ ଫେରନ୍ତାଙ୍କ ଉପରେ ତୁମର ଭାରି ଭକ୍ତି ତ ଦେଖୁଛି !

କହିଲି–ହଁ, ସେମାନେ ଯେ ଭକ୍ତିର ପାତ୍ର !

: କାହିଁକି, ସେମାନେ ତୁମର କ’ଣ କଲେ କି ?

: ବର୍ତ୍ତମାନ କିଛି କରିନାହାନ୍ତି । କାଳେ କିଛି କରିପାରନ୍ତି ଏଇ ଭୟରେ ଆଗରୁ ଭକ୍ତି କରୁଛ ।

ରାଜଲକ୍ଷ୍ମୀ କିଛି ସମୟ ନୀରବ ରହିବା ପରେ କହିଲା ଏହା କିନ୍ତୁ ତୁମର ଖୁବ୍‌ ଅନ୍ୟାୟ-। ତୁମେମାନେ ସେମାନଙ୍କୁ ଜାତିରୁ, ଦଳରୁ, ସମାଜରୁ, ସବୁଦିଗରୁ ବାହାର କରିଦେଇଛ-। ତଥାପି ସେମାନେ ଯଦି ତୁମମାନଙ୍କ ପାଇଁ କିଛି କଲେ, ସେଥିପାଇଁ ତୁମେମାନେ ସେମାନଙ୍କଠାରେ କୃତଜ୍ଞ ହେବା ଉଚିତ୍‌ ।

କହିଲି–ଆମେମାନେ ବେଶୀ କୃତଜ୍ଞ ହୁଅନ୍ତୁ ଯଦି ସେମାନେ ସେହି ରାଗରେ ପୂରାପୂରି ମୁସଲମାନ କିମ୍ୱା ଖ୍ରୀଷ୍ଟାନ ହୋଇଯାଆନ୍ତେ । ଏମାନଙ୍କ ଭିତରେ ଯେଉଁମାନେ ନିଜକୁ ବ୍ରାହ୍ମବୋଲି କହନ୍ତି ସେମାନେ ବ୍ରାହ୍ମ ସମାଜକୁ ମଧ୍ୟ ନଷ୍ଟ କରିଛନ୍ତି ଏବଂ ହିନ୍ଦୁ ସମାଜକୁ ତ୍ୟକ୍ତ କରିଛନ୍ତି । ସେମାନେ ନିଜେ କ’ଣ ଯଦି ଠିକ୍‌ କରିସାରି ତା’ପରେ ପରପାଇଁ କାନ୍ଦି ବସନ୍ତେ ତାହାହେଲେ ସେମାନଙ୍କର ମଙ୍ଗଳ ହୁଅନ୍ତା ଏବଂ ଯେଉଁମାନଙ୍କ ପାଇଁ କାନ୍ଦନ୍ତି ସେମାନଙ୍କର କିଛି ଉପକାର ହୋଇପାରନ୍ତା ।

 

ରାଜଲକ୍ଷ୍ମୀ କହିଲା–ମୋର ତ କିନ୍ତୁ ସେପରି ମନେହୁଏ ନାହିଁ ।

 

କହିଲି–ନହେଲେ ମଧ୍ୟ କ୍ଷତିନାହିଁ । କିନ୍ତୁ ଯେଉଁଥିପାଇଁ ସଂପ୍ରୀତି ଅଟକି ରହୁଛି ସେ ହେଉଛି ଅଲଗା କଥା । କାହିଁ ତା’ର ତ କୌଣସି ଉତ୍ତର ଅବଧି ଦେଲ ନାହିଁ ?

 

ଏଥର ରାଜଲକ୍ଷ୍ମୀ ହସିଦେଇ କହିଲା–ଓହୋ । ସେଥିପାଇଁ କିଛି ଅଟକିଯିବ ନାହିଁ । ଆଗ ତୁମକୁ ଭୋକ ହେଉ ତା’ପରେ ଚିନ୍ତାକରି ଦେଖିବା ।

 

କହିଲି ସେତେବେଳେ ଚିନ୍ତାକରି ଯେକୌଣସି ଷ୍ଟେସନରେ ଯାହା ମିଳିବ ତାକୁ କିଣି ଖାଇବାକୁ ଦେବ–ଏୟାନା ? କିନ୍ତୁ ତାହା ହେବ ନାହିଁ । ସେ କଥା ଏତେବେଳଠାରୁ କହିରଖୁଛି ।

 

ମୋ କଥା ଶୁଣି ମୁହଁକୁ କିଛି ସମୟ ଚାହିଁରହି ତା’ପରେ ହସିଦେଇ କହିଲା–ଏକଥା ମୁଁ କରିପାରେ, ତୁମର ବିଶ୍ୱାସ ହୋଇପାରୁଛି ।

 

କହିଲି–ଆଚ୍ଛା, ଏତିକି ବିଶ୍ୱାସ କ’ଣ ମୋର ତୁମ ଉପରେ ରହିବ ନାହିଁ ?

 

: ସତରେ । କହି ସେ ପୁଣି ଝରକା ଭିତର ଦେଇ ବାହାରକୁ ଚାହିଁ ନୀରବରେ ବସିରହିଲା ।

 

ପର ଷ୍ଟେସନରେ ରାଜଲକ୍ଷ୍ମୀ ରତନକୁ ଡକାଇ ଖାଇବା ଜିନିଷ ଥିବା ଜାଗାକୁ ମଗାଇ ଆଣିଲା ଏବଂ ତାକୁ ଗୁଡ଼ାଖୁ ସଜିଲ କରି ଦେବାପାଇଁ ହୁକୁମ କରି ଗୋଟିଏ ଥାଳିରେ ସବୁ ଖାଦ୍ୟ ସାମଗ୍ରୀ ସଜାଡ଼ି ମୋ ଆଖିଆଗରେ ରଖିଦେଲା । ଦେଖିଲି ଏ ବିଷୟରେ ଆଦୌ ଏତେ ଟିକିଏ ଭୁଲଚୁଲ କେଉଁଠାରେ ନାହିଁ । ମୁଁ ଯାହାସବୁ ଖାଇବାକୁ ଭଲପାଏ, ସେ ସବୁ ଗୋଟିଗୋଟି କରି ସଂଗ୍ରହକରି ଅଣାହୋଇଛି ।

 

ବେଞ୍ଚ ଉପରେ ରତନ ବିଛଣା ପାତିଦେଲା । ଦିବା ଭୋଜନ ସମାପ୍ତ କରିସାରି ଗୁଡ଼ାଖୁ ନଳୀଟାକୁ ମୁହଁରେ ଦେଇ ଆରାମରେ ଆଖିବୁଜିବାକୁ ବସିଛି–ରାଜଲକ୍ଷ୍ମୀ କହିଲା–ଖାଇବା ଜିନିଷଗୁଡ଼ିକ ଉଠାଇ ରଖ ରତନ, ଯାହା ପାରୁଛୁ ଖାଇବୁ । ଯଦି ବଳେ ତେବେ ତୋ ଡବାରେ ଯିଏ ଖାଇବେ ତାଙ୍କୁ ଦେଇଦବୁ ।

 

ରତନର ଅତ୍ୟନ୍ତ ଲଜ୍ୟା ଓ କୁଣ୍ଠିତ ଭାବକୁ ଲକ୍ଷ୍ୟକରି ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି–କାହିଁ ! ତୁମେ ଖାଇଲ ନାହିଁ ଯେ ?

 

ରାଜଲକ୍ଷ୍ମୀ କହିଲା–ମୋର ଭୋକନାହିଁ । ଯାଆ ରତନ, ଆଉ ଠିଆହୋଇ ରହିଲୁ କାହିଁକି ? ଗାଡ଼ି ଛାଡ଼ିଦେବ ଯେ.....

 

ରତନ ଯେପରି ଲାଜରେ ମରିଗଲା । କହିଲା–ମୋର ଅନ୍ୟାୟ ହୋଇଯାଇଛି ବାବୁ । ମୁସଲମାନ କୁଲି ହାତରେ ଖାଇବା ଜିନିଷଟା ବୁହାଇ ଦେଇଛି । କେତେ କରି କହିଲି ମାଆ, ଇଷ୍ଟେସନରୁ କିଛି ଜିନିଷ କିଣି ଦେଉଛି କିନ୍ତୁ ସବୁ କଥାକୁ ସେ ନାହିଁ କଲେ । ଏତିକି କହି ସେ ମୋ ମୁହଁକୁ ସକାତର ଦୃଷ୍ଟି ନିକ୍ଷେପ କରି ଯେପରି ମୋର ଅନୁମତି ପ୍ରାର୍ଥନା କଲା ।

 

କିନ୍ତୁ ମୁଁ କହିବା ପୂର୍ବରୁ ରାଜଲକ୍ଷ୍ମୀ ତାକୁ ଧମ୍‌କ ଦେଇ କହିଲା–ତୁ ଯିବୁ ନା, ଏଠାରେ ଠିଆହୋଇ ଯୁକ୍ତି କରୁଥିବୁ ?

 

ରତନ ଆଉ ଦ୍ୱିରୁକ୍ତି ନ କରି ଖାଇବାପାତ୍ରଟାକୁ ହାତରେ ଧରି ବାହାର ହୋଇଗଲା । ଟ୍ରେନ ଛାଡ଼ିବାକ୍ଷଣି ରାଜଲକ୍ଷ୍ମୀ ଆସି ମୋ ମୁଣ୍ଡପାଖରେ ବସିଲା । ମଥାର କେଶଭିତରେ ଧୀରେ ଧୀରେ ଅଙ୍ଗୁଳି ଚାଳନା କରୁ କରୁ ସେ କହିଲା–ଆଚ୍ଛା ଦେଖନ୍ତୁ........

 

ବାଧାଦେଇ କହିଲି–ପରେ ଦେଖିବ । ବର୍ତ୍ତମାନ କିନ୍ତୁ......

 

ସେ ମଧ୍ୟ ସଙ୍ଗେ ସଙ୍ଗେ ମୋତେ ଦବାଇ କହିଲା– ତୁମ ‘‘କିନ୍ତୁ’’କୁ ନେଇ ମୋତେ ଲେକଚର ଦେବାକୁ ହେବ ନାହିଁ । ଏକଥା ମୁଁ ବୁଝିଛି । ମୁଁ ମୁସଲମାନଙ୍କୁ ଘୃଣା କରେ ନାହିଁ । ସେ ଛୁଁଇଲେ ଖାଇବା ଜିନିଷ ନଷ୍ଟ ହୋଇଯାଏ ବୋଲି ମନେକରେ ନାହିଁ । କରିଥିଲେ ନିଜ ହାତରେ ତୁମକୁ ମଧ୍ୟ ଖାଇବାକୁ ଦେଇନଥାନ୍ତି ।

 

: କିନ୍ତୁ ନିଜେ ଖାଇଲ ନାହିଁ କାହିଁକି ?

 

: ସ୍ତ୍ରୀଲୋକମାନେ ଖାଆନ୍ତି ନାହିଁ ।

 

: କାହିଁକି ?

 

: କାହିଁକି ପୁଣି କ’ଣ ? ସ୍ତ୍ରୀଲୋକମାନଙ୍କର ଖାଇବା ନିଷେଧ ଅଛି ।

 

: କିନ୍ତୁ ପୁରୁଷ ଲୋକଙ୍କ ପାଇଁ ବାରଣ ନାହିଁ ?

 

ରାଜଲକ୍ଷ୍ମୀ ମୋ ମୁଣ୍ଡଟାକୁ ଟାଣିଦେଇ କହିଲା–ନାହିଁ । ପୁରୁଷଲୋକମାନଙ୍କ ପାଇଁ ଏତେ କଡ଼ାକଡ଼ି ନିୟମ କାନୁନ ଅବା ହେବ କେଉଁଥିପାଇଁ ? ସେମାନେ ଯାହା ଇଚ୍ଛା ତାହା ଖାଇପାରନ୍ତି । ଯାହା ଇଚ୍ଛା ପିନ୍ଧିପାରନ୍ତି, ଯେପରି ହେଉ ସୁଖରେ ରହିପାରନ୍ତି । ଆମେମାନେ ଆଚାର ନିୟମ ପାଳନ କରିଗଲେ ହେଲା । ଆମେମାନେ ବହୁତ କଷ୍ଟ ସହ୍ୟ କରିପାରୁ କିନ୍ତୁ ତୁମେମାନେ ପାର କି ? ଏଇ ଯେ ସନ୍ଧ୍ୟା ହେଉ ନ ହେଉଣୁ ଭୋକରେ ତୁମକୁ ଚାରିଆଡ଼ ଅନ୍ଧାର ଦେଖାଗଲା ?

 

କହିଲି–ତାହା ହୋଇପାରେ । କିନ୍ତୁ କଷ୍ଟ ସହି ନପାରିବାଟା ଆମମାନଙ୍କର ମଧ୍ୟ ଗୌରବର କଥା ନୁହେଁ ।

 

ରାଜଲକ୍ଷ୍ମୀ ମୁଣ୍ଡ ହଲାଇ କହିଲା–ଏଥିରେ ତୁମର ଏତେ ଟିକିଏ ହେଲେ ଅଗୌରବ ନାହିଁ । ତୁମେମାନେ ତ ଆଉ ଆମମାନଙ୍କ ଭଳି ଦାସୀର ଜାତି ନୁହେଁ ଯେ ନଷ୍ଟ ସହ୍ୟ କରିବାକୁ ଯିବା । ଆମେମାନେ ଯଦି ନପାରୁ ତେବେ ଏହା ଆମମାନଙ୍କ ପ୍ରତି ଲଜ୍ଜ୍ୟାକର କଥା ।

 

କହିଲି–ଏ ନ୍ୟାୟ ଶାସ୍ତ୍ର ତୁମକୁ ଶିଖାଇଲା କିଏ ? କାଶୀରେ ଥିବା ଗୁରୁଦେବ ?

 

ରାଜଲକ୍ଷ୍ମୀ ମୋ ମୁହଁର ଅତି ନିକଟକୁ ଝୁଙ୍କିପଡ଼ି କ୍ଷଣକାଳ ସ୍ଥିର ହୋଇ ଚାହିଁ ରହିଲା । ତାପରେ ଅଳ୍ପ ହସି କହିଲା–ମୋର ଯାହା କିଛି ଶିକ୍ଷା ସେ ସବୁ ତୁମ ନିକଟରୁ । ତୁମଠାରୁ ବଡ଼ ଗୁରୁ ଆଉ ମୋର କେହି ନାହିଁ ।

 

କହିଲି–ତାହାହେଲେ ଗୁରୁ ନିକଟରୁ ଠିକ୍‌ ଓଲଟା ଶିଖିଲ । ମୁଁ କୌଣସି ଦିନ କହି ନାହିଁ ଯେ ତୁମେମାନେ ହେଉଛ ଦାସୀ ଜାତି । ବିରଞ୍ଚି ଏକଥା ଭାବିଥାଏ ଯେ, ତୁମେମାନେ ଆଦୌ ସେପରି ନୁହଁ । ତୁମେମାନେ କୌଣସି ଗୁଣରେ ଆମମାନଙ୍କଠାରୁ କମ୍‌ ନୁହଁ ।

 

ରାଜଲକ୍ଷ୍ମୀ ଆଖିଦୁଇଟା ହଠାତ୍‌ ଛଳ ଛଳ ହୋଇଉଠିଲା । କହିଲା–ସେ କଥା ମୁଁ ଜାଣେ । ଆଉ ଜାଣେ ବୋଲି ତ ଏ କଥା ତୁମଠାରୁ ଶିଖିପାରିଛି । ତୁମ ଭଳି ଯଦି ସମସ୍ତେ ଏପରି ଭାବିପାରନ୍ତେ ତାହାହେଲେ ପୃଥିବୀ ସାରା ସମସ୍ତ ଝିଅଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ପାଆନ୍ତି-। କିଏ ବଡ଼ କିଏ ଛୋଟ କିଏ ଏ ସମସ୍ୟା ଆଦୌ ଉଠନ୍ତା ନାହିଁ ।

 

: ଅର୍ଥାତ୍‌ ଏ ସତ୍ୟକୁ ନିର୍ବିଚାର ଭାବରେ ସମସ୍ତେ ମାନିନିଅନ୍ତେ ?

 

ରାଜଲକ୍ଷ୍ମୀ କହିଲା–ହଁ ।

 

ମୁଁ ସେତେବେଳେ ହସିଦେଇ କହିଲି–ଭାଗ୍ୟକୁ ସାରା ପୃଥିବୀର ଝିଅମାନେ ତୁମ ସହିତ ଏକମତ ନୁହଁନ୍ତି । କିନ୍ତୁ ଆପଣାକୁ ଏପରି ହୀନ ମନେକରିବା ପାଇଁ ନିଜକୁ ଲଜ୍ଜ୍ୟା ଲାଗେ ନାହିଁ ?

 

ମୋ ଉପହାସକୁ ରାଜଲକ୍ଷ୍ମୀ ଲକ୍ଷ୍ୟ କରିପାରିଲା କି ନାହିଁ, ଜାଣିପାରିଲି ନାହିଁ । ଅତ୍ୟନ୍ତ ସହଜ ଭାବରେ କହିଲା–କିନ୍ତୁ ଏହାଭିତରେ ତ କୌଣସି ହୀନମନ୍ୟତା ନାହିଁ ।

 

ମୁଁ କହିଲି–ତା’ ଅବଶ୍ୟ ସତ । ଆମେମାନେ ପ୍ରଭୁ, ତୁମେମାନେ ଦାସୀ । ଏହି ସଂସ୍କାରଟା ଆମ ଦେଶର ଝିଅମାନଙ୍କ ମନରେ ଏପରି ବଦ୍ଧମୂଳ ଯେ ଏହାରି ହୀନତା ତୁମମାନଙ୍କ ଆଖିରେ ପଡ଼େ ନାହିଁ । ବୋଧହୁଏ, ଏହି ପାପ ହେତୁ ପୃଥିବୀ ସକଳ ଝିଅମାନଙ୍କ ଅପେକ୍ଷା ତୁମେମାନେ ପ୍ରକୃତରେ ଛୋଟ ହୋଇଯାଇଛ ।

 

ରାଜଲକ୍ଷ୍ମୀ ହଠାତ୍‌ ଶକ୍ତ ହୋଇ ବସି ଦୁଇଆଖିକୁ ଦୀପ୍ତ କରି କହିଲା–ନା, ସେଥିପାଇଁ ନୁହେଁ । ତୁମ ଦେଶର ଝିଅମାନେ ନିଜକୁ ଛୋଟ ମନେକରି ଛୋଟ ହୋଇ ଯାଉନାହାନ୍ତି । ତୁମେମାନେ ତାଙ୍କୁ ଛୋଟ ମନେକରି ଛୋଟ କରିଦେଉଛ । ନିଜେ ମଧ୍ୟ ଛୋଟ ହୋଇଯାଉଛ । ଏହା ହେଉଛି ପ୍ରକୃତ କଥା ।

 

କଥାଟା ହଠାତ୍‌ ଯେପରି ନୂଆ କରି ଶୁଭିଲା । ଏହା ମଧ୍ୟରେ ଯେଉଁ ଟିକକ ଖିଆଲ ଥିଲା ତାହା ଧୀରେ ଧୀରେ ସୁସ୍ପଷ୍ଟ ହୋଇ ମନେହେବାକୁ ଲାଗିଲା ଯେ ଏହାଭିତରେ ପ୍ରକୃତରେ ଅନେକ ସତ୍ୟ ଲୁଚି ରହିଛି; ଯାହାକି ଆଜି ପର୍ଯ୍ୟନ୍ତ ମୋ ଦୃଷ୍ଟିଗୋଚର ହୋଇପାରି ନାହିଁ ।

 

ରାଜଲକ୍ଷ୍ମୀ କହିଲା–ତୁମେ ସେହି ଭଦ୍ରଲୋକ ସମ୍ୱନ୍ଧରେ ଥଟ୍ଟା କରୁଥିଲି ? କିନ୍ତୁ ତା’ କଥା ଶୁଣିବା ପରେ ମୋର କିପରି ଆଖି ଖୋଲିଯାଇଛି ତାହା ତ ଜାଣି ନାହିଁ ?

 

ଜାଣେ ନାହିଁ କହିବା କ୍ଷଣି ସେ କହିବାକୁ ଲାଗିଲା–ନ ଜାଣିବାର ମଧ୍ୟ କାରଣ ଅଛି । କୌଣସି ଜିନିଷ ଜାଣିବା ପାଇଁ ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟ ମନରେ ଭିତରୁ ବ୍ୟାକୁଳତା ଦେଖାଦେଇନଥାଏ, ସେତେକ୍ଷଣ ପର୍ଯ୍ୟନ୍ତ ସବୁ ତା’ ଆଖିରେ ଝାପ୍‌ସା ହୋଇ ରହିଥାଏ । ଏତେଦିନ ତୁମ ମୁହଁରୁ ଶୁଣି ଭାବିଥିଲି ପ୍ରକୃତରେ ଯଦି ଆମ ଦେଶର ଲୋକମାନଙ୍କର ଦୁଃଖ ଏତେ ବେଶୀ ସତରେ ଯଦି ଆମର ସମାଜ ଏପରି ଭୟଙ୍କର ଏବଂ ଅନ୍ଧ, ତେବେ ତାହା ଭିତରେ ମଣିଷ ବଞ୍ଚି ରହେ କିପରି ଏବଂ ତାକୁ ମାନି ଅବା ଚଳେ କିପରି ?

 

ମୁଁ ନୀରବରେ ଶୁଣୁଥିବାର ଦେଖି ସେ ଆସ୍ତେ ଆସ୍ତେ କହିଲା–ଆଉ ତୁମେ ମଧ୍ୟ ଏହା ବୁଝିବ ଅବା କିପରି ? କେବେ ଏମାନଙ୍କ ଭିତରେ ରହି ନାହଁ କିମ୍ୱା ଦିନକ ପାଇଁ ଏମାନଙ୍କ ସୁଖ–ଦୁଃଖ ଭୋଗ କରି ନାହଁ । ସେଥିପାଇଁ ବାହାରେ ରହି ବାହାର ଦେଶ ସହିତ ତୁଳନା କରି ଭାବିପାରୁଛ ଯେ ଏମାନଙ୍କର ଦୁଃଖର ସୀମା ନାହିଁ । ଯିଏ ବଡ଼ ଲୋକ ଜମିଦାର, ସେ ପଲାଉ ଖାଇ ବଞ୍ଚୁଥିଲାବେଳେ ସେ ତା’ର ଦରିଦ୍ର ପ୍ରଜାକୁ ପଖାଳ ଖାଉଥିବାର ଦେଖି ଯଦି ଭାବେ ଯେ ଏମାନଙ୍କର ଦୁଃଖର ସୀମା ନାହିଁ–ତା’ର ଯେପରି ଭୁଲ ହୁଏ, ତୁମର ମଧ୍ୟ ସେହିପରି ଭୁଲ ହୋଇଛି-!

 

କହିଲି ତୁମ ଯୁକ୍ତିଟା ଯଦିଓ ଆଇନ ଶାସ୍ତ୍ରର ଆଇନ ନୁହେଁ ତଥାପି ପଚାରୁଛି କିପରି ଭାବରେ ଜାଣିପାରିଲ ଯେ ଦେଶ ସମ୍ୱନ୍ଧରେ ମୋର ଏହାଠାରୁ ଅଧିକ ଜ୍ଞାନ ନାହିଁ ବୋଲି ?

 

ରାଜଲକ୍ଷ୍ମୀ କହିଲା–କିପରି ରହିବ ? ତୁମ ପରି ସ୍ୱାର୍ଥପର ଲୋକ ଏ ସଂସାରରେ ଆଉ କିଏ ଅଛି ? ଯିଏ ନିଜ ଆରାମ ପାଇଁ ଘୂରିବୁଲେ ସେ ଘରର ଖବର ଜାଣିବ ଅବା କେଉଁଠୁ ? ତୁମ ଭଳି ଲୋକ ଯିଏ କି ସମାଜର କୌଣସି ଖବର ରଖନ୍ତି ନାହିଁ ସେମାନେ ବେଶୀ ନିନ୍ଦା କରି ବୁଲନ୍ତି-। ତୁମେମାନେ ପରର ସମାଜକୁ ନା ଭଲ କରି ଚିହ୍ନ କିମ୍ୱା ନିଜ ସମାଜକୁ ଭଲ କରି ଜାଣ-

 

କହିଲି–ତାପରେ ?

 

ରାଜଲକ୍ଷ୍ମୀ କହିଲା–ତାପରେ ଏଇ ଯେପରି ବାହାରେ ରହି ବାହାରର ସାମାଜିକ ବ୍ୟବସ୍ଥାକୁ ତୁମେମାନେ ଭାବି ଭାବି ମର, ସେହିପରି ଆମେ ଝିଅମାନେ ଘରଭିତରେ ଆବଦ୍ଧ ରହି ଦିନରାତି କାମ କରି ଆମମାନଙ୍କ ପରି ଦୁଃଖୀ, ଆମମାନଙ୍କ ପରି ପୀଡ଼ିତ, ଆମମାନଙ୍କ ପରି ହୀନ, ଆଉ ବୋଧହୁଏ କୌଣସି ଦେଶର ଝିଅ ନଥିବେ ବୋଲି ମନେକରୁ । ଦିନ କେତେଟା ବାହାର ଦେଶର ଭାବନା ଛାଡ଼ି ନିଜ ଚିନ୍ତା କର ତ ଦେଖି ! ନିଜକୁ ଟିକିଏ ଉଚ୍ଚ କରିବା ପାଇଁ ଚେଷ୍ଟା କର–ଯଦି କୌଣସିଠାରେ ପ୍ରକୃତରେ କିଛି ଗଲତ ଥାଏ, ତେବେ ସେ ସେତିକିବେଳେ ହିଁ ଆଖିରେ ପଡ଼ିବ କିନ୍ତୁ ତା’ ଆଗରୁ କଦାପି ନୁହେଁ ।

 

କହିଲି–ତାପରେ ?

 

ଏଥର ରାଜଲକ୍ଷ୍ମୀ ରାଗ କରି କହିଲା–ତୁମେ ମୋତେ ଥଟ୍ଟା କରୁଛ, ସେ କଥା ମୁଁ ବୁଝିପାରୁଛି । କିନ୍ତୁ ପରିହାସ କରିବା କଥା ମୁଁ କହି ନାହିଁ । ଘରର ଯିଏ ମାଆ, ସିଏ କମ୍‌, ଏପରିକି ସମସ୍ତଙ୍କଠାରୁ କମ୍‌ ଖାଇଥାଏ । ଅନେକ ସମୟରେ ଚାକରଙ୍କଠାରୁ ମଧ୍ୟ ବେଶୀ ଖଟିବାକୁ ପଡ଼ିଥାଏ । କିନ୍ତୁ ସେମାନେ କଦାପି ଦୁଃଖରେ କାନ୍ଦି କାନ୍ଦି କହିବୁଲନ୍ତି ନାହିଁ । ବରଞ୍ଚ କହନ୍ତି ଆମକୁ ଦାସୀ ଭଳି ପଛେ ରହିବାକୁ ଦିଅ କିନ୍ତୁ ଅନ୍ୟଦେଶର ରାଣୀଙ୍କ ସହିତ ତୁଳନା କର ନାହିଁ । ମୁଁ ତୁମକୁ ଏଇ କଥା ହିଁ କହୁଥିଲି ।

 

କହିଲି–ତର୍କଶାସ୍ତ୍ର ଉପରେ ପାଦ ରଖି ମୋତେ ଡୁବାଇ ଦେବାକୁ ଚେଷ୍ଟା କରୁଛ ସତ, କିନ୍ତୁ ମୁଁ ଯେ ଯୁକ୍ତି କରିବା ପାଇଁ ଠିକ୍‌ ମାର୍ଗ ପାଉ ନାହିଁ ତା ମାନୁଛି !

 

ସେ କହିଲା–ଏଥିରେ ତର୍କ କରିବାର କିଛି ନାହିଁ ।

 

କହିଲି–ଥିଲେ ମଧ୍ୟ ସେଭଳି ଶକ୍ତି ତୁମର ନାହିଁ । ଭୀଷଣ ନିଦମାଡ଼ୁଛି । ତଥାପି କିନ୍ତୁ ତୁମ କଥାଟା ଗୋଟାଏ ପ୍ରକାରେ ବୁଝିପାରୁଛି ।

 

ରାଜଲକ୍ଷ୍ମୀ ଅଳ୍ପ ସମୟ ଚୁପ୍‌ ରହିବା ପରେ କହିଲା–ଆମ ଦେଶରେ ଯେଉଁଥିପାଇଁ ହେଉ କିନ୍ତୁ ଛୋଟ ବଡ଼ ଉଚ୍ଚ–ନୀଚ ସମସ୍ତଙ୍କ ଭିତରେ ଟଙ୍କାର ଲୋଭ ବଢ଼ିଯାଇଛି । କେହି ଆଜିକାଲି ଅଳ୍ପକରେ ସନ୍ତୁଷ୍ଟ ହେବାକୁ ଚାହାନ୍ତି ନାହିଁ–କିମ୍ୱା ଜାଣନ୍ତି ନାହିଁ । ଏହାଦ୍ୱାରା ଯେ କେତେ ଅମଙ୍ଗଳ ହେଉଛି ତାହା ମୁଁ ଜାଣିପାରିଛି ।

 

କହିଲି କଥାଟା ଅବଶ୍ୟ ସତ । କିନ୍ତୁ କିପରି ଜାଣିପାରିଲ ?

 

ରାଜଲକ୍ଷ୍ମୀ କହିଲା–ଟଙ୍କା ଲୋଭରେ ତ ଆଜି ଆମମାନଙ୍କ ଏପରି ଦଶା । କିନ୍ତୁ ଆଗକାଳରେ ବୋଧହୁଏ ଏତେ ଲୋଭ ନଥିଲା ।

 

କହିଲି ଏ ଇତିହାସଟା ମଧ୍ୟ ଜାଣି ନାହିଁ ।

 

ସେ କହିବାକୁ ଲାଗିଲା–ଆଦୌ ନଥିଲା । ସେତେବେଳେ ମାଆ, ଟଙ୍କା ଲୋଭରେ ଝିଅକୁ ଏପଥକୁ ପଠାଇ ଦେଉନଥିଲା । ସେତେବେଳେ ଧର୍ମଭାବ ଥିଲା । ଆଜି ତ ମୋର ଟଙ୍କାର ଅଭାବ ନାହିଁ କିନ୍ତୁ ମୋ ଭଳି ଦୁଃଖୀ କ’ଣ ଆଉ କିଏ ଅଛି ? ପଥର ଭିକାରି ଆଜି ମୋଠାରୁ ଢେର୍‌ ବେଶୀ ସୁଖୀ ।

 

ତା’ ହାତଟାକୁ ନିଜ ହାତ ଭିତରକୁ ଟାଣିନେଇ କହିଲି–ତୁମର କ’ଣ ପ୍ରକୃତରେ ଏତେ କଷ୍ଟ ?

 

ରାଜଲକ୍ଷ୍ମୀ ମୁହୂର୍ତ୍ତକ ପାଇଁ ନୀରବ ରହି ପଣତ କାନିରେ ଆଖିପୋଛି କହିଲା–ମୋ କଥା କେବଳ ଅନ୍ତର୍ଯ୍ୟାମୀଙ୍କୁ ହିଁ ଜଣା ।

 

ଏହାପରେ ଉଭୟେ ସ୍ତବ୍ଧ ହୋଇ ରହିଲୁ । ଗାଡ଼ିର ଗତି କ୍ରମଶଃ ଶିଥିଳ ହୋଇ ଗୋଟିଏ ଛୋଟ ଷ୍ଟେସନ ଉପରେ ଠିଆହେଲା । କିଛି ସମୟ ପରେ ପୁଣି ଚାଲିବାକୁ ଆରମ୍ଭ କଲାକ୍ଷଣି କହିଲି–କ’ଣ କଲେ ? ତୁମର ଅବଶିଷ୍ଟ ଜୀବନ ସୁଖରେ କଟିବ, କହିପାରିବ କି ?

 

ରାଜଲକ୍ଷ୍ମୀ କହିଲା–ସେ କଥା ମୁଁ ଭାବିକରି ଦେଖିଛି । ଯଦି ମୋର ସବୁ ଟଙ୍କା ଉଡ଼ି କୌଣସି ଉପାୟରେ ଚାଲିଯାଏ; କିଛି ନ ରହେ ଏବଂ ଏକବାରେ ନିରାଶ୍ରୟ ହୋଇପଡ଼େ ତାହାହେଲେ......

 

ପୁଣି ଦୁଇଜଣ ନୀରବ ହୋଇ ରହିଲୁ, ତା’ କଥାଟା ଏତେ ସ୍ପଷ୍ଟ ଯେ, ସମସ୍ତେ ବୁଝିପାରିବେ, ମୋର ମଧ୍ୟ ବୁଝିବାକୁ ବିଳମ୍ୱ ହେଲା ନାହିଁ । କିଛି ସମୟ ଚୁପ୍‌ ରହିବା ପରେ ପଚାରିଲି–ଏକଥା ତୁମର କେବେଠାରୁ ମନେହେଉଛି ?

 

ରାଜଲକ୍ଷ୍ମୀ କହିଲା–ଯେଉଁଦିନଠାରୁ ଅଭୟା କଥା ଶୁଣିଲି ସେଇଦିନଠାରୁ ।

 

କହିଲି, ସେମାନଙ୍କର ଜୀବନଯାତ୍ରା ତ ଏ ଭିତରେ ଶେଷ ହୋଇଯାଇ ନାହିଁ । ଭବିଷ୍ୟତରେ ସେମାନେ ଯେ କେତେ ଦୁଃଖ ପାଇବେ ଏକଥା ବୋଧହୁଏ ତୁମେ ଜାଣି ନାହଁ ।

 

ସେ ମୁଣ୍ଡ ହଲାଇ କହିଲା–ନା, ଜାଣିନି ସତ । ଯେତେ ଦୁଃଖ ସେମାନେ ପାଆନ୍ତୁ କିନ୍ତୁ ମୋଭଳି ଦୁଃଖ ଯେ ସେମାନେ କୌଣସିଦିନ ଭୋଗ କରିବେ ନାହିଁ, ଏକଥା ମୁଁ ଦୃଢ଼ତାର ସହ କହିପାରିବି ।

 

ପୁଣି କିଛି ସମୟ ନୀରବ ରହିବା ପରେ କହିଲି–ଲକ୍ଷ୍ମୀ, ତୁମ ପାଇଁ ମୁଁ ସର୍ବସ୍ୱ ତ୍ୟାଗ କରିପାରେ କିନ୍ତୁ ସଂଭ୍ରମ ତ୍ୟାଗ କରିବି କିପରି ?

 

ରାଜଲକ୍ଷ୍ମୀ କହିଲା–ମୁଁ କ’ଣ ତୁମକୁ ତାହା କରିବାକୁ କହୁଛି ? ଆଉ ସଂଭ୍ରମ ହେଉଛି ମନୁଷ୍ୟର ଅସଲ ଜିନିଷ । ସେତକ ଯଦି ତ୍ୟାଗ କରିପାରିବ ନାହିଁ ତେବେ ତ୍ୟାଗ କଥା ତୁଣ୍ଡରେ ଧରୁଛ କାହିଁକି ? ତୁମକୁ ତ କିଛି ତ୍ୟାଗ କରିବାକୁ କହୁ ନାହିଁ ।

 

କହିଲି–କହିନାହିଁ ସତ କିନ୍ତୁ କହିପାର । ସଂଭ୍ରମ ଯିବା ପରେ ପୁରୁଷ ବିସର୍ଜନ କରିବାକୁ ପଡ଼ିବ ନାହିଁ । କିନ୍ତୁ ତମେ କ’ଣ ମନେକର କେବଳ ତୁମମାନଙ୍କର ସଂଭ୍ରମ ଅଛି ଆଉ ଆମମାନଙ୍କର କିଛି ନାହିଁ ? ଆମମାନଙ୍କ ପକ୍ଷରେ କ’ଣ ତ୍ୟାଗ କରିବା ଏତେ ସହଜ ? ତଥାପି ତୁମମାନଙ୍କ ପାଇଁ କେତେ ସହସ୍ର ଝିଅ ଯେ ଏଇଟାକୁ ଧୂଳିପରି ଫିଙ୍ଗି ଦେଇଛନ୍ତି ସେ କଥା ବୋଧହୁଏ ତୁମେ ଜାଣିନାହଁ ସତ, କିନ୍ତୁ ମୁଁ ଜାଣେ ।

 

ମୁଁ କିଛି କହିବାକୁ ଯାଉଥିଲାବେଳେ ଯେ ମୋତେ ଧମକାଇଦେଇ କହିଲା–ଥାଉ, ଆଉ କଥା କହି ଲାଭ ନାହିଁ । ତୁମକୁ ଏତେଦିନ ଧରି ମୁଁ ଯାହା ଭାବି ଆସିଥିଲି, ସେଇଟା ମୋର ଭୁଲ । ଆଚ୍ଛା ତୁମେ ଶୋଇପାର । ଏ ବିଷୟରେ ଆଉ ମୁଁ କୌଣସିଦିନ କିଛି କହିବି ନାହିଁ । ତୁମେ ମଧ୍ୟ କହିବ ନାହିଁ । ଏତିକି କହି ସେ ଉଠିଯାଇ ଆପଣା ବେଞ୍ଚ ଉପରେ ବସିଲା ।

 

ପରଦିନ ଯଥା ସମୟରେ କାଶୀରେ ଆସି ପହଞ୍ଚିଲି ଏବଂ ପିଆରୀର ଘରେ ଆଶ୍ରୟ ଗ୍ରହଣ କଲି । ଉପରେ ଦୁଇଟି ଘର ବ୍ୟତୀତ ପ୍ରାୟ ଅଧିକାଂଶ ଘର କେବଳ ବିଧବାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ।

 

ପିଆରୀ କହିଲା–ଏମାନେ ସବୁ ମୋର ଭଡ଼ାଟିଆ–ତା’ପରେ ମୁହଁ ବୁଲାଇ ସେ ଟିକିଏ ହସିଦେଲା ।

 

କହିଲି–ହସିଲ ଯେ ? ଭଡ଼ା ବୋଧହୁଏ ଆଦାୟ ହୁଏ ନାହିଁ ?

 

ପିଆରୀ କହିଲା–ନା, ବରଞ୍ଚ କିଛି କିଛି ଦେବାକୁ ହୋଇଥାଏ ।

 

: ମାନେ ?

 

ପିଆରୀ ଏଥର ହସିଦେଇ କହିଲା–ତା’ର ମାନେ ଭବିଷ୍ୟତ ଆଶାରେ ମୋତେ ଖାଇବା, ପିଇବାକୁ ଦେଇ ସେମାନଙ୍କୁ ରଖିବାକୁ ପଡ଼ିଛି । ବଞ୍ଚିଥିଲେ ସିନା ପରେ ଦେବେ । ଏଇଟା ଆଉ ବୁଝିପାରୁ ନାହଁ ?

 

ମୁଁ ମଧ୍ୟ ହସିପକାଇ କହିଲି–ପାରିଲି କେଉଁଠୁ ? ଏପରି ଭାବରେ ଭବିଷ୍ୟତ ଆଶା ପାଇଁ କେତେ ଲୋକଙ୍କୁ ଯେ ତୁମକୁ ନୀରବରେ ଅନ୍ନବସ୍ତ୍ର ଯୋଗାଇବାକୁ ପଡ଼ୁଥିବ–ସେଇ କଥା ହିଁ ଭାବୁଛି ।

 

: ତାଛଡ଼ା ଜଣେ ଦୁଇଜଣ ମୋର କୁଟୁମ୍ୱ ଅଛନ୍ତି ।

 

: ସତରେ ନା କ’ଣ ? କିନ୍ତୁ ଜାଣିଲ କିପରି ?

 

ପିଆରୀ ସାମାନ୍ୟ ଶୁଖିଲା ହସଟିଏ ହସିଦେଇ କହିଲା–ମାଆ ସଙ୍ଗରେ ଆସି ଏଇ କାଶୀରେ ମୋର ଯେ ମୁରବି ହୋଇଥିଲା, ସେକଥା ବୋଧହୁଏ ତୁମର ଆଉ ମନେ ନାହିଁ ? ସେତେବେଳେ ଯେଉଁମାନେ ମୋର ଅସମୟରେ ସଦ୍‌ଗତି କରାଇଥିଲେ, ସେମାନଙ୍କ ଉପକାରକୁ ତ ପ୍ରାଣ ଥିବା ପର୍ଯ୍ୟନ୍ତ ଭୁଲି ହୋଇପାରେ ନାହିଁ ?

 

ଚୁପ୍ ହୋଇ ରହିଲି । ପିଆରୀ କହିବାକୁ ଲାଗିଲା–ବଡ଼ ଦୟାର୍ଦ୍ର ହୃଦୟ ଏମାନଙ୍କର । ସେଥିପାଇଁ ପାଖକୁ ଆଣି ଟିକିଏ କଡ଼ା ନଜରରେ ରଖିଛି ଯେପରି ଲୋକମାନଙ୍କର ଆଉ ବେଶୀ ଉପକାର କରିବା ପାଇଁ ସେମାନେ ସୁବିଧା ନ ପାଆନ୍ତେ ।

 

ତା’ ମୁହଁକୁ ଚାହିଁବାକ୍ଷଣି ହଠାତ୍‌ ମୋ ପାଟିରୁ ବାହାରିପଡ଼ିଲା–ତୁମ ବୁକୁଭିତରେ କ’ଣ ଯେ ଅଛି ମୋର ମଝିରେ ମଝିରେ ଚିରି ଦେଖିବାକୁ ଇଚ୍ଛାହୁଏ, ରାଜଲକ୍ଷ୍ମୀ ।

 

: ମରିଗଲା ପରେ ଦେଖିବ । ଆଚ୍ଛା, ଘର ଭିତରକୁ ଯାଇ ଆଗ ଟିକିଏ ଶୋଇପଡ଼ । ମୁଁ ଖାଇବାକୁ ତିଆରି କରିସାରିଲା ପରେ ତୁମକୁ ଉଠାଇଦେବି । ଏହା କହି ସେ ହାତଦ୍ୱାରା ଇଙ୍ଗିତ କରି ଘରଟା ମୋତଳେ ଦେଖାଇ ଦେଇ ସିଡ଼ିଦେଇ ତଳକୁ ଓହ୍ଲାଇଗଲା ।

 

ମୁଁ ଅନେକ ସମୟ ପର୍ଯ୍ୟନ୍ତ ସେହିଠାରେ ନୀରବରେ ଠିଆହୋଇ ତାହା ହୃଦୟରେ ଆଜି ସେପରି କୌଣସି ନୂତନ ପରିଚୟ ପାଇଲି ତାହା ନୁହେଁ, କିନ୍ତୁ ମୋ ନିଜ ହୃଦୟରେ ଏଇ ସାମାନ୍ୟ କାହାଣୀଟା ଗୋଟାଏ ନୂତନ ଆବର୍ତ୍ତ ସୃଷ୍ଟି କରିଦେଇଗଲା ।

 

ରାତିରେ ପିଆରୀ କହିଲା–ବୃଥାଟାରେ ତୁମକୁ ଏତେ କଷ୍ଟ ଦେଇ ଏଠାକୁ ନେଇଆସିଲି-। ଗୁରୁଦେବ ତୀର୍ଥ ଭ୍ରମଣ ପାଇଁ ବାହାରି ଯାଇଛନ୍ତି । ତାଙ୍କୁ ତୁମକୁ ଦେଖାଇପାରିଲି ନାହିଁ-

 

କହିଲି–ସେଥିପାଇଁ ମୁଁ ଏତେଟିକିଏ ଦୁଖିତ ନୁହେଁ । ପୁଣି କଲିକତା ଫେରିଯିବା ତ ?

 

ପିଆରୀ ମୁଣ୍ଡ ହଲାଇ କହିଲା–ହଁ ।

 

କହିଲି–ମୋ ସଙ୍ଗରେ ଫେରିବାର କ’ଣ ନିହାତି ଆବଶ୍ୟକ ଅଛି ? ଯଦି ନଥାଏ ତେବେ ମୁଁ ଟିକିଏ ପଶ୍ଚିମଆଡ଼େ ବୁଲି ଆସିବାକୁ ଚାହେଁ ।

 

ପିଆରୀ କହିଲା–ବଙ୍କୁ ବାହାଘର ତ ବର୍ତ୍ତମାନ ଡେରିଅଛି । ଚାଲନା ମୁଁ ମଧ୍ୟ ତୁମ ସଙ୍ଗରେ ଯାଇ ଟିକିଏ ପ୍ରୟାଗରେ ସ୍ନାନକରି ଆସିବି ।

 

ସାମାନ୍ୟ ଅଡ଼ୁଆରେ ପଡ଼ିଲି, ମୋର ଜ୍ଞାତ ସମ୍ପର୍କୀୟ ଗୋଟାଏ ବୁଢ଼ା ସେଠାରେ ବାସ କରୁଥିଲା । ମନେମନେ ଭାବିଥିଲି ଯାଇ ତାରି ବସାରେ ପହଞ୍ଚିବି । ତା’ ଛଡ଼ା ଆଉ କେତେକ ପରିଚିତ ଆତ୍ମୀୟ–ବନ୍ଧୁ ମଧ୍ୟ ସେଠାରେ ଅଛନ୍ତି ।

 

ପିଆରୀ ଆଖିପଲକମାତ୍ରେ ମୋ ମନକଥା ବୁଝିପାରି କହିଲା–କାଳେ ମୁଁ ସଙ୍ଗରେ ରହିଲେ କିଏ ଦେଖିପାରେ, ଏୟାନା ?

 

ଅପ୍ରତିଭ ହୋଇ କହିଲି–ବାସ୍ତବିକ୍‌ ଦୁର୍ନାମ ଜିନିଷଟା ଏପରି ଯେ, ଲୋକମାନେ ମିଥ୍ୟା ଦୁର୍ନାମକୁ ଭୟ ନକରି ରହିପାରନ୍ତି ନାହିଁ ।

 

ପିଆରୀ ବାଧ୍ୟହୋଇ ହସି କହିଲା–ପ୍ରକୃତରେ ଅବଶ୍ୟ ସେଇଟା ସତ । ଆରବର୍ଷ ଆରାରେ ତୁମକୁ କୋଳରେ ଧରି ମୋର ଦିନରାତି କଟିଗଲା । ଭାଗ୍ୟକୁ ସେ ଅବସ୍ଥାଟା କେହି ଦେଖିପାରିନାହାନ୍ତି । ସେଠାରେ ବୋଧହୁଏ ତୁମର କେହି ଚିହ୍ନା ପରିଚିତ ବନ୍ଧଫନ୍ଧୁ ନଥିଲେ ?

 

ଅତିଶୟ ଲଜ୍ଜିତ ହୋଇ କହିଲି–ମୋତେ ଖୁଣ୍ଟା ଦେବାଟା ବୃଥା, ମନୁଷ୍ୟ ହିସାବରେ ତୁମଠାରୁ ଯେ ମୁଁ ଅନେକ ଛୋଟ ସେକଥା ତ ଅସ୍ୱୀକାର କରିନାହିଁ ?

 

ପିଆରୀ ତୀକ୍ଷ୍‍ଣ କଣ୍ଠରେ କହିଉଠିଲା–ଖୁଣ୍ଟା ! ତୁମକୁ ତେବେ ଖୁଣ୍ଟା ଦେବାପାଇଁ ସେଠାକୁ ସେତେବେଳେ ଯାଇଥିଲି ? ଦେଖ, ମଣିଷକୁ କଷ୍ଟ ଦେବାପାଇଁ ଗୋଟାଏ ସୀମା ଅଛି । ସେଇଟା ଟପି ଯାଅନାହିଁ ।

 

କ୍ଷଣକ ପାଇଁ ସ୍ତବ୍ଧ ହୋଇ ଉଠି ପୁଣି କହିଉଠିଲା–କଳଙ୍କ ସତରେ ! ମୁଁ ହୋଇଥିଲେ ବରଞ୍ଚ ଏଇ କଳଙ୍କକୁ ମଥାରେ ଚନ୍ଦନ ପରି ଘେନି ଲୋକମାନଙ୍କୁ ଡାକି ଦେଖାଇଥାନ୍ତି । କିନ୍ତୁ ଏପରି କଥା କଦାପି ତୁଣ୍ଡରୁ କାଢ଼ିପାରନ୍ତି ନାହିଁ ।

 

ମୁଁ କହିଲି–ତୁମେ ମୋତେ ପ୍ରାଣ ଦେଇଛ । କିନ୍ତୁ ମୁଁ ଯେ ଗୋଟାଏ ଛୋଟଲୋକ ରାଜଲକ୍ଷ୍ମୀ । ଯାହା ଫଳରେ ତୁମ ସହିତ ମୋର ତୁଳନା ହୋଇପାରେ ନାହିଁ ।

 

ରାଜଲକ୍ଷ୍ମୀ ଦୃଢ଼ସ୍ୱରରେ କହିଲା–ପ୍ରାଣ ଯଦି ଦେଇଥାଏ, ତେବେ ସେ ନିଜ ଗରଜ ପାଇଁ ଦେଖିଛି । ତୁମ ଗରଜ ପାଇଁ ଦେଇନାହିଁ । ସେଥିପାଇଁ ତୁମକୁ ଏତେ ଟିକିଏ କୃତଜ୍ଞ ପଡ଼ିବ ନାହିଁ । କିନ୍ତୁ ଛୋଟଲୋକ ବୋଲି ତୁମକୁ ଭାବିପାରିନାହିଁ । ତାହାହେଲେ ତ ଗଳାରେ ଦଉଡ଼ି ବାନ୍ଧି ସୁବ ଜଞ୍ଜାଳରୁ ରକ୍ଷା ପାଇପାରିଥାନ୍ତି । ଏହା କରି ସେ ପ୍ରତ୍ୟୁତ୍ତର ପାଇଁ ଅପେକ୍ଷା ନକରି ଘରୁ ବାହାରି ଚାଲିଗଲା ।

 

ପରଦିନ ସକାଳେ ରାଜଲକ୍ଷ୍ମୀ ଚାହା ଦେଇ ନୀରବରେ ଚାଲିଯାଉଥିଲା । ଡାକି ପଚାରିଲି କ’ଣ କଥାବାର୍ତ୍ତା ବନ୍ଦ କି ?

 

ସେ ଫେରିପଡ଼ି ଠିଆହୋଇ ପଚାରିଲା–କ’ଣ କିଛି କହିବ କି ?

 

କହିଲି–ଚାଲ, ପ୍ରୟାଗ ଯାଇ ଟିକିଏ ବୁଲିଆସିବା ।

 

: ଭଲ, ପାଉନାହିଁ ।

 

: ତୁମେ ଚାଲ ।

 

: କ’ଣ ଅନୁଗ୍ରହ କରି ?

 

: ଇଚ୍ଛା ନାହିଁ ?

 

: ନା, ଯଦି ସମୟ ହେବ ଆଉ କେବେ ଯାଇପାରେ କିନ୍ତୁ ଏବେ ନୁହଁ–କହି ସେ ନିଜ କାମରେ ଚାଲିଗଲା ।

 

ମୋ ମୁହଁରୁ ଗୋଟାଏ ବଡ଼ ଦୀର୍ଘନିଶ୍ୱାସ କେବଳ ବାହାରିଗଲା ସିନା କିନ୍ତୁ କଥା ବାହାରିପାରିଲା ନାହିଁ ।

 

ଦି’ପହରେ ଖାଇବାବେଳେ ହସିଦେଇ କହିଲି–ଆଚ୍ଛା ଲକ୍ଷ୍ମୀ, ମୋ ସହିତ କଥା ନକହି ତୁମେ କ’ଣ ରହିପାରିବ ଯେ ଏପରି ସାଧ୍ୟ ସାଧନର ଚେଷ୍ଟା କରୁଛ ?

 

ରାଜଲକ୍ଷ୍ମୀ ଶାନ୍ତ ଗମ୍ଭୀର ମୁହଁରେ କହିଲା–ପାଖରେ ଥିଲେ କେହି ରହିପାରନ୍ତି ନାହିଁ । ମୁଁ ମଧ୍ୟ ପାରିବି ନାହିଁ । ତା’ ଛଡ଼ା ତା’ ମଧ୍ୟ ମୋ ଇଚ୍ଛା ନୁହେଁ ।

 

: ତେବେ ତୁମ ଇଚ୍ଛା କ’ଣ ?

 

ରାଜଲକ୍ଷ୍ମୀ କହିଲା–ମୁଁ କାଲିଠାରୁ ଠିକ୍‌ କରିଛି–ଏ ଟଣା ଘୋଷରା ଆଉ ଏଣିକି ବନ୍ଦ ନହେଲେ ନ ଚଳେ । ତୁମେ ମଧ୍ୟ ଏକପ୍ରକାର ସ୍ପଷ୍ଟ କରି ଜଣାଇଦେଇଛ ଏବଂ ମୁଁ ଏକରକମ ତାହା ବୁଝିପାରିଛି । ଭୁଲ ମୋର ହୋଇଛି । ସେକଥା ନିଜ ନିକଟରେ ମୁଁ ସ୍ୱୀକାର କରିଛି । କିନ୍ତୁ......

 

ତାକୁ ହଠାତ୍‌ ଅଟକିଯିବାର ଦେଖି ପଚାରିଲି–ତେବେ କିନ୍ତୁ କ’ଣ ?

 

ରାଜଲକ୍ଷ୍ମୀ କହିଲା–କିନ୍ତୁ କିଛି ନୁହେଁ, କିଭଳି ଯେ ନିର୍ଲ୍ଲଜୀ ପାଗେଳୀଙ୍କ ଭଳି ତୁମ ପଛେ ପଛେ ଯାଚିହୋଇ ଘୂରିବୁଲିଛି–କହି ସେ ହଠାତ୍‌ ମୁହଁକୁ ଘୃଣାରେ କୁଞ୍ଚିତ କରି କହିଲା–ପୁଅ କ’ଣ ଭାବିଥିବ । ଚାକର ବାକର ମଧ୍ୟ କ’ଣ ଭାବୁନଥିବେ । ଛିଃ–ଛିଃ, ଏସବୁ ଗୋଟାଏ ଲୋକହସା ବ୍ୟାପାର ହୋଇଉଠିଲାଣି ।

 

ପୁଣି ସାମାନ୍ୟ ଅଟକି ଯାଇ ସେ କହିଲା–ବୁଢ଼ୀ ବୟସରେ ଏଗୁଡ଼ାକ କ’ଣ ଆଉ ମୋତେ ଶୋଭାପାଉଛି ? ତୁମେ ଆଲାହାବାଦ ଯିବାପାଇଁ ଚାହିଁଥିଲ, ତେଣୁ ଯାଅ । ତେବେ ପାର ଯଦି, ବର୍ମା ଯିବା ଆଗରୁ ମୋତେ ଟିକିଏ ଦେଖାକରି ଯିବ । କହି ସେ ଚାଲିଗଲା ।

 

ସଙ୍ଗେ ସଙ୍ଗେ ମୋ କ୍ଷୁଧା ମଧ୍ୟ ଅନ୍ତର୍ଦ୍ଧାନ ହୋଇଗଲା । ତା’ ମୁହଁକୁ ଦେଖି ଆଜି ମୋର ପ୍ରଥମ ଜ୍ଞାନ ହେଲା ଯେ ଏସବୁ ମାନ ଅଭିମାନ ବ୍ୟାପାର ନୁହେଁ । ସେ ପ୍ରକୃତରେ ଭାବିଚିନ୍ତି ଏପରି କିଛି ସ୍ଥିର କରିବସିଛି ।

 

ଉପରଓଳି ଆଜି ହିନ୍ଦୁସ୍ଥାନୀ ଦାସୀ ଜଳଖିଆ ଧରି ଆସିବାକୁ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ପିଆରୀ ସମ୍ୱାଦ ପଚାରି ବସିଲି ଏବଂ ପ୍ରତ୍ୟୁତ୍ତରରେ ଅଧିକ ବିସ୍ମିତ ହୋଇ ଅବଗତ ହେଲି ଯେ–ପିଆରୀ ଘରେ ନାହିଁ । ସମାଜସଜା ହୋଇ ଘୋଡ଼ା ଗାଡ଼ିରେ କୁଆଡ଼େ ଯାଇଛି । ଘୋଡ଼ାଗାଡ଼ି ଅବା କେଉଁଠାରୁ ଆସିଲା ଏବଂ ବେଶଭୂଷା ହେବାର କ’ଣ ଦରକାର ପଡ଼ିଲା କିଛି ବୁଝିପାରିଲି ନାହିଁ । ତେବେ ସେ ନିଜେ କହିଥିବା କଥାଟା ମନେପଡ଼ିଥିଲା ଯେ–ସେ ଏଇ କାଶୀରେ ଦିନେ ମରିଥିଲା ।

 

ଯଦିଓ କିଛି ବୁଝିପାରିଲି ନାହିଁ ତଥାପି ଏଇ ସମସ୍ତ ସମ୍ୱାଦ ଶୁଣିବା ପରେ ମନରୁ ସରସତା ମରିଗଲା ।

 

ସନ୍ଧ୍ୟା ହେଲା, ଘରେ ଆଲୁଅ ଜଳିଲା, ତଥାପି ରାଜଲକ୍ଷ୍ମୀ ଫେରିଲା ନାହିଁ ।

 

କାନ୍ଧରେ ଚାଦର ପକାଇ ଟିକିଏ ବୁଲିଆସିବା ପାଇଁ ବାହାରିପଡ଼ିଲି । ବାଟଯାକ ବୁଲି ବୁଲି କେତେ କ’ଣ ଦେଖି, ଶୁଣି, ରାତି ଦଶଟା ପରେ ଘରକୁ ଆସି ଶୁଣିଲି ଯେ ସେପର୍ଯ୍ୟନ୍ତ ପିଆରୀ ଫେରିନାହିଁ । ଘଟଣା କ’ଣ ? କିପରି ଗୋଟାଏ ଭୟ ମନକୁ ଗ୍ରାସିଲା । ରତନକୁ ଡାକି ସମସ୍ତ ସଂକୋଚ ବର୍ଜନ କରି ଏ ସମ୍ୱନ୍ଧରେ ପଚାରି ବୁଝିବି କି ନାହିଁ ଭାବୁଛି ଏହି ସମୟରେ ଗାଡ଼ିଶବ୍ଦ ଶୁଣି ଝରକା ଭିତରୁ ଚାହିଁ ଦେଖିଲି ଗୋଟାଏ ଫିଟନ ଗାଡ଼ି ଆମ ଘର ଆଗରେ ଅଟକି ରହିଲା ।

 

ପିଆରୀ ଓହ୍ଲାଇ ଆସିଲା । ଜ୍ୟୋତ୍ସ୍ନା ଆଲୋକରେ ତା’ ଦେହରେ ଥିବା ହୀରାର ଅଳଙ୍କାର ସବୁ ଝକ୍‌ ଝକ୍‌ କରିଉଠିଲା । ଯେଉଁ ଦୁଇଜଣ ଭଦ୍ରଲୋକ ଗାଡ଼ିଭିତରେ ବସିଥିଲେ ସେମାନେ ବୋଧହୁଏ ମୃଦୁ କଣ୍ଠରେ ପିଆରୀକୁ ସମ୍ଭାଷଣ କରିଥିବେ, ତାହା ଶୁଣିପାରିଲି ନାହିଁ । ସେମାନେ ବଙ୍ଗାଳୀ କି ବିହାରୀ ତାହା ମଧ୍ୟ ଚିହ୍ନିପାରିଲି ନାହିଁ । ଚାବୁକ୍‌ ଖାଇ ଘୋଡ଼ାମାନେ ଗାଡ଼ିଟାକୁ ଆଖି ପଲକ ମାତ୍ର ଅତିକ୍ରମ କରାଇନେଇ ଚାଲିଗଲେ ।

 

ରାଜଲକ୍ଷ୍ମୀ ମୋ ଖବର ଶୁଣିବା ପାଇଁ ସେହି ସାଜ ପୋଷାକରେ ମୋ ଘରେ ଆସି ପ୍ରବେଶ କଲା ।

 

ମୁଁ ଡେଇଁପଡ଼ି ତାହା ଆଡ଼କୁ ଦକ୍ଷିଣ ହସ୍ତ ପ୍ରସାରିତ କରି ନାଟକୀୟ ଗଳାରେ କହିଲି–‘‘ଆରେ ପାଷାଣ୍ଡ ରୋହିଣୀ ! ତୁ ଗୋବିନ୍ଦ ଲାଲକୁ କ’ଣ ଚିହ୍ନିନାହୁଁ ? ଆହା ! ଆଜି ଯଦି ମୋର ଗୋଟାଏ ପିସ୍ତଲ ଥାନ୍ତା । କିମ୍ୱା ଗୋଟିଏ ତଲୁଆର ?’’

 

ରାଜଲକ୍ଷ୍ମୀ ଶୁଷ୍କ କଣ୍ଠରେ କହିଲା–ତାହାହେଲେ କ’ଣ କରନ୍ତ ? ଖୁନ୍‌ ?

 

ହସିଦେଇ କହିଲି–ନା ପିଆରୀ, ମୋର ଏତେବଡ଼ ନବାବୀ ସଉକ୍‌ ନାହିଁ । ତା’ ଛଡ଼ା ଏଇ ବଂଶ ଶତାବ୍ଦୀରେ ଏପରି ନିରାଧମ କିଏ ଅଛି ଯେ ସଂସାରର ଏତେବଡ଼ ଆନନ୍ଦ ଖଣିକୁ ପଥର ଦେଇ ବନ୍ଦ କରିଦେବ ? ବରଞ୍ଚ ଆଶୀର୍ବାଦ କରୁଛି ହେ ବାଇକୀ କୁଳାରାଣୀ ! ତୁମେ ଦୀର୍ଘଜୀବୀ ହୁଅ । ତୁମ ରୂପ ତ୍ରିଲୋକଜୟୀ ହେଉ, ତୁମ କଣ୍ଠ ବୀଣା ନିନ୍ଦିତ ଏବଂ ଏଇ ଦୁଇଟି ତରଣ କମଳର ନୃତ୍ୟ ଉର୍ବଶୀ ଓ ତିଳୋତ୍ତମା ଗର୍ବ କରୁ ଏବଂ ମୁଁ ଦୂରରେ ଥାଇ ତୁମର ଜୟଗାନ କରି ଧନ୍ୟ ହେଉଥାଏ ।

 

ପିଆରୀ କହିଲା–ଏସବୁ କଥାର ଅର୍ଥ ?

 

କହିଲି–ଅର୍ଥମନର୍ଥମ୍ । ସେ ଯାହାହେଉ ମୁଁ ଏଇ ଗୋଟାଏ ଟ୍ରେନରେ ବିଦାୟ ନେଉଛି-। ସଂପ୍ରତି ଗୟା, ପରେ ବଙ୍ଗାଳୀର ପରମ ତୀର୍ଥସ୍ଥାନ ଅର୍ଥାତ୍‌ ଚାକିରି ସ୍ଥାନ ବର୍ମା ଚାଲିଯିବି-। ଯଦି ସମୟ ଓ ସୁଯୋଗ ହୁଏ, ଦେଖା କରିଯିବି ।

 

: ମୁଁ କୁଆଡ଼େ ଯାଇଥିଲି ତାହା ତୁମେ ଶୁଣିବା ପାଇଁ କ’ଣ ଆବାଶ୍ୟକ ମନେକରୁ ନାହଁ-?

 

: ନାହିଁ ।

 

: ଏତିକି ଦେଖି ଘୃଣାରେ ତୁମେ କ’ଣ ସବୁଦିନ ପାଇଁ ଚାଲିଯାଉଛ ?

 

: ପାପ ମୁହଁରେ ଏକଥା ବର୍ତ୍ତମାନ କହିପାରୁ ନାହିଁ, ଏ ଗୋଲକଧନ୍ଦା ଯଦି ପାରିହୋଇପାରେ ତେବେ......

 

ପିଆରୀ କିଛି ସମୟ ଚୁପ୍‌ ହୋଇ ଠିଆହୋଇ ରହି କହିଲା–ତମେ କ’ଣ ମୋ ଉପରେ ଯାହା ଇଚ୍ଛା ତାହା ଅତ୍ୟାଚାର କରିପାରିବ ?

 

କହିଲି–ଯାହା ଇଚ୍ଛା । ଆଦୌ ନୁହେଁ । ବରଞ୍ଚ ଜ୍ଞାନ–ଅଜ୍ଞାନରେ ଯଦି ବିନ୍ଦୁ ମାତ୍ର କିଛି ଅତ୍ୟାଚାର କରିଥାଏ, ସେଥିପାଇଁ କ୍ଷମାଭିକ୍ଷା ମାଗୁଛି ।

 

: ଏହା ଅର୍ଥ ଆଜି ରାତିରେ ତୁମେ ଚାଲିଯିବ ?

 

: ହଁ ।

 

: ବିନା ଅପରାଧରେ ମୋତେ ଶାସ୍ତି ଦେବା ପାଇଁ ତୁମର କ’ଣ ଅଧିକାର ଅଛି ?

 

: ନା, ତିଳେମାତ୍ର ନାହିଁ । ମୋ ଯିବାଟାକୁ ଯଦି ଶାସ୍ତି ବୋଲି ମନେକରୁଥାଅ, ତାହାହେଲେ ଅଧିକାର ନିଶ୍ଚୟ ଅଛି ।

 

ପିଆରୀ ହଠାତ୍‌ ଉତ୍ତର ଦେଲା ନାହିଁ–ମୋ ମୁହଁକୁ କିଛି କ୍ଷଣ ନୀରବରେ ଚାହିଁ ରହି କହିଲା–ମୁଁ କୁଆଡ଼େ ଯାଇଥିଲି ଶୁଣିବ ନାହିଁ ?

 

: ନା, ମୋ ଅନୁମତି ନେଇ ଯାଇ ନାହିଁ ଯେ ଫେରିଆସି ଭ୍ରମଣ ବୃତ୍ତାନ୍ତ ଶୁଣାଇ ବସିବ-। ତା’ ଛଡ଼ା ମୋର ମଧ୍ୟ ସେଥିପାଇଁ ସମୟ ନାହିଁ ଏବଂ ପ୍ରବୃତ୍ତି ମଧ୍ୟ ନାହିଁ ।

 

ପିଆରୀ ଆହତ ଫଣିନୀ ଭଳି ହଠାତ୍‌ ଗର୍ଜିଉଠି କହିଲା–ମୋର ମଧ୍ୟ ଶୁଣାଇବାର ପ୍ରବୃତ୍ତି ନାହିଁ । ମୁଁ ମଧ୍ୟ କାହାର ଦାସୀ ନୁହେଁ ଯେ କୁଆଡ଼େ ଯିବି, ନଯିବି ସେଥିପାଇଁ ଅନୁମତି ଚାହିଁ ବସିବି । ଯିବ ଯଦି ଯାଅ......କହି ରୂପ ଓ ଅଳଙ୍କାରରେ ଗୋଟାଏ ତରଙ୍ଗ ତୋଳି ସେ ଦ୍ରୁତ ପଦରେ ଘରୁ ବାହାରିଗଲା ।

 

ଗାଡ଼ି ଡାକିବାକୁ ଯାଇଥିଲି । ଘଣ୍ଟାକ ପରେ ସଦର ଦରଜା ନିକଟରେ ଗାଡ଼ିଟିଏ ଆସି ଠିଆହେବା କ୍ଷଣି ବ୍ୟାଗ୍‌ ଖଣ୍ଡି ହାତରେ ଧରି ଯାଉଥିଲି, ଠିକ୍‌ ଏତିକିବେଳେ ପିଆରୀ ଆସି ପଛରେ ଠିଆହେଲା ।

 

କହିଲା–ଏ କ’ଣ ! ତୁମକୁ ଏ ସବୁ କ’ଣ ପିଲାଖେଳ ମନେହେଉଛି ? ମୋତେ ଏକା ଛାଡ଼ିଦେଇ ଚାଲିଯିବ, ଚାକର ବାକର ଏମାନେ କ’ଣ ଭାବିଥିବେ ? ତୁମେ କ’ଣ ଏମାନଙ୍କ ଆଗରେ ମୋ ମୁହଁରେ କାଳି ବୋଳିବାକୁ ଚାହୁଁଛ ?

 

ଫେରିପଡ଼ି କହିଲି–ତୁମ ଚାକର ବାକରମାନଙ୍କ ସଙ୍ଗେ ସେଥିପାଇଁ ତୁମେ ବୁଝାମଣା କର । ମୋ ସହିତ ତାହାର କୌଣସି ସମ୍ପର୍କ ନାହିଁ !

 

: ତାହା ନହେଲେ ନାହିଁ । ଫେରିଗଲେ ବଙ୍କୁକୁ ମୁଁ କି କୈଫୟତ୍‌ ଦେବି ?

 

: ଏଇଆ କହିବ ଯେ ସେ ପଶ୍ଚିମକୁ ବୁଲିଯାଇଛନ୍ତି ।

 

: ଏହା କ’ଣ ସେ ବିଶ୍ୱାସ କରିବ ?

 

: ଯାହା ସେ ବିଶ୍ୱାସ କରିବ ସେପରି କିଛି ଗୋଟାଏ ବାଗେଇ କରି କହିଦେବ ।

 

ପିଆରୀ କିଛି ସମୟ ନୀରବ ରହିବାପରେ କହିଲା–ଯଦି କିଛି ଅନ୍ୟାୟ କରିଥାଏ, ତା’ର କ’ଣ କ୍ଷମା ନାହିଁ ? ତୁମେ କ୍ଷମା ନ କରିଲେ ଆଉ କିଏ କରିବ ?

 

କହିଲି–ପିଆରୀ, ଏଗୁଡ଼ାକ ସେ ଦାସ, ଚାକରାଣୀ ପରି କଥା ହେଉଛି । ତୁମ ମୁହଁରେ ଏ ସବୁ ତ ଶୋଭା ପାଉନାହିଁ ?

 

ଏପରି ବିଦ୍ରୂପର ହଠାତ୍‌ କୌଣସି ଉତ୍ତର ପିଆରୀ ଦେଇପାରିଲା ନାହିଁ । ଆରକ୍ତ ମୁହଁରେ ଚୁପ୍‌ ହୋଇ ରହିଲା । ସେ ଯେ ପ୍ରାଣପଣେ ଆପଣାକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଛି, ତାହା ସୃଷ୍ଟି ବୁଝିପାରିଲି । ବାହାରେ ଥାଇ ଗାଡ଼ୁଆନ୍‌ ବିଳମ୍ୱର କାରଣ ପଚାରିବାରେ ଲାଗିଥାଏ । ମୁଁ ନୀରବରେ ବ୍ୟାଗଟା ହାତରେ ଧରି ଯିବାପାଇଁ ଉପକ୍ରମ କରିଚି ଏହି ସମୟରେ ପିଆରୀ ଲଥ କରି ମୋ ପାଦ ତଳେ ବସିପଡ଼ି ରୁଦ୍ଧ କଣ୍ଠରେ କହିଉଠିଲା–ମୁଁ ପ୍ରକୃତରେ ଯେ କୌଣସି ଅପରାଧ କରିପାରେ ନାହିଁ, ଏ କଥା ଜାଣି ସୁଦ୍ଧା ଯଦି ଶାସ୍ତି ଦେବାକୁ ଚାହୁଁଛ ତେବେ ନିଜ ହାତରେ ଦିଅ; କିନ୍ତୁ ଏଇ ଘରସାରା ଲୋକଙ୍କ ଆଗରେ ମୋ ମୁହଁ ତଳକୁ କରିଦିଅ ନାହିଁ । ଆଜି ତୁମେ ଏପରି ଭାବରେ ଚାଲିଗଲେ ମୁଁ ଆଉ କାହା ପାଖରେ କୌଣସି ଦିନ ମୁହଁ ଟେକି ଠିଆ ହୋଇପାରିବି ନାହିଁ-

 

ହାତରୁ ବ୍ୟାଗଟା ରଖିଦେଇ ଖଣ୍ଡିଏ ଚୌକିରେ ବସିପଡ଼ି କହିଲି–ଆଚ୍ଛା, ଆଜି ତୁମର ମୋର ଶେଷଥର ପାଇଁ ଗୋଟାଏ ବୁଝାମଣା ହୋଇଯାଉ । ତୁମର ଆଜିକାର ଆଚରଣ ମୁଁ ସାଫ କଲି । କିନ୍ତୁ ଅନେକ ଭାବିଚିନ୍ତି ମୁଁ ଦେଖିଛି ଆଉ ଦୁଇଜଣଙ୍କର ଦେଖା–ସାକ୍ଷାତ ହେବା ଆଦୌ ଉଚିତ୍‌ ହେବ ନାହିଁ ।

 

ପିଆରୀ ଏକାନ୍ତ ଉତ୍କଣ୍ଠିତ ମୁହଁକୁ ମୋଆଡ଼କୁ ଟେକି ସଭୟରେ ପ୍ରଶ୍ନକଲା–କାହିଁକି ?

 

: ଅପ୍ରିୟ ସତ୍ୟ ସହ୍ୟ କରିପାରିବ ?

 

କିନ୍ତୁ ଜଣେ ବ୍ୟଥା ସହିବା ପାଇଁ ସ୍ୱୀକାର କଲେ ସୁଦ୍ଧା ବ୍ୟଥା ଦେବା କାର୍ଯ୍ୟଟା କିଛି ସହଜ ହୋଇପାରେ ନାହିଁ । ମୋତେ ଅନେକ ସମୟ ପର୍ଯ୍ୟନ୍ତ ସ୍ତବଧ୍ ହୋଇ ବସି ଭାବିବାକୁ ପଡ଼ିଲା । କିନ୍ତୁ ଆଜି କୌଣସି ମତେ ମୁଁ ମୋର ସହକଳ୍ପକୁ ତ୍ୟାଗ କରିବି ନାହିଁ ବୋଲି ସ୍ଥିର କରିଥିଲି । ସେଥିପାଇଁ ଅବଶେଷରେ ଧୀରେ ଧୀରେ କହିଲି–ଲକ୍ଷ୍ମୀ ! ତୁମର ଆଜିର କାର୍ଯ୍ୟ, ଠିକ୍‌ ହୋଇଥିଲେ ସୁଦ୍ଧା ମୁଁ ମାଫ କରି ବସିଲି–କିନ୍ତୁ ତୁମେ ନିଜେ ଏ ଲୋଭ କୌଣସିମତେ ତ୍ୟାଗ କରିପାରିବ ନାହିଁ । ତୁମର ଅନେକ ଟଙ୍କା, ଅନେକ ରୂପ ଗୁଣ । ଅନେକଙ୍କ ଉପରେ ତୁମର ଅସୀମ ପ୍ରଭୁତ୍ୱ । ସଂସାରରେ ଏହାଠାରୁ ଆଉ ଲୋଭର ଜିନିଷ କିଛି ନାହିଁ । ତୁମେ ମୋତେ ଭଲପାଇପାର, ମୋ ପାଇଁ ଅନେକ ଦୁଃଖ ସହ୍ୟ କରିପାର ତଥାପି କିନ୍ତୁ ଏ ମୋହକୁ କୌଣସିମତେ ତ୍ୟାଗ କରିପାରିବ ନାହିଁ ।

 

ରାଜଲକ୍ଷ୍ମୀ ଦେବାକୁ ଯାଇ ମୁଁ କେବଳ ନୀରବ ରହିଲି । ସେ ନିଜେ ମଧ୍ୟ କିଛି ସମୟ ନୀରବ ରହି କହିଲା–ତାପରେ ?

 

କହିଲି–ତାପରେ ଦିନେ ଧୂଳିଘର ପରି ସବୁ ଭାଙ୍ଗିପଡ଼ିବ । ସେଦିନର ସେଇ ହୀନତାଠାରୁ ଆଜି ମୋତେ ତୁମେ ଚିରଦିନ ପାଇଁ ନିଷ୍କୃତ ଦିଅ । ତୁମ ନିକଟରେ ମୋର ଏତିକି ମାତ୍ର ପ୍ରାର୍ଥନା ।

 

ପିଆରୀ ବହୁତ ସମୟ ନତମୁଖରେ ନୀରବରେ ବସି ରହିଲା । ତାପରେ ଯେତେବେଳେ ମୁହଁଉପରକୁ ଉଠାଇଲା ଦେଖିଲି ତା’ ଦୁଇଆଖିରୁ ଅବିଶ୍ରାନ୍ତ ଲୁହ ଝରିଚାଲିଛି । ପଣତ କାନିରେ ଆଖିରୁ ଲୁହ ପୋଛି ସେ ପଚାରିଲା–ତୁମକୁ କ’ଣ କେବେ କୌଣସି ନୀଚ କାର୍ଯ୍ୟ କରିବା ପାଇଁ ମୁଁ ପ୍ରବର୍ତ୍ତାଇଛି ?

 

ଏହି ବିଗଳିତ ଅଶ୍ରୁଧାରା ଯାଇ ମୋ ଧୈର୍ଯ୍ୟର ଭିତ୍ତି ଭୂଇଁରେ ଆଘାତ କଲା । କିନ୍ତୁ ବାହାରକୁ କିଛି ପ୍ରକାଶ କରିବାକୁ ଦେଲି ନାହିଁ । ଶାନ୍ତ ଓ ଦୃଢ଼ତାର ସହିତ କହିଲି–ନା, କୌଣସି ଦିନ ନୁହଁ । ତୁମେ ନିଜେ ଛୋଟ ନୁହଁ । ଛୋଟ କାର୍ଯ୍ୟ ମଧ୍ୟ ତୁମେ କଦାପି କରିପାରିବ ନାହିଁ ଏବଂ ଅପରକୁ ମଧ୍ୟ କରିବାକୁ ଦେଇପାରିବ ନାହିଁ ।

 

ପୁଣି କହିଲି–କିନ୍ତୁ ଲୋକ ତ ମାନସା ପଣ୍ଡିତର ପାଠଶାଳାର ସେହି ରାଜଲକ୍ଷ୍ମୀଟିକୁ ଚିହ୍ନିବେ ନାହିଁ । ସେମାନେ କେବଳ ଚିହ୍ନନ୍ତି ପାଟନାର ପ୍ରସିଦ୍ଧ ପିଆରୀ ବାଈଜୀକୁ । ସେତେବେଳେ ସେ ଯେ ସଂସାର ଆଖିରେ କେତେ ଛୋଟ ହୋଇଯିବ ସେକଥା ତୁମେ କ’ଣ ଦେଖିପାରୁ ନାହଁ ? ତୁମେ ଅବା ସେଥିରେ କିପରି ବାଧା ଦେଇପାରିବ କହିଲ ?

 

ରାଜଲକ୍ଷ୍ମୀ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ି କହିଲା–ତାକୁ ତ ପ୍ରକୃତରେ ଛୋଟ ହେବା କୁହାଯିବ ନାହିଁ ।

 

କହିଲି–ଭଗବାନଙ୍କ ଦୃଷ୍ଟିରେ ନ ହୋଇପାରେ । କିନ୍ତୁ ସଂସାରର ଚକ୍ଷୁକୁ ତ ଉପେକ୍ଷା କରିହେବ ନାହିଁ ଲକ୍ଷ୍ମୀ !

 

ରାଜଲକ୍ଷ୍ମୀ କହିଲା–କିନ୍ତୁ ସେହି ଚକ୍ଷୁକୁ ତ ସମସ୍ତଙ୍କର ଆଗେ ମାନିବା ଉଚିତ୍ ।

 

କହିଲି–ଗୋଟାଏ ହିସାବରୁ ସେ କଥା ସତ୍ୟ । କିନ୍ତୁ ସେହି ଚକ୍ଷୁକୁ ତ ସଦାବେଳେ ଆମେମାନେ ଦେଖିବାକୁ ପାଉନାହୁଁ । ସେ ଦୃଷ୍ଟି ସଂସାରର ଦଶଜଣଙ୍କ ଭିତର ଦେଇ ପ୍ରକାଶପାଏ-। ତାକୁ ତ ଅସ୍ୱୀକାର କରିବାଟା ଅନ୍ୟାୟ ହେବ ଲକ୍ଷ୍ମୀ ।

 

ସେହି ଭୟରେ ତୁମେ ଏ ଜନ୍ମ ପାଇଁ ଛାଡ଼ି ଚାଲିଯିବ ?

 

କହିଲି–ପୁଣି ଦେଖାହେବ । ତୁମେ ଯେଉଁଠାରେ ଥାଅନା କାହିଁକି ବର୍ମାଯିବା ପୂର୍ବରୁ ମୁଁ ଆସି ପୁଣି ଥରେ ଦେଖାକରି ଯିବି ।

 

ରାଜଲକ୍ଷ୍ମୀ ପ୍ରବଳ ବେଗରେ ମୁଣ୍ଡ ହଲାଇ ଅଶ୍ରୁ ବିଜଡ଼ିତ କଣ୍ଠରେ କହିଲା ଯିବ ଯଦି ଯାଅ । ତୁମେ ମୋତେ ଯାହା କିଛି ଭାବନା କାହିଁକି, ମୋଠାରୁ ତୁମର ଧର୍ମ, ଏକଥା କେତେବେଳେ ହେଲେ ମାନିବାକୁ ମୁଁ ପ୍ରସ୍ତୁତ ନୁହେଁ । କହି ସେ ଦ୍ରୁତ ପଦରେ ଘରଛାଡ଼ି ଚାଲିଗଲା ।

 

ଘଡ଼ି ଖୋଲି ଦେଖିଲି ବର୍ତ୍ତମାନ ମଧ୍ୟ ଅଛି । ବର୍ତ୍ତମାନ ହୁଏତ ଗୋଟାଏ ଟ୍ରେନରେ ଯାଇପାରେ । ନୀରବରେ ବ୍ୟାଗଟା ହାତରେ ଧରି ଧୀରେ ଧୀରେ ଯାଇ ଗାଡ଼ିରେ ବସିଲି ।

 

ବକ୍‌ସିସ୍ ଲୋଭରେ ଗାଡ଼ିକୁ ପ୍ରାଣପଣେ ଛୁଟାଇ–ଗାଡ଼ୁଆନ ଷ୍ଟେସନରେ ନେଇ ପହଞ୍ଚାଇଦେଲା । କିନ୍ତୁ ସେହି ମୁହୂର୍ତ୍ତରେ ହିଁ ପଶ୍ଚିମ ଆଡ଼ର ଲମ୍ୱା ଟ୍ରେନଟା ଫ୍ଲାଟଫର୍ମ ଛାଡ଼ି ବହାରିଗଲା । ଖବର ନେଇ ଜାଣିପାରିଲି ଯେ ଅଧଘଣ୍ଟା ପରେ ଆଉ ଗୋଟାଏ ଟ୍ରେନ କଲିକତାକୁ ଛାଡ଼ିବ । ଭାବିଲି ତାହାହିଁ ଭଲ ହେବା ଗ୍ରାମର ମୁହଁ ବହୁଦିନ ହେବ ଦେଖିନାହିଁ, ସେଇ ଜଙ୍ଗଲରେ ଯାଇ ବାକି କେତେଟା ଦିନ ବିତାଇଦେବି ।

 

ସୁତରାଂ ପଶ୍ଚିମ ପରିବର୍ତ୍ତେ ପୂର୍ବଦିଗକୁ ଟିକଟ କିଣି ଅଧଘଣ୍ଟା ପରେ ଏକ ବିପରୀତଗାମୀ ବାଷ୍ପୀୟ ଶକଟରେ ବସି କାଶୀ ପରିତ୍ୟାଗ କଲି ।

 

ବହୁଦିନ ପରେ ଦିନେ ଅପରାହ୍ନ ସମୟରେ ଗାଆଁରେ ଆସି ପହଞ୍ଚିଲି, ମୋ ଘରଟା ଯେତେବେଳେ ମୋର ଆତ୍ମୀୟା ଏବଂ ସେମାନଙ୍କର ଆତ୍ମୀୟ–ଆତ୍ମୀୟାରେ ପରିପୂର୍ଣ୍ଣ । ସବୁ ଘରକୁ ଦଖଲ କରି ସେମାନେ ଆରାମରେ ସଂସାର ପାତି ବସିଛନ୍ତି । ମୋ ପାଇଁ ଛୁଞ୍ଚିଟିଏ ରଖିବା ଲାଗି ସ୍ଥାନ ନାହିଁ ।

 

ମୋର ଆକସ୍ମିକ ଆଗମନ ହେତୁ ଏବଂ ବାସ କରିବାର ସଂକଳ୍ପ ଶୁଣିବା କ୍ଷଣି ସେମାନେ ମୁହଁକୁ ବିଷଣ୍ଣ କରି କହିବାକୁ ଲାଗିଲେ–ଆହା ! ଏ’ତ ଆନନ୍ଦର କଥା, ଆହ୍ଲାଦର କଥା-। ଏଥର ବାହାସାହା ହୋଇ ଘର ସଂସାର କର ଶ୍ରୀକାନ୍ତ । ତାହା ଦେଖି ଆମମାନଙ୍କ ଆଖି ପବିତ୍ର ହେଉ ।

 

କହିଲି–ସେଥିପାଇଁ ତ ଆସିଛି । ବର୍ତ୍ତମାନ ଅନ୍ତତଃ ମୋ ମାଆ ରହୁଥିବା ଘରଟି ଛାଡ଼ିଦିଅ । ମୁଁ ହାତଗୋଡ଼ ମେଲାଇ ଟିକିଏ ଶୁଏ ।

 

ମୋ ବାପାଙ୍କର ଜଣେ ମାମୁ ଝିଅ ଉଭଣୀ ତାହାର ସ୍ୱାମୀ ପୁତ୍ରଙ୍କୁ ଧରି ସେଇ ଘରେ କିଛିଦିନ ହେବ ବାସ କରି ଆସୁଛନ୍ତି । ସେ ଆସି ଆଶ୍ଚର୍ଯ୍ୟ ହୋଇ କହିଲେ–ସତରେ !

 

କହିଲି–ଆଚ୍ଛା, ଆଚ୍ଛା । ମୁଁ ନହେଲେ ବାହାର ଘରେ ରହିବି । ଘରଭିତରେ ପଶି ଦେଖେ ଗୋଟିଏ କଣରେ ଚୁନ ଏବଂ ଆଉ ଗୋଟିଏ କୋଣରେ ସୁରକି ଗଦା ହୋଇଛି । ସେସବୁର ମାଲିକ କହିଲେ–ପ୍ରକୃତରେ ତ ! ଏଗୁଡ଼ାକୁ ସୁବିଧା ଦେଖି କେଉଁଠାକୁ ଉଠାଇନେବାକୁ ହେବ ଦେଖୁଛି । ତେବେ ଏ ଘରଟା ତ ଛୋଟ ନୁହେଁ । ଯେତେବେଳ ପର୍ଯ୍ୟନ୍ତ ଉଠା ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଏଇ କୋଣରେ ଗୋଟାଏ ତକ୍ତପୋଷ ପକାଇ.....କ’ଣ କହୁଛୁ ଶ୍ରୀକାନ୍ତ ?

 

କହିଲି–ଆଜି ରାତିଟା ପାଇଁ ସେହିପରି ପଛକେ ହେଉ ।

 

ପ୍ରକୃତରେ ଏପରି କ୍ଳାନ୍ତ ହୋଇପଡ଼ିଥିଲି ଯେ, ଯେକୌଣସିଠାରେ ଟିକିଏ ଶୋଇପଡ଼ିଲେ ବଞ୍ଚି ଯିବା ପରି ଲାଗୁଥାଏ । ବର୍ମାରେ ସେହି ଅସୁସ୍ଥତା ପରଠାରୁ ଏପର୍ଯ୍ୟନ୍ତ ସୁଦ୍ଧା ମୋ ଦେହ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ । ଭିତରେ ଭିତରେ ସଦାବେଳେ କିପରି ଗୋଟାଏ ଦୁର୍ବଳତା ଅନୁଭବ କରୁଥାଏ । ସନ୍ଧ୍ୟା ପରେ ମୁଣ୍ଡଟା କିପରି ବିନ୍ଧୁଥାଏ । ସେଇଥିପାଇଁ ଅବଶ୍ୟ ସେତେବେଳେ ଆଶ୍ଚର୍ଯ୍ୟ ହୋଇନଥିଲି ।

 

ରଙ୍ଗ ନାନୀ ଆସି କହିଲେ–ଗରମ ପାଇଁ ମୁଣ୍ଡ ବିନ୍ଧୁଛି । ଭାତଖାଇ ଶୋଇପଡ଼ିଲେ ସବୁ କମିଯିବ ।

 

ସେହିଆହିଁ ହେଲା । ଗୁରୁଜନମାନଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଅନ୍ନ ଆହାର କରି ଶର୍ଯ୍ୟା ଗ୍ରହଣ କଲି । ସକାଳେ ନିଦ ଭାଙ୍ଗିଲା ଆଚ୍ଛାରକମର ଜ୍ୱର ଧରି ।

 

ରଙ୍ଗନାନୀ ଆସି ଦେହରେ ହାତମାରି କହିଲେ ନା ଏଇଟା କିଛି ନୁହେଁ । ମେଲେରିଆ । ଏଥିରେ ଭାତ ଖାଇଲେ ଚଳିବ । କିନ୍ତୁ ଆଜି ଆଉ ଚୁପ୍ ହୋଇ ରହିପାରିଲି ନାହିଁ । କହିଲି–ନା, ରଙ୍ଗ ନାନୀ, ମୁଁ ବର୍ତ୍ତମାନ ଆଉ ତୁମ ମେଲେରିଆ ରାଜାର ପ୍ରଜା ନୁହେଁ । ତା’ ପାଦତଳେ ପଡ଼ି ଆଉ ମୁଁ ଅତ୍ୟାଚାର ସହିପାରିବି ନାହିଁ । ଆଜି ମୋର ଏକାଦଶୀ ।

 

ସାରାଦିନ ରାତି ବିତିଲା । ତାପରେ ଦିନ ଗଲା । ତାହା ପରଦିନ ମଧ୍ୟ କଟିଲା । ଜ୍ୱର ଛାଡ଼ିଲା ନାହିଁ । ବରଞ୍ଚ ଉତ୍ତୋରତ୍ତର ବଢ଼ିବାକୁ ଚାଲିଥିବାର ଦେଖି ମନେମନେ ଉଦ୍‌ବିଗ୍ନ ହୋଇଉଠିଲି । ଗୋବିନ୍ଦ–ଡାକ୍ତର ଏବେଳା ସେବେଳା ଆସିବାକୁ ଲାଗିଲେ । ନାଡ଼ିଚିପି ଜର ଦେଖି, ପେଟଚିପି ଭଲରକମର ମୁଖରୋଚକ ସୁସ୍ୱାଦୁ ଔଷଧ ଦେଇ ମାତ୍ର ‘‘କିଣାଦାମ୍’’ ତକ ଗ୍ରହଣ କରିବାକୁ ଲାଗିଲେ । କିନ୍ତୁ ଦିନପରେ ଦିନ ହୋଇ ସପ୍ତାହଟିଏ ବିତିବାକୁ ଲାଗିଲା । ବାପାଙ୍କ ମାମୁଁ ଯିଏକି ମୋର ମାମୁଁ ଅଜା ସେ କହିଲେ–ସେଠାକୁ ଖବର ଦେ, ତୋ ପିଉସୀ ଆସୁ, ଜ୍ୱରଟା ଯେପରି ହେଲେ କମିଯାଉ ।

 

ପୂରାପୂରି ମନା ନ କରିଲେ ମଧ୍ୟ ଜାଣିପାରିଲି ଯେ ମାମୁଁ ଅଜା ଟିକିଏ ଅଡ଼ୁଆରେ ପଡ଼ିଯାଇଛନ୍ତି । ଏପରି ଭାବରେ ଆଉ ଚାରି ପାଞ୍ଚଦିନ କଟିଗଲା । କିନ୍ତୁ ଜ୍ୱରର କିଛି ହେଲା ନାହିଁ । ସେଦିନ ଗୋବିନ୍ଦ ଡାକ୍ତର ଆସି ଯଥାରୀତି ଔଷଧ ଦେଇ ତିନିଦିନର ବାକି କିଣାଦାମତକ ମାଗି ବସିଲେ । ଶେଯରୁ କୌଣସିମତେ ଉଠି ହାତ ବଢ଼ାଇ ଦେଖେ ଆଉ ମନିବ୍ୟାଗ୍‌ଟା ନାହିଁ । ଶଙ୍କାରେ ମନ ପରିପୂର୍ଣ୍ଣ ହୋଇଉଠିଲା । ଉଠିକରି ଖୋଜି ବସିଲି । କିନ୍ତୁ ଯାହା ନାହିଁ ତାହା ଆଉ ମିଳିଲା ନାହିଁ ।

 

ଗୋବିନ୍ଦ ଡାକ୍ତର କଥାଟାକୁ ଅନୁମାନ କରି ବାରମ୍ୱାର ପ୍ରଶ୍ନ କରିବାକୁ ଲାଗିଲେ–କ’ଣ କିଛି ହଜିଯାଇଛି କି ?

 

କହିଲି–ଆଜ୍ଞା–ନା କିଛି ଯାଇ ନାହିଁ । କିନ୍ତୁ ତାଙ୍କର ଔଷଧ ଦାମ୍ ଯେତେବେଳେ ଦେଇପାରିଲି ନାହିଁ ସେତେବେଳେ ସେ ସବୁ ବୁଝିପାରିଲେ । ସ୍ତମ୍ଭୀତ ଭାବରେ କିଛି ସମୟ ଠିଆହୋଇ ସେ ପଚାରିଲେ–‘‘ଥିଲା କେତେ ?

 

: ଯତ୍ ସାମାନ୍ୟ ।

 

ଚାବିଟାକୁ ଟିକିଏ ସାବଧାନ ରଖିବ ବାବୁ । ଯାହାହେଉ, ତୁମେ ତ ମୋର ପର ନୁହଁ । ଦାମ୍ ପାଇଁ ଭାବନା କର ନାହିଁ । ଆଗ ଭଲ ହୋଇସାର । ତାପରେ ଯେତେବେଳେ ସୁବିଧା ହେବ ସେତେବେଳେ ସୁବିଧା ଦେଖି ପଠାଇଦେବ । ଦେଖ, ଚିକିତ୍ସାରେ ଯେପରି ତ୍ରୁଟି ନହୁଏ । ଏହା କହି ଡାକ୍ତରବାବୁ ପର ହେଲେ ମଧ୍ୟ ଆତ୍ମୀୟଙ୍କଠାରୁ ଅଧିକ ହୋଇ ମୋତେ ସାନ୍ତ୍ୱନା ଦେଇ ଚାଲିଗଲେ-

 

ପଛରୁ ଡାକି କହିଲି–ଆଜ୍ଞା, ଏକଥା ଯେପରି କେହି ନ ଶୁଣନ୍ତି ।

 

ଡାକ୍ତର ବାବୁ କହିଲେ–ଆଚ୍ଛା, ଆଚ୍ଛା, ସେ କଥା ପରେ ବୁଝାଯିବ ।

 

ପଡ଼ା ଗାଆଁରେ ବିଶ୍ୱାସ ଉପରେ ଟଙ୍କା ଧାର ଦେବାର ପ୍ରଥା ନାହିଁ । ଟଙ୍କା କାହିଁକି, ଯଦି ଗୋଟାଏ ସୁଉକି ସିମିତି ଧାର ମାଗି ବସିବ ତେବେ ସମସ୍ତେ ଭାବିବେ ଉପହାସ କରୁଛ ବୋଲି, ସୁତରାଂ ମୁଁ ଚେଷ୍ଟା ମଧ୍ୟ କଲି ନାହିଁ । ପ୍ରଥମରୁ ଠିକ୍ କରିଥିଲି ଯେ ଏ କଥା ରାଜଲକ୍ଷ୍ମୀକୁ ଜଣାଇବି ନାହିଁ । ଟିକିଏ ସୁସ୍ଥ ହେଲା ପରେ ଯାହା କରିବାର କଥା କରିବି । ହୁଏତ ଅଭୟା ପାଖକୁ ଲେଖି କିଛି ଟଙ୍କା ମଗାଇ ଆଣିବି । ମନଭିତରେ ଏଇ ସଂକଳ୍ପ ଥିଲା । କିନ୍ତୁ ସେଥିପାଇଁ ସମୟ ମିଳିଲା ନାହିଁ । ହଠାତ୍ ଯତ୍ନର ଅବସ୍ଥା ଉଦୟରୁ ଆରମ୍ଭ ହୋଇ ଅସ୍ତ ହେଲା ପରି ଜଣାପଡ଼ିବାରୁ ବୁଝିପାରିଲି ଯେ ମୋର ବିପଦଟା ଘରଭିତରେ ଆଉ କାହାକୁ ଅବିଦିତ ନାହିଁ ।

 

ଅବସ୍ଥାଟା ସଂକ୍ଷେପରେ ଜଣାଇ ରାଜଲକ୍ଷ୍ମୀ ପାଖକୁ ଚିଠି ଖଣ୍ଡିଏ ଲେଖି ବସିଲି ସତ, କିନ୍ତୁ ନିଜକୁ ଏପରି ହୀନ, ଏପରି ଅପମାନିତ ବୋଧ କରିବାକୁ ଲାଗିଲି ଯେକୌଣସିମତେ ଚିଠିଟା ପଠାଇପାରିଲି ନାହିଁ । ଚିରି ଫିଙ୍ଗିଦେଲି । ପରଦିନ ଏପରି ଭାବରେ କଟିଲା । ତାହାପରେ ଆଉ କୌଣସିମତେ ରହି ହେଲା ନାହିଁ । ସେଦିନ ଆଉ କୌଣସି ବାଟ ନ ଦେଖି ଅବଶେଷରେ ଏକପ୍ରକାର ମରିଗଲା ପରି ହୋଇ କିଛି ଟଙ୍କା ପାଇଁ ରାଜଲକ୍ଷ୍ମୀ ପାଖକୁ କଲିକତା ଓ ପାଟନା ଠିକଣାରେ ଚିଠି ଖଣ୍ଡିଏ ଲେଖି ପଠାଇଦେଲି ।

 

ସେ ଯେ ଟଙ୍କା ପଠାଇବ ଏଥିରେ କୌଣସି ମତେ ସନ୍ଦେହ ନଥିଲା, ତଥାପି ସେଦିନ ସକାଳ ହେଉ ନ ହେଉଣୁ କିପରି ଉତ୍କଣ୍ଠିତ ହୋଇ ଡାକ ପିଅନ ଅପେକ୍ଷାରେ ଆଗର ଖୋଲା ଝରକା ଦେଇ ବାହାରକୁ ଚାହିଁ ରହିଥାଏ ।

 

ସମୟ ଗଡ଼ି ଚାଲିଲା । ଆଜି ଆଉ ଟଙ୍କାର ଆଶା ନାହିଁ, ମନେମନେ ଭାବି କରଲେଉଟାଇ ଶୋଇବାକୁ ଉପକ୍ରମ କରୁଛି ଦୂରରେ ଗୋଟିଏ ଗାଡ଼ିର ଶବ୍ଦ ଶୁଣି ତକିଆ ଉପରେ ଭରାଦେଇ ଉଠି ବସିଲି । ଗାଡ଼ି ଆସି ଠିକ୍ ମୋ ଆଗରେ ଅଟକି ଗଲା । ଦେଖିଲି କୋଚମ୍ୟାନ ପାଖରେ ରତନ ବସିଛି । ସେ ତଳକୁ ଆସି ଗାଡ଼ିର ଦରଜା ଖୋଲିବା କ୍ଷଣି ଯାହା ଦେଖିବାକୁ ପାଇଲି ତାହା ସତ୍ୟ ବୋଲି ବିଶ୍ୱାସ କରିବା ବଡ଼ କଠିନ ।

 

ପ୍ରକାଶ୍ୟ ଦିନ ବେଳରେ ଏଇ ଗାଆଁର ରାସ୍ତାଉପରେ ଯେ ରାଜଲକ୍ଷ୍ମୀ ଆସି ଠିଆ ହୋଇପାରେ, ତାହା ମୋର ଚିନ୍ତାର ଅତୀତ ଥିଲା ।

 

ରତନ କହିଲା–ଏଇ ଯେ ବାବୁ !

 

ରାଜଲକ୍ଷ୍ମୀ କେବଳ ଥରକ ପାଇଁ ମୋ ଆଡ଼େ ଚାହିଁଲା ମାତ୍ର । ଗାଡ଼ୁଆନ୍ କହିଲା–ମାଆ, ଡେରିହେବ କି ? ଯଦି କହିବେ ଘୋଡ଼ାଙ୍କୁ ଟିକିଏ ଖୋଲିଦେବି ?

 

ଟିକିଏ ଠିଆ ହଅ କହି ସେ ଅବିଚଳିତ ଭାବରେ ଧୀର ପଦକ୍ଷେପର ମୋ ଘର ଭିତରକୁ ଆସି ପ୍ରବେଶ କଲା । ପ୍ରମାଣ କରି ମୋ ପାଦରୁ ଧୂଳି ନେଇ ମଥାରେ ମାରିଲି । ତାପରେ ହାତମାରି ମୋ କପାଳ, ମୋ ଛାତିରେ ଉତ୍ତାପ ଅନୁଭବ କଲା ପରେ କହିଲା–ବର୍ତ୍ତମାନ ଆଉ ଜ୍ୱର ନାହିଁ । ଏ ବେଳାର ସାତଟାରେ ଗାଡ଼ିରେ ଗଲେ ଚଳିବ କି ? ଘୋଡ଼ା ଖୋଲିଦେବାକୁ କହିବି ?

 

ମୁଁ ଅଭିଭୂତ ହୋଇ ତା’ ମୁହଁକୁ କେବଳ ଚାହିଁ ରହିଲି । କହିଲି–ଏଇ ଦୁଇଦିନ ହେବ ଜ୍ୱର ଆସି ନାହିଁ । ମୋତେ କ’ଣ ନେଇଯିବା ପାଇଁ ଚାହୁଁଛ ?

 

ରାଜଲକ୍ଷ୍ମୀ କହିଲା–ନହେଲେ ଆଜି ଥାଉ । ରାତିରେ ଆଉ ଯାଇ କିଛି ଲାଭ ନାହିଁ । ଥଣ୍ଡା ଲାଗିପାରେ । କାଲି ସକାଳେ ଯିବା ।

 

ଏତେବେଳକୁ ଯେପରି ମୋର ଚୈତନ୍ୟ ଫେରିଆସିଲା । ପଚାରିଲି–ଏ ପଡ଼ା ଗାଆଁରେ ତୁମେ ପଶିଲ କିପରି ? ତୁମେ କ’ଣ ମନେକରୁଛ ତୁମକୁ କେହି ଏ ଗାଆଁରେ ଚିହ୍ନିପାରିବେ ନାହିଁ ।

 

ରାଜଲକ୍ଷ୍ମୀ କହିଲା–ବେଶ୍ ସେ ଯାହାହେଉ । ଏଠାରେ ଯେତେବେଳେ ମଣିଷ ହେଲି, ସେତେବେଳେ ଏଠାରେ ମୋତେ କ’ଣ କେହି ଚିହ୍ନିପାରିବେ ନାହିଁ ? ଯିଏ ଦେଖିବ ସିଏ ନିଶ୍ଚୟ ଚିହ୍ନିପାରିବ ।

 

: ତେବେ ?

 

: କ’ଣ କରିବି କୁହ ? ସେଇଟା ହେଉଛି ମୋର ଭାଗ୍ୟ । ନଚେତ୍ ତୁମେ ଦେହ ଖରାପ କରି ଏଠାରେ ଆସି କାହିଁକି ପଡ଼ନ୍ତ ?

 

: ଆସିଲ କାହିଁକି ? ଟଙ୍କା ମାଗିଥିଲି । ପଠାଇ ଦେଇଥିଲେ ତ ହୋଇଥାନ୍ତା ?

 

: ତାହା କ’ଣ କେବେ ହୋଇପାରେ ? ଏତେଦୂର ଅସୁସ୍ଥ ଥିବାର ଖବର ଶୁଣିବା ପରେ ମୁଁ କ’ଣ ସ୍ଥିର ହୋଇ ରହିପାରିଥାନ୍ତି ?

 

କହିଲି–ତୁମେ ହୁଏତ ଆତ୍ମସ୍ଥ ହେଲ । କିନ୍ତୁ ମୋତେ ଯେ ଭୟଙ୍କର ଅସୁସ୍ଥ କରିପକାଇଲ । ବର୍ତ୍ତମାନ ସମସ୍ତେ ଆସି ପହଞ୍ଚିବେ । ସେତେବେଳେ ତୁମେ ଅବା ମୁହଁ ଦେଖାଇବ କିପରି ? ମୁଁ ଅବା କ’ଣ କିପରି ଜବାବ ଦେବି ?

 

ରାଜଲକ୍ଷ୍ମୀ ମୋର କପାଳ ସ୍ପର୍ଶ କରି ପ୍ରତ୍ୟୁତ୍ତରରେ କେବଳ ଏତିକି କହିଲା–ଜବାବ ଆଉ କ’ଣ ଦେବ ? ସେଇଟା ମୋର ଅଦୃଷ୍ଟ !

 

ତାହାର ଉପେକ୍ଷା ଓ ଔଦାସିନତାରେ ନିତାନ୍ତ ଅସହିଷ୍ଣୁ ହୋଇ କହିଲି–ଅଦୃଷ୍ଟ ତ ସତ ! କିନ୍ତୁ ଲାଜ ସରମର ମୁଣ୍ଡ କ’ଣ ଏକବାରେ ଖାଇ ବସିଛ ? ଏଠାରେ ମୁହଁ ଦେଖାଇବାକୁ ତୁମକୁ ଟିକିଏ ସରମ ଲାଗିଲା ନାହିଁ ?

 

ରାଜଲକ୍ଷ୍ମୀ ସେହିଭଳି ଉଦାସ କଣ୍ଠରେ କହିଲା–ଏଣିକି ମୋର ଲାଜ ସରମ ଯାହା ଅଛି ସେ ସବୁ ତ ତୁମେ ।

 

ଏହାପରେ ଆଉ କହିବାର କ’ଣ ଥିଲା ! କିମ୍ୱା ଶୁଣିବାର ଅବା କ’ଣ ଥିଲା ! ତେଣୁ ଆଖିବୁଜି କେବଳ ଚୁପ୍ ହୋଇପଡ଼ି ରହିଲି ।

 

କିଛି ସମୟ ପରେ ପଚାରିଲି–ବଙ୍କୁର ବିବାହ ନିବିଘ୍ନରେ ହୋଇଯାଇଛି ତ ?

 

ରାଜଲକ୍ଷ୍ମୀ କହିଲା–ହଁ ।

 

: ବର୍ତ୍ତମାନ ଏଠାକୁ କେଉଁଠାରୁ ଆସିଲ ? କ’ଣ କଲିକତାରୁ ?

 

: ନା, ପାଟନାରୁ । ସେହିଠାରେ ହିଁ ତୁମ ଚିଠି ପାଇଲି ।

 

: ମୋତେ ନେଇକରି ଯିବ କେଉଁଠାକୁ ? ପାଟନାକୁ ?

 

ରାଜଲକ୍ଷ୍ମୀ ଟିକିଏ ଚିନ୍ତାକରି କହିଲା–ଥରକପାଇଁ ତୁମକୁ ତ ସେଠାକୁ ଯିବାକୁ ହିଁ ପଡ଼ିବ-। ଆଗ କଲିକତା ପର୍ଯ୍ୟନ୍ତ ଚାଲ । ସେଠାରେ ଦେଖି–ଶୁଣି ଭଲ ମନକଲେ...ତାପରେ....

 

: ଆଉ ତା’ର ପରେ ଅବା ମୋତେ ପାଟନାକୁ ଯିବାକୁ ହେବ କାହିଁକି ଶୁଣେ ?

 

ରାଜଲକ୍ଷ୍ମୀ କହିଲା–ଦାନପତ୍ର ତ ସେଇଠାରେ ରେଜେଷ୍ଟ୍ରୀ କରିବାକୁ ହିଁ ହେବ । ଲେଖାପଢ଼ା ସବୁ ଏକରକମ କରିଦେଇ ସେଠାରେ ରଖିଦେଇ ଆସିଛି । କିନ୍ତୁ ତୁମ ହୁକୁମ ବ୍ୟତୀତ ତ ଆଉ ପାରିବ ନାହିଁ ।

 

ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲି–କାହାକୁ କ’ଣ ଦେଲ ? କି ଦାନପତ୍ର !

 

ରାଜଲକ୍ଷ୍ମୀ କହିଲା–କୋଠା ଦୁଇଟା ତ ବଙ୍କୁ ନେଇଛି । କେବଳ କାଶୀର କୋଠାଟା ଗୁରୁଦେବଙ୍କୁ ଦେବି ବୋଲି ଭାବିଛି । ଆଉ କମ୍ପାନୀର କାଗଜପତ୍ର, ଗହଣାଗାଣ୍ଠିଗୁଡ଼ାକ ତ ମୋ ବୁଦ୍ଧି ବିବେଚନାରେ ଏକରକମ ଭାଗ କରିଦେଇ ଆସିଛି । ବର୍ତ୍ତମାନ କେବଳ ତୁମେ କହିଲେ ହିଁ.....

 

ବିସ୍ମୟର ଆଉ ସୀମା ରହିଲା ନାହିଁ । କହିଲି–ତାହାହେଲେ ତୁମ ନିଜର ହୋଇ ରହିଲା କ’ଣ ! ବଙ୍କୁ ଯଦି ତୁମ ଭାର ନ ନିଏ ? ବର୍ତ୍ତମାନ ତା’ ନିଜର ସଂସାର ହେଲା । ଯଦି ଶେଷରେ ତୁମକୁ ଖାଇବାକୁ ନ ଦିଏ ?

 

: ମୁଁ କ’ଣ ତାକୁ ଆଶା କରିଛି କି ? ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଇ କ’ଣ ପୁଣି ତାରି ହାତଟେକାକୁ ଶେଷରେ ଚାହିଁ ବସିବି ? ତୁମେ ତ ଦେଖୁଛି ଆଚ୍ଛା ଲୋକ !

 

ଧୈର୍ଯ୍ୟ ଆଉ ସମ୍ୱରଣ ନ କରିପାରି ଉଠିକରି ବସିପଡ଼ି କ୍ରୁଦ୍ଧ ସ୍ୱରରେ କହିଲି–ହରିଶ୍ଚିନ୍ଦ୍ରଙ୍କ ଭଳି ଏ ଦୁର୍ବୁଦ୍ଧି ତୁମକୁ କିଏ ଦେଲା ? ଖାଇବ କ’ଣ ? ବୁଢ଼ୀ ଦିନେ କାହାର ଗଳଗ୍ରହ ହୋଇ ରହିବ ?

ରାଜଲକ୍ଷ୍ମୀ କହିଲା–ତୁମକୁ ରାଗ କରିବାକୁ ହେବ ନାହିଁ । ଚୁପ୍‌କରି ଶୋଇପଡ଼ । ମୋତେ ଏ ବୁଦ୍ଧି ଯିଏ ଦେଇଛି ସେ ହିଁ ଖାଇବାକୁ ଦେବ । ମୁଁ ହଜାର ବୁଢ଼ୀ ହେଲେ ମଧ୍ୟ ସେ କଦାପି ମୋତେ ଗଳଗ୍ରହ ବୋଲି ଭାବିବ ନାହିଁ । ମିଛଟାରେ ମୁଣ୍ଡ ଗରମ କରନାହିଁ । ଚୁପହୋଇ ଶୋଇପଡ଼ ।

ଚୁପ୍ ହୋଇ ଶୋଇପଡ଼ିଲି । ଆଗର ଖୋଲା ଝରକା ଦେଇ ଅସ୍ତୋନ୍‌ମୁଖ ସୂର୍ଯ୍ୟଙ୍କର ରଞ୍ଜିତ ବିଚିତ୍ର ଆକାଶ ଆଖିରେ ପଡ଼ିଲା । ସ୍ୱପ୍ନାବିଷ୍ଟ ଭଳି ଅପଲକ ନେତ୍ରରେ ସେଆଡ଼େ ଚାହିଁବାକ୍ଷଣି ମନହେବାକୁ ଲାଗିଲା; ଏପରି ଅପରୂପ ଶୋଭାର ସୌନ୍ଦର୍ଯ୍ୟରେ ଯେପରି ବିଶ୍ୱଭୁବନ ଭାସିଯିବାକୁ ଲାଗିଛି । ତ୍ରିସଂସାର ମଧ୍ୟରେ ରୋଗ, ଶୋକ, ଅଭାବ, ଅଭିଯୋଗ, ହିଂସା, ଦ୍ୱେଷ, କେଉଁଠାରେ ଯେପରି କିଛି ନାହିଁ ।

ଏହି ନିର୍ବାକ୍ ନିସ୍ତବ୍‌ଧତାରେ ମଗ୍ନ ହୋଇ ଯେଉଁ ଭୟଙ୍କର କେତେ ସମୟ କଟିଗଲା ବୋଧହୁଏ କେହି ହିସାବ କରିପାରୁନାହୁଁ । ହଠାତ୍ ଦ୍ୱାରବନ୍ଧ ନିକଟରେ ଗଳାଶବ୍ଦ ଶୁଣି ଦୁହେଁ ଚମକିଉଠିଲୁ ଏବଂ ରାଜଲକ୍ଷ୍ମୀ ଶର୍ଯ୍ୟା ଛାଡ଼ି ଉଠିବା ପୂର୍ବରୁ ଡାକ୍ତରବାବୁ, ପ୍ରସନ୍ନ ମାମୁଁ ଅଜାଙ୍କୁ ଧରି ଘର ଭିତରକୁ ପ୍ରବେଶ କରିବାକୁ ଲାଗିଥିଲେ ।

ହଠାତ୍ ରାଜଲକ୍ଷ୍ମୀ ପ୍ରତି ଦୃଷ୍ଟି ପଡ଼ିବାକ୍ଷଣି ସେମାନେ ଥମକି ଠିଆହୋଇଗଲେ । ଅଜା ଯେତେବେଳେ ଦିବାନିଦ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ଖବରଟା ତାଙ୍କ କାନକୁ ଯାଇଥିଲା ଯେ କଲିକତାରୁ କିଏ ଜଣେ ବନ୍ଧୁ ଗାଡ଼ିକରି ମୋ ପାଖକୁ ଆସିଛନ୍ତି କିନ୍ତୁ ସିଏ ଯେ ଜଣେ ସ୍ତ୍ରୀଲୋକ ହୋଇପାରନ୍ତି ତାହା ବୋଧହୁଏ କାହାର କଳ୍ପନାକୁ ଆସିନଥିଲା । ସେଥିପାଇଁ ବୋଧହୁଏ ଘରଭିତରୁ କେହି ଝିଅ ବାହାରକୁ ବାହାରି ନାହାଁନ୍ତି ।

 

ଅଜା ବଡ଼ ବିଚକ୍ଷଣ ଲୋକ । ସେ କିଛି ସମୟ ଧରି ରାଜଲକ୍ଷ୍ମୀର ଆନତ ମୁଖପ୍ରତି ଦୃଷ୍ଟିପାତ କରି କହିଲେ–ଝିଅଟି କିଏ ଶ୍ରୀକାନ୍ତ ? ଯେପରି ଚିହ୍ନିଲା ପରି ମନେହେଉଛି ।

 

ଡାକ୍ତରବାବୁ ମଧ୍ୟ ସଙ୍ଗେ ସଙ୍ଗେ କହିଉଠିଲେ–କକେଇ, ମୋର ଯେପରି ମନେହେଉଛି ଏହାଙ୍କୁ କେଉଁଠି ମୁଁ ମଧ୍ୟ ଦେଖିଛି ।

 

ମୁଁ ଆଡ଼ ଆଖିରେ ଚାହିଁ ଦେଖିଲି–ରାଜଲକ୍ଷ୍ମୀର ମୁହଁଟା ଯେପରି ମଡ଼ା ମୁହଁ ଭଳି ସାଦା ହୋଇଉଠିଛି । ସେହି ସମୟ ମଧ୍ୟରେ କିଏ ଯେପରି ମୋ ହୃଦୟ ଭିତରୁ କହିଉଠିଲା–ଶ୍ରୀକାନ୍ତ ! ଏଇ ସର୍ବସ୍ୱତ୍ୟାଗୀ ଝିଅଟି କେବଳ ତୋରିପାଇଁ ଏଇ ଦୁଃଖକୁ ସ୍ୱେଚ୍ଛାରେ ମଥାରେ ତୋଳି ନେଇଛି-

 

ମୋର ସାରା ଦେହ କଣ୍ଟକିତ ହୋଇଉଠିଲା–ମନେମନେ କହିଲି–ମୋର ଆଜି ସତ୍ୟରେ ଆବଶ୍ୟକତା ନାହିଁ । ମୁଁ ମିଥ୍ୟାକୁ ଆଜି ମୁଣ୍ଡରେ ଟେକିଧରିବି ଏବଂ ପରକ୍ଷଣରେ ତା’ ହାତରେ ହାତରଖି କହିଲି–ତୁମେ ତ ସ୍ୱାମୀର ସେବା କରିବା ପାଇଁ ଆସିଛ ଲକ୍ଷ୍ମୀ । ଏଥିରେ ଲଜ୍ଜ୍ୟା କରିବାର କ’ଣ ଅଛି ? ଏମାନେ ହେଲେ ମାମୁଁଅଜା ଏବଂ ଡାକ୍ତରବାବୁ, ଏମାନଙ୍କୁ ପ୍ରଣାମ କର ।

 

ପଲକମାତ୍ରେ ଦୁଇଜଣଙ୍କର ଚାରିଆଖି ଏକ ହୋଇଗଲା । ତାହାପରେ ରାଜଲକ୍ଷ୍ମୀ ଉଠିଯାଇ ଦୁହିଁଙ୍କୁ ପ୍ରଣାମ କଲା ।

Image

 

 

 

 

 

 

 

 

 

 

 

 

 

ଶ୍ରୀକାନ୍ତ

ତୃତୀୟ ଭାଗ

 

ଦିନେ ଯେଉଁ ଭ୍ରମଣ କାହାଣୀ ମଝିରେ ଅକସ୍ମାତ୍ ଯବନିକା ଟାଣି ବିଦାୟ ନେଇଯାଇଥିଲି, ପୁଣି ଆଉଦିନେ ତାହାକୁ ଉଦ୍‌ଘାଟିତ କରିବାକୁ ମୋର ପ୍ରବୃତ୍ତି ନଥିଲା । ଆମ ସେଇ ପଲ୍ଲୀ ଗ୍ରାମର ଯିଏ ଅଜା ସେ ଯେତେବେଳେ ମୋର ସେହି ନାଟକୀୟ ଉକ୍ତିର ପ୍ରତ୍ୟୁତ୍ତରରେ କେବଳ ଟିକିଏ ମୁରୁକି ହସିଲେ ଏବଂ ରାଜଲକ୍ଷ୍ମୀର ଭୂମିଷ୍ଠ ପ୍ରଣାମର ପ୍ରତ୍ୟୁତ୍ତରରେ ଯେପରି ଭାବରେ ଦୁଇପାଦ ପଛକୁ ଘୁଞ୍ଚିଯାଇ କହିଲେ–ସତରେ ନା କ’ଣ ? ଆହା ! ଆଚ୍ଛା, ଆଚ୍ଛା, ଦୀର୍ଘଜୀବୀ ହୁଅ; କହି ସକୌତୁକରେ ଡାକ୍ତରଟିକୁ ସଙ୍ଗରେ ଧରି ବାହାରି ଚାଲିଗଲେ ସେତେବେଳେ ରାଜଲକ୍ଷ୍ମୀ ମୁହଁର ଯେଉଁ ଛବି ଦେଖିଲି ତାହା ଭୁଲିବାର ବସ୍ତୁ ନୁହେଁ; ଏବଂ ଏ ପର୍ଯ୍ୟନ୍ତ ମଧ୍ୟ ଭୁଲିନାହିଁ । ଭାବିଥିଲି ସେ ମୋର ଏକାନ୍ତ ନିଜର ଏବଂ ଏହା ଯେପରି ବାହାରେ କେହି ନ ଜାଣିପାରନ୍ତି । କିନ୍ତୁ ବର୍ତ୍ତମାନ ଭାବୁଛି ଏ ଖୁବ୍ ଭଲ ହେଲା ଯେ ବହୁଦିନରୁ ସେହି ବନ୍ଦ ‘ଦୁଆର’କୁ ମୋତେ ହିଁ ଖୋଲିଦେବାକୁ ହେଲା । ଯେଉଁ ଅଜଣା ଉଦ୍ଦେଶ୍ୟରେ ବାହାରର କ୍ରୁଦ୍ଧ ସଂଶୟ ଅବିଚାରର ରୂପଧରି ନିରନ୍ତର ଧକ୍‌କା ଦେବାକୁ ଲାଗିଥିଲା–ଏହା ଭଲହେଲା ଯେ ସେଇ ଅବରୁଦ୍ଧ ଦ୍ୱାର ନିଜ ହାତରେ ଅର୍ଗଳମୁକ୍ତ କରିବାର ଅବକାଶ ମୁଁ ପାଇପାରିଲି ।

 

ଅଜା ଚାଲିଗଲେ । ରାଜଲକ୍ଷ୍ମୀ କ୍ଷଣକ ପାଇଁ ତାଙ୍କୁ ସ୍ତବ୍‌ଧ ଭାବରେ ଚାହିଁ ରହିଲା । ତାପରେ ମୁହଁଉଠାଇ ଟିକିଏ ହସିବା ପାଇଁ ନିଷ୍ଫଳ ଚେଷ୍ଟା କରି କହିଲା–ପାଦଧୂଳି ନେବାପାଇଁ ଯାଇ ମୁଁ ତାଙ୍କୁ ଛୁଇଁବସି ନ ଥା’ନ୍ତି କିନ୍ତୁ ତୁମେ କାହିଁକି ଏକଥା କହିବାକୁ ଗଲ ? ସେପରି ତ କିଛି ଦରକାର ନଥିଲା ! ଏ କେବଳ........

 

ବାସ୍ତବିକ ମୁଁ କେବଳ ହିଁ ଆପଣାକୁ ଆପେ ଅପମାନ କଲି । ପ୍ରକୃତରେ ତାହାର କୌଣସି ପ୍ରୟୋଜନ ନଥିଲା । ବଜାରର ବାଈଜୀ ଅପେକ୍ଷା ବିଧବା ବିବାହିତା ପତ୍ନୀ ଏମାନଙ୍କ ନିକଟରେ ଉଚ୍ଚ ଆସନ ପାଏ ନାହିଁ । ନିଜେ ତଳକୁ ଓହ୍ଲାଇଗଲି ସିନା କିନ୍ତୁ କାହାକୁ ଏତେ ଟିକିଏ ଉପରକୁ ଉଠାଇପାରିଲି ନାହିଁ । ଏଇ କଥା ବୋଧହୁଏ କହିବାକୁ ଯାଇ ଆଉ ରାଜଲକ୍ଷ୍ମୀ ଶେଷ କରିପାରିଲା ନାହିଁ ।

 

ସବୁକଥା ବୁଝିପାରିଲି । ଆଉ ଏଇ ଅପମାନିତା ସମ୍ମୁଖରେ ବଡ଼ ବଡ଼ କଥା କହି ଆସ୍ଫାଳନ କରି କଥା ବଢ଼ାଇବା ପାଇଁ ପ୍ରବୃତ୍ତି ହେଲାନାହିଁ । ଯେପରି ନିଃଶବ୍ଦରେ ପଡ଼ିରହିଥିଲି, ସେହିପରି ନୀରବରେ ପଡ଼ିରହିଲି ।

 

ରାଜଲକ୍ଷ୍ମୀ ଅନେକ ସମୟ ପର୍ଯ୍ୟନ୍ତ ପଦଟିଏ ହେଲେ କଥା କହିଲା ନାହିଁ । ସତେ ଯେପରି ନିଜ ଚିନ୍ତାରେ ନିଜେ ବୁଡ଼ି ରହିଲା । ଏହି ସମୟରେ ହଠାତ୍ ଅତି ନିକଟରେ କାହାର ଡାକ ଶୁଣି ଯେପରି ତା’ର ଚମକ ଭାଙ୍ଗିଗଲା । ସେ ଠିଆ ହୋଇପଡ଼ିଲା । ରତନକୁ ଡାକି କହିଲା–ଗାଡ଼ିଟା ଶୀଘ୍ର ଠିକ୍ କରିବାକୁ କହିଦେ । ନହେଲେ ସେଇ ରାତି ଏଗାରଟା ଟ୍ରେନରେ ଆମକୁ ଯିବାକୁ ହେବ । କିନ୍ତୁ ସେକଥା କୌଣସିମତେ ହୋଇପାରିବ ନାହିଁ । କାରଣ ଥଣ୍ଡା ଲାଗିବ ।

 

ଦଶ ମିନିଟ୍ ଭିତରେ ରତନ ଆସି ମୋ ବ୍ୟାଗ୍‌ଟା ନେଇ ଗାଡ଼ିଭିତରେ ରଖିଦେଲା ଏବଂ ମୋର ଶୋଇବା ବିଛଣାଟାକୁ ବାନ୍ଧିନେବା ପାଇଁ ଇଙ୍ଗିତ ଦ୍ୱାରା ଜଣାଇଲା । ତା’ ପରଠାରୁ ଆଉ ପଦଟିଏ ହେଲେ କଥା ମୁଁ କହିନାହିଁ ଏବଂ ଏବେ ମଧ୍ୟ କୌଣସି ପ୍ରଶ୍ନ କଲିନାହିଁ । କେଉଁଠାକୁ ଯିବାକୁ ହେବ ଏବଂ କ’ଣ କରିବାକୁ ହେବ କିଛିହେଲେ ନ ପଚାରି ନୀରବରେ ଉଠି ଧୀରେ ଧୀରେ ଗାଡ଼ିରେ ଯାଇ ବସିଲି ।

 

ଅଳ୍ପ କେତେଦିନ ତଳେ ଏଇପରି ଏକ ସନ୍ଧ୍ୟାବେଳେ ନିଜ ଘରେ ପ୍ରବେଶ କରିଥିଲି । ଆଉ ଆଜି ସେହିପରି ଏକ ସନ୍ଧ୍ୟାବେଳେ ଘରୁ ନୀରବରେ ବାହାରିଗଲି । ସେଦିନ କେହି ମତେ ଆଦର କରି ଗ୍ରହଣ କରିନଥିଲେ କିମ୍ୱା ଆଜି ମଧ୍ୟ କେହି ସସ୍ନେହରେ ବିଦାୟ ଦେବାକୁ ଆଗେଇ ଆସିଲେ ନାହିଁ । ସେଦିନ ମଧ୍ୟ ଏପରି ଘରେ ଘରେ ଏଇପରି ଶଙ୍ଖ ବାଜିବାକୁ ଆରମ୍ଭ କରିଥିଲା । ଏପରି ବସୁ ମଲ୍ଲିକଙ୍କର ଗୋପାଳ ମନ୍ଦିରରୁ ଆରତିର ଘଣ୍ଟାଧ୍ୱନି ପବନରେ ଅସ୍ପଷ୍ଟ ହୋଇ ଭାସି ଆସୁଥିଲା । ତଥାପି ସେଦିନ ସହିତ ଆଜିକାର ପ୍ରଭେଦଟା ଯେ କେତେବଡ଼, ତାହା କେବଳ ଆକାଶର ଦେବତାମାନେ ହିଁ ଦେଖିବାକୁ ପାଇଲେ ।

 

ବଙ୍ଗଳାର ଗୋଟିଏ ନଗଣ୍ୟ ପଲ୍ଲୀର ଜୀର୍ଣ୍ଣ ଗୃହପ୍ରତି ମୋର ମମତା କୌଣସି କାଳେ ନଥିଲା ଏବଂ ଏଥିରୁ ବଞ୍ଚିତ ହେବାଟାକୁ ମୁଁ କେବେ କ୍ଷତିକର ବୋଲି ବିବେଚନା କରିନଥିଲି । କିନ୍ତୁ ଆଜି ଯେତେବେଳେ ନିହାତି ଅନାଦର ଭିତରେ ଏ ଗ୍ରାମ ପରିତ୍ୟାଗ କରିଯାଉଛି ଏବଂ କସ୍ମିନ୍ କାଳେ ଏଠାକୁ ଆଉ ଫେରିଆସିବାକୁ ଯେତେବେଳେ ମନରେ ସ୍ଥାନ ଦେଇପାରୁନଥିଲି, ସେତେବେଳେ ଏଇ ଅସ୍ୱାସ୍ଥ୍ୟକର, ସାମାନ୍ୟ ଗ୍ରାମଖଣ୍ଡି ମୋ ଆଖିଆଗରେ ଅସାମାନ୍ୟ ହୋଇ ଦେଖାଦେବାକୁ ଲାଗିଲା । ଏବଂ ଯେଉଁ ଘରୁ ବର୍ତ୍ତମାନ ନିର୍ବାସିତ ହୋଇ ଆସିଲି, ସେହି ମୋର ପିତୃ ପିତାମହମାନଙ୍କର ଜୀର୍ଣ୍ଣ–ମଳିନ ଘର ଖଣ୍ଡିକ ପ୍ରତି ଆଜି ମୋର ଲୋଭର ସୀମା ରହିଲା ନାହିଁ ।

 

ରାଜଲକ୍ଷ୍ମୀ ନୀରବରେ ଗାଡ଼ିଭିତରେ ପ୍ରବେଶ କରି ମୋ ଆଗରେ ଆସନ ଗ୍ରହଣ କଲା ଏବଂ ବୋଧହୁଏ କାଳେ କୌଣସି ଅପରିଚିତ ପଥିକର ଅଶୋଭନ କୌତୂହଳକୁ ଦେଖିପାରିବ ସେଇ ଆଶଙ୍କାରେ ଗାଡ଼ିର ଗୋଟିଏ କଣରେ ମୁଣ୍ଡରଖି ଆଖିଦୁଇଟି ବୁଜିଦେଲା ।

 

ଯେତେବେଳେ ଆମେମାନେ ରେଳଷ୍ଟେସନ ଆଡ଼କୁ ଯାତ୍ରା ଆରମ୍ଭ କରିଥିଲୁ ସେତେବେଳେ ସୂର୍ଯ୍ୟଦେବ ଅନେକବେଳୁ ଅସ୍ତ ହୋଇଗଲେଣି । ଅଙ୍କାବଙ୍କା ଗ୍ରାମ୍ୟପଥରେ ଦୁଇଧାରରେ ଯଦ୍ଦୃଚ୍ଛା–ବର୍ଦ୍ଧିତ ଭଇଁଞ୍ଚି ଏବଂ ବେତବଣ ସଂକୀର୍ଣ୍ଣ ପଥଟିକୁ ସଂକୀର୍ଣ୍ଣତର କରି ପକାଇଥାଏ ଏବଂ ମୁଣ୍ଡଉପରେ ଆମ୍ୱ ଓ ପଣସ ଗଛର ଶାଖା ପ୍ରଶାଖାଗୁଡ଼ିକ ଅନେକ ସ୍ଥାନରେ ଯେପରି ସନ୍ଧ୍ୟାର ଅନ୍ଧକାରକୁ ଆହୁରି ଦୁର୍ଭେଦ୍ୟ କରି ପକାଇଥାନ୍ତି ।

 

ଏହା ଭିତରଦେଇ ଗାଡ଼ି ଯେତେବେଳେ ସାବଧାନରେ ଅତି ଧୀରେ ମନ୍ଥର ଗତିରେ ଚାଲିବାକୁ ଲାଗିଲା, ମୁଁ ସେତେବେଳେ ଦୁଇଆଖି ମେଲି ସେଇ ନିବିଡ଼ ଅନ୍ଧକାର ଭିତରେ କେତେ କ’ଣ ଦେଖିବାକୁ ଲାଗିଲି । ମନେହେଲା ଦିନେ ଏଇ ବାଟଦେଇ ମୋ ଜେଜେବାପା ବୁଢ଼ୀମାଆଙ୍କୁ ବାହାହୋଇ ଯେତେବେଳେ ଆଣିଥିଲେ ସେତେବେଳେ ଏହି ପଥ ବର, ବରଯାତ୍ରୀଙ୍କ କୋଳାହଳରେ ପ୍ରତି ପାଦେ ପାଦେ ମୁଖରିତ ହୋଇଉଠିଥିଲା । ଆଉଦିନେ ସେମାନେ ଯେତେବେଳେ ସ୍ୱର୍ଗାରୋହଣ କଲେ ସେତେବେଳେ ଏଇ ପଥଦେଇ ପଡ଼ୋଶୀମାନେ ତାଙ୍କ ଶବକୁ କାନ୍ଧରେ ଧରି ନଦୀକୁ ବୋହିନେଇଥିଲେ । ଏହି ପଥଦେଇ ମୋ ମାଆ ଦିନେ ବଧୂ ବେଶରେ ଘରେ ପ୍ରବେଶ କରିଥିଲେ ଆଉ ପୁଣି ଯେତେବେଳେ ଦିନେ ତାଙ୍କ ଜୀବନର ସମାପ୍ତି ଘଟିଲା, ସେତେବେଳେ ଧୂଳି ବାଲିର ଏଇ ଅପ୍ରଶସ୍ତ ପଥଦେଇ ମୁଁ ତାକୁ ନେଇ ଗଙ୍ଗାରେ ବିସର୍ଜନ କରିଦେଇ ଆସିଥିଲି । ସେତେବେଳେ ଏଇ ପଥ ଏପରି ନିର୍ଜନ କିମ୍ୱା ଦୁର୍ଗମ ହୋଇନଥିଲା । ସେତେବେଳେ ଦେଶରେ ଅନ୍ନଥିଲା, ବସ୍ତ୍ରଥିଲା, ଆଉ ଧର୍ମଥିଲା, ଆଉ ଧର୍ମଥିଲା । ସେତେବେଳେ ବୋଧହୁଏ ଦେଶର ନିରାନନ୍ଦ ଏପରି ଭୟଙ୍କର ଶୂନ୍ୟତାରେ ସମଗ୍ର ଆକାଶ ବ୍ୟାପୀ, ଭଗବାନଙ୍କ ଦ୍ୱାର ପର୍ଯ୍ୟନ୍ତ ଠେଲି ହୋଇଯାଇନଥିଲା ।

 

ଦୁଇଆଖି ମୋର ଲୁହରେ ଭରିଉଠିଲା । ଗାଡ଼ିର ଚକାରୁ କିଛି ଧୂଳି ନେଇ ତରତର ହୋଇ ମୁଣ୍ଡରେ ଲଗାଇ ମନେମନେ କହିବାକୁ ଲାଗିଲି–ହେ, ମୋର ପିତୃ–ପିତାମହ ପୁରୁଷର ସୁଖ ଦୁଃଖରେ, ହସକାନ୍ଦରେ, ବିପଦ ସଂପଦରେ ସାଥୀ ଧୂଳିର ପଥ, ତୁମକୁ ମୁଁ ବାରମ୍ୱାର ନମସ୍କାର କରୁଛି । ଅନ୍ଧକାର ବଣ ଭିତରକୁ ଚାହିଁ କହିଲି–ମାଆ ଜନ୍ମଭୂଇଁ, ତୁମର ବହୁକୋଟୀ ଅକୃତୀ ସନ୍ତାନଙ୍କ ଭଳି ମୁଁ ମଧ୍ୟ କେବେ ତୁମକୁ ଭଲପାଇପାରି ନାହିଁ, ଆଉ କେବେ ତୁମ ସେବାରେ, ତୁମ କାର୍ଯ୍ୟରେ ତୁମ ପାଖକୁ ଫେରିଆସି ପାରିବି କି ନାହିଁ ଜାଣେ ନାହିଁ, କିନ୍ତୁ ଆଜି ଏଇ ନିର୍ବାସନ ପଥରେ ଅନ୍ଧକାର ଭିତରେ ତୁମର ଯେଉଁ ଦୁଃଖିନୀ ମୂର୍ତ୍ତି ମୋ ଆଖିର ଲୁହଭିତରେ ଅସ୍ପଷ୍ଟ ହୋଇ ଫୁଟିଉଠିଲା; ସେ କଥା ଏ ଜୀବନରେ କଦାପି ଭୁଲିପାରିବି ନାହିଁ ।

 

ଫେରିଚାହିଁ ଦେଖିଲି ରାଜଲକ୍ଷ୍ମୀ ସେହିପରି ଚୁପ୍‌ଚାପ ହୋଇ ବସିଛି । ଅନ୍ଧାରରେ ତା’ ମୁହଁ ଦେଖିପାରିଲି ନାହିଁ, କିନ୍ତୁ ଅନୁଭବ କରିପାରିଲି ଯେପରି ସେ ଆଖିବୁଜି ଚିନ୍ତାରେ ମଗ୍ନ ହୋଇଯାଇଛି । ମନେମନେ କହିଲି–ସେ ଯାହାହେଉ, ଆଜିଠାରୁ ନିଜର ଚିନ୍ତା ତରଣୀର ଆହୁଲା ଖଣ୍ଡିକ ଯେତେବେଳେ ତା’ ହାତକୁ ବଢ଼ାଇ ଦେଇଛି, ସେତେବେଳେ ଏଇ ଅଜଣା ନଦୀଭିତରେ କେଉଁଠାରେ ଭଉଁରୀ, କେଉଁଠାରେ ଚଡ଼ା, ସେ ସବୁ ସେହି ହିଁ ଖୋଜି ବାହାର କରୁ ।

 

ଏ ଜୀବନରେ ନିଜର ମନଟାକୁ ମୁଁ ନାନା ଦିଗରୁ ଅନେକ ଅବସ୍ଥାରେ ବିଚାର କରି ଦେଖିଛି । ତାହାର ଧାତୁଟା ମୁଁ ଭଲକରି ଚିହ୍ନେ । ବିଶେଷ କିଛି ଅତି ହେଲେ ତା’ ଦେହରେ ସହ୍ୟ ହୁଏ ନାହିଁ । ଅତ୍ୟନ୍ତ ସୁଖ, ଅତ୍ୟନ୍ତ ସ୍ୱାସ୍ଥ୍ୟ, ଅତ୍ୟନ୍ତ ଭଲ ରହିବା ତାକୁ ଚିରଦିନ ପୀଡ଼ିତ କରି ରଖେ । କେହି ତାକୁ ଅତ୍ୟନ୍ତ ଭଲପାଉଥିବାର ଜାଣିବାକ୍ଷଣି ଏଇ ମନଟା ଯିଏ ପଳାଇ ପଳାଇ ଡାକ ଛାଡ଼େ, ସେଇ ମନ ଆଜି ଯେ କେତେ ଦୁଃଖରେ ତା’ ସ୍ୱାଧୀନତାକୁ ହରାଇ ବସିଛି ତାହା କେବଳ ସେହି ସୃଷ୍ଟିକର୍ତ୍ତା ହିଁ ଜାଣନ୍ତି ।

 

ବାହାରର କଳା ଆକାଶ ପ୍ରତି ଥରକ ପାଇଁ ଦୃଷ୍ଟି ପକାଇଲି–ଭିତରେ ନିଶ୍ଚଳ ପ୍ରତିମା ଭଳି ବସିଥିବା ଅଦୃଶ୍ୟ ପ୍ରାୟ ନାରୀଟି ପ୍ରତି ଥରକ ପାଇଁ ଆଖି ଫେରାଇ ଆଣିଲି ତାହାପରେ ଯୋଡ଼ ହାତରେ କାହାକୁ ନମସ୍କାର କଲି ଜାଣେ ନାହିଁ । କିନ୍ତୁ ମନେମନେ କହିଲି–ତାହାର ଆକର୍ଷଣର ଦୁଃସହ ବେଗ ମୋ ନିଃଶ୍ୱାସକୁ ରୁଦ୍ଧ କରି ଆଣିଛି । ବହୁତଥର ବହୁ ବାଟରେ ପଳାଇବାକୁ ଚେଷ୍ଟା କରିଛି କିନ୍ତୁ ଗୋଲକ ଧନ୍ଦାଭଳି ମୂଳପଥ ଯେତେବେଳେ ବାରମ୍ୱାର ମୋତେ ଆଣି ଏହା ହାତରେ ଫେରାଇଦେଇଛି ସେତେବେଳେ ଆଉ ମୁଁ ବିଦ୍ରୋହ କଲି ନାହିଁ, ତେଣୁ ଆପଣାକୁ ସର୍ବୋତଭାବେ ସମର୍ପଣ କରିଦେଲି । ଏତେଦିନ ଧରି ଜୀବନଟାକୁ ନିଜହାତରେ ରଖି ଅଧିକା ଅବା କ’ଣ କରିପକାଇଛି ? କେତେଦୂର ଅବା ସାର୍ଥକ କରି ବସିଛି ? ତେବେ ଆଜି ଯଦି ଏପରି ହାତରେ ପଡ଼ିରହେ, ଯିଏକି ନିଜ ଜୀବନଟାକୁ ଏପରି ଆକଣ୍ଠ ମଗ୍ନ ପଙ୍କରୁ ଟାଣି ଆଣିପାରିଛି ସେ କୌଣସିମତେ ଆଉ ଗୋଟାଏ ଜୀବନକୁ ତାହା ଭିତରେ ବୁଡ଼ାଇ ଦେବାକୁ ଛାଡ଼ିଦେବ ନାହିଁ ।

 

କିନ୍ତୁ ଏ ସମସ୍ତ ତ ମୋ ନିଜ ପକ୍ଷରୁ କୁହାଗଲା କିନ୍ତୁ ଅନ୍ୟପକ୍ଷର ଆଚରଣ ଠିକ୍‌ ପୁଣି ସେହି ପୂର୍ବଭଳି ଆରମ୍ଭ ହେବାକୁ ଲାଗିଲା । ବାଟସାରା ପଦେହେଲେ କଥାବାର୍ତ୍ତା ହୋଇପାରିଲା ନାହିଁ । ଏପରିକି ଷ୍ଟେସନରେ ପହଞ୍ଚିବା ପରେ ମଧ୍ୟ ଜଣେ ଜଣକୁ କୌଣସି ପ୍ରଶ୍ନ ପଚାରିବା ଆବଶ୍ୟକ ମନେକରିପାରିଲୁ ନାହିଁ । ଅଳ୍ପ ସମୟ ଭିତରେ କଲିକତା ଯାଉଥିବା ଗାଡ଼ିର ଘଣ୍ଟା ବାଜିଲା । କିନ୍ତୁ ରତନ ଟିକେଟ୍ କିଣିବା କାମ ଛାଡ଼ି ଯାତ୍ରୀଶାଳାର କ୍ଷୁଦ୍ର କୋଣରେ ମୋ ପାଇଁ ଶର୍ଯ୍ୟା ପ୍ରସ୍ତୁତ କରିବାରେ ପ୍ରବୃତ୍ତ ହୋଇପଡ଼ିଲା । ଅତଏବ ବୁଝାପଡ଼ିଲା ଯେ ଏ ଦିଗରେ ନୁହେଁ, ଅନ୍ୟଦିଗକୁ ସେଇ ଭୋର ଟ୍ରେନରେ ପଶ୍ଚିମକୁ ଯିବାକୁ ହେବ । କିନ୍ତୁ ତାହା ପାଟନାକୁ, କାଶୀକୁ, କିମ୍ୱା ଆଉ କେଉଁଠାକୁ ତାହା ଜଣା ନ ଗଲେ ମଧ୍ୟ ଏଇଟା ବେଶ ବୁଝାପଡ଼ିଲା ଯେ ବିଷୟରେ ମୋ ମତାମତଟା ନିହାତି ଅନାବଶ୍ୟକ ।

 

ରାଜଲକ୍ଷ୍ମୀ ଅନ୍ୟଆଡ଼େ ଚାହିଁରହି ଅନ୍ୟମନସ୍କ ଭଳି ଠିଆହୋଇ ରହିଲା । ରତନ ତା’ କାମ ସାରି ଆସି କହିଲା–ମାଆ, ଖବର ପାଇଲି ଆଉ ଟିକିଏ ଆଗକୁ ଗଲେ ସବୁପ୍ରକାର ଖାଇବା ଜିନିଷ ମିଳିପାରିବ ।

 

ରାଜଲକ୍ଷ୍ମୀ ପଣତକାନିର ଗଣ୍ଠି ଫିଟାଇ କେତେଟା ଟଙ୍କା ତା’ ହାତକୁ ଦେଇ କହିଲା–ବେଶ୍ ତ, ତେବେ ଯାଆ । କିନ୍ତୁ ଦୁଧଟା ଟିକିଏ ଦେଖିକରି ଆଣିବୁ । ବାସି–ଫାସି ଯେପରି ନ ଆଣୁ-

 

ରତନ କହିଲା–ମାଆ, ତୁମ ନିଜପାଇଁ.....

 

: ନା, ମୋ ପାଇଁ କିଛି ଦରକାର ନାହିଁ ।

 

ଏଇ ‘ନା’ ଯେ କିଭଳି ତାହା ଆମେ ସମସ୍ତେ ଜାଣୁ ଏବଂ ଆମ ସମସ୍ତଙ୍କଠାରୁ ବେଶୀ ବୋଧହୁଏ ଜାଣେ ଏଇ ରତନ । ତଥାପି ସେ ଥରେ ଦୁଇଥର ପାଦକୁ ମାଟିରେ ଘଷି ଆସ୍ତେ ଆସ୍ତେ କହିଲା–କାଲିଠାରୁ ତ ଏକରକମ.....

 

ରାଜଲକ୍ଷ୍ମୀ ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଲା–ତୁ କ’ଣ ଶୁଣିପାରୁ ନାହୁଁ ରତନ ? କାଲ ହୋଇଗଲୁଣି କି ?

 

ଆଉ ଦ୍ୱିରୁକ୍ତି ନକରି ରତନ ଚାଲିଗଲା । କାରଣ ଏହାପରେ ଯୁକ୍ତି କରି ଜିତିପାରିଲା ଭଳି ଦ୍ୱିତୀୟ ଲୋକ କାହାକୁ ମୁଁ ଦେଖିନାହିଁ, ଆଉ ମଧ୍ୟ କ’ଣ ଅବା ପ୍ରୟୋଜନ ? ରାଜଲକ୍ଷ୍ମୀ ମୁହଁରେ ସ୍ୱୀକାର ନ କଲେ ମଧ୍ୟ ମୁଁ ଜାଣେ ଯେ ରେଳଗାଡ଼ିରେ ବା ରେଳ ସଂପର୍କୀୟ କାହା ହାତରେ କିଛି ଖାଇବାକୁ ତା’ର ପ୍ରବୃତ୍ତି ହୁଏ ନାହିଁ । କଠୋର ଉପବାସ କଲାଭଳି ତାହା ସହିତ ଆଉ କାହାକୁ ମୁଁ ଦେଖି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେ ଜିନିଷ ପ୍ରତିଦିନ ତା’ ଘରକୁ ଆସିଥିବାର ଦେଖିଛି, ଦାସୀ ଚାକରକୁ ଖୁଆଇ ଦେଇଛି, ଦରିଦ୍ର ପ୍ରତିବେଶୀଙ୍କୁ ବିତରଣ କରିଦେଇଛି, ପଚି ନଷ୍ଟହୋଇ ଫିଙ୍ଗା ହୋଇଛି କିନ୍ତୁ ଏସବୁ ଯାହାପାଇଁ ସେ ଏତେଟିକିଏ ମୁହଁରେ ଦିଏ ନାହିଁ । ପଚାରିଲେ, କିମ୍ୱା ଥଟ୍ଟା କଲେ ହସିଦେଇ କହେ ମୋର ପୁଣି ଗୋଟାଏ କ’ଣ ଆଚାର ଅଛି ? ମୋର ଖିଆପିଆରେ ପୁଣି ଛୁଆଁଛୁଇଁ ଆସିଲା କେଉଁଠୁ ? ମୁଁ ତ ସମସ୍ତଙ୍କ ହାତରୁ ସବୁ ଖାଏ ।

 

: ଆଚ୍ଛା ଆଖିଆଗରେ ତା’ର ପରୀକ୍ଷା ଦିଅ ତ ?

 

: ପରୀକ୍ଷା ? ବର୍ତ୍ତମାନ ? ଆରେ ବାପ୍‌ରେ ! ଆଉ ରକ୍ଷା ଅଛି ? ଏହା କହି ରକ୍ଷା ନ ପାଇବାର କୌଣସି କାରଣ ନ ଦେଖାଇ ସେ ପଳାଇଯାଏ । ସେ ମାଛ, ମାଂସ, ଦୁଧ, ଘିଅ କିଛି ଖାଏ ନାହିଁ ତାହା କ୍ରମେ କ୍ରମେ ମୁଁ ଜାଣିପାରିଛି । କିନ୍ତୁ ଏହି ନଖାଇବାଟା ତା’ ପକ୍ଷରେ ଏତେ ଅଶୋଭନ, ଏତେ ଲଜ୍ଜ୍ୟାକର ଯେ ଏହା ଉଲ୍ଲେଖ କରିବା କ୍ଷଣି ସେ ଲାଜରେ କୁଆଡ଼େ ପଳାଇବା ପାଇଁ ବାଟ ପାଏନାହିଁ । ସେଥିପାଇଁ ତାକୁ ସହଜରେ ଏଣିକି ଖାଇବା, ପିଇବା ବିଷୟରେ ଅନୁରୋଧ କରିବା ପାଇଁ ମୋର ପ୍ରବୃତ୍ତି ହୁଏ ନାହିଁ । ରତନ ମଳିନ ମୁହଁରେ ଚାଲିଗଲା । ସେତେବେଳେ ମଧ୍ୟ କଥା କହିଲି ନାହିଁ । କିଛି ସମୟ ପରେ ଢାଳରେ ଗରମ ଦୁଧ ଏବଂ ଠୁଙ୍ଗାରେ ମିଷ୍ଟାନ୍ନ ପ୍ରଭୃତି ଧରି ଫେରିଆସିବା ପରେ ରାଜଲକ୍ଷ୍ମୀ ମୋ ପାଇଁ ଦୁଧ ଓ କିଛି ଖାଇବାର ଜିନିଷ ରଖି ଅବଶିଷ୍ଟ ଯେତେବେଳେ ରତନ ହାତକୁ ଟେକିଦେଲା ସେତେବେଳେ ମଧ୍ୟ କିଛି କହିଲି ନାହିଁ । ରତନର କରୁଣ ଚକ୍ଷୁର ନୀରବ ମିନତିକୁ ମଧ୍ୟ ସ୍ପଷ୍ଟ ବୁଝିପାରି ସୁଦ୍ଧା ସେହିପରି ନିର୍ବାକ୍ ହୋଇ ରହିଲି ।

 

ଆଜି ତେଣୁ କାରଣ, ଅକାରଣରେ କଥାରେ ଅକଥାରେ ତା’ର ନ ଖାଇବାଟା ହିଁ ମୋର ଦେହସୁହା ହୋଇଯାଇଛି । କିନ୍ତୁ ଦିନେ ସେ ଏପରି ନଥିଲା । ସେତେବେଳେ ଉପହାସ ପରିହାସ କରି କମ୍ କଥା ତାକୁ ମୁଁ କଟାକ୍ଷ କରି କହିନାହିଁ ? କିନ୍ତୁ ଦିନ ଯେତେ ଗଡ଼ିଚାଲିଛି ମୁଁ ସେତିକି ଏହାର ଅପର ପାଖଟା ଦେଖିବାର ଅବକାଶ ପାଇପାରିଛି । ରତନ ଚାଲିଗଲା ପରେ ମୋର ସେହି କଥାଗୁଡ଼ାକ ବେଶୀ ମନେପଡ଼ିବାକୁ ଲାଗିଲା ।

 

କେବେ ଏବଂ କ’ଣ ମନେକରି ସେ ଏପରି କଠିନ ସାଧନାରେ ପ୍ରବୃତ୍ତ ହୋଇଥିଲା ମୁଁ ଜାଣେନାହିଁ । ସେତେବେଳକୁ ମୁଁ ମଧ୍ୟ ତା’ ଜୀବନ ଭିତରେ ଆସି ଦେଖାଦେଇ ନାହିଁ । କିନ୍ତୁ ପ୍ରଥମେ ସେ ଯେତେବେଳେ ଅପର୍ଯ୍ୟାପ୍ତ ଆହାର୍ଯ୍ୟ ବସ୍ତୁର ମଝିରେ ବସି ଆପଣା ଇଚ୍ଛାରେ ଦିନ ପରେ ଦିନ ନୀରବରେ ଆପଣାକୁ ବଞ୍ଚିତ କରି ଚାଲିଥିଲା, ତାହା କେତେ କଠିନ ! କିଭଳି ଦୁଃସାଧ୍ୟ-! ଏବଂ ସର୍ବବିଧ ଆବିଳତାର କେନ୍ଦ୍ରଠାରୁ ଆପଣାକୁ ଏଇ ତପସ୍ୟାର ପଥରେ ଅଗ୍ରସର କରାଇବାକୁ କେତେ ଦୁଃଖ ସେ ନୀରବରେ ନ ସହିଛି ! ଆଜି ଏ ବସ୍ତୁ ତାହା ପକ୍ଷରେ ଏପରି ସହଜ ଏବଂ ସ୍ୱାଭାବିକ ଯେ, ମୋ ଆଖିରେ ଏହାର ଗୁରୁତ୍ୱ ଆଦୌ ନାହିଁ । ଏହାର ମୂଲ୍ୟ ଯେ କ’ଣ, ତାହା ଠିକ୍ କରି ଜାଣେ ନାହିଁ ତଥାପି କିନ୍ତୁ ମଝିରେ ମଝିରେ ମନେମନେ ଭାବିଛି ତା’ର ଏଇ କଠିନ ସାଧନା କ’ଣ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଯାଇଛି ? ଆପଣାକୁ ବଞ୍ଚିତ କରିବାର ଏଇ ଯେ ଶିକ୍ଷା, ଏଇ ଯେ ଅଭ୍ୟାସ, ଏଇ ଯେ ପାଇକରି ତ୍ୟାଗ କରିବାର ଶକ୍ତି, ଏହା ଯଦି ଏପରି ଜୀବନ ଭିତରେ ସଞ୍ଚିତ ହୋଇପାରିନଥାନ୍ତ; ତେବେ ଆଜି କ’ଣ ଏପରି ସ୍ୱଚ୍ଛନ୍ଦରେ, ଅବଲୀଳା କ୍ରମେ, ସେ ଆପଣାକୁ ସର୍ବପ୍ରକାର ଭୋଗଠାରୁ ବିଚ୍ଛିନ୍ନ କରିଦେଇପାରିଥାନ୍ତା ! କେଉଁଠାରେ କେଉଁ ବନ୍ଧନ କ’ଣ ତାକୁ ଟାଣିଧରି ନଥାନ୍ତା ? ସେ ଭଲପାଇଛି । ଏପରି ଲୋକତ ଭଲପାଆନ୍ତି-। କିନ୍ତୁ ସମସ୍ତ ତ୍ୟାଗଦ୍ୱାରା ଭଲପାଇବାକୁ ଏପରି ନିଷ୍ପାପ, ଏପରି ଏକାନ୍ତ କରିନେବା କ’ଣ ସଂସାରରେ ଏତେ ସୁଲଭ ?

 

ଯାତ୍ରୀଶାଳା ଭିତରେ ଆଉ କୌଣସି ଲୋକ ନଥିଲେ । ରତନ ବୋଧହୁଏ କେଉଁଠାରେ ଆଢ଼ୁଆଳ ସ୍ଥାନ ଦେଖି ଯାଇ ଶୋଇପଡ଼ିଛି । ପାଖରେ ବସିପଡ଼ି ତା’ ମୁଣ୍ଡଉପରେ ହାତ ରଖିବା ମାତ୍ରେ ସେ ଚମକିପଡ଼ି କହିପକାଇଲା–କ’ଣ ତୁମେ ଏତେବେଳ ପର୍ଯ୍ୟନ୍ତ ଶୋଇନାହିଁ ?

 

: ନା, କିନ୍ତୁ ଏଇ ଧୂଳି ବାଲି ଉପରେ ଏପରି ଚୁପ୍‌ଚାପ୍ ନବସି ଚାଲ ମୋ ବିଛଣା ଉପରେ ବସିବ । ଏହା କହି ତାକୁ ଆପତ୍ତି କରିବାକୁ ସମୟ ନଦେଇ ହାତଧରି ତୋଳି ଆଣିଲି । କିନ୍ତୁ ପାଖକୁ ଟାଣିଆଣିବା ପରେ କହିବାକୁ କଥା ଖୋଜି ପାଇଲି ନାହିଁ; ତେଣୁ ତା’ ହାତକୁ ମୋ ହାତରେ ଧରି ଆଉଁସିବାକୁ ଲାଗିଲି । କିଛିକ୍ଷଣ ଏପରି ଭାବରେ କଟିଲା । ମୋର ସନ୍ଦେହ ଯେ ଅମୂଳକ ନୁହେଁ ତାହା ତା’ର ଆଖି କୋଣରେ ହାତ ଦେଇ ଅନୁଭବ କଲି । ଆଖିଦୁଇଟାକୁ ଆପଣା ହାତରେ ପୋଛିଦେଇ ତାକୁ ପାଖକୁ ଟାଣିଆଣିବାକୁ ଚେଷ୍ଟା କରିବାକ୍ଷଣି ରାଜଲକ୍ଷ୍ମୀ ମୋ ପାଦରେ ଲୋଟିପଡ଼ି ଯୋରକରି ମୋର ପାଦ ଦୁଇଟାକୁ ଜାବୁଡ଼ି ଧରିଲା ଯେ ତାକୁ କୌଣସିମତେ ତହିଁରୁ ବିଚ୍ଛିନ୍ନ କରି ନିକଟକୁ ଆଣିପାରିଲି ନାହିଁ ।

 

ପୁଣି ନୀରବରେ କିଛି ସମୟ କାଟିବାକୁ ଲାଗିଲା । ହଠାତ୍ ମୁଁ କହିଉଠିଲି–ଗୋଟାଏ କଥା ବର୍ତ୍ତମାନ ସୁଦ୍ଧା ତୁମକୁ ଜଣାଇପାରି ନାହିଁ ଲକ୍ଷ୍ମୀ ।

 

ସେ ଧୀର ସ୍ୱରରେ କହିଲା–କି କଥା ?

 

ଏହା କହିବାକୁ ଯାଇ ସଂସ୍କାରବଶତଃ ପ୍ରଥମେ ଟିକିଏ କିପରି ମନକୁ ଲାଗିଲା ତଥାପି ଅଟକି ନଯାଇ କହିଲି–ଆଜିଠାରୁ ଆପଣାକୁ ଏକପ୍ରକାର ତୁମ ହାତରେ ସଂପିଦେଲି । ଏଣିକି ଭଲମନ୍ଦର ଭାର ସଂପୂର୍ଣ୍ଣ ତୁମର ।

 

ଏତିକି କହି ଚାହିଁ ଦେଖିଲି, ସେହି ସ୍ତୀମିତ ଆଲୋକରେ ସେ ମୋ ମୁହଁକୁ ଚୁପ୍ ହୋଇ ଚାହିଁ ରହିଛି । ତାପରେ ସାମାନ୍ୟ ହସିଦେଇ କହିଲା–ତୁମକୁ ନେଇ କ’ଣ ଅବା କରିବି ? ତୁମେ ତ ବାଁୟା–ତବଲା ବଜାଇ ପାରିବ ନାହିଁ, ସାରେଙ୍ଗୀ ମଧ୍ୟ ବଜାଇ ଜାଣ ନାହିଁ ଆଉ.......

 

କହିଲି–ଆଉଟା କ’ଣ ? ପାନ–ତମାଖୁ ସଜାଇବି ? ନା, ସେଥିରେ ମଧ୍ୟ କୌଣସି ମତେ ଯୋଗ୍ୟ ହୋଇପାରିବି ନାହିଁ ?

 

: କିନ୍ତୁ ଆଗର ଦୁଇଟା ?

 

: ଭରସାଦେଲେ କରିପାରିବି । କହି ଟିକିଏ ହସିଦେଲି ।

 

ହଠାତ୍ ରାଜଲକ୍ଷ୍ମୀ ଉତ୍ସାହରେ ଉଠି ବସିପଡ଼ି କହିଲା–ଥଟ୍ଟା ନୁହେଁ । ସତରେ କରିପାରିବ ?

 

କହିଲି–ଆଶା କରିବାରେ ତ ଦୋଷ ନାହିଁ ।

 

ରାଜଲକ୍ଷ୍ମୀ କହିଲା–ନା, ତାପରେ ବିସ୍ମୟରେ ଓ ନୀରବରେ କିଛି ସମୟ ମୋତେ ନିର୍ନିମେଷ ଦୃଷ୍ଟିରେ ଚାହିଁରହି ଧୀରେଧୀରେ କହିବାକୁ ଲାଗିଲା–ଦେଖ, ମୋର ସେମିତି ମଝିରେ ମଝିରେ କିପରି ମନେହୁଏ । ପୁଣି ଭାବେ, ଯେଉଁ ମନୁଷ୍ୟ ନିଷ୍ଠୁରଭଳି ବନ୍ଧୁକ ଧରି କେବଳ ପଶୁ ମାରି ବୁଲିବାକୁ ଭଲପାଏ; ସେ କ’ଣ ଏହାର ଧାର ଧାରେ ? ଏହାଭିତରେ ଏତେବଡ଼ ବେଦନାକୁ ଅନୁଭବ କରିବା ସାଧ୍ୟ କ’ଣ ତା’ର ଅଛି ? ବରଞ୍ଚ ଶିକାର କଲାଭଳି ଆଘାତ ଦେଇପାରିଲେ ଯେପରି ତା’ର ବଡ଼ ଆନନ୍ଦ । ତେଣୁ ତୁମେ ଦେଉଥିବା ଅନେକ ଦୁଃଖକୁ କେବଳ ଏହା ଭାବି ମୁଁ ସହ୍ୟ କରିନେଇପାରିଛି ।

 

ଏଥର ଚୁପ୍‌ ରହିବା ପାଳି ମୋର । ତା’ର ଅଭିଯୋଗକୁ ଯୁକ୍ତିଦ୍ୱାରା ବିଚାର କରାଯାଇପାରେ, ସଫେଇ ଦେବାପାଇଁ ନଜିରର ଅଭାବ ହୁଅନ୍ତା ନାହିଁ; କିନ୍ତୁ ସେ ସବୁ ବିଡ଼ମ୍ବନା ବୋଲି ମନେହେଲା । ତାହାର ସତ୍ୟ ଅନୁଭୂତି ନିକଟରେ ମୋତେ ହାର ମାନିବାକୁ ହେଲା । କଥାଟା ସେ ହୁଏତ ଠିକ୍‌ରୂପେ କହିପାରି ନାହିଁ । କିନ୍ତୁ ସଙ୍ଗୀତର ଯେଉଁ ଅନ୍ତରତମ ମୁର୍ତ୍ତିଟା କେତେବେଳେ କଥା ଭିତରେ ଆତ୍ମପ୍ରକାଶ କରେ; ସେଇ କରୁଣାରେ ଅଭିନିଷିକ୍ତ ସଦାଜାଗ୍ରତ ଚୈତନ୍ୟ ହିଁ ଯେପରି ରାଜଲକ୍ଷ୍ମୀର ଏଇ ଦୁଇଟା କଥାର ଇଙ୍ଗିତରେ ରୂପଧରି ଦେଖାଦେଲା ଏବଂ ତା’ର ସଂଯମ, ତା’ର ତ୍ୟାଗ, ତା’ର ହୃଦୟର ଶୁଚିତା ପୁଣି ଥରେ ଯେପରି ମୋ ଆଖିରେ ଆଙ୍ଗୁଠି ଗେଞ୍ଜି ତାହାକୁ ସ୍ମରଣ କରାଇଦେଲା ।

 

ତଥାପି ଗୋଟାଏ କଥା ତାକୁ କହିପାରିଥାନ୍ତି ମନୁଷ୍ୟର ଏକାନ୍ତ ବିରୁଦ୍ଧ ପ୍ରବୃତି ଗୁଡ଼ିକ ଯେ କିପରି ଭାବରେ ଏକତ୍ର ପାଖାପାଖି ବାସ କରନ୍ତି ଯାହାକି ଏକ ଅଚିନ୍ତନୀୟ ବ୍ୟାପାର । ନହେଲେ ମୁଁ ସ୍ୱ ହସ୍ତରେ ଜୀବହତ୍ୟା କରିପାରେ ଏତେବଡ଼ ପରମାଶ୍ଚାର୍ଯ ବିଷୟ ନିଜପାଖରେ ଆଉ ମୋର କ’ଣ ଅଛି ? ଯିଏ ଗୋଟାଏ ପିମ୍ପୁଡ଼ିର ମୃତ୍ୟୁ ପର୍ଯ୍ୟନ୍ତ ସହ୍ୟ କରିପାରେ ନାହିଁ । ରକ୍ତମୁଖା ଯୂପକାଠର ଚେହେରା ଯାହାର ଆହାର ନିଦ୍ରା କିଛିଦିନ ପାଇଁ ଘୁଞ୍ଚାଇ ଦେଇପାରେ । ଯିଏ ଗାଆଁରେ ଅନାଥ, ଆଶ୍ରୟହୀନ କୁକୁର ବିରାଡ଼ିଙ୍କ ପାଇଁ ପିଲାବେଳେ କେତେଥର ନୀରବରେ ଉପବାସ କରିଥିବ । ବଣର ପଶୁ ଏବଂ ଗଛର ପକ୍ଷୀମାନଙ୍କ ପ୍ରତି ତାହାର ଲକ୍ଷ୍ୟ ଯେ କିପରି ସ୍ଥିର ହୋଇପାରେ; ଏକଥା କୌଣସିମତେ ଭାବି ସ୍ଥିର କରିପାରିଲା ନାହିଁ । ସତରେ ମୁଁ କ’ଣ ଏପରି ? ଯେଉଁ ରାଜଲକ୍ଷ୍ମୀର ଅନ୍ତର, ମୋ ପାଖରେ ଆଜି ଆଲୋକ ଭଳି ସ୍ୱଚ୍ଛ ହୋଇପାରିଛି, ସେ କିପରି ଭାବରେ ବର୍ଷ ପରେ ବର୍ଷ ଧରି ପିଆରୀର ଜୀବନଯାପନ କରିପାରିଲା । ଏହି କଥାଟା ହିଁ ମନରେ ଆଣି ସୁଦ୍ଧା ତୁଣ୍ଡକୁ ଆଣିପାରିଲି ନାହିଁ । କେବଳ ତାକୁ ବ୍ୟଥା ଦେବି ନାହିଁ ବୋଲି ନୁହେଁ, ଭାବିଲି କହି କ’ଣ ଲାଭ ହେବ ? ଦେବ ଓ ଦାନବ ଅନୁକ୍ଷଣ କାନ୍ଧ ମିଳାଇ ମନୁଷ୍ୟକୁ ଯେ କେଉଁଠାକୁ ଅବିଶ୍ରାନ୍ତ ବହିନେଇ ଚାଲିଛନ୍ତି, ତାହା କ’ଣ ମୁଁ ଜାଣେ ? କିପରି ଯେ ଭୋଗୀ ଦିନେ ତ୍ୟାଗୀ ହୋଇ ବାହାରିଯାଏ, ନିର୍ମମ ନିଷ୍ଠୁର ଏକ ମୁହୂର୍ତ୍ତରେ କରୁଣାରେ ବିଗଳିତ ହୋଇ ନିଜକୁ ନିଃଶେଷ କରିପକାଏ, ଏ ରହସ୍ୟର ସନ୍ଧାନ କେତେ ଅବା ଜାଣିପାରିଛି ? କୌଣସି ନିଭୃତର କନ୍ଦରରେ ମାନବାତ୍ମା ସାଧନା ଯେ ଅକସ୍ମାତ ଦିନେ ସିଦ୍ଧିରେ ପହଞ୍ଚିପାରେ ତାହାର କ’ଣ ଖବର ରଖିପାରିଛି ? କ୍ଷୀଣ ଆଲୋକରେ ରାଜଲକ୍ଷ୍ମୀର ମୁହଁ ପ୍ରତି ଦୃଷ୍ଟିପାତ କରି ତାକୁ ଉଦ୍ଦେଶ୍ୟ କରି ମନେମନେ କହିବାକୁ ଲାଗିଲା ସେ ଯଦି ମୋର କେବଳ ବ୍ୟଥା ଦେବା ଶକ୍ତିଟାକୁ ଦେଖିଥାଇପାରେ, ଏବଂ ଗ୍ରହଣ କରିବାର ଅକ୍ଷମତାକୁ ସ୍ନେହର ପ୍ରଶ୍ରୟ ହେତୁ ଏତେଦିନ ଧରି କ୍ଷମା କରି ଚାଲିଥାଏ, ତଥାପି ଅଭିମାନ କରିବାର ମୋର କ’ଣ ବା ଅଛି ?

 

ରାଜଲକ୍ଷ୍ମୀ କହିଲା–ଚୁପ୍‌ ହୋଇ ରହିଲ ଯେ !

 

କହିଲି–ତଥାପି ତ ଏଇ ନିଷ୍ଠୁର ପାଇଁ ସର୍ବସ୍ୱ ତ୍ୟାଗ କଲ ?

 

ରାଜଲକ୍ଷ୍ମୀ କହିଲା–ସର୍ବସ୍ୱ ତ୍ୟାଗ କଲି ଆଉ କେଉଁଠି ? ନିଜକୁ ତ ତୁମେ ନିଃସ୍ୱ ହୋଇ ଆଜି ମତେ ଦେଇଦେଲ । ତୁମକୁ ତ ଆଉ ଚାହେଁ ନାହିଁ ବୋଲି ଦେଖିପାରିବ ନାହିଁ ସେ କଥା ମୁଁ କହିପାରିବି ନାହିଁ ।

 

ବଙ୍ଗଳାର ମ୍ୟାଲେରିଆ ଯେ ମୋତେ ବେଶ୍ ଶକ୍ତ କରି ଧରିଥିଲା; ସେ କଥା ପଶ୍ଚିମ ସହରରେ ପ୍ରବେଶ କରୁ କରୁ ଜଣାପଡ଼ିଲା । ପାଟନା ଷ୍ଟେସନରୁ ରାଜଲକ୍ଷ୍ମୀ ଘରକୁ ମୁଁ ପ୍ରାୟ ଏକପ୍ରକାର ଅଚେତନ ଅବସ୍ଥାରେ ନିଆ ହୋଇଥିଲି, ଏହା ପର ମାସଟା ମୋତେ ଜ୍ୱର, ଡାକ୍ତର ଏବଂ ରାଜଲକ୍ଷ୍ମୀ ପ୍ରାୟ ଅନୁକ୍ଷଣ ଘେରି ରହିଲେ ।

 

ଜର ଯେତେବେଳେ ଛାଡ଼ିଲା, ସେତେବେଳେ ଡାକ୍ତରବାବୁ ପରିଷ୍କାର ଭାବରେ ଘରର ମାଲିକାଣୀଙ୍କୁ ଜଣାଇଦେଲେ ଯେ, ଯଦିଓ ଏ ସହରଟା ପଶ୍ଚିମର ଅନ୍ତର୍ଗତ ଏବଂ ସ୍ୱାସ୍ଥ୍ୟକର ବୋଲି ପ୍ରସିଦ୍ଧି ଅଛି ତଥାପି ତାଙ୍କର ପରାମର୍ଶ ଏଇ ଯେ ରୋଗୀକୁ ଶୀଘ୍ର ସ୍ଥାନାନ୍ତରିତ କରିବା ଆବଶ୍ୟକ ।

 

ପୁଣିଥରେ ବନ୍ଧାବନ୍ଧି ଆରମ୍ଭ ହୋଇଗଲା । ରତନକୁ ଏକାକୀ ପାଇ ପଚାରିଲି–ଏଥର କୁଆଡ଼େ ଯିବାକୁ ହେବ ରତନ ?

 

ଦେଖିଲି, ଏହି ନବ ଅଭିଯାନର ସେ ସଂପୂର୍ଣ୍ଣ ଭାବରେ ବିରୋଧି । ସେ ଦରଜା ପ୍ରତି ଦୃଷ୍ଟି ରଖି ଆଭାସରେ ଇଙ୍ଗିତ ଦେଇ ଏବଂ ଫିସ୍‌ କରି ଯାହା କହିଲା–ସେଥିରେ ଯେପରି ମୁଁ ଦବିଗଲି । ରତନ କହିଲା–ବୀରଭୂମି ଜିଲ୍ଲାର ଏଇ ଛୋଟ ଗାଆଁଟିର ନାମ ଗଙ୍ଗା ମାଟି । ସେଠାରେ ଯେତେବେଳେ ଘର କିଣା ହେଲା ସେତେବେଳେ; ସେଠାକୁ ସେ ଥରକ ପାଇଁ ମୁକ୍ତାର କିଷନ୍‌ ଲାଲଙ୍କ ସହିତ ଯାଇଥିଲା । ମାଆ ନିଜେ ମଧ୍ୟ ସେଠାକୁ କେବେ ଯାଇନାହାନ୍ତି । ଥରେ ଗଲେ ପଳାଇ ନ ଆସି ରହିହେବ ନାହିଁ । ଗାଁମାଟିରେ ଭଦ୍ର ପରିବାର ନାହାନ୍ତି କହିଲେ ଚଳେ । କେବଳ ଛୋଟ ଜାତିରେ ପରିପୂର୍ଣ୍ଣ । ସେମାନଙ୍କୁ ନା ସ୍ପର୍ଶ କରାଯାଇପାରିବ ନା ସେମାନେ କୌଣସି କାମରେ ଆସିବେ ।

 

ରାଜଲକ୍ଷ୍ମୀ ଯେ କାହିଁକି ଏଇ ଛୋଟ ଜାତିର ଲୋକମାନଙ୍କ ଭିତରେ ବାସ କରିବାକୁ ଇଚ୍ଛା କରୁଛି, ତା’ର କାରଣଟା କେତେକାଂଶରେ ବୁଝିପାରିଲି । ପଚାରିଲି–ଗଙ୍ଗା ମାଟି ବୀରଭୂମି ଜିଲ୍ଲାର କେଉଁଠାରେ ?

 

ରତନ କହିଲା–ସାଇଥିଆ ନା କ’ଣ ଗୋଟାଏ ଷ୍ଟେସନ ଯେଉଁଠାରୁ ଓହ୍ଲାଇ ଦଶ ବାର କୋଶ ଗୋରୁ ଗାଡ଼ିରେ ଯିବାକୁ ହେବ । ପଥ ଯେପରି ଦୁର୍ଗମ ସେହିପରି ଭୟଙ୍କର । ଚାରିଦିଗରେ ପଡ଼ିଆ–ଆଉ ପଡ଼ିଆ । ସେଥିରେ ନା ଅଛି ଫସଲ, ନା ଅଛି ଟୋପାଏ ପାଣି । ଗୋଡ଼ିଆ ମାଟି କେଉଁଠାରେ କଳା ତ କେଉଁଠାରେ ନାଲ । ଏତିକି କହି ସେ ହଠାତ୍‌ ଅଟକିଯାଇ ଟିକିଏ ସତର୍କ ଦୃଷ୍ଟି ବୁଲାଇ ଆଣି ପୁଣି କହିଲା–ବାବୁ, ମଣିଷ ଯେ ସେଠାରେ କି ସୁଖରେ ଅଛି ସେ କଥା ତ ମୁଁ ଭାବି ଠିକ୍‌ କରିପାରେ ନାହିଁ । ଆଉ ଯେଉଁମାନେ ଏଭଳି ସୁନାର ଦେଶକୁ ଛାଡ଼ି ସେଠାକୁ ଯିବାକୁ ଚାହାନ୍ତି ସେମାନଙ୍କୁ ଅବା କ’ଣ କହିବି ?

 

ମନେମନେ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ି ଚୁପ୍‌ ରହିଲି । ଏଇଭଳି ସୁନାର ଦେଶକୁ ତ୍ୟାଗ କରି କାହିଁକି ଯେ ସେ ସେହି ମରୁଭୂମି ଭଳି ବନ୍ଧୁବାନ୍ଧବ ଶୂନ୍ୟ ଛୋଟ ଲୋକମାନଙ୍କ ଗାଆଁକୁ ରାଜଲକ୍ଷ୍ମୀ ମୋତେ ନେଇ କରି ଯାଉଛି ତାହା ଏହାକୁ କୁହାଯାଇ ପାରେନା କିମ୍ବା ବୁଝାଇ ଦେଇହେବ ନାହିଁ ।

 

ଶେଷରେ କହିଲି–ବୋଧହୁଏ ମୋର ସ୍ୱାସ୍ଥ୍ୟ ପାଇଁ ଯାଉଛନ୍ତି । ଏଠାରେ ରହିଲେ ଭଲହେବାର ଆଶା କମ୍‌ ଏହି ଭୟ ସବୁ ଡାକ୍ତରମାନେ ଦେଖାଇଛନ୍ତି ।

 

ରତନ କହିଲା–ଦେହ କ’ଣ କାହାର ଖରାପ ହୁଏ ନାହିଁ ବାବୁ ? ସ୍ଥାନ ପରିବର୍ତ୍ତନ କରିବା ପାଇଁ ସେମାନଙ୍କୁ କ’ଣ ଏଇ ଗଙ୍ଗାମାଟି ଭଳି ଯାଗାକୁ ଯିବାକୁହୁଏ ?

 

ମନେମନେ କହିବାକୁ ଲାଗିଲି–ଜାଣେ ନାହିଁ ସେମାନଙ୍କୁ କେଉଁ ମାଟିକୁ ଯିବାକୁ ହୁଏ, ହୁଏତ ସେମାନଙ୍କର ପୀଡ଼ା ସାମାନ୍ୟ; ତେଣୁ ସେମାନଙ୍କୁ ବୋଧହୁଏ ସାଧାରଣ ମାଟିକୁ ଯିବାକୁ ହେଉଥିବ । କିନ୍ତୁ ମୋର ବ୍ୟାଧି ସାଧାରଣ ନୁହେଁ, ସହଜ ମଧ୍ୟ ନୁହେଁ, ବୋଧହୁଏ ଏଥିପାଇଁ ଗଙ୍ଗାମାଟି ହିଁ ଏକାନ୍ତ ପ୍ରୟୋଜନ ।

 

ରତନ କହିବାକୁ ଲାଗିଲା–ମାଆଙ୍କ ଖର୍ଚ୍ଚ ପତ୍ରର ହିସାବ ଆମେମାନେ କେହି କେବେ ଭାବିପାରିଲୁ ନାହିଁ । ସେଠାରେ ନା ଅଛି ଘରଦ୍ୱାର ନା ଅଛି କିଛି ସୁବିଧା । ଜଣେ ଗୁମାସ୍ତା ଅଛି । ତା’ ପାଖକୁ ଗୋଟାଏ ଘର ତିଆରି କରି ଦେବାପାଇଁ ଏବେ ହଜାରେ କି ଦୁଇହଜାର ଟଙ୍କା ପଠା ହୋଇଛି । ଦେଖନ୍ତୁ ବାବୁ ଏ ସବୁ କିପରି ପିଲାଳିଆମି କାଣ୍ଡ କାରଖାନା ! ଚାକର ବୋଲି ସତେ ଯେପରି ଆମେଗୁଡ଼ାକ ଆଦୌ ମଣିଷ ନୋହୁଁ !

 

ତା’ର କ୍ଷୋଭ ଏବଂ ବିରକ୍ତ ଦେଖି କହିଲି–ନ ଗଲେ ଏପରି ଯାଗାକୁ ରତନ ! ଜୋର କରି ତୁମକୁ ତ କେହି କେଉଁଠାକୁ ନେଇଯାଇପାରିବ ନାହିଁ ?

 

ମୋ କଥାରେ ରତନ ଯେପରି କୌଣସି ସାନ୍ତ୍ୱନା ପାଇପାରିଲା ନାହିଁ କହିଲା–ମାଆ ପାରନ୍ତି । କେଜାଣି କି ଯାଦୁମନ୍ତ୍ର ଜାଣିଚନ୍ତି, ଯଦି କହନ୍ତି ତୁମ ସମସ୍ତଙ୍କୁ ଯମପୁରକୁ ଯିବାକୁ ପଡ଼ିବ, ଏତେଗୁଡ଼ିଏ ଲୋକ ଭିତରେ ଆମର ଏପରି ସାହସ କାହାର ନାହିଁ ଯିଏ କି ନାହିଁ କରି ଦେଇପାରିବ । ଏତିକି କହି ସେ ମୁହଁକୁ ଭାରି କରି ଚାଲିଗଲା ।

 

କଥାଟା ନିଶ୍ଚୟ ରତନ ରାଗ କରି କହିଦେଇ ଗଲା; କିନ୍ତୁ ମୋତେ ସେ ଯେପରି ଗୋଟାଏ ନୂତନ ତଥ୍ୟର ସମ୍ବାଦ ଦେଇଗଲା । କେବଳ ମୁଁ ନୁହେଁ, ସମସ୍ତଙ୍କର ଏଇ ଏକଇ ଦଶା ! ଏଇ ଯାଦୁମନ୍ତ୍ର କଥାଟାକୁ ଭାବିବାକୁ ଲାଗିଲି । ମନ୍ତ୍ର ତନ୍ତ୍ରରେ ଯେ ସତ୍ୟରେ ବିଶ୍ୱାସ କରେ ତାହା ନୁହେଁ, କିନ୍ତୁ ଗୋଟିଏ ଘରଭିତରେ ଏତେ ଲୋକଙ୍କ ଭିତରୁ ଯେତେବେଳେ କାହାର ଶକ୍ତି ନାହିଁ ଯେ ଯମପୁର ଯିବା ଆଦେଶଟାକୁ ଅବହେଳା କରିପାରିବ ସେତେବେଳେ ସେ ବସ୍ତୁଟା ଆଉ କ’ଣ ହୋଇପାରେ !

 

ତାହାର ସମସ୍ତ ସମ୍ପର୍କଠାରୁ ଦୂରରେ ରହିବାକୁ ମୁଁ କ’ଣ ନକରି ବସିଛି ! ବିବାଦ କରି ବିଦାୟ ନେଇଯାଇଛି । ସନ୍ନ୍ୟାସୀ ହୋଇ ଦେଖାଦେଇଛି, ଏପରିକି ଦେଶ ତ୍ୟାଗ କରି ବହୁତ ଦୂରକୁ ଚାଲିଯାଇଛି ଯେପରିକି ଆଉ ଜୀବନରେ ଦେଖା ନ ହୁଏ କିନ୍ତୁ ମୋର ସକଳ ଚେଷ୍ଟା ଗୋଟାଏ ଗୋଲ ବସ୍ତୁଉପରେ ସରଳରେଖା ଟାଣିବା ପରି ବ୍ୟର୍ଥ ହୋଇଯାଇଛି । ନିଜକୁ ସହସ୍ରବାର ଧିକ୍‌କାର ଦେଇ ନିଜର ଦୁର୍ବଳତା ନିକଟରେ ପରାଜିତ ହେଲି । ଏଇ କଥା ଭାବି ଅବଶେଷରେ ଯେତେବେଳେ ଆତ୍ମସମର୍ପଣ କଲି ସେତେବେଳେ ରତନ ଆସି ମୋତେ ଏଇ ଖବରଟା ଦେଇଗଲା ଯେ–ରାଜଲକ୍ଷ୍ମୀ ଯାଦୁମନ୍ତ୍ର ଜାଣେ !

ହୋଇପାରିଥାଏ ! ଅଥଚ ଏଇ ରତନକୁ ଜେରା କରିପାରିଲେ ଜଣାପଡ଼ିବ ଯେ ସେ ନିଜେ ଏହା ବିଶ୍ୱାସ କରେ କି ନାହିଁ ?

ହଠାତ୍‌ ଦେଖିଲି ଗୋଟାଏ ବଡ଼ ପଥର ଗିନାରେ କ’ଣ ଗୁଡ଼ାଏ ଧରି ସେହି ବାଟରେ ରାଜଲକ୍ଷ୍ମୀ ବ୍ୟସ୍ତହୋଇ ତଳକୁ ଚାଲିଯାଉଛି । ଡାକକରି କହିଲି ଶୁଣ, ସମସ୍ତେ କହୁଛନ୍ତି ତୁମେ କୁଆଡ଼େ ଯାଦୁମନ୍ତ୍ର ଜାଣ ?

ସେ ଅଟକିଯାଇ ଭ୍ରୂକୁଞ୍ଚିତ କରି କହିଲା–କ’ଣ ?

କହିଲି–ଯାଦୁମନ୍ତ୍ର ।

ରାଜଲକ୍ଷ୍ମୀ ମୁହଁ ସାମାନ୍ୟ ତଳକୁ କରି ଚୁପିଚୁପି ହସି କହିଲା–ହଁ, ଜାଣେ । ଏତକ କହିଦେଇ ଚାଲିଯାଉଥିଲା; କିନ୍ତୁ ହଠାତ୍‌ ମୋ ଦେହର ଜାମାଟାକୁ ଚାହିଁଦେଇ ଉଦ୍‌ବିଗ୍ନ କଣ୍ଠରେ ପ୍ରଶ୍ନକଲା–ଏଇଟା କାଲିକାର ସେଇ ବାସି ଜାମାଟା ନା ?

 

ନିଜପ୍ରତି ଦୃଷ୍ଟିପାତ କରି କହିଲି–ହଁ, ସେଇଟା ହିଁ । କିନ୍ତୁ ଥାଉ, ଭଲ ଅଛି ।

 

ରାଜଲକ୍ଷ୍ମୀ କହିଲା–ଭଲ କଥା କହୁନି ପରିଷ୍କାରର କଥା କହୁଛି । ତାପରେ ଟିକିଏ ହସିଦେଇ ପୁଣି କହିଲା–ବାହାରକୁ ଏଇ ସଫା ଦିଶୁଥିବାର ଭାବଟା ନେଇ ଚିରକାଳ ତୁମର ଗଲା-। ଏଇଟା ମୁଁ ତାତ୍ସଲ୍ୟ କରି କହୁନାହିଁ, କିନ୍ତୁ ଝାଳରେ ଯେ ଭିତରଟା ଅପରିଷ୍କାର ହୋଇଉଠୁଛି ସେଇଟା ଦେଖିବାକୁ ଶିଖିବ କେବେ ? କହି ସେ ରତନକୁ ଡାକପକାଇଲା । କେହି ଜବାବ ଦେଲେନାହିଁ । କାରଣ କର୍ତ୍ତ୍ରୀଙ୍କର ଏଇପ୍ରକାର ଉଚ୍ଚ ମଧୁର ଆହ୍ୱାନରେ ଉତ୍ତର ଦେବାଟା ଏ ଘରର ବିଧି ନୁହେଁ । ବରଞ୍ଚ ପାଞ୍ଚ ଛଅ ମିନିଟ୍ ଲୁଚି ରହିବାଟା ନିୟମ ।

 

ରାଜଲକ୍ଷ୍ମୀ ସେତେବେଳେ ହାତର ପାତ୍ରଟା ତଳେ ରଖିଦେଇ ପାଖଘରୁ ଗୋଟିଏ ପରିଷ୍କାର ଜାମା ମଣି ମୋ ହାତକୁ ବଢ଼ାଇଦେଇ କହିଲା–ତୁମ ମନ୍ତ୍ରୀ ରତନକୁ କୁହ, ଯେତେ ସମୟ ପର୍ଯ୍ୟନ୍ତ ସେ ଯାଦୁମନ୍ତ୍ର ନ ଜାଣିପାରିଛି ସେତେ ସମୟ ପର୍ଯ୍ୟନ୍ତ ଯେପରି ଏଇ ଦରକାରୀ କାର୍ଯ୍ୟଗୁଡ଼ାକ କରି ଶିଖେ । ଏହା କହି ସେ ଗିନାଟା ପୁଣି ଉଠାଇ ତଳକୁ ଚାଲିଗଲା ।

 

ଜାମାଟା ବଦଳାଇବାରୁ ଯାଇ ଦେଖିଲି ପ୍ରକୃତରେ ତାହା ଭିତରଟା ହିଁ ମଇଳା ହୋଇଯାଇଛି । ହେବାର କଥା ଏବଂ ମୁଁ ଯେ ଆଉକିଛି ପ୍ରତ୍ୟାଶା କରିଥିଲି ତାହା ମଧ୍ୟ ନୁହେଁ । କିନ୍ତୁ ମୋ ମନଟା ଥିଲା ଅନ୍ୟ ଭାବନାରେ ମଗ୍ନ ସେ ହେଉଛି ଅତି ତୁଚ୍ଛ ଥଟ୍ଟା ଏବଂ ଅନ୍ତର–ବାହାରର ବୈଷମ୍ୟ ଯେଉଁଟାକି ମୋତେ ପୁଣି ନୂତନ ଆଘାତ ଦେଲା ।

 

ରାଜଲକ୍ଷ୍ମୀର ଶୁଚିବାଇଗ୍ରସ୍ତତା ଅନେକ ସମୟରେ ମୋ ନିକଟରେ ନିରର୍ଥକ ପୀଡ଼ାଦାୟକ, ଏପରିକି ଅନେକ ସମୟରେ ଅତ୍ୟାଚାର ବୋଲି ମନେହୋଇଛି ଏବଂ ବର୍ତ୍ତମାନ ଯେ ସେ ସମସ୍ତ ଧୋଇପୋଛି ହୋଇ ସଫା ହୋଇଗଲା ତାହା ମଧ୍ୟ ସତ ନୁହେଁ । କିନ୍ତୁ ଏଇ ଶେଷ ଶ୍ଳେଷ ଟିକକ ମଧ୍ୟରେ ଯେଉଁ ବସ୍ତୁଟାକୁ ମୁଁ ଏତେଦିନ ଧରି ମନଦେଇ ଦେଖିପାରିନଥିଲି ତାକୁ ଦେଖିପାରିଲି । ଯେଉଁଠାରେ ଏହି ଅଦ୍ଭୁତ ମନୁଷ୍ୟଟିର ବ୍ୟକ୍ତ ଏବଂ ଅବ୍ୟକ୍ତ ଜୀବନର ଧାରା ଦୁଇଟି ଏକାନ୍ତ ପ୍ରତିକୂଳରେ ବହିଚାଲିଛି ଠିକ୍‌ ସେହି ସ୍ଥାନଟାରେ ଯାଇ ଆଜି ମୋର ଆଖିପଡ଼ିଲା । ଦିନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଭାବିଥିଲି, ଶୈଶବରେ ରାଜଲକ୍ଷ୍ମୀ ଯାହାକୁ ଭଲପାଇଥିଲା, ତାହାକୁ ହିଁ ପିଆରୀ ତାହାର ଉନ୍ମତ୍ତ ଯୌବନର କେଉଁ ଅତୃପ୍ତ ଲାଳସାରେ ପଙ୍କରୁ ଏପରିଭାବରେ ଅତି ସହଜରେ ସହସ୍ରଜଳ ବିକଶିତ ପଦ୍ମପରି ଚକ୍ଷୁର ପଲକ ମାତ୍ରେ ବାହାର କରିଦେଲା । ଆଜି ମନେହେଲା ସେ ତ ପିଆରୀ ନୁହେଁ, ସେ ହେଉଛି ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀ ଓ ପିଆରୀ ଏ ଦୁଇଟି ନାମ ଭିତରେ ଯେ ତା’ ନାରୀ ଜୀବନର କେତେବଡ଼ ଇଙ୍ଗିତ ଗୋପନ ଥିଲା; ତାହା ଦେଖିକରି ଦେଖିନଥିଲି ବୋଲି ମଝିରେ ମଝିରେ ସଂଶୟରେ ଭାବିବସିଛି, ଗୋଟିକ ଭିତରେ ଆଉଗୋଟିଏ ଏତେଦିନ ଧରି କିପରି ବଞ୍ଚି ରହିଥିଲା ? କିନ୍ତୁ ମନୁଷ୍ୟ ତ ଏଇପରି ! ସେଥିପାଇଁ ତ ସେ ମନୁଷ୍ୟ !

 

ପିଆରୀର ସମସ୍ତ ଇତିହାସ ମୁଁ ଜାଣେନାହିଁ କିମ୍ବା ଜାଣିବାକୁ ମଧ୍ୟ ଇଚ୍ଛା କରେନାହିଁ । ରାଜଲକ୍ଷ୍ମୀର ଯେ ସମସ୍ତ ଇତିବୃତ୍ତ ଜାଣେ ତାହା ମଧ୍ୟ ନୁହେଁ । କେବଳ ଏତିକିମାତ୍ର ଜାଣେ ଯେ, ଦୁଇଜଣଙ୍କ ମର୍ମରେ ଏବଂ କର୍ମରେ ଚିରଦିନ କୌଣସି ମେଳ କିମ୍ବା ସାମଞ୍ଜସ୍ୟ ନଥିଲା । ଚିରଦିନ ଉଭୟେ ପରସ୍ପରର ଓଲଟା ସ୍ରୋତରେ ବହିଯାଉଛନ୍ତି । ସେଥିପାଇଁ ଜଣକର ନିଭୃତ ସରସୀରେ ଯେତେବେଳେ ଶୁଭ୍ର ସୁନ୍ଦର ପ୍ରେମର କମଳ ଧୀରେ ଧୀରେ ଅନୁକ୍ଷଣ ପାଖୁଡ଼ା ପରେ ପାଖୁଡ଼ା ମେଲାଇ ଚାଲିଛି; ସେତେବେଳେ ଅପରର ଦୁର୍ଦ୍ଦାନ୍ତ ଜୀବନର ଘୂର୍ଣ୍ଣିବାୟୁ ସେଠାରେ ଆଘାତ କରିବ କିମ୍ବା ପ୍ରବେଶ କରିବ ସେଥିପାଇଁ ବାଟ ଖୋଜି ପାଉନଥିଲା । ସେଥିପାଇଁ ତହିଁରୁ ଗୋଟିଏ ହେଲେ ପାଖୁଡ଼ା ଝଡ଼ିପଡ଼ି ନାହିଁ କିମ୍ବା ଏତେ ଟିକିଏ ଧୂଳିବାଲି ସୁଦ୍ଧା ଉଡ଼ିଯାଇ ତାକୁ ସ୍ପର୍ଶ କରି ପାରିନାହିଁ ।

 

ଶୀତର ସନ୍ଧ୍ୟା ଶୀଘ୍ର ଗାଢ଼ ହୋଇଆସିଲା । ମୁଁ କିନ୍ତୁ ସେହିଠାରେ ବସି ଭାବିବାରେ ଲାଗିଥାଏ । ମନକୁମନ କହିହେଲି ମଣିଷ କହିଲେ କେବଳ ତ ଦେହଟାକୁ ବୁଝାଏ ନାହିଁ । ପିଆରୀ ନାହିଁ, ସେ ମରିଯାଇଛି, କିନ୍ତୁ ଦିନେ କେବେ ଯଦି ସେ ତା’ର ଏଇ ଦେହଟାରେ କୌଣସି କାଳି ଲେପିଥାଏ ତେବେ କ’ଣ ସେଇଟିକକୁ ବଡ଼ କରି ଦେଖିବି, ନା, ରାଜଲକ୍ଷ୍ମୀ ଯେ ତା’ର ସହସ୍ର କୋଟି ଦୁଃଖର ଅଗ୍ନି ମୁହଁ ପାରହୋଇ ଆଜି ଅକଳଙ୍କ ଶୁଭ୍ରତାରେ ଠିଆ ହୋଇପାରିଛି ତାକୁ ନ ଚାହିଁ ମୁହଁଫେରାଇ ବିଦାୟ କରିଦେବି ? ମନୁଷ୍ୟ ମଧ୍ୟରେ ଯେଉଁ ପଶୁ ଅଛି, କେବଳ ତାହାର ହିଁ ଅନ୍ୟାୟ, ତାହାର ହିଁ ଭୁଲଭ୍ରାନ୍ତିକୁ ନେଇ ମନୁଷ୍ୟର ବିଚାର କରିବସିବ; ନା, ଆଜି ଯେଉଁ ଦେବତା ସକଳ ଦୁଃଖ ସକଳ ବେଦନା, ସକଳ ଅପମାନକୁ ନୀରବରେ ବହନ କରି ମଧ୍ୟ ମଜି ତାହାରି ଭିତରେ ସସ୍ମିତ ଭାବରେ ଆତ୍ମପ୍ରକାଶ କରିଛନ୍ତି ତାଙ୍କୁ ବସିବା ପାଇଁ କେଉଁଠି ଆସନ ପାତି ଦେବି-? ସେଇଠାରେ କ’ଣ ପ୍ରକୃତରେ ମନୁଷ୍ୟତାର ବିଚାର ହୋଇପାରିବ ? ମୋ ମନ ଯେପରି ମଜି ତା’ର ସମସ୍ତ ଶକ୍ତିଦେଇ କହିବାକୁ ଲାଗିଲା ନା, ନା, ଆଦୌ ନୁହେଁ । ଏହା କେତେବେଳେ କଦାପି ସମ୍ଭବ ହୋଇପାରେନା ।

 

ସେ ବେଶୀଦିନର କଥା ନୁହେଁ । ନିଜକୁ ଦୁର୍ବଳ, ଶ୍ରାନ୍ତ ଓ ପରାଜିତ ଭାବି ଦିନେ ରାଜଲକ୍ଷ୍ମୀ ହାତରେ ନିଜକୁ ସମର୍ପଣ କରିଦେଇଥିଲି । କିନ୍ତୁ ସେଦିନ ସେହି ପରାଭୂତ ଆତ୍ମତ୍ୟାଗ ଭିତରେ ଗୋଟାଏ ଦୀନତା ଥିଲା । ମୋ ମନ ଯେପରି ଏହାକୁ କୌଣସି ପ୍ରକାରର ଅନୁମୋଦନ କରିପାରୁନଥିଲା । କିନ୍ତୁ ଆଜି ମୋର ସେହି ମନ ଯେପରି ହଠାତ୍ ସରଳଭାବରେ ବାରମ୍ବାର କହିବାକୁ ଲାଗିଲା ଯେ, ଏ ଦାନ, ଦାନ ନୁହେଁ ବରଂ ଫାଙ୍କି । ଯେଉଁ ପିଆରୀକୁ ତୁ ଜାଣିନାହୁଁ, ସେ ତୋର ଜାଣିବାର ସୀମା ବାହାରେ ପଡ଼ିରହିଥାଉ । କିନ୍ତୁ ଯେଉଁ ରାଜଲକ୍ଷ୍ମୀ ଦିନେ ତୋର ଥିଲା, ଆଜି ତାକୁ ତୁ ମନପ୍ରାଣ ଦେଇ ଗ୍ରହଣ କରି ଏବଂ ଯାହାଙ୍କ ହାତରୁ ସଂସାରର ସାର୍ଥକତା ନିରନ୍ତର ଝରିଚାଲିଛି, ଏହାର ସାର୍ଥକତା ତାହାଙ୍କ ହାତରେ ସମର୍ପଣ କରିଦେଇ ନିଶ୍ଚିନ୍ତ ହୁଅ ।

 

ନୂଆ ଚାକରଟା ଆଲୁଅ ଆଣୁଥିଲା, ତାକୁ ବାଟରୁ ବିଦାକରିଦେଇ ଅନ୍ଧାରରେ ବସି ରହିଲି ଏବଂ ମନେମନେ କହିବାକୁ ଲାଗିଲି, ରାଜଲକ୍ଷ୍ମୀ ତୋର ସମସ୍ତ ଭଲ ଆଉ ସମସ୍ତ ମନ୍ଦ ସହିତ ତୋତେ ଗ୍ରହଣ କରିନେଲି । କେବଳ ଏତିକି ମାତ୍ର ମୁଁ କରିପାରେ ଏବଂ ଏତିକିମାତ୍ର ହିଁ ମୋ ହାତରେ ଅଛି କିନ୍ତୁ ଏହାଠାରୁ ଅତିରିକ୍ତ ଯାହାଙ୍କ ହାତରେ ସେଇ ଅତିରିକ୍ତର ବୋଝ ତାଙ୍କ ହାତରେ ତୋଳିଦେଲି । ଏତିକି କହି ସେଇ ଅନ୍ଧକାର ଭିତରେ ଖଟର ବାଡ଼ା ଉପରେ ନୀରବରେ ମୁଣ୍ଡ ଲଗାଇ ପ୍ରଣାମ କଲି ।

 

ପର୍ବପରି ପରଦିନ ମଧ୍ୟ ଯଥାରୀତି ଆୟୋଜନ ଚାଲିଲା ଏବଂ ତାହାର ପରଦିନ ବ୍ୟାପୀ ଉଦ୍ୟମର ଶେଷ ରହିଲା ନାହିଁ । ସେଦିନ ଦି’ପହରବେଳେ ଗୋଟାଏ ବଡ଼ ସିନ୍ଧୁକରେ ଥାଳି, ଗିନା, ଢାଳ, ଗିଲାସ, ଏପରିକି ଛେପ ପକାଇବା ପିକଦାନୀ ପର୍ଯ୍ୟନ୍ତ ଭର୍ତ୍ତି କରାହେଉଥାଏ । ମୁଁ ଘରଭିତରେ ରହି ଏସବୁ ଦେଖିବାରେ ଲାଗିଥାଏ । ଏ ଭିତରେ ଇସାରାରେ ରାଜଲକ୍ଷ୍ମୀକୁ ଡାକି ପଚାରିଲି–ଏସବୁ କ’ଣ ହେଉଛି ? ତୁମେ କ’ଣ ଆଉ ଫେରିଆସିବାକୁ ଇଚ୍ଛା କରୁ ନାହଁ କି ?

 

ରାଜଲକ୍ଷ୍ମୀ କହିଲା–ଫେରିଆସିଛି କେଉଁଠାକୁ ଶୁଣେ ?

 

ମୋର ମନେପଡ଼ିଲା–ଏ ଘର ସେ ବଙ୍କୁକୁ ଦାନ କରିଦେଇଛି । କହିଲି–ଧର ଯଦି ସେ ଯାଗା ତୁମର ପସନ୍ଦ ନ ହୁଏ.....

 

ରାଜଲକ୍ଷ୍ମୀ ଟିକିଏ ହସିଦେଇ କହିଲା–ମୋ ପାଇଁ ତୁମର ମନ ଖରାପ କରିବାର ଦରକାର ନାହିଁ । ତୁମକୁ ଭଲ ନ ଲାଗିଲେ ତୁମେ ଚାଲିଆସିପାର । ସେଥିରେ ମୁଁ ଆଦୌ ବାଧାଦେବି ନାହିଁ ।

 

ତାହାର କଥାଭଙ୍ଗୀରେ ମୁଁ ଆଘାତ ପାଇ ଚୁପ ହୋଇ ରହିଲି । ଏଇଟା ମୁଁ ବହୁଥର ଦେଖିଛି ଯେ ସେ ମୋର ଏପରି ଧରଣର କୌଣସି ପ୍ରଶ୍ନକୁ ଯେପରି ସରଳ ଚିତ୍ତରେ ଗ୍ରହଣ କରିପାରେ ନାହିଁ । ମୁଁ ଯେ ତାକୁ ଅକପଟରେ ଭଲପାଇ ପାରେ ଏବଂ ତାହା ସହିତ ସ୍ଥିର ହୋଇ ବାସ କରିପାରେ ଏହା ଯେପରି ସେ କୌଣସିମତେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ । ସଂଶୟର ଆଲୋଡ଼ନ ହେତୁ ଅବିଶ୍ୱାସ ଏପରି ଉଗ୍ରହୋଇ ବେଳେବେଳେ ବାହାରି ଆସେ ଯେ ତାହାରି ଜ୍ୱାଳା ବହୁକ୍ଷଣ ଧରି ଉଭୟଙ୍କ ଭିତରେ ଲାଗିରହେ । ଏହି ଅବିଶ୍ୱାସର ନିଆଁ କିପରି ଏବଂ କେବେ ଯେ ଲିଭିପାରିବ ମୁଁ ତାହାର କୌଣସି କୂଳ କିନାରା ଖୋଜି ପାଇପାରେନାହିଁ । ସେ ମଧ୍ୟ ଏହାର ସନ୍ଧାନରେ ଅବିଶ୍ରାନ୍ତ ଘୂରିବୁଲୁଛି । ଗଙ୍ଗାମାଟି ଏ ସମସ୍ୟାର ଶେଷ ସମାଧାନ କରିପାରିବ କି ନାହିଁ-। ସେହି ତଥ୍ୟ ଯାହାଙ୍କ ହାତରେ ସେ ଅଲକ୍ଷ୍ୟରେ ଚୁପହୋଇ ବସି ରହିଛନ୍ତି ।

 

ସର୍ବବିଧ ଆୟୋଜନ ହେତୁ ଆଉ ଚାରିଦିନ ବିତିଗଲା ଏବଂ ଆଉ ଦୁଇଦିନ ଗଲା ଶୁଭକ୍ଷଣ ପ୍ରତୀକ୍ଷାରେ । ତା’ପରେ ଦିନେ ସକାଳୁ ସତସତିକିଆ ଆମେମାନେ ଗଙ୍ଗାମାଟି ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଦେଲୁ । ଭଲରେ ବାଟସାରା କଟିଲା ନାହିଁ ଯେହେତୁ ମନରେ ସୁଖ ଆଦୌ ନଥିଲା । ଆଉ ସବୁଠାରୁ ଖରାପରେ କଟିଲା ରତନର । ସେ ମୁହଁଟାକୁ ଅସମ୍ଭବ ଧରଣର ଭାରିକରି ଗାଡ଼ିର ଗୋଟିଏ କଣରେ ଚୁପଚାପ ହୋଇ ବସିରହିଲା । ଷ୍ଟେସନ ପରେ ଷ୍ଟେସନ ଗଲା । କୌଣସି କାମରେ ସେ ବିନ୍ଦୁମାତ୍ର ସାହାଯ୍ୟ କଲା ନାହିଁ । ମୁଁ କିନ୍ତୁ ଭାବିଥିଲି ସଂପୂର୍ଣ୍ଣ ଅନ୍ୟ କଥା । ସ୍ଥାନଟା ଜଣା କି ଅଜଣା, ଭଲ କି ମନ୍ଦ, ସ୍ୱାସ୍ଥ୍ୟକର କିମ୍ବା ମେଲେରିଆ ଭରା, ସେ ଦିଗକୁ ମୋର ଆଦୌ ଖିଆଲ ନଥିଲା । ମୁଁ ଭାବୁଥିଲି ଯଦି ଜୀବନଟା ମୋର ଏତେଦିନ ଧରି ନିରୁପଦ୍ରବ ହୋଇ କଟିନାହିଁ, ଏହା ଭିତରେ ଅନେକ ଗଲତି, ଅନେକ ଭୁଲ୍‍ଠିକ୍, ଅନେକ ଦୁଃଖ ଦୈନ୍ୟ ହିଁ ବିତିଯାଇଛି ତଥାପି ସେ ସବୁ ମୋର ଅତ୍ୟନ୍ତ ପରିଚିତ । ଏହି ଦୀର୍ଘଦିନ ଭିତରେ ସେମାନଙ୍କ ସହିତ ତ ମୁକାବିଲା ହୋଇପାରିଛି ସତ, ବରଞ୍ଚ ଆହୁରି ଏକପ୍ରକାର ସ୍ନେହ ମମତା ଗଢ଼ିଉଠିଛି କହିଲେ ଚଳେ । ସେମାନଙ୍କ ପାଇଁ ମୁଁ କାହାକୁ ଦୋଷ ଦେଉନାହିଁ । ଆଉ ମୋତେ ମଧ୍ୟ କେହି ଦୋଷୀ କରି ସମୟ ନଷ୍ଟ ନ କରିବାକୁ ଅନୁରୋଧ କରୁଛି । କିନ୍ତୁ ଏଇ ଯେ କେଉଁଠାକୁ କ’ଣ ଗୋଟାଏ ନୂତନତ୍ୱର ମଧ୍ୟକୁ ନିଶ୍ଚିତ ଭାବରେ ଯାଉଛି ଏହି ନିଶ୍ଚୟତା ହିଁ ମୋତେ ବିକଳ କରିପକାଉଥାଏ ।

 

ଆଜି ନୁହେଁ କାଲି ଯିବା କହି ଡେରି କରିବାକୁ ଆଉ ରାସ୍ତା ନାହିଁ । ଅଥଚ ଏହାର ଭଲ ଜାଣେ ନାହିଁ କି ମନ୍ଦ ବି ଜାଣେ ନାହିଁ । ତେଣୁ ଗନ୍ତବ୍ୟ ସ୍ଥଳର ନିକଟ ହେବାକୁ ଚାଲିଥାଏ, ସେତିକି ଏହି ଅଜ୍ଞାତ ରହସ୍ୟର ବୋଝ ମୋ ବୁକୁଉପରେ ଚାପିହୋଇ ବସୁଥାନ୍ତି । କେତେ କ’ଣ ଯେ ମନେହେବାକୁ ଲାଗୁଥାଏ ତାହାର ଆଉ ସୀମା ନଥିଲା । ମନେହେଲା ଅଦୂର ଭବିଷ୍ୟତରେ ହୁଏତ ମୋତେ କେନ୍ଦ୍ର କରି ଗୋଟିଏ କୁତ୍ସିତ ଦଳ ଗଢ଼ିଉଠିବେ, ସେମାନଙ୍କୁ ନା ସଙ୍ଗରେ ନେଇପାରିବି, ନା ଠେଲିଦେଇପାରିବି । ସେତେବେଳେ କ’ଣ ହେବ ଏବଂ କ’ଣ ନ ହେବ ଭାବିବାକ୍ଷଣି ସାରା ମନଟା ମୋର ଝିମିଝିମି ହୋଇଉଠିଲା । ଚାହିଁ ଦେଖିଲି ରାଜଲକ୍ଷ୍ମୀ ଝରକାବାଟେ ବାହାରକୁ ଚାହିଁରହି ନୀରବରେ ବସି ରହିଛି । ହଠାତ୍‌ ମନେହେଲା ଏହାକୁ ମୁଁ କେବେ ଭଲପାଇ ନାହିଁ । କିନ୍ତୁ ଏଣିକି ଭଲପାଇବାକୁ ହେବ । ଆଉ କୁଆଡ଼େ କେଉଁଠାକୁ ପଳାଇଯିବାର ରାସ୍ତା ନାହିଁ । ପୃଥିବୀରେ ଏତେବଡ଼ ବିଡ଼ମ୍ବନା କ’ଣ ଆଉ କାହା ଭାଗ୍ୟରେ କେବେ ଘଟିଅଛି କି ? ଅଥଚ ଦିନକ ପୂର୍ବରୁ ଏହି ଦ୍ୱିଧାର ଯନ୍ତାରୁ ଆତ୍ମରକ୍ଷା କରିବାକୁ ଯାଇ ମୋତେ ଏହାରି ହାତରେ ହିଁ ନିଜକୁ ସମର୍ପଣ କରିବାକୁ ହୋଇଛି । ସେତେବେଳେ ମନେମନେ ଦୃଢ଼ତାର ସହିତ କହିଥିଲି ତୋର ସମସ୍ତ ଭଲମନ୍ଦ ସହିତ ତୋତେ ଗ୍ରହଣ କରିନେଲି ଲକ୍ଷ୍ମୀ । ଅଥଚ ଆଜି ମୋର ମନ ଏପରି ବିକ୍ଷିପ୍ତ, ଏପରି ବିଦ୍ରୋହୀ ହୋଇଉଠିଲା । ସେଥିପାଇଁ ଭାବିଲି ସଂସାର କରିବା କହିବା ଏବଂ ପ୍ରକୃତରେ ସଂସାରୀ ହେବା ଭିତରେ କେତେ ତଫାତ୍‌ ନାହିଁ ସତେ ! ଘଟିପାରେ ଏବଂ ଏ ବିଷୟରେ ସବିଶେଷରେ ଜଣାଇ ଦେଇଛନ୍ତି ଯେ ବାଟରେ ଭୟ କରିବାର କିଛି ନାହିଁ । ସ୍ୱଚ୍ଛନ୍ଧରେ ଶୋଇ କରି ଆସିପାରନ୍ତି ।

 

କର୍ତ୍ତ୍ରୀ ଠାକୁରାଣୀ ପତ୍ର ପାଠ କରି ଈଷତ୍‌ ହସିଲେ ମାତ୍ର ଏବଂ ଯିଏ ଏହାକୁ ଦେଲା ତାକୁ ଭୟାଦି ବିଷୟରେ କୌଣସି ପ୍ରଶ୍ନ ନକରି କହିଲେ–ହଁ ବାବୁ, ପାଖାପାଖି କେଉଁଠାରେ ଗୋଟାଏ ପୋଖରୀ ଥିବ ଦେଖାଇ ଦେଇପାରିବ କି ? ଗୋଟାଏ ବୁଡ଼ ଦେଇଆସନ୍ତି.....

 

: ଅଛି, ହେଇ ସେଇଠି ମାଆ...

 

: ତାହାହେଲେ ଚାଲ ତ ବାବା, ଟିକିଏ ଦେଖାଇଦେଇ ଆସିବୁ । କହି ସେ ରତନକୁ ଓ ସେ ଲୋକକୁ ସଙ୍ଗରେ ଧରି ଅଜଣା କେଉଁ ପୋଖରୀକୁ ସ୍ନାନ ଆହ୍ନିକ ସାରିବା ପାଇଁ ଚାଲିଗଲା । ଦେହ ଖରାପ ହେବ ପ୍ରଭୃତି ଭୟ ଦେଖାଇବା ନିରର୍ଥକ ହେବ ଜାଣି ମୁଁ କୌଣସି ପ୍ରକାରେ ପ୍ରତିବାଦ ଜଣାଇଲି ନାହିଁ । ବିଶେଷତଃ ଏହାପରେ ସେ ଯଦି କିଛି ଖାଇପାରେ ଏବଂ ବାଧାଦେଲେ ସେତକ ମଧ୍ୟ ଖରାପ ହୋଇଯାଇପାରେ....

 

କିନ୍ତୁ ଆଜି ସେ ଦଶ ବାର ମିନିଟ୍ ପରେ ଫେରିଆସିଲା । ଗୋରୁ ଗାଡ଼ିରେ ଜିନିଷପତ୍ର ଲଦାହେବା ଆରମ୍ଭ ହୋଇଯାଇଥାଏ । ସମାନ୍ୟ ଦୁଇ ଚାରିଟା ବିଛଣା ଖୋଲା ହୋଇପାରି ଦିଆ ହୋଇଥାଏ । ମୋତେ ଦେଖି ସେ କହିଲା–ତୁମେ କାହିଁକି କିଛି ଖାଇନେଉ ନାହଁ ? ସବୁ ତ ଅଣା ହୋଇଛି ।

 

କହିଲି–ଦିଅ ।

 

ଗଛ ତଳରେ ଆସନ ପକାଇ ସେ ସବୁ ଗୋଟାଏ କଦଳୀ ପତ୍ର ବାଢ଼ି ଦେଉଥାଏ, ମୁଁ ନିସ୍ପୃହ ଭାବରେ ସେ ଆଡ଼କୁ କେବଳ ଚାହିଁ ରହିଥାଏ, ଏପରି ସମୟରେ ଏକ ମୂର୍ତ୍ତି ଆସି ସମ୍ମୁଖରେ ଠିଆହୋଇ ଡାକଦେଲା–ନାରାୟଣ.....

 

ରାଜଲକ୍ଷ୍ମୀ ତା’ର ଓଦା କେଶଉପରେ ବାଆଁହାତରେ ଓଢ଼ଣାଟା ଟାଣିନେଇ ମୁହଁଟେକି ଚାହିଁଲା । ତାପରେ କହିଲା–ଆସନ୍ତୁ ।

 

ଅକସ୍ମାତ ଏଇ ନିସଂକୋଚ ନିମନ୍ତ୍ରଣର ଶବ୍ଦ ଶୁଣି ମୁହଁ ଫେରାଇ ଦେଖିଲି ଜଣେ ସାଧୁ ଠିଆ ହୋଇଛନ୍ତି । ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲି । ତାହାର ବୟସ ବେଶୀ ନୁହେଁ । ବୋଧହୁଏ କୋଡ଼ିଏ ଏକୋଇଶି ବର୍ଷ ମଧ୍ୟରେ । କିନ୍ତୁ ଯେପରି ସୁକୁମାରି ସେହିପରି ସୁଶ୍ରୀ । ଚେହେରାଟା କୃଶତା ଆଡ଼କୁ ଯାଉଥାଏ । ହୁଏତ ଟିକିଏ ଦୀର୍ଘକାଳ ବୋଲି ମନେହେଲା । କିନ୍ତୁ ରଙ୍ଗଟା ତପ୍ତ କାଞ୍ଚନ ଭଳି । ଚକ୍ଷୁ, ଭ୍ରୂ, କପାଳର ଗଠନ ନିଖୁଣ ବୋଲି ମନେହେଲା । ବାସ୍ତବିକ୍‌ ପୁରୁଷର ଏତେ ରୂପ କେଉଁଠାରେ ଥିବାର ଦେଖିଥିଲା ପରି ମୋର ମନେହେଲା ନାହିଁ । ତାହାର ପରିଧାନରେ ଗେରୁଆ ବସ୍ତ୍ର ଖଣ୍ଡିକ ଠାଏ, ଠାଏ ଛିଣ୍ଡା ଏବଂ ଗଣ୍ଠିପକା । ଦେହର ଗେରୁଆ ପଞ୍ଜାବୀର ଯେପରି ଜୀର୍ଣ୍ଣ ଦଶା, ପାଦର ପଞ୍ଜାବୀ ଜୋତା ଦୁଇଟିର ପ୍ରାୟ ତଦ୍ରୂପ ଅବସ୍ଥା । ହଜିଗଲେ ଦୁଃଖ କରିବାର କିଛି ନାହିଁ । ରାଜଲକ୍ଷ୍ମୀ ଭୂମିଷ୍ଠ ପ୍ରଣାମ ଆସନ ପକାଇଦେଲା । କହିଲା–ମୁଁ ବର୍ତ୍ତମାନ ଖାଇବାକୁ ଠିକ୍‌ କରୁଛି, ଆପଣଙ୍କୁ ମୁହଁ ହାତ ଧୋଇବା ପାଇଁ ପାଣି ଦେବି କି ?

 

ସାଧୁ କହିଲେ–ତାହା ଦିଅନ୍ତୁ । ମୁଁ କିନ୍ତୁ ଅନ୍ୟ କାମରେ ତୁମ ପାଖକୁ ଆସିଛି ।

 

ରାଜଲକ୍ଷ୍ମୀ କହିଲା–ଆଚ୍ଛା; ଆପଣ ଖାଇ ବସନ୍ତୁ । ସେ କଥା ପରେ କଥା ହେବା । ଘରକୁ ଫେରିଯିବା ପାଇଁ ଟିକଟ ଚାହୁଁଛନ୍ତି ତ ? ତାହା ମୁଁ କିଣିଦେବି । କହି ସେ ମୁହଁ ବୁଲାଇ ଲୁଚାଇବାକୁ ଚେଷ୍ଟାକଲା ।

 

ସାଧୁଜୀ ଗମ୍ଭୀର ଭାବରେ ଉତ୍ତରଦେଲେ–ନା, ତାହା ମୋର ପ୍ରୟୋଜନ ନାହିଁ । ମୁଁ ଖବର ନେଇଛି ଆପଣ ଗଙ୍ଗାମାଟି ଯାଉଛନ୍ତି । ମୋ ସହିତ ଗୋଟାଏ ଓଜନିଆ ବାକ୍‌ସ ଅଛି । ସେଇଟା ଯଦି ଆପଣଙ୍କ ଗାଡ଼ିରେ କିଛି ବାଟ ପର୍ଯ୍ୟନ୍ତ ନେଇ ଯାଇପାରନ୍ତେ....ମୁଁ ମଧ୍ୟ ସେଇ ଦିଗକୁ ଯାଉଛି ।

 

ରାଜଲକ୍ଷ୍ମୀ କହିଲା–ଏ ପୁଣି ଗୋଟାଏ ବଡ଼ କଥା କ’ଣ ? କିନ୍ତୁ ଆପଣ ନିଜେ ?

 

: ମୁଁ ଚାଲି ଚାଲି ଯାଇପାରିବି । ବେଶୀ ଦୂର ତ ନୁହେଁ । ମାତ୍ର ଛଅ, ସାତକୋଶ ହେବ-

 

ରାଜଲକ୍ଷ୍ମୀ ଆଉ କିଛି ନ କହି ରତନକୁ ଡାକି ପାଣି ଦେବାକୁ କହିଲା ଏବଂ ନିଜେ ପରିପାଟୀ କରି ସାଧୁଜୀଙ୍କ ପାଇଁ ଖାଦ୍ୟ ପଦାର୍ଥ ସଜାଇବାରେ ଲାଗିଲା । ଏହି କାର୍ଯ୍ୟଟି ରାଜଲକ୍ଷ୍ମୀର ସଦାବେଳେ ନିଜସ୍ୱ । ଏ ବିଷୟରେ ତା’ର ତୁଳନା ନାହିଁ ।

 

ସାଧୁ ଖାଇବାକୁ ବସିଲେ । ମୁଁ ମଧ୍ୟ ଖାଇ ବସିଲି । ରାଜଲକ୍ଷ୍ମୀ ହାଣ୍ଡି ଧରି ପାଖରେ ବସି ରହିଲା । ଦୁଇ, ତିନି ମିନିଟ ପରେ ରାଜଲକ୍ଷ୍ମୀ ଆସ୍ତେ ଆସ୍ତେ ପଚାରିଲା–ସାଧୁଜୀ, ଆପଣଙ୍କ ନାମଟି ?

 

ସାଧୁ ଖାଉ ଖାଉ କହିଲେ–ବ୍ରଜାନନ୍ଦ ।

 

ରାଜଲକ୍ଷ୍ମୀ କହିଲା–ବାପ୍‌ରେ ବାପ୍‌ ! ଡାକନାଆଁଟି ?

 

ତା’ କଥା କହିବାର ଭଙ୍ଗୀରୁ ଚାହିଁ ଦେଖିଲି ତାହାର ସାରା ମୁହଁଟା ଚାପା ହସର ଛଟାରେ ଉଜ୍ଜ୍ୱଳ ହୋଇଉଠିଛି । କିନ୍ତୁ ସେ ହସିଲା ନାହିଁ, ଆଉ ମୁଁ ମଧ୍ୟ ଖାଇବାରେ ମନଦେଲି । ସାଧୁଜୀ କହିଲେ–ସେ ନାମ ସହିତ ଆଉ କୌଣସି ସମ୍ପର୍କ ନାହିଁ । ନିଜର ମଧ୍ୟ ନାହିଁ କି ପରର ମଧ୍ୟ ନାହିଁ ।

 

ରାଜଲକ୍ଷ୍ମୀ ସରଳଭାବରେ ଉତ୍ତର ଦେଇ କହିଲା–ତାହା ଅବଶ୍ୟ ସତ । କିନ୍ତୁ ମୁହୂର୍ତ୍ତକ ପରେ ପୁଣି ପ୍ରଶ୍ନକଲା–ଆଚ୍ଛା ସାଧୁଜୀ, ଆପଣ ଘରୁ କେତେଦିନ ହେବ ପଳାଇ ଆସିଛନ୍ତି ?

 

ସାଧୁ ଗୋଟାଏ ଢୋକ ଗିଳି କହିଲେ–ଆପଣଙ୍କର ଏଭଳି ପ୍ରଶ୍ନ କରିବା ସଂପୂର୍ଣ୍ଣ ଅନାବଶ୍ୟକ ।

 

ରାଜଲକ୍ଷ୍ମୀ ଏଥିରେ ଲେଶମାତ୍ର କ୍ଷୁଣ୍ଣ ହେଲାନାହିଁ । ଭଲ ଲୋକଟି ଭଳି ମୁଣ୍ଡ ଟୁଙ୍ଗାରୀ କହିଲା–ତା’ ଅବଶ୍ୟ ଠିକ୍‌ । ତେବେ ଥରେ କୁଆଡ଼େ ଭାରି କଷ୍ଟ ଭୋଗିବାକୁ ହୋଇଥିଲା ସେଥିପାଇଁ–ଏତିକି କହି ଯେ ମୋତେ ଲକ୍ଷ୍ୟକରି କହିଲା–ହଁ ଗୋ କହିଲ ତୁମର ସେଇ ଓଟ ଏବଂ ତଟୁ ଘୋଡ଼ାର ଗଳ୍ପଟା । ସାଧୁଜୀଙ୍କୁ ଥରେ ଶୁଣାଇଦିଅ ତ,...ଆହା–ହା କିଏ ଆଉ ପୁଣି ଘରର ନାଆଁ ଧରୁଛି ?

 

ସାଧୁଜୀ ଏଇକଥା ଶୁଣି ହସକୁ ଚାପିବାକୁ ଚେଷ୍ଟାକରି ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ । ଏ ପର୍ଯ୍ୟନ୍ତ ସୁଦ୍ଧା ମୋ ସହିତ ପଦେହେଲେ କଥା ହୋଇନାହାନ୍ତି । କର୍ତ୍ତୀ ଠାକୁରାଣୀଙ୍କ ଆଢ଼ୁଆଳରେ କେତେଜଣ ଅନୁଚର ଭଳି ଥିଲି । ଏଥର ସାଧୁଜୀ ହସକୁ ସମ୍ଭାଳି ନେଇ ଯଥାସମ୍ଭବ ଗାମ୍ଭୀର୍ଯ୍ୟର ସହିତ ମୋତେ ପ୍ରଶ୍ନ କଲେ–ଆପଣ ବୋଧହୁଏ ତାହାହେଲେ ଥରେ ସନ୍ନ୍ୟାସୀ.....

 

ମୋ ପାଟିଭିତରେ ଲୁଚି ଭର୍ତ୍ତି ହୋଇଥିଲା । କଥା କହିବା ସମ୍ଭବପର ନଥିଲା ତେଣୁ ବାଆଁହାତର ଚାରିଟା ଆଙ୍ଗୁଳି ଦେଖାଇ ମୁଣ୍ଡ ହଲାଇ କହିଲି–ଉହୁଁ–ଥରେ ନୁହେଁ–ଥରେ ନୁହେଁ.....

 

ଏଥର ସାଧୁଜୀଙ୍କର ଗାମ୍ଭୀର୍ଯ୍ୟ ଆଉ ବଜାୟ ରହିପାରିଲା ନାହିଁ । ସେ ଏବଂ ରାଜଲକ୍ଷ୍ମୀ ଦୁହେଁ ଏଥର ଖିଲି ଖିଲି ହୋଇ ହସିଉଠିଲେ । ହସ ବନ୍ଦ ହେବାପରେ କହିଲେ–ଫେରିଆସିଲେ କାହିଁକି ?

 

ଲୁଚି ଖଣ୍ଡକ ସେ ପର୍ଯ୍ୟନ୍ତ ଗିଳିସାରି ନଥାଏ, ତେଣୁ କେବଳ ରାଜଲକ୍ଷ୍ମୀକୁ ଦେଖାଇଦେଲି ।

 

ରାଜଲକ୍ଷ୍ମୀ ତର୍ଜନ କରି କହିଉଠିଲା–ସତରେ ସେଇଆ ନା କ’ଣ । ଆଚ୍ଛା ଥରେହେଲେ ମୋ ପାଇଁ ହୋଇଥିବ–ତାହା ମଧ୍ୟ ସତ ନୁହେଁ, ସେ ପୁଣି ଭୟଙ୍କର ଜରରେ ପଡ଼ିବା ପରେ; କିନ୍ତୁ ଆଉ ତିନିଥର ?

 

କହିଲି–ସେ ମଧ୍ୟ ସେଇପରି କିଛି, ମଶାକାମୁଡ଼ା କହିଲେ ଚଳିବ । ସେଇଟା ମଧ୍ୟ ଚମଡ଼ା ସହ୍ୟ କରିପାରିଲା ନାହିଁ । ଆଚ୍ଛା...

 

ସାଧୁ ହସିଦେଇ କହିଲେ–ଆପଣ କେବଳ ମୋତେ ବ୍ରଜାନନ୍ଦ ବୋଲି ଡାକିବେ । ଆପଣଙ୍କ ନାମଟି....

 

ମୋ ଆଗରୁ ଜବାବ ଦେଇ ରାଜଲକ୍ଷ୍ମୀ କହିଲା–ତାଙ୍କ ନାଆଁ ଜାଣି କ’ଣ ହେବ ? ସେ ତ ତୁମଠାରୁ ବୟସରେ ଅନେକ ବଡ଼ । ତାଙ୍କୁ ଭାଇ ବୋଲି ଡାକିବ । ଆଉ ମୋତେ ଭାଉଜ ବୋଲି ଡାକିଲେ ମୁଁ ଆଦୌ ରାଗ କରିବି ନାହିଁ । ଆଉ ମୁଁ ମଧ୍ୟ ବୟସରେ ପାଞ୍ଚ, ଛଅବର୍ଷ ତୁମଠାରୁ ବଡ଼ ହେବି ।

 

ସାଧୁଜୀଙ୍କର ମୁହଁ ରଙ୍ଗା ହୋଇଉଠିଲା । ମୁଁ ମଧ୍ୟ ଏତେଟା ଆଶା କରିନଥିଲି । ଆଶ୍ଚର୍ଯ୍ୟରେ ଚାହିଁ ଦେଖିଲି ସେ ହେଉଛି ସେହି ପିଆରୀ । ସେହି ସରଳ, ସହଜ, ସ୍ନେହାତୁରା, ଆନନ୍ଦମୟୀ ! ସେହି ଯିଏ କି ମୋତେ ଶ୍ମଶାନକୁ ଛାଡ଼ିଦେଇନଥିଲା ଏବଂ କୌଣସି ପ୍ରକାରେ ରାଜ ସଂସର୍ଗରେ ରହିବାକୁ ଦେଇନଥିଲା–ଏ ସେହି ହିଁ । ଏଇ ଯେ ପିଲାଟି କେଉଁଠିକାର ଅଜଣା ବନ୍ଧନ ଛିନ୍ନକରି ଚାଲିଆସିଛି, ସେଠିକାର ସମସ୍ତ ଅଜଣା ବେଦନା ଯେପରି ରାଜଲକ୍ଷ୍ମୀ ବୁକୁକୁ ଚାପିଧରିଛି-। କୌଣସି ପ୍ରକାରେ ହେଉ ପୁଣି ତାକୁ ସେ ତ ଘରକୁ ଫେରାଇଦେବାକୁ ଚାହେଁ ।

 

ସାଧୁ ବିଚାରା ଲଜ୍ଜ୍ୟାର ଧକ୍‌କାଟା ସମ୍ଭାଳିନେଇ କହିଲେ–ଦେଖନ୍ତୁ, ଭାଇ ବୋଲି ଡାକିବାକୁ ମୋର ଆପତ୍ତି ନାହିଁ । କିନ୍ତୁ ଆମଭଳି ସନ୍ନ୍ୟାସୀମାନଙ୍କ ଭିତରେ ଏପରି ଡାକର ଚଳଣି ନାହିଁ ।

 

ରାଜଲକ୍ଷ୍ମୀ ଲେଶମାତ୍ର ଅପ୍ରତିଭ ହେଲାନାହିଁ । କହିଲା–ନାହିଁ କାହିଁକି ? ଭାଇର ସ୍ତ୍ରୀକୁ ସନ୍ନ୍ୟାସୀମାନେ କିଛି ମାଉସୀ କି ପିଉସୀ ବୋଲି ଡାକନ୍ତି ନାହିଁ । ଏହାଛଡ଼ା ମୋତେ ତୁମେ କ’ଣ ବୋଲି ଡାକିବ ଶୁଣେ ?

 

ପିଲାଟି ନିରୁପାୟ ହୋଇ ଶେଷରେ ସଲ୍ଲଜ ହସ ମୁହଁରେ କହିଲା–ଆଚ୍ଛା, ତାହା ହିଁ ହେବ । ଛଅ ସାତ ଘଣ୍ଟା ତ ଅଛି ଆପଣଙ୍କ ସଙ୍ଗରେ । ଏହା ମଧ୍ୟରେ ଯଦି ଦରକାର ପଡ଼େ ତେବେ ସେଇଆ ବୋଲି ଡାକିବି ।

 

ରାଜଲକ୍ଷ୍ମୀ କହିଲା–ତାହାହେଲେ ଥରକ ପାଇଁ ଡାକନା !

 

ସାଧୁଜୀ ହସି ପକାଇ କହିଲେ–ଦରକାର ହେଲେ ଡାକିବି କହୁଛି । ମିଛଟାରେ ଡକାଡକି କରିବା ଉଚିତ୍‌ ନୁହେଁ ।

 

ରାଜଲକ୍ଷ୍ମୀ ତାଙ୍କ ପତ୍ରରେ ଆଉ ଚାରିଟା ସନ୍ଦେଶ ଏବଂ ବର୍ଫି ଦେଇ କହିଲା–ବେଶ୍‌ ସେପରି ହେଲେ ମୋର ଚଳିଯିବ । କିନ୍ତୁ ମୋ ନିଜର ଦରକାର ପଡ଼ିଲେ ତୁମକୁ କ’ଣ ବୋଲି ଡାକିବି ତାହା ସ୍ଥିର କରିପାରୁ ନାହିଁ । ମୋତେ ଦେଖାଇଦେଇ କହିଲା–ତାଙ୍କୁ ହେଲେ ଡାକନ୍ତି ସନ୍ନ୍ୟାସୀ ଠାକୁର ବୋଲି କିନ୍ତୁ ତାହା ଆଉ ହେଲାନାହିଁ । ତୁମକୁ ତାହାହେଲେ ଡାକିବି ସାଧୁ ଦିଅର ବାବୁ । କ’ଣ କହୁଛ, ରାଜି ତ ?

 

ସାଧୁଜୀ ଆଉ ତର୍କ କଲେ ନାହିଁ । ଅତିଶୟ ଗାମ୍ଭୀର୍ଯ୍ୟର ସହିତ କହିଲେ ବେଶ୍‌ ତାହା ହିଁ ହେଉ ।

 

ସେ ଏ ଦିଗରେ ଯାହା ହୁଅନ୍ତୁ ନା କାହିଁକି କିନ୍ତୁ ଦେଖିଲି ଆହାର ବିଷୟରେ ତାଙ୍କର ରସବୋଧ ଅଛି । ପଶ୍ଚିମ ଆଡ଼ର ଉତ୍କୃଷ୍ଟ ମିଷ୍ଟାନ୍ନର ଆଦର ସେ ବୁଝନ୍ତି । ତେଣୁ କୌଣସି ଜିନିଷଟିର ସେ ଅମର୍ଯ୍ୟାଦା କଲେ ନାହିଁ । ଜଣେ ପରମ ସ୍ନେହରେ ଗୋଟିକ ପରେ ଗୋଟିଏ ଦେବାକୁ ଲାଗିଲା ଆଉ ଅନ୍ୟ ଜଣକ ନୀରବରେ, ନିଃସଙ୍କୋଚରେ ଗଳଧଃକରଣ କରିବାକୁ ଲାଗିଲେ । ମୁଁ କିନ୍ତୁ ଉଦ୍‌ବିଗ୍ନ ହୋଇଉଠିଲି । ମନେମନେ ଭାବିଲି ସାଧୁଜୀ ପୂର୍ବେ ଯାହା କରିଥାନ୍ତୁ ସଂପ୍ରତି ଏଭଳି ଉପାଦେୟ ଭୋଜ୍ୟ ଏତେ ଅପର୍ଯ୍ୟାପ୍ତ ପରିମାଣରେ ସେବା କରିବାର ସୁଯୋଗ ପାଇ ବୋଧହୁଏ ଲୋଭ ସମ୍ଭାଳି ପାରୁନଥାନ୍ତି । ଦୀର୍ଘକାଳ ଧରି ରହିଥିବା ତ୍ରୁଟିକୁ ଗୋଟିଏ ବେଳାରେ ସଂଶୋଧନ କରିବାର ପ୍ରୟାସ କରିବା ଦେଖିଲେ ଯେ କେହି ଦର୍ଶକ ପକ୍ଷରେ ଧୈର୍ଯ୍ୟ ରହିବା କଷ୍ଟକର ହୋଇପଡ଼ିବ । ସୁତରାଂ ରାଜଲକ୍ଷ୍ମୀ ଆଉ କେତେଟା ପେଡ଼ା ଓ ବର୍ଫି ସାଧୁଜୀଙ୍କ ପତ୍ରରେ ଦେବା କ୍ଷଣି ଅଜ୍ଞାତସାରରେ ମୋ ନାକ ଓ ମୁହଁଦେଇ ଏକ ସଙ୍ଗରେ ଗୋଟାଏ ଦୀର୍ଘନିଃଶ୍ୱାସ ବାହାର ହୋଇ ଆସିଲା, ଯାହା ଫଳରେ ରାଜଲକ୍ଷ୍ମୀ ଓ ତାହାର ନୂତନ ଅତିଥି ଦୁହେଁଯାକ ଆଶ୍ଚର୍ଯ୍ୟ ହୋଇଉଠିଲେ । ରାଜଲକ୍ଷ୍ମୀ ମୋ ମୁହଁକୁ ଚାହିଁଦେଇ ତରତର ହୋଇ କହିଉଠିଲା–ତୁମେ ରୋଗା ଲୋକ । ତୁମେ ଉଠି ହାତ ମୁହଁ ଧୋଇବାକୁ ଯାଅ । ଆମମାନଙ୍କ ସହିତ ବସି ରହିବାର ଦରକାର କ’ଣ ?

 

ସାଧୁଜୀ ଥରକ ପାଇଁ ମୋଆଡ଼େ ଏବଂ ଥରକ ପାଇଁ ରାଜଲକ୍ଷ୍ମୀ ଆଡ଼େ ଏବଂ ତାପରେ ହାଣ୍ଡିଟା ପ୍ରତି ଦୃଷ୍ଟିପାତ କରି ସହାସ୍ୟରେ କହିଉଠିଲେ–ଦୀର୍ଘନିଶ୍ୱାସ ଛାଡ଼ିବାର କଥା । ଆଉ ଯେ କିଛି ନାହିଁ ।

 

: ଆହୁରି ଅନେକ ଅଛି । ଏତକ କହି ରାଜଲକ୍ଷ୍ମୀ ମୋ ପ୍ରତି କ୍ରୁଦ୍ଧିତ ଦୃଷ୍ଟି ନିକ୍ଷେପ କଲା-

 

ଠିକ୍‌ ଏହି ସମୟରେ ରତନ ଆସି ପଛରେ ଠିଆହୋଇ କହିଲା–ମାଆ ଚୁଡ଼ା ମିଳିଲା । କିନ୍ତୁ ତୁମ ପାଇଁ ଦୁଧ କି ଦହି କିଛି ମିଳିଲା ନାହିଁ ।

 

ସାଧୁ ବିଚାରା ଅତିଶୟ ଅପ୍ରତିଭ ହୋଇ କହିଲେ । ଆପଣଙ୍କ ଆତିଥ୍ୟ ଉପରେ ଭୟଙ୍କର ଅତ୍ୟାଚାର କରି ବସିଲି, କହି ହଠାତ୍‌ ଉଠିବାକୁ ଉପକ୍ରମ କରିବା ସଙ୍ଗେ ସଙ୍ଗେ ରାଜଲକ୍ଷ୍ମୀ ବଡ଼ ବ୍ୟାକୁଳ ହୋଇ କହିଉଠିଲା–ଯଦି ଉଠିପଡ଼ ତେବେ ମୋ ମୁଣ୍ଡ ଖାଇବ ଦିଅର ବାବୁ । ସତ କହୁଛି ସବୁତକ ମୁଁ ଦାଣ୍ଡରେ ଫିଙ୍ଗିଦେବି ।

 

ସାଧୁ ବିସ୍ମୟରେ ବୋଧହୁଏ ମୁହୂର୍ତ୍ତକ ପାଇଁ ଚିନ୍ତା କରିବାକୁ ଲାଗିଲେ ଯେ, ଏ କିପରି ସ୍ତ୍ରୀଲୋକ ଯିଏକି ଦଣ୍ଡକର ପରିଚୟ ଭିତରେ ଏତେବଡ଼ ଘନିଷ୍ଠ ହୋଇଉଠିଲେ ! ତାପରେ ସେ ଟିକିଏ ହସିଦେଇ କହିଲେ–ମୁଁ ସନ୍ନ୍ୟାସୀ ଲୋକ । ଖାଇବାକୁ ମୋତେ ଆଦୌ କଷ୍ଟ ହୁଏ ନାହିଁ । କିନ୍ତୁ ଆପଣଙ୍କର ପୁଣି ଖାଇବା ଆବଶ୍ୟକ ତ । ମୋ ମୁଣ୍ଡ ଖାଇଲେ ତ ସତକୁ ସତ ପେଟ ଭର୍ତ୍ତି ହୋଇଯିବ ନାହିଁ ।

 

ରାଜଲକ୍ଷ୍ମୀ ଗମ୍ଭୀର ହୋଇ ଜିଭ କାମୁଡ଼ି କହିଉଠିଲା–ଛିଃ–ଛିଃ–ଏପରି କଥା ଝିଅ ପିଲାମାନଙ୍କୁ କଦାପି କହିବ ନାହିଁ । ମୁଁ ଏସବୁ ଖାଏ ନାହିଁ । ସେ ସବୁ ମୋ ଦେହରେ ଯାଏ ନାହିଁ । ଚାକରମାନଙ୍କ ଖାଇବା ପାଇଁ ଯଥେଷ୍ଟ ଅଛି । ଆଜି ରାତିଟା ନହେଲେ ଯାହାହେଉ ଚୁଡ଼ାଫୁଡ଼ା ଦୁଇଟା ଖାଇ ମୁନ୍ଦାଏ ପାଣି ପିଇଦେଲେ ମୋର ଚଳିଯିବ ।

 

କିନ୍ତୁ ଭୋକ ଥାଇ ତୁମେ ଯଦି ଦିଅର ବାବୁ ଉଠିଯିବ ନା ତାହାହେଲେ ସେତକ ମଧ୍ୟ ମୁଁ ଖାଇପାରିବି ନାହିଁ । ଯଦି ବିଶ୍ୱାସ ନହେଉଛି ତେବେ ତାଙ୍କୁ ପଚାରିପାର କହି ସେ ମୋ ପାଖରେ ଅପିଲ୍‌ କଲା ।

 

ଫଳରେ ଏତେକ୍ଷଣ ପରେ ମୋତେ କଥା କହିବାକୁ ହେଲା । ଏହା ଯେ ସତ ଏକଥା ମୁଁ ହଲପ କରି କହିପାରିବି ସାଧୁଜୀ । ମିଛରେ କୌଣସି ଯୁକ୍ତିକରି ଲାଭ ନାହିଁ ଭାଇ । ପାର ଯଦି ହାଣ୍ଡିଟା ଖାଲି ହେବାପର୍ଯ୍ୟନ୍ତ ଯେତିକିଟା ପାରୁଛ ଚଲାଅ । ନଚେତ୍‌ ଏସବୁ କୌଣସି କାମରେ ଲାଗିବ ନାହିଁ । ଖାଇବା ଜିନିଷ ସବୁ ଟ୍ରେନରେ ଆସିଛି । ସୁତରାଂ ଅନାହାରରେ ମରିଗଲେ ସୁଦ୍ଧା ସେ ତହିଁରୁ ଏତେ ଟିକିଏ ହେଲେ ଛୁଇଁବେ ନାହିଁ । ଏଇଟା ଠିକ୍‌ କଥା ମୁଁ କହୁଛି ।

 

ସାଧୁ କହିଲେ–ଏସବୁ ଖାଇବା ତ ଆଉ ଗାଡ଼ିରେ ଛୁଆଁ ହୋଇଯାଏ ନାହିଁ ।

 

ମୁଁ କହିଲି–ସେ ସବୁର ମୀମାଂସାକୁ ମୁଁ ଏତେଦିନ ଧରି କରିପାରିଲି ନାହିଁ ଭାଇ । ଆଉ ତୁମେ କ’ଣ ଏଇ ଆସନରେ ବସୁବସୁ ନିଷ୍ପତ୍ତି କରିପାରିବ ? ତାହାଠାରୁ ବରଞ୍ଚ କାମ ସାରିଦେଇ ଉଠିପଡ଼ । ନଚେତ୍‌ ସୂର୍ଯ୍ୟ ବୁଡ଼ିଗଲେ ହୁଏତ ଚୁଡ଼ା କ’ଣ ଏପରିକି ଜଳ ମଧ୍ୟ ତଣ୍ଟିରେ ଯିବା କଷ୍ଟ । କହୁଛି, ଘଣ୍ଟା କେତେଟା ଆଉ ତୁମେ ତ ଆମ ସହିତ ଅଛ । ଶାସ୍ତ୍ରର ବିଚାର ପାର ଯଦି ବାଟରେ ଯିବାବେଳେ ବୁଝାଇପାରିବ । ସେଥିରେ କାମ ହେଉ କି ନହେଉ ଖରାପ କିଛି ହେବ ନାହିଁ ତ ! ବର୍ତ୍ତମାନ ଯାହା ହେବାର କଥା ତାହାହିଁ ଚାଲୁ ।

 

ସାଧୁ ପଚାରିଲେ–ସାରାଦିନ ତାହାହେଲେ ସେ କିଛି ଖାଇନାହାନ୍ତି ?

 

କହିଲି–ନା, ତା’ ଛଡ଼ା କାଲି କ’ଣ ଗୋଟାଏ ଥିଲା ଶୁଣୁଥିଲି । ଦୁଇଟା ଫଳମୂଳ, ପାଚିଲା କଦଳୀ ବ୍ୟତୀତ ଆଉ କିଛି ଛୁଇଁ ନାହାଁନ୍ତି ।

 

ରତନ ପଛରେ ଥିଲା । ମୁଣ୍ଡ ହଲାଇ କ’ଣ କିଛି କହିବାକୁ ଯାଇ, ବୋଧହୁଏ ମୁନିବଙ୍କର ଚକ୍ଷୁର ଗୋପନ ଇଙ୍ଗିତ ପାଇ ଚୁପ୍ ହୋଇଗଲା ।

 

ସାଧୁ ରାଜଲକ୍ଷ୍ମୀ ଆଡ଼େ ଚାହିଁ ପଚାରିଲେ–ଏଥିରେ ଆପଣଙ୍କୁ କଷ୍ଟହୁଏ ନାହିଁ ?

 

ପ୍ରତ୍ୟୁତ୍ତରରେ ସେ କେବଳ ହସିଲା । କିନ୍ତୁ ମୁଁ କହିଲି–ସେଇଟା ନ ଦେଖିଲେ ଏବଂ ଅନୁମାନ କରି କୌଣସିମତେ ଜାଣିହେବ ନାହିଁ । ତେବେ ଆଖିରେ ଯାହା ଦେଖିଛି ସେଥିରେ ଆଉ ଦୁଇ ତିନିଦିନ ବରଂ ଯୋଗ କରାଯାଇପାରେ ।

 

ରାଜଲକ୍ଷ୍ମୀ ପ୍ରତିବାଦ ଜଣାଇ କହିଲା–ତୁମେ ଦେଖିଛ ଆଖିରେ ? କଦାପି ନୁହେଁ ।

 

ଏଥିର ଜବାବ ମୁଁ ଦେଲି ନାହିଁ । ସାଧୁଜୀ ମଧ୍ୟ କୌଣସି ପ୍ରଶ୍ନ କଲେ ନାହିଁ । ବେଳ ଆଡ଼କୁ ଲକ୍ଷ୍ୟ ରଖି ନୀରବରେ ଭୋଜନ ସମାପ୍ତ କରି ଉଠିଗଲେ ।

 

ରତନ ଏବଂ ସଙ୍ଗରେ ଥିବା ଆଉ ଦୁଇଜଣଙ୍କର ଆହାର ସରୁ ସରୁ ବେଳ ଗଡ଼ିଗଲା । ରାଜଲକ୍ଷ୍ମୀ ନିଜର କି ବ୍ୟବସ୍ଥା କଲା, ସେ କଥା ତାକୁ ହିଁ ଜଣା ।

 

ଆମେମାନେ ଯେତେବେଳେ ଗଙ୍ଗାମାଟି ଉଦ୍ଦେଶ୍ୟରେ ଯାତ୍ରା କଲୁ ସେତେବେଳେ ସନ୍ଧ୍ୟା ହୋଇଯାଇଥାଏ । ତ୍ରୟୋଦଶୀୟ ଚାନ୍ଦ ସେ ପର୍ଯ୍ୟନ୍ତ ଉଜ୍ଜ୍ୱଳ ହୋଇଉଠି ଆସିନଥାଏ । କିନ୍ତୁ ଅନ୍ଧକାର କେଉଁଠି କିଛି ହେଲେ ନଥିଲା । ମାଲ ବୋଝାଇ ଗାଡ଼ି ଦୁଇଟା ସବା ପଛରେ, ରାଜଲକ୍ଷ୍ମୀର ଗାଡ଼ି ମଝିରେ ଓ ମୋ ଗାଡ଼ିଟା ଭଲ ବୋଲି ସମସ୍ତଙ୍କ ଆଗରେ । ସାଧୁଜୀଙ୍କୁ ଡାକି କହିଲି–ଭାଇ, ଚାଲିବା ତୁମର ତ କମ ନାହିଁ । ତେଣୁ ଆଜି ନ ଚାଲିଲେ କ’ଣ ଚଳିବ ନାହିଁ ? ତେଣୁ ମୋ ଗାଡ଼ିରେ ପଦାର୍ପଣ ହେଉ ।

 

ସାଧୁଜୀ କହିଲେ–ସାଙ୍ଗରେ ତ ଅଛି । ଚାଲି ନପାରିଲେ ହୁଏତ ଉଠି ବସିପଡ଼ିବି । କିନ୍ତୁ ବର୍ତ୍ତମାନ ଟିକିଏ ଚାଲୁଥାଏ ।

 

ରାଜଲକ୍ଷ୍ମୀ ମୁହଁ ବଢ଼ାଇ କହିଲା–ତାହାହେଲେ ମୋର ବଡ଼ିଗାର୍ଡ଼ ହୋଇ ଚାଲ ଦିଅର ବାବୁ । ତୁମ ସଙ୍ଗେ ଦୁଇପଦ କଥା ହୋଇ ଯିବି । ଏହା କହି ସେ ସାଧୁଜୀଙ୍କୁ ନିଜ ଗାଡ଼ିପାଖକୁ ଡାକିଆଣିଲା ।

 

ଆଗରେ ମୁଁ । ମଝିରେ ମଝିରେ ଗାଡ଼ି, ବଳଦ ଓ ଶଗଡ଼ିଆଙ୍କ ସମ୍ମିଳିତ ଉପଦ୍ରବ ହେତୁ ସେମାନଙ୍କ ଆଳାପରୁ କିଛି ଅଂଶରୁ ବଞ୍ଚିତ ହେଉଥିଲେ ମଧ୍ୟ ଅଧିକାଂଶ ପ୍ରାୟ ଶୁଣିପାରୁଥିଲି । ରାଜଲକ୍ଷ୍ମୀ କହିଲା–ତୁମ ଘର ଯେ ଏ ଆଡ଼ରେ ନୁହେଁ ଏବଂ ଆମ ଦେଶରେ ତାହା ତୁମ ସଙ୍ଗେ କଥାବାର୍ତ୍ତାରୁ ମୁଁ ଜାଣିପାରିଛି । କିନ୍ତୁ ଆଜି କେଉଁଠାକୁ ଯାଉଛ ସତ କରି କୁହତ ଭାଇ ?

 

ସାଧୁ କହିଲେ–ଗୋପାଳପୁର ।

 

ରାଜଲକ୍ଷ୍ମୀ ପଚାରିଲା–ଆମ ଗଙ୍ଗାମାଟିଠାରୁ ତାହା କେତେଦୂର ?

 

ସାଧୁ ଜବାବ ଦେଲେ–ଆପଣଙ୍କର ଗଙ୍ଗାମାଟି ଜାଣି ନାହିଁ କିମ୍ବା ମୋର ଗୋପାଳପୁରକୁ ଚିହ୍ନି ନାହିଁ, ତେବେ ସମ୍ଭବତଃ ଏ ଦୁଇଟା ପାଖାପାଖି ହେବେ । ଅନ୍ତତଃ ସେଇ କଥାହିଁ ତ ଶୁଣିଛି ।

 

: ତାହାହେଲେ ଏତେ ରାତିରେ ସେ ଗ୍ରାମରେ କିପରି ଅବା ପହଞ୍ଚିବେ ଏବଂ ସେଠାରେ ଯାହା ପାଖକୁ ଯାଉଛନ୍ତି ତା’ ଘର କିପରି ଅବା ଖୋଜି କରି ପାଇବେ ?

 

ସାଧୁଜୀ ଟିକିଏ ହସିଦେଇ କହିଲେ–ଗାଆଁଟା ଖୋଜି ପାଇବାକୁ କଷ୍ଟ ହେବ ନାହିଁ କାରଣ ବାଟରେ କୁଆଡ଼େ ଗୋଟାଏ ଶୁଖିଲା ପୋଖରୀ ଅଛି, ତା’ର ଦକ୍ଷିଣ ଦିଗରେ କୋଶ ଖଣ୍ଡେ ଚାଲିଗଲେ ମିଳିଯାଇପାରିବ । କାରଣ ଘର ପାଇବାକୁ ଅସୁବିଧା ହେବ ନାହିଁ ଯେହେତୁ ସମସ୍ତେ ଅଚିହ୍ନା । କିଛି ନ ହେଲେ ଗଛମୂଳେ ରହିଗଲେ ବି ଚଳିବ ।

 

ରାଜଲକ୍ଷ୍ମୀ ବ୍ୟାକୁଳ ହୋଇ କହିଲା–ଏଇ ଶୀତ ରାତିରେ ପୁଣି ଗଛ ତଳରେ ? ଏଇ ସାମାନ୍ୟ କମ୍ବଳଟାକୁ ଅବମ୍ବଲନ କରି ? ସେ କଥା ମୁଁ କୌଣସି ମତେ କରାଇଦେବି ନାହିଁ ଦିଅର ବାବୁ ।

 

ତାହାର ଉଦ୍‌ବେଗ ମୋତେ ମଧ୍ୟ ଆଘାତ ଦେଲା । ସାଧୁ କିଛି କ୍ଷଣ ନୀରବ ରହିବା ପରେ ଆସ୍ତେଆସ୍ତେ କହିଲେ–ମୋର ତ ଘରଦ୍ୱାର ନାହିଁ । ମୁଁ ତ ପ୍ରାୟ ଗଛ ତଳେ ରହିଥାଏ, ନାନୀ ।

 

ଏଥର ରାଜଲକ୍ଷ୍ମୀ କିଛି ସମୟ ନୀରବ ରହି କହିଲା–ସେ କଥା କିନ୍ତୁ ନାନୀ ଆଖିଆଗରେ ନୁହେଁ । ରାତିରେ ଭାଇକୁ ମୁଁ ନିରାଶ୍ରୟ କରି କେଉଁଠାକୁ ପଠାଇ ଦେଇପାରିବି ନାହିଁ-। ଆଜି ଆମ ସଙ୍ଗରେ ଚାଲ । କାଲି ସକାଳୁ ମୁଁ ଚେଷ୍ଟାକରି କାହା ସଙ୍ଗରେ ପଠାଇଦେବି-

 

ସାଧୁ ଚୁପ୍ ହୋଇ ରହିଲେ । ରାଜଲକ୍ଷ୍ମୀ ରତନକୁ ଡାକି କରି କହିଲେ, ତାଙ୍କୁ ନ ଜଣାଇ ଯେପରି ଗାଡ଼ିରୁ କୌଣସି ଜିନିଷ ସ୍ଥାନାନ୍ତରିତ କରା ନ ଯାଏ, ଅର୍ଥାତ୍‌ ସନ୍ନ୍ୟାସୀ ମହାଶୟଙ୍କର ବାକ୍‌ସଟା ଆଜି ରାତି ପାଇଁ ଅଟକ ରହିଲା ।

 

ମୁଁ କହିଲି–ତାହାହେଲେ ଆଉ ଥଣ୍ଡାରେ କଷ୍ଟ ନ କରିଲେ ଚଳିବ ଭାଇ । ଆସନା ଆମ ଗାଡ଼ିଭିତରକୁ ।

 

ସାଧୁ ଟିକିଏ ଚିନ୍ତା କରି କହିଲେ–ହଉ ବର୍ତ୍ତମାନ ପାଇଁ ଥାଉ । ମୁଁ ଟିକିଏ ନାନୀଙ୍କ ସହିତ କଥାବାର୍ତ୍ତା ହୋଇ ଚାଲୁଥାଏ ।

 

ମୁଁ ମଧ୍ୟ ଭାବିଲି–ସତ କଥା । ନୂତନ ସମ୍ବନ୍ଧଟା ଅସ୍ୱୀକାର କରିବା ପାଇଁ ସାଧୁଜୀଙ୍କ ମନଭିତରେ ଲଢ଼ାଇ ଚାଲିଥିଲା, ମୁଁ ତାହା ଲକ୍ଷ୍ୟ କରୁଥିଲି । ଶେଷରେ ଲଢ଼ାଇର ସମାପ୍ତି ଘଟିଲା । ହଠାତ୍ ସେ ସ୍ୱୀକାର କରିନେଲେ । ସେତେବେଳେ ଅନେକଥର ମୁଁ ମନେମନେ ଭାବିଥିଲି ଟିକିଏ ସାଧୁଙ୍କୁ ସାବଧାନ କରି କହିଦେବି କି; ସାଧୁଜୀ ପଳାଇ ଗଲେ ଭଲ ହେବ, ନଚେତ୍‌ ଶେଷରେ ମୋରି ଦଶା ଭୋଗ କରିବ । କିନ୍ତୁ କହିପାରିଲି ନାହିଁ । ଚୁପ୍‌ ରହିଲି ।

 

ଦୁଇଜଣଙ୍କର କଥାବାର୍ତ୍ତା ସ୍ୱାଧୀନ ଭାବରେ ଚାଲିବାକୁ ଲାଗିଲା । ଶଗଡ଼ ଗାଡ଼ି ଝାଙ୍କୁଣୀ ଏବଂ ତନ୍ଦ୍ରା ହେତୁ ମଝିରେ ମଝିରେ ସେମାନଙ୍କର ଆଳାପର ଧାରା ଠିକ୍‌ ଶୁଣିପାରୁନଥିଲେ ସୁଦ୍ଧା କଳ୍ପନା ସାହାଯ୍ୟରେ ପୂରଣ କରି ଯାଉ ଯାଉ ମୋ ସମୟ ମଧ୍ୟ ମନ୍ଦରେ କଟି ଯାଇନଥିଲା ।

 

ବୋଧହୁଏ ଟିକିଏ ଘୁମ ଲାଗି ଯାଇଥିଲା । ହଠାତ୍‌ ଶୁଣିପାରିଲି–ପ୍ରଶ୍ନ ହେଲା–ହଁ, ଆନନ୍ଦ, ତୁମର ଏଇ ବାକ୍‌ସଟିରେ କ’ଣ ଅଛି ଭାଇ ?

 

ଉତ୍ତର ଆସିଲା–ମୋଟା କେତେଟା ବହି, ଆଉ କିଛି ଔଷଧପତ୍ର ଅଛି ନାନୀ ।

 

: ଔଷଧ କାହିଁକି ରଖିଛ ? ତୁମେ କ’ଣ ଡାକ୍ତର ?

 

: ମୁଁ ସନ୍ନ୍ୟାସୀ । ଆଚ୍ଛା ଆପଣ କ’ଣ ଶୁଣିନାହାନ୍ତି ଆପଣଙ୍କର ସେ ଅଞ୍ଚଳରେ କଲେରା ଲାଗିଛି ?

 

: କାଇଁ ନାହିଁ ତ ? ଆମ ଗୁମାସ୍ତା ତ ଆମକୁ ସେ କଥା ଲେଖିନାହିଁ ? ଆଚ୍ଛା ତୁମେ କ’ଣ କଲେରା ଚିକିତ୍ସା କରି ଶିଖିଛ ?

 

ସାଧୁଜୀ କିଛି ସମୟ ନୀରବ ରହିବା ପରେ କହିଲେ–ଭଲ କରିବାର ମାଲିକ ତ ମୁଁ ନୁହେଁ, ଆମେମାନେ କେବଳ ଔଷଧ ଦେଇ ଚେଷ୍ଟା କରିବା କଥା । କିନ୍ତୁ ସବୁ ତାଙ୍କର ଦୟା ଉପରେ ନିର୍ଭର କରେ ।

 

ରାଜଲକ୍ଷ୍ମୀ କହିଲା–ସନ୍ନ୍ୟାସୀମାନେ ଔଷଧ ଦିଅନ୍ତି ସତ କିନ୍ତୁ ଔଷଧ ଦେବା ପାଇଁ ତ ସନ୍ନ୍ୟାସୀ ହେବା ନିହାତି ଦରକାର ନୁହେଁ ? ଆଚ୍ଛା ଆନନ୍ଦ ତୁମେ କ’ଣ ଏଥିପାଇଁ ସନ୍ନ୍ୟାସୀ ହୋଇଛ ?

 

ସାଧୁ କହିଲେ–ସେ କଥା ଠିକ୍‌ କରି ଜାଣିନି ନାନୀ । ତେବେ ଦେଶର ସେବା କରିବା ଆମମାନଙ୍କର ବ୍ରତ ଅଟେ ।

 

: ଆମମାନଙ୍କର ? ତେବେ ବୋଧହୁଏ ତୁମର ଗୋଟାଏ ଦଳ ଅଛି ଦିଅର ବାବୁ ?

 

ସାଧୁ ଜବାବ ନ ଦେଇ ଚୁପ୍‌ ରହିଲେ ।

 

ରାଜଲକ୍ଷ୍ମୀ ପୁଣି କହିଲା–କିନ୍ତୁ ସେବା କରିବା ପାଇଁ ତ ସନ୍ନ୍ୟାସୀ ହେବା ଦରକାର ପଡ଼େ ନାହିଁ ବାବୁ ? ତୁମକୁ ଏପରି ବୁଦ୍ଧି କିଏ ଦେଲା କହିଲ ?

 

ସାଧୁଜୀ ଏ ପ୍ରଶ୍ନର ମଧ୍ୟ କୌଣସି ଉତ୍ତର ଦେଲେ ନାହିଁ । କାରଣ କିଛିକ୍ଷଣ ପାଇଁ କାହାଠାରୁ କୌଣସି କଥା ମୁଁ ଶୁଣିପାରିଲି ନାହିଁ । ଦଶମିନିଟ୍‌ ପରେ ଶୁଣାଗଲା ସାଧୁ କହୁଛନ୍ତି–ନାନୀ; ମୁଁ ହେଉଛି ଛୋଟ ସନ୍ନ୍ୟାସୀ । ମୋତେ ଏ ନାମ ନ ଦେଲେ ଚଳିବ । କେବଳ ନିଜର କେତେଗୁଡ଼ିଏ ଦାୟିତ୍ୱ ଛାଡ଼ି ତାହା ବଦଳରେ ଅପରର ଭାର କାନ୍ଧରେ ତୋଳିନେଇଛି ।

 

ରାଜଲକ୍ଷ୍ମୀ କଥା କହିଲା ନାହିଁ । ସାଧୁ କହିବାକୁ ଲାଗିଲେ–ମୁଁ ପ୍ରଥମରୁ ଦେଖିବାକୁ ପାଉଛି ଆପଣ ମୋତେ ଘରକୁ ଫେରିଯିବା ପାଇଁ ଚେଷ୍ଟା କରି ଚାଲିଛନ୍ତି । କାହିଁକି ଜାଣେନା, ବୋଧହୁଏ ନାନୀ ହେତୁ । କିନ୍ତୁ ଯେଉଁମାନଙ୍କର ଭାର ନେବା ପାଇଁ ମୁଁ ଘର ଛାଡ଼ି ବାହାରି ଆସିଛି ସେମାନେ ଯେ କେତେ ଦୁର୍ବଳ, କେତେ ରୁଗ୍‌ଣ, କିଭଳି ନିରୁପାୟ ଏବଂ ସେମାନଙ୍କର ସଂଖା ଯେ କେତେ, ଏକଥା ଯଦି ଥରକ ପାଇଁ ଜାଣିପାରନ୍ତ ନା, ତେବେ କେବେ ଏପରି କଥା ଆଉ ମନରେ ଆଣିପାରନ୍ତ ନାହିଁ ।

 

ରାଜଲକ୍ଷ୍ମୀ ଏ କଥାର ମଧ୍ୟ କୌଣସି ଉତ୍ତର ଦେଲା ନାହିଁ । କିନ୍ତୁ ମୁଁ ବୁଝିପାରିଲି ଯେଉଁ ପ୍ରସଙ୍ଗ ଉଠିଲା, ତହିଁରେ ଉଭୟଙ୍କର ମନ ଓ ମତ ଏକ ହେବାକୁ ବିଳମ୍ବ ହେବ ନାହିଁ । ସାଧୁଜୀ ମଧ୍ୟ ଠିକ୍‌ ସ୍ଥାନରେ ଆଘାତ କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ଅବସ୍ଥା, ଏହାର ସୁଖ, ଏହାର ଦୁଃଖ, ଏହାର ଅଭାବ ମୁଁ ନିଜେ ମଧ୍ୟ କମ୍‌ ଜାଣିନାହିଁ । କିନ୍ତୁ ଏଇ ସନ୍ନ୍ୟାସୀ ଜଣଙ୍କ ଯିଏ ହୁଅନ୍ତୁ ନା କାହିଁକି, ସେ ମୋ ଅପେକ୍ଷା ଏଇ ବୟସରେ ବେଶ୍‌ ଘନିଷ୍ଠ ଭାବରେ ବେଶୀ ଦେଖିପାରିଛନ୍ତି ଏବଂ ବେଶୀ ଅନ୍ତରର ସହିତ ସେମାନଙ୍କୁ ଆପଣାର କରିନେଇପାରିଛନ୍ତି । ଶୁଣୁ ଶୁଣୁ ଆଖିର ନିଦଟା ଲୁହରେ ଭରିଉଠିଲା ଏବଂ ବୁକୁ ଭିତରଟା କ୍ଷୋଭରେ, ବ୍ୟଥାରେ ଏବଂ କ୍ରୋଧରେ ମଥିତ ହେବାକୁ ଲାଗିଲା । ଗାଡ଼ିର ଅନ୍ଧକାର କୋଣରେ ବସି ରାଜଲକ୍ଷ୍ମୀ ଗୋଟିଏ ହେଲେ ପ୍ରଶ୍ନ ଆଉ ପଚାରି ପାରିଲା ନାହିଁ କିମ୍ବା ପଦେ କଥା ସନ୍ନ୍ୟାସୀଙ୍କ ବକ୍ତବ୍ୟ ସହିତ ଯୋଗ କରିପାରିଲା ନାହିଁ । ତାହାର ନୀରବତାରୁ ସାଧୁଜୀ କ’ଣ ଜାଣିପାରିଲେ ସେ କଥା ତାଙ୍କୁ ହିଁ ଜଣା । କିନ୍ତୁ ଏଇଭଳି ସଂପୂର୍ଣ୍ଣ ଭାବରେ ସ୍ତବ୍‌ଧତାର ଅର୍ଥ ମୋପାଖରେ ଗୋପନ ରହିପାରିଲା ନାହିଁ ।

 

ଦେଶ କହିଲେ ଯେଉଁଠାରେ ଦେଶର ଚଉଦଅଣା ନର–ନାରୀ ବାସ କରନ୍ତି, ସେହି ପଲ୍ଲୀ ଗ୍ରାମର କାହାଣୀ ହିଁ ସାଧୁ କହିବାକୁ ଲାଗିଲେ । ଦେଶରେ ଜଳ ନାହିଁ, ପ୍ରାଣ ନାହିଁ, ସ୍ୱାସ୍ଥ୍ୟ ନାହିଁ, ଜଙ୍ଗଲର ଆବର୍ଜନା ଦ୍ୱାରା ଯେଉଁଠାରେ ମୁକ୍ତ ବାୟୁ ଓ ଆଲୋକର ପଥ ଅବରୁଦ୍ଧ, ଯେଉଁଠାରେ ଜ୍ଞାନ ନାହିଁ, ବିଦ୍ୟା ନାହିଁ, ଧର୍ମ ଯେଉଁଠାରେ ବିକୃତ ପଥଭ୍ରଷ୍ଟ ଏବଂ ମୃତକଳ୍ପ, ସେହି ଜନ୍ମଭୂମିର ଦୁଃଖର କାହାଣୀ ଛାପା ଅକ୍ଷରରେ ପଢ଼ିଛି, ନିଜଆଖିରେ ଦେଖିଛି, କିନ୍ତୁ ଏଇ ଅଭାବଟା ଯେ କେତେବଡ଼ ଅଭାବ, ମନେହେଲା ଯେପରି ଏହାପୂର୍ବରୁ ମୁଁ ଆଦୌ ଜାଣିନଥିଲି । ଦେଶର ଏହି ଦୈନ୍ୟ ଯେ କିଭଳି ଭୟଙ୍କର ଦୟନୀୟ, ପୂର୍ବରୁ ସେପରି ଧାରଣା ଯେପରି ମୋର ନଥିଲା ।

 

ଶୁଷ୍କ, ଶୂନ୍ୟ, ବିସ୍ତୀର୍ଣ୍ଣ ପଡ଼ିଆ ମଝିରେ ଆମେମାନେ ଯାଉଥାଉ । ରାସ୍ତାର ଧୂଳି ଶିଶିରରେ ଭିଜି ଯାଇଥାଏ । ତାହାଉପରେ ଚାଲିଥିବା ଗାଡ଼ିର ଚକ ଏବଂ ବଳଦମାନଙ୍କ ଖୁରାର ଶବ୍ଦ, କେବେ କେମିତି ଶୁଣାଯାଉଥିଲା । ଆକାଶରେ ଜ୍ୟୋସ୍ନା ପାଣ୍ଡୁର ବର୍ଣ୍ଣ ହୋଇ ଯେତେଦୂର ଆଖିପାଏ ବିଛାଡ଼ି ହୋଇ ପଡ଼ିଥାଏ । ଶୀତଋତୁର ଏଇ ନିସ୍ତବ୍‌ଧ ରାତିରେ ମୁଁ ଅଜଣା ଦିଗରେ ଧୀରେ ଧୀରେ ଆଗେଇ ଚାଲିଥାଏ । ଚାକରମାନଙ୍କ ଭିତରେ କିଏ ଚାହିଁଛି କିମ୍ବା ଶୋଇଛି ଜଣାପଡ଼ୁନଥାଏ । ସମସ୍ତେ ଶୀତ ଚାଦର ଘୋଡ଼ିହୋଇ ଚୁପ୍‌ଚାପ । କେବଳ ସନ୍ନ୍ୟାସୀ ଆମମାନଙ୍କ ସଙ୍ଗରେ ଅଛନ୍ତି ଏବଂ ପରିପୂର୍ଣ୍ଣ ସ୍ତବ୍‌ଧତା ମଝିରେ ତାଙ୍କ ମୁହଁରୁ କେବଳ ଦେଶର ଅଜ୍ଞାତ ଭାଇ–ଭଉଣୀଙ୍କର ଅସହ୍ୟ ବେଦନାର ଇତିହାସ ଯେପରି ଝଲ୍‌କାଏ ଝଲ୍‌କାଏ ବାହାରି ଆସୁଥାଏ । ଏହି ସୁନାର ମାଟି କିପରି ଭାବରେ ଏପରି ଶୁଷ୍କ, ଏପରି ରିକ୍ତ ହୋଇଉଠିଲା, କିପରି ଦେଶର ସମସ୍ତ ସଂପଦ ବିଦେଶୀମାନଙ୍କ ହାତଦେଇ ଧୀରେ ଧୀରେ ବିଦେଶକୁ ଚାଲିଗଲା; କିପରି ମାତୃଭୂମିର ସମସ୍ତ ମେଦମଜ୍ଜା ରକ୍ତକୁ ବିଦେଶୀମାନେ ଶୋଷଣ କରିନେଲେ, ଆଖିଆଗରେ ଏହାର ଜ୍ୱଳନ୍ତ ଇତିହାସକୁ ସାଧୁଜୀ ଯେପରି ଗୋଟିକ ପରେ ଗୋଟିଏ ଉଦ୍‌ଘାଟିତ କରି ଦେଖାଇବାକୁ ଲାଗିଲେ ।

 

ହଠାତ୍‌ ସାଧୁ ରାଜଲକ୍ଷ୍ମୀଙ୍କୁ ସମ୍ବୋଧନ କରି କହିଲେ–ମନେହେଉଛି ତୁମକୁ କିପରି ମୁଁ ଚିହ୍ନିପାରିଛି ନାନୀ । ଇଚ୍ଛାହେଉଛି ତୁମମାନଙ୍କ ଭଳି ଝିଅମାନଙ୍କୁ ନେଇଯାଇ ତୁମମାନଙ୍କର ଭାଇ–ଭଉଣୀଙ୍କୁ ଥରେ ଦେଖାଇ ଆଣନ୍ତି ।

 

ରାଜଲକ୍ଷ୍ମୀ ପ୍ରଥମେ କଥା କହିପାରିଲା ନାହିଁ, ତାପରେ ଭଙ୍ଗା ଗଳାରେ କହିଲା–ମୋର କ’ଣ ସେ ସୁଯୋଗ ହୋଇପାରିବ ଆନନ୍ଦ ! ମୁଁ ଯେ ଝିଅ । ଏ କଥା କିପରି ଭୁଲିଯାଉଛ ଭାଇ ।

 

ସାଧୁ କହିଲେ–କାହିଁକି ହୋଇପାରିବ ନାହିଁ ନାନୀ ? ଆଉ ତୁମେ ସ୍ତ୍ରୀଲୋକ, ଏଇ କଥାଟାକୁ ଯଦି ଭୁଲିଯିବି ତେବେ ତୁମକୁ କଷ୍ଟକରି ସେ ସବୁ ଦେଖାଇ କ’ଣ ଅବା ଲାଭ ହେବ ?

 

ସାଧୁ ପଚାରିଲେ–ଗଙ୍ଗାମାଟି କ’ଣ ତୁମର ଜମିଦାରୀ ନାନୀ ?

 

ରାଜଲକ୍ଷ୍ମୀ ହସିଦେଇ କହିଲା–କ’ଣ ଆମେମାନେ ଗୋଟାଏ ମସ୍ତ ଜମିଦାର ଭଳି ତୁମକୁ ଦେଖାଯାଉଛୁ ଭାଇ ?

 

ଏଥର ଉତ୍ତର ଦେବାକୁ ଯାଇ ସାଧୁଜୀ ଟିକିଏ ହସି ପକାଇଲେ । କହିଲେ–ବିରାଟ ଜମିଦାରୀ କିନ୍ତୁ ବଡ଼ ସୌଭାଗ୍ୟ ନୁହେଁ । ତାଙ୍କ କଥାରେ, ତାଙ୍କ ପାର୍ଥିବ ଅବସ୍ଥା ସମ୍ୱନ୍ଧରେ ମୋର ଏକପ୍ରକାର ସନ୍ଦେହ ଜନ୍ମିଲା । କିନ୍ତୁ ରାଜଲକ୍ଷ୍ମୀ ସେ ଦିଗ ଦେଇ ଗଲା ନାହିଁ । ସେ ସରଳ ଭାବରେ ତତ୍‌କ୍ଷଣାତ୍‌ ସ୍ୱୀକାର କରିନେଇ କହିଲା–ସେ କଥା ସତ ଆନନ୍ଦ । ଏସବୁ ଯେତେଦୂର ଚାଲିଯାଇପାରେ ସେତେଦୂର ଭଲ ।

 

: ଆଚ୍ଛା ନାନୀ, ସେ ଭଲ ହୋଇଗଲେ ପୁଣି ତୁମେମାନେ କ’ଣ ସହରକୁ ଫେରିଯିବ ?

 

: ଫେରିଯିବୁ ? କିନ୍ତୁ ସେ ସବୁ ତ କାହିଁ କେତେଦୂରର କଥା ଭାଇ ।

 

ସାଧୁ କହିଲେ–ଯଦି ପାର ତେବେ ଆଉ ନ ଫେର ନାନୀ । ଏଇସବୁ ଦରିଦ୍ର ଦୁର୍ଭାଗାଗୁଡ଼ାଙ୍କୁ ଛାଡ଼ି ଚାଲିଯାଉଛି ଜାଣିବାକ୍ଷଣି ସେମାନଙ୍କର ଦୁଃଖ ଚାରିଗୁଣ ହୋଇଯିବ । ଯେତେବେଳେ ପାଖରେ ଥିଲ ସେମାନେ ଯେ ସେମାନଙ୍କର କଷ୍ଟ ତୁମକୁ ଦେଇନାହାନ୍ତି ତାହା ନୁହେଁ, କିନ୍ତୁ ଦୂରରେ ରହି ଏପରି ନିର୍ମମ କଷ୍ଟ ସେମାନଙ୍କୁ ଦିଅନାହିଁ । ସେତେବେଳେ ସେମାନଙ୍କୁ ଯେପରି ଦୁଃଖ ଦେଇଛ, ଦୁଃଖର ଭାଗ ସେହିପରି ନେଇଛ । ନାନୀ, ଦେଶର ରାଜା ଯଦି ଦେଶରେ ବାସ କରେ, ବୋଧହୁଏ ଏପରି ଦୁଃଖ, କଷ୍ଟ, ଦୈନ୍ୟ ଦେଶର କଣେ କଣେ ଭରିଉଠେ ନାହିଁ । ଆଉ ଏଇ କଣରେ କଣରେ କହିଲେ ଯେ କ’ଣ ବୁଝାଯାଏ; ତୁମର ସହରବାସର ସର୍ବପ୍ରକାର ଆହାର, ବିହାର, ଯୋଗାଇଦେବାର ଅଭାବ ଏବଂ ଅପବ୍ୟୟଟା ଯେ କ’ଣ, ଏହା ଯଦି ଥରକପାଇଁ ଆଖି ଖୋଲି ଦେଖିପାରନ୍ତ ନାନୀ.....

ଶ୍ରୀକାନ୍ତ

: ହଁ ଆନନ୍ଦ, ଘରପାଇଁ ତୁମ ମନ କ’ଣ କିଛି ହୁଏ ନାହିଁ ?

ସାଧୁ ସଂକ୍ଷେପରେ କହିଲେ–ନା । ସେ ବିଚାରା ବୁଝିପାରିଲା ନାହିଁ, କିନ୍ତୁ ମୁଁ ବୁଝିପାରିଲି । ରାଜଲକ୍ଷ୍ମୀ କଥାର ପ୍ରସଙ୍ଗକୁ ଚାପିଦେଲା କେବଳ ସହ୍ୟ କରିପାରୁନଥିଲା ବୋଲି ।

କିଛିକ୍ଷଣ ମୌନ ରହିବା ପରେ ରାଜଲକ୍ଷ୍ମୀ ବ୍ୟଥିତ କଣ୍ଠରେ ପଚାରିବସିଲା–ଘରେ ତୁମର କିଏ କିଏ ସବୁ ଅଛନ୍ତି ?

ସାଧୁ କହିଲେ–ଘର ତ ବର୍ତ୍ତମାନ ମୋର ଆଉ ନାହିଁ ।

ରାଜଲକ୍ଷ୍ମୀ ପୁଣି ଅନେକ ସମୟ ନୀରବ ରହିବା ପରେ କହିଲା, ଆଚ୍ଛା ଆନନ୍ଦ, ଏଇ ବୟସରେ ସନ୍ନ୍ୟାସୀ ହୋଇ ତୁମେ କ’ଣ ଶାନ୍ତି ପାଇପାରୁଛ ?

ସାଧୁ ହସିଦେଇ କହିଲା–ଆରେ ବାପ୍‌ରେ ! ସନ୍ନ୍ୟାସୀର ପୁଣି ଏତେ ଲୋଭ ! ନାଇଁ ନାନୀ, ମୁଁ କେବଳ ପରର ଦୁଃଖ ଭାର ନେବାକୁ ଇଚ୍ଛା କରିଛି ଏବଂ ସେତକ ପାଇପାରିଛି ।

ରାଜଲକ୍ଷ୍ମୀ ପୁଣି ନୀରବ ହୋଇ ରହିଲା । ସାଧୁ କହିଲେ–ସେ ବୋଧହୁଏ ଶୋଇପଡ଼ିଛନ୍ତି । ଏଥର ଯାଉଛି ତାଙ୍କ ଗାଡ଼ିରେ ଟିକିଏ ବସିପଡ଼ିବି । ଆଚ୍ଛା ନାନୀ, ଦୁଇ ଚାରିଦିନ ପାଇଁ ଯଦି ତୁମର ଅତିଥି ହୁଏ ତେବେ କ’ଣ ସେ ବିରକ୍ତ ହେବେ କି ?

 

ରାଜଲକ୍ଷ୍ମୀ ହସି ହସି ପଚାରିଲା–‘ସ’ ଟି କିଏ ? କ’ଣ ତୁମର ବଡ଼ ଭାଇ ?

 

ସାଧୁଜୀ ମୃଦୁ ହସି ହସି କହିଲେ–ଆଚ୍ଛା ନହେଲେ ସେଇଆ ହିଁ ହେଉ ।

 

ରାଜଲକ୍ଷ୍ମୀ କହିଲା–ଆଚ୍ଛା, ମୁଁ ରାଗ କରିବି କି ନାହିଁ ପଚାରିଲ ନାହିଁ ? ଆଚ୍ଛା ଚାଲ ତ ଏଥର ଗଙ୍ଗାମାଟିକୁ । ସେଠାରେ ପହଞ୍ଚିଲା ପରେ ସେ କଥାର ବିଚାର କରାଯିବ ।

 

ସାଧୁଜୀ କ’ଣ କହିଲେ ଶୁଣିପାରିଲି ନାହିଁ । ବୋଧହୁଏ କିଛି କହିଲେ ନାହିଁ । କ୍ଷଣକ ପରେ ମୋ ଗାଡ଼ିଉପରକୁ ଉଠିଆସି କହିଲେ–ଭାଇ, ଆପଣ କ’ଣ ଚାହିଁଛନ୍ତି ?

 

ମୁଁ ଶୋଇନଥିଲି । ତଥାପି କିନ୍ତୁ ଉତ୍ତର ଦେଲି ନାହିଁ । ସେତେବେଳେ ସାଧୁଜୀ ମୋପାଖରେ ଟିକିଏ ଜାଗା କରିନେଇ ନିଜର ଛିଣ୍ଡା କମ୍ବଳଟି ପକାଇ ଶୋଇପଡ଼ିଲେ । ଇଚ୍ଛାହେଲା ଆଉ ଟିକିଏ ଘୁଞ୍ଚିଯାଇ ବିଚରାକୁ ଟିକିଏ ଯାଗାଦେଇଦିଏ, କିନ୍ତୁ ହଲଚଲ ହେଲେ କାଳେ ତାଙ୍କର ସନ୍ଦେହ ଜନ୍ମିପାରେ ଯେ, ମୁଁ ଚାହିଁଛି, କିମ୍ବା ମୋର ନିଦ ଭାଙ୍ଗିଯାଇଛି ଏବଂ ଏଇ ଗଭୀର ରାତିରେ ଆଉ ଏକଦଫା ଦେଶର ସୁଗଭୀର ସମସ୍ୟା ଆଲୋଚିତ ହୋଇଉଠୁ, ଏଇ ଭୟରେ କରୁଣା ପ୍ରକାଶ ପାଇଁ ଚେଷ୍ଟା କଲି ନାହିଁ ।

 

ଗଙ୍ଗାମାଟିରେ ଗାଡ଼ି କେତେବେଳେ ପ୍ରବେଶ କଲା ତାହା ମୁଁ ଜାଣିପାରିନଥିଲି, କିନ୍ତୁ ଜାଣିପାରିଲି ଯେତେବେଳେ ଗାଡ଼ି ଆସି ଆମ ନୂଆ ଘରଆଗରେ ଠିଆହେଲା । ସେତେବେଳକୁ ସକାଳ ହୋଇଯାଇଥାଏ । ଦୁଇ ଚାରିଟା ଶଗଡ଼ ଗାଡ଼ିର ବିବିଧ ଏବଂ ବିଚିତ୍ର ଶବ୍ଦରେ ଚତୁପାର୍ଶ୍ୱରେ କମ୍‌ ଭିଡ଼ ଜମି ଯାଇନଥିଲା ! ରତନଠାରୁ ଶୁଣିଥିଲି ଯେ ଏଇଟା ଗୋଟିଏ ଅନୁନ୍ନତ ଅଧିବାସୀଙ୍କର ବସତି ସ୍ଥଳ । ପ୍ରକୃତରେ ଦେଖିଲି କଥାଟା ଆଦୌ ମିଛ ନୁହେଁ । ଏଇ ଶୀତ ସକାଳରେ ମଧ୍ୟ ପଚାଶ ଷାଠିଏ ଜଣ ବିଭିନ୍ନ ବୟସର ପୁଅ ଝିଅ ଉଲଗ୍ନ ଏବଂ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଏଇମାତ୍ର ନିଦରୁ ଉଠି ତାମସା ଦେଖିବା ପାଇଁ ଜମା ହୋଇଛନ୍ତି । ସେମାନଙ୍କ ପଛରେ ବାପମାଆ ମଧ୍ୟ ଯଥାଯଥ ଭାବରେ ଉଙ୍କି ମାରୁଛନ୍ତି । ଏମାନଙ୍କର ଆକୃତି ଓ ପୋଷାକ ପରିଚ୍ଛଦ ଦେଖି ଏମାନଙ୍କର କୌଳିନ୍ୟ ସମ୍ବନ୍ଧରେ ଆଉ ଯାହାର ମନରେ ଯାହା ଥାଉ ନା କହିଁକି, ରତନ ମନରେ ବୋଧହୁଏ ସଂଶୟ ଲେଶ ମାତ୍ର ରହିଲା ନାହିଁ । ତା’ର ନିଦ ମଳମଳ ମୁହଁଟା ମୁହୂର୍ତ୍ତକ ଭିତରେ ବିରକ୍ତି ଓ କ୍ରୋଧରେ ଭୀମରୂପ ଧାରଣ କଲା । ମାଲିକାଣୀଙ୍କୁ ଦେଖିବା ପାଇଁ କେତେକ ପିଲା ଆତ୍ମ ବିସ୍ମୃତ ହୋଇ ପଶି ଆସିଥିଲେ, ରତନ ଏପରି ଗୋଟାଏ ବିଚିତ୍ର ଭଙ୍ଗା କରି ସେମାନଙ୍କୁ ପାଟି କରି ତଡ଼ିଦେଲା ଯେ ଶଗଡ଼ିଆ ଦୁଇ ଚାରିଜଣ ଆଗରେ ନଥିଲେ ନିଶ୍ଚୟ ସେହିଠାରେ ଗୋଟାଏ ରକ୍ତାକ୍ତ କାଣ୍ଡ ଘଟି ଯାଇଥାନ୍ତା । ରତନ ଏଥିପାଇଁ ଟିକିଏ ହେଲେ ଲଜ୍ଜ୍ୟା ଅନୁଭବ କଲା ନାହିଁ । ମୋତେ ଚାହିଁ କହିଲା–ଦେଖୁଛନ୍ତି ବାବୁ ଛୋଟ ଲୋକ ପିଲାମାନଙ୍କର ଅସ୍ପର୍ଦ୍ଧା । ଯେପରି ରଥ କି ଦୋଳଯାତ୍ରା ଦେଖି ଆସିଛନ୍ତି । ଆମମାନଙ୍କ ଭଳି ଭଦ୍ରଲୋକ କ’ଣ ଏଠାରେ ରହିପାରିବା ବାବୁ ! ବର୍ତ୍ତମାନ ସବୁ ଘାଣ୍ଟିଘୁଣ୍ଟି କରି ଏକାକାର କରି ପକାଇବେ ।

 

‘ଛୁଆଁ ଛୁଇଁ’ କଥାଟା ସର୍ବାଗ୍ରେ ରାଜଲକ୍ଷ୍ମୀ କାନକୁ ଗଲା । ତା’ ମୁହଁଟି ଅପ୍ରସନ୍ନ ହୋଇଉଠିଲା ।

 

ସାଧୁଜୀ ନିଜ ବାକ୍‌ସଟି କାଢ଼ିବାରେ ବ୍ୟସ୍ତ ଥିଲେ । କାର୍ଯ୍ୟଟି ସାରି ସେ ଗୋଟିଏ ଲୋଟା ବାହାର କରି ଆଗେଇ ଆସିଲେ ଏବଂ ପାଖାପାଖି ଯେଉଁ ପିଲାଟିକୁ ପାଇଲେ ତା’ ହାତଟିକୁ ଚାପିଧରି କହିଲେ–ଯାଆ ତ ଭାଇ, ଏଠାରେ କେଉଁଠାରେ ଭଲ ପୋଖରୀ ଅଛି, ଢାଳେ ପାଣି ଏଥିରେ ଘେନି ଆସିବୁ । ଚାହା କରି ଖାଇବା । ଏତିକି କହି ତା’ ହାତରେ ଢାଳଟା ଧରାଇଦେଇ ଆଗରେ ଜଣେ ପ୍ରୌଢ଼ ବୟସର ଲୋକକୁ ଉଦ୍ଦେଶ୍ୟ କରି କହିଲେ, ଏ ମୋଡ଼ଲ ପୁଅ, ପାଖାପାଖି କାହାର ଗାଈ ଅଛି ଟିକିଏ ଦେଖାଇଦେବ ଚାଲିଲ । ଛଟାଙ୍କିଏ ଦୁଧ ତା’ଠାରୁ ଆଣିବି । ତଟକା ଗାଈ ଦୁଧରେ ଚାହା ରଙ୍ଗଟା ଯାହା ହେବନା ନାନୀ, କହି ଥରକ ପାଇଁ ମୋର ଏବଂ ଆଉ ଥରକ ପାଇଁ ତା’ ନାନୀ ମୁହଁ ପ୍ରତି ଦୃଷ୍ଟି ନିକ୍ଷେପ କଲେ । ନାନୀ କିନ୍ତୁ ତାଙ୍କର ଏଇ ଉତ୍ସାହରେ ଆଦୌ ଯୋଗଦେଲେ ନାହିଁ । ବିଷଣ୍ଣ ମୁହଁରେ ସାମାନ୍ୟ ହସିଦେଇ କହିଲେ–ରତନ, ଯାଆ ତ ବାବା, ଢାଳଟା ମାଜି ଟିକିଏ ପାଣି ନେଇଆସିବୁ ।

 

ରତନ ମନୋଭାବର ଅବସ୍ଥାଟା ଆଗରୁ କହିଛି । ତା’ ଉପରେ ଏଇ ଶୀତ ସକାଳରେ ଯେତେବେଳେ କିଏ କେଉଁଠିକାର ଜଣେ ଅଚିହ୍ନା ସାଧୁଙ୍କ ପାଇଁ ପାଣି ଦେବାର ଭାର ପଡ଼ିଲା ସେତେବେଳେ ସେ ଆଉ ଆତ୍ମ ସମ୍ବରଣ କରିପାରିଲା ନାହିଁ । ମୁହୂର୍ତ୍ତକ ଭିତରେ ତା’ର ଯେତେ ରାଗ ସବୁ ଯାଇ ସେଇ ଛୋଟ ପିଲାଟା ଉପରେ ଅଜାଡ଼ି ହୋଇପଡ଼ିଲା । ତାକୁ ସେ ଗୋଟାଏ ପ୍ରଚଣ୍ଡ ଧମକ ଦେଇ କହିଉଠିଲା–ବଦମାସ ଟୋକା, ତୁ ଏଇ ଢାଳଟା ଛୁଇଁଲୁ କାହିଁକି ? ଚାଲ ହାରାମଜାଦା, ଢାଳକୁ ମାଜି ପାଣିରେ ଧୋଇ କରି ମୋ ହାତକୁ ଦେବୁ । କହି ସେ ଆଖି ଓ ମୁହଁର ଇଙ୍ଗିତରେ ଯେପରି ଗଳାଧକ୍‌କା ମାରି ଠେଲି ଠେଲି ନେଇ କରି ଚାଲିଗଲା ।

 

ତାହାର କାଣ୍ଡ ଦେଖି ସାଧୁ ହସିଲେ । ମୁଁ ମଧ୍ୟ ହସିଲି । ରାଜଲକ୍ଷ୍ମୀ ମଧ୍ୟ ଟିକିଏ ସଲ୍ଲଜ ହସ ହସି କହିଲା–ଗାଆଁଟାକୁ ତୁମେ ଉଠାପକା କରିବ ଦେଖୁଛି ଆନନ୍ଦ ! ସାଧୁମାନଙ୍କର ବୋଧହୁଏ ରାତି ନ ପାହୁଣୁ ଚାହା ଦରକାର....

 

ସାଧୁଜୀ କହିଲେ–ଗୃହୀମାନଙ୍କର ରାତି ପାହି ନାହିଁ ବୋଲି ଆମମାନଙ୍କର କ’ଣ ପାହିବ ନାହିଁ ? ଭଲ କଥା ତ ! କିନ୍ତୁ ଦୁଧ ତ ଯୋଗାଡ଼ କରିବା ଦରକାର । ଆଚ୍ଛା ଘରଭିତରେ ପଶି ଦେଖାଯାଉ ଚୁଲି–ଫୁଲି, କାଠ, ଫାଠ କିଛି ଅଛି କି ନାହିଁ ? ଆରେ ମାଲିକ, ଚାଲନ୍ତୁ ନା ଭାଇ, କାହାଘରେ ଗାଈ ଅଛି ଟିକିଏ ଦେଖାଇଦେବ । ନାନୀ କାଲି ସେଇ ହାଣ୍ଡିଟାରେ କିଛି ବରଫି ଥିଲା ନାଁ ? ନା ଗାଡ଼ିଭିତରେ ଅନ୍ଧାରରେ ବସି ସେ ସବୁ ଶେଷ କରିଦେଇଛ ?

 

ରାଜଲକ୍ଷ୍ମୀ ହସି ପକାଇଲା । ଗାଆଁର ଯେଉଁ ଦୁଇ ଚାରିଜଣ ଝିଅ ଦୂରରେ ଠିଆ ହୋଇଥିଲେ ସେମାନେ ମଧ୍ୟ ହସକୁ ଲୁଚାଇବା ପାଇଁ ମୁହଁ ବୁଲାଇନେଲେ ।

 

ଏହି ସମୟରେ ଗୁମାସ୍ତା କାଶୀରାମ କୁଶାରୀ ମହାଶୟ, ହତଭମ୍ୱ ଭାବରେ ଆସି ଉପସ୍ଥିତ ହେଲେ । ସଙ୍ଗରେ ତା’ର ତିନି ଚାରିଜଣ ଲୋକ, ମୁଣ୍ଡରେ ବୋଝ ଭର୍ତ୍ତି ପନିପରିବା, କାହା ହାତରେ ଘଡ଼ି ଭର୍ତ୍ତି ଦୁଧ, କାହା ହାତରେ ଦହି ହାଣ୍ଡି, ଆଉ କାହା ହାତରେ ବୃହତ୍‌କାୟ ଗୋଟାଏ ରୋହିମାଛ । ରାଜଲକ୍ଷ୍ମୀ ତାଙ୍କୁ ପ୍ରଣାମ କଲା । ସେ ଆଶୀର୍ବାଦ କରିବା ସଙ୍ଗେ ସଙ୍ଗେ ଏହି ସାମାନ୍ୟ ବିଳମ୍ବ ପାଇଁ ବହୁବିଧ କୈଫିୟତ ଦେବାକୁ ଲାଗିଲେ । ଲୋକଟି ଭଲବୋଲି ମୋର ମନେହେଲା । ବୟସ ପଚାଶ ଉପରେ ହେବ । କିଛିଟା ଦୁର୍ବଳ, ପରିଷ୍କାର ପରିଚ୍ଛନ୍ନ ଦାଢ଼ି ନିଶ କଟା ହୋଇଥିବା ମୁହଁ ଏବଂ ଗୋରା ତକ୍‍ତକ୍‌ ଚେହେରାର ମଣିଷଟିଏ । ମୁଁ ତାଙ୍କୁ ନମସ୍କାର କଲି-। ସେ ମଧ୍ୟ ପ୍ରତି ନମସ୍କାର କଲେ । କିନ୍ତୁ ସାଧୁଜୀ ଏଇସବୁ ପ୍ରଚଳିତ ଭଦ୍ରତାର ଧାର ଧାରିଲେ ନାହିଁ । ସେ ପରିବା ଆସିଥିବା ବୋଝଟାକୁ ଲୋକ ମୁଣ୍ଡରୁ ଓହ୍ଲାଇ ରଖି ତାକୁ ତନ୍ନତନ୍ନ କରି ଦେଖିସାରି ପ୍ରଶଂସା କରିବାକୁ ଲାଗିଲେ । ଦୁଧ ଯେ ଖାଣ୍ଟି ସେ ବିଷୟରେ ନିଃସନ୍ଦେହ ବୋଲି ମତପ୍ରକାଶ କଲେ ଏବଂ ମାଛଟିର ଓଜନ କେତେ ହେବ ଅନୁମାନଦ୍ୱାରା କହି ତାହାର ସ୍ୱାଦ ଓ ଅସ୍ୱାଦ ବିଷୟରେ କହି ସମସ୍ତଙ୍କୁ ଆଶାନ୍ୱିତ କରି ପକାଇଲେ ।

 

ଏହି ସାଧୁ ମହାଶୟଙ୍କ ସମ୍ବନ୍ଧରେ ପୂର୍ବାହ୍ନରୁ ଗୁମାସ୍ତା କୌଣସି ସମ୍ବାଦ ପାଇ ପାରିନଥିଲେ । ସେ କୌତୁହଳୀ ହୋଇଉଠିଲେ । ରାଜଲକ୍ଷ୍ମୀ କହିଲା–ସନ୍ନ୍ୟାସୀ ଦେଖି ଭୟ କରିବେ ନାହିଁ କୁଶାରୀ ମହାଶୟ । ସେ ହେଉଛି ମୋ ଭାଇ । ତାପରେ ସାମାନ୍ୟ ହସିଦେଇ କହିଲା; ଆଉ ବାରମ୍ବାର ତାହାଠାରୁ ଗେରୁଆ ଛଡ଼ାଇବାଟା ଯେପରି ମୋର କର୍ତ୍ତବ୍ୟ ହୋଇପଡ଼ିଛି-

 

କଥାଟା ସାଧୁଜୀଙ୍କ କାନକୁ ଗଲା । କହିଲେ–ଏ କାମଟା ଏତେ ସହଜ ହେବ ନାହିଁ ନାନୀ । ତାପରେ କଟାକ୍ଷରେ ଚାହିଁଦେଇ ସେ ଟିକିଏ ହସିଲେ । ଏହାର ଅର୍ଥ ମୁଁ ବୁଝିପାରିଲି ଏବଂ ରାଜଲକ୍ଷ୍ମୀ ମଧ୍ୟ ବୁଝିପାରିଲା–ସେ କିନ୍ତୁ ପ୍ରତ୍ୟୁତ୍ତରରେ କେବଳ ମୁଚୁକି ମୁଚୁକି ହସି କହିଲା–ହଉ, ସେ କଥା ଦେଖାଅଛି ।

 

ଘରଭିତରେ ପଶିବା ପରେ ଦେଖାଗଲା–କୁଶାରୀ ମହାଶୟ ମନ୍ଦ ବନ୍ଦୋବସ୍ତ କରିନାହାନ୍ତି । ଅତି ତରତର ହୋଇ ଆଗେ ଲାଗିପଡ଼ି ସେ ପୁରୁଣା କଚେରୀ ଘରଟିକୁ କିଛି କିଛି ମରାମତି ଏବଂ ପରିବର୍ତ୍ତନ କରି ବାସପୋଯୋଗୀ କରିପାରିଛନ୍ତି । ଭିତରେ ରୋଷାଇଘର, ଭଣ୍ଡାର ଘର ବ୍ୟତୀତ ଆଉ ଦୁଇଟି ଶୋଇବା ଘର । ଘରଗୁଡ଼ିକ ମାଟିରେ ତିଆରି ଏବଂ ଚାଳ ଛପର ହେଲେ କ’ଣ ହେବ ବେଶ୍‌ ଉଚ୍ଚା ଉଚ୍ଚା ଏବଂ ବଡ଼ ବଡ଼ । ବାହାର ବସିବା ଘରଟିର ପାରିପାଟୀ ବଡ଼ ଚମତ୍କାର । ପ୍ରଶସ୍ତ ଅଗଣା, ପରିଷ୍କାର ପରିଚ୍ଛନ୍ନ ଏବଂ ତାହା ଚାରିପାଖରେ ମାଟିର ପାଚେରୀ । ଗୋଟିଏ କଣରେ ଛୋଟ କୂଅଟିଏ ଏବଂ ତାହାର ଅଦୂରରେ ଦୁଇ ତିନୋଟି ଟଗର ଏବଂ ଶେଫାଳୀ ଗଛ । ଆଉ ଗୋଟିଏ ଦିଗରେ ଛୋଟ ବଡ଼ ଅନେକ ତୁଳସୀ ଗଛର ଧାଡ଼ି ଏବଂ ଦୁଇଚାରିଟା ମଲ୍ଲୀ ଏବଂ ଯୁଈଫୁଲର ଗଛ । ଏସବୁ ଦେଖି ଯେପରି ମନରେ ପରମ ତୃପ୍ତି ଆସିଲା ।

 

ସମସ୍ତଙ୍କ ଅପେକ୍ଷା ସନ୍ନ୍ୟାସୀ ଭାଇଙ୍କର ଉତ୍ସାହ ବେଶୀ ଦେଖାଗଲା । ଯାହା କିଛି ତାଙ୍କ ଆଖିରେ ପଡ଼ିଲା ତାକୁ ଦେଖି ଉଚ୍ଚ କଣ୍ଠରେ ଆନନ୍ଦ ପ୍ରକାଶ କରି କହିଲାଗିଲେ ଯେ, ଏପରି ଯାଗା ସେ ଆଦୌ କେଉଁଠି ଦେଖିନାହାନ୍ତି । ମୁଁ ମଧ୍ୟ ତୁଣ୍ଡ ଫିଟାଇ ନକହୁଥିଲେ ମଧ୍ୟ ମନେମନେ ଖୁସି ହୋଇଥିଲି । ରାଜଲକ୍ଷ୍ମୀ ତା’ ଭାଇ ପାଇଁ ରୋଷଘରେ ଚାହା ତିଆରି କରିବାରେ ବ୍ୟସ୍ତ ଥିବାରୁ ତା’ ମୁହଁର ଭାବ ସିନା ଦେଖାଗଲା ନାହିଁ ସତ କିନ୍ତୁ ମନର ଭାବ କାହା ନିକଟରେ ଅବିଦିତ ରହିଲା ନାହିଁ । କେବଳ ଆମ ଦଳରେ ରତନର ମେଳ ରହିଲା ନାହିଁ । ସେ ମୁହଁଟାକୁ ସେଇପରି ଗମ୍ଭୀର କରି ବାରଣ୍ଡାର ଗୋଟିଏ ଖୁଣ୍ଟରେ ଆଉଜି ସେଇପରି ନୀରବରେ ବସି ରହିଲା ।

 

ଚାହା ତିଆରି ସରିଲା । ସାଧୁଜୀ କାଲିକାର ଅବଶିଷ୍ଟ ମିଷ୍ଟାନ୍ନ ଯୋଗେ ଦୁଇ ପିଆଲା ଚାହା ନୀରବରେ ପାନକରି ଉଠିଗଲେ ଏବଂ ମୋତେ କହିଲେ ଚାଲନ୍ତୁନା, ଗାଆଁଟା ଟିକିଏ ବୁଲି ଦେଖିଆସିବା । ତାପରେ ରାଜଲକ୍ଷ୍ମୀକୁ ଉଦ୍ଦେଶ୍ୟ କରି ପୁଣି କହିଲେ–ନାନୀ, ଆସ ଟିକିଏ ଜମିଦାରୀ ବୁଲି ଆସିବ । ବୋଧହୁଏ ଏଠାରେ ସେପରି କେହି ଭଦ୍ରଲୋକ ନାହାନ୍ତି ତେଣୁ ଲଜ୍ଜ୍ୟା କରିବାର ଆବଶ୍ୟକତା ପଡ଼ିବ ନାହିଁ । ସମ୍ପତ୍ତିକୁ ତୁମର ଦେଖିଲେ ଲୋଭ ହେଉଛି ।

 

ରାଜଲକ୍ଷ୍ମୀ ହସିଦେଇ କହିଲା–ସେ କଥା ମୁଁ ଜାଣେ । ସନ୍ନ୍ୟାସୀମାନଙ୍କର ସ୍ୱଭାବ ତ ଏଇପରି ।

 

ଆମମାନଙ୍କ ସଙ୍ଗରେ ରୋଷାଇ କରିବା ପାଇଁ ଜଣେ ବ୍ରାହ୍ମଣ ଏବଂ ଚାକର ଆସିଥିଲେ-। ସେମାନେ ରୋଷାଇର ଆୟୋଜନ କରିବାରେ ଲାଗିଥିଲେ । ରାଜଲକ୍ଷ୍ମୀ କହିଲା–ନା, ମହାରାଜ, ତୁମକୁ ଏପରି ତଟକା ମାଛକୁ ଦେଇଯିବା ପାଇଁ ଭରସା ପାଉନାହିଁ । ଗାଧୋଇ ଆସି ମୁଁ ନିଜେ ଆଜି ରାନ୍ଧିବି । ଏହା କହି ସେ ଆମମାନଙ୍କ ସହିତ ଯିବାପାଇଁ ପ୍ରସ୍ତୁତ ହେଲା ।

 

ଏଇ ସମୟ ପର୍ଯ୍ୟନ୍ତ ରତନ କୌଣସି କାମରେ ଯୋଗ ଦେଇନଥିଲା । ଆମେମାନେ ବାହାରିବାକୁ ଯାଉଛୁ ଏଇ ସମୟରେ ସେ ଅତ୍ୟନ୍ତ ବୀର ଗମ୍ଭୀର ସ୍ୱରରେ କହିଲା–ମାଆ, ଏଇ ଯେ ବନ୍ଧ କି ପୋଖରୀ କ’ଣ ବୋଲି ଏ ପୋଡ଼ା ଦେଶର ଲୋକମାନେ କହୁଛନ୍ତି ତୁମେ ସେଠାରେ ଆଦୌ ଗାଧୋଇବ ନାହିଁ । ଭୟଙ୍କର ଜୋକ ସବୁ ଅଛନ୍ତି । ଗୋଟାଏ ଗୋଟାଏ କୁଆଡ଼େ ହାତେ ଲମ୍ବ ହେବେ ।

 

ମୁହୂର୍ତ୍ତକ ଭିତରେ ରାଜଲକ୍ଷ୍ମୀର ମୁହଁ ଭୟରେ ପାଣ୍ଡୁର ହୋଇଗଲା । କହିଲା–କ’ଣ କହୁଛୁ ତୁ ରତନ ! ସତରେ କ’ଣ ବଡ଼ ବଡ଼ ଜୋକ ଅଛନ୍ତି ?

 

ରତନ ମୁଣ୍ଡ ହଲାଇ କହିଲା–ଆଜ୍ଞା ହଁ, ସେଇଆ ତ ବର୍ତ୍ତମାନ ଶୁଣିକରି ଆସିଲି ।

 

ସାଧୁଜୀ ପାଟିକରି ତାତ୍ସଲ୍ୟ କରି କହିଉଠିଲେ–ଆଜ୍ଞା ହଁ, ଶୁଣି ଆସିଲି ନୁହେଁ ତ ଆଉ କ’ଣ ? ଭଣ୍ଡାରୀ ଟୋକା ଭାବି ଭାବି ଆଚ୍ଛା ଫନ୍ଦ ବାହାର କରିଛି । ତାହାର ମନର ଭାବ ଏବଂ ଜାତିର ପରିଚୟ ସାଧୁ ପୂର୍ବରୁ ସଂଗ୍ରହ କରିଥିଲେ । ହସିଦେଇ କହିଲେ–ନାନୀ, ତାହା କଥା ଆଦୌ ଶୁଣିବ ନାହିଁ । ଆସନ୍ତୁ, ଜୋକ ଅଛନ୍ତି କି ନାହିଁ ସେ ପରୀକ୍ଷା ଆଗ ମୋ ଦେହରେ ହୋଇଯିବ ।

 

ତା’ ନାନୀ କିନ୍ତୁ ଆଉ ପାଦେହେଲେ ଅଗ୍ରସର ହେଲେ ନାହିଁ । ଜୋକ ନାମ ଶୁଣି ଏକବାର ଅଚଳ ହୋଇ କହିଲେ–ମୁଁ କହୁଛି ତେବେ ଆନନ୍ଦ ଆଜି ସେ କଥା ଥାଉ । ନୂଆ ଯାଗା, ନ ଜାଣି ନ ଶୁଣି ଏପରି ଦୁଃସାହସ କରିବାଟା ଭଲ ହେବ ନାହିଁ । ରତନ, ତୁ ବାବା ଉଠିଲୁ । ଏଠାକୁ କୂଅରୁ ଦୁଇମାଠିଆ ପାଣି କାଢ଼ି ଆଣିଲୁ । ମୋତେ ଆଦେଶ ହେଲା–ତୁମେ ରୋଗିଣା ଲୋକ, ତୁମେ ଯେପରି ଆଉ କେଉଁଠାରେ ଗାଧୋଇ କରି ନ ଆସ । ବାଡ଼ିରେ ଦୁଇଢାଳ ପାଣି ମୁଣ୍ଡରେ ଢାଳି ହୋଇ ଚୁପ୍ ହୋଇ ବସ ।

 

ସାଧୁ ହସିଦେଇ କହିଲେ–ଆଉ ମୁଁ କ’ଣ ଏତେ ଅଣହେଳାର ଜୀବଟିଏ ଯେ ମୋତେ ସେଇ ଜୋକ ପୋଖରୀକୁ ଠେଲିଦେଉଛ ?

 

କଥାଟା ସେପରି କିଛି ନୁହେଁ କିନ୍ତୁ ଏଇ ଟିକକରେ ଯେପରି ରାଜଲକ୍ଷ୍ମୀର ଆଖି ଛଳ ଛଳ ହୋଇଉଠିଲା । ସେ ମୁହୂର୍ତ୍ତକ ପାଇଁ ନୀରବରେ କୋମଳ ଦୃଷ୍ଟିଦ୍ୱାରା ତାହାଙ୍କୁ ଯେପରି ଅଭିଷିକ୍ତ କରି କହିଲା–ତୁମେ ଯେ ମଣିଷ ହାତର ଊର୍ଦ୍ଧ୍ୱରେ । ଯିଏ ମାଆ–ବାପାଙ୍କ କଥା ଶୁଣି ନାହିଁ, ସେ କ’ଣ ଗୋଟାଏ ଅଜଣା ଅଚିହ୍ନା ଭଉଣୀଟାର କଥା ରଖିପାରିବ ?

 

ସାଧୁ ଯିବାକୁ ଉଦ୍ୟତ ହୋଇ ହଠାତ୍‌ ଟିକିଏ ଅଟକିଯାଇ କହିଲେ–ଏଇ ଅଚିହ୍ନା, ଅଜଣା କଥାଟି କହିବ ନାହିଁ ନାନୀ । ଆପଣ ସମସ୍ତଙ୍କୁ ଚିହ୍ନିପାରିବି ବୋଲି ତ ଘରଛାଡ଼ି ଚାଲିଆସିଛି; ନଚେତ୍‌ ମୋର କ’ଣ ଅବା ଦରକାର ଥିଲା କହିଲ ? ଏତିକି କହି ସେ ତରତର ହୋଇ ଚାଲିଗଲେ ଏବଂ ମୁଁ ମଧ୍ୟ ତାଙ୍କ ପଛେ ପଛେ ଯିବାକୁ ଲାଗିଲି ।

 

ଦୁଇଜଣ ଏଥର ଭଲକରି ଘୂରିବୁଲି ଗାଆଁଟିକୁ ଦେଖିନେଲୁ । ଗାଆଁଟି ଛୋଟ ଏବଂ ଆମେମାନେ ଯେଉଁମାନଙ୍କୁ ଛୋଟ ଜାତି ବୋଲି କହୁ ସେହିମାନଙ୍କର । ପ୍ରକୃତରେ ଦୁଇଘର ଗଉଡ଼ ଏବଂ ଘରେ କୁମ୍ଭାର ବ୍ୟତୀତ ଗଙ୍ଗାମାଟିରେ ଜଳସ୍ପର୍ଶ କଲା ଜାତି ଆଉ ନାହାନ୍ତି । ବାଜୀ ସମସ୍ତେ ଡମ୍ବ ଏବଂ ବାଉରୀ । ବାଉରୀମାନେ ବେତି ବୁଣନ୍ତି ଏବଂ ମୂଲ ଲାଗନ୍ତି ଏବଂ ଡମମାନେ କୁଲା, ଚାଙ୍ଗୁଡ଼ି, ଟୋକେଇ ପ୍ରଭୃତି ତିଆରି କରି ପୋଡ଼ାମାଟି ଗାଆଁରେ ବିକ୍ରୟ କରି ଜୀବିକା ନିର୍ବାହ କରନ୍ତି । ଗାଆଁ ଉତ୍ତର ଦିଗରେ ପାଣି ଖଲାସ ହେବା ପାଇଁ ଯେଉଁ ନଳା ଅଛି ତାହାର ସେ ପାଖରେ ପୋଡ଼ା ମାଟି । ଶୁଣିବାକୁ ମିଳିଲା ଏ ଗ୍ରାମଟି ବଡ଼ ଏବଂ ସେଠାରେ ଅନେକ ଘର ବ୍ରାହ୍ମଣ, କାୟସ୍ଥ ଏବଂ ଅନ୍ୟ ଜାତିର ଲୋକମାନଙ୍କର ବସତି ଅଛି । ଆମମାନଙ୍କ କୁଶାରୀ ମହାଶୟଙ୍କ ଘର ମଧ୍ୟ ଏଇ ପୋଡ଼ାମାଟିରେ । ପରକଥା କିନ୍ତୁ ପରେ ହେବ । ଆପାତତଃ ନିଜ ଆଖିରେ ନିଜ ଗାଆଁର ଯେଉଁ ଅବସ୍ଥା ଦେଖିବାକୁ ମିଳିଲା ସେଥିରେ ଆଖିକୁ ଲୁହ ଚାଲିଆସିଲା । ବିଚାରଗୁଡ଼ିକ ଘରଗୁଡ଼ିକୁ ଛୋଟ କରିବାକୁ ପ୍ରାଣପଣେ ଚେଷ୍ଟା କରିଛନ୍ତି କିନ୍ତୁ ଏତେ ଛୋଟ ଛୋଟ ଘରକୁ ଛପର କରିବାପାଇଁ ସୁନାର ବଙ୍ଗଳା ଦେଶରେ ସେମାନଙ୍କୁ ନଡ଼ା ମିଳେ ନାହିଁ । ଏତେ ଟିକିଏ ଜମି ଯାଗା କାହାର ନାହିଁ । କେବଳ ମାତ୍ର କୁଲା ଚାଙ୍ଗୁଡ଼ି ତିଆରି କରି ଏବଂ ନାଆଁକୁ ମାତ୍ର ମୂଲଟେ ଗ୍ରାମାନ୍ତର ଲୋକମାନଙ୍କୁ ବିକ୍ରୟ କରି କିପରି ଯେ ସେମାନଙ୍କ ଗୁଜରାଣ ମେଣ୍ଟେ ସେ କଥା ମୁଁ ଭାବିପାରିଲି ନାହିଁ । ତଥାପି ଏପରି ଭାବରେ ଏହି ଅସ୍ପୃଶ୍ୟ ଏବଂ ଅପବିତ୍ର ଲୋକଗୁଡ଼ିକଙ୍କର ଦିନ କଟି ଚାଲିଛି ଏବଂ ହୁଏତ ଏଇପରି ଚିରଦିନ କଟି ଚାଲିଆସିଛି କିନ୍ତୁ କେହି କେବେ ଏଥିପାଇଁ ଦୃଷ୍ଟି ପକାଉ ନାହାଁନ୍ତି । ରାସ୍ତାକଡ଼ର କୁକୁର ଯେପରି ଜନ୍ମହୋଇ; କେତେକ ବର୍ଷ ଯେପରି ସେପରି ଭାବରେ ବଞ୍ଚି ରହି; କେଉଁଠାରେ କିପରି ଭାବରେ ମରିଯାଏ ତାହାର ଯେପରି କେହି; କେବେ ଖବର ରଖନ୍ତି ନାହିଁ ଠିକ୍ ସେହିଭଳି ଏହି ହତଭାଗାଗୁଡ଼ିକଙ୍କର ଦେଶ ଆଗରେ ସେମାନଙ୍କଠାରୁ ଅଧିକ ଦାବୀ ବୋଧହୁଏ ନାହିଁ । ଏମାନଙ୍କର ଦୁଃଖ, ଏମାନଙ୍କର ଦୈନ୍ୟ, ଏମାନଙ୍କର ହୀନତା, ଆପଣା ଏବଂ ପର ଆଖିରେ ଏପରି ସହଜ ଏବଂ ସ୍ୱାଭାବିକ ହୋଇଉଠିଛି ଯେ ମନୁଷ୍ୟ ନିକଟରେ ମନୁଷ୍ୟର ଏତେବଡ଼ ଲାଞ୍ଛନା ହେତୁ କାହା ମନରେ ଏତେ ଟିକିଏ ଲଜ୍ଜ୍ୟା ହେଲେ ନାହିଁ ।

 

ସାଧୁ ଯେ ମୋ ମୁହଁ ପ୍ରତି ଲକ୍ଷ୍ୟ ରଖିଥିଲେ ତାହା ମୁଁ ଜାଣିନଥିଲି । ସେ ହଠାତ୍‌ କହିଲେ, ଭାଇନା, ଏ ହେଉଛି ଆମ ଦେଶର ପ୍ରକୃତ ଛବି । କିନ୍ତୁ ଏଥିପାଇଁ ମନଖରାପ କରିବାର କିଛି ଦରକାର ନାହିଁ । ଆପଣ ଭାବୁଛନ୍ତି ଏସବୁ ଅବସ୍ଥା ବୋଧହୁଏ ସେମାନଙ୍କୁ ଅହରହ ଦୁଃଖ ଦେଉଥିବ, କିନ୍ତୁ ତାହା ମୋଟେ ନୁହେଁ ।

 

ମୁଁ କ୍ଷୁବ୍‌ଧ ଏବଂ ଅତ୍ୟନ୍ତ ବିସ୍ମିତ ହୋଇ କହିଲି–ଏଇଟା କିପରି କଥା ହେଲା ସାଧୁଜୀ-?

 

ସାଧୁଜୀ କହିଲେ–ମୋ ପରି ଯଦି ସର୍ବତ୍ର ଘୂରିବୁଲନ୍ତ ଭାଇ, ତାହାହେଲେ ବୁଝିପାରନ୍ତ ପ୍ରକୃତରେ ମୁଁ ସତ କହୁଛି । ବାସ୍ତବିକ ଦୁଃଖଟା କିଏ ଭୋଗ କରେ ଭାଇ ? ମନ ତ ? କିନ୍ତୁ ସେମାନଙ୍କୁ କ’ଣ ଆମେ ସେପରି ଭାବିବା ଭଳି ଅବସ୍ଥାରେ ରଖିଛେ ? ବହୁଦିନ ଧରି ଅବିଶ୍ରାମ ଚାପ ଫଳରେ ସେମାନଙ୍କ ଭିତରୁ ଦୁଃଖଟାକୁ ଅନୁଭବ କରିବାଟାର ଭାବଟାକୁ ଚିପୁଡ଼ି ନିଗାଡ଼ି ବାହାର କରିଦିଆଯାଇଛି । ବର୍ତ୍ତମାନ ଏହାଠାରୁ ଅଧିକା ଆଶା କରିବାଟାକୁ ସେମାନେ ଅନ୍ୟାୟ ଆସ୍ପର୍ଦ୍ଧା ବୋଲି ମନେକରନ୍ତି । ବାଃରେ ବାଃ ! ଆମ ପୂର୍ବ ପୁରୁଷମାନେ ଭାବି ଭାବି କ’ଣ ଆବିଷ୍କାର କରି ନ ଗଲେ ! ଏତିକି କହି ସାଧୁ ବଡ଼ ନିଷ୍ଠୁର ଭାବରେ ହସିବାକୁ ଲାଗିଲେ । ମୁଁ କିନ୍ତୁ ସେଇ ହସ ସହିତ ଯୋଗଦେଇ ପାରିଲି ନାହିଁ ଏବଂ ତାଙ୍କ କଥାଟାର ଠିକ୍‌ ଅର୍ଥ ଗ୍ରହଣ କରି ନ ପାରି ମନେମନେ ଲଜ୍ଜିତ ହୋଇଉଠିଲି ।

 

ଏ ବର୍ଷ ଫସଲ ଭଲ ହୋଇ ନାହିଁ, ବର୍ଷା ଅଭାବରୁ ହେମନ୍ତ ଋତୁର ଧାନଟା ପ୍ରାୟ ଆଠଅଣା ଏକ ପ୍ରକାର ଶୁଖିଯାଇ ଇତିମଧ୍ୟରେ ଅଭାବର ଗୋଟାଏ ଝଡ଼ି ବହିବାକୁ ଆରମ୍ଭ କରିଦେଉଥାଏ । ସାଧୁ କହିଲେ, ଭାଇ; ଯେତେବେଳେ କୌଣସି ପ୍ରକାରେ ହେଉ ଭଗବାନ ଆପଣଙ୍କୁ ଆପଣଙ୍କର ପ୍ରଜାମାନଙ୍କ ପାଖକୁ ଠେଲି ପଠାଇଦେଇଛନ୍ତି ସେତେବେଳେ ଆଉ ପଳାଇ ଚାଲିଯିବାଟା ଉଚିତ୍‌ ହେବ ନାହିଁ । ଅନ୍ତତଃ ଏଇ ବର୍ଷଟା ଏଠାରେ କଟାଇ ଦେଇ ଯିବେ । ବିଶେଷ କିଛି ଯେ କରିପାରିବେ ସେ କଥା ଭାବିବେ ନାହିଁ । ତେବେ ଆଖିଆଗରେ ସେମାନଙ୍କର ଦୁଃଖ ଦେଖିପାରିବେ ଏବଂ ଅନୁଭବ କରିପାରିବେ ତ । ତଦ୍ଦ୍ୱାରା ଜମିଦାର ହୋଇ ଶାସକ ହେବାର ପାପଟା କିଛିମାତ୍ର ହାଲୁକା ହାଇଯାଇପାରିବ ତ ।

 

ମୁଁ ଦୀର୍ଘଶ୍ୱାସ ଛାଡ଼ି କେବଳ ମନେମନେ ଭାବିବାକୁ ଲାଗିଲି ଜମିଦାରୀ ପ୍ରଜାମାନେ ପ୍ରକୃତରେ ଆମର ଅଟନ୍ତି । ଆଗରୁ ଯେପରି ଉତ୍ତର ଦେଇନଥିଲି ଏଥର ମଧ୍ୟ ସେହିପରି ନୀରବ ରହିଲି । ଛୋଟ ଗ୍ରାମଟି ପ୍ରଦକ୍ଷିଣ କରିସାରି ଫେରିଆସିଲି, ସେତେବେଳକୁ ସମୟ ବାରଟା ବାଜି ଯାଇଥାଏ । ଗତକାଲି ଅପରାହ୍ନ ଭଳି ରାଜଲକ୍ଷ୍ମୀ ଆମମାନଙ୍କୁ ଖାଇବାକୁ ଦେଇସାରି ପାଖରେ ବସି ରହିଲା । ସମସ୍ତ ଦ୍ରବ୍ୟ ସେ ରୋଷାଇ କରିଥିଲା । ମାଛର ମୁଣ୍ଡ ଏବଂ ଦହି ସର ଯାଇ ସାଧୁଜୀଙ୍କ ପତ୍ରରେ ପଡ଼ିଲା । ସାଧୁଜୀ ବୈରାଗୀ ମନୁଷ୍ୟ ହେଲେ କ’ଣ ହେବ, ସାତ୍ତ୍ୱିକ ଏବଂ ଅସାତ୍ତ୍ୱିକ, ଆମିଷ କିମ୍ବା ନିରାମିଷ କୌଣସିଟାରେ ତାଙ୍କର ବିରାଗ ଦେଖାଗଲା ନାହିଁ । ବରଞ୍ଚ ଏପରି ଉଦ୍ଦାମ ଅନୁରୋଧ ଦେଖାଇଲେ ଯାହାକି ଘୋର ସଂସାରୀ ପକ୍ଷରେ ମଧ୍ୟ ଦୁର୍ଲ୍ଲଭ । ରାନ୍ଧଣାର ସମଝଦାର ବ୍ୟକ୍ତି ବୋଲି ମୋର ଯେଉଁ ଖ୍ୟାତି ଥିଲା ସେଥିପ୍ରତି ରାନ୍ଧୁଣୀର କୌଣସି ଆଗ୍ରହ ପ୍ରକାଶ ପାଇପାରିଲା ନାହିଁ ।

 

ସାଧୁ ତରତର ନ ହୋଇ ଧୀର ସୁସ୍ଥରେ ବସି ଖାଇବାରେ ଲାଗିଲେ । ଚର୍ବଣ କରୁ କରୁ କହିଲେ–ନାନୀ, ଗ୍ରାମଟି ପ୍ରକୃତରେ ଭଲ, ଛାଡ଼ି ଯିବାକୁ ଲୋଭ ହେଉଛି ।

 

ରାଜଲକ୍ଷ୍ମୀ କହିଲା–ଛାଡ଼ି ଯିବାକୁ ତୁମକୁ ତ ମୁଁ କହୁ ନାହିଁ ।

 

ସାଧୁ ହସିଦେଇ କହିଲେ–ସନ୍ନ୍ୟାସୀ ଓ ଫକୀରମାନଙ୍କୁ କଦାପି ଏତେ ପ୍ରଶ୍ରୟ ଦେବ ନାହିଁ–ନାନୀ, ଠକିଯିବ । ତେବେ ସେ ଯାହାହେଉ ଗାଆଁଟି ଭଲ । ଏପରି କେଉଁଠାରେ ଗୋଟିଏ ହେଲେ ଲୋକ ଦେଖିବାକୁ ମିଳିଲା ନାହିଁ ଯାହାର ପାଣି ସ୍ପର୍ଶ କରିହେବ । ଏପରି ଗୋଟିଏ ଘର ଦେଖିଲି ନାହିଁ ଯାହା ଛପର ଉପରେ ପୂରା ନଡ଼ା ଅଛି । ଯେପରି ଋଷିମାନଙ୍କର ଆଶ୍ରମ ।

 

ଆଶ୍ରମ ସହିତ ଅସ୍ପୃଶ୍ୟ ଗୃହଗୁଡ଼ିକର ଯେ ଗୋଟିଏ ଦିଗରୁ ବିରାଟ ସାଦୃଶ୍ୟ ଥିଲା, ସେହି କଥା ମନେକରି ରାଜଲକ୍ଷ୍ମୀ ଟିକିଏ ହସିଦେଇ ମୋତେ କହିଲା–ଶୁଣିଲି ସତରେ କୁଆଡ଼େ ଏଇ ଗାଆଁରେ କେବଳ ଛୋଟ ଜାତିର ଲୋକମାନେ ହିଁ ବାସ କରୁଛନ୍ତି, ଏପରିକି ପାଣିମୁନ୍ଦାଏ ପାଇଁ କାହାଠାରୁ ଆଶା ନାହିଁ । ଦେଖୁଛୁ ବେଶୀଦିନ ଏଠାରେ ରହିହେବ ନାହିଁ ।

 

ସାଧୁ ଟିକିଏ ହସିଲେ କିନ୍ତୁ ମୁଁ ନୀରବ ରହିଲି । କାରଣ ରାଜଲକ୍ଷ୍ମୀ ଭଳି କରୁଣାମୟୀ ମଧ୍ୟ ଯେ କେଉଁ ସଂସ୍କାର ବଶବର୍ତ୍ତୀ ହୋଇ ଏତେବଡ଼ ଲଜ୍ଜ୍ୟାକର କଥା ଉଚ୍ଚାରଣ କରିପାରିଲା, ତାହା ଅବଶ୍ୟ ମୁଁ ଜାଣିପାରିଲି ନାହିଁ । ସାଧୁଜୀଙ୍କର ହସ ମୋତେ ସ୍ପର୍ଶ କଲା । କିନ୍ତୁ ଆହତ କରିପାରିଲା ନାହିଁ । ଯଦିଓ କିଛି କହିଲି ନାହିଁ ସତ କିନ୍ତୁ, ତଥାପି ମୋର ମନ ଏଇ ରାଜଲକ୍ଷ୍ମୀକୁ ଉଦ୍ଦେଶ୍ୟ କରି ଭିତରେ ଭିତରେ କହିବାକୁ ଲାଗିଲା । ରାଜଲକ୍ଷ୍ମୀ, ମଣିଷର କର୍ମ ହିଁ କେବଳ ଅଶୁଚି ଏବଂ ମନୁଷ୍ୟ ଅସ୍ପୃଶ୍ୟ ହୁଏ ନାହିଁ । ନହେଲେ ପିଆରୀ କୌଣସି ମତେ ଆଜି ଫେରିଆସି ପୁଣି ରାଜଲକ୍ଷ୍ମୀ ଆସନରେ ବସି ପାରିନଥାନ୍ତା । ଆଉ ତାହା କେବଳ ସମ୍ଭବ ହୋଇପାରିଛି ଏଇଥିପାଇଁ ଯେ, ମନୁଷ୍ୟକୁ ମନୁଷ୍ୟର ଦେହ ବୋଲି କୌଣସି ଦିନ ଭାବି ମୁଁ ଭୁଲ୍ କରି ନାହିଁ । ସେ ପରୀକ୍ଷା ମୋର ପିଲାଦିନରୁ ଅନେକ ବାର ହୋଇଯାଇଛି । ଅଥଚ ଏ ସବୁ କଥା ମୁହଁ ଫିଟାଇ ତାକୁ କହିବାର ଶକ୍ତି ମୋର ନାହିଁ କିମ୍ବା କହିବା ପାଇଁ ପ୍ରବୃତ୍ତି ମଧ୍ୟ ନଥିଲା ।

 

ଦୁଇଜଣ ଯାକ ଖାଇସାରି ଉଠିଲୁ । ରାଜଲକ୍ଷ୍ମୀ ମୋତେ ପାନ ଭାଙ୍ଗିଦେଇ ସାରି ବୋଧହୁଏ କିଛି ଖାଇବା ପାଇଁ ଗଲା । କିନ୍ତୁ ସେ ଘଣ୍ଟାକ ପରେ ଫେରିଆସି ସାଧୁଜୀଙ୍କୁ ଦେଖି ଯେପରି ଆକାଶରୁ ଖସିପଡ଼ିଲା ପରି ହେଲା ମୁଁ ମଧ୍ୟ ସେହିଭଳି ବିସ୍ମିତ ହୋଇଉଠିଲି । ଦେଖିଲୁ ଇତି ମଧ୍ୟରେ ସେ କେତେବେଳେ ଯାଇ ଜଣେ ଲୋକ ସଂଗ୍ରହ କରି ଆଣି ତା’ ମୁଣ୍ଡରେ ଔଷଧ ବାକ୍‌ସଟି ଲଦି ଯିବାପାଇଁ ପ୍ରସ୍ତୁତ ହୋଇ ଠିଆହୋଇ ରହିଛନ୍ତି ।

 

କାଲି ଏଇକଥା ହୋଇଥିଲୁ ସତ କିନ୍ତୁ ଆଜି ଏକବାରେ ସେ କଥା ଦୁହେଁ ଭୁଲି ଯାଇଥିଲୁ । କେବେ ମଧ୍ୟ ଭାବିନଥିଲି ଯେ ଏଇ ପ୍ରବାସରେ ରାଜଲକ୍ଷ୍ମୀ ଭଳି ଏତେ ଆଦର ଯତ୍ନ ଉପେକ୍ଷା କରି ସାଧୁଜୀ କୌଣସି ଅନିଶ୍ଚୟତା ପାଇଁ ଅନ୍ୟତ୍ର ଯିବାକୁ ଏପରି ଶୀଘ୍ର ନିଷ୍ପତ୍ତି ନେବେ ନାହିଁ ବୋଲି । ସ୍ନେହର ଶୃଙ୍ଖଳ ଏତେ ସହଜରେ କଟିବାର କଥା ନୁହେଁ । ରାଜଲକ୍ଷ୍ମୀର ନିଭୃତ ମନ କୋଣରେ ଏଇ ଆଶା ମଧ୍ୟ ଥିଲା । ସେଥିପାଇଁ ସେ ଭୟରେ ବ୍ୟାକୁଳ ହୋଇ କହିଉଠିଲା–ତୁମେ କ’ଣ ଯାଉଛ କି ଆନନ୍ଦ ?

 

ସାଧୁ କହିଲେ–ହଁ ନାନୀ, ଯାଉଛି । ବର୍ତ୍ତମାନ ନ ବାହାରିଲେ ପହଞ୍ଚିବାକୁ ବହୁତ ଡେରିହେବ ।

 

: ସେଠାରେ କେଉଁଠାରେ ଖାଇବ, କେଉଁଠାରେ ଶୋଇବ ? ସେଠାରେ ଆପଣାର ଲୋକ ବୋଲି କେହି ନାହାନ୍ତି ।

 

ଆଗେ ସେଠାରେ ଯାଇ ପହଞ୍ଚିସାରେ ।

 

: କେବେ ଫେରିବ ?

 

: ସେ କଥା ତ ବର୍ତ୍ତମାନ କହିହେବ ନାହିଁ । କାମର ଗୁରୁତ୍ୱ ଯଦି ବେଶୀ ନ ଥାଏ ତେବେ ଦିନକ ପରେ ହୁଏତ ଫେରିଆସିପାରେ ।

 

ରାଜଲକ୍ଷ୍ମୀ ମୁହଁଟି ପ୍ରଥମେ କିପରି ବିଷଣ୍ଣ ହୋଇଉଠିଲା । ତାପରେ ସେ ମୁଣ୍ଡକୁ ଝାଙ୍କି ରୁକ୍ଷ କଣ୍ଠରେ କହିଉଠିଲା–ଦିନେ ହୁଏତ ଫେରି ନ ଆସି ପାର ମଧ୍ୟ ? ନା ତାହା କୌଣସି ମତେ ହୋଇପାରିବ ନାହିଁ ।

 

କ’ଣ ହେବ ନାହିଁ ତାହା ସହଜରେ ବୁଝାପଡ଼ିଲା । ସେଥିପାଇଁ ସାଧୁଜୀ ପ୍ରତ୍ୟୁତ୍ତରରେ ଟିକିଏ ହସିଦେଇ କହିଲେ–ଯିବାର କାରଣ ତ ତମକୁ ଆଗରୁ କହି ଦେଇ ସାରିଛି, ନାନୀ ।

 

: କହିଦେଇ ସାରିଛି ! ଆଚ୍ଛା ତେବେ ଯାଅ । ଏତିକି କହି ରାଜଲକ୍ଷ୍ମୀ ଖୁବ୍‌ ଜୋରରେ କାନ୍ଦିଉଠି ଘର ଭିତରକୁ ଚାଲିଗଲା । କ୍ଷଣକାଳ ପାଇଁ ସାଧୁଜୀ ସ୍ତବ୍‌ଧ ହୋଇଗଲେ । ତାପରେ ମୋ ମୁହଁକୁ ଚାହିଁ ରହି ଲଜ୍ଜିତ ମୁହଁରେ କହିଲେ–ମୋର ଯିବା ନିହାତ ଦରକାର ।

 

ମୁଁ ମୁଣ୍ଡ ହଲାଇ କେବଳ ମାତ୍ର କହିଲି; ଜାଣେ । ଏହାଠାରୁ ଅଧିକ ଆଉ କିଛି କହିବାକୁ ନଥିଲା । କାରଣ ମୁଁ ଅନେକ ଅନୁଭୂତିରୁ ଜାଣିପାରିଛି ଯେ ସ୍ନେହର ଗଭୀରତା କୌଣସି ପ୍ରକାରରେ କାଳର ସ୍ୱଳ୍ପତା ଦ୍ୱାରା ହୋଇପାରେ ନାହିଁ । ଏବଂ ଏହି ବିଷୟଟା କେବଳ ବାକ୍ୟ ରଚନା ପାଇଁ କବିମାନେ ଯେ ନିରର୍ଥକ କଳ୍ପନା କରନ୍ତି ତାହା ନୁହେଁ ବରଂ ଏହା ସଂସାରରେ ଯଥାର୍ଥ ହିଁ ଘଟିଥାଏ । ତେଣୁ ଜଣକର ଯିବା ବିଷୟଟାର ଆବଶ୍ୟକତା ଯେତେଦୂର ସତ୍ୟ ସେହିପରି ଅପର କଣ୍ଠର ଆକୁଳ ନିଷେଧଟା ଠିକ୍‌ ସେତିକି ଦୂର ସତ୍ୟ କି ନାହିଁ ଏଥି ନିମିତ୍ତ ମୋ ମନରେ ବିନ୍ଦୁମାତ୍ର ସନ୍ଦେହ ଉଦୟ ହୋଇପାରିଲା ନାହିଁ । ମୁଁ ଅତ୍ୟନ୍ତ ସରଳ ଭାବରେ ବୁଝିପାରିଲି ଯେ, ଏଥିନିମିତ୍ତ ରାଜଲକ୍ଷ୍ମୀକୁ ବହୁତ କଷ୍ଟ ଭୋଗ କରିବାକୁ ପଡ଼ିବ ।

 

ସାଧୁଜୀ କହିଲେ ମୁଁ ଚାଲିଲି । ସେଆଡ଼େ ଯଦି ମୋର କାର୍ଯ୍ୟ ଶେଷ ହୋଇଯାଏ ତ ଆସିପାରେ । କିନ୍ତୁ ବର୍ତ୍ତମାନ ଏକଥା ଜଣାଇବାର କୌଣସି ଆବଶ୍ୟକତା ନାହିଁ ।

 

ମୁଁ ସ୍ୱୀକାର କରି କହିଲି–ହଁ, ତାହାହିଁ ହେବ ।

 

ସାଧୁଜୀ କ’ଣ ଯେପରି କିଛି କହିବାକୁ ଯାଇ ଘରଆଡ଼କୁ ଚାହିଁ ହଠାତ୍‌ ଗୋଟିଏ ଦୀର୍ଘନିଃଶ୍ୱାସ ଛାଡ଼ି ସାମାନ୍ୟ ହସିଲେ । ତାପରେ ଧୀରେ ଧୀରେ କହିଲେ–ଆଶ୍ଚର୍ଯ୍ୟ ଦେଶ ଏଇ ବଙ୍ଗଳା ଦେଶଟା । ଏହାର ରାସ୍ତାଘାଟରେ ମାଆ–ଭଉଣୀ । ଏମାନଙ୍କୁ ଏଡ଼ାଇଦେଇ ଚାଲିଯିବ ଏପରି ସାଧ୍ୟ କାହାର ଅଛି ? ଏହା କହି ସେ ଧୀରେ ଧୀରେ ଚାଲିଯିବାକୁ ଲାଗିଲେ ।

 

କଥାଟା ଶୁଣି ମୁଁ ମଧ୍ୟ ଗୋଟାଏ ଦୀର୍ଘନିଃଶ୍ୱାସ ତ୍ୟାଗ କଲି । ମନେହେଲା ପ୍ରକୃତରେ ତାହାହିଁ ସତ । ଦେଶର ସମସ୍ତ ମାଆ–ଭଉଣୀଙ୍କ ବେଦନା ଯାହାକୁ ଘରଭିତରୁ ଟାଣିଆଣି ପାରିଛି ତାକୁ ଗୋଟିଏ ଭଉଣୀର ସ୍ନେହ, ଦହିର ସର, କିମ୍ବା ରୋହିମାଛର ମୁଣ୍ଡ ବାନ୍ଧି ଧରି ରଖିବ ଅବା କିପରି ?

 

ସାଧୁଜୀ ତ ସ୍ୱଚ୍ଛନ୍ଦରେ ଚାଲିଗଲେ । ତାଙ୍କ ବିଚ୍ଛେଦଜନିତ ବିରହ ବ୍ୟଥାଟା ରତନକୁ କିପରି ବାଧିଲା ଅବଶ୍ୟ ପଚାରିପାରି ନାହିଁ । ସମ୍ଭବତଃ ସେପରି କିଛି ବିଶେଷ ବାଧିନଥିବ । ଜଣକୁ କାନ୍ଦି କାନ୍ଦି ଘରଭିତରକୁ ପଶିଯିବାର ଦେଖିଲି, ଆଉ ବାକି ରହିଲି ମୁଁ । ଲୋକଟି ସହିତ ଯଦିଓ ଚବିଶ ଘଣ୍ଟା ଧରି ସମ୍ପର୍କ ହୋଇପାରି ନାହିଁ ତଥାପି ମୋର କିପରି ମନେହେଲା, ଆମର ଏହି ଅନାରମ୍ଭ ସଂସାର ମଝିରେ ସେ ଯେପରି ମସ୍ତବଡ଼ ଗୋଟାଏ କଥା କରିଦେଇଗଲେ । ଏହି ଅନିଷ୍ଟ ହିଁ ଆପଣା ଛାଏଁ ଘୁଞ୍ଚିଯାଇପାରେ ନଚେତ୍‌ ଦିନେ ସେ ଅକସ୍ମାତ ହୁଏତ ଆପଣାର ଔଷଧ ବାକ୍‌ସ ଧରି ପୁଣି ମରାମତି କରିବା ପାଇଁ ଆସି ପହଞ୍ଚି ପାରନ୍ତି । ସେଥିପାଇଁ ବୋଧହୁଏ ବିଦାୟ କାଳରେ ରାଜଲକ୍ଷ୍ମୀକୁ କିଛି କହିକରି ଗଲେ ନାହିଁ । ଅଥଚ ମୋର ଯେ ଅଧିକ ଉଦ୍‌ବେଗ ଥିଲା ତାହା ମଧ୍ୟ ନୁହେଁ । ନାନା କାରଣରୁ ଏବଂ ବିଶେଷ କରି କିଛିଦିନ ଧରି ଜ୍ୱର ଭୋଗି ଦେହ ଓ ମନରେ ଏପରି ଗୋଟାଏ ନିସ୍ତେଜ ଭାବ ଆସିଯାଇଥିଲା ଯେ, ଏକମାତ୍ର ରାଜଲକ୍ଷ୍ମୀ ହାତରେ ସର୍ବତୋ ଭାବରେ ନିଜକୁ ଆତ୍ମସମର୍ପଣ କରି ସଂସାରର ଯାବତୀୟ ଭଲମନ୍ଦର ଦାୟିତ୍ୱରୁ ଅବ୍ୟାହତି ନେଇଥିଲି । ସୁତରାଂ କୌଣସି ପାଇଁ ସ୍ୱତନ୍ତ୍ର ଭାବରେ ଚିନ୍ତା କରିବାର ଆବଶ୍ୟକତା ନଥିଲା ଏବଂ ମୋର ଶକ୍ତି ମଧ୍ୟ ନଥିଲା । ତଥାପି ମନୁଷ୍ୟ ମନର ଚଞ୍ଚଳତାର ଯେପରି ବିରାମ ନ ଥାଏ । ବାହାର ଘରେ ଗୋଟାଏ ତକିଆରେ ଏକାକୀ ଆଉଜି ବସିଥାଏ । କେତେଆଡ଼ୁ କେତେ ଚିନ୍ତା ଆସି ପହଞ୍ଚୁଥାନ୍ତି ତା’ର ସଂଖ୍ୟା ନ ଥାଏ, ସମ୍ମୁଖର ପ୍ରାଙ୍ଗଣ ତଳେ ଆଲୋକର ଦୀପ୍ତି ଧୀରେ ଧୀରେ ମ୍ଳାନ ହୋଇ ଆସି ଆସନ୍ନ ରାତିର ଇଙ୍ଗିତ ଦ୍ୱାରା ଅନ୍ୟମନସ୍କ ମନଟାରେ ମଝିରେ ମଝିରେ ଗୋଟାଏ ଗୋଟାଏ ଚମକ ସୃଷ୍ଟିକରି ଯାଉଥାଏ । ମନେହେଉଥାଏ ଏ ଜୀବନରେ ଯେତେ ରାତି ଆସିଛି ଏବଂ ଯାଇଛି ତାହା ସହିତ ଏଇ ଅନାଗତ ରାତିର ଅପରିଜ୍ଞାତ ମୂର୍ତ୍ତି ଯେପରି କୌଣସି ଅଦୃଷ୍ଟପୂର୍ବ ନାରୀର ଅବଗୁଣ୍ଠିତା ମୁହଁପରି ରହସ୍ୟମୟ । ଅଥଚ, ଏଇ ଅପରିଚିତାର କିପରି ପ୍ରକୃତି, କିପରି ପ୍ରଥା କିଛି ହିଁ ନ ଜାଣି ଏକବାରେ ଏହାର ଶେଷ ପର୍ଯ୍ୟନ୍ତ ପହଞ୍ଚିବାକୁ ହେବ ଏବଂ ମଝିବାଟରେ ଏହାର କୌଣସି ବିଚାର ମଧ୍ୟ ହୋଇପାରିବ ନାହିଁ । ପୁଣି ପରକ୍ଷଣରେ ଯେପରି ଅକ୍ଷମ ଚିନ୍ତାର ସମସ୍ତ ଶୃଙ୍ଖଳ ଭାଙ୍ଗିଯାଇ ବିପର୍ଯ୍ୟସ୍ତ ହୋଇଯାଉଛି । ଏପରି ଯେତେବେଳେ ମନର ଅବସ୍ଥା ସେତେବେଳେ ପାଖ କବାଟଟା ଖୋଲି ରାଜଲକ୍ଷ୍ମୀ ପ୍ରବେଶ କଲା । ତା’ର ଆଖିଦୁଇଟା ସାମାନ୍ୟ ରକ୍ତବର୍ଣ୍ଣ ଏବଂ ଯେପରି ଫୁଲା ଫୁଲା, ଧୀରେ ଧୀରେ ଆସି ମୋପାଖରେ ବସିପଡ଼ି କହିଲା–ମୁଁ ଟିକେ ଶୋଇପଡ଼ିଥିଲି ।

 

କହିଲି–ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଯେଉଁ ଭାବରେ ତୁମେ କ୍ଳାନ୍ତି ବଢ଼ାଇ ଚାଲିଛ ଆଉ କେହିହେଲେ ତ ଭାଙ୍ଗିପଡ଼ନ୍ତା । ଆଉ ମୁଁ ହୋଇଥିଲେ ଦିନରାତି ଚବିଶି ଘଣ୍ଟା ଆଖି ଖୋଲିପାରନ୍ତି ନାହିଁ । କୁମ୍ଭକର୍ଣ୍ଣ ଭଳି ଶୋଇ ରହିଥାନ୍ତି ।

 

ରାଜଲକ୍ଷ୍ମୀ ହସିଦେଇ କହିଲା–କିନ୍ତୁ କୁମ୍ଭକର୍ଣ୍ଣର ମ୍ୟାଲେରିଆ ରୋଗ ନଥିଲା । ଯାହାହେଉ ତୁମେ ତ ଦିନବେଳେ ଶୋଇନାହଁ ?

 

କହିଲି–ନା, ବର୍ତ୍ତମାନ ନିଦମାଡ଼ୁଛି । ହୁଏତ ଟିକିଏ ଶୋଇପଡ଼ିବି । କାରଣ କୁମ୍ଭକର୍ଣ୍ଣର ଯେ ମ୍ୟାଲେରିଆ ନଥିଲା ଏପରି କଥା ମଧ୍ୟ ବାଲ୍ମୀକି ମୁନି କେଉଁଠାରେ ତ ଲେଖିନାହାନ୍ତି ।

 

ସେ ବ୍ୟସ୍ତହୋଇ କହିଲା–ଏ ଅବେଳାଟାରେ ଶୋଇବ ? ରକ୍ଷାକର ତୁମେ ! ଜର କ’ଣ ଆଉ କେଉଁଠାରେ ରହିବାକୁ ଯାଗା ପାଇପାରିବ ? ସେ କଥା ହୋଇପାରିବ ନାହିଁ ବାବୁ । ଆଚ୍ଛା, ଯିବା ସମୟରେ ଆନନ୍ଦ କ’ଣ ଆଉ କିଛି ତୁମକୁ କହିଯାଇଛି କି ?

 

ମୁଁ ପ୍ରଶ୍ନକଲି–କିଭଳି କଥା ତୁମେ ଆଶା କରୁଥିବ ?

 

ରାଜଲକ୍ଷ୍ମୀ କହିଲା–ଏଇ ଯେପରି, କେଉଁଠାକୁ କେଉଁଠାକୁ ଯିବ ? କିମ୍ବା....

 

ଏଇ କିମ୍ବାଟା ତ ଅସଲ ପ୍ରଶ୍ନ, କହିଲି–କେଉଁଠାକୁ କେଉଁଠାକୁ ଯିବ, ତାହାର ଆଭାସ ଦେଇଯାଇଛି । କିନ୍ତୁ ଏଇ କିମ୍ବାଟା ବିଷୟରେ କିଛି କହିଯାଇ ନାହିଁ । ମୁଁ ତା’ର ଫେରିଆସିବାର କୌଣସି ସମ୍ଭାବନା ଦେଖିପାରୁ ନାହିଁ ।

 

ରାଜଲକ୍ଷ୍ମୀ ଚୁପ୍ ହୋଇ ରହିଲା । କିନ୍ତୁ ମୁଁ କୌତୂହଳ ସଂବରଣ କରିପାରିଲି ନାହିଁ । ପଚାରିଲି–ଆଚ୍ଛା ଏ ଲୋକଟିକୁ କ’ଣ ତୁମେ ଆଗରୁ ଚିହ୍ନିଥିଲ ? ମୋତେ ଯେପରି ଆଗରୁ ଚିହ୍ନିପାରିଥିଲ ।

 

ସେ ମୋ ମୁହଁକୁ କ୍ଷଣକାଳ ଚାହିଁରହି କହିଲା–ନା,

 

କହିଲି–ସତ କରି କୁହ । କେଉଁଠାରେ କେବେ କ’ଣ ତାକୁ ଦେଖିନାହଁ ?

 

ଏଥର ରାଜଲକ୍ଷ୍ମୀ ହସ ହସ ମୁହଁରେ କହିଲା–ତୁମ ନିକଟରେ ମୁଁ ସତ୍ୟ କରିପାରିବି ନାହିଁ । ଅନେକ ସମୟରେ ମୋର ବଡ଼ ଭୁଲ୍ ହେଉଛି । ବେଳେବେଳେ ମୋର ମନେହୁଏ ଅପରିଚିତ ଲୋକକୁ ମୁଁ ହୁଏତ ଏବଂ ତା’ ମୁହଁ ମୋର ଅତି ଚିହ୍ନା ଚିହ୍ନା । କେବଳ କେଉଁଠାରେ ଦେଖିଛି ସେତକ ମନେପଡ଼େ ନାହିଁ । ସେପରି ଆନନ୍ଦକୁ ହୁଏତ କେଉଁଠାରେ ଦେଖିଥାଇପାରେ ।

 

କିଛିକ୍ଷଣ ନୀରବରେ ବସିରହି ଆସ୍ତେ ଆସ୍ତେ କହିଲା–ଆଜି ଆନନ୍ଦ ଚାଲିଗଲା ସତ । ଆଉ ଯଦି ସେ କେବେ ପୁଣି ଫେରିଆସେ ତ ତାକୁ ତା’ର ବାପ ମାଆଙ୍କ ପାଖରେ ନେଇ ଫେରାଇ ଦେଇପାରିବି ଏ ବିଷୟ ମୁଁ ତୁମକୁ ଦୃଢ଼ ଭାବରେ କହୁଛି ।

 

ମୁଁ କହିଲି–ସେଥିପାଇଁ ତୁମର ଏତେ ଗରଜ କାହିଁକି ?

 

ସେ କହିଲା–ପିଲାଟା ଏପରି ଭାସିଯିବ ଏକଥା ଭାବିଲାକ୍ଷଣି ମୋ ଛାତିରେ କିଏ ଯେପରି ଶୂଳ ବିନ୍ଧି ଦେଉଛି । ଆଚ୍ଛା ତୁମେ ତ ନିଜେ ସଂସାର ଛାଡ଼ିଥିଲ । ସନ୍ନ୍ୟାସୀ ହେବା ଭିତରେ ସତରେ କ’ଣ ଆନନ୍ଦ ବୋଲି କିଛି ଅଛି ?

 

କହିଲି–ମୁଁ ପ୍ରକୃତରେ ସନ୍ନ୍ୟାସୀ ହୋଇନଥିଲି । ତେଣୁ ଏହାଭିତରେ ଥିବା ଖବର ତୁମକୁ ଦେଇପାରୁ ନାହିଁ । କୌଣସି ଦିନ ଯଦି ଆନନ୍ଦ ଫେରିଆସେ ତେବେ ତାକୁ ଏ ବିଷୟ ପଚାରିବ ।

 

ରାଜଲକ୍ଷ୍ମୀ ପ୍ରଶ୍ନକଲା–ଆଚ୍ଛା ଘରେ ରହି କ’ଣ ଧର୍ମଲାଭ କରିହୁଏ ନାହିଁ ? ସଂସାର ନ ଛାଡ଼ିଲେ କ’ଣ ଭଗବାନଙ୍କୁ ପାଇହେବ ନାହିଁ ?

 

ପ୍ରଶ୍ନ ଶୁଣି ମୁଁ ହାତଯୋଡ଼ି କହିଲି–ଏଥିରୁ କେଉଁଟା ପାଇଁ ସୁଦ୍ଧା ମୁଁ ପାଗଳ ନୁହେଁ ଲକ୍ଷ୍ମୀ-। ଏଭଳି ଦୁରୂହ ପ୍ରଶ୍ନ ତୁମେ ମୋତେ ପଚାର ନାହିଁ । ପୁଣି ହୁଏତ ମୋତେ ଜର ଆସିପାରେ-

 

ରାଜଲକ୍ଷ୍ମୀ ହସିଲା । ତା’ପରେ କରୁଣ କଣ୍ଠରେ କହିଲା–ମନେହୁଏ ସଂସାରରେ ଆନନ୍ଦର ସବୁକିଛି ଅଛି । ତଥାପି ସେ ଧର୍ମ ଅର୍ଜନ କରିବା ପାଇଁ ଏ ବୟସରେ ଘର ଛାଡ଼ିଦେଇ ଚାଲିଆସିଛି । କିନ୍ତୁ ତୁମେ ତ ତାହା କରିପାରି ନାହଁ ?

 

କହିଲି–ନା, ଏବଂ ଭବିଷ୍ୟତରେ ମଧ୍ୟ କରିପାରିଲା ପରି ମନେହେଉ ନାହିଁ ।

 

ରାଜଲକ୍ଷ୍ମୀ କହିଲା–କାହିଁକି ମନେହୁଏ ନାହିଁ ?

 

କହିଲି–ତା’ର ପ୍ରଧାନ କାରଣ ଯାହାକୁ ଛାଡ଼ିବାକୁ ହେବ ସେଇ ସଂସାରଟା ଯେ ମୋର କେଉଁଠାରେ ଏବଂ କି ପ୍ରକାରର ତାହା ମୋତେ ଜଣା ନାହିଁ ଏବଂ ଯାହାଙ୍କ ପାଇଁ ଛାଡ଼ିବାକୁ ହେବ ସେହି ପରମାତ୍ମାଙ୍କ ପ୍ରତି ମଧ୍ୟ ମୋର ଲେଶ ମାତ୍ର ଆସକ୍ତି ନାହିଁ । ଏତେଦିନ ତାଙ୍କର ଅଭାବରେ କଟିଗଲାଣି ଏବଂ ବାକି କେତେଟା ଦିନ ଅଚଳ ହୋଇ ରହିଯିବ ନାହିଁ ଏ ବିଶ୍ୱାସ ମୋର ଅଛି ପକ୍ଷରେ ତୁମର ଏଇ ଆନନ୍ଦ ଭାଇଟି ଗେରୁଆ ପିନ୍ଧିବା ଅର୍ଥ ସେ ଯେ ଈଶ୍ୱର ପ୍ରାପ୍ତି ପାଇଁ ବାହାରିପଡ଼ିଛି, ଏଭଳି ବିଶ୍ୱାସ ମୋର ନାହିଁ । ତା’ର କାରଣ ମୁଁ ମଧ୍ୟ ଥରେ ଦୁଇଥର ସାଧୁସଙ୍ଗ କରିଛି । ସେମାନଙ୍କ ଭିତରୁ କେହି ଆଜିସୁଦ୍ଧା ଔଷଧ ବାକ୍‌ସ କାନ୍ଧରେ ବୋହି ବୁଲିବାଟାକୁ ଈଶ୍ୱର ପ୍ରାପ୍ତିର ଉପାୟ ବୋଲି ନିର୍ଦ୍ଦେଶ କରି ଯାଇନାହାନ୍ତି । ତା’ଛଡ଼ା ତା’ର ଖାଇବା ପିଇବା ବ୍ୟାପାରଟା ତ ଆଖିରେ ଦେଖିଲ ।

 

ରାଜଲକ୍ଷ୍ମୀ ମୁହୂର୍ତ୍ତକ ପାଇଁ ମୌନ ରହି କହିଲା–ତେବେ ସେ କ’ଣ ମିଛ ମିଛଟାରେ ଘରଦ୍ୱାର ଛାଡ଼ି ଏପରି କଷ୍ଟ କରିବାକୁ ବାହାରିପଡ଼ିଛି ? ସମସ୍ତଙ୍କୁ କ’ଣ ତୁମରି ଭଳି ମନେକର ?

 

କହିଲି–ନା, ବିରାଟ ପ୍ରଭେଦ ଅଛି । ସେ ଭଗବାନଙ୍କ ସନ୍ଧାନରେ ବାହାର ନ ହୋଇଥିଲେ ମଧ୍ୟ ଯାହା ପାଇଁ ସେ ବାହାରିପଡ଼ିଛି ସେ ତା’ର ଅତି ନିକଟରେ ଅର୍ଥାତ୍‌ ତା’ର ଦେଶ-। ସେଥିପାଇଁ ତା’ର ଘରଦୁଆର ଛାଡ଼ି ଆସିବାଟା ଠିକ୍‌ ସଂସାର ଛାଡ଼ି ଆସିବା ନୁହେଁ-। ସାଧୁଜୀ କେବଳ ଗୋଟିଏ କ୍ଷୁଦ୍ର ସଂସାର ଛାଡ଼ି ବଡ଼ ସଂସାର ଭିତରେ ପ୍ରବେଶ କରିଛନ୍ତି ମାତ୍ର-

 

ରାଜଲକ୍ଷ୍ମୀ ମୋ ମୁହଁକୁ ଚାହିଁ ରହିଲା । ବୋଧହୁଏ ଠିକ୍‌ ବୁଝିପାରିଲା ନାହିଁ । ତାପରେ ପଚାରିଲା–ଯିବା ସମୟରେ ତୁମକୁ କ’ଣ କିଛି କହି କରି ଗଲା ?

 

ମୁଁ ମୁଣ୍ଡହଲାଇ କହିଲି ନା, ସେମିତି କିଛି ନୁହେଁ ।

 

କାହିଁକି ଯେ ଟିକିଏ ସତ୍ୟ ଗୋପନ କରି ରଖିଲି ତାହା ନିଜେ ମଧ୍ୟ ଜାଣିପାରିଲି ନାହିଁ । କିନ୍ତୁ ସାଧୁଜୀଙ୍କର ଶେଷ କଥାଟା ସେଇପରି ଏବେ ମଧ୍ୟ ମୋ କାନରେ ବାଜିବାକୁ ଲାଗିଥାଏ । ଯିବା ସମୟରେ ସେଇ ଯେଉଁ ଗୋଟାଏ ନିଃଶ୍ୱାସ ଛାଡ଼ି କହିଗଲେ–ବିଚିତ୍ର ଦେଶ ଏଇ ବଙ୍ଗଳା ଦେଶଟା । ଏହାର ବାଟଘାଟରେ ମାଆ–ଭଉଣୀ । କାହାର ସାଧ୍ୟ ଅଛି ଏମାନଙ୍କୁ ଏଡ଼ିଦେଇ ଚାଲି ଯାଇପାରିବ ?

 

ମ୍ଳାନ ମୁଖରେ ରାଜଲକ୍ଷ୍ମୀ ନୀରବରେ ବସି ରହିଲା । ମୋ ମନରେ ମଧ୍ୟ ଅନେକ ଦିନରୁ ଭୁଲିଯାଇଥିବା ଘଟଣା ଧୀରେ ଧୀରେ ଉଙ୍କିମାରିବାକୁ ଲାଗିଲା । ମନେମନେ କହିବାକୁ ଲାଗିଲି–ଅବଶ୍ୟ ସତ କଥା । ସାଧୁଜୀ ତୁମେ ଯିଏ ହୁଅନା କାହିଁକି, ଏଇ ଅଳ୍ପ ବୟସରେ ତୁମେ ଆମର ଏଇ କାଙ୍ଗାଳ ଦେଶଟାକୁ ଭଲ କରି ଦେଖିପାରିଛ, ନଚେତ୍‌ ଏହାର ଯର୍ଥାଥ ଉତ୍ତର ଏପରି ପଦେ କଥାରେ କଦାପି ଦେଇପାରିନଥାନ୍ତି । ଜାଣେ, ଅନେକ ଦିନର ଅନେକ ତ୍ରୁଟି ଅନେକ ବିଚ୍ୟୁତି ଆମ ମାତୃଭୂମିର ସର୍ବାଙ୍ଗ ବ୍ୟାପୀ ପଙ୍କ ଲେପନ କରିଦେଇଛି, ତଥାପି ଏ ସତ୍ୟ ଜାଣିବାକୁ ଯାହାକୁ ସୁଯୋଗ ମିଳିପାରିଛି–ସେ–ହିଁ କେବଳ ଜାଣିପାରେ ଏହା କେତେଦୂର ସତ୍ୟ ।

 

ଏପରି ଭାବରେ ଦଶ ପନ୍ଦର ମିନିଟ୍‌ ନୀରବରେ କଟିଯିବା ପରେ ରାଜଲକ୍ଷ୍ମୀ ମୁହଁଟେକି କହିଲା ଏହି ଉଦ୍ଦେଶ୍ୟ ହିଁ ଯଦି ତା’ ମନରେ ଥାଏ, ତେବେ ଦିନେ ନା ଦିନେ ତାକୁ ଘରକୁ ଫେରିଆସିବାକୁ ହେବ ଏ କଥା ତୁମକୁ କହି ରଖୁଛି । ଏ ଦେଶର ପରର ଭଲ କରିବାକୁ ଗଲେ ଯେ କିଭଳି ଦୁର୍ଗତି ହୁଏ ତାହା ବୋଧହୁଏ ବର୍ତ୍ତମାନ ସୁଦ୍ଧା ସେ ଜାଣିପାରିନାହିଁ । ଏହାର ସ୍ୱାଦ କେତେକାଂଶରେ ମୁଁ ଜାଣିଛି । ମୋ ପରି ଯେତେବେଳେ ଦିନେ ସଂଶୟରେ, ବାଧାରେ ଏବଂ କଟୁ କଥାରେ ସାରା ମନ ତିକ୍ତ ହୋଇଉଠିବ ସେତେବେଳେ ସେ ପଳାଇ ଆସିବାକୁ ବାଟ ଖୋଜି ପାଇବ ନାହିଁ ।

 

ମୁଁ ଉତ୍ତର ଦେଇ କହିଲି–ଅସମ୍ଭବ ନୁହେଁ । କିନ୍ତୁ ମୋର କିମିତି ମନେହୁଏ ଏସବୁ ଦୁଃଖର କଥା ସେ ଯେପରି ଭଲଭାବରେ ଜାଣେ ।

 

ରାଜଲକ୍ଷ୍ମୀ ବାରମ୍ବାର ମୁଣ୍ଡ ହଲାଇ କହିବାକୁ ଲାଗିଲା–କଦାପି ନୁହେଁ–କଦାପି ନୁହେଁ । ଏ କଥା ଜାଣିଥିଲେ ଏ ପଥରେ କେହି ଯିବେ ନାହିଁ, ସେ କଥା ମୁଁ କହି ରଖୁଛି ।

 

ଏ କଥାର ଆଉ ଜବାବ ନଥିଲା । ବଙ୍କୁ ମୁହଁରୁ ଶୁଣିଥିଲି ଦିନେ ତାହାର ଅନେକ ସାଧୁ ସଂକଳ୍ପ, ଅନେକ ପୁଣ୍ୟ କର୍ମ ପାଇଁ ସେ ତା’ର ଶଶୁର ଘର ଗାଆଁରେ ଅତ୍ୟନ୍ତ ଅପମାନିତ ହୋଇଥିଲା । ସେହି ନିଷ୍କାମ ପରୋପକାରର ବ୍ୟଥାଟା ଅନେକ ଦିନ ଏହା ମନରେ ଲାଗି ରହିଥିଲା । ଯଦିଚ ଆଉ ଗୋଟାଏ ଦିଗ ଦେଖିବାର ଥିଲା, କିନ୍ତୁ ସେହି ଅବଲୁପ୍ତ ବେଦନାର ସ୍ଥାନଟା ଚିହ୍ନିତ କରିବା ପାଇଁ ଆଉ ପ୍ରବୃତ୍ତି ହେଲା ନାହିଁ । ସେଥିପାଇଁ ଚୁପ୍‌ ହୋଇ ବସି ରହିଲି । ଅଥଚ ରାଜଲକ୍ଷ୍ମୀ ଯାହା କହିଥିଲା ତାହା ଆଦୌ ମିଥ୍ୟା ନୁହେଁ । ମନେମନେ ଭାବିବାକୁ ଲାଗିଲି ଏପରି କାହିଁକି ହୁଏ ? କାହିଁକି ଜଣଙ୍କର ଏପରି ଶୁଭ ଚେଷ୍ଟାକୁ ଅନ୍ୟ ଜଣେ ସନ୍ଦେହ ଚକ୍ଷୁରେ ଦେଖିଥାଏ ? କାହିଁକି ଏ ବସୁକୁ ବିଫଳ କରିଦେଇ ମନୁଷ୍ୟ ସଂସାରର ଦୁଃଖ ଭାରକୁ ଲାଘବ କରିଦିଏ ନାହିଁ ? ମନେହେଲା ଯଦି ସାଧୁଜୀ ବର୍ତ୍ତମାନ ଥାନ୍ତେ କିମ୍ବା ଯଦି ଥରକ ପାଇଁ ଫେରିଆସନ୍ତେ ତେବେ ଏଇ ଜଟିଳ ସମସ୍ୟାର ସମାଧାନ ଭାର ତାଙ୍କୁ ହିଁ ଦେଇଦିଅନ୍ତି ।

 

ସେଦିନ ସକାଳରୁ ନିକଟରୁ କେଉଁଠାରୁ ମଝିରେ ମଝିରେ ସାହାନାଇର ଶବ୍ଦ ଶୁଣିବାକୁ ମିଳୁଥିଲା । ଏହି ସମୟରେ କେତେ ଲୋକ ରତନକୁ ଆଗୁଆ କରି ଅଗଣା ମଝିରେ ଆସି ଠିଆହେଲେ । ରତନ ଆଗକୁ ଆସି କହିଲା–ମାଆ ତୁମକୁ ଏମାନେ ରାଜ ବରଣ କରିବାକୁ ଆସିଛନ୍ତି–ଆସୁନ–ଆସି ଦେଇଯାଅ । ଏହା କହି ଜଣେ ପ୍ରୌଢ଼ ବୟସର ଲୋକକୁ ଇଙ୍ଗିତ ଦେଲା-। ଲୋକଟିର ପରିଧାନ ହରିଦ୍ରାରଙ୍ଗର ଖଣ୍ଡିଏ ଲୁଗା ଏବଂ ବେକରେ କେରାଏ କାଠର ନୂଆ ମାଳୀ-। ଅତ୍ୟନ୍ତ ସଂକୁଚିତ ହୋଇ ସେ ଅଗ୍ରସର ହୋଇ ଆସି ବାରଣ୍ଡା ତଳେ ଶାଳପତ୍ରରେ ଗୋଟିଏ ଟଙ୍କା ଏବଂ ଗୋଟିଏ ଗୁଆ ରଖି ରାଜଲକ୍ଷ୍ମୀ ଉଦ୍ଦେଶ୍ୟରେ ମାଟିରେ ମୁଣ୍ଡ ନୁଆଁଇ ପ୍ରଣାମ କଲା ଏବଂ କହିଲା–ମାଆ, ଆଜି ମୋ ଝିଅର ବାହାଘର ।

 

ରାଜଲକ୍ଷ୍ମୀ ଉଠିଆସି ସେ ସବୁ ଗ୍ରହଣ କଲା ଏବଂ ପୁଲକିତ ଚିତ୍ତରେ କହିଲା–ଝିଅ ବାହାଘରେ ବୋଧହୁଏ ଏୟା ସବୁ ଦିଆହୁଏ ?

 

ରତନ କହିଲା–ନା, ମାଆ, ତାହା ନୁହେଁ । ଯାହାର ଯେପରି ସାଧ୍ୟ ସେ ସେପରି ଜମିଦାରଙ୍କୁ ଦେଇଥାଏ । ଏ ହେଉଛି ଛୋଟ ଜାତି ଡମ । ଏହାଠାରୁ ଅଧିକ ସେ ଅବା କେଉଁଠାରୁ ପାଇବ କହନ୍ତୁ ତ; ସେଥିପାଇଁ ଏତେ କଷ୍ଟ କରି...

 

କିନ୍ତୁ ନିବେଦନ ସମାପ୍ତ ହେବା ପୂର୍ବରୁ ଟଙ୍କାଟା ଡମର ବୋଲି ଶୁଣି ରାଜଲକ୍ଷ୍ମୀ ସଙ୍ଗେ ସଙ୍ଗେ ରଖିଦେଇ କହିଲା–ତେବେ ଥାଉ ଥାଉ, ଏହାକୁ ଆଉ ଦେବାକୁ ହେବ ନାହିଁ, ତୁମେ ସେଇମିତି ଝିଅର ବାହାଘର ଦେଇଦିଅ–

 

ଏହି ପ୍ରତ୍ୟାଖ୍ୟାନ ହେତୁ କନ୍ୟାର ପିତା ଏବଂ ତତୋଽଧ‌ିକ ରତନ ନିଜେ ବିପଦଗ୍ରସ୍ତ ହୋଇଉଠିଲେ । ସେ ନାନାପ୍ରକାରେ ବୁଝାଇବାକୁ ଲାଗିଲେ ଯେ ଏଇ ରାଜବରଣର ସମ୍ମାନଟା ନ ରଖିଲେ ଆଦୌ ଚଳିବ ନାହିଁ । ରାଜଲକ୍ଷ୍ମୀ ଯେ କାହିଁକି ଗୁଆ ଏବଂ ଟଙ୍କାଟା ନେବାକୁ ଚାହେଁ ନାହିଁ ଘରଭିତରେ ରହି ମୁଁ ବେଶ୍ ବୁଝିପାରିଥିଲି ଏବଂ ରତନ ଯେ କାହିଁକି ସନିର୍ବନ୍ଧ ଅନୁରୋଧ କରୁଥାଏ ତାହା ମଧ୍ୟ ମୋତେ ଅବିଦିତ ନଥିଲା । ଖୁବ୍ ସମ୍ଭବତଃ ଦେୟ ଟଙ୍କାଟା ଆହୁରି ଅଧିକ ଏବଂ ଗୁମାସ୍ତା କୁଶାରୀ ମହାଶୟ ହାତରୁ ନିସ୍ତାର ପାଇବା ପାଇଁ ଏମାନେ ଏପରି କୌଶଳ କରିଛନ୍ତି । ସେଥିପାଇଁ ରତନକୁ ‘‘ହଜୁର’’ ଇତ୍ୟାଦି ସମ୍ଭାଷଣ ପରିବର୍ତ୍ତରେ ସେ, ସେମାନଙ୍କର ମୁଖପାତ୍ର ହୋଇ ଅର୍ଜି ପେଶ୍‌ କରିବାକୁ ଆସିଛି । ରତନ ଯେ ଯଥେଷ୍ଟ ଆଶ୍ୱାସନା ଦେଇ ଆଣିଛି ଏଥିରେ ସନ୍ଦେହ ନାହିଁ । ତାହାର ଏହି ସଂକଟକୁ ଅବଶେଷରେ ମୁଁ ମୋଚନ କଲି । ଉଠିଆସି ଟଙ୍କାଟା ଉଠାଇ ଧରି କହିଲି–ମୁଁ ଗ୍ରହଣ କଲି । ତୁମେ ଘରକୁ ଫେରିଯାଇ ବାହାଘରର ଯୋଗାଡ଼ରେ ଲାଗିପଡ଼ ।

 

ରତନ ମୁହଁ ଗର୍ବରେ ଉଜୁଳିଉଠିଲା ଏବଂ ରାଜଲକ୍ଷ୍ମୀ ଅସ୍ପର୍ଶ୍ୟଠାରୁ ପ୍ରତିଗ୍ରହଣ ଦାୟରୁ ମୁକ୍ତି ପାଇଁ ନିଃଶ୍ୱାସ ମାରିଲା । ଖୁସିହୋଇ କହିଲା–ଏ ଭଲ ହେଲା । ଯାହାର ସମ୍ମାନ ପାଇବାର କଥା ସେ ନିଜ ହାତରେ ଆସି ଗ୍ରହଣ କଲେ । ଏହା କହି ସେ ଟିକିଏ ହସିଦେଲା ।

 

ମଧୁଡ଼ମ୍ବ କୃତଜ୍ଞତାରେ ଜୁଡ଼ୁସୁଡ଼ୁ ହୋଇ ହାତଯୋଡ଼ି କହିଲା–ହଜୁର, ପହରକ ଭିତରେ ଲଗନ । ଥରକ ପାଇଁ ଯଦି ପାଦଧୂଳି ଟିକିଏ ପଡ଼ନ୍ତା.....ଏତିକି କହି ସେ ଥରକ ପାଇଁ ମୋତେ ଏବଂ ଥରକପାଇଁ ରାଜଲକ୍ଷ୍ମୀ ମୁହଁକୁ କରୁଣ ଦୃଷ୍ଟିରେ ଚାହିଁ ରହିଲା ।

 

ମୁଁ ରାଜିହେଲି, ରାଜଲକ୍ଷ୍ମୀ ନିଜେ ମଧ୍ୟ ସାମାନ୍ୟ ହସିଦେଇ ସାହାନାଇର ଶବ୍ଦଟାକୁ ଅନ୍ଦାଜି କରି କହିଲା–ଏଇଟା ବୋଧହୁଏ ତୋ ଘରରୁ ଆସୁଛି ମଧୁ ? ଆଚ୍ଛା ଯଦି ସମୟ ପାଇବି ମୁଁ ମଧ୍ୟ ନିଜେ ଯାଇ ଟିକିଏ ବୁଲି ଆସିବି । ରତନ ଆଡ଼କୁ ଚାହିଁ ପୁଣି କହିଲା–ବଡ଼ ଟ୍ରଙ୍କଟା ଖୋଲି ଦେଖିଲୁ, ଆମର ସବୁ ନୂଆ ଶାଢ଼ିଗୁଡ଼ାକ ଆସିଛି କି ନାହିଁ ? ଯାଆ ଝିଅଟିକୁ ଖଣ୍ଡିଏ ଦେଇଆସିବୁ-। ମିଠା ବୋଧହୁଏ ଏ ଅଞ୍ଚଳରେ କିଛି ମିଳିପାରିବ ନାହିଁ ? କୋରା ମିଳେ ? ଆଚ୍ଛା, ସେଇ ବେଶ୍‌-। ଏପରି କିଛି ସେଥିରୁ ମଧ୍ୟ କିଣି ଆସିବୁ ରତନ । ହଁ, ମଧୁ ତୋ ଝିଅର ବୟସ କେତେ ? ପାତ୍ରଟିର ଘର କେଉଁଠି ? କେତେ ଲୋକ ଖାଇବେ ? ଏ ଗାଆଁରେ ତୁମେମାନେ କେତେଘର ଅଛ-?

 

ଜମିଦାର ଗୃହିଣୀଙ୍କର ଏକ ସଙ୍ଗରେ ଏତେଗୁଡ଼ିଏ ପ୍ରଶ୍ନର ଉତ୍ତରରେ ମଧୁ ସସଂଭ୍ରମରେ ଏବଂ ସବିନୟରେ ଯାହା କହିଲା, ସେଥିରୁ ବୁଝାଗଲା ଯେ ତା’ ଝିଅର ବୟସ ନଅବର୍ଷ ଭିତରେ, ପାତ୍ରଟି ଯୁବାପୁରୁଷ, ବୟସ ତିରିଶ ଚାଳିଶରୁ ବେଶୀ ହେବନାହିଁ । ଘରଟା ଏଠାରୁ ପାଞ୍ଚକୋଶ ଦୂର ଉତ୍ତର ଦିଗରେ କେଉଁ ଗୋଟାଏ ଗାଆଁରେ । ସେମାନଙ୍କର ବଡ଼ ସମାଜ-। ସେଠାରେ କେହି ନିଜ ଜାତିର ବ୍ୟବସାୟ କରନ୍ତି ନାହିଁ । ସମସ୍ତଙ୍କର ପେଷା ହେଉଛି ଚାଷବାସ, ଝିଅ ବେଶ୍‌ ସୁଖରେ ରହିଛି । ତେବେ ଭୟ ହେଉଛି କେବଳ ଏଇ ଆଜି ରାତିଟା ପାଇଁ-। କାରଣ ବରଯାତ୍ରୀମାନଙ୍କର ସଂଖ୍ୟା କେତେ ହେବ ଏବଂ ସେମାନେ କେଉଁଠାରେ କି ପ୍ରକାର ଗଣ୍ଡଗୋଳ କରିବସିବେ ତାହା କାଲି ସକାଳ ନହେବା ପର୍ଯ୍ୟନ୍ତ କୌଣସିମତେ ଅନୁମାନ କରି କହିହେବ ନାହିଁ-। ସେମାନେ ସମସ୍ତେ ଧନୀ ବ୍ୟକ୍ତି । କିଭଳି ଭାବରେ ମଧୁ ଶୁଣି କଣ୍ଟା ହୋଇଯାଇଥାଏ-। ଏହି ସମସ୍ତ ବିଷୟ ସେ ସବିସ୍ତାରରେ ବର୍ଣ୍ଣନା କରିସାରି ପରିଶେଷରେ ସକାତରରେ ଜଣାଇଲା ଯେ ତା’ର ଚୁଡ଼ା, ଗୁଡ଼, ଦହି ସଂଗ୍ରହ ହୋଇସାରିଛି, ଏପରି କି ଶେଷବେଳକୁ ଦରକାର ପଡ଼ିଲେ ଦୁଇ ତିନିଟା କୋରା ସେ ପତ୍ରରେ ଦେଇପାରିବ । ତଥାପି ଯଦି କୌଣସି ଗଣ୍ଡଗୋଳ ହୁଏତ ସେମାନଙ୍କୁ ରକ୍ଷା କରିବାକୁ ହେବ ।

 

ରାଜଲକ୍ଷ୍ମୀ କୌତୁକ ସହକାରେ ଭରସା ଦେଇ କହିଲା–ଗୋଳମାଳ କିଛି ହେବ ନାହିଁ ମଧୁ । ତୋ ଝିଅ ବାହାଘର ନିର୍ବିଘ୍ନରେ ହେବ, ଏଇ ଆଶୀର୍ବାଦ ମୁଁ କରୁଛି । ଖାଇବା ଜିନିଷ ଏତେ ଯୋଗାଡ଼ କରିଛି ଯେ ତୁମ ସମୁନ୍ଧୀଘର ଖାଇପିଇ ଖୁସିରେ ଯିବେ ।

 

ମଧୁ ଭୂମିଷ୍ଠ ପ୍ରଣାମ କରି ସଙ୍ଗରେ ଆଣିଥିବା ଲୋକ ଦୁଇଟିକୁ ଧରି ପ୍ରସ୍ଥାନ କଲା । କିନ୍ତୁ ତା’ ମୁହଁ ମନେହେଲା, ଏଇ ଆଶୀର୍ବାଦ ଉପରେ ନିର୍ଭର କରି ସେ ବିଶେଷ କିଛି ସାନ୍ତ୍ୱନା ପାଇପାରିଲା ନାହିଁ । ଆଜି ରାତିକ ପାଇଁ କନ୍ୟାପିତା ମନରେ ଉଦ୍‌ବେଗ ଲାଗି ରହିଲା ।

 

ଶୁଭକର୍ମରେ ଯାଇ ପାଦଧୂଳି ଦେଇଆସିବ ବୋଲି ମଧୁକୁ ଆଶା ଦେଇଥିଲା; କିନ୍ତୁ ସତକୁ ସତ ଯିବାକୁ ପଡ଼ିବ ଏଭଳି ଭାବନା ଆମ କାହା ମନରେ ନଥିଲା । ସନ୍ଧ୍ୟା ହେବାର କିଛି ସମୟ ପରେ ରାଜଲକ୍ଷ୍ମୀ ପ୍ରଦୀପ ଆଗରେ ବସି ତା’ର ଆୟ–ବ୍ୟୟର ଗୋଟାଏ ଖସଡ଼ା ପଢ଼ି ଶୁଣାଉଥିଲା । ମୁଁ ବିଛଣାରେ ଶୋଇରହି ମୁଦ୍ରିତ ନେତ୍ରରେ ତହିଁରୁ କେତେକ ଶୁଣୁଥିଲି ତ କେତେକ ଶୁଣୁନଥିଲି । କିନ୍ତୁ ନିକଟରେ ବିବାହ ଘରର କଳରୋଳ କିଛିକ୍ଷଣ ହେବ ଯେପରି କିଞ୍ଚିତ ଅସାଧାରଣ ରକମର ପ୍ରଖର ହୋଇ କାନରେ ଆସି ପହଞ୍ଚୁଥାଏ । ହଠାତ୍‌ ରାଜଲକ୍ଷ୍ମୀ ମୁହଁ ଟେକି ହସିହସି କହିଲା–ଡମଘର ବାହାଘରରେ ମାଡ଼ି ପିଟାପିଟି ଗୋଟାଏ ଅଙ୍ଗ ନୁହେଁ ତ ?

 

କହିଲି–ଯଦି ଉଚ୍ଚ ଜାତିରୁ ନକଲ କରୁଥିବେ ତେବେ ଏହା ଆଶ୍ଚର୍ଯ୍ୟକର ନୁହେଁ । ସେ ସବୁ କଥା ତୁମର ମନେଅଛି ତ ?

 

ରାଜଲକ୍ଷ୍ମୀ କହିଲା–ହୁଁ । ତା’ପରେ କିଛି ସମୟ ପାଇଁ କାନପାତି ରହି ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ି କହିଲା–ବାସ୍ତବିକ୍‌ ଏ ପୋଡ଼ା ଦେଶରେ ଆମେମାନେ ଯେଉଁପରି ଭାବରେ ଝିଅମାନଙ୍କୁ ବାହାଦେଉ ସେଥିରେ ଇତର–ଭଦ୍ର ସବୁ ସମାନ । ଏମାନେ ଚାଲିଯିବା ପରେ ମୁଁ ପଚାରି ବୁଝିଥିଲି; ଏଇ କାଲି ସକାଳେ ଯେଉଁ ନଅବର୍ଷର ଝିଅଟାକୁ କୌଣସି ଗୋଟିଏ ଅପରିଚିତ ସଂସାରକୁ ଟାଣି ନେଇଯିବେ ତାକୁ ଆଉ କେତେବେଳକୁ ହେଲେ ବାପଘରକୁ ଛାଡ଼ିଦେବେ ନାହିଁ । ଏମାନଙ୍କ ଏଇଟା ହେଉଛି ନିୟମ । ବାପ ଦୁଇଗଣ୍ଡା ଟଙ୍କାରେ ଆଜି ଝିଅଟାକୁ ବିକ୍ରି କରିଦେବ । ‘‘ଥରକ ପାଇଁ ଛାଡ଼ିଦିଅ’’, ଏପରି କଥା ମୁହଁରେ ଆଣିବାକୁ ଶକ୍ତି ନଥିବ । ଆହା ! ଝିଅଟି ସେଠାରେ ପହଞ୍ଚି କେତେ ନ କାନ୍ଦିବ ? ବାହାଘର କହିଲେ ସେ କ’ଣ ବୁଝୁଥିବ କହିଲ ?

 

ଏ ସବୁ ଦୁର୍ଘଟଣା ତ ମୁଁ ଜନ୍ମଦିନରୁ ଦେଖିଆସୁଛି । ଏକ ପ୍ରକାର ଦେହସୁହା ହୋଇଗଲାଣି । ତେଣୁ ଏଥିପାଇଁ କ୍ଷୋଭ ପ୍ରକାଶ କରିବାକୁ ପ୍ରବୃତ୍ତି ହେଲାନାହିଁ । ସୁତରାଂ ପ୍ରତ୍ୟୁତ୍ତର ନଦେଇ କେବଳ ନୀରବ ରହିଲି ।

 

କୌଣସି ଉତ୍ତର ନ ପାଇବାରୁ ସେ କହିଲା–ଆମ ଦେଶରେ ଛୋଟବଡ଼ ସମସ୍ତଙ୍କ ଭିତରେ ବିବାହଟା କେବଳ ବିବାହ ନୁହେଁ–ଏଇଟା ଧର୍ମ, ସେଥିପାଇଁ ଯାହା ନହେଲେ.........

 

କହିଦେବା ପାଇଁ ଭାବିଲି–ଯଦି ଏହାକୁ ଧର୍ମ ବୋଲି ବୁଝିପାରୁଛ ତେବେ ଏହା ବିରୁଦ୍ଧରେ ଏତେ ନାଲିସ କାରିବାର କି ଦରକାର ? ଆଉ ଯେଉଁ ଧର୍ମ କର୍ମରେ ମନ ପ୍ରସନ୍ନ ନ ହୋଇ ଗ୍ଲାନି ଭାରରେ ଅନ୍ତର ମଳିନ ହୋଇଉଠିଥାଏ ତାହାକୁ ଅବା ଧର୍ମ ବୋଲି ଗ୍ରହଣ କରାଯାଏ କି ପ୍ରକାରେ ?

 

ମୁଁ କିନ୍ତୁ କହିବା ପୂର୍ବରୁ ରାଜଲକ୍ଷ୍ମୀ ପୁଣି କହିଉଠିଲା–କିନ୍ତୁ ଏସବୁ ବିଧି ବ୍ୟବସ୍ଥା ଯେଉଁମାନେ କରିଯାଇଛନ୍ତି ସେମାନେ ଥିଲେ ତ୍ରିକାଳଦର୍ଶୀ ଋଷି । ଶାସ୍ତ୍ର ବାକ୍ୟ ମିଥ୍ୟା ନୁହେଁ । ଅମଙ୍ଗଳକର ମଧ୍ୟ ନୁହେଁ । ଆମେମାନେ ଏ ସଂସାରରୁ କେତେ ଅବା ଜାଣୁ ଏବଂ କ’ଣ ଅବା ବୁଝିପାରୁ ?

 

ବାସ୍‌ ! ଯାହା କହିବାକୁ ଚାହିଁଥିଲି ତାହା ଆଉ କହିହେଲା ନାହିଁ । ଏ ସଂସାରରେ ଯାହା କିଛି ଭାବିବାର ବସ୍ତୁ ଥିଲା, ସମସ୍ତଙ୍କୁ ତ୍ରିକାଳଜ୍ଞ ଋଷିମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଏଇ ତିନିକାଳ ପାଇଁ ବହୁ ପୂର୍ବରୁ ଭାବି ସ୍ଥିର କରିଦେଇ ଯାଇଛନ୍ତି । ଦୁନିଆଁରେ ଆଉ କିଛି ନୂଆ ଚିନ୍ତା କରିବାର କେଉଁଠାରେ କିଛି ବାକି ନାହିଁ । ଏ କଥା ରାଜଲକ୍ଷ୍ମୀ ମୁହଁରେ ନୂଆ କରି ଶୁଣିଲି ନାହିଁ । ଆହୁରି ଆଗରୁ ଅନେକଥର ଶୁଣିଛି ଏବଂ ଚୁପ୍‌ ହୋଇ ରହି ଆସୁଛି । ମୁଁ ଜାଣେ ଏହାର ଉତ୍ତର ଦେବାକୁ ଗଲେ ପ୍ରଥମେ ଆଲୋଚନା ଉଷ୍ମ ଏବଂ ପରେ ବ୍ୟକ୍ତିଗତ କଳହ ହେତୁ ନିରତିଶୟ ତିକ୍ତ ହୋଇଉଠେ । ତ୍ରିକାଳଦର୍ଶୀମାନଙ୍କୁ ମୁଁ ତାତ୍ସଲ୍ୟ କରୁନାହିଁ, ରାଜଲକ୍ଷ୍ମୀ ପରି ମୁଁ ମଧ୍ୟ ଅତିଶୟ ଭକ୍ତି କରେ । କେବଳ ଏତିକି ଚିନ୍ତା କରିଥାଏ ସେମାନେ ଦୟାକରି ଯଦି ଏ ଆମମାନଙ୍କର ଏଇ ଇଂରେଜୀ ଅମଳଟାର ପାଇଁ ଚିନ୍ତା କରି ଯାଇନଥାନ୍ତେ, ତାହାହେଲେ ସେମାନେ ଅନେକ ଭାବନାରୁ ଅବ୍ୟାହିତ ପାଇପାରିଥାନ୍ତେ ଏବଂ ଆମେମାନେ ହୁଏତ ସତକୁ ସତ ଆଜି ବଞ୍ଚିଯାଇ ପାରିଥାନ୍ତୁ ।

 

ମୁଁ ପୂର୍ବରୁ କହିଛି ରାଜଲକ୍ଷ୍ମୀ ମୋ ମନର କଥାଗୁଡ଼ାକ ଯେପରି ଦର୍ପଣ ପରି ସ୍ପଷ୍ଟ ଦେଖିବାକୁ ପାଏ । କିପରି ଭାବରେ ପାଏ ଜାଣେ ନାହିଁ । ଯଦି ଓ ବର୍ତ୍ତମାନ ଏଇ ଅସ୍ପଷ୍ଟ ଦୀପାଲୋକରେ ମୁହଁର ଚେହେରାଟା ପ୍ରତି ଦୃଷ୍ଟିପାତ କରିନାହିଁ, ତଥାପି ଯେପରି ମୋ ନିଭୃତ ଚିନ୍ତାର ଠିକ୍‌ ଦ୍ୱାରପ୍ରାନ୍ତରେ ଆଘାତ କଲା । କହିଲା–ତୁମେ ଭାବୁଛ ଏଇଟା ବୋଧହୁଏ ନିହାତି ବଢ଼ାବଢ଼ି କଥା । ଭବିଷ୍ୟତର ବିଧି ବ୍ୟବସ୍ଥା କେହି ପୂର୍ବରୂ ନିର୍ଦ୍ଦେଶ କରି ଦେଇପାରେ ନାହିଁ । କିନ୍ତୁ ମୁଁ କହୁଛି–ପାରେ । ମୋ ଗୁରୁଦେବଙ୍କ ଶ୍ରୀମୁଖରୁ ଶୁଣିଛି–ଏ କାର୍ଯ୍ୟ ସେ କରି ନପାରିଲେ ସଜୀବ ମନ୍ତ୍ରଗୁଡ଼ିକୁ କଦାପି ଦେଖିବାକୁ ପାଆନ୍ତେ ନାହିଁ । ତେଣୁ କହୁଛି ଏଇଟା ମାନ ଯେ ଆମମାନଙ୍କର ଶାସ୍ତ୍ରୀୟ ମନ୍ତ୍ରଗୁଡ଼ିକର ପ୍ରାଣ ଅଛି । ସେଗୁଡ଼ିକ ସବୁ ଜୀବନ୍ତ ।

 

କହିଲି–ହଁ ।

 

ରାଜଲକ୍ଷ୍ମୀ କହିଲା–ତୁମେ ନ ମାନିପାର । ତଥାପି କିନ୍ତୁ ଏହା ସତ୍ୟ । ତା’ ନ ହୋଇଥିଲେ ଆମ ଦେଶର ଏଇ କଣ୍ଢେଇ ଖେଳ ଭଳି ବାହାଘର ପୃଥିବୀର ସର୍ବଶ୍ରେଷ୍ଠ ବିବାହ–ବନ୍ଧନ ହୋଇପାରିନଥାନ୍ତା । ଏ ସମସ୍ତ ତ ସେହି ସଜୀବ ମନ୍ତ୍ରର ଶକ୍ତି ହେତୁ । ସେହି ଋଷିମାନଙ୍କ କୃପାରୁ । ଅବଶ୍ୟ ଅନାଚାର ଆଉ ପାପ କେଉଁଠାରେ ନାହିଁ । ସେ ସର୍ବତ୍ର ରହିଛି । କିନ୍ତୁ ଆମ ଦେଶ ଭଳି ସତୀତ୍ୱ କ’ଣ ତୁମେ ଅନ୍ୟ କେଉଁଠାରେ ଦେଖିବାକୁ ପାଇପାର ?

 

କହିଲି–ନା, କାରଣ, ଏ ତାହାର ଯୁକ୍ତି ନୁହେଁ–ବିଶ୍ୱାସ ।

 

ଇତିହାସର ପ୍ରଶ୍ନ ହୋଇଥିଲେ ତାହାକୁ ଦେଖାଇ ଦେଇପାରିଥାନ୍ତି ଯେ ଏଇ ପୃଥିବୀରେ ସଜୀବ–ମନ୍ତ୍ରହୀନ ଆହୁରି ଅନେକ ଦେଶ ଅଛି ଯେଉଁଠାରେ ସତୀତ୍ୱର ଆଦର୍ଶ ଆଜି ମଧ୍ୟ ଏହିପରି ଉଚ୍ଚରେ । ଅଭୟାର ଉଲ୍ଲେଖ କରି କହିପାରିଥାନ୍ତି । ଯଦି, ଏହା ତୁମର ଜୀବନ୍ତ ମନ୍ତ୍ର ହୋଇଥାଏ ତେବେ ନର–ନାରୀ ଉଭୟଙ୍କୁ ଏକ ଆଦର୍ଶରେ ବାନ୍ଧିପାରେ ନାହିଁ କାହିଁକି ? କିନ୍ତୁ ଏ ସବୁର ଆଦୌ ପ୍ରୟୋଜନ ନଥିଲା । ମୁଁ ଜାଣେ, ତା’ର ମନର ଧାରାଟା କିଛିଦିନ ହେବ କେଉଁ ଦିଗକୁ ବହିଚାଲିଛି ।

 

ଦୃଷ୍କ ତିର ବେଦନା ସେ ଭଲକରି ଜାଣେ । ଯାହାକୁ ସାରା ଅନ୍ତର ଦେଇ ଭଲପାଇ ବସିଛି ତାହାକୁ କଳୁଷିତ ନକରି କିପରି ଭାବରେ ସେ ଯେ ଏ ଜୀବନରେ ଲାଭ କରିବ ତାହା ସେ ଭାବି ଠିକ୍‌ କରିପାରେ ନାହିଁ । ତାହାର ଦୁର୍ବଳ ହୃଦୟ ଓ ପ୍ରବୃଦ୍ଧ ଧର୍ମବୃତ୍ତି–ଏଇ ଦୁଇ ପ୍ରତିକୂଳଭାମୀ ପ୍ରଚଣ୍ଡ ପ୍ରବାହ ଯେ କିପରି ଭାବରେ କେଉଁ ସଙ୍ଗମରେ ସମ୍ମିଳିତ ହୋଇ ଏହି ଦୁଃଖର ଜୀବନରେ ତୀର୍ଥଭଳି ସୁପବିତ୍ର ହୋଇଉଠିବ ତାହାର କୌଣସି କିନାରା ସେ ଦେଖି ପାଏ ନାହିଁ । କିନ୍ତୁ ମୁଁ ପାଇପାରେ । ନିଜକୁ ନିଃଶେଷ ଭାବରେ ଦାନ କରିବା ପର୍ଯ୍ୟନ୍ତ ଅପରର ଗୋପନ ଆକ୍ଷେପ ନିତିପ୍ରତି ହିଁ ମୋ ଆଖିରେ ପଡ଼େ । ବେଶ୍‌ ସ୍ପଷ୍ଟ ନୁହେଁ ସତ; କିନ୍ତୁ ତଥାପି କିପରି ଦେଖିବାକୁ ପାଏ ଯେ ତା’ର ସେହି ଦୁର୍ମଦ କାମନା; ଏତେଦିନ ଧରି ଅତ୍ୟଗ୍ର ନିଶା ଭଳି ତା’ର ସମସ୍ତ ମନଟାକୁ ଉତ୍ତଳା ଓ ଉନ୍ମତ୍ତ କରି ରଖିଥିଲା । ସେ ଯେପରି ଆଜି ସ୍ଥିର ହୋଇ ତା’ର ସୌଭାଗ୍ୟର; ତା’ର ପ୍ରତିଷ୍ଠାର ହିସାବ ଦେଖିବାକୁ ଚାହିଁଛି । ଏହି ହିସାବରେ ଅଙ୍କଗୁଡ଼ିକ କ’ଣ ଅଛି ଜାଣେ ନାହିଁ କିନ୍ତୁ ଶୂନ୍ୟ ଛଡ଼ା ଯଦି କିଛି ଆଜି ସେ ନ ଦେଖିପାରେ ତ, କିପରି ଭାବରେ କେଉଁଠାରେ ଯାଇ ଯେ ପୁଣି ମୁଁ ନିଜର ଏଇ ଶତଚ୍ଛିନ୍ନ ଜୀବନ ଜାଲର ଗ୍ରନ୍ଥି ବାନ୍ଧି ବସିବି ଏ ଚିନ୍ତା ମୋ ମଧ୍ୟରେ ବହୁବାର ଯାତାୟତ କରିଥିଲା । ଭାବିକରି କିଛି ପାଇପାରିନଥିଲି, କେବଳ ଏଇ କଥାଟାକୁ ନିଶ୍ଚିତ ବୋଲି ଜାଣିପାରିଛି ଯେ, ଚିରଦିନ ଯେଉଁ ପଥଦେଇ ଚାଲିଛି, ପ୍ରୟୋଜନ ହେଲେ ମୋର ସେହି ପଥରେ ପୁଣି ଯାତ୍ରା ଆରମ୍ଭ କରିବି । ନିଜର ସୁଖ ସୁବିଧା ପାଇଁ କାହାର ସମସ୍ୟାକୁ ଜଟିଳ କରିବି ନାହିଁ ।

 

କିନ୍ତୁ ପରମାଶ୍ଚର୍ଯ୍ୟ ଏଇ ଯେ ଯେଉଁ ମନ୍ତ୍ରର ସଜୀବତା ବିଷୟରେ ଆଲୋଚନା ଦ୍ୱାରା ଆମମାନଙ୍କ ଭିତରେ ମୁହୂର୍ତ୍ତକ ଭିତରେ ବିପ୍ଲବ ଘଟି ଯାଉଥାଏ ଠିକ୍‌ ସେତେବେଳେ ଅଳ୍ପ ଦୂରରେ ଏଇ ପ୍ରସଙ୍ଗ ନେଇ ମଲ୍ଲଯୁଦ୍ଧ ଘଟି ଯାଇଥିଲା । ଏ ସମ୍ୱାଦ ଆମେ ଦୁଇଜଣ କେହି ଜାଣିପାରୁନଥିଲୁ-

 

ଅକସ୍ମାତ୍‌ ପାଞ୍ଚ–ସାତଜଣ ଲୋକ ଗୋଟାଏ–ଦୁଇଟା ଆଲୁଅ ଧରି ଅତ୍ୟନ୍ତ ପାଟିତୁଣ୍ଡ କରି ଏକବାରେ ଅଗଣା ଭିତରକୁ ପଶି ଆସି ଠିଆହୋଇ ବ୍ୟାକୁଳ କଣ୍ଠରେ ଡାକ ପକାଇଲେ–ହଜୁର ! ବାବୁ ଆଜ୍ଞା !

 

ମୁଁ ବ୍ୟସ୍ତହୋଇ ବାହାରକୁ ଆସିଲି । ରାଜଲକ୍ଷ୍ମୀ ମଧ୍ୟ ବିସ୍ମୟରେ ଉଠିଆସି ମୋ ପାଖରେ ଠିଆହେଲା । ନାଲିସଟା ସେମାନେ ଏକ ସ୍ୱରରେ ଏବଂ ଏକ ସଙ୍ଗରେ କରିବାକୁ ଚାହାନ୍ତି-। ରତନର ବାରମ୍ୱାରା ବିରକ୍ତ ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ କେହି ଚୁପ୍‌ ହେଲେ ନାହିଁ । ଯାହାହେଉ, ବ୍ୟାପାରଟା ବୁଝାପଡ଼ିଲା । କନ୍ୟା ସଂପ୍ରଦାନ ବନ୍ଦ ହୋଇଛି । କାରଣ ମନ୍ତ୍ର ଭୁଲ୍‌ ହୋଇଛି ବୋଲି ବର ପକ୍ଷୀୟ ପୁରୋହିତ କନ୍ୟା ପକ୍ଷୀୟ ପୁରୋହିତ ଫୁଲ–ଜଳ ପ୍ରଭୃତି ଫିଙ୍ଗିଦେଇଛି ଏବଂ ତାହା ମୁହଁକୁ ଜବରଦସ୍ତି ଚାପିଧରିଛି । ବାସ୍ତବିକ ଏ କି ପ୍ରକାର ଅତ୍ୟାଚାର ! ପୁରୋହିତ ଗୋଷ୍ଠୀ ଅନେକ ପ୍ରକାର କୀର୍ତ୍ତି କରିଥାନ୍ତି । ଏହା ବୋଲି ଅନ୍ୟ ଗ୍ରାମରୁ ଆସି ଜୋର କରି ଆଉ ଜଣେ ସମବ୍ୟବସାୟ ଫୁଲ–ପାଣି ପ୍ରଭୃତି ଫିଙ୍ଗିଦେଇ ଏବଂ ଶାରୀରିକ ବଳ ପ୍ରୟୋଗ କରି ତା’ ମୁହଁକୁ ଚାପିଧରି ସ୍ୱାଧୀନ ଓ ସଜୀବ ମନ୍ତ୍ରକୁ ଉଚ୍ଚାରଣ କରିବାକୁ ବାଧାଦେବ–ଏପରି ଅତ୍ୟାଚାର ତ କେବେ କେଉଁଠାରେ ଘଟିବାର ଆଗରୁ ଶୁଣାନଥିଲା ।

 

ରାଜଲକ୍ଷ୍ମୀ କ’ଣ କରିବ ବୋଲି ହଠାତ୍‌ ଠିକ୍‌ କରିଲା ନାହିଁ । କିନ୍ତୁ ରତନ ଘରଭିତରେ କ’ଣ କରୁଥିଲା । ସେ ବାହାରକୁ ଆସି ଗୋଟାଏ ବଡ଼ ଧମକ ଦେଇ କହିଲା, ତୁମମାନଙ୍କର ପୁଣି ପୁରୋହିତ ଆସିଲା କେଉଁଠୁ ? ଏଠାକୁ ଅର୍ଥାତ୍‌ ଏଇ ଜମିଦାରୀକୁ ଆସିବା ଦିନଠାରୁ ସେ ‘‘ତୁମେ’’ ବୋଲି ସମ୍ୱୋଧନ କରିବା ଭଳି ଜଣେ କାହାକୁ ଦେଖିବାକୁ ପାଇ ନାହିଁ । ସେଥିପାଇଁ ସେ ପୁଣି କହିଲା–ଡମ, ହାଡ଼ିଙ୍କର ପୁଣି ବାହାଘର । ସେମାନଙ୍କର ପୁଣି ପୁରୋହିତ ଦରକାର ହେବ ? ଏହା କହି ଯେ ବାରମ୍ୱାର ମୋ ମୁହଁ ଏବଂ ରାଜଲକ୍ଷ୍ମୀ ମୁହଁକୁ ସଗର୍ବେ ଚାହିଁବାକୁ ଲାଗିଲା । ଏଠାରେ ମନେକରାଇ ଦେବାଟା ଉଚିତ୍‌ ଯେ ରତନ ହେଉଛି ଜାତିରେ ଭଣ୍ଡାରୀ ।

 

ମଧୁ ଡମ ନିଜେ ଆସିପାରି ନାହିଁ । କନ୍ୟା ସଂପ୍ରଦାନ କରିବାକୁ ବସିଛି । କିନ୍ତୁ ତା’ର ସଂବନ୍ଧୀ ଆସିଥିଲା । ସେ ବ୍ୟକ୍ତି ଯାହା କହିଲେ ତହିଁରୁ ବୁଝାଗଲା ଯେ ଏମାନଙ୍କର ପୁରୋହିତ ବ୍ରାହ୍ମଣ ନାହିଁ; ନିଜେ ନିଜର ପୁରୋହିତ । ତଥାପି ରାଖାଲ ପଣ୍ଡିତ ସେମାନଙ୍କର ବ୍ରାହ୍ମଣ ସହିତ ସମାନ । କାରଣ ସେମାନଙ୍କର ଗଳାରେ ପଇତା ଅଛି ଏବଂ ସେ ସେମାନଙ୍କୁ ଦଶକର୍ମ କରାଏ । ଏପରିକି ସେ ସେମାନଙ୍କ ଛୁଆଁ ପାଣି ସୁଦ୍ଧା ସ୍ପର୍ଶ କରେ ନାହିଁ । ସୁତରାଂ ଏତେ ବଡ଼ ସାତ୍ତ୍ୱିକତା ପରେ ଆଉ କହିବାର କିଛି ନଥିଲା । ଅତଏବ ଅସଲ ଏବଂ ଖାଣ୍ଟି ବ୍ରାହ୍ମଣ ସହିତ ଏହାସତ୍ତ୍ୱେ ଯଦି କୌଣସି ପ୍ରଭେଦ ଥାଏ ତେବେ ତାହା ନିହାତି ଅକିଞ୍ଚିତକର ।

 

ସେ ଯାହାହେଉ, ଏମାନଙ୍କର ବ୍ୟାକୁଳତା ଏବଂ ଅଦୂରରେ ବିବାହ ଘରେ ପ୍ରବଳ ଚିତ୍କାର ଶବ୍ଦ ହେତୁ ମୋତେ ଯିବାକୁ ହେଲା । ରାଜଲକ୍ଷ୍ମୀକୁ କହିଲି–ତୁମେ ଚାଲ ନା । ଘରଟା ଭିତରେ ଏକୁଟିଆ ରହି କ’ଣ ଅବା କରିବ ?

 

ରାଜଲକ୍ଷ୍ମୀ ପ୍ରଥମେ ମୁଣ୍ଡ ହଲାଇଲା । କିନ୍ତୁ ଶେଷକୁ କୌତୂହଳ ନିବାରଣ କରିପାରିଲା ନାହିଁ । ଚାଲ, କହି ମୋ ସହିତ ବାହାରିପଡ଼ିଲା । ଆସି ଦେଖିଲି ମଧୁର ସଂବନ୍ଧୀ ଅତ୍ୟୁକ୍ତି କହି ନାହିଁ । ବିବାଦ ତୁମୂଳ ଆକାର ଧରିବାର ଉପକ୍ରମ ହୋଇଛି । ଏକ ପକ୍ଷରେ ବର ପକ୍ଷର ପ୍ରାୟ ତିରିଶ–ବତିଶ ଜଣ ଏବଂ ଅନ୍ୟଦିଗରେ କନ୍ୟା ପକ୍ଷରେ ପ୍ରାୟ ସେତିକି ଜଣ । ମଝିରେ ସ୍ଥୂଳକାୟ ଶିବୁ ପଣ୍ଡିତ, ଦୁର୍ବଳ ଏବଂ କ୍ଷୀଣକାୟ ରାଖାଲ ପଣ୍ଡିତର ହାତକୁ ଜାବୁଡ଼ି କରି ଧରିଛି । ଆମମାନଙ୍କୁ ଦେଖି ସେ ହାତ ଛାଡ଼ିଦେଇ ଠିଆ ହୋଇପଡ଼ିଲା ।

 

ଆମେମାନେ ସମ୍ମାନର ସହିତ ଗୋଟିଏ ଚଟେଇ ଉପରେ ବସିପଡ଼ି ଶିବୁ ପଣ୍ଡିତଙ୍କୁ ଏହି ଅତର୍କିତ ଆକ୍ରମଣର କାରଣ ପଚାରିବାକ୍ଷଣି ସେ କହିଲେ–ଆଜ୍ଞା ମନ୍ତ୍ରର ‘ମ’ ଜାଣେ ନାହିଁ, ଏଇ ପିଲାଟା ପୁଣି କହୁଛି କ’ଣ ନା ମୁଁ ପଣ୍ଡିତ । ବାହାଘରଟା ଆଜି ମାଟି କରି ଦେଉଥିଲା...

 

ରାଖାଲ ମୁହଁକୁ ବିକୃତ କରି କହିଲା–ହଁ କରିଦେଉଥିବି ଏଇ ଆଖପାଖ ଖଣ୍ଡ ଗାଆଁରେ ବାହାଘର ସବୁ ମୁଁ କରୁଛି । ଆଉ ମନ୍ତ୍ର ମୁଁ ଜାଣି ନାହିଁ ?

 

ମନେମନେ ଭାବିଲି–ଏଠାରେ ମଧ୍ୟ ସେହି ମନ୍ତ୍ର ! କିନ୍ତୁ ଘରେ ରାଜଲକ୍ଷ୍ମୀ ନିକଟରେ ନ ହେଲେ ଚୁପ୍‌ ରହି ତର୍କର ଉତ୍ତର ଦେଇଛି କିନ୍ତୁ ଏଠାରେ ଯଦି ପ୍ରକୃତରେ ମଧ୍ୟସ୍ଥତା କରିବାକୁ ହୁଏ ତେବେ ନିଶ୍ଚୟ ତ ବିପଦରେ ପଡ଼ିବି । ଅବଶେଷରେ ବହୁ ବାକ୍‌ ବିତଣ୍ଡା ପରେ ସ୍ଥିର ହେଲା ଯେ ରାଖାଲ ହିଁ ମନ୍ତ୍ରପାଠ କରାଇବ ଏବଂ ଯଦି କୌଣସିଠାରେ ଭୁଲ୍‌ ହୁଏ ତେବେ ଶିବୁକୁ ଆସନ ଛାଡ଼ିଦେବ । ରାଖାଲ ଏଥିରେ ରାଜି ହୋଇ ପୁରୋହିତ ଆସନ ଗ୍ରହଣ କଲା ଏବଂ କନ୍ୟାର ପିତା ହାତରେ କେତେଟା ଫୁଲ ଏବଂ ବର କନ୍ୟା ଦୁହିଁଙ୍କ ହାତକୁ ଏକତ୍ର କରିଦେଇ ଯେଉଁ ବୈଦିକ ମନ୍ତ୍ର ପାଠ କଲା ତାହା ଏବେ ସୁଦ୍ଧା ମୋର ମନେଅଛି । ଏଗୁଡ଼ିକ ସଜୀବ କି ନାହିଁ ଜାଣେ ନାହିଁ ଏବଂ ମନ୍ତ୍ର ସମ୍ୱନ୍ଧରେ କୌଣସି ଜ୍ଞାନ ନ ଥିବା ସତ୍ତ୍ୱେ ମଧ୍ୟ ମୋର ସନ୍ଦେହ ହୁଏ ଯେ ବେଦର ମୁନି ଋଷିମାନେ ଠିକ୍‌ ଏଇ କଥାଗୁଡ଼ିକ ସୃଷ୍ଟି କରିଯାଇ ନାହାନ୍ତି ।

 

ରାଖାଲ ପଣ୍ଡିତ ବରକୁ କହିଲେ–କୁହ, ମଧୁ ଡୋମାୟ କନ୍ୟାୟ ନମଃ ।

 

ବର ଆବୃତ୍ତି କଲା–ମଧୁ ଡୋମାୟ କନ୍ୟାୟ ନମଃ ।

 

ରାଖାଲ କନ୍ୟାକୁ କହିଲେ–କହ, ଭଗବତୀ ଡୋମାୟ ପୁତ୍ରାୟ ନମଃ ।

 

ବାଳିକା କନ୍ୟାର କାଳେ ଉଚ୍ଚାରଣ ବେଳେ ଭୁଲ୍ ହୋଇପାରେ ଏଥିପାଇଁ ମଧୁ ଆପେ ତାହା ଉଚ୍ଚାରଣ କରିବାକୁ ଯାଉଥିଲା ଏପରି ସମୟରେ ଶିବୁ ପଣ୍ଡିତ ଦୁଇହାତ ଟେକି ବଜ୍ର ଗର୍ଜନରେ ସମସ୍ତଙ୍କୁ ଚମକିତ କରିଦେଇ କହିଉଠିଲା–ଏହା ମନ୍ତ୍ର ନୁହେଁ । ତେଣୁ ଏ ବିବାହ ହେଲା ନାହିଁ ।

 

ପଛରୁ ମୋତେ କିଏ ଟାଣିଦେବାରୁ ଚାହିଁ ଦେଖିଲି ରାଜଲକ୍ଷ୍ମୀ ମୁହଁରେ ଲୁଗା ପୂରାଇ ପ୍ରାଣପଣେ ହସ ଚାପି ରଖିବାକୁ ଚେଷ୍ଟା କରୁଛି ଏବଂ ଉପସ୍ଥିତ ସମସ୍ତ ଲୋକ ଏକାନ୍ତ ଉଦ୍‌ଗ୍ରୀବ ହୋଇପଡ଼ିଛନ୍ତି । ରାଖାଲ ପଣ୍ଡିତ ଲଜ୍ଜିତ ହୋଇ କ’ଣ ଗୋଟାଏ କହିବାକୁ ଯାଉଥିଲା କିନ୍ତୁ ତାହା କଥାକୁ ଯେପରି କେହି କାନକୁ ନେଲେ ନାହିଁ । ସମସ୍ତେ ସମସ୍ୱରରେ ଶିବୁକୁ ଅନୁନୟ କରିବାକୁ ଲାଗିଲେ–ପଣ୍ଡିତ ମହାଶୟ । ମନ୍ତ୍ରଟି ଆପଣ ହିଁ କହିଦିଅନ୍ତୁ, ନଚେତ ଏ ବିବାହ ହୋଇପାରିବ ନାହିଁ । ସବୁ ନଷ୍ଟ ହୋଇଯିବ । ସୁଉକିଟି ଦକ୍ଷିଣା ତାକୁ ଦେଇ ବାକି ବାରମଣା ଆପଣା ନେବେ, ପଣ୍ଡିତ ମହାଶୟ ।

 

ଶିବୁ ପଣ୍ଡିତ ସେତେବେଳେ ଉଦାରତା ଦେଖାଇ କହିଲେ–ରାଖାଲର ଦୋଷ କିଛି ନାହିଁ-। ଅସଲ ମନ୍ତ୍ରଟି ମୋ ବ୍ୟତୀତ ଏ ଅଞ୍ଚଳରେ କାହାରିକୁ ଜଣା ନାହିଁ । ବେଶୀ ଦକ୍ଷିଣା ମୁଁ ଚାହୁଁ ନାହିଁ-। ମୁଁ ଏଇଠି ଠିଆହୋଇ ମନ୍ତ୍ରପାଠ କରୁଛି । ରାଖାଲ ତାକୁ ସେମାନଙ୍କୁ ପଢ଼ାଉ । ଏହା କହି ସେହି ଶାସ୍ତ୍ରଜ୍ଞ ପଣ୍ଡିତ ମନ୍ତ୍ରୋଚ୍ଚାରଣ କରିବାକୁ ଲାଗିଲେ ଏବଂ ପରାଜିତ ରାଖାଲ ନିରୀହ ଭଲପିଲାଟିଏ ପରି ବର କନ୍ୟାଙ୍କୁ ଆବୃତ୍ତି କରାଇବାରେ ଲାଗିଲା ।

 

ଶିବୁ କହିଲେ–କୁହ, ମଧୁ ଡୋମାୟ କନ୍ୟାୟ ଭୁଜ୍ୟ ପତ୍ରଂ ନମଃ ।

 

ବର ଆବୃତ୍ତି କଲା–ମଧୁ ଡୋମାୟ କନ୍ୟାୟ ଭୁଜ୍ୟପତ୍ରଂ ନମଃ ।

 

ଶିବୁ କହିଲେ–ମଧୁ ଏଥର କହ–ଭଗବତୀ ଡୋମାୟ ପୁତ୍ରାୟ ସଂପ୍ରଦାନଂ ନମଃ ।

 

ମଧୁ କନ୍ୟା ସହିତ ଏହା ଆବୃତ୍ତି କଲା । ସମସ୍ତେ ନୀରବ । ଚୁପ୍‌ଚାପ୍‌ । ମନେହେଲା ଯେପରି ଶିବୁ ଭଳି ଶାସ୍ତ୍ରଜ୍ଞ ବ୍ୟକ୍ତି ଏହା ପୂର୍ବରୁ ଏ ଅଞ୍ଚଳରେ ଆବିର୍ଭୂତ ହୋଇନଥିଲେ ।

 

ଶିବୁ ବରହାତରେ ଫୁଲଦେଇ କହିଲା–ବିପିନ ତୁମେ କୁହ, ଯତଦିନ ଜୀବନଂ ତତଦିନ ଭାତଲୁଗା ପ୍ରଦାନଂ ସ୍ୱାହା ।

 

ବିପିନ ରହି ବହୁ କଷ୍ଟରେ ଏ ମନ୍ତ୍ରଟା ଉଚ୍ଚାରଣ କଲା ।

 

ଶିବୁ କହିଲା–ବରକନ୍ୟା ଦୁହେଯାକ କୁହ–ଯୁଗଳ ମିଳନଂ ନମଃ ।

 

ବର ଏବଂ କନ୍ୟାର ହୋଇ ମଧୁ ଏହା ଆବୃତ୍ତି କଲେ । ଏହାପରେ ବିରାଟ ହରିବୋଲ ସହ ବରକନ୍ୟାଙ୍କୁ ଘରଭିତରକୁ ନିଆଗଲା । ମୋ ଚାରିପାଖରେ ଏକ ଗୁଞ୍ଜରଣ ଶୁଣାଗଲା । ସମସ୍ତେ ଏକ ବାକ୍ୟରେ ସ୍ୱୀକାର କରିବାକୁ ଲାଗିଲେ ଯେ ଶିବୁ ପଣ୍ଡିତ ହିଁ ଜଣେ ଶାସ୍ତ୍ରଜ୍ଞ ଲୋକ । ପ୍ରକୃତ ମନ୍ତ୍ର ସେ ପଢ଼ାଇଲା । ରାଖାଲ ଏତେଦିନ ଧରି ଆମକୁ କେବଳ ଠକି ଆସିଥିଲା ।

 

ଶେଷ ପର୍ଯ୍ୟନ୍ତ ମୁଁ ଗମ୍ଭୀର ହୋଇ ରହିଥିଲି ଏବଂ ପରେପରେ ଅସୀମ ଗାମ୍ଭୀର୍ଯ୍ୟ ବଜାୟ ରଖି ରାଜଲକ୍ଷ୍ମୀର ହାତଧରି ଘରକୁ ଚାଲିଆସିଲି । ସେଠାରେ କି ପ୍ରକାରରେ ସେ ଯେ ନିଜକୁ ସଂଜତ କରି ବସିଥିଲେ ମୁଁ ଜାଣେ ନାହିଁ, କିନ୍ତୁ ଘରକୁ ଆସିବାମାତ୍ରେ ହସର ପ୍ରବାହ ତା’ର ଯେପରି ଲହଡ଼ି ଭାଙ୍ଗିଲା । ବିଛଣାରେ ଲୋଟିପଡ଼ି ସେ କେବଳ କହିବାକୁ ଲାଗିଲା–ହଁ ! ପ୍ରକୃତରେ ଶିବୁ ଜଣେ ମହାପାଧ୍ୟାୟ । ରାଖାଲ ଏତେଦିନ ଧରି କେବଳ ଏମାନଙ୍କୁ ଠକି କରି ଖାଉଥିଲା ।

 

ପ୍ରଥମେ ମୁଁ ମଧ୍ୟ ହସ ସମ୍ଭାଳି ପାରିଲି ନାହିଁ । ତାହାପରେ କହିଲି–ଦୁଇଜଣଯାକ ହେଉଛନ୍ତି ମହା ମହୋପାଧ୍ୟାୟ । ଅଥଚ ଏପରି ଭାବରେ ତ ଏତେକାଳ ଧରି ଝିଅର ମାଆ ଏବଂ ବୁଢ଼ୀମାଆଙ୍କର ବିବାହ ହୋଇଆସିଛି । ରାଖାଲ ଯାହାହେଉ କିନ୍ତୁ ଶିବୁ ପଣ୍ଡିତର ମନ୍ତ୍ରଗୁଡ଼ାକ ଠିକ୍ ଋଷିରୁବାଚ ବୋଲି ମନେହେଲା ନାହିଁ । ତଥାପି ତ ଏମାନଙ୍କର କୌଣସି ମନ୍ତ୍ର ବିଫଳ ହୋଇ ନାହିଁ-। ଏମାନେ ଦେଇଥିବା ବିବାହ ବନ୍ଧନ ତ ଆଜି ମଧ୍ୟ ସେହିପରି ଦୃଢ଼ ଏବଂ ଅତୁଟ ରହିପାରିଛି-

 

ରାଜଲକ୍ଷ୍ମୀ ହସକୁ ଚାପିରଖି ହଠାତ୍‌ ସିଧାହୋଇ ଉଠିବସିଲା ଏବଂ ଏକ ଦୃଷ୍ଟିରେ ମୋ ମୁହଁକୁ ଚାହିଁରହି କେତେ କ’ଣ ଭାବିବାକୁ ଲାଗିଲା ।

 

ସକାଳେ ଉଠି ଶୁଣିଲି, କୁଶାରୀ ମହାଶୟ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରି ଯାଇଛନ୍ତି । ଠିକ୍ ଏହି ଆଶଙ୍କା ହିଁ କରୁଥିଲି । ପଚାରିଲି–କ’ଣ ଏକା ମୁଁ ?

 

ରାଜଲକ୍ଷ୍ମୀ ହସିଦେଇ କହିଲା–ନା, ମୁଁ ମଧ୍ୟ ଅଛି ।

 

: ଯିବ ?

 

: ହଁ, ଯିବି ।

 

ତା’ର ଏଇ ନିଃସଂକୋଚ ଉତ୍ତର ଶୁଣି ଅବାକ୍‌ ହୋଇଗଲି । ଖୁଆଇବା ଜିନିଷଟା ଯେ ହିନ୍ଦୁଧର୍ମରେ କ’ଣ, ଏବଂ ସମାଜ କେତେଦୂର ଏହାଉପରେ ନିର୍ଭର କରେ, ରାଜଲକ୍ଷ୍ମୀ ଭଲକରି ଜାଣେ ଏବଂ କେତେଦୂର ନିଷ୍ଠାର ସହିତ ସେ ଏହାକୁ ମାନି ଚଳେ ତାହା ମୁଁ ମଧ୍ୟ ଜାଣେ । ଅଥଚ ଏହା ହେଉଛି ତା’ର ଜବାବ । କୁଶାରୀ ମହାଶୟଙ୍କ ସମ୍ୱନ୍ଧରେ ବିଶେଷ କିଛି ଜାଣେ ନାହିଁ ତେବେ ବାହାରୁ ଦେଖିଲେ ତାଙ୍କୁ ଯେତେଟା ଜଣାପଡ଼େ ସେ ହେଉଛନ୍ତି ଆଚାର–ଶୁଦ୍ଧ ବ୍ରାହ୍ମଣ ଏବଂ ଏହା ମଧ୍ୟ ନିଶ୍ଚିତ ଯେ ରାଜଲକ୍ଷ୍ମୀର ଇତିହାସ ସେ ଆଦୌ ଜାଣିନାହାନ୍ତି । କେବଳ ମୁନିବ ବୋଲି ଯାହା ନିମନ୍ତ୍ରଣ କରିଯାଇଛନ୍ତି । କିନ୍ତୁ ରାଜଲକ୍ଷ୍ମୀ ଯେ ସେଠାକୁ ଯାଇ କ’ଣ ବୋଲି କ’ଣ କରିବସିବ ତାହା ମୁଁ ଭାବି ଠିକ୍‌ କରିପାରିଲି ନାହିଁ, ଅଥଚ ମୋ ପ୍ରଶ୍ନଟା ବୁଝି ମଧ୍ୟ ସେ ଯେତେବେଳେ କିଛି କହିଲା ନାହିଁ ସେତେବେଳେ ଏଥିରେ ରହିଥିବା କୁଣ୍ଠା ମୋତେ ମଧ୍ୟ ନିର୍ବାକ କରି ରଖିଲା ।

 

ଯଥାସମୟରେ ଶଗଡ଼ ଗାଡ଼ି ଆସି ପହଞ୍ଚିଲା । ମୁଁ ପ୍ରସ୍ତୁତ ହୋଇ ବାହାରକୁ ଆସି ଦେଖିଲି ରାଜଲକ୍ଷ୍ମୀ ଗାଡ଼ି ନିକଟରେ ଠିଆହୋଇଛି ।

 

କହିଲି–ଯିବ ତ ?

 

ସେ କହିଲା–ଯିବାପାଇଁ ତ ଠିଆହୋଇଛି । ଏହା କହି ସେ ଗାଡ଼ି ଭିତରେ ଯାଇ ବସିଲା ।

 

ରତନ ସଙ୍ଗରେ ଯିବ । ସେ ଆମ ପଛରେ ଥିଲା । ମାଲିକାଣୀଙ୍କର ସାଜସଜ୍ଜା ଦେଖି ସେ ଯେ ଅତିଶୟ ବିସ୍ମୟାପନ୍ନ ହୋଇଉଠିଛି ଏହା ତାହାର ମୁହଁ ଦେଖି ବୁଝିପାରିଲି । ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲି । ସେ ଯେପରି ପ୍ରକାଶ କଲା ନାହିଁ, ମୁଁ ମଧ୍ୟ ସେହିପରି ନୀରବ ରହିଲି । ଘରେ ଥିଲାବେଳେ ସେ କେବେ ବେଶୀ ଗହଣା ପିନ୍ଧେ ନାହିଁ ଏବଂ ଏବେ କିଛିଦିନ ହେବ ଯାହା ବି ପିନ୍ଧୁଥିଲା ତାହା କମି ଆସିଥିଲା କିନ୍ତୁ ଆଜି ଦେଖାଗଲା ତା’ ଦେହରେ କିଛି ଗହଣା ନାହିଁ । ଯେଉଁ ହାରଟି ତା’ ବେକରେ ସଦାବେଳେ ରହିଥାଏ, ତା’ ସହିତ ଦୁଇପଟ ସୁନାର ବାଲା । ଠିକ୍‌ ମନେ ନାହିଁ, ତଥାପି ଯେପରି ମନେହେଲା, ଗତକାଲି ରାତି ପର୍ଯ୍ୟନ୍ତ ଯେଉଁ ଚୁଡ଼ି କେତେପଟ ଦେଖି ଆସିଥିଲି ସେଗୁଡ଼ିକୁ ସେ ଇଚ୍ଛାକରି ଖୋଲି ରଖିଦେଇଛି । ପିନ୍ଧିବାର ଶାଢ଼ି ମଧ୍ୟ ନିହାତି ସାଧାରଣ-। ବୋଧହୁଏ ସକାଳେ ସ୍ନାନକରି ଯାହା ପିନ୍ଧିଥିଲା, ସେଇଟା ହିଁ ହେବ ।

 

ଗାଡ଼ିରେ ଉଠି ବସିପଡ଼ି ଆସ୍ତେ ଆସ୍ତେ କହିଲି–ଗୋଟି ଗୋଟି କରି ସବୁ ଛାଡ଼ିଦେଉଛ ଦେଖୁଛି । କେବଳ ମୁଁ ଯାହା ବାକି ରହିଯାଉଛି ।

 

ରାଜଲକ୍ଷ୍ମୀ ମୋ ମୁହଁକୁ ଚାହିଁ ଟିକିଏ ହସିଦେଇ କହିଲା–ଏପରି ବି ହୋଇପାରେ । କାରଣ କେବଳ ଜଣକ ପାଖରେ ସବୁ ରହିଯାଇଛି । ସେଥିପାଇଁ ଯେଉଁଗୁଡ଼ାକ ଅଧିକା ଥିଲା ସେହିଗୁଡ଼ିକ ଗୋଟିକ ପରେ ଗୋଟିଏ ଝରିପଡ଼ୁଛି । ଏହା କହି ସେ ପଛକୁ ଥରଟିଏ ଫେରିପଡ଼ି ଚାହିଁ ଦେଖିଲା, ରତନ ପାଖାପାଖି କେଉଁଠାରେ ଅଛି କି ନାହିଁ । ତା’ପରେ ଶଗଡ଼ିଆ ଯେପରି ନ ଶୁଣିପାରେ ସେହିପରି ଅତ୍ୟନ୍ତ ଧୀର କଣ୍ଠରେ କହିଲା, ବେଶ ତ, ସେହି ଆଶୀର୍ବାଦ ତୁମେ କର ତୁମଠାରୁ ଆଉ ତ ବଡ଼ ବୋଲି ମୋର କିଛି ନାହିଁ । ତୁମକୁ ମଧ୍ୟ ଯାହା ବଦଳରେ ଅନାୟାସରେ ପାଇପାରେ ମୋତେ ସେହି ଆଶୀର୍ବାଦ କର ।

 

ଚୁପ୍ ହୋଇ ରହିଲି । କଥାଟା ଏପରି ଗୋଟାଏ ଦିଗରେ ଚାଲିଥିଲା ଯେ ଯାହାର କୌଣସି ଜବାବ ଦେବା ମୋର ସାଧ୍ୟ ବାହାରେ । ଆଉ କିଛି ନ କହି ମୋଟା ତକିଆଟା ଟାଣିନେଇ ମୋ ପାଦତଳେ ଜାକିଜୁକି ହୋଇ ଶୋଇପଡ଼ିଲା । ଆମ ଗଙ୍ଗାମାଟିରୁ ପୋଡ଼ାପୋଡ଼ି ଯିବାପାଇଁ ଆଉ ଗୋଟିଏ ସରଳ ରାସ୍ତା ଅଛି । ଆଗରେ ଥିବା ଶୁଖିଲା ପାଣି ନାଳଟା ଉପରେ ବାଉଁଶର ଯେଉଁ ସଂକୀର୍ଣ୍ଣ ପୋଲ ଅଛି ତାହା ଉପରେ ଗଲେ ଦଶ ମିନିଟ୍‌ ଭିତରେ ଯାଇହେବ । କିନ୍ତୁ ପାଦରେ ନ ଯାଇ ଗୋରୁ ଗାଡ଼ିରେ ଗଲେ ଅନେକ ବାଟ ବୁଲି ଦୁଇଘଣ୍ଟା ବିଳମ୍ୱରେ ପହଞ୍ଚିବାକୁ ହୁଏ । ଏଇ ଦୀର୍ଘ ପଥରେ ଆମ ଦୁଇଜଣଙ୍କ ଭିତରେ କିଛି କଥା ହୋଇନଥିଲା । ସେ କେବଳ ମୋ ହାତଟା ତା’ର ବେକ ନିକଟକୁ ଟାଣିନେଇ ଶୋଇପଡ଼ିବାର ଛଳନା କରି ପଡ଼ିରହିଲା ।

 

କୁଶାରୀ ମହାଶୟଙ୍କ ଘରପାଖରେ ଯେତେବେଳେ ଗାଡ଼ି ଆସି ପହଞ୍ଚିଲା ସେତେବେଳକୁ ଦ୍ୱିପ୍ରହର ଗଡ଼ି ଯାଇଥାଏ । କର୍ତ୍ତା ଏବଂ ଗୃହିଣୀ ଉଭୟେ ଘରୁ ଆସି ଆମ ଦୁହିଁଙ୍କୁ ଅଭ୍ୟର୍ଥନା ଜଣାଇଲେ ଏବଂ ବୋଧହୁଏ ଅତି ସଂଭ୍ରାନ୍ତ ଅତିଥି ମନେକରି ଆମ ଦୁହିଁଙ୍କୁ ବାହାର ଘରେ ନ ବସାଇ ଘରଭିତରକୁ ନେଇ ଚାଲିଗଲେ । ତା’ ଛଡ଼ା ଅନତି ବିଳମ୍ୱରେ ବୁଝାପଡ଼ିଲା ଯେ, ସହରଠାରୁ ଦୂରବର୍ତ୍ତୀ ଏ ସବୁ ଅଞ୍ଚଳରେ ସେପରି ଲୁଚାଛପା (ପରଦାନସୀନ) ଭଳି କଠୋର ଶାସନ ପ୍ରଚଳିତ ନାହିଁ । କାରଣ ଆମମାନଙ୍କର ଶୁଭାଗମନ ପ୍ରଚାରିତ ହେଉ ନ ହେଉଣୁ ପ୍ରତିବେଶୀ ଭିତରୁ ଅନେକ ଯେଉଁମାନେ କି ଖୁଡ଼ୀ, ଦେଠେଇ, ମାଉସୀ, ଇତ୍ୟାଦି ପ୍ରୀତି ଓ ଆତ୍ମୀୟ ସମ୍ବୋଧନ ଦ୍ୱାରା କୁଶାରୀ ମହାଶୟ ଗୃହିଣୀଙ୍କୁ ଆପ୍ୟାୟିତ କରି ଜଣ ଜଣ ହୋଇ ଘରଭିତରେ ପ୍ରବେଶ କରି ତାମସା ଦେଖିବାକୁ ଲାଗିଲେ ସେମାନେ କିନ୍ତୁ ସମସ୍ତେ ଅବଳା ନୁହନ୍ତି ।

 

ରାଜଲକ୍ଷ୍ମୀର ଓଢ଼ଣା ଦେବା ଅଭ୍ୟାସ ନଥିଲା । ସେ ମଧ୍ୟ ମୋ ଭଳି ଆଗ ବାରଣ୍ଡା ଉପରେ ଖଣ୍ଡିଏ ଆସନ ଉପରେ ବସିଥିଲା । ଏହି ଅପରିଚିତା ରମଣୀର ସାକ୍ଷାତ୍‌ରେ ସୁଦ୍ଧା ଏଇ ଅନାହୂତ ଦଳ ବିଶେଷ କୌଣସି ସଂକୋଚ ଅନୁଭବ କଲେ ନାହିଁ । ତେବେ ସୌଭାଗ୍ୟକୁ ଆଳାପ କରିବାର ଔତ୍ସକ୍ୟୁଟା ନିତାନ୍ତ ତା’ ପକ୍ଷରେ ନ ହୋଇ ମୋ ପ୍ରତି ପ୍ରଦର୍ଶିତ ହେବାକୁ ଲାଗିଲା । କର୍ତ୍ତା ଯେପରି ଅତିଶୟ ବ୍ୟସ୍ତ ତାଙ୍କ ବ୍ରାହ୍ମଣୀ ମଧ ସେହିପରି । କେବଳ ଘରର ବିଧବା ଝିଅଟି ରାଜଲକ୍ଷ୍ମୀ ପାଖରେ ଚୁପ୍‌ ହୋଇ ବସି ରହି ଖଣ୍ଡିଏ ତାଳପତ୍ର ପଙ୍ଖା ଧରି ମୃଦୁ ମୃଦୁ ଭାବରେ ବଞ୍ଚିବାକୁ ଲାଗିଥାଏ । ଆଉ ମୁଁ କିପରି ଅଛି, କ’ଣ ରୋଗ ହୋଇଛି, କେତେଦିନ ରହିବି, ଏ ଯାଗାଟା ଭଲ ଲାଗୁଛି କି ନାହିଁ, ଜମିଦାରୀ ନିଜେ ନ ଦେଖୁଥିବାରୁ ଚୋରି ହେଉଛି କି ନାହିଁ, ଏହାର ପରିଚାଳକ ପାଇଁ ଆଉ କୌଣସି ନୂତନ ବନ୍ଦୋବସ୍ତ କରୁଛି କି ନାହିଁ ଇତ୍ୟାଦି, ଇତ୍ୟାଦି ଅନେକ ଅର୍ଥ ଓ ଅନର୍ଥକ ନାନାବିଧ ପ୍ରଶ୍ନୋତ୍ତର ଫାଙ୍କେ ଫାଙ୍କେ କୁଶାରୀ ମହାଶୟଙ୍କର ସାଂସାରିକ ଅବସ୍ଥା ଟିକିଏ ପର୍ଯ୍ୟବେକ୍ଷଣ କରି ଦେଖିବାକୁ ଲାଗିଲି ।

 

ଦେଖିଲି ତାଙ୍କର ଅନେକ ଗୁଡ଼ିକ ଘର ଏବଂ ସେସବୁ ମାଟିର । ତଥାପି ମନେହେଲା କାଶୀନାଥ କୁଶାରୀଙ୍କର ଅବସ୍ଥା ସ୍ୱଚ୍ଛଳ । ବୋଧହୁଏ ଟିକିଏ ବିଶେଷ ରକମର ଭଲ । ଘରଭିତରକୁ ଆସିବାବେଳେ ଚଣ୍ଡୀ ମଣ୍ଡପ ନିକଟରେ ମସ୍ତ ଗୋଟାଏ ଧାନ ଅମାର ଥିବାର ଲକ୍ଷ୍ୟ କରିଥିଲି । ଭିତରେ ଅଗଣାରେ ଦେଖିଲି ସେହିପରି ଆଉ ଦୁଇ ତିନିଟା ମଧ୍ୟ ରହିଛି । ଠିକ୍‌ ଆଗରେ ବୋଧହୁଏ ସେଇଟା ରୋଷାଇ ଘର ହେବ । ତାହାର ଉତ୍ତର ଦିଗରେ ଗୋଟାଏ ଚାଜୀ ଭିତରେ ପାଖାପାଖି ଦୁଇଟା ଢିଙ୍କି । ଜଣାପଡ଼ିଲା ଅଳ୍ପଦିନ ହେବ ଯେପରି ତହିଁରେ ଆଉ କାମ କରାହେଉ ନାହିଁ । ଗୋଟାଏ କାନ୍ଧିଆ ଗଛ ତଳେ ଧାନ ସିଝା ହେବାପାଇଁ ଦୁଇ ତିନିଟା ଚୁଲି ଲିପା ପୋଛା ହୋଇ ଝକ୍‍ଝକ୍‌ କରୁଛି ଏବଂ ସେହି ପରିଷ୍କୃତସ୍ଥାନ ଟିକକ ଉପରେ ଥିବା ଛାୟା ତଳେ ଦୁଇ ତିନୋଟି ବାଛୁରି ଆନନ୍ଦରେ ଆଖିରେ ପଡ଼ିଲା ନାହିଁ ସତ, କିନ୍ତୁ ଏଇଟା ବୁଝାଗଲା ଯେ କୁଶାରୀ ମହାଶୟଙ୍କର ଅନ୍ନଭଳି ଦୁଗ୍‌ଧର ମଧ୍ୟ ବିଶେଷ କୌଣସି ଅନାଟନ ନାହିଁ । ଦକ୍ଷିଣ କାନ୍ଥକୁ ଲାଗି ନଡ଼ାଉପରେ ସାତ ଆଠଟା ବଡ଼ ବଡ଼ ମାଟିର ମାଠିଆ ରଖା ହୋଇଛି । ହୁଏତ ଗୁଡ଼ ଥିବ କିମ୍ୱା ଆଉ କ’ଣ ଥିବ ଜାଣି ହେଉ ନାହିଁ କିନ୍ତୁ ଯତ୍ନ ଦେଖି ମନେହେଲା ନାହିଁ ଯେ ସେଗୁଡ଼ିକ ଶୂନ୍ୟଗର୍ଭା କିମ୍ୱା ଅବହେଳାର ବସ୍ତୁ । କେତେଟା ଖୁଣ୍ଟ ଦେହରେ ଦେଖିଲି କେତେ ଗୋଛା ଝୋଟ ବନ୍ଧା ହୋଇ ରହିଛି । ତେଣୁ ଘରେ ଯେ ବହୁତ ଦଉଡ଼ି ପ୍ରଭୃତି ବ୍ୟବହୃତ ହୁଏ ତାହାମଧ୍ୟ ଅନୁମାନ କରିବାଟା ଅସଙ୍ଗତ ବୋଲି ମନେହେଲା ନାହିଁ ।

 

କୁଶାରୀ ଗୃହିଣୀ ବୋଧହୁଏ ଆମମାନଙ୍କ ଅଭ୍ୟର୍ଥନା ପାଇଁ ଅନ୍ୟତ୍ର ବ୍ୟସ୍ତଥାନ୍ତି । ଗୃହକର୍ତ୍ତା ମଧ୍ୟ ଥରଟିକ ପାଇଁ ଦେଖାଦେଇ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ସେ ହଠାତ୍‌ ବ୍ୟସ୍ତ ହୋଇ ପହଞ୍ଚିଲେ ଏବଂ ରାଜଲକ୍ଷ୍ମୀକୁ ଉଦ୍ଦେଶ୍ୟ କରି ଏକପ୍ରକାର କୈଫିୟତ୍‌ ଦେଇ କହିଲେ–ମାଆ ଯାଉଛି ଏଥର ପୂଜାଟା ଟିକିଏ ସାରିଦେଇ ଆସେ । ପନ୍ଦର ଷୋଳ ବର୍ଷର ଗୋଟିଏ ସୁନ୍ଦର ସବଳକାୟ ସୁନ୍ଦର ବାଳକ ରୋଷାଇ ଘରର ଗୋଟାଏ କଣରେ ଠିଆହୋଇ ଗଭୀର ମନଯୋଗ ସହିତ ଆମମାନଙ୍କର କଥାବାର୍ତ୍ତା ଶୁଣୁଥିଲା । କୁଶାରୀ ମହାଶୟଙ୍କ ଦୃଷ୍ଟି ତା’ ଉପରେ ପଡ଼ିବା କ୍ଷଣି ସେ ପାଟି କରି କହିଉଠିଲେ–ବାବା ହରିପଦ, ନାରାୟଣଙ୍କ ପାଇଁ ଅନ୍ନ ବୋଧହୁଏ ପ୍ରସ୍ତୁତ ହୋଇସାରିଲାଣି । ଯାଆ ତ ବାବୁ ଟିକିଏ ଭୋଗ କରିଦେଇ ଆସିବୁ ବାବା । ପୂଜାର ବାକି ଅଂଶଟା ସାରିବାକୁ ଆଉ ମୋତେ ବେଶୀ ଡେରି ଲାଗିବ ନାହିଁ । ମୋଆଡ଼କୁ ଚାହିଁ କହିଲେ, ଆଜି ମିଛଟାରେ ଆପଣଙ୍କୁ କଷ୍ଟ ଦେଲିଣି । ବହୁତ ଡେରି ହୋଇଗଲାଣି । ଏହା କହି ମୋ ଉତ୍ତରକୁ ଅପେକ୍ଷା ନ କରି ଆଖି ପଲକ ମାତ୍ରେ ଅଦୃଶ୍ୟ ହୋଇଗଲେ ।

 

ଏଥର ଯଥା କାଳେ, ଅର୍ଥାତ୍‌ ଯଥା କାଳର ଅନେକ ପରେ ଆମମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଯାଗା ହୋଇଥିବା ଖବର ଆସି ପହଞ୍ଚିଲା । ଯାହାହେଉ ବଞ୍ଚିଗଲି । କେବଳ ଅତିରକ୍ତି ବେଳ ପାଇଁ ନୁହେଁ, ବରଂ ଏଥର ଆଗନ୍ତୁକମାନଙ୍କର ପ୍ରଶ୍ନ ବାଣରୁ ରକ୍ଷା ପାଇପାରିଥିବାରୁ ନିଃଶ୍ୱାସ ମାରିଲି । ସେମାନଙ୍କର ଖାଦ୍ୟ ପ୍ରସ୍ତୁତ ହୋଇଯାଇଥିବାର ଖବର ଶୁଣି ଅନ୍ତତଃ କିଛିକ୍ଷଣ ପାଇଁ ମୋତେ ଅବ୍ୟାହତ ଦେଇ ଯିଏ ଯାହାର ଘରକୁ ଚାଲିଗଲେ । କିନ୍ତୁ ଖାଇବାକୁ ବସିଲି ମୁଁ ଏକା । କୁଶାରୀ ମହାଶୟ ମୋ ସଙ୍ଗେ ଖାଇବାକୁ ବସିଲେ ନାହିଁ । ଆସି ଆଗରେ ବସିଲେ । କାରଣଟା ସେ ନିଜେ ସବିନୟରେ ଏବଂ ସଗୌରବରେ ବ୍ୟକ୍ତ କରି ବସିଲେ । ଉପବୀତ ଧାରଣ ଦିନ ଭୋଜନ କାଳରେ ସେ ଯେଉଁ ମୌନବ୍ରତ ଧାରଣ କରିଥିଲେ ଆଜି ପର୍ଯ୍ୟନ୍ତ ତାକୁ ଭାଙ୍ଗିପାରିନାହାନ୍ତି । ସୁତରାଂ ଏକାକୀ ଗୋଟିଏ ନିର୍ଜନ ଗୃହରେ ଏଇ କାର୍ଯ୍ୟଟା ସେ ସଂପନ୍ନ କରି ଆସୁଛନ୍ତି । ଆପତ୍ତି କଲି ନାହିଁ କିମ୍ୱା ଆଶ୍ଚର୍ଯ୍ୟ ହେଲି ନାହିଁ । କିନ୍ତୁ ରାଜଲକ୍ଷ୍ମୀ ସମ୍ୱନ୍ଧରେ ଯେତେବେଳେ ଶୁଣିଲି ଯେ ଆଜି ତା’ର କ’ଣ ଗୋଟାଏ ବ୍ରତ ଅଛି, ସେଥିପାଇଁ ସେ ପରାନ୍ନ ଗ୍ରହଣ କରିବ ନାହିଁ ସେତେବେଳେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲି ନାହିଁ । ଏହି ଛଳନା ପାଇଁ ମନେମନେ କ୍ଷୁବ୍‌ଧ ହୋଇଉଠିଲ ଏବଂ ଏହାର କ’ଣ ଅବା ଆବଶ୍ୟକତା ଥିଲା ଭାବି ଠିକ୍‌ କରିପାରିଲି ନାହିଁ । କିନ୍ତୁ ରାଜଲକ୍ଷ୍ମୀ ମୋ ମନର କଥା ପଲକ ମାତ୍ରେ ବୁଝିପାରି କହିଲା–ସେଥିପାଇଁ ତୁମେ ଦୁଃଖ କର ନାହିଁ । ଭଲ କରି ପେଟପୂରାଇ ଖାଅ । ମୁଁ ଯେ ଆଜି ଖାଇବି ନାହିଁ, ଏକଥା ସମସ୍ତେ ଜାଣନ୍ତି ।

 

କହିଲି–ଅଥଚ ମୁଁ ଜାଣେ ନାହିଁ । କିନ୍ତୁ ଏହା ଯଦି ସତ, ତେବେ ଏତେ କଷ୍ଟକରି ଆସିବାର କ’ଣ ଅବା ଆବଶ୍ୟକ ଥିଲା ?

 

ଏହାର ଉତ୍ତର ରାଜଲକ୍ଷ୍ମୀ ଦେଲା ନାହିଁ । ଦେଲେ କୁଶାରୀ ମହାଶୟଙ୍କ ଗୃହିଣୀ । କହିଲେ–ଏ କଷ୍ଟ ମୁଁ ଦିଆଇଛି ବାବୁ, ମାଆ ଯେ ଏଠାରେ ଖାଇବେ ନାହିଁ ତାହା ମୁଁ ଜାଣେ । ତଥାପି ଆମେ ଯାହାଙ୍କ ଦୟାରୁ ଦୁଇଟି ଅନ୍ନ ଖାଇବାକୁ ପାଉଛୁ, ତାଙ୍କ ପାଦଧୂଳି ଏ କୁଡ଼ିଆରେ ପଡ଼ିବାର ଲୋଭକୁ ସମ୍ଭାଳି ପାରିଲି ନାହିଁ । କ’ଣ କହୁଛ ମାଆ ? ଏହା କହି ସେ ରାଜଲକ୍ଷ୍ମୀ ମୁହଁକୁ ଚାହିଁ ରହିଲେ ।

 

ରାଜଲକ୍ଷ୍ମୀ କହିଲା–ଏହାର ଉତ୍ତର ଆଜି ନୁହେଁ ମାଆ, ଆଉ ଦିନେ ତୁମକୁ ଦେବି । ଏହା କହି ସେ ହସିଲା ।

 

ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହୋଇ କୁଶାରୀ ଗୃହିଣୀଙ୍କ ମୁହଁକୁ ଚାହିଁ ରହିଲି । ପଲ୍ଲୀ ଗ୍ରାମରେ, ବିଶେଷ କରି ଏପରି ସୁଦୂର ମଫସଲରେ ଠିକ୍‌ ଏପରି ସରଳ ସୁନ୍ଦର କଥାଗୁଡ଼ିଏ କୌଣସି ରମଣୀ ମୁହଁରୁ ଶୁଣିବାର କଳ୍ପନା କରିନଥିଲି । ମୋତେ ପରିବେଷଣ କରିବା ଭାର ସେହି ବିଧବା ଝିଅଟି ଉପରେ ନ୍ୟସ୍ତ କରି କୁଶାରୀ ଗୃହିଣୀ ମୋପାଖରେ ବସି ବଞ୍ଚିବାକୁ ଲାଗିଥିଲେ । ବୋଧହୁଏ ବୟସରେ ସେ ମୋଠାରୁ ଅନେକ ବେଶୀ ହେବେ ବୋଲି ଓଢ଼ଣା ଛଡ଼ା ଆଉ କୌଣସି ଆବରଣ ମୁହଁରେ ରଖିନଥିଲେ । ତାହା ସୁନ୍ଦର କି ଅସୁନ୍ଦର ବୋଲି ମନେହେଲା ନାହିଁ । କେବଳ ଏତିକି ମନେହେଲା, ତାହା ସାଧାରଣ ବଂଶୀୟ ମାଆଙ୍କ ଭଳି ସ୍ନେହ ଓ କରୁଣାରେ ପରିପୂର୍ଣ୍ଣ । ଦ୍ୱାର ନିକଟରେ ଗୃହ କର୍ତ୍ତା ସ୍ୱୟଂ ଠିଆହୋଇ ରହିଥିଲେ । ବାହାରୁ ତାଙ୍କ ଝିଅଟି ଡାକକରି କହିଲା–ବାବା, ଆପଣଙ୍କ ପାଇଁ ଖାଇବା ବଢ଼ା ହୋଇଛି । ବେଳ ଅନେକ ହୋଇଗଲାଣି । ଏଇ ଖବର ଟିକକ ପାଇଁ ବୋଧହୁଏ କୁଶାରୀ ମହାଶୟ ସାଗ୍ରହରେ ଅପେକ୍ଷା କରି ଠିଆହୋଇଥିଲେ, ତଥାପି ଥରକ ପାଇଁ ବାହାରକୁ ଓ ଥରକ ପାଇଁ ମୋ ପ୍ରତି ଦୃଷ୍ଟିପାତ କରି କହିଲେ ବର୍ତ୍ତମାନ ଟିକିଏ ରହ ମାଆ, ବାବୁଙ୍କ ଖାଇବାଟା...

 

ଗୃହିଣୀ ତତ୍‌କ୍ଷଣାତ୍‌ ବାଧାଦେଇ କହିଲେ–ନା, ତୁମେ ଯାଅ । ମିଛଟାରେ ସମୟ ନଷ୍ଟ କର ନାହିଁ । ଥଣ୍ଡା ହୋଇଗଲେ ତୁମେ ଖାଇପାରିବ ନାହିଁ, ମୁଁ ଭଲ କରି ଜାଣେ ।

 

କୁଶାରୀ ମହାଶୟ ସଂକୋଚ ବୋଧ କରୁଥିଲେ, କହିଲେ–ନଷ୍ଟ ଆଉ କ’ଣ ହେବ, ବାବୁଙ୍କର ଖାଇବାଟା ସରିଯାଉ...

 

ଗୃହିଣୀ କହିଲେ ମୁଁ ରହିଲେ ଯଦି ଖାଇବାରେ ତ୍ରୁଟି ହେଉଥିବ ତେବେ ତୁମେ ଠିଆହୋଇ ରହିଲେ ସୁଦ୍ଧା ତାହା ଦୂର ହୋଇପାରିବ ନାହିଁ । ତୁମେ ଯିବଟି...କ’ଣ କହୁଛ ବାବା ? ଏହା କହି ସେ ମୋ ଆଡ଼କୁ ଚାହିଁ ହସିଲେ । ମୁଁ ମଧ୍ୟ ହସିଦେଇ କହିଲି–ହୁଏତ ତ୍ରୁଟି ବଢ଼ିପାରେ । ଆପଣ ଯାଆନ୍ତୁ କୁଶାରୀ ମହାଶୟ, ଏପରି ନ ଖାଇ କରି ଚାହିଁ ରହିଲେ କୌଣସି ପକ୍ଷକୁ ସୁବିଧା ହେବ ନାହିଁ । ସେ ଆଉ ବାକ୍ୟ ବ୍ୟୟ ନ କରି, ଧୀରେଧୀରେ ଚାଲିଗଲେ । ମନେହେଲା ଯେପରି ସମ୍ମାନିତ ଅତିଥିଙ୍କ ଭୋଜନ ପାଖରେ ରହିପାରୁନଥିବା ଜନିତ ସଂକୋଚଟା ସଙ୍ଗରେ ନେଇଗଲେ-। କିନ୍ତୁ ଏଇଟା ଯେ ମୋର ବିରାଟ ଭୁଲ୍ ହୋଇଥିଲା ତାହା ପରେ ବୁଝିପାରିଲି । ଚାଲିଗଲା ପରେ ତାଙ୍କ ଗୃହିଣୀ କହିଲେ, ନିରାମିଷ ଓ ଅରୁଆ ଚାଉଲର ଭାତ ସେ ଖା’ନ୍ତି । ଡେରି ହୋଇଗଲେ ଆଉ ଖାଇବେ ନାହିଁ । ସେଥିପାଇଁ ଜୋରକରି ପଠାଇଦେଲି । କିନ୍ତୁ ଏକଥା ମଧ୍ୟ କହିରଖୁଛି ବାବା, ଯିଏ ଅନ୍ନଦାତା ତାଙ୍କୁ ଆଗ କାଳରେ ନିଜ ଘରେ ଅନ୍ନ ଗ୍ରହଣ କରାଇବା କଠିନ ଥିଲା ।

 

କଥାଟାରେ ମନେମନେ ମୁଁ ଲଜ୍ଜିତ ହେବାକୁ ଲାଗିଲି । କହିଲି ଅନ୍ନଦାତା ମୁଁ ନୁହେଁ । କିନ୍ତୁ ତା’ ଯଦି ସତ୍ୟହୁଏ, ତାହା ଏତିକି ଅଳ୍ପ ଯେ, ସେ ଟିକକ ଯଦି ବାଦ୍‌ ଯାଏ ବୋଧହୁଏ ଆପଣମାନେ ଜାଣିପାରିବେ ନାହିଁ ।

 

କୁଶାରୀ ଗୃହିଣୀ କ୍ଷଣକାଳ ପାଇଁ ଚୁପ୍‌ ହୋଇ ରହିଲେ । ମନେହେଲା ଧୀରେ ଧୀରେ ଯେପରି ତାଙ୍କ ମୁହଁଟା ମଳିନ ପଡ଼ିବାକୁ ଲାଗିଛି । ତା’ପରେ କହିଲେ, ତୁମ କଥାଟା ନିତ୍ୟାନ୍ତ ମିଥ୍ୟା ନୁହେଁ ବାବା, ଭଗବାନ ଆମକୁ କିଛି କମ ଦେଇନାହାନ୍ତି । ବର୍ତ୍ତମାନ ମନେହେଉଛି ଯଦି ସେ ଏତେ ନ ଦେଇଥାନ୍ତେ ହୁଏତ ଏହାଠାରୁ ତାଙ୍କର ଦୟା ବେଶୀ ପ୍ରକାଶିତ ହୋଇପାରିଥାନ୍ତା । ଘରେ ତ କେବଳ ଏଇ ବିଧବା ଝିଅଟି... କ’ଣ ହେବ ଆମର ଅମାର ଭର୍ତ୍ତି ଧାନ, କରେଇ ଭରା ଦୁଧ, ଆଉ ମାଠିଆ ମାଠିଆ ଗୁଡ଼ ସଞ୍ଚି ରଖି ? ଏସବୁ ଭୋଗ କରିବାକୁ ଯେଉଁମାନେ ଥିଲେ ସେମାନେ ତ ଆମକୁ ତ୍ୟାଗ କରି ଚାଲିଗଲେ ।

 

କଥାଟା ସେପରି କିଛି ନୁହେଁ । କିନ୍ତୁ କହୁ କହୁ ଦୁଇଆଖି ଛଳ ଛଳେଇ ଆସିଲା ଏବଂ ଓଠ ଥରିବାକୁ ଲାଗିଲା । ବୁଝିପାରିଲି ଗଭୀର ବେଦନା ଏଇ କଥା କେଇପଦ ଭିତରେ ଅଛି । ଭାବିଲି ହୁଏତ ତାଙ୍କର କୌଣସି ପାରିଲାର ପୁଅର ମୃତ୍ୟୁ ହୋଇଛି ଏବଂ ଏଇ ଯେ ପିଲାଟିକୁ ଅଳ୍ପ ସମୟ ପୂର୍ବେ ଦେଖିଥିଲି, ତାକୁ ଅବଲମ୍ୱନ କରି ଏଇ ପିତା–ମାତା ବୋଧହୁଏ କୌଣସି ସାନ୍ତ୍ୱନା ପାଇପାରୁ ନାହାନ୍ତି । ମୁଁ ନୀରବ ହୋଇ ରହିଲି । ରାଜଲକ୍ଷ୍ମୀ ମଧ୍ୟ କିଛି କଥା ନ କହି ତାଙ୍କ ହାତଟିକୁ ମୁଠାଇ ଧରି ଠିକ୍ ମୋ ପରି ନୀରବ ହୋଇ ରହିଲା । କିନ୍ତୁ ତାଙ୍କର ପରବର୍ତ୍ତୀ କଥାରେ ଆମମାନଙ୍କର ଭୁଲ୍ ଧାରଣା ଭାଙ୍ଗିଗଲା । ସେ ଆପଣାକୁ ଆପେ ସମ୍ୱରଣ କରିନେଇ ପୁନଶ୍ଚ କହିଲେ–ଆପଣ ଦୁହେଁ ଆମମାନଙ୍କର ଅନ୍ନଦାତା । କର୍ତ୍ତାଙ୍କୁ କହିଲି ମୁନିବଙ୍କୁ ଦୁଃଖର କଥା କହିବାରେ ଲାଜ କ’ଣ ? ବାବା ଓ ମାଆଙ୍କୁ ଥରେ ନିମନ୍ତ୍ରଣ କରି ଆମମାନଙ୍କ ପାଖକୁ ଡାକିଆଣ । ମୁଁ ତାଙ୍କ ନିକଟରେ କାନ୍ଦି କରି ସବୁ କହିବି, ଦେଖାଯାଉ ସେମାନେ କାଳେ ଏହାର କିଛି ଗୋଟାଏ ପ୍ରତିକାର କରିପାରନ୍ତି । ଏହା କହି ସେ ପଣତ କାନିରେ ନିଜର ଅଶ୍ରୁଜଳ ପୋଛିଲେ । ସମସ୍ୟା ଅତ୍ୟନ୍ତ ଜଟିଳ ହୋଇଉଠିଲା । ରାଜଲକ୍ଷ୍ମୀ ମୁହଁକୁ ଚାହିଁ ଦେଖିଲି ସେ ମଧ୍ୟ ସଂଶୟରେ ପଡ଼ିଛି । କିନ୍ତୁ ପୂର୍ବ ପରି ଏଥର ମଧ୍ୟ ଦୁଇଜଣ ଚୁପ୍‌ ରହିଲୁ ।

 

କୁଶାରୀ ଗୃହିଣୀ ଏଥର ତାଙ୍କ ଦୁଃଖର ଇତିହାସ ଧୀରେ ଧୀରେ କହିବାକୁ ଲାଗିଲେ । ଶେଷ ପର୍ଯ୍ୟନ୍ତ ଶୁଣିସାରିବା ପରେ କାହା ମୁହଁରୁ କିଛି କଥା ବାହାରିଲା ନାହିଁ । କିନ୍ତୁ ଏ ବିଷୟରେ କାହାର ସନ୍ଦେହ ରହିଲା ନାହିଁ ଯେ, ଏତେ କଥା କହିବାକୁ ଗଲେ ପ୍ରକୃତରେ ଏଭଳି ଦୀର୍ଘ ଭୂମିକାର ପ୍ରୟୋଜନ ଥିଲା । ରାଜଲକ୍ଷ୍ମୀ ପରାନ୍ମ ଗ୍ରହଣ କରିବ ନାହିଁ ଶୁଣି ମଧ୍ୟ ଏଇ ମଧ୍ୟାହ୍ନଭୋଜନକୁ ନିମନ୍ତ୍ରଣ କରିବାଠାରୁ ଆରମ୍ଭ କରି କର୍ତ୍ତାଟିକୁ ଅନ୍ୟତ୍ର ପଠାଇବା ପର୍ଯ୍ୟନ୍ତ କିଛି ସେ ବାଦ ଦେଲେ ନାହିଁ । କିନ୍ତୁ ସେ ଯାହାହେଉ, କୁଶାରୀ ଗୃହିଣୀ ତାଙ୍କ ଚକ୍ଷୁର ଜଳ ଏବଂ ଅସ୍ପଷ୍ଟ ବାକ୍ୟ ଭିତର ଦେଇ କେତେ ଯେ ବ୍ୟକ୍ତ କରି ବସିଲେ, ତାହା ଜାଣି ନାହିଁ ଏବଂ ଏଥିରୁ ଯେ କେତେ ସତ୍ୟ ତାହା ମଧ୍ୟ ଗୋଟିଏ ପକ୍ଷରୁ ଶୁଣି ନିର୍ଣ୍ଣୟ କରିବା କଠିନ । କିନ୍ତୁ ଆମମାନଙ୍କର ମଧ୍ୟସ୍ଥତାରେ ଯେଉଁ ସମସ୍ୟାଟିକୁ ଆଜି ନିଷ୍ପତ୍ତି କରିବାକୁ ସନିର୍ବଦ୍ଧ ଆବେଦନ କଲେ, ତାହା ଯେପରି ବିସ୍ମୟକର, ସେହିପରି ମଧୁର ଓ ସେହିପରି କଠିନ ।

 

କୁଶାରୀ ଗୃହିଣୀ ଯେଉଁ ଦୁଃଖର ଇତିହାସକୁ ବର୍ଣ୍ଣନା କରିବାକୁ ଲାଗିଲେ ତାହାର ମୋଟ କଥାଟା ହେଉଛି ଯେ ଘରେ ତାଙ୍କର ଯଥେଷ୍ଟ ଖାଇବା ପିଇବାର ସ୍ୱଚ୍ଛଳତା ଥିବା ସତ୍ତ୍ୱେ ମଧ୍ୟ ସଂସାରଟା ତାଙ୍କ ପକ୍ଷରେ ବିଷମୟ ହୋଇଉଠିଛି ତାହା ନୁହେଁ ବରଂ ସାରା ପୃଥିବୀ ଆଗରେ ସେମାନେ ଲଜ୍ଜ୍ୟାରେ ମୁହଁ ଦେଖାଇ ପାରୁନାହାନ୍ତି । ଏ ସମସ୍ତ ଦୁଃଖର ମୂଳ କାରଣ ହେଉଛି ତାଙ୍କ ଛୋଟ ଯାଆ ସୁନନ୍ଦା । ଯଦିଓ ତାଙ୍କ ଦିଅର ଯଦୁନାଥ ନ୍ୟାୟରତ୍ନ ମଧ୍ୟ କମ୍‌ ଶତ୍ରୁତା କରି ନାହିଁ କିନ୍ତୁ ଅସଲ ଅଭିଯୋଗଟା ତାଙ୍କର ସେଇ ସୁନନ୍ଦା ବିରୁଦ୍ଧରେ । ଏହି ବିଦ୍ରୋହିଣୀ ସୁନନ୍ଦା ଏବଂ ତା’ର ସ୍ୱାମୀ ଯେତେବେଳେ ଆମ ପ୍ରଜା; ସେତେବେଳେ ଯେପରି ଭାବରେ ହେଉ ସେମାନଙ୍କୁ ବଶ କରିବାକୁ ହେବ । ସଂକ୍ଷେପରେ ଘଟଣା ଏହି ପ୍ରକାରର । ତାଙ୍କ ଶାଶୁ ଶଶୁର ଯେତେବେଳେ ସ୍ୱର୍ଗବାସୀ ସେତେବେଳେ ସେ ଏ ଘରର ବୋହୂ । ଯଦୁ କେବଳ ଛଅ ସାତବର୍ଷର ବାଳକ । ଏହି ବାଳକକୁ ମଣିଷ କରିବାର ଭାର ତାଙ୍କ ଉପରେ ପଡ଼େ ଏବଂ ସେହିଦିନଠାରୁ ଏ ଭାର ସେ ଦହନ କରି ଆସିଛନ୍ତି । ପୈତୃକ ସଂପତ୍ତି ଭିତରେ ଖଣ୍ଡିଏ ମାଟିଘର, ଦୁଇ ତିନି ବିଘା ଜମି ଏବଂ କେତେ ଘର ସଜମାନ । ମାତ୍ର ଏତିକିକୁ ଭରସା କରି ତାଙ୍କ ସ୍ୱାମୀଙ୍କୁ ସଂସାର ସାଗରରେ ତରଣୀ ଭସାଇବାକୁ ହେଲା । ଆଜି ଏଇ ଯେ ପ୍ରାଚୁର୍ଯ୍ୟ, ଏଇ ଯେ ସ୍ୱଚ୍ଛଳତା, ଏ ସବୁ କେବଳ ତାଙ୍କ ସ୍ୱଉପାର୍ଜନର ଫଳ । ଦିଅର କୌଣସି ସାହାଯ୍ୟ କରିନାହାନ୍ତି ଏବଂ କେତେବେଳେ ତାଙ୍କଠାରେ ସାହାଯ୍ୟ ମଧ୍ୟ ପ୍ରାର୍ଥନା କରାଯାଇ ନାହିଁ ।

 

ମୁଁ କହିଲି–ବର୍ତ୍ତମାନ ସେ ବୋଧହୁଏ ବହୁତ କିଛି ଦାବି କରୁଛନ୍ତି ?

 

କୁଶାରୀ ଗୃହିଣୀ ମୁଣ୍ଡ ହଲାଇ କହିଲା–ଦାବି କ’ଣ ବାବା, ଏ ସବୁ ତ ତା’ର । ସମସ୍ତ ସଂପତ୍ତି ସେ ନେଇଥାନ୍ତା ଯଦି ସୁନନ୍ଦା ଆସି ଉପରେ ପଡ଼ି ଆମ ସୁନାର ସଂସାରକୁ ଛାରଖାର କରି ଦେଇନଥାନ୍ତା ।

 

ମୁଁ କଥାଟାକୁ ଠିକ୍‌ ଭାବରେ ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ ପଚାରିଲି କିନ୍ତୁ ଆପଣଙ୍କ ଏଇ ପୁଅଟି ?

 

ସେ ପ୍ରଥମେ ବୁଝିପାରିଲେ ନାହିଁ । ପରେ ବୁଝିପାରି କହିଲେ–ଏଇ ବିଜୟର କଥା କହୁଛି ? ସେ ତ ମୋର ପୁଅ ନୁହେଁ ବାବା, ଜଣେ ଛାତ୍ର । ଦିଅରଙ୍କ ଟୋଲରେ ପଢ଼େ । କେବଳ ଆମ ପାଖରେ ରହେ । ଏହା କହି ସେ ବିଜୟ ସମ୍ୱନ୍ଧରେ ଆମର ଅଜ୍ଞତାକୁ ଦୂର କରିବାକୁ ଯାଇ କହିବାକୁ ଲାଗିଲେ–କେତେ ଦୁଃଖରେ ଯେ ଦିଅରଙ୍କୁ ମଣିଷ କରିଛି ସେ କଥା ଭଗବାନ ହିଁ ଜାଣନ୍ତି ଏବଂ ଏଇ ଗାଆଁର ଲୋକମାନେ କିଛି କିଛି ଜାଣନ୍ତି । କିନ୍ତୁ ଆଜି ସେ ନିଜେ ସବୁ ଭୁଲିଯାଇଛି; କେବଳ ଆମେମାନେ ଯାହା ଭୁଲିପାରି ନାହୁଁ । ଏହା କହି ସେ ଆଖି କଣଟା ପୋଛିଦେଇ କହିଲେ–ସେ ସବୁ ଥାଉ ବାବା, ସେ ସବୁ ଅନେକ କଥା । ମୁଁ ଦିଅରଙ୍କୁ ବ୍ରତ କରାଇଲି, କର୍ତ୍ତା ତାଙ୍କୁ ପଢ଼ିବା ପାଇଁ ମିହିରପୁରର ଶିବୁ ତର୍କାଳଙ୍କାରଙ୍କ ଟୋଲକୁ ପଠାଇଦେଲେ । ବାବା, ପିଲାଟାକୁ ଛାଡ଼ି ରହିପାରେ ନାହିଁ ବୋଲି ମୁଁ କେତେଦିନ ଯାଇ ମିହିରପୁରରେ ରହି କରିଆସିଛି । ସେ କଥା ମଧ୍ୟ ଆଜି ତା’ର ମନେପଡ଼େ ନାହିଁ । ଛାଡ଼ । ଏପରି ଭାବରେ କେତେ ବର୍ଷ କଟିଗଲା, ଦିଅରଙ୍କ ପାଠପଢ଼ା ସରିଲା । କର୍ତ୍ତା ତାଙ୍କୁ ସଂସାରୀ କରିବା ପାଇଁ ଝିଅ ଖୋଜି ବୁଲିଲେ । ଏପରି ସମୟରେ କୁହା ନାହିଁ, ବୋଲା ନାହିଁ ହଠାତ୍‌ ଦିନେ ସେ ଶିବୁ ତର୍କାଳଙ୍କାରଙ୍କ କନ୍ୟା ସୁନନ୍ଦାକୁ ବିବାହ ହୋଇ ଆସି ପହଞ୍ଚିଲା । ମୋତେ ନ କହିଲେ ନାହିଁ ପଛକେ ଏପରିକି ଭାଇକୁ ସୁଦ୍ଧା ବାହାଘର ବିଷୟରେ ପଚାରିଲା ନାହିଁ ।

 

ମୁଁ ଆସ୍ତେ ଆସ୍ତେ ପଚାରିଲି–ମତ ନ ନେବାର କ’ଣ କିଛି ବିଶେଷ କାରଣ ଥିଲା ?

ଶ୍ରୀକାନ୍ତ

 

ଗୃହିଣୀ କହିଲେ–ଥିଲା ନୁହେଁ କ’ଣ ? ସେମାନେ ଆମମାନଙ୍କ ସମାନ ଘର ନୁହନ୍ତି ? କୂଳ, ଶୀଳ ଏବଂ ମାନ ସମ୍ମାନରେ ଢେର ଛୋଟ । କର୍ତ୍ତା ରାଗ କଲେ । ଦୁଃଖରେ, ଏପରିକି ଲଜ୍ଜ୍ୟାରେ ମାସକ ପର୍ଯ୍ୟନ୍ତ ଗାଆଁରେ କାହାକୁ ମୁହଁ ଦେଖାଇଲେ ନାହିଁ । କିନ୍ତୁ ମୁଁ ଆଦୌ ରାଗ କରି ନାହିଁ । ସୁନନ୍ଦାର ମୁହଁଟିକୁ ଦେଖି ପ୍ରଥମରୁ ଯେପରି ମୁଁ ତରଳିଗଲି । ତା’ ଉପରେ ଯେତେବେଳେ ଶୁଣିବାକୁ ପାଇଲି ମାଆ ମରିଯାଇଛନ୍ତି ଏବଂ ତା’ ବାପ ଦିଅରଙ୍କ ହାତରେ ତାକୁ ସଂପି ଦେଇ ସନ୍ୟାସୀ ହୋଇ ବାହାରି ଯାଇଛନ୍ତି ସେତେବେଳେ ଏଇ ଛୋଟ ଝିଅଟିକୁ ପାଇ ମୋର ଯେ କ’ଣ ହେଲା ତାହା ତୁମକୁ ବୁଝାଇ କହିପାରିବି ନାହିଁ । କିନ୍ତୁ ସେ ଯେ ଦିନେ ମୋ ଉପକାରକୁ ଏପରି ଭାବରେ ଶୁଝାଇ ବସିବ ଏକଥା ସେତେବେଳେ କିଏ ଅବା ଭାବିଥିଲା ? ଏହା କହି ସେ ଝର୍‌ ଝର୍‌ ହୋଇ କାନ୍ଦି ପକାଇଲେ ।

 

ବୁଝିପାରିଲି, ଏହିଠାରେ ବ୍ୟଥାଟା ଅତିଶୟ ତୀବ୍ର । କିନ୍ତୁ ନୀରବ ରହିଲି । ରାଜଲକ୍ଷ୍ମୀ ମଧ୍ୟ ଏତେ ସମୟ ଧରି କିଛି କହିନଥିଲା । ବର୍ତ୍ତମାନ ସେ ଧୀରେ ଧୀରେ ପଚାରିଲା–ବର୍ତ୍ତମାନ ସେମାନେ କେଉଁଠାରେ ?

 

ପ୍ରତ୍ୟୁତ୍ତର ଦେବାକୁ ଯାଇ ମୁଣ୍ଡ ହଲାଇ ସେ ଯାହା କହି ବସିଲେ ସେଥିରୁ ବୁଝାଗଲା ଯେ ଅଦ୍ୟାବଧି ସେମାନେ ଏଇ ଗାଆଁରେ ଅଛନ୍ତି । ଏହାପରେ ଅନେକ ସମୟ ପର୍ଯ୍ୟନ୍ତ କଥା କହିଲେ ନାହିଁ । ତାଙ୍କୁ ସୁସ୍ଥ ହେବାପାଇଁ ବେଶ୍‌ କିଛି ସମୟ ଲାଗିଲା । କିନ୍ତୁ ଅସଲ କଥାଟା ବୁଝାପଡ଼ିଲା ନାହିଁ । ଏଣେ ମୋର ଖାଇବା ପ୍ରାୟ ଶେଷ ହୋଇ ଆସିଥିଲା । କାରଣ ତାଙ୍କର କନ୍ଦାକଟା ସତ୍ତ୍ୱେ ମଧ୍ୟ ମୋର ଏ ବିଷୟରେ ବିଘ୍ନ ଘଟିନଥିଲା । ହଠାତ୍‌ ସେ ଆଖି ପୋଛି ସିଧାହୋଇ ବସିଲେ ଏବଂ ମୋ ଥାଳିକୁ ଚାହିଁ ଅନୁତପ୍ତ କଣ୍ଠରେ କହିଲେ, ଆଉ ବାବା, ସବୁ ଦୁଃଖ କହି ବସିଲେ ସରିବ ନାହିଁ । ତୁମର ମଧ୍ୟ ଶୁଣିବାକୁ ଧୈର୍ଯ୍ୟ ରହିବ ନାହିଁ । ମୋ ସୁନା ସଂସାରକୁ ଯିଏ ଆଖିରେ ଦେଖିଛି ସେହିହିଁ କେବଳ ଜାଣିପାରିଛି । ସାନ ବୋହୂ ମୋର ସର୍ବନାଶ କରି ଦେଇଗଲା । କେବଳ ସେହି ଲଙ୍କା କାଣ୍ଡଟା ସଂକ୍ଷେପରେ ତୁମ ଆଗରେ କହିବି ।

 

ଯେଉଁ ସମ୍ପତ୍ତିଟା ଉପରେ ଆମମାନଙ୍କର ସବୁ ନିର୍ଭର କରେ, ସେଇଟା ଦିନେ ଜଣେ ତନ୍ତୀର ଥିଲା । ଅନେକ ବର୍ଷ ପୂର୍ବେ ହଠାତ୍‌ ଦିନେ ସକାଳେ ତା’ ବିଧବା ସ୍ତ୍ରୀ ନାବାଳକ ପିଲାଟିକୁ ସଙ୍ଗରେ ଧରି ଆସି ଘରେ ପହଞ୍ଚିଲା । ରାଗରେ ସେ କେତେ କ’ଣ କହିଗଲା ତା’ର ଠିକଣା ନ ଥାଏ । ସେ ଯାହା କହିଗଲା ହୁଏତ ସେଥିରୁ ସବୁଗୁଡ଼ାକ ମିଛ । ସାନ ବୋହୂ ଗାଧୋଇ ସାରି ରୋଷାଇ ଘରକୁ ଯାଉଥିଲା, ସେ ଯେପରି ଏ ସବୁ ଶୁଣି ଏକବାର ପଥର ହୋଇଗଲା । ସେ ଚାଲିଗଲାପରେ ମଧ୍ୟ ତା’ର ସେ ଭାବ ଘୁଞ୍ଚିଲା ନାହିଁ । ମୁଁ ଡାକି କରି କହିଲି–ସୁନନ୍ଦା, ଠିଆହୋଇ ରହିଲୁ କ’ଣ ? ବେଳ ହୋଇଯାଉଛି ନା ? କିନ୍ତୁ ଉତ୍ତର ପାଇଁ ତା’ ମୁହଁକୁ ଚାହିଁବା କ୍ଷଣି ମୋତେ ଭୟ ଲାଗିଲା । ତା’ ଆଖି ଚାହାଣିରୁ କେଉଁଠାରୁ ଯେପରି ଗୋଟାଏ ଆଲୋକ ଫୁଟିଉଠୁଥାଏ କିନ୍ତୁ ତା’ର ଶ୍ୟାମ ବର୍ଣ୍ଣ ଦେହଟି ପୂରାପୂରି ଶେତା ଓ ବିବର୍ଣ୍ଣ ହୋଇପଡ଼ିଥାଏ । ତନ୍ତୀ ବୋହୂଟିର ପ୍ରତ୍ୟେକ କଥା ଯେପରି ବିନ୍ଦୁବିନ୍ଦୁ ହୋଇ ତା’ ଶରୀରରୁ ସମସ୍ତ ରକ୍ତ ଶୁଷ୍କ କରିନେଇଛି । ସେ ହଠାତ୍‌ ମୋତେ କିଛି କହିଲା ନାହିଁ, କିନ୍ତୁ ଆସ୍ତେ ଆସ୍ତେ ମୋ ପାଖକୁ ଆସି କହିଲା, ନାନୀ, ତନ୍ତୀ ସ୍ତ୍ରୀଟିକୁ ତା’ ଜମି ଫେରାଇଦେବ ନାହିଁ ? ତା’ର ଏଇ ଟିକକ ନାବାଳକ ପିଲାଟିକୁ ତା’ ସଂପତ୍ତିରୁ ବଞ୍ଚିତ କରି ସାରା ଜୀବନ କ’ଣ ତାକୁ ପଥର ଭିକାରି କରିଦେବ ?

 

ଆଶ୍ଚର୍ଯ୍ୟ ହୋଇ କହିଲି–ଶୁଣ ୟା’ କଥା ! କହ୍ନେଇ ବସାକର ସବୁ ସଂପତ୍ତି ଦେଣା ଦାୟରେ ବିକ୍ରି ହୋଇଯାଉଥିଲା ବେଳେ ଇୟେ କିଣିଛନ୍ତି । ନିଜର କିଣା ସଂପତ୍ତିକୁ କିଏ କ’ଣ କେବେ ପୁଣି ଫେରାଇ ଦେଇପାରେ ଛୋଟ ବୋହୂ ?

 

ଛୋଟ ବୋହୂ କହିଲା–କିନ୍ତୁ ଦେଢ଼ଶୁର ଏତେ ଟଙ୍କା ପାଇଲେ କେଉଁଠାରୁ ?

 

ରାଗିଉଠି ଉତ୍ତର ଦେଲି–ସେ କଥା ପଚାରିବୁ ତୋ ଦେଢ଼ଶୁରଙ୍କୁ–ଯିଏ ସମ୍ପତ୍ତି ସବୁ କିଣିଛନ୍ତି । ଏହା କହି ଆହ୍ନିକ କରିବାକୁ ଚାଲିଗଲି ।

 

ରାଜଲକ୍ଷ୍ମୀ କହିଲା–ପ୍ରକୃତରେ ତ ! ଯେଉଁ ସଂପତ୍ତି ବିକ୍ରି ହୋଇଯାଇଛି ତାକୁ ଫେରାଇଦେବା ପାଇଁ ଛୋଟ ବୋହୂ କହୁଥିଲା ଅବା କିପରି ?

 

କୁଶାରୀ ଗୃହିଣୀ କହିଲେ–ଠିକ୍‌ କହିଲି ଏକା....ଏକଥା କହିବା ସତ୍ତ୍ୱେ ମଧ୍ୟ ତାଙ୍କ ମୁହଁରେ ଲାଜର ଯେପରି ଗୋଟିଏ କଳା ଛାପ ପଡ଼ିଗଲା । କହିଲେ–ତେବେ ଠିକ୍‌ ନିଲାମ ହୋଇ ବିକ୍ରି କରା ହୋଇ ନାହିଁ, ଆମେ ହେଲୁ ତା’ର ପୁରୋହିତ ବଂଶ । କହ୍ନେଇ ବସାକ ମଲାବେଳେ କୁଆଡ଼େ ୟା’ଙ୍କ ଉପରେ ସବୁ ଦାୟିତ୍ୱ ଦେଇ ଯାଇଥିଲେ । କିନ୍ତୁ ସେତେବେଳେ ତ ଆଉ ସେଗୁଡ଼ାଏ ଦେଣା ରଖିଯାଇଛନ୍ତି ବୋଲି ଜାଣିନଥିଲେ ।

 

ତାଙ୍କ କଥା ଶୁଣି ରାଜଲକ୍ଷ୍ମୀ ଓ ମୁଁ ଦୁହେଁ ସ୍ତବ୍‌ଧ ହୋଇଗଲୁ । ସତେ ଯେପରି କିଛି ମଇଳା ଜିନିଷ ଆମ ମନଉପରେ କିଏ ଫିଙ୍ଗିଦେଲା । କୁଶାରୀ ଗୃହିଣୀ ବୋଧହୁଏ ଏହା ଲକ୍ଷ୍ୟ କରିପାରିଲେ ନାହିଁ । କହିଲେ–ଜପ, ଆହ୍ନିକ ଇତ୍ୟାଦି ସାରି ଦୁଇଘଣ୍ଟା ପରେ ଫେରିଆସି ଦେଖେ ସୁନନ୍ଦା ଠିକ୍‌ ସେଇମିତି ସେଠାରେ ଠିଆହୋଇ ରହିଛି । କର୍ତ୍ତା କଚେରୀ କାମ ସାରି ବର୍ତ୍ତମାନ ଫେରିଆସିବେ । ଦିଅର ବିନୁକୁ ସଙ୍ଗରେ ଧରି ଖମାର ଦେଖିବାକୁ ଯାଇଥିଲେ । ତାଙ୍କର ମଧ୍ୟ ଫେରିଆସିବା ବେଳ ହେଲାଣି । ବିଜୟ ଗାଧୋଇବାକୁ ଯାଇଛି । ଏଇଲେ ଆସି ଠାକୁର ପୂଜାରେ ବସିବ । ରାଗର ସୀମା ରହିଲା ନାହିଁ, କହିଲି–ତୁ କ’ଣ ଆଜି ରୋଷାଇ ଘରକୁ ଆଉ ଯିବୁ ନାହିଁ ? ଏଇ ବଜ୍ଜାତ ତନ୍ତୀ ସ୍ତ୍ରୀଲୋକଟାର କଥାକୁ ଦିନସାରା ମନରେ ଧରି ବସି ଭାବି ଲାଗିଥିବୁ ?

 

ସୁନନ୍ଦା ମୁହଁଟେକି କହିଲା–ନା, ନାନୀ ସେ ସମ୍ପତ୍ତି ଆମର ନୁହେଁ । ତୁମେ ଯଦି ସେ ସବୁ ଫେରାଇ ନଦେବ ତେବେ ମୁଁ ଆଉ ରୋଷାଇ ଘରଭିତରେ ପଶିବି ନାହିଁ । ଏଇନା ବାଳକ ପିଲାଟା ମୁହଁରୁ ଆହାର ଛଡ଼ାଇନେଇ ମୋ ସ୍ୱାମୀ ଓ ପିଲାଙ୍କୁ ଖାଇବାକୁ ଦେଇପାରିବି ନାହିଁ । ଏହା କହି ସେ ତା’ ନିଜ ଶୋଇବା ଘରକୁ ଚାଲିଗଲା । ସୁନନ୍ଦାକୁ ମୁଁ ଅଧ୍ୟାପକ ସନ୍ନ୍ୟାସୀ ବାପପାଖେ ପିଲାଦିନେ ଅନେକ ଶାସ୍ତ୍ର ପଢ଼ିଛି ତାହା ମଧ୍ୟ ଜାଣିଛି । କିନ୍ତୁ ସେ ଯେ ଝିଅପିଲା ହୋଇ ଏପରି ପାଷାଣୀ ହୋଇପାରିବ କେବଳ ସେତେବେଳ ପର୍ଯ୍ୟନ୍ତ ଜାଣିନଥିଲି । ତେଣୁ ମୁଁ ତରତର ହୋଇ ରାନ୍ଧିବାକୁ ଗଲି । ପୁରୁଷ ଲୋକମାନେ ସବୁ ଘରକୁ ଫେରିଆସିଲେ । କର୍ତ୍ତାଙ୍କ ଖାଇବା ସମୟରେ ସୁନନ୍ଦା ଆସି ଦରଜା ପାଖରେ ଠିଆହେଲା । ମୁଁ ଦୂରରୁ ହାତ ଯୋଡ଼ି କରି କହିଲି–ସୁନନ୍ଦା ଟିକିଏ ରହ, ତାଙ୍କ ଖାଇବାଟା ସରିଯାଉ । ସେ ମୋର ଏତିକି ଟିକକ ଅନୁରୋଧ ମଧ୍ୟ ରଖିଲା ନାହିଁ । ଗୁଣ୍ଡାଏ ଖାଇବାକୁ ଯାଉଛନ୍ତି ଏଇ ସମୟରେ ସେ ପଚାରିଲା, ତନ୍ତୀଘର ସମ୍ପତ୍ତି କ’ଣ ଆପଣ ଟଙ୍କା ଦେଇ କିଣିଛନ୍ତି ? ଶଶୁର ତ କିଛି ରଖି ଯାଇନଥିଲେ, ଏକଥା ବହୁବାର ଆପଣଙ୍କ ତୁଣ୍ଡରୁ ଶୁଣିଛି । ତେବେ ଏତେ ଟଙ୍କା ପାଇଲେ କେଉଁଠାରୁ ?

 

ଯିଏ କଦାପି କଥା କହେ ନାହିଁ ତା’ ମୁହଁରୁ ଏହି ପ୍ରଶ୍ନ ଶୁଣି କର୍ତ୍ତା ପ୍ରଥମେ ଏକବାର ହତଜ୍ଞାନ ହୋଇଗଲେ । ତାପରେ କହିଲେ । ଏ ସବୁ କଥାର ମାନେ କ’ଣ ବୋହୂମାଆ ?

 

ସୁନନ୍ଦା ଉତ୍ତର ଦେଇ କହିଲା–ଏହାର ମାନେ ଯଦି କେହି ଜାଣିଥାଏ ତ ସେ ଜଣକ ଆପଣ । ଆଜି ତନ୍ତୀ ସ୍ତ୍ରୀ ତା’ ପିଲାକୁ ଧରି ଆସିଥିଲା । ତା’ର ସବୁ କଥା ଆପଣଙ୍କ ନିକଟରେ ପୁନରାବୃତ୍ତି କରିବା ବାହୁଲ୍ୟ ଯେହେତୁ ସେସବୁ ଆପଣଙ୍କୁ ଜଣାଅଛି । ଏ ସମ୍ପତ୍ତି ଯାହାର, ତାକୁ ଯଦି ଫେରାଇ ଦିଆ ନଯାଏ ତେବେ ମୁଁ ବଞ୍ଚିରହି ଏଇ ମହାପାପ ଅନ୍ନରୁ ଏତେ ଟିକିଏ ମଧ୍ୟ ମୋର ସ୍ୱାମୀ ଓ ପୁତ୍ରକୁ ଖାଇବାକୁ ଦେଇପାରିବି ନାହିଁ ।

 

ମୋର ମନେହେଲା ବାବା, ମୁଁ ଯେପରି ସ୍ୱପ୍ନ ଦେଖୁଛି । ନଚେତ୍‌ ସୁନନ୍ଦାକୁ ଭୂତ ଗ୍ରାସିଛି । ଯିଏ ଦେଢ଼ଶୁରକୁ ଦେବତାଠାରୁ ବେଶୀ ଭକ୍ତି କରେ ତା’ର ପୁଣି ଏ ଦଶା ! ସେ ମଧ୍ୟ କେତେଦଣ୍ଡ ବଜ୍ରାହତପରି ବସି ରହିଲେ । ତା’ପରେ–ରାଗରେ ଜଳିଉଠି କହିଲେ, ସମ୍ପତ୍ତି ପାପର ହେଉ କିମ୍ୱା ପୁଣ୍ୟର ହେଉ ସେ ମୋର । ତୁମ ସ୍ୱାମୀ–ପୁତ୍ରଙ୍କର ନୁହେଁ । ଯଦି ତୁମମାନଙ୍କୁ ଭଲ୍ ନ ଲାଗୁଛି ତେବେ ଆଉ କେଉଁଠାରେ ଯାଇ ରହିପାର । କିନ୍ତୁ ବୋହୂମାଆ, ତୁମକୁ ମୁଁ ସର୍ବଗୁଣମୟୀ ବୋଲି ଜାଣିଥିଲି । ଏପରି ହେବ ବୋଲି ଭାବିନଥିଲି । ଏହା କହି ସେ ଆସନ ଛାଡ଼ି ଉଠି ଚାଲିଗଲେ । ସେ ଦିନସାରା କାହା ମୁହଁକୁ ଆଉ ଭାତ ଗଲା ନାହିଁ । କାନ୍ଦିକରି ଯାଇ ଦିଅରଙ୍କ ପାଖରେ ପଡ଼ି କହିଲି–ତୁମକୁ ମୁଁ ଯେ କୋଳରକାଖର କରି ମଣିଷ କରିଥିଲି ତା’ର କ’ଣ ଏଇ ପ୍ରତିଫଳ ? ଦିଅରଙ୍କ ଆଖିଦୁଇଟା ଲୁହରେ ଭରିଗଲା । କହିଲେ–ଭାଉଜ, ତୁମେ ମୋର ମାଆ ଆଉ ଭାଇ ମୋର ପିତୃତୁଲ୍ୟ । କିନ୍ତୁ ତୁମଠାରୁ ଯିଏ ବଡ଼ ସେ ହେଉଛି ଧର୍ମ । ମୋର ବିଶ୍ୱାସ ସୁନନ୍ଦା ଏତେ ଟିକିଏ ହେଲେ ଅନ୍ୟାୟ କଥା କହିନାହିଁ । ଶଶୁର ମହାଶୟ ସନ୍ନ୍ୟାସ ଗ୍ରହଣ ଦିନ ତାକୁ ଆଶୀର୍ବାଦ କରି କହିଥିଲେ, ମାଆ ଧର୍ମକୁ ଯଦି ପ୍ରକୃତରେ ଚାହୁଁଥାଉ, ତେବେ ସେ ତୋତେ ବାଟ ଦେଖାଇନେବ । ମୁଁ ତାକୁ ପିଲାଦିନରୁ ଚିହ୍ନେ ଭାଉଜ, ସେ କଦାପି ଭଲ କରେ ନାହିଁ ।

 

ହାୟରେ ପୋଡ଼ା କପାଳ ! ତାକୁ ଯେ ପୋଡ଼ାମୁହୀଁ ଭିତରେ ଭିତରେ ଏପରି ବଶକରି ସାରିଛି ଆଜି ମୋର ଜାଣ ଆଖି ଖୋଲିଲା । ସେଦିନ ଭାଦ୍ର ସଂକ୍ରାନ୍ତି । ଆକାଶ ମେଘାଚ୍ଛନ୍ନ, ରହି ରହି ଝରଝର ହୋଇ ବର୍ଷା ପଡ଼ୁଥାଏ । ହତଭାଗୀ ଗୋଟାଏ ରାତି ପାଇଁ ସୁଦ୍ଧା ଆମ ମୁହଁକୁ ଚାହିଁଲା ନାହିଁ, ପୁଅର ହାତଧରି ଘରୁ ବାହାରିଗଲା । ମୋ ଶଶୁରଙ୍କ ଅମଳର ଜଣେ ପ୍ରଜା କେବେଠାରୁ ମରିହଜି ଗଲାଣି, ସେମାନଙ୍କ ଭାଗ୍ୟକୁ ସେହି ଘରଟା ଖାଲି ହୋଇ ଠିଆହୋଇଥିଲା-। ଶିଆଳ, କୁକୁର, ସାପ, ବେଙ୍ଗ ଏମାନଙ୍କ ସହିତ ସେହିଠାରେ ଯାଇ ସେହି ଦୁର୍ଦ୍ଦିନରେ ସେମାନେ ଆଶ୍ରୟ ନେଲେ । ମନ ସମ୍ଭାଳି ପାରିଲା ନାହିଁ । ସେଠାରେ ପହଞ୍ଚି ଦେଖିଲି ଚାଳରୁ ପାଣିପଡ଼ି ଚୁଲିଟା କର୍ଦ୍ଦମାକ୍ତ । କାନ୍ଦୁ କାନ୍ଦୁ ମୁଁ କହିଲି–ସତ୍ୟାନାଶୀ ଏଇଆ ଯଦି ତୋ ମନରେ ଥିଲା, ତେବେ ଆମ ଘରକୁ ଆସୁଥିଲୁ କାହିଁକି ? ବିନୁକୁ ପର୍ଯ୍ୟନ୍ତ ନେଇଆସିଲୁ । ତୁ କ’ଣ ଶଶୁର ଘର ବଂଶର କାହା ନାଆଁ ପୃଥିବୀରେ ନ ରଖିବାକୁ ପ୍ରତିଜ୍ଞା କରିଛୁ କି ? କିନ୍ତୁ ସେ କୌଣସି ଉତ୍ତର ଦେଲାନାହିଁ-। କହିଲି, ଖାଇବ କ’ଣ ? ଉତ୍ତର ଦେଇ କହିଲା–ଶଶୁର ଯେଉଁ ତିନିବିଘା ଜମି ରଖିଯାଇଛନ୍ତି ତହିଁରୁ ଅଧାଟା ତ ଆମର । କଥାଶୁଣି ମୁଣ୍ଡପିଟି ମରିବାକୁ ଇଚ୍ଛାହେଲା । କହିଲି–ହତଭାଗୀ, ସେଥିରେ ଯେ ଦିନଟିଏ ସୁଦ୍ଧା ତୁମର ଚଳିବ ନାହିଁ । ତୁମେ ଦୁହେଁ ହୁଏତ ନ ଖାଇ ମରିପାର କିନ୍ତୁ ମୋ ବିନୁ ? କହିଲା–ଥରକ ପାଇଁ କହ୍ନାଇ ବସାକର ପୁଅ କଥା ଟିକିଏ ଭାବି ଦେଖିଲ ନାନୀ, ତା’ ଭଳି ବେଳାଏ ଖାଇ, ବେଳାଏ ଓପାସ ରହି ଯଦି ବିନୁ ବଞ୍ଚିରହେ ତେବେ ସେଇ କ’ଣ ଯଥେଷ୍ଟ ନୁହେଁ ନାନୀ ?

 

ସେମାନେ ଚାଲିଯିବା ପରେ ମନେହେଲା ସାରା ଘରଟା ଯେପରି ହା–ହା କରି କାନ୍ଦିବାକୁ ଲାଗିଛି । ସେଦିନ ରାତିରେ ଘରେ ବତୀ ଜଳିଲା ନାହିଁ କି ଚୁଲିରେ ହାଣ୍ଡି ଚଢ଼ିଲା ନାହିଁ । କର୍ତ୍ତା ଅନେକ ରାତିକୁ ଫେରିଆସି ସାରା ରାତିଟା ଏଇ ଖୁଣ୍ଟରେ ଆଉଜି ବସି ରହିଲେ । ମନେହେଉଥାଏ ହୁଏତ ଆମ ପୁଅ ବିନୁ ଶୋଇନଥିବ, ତାକୁ ଭୋକ ହେଉଥିବ, ସକାଳ ହେବା ମାତ୍ରେ ଗଉଡ଼ ହାତରେ ଗାଈ ବାଛୁରୀ ପଠାଇଦେଲି । କିନ୍ତୁ ରାକ୍ଷସୀ ଗାଈ ବାଛୁରୀ ଲେଉଟାଇ ଦେଇ ତାରି ହାତରେ କହିପଠାଇଲା, ବିନୁକୁ ମୁଁ ଦୁଧ ଖୁଆଇବାକୁ ଚାହେ ନାହିଁ । ଦୁଧ ନ ଖାଇ ବଞ୍ଚି ରହିବାର ଶିକ୍ଷା ତାକୁ ଦେବାକୁ ଚାହେଁ ।

 

ରାଜଲକ୍ଷ୍ମୀ ମୁହଁଦେଇ କେବଳ ଗୋଟାଏ ଦୀର୍ଘନିଃଶ୍ୱାସ ବାହାରି ଆସିଲା । ଗୃହିଣୀଙ୍କର ସେହିଦିନର ସମସ୍ତ ବେଦନା ଓ ଅପମାନର ସ୍ମୃତି ଉଦ୍‌ବେଳ ହୋଇ ତାଙ୍କ କଣ୍ଠରୋଧ କରିଦେଲା ଏବଂ ମୋ ଭାତ ଶୁଖି ଏକବାରେ ଚାଉଳ ହୋଇଗଲା ।

 

କର୍ତ୍ତାଙ୍କର ଖଡ଼ମର ଶବ୍ଦ ଶୁଣାଗଲା । ତାଙ୍କର ମଧ୍ୟାହ୍ନ ଭୋଜନ ଶେଷ ହୋଇଯାଇଛି । ଆଶାକରେ, ତାଙ୍କର ମୌନବ୍ରତ ଅକ୍ଷୁଣ୍ଣ ଓ ଅତୁଟ ରହି ଆଜି ସାତ୍ତ୍ୱିକ ଆହାରରେ କୌଣସି ବିଘ୍ନ ଘଟାଇ ନାହିଁ, କିନ୍ତୁ ଏ ଦିଗରେ ଘଟଣାଟା ଜାଣନ୍ତି ବୋଲି ବୋଧହୁଏ ମୋ ତତ୍ତ୍ୱ ନେବାକୁ ଆଉ ଆସିଲେ ନାହିଁ । ଗୃହିଣୀ ଆଖି ପୋଛି, ନାକ ସୁଡ଼ୁସୁଡ଼ୁ କରି ଗଳା ପରିସ୍କାର କରି କହିଲେ ତା’ପରେ ଗାଆଁସାରା ଲୋକମାନଙ୍କ ମୁହଁରେ କି ଦୁର୍ନାମ କି ଅପବାଦ ସେ କଥା ତୁମକୁ କ’ଣ କହିବି ବାବା । କର୍ତ୍ତା କହିଲେ–ବାଳକେ କଷ୍ଟ ଭୋଗିଲେ ସେ ଆପଣା–ଛାଏଁ ଫେରିବେ । ମୁଁ କହିଲି–ତାକୁ ତୁମେ ଚିହ୍ନିନାହଁ । ସେ ଭାଙ୍ଗିବ ପଛକେ ନଇଁବ ନାହିଁ । ଆଜି ତାହାହିଁ ହେଲା । ମାସ ମାସ ହୋଇ ଆଠମାସ ଗଲା, କିନ୍ତୁ ତା’ ମୁହଁକୁ ତଳକୁ କରିପାରିଲି ନାହିଁ । କର୍ତ୍ତା ଭାବି ଆଢ଼ୁଆଳରେ ଲୁଚି ଲୁଚି କାନ୍ଦି କାନ୍ଦି ଯେପରି ଶୁଖି କଳାକାଠ ପଡ଼ିଗଲେ । ପିଲାଟା ଥିଲା ତାଙ୍କର ପ୍ରାଣ । ଦିଅରକୁ ନିଜର ପୁଅଠାରୁ ବେଶୀ ଭଲପାଉଥିଲେ । ଆଉ ସହ୍ୟକରି ନପାରି ଲୋକଦ୍ୱାରା ଖବର ପଠାଇ କୁହାଇଲେ ଯେ ତନ୍ତୀ ଘର ଯେପରି କଷ୍ଟ ନହେବ ସେହିଭଳି ବ୍ୟବସ୍ଥା ସେ କରିବେ କିନ୍ତୁ ସର୍ବନାଶୀ ଜବାବ ଦେଲା–ଯାହା ସେମାନଙ୍କର ନ୍ୟାଯ୍ୟ ପାଉଣା ସମସ୍ତେ ଫେରାଇ ଦେଇପାରିଲେ ତେବେ ଯାଇ ଘରକୁ ଫେରିବ । ତା’ର ଅର୍ଥ ନିଶ୍ଚିତ ମୃତ୍ୟୁ ନୁହେଁ ତ ଆଉ କ’ଣ ?

 

ମୁଁ ଗିଲାସ ପାଣିରେ ହାତକୁ ବୁଡ଼ାଇ ପଚାରିଲି–ବର୍ତ୍ତମାନ ସେମାନେ କିପରି ଚଳନ୍ତି ?

 

କୁଶାରୀ ଗୃହିଣୀ କାତର କଣ୍ଠରେ କହିଲେ–ଏହାର ଉତ୍ତର ଆଉ ମୋତେ ଦେବାପାଇଁ କୁହ ନାହିଁ ବାବା । ଏ ଆଲୋଚନା କେହି କରିବାକୁ ଆସିଲେ ମୁଁ କାନରେ ଆଙ୍ଗୁଠି ପୂରାଇ ଉଠି ଚାଲିଯାଏ । ମୋତେ ଲାଗେ ସତେ ଯେପରି ମୋ ନିଃଶ୍ୱାସ ବନ୍ଦ ହୋଇଯିବ, ଏଇ ଆଠମାସ ହେବ ଏ ଘରକୁ ମାଛ ଆସେନାହିଁ, ଦୁଧ ଘିଅର କରେଇ ଚୁଲିରେ ବସେ ନାହିଁ, ସାରା ଘରଟା ଉପରେ ଯେପରି କିଏ ଏକ ମର୍ମାନ୍ତିକ ଅଭିଶାପ ଛାଡ଼ିଦେଇ ଯାଇଛି । ଏତିକି କହି ସେ ଚୁପ୍‌ ହେଲେ ଏବଂ ବହୁତ ସମୟ ପାଇଁ ଆମେ ତିନିଜଣ ସ୍ତବ୍‌ଧ ହୋଇ ବସିରହିଲୁ ।

 

ଘଣ୍ଟାକ ପରେ ଆମେ ଯେତେବେଳେ ଗାଡ଼ିରେ ଯାଇ ବସିଲୁ କୁଶାରୀ ଗୃହିଣୀ ଆସି ସଜଳ କଣ୍ଠରେ ରାଜଲକ୍ଷ୍ମୀ କାନରେ ଚୁପ୍‍ଚୁପ୍‌ କରି କହିଲେ, ମାଆ, ସେମାନେ ତୁମର ପ୍ରଜା । ଆମ ଶଶୁରଙ୍କର ଅର୍ଜିତ ଜମିତକ ଅଛି ସେଇ ଗଙ୍ଗା–ମାଟିରେ ଏବଂ ସେତିକି ଉପରେ ସେମାନେ ନିର୍ଭର କରନ୍ତି....

 

ରାଜଲକ୍ଷ୍ମୀ ମୁଣ୍ଡ ହଲାଇ କହିଲା–ଆଚ୍ଛା ।

 

ଗାଡ଼ି ମନ୍ଥର ଗତିରେ ଅଗ୍ରସର ହେବାକୁ ଲାଗିଲା । ଅନେକ ସମୟ ପର୍ଯ୍ୟନ୍ତ ମୁଁ କିଛି କଥା କହିପାରିଲି ନାହିଁ । ଚାହିଁ ଦେଖିଲି ରାଜଲକ୍ଷ୍ମୀ ଅନ୍ୟମନସ୍କା ହୋଇ କ’ଣ ଭାବିବାରେ ଲାଗିଛି, ତା’ର ଧ୍ୟାନ ଭଙ୍ଗକରି କହିଲି–ଲକ୍ଷ୍ମୀ ! ଯାହାର ଲୋଭ ନାହିଁ ସେ ଚାହେଁ ନାହିଁ, ଯିଏ ଚାହେଁ ତାକୁ ସାହାଯ୍ୟ କରିବାକୁ ଯିବାଠାରୁ ପାପ ଆଉ ଦୁନିଆଁରେ କିଛି ନାହିଁ ।

 

ରାଜଲକ୍ଷ୍ମୀ ମୋ ମୁହଁକୁ ଚାହିଁ ଅଳ୍ପ ଟିକିଏ ହସିଦେଇ କହିଲା–ସେ କଥା ମୁଁ ଜାଣେ । ତୁମଠାରୁ ଆଉ କିଛି ନ ହେଲେ ମଧ୍ୟ ଏତିକି ମୁଁ ଶିଖିପାରିଛି ।

 

ଆପଣାକୁ ଆପେ ବିଶ୍ଳେଷଣ କଲାବେଳେ ମୁଁ ଦେଖିପାରିଛି ଯେ କେତେଟା ନାରୀ ଚରିତ୍ର ମୋ ମନଉପରେ ଗଭୀର ରେଖାପାତ କରିଛନ୍ତି । ତାହା ମଧ୍ୟରୁ ଜଣେ ହେଉଛି ସେ କୁଶାରୀ ମହାଶୟଙ୍କର ବିଦ୍ରୋହୀ ଭ୍ରାତୃଜାୟା । ଏଇ ସୁଦୀର୍ଘ ଜୀବନରେ ଆଜି ସୁଦ୍ଧା ମୁଁ ସୁନନ୍ଦାକୁ ଭୁଲିପାରି ନାହିଁ । ମଣିଷକୁ ଏତେଶୀଘ୍ର ଏବଂ ଏତେ ସହଜରେ ରାଜଲକ୍ଷ୍ମୀ ଆପଣାର କରିପକାଏ ଯେ ଦିନେ ସୁନନ୍ଦା ମୋତେ ଭାଇ ବୋଲି ଡାକି ବସିଲା । ଏଥିରେ ବିସ୍ମିତ ହେବାର ଅବଶ୍ୟ କିଛି ନଥିଲା । ନ ହେଲେ ଏଇ ଆଶ୍ଚର୍ଯ୍ୟକର ଝିଅଟିକୁ ଜାଣିବାର ସୁଯୋଗ ହୁଏତ ମୋ ଜୀବନରେ କଦାପି ଘଟିନଥାନ୍ତା । ଅଧ୍ୟାପକ ଯଦୁ ତର୍କାଳଙ୍କାରଙ୍କର ଦୁଇଚାରି ବଖରା ଘର ଆମ ଘର ପଶ୍ଚିମ ପାଖ ପଡ଼ିଆରେ ଚାହିଁଲେ ଏକପ୍ରକାର ଦେଖାଯାଏ । ସେଠାକୁ ଯେଉଁଦିନ ଯିବାକୁ ହୋଇଥିଲା ସେଦିନ ଜାଣିନଥିଲି ଯେ ଏଠାରେ ଜଣେ ବିଦ୍ରୋହିଣୀ ନାରୀ ତା’ ସ୍ୱାମୀ ପୁତ୍ରକୁ ନେଇ ବାସ କରେ ବୋଲି । ବାଉଁଶ ପୋଲ ପାର ହୋଇ ଗୋଟାଏ ଅନୁର୍ବର ପଡ଼ିଆ ଉପରେ ମାତ୍ର ଦଶମିନିଟର ବାଟ । ମଝିରେ ଗଛବୃଚ୍ଛ କିଛି ନାହିଁ । ଅନେକ ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ଦେଖାଯାଏ । ଆଜି ନିଦ ଭାଙ୍ଗିବା ମାତ୍ରେ ସକାଳେ ଝରକାଦେଇ ଯେତେବେଳେ ଏଇ ଜୀର୍ଣ୍ଣ ଶ୍ରୀହୀନ ଘରଗୁଡ଼ିକ ଆଖିରେ ପଡ଼ିଲା ସେତେବେଳେ ଅନେକ ସମୟ ପର୍ଯ୍ୟନ୍ତ ଏକପ୍ରକାର ଅଭୂତପୂର୍ବ ବ୍ୟଥା ଓ ଆଗ୍ରହ ସହିତ ଚାହିଁରହିଲି ଏବଂ ଯେଉଁ ବସ୍ତ୍ର ଅନେକଦିନ ଧରି ଅନେକ ଉପଲକ୍ଷରେ ଦେଖି ବାରମ୍ବାର ଭୁଲିଯାଇଛି ସେହି କଥାହିଁ ମନେପଡ଼ିଲା ଯେ, ସଂସାରରେ କୌଣସି ଜିନିଷକୁ ବାହାରୁ ଦେଖି କିଛି କହିହୁଏ ନାହିଁ । କିଏ କହିପାରିବ ଏଇ ଘରଗୁଡ଼ାକ ବିଲୁଆ କୁକୁରଙ୍କର ଆଶ୍ରୟସ୍ଥଳ ହୋଇନଥିବ ବୋଲି ? କିଏ ଅନୁମାନ କରିବ ଯେ ଏଇ କେତେ ବଖରା ଭଙ୍ଗା ଘର ଭିତରେ କୁମାର–ରଘୁ–ଶକୁନ୍ତଳା ଏବଂ ମେଘଦୂତର ଅଧ୍ୟାପନା ଚାଲିଥିବ ବୋଲି ? କିଏ ଆଶା କରିପାରିବ ସ୍ମୃତି ଓ ନ୍ୟାୟର ମୀମାଂସା ଓ ବିଚାର ନେଇ ଛାତ୍ର ପରିବୃତ୍ତ ଏକ ନବୀନ ଅଧ୍ୟାପକ ସେଠାରେ ମଗ୍ନ ହୋଇ ରହିଥିବେ ? କିଏ ଜାଣିବ ଏହାଭିତରେ ଏଇ ବଙ୍ଗଳା ଦେଶର ଏକ ତରୁଣୀ ନାରୀ ଧର୍ମ ଓ ନ୍ୟାୟର ମର୍ଯ୍ୟାଦା ରଖିବା ପାଇଁ ସ୍ୱଇଚ୍ଛାରେ ଅଶେଷ ଦୁଃଖ ବହନ କରିପାରିଛି ?

 

ଦକ୍ଷିଣର ଝରକା ଦେଇ ଘରଭିତରେ ଆଖିପଡ଼ିବା ମାତ୍ରେ ମନେହେଲା ରୋଷ ଘରେ କ’ଣ ଯେପରି ଗୋଟାଏ କାଣ୍ଡ ଘଟି ଚାଲିଛି–ରତନ ଆପତ୍ତି କରୁଛି ଏବଂ ରାଜଲକ୍ଷ୍ମୀ ତାହାକୁ ଖଣ୍ଡନ କରିବାରେ ଲାଗିଛି । ସୁତରାଂ କଣ୍ଠସ୍ୱରଟା ତା’ର ଟିକିଏ ପ୍ରବଳ । ମୁଁ ଉଠି ବାହାରେ ଆସି ଠିଆହେବା କ୍ଷଣି ସେ ସାମାନ୍ୟ, ଅପ୍ରତିଭ ହୋଇଉଠିଲା । କହିଲା–ବୋଧହୁଏ ନିଦ ଭାଙ୍ଗିଗଲା; ରତନ, ବାବା ତୁ ଟିକିଏ ପାଟି ଧୀର କର । ନହେଲେ ମୁଁ ତ ଆଉ ସହ୍ୟ କରିପାରୁ ନାହିଁ ।

 

ଏଇ ପ୍ରକାର ଅନୁଯୋଗ ଓ ଅଭିଯୋଗରେ ରତନ ଏକା ନୁହେଁ ଘରସାରା ସମସ୍ତେ ଆମେ ଅଭ୍ୟସ୍ତ ହୋଇଯାଇଥିଲୁ । ଅତଏବ ସେ ଚୁପ୍ ହୋଇଗଲା ଏବଂ ମୁଁ ମଧ୍ୟ ସେହିପରି କିଛି କଥା କହିଲି ନାହିଁ ।

 

ଦେଖିଲି ଗୋଟାଏ ବଡ଼ ଚାଙ୍ଗୁଡ଼ିରେ ଚାଉଳ, ଡାଲି, ତେଲ ପ୍ରଭୃତି ଏବଂ ଆଉ ଗୋଟାଏ ଛୋଟ ପାତ୍ରରେ ଏତଦ୍‌ ଜାତୀୟ ନାନାବିଧ ଭୋଜ୍ୟ ବସ୍ତ୍ର ସଜ୍ଜିତ ହୋଇ ରହିଛି । ମନେହେଲା ଏଗୁଡ଼ିକର ପରିମାଣ ଏବଂ ତାହାକୁ ବହନ କରିବାର ଶକ୍ତି ସାମର୍ଥ୍ୟ ପ୍ରସଙ୍ଗ ନେଇ ବୋଧହୁଏ ରତନ ପ୍ରତିବାଦ କରୁଥିଲା । ଠିକ୍‌ ସେଇଆ । ରାଜଲକ୍ଷ୍ମୀ ମୋତେ ମଧ୍ୟସ୍ଥ ମାନି କହିଲା–ଶୁଣ ଏହାର କଥା ! ଏଇ କେତେ ଡାଲି ଚାଉଳ ସେ ବୋହି କରି ନେଇଯାଇପାରିବ ନାହିଁ-! ଏ ସବୁ ମୁଁ ପରା ବୋହି କରି ନେଇଯାଇପାରିବି ରତନ । ଏହା କହି ସେ ନଇଁପଡ଼ି ସ୍ୱଚ୍ଛନ୍ଦରେ ବଡ଼ ଚାଙ୍ଗୁଡ଼ିଟା ଟେକିଧରିଲା ।

 

ପ୍ରକୃତରେ ଓଜନ ଦୃଷ୍ଟିରୁ ମନୁଷ୍ୟ ପକ୍ଷରେ, ଏପରିକି ରତନ ପକ୍ଷରେ ଏ ସବୁ ବୋହି କରି ନେବା କଷ୍ଟକର ନ ଥିଲା । କିନ୍ତୁ କଷ୍ଟକର ଥିଲା ଆଉ ଗୋଟିଏ କାମ । ଏଥିରେ ତା’ର ମର୍ଯ୍ୟାଦା ହାନି ହେବ । କିନ୍ତୁ ମାଲିକ ଆଗରେ ଲଜ୍ଜ୍ୟାରେ ସେ କଥାଟା କହିପାରୁନଥିଲା । କହିଲି ତୁମର ତ ଅନେକ ଲୋକ ଚିହ୍ନା ଅଛନ୍ତି, ଆମର ମଧ୍ୟ ପ୍ରଜାମାନଙ୍କର ଅଭାବ ନାହିଁ, ସେମାନଙ୍କ ଭିତରୁ କାହାକୁ ଡାକି ପଠାଇ ଦେଉ ନାହିଁ ? ରତନ ନ ହେଲେ ଖାଲିହାତରେ ସେମାନଙ୍କ ସଙ୍ଗରେ ଯିବ ।

 

ରତନ ମୁହଁ ତଳକୁ କରି ଠିଆହୋଇ ରହିଲା । ରାଜଲକ୍ଷ୍ମୀ ଥରକ ପାଇଁ ମୋ ଆଡ଼େ ଓ ଥରକ ପାଇଁ ରତନ ଆଡ଼େ ଚାହିଁଦେଇ, ହସିପକାଇ କହିଲା ହତଭାଗା, ଅଧଘଣ୍ଟାଏ ଧରି ଝଗଡ଼ା କଲା; ତଥାପି ସୁଦ୍ଧା କହିଲା ନାହିଁ ଯେ ଏ ସବୁ ଛୋଟ କାମ ରତନ ବାବୁର ନୁହେଁ । ଯାଆ, କାହାକୁ ତାହାହେଲେ ଡାକିଆଣ ।

 

ସେ ଚାଲିଯିବା ପରେ ମୁଁ ପଚାରିଲି–ସକାଳୁ ଉଠି ଏ ସବୁ ଯେ....

 

ରାଜଲକ୍ଷ୍ମୀ କହିଲା–ଖାଇବା ଜିନିଷ ସକାଳୁ ମଣିଷ ପାଖକୁ ପଠାଯାଇଥାଏ–

 

: କିନ୍ତୁ କେଉଁଠାକୁ ପଠା ହେଉଛି ଏବଂ ତା’ର କାରଣ ?

 

ରାଜଲକ୍ଷ୍ମୀ କହିଲା–କାରଣ ମଣିଷ ଖାଇବ । ଏବଂ ଯାଉଛି ବ୍ରାହ୍ମଣ ଘରକୁ ।

 

: ସେ ବ୍ରାହ୍ମଣଟି କିଏ ?

 

ରାଜଲକ୍ଷ୍ମୀ ହସ ହସ ମୁହଁରେ କିଛି ସମୟ ଚୁପ୍‌ ରହିଲା । ବୋଧହୁଏ ଭାବିଲା ନାଆଁଟା କହିବ କି ନାହିଁ ? କିନ୍ତୁ ପରକ୍ଷଣରେ କହିଲା–ଦେଇ କହି ବସିଲେ ପୁଣ୍ୟ କମିଯାଏ । ଯାଅ, ତୁମେ ହାତ ମୁହଁ ଧୋଇ ଲୁଗା ବଦଳାଇ ଆସ । ତୁମ ପାଇଁ ଚାହା ତିଆରି ହୋଇସାରିଛି ।

 

ମୁଁ ଆଉ କୌଣସି ପ୍ରଶ୍ନ ନ କରି ବାହାରକୁ ଚାଲିଗଲି ।

 

ବେଳ ବୋଧହୁଏ ସେତେବେଳକୁ ପ୍ରାୟ ଦଶଟା । ବାହାର ଘରେ ଖଟଉପରେ ବସି କାମ କିଛି ନଥିବାରୁ ଗୋଟିଏ ପୁରୁଣା ସାପ୍ତାହିକ କାଗଜରୁ ବିଜ୍ଞାପନ ପଢ଼ୁଥିଲି । ହଠାତ୍‌ ଏକ ଅଚିହ୍ନା କଣ୍ଠସ୍ୱରର ସଂଭାଷଣରେ ମୁହଁ ତୋଳି ଦେଖିଲି–ଆଗନ୍ତୁକ ପ୍ରକୃତରେ ଅପରିଚିତ । କହିଲେ–ନମସ୍କାର ବାବୁ ମହାଶୟ ।

 

ମୁଁ ମଧ୍ୟ ହାତଟେକି ପ୍ରତିନମସ୍କାର ଜଣାଇ କହିଲି–ବସନ୍ତୁ ।

 

ବ୍ରାହ୍ମଣଟିର ଅତିଶୟ ଦୀନ ବେଶ । ପାଦରେ ଜୋତା ନାହିଁ । ଦେହରେ ଜାମା ନାହିଁ, କେବଳ ଖଣ୍ଡିଏ ମଳିନ ଉତ୍ତରୀୟ । ପରିଧାନର ବସ୍ତ୍ର ଖଣ୍ଡିକ ସେହିପରି ମଳିନ, ତହିଁ ସହିତ ଦୁଇ ତିନି ସ୍ଥାନରେ ଗଣ୍ଠି ପଡ଼ିଥାଏ । ପଲ୍ଲୀ ଗ୍ରାମରେ ଭଦ୍ର ବ୍ୟକ୍ତିମାନଙ୍କର ଆଚ୍ଛାଦନର ଦୀନତା ବିସ୍ମୟର ବସ୍ତ୍ର ନୁହେଁ । କେବଳ ମାତ୍ର ଏମାନଙ୍କ ଉପରେ ସେମାନଙ୍କର ସାଂସାରିକ ଅବସ୍ଥା ଅନୁମାନ କରିବା ହୋଇପାରେ ନାହିଁ । ସେ ଆଗରେ ପଡ଼ିଥିବା ବାଉଁଶର ମୋଡ଼ା ଉପରେ ବସିପଡ଼ି କହିଲେ–ମୁଁ ଆପଣଙ୍କର ଏକ ଦରିଦ୍ର ପ୍ରଜା । ଏହା ପୂର୍ବରୁ ମୋର ଆସିବାର କର୍ତ୍ତବ୍ୟ ଥିଲା । ମୋର ଭୁଲ୍ ହୋଇଯାଇଛି ।

 

ମୋତେ ଜମିଦାର ମନେକରି କେହି ଆଳାପ କରିବାକୁ ଆସିଲେ ମୁଁ ମନେମନେ ଯେପରି ଲଜ୍ଜିତ ହୋଇଉଠେ ସେହିପରି ବିରକ୍ତ ମଧ୍ୟ ହୋଇପଡ଼େ । ବିଶେଷତଃ ଏଠିକାର ପ୍ରଜାମାନେ ଯେଉଁସବୁ ନିବେଦନ ଓ ଆବେଦନ ନେଇ ପ୍ରତିଦିନ ଉପସ୍ଥିତ ହୁଅନ୍ତି ଏବଂ ଯେଉଁସବୁ ଉତ୍ପାତ ଓ ଅତ୍ୟାଚାରର ପ୍ରତିବିଧାନ ପାଇଁ ପ୍ରାର୍ଥନା କରନ୍ତି ତହିଁରେ ମୋର କୌଣସି ହାତ ନଥିଲା-। ସେଥିପାଇଁ ତାଙ୍କ ଉପରେ ପ୍ରସନ୍ନ ହୋଇପାରିଲି ନାହିଁ । କହିଲି ବିଳମ୍ବରେ ଆସିଥିବା ହେତୁ ଆପଣ ଦୁଃଖିତ ହେବେ ନାହିଁ କାରଣ ନ ଆସିଲେ ମଧ୍ୟ ମୁଁ ଦୋଷ ଦିଏ ନାହିଁ । ମୋ ସ୍ୱଭାବ ମଧ୍ୟ ସେପରି ନୁହେଁ । କିନ୍ତୁ ଆପଣଙ୍କର ଆସିବାର କାରଣ ?

 

ବ୍ରାହ୍ମଣ ଲଜ୍ଜିତ ହୋଇ କହିଲେ, ଅସମୟରେ ଆସି ଆପଣଙ୍କର କାମରେ ହୁଏତ ବ୍ୟାଘାତ ସୃଷ୍ଟି କଲି । ମୁଁ ହୁଏତ ଆଉଦିନେ ଆସିବି । ଏହା କହି ସେ ଯିବାପାଇଁ ଉଠି ଠିଆହେଲେ-

 

ମୁଁ ବିରକ୍ତ ହୋଇ କହିଲି–ମୋପାଖରେ ଆପଣଙ୍କର କ’ଣ ଆବଶ୍ୟକ ଥିଲା କହନ୍ତୁ ?

 

ମୋର ବିରକ୍ତଟା ସେ ବୋଧହୁଏ ଅନାୟାସରେ ଲକ୍ଷ୍ୟ କରିପାରିଲେ । ଟିକିଏ ଚୁପ୍‌ ରହି ଶାନ୍ତ ଭାବରେ କହିଲେ–ମୁଁ ସାମାନ୍ୟ ବ୍ୟକ୍ତି । ମୋର ଦରକାର ମଧ୍ୟ ଯତ୍ନ ସାମାନ୍ୟ । ମାଆ ଠାକୁରାଣୀ ମୋତେ ସ୍ମରଣ କରିଛନ୍ତି ହୁଏତ ତାଙ୍କର କିଛି କାମ ମୋ ପାଖରେ ଥାଇପାରେ । ମୋ ନିଜର କିଛି ଆବଶ୍ୟକତା ନାହିଁ ।

 

ଉତ୍ତରଟା କଠୋର କିନ୍ତୁ ସତ୍ୟ ଏବଂ ମୋ ପ୍ରଶ୍ନ ତୁଳନାରେ ଅସଙ୍ଗତ ମଧ୍ୟ ନୁହେଁ । କିନ୍ତୁ ଏଠାକୁ ଆସି ଏପରି ଜବାବ ଦେବା ଲୋକ ଏ ଅଞ୍ଚଳରେ ଥିବା ଏ ପର୍ଯ୍ୟନ୍ତ ଦେଖିନଥିଲି । ତେଣୁ ବ୍ରାହ୍ମଣର ଉତ୍ତର ଶୁଣି କେବଳ ଆଶ୍ଚର୍ଯ୍ୟ ହେଲି ତାହା ନୁହେଁ ବରଂ କ୍ରୋଧ ହୋଇଉଠିଲି । ଅଥଚ ମୋର ମିଜାଜ ଆଦୌ କ୍ରୋଦ୍ଧ ସ୍ୱଭାବର ନୁହେଁ ଏବଂ କେବେ କେଉଁଠାରେ କାହାଉପରେ ରାଗିଥିବାର ମୋର ମନେପଡ଼େ ନାହିଁ । କିନ୍ତୁ ଐଶ୍ୱର୍ଯ୍ୟର କ୍ଷମତା ଜିନିଷଟା ଏତେ କୁତ୍ସିତ ଯେ, ତାହା ପରଠାରୁ ଧାର କରାହୋଇଥିଲେ ମଧ୍ୟ ତାହାର ଅପବ୍ୟବହାରର ପ୍ରଲୋଭନ ମନୁଷ୍ୟ ସହଜରେ ଏଡ଼ାଇପାରେ ନାହିଁ । ଅତଏବ ଅପେକ୍ଷାକୃତ ଢେର ବେଶୀ ଋଢ଼ ଉତ୍ତର ହିଁ ହଠାତ୍‌ ମୁହଁକୁ ଚାଲି ଆସିଥିଲା ଏବଂ ତାହା ପ୍ରକାଶ ପାଇବା ପୂର୍ବରୁ ଦେଖିଲି ପାଖଘରର ଦରଜା ଖୋଲି ରାଜଲକ୍ଷ୍ମୀ ତାହାର ଅସମାପ୍ତ ଆହ୍ନିକକୁ ଛାଡ଼ି କରି ଉଠିଆସିଛି । ଦୂରରୂ ସଂସଭ୍ରମଣରେ ପ୍ରଣାମ କରି କହିଲା–ଏହା ଭିତରେ ଉଠିଯିବେ ନାହିଁ । ବସନ୍ତୁ ! ମୋର ଆପଣଙ୍କ ସଙ୍ଗେ ଅନେକ କଥା ଅଛି ।

 

ବ୍ରାହ୍ମଣ ପୁନରାୟ ଆସନ ଗ୍ରହଣ କରି କହିଲେ–ମାଆ ଆପଣ ତ ମୋର ଅନେକ ଦିନର ଦୁଶ୍ଚିନ୍ତା ଦୂର କରି ଦେଇଛନ୍ତି । ଯାହା ପଠାଇଛନ୍ତି ସେଥିରେ ମୋ ସଂସାର ପନ୍ଦର ଦିନ ବେଶ୍‌ ସୁରଖୁରରେ ଚଳିଯାଇପାରିବ । କିନ୍ତୁ ବର୍ତ୍ତମାନ କାଳ ଅଶୁଦ୍ଧ । ଓଷା ବ୍ରତ ପ୍ରଭୃତି କିଛି ନାହିଁ-। ବ୍ରାହ୍ମଣୀ ଆଶ୍ଚର୍ଯ୍ୟ ହୋଇ ସେଇ କଥା ପଚାରି ପଠାଇଥିଲା–

 

ରାଜଲକ୍ଷ୍ମୀ ହସି ହସି କହିଲା–ଆପଣଙ୍କର ବ୍ରାହ୍ମଣୀ କେବଳ ଓଷା ବ୍ରତ ଗୁଡ଼ିକର କାଳ ଅକାଳ ବୁଝି ପାଳିବା ଶିଖିଛନ୍ତି : କିନ୍ତୁ ପ୍ରତିବେଶୀର ତତ୍ତ୍ୱ ନେବାପାଇଁ କାଳଅକାଳ ବିଚାରଟା ମୋଠାରୁ ଶିଖିନେବା ପାଇଁ କହିଦେବେ ।

 

ବ୍ରାହ୍ମଣ କହିଲେ–ତେବେ ଏତେବଡ଼ ସଞ୍ଚାଟା କ’ଣ ତାହାହେଲେ ମାଆ....

 

ପ୍ରଶ୍ନଟା ସେ ଶେଷ କରିପାରିଲେ ନାହିଁ; କିମ୍ବା ଇଚ୍ଛାକରି ଶେଷ କଲେ ନାହିଁ କିନ୍ତୁ ମୁଁ ଏହି ଦାମ୍ଭିକ ବ୍ରାହ୍ମଣର ଅନୁକ୍ତ ବାକ୍ୟର ମର୍ମଟା ସଂପୂର୍ଣ୍ଣ ଉପଲବ୍‌ଧି କରିପାରିଲି । କିନ୍ତୁ ଭୟ ହେଲା, ମୋ ମତ ନ ବୁଝିପାରି ହୁଏତ ରାଜଲକ୍ଷ୍ମୀକୁ ଗୋଟାଏ ଶକ୍ତ କଥା ଶୁଣିବାକୁ ପଡ଼ିପାରେ । ଲୋକଟିର ଗୋଟିଏ ଦିଗରୁ ପରିଚୟ ଅଦ୍ୟାବଧି ଅଜଣା ଥିଲେ ମଧ୍ୟ ଅପାର ଦିଗର ପରିଚୟ ଇତି ମଧ୍ୟରେ ପାଇପାରିଛି । ତେଣୁ ଇଚ୍ଛାହେଲା ନାହିଁ ଯେ ତାହା ମୋ ଆଖିଆଗରେ ଆଉ ଥରେ ପୁନରାବୃତ୍ତି ହେଉ । କେବଳ ଗୋଟିଏ ସାହସ ଥିଲା ଯେ ଆଜି ପର୍ଯ୍ୟନ୍ତ ରାଜଲକ୍ଷ୍ମୀକୁ ମୁହାଁମୁହିଁ କେହି ନିରୁତ୍ତର କରି ଦେଇପାରିନାହାନ୍ତି । ଠିକ୍‌ ତାହାହିଁ ହେଲା । ଏହି ଅପ୍ରିତିକର ପ୍ରଶ୍ନଟାକୁ ମଧ୍ୟ ସେ ସହଜଭାବରେ ଏଡ଼ାଇଦେଇ ହସି ହସି କହିଲା–ତର୍କାଳଙ୍କାର ମହାଶୟ, ଶୁଣିଛି ଆପଣଙ୍କର ବ୍ରାହ୍ମଣୀ କୁଆଡ଼େ ଭାରୀ ରାଗି ଲୋକ । ବିନା ନିମନ୍ତ୍ରଣରେ ହୁଏତ ଯାଇ ପହଞ୍ଚିଗଲେ ହଠାତ୍‌ କାଳେ ରାଗି ଯାଇପାରନ୍ତି–ନ ହେଲେ ଏ ପ୍ରଶ୍ନର ଉତ୍ତର ଯାଇ ତାଙ୍କୁ ଦେଇଆସନ୍ତି ।

 

ଏତେ କ୍ଷଣ ପରେ ଯାଇ ବୁଝିପାରିଲି ଯେ ଏ ହେଉଛନ୍ତି ଯଦୁନାଥ କୁଶାରୀ । ଅଧ୍ୟାପକ ମନୁଷ୍ୟ । ପ୍ରିୟତମାର ମିଜାଜ କଥା ଉଲ୍ଲେଖ କରିବାକ୍ଷଣି ନିଜର ମିଜାଜ୍‌ଟା ହରାଇ ହାଃ–ହାଃ–କରି ଉଚ୍ଚହାସ୍ୟ ରୋଳରେ ଘର ଭର୍ତ୍ତିକରି ପ୍ରସନ୍ନ ଚିତ୍ତରେ କହିଉଠିଲେ–ନା ମାଆ, ରାଗି ହେବ କାହିଁକି ? ନିହାତି ସରଳ ମଣିଷ । ଆମେମାନେ ଗରିବ । ଆପଣ ଗଲେ ହୁଏତ ଆପଣଙ୍କୁ ଉଚିତ୍‌ ପାଇଲେ ମୁଁ ତାକୁ ସଙ୍ଗରେ ଧରିଆସି ପହଞ୍ଚିବି ।

 

ରାଜଲକ୍ଷ୍ମୀ ପଚାରିଲା–ତର୍କାଳଙ୍କାର ମହାଶୟ ଆପଣଙ୍କର ଛାତ୍ର କେତେଜଣ ?

 

କୁଶାରୀ କହିଲେ–ପାଞ୍ଚଟି । ଏ ଅଞ୍ଚଳରେ ବେଶୀ ଛାତ୍ର ମିଳିବା କଠିନ । ଅଧ୍ୟାପନା କେବଳ ନାଆଁକୁ ମାତ୍ର ।

 

: ଆପଣଙ୍କୁ ମିଶାଇ ଆଉ କେତେଜଣଙ୍କୁ ଖାଇବାକୁ ପିନ୍ଧିବାକୁ ଦେବାକୁ ପଡ଼େ ?

 

: ନା, ବିଜୟ ତ ସେଠାରେ ଭାଇଙ୍କ ପାଖରେ ଥାଏ । ଜଣେ ତା’ ନିଜ ଘରେ ଥାଏ । କେବଳ ତିନୋଟି ଛାତ୍ର ମୋ ପାଖରେ ରହନ୍ତି ।

 

ରାଜଲକ୍ଷ୍ମୀ ଟିକିଏ ଚୁପ୍‌ ରହି ଅପୂର୍ବ ସ୍ନିଗ୍‌ଧ କଣ୍ଠରେ କହିଲା–ଏପରି ଦୁଃସମୟରେ ଏ ତ କମ ସହଜ କଥା ନୁହେଁ ତର୍କାଳଙ୍କାର ମହାଶୟ ?

 

ଠିକ୍‌ ଏହି କଣ୍ଠସ୍ୱରର ପ୍ରୟୋଜନ ଥିଲା । ନଚେତ୍‌ ଅଭିମାନୀ ଅଧ୍ୟାପକ ଉତ୍ତପ୍ତ ହୋଇଉଠିବାର କିଛି ମାତ୍ର ବାଧା ନଥିଲା । ଅଥଚ ସେ ଦିଗରେ ଆଉ ତାଙ୍କ ମନଟା ଗଲା ନାହିଁ । ଅତି ସରଳ ଭାବରେ ଦୁଃଖ–ଦୈନ୍ୟକୁ ସ୍ୱୀକାର କରିପକାଇ କହିଲେ–କିପରି ଯେ ଚଳୁ ସେ କଥା ଆମେ ଦୁଇ ପ୍ରାଣୀ ହିଁ ଜାଣୁ । ତଥାପି ତ ଭଗବାନଙ୍କର ଉଦୟ ଅସ୍ତ ଅଟକି ରହିବ ନାହିଁ ମାଆ ? ଏହା ବ୍ୟତୀତ ଆଉ କ’ଣ ଅବା ଉପାୟ ଅଛି ଯେ ? ଅଧ୍ୟୟନ–ଅଧ୍ୟାପନା ବ୍ରାହ୍ମଣମାନଙ୍କର କାମ । ତାକୁ ତ ପୁଣି କାହାକୁ ଫେରାଇଦେବାକୁ ହେବ ମାଆ । ସାମାନ୍ୟ ସ୍ଥିର ରହି ପୁଣି କହିଲେ–ଦିନେ ଏହି ଭାର ଥିଲା ଦେଶର ଭୂ–ସ୍ୱାମୀମାନଙ୍କ ଉପରେ । କିନ୍ତୁ ଆଜିକାଲି ଯୁଗ ବଦଳିଯାଇଛି । ସେ ଅଧିକାର ତାଙ୍କର ନାହିଁ ଏବଂ ସେ ଦାୟିତ୍ୱ ମଧ୍ୟ ଚାଲିଯାଇଛି । ପ୍ରଜାମାନଙ୍କର ରକ୍ତ ଶୋଷଣ ବ୍ୟତୀତ ଆଉ ଯେପରି ସେମାନଙ୍କର କିଛି କରଣୀୟ ନାହିଁ । ସେମାନଙ୍କୁ ଭୂ–ସ୍ୱାମୀ ବୋଲି ମନେକରିବାକୁ ଆଜିକାଲି ମନରେ ଘୃଣା ଆସେ ।

 

ରାଜଲକ୍ଷ୍ମୀ ହସିଦେଇ କହିଲା–କିନ୍ତୁ ଏମାନଙ୍କ ଭିତରୁ ଯଦି କେହି ପ୍ରାଣାୟିତ କରିବାକୁ ଚାହେଁ ତାକୁ ସେପରି ଆଉ ବାଧାଦେବେ ନାହିଁ ତ ?

 

କୁଶାରୀ ଲଜ୍ଜା ପାଇ ନିଜେ ମଧ୍ୟ ହସିପକାଇଲେ–କହିଲେ–ଏ ତ ଆପଣଙ୍କର କର୍ତ୍ତବ୍ୟ-। ମୁଁ ଅବା ବାଧାଦେବି କାହିଁକି ?

 

ରାଜଲକ୍ଷ୍ମୀ କହିଲା–ଆମେମାନେ ପୂଜା ଅର୍ଚ୍ଚନା କରୁ । କିନ୍ତୁ ଗୋଟିଏ ହେଲେ ମନ୍ତ୍ର ହୁଏତ ଶୁଦ୍ଧଭାବରେ ଆବୃତ୍ତି କରିପାରୁ ନାହିଁ । ଏହା କିନ୍ତୁ ଆପଣଙ୍କର କର୍ତ୍ତବ୍ୟ, ତାହା ଆପଣଙ୍କୁ ସ୍ମରଣ କରାଇଦେଉଛୁ ।

 

କୁଶାରୀ ମହାଶୟ ହସିଦେଇ କହିଲେ–ତାହା ହେବ ମାଆ । ଏହା କହି ସେ ସମୟ ପ୍ରତି ସଚେତନ ହୋଇପଡ଼ିଲେ । ରାଜଲକ୍ଷ୍ମୀ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲା । ଯିବା ସମୟରେ ମୁଁ ମଧ୍ୟ କୌଣସିମତେ ଗୋଟାଏ ନମସ୍କାର କରିପକାଇଲି ।

 

ସେ ଚାଲିଯିବା ପରେ ରାଜଲକ୍ଷ୍ମୀ କହିଲା–ଆଜି ସକାଳୁ ସକାଳୁ ତୁମକୁ ଟିକିଏ ଗୋଧୋଇବା, ଖାଇବା ସାରିଦେବାକୁ ହେବ ।

 

: କାହିଁକି କୁହ ତ ?

 

: ଦି’ପହରକୁ ସୁନନ୍ଦ ଘରକୁ ଯିବାକୁ ପଡ଼ିବ ।

 

ସାମାନ୍ୟ ବିସ୍ମିତ ହୋଇ କହିଲି–କିନ୍ତୁ ମୁଁ ଯିବି କାହିଁକି ! ତୁମ ବାହାନ ରତନ ତ ଅଛି ।

 

ରାଜଲକ୍ଷ୍ମୀ ମୁଣ୍ଡ ହଲାଇ କହିଲା–ଏ ବାହାନ ଆଉ କୁଳାଇବ ନାହିଁ । ତୁମକୁ ସାଙ୍ଗରେ ନ ଦେଇ କେଉଁଆଡ଼େ ଆଉ ଏକପାଦ ମୁଁ ଯିବି ନାହିଁ ।

 

କହିଲି–ଆଚ୍ଛା । ତାହାହିଁ ହେବ ।

 

ପୂର୍ବରୁ କହିଛି, ଦିନେ ସୁନନ୍ଦା ମୋତେ ଭାଇ ବୋଲି ଭାବିଥିଲା ଏବଂ ତାହାକୁ ପରମାତ୍ମୀୟା ଭଳି ପାଖରେ ପାଇଥିଲି । ଏହାର ସମସ୍ତ ବିବରଣୀ ବିସ୍ତୃତ କରି ନ କହିଲେ ମଧ୍ୟ କଥାଟାକୁ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ । କାରଣ ଆମମାନଙ୍କର ପ୍ରଥମ ପରିଚୟର ଇତିହାସଟା ବିଶ୍ୱାସ କରିବା ହୁଏତ କଠିନ ହୋଇପାରେ । ଅନେକ ମଧ୍ୟ ମନେକରିପାରନ୍ତି ଏହା ଅଦ୍ଭୁତ । ହୁଏତ ଅନେକ ମୁଣ୍ଡ ହଲାଇ କହିପାରନ୍ତି ଏ ସକଳ କେବଳ ଗଳ୍ପ ହୋଇପାରେ । ସେମାନେ କହିବେ ଆମେମାନେ ବଙ୍ଗାଳୀ, ବଙ୍ଗଳା ଦେଶର ମଣିଷ । କିନ୍ତୁ ସାଧାରଣ ଗୃହସ୍ଥର ଏପରି ହେବା କେବେ ତ ଦେଖିନାହୁଁ । ତା’ ଅବଶ୍ୟ ସତ । କିନ୍ତୁ ପ୍ରତ୍ୟୁତ୍ତର କେବଳ ଏତିକି କହିପାରେ ଯେ, ମୁଁ ମଧ୍ୟ ଏ ଦେଶର ମନୁଷ୍ୟ ଏବଂ ସୁନନ୍ଦା ବ୍ୟତୀତ ଆଉ ଦ୍ୱିତୀୟ ଜଣ ଏ ପର୍ଯ୍ୟନ୍ତ କେହି ମୋ ଆଖିରେ ପଡ଼ିନାହାନ୍ତି ।

 

ରାଜଲକ୍ଷ୍ମୀ ଭିତରେ ପ୍ରବେଶ କଲା, ମୁଁ ସେମାନଙ୍କର ଭଙ୍ଗା ପାଚେରୀ କଡ଼ରେ ଠିଆହୋଇ କେଉଁଠାରେ ଟିକିଏ ଛାଇଥିବ ଖୋଜିବାରେ ଲାଗିଥାଏ । ଏଇ ସମୟରେ ଗୋଟିଏ ସତର ଅଠର ବର୍ଷର ପିଲା ଆସି କହିଲା–ଆସନ୍ତୁ, ଭିତରକୁ ଆସନ୍ତୁ ।

 

: ତର୍କାଳଙ୍କାର ମହାଶୟ ବୋଧହୁଏ ବିଶ୍ରାମ କରିଥିବେ–

 

: ଆଜ୍ଞା ନା, ସେ ହାଟକୁ ଯାଇଛନ୍ତି । ମାଆ ଅଛନ୍ତି । ଆସନ୍ତୁ । ଏହା କହି ସେ ଆଗେଇବାକୁ ଲାଗିଲା ଏବଂ ମୁଁ ତା’ର ଅନୁସରଣ କଲି । ଦିନେ ଘରର ସଦର ଦରଜା ହୁଏତ କେଉଁଠାରେ ଥିଲା ବର୍ତ୍ତମାନ କିନ୍ତୁ ତାହାର ଚିହ୍ନ ପର୍ଯ୍ୟନ୍ତ ବିଲୁପ୍ତ । ଅତଏବ ଗୋଟାଏ ଢିଙ୍କିଶାଳ ଭିତର ଦେଇ ଘରଭିତରକୁ ପ୍ରବେଶ କରିବା ଦ୍ୱାରା କୌଣସି ମର୍ଯ୍ୟାଦା ଲଂଘନ କରି ନାହିଁ । ପହଞ୍ଚିବା କ୍ଷଣି ସୁନନ୍ଦାକୁ ଦେଖିଲି । ଊଣେଇଶି, କୋଡ଼ିଏ ବର୍ଷର ଶ୍ୟାମଳ ବର୍ଣ୍ଣର ଝିଅଟିଏ । ଏହି ଘରଟି ପରି ସଂପୂର୍ଣ୍ଣ ଆଭରଣ ବର୍ଜିତ । ଆଗର ଅଣଓସାରିଆ ବରଣ୍ଡାଟିରେ ବସି ମୁଢ଼ି ଭାଜୁ ଥିଲା-। ବୋଧହୁଏ ରାଜଲକ୍ଷ୍ମୀର ଆଗମନ ସଙ୍ଗେ ସଙ୍ଗେ ହିଁ ଉଠି ଠିଆହୋଇ ମୋତେ ବସିବାକୁ ଗୋଟିଏ ଛିଣ୍ଡା କମ୍ବଳ ପକାଇଦେଇ ନମସ୍କାର କଲା । କହିଲା ବସନ୍ତୁ । ପିଲାଟିକୁ କହିଲା–ଅଜୟ ଚୁଲିରେ ନିଆଁ ଅଛି, ଟିକିଏ ତମାଖୁ ତିଆରି କରି ଦେ’ ତ ବାବା । ରାଜଲକ୍ଷ୍ମୀ ପୂର୍ବରୁ ତଳେ ବସିପଡ଼ିଥିଲା । ତାହା ଆଡ଼କୁ ଚାହିଁ ଟିକିଏ ସଲ୍ଲଜ ଭାବରେ ହସିଦେଇ କହିଲା–ଆପଣଙ୍କୁ କିନ୍ତୁ ପାନ ଦେଇପାରିବ ନାହିଁ । ପାନ ଆମ ଘରେ ନାହିଁ ।

 

ଆମେମାନେ କିଏ, ଅଜୟ ବୋଧହୁଏ ଜାଣିପାରିଥିଲା । ସେ ତା’ର ଗୁରୁପତ୍ନୀ କଥାରେ ବୋଧହୁଏ ଅତ୍ୟନ୍ତ ବ୍ୟସ୍ତ ହୋଇଉଠିଲା । ତେଣୁ ହଠାତ୍‌ କହିଉଠିଲା–ତାହାହେଲେ ପାନ ଆମର ସରିଯାଇଛି ମାଆ ?

 

ସୁନନ୍ଦା ତା’ ମୁହଁକୁ ମୁହୂର୍ତ୍ତକ ପାଇଁ ଚାହିଁ କହିଲା–ଆଜି ସରିଯାଇଛି ନା କେବେ ପାନ ଏ ଘରେ ଥିଲା ଅଜୟ ? ତାପରେ ଖିଲିଖିଲି ହୋଇ ହସିଉଠି ରାଜଲକ୍ଷ୍ମୀକୁ କହିଲା–ଗତ ରବିବାରରେ ଛୋଟ ମହନ୍ତ ଠାକୁରଙ୍କର ଆସିବାର ଥିଲା, ତେଣୁ ପଇସାକର ପାନ କିଣା ହୋଇଥିଲା । ଏହା ପ୍ରାୟ ଦଶଦିନ ତଳର କଥା । ଏଥିରେ ଆମ ଅଜୟ ଆଶ୍ଚର୍ଯ୍ୟ ହୋଇଯାଇଛି ଯେ ପାନ ହଠାତ୍‌ ସରିଗଲା କିପରି ? ଏହା କହି ସେ ପୁଣି ହସିବାକୁ ଲାଗିଲା । ଅଜୟ ବଡ଼ ଅପ୍ରତିଭ ହୋଇ କହିବାକୁ ଲାଗିଲା–ବାଃ ଜାଣିନଥିଲି–ସରିଯାଇଛି ତ....

 

ରାଜଲକ୍ଷ୍ମୀ ହସ ହସ ମୁହଁରେ ସଦୟ କଣ୍ଠରେ କହିଲା–ତା’ ସତ ଭଉଣୀ । ସେ ତ ପୁରୁଷ ଲୋକ । ସେ କିପରି ଅବା ଜାଣିବେ ତୁମ ସଂସାରରେ କ’ଣ ସରିଗଲା ବୋଲି ?

 

ଅଜୟ ତା’ର ସମର୍ଥକକୁ ପାଇ କହିବାକୁ ଲାଗିଲା–ଦେଖନ୍ତୁ ତ ! ଅଥଚ ମାଆ ଭାବୁଛନ୍ତି....

 

ସୁନନ୍ଦା ସେହିପରି ହସି ହସି କହିଲା–ମାଆ ଭାବୁନାହାନ୍ତି ଆଉ କ’ଣ ? ନା ନାନୀ, ଏ ଅଜୟ ହେଲା ଆମ ଘରର ଘରଣୀ । ଏ ସବୁ ଜାଣେ । କେବଳ ଯେ ଏଠାରେ କୌଣସି କଷ୍ଟ ଅଛି, ଏପରିକି ମାଆଙ୍କ ବାବୁଗିରି ପର୍ଯ୍ୟନ୍ତ...କାହିଁ ଏଇଟାକୁ ତ ସ୍ୱୀକାର କରିପାରୁନି ?

 

: ପାରିବ ନାହିଁ କାହିଁକି ? ବାଃ–ବାବୁଗିରିଟା କ’ଣ ଭଲକଥା ? ଏ ତ ଆମ ପାଇଁ...କହୁ କହୁ କଥାଟା ଆଉ ଶେଷ କରିନପାରି ସେ ବୋଧହୁଏ ମୋ ପାଇଁ ତମାଖୁ ତିଆରି କରିବା ପାଇଁ ବାହାରି ଚାଲିଗଲା ।

 

ସୁନନ୍ଦା କହିଲା–ବ୍ରାହ୍ମଣ ପଣ୍ଡିତ ଘରେ ହରିଡ଼ା ଯଥେଷ୍ଟ ଥିବ । ଖୋଜିଲେ ଗୋଟାଏ ଫାଳେ ଗୁଆ ମଧ୍ୟ ମିଳି ଯାଇପାରିବ । ଆଚ୍ଛା ମୁଁ ଦେଖୁଛି–ଏହା କହି ସେ ଯିବାକୁ ଉଦ୍ୟତ ହେବାକ୍ଷଣି ରାଜଲକ୍ଷ୍ମୀ ହଠାତ୍‌ ତା’ର ପଣତକାନିକୁ ଟାଣିଧରି କହିଲା–ହରିଡ଼ା ମୁଁ ଖାଏ ନାହିଁ । ଗୁଆର ମଧ୍ୟ ଆବଶ୍ୟକତା ନାହିଁ । ତୁମେ ଟିକିଏ ମୋପାଖରେ ବସ । ଦୁଇପଦ କଥା ହେବି । ଏହା କହି ସେ ଏକପ୍ରକାର ଜୋର କରି ତାକୁ ପାଖରେ ବସାଇଦେଲା ।

 

ଆତିଥ୍ୟର ଦାୟିତ୍ୱରୁ ଅବ୍ୟାହତି ପାଇଁ ମୁହୂର୍ତ୍ତକ ପାଇଁ ଉଭୟେ ନୀରବ ରହିଲେ । ଏଇ ଅବକାଶରେ ମୁଁ ଆଉ ଥରକ ପାଇଁ ସୁନନ୍ଦାକୁ ଦେଖିନେଲି । ପ୍ରଥମେ ମନେହେଲା–ପ୍ରକୃତରେ ଏଇ ଦାରିଦ୍ର୍ୟ ଜିନିଷଟାଏ ସଂସାରରେ କେତେ ଅର୍ଥହୀନ ନୁହେଁ, ଯଦି ତାହାକୁ ଜଣେ ଖାତିର ନ କରେ । ଏଇ ଯେ ସେ ଆମ ବଙ୍ଗାଳୀ ଘରର ସାଧାରଣ ଝିଅଟିଏ ! ବାହାରୁ ଲକ୍ଷ୍ୟ କଲେ କୌଣସି ବିଶେଷତ୍ୱ ଦେଖିବାକୁ ମିଳେ ନାହିଁ । ନା ଅଛି ରୂପ, ନା ଅଛି ବସ୍ତ୍ର, ନା ଅଛି ଅଳଙ୍କାର । ଏଇ ଭଗ୍ନ ଗୃହର ଯେଉଁ ଦିଗକୁ ଦୃଷ୍ଟି ପକାଇବ କେବଳ ଦେଖିବାକୁ ପାଇବ ଅଭାବ ଅନାଟନର ଛାୟା । ତଥାପି କିନ୍ତୁ ଯେ ଏହା ଛାୟା ମାତ୍ର; ତାହାଠାରୁ ଅଧିକା କିଛି ନାହିଁ, ସେ କଥା ଯେପରି ଆଖିରେ ପଡ଼ିବାକୁ ବାକିନଥାଏ । ଅଭାବର ଦୁଃଖଟାକୁ ଏ ଝିଅଟି ଇସାରାରେ ଦୂରରେ ରଖିଦେଇଛି । ସେ ଏପରି ଭାବରେ ଦୂରରେ ରଖିଦେଇପାରିଛି ଯେ ସେ ଜୋର କରି ଏ ଘରଭିତରକୁ ମନା ନମାନି ପଶିବାକୁ ସାହସ କରିପାରୁ ନାହିଁ । ଅଥଚ ମାସ କେତେଟା ପୂର୍ବେ ଏହାର ସବୁ ଥିଲା । ଘରଦ୍ୱାର ବନ୍ଧୁ ପରିଜନ, ସ୍ୱଚ୍ଛଳ ସଂସାର, ଏଇଭଳି କୌଣସି ଜିନିଷର ଅଭାବ ନଥିଲା । କେବଳ ଗୋଟାଏ ଅନ୍ୟାୟ ବିରୁଦ୍ଧରେ କଠୋର ପ୍ରତିବାଦ କରିବାକୁ ଯାଇ ଗୋଟିଏ ଚିରାଲୁଗାକୁ ଫିଙ୍ଗିଦେଲା ଭଳି ସବୁ ତ୍ୟାଗ କରିଦେଇ ଚାଲି ଆସିବାକୁ ତାକୁ ମୁହୂର୍ତ୍ତଟିଏ ସୁଦ୍ଧା ଲାଗିଲା ନାହିଁ । ଅଥଚ ତାହାଠାରୁ କେଉଁଠି କଠୋରତାର ଚିହ୍ନ ସୁଦ୍ଧା ନାହିଁ ।

 

ରାଜଲକ୍ଷ୍ମୀ ହଠାତ୍‌ ମୋତେ ଲକ୍ଷ୍ୟ କରି କହିଲା–ଭାବିଥିଲି, ସୁନନ୍ଦା ବୋଧହୁଏ ବୟସ୍କା ହୋଇଥିବ, ହେ ଭଗବାନ୍‌ ! ଏ ତ ଏକବାରେ ପିଲାଟାଏ !

 

ଅଜୟ ବୋଧହୁଏ ତା’ ଗୁରୁଦେବଙ୍କ ହୁଙ୍କାରେ ତମାଖୁ ସଜାଡ଼ି କରି ଆଣୁଥିଲା । ସୁନନ୍ଦା ତାକୁ ଦେଖାଇ କହିଲା–ପିଲାଟାଏ କିପରି ? ଏଇ ଏତେବଡ଼ ପୁଅ ଯାହାର, ସେ କ’ଣ କେବେ ପିଲା ହୋଇପାରେ ? ଏହା କହି ସେ ହସିବାକୁ ଲାଗିଲା । ଚମତ୍କାର, ସ୍ୱଚ୍ଛଳ, ସରଳ ହସ-। ଅଜୟ ନିଜେ ଚୁଲିରୁ ନିଆଁ ଆଣିବ କି ନାହିଁ ପଚାରିବାରୁ ପରିହାସ କରି କହିଲା–କେଜାଣି କି ଜାତିର ପିଲା ତୁ ! ଦରକାର ନାହିଁ ଚୁଲି ଛୁଇଁବା । ଅସଲ କଥା, ଜଳନ୍ତା ନିଆଁ ରଡ଼ ଚୁଲିରୁ ଆଣିବା କଷ୍ଟ ବୋଲି ସେ ନିଜେ ଯାଇ ନିଆଁ ଆଣି କଲିଟାର ଉପରେ ରଖିଦେଇ ଅଜୟ ହାତକୁ ହୁକାଟା ବଢ଼ାଇଦେଲା ଏବଂ ଏହାପରେ ହସ ହସ ମୁହଁରେ ଆସି ନିଜ ସ୍ଥାନରେ ବସିଲା । ସାଧାରଣ ଗାଉଁଲୀ ସ୍ତ୍ରୀଲୋକଙ୍କ ଭଳି ହସି, ଥଟ୍ଟା କରିବାଠାରୁ ଆରମ୍ଭ କରି କଥାବାର୍ତ୍ତାର ଆଚରଣରେ କେଉଁଠାରେ କୌଣସି ବିଶେଷତ୍ୱ ଧରିପାରିବାର ଯୁ ନାହିଁ ଅଥଚ ଇତି ମଧ୍ୟରେ ଯେଉଁ ସାମାନ୍ୟ ପରିଚୟ ଟିକକ ତା’ର ପାଇଛି ତାହା କେତେ ନା କେତେ ଅସାମାନ୍ୟ କହିହେବ ନାହିଁ-। ଏହି ଅସାଧାରଣତାର ହେତୁଟା ପରକ୍ଷଣରେ ହିଁ ଆମ ଦୁଇଜଣଙ୍କ ନିକଟରେ ପରିସ୍ଫୁଟ ହୋଇଉଠିଲା-

 

ଅଜୟ ମୋ ହାତକୁ ହୁକାଟା ଧରାଇ ଦେଇ କହିଲା–ମା’, ଏଇଟା ତାହାହେଲେ ବାନ୍ଧି ରଖି ଦେଉଛି ।

 

ସୁନନ୍ଦା ଇଙ୍ଗିତରେ ଉତ୍ତର ଦେବା କ୍ଷଣି ମୁଁ ତାହାର ଦୃଷ୍ଟି ଅନୁସରଣ କରି ଦେଖିଲି ଆମଠାରୁ ଅଳ୍ପ ଦୂରରେ ଖଣ୍ଡିଏ କାଠ ପିଢ଼ାଉପରେ ଗୋଟାଏ ବଡ଼ ପୋଥି ଖୋଲା ହୋଇପଡ଼ିଛି । ଏତେ ସମୟ ଧରି କେହି ଏହାକୁ ଦେଖିନାହାନ୍ତି । ଅଜୟ ତା’ର ପତ୍ରଗୁଡ଼ିକ ଏକାଠି କରି ବାନ୍ଧୁ ବାନ୍ଧୁ ଦୁଃଖିତ ମନରେ କହିଲା–ମା’ ‘‘ଉତ୍ପତ୍ତିର’’ ପ୍ରକରଣଟା ତ ଆଜି ଶେଷ ହୋଇପାରିଲା ନାହିଁ କେବେ ଆଉ ସରିବ ? ଏହା ବୋଧହୁଏ ଆଉ ସରିଲା ଭଳି ଲାଗୁ ନାହିଁ ।

 

ରାଜଲକ୍ଷ୍ମୀ ପଚାରିଲା–ଏଇଟା କେଉଁ ପୋଥି ଅଜୟ ?

 

: ଯୋଗାବଶିଷ୍ଠ ।

 

: ତୁମ ମାଆ ମୁଢ଼ି ଭାଜୁଥିଲେ ଆଉ ତୁମେ ତାଙ୍କୁ ଶୁଣାଉଥିଲ, ନା ?

 

: ନା, ମୁଁ ମାଆପାଖରେ ପଢ଼େ ।

 

ଅଜୟର ଏହି ସରଳ ଏବଂ ସଂକ୍ଷିପ୍ତ ଉତ୍ତରରେ ସୁନନ୍ଦା ଯେପରି ହଠାତ୍‌ ଲଜ୍ଜ୍ୟାରେ ନାଲିପଡ଼ିଗଲା । ସଙ୍ଗେ ସଙ୍ଗେ କହିପକାଇଲା–ପଢ଼ାଇ ପାରିବା ଭଳି ବିଦ୍ୟା ତ ମାଆର ଏକା ଅଛି ନା, ନାନୀ ଦିପହରବେଳେ ଏକଲା ବସି ଘରର କାମ କରେ । ସେ ପ୍ରାୟ ରହିପାରନ୍ତି ନାହିଁ । ପିଲାମାନେ ପୋଥି ଧରି କିଏ କେଉଁଠି କ’ଣ କରନ୍ତି ତହିଁରୁ ବାରଅଣା ମୁଁ ଶୁଣିପାରେ ନାହିଁ । ତେଣୁ ଯାହିତାହି କିଛି କହିଦେଲେ ହେଲା ।

 

ଅଜୟ ଯୋଗାବଶିଷ୍ଠ ପୋଥି ନେଇ ଚାଲିଗଲା । ରାଜଲକ୍ଷ୍ମୀ ଗମ୍ଭୀର ମୁହଁରେ ସ୍ଥିର ହୋଇ ବସି ରହିଲା । କେତେ ମୁହୂର୍ତ୍ତ ପରେ ହଠାତ୍‌ ଦୀର୍ଘନିଃଶ୍ୱାସଟିଏ ଛାଡ଼ି କହିଲା–ଘରଟା ମୋ ଘରର ପାଖାପାଖି ହୋଇଥିଲେ, ମୁଁ ମଧ୍ୟ ତୋର ଗୋଟିଏ ଚେଲା ହୋଇଯାଇଥାନ୍ତି ଭଉଣୀ । ଏକରେ ତ କିଛି ଜାଣିନାହିଁ–ତାପରେ ପୂଜା, ଆହ୍ନିକ ପ୍ରଭୃତିର ମନ୍ତ୍ରଗୁଡ଼ାକ ଯଦି ଠିକ୍‌ରୂପେ କହିପାରନ୍ତି.......

 

ମନ୍ତ୍ରୋଚାରଣ ସମ୍ବନ୍ଧରେ ତା’ର ସଂଦିଗ୍‌ଧ ଆକ୍ଷେପ ମୁଁ ଅନେକବାର ଶୁଣିଛି । ଏଇଟା ମୋର ଅଭ୍ୟାସ ଥିଲା । ସୁନନ୍ଦା କିନ୍ତୁ ଏଇ ପ୍ରଥମଥର ପାଇଁ ତାହାଠାରୁ ଶୁଣିଲା । ତେଣୁ କିଛି କହିଲା ନାହିଁ । କେବଳ ମୁଚୁକି ମୁଚୁକି ଟିକିଏ ହସିଲା ମାତ୍ର । କେଜାଣି ସେ କ’ଣ ମନେମନେ ଭାବିଲା । ହୁଏତ ଭାବିଲା ଯିଏ ତାତ୍ପର୍ଯ୍ୟ ବୁଝେ ନାହିଁ, ପ୍ରୟୋଗ ଜାଣେ ନାହିଁ କେବଳ ଅର୍ଥହୀନ ଆବୃତ୍ତିର ପରିଶୁଦ୍ଧତା ପ୍ରତି ତା’ର ଏତେ ଦୃଷ୍ଟି କାହିଁକି ? ହୁଏତ ଅବା ଏହା ତାହା ପକ୍ଷରେ ନୂତନ ନୁହେଁ । ଆମ ସାଧାରଣ ବଙ୍ଗାଳୀ ଘରର ଝିଅମାନଙ୍କ ମୁହଁରେ ଏପରି ସକରୁଣ ଲୋଭ ଓ ମୋହର କଥା ସେ ଅନେକ ଶୁଣିପାରିଛି । ଏହାର ପ୍ରତିବାଦ କରେନାହିଁ କିମ୍ୱା ଉତ୍ତର ଦେବାକୁ ପ୍ରୟୋଜନ ମନେକରେ ନାହିଁ । ଅଥବା ଏ ସକଳ କିଛି ନ ହୋଇପାରେ ଏହା ମନେକରି ବିନୟ ବଶବର୍ତ୍ତୀ ହୋଇ ସ୍ୱଭାବିକ ଭାବରେ ସେ ଚୁପ୍‌ ରହିଲା । ତଥାପି ଏ କଥାଟା ନ ଭାବି ରହିପାରିଲି ଯେ ସେ ଯଦି ତା’ର ଏଇ ଅପରିଚିତ ଅତିଥିକୁ ନିତାନ୍ତ ସାଧାରଣ ଝିଅଙ୍କ ଭଳି, ଛୋଟନଜରରେ ଦେଖିଥାଏ ତ ପୁଣି ଦିନେ ଅତିଶୟ ଅନୁତାପ କରି ମତ ବଦଳାଇବାର ଆବଶ୍ୟକ ପଡ଼ିପାରେ ।

 

ଆଖି ପଲକ ମାତ୍ରେ ରାଜଲକ୍ଷ୍ମୀ ଆପଣାକୁ ସମ୍ଭାଳିନେଲା । ମୁଁ ଜାଣେ କେହିଁ ‘ହାଁ’ କରିଲେ ସେ ତା’ ମନର କଥା ବୁଝିନେଇ ପାରିଥାଏ । ଆଉ ସେ ମନ୍ତ୍ର–ତନ୍ତ୍ରର ଧାର ଧାରିବାକୁ ଗଲାନାହିଁ ଏବଂ ଟିକିଏ ପରେ ନିଚ୍ଛୁକ ଘରକରଣା ଓ ଘରର ଭଲମନ୍ଦ କଥା ଆରମ୍ଭ କରିଦେଲା । ସେମାନଙ୍କର ମୃଦୁ ଆଲୋଚନା ଏଣିକି ଆଉ କାନକୁ ଶୁଭିଲା ନାହିଁ । ମୁଁ ମଧ୍ୟ ଶୁଣିବାକୁ ଚେଷ୍ଟା କଲି ନାହିଁ । ବରଞ୍ଚ ଅଜୟ ତର୍କାଳଙ୍କରଙ୍କର ଦେଇଥିବା ହୁକାରେ ଶୂଷ୍କ ସୁକଠୋର ତମାଖୁକୁ ପ୍ରାଣପଣେ ନିଃଶେଷ କରିବାକୁ ଲାଗିପଡ଼ିଲି ।

 

ଏଇ ଦୁଇଟି ରମଣୀ ଅସ୍ପଷ୍ଟ ମୃଦୁ ସ୍ୱରରେ ସଂସାର ଯାତ୍ରା ସମ୍ୱନ୍ଧରେ କେଉଁ ଜଟିଳ ତତ୍ତ୍ୱର ସମାଧାନ କରିବାକୁ ଲାଗିଲେ ସେକଥା ସେହି ଦୁଇଜଣ ହିଁ ଜାଣନ୍ତି । କିନ୍ତୁ ସେମାନଙ୍କଠାରୁ ଦୂରରେ ହାତରେ ହୁକାଧରି ବସିରହି ମୋର କିପରି ମନେହେବାକୁ ଲାଗିଲା ଯେପରି ହଠାତ୍‌ ଗୋଟାଏ ଜଟିଳ ପ୍ରଶ୍ନର ଉତ୍ତର ପାଇପାରିଛି । ମୋ ବିରୁଦ୍ଧରେ ଗୋଟିଏ କୁତ୍ସିତ ଅଭିଯୋଗ ଅଛି ଯେ ମୁଁ ନାରୀମାନଙ୍କୁ ସଦାବେଳେ ହୀନଆଖିରେ ଦେଖିଆସିଛି । ଏହି ଶକ୍ତ କାର୍ଯ୍ୟଟା ଯେ କିପରି କରିଆସିଛି ଏବଂ କେଉଁଠାରେ ଏହାର ପ୍ରତିକାର, ଏକଥା ଅନେକବାର ଅନେକ ଦିଗରୁ ମୁଁ ଭାବି ଦେଖିବାର ଚେଷ୍ଟା କରିଆସିଛି । କିନ୍ତୁ ଆଜି ସୁନନ୍ଦାକୁ ଠିକ୍‌ ଏପରି ଭାବରେ ନିଜ ଆଖିରେ ନ ଦେଖିଲେ ବୋଧହୁଏ ସଂଶୟ ଚିରଦିନ ରହିଯାଇଥାନ୍ତା ।

 

ଦେଶ ଓ ବିଦେଶରେ ଅନେକ ରକମର ସ୍ତ୍ରୀ–ସ୍ୱାଧୀନତା କେତେ ବା ନ ଦେଖି ଆସିଛି-! ଏହାର ଯେଉଁ ନମୁନା ବର୍ମା ଦେଶରେ ପାଦ ଦେବାମାତ୍ରେ ଦେଖିଥିଲି ତାହା ଭୁଲିବାର ଶକ୍ତି କାହିଁ-? ତିନିଜଣ ବ୍ରହ୍ମ–ସୁନ୍ଦରୀ ପ୍ରକାଶ୍ୟ ରାଜପଥରେ ଠିଆହୋଇ ଗୋଟାଏ ଷଣ୍ଢମାର୍କା ପୁରୁଷକୁ ଯେଉଁପରି ଭାବରେ ଅପଦସ୍ଥ କରିଥିଲେ, ତାହା ଦେଖି ପୁଲକରେ ରୋମାଞ୍ଚିତ ହେବା ସଙ୍ଗେସଙ୍ଗେ ଭୟରେ ଘର୍ମାକ୍ତ କଳେବର ହୋଇଉଠିଥିଲି । ଅଭୟା ନିଜ ଆଖିରେ ଏସବୁ ଦେଖୁଦେଖୁ କହିଥିଲା–ଆମ ବଙ୍ଗାଳୀ ଝିଅମାନେ ଏପରି...ମୋ କକେଇ ଥରେ ଦୁଇଜଣ ମାରୁଆଡ଼ି ସ୍ତ୍ରୀଲୋକଙ୍କ ନାମରେ କେଶ୍‌ କରିବାକୁ ଯାଇଥିଲେ କାହିଁକି ନା ସେମାନେ ରେଳଗାଡ଼ିରେ କୁଆଡ଼େ କକେଇଙ୍କର କାନ ଓ ନାକକୁ ପ୍ରବଳ ପରାକ୍ରମରେ ମୋଡ଼ି ଦେଇଥିଲେ । ଏକଥା ଶୁଣି ଖୁଡ଼ୀ ଆମର ମନଦୁଃଖ କରି କହିଥିଲେ–ଆଚ୍ଛା ଆମମାନଙ୍କ ବଙ୍ଗାଳୀ ଘରେ ଏପରି ଯଦି ଚାଲିଚଳନ ଥାନ୍ତା ନା; ଥିଲେ ଅବଶ୍ୟ ଆମ କକେଇ ଘୋରତର ଆପତ୍ତି କରିଥାନ୍ତେ; କିନ୍ତୁ ଏହାଦ୍ୱାରା ଯେ ନାରୀ ଜାତିର ହୀନ ଅବସ୍ଥାର ପ୍ରତିବିଧାନ ହୋଇପାରୁଥାନ୍ତା ଏହା ମଧ୍ୟ ନିଃସନ୍ଦେହରେ କହିହେବ ନାହିଁ । ଏହା ଯେ କେଉଁଠାରେ କିପରି ଭାବରେ ରୂପନିଏ ସୁନନ୍ଦାର ଭଗ୍ନ ଗୃହରେ ଛିନ୍ନ ଆସନରେ ବସି ଆଜି ନୀରବରେ ଏବଂ ନିଃସନ୍ଦେହରେ ଅନୁଭବ କରିବାକୁ ଲାଗିଲି-। କେବଳ ‘‘ଆସନ୍ତୁ’’ କହି ଅଭ୍ୟର୍ଥନା କରିବା ବ୍ୟତୀତ ଆଉ ଗୋଟିଏ ହେଲେ ପଦ ସେ ମୋତେ କହିନାହିଁ । ରାଜଲକ୍ଷ୍ମୀ ସହିତ ସେପରି କିଛି ଗୁରୁତର କଥାରେ ଯେ ପ୍ରବୃତ୍ତ ହୋଇଗଲା, ତାହା ମଧ୍ୟ ନୁହେଁ; କିନ୍ତୁ ଅଜୟର ମିଥ୍ୟା ଆଡ଼ମ୍ୱରର ପ୍ରତ୍ୟୁତ୍ତର ଦେବାପାଇଁ ହସ ହସ ମୁହଁରେ ଯାହା କହିଥିଲା ଯେ, ଘରେ ପାନ ନାହିଁ, କିଣିବା ଭଳି ସାମର୍ଥ୍ୟ ନାହିଁ ଏବଂ ଏଠାରେ ତାହା ଦୁର୍ଲ୍ଲଭ ବସ୍ତୁ-! ତା’ର ସବୁକଥା ମଝିରେ ଯେପରି ଏଇ କଥାତକ ଅହରହ ମୋ କାନରେ ବାଜିବାକୁ ଲାଗିଥିଲା-। ତା’ର ଖୋଲାଖୋଲି ଏଇ ଟିକକ ମାତ୍ର ପରିହାସରେ ଦାରିଦ୍ର୍ୟର ସମସ୍ତ ବ୍ୟଥା କେଉଁଠାରେ ଯେ ଯାଇ ଲଜ୍ଜ୍ୟାରେ ମୁହଁ ଲୁଚାଇଲା, ତାହା ଆଉ ଦେଖିବାକୁ ମିଳିନଥିଲା । ମୁହୂର୍ତ୍ତକ ଭିତରେ ଜଣାଗଲା ଯେ ଏଇ ଭଙ୍ଗାଘର, ଏଇ ଜୀର୍ଣ୍ଣ ଗୃହ ସଜ୍ଜା, ଏଇ ଦୁଃଖ, ଦୈନ୍ୟ, ଅନାଟନ ଇତ୍ୟାଦିଠାରୁ ଏହି ନିରାଭରଣ ଝିଅଟି ଅନେକ ଉପରେ । ଅଧ୍ୟାପକ ପିତା ଦେବା ମଧ୍ୟରେ ତାଙ୍କୁ ଅଶେଷ ଯତ୍ନରେ ଧର୍ମ ଓ ବିଦ୍ୟାଦାନ କରି ଶଶୁର କୂଳକୁ ପଠାଇ ଦେଇଥିଲେ । ତାହାପରେ ସେ ଜୋତା ମୋଜା ପିନ୍ଧିବ କି ଓଢ଼ଣା ଖୋଲି ରାସ୍ତାରେ ବୁଲିବ କିମ୍ୱା ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାକୁ ଯାଇ ସ୍ୱାମୀ, ପୁତ୍ରକୁ ଧରି ଭଙ୍ଗାଘରେ ବାସ କରିବ, ମୁଢ଼ି ଭାଜି, କିମ୍ୱା ଯୋଗାବିଶିଷ୍ଟ ପଢ଼ାଇବ, ସେ ଚିନ୍ତା ନିହାତି ଅକିଞ୍ଚିତ୍‌କର । ଝିଅମାନଙ୍କୁ ଆମେମାନେ ହୀନବୀର୍ଯ୍ୟା କରିଛୁ କି ନାହିଁ ଏହି ଯୁକ୍ତି ମଧ୍ୟ ନିରର୍ଥକ । କିନ୍ତୁ ଏହି ଦିଗରୁ ଯଦି ସେମାନଙ୍କୁ ବଞ୍ଚିତ କରିଥାଏ ତେବେ ସେ କର୍ମର ଫଳ ଭୋଗ ଅନିବାର୍ଯ୍ୟ । ଅଜୟର ‘‘ଉତ୍ପତ୍ତି ପ୍ରକରଣ’’ ଉଠିନଥିଲେ ସୁନନ୍ଦାର ଲେଖାପଢ଼ା କଥା ହୁଏତ ଆମେମାନେ କେହି ଜାଣିପାରିନଥାନ୍ତୁ । ତା’ର ମୁଢ଼ି ଭଜାଠାରୁ ଆରମ୍ଭ କରି ସରଳ ଓ ସାମାନ୍ୟ ହସ–ତାମସା ମଝିରେ ଯୋଗାବିଶିଷ୍ଟ ଝାଞ୍ଜ କେଉଁଠାରେ ବାଜି ନାହିଁ । ଅଥଚ ସ୍ୱାମୀଙ୍କର ଅନୁପସ୍ଥିତିରେ ଅପରିଚିତ ଅତିଥିର ଅଭ୍ୟର୍ଥନା କରିଲେ ମଧ୍ୟ ତାକୁ ଆଦୌ କଷ୍ଟ ଜଣାପଡ଼ିଲା ନାହିଁ-। ନିର୍ଜନ ଘରଭିତରେ ଗୋଟିଏ ସତର ଅଠର ବର୍ଷର ପିଲାର ସେ ଏତେ ସହଜରେ ଓ ଅବହେଳା କ୍ରମେ ମାଆ ହୋଇପାରିଛି ଯେ, ଶାସନ ଓ ସନ୍ଦେହରେ ଦଉଡ଼ି ଦ୍ୱାରା ତାକୁ ବାନ୍ଧିବାର କଳ୍ପନା ବୋଧହୁଏ କୌଣସି ଦିନ ତା’ ସ୍ୱାମୀ ମନରେ ଉଠିନାହିଁ । ଅଥଚ ଏଥିପାଇଁ ପ୍ରହରା ଦେବାପାଇଁ ଘରେ ଘରେ କେତେ ପ୍ରହରୀ ସୃଷ୍ଟି ନ ହୋଇଛନ୍ତି ?

 

ତର୍କାଳଙ୍କାର ପୁଅଟିକୁ ସଙ୍ଗରେ ଧରି ହାଟକୁ ଯାଇଥିଲେ । ତାଙ୍କ ସହିତ ଦେଖାକରି ଯିବାପାଇଁ ଇଚ୍ଛାଥିଲା । କିନ୍ତୁ ଏଣେ ବେଳ ଗଡ଼ିଯିବାକୁ ବସିଥିଲା । ଏ ଦରିଦ୍ର ଗୃହଲକ୍ଷ୍ମୀର କେତେ ନା କେତେ କାମ ବାକିପଡ଼ି ନଥିବ ଭାବି ରାଜଲକ୍ଷ୍ମୀ ଉଠିପଡ଼ିଲା ଏବଂ ବିଦାୟ ନେଇ କହିଲା–ଆଜି ଯାଉଛି, ଯଦି ବିରକ୍ତ ନ ହୁଅ ତ କେବେ ପୁଣି ଆସିବି ।

 

ମୁଁ ମଧ୍ୟ ଉଠି ଠିଆ ହୋଇପଡ଼ି କହିଲି–ମୋ ସହିତ ମଧ୍ୟ କଥାବାର୍ତ୍ତା ହେଲାଭଳି ଲୋକ ଏଠାରେ କେହି ନାହାନ୍ତି । ଯଦି ଅନୁମତି ଦିଅନ୍ତି ତେବେ ମଝିରେ ମଝିରେ ଆସିବି ।

 

ସୁନନ୍ଦା ମୁହଁ ଫିଟାଇ କିଛି ନ କହି କେବଳ ହସି ହସି ମୁଣ୍ଡ ଟୁଙ୍ଗାରିଲା ।

 

ବାଟରେ ଆସୁ ଆସୁ ରାଜଲକ୍ଷ୍ମୀ କହିଲା–ଏମାନଙ୍କ ଘର କଥା ଆଜି କହିବି ନାହିଁ । କୁଶାରୀ ମହାଶୟଙ୍କୁ ସୁଦ୍ଧା ଭଲକରି ଚିହ୍ନିପାରିନାହିଁ । କିନ୍ତୁ ଏଇ ଦୁଇଜଣଯାକ ଯାଆ ବଡ଼ ଚମତ୍କାର ।

 

କହିଲି–ଖୁବ୍‌ ସମ୍ଭବତଃ ସେଇଆ ହିଁ । କିନ୍ତୁ ତୁମର ତ ମଣିଷକୁ ବଶ କରିବାର ଅଦ୍ଭୁତ କ୍ଷମତା, ଦେଖେ ଯଦି ଚେଷ୍ଟାକରି ଦୁଇଜଣଙ୍କୁ ମିଳାଇ ଦେଇପାର ।

 

ରାଜଲକ୍ଷ୍ମୀ ମୁହଁ ଚିପି ଅଳ୍ପ ହସି କହିଲା–କ୍ଷମତା ଥାଇପାରେ । କିନ୍ତୁ ତୁମକୁ କରିବାଟା ତା’ର ପ୍ରମାଣ ନୁହେଁ । ଚେଷ୍ଟାକଲେ ସେ କାମ ଅନେକ କରିପାରିବ ।

 

କହିଲି–କରିପାରନ୍ତି । ତେବେ ଯେତେବେଳେ ଚେଷ୍ଟା କରିବା ପାଇଁ ସୁଯୋଗ ମିଳିନାହିଁ-। ସେତେବେଳେ ସେ ବିଷୟରେ ଯୁକ୍ତି କରି ଆଉ ଲାଭ କିଛି ହେବ ନାହିଁ ।

 

ରାଜଲକ୍ଷ୍ମୀ ସେହିପରି ହସିଦେଇ କହିଲା–ଆଚ୍ଛା; ଆଚ୍ଛା । ଏ ଭିତରେ ଦିନ ଚାଲିଗଲାଣି ସେ କଥା ମନେମନେ ଆଉ ଭାବନାହିଁ ମ ।

 

ଆଜି ଦିନସାରା ମେଘୁଆ ହୋଇଥିଲା । ଅପରାହ୍ନର ସୂର୍ଯ୍ୟ ଅସମୟରେ ଖଣ୍ଡିଏ ମେଘ ଆଢ଼ୁଆଳରେ ଲୁଚି ରହିଥିବାରୁ ଆମ ଆଗରେ ଆକାଶଟା ରଙ୍ଗୀନ ହୋଇଉଠିଥିଲା । ତାହାର ହିଁ ଗୋଲାପୀ ଛାୟା ସମ୍ମୁଖରେ ଧୂସର ପଡ଼ିଆରେ; ତାହାର ଏକାନ୍ତବର୍ତ୍ତୀ ଗୋଟିଏ ବାଉଁଶ ବୁଦା ଓ ଗୋଟିଏ ଦୁଇଟା ତେନ୍ତୁଳି ଗଛରେ ପଡ଼ି ଯେପରି ସୁନା ଛାଇ ହେଲାପରି ଦିଶୁଥିଲା । ରାଜଲକ୍ଷ୍ମୀର ଶେଷ ଅନୁଯୋଗର ଉତ୍ତର ଦେଲି ନାହିଁ । କିନ୍ତୁ ଭିତରର ମନଟା ଯେପରି ବାହାର ଦଶଦିଗ ଭଳି ଗଙ୍ଗୀନ ହୋଇଉଠିଲା । ଅଲକ୍ଷ୍ୟରେ ଥରକପାଇଁ ତା’ ମୁହଁକୁ ଚାହିଁରହି ଦେଖିଲି; ତା’ ଓଠରୁ ହସର ରେଖା ସଂପୂର୍ଣ୍ଣ ମିଳାଇ ଯାଇନାହିଁ । ବିଗଳିତ ସ୍ୱର୍ଣ୍ଣପ୍ରଭା ଦ୍ୱାରା ଏଇ ଏକାନ୍ତ ପରିଚିତ ହାସ୍ୟଭରା ମୁଖ ଖଣ୍ଡିକ ସତେ ଯେପରି ଅପୂର୍ବପରି ମନେହେଲା । ଏହା କେବଳ ତାହାର ରଙ୍ଗ ନୁହେଁ, ହୁଏତ ଯେଉଁ ଆଲୋକ ଆଉ ଏକ ନାରୀଠାରୁ ଏଇମାତ୍ର ମୁଁ ଆହରଣ କରିଆଣିଛି, ତାହାର ଅପରୂପ ନୀପ୍ତି ଏହାର ଅନ୍ତର ଭିତରେ ଯେପରି ଖେଳିବୁଲୁଥାଏ । ବାଟରେ ଆମ ଭିତରେ ଆଉ କେହିନଥିଲେ । ସେ ଆଗକୁ ଆଙ୍ଗୁଳୀ ବଢ଼ାଇ କହିଲା–ତୁମର ଛାୟା କାହିଁକି ପଡ଼ୁନାହିଁ କହିଲ ? ଚାହିଁ ଦେଖିଲି ଆଦରରେ ଡାହାଣ ଦିଗରେ ଆମମାନଙ୍କର ଅସ୍ପଷ୍ଟ ଛାୟା ଏକ ହୋଇ ମିଶିଯାଇଛି-। କହିଲି–ବସ୍ତୁ ଥିଲେ ଛାଇପଡ଼େ । ବୋଧହୁଏ ଏଇଟା ଆଉ ନାହିଁ ।

 

: ଆଗେ ଥିଲା ?

 

: ଲକ୍ଷ୍ୟକରି ଦେଖିନାହିଁ । ଠିକ୍‌ ମନେପଡ଼ୁନାହିଁ ।

 

ରାଜଲକ୍ଷ୍ମୀ ହସି ହସି କହିଲା–ମୋର ପଡ଼ୁଛି । ଏତେ ଟିକିଏ ବୟସରୁ ମୁଁ ଏଇଟାକୁ ଦେଖି ଶିଖିଥିଲି । ଏହା କହି ସେ ଗୋଟାଏ ପରିତୃପ୍ତିର ନିଃଶ୍ୱାସ ମାରି କହିଲା–ଆଜି ଦିନଟା ମୋତେ ବଡ଼ ଭଲ ଲାଗୁଛି । ମନେହେଉଛି ଏତେଦିନ ପରେ ସଙ୍ଗୀଟିଏ ପାଇଲି । ଏହା କହି ସେ ମୋଆଡ଼କୁ ଚାହିଁଲା । ମୁଁ କିଛି କହିଲି ନାହିଁ । କିନ୍ତୁ ମନେମନେ ଭଲଭାବରେ ବୁଝିଲି ଯେ ସେ ଠିକ୍‌ ସତ କଥାଟାକୁ ହିଁ କହିପକାଇଛି ।

 

ଘରେ ଆସି ପହଞ୍ଚିଲା । କିନ୍ତୁ ଗୋଡ଼ରୁ ଧୂଳି ଧୋଇବାକୁ ଅବକାଶ ମିଳିଲା ନାହିଁ । ଶାନ୍ତି ଓ ତୃପ୍ତି ଏ ଦୁଇଟିଯାକ ଏକ ସଙ୍ଗରେ ଅନ୍ତର୍ହିତ ହେଲେ । ଦେଖିଲି ବାହାରେ ଘରେ ଦଶ ପନ୍ଦରଜଣ ଲୋକ ଏକାଠି ହୋଇ ବସିଛନ୍ତି । ଆମମାନଙ୍କୁ ଦେଖି ସଂଭ୍ରମରେ ଉଠି ଠିଆ ହୋଇପଡ଼ିଲେ । ରତନ ବୋଧହୁଏ ଏତେ ସମୟ ଧରି ବକ୍ତୃତା ଦେଉଥିଲା । ଉତ୍ତେଜନା ଓ ନିଗୂଢ଼ ଆନନ୍ଦରେ ତା’ ମୁହଁ ଚକ୍‍ଚକ୍‌ କରୁଥିଲା । ପାଖକୁ ଆସି କହିଲା–ମାଆ, ବାରମ୍ବାର ଯାହା କହିଆସିଛି ତାହା ହିଁ ଘଟିଛି ।

 

ରାଜଲକ୍ଷ୍ମୀ ଅଧୀର ଭାବରେ କହିଲା–ମୋର ତ ମନେ ନାହିଁ । ପୁଣି ଥରେ କହିଲୁ ?

 

ରତନ କହିଲା–ନବୀନକୁ ପୋଲିସ୍‌ ଆସି ହାତକଡ଼ି ଦେଇ ବାନ୍ଧି ନେଇଯାଇଛି ।

 

: ବାନ୍ଧି ନେଇଯାଇଛି ! କେତେବେଳେ ? କ’ଣ କରିଥିଲା ସେ ?

 

: ମାଳତୀକୁ ଏକପ୍ରକାର ସେ ଖୁନ କରିପକାଇଛି ।

 

: କ’ଣ କହୁଛୁ ତୁ ! ତା’ ମୁହଁ ଏକବାରେ ସାଦା ହେଇଗଲା ।

 

କିନ୍ତୁ କଥା ଶେଷ ନ ହଉଣୁ ସମସ୍ତେ ଏକସଙ୍ଗରେ କହିଉଠିଲେ–ନା, ନା, ମାଆ, ପୂରାପୂରି ମାରିଦେଇ ନାହିଁ । ଖୁବ୍‌ ମାରିଛି ସତ କିନ୍ତୁ ଜୀବନରେ ମାରିପକାଇ ନାହିଁ ।

 

ରତନ ଆଖି ନାଲ ନାଲ କରି କହିଲା–ତୁମେମାନେ କ’ଣ ଜାଣିଛ କିହୋ ? ତାକୁ ଡାକ୍ତରଖାନାକୁ ପଠାଇବା କଥା କିନ୍ତୁ ଖୋଜି ଖୋଜି ସେ ମିଳୁନାହିଁ । ତାହାହେଲେ ଗଲା କୁଆଡ଼େ-? ତୁମମାନଙ୍କ ହାତରେ ମଧ୍ୟ ଦରକାର ହେଲେ ବେଡ଼ି ଲାଗିପାରେ ଜାଣିଛଟି ?

 

ଏକଥା ଶୁଣିବାକ୍ଷଣି ସମସ୍ତଙ୍କ ମୁହଁ ଶୁଖିଗଲା । କେହି ପଳାଇଯିବାକୁ ଲାଗିଲେ । ରାଜଲକ୍ଷ୍ମୀ, ରତନଆଡ଼କୁ କଡ଼ା ଦୃଷ୍ଟିରେ ଚାହିଁ କରି କହିଲା–ତୁ ଯିବୁ ଏଠାରୁ । ତୋତେ ଯେତେବେଳେ ପଚାରିବି ସେତେବେଳେ କହିବୁ । ଭିଡ଼ଭିତରେ ମାଳତୀର ବାପ ମୁହଁରେ ଠିଆ ହୋଇଥିଲା । ଆମେ ସମସ୍ତେ ତାକୁ ଚିହ୍ନୁ । ଇଙ୍ଗିତ ଦେଇ ତାକୁ ପାଖକୁ ଡାକି ପଚାରିଲି–କ’ଣ ହୋଇଛି ସତକରି କୁହ ତ ବିଶ୍ୱନାଥ ? ଲୁଚାଇଲେ କିମ୍ୱା ମିଛକଥା କହିଲେ ବିପଦରେ ପଡ଼ିଯାଇପାରେ ।

 

ବିଶ୍ୱନାଥ ଯାହା କହିଲା–ତାହା ସଂକ୍ଷେପରେ ଏହିଭଳି–କାଲି ରାତିଠାରୁ ମାଳତୀ ତା’ର ବାପଘରେ ଥିଲା । ଆଜି ଦି’ପହରବେଳେ ସେ ପୋଖରୀକୁ ପାଣି ଆଣିବାପାଇଁ ଯାଇଥିଲା । ତା’ ସ୍ୱାମୀ ନବୀନ କେଉଁଠି ଲୁଚି ରହିଥିଲା । ଏକାକିନୀ ପାଇ ଭୀଷଣ ପ୍ରହାର ଚଢ଼ାଇଛି । ଏପରିକି ମୁଣ୍ଡ ଫଟାଇ ଦେଇଛି । ମାଳତୀ କାନ୍ଦି କାନ୍ଦି ପ୍ରଥମେ ସେଠାକୁ ଆସିଲା । କିନ୍ତୁ ଆମମାନଙ୍କ ଦେଖା ନପାଇ କୁଶାରୀ ମହାଶୟଙ୍କୁ ଖୋଜିବାପାଇଁ କଚେରୀ ଘରକୁ ଗଲା । ସେଠାରେ ମଧ୍ୟ ତାଙ୍କୁ ନ ପାଇ ସିଧାସଳଖ ଥାନାକୁ ଯାଇ ସମସ୍ତ ମାରଧରର ଚିହ୍ନ ଦେଖାଇ ସଙ୍ଗରେ ପୁଲିସ୍‌କୁ ଧରିଆସି ନବୀନକୁ ଧରାଇଦେଲା । ସେ ସେତେବେଳେ ଘରେ ଥିଲା । ନିଜ ହାତରେ ଦୁଇଟା ଚାଉଳ ଫୁଟାଇ ଖାଇବାକୁ ବସିଥିଲା । ସୁତରାଂ ପଳାଇଯିବା ପାଇଁ ସୁଯୋଗ ପାଇପାରିଲା ନାହିଁ । ଦାରୋଗା ବାବୁ ଲାଠିମାରି ହାଣ୍ଡି ଭାଙ୍ଗିଦେଇ ତାକୁ ବାନ୍ଧିକରି ନେଇଗଲେ ।

 

ଘଟଣା ଶୁଣି ରାଜଲକ୍ଷ୍ମୀ ଅଗ୍ନିଶର୍ମା ହୋଇଉଠିଲା । ସେ ମାଳତୀକୁ ଯେପରି ଦେଖିପାରୁନଥିଲା ସେହିପରି ନବୀନ ପ୍ରତି ମଧ୍ୟ ପ୍ରସନ୍ନ ନଥିଲା । କିନ୍ତୁ ତା’ର ସବୁ ରାଗ ଯାଇ ଅଜାଡ଼ି ହୋଇପଡ଼ିଲା ମୋଉପରେ । କ୍ରୁଦ୍ଧ କଣ୍ଠରେ କହିଲା–ତୁମକୁ ଶହେବାର କହିଛି, ଛୋଟ ଲୋକମାନଙ୍କର ଏସବୁ ଅସନା କାଣ୍ଡ ଭିତରକୁ ତୁମେ ପଶ ନାହିଁ । ଯାଅ ଏଥର ସମ୍ଭାଳ । ମୁଁ କିଛି ଜାଣେ ନାହିଁ... କହି ସେ ତରତର ହୋଇ ଭିତରକୁ ଚାଲିଗଲା । କହି କହି ଗଲା–ନବୀନର ଫାଶୀ ହେବା ଉଚିତ । ଆଉ ଏ ହାରାମଜାଦୀ ଯଦି ମରିଯାଇଥାଏ ତ ତେବେ ଜାଣିବ ବିପଦ ଯାଇଛି ।

 

କିଛି ସମୟ ପାଇଁ ଆମେ ସମସ୍ତେ ସ୍ତବ୍‌ଧ ହୋଇଉଠିଲୁ । ଶୋଧା ଖାଇବା କ୍ଷଣି ମନେମନେ ଭାବିବାକୁ ଲାଗିଲି କାଲି ଏମାନଙ୍କ ଭିତରେ ମଧ୍ୟସ୍ଥି ହୋଇ ଯେଉଁ ମୀମାଂସା କରିଥିଲି ତାହା ଭଲ ହୋଇ ନାହିଁ । ନ କରିଥିଲେ ଏ ଦୁର୍ଘଟଣା ହୁଏତ ଘଟିନଥାନ୍ତା । କିନ୍ତୁ ମୋର ମତଲବ ଭଲ ଥିଲା । ଭାବିଥିଲି ପ୍ରେମ ଲୀଳାର ଯେଉଁ ଅଦୃଶ୍ୟ ଗୋପନ ସ୍ରୋତଟା ଅନ୍ତରାଳରେ ବହି ସାରା ଗାଆଁଟାକୁ ଗୋଳିଆ କରିପକାଇଛି ତାକୁ ଖୋଲିଦେଲେ ହୁଏତ ଭଲ ହେବ । ଦେଖିଲି, ଭୁଲ କରିଥିଲି । କିନ୍ତୁ ତା’ ଆଗରୁ ସବୁ ଘଟଣା ଟିକିଏ ଖୋଲି କରି କହିବା ଆବଶ୍ୟକ । ମାଳତୀ ନବୀନ ଡମର ସ୍ତ୍ରୀ ସତ କିନ୍ତୁ ଏଠାକୁ ଆସିବା ଦିନରୁ ଦେଖିଆସିଛି ସାରା ଡମ ବସ୍ତିରେ ସେ ଗୋଟାଏ ନିଆଁ ଝୁଲପରି । କେତେବେଳେ ଯେ କେଉଁ ପରିବାରରେ ସେ ଅଗ୍ନିକାଣ୍ଡ ଘଟାଇଦେବ, ଏଥିପାଇ କେଉଁ ସ୍ତ୍ରୀଲୋକ ମନରେ ଶାନ୍ତି ନଥାଏ । ଏଇ ଯୁବତୀ ଝିଅଟା ଯେପରି ସୁନ୍ଦରୀ, ସେହିପରି ଚଞ୍ଚଳ । ସେ ଗୁଞ୍ଜର ପୋକର ଟିକିଲି ଲଗାଏ । ଲେମ୍ୱୁ ତେଲ ଲଗାଇ ଜୁଡ଼ା ବାନ୍ଧେ । ସିଲ୍‌କ ତିଆରି ଚଉଡ଼ା କଳା ଧଡ଼ିର ଶାଢ଼ି ପିନ୍ଧେ; ଗଲାବେଳେ ରାସ୍ତା ଘାଟରେ ମୁଣ୍ଡରୁ ତା’ର ଓଢ଼ଣା ଖସିପଡ଼ିବାର କୌଣସି ବାଧା ନ ଥାଏ । ଏହି ମୁଖରା ଝିଅଟାକୁ ମୁହଁଆଗରେ କହିବାକୁ କାହାର ଯୁ ନଥାଏ । କିନ୍ତୁ ତା’ ଅଗୋଚରରେ ଏଇ ପଡ଼ାର ଝିଅମାନେ ଯେଉଁ ବିଶେଷଣ ଯୋଗ କରିଦିଅନ୍ତି ତାହା କାଳି କଲମରେ ଲେଖିହେବ ନାହିଁ । ପ୍ରଥମେ କୁଆଡ଼େ ନବୀନ ମାଳତୀର ଘରକୁ ଯିବାକୁ ଚାହୁଁନଥିଲା–ବାପଘରେ ରହୁଥିଲା । କହୁଥିଲା–ମୁଁ ଗଲେ ସେ ମୋତେ କ’ଣ ଖାଇବାକୁ ଦେବ ? ସେହି ଧିକ୍‌କାର ବଚନ ଶୁଣି କୁଆଡ଼େ ନବୀନ ଦେଶତ୍ୟାଗି ହୋଇ କେଉଁ ସହରରେ ଯାଇ ପିଆବା ଚାକିରି କରି ବର୍ଷେହେବ ଗାଆଁକୁ ଫେରିଆସିଛି । ଆସିବା ସମୟରେ ମାଳତୀ ପାଇଁ ରୁପାର ପଇଁଚ, ସିଲିକ୍‌ ଶାଢ଼ି, ରେଶମର ଫିତା, ଗୋଟାଏ ବୋତଲ ଗୋଲାପ ଜଳ ଏବଂ ଗୋଟାଏ ଟିଣର ଟ୍ରଙ୍କ ସାଙ୍ଗରେ ଧରିଆସିଛି । ଏ ସବୁ ପରିବର୍ତ୍ତନରେ ସ୍ତ୍ରୀକୁ କେବଳ ଘରକୁ ଆଣିବା ନୁହେଁ, ତାହାର ହୃଦ ପର୍ଯ୍ୟନ୍ତ ଅଧିକାର କରି ବସିଥିଲା କିନ୍ତୁ ଏ ସବୁ ମୋର ଶୁଣିବା କଥା-। ଆଉ ପୁଣି କେବେଠାରୁ ସ୍ତ୍ରୀ ଉପରେ ସନ୍ଦେହ ସୃଷ୍ଟି ହେଲା, ନଦୀଘାଟକୁ ଗଲାବେଳେ ଲୁଚିଛପି ଜଗିବା, ଏବଂ ଏହାପରେ ଯାହାସବୁ ସୃଷ୍ଟି ହୋଇଗଲା; ସେ ସବୁ ମୁଁ ଠିକ୍‌ କରି ଜାଣି ନାହିଁ । ମୁଁ ତ ଆସିବା ଦିନରୁ ଅଦ୍ୟାବଧି ପର୍ଯ୍ୟନ୍ତ ଦେଖିଆସିଛି ଏହାର ତୁଣ୍ଡରେ ଏବଂ ହାତର ଯୁଦ୍ଧ କୌଣସି ଦିନ ବନ୍ଦ ନାହିଁ । ମୁଣ୍ଡ ଫଟାଫଟି କେବଳ ଆଜି ନୁହେଁ ଆଉ ଦୁଇ ତିନିଥର ମଧ୍ୟ ଘଟିଯାଇଛି-। ବୋଧହୁଏ ଏଥିପାଇଁ ଏ ଘଟଣା ଉପରେ ଗୁରୁତ୍ୱ ନଦେଇ ନବୀନ ସ୍ତ୍ରୀର ମୁଣ୍ଡ ଫଟାଇ ସାରି ନିଶ୍ଚିନ୍ତ ଚିତ୍ତରେ ଖାଇ ବସିଥିଲା । କଳ୍ପନା କରିନଥିଲା ଯେ ମାଳତୀ ଏପରି ଭାବରେ ଯାଇ ପୁଲିସ୍‌କୁ ଡାକିଆଣି ତାକୁ ଥାନାକୁ ଚାଲାଣ କରାଇଦେବ । କାଲି ସକାଳୁ ଯେତେବେଳେ ପ୍ରଭାତ ରାଗିଣୀ ଭଳି ମାଳତୀ ତୀକ୍ଷ୍‌ଣ କଣ୍ଠରେ ଗଗନ ପବନ ଭେଦ କରି ପକାଇଲା ରାଜଲକ୍ଷ୍ମୀ ସେତେବେଳେ ଘର କାମ ଛାଡ଼ିଦେଇ ପାଖକୁ ଆସି ମୋତେ କହିଲା ଘରପାଖରେ ଏପରି ହଙ୍ଗାମା ହାସ୍ୟ କରି ହେଉ ନାହିଁ । ନହେଲେ କିଛି ଟଙ୍କା ପଇସା ଦେଇ ହତଭାଗୀକୁ ତୁମେ ଦୂର କରିଦିଅ ।

 

କହିଲି–ନବୀନଟା ମଧ୍ୟ କମ୍‌ ପାଜି ନୁହେଁ । କାମଦାମ କରିବ ନାହିଁ, କେବଳ ଟେରି କାଟି ଆଉ ମାଛ ମାରି ବୁଲିବ । ଆଉ ହାତରେ ପଇସାଟିଏ ପାଇଲେ ତାଡ଼ି ଖାଇ ମାରପିଟ୍‌ ଆରମ୍ଭ କରିଦେବ । କହିବା ବାହୁଲ୍ୟ ଏ ସବୁ ସେ ସହରକୁ ଯାଇ ଶିଖି କରି ଆସିଥିଲା ।

 

: ଦୁହେଁ ଯାକ ସମାନ । କହି ସେ ଭିତରକୁ ଚାଲିଗଲା । କହି କହି ଗଲା–କାମଦାମ କରିବ ଅବା କେତେବେଳେ ? ହାରାମଜାଦୀ ସେଥିପାଇଁ ସମୟ ଦେଲେ ତ ?

 

ପ୍ରକୃତରେ ଅସହ୍ୟ ହୋଇଉଠିଥିଲା । ସେମାନଙ୍କର ଗାଳି ମନ୍ଦ ଏବଂ ମାଡ଼ ପିଟର ମକଦ୍ଦମା ଦୁଇ ତିନିଥର ଫଇସଲା କରିଛି କିନ୍ତୁ କୌଣସି ଫଳ ହୋଇ ନାହିଁ । ଆଜି ଭାବିଲି ଖିଆପିଆ ସରିବା ପରେ ଡକାଇ ଶେଷ ମୀମାଂସା କରିଦେବି । କିନ୍ତୁ ଭାବିବା ଦରକାର ପଡ଼ିଲା ନାହିଁ । ଦି’ପହର ବେଳେ ଗାଆଁର ଯେତେ ସ୍ତ୍ରୀ ପୁରୁଷ ସେମାନଙ୍କ ଦ୍ୱାରା ଦାଣ୍ଡଘର ଭର୍ତ୍ତି ହୋଇଗଲା । ନବୀନ କହିଲା–ଆଜ୍ଞା ମୁଁ ଆଉ ଏହାକୁ ଚାହୁ ନାହିଁ । ଦୁଃଶ୍ଚରିତ୍ରା ସ୍ତ୍ରୀଟାଏ । ସେ ମୋ ଘରୁ ବାହାରିଯାଉ ।

 

ମୁଖରା ମାଳତୀ ଓଢ଼ଣା ଭିତରୁ କହିଉଠିଲା–ସେ ସମସ୍ତଙ୍କ ଆଗରେ ମୋ ହାତରୁ ଶଙ୍ଖା, କାଚ କାଢ଼ି ଦେଉ ।

 

ନବୀନ କହିଲା–ତୁ ମୋର ରୁପାର ପଇଁଚ ଫେରାଇଦେ ।

 

ମାଳତୀ ତତ୍‌କ୍ଷଣାତ୍‌ ହାତରୁ ଦୁଇପଟ ପଇଁଚ ଖୋଲି ଆଗକୁ ଫିଙ୍ଗିଦେଲା ।

 

ନବୀନ ପାଟି କରି କହିଲା–ତୁ ମୋ ଟିଣ ଟ୍ରଙ୍କଟା ନେଇପାରିବୁ ନାହିଁ ।

 

ମାଳତୀ କହିଲା–ମୁଁ ଚାହେଁ ନାହିଁ । ଏହା କହି ସେ ପଣତ କାନିରୁ ଚାବି ଖୋଲି ତା’ ପାଦ ତଳକୁ ଫିଙ୍ଗିଦେଲା ।

 

ନବୀନ ସେତେବେଳେ ବୀର ଦର୍ପରେ ଆଗେଇ ଆସି ମାଳତୀ ହାତରୁ କାଚ ପଟ୍‌ ପଟ୍‌ କରି ଭାଙ୍ଗିଦେଲା ଏବଂ ଶଙ୍ଖା ଦୁଇଟାକୁ ଟାଣି ବାହାର କରି ପାଚେରୀ ସେ ପାଖକୁ ଫିଙ୍ଗିଦେଲା । କହିଲା–ଯାଆ, ତୋତେ ରାଣ୍ଡ କରିଦେଲି ।

 

ମୁଁ ତ ଆଶ୍ଚର୍ଯ୍ୟ ହୋଇଗଲି । ଜଣେ ବୃଦ୍ଧ ବ୍ୟକ୍ତି ମୋତେ ବୁଝାଇ କହିଲେ ଏପରି କରିନଥିଲେ ଆଉ ମାଳତୀ ଦ୍ୱିତୀୟ ଥର ପାଇଁ କାହାକୁ ବାହା ହୋଇପାରି ନଥାନ୍ତା । ତେଣୁ ଯାହା ଯାହା ଘଟିଛି ସବୁ ଠିକ୍‌ ଅଛି ।

 

କଥା ହେଉହେଉ ଘଟଣା ଆହୁରି ପରିଷ୍କାର ହୋଇଉଠିଲା । ବିଶ୍ୱେଶ୍ୱରର ବଡ଼ ଜ୍ୱାଇଁର ଭାଇ ଆଜକୁ ଛଅମାସ ଧରି ମାଳତୀ ପଛରେ ଲଙ୍ଗପଙ୍ଗ ହେଉଛି । ତା’ର ଅବସ୍ଥା ଭଲ । ବିଶୁକୁ ଚୁଡ଼ି ଏବଂ ନାକକୁ ସୁନାର ନୋଥ ଦେବ ବୋଲି କହିଛି । ଏପରିକି ସେ ଏ ସବୁ ଜିନିଷ ବିଶୁ ପାଖରେ ଜମାଦେଇ ଦେଇଛି ।

 

ସବୁ ଜିନିଷ ଶୁଣିବା ପରେ ମନକୁ ଘୃଣା ଆସିଲା । କିଛିଦିନ ହେବ ଯେ ଗୋଟାଏ ଷଡ଼ଯନ୍ତ୍ର ଚାଲିଥିଲା ଏବଂ ସେହି କଦର୍ଯ୍ୟ କାର୍ଯ୍ୟକୁ ମୁଁ ନ ଜାଣି ନିଃସନ୍ଦେହ ଭାବରେ ସାହାଯ୍ୟ କରିବସିଛି । ନବୀନ କହିଲା–ମୁଁ ତ ଏହା ହିଁ ଚାହୁଁଥିଲି । ସହରକୁ ଯାଇ ଏଣିକି ମଜାକରି ଚାକିରି କରିବି । ତୋ ଭଳି ଦଶଗଣ୍ଡା ମୁଁ ବାହାହେବି । ଗଙ୍ଗାମାଟିର ହରି ମୋଡ଼ାଲ ତ ତା’ ଝିଅପାଇଁ ଖୋସାମତ କରିବାରେ ଲାଗିଛି । ତା’ ପାଦ ନଖକୁ ତୁ ଯୋଗ୍ୟ ନୋହୁଁ । ଏହା କହି ସେ ତା’ର ରୁପାର ପଇଁଚ ଏବଂ ଟ୍ରଙ୍କର ଚାବି ଅଣ୍ଟାରେ ଗୁଞ୍ଜି ଚାଲିଗଲା । ଏସବୁ ଆସ୍ଫାଳନ ସତ୍ତ୍ୱେ ତା’ ମୁହଁକୁ ଚାହିଁ ମନେହେଲା ନାହିଁ ଯେ, ସହରରେ ଚାକିରି କିମ୍ୱା ହରିମୋଡ଼ାଲର ଝିଅ କୌଣସିଟାର ଆଶାହିଁ ତା’ ଭବିଷ୍ୟତକୁ ଉଜ୍ଜ୍ୱଳ କରି ରଖିଛି ।

 

ରତନ ଆସି କହିଲା–ବାବୁ, ମାଆ କହିଛନ୍ତି ଏସବୁ କଦର୍ଯ୍ୟ ଆଲୋଚନା ଘରେ କରନ୍ତୁ ନାହିଁ ।

 

ମୋତେ କିଛି କରିବାକୁ ପଡ଼ିଲା ନାହିଁ । ବିଶ୍ୱେଶ୍ୱର ମୋଡ଼ାଲ ତା’ ଝିଅକୁ ଧରି ଠିଆହେଲା । କିନ୍ତୁ କାଳେ ସେ ମୋ ପାଦଧୂଳି ନେବାକୁ ଆସିପାରେ ଏଇ ଆଶଙ୍କାର ତରତର ହୋଇ ଘରିଭିତରେ ପଶିଗଲି । ଭାବିଲି, ମୁଁ ଚେଷ୍ଟାକଲି, ନ ହେଲେ ନ ହେଲା–ଯାଉ । ଯାହାହେଲା ଭଲହେଲା । ମନ ଯେତେବେଳେ ଭାଙ୍ଗିଯାଇଛି ଆଉ ଉପାୟ ଯେତେବେଳେ ଅଛି; ସେତେବେଳେ ବ୍ୟର୍ଥ ଆକ୍ରୋଶରେ ପ୍ରତିଦିନ ମରାମରି ହୋଇ କଳିକଜିଆ କରି ଘରସଂସାର କରିବାଠାରୁ ଏହା ଯଥେଷ୍ଟ ଭଲ ।

 

ଆଜି କିନ୍ତୁ ସୁନନ୍ଦା ଘରୁ ଫେରିଆସି ଶୁଣିଲି; ଗତକାଲିକାର ନିଷ୍ପତ୍ତି ସେପରି ଭଲ ହୋଇ ନାହିଁ ସଦ୍ୟ ବିଧବା ମାଳତୀ ଉପରେ ନବୀନ ସ୍ୱାମୀତ୍ୱ–ପରିତ୍ୟାଗ କରିଥିଲେ ମଧ୍ୟ ମାଡ଼ପିଟର ଅଧିକାରଟାକୁ ଛାଡ଼ିପାରି ନାହିଁ । ସେ ଏ ପଡ଼ାରୁ ଯାଇ ସେ ପଡ଼ାରେ ଦିନସାରା ଲୁଚିରହି ଅପେକ୍ଷା କରିଥିଲା ଏବଂ ହଠାତ୍‌ ମାଳତୀକୁ ଏକାକିନୀ ଦେଖି ବିଷମ କାଣ୍ଡ କରିତ ବସିଛି-। କିନ୍ତୁ ଝିଅଟା ଏବେ ଗଲା କୁଆଡ଼େ ?

 

ସୂର୍ଯ୍ୟ ଅସ୍ତଗଲେ । ପଶ୍ଚିମ ଦିଗର ଝରକା ଦେଇ ପଡ଼ିଆ ଆଡ଼େ ଚାହିଁ ଭାବୁଥିଲି–ଖୁବ୍‌ ସମ୍ଭବତଃ ପୋଲିସ ଭୟରେ ମାଳତୀ କେଉଁଠି ଲୁଚିଯାଇଛି । କିନ୍ତୁ ନବୀନକୁ ସେ ଯେ ଧରାଇ ଦେଇପାରିଛି ସେତିକି ତ କମ ନୁହେଁ । ହତଭାଗାକୁ ଉପଯୁକ୍ତ ଶାସ୍ତି ମିଳିଛି । ଏଣିକି ଝିଅଟା ଶାନ୍ତିରେ ନିଃଶ୍ୱାସ ମାରି ହେଲେ ବଞ୍ଚିବ ।

 

ରାଜଲକ୍ଷ୍ମୀ ସନ୍ଧ୍ୟାଦୀପ ଧରି ଘରଭିତରକୁ ପଶିଆସି କ୍ଷଣକ ପାଇଁ ଅଟକିଗଲା । କିନ୍ତୁ କୌଣସି କଥା କହିଲା ନାହିଁ । ନୀରବରେ ବାହାରକୁ ଚାଲିଯାଇ ପାଖଘରର ଦୁଆରବନ୍ଧ ଉପରେ ପାଦ ଦେବାକ୍ଷଣି କ’ଣ ଗୋଟାଏ ଭାରି ଜିନିଷର ପଡ଼ିବା ଶବ୍ଦ ଶୁଣି ଚିତ୍କାର କରିଉଠିଲା । ଦୌଡ଼ିଯାଇ ଦେଖିଲି ବିରାଟ ଗୋଟାଏ ଲୁଗାର ଗଣ୍ଠିଲି ଦୁଇହାତ ବଢ଼ାଇ ତା’ ପାଦ ଦୁଇଟାକୁ ଧରି ମୁଣ୍ଡପିଟିବାରେ ଲାଗିଲା । ରାଜଲକ୍ଷ୍ମୀ ହାତରୁ ପ୍ରଦୀପଟା ପଡ଼ିଗଲେ ମଧ୍ୟ ଜଳୁଥିଲା । ଉଠାଇ ଧରିବାକ୍ଷଣି ସେଇ କଳାଧଡ଼ି ପିନ୍ଧା ଶାଢ଼ିଟା ଆଖିରେପଡ଼ିଲା ।

 

କହିଲି–ଏ ଯେ ମାଳତୀ !

 

ରାଜଲକ୍ଷ୍ମୀ କହିଲା–ହତଭାଗୀ, ସନ୍ଧ୍ୟାବେଳଟାରେ ଛୁଇଁଲୁ ? ଇସ୍‌ ! ଏ କ’ଣ କଲୁ କହ ତ !

 

ଦୀପ ଆଲୋକରେ ଦେଖିପାରିଲି ତା’ ମୁଣ୍ଡର କ୍ଷତଟାରୁ ପୁଣି ରକ୍ତ ବହି ରାଜଲକ୍ଷ୍ମୀର ପାଦ ଦୁଇଟାକୁ ନାଲ କରି ଦେଇଥାଏ–ମାଆ, ତୁମେ ମୋତେ ବଞ୍ଚାଅ ।

 

ରାଜଲକ୍ଷ୍ମୀ ରାଗିକରି କହିଲା–କାହିଁକି ? ତୋର ପୁଣି କ’ଣ ହେଲା କି ?

 

ସେ କାନ୍ଦିକରି କହିଲା–ଦାରୋଗା କହୁଛି କାଲି ସକାଳୁ ଚାଲଣ କରିଦେବ । ତାପରେ ପାଞ୍ଚବର୍ଷ ଜେଲ୍‌ ହୋଇଯିବ ।

 

ମୁଁ କହିଲି–ଯେପରି କର୍ମ, ସେହିପରି ଶାସ୍ତି ହେବା ଉଚିତ୍‌ ।

 

ରାଜଲକ୍ଷ୍ମୀ କହିଲା–ହେଉ ଅବା ଜେଲ୍‌, ସେଥିରେ ତୋର ଅବା କ’ଣ ଅଛି ?

 

ଝିଅଟାର କାନ୍ଦ ଯେପରି ଦମକାଏ ଝଡ଼ପରି ତା’ ହୃଦୟ ଫଟାଇ ବାହାରି ଆସିଲା । କହିଲା, ବାବୁ କହିଲେ କହନ୍ତୁ । କିନ୍ତୁ ତୁମେ ମାଆ ଏପରି କଥା କହ ନାହିଁ । ତା’ ମୁହଁର ଭାତ ମୁଁ ତାକୁ ଖୁଆଇ ଦେଇନାହିଁ । କହୁ କହୁ ସେ ପୁଣି ମୁଣ୍ଡ ପିଟି ପିଟି କହିବାକୁ ଲାଗିଲା–ମାଆ ଏଥରକ ତୁମେ ଆମକୁ ବଞ୍ଚାଇଦିଅ । ଆମେ ବିଦେଶକୁ ଚାଲିଯାଇ କେଉଁଠାରେ ହେଲେ ଭିକମାଗି ବଞ୍ଚିବୁ । ନ ହେଲେ କହୁଛି ତୁମ ପୋଖରୀକୁ ଡେଇଁପଡ଼ି ବୁଡ଼ିମରିବି ।

 

ହଠାତ୍‌ ରାଜଲକ୍ଷ୍ମୀ ଦୁଇଆଖିରୁ ଦୁଇଟୋପା ଅଶ୍ରୁ ଗଡ଼ିପଡ଼ିଲା । ଧୀରେ ଧୀରେ ତା’ର ଆଲୁଲାୟିତ କେଶ ଉପରେ ହାତରଖି ସେ ରୁଦ୍ଧ ସ୍ୱରରେ କହିଲା ଆଚ୍ଛା, ଆଚ୍ଛା, ତୁ ଚୁପ୍‌ ହୋ । ମୁଁ ଦେଖୁଛି ।

 

ଦେଖିବାକୁ ମଧ୍ୟ ହେଲା । ରାଜଲକ୍ଷ୍ମୀ ବାକ୍‌ସରୁ ଦୁଇଶହ ଟଙ୍କା ସେଇ ରାତିରେ ବାହାର କରି କୁଆଡ଼େ ଅନ୍ତର୍ହିତ ହୋଇଗଲା, ସେକଥା କହିବାର ପ୍ରୟୋଜନ ନାହିଁ । କିନ୍ତୁ ନବୀନ ମୋଡ଼ାଲ କିମ୍ୱା ମାଳତୀ କାହାକୁ ପରଦିନ ସକାଳୁ ଗଙ୍ଗା ମାଟିରେ ଆଉ ଦେଖିବାକୁ ମିଳିଲା ନାହିଁ-

 

ସମସ୍ତେ ଭାବିଲେ ଯାଆନ୍ତୁ ସେମାନେ, ରକ୍ଷା ମିଳିଗଲା । ରାଜଲକ୍ଷ୍ମୀର ସବୁ ତୁଚ୍ଛ କଥାରେ କାନ ଦେବାପାଇଁ ସମୟ ନଥିଲା । ସେ ମଧ୍ୟ ଦୁଇ ଚାରିଦିନ ପରେ ଏମାନଙ୍କୁ ଭୁଲିଗଲା-। ଯଦିବା ମନେପଡ଼ୁଥିବ ତେବେ କ’ଣ ଭାବୁଥିବ ସେଇ ଜାଣେ । ତେବେ ଗାଆଁରୁ ଯେ ଗୋଟାଏ କଳଙ୍କ ଦୂର ହୋଇଯାଇଛି ଏହା ଅନେକ ଭାବିବାକୁ ଲାଗିଲା । କେବଳ ରତନ ଖୁସି ହୋଇପାରିଲା ନାହିଁ । ସେ ବୁଦ୍ଧିମାନ, ସହଜରେ ମନ କଥା ବ୍ୟକ୍ତ କରେନାହିଁ । କିନ୍ତୁ ତା’ ମୁହଁ ଦେଖି ମନେହେଉଥାଏ ସତେ ଯେପରି ସେ ଘଟଣାଟାକୁ ପସନ୍ଦ କରିପାରେ ନାହିଁ । ତା’ର ମଧ୍ୟସ୍ଥ ହେବାର, କର୍ତ୍ତୃତ୍ୱ ଜାହିର କରିବାର ସୁଯୋଗ ଟିକକ ଗଲା । ଘରର ଟଙ୍କା ଗଲା । ଏତେବଡ଼ ବିରାଟ କାଣ୍ଡ କେଉଁଠାରେ ଯେ କିପରି ଭାବରେ ବିଲୁପ୍ତ ହୋଇଗଲା ଏକଥା ସବୁ ଭାବି ନିଜକୁ ସେ ଅପମାନିତ, ଏପରିକି ଆହତ ବୋଲି ମନେକଲା । ତଥାପି ସେ ଚୁପ୍‌ ହୋଇ ରହିଲା-। ଆଉ ଘରର ଯିଏ କର୍ତ୍ତ୍ରୀ, ତାଙ୍କର ତ କୌଣସି ଦିନ ଏସବୁ ପ୍ରତି ଖିଆଲ ମାତ୍ର ନ ଥାଏ । ଯେତେଦିନ ବିତିବାକୁ ଲାଗିଲା ସୁନନ୍ଦା ଓ ତାଙ୍କ ଭିତରେ ମନ୍ତ୍ର–ତନ୍ତ୍ରର ଶୁଦ୍ଧ ଉଚ୍ଚାରଣ ଲୋଭ ଲକ୍ଷ୍ମୀକୁ ପାଗଳ କରିପକାଇଲା । ଏପରି କୌଣସି ଦିନ ନାହିଁ ଯେଉଁଦିନ ସେ ସେଠାକୁ ନ ଯାଇଛି । ସେଠାରେ ସେ କି ପରିମାଣରେ ଯେ ଧର୍ମଜ୍ଞାନ ଲାଭ କରୁଥିଲା ତାହା ମୁଁ ଅବା ଜାଣିବି କିପରି ?

 

ମୁଁ କେବଳ ତା’ ପରିବର୍ତ୍ତନ କଥା ଜାଣୁଥିଲି । ତାହା ଯେପରି ଦ୍ରୁତ, ସେହିପରି ଅଭାବିତ-। ଦିନବେଳେ ମୋ ଖାଇବାଟା ଟିକିଏ ବିଳମ୍ବରେ ଶେଷ ହୁଏ । ରାଜଲକ୍ଷ୍ମୀ ବରାବର ଆପତ୍ତି କରିଆସିଛି ଏବଂ କଦାପି ମଧ୍ୟ ଅନୁମୋଦନ କରିନାହିଁ ଯେ ମୋର ଏହି ବିଳମ୍ୱ ଭୋଜନ ଠିକ୍‌ ବୋଲି । ସେ ତ୍ରୁଟିକୁ ସଂଶୋଧନ କରିବା ପାଇଁ ମୁଁ କଦାପି ଟିକିଏ ଚେଷ୍ଟା କରିନାହିଁ-। କିନ୍ତୁ ଆଜିକାଲି ଦୈବାତ୍‌ କୌଣସିଦିନ ଅଧିକ ବିଳମ୍ବ ହୋଇଗଲେ ମନେମନେ ଲଜ୍ଜ୍ୟା ଅନୁଭବ କରେ-। ରାଜଲକ୍ଷ୍ମୀ କହେ, ତୁମେ ରୋଗୀ ଲୋକ । ତୁମେ ଏତେ ଡେରି କର କାହିଁକି ? ନିଜ ଦେହକୁ ନ ଚାହିଁଲେ ସୁଦ୍ଧା ଦାସୀ ଚାକର ଏମାନଙ୍କ ମୁହଁକୁ ତ ଚାହିଁବାକୁ ହେବ । ତୁମର ଖିଆଲ ହେତୁ ସେମାନେ ଏଣେ ଯେ ମରିବାକୁ ବସିଲେଣି । କଥାଗୁଡ଼ାକ ଯଦିଓ ଆଗକାର ଭଳି କିନ୍ତୁ ଠିକ୍‌ ସେହିଭଳି ନୁହେଁ । ତହିଁରେ ସ୍ନେହର ସ୍ୱର ନ ଥାଇ ଟିକିଏ କୁଶାଗ୍ର କଟୁତା, ଯାହା ମୋ ବ୍ୟତୀତ ଚାକର, ଦାସୀ କାହିଁକି ଏପରିକି ଭଗବାନଙ୍କ କାନକୁ ମଧ୍ୟ ଶୁଣାଯାଇପାରିବ ନାହିଁ । ସେମାନଙ୍କୁ ଭୋକ ହୋଇନଥିଲେ ମଧ୍ୟ ଦାସୀ–ଚାକରମାନଙ୍କ ମୁହଁକୁ ଚାହିଁ କୌଣସି ମତେ ସ୍ନାନାହାର ସାରି ସେମାନଙ୍କୁ ଛୁଟି କରି ଦିଆଯାଉଛି ।

 

ଏହି ଅନୁଗ୍ରହ ପ୍ରତି କିନ୍ତୁ ଚାକରବାକରମାନଙ୍କର ଆଗ୍ରହ ଥିଲା କି ଉପେକ୍ଷା ଥିଲା ତାହା ସେହିମାନେ ହିଁ ଜାଣନ୍ତି । ରାଜଲକ୍ଷ୍ମୀ କିନ୍ତୁ ଏହାପରେ ଦଶ ପନ୍ଦର ମିନିଟ୍‌ ରହି ବାହାରି ଯାଏ-। କେଉଁଦିନ ରତନ, କେଉଁଦିନ ଅବା ଦରଓ୍ୱାନ ସଙ୍ଗରେ ଯାଆନ୍ତି । କେଉଁଦିନ ଦେଖିବାକୁ ମିଳେ ସେ ଏକାକୀ ଚାଲିଛି । ଏମାନଙ୍କ ଭିତରୁ କାହାକୁ ଅପେକ୍ଷା କରିବାକୁ ତା’ର ଯେପରି ବେଳ ନ ଥାଏ । ପ୍ରଥମେ ଦୁଇ ଚାରିଦିନ ମୋତେ ସଙ୍ଗରେ ଯିବାକୁ ପଡ଼ିଥିଲା । ଏଇ ଦୁଇଦିନ ଯିବା ଭିତରେ ମୁଁ ବୁଝିପାରିଥିଲି ଏହାଦ୍ୱାରା କୌଣସି ପକ୍ଷର ଉପକାର ହେଉ ନାହିଁ । ଅତଏବ ମୁଁ ଏଣିକି ନିରୋଳା ଘରେ ପୁରାତନ ଆଳସ୍ୟ ମଧ୍ୟରେ ଏବଂ ସେ ତାହାର କର୍ମ–ଧର୍ମ ଓ ମନ୍ତ୍ର–ତନ୍ତ୍ରର ନବୀନ ଉଦ୍ଦୀପନା ଭିତରେ ନିମଗ୍ନ ରହିବା ଫଳରେ କ୍ରମଶଃ ଉଭୟେ ଯେପରି ଉଭୟଙ୍କଠାରୁ ପୃଥକ୍‌ ହୋଇପଡ଼ିଲୁ । ମୁଁ ମୋର ଖୋଲା ଝରକା ଦେଇ ଏଣିକି ଶୁଖିଲା ଟାଙ୍ଗରା ପଡ଼ିଆ ଭିତର ଦେଇ ତାକୁ ତର ତର ହୋଇ ଚାଲିଯାଉଥିବାର ଦେଖିବାକୁ ପାଇଲି । ସାରା ଦି’ ପହରଟା ମୋର ଯେ କିପରି କଟିଥାଏ ସେ ଦିଗରେ ଖିଆଲ ରଖିବାକୁ ତା’ର ବେଳ ନ ଥାଏ, ତାହା ମୁଁ ବୁଝିପାରେ-। ତଥାପି ଯେତେଦୂର ପର୍ଯ୍ୟନ୍ତ ଆଖିଦ୍ୱରା ଅନୁସରଣ କରାଯାଇ ହୁଏ ସେତକ ମୁଁ କରିଥାଏ-। ପାଦଚଲା ଅଙ୍କାବଙ୍କା ପଥଉପରେ ତା’ର ବିଲୀୟମାନ ଦେହଲତା ଆସ୍ତେ ଆସ୍ତେ ଦୂରାନ୍ତରାଳରେ କେତେବେଳେ ଯେ ତିରୋହିତ ହୋଇଯାଏ ତାହା ମୁଁ ଜାଣିପାରେ ନାହିଁ । ମୋର ମନେହୁଏ ଏକାନ୍ତ ସୁପରିଚିତ ଚଳନଭଙ୍ଗୀଟା ଯେପରି ପର୍ଯ୍ୟନ୍ତ ଶେଷ ହୋଇ ନାହିଁ ଏବଂ ସେ ଚାଲିବାରେ ଲାଗିଛି । ହଠାତ୍‌ ଚେତନା ଫେରିଯାଏ । ହୁଏତ ଆଖି ପୋଛି ଆଉ ଥରେ ଭଲକରି ଦେଖିନେଇ ତାପରେ ବିଛଣାରେ ଶୋଇପଡ଼େ । କର୍ମହୀନତାର ଦୁଃସହ କ୍ଳାନ୍ତି ବଶତଃ ଅବା କେଉଁଦିନ ଘୂମାଇପଡ଼େ ନଚେତ୍‌ ନିମୀଳିତ ନେତ୍ରରେ ନୀରବ ହୋଇ ପଡ଼ିରହେ । ଅଦୂରବର୍ତ୍ତୀ କେତେଟା ଖର୍ବାକୃତି ଗଛରେ ବସି ଡାହୁକ ଡାକୁଥାଏ, ଏବଂ ସେମାନଙ୍କ ସହିତ ମିଶି ପଡ଼ିଆର ତପ୍ତ ବତାସରେ ପାଖାପାଖି ଡମମାନଙ୍କ ବାଉଁଶ ବଣ ଏପରି ଗୋଟାଏ ବ୍ୟଥାଭରା ଦୀର୍ଘଶ୍ୱାସ ଭଳି ଶବ୍ଦ କରିବାରେ ଲାଗିଥାନ୍ତି ଯେ, ମଝିରେ ମଝିରେ ଭୁଲ ହୋଇଥାଏ ସତେ ଯେପରି ତାହା ମୋ ବୁକୁଭିତରୁ ବାହାରିଆସୁଛି କି ? ଭୟ ହୁଏ ଏଣିକି ବୋଧହୁଏ ଆଉ ସହ୍ୟକରିପାରିବ ନାହିଁ-। ରତନ ଘରେ ଥିଲେ ମଝିରେ ମଝିରେ ପାଦ ଚିପିଚିପି ଘରଭିତରକୁ ପଶିଆସି ପଚାରେ–କ’ଣ ବାବୁ ତମାଖୁ ସଜାଡ଼ି ଆଣି ଦେବିକି ? ଏପରି କେତେଦିନ ଚେଇଁରହି ସୁଦ୍ଧା ମୁଁ ଉତ୍ତର ଦିଏ ନାହିଁ, ଶୋଇବାର ଛଳନା କରିଛି । ଭୟ ହୋଇଛି କାଳେ ସେ ବେଦନାର ଚିହ୍ନ ଘୃଣାକ୍ଷରେ ମୋ ମୁହଁରେ ଦେଖିନେଇପାରେ ! ପ୍ରତିଦିନ ଭଳି ସେଦିନ ମଧ୍ୟ ରାଜଲକ୍ଷ୍ମୀ ଦି’ ପହରବେଳେ ସୁନନ୍ଦା ଘରକୁ ଯିବାମାତ୍ରେ ହଠାତ୍‌ ମୋର ବର୍ମା କଥା ମନେପଡ଼ିଗଲା । ବହୁଦିନ ପରେ ଅଭୟା ପାଖକୁ ଚିଠି ଖଣ୍ଡିଏ ଲେଖି ବସିଲି । ଇଚ୍ଛାଥିଲା, ଯେଉଁ ଫାର୍ମରେ ଚାକିରି କରିଥିଲି, ତାହାର ବଡ଼ ଖବର ସଂଗ୍ରହ କରିବି, କାହିଁକି ସଂଗ୍ରହ କରିବି, ସଂଗ୍ରହ କଲେ କ’ଣ ଅବା ଲାଭ ହେବ ସେ କଥା ସେତେବେଳେ ଚିନ୍ତା କରିନଥିଲି । ହଠାତ୍‌ ମନେହେଲା ଝରକା ପାଖଦେଇ ରେଶମୀ ଓଢ଼ଣାତଳେ ଯେଉଁ ସ୍ତ୍ରୀଲୋକଟି ଅପସରି ଗଲା, ସେ ଯେପରି ମୋର ଚିହ୍ନା ଏବଂ ବୋଧହୁଏ ମାଳତୀ ହୋଇପାରେ-। ଉଠିଯାଇ ଉଙ୍କିମାରି ଦେଖିବାକୁ ଚେଷ୍ଟା କଲି କିନ୍ତୁ କିଛି ଦେଖାଗଲା ନାହିଁ । ସେହି ମୁହୂର୍ତ୍ତରେ ହିଁ ତାହାର ପଣତ କାନିର ରଙ୍ଗଧଡ଼ିଟି ଆମ ପାଚେରୀ କୋଣଟାରେ ଅନ୍ତର୍ହିତ ହୋଇଗଲା ।

 

ମାସେ ଖଣ୍ଡେ ବ୍ୟବଧାନ ଭିତରେ ଡମମାନେ ସେଇ ଶୟତାନ ଝିଅଟାକୁ ପ୍ରାୟ ଭୁଲି ଯାଇଥାନ୍ତି । କେବଳ ମୁଁ ତାକୁ ଭୁଲିପାରିନଥାଏ । ଜାଣେନା କାହିଁକି ଏଇ ଉତ୍ସୃଙ୍ଖଳ ଝିଅଟାର ସନ୍ଧ୍ୟାବେଳର ସେଇ ଲୁହ ବୁନ୍ଦାରୁ ଟୋପାଏ ସତେ ଯେପରି ଏବେ ସୁଦ୍ଧା ମୋ ମନରେ ଲାଗି ରହିଛି । ପ୍ରାୟ ମନେହୁଏ ଯେପରି ଏଇଠାରେ କେଉଁଠି ସେ ରହିଛି । ପୁଣି ବେଳେବେଳେ ଭାବେ ଏଇ ଗଙ୍ଗାମାଟିର କୁତ୍ସିତ ଏବଂ ଷଡ଼ଯନ୍ତ୍ରକାରୀ ପରିବେଷ୍ଟନୀ ଭିତରୁ ଝିଅଟା ଚାଲିଯାଇ କେଉଁଠି କିପରି ରହିଲା ? ଆଉ ଯେପରି ଜୀବନରେ ସେ ଏଇ କୁତ୍ସିତ ଗାଆଁକୁ ନ ଆସେ । ଫେରିଯାଇ ଚିଠିଟି ଶେଷ କରିବାକୁ ବସିଗଲି, କେତେ ପୃଷ୍ଠା ଲେଖିସାରିବା ପରେ ପାଦଶବ୍ଦ ଶୁଣି ଚମକି ଚାହିଁ ଦେଖିନିଏ ରତନ । ତା’ ହାତରେ ଧରିଥିବା କଲିକୁ ହୁକାଉପରେ ରଖିଦେଇ ସେ କହିଲା–ବାବୁ ଏଇ ନିଅନ୍ତୁ ତମାଖୁ ।

 

ମୁଁ ମୁଣ୍ଡ ହଲାଇ କହିଲି–ଆଚ୍ଛା ।

 

ରତନ କିନ୍ତୁ ତତ୍‌କ୍ଷଣାତ୍‌ ଗଲା ନାହିଁ । ନୀରବରେ କିଛି ସମୟ ଠିଆହେବା ପରେ ଅତ୍ୟନ୍ତ ଗାମ୍ଭୀର୍ଯ୍ୟର ସହିତ କହିଲା–ବାବୁ ! ଏଇ ରତନ ପରିମାଣିକ ଯେ କେବେ ମରିବ ସେଇ କଥା କେବଳ ସେ ଜାଣେନା !

 

ତା’ ଭୂମିକା ସହିତ ମୋର ବେଶ୍‌ ପରିଚୟ ଥିଲା । ରାଜଲକ୍ଷ୍ମୀ ହେଲେ କହିଥାନ୍ତା, ଜାଣିଲେ ଭାଭ ଥିଲା । ତେଣୁ କ’ଣ କହିବାକୁ ଆସିଛୁ ଶୀଘ୍ର କହି–କହି ମୁଁ କେବଳ ମୁହଁଟେକି ହସିଲି । ଏଥିରେ, ରତନର ଗାମ୍ଭୀର୍ଯ୍ୟ ପରିମାଣ ବିନ୍ଦୁ ମାତ୍ର କମ୍‌ ହେଲା ନାହିଁ । କହିଲା, ମାଆଙ୍କୁ ସେଦିନ କହିଥିଲି ନା ଛୋଟ ଲୋକମାନଙ୍କ କଥାରେ ମୁଣ୍ଡ ପୂରାଇବେ ନାହିଁ । ସେମାନଙ୍କ ଆଖି ପାଣିରେ ଭୁଲିଯାଇ ସେଦିନ ଦୁଇଶହ ଟଙ୍କା ପାଣିରେ ଫିଙ୍ଗିଦେବାକୁ ମନା କରିଥିଲି, କି ନାହିଁ ? ମୁଁ ଜାଣେ । ସେ କହିନଥିବ । ଏହିଭଳି ସଦ୍‌ ଅଭିପ୍ରାୟ ରତନ ଅନ୍ତରରେ ଥିବା ଅବଶ୍ୟ ବିଚିତ୍ର ନୁହେଁ-। କିନ୍ତୁ ପ୍ରକାଶ କରି କହିବା ପାଇଁ ତା’ର କାହିଁକି, ବୋଧହୁଏ ମୋର ମଧ୍ୟ ସାହସ ଚାହୁଁନଥିଲେ । ପଚାରିଲି–ଘଟଣା କ’ଣ ରତନ ?

 

ରତନ କହିଲା–ଘଟଣା ଯାହା ହେବାର କଥା ତାହା ହେଲା ।

 

କହିଲି–ମୁଁ ଯେତେବେଳେ ଏ ପର୍ଯ୍ୟନ୍ତ ସୁଦ୍ଧା ଜାଣି ନାହିଁ ସେତେବେଳେ ଟିକିଏ ଖୋଲି କରି କହ ।

 

ରତନ ଖୋଲି କରି କହିଲା । ସବୁ ଶୁଣି ସାରିବା ପରେ ମନଭିତରେ କ’ଣ ଯେ ହୋଇଗଲା; ସେ କଥା ମୁଁ ଜାଣେ । କେବଳ ମନେଅଛି ଏହାର ନିଷ୍ଠୁରତା କଦର୍ଯ୍ୟତା ଓ ଅପରିସୀମ ବୀଭତ୍ସତା ଭାରରେ ସାରା ମନ ମୋର ଏକବାରେ ତିକ୍ତ ଓ ବିବଶ ହୋଇଉଠିଲା । କିପରି ଯେ କ’ଣ ହେଲା ରତନ ଯଦିଓ ଏହାର ଇତିବୃତ୍ତ ବିସ୍ତୃତ ଭାବରେ ସଂଗ୍ରହ କରପାରି ନାହିଁ ତଥାପି ଯେଉଁ ଟିକକ ସତ୍ୟ ଛାଣି ବାହାର କରିଛି ତାହା ଏହି ଯେ ନବୀନ ବର୍ତ୍ତମାନ ଜେଲ୍ ଖଟୁଛି ଏବଂ ମାଳତୀ ତା’ର ଭିଣୋଇର ସେହି ଧନୀ ସାନ ଭାଇକୁ ବାହା ହୋଇ ଏବେ ତା’ ଘରେ ରହିବ ବୋଲି ଗଙ୍ଗାମାଟିକୁ ଫେରିଆସିଛି । ମାଳତୀକୁ ସ୍ୱଚକ୍ଷୁରେ ନଦେଖିଲେ ବୋଧହୁଏ ବିଶ୍ୱାସ କରିବା କଠିନ ହୋଇଥାନ୍ତା ଯେ ରାଜଲକ୍ଷ୍ମୀର ଟଙ୍କା ଗୁଡ଼ାକର ଯଥାର୍ଥରେ ଏଇଭଳି ଭାବରେ ସଦ୍‌ଗତି ହୋଇପାରିଛି ।

 

ସେଦିନ ରାତ୍ରିରେ ମୋତେ ଖାଇବାକୁ ଦେଉଥିଲାବେଳେ ରାଜଲକ୍ଷ୍ମୀ ଏକଥା ଶୁଣିପାରିଲା । ଆଶ୍ଚର୍ଯ୍ୟ ହୋଇ ସେ କହିଲା–କ’ଣ କହୁଛି ରତନ ! ସତରେ ! ଟୋକୀଟା ସେଦିନ ଆଚ୍ଛା ତାମସା ତ ଲଗାଇଦେଲା । ଟଙ୍କାଗୁଡ଼ାକ ଗଲା । ଅବେଳାରେ ମୋତେ ଯାହା ଗାଧେଇବାକୁ ହେଲା ! ଏ କ’ଣ ତୁମ ଖାଇବା ସରିଗଲା କି ? ଏଣିକି ଆଉ ଖାଇ ନ ବସିଲେ ତ ଚଳିବ ?

 

ଏସବୁ ଉତ୍ତର ଦେବା ପାଇଁ ମୁଁ କଦାପି ବୃଥା ଚେଷ୍ଟା କରି ନାହିଁ । ତେଣୁ ଆଜି ମଧ୍ୟ ଚୁପ୍ ହୋଇ ରହିଲି । ତେବେ ଗୋଟାଏ କଥା ପ୍ରକୃତରେ ଉପଲବ୍‌ଧି କଲି । ଆଜି ନାନା କାରଣରୁ ମୋର ଭୋକ ନ ଥିଲା । ପ୍ରାୟ କିଛି ହିଁ ଖାଇନଥିଲି–ସେଥିପାଇଁ ସେଇଟା ତା’ ଦୃଷ୍ଟି ଆକର୍ଷଣ କରିପାରିଛି । କିନ୍ତୁ କିଛିଦିନ ହେବ ଯେ ମୋର ଖାଇବା ଆସ୍ତେ ଆସ୍ତେ କମି ଆସୁଥିଲା ତାହା ହୁଏତ ତା’ ଆଖିରେ ପଡ଼ି ନାହିଁ । ଏ ବିଷୟରେ ତା’ ଦୃଷ୍ଟି ଏତେ ତୀକ୍ଷ୍‌ଣ ଥିଲା ଯେ, ଏହାର ଲେଶମାତ୍ର କମ୍ ବେଶୀ ପାଇଁ ତା’ର ଆଶଙ୍କା ଓ ଅଭିଯୋଗର ସୀମା ନଥିଲା । କିନ୍ତୁ ଆଜି ଯେଉଁ କାରଣରୁ ହେଉ ଜଣକର ସେହି ଶ୍ୟେନ ଦୃଷ୍ଟି ଝାପ୍‌ସା ହୋଇଯାଇଛି ବୋଲି ଯେ ଅପରର ଗଭୀର ବେଦନାକୁ ମଧ୍ୟ ହା–ହତାଶା ଦ୍ୱାରା ପ୍ରକାଶ୍ୟରେ ଲାଞ୍ଛିତ କରି ବସିବି, ସେଭଳି ଲୋକ ମୁଁ ନୁହେଁ । ସେଥିପାଇଁ ଉଚ୍ଛ୍ୱସିତ ଦୀର୍ଘଶ୍ୱାସକୁ ଚାପି ରଖି କୌଣସି ଉତ୍ତର ନଦେଇ ମୁଁ ଥାଳିପାଖରୁ ଉଠି ଠିଆ ହୋଇପଡ଼ିଲି ।

 

ମୋ ଦିନଗୁଡ଼ିକ ଯେଉଁପରି ଆରମ୍ଭ ହୁଏ ସେହିପରି ମଧ୍ୟ ଶେଷ ହୁଏ । ଆନନ୍ଦ ନାହିଁ । ବୈଚିତ୍ର୍ୟ ନାହିଁ । ଅଥଚ କୌଣସି ଦୁଃଖ କିମ୍ବା କଷ୍ଟ ପାଇଁ ଅଭିଯୋଗ ମଧ୍ୟ ନାହିଁ । ଶରୀର ମୋଟାମୋଟିଭାବରେ ଭଲ ଅଛି । ପରଦିନ ସକାଳ ହେଲା, ବେଳ ଆସ୍ତେଆସ୍ତେ ବଢ଼ିବାକୁ ଲାଗିଲା, ଯଥାରୀତ ସ୍ନାନାହର ସମାପ୍ତ କରିସାରି ନିଜ ଘରେ ଯାଇ ବସିଲି । ଆଗରେ ସେଇ ଖୋଲା ଝରକା ଏବଂ ଉନ୍ମୁତ ପ୍ରାନ୍ତର । ପାଞ୍ଜିରେ ବୋଧହୁଏ ଆଜି କୌଣସି ବିଶେଷ ଉପବାସର ଉଲ୍ଲେଖ ଅଛି । ରାଜଲକ୍ଷ୍ମୀକୁ ସେଥିପାଇଁ ଆଜି ସେଇ ଟିକକ ମାତ୍ର ସମୟ ଅପବ୍ୟୟ କରିବାକୁ ହେଲା ନାହିଁ ବରଂ ଯଥା ସମୟରେ ସୁନନ୍ଦା ଘରକୁ ସେ ପୂର୍ବପରି ବାହାରି ଚାଲିଗଲା । ଅଭ୍ୟାସବଶତଃ ବୋଧହୁଏ ବହୁ ସମୟ ଧରି ସେହିପରି ଚାହିଁ ରହିଥିଲି । ହଠାତ୍ ସ୍ମରଣ ହେଲା କାଲିକାର ଅସମାପ୍ତ ଚିଠି ଦୁଇଟା ଶେଷ କରି ବେଳା ତିନିଟା ପୂର୍ବରୁ ଡାକବାକ୍‌ସରେ ପକାଇଦେବା ଉଚିତ୍ ହେବ । ଆଉ ମିଛଟାରେ ସମୟ ନଷ୍ଟ ନକରି ଅବଲମ୍ବରେ ସେହି କାମରେ ଲାଗିପଡ଼ିଲା । ଚିଠି ଦୁଇଖଣ୍ତ ଶେଷ କରିସାରି ଯେତେବେଳେ ପଢ଼ିବାକୁ ଲାଗିଲି ସେତେବେଳେ କେଉଁଠାରେ ଯେପରି ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲା । ମନେହେଲା ଆହୁରି ଅଧିକ ମୋର ଲେଖିବା ଉଚିତ୍ ଥିଲା । ବାରମ୍ବାର ଚିଠିଟା ପଢ଼ିବସିଲେ ସୁଦ୍ଧା ତ୍ରୁଟିଟା କେଉଁଠାରେ ରହିଗଲା ତାହା ମଧ୍ୟ ଧରିପାରିଲି ନାହିଁ । ଗୋଟାଏ କଥା ମୋର ମନେଅଛି । ଅଭୟା ପାଖକୁ ଦେଇଥିବା ଚିଠିଟାରେ ରୋହିଣୀ ଭାଇଙ୍କୁ ନମସ୍କାର ଜଣାଇ ଶେଷଆଡ଼କୁ ଲେଖିଛି–ତୁମମାନଙ୍କର ଖବର ଅନେକଦିନରୁ ପାଇ ନାହିଁ, ତୁମେମାନେ କିପରି ଅଛ, କିପରି ଭାବରେ ତୁମମାନଙ୍କର ଦିନ କଟୁଛି, କେବଳ କଳ୍ପନା କରିବା ବ୍ୟତୀତ ଆଉ ଜାଣିବାର କୌଣସି ପନ୍ଥା ମୋ ନିକଟରେ ନାହିଁ । ହୁଏତ ସୁଖରେ ଥାଇପାର କି ନଥାଇପାର କିନ୍ତୁ ତୁମମାନଙ୍କର ଜୀବନ ଯାତ୍ରାର ଏଇ ଦିଗଟାକୁ ସେଇ ଯେ ଦିନେ ଭଗବାନଙ୍କ ହାତରେ ତୋଳିଦେଇ ସ୍ୱଇଚ୍ଛାରେ ପର୍ଦ୍ଦା ଟାଣି ଦେଇଥିଲି, ଆଜି ସୁଦ୍ଧା ତାହା ସେହିପରି ଝୁଲି ରହିଅଛି । ତାହାକୁ କେଉଁଦିନ ଅପସାରିତ କରିବାକୁ ଇଚ୍ଛା କରି ନାହିଁ । କିନ୍ତୁ ଯେଉଁ ଦୁଃଖ ଭିତର ଦେଇ ଆମମାନଙ୍କର ପରିଚୟ ଆରମ୍ଭ ହୋଇ ଆଉ ଦିନେ ସମାପ୍ତ ହୁଏ, ତାହାକୁ ସମୟର ମାପ ଦେଇ ମାପିବାକୁ ଆମମାନଙ୍କ ଭିତରୁ କେହି ଚେଷ୍ଟା କରି ନାହୁଁ । ଯେଉଁଦିନ ନିଦାରୁଣ ରୋଗର ଆକ୍ରାନ୍ତ ହେଲି ସେଦିନ ସୁଦୂର ବିଦେଶ ଭୂଇଁରେ ତୁମମାନଙ୍କ ପାଖକୁ ଯିବା ବ୍ୟତୀତ ମୋର ଅନ୍ୟ ରାହା ନଥିଲା । ତଥାପି ଗୋଟିଏ ମିନିଟ୍ ପାଇଁ ସୁଦ୍ଧା ତୁମେ ସେତେବେଳେ ମନରେ ଦ୍ୱିଧା କରି ନାହିଁ । ଆନନ୍ଦରେ ପୀଡ଼ିତକୁ ଗ୍ରହଣ କରିନେଇଥିଲ । ଅଥଚ ସେହିପରି ରୋଗରେ ପଡ଼ିଥିବାବେଳେ ସେବା କରି ଆଉ ଯେକେହି ମୋତେ ବଞ୍ଚାଇ–ପାରିନାହିଁ, ଏକଥା ଅବଶ୍ୟ ଅସ୍ୱୀକାର କରିପାରୁ ନାହିଁ । କିନ୍ତୁ ଆଜି ଅନେକ ଦୂରରେ ବସି ଭୟଙ୍କର ଭିତରେ ଥିବା ପ୍ରଭେଦକୁ ଅନୁଭବ କରିପାରୁଛି । ଉଭୟଙ୍କ ସେବା ଭିତରେ, ଆସ୍ୱାସନା ଭିତରେ, ଅନ୍ତରର ଶୁଭକାମନା ମଧ୍ୟରେ, ନିବିଡ଼ ସ୍ନେହ ଭିତରେ ଗଭୀର ଐକ୍ୟ ରହି ଆସିଛି ସତ କିନ୍ତୁ ତୁମ ମଧ୍ୟରେ ଏପରି ଗୋଟାଏ ନିସ୍ୱାର୍ଥତା; ସୁକୋମଳ ନିର୍ଲିପ୍ତତା, ଏପରି ଅନିର୍ବଚନୀୟ ବୈରାଗ୍ୟ ରହିଥିଲା ଯାହା କେବଳ ସେବା କରିବା ଦ୍ୱାରାହିଁ ଆପଣାକୁ ଆପେ ନିଃଶେଷ କରି ବସିଛି । ସେଥିପାଇଁ ତୁମମାନଙ୍କ କଥା ଆଜି ଏତେ ବାରମ୍ବାର ମନେପଡ଼ିବାରେ ଲାଗିଛି । ସ୍ନେହରେ ଯେଉଁରୂପ ଦିନେ ତୁମ ଆଖି ଓ ମୁହଁରେ ଦେଖିପାରିଛି, ତାହାରି ପାଇଁ ହିଁ ମନ ଉତ୍କଣ୍ଠିତ ହୋଇଉଠିଛି । ତୁମକୁ ଆଉ ଥରକ ପାଇଁ ଆଖିରେ ଲେଖୁଥିବା ଚିଠି ଖଣ୍ତନ ମଧ୍ୟ ଶେଷ କରିପକାଇଲି । ଏଥିପାଇଁ ତାଙ୍କୁ ଅନେକ ଧନ୍ୟବାଦ ଦେଇଛି । ପ୍ରାର୍ଥନା କିଛି କରି ନାହିଁ, କିନ୍ତୁ ଏତେଦିନ ପରେ ଉପରେ ପଡ଼ି ଏପରି ଧନ୍ୟବାଦ ଦେଇଥିବାରୁ ଦେଖି ନିଜେ ମନେମନେ ଲଜ୍ଜିତ ହେବାକୁ ଲାଗିଲା । ଠିକଣା ଲେଖିସାରି ଲଫାପା ବନ୍ଦ କରି ଦେଖେ ସମୟ ଉର୍ତ୍ତୀର୍ଣ୍ଣ ହୋଇଯାଇଛି । ଏତେ ତରତର ହୋଇ ଲେଖି ମଧ୍ୟ ଡାକରେ ପକାଇ ହେଲା ନାହିଁ । କିନ୍ତୁ ମନରେ ସେଥିପାଇଁ ଦୁଃଖିତ ନ ହୋଇ ବରଂ ଯେପରି ଆନନ୍ଦ ଅନୁଭବ କଲି । ମନେହେଲା, ଯାହାହେଉ ଭଲ ହେଲା ଯେ, କାଲି ଆଉ ଥରେ ପଢ଼ି ଦେଖିବା ପାଇଁ ସୁଯୋଗ ମିଳିପାରିବ ।

 

ରତନ ଆସି ଜଣାଇଲା କୁଶାରୀ ମହାଶୟଙ୍କ ଗୃହିଣୀ ଆସିଛନ୍ତି ଏବଂ ସେ ଖବର ଦେବା ସଙ୍ଗେ ସଙ୍ଗେ ଦେଖିଲି ଘରଭିତରେ ସେ ଆସି ପ୍ରବେଶ କଲେ । ମୁଁ ଟିକିଏ ବ୍ୟତିବ୍ୟସ୍ତ ହୋଇ କହିଉଠିଲି,–ସେ’ ତ ଘରେ ନାହିଁ ଫେରି ଆସୁ ଆସୁ ବୋଧହୁଏ ସନ୍ଧ୍ୟା ହେବ ।

 

ସେ କଥା କହି ସେ ଝରକାଉପରୁ ଖଣ୍ତିଏ ଆସନ ଟାଣିନେଇ ଆପେ ପକାଇ ତା’ ଉପରେ ବସିପଡ଼ି କହିଲେ–କେବଳ ସନ୍ଧ୍ୟା କାହିଁକି ଫେରୁଫେରୁ ପ୍ରାୟ ତ ରାତି ହୋଇଯାଏ ।

 

ଲୋକଙ୍କ ମୁହଁରୁ ଶୁଣିଥିଲି ଯେ, ଧନୀ ଗୃହିଣୀ ବୋଲି ସେ ଅତିଶୟ ଦାମ୍ଭିକା । କାହା ଘରକୁ ସେ ଯାଆନ୍ତି ନାହିଁ । ଆମଘର ପ୍ରତି ତାଙ୍କର ବ୍ୟବହାର ମଧ୍ୟ ଅନେକଟା ଏଇ ପ୍ରକାରରେ । ଅନ୍ତତଃ ଏତେଦିନର ଘନିଷ୍ଠତା ଥିବା ସ୍ଥଳେ ସେ କଦାପି ଆସିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି-। ଏହାପୂର୍ବରୁ ଥରେ ନିମନ୍ତ୍ରଣ ରକ୍ଷା କରିବାକୁ ଆସିଥିଲେ ଏବଂ ଆଉ ଥରେ ମୁନିବଙ୍କ ଘରେ ବୋଲି ଆପଣା ଛାଏଁ ଆସିଲେ । କିନ୍ତୁ କାହିଁକି ଯେ ସେ ଘରେ କେହିନଥିବା ଜାଣି ସୁଦ୍ଧା ଆଜି ସ୍ୱେଚ୍ଛାରେ ଆସି ପହଞ୍ଚିଲେ ତାହା ମୁଁ ଭାବି ଠିକ୍ କରିପାରିଲି ନାହିଁ ।

 

ଆସନ ଗ୍ରହଣ କରିସାରି ସେ କହିଲେ–ଶୁଣୁଛ ସେ କୁଆଡ଼େ ଛୋଟ ଯାଆ ସଙ୍ଗେ ଏକ ଆତ୍ମା ହୋଇପଡ଼ିଛନ୍ତି ।

 

ଅଜାଣତରେ ସେ ମୋର ଗୋଟାଏ ଯନ୍ତ୍ରଣା ହେଉଥିବା ସ୍ଥାନରେ ଯେପରି ଆଘାତ କଲେ । ତଥାପି ଧୀରେ ଧୀରେ କହିଲି–ହଁ, ପ୍ରତିଦିନ ସେଠାକୁ ପ୍ରାୟ ଯାଇଥାନ୍ତି ।

 

କୁଶାରୀ ଗୃହିଣୀ କହିଲେ–ପ୍ରାୟ ? ପ୍ରତିଦିନ ! କିନ୍ତୁ ଛୋଟ ଯାଆ କ’ଣ କେବେ ଏଠାକୁ ଆସେ ?

 

: ନା ।

 

: ଦିନକ ପାଇଁ ସୁଦ୍ଧା ନୁହେଁ ! ମାନୀର ମାନ ରଖିବାଭଳି ଝିଅ ସୁନନ୍ଦା ନୁହେଁ ? ଏହା କହି ସେ ମୋ ମୁହଁକୁ ଚାହିଁଲେ ।

 

ମୁଁ ସେତେବେଳକୁ ଜଣକର ପ୍ରତ୍ୟହ ସେଠାକୁ ଯିବା କଥା ହିଁ ଭାବୁଥିଲି କିନ୍ତୁ ଆଉ ଜଣକର ଆସିବା କଥା ଆଦୌ ଭାବିନଥିଲି । ସୁତରାଂ କୁଶାରୀ କୃହିଣୀ ଯେପରି ତାଙ୍କ କଥାଦ୍ୱାରା ମୋତେ ଧିକ୍‌କାର ଦେଲେ । କିନ୍ତୁ ଏହାର ଉତ୍ତର କ’ଣ ଅବା ଦେବି ? କେବଳ ମନେହେଲା ତାଙ୍କର ଆସିବା ଉଦ୍ଦେଶ୍ୟଟା କିଛି କିଛି ଏହିପରି କହିବା ଦ୍ୱାରା ପରିଷ୍କାର ହୋଇପାରିଛି ଏବଂ ପର–କ୍ଷଣରେ ପୁଣି ଭାବିଲି ଯେ, ମିଥ୍ୟା ସଂକୋଚ ଓ ଚକ୍ଷୁଲଜ୍ଜ୍ୟାକୁ ପରିତ୍ୟାଗ କରିପାରି ନାହିଁ ବୋଲି ମୁଁ ନିତାନ୍ତ ନିରୁପାୟ ହୋଇପଡ଼ିଛି । ଅତଏବ ଏଇ ଅକ୍ଷମ ବ୍ୟକ୍ତିଟିକୁ ସେ ଶତୃପକ୍ଷ ବିରୁଦ୍ଧରେ ଉତ୍ତେଜିତ କରିବାରେ ଆଉ କୌଣସି ଉଦ୍ଦେଶ୍ୟ ନାହିଁ । କହିଲେ କ’ଣ ହେବ ଜାଣେନାହିଁ କିନ୍ତୁ ନ କହିବା ଫଳରେ ଦେଖିଲି ସମସ୍ତ ଉତ୍ତାପ ଓ ଉତ୍ତେଜନା ଆଖି ପଲକ ମାତ୍ରେ ଜଳିଉଠିଲା ଏବଂ କେବେ, କାହାର କ’ଣ ଘଟିଥିଲା ଏବଂ କିଭଳି ଭାବରେ ତାହା ସମ୍ଭବପର ହୋଇଥିଲା ଏହାର ବିସ୍ତୃତ ବ୍ୟାଖ୍ୟାଦ୍ୱାରା ତାଙ୍କ ଶଶୁର ଘର କୂଳର ଦଶବର୍ଷ ତଳର ଇତିହାସକୁ ପ୍ରାୟ କ୍ରମ ଅନୁସାରେ ଅନର୍ଗଳ ସେ ଗପିବାକୁ ଲାଗିଲେ ।

 

ତାଙ୍କର ଗୋଟାଏ, ଦୁଇଟା କଥା ଶୁଣୁ ଶୁଣୁ ମୁଁ କିପରି ଅନ୍ୟମନସ୍କ ହୋଇଉଠିଥିଲି । ତାହାର କାରଣ ମଧ୍ୟ ଥିଲା । ମନେକରିଥିଲି–ଏକ ଦିଗରେ ଆତ୍ମପକ୍ଷର ସ୍ତୁତିବାଦ, ଦୟାଦାକ୍ଷିଣ୍ୟ, ତିତିକ୍ଷା ପ୍ରଭୃତି ଯାହାକିଛି ଶାସ୍ତ୍ରୋକ୍ତ ସଦ୍‌ଗୁଣାବଳୀ ମନୁଷ୍ୟ ଜନ୍ମରେ ସମ୍ଭବପର, ସେସବୁର ବିସ୍ତୃତି ଆଲୋଚନା ଏବଂ ଅନ୍ୟ ଦିଗରେ ଯେତେସବୁ ଏହାର ବିପରୀତ ତାହାର ହିଁ ବିଶଦ ବିବରଣୀ ଅନ୍ୟପକ୍ଷ ବିରୁଦ୍ଧରେ ଆରୋପ କରି ସନ, ତାରିଖ, ବାର, ପ୍ରତିବେଶୀ ସାକ୍ଷୀର ନାମଧାମ, ପ୍ରଭୃତି ଆବୃତ୍ତି କରିବା । ହଠାତ୍ ମୋର ମନଯୋଗ ଆକର୍ଷଣ ହେଲା କୁଶାରୀ ଗୃହିଣୀଙ୍କର ଆକସ୍ମିକ କଣ୍ଠସ୍ୱର ପରିବର୍ତ୍ତନ ହେତୁ । ଟିକିଏ ବିସ୍ମିତ ହୋଇ ପଚାରିଲି କ’ଣ ହେଲା ?

 

ସେ କିଛି ସମୟ ପାଇଁ ମୋ ମୁହଁକୁ ଏକ ଦୃଷ୍ଟିରେ ଚାହିଁ ରହି, କରୁଣ ସ୍ୱରରେ କହିଲେ–କ’ଣ ଆଉ ହେବ ଆଜ୍ଞା, ଶୁଣିଲି କାଲି କୁଆଡ଼େ ମୋ ଦିଅର ହାଟରେ ନିଜ ହାତରେ ବାଇଗଣ ଓଜନ କରି ବିକୁଥିଲେ ।

 

କଥାଟା ଠିକ୍ ବୋଲି ବିଶ୍ୱାସ ହେଲାନାହିଁ । ମନ ଭଲ ଥିଲେ ହୁଏତ ହସି ପକାଇଥାନ୍ତି । କହିଲି–ସେ ତ ଅଧ୍ୟାପକ ମଣିଷ, ହଠାତ୍ ଅବା ବାଇଗଣ କେଉଁଠାରୁ ପାଇଲେ ? ଆଉ ବିକିବାକୁ ଅବା ଯିବେ କାହିଁକି ?

 

କୁଶାରୀ ଗୃହିଣୀ କହିଲେ–ଏଇ ହତଭାଗୀ ଜ୍ୱାଳାରେ । ବାଡ଼ିରେ କୁଆଡ଼େ କେତେଟା ବାଇଗଣ ଫଳିଥିଲା । ସେତେକ ହାଟକୁ ବିକିବା ପାଇଁ ପଠାଇଦେଲା । ଏପରି ଭାବରେ ଶତୃତା କଲେ ଆମେ ଅବା ଗାଆଁରେ ବାସ କରିବୁ କିପରି ?

 

କହିଲି–କିନ୍ତୁ ଏହାକୁ ଶତୃତା ବୋଲି କହୁଛନ୍ତି କାହିଁକି ? ସେମାନେ ତ ଆପଣଙ୍କ ଭଲ ମନ୍ଦରେ ଆଦୌ ନାହାନ୍ତି । ଅଭାବ ହୋଇଛି ନିଜ ଜିନିଷ ବିକ୍ରି କରିବାକୁ ଯାଇଛନ୍ତି । ସେଥିରେ ଆପଣଙ୍କର ଅବା ଆପତ୍ତି କାହିଁକି ?

 

ମୋ ଉତ୍ତର ଶୁଣିସାରି କୁଶାରୀ ଗୃହିଣୀ ଭାବରେ ଚାହିଁରହି ଶେଷରେ କହିଲେ–ଏଇଭଳି ବିଚାର ଯଦି କରନ୍ତି; ତାହାହେଲେ ମୋର କହିବାର ଆଉ କିଛି ନାହିଁ । ମୁନିବ ନିକଟରେ ଆସି ଆପତ୍ତି କରି ଆଉ ଲାଭ କ’ଣ ? ମୁଁ ଯାଉଛି....

 

ଶେଷଆଡ଼କୁ ତାଙ୍କ କଣ୍ଠ ରୁଦ୍ଧ ହୋଇଗଲା ପରି ଜଣାପଡ଼ିଲା । ଧୀରେ ଧୀରେ ତେଣୁ କହିଲି ମୋ ଅପେକ୍ଷା ଆପଣଙ୍କ ମାଲିକାଣୀଙ୍କୁ କହିଲେ ଭଲ ହେବ । ହୁଏତ ସେ କିଛ ଉପକାର କରିପାରନ୍ତି ।

 

ସେ ମୁଣ୍ତ ହଲାଇ କହିଲେ–ନା, ଆଉ ମୋର କାହାକୁ କିଛି କହିବାର ନାହିଁ । ଏଣିକି ମୋର କେହି ଉପକାର କରିବା ଦରକାର ନାହିଁ । ଏତିକି କହି ସେ ହଠାତ୍ ପଣତ କାନିରେ ଆଖିରୁ ଲୁହ ପୋଛି କହିଲେ–ଆଗେ ଆଗେ କର୍ତ୍ତା (କୁଶାରୀ ମହାଶୟ) କହୁଥିଲେ ମାସେ ଦୁଇମାସ ଯାଉ, ଆପଣା ଛାଏଁ ଫେରିଆସିବ । ସବୁ ଠିକ୍ ହୋଇଯିବ । କିନ୍ତୁ ଏପରି ଭାବରେ ମିଛ ଆଶାରେ ବର୍ଷଟାଏ ପୂରିଗଲା । କିନ୍ତୁ କାଲି ଯେତେବେଳେ ଶୁଣିବାକୁ ପାଇଲି ଯେ ବାଡ଼ିରୁ ଦୁଇଟା ବାଇଗଣ ପର୍ଯ୍ୟନ୍ତ ସେ ବିକିବାକୁ ଯାଇଛି ସେତେବେଳେ ଆଉ କାହା କଥାଉପରେ ମୋର ଭରସା ରହିଲା ନାହିଁ । ହତଭାଗୀ ସାରା ସଂସାରଟା ଛାରଖାର କରିଦେବ ପଛକେ କିନ୍ତୁ ଘରକୁ ଫେରିଯିବ ନାହିଁ । ବାବୁ, ଝିଅ ପିଲା ଯେ ଏପରି ନିଷ୍ଠୁର ହୋଇପାରନ୍ତି, ତାହା ସ୍ୱପ୍ନରେ ସୁଦ୍ଧା ମୁଁ ଭାବିପାରିନଥିଲି ।

 

ସେ କହିବାକୁ ଲାଗିଲେ; କର୍ତ୍ତା ତାକୁ କେବେ ଚିହ୍ନିପାରିନଥିଲେ କିନ୍ତୁ ମୁଁ ଠିକ୍‌ କରି ଚିହ୍ନିଥିଲି । ପ୍ରଥମେ ସେ ଏହାର, ତାହାର, ନାଆଁ କହି ଲୁଚେଇ ଲୁଚେଇ ଜିନିଷ ପଠାଇଥିଲେ । ସେ କହନ୍ତି ସୁନନ୍ଦା ଜାଣିଶୁଣି ଜିନିଷପତ୍ର ରଖୁଛି । କିନ୍ତୁ ଏପରି କଲେ ତା’ର ଜ୍ଞାନୋଦୟ ହେବ ନାହିଁ ବୋଲି ମୁଁ କହିଲି । କିନ୍ତୁ ଦିନେ ତାଙ୍କର ସେ ଭୁଲ୍‌ ଭାଙ୍ଗି ଗଲା । କିପରି ଭାବରେ ସୁନନ୍ଦା ଜାଣିପାରିଲା ଯେ ସେ ସବୁ ଜିନିଷ ଆମର । ତାପରେ ଯେତେଦିନ ଧରି ଯାହା କିଛି ଜିନିଷ ଦେଇଥିଲୁ ସେ ସବୁ ଗୋଟାଏ ଲୋକ ମୁଣ୍ତରେ ଲଦି ଆମ ଅଗଣାରେ ଫୋପାଡ଼ି ଦେଇଗଲା । ସେଥିରେ କର୍ତ୍ତା ବାବୁଙ୍କର ଚୈତନ୍ୟ ଉଦୟ ହେଲା ନାହିଁ ସିନା; କିନ୍ତୁ ହେଲା ମୋର ।

 

ଏତେ ସମୟ ପରେ ତାଙ୍କ ମନ କଥାଟା ମୁଁ ବୁଝିପାରିଲି । ସଦୟ କଣ୍ଠରେ କହିଲି–ଏଣିକି ଆପଣ କ’ଣ କରିବାକୁ ଚାହାନ୍ତି ? ଆଚ୍ଛା, ସେମାନେ କ’ଣ ଆପଣଙ୍କ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର କରିବାର ଚେଷ୍ଟା କରୁଛନ୍ତି କି ?

 

ଶ୍ରୀକାନ୍ତ

କୁଶାରୀ ଗୃହିଣୀ ଆଉ ଦଫାଏ କାନ୍ଦିଉଠି ମୁଣ୍ଡରେ ହାତ ପିଟି କହିଲେ–ପୋଡ଼ା କପାଳ, ତାହା ହୋଇଥିଲେ ତ କିଛି ଗୋଟାଏ ହେଲେ ଉପାୟ ହୁଅନ୍ତା । ସେ ଆମମାନଙ୍କୁ ଏପରି ଭାବରେ ତ୍ୟାଗ କରି ବସିଛି ଯେ କୌଣସି ଦିନ ଆମ ନାଆଁ ଧରେ ନାହିଁ କି ଖୋଜ୍‌ ଖବର ରଖେ ନାହିଁ । ଆମ ଦୁଇଜଣଙ୍କୁ ସୁନନ୍ଦା ତା’ ବାପ ମାଆଙ୍କଠାରୁ ବେଶୀ ଭଲପାଉଥିଲା । କିନ୍ତୁ ଯେଉଁଦିନ ଠାରୁ ଶୁଣିଲା ଯେ ତା’ ଦେଢ଼ଶୁରଙ୍କ ସମ୍ପତ୍ତି–ପାପର ସମ୍ପତ୍ତି; ସେହିଦିନଠାରୁ ତା’ର ମନ ପୂରାପୂରି ପଥର ହୋଇଯାଇଛି । ସ୍ୱାମୀ ପୁଅ ଧରି ଦିନକୁଦିନ ସେ ପଛକେ ଶୁଖି ଶୁଖି ମରିବ ତଥାପି ଆମଠାରୁ କଡ଼ାକ୍ରାନ୍ତି ଛୁଇଁବ ନାହିଁ । କିନ୍ତୁ ଏତେଗୁଡ଼ାଏ ସଂପତ୍ତି କ’ଣ ଆମେ ଫିଙ୍ଗି ଦେଇପାରିବୁ ବାବୁ ? ସେ ସିନା ଦୟାମାୟାହୀନ ହୋଇ ସ୍ୱାମୀ ପୁଅଙ୍କୁ କଷ୍ଟ ଦେଇ ମାରିପାରେ କିନ୍ତୁ ମୁଁ ତ ସେପରି ହୋଇପାରିବି ନାହିଁ ।

 

କ’ଣ ଜବାବ ଦେବି ଭାବି ଠିକ୍‌ କରିପାରିଲି ନାହିଁ । କେବଳ ଆସ୍ତେ ଆସ୍ତେ କହିଲି–ବଡ଼ ଆଶ୍ଚର୍ଯ୍ୟ ଝିଅ ତ ଦେଖୁଛି !

 

ବେଳ ଗଡ଼ି ଯାଉଥିଲା । କୁଶାରୀ ଗୃହିଣୀ କେବଳ ନୀରବରେ ଉତ୍ତର ଦେଇ ମୁଣ୍ଡ ହଲାଇ ଯିବା ପାଇଁ ଠିଆହେଲେ । କିନ୍ତୁ ହଠାତ୍‌ ଦୁଇ ହାତ ଯୋଡ଼ି କହିଲେ–ସତ କହୁଛି ବାବୁ ଏ ଦୁଇଭାଇଙ୍କ ଭିତରେ ରହି ମୋ ଛାତି ଯେପରି ଫାଟିଯାଉଛି । ଶୁଣିବାକୁ ପାଇଲି ଆଜିକାଲି ସେ କୁଆଡ଼େ ମାଆଙ୍କର ବଡ଼ ବାଧ୍ୟ । କିଛି ଗୋଟାଏ ଉପାୟ ହୋଇପାରିବ ନାହିଁ ବାବୁ ? ମୁଁ ଆଉ ସହ୍ୟ କରିପାରୁ ନାହିଁ ।

 

ମୁଁ ଚୁପ୍‌ ହୋଇ ରହିଲି । ସେ ମଧ୍ୟ ଆଉ କିଛି କହିପାରିଲେ ନାହିଁ । ସେହିପରି ଆଖିରୁ ଲୁହ ପୋଛି ପୋଛି ଘରୁ ବାହାରିଗଲେ ।

 

ପରକାଳରେ ଚିନ୍ତା ଭିତରେ ମନୁଷ୍ୟ ପର ପାଇଁ ଚିନ୍ତା କରିବାକୁ ଫୁରସତ୍‌ ପାଇପାରେ ନାହିଁ । ନହେଲେ ମୋର ଖାଇବା–ପିନ୍ଧିବା ଚିନ୍ତା ରାଜଲକ୍ଷ୍ମୀ ପରିତ୍ୟାଗ କରିପାରେ ଏତେ ବଡ଼ ବିସ୍ମୟ ସଂସାରରେ ଆଉ କ’ଣ ଥାଇପାରେ ? ଏଇ ଗଙ୍ଗାମାଟିକୁ ଆମେମାନେ ଅବା କେତେଦିନ ହେବ ଆସିଛୁ ଯେ ଏଇ କେତେଦିନ ଭିତରେ ହଠାତ୍‌ ରାଜଲକ୍ଷ୍ମୀ ମୋଠାରୁ କେତେ ଦୂର ଦୂରେଇ ନ ଗଲା ! ମୋ ଖାଇବା କଥା ପଚାରିବାକୁ ଆଜିକାଲି ବ୍ରାହ୍ମଣ ପୂଜାରୀ । ମୁଁ ଖାଇ ବସିଲା ବେଳେ ରତନ ଏଣିକି ପାଖରେ ବସେ । ଗୋଟାଏ ଦିଗରୁ ବିଚାର କଲେ ବଞ୍ଚି ରହିଛି । ଆଗର ସେ ଯନ୍ତ୍ରଣା ଆଉ ନାହିଁ । ରୋଗା ଦେହରେ ଏଗାରଟା ଭିତରେ ନ ଖାଇଲେ ଆଉ ଦେହ ଖରାପ ହୁଏ ନାହିଁ । ଏଥର ଯେପରି ଇଚ୍ଛା ଯାହା ଖାଇଲେ ବି ଚଳିଯାଉଛି । କେବଳ ରତନର ପୁନଃ ପୁନଃ ଉତ୍ତେଜନା ହେତୁ ଓ ବ୍ରାହ୍ମଣ ପୂଜାରୀର ସଖେଦ ଆତ୍ମ ଭର୍ତ୍ସନା ହେତୁ ସ୍ୱଳ୍ପ ଆହାର କରିବା ପାଇଁ ଯାହା ସୁଯୋଗ ପାଇପାରୁ ନାହିଁ । ସେ ବିଚାରା ବିଷଣ୍ଣ ମୁହଁରେ କହି ଚାଲିଥାଏ ଯେ ତା’ ରୋଷାଇ ବୋଧହୁଏ ଖରାପ ହେତୁ ମୁଁ ଭଲ କରି ପେଟପୂରା ଖାଇପାରୁ ନାହିଁ । କୌଣସି ମତେ ତାକୁ ସନ୍ତୁଷ୍ଟ କରି ବିଛଣା ଉପରେ ଯାଇ ବସେ । ଆଗରେ ସେଇ ଖୋଲା ଝର୍କା, ଉଷର ପ୍ରାନ୍ତର, ଆଉ ତୀବ୍ର ତପ୍ତ ବତାସ । ମଧ୍ୟାହ୍ନର ଦୀର୍ଘଦିନ ଗୁଡ଼ିକ କେବଳ ମାତ୍ର ଏଇ ଛାୟାହୀନ ଶୁଷ୍କତା ଆଡ଼େ ଚାହିଁ ଚାହିଁ ଯେତେବଳେ ଆଉ କଟିବାକୁ କଷ୍ଟହୁଏ ସେତେବେଳେ ସବୁଠାରୁ ଗୋଟିଏ ବଡ଼ ପ୍ରଶ୍ନ ମୋର ବେଶୀ ମନେପଡ଼େ ସେ ହେଉଛି ଆମ ସମ୍ପର୍କର କଥା । ସେ ମାତେ ଏବେ ସୁଦ୍ଧା ଭଲପାଏ ଏବଂ ଇହଲୋକରେ ମୁଁ ତା’ର ଏକାନ୍ତ ଆପଣାର କିନ୍ତୁ ଲୋକାନ୍ତରରେ ତା’ ନିକଟରେ ମୁଁ ନିହାତି ପର । ତା’ ଧର୍ମ ଜୀବନରେ ମୁଁ ତା’ର ସଙ୍ଗୀ ନୁହେଁ, ହିନ୍ଦୁ ଘରର ଝିଅ ହୋଇ ସେ ଏକଥା ଭୁଲିଯାଇ ନାହିଁ ଏହି ସନ୍ଦେହ ବୋଧହୁଏ ଖୁବ୍‌ ବିରାଟ ଆକାରରେ ତା’ ମନରେ ଦେଖାଦେଇ ବସିଛି ।

 

ଏଣିକି କର୍ମହୀନ, ଉଦ୍ଦେଶ୍ୟହୀନ ଜୀବନର ଦିବାରମ୍ଭ ହୁଏ ଶାନ୍ତିରେ ଏବଂ ଅବସାନ ହୁଏ ଗ୍ଳାନିରେ । ନିଜର ଆୟୁଷକୁ ନିଜ ହାତରେ ହତ୍ୟା କରିବା ବ୍ୟତୀତ ମୋର ଯେପରି ଆଉ କିଛି କାମନଥିଲା । ରତନ ଆସି ମଝିରେ ମଝିରେ ତମାଖୁ ଦେଇଯାଏ, ସମୟ ହେଲେ ଚାହା ଆଣି ଦିଏ । କିନ୍ତୁ କିଛି କହେ ନାହିଁ । ତା’ ମୁହଁକୁ ଚାହିଁଲେ ଜଣାପଡ଼େ ସେ ଯେପରି ମୋତେ କୃପାଚକ୍ଷୁରେ ଦେଖିବା ଆରମ୍ଭ କରିଛି । କେତେବେଳେ ଅବା ହଠାତ୍‌ ଆସି କହେ, ବାବୁ ଝରକା ବନ୍ଦ କରିଦିଅନ୍ତୁ, ବପନ ନୁହେଁ ଝାଞ୍ଜି ଆସୁଛି । ମୁଁ କହେ–ଥାଉ । ମନେହୁଏ ଯେପରି କେତେ ଲୋକଙ୍କର ଦେହର ସ୍ପର୍ଶ ଏବଂ କେତେ ଅଚିହ୍ନା ଲୋକଙ୍କର ତପ୍ତ ନିଶ୍ୱାସକୁ ମୁଁ ଅନୁଭବ କରିପାରୁଛି । ହୁଏତ ମୋର ସେଇ ବାଲ୍ୟ କାଳର ବନ୍ଧୁ ଇନ୍ଦ୍ରନାଥ ଆଜି ମଧ୍ୟ ବଞ୍ଚିଛି ଏବଂ ତପ୍ତ ବାୟୁ ହୁଏତ ତାକୁ ଏଇ ମାତ୍ର ଛୁଇଁ କରି ଆସିଛି । ହୁଏତ ସେ ମୋ ଭଳି ତା’ର ଅନେକ ଦିନର ସୁଖ ଦୁଃଖର ଶିଶୁ ସଙ୍ଗୀତଟିକୁ ସ୍ମରଣ କରୁଛି । ଆଉ ଆମ ଦୁହିଁଙ୍କର ସେଇ ଅନ୍ମଦା ନାନୀ ! ଭାବେ, ହୁଏତ ଇତି ମଧ୍ୟରେ ତାଙ୍କର ସକଳ ଦୁଃଖର ପରିସମାପ୍ତି ଘଟି ଯାଇଥିବ । କେତେବେଳେ ମନେହୁଏ ଏଇ କୋଣରେ ବର୍ମାଦେଶ; ପବନକୁ ତ ବାଧା ନାହିଁ, କିଏ କହିପାରିବ ସମୁଦ୍ର ପାରିହୋଇ ଅଭୟାର ସ୍ପର୍ଶ ଟିକକ ସେ ମୋ ନିକଟକୁ ବହି ନଆଣିଥିବ ! ଥରେ ଅଭୟା ମନେପଡ଼ିଲେ ସେ ସହଜରେ ମୋ ମନ ଛାଡ଼ି ଯିବାକ ଚାହେଁ ନାହିଁ । ରୋହିଣୀ ଭାଇ ବର୍ତ୍ତମାନ କାମକୁ ଯାଇଥିବେ ଆଉ ତାଙ୍କ ଛୋଟ ଘରର ଦାଣ୍ଡ କବାଟ ବନ୍ଦ କରିଦେଇ ଘର ବରଣ୍ଡାରେ ଅଭୟା ବସି ତା’ ସିଲେଇ କାମରେ ଲାଗି ପଡ଼ିଥିବ । ଦିନ ବେଳରେ ସେ ମୋ ପରି ଶୋଇପାରେ ନାହିଁ ଏକଥା ମୁଁ ଭଲ କରି ଜାଣେ । ଏତେଦିନ ଭିତରେ ନିଶ୍ଚୟ ଛୋଟ ପିଲା ପାଇଁ କନ୍ଥା କିମ୍ୱା ଜାମା କରୁତା ସେ ସିଲାଇ କରି ଗୃହିଣୀ ପଣିଆ କରୁଥିବ ।

 

ଛାତିଭିତରେ ଯେପରି ତୀର ଭଳି ଗଳିଯାଏ । ଯୁଗଯୁଗାନ୍ତରେ ସଞ୍ଚିତ ସଂସ୍କାର, ଯୁଗ ଯୁଗାନ୍ତରର ଭଲମନ୍ଦ ବିଚାରର ଅଭିମାନ ମୋର ମଧ୍ୟ ରକ୍ତ ଭିତରେ ବହି ଚାଲିଛି । କିପରି ଭାବରେ ଅକପଟ ଚିତ୍ତରେ ତାକୁ ଦୀର୍ଘାୟୁ ହୁଅ ବୋଲି ଆଶୀର୍ବାଦ କରି ଆସିବ ! ଏଥିପାଇଁ ମୁଁ ସରମରେ ଓ ସଂକୋଚରେ ସଂପୂର୍ଣ୍ଣ ଛୋଟ ହୋଇଯାଏ ।

 

କର୍ମାନିରତା ଅଭୟାର ଶାନ୍ତ ପ୍ରସନ୍ନ ମୁହଁର ଛବିଟିକୁ ମୁଁ ମନ ଆଖିରେ ଦେଖିବାକୁ ପାଏ । ତା’ ପାଖରେ ନିଷ୍କଳଙ୍କ ଘୁମନ୍ତ ବାଳକ । ଯେପରି ସଦ୍ୟ ପ୍ରସ୍ଫୁଟିତ ପଦ୍ମ ପରି ଶୋଭା ସଂପଦର ଗନ୍ଧ ଓ ମଧୁରେ ଟଳଟଳ କରିବାକୁ ଲାଗିଛି । ଏପରି ଏକ ଅମୃତ ବସ୍ତୁର କ’ଣ ପ୍ରକୃତରେ ପ୍ରୟୋଜନ ନ ଥିଲା ! ମାନବ ସମାଜରେ ମାନବ ଶିଶୁର ମର୍ଯ୍ୟାଦା ନାହିଁ, ନିମନ୍ତ୍ରଣ ନାହିଁ, ସ୍ଥାନ ନାହିଁ ବୋଲି କହି କ’ଣ ଏହାକୁ ଦୂରେଇ ଦେଇହେବ ? କଲ୍ୟାଣକର ଧନକୁ ସବୁଦିନ ପାଇଁ ଅକଲ୍ୟାଣ ଭିତରେ ନିର୍ବାସିତ କରିଦେବା ଅପେକ୍ଷା, ମାନବ ହୃଦୟର ବୃହତ୍ତର ଧର୍ମ କ’ଣ ଆଉ କିଛି ନାହିଁ ?

 

ଅଭୟାକୁ ମୁଁ ଚିହ୍ନେ । ଏତିକି ଟିକକ ପାଇବା ପାଇଁ ତାକୁ ଯେ କେତେ ତ୍ୟାଗ ସହିବାକୁ ହୋଇଛି ତାହା ଆଉ କେହି ନଜାଣିଲେ ସୁଦ୍ଧା ମୁଁ ତ ଜାଣେ । ହୃଦୟହୀନ–ବର୍ବରତାରେ କେବଳ ମାତ୍ର ଆଶ୍ରଦ୍ଧା ଓ ଉପହାସ ଦ୍ୱାରା ହିଁ ସଂସାରରେ ସକଳ ପ୍ରଶ୍ନର ଉତ୍ତର ମିଳେ ନାହିଁ । ଭୋଗ ! ଦେହର ଭୋଗ ପାଇଁ ଏକ ପ୍ରକାର ଲଜ୍ଜ୍ୟାକର ଆସକ୍ତି ! ପ୍ରକୃତରେ ଅଭୟାକୁ ଏଥିପାଇଁ ଧିକ୍କାର କରିବା କଥା ତ !

 

ବାହାରର ତପ୍ତ ବତାସରେ ଆଖିର ତପ୍ତ ଅଶ୍ରୁ ମୋର କ୍ଷଣକ ଭିତରେ ଶୁଖିଗଲା । ବର୍ମାରୁ ଚାଲି ଆସିବାର କଥାଟା ମୋର ମନେପଡ଼ିଲା । ଠିକ୍‌ ସେହି ସମୟଟାର ମରଣ ଭୟରେ ଭାଇ–ଭଉଣୀକୁ, ପୁଅ–ବାପକୁ ଆଶ୍ରୟ ଦେଉନଥିଲା । ମୃତ୍ୟୁ ଉତ୍ସବରେ ଉଦଣ୍ଡ ମୃତ୍ୟୁଲୀଳା ସହର ସାରା ଚାଲିଥାଏ । ଠିକ୍‌ ସେତିକିବେଳେ ମୁଁ ମୃତ୍ୟୁ ଦୂତ କାନ୍ଧରେ ଚଢ଼ି ତାରି ଘରେ ଯାଇ ପହଞ୍ଚିଲି । ସେତେବେଳେ ନୂଆ କରି ଗଢ଼ୁଥିବା ଘରକରଣାର ମୋହ ତ ତାକୁ ମୁହୂର୍ତ୍ତକ ପାଇଁ ଦ୍ୱିଧାରେ ପକାଇ ନାହିଁ ! ସେ କଥା ମୋର ଏଇ କେତେଟା ଧାଡ଼ି ପଢ଼ିଲେ ବୁଝିହେବ ନାହିଁ । କିନ୍ତୁ ମୁଁ ଜାଣେ ସେ କ’ଣ ? ମୁଁ ଜାଣେ ଅଭୟା ନିକଟରେ କିଛି କଷ୍ଟକର ନୁହେଁ । ମୁତ୍ୟୁ ! ସେ ତ ତାହା ନିକଟରେ ନିହାତି ତୁଚ୍ଛ । ଦେହର କ୍ଷୁଧା, ଯୌବନର ପିପାସା, ଏଇ ସବୁ ପ୍ରାଚୀନ ଓ ମାମୁଲି ଧ୍ୱନି ଦ୍ୱାରା ଅଭୟାକୁ ବୁଝିହୁଏ ନାହିଁ । ପୃଥିବୀର କେବଳ ମାତ୍ର ବାହାରର ଘଟଣା ଗୁଡ଼ିକୁ ପାଖାପାଖି ସଜାଇ ରଖି ଲମ୍ୱେଇ କରି ସମସ୍ତଙ୍କ ହୃଦୟର ଜଳ ମପା ଯାଇପାରେ ନାହିଁ ।

 

କାମ ପାଇଁ ପୁରୁଣା ମୁନିବଙ୍କ ପାଖକୁ ଦରଖାସ୍ତ ପଠାଇଛି । ଭରସା ଅଛି ଆବେଦନ ନାମଞ୍ଜୁର ହେବନାହିଁ । ସୁତରାଂ ପୁଣି ଆମର ସାକ୍ଷାତ ହେବ । ଇତି ମଧ୍ୟରେ ଦୁଇ ତରଫର ଅନେକ ଅଘଟଣ ଘଟିଯାଇଛି । ତାହାର ଭାର ମଧ୍ୟ ସାମାନ୍ୟ ନୁହେଁ । କନ୍ତୁ ସେ ଭାର ସେ ଜମା କରିଛି ଆପଣାର ଅସାମାନ୍ୟ ସଫଳତା ଓ ସ୍ୱେଚ୍ଛାରେ । ଆଉ ମୋର ଜମି ଉଠିଛି ସେହିପରି ଅସାଧାରଣ ବଳହୀନତା ଓ ଇଚ୍ଛାଶକ୍ତିର ଅଭାବ ହେତୁ । କେଜାଣି ସେମାନଙ୍କର ରଙ୍ଗ ଓ ଚେହେରା କିପରି ସେଦିନ ମୁହାମୁହିଁ ହେଲେ ହିଁ ଦେଖିବାକୁ ହେବ ।

 

ଏକାକୀ ଯେତେବେଳେ ସାରାଦିନ ପ୍ରାଣ ଅସ୍ଥିର ହୋଇଉଠୁଥିଲା ସେତେବେଳେ ବେଳ ବୁଡ଼ିଗଲାବେଳକୁ ମୁଁ ଟିକିଏ ବାହାରକୁ ବୁଲି ବାହାରିପଡ଼େ । ପାଞ୍ଚ ସାତଦିନ ହେବ ଏହା ଏକପ୍ରକାର ଅଭ୍ୟାସରେ ପଡ଼ି ଯାଇଥିଲା । ଧୂଳି ଧୂସରିତ ଯେଉଁ ବାଟ ଦେଇ ମୁଁ ଦିନେ ଗଙ୍ଗାମାଟିରେ ଆସି ପହଞ୍ଚିଥିଲି, ସେଇ ବାଟରେ ଦିନେ ଦିନେ ଚାଲି ଚାଲି ବହୁତ ବାଟ ଚାଲିଯାଏ-। ଆନମନା ହୋଇ ଆଜି ମଧ୍ୟ ଯାଉଥିଲି ହଠାତ୍‌ ଦେଖିବାକୁ ପାଇଲି ଆଗରେ ଧୂଳିର ପାହାଡ଼ ସୃଷ୍ଟି କରି କିଏ ଜଣେ ଘୋଡ଼ା ଛୁଟାଇ ଧାଇଁ ଆସୁଛନ୍ତି । ଭୟରେ ରାସ୍ତାରୁ ଆଡ଼େଇ ଯାଇ ଠିଆହେଲି । ଘୋଡ଼ା ସବାର କିଛିଦୂର ଆଗେଇ ଯାଇ ପୁଣି ଘୋଡ଼ା ଅଟକାଇଲେ । ଫେରିଆସି ମୋ ଆଗରେ ଠିଆହୋଇ କହିଲେ, ଆପଣଙ୍କର ନାମ ଶ୍ରୀକାନ୍ତ ବାବୁ ? ମୋତେ ଚିହ୍ନିପାରୁଛନ୍ତି-?

 

କହିଲି–ମୋ ନାଆଁ ସେଇଆ ସତ । କିନ୍ତୁ ଆପଣଙ୍କୁ ତ ଚିହ୍ନିପାରିଲି ନାହିଁ ।

 

ଲୋକଟି ଘୋଡ଼ାରୁ ଓହ୍ଳାଇପଡ଼ିଲା । ପରିଧାନ ତା’ର ମଳିନ ଓ ଚ୍ଛିନ୍ନ ସାହେବୀ ପୋଷାକ । ମୁଣ୍ଡରେ ପିନ୍ଧିଥିବା ସୋଲରେ ପୁରୁଣା ଟୋପିକୁ ହାତରେ ଧରି କହିଲା–ମୁଁ ହେଉଛି ସତୀଶ ଭରଦ୍ୱାଜ । ଥାର୍ଡ଼କ୍ଳାସରୁ ପ୍ରମୋସନ ପାଇ ନପାରି ସର୍ଭେ ସ୍କୁଲକୁ ପଢ଼ିବାକୁ ଯାଉଥିଲି–ମନେ ନାହିଁ ତୁମର ?

 

ମନେପଡ଼ିଲା । ଖୁସି ହୋଇ କହିଲି–ତାହାହେଲେ ତୁ ହେଉଛୁ ଆମର ବେଙ୍ଗ । ସାହେବ ସାଜି କୁଆଡ଼େ ଯାଉଛୁ ?

 

ବେଙ୍ଗ ହସି କରି କହିଲା ସାହେବ କ’ଣ ଆପଣା ମନକୁ ସାଜିଛି କି ଭାଇ ? ରେଲଓ୍ୱେ ଷ୍ଟେସନରେ ବର୍ତ୍ତମାନ ସବ୍‌ ଓଭରସିଅର କାମ କରୁଛି । କୁଲି ଚରେଇ କରି ଦିନ ଯାଉଛି । ହ୍ୟାଟ୍‌ କୋର୍ଟ ନ ଥିଲେ ଆଉ କ’ଣ ରକ୍ଷା ଅଛି ? ଏତେଦିନ ଧରି ସେମାନେ ଆମକୁ ଜାଣ ଚରାଉଛନ୍ତି । ଗୋପାଳପୁରରେ କାମ ବରାଦ କରି ଫେରୁଛି । ମାଇଲିଏ ଦୂରରେ ଏଠାରୁ ମୋ ତମ୍ୱୁ । ସାଇିଥିଆ–ଠାରୁ ଯେଉଁ ନୂଆ ଲାଇନ ବସୁଛି ସେଇଠାରେ କାମ ଚାଲିଛି । ଆ ସେଠାକୁ ଯିବୁ ? ଚାହା ଖାଇ ଆସିବୁ ?

 

ମନାକରି କହିଲି–ଆଜି ନୁହେଁ, ଅନ୍ୟ କୌଣସି ଦିନ ସୁଯୋଗ ପାଇଲେ ଯିବି ।

 

ବେଙ୍ଗ ସେତେବେଳକୁ ଅନେକ କଥା ପଚାରିବାକୁ ଲାଗିଲା । ଦେହ କିପରି ? କେଉଁଠାରେ ଅଛୁ ? ଏଠାକୁ କିପରି ଭାବରେ ଆସିଛୁ ? ପୁଅ, ଝିଅ କେତୋଟି ? ସେମାନେ କିପରି ଅଛନ୍ତି, ଇତ୍ୟାଦି ।

 

ଉତ୍ତର ଦେଲି–ଶରୀର ଭଲ ନାହିଁ, ରହୁଛି ଗଙ୍ଗାମାଟିରେ । ଯେଉଁପରି ଭାବରେ ଏଠାକୁ ଆସିଛି ତାହା ଅତ୍ୟନ୍ତ ଗୋଳମାଳିଆ । ପୁଅ କି ଝିଅ କିଛି ନାହିଁ । ତେଣୁ ସେମାନେ କିପରି ଅଛନ୍ତି ଏଭଳି ପ୍ରଶ୍ନ ନିହାତି ନିରର୍ଥକ ।

 

ବେଙ୍ଗ ସାଧାସିଧା ପ୍ରକୃତିର ଲୋକ । ମୋ ଉତ୍ତରଗୁଡ଼ିକ ଠିକ୍‌ ବୁଝି ନପାରିଲେ ମଧ୍ୟ ଅପରଲୋକରେ ବ୍ୟାପାର ବୁଝିବାକୁ ଚେଷ୍ଟିତ ହେବାଭଳି ବ୍ୟକ୍ତି ସେ ନୁହେଁ । ସେ ନିଜ କଥାହିଁ ନିଜେ କହିବାକୁ ଲାଗିଲା । ଯାଗାଟା ସ୍ୱାସ୍ଥ୍ୟକର । ପନିପରିବା ଭଲ ମିଳେ । ମାଛ ଏବଂ ଦୁଧ ଚେଷ୍ଟା କରିଲେ ମିଳେ । ତେବେ ଲୋକବାକ ନାହାନ୍ତି । ଯଦିଓ ସାଙ୍ଗ ସାଥୀଙ୍କର ଏକାନ୍ତ ଅଭାବ, ତଥାପି ବିଶେଷ କଷ୍ଟ ହୁଏ ନାହିଁ । କାରଣ ସନ୍ଧ୍ୟା ପରେ ସାମାନ୍ୟ ଭାଙ୍ଗ ପିଇଲେ ବେଶ୍‌ ଚଳିଯାଏ-। ସାହେବମାନେ ଯାହା ହୁଅନ୍ତୁ ବଙ୍ଗାଳୀମାନଙ୍କଠାରୁ ଢେର ଭଲ । ଟେମ୍ପରାରୀ ଧରଣର ତାଡ଼ିର ଗୋଟାଏ ଶେଡ଼୍‌ ଖୋଲା ହୋଇଛି । ଯେତେ ଇଚ୍ଛା ଖାଅ । ତା’ ନିଜର ବୋଲି ଗୋଟାଏ ପଇସା ସେଥିପାଇଁ ଖର୍ଚ୍ଚ ହୁଏ ନାହିଁ । ସବୁ ଭଲ । କନଷ୍ଟ୍ରାକ୍‌ସନରୁ ଦୁଇପଇସା ମିଳେ । ଆମ ବଡ଼ ସାହେବଙ୍କୁ କୁହାକୁହି କଲେ ମୋ ପାଇଁ ଚାକିରି ଖଣ୍ଡିଏ ମିଳି ଯାଇପାରେ–ଏହିପରି ତା’ ସୌଭାଗ୍ୟର ଛୋଟ ବଡ଼ କାହାଣୀ ସବୁ ବେଙ୍ଗ ଘୋଡ଼ାର ଲଗାମ ଧରି ଧରି ଅନେକ ବାଟ ପର୍ଯ୍ୟନ୍ତ ମୋ ସହିତ କଥା ହୋଇଗଲା । ବାରମ୍ୱାର ପ୍ରଶ୍ନ କଲା ମୁଁ ଶୀଘ୍ର ଏହା ଭିତରେ ଯାଇ ତା’ କ୍ୟାମ୍ପରେ ପାଦଧୂଳି ପକାଉଛି କି ନାହିଁ ? ଠିକ୍‌ କରି କହିଲେ ପୋଡ଼ାମାଟିରେ ତ ତା’ର ପ୍ରାୟ କାମ ଥାଏ ତେଣୁ ଫେରିବା ବାଟରେ ଦିନେ ସେ ଆମ ଗଙ୍ଗାମାଟି ଘରେ ଆସି ପହଞ୍ଚି ମୋତେ ସଙ୍ଗରେ ନେଇକରି ଯିବ ।

 

ସେଦିନ ଫେରି ଘରେ ପହଞ୍ଚିବା ବେଳକୁ ଟିକିଏ ରାତି ହୋଇଯାଇଥିଲା । ପୂଜାରୀ ଆସି କହିଲା–ଖାଇବା ପ୍ରସ୍ତୁତ ହୋଇସାରିଲାଣି । ଲୁଗାପଟା ବଦଳାଇ ଖାଇବାକୁ ବସିଛି, ଏପରି ସମୟରେ ରାଜଲକ୍ଷ୍ମୀର କଣ୍ଠସ୍ୱର ଶୁଣାଗଲା । ସେ ଘରକୁ ପଶିଆସି ଦ୍ୱାରବନ୍ଧ ନିକଟରେ ବସିପଡ଼ି ହସ ହସ ମୁହଁରେ କହିଲା କିନ୍ତୁ ତୁମେ କୌଣସି ମତେ ନାରାଜ ହୋଇପାରିବ ନାହିଁ ଏକଥା କହି ରଖୁଛି ।

 

: କହିଲି–ନା, ମୁଁ ନାରାଜ ନୁହେଁ ।

 

: କ’ଣ କିଛି ନ ଶୁଣି କରି ?

 

: ଆବଶ୍ୟକ ହେଲେ ଦିନେ କହି ଦେଖିନେଇପାର ।

 

ରାଜଲକ୍ଷ୍ମୀର ହସ ହସ ମୁହଁ ଗମ୍ଭୀର ଉଠିଲା । କହିଲା, ଆଚ୍ଛା...ହଠାତ୍‌ ତା’ ଆଖିପଡ଼ିଲା ମୋ ଖାଇବା ଥାଳିଉପରେ । କହିଲା–ଭାତ ବହୁତ ଖାଉଛ ଯେ ? ତୁମେ ଜାଣିଛ ଯେ ରାତିରେ ଭାତ ତୁମ ଦେହରେ ଯାଏ ନାହିଁ । ରୋଗଟାକୁ ଭଲ ତୁମେ ମୋତେ ସାହାଯ୍ୟ କରିବାକୁ ଚାହୁଁ ନାହଁ କି ?

 

ଭାତ ମୋ ଦେହରେ ଯାଉଥିଲା; କିନ୍ତୁ ସେ କଥା କହି ଲାଭ ନାହିଁ । ରାଜଲକ୍ଷ୍ମୀ ତୀକ୍ଷ୍ଣ କଣ୍ଠରେ ଡାକଛାଡ଼ିଲା–ଭାଇନା ।

 

ପୂଜାରୀ ଆସି ଦୁଆରବନ୍ଧ ନିକଟରେ ପହଞ୍ଚିବା କ୍ଷଣି, ତାକୁ ଥାଳି ଦେଖାଇଦେଇ ତତୋଽଧ‌ିକ ତୀବ୍ର ସ୍ୱରରେ କହିଲା–ଏ କ’ଣ ? ତୁମକୁ ବୋଧହୁଏ ହଜାରଥର କହିଥିବି ରାତିରେ ଭାତ ଆଦୌ ଦେବ ନାହିଁ । ତୁମକୁ ମାସକର ଦରମା ଆଜି ଜୋରିମାନା କଲି । ଅବଶ୍ୟ ଟଙ୍କା ଦିଗରୁ ଜୋରିମାନା କେବେ ନ ଥାଏ । ଏକଥା ସବୁ ଚାକରମାନେ ହିଁ ଜାଣନ୍ତି କିନ୍ତୁ ତିରସ୍କାର ଦିଗରୁ ବିଚାର କଲେ ତାହାର ଅର୍ଥ ଯଥେଷ୍ଟ ଅଛି । ପୂଜାରୀ ରାଗିଉଠି କହିଲା–ଘିଅ ନାହିଁ ମୁଁ କ’ଣ କରିବି ?

: ନାହିଁ କାହିଁକି ଶୁଣେ ?

: ଦୁଇ ତିନିଦିନ ହେବ ଆପଣଙ୍କୁ କହିଛି ଘିଅ ସରିଯାଇଛି, ଲୋକ ପଠାନ୍ତୁ । ଆପଣ ଲୋକ ନ ପଠାଇ ନ ଆଣିଲେ ସେଥିରେ ମୋର କ’ଣ ଦୋଷ ଅଛି ?

ଘରଖର୍ଚ୍ଚ ପାଇଁ ଘିଅ ଏଠାରେ ମିଳେ । କିନ୍ତୁ ମୋ ପାଇଁ ଘିଅ ଆସେ ସାଇଁଥିୟା ନିକଟବର୍ତ୍ତୀ କେଉଁ ଏକ ଗ୍ରାମରୁ । ସେ ଘିଅକୁ ଲୋକ ପଠାଇ ଆଣିବାକୁ ହୁଏ । କଥାଟା ରାଜଲକ୍ଷ୍ମୀର ଅନ୍ୟମନସ୍କ କର୍ଣ୍ଣରନ୍ଧ୍ରରେ ବୋଧହୁଏ ପ୍ରବେଶ କରିପାରି ନାହିଁ । ନଚେତ୍‌ ହୁଏତ ସେ ଭୁଲିଯାଇଛି । ପଚାରିଲା–କେବେଠାରୁ ସରିଯାଇଛି ?

: ପାଞ୍ଚ ସାତ ଦିନ ହେବ ।

: ଏଇ ପାଞ୍ଚ ସାତ ଦିନ ଧରି ତେବେ ତାଙ୍କୁ ଭାତ ଖୁଆଉଛି ? ରତନକୁ ଡାକି କହିଲେ–ମୁଁ ଯଦି ଅବା ଭୁଲିଯାଇଛି, ତୁ କ’ଣ ମଗାଇ ଆଣିପାରିଲୁ ନାହିଁ ? ସମସ୍ତେ ମୋତେ ଜବତ କରିବାକୁ କ’ଣ ଏଇମିତି ବିଚାର କରିଛି କି ?

 

ରତନ ମନେମନେ ତା’ ମାଲିକାଣୀ ଉପରେ ଖୁସିନଥିଲା । ଦିନରାତି ଘରଛାଡ଼ି ଅନ୍ୟତ୍ର ରହିବା ଏବଂ ବିଶେଷ କରି ମୋ ପ୍ରତି ଉଦାସୀନ ଭାବ ପାଇଁ ସେ ବିରକ୍ତ ହୋଇଉଠିଥିଲା । ମାଲିକାଣୀଙ୍କର ଏପରି ପ୍ରଶ୍ନର ଭତ୍ତର ଦେବା ପାଇଁ ସେ ଭଲ ଲୋକ ଭଳି କହିଲା–କେଜାଣି ମାଆ ! ତୁମେ ନ କହିବାରୁ ମୁଁ ଭାବିଲି ବୋଧହୁଏ ଭଲ ଘିଅ ଆଉ ଦରକାର ନାହିଁ । ନହେଲେ ପାଞ୍ଚ–ଛଅ ଦିନ ଧରି ରୋଗା ମଣିଷଟାକୁ ମୁଁ କ’ଣ ଭାତ ଖାଇବାକୁ ଦେଉଥାନ୍ତି ?

 

ରାଜଲକ୍ଷ୍ମୀର ଏଥିରେ କହିବାର କିଛି ନଥିଲା । ସେଥିପାଇଁ ଚାକରଠାରୁ ଏତେବଡ଼ ଖୁଞ୍ଚା ଖାଇ ମଧ୍ୟ ସେ କିଛି ସମୟ ନୀରବରେ ବସି ରହି ଧୀରେ ଧୀରେ ଉଠିଗଲା ।

 

ରାତିରେ ବିଛଣାରେ ଶୋଇ ଅନେକକ୍ଷଣ ପର୍ଯ୍ୟନ୍ତ ଛଟପଟ ହେବା ପରେ ସେଇ ମାତ୍ର ମୋତେ ନିଦ ମାଡ଼ି ଆସୁଥିଲା । ରାଜଲକ୍ଷ୍ମୀ କବାଟ ଠେଲି ଘରେ ପ୍ରବେଶ କଲା ଏବଂ ମୋ ପାଦ ତଳେ ବହୁତ ସମୟ ପର୍ଯ୍ୟନ୍ତ ବସି ରହିବା ପରେ କହିଲା–କ’ଣ ନିଦରେ ଶୋଇପଡ଼ିଲଣି କି ?

 

କହିଲି–ନା ।

 

ରାଜଲକ୍ଷ୍ମୀ କହିଲା–ତୁମକୁ ପାଇବା ପାଇଁ ଯାହା କରିଛି ନା ତହିଁରୁ ଅଧେ କରିପାରିଥିଲେ ଭଗବାନଙ୍କୁ ପାଇପାରିଥାନ୍ତି । ତଥାପି କିନ୍ତୁ ତୁମକୁ ପାଇପାରିଲି ନାହିଁ ।

 

କହିଲି–ହୋଇପାରେ, ମନୁଷ୍ୟକୁ ପାଇବା ଆହୁରି କଷ୍ଟକର ହୋଇପାରିଥାଏ ।

 

: ମନୁଷ୍ୟକୁ ପାଇବା ? ରାଜଲକ୍ଷ୍ମୀ ମୁହୂର୍ତ୍ତକ ପାଇଁ ଚୁପ୍‌ ହୋଇ କହିଲି–ଯାହାହେଉ, ଭଲପାଇବାଟା ତ ଏକପ୍ରକାର ବନ୍ଧନ । ଏଭଳି ବନ୍ଧନ ବୋଧହୁଏ ତୁମକୁ ଭଲ ଲାଗୁନାହିଁ ?

 

ଏ ଅଭିଯୋଗର ଉତ୍ତର ନାହିଁ । ଏ ଅଭିଯୋଗ ଶାଶ୍ୱତ ଆଉ ସନାତନ । ଆଦିମ ମାନବ–ମାନବୀଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଥିବା ଏ କଳହକୁ ମୀମାଂସା କଲାଭଳି ବ୍ୟକ୍ତି ବୋଧହୁଏ କେହି ସୃଷ୍ଟି ହୋଇନାହାନ୍ତି । ଏ ବିବାଦ ଯେଉଁଦିନ ସମାଧାନ ହୋଇପାରିବ, ସେହିଦିନ ସଂସାରର ସମସ୍ତ ରସ, ସମସ୍ତ ମାଧୁର୍ଯ୍ୟ, ବିଷ ହୋଇଉଠିବ । ସେଥିପାଇଁ ଉତ୍ତର ଦେବାପାଇଁ ଚେଷ୍ଟା ନ କରି ନୀରବ ରହିଲି ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା ଏହି ଯେ, ଉତ୍ତର ପାଇଁ ରାଜଲକ୍ଷ୍ମୀ ବାଧ୍ୟ କଲା ନାହିଁ । ଜୀବନର ଏତେବଡ଼ ସର୍ବବ୍ୟାପୀ ପ୍ରଶ୍ନଟାକୁ ସେ ଯେପରି ଆପେଆପେ ମୁହୂର୍ତ୍ତକ ଭିତରେ ଭୁଲିଗଲା । କହିଲା–ନ୍ୟାୟରତ୍ନ ମହାଶୟ କହିଛନ୍ତି–ଗୋଟାଏ ବ୍ରତ କଥା । ଟିକିଏ କଠିନ । କଠିନ ହେଲେ ମଧ୍ୟ ସମସ୍ତେ ଚାହିଁଲେ କରିପାରିବେ ନାହିଁ, ଆଉ ଏତେ ସୁବିଧା ମଧ୍ୟ କେତେ ଜଣ ଲୋକଙ୍କ ଭାଗ୍ୟରେ ଜୁଟେ ?

 

ଅସମାପ୍ତ ପ୍ରସ୍ତାବ ମଝିରେ ଚୁପ୍‌ ରହିଲି । ସେ କହିବାକୁ ଲାଗିଲା ତିନିଦିନ ଏହିପରି ଉପବାସ କରିବାକୁ ହେବ । ସୁନନ୍ଦାର ଭାରି ଇଚ୍ଛା । ଦୁଇଜଣ ଏକ ସାଙ୍ଗରେ ତାହାହେଲେ ଉପାସ ଆରମ୍ଭ କରିଦିଅନ୍ତୁ । କିନ୍ତୁ ....ଏହା କହି ସେ ଟିକିଏ ହସିଦେଇ କହିଲା–ତୁମ ମତ ନ ନେଲେ ତ ଆଉ....

 

ପଚାରିଲି–ମୁଁ ମତ ନ ଦେଲେ କ’ଣ....

 

ରାଜଲକ୍ଷ୍ମୀ କହିଲା–ତାହାହେଲେ ହେବ ନାହିଁ ।

 

: ତେବେ ଏ ମତଲବ ତ୍ୟାଗ କର । ମୋର ମତ ନାହିଁ ।

 

: ଯାଆ–ଥଟ୍ଟା ତାମସା କରିବା ଦରକାର ନାହିଁ ।

 

: ତାମସା ନୁହେଁ, ପ୍ରକୃତରେ ମୋର ମତ ନାହିଁ । ମୁଁ ମନା କରୁଛି ।

 

କଥା ଶୁଣିବା କ୍ଷଣି ରାଜଲକ୍ଷ୍ମୀର ମୁହଁ ମେଘାଚ୍ଛନ୍ନ ହୋଇଉଠିଲା । କ୍ଷଣକାଳ ସ୍ତବ୍‌ଧ ହୋଇ କହିଲା, କିନ୍ତୁ ଆମେ ଯେ ସବୁ ଠିକ୍‌ କରିସାରିଛୁ । ଜିନିଷପତ୍ର କିଣିବା ପାଇଁ ଲୋକ ଯାଇଛି-। କାଲି ହବିଷ କରି ପର ଦିନଠାରୁ ଯେ...ବାଃ ! ବର୍ତ୍ତମାନ ମନାକଲେ ହେବ କିପରି ? ସୁନନ୍ଦା ଆଗରେ ମୁଁ ମୁହଁ ଦେଖାଇବି କିପରି ? ବାଃ ! ଏ କେବଳ ତୁମର ଚାଲାକି । ମୋତେ ମିଛଟାରେ ରଗାଇବାପାଇଁ....ନା, ସେ କଥା ହେବ ନାହିଁ । ତୁମେ କୁହ ତୁମେ ରାଜି ଅଛ ।

 

କହିଲି–ରାଜି ଅଛି ତୁମେ କୌଣସି ଦିନ ତ ମୋ ମତାମତକୁ ଅପେକ୍ଷା କର ନାହିଁ ଲକ୍ଷ୍ମୀ, ଆଜି କାହିଁକି ଅବା ତାମସା କରିବାକୁ ଆସିଲ ? ମୋ ଆଦେଶ ମାନିବାକୁ ହେବ ଏଭଳି ଦାବି ତ କେତେବେଳେ ମୁଁ ତୁମପାଖରେ କରି ନାହିଁ ।

 

ରାଜଲକ୍ଷ୍ମୀ ମୋ ପାଦଉପରେ ହାତ ରଖି କହିଲା–ଆଉ କେବେ ଏପରି ହେବ ନାହିଁ । ଏଇ ଥରକ ପାଇଁ କେବଳ ପ୍ରସନ୍ନ ହୋଇ ମୋତେ ଆଦେଶ ଦିଅ ।

 

କହିଲି–ଆଚ୍ଛା । କିନ୍ତୁ ବଡ଼ି ଭୋରରୁ ତୁମକୁ ହୁଏତ ଯିବାକୁ ପଡ଼ିପାରେ ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ନରହି ଶୋଇବାକୁ ଯାଅ ।

 

ରାଜଲକ୍ଷ୍ମୀ ଗଲା ନାହିଁ । ଆସ୍ତେ ଆସ୍ତେ ମୋ ପାଦରେ ହାତ ବୁଲାଇବାକୁ ଲାଗିଲା । ଯେତେବେଳ ପର୍ଯ୍ୟନ୍ତ ଶୋଇପଡ଼ିନଥିଲି ବାର ବାର ମୋର କେବଳ ମନେହେଉଥାଏ, ପୂର୍ବର ସେହି ସ୍ନେହ ସ୍ପର୍ଶ ଯେପରି ଆଉ ନାହିଁ । ସେ ତ ଆଉ ବେଶୀଦିନର କଥା ନୁହେଁ, ଆରା ଷ୍ଟେସନରୁ ଯେଉଁଦିନ ସେ ମୋତେ ଗୋଟେଇ କରି ଆଣିଥିଲା ସେଦିନ ଏହିପରି ମୋ ପାଦରେ ହାତ ବୁଲାଇ ମୋତେ ଶୁଆଇ ଦେବାକୁ ତାକୁ ଭଲ ଲାଗୁଥିଲା । ଠିକ୍‌ ଏହିପରି ନୀରବରେ । କିନ୍ତୁ ଆଜି ମନେହେଉଛି ତାହାର ଦଶ ଆଙ୍ଗୁଳି ଯେପରି ଦଶ ଇନ୍ଦ୍ରିୟର ସମୟ ବ୍ୟାକୁଳତା ଦ୍ୱାରା ନାରୀ ଦେହର ଯାହା କିଛି ଅଛି, ସବୁକୁ ନିଃଶେଷ କରି ମୋର ଏଇ ପାଦ ଦୁଇଟା ଉପରେ ଅଜାଡ଼ି ଦେବାରେ ଲାଗିଛି । ଅଥଚ ଏ ସବୁ ମୁଁ ଚାହେଁ ନାହିଁ । ଏଥିପାଇଁ ବୋଧହୁଏ ସେ କ’ଣ କରିବ କିଛି ସ୍ଥିର କରିପାରୁନଥିଲା । ବନ୍ୟାଜଳ ପରି ଆସିବା ଦିନ ମଧ୍ୟ ସେ ମୋର ମତାମତ ଚାହିଁନଥିଲା । ହୁଏତ ଯିବାଦିନ ମଧ୍ୟ ସେଥିପରି ମୁହଁକୁ ଚାହିଁବ ନାହିଁ । ଆଖିରୁ ମୋର ଲୁହ ଝରିପାରେ ନାହିଁ କିମ୍ବା ଭଲପାଇଥିବାର କାଙ୍ଗାଳି ବୃତ୍ତି ମୁଁ କରିପାରେ ନାହିଁ । ଜଗତରେ ମୋର କିଛି ନାହିଁ । କାହାଠାରୁ କିଛି ପାଇ ନାହିଁ । ଦିଅ କହି ହାତ ବଢ଼ାଇବାକୁ ମୋତେ ଲାଜ ଲାଗେ । ବହିରେ ପଢ଼ିଛି ଏଇଥିପାଇଁ କେତେ ବିରୋଧ, କେତେ ଜ୍ୱାଳା, ମାନ–ଅଭିମାନର କେତେ ନା କେତେ ପ୍ରମତ୍ତ ଆକ୍ଷେପ । ସ୍ନେହର ସୁଧା ଗରଳ ହୋଇଉଠିଥିବାର କେତେ ନା କେତେ ବିକ୍ଷୁବ୍‌ଧ କାହାଣୀ ! ଏ ସବୁ ମିଛ ନୁହେଁ ଏ କଥା ମୁଁ ଜାଣେ । କିନ୍ତୁ ମୋ ମନଭିତରେ ଯେଉଁ ବୈରାଗୀ ତନ୍ଦ୍ରଛନ୍ନ ହୋଇଥିଲା ହଠାତ୍‌ ଚେଇଁଉଠି କହିବାକୁ ଲାଗିଲା–ଛି–ଛି–ଛି ।

 

ବହୁ ସମୟ ପରେ ଶୋଇପଡ଼ିଛି ମନେକରି, ଗଜଲକ୍ଷ୍ମୀ ଯେତେବେଳେ ସାବଧାନରେ ଧୀରେ ଧୀରେ ଉଠିଗଲା, ସେତେବେଳେ ଜାଣିପାରିଲା ନାହିଁ ଯେ ନିଦ୍ରାହୀନ, ନିମୀଳତ ଆଖିରୁ ମୋର ଅଶ୍ରୁ ଝରିବାରେ ଲାଗିଛି ବୋଲି । ଅଶ୍ରୁ ଝରିବାକୁ ଲାଗିଲା । କିନ୍ତୁ ଆଜିକାର ଆୟତାତୀତ ଅଶ୍ରୁ ଦିନେ ମୋର ହିଁ ଥିଲାବୋଲି ବ୍ୟର୍ଥ ହାହାକାରରେ ଅଶାନ୍ତି ସୃଷ୍ଟି କରିବାକୁ ଆଉ ପ୍ରବୃତ୍ତି ହେଲା ନାହିଁ ।

ସକାଳେ ଉଠି ଶୁଣିଲି, ବଡ଼ିସକାଳୁ ରାଜଲକ୍ଷ୍ମୀ ସ୍ନାନସାରି ରତନକୁ ସଙ୍ଗରେ ଧରି ଚାଲିଯାଇଛି ଏବଂ ତିନିଦିନ ଭିତରେ ସେ ଘରକୁ ଆସିପାରିବ ନାହିଁ ଏ ଖବର ମଧ୍ୟ କହିଯାଇଛି । ସେଇଆ ମଧ୍ୟ ହେଲା । ସେଠାରେ ଯେ କିଛି ଗୋଟାଏ ବିରାଟ କାଣ୍ତ କାରଖାନା ଘଟିବାରେ ଲାଗିଛି ତାହା ନୁହେଁ । ତେବେ ଦୁଇ ଦଶଜଣ ବ୍ରାହ୍ମଣ ସଜ୍ଜନଙ୍କ ପାଇଁ ଖାଇବା ପିଇବାର ଯେଉଁ ବ୍ୟବସ୍ଥା ହୋଇଛି; ତାହାର ଆଭାସ ଝରକା ପାଖରେ ବସି ବସି ଅନୁଭବ କରିବାକୁ ଲାଗିଲି । କି ବ୍ରତ, କିଭଳି ତାହା ପାଳିତ ହେଉଛି, ତାକୁ ଠିକ୍‌ ଭାବରେ ସଂପନ୍ନ କରିପାରିଲେ ସ୍ୱର୍ଗର ବାଟ କେତେଦୂର ସହଜ ହୋଇପାରୁଛି, ଏହା ମୁଁ କିଛି ଜାଣେ ନାହିଁ କିମ୍ୱା ଜାଣିବାପାଇଁ ମୋର କୌତୂହଳ ମଧ୍ୟ ନ ଥିଲା । ରତନ ପ୍ରତିଦିନ ସନ୍ଧ୍ୟାପରେ ଫେରିଆସେ । କହେ, ଆପଣ ଟିକିଏ ସେଠାକୁ ଗଲେ ନାହିଁ ବାବୁ ?

ପଚାରେ–ସେପରି ଯିବାର କ’ଣ କିଛି ପ୍ରୟୋଜନ ଅଛି ?

ରତନ ଟିକିଏ ଅଡ଼ୁଆରେ ପଡ଼େ । ସେ ଏପରି ଭାବରେ ଜବାବ ଦିଏ ଯେ, ମୋର ଆଦୌ ନ ଯିବାଟା ଲୋକ ଚକ୍ଷୁରେ ସେଠାରେ କିପରି କିପରି ଦେଖାଯାଉଛି । ହୁଏତ କେହି ମନେକରୁଥିବେ ମୁଁ ସେଠାକୁ ଯିବାକୁ ଅନିଚ୍ଛୁକ । ସେ କଥା ମଧ୍ୟ ଭୁଲ୍ ବୋଲି କହିହେବ ନାହିଁ ତ !

 

ନା, ପ୍ରକୃତରେ କହିହେବ ନାହିଁ । ମୁଁ ପ୍ରଶ୍ନକରେ–ତୁମ ମାଲିକାଣୀ କ’ଣ କରୁଥିଲେ ?

 

ରତନ କହେ–ତାଙ୍କ ଇଚ୍ଛା କଥା ତ ଆପଣ ଜାଣନ୍ତି । ଆପଣ ନ ରହିଲେ ତାଙ୍କୁ ଆଦୌ ଭଲଲାଗେ ନାହିଁ । କିନ୍ତୁ କ’ଣ କରିବେ । କିଏ ଯଦି ପଚାରନ୍ତି ସେ କହନ୍ତି–ରୋଗା ଶରୀର । ଏତେବାଟ ଚାଲିକରି ଆସିଲେ ଦେହ ଖରାପ ହୋଇପାରେ । ଆଉ ଆସିଲେ ମଧ୍ୟ କ’ଣ ଅବା କରିବେ ?

 

କହେ–ସେ କଥା ତ ଠିକ୍‌ । ତା’ଛଡ଼ା ତୁମେ ତ ଜାଣ ରତନ, ଏସବୁ ପୂଜା ଅର୍ଚ୍ଚନା, ଧର୍ମ କର୍ମ ଭିତରେ ମୁଁ ଯେପରି ଅଣନିଃଶ୍ୱାସୀ ହୋଇପଡ଼େ । ସେଥିପାଇଁ ଯାଗଯଜ୍ଞଠାରୁ ଟିକିଏ ଦୂରେଇ ରହିବାକୁ ମୁଁ ଭଲ ମନେକରେ । କ’ଣ ଠିକ୍‌ ନା ?

 

ରତନ ଉତ୍ତରଦେଇ କହେ–ସେ କଥା ଠିକ୍‌ ଆଜ୍ଞା । କିନ୍ତୁ ମୁଁ ବୁଝିପାରେ ରାଜଲକ୍ଷ୍ମୀ ଦିଗରୁ ମୋ’ ଉପସ୍ଥିତି ସେହିପରି–କିନ୍ତୁ ବର୍ତ୍ତମାନ ଥାଉ ସେ ସବୁ କଥା ।

 

ହଠାତ୍‌ ଗୋଟାଏ ବଡ଼ ସୁଖବର ପାଇଲି । ମାଲିକାଣୀଙ୍କର ସମସ୍ତ ସୁଖ ସୁବିଧାପ୍ରତି ଦୃଷ୍ଟିରଖିବା ପାଇଁ କୁଶାରୀ ମହାଶୟ ସସ୍ତ୍ରୀକ ସେଠାରେ ଯାଇ ପହଞ୍ଚିଛନ୍ତି ।

 

: କ’ଣ କହୁଛୁ ରତନ, ଏକବାରେ ସସ୍ତ୍ରୀକ !

 

: ଆଜ୍ଞା ହଁ । ତାହା ପୁଣି ବିନା ନିମନ୍ତ୍ରଣରେ ।

 

ବୁଝିପାରିଲି ଏହାଭିତରେ ରାଜଲକ୍ଷ୍ମୀର କିଛି ଗୋଟାଏ କୌଶଳ ଅଛି । ହଠାତ୍‌ ମୋର ମନେହେଲା ହୁଏତ ଏଇଥିପାଇଁ ନିଜଘରେ ସେ ନ କରି ଅପର ଗୃହରେ ସମସ୍ତ ବ୍ୟବସ୍ଥା କରିବସିଛି ।

 

ରତନ କହିବାକୁ ଲାଗିଲା, ବିନୁକୁ କୋଳରେ ଧରି ବଡ଼ ବୋହୂଙ୍କର ଯେ କି କାନ୍ଦ ! ଛୋଟ ମାଆ ଠାକୁରାଣୀ ତାଙ୍କ ପାଦ ଧୋଇଦେଲେ । ଖାଇବାକୁ ଚାହିଁଲେନି ବୋଲି ଆସନ ପକାଇ ଠା ପିଢ଼ାକରି ଛୋଟ ଝିଅଭଳି ତାଙ୍କୁ ଆପଣା ହାତରେ ଭାତ ଖୁଆଇଦେଲେ । ମାଆଙ୍କ ଆଖିରୁ ଲୁହ ଟପ୍‌ଟପ୍‌ ହୋଇ ଖସିପଡ଼ିବାକୁ ଲାଗିଲା । ଏପରି ଘଟଣା ଦେଖି କୁଶାରୀ ମହାଶୟ ଭୋ ଭୋ କରି କାନ୍ଦିଉଠିଲେ । ମୋର ବୋଧହୁଏ ବାବୁ କାମ ସରିଆସିଲା ବୋଲି ଜାଣନ୍ତୁ; କାରଣ ଛୋଟ ବୋହୂ ଏଣିକି ଏଇ ଭଙ୍ଗା ମାଟି କୁଡ଼ିଆର ମାୟାକୁ ଏଡ଼ିଦେଇ ନିଜ ଘରକୁ ଚାଲିଯିବେ । ତାହା ଯଦି ପ୍ରକୃତରେ ହୁଏନା, ତେବେ ସାରା ଗାଆଁ ଲୋକ ନିଶ୍ଚୟ ଖୁସିହେବେ । ଆଉ ଏଇ କୀର୍ତ୍ତି ଯେ ଆମ ମାଆଙ୍କର, ସେକଥା କିନ୍ତୁ ଆପଣଙ୍କୁ କହି ରଖୁଛି ।

 

ସୁନନ୍ଦାକୁ ଯେତିକି ଜାଣିପାରିଛି ସେଥିରେ ଏତେଦୂର ଅଶାନ୍ୱିତ ହୋଇପାରିଲି ନାହିଁ । କିନ୍ତୁ ରାଜଲକ୍ଷ୍ମୀ ଉପରେ ମୋର ଅନେକ ଅଭିମାନ, ଶରତର ମେଘାଚ୍ଛନ୍ନ ଆକାଶ ଭଳି ଚାହୁଁ ଅପସରିଯାଇ ପରିଷ୍କାର ହୋଇଉଠିଲା ।

 

ଏ ଦୁଇଟି ଭାଇ ଓ ଏ ଯାଆ ଦୁହିଁଙ୍କ ଭିତରେ ବିଚ୍ଛେଦ ଯେଉଁଠାରେ ସତ ନୁହେଁ । ସ୍ୱାଭାବିକ ନୁହେଁ । ସେଥିପାଇଁ ମନଭିତରେ ଏତେ ଟିକିଏ ଫାଟ ଦେଖା ନ ଯାଉଣୁ ବାହାରକୁ ଏତେବଡ଼ ଫାଟ ଦିଶିପାରିଲା ଏବଂ ସେହି ଫାଟକୁ ଯୋଡ଼ିଲାଭଳି ହୃଦୟ ଓ କୌଶଳ ଯେଉଁ ଲକ୍ଷ୍ମୀର ଅଛି ତାହାଭଳି ଶିଳ୍ପୀ ଆଉ କ’ଣ କେଉଁଠି ଥିବେ ? ଏହି ଉଦ୍ଦେଶ୍ୟରେ କେତେ ନା କେତେଦିନ ଧରି ସେ ଗୋପନରେ ଚେଷ୍ଟାକରି ନ ଚାଲିଛି ? ଏକାନ୍ତ ଭାବରେ ମନେମନେ ଆଶୀର୍ବାଦ କରିବାକୁ ଲାଗିଲି ତା’ର ଏ ସଦ୍ଦିଚ୍ଛା ଯେପରି ସାର୍ଥକ ହେଉ । କିଛିଦିନ ହେବ ମୋ ମନରେ ଯେଉଁ ବୋଝ ସଞ୍ଚିତ ହୋଇ ରହିଥିଲା, ତାହା ଅନେକ ପରିମାଣରେ ହାଲ୍‌କା ହେବାକୁ ଲାଗିଲା । ଆଜି ଦିନଟା ଖୁବ୍‌ ଭଲରେ କଟିଲା । କେଉଁ ଶାସ୍ତ୍ରୀୟ ବ୍ରତ ରାଜଲକ୍ଷ୍ମୀ ଆଚରଣ କରୁଛି ତାହା ଅବଶ୍ୟ ମୁଁ ଜାଣେ ନାହିଁ । କିନ୍ତୁ ଆଜି ତା’ର ତିନିଦିନର ମିଆଦ ପୂର୍ଣ୍ଣ ହୋଇ ଯିବାରେ ପୁଣି କାଲି ଦେଖା ମିଳିପାରିବ; ଏଇ କଥାଟା ଯେପରି ବହୁଦିନ ପରେ ମନେପଡ଼ିଲା ପରି ମୋତେ ଜଣାଗଲା ।

 

ପରଦିନ ସକାଳୁ ରାଜଲକ୍ଷ୍ମୀ ଆସିପାରିଲା ନାହିଁ । କିନ୍ତୁ ରତନ ହାତରେ ଅନେକ ଦୁଃଖ କରି ଖବର ପଠାଇଲା, ତା’ର ଏପରି ଭାଗ୍ୟ ଯେ ଥରକ ପାଇଁ ଦେଖା କରିଯିବା ପାଇଁ ତାକୁ ସମୟ ନାହିଁ । ନିକଟରେ ଏଠାରେ କେଉଁଠି ବକ୍ରେଶ୍ୱର ବୋଲି ତୀର୍ଥ ଅଛି । ସେଠାରେ ପ୍ରତ୍ୟକ୍ଷ ଦେବତା ଏବଂ ଗରମ ପାଣିର କୁଣ୍ଡ ଅଛି । ତହିଁରେ ଗାଧୋଇଲେ କେବଳ ସେ ନିଜେ ହିଁ ନୁହେଁ, ତାହାର ପିତୃକୂଳ, ମାତୃକୂଳ ଓ ଶଶୁର କୂଳର ତିନିକୋଟି ଜନ୍ମର ଯିଏ ଯେଉଁଠାରେ ଥିବେ ସମସ୍ତେ ଉଦ୍ଧାର ହୋଇଯିବେ । ସଙ୍ଗୀ କୁଟିଛନ୍ତି । ଦ୍ୱାର ଆଗରେ ଶଗଡ଼ ଗାଡ଼ି ଠିଆ ହୋଇଛି । ଯିବା ସମୟ ପ୍ରାୟ ହୋଇଗଲାଣି ବୋଲି ଜାଣ । ଦୁଇ ତିନିଟା ଆବଶ୍ୟକୀୟ ବସ୍ତୁ ରତନ ଦରୁଆନ ହାତରେ ପଠାଇଦେଲା । ସେ ବିଚାରା ଊର୍ଦ୍ଧ୍ୱଶ୍ୱାସରେ ଦେଇ ଆସିବା ପାଇଁ ଦୌଡ଼ିଲା । ଶୁଣିଲି ଫେରିଆସିବାକୁ ପାଞ୍ଚ–ସାତ ଦିନ ବିଳମ୍ୱ ହୋଇପାରେ ।

 

ଆହୁରି ପାଞ୍ଚ–ସାତଦିନ ! ବୋଧହୁଏ ଅଭ୍ୟାସ ବଶତଃ ତାକୁ ଦେଖିବାକୁ ମନ ଆଜି ବ୍ୟାକୁଳ ହୋଇଉଠିଥିଲା । କିନ୍ତୁ ରତନ ମୁହଁରୁ ତା’ର ତୀର୍ଥଯାତ୍ରାର ସମ୍ୱାଦ ପାଇବାକ୍ଷଣି ଅଭିମାନ କିମ୍ୱା କ୍ରୋଧ ବଦଳରେ ବୁକୁ ଭିତରଟା ମୋର ହଠାତ୍‌ ବ୍ୟଥା ଓ କରୁଣାରେ ଭରିଉଠିଲା । ପିଆରୀ ପ୍ରକୃତରେ ନିଃଶେଷ ହୋଇ ମରିଯାଇଛି । ତାହାରି ହିଁ କୃତକର୍ମର ଦୁଃସହ ଭାରରେ ଆଜି ରାଜଲକ୍ଷ୍ମୀର ଦେହ ଓ ମନରେ ବେଦନାର ଯେଉଁ ଆର୍ତ୍ତନାଦ ଉଚ୍ଛ୍ୱସିତ ହୋଇଉଠିଛି; ତାହାକୁ ସମ୍ୱରଣ କରିବା ପାଇଁ ସେ ବାଟ ଖୋଜି ପାଇପାରୁନାହିଁ । ଏଇ ଯେ ଅଶାନ୍ତ ବିକ୍ଷୋଭ, ନିଜ ଜୀବନରୁ ଦୌଡ଼ି ପଳାଇ ଯିବା ପାଇଁ ଏଇ ଯେଉଁ ଦିଗ୍‌ବିହୀନ ବ୍ୟାକୁଳତା, ଏହାର କ’ଣ କୌଣସି ଅନ୍ତ ନାହିଁ ? ପିଞ୍ଜରା ଭିତରେ ପକ୍ଷୀ ଭଳି ସେ କ’ଣ ଦିନରାତି ମଥା ପିଟିପିଟି ମରିବ କି ? ଆଉ ସେହି ପିଞ୍ଜରାର ଲୁହା କାନ୍ଥ ଭଳି ମୁଁ କ’ଣ ଚିରଦିନ ତା’ର ମୁକ୍ତି ପଥକୁ ଆଗୁଳି ରହିଥିବି ? ସଂସାରରେ ଯାହାଙ୍କୁ କେଉଁଦିନ କିଛି ଦେଇ ବାନ୍ଧିପାରିଲି ନାହିଁ, ସେହି କ’ଣ ମୋ ଭାଗ୍ୟରେ ଏତେବଡ଼ ଅଶାନ୍ତି ଲେଖି ଦେଇଛନ୍ତି ? ମୋତେ ସେ ସାରା ମନଦେଇ ଭଲପାଏ, ତେଣୁ ମୋର ମୋହକୁ ତୁଟାଇପାରେ ନାହିଁ । ଏହାର ପୁରଷ୍କାର ଦେବାକୁ ଯାଇ କ’ଣ ତା’ ଭବିଷ୍ୟତର ସମସ୍ତ ପୁଣ୍ୟ ଅର୍ଜନ ପଥରେ କଣ୍ଟକ ହୋଇ ରହିଥିବି ?

 

ମନେମନେ ଭାବିଲି, ମୁଁ ତାକୁ ଛୁଟି ଦେଇଦେବି । ସେଥର ପରି ନୁହେଁ, ଏଥର ଏକାନ୍ତ ଚିତ୍ତରେ, ଅନ୍ତରର ସମସ୍ତ ଶୁଭାଶୀର୍ବାଦ ଦେଇ ସବୁଦିନ ପାଇଁ ମୁକ୍ତି ଦେବି ଏବଂ ଯଦି ପାରେ ସେ ଫେରିଆସିବା ପୂର୍ବରୁ ମୁଁ ଏ ଦେଶ ଛାଡ଼ି ପଳାଇବି । କୌଣସି ପ୍ରୟୋଜନରେ, ସମ୍ପଦ, ବିପଦର କୌଣସି ଆବର୍ତ୍ତନବେଳେ ଆଉ ତା’ର ସମ୍ମୁଖୀନ ହେବି ନାହିଁ । ଦିନେ ନିଜର ଅଦୃଷ୍ଟ ହିଁ ମୋତେ ଏ ବିଷୟରେ ସ୍ଥିର କରି ରଖିଦେଇ ପାରିନାହିଁ କିନ୍ତୁ ଆଉ ତାହା ନିକଟରେ ମୁଁ କୌଣସିମତେ ପରାଭବ ମାନିନେବି ନାହିଁ ।

 

ମନେମନେ କହିଲି–ପ୍ରକୃତରେ ଭାଗ୍ୟ ହିଁ ବଡ଼ ବଳବାନ ! ଦିନେ ପାଟନାରୁ ଯେତେବେଳେ ବିଦାୟ ନେଇଥିଲି ସେତେବେଳେ ପିଆରୀ ତା’ର ଦୋ ମହଲା କୋଠାଉପରେ ଚୁପ୍‌ ହୋଇ ଠିଆହୋଇ ରହିଥିଲା । ତା’ ମୁହଁରେ ଭାଷା ନଥିଲା । କିନ୍ତୁ ସେହି ନିରୁଦ୍ଧ ଅନ୍ତରର ଅଶ୍ରୁଳ ଫେରିଯିବା ପାଇଁ ଯେଉଁ ଡାକରା ତାହା କ’ଣ ବାଟସାରା ମୋ କାନରେ ବାରମ୍ୱାର ପହଞ୍ଚି ନାହିଁ ? କିନ୍ତୁ ଫେରିନଥିଲି । ଦେଶ ଛାଡ଼ି ସୁଦୂର ବିଦେଶକୁ ଚାଲିଯାଇଥିଲି । କିନ୍ତୁ ସେହି ଯେ ରୂପହୀନ, ଭାଗ୍ୟହୀନ ଦୁର୍ବାର ଆକର୍ଷଣ ମୋତେ ଅହର୍ନିଶି ଟାଣିବାକୁ ଲାଗିଲା ସେଥିରେ ଦେଶ–ବିଦେଶର ବ୍ୟବଧାନ କେତେ ଅବା ରହିପାରିଲା ? ପୁଣି ଦିନେ ଫେରିଆସିଲି । ବାହାରର ଲୋକ ମୋର ପରାଜୟର ଗ୍ଳାନିଟାକୁ ଦେଖିପାରିଲେ ସିନା; ମୋ ବକ୍ଷରେ ଥିବା ଅମ୍ଳାନ ଜୟମାଳାଟି କିନ୍ତୁ ସେମାନଙ୍କ ଆଖିରେ ପଡ଼ିଲା ନାହିଁ ।

 

ଏପରି ବି ହୁଏ ! ମୁଁ ଜାଣେ, ଅଚିର ଭବିଷ୍ୟତରେ ପୁଣି ଦିନେ ବିଦାୟର ମୁହୂର୍ତ୍ତ ଆସି ପହଞ୍ଚିବ । ସେଦିନ ମଧ୍ୟ ସେ ଏହିପରି ନୀରବ ହୋଇ ରହିବ । କିନ୍ତୁ ମୋର ଶେଷ ବିଦାୟର ଯାତ୍ରାବେଳେ ବାଟସାରା; ତା’ର ସେହି ଅଶ୍ରୁତପୂର୍ବ ନିବିଡ଼ ଆହ୍ୱାନ ହୁଏତ ଆଉ କାନରେ ପଶିବ ନାହିଁ ।

 

ମନେମନେ ଭାବିଲି–ରହିବା ପାଇଁ ନିମନ୍ତ୍ରଣ ଯେତେବେଳେ ଶେଷ ହୋଇଯିବାଟା ହିଁ କେବଳ ବାକିଥାଏ, ତାହା ଯେ କେତେ ବଡ଼ ବ୍ୟଥାଦାୟକ ! ଅନୁଭବୀ ମାତ୍ରେ ବୁଝିପାରିବେ ! ତେଣୁ ମୋର ଏ ବ୍ୟଥାର ଅଂଶୀଦାର କେହି ନାହାନ୍ତି । କେବଳ ମୋର ହୃଦୟ ଗହରରେ ଏଇ ନିନ୍ଦିତ ବ୍ୟଥାକୁ ମୋତେ ଚିରଦିନ ପାଇଁ ଲୁଚାଇ ରଖିବାକୁ ହିଁ ପଡ଼ିବ । ରାଜଲକ୍ଷ୍ମୀକୁ ଭଲପାଇବାର ଅଧିକାର ସଂସାର ମୋତେ ଦେଇନାହିଁ । ଏଇ ପ୍ରକାର ଏକାଗ୍ର ପ୍ରେମ, ଏଇ ହସକାନ୍ଦ, ମାନ ଅଭିମାନ, ଏଇ ତ୍ୟାଗ, ଏଇ ନିବିଡ଼ ମିଳନ, ଏସବୁ ଲୋକ ଚକ୍ଷୁରେ, ଯେପରି ବ୍ୟର୍ଥ, ଏଇ ଆସନ୍ନ ବିଚ୍ଛେଦର ଅସହ୍ୟ ଅନ୍ତର୍ଦାହ ମଧ୍ୟ ବାହାର ଦୃଷ୍ଟିରେ ସେହିପରି ଅର୍ଥହୀନ । ଆଜି ଏଇକଥାଟା ମନେମନେ ବେଶୀ ବାଜିଉଠିଲା ଯେ, ଜଣକର ମର୍ମାନ୍ତିକ ଦୁଃଖ ଯେତେବେଳେ ଅନ୍ୟଆଖିରେ ଉପହାସର ବସ୍ତୁହୋଇ ଦେଖାଦିଏ, ତାହାଠାରୁ ବଡ଼ ଟ୍ରାଜେଡ଼ି ଏ ପୃଥିବୀରେ ଆଉ କ’ଣ ଅବା ଅଛି-? ଅଥଚ ଏପରି ବି ଘଟେ । ଲୋକମାନଙ୍କ ଭିତରେ ବାସକରି ଯିଏ ଲୋକାଚାର ମାନେ ନାହିଁ ଏବଂ ଲୋକାଚାର ବିରୁଦ୍ଧରେ ବିଦ୍ରୋହ କରେ ସେ ଆଜି ନାଲିଶ୍‌ କରିବ କାହା ଆଗରେ-? ଏ ସମସ୍ୟା ଶାଶ୍ୱତ ଓ ପୁରାତନ । ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ପ୍ରଶ୍ନ ହିଁ ବାରମ୍ୱାର ଅମୀମାଂସିତ ହୋଇ ଚାଲିଆସିଛି ଏବଂ ଭବିଷ୍ୟତର ଗର୍ଭକୁ ଯେତେଦୂର ଆଖିପାଏ, ଏହାର ସମାଧାନ ହେବାଭଳି ଆଖିରେ ପଡ଼େ ନାହିଁ । ଏହା ଅନ୍ୟାୟ ଆଉ ଅବାଞ୍ଛତ । ତଥାପି ଏହାଠାରୁ ବଳି ସମ୍ପଦ ଓ ଐଶ୍ୱର୍ଯ୍ୟ କ’ଣ ମନୁଷ୍ୟର ଆଉ କିଛି ଥାଇପାରେ ? ଅବାଧ୍ୟ ନରନାରୀଙ୍କର ଏହି ଅବାଞ୍ଛିତ ହୃଦୟାବେଗର କେତେ ନିଃଶବ୍ଦ ବେଦନାର ଇତିହାସକୁ ମଝିରେ ରଖି ଯୁଗେଯୁଗେ କେତେ ପୁରାଣ, କେତେ କାହାଣୀ, କେତେ କାବ୍ୟର ଅଭ୍ରଭେଦୀ ସୌଧ ଗଢ଼ା ନ ହୋଇଛି-!

 

କିନ୍ତୁ ଆଜି ଯଦି ଏସବୁ ଥମିଯାଏ ? ମନେମନେ କହିଲି–ଥାଉ । ରାଜଲକ୍ଷ୍ମୀର ଧର୍ମଆଡ଼େ ମତି ହେଉ । ତା’ର ବକ୍ରେଶ୍ୱର ରାସ୍ତା ସୁଗମ ହେଉ । ତା’ର ମନ୍ତ୍ର ଉଚ୍ଚାରଣ ନିର୍ଭୁଲ ହେଉ । ଆଶୀର୍ବାଦ କରୁଛି ତା’ର ପୁଣ୍ୟ ଅର୍ଜନର ପଥ ସଦାସର୍ବଦା ନିର୍ବିଘ୍ନ ଏବଂ ନିଷ୍କଣ୍ଟକ ହେଉ । ଆଉ ଏଣିକି ମୋ ଦୁଃଖ ମୁଁ ଏକାକୀ ନିଜେ ବହନ କରି ଚାଲିବି ।

 

ପରଦିନ ନିଦ ଭାଙ୍ଗିବା ସଙ୍ଗେ ସଙ୍ଗେ ଯେପରି ମନେହେଲା, ଗଙ୍ଗାମାଟିର ଏଇ ବାଟ ଘାଟ, ଘରଦ୍ୱାର, ଖୋଲା ପଡ଼ିଆର ବନ୍ଧନ ଯେପରି ମୋଠାରୁ ଶିଥିଳ ହୋଇପଡ଼ିଛି । ରାଜଲକ୍ଷ୍ମୀ କେବେ ଫେରିବ ତା’ର ସ୍ଥିରତା ନାହିଁ । କିନ୍ତୁ ଦଣ୍ଡେ ଏଠାରେ ରହିବା ପାଇଁ ଆଉ ମନ ଚାହେଁ ନାହିଁ-। ଗାଧୋଇବା ପାଇଁ ରତନ ଆସି ତାଗିଦା ଆରମ୍ଭ କଲାଣି । କାରଣ ଯିବା ସମୟରେ ରାଜଲକ୍ଷ୍ମୀ କେବଳ କଡ଼ା ହୁକୁମ ଦେଇ ନିଶ୍ଚିନ୍ତ ହୋଇପାରି ନାହିଁ, ରତନକୁ ତା’ ପାଦ ଛୁଆଁଇ ନିୟମ କରାଇ ନେଇଛି ଯେ, ତାହାର ଅନୁପସ୍ଥିତିରେ ଯେପରି ମୋ ପ୍ରତି ଏତେ ଟିକିଏ ଅଣହେଳା କିମ୍ୱା ଚଳଣିରେ ଅନିୟମ ନ ହୁଏ । ଖାଇବା ସମୟ ସକାଳେ ଏଗାରଟା ଏବଂ ରାତିରେ ଆଠଟା ବେଳକୁ ଧାର୍ଯ୍ୟ ହୋଇଛି । ରତନକୁ ଏଥିପାଇଁ ପ୍ରତ୍ୟହ ଘଡ଼ି ମିଳାଇ ରଖିବାକୁ ହୁଏ । କଥା ଅଛି ସେ ଫେରିଆସିଲେ ପ୍ରତ୍ୟେକଙ୍କୁ ଏକମାସର ଦରମା ବକ୍‌ଶିସ୍‌ ଦେବ । ରୋଷାଇ ସାରି ବ୍ରାହ୍ମଣ ପୂଜାରୀ ଘରୁ ବାହାର ହେଉଥାଏ । ଚାକର ମୁଣ୍ଡରେ ପନି–ପରିବା, ମାଛ, ଦୁଧ ପ୍ରଭୃତି ଆଣି ସକାଳ ନ ହେଉଣୁ ଯେ କୁଶାରୀ ମହାଶୟ ନିଜେ ଆସି ପହଞ୍ଚାଇ ଦେଇ ଯାଇଛନ୍ତି ତାହା ମୁଁ ଶୋଇ ରହି ଲକ୍ଷ୍ୟ କରିଥାଏ । ଆଉ କୌଣସି ଆଗ୍ରହ ମୋର ରାତି ଆଠଟା କିମ୍ୱା ଦିନ ଏଗାରଟା ପ୍ରତି ନଥିଲା । ମୁଁ ଭଲ କରି ଜାଣେ ମୋ ପାଇଁ କାହାର ଉପୁରି ମାସକର ଦରମା ଆଦୌ ବନ୍ଦ ହେବ ନାହିଁ ।

 

କାଲି ରାତିରେ ଗାଢ଼ ନିଦ୍ରାରେ ମୋର ବ୍ୟାଘାତ ଘଟିଥିଲା । ଆଜି ସେଥିପାଇଁ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ସ୍ନାନାହାର ଶେଷ କରି ଦେଇ ବିଛଣାରେ ଶୋଇବା କ୍ଷଣି ନିଦ ଲାଗିଗଲା ।

 

ନିଦ ଭାଙ୍ଗିଲା ଚାରିଟା ପାଖାପାଖି । କେତେଦିନ ହେବ ନିୟମିତ ଭାବରେ ବୁଲି ବାହାରୁଥିଲି । ଆଜି ମଧ୍ୟ ହାତ ମୁହଁ ଧୋଇସାରି ଚାହା ଖାଇ ବାହାରିପଡ଼ିଲି ।

ଦୁଆର ବାହାରେ ଜଣେ ଲୋକ ବସିଥିଲା । ସେ ହାତକୁ ଖଣ୍ଡିଏ ଚିଠି ବଢ଼ାଇଦେଲା । ସତୀଶ ଭରଦ୍ୱାଜର ଚିଠି । କେହି ଜଣେ ଅନେକ କଷ୍ଟ କରି ଲେଖି ଜଣାଇଛି ଯେ, ସେ ଅତ୍ୟନ୍ତ ପୀଡ଼ିତ । ମୁଁ ନଗଲେ ସେ ମରିଯିବ ।

ପଚାରିଲି–କ’ଣ ହୋଇଛି ତା’ର ?

: କଲେରା ।

ଖୁସିହୋଇ କହିଲି–ଚାଲ୍‌ । ତାହାକୁ କଲେରା ହୋଇଥିବା ହେତୁ ଖୁସି ହେଲିନାହିଁ କରଂ ଗୃହ ସହିତ ସମ୍ପର୍କ ତୁଟାଇ ଯେ କିଛିକ୍ଷଣ ପାଇଁ ଦୂରକୁ ଯିବାପାଇଁ ସୁଯୋଗ ମିଳିଲା । ଏହା ପରମ ଲାଭ ବୋଲି ମନେହେଲା ।

ଭାବିଲି ରତନକୁ ଡାକି ଏ ଖବର ଜଣାଇ ଦେବାଟା ଭଲ ହେବ । କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ । ଯେଉଁପରି ଅବସ୍ଥାରେ ଥିବ ସେହିପରି ବାହାରିପଡ଼ିଲି । ଏ ଘରଭିତରେ କେହି କିଛି ଜାଣିପାରିଲେ ନାହିଁ ।

ପ୍ରାୟ ତିନି କୋଶ ବାଟ ପାଦରେ ଚାଲି ଚାଲି ଯାଇ ଅବଶେଷରେ ସତୀଶର କ୍ୟାମ୍ପରେ ପହଞ୍ଚିଲି । ଧାରଣା ଥିଲା ରେଲଓ୍ୱେ କନଷ୍ଟ୍ରକ୍‌ସନର ଇନ୍‌ଚାର୍ଜ ଏସ୍‌.ସି. ଭରଦ୍ୱାଜର ଅନେକ କିଛି ଐଶ୍ୱର୍ଯ୍ୟ ଦେଖିବାକୁ ମିଳିବ । କିନ୍ତୁ ଯାଇ ସେଠାରେ ପହଞ୍ଚି ଯାହା ଦେଖିଲି ତହିଁରେ ହିଂସା କରିବା ଭଳି କିଛି ଜିନିଷ ନଥିଲା । ଛୋଟ ଗୋଟିଏ ତମ୍ୱୁରେ ସେ ରହେ । ପାଖରେ ଥିବା ଡାଳପତ୍ର ଦ୍ୱାରା ତିଆରି କୁଡ଼ିଆଟିରେ ତା’ର ରୋଷେଇବାସ କରେ । ଗୋଟିଏ ହୃଷ୍ଟପୁଷ୍ଟ ବାଉରୀ ଜାତିର ଝିଅ ନିଆଁ ଲଗାଇ କ’ଣ ସିଝାଇବାରେ ବ୍ୟସ୍ତ ଥିଲା । ମୋତେ ଦେଖି ସଙ୍ଗରେ ତମ୍ବୁ ଭିତରକୁ ନେଇଗଲା । ଏ ହେଉଛି ସତୀଶର ପ୍ରଣୟିନୀ ।

 

ଇତି ମଧ୍ୟରେ ରାମପୁର ହାଟରୁ ଜଣେ ପଞ୍ଜାବୀ ଯୁବକ ଡାକ୍ତର ଆସିଥିଲେ । ସେ ମୋତେ ସତୀଶର ବାଲ୍ୟବନ୍ଧୁ ବୋଲି ଜାଣିପାରି ଯେପରି ଆଶ୍ୱସ୍ତ ହୋଇଉଠିଲେ । ରୋଗୀ ସମ୍ବନ୍ଧରେ ଜଣାଇବାକୁ ଯାଇ ସେ କହିଲେ ଯେ କେସ୍‌ ସିରିଅସ୍‌ ନୁହେଁ । ଜୀବନ ପ୍ରତି ଆଦୌ ବିପଦ ନାହିଁ । ତାଙ୍କ ଟ୍ରଲି ପ୍ରସ୍ତୁତ ଅଛି । ବର୍ତ୍ତମାନଠାରୁ ବାହାରି ନ ପାରିଲେ ହେଡ଼କ୍ୱାଟର୍ସରେ ପହଞ୍ଚିବା ବେଳକୁ ବହୁତ ରାତି ହୋଇଯିବ । କଷ୍ଟର ସୀମା ରହିବ ନାହିଁ । ମୋର କ’ଣ ହେବ ସେଇଟା ତାଙ୍କର ଭାବନାର ବସ୍ତ୍ର ନ ଥିଲା । କେତେବେଳେ କ’ଣ କରିବାକୁ ହେବ; ରୀତିମତ ସେହି ବିଷୟରେ ଉପଦେଶ ଦେଲେ ଏବଂ ଠେଲା ଗାଡ଼ିରେ ବସି ଫେରିଯିବା ବେଳେ କ’ଣ ଭାବି ତାଙ୍କ ବ୍ୟାଗ୍‌ ଖୋଲି ଦୁଇ ତିନିଟା ଶିଶି ମୋ ହାତକୁ ବଢ଼ାଇଦେଇ କହିଲେ–କଲେରାଟା ଏକପ୍ରକାର ସଂକ୍ରାମକ ରୋଗ । ଏଇ ଖାତରୁ ପାଣି ବ୍ୟବହାର କରିବାକୁ ମନାକରିଦେବେ କହି ସେ ମୋତେ ମାଟି ଖୋଲା ହୋଇଥିବା ଖାତଟାକୁ ହାତଦ୍ୱାରା ଦେଖାଇଦେଇ କହିଲେ; ଆଉ ଯଦି ଖବର ପାଆନ୍ତି ଯେ କୁଲିମାନଙ୍କ ଭିତରୁ କାହାର ହୋଇଛି ତେବେ ଏଇ ଔଷଧ ଗୁଡ଼ିକ ବ୍ୟବହାର କରିପାରନ୍ତି । ଏହା କହି ସେ ରୋଗରେ କେଉଁ ଅବସ୍ଥାରେ କେଉଁ ଔଷଧଟା କିପରି ଦେବାକୁ ହେବ କହିଦେଲେ ।

 

ମନୁଷ୍ୟଟି ମନ୍ଦ ନୁହେଁ । ଦୟାମାୟା ଅଛି । ମୋ ବାଲ୍ୟ ବନ୍ଧୁଟି କିପରି ରହିଲା, କାଲି ଯେପରି ସେ ଖବର ପାଆନ୍ତି ଏବଂ କୁଲିମାନଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ମୁଁ ଯେପରି ଭୁଲି ନ ଯାଏ, ଏକଥା ବାରମ୍ବାର ସାବଧାନ କରି କହି ସେ ଚାଲିଗଲେ ।

 

ଭଲହେଲା । ରାଜଲକ୍ଷ୍ମୀ ଯାଇଛି ବକ୍ରେଶ୍ୱର ଦେଖିବାକୁ ଆଉ ରାଗ କରି ମୁଁ ଦାଣ୍ଡକୁ ବାହାରିପଡ଼ିଛି । ବାଟରେ ଜଣେ ବ୍ୟକ୍ତିଙ୍କ ସହିତ ସାକ୍ଷାତ । ପିଲାଦିନର ପରିଚୟ, ଅତଏବ ବାଲ୍ୟବନ୍ଧୁ କହିଲେ ଚଳିବ । ତେବେ ପନ୍ଦର ବର୍ଷ ଧରି ଉଭୟଙ୍କର ଖବର କେହି ରଖିନଥିଲେ । ତେଣୁ ହଠାତ୍‌ ଚିହ୍ନିପାରିଲି ନାହିଁ । କିନ୍ତୁ ଦିନ ଦୁଇଟା ଯାଇନାହିଁ ହଠାତ୍‌ ଏ କି ଅଘଟଣ କଥା ! ତାହାର କଲେରା ରୋଗର ଚିକିତ୍ସା ଏବଂ ଶୁଶ୍ରୂଷାର ଭାର ସହିତ ତାହାର ଦେଢ଼ଶହ ମାଟି ଖୋଳାଳି କୁଲିଙ୍କର ଦାୟିତ୍ୱ ଆସି ମୋଉପରେ ଶେଷରେ ପଡ଼ିଲା ! କେବଳ ବାକି ରହିଲା ତା’ ସୋଲ ଟୋପିଟି ଓ ତଟୁ ଘୋଡ଼ାଟି । ଆଉ ବୋଧହୁଏ ଏଇ କୁଲି ଝିଅଟି ମଧ୍ୟ । ତାହାର ମାନଭୂମି ଅଞ୍ଚଳର ଅନିର୍ବାଚନୀୟ ବାଉରୀ ଭାଷାରେ ସେ ଅନେକ କିଛି କହିଗଲା କିନ୍ତୁ ଏତିକି କହିଲା ନାହିଁ ଯେ ସେ ମୋତେ ଦେଖି ଟିକିଏ ଆଶ୍ୱସ୍ତ ହୋଇଛି ବୋଲି । ଭାବିଲି ସବୁ ତ ଦେଖିଲି, ଯାଏ ଟିକିଏ ଘୋଡ଼ାଟାକୁ ଦେଖିଆସେ ।

 

ଭାବିଲି ମୋ ଅଦୃଷ୍ଟ ଏହିପରି । ନ ହେଲେ ରାଜଲକ୍ଷ୍ମୀ ଅବା ଆସନ୍ତା କୁଆଡ଼ୁ ଏବଂ ଅଭୟା ମଧ୍ୟ ମୋ ଦ୍ୱାରା ତା’ର ଦୁଃଖର ବୋଝ ବୁହାଇ ପାରିଥାନ୍ତା କିପରି ? ଆଉ ଏଇ ଚେଙ୍ଗ ଏବଂ ତାହାର କୁଲି ଗ୍ୟାଙ୍ଗ୍‌ । କୌଣସି ବ୍ୟକ୍ତି ପକ୍ଷରେ ଏସବୁ ଦାୟିତ୍ୱକୁ ଏଡ଼ାଇଦେବାକୁ ଏକ ମିନିଟ୍‌ ଲାଗିବ ନାହିଁ; କିନ୍ତୁ ମୁଁ ଅବା ସାରା ଜୀବନ ଏସବୁକୁ ବହନ କରି ଚାଲିଥିବି କାହିଁକି ?

 

ତମ୍ବୁଟା ରେଲ କମ୍ପାନୀର । ସତୀଶର ନିଜସ୍ୱ ସମ୍ପତ୍ତିର ଗୋଟାଏ ତାଲିକା ମନେମନେ ପ୍ରସ୍ତୁତ କରିନେଲି । କେତେଟା ଏନାମେଲ ବାସନ, ଗୋଟାଏ ଷ୍ଟୋଭ, ଗୋଟାଏ ଲୁହାର ଟ୍ରଙ୍କ, ଗୋଟିଏ କିରୋସିନି ତେଲର ବାକ୍‌ସ ଏବଂ ସେ ଶୋଇଥିବା କ୍ୟାନ୍‌ଭ୍ୟାସ୍‌ ଖଟିଆ । ସତୀଶ୍‌ ଚାଲାକ୍‌ ଲୋକ, ଏ ଖଟରେ ସେପରି ବିଛଣା ଫିଛଣା ତା’ର ଦରକାର ହୁଏ ନାହିଁ । ଯାହାତାହା ଖଣ୍ଡେ ହେଲେ ତା’ର ଚଳିଯାଏ । ସେଥିପାଇଁ ଖଣ୍ଡିଏ ସତରଞ୍ଜି ବ୍ୟତୀତ ସେ ଆଉକିଛି କିଣି ନାହିଁ । ଭବିଷ୍ୟତରେ କଲେରା ହେଲେ ସେଥିପାଇଁ କିଛି ବ୍ୟବସ୍ଥା ମଧ୍ୟ ନ ଥିଲା । କ୍ୟାନ୍‌ଭାସ୍‌ ଖଟିଆରେ ଶ୍ରୁଶୂଷା କରିବା ଅତ୍ୟନ୍ତ ଅସୁବିଧା ଜନକ । ଏକମାତ୍ର ସତରଞ୍ଜଟି ଅତିଶୟ ମଇଳା ହୋଇ ପଡ଼ିଥାଏ । ଅତଏବ ତାକୁ ତଳେ ଶୁଆଇବା ବ୍ୟତୀତ ଆଉ ମୋର ଉପାୟ ନ ଥିଲା ।

 

ମୁଁ ବିଶେଷ ଚିନ୍ତିତ ହୋଇପଡ଼ିଲି । ଝିଅଟି ନାମ କାଳୀଦାସୀ । ପଚାରିଲି–କାଳୀ, କାହା ନିକଟରୁ ଦୁଇ ତିନି ଖଣ୍ତ ବିଛଣା ମିଳିପାରିବ କି ?

 

କାଳୀ କହିଲା–ନା ।

 

କହିଲି–ଦୁଇ ଚାରିବିଡ଼ା ନଡ଼ା ଯୋଗାଡ଼ କରି ଆଣିପାରିବ ?

 

କାଳୀ ଫିକ୍‌ କରି ହସିପକାଇ ଯାହା କହିଲା–ତାହାର ଅର୍ଥ ଏଇ ଯେ, ଏଠାରେ କ’ଣ କାହାର ଗୋରୁଗାଈ ଅଛନ୍ତି ?

 

କହିଲି–ବାବୁଙ୍କୁ ତାହାହେଲେ ଶୁଆଇବି କେଉଁଠାରେ ?

 

କାଳୀ ନିର୍ଭୟରେ ମାଟିକୁ ହାତ ଦେଖାଇଦେଇ କହିଲା–ସେଇଠାରେ ।

 

ତା’ ମୁହଁକୁ ଚାହିଁବାକ୍ଷଣି ମନେହେଲା ଏପରି ବିକଳ୍ପ ପ୍ରେମ ଜଗତରେ ସୁ ଦୁର୍ଲ୍ଲଭ । ମନେମନେ କହିଲି–କାଳୀ ତୁମେ ହେଉଛ ଭକ୍ତିର ପାତ୍ର । ତୁମ କଥାଗୁଡ଼ିକ ଶୁଣିବା ପରେ ଆଉ ଶଙ୍କରାଚାର୍ଯ୍ୟଙ୍କ ମୋହ–ମୁଦ୍‌ଗର ପଢ଼ିବା ଦରକାର ପଡ଼ିବ ନାହିଁ । କିନ୍ତୁ ମୋର ସେପରି ବିଜ୍ଞାନ–ମୟ ଅବସ୍ଥା ନୁହେଁ । ଲୋକଟା ବର୍ତ୍ତମାନ ସୁଦ୍ଧା ବଞ୍ଚିଛି । କିଛି ଗୋଟାଏ ତଳେ ପକାଇବା ନିହାତି ଦରକାର ।

 

ପଚାରିଲି–ବାବୁଙ୍କର ପିନ୍ଧିବା ଲୁଗା ବି ଖଣ୍ଡେ ନାହିଁ ?

 

କାଳୀ ମୁଣ୍ଡ ହଲାଇଲା । ତା’ ଭିତରେ ଦ୍ୱିଧା କିମ୍ବା ସଂକୋଚ ନଥିଲା । ସେଥିପାଇଁ ସେ ‘‘ବୋଧହୁଏ’’ କହିଲା ନାହିଁ । କହିଲା–ଲୁଗା ନାହିଁ, ପେଣ୍ଟୁଲୁନ୍‌ ଅଛି ।

 

ପେଣ୍ଟୁଲୁନ୍‌ ସାହେବୀ ଜିନିଷ । ମୂଲ୍ୟବାନ ବସ୍ତ୍ର । କିନ୍ତୁ ତାହାଦ୍ୱାରା ଶଯ୍ୟା ରଚନା କରାଯାଇପାରେ କି ନାହିଁ ତାହା ଭାବି ଠିକ୍‌ କରିପାରିଲି ନାହିଁ । ହଠାତ୍‌ ମନେପଡ଼ିଲା ଆସିଲା ବାଟରେ ଗୋଟାଏ ଛିଣ୍ଡା କେର୍‌ପାଲ ଦେଖିଥିଲି । କହିଲି ଚାଲନା ଯିବା ଦୁଇଜଣ । ସେଇଟାକୁ ଧରାଧରି କରି ନେଇଆସିବା । ପେଣ୍ଟଲୁନ ବିଛାଇବା ଅପେକ୍ଷା ତାହା ଭଲ ହେବ ।

 

କାଳୀ ରାଜିହେଲା । ସୌଭାଗ୍ୟବଶତଃ ସେଇଟା ଅଳ୍ପ ଦୂରରେ ପଡ଼ି ରହିଥିଲା । ସେଇଟା ଆଣି ତାହା ଉପରେ ସତୀଶକୁ ଶୁଆଇଦେଲି । ତହିଁରୁ ଗୋଟିଏ କୋଣରେ ସବିନୟରେ କାଳୀ ନିଜର ଆସନ ବାଛି ନେଲା ଏବଂ ଦେଖୁଦେଖୁ ସେ ଶୋଇପଡ଼ିଲା । ଧାରଣା ଥିଲା ଝିଅମାନେ ଘୁଙ୍ଗୁଡ଼ି ମାରନ୍ତି ନାହିଁ । କାଳୀ ମୋର ସେହି ଧାରଣାକୁ ଭୁଲ୍‌ ବୋଲି ପ୍ରମାଣ କରିଦେଲା-

 

ମୁଁ ଏକାକୀ ସେହି କିରୋସିନୀ ବାକ୍‌ସ ଉପରେ ବସିଲି । ଏଣେ ସତୀଶର ହାତଗୋଡ଼ରେ ବାକୁଲା ଉଠିଲାଣି । ସେକ ଦେବାର ଦରକାର । ବହୁତ ଡକାଡକି କରି କାଳୀକୁ ନିଦରୁ ଉଠାଇଲି । ସେ କର ନେଉଟାଇ ଶୋଇକରି କହିଲା ଯେ କାଠିକୁଟା କିଛି ନାହିଁ । କ’ଣ ଜାଳି ସେ ନିଆଁ କରିବ ? ନିଜେ ଚେଷ୍ଟାକରି ଦେଖିପାରିଥାନ୍ତି କିନ୍ତୁ ଏ ଅନ୍ଧାର ଭିତରେ ସମ୍ବଳ ବୋଲି ଲଣ୍ଠନ ଖଣ୍ଡିକ । ତଥାପି ଥରକପାଇଁ ଲଣ୍ଠନଟି ନେଇ ତା’ ରୋଷାଇଘର ଭିତରକୁ ଯାଇ ଦେଖିଲି କାଳୀ ଆଦୌ ମିଛ କହି ନାହିଁ । ଏଇ କୁଟୀରଟାରେ ଅଗ୍ନି ସଂଯୋଗ କରିବାପାଇଁ ଆଉ ଦ୍ୱିତୀୟ ବସ୍ତ୍ର କିଛି ହେଲେ ନାହିଁ । କିନ୍ତୁ ସାହସ ହେଲା ନାହିଁ । କ୍ୟାମ୍ପ ଖଟିଆ ଏବଂ କିରୋସିନୀ ଢାବଲକୁ ବାହାରକୁ ଆଣି ତହିଁରେ ଦିଆସିଲି ମାରି ନିଆଁ ଧରାଇଲି । ନିଜର ଜାମାଖୋଲି ପୁଡ଼ାକରି କିଛି ସେକଦେବା ପାଇଁ ଉଦ୍ୟମ କଲି । କିନ୍ତୁ ଏହାଦ୍ୱାରା ନିଜକୁ ସାନ୍ତ୍ୱନା ଦେବା ବ୍ୟତୀତ ରୋଗୀର କୌଣସି ଉପକାର ହୋଇପାରିଲା ନାହିଁ ।

 

ରାତି ଦୁଇଟା ହେବ କି ତିନିଟା ହେବ ଖବର ଆସିଲା ଜଣେ ଦୁଇଜଣ କୁଲିଙ୍କର ଝାଡ଼ାବାନ୍ତି ହେଉଛି । ସେମାନେ ମୋତେ ଡାକ୍ତରବାବୁ ବୋଲି ମନେକରିଥିଲେ । ସେମାନଙ୍କ ଆଲୁଅ ସାହାଯ୍ୟରେ ଔଷଧପତ୍ର ନେଇ କୁଲି ବସ୍ତିରେ ଯାଇ ପହଞ୍ଚିଲି । ମାଲଗାଡ଼ିରେ ସେମାନେ ରହନ୍ତି । ଛାତବିହୀନ ଖୋଲା ଟ୍ରକଭଳି ଡବା ଧାଡ଼ିଧାଡ଼ି ହୋଇ ଲାଇନ ଉପରେ ଠିଆ ହୋଇଥାଏ-। ମାଟି କାଟିବା ଦରକାର ହେଲେ ଇଂଜିନ ଯୋଡ଼ି ସେମାନଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥାନକୁ ବୋହିନେବାକୁ ପଡ଼ିଥାଏ ।

 

ବାଉଁଶ ସିଡ଼ି ସାହାଯ୍ୟରେ ଡାଲାଭିତରକୁ ଗଲି । ଗୋଟିଏ ପାଖରେ ଜଣେ ବୁଢ଼ାଲୋକ ଶୋଇଥାନ୍ତି । ତାଙ୍କ ମୁହଁରେ ଆଲୁଅ ପଡ଼ିବାକ୍ଷଣି ବୁଝାପଡ଼ିଲା ଯେ ରୋଗ ସହଜ ନୁହେଁ । ଇତିମଧ୍ୟରେ ଅନେକଦୂର ଆଗେଇଯାଇଛି । ଅନ୍ୟପାଖରେ ପାଞ୍ଚସାତଜଣ ଲୋକ ହେବେ-। ସ୍ତ୍ରୀ–ପୁରୁଷ ମିଶାମିଶି ଅଛନ୍ତି । କେହି କେହି ନିଦଭାଙ୍ଗି ବସିଛନ୍ତି ତ ଆଉ କାହାର ସେ ପର୍ଯ୍ୟନ୍ତ ସୁନିଦ୍ରାରେ ବ୍ୟାଘାତ ଘଟିନଥାଏ ।

 

ସେମାନଙ୍କର ଜମାଦାର ଆସି ପହଞ୍ଚିଲା । ସେ ଭଲ ବଙ୍ଗଳା କହିପାରେ, ପଚାରିଲି ଆଉ ଜଣେ ରୋଗୀ କିଏ ?

 

ସେ ଅନ୍ଧକାରରେ ଅଙ୍ଗୁଳୀ ନିର୍ଦ୍ଦେଶ ଦ୍ୱାରା ଆଉ ଗୋଟିଏ ଡାଲାକୁ ଦେଖାଇଦେଲା ।

 

ପୁଣି ସିଡ଼ିଦ୍ୱାରା ଉପରକୁ ଉଠି ଦେଖିଲି–ଏଥର ଆଉ ଜଣେ ସ୍ତ୍ରୀଲୋକ । ବୟସ ପଚିଶ ତିରିଶରୁ ଅଧିକ ହେବ ନାହିଁ । ତା’ ପାଖରେ ଦୁଇଟି ଛୋଟପିଲା ଶୋଇଥାନ୍ତି । ସ୍ୱାମୀ ନାହିଁ । ସେ ଗତବର୍ଷ ଗୋଟିଏ ଅପେକ୍ଷାକୃତ କମ୍‌ ବୟସର ସ୍ତ୍ରୀଲୋକ ପାଲରେ ପଡ଼ି ଆସାମ ଚାହା ବଗିଚାକୁ କାମ କରିବା ପାଇଁ ପଳାଇଛି ।

 

ଏ ଗାଡ଼ିରେ ଆଉ ପାଞ୍ଚ ସାତଜଣ ସ୍ତ୍ରୀ ପୁରୁଷ ଥିଲେ । ସେମାନେ ଏକସ୍ୱରରେ ତା’ ପାଷାଣ୍ଡ ସ୍ୱାମୀର ନିନ୍ଦା କରିବା ଛଡ଼ା ରୋଗିଣୀର କୌଣସି ସାହାଯ୍ୟ କଲେ ନାହିଁ । ପଞ୍ଜାବୀ ଡାକ୍ତରଙ୍କ କହିବା ଅନୁସାରେ ଉଭୟଙ୍କୁ ଔଷଧ ଦେଲି । ଶିଶୁ ଦୁଇଟିଙ୍କୁ ସ୍ଥାନାନ୍ତରିତ କରିବାର ଚେଷ୍ଟା କଲି । କିନ୍ତୁ କାହାକୁ ସେମାନଙ୍କର ଭାର ନେବାପାଇଁ ରାଜି କରାଇପାରିଲି ନାହିଁ ।

 

ସକାଳେ ପୁଣି ଆଉ ଗୋଟିଏ ପିଲାର ଝାଡ଼ାବାନ୍ତି ଆରମ୍ଭ ହେଲା । ଏପାଖରେ ସତୀଶ ଭରଦ୍ୱାଜ ଅବସ୍ଥା ଆସ୍ତେ ଆସ୍ତେ ଖରାପ ହେବାକୁ ଲାଗିଲା । ବହୁ ବାଧ୍ୟ–ବାଧକତାରେ ଜଣକୁ ସାଇଁଥିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବୀ ଡାକ୍ତରଙ୍କୁ ଖବର ଦେବାପାଇଁ ପଠାଇଲି । ସେ ସନ୍ଧ୍ୟାସୁଦ୍ଧା ଫେରିଆସି ଜଣାଇଲା ଯେ, ଡାକ୍ତରବାବୁ ଆଉ କେଉଁଠାକୁ ରୋଗୀ ଦେଖିବାକୁ ଚାଲିଯାଇଛନ୍ତି ।

 

ମୋର ସବୁଠାରୁ ଅସୁବିଧା ହୋଇଥିଲା ଯେ ମୋ ପାଖରେ ଟଙ୍କା ନଥିଲା । ନିଜେ ତ କାଲିଠାରୁ ଉପବାସ ରହିଛି । ନିଦ ନାହିଁ । ବିଶ୍ରାମ ନାହିଁ । ସେତକ ଅବା ନ ହେଲେ ନାହିଁ । କିନ୍ତୁ ପାଣି ନ ପିଇ କିପରି ଅବା ବଞ୍ଚିବି ? ଆଗରେ ଥିବା ଖାତର ଜଳ ପିଇବା ପାଇଁ ସମସ୍ତଙ୍କୁ ନିଷେଧ କରିଦେଲି । କିନ୍ତୁ କେହି ମୋ କଥା ଶୁଣିଲେ ନାହିଁ । ଝିଅପିଲାମାନେ ଅଳପ ହସିଦେଇ ପରେ ଜଣାଇଲେ ଏଠାରେ ଏହାବ୍ୟତୀତ ଆଉ ପାଣି କେଉଁଠି ନାହିଁ । କିଛି ଦୂରରେ ଗାଆଁଭିତରେ ପାଣି ଅଛି, କିନ୍ତୁ କିଏ ଅବା ଯାଉଛି ? ସେମାନେ ମରିପାରନ୍ତି ପଛକେ କିନ୍ତୁ ବିନା ପଇସାରେ ଏପରି ଅଯଥା କାମ କରିବାକୁ ରାଜି ନୁହନ୍ତି ।

 

ଏହିପରି ଭାବରେ ଏମାନଙ୍କ ସହିତ ଗୋଟିଏ ଡବାଭିତରେ ମୋତେ ଦୁଇଦିନ ତିନିରାତି ବାସ କରିବାକୁ ହେଲା । କାହାକୁ ବଞ୍ଚାଇ ପାରିଲି ନାହିଁ । ସମସ୍ତେ ମଲେ । କିନ୍ତୁ ମରିଯିବାଟା ଏ କ୍ଷେତ୍ରରେ ସବୁଠାରୁ ବଡ଼ ଘଟଣା ଆଦୌ ନୁହେଁ । ମନୁଷ୍ୟ ଜନ୍ମହେଲେ ମରେ । କେହି ଦୁଇଦିନ ଆଗେ ତ କେହି ଦୁଇଦିନ ପରେ । ଏକଥା ମୁଁ ସହଜରେ ଏବଂ ଅନାୟାସରେ ବୁଝିପାରେ । ବିରଞ୍ଚି ଏକଥା ମଧ୍ୟ ଭାବିପାରିନଥିଲି ଯେ ଏଇ ସହଜ କଥାଟା ବୁଝିବା ପାଇଁ ଏତେ ଶାସ୍ତ୍ର ଆଲୋଚନା, ଏତେ ବୈରାଗ୍ୟ ସାଧନା, ଏତେ ପ୍ରକାରର ତତ୍ତ୍ୱ ବିଚାରର ପ୍ରୟୋଜନ ମନୁଷ୍ୟର ହୁଏ କାହିଁକି ? ସୁତରାଂ ମନୁଷ୍ୟର ମରଣ ମୋତେ ବେଶୀ ଆଘାତ ଦିଏ ନାହିଁ, ବରଂ ମରଣ ଦେଖିଲେ ମୁଁ କଷ୍ଟ ଅନୁଭବ କରିଥାଏ । ଏହା ଯେପରି ମୁଁ ସହ୍ୟକରିପାରେ ନାହିଁ ।

 

ପରଦିନ ସକାଳୁ ସତୀଶ ଦେହତ୍ୟାଗ କଲା । ଲୋକ ଅଭାବରୁ ଦାହ କରାଯାଇପାରିଲା ନାହିଁ । ମା’ ଧରିତ୍ରୀ ତାକୁ କୋଳରେ ସ୍ଥାନ ଦେଲେ ।

 

ସେ କାମ ଶେଷକରି ପୁଣି ମାଲ ଡବା ପାଖକୁ ଫେରିଆସିଲି । ନ ଆସିଥିଲେ ବୋଧହୁଏ ଭଲ ହୋଇଥାନ୍ତା କିନ୍ତୁ ନ ଆସି ରହିପାରିଲି ନାହିଁ ।

 

ଜନାରଣ୍ୟ ଭିତରେ ରୋଗୀମାନଙ୍କୁ ନେଇ ମୁଁ ଏକାକୀ । ସଭ୍ୟତାର ଆଢ଼ୁଆଳରେ ଧନୀର ଧନ ଲୋଭ ମନୁଷ୍ୟକୁ ଯେ କେତେବଡ଼ ହୃଦୟହୀନ ପଶୁ କରିପାରେ; ଏଇ ଦୁଇଟା ଦିନ ଭିତରେ ଯେପରି ମୋର ଏ ଅଭିଜ୍ଞତା ସାରା ଜୀବନ ପାଇଁ ସଞ୍ଚିତ ହୋଇ ରହିଗଲା । ପ୍ରଖର ସୂର୍ଯ୍ୟତାପରେ ଚାରିଦିଗରେ ଅଗ୍ନି ବୃଷ୍ଟି ହେବାପରି ଲାଗିଲା । ତାହାରି ମଝିରେ କେରପାଲରେ ରୋଗୀମାନଙ୍କୁ ନେଇ ମୁଁ ଏକା । ଛୋଟ ପିଲାଟା ଯେ କି ଅସହ୍ୟ ଦୁଃଖ ପାଇଲା ତାହାର ସୀମା ନଥିଲା, ଅଥଚ ଟୋପାଏ ପାଣି ସୁଦ୍ଧା ଦେବାପାଇଁ କେହି ନଥିଲେ । ସରକାରୀ କାମ, ମାନେ, ବନ୍ଧ ବନ୍ଧା କାମ ଅଟକି ରହିପାରେ ନାହିଁ । ହପ୍ତା ପରେ କାମ ମପାହୋଇ ମଜୁରୀ ମିଳିବ । ଅଥଚ ସେମାନେ ସ୍ୱଜାତି, ସେମାନଙ୍କର ପୁଣି ଏମାନେ ପିଲା ! ଗାଆଁମାନଙ୍କ ଭିତରେ ଦେଖିଛି ଏସବୁ ଚଳଣି ଆଦୌ ନଥାଏ । କିନ୍ତୁ ଏଇ ଯେ ସମାଜଠାରୁ, ଗୃହଠାରୁ, ସର୍ବପ୍ରକାର ବନ୍ଧନଠାରୁ ବିଚ୍ଛିନ୍ନ କରାଯାଇ ଲୋକଗୁଡ଼ାଙ୍କୁ କେବଳ ଉଦୟାସ୍ତ ମାଟି ଖୋଳିବା ପାଇଁ ସଂଗ୍ରହ କରି ଆଣି ଏଇ ଖୋଲା ମାଲଗାଡ଼ି ଡବାଗୁଡ଼ିକରେ ଜମା କରାଯାଇଛି, ଏଠାରେ ସେମାନଙ୍କର ମାନବ–ହୃଦୟ–ବୃତ୍ତି ବୋଲି କିଛି ଥିବାର ମନେହେଲା ନାହିଁ ! କେବଳ ମାଟି ଖୋଳିବା, ଆଉ ମଜୁରୀ ପାଇବା । ସଭ୍ୟ ମନୁଷ୍ୟ ବୋଧହୁଏ ଏକଥା ବୁଝିନେଇପାରିଛି ଯେ ମନୁଷ୍ୟକୁ ପଶୁ ପାଲଟାଇ ନ ପାରିଲେ କାମ ଆଦାୟ କରାଯାଇ ପାରେନାହିଁ ।

 

ସତୀଶ ଚାଲିଯାଇଛି ! କିନ୍ତୁ ତା’ର ଅମରକୀର୍ତ୍ତି ତାଡ଼ି ଦୋକାନ ଅକ୍ଷୟ ହୋଇ ରହିଯାଇଛି । ସନ୍ଧ୍ୟାବେଳେ ନରନାରୀ ନିର୍ବିଶେଷରେ ମାତାଲ ହୋଇ ଦଳ ଦଳ ହୋଇ ଫେରିଆସନ୍ତି । ଦିପହର ବେଳା ରନ୍ଧା ଭାତ; ହାଣ୍ଡିରେ ପଖଳା ହୋଇ ରହିଥାଏ । ରାନ୍ଧିବା ଝନ୍‌ଝଟା ଏ ବେଳା ସ୍ତ୍ରୀଲୋକମାନଙ୍କର ନଥାଏ । ତାପରେ କାହା କଥା କିଏ ଅବା ଶୁଣେ ? ଜମାଦାର ଗାଡ଼ିରୁ ଢୋଲ ଓ କରତାଳ ସହଯୋଗରେ ପ୍ରବଳ ସଙ୍ଗୀତ ଚର୍ଚ୍ଚା ଆରମ୍ଭ ହୁଏ । ତାହା ଯେ କେତେବେଳେ ବନ୍ଦହେବ ଭାବିହୁଏ ନାହିଁ । କାହାପାଇଁ ସେମାନଙ୍କର ମୁଣ୍ଡବ୍ୟଥା ନଥାଏ । ମୋ ପାଖ ଡାଲାରେ ଗୋଟାଏ ଝିଅ ନିକଟରେ ବୋଧହୁଏ ଦୁଇଜଣ ପ୍ରଣୟୀ ଜୁଟି ଯାଇଛନ୍ତି । ସାରା ରାତି ଧରି ସେମାନଙ୍କର ଉଦ୍ଦାମ ପ୍ରେମ ଲୀଳାର ବିରାମ ନାହିଁ । ଏଣେ ଆଉଜଣେ ଯୁବକ ଅଧିକ ତାଡ଼ି ପିଇଦେଇଛି । ସେ ଏପରି ଉଚ୍ଚସ୍ୱରରେ ସ୍ତ୍ରୀ ପାଖରେ ପ୍ରଣୟ ଭିକ୍ଷା କରିବାରେ ଲାଗିଛି ଯେ ମୋର ଲଜ୍ଜ୍ୟାର ସୀମା ରହିଲା ନାହିଁ । ଦୂରରୁ ଗୋଟାଏ ଡାଲାରୁ କିଏ ଗୋଟାଏ ସ୍ତ୍ରୀଲୋକ ମଝିରେ ମଝିରେ ବିଳାପ କରିବାରେ ଲାଗିଥାଏ । ତାହାର ମାଆ ଔଷଧ ମାଗିବାକୁ ଆସିବାରୁ ଖବର ପାଇଲି ଯେ ସେ ସନ୍ତାନ ସମ୍ଭବା । ଲଜ୍ଜ୍ୟା ନାହିଁ, ସରମ ନାହିଁ, ଗୋପନୀୟତା ବୋଲି କେଉଁଠି କିଛି ନାହିଁ, ସବୁ ଖୋଲା–ସବୁ ଅନାବୃତ । ଜୀବନ ଯାତ୍ରାର ଅବାଧ ଗତି ପ୍ରକାଶ୍ୟରେ ଅପ୍ରତିହତ ଭାବରେ ଚାଲିଛି । କେବଳ ମୁଁ ଯାହା ଦଳ ଛଡ଼ା । ଆସନ୍ନ ମୃତ୍ୟୁଲୋକର ଯାତ୍ରୀ ମାଆ ଓ ପୁଅକୁ ନେଇ ମୁଁ ଗଭୀର ରାତିରେ ଏକାକୀ ବସି ରହିଛି ।

 

ପିଲାଟା କହିଲା–ପାଣି........

 

ତା’ ମୁହଁ ଉପରକୁ ଝୁଙ୍କିପଡ଼ି କହିଲି–ପାଣି ନାହିଁ ବାବା, ସକାଳ ହେଉ–

 

ପିଲାଟା ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା । ତାପରେ ଆଖିବୁଜି ନୀରବ ହୋଇଗଲା-

 

ତୃଷ୍ଣା ପାଇଁ ଜଳ ନ ଥାଉ କିନ୍ତୁ ମୋ ଆଖି ଫୁଟାଇ ଜଳ ବାହାରି ଆସିବାକୁ ଲାଗିଲା । ଭାବିଲି ହାୟରେ ହାୟ ! କେବଳ ମାନବର ସୁକୁମାର ହୃଦୟ ବୃତ୍ତି ନୁହେଁ । ନିଜର ଦୁଃସହ ଯାତନା ପ୍ରତି ପିଲାଟିର ଏହା କି ଅପରିସୀମ ଔଦାସୀନ୍ୟ ଏହାକୁ ଧୈର୍ଯ୍ୟଶକ୍ତି ନ କହି ଜଡ଼ତା କହିଲେ ଚଳିବ । ଏ ସହିଷ୍ଣୁତା ମାନବତାର ଢେର ନୀଚ ସ୍ତରର ବସ୍ତ୍ର ।

 

ମୁଁ ଥିବା ଡାଲାର ଲୋକଗୁଡ଼ାକ ନିର୍ଭୟରେ ଶୋଇପଡ଼ିଛନ୍ତି । କଳା ଜମି ଯାଇଥିବା ଲଣ୍ଠନରେ ମୁଁ ମଧ୍ୟ ସ୍ପଷ୍ଟଭାବରେ ଦେଖିପାରୁଥିଲି ଯେ ମାଆ ଓ ପୁଅ ଉଭୟଙ୍କ ଗୋଡ଼ରେ ଶିରାମୟୀ ଉଠିଲାଣି । କିନ୍ତୁ ଏଥିରେ ମୋର ଅବା ଆଉ ଅଧିକା କ’ଣ କରିବାର ଅଛି ?

 

କଳା ଆକାଶରେ ସପ୍ତର୍ଷିମଣ୍ଡଳ ଜଳ ଜଳ ହୋଇ ଜଳୁଥାଏ । ସେ ଦିଗକୁ ଚାହିଁ ମୁଁ ବେଦନା, କ୍ଷୋଭ ଓ ନିଷ୍ଫଳ ଆକ୍ଷେପରେ ବାରମ୍ବାର କରି ଅଭିସଂପାତ ଦେଇ କହିବାକୁ ଲାଗିଲି ଯେ ତୁମେମାନେ ଯିଏ ସବୁ ଆଧୁନିକ ସଭ୍ୟତାର ବାହାନ ହୋଇଛ–ତୁମମାନଙ୍କର ମରିବାର କଥା–ମର । କିନ୍ତୁ ଯେଉଁ ନିଷ୍ଠୁର ସଭ୍ୟତା ତୁମମାନଙ୍କୁ ଏପରି ଭାବରେ ଅମଣିଷ କରିପକାଇଛି ତାହାକୁ ତୁମେମାନେ ଯେପରି କୌଣସି ପ୍ରକାରରେ କ୍ଷମା ନଦିଅ । ଯଦି ଏ ସଭ୍ୟତାକୁ ବହନ କରିବା ପାଇଁ ତୁମେମାନେ ବାଧ୍ୟ ତେବେ ଏପରି ଦ୍ରୁତ ଭାବରେ ବୋହିନିଅ ଯେପରି ଏ ସଭ୍ୟତା ରସାତଳକୁ ଚାଲିଯାଏ ।

 

ସକାଳେ ଖବର ପହଞ୍ଚିଲା ଆଉ ଦୁଇଜଣ ପୀଡ଼ିତ ହୋଇଛନ୍ତି । ଔଷଧ ଦେଲି । ଜମାଦାର ସାଇଁଥିଆ ଖବର ପଠାଇଦେଲା । ଆଶାକଲି, ଏଥର ବୋଧହୁଏ କର୍ତ୍ତୃପକ୍ଷଙ୍କର ଆସନ ଟଳିବ ।

 

ବେଳ ନଅଟା ଅନ୍ଦାଜ, ପିଲାଟା ମରିଗଲା । ଭଲ ହେଲା । ଏଇତ ଏମାନଙ୍କର ଜୀବନ-!

 

ଆଗ ପଡ଼ିଆରେ ଦୁଇଜଣ ଲୋକ ମୁଣ୍ଡରେ ଛତାଧରି ଚାଲିଥାନ୍ତି । ସେମାନଙ୍କ ପାଖକୁ ଯାଇ ପଚାରିଲି–ଏଠାରୁ ଗାଆଁ କେତେ ଦୂର ?

 

ଯିଏ ବୃଦ୍ଧ ସେ ମୁହଁଟା ଉଠାଇ କହିଲେ–ଏଇ ଯେ....

 

ପଚାରିଲି–ଖାଇବା ଜିନିଷ କ’ଣ କିଛି ସେଠାରେ ମିଳେ ?

 

ଅନ୍ୟଜଣକ ଆଶ୍ଚର୍ଯ୍ୟ ହୋଇ କହିଲେ–ମିଳେନା କିମିତି ! ଭଦ୍ରଲୋକମାନଙ୍କର ଗାଆଁ-। ପନିପରିବା, ଡାଲି, ତେଲ, ଚାଉଳ, ଲୁଣ ଯାହା ଆପଣଙ୍କର ଇଚ୍ଛା । କେଉଁଠାରୁ ଆସିଛନ୍ତି-? ନିବାସ ? ଆପଣଙ୍କର ପରିଚୟ ?

 

ସଂକ୍ଷେପରେ ସେମାନଙ୍କର କୌତୂହଳକୁ ନିବୃତ୍ତ କରି ସତୀଶ ଭରଦ୍ୱାଜ କଥା କହିବା କ୍ଷଣି ଉଭୟେ ରାଗିଉଠିଲେ । ବୃଦ୍ଧ ଜଣକ କହିଲେ–ମାତାଲ, ବଦମାସ, ଜୁଆଚୋର । ସେ ହେଉଛନ୍ତି କୁଆଡ଼େ କେଉଁ ହା: ଇ: ସ୍କୁଲର ହେଡ଼ମାଷ୍ଟର ।

ତାଙ୍କ ସାଥୀ କହିଲେ–ରେଲବାଇ ଲୋକ ଆଉ କେତେ ଭଲହେବ ? କଞ୍ଚା ପଇସା ହାତରେ ଭଲରକମର ଅଛି ନା ?

ପ୍ରତ୍ୟୁତ୍ତରରେ ସତୀଶର ତଟକା କବରଟାକୁ ଦେଖାଇଦେଇ କହିଲି–ବର୍ତ୍ତମାନ ତା’ ସମ୍ବନ୍ଧରେ ଆଲୋଚନା କରିବାଟା ବୃଥା । କାଲି ସେ ମରିଗଲା । ଲୋକ ଅଭାବ ହେତୁ ଦାହ କରିପାରିଲି ନାହିଁ । ଏଇଠାରେ ମାଟିରେ ପୋତି ଦେଇଛି ।

: କ’ଣ କହୁଛନ୍ତି ! ବ୍ରାହ୍ମଣ ଲୋକକୁ.....

: କିନ୍ତୁ ଉପାୟ କ’ଣ ଥିଲା ?

ଏକଥା ଶୁଣି ଉଭୟେ କ୍ଷୁବ୍‌ଧ ହୋଇ ଜଣାଇଲେ ଯେ, ଭଦ୍ରଲୋକମାନଙ୍କର ଗ୍ରାମ ଆଗରେ । ଖବର ପାଇଥିଲେ କିଛି ନା କିଛି ବ୍ୟବସ୍ଥା ନିଶ୍ଚୟ ହୋଇପାରିଥାନ୍ତ । ଜଣେ ପ୍ରଶ୍ନ କଲା–ଆପଣ ତା’ର କ’ଣ ହୁଅନ୍ତି ?

କହିଲି–କେହି ନୁହେଁ । ସାମାନ୍ୟ ପରିଚୟ ଥିଲା ମାତ୍ର । ଏହା କହି କିପରି ଭାବରେ ଏଠାକୁ ଆସିଲି ତା’ର ଗୋଟାଏ ସଂକ୍ଷିପ୍ତ ବିବରଣୀ ଦେଲି । ଦୁଇଦିନ ହେବ ଖାଇନାହିଁ ଅଥଚ କୁଲିମାନଙ୍କ ଭିତରେ ହଇଜା ଆରମ୍ଭ ହୋଇଯାଇଛି ବୋଲି ସେମାନଙ୍କୁ ଛାଡ଼ି ଯାଇପାରୁ ନାହିଁ ।

 

ଖାଇ ନାହିଁ ଶୁଣି ସେ ଦୁଇଜଣ ଅତିଶୟ ଉଦ୍‌ବିଗ୍ନ ହୋଇପଡ଼ିଲେ ସେମାନଙ୍କ ସଙ୍ଗରେ ଯିବାପାଇଁ ଆଗ୍ରହ ପ୍ରକାଶ କଲେ । ଏଇ ଭୟଙ୍କର ରୋଗଭିତରେ ଖାଲିପେଟରେ ରହିବା ମାରାତ୍ମକ ବ୍ୟାପାର ବୋଲି ଜଣେ କହିଲେ ।

 

ବେଶୀ କହିବାକୁ ହେଲା ନାହିଁ । କହିବାର ପ୍ରୟୋଜନ ମଧ୍ୟ ନଥିଲା । ଭୋକ ଓ ଶୋଷରେ ମୃତ ପ୍ରାୟ ହୋଇପଡ଼ିଥିଲି । ସେମାନଙ୍କ ସଙ୍ଗରେ ଚାଲିଲି । ବାଟରେ ଏ ବିଷୟରେ ଆଳାପ ଆଲୋଚନା ହେବାକୁ ଲାଗିଲା । ମଫସଲ ଗାଆଁର ଲୋକ ସେମାନେ । ସହରର ଶିକ୍ଷା କହିଲେ ଯାହା ବୁଝାଏ ସେସବୁ ସେମାନଙ୍କର ନଥିଲା । କିନ୍ତୁ ମଜା ଏଇ ଯେ, ଇଂରେଜ ରାଜତ୍ୱର ଖାଣ୍ଟି ପଲିଟିକସ ସେମାନଙ୍କୁ ଅଜଣା ନଥିଲା । ଏସବୁ ଯେପରି ଦେଶର ଲୋକମାନଙ୍କଠାରୁ, ଦେଶର ମାଟିରୁ, ଜଳରୁ, ଆକାଶରୁ ଓ ପବନରୁ ଅସ୍ଥିମଜା ଦେଇ ସେମାନେ ସଂଗ୍ରହ କରିନେଇଛନ୍ତି ।

 

ଉଭୟେ କହିଲେ ସତୀଶ ଭରଦ୍ୱାଜର ଦୋଷ ନାହିଁ ଆଜ୍ଞା, ଆମେମାନେ ହୋଇଥିଲେ ଠିକ୍ ଏପରି ହୋଇଉଠିଥାନ୍ତୁ । କମ୍ପାନୀ ବାହାଦୁରଙ୍କ ସଂସ୍ପର୍ଶରେ ଯିଏ ଆସିବ ସେ ଚୋର ନ ହୋଇ ରହିପାରିବ ନାହିଁ ।

 

କ୍ଷୁଧାର୍ତ୍ତ ଓ ଅତ୍ୟନ୍ତ କ୍ଳାନ୍ତ ହେତୁ ଅଧିକ କଥା କହିବାର ଶକ୍ତି ନଥିଲା । ସୁତରାଂ ଚୁପ୍ ହୋଇ ରହିଲି । ସେ କହିବାକୁ ଲାଗିଲେ–କ’ଣ ଦରକାର ଥିଲା ଆଜ୍ଞା, ଦେଶର ଛାତି ଚିରି ପୁଣି ରେଲଲାଇନ୍‌ ପକାଇବା ? କିଏ ତାହା ଚାହେଁ ? କେହି ଚାହାନ୍ତି ନାହିଁ । ତଥାପି ଦରକାର । ପୋଖରୀ ନାହିଁ, କୂଅ ନାହିଁ, କେଉଁଠାରେ ଖାଇବା ପାଇଁ ଟୋପାଏ ପାଣି ନାହିଁ । ଗ୍ରୀଷ୍ମକାଳରେ ଗୋରୁ, ବାଛୁରୀଗୁଡ଼ାକ ପାଣିବିନା ଛଟପଟ ହୋଇ ମରିଯାଉଛନ୍ତି । କେଉଁଠାରେ ଟିକିଏ ପିଇବାର ପାଣିଥିଲେ ସତୀଶବାବୁ କ’ଣ ମରିଯାଇଥାନ୍ତେ ? କଦାପି ନୁହେଁ । ମ୍ୟାଲେରିଆ, କଲେରା, ପ୍ରଭୃତି ରୋଗରେ ଲୋକମାନେ ଉଜୁଡ଼ି ଗଲେ ସୁଦ୍ଧା ସେମାନଙ୍କର କାକସ୍ୟ ପରିବେଦନା ! ମାଲିକ ଅଛନ୍ତି କେବଳ ରେଲଗାଡ଼ି ଚଳାଇ କାହା ଘରେ କ’ଣ ଶସ୍ୟ ଅଛି, ତାକୁ ଶୋଷି ଚାଲାଣ କରି ନେବାପାଇଁ । କ’ଣ କହୁଛନ୍ତି ଆଜ୍ଞା ? ଠିକ୍‌ ନୁହେଁ ?

 

ଆଲୋଚନା କଲାଭଳି ଜୋର ମୋ କଣ୍ଠରେ ନଥିଲା ବୋଲି କେବଳ ମୁଣ୍ଡ ହଲାଇ ଉତ୍ତର ଦେଇ ମନେମନେ ସହସ୍ରବାର କହିବାକୁ ଲାଗିଲି–କେବଳମାତ୍ର ଏଇଥିପାଇଁ ତେତିଶ କୋଟି ନରନାରୀଙ୍କର କଣ୍ଠ ଚାପିରଖି ବିଦେଶୀ ଶାସନ ତନ୍ତ୍ର ଭାରତରେ ତିଷ୍ଠି ରହିଛି । କେବଳ ଏଥିପାଇଁ ଭାରତର ଦିଗେ ଦିଗେ, ରନ୍ଧ୍ରେ ରନ୍ଧ୍ରେ ରେଲପଥ ବିସ୍ତାରର ଆଉ ବିରାମ ନାହିଁ । ବାଣିଜ୍ୟର ନାମ ଦେଇ ଧନୀର ଧନ ଭଣ୍ଡାରକୁ ବିପୁଳରୁ ବିପୁଳତର କରିବା ପାଇଁ ଏଇ ଅବିରାମ ଚେଷ୍ଟା ଫଳରେ ଦୁର୍ବଳର ଶାନ୍ତି ଗଲା, ଅନ୍ନଗଲା, ଧର୍ମଗଲା, ଆଉ ତାହାର ବଞ୍ଚିବାର ପଥ ଦିନକୁଦିନ ସଂକୀର୍ଣ୍ଣ ଓ ନିରନ୍ତର ଦୁର୍ବିସହ ହୋଇଉଠିଲା–ଏଇ ସତ୍ୟ କାହାର ଚକ୍ଷୁରୁ ଗୋପନ କରି ରଖିବାର ଶକ୍ତି ଆଜି ଶାସକର ନାହିଁ ।

 

ବୃଦ୍ଧ ଜଣକ ସତେ ଯେପରି ମୋ ଚିନ୍ତା ସହିତ ବାକ୍ୟ ଯୋଗ କରି କହିଲେ–ଆଜ୍ଞା, ପିଲାଦିନେ ମାମୁଙ୍କ ଘରେ ମୁଁ ମଣିଷ । ଆଗେ କୋଡ଼ିଏ କୋଶ ଭିତରେ ରେଲଗାଡ଼ି ନଥିଲା । ସେତେବେଳେ କି ଶସ୍ତା ! ଆଉ କି ପ୍ରଚୁର ଜିନିଷପତ୍ର ସେଠାରେ ନଥିଲା ? ସେତେବେଳେ କାହା ଗଛରେ କିଛି ଫଳିଲେ ପଡ଼ା ପଡ଼ୋଶୀମାନେ ଭାଗ ପାଆନ୍ତି । ଆଉ ବର୍ତ୍ତମାନ ବାଡ଼ିର ଖଡ଼ା ପତ୍ରରୁ ପାଖୁଡ଼ାଏ କେହି କାହାକୁ ଦେବାକୁ ଚାହୁଁନାହାନ୍ତି । କହୁଛନ୍ତି–ଥାଉ । ଆଠଟାର ଗାଡ଼ିରେ ବେପାରୀ ଆସିଲେ ତାଙ୍କୁ ଦେଲେ ଦି’ପଇସା ହେଲେ ମିଳିବ । ବର୍ତ୍ତମାନ ସେ ଦେବା ନାମ ହେଉଛି ଅପବ୍ୟୟ । ଆଜ୍ଞା, ଦୁଃଖର କଥା କ’ଣ କହିବି, ପଇସା ରୋଜଗାର କରିବା ନିଶାରେ ସ୍ତ୍ରୀ–ପୁରୁଷ ସମସ୍ତେ ଯେପରି ଆଜିକାଲି ଇତର ହୋଇଯାଇଛନ୍ତି ।

 

ଏଇସବୁ ଅନିଷ୍ଟର ମୂଳ ହେଉଛି ଏଇ ରେଲଗାଡ଼ି । ଶିରାଭଳି ଦେଶର ରନ୍ଧ୍ରେ ରନ୍ଧ୍ରେ ଯଦି ରେଲ ରାସ୍ତା ନ ପଡ଼ିପାରନ୍ତା, ଖାଇବା ଜିନିଷ ଚାଲାଣ କରି ପଇସା ରୋଜଗାର କରିବାର ଏତେ ସୁଯୋଗ ନଥାନ୍ତା, ଆଉ ସେହି ଲୋଭରେ ମଣିଷ ଯଦି ପାଗଳ ନ ହୋଇଉଠନ୍ତା, ତେବେ ଏତେ ଦୁର୍ଦ୍ଦଶା ଦେଶର ହୁଅନ୍ତା ନାହିଁ ।

 

ରେଲ ବିରୁଦ୍ଧରେ ମୋ ଅଭିଯୋଗ ମଧ୍ୟ କମ୍‌ ନୁହେଁ । ପ୍ରକୃତରେ ଯେଉଁ ବ୍ୟବସ୍ଥା ଦ୍ୱାରା ମନୁଷ୍ୟର ଜୀବନଧାରଣର ଏକାନ୍ତ ପ୍ରୟୋଜନୀୟ ଖାଦ୍ୟ ସମ୍ଭାର ପ୍ରତିଦିନ ଅପହୃତ ହୋଇ ସୌଖୀନ ଆବର୍ଜନା ଦ୍ୱାରା ସାରା ଦେଶ ଭରିଉଠୁଛି ତାହା ବିରୁଦ୍ଧରେ ତୀବ୍ର ଘୃଣା ଜନ୍ମିବା ସ୍ୱାଭାବିକ । ବିଶେଷତଃ ଦରିଦ୍ର ମନୁଷ୍ୟର ଯେଉଁ ଦୁଃଖ ଓ ଯେଉଁ ହୀନତା ଏଇମାତ୍ର ଆଖିରେ ଦେଖିଆସିଲି ଯଦିଓ କୌଣସି ଯୁକ୍ତିତର୍କ ଦ୍ୱାରା ତହିଁର ସମାଧାନ ହୋଇପାରେ ନାହିଁ, ତଥାପି କହିଲି–ଆବଶ୍ୟକ ହେଉଥିବାଠାରୁ ଅଧିକ ଜିନିଷଗୁଡ଼ିକ ଅପଚୟ ନକରି ଯଦି ବିକ୍ରି କରିବା ଦ୍ୱାରା କିଛି ଧନ ଅର୍ଜନ କରିହୁଏ ତେବେ ଆଜ୍ଞା ଏହା କ’ଣ ନିହାତି ମନ୍ଦ କାର୍ଯ୍ୟ ?

 

ଭଦ୍ରଲୋକ ଟିକିଏ ମାତ୍ର ଇତସ୍ତତଃ ନହୋଇ, ନିଃସଂକୋଚରେ କହିଲେ–ହଁ ନିଚ୍ଛକ ଅକଲ୍ୟାଣକର କାର୍ଯ୍ୟ ।

 

ତାଙ୍କ ଘୃଣା ଓ କ୍ରୋଧ ମୋ ଅପେକ୍ଷା ବେଶୀ ପ୍ରଚଣ୍ଡ । କହିଲ–ଏଇ ଅପଚୟର ଧାରଣାଟା ଆପଣଙ୍କର ବିଲାତରୁ ଆମଦାନୀ । ଧର୍ମସ୍ଥାନ ଭାରତ ଭୂମିରେ ଏହା ଜନ୍ମ ନେଇ ନାହିଁ, କିମ୍ବା ଜନ୍ମ ନେଇ ନପାରେ ମଧ୍ୟ । ଆଜ୍ଞା, କହନ୍ତୁ କେବଳ ମାତ୍ର ନିଜର ପ୍ରୟୋଜନୀୟ ଟିକକ କ’ଣ ଏକମାତ୍ର ସତ୍ୟ ? ଯାହାର ନାହିଁ ତା’ର ପ୍ରୟୋଜନ ମେଣ୍ଟାଇବା ପାଇଁ କ’ଣ କୌଣସି ମୂଲ୍ୟ ପୃଥିବୀରେ ନାହିଁ ? ସେଇ ଟିକକୁ ବାହାରକୁ ପଠାଇଦେଇ ଅର୍ଥ ସଞ୍ଚୟ ନକରିବାଟା ହେଲା ଅପଚୟ ? ହେଲା ଅପବ୍ୟୟ ? ଏହି ନିର୍ମମ ନିଷ୍ଠୁର ଉକ୍ତି ଆମମାନଙ୍କ ଓଠରୁ ବାହାରି ନାହିଁ ବାହାର ହୋଇଛି ସେମାନଙ୍କଠାରୁ ଯେଉଁମାନେ କି ବିଦେଶରୁ ଆସି ଦୁର୍ବଳର ଆହାର ଛଡ଼ାଇ ନେବା ପାଇଁ ଦେଶ ସାରା ଜାଲ ପାତିବା ଭଳି ଯୋଜନା ପରେ ଯୋଜନା କରି ଚାଲିଛନ୍ତି ।

 

କହିଲି ଦେଖନ୍ତୁ ଦେଶର ଅନ୍ନ ବିଦେଶକୁ ବାହାର କରି ନେବାରେ ମୁଁ ପକ୍ଷପାତି ନୁହେଁ-। କିନ୍ତୁ ଜଣଙ୍କର ଉଦ୍‌ବୃତ୍ତ ଅନ୍ନରେ ଚିରଦିନ ଅନ୍ୟଜଣଙ୍କର କ୍ଷୁଧା ପ୍ରଶମିତ ହେଉଥିବାଟା କ’ଣ ମଙ୍ଗଳକର ? ତାଛଡ଼ା ବିଦେଶରୁ ସେମାନେ ଆସି ତ ଜୋର କରି କାଢ଼ି ନେଉନାହାନ୍ତି-? ଅର୍ଥ ଦେଇ ତ କିଣି ନେଉଛନ୍ତି ?

 

ଭଦ୍ରଲୋକ ତିକ୍ତ କଣ୍ଠରେ ଜବାବ ଦେଲେ–ହଁ, କିଣି ନେଉଛନ୍ତି ସତ । ବନ୍‌ଶୀରେ ଥୋପ ବାନ୍ଧି ଜଳରେ ମାଛକୁ ଠିକ୍‌ ନିମନ୍ତ୍ରଣ କଲା ପରି ।

 

ଏହି ବ୍ୟଙ୍ଗୋକ୍ତିର ଆଉ ଉତ୍ତର ଦେଲି ନାହିଁ । କାରଣ ଏକରେ ତ କ୍ଷୁଧା, ତୃଷ୍ଣା ଓ କ୍ଳାନ୍ତି ହେତୁ ବାଦାନୁବାଦ କରିବା ପାଇଁ ଶକ୍ତି ନଥିଲା । ଦ୍ୱିତୀୟତଃ ତାଙ୍କ ବକ୍ତବ୍ୟ ସହିତ ମୂଳତଃ ମୋର ବିଶେଷ ମତଭେଦ ନଥିଲା ।

 

କିନ୍ତୁ ମୋତେ ଚୁପ୍‌ ହୋଇ ରହିବାର ଦେଖି ସେ ଅକସ୍ମାତ୍‌ ଭୟଙ୍କର ଉତ୍ତେଜିତ ହୋଇଉଠିଲେ ଓ ମୋତେ ପ୍ରତିପକ୍ଷ ବୋଲି ଜ୍ଞାନ କରି ଅତ୍ୟନ୍ତ ରୁକ୍ଷ ସ୍ୱରରେ କହିବାକୁ ଲାଗିଲେ–ଆଜ୍ଞା, ଏମାନଙ୍କର ବଣିକ ବୁଦ୍ଧିର ତତ୍ତ୍ୱ କଥାଟିକୁ ଆପଣ ସତ୍ୟ ବୋଲି ବୁଝିଛନ୍ତି କିନ୍ତୁ ଅସଲରେ ଏତେବଡ଼ ଅସତ୍‌ ବସ୍ତୁ ସାରା ପୃଥିବୀରେ ଆଉ ନାହିଁ । ଏମାନେ ଜାଣନ୍ତି ଷୋଳ ଅଣା ପରିବର୍ତ୍ତେ ଚଉଷଠୀ ପଇସା ଗଣିନେବା । ଏମାନେ କେବଳ ବୁଝନ୍ତି ଦେଣା ଆଉ ପାଉଣା । ଏମାନେ ଭୋଗଟାକୁ ଜୀବନର ଏକମାତ୍ର ଧର୍ମ ବୋଲି ଶିଖିଛନ୍ତି । ସେଥିପାଇଁ ଏମାନଙ୍କର ପୃଥିବୀ ସାରା ସଂଗ୍ରହ ଓ ସଞ୍ଚୟର ଅଭିଯାନ । ଆଜ୍ଞା, ଏଇ ରେଲ, ଏଇ କଳ, ଏଇ ଲୁହା ବନ୍ଧା ରାସ୍ତା–ଏସବୁ ତ ହେଲା ପବିତ୍ର Vested interest. ଏଇ ଗୁରୁଭାର ହେତୁ ତ ସଂସାରରେ କେଉଁଠି ଗରିବ ଟିକିଏ ନିଃଶ୍ୱାସ ପକାଇବାକୁ ଯାଗା ପାଉନାହିଁ ।

 

ଟିକିଏ ଅଟକି ଯାଇ ପୁଣି କହିବାକୁ ଲାଗିଲେ–ଆପଣ କହୁଛନ୍ତି ଜଣକର ଅତିରିକ୍ତ ବସ୍ତୁକୁ ଚାଲାଣ କରିବାର ସୁଯୋଗ ନ ଦେଲେ ସେ ସବୁ ନଷ୍ଟ ହେବ ନଚେତ୍‌ ଅଭାବଗ୍ରସ୍ତ ଲୋକମାନେ ବିନା ମୂଲ୍ୟରେ ଖାଇଯିବେ । ଏହାକୁ ଅପଚୟ ବୋଲି କହୁଛନ୍ତି ତ ?

 

କହିଲି–ହଁ ।

 

ବୃଦ୍ଧ ପ୍ରତ୍ୟୁତ୍ତର ଦେବାକୁ ଯାଇ ଅଧିକତର ଅସହିଷ୍ଣୁ ହୋଇଉଠିଲେ । କହିଲେ, ଏସବୁ ବିଲାତି ବୋଲି ଅର୍ବାଚୀନ ଅଧାର୍ମିକଙ୍କର ପେଷା । କାରଣ ଆଉ ଟିକିଏ ଅଧିକ ଯେତେବେଳେ ଚିନ୍ତା କରିବାକୁ ଶିଖିବେ ସେତେବେଳେ ଆପଣଙ୍କର ମଧ୍ୟ ସନ୍ଦେହ ହେବ ଏଇଟା ଅପଚୟ, ନା ଦେଶର ଶସ୍ୟ ବିଦେଶକୁ ରପ୍ତାନୀ କରି ବ୍ୟାଙ୍କରେ ଟଙ୍କା ଜମାଇବାଟା ବେଶୀ ଅପଚୟ । ଦେଖନ୍ତୁ ଆଜ୍ଞା, ଚିରଦିନ ଆମମାନଙ୍କର ଗ୍ରାମେ ଗ୍ରାମେ, କେତେକ ଉଦ୍ୟମହୀନ, ଉପାର୍ଜନବିମୁଖ ଉଦାସୀନ ପ୍ରକୃତିର ଲୋକ ରହିଛନ୍ତି । ସେମାନେ ମୋଦି ଦୋକାନ ଆଗରେ ପଶା, ତାସ୍‌ ଖେଳନ୍ତି-। ମଡ଼ାପୋଡ଼ି, ବଡ଼ଲୋକମାନଙ୍କ ଆସରରେ ଗୀତ ଗାଇ ଓ ବାଜାବଜାଇ ଆଉ ଏହିପରି କେତେ ଅକାର୍ଯ୍ୟ କରି ଦିନ କଟାନ୍ତି । ସେମାନଙ୍କ ଭିତରୁ ସମସ୍ତଙ୍କ ଘରେ ଯେ ଉଦ୍‌ବୃତ୍ତ ଅଂଶଟିରେ ସେମାନଙ୍କର ଦିନଗୁଡ଼ିକ ସୁଖ–ଦୁଃଖରେ କଟିଯାଏ । ଆପଣମାନଙ୍କ ଭଳି ଯେତେକ ଇଂରେଜୀ ଶିକ୍ଷିତମାନଙ୍କର ଯେତେ ସବୁ ଅକ୍ରୋଶ ସେମାନଙ୍କ ଉପରେ ତ ? ଯାହାହେଉ ଏଥିପାଇଁ ଚିନ୍ତା କରିବାର କିଛି ନାହିଁ । ଏଇସବୁ ଅଳସ ଓ ପରାଶ୍ରିତ ମନୁଷ୍ୟଗୁଡ଼ିକ ବର୍ତ୍ତମାନ ଲୋପ ପାଇବାରେ ଲାଗିଲେଣି । କାରଣ ଉଦ୍‌ବୃତ୍ତ ବୋଲି ତ କେଉଁଠାରେ ଆଉ କିଛି ନାହିଁ ସୁତରାଂ ହୁଏତ ଅନ୍ନାଭାବରେ ମରୁଛନ୍ତି କିମ୍ବା କେଉଁ ବଡ଼ଲୋକ ଘରେ ଦାସ୍ୟବୃତ୍ତି କରୁଛନ୍ତି । ଭଲ ହୋଇଛି-। ଶ୍ରମର ଗୌରବ ପ୍ରତିଷ୍ଠିତ ହୋଇପାରିଛି । ଜୀବନ ସଂଗ୍ରାମରେ ସ୍ଳୋଗାନର ସଭ୍ୟତା ପ୍ରମାଣିତ ହୋଇଛି । କିନ୍ତୁ ଆମମାନଙ୍କ ଭଳି ଯେଉଁମାନଙ୍କର ବେଶୀ ବୟସ ହୋଇଯାଇଛି ସେହିମାନେ ହିଁ ଜାଣନ୍ତି କ’ଣ ହୋଇଛି । ଜୀବନ ସଂଗ୍ରାମ ସେମାନଙ୍କୁ ବିଲୁପ୍ତ କରିଛି ଏବଂ ତହିଁ ସଙ୍ଗେ ସଙ୍ଗେ ସାରା ଗାଆଁର ଆନନ୍ଦ ଟିକକ ସେମାନଙ୍କ ସହିତ ସବୁଦିନ ପାଇଁ ମରଣ ଲଭିଛି ।

 

ଏହି ଶେଷ କଥା ପଦକରେ ଚକିତ ହୋଇ ତାଙ୍କ ମୁହଁକୁ ଚାହିଁଲି । ଭଲ କରି ନିରୀକ୍ଷଣ କରିବା ପରେ ତାଙ୍କୁ ଅଳ୍ପ ଶିକ୍ଷିତ ସାଧାରଣ ଗ୍ରାମ୍ୟ ଭଦ୍ରଲୋକ ବ୍ୟତୀତ ଆଉ କିଛି ମନେହେଲା ନାହିଁ । ଅଥଚ କଥାଗୁଡ଼ିକ ଯେପରି ତାଙ୍କ ଭଳି ଲୋକ ପକ୍ଷରେ ବହୁତ ଉଚ୍ଚ ସ୍ତରରେ ବୋଲି ଜଣାଗଲା ।

 

ତାଙ୍କର ସବୁ କଥାକୁ ଯେ ଅଭ୍ରାନ୍ତ ବୋଲି ସ୍ୱୀକାର କରିପାରିଲି ତାହାନୁହେଁ ବରଂ ଅସ୍ୱୀକାର କରିବା ପାଇଁ କିପରି ବେଦନା ଅନୁଭବ କଲି । ମୋର କିପରି ସନ୍ଦେହ ଜନ୍ମିଲା, ଏସବୁ ବାକ୍ୟ ଯେପରି ତାଙ୍କ ନିଜର ନୁହେଁ, ଏବଂ ଏହା ସତେ ଯେପରି ଆଉ କାହାର ଅଲିଖିତ ଜବାବ ।

 

ଅତିଶୟ କୁଣ୍ଠିତ ଭାବରେ ପ୍ରଶ୍ନ କଲି–କିଛି ଯଦି ମନେ ନ କରନ୍ତି....

 

: ନା, ନା, ମନେକରିବି କାହିଁକି ? କହନ୍ତୁ ।

 

ପଚାରିଲି–ଆଜ୍ଞା, ଏସବୁ କ’ଣ ଆପଣଙ୍କର ନିଜର ଅଭିଜ୍ଞତା ଏବଂ ଚିନ୍ତାର ଫଳ ?

 

ଭଦ୍ରଲୋକ ରାଗିଯାଇ କହିଲେ–କାହିଁକି ? ଏସବୁ କ’ଣ ମିଛ କି ? ଗୋଟିଏ ହେଲେ ଅକ୍ଷର ଏଥିରୁ ମିଥ୍ୟା ନୁହେଁ ବୋଲି ବୁଝିବେ ।

 

: ନା, ନା, ମିଛ ତ ଆପଣ କହିନାହାନ୍ତି–ତଥାପି....

 

: ତଥାପି ପୁଣି କ’ଣ ? ଆମମାନଙ୍କର ସ୍ୱାମିଜୀ କେତେବେଳେ ମିଛ କଥା କୁହନ୍ତି ନାହିଁ-। ତାଙ୍କ ଭଳି ଜ୍ଞାନୀ ଆଉ କ’ଣ କେହି ଅଛନ୍ତି ?

 

ପଚାରିଲି–ସ୍ୱାମୀଜୀ କିଏ ?

 

ଭଦ୍ରଲୋକଙ୍କର ଅନ୍ୟ ସଙ୍ଗୀଟି ମୋ ପ୍ରଶ୍ନର ଉତ୍ତର ଦେଲେ । କହିଲେ–ସ୍ୱାମୀ ବ୍ରଜାନନ୍ଦ । ବୟସ କମ୍‌ ହେଲେ କ’ଣ ହେବ, ଅଗାଧ ପାଣ୍ଡିତ୍ୟ, ଅଗାଧ.....

 

: ତାଙ୍କୁ ଆପଣମାନେ କ’ଣ ଚିହ୍ନନ୍ତି ?

 

: ଚିହ୍ନନ୍ତି ? ବେଶ୍‌ ! ସେ ଯେ ଆମମାନଙ୍କର ଆପଣାର ଲୋକ କହିଲେ ଚଳେ । ତାଙ୍କ ଘର ଯେ ସ୍ୱାମୀଜୀଙ୍କର ପ୍ରଧାନ ଆଡ଼୍‌ଡ଼ାସ୍ଥଳୀ । ଏହା କହି ସଙ୍ଗରେ ଥିବା ଭଦ୍ରଲୋକଙ୍କୁ ଅଙ୍ଗୁଳିଦ୍ୱାରା ଦେଖାଇଦେଲେ ।

 

ବୃଦ୍ଧ ତତ୍‌କ୍ଷଣାତ୍‌ ସଂଶୋଧନ କରିନେଇ କହିଲେ–ଆଡ଼୍‌ଡ଼ା ନ କହି ନରେନ୍‌ କୁହ ଆଶ୍ରମ । ଆଜ୍ଞା, ମୁଁ ଗରିବ ଲୋକ । ଯେତିକି ଅଛି ସେତିକିରେ ସେବା କରେ । କିନ୍ତୁ ସେ ଯେପରି ବିଦୁର ଘରେ ଶ୍ରୀକୃଷ୍ଣଙ୍କ ଭଳି । ମନୁଷ୍ୟ ତ ନୁହଁନ୍ତି, ମନୁଷ୍ୟ ଆକୃତିରେ ଦେବତାଙ୍କ ଅବତାର ।

 

ପଚାରିଲି–ବର୍ତ୍ତମାନ କେତେଦିନ ହେବ ସେ ଆପଣଙ୍କ ଗାଆଁରେ ଅଛନ୍ତି ?

 

ନରେନ୍‌ କହିଲେ–ପ୍ରାୟ ଦୁଇମାସ ହେବ । ଏ ଅଞ୍ଚଳରେ ନା ଅଛି ଜଣେ ଡାକ୍ତର କି ବୈଦ୍ୟ । ନା ଅଛି ଗୋଟାଏ ଇସ୍କୁଲ । ଏଥିପାଇଁ ତାଙ୍କର ଯେତେସବୁ ପରିଶ୍ରମ । ସେ ନିଜେ ମଧ୍ୟ ହେଉଛନ୍ତି ଜଣେ ବଡ଼ ଡାକ୍ତର ।

 

ଏତେ ସମୟ ପରେ ଘଟଣାଟା ସ୍ପଷ୍ଟ ହୋଇଉଠିଲା । ଏ ହେଉଛନ୍ତି ସେଇ ଆନନ୍ଦ । ସାଇଁଥିଆ ଷ୍ଟେସନରେ ଖୁଆଇ ପିଆଇ ରାଜଲକ୍ଷ୍ମୀ ଯାହାକୁ ପରମ ସମାଦରରେ ଗଙ୍ଗାମାଟିକୁ ଘେନି ଆସିଥିଲା । ସେହି ବିଦାୟ ମୁହୂର୍ତ୍ତଟି ହଠାତ୍‌ ମନେପଡ଼ିଗଲା । ରାଜଲକ୍ଷ୍ମୀର ସେ କି କାନ୍ଦ ! ପରିଚୟ ତ ମାତ୍ର ଦୁଇଦିନର । କିନ୍ତୁ ଜଣାଯାଏ ସତେଯେପରି କେତେବଡ଼ ଆଦରର ଧନକୁ ସେ କେତେବଡ଼ ବିପଦ ମୁହଁକୁ ଠେଲିଦେଉଛି । ଫେରି ଆସିବାପାଇଁ ସେ କି ବ୍ୟାକୁଳ ଅନୁରୋଧ ! କିନ୍ତୁ ଆନନ୍ଦ ହେଉଛି ସନ୍ନ୍ୟାସୀ । ତା’ର ମମତା ନାହିଁ କିମ୍ବା ମୋହ ନାହିଁ । ନାରୀ ହୃଦୟର ବ୍ୟଥା ତା’ ନିକଟରେ ମିଥ୍ୟା । ସେଥିପାଇଁ ଏତେଦିନ ଧରି ଏତେ ପାଖରେ ରହି ମଧ୍ୟ ବିନାପ୍ରୟୋଜନରେ ଦେଖା କରିବାଟାକୁ ସେ ମୁହୂର୍ତ୍ତକ ପାଇଁ ସୁଦ୍ଧା ଅନୁଭବ କରିପାରି ନାହିଁ ଏବଂ ହୁଏତ ଭବିଷ୍ୟତରେ ମଧ୍ୟ କେବେ ଏଭଳି ଆବଶ୍ୟକତା ପଡ଼ିନପାରେ । କିନ୍ତୁ ରାଜଲକ୍ଷ୍ମୀ ଶୁଣିଲେ କେତେ କଷ୍ଟ ଅନୁଭବ କରିପାରିବ ସେକଥା କେବଳ ମୁଁ ହିଁ ଜାଣେ ।

 

ନିଜ କଥା ମନେପଡ଼ିଲା । ମୋର ମଧ୍ୟ ବିଦାୟ ମୁହୂର୍ତ୍ତ ଆସନ୍ନ ହୋଇଆସୁଛି । ଯିବାକୁ ହେବ ବୋଲି ପ୍ରତି ନିରନ୍ତର ଉପଲବ୍‌ଧି କରୁଛି । ରାଜଲକ୍ଷ୍ମୀ ନିକଟରେ ମୋର ପ୍ରୟୋଜନ ଶେଷ ହୋଇଆସୁଛି କେବଳ ଏତିକି ଭାବି ସ୍ଥିର କରିପାରେନା ଯେ ମୁଁ ଚାଲିଗଲା ପରେ ରାଜଲକ୍ଷ୍ମୀର ସମୟ କିପରି କଟିବ ?

 

ଗ୍ରାମରେ ପହଞ୍ଚିଲି । ନାମ ମାମୁଦପୁର । ବୃଦ୍ଧ ଯାଦବ ଚକ୍ରବର୍ତ୍ତୀ ସଗର୍ବରେ କହିଲେ; ନାଆଁ ଶୁଣି ଚମକିପଡ଼ିବେ ନାହିଁ ଆଜ୍ଞା, ଆମମାନଙ୍କ ଗାଆଁ ଚତୁଃସୀମାରେ ମୁସଲମାନଙ୍କ ଛାଇ ସୁଦ୍ଧା ପଡ଼ିବାକୁ ଆମେମାନେ ଦେଉନାହୁଁ । ଯେଉଁଆଡ଼େ ଚାହିଁବେ ଦେଖିବାକୁ ପାଇବେ, ବ୍ରାହ୍ମଣ, କାୟସ୍ଥ ଏବଂ ସତ୍‌ଜାତି । ଅନାଚରଣୀୟ ଜାତିର ବସତି ପର୍ଯ୍ୟନ୍ତ ନାହିଁ । କ’ଣ କହୁଛ ନରେନ୍‌, ଅଛି ?

 

ନରେନ ଆନନ୍ଦରେ ମୁଣ୍ଡ ହଲାଇ ଉତ୍ତର ଦେଇ କହିଲା–ଜଣେହେଲେ ନାହିଁ । ସେପରି ଗାଆଁରେ ଆମେମାନେ ବାସ କରିନାହୁଁ ।

 

ହୋଇପାରିଥାଏ ସତ । କିନ୍ତୁ ଏଥିରେ ଏତେ ଆନନ୍ଦ ହେବାର କ’ଣ କାରଣ ଯେ ଥିଲା ମୁଁ ବୁଝିପାରିଲି ନାହିଁ ।

ଚକ୍ରବର୍ତ୍ତୀଙ୍କ ଘରେ ବ୍ରଜାନନ୍ଦଙ୍କ ସାକ୍ଷାତ୍‌ ମିଳିଲା । ହଁ ସେହି ହିଁ ଆନନ୍ଦ । ମୋତେ ଦେଖିପାରି ସେ ଯେତିକି ଆଶ୍ଚର୍ଯ୍ୟ ହେଲା, ସେତିକି ଆନନ୍ଦିତ ହୋଇଉଠିଲା ।

: ଭାଇ ? ହଠାତ୍‌ ଏଠାରେ ଯେ ! ଏହା କହି ଆନନ୍ଦ ହାତଟେକି ମୋତେ ନମସ୍କାର ଜଣାଇଲା । ଏହି ନର ଦେହଧାରୀ ଦେବତା ମୋତେ ସମ୍ମାନରେ ଅଭିବାଦନ କରିବାର ଦେଖି ଚକ୍ରବର୍ତ୍ତୀ ମହାଶୟ ଅଧୀର ହୋଇଉଠିଲେ । ଆଖପାଖରେ ଯେତେ ଭକ୍ତ ଥିଲେ ସମସ୍ତଙ୍କୁ ଡକାଇଲେ । ମୁଁ ଯିଏ କେହି ହୁଏ ନା କାହିଁକି କିନ୍ତୁ ସାମାନ୍ୟ ବ୍ୟକ୍ତି ଯେ ନୁହେଁ ଏ ସମ୍ୱନ୍ଧରେ ଆଉ କାହାର ସନ୍ଦେହ ରହିଲା ନାହିଁ ।

ଆନନ୍ଦ କହିଲା–ଆପଣ ବଡ଼ ଅସୁସ୍ଥ ଦେଖାଯାଉଛନ୍ତି ଭାଇ ?

ଉତ୍ତର ଦେଲେ ଚକ୍ରବର୍ତ୍ତୀ । ମୋର ଯେ ଦୁଇଦିନ ଧରି ଆହାର ଓ ନିଦ୍ରା ନ ଥିଲା ଏବଂ ବହୁ ପୁଣ୍ୟ ଫଳରେ କେବଳ ବଞ୍ଚି କରି ଆସିପାରିଛି ଏହା କହି ସେ କୁଲିମାନଙ୍କ ଭିତରେ ପଡ଼ିଥିବା ମଡ଼କର ବିବରଣୀ ଏପରି ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ଲାଗିଲେ ଯେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଲା ।

ଆନନ୍ଦ ବିଶେଷ କୌଣସି ଆକୁଳତା ପ୍ରକାଶ କଲେ ନାହିଁ । ଅଳ୍ପ ହସିଦେଇ ଅନ୍ୟ କେହି ଶୁଣି ନ ପାରିବା ଭଳି ସ୍ୱରରେ କହିଲେ–ସ୍ୱାସ୍ଥ୍ୟର ଏ ଯେଉଁ ଅବନତି ତାହା ଦୁଇଦିନର ଉପାସରେ ହୁଏ ନାହିଁ । ଏଥିପାଇଁ ଅନେକ ଦିନ ଦରକାର । କ’ଣ ହୋଇଥିଲା ତୁମର ? ଜ୍ୱର ?

 

କହିଲି–ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମ୍ୟାଲେରିଆ ତ ଲାଗି ରହିଛି ।

ଚକ୍ରବର୍ତ୍ତୀ ଆତିଥ୍ୟରେ ତ୍ରୁଟି କଲେ ନାହିଁ । ଖାଇବାଟା ଆଜି ଭଲ ରକମର ହେଲା ।

ଆହାରାନ୍ତେ ମୁଁ ପ୍ରସ୍ଥାନର ଆୟୋଜନ କରୁଥିବାର ଦେଖି ଆନନ୍ଦ ପଚାରିଲା–ଆପଣ ହଠାତ୍‌ କୁଲିମାନଙ୍କ ଭିତରେ ଜୁଟିଲେ କିପରି ?

କହିଲି–ଦୈବର ଚକ୍ରାନ୍ତ ହେତୁ ।

ଆନନ୍ଦ ହସୁ ହସୁ କହିଲା–ଚକ୍ରାନ୍ତ ତ ନିଶ୍ଚୟ । ରାଗିକରି ଘରକୁ ବୋଧହୁଏ ଖବର ଦେଇନାହାନ୍ତି ?

କହିଲା–ନା, କିନ୍ତୁ ରାଗିକରି ନୁହେଁ । ଦେବାଟା ଦରକାର ନାହିଁ ଭାବି ଦେଇନି । ତା’ ଛଡ଼ା ଖବର ଦେବା ପାଇଁ ଲୋକ ବା ପାଇବି କେଉଁଠୁ ?

ଆନନ୍ଦ କହିଲା–ହଁ, ସେ ବି ଗୋଟାଏ କଥା । କିନ୍ତୁ ଆପଣଙ୍କର ଭଲ ମନ୍ଦ ମୋ ନାନୀଙ୍କ ପାଖରେ ଅପ୍ରୟୋଜନ ହୋଇଉଠିଲା କେବେଠାରୁ ? ସେ ବୋଧହୁଏ ଭାବି ଭାବି ଭୟରେ ଅଧାମରା ହୋଇ ଯିବେଣି ?

କଥା ବଢ଼ାଇ ଲାଭ ନାହିଁ । ତେଣୁ ଏ ପ୍ରଶ୍ନର ଉତ୍ତର ଆଉ ଦେଲିନାହିଁ । ଆନନ୍ଦ ଭାବିନେଲା ଜେରା କରି ମୋତେ ପ୍ରାୟ ଜବତ୍ କରିପାରିଛି । ସେଥିପାଇଁ କିଛି ସମୟ ପାଇଁ ଆତ୍ମ ପ୍ରସାଦ ଅନୁଭବ କରି ହସି ହସି କହିଲା–ଆସନ୍ତୁ । ଆପଣଙ୍କ ପାଇଁ ରଥ ବର୍ତ୍ତମାନ ପ୍ରସ୍ତୁତ ହୋଇ ଠିଆହୋଇଛି । ବୋଧହୁଏ ସନ୍ଧ୍ୟା ପୂର୍ବରୁ ଆପଣଙ୍କୁ ଘରେ ପହଞ୍ଚାଇ ଦେଇପାରିବ । ଆସନ୍ତୁ ଆପଣଙ୍କୁ ଚଢ଼ାଇ ଦେଇ ଆସିବି ।

କହିଲି–କିନ୍ତୁ ଘରକୁ ଯିବା ପୂର୍ବରୁ କୁଲିମାନଙ୍କର ଟିକିଏ ଖବର ନେଇ ଯିବାକୁ ହେବ ।

ଆନନ୍ଦ ବିସ୍ମୟ ପ୍ରକାଶ କରି କହିଲେ–ତା’ ମାନେ, ରାଗ ଏତେବେଳ ସୁଦ୍ଧା ଶାନ୍ତ ହୋଇନି ? କିନ୍ତୁ ମୁଁ କହୁଛି ଦୈବର ଷଡ଼ଯନ୍ତ୍ର ହେତୁ ଯାହା ଭୋଗିବାର କଥା ତାହା ଭୋଗି ସାରିଲଣି । ଆପଣ ଡାକ୍ତର ନୁହନ୍ତି, କିମ୍ବା ସାଧୁ ବାବା ନୁହଁନ୍ତି ! ଗୃହୀ ଲୋକ । ଏଣିକି ଖବର ନେବାର ଯଦି କିଛି ଥାଏ ତ ସେ ସବୁ ଦାୟିତ୍ୱ ମୋତେ ଦେଇ ଆପଣ ନିଶ୍ଚିନ୍ତରେ ଘରକୁ ଯାଆନ୍ତୁ । ଘରକୁ ଯାଇ ନମସ୍କାର ଜଣାଇ ମୋ ନାନୀଙ୍କୁ କହିବେ–ତା’ ଆନନ୍ଦ ଭଲ ଅଛି ।

ଦାଣ୍ଡ ଦୁଆରେ ଶଗଡ଼ ଠିଆହୋଇ ରହିଥିଲା । ଗୃହସ୍ୱାମୀ ଚକ୍ରବର୍ତ୍ତୀ ମହାଶୟ ସବିନୟରେ କହିଲେ ଯଦି ଏଆଡ଼େ କେବେ ଆସିବାର ଥାଏ ତେବେ ଯେପରି ପାଦଧୂଳି ପକାଇବାକୁ ଭୁଲିନଯାଏ । ତାଙ୍କର ଅତିଶୟ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଲି । କିନ୍ତୁ ଦୁର୍ଲ୍ଲଭ ପାଦଧୂଳି ଦେବାର ଆଶା ଦେଇପାରିଲି ନାହିଁ । ବଙ୍ଗଳା ଦେଶକୁ ଅଳ୍ପଦିନ ଭିତରେ ମୋତେ ସେ ଛାଡ଼ି ଚାଲିଯିବାକୁ ହେବ; ଏକଥା ଯେପରି ମନ ମଧ୍ୟରେ ଅନୁଭବ କରିବାକୁ ଲାଗିଲି । ସୁତରାଂ କୌଣସି ଦିନ ଯେ ଏ ଗାଆଁକୁ ଫେରିଆସିବି ସେ ଆଶା ମୋର ସୁଦୂର ପରାହତ ।

ଗାଡ଼ିରେ ବସିବାକ୍ଷଣି ଆନନ୍ଦ ତାଟ ଭିତରକୁ ମୁହଁ ଗଳାଇ ଧୀରେ ଧୀରେ କହିଲା–ଭାଇ, ଏଆଡ଼ର ଜଳବାୟୁ ତୁମ ଦେହରେ ଯାଉ ନାହିଁ । ମୋର ହୋଇ ନାନୀକୁ କହିବ, ପଶ୍ଚିମ ମୁଲକର ଲୋକ ଆପଣ । ସେ ଯେପରି ଆପଣଙ୍କୁ ସେଇ ଦେଶକୁ ନେଇଯାଏ ।

 

କହିଲି– ଏ ଦେଶରେ କ’ଣ ମଣିଷ ବଞ୍ଚୁନାହାନ୍ତି ?

 

ପ୍ରତ୍ୟୁତ୍ତର ଦେବାକୁ ଯାଇ ଆନନ୍ଦ ତିଳେମାତ୍ର ଇତସ୍ତତଃ ନ ହୋଇ କହିଲା– ନା, କିନ୍ତୁ ଏ ନେଇ ତର୍କ କରି କ’ଣ ହେବ ଭାଇ, କେବଳ ମୋର ସବିନୟ ଅନୁରୋଧଟା ତାକୁ ଜଣାଇଦେବ-। କହିବ, ଆନନ୍ଦ ସନ୍ନ୍ୟାସୀର ଆଖି ନେଇ ନ ଦେଖିପାରିଲେ ଏ ବିଷୟର ସତ୍ୟତା ବୁଝିହେବ ନାହିଁ-

 

ନୀରବ ହୋଇ ରହିଲି । କାରଣ ରାଜଲକ୍ଷ୍ମୀକୁ ଏପରି ଅନୁରୋଧ କରିବାଟା ଯେ ମୋ ପକ୍ଷରେ କେତେଦୂର କଠିନ ସେ କଥା ଆନନ୍ଦ କୁଆଡ଼ୁ ଜାଣିବ ?

 

ଗାଡ଼ି ଛାଡ଼ିବାକ୍ଷଣି ସେ ପୁଣି କହିଲେ– କାହିଁ, ମୋତେ ଆଉ ଥରକ ପାଇଁ ଯିବାଲାଗି ନିମନ୍ତ୍ରଣ କଲ ନାହିଁ ତ ଭାଇ ?

 

କହିଲି– ତୁମର ଭାଇ କେତେ କାମ । ତୁମକୁ ନିମନ୍ତ୍ରଣ କରିବାଟା କ’ଣ ସହଜ କଥା ? କିନ୍ତୁ ମନେମନେ ଭାବିଲି ଯଦି କାଳେ ସେ ନିଜେ ଯାଇ କୌଣସି ଦିନ ପହଞ୍ଚି ଯାଆନ୍ତି; ତେବେ ଏଇ ତୀକ୍ଷ୍ଣ ବୁଦ୍ଧି ସନ୍ନ୍ୟାସୀର ଆଖିରେ ଆଉ କିଛି ଲୁଚି ରହିବ ନାହିଁ । ଦିନେ ହୁଏତ ତା’ ଆସିବାରେ କିଛି ନ ଥିଲା । ସେତେବେଳେ ମନେମନେ ହସିକରି କହିଥାନ୍ତି–ଆନନ୍ଦ ଏ ଜୀବନରେ ଅନେକ କିଛି ତ୍ୟାଗ କରିପାରିଛି ତାହା ଅସ୍ୱୀକାର କରିବି ନାହିଁ, କିନ୍ତୁ ମୋ କ୍ଷତିର ସେହି ସହଜ ଅଙ୍କଟା ତୁମେ ଦେଖିବାକୁ ପାଇଲ, କିନ୍ତୁ ତୁମର ଦେଖିବାର ବାହାରେ ଯେ ମୋ ସଞ୍ଚୟର ଅଙ୍କଟା ସଂଖ୍ୟାତୀତ ହୋଇ ରହିଗଲା ! ମୃତ୍ୟୁ ପରେ ଯଦି ପରଲୋକରେ ସେ ସବୁ ଜମା ହୋଇ ରହିଥାଏ, ସେଥିପାଇଁ ଏଠିକାର କୌଣସି କ୍ଷତିକୁ ମୁଁ କ୍ଷତି ବୋଲି ଗଣନା କରିବି ନାହିଁ । କିନ୍ତୁ ଆଜି-? କହିବାର କଥା ଅବା କ’ଣ ଥିଲା ? ସେଥିପାଇଁ ନୀରବରେ ନତମୁଖରେ ବସିରହି ଆଖି ପଲକ ମାତ୍ରେ ମନେହେଲା ଐଶ୍ୱର୍ଯ୍ୟର ସେହି ଅପରିମେୟ ଗୌରବ, ଯଦି ପ୍ରକୃତରେ ଆଜି ମିଥ୍ୟା ମରିଚିକାରେ ବିଲୁପ୍ତ ହୋଇଥାଏ ତ, ଏଇ ଗଳଗ୍ରହ ଭଗ୍ନସ୍ୱାସ୍ଥ୍ୟ ଅବାଞ୍ଛିତ ଗୃହସ୍ୱାମୀର ଭାଗ୍ୟରେ ଅତିଥିକୁ ଆହ୍ୱାନ କରିବାର ବିଡ଼ମ୍ବନା ଆଉ ଯେପରି ନ ଘଟେ ।

 

ମୋତେ ନୀରବ ରହିବାର ଦେଖି ଆନନ୍ଦ ସେହିପରି ହସି ହସି ପୁଣି କହିଲା–ହଉ, ହଉ, ନୂଆ ନିମନ୍ତ୍ରଣ ନ କଲେ ନାହିଁ, ମୋର ପୁରୁଣା ନିମନ୍ତ୍ରଣର ପୁଞ୍ଜି ସଞ୍ଚିତ ଅଛି । ମୁଁ ସେହି ଦାବିରେ ଦିନେ ମୋ ଆଡ଼ୁ ଯାଇ ପହଞ୍ଚି ଯାଇପାରିବି ।

 

ପଚାରିଲି, ସେ କାମଟା କ’ଣ ଶୀଘ୍ର ହୋଇପାରିବ କି ?

 

ଆନନ୍ଦ ହସି ହସି କହିଲା– ଭୟ ନାହିଁ ଭାଇନା, ଆପଣଙ୍କର ରାଗ ଶାନ୍ତ ନହେବା ପୂର୍ବରୁ ମୁଁ ଯାଇ ଆପଣଙ୍କୁ ଉତ୍ୟକ୍ତ କରିବି ନାହିଁ । ତାପରେ ଯାଇ ଯିବି ।

ଶ୍ରୀକାନ୍ତ

 

ଶୁଣିକରି ଚୁପ୍‌ ରହିଲି । ରାଗ କରି ଯେ ମୁଁ ଆସିନଥିଲି ସେ କଥା କହିବାକୁ ଇଚ୍ଛାହେଲା ନାହିଁ ।

 

ବାଟ କମ୍‌ ନୁହେଁ । ଶଗଡ଼ିଆ ବ୍ୟସ୍ତ ହେଉଥିଲା । ଗାଡ଼ି ଛାଡ଼ିଦେବାରୁ ସେ ପୁଣି ମୁହଁ ଗଳାଇ ନମସ୍କାର କରି ବିଦାୟ ନେଇଗଲା ।

 

ଏ ଅଞ୍ଚଳରେ ଯାନବାହାନର ପ୍ରଚଳନ ନାହିଁ । ସେଥିପାଇଁ କେହି ରାସ୍ତା ତିଆରି କରି ରଖିନାହାନ୍ତି । ଶଗଡ଼ଗାଡ଼ି ଖୋଲା ପଡ଼ିଆରେ ଉଚ୍ଚ ନୀଚ, ଖାଲ ଢିପ, ଅତିକ୍ରମ କରି ଚାଲିବାକୁ ଲାଗିଲା । ଭିତରେ ଅର୍ଦ୍ଧଶାୟତ ଭାବରେ ପଡ଼ି ରହିଥିଲାବେଳେ ଆନନ୍ଦ ସନ୍ନ୍ୟାସୀର କଥାଟା ମୋ କାନରେ ବାରମ୍ବାର ବାଜିଉଠୁଥିଲା । ରାଗ କରି ଆସିନାହିଁ ଏବଂ ଏ ବସ୍ତୁଟା ଲାଭର ନୁହଁ, ଲୋଭର ମଧ୍ୟ ନୁହେଁ । କିନ୍ତୁ କେବଳ ମନେହେବାକୁ ଲାଗିଲା ଏହା ଯଦି ସତ୍ୟ ହୋଇଥାନ୍ତା ! କିନ୍ତୁ ସତ୍ୟ ହେବାର ବାଟ ନାହିଁ । ମନେମନେ କହିବାକୁ ଲାଗିଲି–ରାଗ କରିବି କାହା ଉପରେ ? କେଉଁଥିପାଇଁ ? କ’ଣ ତାର ଅପରାଧ ? ଝରଣାର ଜଳଧାରା ନେଇ କଳି କଜିଆ କରାଯାଇପାରେ, କିନ୍ତୁ ଝରଣାରେ ଯଦି ଜଳ ନ ଥାଏ ଯାଇଥାଏ ତେବେ କାହାଲାଗି ମଥା ପିଟି ମରିବି ?

 

ଏପରି ଭାବରେ କେତେ ସମୟ ଯେ କଟିଗଲା ମୋର ହୋସ୍‌ ନଥିଲା । ହଠାତ୍‌ ଖାଲ ଭିତରେ ଗାଡ଼ ପଡ଼ିବାକ୍ଷଣି ସେଇ ଝାଙ୍କୁଣୀ ଖାଇ ଉଠିବସିଲି । ଆଗର ତାଟିକୁ ଆଡ଼େଇ ଦେଖିଲି ସନ୍ଧ୍ୟା ହେବା ଉପରେ । ଗାଡ଼ିର ଚାଳକଟି ପିଲାଲୋକ । ବୟସ ବୋଧହୁଏ ପନ୍ଦରରୁ ବେଶୀ ହେବ ନାହିଁ । କହିଲି–ଏତେ ଯାଗା ଥାଉଥାଉ ଖାଲରେ କାହିଁକି ପକାଇଲୁ ?

 

ପିଲାଟି ତା’ ଦେଶ ଭାଷାରେ କହିଲା–ପକାଇଲି କେତେବେଳେ ? ବଳଦ ପରା ମନକୁ ଚାଲିଗଲେ ।

 

: ଚାଲିଗଲେ କିପରି ? ତୁ କ’ଣ ଗାଡ଼ି ସମ୍ଭାଳି ପାରୁନାହୁଁ କି ?

 

: ନା, ବଳଦ ପରା ନୂଆ ।

 

: କିନ୍ତୁ ଏଣେ ସେ ଅନ୍ଧାର ହୋଇଗଲାଣି । ଗଙ୍ଗାମାଟି ଆଉ କେତେଦୂର ?

 

: ମୁଁ କିମିତି କହିବି ? ମୁଁ ତ କେବେ ଏଆଡ଼େ ଆସିନାହିଁ ?

 

କହିଲି–କେବେ ଯଦି ଏହାପୂର୍ବରୁ ଆସିନଥିଲୁ ବାବା, ତେବେ ମୋ ଉପରେ ଏପରି ହଠାତ୍‌ ପ୍ରସନ୍ନ ହୋଇଗଲୁ କାହିଁକି କହିଲୁ ? କାହାକୁ ପଚାରି ବୁଝୁନୁ ଗଙ୍ଗାମାଟି କେତେଦୂର ?

 

ଉତ୍ତର ଦେବାକୁ ଯାଇ ସେ କହିଲା–ଏଆଡ଼େ ଲୋକ ଅଛନ୍ତି କି ? ନାହିଁ ।

 

ପିଲାଟିର ଆଉ ଯାହା ଦୋଷ ଥାଉ ପଛକେ ଜବାବଗୁଡ଼ିକ ଯେପରି ସଂକ୍ଷିପ୍ତ ସେହିପରି ପ୍ରାଞ୍ଜଳ ।

 

: ତେବେ ଆସିଲୁ କାହିଁକି ?

 

ମାମୁଁ କହିଲା–ବାବୁଙ୍କୁ ନେଇକରି ଯାଆ । ଏଇ ସିଧା ଦକ୍ଷିଣକୁ ଯାଇ ପୂର୍ବକୁ ବାଙ୍କିଗଲେ ଗଙ୍ଗାମାଟି । ଯିବୁ ଆଉ ଆସିବୁ ।

 

ରାତି ଆସିବାକୁ ଆଉ ବିଳମ୍ବ ନାହିଁ । ଏତେ ସମୟ ଧରି କେବଳ ନିଜ ଚିନ୍ତାରେ ମୁଁ ମଗ୍ନଥିଲି । ପିଲାଟା କଥାରେ ଏଥର ଭୟ ପାଇଲି । ପଚାରିଲି–ଏଇ ସିଧା ଦକ୍ଷିଣ ବଦଳରେ ଉତ୍ତରକୁ ଯାଇ ପଶ୍ଚିମକୁ ବଙ୍କେଇ ଯାଇ ନାହୁଁ ତ ?

 

ପିଲାଟି କହିଲା– ସେକଥା କ’ଣ କହିପାରିବି ?

 

: କହିପାରିବୁ ନାହିଁ ଯେତେବେଳେ ଚାଲ ଦୁହେଁଯାକ ମିଶି ଯମପୁରକୁ ଯିବା । ହତଭାଗା, ବାଟ ତ ଜାଣିନଥିଲୁ ଆସୁଥିଲୁ କାହିଁକି ? ତୋ ବାପା ଅଛି ?

 

: ନା ।

 

: ମାଆ ଅଛି ?

 

: ନା, ମରିଯାଇଛି ।

 

: ଯାହାହେଉ ବିପଦ କଟିଯାଇଛି । ଆଚ୍ଛା ଚାଲ ସେମାନଙ୍କ ପାଖକୁ ଆଜି ରାତିରେ ଯିବା । ତୋ ମାମୁଁର କେବଳ ବୁଦ୍ଧି–ଶୁଦ୍ଧି, ବିଚାର, ବିବେଚନା ନୁହେଁ ଦୟାମାୟା ମଧ୍ୟ ଅଛି ।

 

ଆଉ କିଛିବାଟ ଯିବା ପରେ ପିଲାଟା କାନ୍ଦିଉଠିଲା । କହିଲା–ଆଉ ମୁଁ ଯାଇପାରିବି ନାହିଁ ।

 

ପଚାରିଲି–ରହିବୁ କେଉଁଠି ?

 

ସେ ଉତ୍ତର ଦେଇ କହିଲା ଯେ ଘରକୁ ଫେରିଯିବ ।

 

ଆଗରୁ କହିଥିଲି ପିଲାଟି ସ୍ପଷ୍ଟବାଦୀ । କହିଲା, ବାବୁ ତୁମେ ଗାଡ଼ିରୁ ଓହ୍ଲାଇଯାଅ । ମାମୁଁ କହିଛି ଗାଡ଼ିଭଡ଼ା ପାଞ୍ଚ ସୁଉକା । କମ୍‌ ଦେଲେ ସେ ମୋତେ ମାରିବ ।

 

କହିଲି–ମୋ ପାଇଁ ତୁ ମାଡ଼ ଖାଇବୁ କାହିଁକି ? ଥରକ ପାଇଁ ଭାବିଲି, ଏ ଗାଡ଼ିରେ ଯଥା ସ୍ଥାନକୁ ଫେରିଯିବି । କିନ୍ତୁ କାହିଁକି ସେପରି ପ୍ରବୃତ୍ତି ହେଲା ନାହିଁ । ରାତ୍ରି ଆସନ୍ନ । ସ୍ଥାନ ଅପରିଚିତ । ଲୋକାଳୟ ଯେ କେଉଁଠି ଏବଂ କେତେଦୂରରେ ବୁଝିବାର ଯୁ ନଥିଲା । କେବଳ ଆଗରେ ବଡ଼ ଆମ୍ୱ, ପଣସ ବଗିଚା ଦେଖି ଅନୁକାନ କରିଲି ଗ୍ରାମ ବୋଧହୁଏ ବେଶୀଦୂର ନୁହେଁ । ହୁଏତ ଆଶ୍ରୟ ମିଳିପାରିବ । ଆଉ ଯଦି ନ ମିଳିଲା, ସେଥିରେ ଅବା ଦୁଃଖ କରିବାର କ’ଣ ଅଛି ? ନ ହେଲେ ଏପରି ଭାବରେ ଏଥର ଯାତ୍ରା ଆରମ୍ଭ ହେବ ।

 

ଓହ୍ଲାଇପଡ଼ି ଭଡ଼ା ତୁଟାଇ ଦେଲି । ଦେଖିଲି, ପିଲାଟିର କଥା କେବଳ ନୁହେଁ, କାର୍ଯ୍ୟର ଧାରା ମଧ୍ୟ ଚମତ୍କାର ସ୍ପଷ୍ଟ । ନିମିଷକ ଭିତରେ ଗାଡ଼ିର ମୁହଁ ଫେରାଇନେଲା । ବଳଦ ଦିଓଟି ଘରକୁ ଫେରିବା ଲାଗି ଇଙ୍ଗିତ ପାଇବା ମାତ୍ରେ ଆଖି ପଲକରେ ଅଦୃଶ୍ୟ ହୋଇଗଲେ ।

 

ସନ୍ଧ୍ୟା ଶେଷ ହେଲା ବୋଲି ଜାଣ । କିନ୍ତୁ ରାତିର ଅନ୍ଧକାର ସେତେବେଳକୁ ଗାଢ଼ତର ହେବାକୁ ଆହୁରି ବିଳମ୍ବ ଥିଲା । ଏହି ସମୟ ଭିତରେ ଯେପରି ହେଉ ଆଶ୍ରୟ ଖୋଜି ବାହାର କରିବାକୁ ହେବ । ଏପରି କାର୍ଯ୍ୟ ମୋ ପକ୍ଷରେ ନୂତନ ନୁହେଁ । କଠିନ ହେଲେ ମଧ୍ୟ କୌଣସି ଭୟ କେତେବେଳେ ମନରେ ନଥାଏ । କିନ୍ତୁ ଆଜି ସେହି ଆମ୍ୱ ବଗିଚା ପାଖଦେଇ ପାଦ ଚଲା ରାସ୍ତାଉପରେ ଯେତେବେଳେ ଧୀରେ ଧୀରେ ଅଗ୍ରସର ହେବାକୁ ଲାଗିଲି ସେତେବେଳେ କିପରି ଲଜ୍ଜ୍ୟାରେ ମନଭିତରଟା ଭରିଉଠିଲା । ଭାରତର ଅନ୍ୟାନ୍ୟ ପ୍ରଦେଶ ସହିତ ଦିନେ ମୋର ଘନିଷ୍ଠ ପରିଚୟ ଥିଲା । କିନ୍ତୁ ବର୍ତ୍ତମାନ ଯେଉଁ ପଥରେ ଚାଲିଛି ସେ ଯେ ବଙ୍ଗଳାର ରାଢ଼ ଦେଶ । ଏ ଦେଶ ସମ୍ୱନ୍ଧରେ ମୋର କୌଣସି ଅଭିଜ୍ଞତା ନାହିଁ । କିନ୍ତୁ ଏକଥା ସ୍ମରଣ ହେଲାନାହିଁ ଯେ, ସକଳ ଦେଶ ସମ୍ୱନ୍ଧରେ ଦିନେ ମୋର ଏଇଭଳି ଅଭିଜ୍ଞତା ଥିଲା । ଯାହା କିଛି ଜ୍ଞାନ ପାଇଛି ଏହିପରି ଭାବରେ ପରକୁ ଆପଣାର କରି ।

 

ଅସଲ କଥା, କେଉଁଥିପାଇଁ ଯେ ସେଦିନ ମୋ ମନର ଦ୍ୱାର ସର୍ବଦା ମୁକ୍ତ ଥିଲା ଏବଂ ଆଜି ସଂକୋଚ ଓ ଦ୍ୱିଧାରେ କାହିଁକି ତାହା ଅବରୁଦ୍ଧ ପ୍ରାୟ, ସେହି କଥାଟା ଭାବି ଦେଖିଲି ନାହିଁ । ସେଦିନ ଯିବା ଭିତରେ କୃତ୍ରିମତା ନଥିଲା, କିନ୍ତୁ ଆଜି ଯାହା କରୁଛି ତାହା କେବଳ ସେଦିନର ନକଲ ମାତ୍ର । ସେଦିନ ବାହାରର ଅପରିଚିତମାନେ ଥିଲେ ମୋର ପରମ ଆତ୍ମୀୟ, ସେମାନଙ୍କ ଉପରେ ନିଜର ଭାର ଅର୍ପଣ କରିବାକୁ ସେତେବେଳେ ବାଧ ନଥିଲା । କିନ୍ତୁ ସେହି ଭାର ଆଜି ବ୍ୟକ୍ତିବିଶେଷଙ୍କ ଉପରେ ଏକାନ୍ତ ଭାବରେ ନ୍ୟସ୍ତ ହେବାରୁ ସମସ୍ତ ଭାରକେନ୍ଦ୍ରଟା ହିଁ ଅନ୍ୟତ୍ର ଅପସାରିତ ହୋଇଯାଇଛି । ସେଥିପାଇଁ ଆଜି ଅଚିହ୍ନା, ଅଜଣା ମଧ୍ୟରେ ଚାଲିବାକୁ ପଡ଼ୁଥିଲାବେଳେ ପାଦ ଦୁଇଟା ମୋର ପ୍ରତି ପଦରେ ଭାରି ହୋଇଉଠୁଛି । ସେଦିନର ସେଇ ସବୁ ସୁଖ ଦୁଃଖା ଧାରଣାରେ ଆଜି କେତେ ନା କେତେ ପ୍ରଭେଦ ! ତଥାପି ଚାଲିବାକୁ ଲାଗିଲି । ଏହି ବଣଭିତରେ ରାତ୍ରିଯାପନ ପାଇଁ ସାହସ ମଧ୍ୟ ନାହିଁ, ଶକ୍ତି ମଧ୍ୟ ଚାଲିଯାଇଛି । ତଥାପି ଆଜି ପାଇଁ ବଞ୍ଚିବାକୁ ଯେ ହେବ.....

 

ଭାଗ୍ୟ ଭଲ, ବେଶୀଦୂର ଚାଲିବାକୁ ପଡ଼ିଲା ନାହିଁ । ଗହଳିଆ ପତ୍ର ଫାଙ୍କ ଦେଇ କ’ଣ ଗୋଟାଏ ଅଟ୍ଟାଳିକା ଭଳି ଦେଖାଗଲା । ସେଇତକ ବାଟ ବୁଲିକରି ସେହି ଘର ସମ୍ମୁଖରେ ପହଞ୍ଚିଲି-

 

ଅଟ୍ଟାଳିକା ସତ, କିନ୍ତୁ ମନେହେଲା ଜନହୀନ । ଆଗରେ ଲୁହାର ଗେଟ୍‌ । କିନ୍ତୁ ଭଙ୍ଗା । ଅଧିକାଂଶ ଲୁହା ତହିଁରୁ ଲୋକମାନେ ଖୋଲିନେଇଛନ୍ତି । ଭିତରକୁ ପଶିଗଲି । ଖୋଲା ବାରଣ୍ଡା । ଦୁଇଟା ବଡ଼ ବଡ଼ ବଖରା ଘର । ତହିଁରୁ ଗୋଟିଏ ବନ୍ଦ । ଆଉ ଯେଉଁଟି ଖୋଲା, ତାହାରି ଦ୍ୱାର ନିକଟକୁ ଆସିବା ମାତ୍ରେ ଜଣେ କଙ୍କାଳସାର ମନୁଷ୍ୟ ବାହାରକୁ ଆସି ଠିଆହେଲା । ଦେଖିଲି ଘରର ଚାରିକଣରେ ଚାରିଟା ଲୁହାର ଖଟ । ଦିନେ ତହିଁରେ ଗଦି ବିଛା ହୋଇଥିଲା, କିନ୍ତୁ କାଳକ୍ରମେ ସେଗୁଡ଼ିକ ଛିଣ୍ଡି କେବଳ କିଛି କିଛି କତା ଅବଶିଷ୍ଟ ରହିଯାଇଛି । ଗୋଟିଏ ଟିପୟ, କେତେଟା ଟିଣ ଏବଂ ଏନାମେଲର ପାତ୍ର ପଡ଼ି ରହିଛି । ସେମାନଙ୍କର ବର୍ତ୍ତମାନର ଅବସ୍ଥା ବର୍ଣ୍ଣନାତୀତ । ଅନୁମାନ ଯାହା କରିଥିଲି ତାହାହିଁ ସତ । ଘରଟି ଗୋଟିଏ ଡାକ୍ତରଖାନା । ଏଇ ଲୋକଟି ବିଦେଶୀ । ଚାକିରି କରିବାକୁ ଆସି ପନ୍ଦରଦିନ ହେବ ପୀଡ଼ିତ ହୋଇ ଏଠାରେ ଇନ୍‌ଡ଼ୋର ପେସେଣ୍ଟ ରୂପେ ଭର୍ତ୍ତି ହୋଇଯାଇଛି । ଲୋକଟି ସହିତ ପ୍ରଥମ ଆଳାପ ଏଇରୂପେ ହେଲା–

 

: ବାବୁ ଆଜ୍ଞା, ଚାରିଟା ପଇସା ଦେବେ ?

 

: କାହିଁକି କୁହ ତ ?

 

: ଭୋକରେ ମରିଯାଉଛି ବାବୁ । ମୁଢ଼ି ଫୁଢ଼ି ଦିଇଟା କିଣି ଖାଇବି ।

 

: ତୁମେ ରୋଗୀ ଲୋକ, ଯାହାତାହା ଖାଇବା ପାଇଁ ତୁମକୁ କ’ଣ ମନା କରାଯାଇ ନାହିଁ-?

 

: ଆଜ୍ଞା–ନା !

 

: ଏଠାରେ ତୁମକୁ ଖାଇବାକୁ ଦିଆ ହେଉନାହିଁ ?

 

ଲୋକଟି ଜଣାଇଲା ଯେ, ସକାଳେ ତାକୁ ଟିକିଏ ସାଗୁ ଦେଇଥିଲେ । ତାହା ସେ କେତେବେଳୁ ପିଇଦେଇ ସାରିଛି । ସେତିକିବେଳୁ ସେ ଆସି ଦାଣ୍ଡ ଗେଟ୍ ପାଖରେ ବସିରହିଛି । ଭିକ୍ଷା ପାଇଲେ ଆଉ ବେଳାଏ ଖାଇବା ଚଳିବ । ନହେଲେ ଉପବାସରେ କଟିବ । ଡାକ୍ତର ଜଣେ ଅଛନ୍ତି । ବୋଧହୁଏ ଯତ୍‌ସାମାନ୍ୟ ହାତ ଖର୍ଚ୍ଚ ମାତ୍ର ବନ୍ଦୋବସ୍ତ ଅଛି । ସକାଳବେଳେ ଥରକ ପାଇଁ ତାଙ୍କର ଦେଖା ମିଳେ । କମ୍ପାଉଣ୍ଡର ବାବୁଙ୍କୁ କମ୍ପାଉଣ୍ଡରୀ କରିବାଠାରୁ ଲଣ୍ଠନରେ ତେଲ ପର୍ଯ୍ୟନ୍ତ ଦେବାକୁ ପଡ଼େ । ଜଣେ ଚାକର ଥିଲା ସତ, କିନ୍ତୁ ଛଅମାସ ପର୍ଯ୍ୟନ୍ତ ଦରମା ନ ପାଇବାରୁ ରାଗିକରି ଚାଲିଯାଇଛି । ବର୍ତ୍ତମାନ ସୁଦ୍ଧା କେହି ନିଯୁକ୍ତ ହୋଇନାହାଁନ୍ତି ।

 

: ଘର ଓଳାଓଳି କିଏ କରେ ?

 

: ଆଜିକାଲି ମୁଁ କରିଦିଏ । ମୁଁ ଚାଲିଗଲା ପରେ ଯିଏ ନୂଆ ରୋଗୀ ଆସିବ ସେ କରିବ-

 

କହିଲି–ଖୁବ୍‌ ଭଲ ବ୍ୟବସ୍ଥା ତ ! ଡାକ୍ତରଖାନାଟି ତେବେ କାହାପାଇଁ ?

 

ଲୋକଟି ମୋତେ ଅପର ଦିଗର ବାରଣ୍ଡାକୁ ନେଇଗଲା । କଡ଼ିରେ ଗୋଟିଏ ଲଣ୍ଠନ ଝୁଲୁଥାଏ । କମ୍ପାଉଣ୍ଡର ବାବୁ ବେଳ ଥାଉ ଥାଉ ସେଇଟି ଲଗାଇ ଦେଇ କାମ ସାରି ଘରକୁ ଚାଲି ଯାଇଛନ୍ତି । କାନ୍ଥରେ ଗୋଟିଏ ବିରାଟ ମର୍ମର ପ୍ରସ୍ତରର ଫଳକ ମରା ହୋଇଥାଏ । ସୁନା ପାଣିରେ ଇଂରାଜୀ ଅକ୍ଷରରେ ଆଗପଛ ଖୋଳା ହୋଇ ସନ ତାରିଖ ସମ୍ବଳିତ ଶିଳାଲିପି । ଜିଲ୍ଲାର ଯେଉଁ ସାହେବ ମାଜିଷ୍ଟ୍ରେଟ ଦୟାକରି ଏହାର ଉଦଘାଟନ କାର୍ଯ୍ୟ ସମ୍ପନ୍ନ କରିଥିଲେ ତାଙ୍କ ନାମ, ଧାମ ସର୍ବାଗ୍ରେ ଖୋଦିତ । ତଳେ ତାଙ୍କର ପ୍ରଶସ୍ତ ଲେଖା ହୋଇଥାଏ । କେଉଁ ଏକ ରାୟ ବାହାଦୁର ତାଙ୍କ ରତ୍ନଗର୍ଭା ମାତାଙ୍କର ସ୍ମୃତି ରକ୍ଷାର୍ଥେ ଜନନୀ ଜନ୍ମଭୂମିରେ ଏହି ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ । ଆଉ କେବଳ ମାତା–ପୁତ୍ର ନୁହେଁ ଊର୍ଦ୍ଧ୍ୱତନ ତିନି ଚାରି ପୁରୁଷର ବିବରଣୀ ପଢ଼ିବାକୁ ମିଳେ । ବୋଧହୁଏ ଛୋଟକାଟର ଗୋଟିଏ ବଂଶାବଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଲୋକଟି ଯେ ରାଜ ସରକାରଙ୍କ ରାୟ ବାହାଦୁର ଉପାଧି ପାଇଁ ଯୋଗ୍ୟ ଏଥିରେ ଲେଶମାତ୍ର ସନ୍ଦେହ ନଥିଲା । କାରଣ ଟଙ୍କା ନଷ୍ଟ କରିବା ଦିଗରୁ ତ୍ରୁଟି ତାଙ୍କର ଆଦୌ ନଥିଲା । ଇଟା, କାଠ ଏବଂ ବିଲାତରୁ ଆମଦାନି କରାଯାଇଥିବା ଲୁହା କଡ଼ି, ବରଗା ବିଲ୍‌ ଚୁକ୍ତି କରିସାରିବା ପରେ ଅବଶିଷ୍ଟ ଯଦି କିଛି ରହିଥାଏ, ସେତକ ସାହେବୀ ଶିଳ୍ପୀଙ୍କ ହାତରେ ବଂଶାବଳୀ ଖୋଦାଇବାରେ ହିଁ ନିଃଶେଷିତ ହୋଇଯାଇଥିବ । ରୋଗୀମାନଙ୍କ ପାଇଁ ଔଷଧ ଏବଂ ପଥ୍ୟ ପ୍ରଭୃତିର ବ୍ୟବସ୍ଥା କରିବା ପାଇଁ ହୁଏତ ଟଙ୍କା ନଥିଲା କିମ୍ବା ଫୁରସତ୍‌ ନଥିଲା ।

 

ପଚାରିଲି–ରାୟବାହାଦୁରଙ୍କ ଘର କେଉଁଠାରେ ?

 

ସେ କହିଲା–ବେଶୀ ଦୂର ନୁହେଁ । ନିକଟରେ ।

 

: ବର୍ତ୍ତମାନ ଗଲେ ଦେଖା ମିଳିପାରିବ ?

 

: ଆଜ୍ଞା, ନା, ଘରେ ତାଲା ପଡ଼ିଥିବ । ସେମାନେ ସମସ୍ତେ କଲିକତାରେ ରହନ୍ତି ।

 

: କେବେ ଆସନ୍ତି ?

 

ଲୋକଟି ବିଦେଶୀ । ତେଣୁ ସଠିକ ସମ୍ବାଦ ଦେଇପାରିଲା ନାହିଁ । ତଥାପି କହିଲା ଯେ, ତିନିବର୍ଷ ତଳେ ଥରକ ପାଇଁ ଆସିଥିଲେ ଏହା ସେ ଡାକ୍ତର ବାବୁଙ୍କଠାରୁ ଶୁଣିଥିଲା । ସର୍ବତ୍ର ଏକଇ ଦଶା । ଅତଏବ ଦୁଃଖ କରିବାର କିଛି ନଥିଲା ।

 

ଏଣେ ଅପରିଚିତ ସ୍ଥାନରେ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇସାରିଥିଲା, ସୁରାଂ ରାୟ ବାହାଦୁରଙ୍କ କାର୍ଯ୍ୟକଳାପ ପର୍ଯ୍ୟାଲୋଚନା କରିବା ଅପେକ୍ଷା ଜରୁରୀ କାମ ବାକି ଥିଲା । ଲୋକଟିକୁ କିଛି ପଇସା ଦେଇ ଜାଣିପାରିଲି ଯେ, ନିକଟରେ ଜଣେ ଚକ୍ରବର୍ତ୍ତୀ ବ୍ରାହ୍ମଣଙ୍କର ଘର । ସେ ବଡ଼ ଦୟାଳୁ-। ରାତ୍ରିଟା ପାଇଁ ସେଠାରେ ଆଶ୍ରୟ ମିଳିପାରିବ । ସେ ନିଜେ ରାଜି ହୋଇ ମୋତେ ସଙ୍ଗରେ ଧରି ଗଲା । କହିଲା–ତାକୁ ସେ ଆଗର ମୋଦୀ ଦୋକାନକୁ ଯିବାକୁ ହେବ । ଟିକିଏ ବୁଲା ପଡ଼ିବ କିନ୍ତୁ ସେଥିରେ କିଛି ଯାଏଆସେ ନାହିଁ ।

 

ଯାଉ ଯାଉ ତା’ କଥାବାର୍ତ୍ତାରୁ ବୁଝିପାରିଲି ଯେ, ଏହି ଦୟାଳୁ ବ୍ରାହ୍ମଣ ପରିବାର ଘରୁ ଅନେକଥର ସେ ପଥ୍ୟାପଥ୍ୟ ସଂଗ୍ରହ କରି ଖାଇଛି ।

 

ଦଶମିନିଟ ପରେ ଆମେ ଆସି ଚକ୍ରବର୍ତ୍ତୀ ବ୍ରାହ୍ମଣ ମହାଶୟଙ୍କ ଘରେ ପହଞ୍ଚିଗଲୁ । ମୋର ପଥ ପ୍ରଦର୍ଶକ ଡାକ ପକାଇ କହିଲା–କ’ଣ ଆଜ୍ଞା ଘରେ ଅଛନ୍ତି ?

 

କୌଣସି ଉତ୍ତର ଆସିଲା ନାହିଁ । ଭାବିଥିଲି; କୌଣସି ଏକ ଅବସ୍ଥାସଂପନ୍ନ ବ୍ରାହ୍ମଣ ଘରେ ଆତିଥ୍ୟ ଗ୍ରହଣ ପାଇଁ ଯାଉଛି; କିନ୍ତୁ ଘରଦ୍ୱାରର ଶ୍ରୀ ଦେଖି ମନଟା ଦବିଗଲା । ଏଣେ ଘରଭିତରୁ ଉତ୍ତର ନାହିଁ, ତେଣେ ମୋ ସଙ୍ଗୀର ଅଧ୍ୟବସାୟ ଅପରାଜେୟ । ତାହା ନ ହୋଇପାରିଥିଲେ ଏଇ ଗାଁ ଓ ଏଇ ଡାକ୍ତରଖାନାରେ ବହୁଦିନ ଆଗରୁ ତା’ ରୁଗ୍‌ଣ ଆତ୍ମା ସ୍ୱର୍ଗୀୟ ହୋଇସାରନ୍ତାଣି । ସେ ଡାକ ଉପରେ ଡାକ ଦେବାକୁ ଲାଗିଲା ।

 

ହଠାତ୍‌ ଉତ୍ତର ଆସିଲା–ଯା–ଯା–ଆଜି ଯା, ଚାଲିଯାଆ କହୁଛି ।

 

ଲୋକଟି ଆଦୌ ବିଚଳିତ ହେଲା ନାହିଁ । ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଲା–କିଏ ଆସିଛନ୍ତି, ଟିକିଏ ବାହାରକୁ ଆସି ଦେଖନ୍ତୁ ନା ।

 

ମୁଁ କିନ୍ତୁ ବିଚଳିତ ହୋଇଉଠିଲି । ଯେପରି ପରମପୂଜ୍ୟ ଚକ୍ରବର୍ତ୍ତୀ ମହାଶୟଙ୍କ ଘର ପବିତ୍ର କରିବା ପାଇଁ ସତେ ମୁଁ ଆବିର୍ଭୂତ ହୋଇଛି ।

 

ନେପଥ୍ୟର କଣ୍ଠସ୍ୱର ହଠାତ୍‌ କଅଁଳ ହୋଇଉଠିଲା । କିଏ କିରେ ଭୀମ ? କହୁ କହୁ ଗୃହସ୍ୱାମୀ ଦ୍ୱାରବନ୍ଧ ନିକଟରେ ଦେଖାଦେଲେ । ପିନ୍ଧିଥିବା ବସ୍ତ୍ର ଖଣ୍ଡିକ ମଳିନ ଏବଂ ଅତିଶୟ କ୍ଷୁଦ୍ର-। ଅନ୍ଧକାର ହେତୁ ତାଙ୍କ ବୟସ କଳନା କରିପାରିଲି ନାହିଁ । କିନ୍ତୁ ଖୁବ୍‌ ବେଶୀ ବୋଲି ମନେହେଲା ନାହିଁ । ପୁଣି ପଚାରିଲେ ସେ–କିଏ କିରେ ଭୀମ ?

 

ବୁଝିପାରିଲି ମୋ ସଙ୍ଗୀର ନାମ ହେଉଛି ଭୀମ ।

 

ଭୀମ କହିଲା– ଭଦ୍ରଲୋକ । ବ୍ରାହ୍ମଣ । ବାଟହୁଡ଼ି ଡାକ୍ତରଖାନାରେ ଯାଇ ହାଜର । ମୁଁ କହିଲି, ଭୟ କ’ଣ ? ଚାଲନ୍ତୁ ଭାଇନାଙ୍କ ଘରେ ଛାଡ଼ିଦେଇ ଆସିବି । ସେଠାରେ ବଡ଼ ଆଦରରେ ରହିବେ ।

 

ପ୍ରକୃତରେ ଭୀମ ଅତ୍ୟୁକ୍ତି କରି ନାହିଁ । ଚକ୍ରବର୍ତ୍ତୀ ମହାଶୟ ମୋତେ ପରମ ସମାଦରରେ ଗ୍ରହଣ କଲେ । ସ୍ନେହରେ ମସିଣା ପକାଇଦେଇ ମୋତେ ବସିବାକୁ କହିଲେ ଏବଂ ତମାଖୁ ଖାଏ କି ନାହିଁ ପଚାରି ନିଜେ ଘର ଭିତରକୁ ଯାଇ ତମାଖୁ ତିଆରି କରି ଆଣିଲେ ।

 

କହିଲେ–ଚାକର ଗୁଡ଼ାକ ସମସ୍ତଙ୍କୁ ଜର । କ’ଣ କରିବି ?

 

ଏକଥା ଶୁଣି ବଡ଼ କୁଣ୍ଠିତ ହୋଇପଡ଼ିଲି । ଭାବିଲି ଜଣେ ଚକ୍ରବର୍ତ୍ତୀ ଘର ଛାଡ଼ି ଭଲା ଆଉ ଜଣେ ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଲି । କିଏ ଜାଣେ ଏଠାରେ କିଭଳି ଆତିଥ୍ୟ ମିଳିପାରିବ ? ତଥାପି ହୁକାଟା ହାତରେ ଧରି ପାଇପ୍‌ ଟାଣିବାକୁ ଉପକ୍ରମ କରିଛି, ହଠାତ୍‌ ଅନ୍ତରାଳରୁ ପ୍ରଶ୍ନଟାଏ ଭାସି ଆସିଲା–ହଁ ଗୋ, କିଏ ଏ ମଣିଷଟି ଆସିଲା ?

 

ଅନୁମାନ କଲି, ଏ ବୋଧହୁଏ ଗୃହିଣୀ । ଜବାବ୍‌ ଦେବା ପାଇଁ ଚକ୍ରବର୍ତ୍ତୀଙ୍କର ଗଳା କେବଳ କମ୍ପିଉଠିଲା ନାହିଁ ବରଂ ମୋର ଯେପରି ହୃତକମ୍ପ ହେଲା ।

 

ସେ ସଙ୍ଗେ ସଙ୍ଗେ କହିଉଠିଲେ–ବଡ଼ଲୋକ ଗୋ ବଡ଼ଲୋକ । ଅତିଥି–ବ୍ରାହ୍ମଣ, ନାରାୟଣ ସମାନ । ବାଟ ହୁଡ଼ି ଆସି ପହଞ୍ଚିଯାଇଛନ୍ତି । କେବଳ ରାତିଟା ରହି ପୁଣି ସକାଳ ହେବାମାତ୍ରେ ବାହାରି ଚାଲିଯିବେ ।

 

ଭିତରୁ ପୁଣି ଉତ୍ତର ଆସିଲା–ହଁ ସମସ୍ତେ ଏଇପରି ବାଟହୁଡ଼ି ଆସୁଛନ୍ତି । ପୋଡ଼ାମୁହାଁ ଅତିଥିଙ୍କର ଆସିବା କମ୍‌ ନାହିଁ । ଘରେ ନା ଅଛି ଚାଉଳ, ନା ଅଛି ଡାଲି । ଖାଇବାକୁ କ’ଣ ଚୁଲିପାଉଁଶ ଦେବି ?

 

ମୋ ହାତର ହୁକା ହାତରେ ରହିଗଲା ।

 

ଚକ୍ରବର୍ତ୍ତୀ କହିଲେ–କ’ଣ ଯେ କୁହ ତୁମେ । ମୋ ଘରେ ପୁଣି ଚାଉଳ ଡାଲିର ଅଭାବ-? ଚାଲ୍‌ ଚାଲ୍‌, ଭିତରକୁ ଚାଲ । ସବୁ ଠିକ୍‌ କରିଦେଉଛି ।

 

ଚକ୍ରବର୍ତ୍ତୀ ଗୃହିଣୀ ଭିତରକୁ ଯିବା ପାଇଁ ଆସିନଥିଲେ । କହିଲେ, କ’ଣ ଠିକ୍‌ କରିଦେବ ଶୁଣେ ? ଅଛି ତ ମୁଠାଏ ଚାଉଳ । ପିଲା ଦୁଇଟାଙ୍କୁ ଆଜି ରାତିକ ପାଇଁ ସିଝାଇ କରି ଦେଇହେବ । ପିଲା ଦୁଇଟାଙ୍କୁ ମୁଁ ଉପାସରେ ରଖି ଏକୁ ଗିଳିବାକୁ ଦେବି ? ସେକଥା ହେବ ନାହିଁ ।

 

ମା’ ଧରତ୍ରୀ, ତୁ ଦୁଇଫାଳ ହୋଇଯାଆ ! ନାହିଁ ନାହିଁ କହି କ’ଣ କିଛି କହିବାକୁ ଯାଉଥିଲି କିନ୍ତୁ ଚକ୍ରବର୍ତ୍ତୀଙ୍କର ଭୀଷଣ କ୍ରୋଧରେ ତାହା କୁଆଡ଼େ ମିଳାଇଗଲା । ସେ ତୁମେ ଛାଡ଼ି ସେତେବେଳେ ତୁଣ୍ଡରେ ତୁ ଧରିଲେ ଏବଂ ଅତିଥି ସତ୍କାର ପାଇଁ ସ୍ୱାମୀ–ସ୍ତ୍ରୀଙ୍କ ଭିତରେ ଯେଉଁ ଆଳାପ ଆରମ୍ଭ ହେଲା, ତାହାର ଭାଷା ଯେପରି, ଗମ୍ଭୀରତା ବି ସେହିପରି । ମୁଁ ଟଙ୍କା ପକେଟରେ ଧରି ବାହାରିନଥିଲି ଏବଂ ଯାହା କିଛି ଅବା ଥିଲା ସେସବୁ ଖର୍ଚ୍ଚ ହୋଇଯାଇଥିଲା । କେବଳ କୁରୁତାର ସୁନା ବୋତାମ ଥିଲା; କିନ୍ତୁ ସେତେବେଳେ କିଏ ଅବା କାହାର କଥା ଶୁଣେ ? ବ୍ୟାକୁଳ ହୋଇ ଥରେ ଉଠି ଠିଆହେବାକୁ ଚେଷ୍ଟା କରିବା କ୍ଷଣି ଚକ୍ରବର୍ତ୍ତୀ ମହାଶୟ ଯୋଗକରି ମୋ ହାତ ଧରି ବସାଇଦେଇ କହିଲେ–ଅତିଥି ନାରାୟଣ ଯଦି ବିମୁଖ ହୋଇଯିବେ ତେବେ ଗଳାରେ ଦଉଡ଼ି ଲଗାଇଦେବି ।

 

ଗୃହିଣୀ ତିଳେମାତ୍ର ଭୟ କଲେ ନାହିଁ । ତତ୍‌କ୍ଷଣାତ୍‌ ଚ୍ୟାଲେଞ୍ଜ ଆକ୍‌ସେପ୍‌ଟ କରି କହିଲେ–ତାହାହେଲେ ତ ରକ୍ଷା ପାଇଯାନ୍ତି । ଭିକ ଦୁଃଖକରି ପିଲା ଦୁଇଟାଙ୍କୁ ବଞ୍ଚାନ୍ତି ।

 

ଏଣେ ମୋର ହିତାହିତ ଜ୍ଞାନ ଲୋପ ପାଇବାକୁ ଆରମ୍ଭ କରିଥିଲା । ହଠାତ୍‌ କହିଉଠିଲି, ଚକ୍ରବର୍ତ୍ତୀ ମହାଶୟ, ସେକଥା ଆଉଦିନେ ଭାବିଚିନ୍ତି ପଛକେ କରିବେ ବର୍ତ୍ତମାନ କିନ୍ତୁ ମୋତେ ଛାଡ଼ିଦିଅନ୍ତୁ ନଚେତ୍‌ ଗୋଛାଏ ଦଉଡ଼ି ଦିଅନ୍ତୁ ଝୁଲିପଡ଼ି ଆପଣଙ୍କ ଆତିଥ୍ୟ ଦାୟରୁ ମୁକ୍ତ ହୋଇପଡ଼େ ।

 

ଚକ୍ରବର୍ତ୍ତୀ ମହାଶୟ ଅନ୍ତଃପୁରକୁ ଲକ୍ଷ୍ୟ କରି କହିଲେ–ବୁଦ୍ଧି ହେଲା ଏଥର ? କ’ଣ କିଛି ଶିଖିପାରିଲ ?

 

ପାଲଟା ଜବାବ ଆସିଲା–ହଁ, ମୁହୂର୍ତ୍ତକ ପରେ ଭିତରୁ ଗୋଟାଏ ହାତ ଲମ୍ବିଆସି ଗୋଟାଏ ପିତ୍ତଳ ଢାଳ ଦୁମ୍‌ କରି ଥୋଇଦେଇ ଆଦେଶ ଦେଲା–ଯାଅ, ଏଇଟା ନେଇ ଶ୍ରୀମନ୍ତ ଦୋକାନରେ ରଖିଦେଇ ଡାଲି, ତେଲ, ଚାଉଳ, ଲୁଣ ନେଇଆସ । ଦେଖ ଯେପରି ହାତରେ ଧନ ପାଇ ସେ ସବୁ ବାକି କାଟି ନ ନିଏ ।

ଚକ୍ରବର୍ତ୍ତୀ ଖୁସିଟାଏ ହୋଇ କହିଲେ, ଆରେ ନା, ନା, ଏ କ’ଣ ପିଲାଙ୍କ ଲଡ଼ୁ ହୋଇଛି କି ?

ଚଟ୍‌କରି ହୁକାଟାରେ କେତେଥର ଟାଣ ଦେଇସାରି କହିଲେ–ନିଆଁଟା ଲିଭିଯାଇଛି । ଟିକିଏ ଏଇଟା ବଦଳାଇଦେଲ । ଖାଇଦେଇ କରି ଯାଏ । ଯିବି ଆଉ ଆସିବି । ଏହା କହି ସେ ତମାଖୁ ହୁକାଟା ଭିତରକୁ ବଢ଼ାଇଦେଲେ ।

ବେଶ୍‌, ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଭିତରେ ସନ୍ଧି ହୋଇଗଲା । ଗୃହିଣୀ ପୁଣି ତମାଖୁ ସଜାଇ ଦେଲେ । କର୍ତ୍ତା ପ୍ରାଣଭରି ଧୂମପାନ କଲେ । ପ୍ରସନ୍ନ ଚିତ୍ତରେ ହୁକାଟି ମୋ ହାତକୁ ବଢ଼ାଇଦେଇ ଢାଳଟି ଧରି ଘରୁ ବାହାରିଗଲେ । ଚାଉଳ ଆସିଲା, ଡାଲି ଆସିଲା, ତେଲ ଆସିଲା, ଲୁଣ ଆସିଲା, ଯଥା ସମୟରେ ରୋଷାଇ ଘରୁ ମୋତେ ଡାକରା ବି ପଡ଼ିଲା । ଖାଇବାକୁ ବିନ୍ଦୁମାତ୍ର ଆଗ୍ରହ ନଥିଲା–ତଥାପି ଗଲି । କାରଣ ଆପତ୍ତି କରିବା କେବଳ ନିଷ୍ପତ୍ତି ନୁହେଁ ବରଂ ‘ନା’ ବୋଲି କହିବାକୁ ଆତଙ୍କ ମଣିଲି । ଏ ଜୀବନରେ ବହୁବାର ବହୁ ସ୍ଥାନରେ ମୋତେ ଅଯାଚିତ ଆତିଥ୍ୟ ଗ୍ରହଣ କରିବାକୁ ପଡ଼ିଛି, ସବୁଠାରେ ଯେ ସମାଦୃତ ହୋଇଛି କହିଲେ ଅସତ୍ୟ କଥା ହେବ । କିନ୍ତୁ ଏପରି ସମ୍ୱର୍ଦ୍ଧନା କେବେ ଭାଗ୍ୟରେ ଜୁଟିନଥିଲା । ତଥାପି ଜୀବନରେ କିଛି ଶିଖିବାକୁ ବାକି ଥିଲା । ଯାଇ ଦେଖିଲି–ଚୁଲି ଜଳୁଛି, ଏବଂ ଅନ୍ନ ପରିବର୍ତ୍ତେ କଦଳୀ ପତ୍ରରେ ଚାଉଳ, ଡାଲି, ଆଳୁ ଓ ଗୋଟାଏ ପିତ୍ତଳ ହାଣ୍ଡି ।

ଚକ୍ରବର୍ତ୍ତୀ ଆଗ୍ରହରେ କହିଉଠିଲେ–ଦିଅନ୍ତୁ ନା ଚୁଲିରେ ହାଣ୍ଡିଟା ବସାଇ । ଚଟ୍‌ପଟ୍‌ ସବୁ ହୋଇଯିବ । ସରୁ ଅରୁଆ ଚାଉଳର ଖିଚୁଡ଼ି, ଆଳୁ ସିଝା, ବଢ଼ିଆ ଲାଗିବ ଖାଇବାକୁ । ଘିଅ ଘରେ ଅଛି, ଗରମ, ଗରମ.....

 

ଚକ୍ରବର୍ତ୍ତୀଙ୍କର ରସନା ସରସ ହୋଇଉଠିଲା । କିନ୍ତୁ ମୋ ପକ୍ଷରେ ବ୍ୟାପାରଟା ଆହୁରି ଜଟିଳ ହୋଇଉଠିଲା । କାଳେ ମୋର କୌଣସି କଥାରେ କିମ୍ୱା କାର୍ଯ୍ୟରେ ପୁଣି ଗୋଟାଏ ପ୍ରଳୟ କାଣ୍ଡ ଘଟିଯାଇପାରେ, ଏହି ଭୟରେ ତାଙ୍କର ନିର୍ଦ୍ଦେଶିତ ହାଣ୍ଡିକୁ ଚୁଲିଉପରେ ବସାଇଦେଲି । ଚକ୍ରବର୍ତ୍ତୀ ଗୃହିଣୀ ଆଢ଼ୁଆଳରେ ଥିଲେ । ସ୍ତ୍ରୀଲୋକର ଦୃଷ୍ଟିରେ ମୋ ହାତରେ ଅପଟୁତା ଲୁଚି ରହିପାରିଲା ନାହିଁ । ଏଥର ସେ ମୋତେ ଉଦ୍ଦେଶ୍ୟ କରି କହିଲେ, (ତାଙ୍କର ଆଉ ଯାହା ଦୋଷ ଥାଉନା କାହିଁକି, ସଂକୋଚ ବା ଚକ୍ଷୁଲଜ୍ଜ୍ୟା ବୋଲି ଯେଉଁ ଶବ୍ଦଗୁଡ଼ାକ ଅଭିଧାନରେ ଅଛି, ସେ ସବୁର ବାହୁଲ୍ୟ ଦୋଷ ଯେ ତାଙ୍କର ନଥିଲା; ଏକଥା ବୋଧହୁଏ ଅତି ନିନ୍ଦୁକ ମଧ୍ୟ ସ୍ୱୀକାର ନ କରି ରହିପାରିବ ନାହିଁ) ତୁମେ ତ ବାବା, ରୋଷାଇରୁ କିଛି ଶିଖିନାହଁ ।

 

ମୁଁ ତତ୍‌କ୍ଷଣାତ୍‌ ମାନିନେଇ କହିଲି–ଆଜ୍ଞା–ନା ।

 

ସେ କହିଲେ କର୍ତ୍ତା କହୁଥିଲେ ବିଦେଶୀ ଲୋକ, ତାଙ୍କ ପାଇଁ ଦିଇଟା ରାନ୍ଧିଦେଲେ କିଏ ଅବା ଜାଣିବ ? କିଏ ଅବା ଶୁଣିବ ? ମୁଁ କହିଲି–ସେକଥା ହୋଇପାରିବ ନାହିଁ । ଗୋଟାଏ ରାତି ପାଇଁ ମୁଠାଏ ଭାତ ଦେଇ ମୁଁ ମଣିଷର ଜାତି ନଷ୍ଟ କରିପାରିବି ନାହିଁ । ଆମେମାନେ ହେଲୁ ଦାନୁଆ ବ୍ରାହ୍ମଣ ।

 

ମୋର ଯେ ଆପତ୍ତି ନାହିଁ ଏବଂ ଏହାଠାରୁ ଯେ କେତେ ଗୁରୁତର ପାପ ଆଗରୁ କରିସାରିଛି ଏକଥା କହିବାକୁ ମୋର ସାହସ ନଥିଲା । ଭାବିଲି, କାଳେ ସ୍ୱୀକାର କରିଦେଲେ କୌଣସି ଗୁରୁତର ବିଭାଟ ଘଟିପାରେ । ମନଭିତରେ କେବଳ ଗୋଟିଏ ଚିନ୍ତାଥିଲା, କିପରି ଭାବରେ ରାତିଟି କଟିଯିବ ଏବଂ ଏ ଘର ନାଗଫାଶରୁ ଅବ୍ୟାହିତ ମିଳିବ । ସୁତରାଂ ନିର୍ଦ୍ଦେଶମତେ ଖିଚୁଡ଼ି ରାନ୍ଧିଲି । ବାଢ଼ିକରି ଗରମ ଘିଅପକାଇ ଗିଳି ମଧ୍ୟ ବସିଲି । ଏଭଳି ଅସାଧ୍ୟ କାର୍ଯ୍ୟ ଯେ କିଭଳି ଭାବରେ ସଂପନ୍ନ କରିପାରିଲି ତାହା ଏବେ ସୁଦ୍ଧା ମୋତେ ଜଣା ନାହିଁ । କେବଳ ମନେହେବାକୁ ଲାଗିଲା ଚାଉଳ ଡାଲିର ଦିବ୍ୟ ପିଣ୍ଡ ଯେପରି ପେଟଭିତରେ ଯାଇ ପଥର ପାଲଟି ଗଲା ।

 

ଅଧ୍ୟବସାୟରେ ଅନେକ କିଛି ହୁଏ; କିନ୍ତୁ ତାହାର ମଧ୍ୟ ସୀମା ଅଛି । ହାତ ମୁହଁ ଧୋଇବାକୁ ମଧ୍ୟ ଅବସର ମିଳିଲା ନାହିଁ ସମସ୍ତେ ବାହାରି ଚାଲିଗଲେ । ଭୟରେ ମୋର ହଲକ ଶୁଖିଗଲା । କାରଣ ଏଗୁଡ଼ାକୁ ଯେ ମୋତେ ପରିଷ୍କାର କରିବାକୁ ହେବ ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେ ଶକ୍ତି ମୋର ଆଉ ନଥିଲା । ଆଖିର ଦୃଷ୍ଟି ଝାପ୍‌ସା ହୋଇଉଠିଲା, ତଥାପି ଭୟରେ କହିପକାଇଲି, ମୋତେ କେଉଁଠାରେ ଟିକିଏ ଶୋଇବାକୁ ଯାଗା ଦିଅନ୍ତୁ । ପାଞ୍ଚମିନିଟ ଖଣ୍ଡେ ଗଡ଼ିପଡ଼ିଲା ପରେ ମୁଁ ସବୁ ପରିଷ୍କାର କରିଦେବି । ପ୍ରତ୍ୟୁତ୍ତରରେ କ’ଣ ବୋଲି ଶୁଣିବ ଜାଣିନଥିଲି କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇ ଚକ୍ରବର୍ତ୍ତୀ ଗୃହିଣୀଙ୍କର ଭୟଙ୍କର କଣ୍ଠସ୍ୱର ହଠାତ୍‌ କୋମଳ ହୋଇଉଠିଲା । ଏତେ ସମୟ ପରେ ସେ ଅନ୍ଧକାରରୁ ମୋ ଆଗକୁ ଆସିଲେ । ସେ କହିଲେ, ତୁମେ କାହିଁକି ବାପା, ପରିଷ୍କାର କରିବାକୁ ଯିବ ? ମୁଁ ସବୁ ସଫା କରିଦେଉଛି । ବାହାରେ ବିଛଣାଟା ଏବେସୁଦ୍ଧା କରିପାରିନାହିଁ । ସେ ପର୍ଯ୍ୟନ୍ତ ତୁମେ ଆମ ଘରେ ଯାଇ ଶୁଅ ।

 

ନା କହିବାର ସାମର୍ଥ୍ୟ ନାହିଁ, ନୀରବରେ ଅନୁସରଣ କରି ତାଙ୍କର ଶତଚ୍ଛିନ୍ନ ଶଯ୍ୟାରେ ଯାଇ ଆଖିବୁଜି ଶୋଇପଡ଼ିଲି ।

 

ଅନେକ ବେଳକୁ ଯେତେବେଳେ ନିଦ ଭାଙ୍ଗିଲା, ସେତେବେଳେ ମୁଣ୍ଡ ଉଠାଇବାର ଶକ୍ତି ନଥିଲା । ଭୟଙ୍କର ଜର ହୋଇଥିଲା । ସହଜରେ ମୋ ଆଖିରୁ ଲୁହ ବହେ ନାହିଁ । କିନ୍ତୁ ଏତେବଡ଼ ଅପରାଧର ଯେ କି କୈଫିୟତ ଦେବି, ଏଇକଥା ଭାବିକରି ନିରବଚ୍ଛିନ୍ନ ଆତଙ୍କରେ ମୋ ଦୁଇ ଚକ୍ଷୁ ଲୋତକାପ୍ଳୁତ ହୋଇଉଠିଲା । ମନେହେଲା ବହୁତଥର ନିରୁଦ୍ଦେଶ୍ୟ ଯାତ୍ରାରେ ବାହାରିପଡ଼ିଛି କିନ୍ତୁ ଏତେବଡ଼ ବିଡ଼ମ୍ବନା ଜଗଦୀଶ୍ୱର ଆଉ କେବେ ଅଦୃଷ୍ଟରେ ଲେଖିନଥିଲେ । ପୁଣି ଥରେ ପ୍ରାଣପଣେ ଚେଷ୍ଟା କଲି ଉଠି ବସିବା ପାଇଁ କିନ୍ତୁ କୌଣସି ମତେ ମୁଣ୍ଡ ଟେକି ନ ପାରି ଆଖିବୁଜି ଶୋଇପଡ଼ିଲି ।

 

ଆଜି ଚକ୍ରବର୍ତ୍ତୀ ଗୃହିଣୀଙ୍କ ସହିତ ମୁହାଁମୁହିଁ ଆଳାପ ହେଲା । ବୋଧହୁଏ ଅତ୍ୟନ୍ତ ଦୁଃଖ ଭିତରେ ନାରୀଜାତିର ଗଭୀର ପରିଚୟ ଟିକକ ମିଳିପାରେ । ସେମାନଙ୍କୁ ଚିହ୍ନିବା ପାଇଁ ଦୁଃଖଠାରୁ କଷଟି ପଥର ବୋଧହୁଏ ଆଉ ନାହିଁ । ସେମାନଙ୍କ ହୃଦୟ ଜୟ କରିବାପାଇଁ ଏତେବଡ଼ ଅସ୍ତ୍ର ବୋଧହୁଏ ପୁରୁଷ ହାତରେ ଆଉ ଦ୍ୱିତୀୟ ନାହିଁ । ମୋ ଶେଯ ପାଖକୁ ଆସି କହିଲେ ନିଦ ଭାଙ୍ଗିଲାଣି ବାପା ?

 

ଚାହିଁ ଦେଖିଲି, ତାଙ୍କ ବୟସ ବୋଧହୁଏ ଚାଳିଶର ପାଖାପାଖି । କିଛି ବେଶୀ ଅବା ହୋଇପାରେ । ରଙ୍ଗଟି କଳା । କିନ୍ତୁ ଆଖି, ମୁହଁ, ସାଧାରଣ ଭଦ୍ର ଗୃହସ୍ଥର ଝିଅମାନଙ୍କ ଭଳି । କେଉଁଠାରେ ଋକ୍ଷତାର ଚିହ୍ନ ନାହିଁ କିନ୍ତୁ ସର୍ବାଙ୍ଗରେ ଦାରିଦ୍ର୍ୟ ଓ ଅନଶନର ଦାଗ ସୁସ୍ପଷ୍ଟ । ଆଖି ଖୋଲି ଦେଖିବା ମାତ୍ରେ ତାହା ଧରାପଡ଼େ । କହିଲେ, କାଲି ଅନ୍ଧାରରେ ଦେଖିପାରିନଥିଲି ବାବା, ମୋ ବଡ଼ ପୁଅ ବଞ୍ଚିଥିଲେ ଠିକ୍ ତୁମରି ବୟସର ହୁଅନ୍ତାଣି ।

 

ଏହାର ଆଉ ଉତ୍ତର କ’ଣ ଅବା ଥିଲା ? ସେ ହଠାତ୍‌ କପାଳରେ ହାତ ମାରି କହିଲେ–ଜରଟା ବର୍ତ୍ତମାନ ସୁଦ୍ଧା ରହିଛି ତ.....

 

ମୁଁ ଆଖି ବୁଜିଥିଲି । ସେଇଭଳି ଆଖି ବୁଜି ରହି କହିଲି–କେହି ଟିକିଏ ସାହାଯ୍ୟ କଲେ ବୋଧହୁଏ ଡାକ୍ତରଖାନା ଯାଇପାରନ୍ତି । ସେଇଟା ତ ଏଠାକୁ ଆଉ ବେଶୀ ଦୂର ନୁହେଁ....

 

ତାଙ୍କ ମୁହଁ ଦେଖିବାକୁ ପାଇଲି ନାହିଁ । କିନ୍ତୁ ମୋ କଥାରେ ତାଙ୍କ କଣ୍ଠସ୍ୱର ଯେପରି ବେଦନାରେ ଭରିଉଠିଲା । କହିଲେ–ଦୁଃଖ ଜ୍ୱାଳାରେ ଗତକାଲି କହୁ କହୁ କ’ଣ ଗୁଡ଼ାଏ କହିବସିଛି ବାବା, ରାଗ କରି ତୁ କ’ଣ ସେଇ ଯମପୁରକୁ ଚାଲିଯିବୁ ? ଆଉ ତୁ ଯିବୁ ବୋଲି କହିଲେ ତୋତେ ମୁଁ ଯିବାକୁ ଦେବି ? ଏହା କହି ସେ କ୍ଷଣକାଳ ପାଇଁ ଚୁପ୍ ରହି ଧୀରେ ଧୀରେ କହିଲେ, ଆତୁରେ ନିୟମ ନାହିଁ ବାବା । ଏଇ ଯେ ଲୋକମାନେ ହାସପାତାଳରେ ଯାଇ ରହନ୍ତି ସେଠାରେ କାହା ଛୁଆଁ ଖାଆନ୍ତି ଜାଣ ? କିନ୍ତୁ ସେଥିରେ କ’ଣ ଜାତି ଯାଏ ନାହିଁ ? ମୁଁ ସାଗୁ ବାର୍ଲି ତିଆରି କରିଦେଲେ ତୁ କ’ଣ ଖାଇବୁ ନାହିଁ ?

 

ମୁଁ ମୁଣ୍ଡ ହଲାଇ ଜଣାଇଦେଲି ଯେ ମୋର ବିନ୍ଦୁ ମାତ୍ର ଆପତ୍ତି ନାହିଁ । କେବଳ ରୋଗୀ ବୋଲି ନୁହେଁ, ଅତ୍ୟନ୍ତ ନୀରୋଗ ଶରୀରରେ ମଧ୍ୟ ମୋର ଆପତ୍ତି ନାହିଁ ।

 

ଅତଏବ ରହିଗଲି । ବୋଧହୁଏ ସର୍ବମୋଟ ଚାରିଦିନ ଥିଲି । ତଥାପି ସେହି ଚାରିଦିନର ସ୍ମୃତି ଭୁଲିବାର ନୁହେଁ । ଦିନକରେ ଜର ଛାଡ଼ିଗଲା । କିନ୍ତୁ ବାକି ତିନିଦିନ ଦୁର୍ବଳ ବୋଲି ସେମାନେ ହଲଚଲ କରାଇଦେଲେ ନାହିଁ । କି ଭୟାନକ ଦାରିଦ୍ର୍ୟ ଭିତର ଦେଇ ଏ ବ୍ରାହ୍ମଣ ପରିବାର ଦିନ କାଟୁଛନ୍ତି ଏବଂ ବିନା ଦୋଷରେ ସମାଜର ପୀଡ଼ନ ହେତୁ ଦୁର୍ଗତି ତାଙ୍କର ସହସ୍ର ଗୁଣ ହୋଇଉଠିଛି ସିନା ! ଚକ୍ରବର୍ତ୍ତୀ ଗୃହିଣୀ ତାଙ୍କର ଅବିଶ୍ରାନ୍ତ ଖଟଣି ଭିତରେ ଟିକିଏ ଅବସର ପାଇଲେ, ମୋ ପାଖରେ ଆସି ବସନ୍ତି । ମଥାରେ, କପାଳରେ ହାତ ବୁଲାଇ ଦିଅନ୍ତି । ଘଣ୍ଟା ଅନୁସାରେ ପଥି ଯୋଗାଇ ଦେଇ ପାରୁନଥିବାରୁ ଏବଂ ସେହି ତ୍ରୁଟିକୁ ସେବା ଯତ୍ନ ଦ୍ୱାରା ପୂର୍ଣ୍ଣ କରିବା ପାଇଁ ତାଙ୍କର ଏକାନ୍ତ ଚେଷ୍ଟା ଦେଖିପାରୁଥିଲି । ପୂର୍ବେ ସେମାନଙ୍କ ଅବସ୍ଥା ସ୍ୱଚ୍ଛଳ ଥିଲା । ଜମିଜମା ମଧ୍ୟ ମନ୍ଦ ନଥିଲା । କିନ୍ତୁ ତାଙ୍କ ନିର୍ବୋଧ ସ୍ୱାମୀଙ୍କୁ ଲୋକେ ପ୍ରତାରିତ କରି ଏପରି ଦୁଃଖରେ ପକାଇ ଦେଇଛନ୍ତି । ସେମାନେ ଆସି ଋଣ ମାଗନ୍ତି । କହନ୍ତି ଦେଶରେ ବଡ଼ଲୋକ ଅନେକ ଅଛନ୍ତି କିନ୍ତୁ ଏତେ ଉଦାରତା କେତେଜଣଙ୍କର ଅଛି ? ଅତଏବ ଏଇ ହୃଦୟର ଉଦାରତାକୁ ପ୍ରମାଣ କରିବା ପାଇଁ ସେ ଋଣ କରି ଋଣ ଦିଅନ୍ତି । ପ୍ରଥମେ ହ୍ୟାଣ୍ଡନୋଟ୍‌ କରି ପରେ ସ୍ତ୍ରୀକୁ ଗୋପନ କରି ସମ୍ପତ୍ତି ବନ୍ଧକ ରଖି ଋଣ ଆଣନ୍ତି ଏହାର ଫଳ ଅଧିକାଂଶ କ୍ଷେତ୍ରରେ ଯାହା ହୋଇଥାଏ ଏଠାରେ ତାହା ହିଁ ହୋଇଛି ।

 

ଏଭଳି କୁକାର୍ଯ୍ୟ ଯେ ଚକ୍ରବର୍ତ୍ତୀଙ୍କର ଅସାଧ୍ୟ ନୁହେଁ ତାହା ଗୋଟାଏ ରାତିର ଅଭିଜ୍ଞତା ଭିତରେ ସଂପୂର୍ଣ୍ଣ ବିଶ୍ୱାସ କରିପାରିଛି । ବୁଦ୍ଧି ଦୋଷରୁ ବିଷୟ ସମ୍ପତ୍ତି ଅନେକ ଚାଲିଯାଏ ଏବଂ ତାହାର ପରିଣାମ ଯେ ଅତ୍ୟନ୍ତ ଦୁଃଖମୟ ହୋଇଥାଏ ସତ, କିନ୍ତୁ ଏଇ ଦୁଃଖ ଯେ ସମାଜର ଏକାନ୍ତ ଅନାବଶ୍ୟକ ଏବଂ ନିଷ୍ଠୁରତା ଦ୍ୱାରା କେତେଦୂର ବଢ଼ି ଯାଇପାରେ ତାହା ଚକ୍ରବର୍ତ୍ତୀ ଗୃହିଣୀଙ୍କର ପ୍ରତିଟି କଥା ପଦରେ ମର୍ମେ ମର୍ମେ ଅନୁଭବ କରିବାକୁ ଲାଗିଲି । ସେମାନଙ୍କର ଦୁଇଟି ମାତ୍ର ଶୋଇବା ଘର । ଗୋଟିଏ ଘରେ ପିଲାପିଲିମାନେ ଶୁଅନ୍ତି ଏବଂ ଅନ୍ୟଟି ସମ୍ପୂର୍ଣ୍ଣ ଅପରିଚିତ ହୋଇ ମୁଁ ଅଧିକାର କରିଛି । ଏଥିପାଇଁ ମୋର ସଂକୋଚର ସୀମା ନଥିଲା । କହିଲି, ଆଜି ତ ମୋର ଜର ଛାଡ଼ିଯାଇଛି ଏବଂ ଆପଣମାନଙ୍କର ମଧ୍ୟ ବହୁତ ଅସୁବିଧା ହେଉଛି । ଯଦି ବାହାର ଘରେ ଗୋଟିଏ ବିଛଣା କରି ଦିଅନ୍ତେ ତେବେ ମୁଁ ଅତ୍ୟନ୍ତ ଖୁସି ହୁଅନ୍ତି ।

 

ଗୃହିଣୀ ମୁଣ୍ଡ ହଲାଇ କହିଲେ–ସେ କଥା କ’ଣ ହୁଏ ବାବା ? ଆକାଶରେ ମେଘ ଉଠାଇଛି । ଯଦି ବର୍ଷା ହୋଇଯାଏ ନା ତେବେ ଘରେ ମୁଣ୍ଡ ଟିକିଏ ଗୁଞ୍ଜିବାକୁ ଯାଗା ମିଳିବ ନାହିଁ । ତୁମେ ରୋଗୀ ମଣିଷ । ଏଭଳି ଭରସା ତ ମୁଁ କରିପାରୁନି ବାବା ।

 

ତାଙ୍କ ଅଗଣାରେ କିଛି ନଡ଼ା ସଞ୍ଚିତ ହୋଇଥିବାର ଲକ୍ଷ୍ୟ କରିଥିଲେ, ତାକୁ ଇଙ୍ଗିତ କରି ପଚାରିଲି–ବେଳ ଦେଖି ଛପର କରି ନେଉନାହାନ୍ତି କାହିଁକି ? ପାଣି–ପବନର ତ ଦିନ ଆସୁଛି ।

 

ଏହାର ପ୍ରତ୍ୟୁତ୍ତରରେ ଜାଣିପାରିଲି ଯେ ତାହା ସହଜରେ ହେବା କଥା ନୁହେଁ । ପତିତ ବ୍ରାହ୍ମଣ ବୋଲି ଏ ଅଞ୍ଚଳର ଚାଷୀମାନେ ତାଙ୍କ କାମ କରନ୍ତି ନାହିଁ । ଅନ୍ୟ ଗ୍ରାମରେ ମୁସଲମାନ ମୂଲିଆ ଅଛନ୍ତି । ସେମାନେ ଆସି ଘରଛପର କରିଦିଅନ୍ତି । ଯେ କୌଣସି କାରଣରୁ ହେଉ ଏବର୍ଷ ସେମାନେ ମଧ୍ୟ ଆସିପାରି ନାହାନ୍ତି । ଏହି ପ୍ରସଙ୍ଗରେ ସେ ହଠାତ୍‌ କାନ୍ଦିଉଠି କହିଲେ–ବାବା, ଆମମାନଙ୍କର ଦୁଃଖର କ’ଣ ସୀମା ଅଛି ? ସେ ବର୍ଷ ଆମର ସାତ–ଆଠ ବର୍ଷର ଝିଅଟା ହଠାତ୍‌ ହଇଜାରେ ମରିଗଲା । ପୂଜା ସମୟରେ ମୋ ଭାଇମାନେ କାଶୀ ବୁଲିବାକୁ ଯାଇଥିଲେ । ସେଥିପାଇଁ ଲୋକ ମିଳିଲେ ନାହିଁ । ତେଣୁ ଏକା ଏକା ପିଲାଟାକୁ ନେଇ ଶ୍ମଶାନକୁ ଯିବାକୁ ହେଲା-ତାହା କ’ଣ ସତ୍କାରରେ ଲେଖାଯାଏ ? କାଠ ଖଣ୍ଡିଏ କେହି ଦେଲେ ନାହିଁ । ବାପ ହୋଇ ନିଜ ହାତରେ ଗାତ ଖୋଳି ପିଲାଟାକୁ ପୋତି ଦେଇ ଘରକୁ ଫେରିଆସିଲେ । କହୁ କହୁ ତାଙ୍କର ପୁରାତନ ଶୋକ ପୁଣି ନୂତନ ରୂପରେ ଦେଖାଦେଲା । ଆଖି ପୋଛି ପୋଛି ସେ ଯାହା କହି ବସିଲେ ତାହାର ମୋଟ ଅଭିଯୋଗ ଏଇ ଯେ, ତାଙ୍କ ପୂର୍ବ ପୁରୁଷରୁ କିଏ କେଉଁ କାଳରେ ଦାନ ଗ୍ରହଣ କରିଥିଲେ, ସେଇ ତାଙ୍କର ଅପରାଧ ! ଅଥଚ ଶ୍ରାଦ୍ଧଟା ହିନ୍ଦୁର କର୍ତ୍ତବ୍ୟ ଏବଂ କେହି ନା କେହି ଶ୍ରାଦ୍ଧ ଗ୍ରହଣ ନ କରିଲେ ସେ ଶ୍ରାଦ୍ଧ ଅସିଦ୍ଧ ଏବଂ ନିଷ୍ଫଳ ହୋଇଯାଏ । ତେବେ ଦୋଷଟା କେଉଁଠି ? ଆଉ ଯଦି ଅବା ଦୋଷ ଥାଏ ତେବେ ମନୁଷ୍ୟକୁ ପ୍ରଲୁବ୍‌ଧ କରି ସେଭଳି କାର୍ଯ୍ୟ ଅବା କରାଯାଏ କାହିଁକି ?

 

ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଯେପରି କଠିନ, ପୂର୍ବପୁରୁଷ ଭିତରୁ କାହାର ଦୁଷ୍କୃତିର ଶାସ୍ତିସ୍ୱରୂପ ସେମାନଙ୍କ ବଂଶଧରକୁ ଯେ ଏପରି ବିଡ଼ମ୍ୱନା ଭୋଗ କରିବାକୁ ହୁଏ ତାହା ଏତେକାଳ ପରେ ଆବିଷ୍କାର କରିବା ମଧ୍ୟ ସେହିପରି ଦୁଃସାଧ୍ୟ । ଶ୍ରାଦ୍ଧର ଦାନ ନେବା ଭଲ କି ମନ୍ଦ ତାହା ମୁଁ ଜାଣି ନାହିଁ । ମନ୍ଦ ହୋଇଥିଲେ ଏକଥା ସତ ଯେ, ବ୍ୟକ୍ତିଗତ ଭାବରେ ସେମାନେ ଏ କାର୍ଯ୍ୟ କରିନାହାନ୍ତି । ଅତଏବ ସେମାନେ ଚିରଦିନ ପାଇଁ ଅପରାଧୀ ହୋଇ ରହିବେ କାହିଁକି ? ଅଥଚ ପ୍ରତିବେଶୀ ହୋଇ ଅନ୍ୟ ଜଣେ ପ୍ରତିବେଶୀ ଜୀବନ ଯାତ୍ରାର ପଥ ବିନା ଦୋଷରେ ମଣିଷ ଏପରି ଦୁର୍ଗମ କରି ଦେଇପାରେ, ଏପରି ହୃଦୟହୀନ, ନିର୍ଦ୍ଦୟ ବର୍ବରତାର ଉଦାହରଣ ଜଗତରେ ବୋଧହୁଏ ହିନ୍ଦୁ ସମାଜ ବ୍ୟତୀତ ଆଉ କେଉଁଠାରେ ନାହିଁ ।

 

ସେ ପୁଣି କହିଲେ ଏ ଗାଆଁରେ ବେଶୀ ଲୋକ ନାହାନ୍ତି । ଜ୍ୱର ଆଉ ହଇଜାରେ ଅଧେ ମରିଯାଇଛନ୍ତି । ବର୍ତ୍ତମାନ ଅଛନ୍ତି କେବଳ ବ୍ରାହ୍ମଣ, କାୟସ୍ଥ, ଆଉ ରାଜପୁତ୍‌ । ଆମର ଆଉ କୌଣସି ଉପାୟ ନାହିଁ ବାବା, ନଚେତ୍‌ ବେଳେବେଳେ ଇଚ୍ଛାହୁଏ ଯାଇ କୌଣସି ମୁସଲମାନ ଗାଆଁରେ ବାସ କରିବାକୁ ।

 

କହିଲି–ସେଠାରେ ତ ଜାତି ଯାଇପାରେ ?

 

ଚକ୍ରବର୍ତ୍ତୀ ଗୃହିଣୀ ଏ ପ୍ରଶ୍ନର ସଠିକ୍‌ ଉତ୍ତର ଦେଲେ ନାହିଁ । କହିଲେ ଆମର ଜଣେ ସମ୍ପର୍କୀୟ ଖୁଡ଼ୁତାଶୁର ଅଛନ୍ତି । ସେ ଦୁମକାରେ ଚାକିରି କରିବାକୁ ଯାଇ ଖ୍ରୀଷ୍ଟାନ ହୋଇଛନ୍ତି । ତାଙ୍କର ତ ଆଉ କୌଣସି କଷ୍ଟ ନାହିଁ ।

 

ଚୁପ୍‌ ହୋଇ ରହିଲି । ହିନ୍ଦୁଧର୍ମ ତ୍ୟାଗ କରି କେହି ଅନ୍ୟ ଧର୍ମ ଗ୍ରହଣ କରିବାକୁ ଇଚ୍ଛା କରୁଥିବାର ଶୁଣିଲେ ବଡ଼ କଷ୍ଟ ଲାଗେ । କିନ୍ତୁ କ’ଣ କହି ଅବା ସାନ୍ତ୍ୱନା ଦେବି ? ଏତେଦିନ ଜାଣିଥିଲି ଅସ୍ପର୍ଶ୍ୟ ଏବଂ ନୀଚ ଜାତି ଯେଉଁମାନେ ଅଛନ୍ତି ସେମାନେ କେବଳ ହିନ୍ଦୁ ସମାଜ ଭିତରେ ନିର୍ଯ୍ୟାତନା ଭୋଗ କରନ୍ତି । କିନ୍ତୁ ଆଜି ଜାଣିଲି ଏଥିରୁ କେହି ବାଦ୍‌ ଯାଆନ୍ତି ନାହିଁ । ଅର୍ଥହୀନ ବିଚାର ଦ୍ୱାରା ପରସ୍ପରର ଜୀବନ ଦୁର୍ବହ କରିବା ଯେପରି ଏ ସମାଜର ମଜ୍ଜାଗତ ସଂସ୍କାର । ପରେ ଅନେକ ହିଁ ସ୍ୱୀକାର କରିଛନ୍ତି–ଏହା ଅନ୍ୟାୟ, ଏବଂ ଗର୍ହିତ; ତଥାପି ନିରାକରଣର କୌଣସି ପନ୍ଥା ହିଁ ସେମାନେ ନିର୍ଦ୍ଦେଶ କରିନାହାନ୍ତି । ଏହି ଅନ୍ୟାୟ ମଧ୍ୟ ଦେଇ ସେମାନେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯିବା ପାଇଁ ରାଜି ଅଛନ୍ତି । କିନ୍ତୁ ପ୍ରତିକାର ପାଇଁ ପ୍ରବୃତ୍ତି କିମ୍ବା ସାହସ ମଧ୍ୟରୁ କେଉଁଟା ସେମାନଙ୍କର ନଥିବା ଜାଣି ମଧ୍ୟ ପ୍ରତିକାର କରିବାର ଶକ୍ତି ଯେଉଁ ଜାତିର ନାହିଁ; ସେ ଜାତି ଯେ କିଭଳି ଭାବରେ ଦୀର୍ଘକାଳ ଧରି ବଞ୍ଚି ରହିବ ତାହା ଭାବିବା ବଡ଼ କଠିନ ।

 

ତିନିଦିନ ପରେ ସୁସ୍ଥ ହୋଇ ଦିନେ ଯିବା ପାଇଁ ପ୍ରସ୍ତୁତ ହୋଇ କହିଲି–ମାଆ, ଆଜି ମୋତେ ବିଦାୟ ଦିଅନ୍ତୁ ।

 

ଚକ୍ରବର୍ତ୍ତୀ ଗୃହିଣୀଙ୍କର ଦୁଇ ଆଖି ଲୁହରେ ଛଳ ଛଳ ହୋଇଉଠିଲା । କହିଲେ–ଦୁଃଖୀ ଘରେ ବହୁତ ଦୁଃଖ ଭୋଗିଲ ବାବା, ତୁମକୁ କମ୍‌ କଟୁ କଥା ମଧ୍ୟ କହିନାହିଁ ।

 

ଏ କଥାର ଉତ୍ତର ଖୋଜି ପାଇଲି ନାହିଁ । ନା, ନା, ସେ କିଛି ନୁହେଁ; ମୁଁ ମହା ଆନନ୍ଦରେ ଥିଲି ଇତ୍ୟାଦି, ମାମୁଲି ଭଦ୍ର ବାକ୍ୟ ଉଚ୍ଚାରଣ କରିବାକୁ ମୁଁ ଲଜ୍ଜ୍ୟାବୋଧ କଲି । ବ୍ରଜାନନ୍ଦର କଥା ମନେପଡ଼ିଲା । ସେ ଦିନେ କହିଥିଲା–ଘର ଛାଡ଼ି ଆସିଲେ କ’ଣ ହେବ । ଏଇ ବଙ୍ଗଳା ଦେଶର ଘରେ ଘରେ ମାଆ, ଭଉଣୀ । ସେମାନଙ୍କର ଆକର୍ଷଣ ଏଡ଼ାଇ ଯିବା ସାଧ୍ୟ କାହାର ଅଛି ? ପ୍ରକୃତରେ କଥାଟା କେତେ ସତ ନୁହେଁ !

 

ନିରତିଶୟ ଦାରିଦ୍ର୍ୟ ଏବଂ ନିର୍ବୋଧ ସ୍ୱାମୀଙ୍କର ଅବିବେଚନାର ଆତିଶଯ୍ୟ ଏହି ଘରର ଗୃହିଣୀକୁ ପ୍ରାୟ ପାଗଳ କରିଦେଇଛି ସତ, କିନ୍ତୁ ଯେଉଁ ମୁହୂର୍ତ୍ତରେ ସେ ଅନୁଭବ କଲେ ଯେ ମୁଁ ପୀଡ଼ିତ ଏବଂ ନିରୁପାୟ ସେତେବେଳେ ଆଉ ତାଙ୍କର ଭାବିବାର କିଛି ନଥିଲା । ମାତୃତ୍ୱର ସୀମାହୀନ ସ୍ନେହଦ୍ୱାରା ମୋ ରୋଗ ଓ ପରଗୃହ–ବାସର ସମସ୍ତ ଦୁଃଖ ଯେପରି ସେ ଦୁଇହାତ ଦେଇ ପୋଛିନେଲେ ।

 

ଚକ୍ରବର୍ତ୍ତୀ ଚେଷ୍ଟା କରି ଗୋଟିଏ ଶଗଡ଼ ଗାଡ଼ି ଠିକ୍‌ କରି ଆଣିଲେ । ଗୃହିଣୀଙ୍କର ଭାରି ଇଚ୍ଛାଥିଲା ମୁଁ ସ୍ନାନାହାର କରିସାରି ଯାଏ । କିନ୍ତୁ ଖରା ବଢ଼ିବା ଆଶଙ୍କା ହେତୁ ଆଉ ବାଧ୍ୟ କଲେ ନାହିଁ । କେବଳ ଯାତ୍ରା କାଳରେ ଦେବ ଦେବୀଙ୍କର ନାମ ସ୍ମରଣ କରି ଆଖି ପୋଛି କହିଲେ, ବାବା, ଯଦି କେବେ ଏଆଡ଼େ ଆସୁଥାଅ, ତେବେ ଥରକ ପାଇଁ ଦେଖାଦେଇ ଯିବ ।

 

ସେ ଦିଗରେ କେବେ ଯାଇନାହିଁ କିମ୍ବା ଜୀବନରେ ଦେଖା ମଧ୍ୟ ଆଉ ଥରକ ପାଇଁ ହୋଇନାହିଁ । କେବଳ ବହୁଦିନ ପରେ ଶୁଣିଥିଲି ଯେ ରାଜଲକ୍ଷ୍ମୀ କୁଶାରୀ ମହାଶୟଙ୍କ ହାତରେ ସାହାଯ୍ୟ କରି ତାଙ୍କର ଅନେକାଂଶର ଋଣ ପରିଶୋଧ କରି ଦେଇଥିଲା ।

 

ଗଙ୍ଗାମାଟି ଘରେ ଆସି ଯେତେବେଳେ ପହଞ୍ଚିଲି ସେତେବେଳକୁ ବେଳ ପ୍ରାୟ ତୃତୀୟ ପ୍ରହର । ଦ୍ୱାରର ଉଭୟ ପଟେ ମଙ୍ଗଳଘଟ ଓ କଦଳୀ ଗଛ ସ୍ଥାପନ କରାଯାଇଥାଏ । ଉପରେ ଆମ୍ବ ପତ୍ରର ତୋରଣ । ବାହାରେ ଅନେକ ଗୁଡ଼ିଏ ଲୋକ ମେଳ ହୋଇ ତମାଖୁ ଖାଇବାରେ ଲାଗିଥାନ୍ତି । ଗୋରୁଗାଡ଼ି ଶବ୍ଦ ଶୁଣି ସେମାନେ ମୁହଁ ଉଠାଇ ଚାହିଁଲେ । ବୋଧହୁଏ ଏହାର ମଧୁର ଶବ୍ଦରେ ଆକୃଷ୍ଟ ହୋଇ ଆଉ ଜଣେ ଯିଏ ଆସି ହଠାତ୍‌ ଦ୍ୱାର ବନ୍ଧ ନିକଟରେ ଉପସ୍ଥିତ ହେଲେ ଦେଖିଲେ ସେ ହେଉଛନ୍ତି ସ୍ୱୟଂ ବ୍ରଜାନନ୍ଦ । ତାଙ୍କର ଉଲ୍ଲସିତ କଳରବ ଉଦ୍ଦାମ ହୋଇଉଠିଲା ଏବଂ କିଏ ଜଣେ ଘରଭିତରକୁ ଖବର ଦେବାପାଇଁ ଦଉଡ଼ି ଗଲା । ସ୍ୱାମୀଜୀ କହିବାକୁ ଲାଗିଲେ, ସେ ଆସି ସକଳ ବିବରଣୀ ଜଣାଇବା ପର୍ଯ୍ୟନ୍ତ ଚାରିଆଡ଼େ ଲୋକ ପଠାଇ ଖୋଜିବା ଚେଷ୍ଟାର ଯେପରି ବିରାମ ନଥିଲା ଏବଂ ଘରସାରା ଲୋକଙ୍କର ଦୁଃଶ୍ଚିନ୍ତାର ସୀମା ନଥିଲା । ତା’ପରେ ମୋତେ ପଚାରିଲା ଘଟଣା କ’ଣ ? ଅକସ୍ମାତ୍‌ କେଉଁଠାରେ ଲୁଚିଗଲ କହିଲ ? ଶଗଡ଼ିଆ ଟୋକାଟା ଯାଇ ତ କହିଲା ଯେ ସେ ତୁମକୁ ଗଙ୍ଗାମାଟିରେ ଓହ୍ଲାଇଦେଇ ଯାଇଛି ।

 

ରାଜଲକ୍ଷ୍ମୀ କାମରେ ବ୍ୟସ୍ତ ଥିଲା । ଆସି ପାଦତଳେ ମୁଣ୍ଡ ନୁଆଇଁ ପ୍ରଣାମ କରିସାରି କହିଲା ଘରସାରା ଲୋକଙ୍କୁ ଏପରି ଶାସ୍ତି ଦେଇ କି ଲାଭ ପାଇଲ କହିଲ ? ବ୍ରଜାନନ୍ଦଙ୍କୁ ଉଦ୍ଦେଶ୍ୟ କରି କହିଲା, କିନ୍ତୁ ଦେଖ ଆନନ୍ଦ, ଆଜି ମୋ ମନ କହୁଥିଲା ସେ ନିଶ୍ଚୟ ଆସିବେ ।

 

ହସିଦେଇ କହିଲି–ଦ୍ୱାରରେ କଦଳୀ ଘଟ ଆଉ ପୂର୍ଣ୍ଣକୁମ୍ଭ ସଜା ହୋଇଥିବା ଦେଖି ମୁଁ ଅନୁମାନ କରିସାରିଛି ଯେ ମୋ ଆସିବା ତୁମେ ଜାଣିପାରିଛ ।

 

କବାଟ ଆଢ଼ୁଆଳରେ ରତନ ଆସି ଠିଆ ହୋଇଥିଲା । ସେ ତରତର ହୋଇ କହିଉଠିଲା–ଆଜ୍ଞା ସଜା ହୋଇନାହିଁ । ଆଜି ବ୍ରାହ୍ମଣ ଭୋଜନ ହେବ କି ନା ! ବକ୍ରେଶ୍ୱର ଦେଖିଆସି ମାଆ.....

 

ରାଜଲକ୍ଷ୍ମୀ ଧମକ ଦେଇ କହିଲା–ତତେ ଆଉ ବ୍ୟାଖ୍ୟା କରିବାକୁ ହେବନାହିଁ ରତନ । ନିଜ କାମ କରିବୁ ଯା ।

 

ତା’ର ଆରକ୍ତ ମୁହଁକୁ ଦେଖି ବ୍ରଜାନନ୍ଦ ହସି ପକାଇଲା । କହିଲା–ତୁମେ ଜାଣଟି ଭାଇ । କୌଣସି ଗୋଟାଏ କାମରେ ଲାଗି ନ ରହିଲେ ମନର ଉତ୍କଣ୍ଠା ବୃଦ୍ଧିପାଏ, ସହ୍ୟ ହୋଇ ହୁଏନାହିଁ । ଭୋଜିର ଆୟୋଜନଟା କେବଳ ଏଇଥିପାଇଁ । କ’ଣ କହୁଛ ନାନୀ, ଏଇଆ ନା ?

 

ରାଜଲକ୍ଷ୍ମୀ ଜବାବ ଦେଲାନାହିଁ । ରାଗ କରି ବାହାରିଗଲା ।

 

ବ୍ରଜାନନ୍ଦ ପଚାରିଲା ଭୟଙ୍କର ରୋଗା ଦେଖାଯାଉଛ ଯେ ? ଏହା ଭିତରେ କ’ଣ କାଣ୍ଡ ଘଟିଛି ଟିକିଏ କହନ୍ତୁ ନା, ଘରକୁ ନ ଆସି ହଠାତ୍‌ ଛପି ଗଲ କୁଆଡ଼େ ?

 

ଛପି ରହିବାର କାରଣ ସବିସ୍ତାରରେ ବର୍ଣ୍ଣନା କଲି । ଶୁଣି କରି ଆନନ୍ଦ କହିଲା–ଭବିଷ୍ୟତରେ ଆଉ ଏପରି ପଳାଇବେ ନାହିଁ । କିଭଳି ଭାବରେ ଯେ ମୋ ନାନୀର ଦିନଗୁଡ଼ାକ କଟିଛି ତାହା ଆଖିରେ ନ ଦେଖିଲେ କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ ।

 

ସେକଥା ଜାଣେ । ତେଣୁ ଆଖିରେ ନ ଦେଖି ମଧ୍ୟ ମୁଁ ବିଶ୍ୱାସ କଲି । ରତନ ଚାହା ଆଉ ତମାଖୁ ଦେଇଗଲା । ଆନନ୍ଦ କହିଲା ମୁଁ ମଧ୍ୟ ବାହାରକୁ ଯାଉଛି ଭାଇ । ବର୍ତ୍ତମାନ ଆପଣଙ୍କ ପାଖରେ ବସି ରହିଲେ ହୁଏତ ଆଉ ଜଣେ ଇହ ଜନ୍ମରେ ମୋ ମୁହଁ ଆଉ ଦେଖିବ ନାହିଁ । ଏହା କହି ସେ ହସିଦେଇ ଚାଲିଗଲା ।

 

କିଛି ସମୟ ପରେ ରାଜଲକ୍ଷ୍ମୀ ଅତ୍ୟନ୍ତ ସହଜ ଭାବରେ ଆସି କହିଲା–ସେ ଘରେ ଗରମ ପାଣି ଆଉ ଲୁଗା, ଗାମୁଛା ରଖିଦେଇ ଆସିଛି । କେବଳ ଦେହ ଆଉ ମୁଣ୍ଡଟା ପୋଛି ଲୁଗାଟା ବଦଳାଇ ପକାଇବ । ଖବରଦାର ମୁଣ୍ଡରେ ଢାଳଟିଏ ହେଲେ ପାଣି ଢାଳିବ ନାହିଁ ।

 

କହିଲି–କିନ୍ତୁ ସ୍ୱାମୀଜୀ ତୁମକୁ ଭୁଲ କଥା କହିଛି । ଜ୍ୱର ମୋର ଆଦୌ ନାହିଁ ।

 

ରାଜଲକ୍ଷ୍ମୀ କହିଲା–ନଥାଉ, କିନ୍ତୁ ହେବାକୁ କେତେକ୍ଷଣ ?

 

: ସେ ଖବର ଅବଶ୍ୟ ତୁମକୁ ସଠିକ୍‌ ଭାବରେ ଦେଇପାରିବି ନାହିଁ । କିନ୍ତୁ ଗରମରେ ମୋର ସର୍ବାଙ୍ଗ ଜଳିଯାଉଛି । ସ୍ନାନ କରିବା କ’ଣ ଦରକାର ?

 

ରାଜଲକ୍ଷ୍ମୀ କହିଲା–ଦରକାର କି କ’ଣ ? ହଉ ଏକା ଏକା ତୁମଦ୍ୱାରା ହେବନାହିଁ । ଚାଲ ମୁଁ ତୁମ ସଙ୍ଗରେ ଯାଉଛି । ଏହା କହି ସେ ନିଜେ ହସିପକାଇ କହିଲା ଅଡ଼ି ବସି ନିଜେ କାହିଁକି କଷ୍ଟ ପାଇବ ଆଉ ମୋତେ ଅବା କଷ୍ଟ ଦେବ ? ଏତେ ଅବେଳାରେ ଗାଧୋଇବ ନାହିଁ, ମୋ ସୁନାଟା ପରା ।

 

ଏପରି କଥା କହିବାରେ ରାଜଲକ୍ଷ୍ମୀ ସମାନ ଆଉ କାହାକୁ ଏପର୍ଯ୍ୟନ୍ତ ଦେଖିନାହିଁ । ନିଜର ଇଚ୍ଛାକୁ ଜୋର କରି ପରକାନ୍ଧରେ ଚାପିଦେବାର ପଟୁତାଟିକୁ ସେ ସ୍ନେହର ମାଧୁର୍ଯ୍ୟ ରସରେ ଏପରି ଭରିଦେଇପାରେ ଯେ, ସେଇ ଜିଦ୍‌ ବିରୁଦ୍ଧରେ ଆଉ କାହାର ସଂକଳ୍ପ ମୁଣ୍ଡଟେକି ଠିଆହୋଇ ପାରେନାହିଁ । ଏଭଳି ଘଟଣା ବହୁବାର ଦେଖିଛି । ତା’ ଇଚ୍ଛାଶକ୍ତିକୁ ଅତିକ୍ରମ କରି ଯିବାର ଶକ୍ତି କେବଳ ମୁଁ ପାଇନାହିଁ ତାହାନୁହେଁ, କାହାର ଥିବାର ମଧ୍ୟ ଦେଖି ନାହିଁ । ମୁଁ ଗାଧୁଆ ଘରୁ ଆସିସାରିବା ପରେ ସେ ମୋ ପାଇଁ ଖାଇବାକୁ ଆଣିବା ଲାଗି ବାହାରିଲା ।

 

କହିଲି–ତୁମ ବ୍ରାହ୍ମଣ ଭୋଜନ ପର୍ବଟା ଟିକିଏ ଶେଷ ହୋଇଯାଉ ।

 

ରାଜଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ କହିଲା–ରକ୍ଷାକର ତୁମେ । ସେ ପାଲା ଶେଷ ହେବା ପାଇଁ ଯେ ସନ୍ଧ୍ୟା ହୋଇଯିବ ।

 

: ହେଉ ।

 

ରାଜଲକ୍ଷ୍ମୀ ହସି ହସି କହିଲା–ତା’ ଅବଶ୍ୟ ସତ । ବ୍ରାହ୍ମଣ ଭୋଜନ ମୋ ମୁଣ୍ଡରେ ଥାଉ ପଛକେ କିନ୍ତୁ ତାହା ବଦଳରେ ତୁମକୁ ଉପାସ ରଖିଲେ ମୋ ସ୍ୱର୍ଗକୁ ଯିବା ସିଡ଼ି ପାତାଳକୁ ମୁହଁ କରିବ । ଏହା କହି ସେ ଖାଦ୍ୟ ଆଣିବାକୁ ଚାଲିଗଲା ।

 

ଅଳ୍ପ ସମୟ ପରେ ସେ ଆସି ମୋତେ ଯାହା ଖୁଆଇ ବସିଲା ସେ ସବୁ ରୋଗୀର ପଥ୍ୟ । ଭୋଜି ପାଇଁ ଆୟୋଜିତ ସମସ୍ତ ଗୁରୁପାକ ସହିତ ଏହାର କୌଣସି ସମ୍ୱନ୍ଧ ନ ଥିଲା । ବୁଝାଗଲା ମୋ ଆସିବା ପରେ ସେ ନିଜ ହାତରେ ସବୁ ପ୍ରସ୍ତୁତ କରିଛି । ତଥାପି ଆସିଲା ପରଠାରୁ ତା’ ଆଚରଣରେ ଏବଂ ବ୍ୟବହାରରେ ଏପରି କିଛି ଅନୁଭବ କରୁଥିଲି ଯାହା କେବଳ ଅପରିଚିତ ନୁହେଁ ଅତ୍ୟନ୍ତ ପୁରାତନ; ଏଇଟା ଖାଇବା ସମୟରେ ସୁସ୍ପଷ୍ଟ ହୋଇଗଲା । କିନ୍ତୁ କିପରି ଓ କାହିଁକି ସୁସ୍ପଷ୍ଟ ହୋଇଉଠିଲା, କେହି ମୋତେ ପଚାରିଲେ ମୁଁ ଅସ୍ପଷ୍ଟ ଭାବରେ ସୁଦ୍ଧା ବୁଝାଇପାରିବି ନାହିଁ । ହୁଏତ ଏଇ କଥାଟାର ପ୍ରତ୍ୟୁତ୍ତରରେ ଏତିକି କହିପାରିବି ଯେ–ମନୁଷ୍ୟର ଅତ୍ୟନ୍ତ ବ୍ୟଥା ଜନିତ ଅନୁଭୂତିକୁ ବର୍ଣ୍ଣନା କରିବା ପାଇଁ ଭାଷା ଏପର୍ଯ୍ୟନ୍ତ ସୃଷ୍ଟି ହୋଇପାରି ନାହିଁ । ରାଜଲକ୍ଷ୍ମୀ ଖୁଆଇବାକୁ ବସିଲା । ଖାଇବା ଆଉ ନ ଖାଇବା ପାଇଁ ତା’ର ଆଗଭଳି ଜବରଦସ୍ତି ନଥିଲା; ଥିଲା ବ୍ୟାକୁଳ ଅନୁନୟ । ଜୋର ନଥିଲା, ଥିଲା ଭିକ୍ଷା । ବାହାର ଆଖିରେ ତାହା ଦେଖାଯାଏ ନାହିଁ । କେବଳ ଦେଖାଯାଏ ନିଭୃତ ହୃଦୟର ଅପଲକ ଆଖିଦୁଇଟିର ଚାହାଣିରେ ।

 

ଖାଇବା ଶେଷ ହେଲା । ରାଜଲକ୍ଷ୍ମୀ କହିଲା–ମୁଁ ଏଥର ଯାଉଛି ।

 

ବାହାରେ ଅତିଥିମାନେ ଜମି ଯାଇଥିଲେ । ତେଣୁ କହିଲି ଯାଅ ।

 

ଅତିଥିମାନଙ୍କର ଉଚ୍ଛିଷ୍ଟ ପତ୍ରଗୁଡ଼ିକ ହାତରେ ଧରି ସେ ଯେତେବେଳେ ଘରୁ ବାହାରିଗଲା, ସେତେବେଳେ ବହୁ ସମୟ ପର୍ଯ୍ୟନ୍ତ ମୁଁ ଆନମନା ହୋଇ ତା’ ଯିବା ବାଟକୁ ଚାହିଁ ରହିଲି । ମନେହେବାକୁ ଲାଗିଲା ରାଜଲକ୍ଷ୍ମୀକୁ ଏଇ କେତେଦିନ ତଳେ ଯେପରି ଭାବରେ ଛାଡ଼ିଦେଇ ଯାଇଥିଲି ବର୍ତ୍ତମାନ ସେ ତ ସେପରି ଭାବରେ ଆଉ ନାହିଁ । ଆନନ୍ଦ କହୁଥିଲା–କାଲିଠାରୁ ତା’ ନାନୀ ଏକପ୍ରକାର ଉପବାସରେ ଅଛି ଏବଂ ଆଜିସୁଦ୍ଧା ଜଳ ସ୍ପର୍ଶ କରିନାହିଁ ଏବଂ କାଲି କେତେବେଳକୁ ଯେ ତା’ର ଉପବାସ ଭାଙ୍ଗିବ ତା’ର କୌଣସି ଠିକଣା ନାହିଁ । ଅସମ୍ଭବ ମଧ୍ୟ ନୁହେଁ । ଚିରଦିନ ଦେଖି ଆସିଛି, ତା’ର ଧର୍ମପିପାସୁ ମନ କେତେବେଳେ କୌଣସି କଷ୍ଟ ସାଧନ କରିବାକୁ ପଛାଇ ନାହିଁ । ଏଠାକୁ ଆସିବା ପରେ ସୁନନ୍ଦାର ସାହଚର୍ଯ୍ୟରେ ସେହି ଅବିଚଳିତ ନିଷ୍ଠା ତା’ର ନିରନ୍ତର ବଢ଼ିବାକୁ ଲାଗିଥିଲା । ଆଜି ତାକୁ ଅଳ୍ପ ସମୟ ପାଇଁ ମାତ୍ର ଦେଖିବାକୁ ଅବକାଶ ପାଇଛି, କିନ୍ତୁ ଦୁର୍ଜ୍ଞେୟ ରହସ୍ୟମୟ ପଥରେ ସେ ଯେପରି ଭାବରେ ଅବିଶ୍ରାନ୍ତ ପାଦ ବଢ଼ାଇ ଚାଲିଛି; ମନେହେଲା, ତା’ର ନିନ୍ଦିତ ଜୀବନର ସଞ୍ଚିତ କାଳିମା ଯେତେବଡ଼ ହେଉନା କାହିଁକି ଆଉ ତାହା ତା’ର ସମକକ୍ଷ ହୋଇପାରିବ ନାହିଁ । କିନ୍ତୁ ମୁଁ ? ମୁଁ ଯେ ତା’ ଗତିପଥରେ ଉତ୍ତୁଙ୍ଗ ଗିରିଭଳି ପ୍ରତିରୋଧ କରି ଠିଆ ହୋଇଛି ।

 

କାର୍ଯ୍ୟକ୍ରମ ସାରି ଚୁପ୍‍ଚୁପ୍‌ ଭାବରେ ଯେତେବେଳେ ରାଜଲକ୍ଷ୍ମୀ ମୋ ଘରେ ପ୍ରବେଶ କଲା ରାତି ସେତେବେଳକୁ ବୋଧହୁଏ ଦଶଟା ହେବ । ଆଲୁଅ କମାଇଦେଇ, ମଶାରି ପକାଇ ସେ ନିଜ ବିଛଣାରେ ଶୋଇବାକୁ ଯାଉଥିଲା ବେଳେ ମୁଁ କହିଲି–ତୁମର ବ୍ରାହ୍ମଣ ଭୋଜନ ପର୍ବ ତ ସନ୍ଧ୍ୟାବେଳରୁ ଶେଷ ହେଲାଣି । ଏତେ ରାତି ହେଲା ଯେ ?

 

ରାଜଲକ୍ଷ୍ମୀ ପ୍ରଥମେ ଚକିତ ହେଲା । ପରେ ହସିଦେଇ କହିଲା–ହାୟରେ ! ମୋର କପାଳ । ମୁଁ ଭୟରେ ଆସୁଛି କାଳେ ତୁମର ନିଦ ଭାଙ୍ଗିଯିବ ବୋଲି । ବର୍ତ୍ତମାନ ସୁଦ୍ଧା ଚାହିଁଛଟି ?

 

: ତୁମ ଆସିବା ଆଶାରେ ଜାଗି ରହିଥିଲି ।

 

: ମୋ ଆଶାରେ ? ତେବେ ଡାକି ପଠାଇଲ ନାହିଁ କାହିଁକି ? ଏହା କହି ସେ ପାଖକୁ ଆସି ମଶାରିର ଗୋଟିଏ ପାଖ ଖୋଲିଦେଇ ମୋ ଶଯ୍ୟାର ଗୋଟିଏ ଧାରରେ ବସିଲା । ଅଭ୍ୟାସମତ ମୋ ମୁଣ୍ଡ କେଶ ଭିତରେ ତା’ ହାତର ଦଶ ଆଙ୍ଗୁଳିକୁ ପୂରାଇ କହିଲା–ଡାକି ପଠାଇଲ ନାହିଁ କାହିଁକି ?

 

: ଡାକି ପଠାଇଥିଲେ ତୁମେ କ’ଣ ଆସିଥାନ୍ତ ? ତୁମର ଯେ ତେଣେ କେତେ କାମ ।

 

: ଯେତେ କାମ ଥାଉ । ତୁମେ ଡାକି ପଠାଇଥିଲେ ‘ନା’ ବୋଲି କହିବାର ସାଧ୍ୟ କ’ଣ ମୋର ଅଛି ?

 

ଏହାର ଉତ୍ତର କିଛି ମୋ ପକ୍ଷରେ ନଥିଲା । ଜାଣେ, ମୋ ଆହ୍ୱାନକୁ ଉପେକ୍ଷା କରିବାର ସାଧ୍ୟ ପ୍ରକୃତରେ ତା’ର ନାହିଁ । କିନ୍ତୁ ଆଜି ଏଇ ସତ୍ୟକୁ ମାନିନେବା ପାଇଁ ଶକ୍ତି ମୋର ଅଛି ତ ?

 

ରାଜଲକ୍ଷ୍ମୀ ପଚାରିଲା–ଚୁପ୍‌ ରହିଲ ଯେ ?

 

: ଭାବୁଛି ।

 

: ଭାବୁଛ ! କ’ଣ ଭାବୁଛ ? ଏହା କହି ସେ ତା’ର ହାତଟି ମୋ ମଥାଉପରେ ରଖି ଚୁପ୍‍ଚୁପ୍‌ କରି କହିଲା–ମୋ ଉପରେ ରାଗ କରି ଘରୁ ଚାଲିଯାଇଥିଲ ନୁହେଁ ?

 

: ରାଗକରି ଚାଲି ଯାଇଥିଲି ବୋଲି ତୁମେ ଜାଣିଲ କିପରି ?

 

ରାଜଲକ୍ଷ୍ମୀ ମୁଣ୍ଡ ଉଠାଇଲା ନାହିଁ । ଆସ୍ତେ ଆସ୍ତେ କହିଲା–ମୁଁ ରାଗିଲେ ତୁମେ କ’ଣ ଜାଣିପାର ନାହିଁ ?

 

କହିଲି–ବୋଧହୁଏ ପାରେ ।

 

ରାଜଲକ୍ଷ୍ମୀ କହିଲା–ତୁମେ ବୋଧହୁଏ ପାର, କିନ୍ତୁ ମୁଁ ନିଶ୍ଚୟ ପାରେ । ଆଉ ତୁମ ପାରିବାଠାରୁ ଢେର୍‌ ବେଶୀ ଜାଣିପାରେ ।

 

ହସିଦେଇ କହିଲି–ହଉ, ତାହାହିଁ ହେଉ । ଏଥିପାଇଁ କଳିକରି ବିଜୟୀ ହେବାକୁ ମୁଁ ଚାହେଁ ନାହିଁ ଲକ୍ଷ୍ମୀ । ନିଜେ ହାରିବା ଅପେକ୍ଷା ତୁମେ ହାରିଗଲେ ମୋର ଢେର୍‌ ଲୋକସାନ ହେବ-

 

ରାଜଲକ୍ଷ୍ମୀ କହିଲା–ଯଦି ଜାଣ, ତେବେ କାହିଁକି ଏପରି କହ ?

 

କହିଲି–ଆଉ ତ କହି ନାହିଁ । କହିବାଟା ଯେ ଅନେକ ଦିନରୁ ବନ୍ଦ କରିସାରିଲିଣି । ତାହା କ’ଣ ତୁମେ ଜାଣିନ ?

 

ରାଜଲକ୍ଷ୍ମୀ ନୀରବ ରହିଗଲା । ଆଗଭଳି ହୋଇଥିଲେ ସେ ମୋତେ ସହଜରେ ଛାଡ଼ିନଥାନ୍ତା । ଲକ୍ଷେ କି କୋଟିଏ ପ୍ରଶ୍ନ ପଚାରି ମୋଠାରୁ ଏହାର କୈଫିୟତ୍‌ ଆଦାୟ କରିଥାନ୍ତା । କିନ୍ତୁ ବର୍ତ୍ତମାନ ସେ ଚୁପ୍‌ ହୋଇ ରହିଲା । ବହୁ ସମୟ ପରେ ଅନ୍ୟ କଥା କହିବସିଲା । ପଚାରିଲା–ତୁମକୁ କୁଆଡ଼େ ଏହା ଭିତରେ ଜ୍ୱର ହୋଇଥିଲା ନା ? କେଉଁଠାରେ ଥିଲ ? ମୋ ନିକଟକୁ ଖବର ପଠାଇଲ ନାହିଁ କାହିଁକି ?

 

ଖବର ନ ପଠାଇଥିବାର କାରଣ କହିଲି । ଏକରେ ତ ଖବର ଆଣିବା ପାଇଁ ଲୋକ ନଥିଲେ ଦ୍ୱିତୀୟରେ ଯାହା ପାଖକୁ ଖବର ପଠାଇଥାନ୍ତି, ସେ କେଉଁଠାରେ ଥିବେ–ଜାଣିନଥିଲି । ତାପରେ କେଉଁଠାରେ ଏବଂ କିପରି ଭାବରେ ଥିଲି ତାହା ବିସ୍ତୃତଭାବରେ ବର୍ଣ୍ଣନା କଲି । ଚକ୍ରବର୍ତ୍ତୀ ଗୃହିଣୀଙ୍କ ନିକଟରୁ ଆଜି ସକାଳେ ବିଦାୟ ନେଇ ଆସିଛି । ସେହି ଦୀନହୀନ ଗୃହସ୍ଥଙ୍କ ପାଖରେ ଯେଉଁଭଳି ଆଶ୍ରୟ ଗ୍ରହଣ କରିଥିଲି ଏବଂ ଯେପରି ଭାବରେ ଅପରିସୀମା ଦୈନ୍ୟ ଭିତରେ ଗୃହକର୍ତ୍ତ୍ରୀ ଅଜ୍ଞାତକୁଳଶୀଳ, ରୋଗଗ୍ରସ୍ତ ଅତିଥିକୁ ପୁତ୍ରଠାରୁ ଅଧିକ ସ୍ନେହ ଦେଇ ସେବା କରିଥିଲେ ସେ କଥା ବର୍ଣ୍ଣନା କରିବାକୁ ଯାଇ କୃତଜ୍ଞତା ଓ ବେଦନାରେ ମୋ ଦୁଇଆଖିରେ ଲୁହ ଭରିଉଠିଲା ।

 

ରାଜଲକ୍ଷ୍ମୀ ଆପଣା ହାତରେ ଲୁହ ପୋଛି ପକାଇ କହିଲା–ଯେଉଁପରି ସେମାନେ ଋଣମୁକ୍ତ ହୁଅନ୍ତି, ସେଥିପାଇଁ କିଛି ଟଙ୍କା ପଠାଇ ଦେଉନାହିଁ କାହିଁକି ?

 

କହିଲି– ଥିଲେ ତ ପଠାଇ ଦେଇଥାନ୍ତି । କିନ୍ତୁ ମୋ ପାଖରେ ଟଙ୍କା ଆସିବ କେଉଁଠୁ ?

 

ମୋର ଏପରି କଥାରେ ରାଜଲକ୍ଷ୍ମୀ ଆଘାତ ପାଏ । ଆଜି ମଧ୍ୟ ସେହିଭଳି ମର୍ମାନ୍ତକ ଦୁଃଖ ମନେମନେ ପାଇଲା । କିନ୍ତୁ ତା’ ଟଙ୍କା ଯେ ମୋ ଟଙ୍କା ଏକଥା ପ୍ରତିପାଦିତ କରିବା ପାଇଁ ଆଗଭଳି ଆଜି କଳହରେ ପ୍ରବୃତ୍ତି ହେଲା ନାହିଁ ବରଂ ନୀରବ ହୋଇ ବସି ରହିଲା ।

 

ଏଇ ଜିନିଷଟା ତାହାଠାରେ ନୂଆ କରି ଦେଖିଲି । ମୋର ଏପରି କଥା ଉପରେ ଠିକ୍‌ ସେଇପରି ଶାନ୍ତ ଆଉ ନିରୁତ୍ତର ଭାବରେ ବସି ରହିବାଟା ମୋତେ ବଡ଼ କଷ୍ଟ ହେଲା । କିଛି ସମୟ ପରେ ସେ ନିଃଶ୍ୱାସ ଛାଡ଼ି ସିଧା ହୋଇ ବସିଲା; ଯେପରି ଦୀର୍ଘଶ୍ୱାସ ଦ୍ୱାରା ସେ ତା’ ଚାରିଦିଗର ଘନାୟମାନ ବାଷ୍ପାଚ୍ଛନ୍ନ ମୋହର ଆବରଣଟାକୁ ଛିଣ୍ଡାଇ ଫିଙ୍ଗି ଦେବାକୁ ଚାହିଁଲା । ଘରର ଆଲୋକରେ ତା’ ମୁହଁଟା ଭଲକରି ଦେଖିପାରିଲି ନାହିଁ । କିନ୍ତୁ ଯେତେବେଳେ ସେ କଥା କହିଲା, ତା’ କଣ୍ଠସ୍ୱରରେ ଆଶ୍ଚର୍ଯ୍ୟ ପରିବର୍ତ୍ତନ ଲକ୍ଷ୍ୟ କଲି । ରାଜଲକ୍ଷ୍ମୀ କହିଲା–ତୁମର ଚିଠିର ଉତ୍ତର ବର୍ମାରୁ ଆସିଛି । ଅଫିସର ବଡ଼ ଲଫାପା । ହୁଏତ କିଛି ଜରୁରୀ ଖବର ଥାଇପାରେ ଭାବି ଆନନ୍ଦକୁ ଦେଇ ପଢ଼ାଇନେଲି ।

 

: ତାପରେ ?

 

: ବଡ଼ ସାହେବ ତୁମ ଦରଖାସ୍ତ ମଞ୍ଜୁର କରିଛନ୍ତି । ଜଣାଇଛନ୍ତି, ତୁମେ ଗଲେ ସେ ତୁମର ପୁରୁଣା ଚାକିରି ପୁଣି ଫେରାଇଦେବେ ।

 

: ସତରେ ?

 

: ହଁ, ଚିଠିଖଣ୍ଡ ଆଣିବି ?

 

: ନାଇଁ; ଥାଉ । କାଲି ସକାଳେ ଦେଖିଲେ ବି ଚଳିବ ।

 

ପୁଣି ଦୁଇଜଣ ଚୁପ୍ ହୋଇ ବସି ରହିଲୁ । କ’ଣ ଯେ କହିବି, କିପରି ଭାବରେ ଯେ ଏଇ ନୀରବତାକୁ ଭାଙ୍ଗିବି ଭାବି ନପାରି ମନଭିତରେ ଅସ୍ଥିର ହୋଇପଡ଼ିଲି । ହଠାତ୍‌ ଟୋପାଏ ପାଣି ମୋ କପାଳ ଉପରେ ପଡ଼ିବାର ଜାଣିପାରିଲି । ଆସ୍ତେ ଆସ୍ତେ ପଚାରିଲି–ମୋ ଦରଖାସ୍ତ ମଞ୍ଜୁର ହୋଇଛି । ଏଇଟା ତ ଖରାପ ଖବର ନୁହେଁ । କିନ୍ତୁ ତୁମେ କାନ୍ଦିଲ କାହିଁକି ?

 

ରାଜଲକ୍ଷ୍ମୀ ପଣତ କାନିରେ ଆଖିର ଲୁହ ପୋଛି କହିଲା–ତୁମେ ପୁଣି ବିଦେଶକୁ ଯାଇ ଚାକିରି କରିବା ପାଇଁ ଚେଷ୍ଟା କରୁଛ, ମୋତେ ଏକଥା ଜଣାଇଲ ନାହିଁ କାହିଁକି ? ତୁମେ କ’ଣ ଭାବିଥିଲ ମୁଁ ସେଥିରେ ବାଧାଦେବି ?

 

କହିଲି–ନା । ବିରଞ୍ଚି ଜଣାଇଥିଲେ ତୁମେ ମୋତେ ଉତ୍ସାହିତ କରିଥାନ୍ତ । କିନ୍ତୁ ସେଥିପାଇଁ ନୁହେଁ । ଭାବିଥିଲି ଏସବୁ ସାମାନ୍ୟ କଥା ଶୁଣିବା ପାଇଁ ତୁମକୁ ବୋଧହୁଏ ସମୟ ନଥିବ ।

 

ରାଜଲକ୍ଷ୍ମୀ ନିର୍ବାକ୍‌ ହୋଇ ବସି ରହିଲା । କିନ୍ତୁ ତା’ର ଉଚ୍ଛ୍ୱସିତ ନିଶ୍ୱାସକୁ ଚାପି ରଖିବାର ପ୍ରାଣପଣ ଚେଷ୍ଟା ମୋ ନିକଟରେ କିନ୍ତୁ ଅଛପା ହୋଇ ରହିପାରିଲା ନାହିଁ । ତାହା କିନ୍ତୁ କ୍ଷଣକାଳ ପାଇଁ ମାତ୍ର । ମୁହୂର୍ତ୍ତକ ପରେ ସେ ମୃଦୁ କଣ୍ଠରେ କହିଲା–ଏ କଥାର ଜବାବ ଦେଇ ଆଉ ମୋର ଅପରାଧର ବୋଝ ବଢ଼ାଇବି ନାହିଁ । ତୁମେ ଯାଅ, ତୁମକୁ ମୁଁ ଆଦୌ ମନାକରିବି ନାହିଁ । ଏହା କହି ସେ ପୁଣି ଦଣ୍ଡେ ନୀରବ ହୋଇ ରହି କହିବାକୁ ଲାଗିଲା; ଏଠାକୁ ନ ଆସିଥିଲେ ବୋଧହୁଏ ମୁଁ କଦାପି ବୁଝିପାରିନଥାନ୍ତି ଯେ, ତୁମକୁ ଏତେବଡ଼ ଦୁର୍ଗତିକୁ ମୁଁ ଟାଣିଆଣିଛି ବୋଲି । ଏଇ ଗଙ୍ଗାମାଟି ଅନ୍ଧକୁପରେ କେବଳ ସ୍ତ୍ରୀଲୋକ ଚଳିଯାଇପାରେ କିନ୍ତୁ ପୁରୁଷ ଲୋକ ଚଳିପାରିବେ ନାହିଁ । ଏଠିକାର ଏହି କର୍ମହୀନ ଉଦ୍ଦେଶ୍ୟହୀନ ଜୀବନ ତ ତୁମର ଆତ୍ମହତ୍ୟା ସଙ୍ଗେ ସମାନ । ଏକଥା ମୁଁ ଆଖିଆଗରେ ସ୍ପଷ୍ଟ ଦେଖିପାରିଛି ।

 

ପଚାରିଲି–କେହି, କ’ଣ । ତୁମକୁ ଦେଖାଇ ଦେଇଛି ?

 

ରାଜଲକ୍ଷ୍ମୀ କହିଲା–ନା, ମୁଁ ନିଜେ ହିଁ ଦେଖିଛି । ତୀର୍ଥଯାତ୍ରା କରିଥିଲି କିନ୍ତୁ ଠାକୁର ଦେଖିବାକୁ ପାଇଲି ନାହିଁ । ତାହା ବଦଳରେ କେବଳ ତୁମର ବିରସ ମୁହଁଟି ଦିନରାତି ଆଖିରେ ଭାସିଉଠିଛି । ମୋ ପାଇଁ ତୁମକୁ ଅନେକ ତ୍ୟାଗ କାରିବାକୁ ହୋଇଛି । କିନ୍ତୁ ଆଉ ଏଣିକି ନୁହେଁ ।

 

ଏତେ ସମୟ ପର୍ଯ୍ୟନ୍ତ ମୋ ମନଭିତରେ ଗୋଟାଏ ଜ୍ୱଳନ ଭାବ ଥିଲା । କିନ୍ତୁ ତା’ କଣ୍ଠସ୍ୱରର ଅନିର୍ବାଚନୀୟ କରୁଣାରେ ବିଭୋର ହୋଇଗଲି । ତୁଣ୍ଡରୁ ବାହାରିପଡ଼ିଲା, କିନ୍ତୁ ତୁମକୁ କ’ଣ କମ ତ୍ୟାଗ କରିବାକୁ ପଡ଼ିଛି ଲକ୍ଷ୍ମୀ ? ଗଙ୍ଗାମାଟି ତୁମ ପାଇଁ ମଧ୍ୟ ଯୋଗ୍ୟ ସ୍ଥାନ ନୁହେଁ । କିନ୍ତୁ କଥାଟା କହିସାରି ଲାଜରେ ମରିଗଲି । କାରଣ ଅସାବଧାନତାବଶତଃ ଯେଉଁ ଗର୍ହିତ ବାକ୍ୟ ମୋ ତୁଣ୍ଡରୁ ବାହାରିଗଲା, ତୀକ୍ଷ୍ନ ବୁଦ୍ଧିଶାଳିନୀ ଏଇ ରମଣୀ ନିକଟରେ ତାହା ଅଛପା ରହିପାରିଲା ନାହିଁ । କିନ୍ତୁ ମୋତେ ସେ ଆଜି କ୍ଷମା କଲା । ବୋଧହୁଏ କଥାର ଭଲମନ୍ଦ ନେଇ ମାନଅଭିମାନର ଜାଲ ବୁଣି ସମୟ ନଷ୍ଟ କରିବାକୁ ସେ ଚାହୁଁନଥିଲା । କହିଲା, ବରଞ୍ଚ ମୁଁ ଗଙ୍ଗାମାଟିର ଯୋଗ୍ୟ ନୁହେଁ । ସମସ୍ତେ ଏକଥା ବୁଝିବେ ନାହିଁ । କିନ୍ତୁ ତୁମର ବୁଝିବା ଉଚିତ ଯେ, ପ୍ରକୃତରେ ମୋତେ କିଛି ତ୍ୟାଗ କରିବାକୁ ହୋଇ ନାହିଁ । ପାଷାଣ ଭଳି ଯେଉଁ ଭାର ଦିନେ ଲୋକେ ମୋ ବୁକୁରେ ଚାପି ଦେଇଥିଲେ କେବଳ ତାହାହିଁ ମୋର ଅପସରି ଯାଇଛି । ଆଉ କେବଳ କ’ଣ ସେତିକି ! ଆଜୀବନ ତୁମକୁହିଁ ଚାହିଁଥିଲି । ତୁମକୁ ପାଇବା କ୍ଷଣି ତ୍ୟାଗର ଅସଂଖ୍ୟ ଗୁଣ ଯେ ଫେରିପାଇଛି, ସେକଥା କ’ଣ ତୁମେ ଜାଣିନାହଁ?

 

ଜବାବ ଦେଇପାରିଲି ନାହିଁ । ଅନ୍ତରର ଅଜଣା ଅଭ୍ୟନ୍ତର ଭିତରୁ କିଏ ଯେପରି ମୋତେ ଏଇ କଥା କହିବାକୁ ଲାଗିଲା ଯେ, ମୋର ଭୁଲ ହୋଇଯାଇଛି । ନ ବୁଝିପାରି ତା’ ପ୍ରତି ବଡ଼ ଅବିଚାର କରି ବସିଛି । ରାଜଲକ୍ଷ୍ମୀ ଠିକ୍‌ ଏହି ଭାବରେ ହିଁ ଆଘାତ କରି କହିଲା–ଭାବିଥିଲି ତୁମରି ପାଇଁ ହିଁ ଏକଥା କଦାପି ତୁମକୁ ଜଣାଇବି ନାହିଁ କିନ୍ତୁ ଆଜି ଆଉ ମୁଁ ସମ୍ଭାଳି ହୋଇ ରହିପାରିଲି ନାହିଁ । ଏହି କଷ୍ଟଟା ହିଁ ସବୁଠାରୁ ମୋତେ ବାଧୁଛି ଯେ, ପୁଣ୍ୟ ଲୋଭରେ ମୁଁ ଏପରି ପାଗେଳୀ ହୋଇଯାଇଛି ଯେ, ତୁମକୁ ମଧ୍ୟ ଅବହେଳା କରିବାକୁ ଆରମ୍ଭ କରିଛି । ରାଗକରି ଚାଲିଯିବା ପୂର୍ବରୁ ଏକଥା ତୁମର ଥରକ ପାଇଁ କିପରି ମନେହେଲାନାହିଁ ଯେ, ଇହକାଳ ଏବଂ ପରକାଳ ପାଇଁ ରାଜଲକ୍ଷ୍ମୀ ପକ୍ଷରେ ତୁମ ବ୍ୟତୀତ ଆଉ କିଛି ଲୋଭନୀୟ ବସ୍ତ୍ର ନାହିଁ ବୋଲି ? କହୁ କହୁ ତା’ ଆଖିର ଲୁହ ଝରଝର ହୋଇ ମୋ ମୁହଁ ଉପରେ ଝରିପଡ଼ିଲା ।

 

କଥା କହି ସାନ୍ତ୍ୱନା ଦେବାପାଇଁ ଭାଷା ମନେପଡ଼ିଲା ନାହିଁ । କେବଳ ତା’ ମୁଣ୍ଡଉପରକୁ ହାତଟା ଟାଣିଆଣି ମୋ ଡାହାଣ ହାତରେ ଧରିଲି । ରାଜଲକ୍ଷ୍ମୀ ବାଆଁ ହାତରେ ତା’ ଆଖି ପୋଛି ନୀରବରେ ବହୁ ସମୟ ପର୍ଯ୍ୟନ୍ତ ବସିରହିଲା । ତାପରେ କହିଲା, ପ୍ରଜାମାନେ ସବୁ ଖାଇସାରିଲାଣି କି ନାହିଁ, ମୁଁ ଯାଇ ଦେଖିଆସେ । ତୁମେ ଶୁଅ । ଏହା କହି ସେ ଧୀରେ ଧୀରେ ହାତଟି ଟାଣିନେଇ ବାହାରି ଚାଲିଗଲା । ତାକୁ ଧରି ରଖିଲେ ହୁଏତ ରଖିପାରିଥାନ୍ତି । କିନ୍ତୁ ସେଭଳି ଚେଷ୍ଟା କଲି ନାହିଁ-। ସେ ମଧ୍ୟ ଆଉ ଫେରିଆସିଲା ନାହିଁ । ମୋତେ ଯେତେ ସମୟ ପାଇଁ ନିଦ ନ ଆସିଲା, ସେତେ ସମୟ ପର୍ଯ୍ୟନ୍ତ ଏହି କଥା ହିଁ ଭାବିବାକୁ ଲାଗିଲି–ଜୋର କରି ରଖିଥିଲେ କ’ଣ ଅବା ଲାଭ ହୋଇଥାନ୍ତା ? ମୋ ଆଡ଼ୁ ତ କୌଣସି ଦିନ କୌଣସି ପ୍ରକାର ଜୋର ବନ୍ଧନ ଖୋଲି ମୋତେ ମୁକ୍ତି କରିବାକୁ ଚାହେଁ ତ, ମୁଁ କେଉଁ ପଥରେ ଆଗେଇଯିବି ?

 

ସକାଳେ ନିଦରୁ ଉଠି ପ୍ରଥମେ ହିଁ ସେ ପାଖର ଖଟ ପ୍ରତି ଚାହିଁ ଦେଖିଲି, ରାଜଲକ୍ଷ୍ମୀ ଘରେ ନାହିଁ । ରାତିରେ ସେ ଆସିଥିଲା କିମ୍ବା ବଡ଼ିସକାଳୁ ବାହାରି ଯାଇଛି ତାହା ବୁଝିପାରିଲି ନାହିଁ-। ବାହାର ଘରକୁ ଯାଇ ଦେଖେ ସେଠାରେ ପାଟିତୁଣ୍ଡ ଜମିଯାଇଛି । ରତନ କେଟିଲରୁ ଗରମ ଚାହା ପାତ୍ରରେ ଢାଳୁଛୁ ଏବଂ ତାହାର ଅଦୂରେ ବସି ରାଜଲକ୍ଷ୍ମୀ ଗୋଟିଏ ଷ୍ଟୋଭରେ ସିଙ୍ଗଡ଼ା କିମ୍ବା କଚୁରୀ ଛାଣିବାରେ ଲାଗିଛି ଏବଂ ବ୍ରଜାନନ୍ଦ ସନ୍ନ୍ୟାସୀର ନିସ୍ପୃହ ଏବଂ ନିରାସକ୍ତ, ଦୃଷ୍ଟି ଦେଇ ଏଇ ସକଳ ଖାଦ୍ୟ ବସ୍ତ୍ର ପ୍ରତି ଏକ ଲୟରେ ଚାହିଁ ରହିଛି । ମୋତେ ଭିତରକୁ ପଶିବାର ଦେଖି ରାଜଲକ୍ଷ୍ମୀ ତା’ ଓଦାକେଶ ଉପରକୁ ଓଢ଼ଣା ଟାଣିଦେଲା ଏବଂ ବ୍ରଜାନନ୍ଦ ପାଟି କରି କହିଉଠିଲା, ଏଇ ଯେ ଭାଇ ଆସିଲେଣି ! ଆପଣଙ୍କର ବିଳମ୍ବ ଦେଖି ଭାବିଥିଲି ସତେ ଯେପରି ଏସବୁ ଜିନିଷ ପାଣି ଫାଟିଯିବ ।

 

ରାଜଲକ୍ଷ୍ମୀ ହସିଦେଇ କହିଲା, ହଁ ତୁମ ପେଟଭିତରେ ଯାଇ ଏକାଠି ମିଶି ପାଣି ହୋଇଯିବ ।

 

ଆନନ୍ଦ କହିଲା–ନାନୀ, ସନ୍ନ୍ୟାସୀ ଫକିରକୁ ଟିକିଏ ଖାତିର କରିବା ଶିଖନ୍ତୁ । ଏପରି କଡ଼ା କଥା କହିବେ ନାହିଁ । ମୋତେ ଲକ୍ଷ୍ୟ କରି କହିଲା, କାହିଁ ଭଲ ଦେଖାଯାଉ ନାହିଁ ତ ? କ’ଣ ହାତଟା ଟିକିଏ ଦେଖିବି ?

 

ରାଜଲକ୍ଷ୍ମୀ ବ୍ୟସ୍ତ ହୋଇଉଠିଲା । କହିଲା–ଥାଉ ଆନନ୍ଦ । ତୁମର ଆଉ ଡାକ୍ତରି କରିବାର ଦରକାର ନାହିଁ । ସେ ବେଶ୍ ସୁସ୍ଥ ଅଛନ୍ତି ।

 

ଆନନ୍ଦ କହିଲା–ସେହିଟାକୁ ହିଁ ନିଶ୍ଚିତ ଭାବରେ ଜାଣିବା ପାଇଁ ହାତଟା ଥରକ ପାଇଁ.....

 

ରାଜଲକ୍ଷ୍ମୀ କହିଲା–ନା, ତୁମକୁ ହାତ ଦେଖିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ହୁଏତ ସାଗୁ ଖାଇବାକୁ ପରାମର୍ଶ ଦେଇ ବସିବ ।

 

ମୁଁ କହିଲି–ସାଗୁ ମୁଁ ବହୁତ ଖାଇଛି । ସୁତରାଂ ପୁଣି ସେହି ବ୍ୟବସ୍ଥା କରିଦେଲେ ଆଉ ଶୁଣିବି ନାହିଁ ।

 

ଶୁଣିବାରେ ତୁମର ଲାଭ ନାହିଁ । ଏହା କହି ରାଜଲକ୍ଷ୍ମୀ ପ୍ଲେଟ ଭର୍ତ୍ତିକରି କେତେଗୁଡ଼ିଏ ଗରମ ସିଙ୍ଗଡ଼ା ଏବଂ କଚୁରୀ ମୋ ଆଡ଼କୁ ବଢ଼ାଇଦେଲା । ରତନକୁ କହିଲା, ତୋ ବାବୁଙ୍କୁ ଚାହା ଦେ ।

 

ବ୍ରଜାନନ୍ଦ ସନ୍ନ୍ୟାସୀ ହେବାର ବହୁପୂର୍ବରୁ ଡାକ୍ତରୀ ପାଶ୍‌ କରିଥିଲେ । ତେଣୁ ସହଜରେ ହାର୍‌ ମାନିବାର ପାତ୍ର ନୁହଁନ୍ତି । ସେ ମୁଣ୍ଡ ହଲାଇ କହିବାକୁ ଲାଗିଲା–କିନ୍ତୁ ନାନୀ ଏତେଦୂର ଦାୟିତ୍ୱ ଆପଣଙ୍କର.....

 

ରାଜଲକ୍ଷ୍ମୀ ତା’ କଥାକୁ ମଝିରେ ଦବାଇ ଦେଇ କହିଲା–ତାଙ୍କ ଦାୟିତ୍ୱ ମୋର ନୁହେଁ କ’ଣ ଆଉ ତୁମର ? ଆଜି ପର୍ଯ୍ୟନ୍ତ ଯେତେ ଦାୟିତ୍ୱ ମୁଣ୍ଡକୁ ନେଇ ଏଙ୍କୁ ଠିଆ କରାଇବାକୁ ପଡ଼ିଛି ସେ ସବୁ ଯଦି ଶୁଣିବ ତ ନାନୀ ନିକଟରେ ଆଉ ଡାକ୍ତରୀ କରିବାକୁ ଆଗେଇବ ନାହିଁ । ଏହା କହି ବାକି ସବୁ ଖାଇବାର ଜିନିଷଗୁଡ଼ାକୁ ଗୋଟାଏ ଥାଳିରେ ଅଜାଡ଼ିଦେଇ, ତା’ ଆଡ଼କୁ ପେଲିଦେଇ ହସି ହସି କହିଲା, ବର୍ତ୍ତମାନ ଏଗୁଡ଼ାକ ଖାଇଦିଅ, କଥା ବନ୍ଦ ହୋଇଯାଉ ।

 

ଆନନ୍ଦ ଆଶ୍ଚର୍ଯ୍ୟ ହୋଇ କହିଉଠିଲା । ଆରେ ! ଏତେ କ’ଣ କେହି କେବେ ଖାଇପାରେ ?

 

ରାଜଲକ୍ଷ୍ମୀ କହିଲା–ପାରିବ ନାହିଁ ତ, ସନ୍ନ୍ୟାସୀ ହେବାକୁ ଯାଉଥିଲ କାହିଁକି ଶୁଣେ ? ଆଉ ପାଞ୍ଚଜଣ ଭଦ୍ରଲୋକଙ୍କ ଭଳି ତୁମର ଗୃହୀ ହେବା ଉଚିତ୍‌ ଥିଲା ।

 

ଆନନ୍ଦର ଦୁଇଆଖି ହଠାତ୍‌ ବାଷ୍ପାଚ୍ଛନ୍ନ ହୋଇଉଠିଲା । କହିଲା ଆପଣଙ୍କ ଭଳି ଏ ବଙ୍ଗଳା ଦେଶରେ ଭଉଣୀମାନେ ଅଛନ୍ତି ବୋଲି, ନ ହେଲେ ରାଣ ପକାଇ କହୁଛି, ଆଜି ଏଇ ଗେରୁଆ ଫେରୁଆ ଲୁଗାଗୁଡ଼ାକୁ ଅଜୟ ନଦୀ ଜଳରେ ଭସାଇଦେଇ ଘରକୁ ଫେରିଯାନ୍ତି । କିନ୍ତୁ ମୋର ଗୋଟାଏ ଅନୁରୋଧ ଅଛି ନାନୀ । ତିନିଦିନ ହେବ ଉପାସ ରହିଛି । ଆଜି ସକାଳୁ ସକାଳୁ ଟିକିଏ ଆହ୍ନିକ ପ୍ରଭୃତି ସାରିନିଅ, ଏଗୁଡ଼ାକରେ ଏବେ ସୁଦ୍ଧା ଛୁଆଁ ଦୋଷ ଲାଗିନାହିଁ । କହିବ ଯଦି, ନ ହେଲେ...... ଏହା କହି ସେ ସମ୍ମୁଖରେ ଥିବା ଭୋଜ୍ୟ ବସ୍ତୁ ଆଡ଼େ ଚାହିଁ ରହିଲା ।

 

ରାଜଲକ୍ଷ୍ମୀ ଭୟରେ ଚକ୍ଷୁ ବିସ୍ଫାରିତ କରି କହିଲା, କ’ଣ କହୁଛ ଆନନ୍ଦ ! କାଲି ତେବେ ସବୁ ବ୍ରାହ୍ମଣ ଖାଇବାକୁ ଆସିପାରିନାହାନ୍ତି ?

 

ମୁଁ କହିଲି–ଆଗ ସେମାନେ ଆସି ପହଞ୍ଚି ସାରନ୍ତୁ, ତା’ ପରେ ଯାଇ...

 

ଆନନ୍ଦ କହିଲା–ତାହାହେଲେ ମୋତେ ଉଠିବାକୁ ହେଲା । ସେମାନଙ୍କର ନାମ ଓ ଠିକଣା ଦିଅନ୍ତୁ । ପାଷାଣ୍ଡମାନଙ୍କ ଗଳାରେ ଗାମୁଛା ବାନ୍ଧି ଆଣି ଭୋଜନ କରାଇସାରି ଯାଇ ଛାଡ଼ିବି-। ଏହା କହି ସେ ଉଠିବା ପରିବର୍ତ୍ତରେ ଥାଳି ଟାଣିନେଇ ନିଜେ ହିଁ ଭୋଜନରେ ମନ ଦେଲା-

 

ରାଜଲକ୍ଷ୍ମୀ ହସିକରି କହିଲା, ସନ୍ନ୍ୟାସୀ କି’ନା ! ସେଥିପାଇଁ ଦେବତା, ବ୍ରାହ୍ମଣରେ ଅତିଶୟ ଭକ୍ତି !

 

ଏଇପରି ଭାବରେ ଆମର ଚାହାଖିଆ ପର୍ବଟା ଯେତେବେଳେ ସମାପ୍ତ ହେଲା, ସେତେବେଳକୁ ବେଳ ଆଠଟା । ବାହାରକୁ ଆସି ବସିଲି । ମନରେ ଗ୍ଳାନି ନଥିଲା । ହସ–ଖିଆାଲରେ ମନ ଯେପରି ନିର୍ମଳ ଏବଂ ପ୍ରସନ୍ନ ହୋଇଉଠିଲା । ରାଜଲକ୍ଷ୍ମୀର ଗତ ରାତିର କଥା ସହିତ ଆଜିକାର କଥା ଓ ଆଚରଣରେ ସାମାନ୍ୟ ହେଲେ ସାମଞ୍ଜସ୍ୟ ନଥିଲା । ସେ ଯେ ଅଭିମାନ ଏବଂ ବେଦନାରେ ବ୍ୟଥିତ ହୋଇ ଏପରି କହିଥିଲା, ସେଥିରେ ଆଉ ତିଳେମାତ୍ର ସନ୍ଦେହ ରହିଲା ନାହିଁ । ପ୍ରକୃତରେ ରାତିର ସ୍ତବ୍‌ଧ ଅନ୍ଧକାରର ଆବରଣ ଭିତରେ ତୁଚ୍ଛ ଏବଂ ସାମାନ୍ୟ ଘଟଣାକୁ ବୃହତ୍‌ ଏବଂ କଠୋର ବୋଲି କଳ୍ପନା କରି ଯେଉଁ ଦୁଃଖ ଓ ଦୁଃଶ୍ଚିନ୍ତା ଭୋଗ କରିଥିଲି ଆଜିର ଦିବା ଆଲୋକରେ ସେ ସବୁ ସ୍ମରଣ କରି ମନେମନେ ଯେତିକି ଲଜ୍ଜ୍ୟା ଅନୁଭବ କରିବାକୁ ଲାଗିଲି ସେତିକି ଆନନ୍ଦ ମଧ୍ୟ ଅନୁଭବ କଲି ।

 

କାଲି ଭଳି ଆଜି ଆଉ ଉତ୍ସବର ଧୂମ୍‌ଧାମ୍‌ ନଥିଲା । ତଥାପି ମଝିରେ ମଝିରେ ନିମନ୍ତ୍ରିତ ଏବଂ ଅନିମନ୍ତ୍ରିତଙ୍କର ଭୋଜନ ଲୀଳା ଦିନସାରା ଲାଗି ରହିଥାଏ । ବେଳ ବୁଡ଼ିଲା । ପୁଣି ମୋ ଚାହାର ସରଞ୍ଜାମ ଧରି ଘରଭିତରେ ଆସନ କରି ବସିଲି । ସନ୍ଧ୍ୟାବେଳର କାମଦାମ ସାରି ରାଜଲକ୍ଷ୍ମୀ ମୁହୂର୍ତ୍ତକ ପାଇଁ ମୋ ଘରେ ଆସି ପ୍ରବେଶ କଲା । ବ୍ରଜାନନ୍ଦ ଏତିକିବେଳେ କହିଲା–ନାନୀ–ସ୍ୱାଗତମ୍‌ ।

 

ରାଜଲକ୍ଷ୍ମୀ ତା’ ଆଡ଼କୁ ହସ ହସ ମୁହଁରେ ଚାହିଁରହି କହିଲା– ବୋଧହୁଏ ସନ୍ନ୍ୟାସୀଙ୍କର ଦେବସେବା ଆରମ୍ଭ ହେଲା, ସେଥିପାଇଁ ଏତେ ଆନନ୍ଦ ?

 

ଆନନ୍ଦ କହିଲା– ମିଛ କହନା ନାନୀ । ସଂସାରରେ ଯେତେ ଆନନ୍ଦ ଅଛି ସେମାନଙ୍କର ଭିତରେ ଭଜନାନନ୍ଦ ଏବଂ ଭୋଜନାନନ୍ଦ ହିଁ ଶ୍ରେଷ୍ଠ ଏବଂ ଶାସ୍ତ୍ର କହିଛି ତ୍ୟାଗୀମାନଙ୍କ ପକ୍ଷରେ ଦ୍ୱିତୀୟଟା ହିଁ ହେଉଛି ସର୍ବଶ୍ରେଷ୍ଠ ।

 

ରାଜଲକ୍ଷ୍ମୀ କହିଲା– ହଁ, ସେ ତୁମଭଳି ତ୍ୟାଗୀମାନଙ୍କ ପକ୍ଷରେ...

 

ଆନନ୍ଦ ଉତ୍ତର ଦେଲା– ଏହା ଆଦୌ ମିଥ୍ୟା ନୁହେଁ ନାନୀ । ଆପଣ ଗୃହିଣୀ ବୋଲି ଏହାର ମର୍ମ ଗ୍ରହଣ କରିପାରିନାହାନ୍ତି । ନଚେତ୍‌ ଆମେ ତ୍ୟାଗୀର ଦଳ ଯେତେବେଳେ ଆନନ୍ଦରେ ମସ୍‌ଗୁଲ ହୋଇ ରହିଛୁ ସେତେବେଳେ ଆପଣ ତିନିଦିନ ଧରି କେବଳ ପରକୁ ଖୁଆଇବାରେ ଲାଗିଛନ୍ତି; ଆଉ ଆପେ ଉପାସ କରି ମରିବାରେ ଲାଗିଛନ୍ତି ।

 

ରାଜଲକ୍ଷ୍ମୀ କହିଲା– ମଲିଣି କେତେବେଳେ ଭାଇ ? ଦିନକୁଦିନ ଦେଖୁଛି ଏ ଶରୀରଟାର କେବଳ ଶ୍ରୀ ବୃଦ୍ଧି ହେବାକୁ ଲାଗିଛି ।

 

ଆନନ୍ଦ କହିଲା– ତାହାହିଁ ହେବା ଉଚିତ୍‌ । ସେଥର ଆପଣଙ୍କୁ ଦେଖିକରି ଯାଇଥିଲି । ଏଥର ମଧ୍ୟ ଆସି ଦେଖୁଛି । ଆପଣଙ୍କୁ ଚାହିଁଲେ ମନେହୁଏ ନାହିଁ ଯେ ମର୍ତ୍ତ୍ୟର ଜିନିଷ ଦେଖୁଛି । ସମ୍ଭବତଃ ବୈକୁଣ୍ଠରୁ..

 

ରାଜଲକ୍ଷ୍ମୀ ମୁହଁଟି ଲାଜରେ ଲାଲ ହୋଇଉଠିଲା । ମୁଁ ତାକୁ ହସି ହସି କହିଲି– ତୁମ ଆନନ୍ଦର ଯୁକ୍ତିର ପ୍ରଣାଳୀଟା ଦେଖିଲ ତ ?

 

ଶୁଣିପାରି ଆନନ୍ଦ ମଧ୍ୟ ହସିଲା । କହିଲା, ଏହାତ ଯୁକ୍ତି ନୁହେଁ ବରଂ ସ୍ରୁତି । ଭାଇ ଆପଣାଙ୍କର ସେ ଦୃଷ୍ଟ ଥିଲେ ଆପଣ କ’ଣ ବର୍ମାରେ ଚାକିରି କରିବା ପାଇଁ ଦରଖାସ୍ତ ପକାଇଥାନ୍ତେ ? ଆଚ୍ଛା ନାନୀ, କେଉଁ ଦୃଷ୍ଟିବୁଦ୍ଧି ଦେବତା ଏଭଳି ଗୋଟିଏ ଅନ୍ଧ ଲୋକରୁ ତୁମ ଗଳାରେ ବାନ୍ଧି ଦେଇଥିଲେ ? ତାଙ୍କର କ’ଣ ଆଉ କିଛି କାମ ନଥିଲା ?

 

ରାଜଲକ୍ଷ୍ମୀ ହସି ପକାଇଲା । ନିଜ କପାଳରେ କର ମାରି କହିଲା ଦେବତାଙ୍କର ଦୋଷ ନାହିଁ ଭାଇ, ଦୋଷ ହେଉଛି ଏ କପାଳଟାର । ଅତି ବଡ଼ ଶତ୍ରୁ ମଧ୍ୟ ତାଙ୍କୁ ଦେଇପାରିବ ନାହିଁ । ଏହା କହି ସେ ମୋତେ ଦେଖାଇ କହିଲା– ଚାହାଳିରେ ସେ ଥିଲେ ବଡ଼ ଚାଟ । ଯେତେ ପାଠ ପଢ଼ିବାକୁ ନ ଦିଅନ୍ତି ତା’ ଅପେକ୍ଷା ବେଶୀ ଦିଅନ୍ତି ବେତମାଡ଼ । ସେତେବେଳେ ପଢ଼ୁଥିଲି ମାତ୍ର ‘ବୋଧଦୟ’ । ବହିର ବୋଧ ତ ବହୁତ ହେଲା । କିନ୍ତୁ ଆଉ ଏକପ୍ରକାର ବୋଧ ଉଦୟ ହେଲା । ପିଲାଥିଲି ତ, ତେଣୁ ଫୁଲ ଅବା ପାଇବି କେଉଁଠୁ ? ସେଥିପାଇଁ ବଣର ଭଇଁଞ୍ଚ କୋଳି ସବୁ ଗୁନ୍ଥି ମାଳ କରି ତାଙ୍କୁ ବରଣ କଲି । ବର୍ତ୍ତମାନ ଭାବୁଛି ତା’ ସହିତ ଯଦି ସେହି ଗଛର କଣ୍ଟାଗୁଡ଼ିକ ଗୁନ୍ଥି କରି ଦେଇଥାନ୍ତି.....କହୁ କହୁ ତା’ର କୁପିତ କଣ୍ଠସ୍ୱର ଚାପା ହସର ଆଭାରେ ଅପରୁପ ହୋଇଉଠିଲା ।

 

ଆନନ୍ଦ କହିଲା–ଓହୋ ! କି ଭୟଙ୍କର ରାଗ !

 

ରାଜଲକ୍ଷ୍ମୀ କହିଲା– ରାଗ ନହେବ ତ ଆଉ କ’ଣ ? କଣ୍ଟା କେବଳ ଭାଙ୍ଗିଦେବାକୁ ଆଉ କେହି ଥିଲେ ନିଶ୍ଚୟ ଦେଇଥାନ୍ତି । ବର୍ତ୍ତମାନ ପାଇଲେ ମଧ୍ୟ ଦେବି । ଏହା କହି ସେ ତର ତର ହୋଇ ଚାଲିଯାଉଥିଲା । ଆନନ୍ଦ ପଛରୁ ଡାକି କହିଲା ପଳାଉଛ ଯେ ?

 

: କାହିଁକି ? ଆଉ କ’ଣ ମୋର କିଛି କାମ ନାହିଁ କି ? ଚାହାକପ୍‌ ହାତରେ ଧରି କଳି କରିବାକୁ ତାଙ୍କର ସମୟ ଅଛି କିନ୍ତୁ ମୋର ତେଣେ କେତେ କାମ....

 

ଆନନ୍ଦ କହିଲା– ନାନୀ, ମୁଁ ଆପଣଙ୍କ ଏକାନ୍ତ ଅନୁଗମ ଭକ୍ତ ! କିନ୍ତୁ ଏଭଳି ଅଭିଯୋଗର ଉତ୍ତର ଦେବା ପାଇଁ ମୁଁ ମଧ୍ୟ ଲଜ୍ଜ୍ୟା ଅନୁଭବ କରୁଛି । ସେ କଥା କହୁଥିଲେ ତାଙ୍କୁ ହୁଏତ କିଛି କହିହୁଅନ୍ତା । କିନ୍ତୁ ଏକପ୍ରକାର ଘୁଙ୍ଗା ଲୋକକୁ ଫାନ୍ଦରେ ପକାଇହେବ ଅବା କିପରି ? ପକାଇଲେ ମଧ୍ୟ ଧର୍ମ ସହିବ ନାହିଁ ।

 

ରାଜଲକ୍ଷ୍ମୀ କହିଲା– ସେଇ ତ ହୋଇଛି ମୋର କଷ୍ଟ । ବେଶ୍‌ ଯାହା ଧର୍ମକୁ ସହିବ ସେହି କାମ ତେବେ କର । ଚାହାଗୁଡ଼ାକ ସବୁ ଥଣ୍ଡା ହୋଇଗଲାଣି । ମୁଁ ଏତିକିବେଳେ ହେଲେ ରୋଷାଇ ଘରଟା ଟିକିଏ ବୁଲିକରି ଦେଖିଆସେ । ଏହା କହି ସେ ଘରୁ ବାହାରି ଚାଲିଗଲା ।

 

ବ୍ରଜାନନ୍ଦ ପଚାରିଲା– ଭାଇ ତୁମେ କ’ଣ ବର୍ମା ଯିବାପାଇଁ ନିଷ୍ପତ୍ତି କରିସାରିଛି ନା କ’ଣ-? କିନ୍ତୁ ନାନୀ, କେବେ ତୁମ ସାଙ୍ଗରେ ଯିବେ ନାହିଁ, ସେକଥା ମୋତେ କହିଛନ୍ତି ।

 

: ସେ କଥା ମୁଁ ଜାଣେ ।

 

: ତେବେ ?

 

: ତେବେ ଏକାକୀ ହିଁ ମୋତେ ଯିବାକୁ ହେବ ।

 

ବ୍ରଜାନନ୍ଦ କହିଲା– ଏଇଟା କିନ୍ତୁ ଆପଣଙ୍କର ଅନ୍ୟାୟ । ଅର୍ଥୋପାର୍ଜନର ଆବଶ୍ୟକତା ଆପଣଙ୍କର ନାହିଁ, ତେବେ କେଉଁଥିପାଇଁ ପରର ଗୋଲାମୀ କରିବାକୁ ଏକାକୀ ଯିବ ଶୁଣେ ?

 

କହିଲି– ଅନ୍ତତଃ ଅଭ୍ୟାସଟାକୁ ବଜାୟ ରଖିବା ପାଇଁ ।

 

: ତେବେ ରାଗିକରି ଯାଉଛ ।

 

: କିନ୍ତୁ ରାଗ ବ୍ୟତୀତ ଯିବାପାଇଁ କ’ଣ ଆଉ କୌଣସି କାରଣ ନ ଥାଇପାରେ ଆନନ୍ଦ-?

 

ଆନନ୍ଦ କହିଲା– ଥିଲେ ମଧ୍ୟ ଅନ୍ୟ ପକ୍ଷରେ ବୁଝିପାରିବା କଠିନ ।

 

ଇଚ୍ଛାହେଲା କହିବାକୁ ଅନ୍ୟର ବୁଝିବା ଦରକାର କ’ଣ ? କିନ୍ତୁ ବାଦାନୁବାଦ ଜିନିଷଟା କାଳେ ତିକ୍ତ ହୋଇପାରେ ସେଥିପାଇଁ ଚୁପ୍‌ ହୋଇଗଲି ।

 

ଏହି ସମୟରେ ରାଜଲକ୍ଷ୍ମୀ ବାହାର କାମ ସାରି ଆସି ପହଞ୍ଚିଲା ଏବଂ ଠିଆ ନହୋଇ ଏଥର ଭଲ ମଣିଷ ଭଳି ଆନନ୍ଦ ପାଖରେ ଯାଇ ଚୁପ୍ ହୋଇ ବସିଲା । ଆନନ୍ଦ ମୋତେ ଉଦ୍ଦେଶ୍ୟ କରି କହିଲା– ନାନୀ, ସେ କହୁଥିଲେ, ଗୋଲାମୀର ଅଭ୍ୟାସଟାକୁ ବଜାୟ ରଖିବା ପାଇଁ ବିଦେଶ ଯିବାକୁ ଇଚ୍ଛା କରନ୍ତି । ମୁଁ କହୁଛି, ସେକଥା ଯଦି ସେ ଚାହାଁନ୍ତି ତେବେ ଆସୁନାହାନ୍ତି ମୋ ସଙ୍ଗରେ କାମରେ ଯୋଗଦେବେ । ବିଦେଶ ନ ଯାଇ ଦେଶର ଗୋଲାମି କରିବାରେ ଦୁଇ ଭାଇ ଜୀବନ କାଟିଦେବୁ ।

 

ରାଜଲକ୍ଷ୍ମୀ କହିଲା– କିନ୍ତୁ ସେ ତ ଡାକ୍ତରୀ ଜାଣିନାହାନ୍ତି ଆନନ୍ଦ ?

 

ଆନନ୍ଦ କହିଲା– ମୁଁ କ’ଣ କେବଳ ଡାକ୍ତରୀ କରେ ? ପାଠ ପଢ଼ାଏ ପାଠଶାଳା ତିଆରି କରେ । ସେମାନଙ୍କର ଦୁର୍ଦ୍ଦଶା ଯେ କେତେ ଦିଗରୁ, କେତେ ବିରାଟ ତାହା ବୁଝାଇବାକୁ ଅବିଶ୍ରାନ୍ତ ଚେଷ୍ଟା କରେ ।

 

: ସେମାନେ କ’ଣ ବୁଝିପାରନ୍ତି ?

 

ଆନନ୍ଦ କହିଲା– ସହଜରେ ବୁଝନ୍ତି ନାହିଁ । କିନ୍ତୁ ମଣିଷର ଶୁଭ ଚିନ୍ତା ଯେତେବେଳେ ବୁକୁରୁ ସତ୍ୟ ହୋଇ ବାହାର ହୁଏ, ସେତେବେଳେ ସେ ଚେଷ୍ଟା କଦାପି ବ୍ୟର୍ଥ ହୁଏ ନାହିଁ ନାନୀ ।

 

ରାଜଲକ୍ଷ୍ମୀ ମୋ ଆଡ଼କୁ କଟାକ୍ଷ ହାଣି ଧୀରେ ଧୀରେ ମୁଣ୍ଡ ହଲାଇବାକୁ ଲାଗିଲା । ବୋଧହୁଏ ସେ ବିଶ୍ୱାସ କଲା ନାହିଁ କିମ୍ବା ମୋ ପାଇଁ ମନେମନେ ଶଙ୍କିତ ହୋଇଉଠିଲା କାଳେ ମୁଁ ଉତ୍ତର ଦେଇପକାଇବି....

 

ଆନନ୍ଦ ପଚାରିଲା– ମୁଣ୍ଡ ହଲାଇଲ ଯେ ?

 

ରାଜଲକ୍ଷ୍ମୀ ପ୍ରଥମେ ଟିକିଏ ହସିବା ପାଇଁ ଚେଷ୍ଟା କଲା । ପରେ କୋମଳ କଣ୍ଠରେ କହିଲା, ଦେଶର ଦୁର୍ଦ୍ଦଶା ଯେ କେତେ ବିରାଟ ତାହା ମୁଁ ଭଲକରି ଜାଣେ ଆନନ୍ଦ । କିନ୍ତୁ ତୁମର ଏକାକୀ ଚେଷ୍ଟାରେ କ’ଣ ସୁଧୁରିପାରିବ ଭାଇ ? ମୋତେ ଦେଖାଇ କହିଲା, ପୁଣି ଏ ଯିବେ ସାହାର୍ଯ୍ୟ କରିବାକୁ ? ତେବେ ଠିକ୍ ହୋଇଛି । ତାହାହେଲେ ମୋ ମତରେ ତାଙ୍କ ସେବାରେହିଁ ତୁମର ଦିନ କଟିବ । ଆଉ କାହା ପାଇଁ କିଛି କରିବାକୁ ହେବ ନାହିଁ । ଏହା କହି ସେ ହସିଦେଲା ।

 

ତା’ ହସ ଦେଖି ଆନନ୍ଦ ନିଜେ ମଧ୍ୟ ହସିପକାଇ କହିଲା– ତାଙ୍କୁ ନେବା ଦରକାର ନାହିଁ ନାନୀ । ଚିରଦିନ ପାଇଁ ସେ ଆପଣଙ୍କ ଆଖିର ମଣିହୋଇ ରହିଥାନ୍ତୁ । କିନ୍ତୁ ଏକାକୀ କିମ୍ବା ଦୁଇଜଣର କଥା ଉଠୁନାହିଁ । ଏକାକୀ ମନୁଷ୍ୟ ମଧ୍ୟ ଆନ୍ତରିକ ଇଚ୍ଛା ଶକ୍ତିରେ ଏତେବଡ଼ ଯେ, ତାକୁ କଳନା କରିହେବ ନାହିଁ । ଠିକ୍‌ ବାମନ ଅବତାରଙ୍କ ପାଦଭଳି । ବାହାରୁ ଦେଖିବାକୁ ସେ ଖୁବ୍‌ ଛୋଟ । କିନ୍ତୁ ସେହି କ୍ଷୁଦ୍ର ପାଦଟି ପ୍ରସାରିତ ହେଲେ ସାରା ବ୍ରହ୍ମାଣ୍ଡ ଆଚ୍ଛନ୍ନ କରିଦିଏ ।

 

ଚାହିଁ ଦେଖିଲି–ବାମନ ଅବତାର ଉପମାଦ୍ୱାରା ରାଜଲକ୍ଷ୍ମୀର ଅନ୍ତର କୋମଳ ହୋଇଉଠିଛି କିନ୍ତୁ ପ୍ରତ୍ୟୁତ୍ତରରେ ସେ କିଛି କହିଲା ନାହିଁ ।

 

ଆନନ୍ଦ କହିବାକୁ ଲାଗିଲା– ହୁଏତ ଆପଣଙ୍କ କଥା ହିଁ ଠିକ୍‌ । ବିଶେଷ କିଛି ମୁଁ କରିପାରି ନାହିଁ । କିନ୍ତୁ ଗୋଟିଏ ମାତ୍ର କାର୍ଯ୍ୟ କରିପାରିଛି । ସେଇଟି ହେଲା–ସାଧ୍ୟମତେ ଦୁଃଖୀମାନଙ୍କର ଦୁଃଖକୁ ଦୂର କରିବାକୁ ଚେଷ୍ଟାକରେ ।

 

ରାଜଲକ୍ଷ୍ମୀ ଅଧିକତର ସହାନୁଭୂତିଶୀଳା ହୋଇ କହିଲା– ସେ କଥା ତୁମକୁ ଦେଖିବା ଦିନଠାରୁ ଭଲକରି ମୁଁ ଜାଣିପାରିଥିଲି ।

 

ଆନନ୍ଦ ବୋଧହୁଏ ଏ କଥାରେ କାନ ଦେଲାନାହିଁ । ସେ ନିଜ କଥାର ସୁତ୍ରଧରି କହିବାକୁ ଲାଗିଲା, ଆପଣମାନଙ୍କ ଭଳି ମୋର ମଧ୍ୟ କିଛି ଅଭାବ ନଥିଲା । ବାପାଙ୍କର ଯେତିକି ଅଛି ସେତିକିରେ ସୁଖରେ ଦିନ କଟିଯାଇପାରିବ । ମୋର କିନ୍ତୁ ତହିଁରେ ପ୍ରୟୋଜନ ନାହିଁ । ଏଇ ଦୁଃଖୀମାନଙ୍କ ଦେଶରେ ଯଦି ସୁଖଭୋଗ ଲାଳସାଟାକୁ ସଂଜତ କରି ରଖିପାରିବି ତେବେ ସେତିକି ଜାଣ ଯଥେଷ୍ଟ ହେଲା ।

 

ରତନ ଆସି କହିଲା– ପୁଜାରୀ କହିଛି ରୋଷାଇବାସ ସରିଲାଣି ।

 

ରାଜଲକ୍ଷ୍ମୀ ତାକୁ ଖାଇବାପାଇଁ ଯାଗା କରିବାକୁ ଆଦେଶ ଦେଇ ମୋତେ କହିଲା– ଆଜି ତୁମେମାନେ ଟିକିଏ ଶୀଘ୍ର ଶୀଘ୍ର ଖାଇନିଅ, ଆନନ୍ଦ । ମୁଁ ଆଜି ଭାରି କ୍ଳାନ୍ତ ।

 

ସେ ଯେ କ୍ଳାନ୍ତ ଏଥିରେ ସନ୍ଦେହ ନଥିଲା । କିନ୍ତୁ କ୍ଳାନ୍ତର ଆଳ ଦେଖାଇବାର ତାକୁ କେବେ ଦେଖିନଥିଲି । ଉଭୟେ ନୀରବରେ ଠିଆହୋଇପଡ଼ିଲୁ । ରଙ୍ଗ ରହସ୍ୟ ଭିତରେ ଆଜିକାର ସକାଳଟା ଖୁବ୍‌ ଆନନ୍ଦରେ ଆରମ୍ଭ ହୋଇଥିଲା । ସାୟାହ୍ନର ସଭା ମଧ୍ୟ ଖୁବ୍‌ ହାସ୍ୟ ପରିହାସ ଭିତରେ ଜମିଉଠିଥିଲା । କିନ୍ତୁ ଶେଷକୁ ତାହା ଯେପରି ନିରାନନ୍ଦ ମଳିନ ଅବସାଦରେ ଭାଙ୍ଗିଲା । ସେଥିପାଇଁ ଦୁଇଜଣ ଯେତେବେଳେ ରୋଷଘରଆଡ଼କୁ ଅଗ୍ରସର ହେଲୁ ସେତେବେଳେ କାହା ତୁଣ୍ଡରେ କିଛି କଥା ନଥିଲା ।

 

ପରଦିନ ସକାଳୁ ବ୍ରଜାନନ୍ଦ ପ୍ରସ୍ଥାନ ପାଇଁ ଉଦ୍ୟୋଗ ଆରମ୍ଭ କଲା । କାହାର କେବେ କେଉଁଠାକୁ ଯିବାର କଥା ଉଠିଲେ ରାଜଲକ୍ଷ୍ମୀ ପ୍ରଥମେ ଆପତ୍ତି କରିଥାଏ । ବାରବେଳାର ଶୁଭ ଅଶୁଭ ଆଳ ଦେଖାଇ ଆଜି ନୁହେଁ କାଲି, କାଲି ନୁହେଁ ପଅରଦିନ ଏପରି ଭାବରେ ବାଧାଦିଏ । କିନ୍ତୁ ଆଜି ସେ ପଦେହେଲେ କଥା କହିଲା ନାହିଁ । କେବଳ ବିଦାୟ ନେଇ ଆନନ୍ଦ ଯେତେବେଳେ ଯିବାକୁ ବାହାରିଲା ସେତେବେଳେ ତା’ ପାଖରେ ଆସି ଅତ୍ୟନ୍ତ ମୃଦୁ କଣ୍ଠରେ ସେ ପଚାରିଲା–ଆନନ୍ଦ, ପୁଣି କେବେ ଆସିବୁ ଭାଇ ?

 

ମୁଁ ଖୁବ୍‌ ନିକଟରେ ଥିଲି । ତେଣୁ ସ୍ପଷ୍ଟଭାବରେ ଦେଖିପାରିଲି ସନ୍ନ୍ୟାସୀଙ୍କ ଦୃଷ୍ଟିର ଦୀପ୍ତି ଝାପ୍‌ସା ହୋଇଆସିଲା । କିନ୍ତୁ ମୁହୂର୍ତ୍ତକ ଭିତରେ ସେ ଆତ୍ମସଂବରଣ କରି ହସ ହସ ମୁହଁରେ କହିଲା– ଆସିବି ନାହିଁ ନାନୀ, ଯଦି ବଞ୍ଚିରହେ ତେବେ ମଝିରେ ମଝିରେ ଆସି ଉତ୍ପାତ କରି ଯାଉଥିବି ।

 

: ଠିକ୍‌ କହୁଛୁ ତ ?

 

: ନିଶ୍ଚୟ ।

 

: କିନ୍ତୁ ଆମେମାନେ ଯେ ଶୀଘ୍ର ଚାଲିଯିବୁ । ଯେଉଁଠାରେ ଥିବୁ ସେଠାକୁ କ’ଣ ଯିବୁ ?

 

: ଆଦେଶ କଲେ ଯିବି ନିଶ୍ଚୟ ।

 

ରାଜଲକ୍ଷ୍ମୀ କହିଲା– ଯାଆ । କିନ୍ତୁ ତୋ ଠିକଣା ଆମକୁ ଲେଖିକରି ଦେ । ମୁଁ ତୋ ପାଖକୁ ଚିଠି ଲେଖିବି ।

 

ଆନନ୍ଦ ପକେଟରୁ କାଗଜ ପେନ୍‌ସିଲ ବାହାର କରି ଠିକଣା ଲେଖି ହାତକୁ ବଢ଼ାଇଦେଲା । ସନ୍ନ୍ୟାସୀ ହୋଇ ମଧ୍ୟ ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇ ଆମଦୁହିଁଙ୍କୁ ନମସ୍କାର କଲା । ରତନ ଆସି ପାଦଧୂଳିନେଇ ମୁଣ୍ଡରେ ଲଗାଇବାକ୍ଷଣି ତାକୁ ଆଶୀର୍ବାଦ କରି ଧୀରେ ଧୀରେ ଘରୁ ବାହାରି ଚାଲିଗଲା ।

 

ସ୍ୱାମୀ ବ୍ରଜାନନ୍ଦ ତାଙ୍କର ଔଷଧବାକ୍‌ସ ଓ କ୍ୟାନ୍‌ଭାସ୍‌ର ବ୍ୟାଗ୍‌ ନେଇ ଯେଉଁଦିନ ବାହାର ହୋଇଗଲେ ସେଦିନ କେବଳ ସେ ଏ ଘରର ସମସ୍ତ ଆନନ୍ଦଟିକୁ ଛାଣିନେଇ ହୋଇଗଲେ ସେଦିନ କେବଳ ସେ ଏ ଘରର ସମସ୍ତ ଆନନ୍ଦଟିକୁ ଛାଣିଦେଇ ଗଲେ ତାହାନୁହେଁ, ମୋର କିପରି ମନେହେଲା ଯେପରି ସେ ସେହି ଛିଦ୍ରହୀନ ନିରାନନ୍ଦଦ୍ୱାରା ଘରଟିକୁ ପୂର୍ଣ୍ଣ କରିଦେଇ ଗଲେ । ଘନ ଶୈବାଳ ପରିବ୍ୟାପ୍ତ ଜଳାଶୟର ଯେଉଁ ଜଳ ଟିକକ ତାହାର ଅବିଶ୍ରାନ୍ତ ଚାଞ୍ଚଲ୍ୟ ହେତୁ ଆବର୍ଚ୍ଛନାମୁକ୍ତ ଥିଲା, ତାହା ଯେପରି ତା’ର ଅବର୍ତ୍ତମାନ ହେତୁ ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପୀଯାଇ ଏକାକାର ହୋଇଗଲା । ତଥାପି ଛଅ ସାତଦିନ କଟିଗଲା । ରାଜଲକ୍ଷ୍ମୀ ପ୍ରାୟ ସାରାଦିନ ଘରେ ରହେ ନାହିଁ । କୁଆଡ଼େ ଯାଏ, କ’ଣ କରେ ସେ କଥା ମୁଁ ଜାଣେ ନାହିଁ କିମ୍ବା କେବେ ତାକୁ ପଚାରି ନାହିଁ । ଦିନ ଶେଷରେ ଯେତେବେଳେ ତା’ ସହିତ ଥରେ ଦେଖାହୁଏ ସେତେବେଳେ ସେ ଅନ୍ୟମନସ୍କ ଥାଏ ନଚେତ୍‌ କୁଶାରୀ ମହାଶୟଙ୍କ ସହିତ କାମଦାମ ବିଷୟରେ କଥା ହେଉଥାଏ । ଏକୁଟିଆ ଘରଭିତରେ ଆନନ୍ଦ ଯିଏ କି ମୋର କେହି ନୁହେଁ, ତା’ କଥା ବାରମ୍ବାର ମନେପଡ଼େ । ମନେହୁଏ ସେ ଯଦି ହଠାତ୍‌ ଆସିପାରନ୍ତା ! କେବଳ ଯେ ମୁଁ ଖୁସି ହୁଅନ୍ତି ତାହାନୁହେଁ, ଏଇ ଯେ ରାଜଲକ୍ଷ୍ମୀ ବାରଣ୍ଡା ଏପାଖରେ ବସି ପ୍ରଦୀପର ଆଲୋକରେ କ’ଣ ଗୋଟାଏ କହିବାକୁ ଚେଷ୍ଟା କରୁଛି, ମୁଁ ଜାଣେ, ସେ ମଧ୍ୟ ସେହିପରି ଖୁସିହୋଇ ଉଠିବ । ଏପରି ବି ହୁଏ ! ଦିନେ ଯେଉଁମାନଙ୍କର ଉନ୍‌ମୁଖ ଯୁଗ୍ମ ହୃଦୟ ବାହାରର ସର୍ବବିଧ ସଂସ୍ରବକୁ ପରିହାସ କରି ଏକାନ୍ତ ସମ୍ମିଳନର ଆକାଂକ୍ଷାରେ ବ୍ୟାକୁଳ ହୋଇପଡ଼ିଥିଲା, ଆଜି ଭାଙ୍ଗିଯାଉଥିବା ଜୀବନରେ ସେହି ବାହାରଟା ସତେ ମୋର କେଡ଼େ ପ୍ରୟୋଜନୀୟ ହୋଇ ନ ଉଠିଛି ! ମନେହୁଏ, ଯେ କେହି ହେଉ, ଆମ ମଝିରେ ଯଦି ଆସି ଠିଆ ହୋଇପଡ଼ନ୍ତା ତେବେ ନିଃଶ୍ୱାସ ମାରି ଦଣ୍ଡେ ବଞ୍ଚି ଯାଆନ୍ତି ।

 

ଏପରି ଭାବରେ ଦିନ ଯେତେବେଳେ କଟିବାକୁ ଆଉ ଚାହୁଁନଥାଏ ଠିକ୍‌ ସେତିକିବେଳେ ଦିନେ ହଠାତ୍‌ ରତନ ଆସି ଆଗରେ ଉଭା ହେଲା । ମୁହଁର ହସ ସେ ଆଉ ଚାପି ରଖିପାରୁନଥିଲା-। ରାଜଲକ୍ଷ୍ମୀ ଘରେ ନଥିଲା, ସୁତରାଂ ତା’ର ଡରିବାର କିଛି ନଥିଲା । ତଥାପି ସେ ସାବଧାନରେ ଚାରିଆଡ଼କୁ ଆଖି ପକାଇ ଧୀରେ ଧୀରେ କହିଲା–ଶୁଣିନାହାନ୍ତି ବୋଧହୁଏ ?

 

କହିଲି–ନା,

 

ରତନ କହିଲା– ମାଆ ଦୁର୍ଗା କରନ୍ତୁ; ମାଆଙ୍କର ଏ ମତିଟି ଶେଷ ପର୍ଯ୍ୟନ୍ତ ବଜାୟ ହୋଇ ରହୁ । ଆମେମାନେ ଦୁଇ ଚାରିଦିନ ଭିତରେ ଏଠାରୁ ଯାଉଛୁ ।

 

: କୁଆଡ଼େ ଯାଉଛେ ?

 

ରତନ ପୁଣି ଥରେ ବାହାରକୁ ଭଲକରି ନିରୀକ୍ଷଣ କରିସାରି କହିଲା– ସେ ଖବରଟା ସଠିକ୍ ଭାବରେ ମୁଁ ଏପର୍ଯ୍ୟନ୍ତ ପାଇପାରି ନାହିଁ । ହୁଏତ ପାଟନାକୁ, ନହେଲେ କାଶୀକୁ, ନହେଲେ....କିନ୍ତୁ ଏହା ବ୍ୟତୀତ ମାଆଙ୍କର ତ ଆଉ କେଉଁଠାରେ ଘର ନାହିଁ !

 

ଚୁପ୍‌ ହୋଇ ରହିଲି । ଏତେବଡ଼ ଘଟଣାରେ ମୋର ନିରୁତ୍ସାହିତା ଲକ୍ଷ୍ୟ କରି ବୋଧହୁଏ ସେ ଭାବିଲା, ମୁଁ ତା’ କଥାକୁ ବିଶ୍ୱାସ କରିପାରିଲି ନାହିଁ । ସେଥିପାଇଁ ସେ ଚାପା ଗଳାରେ ସମସ୍ତ ଶକ୍ତି ନିୟୋଗ କରି କହିଉଠିଲା ମୁଁ କହୁଛି ଆଜ୍ଞା, ଏକଥା ସତ । ଆମେମାନେ ନିଶ୍ଚୟ ଯିବା । ଆଃ ! ବଞ୍ଚି ଯିବା ତାହାହେଲେ......

 

କହିଲି–ହଁ ।

 

ରତନ ଅତ୍ୟନ୍ତ ଖୁସିହୋଇ କହିଲା, କଷ୍ଟ କରି ଆଉ ଦୁଇ ଚାରିଦିନ ଅପେକ୍ଷା କରନ୍ତୁ । ଆଜ୍ଞା ବଡ଼ ଜୋରରେ ସପ୍ତାହଟିଏ । ତାହାଠାରୁ ଆଉ ବେଶୀ ନୁହେଁ । ଗଙ୍ଗାମାଟିର ସମସ୍ତ ବ୍ୟବସ୍ଥା ମାଆ କୁଶାରୀ ମହାଶୟଙ୍କ ସହିତ କରି ସାରିଲାଣି । ଏଣିକି ଜିନିଷପତ୍ର ବନ୍ଧାବନ୍ଧି କରି ଗୋଟିଏ ଗୋଟିଏ ପାଦ କାଢ଼ି ବାହାରିପଡ଼ିଲେ ଯାଇ ରକ୍ଷା । ଆମେମାନେ ସବୁ ହେଲୁ ସହରୀ ମଣିଷ । ଏଠାରେ କ’ଣ ଆମର ମନ ଲାଗୁଛି ? ଏହା କହି ସେ ଖୁସିରେ ଏବଂ ଆବେଗରେ ଉତ୍ତର ପାଇଁ ଅପେକ୍ଷା ନକରି ଚାଲିଗଲା ।

 

ରତନକୁ ଅଜଣା କିଛି ନାହିଁ । ତାହାଭଳି ମୁଁ ଯେ ରାଜଲକ୍ଷ୍ମୀର ଜଣେ ଅନୁଚର ମାତ୍ର ଏକଥା ସେ ଜାଣେ । ସେ ଜାଣେ କାହାର ମତାମତର କିଛି ମୂଲ୍ୟ ନାହିଁ, ଯେହେତୁ ସମସ୍ତଙ୍କର ଭଲ ଲାଗିବା, ନ ଲାଗିବା, କେବଳ କର୍ତ୍ତ୍ରୀଙ୍କର ଇଚ୍ଛା ଓ ଅଭିରୁଚି ଉପରେ ହିଁ ନିର୍ଭର କରିଥାଏ ।

 

ଯେଉଁ ଆଭାସ ଟିକକ ରତନ ଦେଇଗଲା, ସେ ନିଜେ ତା’ର ମର୍ମ ବୁଝେନାହିଁ । କିନ୍ତୁ ତା’ ବାକ୍ୟର ସେହି ନିହିତ ଅର୍ଥ ଦେଖୁ ଦେଖୁ ମୋ ଚିତ୍ତପଟରେ ସବୁ ଦିଗ ପରିସ୍ଫୁଟ ହୋଇଉଠିଲା-। ରାଜଲକ୍ଷ୍ମୀର ଶକ୍ତି ଅବଧି ନାହିଁ । ଏଇ ବିପୁଳ ଶକ୍ତି ଦ୍ୱାରା ଯେପରି ପୃଥିବୀରେ ସେ ନିଜକୁ ନେଇ ଖେଳ କରିବାରେ ଲାଗିଛି । ଦିନେ ଏଇ ଖେଳରେ ମୋର ପ୍ରୟୋଜନ ଥିଲା । ତାହାର ସେହି ଏକାଗ୍ର ବାସନାର ପ୍ରଚଣ୍ଡ ଆକର୍ଷଣକୁ ପ୍ରତିହତ କରିବାର ସାଧ୍ୟ ମୋର ନଥିଲା, ତେଣୁ ସିଧା ଚାଲି ଆସିଥିଲି । ମୋତେ ସେ ବଡ଼ ମନେକରି ଆଣି ନାହିଁ । ଭାବିଥିଲି ସେ ମୋ ପାଇଁ ଅନେକ ସ୍ୱାର୍ଥ ବିସର୍ଜନ ଦେଇଛି । କିନ୍ତୁ ଆଜି ଆଖିରେ ପଡ଼ିଲା ପ୍ରକୃତରେ କିନ୍ତୁ ତାହା ନୁହେଁ-। ରାଜଲକ୍ଷ୍ମୀର ସ୍ୱାର୍ଥର କେନ୍ଦ୍ରସ୍ଥଳଟା ଆଜିଯାଏ ଦେଖିପାରିନଥିଲି ବୋଲି ଏପରି ଭାବି ଆସିଥିଲି-। ବିତ୍ତ, ଅର୍ଥ, ଐଶ୍ୱର୍ଯ୍ୟ ଏପରି ଅନେକ କିଛି ତ୍ୟାଗ କରିଆସିଛି କିନ୍ତୁ ସେ ସବୁ କ’ଣ ମୋ ପାଇଁ-? ଆବର୍ଜନା ସ୍ତୂପ ଭଳି ସେ ସବୁ କ’ଣ ତା’ର ପଥରୋଧ କରିନଥିଲେ ? ମୁଁ ଆଉ ମୋତେ ଲାଭ କରିବାର ଭିତରେ ଯେ ରାଜଲକ୍ଷ୍ମୀର କେତେ ବଡ଼ ପ୍ରଭେଦ ଥିଲା, ସେହି ସତ୍ୟ ଆଜି ମୋ ନିକଟରେ ପ୍ରତିଭାତ ହେଲା । ଆଜି ତାହାର ଚିତ୍ତ ଇହଲୋକର ସମସ୍ତ ପାଇବାକୁ ତୁଚ୍ଛ କରି ଅଗ୍ରସର ହେବାକୁ ଉଦ୍ୟତ ହୋଇଛି । ତାହାର ସେହି ପଥରେ ଏକାଠି ଠିଆହୋଇ ରହିବା ପାଇଁ ମୋ ଲାଗି ସ୍ଥାନ ନାହିଁ । ଅତଏବ ଅନ୍ୟାନ୍ୟ ଆବର୍ଚ୍ଛନା ଭଳି ମୋତେ ଯେ ସେହି ପଥଧାରରେ ଅନାଦୃତ ହୋଇପଡ଼ି ରହିବାକୁ ହେବ, ତାହା ଯେତେ ବେଦନାଦାୟକ ହେଉନା କାହିଁକି ଅସ୍ୱୀକାର କରିବାର ବାଟ ନାହିଁ ।

 

ପରଦିନ ସକାଳେ ଜାଣିବାକୁ ପାଇଲି ଧର୍ତ୍ତ ରତନ ଯେଉଁ ତଥ୍ୟ ସଂଗ୍ରହ କରିଥିଲା ତାହା ମିଛ ନୁହେଁ । ଗଙ୍ଗାମାଟି ସମ୍ପର୍କୀୟ ଯାବତୀୟ ବ୍ୟବସ୍ଥା ହିଁ ସ୍ଥିର ହୋଇଯାଇଥିଲା । ରାଜଲକ୍ଷ୍ମୀର ନିଜ ମୁହଁରୁ ସେ କଥା ଶୁଣିପାରିଲି । ସକାଳୁ ସେ ନିୟମିତ ପୂଜା–ଆହ୍ନିକ ସମାପନ କରିସାରି ଅନ୍ୟଦିନ ଭଳି ବାହାରିଗଲା ନାହିଁ । ଧୀରେ ଧୀରେ ଆସି ମୋ ପାଖରେ ବସିଲା । କହିଲା, ପଅରଦିନ ଯଦି ଖାଇବା ପିଇବା ସାରି ଆମେମାନେ ବାହାରି ପଡ଼ି ପାରିବା ତେବେ ସାଇଁଥିଆରେ ପଶ୍ଚିମ ଗାଡ଼ି ଅନାୟସରେ ଧରିପାରିବା ତ ?

 

କହିଲି– ପାରିବା ।

 

ରାଜଲକ୍ଷ୍ମୀ କହିଲା– ଏଠାକାର କାମ ପ୍ରାୟ ଏକରକମ ଶେଷ କରି ସାରିଲିଣି । କୁଶାରୀ ମହାଶୟ ଯେପରି ଦେଖାଶୁଣା କରୁଥିଲେ ସେହିପରି କରିବେ ।

 

କହିଲି– ଭଲ ହେଲା ।

 

ରାଜଲକ୍ଷ୍ମୀ–ମୁହୂର୍ତ୍ତକ ପାଇଁ ଚୁପ୍ ହୋଇ ରହିଲା । ବୋଧହୁଏ ପ୍ରଶ୍ନଟା ଠିକ୍‌ ରୂପେ ଆରମ୍ଭ କରିପାରିନଥିଲା ବୋଲି ଶେଷରେ କହିଲା, ବଙ୍କୁ ପାଖକୁ ଚିଠି ଲେଖିଦେଇଛି । ସେ ଗୋଟାଏ ଗାଡ଼ି ରିଜର୍ଭ କରି ଷ୍ଟେସନରେ ଆସି ପହଞ୍ଚିଥିବ । କିନ୍ତୁ ପହଞ୍ଚିଥିଲେ ସିନା !

 

କହିଲି–ନିଶ୍ଚୟ ପହଞ୍ଚିଥିବ । ସେ ତୁମ ଆଦେଶକୁ ଲଙ୍ଘନ କରିପାରିବ ନାହିଁ ।

 

ରାଜଲକ୍ଷ୍ମୀ କହିଲା– ନା, ସାଧ୍ୟମତ ଚେଷ୍ଟା କରିବ । ତଥାପି....ଆଚ୍ଛା, ତୁମେ କ’ଣ ଆମମାନଙ୍କ ସଙ୍ଗରେ ଯାଇପାରିବ ନାହିଁ ?

 

କେଉଁଠାକୁ ଯିବାକୁ ହେବ ଏ ପ୍ରଶ୍ନଟା ପଚାରିପାରିଲି ନାହିଁ । ପଚାରିବାକୁ କଷ୍ଟ ଲାଗିଲା-। କେବଳ କହିଲି–ଯଦି ଯିବା ପାଇଁ ପ୍ରୟୋଜନ ତୁମେ ମନେକରୁଥାଅ, ତେବେ ଯାଇପାରେ-

 

ଏହାର ପ୍ରତ୍ୟୁତ୍ତରରେ ରାଜଲକ୍ଷ୍ମୀ କିନ୍ତୁ କିଛି କହିପାରିଲା ନାହିଁ । ଅନେକ କ୍ଷଣ ଚୁପ୍‌ କରି ରହିବା ପରେ ହଠାତ୍‌ ବ୍ୟସ୍ତ ହୋଇ କହିଲା, କାହିଁ ! ତୁମ ପାଇଁ ଚାହା ତ ଏପର୍ଯ୍ୟନ୍ତ ଆସିଲା ନାହିଁ ?

 

କହିଲି– ନା, ବୋଧହୁଏ କାମରେ ବ୍ୟସ୍ତ ଥିବେ ।

 

ପ୍ରକୃତରେ ଚାହା ଆଣିବାର ସମୟ ବହୁତ ବେଳରୁ ଉତ୍ତୀର୍ଣ୍ଣ ହୋଇଯାଇଥିଲା । ଆଗକାର ଦିନ ହୋଇଥିଲେ ଚାକରମାନଙ୍କର ଏତେବଡ଼ ତ୍ରୁଟିକୁ ସେ କଦାପି ମାର୍ଚ୍ଛନା କରିପାରିନଥାନ୍ତା । ପାଟିତୁଣ୍ଡ କରି ଏତେବେଳକୁ ତୁମୁଳ କାଣ୍ଡ କରି ସାରନ୍ତାଣି । କିନ୍ତୁ ବର୍ତ୍ତମାନ ସେ କିପରି ଲାଜରେ ସଢ଼ିଗଲା ଏବଂ ପଦଟିଏ କଥା ନକହି ତର ତର ହୋଇ ଘରୁ ବାହାରି ଚାଲିଗଲା ।

 

ନିର୍ଦ୍ଦିଷ୍ଟ ଦିନ ଯାତ୍ରାର ପୂର୍ବାହ୍ନ ସମୟରେ ସମସ୍ତ ପ୍ରଜାମାନେ ଆସି ଘେରି ଠିଆ ହୋଇଗଲେ । ଡମ୍ବମାନଙ୍କର ମାଳତୀ ନାମକ ଝିଅଟିକୁ ଥରେ ଦେଖିବା ପାଇଁ ପ୍ରବଳ ଇଚ୍ଛାଥିଲା । କିନ୍ତୁ ଏ ଗ୍ରାମ ତ୍ୟାଗ କରି ସେ ଅନ୍ୟତ୍ର ଯାଇ ବସତିସ୍ଥାପନ କରିଛି । ତେଣୁ ଦେଖା ହୋଇପାରିଲା ନାହିଁ । ଖବର ପାଇଲି ସେଠାରେ ସେ ସ୍ୱାମୀ ସହିତ ସୁଖରେ ଅଛି । କୁଶାରୀ ଭାଇ ଦୁହେଁ ରାତି ଥାଉ ଥାଉ ସପରିବାର ଆସି ଉପସ୍ଥିତ ହେଲେ । ତନ୍ତୀମାନଙ୍କର ସମ୍ପତ୍ତି ଘଟିତ ବିବାଦର ସୁମୀମାଂସା ହେବା ହେତୁ ସେମାନେ ପୁଣି ମିଳିମିଶି ଯାଇଥିଲେ । କ’ଣ କିପରି କାମ କରି ଯେ ରାଜଲକ୍ଷ୍ମୀ ଏସବୁ କରିପାରିଲା ତାହା ଜାଣିବା ପାଇଁ କୌତୂହଳ ନଥିଲା । ତେଣୁ ଜାଣିନଥିଲି । କେବଳ ଏତିକି ମାତ୍ର ସେମାନଙ୍କ ମୁହଁକୁ ଚାହିଁ ଜାଣିପାରିଲି ଯେ, କଳହର ଅବସାନ ହୋଇଛି ଏବଂ ପୂର୍ବ ସଞ୍ଚିତ ଦୁଃଖ କାହା ମନରେ ଆଉ ନାହିଁ ।

 

ସୁନନ୍ଦା ଆସି ତା’ ପୁଅକୁ ଧରି ମୋତେ ପ୍ରଣାମ କଲା । କହିଲା–ଆମମାନଙ୍କୁ ଯେ ଆପଣ ଶୀଘ୍ର ଭୁଲିଯିବେ ନାହିଁ; ମୁଁ ଜାଣେ । ତେଣୁ ଏଭଳି ବାହୁଲ୍ୟ ପ୍ରାର୍ଥନା ମୁଁ ଆପଣଙ୍କ ନିକଟରେ କରିବି ନାହିଁ ।

 

ହସି ହସି କହିଲି–ଆଉ କେଉଁଥିପାଇଁ ପ୍ରାର୍ଥନା କରିବ ?

 

: ମୋ ପୁଅକୁ କେବଳ ଆପଣ ଆଶୀର୍ବାଦ କରନ୍ତୁ ।

 

କହିଲି– ଏ ବି ତ ବାହୁଲ୍ୟ ପ୍ରାର୍ଥନା ସୁନନ୍ଦା । ତୁମଭଳି ମାଆର ପୁଅକୁ ଯେ ଆଶୀର୍ବାଦ କରାଯାଇପାରେ; ସେକଥା ମୁଁ ଭାବିନଥିଲି ।

 

ରାଜଲକ୍ଷ୍ମୀ କ’ଣ ଗୋଟାଏ ଦରକାରୀ କାମରେ ଏଇବାଟ ଦେଇ ଯାଉଥିଲା । କଥାଟା ତା’ କାନଭିତରକୁ ଯିବାକ୍ଷଣି ସେ ଘରଭିତରକୁ ପଶିଆସିଲା । ସୁନନ୍ଦାର ହୋଇ ଜବାବ ଦେଇ କହିଲା–ତା’ ପୁଅକୁ ତୁମେ ଏଇ ଆଶୀର୍ବାଦ କର ଯେପରି ସେ ବଡ଼ ହେଲେ ତୁମରି ଭଳି ମନ ପାଉ ।

 

ହସି କହିଲି, ବେଶ୍‌ ଆଶୀର୍ବାଦ ! ତୁମ ପୁଅକୁ ବୋଧହୁଏ ଲକ୍ଷ୍ମୀ ଥଟ୍ଟା କରି ଏପରି କହୁଛି, ସୁନନ୍ଦା ।

 

ମୋ କଥା ଶେଷ ନ ହେଉଣୁ ରାଜଲକ୍ଷ୍ମୀ କହିଉଠିଲା–କ’ଣ ନିଜ ପୁଅ ସଙ୍ଗେ ଥଟ୍ଟା କରିବାକୁ ଚାହୁଁଛି ? ମୁହୂର୍ତ୍ତକ ପାଇଁ ସେ ସ୍ତବ୍‌ଧ ହୋଇ ରହିଯାଇ ପୁଣି କହିଲା–ମୁଁ ହେଉଛି ତା’ ମାଆ ଭଳି । ମୁଁ ପ୍ରାର୍ଥନା କରୁଛି ଭଗବାନ ଯେପରି ତାକୁ ସେଇ ବର ଦିଅନ୍ତା । ତା’ ଅପେକ୍ଷା ଆଉ କିଛି ବଡ଼ ଆଶୀର୍ବାଦ ଅଛିବୋଲି ମୁଁ ତ ମନେକରେ ନାହିଁ ।

 

ହଠାତ୍‌ ଚାହିଁ ଦେଖିଲି, ତା’ର ଦୁଇଆଖି ଲୁହରେ ଭରିଉଠିଛି । ଆଉ ପଦଟିଏ ହେଲେ କଥା ନ କହି ସେ ଘରୁ ବାହାରି ଚାଲିଗଲା ।

 

ଏହାପରେ ସମସ୍ତେ ମିଶି ଆଖିର ଲୁହରେ ଗଙ୍ଗାମାଟିରୁ ବିଦାୟ ନେଇ ଆସିଲୁ । ଏପରିକି ରତନ ମଧ୍ୟ ବାରମ୍ବାର ଆଖି ପୋଛିବାକୁ ଲାଗିଥାଏ । ଯେଉଁମାନେ ରହିଲେ, ସେମାନଙ୍କର ପୁଣି ଆଉଥରେ ଆସିବାର ସର୍ନିବନ୍ଧ ଅନୁରୋଧକୁ ରକ୍ଷା କରିବା ପାଇଁ ସମସ୍ତେ ପ୍ରତିଶ୍ରୁତି ଦେଲେ, କେବଳ ମୁଁ ଦେଇପାରିଲି ନାହିଁ । ମୁଁ ନିଶ୍ଚିତ ଭାବରେ ଜାଣିଥାଏ ଯେ, ଏ ଜୀବନରେ ଏଠାକୁ ପୁଣି ଫେରିଆସିବାର ସମ୍ଭାବନା ଆଉ ମୋର ନାହିଁ । ସେଥିପାଇଁ ଯିବା ବାଟରେ ଏଇ କ୍ଷୁଦ୍ର ଗ୍ରାମଟିକୁ ବାରମ୍ବାର ଫେରି ଚାହିଁ କେବଳ ଏହାହିଁ ମନେହେବାକୁ ଲାଗିଲା; ଯେପରି ଅପରିମେୟ ମାଧୁର୍ଯ୍ୟ ଓ ବେଦନାରେ ପରିପୂର୍ଣ୍ଣ ଗୋଟିଏ ବିୟୋଗାନ୍ତକ ନାଟକର ଏଇମାତ୍ର ଯବନିକା ପଡ଼ିଲା । ନାଟ୍ୟଶାଳାର ଆଲୋକ ଲିଭିଲା । ଏଣିକି ସଂସାରର ସହସ୍ରବିଧ ଭିଡ଼ଭିତରେ ମୋତେ ରାସ୍ତା ଖୋଜି ବାହାର କରିବାକୁ ହେବ । କିନ୍ତୁ ଜନତା ମଝିରେ ଯେଉଁ ମନକୁ ଅତ୍ୟନ୍ତ ସତର୍କତା ସହିତ ପାଦ ପକାଇବାକୁ ହେବ, ସେଇ ମନ ଯେପରି ଘୋର ନିଶାରେ ଏକବାରେ ଆଚ୍ଛନ୍ନ ହୋଇପଡ଼ିଲା ।

 

ସନ୍ଧ୍ୟା ପରେ ଆମେମାନେ ସାଇଁଥିଆରେ ଆସି ପହଞ୍ଚିଲୁ । ରାଜଲକ୍ଷ୍ମୀର ଆଦେଶ ଏବଂ ଉପଦେଶ ଭିତରୁ ବଙ୍କୁ କେଉଁଟାକୁ ହେଲେ ଅବହେଳା କରିନଥିଲା । ସେ ସମସ୍ତ ବନ୍ଦୋବସ୍ତ କରି ନିଜେ ଆସି ଷ୍ଟେସନ ପ୍ଳାଟଫର୍ମରେ ଉପସ୍ଥିତ ଥିଲା । ଯଥା ସମୟରେ ଟ୍ରେନ ଆସିବାକ୍ଷଣି ମାଲପତ୍ର ଉଠାଇ ରତନକୁ ଚାକରମାନଙ୍କ ଡବାରେ ଚଢ଼ାଇ ଦେଇ ବିମାତାକୁ ଧରି ଗାଡ଼ିରେ ଚଢ଼ିଲା । କିନ୍ତୁ ମୋ ସହିତ ସେ ବିଶେଷ କୌଣସି ଘନିଷ୍ଠତା କରିବାର ଆଗ୍ରହ ଦେଖାଇଲା ନାହିଁ ତା’ର କାରଣ ବର୍ତ୍ତମାନ ତା’ର ଦର ବଢ଼ିଯାଇଛି । ଘରବାଡ଼ି, ଟଙ୍କା କଉଡ଼ି ନେଇ ସେ ବର୍ତ୍ତମାନ ସଂସାରରେ ମନୁଷ୍ୟ ମଧ୍ୟରେ ଜଣେ ବୋଲି ପରିଗଣିତ ହୋଇପାରିଛି । ବଙ୍କୁ ବିଚକ୍ଷଣ ବ୍ୟକ୍ତି । ସବୁ ଅବସ୍ଥାକୁ ନେଇ ସେ ଚଳି ଜାଣିପାରେ । ଏ ବିଦ୍ୟା ଯାହାକୁ ଜଣାଅଛି ତାକୁ ପୃଥିବୀରେ କଦାପି ଦୁଃଖ ଭୋଗ କରିବାକୁ ପଡ଼େ ନାହିଁ ।

 

ଗାଡ଼ି ଛାଡ଼ିବାକୁ ପାଞ୍ଚ ମିନିଟ ପ୍ରାୟ ବାକି ଥିଲା । ମୋର କଲିକତା ଟ୍ରେନ ରାତିର ଶେଷ ପ୍ରହରକୁ ଆସିବ । ଏକପ୍ରକାର ଚୁପ୍ ହୋଇ ଠିଆହୋଇ ରହିଥିଲି, ରାଜଲକ୍ଷ୍ମୀ ଝରକା ଭିତରୁ ହାତ ହଲାଇ ମୋତେ ଆହ୍ୱାନ ଜଣାଇଲା । ପାଖକୁ ଯିବାକ୍ଷଣି କହିଲା, ଟିକିଏ ଭିତରକୁ ଆସ । ଭିତରକୁ ଯିବାମାତ୍ରେ ସେ ମୋ ହାତ ଧରି ବସାଇଦେଇ କହିଲା–ତୁମେ କ’ଣ ଖୁବ୍‍ଶୀଘ୍ର ବର୍ମାକୁ ଚାଲିଯିବ ? ଯିବାପୂର୍ବରୁ ଆଉ ଥରଟିଏ ଦେଖାକରି ଯାଇପାରିବ ନାହିଁ ?

 

କହିଲି– ଯଦି ପ୍ରୟୋଜନ ମନେକର ତେବେ ଯାଇପାରେ ।

 

ରାଜଲକ୍ଷ୍ମୀ ଚୁପ୍‌ ଚୁପ୍‌ କରି କହିଲା– ସଂସାରରେ ଯାହାକୁ ପ୍ରୟୋଜନ ବୋଲି କହନ୍ତି ସେତକ ପାଇଁ ନୁହେଁ । କେବଳ ଥରକ ପାଇଁ ଦେଖିବାକୁ ଚାହୁଁଛି ଆସିବ ?

 

: ହଁ ।

 

: କଲିକତାରେ ପହଞ୍ଚି ଚିଠି ଦେବ ?

 

: ଦେବି ।

 

ବାହାରେ ଗାଡ଼ି ଛାଡ଼ିବାର ଶେଷଘଣ୍ଟା ବାଜିଉଠିଲା ଏବଂ ଗାର୍ଡ଼ ସାହେବ ତାଙ୍କର ସବୁଜ ବତୀକୁ ବାରମ୍ବାର ହଲାଇ ଆଦେଶ ଜଣାଇଲେ । ରାଜଲକ୍ଷ୍ମୀ ମୁଣ୍ଡ ନୁଆଇଁ ମୋ ପାଦଧୂଳି ନେଇ ହାତ ଛାଡ଼ିଦେଲା । ମୁଁ ଓହ୍ଲାଇପଡ଼ି କବାଟ ବନ୍ଦ କରିବା କ୍ଷଣି ଗାଡ଼ି ଚାଲିବାକୁ ଆରମ୍ଭ କଲା-। ଅନ୍ଧାର ରାତି, ଭଲକରି କିଛି ଦେଖାଯାଉ ନଥାଏ । କେବଳ ଷ୍ଟେସନରେ କେତେଟା କିରୋସିନି ଆଲୁଅ, ମନ୍ଥର ଗତିଶୀଳ ସେହି ଖୋଲା ଝରକା ଭିତରେ ଥିବା ଗୋଟିଏ ଅସ୍ପଷ୍ଟ ନାରୀମୂର୍ତ୍ତି ଉପରେ କେତେଥର ମାତ୍ର ଆଲୋକପାତ କଲା ।

 

କଲିକତା ଆସି ଚିଠିଦେଲି ଏବଂ ଉତ୍ତର ମଧ୍ୟ ପାଇଲି । ଏଠାରେ ବେଶୀ କାମ ନଥିଲା-। ଯାହା କାମ ଥିଲା ତିନିଦିନ ଭିତରେ ତାହା ଶେଷ ହୋଇଗଲା । ଏଥର ବିଦେଶକୁ ଯିବାପାଇଁ ଆୟୋଜନ କରିବାକୁ ପଡ଼ିବ । ତାହାପୂର୍ବରୁ କିନ୍ତୁ ପ୍ରତିଶ୍ରୁତି ଅନୁସାରେ ରାଜଲକ୍ଷ୍ମୀକୁ ଆଉ ଥରକ ପାଇଁ ଦେଖା କରିବାକୁ ପଡ଼ିବ । ଆଉ ଦୁଇ ସପ୍ତାହ ଏହିପରି ଭାବରେ କଟିଗଲା । ମନଭିତରେ ଗୋଟାଏ ବଡ଼ ଆଶଙ୍କା ଥିଲା ଯେ, ଏତେଦିନ ପରେ ତା’ ମନଭାବ କ’ଣ ହୋଇଥିବ କେଜାଣି, ହୁଏତ ସହଜରେ ଛାଡ଼ିବାକୁ ଚାହିଁନପାରେ । ଏତେ ଦୂରକୁ ଯିବାପାଇଁ ନାନାପ୍ରକାର ଓଜର ଆପତ୍ତି କରି ଜିଦ୍‌ ଧରିପାରେ ଯେହେତୁ ଏସବୁ ତା’ ପକ୍ଷରେ ଅସମ୍ଭବ ନୁହେଁ । ବର୍ତ୍ତମାନ ସେ କାଶୀରେ-। ତା’ ବସା ଠିକଣା ମଧ୍ୟ ମୁଁ ଜାଣେ, ଇତି ମଧ୍ୟରେ ଦୁଇ ତିନି ଖଣ୍ଡ ପତ୍ର ମଧ୍ୟ ତାହାଠାରୁ ପାଇସାରିଛି, ଏବଂ ତହିଁରେ ବିଶେଷ ଭାବରେ ଲକ୍ଷ୍ୟ କରିଛି ଯେ, ମୋ ପ୍ରତିଶ୍ରୁତି ବିଷୟ କେଉଁଠାରେ ହେଲେ ସେ ମୋତେ ମନେପକାଇ ଦେବାକୁ ଚେଷ୍ଟା କରିନାହିଁ । ନ କରିବାର କଥା ! ମନକୁମନ କହିହେଲି–ଆପଣାକୁ ଛୋଟକରି ମୁଁ ବୋଧହୁଏ ମୁହଁ ଫିଟାଇ ଲେଖିପାରିନଥାନ୍ତି ଯେ ତୁମେ ଦୟାକରି ଥରକ ପାଇଁ ଆସି ମୋତେ ଦେଖାକରି ଯାଅ ବୋଲି । ହଠାତ୍‌ ଦେଖୁ ଦେଖୁ କିପରି ମୁଁ ଅଧୀର ହୋଇପଡ଼ିଲି । ଏ ଜୀବନକୁ ସିଏ ଏତେଦିନ ଧରି ଜାବୁଡ଼ି ଧରିଥିଲା ତାକୁ କିପରି ଭାବରେ ଯେ ଏତେଦିନ ଧରି ଭୁଲି ରହିପାରିଛି ଭାବି ଆଶ୍ଚର୍ଯ୍ୟ ହୋଇଗଲି-। ଘଡ଼ି ବାହାର କରି ଦେଖିଲି, ଏବେ ସୁଦ୍ଧା ସମୟ ଅଛି । ଇଚ୍ଛାକଲେ ଯାଇ ଗାଡ଼ି ଧରିପାରିବି-। ବସାରେ ସବୁ ଜିନିଷ ସିମିତି ପଡ଼ି ରହିଲା । ବାହାରିପଡ଼ିଲି । ଇତସ୍ତତଃ ବିକ୍ଷିପ୍ତ ହୋଇପଡ଼ିଥିବା ଜିନିଷପତ୍ର ଗୁଡ଼ାକୁ ଚାହିଁବା କ୍ଷଣି ମନେହେଲା–ଥାଉ ଏସବୁ ଏହିପରି ପଡ଼ିଥାଉ । ମୋ କଥା ଯିଏ ବେଶୀ ମୋଠାରୁ ଜାଣେ, ତାରି ପାଖକୁ ଯାଉଥିଲାବେଳେ ଆଉ ପ୍ରୟୋଜନୀୟ ବୋଝ ବୋହି ଲାଭନାହିଁ । ରାତିରେ ଟ୍ରେନ ଭିତରେ କୌଣସିମତେ ନିଦ ଆସିଲାନାହିଁ । ବୁଜି ରଖିଥିବା ଦୁଇ ଆଖିପତାରେ କେତେ ଖିଆଲ, କେତେ କଳ୍ପନା ଯେ ଖେଳ କରିଥିବା ଲାଗିଲା, ତାହାର ଆଦିଅନ୍ତ ନାହିଁ । ହୁଏତ ଅଧିକାଂଶ ଏଣୁତେଣୁ । କିନ୍ତୁ ସବୁଗୁଡ଼ାକୁ ଏକାଠି କଲେ ଜଣାପଡ଼େ ପ୍ରତ୍ୟେକରେ ଯେପରି ମାଧୁର୍ଯ୍ୟ ଭରି ରହିଛି । କ୍ରମେ କ୍ରମେ ସକାଳ ହେଲା । ବେଳ ବଢ଼ିବାକୁ ଲାଗିଲା-। ଲୋକମାନଙ୍କର ଡକାଡ଼କି, ଦୌଡ଼ଧାପଡ଼ର ସୀମା ରହିଲା ନାହିଁ । ପ୍ରଚଣ୍ଡ ଖରାରେ କେଉଁଠି କୁହୁଡ଼ିର ଆଉ ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ । ତଥାପି କିନ୍ତୁ ମୋ ଆଖିରେ ସବୁ ବାଷ୍ପାଚ୍ଛନ୍ନ ହୋଇଉଠିଲା-

 

ବାଟରେ ଟ୍ରେନ୍‌ ବିଳମ୍ବ ହେବାରୁ ରାଜଲକ୍ଷ୍ମୀର କାଶୀ ଘରେ ଯେତେବେଳେ ପହଞ୍ଚିଲି ସେତେବେଳକୁ ବେଳ ଅଧିକ ହୋଇଯାଇଥାଏ । ବାହାରେ ବସିବା ଘରେ ବୁଢ଼ା ବୟସର ବ୍ରାହ୍ମଣ ବସିରହି ଧୂମପାନ କରୁଥିଲେ । ମୁହଁଟେକି ପଚାରିଲେ–କ’ଣ ଚାହାଁନ୍ତି ?

 

କ’ଣ ଚାହେଁ ହଠାତ୍‌ କହିପାରିଲି ନାହିଁ ।

 

ସେ ପୁଣି ପଚାରିଲେ–କାହାକୁ ଖୋଜୁଛ ?

 

କାହାକୁ ଖୋଜୁଛି, ତାହାମଧ୍ୟ କହିବା କଠିନ । ଟିକିଏ ଅଟକିଯାଇ କହିଲି– ରତନ ଅଛି-?

 

: ନା, ସେ ବଜାରକୁ ଯାଇଛି ।

 

ବ୍ରାହ୍ମଣ ଜଣକ ସଜ୍ଜନ ବ୍ୟକ୍ତି । ମୋର ଧୂଳିଧୂସର ମୁହଁକୁ ଚାହିଁ ବୋଧହୁଏ ଅନୁମାନ କଲେ ଯେ, ମୁଁ ହୁଏତ ବହୁ ଦୂରରୁ ଆସିଛି । ସଦୟ କଣ୍ଠରେ କହିଲେ–ଆପଣ ବସନ୍ତୁ । ସେ ଖୁବ୍‍ଶୀଘ୍ର ଫେରିଆସିବ । ଆପଣଙ୍କର କ’ଣ କେବଳ ତାହାରିଠାରେ ଦରକାର ?

 

ନିକଟରେ ଗୋଟାଏ ଚୌକିରେ ବସିପଡ଼ିଲି । ତାଙ୍କ ପ୍ରଶ୍ନର ଠିକ୍‌ ଉତ୍ତରଟା ନ ଦେଇ ପଚାରିଲି, ଏଠାରେ ବଙ୍କୁବାବୁ ଅଛନ୍ତି କି ?

 

: ଅଛନ୍ତି ତ । ଏହା କହି ସେ ଜଣେ ନୂଆ ଚାକରକୁ ଡାକି ବଙ୍କୁକୁ ଡାକିଦେବା ପାଇଁ କହିଲେ । ବଙ୍କୁ ଆସି ମୋତେ ଦେଖିବା କ୍ଷଣି ଆଶ୍ଚର୍ଯ୍ୟ ହୋଇଗଲା । ପରେ ତା’ ନିଜର ବସିବା ଘରକୁ ନେଇଯାଇ ବସାଇ କହିଲା–ଆମେମାନେ ଭାବିଥିଲୁ ଆପଣ ବୋଧହୁଏ ବର୍ମାକୁ ଚାଲିଗଲେଣି ।

ଏଇ ‘ଆମେମାନେ’ ଯେ କିଏ, ତାହା ତାକୁ ପଚାରି ପାରିଲିନାହିଁ । ବଙ୍କୁ ପଚାରିଲା– ଆପଣଙ୍କର ଜିନିଷପତ୍ର ବୋଧହୁଏ ବର୍ତ୍ତମାନ ଗାଡ଼ିରେ......

: ଜିନିଷପତ୍ର ମୁଁ ସଙ୍ଗରେ କିଛି ହେଲେ ଆଣିନାହିଁ ।

: ଆଣିନାହାନ୍ତି ! ତେବେ କ’ଣ ରାତିଗାଡ଼ିରେ ଫେରିଯିବେ ?

: ସମ୍ଭବ ହେଲେ, ଫେରିଯିବି ବୋଲି ଭାବୁଛି ।

: ତାହାହେଲେ ଓଳିକ ପାଇଁ ଆସିବାର କ’ଣ ଅବା ଦରକାର ଥିଲା ?

ଚାକର ଆସି ଧୋତି, ଗାମୁଛା, ହାତ ମୁହଁ ଧୋଇବା ପାଇଁ ପାଣି ପ୍ରଭୃତି ଆବଶ୍ୟକୀୟ ଜିନିଷ ସମସ୍ତ ଦେଇଗଲା । କିନ୍ତୁ ଆଉ କେହି ମୋ ପାଖକୁ ଆସିଲେ ନାହିଁ ।

ଖାଇବାକୁ ଡାକରା ଆସିଲା । ଯାଇ ଦେଖିଲି ବଙ୍କୁ ଓ ମୋର ଖାଇବା ପାଖାପାଖି ବଢ଼ା ହୋଇଛି । ଦକ୍ଷିଣଦ୍ୱାର ଠେଲି ରାଜଲକ୍ଷ୍ମୀ ଆସି ମୋତେ ନମସ୍କାର କଲା । ପ୍ରଥମରୁ ବୋଧହୁଏ ତାକୁ ଚିହ୍ନିପାରିଲି ନାହିଁ । ଯେତେବେଳେ ତାକୁ ଚିହ୍ନିପାରିଲି ସେତେବେଳେ ସବୁ ଯେପରି ମୋତେ ଅନ୍ଧାର ଦିଶିଲା । ଏଠାରେ କିଏ ଅଛି ଏବଂ କ’ଣ ଅଛି ମୋର ଯେପରି ମନେପଡ଼ିଲା ନାହିଁ । ପରକ୍ଷଣରେ ଭାବିଲି ନିଜର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖି ହାସ୍ୟକର କୌଣସି କାଣ୍ଡ ସୃଷ୍ଟି ନକରି ଯେପରି ଭଲ ମଣିଷ ଭଳି ଏ ଘରୁ ମୁଁ ବାହାରିଯାଏ ।

 

ରାଜଲକ୍ଷ୍ମୀ ପଚାରିଲା– ଗାଡ଼ିରେ କିଛି କଷ୍ଟ ହୋଇ ନାହିଁ ତ ?

 

ଏହା ବ୍ୟତୀତ ଆଉ ଅଧିକା କ’ଣ ଅବା ସେ କହିପାରନ୍ତା ! ଧୀରେ ଧୀରେ ଆସନ ଉପରେ ବସିପଡ଼ି କ୍ଷଣକାଳ ପାଇଁ ସ୍ତବ୍‌ଧ ହୋଇ ରହିଲି । ତା’ପରେ ମୁହଁଉଠାଇ କହିଲି–ନା, କଷ୍ଟ ହୋଇନାହିଁ ।

 

ଏଥର ଭଲ କରି ତା’ ମୁହଁକୁ ଚାହିଁ ଦେଖିଲି ସେ ଯେ କେବଳ ଥାନ ଲୁଗା ପିନ୍ଧି ଦେହରୁ ସମସ୍ତ ଅଳଙ୍କାର ଖୋଲି ରଖିଦେଇଛି ତାହା ନୁହେଁ, ତା’ ପିଠିଉପରେ କଳାମେଘ ପରି ସୁଦୀର୍ଘ ଘନ କୁନ୍ତୁଳ ଆଉ ନାହିଁ । ମଥାଉପରୁ ଲଲାଟ ପର୍ଯ୍ୟନ୍ତ ଓଢ଼ଣା ଟଣା ହୋଇଛି । ତଥାପି ତାହାରି ଫାଙ୍କ ଦେଇ କଟା କେଶରୁ ଦୁଇ ଚାରିକେରା କଣ୍ଠ ଉଭୟ ପାର୍ଶ୍ୱରେ ଦିଶୁଥାଏ । ଉପବାସ ଓ କଠୋର ଆତ୍ମ ବିଗ୍ରହ ହେତୁ ଏପରି ଏକପ୍ରକାର ଋକ୍ଷ ଶୀର୍ଣ୍ଣତା ମୁହଁଉପରେ ଫୁଟିଉଠିଥାଏ ଯେ, ଦେଖିବା କ୍ଷଣି ହଠାତ୍‌ ମନେହୁଏ ଏଇ ଗୋଟାଏ ମାସ ଭିତରେ ଯେପରି ବୟସରେ ସେ ମୋତେ ଦଶବର୍ଷ ଅତିକ୍ରମ କରିଯାଇଛି ।

 

ଭାତ ଗୁଣ୍ଡା ତଣ୍ଟି ଭିତରକୁ ଯିବାକୁ କଷ୍ଟ ଲାଗୁଥିଲା, ତଥାପି ଜୋର କରି ଗିଳିବାକୁ ଲାଗିଲି । କେବଳ ଭାବିବାକୁ ଲାଗିଲି, ଯେପରି ଚିରଦିନ ଏଇ ନାରୀଠାରୁ ମୁଁ ବିଲୁପ୍ତ ହୋଇଯାଇଛି-

 

ଆହାର ଶେଷରେ ରାଜଲକ୍ଷ୍ମୀ କହିଲା, ବଙ୍କୁ କହୁଥିଲା, ତୁମେ କୁଆଡ଼େ ଆଜି ରାତିରେ ଫେରିଯିବାକୁ ଚାହଁ ?

କହିଲି–ହଁ ।

: ଇସ ! କିନ୍ତୁ ତୁମ ଜାହାଜ ତ ରବିବାର ଦିନ ଛାଡ଼ିବ ।

ତାହାର ଏଇ ବ୍ୟକ୍ତି ଏବଂ ଅବ୍ୟକ୍ତ ଉଚ୍ଛ୍ୱାସରେ ବିସ୍ମିତ ହୋଇ ତା’ ମୁହଁକୁ ଚାହିଁବା କ୍ଷଣି ସେ ଯେପରି ଲଜ୍ୟାରେ ମରିଗଲା । ପରକ୍ଷଣରେ ଆପଣାକୁ ସମ୍ଭାଳି ନେଇ ଆସ୍ତେ ଆସ୍ତେ କହିଲା–ସେ’ ତ ବର୍ତ୍ତମାନ ଆଉ ତିନିଦିନ ଡେରି ଅଛି ।

କହିଲି– ହଁ, ମୋର ପୁଣି ଅନେକ କାମ ଅଛି ।

ପୁଣି ଲକ୍ଷ୍ମୀ କ’ଣ କିଛି କହିବାକୁ ଯାଉ ଯାଉ ଚୁପ୍‌ ହୋଇ ରହିଲା । ବୋଧହୁଏ ମୋ କ୍ଳାନ୍ତ ଏବଂ ଅସୁସ୍ଥତା କଥା ସେ ମୁହଁକୁ ଆଣିପାରିଲା ନାହିଁ । କିଛିକ୍ଷଣ ଚୁପ୍‌ ରହିବା ପରେ କହିଲା–ମୋ ଗୁରୁଦେବ ଆସିଛନ୍ତି ।

ବୁଝିଲି, ବାହାରେ ଯେଉଁ ବ୍ୟକ୍ତିଙ୍କ ସହିତ ମୋର ସାକ୍ଷାତ୍‌ ହୋଇଥିଲା, ସେହି ହିଁ ହେଉଛନ୍ତି ଗୁରୁଦେବ । ଏହାଙ୍କୁ ଦେଖାଇ ଦେବା ପାଇଁ ସେ ଥରେ ମୋତେ କାଶୀକୁ ଟାଣି ଆଣିଥିଲା । ସନ୍ଧ୍ୟା ପରେ ତାଙ୍କ ସହିତ ଆଳାପ ହେଲା । ମୋ ଗାଡ଼ି ଛାଡ଼ିବ ରାତି ବାରଟା ପରେ-। ବର୍ତ୍ତମାନ ଢେର ସମୟ ଅଛି । ମନୁଷ୍ୟଟି ପ୍ରକୃତରେ ଭଲ । ସ୍ୱଧର୍ମରେ ଅବିଚଳିତ ନିଷ୍ଠା ଅଛି-। ଉଦାରତାର ମଧ୍ୟ ଅଭାବ ନାହିଁ । ଆମମାନଙ୍କର ସବୁ କଥା ସେ ଜାଣନ୍ତି । କାରଣ ଗୁରୁଙ୍କ ନିକଟରେ ରାଜଲକ୍ଷ୍ମୀ କିଛି ହେଲେ ଗୋପନ କରି ରଖି ନାହିଁ । ଅନେକ କଥା କହିଲେ-। ଗଳ୍ପ ଛଳରେ ଅନେକ ଉପଦେଶ ଦେଲେ । ସେ ସବୁ କିନ୍ତୁ ଉଗ୍ର ନୁହେଁ କିମ୍ବା ଆଦୌ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା । ସବୁ କଥା ମନେ ନାହିଁ କିମ୍ବା ଆଦୌ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା-। ସବୁ କଥା ମନେହୁଏ । ହୁଏତ ମନ ଯୋଗ ଦେଇ ଶୁଣିପାରିନଥିଲି । ତେବେ ଏତିକି ମାତ୍ର ମନେଅଛି ଯେ, ଦିନେ ରାଜଲକ୍ଷ୍ମୀର ଏପରି ପରିବର୍ତ୍ତନ ଘଟିବ ଏକଥା ସେ ଆଗରୁ ଜାଣିଥିଲେ-। ସେଥିପାଇଁ ଦୀକ୍ଷା ସମ୍ବନ୍ଧରେ ପ୍ରଚଳିତ ରୀତି ସେ ମାନିନାହାନ୍ତି । ତାଙ୍କର ବିଶ୍ୱାସ । ଯାହାର ପାଦ ଖସିଯାଇଛି ତା’ ପକ୍ଷରେ ସଦ୍‌ଗୁରୁର ପ୍ରୟୋଜନ ସର୍ବାଧିକ ।

ଏହା ବିରୁଦ୍ଧରେ କହିବାର ଅବା କ’ଣ ଅଛି ? ସେ ପୁଣି ଆଉ ଥରେ ଶିଷ୍ୟାର ଭକ୍ତି, ନିଷ୍ଠା ଓ ଧର୍ମଶୀଳତାର ଅଜସ୍ର ପ୍ରଶଂସା କଲେ । କହିଲେ ଏପରି ଶିଷ୍ୟା ମୁଁ ଆଉ କୁତ୍ରାପି ଦେଖି ନାହିଁ । ପ୍ରକୃତରେ ଏହା ସତ୍ୟ ଏବଂ ଅନ୍ୟ କାହା ଅପେକ୍ଷା ମୁଁ ବେଶୀ ଏ ବିଷୟରେ ଜାଣେ । ତଥାପି କିନ୍ତୁ ଚୁପ୍‌ ହୋଇ ରହିଲି ।

ସମୟ ହୋଇ ଆସିଲା । ଘୋଡ଼ା ଗାଡ଼ି ଆସି ଦ୍ୱାର ନିକଟରେ ଠିଆ ହେଲା । ଗୁରୁଦେବଙ୍କ ନିକଟରୁ ବିଦାୟ ନେଇ ମୁଁ ଗାଡ଼ିରେ ଯାଇ ବସିଲି । ରାଜଲକ୍ଷ୍ମୀ ବାଟରେ ଆସି ବାରମ୍ବାର ହାତ ବଢ଼ାଇ ମୋ ପାଦ ଧୂଳି ନେଇ ମୁଣ୍ଡରେ ମାରିଲା । କିନ୍ତୁ କଥା କହିଲା ନାହିଁ । ବୋଧହୁଏ ସେ ଶକ୍ତି ତା’ର ଆଉ ନଥିଲା । ଭଲ ହେଲା ଯେ ଅନ୍ଧକାର ହେତୁ ସେ ମୋ ମୁହଁ ଦେଖିପାରିଲା ନାହିଁ । ମୁଁ ସ୍ତବ୍‌ଧ ହୋଇଯାଇଥିଲି । କ’ଣ ଯେ କହିବି ତାହା ଠିକ୍‌ କରିପାରୁନଥିଲି । ଶେଷରେ ବିଦାୟ ପର୍ବଟା ନୀରବରେ ଶେଷ ହେଲା । ଗାଡ଼ି ଛାଡ଼ିଦେବା କ୍ଷଣି ଝର ଝର ହୋଇ ଲୁହ ମୋ ଦୁଇଆଖିରୁ ବହିବାକୁ ଲାଗିଲା । ସର୍ବାନ୍ତଃକରଣରେ କହିବାକୁ ଲାଗିଲି–ତୁମେ ସୁଖୀ ହୁଅ, ଶାନ୍ତିରେ ରହ ଲକ୍ଷ୍ମୀ । ତୁମର ଲକ୍ଷ୍ୟ ସ୍ଥିର ରହୁ । ତୁମକୁ ଆଦୌ ହିଂସା କରୁ ନାହିଁ । କିନ୍ତୁ ଯେଉଁ ଦୁର୍ଭାଗା ସବୁ ବିସର୍ଜନ କରି ତୁମ ସହିତ ଏତେଦିନ ଧରି ତରଣୀ ଭସାଇ ଚାଲିଥିଲା, ଏ ଜୀବନରେ ତାକୁ ଆଉ କୂଳ ମିଳିବ ନାହିଁ । ଘର୍‌ର ଘର୍‌ ହୋଇ ଗାଡ଼ି ଚାଲିବାକୁ ଆରମ୍ଭ କଲା । ଗଙ୍ଗାମାଟିର ସକଳ ସ୍ମୃତି ମନଭିତରେ ଆଲୋଡ଼ିତ ହେବାକୁ ଲାଗିଲା । ସେଦିନ ବିଦାୟ ବେଳେ ଯେଉଁ ସବୁ କଥା ମନରେ ଆସିଥିଲା ପୁଣି ତାହା ମନେପଡ଼ିଲା । ମନେହେଲା ଏଇ ଯେଉଁ ଜୀବନ ନାଟକର ସାଧୁ ଉପସଂହାର ହେଲା, ତାହାର ଯଶର ଆଉ ଅନ୍ତ ନାହିଁ । ଇତିହାସରେ ଲିପିବଦ୍ଧ କରି ରଖିଲେ ଏହାର ଆମ୍ଳାନ ଦୀପ୍ତି କୌଣସି ଦିନ ଲିଭିବ ନାହିଁ । ସଶ୍ରଦ୍ଧାରେ ମଥାନତ କଲାଭଳି ପାଠକର ଅଭାବ ସଂସାରରେ କୌଣସି ଦିନ ରହିବ ନାହିଁ । କିନ୍ତୁ ମୋ ନିଜ କଥା କାହାକୁ ତ କହିବାର ନୁହେଁ । ତେଣୁ ଅନ୍ୟତ୍ର ଚାଲିଲି ମୋ ଭଳି ଯିଏ କଳୁଷ ପଙ୍କରେ ମଗ୍ନ ହୋଇଛି, ଭଲହେବାର ଆଉ ବାଟ ନାହିଁ, ସେହି ଅଭୟା ଆଶ୍ରୟରେ । ମନେମନେ ରାଜଲକ୍ଷ୍ମୀକୁ ଉଦ୍ଦେଶ୍ୟ କରି କହିଲି–ତୁମ ପୁଣ୍ୟ ଜୀବନ ଉନ୍ନତରୁ ଉନ୍ନତତର ହେଉ । ତୁମ ମଥାରେ ଧର୍ମର ମହିମା ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେଉ । ମୁଁ ଏଣିକି ଆଉ ଦୁଃଖ କରିବି ନାହିଁ । ଅଭୟାର ଚିଠି ପାଇଛି । ସ୍ନେହ, ପ୍ରେମ ଓ କରୁଣାରେ ଅଭୟା ଅଟଳ । ଭଗିନୀଠାରୁ ଅଧିକା ହୋଇ ମୋତେ ସାଦର ନିମନ୍ତ୍ରଣ ଜଣାଇଛି । ବର୍ମାରୁ ଆସିବା ବେଳେ ତା’ର ସେହି ସଜଳ ଚକ୍ଷୁ ମୋର ମନେପଡ଼ିଗଲା । ଚିତ୍ତର ଶୁଚିତାରେ, ବୁଦ୍ଧିର ନିର୍ଭୟତାରେ ଓ ଆତ୍ମାର ସ୍ୱାଧୀନତାରେ ଅଭୟା ଯେପରି ମୋର ସମସ୍ତ ଦୁଃଖକୁ ଆବୃତ୍ତ କରି ଉଦ୍‌ଭାସିତ ହୋଇଉଠିଲା ।

 

ହଠାତ୍‌ ଗାଡ଼ି ଅଟକି ଯିବାରୁ ଦେଖିଲି ଆସି ଷ୍ଟେସନରେ ପହଞ୍ଚି ଯାଇଛି । ଓହ୍ଲାଇ ଠିଆହୋଇଛି ଏଇ ସମୟରେ ଆଉ ଏକ ବ୍ୟକ୍ତି କୋଚ ବାକ୍‌ସ ଭିତରୁ ଓହ୍ଲାଇ ମୋ ପାଦ ଛୁଇଁ ପ୍ରଣାମ ଜଣାଇଲା ।

 

: କିଏ ରତନ !

 

: ବାବୁ, ବିଦେଶରେ ଯଦି ଚାକରର ଅଭାବ ଅନୁଭବ କରନ୍ତି ତେବେ ମୋତେ ଖବର ଦେବେ । ଯେତେ ଦିନ ବଞ୍ଚିଥିବି ଆପଣଙ୍କ ସେବାରେ ତ୍ରୁଟି କରିବି ନାହିଁ ।

 

ଗାଡ଼ିର ଲଣ୍ଠନର ଆଲୁଅ ତା’ ମୁହଁରେ ପଡ଼ିଲା । ବିସ୍ମିତ ହୋଇ କହିଲି–ତୁ କାନ୍ଦୁଛୁ କାହିଁକି କହିଲୁ ?

 

ରତନ ଉତ୍ତର ଦେଲା ନାହିଁ । ହାତରେ ଲୁହ ଗୁଡ଼ାକ ପୋଛି ପାଦ ପାଖରେ ପୁଣି ନଇଁପଡ଼ି ନମସ୍କାର କରି ତରତର ହୋଇ ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଗଲା ।

 

ମନେମନେ ଆଶ୍ଚର୍ଯ୍ୟ ହୋଇ ଭାବିବାକୁ ଲାଗିଲି । ଏ କ’ଣ ସେଇ ରତନ !

 

 

 

 

 

 

 

 

 

 

 

 

 

ଚତୁର୍ଥ ଭାଗ

 

ଉପଗ୍ରହ ଭଳି ଏତେକାଳ ଧରି ଜୀବନଟା କଟିଲା । ଯାହାକୁ କେନ୍ଦ୍ରକରି ଘୂରୁଥିଲି, ନା ପାଇଲି, ତା’ ନିକଟକୁ ଯିବା ଅଧିକାର ନା ପାଇଲି ଦୂରକୁ ଯିବାପାଇଁ ଅନୁମତି । ଅଧୀନ ନୁହେଁ କିମ୍ୱା ନିଜକୁ ସ୍ୱାଧୀନ ବୋଲି ମଧ୍ୟ କହିବାର ଯୁଗ ନାହିଁ । କାଶୀରୁ ଫେରନ୍ତା ଟ୍ରେନ ଭିତରେ ବସି ବାରମ୍ୱାର ଏହି କଥାଟା ହିଁ ଭାବୁଥିଲି । ଭାବୁଥିଲି ମୋ ଭାଗ୍ୟରେ ପୁନଃ ପୁନଃ ଏପରି ଘଟେ କାହିଁକି ? ଆମରଣ ନିଜର ବୋଲି । କିଛି ପାଇପାରିବି ନାହିଁ ? ଏପରି ଭାବରେ ଚିରଦିନ କ’ଣ କଟିଯିବ ? ପିଲାବେଳ କଥା ମନେପଡ଼ିଲା । ପରଘରେ ପର ଇଚ୍ଛାରେ ପଡ଼ି ଏ ଦେହଟାକୁ କୈଶୋରଠାରୁ ଯୌବନ ପର୍ଯ୍ୟନ୍ତ ଆଗେଇଦେଲି ସିନା କିନ୍ତୁ ମନଟାକୁ କେଉଁ ରସାତଳକୁ ପଠାଇ ଦେଇଥିଲି । ଆଜି ଅନେକ ଡକାଡକି କଲେ ମଧ୍ୟ ସେହି ବିଦାୟ ଦେଇଥିବା ମନଠାରୁ ଉତ୍ତର ମିଳେ ନାହିଁ । ଯଦିବା କୌଣସି କ୍ଷୀଣ କଣ୍ଠର ଆୱାଜ କାନକୁ ଆସେ, ତାହାକୁ ଆପଣାର ବୋଲି ଚିହ୍ନିପାରେ ନାହିଁ । ବିଶ୍ୱାସ କରିବାକୁ ମଧ୍ୟ ଭୟହୁଏ ।

 

ଏଇଟା ବୁଝି ଆସିଛି ଯେ ରାଜଲକ୍ଷ୍ମୀ ମୋ ଜୀବନରେ ଆଜି ମୃତ । ବିସର୍ଜିତ ପ୍ରତିମାର ଶେଷ ଚିହ୍ନଟିକକୁ ନଦୀ ତୀରରେ ଠିଆହୋଇ ଦେଖିଲା ପରି ଦେଖି ଫେରିଆସିଛି । ଆଶା କରିବାର, କଳ୍ପନା କରିବାର କିମ୍ୱା ଆପଣଙ୍କୁ ଠକାଇବା ପାଇଁ କୌଣସି ସୂତ୍ର ଆଉ ରଖି ଆସି ନାହିଁ-। ଏ ଦିଗଟା ନିଃଶେଷ ଏବଂ ନିଃଶ୍ଚିହ୍ନ ହୋଇଯାଇଛି । କିନ୍ତୁ ଏଇ ଶେଷ ଯେ କେତେଦୂର ଶେଷ, ତାହା କହିବି ଅବା କାହାକୁ ଏବଂ କହିବାକୁ ଅବା ଯିବି କାହିଁକି ?

 

କିନ୍ତୁ ଏଇତ ସେଦିନ, କୁମାର ସାହେବଙ୍କ ସଙ୍ଗରେ ଶିକାର କରିଯିବା କଥା । ଦୈବାତ୍‌ ପିଆରୀର ଗୀତ ଶୁଣି ଏପରି କିଛି ଭାଗ୍ୟରେ ମିଳିଲା ତାହା ଯେପରି ଆକସ୍ମିକ ସେହିପରି ଅପରିସୀମ । ନିଜର ଗୁଣରେ ପାଇନାହିଁ, କିମ୍ୱା ନିଜ ଦୋଷ ହେତୁ ହରାଇ ନାହିଁ, ତଥାପି ହରାଇବାଟାକୁ ଆଜି ସ୍ୱୀକାର କରିବାକୁ ହେଲା । କ୍ଷତିଟା ସାରା ସଂସାର ବ୍ୟାପିଗଲା । କଲିକତାକୁ ଯାଉଛି । ଇଚ୍ଛା ଦିନେ ଯାଇ ବର୍ମାରେ ପହଞ୍ଚିବି । ଏହା ଯେପରି ସର୍ବସ୍ୱ ହରାଇଥିବା ଜୁଆଡ଼ୀର ଘରକୁ ଫେରିବା ସଙ୍ଗେ ସମାନ । ଘରର ଛବି ଅସ୍ପଷ୍ଟ । ଅପ୍ରକୃତ । କେବଳ ପଥଟା ହିଁ ସତ୍ୟ । ମନେହୁଏ ଏଇ ବାଟଚଲାଟା ଯେପରି ଆଉ ସରିବ ନାହିଁ ।

 

: ଆଁ ! ଏ ଯେ ଶ୍ରୀକାନ୍ତ !

 

ଗୋଟାଏ ଷ୍ଟେସନରେ ଯେ ଗାଡ଼ି ରହିଛି ସେ ଖିଆଲ ମୋର ନଥିଲା । ଦେଖେ, ମୋ ଗାଁର ବୁଢ଼ା କକେଇ ବାପା ଏବଂ ଗଙ୍ଗା ନାନୀ ଗୋଟିଏ ସତର ଅଠର ବର୍ଷର ଝିଅ ମୁଣ୍ଡରେ ଗଣ୍ଠିଲି ସବୁ ଲଦି ପ୍ଲାଟଫର୍ମରେ ଦଉଡ଼ା ଦଉଡ଼ି କରୁ କରୁ ହଠାତ୍‌ ମୁଁ ବସିଥିବା ଡବାର ଝରକା ଆଗରେ ଆସି ଠିଆ ହୋଇଯାଇଛନ୍ତି ।

 

କକେଇ ବାପା କହିଲେ– ଉହୁଃ କି ଭୀଷଣ ଭିଡ଼ ! ଛୁଞ୍ଚି ଗଳିବା ପାଇଁ ସ୍ଥାନ ନାହିଁ । ଏଇତ ଆମେ ତିନିଟା ମଣିଷ ମାତ୍ର । ତୁମ ଡବାଟି ତ ବେଶ୍‌ ଖାଲି ଅଛି, ଉଠିବୁ କି ?

 

: ଉଠନ୍ତୁ, କହି କବାଟ ଖୋଲିଦେଲି । ସେହି ତିନିଟା ମଣିଷ ଧଇଁସଇଁ ହୋଇ ଉଠି ଯାବତୀୟ ଜିନିଷ ଓହ୍ଲାଇ ରଖିଲେ । ବାପା କହିଲେ–ଏ ବୋଧହୁଏ ବେଶୀ ଦାମିକା ଡବା ଆମକୁ ଜୋରିମାନା ଦବାକୁ ପଡ଼ିବ ନାହିଁ ତ ?

 

କହିଲି– ନା, ମୁଁ ଗାର୍ଡ଼ ସାହେବଙ୍କୁ କହିଦେଇ ଆସୁଛି ।

 

ଗାର୍ଡ଼କୁ କହି ଯେତେବେଳେ ଫେରିଆସିଲି ସେତେବେଳକୁ ସେମାନେ ଆରାମରେ ନିଶ୍ଚିତ ହୋଇ ବସିଥାନ୍ତି । ଗାଡ଼ି ଛାଡ଼ିବା କ୍ଷଣି ରଙ୍ଗ ମାଆ ମୋ ଆଡ଼କୁ ନଜର ପକାଇଲେ । ତାପରେ ଚମକି କହିଉଠିଲେ–ତୋର ଏ କି ଶିରୀ ହୋଇଛି ଶ୍ରୀକାନ୍ତ ! ମୁହଁ ଶୁଖିଯାଇ ଦାଢ଼ି ଭର୍ତ୍ତି ହୋଇଯାଇଛି ! ଏତେଦିନ ଧରି ଥିଲୁ କେଉଁଠି ? ଭଲ ପିଲା ଏକା ! ସେଇ ଯେ ଗଲୁ ଗୋଟାଏ ଚିଠି ମଧ୍ୟ ଦେଲୁ ନାହିଁ ? ଭାବୁଛି ବୋଧହୁଏ ଘରେ ସମସ୍ତେ ମରିଗଲେଣି ?

 

ଏ ସମସ୍ତ ପ୍ରଶ୍ନର କେହି ଉତ୍ତର ପ୍ରତ୍ୟାଶା କରନ୍ତି ନାହିଁ । ନ ପାଇଲେ ମଧ୍ୟ କେହି ଅପରାଧ ବୋଲି ଗ୍ରହଣ କରନ୍ତି ନାହିଁ । ବାପା କହିଲେ– ସେ ସସ୍ତ୍ରୀକ ଗଙ୍ଗା ଧାମକୁ ତୀର୍ଥ କରିବାକୁ ଆସିଥିଲେ ଏବଂ ଏଇ ଝିଅଟି ହେଉଛି ତାଙ୍କ ବଡ଼ ଶାଳୀର ନାତୁଣୀ । ବାପ ତା’ର ହଜାରେ ଟଙ୍କା ଗଣିଦେବାକୁ ଚାହେଁ ତଥାପି ଏତେଦିନ ଧରି ମନୋମତ ଗୋଟିଏ ପାତ୍ର ଜୁଟିଲା ନାହିଁ । ଆମକୁ ଆଦୌ ଛାଡ଼ିଲା ନାହିଁ । ସେଥିପାଇଁ ସଙ୍ଗରେ ଆଣିବାକୁ ବାଧ୍ୟ ହେଲି । ପୁଣ୍ଟୁ–ପେଡ଼ା ହାଣ୍ଡିଟା ଖୋଲିଲୁ । ବୋହୂକୁ କହିଥିଲି । ଦହି ବଢ଼ାଟା ଆଉ ଛାଡ଼ି ଆସି ନାହିଁ ତ ? ଦେ, ଶାଳପତ୍ର ଏକାଠି କରିଦେ । ଗୋଟାଏ ଦୁଇଟା ପେଡ଼ା ଆଉ ଟିକିଏ ଦହି... ଏପରି ଦହି କେବେ କେହି ଖାଇନଥିବେ ସେ କଥା ଶପଥ କରି କହିପାରିବ । ନା–ନା–ନା ଢାଳରେ ଥିବା ପାଣିରେ ହାତଟା ଆଗ ଧୋଇହୋଇ ଆ । ଯାହାକୁ ତାହାକୁ ତ ନୁହେଁ । ଏ ସବୁ ମଣିଷଙ୍କୁ କିପରି ଭାବରେ ଦେବାକୁ ହୁଏ ଟିକିଏ ଶିଖ ।

 

ପୁଣ୍ଟୁ ଯଥା ଆଦେଶ ସଯତ୍ନରେ ପାଳନ କଲା । ଅସମୟରେ ଟ୍ରେନ ଭିତରେ ଅଯାଚିତ ପେଡ଼ା ଓ ଦହି କୁଟିଲା । ଖାଇ ବସି ଭାବିବାକୁ ଲାଗିଲି ଯେ ଯେତେ ଅଘଟନ ସବୁ ମୋର ଭାଗ୍ୟରେ ଘଟିଥାଏ । ଏଥର ଆଉ ପୁଣ୍ଟୁ ପାଇଁ ହଜାର ଟଙ୍କା ଦାମର ପାତ୍ର ରୂପେ ଯେପରି ମନୋନୀତ ନହୁଏ । ବର୍ମାରେ ଭଲ ଚାକେରି କରେ ଏ ଖବରଟା ସେମାନେ ଆଗଥରରୁ ପାଇଥିଲେ ।

 

ରଙ୍ଗ ମାଆ ଅତିଶୟ ସ୍ନେହ କରିବାକୁ ଲାଗିଲେ ଏବଂ ଆତ୍ମୀୟ ଜ୍ଞାନରେ ପୁଣ୍ଟୁ ଘଣ୍ଟାକ ଭିତରେ ଘନିଷ୍ଠ ହୋଇଉଠିଲା । କାରଣ ମୁଁ ତ ଆଉ ପର ନୁହେଁ !

 

ଭଲ ଝିଅଟିଏ । ସାଧାରଣ ଭଦ୍ର ଗୃହସ୍ଥ ଘରର । ଗୋରା ନହେଲେ କ’ଣ ହେବ, ଦେଖିବାକୁ ଭଲ । ବାପା ତା’ର ଗୁଣର ପରିମାଣ ଗପି ଗପି ଶେଷ କରିପାରୁନଥିବାର ଅବସ୍ଥା ସୃଷ୍ଟି ହେଲା । ଲେଖାପଢ଼ା ବିଷୟ କହିବାକୁ ଯାଇ ଗଙ୍ଗା ମାଆ କହିଲେ– ଏ ଏପରି ସଜେଇ କରି ଚିଠି ଲେଖିପାରେ ଯେ ତୁମମାନଙ୍କର ଆଜି କାଲିକାର ନାଟକ, ନଭେଲ ହାର ମାନିବ । ଆମ ଗାଆଁର ନନ୍ଦ ରାଣୀକୁ ଏପରି ଖଣ୍ଡିଏ ଚିଠି ଲେଖି ଦେଇଥିଲା ଯେ ସାତ ଦିନ ଦିନ ଜ୍ୱାଇଁ ପନ୍ଦର ଦିନ ପାଇଁ ଛୁଟି ନେଇ ଆସି ପହଞ୍ଚିଲା ।

 

ରାଜଲକ୍ଷ୍ମୀର ଉଲ୍ଲେଖ କେହି ଇଙ୍ଗିତରେ ସୁଦ୍ଧା କଲେ ନାହିଁ । ସେପରି କିଛି ଘଟଣା ଘଟିଥିଲା, ବୋଲି ଯେପରି କାହାର ମନେ ହିଁ ନାହିଁ ।

 

ପରଦିନ ଗାଆଁ ଷ୍ଟେସନରେ ଗାଡ଼ି ରହିବାରୁ ମୋତେ ଓହ୍ଲାଇବାକୁ ପଡ଼ିଲା । ସେତେବେଳକୁ ବେଳ ବୋଧହୁଏ ଦଶଟାର ପାଖାପାଖି । ଠିକ୍‌ ସମୟରେ ସ୍ନାନାହାର ନ କରିଲେ ପିତ୍ତ ବଢ଼ିଯିବାର ଆଶଙ୍କା ହେତୁ ଦୁଇଜଣ ବ୍ୟାକୁଳ ହୋଇଉଠିଲେ ।

 

ଘରକୁ ଆଣିବା ପରେ ମୋ ପ୍ରତି ଆଦର ଯତ୍ନର ଆଉ ଅବଧି ରହିଲା ନାହିଁ । ପୁଣ୍ଟୁର ଯେ ମୁଁ ହେଉଛି ବର, ଏ ସନ୍ଦେହ ଗାଆଁ ଭିତରେ ପାଞ୍ଚ ସାତଟା ଭିତରେ କାହା ମନରେ ରହିଲା ନାହିଁ । ଏପରିକି ପୁଣ୍ଟୁର ମଧ୍ୟ ।

 

କକେଇ ବାପାଙ୍କର ଇଚ୍ଛା ଆଗାମୀ ବୈଶାଖ ମାସରେ ଶୁଭ କର୍ମଟା ହୋଇଯାଉ । ପୁଣ୍ଟୁର ଯିଏ ଯେଉଁଠି ଅଛନ୍ତି ସେମାନଙ୍କୁ ଆଣିବା ପାଇଁ କଥା ମଧ୍ୟ ଉଠିଲା । ରଙ୍ଗ ମାଆ ପୁଲକିତ ହୋଇ କହିଲେ ମଜ୍ଜା ଦେଖୁଛ ତ ! କିଏ ଯେ କାହା ହାଣ୍ଡିରେ ଚାଉଳ ପକାଇଛି, ଆଗରୁ କହିପାରିବାର ଶକ୍ତି କାହାର ନାହିଁ ।

 

ମୁଁ ପ୍ରଥମେ ଉଦାସୀନ, ପରେ ଚିନ୍ତିତ ଏବଂ ତାପରେ ଭୀତ ହୋଇପଡ଼ିଲି । କ୍ରମେ କ୍ରମେ ଉତ୍ତର ଦେଇଛି କି ଦେଇ ନାହିଁ ଏହି ବିଷୟରେ ଆପଣା ଭିତରେ ସନ୍ଦେହ ସୃଷ୍ଟି ହେଲା । ପରିସ୍ଥିତି ଏପରି ଆଡ଼କୁ ଗଲା ଯେ, ନାହିଁ ବୋଲି କହିବାକୁ ସାହସ ହେଲା ନାହିଁ କାଳେ କିଛି ଅଘଟଣ ଘଟିପାରେ । ପୁଣ୍ଟୁର ମାଆ ଏଠାରେ ଥିଲେ । ଦିନକର ଗୋଟାଏ ରବିବାରରେ ତା’ ବାପା ମଧ୍ୟ ଏଠାରେ ଦେଖାଦେଲେ । ମୋତେ କେହି ଯିବାକୁ ଦେଉନଥାନ୍ତି । ଆମୋଦ, ଆହ୍ଲାଦ, ଥଟ୍ଟା, ତାମସା ଚାଲିଥାଏ । ପୁଣ୍ଟୁ ଯେ ବେକରେ ଶେଷରେ ଓହଳି ପଡ଼ିବ ଏବଂ ଏଇଥିପାଇଁ କେବଳ ଦିନ ବାର ତିଥିର ଯାହା ଅପେକ୍ଷା । କ୍ରମେ କ୍ରମେ ଏପରି ଲକ୍ଷଣ ଚାରିଆଡ଼େ ସୁସ୍ପଷ୍ଟ ହେବାକୁ ଲାଗିଲା । ଜାଲରେ ଗୁଡ଼ାଇ ହୋଇପଡ଼ିଛି । ମନରେ ଶାନ୍ତି ପାଏ ନାହିଁ । ଜାଲ କାଟି ବାହାରି ଚାଲି ଯାଇ ପାରେ ନାହିଁ ମଧ୍ୟ । ଏପରି ସମୟରେ ହଠାତ୍‌ ଗୋଟାଏ ସୁଯୋଗ ଘଟିଲା । ବାପା ପଚାରିଲେ–ମୋର କୌଣସି କୋଷ୍ଠୀ ଅଛି କି ନାହିଁ ? ସେଇଟା ତ ଦରକାର ?

 

ଜୋର କରି ସମସ୍ତ ସଂକୋଚକୁ ଛାଡ଼ି କହି ପକାଇଲି–ଆପଣ କ’ଣ ପୁଣ୍ଟୁ ସହିତ ପ୍ରକୃତରେ ମୋ ବିବାହ ସ୍ଥିର କରି ସାରିଛନ୍ତି ?

 

କକେଇ ବାପା ଏହା ଶୁଣି ହାଁ କରି ଚାହିଁ ରହିଲେ । ପରେ କହିଲେ ସତରେ ! ଶୁଣ ଏହାର କଥା !

 

: କିନ୍ତୁ ମୁଁ ତ ଏ ବିଷୟରେ ବର୍ତ୍ତମାନ ସୁଦ୍ଧା ସ୍ଥିର କରି ନାହିଁ ।

 

: କରି ନାହୁଁ ! ତେବେ କରିଦେ । ଝିଅର ବୟସ ବାର କି ତେର ହେବ ବୋଲି ସିନା କହୁଛୁ ପ୍ରକୃତରେ କିନ୍ତୁ ତାକୁ ସତର କି ଅଠର ହେବ । ଆଉ ଏଣିକି ଡେରି ହେଲେ ଆମେମାନେ ଝିଅକୁ ବାହାଦେବୁ ଅବା କିପରି ?

 

: କିନ୍ତୁ ସେ ଦୋଷ ତ ମୋର ନୁହେଁ ।

 

: ଦୋଷ ତେବେ କାହାର ? ମୋର ବୋଧହୁଏ ?

 

ଏହା ପରେ ପରେ ଝିଅର ମାଆ ଓ ରଙ୍ଗ ମାଆଙ୍କଠାରୁ ଆରମ୍ଭ କରି ପଡ଼ୋଶୀ ଝିଅମାନେ ଆସି ପହଞ୍ଚି ଗଲେ । କନ୍ଦାକଟା ଅନୁଯୋଗ, ଅଭିଯୋଗର ଆଉ ଅନ୍ତ ରହିଲା ନାହିଁ । ଗାଆଁର ପୁରୁଷମାନେ କହିବାକୁ ଲାଗିଲେ–ଏତେବଡ଼ ସୟତାନ ଆଉ କେଉଁଠାରେ ଦେଖିବାକୁ ମିଳିବ ନାହିଁ । ତାକୁ ରୀତିମତ ଶିକ୍ଷା ଦେବା ନିହାତି ଆବଶ୍ୟକ ।

 

କିନ୍ତୁ ଶିକ୍ଷା ଦେବା ଏକ କଥା ଆଉ ଝିଅର ବିବାହ ଦେବା ଅନ୍ୟ ଏକ କଥା । ସୁତରାଂ କକେଇ ବାପା ନୀରବ ହୋଇ ରହିଲେ । ତାପରେ ଆରମ୍ଭ ହେଲା ଅନୁନୟ ବିନିମୟ ପର୍ବ । ପୁଣ୍ଟୁକୁ ଆଉ ଦେଖୁନଥାଏ । ସେ ବୋଧହୁଏ ଲାଜରେ ଯାଇ ଆଉ କେଉଁଠାରେ ମୁହଁ ଲୁଚାଇ ରହିଛି । ମନରେ ଦୁଃଖ ଆସିଲା । ଭାବିବାକୁ ଲାଗିଲି କିଭଳି ଦୁଭାର୍ଗ୍ୟ ନେଇ ପ୍ରକୃତରେ ସେମାନେ ଆମମାନଙ୍କ ପରିବାରରେ ଜନ୍ମ ନହୁଅନ୍ତି ! ଶୁଣିପାରିଲି ଠିକ୍‌ ଏଇ କଥାହିଁ ତା’ ମାଆ କହୁଛନ୍ତି ଏ ହତଭାଗୀ ଆମ ସମସ୍ତଙ୍କୁ ଖାଇସାରିଲେ ତେବେ ଯାଇ ଯିବ । ଏଇଟାର ଏପରି କପାଳ ଯେ ଚାହିଁଲେ ସମୁଦ୍ର ପର୍ଯ୍ୟନ୍ତ ଶୁଖିଯାଏ । ପୋଡ଼ା ଶେଉଳ ମାଛ ଜୀଈ ନଈକୁ ପଳାଏ । ଏପରି ତା’ର ହେବନି ତ ଆଉ କାହାର ହେବ ?

 

କଲିକତାକୁ ଯିବା ପୂର୍ବରୁ କକେଇ ବାପାଙ୍କୁ ଡାକି ବସାର ଠିକଣା ଦେଲି । କହିଲି–ମୋର ଜଣକର ମତ ନେବାର ଦରକାର । ସେ କହିଲେ ଯାଇ ମୁଁ ସମ୍ମତି ଦେବି ।

 

ବାପା ଗଦ୍‍ଗଦ୍‌ କଣ୍ଠରେ ମୋ ହାତ ଧରିପକାଇ କହିଲେ, ଦେଖ୍‌ ବାପ, ଝିଅଟାକୁ ମାରିପକାନା । ତାକୁ ଟିକିଏ ବୁଝାଇ କରି କହିବୁ ଯେପରି ସେ ଅମତ ନହୁଏ ।

 

କହିଲି– ମୋର ବିଶ୍ୱାସ ସେ ଅମତ ହେବ ନାହିଁ । ବରଞ୍ଚ ଖୁସି ହୋଇ ହଁ କରିଦେବ । ବାପା ଆଶୀର୍ବାଦ କରି କହିଲେ–କେବେ ତୋ ବସାକୁ ଯିବି ବାପ ?

 

: ପାଞ୍ଚ–ଛଅଦିନ ପରେ ହିଁ ଯିବେ ।

 

ପୁଣ୍ଟୁର ମାଆ, ରଙ୍ଗ ମାଆ, ରାସ୍ତା ପର୍ଯ୍ୟନ୍ତ ଆସି ଆଖିର ଲୁହ ସଙ୍ଗେ ମୋତେ ବିଦାୟ ଦେଇ ଗଲେ ।

 

ମନେମନେ କହିଲି–ଅଦୃଷ୍ଟ ! କିନ୍ତୁ ଏ ଭଲ ହେଲା ଯେ, ଗୋଟାଏ କଥା ଦେଇ କରି ଆସିଲି । ରାଜଲକ୍ଷ୍ମୀ ଏ ବିବାହରେ ଯେ ଆପତ୍ତି କରିବ ନାହିଁ, ଏକଥା ମୁଁ ନିଃସଂଶୟରେ ବିଶ୍ୱାସ କରିଥିଲି ।

 

ଷ୍ଟେସନରେ ପଦାର୍ପଣ କରିବା ମାତ୍ରେ ଟ୍ରେନ ଛାଡ଼ିଦେଲା । ପର ଟ୍ରେନଟା ଆସିବାକୁ ଦୁଇଘଣ୍ଟା ଡେରି । ସମୟ କଟାଇବାକୁ ବାଟ ଖୋଜୁଛି–ବନ୍ଧୁ ଆସି ଜୁଟିଗଲେ । ଜଣେ ମୁସଲମାନ ଯୁବକ ମୁହୂର୍ତ୍ତକ ପାଇଁ ମୋତେ ଚାହିଁ ରହି ପଚାରିଲା–କ’ଣ ଶ୍ରୀକାନ୍ତ ନା ?

 

: ହଁ ।

 

: ମତେ ଚିହ୍ନିପାରିଲୁ ନାହିଁକି ? ମୁଁ ପରା ଗହର । ଏହା କହି ସେ ଜୋରରେ ମୋ ହାତ ମଳିଦେଇ ଦୁଲ କରି ପିଠିରେ ଗୋଟିଏ ବିଧା ମାରିଲା ଏବଂ ଗଳାରେ ଓହଳିପଡ଼ି କହିଲା; ଚାଲ–ଆମ ଘରକୁ । କୁଆଡ଼େ ଯାଉଛୁ କଲିକତା ନା ? ଆଉ ଯିବାକୁ ହେବ ନାହିଁ ଚାଲ ।

 

ମୋର ସେ ହେଉଛି ପାଠଶାଳାର ବନ୍ଧୁ । ବୟସରେ ଚାରି ଛଅବର୍ଷ ମୋଠାରୁ ବଡ଼ ହେବ । ସଦାବେଳେ ଅଧା ପାଗଳ ଭଳି । ମନେହେଲା ବୟସ ସଙ୍ଗେ ସଙ୍ଗେ ସେଇ ପ୍ରକୃତିଟା ମଧ୍ୟ ବଢ଼ିଯାଇଛି ସିନା କିନ୍ତୁ କମି ନାହିଁ । ତା’ର ଜବରଦସ୍ତିକୁ ପୂର୍ବେ ମଧ୍ୟ ଏଡ଼ାଇଦେବାର ଶକ୍ତି ମୋର ନଥିଲା । ସୁତରାଂ ଆଜି ରାତି ସେ ମୋତେ କୌଣସି ମତେ ଛାଡ଼ିବ ନାହିଁ, କଥା ଭାବିବା କ୍ଷଣି ମୋର ଦୁଶ୍ଚିନ୍ତାର ସୀମା ନ ଥିଲା । କହିବା ବାହୁଲ୍ୟ ମାତ୍ର, ତା’ର ଉଲ୍ଲାସ ଓ ଆତ୍ମୀୟତା ସହିତ ତାଳ ଦେଇ ଚାଲିବା ପାଇଁ ଆଜି ମୋର ଶକ୍ତି ନଥିଲା । କିନ୍ତୁ ସେ ନଛୋଡ଼ବନ୍ଧା । ମୋ ବ୍ୟାଗଟା ସେ ନିଜେ ଧରିଲା । କୁଲି ଡାକି ବିଛଣାଟା ତା’ ମୁଣ୍ଡକୁ ଉଠାଇଦେଲା । ଜୋର କରି ମୋତେ ବାହାରକୁ ଟାଣିନେଇ ଗାଡ଼ି ଭଡ଼ା କରି ମୋତେ କହିଲା–ଉଠ୍‌ ।

 

ପରିତ୍ରାଣ ନାହିଁ । ତେଣୁ ତର୍କ କରିବା ବିଫଳ ।

 

ଆଗରୁ କହି ରଖିଛି, ଗହର ହେଉଛି ମୋ ପାଠଶାଳାର ବନ୍ଧୁ । ଆମ ଗାଆଁଠାରୁ ତାଙ୍କ ଘର କୋଶେ ଦୂର ହେବ । ନଦୀକୂଳରେ ପିଲାବେଳେ ତାହାରିଠାରୁ ବନ୍ଧୁକ ମରା ଶିଖିଥିଲି । ତା’ ବାପାଙ୍କର ଗୋଟାଏ ପୁରୁଣା କାଳିଆ ବାରୁଦ ଖୁନ୍ଦା ବନ୍ଧୁକ ଥିଲା । ତାକୁ ନେଇ ନଦୀକୂଳର ଆମ୍ୱ ବଗିଚାରେ ପକ୍ଷୀ ମାରିବା ପାଇଁ ବୁଲୁ । ପିଲାଦିନେ କେତେ ନା କେତେ ରାତି ତାଙ୍କ ବାଡ଼ିରେ କଟାଇଛି । ତା’ ମାଆ ମୁଢ଼ି, ଗୁଡ଼, ଦୁଧ ଦେଇ ମୋର ଜଳଖିଆ ପ୍ରସ୍ତୁତ କରାଇ ଦିଅନ୍ତି । ସେମାନଙ୍କ ଚାଷବାସ, ଜମିଜମା ବହୁତ ଥିଲା ।

 

ଗାଡ଼ିରେ ବସାଇ ଗହର ପ୍ରଶ୍ନ କଲା–ଏତେଦିନ ଧରି କେଉଁଠିଥିଲୁ ଶ୍ରୀକାନ୍ତ ?

 

ଯେଉଁଠାରେ ଥିଲି ସେ ସବୁର ଗୋଟିଏ ସଂକ୍ଷିପ୍ତ ବିବରଣୀ ଦେଲି । ପଚାରିଲି–ତୁ ବର୍ତ୍ତମାନ କ’ଣ କରୁଛୁ ଗହର ?

 

: କିଛି ନାହିଁ ।

 

: ତୋ ମାଆ ଭଲ ଅଛନ୍ତି ?

 

: ମାଆ, ବାବା ଦୁଇଜଣ ମରିଗଲେଣି । ଘରେ ଏକାକୀ ମୁଁ ଅଛି ।

 

: ବାହା ହୋଇ ନାହୁଁ ?

 

: ସେ ମଧ୍ୟ ମରିଯାଇଛି ।

 

ଶ୍ରୀକାନ୍ତ

ମନେମନେ ଅନୁମାନ କଲି ଏଥିପାଇଁ ଯାହାକୁ ତାହାକୁ ଧରିନେଇ ଯିବାପାଇଁ ତା’ର ଏତେ ଆଗ୍ରହ । କଥା ଖୋଜି ନପାଇ ପଚାରିଲି–ତୁମର ସେଇ ବାରୁଦ ଖୁନ୍ଦା ବନ୍ଧୁକଟା ଅଛି ତ ?

 

ଗହର ହସିଦେଇ କହିଲା– ଦେଖୁଛି ତୋର ତ ସବୁ ମନେଅଛି । ସେଇଟା ଅଛି । ଆଉ ଗୋଟାଏ ଭଲ ବନ୍ଧୁକ କିଣିଛି । ତୁ ଶିକାର କରିବାକୁ ଚାହୁଁ ତ ସଙ୍ଗରେ ଯିବି କିନ୍ତୁ ମୁଁ ଆଜିକାଲି ଆଉ ପକ୍ଷୀ ମାରୁ ନାହିଁ । ବଡ଼ ଦୁଃଖ ଲାଗେରେ ।

 

: ଏ କି କଥା ଗହର ! ସେତେବେଳେ ତ ଦିନ ରାତି ଏଇ ପକ୍ଷୀ ଶିକାରରେ ବ୍ୟସ୍ତ ଥିଲୁ-?

 

: ତା’ ଅବଶ୍ୟ ସତ । କିନ୍ତୁ ବର୍ତ୍ତମାନ ସେ ସବୁ ଅନେକ ଦିନରୁ ଛାଡ଼ିଦେଇଛି ।

 

ଗହରର ଆଉ ଗୋଟାଏ ପରିଚୟ ଅଛି ଯେ ସେ କବିତା ସେତେବେଳକାର ସମୟରେ ସେ ଅନର୍ଗଳ ମୁହେଁ ମୁହେଁ ଗୀତ ବାନ୍ଧି ପାରୁଥିଲା । ଯେ କୌଣସି ବିଷୟରେ, ଯେ କୌଣସି ସମୟରେ ସେ ପଦ ଫାନ୍ଦି ପାରୁଥିଲା । ଛନ୍ଦ, ମାତ୍ରା, ଧ୍ୱନି, ଇତ୍ୟାଦି ସେ କାବ୍ୟ ଶାସ୍ତ୍ରବିଧି ମାନି ଲେଖୁଥିଲା କି ନାହିଁ ସେ ଜ୍ଞାନ ସେତେବେଳେ ମୋର ନଥିଲା । ଏବେ ସୁଦ୍ଧା ନାହିଁ । କିନ୍ତୁ ମଣିପୁରର ଯୁଦ୍ଧ, ଟିକେନ୍ଦ୍ରଜୀତର ବୀରତ୍ୱର କାହାଣୀ ତାହା ମୁହଁରୁ ଗୀତରେ ଶୁଣି ଆମେମାନେ ସେତେବେଳେ ବାରମ୍ୱାର ଉତ୍ତେଜିତ ହୋଇଉଠୁଥିଲୁ । ଏକଥା ମୋର ଭଲ କରି ମନେଅଛି । ପଚାରିଲେ–ଗହର ଦିନେ କୃତିବାସଙ୍କଠାରୁ ଭଲ ରକମର ରାମାୟଣ ରଚନା କରିବା ପାଇଁ ଯେଉଁ ସଂକଳ୍ପ ତୋର ଥିଲା ତାହା ଆଜିକାଲି ଅଛି ନା ନାହିଁ ?

 

: ଗହର ମୁହୂର୍ତ୍ତକ ଭିତରେ ଗମ୍ଭୀର ହୋଇଉଠିଲା । କହିଲା ସେ କ’ଣ ଚାଲିଯିବା କଥା କିରେ ? ତାକୁ ନେଇ ତ ବଞ୍ଚି ରହିଛି । ଯେତେଦିନ ଜୀବନ ଥିବ ସେତେଦିନ ତାକୁ ନେଇ ତ ବଞ୍ଚିଥିବି । କେତେ ଲେଖିଛି, ଆଜି ଚାଲ୍‌ ସାରା ରାତି ତୋତେ ପଢ଼ି ଶୁଣାଇବି । ରାତି ପାହିଯିବ ସିନା କିନ୍ତୁ ପୋଥି ସରିବ ନାହିଁ ।

 

: କ’ଣ କୁହୁଛୁ ତୁ ଗହର !

 

: କ’ଣ ମିଛ କହୁଛି ?

 

ପ୍ରଦୀପ୍ତ କବି ପ୍ରତିଭାରେ ତା’ ମୁହଁ ଆଉ ଆଖି ଝଲମଲ ହୋଇଉଠୁଥିଲା । ତା’ କଥାରେ ସନ୍ଦେହ ନ କରି ବିସ୍ମୟ ପ୍ରକାଶ କରିଥିଲି ମାତ୍ର । ମୋତେ ଜବରଦସ୍ତ ବସାଇ ସେ ସାରା ରାତି ଧରି କାବ୍ୟ ଚର୍ଚ୍ଚା କାଳେ କାଳେ କେଞ୍ଚୁଅ କାଢ଼ୁ କାଢ଼ୁ ସାପ ବାହାରି ପାରେ ଏଇ ଭୟରେ ମୁଁ ଆତଙ୍କିତ ହୋଇଉଠି ତାକୁ ଖୁସି କରିବାକୁ ଯାଇ କହିଲି–ନା, ଗହର ସେ କଥା ମୁଁ କହି ନାହିଁ । ତୋର ଅଦ୍ଭୁତ ଶକ୍ତି ଆମେ ସମସ୍ତେ ସ୍ୱୀକାର କରୁ । ତଥାପି ପିଲା ବେଳର କଥା ତୋର ମନେଅଛି କି ନାହିଁ ସେଇ କଥାହିଁ କହୁଥିଲି । ପ୍ରକୃତରେ ତୋ ଲେଖା ସବୁ ବଙ୍ଗଳା ଦେଶର ଗୋଟାଏ କୀର୍ତ୍ତି ହୋଇ ରହିଯିବ ।

 

: କୀର୍ତ୍ତି ? ନିଜ ମୁହଁରେ କ’ଣ ଆଉ କହିବି ଭାଇ, ଆଗ ଶୁଣ । ତାପରେ କଥା ହେବୁ ।

 

କୌଣସି ଦିଗରୁ ଆଉ ନିସ୍ତାର ନାହିଁ । କିଛି କ୍ଷଣ ନୀରବ ରହିବା ପରେ ଧୀରେ ଧୀରେ କହିଲି ସକାଳଠାରୁ ଦେହଟା ଏପରି ଖରାପ ଲାଗୁଛି ଯେ, ମନେହେଉଛି ଟିକିଏ କେଉଁଠାରେ ଶୋଇପଡ଼ିଲେ...

 

ଗହର ମୋ କଥାକୁ କାନ ଦେଲା ନାହିଁ । କହିଲା–ପୁଷ୍ପକ ରଥରେ ଯେଉଁଠାରେ ସୀତା କାନ୍ଦି କାନ୍ଦି ଗହଣା ସବୁ ଫିଙ୍ଗି ଦେଇଛନ୍ତି, ସେଇ ଯାଗାଟା ଯେଉଁମାନେ ଶୁଣିଛନ୍ତି ସେମାନେ ଆଖିର ଲୁହକୁ ସମ୍ଭାଳି ରଖି ପାରିନାହାନ୍ତି, ଶ୍ରୀକାନ୍ତ ।

 

: ଆଖି ପାଣିକୁ ମୁଁ ଯେ ସମ୍ଭାଳି ରଖିପାରିବି ସେପରି ସମ୍ଭାବନା ମଧ୍ୟ କମ୍‌ । କହିଲି, କିନ୍ତୁ...

 

ଗହର କହିଲା–ଅମର ସେଇ ବୁଢ଼ା ନୟନ ଚାନ୍ଦ ଚକ୍ରବର୍ତ୍ତୀ କଥା ମନେଅଛି ତ ? ତା’ ଜାଳାରେ ମୁଁ ଆଉ ରହିପାରୁ ନାହିଁ । ଯେତେବେଳେ, ସେତେବେଳେ ଆସି କହିବ, ଗହର ସେଇ ସ୍ଥାନଟାରୁ ଆଉ ଟିକିଏ ପଢ଼ ତ ଶୁଣିବି । ପୁଣି କହେ, ବାବା, ତୁ କଦାପି ମୁସଲମାନ ପିଲା ନୁହଁ । ତୋ ଦେହରେ ଅସଲ ବ୍ରହ୍ମ ରକ୍ତ ଥିବା ମୁଁ ସ୍ୱ ଚକ୍ଷୁରେ ଦେଖିପାରୁଛି ।

 

ନୟନ ଚାନ୍ଦ ନାମଟା ସବୁଆଡ଼େ ଶୁଣିବାକୁ ମିଳେ ନାହିଁ । ସେଥିପାଇଁ ମନେଅଛି । ଘର ଗହର ଗାଆଁରେ । ପଚାରିଲି–ସେଇ ଚକ୍ରବର୍ତ୍ତୀ ବୁଢ଼ା ତ ? ଯାହା ସଙ୍ଗେ ତୋ ବାପାଙ୍କର ଠେଙ୍ଗା ବାଡ଼ି ଉଠି ମାଲି ମକଦ୍ଦମା ଚାଲିଥିଲା ନା ?

 

ଗହର କହିଲା– ହଁ । ବାବାଙ୍କ ସଙ୍ଗେ ନହେବ କାହିଁକି ? ବାବା ତା’ର ଜମିଜମା, ପୋଖରୀ ବଗିଚା ସବୁ ଦେଣା ଦାୟରେ ନିଲାମ କରିନେଇଥିଲେ । ମୁଁ କିନ୍ତୁ ତା’ ପୋଖରୀ, ଆଉ ଭିଟ୍ଟା ମାଟିଟା ତାକୁ ଫେରାଇଦେଇଛି । ଭାରୀ ଗରିବ । ଦିନରାତି ଆଖିରୁ ଲୁହ ଗଡ଼ାଉଥାଏ । ଫେରାଇଦେଇ ନଥିଲେ କ’ଣ ମୋର ମଙ୍ଗଳ ହୋଇଥାନ୍ତା ?

 

ମଙ୍ଗଳ ତ ଚାହୁଁନଥିଲେ । ଚକ୍ରବର୍ତ୍ତୀଙ୍କର କାବ୍ୟ ପ୍ରୀତି ଏଇଥିପାଇଁ ହୋଇଥିବ ବୋଲି ଅନୁମାନ କରୁଥିଲି । ତେଣୁ କହିଲି–ବର୍ତ୍ତମାନ ଆଖିରୁ ଲୁହ ବହିବା ବନ୍ଦ ହୋଇଛି ତ ?

 

ଗହର କହିଲା ଲୋକଟି କିନ୍ତୁ ପ୍ରକୃତରେ ଭଲ ଲୋକ । ଦେଣା ଜ୍ୱାଳାରେ ସେ ଯାହା କିଛି କରି ବସିଥିଲା, ଏହିପରି ଅନେକ ହିଁ କରିଥାନ୍ତି । ତା’ ବାଡ଼ିପାଖରେ ବିଘେ କି ଅଧ ବିଘାଏର ଆମ୍ୱ ବଗିଚା ଅଛି ଏବଂ ତହିଁର ପ୍ରତ୍ୟେକଟି ଗଛ ଚକ୍ରବର୍ତ୍ତୀଙ୍କର ନିଜ ହାତରେ ପୋତା । ନାତି ନାତୁଣୀ ଅନେକ ଗୁଡ଼ିଏ । କିଣି ଖାଇବାକୁ ପଇସା ନାହିଁ । ତାହା ଛଡ଼ା ମୋର ଅବା କିଏ ଅଛି ଯେ ଖାଇବ ?

 

: ସେ ଠିକ୍‌ କଥା । ସେଇଟାକୁ ମଧ୍ୟ ଫେରାଇଦେ ।

 

: ଦେବାଟା ତ ଉଚିତ୍‌ ଶ୍ରୀକାନ୍ତ । ଆଖିଆଗରେ ଆମ୍ୱ ପାଚେ । ପୁଅ ଝିଅଗୁଡ଼ାଙ୍କର ନିଶ୍ୱାସ ପଡ଼ୁଥିବ । ମୋର ଭାରୀ ଦୁଃଖ ହୁଏ ଭାଇ । ଆମ୍ୱ ହେବା ସମୟରେ ଆମର ବଗିଚା ଗୁଡ଼ିକ ତ ବେପାରୀମାନଙ୍କୁ ନିଲାମରେ ଦେଇ ଦିଆହୁଏ । କିନ୍ତୁ ଏ ବଗିଚାଟା ଆଉ ନିଲାମ କରେ ନାହିଁ । କହେ, ଚକ୍ରବର୍ତ୍ତୀ ମହାଶୟ ତୁମ ନାତି ନାତୁଣୀମାନେ ଯେପରି ଆମ୍ୱ ଖାଆନ୍ତି । କ’ଣ କହୁଛୁ ଭଲ ହୋଇନି ?

 

: ନିଶ୍ଚୟ ଭଲ ହୋଇଛି । ମନେମନେ କହିଲି–ବୈକୁଣ୍ଠରେ ଥିବା ଖାତାର ଜୟ ହେଉ । ତାହାର କଲ୍ୟାଣରୁ ଗରିବ ନୟନ ଚାନ୍ତ ଯଦି ଯତ୍‍କିଞ୍ଚିତ ପାଇପାରିଥାଏ ତେବେ ତହିଁରେ କ୍ଷତି କ’ଣ ? ତାହା ଛଡ଼ା ଗହର କବି । କବି ଲୋକଙ୍କର ଜମିଜମା, ବିଷୟ ସଂପତ୍ତି ରହି ମୂଲ୍ୟ କ’ଣ ଯଦି ରସ ଗ୍ରାହୀ ସୁଜନମାନଙ୍କର ଭୋଗରେ ଏହା ନଲାଗି ପାରିଲା ?

 

ଚୈତ୍ର ମାସର ପ୍ରାୟ ମଝାମଝି । ଗାଡ଼ିର କବାଟଟା ଗହର ଅକସ୍ମାତ୍‌ ଶେଷ ପର୍ଯ୍ୟନ୍ତ ଠେଲିଦେଇ ବାହାରକୁ ମୁଣ୍ଡ ବଢ଼ାଇ କହିଲା– ଦକ୍ଷିଣା ପବନଟାର ସନ୍ଧାନ ପାଇପାରୁଛୁ ତ ଶ୍ରୀକାନ୍ତ-?

 

: ପାଉଛି ।

 

ଗହର କାହିଲା, ବସନ୍ତକୁ ଡାକଦେଇ କବି କହିଛନ୍ତି– ଆଜି ଦକ୍ଷିଣ ଦୁଆର ଖୋଲା...

 

କଚା ରାସ୍ତା । ଗୋଟାଏ ଦଲକା ମଳୟାନିଳ ରାସ୍ତାରେ ଶୁଖିଲା ଧୂଳିକୁ ସୁଦ୍ଧା ରଖିଲା ନାହିଁ । ଦେହ ମୁଣ୍ଡ ସାରା ବୋଳିଦେଇ ଗଲା । ବିରକ୍ତ ହୋଇ କହିଲି–କବି ବସନ୍ତକୁ ଡାକିନାହାନ୍ତି-। ସେ କହିଛନ୍ତି, ଏ ସମୟରେ ଘରର ଦକ୍ଷିଣ ଦୁଆର ଖୋଲା, ସୁତରାଂ ଗାଡ଼ିର ଦରଜା ବନ୍ଦ ନ କଲେ ହୁଏତ ସେହି ହିଁ ଆସି ହାଜର ହେବେ ।

 

ଗହର ହସିଦେଇ କହିଲା– ଚାଲ ଦେଖିବୁ । ଦୁଇଟା ବାତାପି ଲେମ୍ୱୁ ଗଛରେ ଫୁଲ ଫୁଟିଛି । ଅଧ କୋଶ ଯାଏ ବାସ୍ନା ଛୁଟୁଛି । ଆଗର ଜାମୁ ଗଛଟା ମାଧବୀ ଫୁଲରେ ଭରିଉଠିଛି । ତା’ର ଗୋଟାଏ ଡାଳରେ ମାଳତୀର ଲତା । ଫୁଲ ଏ ପର୍ଯ୍ୟନ୍ତ ଫୁଟି ନାହିଁ । କିନ୍ତୁ ମୁଥ ମୁଥ କଢ଼ । ଆମ ଘରର ଚାରିଦିଗରେ ଆମ୍ୱ ବଗିଚା । ବର୍ତ୍ତମାନ ବଉଳ ଗଛରେ ଫୁଲ ଭର୍ତ୍ତି ହୋଇଯାଇଚି । କାଲି ସକାଳୁ ଦେଖିବୁ ମହୁମାଛିଙ୍କର ଭିଡ଼ । କେତେ ବୁଲ ବୁଲ । କେତେ କୋଇଲିଙ୍କର ଗାନ ଶୁଣିପାରିବୁ । ବର୍ତ୍ତମାନ ଜ୍ୟୋସ୍ନା ରାତି କିନା ! ସେଥିପାଇଁ ରାତି ହେଲେ ସୁଦ୍ଧା କୋଇଲିଙ୍କର ଡାକ ଶୁଣାଯାଏ । ବାହାର ଘରର ଦକ୍ଷିଣ ଝରକାଟା ଯଦି ଖୋଲି ରଖିବୁ ତେବେ ତୋ ଆଖିରେ ପଡ଼ିବ ନାହିଁ । ଏଥର କିନ୍ତୁ ତୋତେ ସହଜରେ ଛାଡ଼ି ଦେଉ ନାହିଁ ଭାଇ, ସେ କଥା ଆଗରୁ କହି ରଖୁଛି । ତା’ ଛଡ଼ା ଖାଇବାର ଭାବନା ନାହିଁ । ଚକ୍ରବର୍ତ୍ତୀ ମହାଶୟ ଖବର ପାଇଲେ ତୋତେ ଆଦର କରି ଗୁରୁ ପରି ତୋଳିନେବେ ।

 

ତାହାର ଅକପଟ ଆକ୍ରମଣରେ ମୁଗ୍‌ଧ ହେଲି । କେତେକାଳ ପରେ ଦେଖା । କିନ୍ତୁ ସେଦିନକାର ଗହର ଏତେ ଟିକିଏ ବଦଳି ଯାଇ ନାହିଁ । ସେହିପରି ପିଲାଳିଆମି ସେହିପରି ବନ୍ଧୁ ସମ୍ମିଳନରେ ତା’ର ଅକୃତ୍ରିମ ଉଲ୍ଲାସର ଉଚ୍ଛ୍ୱାସ ।

 

ଗହର ହେଉଛି ମୁସଲମାନ ଫକୀର ସଂପ୍ରଦାୟର ଲୋକ । ଶୁଣିଛି ତା’ ପିତାମହ ବାଉଲ । ରାମ ପ୍ରସାଦୀ ପ୍ରଭୃତି ଗୀତ ଗାନ କରି ଭିକ୍ଷା ମାଗୁଥିଲେ । ତାହାର ଗୋଟାଏ ପୋଷା ଶାରୀର ଅଲୌକିକ ସଙ୍ଗୀତ ପାରଦର୍ଶିତାର କାହାଣୀ ଦିନେ ଏ ଅଞ୍ଚଳରେ ପ୍ରସିଦ୍ଧ ଥିଲା । ଗହର ପିତା କିନ୍ତୁ ପୈତୃକ ବୃତ୍ତି ତ୍ୟାଗ କରି ତେଜରାତି ଓ ଝୋଟ ବ୍ୟବସାୟ ଦ୍ୱାରା ଅନେକ ସଂପତ୍ତି ପୁଅ ପାଇଁ ରଖିଦେଇ ଯାଇଥିଲେ । ଅଥଚ ପୁଅ ବାପର ବିଷୟ ସଂପତ୍ତି ବଢ଼ାଇବାର ବୁଦ୍ଧି ପାଇପାରିଲା ନାହିଁ । ପାଇଛି ଜେଜେବାବାଙ୍କର କାବ୍ୟ ଓ ସଙ୍ଗୀତ ପ୍ରତି ଅନୁରାଗକୁ । ସୁତରାଂ ପିତାଙ୍କର ବହୁ ଶ୍ରମ ଅର୍ଜିତ ଜମିଜମା ଚାଷ ବାସର ଯେ ଶେଷ ପରିଣତି କ’ଣ ହୋଇପାରେ । ସେଥିରେ ଆଶଙ୍କା ଓ ସନ୍ଦେହ ତିଳେ ହେଲେ ନାହିଁ ।

 

ସେ ଯାହାହେଉ । ପିଲାବେଳେ ତାଙ୍କ ଘରଟା ଦେଖିଥିଲି । ଭଲ କରି ମନେପଡ଼ୁନାହିଁ । ବର୍ତ୍ତମାନ ହୁଏତ ତାହା ବାଣୀ ସାଧନାର ତପୋବନ ରୂପେ ରୂପାନ୍ତରିତ ହୋଇଛି । ତେଣୁ ତାହାକୁ ଦେଖିବା ପାଇଁ ବର୍ତ୍ତମାନ ମନରେ ପ୍ରବଳ ଆଗ୍ରହ ଜନ୍ମିଲା ।

 

ତା’ର ଗାଆଁ ବାଟ ମୋର ପରିଚିତ । ରାସ୍ତାର ଦୁର୍ଗମତା ମୋର ମନେପଡ଼େ । କିନ୍ତୁ କିଛି ସମୟ ପରେ ଜଣାପଡ଼ିଲା ଯେ ଶୈଶବରେ ସେହି ମନେପଡ଼ିବା ସଙ୍ଗେ ଆଜି କାଲିକାର ଆଖିରେ ଦେଖିବା ସହିତ କୌଣସି ତୁଳନା ନାହିଁ । ବାଦଶାହୀ ଅମଳର ରାଜପଥ । ଏକବାରେ ପୁରାତନ । ଇଟା ପଥରର ପରିକଳ୍ପନା, ଏ ଅଞ୍ଚଳ ପାଇଁ ନୁହେଁ । ସେହିଭଳି ଦୁରାଶା କେହି ମଧ୍ୟ କରନ୍ତି ନାହିଁ । ପରିବର୍ତ୍ତନର ମନୋଭାବ ବହୁଦିନରୁ ଲୋକମାନଙ୍କ ମନରୁ ପୋଛି ହୋଇଯାଇଛି । ଗ୍ରାମର ଲୋକମାନେ ବୁଝନ୍ତି ଅନୁନୟ, ଅଭିଯୋଗ ସବୁ ବିଫଳ । ସେମାନଙ୍କ ପାଇଁ ରାଜକୋଷରେ କୌଣସି ଅର୍ଥ ନାହିଁ । ସେମାନେ ଜାଣନ୍ତି ପୁରୁଷାନୁକ୍ରମରେ ରାସ୍ତା ପାଇଁ ପଥକର ଯୋଗାଇବାକୁ ହେବ କିନ୍ତୁ ସେ ପଥ କେଉଁଠି ଏବଂ କାହା ପାଇଁ ଏ ସକଳ ଚିନ୍ତା କରିବା ସେମାନଙ୍କର ବାହୁଲ୍ୟ ମାତ୍ର ।

 

ସେହି ରାସ୍ତାରେ ବହୁକାଳ ସଞ୍ଚିତ ସ୍ତପୀକୃତ ଧୂଳି ବାଲିର ବାଧା ଠେଲି ଆମ ଗାଡ଼ି କେବଳ ଚାବୁକ ମାଡ଼ରେ ହିଁ ଆଗେଇ ଚାଲିଥିଲା । ଏପରି ସମୟରେ ଗହର ଉଚ୍ଚ ସ୍ୱରରେ ହଠାତ୍‌ ଡାକ ପକାଇ କହିଲା–ଗାଡ଼ୁଆନ୍‌–ଆଉ ନୁହେଁ–ଆଉ ନୁହେଁ–ରଖ । ଏକବାରେ ବନ୍ଦ କର ।

 

ସେ ଏପରି ଭାବରେ କହିଉଠିଲା ସତେ ଯେପରି ପଞ୍ଜାବ ମେଲ ଭଳି ଯାଉଥିବା ଗାଡ଼ିର ଭ୍ୟାକମ୍‌କୁ ବ୍ରେକ ଦେଇ ଆଖିର ପଲକରେ କଷି ନପାରିଲେ, ସର୍ବନାଶ ହୋଇଯିବାର ସମ୍ଭାବନା ।

 

ଗାଡ଼ି ଅଟକି ଗଲା । ବାଆଁ ହାତ ବାଟଟା ତାଙ୍କ ଗାଆଁକୁ ଯିବାପାଇଁ । ଓହ୍ଲାଇପଡ଼ି ଗହର କହିଲା– ଆ ଶ୍ରୀକାନ୍ତ । ମୁଁ ବ୍ୟାଗ୍‌ଟା ଧରୁଛି । ତୁ ବିଛଣା ଧରି ଆସ ।

 

: ଗାଡ଼ି ବୋଧହୁଏ ଆଉ ଆଗକୁ ଯିବ ନାହିଁ ?

 

: ନା, ଦେଖିପାରୁ ନାହିଁ ଆଗକୁ ଆଉ ବାଟ ନାହିଁ ।

 

ତା’ ଅବଶ୍ୟ ସତ । ବାଆଁ ଓ ଡାହାଣ ପାଖରେ କିଆ ଓ ବେତର ସମ୍ମିଳିତ ଶାଖା ପ୍ରଶାଖାରେ ପଲ୍ଲୀ ବିଥିକା ଅତିଶୟ ସଂକୀର୍ଣ୍ଣ । ଗାଡ଼ି ଯିବାର ପ୍ରଶ୍ନଉଠୁ ନାହିଁ । ମନୁଷ୍ୟ ମଧ୍ୟ ଟିକିଏ ସାବଧାନ ହୋଇ ପ୍ରବେଶ ନ କରିପାରିଲେ ଲୁଗାପଟା ଚିରିବା ଅନିବାର୍ଯ୍ୟ । ଅତଏବ କବିଙ୍କ ମତ ଅନୁସାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନବଦ୍ୟ । ସେ ବ୍ୟାଗ୍‌ଟା କାନ୍ଧରେ ଧରିଲା । ମୁଁ ବିଛଣାଟା ଅଣ୍ଟାରେ ଜାକି ଗୋଧୂଳି ବେଳାରେ ଗାଡ଼ିରୁ ଅବତରଣ କଲି ।

 

କବି ଗୃହରେ ଯେତେବେଳେ ଆସି ପହଞ୍ଚି ଗଲି ସେତେବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଛି । ଅନୁମାନ କଲି ଆକାଶରେ ବସନ୍ତ ରାତିର ଚାନ୍ଦ ଉଠିସାରିଛି । ତିଥିଟା ବୋଧହୁଏ ଥିଲା ପୂର୍ଣ୍ଣିମାର ପାଖାପାଖି । ଅତଏବ ଆଶା କରି ରହିଲି ଗଭୀର ନିଶୀଥରେ ଚନ୍ଦ୍ର ମୁଣ୍ଡଉପରକୁ ଆସିଲେ ଏ ବିଷୟରେ ନିଃସନ୍ଦେହୀ ହୋଇପାରିବ । ଘର ଚାରିଦିଗରେ ନିବିଡ଼ ବାଉଁଶ କ’ଣ । ଖୁବ୍‌ ସମ୍ଭବ ତାରି ଭିତରେ କୋକିଳ ଓ ବୁଲ୍‌ବୁଲ୍‌ଙ୍କର ଦଳ ରହିଥାନ୍ତି ଏବଂ ଅହର୍ନିଶ ଗୀତ ଗାଇ କବିକୁ ବ୍ୟାକୁଳ କରିଦିଅନ୍ତି । ପରିପକ୍ୱ ଅସଂଖ୍ୟ ବାଉଁଶ ପତ୍ର ଝରି ଝରି ଅଗଣା, ଘର ପ୍ରଭୃତି ପରିବ୍ୟାପ୍ତ ହୋଇ ରହିଛି । ଆଖିପଡ଼ିବା ମାତ୍ରେ ଝରାପତ୍ରର ସଂଗୀତ ଗାଇବାକୁ ମନ ମୁହୂର୍ତ୍ତକ ଭିତରେ ଗର୍ଜନ କରିଉଠେ । ଚାକର ଆସି ବାହାର ଘର ଖୋଲିଦେଇ ଆଲୁଅ ଲଗାଇ ଦେଇ ଗଲା-। ଗହର ତକ୍ତପୋଷଟା ଦେଖାଇଦେଇ କହିଲା–ତୁ ଏଇଠାରେ ରହିବୁ । ଦେଖୁଛୁ କି ଭଳି ପବନ ।

 

ଅସମ୍ଭବ ନୁହେଁ । ଦେଖିବାକୁ ପାଇଲି ଦକ୍ଷିଣା ପବନଦ୍ୱାରା ରାଜ୍ୟର ଶୁଖିଲା ଲତା ପତ୍ର ଝରକାବାଟେ ଭିତରେ ପଶି ଖଟସାରା ପରିପୂର୍ଣ୍ଣ । ମଝିରେ ପାଦ ପକାଇଲେ ଦେହ ଝିମ୍‍ଝିମ୍‌ କରୁଥାଏ । ଖଟ ଗୋଡ଼ପାଖରେ ମୂଷା ଗାତ କରି ଗୁଡ଼ାଏ ମାଟି ଓଗାଳି ଜମା କରିଥାଏ । ସେ ସବୁ ଦେଖାଇଦେଇ କହିଲି–ଗହର, ତୁ କ’ଣ ଏ ଘରକୁ କେବେ ଆସୁ ନାହୁଁ କି ?

 

ଗହର କହିଲା–ନା, ଦରକାର ପଡ଼େ ନାହିଁ । ମୁଁ ଭିତରେ ରହେ । କାଲି ସବୁ ପରିଷ୍କାର କରାଇଦେବି ।

 

: ସଫା ତ କରାଇଦେବୁ । କିନ୍ତୁ ଗାତରେ ସାପ ଥାଇପାରନ୍ତି ତ ?

 

ଚାକରଟା କହିଲା–ଦୁଇଟା ଥିଲେ । କିନ୍ତୁ ବର୍ତ୍ତମାନ ନାହାନ୍ତି । ଏପରି ଦିନେ ସେମାନେ ରହନ୍ତି ନାହିଁ । ପବନ ଖାଇବା ପାଇଁ ବାହାରି ଯାଆନ୍ତି ।

 

ପଚାରିଲି–କିପରି ଜାଣିଲ ମିଆଁ ?

 

ଗହର ହସିଦେଇ କହିଲା– ଏ ମିଆଁ ନୁହେଁ । ସେ ହେଉଛି ଆମର ନବୀନ । ବାବାଙ୍କ ଅମଳର ଲୋକ । ଗୋରୁ ଗାଈଙ୍କ ଯତ୍ନ ନେଇ ଚାଷବାସର ତତ୍ତ୍ୱ ବୁଝେ । ଆମ ଘରେ କେଉଁଠାରେ କ’ଣ ଅଛି ନ ଅଛି ସେ ସବୁ ତାକୁ ଜଣା ।

 

ନବୀନ ହିନ୍ଦୁ ଲୋକ ପୁଣି ବାପାଙ୍କ ଅମଳର ଚାକର । ତେଣୁ ଏ ପରିବାରର ଗୋରୁ, ଗାଈ, ଚାଷବାସଠାରୁ ଘରର ଅନେକ କିଛି ଜାଣିଥିବା ତା’ ପକ୍ଷରେ ଅସମ୍ଭବ ନୁହେଁ । ତଥାପି ସାପ ସମ୍ୱନ୍ଧରେ ତା’ ମୁହଁର କଥା ଶୁଣି ନିଶ୍ଚିନ୍ତ ହୋଇପାରିଲି ନାହିଁ । ଦେଖିଲି ଗହରର ସବୁ ଲୋକଙ୍କୁ ଦକ୍ଷିଣା ହାୱା ପାଗଳ କରି ବସିଛି । ଭାବିଲି ହାୱା ଲୋଭରେ ସର୍ପ ଯୁଗଳଙ୍କର ବଦିର୍ଗମନ ବିସ୍ମୟକର ନୁହେଁ ମାନୁଛି ସତ କିନ୍ତୁ ପ୍ରତ୍ୟାଗମନ କରିବା ପାଇଁ ସେମାନଙ୍କୁ କେତେକ୍ଷଣ ଅବା ଲାଗିବ ?

 

ଗହର ବୁଝିପାରିଲା । ମୁଁ ବିଶେଷ ଭାବରେ ନିର୍ଭୟ ହୋଇପାରୁ ନଥିବାର ଦେଖି ସେ କହିଲା, ତୁ ତ ଖଟଉପରେ ରହିବୁ । ତୋର ଆଉ ଭୟ କ’ଣ ? ତା’ ଛଡ଼ା ସେଗୁଡ଼ାକ ଆଉ କେଉଁ ଅଛନ୍ତି ଯେ ? କପାଳେ ଲେଖାଥିଲେ ରାଜା ପରୀକ୍ଷିତ ମଧ୍ୟ ନିସ୍ତାର ପାଇପାରିନାହାନ୍ତି । ଆମେମାନେ ତ ଛାର ଲୋକ । ନବୀନ, ଘରଟା ଓଳାଇ ଦେଇ ଗାତ ମୁହଁରେ ଦୁଇଟା ଇଟା ଦେଇଦେବୁ । ଭୁଲିବୁ ନାହିଁ ଯେପରି । କିନ୍ତୁ ତୁ କ’ଣ ଖାଇବୁ କହିଲୁ ?

 

କହିଲି–ଯାହାଥିବ ।

 

ନବୀନ କହିଲା– ଦୁଧ, ମୁଢ଼, ଆଉ ଭଲ ଆଖୁର ଗୁଡ଼ ଅଛି । ଆଜିକା ପାଇଁ ଚଳିଗଲେ ତେଣିକି...

 

କହିଲି– ଖୁବ୍‌ ଭଲ ହେବ । ଏ ଘରେ ଏ ଜନିଷ ଖାଇବାରେ ଆଗରୁ ମୁଁ ଅଭ୍ୟସ୍ତ । ତେଣୁ ଆଉ କିଛି ଯୋଗାଡ଼ କରିବାର ଦରକାର ନାହିଁ । ତୁ ବାବା, ଦୟାକରି ଦୁଇଟା ଇଟା ଆଗ ଯୋଗାଡ଼ କରି ଆଣିଲୁ । ଗାତ ମୁହଁରେ ଟିକିଏ ମଜଭୁତ୍‌ କରି ଢାଙ୍କି ଦେବୁ । ଦକ୍ଷିଣା ହାୱା ଖାଇ ସେମାନେ ଫେରିଆସି ଯେପରି ଗାତଭିତରେ ପଶି ନପାରନ୍ତି ।

 

ନବୀନ ଆଲୁଅ ଧରି ଚୌକି ତଳକୁ ଉଙ୍କିମାରି କହିଲା–ନାଃ, ହବ ନାହିଁ ।

 

: କ’ଣ ହବ ନାହିଁ ?

 

ସେ ମୁଣ୍ଡ ହଲାଇ କହିଲା– ନା, ବାବୁ ହେବ ନାହିଁ । ଗାତର ମୁହଁ କ’ଣ ଗୋଟାଏ କି ବାବୁ ? ଗୋଟାଏ ଥାକ ଇଟା ଦରକାର । ମୂଷାମାନେ ତଳଟା ପୂରାପୂରି ଖୋଳି କରି ପକାଇଛନ୍ତି-

 

ଗହର କିନ୍ତୁ ବିଶେଷ ବିଚଳିତ ହେଲା ନାହିଁ । ଲୋକ ଲଗାଇ କାଲି ସଫା କରିଦେବ ବୋଲି ହୁକୁମ କଲା ।

 

ନବୀନ ହାତ ମୁହଁ ଧୋଇବା ପାଇ ପାଣି ଦେଲା । ତାପରେ ଜଳଖିଆ ଆୟୋଜନ କରିବା ପାଇଁ ଭିତରକୁ ଚାଲିଯିବା କ୍ଷଣି ମୁଁ ପଚାରିଲି–ତୁ କ’ଣ ଖାଇବୁ ଗହର ?

 

: ମୁଁ ? ମୋର ଜଣେ ବୁଢ଼ୀ ମାଉସୀ ଅଛନ୍ତି । ସେ ରୋଷାଇ କରିଦିଅନ୍ତି । ସେ ଯାହାହେଉ । ଖିଆପିଆ ସରିଗଲା ପରେ ଲେଖାଗୁଡ଼ାକ ତୋତେ ପଢ଼ାଇ ଶୁଣାଇବି ।

 

ସେ ଆପଣା କାବ୍ୟ ବିଷୟରେ ମଗ୍ନ ଥିଲା । ସେଥିପାଇଁ ଅତିଥିର ସୁଖ ସୁବିଧା ତା’ ଚିନ୍ତାର ବାହାରେ ଥିଲା । କହିଲା–ବିଛଣାଟା ପକାଇଦେଉଛି । କ’ଣ କହୁଛୁ ରାତିରେ ଦୁଇଜଣ ଏକାଠି ରହିବା ? କ’ଣ ଠକତ ?

 

ପୁଣି ଏକ ବିପଦ ! କହିଲି–ନା–ଭାଇ ଗହର । ତୁ ତୋ ଘରେ ଶୋଇବୁ ଯାଆ । ଆଜି ମୁଁ ବଡ଼ କ୍ଲାନ୍ତ । ତୋ ଲେଖା କାଲି ସକାଳେ ଶୁଣିବି ।

 

: କାଲି ସକାଳେ ! ସେତେବେଳେ କ’ଣ ସମୟ ହେବ ?

 

: ନିଶ୍ଚୟ ହେବ ।

 

: ଗହର ଚୁପ୍‌ ହୋଇ ରହି ଟିକିଏ ଚିନ୍ତାକରି କହିଲା–ଗୋଟାଏ କାମ କଲେ ହୁଅନ୍ତା ନାହିଁ ଶ୍ରୀକାନ୍ତ ? ମୁଁ ପଢ଼ି ଯାଉଛି, ତୁ ଶୋଇ ଶୋଇ ଶୁଣ୍‌ । ତୁ ନିଦରେ ଶୋଇପଡ଼ିଲେ ମୁଁ ଉଠି ଚାଲିଯିବି । କ’ଣ କହୁଛୁ ? ଏଇଟା ଠିକ୍‌ ହେବନି ?

 

ମୁଁ ମିନତି କରି କହିଲି–ନା ଭାଇ ଗହର । ତହିଁରେ ତୋ ବହିର ମର୍ଯ୍ୟାଦା ନଷ୍ଟ ହେବ କେବଳ । କାଲି ମୁଁ ସବୁ ମନଦେଇ ଶୁଣିବି ।

 

ଗହର ଦୁଃଖିତ ମନରେ ବିଦାୟ ନେଲା । କିନ୍ତୁ ତାକୁ ବିଦାୟ କରି ସାରି ମନଟା ମୋର ପ୍ରସନ୍ନ ହୋଇପାରିଲା ନାହିଁ ।

 

ସେ ଏକ ପାଗଳ ! ଏହାପୂର୍ବରୁ ଇଙ୍ଗିତରେ ସେ ବୁଝାଇ ଦେଇଥିଲା ଯେ ତାହାର କାବ୍ୟ ଗ୍ରନ୍ଥକୁ ସେ ଛପାଇ ପ୍ରକାଶ କରିବାକୁ ଚାହେଁ । ମନରେ ତା’ର ଆଶା ଦେଶରେ ଏହା ଏକ ନୂତନ ଚାଞ୍ଚଲ୍ୟ ସୃଷ୍ଟି କରିବ । ସେ ବେଶୀ ଲେଖା ପଢ଼ା କରି ନାହିଁ । ପାଠଶାଳାରେ ସାମାନ୍ୟ ଇଂରାଜୀ ଓ ବଙ୍ଗଳା ଶିଖିଥିଲା ମାତ୍ର । ମନ ମଧ୍ୟ ଥିଲା । ବୋଧହୁଏ ସମୟ ପାଇ ନାହିଁ । ଶୈଶବ କାଳରେ ସେ କବିତାକୁ ଭଲପାଇ ବସିଥିଲା । ହୁଏତ ଏହି ଭଲପାଇବା ତା’ ଶିରା ରକ୍ତରେ ଆଜି ପ୍ରବହମାନ । ତାହା ଆଗରେ ସେଥିପାଇଁ ଜଗତର ସବୁ କିଛି ଜିନିଷ ତୁଚ୍ଛ ହୋଇପଡ଼ିଛି । ନିଜର ଅନେକ ରଚନା ତା’ର ମୁଖସ୍ଥ । ଗାଡ଼ିରେ ବସି ସେ ଆପଣା ମନେମନେ ଗୁଣୁଗୁଣୁ କରି ଆବୃତ୍ତି କରୁଥିଲା । ସେତେବେଳେ ଶୁଣି କରି ମନେ କରି ପାରିନଥିଲି ଯେ ବାଗ୍‍ଦେବୀ ତାଙ୍କର ସ୍ୱର୍ଣ୍ଣ ପଦ୍ମରୁ ଗୋଟିଏ ପାଖୁଡ଼ା ଖସାଇଦେଇ ଏଇ ଅକ୍ଷମ ଭକ୍ତିଟିକୁ କେଉଁଦିନ ପୁରଷ୍କାର ଦେବେ । କିନ୍ତୁ ଏ ବିଚରାର ଅକ୍ଲାନ୍ତ ଆରାଧନା, ଏବଂ ଏକାନ୍ତ ଆତ୍ମ ନିବେଦନର ବିରାମ ନାହିଁ । ବିଛଣାରେ ଶୋଇ ଭାବିବାକୁ ଲାଗିଲି–ବାରବର୍ଷ ପରେ ଆମ ଦୁହିଁଙ୍କର ଏ ସାକ୍ଷାତ୍‌ । ଏହି ଦ୍ୱାଦଶ ବର୍ଷ ବ୍ୟାପୀ ସେ ପାର୍ଥିବ ସମସ୍ତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କଥାପରେ କଥା ଗୁନ୍ଥି ଶ୍ଲୋକର ଯେଉଁ ପାହାଡ଼ ତିଆରି କରିଛି ସେ ସବୁ କେଉଁ କାମରେ ଲାଗିବ ଅବା ? କାମରେ ଆସିବ ନାହିଁ ଜାଣେ । ଗହର ଆଜି ନାହିଁ । ତାହାର କଷ୍ଟସାଧ୍ୟ ତପସ୍ୟାର ନିରର୍ଥକତା ସ୍ମରଣ କରି ମନରେ ଆଜି ମଧ୍ୟ ଦୁଃଖ ଆସେ । ଭାବେ, ଲୋକ ଚକ୍ଷୁର ଅନ୍ତରାଳରେ, ଶୋଭାହୀନ ଏବଂ ଗନ୍ଧହୀନ କେତେ ଫୁଲ ଯେ ଫୁଟି ଝଡ଼ି ନପଡ଼ୁଛି ! ବିଧାତାଙ୍କ ସୃଷ୍ଟିର କୌଣସି ସାର୍ଥକତା ଯଦି ଥାଏ, ତେବେ ଗହରର ସାଧନା ବ୍ୟର୍ଥ ହୋଇନାହିଁ ।

 

ବଡ଼ି ସକାଳୁ ଡକାଡକି କରି ଗହର ମୋ ନିଦ ଭାଙ୍ଗିଦେଲା । ସେତେବେଳକୁ ସାତଟା ବାଜି ନ ଥାଏ । ତାହାର ଇଚ୍ଛା ବସନ୍ତ ଋତୁରେ ପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ ସ୍ୱ ଚକ୍ଷୁରେ ଦେଖି ମୁଁ ଧନ୍ୟ ହୁଏ । ସେ ଭାବୁଛି ମୁଁ ବିଲାତରୁ ସତେ ଅବା ଆସିଛି । ତା’ ଆଗ୍ରହ ପାଗଳ ପରି । ଏଡ଼ାଇବାକୁ ଶକ୍ତି ନାହିଁ । ଅତଏବ ହାତ ମୁହଁ ଧୋଇ ପ୍ରସ୍ତତ ହେବାକୁ ପଡ଼ିଲା । ପାଚେରୀ ଦେହରେ ଅଧାମରା ଗୋଟାଏ ଜାମୁ ଗଛରେ ଅଧକରେ ମାଧବୀ ଲତା ଏବଂ ଆର ଅଧକରେ ମାଳତୀ ଲତା–ଏସବୁ କବିର ନିଜସ୍ୱ କଳ୍ପନା; ଅତ୍ୟନ୍ତ ନିର୍ଜୀବ ଚେହେରା । ତଥାପି ଗୋଟାକରେ କେତେଟା ଫୁଲ ଫୁଟିଥାଏ । ଆଉ ଅପରଟାରେ କଢ଼ି ଧରିଥାଏ । ତାହାର ଇଚ୍ଛା ମୋତେ କେତେଟା ଫୁଲ ତୋଳି ଉପହାର ଦେବାକୁ । କିନ୍ତୁ ଗଛରେ ଏତେ ପିମ୍ପୁଡ଼ି ଯେ ଡାଳ ଧରିବାକୁ କାହାର ଶକ୍ତି ନଥାଏ । ସେ ମୋତେ ସାନ୍ତ୍ୱନା ଦେଇ କହିଲା ଯେ, ଆଉ ଟିକିଏ ବେଳ ହେଲେ, ଆଙ୍କୁଡ଼ି ଦ୍ୱାରା ଅନାୟାସରେ ତୋଳି ଦେଇପାରିବ । ଆଚ୍ଛା ଆଗକୁ ଚାଲ ।

 

ନବୀନ ପ୍ରାତଃ କ୍ରିୟାକୁ ସରଳ କରିବା ପାଇଁ ଦମ୍‌ ଭରି ତମାଖୁ ଟାଣି ପ୍ରବଳ ବେଗରେ କାଶୁଥିଲା । ଛେପ ପକାଇ ଏବଂ ଢୋକି ଗିଳି ନିଜକୁ ଯଥେଷ୍ଟ ସମ୍ଭାଳି ନେଇ ହାତ ହଲାଇ ମନା କରି କହିଲା–ବଣ ପାହାଡ଼ ଆଡ଼େ ଯିବି ନାହିଁ ।

 

ଗହର ବିରକ୍ତ ହୋଇ କହିଲା–କାହିଁକିରେ ?

 

ନବୀନ ଉତ୍ତର ଦେଇ, କହିଲା–ଗୋଟାଏ କି ଦୁଇଟା ବିଲୁଆ ପାଗଳ ହୋଇଛନ୍ତି–ଗୋରୁ, ମଣିଷ ଯାହାକୁ ପାଉଛନ୍ତି କାମୁଡ଼ି ଗୋଡ଼ାଉଛନ୍ତି ।

 

ମୁଁ ଭୟରେ ପଛକୁ ଘୁଞ୍ଚିଯାଇ ଠିଆହେଲି । ପଚାରିଲି–କେଉଁଠି କିରେ ନବୀନ ?

 

: କେଉଁଠାରେ ମୁଁ କ’ଣ ଦେଖିଛି ? କେଉଁ ବଣବୁଦାରେ ଥିଲେ ଥିବେ । ଯିବେ ଯଦି ଚାରିଆଡ଼କୁ ନଜର ରଖି ଯିବେ ।

 

: ତାହାହେଲେ ମୋର ଯିବା ଦରକାର ନାହିଁ ଗହର ।

 

: ବାଃରେ ! ଏ ସମୟଟାରେ କୁକୁର ବିଲୁଆ ଟିକିଏ ବାୟା ହୁଅନ୍ତି । ୟା’ ବୋଲି ଲୋକମାନେ ରାସ୍ତାରେ ଚାଲିବେ ନାହିଁ କି କ’ଣ ? ଭଲକଥା କହୁଛୁ ତ ?

 

ଏହା ମଧ୍ୟ ଦକ୍ଷିଣା ହାୱାର ଘଟଣା । ଅତଏବ ପ୍ରକୃତିର ଆଭା ଦେଖିବା ପାଇଁ ସଙ୍ଗରେ ଯିବାକୁ ହେଲା । ରାସ୍ତା ଦୁଇକଡ଼ରେ ଆମ୍ୱ ବଗିଚା । ପାଖକୁ ଯିବାମାତ୍ରେ ଅଗଣିତ ଛୋଟ ଛୋଟ ପୋକ ପଟ୍‌ ପଟ୍ ଶବ୍ଦ କରି ବଉଳକୁ ଛାଡ଼ି ଆଖିରେ, ନାକରେ, ଜାମା ଭିତରେ ପଶିବାକୁ ଲାଗିଲେ-। ମନେପଡ଼ିଲା ନବୀନର ସତର୍କବାଣୀ । ଗହର ମତରେ ଏ ସମୟଟା ପାଗଳ ହେବା ଉପଯୋଗୀ-। ସୁତରାଂ ଆଉ ଦିନେ ଜଙ୍ଗଲର ଶୋଭା ଉପଭୋଗ କରାଯାଇପାରିବ । ଆଜି ତେଣୁ ଗହର ଓ ମୁଁ ଅର୍ଥାତ୍‌ ନବୀନ ଭାଷାରେ ‘‘ଗୋରୁ ମନୁଷ୍ୟ’’ ଟିକିଏ ଦ୍ରୁତ ପଦରେ ସ୍ଥାନ ତ୍ୟାଗ କଲୁ ।

 

ଆଗରୁ କହିଛି ଆମ ଗାଁର ନଦୀ ତାଙ୍କ ଗ୍ରାମ ପ୍ରାନ୍ତରେ ପ୍ରବାହିତ । ବର୍ଷା ଋତୁରେ ପରିସ୍ଫୀତ ଜଳଧାରା ବସନ୍ତ ଆଗମନ ହେତୁ ନିହାତି ଶୀର୍ଣ୍ଣ । ସେଦିନ ସ୍ରୋତ ଚାଳିତ ଅପରିମେୟ ଶିଉଳି ଓ ଦଳ ଆଜି କୂଳରେ ପଡ଼ି ଶିଶିର ଓ ଖରାରେ ପଚିଯାଇ ସାରା ଜାଗାଟାକୁ ଦୁର୍ଗନ୍ଧରେ ନର୍କକୁଣ୍ଡ ସଙ୍ଗେ ସମାନ କରି ପକାଇଛନ୍ତି । ଆର କୂଳରେ କେତେଟା ଶିମିଳି ଗଛରେ ନାଲି ନାଲି ଫୁଲ ଫୁଟିଥିବାର ଆଖିରେ ପଡ଼ିଲା । ସେହିଆଡ଼େ ଚାହିଁବାଟା ବର୍ତ୍ତମାନ ଯେପରି କବିଙ୍କ ନିକଟରେ ଗୁରୁତର ବୋଲି ମନେହେଲା ନାହିଁ । ତେଣୁ ଗହର କହିଲା ଚାଲ ଘରକୁ ଫେରିଯିବା ।

 

: ହଉ ତେବେ ଚାଲ ।

 

: ମୁଁ ଭାବିଥିଲି ତୋତେ ଏସବୁ ଭଲଲାଗିବ ବୋଲି ।

 

କହିଲି–ଲାଗିବ ଭାଇ ଲାଗିବ । ଏସବୁ ତୁ, କବିତାରେ ଭଲକରି ଲେଖା–ପଢ଼ି ମୁଁ ଖୁସିହେବି ।

 

: ସେଥିପାଇଁ ବୋଧହୁଏ ତୁ ଗାଆଁ ଲୋକମାନଙ୍କୁ ଫେରି ଚାହିଁବାକୁ ଇଛା କରୁନାହୁଁ ?

 

: ନା, ସେମାନଙ୍କୁ ଦେଖିଦେଖି ମନରେ ଅରୁଚି ଲାଗିଲାଣି । ଆଖିର ଋଚି ଏକ ନୁହେଁ ଭାଇ । ଯେଉଁମାନେ ମନେକରନ୍ତି କବିର କଳ୍ପନାକୁ ଆଖିରେ ଦେଖିଲେ ମୋହିତ ହୋଇଯିବେ; ସେମାନେ ଆଦୌ କିଛି ଜାଣନ୍ତି ନାହିଁ । ଦୁନିଆରେ ସବୁ ଘଟଣା ସେହିପରି । ଆଖିରେ ଯାହା ସାଧାରଣ ଘଟଣା, ହୁଏତ ଅବା ସାଧାରଣ ବସ୍ତୁ; କିନ୍ତୁ କବି ଭାଷାରେ ସେ ହୋଇଯାଏ ନୂତନ ସୃଷ୍ଟି-। ତୁ ଯାହା ଦେଖିପାରୁଛୁ ତାହା ସେପରି ସତ୍ୟ । ମୁଁ ନଦେଖି ପାରିବାଟା ମଧ୍ୟ ସେତିକି ଯଥାର୍ଥ-। ଏଥିପାଇଁ ତୁ ମନରେ ଦୁଃଖ କରନା ଗହର ।

 

ତଥାପି ଫେରିବା ବାଟରେ ସେ ମୋତେ କେତେ ଯେ କ’ଣ ଦେଖାଇବାକୁ ଚେଷ୍ଟା କଲା, ତାହାର ସଂଖ୍ୟା ନାହିଁ । ରାସ୍ତାର ପ୍ରତ୍ୟେକଟି ଗଛ, ପ୍ରତ୍ୟେକଟି ଲତାଗୁଳ୍ମ ଯେପରି ତା’ର ଚିହ୍ନା । କେଉଁ ଏକ ଗଛର ବକଳକୁ କେହି ଔଷଧ ପାଇଁ ଛେଲି ନେଇଯାଇଛି । ସେପର୍ଯ୍ୟନ୍ତ ସୁଦ୍ଧା ଅଠା ଝରୁଥାଏ । ଗହର ହଠାତ୍‌ ତାହା ଦେଖିପାରି ଯେପରି ଶିହରିଉଠିଲା । ତା’ର ଆଖିଦୁଇଟା ଛଳ ଛଳ ହୋଇଉଠିଲା । ଅନ୍ତର ଭିତରେ ସେ ଯେ କି ବେଦନା ଅନୁଭବ କରୁଛି, ତାହା ମୁଁ ତା’ର ଆଖି ଦେଖି ବୁଝିପାରିଲି । ଚକ୍ରବର୍ତ୍ତୀ ଯେ ତାଙ୍କର ସମୁଦାୟ ସମ୍ପତ୍ତି ଫେରିପାଇଥିଲେ, ତାହା କେବଳ କୌଶଳ ବିସ୍ତାର କରି ନୁହେଁ ବରଂ ତାହାର କାରଣଥିଲା ଗହରର ନିଜ ସ୍ୱଭାବ ଭିତରେ । ବ୍ରାହ୍ମଣ ଉପରେ ମୋ ମନଭିତରେ ଆପଣାଛାଏଁ ମମତା ଆସିଥିଲା । ଚକ୍ରବର୍ତ୍ତୀଙ୍କ ସଙ୍ଗରେ ସାକ୍ଷାତ୍‌ ଘଟିଲା ନାହିଁ । କାରଣ, ଶୁଣାଗଲା ତାଙ୍କ ଘରେ ଦୁଇଟି ନାତିଙ୍କ ଉପରେ ‘‘ମାଆଙ୍କ ଅନୁଗ୍ରହ’’ ଦେଖାଦେଉଛି । ଗାଆଁ ଗାଆଁରେ ଏପର୍ଯ୍ୟନ୍ତ ଓଲାଉଠା ଦେଖାଦେଇ ନାହିଁ । ଯେହେତୁ ପଚା ପୋଖରୀର ପାଣି ଆଉ ଟିକିଏ ଶୁଖିବାକୁ ବାକି ଅଛି ।

 

ସେ ଯାହାହେଉ, ଘରେ ପହଞ୍ଚିବା କ୍ଷଣି ଗହର ତା’ ପୋଥି ଆଣି ମୋ ପାଖରେ ପହଞ୍ଚିଲା । ତାହାର ପରିଣାମ ଦେଖି କିଏ ଯେ ଭୟ ନପାଇବ, ଏପରି ଲୋକ ସଂସାରରେ ଥିବା ବିରଳ । କହିଲା–ଏସବୁ ପଢ଼ା ନ ସରିଲେ ଏଠାରୁ ଯାଇପାରିବୁ ନାହିଁ ଶ୍ରୀକାନ୍ତ । ପ୍ରକୃତରେ ତୋତେ ତୋର ମତ ଦେବାକୁ ହେବ ।

 

ଏ ଆଶଙ୍କା ମୋର ଥିଲା । ଭଲଭାବରେ ରାଜି କରାଇପାରିବି ଏ ସାହସ ମୋର ନଥିଲା ତେଣୁ ଦିନ ପରେ ଦିନ ଏଇପରି ସାତଦିନ କବି କୁଟୀରରେ କାବ୍ୟ ଆଲୋଚନା କରି ବିତିଗଲା । କାବ୍ୟର ଆଲୋଚନା ଯାହା ହେଉନା କାହିଁକି କିନ୍ତୁ ଲୋକଟିର ଯେଉଁ ନିବିଡ଼ ସାହଚର୍ଯ୍ୟ ପାଇଲି ତାହା ଯେପରି ସୁନ୍ଦର । ସେହିପରି ବିସ୍ମୟକର ।

 

ଦିନେ ଗହର ପ୍ରଶ୍ନ କଲା–ବର୍ମା ଯିବା ତୋର କ’ଣ ନିହାତି ଦରକାର ଶ୍ରୀକାନ୍ତ ? ଆମ ଦୁଇଜଣଙ୍କର ଆପଣାର ବୋଲି ଦୁନିଆଁରେ କେହି ନାହାନ୍ତି । ଆସନା ଦୁଇଭାଇ ହୋଇ ସାରା ଜୀବନଟା ଏଠାରେ ରହି କଟାଇଦେବା ।

 

ହସିଦେଇ କହିଲି– ମୁଁ ତ ତୋ ଭଳି କବି ନୁହେଁ ଭାଇ । ଗଛ ପତ୍ରର ଭାଷା ବୁଝିପାରେ ନାହିଁ । ସେମାନଙ୍କ ସହିତ କଥାବାର୍ତ୍ତା ହୋଇପାରେ ନାହିଁ । ତେଣୁ ଏଇ ବଣ ଭିତରେ ରହିପାରିବି କିପରି କହିଲୁ ? ଦିନ ଦୁଇଟାରେ ଅଣନିଶ୍ୱାସୀ ହୋଇପଡ଼ିବି ।

 

ଗହର ଗମ୍ଭୀର ହୋଇଉଠିଲା । କହିଲା, ମୁଁ କିନ୍ତୁ ପ୍ରକୃତରେ ଏମାନଙ୍କ ଭାଷା ବୁଝିପାରେ । ସତରେ ସେମାନେ କଥା କହନ୍ତି–ତୁ କ’ଣ ବିଶ୍ୱାସ କରିପାରୁ ନାହୁଁ ?

 

କହିଲି ବିଶ୍ୱାସ କରିବା ଯେ କଷ୍ଟକର ଏକଥା ତୁ ତ ବୁଝିପାରୁଛୁ ?

 

ଗହର ସହଜରେ ମାନିନେଇ କହିଲା–ହଁ, ଯାହା କହିଲୁ ତା’ ସତ ।

 

ଦିନେ ସକାଳେ ରାମାୟଣର ଅଶୋକ ବନର ଅଧ୍ୟାୟଟା କିଛି ସମୟ ପଢ଼ିବା ପରେ ସେ ହଠାତ୍‌ ବହି ବନ୍ଦକରି ମୋ ମୁହଁକୁ ଚାହିଁ ପ୍ରଶ୍ନ କଲା–ଆଚ୍ଛା ଶ୍ରୀକାନ୍ତ । ତୁ କେବେ କାହାକୁ ଭଲପାଇଛୁ ?

 

କାଲି ଅନେକ ରାତି ପର୍ଯ୍ୟନ୍ତ ଉଜାଗର ରହି ରାଜଲକ୍ଷ୍ମୀ ପାଖକୁ ହୁଏତ ମୋର ଏଇ ଶେଷ ଚିଠି ଲେଖିଥିଲି । କକେଇ ବାପାଙ୍କ କଥା, ପୁଣ୍ଟୁର କଥା, ତା’ର ଦୁର୍ଭାଗ୍ୟର ବିବରଣ ସବୁ ସେହି ଚିଠିରେ ଥିଲା । ସେମାନଙ୍କୁ ଯେଉଁ କଥାଦେଇ ଆସିଥିଲି ଯେ ଜଣକର ଅନୁମତି ନେଲେ ଯାହା କହିପାରିବି, ତହିଁରେ ସେହି ଭାଷା ମଧ୍ୟ ଥିଲା । ସେ ଯର୍ଯ୍ୟନ୍ତ ଚିଠିଟା ଡାକରେ ନପଡ଼ି ମୋ ପକେଟରେ ଥାଏ । ଗହରର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହସିଦେଇ କହିଲି–ନା ।

 

ଗହର କହିଲା– ଯଦି କେବେ କାହାକୁ ଭଲପାଇବୁ । ତେବେ ମୋତେ ଜଣାଇବୁ ଶ୍ରୀକାନ୍ତ ।

 

: ଜାଣିଲେ ତୋର କ’ଣ ହେବ ?

 

: କିଛି ନୁହେଁ । ସେତେବେଳେ କେବଳ ତୁମ ଦୁହିଁଙ୍କ ପାଖରେ ଦିନ କେତେଟା କଟାଇଦେଇ ଆସିବି ।

 

: ଆଚ୍ଛା ।

 

: ଆଉ ଯଦି କେବେ ଟଙ୍କାର ଦରକାର ହୁଏ ତେବେ ମୋତେ ଖବର ଦେବୁ । ବାବା ଅନେକ ଟଙ୍କା ରଖି ଯାଇଛନ୍ତି ।

 

ମୋ କାମରେ ସେଗୁଡ଼ାକ ଲାଗୁ ନାହିଁ । ହୁଏତ ତୋ କାମରେ ଲାଗିଯାଇପାରିବ ।

 

ତା’ କହିବାର ଭଙ୍ଗୀଟା ଏପରି ଯେ ଶୁଣିବା କ୍ଷଣି ଆଖିରେ ଲୁହ ଆସିଯିବ । କହିଲି–ଆଚ୍ଛା, ସେ କଥା ମଧ୍ୟ ଜଣାଇବି ।

 

କିନ୍ତୁ ମୋତେ ଆଶୀର୍ବାଦ କର ଯେପରି ସେହିଭଳି ଆବଶ୍ୟକତା ଏ ଜୀବନରେ କେବେ ନ ପଡ଼େ ।

 

ମୋ ବାହାରିବା ଦିନ ଗହର ପୁଣି ମୋ ବ୍ୟାଗକୁ ଧରି ପ୍ରସ୍ତୁତ ହୋଇପଡ଼ିଲା । ଦରକାର ନଥିଲା, ନବୀନ ମଧ୍ୟ ଲାଜରେ ଅଧା ମରା ହୋଇଗଲା, କିନ୍ତୁ ସେ କଥାକୁ ସେ କାନ ଦେଲା ନାହିଁ । ଟ୍ରେନ୍‌ରେ ମୋତେ ଚଢ଼ାଇଦେଇ ସେ ଝିଅପିଲାଙ୍କ ଭଳି କାନ୍ଦିଉଠି କହିଲା–ମୋ ରାଣ, ଶ୍ରୀକାନ୍ତ । ଯିବାଆଗରୁ ଆଉ ଥରେ ଆସିବୁ; ଯେପରି ଆଉ ଥରଟିଏ ତୋ ସହିତ ଦେଖା ହୋଇପାରିବ ।

 

ଆବେଦନକୁ ଉପେକ୍ଷା କରିପାରିଲି, କଥା ଦେଲି–ଦେଖା କରିବାକୁ ପୁଣି ଥରେ ଆସିବି-

 

: କଲିକତାରେ ପହଞ୍ଚି ଚିଠି ଦେବୁ ?

 

: ଏ ପ୍ରତିଶ୍ରୁତି ମଧ୍ୟ ଦେଲି । ଯେପରି ସତେ କେତେ ଦୂରକୁ ଅବା ମୁଁ ଚାଲିଯାଉଛି ।

 

କଲିକତାରେ ଯାଇ ଯେତେବେଳେ ପହଞ୍ଚିଲି ସେତେବେଳକୁ ପ୍ରାୟ ସନ୍ଧ୍ୟା । ଦୁଆରବନ୍ଧରେ ପାଦ ଦେଉଦେଉ ଯାହା ସହିତ ହଠାତ୍‌ ସାକ୍ଷାତ୍‌ ଘଟିଲା ସେ ଆଉ କେହି ନୁହେଁ ରତନ ।

 

: ଏ କ’ଣ ରତନ ତୁ ଯେ !

 

: ହଁ, ମୁଁ ଆଜ୍ଞା ! କାଲିଠାରୁ ଆସି ଜଗି କରି ବସିଛି । ଖଣ୍ଡିଏ ଚିଠି ଅଛି ।

 

ବୁଝିପାରିଲି ସେଇ ପ୍ରାର୍ଥନାର ଉତ୍ତର । କହିଲି–ଚିଠି ଡାକରେ ପଠାଇଲେ ଆସିଥାନ୍ତା ତ ?

 

: ସେହିଭଳି ଅବସ୍ଥା ଚଷାଭୂଷା, କୁଲି ମଜୁରିଆମାନଙ୍କ ପାଇଁ । ମାଆଙ୍କ ଚିଠି ଗୋଟାଏ ଲୋକ ନ ଖାଇ, ନପିଇ, ବୁଲି ବୁଲି ପାଞ୍ଚ ଶହ ମାଇଲ ଧରି ନ ଆସିଲେ ହଜି ଯାଇପାରେ । ସବୁ କଥା ତ ଜାଣନ୍ତି । ତେଣୁ ମିଛଟାରେ କାହିଁକି ଅବା ପଚାରୁଛନ୍ତି ?

 

ପରେ ଶୁଣିବାକୁ ପାଇଲି ଯେ ରତନର ଏ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । କାରଣ ସେ ନିଜେ ହିଁ ଉଦ୍ୟୋଗୀ ହୋଇ ଏ ଚିଠି ହାତରେ ଧରିଆସିଛି । ଜାଣିପାରିଲି ଯେ ଗାଡ଼ି ଭିଡ଼ ଏବଂ ଖାଇବା ଅବ୍ୟବସ୍ଥା ହେତୁ ମୁଣ୍ଡ ଯାଇଛି । ହସିଦେଇ କହିଲି–ଉପରକୁ ଆସ । ଚିଠି ପରେ ଦେଖାହେବ । ଚାଲ ତୋ ଖାଇବାର ବ୍ୟବସ୍ଥାଟା ଆଗ କରିଦିଏ ।

 

ରତନ ପାଦର ଧୂଳି ନେଇ ପ୍ରଣାମ କରି କହିଲା–ଆଜ୍ଞା, ଚାଲନ୍ତୁ ।

 

ସଶବ୍ଦ ହେଉଡ଼ି ମାରି ମୋତେ ବିସ୍ମିତ କରାଇ ରତନ ଆସି ପୁଣି ପହଞ୍ଚିଲା ।

 

: କ’ଣ ରତନ, ପେଟ ପୂରିଲା ତ ?

 

: ଆଜ୍ଞା ହଁ, କିନ୍ତୁ ଆପଣ ଯାହା କହନ୍ତୁ ବାବୁ; ଆମମାନଙ୍କ କଲିକତା ବଙ୍ଗାଳୀ ବ୍ରାହ୍ମଣମାନଙ୍କ ବ୍ୟତୀତ କେହି ରୋଷାଇ କରି ଜାଣନ୍ତି ନାହିଁ । ଏଠାକାର ସବୁ ମେଢ଼ୁଆ ବ୍ରାହ୍ମଣଗୁଡ଼ାଙ୍କୁ ପଶୁ କହିଲେ ଭୁଲ ହେବ ନାହିଁ ।

 

ଉଭୟେ ପ୍ରଦେଶର ରୋଷାଇର ଭଲ ମନ୍ଦ, ଅଥବା ପାଚକମାନଙ୍କର ଶିଳ୍ପ ନୈପୁଣ୍ୟ ନେଇ ରତନ ସଙ୍ଗେ କେବେ ଯୁକ୍ତି କରିଥିବା ମନେପଡ଼ିଲା ନାହିଁ । କିନ୍ତୁ ରତନକୁ ଯେତେଦୂର ଜାଣେ । ସେଥିରୁ ବୁଝିପାରିଲି ସେ ସୁପ୍ରଚୁର ଭୋଜନରେ ସେ ପରିତୃପ୍ତ ହୋଇପାରିଛି । ନଚେତ୍‌ ପଶ୍ଚିମା ପାଚକମାନଙ୍କ ସମ୍ୱନ୍ଧରେ ଏପରି ନିରପେକ୍ଷ ସୁବିଚାର କରିପାରନ୍ତା ନାହିଁ । କହିଲା–ଗାଡ଼ିର ଧକଲଟା ତ ଅଳ୍ପ ନୁହେଁ, ତେଣୁ ଆଗ ଟିକିଏ ଗଡ଼ି ନ ପଡ଼ିଲେ ନଚଳେ...

 

: ଆଚ୍ଛା ଭଲକଥା ରତନ । ଘରେ ହେଉ, ବାରଣ୍ଡାରେ ହେଉ, ଯେଉଁଠାରେ ପାରୁଛୁ ମସିଣା ପକାଇ ଶୋଇପଡ଼ । କାଲି କି ସବୁ କଥାହେବା ।

 

କେଜାଣି କାହିଁକି ଚିଠି ପାଇଁ ମନରେ ଉତ୍କଣ୍ଠା ନଥିଲା । ମନେହେଉଥିଲା ରାଜଲକ୍ଷ୍ମୀ ଯାହା ଲେଖିଥିବେ ସବୁତ ତାକୁ ଜଣା ।

 

ରତନ ଫତେଇ ପକେଟରୁ ଗୋଟିଏ ଲଫାପା ବାହାର କରି ମୋ ହାତକୁ ବଢ଼ାଇଦେଲା । ଆଗପଛ ସିଲ ମୋହର ଦିଆହୋଇ ବନ୍ଦ ହୋଇଛି । କହିଲା–ବାରଣ୍ଡାର ଏଇ ଦକ୍ଷିଣ ଦିଗର ଝରକା ଆଡ଼କୁ ଶେଯ ପକାଇଦେଉଛି ମଶାରି ଟାଣିବାର ହଙ୍ଗାମା ନାହିଁ । କଲିକତା ବ୍ୟତୀତ ଏପରି ସୁଖ ଆଉ କ’ଣ କେଉଁଠାରେ ମିଳିପାରିବ କି ? ଯାଉଛି...

 

: କିନ୍ତୁ ଖବର ସବୁ ଭଲ ତ ରତନ ?

 

ରତନ ମୁହଁକୁ ଗମ୍ଭୀର କରି କହିଲା– ସେହିଭଳି ତ ଦେଖାଯାଏ । ଗୁରୁଦେବଙ୍କ ମହିମାରୁ ଘରର ବାହାରଟା ଗୁଲଜାର । ଭିତରେ ଦାସଦାସୀ । ବଙ୍କୁବାବୁ, ନୂଆ ବୋହୂ ମାଆ ଆସି ଘରଦ୍ୱାରା ଆଲୋକିତ କରିଛନ୍ତି । ଆଉ ସମସ୍ତଙ୍କ ଉପରେ ମାଆ ଅଛନ୍ତି ସେ ଘରର କର୍ତ୍ତୀ–ଏପରି ସଂସାରକୁ ନିନ୍ଦା କରିବ କିଏ ସେ ? ମୁଁ କିନ୍ତୁ ଆଜ୍ଞା, ଅନେକ କାଳର ଚାକର । ଜାତିର ନାପିତ । ରତନକୁ କିନ୍ତୁ ଏତେ ସହଜରେ ଭୁଲାଇ ଦେଇହେବ ନାହିଁ । ସେଥିପାଇଁ ତ ସେଦିନ ଇଷ୍ଟେସନରେ ଆଖିର ଲୁହକୁ ସମ୍ଭାଳିପାରିନଥିଲି । ପ୍ରାର୍ଥନା କରି କହିଥିଲା–ବିଦେଶରେ ଚାକରର ଅଭାବ ହେଲେ ରତନକୁ ଟିକିଏ ଖବର ପଠାଇବେ । ଜାଣେ, ଆପଣଙ୍କ ସେବା କରିଲେ ମଧ୍ୟ ସେଇଟା ମାଆଙ୍କର ସେବା କଲାପରେ ଜାଣ । ଧର୍ମ ନଷ୍ଟ ହେବନାହିଁ ।

 

କିଛି ବୁଝିପାରିଲି ନାହିଁ । କେବଳ ନୀରବର ଚାହିଁ ରହିଲି ।

 

ସେ କହିବାକୁ ଲାଗିଲା– ବଙ୍କୁ ବାବୁଙ୍କର ବୟସ ହେଲା । ଯାହାହେଉ ପାଠଶାଠ କିଛି ପଢ଼ି ମଣିଷ ହୋଇଛନ୍ତି । ଭାବିଛନ୍ତି କେଉଁଥିପାଇଁ ଆଉ ଅଧୀନରେ ରହିବେ ? ଦାନପତ୍ର ଜୋରରେ ସବୁ ତ ମାରିନେଇଛନ୍ତି । ମୋଟାମୋଟି ବେଶ୍ କିଛି ସେ ମାରିନେଇଛନ୍ତି ସେକଥା ମୁଁ ମାନୁଛି । କିନ୍ତୁ ସେସବୁ କେତେଦିନ ବାବୁ ?

 

ବର୍ତ୍ତମାନ ସୁଦ୍ଧା ପରିଷ୍କାର ବୁଝି ହେଲା ନାହିଁ । ଗୋଟାଏ କୁହୁଡ଼ି ସତେ ଯେପରି ଆଖିଆଗରେ ଭାସିଉଠିଲା ।

 

ସେ ପୁଣି କହିବାକୁ ଲାଗିଲା–ସବୁ ତ ଆଖିରେ ଦେଖିଛନ୍ତି ଆଜ୍ଞା, ମାସକରେ ଅନ୍ତତଃ ଦୁଇଥର ମୋ ଚାକିରି ଯାଏ । ମୋ ଅବସ୍ଥା ମନ୍ଦ ନୁହେଁ । ଛଳ କରୁଥିଲେ ମୁଁ ଚାଲିଯାଇପାରନ୍ତି । କିନ୍ତୁ ଯାଇପାରେ ନାହିଁ କାହିଁକି ? ଏତିକି ଜାଣେ ଯେ ଯାହାର ଦୟା ହୋଇଛି ପୁଣି ତାଙ୍କର ଗୋଟାଏ ନିଃଶ୍ୱାସରେ ଆଶ୍ୱିନ ମାସର ମେଘ ଭଳି ସବୁ ଉଭେଇଯିବ । ଆଖିର ପଲକ ପଡ଼ିବା ସମୟ ବି ଡେରିହେବାକୁ ଦେବେ ନାହିଁ । ସେ ତ ମାଆଙ୍କର ରାଗ ନୁହେଁ ବରଂ ଦେବତାର ଆଶୀର୍ବାଦ କହିଲେ ଚଳିବ ।

 

ଏଠାରେ ପାଠକମାନଙ୍କୁ ଟିକିଏ ସ୍ମରଣ କରାଇଦେବା ଆବଶ୍ୟକ ଯେ ରତନ ପିଲାବେଳେ ପ୍ରାଇମେରୀ ସ୍କୁଲରେ କିଛି ସମୟ ପାଇଁ ପାଠ ପଢ଼ିଥିଲା ।

 

ଟିକିଏ ଅଟକି ଯାଇ କହିଲା– ମାଆଙ୍କର ମନାଥିଲା ତେଣୁ ଆପଣଙ୍କୁ କହିନଥିଲି । ଘରେ ମୋର ଯାହା କିଛି ଥିଲା ଭାଇହେରିକା ଠକିନେଲେ, ଘରଟିଏ ଯଜମାନ ପର୍ଯ୍ୟନ୍ତ ଦେଲେ ନାହିଁ । ଛୋଟ ଦୁଇଟି ପୁଅଝିଅ, ଆଉ ତାଙ୍କ ମାଆକୁ ଛାଡ଼ି ପେଟଦାଉରେ ଦିନେ ଗାଁ ଛାଡ଼ି ବାହାରିପଡ଼ିଲି । କିନ୍ତୁ ପୂର୍ବଜନ୍ମର ତପସ୍ୟା ଥିଲା, ମାଆଙ୍କ ଘରେ ଚାକିରି ଜୁଟିଥିଲା । ସମସ୍ତ ଦୁଃଖ ମୋର ଶୁଣିଲେ । କିନ୍ତୁ ସେତେବେଳେ ସେ କିଛି କହିଲେ ନାହିଁ । ବର୍ଷକ ପରେ ଦିନେ କହିଲି–ମାଆ, ପିଲାଦୁଇଟାକୁ ଟିକିଏ ଦେଖି ଆସିବାକୁ ଇଚ୍ଛାହେଉଛି । ଯଦି ଦୁଇଟା ଛୁଟି ଦିଅନ୍ତେ ତେବେ... ମାଆ ହସିଦେଇ କହିଲେ, ପୁଣି ଆସିବୁ ତ ? ଯିବାଦିନ ହାତରେ ଗୋଟିଏ ପୁଟୁଳି ଗୁଞ୍ଜି ଦେଇ କହିଲେ, ରତନ, ଭାଇମାନଙ୍କ ସଙ୍ଗେ ଝଗଡ଼ାଝାଣ୍ଟି କରିବୁ ନାହିଁ ବାବା, ତୋର ଯାହା ଯାଇଛି ଏତିକି ନେଇ ତାକୁ ସବୁ ଫେରାଇ ଆଣିବାକୁ ଚେଷ୍ଟା କରିବୁ । ଖୋଲି ଦେଖିଲି ପାଞ୍ଚଶହ ଟଙ୍କା । ପ୍ରାଥମେ ନିଜର ଆଖିଦୁଇଟାକୁ ବିଶ୍ୱାସ କରିପାରିଲି ନାହିଁ । ମନେହେଲା ବୋଧହୁଏ ସ୍ୱପ୍ନ ଦେଖୁଚି । ମୋର ସେହି ମାଆକୁ ବର୍ତ୍ତମାନ ବଙ୍କୁବାବୁ ବଙ୍କାତେଡ଼ା କଥା କହୁଛନ୍ତି । ଆଢ଼ୁଆଳରେ ରହି ତାଙ୍କ ଉପରେ ଗଜଗଜ ହେଉଛନ୍ତି । ଭାବୁଛି ଆଉ ବେଶୀଦିନ ଯିବ ନାହିଁ । ମାଆ ଲକ୍ଷ୍ମୀ ଘରୁ ଚାଲିଯିବେ ଜାଣନ୍ତୁ...

 

ମୁଁ ଏଭଳି ଆଶଙ୍କା କେବେ କରି ନାହିଁ । ତେଣୁ ଚୁପ୍‌ଚାପ୍‌ ହୋଇ ଶୁଣିବାକୁ ଲାଗିଲି ।

 

ମନେହେଲା ରତନ କିଛିଦିନ ହେବ ରାଗରେ ଏବଂ ଦୁଃଖରେ ଫୁଲି ଫୁଲି ରହିଛି । କହିଲା–ମାଆ ଯେତେବେଳେ ଦିଅନ୍ତି ଦୁଇହାତରେ ଢାଳିଦିଅନ୍ତି । ବଙ୍କୁକୁ ମଧ୍ୟ ଦେଇଛନ୍ତି । ସେଥିପାଇଁ ସେ ଭାବିଛି ନଇଁ କରି ଆଉ ଲାଭ କ’ଣ ? ଏଣିକି ତାକୁ ଗଳାଇ ପୋଡ଼ାଇ ମାରିଲେ ହେଲା । ତେଣୁ ତା’ର ସିନା ଏତେଦୂର ବେଖାତିର । ମୂର୍ଖଟାଏ । ଜାଣିନାହିଁ ଯେ ଏବେ ସୁଦ୍ଧା ମାଆଙ୍କର ଖଣ୍ଡିଏ ଗହଣା ବିକିଦେଲେ ଏଇପରି ପାଞ୍ଚଖଣ୍ଡି ଘର ତିଆରି ହୋଇପାରିବ ବୋଲି ।

 

ମୁଁ ମଧ୍ୟ ଜାଣିନଥିଲି । ତେଣୁ ହସିଦେଇ କହିଲି–ସତରେ ସେଇଆ ନା କ’ଣ ? କିନ୍ତୁ ସେ ସବୁ ଅଛି କେଉଁଠି ?

 

ରତନ କହିଲା । କହିଲା–ଅଛି ତାଙ୍କରି ପାଖରେ । ମାଆ ଏଡ଼େ ବୋକୀ ନୁହଁନ୍ତି । ଏକା ଆପଣଙ୍କର ପାଦତଳେ ସବୁ ଅଜାଡ଼ି ଦେଇ ଭିକାରୁଣୀ ହୋଇପାରନ୍ତି ପଛକେ କିନ୍ତୁ ଆଉ କାହା ନିକଟରେ ନୁହଁନ୍ତି । ବଙ୍କୁ ଜାଣେ ନାହିଁ ଯେ ଆପଣ ବଞ୍ଚିଥିବା ପର୍ଯ୍ୟନ୍ତ ଚାକର ପାଇଁ ଭାବନା ହେବ ନାହିଁ । ସେଦିନ କାଶୀରୁ ଆପଣ ଏପରିଭାବରେ ଚାଲିଆସିବା ଫଳରେ ମାଆଙ୍କୁ ଯେ କି କଷ୍ଟ ହୋଇଛି ତାହା କ’ଣ ବଙ୍କୁ ବାବୁଙ୍କୁ ମାଲୁମ ? ଗୁରୁଗୋସେଇଁ ଅବା ତା’ର ସନ୍ଧାନ ପାଇପାରିବ କେଉଁଠୁ ?

 

: କିନ୍ତୁ ମୋତେ ତ ସେ ନିଜେ ବିଦାୟ କରି ଦେଇଛନ୍ତି, ଏହା କେହି ନ ଜାଣିଲେ ତୁ ତ ଜାଣୁ ରତନ ?

 

ରତନ ଜିଭକୁ କାମୁଡ଼ି ପକାଇ ଲାଜରେ ମରିଗଲା । ଏତେଟା ବିନୟ ତା’ ପାଖରେ ଏହାପୂର୍ବରୁ କେବେ ଦେଖିନଥିଲି । କହିଲା– ଆମେ ଚାକର ବାକର ମଣିଷ, ବାବୁ । ଏ ସବୁ କଥା ମୁଁ କାନରେ ଦିନେହେଲେ ଶୁଣି ନାହିଁ । ଏ ସବୁ ମିଛ କଥା ।

 

ରତନ ଅଳସ ଭାଙ୍ଗି ଟିକିଏ ଗଡ଼ି ପଡ଼ିବା ପାଇଁ ଚାଲିଗଲା । ବୋଧହୁଏ କାଲି ଆଠଟା ପୂର୍ବରୁ ତା’ ଦେହଟା ବାଗକୁ ଆସିପାରିବ ନାହିଁ ।

 

ଦୁଇଟା ବଡ଼ ଖବର ମିଳିପାରିଲା । ଗୋଟାଏ ଏଇ ଯେ ବଙ୍କୁ ବଡ଼ ହୋଇଛି । ପାଟନାରେ ଯେତେବେଳେ ତାକୁ ଦେଖେ ସେତେବେଳେ ମାତ୍ର ଷୋଳ ସତର ବର୍ଷର ହୋଇଥିଲା-। ବର୍ତ୍ତମାନ ଏକୋଇଶି ବର୍ଷର ଯୁବକ । ଉପରନ୍ତୁ ଏଇ ପାଞ୍ଚ ଛଅବର୍ଷର ବ୍ୟବଧାନରେ ସେ ଲେଖା ପଢ଼ା ଶିଖି ମଣିଷ ହୋଇପାରିଛି । ସୁତରାଂ ଶୈଶବର ଏହି ସକୃତଜ୍ଞ ସ୍ନେହ, ଯଦି ଆଜି ଯୌବନର ଏହି ଆତ୍ମସମ୍ମାନବୋଧ ସହିତ ସାମଞ୍ଜସ୍ୟ ରଖି ନ ପାରେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ଅବା ?

 

ଦ୍ୱିତୀୟ ସମ୍ୱାଦ, ନା ବଙ୍କୁ ଗୁରୁଦେବ, କାହାକୁହେଲେ ରାଜଲକ୍ଷ୍ମୀର ଗଭୀରତମ ବେଦନାର କୌଣସି ସଂଧାନ ଆଜି ସୁଦ୍ଧା ଜଣା ନାହିଁ ।

 

ମନଭିତରେ ଏଇ ଦୁଇଟା କଥା ବହୁ ସମୟ ଧରି ଗୁଡ଼େଇ ତୁଡ଼େଇ ହେବାକୁ ଲାଗିଲା-

 

ସଯତ୍ନ ଅଙ୍କିତ ସିଲ୍ ମୋହରକୁ ଦେଖିସାରି ଚିଠି ଖୋଲିଲି ।

 

ତାହାର ହାତ ଲେଖା ଚିଠି ବେଶୀ ଦେଖିବାର ସୁଯୋଗ ଘଟି ନାହିଁ । ମନେପଡ଼ିଲା, ହସ୍ତାକ୍ଷର ସଦୃଶ୍ୟ ପାଠ୍ୟ ନ ହେଲେ ମଧ୍ୟ ଭଲ ନୁହେଁ । କିନ୍ତୁ ଏ ପତ୍ର ଖଣ୍ଡିକ ବଡ଼ ସାବଧାନରେ ଲେଖିଛି । ବୋଧହୁଏ ତା’ର ଭୟ, ବିରକ୍ତ ହୋଇ କାଳେ ନ ପଢ଼ି ମୁଁ ଫିଙ୍ଗି ଦେଇପାରେ । ସେଥିପାଇଁ ଆଗପଛ ସବୁ ସହଜରେ ପଢ଼ିପାରିବା ଭଳି ଲେଖିଛି ।

 

ଆଚାର ଆଚରଣରେ ରାଜଲକ୍ଷ୍ମୀ ସେ ଯୁଗର ମଣିଷ । ପ୍ରଣୟ–ନିବେଦନ ଆତିଶଯ୍ୟ ତ ଦୂର କଥା । ଭଲପାଏ, ଏପରି କଥା କେବେ ମୁହଁରେ ଉଚ୍ଚାରଣ କରିଥିବାର ମନେପଡ଼େ ନାହିଁ-। ମୋ ପ୍ରାର୍ଥନାର ଅନୁକୂଳ ଅନୁମତି ଦେଇ ସେ ଚିଠି ଲେଖିଛି । ତଥାପି କିଏ ଜାଣେ କ’ଣ ଲେଖିଥିବ ? ପଢ଼ିବାକୁ କିପରି ଭୟ–ଭୟ–କରିବାକୁ ଲାଗିଲି । ତା’ର ବାଲ୍ୟ କାଳର କଥା ମନେପଡ଼ିଲା । ସେଦିନ ଗୁରୁଙ୍କ ପାଠଶାଳାରେ ତା’ର ପଢ଼ା ସଙ୍ଗୀ ହୋଇଥିଲି । ପରବର୍ତ୍ତୀ କାଳରେ ଘରେ ବସି ହୁଏତ ଅଳ୍ପ କିଛି ବିଦ୍ୟା ଚର୍ଚ୍ଚା କରିଥାଇପାରେ । ଅତଏବ ଭାଷାର ଇନ୍ଦ୍ର ଜାଲ, ଶବ୍ଦର ଝଙ୍କାର, ପଦ ବିନ୍ୟାସର ମାଧୁରୀ ପ୍ରଭୃତି ତା’ ପତ୍ରରୁ ଆଶା କରିବା ଅନ୍ୟାୟ-। ସର୍ବଦା ପ୍ରଚଳିତ ସାମାନ୍ୟ କେତେଟା କଥାରେ ମନର ଭାବ ବ୍ୟକ୍ତ କରିବା ବ୍ୟତୀତ ଆଉ ସେ କ’ଣ ଅବା କରିପାରିବ ? ଅନୁମତି ଦେଇ ମାମୁଲି ଶୁଭକାମନା କରି ଦୁଇପଦ ଲେଖିଥିବ–ଏଇୟା ତ ? କିନ୍ତୁ ଲଫାପା ଖୋଲି ପଢ଼ିବାକୁ ଆରମ୍ଭ କରିବାକ୍ଷଣି କିଛି ସମୟ ପାଇଁ ତହିଁରୁ କିଛି ମନେ ରହିଲା ନାହିଁ । ପତ୍ର ଦୀର୍ଘ ନୁହେଁ କିନ୍ତୁ ଭାଷା ଓ ଭଙ୍ଗୀ ଯେତେ ସହଜ ଓ ସରଳ ବୋଲି ଭାବିଥିଲି ତାହା ମଧ୍ୟ ନୁହେଁ । ମୋ ଆବେଦନର ଉତ୍ତର ସେ ଏଇ ରୂପରେ ଦେଇଛି–

 

କାଶୀଧାମ

 

ପ୍ରଣାମାନ୍ତେ ସେବିକାର ନିବେଦନ !

 

ତୁମ ଚିଠି ଖଣ୍ଡିକୁ ଏଥରକୁ ମିଶାଇ ଶହେଥର ପଢ଼ିଲି । ତଥାପି ଭାବିପାରିଲି ନାହିଁ ତୁମେ ରାଗିଛ ନା ମୁଁ ରାଗିଛି । ଭାବିଛ ତୁମକୁ ହଠାତ୍‌ ମୁଁ ବୋଧହୁଏ ଗୋଟାଇ ଆଣିଥିଲି । ଗୋଟାଇ କରି ତୁମକୁ ପାଇନଥିଲି, ପାଇଥିଲି ଅନେକ ତପସ୍ୟା ଫଳରେ ଏବଂ ଅନେକ ଅଧ୍ୟବସାୟଦ୍ୱାରା । ତେଣୁ ବିଦାୟ ଦେବାର କର୍ତ୍ତା ତୁମେ ନୁହେଁ । ମୋତେ ତ୍ୟାଗ କରିବାର ମାଲିକାନା କିମ୍ବା ସତ୍ତ୍ୱାଧିକାର ମଧ୍ୟ ତୁମ ହାତରେ ନାହିଁ ।

 

ଫୁଲ ବଦଳରେ ବଣରୁ ଭଇଁଚ କୋଳି ତୋଳି କେଉଁ ଶୈଶବରେ ତୁମକୁ ବରଣ କରିଥିଲି ସେ କଥା ହୁଏତ ତୁମର ମନେ ନଥିବ । କଣ୍ଟା ଫୋଡ଼ିହୋଇ ହାତରୁ ରକ୍ତ ଝରଝର ହୋଇପଡ଼ୁଥିଲା । ରକ୍ତମଖା ମାଳାର ସେ ନାଲି ରଙ୍ଗକୁ ତୁମେ ଚିହ୍ନି ନ ଥାଇପାର କିନ୍ତୁ ବାଳିକାର ପୂଜାର ଅର୍ଘ୍ୟ ସେଦିନ ତୁମ ଗଳାରେ, ତୁମ ଛାତିଉପରେ ରକ୍ତର ଯେଉଁ ରେଖା ଆଙ୍କି ଦେଇଥିଲା ତାହା ତୁମ ଆଖିରେ ପଡ଼ି ନ ଥାଇପାରେ କିନ୍ତୁ ଯାହାଙ୍କ ଆଖିରେ ସଂସାରର କିଛି ହିଁ ବାଦ୍ ପଡ଼େ ନାହିଁ ମୋର ସେହି ନିବେଦନ ଯାଇ ତାଙ୍କ ପାଦ ପଦ୍ମରେ ଠିକ୍‌ ପହଞ୍ଚି ପାରିଥିଲା ।

 

ତା’ ପରେ ଆସିଲା ଦୁର୍ଯ୍ୟୋଗର ରାତି । କଳା ମେଘ ମୋ ଆକାଶର ଜ୍ୟୋତ୍ସ୍ନାକୁ ଢାଙ୍କି ଦେଲା । ଏ ଜୀବନରେ ଯଥାର୍ଥରେ ସେ ସବୁ ଘଟିଥିଲା ନା ମୁଁ ଶୋଇ କରି ସ୍ୱପ୍ନ ଦେଖୁଥିଲି ଭାବିବାକୁ ବସିଲେ ଅନେକ ସମୟରେ ଭୟ ଲାଗେ, ବୋଧହୁଏ ମୁଁ ପାଗଳ ହୋଇଯିବି । ସେତେବେଳେ ସବୁ ଭୁଲି ଯାହାଙ୍କୁ ଧ୍ୟାନ କରି ବସୁଥିଲି ତାଙ୍କ ନାମ ନ କହିଲେ ଚଳିବ । କାହାକୁ କହିନାହିଁ ମଧ୍ୟ । ସେ କ୍ଷମା କଲେ ତାହାକୁ ଜଗଦୀଶ୍ୱରଙ୍କ କ୍ଷମା ବୋଲି ଭାବିନିଏ । ଏଥିରେ ଭୁଲ ନାହିଁ । ସନ୍ଦେହ କରିବାର କିଛି ନାହିଁ । ଏପରି ସ୍ଥାନରେ ମୁଁ ସଦାସର୍ବଦା ନିର୍ଭୟ ।

 

ହଁ, କହୁଥିଲି ତା’ପରେ ଆସିଲା ମୋର ଦୁର୍ଦ୍ଦିନର ରାତି । କଳଙ୍କ ମୋ ଆଖିର ଆଲୋକକୁ ଲିଭାଇଦେଲା । କିନ୍ତୁ ମଣିଷର କ’ଣ ସେହି ହିଁ ପରିଚୟ ? ସେହି ଅଖଣ୍ଡ ଗ୍ଳାନିର ଆବରଣ ବାହାରେ ଆଉ କିଛି ନାହିଁ ?

 

ଅଛି । ଅବ୍ୟାହତ ଅପରାଧ ମଝିରେ ମଝିରେ ତାକୁ ମୁଁ ବାରମ୍ବାର ଦେଖିବାକୁ ପାଇଛି । ସେକଥା ଯଦି ନ ହୋଇଥାନ୍ତା, ବିଗତ ଦିନର ରାକ୍ଷସଟା ଯଦି ମୋର ଅନାଗତ ସମସ୍ତ ମଙ୍ଗଳକୁ ନିଃଶେଷ କରି ଗିଳି ପକାଇଥାନ୍ତା ତେବେ ତୁମକୁ ଫେରିପାଇଥାନ୍ତି କିପରି ? ପୁଣି ମୋ ହାତରେ ଆଣି ତୁମକୁ ଅବା ଦେଇ ଯାଇଥାନ୍ତା କିଏ ?

 

ମୋଠାରୁ ତୁମେ ଚାରି ପାଞ୍ଚବର୍ଷ ବଡ଼ । ତଥାପି ତୁମକୁ ଯାହା ଶୋଭାପାଏ ମୋତେ ତାହା ସାଜେ ନାହିଁ । ବଙ୍ଗାଳୀ ଘରର ଝିଅ ମୁଁ । ଜୀବନରେ ସତେଇଶିଟି ବର୍ଷ ପାର କରିସାରି, ଆଜି ଆଉ ଯୌବନାବତୀ ବୋଲି ଦାବି କରିପାରୁ ନାହିଁ । ଯେତେ ଅଧମ ହେଲେ ସୁଦ୍ଧା ମୋତେ ତୁମେ ଭୁଲ୍ ବୁଝିବ ନାହିଁ ଏ ଆତ୍ମବିଶ୍ୱାସ ମୋର ଅଛି । ଘୃଣାକ୍ଷରରେ ତୁମ ମନରେ ଯଦି ସନ୍ଦେହ ଆସେ ତେବେ ତାହାଠାରୁ ଲଜ୍ଜାକର ବିଷୟ ମୋ ପକ୍ଷରେ ଆଉ କିଛି ନାହିଁ । ବଙ୍କୁ ଦୀର୍ଘାୟୁ ହେଉ-। ସେ ବଡ଼ ହୋଇଛି । ତା’ର ସ୍ତ୍ରୀ ଆସିଛି । ତୁମେ ବାହାହେଲା ପରେ ତାଙ୍କ ଆଗରେ ମୁଁ କେଉଁ ମୁହଁ ନେଇ ବାହାରିବି ? ଏହି ଅପମାନକୁ ତୁମେ ସହ୍ୟ କରିପାରିବ ଅବା କିପରି ?

 

ଯଦି କେବେ ଦେହ ଦୁଃଖରେ ପଡ଼ିବ ତେବେ ତୁମକୁ ଦେଖିବ କିଏ–ପୁଣ୍ଟୁ ? ନା ମୁଁ ଚାକରଠାରୁ ଖବର ପାଇ ଦଉଡ଼ କରି ତୁମ ଘରକୁ ଯିବି ? ତାପରେ ବଞ୍ଚି ରହିବି କି ନାହିଁ କହିଲ ?

 

: ହୁଏତ ପ୍ରଶ୍ନ କରିବ ତେବେ କ’ଣ ଏଇପରି ନିଃସଙ୍ଗ ଜୀବନ ଚିରଦିନ ଯାପନ କରିବି-? କିନ୍ତୁ ପ୍ରଶ୍ନ ଯାହା ହେଉନା କାହିଁକି ଏହାର ଜବାବ ଦେବାର କର୍ତ୍ତବ୍ୟ ମୋର ନୁହେଁ–ବରଂ ତୁମର-। ତେବେ ନିତାନ୍ତ ଯଦି ଭାବି ସ୍ଥିର କରିନପାର, ବୁଦ୍ଧି ଏତେ ନଷ୍ଟ ହୋଇଯାଇଥାଏ, ତେବେ ମୁଁ ଧାର ଦେଇପାରେ କିନ୍ତୁ ଶୁଝିବାକୁ ପଡ଼ିବନାହିଁ । କିନ୍ତୁ ଜୀବନସାରା ଯେପରି ଏହି ଋଣଟାକୁ ଆଉ ଅସ୍ୱୀକାର ନକର ।

 

ତୁମେ ବିଚାର କର । ଗୁରୁଦେବ ମୋତେ ଦେଇଛନ୍ତି ମୁକ୍ତିର ମନ୍ତ୍ର । ଶାସ୍ତ୍ର ଦେଇଛି ପଥର ନିର୍ଦ୍ଦେଶ । ସୁନନ୍ଦା ଦେଇଛି ପଥର ନିର୍ଦ୍ଦେଶ । ସୁନନ୍ଦା ଦେଇଛି ଧର୍ମ ପ୍ରତି ପ୍ରବୃତ୍ତି ଆଉ ତୁମେ କେବଳ ଦେଇଛ ଜଞ୍ଜାଳ । ଏଡ଼ିକି ଅନ୍ଧ ତୁମେ ?

 

ତୁମକୁ ଯେତେବେଳେ ପୁଣିଥରେ ଫେରିପାଇଥିଲି ସେତେବେଳେ ମୋତେ ତେଇଶି ବର୍ଷ । କିନ୍ତୁ ଏହା ଆଗରୁ ସେମାନେ ତୁମର ଥିଲେ କେଉଁଠାରେ ? ତୁମେ ଏତେ ଭାବିପାର ଆଉ ଏଇ ସାମାନ୍ୟ କଥା ଭାବିପାରିଲ ନାହିଁ ?

 

ଆଶା ଥିଲା; ଦିନେ ମୋର ପାପ କ୍ଷୟ ହେବ ଏବଂ ମୁଁ ନିଷ୍ପାପ ହେବି । ଏ ଲୋଭ କେଉଁଥିପାଇଁ ଜାଣ ? ସ୍ୱର୍ଗ ପାଇଁ ନୁହେଁ । ମୁଁ ସ୍ୱର୍ଗ ଚାହେଁ ନାହିଁ । ମୋର କାମନା ମରଣ ପରେ ଯେପରି ଆଉ ଥରେ ମୋର ଜନ୍ମ ହେଉ । ବୁଝିପାରୁଛି ଏହାର ଅର୍ଥ କ’ଣ ?

 

ଭାବିଥିଲି ନଦୀର ଧାରା ଧୂଳିରେ ମିଶି ଗୋଳିଆ ହୋଇଯାଇଥିଲା । ତାକୁ ନିର୍ମଳ ମୋତେ ହିଁ କରିବାକୁ ହେବ । କିନ୍ତୁ ଆଜି ତା’ର ଉତ୍ସ ଯଦି ଶୁଖିଯାଏ ତେବେ ଆଉ ମୋର ଜପତପ, ପୂଜା ଅର୍ଚ୍ଚନା, ଥାଉ ସୁନନ୍ଦା, ଆଉ ରହନ୍ତୁ ମୋର ଗୁରୁଦେବ ।

 

ନିଜ ଇଚ୍ଛାରେ ମୁଁ ମରଣ ଚାହୁଁ ନାହିଁ । କିନ୍ତୁ ମୋତେ ଅପମାନିତ କରିବାପାଇଁ ଫନ୍ଦ ଯଦି କରିଥାଅ, ତେବେ ସେ ଦୁର୍ବୁଦ୍ଧି ତ୍ୟାଗ କର । ତୁମେ ବିଷ ଦେଲେ ମୁଁ ନେବି । କିନ୍ତୁ ପୁଣ୍ଟୁ କଦାପି ନେଇପାରିବ ନାହିଁ । ମୋତେ ଜାଣିଛ ବୋଲି ଜଣାଇଦେଲି ଯେ ଯେଉଁ ସୂର୍ଯ୍ୟ ଅସ୍ତ ଯିବ ତା’ର ପୁନରୁଦୟ ଅପେକ୍ଷାରେ ବସି ରହିବାକୁ ମୋର ଆଉ ସମୟ ନ ଥିବ । {ଇତି}

 

ରାଜଲକ୍ଷ୍ମୀ

 

ରକ୍ଷା ପାଇଗଲି । ସୁନିଶ୍ଚିତ କଠୋର ଅନୁଶାସନର ଚରମ ଲିପି ପଠାଇ ଗୋଟିଏ ଦିଗରୁ ସେ ମୋତେ ନିଶ୍ଚିତ କରିଦେଲା । ଏ ଜୀବନରେ ସେହି ବ୍ୟାପାର ନେଇ ଭାବିବା ପାଇଁ ଆଉ କିଛି ରହିଲା ନାହିଁ । କ’ଣ କରିପାରିବି ନାହିଁ ତାହା ହିଁ ନିଃସଂଶୟରେ ଜାଣିପାରିଲି । କିନ୍ତୁ ଏହାପରେ ମୋତେ କ’ଣ କରିବାକୁ ହେବ ଏ ସମ୍ବନ୍ଧରେ ରାଜଲକ୍ଷ୍ମୀ ସମ୍ପୂର୍ଣ୍ଣ ନୀରବ । ହୁଏତ ଉପଦେଶ ଦେଇ ଦିନେ ଚିଠି ଲେଖିବ କିମ୍ବା ମୋତେ ସବାରୀରେ ତଲବ କରି ପଠାଇବ କିନ୍ତୁ ଅପାତତଃ ଯାହା ବ୍ୟବସ୍ଥା ହେଲା ତାହା ଅତ୍ୟନ୍ତ ଚମତ୍କାର । ଏପାଖରେ କକେଇ ବାପା ବୋଧହୁଏ କାଲି ସକାଳେ ସମ୍ଭବତଃ ପହଞ୍ଚି ପାରନ୍ତି । ଭରସା ଦେଇ କହି ଆସିଥିଲି ଚିନ୍ତାର କାରଣ କିଛି ନାହିଁ । ଅନୁମତି ପାଇବାରେ ବିଘ୍ନ ଘଟିବ ନାହିଁ । କିନ୍ତୁ ଯାହା ଆସି ପହଞ୍ଚିଲା ତାକୁ କ’ଣ କହନ୍ତି ନିର୍ବିଘ୍ନ ଅନୁମତି ? ରତନ ଭଣ୍ଡାରୀ ହାତରେ ସେ କେବଳ ଜୋଡ଼ ଓ ମୁକୁଟ ଯାହା ପଠାଇପାରି ନାହିଁ ଏତିକି ହିଁ ଯଥେଷ୍ଟ ।

 

ସିଆଡ଼େ ଗାଆଁରେ ବିବାହର ଆୟୋଜନ ନିଶ୍ଚୟ ଚାଲିଥିବ । ପୁଣ୍ଟୁର ଆତ୍ମୀୟ ସ୍ୱଜନ ମଧ୍ୟ କେହି କେହି ଆସି ହୁଏତ ହାଜର ହୋଇଥିବେ ଏବଂ ପ୍ରାପ୍ତ–ବୟସ୍କା ଅପରାଧୀନୀ ଝିଅଟା ହୁଏତ ଲାଞ୍ଛନା ଓ ଗଞ୍ଜଣା ବଦଳରେ ଟିକିଏ ଆଦର ଯତ୍ନର ମୁହଁ ଦେଖିପାରୁଥିବ । କକେଇବାପାଙ୍କୁ କ’ଣ କରିବାକୁ ହେବ, ଏବଂ କିପରି ଭାବରେ ସେଇ କଥାଟା କହିବି ଏହା ଭାବି ସ୍ଥିର କରିପାରିଲି ନାହିଁ । ତାଙ୍କର ନିର୍ମମ ତାଗିଦା, ଲଜ୍ଜାହୀନ ଯୁକ୍ତି ଏବଂ ଓକିଲାତି କଥା ମନେମନେ ଆଲୋଚନା କରିବାକ୍ଷଣି ମନଭିତରଟା ଯେପରି ତିକ୍ତ ହୋଇଉଠିଲା । ତାଙ୍କର ବ୍ୟର୍ଥ ପ୍ରତ୍ୟାଗମନ ହେତୁ କ୍ଷିପ୍ତ ପରିଜନମାନଙ୍କର ଏହି ଦୁର୍ଭାଗା ଝିଅଟାକୁ ଅଧିକ ଉତ୍ପୀଡ଼ନ କରିବା କଥା ମନେପଡ଼ିବା କ୍ଷଣି ହୃଦୟ ଦୁଃଖରେ ହା–ହାକାର କରିଉଠିଲା । କିନ୍ତୁ ଉପାୟ କ’ଣ ଅବା ଅଛି ? ବିଛଣାରେ ପଡ଼ିରହି ଅନେକ ରାତି ପର୍ଯ୍ୟନ୍ତ ଚାହିଁ ରହିଲି । ପୁଣ୍ଟୁର କଥା ଭୁଲିବାକୁ ବିଳମ୍ବ ହେଲାନାହିଁ କିନ୍ତୁ ନିରନ୍ତର ଗଙ୍ଗାମାଟି କଥା ମନେପଡ଼ିବାକୁ ଲାଗିଲା । ଜନବିରଳ ସେହି କ୍ଷୁଦ୍ର ପଲ୍ଲୀର ସ୍ମୃତି କୌଣସି ଦିନ ଭୁଲିବାର ନୁହେଁ । ଏ ଜୀବନର ଗଙ୍ଗା–ଯମୁନା ଧାରା ଦିନେ ଏହିଠାରେ ଆସି ମିଳିତ ହୋଇଥିଲେ ଏବଂ ଅଳ୍ପ ସମୟ ପାଇଁ ପାଖାପାଖି ପ୍ରବାହିତ ହୋଇ ଆଉଦିନେ ଏହିଠାରେ ହିଁ ଅଲଗା ହୋଇଯାଇଥିଲେ । ଏକତ୍ର ବାସର ସେହି କ୍ଷଣସ୍ଥାୟୀ ଦିନଗୁଡ଼ିକ ଶ୍ରଦ୍ଧାରେ ଗଭୀର; ସ୍ନେହରେ ମଧୁର, ଆନନ୍ଦରେ ଉଚ୍ଛ୍ୱଳ ଏବଂ ତାହାରି ପରି ନିଃଶବ୍ଦ ବେଦନାରେ ନିରତିଶୟ ସ୍ତବ୍‌ଧ । ବିଚ୍ଛେଦ ଦିନ ମଧ୍ୟ ଆମେ ପ୍ରବଞ୍ଚନାର ପରିବାହରେ କେହି କାହାକୁ ମଧ୍ୟ କଳଙ୍କ ଲିପ୍ତ କରିନଥିଲୁ । ଲାଭ କ୍ଷତିର ନିଷ୍ଫଳ ବାଦ ପ୍ରତିବାଦ ଦ୍ୱାରା ଗଙ୍ଗାମାଟିର ଶାନ୍ତ ଗୃହଟିକୁ ଆମେ ଦୁହେଁ ଧୂମାଚ୍ଛନ୍ନ କରି ଆସିନାହୁଁ । ସେଠାରେ ସମସ୍ତେ ଜାଣନ୍ତି ପୁଣି ଦିନେ ଆମେ ଫେରିଯିବୁ । ପୁଣି ଆରମ୍ଭ ହେବ ଆମୋଦ–ପ୍ରମୋଦ । ଆରମ୍ଭ ହେବ ଭୂସ୍ୱାମିନୀଙ୍କର ଦୀନ ଦରିଦ୍ରଙ୍କର ସେବା ଓ ସଂସ୍କାର । କିନ୍ତୁ ସେହି ସମ୍ଭାବନା ଯେ ଶେଷ ହୋଇଯାଇଛି ଏବଂ ପ୍ରଭାତରେ ବିକଶିତ ମଲ୍ଲୀକା ଦିନାନ୍ତର ଶାସନ ମାନିନେଇ ନୀରବ ହୋଇଯାଇଛି–ଏକଥା ସେମାନେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରୁନଥିବେ ।

 

ଆଖିରେ ନିଦ ନାହିଁ । ବିନିଦ୍ର ରଜନୀ ସକାଳ ଆଡ଼କୁ ଯେତିକି ଆଗେଇ ଚାଲିଲା, ସେତିକି ମନେହେବାକୁ ଲାଗିଲା, ଯେପରି ଏହି ରାତି ଆଜି ଆଉ ନ ପାହାନ୍ତା କି ? ଏଇ ଗୋଟିଏ ଚିନ୍ତା ହିଁ ଯେପରି ମୋତେ ମୋହାଚ୍ଛନ୍ନ କରି ରଖିଥାନ୍ତା କି ?

 

ବିଗତ କାହାଣୀ ବାରମ୍ବାର ମନେପଡ଼ିବାରେ ଲାଗିଥାଏ । ବୀରଭୂମି ଜିଲ୍ଲାର ସେହି ତୁଚ୍ଛ କୁଟୀର ଖଣ୍ଡିକ ମନଉପରେ ଭୂତ ଭଳି ଚାପିବସେ । ଅନୁକ୍ଷଣ ଗୃହ କାର୍ଯ୍ୟରେ ନିଯୁକ୍ତା ରାଜଲକ୍ଷ୍ମୀର କୋମଳ ହାତ ଦୁଇଟି ଆଖିଆଗରେ ଭାସିଉଠେ । ଏ ଜୀବନରେ ଏପରି ଭାବରେ ପରିତୃକ୍ତିକୁ ଆସ୍ୱାଦନ କରିଥିବାର କେବେ ମନେପଡ଼େ ନାହିଁ ।

 

ଏତେକାଳ ଧରି ମୁଁ ଧରାପଡ଼ିଛି । ଅଥଚ ଧରିପାରି ନାହିଁ । କିନ୍ତୁ ରାଜଲକ୍ଷ୍ମୀର ଏତେବଡ଼ ଦୁର୍ବଳତା କେଉଁଠି ଲୁଚିଥିଲା ଆଜି ଧରାପଡ଼ିଗଲା । ସେ ଜାଣେ ମୁଁ ସୁସ୍ଥ ନାହିଁ । ଯେକୌଣସି ଦିନ ଭୀଷଣ ଅସୁସ୍ଥ ହୋଇପାରେ । ସେତେବେଳେ କେଉଁଠିକାର କେଉଁ ଏକ ପୁଣ୍ଟୁ ମୋତେ ଶେଯରେ ଧରି ବସିଥିବ, ଅଥଚ ରାଜଲକ୍ଷ୍ମୀର କୌଣସି କର୍ତ୍ତୃତ୍ୱ ନ ଥିବ; ଏତେବଡ଼ ଦୁର୍ଘଟଣାକୁ ମୁଁ ମନରେ ସ୍ଥାନ ଦେଇପାରୁନାହିଁ । ସଂସାରରେ ସବୁକିଛିଠାରୁ ସେ ନିଜକୁ ବଞ୍ଚିତ କରିପାରେ କିନ୍ତୁ ଏପରି ଅଘଟଣକୁ ସେ ସହ୍ୟ କରିପାରିବ ନାହିଁ । ଏଥିପାଇଁ ତାହା ନିକଟରେ ମରଣ ତୁଚ୍ଛ ହୋଇଉଠିବ । ସେଥିପାଇଁ ତା’ର ଗୁରୁଦେବଙ୍କ ମନ୍ତ୍ର ଏବଂ ଜପତପ–ବ୍ରତ, ଉପବାସର ସାଧନାକୁ ତ୍ୟାଗ କରିବାକୁ ସେ ପ୍ରସ୍ତୁତ । ସେ ଆଦୌ ମିଥ୍ୟା ଭୟ ମୋତେ ଚିଠିରେ ଦେଖାଇବାକୁ ଚେଷ୍ଟା ସୁଦ୍ଧା କରିନାହିଁ ।

 

ଭୋର ସମୟକୁ ବୋଧହୁଏ ଶୋଇପଡ଼ିଥିଲି । ରତନ ଡାକରେ ଯେତେବେଳେ ଉଠିପଡ଼ିଲି ସେତେବେଳକୁ ବେଳ ଅନେକ ହୋଇଯାଇଥାଏ । ସେ କହିଲା କିଏ ଜଣେ ବୁଢ଼ା ଭଦ୍ରଲୋକ ଘୋଡ଼ା ଗାଡ଼ି କରି ଏଇମାତ୍ର ଆସିଲେ ।

 

ଏ ନିଶ୍ଚୟ କକେଇ–ବାପା । କିନ୍ତୁ ଗାଡ଼ି ଭଡ଼ା କରି ! ମନରେ ସନ୍ଦେହ ଉପୁଜିଲା ।

 

ରତନ କହିଲା– ସଙ୍ଗରେ ଗୋଟିଏ ସତର ଅଠର ବର୍ଷ ବୟସର ଝିଅ ଅଛି ।

 

ଓହୋ ପୁଣ୍ଟୁ ! ଏହି ନିର୍ଲଜ୍ଜ ମଣିଷଟା ତାକୁ କଲିକତା ବସା ପର୍ଯ୍ୟନ୍ତ ଗାଡ଼ି ଭଡ଼ା କରି ଟାଣି ଆଣିଛି ! ସକାଳର ଆଲୋକ ତିକ୍ତତାରେ ମଳିନ ହୋଇଉଠିଲା । କହିଲି, ସେମାନଙ୍କୁ ଆଣି ଏଇ ଘରେ ବସା ରତନ । ମୁଁ ମୁହଁ ହାତ ଧୋଇ କରି ଆସୁଛି । ଏହା କହି ତଳେ ଗାଧୁଆ ଘରକୁ ଚାଲିଗଲି ।

 

ଘଣ୍ଟାକ ପରେ ଫେରିଆସିବା କ୍ଷଣି କକେଇ ବାପା ମୋତେ ବହୁତ ଆଦର କଲେ–ଯେପରି ମୁଁ ହେଉଛି ଅତିଥି । ଆସ, ଆସ; ଦେହଟା ଭଲ ଅଛି ତ ?

 

ମୁଁ ପ୍ରଣାମ କଲି । ସେ ଡାକ ପକାଇ କହିଲେ–ଏ ପୁଣ୍ଟୁ କୁଆଡ଼େ ଗଲୁ ?

 

ପୁଣ୍ଟୁ ଝରକା ନିକଟରେ ଠିଆହୋଇ ରାସ୍ତାକୁ ଦେଖୁଥିଲା । ନିକଟକୁ ଆସି ମୋତେ ନମସ୍କାର କଲା ।

 

କକେଇ–ବାପା କହିଳେ–ତା’ ପିଉସୀ, ବାହା ଆଗରୁ ତାକୁ ଥରେ ଦେଖିବାକୁ ଚାହାନ୍ତି-। ପିଉସା ତା’ର ହାକିମ । ମାସକୁ ପାଞ୍ଚଶହ ଟଙ୍କା ଦରମା । ଡାଏମଣ୍ଡ ହାର୍ବର ବନ୍ଦରକୁ ବଦଳି ହୋଇ ଆସିଛନ୍ତି । ଘର ସଂସାର ଛାଡ଼ି ବାହାରିବାକୁ ପିଉସୀଙ୍କର ସୁବିଧା ନାହିଁ । ସେଥିପାଇଁ ସଙ୍ଗରେ ନେଇ ଆସିଲି । ପର ହାତକୁ ଟେକିଦେବା ଆଗରୁ ତାଙ୍କୁ ଟିକିଏ ଦେଖାଇ ଆଣେ-। ତା’ ପିଉସୀ ଆଶୀର୍ବାଦ କରି କହିଗଲେ–ପୁଣ୍ଟୁ ତୋର ମନୋବାଞ୍ଛା ପୂର୍ଣ୍ଣ ହେଉ ।

 

ମୁଁ କିଛି କହିବା ଆଗରୁ ସେ ନିଜେ ପୁଣି କହିଲେ–ମୁଁ କିନ୍ତୁ ସହଜରେ ଛାଡ଼ିଦେଇ ନାହିଁ ଭାଇ । ହାକିମ ହୁଅନ୍ତୁ କିମ୍ବା ଯିଏ କେହି ହୁଅନ୍ତୁ ଠିଆହୋଇ କାମଟି ସଂପୂର୍ଣ୍ଣ କରିସାରିଲେ ଯାଇ ତାଙ୍କର ଛୁଟି । ଜାଣ ତ ବାପା, ଶୁଭକର୍ମରେ ବହୁତ ବିଘ୍ନ । ଶାସ୍ତ୍ରରେ ସେଥିପାଇଁ ଲେଖାଅଛି–ଶ୍ରେୟାଂସି ବହୁ ବିଘ୍ନାନି । ଏପରି ଗୋଟାଏ ଲୋକ ଠଆ ହୋଇଥିଲେ କାହାର ମିଁ କରି ପାଟି ଫିଟାଇବାକୁ ସାହସ ହେବ ନାହିଁ । ଆମ ମଫସଲ ଗାଆଁ ଲୋକଙ୍କୁ ଆଦୌ ବିଶ୍ୱାସ ନାହିଁ । ଏମାନେ ସବୁ କରିପାରନ୍ତି । ସେ ହାକିମ କିନା ! ତାଙ୍କର ଗତିବିଧି କିନ୍ତୁ ଅଲଗା ।

 

ପୁଣ୍ଟୁର ପିଉସା ହାକିମ । ଖବରଟା ଅବାନ୍ତର ନୁହେଁ । ସେଥିରେ ତାତ୍ପର୍ଯ୍ୟ ଅଛି ।

 

ନୂଆ ହୁକା କିଣି ଆଣି ରତନ ତହିଁରେ ତମାଖୁ ସଜାଇ କରି ଦେଇଥିଲା । କକେଇ ବାପା କିଛି ସମୟ ନିରୀକ୍ଷଣ କରି କହିଲେ, ଲୋକଟିକୁ କେଉଁଠାରେ ଦେଖିଥିଲା ପରି ମନେହେଉଛି ତ ?

 

ରତନ ତତ୍‌କ୍ଷଣାତ୍‌ କହିଲା, ଆଜ୍ଞା ହଁ, ଦେଖିଛନ୍ତି । ଗାଆଁରେ ବାବୁଙ୍କ ଦେହ ଖରାପ ଥିଲାବେଳେ ତାଙ୍କର ପାଖରେ ହିଁ ଦେଖିଛନ୍ତି ।

 

: ଓଃ ! ସେଥିପାଇଁ ତ କହୁଥିଲି ଚିହ୍ନା ମୁହଁ ।

 

: ଆଜ୍ଞା ହଁ, କହି ରତନ ଚାଲିଗଲା ।

 

କକେଇ ବାପାଙ୍କ ମୁହଁ ଭୟଙ୍କର ଭାବରେ ଗମ୍ଭୀର ହୋଇଗଲା । ସେ ଅତ୍ୟନ୍ତ ଧୂର୍ତ୍ତ ଲୋକ । ବୋଧହୁଏ ସବୁ କଥା ତାଙ୍କର ମନେପଡ଼ିଗଲା । ନୀରବରେ ତମାଖୁ ଟାଣୁ ଟାଣୁ କହିଲେ–ବାହାରିବା ସମୟରେ ଦିନଟା ଦେଖି ଆସିଥିଲି, ବେଶ୍‌ ଭଲଦିନ, ମୋ ଇଚ୍ଛା ଆଶୀର୍ବାଦ (ନିର୍ବନ୍ଧ)କାର୍ଯ୍ୟଟା ଏଠାରେ ସାରିଦେଇ ଯାଇଥାନ୍ତି । ନୂଆ ବଜାରରେ ସବୁ କିଣିବାକୁ ମିଳିବ, ଚାକରଟାକୁ ଟିକିଏ ପଠାଇଦେଲେ ଚଳନ୍ତା ନାହିଁ ? କ’ଣ କହୁଛୁ ?

 

କହିବାକୁ କଥା ଖୋଜି ନ ପାଇ କେବଳ କହିଲି–ନା ।

 

: ନା ! ନା କାହିଁକି ? ଦିନ ବାରଟା ପର୍ଯ୍ୟନ୍ତ ତ ବେଳ ଶୁଭ ଅଛି । ପାଞ୍ଜି ଅଛି ?

 

କହିଲି–ପାଞ୍ଜିର ଦରକାର ନାହିଁ, ବିବାହ ମୁଁ କରିପାରିବି ନାହିଁ ।

 

କକେଇ–ବାପା ହୁକାଟାକୁ କାନ୍ଥରେ ଆଉଜାଇ ରଖିଦେଲେ । ମୁହଁ ଦେଖି ଜଣାଗଲା–ବର୍ତ୍ତମାନ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ଗଳାଟାକୁ ବେଶ୍‌ ଶାନ୍ତ ଓ ଗମ୍ଭୀର କରି କହିଲେ, ଉଦ୍ୟୋଗ–ଆୟୋଜନ ପ୍ରାୟ ଏକରକମ ଶେଷ ବୋଲି କହିଲେ ଚଳେ । ଝିଅ ବାହାଘର ଥଟ୍ଟା ତାମସାର କଥା ନୁହେଁ । କଥାଦେଇ ଆସିସାରି ବର୍ତ୍ତମାନ ନାହିଁ କଲେ ଚଳିବ କିପରି ?

 

ପୁଣ୍ଟୁ ପଛକରି ଝରକାଦେଇ ବାହାରକୁ ଚାହିଁ ରହିଥାଏ ଏବଂ ଦ୍ୱାର ସେ ପଟରେ ରତନ କାନ ପାତି ରଖିଛି ଏକଥା ମୁଁ ଭଲକରି ଜାଣେ ।

 

କହିଲି– ମୁଁ ଯେ କଥାଦେଇ ଆସିନାହିଁ, ଏହା ମୁଁ ଜାଣେ ଏବଂ ଦ୍ୱାର ସେ ପଟରେ ରତନ କାନପାତି ରଖିଛି ଏକଥା ମୁଁ ଭଲକରି ଜାଣେ ।

 

କହିଲି– ମୁଁ ଯେ କଥାଦେଇ ଆସିନାହିଁ, ଏହା ମୁଁ ଜାଣେ ଏବଂ ଆପଣ ମଧ୍ୟ ଜାଣନ୍ତି । କହି ଆସିଥିଲି ଜଣକର ଅନୁମତି ପାଇଲେ ରାଜି ହୋଇପାରେ ।

 

: ଅନୁମତି ପାଇଲ ନାହିଁ ?

 

: ନା ।

 

ସେ ଟିକିଏ ଅଟକି ଯାଇ କହିଲେ, ପୁଣ୍ଟୁର ବାପ କହୁଛି ସର୍ବମୋଟ ସେ ହଜାରେ ଟଙ୍କା ଦେବ । ଧରାଧରି କଲେ ଆଉ ଶହେ କି ଦୁଇଶହ ଦେଇପାରେ । କ’ଣ କହୁଛ ?

 

ରତନ ଘରଭିତରକୁ ପଶିଆସି ପଚାରିଲା– ତମାଖୁଟା ଟିକିଏ ପୁଣି ସଜାଡ଼ି କରିଦେବି କି ?

 

: ଦିଅ । ତୁମ ନାଆଁଟି କ’ଣ ବାବା ?

 

: ରତନ ।

 

: ରତନ । ଖାସ୍ ନାଆଁଟିଏ ତ । ରୁହ କେଉଁଠାରେ ?

 

: କାଶୀରେ ।

 

: କାଶୀ : ନାତୁଣୀ ବୋଧହୁଏ ଆଜିକାଲି କାଶୀରେ ରହୁଛନ୍ତି । କ’ଣ କରୁଛନ୍ତି ସେଠାରେ ?

 

ରତନ ମୁହଁ ଉଠାଇ କହିଲା–ସେ ଖବର ଆପଣଙ୍କର ଜାଣିବା କ’ଣ ଦରକାର ?

 

କକେଇବାପା ସାମାନ୍ୟ ହସିଦେଇ କହିଲେ– ରାଗ କରିବି କାହିଁକି ବାବା, ଗାଆଁର ଝିଅକି ନା ! ସେଥିପାଇଁ ଖବରଟା ଜାଣିବା ପାଇଁ ଚାହୁଁଥିଲି । ହୁଏତ ଦିନେ ତା’ ପାଖକୁ ବି ଯିବାକୁ ପଡ଼ିପାରେ । କ’ଣ ଭଲରେ ଅଛି ତ ?

 

ରତନ ଉତ୍ତର ନ ଦେଇ ଚାଲିଗଲା ଏବଂ ଦୁଇମିନିଟ ପରେ କଲିକୁ ଫୁଙ୍କି ଫୁଙ୍କି ହୁକାଟା ହାତରେ ଧରାଇଦେଇ ଚାଲି ଯାଉଥିଲା ଏତିକିବେଳେ ଅଜା ଜୋରରେ ଗୋଟିଏ ଟାଣ ଦେଇସାରି ଠିଆ ହୋଇପଡ଼ି କହିଲେ, ଟିକିଏ ରହତ ବାବା, ପାଇଖାନାଟା କେଉଁଠାରେ ମୋତେ ଟିକିଏ ଦେଖାଇଦେବୁ । ସକାଳୁ ବାହାରିପଡ଼ିଥିଲି କିନା ! ସେ କହୁ କହୁ ରତନ ଆଗରେ ବ୍ୟସ୍ତ ହୋଇ ତରତରରେ ବାହାରିଗଲେ ।

 

ପୁଣ୍ଟୁ ମୁହଁ ଫେରାଇ କହିଲା–ଜେଜେଙ୍କ କଥା ଆପଣ ବିଶ୍ୱାସ କରିବେ ନାହିଁ । ବାବା, ହଜାର ଟଙ୍କା କେଉଁଠାରୁ ପାଇବେ ଯେ ଦେଇପାରିବେ ? ଏପରି ଭାବରେ ପରର ଗହଣା ପିନ୍ଧାଇ ନାନୀକୁ ବାହାରକରି ଦେଇଥିଲେ ବୋଲି ବର୍ତ୍ତମାନ ସେମାନେ ନାନୀକୁ ନେଉନାହାନ୍ତି । ସେମାନେ କହୁଛନ୍ତି–ପୁଅକୁ ଆଉଥରେ ବାହା କରିଦେବେ ।

 

ଏଇ ଝିଅଟି ଆଗରୁ ଏତେ କଥା ମୋ ସହିତ ହୋଇନଥିଲା । ସାମାନ୍ୟ ଆଶ୍ଚର୍ଯ୍ୟ ହେଲାଭଳି ପଚାରିଲି–ତୁମ ବାପା କ’ଣ ପ୍ରକୃତରେ ହଜାରଟି ଟଙ୍କା ଦେଇପାରିବେ ନାହିଁ ?

 

ପୁଣ୍ଟୁ ମୁଣ୍ଡ ହଲାଇ କହିଲା–କଦାପି ନୁହେଁ । ବାପା ରେଲୱେରେ ମାତ୍ର ଚାଳିଶିଟି ଟଙ୍କାରେ ଚାକିରି କରନ୍ତି । ଦରମା ଦେଇ ନ ପାରିବାରୁ ମୋ ଛୋଟ ଭାଇଟିର ପାଠପଢ଼ା ବନ୍ଦ ହୋଇଗଲା, ସେ କେତେ କାନ୍ଦୁଛି । କହୁ କହୁ ତା’ ଆଖିଦୁଇଟି ଛଳ ଛଳ ହୋଇଉଠିଲା ।

 

: ତୁମେ କ’ଣ କେବଳ ଟଙ୍କା ପାଇଁ ବିବାହ କରିପାରୁ ନାହଁ ?

 

: ହଁ, ସେଇଆ ତ । ଆମ ଗାଆଁର ଅମୂଲ୍ୟବାବୁଙ୍କ ସଙ୍ଗେ ବାବା ପ୍ରସ୍ତାବ ପକାଇଥିଲେ-। ତାଙ୍କ ଝିଅମାନେ ମୋଠାରୁ ବଡ଼ । ମାଆ କେବଳ ପାଣିକୁ ଡେଇଁପଡ଼ି ମରିବାକୁ ଯାଉଥିଲେ ବୋଲି ସେ ପ୍ରସ୍ତାବ ବନ୍ଦ ହେଲା । ଏଥର ବାପା ବୋଧହୁଏ ଆଉ କାହାର କଥା ଶୁଣିବେ ନାହିଁ-। ସେହିଠାରେ ହିଁ ମୋତେ ବାହା କରାଇଦେବେ ।

 

କହିଲି– ପୁଣ୍ଟୁ ତୁମେ କ’ଣ ମୋତେ ପସନ୍ଦ କର ?

 

ପୁଣ୍ଟୁ ଲାଜରେ ମୁହଁ ତଳକୁ କରି ମୁଣ୍ଡ ଟୁଙ୍ଗାରିଲା ।

 

: କିନ୍ତୁ ମୁଁ ତ ତୋଠାରୁ ଚଉଦ ପନ୍ଦର ବର୍ଷ ବଡ଼ ହେବି ।

 

ପୁଣ୍ଟୁ ଏ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ ।

 

: ତୋର କ’ଣ ଏହା ଆଗରୁ ଆଉ କେଉଁଠାରେ ସମ୍ବନ୍ଧ ପଡ଼ିଥିଲା କି ?

 

ପୁଣ୍ଟୁ ମୁହଁ ତଳୁ ଉଠାଇ ଖୁସିହୋଇ କହିଲା– ହଁ ପଡ଼ିଥିଲା ତ । ଆପଣଙ୍କ ଗାଆଁର କାଳିଦାସ ବାବୁଙ୍କୁ ଜାଣନ୍ତି ? ତାଙ୍କ ସାନ ପୁଅ ସହିତ । ବି. ଏ. ପାସ୍‌ କରିଛି । ବୟସରେ ମୋଠାରୁ ମାତ୍ର ଅଳ୍ପ ବଡ଼ । ତା’ ନାଆଁ ଶଶଧର ।

 

: ତୁ ତାକୁ ପସନ୍ଦ କରୁ ?

 

ଏକଥା ଶୁଣି ପୁଣ୍ଟୁ ଫିକ୍‌କରି ହସିଦେଲା ।

 

କହିଲି– କିନ୍ତୁ ଶଶଧର ଯଦି ତୋତେ ପସନ୍ଦ ନ କରେ ?

 

ପୁଣ୍ଟୁ କହିଲା– ତାହା ଆଦୌ ନୁହେଁ । ସେ ପରା ସଦାବେଳେ ଆମ ଘର ଆଗରେ ଏପଟସେପଟ ହେଉଛି । ରଙ୍ଗ ମାଆ ଥଟ୍ଟାକରି କହେ, ସେ କେବଳ ତୋରି ପାଇଁ ହିଁ ଯିବାଆସିବା କରୁଛି ଲୋ.....

 

: କିନ୍ତୁ ଏ ବିବାହ ହେଲା ନାହିଁ କାହିଁକି ?

 

ପୁଣ୍ଟୁର ମୁହଁଟି ମଳିନ ପଡ଼ିଗଲା । କହିଲା–ତା’ ବାବା ହଜାର ଟଙ୍କାର ଗହଣା ଆଉ ହଜାର ଟଙ୍କା ନଗଦ ଚାହିଁ ବସିଲେ । ଆଉ କ’ଣ ଚାରି, ପାଞ୍ଚଶହ ବାହାଘରରେ ଖର୍ଚ୍ଚ ନ ହେବ ? ଏହାସବୁ କେବଳ ଜମିଦାର ଘରର ଝିଅମାନଙ୍କ ପକ୍ଷରେ ସମ୍ଭବ ହୋଇପାରେ । କ’ଣ ସତ ନୁହେଁ-? ସେମାନେ ବଡ଼ଲୋକ, ଅନେକ ଟଙ୍କା ସେମାନଙ୍କର । ମୋ ମାଆ ଯାଇ ତାଙ୍କ ବାପାଙ୍କର ଗୋଡ଼ହାତ ଧରିଲେ କିନ୍ତୁ ସେ ଆଦୌ ଶୁଣିଲେ ନାହିଁ ।

 

: ଶଶଧର କିଛି କହିଲା ନାହିଁ ?

 

: ନା, କିଛି କହିଲା ନାହିଁ, କିନ୍ତୁ ସେ’ ତ ମୁରବି ନୁହେଁ । ତା’ ବାପ ମାଆ କହିଛନ୍ତି କି’ ନା-?

 

: ଶଶଧର କ’ଣ ବାହା ହୋଇଗଲାଣି ?

 

ପୁଣ୍ଟୁ ବ୍ୟଗ୍ର ହୋଇ କହିଲା– ନା, ଏ ପର୍ଯ୍ୟନ୍ତ ହୋଇନାହିଁ । ଶୁଣୁଛି କୁଆଡ଼େ ଶୀଘ୍ର ବାହା ହୋଇଯିବ ।

 

: ଆଚ୍ଛା, ସେଠାରେ ତୋର ବାହାଘର ହେଲେ ସେମାନେ ଯଦି ତୋତେ ଭଲ ନ ପାଆନ୍ତି ?

 

: ମୋତେ ! ଭଲ କାହିଁକି ନ ପାଇବେ ? ମୁଁ ଯେ ରନ୍ଧାବଢ଼ା ସିଲାଇପତ୍ର ପ୍ରଭୃତି ସବୁ କାମ ଜାଣିଛି । ମୁଁ ଏକାକୀ ସେମାନଙ୍କ ଘରର ସବୁ କାମ କରିଦେଇପାରିବି ।

 

ଏହାଠାରୁ ବଙ୍ଗାଳୀ ଘରର ଝିଅ ଅଧିକା କ’ଣ ଅବା ଜାଣେ ? କାୟିକ ପରିଶ୍ରମ ଦ୍ୱାରା ସେ ସମସ୍ତ ଅଭାବ ପୂରଣ କରିବାକୁ ଚାହେଁ । ପଚାରିଲି–ସେମାନଙ୍କ ଘରେ ସବୁ କାମ କରିପାରିବୁ ତ ?

 

: ହଁ, ନିଶ୍ଚୟ କରିବି ।

 

: ତାହାହେଲେ ତୋ ମାଆକୁ ଯାଇ କହ, ଶ୍ରୀକାନ୍ତ ଭାଇ ଅଢ଼େଇ ହଜାର ଟଙ୍କା ପଠାଇଦେବ ।

 

: ଆପଣ ଦେବେ ? ତେବେ କହନ୍ତୁ ବାହାଘର ଦିନ ଯିବେ ?

 

: ହଁ, ମୁଁ ଯିବି ।

 

ଦ୍ୱାର ନିକଟରେ କକେଇ ବାପାଙ୍କର ସ୍ୱର ଶୁଣାଗଲା । କୁଞ୍ଚରେ ମୁହଁ ପୋଛି ପୋଛି ସେ ଘର ଭିତରକୁ ପ୍ରବେଶ କରୁ କରୁ କହିଲେ–ପରିଷ୍କାର ପରିଚ୍ଛନ୍ନ ପାଇଖାନାଟି । ଶୋଇପଡ଼ିବାକୁ ଇଚ୍ଛାହୁଏ । ରତନ ଗଲା କୁଆଡ଼େ ? ଆଉ କଳେ ତମାଖୁ ଦିଅନ୍ତା......

 

ପୃଥିବୀର ସର୍ବାପେକ୍ଷା ବଡ଼ ସତ୍ୟ ଏହି ଯେ, ମଣିଷକୁ ସଦୁପଦେଶ ଦେଇ କେବେ ଫଳ ଭଲ ହୁଏନାହିଁ । ସତ୍‌ପରାମର୍ଶ କେହି କେବେ ଶୁଣନ୍ତି ନାହିଁ । କିନ୍ତୁ ସତ୍ୟ କହିବାକୁ ଗଲେ ଏହାର ମଧ୍ୟ ବ୍ୟତିକ୍ରମ ଅଛି । ସେହି ଘଟଣାଟା କହିବି ।

 

କକେଇ ବାପା ଦାନ୍ତ ଦେଖାଇ ଆଶୀର୍ବାଦ କରି ଅତି ଆନନ୍ଦ ଚିତ୍ତରେ ପ୍ରସ୍ଥାନ କଲେ । ପୁଣ୍ଟୁ ପାଦଧୂଳି ନେଇ ଆଦେଶ ପାଳନ କଲା । କିନ୍ତୁ ସେମାନଙ୍କର ଚାଲିଯିବା ପରେ ମୋର ପରିତାପର ସୀମା ରହିଲା ନାହିଁ । ମନ ବିଦ୍ରୋହୀ ହୋଇଉଠି ଆପଣାକୁ ଆପେ ତିରସ୍କାର କରି କହିବାକୁ ଲାଗିଲା ଯେ, ଏମାନେ ତୋର କିଏ ଯେ, ସାରା ଜୀବନ ବିଦେଶ ଭୂଇଁରେ ଖଟି ଯାହା କିଛି ସଞ୍ଚୟ କରିଥିଲୁ, ସେସବୁ ସେମାନଙ୍କୁ ଦେଇଦେବୁ ? ଗୋଟିଏ ଝୁଙ୍କରେ କହିଦେଲୁ ବୋଲି ଦାତାକର୍ଣ୍ଣ ସାଜିବାକୁ ହେବ, ଏହାର ଅର୍ଥ କ’ଣ ? କେଉଁଠିକାର, କିଏ ଏଇ ଝିଅଟା ଟ୍ରେନ ଭିତରେ ଅଯାଜିତ ତୋତେ ପେଡ଼ା ଆଉ ଦହି ଖୁଆଇ ଭଲ ଫାନ୍ଦରେ ପକାଇଦେଲା ! ଗୋଟାଏ ଫାଶ କାଟିବାକୁ ଯାଇ ଆଉ ଗୋଟାଏ ଫାଶରେ ବାନ୍ଧି ହୋଇଗଲୁ ? ରକ୍ଷା ପାଇବା କଥା ଭାବୁ ଭାବୁ ମୁଣ୍ଡ ଗରମ ହୋଇଉଠିଲା ଏବଂ ନିରୀହ ଝିଅଟା ପ୍ରତି ବିରକ୍ତିର ସୀମା ରହିଲା ନାହିଁ । ଆଉ ଏଇ ସୟତାନ କକେଇ ବାପା, ମନେମନେ ଭାବିଲି ଲୋକଟା କିପରି ଘରେ ଯାଇ ନ ପହଞ୍ଚି ବାଟରେ ମରିଯାଆନ୍ତା କି । କିନ୍ତୁ ସେ ଆଶା ଅମୂଳକ । ମୁଁ ଭଲକରି ଜାଣେ, ଲୋକଟା ଆଦୌ ମରିବ ନାହିଁ ଏବଂ ଥରେ ଯେତେବେଳେ ମୋ ବସା ଠିକଣାଟା ଜାଣିପାରିଲାଣି, ସେତେବେଳେ ପୁଣି ଆସିବ ଏବଂ ଯେପରି ପ୍ରକାରେ ହେଉ ଟଙ୍କା ଆଦାୟ କରି ଛାଡ଼ିବ । ହୁଏତ ଏଥର ସେହି ହାକିମ ପିଉସାଙ୍କୁ ସଙ୍ଗରେ ଧରି ଆସିପାରେ । ଗୋଟିଏ ଉପାୟ–ଯଃ ପଳାୟତି । ଟିକଟ କିଣିବାକୁ ଗଲି, କିନ୍ତୁ ଜାହାଜରେ ସ୍ଥାନାଭାବ । ଟିକଟ ଆଗରୁ ବିକ୍ରି ହୋଇସାରିଛି । ସୁତରାଂ ଆସନ୍ତା ମେଲ୍‌ ପାଇଁ ଅପେକ୍ଷା କରିବାକୁ ହେବ । ସେ ହେଉଛି ଛଅ–ସାତ ଦିନ ଡେରି ।

 

ଆଉ ଗୋଟିଏ ପନ୍ଥା ହେଉଛି ବସା ବଦଳ କରିବା, ଯେପରି ଜେଜେବାପା ବସା ଖୋଜି ନ ପାଆନ୍ତି । କିନ୍ତୁ ଏପରି ଗୋଟିଏ ଭଲ ଯାଗା ଅବା ଏତେଶୀଘ୍ର ମିଳିପାରିବ କେଉଁଠୁ ? କିନ୍ତୁ ଅବସ୍ଥା ଏପରି ହୋଇଛି ଯେ ଭଲ ମନ୍ଦର ପ୍ରଶ୍ନ ନିହାତି ଅବାନ୍ତର । ଯଥା ଅରଶ୍ୟମ୍‌ ତଥା ଗୃହମ୍‌ । ଶିକାରୀ ହାତରୁ ପ୍ରାଣ ବଞ୍ଚାଇବା ଭଳି ।

 

ଭୟ ଥିଲା, ମୋ ଗୋପନ ଉଦ୍ୟମଟା କାଳେ ରତନ ଆଖିରେ ପଡ଼ିଯିବ ବୋଲି । କିନ୍ତୁ ଭଗବାନଙ୍କ ଦୟାରୁ ତା’ର ହଲିବାର ଶକ୍ତି ନାହିଁ । କାଶୀଠାରୁ କଲିକତା ତା’ ମନକୁ ବେଶୀ ଟାଣିଧରିଛି । ପଚାରିଲି ଚିଠିର ଜବାବ ନେଇ କ’ଣ ତୁ କାଲି ଯିବୁ ରତନ ?

 

ରତନ ତତ୍‌କ୍ଷଣାତ୍‌ ଉତ୍ତର ଦେଲା– ନାହିଁ ଆଜ୍ଞା, ଆଜି ଦି’ପହରେ ମାଆଙ୍କ ପାଖକୁ ଖଣ୍ଡିଏ ପୋଷ୍ଟକାର୍ଡ଼ ଲେଖି ପକାଇଦେଲି । ମୋର ଚାରି, ପାଞ୍ଚଦିନ ଡେରିହେବ । ମଲା ସୋସାଇଟି ଆଉ ଜୀଅନ୍ତା ସୋସାଇଟି ନ ଦେଖି ଫେରିପାରୁନାହିଁ । ଆଉ କେବେ କେଉଁ କାଳକୁ ଆସିବାକୁ ହେବ କିଏ ଜାଣେ ?

 

କହିଲି– ସେ କିନ୍ତୁ ତ ଉଦ୍‌ବିଗ୍ନ ହୋଇପାରନ୍ତି ?

 

: ଆଜ୍ଞା ନା, ଗାଡ଼ିର ଧକଡ଼ କଚଡ଼ ହେତୁ ଦେହରୁ ପୀଡ଼ା ଏ ପର୍ଯ୍ୟନ୍ତ କମିନାହିଁ । ସେକଥା ମଧ୍ୟ ଲେଖିଦେଇଛି ।

 

କିନ୍ତୁ ଚିଠିର ଉତ୍ତରଟା......

 

: ଆଜ୍ଞା, ଦିଅନ୍ତୁ ନା, କାଲି ରେଜେଷ୍ଟ୍ରୀ କରି ପଠାଇଦେବି । ଆମ ଘରେ ମାଆଙ୍କ ଲଫାପା ଖୋଲିବାକୁ କେହି ସାହସ କରନ୍ତି ନାହିଁ ।

 

ଚୁପ୍‌ ହୋଇ ବସି ରହିଲି । ଭଣ୍ଡାରୀ ଟୋକାଟା ପାଖରେ ମୋର କୌଣସି ଫନ୍ଦ ଖଟିଲା ନାହିଁ । ସବୁ ପ୍ରକାର ପ୍ରସ୍ତାବକୁ ସେ ନାକଚ କରିଦେଲା ।

 

ଗଲାବେଳେ କକେଇ ବାପା ଟଙ୍କା କଥା ପ୍ରଚାର କରିଦେଇ ଯାଇଥାନ୍ତେ । ତାହା ତାଙ୍କ ଚିତ୍ତର ଔଦାର୍ଯ୍ୟ କିମ୍ବା ସରଲ୍ୟର ପ୍ରାଚୁର୍ଯ୍ୟ ଏପରି ଭ୍ରମ ଯେପରି କେହି ନ କରନ୍ତି, ସମସ୍ତଙ୍କୁ ଜଣାଇ କରି ସେ ସାକ୍ଷୀ ରଖିଯାଇଛନ୍ତି ।

 

ରତନ ଠିକ୍‌ ସେହି କଥା ପକାଇଲା । କହିଲା–ଯଦି କିଛି ମନେ ନ କରନ୍ତି ଗୋଟାଏ କଥା ପଚାରିବି ବାବୁ ।

 

: କି କଥା କିରେ ରତନ ?

 

ରତନ ସାମାନ୍ୟ ଥତମତ ହୋଇ କହିଲା– ଅଢ଼େଇ ହଜାର ଟଙ୍କା ତ ନିହାତି ତୁଚ୍ଛ କଥା ନୁହେଁ । ଏମାନେ ଆପଣଙ୍କର ଏପରି କିଏ ଯେ, ସେମାନଙ୍କ ଝିଅଙ୍କ ବାହାଘର ପାଇଁ ଏତେଗୁଡ଼ାଏ ଟଙ୍କା ଦାନ କରିବାକୁ କହିଲେ ? କକେଇ ବାପା ଯିଏ ହୁଅନ୍ତୁ ନା କାହିଁକି ଆଦୌ ଭଲ ଲୋକ ନୁହନ୍ତି । ତାଙ୍କୁ କହିବାଟା ଭଲ କଥା ହେଲାନାହିଁ, ବାବୁ ।

 

ତାହାର ମନ୍ତବ୍ୟ ଶୁଣି ଯେପରି ଅନିର୍ବଚନୀୟ ଆନନ୍ଦ ଅନୁଭବ କଲି । ମନ ମଧ୍ୟରେ ସେହିପରି ଯୋର ପାଇଲି । ପ୍ରକୃତରେ ମୁଁ ତ ଏହାହିଁ ଚାହୁଁଥିଲି ।

 

ତଥାପି କଣ୍ଠସ୍ୱରରେ କିଞ୍ଚିତ ସନ୍ଦେହର ଆଭାସ ଦେଇ ପଚାରିଲି–କହିବାଟା ଭଲ ହୋଇନି ରତନ ?

 

ରତନ କହିଲା– ଆଦୌ ଭଲ ହୋଇନାହିଁ । ଟଙ୍କା ତ କିଛି କମ୍‌ ନୁହେଁ । ତା’ ବ୍ୟତୀତ କେଉଁଥିପାଇଁ ଦେବେ କହନ୍ତୁ ତ ?

 

: ଠିକ୍‌ ତ ! ତାହାହେଲେ ନ ଦେଲେ ଚଳିବ ।

 

ରତନ କ୍ଷଣକାଳ ପାଇଁ ମୋତେ ଆଶ୍ଚର୍ଯ୍ୟରେ ଚାହିଁରହି କହିଲା– ସେ ବୁଢ଼ା କ’ଣ ତୁମକୁ ଛାଡ଼ିବ ?

 

କହିଲି– ନ ଛାଡ଼ି କ’ଣ କରିବ ? ଲେଖିଦେଇନି ତ ? ଆଉ, ସେତେବେଳକୁ ମୁଁ ଏଠାରେ ଥିବି କି ବର୍ମାକୁ ଚାଲିଯାଇଥିବି ସେଥିରେ କେଉଁ ଠିକଣା ଅବା ଅଛି ?

 

ରତନ ମୁହୂର୍ତ୍ତକ ପାଇଁ ଚୁପ୍‌ ରହି ସାମାନ୍ୟ ହସିଦେଇ କହିଲା–ବୁଢ଼ାକୁ ଆପଣ ଚିହ୍ନିପାରିନାହାନ୍ତି ବାବୁ । ତା’ର ଲାଜ–ସରମ ମାନ–ଅପମାନ କିଛି ନାହିଁ । କାନ୍ଦିକାଟି ହେଉ କିମ୍ବା ଧମକ ଚମକ ଦେଖାଇ ସେ ଟଙ୍କା ନେବ ହିଁ ନେବ । ଆପଣଙ୍କ ଦେଖା ନ ପାଇଲେ ଝିଅଟାକୁ ସଙ୍ଗରେ ଧରି ସେ କାଶୀରେ ଯାଇ ସିଧା ମାଆଙ୍କ ପାଖରେ ପହଞ୍ଚିଯିବ । ତାଙ୍କଠାରୁ ଟଙ୍କା ଆଦାୟ କଲେ ଯାଇ ଛାଡ଼ିବ । ମାଆଙ୍କୁ ଲାଜ ଲାଗିବ ବାବୁ ।

 

ଶୁଣିକରି ସ୍ତବ୍‌ଧ ହୋଇ ବସି ରହିଲି । ରତନ ମୋଠାରୁ ଢେର୍‌ ବେଶୀ ବୁଦ୍ଧିମାନ । ଅର୍ଥହୀନ ଆକସ୍ମିକ କରୁଣା ହେତୁ ଠକାମିରେ ପଡ଼ି ଜୋରିମାନା ମୋତେ ଦେବାକୁ ହିଁ ପଡ଼ିବ । ସେଥିରୁ କୌଣସି ମତେ ନିସ୍ତାର ମିଳିପାରିବ ନାହିଁ ।

 

ରତନ ପ।ଲ୍ଲୀ ଗାଆଁର କକେଇ ବାପାଙ୍କୁ ଚିହ୍ନିବାରେ ଭୁଲ କରିନାହିଁ; ଏକଥା ଜଣାଗଲା ଯେତେବେଳେ ଠିକ୍‌ ଚାରିଦିନ ପରେ ସେ ପୁଣି ଫେରିଆସିଲେ । ଆଶା କରିଥିଲି ଏଥର ସଙ୍ଗରେ ହାକିମ ପିଉସାଙ୍କୁ ଧରି ଆସି ପହଞ୍ଚିବେ ବୋଲି । କିନ୍ତୁ ସେ ଏକାକୀ ଏଥର ସଙ୍ଗରେ ହାକିମ ପିଉସାଙ୍କୁ ଧରି ଆସି ପହଞ୍ଚିବେ ବୋଲି । କିନ୍ତୁ ସେ ଏକାକୀ ଆସିଲେ । କହିଲେ ଦଶଖଣ୍ଡ ଗାଆଁରେ ଧନ୍ୟ ଧନ୍ୟ ପଡ଼ିଯାଇଛି । ସମସ୍ତେ କହୁଛନ୍ତି–କଳିକାଳରେ ଏପରି କେବେ ଶୁଣାଯାଇନଥିଲା । ଗରିବ ବ୍ରାହ୍ମଣକୁ ଇମିତି କନ୍ୟାଦାୟରୁ ଉଦ୍ଧାର କରିବାର କେହି କେବେ ଆଖିରେ ଦେଖିନାହାନ୍ତି । ଆଶୀର୍ବାଦ କରୁଛି, ତୁ ଚିରଜୀବି ହୁଅ ।

 

ପଚାରିଲି–ବାହାଘର କେବେ ?

 

: ଏଇ ମାସର ପଚିଶ ତାରିଖକୁ ଠିକ୍‌ ହୋଇଛି । ମଝିରେ କେବଳ ଦଶଟା ଦିନ ବାକି, କାଲି ପରା ଦେଖାଚାହାଁ, ନିର୍ବନ୍ଧ । ତିନିଟା ପରେ ବାରବେଳା । ଏହାରି ଭିତରେ ଶୁଭକର୍ମ ସମାଧାନ କରିନେବାକୁ ହେବ । ତୁ ନ ଗଲେ କିଛି ହୋଇପାରିବ ନାହିଁ । ଏଇ ନେ–ପୁଣ୍ଟୁ ତୋ ପାଖକୁ ଚିଠି ଦେଇଛି । କିନ୍ତୁ ଏକଥା କହି ରଖୁଛୁ ବାପା, ତୁ ନିଜ ଇଚ୍ଛାରେ ଏପରି ରତ୍ନ ସିନା ହରାଇଲୁ କିନ୍ତୁ ତା’ ଭଳି ଗୋଟିଏ ରତ୍ନ ମିଳିବା ଦୁଷ୍କର । ଏହା କହି ସେ ନଉତା ହୋଇଥିବା ଖଣ୍ଡିଏ ବଡ଼ ରଙ୍ଗର କାଗଜ ମୋ ହାତକୁ ବଢ଼ାଇଦେଲେ ।

 

କୌତୂହଳ ବଶତଃ ଚିଠିଟା ପଢ଼ିବାକୁ ଚେଷ୍ଟାକଲି । ଏହି ସମୟରେ କକେଇବାପା ଗୋଟିଏ ଦୀର୍ଘ ନିଃଶ୍ୱାସ ଟାଣି କହିଲେ–କାଳିଦାସର ପଇସା ଥିଲେ କ’ଣ ହେବ, ଏକବାର ଛୋଟଲୋକ, ଯାହାକୁ କହନ୍ତି ଚମାର । ଚକ୍ଷୁଲଜ୍ଜ୍ୟା ବୋଲି ତା’ର କିଛି ନାହିଁ । କାଲି ହିଁ ଟଙ୍କା କଉଡ଼ି ସବୁ ଦେଇଦେବାକୁ ହେବ ଗହଣାପତ୍ର ନିଜର ବଣିଆ ପଠାଇ ସେ ଗଢ଼ାଇନେବ । ତା’ର କାହାକୁ ବିଶ୍ୱାସ ନାହିଁ ଏପରିକି ମୋ ପର୍ଯ୍ୟନ୍ତ...

 

ଲୋକଟା ତେବେ ତ ବଡ଼ ପାଷାଣ୍ଡ, କାରଣ କକେଇ ବାପାଙ୍କୁ ସୁଦ୍ଧା ବିଶ୍ୱାସ କରେ ନାହିଁ !

 

ପୁଣ୍ଟୁ ନିଜ ହାତରେ ପତ୍ର ଲେଖିଛି । ଗୋଟିଏ ଫାଳ ନୁହେଁ, ଦୁଇଫାଳ ନୁହେଁ, ଏକବାର ଚାରିଫାଳ । ଚାରିଫାଳ ସକାତର ମିନତିରେ ପୂର୍ଣ୍ଣ । ଟ୍ରେନରେ ରଙ୍ଗମାଆ କହିଥିଲେ, ତା’ ଲେଖାଆଗରେ ଆଜିକାଲିର ନାଟକ, ନଭେଲ ହାର ମାନେ । ଏକଥା ପ୍ରକୃତରେ ଅସ୍ୱୀକାର କରିପାରିବି ନାହିଁ । ଏହି ଲେଖା ଜୋରରେ ନନ୍ଦରାଣୀର ସ୍ୱାମୀ ଚଉଦଦିନ ଛୁଟିଧରି ସାତଦିନରେ ଆସି ପହଞ୍ଚି ଯାଇଥିବା କଥାଟା ମୋର ବିଶ୍ୱାସ ହେଲା ।

 

ଅତଏବ ମୁଁ ମଧ୍ୟ ପରଦିନ ଯାତ୍ରାକଲି । ଟଙ୍କା ପ୍ରକୃତରେ ସଙ୍ଗରେ ନେଇଥିଲି । କକେଇବାପା ଟଙ୍କା ନେଲାବେଳେ କହିଥିଲେ–ବାଟଚାଲିବ ଜାଣି, ଟଙ୍କା ନେବ ଗଣି । ଆମେମାନେ ତ ଦେବତା ନୁହେଁରେ–ମନୁଷ୍ୟ । ଭୁଲ୍ ହେବାକୁ କେତେ ସମୟ ଲାଗିବ ?

 

ସତରେ ତ ! ରତନ କାଲିରାତିରେ କାଶୀ ଫେରିଯାଇଛି । ତାହା ହାତରେ ଚିଠିର ଉତ୍ତର ଦେଇଛି । ଲେଖିଦେଇଛି–ତଥାସ୍ତୁ । ଠିକଣା ଦେଇପାରି ନାହିଁ, ଠିକ୍‌ ନାହିଁ ବୋଲି । ଏହି ତ୍ରୁଟି ଯେପରି ସେ ନିଜ ଗୁଣରେ କ୍ଷମା କରେ । ଏଭଳି ପ୍ରାର୍ଥନା ମଧ୍ୟ ଜଣାଇଛି ।

 

ଯଥା ସମୟରେ ଗାଆଁରେ ଯାଇ ପହଞ୍ଚିଲୁ । ଘରସାରା ଲୋକଙ୍କର ଦୁଶ୍ଚିନ୍ତା ଘୁଞ୍ଚିଲା । ଯତ୍ନ ଓ ସମାଦର ଯାହା ମିଳିଲା ତାହା ପ୍ରକାଶ କରିବା ପାଇଁ ଭାଷା ଅଭିଧାନରେ ନାହିଁ ।

 

ନିର୍ବନ୍ଧ ଉପଲକ୍ଷରେ କାଳିଦାସବାବୁଙ୍କ ସହିତ ପରିଚୟ ହେଲା । ଲୋକଟା ଯେପରି ଋକ୍ଷ ମିଞ୍ଜାଜର ସେହିପରି ମଧ୍ୟ ଦାମ୍ଭିକ, ତାଙ୍କର ଅନେକ ଟଙ୍କା ଅଛି ଏହି କଥା ସମସ୍ତଙ୍କୁ ଜଣାଇଦେବା ବ୍ୟତୀତ ବୋଧହୁଏ ଆଉ କିଛି କର୍ତ୍ତବ୍ୟ ନ ଥିଲା । ସବୁ ତାଙ୍କର ସ୍ୱପାର୍ଜିତ । ଗର୍ବସହକାର ସେ କହିଲେ, ଆଜ୍ଞା ଭାଗ୍ୟକୁ ମୁଁ ମାନେ ନାହିଁ । ଯାହା କରିବ, ନିଜର ବାହୁବଳରେ । ଦେବତାଙ୍କର ଅନୁଗ୍ରହ ମୁଁ ଭିକ୍ଷାକରି ନାହିଁ । ମୁଁ କହେ କାପୁରୁଷମାନେ ହିଁ ଭାଗ୍ୟର ଦ୍ୱାହି ଦେଇଥାନ୍ତି ।

 

ଧନୀଲୋକ ଏବଂ ଜଣେ ଛୋଟକାଟର ତାଲୁକଦାର ବୋଲି ଗାଆଁର ସମସ୍ତେ ଉପସ୍ଥିତ ଥିଲେ । ଅଧିକାଂଶ ବୋଧହୁଏ ଦୁର୍ଦ୍ଦାନ୍ତ ମହାଜନ ହେତୁ ତାଙ୍କ କଥାଗୁଡ଼ାକୁ ସ୍ୱୀକାର କରି ନେଉଥାନ୍ତି । ତର୍କରତ୍ନ କ’ଣ ଗୋଟାଏ ସଂସ୍କୃତ ଶ୍ଳୋକ ଆବୃତ୍ତି କଲେ ଏବଂ ଆଖପାଖରୁ ଦୁଇଚାରିଟା ପୁରାତନ କାହାଣୀ ତାଙ୍କ ସମ୍ବନ୍ଧରେ ସୂତ୍ରପାତ ହେବାକୁ ଲାଗିଲା ।

 

ଅପରିଚିତ ଏବଂ ସାମାନ୍ୟ ବ୍ୟକ୍ତି ଅନୁମାନ କରି ସେ ଅବହେଳାରେ ମୋ ପ୍ରତି କଟାକ୍ଷପାତ କଲେ । ଟଙ୍କା ଶୋକରେ ମୋ ଅନ୍ତର ସେତେବେଳକୁ ପୋଡ଼ି ଯାଇଥାଏ । ତାଙ୍କ କଥା ସହ୍ୟ ହେଲା ନାହିଁ । ହଠାତ୍‌ କହିପକାଇଲି, ବାହୁବଳ ଆପଣଙ୍କର କେତେ ଅଛି ଯଦିଓ ଜାଣେ ନାହିଁ କିନ୍ତୁ ଟଙ୍କା ରୋଜଗାର ବିଷୟରେ ଭାଗ୍ୟ ଓ ଭଗବାନଙ୍କର ବରାଦ୍‌ ଯେ ଯଥେଷ୍ଟ ତାହା ମୁଁ ସ୍ୱୀକାର କରେ ।

 

: ତା’ ମାନେ ?

 

: ମାନେ ମୁଁ ନିଜେ । ବରକୁ ଚିହ୍ନି ନାହିଁ, କନ୍ୟାକୁ ମଧ୍ୟ । ଅଥଚ ଟଙ୍କା ଯାଉଛି ମୋର ଏବଂ ସେ ସବୁ ଯାଇ ପଶୁଛି ଆପଣଙ୍କ ବାକ୍‌ସରେ । ଏହାକୁ ଭାଗ୍ୟ କହନ୍ତି ନାହିଁ ତ ଆଉ କହନ୍ତି କାହାକୁ ? ଏଇ ବର୍ତ୍ତମାନ କହିଲେ ଯେ ଆପଣ ଦେବତାଙ୍କର ଅନୁଗ୍ରହ ଗ୍ରହଣ କରନ୍ତି ନାହିଁ । କିନ୍ତୁ ବୋହୂ ଗଳାର ହାର ପର୍ଯ୍ୟନ୍ତ ଯେ ମୋ ଅନୁଗ୍ରହ ଦାନରେ ତିଆରି ହେବ । ହୁଏତ ବାହାଘରର ଭୋଜିଟା ପର୍ଯ୍ୟନ୍ତ ମୋତେ ଦେବାକୁ ପଡ଼ିପାରେ ।

 

ଘରଭିତରେ ବଜ୍ରପାତ ହୋଇଥିଲେ ବୋଧହୁଏ କେହି ଏତେଦୂର ବ୍ୟାକୁଳ ଓ ବିଚଳିତ ହୋଇଉଠି ନଥାନ୍ତେ । କକେଇ ବାପା କ’ଣ ସବୁ କହିବାକୁ ଚେଷ୍ଟା କରୁଥିଲେ କିନ୍ତୁ କିଛି ସ୍ପଷ୍ଟ ହେଲା ନାହିଁ । କାଳିଦାସବାବୁ କ୍ରୋଧରେ ଭୀଷଣ ମୂର୍ତ୍ତିଧରି କହିଲେ—ଆପଣ ଟଙ୍କା ଦେଇଛନ୍ତି । ସେକଥା ମୁଁ ଜାଣିବି କିପରି ? ଏବଂ ଯଦି ଦେଇଥାନ୍ତେ ତେବେ କାହିଁକି ଦେଇଛନ୍ତି ଅବା ?

 

କହିଲି– କାହିଁକି ଦେଇଛି ସେକଥା ଆପଣ ବୁଝିପାରିବେ ନାହିଁ ଏବଂ ଆପଣଙ୍କୁ ମଧ୍ୟ ମୁଁ ବୁଝାଇବାକୁ ଚାହେଁ ନାହିଁ । କିନ୍ତୁ ଗାଆଁସାରା ଲୋକ ଜାଣନ୍ତି ଟଙ୍କା ମୁଁ ଦେଇଛି । କେବଳ ଆପଣ ଜାଣିନାହାନ୍ତି । ଝିଅର ମାଆ ଯାଇ ଆପଣଙ୍କ ଘରର ସମସ୍ତଙ୍କ ଗୋଡ଼ହାତ ଧରିଛି; କିନ୍ତୁ ଆପଣ ବି.ଏ. ପାଶ୍‌ ଝିଅର ଦାମ ଅଢ଼େଇ ହଜାରରୁ ଗୋଟିଏ ପଇସା କମ୍‌ କରିବାକୁ ଚାହାନ୍ତି ନାହିଁ । ଝିଅର ବାପ ଚାଳିଶ ଟଙ୍କା ଦରମାରେ ଚାକିରି କରେ । ତା’ର ଚାଳିଶଟା ପଇସା ଦେବାର ଶକ୍ତି ନାହିଁ । ଏଇଟା କିପରି ଭାବିପାରିଲେ ନାହିଁ ଯେ ଆପଣଙ୍କ ପୁଅକୁ କିଣିବା ପାଇଁ ଏତେ ଟଙ୍କା ହଠାତ୍‌ ସେ ପାଇଲେ କେଉଁଠାରୁ ? ଯାହା–ହେଉ–ପୁଅ ବିକା ପଇସା ଅନେକ ଲୋକ ନେଉଛନ୍ତି-। ଆପଣ ନେଲେ ମଧ୍ୟ ଦୋଷ ନାହିଁ । କିନ୍ତୁ ଏହାପରେ ଗାଆଁ ଲୋକଙ୍କୁ ଡକାଇ ତାଙ୍କ ଆଗରେ ଟଙ୍କାର ଅହଙ୍କାର ଆଉ ଗପିବେ ନାହିଁ ଏବଂ ଜଣେ ବାହାର ଲୋକର ପୁଅର ବିବାହ ଦେଇଛନ୍ତି ଏକଥାଟା ଯେପରି ସବୁଦିନ ପାଇଁ ମନେରଖନ୍ତି ।

 

ଉଦ୍‌ବେଗ ଓ ଭୟରେ ସମସ୍ତଙ୍କର ମୁହଁ କଳା ପଡ଼ିଗଲା । ସମସ୍ତେ ଭାବିଲେ ବୋଧହୁଏ ବର୍ତ୍ତମାନ ଭୟଙ୍କର କିଛି ଗୋଟାଏ ଘଟିବ ଏବଂ ଫାଟକ ବନ୍ଦ କରି ସମସ୍ତଙ୍କୁ ମାଡ଼ମାରି ସେ କାହାରିକୁ ଘରକୁ ଦେବେ ନାହିଁ ।

 

କିନ୍ତୁ ସେ କିଛି ସମୟ ନୀରବରେ ବସିରହିଲା ପରେ ମୁହଁଉଠାଇ କହିଲେ–ଟଙ୍କା ମୁଁ ଆଦୌ ନେବିନାହିଁ ।

 

କହିଲି–ତା’ର ମାନେ ପୁଅର ବାହାଘର ଏଠାରେ ଦେବେ ନାହିଁ ?

 

କାଳିଦାସବାବୁ ମୁଣ୍ଡ ହଲାଇ କହିଲେ–ନା, ତାହା ନୁହେଁ । ମୁଁ କଥାଦେଇଛି ବାହାଘର ନିଶ୍ଚୟ ହେବ । କାଳିଦାସ ମୁଖାର୍ଜୀ କଦାପି ତା’ କଥାରେ ଖିଲାପ କରେ ନାହିଁ । ଆପଣଙ୍କ ନାଆଁଟି କ’ଣ ?

 

କକେଇ ବାବା ବ୍ୟଗ୍ରକଣ୍ଠରେ ମୋର ପରିଚୟ ଦେଲେ ।

 

କାଳିଦାସବାବୁ ଚିହ୍ନିପାରି କହିଲେ–ଓହୋ ! ତେବେ ସେଇଆ । ତା’ ବାପା ସଙ୍ଗେ ମୋର ଥରେ ଭୟଙ୍କର ଫୌଜଦାରୀ ମକଦ୍ଦମା ହୋଇଥିଲା ।

 

କକେଇ ବାପା କହିଲେ–ଆଜ୍ଞା, ହଁ । ଆପଣ କିଛି ହେଲେ ଭୁଲିନାହାନ୍ତି । ଏ ତା’ର ପୁଅ ଏବଂ ସମ୍ପର୍କରେ ମୋର ନାତି ହୁଏ ।

 

କାଳିଦାସ ବାବୁ ପ୍ରସନ୍ନ କଣ୍ଠରେ କହିଲେ–ହଁ, ହୋଇଥାଇପାରେ । ମୋ ବଡ଼ ପୁଅ ବି ଥିଲେ ଏଇ ବୟସର ହିଁ ହୋଇଥାନ୍ତା । ଶଶଧର ବାହାଘରକୁ ଆସିବ ବାବା । ମୋ ପକ୍ଷରୁ ସେଦିନକୁ ତୁମକୁ ନିମନ୍ତ୍ରଣ ରହିଲା ।

 

ଶଶଧର ଉପସ୍ଥିତ ଥିଲା । ସେ କେବଳ କୃତଜ୍ଞତାର ସହିତ ଥରକ ପାଇଁ ମୋତେ ଚାହିଁଲା । ତାପରେ ମୁହଁ ତଳକୁ କରିନେଲା ।

 

ମୁଁ ଉଠିଆସି କାଳିଦାସ ବାବୁଙ୍କୁ ପ୍ରଣାମ କରି କହିଲି, ଯେଉଁଠାରେ ଥାଏନା କାହିଁକି ଅନ୍ତତଃ ଚତୁର୍ଥୀ’ ଦିନ ଆସି ନବବଧୂ ହାତରୁ ଅନ୍ନ ଖାଇକରି ଯିବି । କିନ୍ତୁ ଅନେକ କଟୁକଥା କହିଛି, ଆପଣ ମୋତେ କ୍ଷମା କରିବେ ।

 

କାଳିଦାସବାକୁ କହିଲେ, କଟୁକଥା ଯାହା କହିଛ ତାହା ସତ୍ୟ ଏବଂ ମୁଁ ମଧ୍ୟ ତୁମକୁ କ୍ଷମା କରିଛି । କିନ୍ତୁ ଉଠିଗଲେ ଚଳିବ ନାହିଁ ଶ୍ରୀକାନ୍ତ । ଶୁଭକର୍ମ ଉପଲକ୍ଷରେ ସାମାନ୍ୟ କିଛି ଖାଇବାର ବନ୍ଦୋବସ୍ତ କରିଛି । ତୁମକୁ ଖାଇକରି ଯିବାକୁ ହେବ ।

 

: ଆଜ୍ଞା, ତାହାହିଁ ହେବ କହି ପୁଣି ବସିପଡ଼ିଲି ।

 

ସେଦିନ ପାତ୍ରକୁ ଆଶୀର୍ବାଦ କରିବାଠାରୁ ଆରମ୍ଭ କରି ସଭାସ୍ଥ ଅଭ୍ୟାଗତ–ଗଣଙ୍କର ଖାଇବା ପିଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମାହିତ ହେଲା । ଏହି ଅଧ୍ୟାୟର ପ୍ରାରମ୍ଭରେ ସଦୁପଦେଶ ସମ୍ବନ୍ଧରେ ଯେଉଁ ନିୟମର ଉଲ୍ଲେଖ କରିଥିଲି ପୁଣ୍ଟୁ ବାହାଘର ତହିଁରୁ ଗୋଟିଏ ବ୍ୟତିକ୍ରମର ଉଦାହରଣ । ଜଗତରେ ଏଇ ଦୁଇଆଖିରେ ଦେଖିଛି ଏ ଦେଶରେ ଯେଉଁଠି ସମ୍ପର୍କହୀନ, ଅପରିଚିତ, ହତଭାଗା ଝିଅ ବାପର କାନମୋଡ଼ିଲେ ଟଙ୍କା ଆଦାୟ ହୋଇପାରେ ସେଠାରେ ବୈଷ୍ଣବ ସାଜି ହାତ ଯୋଡ଼ିଲେ ବାଘ ମୁହଁରୁ ନିସ୍ତାର ମିଳିପାରିବ ନାହିଁ । ନିଷ୍ଠୁର, ନିର୍ଦ୍ଦୟ କହି ଗାଳିଗୁଲଜ କରି ସମାଜ ଓ ଅଦୃଷ୍ଟକୁ ଧିକ୍‌କାର ଦେବାଫଳରେ ମନର ବେଦନା କିଛି କମିଯାଇପାରେ କିନ୍ତୁ ପ୍ରତିକାର ହୋଇପାରେ । କାରଣ ପ୍ରତିକାର ପୁଅ ବାପ ହାତରେ ନାହିଁ, ସେ ଅଛି ପ୍ରକୃତରେ ଝିଅ ବାପ ମନର ଦୃଢ଼ତାରେ ।

 

ଗହରକୁ ଖୋଜିବାକୁ ଆସି ନବୀନ ସଙ୍ଗେ ସାକ୍ଷାତ୍‌ ଘଟିଲା । ସେ ମୋତେ ଦେଖି ଖୁସିହେଲା । କିନ୍ତୁ ତା’ ମିଞ୍ଜାସଟା ଭାରୀ ଋକ୍ଷ ଥିଲା । କହିଲା–ଏଇସବୁ ବୈଷ୍ଣମୀ ଟୋକୀମାନଙ୍କ ଆଡ଼ାରେ ଯାଇ ଦେଖନ୍ତୁ । କାଲିଠାରୁ ତ ଘରକୁ ଆସିବାକୁ ନାହାନ୍ତି ।

 

: ସେ କି କଥା ? ବୈଷ୍ଣବୀ କେଉଁଠୁ ଆସିଲେ ନବୀନ ?

 

: କ’ଣ ଗୋଟିଏ ? ଦଳେ ଆସି ଜୁଟିଛନ୍ତି ।

 

: କେଉଁଠାରେ ସେମାନେ ?

 

ଏଇ ତ ମୁରାରୀପୁର ଆଡ଼ାରେ । ଏହା କହି ନବୀନ ଗୋଟାଏ ନିଃଶ୍ୱାସ ପକାଇ କହିଲା–ହାୟ । ସେ ରାମ ଆଉ ନାହାନ୍ତି କି ସେ ଅଯୋଧ୍ୟା ଆଉ ନାହିଁ । ବୁଢ଼ା ମଧୁରା ଦାସ ବାବାଜୀ ମଲା । ତା’ ଜାଗାରେ ଆସି ଜୁଟିଲା ଗୋଟାଏ ଟୋକା ବୈରାଗୀ । ତା’ର ତ ଗଣ୍ଡାଏ ଚାରିଟା ସେବା ଦାସୀ । ଦ୍ୱାରିକା ଦାସ ବୈରାଗୀ ସଙ୍ଗରେ ଆମ ବାବୁଙ୍କର ଖୁବ୍‌ ଭାବ । ସେଇଠାରେ ତ ପ୍ରାୟ ରହୁଛନ୍ତି ।

 

ଆଶ୍ଚର୍ଯ୍ୟ ହୋଇ ପଚାରିଲି–କିନ୍ତୁ ତୋ ବାବୁ ତ ମୁସଲମାନ । ବୈଷ୍ଣବ ବୈରାଗୀମାନେ ତାକୁ ଆଖଡ଼ାରେ ରହିବାକୁ ଦେବେ ଅବା କାହିଁକି ?

 

ନବୀନ ରାଗିକରି କହିଲା– ସେଇସବୁ ଆଉଲ–ବାଉଲ (ବାବାଜୀ) ଗୁଡ଼ାଙ୍କର ଧର୍ମାଧର୍ମ ଜ୍ଞାନ କ’ଣ ଅଛି ? ଏମାନେ ଜାତି–ଜନ୍ମ କିଛି ମାନନ୍ତି ନାହିଁ । ଯିଏ କେହି ଏମାନଙ୍କର ସଙ୍ଗରେ ମିଶିଲେ ତାକୁ ସେମାନେ ଦଳକୁ ଟାଣିନିଅନ୍ତି । ବାଛବିଚାର କରନ୍ତି ନାହିଁ ।

 

: ସେଥର କିନ୍ତୁ ତୁମ ଏଠାରେ ଯେତେବେଳେ ଛଅସାତ ଦିନ ଥିଲି ସେତେବେଳେ ଗହର ତ ସେମାନଙ୍କ କଥା କିଛି କହୁନଥିଲା ?

 

: କହିଥିଲେ କମଳୀଲତାର ଗୁଣାଗୁଣ ଯେ ଫିଟି ପଡ଼ିଥାନ୍ତା । ସେ କେତେଦିନ ବାବୁ ଆଖଡ଼ାକୁ ଯାଇନାହାନ୍ତି । ଆଉ ସେଇ ଯେ ଆପଣ ଚାଲିଗଲେ ତାପରେ ବାବୁ ଖାତା କଲମ ନେଇଯାଇ ଆଖଡ଼ାରେ ଜୁଟିଗଲେ ।

 

ପ୍ରଶ୍ନ କରି କରି ଜାଣିଲି ଦ୍ୱାରିକା ଦାସ ବାବାଜୀ ଗୀତ ବାନ୍ଧେ ଏବଂ କବିତା ରଚନା କରିବାରେ ସିଦ୍ଧହସ୍ତ । ଗହର ଏଇ ପ୍ରଲୋଭନରେ ମଜ୍ଜିଯାଇଛି । ତାକୁ କବିତା ଶୁଣାଏ । ତାକୁ ଧରି ନିଜ କବିତାର ଭୁଲ ସଂଶୋଧନ କରାଇନିଏ । ଆଉ କମଳୀଲତା ଯୁବତୀ ବୈଷ୍ଣବୀ–ସେହି ଆଖଡ଼ାରେ ବାସ କରେ । ସେ ଦେଖିବାକୁ ଭଲ । ଗୀତଗାଏ ଭଲ । ତା’ କଥା ଶୁଣିଲେ ଲୋକେ ମୁଗ୍‌ଧ ହୋଇଯାଆନ୍ତି । ବୈଷ୍ଣବମାନଙ୍କ ସେବା ପାଇଁ ଗହର ମଝିରେ ମଝିରେ ଟଙ୍କା ପଇସା ଦିଏ-। ଆଖଡ଼ାର ପୁରୁଣା ପାଚେରୀ ଜୀର୍ଣ୍ଣ ହୋଇ ଭାଙ୍ଗି ଯାଇଥିଲା । ନିଜ ଖର୍ଚ୍ଚରେ ତାକୁ ମରାମତି କରାଇଦେଇଛି । ଏଇ କାମଟା ଅବଶ୍ୟ ତାଙ୍କ ମୁସଲମାନ ସଂପ୍ରଦାୟ ଲୋକଙ୍କ ଅଗୋଚରରେ ସେ କରାଇନେଇଛି ।

 

ପିଲାଦିନେ ଏଇ ଆଖଡ଼ା କଥା ଶୁଣିଥିବାର ମୋର ମନେପଡ଼ିଲା । ପୁରାକାଳରେ ମହାପ୍ରଭୁଙ୍କର କୌଣସି ଏକ ଶିଷ୍ୟ ଏହାକୁ ପ୍ରତିଷ୍ଠା କରିଥିଲେ । ସେହିଦିନଠାରୁ ଶିଶ୍ୟ ପରମ୍ପରା ଭାବରେ ବୈଷ୍ଣବମାନେ ଏଠାରେ ବାସ କରି ଆସୁଛନ୍ତି ।

 

ଅତ୍ୟନ୍ତ କୌତୂହଳ ଜନ୍ମିଲା । କହିଲି–ନବୀନ, ଆଖଡ଼ାଟା ଟିକିଏ ମୋତେ ଦେଖାଇ ଦେଇପାରିବୁ ?

 

ନବୀନ ମୁଣ୍ଡ ହଲାଇ ମନାକରି କହିଲା– ମୋର ଅନେକ କାମ । ଆଉ ଆପଣ ଏଇ ଅଞ୍ଚଳର ଲୋକ, ଚିହ୍ନିକରି କ’ଣ ଯାଇପାରିବେ ନାହିଁ ? ଅଧକୋଶରୁ ବେଶୀ ଦୂର ନୁହେଁ । ଆଉ ଆଗର ରାସ୍ତାଦେଇ ସିଧା ସିଧା ଉତ୍ତରକୁ ମୁହଁକରି ଚାଲିଗଲେ ଆପଣ ବି ଦେଖିପାରିବେ । ନଚେତ୍‌ କାହାକୁ ପଚାରିଦେଲେ ସେ ଦେଖାଇଦେବ । ସାମନାରେ ପୋଖରୀକୂଳରେ ବଉଳ ଗଛ ତଳେ ବୃନ୍ଦାବନ ଲୀଳା ଚାଲିଛି । ଦୂରରୁ ଆୱାଜ କାନକୁ ଶୁଭିବ । ଭାବିବାକୁ ହେବ ନାହିଁ ।

 

ମୋ ଯିବା ପ୍ରସ୍ତାବଟାକୁ ନବୀନ ଆରମ୍ଭରୁ ଆଦୌ ସମର୍ଥନ କରିପାରୁନଥିଲା ।

 

ପଚାରିଲି–କ’ଣ ହୁଏ ସେଠାରେ ? କୀର୍ତ୍ତନ ?

 

: ହଁ, ଦିନରାତି । ଖଞ୍ଜଣୀ, କରତାଳକୁ ବିଶ୍ରାମ ନାହିଁ ।

 

ହସିଦେଇ କହିଲି–ତାହାହେଲେ ଭଲକଥା ନବୀନ । ଯାଉଛି; ସହରକୁ ସେଠାରୁ ଧରିଆଣିବି ।

 

ଏଥର ନବୀନ ହସିଦେଲା, କହିଲା–ହଁ–ଯାଆନ୍ତୁ, କିନ୍ତୁ କମଳୀଲତାର କୀର୍ତ୍ତନ ଶୁଣି ଆପଣ ଯେପରି ଅଟକି ନ ଯାଆନ୍ତି ।

 

: ଦେଖେ କ’ଣ ହେଉଛି ! ହସିଦେଇ ଏତକ କହି କମଳୀଲତା ବୈଷ୍ଣବୀ ଆଖଡ଼ା ଉଦ୍ଦେଶ୍ୟରେ ଅପରାହ୍ନ ବେଳକୁ ଯାତ୍ରା ଆରମ୍ଭ କରିଦେଲି ।

 

ଆଖଡ଼ାର ସନ୍ଧାନ ଯେତେବେଳକୁ ମିଳିଲା, ସେତେବେଳକୁ ବୋଧହୁଏ ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ । ଦୂରରୁ କୀର୍ତ୍ତନର ଖୋଳ କରତାଳ ଶବ୍ଦ କିଛି ଶୁଣିବାକୁ ପାଇନଥାଏ । କିନ୍ତୁ ଅତି ପୁରାତନ ବଉଳ ଗଛଟା ମୋ ଆଖିକୁ ଦେଖାଗଲା । ସେଠାରେ ପହଞ୍ଚି ଦେଖିଲି ଭଙ୍ଗାଭଙ୍ଗି ଗୋଟି, ଚଉପାଢ଼ି ସିନା ଅଛି କିନ୍ତୁ ଲୋକ ବୋଲି ଗୋଟିଏ କାହାକୁ ଦେଲେ ଦେଖିବାକୁ ପାଇଲି ନାହିଁ । ଗୋଟାଏ ସରୁ ରାସ୍ତା ଅଙ୍କାବଙ୍କା ହୋଇ ପାଚେରୀ ପାଖରେ ଲାଗି ନଦୀଆଡ଼କୁ ଯାଇଛି । ଅନୁମାନ କଲି, ହୁଏତ ଏଇ ଦିଗରେ ଗଲେ କାହାର ସନ୍ଧାନ ମିଳିଯାଇପାରେ । ଅତଏବ ସେହି ଦିଗରେ ପାଦ ବଢ଼ାଇଲି । ଭୁଲ କରିନାହିଁ । ଶୀର୍ଣ୍ଣ ସଂକୀର୍ଣ୍ଣ ଶୈବାଳାଚ୍ଛନ୍ନ ନଦୀ ତୀରରେ ଖଣ୍ଡେ ପରିଷ୍କୃତ ଗୋମୟ ଲିପ୍ତ ଇଷତ୍‌ ଉଚ୍ଚ ଭୂମି ଉପରେ ଆସୀନ ଗହର ଏବଂ ଆଉ ଏକ ବ୍ୟକ୍ତି । ଅନ୍ଦାଜ କଲି ଏହିହିଁ ବୈରାଗୀ ଦ୍ୱାରିକା ଦାସ । ବର୍ତ୍ତମାନ ଆଖଡ଼ାର ଅଧିକାରୀ । ନଦୀର ତୀର ବୋଲି ସେ ପର୍ଯ୍ୟନ୍ତ ସନ୍ଧ୍ୟାର ଅନ୍ଧକାର ଗାଢ଼ତର ହୋଇନଥାଏ । ବାବାଜୀଙ୍କୁ ଖୁବ୍‌ ଭଲଭାବରେ ଦେଖିବାକୁ ପାଇଲି । ଲୋକଟି ଭଦ୍ର ଓ ଉଚ୍ଚ ଜାତିର ବୋଲି ମନେହେଲା । ବର୍ଣ୍ଣ ଶ୍ୟାମଳ, ରୋଗା ବୋଲି ଆଖିକୁ ଟିକିଏ ଦୀର୍ଘକାୟ ଦେଖାଯାଏ । ମୁଣ୍ଡର ବାଳ ଜୂଡ଼ାପରି ଆଗକୁ ବନ୍ଧା ହୋଇଥାଏ-। ନିଶ ଦାଢ଼ି ପ୍ରଚୁର ନୁହେଁ–ସାମାନ୍ୟ । ଆଖିରେ ଓ ମୁହଁରେ ଗୋଟାଏ ସ୍ୱାଭାବିକ ହସର ଭାବ-। ବୟସଟା ଠିକ୍‌ ଅନ୍ଦାଜ କରିପାରିଲି ନାହିଁ । ତେବେ ପଇଁତ୍ରିଶି, ଛତିଶରୁ ବେଶୀ ହେଲାଭଳି ଜଣାପଡ଼ିଲା ନାହିଁ । ମୋର ଆଗମନ ବା ଉପସ୍ଥିତି ଉଭୟେ କେହି ଲକ୍ଷ୍ୟ କରିପାରିଲେ ନାହିଁ-। ଦୁଇଜଣ ନଦୀର ପରପାର ପଶ୍ଚିମ ଦିଗନ୍ତକୁ ଚାହିଁ ସ୍ତବ୍‌ଧ ହୋଇ ବସିଛନ୍ତି । ସେଠାରେ ନାନା ରଙ୍ଗର ନାନା ଆକାରର ଖଣ୍ଡ ଖଣ୍ଡ ମେଘ ମଝିରେ କ୍ଷୀଣ ପାଣ୍ଡୁର ତୃତୀୟା ଚାନ୍ଦ ଏବଂ ଠିକ୍‌ ଯେପରି ତାହାରି କପାଳ ମଝିରେ ଫୁଟି ଅଛି ଅତ୍ୟୁଜ୍ଜ୍ୱଳ ସନ୍ଧ୍ୟା ତାରା । ବହୁ ଦୂରାନ୍ତରେ ଦେଖାଯାଏ ଦୂର ଗ୍ରାମାନ୍ତରର ନୀଳ ବୃକ୍ଷରାଜି । ସତେ ଯେପରି କେଉଁଠାରେ ତାହାରି ଶେଷ ନାହିଁ-। କଳା, ଧଳା, ପାଂଶୁଳ ନାନା ବର୍ଣ୍ଣର ଖଣ୍ଡ ଖଣ୍ଡ ମେଘ ଦେହରେ ସେ ପର୍ଯ୍ୟନ୍ତ ଅସ୍ତଗତ ସୂର୍ଯ୍ୟର ଶେଷ–ଦୀପ୍ତି ଖେଳି ବୁଲୁଥାଏ–ଠିକ୍‌ ଯେପରି ଦୁଷ୍ଟ ପିଲାଟିଏ ହାତରେ ରଙ୍ଗତୁଳି ଧରି ଛବିର ଆଦ୍ୟଶ୍ରାଦ୍ଧ କରିଚାଲିଛି ।

ସ୍ୱଳ୍ପତୋୟା ନଦୀର କେତେକାଂଶ ବୋଧହୁଏ ଗ୍ରାମବାସୀମାନେ ପରିଷ୍କାର କରିଦେଇଛନ୍ତି । ଆଗର ସେହି ସ୍ୱଚ୍ଛ କଳା ଅଳ୍ପ ପରିସର ଜଳ ଟିକକ ଉପରେ ଛୋଟ ଛୋଟ ରେଖାରେ ଚାନ୍ଦ ଆଲୋକ ପଡ଼ି ଝିକ୍‌ମିକ୍‌ କରୁଥାଏ । ପାଖରେ କେଉଁଠାରେ ବୋଧହୁଏ ଅଜସ୍ର ବଣମଲ୍ଲୀ ଫୁଟିଥାଏ । ତାହାରି ସୁଗନ୍ଧରେ ପବନଟା ମଧୁର ହୋଇଉଠିଥାଏ ଏବଂ ନିକଟରେ କୌଣସି ଗଛରେ ବଗ ବସାରୁ ଶାବକଗଣଙ୍କର ରୁମ୍‌ଝୁମ୍‌ ଶବ୍ଦ ବିଚିତ୍ର ମାଧୁର୍ଯ୍ୟରେ ଅବିରତ କାନରେ ଆସି ବାଜୁଥାଏ । ଏହାକୁ ଉପଭୋଗ କରିବା ପାଇଁ ଯେଉଁ ଲୋକ ଦୁଇଟା ଜଡ଼ ଭରତ ପରି ତଦ୍‌ଗତ୍‌ଚିତ୍ତରେ ବସିଛନ୍ତି, ସେମାନେ ଯେ କବି ଏଥିରେ ସନ୍ଦେହ ନାହିଁ । ମୁଁ କିନ୍ତୁ ଏହା ଦେଖିବା ପାଇଁ ସନ୍ଧ୍ୟାବେଳେ ଜଙ୍ଗଲକୁ ଆସିନାହିଁ । ନବୀନ କହୁଥିଲା ଦଳେ ବୈଷ୍ଣମୀ ଅଛନ୍ତି ଏବଂ ସମସ୍ତଙ୍କ ଭିତରେ ଶ୍ରେଷ୍ଠ ହେଉଛି କମଳୀଲତା । କିନ୍ତୁ କେଉଁଠି ସେ ?

ଡାକିଲି–ଗହର ।

ଗହରର ଧ୍ୟାନ ଭାଙ୍ଗି ଗଲା । ସେ କାବାହୋଇ ମୋତେ ଚାହିଁ ରହିଲା ।

ବାବାଜୀ ତାକୁ ଗୋଟାଏ ଠେଲାମାରି କହିଲେ–ଗୋସାଇଁ, ତୁମ ଶ୍ରୀକାନ୍ତ ନା ?

ଗହର ଦଉଡ଼ି ଆସି ମୋତେ କୁଣ୍ଢାଇ ପକାଇଲା । ସେ ତାହାର ଆବେଗକୁ କମାଇବାକୁ ଚାହେଁ ନାହିଁ । ଏପରି ଅବସ୍ଥା ଉପୁଜିଲା କୌଣସି ମତେ ନିଜକୁ ମୁକ୍ତ କରି ବସିପଡ଼ିଲି-। କହିଲି–ବାବାଜୀ, ମୋତେ ଚିହ୍ନିଲେ କିପରି ?

 

ବାବାଜୀ ହାତ ହଲାଇ କହିଲେ–ସେ କଥା ଚଳିବ ନାହିଁ ଗୋସାଇଁ । ଭଦ୍ରତା ରଖି କଥା କହିଲେ ରସ ଜମିପାରିବ ନାହିଁ ।

 

: ହଉ ହେଲା, କିନ୍ତୁ ମୋତେ ଚିହ୍ନିଲ କିପରି ?

 

ବାବାଜୀ କହିଲେ ହଠାତ୍‌ ଚିହ୍ନିବି କାହିଁକି ? ତୁ ଯେ ମୋର ବୃନ୍ଦାବନର ଚିହ୍ନା ମଣିଷ ଗୋସାଇଁ । ତୋ ଆଖିଦୁଇଟି ଯେ ରସର ସମୁଦ୍ର । ଏହାକୁ ଯିଏ ଦେଖିବ ତା’ ଆଖି ଲାଖି ରହିବ । ଯେଉଁଦିନ କମଳୀଲତା ଆସିଲା, ତା’ର ମଧ୍ୟ ଏପରି ଦୁଇଟି ଆଖି । ତାକୁ ଦେଖି ଚିହ୍ନିଥିଲି । କହିଥିଲି–କମଳଲତା, ତୁ ଏତେଦିନ ଧରି ଥିଲୁ କେଉଁଠାରେ ? କମଳଲତା ସେଇ ଯେ ଆସି ଆପଣାର ହେଲା ତା’ର ଆଦି–ଅନ୍ତ, ବିରହ–ବିଚ୍ଛେଦ ଆଉ ରହିଲା ନାହିଁ । ଏହାହିଁ ତ ସାଧନା ଗୋସାଇଁ । ଏହାକୁହିଁ କହନ୍ତି ରସର ଦୀକ୍ଷା ।

 

କହିଲି–କମଳଲତାକୁ ଦେଖିବ ବୋଲି ତ ଗୋସାଇଁ ଆସିଛି । କାହିଁ ସେ ?

 

ବାବାଜୀ ଭାରି ଖୁସି ହେଲେ । କହିଲେ ଦେଖିବ ତାକୁ ? କିନ୍ତୁ ସେ ତୁମର ଅଚିହ୍ନା ନୁହେଁ ଗୋସାଇଁ । ତୁମେ ତାକୁ ଅନେକବାର ବୃନ୍ଦାବନରେ ଦେଖିଛ । ହୁଏତ ଭୁଲିଯାଇଛ କିନ୍ତୁ ଦେଖିଲେ ଚିହ୍ନିପାରିବ–ସେଇ କମଳଲତା । ଗୋସାଇଁ ତାକୁ ଡାକନା ଥରେ । ଏହା କହି ବାବାଜୀ ଗହରକୁ ଡାକିବାକୁ ଇଙ୍ଗିତ କଲେ । ତାହା ନିକଟରେ ସମସ୍ତେ ଗୋସାଇଁ । କହିଲେ–କୁହଗୋ ଶ୍ରୀକାନ୍ତ ଆସିଛି ତୁମକୁ ଦେଖିବ ବୋଲି ।

 

ଗହର ଚାଲିଯିବାପରେ ପଚାରିଲି–ଗୋସାଇଁ ମୋ କଥା ବୋଧହୁଏ ତୁମକୁ ସବୁ ଗହର କହିଛି ?

 

ବାବାଜୀ ମୁଣ୍ଡ ହଲାଇ କହିଲେ, ହଁ ସବୁକଥା କହିଛି । ତଥାପି ତାକୁ ପଚାରିଲି, ଗୋସାଇଁ ଛଅସାତଦିନ ହେଲାଣି, ଶ୍ରୀକାନ୍ତ କାହିଁକି ଆସୁନାହିଁ ? ସେ କହିଲା–ଶ୍ରୀକାନ୍ତ ଆସିଥିଲା-। ତୁମେ ଯେ ଶୀଘ୍ର ପୁଣି ଆସିବ ସେ କଥା ମଧ୍ୟ କହିଛି । ତୁମେ ବର୍ମାଦେଶକୁ ଚାଲିଯିବ, ତାହା ମଧ୍ୟ ଜାଣିଛି ।

 

ଶୁଣିସାରି ସ୍ୱସ୍ତିର ନିଃଶ୍ୱାସମାରି ମନେମନେ କହିଲି, ରକ୍ଷାହେଲା । ଭୟ ହୋଇଥିଲା, ସତରେ କ’ଣ ଏ କେଉଁ ଅଲୌକିକ ଅଧ୍ୟାତ୍ମିକ ଶକ୍ତି ବଳରେ ମୋତେ ଦେଖିବାକ୍ଷଣି ଚିହ୍ନିପକାଇଲେ କି ? ଯାହାହେଉ ମୋ ସମ୍ବନ୍ଧରେ ତାଙ୍କର ଅନ୍ଦାଜଟା ଯେ ଭୁଲ୍‌ ହୋଇନାହିଁ, ତାହା ମାନିବାକୁହିଁ ପଡ଼ିବ ।

 

ବାବାଜୀ ଭଲ ବୋଲି ଭାବିଲି । ଅନ୍ତତଃ ଅସାଧୁ ପ୍ରକୃତିର ବୋଲି ମନେହେଲେ ନାହିଁ । ବେଶ୍‌ ସରଳ ଲୋକ । କେଜାଣି କାଳେ ଗହର ମୋ ସମ୍ପର୍କରେ ସବୁକଥା କହିଦେଇଥିବ, ଅନ୍ତତଃ ଯେତିକି ସେ ଜାଣିଛି । ବାବାଜୀ ସହଜରେ ତାହା ସ୍ୱୀକାର କଲେ । ଟିକିଏ ଆଡ଼ବାୟା ପ୍ରକୃତିର ଲୋକ । ହୁଏତ କବିତା ଓ ବୈଷ୍ଣବ ରସଚର୍ଚ୍ଚା ହେତୁ ଟିକିଏ ବିଭ୍ରାନ୍ତ ।

 

ଅଳ୍ପକାଳପରେ ଗହର ଗୋସାଇଁ ସଙ୍ଗେ କମଳଲତା ଆସି ପହଞ୍ଚିଲା । ବୟସ ତିରିଶରୁ ଅଧିକ ହେବ ନାହିଁ । ଶ୍ୟାମବର୍ଣ୍ଣ, ଛେଚାପିଟା ଗଢ଼ଣ । ହାତରେ କେତେପଟ ଚୁଡ଼ି, ହୁଏତ ପିତ୍ତଳର-। ସୁନାର ବି ହୋଇପାରେ । ମୁଣ୍ଡର କେଶ ଛୋଟ ନୁହେଁ । ଗୋରୁ ବୋଳାହୋଇ ପିଠି ପଛରେ ଝୁଲୁଥାଏ । ଗଳାରେ ତୁଳସୀର ମାଳା । ହାତରେ ଝୁଲାମୁଣି ଭିତରେ ବି ତୁଳସୀର ମାଳା-। ସାଦାସିଧା; କୌଣସି ବେଶୀ ଆଡ଼ମ୍ବର ନାହିଁ । ହୁଏତ ଚିତାଚଇତନ ସକାଳବେଳା ଥିଲା, ଏ ବେଳକୁ କିଛି କିଛି ପୋଛି ହୋଇଯାଇଛି । ତାହା ମୁହଁକୁ ଚାହିଁବା କ୍ଷଣି କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲି । ବିସ୍ମୟରେ ମନେହେଲା, ଏହି ଆଖି ଏବଂ ମୁହଁର ଭଙ୍ଗୀଟା ଯେପରି ମୋର ପରିଚିତ ଏବଂ ଚାଲିବାର ଢଙ୍ଗଟା ପୂର୍ବେ କେଉଁଠାରେ ଦେଖିଛି ।

 

ବୈଷ୍ଣବୀ କଥା କହିଲା । ସେ ଯେ ନୀଚସ୍ତରର ଲୋକ ନୁହେଁ ତତ୍‌କ୍ଷଣାତ୍‌ ବୁଝିପାରିଲି-। ସେ କିଛିମାତ୍ର ଭୂମିକା ନକରି, ସିଧା ମୋ ମୁହଁକୁ ଚାହିଁ କହିଲା କ’ଣ ଗୋସାଇଁ, ଚିହ୍ନିପାରୁଛ ?

 

କହିଲି– ନା, କିନ୍ତୁ କେଉଁଠାରେ ଦେଖିଥିଲା ପରି ମନେହେଉଛି ।

 

ବୈଷ୍ଣବୀ କହିଲା– ଦେଖିଛି ବୃନ୍ଦାବନରେ । ବର୍ତ୍ତମାନ ସୁଦ୍ଧା ବଡ଼ ଗୋସାଇଁଙ୍କଠାରୁ ଖବରଟା କ’ଣ ଶୁଣିନ ?

 

କହିଲି– ତାହା ଅବଶ୍ୟ ଶୁଣିଛି । କିନ୍ତୁ ବୃନ୍ଦାବନ ତ ମୁଁ କେବେ ଏ ଜନ୍ମରେ ଯାଇନାହିଁ ।

 

ବୈଷ୍ଣବୀ କହିଲା– କିଏ କହିଲା ଯାଇନାହିଁ ? ଅନେକକାଳ କଥା, ତେଣୁ ହଠାତ୍‌ ସ୍ମରଣ ହେଉନାହିଁ । ସେଠାରେ ଗୋରୁ ଚରାଉଥିଲ, ଫଳ ତୋଳି ଆଣୁଥିଲ, ବନ ଫୁଲର ମାଳା ଗୁନ୍ଥି ମୋ ଗଳାରେ ପିନ୍ଧାଇ ଦେଉଥିଲ, ଏସବୁ କଥା କ’ଣ ଭୁଲିଗଲ ? ଏହା କହି ସେ ଓଠ ଚିପି ମୃଦୁ ମୃଦୁ ହସିବାକୁ ଲାଗିଥାଏ ।

 

ବୁଝିପାରିଲି ସେ ଥଟ୍ଟା କରୁଛି । କିନ୍ତୁ ମୋତେ କି ବଡ଼ ଗୋସାଇଁଙ୍କୁ ଠିକ୍‌ ଅନୁମାନ କରିପାରିଲି ନାହିଁ । କହିଲା–ରାତି ହୋଇଆସୁଛି । ଆଉ ଜଙ୍ଗଲରେ ବସି ରହୁଛି କାହିଁକି ? ଭିତରକୁ ଚାଲ ।

 

କହିଲି–ଜଙ୍ଗଲବାଟରେ ମୋତେ ବହୁତ ଯିବାକୁ ହେବ । ବରଞ୍ଚ କାଲି ପୁଣି ଥରେ ଆସିବି ।

 

ବୈଷ୍ଣବୀ ପଚାରିଲା–ଏଠାକାର ସନ୍ଧାନ ଦେଲା କିଏ ? ନବୀନ ?

 

: ହଁ, ସେହି ହିଁ ।

 

: କମଲୀଲତାର କଥା କହି ନାହିଁ ?

 

: ହଁ, ତାହା ମଧ୍ୟ କହିଛି ।

 

: ବୈଷ୍ଣବୀର ଜାଲ ଛିଣ୍ଡାଇ ସହଜରେ ବାହାରିଯାଇ ହୁଏ ନାହିଁ । ତୁମକୁ ଏ ବିଷୟରେ ସାବଧାନ କରିଦେଇ ନାହିଁ ?

 

ହସିକରି କହିଲି–ହଁ, ତାହା ବି କରିଛି ।

 

ବୈଷ୍ଣବୀ ହସି ପକାଇଲା । କହିଲା ନବୀନ ହୁସିଆର ମାଝି । ତାକଥା ନ ଶୁଣି ଭଲ କରି ନାହଁ ।

 

: କାହିଁକି; କୁହ ତ ?

 

ବୈଷ୍ଣବୀ ଏହାର ଉତ୍ତର ଦେଲା ନାହିଁ । ଗହରକୁ ଦେଖାଇ କହିଲା–ଗୋସାଇଁ କହୁଥିଲେ, ତୁମେ ବିଦେଶକୁ ଯାଉଛ ଚାକିରି କରିବା ପାଇଁ । ତୁମର ତ କେହିନାହାନ୍ତି । ତେଣୁ ଚାକେରି କରିବ କାହିଁକି ?

 

: ତେବେ କ’ଣ କରିବି ?

 

: ଆମେମାନେ ଯାହା କରୁଛୁ । ଗୋବିନ୍ଦଜୀଉଙ୍କ ପ୍ରସାଦ ତ ଆଉ କେହି କାଢ଼ି ନେଇପାରିବେ ନାହିଁ ।

 

: ସେ କଥା ଅବଶ୍ୟ ଜାଣେ । କିନ୍ତୁ ବୈରାଗୀଗିରି ମୋର ନୂଆ ନୁହେଁ ।

 

ବୈଷ୍ଣବୀ ହସିଦେଇ କହିଲା– ସେ କଥା ବୁଝିପାରୁଛି । ବୋଧହୁଏ ଆପଣଙ୍କ ଧାତୁରେ ଯାଇନାହିଁ ?

 

: ନା, ବେଶୀଦିନ ଯାଏନାହିଁ ।

 

ବୈଷ୍ଣବୀ ମୁଚକି ମୁଚକି ହସିଲା, କହିଲା, ତୁମ ପକ୍ଷରେ କମ ହେବାଟା ଭଲ । ଭିତରକୁ ଆସ । ଅନ୍ୟମାନଙ୍କ ସଙ୍ଗେ ଭାବ କରାଇଦେବି । ସେଠାରେ କମଳ ବନ ଅଛି ।

 

 

: ତା’ ଅବଶ୍ୟ ଶୁଣିଛି । କିନ୍ତୁ ଅନ୍ଧକାରରେ ଫେରିବି କିପରି ?

 

ବୈଷ୍ଣବୀ ପୁଣି ହସିଲା, କହିଲା– ଅନ୍ଧକାରରେ ଆମେମାନେ ଫେରିବାକୁ ଦେବୁଅବା କାହିଁକି ? ଅନ୍ଧକାର କଟିଯିବ ଗୋ କଟିଯିବ । ସେତେବେଳେ ଯିବ । ଆସ ।

 

: ଚାଲ ।

 

ବୈଷ୍ଣବୀ କହିଲା– ଗୌର ! ଗୌର !

 

ଗୌର, ଗୌର, କହି କହି ମୁଁ ମଧ୍ୟ ଅନୁସରଣ କଲି ।

 

ଯଦିଓ ଧର୍ମାଚରଣ ପାଇଁ ନିଜର ମତିଗତି ନଥାଏ; କିନ୍ତୁ ଯେଉଁମାନଙ୍କର ଥାଏ ସେମାନଙ୍କ କାର୍ଯ୍ୟରେ ବାଧା କେବେ ସୃଷ୍ଟି କରେ ନାହିଁ । ମୁଁ ମନେମନେ ନିଶ୍ଚିନ୍ତ ଯେ ଏହି ଗୁରୁତର ବିଷୟର କୌଣସି ଅନ୍ଧିସନ୍ଧି ମୁଁ କେବେ ଖୋଜି ପାଇପାରିବି । ତଥାପି ଧାର୍ମିକମାନଙ୍କୁ ମୁଁ ଭକ୍ତି କରେ । ବିଖ୍ୟାତ ସାଧୁଜୀ ଏବଂ ସୁଖ୍ୟାତ ସାଧୁଜୀ, କାହାକୁ ଛୋଟ କିମ୍ୱା ବଡ଼ ବୋଲି ମନେକରେ ନାହିଁ । ଉଭୟଙ୍କର ବାଣୀ ହିଁ ମୋ କର୍ଣ୍ଣରେ ସମାନ ମଧୁବର୍ଷଣ କରେ ।

 

ବିଶେଷଜ୍ଞମାନଙ୍କଠାରୁ ଶୁଣିଛି ଯେ ବଙ୍ଗଳା ଦେଶର ଆଧ୍ୟାତ୍ମିକ ସାଧନାର ନିଗୂଢ଼ ରହସ୍ୟ ବୈଷ୍ଣବ ସଂପ୍ରଦାୟ ଭିତରେ ଗୁପ୍ତ ଅଛି ଏବଂ ସେହିଟା ହିଁ କୁଆଡ଼େ ବଙ୍ଗଳାର ଖାଣ୍ଟି ନିଜସ୍ୱ ଜିନିଷ । ଏହା ପୂର୍ବରୁ ସାଧୁସନ୍ନ୍ୟାସୀଙ୍କର ସଙ୍ଗ କିଛି କିଛି କରିଥାଏ । ଯଦିଓ ଫଳ ଲାଭର ବିବରଣୀ ପ୍ରକାଶ କରିବାକୁ ଇଚ୍ଛା କରୁ ନାହିଁ କିନ୍ତୁ ଏଥର ଖାଣ୍ଟି ଜିନିଷ ଯଦି କପାଳରେ ଜୁଟିଯାଇପାରେ ତ ଏ ସୁଯୋଗକୁ ବ୍ୟର୍ଥ ହେବାକୁ ଦେବି ନାହିଁ ବୋଲି ମନେମନେ ସଂକଳ୍ପ କଲି । ପୁଣ୍ଟୁର ଚତୁର୍ଥୀ । ଭୋଜିର ନିମନ୍ତ୍ରଣ ମୋତେ ରଖିବାକୁ ହେବ । ଅନ୍ତତଃ ସେଇ କେତେଟା ଦିନ କଲିକତାରେ ନିଃସଙ୍ଗ ମେସ୍‌ ପରିବର୍ତ୍ତରେ ବୈଷ୍ଣବୀ ଆଖଡ଼ାରେ ଆଖପାଖରେ କେଉଁଠି କଟାଇପାରିଲେ, ଆଉ ଯାହାହେଉ ଜୀବନର ସଞ୍ଚୟରୁ ବିଶେଷ କିଛି ଲୋକସାନ ଘଟିବ ନାହିଁ ।

 

ଭିତରକୁ ଯାଇ ଦେଖିଲି କମଳଲତାର କଥା ମିଛ ନୁହେଁ । ସେଠାରେ ପ୍ରକୃତରେ କମଳର ବନ ଅଛି କିନ୍ତୁ ତାହା ଦଳିତ ଏବଂ ବିଦଳିତ । ମତ୍ତହସ୍ତୀ ଗୁଡ଼ାକଙ୍କର ସନ୍ଧାନ ମିଳିଲା ନାହିଁ, କିନ୍ତୁ ବହୁ ପଦଚିହ୍ନ ବିଦ୍ୟମାନ । ବୈଷ୍ଣବୀ ମାନେ ନାନା ବୟସର ଓ ନାନା ଚେହେରାର ଏବଂ ନାନା କାର୍ଯ୍ୟରେ ବ୍ୟାପୃତ । କେହି ଦୁଧକୁ ଆଉଟୁଛି ତ କେହି କ୍ଷୀର ତିଆରି କରୁଛି, କେହି ଲଡ଼ୁ ତିଆରି କରୁଛି, ତ କେହି ମଇଦା ଚକଟୁଛି । କେହି ଫଳମୂଳ କାଟୁଛି, ଏସବୁ ଠାକୁରଙ୍କର ରାତିର ଭୋଗ ସାମଗ୍ରୀ । ଜଣେ ଅପେକ୍ଷାକୃତ ଅଳ୍ପ ବୟସୀ ବୈଷ୍ଣବୀ ଏକମନରେ ବସି ଫୁଲମାଳ ଗୁନ୍ଥୁଥାଏ ଏବଂ ତାହା ନିକଟରେ ବସି ଆଉ ଜଣେ ନାନା ରଙ୍ଗର ଛୋଟ ଛୋଟ ଲୁଗାକୁ ଅତି ଯତନରେ କୁଞ୍ଚ କରି ରଖୁଥାଏ ସମ୍ଭବତଃ ଶ୍ରୀ ଶ୍ରୀ ଗୋବିନ୍ଦ ଜୀଉ କାଲି ସ୍ନାନାନ୍ତେ ସେସବୁ ପରିଧାନ କରିବେ । କେହି ହେଲେ ସେଇମିତି କାମ ନଥାଇ ବସିନଥାନ୍ତେ । ସେମାନଙ୍କର କାର୍ଯ୍ୟ ପ୍ରତି ଆଗ୍ରହ ଓ ଏକାଗ୍ରତା ଦେଖି ଆଶ୍ଚର୍ଯ୍ୟ ହେବାକୁ ହୁଏ । ସମସ୍ତେ ମୋ ଆଡ଼କୁ ଚାହିଁ ଦେଖିଲେ କିନ୍ତୁ ନିମିଷକ ପାଇଁ । କୌତୂହଳର ଅବସର ନାହିଁ । ସମସ୍ତଙ୍କ ଓଷ୍ଠଧାର କମ୍ପିବାକୁ ଲାଗିଥାଏ । ବୋଧହୁଏ ମନେମନେ ନାମ ଜପ କରୁଥିବେ । ଏଣେ ବେଳ ଗଡ଼ି ଯିବାରୁ ଗୋଟାଏ ଦୁଇଟା ଦୀପ ଲାଗିଗଲାଣି । କମଳଲତା କହିଲା–ଚାଲ । ଠାକୁରଙ୍କୁ ନମସ୍କାର କରି ଆସିବ । ଆଚ୍ଛା ତୁମକୁ କ’ଣ ବୋଲି ଡାକିବି କହିଲ ? ନୂତନ ଗୋସାଇଁ ବୋଲି ଡାକିଲେ ଚଳିବ ନାହିଁ ?

 

କହିଲି–ହେବ ନାହିଁ କାହିଁକି ? ତୁମ ଏଠାରେ ଯେତେବେଳେ ଗହର ପର୍ଯ୍ୟନ୍ତ ଗୋସାଇଁ ହୋଇଛି ସେତେବେଳେ ଅନ୍ତତଃ ମୁଁ ତ ବ୍ରାହ୍ମଣ ପିଲା । କିନ୍ତୁ ମୋ ନିଜ ନାଆଁଟା ଅବା କି ଦୋଷ କଲା ? ତାରି ସହିତ ଆଉ ଗୋଟିଏ ଗୋସାଇଁ ଯୋଡ଼ିଦେଉନ ।

 

କମଳଲତା ଚୁପି ଚୁପି ହସି କହିଲା– ସେ କଥା ହେବ ନାହିଁ ଠାକୁରେ–ହେବ ନାହିଁ । ସେ ନାମ ଆମେମାନେ ଧରୁ ନାହୁଁ । ଅପରାଧ ହୁଏ । ଆସ ।

 

: ହଁ ଯାଉଛି । କିନ୍ତୁ ଅପରାଧଟା କାହାର ହୁଏ ?

 

କାହାର, ସେ କଥା ଶୁଣି ତୁମର ଲାଭ କ’ଣ ? ଆଚ୍ଛା ଲୋକ ତ !

 

ଯେଉଁ ବୈଷ୍ଣବୀଟି ମାଳା ଗୁନ୍ଥୁଥିଲା, ସେ ଫିକ୍‌ କରି ହସିଦେଇ ମୁହଁ ତଳକୁ କଲା ।

 

ଠାକୁରେ ଘରେ କଳା ପଥର ଓ ପିତ୍ତଳର ରାଧାକୃଷ୍ଣ ଯୁଗଳ ମୂର୍ତ୍ତି । ଗୋଟିଏ ନୁହେଁ । ଅନେକ ଗୁଡ଼ିଏ । ଏଠାରେ ପାଞ୍ଚ ଛଅଜଣ ବୈଷ୍ଣବୀ କାମରେ ନିଯୁକ୍ତି । ଆରତୀର ସମୟ ହୋଇ ଆସୁଥିଲା । ନିଶ୍ୱାସ ମାରିବାକୁ ଫୁର୍‌ସତ୍‌ ନଥାଏ ।

 

ଭକ୍ତିଭରେ ଯଥାରୀତି ପ୍ରମାଣ କରି ବାହାରି ଆସିଲି । ଠାକୁରେ ଘର ବ୍ୟତୀତ ଅନ୍ୟସବୁ ଘର ମାଟିର । କିନ୍ତୁ ଯତ୍ନ ସହକାରେ ପରିଷ୍କୃତ ଓ ପରିଚ୍ଛନ୍ନ । ବିନା ଆସନରେ କେଉଁଠାରେ ବସିବାକୁ ମନରେ କୁଣ୍ଠା ଆସେ ନାହିଁ । ତଥାପି କମଳଲତା ପୂର୍ବଦିଗ ବାରଣ୍ଡାର ଗୋଟିଏ କଣରେ ଆସନ ପକାଇଦେଲା । କହିଲା–ଏଇଠାରେ ବସିଥାଅ । ମୁଁ ଟିକିଏ ତୁମ ରହିବା ଘରଟା ସଜେଇ ଦେଇ ଆସେ ।

 

: ମୋତେ ଏଠାରେ କ’ଣ ଆଜି ରହିବାକୁ ହେବ କି ?

 

: କାହିଁକି ? ଭୟ କ’ଣ ? ମୁଁ ଥିଲେ ତୁମର କଷ୍ଟ କିଛି ହେବ ନାହିଁ ।

 

କହିଲି–କଷ୍ଟ ପାଇଁ ନୁହେଁ, କିନ୍ତୁ ଗହର ରାଗ କରିବ ଯେ ।

 

ବୈଷ୍ଣବୀ କହିଲା–ସେ ଭାର ମୋର । ମୁଁ ଧରି ରଖିଲେ ତୁମ ବନ୍ଧୁ ଏତେ ଟିକିଏ ହେଲେ ରାଗ କରିବେ ନାହିଁ । ଏହା କହି ସେ ହସିଦେଇ ଚାଲିଗଲା ।

 

ଏକାକୀ ବସି ଅନ୍ୟାନ୍ୟ ବୈଷ୍ଣବୀମାନଙ୍କ କାମ ଦେଖିବାରେ ଲାଗିଲି । ପ୍ରକୃତରେ ସମୟ ନଷ୍ଟ କରିବାକୁ ସେମାନଙ୍କର ସମୟ ନାହିଁ । ମୋ ଆଡ଼େ କେହି ଫେରି ଚାହିଁଲେ ମଧ୍ୟ ଦଶ ମିନିଟ୍‌ ପରେ କମଳଲତା ଯେତେବେଳେ ଫେରିଆସିଲା ସେତେବେଳକୁ କାମ ସାରି ସମସ୍ତେ ଉଠି ଚାଲି ଯାଇଥିଲେ । ପଚାରିଲି–ତୁମେ କ’ଣ ମଠର ମାଲିକାଣୀ ?

 

କମଳଲତା ଜିଭ କାମୁଡ଼ି କହିଲା, ଆମେ ସମସ୍ତେ ହେଉଛୁ ଗୋବିନ୍ଦ ଜୀଉଙ୍କର ଦାସୀ-। କେହି ଛୋଟ ନୁହନ୍ତି କିମ୍ୱା ବଡ଼ ନୁହନ୍ତି । ଜଣ ଜଣକୁ ଗୋଟିଏ ଦାୟିତ୍ୱ ଆମଉପରେ ପ୍ରଭୁ ବାଣ୍ଟି ଦେଇଛନ୍ତି । ଏହା କହି ସେ ମନ୍ଦିର ଉଦ୍ଦେଶ୍ୟରେ ହାତଯୋଡ଼ି ମୁଣ୍ଡରେ ଲଗାଇଲା-। କହିଲା– ଏପରି କଥା କଦାପି ତୁଣ୍ଡରେ ଧରିବ ନାହିଁ ।

 

କହିଲି– ଏଣିକି ତାହା ହିଁ ହେବ । ଆଚ୍ଛା ବଡ଼ ଗୋସାଇଁ ଆଉ ଗହର ଗୋସାଇଁଙ୍କୁ ତ ଦେଖୁ ନାହିଁ ?

 

ବୈଷ୍ଣବୀ କହିଲା– ସେମାନେ ଏଇ ଆସିଲେ ଜାଣ । ସେ ଦୁହେଁ ନଦୀକୁ ଗାଧୋଇବାକୁ ଯାଇଛନ୍ତି ।

 

: ଏତେ ରାତିରେ ? ଆଉ ସେହି ନଦୀକୁ ?

 

: ହଁ ।

 

: ଗହର ମଧ୍ୟ ?

 

: ହଁ ।

 

ଶ୍ରୀକାନ୍ତ

କିନ୍ତୁ ମୋତେ ଗାଧୋଇବାକୁ କହିଲା ନାହିଁ କାହିଁକି ?

 

ବୈଷ୍ଣବୀ ହସିଦେଇ କହିଲା– ଆମେମାନେ କାହାକୁ ସ୍ନାନ କରିବାକୁ କହୁ ନାହୁଁ । ସେମାନେ ଆପେଆପେ ସ୍ନାନ କରନ୍ତି । ଠାକୁରଙ୍କ ଦୟାହେଲେ ତୁମେ ମଧ୍ୟ ଦିନେ କରି ବସିବ । ସେଦିନ ମନାକଲେ ସୁଦ୍ଧା ଶୁଣିବ ନାହିଁ ।

 

କହିଲି– ଗହର ଭାଗ୍ୟବାନ । ମୋର ତ ଟଙ୍କା ନାହିଁ । ମୁଁ ଗରିବ ଲୋକ । ମୋ ପ୍ରତି ହୁଏତ ଠାକୁରଙ୍କର ଦୟା ହେବ ନାହିଁ ।

 

ବୈଷ୍ଣବୀ ବୋଧହୁଏ ଇଙ୍ଗିତଟା ବୁଝିପାରିଲା ଏବଂ ରାଗି କରି କ’ଣ ଯେପରି କହିବାକୁ ଯାଉଥିଲା କିନ୍ତୁ କହିଲା ନାହିଁ । ତାପରେ କହିଲା–ଗହର ଗୋସାଇ ଯାହା ହୁଅନ୍ତୁ ନା କାହିଁକି ତୁମେ ଗରିବ ନୁହଁ । ଅନେକ ଟଙ୍କା ଦେଇ ଯିଏ ପରକୁ କନ୍ୟା ଦାୟରୁ ଉଧାର କରିପାରେ ଠାକୁର ତାକୁ ଗରିବ ବୋଲି ଭାବନ୍ତି ନାହିଁ । ତୁମ ଉପରେ ଦୟା ନହେବ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

କହିଲି–ତେବେ ସେ ହେଉଛି ଭୟର କଥା । ତଥାପି କପାଳରେ ଯାହା ଲେଖା ଅଛି ତାହା ହିଁ ଘଟିବ । କିନ୍ତୁ ପଚାରୁଛି–କନ୍ୟା ଦାୟରୁ ଉଦ୍ଧାର କରିବା ଖବର ତୁମେ ପାଇଲ କେଉଁଠୁ ?

 

ବୈଷ୍ଣବୀ କହିଲା– ଆମେମାନେ ବାର ଦୁଆରକୁ ଭିକ୍ଷା କରିବାକୁ ଯାଉ । ତେଣୁ ସବୁ ଖବର ଶୁଣିବାକୁ ପାଉ ।

 

: କିନ୍ତୁ ଏ ଖବର ମଧ୍ୟ ଏ ପର୍ଯ୍ୟନ୍ତ ପାଇ ନାହିଁ ଯେ ମୋତେ ଟଙ୍କା ଦେବାକୁ ପଡ଼ିଲା ନାହିଁ ।

 

ବୈଷ୍ଣବୀ ଟିକିଏ ବିସ୍ମିତ ହେଲା । ତାପରେ କହିଲା–ନା, ଏ ଖବର ପାଇନାହିଁ । କିନ୍ତୁ ହେଲା କ’ଣ ? ବାହାଘର କ’ଣ ଭାଙ୍ଗିଗଲା ?

 

ହସିଦେଇ କହିଲି– ବାହାଘର ଭାଙ୍ଗି ଯାଇ ନାହିଁ । କିନ୍ତୁ ଭାଙ୍ଗିପଡ଼ିଛନ୍ତି କାଳିଦାସବାବୁ, ବରର ବାପ ନିଜେ । ପରର ଦାନ କଉଡ଼ିକୁ ହାତପାତି ଭିକ୍ଷା କରିନେବାକୁ ସେ ଲଜ୍ଜ୍ୟାବୋଧ କଲେ । ମୁଁ ମଧ୍ୟ ରକ୍ଷା ପାଇଗଲି । ଏହା କହି ଘଟଣାଟା ସଂକ୍ଷେପରେ ବର୍ଣ୍ଣନା କଲି ।

 

ବୈଷ୍ଣବୀ ଆଶ୍ଚର୍ଯ୍ୟ ହୋଇ କହିଲା–କ’ଣ କହୁଛ ! ଏ ଯେ ନୂଆ କଥା ଘଟିଲା ।

 

କହିଲି– ଠାକୁରଙ୍କ ଦୟା । କେବଳ କ’ଣ ଗହର ଗୋସାଇଁ ପଚାନଦୀ ଜଳରେ ସନ୍ଧ୍ୟାବେଳେ ଡୁବ ମାରିପାରିବେ ଆଉ ସଂସାରରେ କେଉଁଠାରେ କିଛି ଅଘଟଣ ଘଟିବ ନାହିଁ ? ତାଙ୍କ ଲୀଳା ଅବା କି ପ୍ରକାରରେ ଆଉ ପ୍ରକାଶ ପାଇପାରିବ କୁହତ ? ଏହା କହି ବୈଷ୍ଣବୀର ମୁହଁକୁ ଚାହିଁ ଅନୁମାନ କରିପାରିଲି ଯେ ଏପରି କଥାଟା କହି ମୁଁ ଭଲ ନାହିଁ । ଏଥରର କଥା ମାତ୍ରାଧିକ ହୋଇଗଲା ।

 

ବୈଷ୍ଣବୀ କିନ୍ତୁ ପ୍ରତିବାଦ କଲା ନାହିଁ । କେବଳ ମନ୍ଦିର ଉଦ୍ଦେଶ୍ୟରେ ହାତ ଯୋଡ଼ି ନୀରବରେ ପ୍ରଣିପାତ କଲା । ସତେ ଯେପରି ମୋ ଅପରାଧ ପାଇଁ କ୍ଷମା ଚାହିଁଲା ।

 

ଆମ ଆଗ ଦେଇ ଜଣେ ବୈଷ୍ଣବୀ ଗୋଟିଏ ଥାଳିରେ ଲୁଚି ଧରି ଠାକୁରଙ୍କ ଘରଭିତରକୁ ଗଲା । ପଚାରିଲି–ବୋଧହୁଏ ତୁମର ଆଜି କିଛି ପର୍ବଦିନ ?

 

ବୈଷ୍ଣବୀ କହିଲା– ନା, ଆଜି କିଛି ପର୍ବଦିନ ନୁହେଁ । ଏହା ଆମର ପ୍ରତିଦିନର ବ୍ୟବସ୍ଥା ଠାକୁରଙ୍କ ଦୟାରୁ କେବେ ଅଭାବ ଘଟି ନାହିଁ ।

 

କହିଲି– ଆନନ୍ଦର କଥା । କିନ୍ତୁ ଆୟୋଜନଟା ବୋଧହୁଏ ରାତିବେଳା ଟିକିଏ ବେଶୀ କରିବାକୁ ପଡ଼େ ?

 

ବୈଷ୍ଣବୀ କହିଲା– ତାହା ମଧ୍ୟ ନୁହେଁ । ସେବା କରିବା ପାଇଁ ସକାଳସନ୍ଧ୍ୟାରେ ତଫାତ୍‌ ନାହିଁ । ଦୟାକର ଯଦି ଦିନ ଦୁଇଟା ରହିପାରିବ ତେବେ ସବୁ ଦେଖିପାରିବ । ମୁଁ ହେଉଛି ଦାସୀର ଦାସୀ । ତାଙ୍କ ସେବା କରିବା ବ୍ୟତୀତ ସଂସାରରେ ଆମର ତ ଆଉ କାମ ନାହିଁ । ଏହା କହି ହାତଯୋଡ଼ି ପୁଣିଥରେ ମନ୍ଦିର ଉଦ୍ଦେଶ୍ୟରେ ନମସ୍କାର କଲା ।

 

ପଚାରିଲା–ଦିନସାରା ତୁମକୁ ଆଉ ସବୁ କ’ଣ କରିବାକୁ ହୁଏ ?

 

ବୈଷ୍ଣବୀ କହିଲା– ଆସି କରି ଯାହା ଦେଖିଲ–ସେଇଆ ହିଁ ।

 

କହିଲି– ଆସି ଦେଖିଲି, ମସଲା ବାଟିବା, କୁଟାକୁଟି କରିବା, ଦୁଧ ସିଝାଇବା, ମାଳ ଗୁନ୍ଥିବା, ଠାକୁରଙ୍କ ଲୁଗାକୁ କୁଞ୍ଚ କରିବା, ଏପରି ଅନେକ କିଛି । ତୁମେମାନେ ସାରାଦିନ କ’ଣ ଏହାହିଁ କର ?

 

ବୈଷ୍ଣବୀ କହିଲା– ହଁ । ସାରାଦିନ ଏହାହିଁ କରିଥାଉ ।

 

: କିନ୍ତୁ ଏସବୁ କାମ ତ ଗୃହୀର କାର୍ଯ୍ୟ । ଝିଅମାନେ କରନ୍ତି । କିନ୍ତୁ ତୁମେମାନେ ତେବେ ଭଜନ ସାଧନା କର କେତେବେଳେ ?

 

ବୈଷ୍ଣବୀ କହିଲା– ହଁ, ଏହାକୁହିଁ କହନ୍ତି ସାଧନା । ଦାସଦାସୀ ହୋଇ ଏହାଠାରୁ ବଡ଼ ସାଧନା ଆଉ ଆମେମାନେ ପାଇବୁ କେଉଁଠାରୁ ଗୋସାଇଁ ? କହୁ କହୁ ତା’ର ସକଳ ଚକ୍ଷୁ ଦୁଇଟି ଅନିର୍ବାଚନୀୟ ମାଧୁର୍ଯ୍ୟରେ ପରିପୂର୍ଣ୍ଣ ହୋଇଉଠିଲା ।

 

ମୋ ହଠାତ୍‌ କିପରି ମନେହେଲା ଏହି ଅପରିଚିତ ବୈଷ୍ଣବୀର ମୁହଁଭଳି ସୁନ୍ଦର ମୁହଁ ମୁଁ ସଂସାରରେ କେବେ ଦେଖିନାହିଁ । ପଚାରିଲି–କମଳଲତା, ତୁମ ଘର କେଉଁଠି ?

 

ବୈଷ୍ଣବୀ ପଣତ କାନିରେ ଆଖି ପୋଛି ହସିଦେଇ କହିଲା–ଗଛତଳେ ।

 

: କିନ୍ତୁ ଗଛତଳେ ତ ଆଉ ସବୁଦିନେ ନ ଥିଲ ?

 

: ସେତେବେଳେ ଥିଲା ଇଟା–କାଠରେ ତିଆରି କୌଣସି ଛୋଟଘର । କିନ୍ତୁ ସେ ଗଳ୍ପ ଗପିବାକୁ ବର୍ତ୍ତମାନ ସମୟ ନାହିଁ ଗୋସାଇ । ଆସ ତ ମୋ ସଙ୍ଗରେ, ମୁଁ ତୁମ ପାଇଁ ଘରଟିକୁ ଦେଖାଇଦେବି ।

 

ଚମତ୍କାର ଘରଟିଏ । ବାଉଁଶର ଅଲୁଗୁଣିରେ ଥିବା ଗୋଟାଏ ମଟାକୁ ଦେଖାଇ ସେ କହିଲା–ଏଇଟାକୁ ପିନ୍ଧି ଠାକୁର ଘରକୁ ଆସି । ଡେରି ନହୁଏ ଯେପରି । ଏହା କହି ସେ ତରତର ହୋଇ ଚାଲିଗଲା ।

 

ଗୋଟିଏ ପାଖରେ ତକ୍ତପୋଷ ଉପରେ ବିଛଣା ବିଛା ହୋଇଥାଏ । ନିକଟରେ ଜଳଚୌକି ଉପରେ ଥୁଆ ହୋଇଥାଏ କେତେଗୁଡ଼ିଏ ଗ୍ରନ୍ଥ ଏବଂ ଥାଳିଏ ବଉଳ ଫୁଲ । ଏଇମାତ୍ର ପ୍ରଦୀପ ଜଳାଇ ଦେଇ କେହି ବୋଧହୁଏ ଧୂପଝୁଣା ଦେଇଯାଇଛି । ତାହାର ଗନ୍ଧରେ ଏବଂ ଧୂଆଁରେ ଘରଟି ପରିପୂର୍ଣ୍ଣ । ଭାରି ଭଲ ଲାଗିଲା । ଦିନସାରା କ୍ଳାନ୍ତି ଥିଲା । ଠାକୁର ଦେବତାଙ୍କୁ ତ ସବୁଦିନ ବାଟକାଟି ଚାଲେ । ସୁତରାଂ ସେଥିପ୍ରତି ଆକର୍ଷଣ ନଥିଲା । ଲୁଗା ବଦଳାଇ ଚୁପ୍‌ ହୋଇ ବିଛଣାରେ ଶୋଇପଡ଼ିଲି । କେଜାଣି ଏ କାହାର ଘର । କାହାର ଶଯ୍ୟା । କେଉଁ ଅଚିହ୍ନା ବୈଷ୍ଣବୀ ରାତିକପାଇଁ ମୋତେ ଧାର ଦେଇଗଲା, କିମ୍ୱା ହୁଏତ ଏ କମଳଲତାର ହେଇପାରେ । ଏସବୁ ଚିନ୍ତାରେ ସାଧାରଣତଃ ମୋ ମନ ବଡ଼ ସଂକୁଚିତ ହୋଇପଡ଼େ ଅଥଚ ଆଜି କିଛି ମନେହେଲା ନାହିଁ; ସତେ ଯେପରି କେତେକାଳର ଆପଣାର ଲୋକ ନିକଟରେ ହଠାତ୍‌ ଆସି ପହଞ୍ଚିଯାଇଛି । ବୋଧହୁଏ ଟିକିଏ ଛାଇ ନିଦ ମାଡ଼ିଆସିଲା, ଏଇ ସମୟରେ କିଏ ଦୁଆର ବାହାରେ ରହି ଡାକିଲା–ନୂତନ ଗୋସାଇଁ, କ’ଣ ମନ୍ଦିରକୁ ଯିବ କାହିଁକି ? ସେମାନେ ତୁମକୁ ଡାକୁଛନ୍ତି ଯେ ...

 

ଧଡ଼ପଡ଼ ହୋଇ ଉଠିବସିଲି । ଖୋଳ ସହିତ କୀର୍ତ୍ତନର ସ୍ୱର କାନକୁ ଶୁଣାଗଲା । ବହୁଲୋକଙ୍କ ସମବେତ କୋଳାହଳ ନୁହଁ । ଗୀତର କଥାଗୁଡ଼ିକ ଯେପରି ମଧୁର, ସେହିପରି ସୁସ୍ପଷ୍ଟ । ବାମାକଣ୍ଠ । ରମଣୀକୁ ଆଖିରେ ନ ଦେଖିପାରି ସ୍ପଷ୍ଟ ଅନୁମାନ କରିପାରିଲି ଯେ, ଏ ହେଉଛି କମଳଲତା । ନବୀନର ବିଶ୍ୱାସ ଏହି ମିଠାସ୍ୱର ହିଁ ତା’ର ମୁନିବଙ୍କୁ ମଜ୍ଜେଇ ରଖିଛି । ମନେହେଲା, ଅସମ୍ଭବ ନୁହେଁ । ଅନ୍ତତଃ ବକ୍ଷରେ ଅସଙ୍ଗତ ମଧ୍ୟ ନୁହେଁ ।

 

ମନ୍ଦିର ଭିତରେ ପହଞ୍ଚି ଗୋଟିଏ ପାଖରେ ଚୁପ୍‌ଚାପ ହୋଇ ବସିଲି । କେହି ମୋ ଆଡ଼କୁ ଚାହିଁଲେ ନାହିଁ । ସମସ୍ତଙ୍କ ଦୃଷ୍ଟି ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଉପରେ ନିବଦ୍ଧ । ମଝିରେ ଠିଆହୋଇ କମଳଲତା କୀର୍ତ୍ତନ କରିବାରେ ଲାଗିଛି–

 

‘‘ମଦନ ଗୋପାଳ ଜୟ ଜୟ, ଯଶୋଦା ଦୁଲାଳ କି

ଯଶୋଦା ଦୁଲାଳ କି ଜୟ ଜୟ ନନ୍ଦ ଦୁଲାଳ କି

ନନ୍ଦ ଦୁଲାଳ କି ଜୟ ଜୟ ଗିରିଧାରୀ ଲାଲ କି

ଗିରିଧାରୀ ଲାଲ ଜୟ ଜୟ, ଗୋବିନ୍ଦ ଗୋପାଳ କି ।’’

 

ଏହି ସହଜ ଓ ସାଧାରଣ କଥା କେତୋଟିର ଆଲୋଡ଼ନ ଫଳରେ ଭକ୍ତର ଗଭୀର ବକ୍ଷସ୍ଥଳ ମନ୍ଥିତ କରି କି ଯେ ସୁଧା ତରଙ୍ଗାୟିତ ହୋଇଉଠେ ତାହା ମୋ ପକ୍ଷରେ ଉପଲବ୍‌ଧି କରିବା କଠିନ । କିନ୍ତୁ ଦେକିବାକୁ ପାଇଲି ଉପସ୍ଥିତ କାହାର ଚକ୍ଷୁ ଶୁଷ୍କ ନୁହେଁ । ଗାୟିକାର ଦୁଇଚକ୍ଷୁ ପ୍ଳାବିତ ହୋଇ ଅଶ୍ରୁ ଝରିବାରେ ଲାଗିଛି ଏବଂ ଭାବର ଗୁରୁ ଭାରରେ ତାହାର କଣ୍ଠସ୍ୱର କିପରି ମଝିରେ ମଝିରେ ଭାଙ୍ଗିପଡ଼ୁଛି । ଏଇସବୁ ରସର ରସିକ ମୁଁ ନୁହେଁ । ତଥାପି କିନ୍ତୁ ମୋ ଅନ୍ତର ଭିତରଟା କିପରି ଚହଲି ଉଠିଲା । ବାବାଜୀ ଦ୍ୱାରୀକା ଦାସ କାନ୍ଥକୁ ଆଉଜି ଆଖିବୁଜି କରି ରହିଥିଲେ । ସେ ସଚେତନ କି ଅଚେତନ ତାହା ବୁଝାପଡ଼ିଲା ନାହିଁ । କେବଳ କ୍ଷଣପୂର୍ବରୁ ସ୍ନିଗ୍‌ଧ ହାସ୍ୟ ପରିହାସଚଞ୍ଚଳା କମଳଲତା ନୁହେଁ, ଏବଂ ସାଧାରଣ ଗୃହ କର୍ମରେ ନିଯୁକ୍ତା ଯେଉଁସବୁ ବୈଷ୍ଣବୀ ଗଣ ତୁଚ୍ଛ କୁରୂପା ବୋଲି ମନେହୋଇଥିଲେ, ସେମାନେ ଯେପରି ଏଇ ଧୂପ ଓ ଝୁଣାର ଧୂମାଚ୍ଛନ୍ନ ଗୃହର ଅନୁଜ୍ଜ୍ୱଳ ଦୀପାଲୋକରେ ମୋ ଆଖିରେ ମୁହୂର୍ତ୍ତକ ପାଇଁ ଅପରୂପ ଦେଖାଗଲେ । ମୋର ଯେପରି ମନେହେବାକୁ ଲାଗିଲା, ନିକଟରେ ଥିବା ପଥରମୂର୍ତ୍ତି ପ୍ରକୃତରେ ଆଖି ଖୋଲି ରହିଛି ଏବଂ କାନପୋତି କୀର୍ତ୍ତନର ସମସ୍ତ ମାଧୁର୍ଯ୍ୟକୁ ଉପଭୋଗ କରୁଛି ।

 

ଭାବର ଏଇ ବିହ୍ୱଳ ମୁଗ୍‌ଧତାକୁ ଅତ୍ୟନ୍ତ ଭୟ କରେ । ବ୍ୟସ୍ତ ହୋଇ ବାହାରକୁ ଚାଲିଆସିଲି । କେହି ଲକ୍ଷ୍ୟ ମଧ୍ୟ କରିପାରିଲେ ନାହିଁ । ଦେଖିଲି ଅଗଣାର ଗୋଟାଏ କଣରେ ଗହର ବସି ରହିଛି । କେଉଁଠାରୁ ଗୋଟାଏ ଆଲୋକର ରେଖା ଆସି ତା’ ଦେହରେ ପଡ଼ିଛି । ମୋ ପାଦଶବ୍ଦରେ ତା’ ଧ୍ୟାନ ଭାଙ୍ଗିଲା ନାହିଁ । କିନ୍ତୁ ସେହି ଏକାନ୍ତ ଭାବରେ ମଜ୍ଜି ଯାଇଥିବା ଲୋକଟିର ମୁହଁଟିକୁ ଚାହିଁ ମୁଁ ମଧ୍ୟ ହଲଚଲ ହୋଇପାରିଲି ନାହିଁ । ସେହିଠାରେ ସ୍ତବ୍‌ଧ ହୋଇ ଠିଆହୋଇ ରହିଲି । ମନେହେବାକୁ ଲାଗିଲା; ବୋଧହୁଏ ମୋତେ ଏକାକୀ କରିଦେଇ ଏ ଘରର ଅନ୍ୟସମସ୍ତେ ଯେପରି ଆଉ ଗୋଟିଏ ଦେଶକୁ ଚାଲିଯାଇଛନ୍ତି–ଯେଉଁ ଦେଶକୁ ଯିବାପାଇଁ ରାସ୍ତା ମୋତେ ଜଣା ନାହିଁ । ଘରକୁ ଫେରିଆସି ଆଲୁଅ ଲିଭାଇ ଶୋଇପଡ଼ିଲି । ଭଲଭାବରେ ଜାଣେ ଜ୍ଞାନ, ବିଦ୍ୟା ଓ ବୁଦ୍ଧି ତୁଳନାରେ ଏମାନଙ୍କ ଅପେକ୍ଷା ମୁଁ ଯଥେଷ୍ଟ ବଡ଼; ତତାପି କାହିଁକି କାହା ଦୁଃଖରେ ଯେପରି ମନଭିତରଟା କାନ୍ଦିଉଠିଲା ଏବଂ ସେହିପରି ମୋର ଅଜାଣତରେ ଆଖିର ଲୁହର ବଡ଼ ବଡ଼ ଟୋପା ପଡ଼ିବାକୁ ଲାଗିଲା ।

 

କେତେ ସମୟ ଶୋଇପଡ଼ିଥିଲି ଜାଣେ ନାହିଁ । ହଠାତ୍‌ କାନକୁ ଶୁଭିଲା–ଓଗୋ ନୂତନ ଗୋସାଇଁ ?

 

ଉଠି ବସିପଡ଼ି ପଚାରିଲି–କିଏ ?

 

: ମୁଁ ଗୋ–ତୁମ ସନ୍ଧ୍ୟାବେଳର ବନ୍ଧୁ । ତୁମେ ଏତେ ଶୋଇପାର !

 

ଅନ୍ଧକାର ଘର ଦ୍ୱାରବନ୍ଧ ନିକଟରେ ଠିଆ ହୋଇଥିଲା ବୈଷ୍ଣବୀ କମଳଲତା ।

 

କହିଲି–ଚାହିଁ ରହିଥିଲେ ଲାଭ କ’ଣ ହୋଇଥାନ୍ତା ?

 

: ତା’ ଅବଶ୍ୟ ଜାଣେ । କିନ୍ତୁ ଠାକୁରଙ୍କ ପ୍ରସାଦ କ’ଣ ପାଇବ ନାହିଁ ?

 

: ପାଇବି ।

 

: ତେବେ ଶୋଇପଡ଼ିଛ ଯେ ?

 

: ଜାଣେ ପ୍ରସାଦ ଖାଇବାରେ ଆଦୌ ବିଘ୍ନ ଘଟିବ ନାହିଁ । ମୋର ସନ୍ଧ୍ୟାବେଳର ବନ୍ଧ ଗତିରେ ମୋତେ ଆଦୌ ପରିତ୍ୟାଗ କରିବେ ନାହିଁ ।

 

ବୈଷ୍ଣବୀ ହସିଦେଇ କହିଲା– ସେ ଦାବି ବୈଷ୍ଣବୀମାନଙ୍କର । ତୁମମାନଙ୍କର ନୁହେଁ ।

 

କହିଲି– ଭରସା ପାଇଲେ; ବୈଷ୍ଣବ ହେବାକୁ କେତେ ସମୟ ? ତୁମେ ଗହରକୁ ବୈଷ୍ଣବ ବନେଇ ପାରିଛ ଆଉ ମୁଁ କ’ଣ ଏତେଦୂର ଅବହେଳା ଯୋଗ୍ୟ ? ହୁକୁମ ପାଇଲେ ବୈଷ୍ଣବଙ୍କର ଦାସାନୁଦାସ ବି ହେବାପାଇଁ ରାଜି ।

 

କମଳଲତାର କଣ୍ଠସ୍ୱର ସାମାନ୍ୟ ଗମ୍ଭୀର ହୋଇଉଠିଲା । କହିଲା, ବୈଷ୍ଣବମାନଙ୍କ ସମ୍ପର୍କରେ ଥଟ୍ଟା ତାମସା କରିବ ନାହିଁ ଗୋସାଇଁ । ସେଥିରେ ଅପରାଧ ହୁଏ । ଗହର ଗୋସେଇଁଙ୍କୁ ତୁମେ ଭୁଲ ବୁଝିଛ । ତାଙ୍କ ଆପଣାର ଲୋକ ତାଙ୍କୁ କାଫେଇ କୁହନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ, ସେ ଖାଣ୍ଟି ମୁସଲମାନ । ବାପା, ଜେଜେବାପାଙ୍କର ଧର୍ମବିଶ୍ୱାସ ସେ ଏପର୍ଯ୍ୟନ୍ତ ତ୍ୟାଗ କରିନାହାନ୍ତି ।

 

: କିନ୍ତୁ ତା’ର ହାବଭାବ ଦେଖିଲେ ସେପରି ତ ମନେହୁଏ ନାହିଁ ?

 

: ସେହିଟା ହିଁ ଆଶ୍ଚର୍ଯ୍ୟ । ଆଉ ଡେରି କର ନାହିଁ, ଆସ । ପୁଣି ଟିକିଏ ଭାବିକରି କହିଲା–ପ୍ରସାଦ ନହେଲେ ତୁମକୁ ଏଠାରେ ଦେଇଯିବି, କ’ଣ କହୁଛ ?

 

: ଆପତ୍ତି ନାହିଁ । କିନ୍ତୁ ଗହର କେଉଁଠାରେ ? ସେ ଥାଏ ତ, ଦୁଇଜଣଙ୍କୁ ଏକତ୍ର ଖାଇବାକୁ ଦିଅ ।

 

: ତାଙ୍କ ସଙ୍ଗରେ ବସି ଖାଇବ ?

 

କହିଲି– ସବୁଦିନ ତ ଖାଏ । ପିଲାବେଳେ ତା’ ମାଆ ମୋତେ ଅନେକ ଫଳ ଖାଇବାକୁ ଦେଇଛନ୍ତି । ତୁମ ପ୍ରସାଦ ଅପେକ୍ଷା ସେତେବେଳେ ସେସବୁ କମ୍‌ ମିଠା ଲାଗୁନଥିଲା ତ ! ତା’ ଛଡ଼ା ଗହର ଭକ୍ତ । ଗହର କବି । କବିର ଜାତି ମୁଁ ବାଛେ ନାହିଁ ।

 

ଅନ୍ଧକାର ଭିତରେ ମନେହେଲେ; ବୈଷ୍ଣବୀ ଗୋଟାଏ ଚାପା ନିଃଶ୍ୱାସ ଛାଡ଼ିଲା । ତାପରେ କହିଲା–ଗହର ଗୋସାଇଁ ନାହାନ୍ତି । କେତେବେଳେ ଚାଲିଯାଇଛନ୍ତି, ଆମ କାହାକୁ ଜଣାନାହିଁ ।

 

କହିଲି– ଗହରକୁ ଦେଖିଲି ସେ ଅଗଣାରେ ବସିଥିଲା । ତାକୁ କ’ଣ ତୁମେ ଭିତରେ ବସିବାକୁ ଅନୁମତି ଦିଅନାହିଁ ?

 

ବୈଷ୍ଣବୀ କହିଲା–ନା ।

 

କହିଲି– ଗହରକୁ ମୁଁ ଆଜି ଦେଖିଛି । କମଳଲତା, ତୁମେ ମୋ ଥଟ୍ଟା ତାମସାକୁ ଶୁଣି ମନେମନେ ରାଗି ବସିଲି ? କିନ୍ତୁ ତୁମ ଠାକୁରଙ୍କ ପାଖରେ ତୁମେ ତ କମ୍‌ ଥଟ୍ଟା କରୁନାହଁ ? ଅପରାଧ ଯେ କେବଳ ଗୋଟାଏ ଦିଗରେ ହୁଏ–ତାହା ନୁହେଁ ।

 

ବୈଷ୍ଣବୀ ଏ ଅନୁଯୋଗରେ କୌଣସି ଉତ୍ତର ଦେଲା ନାହିଁ । ନୀରବରେ ବାହାରକୁ ବାହାରିଗଲା । ଅଳ୍ପ କିଛି ସମୟ ପରେ ସେ ଅନ୍ୟ ଗୋଟିଏ ବୈଷ୍ଣବୀ ହାତରେ ଆଲୋକ ଓ ଆସନ ଏବଂ ନିଜେ ପ୍ରସାଦର ପାତ୍ର ଧରି ପ୍ରବେଶ କଲା । କହିଲା–ଅତିଥିଙ୍କ ସେବାରେ ତ୍ରୁଟି ହୋଇପାରେ; କିନ୍ତୁ ଏଠାରେ ସବୁ ଠାକୁରଙ୍କ ପ୍ରସାଦ, ନୂତନ ଗୋସାଇଁ ।

 

ହସିଦେଇ କହିଲି– ଭୟ ନାହିଁ ଗୋ ସନ୍ଧ୍ୟାର ବନ୍ଧୁ । ବୈଷ୍ଣବ ନହେଲେ ମଧ୍ୟ ତୁମ ନୂତନ ଗୋସାଇଁଙ୍କର ରସବୋଧ ଅଛି । ଆତିଥ୍ୟର ତ୍ରୁଟି ପାଇଁ ସେ ରସ ଭଙ୍ଗ କରିବାକୁ ଚାହେଁ ନାହିଁ । ରଖ କ’ଣ ଅଛି–ଫେରିଆସି ଦେଖିବ ପ୍ରସାଦର କଣିକାଟିଏ ବି ଅବଶିଷ୍ଟ ନଥିବ ।

 

: ଠାକୁରଙ୍କ ପ୍ରସାଦ ତ ଏଇପରି ହିଁ ଖାଇବାକୁ ହୁଏ । ଏହା କହି କମଳଲତା ତଳେ ଠା କରି ସମସ୍ତ ଖାଦ୍ୟ ସାମଗ୍ରୀକୁ ଗୋଟି ଗୋଟି କରି ସଜାଇ କରି ରଖିଲା ।

 

କଂସା ଘଣ୍ଟାର ବିକଟ ଶବ୍ଦରେ ପରଦିନ ଅତି ପ୍ରତ୍ୟୁଷରୁ ନିଦ ଭାଙ୍ଗିଗଲା । ସୁବିପୁଳ ବାଦ୍ୟଭାଣ୍ଡ ସାହାଯ୍ୟରେ ମଙ୍ଗଳ ଆରତି ଆରମ୍ଭ ହୋଇଥାଏ । କାନକୁ ଶୁଭିଲା ଭୋରର କୀର୍ତ୍ତନ ସୁର–

 

କାହ୍ନୁ ଗଳେ ବନମାଳା ବିରାଜେ–

ରାଈ ଗଳେ ମୋତି ସାଜେ

ଅରୁଣିତ ଚରଣେ ମଞ୍ଜିର–ରଞ୍ଜିତ

ଖଞ୍ଜନ ଗଞ୍ଜନ ଲାଜେ ।

 

ତାପରେ ଦିନସାରା ଚାଲିଲା ଠାକୁର ସେବା । ପୂଜା, ପାଠ, କୀର୍ତ୍ତନ, ଗାଧୋଇବା, ଖାଇବା, ଦେହ ପୋଛିହେବା, ଚନ୍ଦନ ଲଗାଇ ଦେବା, ମାଳା ପିନ୍ଧାଇଦେବା ଏଥିରେ ଆଉ ବିରାମ ନାହିଁ । ସମସ୍ତେ ବ୍ୟସ୍ତ । ସମସ୍ତେ କାର୍ଯ୍ୟରେ ନିଯୁକ୍ତ । ମନେହେଲା ପଥରର ଦେବୀକୁ ଏଇ ଅଷ୍ଟପ୍ରହର ବ୍ୟାପୀ ସେବା ହିଁ ସହ୍ୟ ହୁଏ ? ଆଉ କିଛି ହୋଇଥିଲେ ଏଇସବୁ ଜଞ୍ଜାଳ ହେତୁ କ୍ଷୟ ହୋଇ ନିଃଶେଷ ହୋଇଯାଆନ୍ତାଣି–

 

କାଲି ବୈଷ୍ଣବୀକୁ ପଚାରିଥିଲି, ତୁମେମାନେ ସାଧନ ଭଜନ କର କେତେବେଳେ ? ସେ ଉତ୍ତର ଦେଇ କହିଥିଲା–ଏଇ ସବୁ ତ ଆମର ସାଧନ–ଭଜନ । ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିଥିଲି–ଏଇ ରନ୍ଧାବଢ଼ା, ଫୁଲ ତୋଳା, ମାଳା ଗୁନ୍ଥା, ଦୁଧ ସିଝାଇବା, ଏହାକୁ ତେବେ କହୁଛ ସାଧନା ? ସେ ମୁଣ୍ଡ ହଲାଇ ସେତେବେଳେ କହିଥିଲା–ହଁ, ଆମେମାନେ ଏହାକୁ କହୁ ସାଧନା । ଆମମାନଙ୍କର ଆଉ କୌଣସି ସାଧନା କିମ୍ୱା ଭଜନ ନାହିଁ ।

 

ଆଜି ସାରାଦିନର କାମ ଦେଖିସାରିଲା ପରେ ବୁଝିପାରିଲି ତା’ କଥା ଅକ୍ଷରେ ଅକ୍ଷରେ ସତ । ତହିଁରେ ଅତିରଞ୍ଜନ କିମ୍ୱା ଅତ୍ୟୁକ୍ତି ନାହିଁ । ଦିପହର ବେଳେ ଟିକିଏ ଫୁରସତ ବେଳେ କହି ପକାଇଥିଲି–କମଳଲତା ପ୍ରତୀକ ଏଇ ଯେ ପଥରର ମୂର୍ତ୍ତି......

 

ବୈଷ୍ଣବୀ ହାତ ହଲାଇ ବାରଣ କରି କହିଲା–ପ୍ରତୀକ କ’ଣ ? ସେ ଯେ ସାକ୍ଷାତ ଭଗବାନ । ଏପରି କଥା ଆଉ କେବେ ତୁଣ୍ଡରେ ଧରିବ ନାହିଁ ନୂତନ ଗୋସାଇଁ ।

 

ମୋ କଥାରେ ସେ ଯେପରି ବେଶୀ ଲଜ୍ଜ୍ୟା ପାଇଲା । ମୁଁ ମଧ୍ୟ କିପରି ଅପ୍ରସ୍ତୁତ ହୋଇପଡ଼ିଲି । ତଥାପି ଆସ୍ତେ ଆସ୍ତେ କହିଲି–ମୁଁ ତ ଜାଣି ନାହିଁ । ସେଥିପାଇଁ ପଚାରୁଛି । ତୁମେମାନେ କ’ଣ ସତରେ ଭାବୁଛ ଯେ ଏଇ ପଥର ମୂର୍ତ୍ତି ଭିତରେ ଭଗବାନଙ୍କର ଶକ୍ତି ଏବଂ ଚୈତନ୍ୟ, ତା’ର......

 

ମୋର ଏହି କଥାଟା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ସେ କହି ବସିଲା, ଭାବିବାକୁ ଯିବୁ କାହିଁକି ? ଏ ଯେ ଆମମାନଙ୍କର ପ୍ରତ୍ୟୁଷ । ସଂସାରର ମୋହ ତୁମେ କଟାଇ ପାରି ନାହଁ ବୋଲି ଭାବୁଛ ରକ୍ତମାଂସ ଦେହ କାହିଁକି ଭାବୁଛ ? ଭଗବାନ ସବୁଠାରେ ରହିପାରନ୍ତି । ନଚେତ୍‌ ତାଙ୍କୁ ଭଗବାନ ବୋଲି କହିବାକୁ ଯିବା ଅବା କାହିଁକି ?

 

ଯୁକ୍ତି ହିସାବରେ କଥାଗୁଡ଼ାକ ସ୍ପଷ୍ଟ ନୁହେଁ । ସମ୍ପୂର୍ଣ୍ଣ ମଧ୍ୟ ନୁହେଁ । କିନ୍ତୁ ଏହା ତ ଯୁକ୍ତି ନୁହେଁ, ଏ ତାହାର ବିଶ୍ୱାସ । ତା’ର ସେହି ଅକପଟ ଓ ଅଚଳା ଭକ୍ତି ନିକଟରେ ହଠାତ୍‌ କିପରି ମୁଁ ଥତମତ ହୋଇଗଲି । ତର୍କ କରିବାକୁ କିମ୍ୱା ପ୍ରତିବାଦ କରିବା ପାଇଁ ସାହସ ହେଲା ନାହିଁ । ଇଚ୍ଛା ମଧ୍ୟ କଲି ନାହିଁ । ବରଞ୍ଚ ଭାବିଲି–ପ୍ରକୃତରେ ତ । ପତର ହେଉ, ଆଉ ଯାହା ହେଉ ନା କାହିଁକି କିନ୍ତୁ ଏପରି ପରିପୂର୍ଣ୍ଣ ବିଶ୍ୱାସରେ ଆପଣାକୁ ଏକାନ୍ତ ଭାବରେ ସମର୍ପଣ କରି ନପାରିଲେ ବର୍ଷ ପରେ ବର୍ଷ ଏହି ଅବିଚ୍ଛନ୍ନ ସେବା ପାଇଁ ଶକ୍ତି ପାଇପାରନ୍ତେ କୁଆଡ଼ୁ ? ଏପରି ସରଳ ଭାବରେ ନିଶ୍ଚିନ୍ତ ନିର୍ଭୟରେ ଠିଆହେବାର ଅବଲମ୍ୱନ ପାଆନ୍ତେ ଅବା କେଉଁଠାରୁ ? ଏମାନେ ତ ଆଉ ଶିଶୁ ନୁହଁନ୍ତି ଯେ ପିଲାଦିନର ଖେଳ ଭଳି ଏହି ମିଥ୍ୟା ଅଭିନୟରେ ଭଳିଯାଆନ୍ତେ । କିନ୍ତୁ ସେପରି ତ ହେଉ ନାହିଁ । ବରଞ୍ଚ ଭକ୍ତି ଓ ପ୍ରୀତିର ଅଖଣ୍ଡ ଏକାଗ୍ରତା ହେତୁ ଆତ୍ମ ନିବେଦନର ଆନନ୍ଦୋତ୍ସବ ଏମାନଙ୍କର ବଢ଼ିଚାଲିଛି । ଏ ଜୀବନର ପାଇବା ଦିଗରୁ ତେବେ ସଂସାରରେ ସବୁ ଭୁଲ ? ସବୁ ମିଥ୍ୟା ? କେବଳ ଆପଣାକୁ ଆପେ ଠକାଇବା ?

 

ବୈଷ୍ଣବୀ କହିଲା– କ’ଣ ଗୋସାଇଁ କଥା କହୁନାହିଁ ଯେ ?

 

କହିଲି– ଭାବୁଛି ।

 

: କାହା କଥା ଭାବୁଛ ?

 

: ଭାବୁଛି ତୁମ କଥା ।

 

: ଇସ୍‌ ! ବଡ଼ ସୌଭାଗ୍ୟ ଯେ ମୋର । ତାପରେ ଟିକିଏ ଚୁପ୍‌ ହୋଇ ପୁଣି କହିଲା–ତଥାପି ରହିବାକୁ ଚାହୁଁ ନାହଁ ? କେଉଁଠି କେଉଁ ବର୍ମାମୁଲକରେ ଚାକିରି କରିବା ପାଇଁ ପୁଣି ଇଚ୍ଛା କରୁଛ ? ଚାକିରି କରିବ କାହିଁକି ?

 

: ମୋର ତ ମଠ ନାହିଁ କିମ୍ୱା ମଠର ଜମିଜମା ନାହିଁ । ମୁଗ୍‌ଧ ଭକ୍ତଙ୍କର ଦଳ ମଧ୍ୟ ନାହାନ୍ତି । ତେଣୁ ଖାଇବି କ’ଣ ?

 

: ଠାକୁର ଦେବେ ।

 

କହିଲି– ତାହା ଦୁରାଶା ମାତ୍ର । କିନ୍ତୁ ତୁମର ଠାକୁରଙ୍କ ଉପରେ ଭାରି ଭରସା ଥିଲାପରି ତ ମନେହେଉ ନାହିଁ । ନଚେତ୍‌ ଭିକ୍ଷା କରିବାକୁ ଯାଆନ୍ତି କାହିଁକି ?

 

ବୈଷ୍ଣବୀ କହିଲା– ଯାଉ; ସେ ଦେବା ପାଇଁ ହାତ ବଢ଼ାଇ ଦ୍ୱାରେ ଦ୍ୱାରେ ଠିଆ ହୋଇଥାନ୍ତି ବୋଲି । ନଚେତ୍‌ ନିଜର ପାଇଁ ଗରଜ ନାହିଁ । ନଖାଇ ଶୁଖି ଶୁଖି ମରନ୍ତି ପଛକେ ଗରଜ ଥିଲେ ମଧ୍ୟ ଯାଆନ୍ତି ନାହିଁ ।

 

: କମଳଲତା, ତୁମ ଘର କେଉଁଠି ?

 

: କାଲି ତ କହିଛି ଗୋସାଇଁ, ମୋ ଘର ଗଛ ତଳେ । ଦେଶ ଆମର ରାସ୍ତାର ପଥଧାର-

 

: ତାହାହେଲେ ଗଛ ତଳରେ, ରାସ୍ତାକଡ଼ରେ ନ ରହି ମଠରେ ରହିଛି କାହିଁକି ?

 

: ଅନେକଦିନ ରାସ୍ତାକଡ଼ରେ ଥିଲି ଗୋସାଇଁ । ସଙ୍ଗୀ ପାଇଲେ ପୁଣି ଆଉ ଏକ ପଥକୁ ସମ୍ୱଳ କରିବି ।

 

: ତୁମ ପାଇଁ ଯେ ସଙ୍ଗୀ ଅଭାବ, ଏକଥା କାହିଁକି ମୋର ବିଶ୍ୱାସ ହୁଏ ନାହିଁ, କମଳଲତା ଯାହାକୁ ଡାକିବି ସେ ଯେ ରାଜି ହୋଇଯିବ ।

 

ବୈଷ୍ଣବୀ ହସ ହସ ମୁହଁରେ କହିଲା– ତୁମକୁ ଡାକୁଛି ନୂତନ ଗୋସାଇଁ–ରାଜିହେବ ତ-?

 

ମୁଁ ହସିଲି । କହିଲି–ହଁ ରାଜି । ନାବାଳକ ଅବସ୍ଥାରେ ଯିଏ ଯାତ୍ରା ଦଳକୁ ଭୟ କରି ନାହିଁ । ସାବାଳକ ଅବସ୍ଥାରେ ତା’ର ବୈଷ୍ଣବୀକୁ ଡର କ’ଣ ?

 

: ଯାତ୍ରା ଦଳରେ ଥିଲ ନା କ’ଣ ?

 

: ହଁ ।

 

: ତାହାହେଲେ ତ ଗୀତ ଗାଇ ଜାଣିଥିବ ।

 

: ନା, ଓସ୍ତାତ୍‌ ଏତେଦୂର ଆଗେଇବାକୁ ଦେଇନଥିଲେ । କିନ୍ତୁ ତୁମେ ଓସ୍ତାତ୍‌ ହେଲେ କ’ଣ ହେବ କହି ହେଉ ନାହିଁ ।

 

ବୈଷ୍ଣବୀ ହସିବାକୁ ଲାଗିଲା । କହିଲା–ସେ ଯାହାହେଉ । ବର୍ତ୍ତମାନ ମୋର ଜଣେ ଅଛି ବୋଲି ଜାଣିଲେ କାମ ଚଳିଯିବ । ଏ ଦେଶରେ ଯିମିତି ସିମିତି କରି ଠାକୁରଙ୍କ ନାମ ନେଇପାରିଲେ ଭିକ୍ଷାର ଅଭାବ ହୁଏ ନାହିଁ । ଚାଲନା ଗୋସାଇଁ, ବାହାରିପଡ଼ିବା । କହୁଥିଲ, ଶ୍ରୀ ବୃନ୍ଦାବନ ଧାମ କେବେ ହେଲେ ଦେଖି ନାହିଁ । ଚାଲ ତୁମକୁ ଦେଖାଇ ଆଣିବି । ଅନେକ ଦିନ ଘରେ ବସି କାଟିଲି । ଏଣିକି ପଥର ନିଶା ମୋତେ ଯେପରି ଟାଣିବାରେ ଲାଗିଛି । ସତରେ ଯିବ ନୂତନ ଗୋସାଇଁ ?

 

ହଠାତ୍‌ ତା’ ମୁହଁକୁ ଚାହିଁବା କ୍ଷଣି ମନରେ ଭାରୀ ବିସ୍ମୟ ଜନ୍ମିଲା । କହିଲି–ବର୍ତ୍ତମାନ ଆମ ଦୁହିଁଙ୍କର ପରିଚୟ ଚବିଶ ଘଣ୍ଟା ବି ପାର ହୋଇ ନାହିଁ । ମୋତେ ଏତେଦୂର ତୁମର ବିଶ୍ୱାସ ହେଲା କିପରି ?

 

ବୈଷ୍ଣବୀ କହିଲା– ଚବିଶ ଘଣ୍ଟାଟା କେବଳ ଗୋଟିଏ ପକ୍ଷରେ ନୁହେଁ ଗୋସାଇଁ । ଦୁଇପକ୍ଷରେ ମଧ୍ୟ । ମୋର ବିଶ୍ୱାସ ପଥ–ପ୍ରବାସରେ ତୁମର ମୋଉପରେ ଅବିଶ୍ୱାସ ଆସିବ ନାହିଁ-। କାଲି ପଞ୍ଚମୀ । ବାହାରିପଡ଼ିବା ପାଇଁ ବଡ଼ ଶୁଭଦିନ । ଚାଲିଯିବା । ଆଉ ପଥଧାରରେ ରେଳପଥ ତ ଅଛି । ଭଳ ନ ଲାଗିଲେ ଫେରିଆସିବ । ମୁଁ ବାରଣ କରିବି ନାହିଁ ।

 

ଜଣେ ବୈଷ୍ଣବୀ ଆସି ଖବର ଦେଲା–ଠାକୁରଙ୍କ ପ୍ରସାଦ ଘରେ ରଖିଦେଇ ଆସିଛି ।

 

କମଳଲତା କହିଲା–ଚାଲ, ତୁମ ଘରେ ବସିବା ।

 

: ମୋ ଘରେ ? ବେଶ୍‌ ଭଲ ।

 

ଆଉ ଥରେ ତା’ ମୁହଁକୁ ଚାହିଁ ଦେଖିଲି । ଏଥର ସେ ପରିହାସ କରୁ ନାହିଁ ବୋଲି ସନ୍ଦେହ ଲେଶ ମାତ୍ର ରହିଲା ନାହିଁ । ମୁଁ ଯେ କେବଳ ଉପଲକ୍ଷ ମାତ୍ର ସେ ବିଷୟରେ ନିଶ୍ଚିତ ହେଲି-। କିନ୍ତୁ ଯାହା କିଛି କାରଣ ଥାଉନା କାହିଁକି ଏଠାକାର ବନ୍ଧନ ଛିଣ୍ଡାଇ ପଳାଇ ଯାଇପାରିଲେ ଏହି ମନୁଷ୍ୟଟି ବଞ୍ଚିଯାଇପାରିବ । ସେଥିପାଇଁ ମୁହୂର୍ତ୍ତଟିଏ ବିଳମ୍ୱକୁ ସେ ସହ୍ୟ କରିବାକୁ ପ୍ରସ୍ତୁତ ନୁହେଁ-

 

ଘରେ ଆସି ଖାଇ ବସିଲି । ଅତି ପରିପାଟୀ ପ୍ରସାଦ । ପଳାୟନରେ ଷଡ଼ପନ୍ତ୍ର ବିଷୟରେ ଆଲୋଚନା ଭଲ ଜମିଲା । କିନ୍ତୁ ହଠାତ୍‌ କିଏ ଜଣେ ଆସି କମଳଲତାକୁ ଜରୁରୀ କାମରେ ଡାକି ନେଇଗଲା । ସୁତରାଂ ଏକାକୀ ମୁହଁ ବୁଜି ପ୍ରସାଦ ସେବା କରିବାକୁ ହେଲା । ବାହାରକୁ ଆସି କାହାରିକୁ ଦେଖିବାକୁ ପାଇଲି ନାହିଁ । ବାବାଜୀ ଦ୍ୱାରୀକା ଦାସ ଅବା ଗଲେ କୁଆଡ଼େ ? ଦୁଇ ଚାରିଜଣ ବୟସ୍କା ବୈଷ୍ଣବୀ ଏଣେତେଣେ ବୁଲାଚଲା କରୁଥିବାର ଦେଖିଲି । ଯେଉଁମାନଙ୍କୁ କି କାଲି ରାତିରେ ଠାକୁରଙ୍କ ଘରେ ଝୁଣା ଧୁଆଁରେ ଅପ୍‌ସରି ବୋଲି ମନେକରିଥିଲି-। କିନ୍ତୁ ଆଜିର ଦିନ ଆଲୋକରେ କାଲିକାର ସେହି ଆଧ୍ୟାତ୍ମସୌନ୍ଦର୍ଯ୍ୟବୋଧଟା ସେପରି ଅତୁଟ ରହିପାରିଲା ନାହିଁ । ଦେହଟା କିପରି ଝିମ୍‍ଝିମ୍‌ ହୋଇଉଠିଲା । ସିଧା ଆଶ୍ରମ ବାହାରକୁ ଚାଲିଆସିଲି ।

 

ସେହି ଶୈବାଳାଚ୍ଛନ୍ନ ଶୀର୍ଣ୍ଣକାୟା, ମନ୍ଦ ସ୍ରୋତା, ସୁପରିଚିତ ସ୍ରୋତସ୍ୱିନୀ ଏବଂ ସେହି ଲତା ଗୁଳ୍ମ କଣ୍ଟକାକୀର୍ଣ୍ଣ ତଟଭୂମି ଏବଂ ସେହି ସର୍ପ ସଂକୁଳ ସୁଦୃଢ଼ ବେତସ କୁଞ୍ଜ ଓ ସୁବିସ୍ତୃତ ବାଉଁଶ ବଣକୁ ଦେଖି ଦୀର୍ଘଦିନର ଅନଭ୍ୟସ୍ତତା ହେତୁ ଦେହ ଝିମ୍‍ଝିମ୍‌ କରିଉଠିଲା । ଅନ୍ୟତ୍ର ଯିବାପାଇଁ ଉପକ୍ରମ କରୁଛି, କେଉଁଠାରୁ ଗୋଟିଏ ଲୋକ ଆଢ଼ୁଆଳରେ ବସିଥିଲା; ଉଠିଆସି ପାଖରେ ଠିଆହେଲା । ପ୍ରଥମେ ଆଶ୍ଚର୍ଯ୍ୟ ହେଲି । ଏ ଯାଗାରେ କ’ଣ ମଣିଷ ରହିପାରେ ! ଲୋକଟିର ବୟସ ବୋଧହୁଏ ମୋ ସହିତ ସମାନ ହୋଇପାରେ କିମ୍ୱା ପାଞ୍ଚ ଦଶବର୍ଷ ଅଧିକ ହୋଇପାରେ । ଖର୍ବାକୃତି ରୋଗା ଗଢ଼ଣ । ଦେହର ରଙ୍ଗ ଖୁବ୍‌ କଳା ନୁହେଁ ସତ କିନ୍ତୁ ମୁହଁର ତଳ ଭାଗଟା କିପରି ଅସ୍ୱାଭାବିକ ରକମର ଛୋଟ । ଆଖିର ଭ୍ରୂଲତା ଦୁଇଟା ସେହିପରି ଅସ୍ୱାଭାବିକ ରକମର ଦୀର୍ଘ ପ୍ରସ୍ଥରେ ବିସ୍ତୀର୍ଣ୍ଣ । ପ୍ରକୃତରେ ଏତେବଡ଼ ଘନ ମୋଟା ଭୂରୁ ଯେ ମନୁଷ୍ୟର ହୋଇପାରେ ଏହାପୂର୍ବରୁ ମୋର ଏ ଜ୍ଞାନ ନ ଥିଲା । ଦୂରରୁ ସନ୍ଦେହ ହୋଇଥିଲା ହୁଏତ ପ୍ରକୃତିର କୌଣସି ହାସ୍ୟକର ଖିଆଲ ହେତୁ ବୋଧହୁଏ ତଳେ ଗଜୁରିବା ନିଶାଟା ଲୋକର କପାଳରେ ଗଜୁରି ଉଠୁଛି । ଗଳାରେ ତୁଳସୀର ମାଳା । ପୋଷାକ ପରିଚ୍ଛଦ ଅନେକଟା ବୈଷ୍ଣବଙ୍କ ଭଳି । କିନ୍ତୁ ଯେପରି ମଇଳା ସେହିପରି ଚିରା ।

 

: ଆଜ୍ଞା ।

 

ଅଟକି ଠିଆହୋଇ କହିଲି–ଆଜ୍ଞା କରନ୍ତୁ ।

 

: ଆପଣ ଏଠାକୁ କେବେଠାରୁ ଆସିଛନ୍ତି, ଶୁଣିପାରେ କି ?

 

: ପାରନ୍ତି । ଆସିଛି କାଲି ଓପରଓଳି ।

 

: ରାତିରେ ଆଖଡ଼ାରେ ଥିଲେ ବୋଧହୁଏ ?

 

: ହଁ, ଥିଲି ।

 

: ଓହୋ !

 

ମିନିଟିଏ ଖଣ୍ଡେ ନୀରବରେ କଟିଲା । ପାଦ ବଢ଼ାଇବାକୁ ଚେଷ୍ଟା କରିବା କ୍ଷଣି ଲୋକଟି କହିଲା–ଆପଣ ତ ବୈଷ୍ଣବ ନୁହନ୍ତି । ଭଦ୍ରଲୋକ । ଆଖଡ଼ା ଭିତରେ ଆପଣଙ୍କୁ ରହିବାକୁ ହେଲେ ଯେ ?

 

: ସେ ଖବର ସେମାନଙ୍କୁ ଜଣା । ସେମାନଙ୍କୁ ପଚାରିବେ ।

 

: ଓହୋ ! କମଳୀଲତା ରହିବାକୁ କହିଲା ବୋଧହୁଏ ?

 

: ହଁ ।

 

: ଜାଣନ୍ତି ତା’ର ଅସଲ ନାମ କ’ଣ ? ଉଷାଙ୍ଗିନୀ । ଘର ସିଲହଟରେ । କିନ୍ତୁ ଦେଖାଯାଏ ସତେ ଯେପରି କଲିକତାର ଝିଅ ଭଳି । ମୋ ଘର ମଧ୍ୟ ସିଲହଟରେ । ଗାଆଁ ନାଆଁ ମାମୁଦପୁର । ଶୁଣିବେ ତା’ର ସ୍ୱଭାବ ଚରିତ୍ର ?

 

କହିଲି–ନା । କିନ୍ତୁ ଲୋକଟାର ଭାବ ଭଙ୍ଗୀ ଦେଖି ଏଥର ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଉଠିଲି । ପଚାରିଲି–କମଳଲତା ସହିତ ଆପଣଙ୍କର କ’ଣ କୌଣସି ସମ୍ୱନ୍ଧ ଅଛି କି ?

 

: ଅଛି ।

 

: କି ସମ୍ପର୍କ ?

 

ଲୋକଟା କିଛି ସମୟ ଇତସ୍ତତଃ ହୋଇ ହଠାତ୍‌ ଗର୍ଜନ କରି କହିଉଠିଲା କାହିଁକି କ’ଣ ମିଛ କି ? ସେ ମୋର ସ୍ତ୍ରୀ ହୁଏ । ତା’ ବାପା ନିଜେ ମୋତେ ବାହାହୋଇଥିଲା । ତା’ର ସାକ୍ଷୀ ଅଛନ୍ତି ।

 

କାହିଁକି କେଜାଣି ମୋର ବିଶ୍ୱାସ ହେଲା ନାହିଁ । ପଚାରିଲି–ଆପଣ କି ଜାତି ?

 

: ଆମେ ହେଉଛୁ ତେଲି ।

 

: ଆଉ କମଳଲତା ?

 

ପ୍ରତ୍ୟୁତ୍ତର ଦେବାକୁ ଯାଇ ଲୋକଟା ତାହାର ସେହି ଭ୍ରୂ ଦୁଇଟାକୁ ଘୃଣାରେ କୁଞ୍ଚିତ କରି କହିଉଠିଲା–ସେମାନେ ଶୁଣ୍ଢୀ । ସେମାନେ ପାଣି ଦେଲେ ଆମେ ଗୋଡ଼ ଧୋଉନା । ଟିକିଏ ଡାକିଦେଇପାରିବ ?

 

: ନା, ଆଖଡ଼ାକୁ ସମସ୍ତେ ଯାଇପାରନ୍ତି । ଇଚ୍ଛାକଲେ ଆପଣ ମଧ୍ୟ ଯାଇପାରନ୍ତି ।

 

ଲୋକଟା ରାଗିକରି କହିଉଠିଲା, ଯିବି ଆଜ୍ଞା, ଯିବି । ଦାରୋଗାବାବୁକୁ ଦିପଇସା ଖୁଆଇ କରି ରଖିଛି । ପିଆଦା ସଙ୍ଗରେ ଧରି ଏକବାରେ ଚୁଟି ଧରି ଟାଣିଟାଣି ବାହାର କରି ଆଣିବି । ବାବାଜୀଙ୍କର ବାବା ମଧ୍ୟ ରଖିପାରିବ ନାହିଁ । ଶଳା ରାସ୍କେଲ କେଉଁଠିକାର ।

 

ଆଉ ବାକ୍ୟବ୍ୟୟ ନକରି ଚାଲିବାକୁ ଆରମ୍ଭ କଲି । ଲୋକଟା ପଛରୁ କର୍କଶ ସ୍ୱରରେ କହିଲା–ସେଥିରେ ଆପଣଙ୍କର କ’ଣ ଗଲା ? ଯାଇ ଟିକିଏ ଡାକିଦେଲେ କ’ଣ ଦେହ ଖଣ୍ଡିଆ ହୋଇଯାଇଛି କି ? ଓହୋ–ଯେଉଁ ଲୋ–କ ।

ଆଉ ଫେରି ଚାହିଁବାକୁ ସାହସ ହେଲା ନାହିଁ । ରାଗ ସମ୍ଭାଳି ନପାରି ଏଇ ଅତି ଦୁର୍ବଳ ଲୋକଟାକୁ କାଳେ ତଣ୍ଟିଆ ମାରିଦେଇପାରେ । ଏଇ ଭୟ ଟିକିଏ ତରତର ହୋଇ ପ୍ରସ୍ଥାନ କଲି । ମନେହେବାକୁ ଲାଗିଲା–ବୈଷ୍ଣବୀର ପଳାଇବା କାରଣଟା ବୋଧହୁଏ ଏଥିସହ ଜଡ଼ିତ ।

ମନଟା ବିଗିଡ଼ି ଯାଇଥିଲା । ଠାକୁର ଘରକୁ ନିଜେ ଗଲା ନାହିଁ ଏବଂ କେହି ମଧ୍ୟ ମୋତେ ଡାକିଲେ ନାହିଁ । ଘରଭିତରେ ଗୋଟିଏ ଚୌକିଉପରେ କେତେଖଣ୍ଡ ବୈଷ୍ଣବ ଗ୍ରନ୍ଥାବଳୀ ସଜତ୍ନରେ ସଜା ହୋଇଥିଲା । ତହିଁରୁ ଖଣ୍ଡିଏ ହାତରେ ଧରି ମୁଣ୍ଡଉପରକୁ ଦୀପଟା ଭିଡ଼ିଆଣି ବିଛଣାରେ ଶୋଇପଡ଼ିଲି । ବୈଷ୍ଣବ ଧର୍ମଶାସ୍ତ୍ର ଅଧ୍ୟୟନ ପାଇଁ ନୁହେଁ, କେବଳ ସମୟ କଟାଇବା ପାଇଁ । ଦୁଃଖର ସହିତ ଗୋଟାଏ କଥା କେବଳ ମନଭିତରେ ଉଠୁଥିଲା, କମଳଲତା ସେଇ ଯେ ଯାଇଛି ଆଉ ତ ଆସୁନାହିଁ ! ଠାକୁରଙ୍କ ସନ୍ଧ୍ୟାରୀତି ଯଥା ନିୟମ ଅନୁସାରେ ଆରମ୍ଭ ହେଲା । ତା’ର ମଧୁର କଣ୍ଠ ବାର ବାର ମୋ କାନକୁ ଶୁଭୁଥାଏ ଏବଂ ବାରମ୍ୱାର ସେଇ କଥାଟା କେବଳ ମନରେ ଆସୁଥାଏ ଯେ କମଳଲତା ତାହା ପରଠାରୁ ଆଉ କୌଣସି ତତ୍ତ୍ୱ ମୋ ନେଉନାହିଁ । ଆଉ ସେହି ଭ୍ରୂଲତାଥିବା ଲୋକଟି କ’ଣ ପ୍ରକୃତରେ ଅଭିଯୋଗ ଭିତରେ ନାହିଁ ?

ଆହୁରି ପୁଣି ଗୋଟିଏ କଥା, ଗହର କାହିଁ ? ସେ ମଧ୍ୟ ତ ଆଜି ମୋର ଖୋଜଖବର ନେଲା ନାହିଁ ! ଭାବିଥିଲି ଦିନ କେତେଟା ଏଠାରେ କଟାଇବି ପୁଣ୍ଟୁର ବିବାହ ଦିନ ପର୍ଯ୍ୟନ୍ତ । କିନ୍ତୁ ଆଉ ସେପରି ହେଲାଭଳି ଲାଗୁନାହିଁ । ହୁଏତ କାଲି କଲିକତା ଯିବାକୁ ପଡ଼ିପାରେ ।

 

କ୍ରମଶଃ ଆରତି ଓ କୀର୍ତ୍ତନ ସମାପ୍ତ ହେଲା । କାଲିକାର ସେହି ବୈଷ୍ଣବୀ ଆସି ବହୁ ଯତ୍ନରେ ପ୍ରସାଦ ଆଣି ଘରେ ରଖିଦେଇ ଚାଲିଗଲା । କିନ୍ତୁ ଯାହାପାଇଁ ବାଟଚାହିଁ ବସିଥିଲି ତା’ର ଦେଖା ମିଳିଲା ନାହିଁ । ବାହାରେ ଲୋକମାନଙ୍କର କଥାବାର୍ତ୍ତା ଓ ଯିବାଆସିବାର ପାଦଶବ୍ଦ କ୍ରମଶଃ ଶାନ୍ତ ହୋଇଆସିଲା । ତା’ର ଆସିବାର କୌଣସି ସମ୍ଭାବନା ଆଉ ନାହିଁ ବୋଲି ଜାଣି ଖାଇସାରି ହାତମୁହଁ ଧୋଇ ଦୀପ ନିଭାଇ ଶୋଇପଡ଼ିଲି ।

 

ବୋଧହୁଏ ସେତେବେଳକୁ ଅନେକ ରଡ଼ି କାନରେ ପଡ଼ିଲା–ନୂତନ ଗୋସାଇଁ ?

 

ନିଦରୁ ଉଠି ବସିପଡ଼ିଲି । ଅନ୍ଧକାର ଘରଭିତରେ ଠିଆହୋଇ କମଳଲତା ଆସ୍ତେ ଆସ୍ତେ କହିଲା, ଆପଣ ବୋଧହୁଏ ମନେମନେ ବହୁତ ଦୁଃଖ କରିଛନ୍ତି, ନୂତନ ଗୋସାଇଁ ?

 

କହିଲି–ହଁ କରିଛି ।

 

ବୈଷ୍ଣବୀ ମୁହୂର୍ତ୍ତକ ପାଇଁ ନୀରବ ହୋଇଗଲା । ତା’ପରେ କହିଲା–ବଣଭିତରେ ସେ ଲୋକଟା ତୁମକୁ କ’ଣ କହୁଥିଲା ?

 

: ତୁମେ ଦେଖିଥିଲ କି ?

 

: ହଁ ।

 

: କହୁଥିଲା ସେ ତୁମର ସ୍ୱାମୀ । ଅର୍ଥାତ୍‌ ସାମାଜିକ ଆଚାର ଅନୁସାରେ ତୁମେ ତା’ର ବିବାହିତା ପତ୍ନୀ ।

 

: ତୁମେ ବିଶ୍ୱାସ କରିପାରୁଛ ?

 

: ନା ।

 

ବୈଷ୍ଣବୀ ପୁଣି କିଛି ସମୟ ଚୁପ୍ ରହି କହିଲା–ସେ ମୋର ସ୍ୱଭାବ ଚରିତ୍ର ବିଷୟରେ କିଛି କହୁଥିଲା କି ?

 

: କହିଛି ।

 

: ମୋ ଜାତି ?

 

: ହଁ, ତା’ ମଧ୍ୟ ।

 

ବୈଷ୍ଣବୀ ଟିକିଏ ଅଟକି ଯାଇ କହିଲା–ଶୁଣିବ ମୋର ପିଲାବେଳର ଇତିହାସ ? ହୁଏତ ତୁମର ଘୃଣା ହୋଇପାରେ ।

 

: ତେବେ ଥାଉ । ମୁଁ ଶୁଣିବାକୁ ଚାହେଁ ନାହିଁ ।

 

: କାହିଁକି ?

 

: ଲାଭ କ’ଣ କମଳଲତା ? ମୋତେ ତୁମେ ଭାରି ଭଲଲାଗିଛ । କାଲି ଚାଲିଯିବି, ହୁଏତ ଆଉ କେବେ ଦେଖା ନ ହୋଇପାରେ । ଅଯଥା ମୋର ସେହି ଭଲ ଲାଗିବାଟାକୁ ନଷ୍ଟ କରିପକାଇ ଫଳ କ’ଣ ପାଇବି କୁହତ ?

 

ବୈଷ୍ଣବୀ ଏଥର ଅନେକ ସମୟ ପର୍ଯ୍ୟନ୍ତ ଚୁପ୍‌ ହୋଇ ରହିଲା । ନୀରବରେ ଅନ୍ଧକାରରେ ଠିଆହୋଇ କ’ଣ କରୁଛି ତାହା ଭାବିପାରିଲା ନାହିଁ । ପଚାରିଲି କ’ଣ ଭାବୁଛ ?

 

: ଭାବୁଛି, କାଲି ତୁମକୁ ଯିବାକୁ ଦେବି ନାହିଁ ।

 

: ତେବେ କେବେ ଯିବାକୁ ଦେବ ?

 

: କୌଣସି ଦିନ ଯିବାକୁ ଦେବି ନାହିଁ । ଅନେକ ରାତି ହେଲାଣି–ଶୁଅ ! ମଶାରିଟା ଭଲ ରକମ ଗୁଞ୍ଜା ହୋଇଛି ତ ?

 

: କେଜାଣି ? ହୋଇଥିବ ବୋଧହୁଏ ।

 

ବୈଷ୍ଣବୀ ହସିଦେଇ କହିଲା–ହୋଇଥିବ–ବୋଧହୁଏ । ବାଃ–ବେଶ୍‌ ତ । ଏହା କହି ସେ ନିକଟକୁ ଆସି ହାତମାରି ବିଛଣାର ସବୁ ଦିଗ ପରୀକ୍ଷା କରି କହିଲା–ଶୁଅ, ଗୋସାଇଁ । ମୁଁ ଯାଉଛି । ଏହା କହି ସେ ପାଦ ଚିପି ଚିପି ବାହାରକୁ ଚାଲିଗଲା ଏବଂ ବାହାରେ ଥାଇ ଅତି ସାବଧାନତା ସହିତ ଦରଜା ବନ୍ଦ କରିଦେଲା ।

 

ଆଜି ମୋତେ ବୈଷ୍ଣବୀ ବାରବାର ଶପଥ କରାଇନେଲା ଯେ ତାହାର ପୂର୍ବ ବିବରଣୀ ଶୁଣି ମୁଁ ଘୃଣା କରିବି କି ନାହିଁ ?

 

କହିଲି–ଶୁଣିବାକୁ ମୁଁ ଚାହେଁନାହିଁ । ଆଉ ଶୁଣିଲେ ମଧ୍ୟ ଘୃଣା କରିବି ନାହିଁ ।

 

ବୈଷ୍ଣବୀ ପ୍ରଶ୍ନକଲା–ଶୁଣିଲେ, ଘୃଣା କରିବ ନାହିଁ କାହିଁକି ? ସେକଥା ଶୁଣିଲେ ସବୁ ସ୍ତ୍ରୀ ପୁରୁଷ ତ ଘୃଣା କରନ୍ତି ।

 

କହିଲି– ତୁମେ କ’ଣ କହିବ ମୁଁ ଜାଣିନାହିଁ, ତଥାପି କିନ୍ତୁ ଅନ୍ଦାଜ କରିପାରୁଛି । ସେକଥା ଶୁଣିଲେ ଜଣେ ସ୍ତ୍ରୀଲୋକ ଯେ ଅନ୍ୟ ସ୍ତ୍ରୀଲୋକକୁ ଘୃଣା କରେ ସେ କଥା ଜାଣେ ଏବଂ ତା’ର କାରଣ ମଧ୍ୟ ଜାଣେ । କିନ୍ତୁ ତୁମକୁ କହିବାକୁ ମୁଁ ଚାହେଁନାହିଁ । ପୁରୁଷମାନେ କରନ୍ତି । କିନ୍ତୁ ଅନେକ ସମୟରେ ସେ ଛଳନା ଏବଂ ଆତ୍ମପ୍ରବଞ୍ଚନା ହୋଇଥାଏ । ତୁମେ ଯାହା କହିବ ତାହାଠାରୁ ଅନେକ କୁତ୍ସିତ କଥା ମୁଁ ତୁମମାନଙ୍କ ମୁହଁରୁ ଶୁଣିଛି ଏବଂ ଆଖିରେ ଦେଖିଛି । କିନ୍ତୁ ତଥାପି ସୁଦ୍ଧା ମନରେ ଘୃଣା ଆସେ ନାହିଁ ।

 

: ଆସେ ନାହିଁ କାହିଁକି ?

 

: ବୋଧହୁଏ ସେଇଟା ମୋର ସ୍ୱଭାବ । କିନ୍ତୁ କାଲି ତ କହିଛି ସେ ସବୁ ଶୁଣିବା ମୋର ଦରକାର ନାହିଁ ବୋଲି । ଶୁଣିବା ପାଇଁ ମୁଁ ଏତେ ଟିକିଏ ଉତ୍ସୁକ ନୁହେଁ । ତାଛଡ଼ା କେଉଁଠିକାର କିଏ, ସେମାନଙ୍କର କାହାଣୀ ମୋତେ ନ କହିଲେ...

 

ବୈଷ୍ଣବୀ ଅନେକ ସମୟ ଚୁପ୍ ହୋଇ କ’ଣ ଯେପରି ଭାବିଲା–ତାହାପରେ ହଠାତ୍‌ ପଚାରିଲା–ଆଚ୍ଛା ଗୋସାଇଁ, ତୁମେ ପୂର୍ବଜନ୍ମ ଓ ପରଜନ୍ମକୁ ବିଶ୍ୱାସ କର ?

 

: ନା ।

 

: କର ନାହିଁ କାହିଁକି ? ଏସବୁ କ’ଣ ପ୍ରକୃତରେ ନାହିଁ ବୋଲି ତୁମେ ଭାବ କି ?

 

: ମୋର ଭାବିବା ପାଇଁ ଅନ୍ୟ ଜିନିଷ ଅଛି । ଏସବୁ ଭାବିବାକୁ ବୋଧହୁଏ ସମୟ ପାଇପାରି ନାହିଁ ।

 

ବୈଷ୍ଣବୀ ପୁଣି କ୍ଷଣ ସମୟ ପାଇଁ ମୌନ ରହିବା ପରେ କହିଲା–ଗୋଟାଏ ଘଟଣା ତୁମକୁ କହିବ ! ବିଶ୍ୱାସ କରିବ ? ଠାକୁରଙ୍କ ଆଡ଼କୁ ମୁହଁକରି କହୁଛି–ତୁମକୁ ମିଛ କହିବି ନାହିଁ ।

 

ହସି ହସି କହିଲି–କରିବି କମଳଲତା–କରିବି । ଦିଅଁଙ୍କ ରାଣ ନ ପକାଇ କହିଲେ ସୁଦ୍ଧା ତୁମକୁ ବିଶ୍ୱାସ କରିବି ।

 

ବୈଷ୍ଣବୀ କହିଲା– ଦିନେ ଗହର ଗୋସାଇଁଙ୍କ ମୁହଁରୁ ଶୁଣିଲି ହଠାତ୍‌ ତାଙ୍କ ପାଠଶାଳାର ବନ୍ଧୁ ଘରକୁ ଆସିଥିଲେ । ଭାବିଲି ଯିଏ ଦିନଟିଏ, ଏଠାକୁ ଆସି ରହି ନ ପାରନ୍ତି ସେ ଛଅସାତଦିନ ରହିପାରିଲେ ଅବା କିପରି ? ପୁଣି ଭାବିଲି ଏ କି ପ୍ରକାରର ବ୍ରାହ୍ମଣବନ୍ଧୁ ଯିଏ କି ଅନାୟସରେ ମୁସଲମାନ ଘରେନାହାନ୍ତି କି ? ପଚାରିବା କ୍ଷଣି ଗହର ଗୋସାଇଁ ମଧ୍ୟ ଠିକ୍‌ ଏହିକଥା କହିଲେ । କହିଲେ ସଂସାରରେ ଆପଣାର କେହି ନାହାନ୍ତି ବୋଲି ତା’ର ଭୟ ନାହିଁ ଓ ଭାବନା ମଧ୍ୟ ନାହିଁ ।

 

ମନକୁମନ କହିବାକୁ ଲାଗିଲି–ତାହାହିଁ ହୋଇପାରେ । ପଚାରିଲି–ତୁମ ବନ୍ଧୁଙ୍କ ନାମ କ’ଣ ଗୋସାଇଁ ? ନାମଶୁଣି ଯେପରି ଚମକିପଡ଼ିଲି । ଜାଣ ତ ଗୋସାଇଁ ତୁମ ନାମଟା ଆମେମାନେ ତୁଣ୍ଡରେ ଧରୁନାହୁଁ !

 

ହସିକରି କହିଲି– ଜାଣେ । ତୁମର ମୁହଁରୁ ହିଁ ଶୁଣିଛି ।

 

ବୈଷ୍ଣବୀ କହିଲା– ପଚାରିବି ତୁମ ବନ୍ଧୁଟି ଦେଖିବାକୁ କିପରି ? ବୟସ କେତେ ? ଗୋସାଇଁ କେତେ ନା କେତେ ଯେ କହିଗଲେ ତହିଁରୁ କେତେକ ମୋ କାନକୁ ଗଲା, କେତେ ଅବା ବାହାରିଗଲା । କିନ୍ତୁ ବୁକୁଭିତରଟା ଧପ୍‌ ଧପ୍‌ କରିବାକୁ ଲାଗିଲା । ତୁମେ ଭାବିବ–ଏପରି ଲୋକ ତ ଦେଖୁନଥିବ ଯାହା ନାମ ଶୁଣିଲେ ମଣିଷ ପାଗଳ ହୋଇଉଠେ । କେବଳ ନାମ ଶୁଣିଲେ ବି ଝିଅମାନେ ପାଗଳ ହୋଇଉଠନ୍ତି ଗୋସାଇଁ–ଏକଥା ପ୍ରକୃତରେ ସତ ।

 

କହିଲି–ତାପରେ ?

 

: ତାପରେ ନିଜେ ମନେମନେ ହସିବାକୁ ଲାଗିଲି । କିନ୍ତୁ ଆଉ ଭୁଲିପାରିଲି ନାହିଁ । ସବୁ କାମଦାମ ଭିତରେ ଗୋଟାଏ କଥା ମନେପଡ଼େ ତୁମେ କେବେ ପୁଣି ଆସିବ ? ତୁମକୁ ନିଜଆଖିରେ କେମିତି ଦେଖିବାକୁ ପାଇବି ?

 

ଶୁଣିକରି ଚୁପକରି ରହିଲି । କିନ୍ତୁ ତା’ ମୁହଁକୁ ଚାହିଁ ଆଉ ହସିପାରିଲି ନାହିଁ ।

 

ବୈଷ୍ଣବୀ କହିଲା– ଏଇମାତ୍ର କାଲି ସନ୍ଧ୍ୟାବେଳେ ତୁମେ ଆସିଛ । କିନ୍ତୁ ଆଜି ମୋଠାରୁ ତୁମକୁ ବେଶୀ ବୋଧହୁଏ ଏ ସଂସାରରେ କେହି ଭଲପାଆନ୍ତି ନାହିଁ । ପୂର୍ବଜନ୍ମ ସତ୍ୟ ନ ହୋଇଥିଲେ, ଏପରି ଅସମ୍ଭବ କାଣ୍ଡ କ’ଣ ଗୋଟାଏ ଦିନ ଭିତରେ କେବେ ଘଟିପାରନ୍ତା ?

 

ଟିକିଏ ଅଟକି ଯାଇ ପୁଣି ସେ କହିଲା–ମୁଁ ଜାଣେ ତୁମେ ରହିବାକୁ ଆସିନାହଁ । ରହିବ ନାହିଁ ମଧ୍ୟ । ଯେତେ ପ୍ରାର୍ଥନା କଲେ ସୁଦ୍ଧା ଦିନେ ଦୁଇଦିନ ଭିତରେ ଚାଲିଯିବ । କିନ୍ତୁ ମୁଁ ଯେ କେତେଦିନ ଧରି ଏ ବ୍ୟଥା ସମ୍ଭାଳି ଚାଲିଥିବି, ସେଇ କଥା ହିଁ ଭାବୁଛି । ଏହା କହି ସେ ହଠାତ୍‌ ପଣତ କାନିରେ ଆଖିରୁ ଲୁହ ପୋଛିବାକୁ ଲାଗିଲା ।

 

ଚୁପ୍ ହୋଇ ରହିଲି । ଏତେ ଅଳ୍ପ ସମୟ ଭିତରେ ସ୍ପଷ୍ଟ ଓ ଏପରି ପ୍ରାଞ୍ଜଳ ଭାଷାରେ ରମଣୀର ପ୍ରଣୟ ନିବେଦନ କାହାଣୀ ଏହାପୂର୍ବରୁ କୌଣସି ପୁସ୍ତକରେ ପଢ଼ି ନାହିଁ କିମ୍ୱା ଲୋକ ମୁଖରୁ ଶୁଣିନାହିଁ ଏବଂ ଏହା ଯେ ଅଭିନୟ ନୁହେଁ ତାହା ମଧ୍ୟ ଦୁଇଆଖିରେ ଦେଖିପାରୁଛି । କମଳଲତା ଦେଖିବାକୁ ସୁନ୍ଦର । ଅକ୍ଷର–ପରିଚୟ ହୀନ ମୂର୍ଖ ମଧ୍ୟ ନୁହେଁ । ତାହାର କଥାବାର୍ତ୍ତାରେ, ତାହାର ସଙ୍ଗୀତ ଗାନରେ, ଅତିଥିସେବାରେ ଓ ଯତ୍ନ ଆଦରରେ ଆନ୍ତରିକତା ହେତୁ ସେ ମୋତେ ଭଲ ଲାଗିଥିଲା ଏବଂ ସେହି ଭଲଲାଗିବାଟାକୁ ପ୍ରଶସ୍ତି ଓ ରସିକତାର ଅତ୍ୟୁକ୍ତିରେ ରୂପାୟିତ କରିବାକୁ କାର୍ପଣ୍ୟ କରିନଥିଲି । କିନ୍ତୁ ଦେଖୁଦେଖୁ ପରିଣତି ଯେ ଏପରି ଜଟିଳ ହୋଇଉଠିବ ତାହା ଚିନ୍ତା କରିନଥିଲି । ବୈଷ୍ଣବୀର ପ୍ରଣୟ ଆବେଦନ ଅଶ୍ରୁମୋଚନ ଓ ମାଧୁର୍ଯ୍ୟର ଅକୁଣ୍ଠିତ ଆତ୍ମପ୍ରକାଶ ହେତୁ ସାରା ମନ ଯେ ଏପରି ତିକ୍ତତାରେ ଭରିଉଠିବ ତାହା କ’ଣ ଅଳ୍ପ ସମୟ ପୂର୍ବରୁ ଜାଣିଥିଲି ? ମୁଁ ଯେପରି ବୋକା ହୋଇଗଲି । କେବଳ ଯେ ଲଜ୍ଜ୍ୟାରେ ସର୍ବାଙ୍ଗ କଣ୍ଟକିତ ହୋଇଉଠିଲା, ତାହା ନୁହେଁ କିପରି ଏକ ଅଜଣା ବିପଦ ଆଶଙ୍କାରେ ମନଭିତରେ କେଉଁଠାରେ ଶାନ୍ତି କି ଆନନ୍ଦ ରହିଲା ନାହିଁ । ଜାଣେ ନାହିଁ କେଉଁ ଅଶୁଭ ଲଗ୍ନରେ କାଶୀରୁ ବାହାରିଲି ଯେ ଗୋଟିଏ ପୁଣ୍ଟୁର ଜାଲଟି କାଟି ବାହାରି ଆସିବା ପରେ ପରେ ଆଉ ଗୋଟିଏ ପୁଣ୍ଟୁର ଗାଲରେ ଛନ୍ଦିହୋଇ ପଡ଼ିଲିଣି । ଏଣେ ବୟସ ତ ଯୌବନର ସୀମା ପାରହେବାକୁ ବସିଲାଣି । ଏହି ସମୟରେ ଅଯାଚିତ ନାରୀପ୍ରେମର ବନ୍ୟା କମିବାକୁ ଲାଗିଲା ନାହିଁ ଏବଂ କେଉଁଠାରେ ଯାଇ ଆତ୍ମଗୋପନ କରିବ ସେଥିପାଇଁ ସ୍ଥାନ ଖୋଜି ପାଇପାରିଲି ନାହିଁ । ଯୁବତୀ ରମଣୀର ପ୍ରଣୟ ଭିକ୍ଷା ଯେ ପୁରୁଷ ନିକଟରେ ଏତେ ଅରୁଚିକର ହୋଇପାରେ ତାହା ମୋ ଧାରଣା ନଥିଲା । ଭାବିଲି ହଠାତ୍‌ ମୋ ମୂଲ୍ୟ ଏତେ ବଢ଼ିଗଲା କିପରି ? ଆଜିସୁଦ୍ଧା ରାଜଲକ୍ଷ୍ମୀର ଆବଶ୍ୟକତା ମୋଠାରୁ ଶେଷ ହେବାକୁ ଚାହେଁ ନାହିଁ । ବଜ୍ର ମୁଷ୍ଟିକୁ ଏତେ ଟିକିଏ ଶିଥିଳ କରି ସେ ମୋତେ ଛାଡ଼ିଦେବାକୁ ପ୍ରସ୍ତୁତ ନଥିବାବେଳେ ଏଭଳି ଏକ ସମସ୍ୟା ପୁଣି ଆସି ଢୁକିଲାଣି । କିନ୍ତୁ ଏଠାରେ ଆଉ ରହିବା ଠିକ୍‌ ନୁହେଁ । ସାଧୁସଙ୍ଗ ସେତିକି ଥାଉ । ସ୍ଥିର କରିଲି କାଲି ଏ ସ୍ଥାନ ତ୍ୟାଗ କରିବି ।

 

ବୈଷ୍ଣବୀ ହଠାତ୍‌ ଚମକିପଡ଼ିଲା ପରି କହିଲା–ଏଇ ଯାଃ ! ତୁମପାଇଁ ଯେ ଚାହା ଆଣିଛି ଗୋସାଇଁ ।

 

: କ’ଣ କହୁଛ ! ପାଇଲ କେଉଁଠୁ ?

 

: ସହରକୁ ଲୋକ ପଠାଇଥିଲି । ତିଆରି କରି ଆଣିବି ଯାଉଛି । କୁଆଡ଼େ ଯେପରି ଏଠାରୁ ଚାଲିନଯାଅ...

 

: କିନ୍ତୁ ଚାହା ତିଆରି କରି ଜାଣ ତ ?

 

ବୈଷ୍ଣବୀ ଉତ୍ତର ନଦେଇ କେବଳ ମୁଣ୍ଡ ହଲାଇ ହସି ହସି ଚାଲିଗଲା ।

 

ସେ ଚାଲିଯିବା ପରେ ସେହି ଦିଗକୁ ଚାହିଁ ମନରେ କିପରି ବ୍ୟଥା ଜାଗିଉଠିଲା । ଚାହାପାନ ଆଶ୍ରମର ବ୍ୟବସ୍ଥା ନୁହେଁ, ହୁଏତ ନିଷେଧ ହିଁ ଥିବ । ତଥାପି ଏ ଜିନିଷଟାକୁ ମୁଁ ଯେ ଭଲପାଏ ଏ ଖବର ସେ ଜାଣିପାରିଛି ଏବଂ ସହରକୁ ଲୋକ ପଠାଇ ସଂଗ୍ରହ କରି ଆଣିପାରିଛି । ତା’ର ବିଗତ ଜୀବନର ଇତିହାସ ଶୁଣି ନାହିଁ । ବର୍ତ୍ତମାନର ମଧ୍ୟ ଜାଣେ ନାହିଁ । କେବଳ ଆଭାସ ଦ୍ୱାରା ଏତିକି ଜାଣିପାରିଛି ଯେ ତାହା ଭଲ ନୁହେଁ । ତାହା ନିନ୍ଦନୀୟ । ଶୁଣିଲେ ଲୋକଙ୍କ ମନରେ ଘୃଣା ଜନ୍ମେ । ତଥାପି ମୋ ନିକଟରେ ସେଇ କାହାଣୀ ସେ ଲୁଚାଇବାକୁ ଚାହେଁ ନାହିଁ । ଶୁଣାଇବା ପାଇଁ ବାରମ୍ୱାର ବାଧ୍ୟ କରିଛି । କେବଳ ମୁଁ ଯାହା ଶୁଣିବା ପାଇଁ ରାଜି ହୋଇନାହିଁ । ମୋର କୌତୂହଳ ନାହିଁ । କାରଣ ପ୍ରୟୋଜନ ନାହିଁ । ପ୍ରୟୋଜନ ତା’ର । ଏକାକୀ ବସି ସେହି ପ୍ରୟୋଜନ କଥାଟାକୁ ଭାବିବାକୁ ଯାଇ ସ୍ପଷ୍ଟ ଦେଖିବାକୁ ପାଇଲି ମୋତେ ନ କହି ବସିଲେ ତା’ର ଅନ୍ତରର ଗ୍ଳାନି ଘୁଞ୍ଚୁ ନାହିଁ । ମନଭିତରେ ସେ କୌଣସି ମତେ ଦମ୍ଭ ପାଇପାରୁ ନାହିଁ ।

 

ମୋର ଶ୍ରୀକାନ୍ତ ନାମଟା କମଳଲତା ଉଚାରଣ କରେ ନାହିଁ । ଜାଣେ ନାହିଁ କିଏ ତାହାର ଏହି ପରମ ପୂଜ୍ୟ ଗୁରୁଜନ ଏବଂ କେବେ ସେ ଇହଲୋକରୁ ବିଦାୟ ନେଇଯାଇଛନ୍ତି, ଯାହାଙ୍କ ନାମ କି ଶ୍ରୀକାନ୍ତ ଥିଲା । ଦୈବାତ୍‌ ମୋ ନାମଟାକୁ ମିଳାଇ ସେ ଏ ବିପତ୍ତି ସୃଷ୍ଟି କରି ବସିଛି ଏବଂ ସେହିଠାରୁ କଳ୍ପନାରେ ଗତ ଜନ୍ମର ସ୍ୱପ୍ନ ସାଗରରେ ଡୁବ ମାରି ସଂସାରର ସମସ୍ତ ବାସ୍ତବତାକୁ ଜଳାଞ୍ଜଳି ଦେଇ ବସିଛି ।

 

ତଥାପି ମନେହୁଏ ଏଥିରେ ବିସ୍ମିତ ହେବାର କିଛି ନାହିଁ । ରସ ଆରାଧନାରେ ଆକଣ୍ଠ ମଗ୍ନ ରହି ସୁଦ୍ଧା ତାହାର ଏକାନ୍ତ ନାରୀ ପ୍ରକୃତି ଆଜି ବୋଧହୁଏ ରସର ତତ୍ତ୍ୱ ପାଇପାରି ନାହିଁ । ସେହି ଅସହାୟ ଅପରିତୃପ୍ତ ପ୍ରବୃତ୍ତି ଏଇ ନିରବଛିନ୍ନ ଭାବ–ବିଳାସର ଉପକରଣ ସଂଗ୍ରହ କରି କରି ଆଜି କ୍ଳାନ୍ତ ଏବଂ ଦ୍ୱିଧାରେ ପୀଡ଼ିତ । ସେହି ତା’ର ପଥଭ୍ରଷ୍ଟ ବିଭ୍ରାନ୍ତ ମନ ଆପଣା ଅଜ୍ଞାତସାରରେ କେଉଁଠାରେ ଯେ ଅବଲମ୍ୱନ ଖୋଜି ଚାଲିଚି ବୈଷ୍ଣବୀ ତା’ର ଠିକଣା ଜାଣେ ନାହିଁ । ଆଜି ସେଥିପାଇଁ ସେ ଚମକିଉଠି ଥରକୁଥର ତା’ ବିଗତ ଜନ୍ମର ରୁଦ୍ଧଦ୍ୱାରରେ ହାତପାତି ବୁଝିପାରିଲି ଯେ ମୋ ଶ୍ରୀକାନ୍ତ ନାମଟାକୁ ହିଁ ପାଥେୟ କରି ଆଜି ସେ ଜୀବନ ନୌକାକୁ ଭସାଇବାକୁ ଚାହେଁ ।

 

ବୈଷ୍ଣବୀ ଚାହା ଆଣି ଦେଲା । ସବୁ ହିଁ ନୂତନ ବ୍ୟବସ୍ଥା । ପାନ କରି ଗଭୀର ଆନନ୍ଦ ଲାଭ କଲି । ମନୁଷ୍ୟର ମନ କେତେ ଶୀଘ୍ର ପ୍ରକୃତରେ ପରିବର୍ତ୍ତିତ ନ ହୁଏ ! ମୋର ଯେପରି ତା’ ବିରୁଦ୍ଧରେ ଆଉ କୌଣସି ଅଭିଯୋଗ ରହିଲା ନାହିଁ ।

 

ପଚାରିଲି– କମଳଲତା, ତମେ କ’ଣ ଶୁଣ୍ଢୀ ?

 

କମଳଲତା ହସିଦେଇ କହିଲା– ନା, ସୁନାରୀ ବଣିଆ । କିନ୍ତୁ ତୁମ ନିକଟରେ ଯେତେବେଳେ କିଛି ପ୍ରଭେଦ ନାହିଁ ସେତେବେଳେ ଏ ଦୁଇଟା ଜାତି ଏକ ।

 

କହିଲି– ଅନ୍ତତଃ ମୋ ନିକଟରେ ସେଇଆ । ଦୁଇଟା ଏକ କାହିଁକି, ସବୁ ଜାତି ମିଶି ଏକ ହେବାରେ ମୋର କ୍ଷତି ନାହିଁ ।

 

ବୈଷ୍ଣବୀ କହିଲା– ସେହିପରି ତ ମନେହୁଏ । ତୁମେ ଗହର ମାଆଙ୍କ ହାତରୁ ବି ଖାଇଛ ।

 

କହିଲି– ତାକୁ ତୁମେ ଜାଣି ନାହଁ । ଗହର ତା’ ବାପଭଳି ହୋଇ ନାହିଁ, ମାଆଙ୍କ ସ୍ୱଭାବ ପାଇଛି । ଏପରି ଶାନ୍ତ, ଆତ୍ମଭୋଳା, ଭଦ୍ରଲୋକ କେବେ ଆଉ ଦେଖିଛ ? ତା’ର ମାଆ ଥିଲେ ସେହିପରି । ପିଲାଦିନେ ଥରେ ତା’ ବାପାଙ୍କ ସହିତ ମାଆଙ୍କ ଝଗଡ଼ା ଲାଗିବା କଥା ମୋର ମନେଅଛି । କାହାକୁ କୁଆଡ଼େ ଲୁଚାଇ କରି ଅନେକ ଟଙ୍କା ଦେଇଥିବାରୁ ଝଗଡ଼ା ଲାଗିଲା । ଗହର ବାପା ଥିଲେ ବଦରାଗୀ ଲୋକ । ଆମେମାନେ ତ ଭୟରେ ପଳାଇଗଲୁ । ଘଣ୍ଟାକ ପରେ ଚୁପି ଚୁପି ଫେରିଆସି ଦେଖୁ ଗହର ମାଆ ଚୁପ୍‌ ହୋଇ ବସି ରହିଛନ୍ତି । ଗହର ବାପାଙ୍କ କଥା ପଚାରିବାରୁ ସେ ପ୍ରଥମେ କଥା କହିଲେ ନାହିଁ କିନ୍ତୁ ତାପରେ ଆମ ଦୁହିଁଙ୍କ ମୁହଁକୁ ଚାହିଁ ଦେଇ ହସରେ ଫାଟିପଡ଼ିଲେ । ଆଖିରୁ ଦୁଇ ଚାରିଟୋପା ଲୁହ ବି ଗଡ଼ିପଡ଼ିଲା । ଏ ଅଭ୍ୟାସ ତାଙ୍କର ଥିଲା ।

 

ବୈଷ୍ଣବୀ ପ୍ରଶ୍ନ କଲା–ଏଥିରେ ହସିବାର କ’ଣ ଥିଲା ।

 

କହିଲି– ଆମେମାନେ ମଧ୍ୟ ସେଇ କଥା ଭାବିଥିଲୁ । କିନ୍ତୁ ହସ ବନ୍ଦ ହେବାପରେ ପଣତ କାନିରେ ଆଖି ପୋଛି ପକାଇ କହିଲେ–ମୁଁ କ’ଣ ବୋକୀ ଝିଅ କି ବାବା ? ସେ ଗାଧୋଇ ଖାଇପିଇ ଆରାମରେ ଶୋଇ ଘୁଙ୍ଗୁଡ଼ି ମାରୁଛି ଆଉ ମୁଁ ଏଣେ ନଖାଇ ନପିଇ ଉପାସରେ ମରିବି ! କି ଦରକାର କୁହତ ! ଆଉ କହିବା ସଙ୍ଗେ ସଙ୍ଗେ ତାଙ୍କର ଯେତେ ରାଗ ସବୁ ଧୋଇ ସଫା ହୋଇଗଲା । କିନ୍ତୁ ଝିଅମାନଙ୍କର ଯେ ଏ କେତେ ବଡ଼ ଗୁଣ ତାହା ଭୁକ୍ତଭୋଗୀ ନ ହେଲେ ଜାଣିପାରିବ ନାହିଁ । କେବଳ ସହ୍ୟ କରିପାରିଲେ ହେଲା ।

 

ବୈଷ୍ଣବୀ ପଚାରିଲା–ତୁମେ କ’ଣ ଭୁକ୍ତଭୋଗୀ ଗୋସାଇଁ ?

 

ସାମାନ୍ୟ ବିବ୍ରତ ହୋଇପଡ଼ିଲି । ପ୍ରଶ୍ନଟା ତାକୁ ଛାଡ଼ି ଯେ ମୋତେ ଚାପିଧରିବ ତାହା ଭାବିନଥିଲି । କହିଲି– ପ୍ରତ୍ୟେକ କଥା କ’ଣ ନିଜେ ଭୋଗିବାକୁ ହୁଏ କମଳଲତା ? ପରଠାରୁ ଦେଖି ବି ଶିଖିବାକୁ ହୁଏ । ଏଇ ଭ୍ରୂଲତା ଥିଲାବାଲା ଲୋକଠାରୁ ତୁମେ କ’ଣ କିଛି ଶିଖିପାରି ନାହଁ-?

 

ବୈଷ୍ଣବୀ କହିଲା– କିନ୍ତୁ ସେ ତ ମୋର ପର ନୁହଁ ।

 

ଆଉ କୌଣସି ପ୍ରଶ୍ନ ମୋ ମୁହଁରୁ ବାହାରିପାରିଲା ନାହିଁ । ଏକବାରେ ସ୍ତବ୍‌ଧ ହୋଇଗଲି ।

 

ବୈଷ୍ଣବୀ ନିଜେ ମଧ୍ୟ ନୀରବ ହୋଇ ରହିଲା । ତାପରେ ହାତ ଯୋଡ଼ି କରି କହିଲା–ତୁମକୁ ମିନତି କରୁଛି ଗୋସାଇଁ, ମୋ କଥାଟା ଟିକିଏ ଆରମ୍ଭରୁ ଶୁଣ–

 

: ଆଚ୍ଛା ତାହାହେଲେ କୁହ ।

 

କିନ୍ତୁ କହିବାକୁ ଅନୁମତି ପାଇ ସୁଦ୍ଧା ଦେଖିଲି କହିବାଟା ତା’ ପକ୍ଷରେ ସହଜ ନୁହେଁ । ମୋ ଭଳି ନତ ମୁଖରେ ତାକୁ ମଧ୍ୟ ବହୁ ସମୟ ପର୍ଯ୍ୟନ୍ତ ଚୁପ୍‌ କରି ରହିବାକୁ ହେଲା । କିନ୍ତୁ ସେ ହାର ମାନିଲା ନାହିଁ । ଅନ୍ତର ଭିତରେ ଦ୍ୱିଧା ଯୁଦ୍ଧରେ ଜୟୀହୋଇ ଏକଦା ଯେତେବେଳେ ମୁହଁ ଉଠାଇ ଚାହିଁଲା, ସେତେବେଳେ ମୋର କିପରି ମନେହେଲା, ଯେପରି ତା’ର ସୁଶ୍ରୀ ମୁହଁଉପରେ ଏକ ବିଶେଷ ଦୀପ୍ତି ଝଲସିଉଠିଛି । କହିଲା–ଅହଙ୍କାର ଯେ ମରି, ମରେ ନାହିଁ ଗୋସାଇଁ । ଆମର ବଡ଼ ଗୋସାଇଁ କହନ୍ତି ଏ ଯେପରି ଚକ୍ଷୁ ତଳର ନିଆଁ । ଲିଭି ମଧ୍ୟ ଲିଭିନଥାଏ । ପାଉଁଶ ଆଡ଼େଇଦେଲେ ଦେଖାଯାଏ ଧିକ୍‌ ଧିକ୍‌ ଜଳୁଛି କିନ୍ତୁ ତାହା ବୋଲି ଫୁଙ୍କି ତାକୁ ଜଳାଇ ହେବ ନାହିଁ-। ସେପରି ହୋଇପାରୁଥିଲେ ମୋର ଏ ପଥକୁ ଆସିବା ତାହାହେଲେ ବୃଥା ହୋଇଯିବ । ଶୁଣ-! ସ୍ତ୍ରୀଲୋକ ତ ମୁଁ; ହୁଏତ ସବୁ କଥା ଖୋଲିକରି କହି ନପାରିପାରେ ମଧ୍ୟ ।

 

ମୋର କୁଣ୍ଠାର ସୀମା ରହିଲା ନାହିଁ । ଶେଷଥର ପାଇଁ ମିନତି କରି କହିଲି–ଝିଅପିଲାମାନଙ୍କର ପଦସ୍ଖଳନ ଘଟଣା ଶୁଣିବାକୁ ମୋର ଆଗ୍ରହ ନାହିଁ । ଉତ୍କଣ୍ଠା ନାହିଁ । ଆଉ ମଧ୍ୟ ଶୁଣିବାକୁ ଭଲଲାଗିବ ନାହିଁ କମଳଲତା । ତୁମର ଏପରି ସାଧନା ଦ୍ୱାରା ଅହଙ୍କାର ବିନାଶ ପାଇଁ କୌଣସି ପନ୍ଥା ମହାପୁରୁଷମାନେ ନିର୍ଦ୍ଦେଶ କରି ଦେଇଛନ୍ତି କି ନାହିଁ ମୋତେ ଜଣା ନାହିଁ । କିନ୍ତୁ ନିଜର ଗୋପନ ପାପକୁ ଅନାବୃତ କରିବା ପାଇଁ ସ୍ପର୍ଦ୍ଧିତ ବିନୟ ହିଁ ଯଦି ତୁମର ପ୍ରାୟଶ୍ଚିତର ବିଧାନ ହୋଇଥାଏ; ଏ ସବୁ କାହାଣୀ ଯାହା ନିକଟରେ ଋଚିକର ସେପରି ବହୁ ଲୋକଙ୍କର ସାକ୍ଷାତ୍‌ ଜୀବନରେ ତୁମେ ପାଇପାରିବ କମଳଲତା, ତେଣୁ ମୋତେ ନକହି ବରଂ କ୍ଷମା କର । ଏହା ଛଡ଼ା କାଲି ମୁଁ ମଧ୍ୟ ଏଠାରୁ ଚାଲିଯିବି । ଜୀବନରେ ହୁଏତ ଆଉ ଆମର ଦେଖା ହୋଇନପାରେ ।

 

ବୈଷ୍ଣବୀ କହିଲା– ତୁମକୁ ତ ଆଗରୁ କହିଛି ଗୋସାଇଁ, ପ୍ରୟୋଜନ ତୁମର ନୁହେଁ ମୋର । କିନ୍ତୁ କାଲି ପରେ ଆଉ ଆମ ଦୁହିଁଙ୍କର ପ୍ରକୃତରେ ଦେଖା ହେଉ ବୋଲି କ’ଣ ତୁମେ ଚାହିଁ ନାହଁ ? ନା କଦାପି ନୁହେଁ । ମୋ ମନ ମୋତେ ବାରମ୍ୱାର କହିଉଠୁଛି–ପୁଣି ଦେଖାହେବ ଏବଂ ମୁଁ ସେହି ଆଶା ନେଇ ହିଁ ରହିବି । କିନ୍ତୁ ପ୍ରକୃତରେ କ’ଣ ମୋ ବିଷୟରେ କୌଣସି କଥା ଜାଣିବାକୁ ତୁମେ ଇଚ୍ଛା କରୁନାହଁ ? ଚିରଦିନ ମୋ ସମ୍ପର୍କରେ କେବଳ ଗୋଟାଏ ସନ୍ଦେହ ଆଉ ଅନୁମାନକୁ ନେଇ ରହିଥିବ ?

 

ପଚାରିଲି– ଆଜି ବଣଭିତରେ ଯେଉଁ ଲୋକଟା ସହିତ ମୋର ଦେଖାହୋଇଥିଲା, ‘ଯାହାକୁ ତୁମେ ଆଶ୍ରମରେ ପଶିବାକୁ ଦେଉନାହିଁ, ଯାହାର ଦୌରାତ୍ମ୍ୟ ହେତୁ ତୁମେ ପଳାଇଯାଇ ଆତ୍ମରକ୍ଷା କରିବାକୁ ଚାହିଁ, ସେ କ’ଣ ପ୍ରକୃତରେ ତୁମର କେହି ନୁହେଁ ? ନିଚ୍ଛକ ପର ?

 

: ତୁମେ କ’ଣ କାହା ଭୟରେ ପଳାଇ ଆତ୍ମରକ୍ଷା କରିବାକୁ ମୁଁ ଚାହୁଛି ମନେକରୁଛ ଗୋସାଇଁ ?

 

: ହଁ, ସେଇଆ ତ ମନେହୁଏ । କିନ୍ତୁ ସେ ଜଣକ କିଏ ?

 

: କିଏ ଆଉ ସେ ! ସେ ତ ମୋର ଇହ–ପରକାଳର ନରକ ଯନ୍ତ୍ରଣା । ସେଥିପାଇଁ ତ ଠାକୁରଙ୍କୁ ନିରନ୍ତର କାନ୍ଦି କାନ୍ଦି କହୁଛି–ପ୍ରଭୁ । ମୁଁ ତୁମର ଦାସୀ । ମଣିଷ ଉପରେ ଏତେ ଘୃଣାକୁ ମୋ ମନରୁ ପୋଛିଦିଅ । ମୁଁ ପୁଣି ଭଲଭାବରେ ନିଶ୍ୱାସ ମାରି ବଞ୍ଚେ । ମୋର ସକଳ ସାଧନା ଯେ ବ୍ୟର୍ଥ ହୋଇଯାଉଛି ।

 

ତା’ ଦୁଇଆଖିରେ ଯେପରି ଆତ୍ମଗ୍ଳାନି ଫୁଟିଉଠିଲା । ମୁଁ ଚୁପ୍‌ ହୋଇ ରହିଲି ।

 

ବୈଷ୍ଣବୀ କହିଲା– ଅଥଚ ତାହା ଅପେକ୍ଷା ଆପଣାର ମୋର ଦିନେ କେହିନଥିଲେ ଏବଂ ଏତେ ଭଲ ବୋଧହୁଏ କେହି କାହାକୁ ପାଇପାରି ନାହିଁ ।

 

ତା’ କଥା ଶୁଣି ବିସ୍ମୟର ସୀମା ରହିଲା ନାହିଁ ଏବଂ ସେହି ସ୍ୱରୂପା ରମଣୀର ତୁଳନାରେ ସେହି ଭଲପାଇବା ପାତ୍ରଟିର କୁତ୍ସିତ କଦାକାର ମୂର୍ତ୍ତିକୁ ସ୍ମରଣ କରି ମନଟା ଭୀଷଣ ଖରାପ ହୋଇଉଠିଲା ।

 

ବୁଦ୍ଧିମତୀ ବୈଷ୍ଣବୀ ମୋ ମୁହଁକୁ ଚାହିଁ ବୁଝିପାରି କହିଲା–ଗୋସାଇଁ, ସେଇଟା ତ ତା’ର ବାହାରର ଚେହେରା । କିନ୍ତୁ ତା’ ଭିତରେ ବିଷୟରେ ଟିକିଏ ଶୁଣ ।

 

: କୁହ ।

 

ବୈଷ୍ଣବୀ କହିବାକୁ ଲାଗିଲା–ମୋର ଆଉ ଦୁଇଟି ଛୋଟ ଭାଇ ଅଛନ୍ତି । କିନ୍ତୁ ମାଆ ବାପାଙ୍କର ମୁଁ କେବଳ ଗୋଟିଏ ବୋଲି ଝିଅ । ଆମ ଘର ଶ୍ରୀହଟ୍ଟରେ । ବାବା ମୋର ବ୍ୟବସାୟୀ ଲୋକ । ସେ କଲିକତାରେ ବ୍ୟବସାୟ କରନ୍ତି । ପିଲାବେଳୁ କଲିକତାରେ ବଢ଼ି ମଣିଷ । ମାଆ ଘର ସଂସାର ସମ୍ଭାଳି ଗାଆଁରେ ଥାଆନ୍ତି । ମୁଁ ଯଦି ପୂଜାବେଳେ କେବେ ଗାଆଁକୁ ଯାଏ ମାସକରୁ ଅଧିକା ରହିପାରେ ନାହିଁ । ମୋତେ ଗାଆଁ ଭଲଲାଗେ ନାହିଁ । କଲିକତାରେ ମୋର ବିବାହ ହୁଏ । ମୋତେ ସତର ବର୍ଷ ବୟସରେ ମୁଁ ସ୍ୱାମୀଙ୍କୁ ହରାଏ । ତାଙ୍କରି ନାମ ପାଇଁ ଗୋସାଇଁ, ଗହର ଗୋସାଇଁ ମୁହଁରୁ ତୁମ ନାମଟା ଶୁଣି ମୁଁ ଚମକିଉଠିଛି । ଏଥିପାଇଁ ତୁମକୁ ନୂତନ ଗୋସାଇଁ ବୋଲି ଡାକୁଛି । ଯେହେତୁ ତୁମ ନାମଟା ମୁହଁରେ ଧରିପାରିବି ନାହିଁ ।

 

କହିଲି– ସେ କଥା ମୁଁ ବୁଝିପାରୁଛି । ତାପରେ ?

 

ବୈଷ୍ଣବୀ କହିଲା– ଯାହା ସହିତ ତୁମର ଆଜି ଦେଖାହେଲା ତା’ ନାମ ମନ୍ମଥ । ଏ ଥିଲା ଆମର ଗୁମାସ୍ତା । ଏହା କହି କ୍ଷଣକ ପାଇଁ ସେ ନୀରବ ରହି କହିଲା–ମୋର ବୟସ ଯେତେବେଳେ ଏକୋଇଶି ବର୍ଷ ସେତେବେଳେ ମୁଁ ସନ୍ତାନ ସମ୍ଭବା ହେଲି ।

 

ବୈଷ୍ଣବୀ କହିବାକୁ ଲାଗିଲା– ମନ୍ମଥର ଗୋଟିଏ ପୁତୁରା ଆମ ବସାରେ ରହେ । ବାବା ତାକୁ କଲେଜରେ ପଢ଼ାଉଥିଲେ । ବୟସରେ ମୋଠାରୁ ସାମାନ୍ୟ ଛୋଟ ଥିଲା । ସେ ଯେ ମୋତେ କେତେ ଭଲପାଉଥିଲା ତା’ର ସୀମା ନଥିଲା । ତାକୁ ଡାକି କହିଲି–ଯତୀନ । କେବେ ତୋତେ କିଛି ମାଗି ନାହିଁ ଭାଇ, ମୋର ଏପରି ବିପଦରେ ଟିକିଏ ଶେଷଥର ପାଇଁ ମୋତେ ସାହାଯ୍ୟ କର–ମୋତେ ଟଙ୍କାକର ବିଷ କିଣି ଆଣି ଦେଇପାରିବୁ ?

 

କଥାଟା ସେ ବୁଝିପାରିଲା ନାହିଁ । କିନ୍ତୁ ଯେତେବେଳେ ବୁଝିପାରିଲା ସେତେବେଳେ ତା’ ମୁହଁଟା ମଡ଼ା ଭଳି ଶେତା ପଡ଼ିଗଲା ।

 

କହିଲି– ବିଳମ୍ୱ କଲେ ଚଳିବ ନାହିଁ ଭାଇ, ତୋତେ ବର୍ତ୍ତମାନ କିଣିଆଣି ଦେବାକୁ ହେବ । ଏହା ବ୍ୟତୀତ ମୋର ଆଉ ଅନ୍ୟ ପନ୍ଥା ନାହିଁ ।

 

ଏକଥା ଶୁଣି ଯତୀନର ଯେ କି କାନ୍ଦଣା ! ସେ ମୋତେ ଦେବତାଠାରୁ ବଡ଼ ବୋଲି ଭାବୁଥିଲା ଓ ଅପା ବୋଲି ଡାକୁଥିଲା । କି ଆଘାତ, କି କଷ୍ଟ ସେ ଯେ ପାଇଲା, ଯାହାଫଳରେ ତା’ ଆଖିରୁ ଆଉ ଲୁହ ବନ୍ଦ ହେବାକୁ ଲାଗିଲା ନାହିଁ । ସେ କହିଲା–ଉଷା ଅପା, ଆତ୍ମହତ୍ୟାଠାରୁ ମହାପାପ ଆଉ ନାହିଁ । ଗୋଟାଏ ଦୋଷ ଉପରେ ଆଉ ଗୋଟାଏ ଦୋଷ ଚାପିଦେଇ ତୁମେ କ’ଣ ବାଟ ଖୋଜି ପାଇବ ? କିନ୍ତୁ ଲଜ୍ଜ୍ୟାରୁ ବଞ୍ଚିବା ପାଇଁ ଯଦି ଏଇ ଉପାୟ ଠିକ୍‌ କରି ସାରିଥାଅ ଅପା, ତେବେ ମୁଁ କଦାପି ସାହାଯ୍ୟ କରିବି ନାହିଁ । ଏହା ବ୍ୟତୀତ ତୁମେ ଯେଉଁ ଆଦେଶ କରିବ ତାହା ପାଳନ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି ।

 

ତାହାରି ପାଇଁ ହିଁ ମୁଁ ମରିପାରିଲି ନାହିଁ ।

 

କ୍ରମଶଃ କଥାଟା ବାବାଙ୍କ କାନକୁ ଗଲା । ସେ ଯେପରି ନିଷ୍ଠାବାନ୍‌ ବୈଷ୍ଣବ ସେହିପରି ଶାନ୍ତ ନିରୀହ ପ୍ରକୃତିର ଲୋକ । ମୋତେ କିଛି କହିଲେ ନାହିଁ । କିନ୍ତୁ ଦୁଃଖରେ, ଲଜ୍ଜ୍ୟାରେ ଦୁଇ ତିନିଦିନ ବିଛଣା ଛାଡ଼ି ଉଠିପାରିଲେ ନାହିଁ । ତାପରେ ଗୁରୁଦେବଙ୍କ ପରାମର୍ଶରେ ମୋତେ ଧରି ନବଦ୍ୱୀପକୁ ଆସିଲେ । କଥା ହେଲା ମନ୍ମଥ ଓ ମୁଁ ଦୀକ୍ଷା ନେଇ ବୈଷ୍ଣବ ହେବୁ । ସେତେବେଳେ ଫୁଲ ଓ ତୁଳସୀର ମାଳା ବଦଳ ହୋଇ ଆମ ଦୁହିଁଙ୍କର ନୂତନ ବିବାହ ହେବ । ତହିଁରେ ପାପର ପ୍ରାୟଶ୍ଚିତ୍ତ ହେବ କି ନାହିଁ ମୁଁ ଜାଣେନା କିନ୍ତୁ ଯେଉଁ ଶିଶୁ ଗର୍ଭକୁ ଆସିଛି ମାଆ ହୋଇ ତାକୁ ଯେ ହତ୍ୟା କରିବାକୁ ପଡ଼ିବ ନାହିଁ ସେହି ଭରସାରେ ହିଁ ଯେପରି ମୋର ଅଧେ ଦୁଃଖ କମିଗଲା । ଆୟୋଜନ ଚାଲିଲା । ଦୀକ୍ଷା କହ କିମ୍ବା ଭେକ କହ ତାହା ମଧ୍ୟ ଆମର ସରିଲା । ମୋର ନୂଆ ନାମକରଣ ହେଲା କମଳଲତା । କିନ୍ତୁ ସେ ପର୍ଯ୍ୟନ୍ତ ଜାଣିନଥିଲି ଯେ ବାବା ଦଶହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ମନ୍ମଥକୁ ରାଜି କରାଇଥିଲେ । କିନ୍ତୁ ହଠାତ୍‌ କି କାରଣରୁ ଜାଣେନାହିଁ ବିବାହର ଦିନଟା କେତେଦିନ ପଛେଇଗଲା । ବୋଧହୁଏ ସପ୍ତାହେ ଖଣ୍ଡେ ହେବ । ମନ୍ମଥକୁ ଆଉ ଦେଖିବାକୁ ପାଉନଥାଏ । ନବଦ୍ୱୀପ ବସାରେ ମୁଁ ଏକାକିନୀ ଥାଏ । ଏହିପରି ଭାବରେ କେତେକ ଦିନ ଗଲା । ତାପରେ ଶୁଭଦିନ ପୁଣି ଆସି ଉପସ୍ଥିତ ହେଲା । ସ୍ନାନ କରି, ଶୁଚି ହୋଇ, ଠାକୁରଙ୍କ ପ୍ରସାଦମାଳାକୁ ଧରି ଶାନ୍ତ ମନରେ ପ୍ରତୀକ୍ଷା କରି ବସି ରହିଲି ।

 

ବାବା ବିଷଣ୍ଣ ମନରେ ଥରେ ବୁଲି ଆସିଲେ । କିନ୍ତୁ ନବୀନ ବୈଷ୍ଣବ ବେଶରେ ମନ୍ମଥକୁ ଯେତେବେଳେ ଦେଖିଲି ହଠାତ୍‌ ମୋ ମନରେ ଯେପରି ବିଦ୍ୟୁତ୍‌ କରେଣ୍ଟ କିଏ ମାରିଦେଲା । ସେଇଟା ଆନନ୍ଦର କି ବ୍ୟଥାର ସେକଥା ମୁଁ ଜାଣେ ନାହିଁ–ହୁଏତ ଦୁଇଟା ହିଁ ଥିଲା । ଇଚ୍ଛାହେଲା ଉଠିଯାଇ ପାଦଧୂଳି ନେଇ ମୁଣ୍ଡରେ ମାରି ଉଠିଆସିବି । କିନ୍ତୁ ଲାଜରେ ସେ କଥା କରିପାରିଲି ନାହିଁ ।

 

ଆମ କଲିକତା ବସାର ପୁରୁଣା ଚାକରାଣୀ କ’ଣ ସବୁ ଜିନିଷ ନେଇଆସିଲା । ସିଏ ମୋତେ ପିଲାଦିନରୁ ପାଳିଥିଲା । ତାହାରିଠାରୁ ବାହାଘର ବିଳମ୍ୱ ହେବାର କାରଣ ଶୁଣିବାକୁ ପାଇଲି ।

 

କେତେ କାଳର କଥା । ତଥାପି କଣ୍ଠ ଭାରୀ ହୋଇଉଠି ତା’ ଆଖିରେ ଲୁହ ଆସିଲା । ବୈଷ୍ଣବୀ ମୁଁହ ଫେରାଇ ଆଖି ପୋଛିବାକୁ ଲାଗିଲା ।

 

ପାଞ୍ଚ ଛଅ ମିନିଟ୍‌ ପରେ ପଚାରିଲି–କାରଣଟା ସେ କ’ଣ କହିଲା ?

 

ବୈଷ୍ଣବୀ କହିଲା– ମନ୍ମଥ ହଠାତ୍‌ ଦଶହଜାର ଟଙ୍କା ବଦଳରେ କୋଡ଼ିଏ ହଜାର ଟଙ୍କା ଦାବିକରି ବସିଲା । ମୁଁ କିଛି ଜାଣିନଥିଲି । ହଠାତ୍‌ ଚମକିଉଠି ପଚାରିଲି–ମନ୍ମଥ କ’ଣ ଟଙ୍କା ବଦଳରେ ରାଜି ହୋଇଛି କି ? ଆଉ ବାବା ମଧ୍ୟ କୋଡ଼ିଏ ହଜାର ଟଙ୍କା ଦେବାକୁ ରାଜି ହୋଇଛନ୍ତି କି ? ଦାସୀ କହିଲା–ଉପାୟ କ’ଣ ଝିଅ ? ଘଟଣା ତ ସହଜ ନୁହେଁ । ପ୍ରକାଶ ହୋଇପଡ଼ିଲେ ଯେ ଜାତି, କୂଳ, ମାନ, ଇଜ୍ଜତ ସବୁ ଚାଲିଯିବ ?

ମନ୍ମଥ ଶେଷକାଳରେ ଅସଲ କଥାଟା ପ୍ରକାଶ କରିଦେଲା । କହିଲା ଦାୟୀ ତ ସେ ନୁହଁ-। ଦାୟୀ ତା’ର ପୁତୁରା ଯତୀନ । ସୁତରାଂ ବିନା ଦୋଷରେ ତାକୁ ଯଦି ଜାତି ଦେବାକୁ ହୁଏ ତେବେ କୋଡ଼ିଏ ହଜାରରୁ କମରେ ହୋଇପାରିବ ନାହିଁ । ତାଛଡ଼ା ପର ପିଲାର ପିତୃତ୍ୱକୁ ସ୍ୱୀକାର କରିନେବା କ’ଣ କମ କଥା କି ?

ଯତୀନ ତା’ ଘରେ ବସି ପଢ଼ୁଥିଲା । ଶେଷରେ ତାକୁ ଡକାଇ କଥାଟା ଶୁଣାଇ ଦିଆଗଲା । ଶୁଣିକରି ପ୍ରଥମେ ସେ ବୋକାଙ୍କ ଭଳି ଠିଆହୋଇ ରହିଲା । ତାପରେ କହିଲା–ଏସବୁ ମିଛକଥା ।

ପିତୃବ୍ୟ ମନ୍ମଥ ଗର୍ଜନ କରିଉଠିଲେ–ପାଜି, ନିମକ ହାରାମ, ଯେଉଁ ଲୋକ–ତତେ ଲୁଗା; ଭାତ ଦେଇ କଲେଜରେ ପଢ଼ାଇ ମଣିଷ କରିଛି ତୁ ଶେଷରେ ତାଙ୍କରି ସର୍ବନାଶ କରିପାରିଲୁ-। କି କାଳସର୍ପକୁ ନଜାଣେ ମୁଁ ମୁନିବ ଘରକୁ ଡାକି ଆଣିନଥିଲି । ଭାବିଥିଲି ବାପ–ମାଆ ମଲା ପିଲାଟା । ମଣିଷ ହେବ । ଛି ! ଛି ଏହା କହି ସେ କପାଳରେ ଆଉ ଛାତିରେ ବାରମ୍ୱାର ଆଘାତ କରିବାକୁ ଲାଗିଲା । କହିଲା–ଏକଥା ଉଷା ତା’ ନିଜ ମୁହଁରେ କହିଛି–ଆଉ ତୁ କହୁଛୁ– ନାହିଁ-

ଯତୀନ ଚମକିଉଠି କହିଲା– ଉଷା ଅପା, ପ୍ରକୃତରେ ମୋ ନାଆଁରେ କହିଛନ୍ତି ! କିନ୍ତୁ ସେ ତ ମିଛ କଥା କହନ୍ତି ନାହିଁ । ଏଭଳି ମିଥ୍ୟା ଅପବାଦ କଦାପି ତାଙ୍କ ମୁହଁରୁ ବାହାରିନପାରେ ।

ମନ୍ମଥ ପୁଣି ଆଉଥରେ ଗର୍ଜିଉଠି କହିଲା– ପୁଣି ମନା କରିପାରୁଛୁ ସୟତାନ୍‌ । ତେବେ ପଚାର ମୁନିବଙ୍କୁ । ସେ କ’ଣ କହୁଛନ୍ତି ଶୁଣ୍‌ ।

ମାଲିକ୍‌ ଉତ୍ତର ଦେଇ କହିଲେ– ହଁ ।

ଯତୀନ୍‌ କହିଲା– ଅପା, ମୋ ନାମରେ ନିଜ ମୁହଁରେ କହିଛନ୍ତି ?

ମାଲିକ୍‌ ପୁଣିଥରେ ମୁଣ୍ତ ହଲାଇ କହିଲେ–ହଁ ।

ବାବାଙ୍କୁ ସେ ଦେବତା ବୋଲି ମନେକରେ । ଏହାପରେ ଆଉ ପ୍ରତିବାଦ କରିପାରିଲା ନାହିଁ । ସ୍ତବ୍‌ଧ ହୋଇ କିଛି ସମୟ ଠିଆହେଲା ପରେ ଆସ୍ତେ ଆସ୍ତେ ସେଠାରୁ ଚାଲିଗଲା । କ’ଣ ଭାବିଲା ସେ କଥା ତାକୁ ଜଣା ।

ରାତିରେ କେହି ତା’ର ଖୋଜଖବର ନେଲେ ନାହିଁ । ସକାଳେ କିଏ ଆସି ତା’ ବିଷୟରେ ଖବର ଦେବାରୁ ସମସ୍ତେ ଦଉଡ଼ି ଯାଇ ଦେଖିଲୁ ଆମର ଭଙ୍ଗା ଘୋଡ଼ାଶାଳରେ କଣରେ ଯତୀନ ଗଳାରେ ଦଉଡ଼ି ଦେଇ ଝୁଲୁଛି ।

ବୈଷ୍ଣବୀ କହିଲା– ଶାସ୍ତ୍ରରେ ପୁତୁରାର ଆତ୍ମହତ୍ୟା ହେତୁ କକେଇକୁ ଅଶୌଚ ପାଳନ କରିବାର ବିଧି ଅଛି କି ନାହିଁ ଜାଣେ ନାହିଁ, ଗୋସାଇଁ । ବୋଧହୁଏ ନାହିଁ । ହୁଏତ ମୁଣ୍ତ ବୁଡ଼ାଇ ଗାଧୋଇପଡ଼ିଲେ ଶୁଦ୍ଧ ହୋଇଯାଆନ୍ତି ସେ ଯାହାହେଉ, ଶୁଭଦିନ କେତେଟା ଦିନ ପଛେଇ ଯାଇଥିଲା । ତାପରେ ଗଙ୍ଗା ଜଳରେ ଶୁଦ୍ଧ ସ୍ନାନ–ଶୁଚି ହୋଇ ମନ୍ମଥ ଗୋସାଇଁ ମାଳା ତିଳକ ଧାରଣ କରି ଅଧୀନାର ପାପ–ବିମୋଚନ ପାଇଁ ମନରେ ସଂକଳ୍ପ କରି ନବଦ୍ୱୀପରେ ଆସି ଅବତୀର୍ଣ୍ଣ ହେଲେ ।

 

ପୁଣି ମିନିଟ୍‌କ ପାଇଁ ଚୁପ୍‌ ରହି ବୈଷ୍ଣବୀ କହିଲା–ସେଦିନ ଠାକୁରଙ୍କ ପ୍ରସାଦୀମାଳା ଠାକୁରଙ୍କ ପାଦପଦ୍ମରେ ଫେରାର ଦେଇ ଆସିଲି । ମନ୍ମଥର ଅଶୌଚ ଗଲା । କିନ୍ତୁ ପାପିଷ୍ଠା ଉଷାର ଅଶୌଚ ଇହ ଜୀବନରେ ଆଉ ଯାଇପାରିଲା ନାହିଁ, ନୂତନ ଗୋସାଇଁ ।

 

କହିଲି–ତା’ପରେ ?

 

ବୈଷ୍ଣବୀ ମୁହଁ ବୁଲାଇ ଉତ୍ତର ଦେଇପାରିଲା ନାହିଁ । ବୁଝିପାରିଲି ଏଥର ତାକୁ ଆତ୍ମସମ୍ୱରଣ କରିବାକୁ ସମୟ ଲାଗିବ । ଅନେକ ସମୟ ପର୍ଯ୍ୟନ୍ତ ଉଭୟେ ନୀରବ ହୋଇ ବସି ରହିଲୁ ।

 

ତାହାର ଶେଷ ଅଂଶ ଟିକକ ଶୁଣିବା ପାଇଁ ଆଗ୍ରହ ପ୍ରବଳ ହୋଇଉଠିଲା । କିନ୍ତୁ ପ୍ରଶ୍ନ କରିବା ଉଚିତ୍‌ କି ନାହିଁ ଭାବୁଥିଲି ହଠାତ୍‌ ବୈଷ୍ଣବୀ ଆର୍ଦ୍ର କଣ୍ଠରେ । ମୃଦୁ ସ୍ୱରରେ କହିଲା– ଦେଖନ୍ତୁ ଗୋସାଇଁ, ପାପ ଜିନିଷଟା ସଂସାରରେ ଏପରି ଭୟଙ୍କର କାହିଁକି ଜାଣନ୍ତି ?

 

କହିଲି– ନିଜର ବିଶ୍ୱାସ ଅନୁସାରେ ଏକପ୍ରକାର ଜାଣେ । କିନ୍ତୁ ତୁମ ଧାରଣା ସଙ୍ଗରେ ହୁଏତ ତାହାର ମେଳ ନ ହୋଇପାରେ ।

 

ସେ ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଲା– ଜାଣେ ନାହିଁ ତୁମର ବିଶ୍ୱାସ କ’ଣ ? କିନ୍ତୁ ସେହିଦିନଠାରୁ ମୁଁ ଏହାକୁ ମୋ ନିଜଭଳି ବୁଝିପାରିଛି ଗୋସାଇଁ । ବଢ଼େଇ କରି କେତେଲୋକଙ୍କୁ ତୁମେ କହିବାର ଶୁଣିଥିବ, ଯେ କିଛି ହୁଏ ନାହିଁ । ସେମାନେ କେତେ ଲୋକଙ୍କର ଉଦାହରଣମାନ ଦେଇ ସେମାନଙ୍କ କଥା ପ୍ରମାଣ କରିବାକୁ ଆଉ ମୁଁ ନିଜେ । ଆଜିସୁଦ୍ଧା ମୋର କିଛି ହୋଇନାହିଁ । ହୋଇଥିଲେ ତାକୁ ଭୟଙ୍କର ଦଣ୍ତ ବୋଲି ମୁଁ କହିନଥାନ୍ତି । କିନ୍ତୁ ତାହା ତ ନୁହେଁ, କିନ୍ତୁ ଏହାର ଦଣ୍ତ ଭୋଗ କରିଲେ ନିରପରାଧ ନିର୍ଦ୍ଦୋଷ ଲୋକମାନେ । ଯତୀନର ବଡ଼ ଭୟ ଥିଲା ଆତ୍ମହତ୍ୟାକୁ; କିନ୍ତୁ ସେ ତାହାରି ଦ୍ୱାରା ତା’ ଅପା ପାଇଁ ପ୍ରାୟଶ୍ଚିତ୍ତ କରିଗଲା । କୁହ ତ ନୂତନ ଗୋସାଇଁ, ଏହାଠାରୁ କଳି ନିଷ୍ଠୁର ଜିନିଷ ସଂସାରରେ ଆଉ କ’ଣ ଅଛି ? କିନ୍ତୁ ଏପରି ବି ହୋଇଥାଏ । ଏପରି ଭାବରେ ଠାକୁର ବୋଧହୁଏ ତାଙ୍କ ସୃଷ୍ଟିକୁ ରକ୍ଷା କରିଥାନ୍ତି ।

 

ଏଥିପାଇଁ ତର୍କ କରି ଲାଭ ନାହିଁ, ତାହାର ଯୁକ୍ତି ଏବଂ ଭାଷା କୌଣସିଟା ହିଁ ପ୍ରାଞ୍ଜଳ ନୁହେଁ । ତଥାପି ଏତିକି ମନେହେଲା ଯେ ତା’ ଦୁଷ୍କୃତିର ଶୋକାଚ୍ଛନ୍ନ ସ୍କୃତି ହୁଏତ ଏଇ ବାଟରେ ଆପଣା ପାପ ପୁଣ୍ୟର ଉପଲବ୍‌ଧି ଅର୍ଜନ କରି ସାନ୍ତ୍ୱନା ଲାଭ କରିପାରିଛି ।

 

ପଚାରିଲି–କମଳଲତା, ଏହାପରେ କ’ଣ ହେଲା ?

 

ଶୁଣିକରି ସେ ହସିଦେଇ ବ୍ୟାକୁଳ ହୋଇ କହିଉଠିଲା– ସତ କୁହ ଗୋସାଇଁ ଏହାପରେ କ’ଣ ମୋ କଥା ଶୁଣିବାକୁ ତୁମେ ଇଚ୍ଛା କରୁଛ ?

 

ସତ କହୁଛି କିରେ ।

 

ବୈଷ୍ଣବୀ କହିଲା– ମୋର ବଡ଼ ଭାଗ୍ୟ ଯେ ଏ ଜନ୍ମରେ ତୁମ ସହିତ ଦେଖା ହୋଇପାରିଲା । ଏହାପରେ କିଛି ସମୟ ପାଇଁ ସେ ମୋତେ ନୀରବରେ ଚାହିଁ ରହିବା ପରେ କହିଲା–ଚାରିଦିନ ପରେ ଗୋଟିଏ ମଲାପୁଅ ଭୂମିଷ୍ଠ ହେଲା । ତାକୁ ଗଙ୍ଗାକୂଳରେ ଫିଙ୍ଗି ଦେଇସାରି ଗଙ୍ଗାରେ ସ୍ନାରସାରି ବସାକୁ ଫେରିଆସିଲି । ବାବା କାନ୍ଦିକରି କହିଲେ; ମୁଁ ତ ଆଉ ଏଠାରେ ରହିପାରୁ ନାହିଁ, ଘରକୁ ଫେରିଯାଅ । ଅନେକ ଦୁଃଖ ଦେଲି । ଆଉ ତୁମେ ମୋ ପାଇଁ ଚିନ୍ତାକର ନାହିଁ ।

 

ବାବା କହିଲେ– ମଝିରେ ମଝିରେ ଖବର ଦେବୁ ତ ମାଆ ?

 

କହିଲି–ନା, ବାବା ଆଉ ତୁମେ ମୋ ଖବର ରଖିବା ପାଇଁ ଚେଷ୍ଟା କରିନାହଁ । କିନ୍ତୁ ତୋ ମାଆ ଯେ ବର୍ତ୍ତମାନ ସୁଦ୍ଧା ବଞ୍ଚିରହିଛି ଉଷା ?

 

କହିଲି– ମୁଁ ମରିବି ନାହିଁ ବାବା, କିନ୍ତୁ ମୋ ସତୀଲକ୍ଷ୍ମୀ ମାଆକୁ କହିଦେବ ତା’ ଉଷା ମରିଯାଇଛି । ମାଆ ମନ କଷ୍ଟ କରିବ । କିନ୍ତୁ ଝିଅ ତା’ର ବଞ୍ଚିଛି ଜାଣିଲେ ତାହାଠାରୁ ଅଧିକ ଦୁଃଖ କରିବ ।

 

ଆଖିର ଲୁହ ପୋଛି ବାବା କଲିକତା ଚାଲିଗଲେ ।

 

ମୁଁ ଚୁପ୍ ହୋଇ ବସି ରହିଲି । କମଳଲତା କହିବାକୁ ଲାଗିଲା, ହାତରେ ଟଙ୍କା ଥିଲା, ଘରଭଡ଼ା ତୁଟାଇ ଦେଇ ମୁଁ ମଧ୍ୟ ବାହାରିପଡ଼ିଲି । ସଙ୍ଗୀ ଜୁଟିଗଲେ । ସେମାନେ ବୃନ୍ଦାବନକୁ ଯାଉଥିଲେ । ମୁଁ ସେମାନଙ୍କ ସଙ୍ଗରେ ଗଲି ।

 

ବୈଷ୍ଣବୀ ଟିକିଏ ଅଟକିଯାଇ କହିଲା । ତାପରେ କେତେ ତୀର୍ଥରେ; କେତେ ରାସ୍ତାକଡ଼ରେ, କେତେ ଗଛତଳରେ କେତେଦିନ କଟିଗଲା ।

 

କହିଲି– ତାହା ଅବଶ୍ୟ ମୁଁ ଜାଣିପାରୁଛି । କିନ୍ତୁ କେତେ ଶତ ବାବାଜୀଙ୍କର କେତେ ସହସ୍ର ଆଖିର ବିବରଣୀ ତ ତୁମେ କହିଲ ନାହିଁ, କମଳଲତା ?

 

ବୈଷ୍ଣବୀ ହସିଉଠିଲା । କହିଲା ବାବାଜୀଙ୍କର ଦୃଷ୍ଟି ଅତ୍ୟନ୍ତ ନିର୍ମମ । ସେମାନଙ୍କୁ ଘୃଣା କରିଲାଭଳି କଥା କୁହାଯାଇପାରେ ନାହିଁ ନୂତନ ଗୋସାଇଁ ।

 

କହିଲି–ନା, ନା, ଘୃଣା ନୁହେଁ । ଅତିଶୟ ଶ୍ରଦ୍ଧା ସହକାରେ ସେମାନଙ୍କର କାହାଣୀ ଶୁଣିବାକୁ ଚାହୁଁଛି କମଳଲତା ।

 

ଏଥର ସେ ହସିଲା ନାହିଁ ସତ । କିନ୍ତୁ ଚାପା ହସକୁ ଗୋପନ କରି ରଖିପାରିଲା ନାହିଁ । କହିଲା–ଯେଉଁ ବାବାଜୀ ଭଲପାଏ; ତାକୁ ସବୁକଥା ଖୋଲିକରି କାହିବାକୁ ବୈଷ୍ଣବ ଶାସ୍ତ୍ରରେ ନିଷେଧ ଅଛି ।

 

କହିଲି– ତେବେ ଥାଉ । ସବୁକଥା ନ କହିଲେ ନାହିଁ କିନ୍ତୁ ଦ୍ୱାରିକା ଦାସ ଗୋସାଇଁଙ୍କୁ ଯୋଗାଡ଼ କଲ କିପରି ?

 

କମଳଲତା ସଙ୍କୋଚରେ ହାତଯୋଡ଼ି ମୁଣ୍ତରେ ମାରି ଜିଭ କାମୁଡ଼ି କହିଲା, ଥଟ୍ଟା କରିବେ ନାହିଁ ଗୋସାଇଁ–ସେ ହେଉଛନ୍ତି ମୋର ଗୁରୁଦେବ ।

 

: ଗୁରୁଦେବ ! ତୁମେ ଏହାଙ୍କଠାରୁ ଦୀକ୍ଷା ନେଇଛ !

 

: ନା, ଦୀକ୍ଷା ନେଇ ନାହିଁ ସତ, କିନ୍ତୁ ସେ ଠିକ୍ ତାଙ୍କଭଳି ପୂଜନୀୟ ।

 

: କିନ୍ତୁ ଏଇ ଯେ ଏତେଗୁଡ଼ିଏ ବୈଷ୍ଣବୀ, କି ସେବାଦାସୀ ଯାହା କୁହ...

 

କମଳଲତା ଜିଭ କାମୁଡ଼ିଦେଇ ପୁଣି କହିଲା– ସେମାନେ ସମସ୍ତେ ମୋ ପରି ତାଙ୍କରି ଶିଷ୍ୟା । ସେମାନଙ୍କୁ ମଧ୍ୟ ସେହି ଉଦ୍ଧାର କରିଛନ୍ତି ।

 

କହିଲି– ନିଶ୍ଚୟ ହିଁ କରିଛନ୍ତି । କିନ୍ତୁ ପରକୀୟା ସାଧନା, ନା ଏପରି କିଛି ସାଧନା–ପଦ୍ଧତି ତୁମମାନଙ୍କର ଅଛି...ଯେଉଁଥିରେ କି ଆଉ କିଛି ଦୋଷ ନାହିଁ....

 

ବୈଷ୍ଣବୀ ମୋତେ ଚୁପ୍ ହେଇଯିବାକୁ ଇଙ୍ଗିତ ଦେଇ କହିଲା ତୁମେମାନେ ଆମମାନଙ୍କୁ ଦୂରରୁ ଦେଖି କେବଳ ଥଟ୍ଟା ତାମସା ହିଁ କଲ । କିନ୍ତୁ ପାଖକୁ ଆସି ତ କିଛି ଦେଖିପାରିଲି ନାହିଁ । ସେଥିପାଇଁ ସହଜରେ ବିଦ୍ରୂପ କରିପାରୁଛ । ଆମ ବଡ଼ ଗୋସାଇଁ ସନ୍ନ୍ୟାସୀ । ତାଙ୍କୁ ଉପହାସ କଲେ ଅପରାଧ ହୁଏ ଗୋସାଇଁ । ଏପରି କଥା କେବେ ମୁହଁରେ ଧରିବ ନାହିଁ ।

 

ତାହାର କଥା ଓ ଗାମ୍ଭୀର୍ଯ୍ୟରେ ଟିକିଏ ଅପ୍ରତିଭ ହୋଇଉଠିଲି । ବୈଷ୍ଣବୀ ତାହା ଲକ୍ଷ୍ୟ କରି ଅଳ୍ପ ହସିଦେଇ କହିଲା– ଆଉ ଦୁଇଦିନ ଆମପାଖରେ ରହନ୍ତୁନା ନୂତନ ତୁମେ ଗୋସାଇଁ ? କେବଳ ବଡ଼ ଗୋସାଇଁଙ୍କ ପାଇଁ କହୁନାହିଁ । ମୋତେ ତ ତୁମେ ଭଲପାଅ, ଆଉ କେବେ ଯଦି ଦେଖାନହୁଏ, ତେବେ ତ ଦେଖିକରି ଯାଇପାରିବ କମଳଲତା କାହାକୁ ଅବଲମ୍ୱନ କରି ସଂସାରରେ ବଞ୍ଚିରହିଛି । ଯତୀନକୁ ଆଜି ଯର୍ଯ୍ୟନ୍ତ ମୁଁ ଭୁଲିନାହିଁ । ଦୁଇଦିନ ମାତ୍ର ରୁହ । ମୁଁ କହୁଛି ତୁମକୁ, ପ୍ରକୃତରେ ତୁମେ ଖୁସି ହୋଇପାରିବ ।

 

ଚୁପ୍ ହୋଇ ରହିଲି ତାହା ସମ୍ପର୍କରେ ସଂପୂର୍ଣ୍ଣ ଯେ କିଛି ଜାଣିନାହିଁ, ତାହା ନୁହେଁ । ବୈଷ୍ଣବୀ ଜାତିର ଝିଅ ଟଗର କଥା ମନେପଡ଼ିଲା । କିନ୍ତୁ ଥଟ୍ଟା କରିବାକୁ ପ୍ରବୃତ୍ତି ହେଲା ନାହିଁ । ଯତୀନର ପ୍ରାୟଶ୍ଚିତ ଘଟଣା ସମସ୍ତ ଆଲୋଚନା ଭିତରେ ରହି ରହି ମୋତେ ଯେପରି ଉନମନା କରିଦେଉଥିଲା ।

 

ବୈଷ୍ଣବୀ ହଠାତ୍‌ ପ୍ରଶ୍ନ କରି ବସିଲା–ହଁ ଗୋ ନୂତନ ଗୋସାଇଁ, ଏ ବୟସରେ ପ୍ରକୃତରେ କେଉଁଠାରେ କାହାକୁ କ’ଣ ତୁମେ ଭଲପାଇ ବସିନାହଁ ?

 

: ତୁମର କ’ଣ ମନେହୁଏ କମଳଲତା ?

 

: ମୋର ମନେହୁଏ–ନା, ତୁମ ମନଟା ହେଲା ଅସଲ ବୈରାଗୀର ମନ । ଉଦାସୀନର ମନ ପ୍ରଜାପତିର ମନ । ବନ୍ଧନ କେବେ କୌଣସି କାଳରେ ତୁମେ ଗ୍ରହଣ ପରିପାରିବ ନାହିଁ ।

 

ହସିଦେଇ କହିଲି–ପ୍ରଜାପତିର ଉପମା କିନ୍ତୁ ଭଲ ହେଲା ନାହିଁ କମଳଲତା । ଏଇଟା ଯେ ଏକପ୍ରକାର ଗାଳିଦେଲା ଭଳି କାନକୁ ଶୁଭୁଛି । ମୋର ଭଲପାଇବାର ଭଳି ମଣିଷ ଯଦି କେଉଁଠାରେ ଥାଏ ତେବେ ତାହା କାନକୁ ଏକଥା ଗଲେ ଯେ ଅନର୍ଥ ଘଟିପାରେ ।

 

ବୈଷ୍ଣବୀ ମଧ୍ୟ ହସିଲା । କହିଲା–ଭୟ ନାହିଁ ଗୋସାଇଁ, ପ୍ରକୃତରେ କେହି ଯଦି ଥାଏ ତେବେ ସେ ମୋ କଥାରେ ଆଦୌ ବିଶ୍ୱାସ କରିବ ନାହିଁ । ତୁମର ମହୁବୋଳା ଫାଙ୍କିକୁ ସେ ସାରା ଜୀବନରେ ଧରିପାରିବ ନାହିଁ ।

 

କହିଲି–ତେବେ ତା’ର ଦୁଃଖ ଆଉ କେଉଁଥିପାଇଁ ? ହେଉ ନା ଫାଙ୍କି, କିନ୍ତୁ ତା’ ନିକଟରେ ତ ସେହି ସତ୍ୟ ହୋଇ ରହିଲା ।

 

ବୈଷ୍ଣବୀ ମୁଣ୍ତ ହଲାଇ କହିଲା–ସେକଥା ହୁଏ ନାହିଁ ଗୋସାଇଁ । ମିଥ୍ୟା କଦାପି ସତଯାଗାରେ ରହିନପାରେ । ସେ ବୁଝିନପାରୁ, କାରଣଟା ତାହା ନିକଟରେ ସୁସ୍ପଷ୍ଟ ନହେଉ ତେବେ ଅନ୍ତରଟା ତା’ର ନିରନ୍ତର ଅଶ୍ରୁମୁଖୀ ହୋଇ ରହିବ । ମିଥ୍ୟାର କାଣ୍ତ ଦେଖିଲ ତ । ଏପରି ଯେଉଁମାନଙ୍କ ପାଇଁ ସତ୍ୟ ନୁହେଁ, ଜଳଧାରା ବାଟରେ ଶୁଖିଲା ବାଲିଉପରେ ଆସିଲା ପରି ସେମାନଙ୍କର ସମସ୍ତ ସାଧନା ଚିରଦିନ ଅଲଗା ହୋଇ ରହିଯାଇଛି, କଦାପି ସଫଳ ହୋଇପାରି ନାହିଁ ।

 

ଟିକିଏ ଅଟକିଯାଇ ସେ ଆପଣା ଛାଏଁ ପୁଣି କହିଉଠିଲା– ସେମାନେ ରସର ଠିକଣା ତ ପାଆନ୍ତି ନାହିଁ, ସେଥିପାଇଁ ପ୍ରାଣହୀନ ନିର୍ଜୀବ କଣ୍ଢେଇର ନିରର୍ଥକ ସେବାଦ୍ୱାରା ଦୁଇଦିନ ଭିତରେ ଅଣନିଃଶ୍ୱାସୀ ହୋଇଉଠନ୍ତି । ଭାବନ୍ତି ଏ କେଉଁ ମୋହ ଜାଲରେ ପଡ଼ି ନିଜକୁ ଦିନରାତି ଠକି ଚାଲିଛନ୍ତି । ସେହିମାନଙ୍କୁ ଦେଖି ଆମେମାନେ, ତୁମେମାନେ, ଉପହାସ କରିବାକୁ ଶିଖୁ । ମୁଁ କ’ଣ ସବୁ ଅନ୍ୟଥାରେ ବକି ଚାଲିଛି ଗୋସାଇଁ । ଏସବୁ ଅସଂଲଗ୍ନ ପ୍ରଳାପରୁ ତୁମେ ତ ପଦେ ହେଲେ ବୁଝିପାରୁନଥିବ ଗୋସାଇଁ । କିନ୍ତୁ ତୁମର ଯଦି କେହି ଏପରି ଥାଏ, ତେବେ ତୁମେ ତାକୁ ଭୁଲିଯାଇପାର କିନ୍ତୁ ସେ ତୁମକୁ କଦାପି ଭୁଲିପାରିବ ନାହିଁ । କେତେବେଳେ ହେଲେ ତା’ ଆଖିରୁ ଲୁହର ଧାରା ଶୁଖିବ ନାହିଁ ।

 

ସ୍ୱୀକାର କଲି ଯେ ତାହାର ବକ୍ତବ୍ୟର ପ୍ରଥମ ଅଂଶଟା ବୁଝିପାରି ନାହିଁ । କିନ୍ତୁ ଶେଷ ଅଂଶର ପ୍ରତିବାଦ କରି କହିଲି– ତୁମେ କ’ଣ ମୋତେ ଏଇକଥା କହିବାକୁ ଚାହଁ ଯେ କମଳଲତା ଆମକୁ ଭଲପାଇବା ମାନେ କେବଳ ଦୁଃଖ ପାଇବା ?

 

: ଦୁଃଖ ତ କହିନାହିଁ ଗୋସାଇଁ, କହିଛି ଆଖିର ଅଶ୍ରୁଧାରା କଥା ।

 

: କିନ୍ତୁ ଏ ଦୁଇଟା ଏକ କଥା କମଳଲତା, କେବଳ କଥା କହିବାର ଯାହା ଚାତୁରୀ ।

 

: ନା, ଗୋସାଇଁ ଏ ଦୁଇଟା ଏକ ନୁହଁନ୍ତି । ନା କଥାର ଚାତୁରୀ, ନା ଭାବର ବାହାଦୂରୀ-। ଝିଅମାନେ ତହିଁରୁ ଏଇଟାକୁ ଭୟକରନ୍ତି ନାହିଁ କିମ୍ୱା ସେଇଟାକୁ ଏଡ଼ାଇଦେବାକୁ ଚାହାନ୍ତି ନାହିଁ-। କିନ୍ତୁ ତୁମେ ଅବା ସେକଥା ବୁଝିପାରିବ କିପରି ?

 

: କିଛି ଯଦି ନ ବୁଝିପାରିବି ତେବେ ମୋତେ କହୁଛ କାହିଁକି ?

 

: ନକହି ମୁଁ ରହିପାରୁ ନାହିଁ ଯେ । ପ୍ରେମର ବାସ୍ତବତା ନେଇ ତୁମେ ପୁରୁଷଦଳ ଯେତେବେଳେ ବଡ଼େଇ କରିଥାଅ ସେତେବେଳେ ଭାବେ ଆମମାନଙ୍କ ଜାତି ଅଲଗା । ତୁମମାନଙ୍କ ଭଲପାଇବା ଓ ଆମମାନଙ୍କ ଭଲପାଇବାର ପ୍ରକୃତି କିନ୍ତୁ ଭିନ୍ନ ରକମର । ତୁମେମାନେ ଚାହଁ ସ୍ଥିରତା, ଆଉ ଆମେମାନେ ଚାହୁଁ ଗଭୀରତା । ତୁମେମାନେ ଚାହଁ ଉଲ୍ଲାସ, ଆଉ ଆମେମାନେ ଚାହୁଁ ଶାନ୍ତି । ଜାଣ ଗୋସାଇଁ, ଭଲପାଇବାର ନିଶାକୁ ଆମେମାନେ ଭୟ କରୁ । ଏହା ମତ୍ତତା ଦ୍ୱାରା ଆମ ହୃଦୟର କମ୍ପନ କମେ ନାହିଁ ।

 

କ’ଣ ଗୋଟାଏ ପ୍ରଶ୍ନ କରିବାକୁ ଯାଉଥିଲି, କିନ୍ତୁ ସେ କୁହାଇଦେଲା ନାହିଁ । ଭାବ ଆବେଗରେ କହିବାକୁ ଲାଗିଲା, ତାହା ଆମମାନଙ୍କ ଚଞ୍ଚଳତା ପାଇଁ ସତ୍ୟ ନୁହେଁ, ଆପଣାର ନୁହେଁ-। ତାହାର ଚଞ୍ଚଳତା ଯେଉଁଦିନ କମିଯାଏ ସେହିଦିନ ଆମେମାନେ ନିଶ୍ୱାସ ମାରି ବଞ୍ଚୁ-। ଆଗେ ନୂତନ ଗୋସାଇଁ, ନିର୍ଭରଶୀଳ ହେବାଠାରୁ ଭଲପାଇବାର ବଡ଼ ପାଉଣା ଝିଅମାନଙ୍କ ପାଇଁ କିଛି ନାହିଁ । କିନ୍ତୁ ଏଇ ଜିନିଷଟା ଯେ ତୁମଠାରୁ କେହି କେତେବେଳେ ହେଲେ ପାଇପାରିବ ନାହିଁ ।

 

ପଚାରିଲି–ପାଇପାରିବ ନାହିଁ ଏହା ଠିକ୍‌ କରି ଜାଣିଛ ?

 

ବୈଷ୍ଣବୀ କହିଲା– ହଁ, ଭଲଭାବରେ ଜାଣେ । ସେଥିପାଇଁ ତୁମ ବଡ଼େଇ ମୋର ସହ୍ୟ ହୁଏ ନାହିଁ ।

 

ଆଶ୍ଚର୍ଯ୍ୟ ହେଲି । କହିଲି ବଡ଼େଇ ତ ତୁମ ନିକଟରେ କେବେ କରିନାହିଁ, କମଳଲତା ?

 

: ଜାଣିକରି କରିନାହିଁ । କିନ୍ତୁ ତୁମର ଏହି ଉଦାସୀନ ବୈରାଗୀ ମନ...ତାହାଠାରୁ ଆହୁରି କିଛି ଅହଂକାରୀ ଜଗତରେ ଅଛି ନା କ’ଣ ?

 

: କିନ୍ତୁ ଏଇ ଦୁଇଟା ଦିନ ଭିତରେ ତୁମେ ମୋତେ ଏପରି ବୋଲି ଜାଣିପାରିଲ କିପରି-?

 

: ଜାଣିପାରିଲି; କେବଳ ତୁମକୁ ଭଲପାଇ ବସିଛି ବୋଲି ।

 

ଶୁଣିସାରି ମନେମନେ କହିବାକୁ ଲାଗିଲି– ତୁମ ଆଖିର ଲୁହ ଆଉ ଅନ୍ତରର ଦୁଃଖ ଭିତରେ ଥିବା ପ୍ରଭେଦଟା ଏତେବେଳକୁ ବୁଝିପାରିଛି କମଳଲତା । ଅବିରାମ ଭାବରେ ପୂଜା ଆଉ ରସର ଆରାଧନା ହେତୁ ବୋଧହୁଏ ଏହିପରି ପରିଣାମ ହିଁ ଘଟିଥାଏ ।

 

ପଚାରିଲି– ଭଲପାଇ ବସିଛ, ଏହା କ’ଣ ସତ କମଳଲତା ?

 

: ହଁ ସତ ।

 

: କିନ୍ତୁ ତୁମର ଜପ ତପ, ତୁମର କୀର୍ତ୍ତନ, ତୁମର ଦିନରାତି ଯେଉଁ ଠାକୁର ପୂଜା, ଏ ସବୁ ତେବେ କ’ଣ ହେବ କମଳଲତା କୁହତ ?

 

ବୈଷ୍ଣବୀ କହିଲା– ଏହା ମୋର ଆହୁରି ସତ୍ୟ, ଆହୁରି ସାର୍ଥକ ହୋଇଉଠିବ । ଚାଲନା ଗୋସାଇଁ, ସବୁ ଛାଡ଼ି ଦୁଇଜଣ ଦାଣ୍ତକୁ ବାହାରିପଡ଼ିବା ।

 

ମୁଣ୍ତ ହଲାଇ କହିଲି– ସେ କଥା ହୋଇପାରିବ ନାହିଁ କମଳଲତା । କାଲି ମୁଁ ଚାଲିଯାଉଛି । କିନ୍ତୁ ଯିବାଆଗରୁ ଟିକିଏ ଗହରର କଥାଟା ଜାଣି ଯିବାକୁ ଇଚ୍ଛାହେଉଛି ।

 

ବୈଷ୍ଣବୀ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି କେବଳ କହିଲା– ଗହରର କଥା ? ନା, ସେକଥା ଶୁଣି ତୁମର ଲାଭ ନାହିଁ । କିନ୍ତୁ ସତରେ କ’ଣ କାଲି ଚାଲିଯାଉଛ ?

 

: ହଁ ସତରେ କାଲି ଚାଲିଯିବି ।

 

ବୈଷ୍ଣବୀ ମୁହୂର୍ତ୍ତକ ପାଇଁ ସ୍ତବ୍‌ଧ ହୋଇ ରହି କହିଲା, କିନ୍ତୁ ଏ ଆଶ୍ରମକୁ ତୁମେ ପୁଣି ଯେତେବେଳେ ଆସିବ ସେତେବେଳକୁ କିନ୍ତୁ କମଳଲତାକୁ ଆଉ ଖୋଜିଲେ ପାଇପାରିବ ନାହିଁ ଗୋସାଇଁ ।

 

ଏଠାରେ ଆଉ ଦଣ୍ତଟିଏ ସୁଦ୍ଧା ରହିବା ଉଚିତ୍‌ ନୁହେଁ ଏ ବିଷୟରେ ସନ୍ଦେହ ନଥିଲା । କିନ୍ତୁ ସେତିକିବେଳେ ଜଣେ କିଏ ଆଢ଼ୁଆଳରେ ଲୁଚି ରହି ଆଖିର ଇସାରାରେ ନିଷେଧ କରି କହେ–କାହିଁକି ଯିବ ? ଛଅ ସାତଦିନ ରହିବ ବୋଲି ତ ଆସିଥିଲ, ରହୁନ, ଏଠାରେ ତ ଅସୁବିଧା କିଛି ନାହିଁ ।

 

ରାତିରେ ବିଛଣାରେ ଶୋଇ ରହି ଭାବୁଥିଲି । ସେ ଯେପରି ମୋ ଦେହଭିତରେ ରହି ଏକ ସମୟରେ ଠିକ୍‌ ଓଲଟା ପରାମର୍ଶ ଦେଇ କହୁଛି । କାହା କଥା ବେଶୀ ସତ୍ୟ ? କିଏ ବେଶୀ ଆପଣାର ? ବିବେକ, ବୁଦ୍ଧି, ମନ, ପ୍ରବୃତ୍ତି ଏପରି କେତେ ନାମ, କେତେ ଦାର୍ଶନିକ ବାଖ୍ୟା ପୁଣି ଏହାର ଅଛି, କିନ୍ତୁ ନିଃସନ୍ଦେହ ଭାବରେ କେହି କ’ଣ ସତ୍ୟକୁ ପ୍ରତିଷ୍ଠିତ କରିପାରିଲେ ? ଯାହାକୁ ଭଲ ବୋଲି ମନେକରେ, ଇଚ୍ଛା ଆସି ସେଠାକୁ ପାଦ ବଢ଼ାଇବାକୁ ମନାକରେ କାହିଁକି ? ନିଜଭିତରେ ଏଇ ବିରୋଧ, ଏଇ ଦ୍ୱନ୍ଦ୍ୱର ଶେଷ ହୁଏ ନାହିଁ କାହିଁକି ? ମନ କହୁଛି ମୋର ଚାଲିଯିବାଟା ଶ୍ରେୟଃ, ଚାଲିଯିବା ହିଁ କଲ୍ୟାଣକର । ତେବେ ସେହି ଦୁଇଆଖିରେ ପରକ୍ଷଣରେ ଲୁହ ଦେଖାଦିଏ କାହିଁକି ? ବୁଦ୍ଧି, ବିବେକ, ପ୍ରବୃତ୍ତି, ମନ ପ୍ରଭୃତି କଥାର ସୃଷ୍ଟି କରିବାଦ୍ୱାରା ପ୍ରକୃତ ସାନ୍ତ୍ୱନା କ’ଣ ମିଳିପାରେ ?

 

ତଥାପି ଯିବାକୁ ହେବ । ପଛାଇଲେ ଚଳିବ ନାହିଁ ଏବଂ କାଲି ହିଁ ଯିବାକୁ ହେବ । ଆଉ ଏଇ ଯିବାଟାକୁ କିପରି ଭାବରେ ସମ୍ପନ୍ନ କରିବି ସେହି କଥା ହିଁ ଭାବୁଥିଲି । ପିଲାଦିନେ ଗୋଟାଏ ବାଟ ଜଣାଥିଲା, ସେଇଟା ହେଲା–ଅନ୍ତର୍ଦ୍ଧାନ ହୋଇଯିବା । ବିଦାୟ ବାଣୀ ନାହିଁ, ଫେରିଆସି ସ୍ତୁତି ବାକ୍ୟ ନାହିଁ, କାରଣ ପ୍ରଦର୍ଶନ ନାହିଁ, କିମ୍ୱା ପ୍ରୟୋଜନ ଓ କର୍ତ୍ତବ୍ୟର ବିସ୍ତୃତ ବିବରଣୀ ଦେବାକୁ ପଡ଼େନାହିଁ କେବଳ ମୁଁ ଥିଲି ଏବଂ ମୁଁ ଯେ ନାହିଁ ଏହି ସତ୍ୟ ଘଟଣାକୁ ଆବିଷ୍କାର କରିବାର ଭାର ଯେଉଁମାନଙ୍କ ଉପରେ ଥାଏ, ସେମାନଙ୍କୁ ହିଁ ନୀରବରେ ଏହି ଦାୟିତ୍ୱ ଅର୍ପଣ କରିବାକୁ ପଡ଼େ ।

 

ଠିକ୍‌ କରିଲି, ଠାକୁରଙ୍କର ମଙ୍ଗଳ ଆରତି ଆରମ୍ଭ ହେବା ପୂର୍ବରୁ ଅନ୍ଧକାର ଭିତରେ ଲୁଚି ଚାଲିଯିବି । ଗୋଟାଏ ଅଡ଼ୁଆ କଥା । ପୁଣ୍ଟୁକୁ ଦେବାପାଇଁ ଯଉତୁକ ଟଙ୍କା ସବୁ ଗୋଟାଏ ଛୋଟ ବ୍ୟାଗରେ କମଳଲତା ପାଖରେ ଅଛି । କିନ୍ତୁ ସେ ଥାଉ । ହୁଏତ କଲିକତା ନଚେତ୍‌ ବର୍ମାଠାରୁ ଚିଠି ଲେଖିବି । ତାହାଦ୍ୱାରା ଆଉ ଗୋଟାଏ କାମ ହୋଇପାରିବ ଯେ, ମୋତେ ଫେରାଇ ନପାରିଲା ପର୍ଯ୍ୟନ୍ତ କମଳଲତାକୁ ଏଠାରେ ରହିବାକୁ ପଡ଼ିବ । ବାଟ ଅବାଟକୁ ବାହାରି ପଡ଼ିବାକୁ ସୁଯୋଗ ପାଇପାରିବ ନାହିଁ । ଏଣେ ଏଇ ଯେଉଁ କେତେଟା ଟଙ୍କା ପକେଟରେ ପଡ଼ିଛି ସେତକ କଲିକତାରେ ପହଞ୍ଚି ଯିବା ପାଇଁ ଯଥେଷ୍ଟ ହେବ ।

 

ଅନେକ ରାତି ପର୍ଯ୍ୟନ୍ତ ଏପରି ଭାବରେ କଟିଲା ଏବଂ ଶୋଇପଡ଼ିବି ନାହିଁ ବାରମ୍ୱାର ସଂକଳ୍ପ କଲି ବୋଲି ବୋଧହୁଏ କେତେବେଳେ ଶୋଇପଡ଼ିଲି । କେତେ ସମୟ ଶୋଇପଡ଼ିଛି ଜାଣେ ନାହିଁ, ହଠାତ୍‌ ମନେହେଲା ମୁଁ ଯେପରି ସ୍ୱପ୍ନରେ ସଙ୍ଗୀତ ଶୁଣୁଛି । ଥରେ ଭାବିଲି ରାତିର କାର୍ଯ୍ୟକ୍ରମ ବୋଧହୁଏ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ପୁଣି ମନେହେଲା ପ୍ରତ୍ୟୁଷର ମଙ୍ଗଳ ଆରତୀ ବୋଧହୁଏ ଆରମ୍ଭ ହୋଇଯାଇଛି । କିନ୍ତୁ ଘଣ୍ଟାର ଦୁଃସହ ନିନାଦ ନାହିଁ । ଅସମ୍ପୂର୍ଣ୍ଣ, ଅପରିତୃପ୍ତ ନିଦ ଭାଙ୍ଗି ମଧ୍ୟ ଭାଙ୍ଗେ ନାହିଁ । ଆଖି ଖୋଲି ମଧ୍ୟ ଚାହିଁପାରେ ନାହିଁ । କିନ୍ତୁ କାନକୁ ଶୁଭିଲା, ଭୋରର ଆରମ୍ଭ କ୍ଷଣି ସେହି ମଧୁର କଣ୍ଠର ଆଦରର ଅନୁଚ୍ଚ ଆହ୍ୱାନ, ରାଈଜାଗ, ରାଈଜାଗ, ଶୁକସାରୀ କହୁଛନ୍ତି, କଳା ମାଣିକ କୋଳରେ କେତେବେଳ ଯାଏଁ ଶୋଇଥିବ ? ଗୋସାଇଁଜୀ ! ଆଉ କେତେ ଶୋଇବ ଗୋ–ଉଠ ।

 

ବିଛଣାରେ ଉଠିକରି ବସିଲି । ମଶାରି ତୋଳା ହୋଇଛି । ପୂର୍ବପଟର ଝରକା ଖୋଲା । ଆଗର ଆମ୍ର ଶାଖାରେ ପୁଷ୍ପିତ ବକୁଳ ମଞ୍ଜରୀରୁ କେତେଟା ସ୍ତବକ ତଳ ପର୍ଯ୍ୟନ୍ତ ଝୁଲିପଡ଼ିଛି ତହାରି ଫାଙ୍କେ ଫାଙ୍କେ ଦେଖାଗଲା, ଆକାଶରେ କେତେଟା ଜାଗାରେ ଫିକା–ରଙ୍ଗର ଆଭାସ ଦିଶୁଛି । ଠିକ୍‌ ଅନ୍ଧକାର ରାତିରେ ସୁଦୂର ଗ୍ରାମାନ୍ତରେ ନିଆଁ ଲାଗିଲା ଭଳି । ମନର କେଉଁ କୋଶରେ ଟିକିଏ କଷ୍ଟ ଅନୁଭବ କରୁଥାଏ । ଗୋଟା କେତେଟା ବାଦୁଡ଼ି ବୋଧହୁଏ ଉଡ଼ି ଉଡ଼ି ବସାକୁ ଫେରୁଥିଲେ । ସେମାନଙ୍କର ପକ୍ଷ ସଞ୍ଚଳନର ବିକଟ ଶବ୍ଦ ପରେ ପରେ ଆସି କାନରେ ବାଜିଲା । ବୁଝାପଡ଼ିଲା–ଆଉ ଯାହା ହେଉନା କାହିଁକି ରାତିଟା ଶେଷ ହେବାକୁ ଯାଉଛି । ଏଇଟା କୋଇଲି; ବୁଲ୍‌ ବୁଲ୍‌ ଏବଂ ଶ୍ୟାମ ପକ୍ଷୀର ଦେଶ । ହୁଏତ ଅବା ଏହାର ରାଜଧାନୀ କଲିକତା ସହର । ଆଉ ଏଇ ବିରାଟ ବକୁଳ ଗଛଟା ସେମାନଙ୍କର କିଣାବିକାର ବଡ଼ ବଜାର–ଦିନବେଳେ ଭିଡ଼ ଦେଖିଲେ ଅବାକ୍‌ ହେବାକୁ ହୁଏ । ନାନା ଚେହେରା, ନାନା ଭାଷା, ନାନାରଙ୍ଗ ବେରଙ୍ଗର ପୋଷାକ ପରିଚ୍ଛଦର ଅତି ବିଚିତ୍ର ସାମାବେଶ । ଆଉ ରାତି ଆଖଡ଼ାରେ ଚତୁର୍ଦ୍ଦିଗର ବଣଜଙ୍ଗଲରେ ଡାଳେ ଡାଳେ ସେମାନଙ୍କର ଆଡ଼୍‌ଡ଼ା । ନିଦ ଭାଙ୍ଗିବାର ସୋର ଶବ୍ଦ କିଛି କିଛି ଶୁଣାଗଲା । ଭାବିଲି ବୋଧହୁଏ ମୁହଁ ଆଖି ଧୋଇବା ପାଇଁ ପ୍ରସ୍ତୁତ ହେଉଛନ୍ତି, ଏଣିକି ଦିନସାରା ନାଚଗାନର ମଉଚ୍ଛବ ସୁର ହେବ । ସମସ୍ତେ ଏମାନେ ଲକ୍ଷ୍ନୌର ଓସ୍ତାଦ୍‌ । କ୍କାନ୍ତ ହୁଅନ୍ତି ନାହିଁ କିମ୍ୱା କସରତ୍‌ ମଧ୍ୟ କମ କରନ୍ତି ନାହିଁ । ଭିତରେ ବୈଷ୍ଣବ ଦଳର କୀର୍ତ୍ତନର ପାଲା ଯଦିବା କେବେ ବନ୍ଦହୁଏ କିନ୍ତୁ ବାହାରେ ସେ ପ୍ରଶ୍ନ ନାହିଁ । ଏଠାରେ ଛୋଟବଡ଼ର ବାଛବିଚାର ନଥାଏ । ଇଚ୍ଛା ଏବଂ ସମୟ ଥାଉ କି ନଥାଉ ତୁମକୁ ସଙ୍ଗୀତ ଶୁଣିବାକୁ ହିଁ ପଡ଼ିବ । ଏ ଦେଶରେ ବୋଧହୁଏ ଏଇପରି ବ୍ୟବସ୍ଥା । ମନେପଡ଼ିଲା କାଲି ସାରା ଦିପହର ପଛରେ ଥିବା ବାଉଁଶ ବଣଭିତରେ ଗୋଟାଏ ଦୁଇଟା ହର ଗୌରୀ ପକ୍ଷୀର ଚଢ଼ାଗଳାରେ ପିଆ, ପିଆ ଡାକର ଅବିଶ୍ରାନ୍ତ ପ୍ରତିଯୋଗିତା ହେତୁ ମୋ ଦିବାନିଦ୍ରାରେ ଯଥେଷ୍ଟ ବ୍ୟାଘାତ ଘଟିଥିଲା ଏବଂ ସମ୍ଭବତଃ ମୋରି ଭଳି ବିକ୍ଷୁବ୍‌ଧ ହୋଇ କୌଣସି ଗୋଟାଏ ଡାହୁକ ନଦୀକୂଳର ଗଛଉପରେ ବସି ତତୋଽଧ‌ିକ କର୍କଶ କଣ୍ଠରେ ଏମାନଙ୍କୁ ବାରମ୍ୱାର ତିରସ୍କାର କରି ସୁଦ୍ଧା ବନ୍ଦ କରିପାରିଲା ନାହିଁ । ଭାଗ୍ୟ ଭଲ, ଏ ଦେଶରେ ମୟୂର ନାହାନ୍ତି–ନ ହେଲେ ଉତ୍ସବର ସଙ୍ଗୀତ ଆସରରେ ସେମାନେ ଆସି ଯୋଗଦେଇଥିଲେ ଆଉ ମଣିଷ ବଞ୍ଚିପାରିନଥାନ୍ତା । ସେ ଯାହାହେଉ, ଦିନର ଉତ୍ପାତ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ହୁଏତ ଆଉ ଟିକିଏ ସମୟ ନିର୍ବିଘ୍ନରେ ଶୋଇପାରିଥାନ୍ତି କିନ୍ତୁ ମନେପଡ଼ିଲା ଗତ ରାତିର ସଙ୍କଳ୍ପ କଥା । ଲୁଚିକରି ବିଗିଡ଼ିଗଲା । ରାଗ କରି କହିଲି–ମୁଁ ରାଈ ନୁହେଁ, ମୋ ବିଛଣାରେ ଶ୍ୟାମ ମଧ୍ୟ ନାହିଁ, ରାତି ଅଧଟାରେ ନିଦ ଭାଙ୍ଗିବାର କ’ଣ ଦରକାର ଥିଲା କୁହତ ?

 

ବୈଷ୍ଣବୀ କହିଲା– ରାତି କାହିଁ ଗୋସାଇଁ ? ତୁମକୁ ପରା ଆଜି ଭୋର ଗାଡ଼ିରେ କଲିକତା ଯିବାକୁ ହେବ । ମୁଁହ ହାତ ଧୋଇକରି ଆସ । ମୁଁ ଚାହା ତିଆରି କରି ଆଣେ । କିନ୍ତୁ ଗାଧୋଇବ ନାହିଁ ଯେପରି, ଅଭ୍ୟାସ ନାହିଁ, ଦେହ ଖରାପ ହୋଇପାରେ ।

 

କହିଲି–ହଁ ହୋଇପାରେ । ସକାଳ ଗାଡ଼ିରେ ଯେମିତି ହେଉ ମୁଁ ଯିବି । କିନ୍ତୁ ତୁମର ମୋ ଯିବାଲାଗି ଏତେ ଆଗ୍ରହ କାହିଁକି ଶୁଣେ ?

 

ସେ କହିଲା ଆଉ କେହି ଉଠିବା ଆଗରୁ ମୁଁ ତୁକମୁ ଯେ ବଡ଼ରାସ୍ତା ପର୍ଯ୍ୟନ୍ତ ପହୁଞ୍ଚାଇ ଦେଇ ଆସିବାକୁ ଚାହେଁ ।

 

ସ୍ପଷ୍ଟ ରୂପେ ତା’ ମୁହଁ ଅବଶ୍ୟ ଦେଖାଗଲା ନାହିଁ କିନ୍ତୁ ଆଲୁଳାୟିତ କେଶକୁ ଚାହିଁବାକ୍ଷଣି ଜଣାପଡ଼ିଲା–ସେଗୁଡ଼ାକ ଓଦା । ସ୍ନାନ ସାରି ବୈଷ୍ଣବୀ ପ୍ରସ୍ତୁତ ହୋଇଆସିଛି ।

 

: ମୋତେ ପହଞ୍ଚାଇଦେଇ ପୁଣି ଆଶ୍ରମକୁ ଫେରିଆସିବ ତ ?

 

: ହିଁ ।

 

ଛୋଟ ଟଙ୍କା ଥଳିଟିକୁ ବିଛଣାରେ ରଖିଦେଇ କହିଲା–ଏଇ ତୁମର ମୁଣି । ଏଇଟାକୁ ବାଟରେ ସାବଧାନରେ ରଖିବ । ଟଙ୍କାଗୁଡ଼ାକ ଟିକିଏ ଗଣିନେବ ।

 

ହଠାତ୍‌ ତୁଣ୍ତ ଲେଉଟିଲା ନାହିଁ–ତାପରେ କହିଲି–କମଳଲତା ତୁମର ଏ ବାଟକୁ ଆସିବା ବୃଥା । ଦିନେ ତୁମ ନାମ ଥିଲା ଉଷା । ଆଜିପର୍ଯ୍ୟନ୍ତ ସେହି ଉଷା ହିଁ ହୋଇ ରହିଛ । ଟିକିଏ ହେଲେ ବଦଳି ପାରିନାହିଁ ।

 

: କାହିଁକି କୁହ ତ ?

 

: ତୁମେ କୁହ ତ, ମୋତେ ଟଙ୍କା ଗଣିନେବା ପାଇଁ କାହିଁକି କହିଲ ? ଯେଉଁମାନେ ଭାବନ୍ତି ପ୍ରକାରେ ଆଉ କହନ୍ତି ପ୍ରକାରେ ସେମାନଙ୍କୁ ଭଣ୍ତ କହନ୍ତି । ଯିବା ପୂର୍ବରୁ ମୁଁ ବଡ଼ ଗୋସାଇଁଙ୍କ ନିକଟରେ ଅଭିଯୋଗ କରିଯିବି ଯେ ଦଳରୁ ସେ ଯେପରି ତୁମ ନାମଟା କାଟିଦିଅନ୍ତି । ତୁମେ ବୈଷ୍ଣବ ଜାତିର କଳଙ୍କ ।

 

ସେ ନୀରବ ହୋଇଗଲା ।

 

ମୁଁ ମଧ୍ୟ କିଛି ସମୟ ନୀରବ ରହିବା ପରେ କହିଲି–ଆଜି ସକାଳେ ମୋର ଯିବାକୁ ଇଚ୍ଛା ନାହିଁ ।

 

: ନାହିଁ ? ତେବେ ଆଉ ଟିକିଏ ଶୋଇପଡ଼ । ଉଠିଲେ ମୋତେ ଖବର ଦେବ–କ’ଣ ?

 

: କିନ୍ତୁ ବର୍ତ୍ତମାନ ତୁମେ କରିବ କ’ଣ ?

 

: ମୋର କାମ ଅଛି । ଫୁଲ ତୋଳିବାକୁ ଯିବି ।

 

: ଏତେ ଅନ୍ଧାରରେ ? ଭୟ କରିବ ନାହିଁ ?

 

: ନା, ଭୟ କାହାକୁ ? ସକାଳର ପୂଜାଫୁଲ ମୁଁ ହିଁ ତୋଳିଆଣେ । ନହେଲେ ସେମାନଙ୍କୁ ବଡ଼ କଷ୍ଟ ହୁଏ ।

 

ସେମାନଙ୍କୁ ମାନେ ଅନ୍ୟାନ୍ୟ ବୈଷ୍ଣବୀମାନଙ୍କୁ । ଏଇ ଦୁଇଟା ଦିନ ଏଠାରେ ରହି ଲକ୍ଷ୍ୟ କରିପାରିଥିଲି ଯେ, ସମସ୍ତଙ୍କ ଅନ୍ତରାଳରେ ରହି ଆଶ୍ରମର ସମସ୍ତ ଗୁରୁଭାର କମଳଲତା ହିଁ ବହନ କରିଥାଏ । ସେଥିପାଇଁ ସମସ୍ତଙ୍କ ଉପରେ ତା’ର କର୍ତ୍ତୃତ୍ୱ । କିନ୍ତୁ ସ୍ନେହ, ସୌଜନ୍ୟ ଏବଂ ସର୍ବୋପରି ସବିନୟ କର୍ମକୁଶଳତା ଦ୍ୱାରା ଏହି କର୍ତ୍ତୃତ୍ୱ ଏପରି ସହଜ ଶୃଙ୍ଖଳାରେ ସରଳ ଭାବରେ, ପ୍ରବାହମାନ ଯେ; କେଉଁଠାରେ ଈର୍ଷା ଓ ବିଦ୍ୱେଷର ଏତେ ଟିକିଏ ଆବର୍ଜନା ଦେଖିବାକୁ ମିଳେ ନାହିଁ । ଏହି ଆଶ୍ରମ ଲକ୍ଷ୍ମୀଟି ଆଜି ଉତ୍କଣ୍ଠ–ବ୍ୟାକୁଳତାରେ ଯିବାକୁ ଯିବାକୁ ହେଉଛି । ଏହା ଫଳରେ ଯେ କେତେବଡ଼ ଦୁର୍ଘଟଣା ଘଟିବ ଏବଂ କେତେବଡ଼ ନିରୁପାୟ ଦୁର୍ଗତି ଭିତରକୁ ଏତେଗୁଡ଼ିଏ ନିଶ୍ଚିନ୍ତ ନରନାରୀ ଠେଲି ହୋଇଯିବେ ତାହା ନିଃସନ୍ଦେହରେ ଉପଲବ୍‌ଧି କରିପାରୁଥିବା ହେତୁ ମୋ ମନରେ କଷ୍ଟ ହେଲା । ଏଇ ମଠରେ ମାତ୍ର ଦୁଇଦିନ ହେବ ଅଛି । କିନ୍ତୁ କିପରି ଗୋଟାଏ ଆକର୍ଷଣ ଅନୁଭବ କରୁଛି । ଏହି ଅନୁଷ୍ଠାନର ଆନ୍ତରିକ ଶୁଭକାମନା ନ କରି ରହିପାରୁ ନାହିଁ । କିନ୍ତୁ ଜଣକର ଅଭାବରେ ଯେ କେନ୍ଦ୍ରଟି ଉପଗ୍ରହ ଭଳି ବିଚ୍ଛିନ୍ନ ହୋଇ ଦିଗବିଦିଗରେ ବିକ୍ଷିପ୍ତ ହୋଇପଡ଼ିପାରେ ତାହା ଯେପରି ଆଖିଆଗରେ ଦେଖିବାକୁ ପାଇଲି । କହିଲି–ଆଉ ଶୋଇବି ନାହିଁ । କମଳଲତା, ଚାଲ ତୁମ ସଙ୍ଗରେ ଯାଇ ଫୁଲ ତୋଳି ଆଣିବି ।

 

ବୈଷ୍ଣବୀ କହିଲା– ତୁମେ ଗାଧୋଇ ନାହଁ, ଲୁଗା ବଦଳାଇ ନାହଁ, ତୁମ ଛୁଆଁ ଫୁଲରେ ପୂଜା ହେବ କିପରି ?

 

କହିଲି– ଫୁଲ ନ ତୋଳିବି ପଛକେ ଡାଳ ନୂଆଇଁ ଧରିବି ତ ? ସେଥିରେ ତୁମକୁ ସାହାଯ୍ୟ କରିପାରିବି ତ ?

 

ବୈଷ୍ଣବୀ କହିଲା– ଡାଳ ନୁଆଇଁପାକୁ ପଡ଼ିବ ନାହିଁ । ଛୋଟ ଛୋଟ ଗଛ ମୁଁ ନିଜେ ତୋଳିପାରିବି ।

 

କହିଲି– ସଙ୍ଗରେ ଥିଲେ ତ ଅନ୍ତତଃ ଦୁଇ ତିନିପଦ ସୁଖ ଦୁଃଖ କଥା ହୋଇପାରିବି ? ତହିଁରେ ତୁମର ପରିଶ୍ରମ ତ କମିଯିବ ?

 

ଏଥର ବୈଷ୍ଣବୀ ହସିଲା । କହିଲା–ହଠାତ ବହୁତ ଦରଦ ଯେ ଗୋସାଇଁ ? ଆଚ୍ଛା ଚାଲ, ମୁଁ ନଗିଟା ଆଣେ । ତୁମେ ଇତିମଧ୍ୟରେ ମୁହଁ ହାତ ଧୋଇନିଅ ।

 

ଆଶ୍ରମ ବାହାରେ ଅଳ୍ପ ଟିକିଏ ଦୂରରେ ଫୁଲ ବଗିଚା । ଘନ ଛାୟାଚ୍ଛନ୍ନ ଆମ୍ୱ ବଗିଚା ଭିତର ଦେଇ ପଥ । କେବଳ ଅନ୍ଧକାର ପାଇଁ ନୁହେଁ, ରାଶିକୃତ ଶୁଖିଲା ପତ୍ରଦ୍ୱାରା ପଥର ରେଖା ବିଲୁପ୍ତ । ବୈଷ୍ଣବୀ ଆଗରେ–ମୁଁ ତା’ ପଛରେ । ତଥାପି ଭୟ କରୁଥାଏ କାଳେ ସାପଉପରେ ପାଦ ପଡ଼ିଯାଇପାରେ ! କହିଲି, କମଳଲତା ବାଟ ଭୁଲିବ ନାହିଁ ତ ?

 

ବୈଷ୍ଣବୀ କହିଲା– ନା, ଅନ୍ତତଃ ତୁମପାଇଁ ଆଜି ମୋତେ ବାଟ ଚିହ୍ନି ଚାଲିବାକୁ ପଡ଼ିବ-

 

କମଳଲତା, ଗୋଟାଏ ଅନୁରୋଧ ରଖିବ ?

 

: କି ଅନୁରୋଧ ?

 

: ଏଠାରୁ ତୁମେ କୁଆାଡ଼େ ଚାଲିଯାଅ ନାହିଁ ।

 

: ଗଲେ–ତୁମର ଅବା କ’ଣ କ୍ଷତି ?

 

ଉତ୍ତର ଦେଇପାରିଲି ନାହିଁ । ଚୁପ୍‌ ହୋଇ ରହିଲି ।

 

ବୈଷ୍ଣବୀ କହିଲା– ମୁରାରୀ ଠାକୁରଙ୍କର ଗୋଟିଏ ଗୀତ ଅଛି–‘‘ସଖୀରେ ଫେରିକି ଆପଣା ଘରକୁ ଯାଅ / ଜୀବିତରେ ମରି ଯେ ଆପଣାକୁ ଖାଏ / ତୁମେ ଆଉ କି ତାରେ ବୁଝାଅ ? ଗୋସାଇଁ ଉପରଓଳି ତୁମେ କଲିକତା ଚାଲିଯିବ, ଆଜି ଗୋଟିଏ ଓଳିରୁ ଅଧିକା ଏଠାରେ ରହିପାରିବ ନାହିଁ ।

 

କହିଲି–କେଜାଣି, ଆଗେ ସକାଳ ଓଳିଟା କଟୁ ।

 

ବୈଷ୍ଣବୀ ଉତ୍ତର ନ ଦେଇ–ଗୁଣୁଗୁଣୁ ହୋଇ ଗାଇବାକୁ ଲାଗିଲା–

 

କହେ ଚଣ୍ତୀ ଦାସ, ଶୁଣ ବିନୋଦିନୀ

ସୁଖଦୁଃଖ ଦୁଇଭାଇ,

ସୁଖର ପାଇଁକି ଯେ କରେ ପୀରତି

ଦୁଃଖ ଯାଏ ତାହା ଠାଇଁ ।

 

ସେ ଅଟକିଯିବା କ୍ଷଣି କହିଲି–ତାପରେ ?

 

: ତାପରେ ଆଉ ଜାଣିନି ।

 

କହିଲି, ତେବେ ଆଉ କିଛି ଗାଅନା ?

 

ବୈଷ୍ଣବୀ ସେହିକରି ମୃଦୁ କଣ୍ଠରେ ଗାଇଲା–

 

ଚଣ୍ତୀ ଦାସ କଥା ଶୁଣ ବିନୋଦିନୀ

ପୀରତି ନ କହେ କଥା

ଏଥର ଅଟକିବା କ୍ଷଣି କହିଲି–ତାପରେ ?

ବୈଷ୍ଣବୀ କହିଲା ତାପରେ ଆଉ ନାହିଁ, ଏଇଠାରେ ହିଁ ଶେଷ ।

 

ପ୍ରକୃତରେ ଶେଷ । ଦୁଇଜଣ ଚୁପ୍‌ ରହିଲୁ, ଭାରୀ ଇଚ୍ଛାହେଲା ତା’ ପାଖକୁ ଯାଇ ଏଇ ଅନ୍ଧକାର ଭିତରେ କିଛି କଥା କହି ତା’ ହାତଟା ଧରି ଚାଲନ୍ତି । ଜାଣେ ସେ ବାଧା ଦେବ ନାହିଁ, ରାଗ କରିବ ନାହିଁ, କିନ୍ତୁ କୌଣସି ପ୍ରକାରରେ ପାଦ ଚଳିଲା ନାହିଁ, ମୁହଁରୁ ପଦେ କଥା ବାହାରିଲା ନାହିଁ । ଯେଉଁପରି ଚାଲିଥିଲି, ସେହିପରି ଧୀରେ ଧୀରେ ଚାଲି ଚାଲି ବଣ ବାହାରେ ଆସି ପହଞ୍ଚିଲି-

 

ବାଟକଡ଼ରେ ବାଡ଼ଘେରା ହୋଇ ଆଶ୍ରମର ଫୁଲବଗିଚା । ଠାକୁରଙ୍କ ନିତ୍ୟପୂଜା ପାଇଁ ଏଠାରୁ ଫୁଲ ଯାଏ । ଖୋଲାଜାଗାରେ ଅନ୍ଧକାର ଆଉ ନାହିଁ, କିନ୍ତୁ ଫର୍ଚା ହୋଇନଥାଏ । ତଥାପି ଦେଖାଗଲା ଅଜସ୍ର ଫୁଟନ୍ତା ମଲିଫୁଲରେ ସାରା ବଗିଚାଟା ଯେପରି ଧଳା ହୋଇଯାଇଛି । ଆଗରେ ଲଣ୍ତା ଚମ୍ପାଗଛରେ ଫୁଲ ନାହିଁ । କିନ୍ତୁ ପାଖାପାଖି କେଉଁଠାରେ ବୋଧହୁଏ ଅସମୟରେ ପ୍ରସ୍ଫୁଟିତ ରଜନୀଗନ୍ଧା ମହକରେ ସେହି ଅଭାବ ପୂର୍ଣ୍ଣ ହୋଇପାରିଛି । ସବୁଠାରୁ ମଝିଟା ବଡ଼ ସୁନ୍ଦର ଦିଶୁଥାଏ । ନିଶାନ୍ତରେ ଏଇ ଝାପ୍‌ସା ଆଲୋକରେ ଏତେ ଗଛ ଭିତରେ ରହିଥିବା ପାଞ୍ଚଛଅଟା ସ୍ଥଳପଦ୍ମ ଗଛକୁ ବି ଚିହ୍ନିହୁଏ । ଫୁଲର ସଂଖ୍ୟା ନାହିଁ । ବିକଶିତ ସହସ୍ର ଆଖି ଖୋଲି ସତେ ଯେପରି ସେଗୁଡ଼ିକ ବଗିଚାର ସମସ୍ତ ଫୁଲଙ୍କୁ ଚାହିଁ ରହିଛନ୍ତି ।

 

କେବେ ଏତେ ସକାଳରୁ ଶେଯଛାଡ଼ି ଉଠିନାହିଁ । ଏପରି ସମୟଟା ଚିରଦିନ ନିଦ୍ରାଚ୍ଛନ୍ନ ଜଡ଼ତାରେ କଟିଯାଏ । ଆଜି ତେଣୁ ଯେ କି ଭଲଲାଗିଲା, ତାହା କହିହେବ ନାହିଁ । ପୂର୍ବରେ ରକ୍ତିମ ଦିଗନ୍ତରେ ଜ୍ୟାତିର୍ମୟଙ୍କର ଆଭାସ ମିଳୁଥାଏ । ନିଃଶବ୍ଦ ମହିମାରେ ସାରା ଆକାଶ ଶାନ୍ତ ହୋଇ ରହିଥାଏ । ଆଉ ଲତାରେ ପତ୍ରରେ, ଶୋଭା–ସୌରଭରେ, ଫୁଲରେ ଫୁଲରେ ପରିବ୍ୟାପ୍ତ ହୋଇଛି ସମ୍ମୁଖର ଉପବନ । ସବୁ ମିଶି ଏ ଯେପରି–ନିଃଶେଷିତ ରାତ୍ରିର ବାକ୍ୟହୀନ ବିଦାୟର ଅଶ୍ରୁରୁଦ୍ଧ ଭାଷ୍ୟ ଭଳି ମନେହୁଏ ।

 

କରୁଣାରେ, ମମତାରେ ଓ ଅଯାଚିତ ଦାକ୍ଷିଣ୍ୟରେ ସାରା ଅନ୍ତର ମୋର ଆଖିପଲକମାତ୍ରେ ପରିପୂର୍ଣ୍ଣ ହୋଇଉଠିଲା । ହଠାତ୍‌ କହିପକାଇଲି–କମଳଲତା ଜୀବନରେ ତୁମେ ଅନେକ ଦୁଃଖ, ଅନେକ କଷ୍ଟ ପାଇଛ, ପ୍ରାର୍ଥନା କରୁଛି ଏଣିକି ତୁମେ ଯେପରି ସୁଖୀହୁଅ ।

 

ବୈଷ୍ଣବୀ ସେତେବେଳକୁ ଚମ୍ପାଗଛରେ ନଗୀଟାକୁ ଝୁଲାଇଦେଇ ଅଣ୍ଟାରେ ଲୁଗା ଭିଡ଼ୁଥିଲା, ଆଶ୍ଚର୍ଯ୍ୟ ହୋଇ ଚାହିଁ ରହି କହିଲା–ହଠାତ୍‌ ତୁମର କ’ଣ ହେଲା ଗୋସାଇଁ ।

 

ନିଜ କଥାଟା କିପରି ନିଜ କାନକୁ ଖାପଛଡ଼ା ଖାପଛଡ଼ା ଶୁଭୁଥିଲା । ତାହାରି ସବିସ୍ମୟ ପ୍ରଶ୍ନ ଶୁଣି କିପରି ଅପ୍ରତିଭ ହୋଇଉଠିଲି । ତୁଣ୍ତକୁ ଭାଷା ପଇଟିଲା ନାହିଁ । ଲଜ୍ଜିତର ଆବରଣ ଗୋଟାଏ ଅର୍ଥହୀନ ହସର ଚେଷ୍ଟାରେ ଠିକ୍‌ ସଫଳ ହୋଇପାରିଲା ନାହିଁ । ଶେଷରେ ଚୁପ୍‌ହୋଇ ରହିବାକୁ ବାଧ୍ୟହେଲି ।

 

ବୈଷ୍ଣବୀ ବଗିଚା ଭିତରକୁ ଭିତରକୁ ପ୍ରବେଶକଲା ଏବଂ ସଙ୍ଗେ ସଙ୍ଗେ ମୁଁ ମଧ୍ୟ ଗଲି । ଫୁଲ ତୋଳିବାକୁ ଆରମ୍ଭ କରୁ କରୁ ସେ ନିଜେ ହିଁ କହିଲା–ମୁଁ ସୁଖରେ ଅଛି ଗୋସାଇଁ । ଯାହାଙ୍କ ପାଦପଦ୍ମରେ ଆପଣାକୁ ନିବେଦନ କରିଦେଇଛି ସେ କଦାପି ଦାସୀକୁ ପରିତ୍ୟାଗ କରିବେ ନାହିଁ ।

 

ସନ୍ଦେହ ହେଲା । ଯେହେତୁ କଥାଟା ବେଶ୍‌ ସୁସ୍ପଷ୍ଟ ନୁହେଁ । କିନ୍ତୁ ପରିଷ୍କାର କରି କହିବାକୁ ସାହସ ହେଲା ନାହିଁ । ସେ ମୃଦୁ ଗୁଞ୍ଜନରେ ଗାଇବାକୁ ଲାଗିଲା–

 

କଳାମାଣିକର ମାଳଗୁନ୍ଥି ଗଳେ କରିବି ଭୂଷଣ

କରିବି କୁଣ୍ତଳ କାନେ କାହ୍ନୁ ଯଶଗୁଣ

କାହ୍ନୁ ଅନୁରାଗେ ରଙ୍ଗାବସନ ପିନ୍ଧି,

ଦେଶେ ଦେଶେ ଭବାନୀ ଯୋଗୀ ହୋଇବି ଗୋ

ଯଦୁନାଥ ଦାସ କହେ......

 

ଅଟକାଇବାକୁ ପଡ଼ିଲା । କହିଲି–ଯଦୁନାଥ ଦାସ ସେଇଠି ଥାଆନ୍ତୁ ତେଣେ ଝାଞ୍ଜର ଶବ୍ଦ ଶୁଣିପାରୁଛ ତ ? କ’ଣ ଫେରିବ ନାହିଁ କି ?

 

ସେ ମୋଆଡ଼କୁ ଚାହିଁ ମୃଦୁ ହସ ହସି ପୁଣି ଆରମ୍ଭ କଲା–

 

ଧରମ କରମ ଯାଉ କାହାକୁ ନ ଡରଇ

ମନର ଭରମେ କାଳେ ବନ୍ଧୁକୁ ହରାଇ....

 

ଆଚ୍ଛା ନୂତନ ଗୋସାଇଁ, ଜାଣ ଝିଅମାନଙ୍କ ମୁହଁର ଗୀତ ଅନେକ ଭଲ ଲୋକ ଶୁଣିବାକୁ ଚାହାଁନ୍ତି ନାହିଁ । ସେମାନଙ୍କୁ କୁଆଡ଼େ ଭାରୀ ଖରାପ ଲାଗେ ?

 

କହିଲି–ଜାଣେ କିନ୍ତୁ ମୁଁ ସେତେଟା ବର୍ବର ନୁହେଁ ।

 

: ତେବେ ବାଧାଦେଇ ମୋତେ ଅଟକାଇଲ କାହିଁକି ?

 

: ସେଣେ ବୋଧହୁଏ ଆରତି ଆରମ୍ଭ ହୋଇଯାଇଛି । ତୁମେ ନ ରହିଲେ ଆରତିର ଅଙ୍ଗହାନୀ ହେବ ।

 

: ଏଇଟା ମିଛ ଛଳନା ଗୋସାଇଁ ।

: ଛଳନା କାହିଁକି ହେବ ?

: କାହିଁକି ତାହା ତୁମକୁ ଜଣା । କିନ୍ତୁ ଏ କଥା ତୁମକୁ କହିଲା କିଏ ? ମୋ ଅନୁପସ୍ଥିତିରେ ଠାକୁରଙ୍କ ସେବାରେ ଅଙ୍ଗହାନୀ ହୁଏ, ଏକଥା କ’ଣ ତୁମେ ବିଶ୍ୱାସ କରିପାରୁଛ ?

: କରେ । ମୋତେ ଏକଥା କେହି କହିନାହାନ୍ତି କମଳଲତା । କିନ୍ତୁ ନିଜଆଖିରେ ଦେଖିଛି ।

ଶ୍ରୀକାନ୍ତ

ସେ ଆଉ କିଛି କହିଲା ନାହିଁ । କିପରି ଅନ୍ୟମନସ୍କ ଭଳି କ୍ଷଣକ ପାଇଁ ମୋ ମୁହଁକୁ ଚାହିଁ ରହିଲା । ତାପରେ ଫୁଲ ତୋଳିବାକୁ ଲାଗିଲା । ଡାଲା ଭର୍ତ୍ତି ହୋଇଯିବାରୁ କହିଲା–ହୋଇଛି, ଆଉ ଦରକାର ନାହିଁ ।

: ସ୍ଥଳ ପଦ୍ମ ତୋଳିଲ ନାହିଁ ?

: ନା, ସେସବୁ ମୁଁ ତୋଳେ ନାହିଁ । ଏହିଠାରୁ ଠାକୁରଙ୍କୁ ନିବେଦନ କରିଦିଏ । ଚାଲ ଏଥର ଯିବା ।

ଆଲୋକ ପ୍ରକାଶିତ ହୋଇସାରିଥାଏ । ଗ୍ରାମର ଉପାନ୍ତରେ ଏହି ମଠ । ଏଠାକୁ ସେତେ କେହି ଆସନ୍ତି ନାହିଁ । ସେତେବେଳେ ରାସ୍ତା ଥିଲା ଜନହୀନ । ବର୍ତ୍ତମାନ ମଧ୍ୟ ସେହିପରି । ଚାଲୁ ଚାଲୁ ପୁଣି ଆଉଥରେ ସେଇ ପ୍ରଶ୍ନକଲି ସତରେ କ’ଣ ତୁମେ ଏଠାରୁ ଚାଲିଯିବ ?

 

: ବାର ବାର ଏକଥା ଜାଣି ତୁମର କ’ଣ ଲାଭହେବ ଗୋସାଇଁ ?

 

ଏଥର ମଧ୍ୟ ଉତ୍ତର ଦେଇପାରିଲି ନାହିଁ । କେବଳ ଆପଣାଛାଏଁ ଆପଣାକୁ ପଚାରିବାକୁ ଲାଗିଲି–ପ୍ରକୃତରେ ବାରବାର ଏହିକଥା ଜାଣିବାକୁ ମୁଁ ଅବା କାହିଁକି ଚାହୁଁଛି । ନ ଜାଣିଲେ ଅବା ମୋର କ୍ଷତି କ’ଣ ହେବ ?

 

ମଠକୁ ଫେରିଆସିବା ପରେ ଦେଖାଗଲା ଇତି ମଧ୍ୟରେ ସମସ୍ତେ ଉଠି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ହୋଇଯାଇଛନ୍ତି । ସେତେବେଳେ ଝାଞ୍ଜ ଶବ୍ଦ ଶୁଣି ମିଛଟାରେ ବୈଷ୍ଣବୀକୁ ତରତର କରିଥିଲି । ଜାଣିବାକୁ ପାଇଲି ତାହା ମଙ୍ଗଳ ଆରତି ନୁହେଁ । ସେ କେବଳ ଠାକୁରଙ୍କ ନିଦ ଭାଙ୍ଗିବାର ବାଦ୍ୟ । ଏଇଟା ପାଇଁ କେହି ବ୍ୟସ୍ତ ହୁଅନ୍ତି ନାହିଁ ।

 

ଆମ ଦୁଇଜଣଙ୍କୁ ଅନେକ ଚାହିଁକରି ଦେଖିଲେ ସୁଦ୍ଧା କାହାରି ଚାହାଣୀରେ କୌତୂହଳ ନଥିଲା । ପଦ୍ମାର ବୟସ କମ ବୋଲି, ସେହି କେବଳ ହସିଦେଇ ମୁହଁ ତଳକୁ କଲା । ସେ ଠାକୁରଙ୍କ ପାଇଁ ଫୁଲ ଗୁନ୍ଥେ । ଡାଲାଟା ତା’ ପାଖରେ ରଖିଦେଇ କୌତୁକରେ ତର୍ଜନ କରି କମଳଲତା କହିଲା ହସିଲୁ ଯେ ପୋଡ଼ାମୁହୀଁ ?

 

ସେ କିନ୍ତୁ ଆଉ ତଳୁ ମୁହଁ ଉଠାଇଲା ନାହିଁ । କମଳଲତା ଯାଇ ଠାକୁରଙ୍କ ଘରେ ପ୍ରବେଶ କଲା । ମୁଁ ମଧ୍ୟ ମୋ ଘରକୁ ଗଲି ।

 

ସ୍ନାନାହାର ଯଥାରୀତି ଏବଂ ଯଥା ସମୟରେ ସଂପନ୍ନ ହେଲା । ଉପରଓଳି ଗାଡ଼ିରେ ମୋର ଯିବା କଥା । ବୈଷ୍ଣବୀର ସନ୍ଧାନ ନେବାକୁ ଯାଇ ଦେଖିଲି ସେ ଠାକୁରଙ୍କୁ ସଜାଇବାରେ ଲାଗିଛି । ମୋତେ ଦେଖିପାରି କହିଲା ନୂତନ ଗୋସାଇଁ ଯଦି ଆସିଲ ତେବେ ମୋତେ ଟିକିଏ ସାହାଯ୍ୟ କରନା । ପଦ୍ମା ମୁଣ୍ତବ୍ୟଥା ହେତୁ ଶୋଇ ରହିଛି । ଲକ୍ଷ୍ମୀ–ସରସ୍ୱତୀ ଦୁଇଭଉଣୀଙ୍କ ଜ୍ୱର କ’ଣ ଯେ ହେବ ଜାଣିନି । ଏଇ ହଳଦି ରଙ୍ଗର ଲୁଗା ଦୁଇଖଣ୍ତ ଟିକିଏ କୁଞ୍ଚି ଦିଅନା ଗୋସାଇଁ ।

 

ଅତଏବ ଠାକୁରଙ୍କ ଲୁଗା କୁଞ୍ଚିବାରେ ଲାଗିପଡ଼ିଲି । ଆଉ ଯିବା ହେଲା ନାହିଁ । ପରଦିନ ନୁହେଁ ଏବଂ ତାହା ପରଦିନ ମଧ୍ୟ ନୁହେଁ । ବୈଷ୍ଣବୀର ପ୍ରତିଦିନର ଫୁଲ ତୋଳିବାର ସଙ୍ଗୀ ମୁଁ । ସାୟାହ୍ନେ, ମଧ୍ୟାହ୍ନେ, ପ୍ରଭାତେ କିଛି ନା କିଛି କାମ ସେ ମୋଦ୍ୱାରା କରାଇନିଏ । ଏପରି ଭାବରେ ଦିନଗୁଡ଼ାକ ସପନ ଦେଖିଲା ପରି କଟିଯାଏ । ସେବାରେ, ସହୃଦୟତାରେ, ଆନନ୍ଦରେ, ଆରାଧନାରେ, ଫୁଲରେ, ଚନ୍ଦନରେ, କୀର୍ତ୍ତନରେ, ପକ୍ଷୀମାନଙ୍କ ଗାନରେ କେଉଁଠାରେ ଆଉ ଫୁରସତ୍‌ ନଥାଏ । ଅଥଚ ସନ୍ଦେହୀ ମନଟା ମଝିରେ ମଝିରେ ଜାଗ୍ରତ ହୋଇ ଭର୍ତ୍ସନା କରିଉଠେ । ଏ କି ପିଲାଖେଳ ଚାଲିଛି ? ବାହାରର ସମସ୍ତ ସମ୍ପର୍କକୁ ତୁଟାଇ; କେତେଟା ପିତୁଳା ଧରି ଏ କି ଖେଳ ଚାଲିଛି ? ଏତେବଡ଼ ଆତ୍ମ ପ୍ରବଞ୍ଚନା ନେଇ ମଣିଷ ବଞ୍ଚିରହେ କିପରି ? ତଥାପି କିନ୍ତୁ ଭଲଲାଗେ । ଯିବି ଯିବି ଭାବି କିନ୍ତୁ ପାଦ ବଢ଼ାଇପାରେ ନାହିଁ । ଏଣେ ମେଲେରିଆ କମ୍ ହୁଏ । ତଥାପି ଅନେକ ଏ ସମୟରେ ଜ୍ୱରରେ ପଡ଼ିଛନ୍ତି । ଗହର ଦିନକ ପାଇଁ ମାତ୍ର ଆସିଥିଲା । ଆଉ ଆସି ନାହିଁ । ତାହାର ମଧ୍ୟ ଖୋଜଖବର ନେବାପାଇଁ ସମୟ ପାଇପାରି ନାହିଁ ।

 

ହଠାତ୍‌ ମନଭିତରଟା ଭୟ ଓ ଧିକ୍‌କାରରେ ଭରିଉଠିଲା–ଏ ମୁଁ କରୁଛି କ’ଣ ? ସଙ୍ଗଦୋଷରେ ଏସବୁ ଦିନେ ସତ୍ୟ ବୋଲି ବିଶ୍ୱାସ ହୋଇଯିବ ନାହିଁ ତ ? ଠିକ୍‌ କରିଲି–ଆଉ ନୁହେଁ । ଯାହା ଘଟିବାର ଘଟୁ ପଛକେ କାଲି ମୋତେ ଏଇ ଯାଗା ଛାଡ଼ି ପଳାଇବାକୁ ହିଁ ପଡ଼ିବ ।

 

ବୈଷ୍ଣବବିଦ୍‌ମାନଙ୍କର ନିଦ ଭଙ୍ଗାଇବାର ଗୀତ ଗାନ କରି ପ୍ରତ୍ୟହ ରାତ୍ରି ଶେଷରେ ବୈଷ୍ଣବୀ ଆସି ମୋତେ ନିଦରୁ ଉଠାଏ । ଭକ୍ତି ଓ ଭଲପାଇବାର ସେ କି ସକରୁଣ ଆବେଦନ । ହଠାତ୍‌ ଉତ୍ତର ଦିଏ ନାହିଁ–କାନ ପାତି ଥୋଡ଼ାଏ ଶୁଣେ । ଆଖି କୋଣରେ ଲୁହ ଜମିଉଠେ । ମଶାରି ଉଠାଇ ସେ ଦୁଆର, ଝରକା ଖୋଲିଦିଏ । ରାଗି କରି ଉଠି ବସେ । ତାପରେ ଲୁଗା ବଦଳାଇ ମୁହଁ ହାତ ଧୋଇ ଫୁଲ ତୋଳିବା ପାଇଁ ତା’ ସଙ୍ଗରେ ବାହାରିପଡ଼େ ।

 

ଦିନ କେତେଟାର ଅଭ୍ୟାସ ଫଳରେ ଆଜି ଆପଣାଛାଏଁ ନିଦ ଭାଙ୍ଗିଗଲା । ଘର ଅନ୍ଧକାର । କିପରି ମନେହେଲା ରାତି ବୋଧହୁଏ ଏ ପର୍ଯ୍ୟନ୍ତ ପାହି ନାହିଁ । ବିଛଣା ଛାଡ଼ି ବାହାରକୁ ଆସି ଦେଖେ, ରାତି କେତେବେଳୁ ପାହି ସକାଳ ହେଲାଣି । କିଏ ଜଣେ ଖବର ଦେବାରୁ କମଳଲତା ଆସି ଠିଆହେଲା । ଏପରି ଅଗାଧୁଆ, ଅପ୍ରସ୍ତୁତ ଚେହେରା ଆଗରୁ କେବେ ଦେଖିନଥିଲି ।

 

ଭୟରେ ପଚାରିଲି–ତୁମ ଦେହ କ’ଣ ଖରାପ ଅଛି ?

 

ସେ ମଳିନ ହସଟିଏ ହସିଦେଇ କହିଲା– ଆଜି ତୁମେ ଜିତିଯାଇଛ ଗୋସାଇଁ ।

 

: କେଉଁଥିପାଇଁ, କୁହତ ?

 

: ଦେହଟା ଆଜି ଭଲ ନାହିଁ, ତେଣୁ ଠିକ୍‌ ସମୟରେ ଉଠିପାରିଲି ନାହିଁ ।

 

: ଆଜି ତେବେ ଫୁଲ ତୋଳିବାକୁ ଗଲା କିଏ ?

 

ରୋଷାଇ ଘର କଡ଼ରେ ଗୋଟାଏ ଅଧାମରା ଟଗର ଗଛରେ ସାମାନ୍ୟ କେତେଟା ଫୁଲ ଥିଲା । ସେଇ ଆଡ଼କୁ ଦେଖାଇଦେଇ ସେ କହିଲା, ଏ ବେଳଟା ଏଇଥିରେ ଚଳାଇଦେବି ।

 

କିନ୍ତୁ ଠାକୁରଙ୍କ ଗଳାର ମାଳା ?

 

: ମାଳା ଆଜି ତାଙ୍କୁ ପିନ୍ଧାଇ ପାରିବି ନାହିଁ ।

 

ଶୁଣିକରି ସେହି ନିର୍ଜୀବ ପିତୁଳାଟି ପାଇଁ ମନ କିପରି ହୋଇଉଠିଲା ।

 

କହିଲି–ଗାଧୋଇ ସାରି ମୁଁ ଯାଉଛି ତୋଳି ଆଣିବି ।

 

: ଯାଇପାର । କିନ୍ତୁ ଏତେ ସକାଳୁ ଗାଧୋଇବ ନାହିଁ । ଦେହ ଖରାପ ହେବ ।

 

ପଚାରିଲି–ବଡ଼ ଗୋସାଇଁଙ୍କୁ ତ ଦେଖିବାକୁ ପାଉନାହିଁ ।

 

ବୈଷ୍ଣବୀ କହିଲା– ସେ ଏଠାରେ ନାହାନ୍ତି । ଗତ ଦୁଇଦିନ ହେବ ତାଙ୍କ ଗୁରୁଦେବଙ୍କୁ ଦେଖିବାପାଇଁ ନବଦ୍ୱୀପକୁ ଚାଲି ଯାଇଛନ୍ତି ।

 

: କେବେ ଫେରିବେ ?

 

: ତାହା ବି ଜାଣିନି ଗୋସାଇଁ ।

 

ଏତେଦିନ ଧରି ମଠରେ ରହି ମଧ୍ୟ ବୈରାଗୀ ଦ୍ୱାରିକା ଦାସଙ୍କ ସହିତ ଘନିଷ୍ଠତା ହୋଇପାରି ନାହିଁ–କେତେକଟା ମୋ ନିଜ ଦୋଷରୁ ଆଉ କେତେକଟା ତାହାର ନିର୍ଲିପ୍ତ ସ୍ୱଭାବ ପାଇଁ । ବୈରାଗୀଙ୍କ ମୁହଁରୁ ଶୁଣି ଓ ନିଜ ଆଖିରେ ଦେଖି ଜାଣିଛି ଏ ଲୋକଟି ଭିତରେ କପଟତା ନାହିଁ, ଅନାଚାର ନାହିଁ, ଆଉ ନାହିଁ ମାଷ୍ଟରୀ କରିବାର ସଉକ୍‌ । ବୈଷ୍ଣବ ଧର୍ମଗ୍ରନ୍ଥ ଘେନି ତାଙ୍କର ଅଧିକାଂଶ ସମୟ ନିର୍ଜନ ଘରେ କଟେ । ତାଙ୍କ ଧର୍ମ ମତରେ ମୋର ଆସ୍ଥା ନ ଥାଏ, ବିଶ୍ୱାସ ନ ଥାଏ କିନ୍ତୁ ଏଇ ମନୁଷ୍ୟଟିର କଥାଗୁଡ଼ିକ ଏପରି ନମ୍ର, ଚାହିଁବାର ଭଙ୍ଗୀ ଏପରି ସ୍ୱଚ୍ଛ ଓ ଗଭୀର ଏବଂ ବିଶ୍ୱାସ ଓ ନିଷ୍ଠାରେ ଅହର୍ନିଶ ଏପରି ଭରପୂର ଯେ ତାଙ୍କ ତମ ଓ ପଥ ନେଇ ବିରୁଦ୍ଧ ଆଲୋଚନା ଆରମ୍ଭ କରିବାକୁ କେବଳ ମୁଁ ସଂକୋଚ ନୁହେଁ, ଦୁଃଖ, ମଧ୍ୟ ବୋଧ କରେ । ଆପେ ବୁଝିପାରେ ଯେ, ଏପରି ସ୍ଥଳେ ତର୍କ କରିବା ନିଷ୍ଫଳ । ଦିନେ ସାମାନ୍ୟ, ଟିକିଏ ମୁକ୍ତିର ଅବତାରଣା କରିବାରୁ ସେ ହସ ହସ ମୁହଁରେ ନୀରବରେ ଏପରି ଭାବରେ ଚାହିଁ ରହିଲେ ଯେ କୁଣ୍ଠାରେ ମୋ ମୁହଁରେ ଆଉ ଭାଷା ରହିଲା ନାହିଁ । ତାପରେ ତାଙ୍କୁ ସାଧ୍ୟ ମତେ ଏଡ଼ାଇ ଚାଲିଛି । ତେବେ ଗୋଟାଏ କୌତୂହଳ ଥିଲା । ଏତେଗୁଡ଼ିଏ ନାରୀ ପରିବୃତ୍ତ ହୋଇ ନିରବଚ୍ଛିନ୍ନ ରସର ଅନୁଶୀଳନରେ ମଗ୍ନ ରହି ଚିତ୍ତର ଶାନ୍ତି ଓ ଦେହର ନିର୍ମଳତା ଅକ୍ଷୁଣ୍ଣ ରଖି ଚଳିବାର ରହସ୍ୟ ବିଷୟରେ, ଇଚ୍ଛାଥିଲା ଯିବା ପୂର୍ବରୁ ତାଙ୍କୁ ପଚାରିକରି ଯିବି । କିନ୍ତୁ ସେ ସୁଯୋଗ ବୋଧହୁଏ ଆଉ ମିଳିଲା ନାହିଁ । ମନେମନେ କହିବାକୁ ଲାଗିଲି–ପୁଣି ଯଦି କେବେ ଆସିବାକୁ ହୁଏତ ସେତେବେଳେ ଦେଖା ହୋଇପାରିବ ।

 

ବୈଷ୍ଣବମାନଙ୍କ ମଠରେ ମଧ୍ୟ ବିଗ୍ରହ ମୂର୍ତ୍ତି ସଚରାଚର ବ୍ରାହ୍ମଣ ବତୀତ ଅନ୍ୟ କେହି ସ୍ୱର୍ଶ କରିପାରନ୍ତି ନାହିଁ । କିନ୍ତୁ ଏ ଆଶ୍ରମରେ ସେ ବିଧି ଥିଲା । ଠାକୁରଙ୍କର ଜଣେ ବୈଷ୍ଣବ ପୂଜାରୀ ବାହାରେ ଥାଏ, ସେ ଯଥାରୀତି ଅସି ଆଜି ମଧ୍ୟ ପୂଜା କରିଗଲା । କିନ୍ତୁ ଠାକୁରଙ୍କ ସେବାର ଅନେକଟା ଭାର ଆସି ପଡ଼ିଲା ମୋ ଉପରେ । ବୈଷ୍ଣବୀ ବତାଇଦିଏ ଆଉ ସବୁ ମୁଁ କରେ । ମଝିରେ ମଝିରେ ମୁଁ ମନେମନେ ରାଗି ଉଠୁଥିଲି । ମନେମନେ ଭାବେ–ଏ କି ପାଗଳାମୀ ମୋତେ ପାଇ ବେଶ ତ କାମ ଉଠାଇବାରେ ଲାଗିଛି । ତଥାପି ଆଜି ମଧ୍ୟ ଯିବା ବନ୍ଦ ହେଲା । ଆପଣାକୁ ପୁଣି ମନେମନେ ଏଇଆ କହି ବୁଝାଇବାକୁ ଲାଗିଲି ଯେ ଏତେଦିନ ହେବ ଏଠାରେ ରହିଲିଣି । ବର୍ତ୍ତମାନ ଏ ବିପଦରେ ଛାଡ଼ି ଚାଲିଯିବାଟା ଠିକ୍‌ ହେବ ନାହିଁ । ସଂସାରରେ କୃତଜ୍ଞତା ବୋଲି ଗୋଟାଏ ଶବ୍ଦ ତ ପୁଣି ରହିଛି ।

 

ଆହୁରି ଦୁଇଦିନ ମଧ୍ୟ କଟିଲା । କିନ୍ତୁ ଆଉ ନୁହେଁ । କମଳଲତା ସୁସ୍ଥ ହୋଇଉଠିଛି । ପଦ୍ମା, ଲକ୍ଷ୍ମୀ ଓ ସରସ୍ୱତୀ ଦୁଇଭଉଣୀ ଭଲ ହୋଇଗଲେଣି । ଦ୍ୱାରିକା ଦାସ ଗତ ସନ୍ଧ୍ୟାରେ ଫେରିଆସିଛନ୍ତି । ତାଙ୍କ ପାଖରୁ ବିଦାୟ ନେଇ ଆସିବାକୁ ଗଲି ।

 

ଗୋସାଇଁଜୀ କହିଲେ– ଆଜି ଯିବେ ଗୋସାଇଁ ? ପୁଣି କେବେ ଆସିବେ ?

 

: ସେ କଥା ତ କହିପାରିବି ନାହିଁ ?

 

: କମଳଲତା କିନ୍ତୁ କାନ୍ଦି କାନ୍ଦି ଅସ୍ଥିରା ହୋଇଉଠିବ ।

 

ଆମମାନଙ୍କ କଥା ତାଙ୍କ କାନକୁ ଯାଇଛି ଶୁଣି ମନେମନେ ବିରକ୍ତ ହୋଇଉଠିଲି । କହିଲି–ସେ କାନ୍ଦିବାକୁ ଯିବ କାହିଁକି ?

 

ଗୋସାଇଁ ସାମାନ୍ୟ ଟିକିଏ ହସିଦେଇ କହିଲେ–ବୋଧହୁଏ ତୁମେ ଜାଣନା ?

 

: ନା ।

 

: ତା’ ସ୍ୱଭାବ ଏହିପରି, କେହି ଚାଲିଗଲା ପରେ ସେ ଯେପରି ଶୋକରେ ଆତ୍ମହରା ହୋଇଉଠେ ।

 

ମୁଣ୍ତ ହଲାଇଦେଇ ବାହାରକୁ ବାହାରି ଆସିଲି । କମଳଲତା ସେହିପରି ସେହିଠାରେ ହିଁ ଠିଆହୋଇ ରହିଲା । କିନ୍ତୁ ହଠାତ୍‌ ଏ କ’ଣ ହୋଇଗଲା । ବିଦାୟ ଗ୍ରହଣର ପ୍ରାକ୍‌–କାଳରେ କେତେ କ’ଣ କହିବାର ଆଉ ଶୁଣିବାର କଳ୍ପନା ଥିଲା । ସବୁକୁ ନଷ୍ଟ କରିଦେଲି ସିନା । ଚିତ୍ତର ଦୁର୍ବଳତାର ଗ୍ଳାନି ଅନ୍ତରରେ ଧୀରେ ଧୀରେ ସଞ୍ଚିତ ହେଉଥିଲା, ତାହା ଅନୁଭବ କରିପାରୁଥିଲି କିନ୍ତୁ ଅସହିଷ୍ଣୁ ମନ, ଏପରି ଅଶୋଭନ ରୂଢ଼ତାରେ ଯେ ନିଜର ମର୍ଯ୍ୟାଦା ଖର୍ବ କରି ବସିବ, ତାହା ସପନରେ ସୁଦ୍ଧା ଭାବିନଥିଲି ।

 

ନବୀନ ଆସି ଉପସ୍ଥିତ ହେଲା । ସେ ଗହରକୁ ଖୋଜିବାକୁ ଆସିଥିଲା । କାଲିଠାରୁ ସେ ଏ ପର୍ଯ୍ୟନ୍ତ ଘରକୁ ଫେରିନାହିଁ । ଆଶ୍ଚର୍ଯ୍ୟ ହୋଇଗଲି । କହିଲି ଏ କି କଥା ନବୀନ, ସେ ତ ଏଠାକୁ ଆଉ ଆସୁନାହିଁ ।

 

ନବୀନ ବିଶେଷ ବିଚଳିତ ହେଲାନାହିଁ । କହିଲା, ବୋଧହୁଏ କେଉଁ ବଣଜଙ୍ଗଲରେ ଘୂରୁଥିବେ । ଗାଧୁଆ, ଖାଇବା ସବୁ ଭୁଲିଯାଇଥିବେ । ଏଥର ଯଦି କେଉଁଠି ତାଙ୍କୁ ସାପ କାମୁଡ଼ିଲା ବୋଲି ଖବର ପାଇପାରନ୍ତି ତେବେ ନିଶ୍ଚିନ୍ତ ହୋଇଯାଆନ୍ତି ।

 

: ତାହାର ଖୋଜଖବର ତ ନେବା ଦରକାର ?

 

: ଦରକାର ତ ଜାଣେ, କିନ୍ତୁ ଖୋଜିବି କେଉଁଠି ? ବଣ ଜଙ୍ଗଲରେ ଭ୍ରମି ଭ୍ରମି ଆଉ ନିଜ ପ୍ରାଣଟାକୁ ତ ହରାଇ ବସିପାରିବି ନାହିଁ, ବାବୁ । କିନ୍ତୁ ସେ କେଉଁଠି ? ଥରଟିଏ ତାଙ୍କୁ ପଚାରିଦେଇ ଯାଆନ୍ତି ?

 

: ସେଇଟି କିଏ ?

 

: ଏଇ ଯେ କମଳୀଲତା ।

 

: କିନ୍ତୁ ସେ କିପରି ଅବା ଜାଣିବ, ନବୀନ ?

 

: ସେ ଜାଣେନି ! ସବୁ ଜାଣେ ।

 

ଆଉ ବିତର୍କ ନ କରି ଉତ୍ତେଜିତ ନବୀନକୁ ବାହାରକୁ ଡାକିନେଇ କହିଲି–ପ୍ରକୃତରେ ତୋ କମଳୀଲତା କିଛି ଜାଣେ ନାହିଁ । ନିଜେ ଦେହ ଦୁଃଖରେ ପଡ଼ି ସେ ତିନି ଚାରିଦିନ ହେବ ବାହାରକୁ ଯାଇ ନାହିଁ ।

 

ନବୀନ ବିଶ୍ୱାସ କଲା ନାହିଁ । ରାଗିକରି କହିଲା–ଜାଣେ ନାହିଁ ? ସେ ସବୁ ଜାଣେ । ବୈଷ୍ଣବୀ ମନ୍ତର ଜାଣେ–ତେଣୁ ସେ ନ କରିପାରେ କ’ଣ ? କିନ୍ତୁ ପଡ଼ୁ ତ ଥରେ ନବୀନ ପାଲରେ, ତା’ ପତ୍ତା ଯଦି ଉଡ଼ାଇ ନ ଦେବି । ବାପର ଏତେଗୁଡ଼ାଏ ଟଙ୍କା ଟୋକାଟା ଯେପରି ଭେଳିକିରେ ପଡ଼ି ଉଡ଼େଇଦେଲା ।

 

ତାକୁ ଶାନ୍ତ କରିବା ପାଇଁ କହିଲି–କମଳଲତା ଟଙ୍କା ନେଇ କ’ଣ କରିବ ନବୀନ ? ବୈଷ୍ଣବ ଲୋକ, ମଠରେ ଥାଏ, ଗୀତଗାଇ ଦୁଇଟା ଭିକ୍ଷାକରି ଠାକୁର ଦେବତାଙ୍କ ସେବା କରେ । ଦୁଇଓଳି ଦୁଇମୁଠା ଖାଏ, ଏଇୟା ତ । ତେଣୁ ସେ ଟଙ୍କାପାଇଁ କାଙ୍ଗାଳ ବୋଲି ମୁଁ ଅନୁଭବ କରିପାରୁ ନାହିଁ ।

 

ନବୀନ କେତେକ ଅଂଶରେ ଥଣ୍ତାହୋଇ କହିଲା–ତା’ ନିଜପାଇଁ ନୁହେଁ, ଏକଥା ମୁଁ ଜାଣେ । ଦେଖିଲେ କିପରି ଭଦ୍ରଘର ଝିଅଭଳି ମନେହୁଏ । ସେପରି ଚେହେରା, ସେହିପରି କଥାବାର୍ତ୍ତା । ବଡ଼ ବାବାଜୀଟା ମଧ୍ୟ ଲୋଭୀ ନୁହଁ । କିନ୍ତୁ ଦଳେ ଲୋକଙ୍କୁ ପୋଷିବାକୁ ପଡ଼ୁଛି ଯେ.....ଠାକୁର ସେବା ନାଆଁରେ ସେମାନେ ପ୍ରତିଦିନ ଲୁଚି ରସଗୋଲା ଘିଅ, ଦୁଧ ଖାଇବାକୁ ଚାହାନ୍ତି । ନୟନ ଚକ୍ରବର୍ତ୍ତୀଠାରୁ ଶୁଣିଛି କୁଆଡ଼େ ମଠ ନାମରେ କୋଡ଼ିଏମାଣ ଜମି କିଣା ହୋଇଯାଇଛି । କିଛି ହିଁ ରହିବ ନାହିଁ ବାବୁ; ଯାହା ଅଛି ସବୁ ଏଇ ବାବାଜୀମାନଙ୍କ ପେଟରେ ଦିନେ ପଶିବ ।

 

କହିଲି–ହୁଏତ ଗୁଜବ ସତ ନୁହେଁ । କିନ୍ତୁ ସେ ଦିଗରୁ ତୁମ ନୟନ ଚକ୍ରବର୍ତ୍ତୀ ତ କମ୍‌ ନୁହଁନ୍ତି ନବୀନ ?

 

ନବୀନ ସହଜରେ ସ୍ୱୀକାର କରି କହିଲା–ତାହା ଅବଶ୍ୟ ଠିକ୍‌ । ବିକଳା ବ୍ରାହ୍ମଣ ମହା ଧଡ଼ିବାଜ୍‌ । କିନ୍ତୁ ବିଶ୍ୱାସ କରିବ କିପରି କହିଲେ ? ସେଦିନ ମୋ ପିଲାଛୁଆଙ୍କ ନାଆଁରେ ଦଶମାଣ ଜମି ହଠାତ୍‌ ଦାନପତ୍ର କରିଦେଲେ । ଅନେକ ମନାକଲି କିନ୍ତୁ ଶୁଣିଲେ ନାହିଁ । ବାପ ବହୁତ ରଖି ନବୀନ ଚାଲିଗଲା । ଗୋଟାଏ ବିଷୟ ଲକ୍ଷ୍ୟକଲି, ମୁଁ କାହିଁକି ଯେ ଏତେଦିନ ଧରି ମଠରେ ପଡ଼ିରହିଛି ସେ ବିଷୟରେ ସେ ପ୍ରଶ୍ନକଲା ନାହିଁ । ପଚାରିଥିଲେ ଯେ କ’ଣ କହିଥାନ୍ତି ଜାଣେନା, କିନ୍ତୁ ମନେମନେ ନିଶ୍ଚୟ ଲଜ୍ଜ୍ୟା ପାଇଥାନ୍ତି । ତାହାରିଠାରୁ ମୁଁ ଖବର ପାଇଲି ଯେ, କାଲି କାଳିଦାସ ବାବୁ ପୁଅର ବାହାଘର ହୋଇଯାଇଛି । ସତେଇଶି ତାରିଖଟା ମୋର ଆଦୌ ଖିଆଲ ନଥିଲା ।

 

ନବୀନର କଥାଗୁଡ଼ାକୁ ମନେମନେ ଏପଟସେପଟ କରୁକରୁ ହଠାତ୍‌ ବିଦ୍ୟୁତ୍‌ ବେଗରେ ମୋ ମନରେ ଗୋଟାଏ ସନ୍ଦେହ ଜାଗିଉଠିଲା–ବେଷ୍ଣବୀ କେଉଁଥିପାଇଁ ପଳାଇଯିବାକୁ ଚାହେଁ ? ସେଇ ଭୂରୁବାଲା କଦାକାର ଲୋକଟାର କଣ୍ଠି ବଦଳକରା ସ୍ୱାମୀତ୍ୱର ଜଞ୍ଜାଳକୁ ଭୟକରି କଦାଚନ ଦୁହେଁ । ଏ ହେଉଛି ଗହର । ଏଠାରେ ମୋ ରହିବା ସଂବନ୍ଧରେ ସେଥିପାଇଁ ବୋଧହୁଏ ବୈଷ୍ଣବୀ ସେଦିନ କୌତୁକରେ କହୁଥିଲା–ମୁଁ ଧରି ରଖିଲେ ସେ ରାଗକରିବେ ନାହିଁ ଗୋସାଇଁ । ରାଗିବାଲୋକ ସେ ନୁହଁନ୍ତି । କିନ୍ତୁ କାହିଁକି ସେ ଆଉ ଆସୁନାହାଁନ୍ତି ? ହୁଏତ ନିଜ ମନେମନେ କିଛି କଥା ସେ ଭାବିନେଇଛନ୍ତି । ସଂସାରରେ ଗହରର ଆସକ୍ତି ନାହିଁ । ଆପଣାର ବୋଲି କହିବାକୁ ମଧ୍ୟ କେହିନାହାନ୍ତି । ଟଙ୍କା କଉଡ଼ି–ବିଷୟ ସମ୍ପତ୍ତି ଯେପରି ବୁଣି ଦେଇପାରିଲେ ଶାନ୍ତିପାଇବ । ଭଲ ଯଦି ସେ ପାଇବସିଥାଏ ମୁହଁ ଫିଟାଇ କୌଣସି ଦିନ ହୁଏତ କହିବ ନାହିଁ; କାଳେ କେଉଁଠି ଅପରାଧ ସ୍ପର୍ଶ କରିବ । ବୈଷ୍ଣବୀ ଏକଥା ଜାଣେ । ସେହି ଅନତିକ୍ରମ୍ୟ ବାଧାର ଚିର ନିରୁଦ୍ଧ ପ୍ରଣୟର ନିଷ୍ଫଳ ଚିତ୍ତଦାହରୁ ଏହି ଶାନ୍ତ ଆତ୍ମଭୋଳା ମନୁଷ୍ୟଟିକୁ ଅବ୍ୟାହତି ଦେବାପାଇଁ ବୋଧହୁଏ କମଳଲତା ପଳାଇବାକୁ ଚାହୁଁଛି ।

 

ନବୀନ ଚାଲିଯାଇଛି । ବକଳଗଛ ତଳର ସେହି ଭଙ୍ଗା ବେଦୀଟା ଉପରେ ଏକାକୀ ବସି ଭାବୁଥାଏ । ଘଡ଼ିକାଢ଼ି ଦେଖିଲି ପାଞ୍ଚଟା ଗାଡ଼ିକୁ ହେଲେ ଆଉ ଡେରିକଲେ ଚଳିବ ନାହିଁ । କନ୍ତୁ ପ୍ରତିଦିନ ଯିବି ଯିବି ଭାବି ନ ଯାଇପାରି ଏପରି ଅଭ୍ୟାସ ହୋଇଯାଇଥିଲା । ତେଣୁ ମନରେ ଯିବାପାଇଁ ସେତେ ଚଞ୍ଚଳତା ଆସୁନଥାଏ ।

 

ଯେଉଁଠାରେ ଥାଏ ନା କାହିଁକି ପୁଣ୍ଟୁର ଚତୁର୍ଥୀ ଭୋଜି ଖାଇବାକୁ ଯିବି; କଥା ଦେଇଥିଲି-। ନିରୁଦ୍ଧିଷ୍ଟ ଗହରର ତତ୍ତ୍ୱ ନେବାଟା ମଧ୍ୟ ମୋର କର୍ତ୍ତବ୍ୟ । ଏତେଦିନ ଅନାବଶ୍ୟକ ଅନୁରୋଧକୁ ମାନିଆସିଛି: କିନ୍ତୁ ଆଜି ଯେତେବେଳେ ପ୍ରକୃତ କାରଣ ବିଦ୍ୟମାନ ସେତେବେଳେ ମନାକରିବାପାଇଁ କେହି ନାହିଁ । ଦେଖିଲି ପଦ୍ମା ଆସୁଛି । ପାଖକୁ ଆସି କହିଲା–ତୁମକୁ ଅପା ଡାକୁଛନ୍ତି ଗୋସାଇଁ ।

 

ପୁଣି ଫେରିଆସିଲି । ଅଗଣାରେ ଠିଆହୋଇ ବୈଷ୍ଣବୀ କହିଲା କଲିକତା ବସାରେ ପହଞ୍ଚୁ ପହଞ୍ଚୁ ତୁମକୁ ରାତି ହୋଇଯାଇପାରେ ଗୋସାଇଁ । ଠାକୁରଙ୍କ ପ୍ରସାଦ ଦୁଇଟି ବାଢ଼ିରଖିଛି, ଘରକୁ ଆସ ।

 

ପ୍ରତ୍ୟହ ଭଳି ଆଜି ମଧ୍ୟ ସଯତ୍ନ ଆୟୋଜନ । ବସିପଡ଼ିଲି । ଏଠାରେ ଖାଇବାପାଇଁ କାହାର ବାଧ୍ୟ ବାଧକତା ନ ଥାଏ ଇଚ୍ଛାହେଲେ ମାଗିକରି ଖାଇପାର । ଅଇଁଠା ଛାଡ଼ିଯିବାକୁ ହୁଏ ନାହିଁ ।

 

ଯିବା ସମୟରେ ବୈଷ୍ଣବୀ ପଚାରିଲା–ନୂତନ ଗୋସାଇଁ ପୁଣି ଆସିବ ତ ?

 

: ତୁମେ ରହିଁଥିବ ତ ?

 

: ତୁମେ କୁହ ମୋତେ କେବେଦିନ ପରେ ଆସିବାକୁ ହେବ ?

 

: ନା, ସେ କଥା ତୁମକୁ ମୁଁ କହିବି ନାହିଁ ।

 

: ନ କହିଲେ ନାଇଁ ପଛକେ କିନ୍ତୁ ଆଉ ଗୋଟାଏ ପ୍ରଶ୍ନର ଉତ୍ତର ଦେଇପାରିବ ?

 

ଏଥର ବୈଷ୍ଣବୀ ସାମାନ୍ୟ ହସିଦେଇ କହିଲା– ତାହା ମଧ୍ୟ ତୁମକୁ ଦେଇପାରିବି ନାହିଁ । ତୁମର ଯାହା ଇଚ୍ଛା ତାହା ଭାବିପାର: କିନ୍ତୁ ଦିନେନା ଦିନେ ତା’ର ଉତ୍ତର ଆପଣାଛାଏଁ ପାଇପାରିବ-

 

ଅନେକଥରପରି ଏଥର ମୁହଁରୁ ବାହାରି ଆସୁଥିଲା–ଆଜି ଆଉ ସମୟ ନାହିଁ କମଳଲତାଏ କାଲି ଯିବି । କିନ୍ତୁ କୌଣସିମତେ ଏ କଥା କହିପାରିଲି ନାହିଁ ।

 

ବାହାରି ଚାଲିଆସିଲି ।

 

ପଦ୍ମା ଆସି ପାଖରେ ଠିଆହେଲା । କମଳଲତାର ଦେଖାଦେଖି ସେ ମଧ୍ୟ ହାତ ଉଠାଇ ନମସ୍ମାର କଲା ।

 

ବୈଷ୍ଣବୀ ତାକୁ ରାଗିକରି କହିଲା– ହାତଯୋଡ଼ି ନମସ୍ମାର କ’ଣ କରୁଛୁ ପୋଡ଼ାମୁହିଁ; ପାଦଧୂଳି ନେଇ ପ୍ରଣାମ କର ।

 

କଥାଟାରେ ଯେପରି ଚମକ ଲାଗିଲା । ତା’ ମୁହଁଆଡ଼କୁ ଚାହିଁ ଦେଖିଲା ବେଳକୁ ସେ ଅନ୍ୟଆଡ଼େ ମୁହଁ ବୁଲାଇ ଚାହିଁ ରହିଥାଏ । ଆଉ କୌଣସି କଥା ନ କହି ସେମାନଙ୍କ ଆଶ୍ରମ ଛାଡ଼ି ବାହାରିଆସିଲି ।

 

ଆଜି ଅବେଳାରେ କଲିକତା ଯାତ୍ରା କରିବାକୁ ବାହାରିପଡ଼ିଛି । ତା’ପରେ ଏହିଠାରୁ ଦୁଃଖମୟ ବର୍ମାରେ ନିବଂସନ । ଫେରିଆସିବାକୁ ହୁଏତ ଆଉ ସମୟ ନ ଥାଇପାରେ । ହୁଏତ ଏଇ ଯିବା ହିଁ ଏଠାରୁ ଶେଷ ଯିବା । ଗଣି ଦେଖିଲି ଏଠାକୁ ଆସିବା ଆଜିକି ଦଶଦିନ । ଦଶଟା ଦିନ ଜୀବନରୁ କେତେ ଅବା ? ତଥାପି ମନଭିତରେ ସନ୍ଦେହ ନାହିଁ ଯେ ଦଶଦିନ ପୂର୍ବରୁ ମୁଁ ଏଠାକୁ ଯେପରି ଭାବରେ ଆସିଥିଲି ଆଉ ଯେପରି ଭାବରେ ଏଠାରୁ ଆଜି ଫେରିଯାଉଛି ତାହା ଆଦୌ ଏକ ନୁହେଁ ।

 

ଅନେକ ମଧ୍ୟ ଦୁଃଖରେ କହିଥିବାର ଶୂଣିବାକୁ ପାଇଛି ଯେ ଅମୁକ ଯେ ଏପରି ହୋଇପାରେ ତାହା କିଏ ଭାବିଥିଲ ! ଅର୍ଥାତ୍‌ ଅମୁକର ଜୀବନଟା ଯେପରି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପରି ସେମାନଙ୍କ ଅନୁମାନର ପାଞ୍ଜିରେ ନିର୍ଭୁଲ ଭାବରେ ଗଣନା କରାଯାଇ ଲିପିବଦ୍ଧ କରାଯାଇଥାଏ । ଅମେଳଟା କେବଳ ଅଭାବିତ ନୁହେଁ ଅନ୍ୟାୟ ମଧ୍ୟ । ଯେପରି ସେମାନଙ୍କର ବୁଦ୍ଧିର ଅଙ୍କ କଷା ବାହାରେ ଦୁନିଆଁରେ ଆଉ କିଛି ନାହିଁ । ଜାଣନ୍ତି ନାହିଁ ଯେ ସଂସାରରେ ବିଭିନ୍ନ ମଣିଷ କେବଳ ଅଛନ୍ତି ତାହା ନୁହେଁ, ବରଂ ଗୋଟଏ ମଣିଷ ଯେ କେତେଟା ବିଭିନ୍ନ ରୂପକ ମଣିଷରେ ରୂପାନ୍ତରିତ ହୋଇପାରେ ତାହାର କାରଣ ମଧ୍ୟ ଖୋଜି ବସିବା ବୃଥା । ଏଠାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ କ୍ଷିପ୍ରଗତିରେ ନିଷ୍ଠୁରତମ ଭାବରେ ସମସ୍ତ ଜୀବନଟାକୁ ଅତିକ୍ରମ କରିପାରେ-

 

ସିଧା ରାସ୍ତା ଛାଡ଼ି ବଣ ଜଙ୍ଗଲ ମଝିରେ ଏବାଟେ–ସେବାଟେ ବୁଲି ବୁଲି ଷ୍ଟେସନରେ ଆସି ପହଞ୍ଚିଲି । ଅନେକଟା ପିଲାବେଳେ ଇସ୍କୁଲକୁ ପାଠ ପଢ଼ିବାକୁ ଗଲାଭଳି । ଟ୍ରେନର ସମୟ ଜାଣିନଥାଏ । ତେବେ ଏତିକି ଜାଣିଥାଏ ଯେ ଏଠାରେ ପହଞ୍ଚି ପାରିଲେ ଯେତେବେଳେ ହେଲେ ସୁଦ୍ଧା ଗାଡ଼ି ଖଣ୍ତିଏ ମିଳିଯାଇପାରେ ଚାଲୁ ଚାଲୁ ମନହେଲା ସବୁ ବାଟ ମୋର ଚିହ୍ନା । ଯେପରି ଏଇ ବାଟରେ କେତେଥର ଆଗରୁ ଯିବାଆସିବା କରିଛି । କେବଳ ସେତେବେଳେ ଏଗୁଡ଼ାକ ଥିଲା ଓସାରିଆ କିନ୍ତୁ କେଜାଣି କିପରି ଆଜିକାଲି ସଂକୀର୍ଣ୍ଣ ହୋଇଯାଇଛି । ଏଇତ ସେଇ ଝାଉଁବଣ ବଗିଚା ! ଆରେ ମୁଁ ତ ଆମ ଗାଆଁର ଦକ୍ଷିଣ ପଡ଼ାର ଗାଆଁମୁଣ୍ତ ଦେଇଯାଉଛି । କିଏ କୁଆଡ଼େ ଏଇ ତେନ୍ତୁଳି ଗଛଉପର ଡାଳରେ ପେଟମରା ଯନ୍ତ୍ରଣା ସହ୍ୟ କରିନପାରି ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା । କରିଥିଲା କି ନାହିଁ ଜାଣେନା କିନ୍ତୁ ସବୁ ଗାଆଁଭଳି ଏଠାରେ ମଧ୍ୟ ଗୋଟାଏ ଜନଶ୍ରୁତି ଅଛି । ଗଛଟା ବାଟ କଡ଼ରେ । ପିଲାବେଳେ ଦେଖିଲାକ୍ଷଣି ଦେହରେ ସତେ ଯେପରି କିଏ କଣ୍ଟା ଫୋଡ଼ିପକାଏ ତେଣୁ ଆଖିବୁଜି ଭୟରେ ଗଛଟା ପାର ହୋଇଯାଏ ।

 

ଗଛଟା ସେହିପରି ଅଛି । ସେତେବେଳେ ମନେହେଉଥିଲା ଏହି ଅପରାଧୀ ଗଛଟାର ଗଣ୍ତିଟା ଯେପରି ପାହାଡ଼ ପରି ମୁଣ୍ତଟେକି ରହିଛି ଆକାଶଆଡ଼େ । ଆଜି ଦେଖିଲି ବିଚରାର ଗର୍ବ କରିବାର କିଛି ନାହିଁ । ଆଉ ପାଞ୍ଚଟା ତେନ୍ତୁଳି ଗଛ ଯେପରି ସେ ବି ସେହିପରି । ଜନହୀନ ପଲ୍ଲୀପ୍ରାନ୍ତରେ ଏକାକୀ ନୀରବରେ ଠିଆହୋଇ ରହିଛି । ଶୈଶବରେ ଦିନେ ଯେଉଁମାନଙ୍କୁ ସେ ଏକାକୀ ଦେଖି ଭୟ ଦେଖାଉଥିଲା ଆଜି ବହୁବର୍ଷ ପରେ ପ୍ରଥମ ସାକ୍ଷାତରେ ସେ ଯେପରି ବନ୍ଧୁପରି ଆଖିମିଟିକା ମାରି ସାମାନ୍ୟ ଥଟ୍ଟା କରି କହିଛି–କ’ଣ ଭାଇ, କିମିତି ଅଛି ? ଆଉ ଭୟ କରୁନାହିଁ ତ ?

 

ପାଖକୁ ଯାଇ ପରମ ସ୍ନେହରେ ତା’ ଦେହରେ ହାତବୁଲାଇ ଆଣିଲି । ମନେମନେ କହିଲି–ଭଲ ଅଛି ଭାଇ । ଭୟ କରିବି କାହିଁକି ? ତୁମେ ଯେ ମୋର ପିଲାବେଳର ପଡ଼ୋଶୀ । ମୋର ଆତ୍ମୀୟ ।

 

ସନ୍ଧ୍ୟାର ଆଲୁଅ ନିଭି ଆସୁଥିଲା । ବିଦାୟ ନେଇ କହିଲି–ଭାଗ୍ୟ ଭଲ ଯେ ତୁମ ସହିତ ଦେଖା ହୋଇଗଲା–ଯାଉଛି ବନ୍ଧୁ......

 

ଧାଡ଼ି ଧାଡ଼ି ଅନେକଗୁଡ଼ିଏ ବଗିଚା ପରେ ଟିକିଏ ଖୋଲା ଜାଗା । ଅନ୍ୟମନସ୍କ ଭାବରେ ହୁଏତ ଏତକ ପାରହୋଇ ଆସିପାରିଥାନ୍ତି କିନ୍ତୁ ହଠାତ୍ ବହୁଦିନରୁ ଭୁଲିଯାଇଥିବା ପରିଚିତ ସୁଗନ୍ଧରେ ଚମକିପଡ଼ିଲି । ଏପାଖ ସେପାଖକୁ ଚାହିଁବାକ୍ଷଣି ଆଖିରେ ପଡ଼ିଗଲା । ବାଃ ! ଏ ଯେ ଆମ ସେଇ ଯଶୋଦା ବୈଷ୍ଣବୀର ସେଇ ଆଉଶ ଫୁଲର ଗଂଧ ! ପିଲାବେଳେ ଏଥିପାଇଁ ଯଶୋଦା କେତେ ବଡ଼ପଣିଆ ନ କରିଛି ! ଏ ଜାତୀୟ ଗଛ ଏଆଡ଼େ ମିଳେ ନାହିଁ । କେଜାଣି କେଉଁଠାରୁ ଆଣି ସେ ତା’ ଅଗଣାରେ ପୋତିଥିଲା । ବଙ୍କା, ତେଢ଼ା, ହାଡ଼ୁଆ ବୁଢ଼ା ମଣିଷପରି ତା’ ଚେହେରା । ସେଦିନ ଭଳି ଆଜି ମଧ୍ୟ ତା’ର ସେଇ ଗୋଟିଏ ମାତ୍ର ସଜୀବ ଶାଖା ଏବଂ ଊର୍ଦ୍ଧ୍ୱକୁ କେତୋଟି ସବୁଜ ପତ୍ର ମଝିରେ ସେଇ କେତେଗୋଟି ଧଳା ଧଳା ଫୁଲ । ଏହା ତଳେ ଥିବା ଯଶୋଦା ସ୍ୱାମୀର ସମାଧି । ବୈଷ୍ଣବ ଠାକୁରଙ୍କୁ ମୁଁ ଦେଖିନାହିଁ । ମୋ ଜନ୍ମ ପୂର୍ବରୁ ସେ ବୈକୁଣ୍ଠ ପ୍ରାପ୍ତି ହୋଇଥିଲେ । ତାଙ୍କର ଛୋଟ ମନୋହାରୀ ଦୋକାନଟି ସେତେବେଳକୁ ବିଧବାଟି ଚଳାଉଥିଲା । ଦୋକାନ ତ ନୁହେଁ, ଗୋଟିଏ ଡାଳରେ ଭର୍ତ୍ତିକରି ଯଶୋଦା ଆରିସି, ପାନିଆ, ଅଳତା, ତେଲ, ସିନ୍ଦୂର ଏବଂ କାଚର କଣ୍ଢେଇ ଧରି ଦୁଆର ଦୁଆର ବୁଲି ଫେରି କରୁଥିଲା । ଆଉ ତାହାଠାରେ ଥିଲା ମାଛ ଧରିବାର ସମସ୍ତ ସରଞ୍ଜାମ । ଗୋଟାଏ ବଡ଼ ବେପାର ନୁହଁ । ଦିନକୁ ଦୁଇ ଚାରିପଇସା ମାତ୍ର ରୋଜଗାର କରିବାର ଫନ୍ଦି । ଏହିସବୁ କିଣିବା ପାଇଁ ଯେତେବେଳେ ଇଚ୍ଛା ସେତେବେଳେ ଯାଇ ଆମେମାନେ ତା’ ଘରେ ଉତ୍ପାତ କରୁଥିଲୁ । ଏହି ଆଉଶର ଗୋଟିଏ ଶୁଖିଲା ଡାଳ ଦେହରେ ମାଟିଦେଇ ଜାଗା କରି ଯଶୋଦା ସନ୍ଧ୍ୟାବେଳେ ଦୀପ ଦିଏ । ଫୁଲପାଇଁ ଆମେମାନେ ଉପଦ୍ରବ କଲାବେଳେ ସେ ସମାଧିଟି ଦେଖାଇଦେଇ କହେ–ନା ବାବୁ, ଏ ହେଉଛି ମୋ ଦେବତାଙ୍କ ପାଇଁ । ତୋଳିଲେ ସେ ରାଗ କରିବେ ।

 

ବୈଷ୍ଣବୀ ଆଉ ନାହିଁ । ସେ କେବେ ମରିଯାଇଛି ଜାଣେନା–ହୁଏତ ଖୁବ୍ ବେଶୀଦିନ ନୁହେଁ । ଆଖିରେ ପଡ଼ିଲା ଗଛତଳେ ଆଉ ଗୋଟିଏ ଛୋଟ ମାଟିର ଢିପ । ବୋଧହୁଏ ଯଶୋଦାର ସମାଧି ହେବ । ଖୁବ୍ ସମ୍ଭବ ସୁଦୀର୍ଘ ପ୍ରତୀକ୍ଷା ପରେ ଆଜି ସ୍ୱାମୀଙ୍କ ପାଖରେ ସେ ଟିକିଏ ଯାଗା କରିନେଇଛି । ସ୍ତୂପର ପଥୁରିଆ ମାଟି ଅଧିକତାର ଉର୍ବର ହୋଇ ଭଇଁଚ ଗଛରେ ସମାଚ୍ଛନ୍ନ ହୋଇଛି । ଯତ୍ନ କରିବାକୁ କେହିନାହାନ୍ତି ।

 

ବାଟଛାଡ଼ି ଶୈଶବର ସେହି ପରିଚିତ ବୁଢ଼ା ଗଛ ତଳେ ଠିଆହେଲି । ଦେଖିଲି, ସନ୍ଧ୍ୟା ବତୀ ହେଉଥିବା ଦୀପଟି ତଳେ ପଡ଼ି ରହିଛି ଏବଂ ତାହାରି ଉପରେ ଯେଉଁ ଶୁଖିଲା ଡାଳଟି ଅଛି ସେଇଟି ସେହିପରି ତେଲରେ ସରସର ହୋଇ କଳା ହୋଇ ରହିଛି ।

 

ଯଶୋଦାର ଛୋଟ ଘରଟି ଏବେସୁଦ୍ଧା ସଂପୂର୍ଣ୍ଣ ଧୂଳିସାତ ହୋଇ ନାହିଁ । ସହସ୍ର ଜୀର୍ଣ୍ଣ ନଡ଼ା ଛପର ଚାଳଟି ହାମୁଡ଼ି ପଡ଼ି ଆଜି ମଧ୍ୟ ପ୍ରାଣପଣେ ଆଗୁଳି ରଖିବାକୁ ଚେଷ୍ଟା କରୁଛି ।

 

କୋଡ଼ିଏ–ପଚିଶ ବର୍ଷ ତଳର କଥା ମନେପଡ଼ିଲା । ପରିଷ୍କାର ପରିଚ୍ଛନ୍ନ ଲିପାପୋଚ୍ଛା ଯଶୋଦାର ସେଇ ରୋଷେଇ ଘର ଆଉ ସେହି ଛୋଟ ଘରଟି । ତା’ର ଆଜି ଏପରି ଅବସ୍ଥା ହୋଇଛି ! କିନ୍ତୁ ଏହାଠାରୁ ଢେର ବଡ଼ କରୁଣ ବସ୍ତୁ ସେତେବେଳୁ ଦେଖିବାକୁ ବାକି ଥିଲା । ହଠାତ୍ ଦେଖିଲି ସେହି ଭଙ୍ଗା ଚାଳ ତଳୁ ଚେକିମାରି ଶୋଇ ରହିଥିବା ଗୋଟାଏ କଙ୍କାଳସାର କୁକୁର ବାହାରିଆସିଲା । ମୋର ପାଦ ଶବ୍ଦରେ ସେ ଚମକିପଡ଼ି ବୋଧହୁଏ ଅନଧିକାର ପ୍ରବେଶକାର ପ୍ରବେଶରେ ପ୍ରତିବାଦ କରିବାକୁ ଚାହେଁ; କିନ୍ତୁ ତା’ର କଣ୍ଠସ୍ୱର ଏତେ କ୍ଷୀଣ ଯେ, ତାହା ଆଦୌ ବାହାରକୁ ଶୁଭୁନଥିଲା ।

 

କହିଲି– କିରେ ! ମୁଁ ତ କିଛି ଅପରାଧ କରିନାହିଁ ?

 

ସେ ମୋ ମୁହଁକୁ ଚାହିଁ କ’ଣ ଭାବିଲା କେଜାଣି କେବଳ ଲାଞ୍ଜ ହଲାଇବାକୁ ଲାଗିଲା ।

 

କହିଲି–ଆଜି ସୁଦ୍ଧା ତୁ ଏଠାରେ ପଡ଼ିରହିଛୁ ?

 

ପ୍ରତ୍ୟୁତ୍ତର ଦେବାକୁ ଯାଇ ସେ କେବଳ ମଳିନ ଆଖିଦୁଇଟା ଖୋଲି ଅତ୍ୟନ୍ତ ନିରୁପାୟ ଭଳି ମୋ ମୁହଁକୁ ଚାହିଁ ରହିଲା ।

 

ଏ ଯେ ଯଶୋଦାର କୁକୁର ଏଥିରେ ସନ୍ଦେହ ନାହିଁ । ଫୁଲପକା ରଙ୍ଗ ଧଡ଼ିର ସିଲାଇକଲା ବେଲ୍‌ଟ ବର୍ତ୍ତମାନ ତା’ ଗଳାରେ ସେଇପରି ଅଛି । ନିଃସନ୍ତାନ ରମଣୀର ଏକାନ୍ତ ସ୍ନେହର ଧନ ଏଇ କୁକୁରଟା ଏକାକୀ ଏଇ ପରିତ୍ୟକ୍ତ କୁଟୀର ଭିତରେ କ’ଣ ଖାଇକରି ଯେ ବଞ୍ଚିରହି ପାରିଛି ତାହା ମୁଁ ଭାବି ଠିକ୍ କରିପାରିଲି ନାହିଁ । ସାଇରେ ପଶି କାହାଘରେ ଜବରଦସ୍ତି ଖାଇବା ପାଇଁ ତା’ର ଆଉ ଜୋର ନାହିଁ । ଅଭ୍ୟାସ ମଧ୍ୟ ନାହିଁ । ସ୍ୱଜାତିଙ୍କ ସହିତ ଭାବ କରିବା ମଧ୍ୟ ଶିଖିନାହିଁ । ଅନଶନରେ, ଅର୍ଦ୍ଧାଶନରେ ପଡ଼ିରହି ଏ ବିଚାରା ବୋଧହୁଏ ତାହାରି ପଥ ଚାହିଁ ରହିଛି ଯିଏ ତାକୁ ଅତ୍ୟନ୍ତ ଭଲପାଉଥିଲା । ହୁଏତ ଭାବୁଛି, କୁଆଡ଼େନା କୁଆଡ଼େ ଯାଇଛି ଦିନେନା ଦିନେ ସେ ନିଶ୍ଚୟ ଫେରିଆସିବ । ମନେମନେ ଭାବିଲି ଏଇପରି ବି ହୁଏ ! ପ୍ରତ୍ୟାଶାଟାକୁ ମନରୁ ପୋଛି ଦେବାଟା କ’ଣ ସଂସାରେ ଏତେ ସହଜ ?

 

ଯିବାପୂର୍ବରୁ ଚାଳ ଫାଙ୍କି ଘରଟାକୁ ଚାହିଁଦେଇଗଲି । ଅନ୍ଧକାରରେ କିଛି ଦେଖାଗଲା ନାହିଁ । କେବଳ ଆଖିରେ ପଡ଼ିଲା କାନ୍ଥରେ ମରାହୋଇଥିବା ଫଟୋଗୁଡ଼ିକ । ରାଜାରାଣୀଠାରୁ ଆରମ୍ଭ କରି ନାନା ଜାତିର ଦେବାଦେବୀଙ୍କ ପ୍ରତିମୂର୍ତ୍ତି । ନୂଆ ଲୁଗା ଦେହରୁ ସଂଗ୍ରୟ କରି ଯଶୋଦା ତା’ର ସଉକ୍ ମେଣ୍ଟାଉଥିଲା । ମନେପଡ଼ିଲା–ପିଲାଦିନେ ମୁଗ୍‌ଧ ନୟନରେ ଏସବୁ ବହୁତଥର ଦେଖିଛି । ବର୍ଷାପାଣିରେ ଭିଜି, କାନ୍ଥର କାଦୁଅଛିଟା ପାଇ ଏଗୁଡ଼ିକ ଆଜି ମଧ୍ୟ କୌଣସି ମତେ କାନ୍ଥରେ ଲାଗିରହିଛନ୍ତି ।

 

ଆଉ କିଛି ପାଖ ଶିକାରେ ସେହିପରି ଦୁର୍ଦ୍ଦଶାଗ୍ରସ୍ତ ଭାବରେ ସେଇ ରଙ୍ଗକରା ହାଣ୍ତିଟା । ତାହାଭିତରେ ଥାଏ ତା’ର ଅନ୍ଧତା ବଣ୍ଡିଲ । ଆଉ ଯେପରି କ’ଣ ଏଣେତେଣେ ପଡ଼ିଥାଏ, ଅନ୍ଧାରରେ ଦେଖିହେଲା ନାହିଁ । ସେମାନେ ସବୁ ମିଶି ମୋତେ କ’ଣ ଯେପରି ଇଙ୍ଗିତରେ କହିବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ । କିନ୍ତୁ ମୋତେ ସେମାନଙ୍କର ଭାଷା ଜଣାନଥିଲା । ମନେହେଲା ଘରକୋଣରେ ଯେପରି ଗୋଟିଏ ମୃତ ଶିଶୁର ପରିତ୍ୟକ୍ତ ଖେଳଘର ପଡ଼ିରହିଛି । ଘରକରଣାର ନାନା ଭଙ୍ଗାଭଙ୍ଗି ଜିନିଷକୁ ନେଇ ଅତି ଯତ୍ନ ସହିତ ରଚନା କରିଥିବା ଏଇ କ୍ଷୁଦ୍ର ସଂସାରଟିକୁ ସେ ଛାଡ଼ି ଚାଲିଯାଇଛି । ଆଜି ସେମାନଙ୍କର ଆଦର ନାହିଁ । ପ୍ରୟୋଜନ ମଧ୍ୟ ନାହିଁ । ବାରବାର ପଣତ କାନିରେ ଝାଡ଼ିଝୁଡ଼ି ପୋଛାପୋଛି କରି ସାଇତି ରଖିବା ପାଇଁ ଆଉ କାହାର ଆଗ୍ରହ ନାହିଁ । ପଡ଼ି ରହିଛନ୍ତି କେବଳ ସେମାନଙ୍କୁ ନେଇ କହି ଫିଙ୍ଗିଦେଇ ଆସିନାହାନ୍ତି ବୋଲି ।

 

ବଗିଚାର ଯେଉଁ ଦଶା ଶେଷରେ ଦେଖିବାକୁ ମିଳିଲା ସେଥିପାଇଁ ପାଞ୍ଚମିନିଟ୍ ପାଇଁ ସେ ଅଭାଗା ସଙ୍ଗୀଟା ଲାଗି ବୁକୁଭିତରଟା କଇଁ କଇଁ ହୋଇ କାନ୍ଦିଉଠିଲା । ଏପରି ଅବସ୍ଥା ହେଲା, ସତେ ଯେପରି ଆଖିର ଲୁହକୁ ଆଉ ସମ୍ଭାଳି ପାରିବ ନାହିଁ ।

 

ଚାଲୁ ଚାଲୁ ମନରେ ଭାବିବାକୁ ଲାଗିଥିଲି–ଏପରି କାହିଁକି ହୁଏ ? ଆଉ ଅନ୍ୟଦିନେ ଏସବୁ ଦେଖିଲେ ସେପରି କିଛି ମନେ ଚାହୁଁନଥିଲେ । କିନ୍ତୁ ଆଜି ଆପଣାର ଅନ୍ତର ଆକାଶଟା ମେଘ ଭାରରେ ଏପରି ଭାବାତୁର ହୋଇଉଠିଛି ଯେ ସେମାନଙ୍କର ଦୁଃଖର ପବନରେ ତାହା ଅଜସ୍ର ଧାରରେ ଫାଟିପଡ଼ିବାକୁ ଚାହେଁ ।

 

ଷ୍ଟେସନରେ ପହଞ୍ଚିଲି । ଭାଗ୍ୟ ସୁପ୍ରସନ୍ନ । ସଙ୍ଗେସଙ୍ଗେ ଗାଡ଼ି ମିଳିଗଲା । କଲିକତା ବସାରେ ପହଞ୍ଚିବାକୁ ବେଶୀ ରାତି ହେବ ନାହିଁ । ଟିକଟ କିଣି ବସିଲି । ବଂଶୀ ବଜାଇ ସେ ଯାତ୍ରା ଆରମ୍ଭ କରିଦେଲା । ଷ୍ଟେସନ ପ୍ରତି ତା’ର ମୋହ ନାହିଁ, କିମ୍ବା ସହଜ ନେତ୍ରରେ ବାରବାର ଫେରି ଚାହିଁବାର ପ୍ରୟୋଜନ ନାହିଁ ।

 

ମୋର ସେହି କଥାଟା ହିଁ ମନେପଡ଼ିଲା–ଦଶଟା ଦିନ ପାଇଁ ମଣିଷର ଏ ଜୀବନ କେତେ ଟିକିଏ ନୁହେଁ–ପୁଣି କେତେ ବଡ଼ ମଧ୍ୟ ନୁହେଁ ।

 

କାଲି ସକାଳେ କମଳଲତା ଏକାକିନୀ ଫୁଲ ତୋଳିବାକୁ ଯିବ । ତାପରେ ଚାଲିବ ତା’ର ଦିନସାରା ଠାକୁର ସେବା । କିଏ ଦଶଟା ଦିନର ସାଥୀ ନୂତନ ଗୋସାଇଁକୁ ଭୁଲିଯିବା ପାଇଁ ତାକୁ କେତେଟା ଦିନ ଅବା ଲାଗିବ ?

 

ସେଦିନ ସେ କହିଥିଲା–ସୁଖରେ ଅଛି ଗୋସାଇଁ । ଯାହାର ପାଦ–ପଦ୍ମରେ ନିଜକୁ ସମର୍ପଣ କରିଦେଇଛି, ଦାସୀକୁ ସେ କଦାପି ତ୍ୟାଗ କରିବେ ନାହିଁ ।

 

ସେଇଆ ହିଁ ହେଉ ।

 

ପିଲାଦିନରୁ ନିଜ ଜୀବନରେ କିଛି ଲକ୍ଷ୍ୟ ନଥିଲା । ଜୋର କରି କିଛି କାହାକୁ ମାଗିଥିବାରୁ ମନେ ନାହିଁ । ମୋର ସୁଖ–ଦୁଃଖର ଧାରଣା ସ୍ୱତନ୍ତ୍ର ଥିଲା । ଏତେଦିନ କେବଳ ପରକୁ ଦେଖାଶୁଣା କରିବାରେ, ଅପରକୁ ବିଶ୍ୱାସ କରିବାରେ ଓ ଅନ୍ୟର ହୁକୁମ ତାଲିମ କରିବାରେ କଟିଗଲା । ସେଥିପାଇଁ କୌଣସି କାମ ମୋଦ୍ୱାରା ଠିକ୍ ସଠିକ ଭାବରେ ହୋଇପାରେ କାହିଁ । ସନ୍ଦେହ ହେତୁ ମୋର ସମସ୍ତ ଉଦ୍ୟମ ଓ ସଂକଳ୍ପ ଦୁର୍ବଳ ହୋଇ କିଛି ସମୟ ପରେ ଠୁକ୍‌କର ଖାଇ ଭାଙ୍ଗିଯାଏ । ଏଇ ଅଳସୁଆ ବୈରାଗୀମାନଙ୍କ ଆଖଡ଼ା ଭିତରେ ମୋ ଅନ୍ତରବାସୀ ଅପରିଚିତ ବନ୍ଧୁ ଜଣଙ୍କ ଅସ୍ପଷ୍ଟ ଛାୟା ରୂପରେ ମୋତେ ଦର୍ଶନ ଦେଇକରି ଚାଲିଗଲେ । ବାରମ୍ବାର ରାଗ କରି, ମୁହଁ ଫେରାଇଲେ ସୁଦ୍ଧା ସେ ଅଳ୍ପ ଅଳ୍ପ ହସି ହସି ହାତଠାରି ମୋତେ ଯେପରି ଇଙ୍ଗିତ ଦେଇ ଚାଲିଗଲେ ।

 

ଆଉ ଏଇ ବୈଷ୍ଣବୀ କମଳଲତା ! ତା’ ଜୀବନଟା ଯେପରି ପ୍ରାଚୀନ ବୈଷ୍ଣବ କବିଚିତ୍ତର ଗାନ । ତା’ ଛନ୍ଦରେ ମେଳ ନାହିଁ । ବ୍ୟାକରଣରେ ଭୁଲ୍ ଅଛି । ଭାଷାରେ ତ୍ରୁଟି ଅନେକ-। କିନ୍ତୁ ଏସବୁ ବିଚାର ତ ସେ ଦିଗରୁ କରିବାର ନୁହଁ । ଏହା ଯେପରି ସେମାନଙ୍କର କୀର୍ତ୍ତନର ସୁର–କେବଳ ଯାହା ମର୍ମରେ ଭେଦେ ସେଇ କେବଳ ତା’ର ସ୍ୱାଦ ଅନୁଭବ କରେ । ଏହା ଯେପରି ଗୋଧୂଳି ଆକାଶରେ ନାନା ରଙ୍ଗର ଛବି । ତାହାର ନାମ ନାହିଁ କି ସଂଜ୍ଞା ନାହିଁ । କଳା ଶାସ୍ତ୍ରର ସୂତ୍ର ମିଳାଇ ତାହାର ପରିଚୟ ଦେବାକୁ ଯିବା ବିଡ଼ମ୍ବନା ମାତ୍ର ।

 

ମୋତେ କହିଥିଲା– ନୂତନ ଗୋସାଇଁ, ଚାଲ ଏଠାରୁ ଚାଲିଯିବା । ରାସ୍ତାରେ ଗୀତ ଗାଇଗାଇ ଦୁହିଁଙ୍କର ଦିନ କଟିଯିବ ।

 

କହିବାକୁ ତାକୁ କଷ୍ଟ ହୁଏ ନାହିଁ । କିନ୍ତୁ ମୁଁ, ଯିଏ ଶୁଣିବା ଲୋକ; ମୋତେ କଷ୍ଟ ହୁଏ । ମୋ ନାଆଁ ସେ ଦେଲା ନୂତନ ଗୋସାଇଁ । କହିଲା, ସେ ନାମଟା ମୁଁ ମୁହଁରେ ଧରେ ନାହିଁ ଗୋସାଇଁ । ତା’ର ବିଶ୍ୱାସ ମୁଁ ହେଉଛି ତା’ ଗତ ଜୀବନର ବନ୍ଧୁ । ମୋତେ ତା’ର ଭୟ ନାହିଁ । ମୁଁ ପାଖରେ ଥିଲେ ତା’ ସାଧନାରେ ବିଘ୍ନ ଘଟେ ନାହିଁ । ବୈରାଗୀ ଦ୍ୱାରିକା ଦାସଙ୍କ ଶିଷ୍ୟା ସେ । କେଜାଣି କି ସାଧନା କରିଥିବାରୁ ସେ ତାକୁ ଏପରି ସିଦ୍ଧିଲାଭ କରିବାର ମନ୍ତ୍ର ଦେଇଥିଲେ !

 

ହଠାତ୍ ରାଜଲକ୍ଷ୍ମୀ ମନେପଡ଼ିଲା । ମନେପଡ଼ିଲା ତା’ର ସେଇ ଚିଠିଟା । ସ୍ନେହ ଓ ସ୍ୱାର୍ଥ ମିଶାମିଶି ସେଇ ନିଷ୍ଠୁର ପତ୍ର । ତଥାପି ଜାଣେ ତାହାକୁ ହିଁ ନେଇ ଏ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ହୁଏତ ଏହା ଭଲ ହୋଇଛି । କିନ୍ତୁ ସେଇ ଶୂନ୍ୟତା ଭରିଦେବା ପାଇଁ ଆଉ କେହି କ’ଣ କେଉଁଠାରେ ଅଛି ? ଝରକା ବାହାରେ ଅନ୍ଧକାରକୁ ଚାହିଁ ଚୁପ୍ ହୋଇ ବସିରହିଲି । ଗୋଟିକ ପରେ ଗୋଟିଏ ହୋଇ କେତେ ଘଟଣା ମନେପଡ଼ିଗଲା । ଶିକାର ପାଇଁ କୁମାର ସାହେବଙ୍କର ତମ୍ୱୂ; ସେଇ ଦଳବଳ, ବହୁବର୍ଷ ପରେ ପ୍ରବାସରେ ସେହି ପ୍ରଥମ ସାକ୍ଷାତ୍‌ର ଦିନ, ଆଉ ଦୀପ୍ତ କଳାକଳା ଆଖିରେ ତାହାର ସେ କି ବିସ୍ମୟର ବିମୁଗ୍‌ଧ ଦୃଷ୍ଟି । ଯାହାକୁ ମରିଯାଇଛି ବୋଲି ଜାଣିଥିଲି ତାକୁ ଚିହ୍ନିପାରିଲି ନାହିଁ । ସେଦିନ ଶ୍ମଶାନ ବାଟରେ ତାହାର ସେ କି ବ୍ୟଗ୍ର ବ୍ୟାକୁଳ ମିନତି ! ଶେଷରେ କ୍ରୁଦ୍ଧ ଦୀର୍ଘଶ୍ୱାସରେ ସେ କି ତୀବ୍ର ଅଭିମାନ ! ପଥରୋଧ କରି କହିଲା–ଯିବ ବୋଲି କହିଲେ କ’ଣ ତୁମକୁ ଛାଡ଼ିଦେବି କି ? କାହିଁ ଗଲତ ଦେଖି ? ବିଦେଶରେ ବିପଦ ଘଟିଲେ ଦେଖାଶୁଣା କରିବ କିଏ ? ସେମାନେ ନା ମୁଁ ?

 

ଏଥରକ ତାକୁ ଚିହ୍ନିପାରିଲି । ଏହା ଜୋର କରିବା ଅଧିକାର ହିଁ ତା’ର ସବୁଦିନର ପରିଚୟ ! ଜୀବନରେ ତା’ର ଆଉ ଏ ଅଭ୍ୟାସ ବଦଳିଲା ନାହିଁ । ଏଥିପାଇଁ ତା’ ଜୀବନରେ କେହି ତାହାଠାରୁ ଅବ୍ୟାହିତ ପାଇପାରିଲେ ନାହିଁ

 

ଆରାରେ ରାସ୍ତାକଡ଼ରେ ପଡ଼ି ମରିବାକୁ ବସିଥିଲି । ଚେତା ଫେରିବା ପରେ ଆଖିମେଲି ଦେଖିଲି ମୁଣ୍ତଉପରେ ସେ ବସିଛି । ସେତେବେଳେ ସବୁ ଚିନ୍ତା ସମପ ଦେଇ ଆଖିବୁଜି ଶୋଇ ରହିଲି । ତେଣିକି ସେ ଦାୟିତ୍ୱ ତା’ର । ମୋର ନୁହେଁ ।

 

ଘରେ ପହଞ୍ଚି ଜରରେ ପଡ଼ିଲା । ସେଠାକୁ ସେ ଯାଇପାରେ ନାହିଁ । କାରଣ ସେଠାରେ ସମସ୍ତେ ଜାଣନ୍ତି ସେ ମୃତ । ଏହିଠାରୁ ବଡ଼ ଲଜ୍ଜ୍ୟା ବୋଧହୁଏ ଆଉ କିଛି ନାହିଁ, କାରଣ ଯାହାକୁ ପାଖରେ ପାଇଲି ସେ ହେଉଛି ସେହି ରାଜଲକ୍ଷ୍ମୀ ।

 

ଚିଠିରେ ଲେଖିଛି–ସେତେବେଳେ ତୁମର ଯତ୍ନ ନେବ କିଏ ? ପୁଣ୍ଟୁ ? ଆଉ ମୁଁ ଫେରିବି କେବଳ ଚାକର ମୁହଁରୁ ଖବର ସଂଗ୍ରହ କରି ? ତାପରେ କ’ଣ କହୁଛ ମୁଁ ବଞ୍ଚିପାରିବି ?

 

ଏତେଗୁଡ଼ିଏ ପ୍ରଶ୍ନର ଉତ୍ତର ମୁଁ, ଦେଇନାହିଁ । ଜାଣିନାହିଁ ବୋଲି ନୁହେଁ ସାହସ ହୁଏ ନାହିଁ ।

 

ମନେମନେ କହିବାକୁ ଲାଗିଲା– କେବଳ ରୂପରେ, ସଂଯମରେ, ଶାସନରେ, ସୁକଠୋର ଆତ୍ମ ନିୟନ୍ତ୍ରଣରେ, ଏହି ପ୍ରଖର ବୁଦ୍ଧିଶାଳିନୀ ନିକଟରେ ଏଇ ସ୍ନିଗ୍‌ଧ ସୁକୋମଳ କେତେ ଟିକିଏ ଅବା ? କିନ୍ତୁ ଏଇ କେତେ ଟିକିଏ ଭିତରେ ଯେପରି ଏଥର ମୋ ସ୍ୱଭାବର ପ୍ରତିଛବି ଦେଖିବାକୁ ପାଇଥିଲି । ମନେହୋଇଛି ତାହାରି ନିକଟରେ ଅଛି ମୋର ମୁକ୍ତି, ଅଛି ମର୍ଯ୍ୟାଦା, ଅଛି ଶାନ୍ତିରେ ନିଃଶ୍ୱାସ ମାରିବା ପାଇଁ ଅବକାଶ । ସେ କଦାପି ମୋର ସମସ୍ତ ଚିନ୍ତା ଓ ମୋର ଭଲମନ୍ଦକୁ ଆପଣା ହାରକୁ ନେଇଯାଇ ରାଜଲକ୍ଷ୍ମୀ ଭଳି ମୋତେ ଆଚ୍ଛନ୍ନ କରି ରଖିପାରିବ ନାହିଁ ।

 

ଭାବିବାକୁ ଲାଗିଲି ବିଦେଶକୁ ଯାଇ ଲାଭ କ’ଣ ? ଚାକିରି କରିବି କାହା ପାଇଁ ? କିଛି ନୂଆ ତ ନୁହେଁ । ସେଦିନ କ’ଣ ଏପରି କିଛି ଚାକିରିରୁ ପାଇପାରିଥିଲି ଯେ ଯାହାକୁ ଆଜି ହରାଇ ବସିବା ପାଇଁ ଲୋଭ ହେବ ? କେବଳ କମଳଲତା ତ କହିନାହିଁ, ଦ୍ୱାରିକା ଗୋସାଇଁ ମଧ୍ୟ ଏକାନ୍ତରେ ଆଶ୍ରମରେ ରହିଯିବା ପାଇଁ ଆଦର ଜଣାଇ ନିମନ୍ତ୍ରଣ କରିଛନ୍ତି । ସେ ସବୁ କ’ଣ ଛଳନା ? ମନୁଷ୍ୟକୁ ଭଣ୍ତିବା ବ୍ୟତୀତ ଏ ନିୟନ୍ତ୍ରଣ ମୂଳରେ କ’ଣ କୌଣସି ସତ୍ୟତା ନାହିଁ ? ଏତେକାଳ ଜୀବନଟା ଯେପରି ଭାବରେ କଟିଲା, ଏହା କ’ଣ ତା’ର ଶେଷ ପରିଣତ ? କିଛି କ’ଣ ଜାଣିବାକୁ ବାକି ନାହିଁ ? ସବୁ ଜାଣିବା କ’ଣ ମୋର ଶେଷ ହୋଇଯାଇଛି ? ଚିରଦିନ ତାହାକୁ ଘୃଣା ଓ ଉପେକ୍ଷା କରିଆସିଛି । କହି ଆସିଛୁ ସବୁ ଅଳୀକ, ସବୁ ଭୁଲ । କିନ୍ତୁ କେବଳ ମାତ୍ର ଅବିଶ୍ୱାସ ଓ ଉପହାସକୁ ହିଁ ମୂଳଧନ କରି ସଂସାରରେ କେହି କେବେ କ’ଣ ବଡ଼ ହୋଇପାରିଛି କି ?

 

ଗାଡ଼ି ଆସି ହାଓ୍ୱଡ଼ା ଷ୍ଟେସନରେ ଅଟକିଲା । ସ୍ଥିର କଲି ରାତିଟା ବସାରେ ରହି ଜିନିଷପତ୍ର ଯାହା କିଛି ଅଛି ଦେଖାଚାହାଁ କରି ଓ ଦେଣା ପାଉଣା ଯାହା କିଛି ବାକି ଅଛି, ସମସ୍ତ ତୁଟାଇଦେଇ କାଲି ପୁଣି ଆଶ୍ରମକୁ ଫେରିଯିବି । ମୋ ଚାକିରି ଏଇଠି ରହିଲା–ମୋ ବର୍ମା ଯିବା ଏତିକିରେ ଶେଷ ହେଲା ।

 

ବସାରେ ପହଞ୍ଚିଲି । ରାତି ସେତେବେଳକୁ ଦଶଟା । ଖାଇବାକୁ ଇଚ୍ଛାହେଉଥିଲା କିନ୍ତୁ ସୁବିଧା କିଛି ନଥିଲା । ହାତ ମୁହଁ ଧୋଇ ବିଛଣାଟା ଝଡ଼ାଝଡ଼ି କରୁଛି ଏଇ ସମୟରେ ପଛରୁ ସୁପରିଚିତ କଣ୍ଠସ୍ୱର ଶୁଭିଲା–ବାବୁ !

 

ଆଶ୍ଚର୍ଯ୍ୟ ହୋଇ ପଛକୁ ଫେରି ଚାହିଁ ପଚାରିଲି–ରତନ, କେତେବେଳେ ଆସିଲୁ କିରେ-?

 

: ଆସିଛି ସନ୍ଧ୍ୟାବେଳେ । ବାରଣ୍ତାରେ ଖୋଲା ହାଓ୍ୱା । ଅଳସ ଲାଗିବାରୁ ଟିକିଏ ଶୋଇପଡ଼ିଥିଲା ।

 

: ଭଲ କରିଥିଲୁ, ଖାଇବା ତ ହୋଇନଥିବ ?

 

: ଆଜ୍ଞା, ନା ।

 

: ତେବେ ଦେଖୁଛି ତୁ ତ ମତେ ବଡ଼ ଅଡ଼ୁଆରେ ପକାଇଲୁ ରତନ ।

 

ରତନ ପଚାରିଲା–ଆଉ ଆପଣଙ୍କର...

 

ମାନିବାକୁ ବାଧ୍ୟ ହେଲି ମୋର ମଧ୍ୟ ଖାଇବା ହୋଇନାହିଁ ।

 

ରତନ ଖୁସିହୋଇ କହିଲା– ତେବେ ତ ଭଲ ହୋଇଛି । ଆପଣଙ୍କ ପ୍ରସାଦ ଟିକିଏ ପାଇ ରାତିଟା କଟାଇଦେଇପାରିବି ।

 

ମନେମନେ ଭାବିଲି– ଭଣ୍ତାରୀ ଟୋକାଟା ସତେ ଯେପରି ବିନୟର ଅବତାର । କହିଲି–ଯାଇ ଦେଖ୍, ପାଖାପାଖି ଦୋକାନରୁ କିଛି ପ୍ରସାଦ ଯୋଗାଡ଼ କରି ଆଣିପାରିବୁ । କିନ୍ତୁ ଏଥର ଶୁଭଗମନ କେଉଁଥିପାଇଁ ? ପୁଣି ଚିଠି ଅଛି ନା କ’ଣ ?

 

ରତନ କହିଲା– ଆଜ୍ଞା ନା । ଚିଠି ଲେଖିବା ବଡ଼ ଝନ୍‌ଝଟ । ତେଣୁ ଯାହା କହିବାର କଥା ସେ ମୁହଁରେ କହିବେ ।

 

: ତା’ ମାନେ, ପୁଣି ମୋତେ ଯିବାକୁ ହେବ କି ?

 

: ଆଜ୍ଞା ନା, ମାଆ ନିଜେ ଆସିଛନ୍ତି ।

 

ଶୁଣିକରି ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଲି । ଏତେ ରାତିରେ କେଉଁଠି ରଖିବି, କ’ଣ ସବୁ ବନ୍ଦୋବସ୍ତ କରିବାକୁ ହେବ କିଛି ଭାବି ଠିକ୍ କରିପାରିଲି ନାହିଁ । କିନ୍ତୁ କିଛି ତ ଗୋଟାଏ କରିବା ଦରକାର । ପଚାରିଲି–ଆସିବାବେଳୁ କ’ଣ ଘୋଡ଼ାଗାଡ଼ି ଭିତରେ ବସି ରହିଛନ୍ତି କି ?

ରତନ ହସିପକାଇ କହିଲା– ମାଆ, ସ୍ତ୍ରୀଲୋକ ସତ ! କିନ୍ତୁ ଆମେ ଚାରିଦିନ ହେବ ଆସିଲୁଣି । ଏଇ ଚାରିଦିନ ଆପଣଙ୍କୁ ଦିନରାତି ପହରାଦେବାକୁ ମୁଁ ଜଗି ବସିରହିଛି । ଚାଲନ୍ତୁ ।

: କୁଆଡ଼େ ? କେତେଦୂର ?

: ଦୂର ଟିକିଏ ସତ, କିନ୍ତୁ ଆମର ଭଡ଼ାଗାଡ଼ି ଅଛି । ଯିବାକୁ କଷ୍ଟ ହେବ ନାହିଁ ।

ଅତଏବ, ପୁଣି ଆଉଥରେ ଲୁଗା, କୁରୁତା ପିନ୍ଧି ଦରଜାରେ ତାଲାଦେଇ ଯାତ୍ରା କରିବାକୁ ହେଲା । ଶ୍ୟାମବଜାର କେଉଁ ଗଳିରେ ଗୋଟିଏ ଦୋତାଲା କୋଠାଘର । ଆଗରେ ପାଚେରୀଘେରା ଛୋଟ ବଗିଚାଟିଏ । ରାଜଲକ୍ଷ୍ମୀର ବୁଢ଼ା ଦରଓ୍ୱାନ ଦ୍ୱାରା ଖୋଲିଦେଲା । ମୋତେ ଦେଖିବାକ୍ଷଣି ତା’ର ଆନନ୍ଦର ସୀମା ନ ସରେ । ମୁଣ୍ତ ନୁଆଁଇ ଏକ ବଡ଼ ନମସ୍କାର ପକାଇ ପଚାରିଲା–କ’ଣ ବାବୁଜୀ ଭଲ ଅଛନ୍ତି ?

କହିଲି– ହଁ, ଭଲଅଛି ତୁଳସୀଦାସ । ତୁମେ ଭଲ ଅଛ ତ ?

ପ୍ରତ୍ୟୁତ୍ତର ଦେବାକୁ ଯାଇ ସେ ପୁଣି ସେହିପରି ଗୋଟାଏ ନମସ୍କାର କଲା । ତୁଳସୀ ମୁଙ୍ଗେର ଜିଲ୍ଲାର ଲୋକ । ଜାତିରେ କୁର୍ମ୍ମୀ । ବ୍ରାହ୍ମଣ ବୋଲି ମୋତେ ସେ ବରାବର ପାଦଛୁଇଁ ପ୍ରଣାମ କରେ ।

 

ଆଉଜଣେ ହିନ୍ଦୁସ୍ଥାନୀ ଚାକର ଆମମାନଙ୍କର କଥାବାର୍ତ୍ତା ଶୁଣି ବୋଧହୁଏ ସେଇକ୍ଷଣି ନିଦ ଭାଙ୍ଗି ଉଠିଥିଲା ଏବଂ ରତନର ପ୍ରଚଣ୍ତ ପାଟିରେ ସେ ବିଚରା ବୋକା ପାଲଟିଗଲା । ଅକାରଣରେ ଅପରକୁ ଧମକଦେଇ ରତନ ଏ ଘରେ ଆପଣାର ମର୍ଯ୍ୟାଦାକୁ ବଜାୟ ରଖେ । କହିଲା; ଆସିବାବେଳୁ କେବଳ ଶୋଇବାରେ ଲାଗିଛି ଆଉ ରୁଟି ଗିଳିଚାଲିଛି । କିନ୍ତୁ ତମାଖୁ ଟିକିଏ ପର୍ଯ୍ୟନ୍ତ ସଜାଇ ରଖିପାରି ନାହିଁ ? ଯାଅ ଜଲଦି–

 

ଏ ଲୋକଟି ବୋଧହୁଏ ନୂଆ । ତେଣୁ ସେ ଧଡ଼ପଡ଼ ହୋଇ ଉଠି ଚାଲିଗଲା ।

 

ଉପରକୁ ଉଠିଯାଇ ଆଗର ବାରଣ୍ତା ପାରହୋଇ ଗଲାପରେ ଗୋଟାଏ ବଡ଼ଘର । ଗ୍ୟାସର ଉଜ୍ଜ୍ୱଳ ଆଲୋକରେ ଆଲୋକିତ । ଘର ଚଟାଣଟା କାର୍ପେଟ ବିଛା । ତା’ ଉପରେ ଫୁଲପକା ଜାଲିମ୍ ଏବଂ ଗୋଟାଏ ଦୁଇଟା ଗୋଲ ତକିଆ । ପାଖରେ ମୁଁ ବ୍ୟବହାର କରୁଥିବା ମୋର ଅତି ପ୍ରିୟ ହୁକ୍‌କା ଏବଂ ଏହାରି ଅଳ୍ପ ଦୂରରେ ଯତ୍ନରେ ରଖାହୋଇଛି ମୋର ଜରି କାମକରା ମଖମଲର ଚଟି । ଏ ଦୁଇଟି ରାଜଲକ୍ଷ୍ମୀ ଥରେ ମୋ ଜନ୍ମଦିନରେ ମୋତେ ଉପହାର ଦେଇଥିଲା ।

 

ପାଖଘରଟି ଖୋଲା ଏବଂ ସେ ଘରେ କେହିନାହାନ୍ତି । ଖୋଲା ଝରକା ଭିତରଦେଇ ଉଙ୍କିମାରି ଦେଖିଲି ଗୋଟାଏ ପାଖରେ ନୂଆ କିଣାହୋଇଥିବା ଖଟଉପରେ ବିଛଣା ବିଛାହୋଇଛି-। ଆଉ ଗୋଟାଏ ପାଖରେ ସେହିପରି ନୂଆକରି କିଣାହୋଇଥିବା ଆଲଣାରେ କେବଳ ମୋରି ଲୁଗାପଟା ସଜଡ଼ା ହୋଇ ରଖାଯାଇଛି । ଗଙ୍ଗାମାଟି ଯିବା ପୂର୍ବରୁ ଏସବୁ ତିଆରି ହୋଇଥିଲା ମନେ ନ ଥିଲା । ତେଣୁ କେବେ ବ୍ୟବହାର ମଧ୍ୟ ହୋଇପାରି ନାହିଁ ।

 

ରତନ ଡାକିଲା–ମାଆ !

 

ଯାଉଛି, କହି ରାଜଲକ୍ଷ୍ମୀ ଆଗରେ ଆସି ଠିଆହେଲା । ପାଦଧୂଳି ନେଇ ପ୍ରଣାମ କରି କହିଲା–ରତନ, ତମାଖୁ ନେଇ ଆସ ତ ବାପା, ତତେ ଏଇ କେତେଟା ଦିନରେ ବହୁତ କଷ୍ଟ ଦେଲିଣି ।

 

କଷ୍ଟ କିଛି ନୁହେଁ ମାଆ । ସୁସ୍ଥ ଦେହରେ ତାଙ୍କୁ ସେ ଘରକୁ ଫେରାଇ ଆଣିପାରିଛି ଏଇ ମୋର ଯଥେଷ୍ଟ । ଏତିକି କହି ସେ ତଳକୁ ଓହ୍ଲାଇଗଲା ।

 

ରାଜଲକ୍ଷ୍ମୀକୁ ନୂଆଭଳି ଦେଖିଲାପରି ଲାଗିଲା । ଦେହର ସୌନ୍ଦର୍ଯ୍ୟ କହିଲେ ନ ସରେ-! ସେଦିନକାର ପିଆରୀ ମନେପଡ଼ିଲା । କେବଳ କେତେଟା ବର୍ଷ ଦୁଃଖଶୋକର ବର୍ଷାପାଣିରେ ତିନ୍ତି ସେ ଯେପରି ନୂଆକଳେବର ଧରି ଆସିଛି । ଦୁଇତିନିଦିନ ହେବ ଏଇ ନୂଆ ଘରଟାରେ ଯାହା ଅବ୍ୟବସ୍ଥା ଅବା ଥିଲା ସେଥିପାଇଁ ଦୁଃଖିତ ହେବାର କିଛି ନାହିଁ ଯେହେତୁ ଗୋଟାଏ ଓଳି ଭିତରେ ସେ ଚେଷ୍ଟାକଲେ ଗଛତଳ ମଧ୍ୟ ସୁଶୃଙ୍ଖଳ ହୋଇପାରିବ । ରାଜଲକ୍ଷ୍ମୀ କିନ୍ତୁ ଆପଣା ମନେମନେ ଯେପରି ଏଇ କେତେଟା ଦିନଭିତରେ ଭାଙ୍ଗିପଡ଼ିଥିଲା ପରି ମନେହେଲା । ଆଗେ ସେ ଅନେକ ଗହଣା ପିନ୍ଧୁଥିଲା । ମଝିରେ ସବୁ ଖୋଲି ପକାଇଲା–ସତେ ଯେପରି ସନ୍ନ୍ୟାସୀଟିଏ । ଆଜି ପୁଣି ପିନ୍ଧିଛି । ସବୁ ନୁହେଁ କେତେଟା ମାତ୍ର । କିନ୍ତୁ ଦେଖିବାକ୍ଷଣି ମନେହେଲା ସେ ସବୁ ଅତି ମୂଲ୍ୟବାନ-। କିନ୍ତୁ ପିନ୍ଧିଥିବା ଶାଢ଼ିଟା ଦାମିକା ନ ଥିଲା । ସାଧାରଣ ସିଲକ୍‌ର ଶାଢ଼ି । ଘର ପିନ୍ଧା ଭଳି-। ମୁଣ୍ତରେ ଦେଇଥିବା ଓଢ଼ଣାତଳୁ ଛୋଟ କେଶ ଗାଲର ଆଖପାଖରେ ଝୁଲିଥାଏ । ଛୋଟ ବୋଲି ବୋଧହୁଏ ସେଗୁଡ଼ିକ ଶାସନ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଦେଖିକରି ଅବାକ୍ ହୋଇ ରହିଗଲି-

 

ରାଜଲକ୍ଷ୍ମୀ ପଚାରିଲା–କ’ଣ ଏତେ ଦେଖୁଛ ?

 

: ଦେଖୁଛି, ତୁମକୁ ।

 

: କ’ଣ ନୂଆ କି ?

 

: ସେଇପରି ମନେହେଉଛ ତ ?

 

: ମୋର କ’ଣ ମନେହେଉଛି ଜାଣ ?

 

: ନା ।

 

: ମନେହେଉଛି ରତନ ତମାଖୁ ସଜାଇକରି ଆସିବା ଆଗରୁ ମୋ ହାତଦୁଇଟା ତୁମ ବେକରେ ଗଳାଇ ଛାତିରେ ଜାକିଧରିବି । ଜାକିଧରିଲେ କ’ଣ କରିବ କୁହତ ? କହି ହସିଉଠି ପୁଣି କହିଲା–ଟାଣି ଫିଙ୍ଗିଦେବ ନାହିଁ ତ ?

 

ମୁଁ ମଧ୍ୟ ହସକୁ ସମ୍ଭାଳି ପାରିଲି ନାହିଁ । କହିଲ–ଜାକିକରି ଦେଖନା ? କିନ୍ତୁ ଏତେ ହସୁଛ ଯେ ! କ’ଣ ହସଲଡ଼ୁ ଖାଇଛ କି ?

 

ସିଡ଼ିରେ ପାଦଶବ୍ଦ ଶୁଭିଲା । ବୁଦ୍ଧିମାନ ରତନ ଟିକିଏ ଜୋର ଶବ୍ଦକରି ପାଦପକାଇ ଉଠୁଥିଲା । ରାଜଲକ୍ଷ୍ମୀ ହସି ହସି ଚୁପ୍‌ଚୁପ୍ କରି କହିଲା–ରତନ ଆଗେ ଯାଉ । ତା’ପରେ ତୁମକୁ ଦେଖାଇଦେଉଛି ହସଲଡ଼ୁ ଖାଇଛି କି ଆଉ କ’ଣ ଖାଇଛି ? କହୁ କହୁ କିନ୍ତୁ ହଠାତ୍ ତା’ ଗଳା ଭାରି ହୋଇଉଠିଲା । କହିଲା–ଏ ଅଜଣା, ଅଶୁଣା ଜାଗାରେ ମୋତେ ଚାରିପାଞ୍ଚଦିନ ହେବ କଲା ଛାଡ଼ିଦେଇ ତୁମେ ପୁଣ୍ଟୁକୁ ବାହାଦେବାକୁ ଯାଇଥିଲ ? ଦିନରାତି ମୋର କିପରି ଭାବରେ କଟିଛି ସେ କଥା ଜାଣିଛି ?

 

: ହଠାତ୍ ତୁମେ ଆସିବ, ଏକଥା ମୁଁ ଜାଣିବି କିପରି ?

 

: ହଁ–ଗୋ–ହଁ–ହଠାତ୍‌ ନୁହେଁ କ’ଣ ? ତୁମେ ସବୁ ଜାଣ । କେବଳ ମୋତେ ଶାସନ କରିବା ପାଇଁ ଚାଲି ଯାଇଥିଲା ।

 

ରତନ ଆସି ତମାଖୁ ଦେଲା । କହିଲା–ମାଆ–ବାବୁ ଖାଇନାହାନ୍ତି । ପୂଜାରୀକୁ ଠିଆ କରିବାକୁ କହିଦେବି କି ? ରାତି ବାରଟା ବାଜିଲାଣି ।

 

ବାରଟା ଶୁଣି ରାଜଲକ୍ଷ୍ମୀ ବ୍ୟସ୍ତ ହୋଇପଡ଼ିଲା । ପୂଜାରୀ ପାରିବ ନାହିଁ ବାବା, ମୁଁ ନିଜେ ଯାଉଛି । ତୁ ମୋ ଶୋଇବା ଘରେ ଟିକିଏ ଜାଗା କରିଦେ...

 

ଖାଇବସିବା କ୍ଷଣି ପୁଣି ଗଙ୍ଗାମାଟିର ଶେଷଦିନ ଗୁଡ଼ାକର କଥା ମନେପଡ଼ିଲା । ସେତେବେଳେ ଏଇ ପୂଜାରୀ ଏବଂ ଏଇ ଚାକର ରତନ ହିଁ ମୋର ତତ୍ତ୍ୱ ନେଉଥିଲେ । ରାଜଲକ୍ଷ୍ମୀକୁ ମୋର ଖୋଜଖବର ରଖିବାକୁ ଫୁରସତ୍ ହେଉନଥିଲା । ଆଜି କିନ୍ତୁ ସେମାନଙ୍କଦ୍ୱାରା ଚଳିବ ନାହିଁ–ରୋଷାଇ ଘରକୁ ସେ ନିଜେ ଯିବାପାଇଁ ଦରକାର ପଡ଼ୁଛି । କିନ୍ତୁ ଏହିଟା ହିଁ ତା’ର ସ୍ୱଭାବ । ସେଇଟା ଥିଲା ବିକୃତ । ବୁଝିପାରିଲି; କାରଣ ଯାହା ହେଉନା କାହିଁକି ପୁଣି ସେ ମୋତେ ଡେରି ପାଇପାରିଛି ।

 

ଖାଇବା ଶେଷ ହେବାପରେ ରାଜଲକ୍ଷ୍ମୀ ପଚାରିଲା–ପୁଣ୍ଟୁ ବାହାଘର କିପରି ହେଲା ?

 

: କହିଲି–ଆଖିରେ ଦେଖିନି । କିନ୍ତୁ କାନରେ ଶୁଣିଛି, ଭଲରେ ହୋଇଛି ।

 

: ତେବେ ଏତେଦିନ ହେବ ଥିଲ କେଉଁଠି ?

 

ବାହାଘରର ସବୁ ଘଟଣା ଖୋଲିକରି କହିଲି । ଶୁଣିସାର ସେ ମୁହୂର୍ତ୍ତକ ପାଇଁ ଗାଲରେ ହାତଦେଇ କହିଲା–ଆଶ୍ଚର୍ଯ୍ୟ କରାଇଲ ତ ! ଆସିବା ଆଗରୁ ପୁଣ୍ଟୁକୁ କିଛି ଗୋଟାଏ ଯୌତୁକ ଦେଇ ଆସିପାରିଲ ନାହିଁ ?

 

: ସେଇଟା ତୁମେ ମୋର ହୋଇ ଦେଇଦିଅ

 

: ତୁମର ହୋଇ କାହିଁକି ? ନିଜର ହୋଇ ଝିଅଟା ପାଖକୁ କିଛି ପଠାଇଦେବି । କିନ୍ତୁ ଥିଲ କେଉଁଠାରେ କିଛି କହିଲ ନାହିଁ ତ ?

 

କହିଲି– ମୁରାରୀପୂରରେ ବାବାଜୀମାନଙ୍କ ଆଖଡ଼ା କଥା ତୁମର ମନେଅଛି ?

 

ରାଜଲକ୍ଷ୍ମୀ କହିଲା– ଅଛି । ବୈଷ୍ଣମୀମାନେ ସେଠାରୁ ତ ଗାଆଁକୁ ଗାଆଁ ଭିକ୍ଷା କରିବାକୁ ଆସନ୍ତି । ପିଲାଦିନର କଥା ମୋର ବେଶ୍ ମନେଅଛି ।

 

: ସେହିଠାରେ ହିଁ ଥିଲି ।

 

ଶୁଣିବା କ୍ଷଣି ରାଜଲକ୍ଷ୍ମୀ ଦେହରେ ଯେପରି କିଏ କଣ୍ଟା ଫୋଡ଼ିଦେଲା । କହିଲା– ସେଇ ବୈଷ୍ଣବୀମାନଙ୍କ ଆଖଡ଼ାରେ ? ମାଆ–ଗୋ–ମାଆ କ’ଣ କହୁଛି ! ସେମାନେ ଯେ ସବୁ ଗୁଣିଗାରେଡ଼ି ଜାଣନ୍ତି ! କିନ୍ତୁ...କହି ହଠାତ୍ ଉଚ୍ଚ ସ୍ୱରରେ ହସିଉଠିଲା । ଶେଷରେ ମୁହଁରେ ପଣତ ଚାପି କହିଲା–ହଁ, ତୁମ ପକ୍ଷରେ କିଛି ଅସାଧ୍ୟ ନୁହେଁ । ଆରାରେ ଯେଉଁ ମୂର୍ତ୍ତି ଦେଖିଛି ! ମୁଣ୍ତଟା ଜଟ, ଦେହସାରା ରୁଦ୍ରାକ୍ଷ ମାଳା । ହାତରେ ପିତ୍ତଳର ବଳା । ସେ...ଅପରୂପ...

 

କହୁଥିବା କଥା ଶେଷ କରିପାରିଲା ନାହିଁ । ହସି ହସି ଲୋଟିପଡ଼ିଲା । ରାଗିଲା ପରି ଅଭିନୟ କରି ତାକୁ ଉଠାଇ ବସାଇଦେଲି । ଅନେକ ସମୟ ପରେ ମୁହଁରେ ଲୁଗା ଗୁଞ୍ଜି ହସ ଚାପି ସେ ପଚାରିଲା–ହଁ କ’ଣ ହେଲା ସେଇଠୁ, ବୈଷ୍ଣମୀମାନେ କ’ଣ କହିଲେ ତୁମକୁ ? କାଳୀ, ଡେଙ୍ଗା, ଗେଡ଼ି କେତେ ପ୍ରକାରର ସେଠାରେ ଥାଆନ୍ତି ଯେ...

 

ପୁଣି ଆଉଥରେ ଗୋଟାଏ ପ୍ରବଳ ହସର ଜୁଆର ଆସୁଥିବାର ଦେଖି ସତର୍କ କରିଦେଇ କହିଲି–ଏଥର ହସିଲେ ଏପରି ଦଣ୍ଡଦେବି ଯେ, କାଲି ସକାଳୁ ଚାକରବାକରଙ୍କ ଆଗରେ ମୁହଁ ଦେଖାଇପାରିବ ନାହିଁ ।

 

ରାଜଲକ୍ଷ୍ମୀ ଭୟରେ ଘୁଞ୍ଚିଯାଇ କହିଲା–ସେସବୁ ତୁମ ଭଳି ବୀରପୁରୁଷଙ୍କର କାମ ନୁହେଁ । ନିଜେ ଲାଜରେ ବାହାରକୁ ବାହାରିପାରିବ ନାହିଁ । ସଂସାରରେ ତୁମଭଳି ଡରକୁଲା ଲୋକ କେହି ନଥିବେ ।

 

କହିଲି–କିଛି ହିଁ ଜାଣନା ଲକ୍ଷ୍ମୀ । ତୁମେ ଭୟାଳୁ ବୋଲି ଅବଜ୍ଞା କଲ କିନ୍ତୁ ସେଠାରେ ଜଣେ ବୈଷ୍ଣବୀ ମୋତେ କହେ ମୁଁ କୁଆଡ଼େ ଦାମ୍ଭିକ ଏବଂ ଅହଂକାରୀ ।

 

: କାହିଁକି ତା’ର କ’ଣ କରିଥିଲ କି ?

 

: କିଛି ନାହିଁ । ସେ ମୋ ନାଆଁ ଦେଇଥିଲା ନୂତନ ଗୋସାଇଁ । କହେ, ତୁମଭଳି ଉଦାସୀନ–ବୈରାଗୀ–ମନ ଅପେକ୍ଷା ଦାମ୍ଭିକ ମନ ଆଉ ପୃଥିବୀରେ ଦ୍ୱିତୀୟ ନାହିଁ ।

 

ରାଜଲକ୍ଷ୍ମୀର ହସ ବନ୍ଦ ହୋଇଗଲା । ସେ କହିଲା– କ’ଣ କହିଲା ସେ ?

 

କହିଲା– ଏପରି ଉଦାସୀନ, ବୈରାଗୀମନର ମଣିଷ ଅପେକ୍ଷା ଦାମ୍ଭିକ ବ୍ୟକ୍ତି ଦୁନିଆରେ ଆଉ ଖୋଜିଲେ ମିଳିବ ନାହିଁ । ଅର୍ଥାତ୍ ମୁଁ କୁଆଡ଼େ ଦୁର୍ଦ୍ଧର୍ଷ ବୀର । ଭୟାଳୁ ମୋଟେ ନୁହେଁ ।

 

ରାଜଲକ୍ଷ୍ମୀର ମୁହଁ ଗମ୍ଭୀର ହୋଇଗଲା । ଥଟ୍ଟାକୁ କାନ ନାହିଁ । ପଚାରିଲା–ତୁମର ଉଦାସୀ ମନର ଠିକଣା ସେ ବାରବୁଲି କିପରି ଜାଣିପାରିଲା ?

 

କହିଲା–ବୈଷ୍ଣବୀମାନଙ୍କୁ ଏପରି ଅଭଦ୍ର ଭାଷା ପ୍ରୟୋଗ କରିବା ନିହାତି ଖରାପ ।

 

: ତାହା ଅବଶ୍ୟ ମୁଁ ଜାଣେ । ସେ ତ ତୁମ ନାଆଁଟି ନୂତନ ଗୋସାଇଁ ବୋଲି ଦେଲେ । ଆଉ ତାଙ୍କ ନାମଟି କ’ଣ ?

 

: କମଳଲତା । କେହି କେହି ରାଗିକରି କମଳୀଲତା ବୋଲି ଡାକନ୍ତି । କହନ୍ତି, ସେ ଯାଦୁ ଜାଣେ । ତା’ କୀର୍ତ୍ତନ ଗାନରେ ମଣିଷ କୁଆଡ଼େ ପାଗଳ ହୋଇଯାଏ । ସେ ଯାହା ଚାହେଁ, ତାହା କରିପାରିବ ।

 

: ତୁମେ ତା’ କୀର୍ତ୍ତନ ବୋଲିବା ଶୁଣିଛ ?

 

: ଶୁଣିଛ, ଖୁବ୍ ଚମତ୍କାର ।

 

: ବୟସ କେତେ ?

 

: ବୋଧହୁଏ ତୁମରି ସାଙ୍ଗର ହେବ । କିମ୍ବା ଟିକିଏ ବେଶୀ ହୋଇପାରେ ।

 

: ଦେଖିବାକୁ କିପରି ?

 

: ଭଲ, ଅନ୍ତତଃ ମନ୍ଦ ବୋଲି କହିହେବ ନାହିଁ । ସେ ଭଦ୍ରଘରର ଝିଅ ।

 

: ତାହା ମୁଁ ତା’ର କଥା ଶୁଣି ବୁଝିପାରୁଛି । ଯେଉଁ କେତେଦିନ ଥିଲ, ତୁମ ଯତ୍ନ ନେଉଥିଲା ତ ?

 

: ହଁ !

 

ରାଜଲକ୍ଷ୍ମୀ ହଠାତ୍ ଗୋଟାଏ ନିଃଶ୍ୱାସ ଛାଡ଼ି କହିଉଠିଲା–ହଁ ସେ କରୁ । ଯେତିକି ସାଧ୍ୟ ସାଧନାରେ ତୁମକୁ ପାଇବାକୁ ହୁଏ ସେତିକି କରିପାରିଲି ଭଗବାନଙ୍କୁ ପାଇହେବ । ତାହା ବୈଷ୍ଣବ–ବୈରାଗୀମାନଙ୍କଦ୍ୱାରା ସମ୍ଭବ ନୁହେଁ । ମୁଁ କାହିଁକି କେଉଁଠିକାର ଗୋଟାଏ କମଳଲତାକୁ ଭୟ କରିବାକୁ ଯିବି ? ଛିଃ ! ଏତିକି କହି ସେ ଉଠି ଚାଲିଗଲା ।

 

ମୁଁ ମଧ୍ୟ ଦୀର୍ଘ ନିଃଶ୍ୱାସଟିଏ ଛାଡ଼ିଲି । ବୋଧହୁଏ ଅନ୍ୟମନସ୍କ ହୋଇପଡ଼ିଥିଲି । ଏଇ ଶବ୍ଦରେ ମୋର ହୋସ୍ ଫେରିଲା । ମୋଟା ତକିଆଟା ଟାଣିନେଇ ଆଉଜିପଡ଼ି ତମାଖୁ ଟାଣିବାକୁ ଲାଗିଲି । ଉପରେ ଗୋଟାଏ ବୁଢ଼ିଆଣୀ ବୁଲିବୁଲି ଜାଲ ବୁଣିବାରେ ଲାଗିଥାଏ । ଉଜ୍ଜ୍ୱଳ ଗ୍ୟାସ ଆଲୁଅରେ ଛାଇଟା ତା’ର ମସ୍ତବଡ଼ ବୀଭତ୍ସ ଜନ୍ତୁଭଳି କଡ଼ି କାଠରେ ଦେଖାଗଲା । ଆଲୋକର ତଫାତ୍ ହେତୁ ଛାୟାଟା ମଧ୍ୟ କେତେ ଗୁଣରେ କାୟାକୁ ଅତିକ୍ରମ ନ କରିପକାଏ !

 

ରାଜଲକ୍ଷ୍ମୀ ଫେରିଆସି ମୋ ତକିଆର ଗୋଟିଏ କଣରେ କହୁଣୀରେ ଭରାଦେଇ ବସିପଡ଼ିଲା । ହାତମାରି ଦେଖିଲା ତା’ କପାଳରେ କେଶଗୁଡ଼ିକ ଓଦା । ବୋଧହୁଏ ଏଇମାତ୍ର ମୁହଁ ଓ ଆଖିରେ ପାଣିମାରି ଆସିଲା

 

ପଚାରିଲି–ଲକ୍ଷ୍ମୀ, ହଠାତ୍ ଏପରି କଲିକତାକୁ ଚାଲିଆସିଲ ଯେ ?

 

ରାଜଲକ୍ଷ୍ମୀ କହିଲା– ହଠାତ୍ ଆଦୌ ନୁହେଁ । ସେଦିନଠାରୁ ମନ ଏପରି ଗୁଡ଼େଇ ତୁଡ଼େଇ ହେଲା ଯେ କୌଣସିମତେ ସ୍ଥିରହୋଇ ରହିପାରିଲି ନାହିଁ । ଡରମାଡ଼ିଲା କ’ଣ ହାର୍ଟଫେଲ ହୋଇଯିବ କି ? ଏ ଜନ୍ମରେ ଆଉ ଆଖିରେ କ’ଣ ତୁମକୁ ଦେଖିପାରିବି ନାହିଁକି ? ଏହା କହି ସେ ହୁକ୍‌କାରୁ ନଳୀଟା ମୋ ମୁହଁରୁ ଟାଣିନେଇ ଫିଙ୍ଗିଦେଇ କହିଲା–ରୁହ । ଧୂଆଁରେ ମୁହଁଟା ତୁମର ଟିକିଏ ଦେଖିହେଉ ନାହିଁ । ଏପରି ଅନ୍ଧକାର କରିପକାଇଛ ଯେ ।

 

ହୁକ୍‌କାର ନଳୀଟା ସିନା ଚାଲିଗଲା; କିନ୍ତୁ ତା’ ହାତଟା ରହିଗଲା ମୋ ହାତମୁଠା ଭିତରେ ।

 

ପଚାରିଲି–ବଙ୍କୁ ଆଜିକାଲି କ’ଣ କହୁଛି ?

 

ରାଜଲକ୍ଷ୍ମୀ କହିଲା–ଘରକୁ ବୋହୁ ଆସିଲା ପରେ ସବୁ ପୁଅମାନେ ଯାହା କହନ୍ତି ।

 

: ତାହାଠାରୁ ବେଶୀ କିଛି ନୁହେଁ ।

 

: କିଛି ବେଶୀ ନୁହେଁ । ସେ କଥା ଛାଡ଼ । କିନ୍ତୁ ସେ ମୋତେ କି ଦୁଃଖ ଅବା ଦେଇପାରିବ ? ଦୁଃଖ ଦେଲେ କେବଳ ତୁମେ ହିଁ ଦେଇପାରିବ । ତୁମମାନଙ୍କ ବ୍ୟତୀତ ଝିଅପିଲାମାନଙ୍କୁ ଆଉ କେହି ଦୁଃଖ ଦେଇପାରନ୍ତି ନାହିଁ ।

 

: କିନ୍ତୁ ମୁଁ କ’ଣ ତୁମକୁ କେବେ ଦୁଃଖ ଦେଇଛି ଲକ୍ଷ୍ମୀ ?

 

ରାଜଲକ୍ଷ୍ମୀ ଆବଶ୍ୟକ ନଥିଲେ ସୁଦ୍ଧା ତା’ ହାତରେ ମୋ କପାଳଟା ପୋଛିଦେଇ କହିଲା– କେତେବେଳେ ହେଲେ ନୁହେଁ । ବରଞ୍ଚ ମୁଁ ତୁମକୁ ଆଜି ପର୍ଯ୍ୟନ୍ତ କେତେ ଦୁଃଖ ନ ଦେଇଛି । ନିଜ ସୁଖପାଇଁ ଲୋକ ଚକ୍ଷୁରେ ତୁମକୁ ହେୟ କରାଇଲି । ଖିଆଲି ଉପରେ ତୁମର ମାନ ସମ୍ମାନରେ ଆଞ୍ଚ ଆଣିଲି । ତହିଁର ଶାସ୍ତି ସ୍ୱରୂପ ଆଖିର ଦୁଇକୂଳ ଦେଇ ଅନବରତ ଲୁହ ଝରିଚାଲିଛି । ଦେଖିପାରୁଛ ତ ?

 

ହସିଦେଇ କହିଲି–କାହିଁ ନାଇଁ ତ !

 

ରାଜଲକ୍ଷ୍ମୀ କହିଲା– ତାହାହେଲେ ମନ୍ତ୍ରପଢ଼ି କେହି ତୁମ ଦୁଇଆଖିରେ ଧୂଳି ଫିଙ୍ଗିଦେଇଛି । ତା’ପରେ ଟିକିଏ ଚୁପ୍ ହୋଇଯାଇ ପୁଣି କହିଲା– ଏତେ ପାପ କରି ସୁଦ୍ଧା ମୋଭଳି ଏପରି ଭାଗ୍ୟବତୀ ଆଉ କାହାକୁ ସଂସାରରେ ଦେଖିଛି ? ମୋର କିନ୍ତୁ ସେଥିରେ ଆଶା ମେଣ୍ଟିଲା ନାହିଁ । କେଉଁଠୁ ଆସି ବାଦ ସାଧିଲା ଧର୍ମ । ମୁଁ ମୋ ହାତର ଲକ୍ଷ୍ମୀକୁ ପାଦରେ ଠେଲିଦେଲି । ଗଙ୍ଗାମାଟିରୁ ଆସିଲା ପରେ ମଧ୍ୟ ଚୈତନ୍ୟ ଫେରିଲା ନାହିଁ । କାଣୀରୁ ତୁମକୁ ଅନାଦର କରି ବିଦାୟ କରିଦେଲି ।

 

ତା’ର ଦୁଇଆଖିରେ ଲୁହ ଟଳମଳ କରିବାକୁ ଲାଗିଲା । ମୁଁ ହାତରେ ସେସବୁ ପୋଛିଦେବା କ୍ଷଣି ସେ କହିଲା– ଯେଉଁ ବିଷ ନିଜହାତରେ ପୋତିଥିଲି ତହିଁରେ ଏବେ ଜାଣ ଫଳ ଧରିଲା । ଖାଇପାରିନି । ଶୋଇପାରିନି । ଏଣୁତେଣୁ କେତେ ଭାବିବାକୁ ପଡ଼ିଲା, ନା ଅଛି ତା’ର ଆରମ୍ଭ–ନା ଅଛି ଶେଷ । ଗୁରୁଦେବ ସେତେବେଳେ ଘରେ ଥିଲେ । ସେ ଗୋଟାଏ କ’ଣ କବଚ ମୋ ହାତରେ ବାନ୍ଧିଦେଲେ । କହିଲେ–ମାଆ ସକାଳୁ ଏକ ଆସନରେ ବସି ତୋତେ ଦଶହଜାର ଥର ଇଷ୍ଟନାମ ଜପ କରିବାକୁ ହେବ । କିନ୍ତୁ କରିପାରିଲି କହିଁ ? ଛାତିଭିତର ତ ହୁ ହୁ ହୋଇ ଜଳୁଛି । ପୂଜାରେ ବସିବା କ୍ଷଣି ଦି’ଆଖିରୁ ଲୁହ ବହିବାକୁ ଲାଗେ । ଏପରି ସମୟରେ ତୁମ ଚିଠି ପାଇଲି । ଏତେଦିନ ପରେ ରୋଗ ଧରାପଡ଼ିଲା ।

 

: କିଏ ଧରିଲା ? ଗୁରୁଦେବ ? ଏଥର ବୋଧହୁଏ ଆଉ ଗୋଟାଏ କବଚ ଦେଇଥିବେ-?

 

: ହଁ, ଗୋ ଦେଲେ । କହିଲେ ସେଇଟା ତୁମ ଗଳାରେ ବାନ୍ଧି ଦେବା ପାଇଁ ।

 

: ହଁ ବାନ୍ଧି ଦେଇପାର–ଯଦି ସେଥିରେ ତୁମ ରୋଗ ଭଲ ହୋଇପାରିବ...

 

ରାଜଲକ୍ଷ୍ମୀ କହିଲା, ସେଇ ଚିଠି ଖଣ୍ତିକୁ ଧରି ମୋର ଦୁଇଦିନ କଟିଲା । କିପରି ଯେ କଟିଲା ମୁଁ ମଧ୍ୟ ଜାଣିନାହିଁ । ରତନକୁ ଡାକି ତା’ ହାତରେ ଚିଠିର ଉତ୍ତର ଲେଖି ପଠାଇଦେଲି । ଗଙ୍ଗାରେ ସ୍ନାନ ସାରି ଅନ୍ନପୂର୍ଣ୍ଣା ମନ୍ଦିରରେ ଠିଆହୋଇ କହିଲି–ମାଆ, ଚିଠି ଖଣ୍ତିକ ଯେପରି ଠିକ୍ ସମୟରେ ତାଙ୍କ ହାତରେ ପଡ଼େ । ଯେପରିକି ମୋତେ ଆତ୍ମହତ୍ୟା କରି ମରିବାକୁ ନପଡ଼େ ।

 

ମୋ ମୁହଁକୁ ଚାହିଁ କହିଲା– ମୋତେ ଏପରି ଭାବରେ କଷ୍ଟଦେଲ କାହିଁକି କୁହତ ?

 

ହଠାତ୍ ଏ ପ୍ରଶ୍ନର ଉତ୍ତର ଦେଇପାରିଲି ନାହିଁ । ତାପରେ କହିଲି– ଏହା ତୁମ ଝିଅମାନଙ୍କ ପକ୍ଷେ ସମ୍ଭବ । ଏକଥା ଆମେ ପୁଅମାନେ ଆଦୌ ଚିନ୍ତା ସୁଦ୍ଧା କରିପାରୁ ନାହିଁ ।

 

: ମାନୁଛ ତ ?

 

: ହଁ, ମାନୁଛି ।

 

ରାଜଲକ୍ଷ୍ମୀ ପୁଣି ଆଉଥରେ ମୋତେ ଚାହିଁରହି ପଚାରିଲା–ପ୍ରକୃତରେ ବିଶ୍ୱାସ କରୁଛ ? ଏହା ଆମମାନଙ୍କ ଦ୍ୱାରା ସମ୍ଭବ ଏବଂ ପୁରୁଷମାନେ ଆଦୌ ବୁଝିପାରନ୍ତି ନାହିଁ ?

 

କିଛି ସମୟ ପାଇଁ ଉଭୟେ ସ୍ତବ୍‌ଧ ହୋଇ ରହିଲୁ । ରାଜଲକ୍ଷ୍ମୀ କହିଲା–ମନ୍ଦିରରୁ ବାହାରି ଆସି ଦେଖେ ଆମ ପାଟନାର ଲଛମନ ସାହୁ ଠିଆ ହୋଇଛି । ମୋତେ ସେ ବନାରସୀ ପାଟ ବିକ୍ରି କରେ । ବୁଢ଼ା ମୋତେ ଭାରି ଭଲପାଏ । ମୋତେ ଝିଅ ବୋଲି ଡାକେ । ଆଶ୍ଚର୍ଯ୍ୟ ହୋଇ କହିଲା–ଝିଅ, ତୁମେ ଏଇଠି ? ତା’ର କଲିକତାରେ ଦୋକାନ ଥିଲା ବୋଲି ଜାଣିଥିଲି । କହିଲି–ସାହୁଜୀ, ମୁଁ କଲିକତା ଯିବି । ମୋ ପାଇଁ ଖଣ୍ତିଏ ଘର ଠିକ୍ କରିଦେଇପାରିବ ?

 

ସେ କହିଲା– ପାରିବି । ବଙ୍ଗାଳୀପଡ଼ାରେ ତା’ର ନିଜର ଖଣ୍ତିଏ ଘର ଥିଲା । ରାଜିହୋଇ ଡାକିନେଇ ଘରେ ଟଙ୍କା ଦେଲି । ସେ ରସିଦ ଲେଖିଦେଲା । ଛଅ ସାତଦିନ ଭିତରେ ରତନକୁ ସଙ୍ଗରେ ଧରି ଏଠାକୁ ଚାଲିଆସିଲି । ମନେମନେ କହୁଥାଏ–ମାଆ ଅନ୍ନପୂର୍ଣ୍ଣା, ତୁମେ ମୋତେ ଦୟାକରିଛ, ନହେଲେ ଏପରି ସୁଯୋଗ କଦାପି ଜୁଟିନଥାନ୍ତା । ତାଙ୍କ ଦେଖା ନିଶ୍ଚୟ ପାଇପାରିବି । ଆଉ ଦେଖା ହୋଇଗଲା ।

 

କହିଲି– ମୋତେ କିନ୍ତୁ ଶୀଘ୍ର ବର୍ମାକୁ ଯିବାକୁ ଯେ ପଡ଼ିବ ଲକ୍ଷ୍ମୀ ।

 

ରାଜଲକ୍ଷ୍ମୀ କହିଲା– ଭଲ, ଚାଲୁନ–ସେଠାରେ ଅଭୟା ଅଛି । ଦେଶସାରା ବୁଦ୍ଧଦେବଙ୍କର ବଡ଼ ବଡ଼ ମନ୍ଦିର ଅଛି । ଏସବୁ ଦେଖିପାରିବି ।

 

: କିନ୍ତୁ ସେଇଟା ବଡ଼ ଅପରିଷ୍କାର ଦେଶ ଲକ୍ଷ୍ମୀ । ଶୁଚିବାଇ ଦୋଷଥିବା ଲୋକଙ୍କୁ ସେ ଦେଶ ଆରେଇବ ନାହିଁ । ସେ ଦେଶକୁ ତୁମେ ଯିବ ଅବା କିପରି ?

 

ରାଜଲକ୍ଷ୍ମୀ ମୋ କାନଉପରେ ମୁହଁ ରଖି ଚୁପିଚୁପି କରି କ’ଣ କହିଲା–ଯାହା କି ମୁଁ ଭଲରୂପେ ବୁଝିପାରିଲି ନାହିଁ । କହିଲି, ଆଉ ଟିକିଏ ଜୋରରେ କହ, ଶୁଣେ ।

 

ରାଜଲକ୍ଷ୍ମୀ କହିଲା–ନା ।

 

ତାପରେ କ୍ଳାନ୍ତ ହେଲାଭଳି ସେଇପରି ଭାବରେ ପଡ଼ିରହିଲା । କେବଳ ତା’ର ଉଷ୍ଣ ଘନଘନ ନିଃଶ୍ୱାସ ଗଳାଉପରେ, ଗାଲଉପରେ ଆସି ବାଜିବାକୁ ଲାଗିଥାଏ ।

 

: ଉଠମ ! ଲୁଗା ବଦଳାଇ ମୁହଁ ହାତ ଧୁଅ–ରତନ ପରା ଚାହାଧରି ଠିଆ ହୋଇଛି ।

 

ମୋଠାରୁ କୌଣସି ଉତ୍ତର ନପାଇ ରାଜଲକ୍ଷ୍ମୀ ପୁଣି ଡାକିଲା–ବେଳ ହେଲାଣି–କେତେ ଶୋଇଥିବ ମ ?

 

କର ଲେଉଟାଇ ନିଦ ମଳମଳ କଣ୍ଠରେ କହିଲି–ଶୁଆଇଦେଲି କେଉଁଠି ? ଏଇ ମାତ୍ର ମୁଁ ଶୋଉଛି ।

 

କାନକୁ ଶୁଭିଲା, ଟେବୁଲଉପରେ ଚାହା କେଟ୍‌ଲିଟାକୁ ଦୁମ୍ କରି ରଖିଦେଇ ବୋଧହୁଏ ରତନ ପଳାଇଗଲା ।

 

ରାଜଲକ୍ଷ୍ମୀ କହିଲା– ଛିଃ–ଛିଃ–କେଡ଼େ ବେହିଆ ତୁମେ ! ମଣିଷକୁ ଏପରି ମିଛଟାରେ ଅପ୍ରସ୍ତତ କରିଦେଇପାର ! ନିଜେ ରାତିସାରା କୁମ୍ଭକର୍ଣ୍ଣ ପରି ଶୋଇଲ । ବରଞ୍ଚ ମୁଁ ଅନିଦ୍ରା ହୋଇ ପଙ୍ଖାରେ ବିଞ୍ଚିଚାଲିଲି କାଳେ ଗରମ ହେତୁ ତୁମ ନିଦ ଭାଙ୍ଗି ଯାଇପାରେ । ଏଥିରେ ପୁଣି ମୋତେ ଏଇ ଅପବାଦ ! ହଁ କହୁଛି–ନହେଲେ ଦେହରେ ପାଣି ଢାଳିଦେବି...

 

ଉଠି ବସିପଡ଼ିଲି । ବେଳ ନ ହୋଇଥିଲେ ମଧ୍ୟ ସେତେବେଳକୁ ସକାଳ ହୋଇଯାଇଥାଏ । ଝରକାଗୁଡ଼ିକ ଖୋଲା । ସକାଳର ସେହି ସ୍ନିଗ୍‌ଧ ଆଲୋକରେ ରାଜଲକ୍ଷ୍ମୀର ଅପୂର୍ବ ମୂର୍ତ୍ତିଟି ଆଖିରେ ପଡ଼ିଲା । ତା’ର ଆହ୍ନିକ ପୂଜା ସେ ସାରିଦେଇଛି । ଗଙ୍ଗାଘାଟରେ ଓଡ଼ିଆ ବ୍ରାହ୍ମଣମାନେ ଲଗାଇ ଦେଇଥିବା ଚନ୍ଦନ ତିଳକ ତା’ ଲଲାଟରେ ଶୋଭାପାଉଛି । ପିନ୍ଧିଛି ନୂଆ ବନାରସୀ ପାଟ । ପୂର୍ବଦିଗର ଝରକା ଦେଇ ଝଲକାଏ ସୁନେଲି କିରଣ ଆସି ତା’ ମୁହଁର ଗୋଟିଏ ପାଖରେ ପଡ଼ିଥାଏ । ସଲ୍ଲଜ ଚପାହସ ତା’ ଓଠକଣରେ । ଅଥଚ କୃତ୍ରିମ କ୍ରୋଧରେ ଆକୁଞ୍ଚିତ ଭୂ–ଦୁଇଟିର ତଳେ ଚଞ୍ଚଳ ଆଖିଦୁଇଟି ଯେପରି ଉଚ୍ଛଳ ଆବେଗରେ ଝଲମଲ କରୁଛି । ଚାହିଁବା କ୍ଷଣି ଆଜି ମଧ୍ୟ ବିସ୍ମୟର ସୀମା ରହିଲା ନାହିଁ । ସେ ହଠାତ୍ ଟିକିଏ ହସିଦେଇ କହିଲା–କାଲିଠାରୁ ଏତେ କ’ଣ ଲାଗିପଡ଼ି ଦେଖି ଚାଲିଛି କହିଲ ?

 

କହିଲି– ତୁମେ କୁହତ କ’ଣ ମୁଁ ଏତେ ଦେଖୁଛି ?

 

ରାଜଲକ୍ଷ୍ମୀ ପୁଣି ଟିକିଏ ହସିଦେଇ କହିଲା–ବୋଧହୁଏ ଦେଖୁଛ ମୋଠାରୁ ପୁଣ୍ଟୁ ଦେଖିବାକୁ ଭଲ ନା କମଳଲତା ଭଲ ? କ’ଣ ଏୟାନା ?

 

: ନା, ରୂପ ଦିଗରୁ କେହି ତୁମ ସରି ହେବେ ନାହିଁ । ଏଇମିତି ସୁନ୍ଦରୀ ବୋଲି କୁହାଯାଇପାରନ୍ତି । କିନ୍ତୁ ସେମନଙ୍କୁ ଏତେ ସମୟ ଧରି ଦେଖିବାକୁ ଇଚ୍ଛାହୁଏ ନାହିଁ ।

 

: ସେ ଯାହାହେଉ–କିନ୍ତୁ ଗୁଣରେ ?

 

: ଗୁଣରେ ? ସେ ବିଷୟରେ ଅବଶ୍ୟ ମତଭେଦର ସମ୍ଭାବନା ଅଛି ତାହା ମାନିବାକୁ ହିଁ ପଡ଼ିବ ।

 

: ଗୁଣଭିତରେ କେବଳ ଶୁଣିଲି ଯେ ସେ କୀର୍ତ୍ତନ କରି ଜାଣେ !

 

: ହଁ, ଚମତ୍କାର ।

 

: ଚମତ୍କାର ବୋଲି ତୁମେ ଜାଣିଲ କିପରି ?

 

: ବାଃ– । ଆଉ ଜାଣିନି ? ନିର୍ଭୁଲ ତାଳ, ଲୟ ସୁର...

 

ରାଜଲକ୍ଷ୍ମୀ କଥା ମଝିରେ ବାଧାଦେଇ ପଚାରିଲା–କହିଲ, ତାଳ କାହାକୁ କହନ୍ତି ?

 

କହିଲି–ତାଳ ତାକୁ କୁହନ୍ତି ଯାହା ପିଲାବେଳେ ତୁମ ପିଠିରେ ଦୁମ୍ ଦାମ୍ ହୋଇ ପଡ଼ୁଥିଲା । କ’ଣ ମନେନାହିଁ ?

 

: ସେକଥା ମୋର ବେଶ୍ ମନେଅଛି । କାଲି କହୁଥିଲ ତୁମକୁ ଭୟାଳୁ ବୋଲି ଅପବାଦ ଦେଇଥିଲା । କମଳଲତା କେବଳ ତୁମର ଉଦାସୀନ ଭାବଟା ବୁଝିପାରିଲା; କିନ୍ତୁ ତୁମର ବୀରତ୍ୱର କାହାଣୀ ବୋଧହୁଏ ଶୁଣିନାହିଁ ?

 

: ନା, ଆତ୍ମପ୍ରଶଂସା କେବେ ମୁଁ କରେ ନାହିଁ । ଯଦି ପାର ସେକଥା ତୁମେ ତାକୁ ଶୁଣାଇପାର । କିନ୍ତୁ ତା’ ଗଳା ସୁନ୍ଦର । ତା’ କଣ୍ଠରେ ଗୀତ ସୁନ୍ଦର, ଏଥିରେ ସନ୍ଦେହ କରିବାର କିଛି ନାହିଁ ।

 

: ମୋର ମଧ୍ୟ ନାହିଁ । ଏତିକି କହି ତା’ ଆଖିଦୁଇଟା ପ୍ରଚ୍ଛନ୍ନ କୌତୂହଳରେ ଜଳିଉଠିଲା-। କହିଲା–ହଇହେ, ତୁମର ସେଇ ଗୀତଟା ମନେପଡ଼େ ? ସେଇଯେ ସ୍କୁଲ ଛୁଟି ହେଲାପରେ ତୁମେ ବୋଲୁଥିଲ–ମୁଁ ଚୁପ୍ ହୋଇ ଶୁଣୁଥିଲି । ସେଇ ଯେ–କୁଆଡ଼େ ଗଲୁ ପ୍ରାଣର ପ୍ରାଣ ବାପ ଦୁର୍ଯ୍ୟୋଧନରେ...ଏ...ଏ....ଏ

 

ହସି ଚାପିବାକୁ ଯାଇ ସେ ମୁହଁରେ ପଣତ ଗୁଞ୍ଜିଲା ଆଉ ମୁଁ ହସିପକାଇଲି ।

 

ରାଜଲକ୍ଷ୍ମୀ କହିଲା– କିନ୍ତୁ ବଡ଼ ଭାବର ସଙ୍ଗୀତ । ତୁମ କଣ୍ଠରୁ ଶୁଣିଲା ପରେ ଗାଇ, ବାଛୁରୀଙ୍କ ଆଖିରେ କି ଲୁହ ଜମି ଆସୁଥିଲା–ଆଉ ମଣିଷ ତ କେତେ ଛାର ମାତ୍ରକ–

 

ରତନର ପାଦଶବ୍ଦ ଶୁଣାଗଲା । ଅଳ୍ପ ସମୟ ପରେ ସେ ଦ୍ୱାରବନ୍ଧ ନିକଟରେ ଠିଆହୋଇ କହିଲା–ଆଉ ଥରେ ଚାହା ପାଇଁ ପାଣି ବସାଇ ଦେଉଛି ମାଆ, ଗରମ ହେବାକୁ ବେଶୀ ଡେରି ହେବନାହିଁ । ଏହା କହି ସେ ଘରଭିତରେ ପଶି ଚାହା କେଟ୍‌ଲୀଟାକୁ ଧରି ଠିଆହୋଇ ରହିଲା ।

 

ରାଜଲକ୍ଷ୍ମୀ ମୋତେ କହିଲା– ଆଉ ଡେରି କର ନାହିଁ । ଉଠିପଡ଼ି । ଏଥର ଚାହା ଢଳା ଗଲାପରେ ରତନ ବିଗିଡ଼ିଯିବ । ସେ ଅପବ୍ୟୟକୁ ସହ୍ୟ କରିପାରେ ନାହିଁ । କ’ଣ କହୁଛୁ ରତନ, ସତ ନୁହେଁ ?

 

ରତନ ଭଣ୍ତାରୀ ପିଲା । ବେଶ୍ କଥା କହି ଜାଣେ । କହିଲା, ଆପଣଙ୍କ ପାଇଁ ସହ୍ୟ କରିନପାରେ କିନ୍ତୁ ବାବୁଙ୍କ ଲାଗି ମୁଁ ସବୁ ସହ୍ୟ କରିପାରେ ଏତିକି କହି ସେ କେଟ୍‌ଲୀଟା ନେଇ ଚାଲିଗଲା । ତା’ର ରାଗହେଲେ ସେ ରାଜଲକ୍ଷ୍ମୀକୁ ‘‘ଆପଣ’’ ବୋଲି ସମ୍ବୋଧନ କରେ ନଚେତ୍ ସଦାବେଳେ ତୁମେ ବୋଲି ଡାକିଥାଏ ।

 

ରାଜଲକ୍ଷ୍ମୀ କହିଲା– ପ୍ରକୃତରେ ରତନ ତୁମକୁ ଭାରୀ ଭଲପାଏ ।

 

କହିଲି– ମୋର ମଧ୍ୟ ସେଇଆା ମନେହୁଏ ।

 

: ହଁ । କାଶୀରୁ ତୁମେ ଚାଲିଆସିଲା ପରେ ସେ ରାଗିକରି ମୋ କାମ ଛାଡ଼ି ଦେଇଥିଲା–ରାଗିକରି କହିଲି ମୁଁ ତୋର ଏତେ କଲି ରତନ, ତା’ର କ’ଣ ପ୍ରତିଫଳ ଏଇୟା ? ସେ କହିଲା–ରତନ ନିମକହାରାମ୍ ନୁହେଁ ମାଆ, ମୁଁ ମଧ୍ୟ ବର୍ମାକୁ ଚାଲିଲି । ସେଠାରେ ବାବୁଙ୍କ ସେବାକରି ତୁମ ଋଣକୁ ପରିଶୋଧ କରିବି । ସେତେବେଳେ ତା’ ହାତ ଧରିଲି । ତା’ ମନକୁ ବୁଝାଇଲି, ତେବେ ଯାଇ ସେ ଶାନ୍ତହେଲା ।

 

ଟିକିଏ ଅଟକିଯାଇ କହିଲା–ତାପରେ ତୁମ ବିବାହର ନିମନ୍ତ୍ରଣ ପତ୍ର ଆସି ପହଞ୍ଚିଲା ।

 

ଏଥର ସେ ମଧ୍ୟ ମୋତେ ବାଧାଦେଲା । କହିଲା–ହଁ ହେ ମୁଁ ଜାଣେ । ରାଗ କରି ଯଦି ଲେଖିଦେଇଥାନ୍ତି–କରିବାର ଯଦି ଇଚ୍ଛା ତେବେ ବିବାହ କରିପାରି । କରିଥାନ୍ତ ତ ?

 

: ନା ।

 

: ନା କାହିଁକି ? ତୁମେ ତ ସବୁ କରିପାର ।

 

: ସବୁ କାମ କରିପାରେ ସତ । କିନ୍ତୁ କେତେଟା କାମ ମଧ୍ୟ କରିପାରେ ନାହିଁ ।

 

ରାଜଲକ୍ଷ୍ମୀ କହିବାକୁ ଲାଗିଲା–କେଜାଣି ରତନ ମନେମନେ କ’ଣ ବୁଝିଲା, କେବଳ ଦେଖିଲି ମୋ ମୁହଁକୁ ଚାହିଁବାକ୍ଷଣି ତା’ ଆଖି ଲୁହ ଛଳ ଛଳ ହୋଇଆସେ । ତାପରେ ତା’ ହାତରେ ଯେତେବେଳେ ଚିଠିର ଉତ୍ତର ଡାକରେ ପକାଇବାକୁ ଦେଲି ସେ କହିଲା, ନା, ଏ ଚିଠିଟି ଡାକରେ ପକାଇପାରିବି ନାହିଁ । ମୁଁ ନିଜେ ଯାଇ ହାତରେ ଦେଇଆସିବି । କହିଲି–ମିଛଟାରେ ଏତେଗୁଡ଼ାଏ ଟଙ୍କା ଶ୍ରାଦ୍ଧକରି ଲାଭ କ’ଣ ବାବା ? ରତନ ହଠାତ୍ ଆଖିକୁ ଲୁଗାକାନିରେ ପୋଛି କହିଲା–କ’ଣ ଅବଶ୍ୟ ହୋଇଛି ପଦ୍ମାନଦୀକୂଳ ଖାଇବାରେ ଲାଗିଛି । ଗଛପତ୍ର ଘରଦ୍ୱାର, ପ୍ରଭୃତି କେତେବେଳେ ଯେ ନେଇ ସମୁଦ୍ରରେ ପକାଇଦେବ ତା’ର କେଉଁ ଠିକଣା ଅଛି ? ତୁମ ଦୟାରୁ ମୋର ଆଉ କିଛି ଅଭାବ ନାହିଁ ମାଆ, ଟଙ୍କା ତୁମେ ଦେଲେ ମଧ୍ୟ ମୁଁ ନେଇପାରିବି ନାହିଁ । କିନ୍ତୁ ବିଶ୍ୱନାଥ ଯଦି ସୁଦୟା କରନ୍ତି ତେବେ ମୋ ଗାଆଁରେ ଥିବା ତୁମ ଦାସୀ ପାଇଁ କିଛି ପ୍ରସାଦ ପଠାଇ ଦେଉଥିବ । ସେ ସେତିକି ଖାଇ ବଞ୍ଚିଯିବ ।

 

କହିଲି– ଭଣ୍ତାରୀଟୋକା ତ ବଡ଼ ସିହାଣିଆ ଦେଖୁଛି ?

 

ମୋ କଥା ଶୁଣି ରାଜଲକ୍ଷ୍ମୀ କେବଳ ଚୁପି ଚୁପି ହୋଇ ହସିବାକୁ ଲାଗିଲା । କହିଲା– ଆଉ ଡେରି କରନାହିଁ–ଯାଅ ।

 

ଦିପହର ବେଳେ ସେ ମୋତେ ଖାଇବାକୁ ଦେଲାବେଳେ କହିଲି–କାଲି ପଅରଦିନ ତ ପିନ୍ଧୁଥିଲ ଆଠ ହାତି ଥାନ । ଆଜି ସକାଳୁ ବନାରସୀ ପାଟର ସମାରୋହ କାହିଁକି ଚାଲିଛି. କହିଲ-?

 

: ତୁମେ କୁହତ କାହିଁକି ?

 

: ମୁଁ ଜାଣିନାହିଁ ।

 

: ନିଶ୍ଚୟ ଜାଣ । ଏ ଶାଢ଼ି ଖଣ୍ତକୁ ଚିହ୍ନିପାରୁଛ ?

 

: ହଁ ପାରୁଛି । ବର୍ମାରୁ ମୁଁ ତୁମ ପାଇଁ କିଣି ପଠାଇଥିଲି ।

 

ରାଜଲକ୍ଷ୍ମୀ କହିଲା– ସେଦିନଠାରୁ ମୁଁ ଭାବିକରି ଠିକ୍ କରିଥିଲି ଜୀବନରେ ସବୁଠାରୁ ଯେଉଁଦିନଟି ସ୍ମରଣୀୟ ହେବ, ତାକୁ ସେଇଦିନ ହିଁ ପିନ୍ଧିବି । ତାହା ବ୍ୟତୀତ ଆଉ ଅନ୍ୟଦିନ ପିନ୍ଧିବି ନାହିଁ ।

 

: ସେହିଦିନଟି ବୋଧହୁଏ ଆଜି ?

 

: ହଁ, ସେଇଥିପାଇଁ ତ ଆଜି ପିନ୍ଧିଛି ।

 

ହସିଦେଇ କହିଲି–ହଉ ହେଲା ଏବେ । ଏଥର ବଦଳାଇପକା ।

 

ସେ ଚୁପ୍ ହୋଇ ରହିଲା ।

 

ମୁଁ କହିଲି– ଖବର ପାଇଲି ତୁମେ କୁଆଡ଼େ ବର୍ତ୍ତମାନ କାଳୀଘାଟ ଯିବ ?

 

ରାଜଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ କହିଲା– ବର୍ତ୍ତମାନ ! ତାହା କିମିତି ହେବ ? ତୁମକୁ ଖୁଆଇ ପିଆଇ, ଶୁଆଇ ସାରିଲେ ତେବେ ସିନା ଛୁଟି ପାଇବି ।

 

କହିଲି–ନା, ସେତେବେଳେ ମଧ୍ୟ ଛୁଟି ପାଇପାରିବି ନାହିଁ । ରତନ କହୁଥିଲା–ତୁମର ଖାଇବା ପିଇବା ପ୍ରାୟ ବନ୍ଦ ହୋଇଯାଇଛି । କାଲିମାତ୍ର ଦୁଇପଟ ପରଟା ଖାଇଥିଲ । ଆଉ ପୁଣି ଆଜି ସକାଳୁ ଆରମ୍ଭ ହୋଇଯାଇଛି ଉପବାସ । ମୁଁ କ’ଣ ସ୍ଥିର କରିଛି ଜାଣ ? ଏଣିକି ତୁମକୁ କଡ଼ା ଶାସନରେ ରଖିବି । ଯାହା ଇଚ୍ଛା ତାହା ଆଉ କରିପାରିବ ନାହିଁ ।

 

: ସେଥିପାଇଁ ତୁମେ ଆଜି କାଳୀଘାଟ ଯାଇପାରିବ ନାହିଁ ।

 

ରାଜଲକ୍ଷ୍ମୀ ହାତଯୋଡ଼ି କହିଲା– ତୁମ ପାଦତଳେ ପଡ଼ୁଛି, କେବଳ ଆଜିର ଦିନଟି ମୋତେ ଭିକ୍ଷା ଦିଅ । ତାପରେ ପୂର୍ବେ ନବାବ ବାଦଶାହାଙ୍କ ପାଖରେ କଣାଦାସୀ ଭଳି ରହିଥିବି ।

 

: ଏତେ ବିନୟ କାହିଁକି କୁହତ ?

 

: ବିନୟ ତ ନୁହଁ–ସତକଥା । ଆପଣାର ଓଜନ ବୁଝି ଚଳି ଆସିନାହିଁ, ତୁମକୁ ମାନିନାହିଁ; ସେଥିପାଇଁ ଅପରାଧ ପରେ ଅପରାଧ କରି କେବଳ ମୋ ସାହସ ବଢ଼ିଯାଇଛି । ଆଜି ମୋର ସେହି ଲକ୍ଷ୍ମୀର ଅଧିକାର ତୁମ ନିକଟରେ ଆଉ ନାହିଁ । ନିଜ ଦୋଷରେ ହରାଇ ବସିଛି ।

 

ଚାହିଁ ଦେଖିଲି ତା’ ଆଖିରେ ଲୁହ ଆସିଯାଇଛି । କହିଲା–କେବଳ ଆଜି ଦିନଟି ପାଇଁ ଅନୁମତି ଦିଅ । ମୁଁ ଯାଇ ମାଆଙ୍କର ଆଳତୀ ଦର୍ଶନ କରିଆସେ ।

 

କହିଲି– ନହେଲେ କାଲି ଯିବ । ନିଜେ ତ କହୁଛ ସାରା ରାତି ଅନିଦ୍ରା ରହି ମୋର ସେବା କରିଛି । ଆଜି ପ୍ରକୃତରେ ତୁମେ ବଡ଼ କ୍ଳାନ୍ତ ହୋଇପଡ଼ିଛ ।

 

ରାଜଲକ୍ଷ୍ମୀ କହିଲା– ନା, ମୋର କୌଣସି କ୍ଳାନ୍ତ ନାହିଁ କେବଳ ଆଜି ବୋଲି ନୁହେଁ, କେତେ ଅସୁସ୍ଥତା ଭିତରେ ଦେଖିଥିବ ରାତି ପରେ ରାତି ଉଜାଗର ରହି ମଧ୍ୟ ତୁମ ସେବା କଲେ ମୋତେ କଷ୍ଟ ହୋଇନାହିଁ । କିଏ ଯେପରି ମୋର ସମସ୍ତ ଅବସାଦକୁ ପୋଛିଦେଇଯାଏ । କେତେଦିନ ହେବ ଠାକୁର ଦେବତାଙ୍କୁ ଭୁଲିଯାଇଥିଲି–ସୁନାଟି ପରା ମୋତେ ଯିବାକୁ ହୁକୁମ ଦିଅ । ମନାକର ନାହିଁ ।

 

: ତେବେ ଚାଲ, ଦୁଇଜଣ ସାଙ୍ଗହୋଇ ଯିବା ।

 

ରାଜଲକ୍ଷ୍ମୀର ଦୁଇଆଖି ଉଲ୍ଲାସରେ ଉଜୁଳିଉଠିଲା । କହିଲା–ତେବେ ଚାଲ । କିନ୍ତୁ ମନେମନେ ଠାକୁର ଦେବତାଙ୍କୁ ତାତ୍ସଲ୍ୟ କରିବ ନାହିଁ ତ ?

 

: ଆଗରୁ ଶପଥ କରିପାରିବି ନାହିଁ । ବରଞ୍ଚ ତୁମ ଫେରିବା ବାଟକୁ ଚାହିଁ ମନ୍ଦିର ଦୁଆରେ ଅପେକ୍ଷା କରି ରହିବି । ମୋର ହୋଇ ତୁମେ ଦେବୀଙ୍କଠାରୁ ବର ମାଗିନେବ ।

 

: କ’ଣ ବର ମାଗିବ ତାହାହେଲେ କୁହ ?

 

ଭାତଗୁଣ୍ତା ପାଟିକୁ ନେଉନେଉ କେତେ ଭାବିବାକୁ ଲାଗିଲା–କିନ୍ତୁ କୌଣସି କାମନା ଖୋଜିକରି ପାଇପାରିଲି ନାହିଁ । ସେକଥା ସ୍ୱୀକାର କରି ପ୍ରଶ୍ନ କଲି–ତୁମେ କୁହ ତ ଲକ୍ଷ୍ମୀ, ତୁମେ ମୋ ପାଇଁ କି ବର ମାଗିପାରିବ ?

 

: ମାଗିବି ଦୀର୍ଘାୟୁ । ପ୍ରାର୍ଥନା କରିବି ନିରୋଗ ଶରୀର । ଆଉ ମାଗିବ ମୋଉପରେ ତୁମେ ଯେପରି ଏଣିକି ନିଷ୍ଠୁର ହୋଇପାର । ପ୍ରଶୟ ଦେଇ ତୁମେ ମୋର ସର୍ବନାଶ କରି ନବସ ଯେମିତି ଏବେ କରିବାକୁ ବସିଥିଲ ।

 

: ଲକ୍ଷ୍ମୀ, ଏସବୁ ତୁମ ଅଭିମାନର କଥା ।

 

: ଅଭିମାନ ତ ଅଛି । ତୁମର ସେ ଚିଠି ଖଣ୍ତିକର ଭାଷା କ’ଣ କେବେ ଭୁଲିପାରିବି !

 

ଅଧୋମୁଖରେ ନୀରବ ହୋଇ ରହିଲି ।

 

ସେ ହାତରେ ମୋ ମୁଁହଟିକୁ ତୋଳି ଧରି କହିଲା– ତେବେ କୁହ ସେ କଥା ତମଦ୍ୱାରା ସମ୍ଭବ ହୋଇପାରିବ ନାହିଁ । ଯେହେତୁ କଠୋର ବା ନିଷ୍ଠୁର ତୁମେ ହୋଇପାରିବ ନାହିଁ । କାରଣ ସେଇଟା ତୁମର ସ୍ୱଭାବ ନୁହେଁ । କିନ୍ତୁ ଏ କାମ ଆଜିଠାରୁ ମୋତେ ହିଁ କରିବାକୁ ପଡ଼ିବ । ଅବହେଳା କଲେ ଚଳିବ ନାହିଁ ।

 

: କାମଟା କ’ଣ ଶୁଣେ ? ପୁଣି କ’ଣ ଖାଡ଼ା ଉପାସ ?

 

: ଉପବାସ ଦ୍ୱାରା ମୋର ଶାସ୍ତି ହୁଏ ନାହିଁ ବରଂ ଅହଙ୍କାର ବଢ଼େ । ସେଇଟା ମୋ ବାଟ ନୁହେଁ ।

 

: ତେବେ ବାଟଟା କ’ଣ ବୋଲି ଠିକ୍ କରିଛ ?

 

: ଠିକ୍ କରିପାରିନି ବୋଲି ଖୋଜିବୁଲୁଛି ।

 

: ଆଚ୍ଛା, କେବେ ମୁଁ କଠିନ ହୋଇପାରିବି ? ଏଭଳି ବିଶ୍ୱାସ କ’ଣ ପ୍ରକୃତରେ ତୁମର ହୁଏ ?

 

: ହୁଏ ଗୋ ହୁଏ, ଭଲକରି ହୁଏ ।

 

: କଦାପି ହୁଏ ନାହିଁ । ଏଗୁଡ଼ାକ ତୁମେ ମିଛ କହୁଛ ।

 

ରାଜଲକ୍ଷ୍ମୀ ମୁଣ୍ତହଲାଇ ହସି ହସି କହିଲା–ପ୍ରକୃତରେ ମିଛକଥା ତ । କିନ୍ତୁ ସେଇ ହୋଇଛି ମୋର ବିପଦ ଗୋସାଇଁ କିନ୍ତୁ ଭଲ ନାଆଁଟିଏ ବାହାର କରିଦେଇଛି ତୁମର ସେଇ କମଳଲତା । କେବଳ–ଓଗୋ–ହଁ–ଗୋ ହଁ କହି ପ୍ରାଣଯାଉଛି । ଏଣିକି ମୁଁ ମଧ୍ୟ ଡାକିବି ନୂତନ ଗୋସାଇଁ ବୋଲି ।

 

: ଆନନ୍ଦରେ

 

ରାଜଲକ୍ଷ୍ମୀ କହିଲା–କିନ୍ତୁ କାଳେ ହଠାତ୍ କମଳଲତା ବୋଲି ଭୁଲରେ ଯଦି ଭାବିବସିବ ନା ? ତଥାପି ବି ମୁଁ ତହିଁରେ ଆନନ୍ଦିତା ହେବି । କ’ଣ ଠିକ୍ କହୁଛି ନା ?

 

: ଲକ୍ଷ୍ମୀ, ସ୍ୱଭାବ କେବେ ମଲେ ସୁଦ୍ଧା ବଦଳେ ନାହିଁ । ବାଦଶାହା ଅମଳର କିଣା ଦାସୀଭଳି କଥା କହୁଛ ସତ । ଏତେବେଳକୁ ସେମାନେ ତୁମକୁ କଂସେଇ ହାତକୁ ଟେକିଦେଇ ସାରନ୍ତେଣି–କହି ହସିଦେଲି ।

 

ଶୁଣିକରି ରାଜଲକ୍ଷ୍ମୀ ହସି ହସି କହିଲା–ମୁଁ ତ ଆପଣାଛାଏଁ ନିଜକୁ କଂସେଇ ହାତରେ ସଂପି ଦେଇସାରିଛି ।

 

: ଚିରକାଳ ତୁମେ ଏତେ ଦୁଷ୍ଟ ଯେ କେଉଁ କଂସେଇର ସାଧ୍ୟ ନାହିଁ ତୁମକୁ ଶାସନ କରିବ ।

 

ରାଜଲକ୍ଷ୍ମୀ ଉତ୍ତର ଦେବାପାଇଁ କ’ଣ ଯେପରି କହିଆସୁଥିଲା, ଏଇ ସମୟରେ ହଠାତ୍ ଚମକିଲାପରି ହୋଇ ଉଠି ଠିଆହୋଇପଡ଼ି କହିଲା–ବ’ଣ ଖିଆ ସରିଗଲାଣି ନା ? ଦୁଧ ପିଇ ନାହିଁ ତ ? ମୋ ମୁଣ୍ତ ଖାଇବ ଯଦି ଖାଇବାରୁ ଉଠିପଡ଼ିବ । କହୁ କହୁ ସେ ବିଜୁଳିବେଗରେ ବାହାରି ଚାଲିଗଲା । ଦୀର୍ଘନିଃଶ୍ୱାସ–ସଙ୍ଗେସଙ୍ଗେ ପାଟିରୁ ବାହାରିପଡ଼ିଲା–ଇୟେ ଆଉ ପୁଣି ସେଇ କମଳଲତା !

 

ଦି’ମିନିଟ୍ ଭିତରେ ଫେରିଆସି ଖାଇବା ପାଖରେ ଦୁଧଗିନାକୁ ରଖି ପଙ୍ଖାଧରି ବିଞ୍ଚିବାକୁ ଲାଗିଲା । କହିଲା–ଏତେକାଳଧରି ମନେହେଉଥିଲା ଏ ନୁହେଁ...କେଉଁଠି ଯେପରି ମୋର ପାପ ରହିଯାଇଛି । ସେଥିପାଇଁ ଗଙ୍ଗାମାଟିରେ ମନ ଲାଗିଲା ନାହିଁ । ଫେରିଆସିଲି କାଶୀକୁ । ଗୁରୁଦେବଙ୍କୁ ଡାକିଆଣି ଗହଣାସବୁ ଖୋଲିକରି ରଖିଦେଇ, ମୁଣ୍ତବାଳ କାଟି, ଏକବାରେ ତପସ୍ୟା କରିବସିଲି । ଭାବିଲି–ଆଉ ଚିନ୍ତା ନାହିଁ । ସ୍ୱର୍ଗକୁ ସୁନାର ସିଡ଼ି ଜାଣ ତିଆରି ହୋଇଗଲା । ଗୋଟାଏ ବିପଦ ଥିଲ ତୁମେ...ତୁମେ ତ ବିଦାୟ ନେଇଗଲ । କିନ୍ତୁ ସେଇଦିନଠାରୁ ଆଖିରୁ ଲୁହ ଶୁଖିଲା ନାହିଁ । ଇଷ୍ଟମନ୍ତ୍ର ଭୁଲିବସିଲି । ଠାକୁର ଦେବତା ଅନ୍ତର୍ଦ୍ଧାନ ହୋଇଗଲେ । ଛାତି ଥରିଉଠିଲା । ଭୟ ହେଲା; ଯଦି ଧର୍ମପାଇଁ ସାଧନା କରନ୍ତି ତେବେ ଏସବୁ ହେଉଛି କାହାପାଇଁ ? ଶେଷରେ ପାଗଳ ହୋଇଯିବ କି !

 

ମୁଁ ମୁଁହ ତଳୁ ଉଠାଇ ତା’ ମୁହଁକୁ ଚାହିଁଲି । କହିଲି–ତପସ୍ୟା ଆରମ୍ଭରେ ଦେବତାମାନେ ଭୟ ଦେଖାନ୍ତି । ଅଟଳ ରହିପାରିଲେ ଯାଇ ସିଦ୍ଧିଲାଭ ହୁଏ ।

 

: ସିଦ୍ଧିରେ ମୋର ପ୍ରୟୋଜନ ନାହିଁ । ତାହା ମୁଁ ପାଇସାରିଛି ।

 

: କେଉଁଠୁ ପାଇଲ ?

 

: ଏଇଠାରେ, ଏଇ ଘରେ ।

 

: ବିଶ୍ୱାସ ହେଉନାହିଁ, । ତେବେ ପ୍ରମାଣ ଦିଅ ।

 

: ପ୍ରମାଣ ଦେବି ତୁମକୁ ? ମୋ ଗରଜ ସରୁନି ।

 

: କିନ୍ତୁ କ୍ରୀତଦାସୀମାନେ ଏପରି କହିପାରନ୍ତି ନାହିଁ ।

 

: ଦେଖ, ରଗାଅନା କହୁଛି । ଶହେଥର କ୍ରୀତଦାସୀ–କ୍ରୀତଦାସୀ କହିଲେ ଅବସ୍ଥା ଭଲହେବ ନାହିଁ ।

 

: ଆଚ୍ଛା, ଖଲାସ କରିଦେଲି । ବର୍ତ୍ତମାନଠାରୁ ତୁମେ ସ୍ୱାଧୀନ ।

 

ରାଜଲକ୍ଷ୍ମୀ ଖିଲଖିଲ ହୋଇ ହସି କହିଲା–ମୁଁ ଯେ କେତେଦୂର ସ୍ୱାଧୀନ, ବର୍ତ୍ତମାନ ତାହା ମୁଁ ହାଡ଼େ ହାଡ଼େ ଜାଣିପାରୁଛି । କାଲି କଥା କହୁ କହୁ ତୁମେ ଶୋଇପଡ଼ିଲ । ମୋ ଗଳାରୁ ତୁମ ହାତଟିକୁ ଘୁଞ୍ଚାଇ ରଖିଦେଇ ମୁଁ ଉଠି ବସିଲି । ହାତଦେଇ ଦେଖେ ତ ଝାଳରେ ତୁମ କପାଳ ପୂରା ଓଦା । ପଣତକାନିରେ ପୋଛି ଦେଇ ସାରି ଖଣ୍ଡିଏ ପଙ୍ଖାଧରି ବସିଲି । ମିଞ୍ଜିମିଞ୍ଜି ଆଲୁଅଟା ତେଜିଦେଲି । ତେଣିକି ତୁମର ଘୁମନ୍ତ ମୁହଁରୁ ଆଖି ଫେରାଇ ପାରିଲି ନାହିଁ । ଏଇ ମୁହଁଟା ଯେ ଏତେ ସୁନ୍ଦର କିନ୍ତୁ ଆଗରୁ କେବେ ମୋ ଆଖିରେ ପଡ଼ିନଥିଲା ? ଏତେଦିନ ଧରି କ’ଣ ଅନ୍ଧୁଣୀ ହୋଇ ରହିଥିଲି କି ? ଭାବିଲି ଏହା ଯଦି ପାପ ହୁଏ ତେବେ ପୁଣ୍ୟରେ ମୋର ଆବଶ୍ୟକତା ନାହିଁ-। ଏହା ଯଦି ଅଧର୍ମ ହୁଏ ତେବେ ଥାଉ ମୋର ଧର୍ମଚର୍ଚ୍ଚା । ଜୀବନରେ ଯଦି ଏହା ମିଥ୍ୟା ହୁଏ ତେବେ ଜ୍ଞାନ ନ ହେବାବେଳୁ କାହା କଥାରେ ତାଙ୍କୁ ବରଣ କରିବସିଥିଲି ? ହଠାତ୍‌ ଚମକିଉଠିଲା ପରି କହିଲା ଏ କ’ଣ ପିଉ ନାହିଁ ଯେ ? ସବୁ ଦୁଧ ଯେ ଗିନାରେ ରହିଲା ।

 

: ଆଉ ପିଇପାରୁ ନାହିଁ ।

 

: ତେବେ କିଛି ଫଳ ନେଇଆସୁଛି ।

 

: ନା, ତାହା ମଧ୍ୟ ନୁହେଁ ।

 

: କିନ୍ତୁ ବଡ଼ ରୋଗିଣା ହୋଇଯାଇଛି ଯେ ?

 

: ଯଦି ହୋଇଯାଇଥାଏ, ତେବେ ସେ ବହୁଦିନ ଧରି ଅବହେଳା ହେତୁ । ଗୋଟିଏ ଦିନରେ ତାକୁ ସଂଶୋଧନ କରି ବସିଲେ ମରିଯିବି ଯେ...

 

ବେଦନାରେ ମୁହଁ ତା’ର ମଳିନ ହୋଇଉଠିଲା । କହିଲା–ଆଉ କହିବି ନାହିଁ । ଯେଉଁ ଶାସ୍ତି ପାଇଲି ତାହା ଆଉ ଭୁଲିପାରିବି ନାହିଁ । ଏଇ ହେଲା ମୋର ଯଥେଷ୍ଟ ଲାଭ । କିଛି ସମୟ ନୀରବ ରହିବା ପରେ ଧୀରେ ଧୀରେ କହିବାକୁ ଲାଗିଲା । ଭୋର ହେବାରୁ ଉଠିଆସିଲି । ଭାଗ୍ୟକୁ କୁମ୍ଭକର୍ଣ୍ଣ ନିଦ୍ରା ହଠାତ୍‌ ଭାଙ୍ଗିପାରେ ନାହିଁ । ସେଥିପାଇଁ ଲୋଭରେ ତୁମକୁ ଉଠାଇ ବସିଲି–ନା ଆଉ କିଛି ଅଛି ? ତା’ପରେ ଦରଓ୍ୱାନକୁ ସଙ୍ଗରେ ନେଇ ଗଙ୍ଗାକୁ ଗାଧୋଇଗଲି । ମାଆ ଯେପରି ସମସ୍ତ ପାପ ଧୋଇନେଲେ । ଘରକୁ ଆସି ଆହ୍ନିକ କରିବାକୁ ବସିଲି । ଦେଖିବାକୁ ପାଇଲି ତୁମେ ଏକାକୀ ଫେରିଆସି ନାହଁ, ସଙ୍ଗରେ ଫେରି–ଆସିଛି ମୋ ପୂଜାର ମନ୍ତ୍ର । ଆସିଛନ୍ତି ମୋ ଇଷ୍ଟ ଦେବତା । ଗୁରୁଦେବ–ଆଉ ଆସିଛି ମୋ ଶ୍ରାବଣର ମେଘ । ଆଜି ମଧ୍ୟ ଆଖିରୁ ଆଖିଏ ଲୁହ ବହିବାକୁ ଲାଗିଲା । କିନ୍ତୁ ସେ ମୋ ହୃଦୟର ରକ୍ତମଖା ଅଶ୍ରୁ ନୁହେଁ, ମୋର ଆନନ୍ଦରେ ଉଛୁଳି ଉଠୁଥିବା ଝରଣାର ଧାରା । ତାହା ମୋର ସବୁ ଦିଗକୁ ଭିଜାଇ ଦେଇ, ଭସାଇ ଦେଇ ବହିଗଲା । ଆଣୁଛି ଦୁଇଟା ଫଳ ? ଅନେକଦିନ ହେବ ପନିକି ଧରି କାଟି ତୁମ ପାଖରେ ବସି ଖୁଆଇ ଦେଇପାରି ନାହିଁ, ଯାଉଛି ? କ’ଣ କହୁଛି ?

 

: ଯାଅ ।

 

ରାଜଲକ୍ଷ୍ମୀ ତରତର ହୋଇ ଚାଲିଗଲା ।

 

ମୁଁ ପୁଣି ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ିଲି । ଭାବିଲି–ଇୟେ ଆଉ ପୁଣି କମଳଲତା !

 

କେଜାଣି କିଏ ଏହାର ନାମ ବାଛି ବାଛି ରାଜଲକ୍ଷ୍ମୀ ରଖିଥିଲା !

 

ଦୁଇଜଣଯାକ କାଳୀଘାଟରୁ ଯେତେବେଳେ ଫେରିଆସିଲୁ ସେତେବେଳକୁ ରାତି ନଅଟା । ରାଜଲକ୍ଷ୍ମୀ ସ୍ନାନ ସାରି ଲୁଗା ବଦଳାଇ ସାଧାରଣ ସ୍ତ୍ରୀଲୋକ ଭଳି ମୋପାଖରେ ଆସି ବସିଲା ।

 

କହିଲି– ଯାହାହେଉ ରାଜକୀୟ ପୋଷାକ ଛାଡ଼ିବା ଦେଖି ଭାବୁଛି ବଞ୍ଚିଗଲି ।

 

ରାଜଲକ୍ଷ୍ମୀ ମୁଣ୍ଡ ହଲାଇ କହିଲା–ସେ ମୋର ରାଜକୀୟ ପୋଷାକ ହିଁ ସତ । କିନ୍ତୁ ରାଜାଙ୍କ ଦାନ ଯେ ! ଯେତେବେଳେ ମରିଯିବି ସେତେବେଳେ ଏଇ ଶାଢ଼ିଟା ମୋତେ ପିନ୍ଧାଇଦେବ ତ ?

 

: ସେଇଟା ହେବ । କିନ୍ତୁ ସାରାଦିନ କ’ଣ କେବଳ ତୁମେ ସ୍ୱପ୍ନ ଦେଖି ଦେଖି କାଟିବ, ଏଥର କିଛି ଖାଅ ।

 

: ଖାଇବି ।

 

: ରତନକୁ କହିଦେଉଛି ପୂଜାରୀକୁ ଏଠାକୁ ତୁମପାଇଁ ଖାଇବାକୁ ଆଣିବାକୁ କହିଦେବ ।

 

: ଏଇଠାକୁ ! ଯାହାହେଉ, ଭଲ ହେଲା । ତୁମ ଆଗରେ ବସି ମୁଁ ଖାଇବି କାହିଁକି ? କେବେ ଖାଇବାର ଦେଖିଛି ମୋତେ ?

 

: ଦେଖିନି, କିନ୍ତୁ ଏଣିକି ଦେଖିଲେ ଦୋଷ କ’ଣ ?

 

: ତାହା କ’ଣ ହୋଇପାରେ ! ଝିଅମାନଙ୍କର ରାକ୍ଷସୀ ଭଳି ଖାଇବାକୁ ମୁଁ ଅବା ତୁମକୁ ଦେଖାଇ ଦେବାକୁ ଯିବି କାହିଁକି ?

 

: ଏ ଫନ୍ଦି ଆଜି ଖଟିବ ନାହିଁ ଲକ୍ଷ୍ମୀ । ତୁମକୁ ଅକାରଣରେ ଉପାସ ରହିବାକୁ ମୁଁ କଦାପି ଦେଇପାରିବି ନାହିଁ । ନଖାଇଲେ ତୁମ ସହିତ ମୁଁ କଥା କହିବି ନାହିଁ ।

 

: କଥା ନ କହିଲେ...

 

: ମୁଁ ମଧ୍ୟ ଖାଇବି ନାହିଁ ।

 

ରାଜଲକ୍ଷ୍ମୀ ହସିପକାଇ କହିଲା– ଏଇଥର ତେବେ ଜିତିପାରିଛି । ଏକଥା କିନ୍ତୁ ମୁଁ ସହ୍ୟ କରିପାରିବି ନାହିଁ ।

 

ପୂଜାରୀ ଫଳମୂଳ, ମିଷ୍ଟାନ ଖାଇବା ଫାଇଁ ଦେଇଗଲା । ସେ ନାଆଁକୁ ମାତ୍ର ଆହାର କରି କହିଲା–ରତନ ବୋଧହୁଏ ତୁମ ପାଖରେ ନାଲିଶ କରିଛି ମୁଁ ଖାଉନାହିଁ ବୋଲି ? କିନ୍ତୁ କିମିତି ଖାଇବି କହିଲ ଐ କଲିକତାକୁ ଆସିଥିଲି ହାରିଯାଇଥିବା ମକଦ୍ଦମାର ଅପିଲ କରିବାକୁ । ତୁମ ବସାରୁ ପ୍ରତିଦିନ ରତନ ଫେରିଆସେ । ମୁଁ ଭୟରେ ପଚାରିପାରେ ନାହିଁ । କାଳେ ସେ କହିବସିବ–ଦେଖାହୋଇଛି । କିନ୍ତୁ ବାବୁ ଆସିଲେ ନାହିଁ । ଯେ ଦୁର୍ବ୍ୟବହାର କରି ବସିଥିଲି ସେଥିରେ ତ ମୋର ଆଉ କହିପାରିବାର କିଛି ନଥିଲା ।

 

: ଆଉ ସେ କଥା କହିବାର ଦରକାର ନାହିଁ । ବସାରେ ନିଜେ ଯେତେବେଳେ ଗୁଞ୍ଜର ପୋକ ଆସି ପହଞ୍ଚି ତେଲୁଗୁଣି ପୋକରେ ପରିଣତ ହୋଇପାରିଲାଣି ...

 

: କିଏ ତେଲୁଗୁଣି ପୋକ–ତୁମେ ?

 

: ସେଇଆ ତ ଭାବୁଛି । ଏପରି ନିରୀହ ଜୀବ ସଂସାରରେ କିଏ ଅଛି ?

 

ରାଜଲକ୍ଷ୍ମୀ ଦଣ୍ଡେ ନୀରବ ରହି ପୁଣି କହିଲା– ଅଥଚ ତୁମକୁ ମନେମନେ ମୁଁ ଭୟ କରେ ସଂସାରରେ ଆଉ କାହାକୁ ଏପରି କରେ ନାହିଁ ।

 

: ବୋଧହୁଏ ଏଇଟା ପରିହାସ । କିନ୍ତୁ କାରଣ ପଚାରିପାରେ କି ?

 

ରାଜଲକ୍ଷ୍ମୀ ପୁଣି କ୍ଷଣକ ପାଇଁ ମୋ ମୁହଁକୁ ଚାହିଁରହି କହିଲା– ତା’ର କାରଣ ତୁମକୁ ମୁଁ ଭଲ କରି ଜାଣେ । ମୁଁ ଜାଣେ ସ୍ତ୍ରୀଲୋକଙ୍କ ପ୍ରତି ତୁମର ଏତେ ଟିକିଏ ଆସକ୍ତି ନାହିଁ । ଯାହା ଅଛି ସେତିକି କେବଳ ଲୋକ ଦେଖାଣିଆ ଶିଷ୍ଟାଚାର । ସଂସାରରେ କେଉଁଥିରେ ତୁମର ଲୋଭ ଏବଂ ଯଥାର୍ଥ ପ୍ରୟୋଜନ ମଧ୍ୟ ନାହିଁ । ତୁମେ ‘ନା’ ବୋଲି କହିଲେ ତୁମକୁ ଫେରାଇବି କହିଲି–ସାମାନ୍ୟ ଭୁଲ ହୋଇଗଲା ଲକ୍ଷ୍ମୀ । ପୃଥିବୀରେ ଗୋଟିଏ ଜିନିଷରେ ମୋର ଲୋଭ ଅଛି, ତାହାହେଲା ତୁମେ-। କେବଳ ଏହିଠାରେ ହିଁ ‘ନାଁ’ ବୋଲି କହିବାକୁ କଷ୍ଟ ହୁଏ । ଏହା ବଦଳରେ ଦୁନିଆରେ ସବୁ କିଛି ମୁଁ ଛାଡ଼ିବାକୁ ପ୍ରସ୍ତୁତ ହୋଇପାରେ, ବୋଧହୁଏ ଶ୍ରୀକାନ୍ତର ଏଇ କଥାଟା ତୁମେ ଜାଣିପାରିନାହଁ-

 

: ହାତଟା ଧୋଇଆସେ ଲୋ...କହି ରାଜଲକ୍ଷ୍ମୀ ଉଠି ଚାଲିଗଲା ।

 

ପରଦିନ ଦିନର ଓ ଦିନାନ୍ତର ସର୍ବବିଧ କାର୍ଯ୍ୟ ସାରି ରାଜଲକ୍ଷ୍ମୀ ଆସି ମୋପାଖରେ ବସିଲା । କହିଲା–କମଳଲତାର ଗଳ୍ପ ଶୁଣିବି–କୁହ ।

 

ଯେତେ ଜାଣିଥିଲି–ସବୁ ଗୋଟି ଗୋଟି କରି କହିଲି । କେବଳ ନିଜ ସମ୍ୱନ୍ଧରେ ତହିଁରୁ କିଛି କିଛି ବାଦ୍‌ ଦେଲି । କାରଣ ସେ ଭୁଲ ବୁଝିବାର ସମ୍ଭାବନା ।

 

ମୂଳରୁ ଚୂଳଯାଏଁ ସବୁ ମନଦେଇ ଶୁଣି ଧୀରେ ଧୀରେ କହିଲା–ଯତୀନର ମରଣଟାହିଁ ତାକୁ ସବୁଠାରେ କଷ୍ଟ ଦେଇଛି । ତା’ ଦୋଷରୁ ସେ ମଲା ।

 

: ତା’ର ଦୋଷ କ’ଣ ?

 

: ଦୋଷ ନୁହେଁ ଆଉ କ’ଣ ? କଳଙ୍କକୁ ଏଡ଼ାଇବା ପାଇଁ ତାକୁ ତ କମଳଲତା ସମସ୍ତଙ୍କଠାରୁ ଆଗ ଡକାଇ କହିଥିଲା–ଆତ୍ମହତ୍ୟା ସାହାଯ୍ୟ କରିବା ପାଇଁ । ସେଦିନ ଯତୀନ ସ୍ୱୀକାର କରିପାରି ନାହିଁ । କିନ୍ତୁ ଆଉଦିନେ କଳଙ୍କ ଏଡ଼ାଇବାକୁ ଯାଇ ତାକୁ ପ୍ରଥମେ ଏଇ ପଥଟାହିଁ ଆଗ ଦିଶିଗଲା । ଏପରି ହିଁ ହୋଇଥାଏ । ସେଥିପାଇଁ ପାପରେ ସାହାଯ୍ୟ କରିବାକୁ କେବେ ବନ୍ଧୁଙ୍କୁ ଡାକିବ ନାହିଁ–ସେଥିରେ ଜଣକର ପ୍ରାୟଶ୍ଚିତ୍ତ ପଡ଼େ ଅନ୍ୟଉପରେ । ସେ ନିଜେ ବଞ୍ଚିରହିଲା କିନ୍ତୁ ମଲା ତା’ର ଆଦରର ଧନ ।

 

: ଯୁକ୍ତିଟା ଭଲ ବୁଝାଗଲା ନାହିଁ–ଲକ୍ଷ୍ମୀ ?

 

: ତୁମେ ବୁଝିବ କିମିତି ? ବୁଝିବ କମଳଲତା ଆଉ ବୁଝିପାରିବ ତୁମର ରାଜଲକ୍ଷ୍ମୀ ।

 

: ଓହୋ ! ଏଇୟା ତେବେ...

 

: ନୁହେଁ ତ କ’ଣ ? ମୋର ବଞ୍ଚିରହିବା କେତେ ମାତ୍ରକ ଯେତେବେଳେ ତୁମ ମୁହଁକୁ ଚାହିଁ ଦେଖେ ?

 

: କିନ୍ତୁ କାଲି କହିଲ ଯେ ତୁମ ମନରୁ ସବ ପାପ ପୋଛି ହୋଇଯାଇଛି ଆଉ କୌଣସି ଗ୍ଳାନି ନାହିଁ । ତାହା କ’ଣ ତେବେ ମିଛ ?

 

: ମିଛ ତ । କଳଙ୍କ ପୋଛି ହୋଇଯିବ ମଲେ । ତା’ ଆଗରୁ ନୁହେଁ । ମରିବାକୁ ଚାହିଁଛି । କିନ୍ତୁ ମରିପାରିନି–କେବଳ ତୁମରି ପାଇଁ ।

 

ସେ କଥା ଅବଶ୍ୟ ମୁଁ ଜାଣେ । କିନ୍ତୁ ଏଥିପାଇଁ ଯଦି ବାରବାର ବ୍ୟଥା ଦିଅ, ମୁଁ ଏପରି ଭାବରେ ନିରୁଦ୍ଦିଷ୍ଟ ହେବି ଯେ ଆଉ ଯେତେ ଖୋଜିଲେ କେଉଁଠି ହେଲେ ପାଇପାରିବ ନାହିଁ ।

 

ରାଜଲକ୍ଷ୍ମୀ ଭୟରେ ମୋ ହାତଟା ଧରିପକାଇ ଛାତିରେ ଚାପିଧରି କହିଲା–ଏପରି କଥା ଆଜିଠାରୁ ଆଉ କେବେ ତୁଣ୍ଡରେ ଧରିବ ନାହିଁ । ତୁମେ ସବୁ କରିପାର । ଯେହେତୁ ନିଷ୍ଠୁରତା କୌଣସି ବାଧା ମାନେ ନାହିଁ ।

 

: ଏପରି କଥା ଆଉ କହିବ ନାହିଁ ତ, କୁହ ?

 

: ନା ।

 

: ମନରେ ଭାବିବ ନାହିଁ, କୁହ ?

 

: ତୁମେ ମୋତେ ଆଉ ଛାଡ଼ି ଚାଲଯିବ ନାହିଁ ତ ?

 

: ମୁଁ ତ କେବେ ଛାଡ଼ି ଚାଲିଯାଇ ନାହିଁ ଲକ୍ଷ୍ମୀ, ଯେତେବେଳେ ଦୂରକୁ ଯାଇଛି କେବଳ ତୁମେ ଚାହଁ ନାହିଁ ବୋଲି....

 

: ସେ ତୁମର ଲକ୍ଷ୍ମୀ ନୁହଁ...ହୁଏତ ଆଉ କେହି ।

 

: ସେଇ ଆଉ କେହିକୁ ଏବେବି ଭୟ କରୁଛି ଯେ ।

 

: ନା, ତାକୁ ଆଉ ଭୟ କର ନାହିଁ । ସେ ରାକ୍ଷସୀ ମରିଛି । ଏହା କହି ସେ ମୋ ହାତଟାକୁ ଜୋରକରି ଧରି ଚୁପ୍‍ ହୋଇ ବସି ରହିଲା ।

 

ପାଞ୍ଚ ଛଅ ମିନିଟ୍ ଏହିପରି ଭାବରେ ରହି ହଠାତ୍ ସେ ପଚାରିଉଠିଲା– ତୁମେ କ’ଣ ପ୍ରକୃତରେ ବର୍ମାକୁ ଯିବ ?

ଶ୍ରୀକାନ୍ତ

 

ହଁ ସତରେ ଯିବି ।

 

କଣ କରିବ ଯାଇ– ଚାକିରି ? କିନ୍ତୁ ଆମେ ତ ଦୁଇଜଣ କେତେ ଅବା ଆମର ଦରକାର ଯେ ?

 

: କିନ୍ତୁ ସେଇତକ ତ ଅର୍ଜିବା ଆବଶ୍ୟକ ।

 

: ସେତକ ଭଗବାନ ଦେଇଦେବେ । କିନ୍ତୁ ତୁମେ ଚାକିରି କରିପାରିବ ନାହିଁ ସେଇଟା ତୁମ ଧାତୁରେ ପୋଷାଇବ ନାହିଁ ।

 

: ନ ପୋଷାଇଲେ ଚାଲିଆସିବି ।

 

: ଆସିବ ତ ଜାଣେ । କେବଳ ଜିଦ୍‌ଧରି ମୋତେ ଏତେଦୂରକୁ ଟାଣିନେଇ କଷ୍ଟ ଦେବାକୁ ଚାହିଁ ।

 

: କଷ୍ଟ ନ କରିପାରିଲେ; ନ ଯାଇପାରେ ।

 

ରାଜଲକ୍ଷ୍ମୀ କ୍ରୁଦ୍ଧ କଟାକ୍ଷ ହାଣି କହିଲା–ଯାଅ–ଚାଲାକି କରନା ।

 

: ଚାଲାକି କରୁନି । ଗଲେ ପ୍ରକୃତରେ ତୁମକୁ କଷ୍ଟ ହେବ । ରନ୍ଧାବଢ଼ା, ବାସନମଜା, ଘରଦ୍ୱାର ପରିଷ୍କାର କରିବା, ଶେଯ ବିଛାଇବା.......

 

: ତେବେ ଚାକର–ଚାକରାଣୀ କ’ଣ କରିବେ ?

 

: ଚାକର–ଚାକରାଣୀ କେଉଁଠୁ ଆସିବେ ? ସେମାନଙ୍କ ପାଇଁ ଟଙ୍କା କୁଆଡ଼ୁ ଆଣିବା ?

 

ରାଜଲକ୍ଷ୍ମୀ କହିଲା– ନଥିଲେ ନାହିଁ । ଯେତେ ଭୟ ଦେଖାଇଲେ ମଧ୍ୟ ମୁଁ ଯିବି ।

 

: ଚାଲ । କେବଳ ତୁମେ ଆଉ ମୁଁ । ଜଞ୍ଜାଳ ଭିତରେ ନା ତୁମେ ପାଇବ ଝଗଡ଼ା କରିବାକୁ ଫୁରୁସତ୍‌–ନା ପାଇବ ପୂଜା ଆହ୍ନିକ କରିବାକୁ ଅବସର ।

 

ହଁ; ହେଲେ ହେଉ ପଛକେ । କାମକୁ କ’ଣ ମୁଁ ଡରୁଛି କି ?

 

: ଡର ନାହିଁ ତ ସତ । କିନ୍ତୁ କରିପାରିବ ନାହିଁ । ଦିନ ଦୁଇଟା ଯାଇନଥିବ ଫେରିଆସିବାକୁ ଅଥୟ କରିପକାଇବ ।

 

: ସେଥିରେ ଅବା ଡରିବାର କ’ଣ ଅଛି ? ସାଙ୍ଗରେ ନେଇଯିବ ପୁଣି ସାଙ୍ଗରେ ଧରି ଫେରିଆସିବ । ଛାଡ଼ିଆସିବାକୁ ପଡ଼ିବ ନାହିଁ ତ ! ଏତିକି କହିସାରି ମୁହୂର୍ତ୍ତକ ଭିତରେ କ’ଣ ଭାବି କହିଉଠିଲା–ହଁ ତାହା ଭାରି ଭଲ । ଦାସଦାସୀ ଲୋକ କେହିନଥିବେ । ଗୋଟିଏ ଛୋଟ ଘରଭିତରେ ତୁମେ ଆଉ ମୁଁ । ଯାହା ଖାଇବାକୁ ଦେବ ତା’ ଖାଇବି । ଯାହା ପିନ୍ଧିବାକୁ ଦେବ; ପିନ୍ଧିବି । ନା, ତୁମେ ହୁଏତ ଦେଖିବ ତେଣିକି ମୁଁ ଫେରିଆସିବାକୁ ମୋଟେ ଚାହିଁବି ନାହିଁ ।

 

ହଠାତ୍‌ ସେ ମୋ କୋଳରେ ମଥାରଖି ଶୋଇପଡ଼ିଲା ଏବଂ ବହୁ ସମୟ ପର୍ଯ୍ୟନ୍ତ ଆଖିବୁଜି ଚୁପ୍ ହୋଇ ପଡ଼ିରହିଲା ।

 

: କ’ଣ ଭାବୁଛ ?

 

ରାଜଲକ୍ଷ୍ମୀ ଆଖି ଟିକିଏ ଚାହିଁଦେଇ ପଚାରିଲା–ଆମେ କେବେ ଯାଉଛେ ?

 

କହିଲି–ଏ ଘରଟାର ଗୋଟାଏ ବ୍ୟବସ୍ଥା କରି ନେଇସାରି–ତା’ପରେ ଯେଉଁଦିନ ଇଚ୍ଛା ସେଦିନ ଯାତ୍ରା କରିବା ।

 

ସେ ମୁଣ୍ଡ ହଲାଇ ଉତ୍ତରଦେଇ ପୁଣି ଆଖିବୁଜିଲା ।

 

: ପୁଣି କ’ଣ ଭାବୁଛ ?

 

ରାଜଲକ୍ଷ୍ମୀ କହିଲା– ଭାବୁଛି ଥରଟିଏ ପାଇଁ ମୃଗରୀପୁରକୁ ଯାଆନ୍ତେ ନାହିଁ ।

 

ବିଦେଶ ଯିବା ପୂର୍ବରୁ ଥରେ ଦେଖାକରି ଆସିବ ବୋଲି କଥାଦେଇ ଆସିଥିଲି ।

 

: ତେବେ ଚାଲ କାଲି ଦୁଇଜଣ ମିଶିକରି ଯିବା ।

 

: ତୁମେ ଯିବ ?

 

: କାହିଁକି ? ଭୟ କାହାକୁ ? ତୁମକୁ ଭଲପାଏ କମଳଲତା; ଆଉ ତାକୁ ଭଲପାଏ ଆମ ଗହର ଭାଇ । ଏ’ ତ ବଡ଼ ବଢ଼ିଆ ହୋଇଛି ।

 

: ଏସବୁ ତୁମକୁ କିଏ କହିଲା ?

 

: ତୁମେ କହିଛ ।

 

: ନା, ମୁଁ କହୁନାହିଁ ।

 

: ହଁ, ତୁମେ ହିଁ କହିଛ–କେବଳ ଜାଣିନାହିଁ କେତେବେଳେ କହି ପକାଇଛି ।

 

ଏକଥା ଶୁଣି ଲାଜରେ ସଙ୍କୁଚିତ ହୋଇପଡ଼ି କହିଲି, ସେ ଯାହାହେଉ, ସେଠାକୁ ତୁମର ଯିବାଟା ଉଚିତ୍‌ ହେବ ନାହିଁ ।

 

: କାହିଁକି ନୁହେଁ ?

 

: ସେ ବିଚାରୀକୁ ଥଟ୍ଟା କରି ତୁମେ ଅସ୍ଥିର କରିପକାଇବ ।

 

ରାଜଲକ୍ଷ୍ମୀ ଭ୍ରୂକୁଞ୍ଚିତ କଲା । କୁପିତ କଣ୍ଠରେ କହିଲା– ଏତେଦିନ ଭିତରେ ମୋର ଏ ପରିଚୟ ପାଇଛ କି ତୁମେ ? ତୁମକୁ ସେ ଭଲପାଉଛି ବୋଲି ମୁଁ ତାକୁ ଲଜ୍ଜିତ କରିବାକୁ ଯିବି ? ତୁମକୁ ଭଲପାଇ ବସିବାଟା ତା’ର କ’ଣ ଅପରାଧ ? ମୁଁ ତ ଗୋଟିଏ ପୁଣି ଝିଅପିଲା । ତୁମେ ଏକଥା କାହିଁକି ଭାବୁନ ଯେ ହୁଏତ ମୁଁ ଯାଇ ତାକୁ ଭଲପାଇପାରିବି ।

 

: ତୁମ ପକ୍ଷରେ କିଛି ଅସମ୍ଭବ ନୁହେଁ ଲକ୍ଷ୍ମୀ, ସେକଥା ମୁଁ ଭଲ କରି ଜାଣେ । ହଉ, ତେବେ ଚାଲ କାଲି ବୁଲିଆସିବା ।

 

: ହଁ ଚାଲ, କାଲି ସକାଳ ଗାଡ଼ିରେ ଦୁଇଜଣ ବାହାରିପଡ଼ିବା । ତୁମ ମନରେ କେତେବେଳେ ହେଲେ ମୁଁ ଦୁଃଖ ଦେବାକୁ ଚାହେଁ ନାହିଁ ।

 

ଏତିକି କହି ସେ କିପରି ହଠାତ୍‌ ଅନ୍ୟମନସ୍କା ହୋଇଉଠିଲା । ଚକ୍ଷୁ ନିମୀଳିତ, ଶ୍ୱାସପ୍ରଶ୍ୱାସ କମି ଆସୁଥାଏ–ହଠାତ୍‌ ସେ ଯେପରି କେତେଦୂର କାହିଁ କୁଆଡ଼େ ଚାଲିଯାଇଥିଲା ପରି ଲାଗିଲା ।

 

ଭୟପାଇ ହଲାଇଦେଇ କହିଲି–ଏ କ’ଣ ?

 

ରାଜଲକ୍ଷ୍ମୀ ଆଖିଖୋଲି ଚାହିଁଲା । ସାମାନ୍ୟ ହସିଦେଇ କହିଲା–କାହିଁ ନାହିଁ ତ–କିଛି ତ ନୁହେଁ !

 

ତାହାର ଏଇ ହସଟା ମୋତେ ଆଜି କିପରି ଅନ୍ୟ ରକମର ଲାଗିଲା ।

 

ପରଦିନ ମୋର ଅନିଚ୍ଛା ହେତୁ ଯିବା ସମ୍ଭବପର ହୋଇପାରିଲା ନାହିଁ । କିନ୍ତୁ ତାପରଦିନ ଆଉ ଅଟକାଇ ରଖିହେଲା ନାହିଁ । ମୁଗରୀପୁର ଆଖଡ଼ା ଉଦ୍ଦେଶ୍ୟରେ ଯାତ୍ରା କରିବାକୁ ହେଲା । ରାଜଲକ୍ଷ୍ମୀର ବାହନ ରତନ । ସେ ନହେଲେ କେଉଁଠାକୁ ପାଦେ ମାତ୍ର ଘୁଞ୍ଚିହୁଏ ନାହିଁ । କିନ୍ତୁ ରୋଷାଇ ଘରର ଦାସୀ ଲାଲୁର ମାଆ ମଧ୍ୟ ଆମ ସଙ୍ଗେ ବାହାରିପଡ଼ିଲା । କେତେକ ଜିନିଷପତ୍ର ନେଇ ରତନ ଭୋର ଗାଡ଼ିରେ ଚାଲିଯାଇଛି । ସେଠାରେ ଷ୍ଟେସନରେ ଓହ୍ଳାଇପଡ଼ି ଖଣ୍ଡେ ଦୁଇଖଣ୍ଡ ଘୋଡ଼ାଗାଡ଼ି ବହିନା କରି ରଖିଥିବ । ଆଉ ଆମମାନଙ୍କ ସଙ୍ଗରେ ଯାହା ଏଣୁତେଣୁ ଜିନିଷ ବନ୍ଧା ହୋଇ ରହିଛି ସେ ସବୁ ବି କିଛି କମ୍‌ ନୁହେଁ ।

 

ପଚାରିଲି–ସେଠାରେ ଘରଦ୍ୱାର କରି ରହିବ କି ?

 

ରାଜଲକ୍ଷ୍ମୀ କହିଲା–ଦିନେ ଦୁଇଦିନ ତ ରହିବ । ଦେଶର ବନଜଙ୍ଗଲ, ନଦୀନାଳ, ଘାଟ, ପଡ଼ିଆ ତୁମେ ଏକାକୀ ଦେଖିଆସିବ ଆଉ କ’ଣ ମୁଁ ସେ ଦେଶର ଝିଅନୁହେଁ ? ମୋର ଦେଖିବା ପାଇଁ ଆଗ୍ରହ ନାହିଁ ।

 

: ତାହା ନଥିବ କାହିଁକି । କିନ୍ତୁ ଏତେଗୁଡ଼ିଏ ଜିନିଷପତ୍ର, ଏତେଗୁଡ଼ିଏ ଭୋଜନ କରିବାର ସାମଗ୍ରୀ...

 

ରାଜଲକ୍ଷ୍ମୀ କହିଲା ଦିଅଁ ଦେବତାଙ୍କ ସ୍ଥାନରୁ କ’ଣ ଖାଲିହାତରେ ଯିବାକୁ କହୁଛ ? ଆଉ ତୁମକୁ ତ ସେସବୁ ବୋହିବାକୁ ପଡ଼ିବ ନାହିଁ । ତେଣୁ ତୁମର ଭାବିବାର କ’ଣ ଅଛି ?

 

ଭାବନା ଯେ କେତେ ଥିଲା ତାହା ଆଉ କହିବି କାହାକୁ ? କିନ୍ତୁ ଏଇ ଭୟଟା ହିଁ ବେଶୀ ଥିଲା ଯେ, ବୈଷ୍ଣବ ବୈରାଗୀମାନଙ୍କ ଛୁଆଁ ଠାକୁରଙ୍କ ପ୍ରସାଦ ସେ ସ୍ୱଚ୍ଛନ୍ଦରେ ମୁଣ୍ଡରେ ଛୁଆଁଇ ପାରିବ ସିନା କିନ୍ତୁ ତୁଣ୍ଡକୁ ନେବ ନାହିଁ । କେଜାଣି ସେଠାକୁ ଯାଇ କେଉଁ ଗୋଟାଏ ବାହାନା ଦେଖାଇ ହୁଏତ ଉପବାସ ଆରମ୍ଭ କରି ବସିବ ଏବଂ ରୋଷେଇ କରିବା ମଧ୍ୟ କଷ୍ଟକର ହୋଇପାରେ । କେବଳ ଗୋଟିଏ ଭରସା ଥିଲା ଯେ ରାଜଲକ୍ଷ୍ମୀ ମନଟି ପ୍ରକୃତରେ ଯାହାକୁ କହନ୍ତି ଭଦ୍ର ମନ । ଉପରେପଡ଼ି ସେ କାହାକୁ କଷ୍ଟ ଦେବାକୁ ଇଚ୍ଛା କରେ ନାହିଁ । ଯଦିବା ଏପରି କିଛି କରେ ତେବେ ହସ ହସି ଥଟ୍ଟା କୌତୁକ ଛଳରେ ଏପରି କହିବ ଯାହାକୁ ମୁଁ ଓ ରତନ ବ୍ୟତୀତ ଆଉ କେହି ବୁଝିପାରିବେ ନାହିଁ ।

 

ରାଜଲକ୍ଷ୍ମୀ ନିଜ ଶରୀରକୁ ସାଜସଜ୍ଜା କରିବାରେ କେବେ ଅଯଥା ସମୟ ନଷ୍ଟ କରେ ନାହିଁ । ସଂଯମ ଓ ଉପବାସ ହେତୁ ଆପଣା ଦେହକୁ ସେ ଦୀପ୍ତିମନ୍ତ କରିପାରିଛି । ଆଜି ପୁଣି ତା’ର ସାଜସଜ୍ଜା ହେଉଛି ବିଚିତ୍ର ଧରଣର । ସକାଳୁ ଉଠି ସ୍ନାନକରି ଆସିଛି । ଗଙ୍ଗା ଘାଟରେ ଥିବା ଓଡ଼ିଆ ବ୍ରାହ୍ମଣମାନଙ୍କର ସଯତ୍ନ ଚନ୍ଦନଚିତା ତା’ର ଲଲାଟରେ ପରିଶୋଭିତ । ପିନ୍ଧିଛି ନାନାପ୍ରକାର ଫୁଲ ଲତାରେ ମଣ୍ଡିତ ଖଣ୍ଡିଏ ବୃନ୍ଦାବନୀ ପାଟ । ଦେହରେ ସେଇ କେତୋଟି ଅଳଙ୍କାର । ଆପଣା କାମରେ ଆପେ ବ୍ୟସ୍ତ ରହିଥିବା ପ୍ରସନ୍ନତା ତା’ ମୁହଁରେ ଲାଗି ରହିଥାଏ । ଗତକାଲି ସେ ଦୁଇଟା ଲମ୍ୱା ଅଇନା ଲାଗିଥିବା ଆଲମାରି ବଜାରକୁ କିଣି ଆଣିଛି । ଆଜି ଯିବାପୂର୍ବରୁ ତାହାଭିତରେ ତରତର ହୋଇ କ’ଣ ସବୁ ପୂରାଇବାରେ ଲାଗିଥିଲା । କାମ କରିବା ସଙ୍ଗେ ସଙ୍ଗେ ହାତରେ ପିନ୍ଧିଥିବା ସୁନା ବାଲା ଦେହରେ ତା’ ଆଖିଦୁଇଟି ଉଜୁଳି ଉଠୁଥିଲା । ହୀରା ଓ ପଥର ସେଟିଙ୍ଗ୍‌ ଗଳା ହାରର ବିଭିନ୍ନ ବର୍ଣ୍ଣଛଟା ଶାଢ଼ିର ଧଡ଼ି ମଧ୍ୟ ତହିଁରେ ପୁଟି ଝଲସି ଉଠୁଥିଲା । ତା’ କାନପାଖରେ ଯେପରି ନୀଳାଭ ଦିପ୍ତି ଝଟକୁଥିଲା । ଟେବୁଲରେ ବସି ମୁଁ ଚାହା ପିଉ ପିଉ ଏକଲୟରେ ସେହିଆଡ଼େ ଚାହିଁରହିଥିଲି । ତା’ର ଗୋଟାଏ ବଡ଼ ଦୋଷ ଥିଲା ସେ ଘରେ ଥିଲାବେଳେ ଦେହରେ ସେମିଜ୍‌ କିମ୍ୱା ବ୍ଳାଉଜ ପିନ୍ଧେ ନାହିଁ । ତା’ର କଣ୍ଠ ଓ ବାହୁର ଅନେକ ଅଂଶ ତେଣୁ ସେ ଅସତର୍କ ରହୁଥିବା ବେଳେ ଅନାବୃତ ହୋଇପଡ଼ୁଥିଲା । ଅଥଚ କହିଲେ ସେ ହସିଉଠି କହେ–ମୁଁ ଏତେଆଡ଼କୁ ନିଘା କରିପାରିବି ନାହିଁ । ମଫସଲୀ ଝିଅ ମୁଁ ମୋତେ ଏଇ ସହରୀ ବାବୁଆଣୀ ଫେସନ ଆସେନା । ଅର୍ଥାତ୍‌ ସେମିଜ ଓ ବ୍ଳାଉଜଗୁଡ଼ାକ ବେଶୀ ପିନ୍ଧାପିନ୍ଧି କଲେ ତାହାଭଳି ଶୁଚିବାଇ ବେମାରୀଗ୍ରସ୍ତା ସ୍ତ୍ରୀଲୋକକୁ ବଡ଼ ଅଡ଼ୁଆ ଲାଗେ ।

 

ଆଲମାରିରେ ବନ୍ଦ କରିବା ପରେ ହଠାତ୍‌ ତା’ ଆଖିପଡ଼ିଲା ମୋ ଉପରୁ । ତରତର ହୋଇ ଦେହରେ ଲୁଗାକୁ ସମ୍ଭାଳି ନେଇ ଫେରିପଡ଼ି ରାଗିକରି କହିଉଠିଲା–ମୋତେ ଚାହିଁ ରହିଛ ଯେ ? ଏପରି ଭାବରେ ଥରକୁଥର ମୋତେ କ’ଣ ଏତେ ଦେଖୁଛ କହିଲ ? କହିଦେଇ ସାରି ଫେଁ କରି ହସିଦେଲା ।

 

ମୁଁ ହସି ପକାଇଲି । କହିଲି– ଭାବୁଥିଲି, ବିଧାତାକୁ କିଏ ଯେପରି ଫର–ମାସ ଦେଇ ତୁମକୁ ଗଢ଼ାଇଥିଲା ।

 

ରାଜଲକ୍ଷ୍ମୀ କହିଲା– ସେ ଆଉ କିଏ ହେବ ? ତୁମେ ନହେଲେ ଏପରି ସୃଷ୍ଟି ଆଉ କାହାର ପସନ୍ଦ ହୋଇପାରିଥିବ ? ମୋର ଜନ୍ମ ହେବାର ପାଞ୍ଚବର୍ଷ ଆଗରୁ ତାଙ୍କୁ ବହିନା ଦେଇକରି ଆସିଥିଲ ଏକଥା ତୁମର ମନେ ନାହିଁ–ବୋଧହୁଏ ?

 

: ନା, କିନ୍ତୁ ତୁମେ ସେ କଥା ଜାଣିଲ କିପରି ?

 

: ମର୍ତ୍ତ୍ୟକୁ ପଠାଇବା ବେଳେ ସେ ମୋ କାନରେ ଚୁପଚାପ କରି କହିଦେଇଥିଲେ । କିନ୍ତୁ ଚାହାଖିଆ ସଇଲା ତ ? ଡେରିକଲେ ଆମେ ଯେ ଆଉ ଯାଇପାରିବା ନାହିଁ ।

 

: ନଗଲେ ଅବା ?

 

: କାହିଁକି, କୁହ ତ ?

 

: ସେଠାରେ ଭିଡ଼ ଭିତରେ ହୁଏତ ତୁମକୁ ଆଉ ଖୋଜି ପାଇପାରିବ ନାହିଁ ।

 

: ତୁମକୁ ପାଇପାରିବ ତ ? ତମକୁ ପାଇପାରିଲେ ରକ୍ଷା ।

 

: ସେ ମଧ୍ୟ ସହଜ କଥା ନୁହେଁ–କହି ଟିକିଏ ହସିଦେଲି ।

 

ସେ ହସି ହସି କହିଲା–ନା–ସେ କଥା ହେବ ନାହିଁ । ସୁନାଟା ପରା ଚାଲ । ଶୁଣିଛୁ ନୂତନ ଗୋସାଇଁଙ୍କ ପାଇଁ ସେଠାରେ କୁଆଡ଼େ ଗୋଟାଏ ଅଲଗା ଘର ଅଛି । ମୁଁ ସେଠାରେ ପହଞ୍ଚି ସେଇ ଘରଟାର କୁହଣ୍ଡାକୁ ଭାଙ୍ଗି ଫିଙ୍ଗିଦେବି । ଭୟ ନାହିଁ । ଆଉ ଦାସୀକୁ ଖୋଜିବାକୁ ପଡ଼ିବ ନାହିଁ–ଏଇମତି ସଦାବେଳେ ଇଚ୍ଛାକଲେ ପାଇପାରିବ ।

 

: ତାହାହେଲେ–ଚାଲ ।

 

ଆମେମାନେ ମଠରେ ଯେତେବେଳେ ଯାଇ ପହଞ୍ଚିଲୁ ସେତେବେଳେ ଠାକୁରଙ୍କ ମଧ୍ୟାହ୍ନ ପୂଜା ସେଇମାତ୍ର ସମାପ୍ତ ହୋଇଥାଏ । ଆଗରୁ ଖବର ନଦେଇ ବେନିମନ୍ତ୍ରିତ ଭାବରେ ହଠାତ୍‌ ଏତେଗୁଡ଼ିଏ ପ୍ରାଣୀ ଯାଇ ସେଠାରେ ହାଜର ହୋଇଗଲୁ ତଥାପି ସେମାନେ ଯେ କି ଖୁସିହେଲେ ତାହା କହିହେବ ନାହିଁ । ବଡ଼ ଗୋସାଁଇ ନଥାନ୍ତି । ଗୁରୁଦେବଙ୍କୁ ଦର୍ଶନ କରିବା ପାଇଁ ନବଦ୍ୱୀପକୁ ଯାଇଥାନ୍ତି । କିନ୍ତୁ ଗତି ମଧ୍ୟରେ ଜଣେ ଦୁଇଜଣ ସନ୍ନ୍ୟାସୀ ଆସି ମୋ ରହୁଥିବା ଘରେ ଆସ୍ଥାନ ଜମାଇ ସାରିଥାନ୍ତି ।

 

କମଳଲତା, ପଦ୍ମା, ଲକ୍ଷ୍ମୀ, ସରସ୍ୱତୀ ଏବଂ ଆହୁରି ଅନେକ ଆସି ମହା ସମାଦରେ ଅଭ୍ୟର୍ଥନା ଜଣାଇଲେ । କମଳଲତା କହିଲା; ନୂତନ ଗୋସାଇଁ ତୁମେ ଯେ ଏତେଶୀଘ୍ର ଫେରିଆସି ଆମକୁ ଦର୍ଶନ ଦେବ; ଏ ଆଶା ମୋର ନଥିଲା ।

 

ରାଜଲକ୍ଷ୍ମୀ କଥା କହି ବସିଲା । ସତେ ଯେପରି କେତେ କାଳର ଚିହ୍ନା । କହିଲା; କମଳଲତା ଅପା, ଏଇ କେତେଦିନ କେବଳ ତାଙ୍କ ତୁଣ୍ଡରେ ତୁମରି କଥା । ଆହୁରି ଆଗରୁ ଆସିବାକୁ ଇଚ୍ଛା କରୁଥିଲେ କିନ୍ତୁ ମୋରି ପାଇଁ ଆସିପାରିଲେ ନାହିଁ । ସେଇଟା ଅବଶ୍ୟ ମୋର ଦୋଷ ।

 

କମଳଲତାର ମୁହଁ କ୍ଷଣକ ପାଇଁ ନାଲହୋଇଉଠିଲା । ପଦ୍ମା ଫିକକରି ହସିଦେଇ ଆଖି ବୁଲାଇନେଲା ।

 

ରାଜଲକ୍ଷ୍ମୀର ବେଶଭୂଷା ଓ ଚେହେରା ଦେଖି ସେ ଯେ ସମ୍ଭ୍ରାନ୍ତ ଘରର ଝିଅ ଏକଥା ସମସ୍ତେ ବୁଝିପାରିଥିଲେ । କେବଳ ମୋ ସହିତ ତା’ର କି ସମ୍ପର୍କ ସେତିକି କେହି ନିଃସନ୍ଦେହରେ ଧରିପାରିନଥିଲେ । ପରିଚୟ ପାଇବା ପାଇଁ ସମସ୍ତେ ଉଦ୍‌ଗ୍ରୀବ ହୋଇଉଠିଲେ । ରାଜଲକ୍ଷ୍ମୀ ଆଖିରୁ କିଛି ବାଦ ପଡ଼େ ନାହିଁ । କହିଲା; କମଳଲତା ଅପା, ମୋତେ ଚିହ୍ନିପାରୁନ ?

 

କମଲଲତା ମୁଣ୍ଡ ହଲାଇ କହିଲା–ନା ।

 

: ବୃନ୍ଦାବନରେ କେବେ ଦେଖିନ ?

 

କମଳଲତା ମଧ୍ୟ ନିର୍ବୋଧ ନୁହେଁ । ପରିହାସର ମର୍ମଟା ବୁଝିପାରିଲା–ହସିଦେଇ କହିଲା–ମନେପଡ଼ୁନି ତ ଭଉଣୀ ?

 

ରାଜଲକ୍ଷ୍ମୀ କହିଲା– ନ ପଡ଼ିବା ମଧ୍ୟ ଭଲ ଅପା । ମୁଁ ଏ ଦେଶର ଝିଅ । କେବେ ବୃନ୍ଦାବନ ଯାଇନାହିଁ କହି ହସିପକାଇଲା । ଲକ୍ଷ୍ମୀ ଓ ସରସ୍ୱତୀ ପ୍ରଭୃତି ଅନ୍ୟମାନେ ଚାଲିଗଲା ପରେ ମୋତେ ଦେଖାଇ କରି କହିଲା– ଆମେ ଦୁହେଁ ପିଲାଦିନେ ଗୋଟିଏ ସ୍କୁଲରେ ପାଠ ପଢ଼ୁଥିଲୁ । ଦୁଇଜଣଙ୍କ ଭିତରେ ଠିକ୍‌ ଦୁଇଟି ଭାଇ ଭଉଣୀଙ୍କ ପରି ସମ୍ପର୍କ ଥିଲା । ଗାଆଁର ଚଳଣି ହିସାବରେ ତାଙ୍କୁ ଭାଇ ବୋଲି ଡାକେ । ସେ ମଧ୍ୟ ଭଉଣୀ ପରି ମୋତେ ଭଲପାଆନ୍ତି । ଏ ପର୍ଯ୍ୟନ୍ତ ସୁଦ୍ଧା ସେ ମୋ ଦେହରେ ଟିପ ଛୁଆଁଇ ପାରିନାହାନ୍ତି ।

 

ମୋ ମୁହଁକୁ ଚାହିଁଦେଇ ସେ ପୁଣି କହିଲା– କ’ଣ କହିଲ, ଏସବୁ ସତ ନୁହେଁ ?

 

ପଦ୍ମା ଖୁସିହୋଇ କହିଲା ସେଥିପାଇଁ ତୁମେ ଦୁଇଜଣ ଦେଖିବାକୁ ଏକାପରି । ଦୁଇଜଣ ଯାକ ଡେଙ୍ଗା ଆଉ ସୁନ୍ଦର ଗଢ଼ଣର । କେବଳ ତୁମେ ଗୋରା ଆଉ ନୂତନ ଗୋସାଇଁ କକା । ତୁମ ଦୁହିଁଙ୍କୁ ଦେଖିଲେ ମନେହୁଏ....

 

ରାଜଲକ୍ଷ୍ମୀ ଗମ୍ଭୀର ହୋଇ କହିଲା– ମନେହେବ ତ ଭଉଣୀ । ଆମେ ଦୁହେଁ ଠିକ୍‌ ଏକାପରି ନହେବା ବ୍ୟତୀତ କ’ଣ ଆଉ କିଛି ଉପାୟ ଥିଲା, ପଦ୍ମା ?

 

: ଏ ମାଆ ! ତୁମେ ମୋ ନାଆଁ ମଧ୍ୟ ଜାଣିସାରିଛ ? ନୂତନ ଗୋସାଇଁ ବୋଧହୁଏ ସବୁ କହି ସାରିଛନ୍ତି ?

 

: କହିଛନ୍ତି ବୋଲି ତୁ ତୁମମାନଙ୍କୁ ସବୁ ଦେଖିବାର ଆସିଛି । କହିଲି– ସେଠାକୁ ଏକାକୀ କାହିଁକି ଯିବ, ମୋତେ ମଧ୍ୟ ସଙ୍ଗରେ ନିଅ । ତୁମମାନଙ୍କ ନିକଟରେ ମୋର ତ ଭୟ କରିବାର କିଛି ନାହିଁ । ଏକ ସାଙ୍ଗରେ ଦେଖିଲେ କେହି କଳଙ୍କ ରଟିବେ ନାହିଁ । ଆଉ ରଟାଇଲେ ଅବା କ’ଣ ହେବ ଯେ ? ନୀଳକଣ୍ଠଙ୍କ ଗଳାରେ ବିଷ ଲାଗି ରହିବ ସିନା କିନ୍ତୁ ପେଟକୁ ଯାଇପାରିବ ନାହିଁ ତ ।

 

ମୁଁ ଆଉ ଚୁପ୍ ହୋଇ ରହିପାରିଲି ନାହିଁ । ଝିଅମାନଙ୍କର ଏ ଯେ କି ପ୍ରକାର ଥଟ୍ଟା, ତାମସା ସେ କଥା ସେମାନଙ୍କୁ ଏକା ଜଣା । ରାଗିକରି କହିଲି– କାହିଁକି ପିଲାଗୁଡ଼ାକ ସଙ୍ଗେ ମିଛଟାରେ ପରିହାସ କରୁଛ–କୁହ ତ ?

 

ରାଜଲକ୍ଷ୍ମୀ ଭଲଲୋକ ଭଳି କହିଲା– ତାହାହେଲେ ସତ ପରିହାସଟା କ’ଣ ତୁମେ କହିଦିଅନା ! ଯାହା ଜାଣିଛି ତାହା ସରଳ ଭାବରେ କହୁଛି । ଏଥିରେ ତୁମେ ରାଗୁଛ କାହିଁକି ?

 

ତା’ର ଗାମ୍ଭୀର୍ଯ୍ୟ ଦେଖି ରାଗିକରି ହସିପକାଇ କହିଲି– ସରଳ ଭାବରେ କହୁଛି ! କମଳଲତା; ଏହାଭଳି ଫାଜିଲ ଝିଅ ଆଉ ଏ ସଂସାରରେ ପାଇବ ନାହିଁ । ତା’ର କ’ଣ ଗୋଟାଏ ମତଲବ ଅଛି । ତେଣୁ ସହଜରେ ତା’ କଥା ବିଶ୍ୱାସ କରିବ ନାହିଁ ।

 

ରାଜଲକ୍ଷ୍ମୀ କହିଲା– କାହିଁକି ମୋର ନିନ୍ଦା କରୁଛ ଗୋସାଇଁ ? ତାହାହେଲେ ମୋ ସମ୍ୱନ୍ଧରେ ତୁମ ମନଭିତରେ କିଛି ମତଲବ ରହିଛି ?

 

: ଅଛି ତ ।

 

: କିନ୍ତୁ ମୋର ନାହିଁ । ମୁଁ ନିଷ୍ପାପ ଏବଂ ନିଷ୍କଳଙ୍କ ।

 

: ହଁ, ପୂରାପୂରି ଯୁଧିଷ୍ଠିର !

 

କମଳଲତା ମଧ୍ୟ ହସିଲା । ବୋଧହୁଏ ତା’ କଥା କହିବା ଭଙ୍ଗୀରୁ ସେ କିଛି ବୁଝିପାରିଲା ନାହିଁ । କେବଳ ଦ୍ୱନ୍ଦ୍ୱରେ ପଡ଼ି ହସିଲା । କାରଣ ସେଦିନ କୌଣସି ରମଣୀ ସହିତ ନିଜର କୌଣସି ସମ୍ପର୍କ ଥିବାର ଆଭାସ ଦେଇନଥିଲି । ଦେଇଥାନ୍ତି ଅବା କିପରି ? ଆଉ ଦେବାପାଇଁ ଅବା ସେଦିନ ଥିଲା କ’ଣ ?

 

କମଳଲତା ପଚାରିଲା–ଭଉଣୀ ତୁମ ନାଁ ?

 

: ମୋ ନାଆଁ ରାଜଲକ୍ଷ୍ମୀ । ସେ ଆଗ ଦୁଇଅକ୍ଷର ଛାଡ଼ି ଡାକନ୍ତି କେବଳ ଲକ୍ଷ୍ମୀ ବୋଲି । ମୁଁ ତାଙ୍କୁ ଡାକେ–ହଁ ଗୋ–ହଇହେ । ଆଉ ଆଜିକାଲି କହୁଛନ୍ତି ତାଙ୍କୁ ନୂତନ ଗୋସାଇଁ ବୋଲି ଡାକିବାକୁ । କହନ୍ତି ସେଇଆ ଡାକିଲେ ସେ ଖୁସିହେବେ ।

 

ପଦ୍ମା ହଠାତ୍‌ ହାତତାଳି ମାରି ନାଚି କହିଉଠିଲା–ମୁଁ ବୁଝିପାରିଛି–ପାରିଛି–

 

କମଳଲତା ତାକୁ ଧମକଦେଇ କହିଲା– ଦେଖ ପୋଡ଼ା ମୁହଁର ବୁଦ୍ଧି ! କ’ଣ ବୁଝିପାରୁଛୁ ଦେଖି କହିଲୁ ?

 

: କ’ଣ କହିବ ?

: ନାଁ, ତୋର କହିବା ଦରକାର ନାହିଁ–କହି କମଳଲତା ଗଜଲକ୍ଷ୍ମୀର ଗୋଟାଏ ହାତକୁ ସ୍ନେହରେ ଧରିପକାଇ କହିଲା କଥା ହେଉହେଉ ବେଳ କେବଳ ଗଡ଼ିଚାଲିଛି । ଏଣେ ଖରାରେ ଆସିଥିବାରୁ ମୁହଁ ଶୁଖିଗଲାଣି । କିଛି ଖାଇକରି ଆସିନାହିଁ ବୋଧହୁଏ । ଚାଲ ହାତ ଗୋଡ଼ ଧୋଇ ଠାକୁରଙ୍କୁ ପ୍ରଣାମ କରିବ । ତାପରେ ସମସ୍ତେ ମିଳିମିଶି ତାଙ୍କ ପ୍ରସାଦ ପାଇବ । ତୁମେ ଆସ ନୂତନ ଗୋସାଇଁ । ଏହା କହି ସେ ତାକୁ ମନ୍ଦିରଆଡ଼କୁ ଟାଣିଟାଣି ନେଇଗଲା ।

ଏଥର ମନେମନେ ପ୍ରସାଦ ଗଣିଲି । କାରଣ ବର୍ତ୍ତମାନ ଆସିବ ପ୍ରସାଦ ଗ୍ରହଣ ପାଇଁ ଆହ୍ୱାନ । ଖାଇବା ଆଉ ଛୁଆଁ ଛୁଆଁ ବିଷୟଟା ରାଜଲକ୍ଷ୍ମୀ ଜୀବନରେ ଏପରି ଭାବରେ ଗୁନ୍ଥାହୋଇଛି ଯେ ଏ ସମ୍ପର୍କରେ ସତ୍ୟାସତ୍ୟ ପ୍ରଶ୍ନ ମଧ୍ୟ ଅବୈଧ । ଏହା କେବଳ ବିଶ୍ୱାସ ନୁହେଁ–ତା’ର ସ୍ୱଭାବ । ଏହା ବ୍ୟତୀତ ସେ ବଞ୍ଚିପାରେ ନାହିଁ । ଜୀବନର ଏହି ଏକାନ୍ତ ପ୍ରୟୋଜନରେ ସହଜ ଓ ସକ୍ରିୟ ସଜୀବତା କେତେଥର କେତେ ସଂକଟରୁ ତାକୁ ରକ୍ଷା କରିପାରିଛି । ସେକଥା ଜାଣିବା କାହାର ଉପାୟ ନାହିଁ । ନିଜେ ସେ କହିବ ନାହିଁ ତେଣୁ ଜାଣି ମଧ୍ୟ ଲାଭ ନାହିଁ । ମୁଁ କେବଳ ଜାଣେ, ରାଜଲକ୍ଷ୍ମୀକୁ ମୁଁ ପାଇବାକୁ ଇଚ୍ଛା ନକରି ପାଇପାରିଛି । ଏବଂ ଆଜି ସମସ୍ତ ପାଇବା ଭିତରେ ସେ ମୋ ନିକଟରେ ବଡ଼ । କିନ୍ତୁ ବର୍ତ୍ତମାନ ସେ କଥା ଏଇଠି ଥାଉ ।

ତାହାର ଯେତେ କିଛି କଠୋରତା ସେସବୁ କେବଳ ନିଜକୁ କେନ୍ଦ୍ର କରି ଅଥଚ ଅପର ପ୍ରତି ତା’ର ଜୁଲମ ନଥିଲା । ବରଞ୍ଚ ହସିଦେଇ କହେ–କାମ କରିବା କ’ଣ କମ୍‌ କଷ୍ଟ ! ଆଜିକାଲି ଏତେ ବାଛବିଚାର କରିବାକୁ ଗଲେ ମଣିଷର ପ୍ରାଣ ବଞ୍ଚିବ କିପରି ? ମୁଁ ଯେ କିଛି ମାନେ ନାହିଁ ତାହା ସେ ଜାଣେ । କେବଳ ତା’ ଆଖିଆଗରେ ସେପରି କିଛି ଅଘଟଣ ନ ଘଟିଲେ ସେ ଖୁସି । ମୋର ପରୋକ୍ଷ ଅନାଚାର କାହାଣୀ ଶୁଣି ସେ କେବେ କାନରେ ଆଙ୍ଗୁଠି ପୂରାଇ ଆତ୍ମରକ୍ଷା କରେ ଅଥବା କେବେ ଗାଲରେ ହାତଦେଇ ଅବାକ ହୋଇ ବସିରହି କହେ–ମୋ ଭାଗ୍ୟକୁ ତୁମେ ଏପରି ହେଲ କିପରି ? ତୁମପାଇଁ ଯେ ମୋର ସବୁ ନଷ୍ଟ ହେଲା !

କିନ୍ତୁ ଆଜିକାଲି ଘଟଣାଟା ଠିକ୍ ସେହିଭଳି ନୁହେଁ । ଏହି ନିର୍ଜନ ମଠରେ ଯେଉଁ କେତୋଟି ପ୍ରାଣୀ ବାସ କରନ୍ତି ସେମାନେ ସମସ୍ତେ ବୈଷ୍ଣବ ମହାମନ୍ତ୍ରରେ ଦୀକ୍ଷିତ । ସେମାନଙ୍କର ଜାତିଭେଦ ନାହିଁ–ପୂର୍ବାଶ୍ରମ କଥା କେହି ମନେ ସୁଦ୍ଧା ପକାନ୍ତି ନାହିଁ । ସେଥିପାଇଁ କେହି ଅତିଥି ଆସିଲେ ସେମାନେ ନିଃସଙ୍କୋଚରେ ପ୍ରସାଦ ବିତରଣ କରିଥାନ୍ତି । ଆଜି ପର୍ଯ୍ୟନ୍ତ ଠାକୁରଙ୍କ ପ୍ରସାଦକୁ ପ୍ରତ୍ୟାଖାନ କରି କେହି ସେମାନଙ୍କୁ ଅପମାନିତ କରିପାରି ନାହିଁ । ଆଉ ଏହିଭଳି ଅପ୍ରିତୀକର କାଣ୍ଡ ଯଦି ମୋଦ୍ୱାରା ଆଜି ଅନାହୂତ ଭାବରେ ସଂଘଟିତ ହୁଏ ତ ତେବେ ଦୁଃଖର ସୀମା ରହିବ ନାହିଁ । ବିଶେଷ କରି ମୋ ନିଜର । ଜାଣେ କମଳଲତା ମୁହଁରେ କିଛି କହିବ ନାହିଁ କିମ୍ୱା କାହାକୁ କହିବାକୁ ଦେବ ନାହିଁ କିନ୍ତୁ ମୋଆଡ଼କୁ ଥରକ ପାଇଁ ଚାହିଁଦେଇ ମୁହଁ ତଳକୁ କରି ଅନ୍ୟଆଡ଼େ ଚାଲିଯିବ । ଏହି ନିର୍ବାକ ଅଭିଯୋଗରେ ଯେ ଜବାବ କ’ଣ ହେବ ସେହିକଥା ଏଠାରେ ଠିଆହୋଇ ମୁଁ ମନେମନେ ଭାବିବାକୁ ଲାଗିଥିଲି ।

ଏଇ ସମୟରେ ପଦ୍ମା ଆସି କହିଲା– ଆସ ନୂତନ ଗୋସାଇଁ–ତୁମକୁ ସମସ୍ତେ ଡାକିପଠାଇଛନ୍ତି–ହାତ ମୁହଁ ଧୋଇଛ ତ ?

: ନା ।

: ତେବେ ଆସ, ମୁଁ ପାଣିଦେଉଛି । ପ୍ରସାଦ ବଢ଼ା ସରିଲାଣି ।

 

: ପ୍ରସାଦ ଆଜି କ’ଣ ହୋଇଛି ?

 

: ଆଜି ଠାକୁରଙ୍କୁ ଅନ୍ମଭୋଗ କରାହୋଇଛି ।

 

ମନେମନେ କହିବାକୁ ଲାଗିଲି–ତେବେ ତ ସମ୍ୱାଦ ଆହୁରି ଉତ୍ତମ । ପଚାରିଲି–ପ୍ରସାଦ ବାଢ଼ିଛ କେଉଁଠି ?

 

ପଦା କହିଲା– ଠାକୁରଘର ବାରଣ୍ଡାରେ । ବାବାଜୀମାନଙ୍କ ସଙ୍ଗରେ ତୁମେ ବସିବ ଆଉ ଆମେ ସ୍ତ୍ରୀଲୋକମାନେ ପଛରେ ଖାଇବୁ । ଆଜି ଆମମାନଙ୍କୁ ପରିବେଷଣ କରିବେ ରାଜଲକ୍ଷ୍ମୀ ଅପା ନିଜେ ।

 

: ସେ ଖାଇବ ନାହିଁ ?

 

: ନା, ସେ ତ ଆମମାନଙ୍କ ଭଳି ବୈଷ୍ଣବ ନୁହଁନ୍ତି । ବ୍ରାହ୍ମଣ ଘରର ଝିଅ । ଆମମାନଙ୍କ ଛୁଆଁ ଖାଇଲେ ତାଙ୍କର ପାପ ହେବ ।

 

: ତୁମ କମଳଲତା ଅପା, ରାଗକଲେ ନାହିଁ ?

 

: ରାଗକରିବେ କାହିଁକି ? ବରଞ୍ଚ ହସିବାକୁ ଲାଗିଲେ । ରାଜଲକ୍ଷ୍ମୀ ଅପାକୁ କହିଲେ, ପରଜନ୍ମନେବି ଆଉ ତମେ ଆସିବ ପରେ । ଗୋଟିଏ ପତ୍ରରେ ମାଆ ହାତରୁ ଖାଇବସିବା । ସେତେବେଳେ କିନ୍ତୁ ଜାତି ଯିବବୋଲି କହିଲେ ମୁଁ କିନ୍ତୁ କାନ ମୋଡ଼ିଦେବି ।

 

ଶୁଣି ଖୁସିହୋଇ ଭାବିଲି–ଏଥର ଠିକ୍‌ ହୋଇଛି । ରାଜଲକ୍ଷ୍ମୀ କଥା କହିବାରେ ତା’ର ସମକକ୍ଷ ଜଣକୁ ପାଇନଥିଲା ବୋଲି ମନେମନେ ଗର୍ବ କରୁଥିଲା ନା ?

ପଚାରିଲି–କ’ଣ ଉତ୍ତରଦେଲା ସେ ?

ପଦ୍ମା କହିଲା– ରାଜଲକ୍ଷ୍ମୀ ମଧ୍ୟ ଶୁଣିକରି ହସିବାକୁ ଲାଗିଲେ । କହିଲେ କାହିଁକି ଅପା, ସେତେବେଳେ ଖାଲି ବଡ଼ ଭଉଣୀ ହୋଇ ତୁମେ ମୋ କାନ ମୋଡ଼ିଦେଇପାରିବ ଆଉ ଛୋଟ ଭଉଣୀର ଦୌରାତ୍ମ୍ୟ କିଛି ସହିବ ନାହିଁ ?

ପ୍ରତ୍ୟୁତ୍ତର ଶୁଣି ଚୁପ୍‌ ହୋଇ ରହିଲି । କେବଳ ପ୍ରାର୍ଥନା କରିବାକୁ ଲାଗିଲି–କମଳଲତା ଯେପରି ଏହାର ନିଗୂଢ଼ ଅର୍ଥକୁ ବୁଝି ନ ପାରିଥାଏ ।

ଦେଖିଲ ଭଗବାନ ମୋ ପ୍ରାର୍ଥନା ଶୁଣିଛନ୍ତି । କମଳଲତା ଆଉ ସେ କଥାରେ କାନଦେଇ ନାହିଁ । ବରଞ୍ଚ ଏହି ଅମେଳଟିକକୁ ମାନିନେଇ ଇତିମଧ୍ୟରେ ଖୁବ୍‌ ଘନିଷ୍ଠତା ଜମେଇଦେଇଛି ।

ଉପରଓଳି ଗାଡ଼ିରେ ବଡ଼ ଗୋସାଇଁ ଦ୍ୱାରିକାନାଥ ଦାସ ଫେରିଆସିଲେ । ତାଙ୍କ ସଙ୍ଗରେ ଆସିଲେ କେତେଜଣ ବାବାଜୀ । ସେମାନଙ୍କ ଦେହରେ ଛାପା ହୋଇଥିବା ଚିତା ଚଇତନ ଦେଖି ମନେହେଲା, ଏମାନଙ୍କୁ ମଧ୍ୟ ଅବହେଳା କରିହେବ ନାହିଁ । ମୋତେ ଦେଖି ବଡ଼ ଗୋସାଇଁ ଖୁସିହୋଇଉଠିଲେ । କିନ୍ତୁ ପାର୍ଷଦଗଣ ମୋତେ ସହ୍ୟ କରିପାରିଲେ ନାହିଁ । ନ କରିବାର କଥା ମଧ୍ୟ । କାରଣ ଶୁଣିବାକୁ ମିଳିଲା; ଯେହେତୁ ଏମାନଙ୍କ ଭିତରେ ଜଣେ ନାମଜାଦା କୀର୍ତ୍ତନିଆଁ ଓ ଆଉ ଜଣେ ମୃଦଙ୍ଗବାଦକ ଅଛନ୍ତି ।

 

ପ୍ରସାଦସେବନ ପରେ ବାହାରିପଡ଼ିଲି । ସେହି ମୃତନଦୀ ଓ ସେହି ବଣଜଙ୍ଗଲ । ବେତ ଓ ବାଉଁଶ ବଣ ଚାରିଆଡ଼େ । ଦେହର ଚମଡ଼ାକୁ ବଞ୍ଚାଇ ଲଇଁ ଲଇଁକରି ଯିବାକୁ ପଡ଼ୁଥାଏ । ଆସନ୍ନ ସୂର୍ଯ୍ୟାସ୍ତକାଳରେ ତଟପ୍ରାନ୍ତରେ ବସି ଟିକିଏ ପ୍ରକୃତିର ଶୋଭା ନିରୀକ୍ଷଣ କରିବ ସଂକଳ୍ପ କଲି କିନ୍ତୁ ପାଖରେ କେଉଁଠାରେ ସାରୁଜାତୀୟ ‘‘ଅନ୍ଧାରମାଣିକ’’ ଫୁଲ ବୋଧହୁଏ ଫୁଟିଛି । ତାହାର ବୀଭତ୍ସ ପଚାମାଂସ ଭଳି ଗନ୍ଧରେ ବସିପାରିଲି ନାହିଁ । ଭାବିଲି କବିମାନଙ୍କୁ ପରା ଫୁଲ ଭାରି ଭଲଲାଗେ । କିନ୍ତୁ କେହି କାହିଁକି ଏଇ ଫୁଲରୁ ଗୋଟିଏ ତୋଳିନେଇ କବିଙ୍କୁ ଉପହାର ଦେଉନାହାନ୍ତି ।

 

ସନ୍ଧ୍ୟା ଆରମ୍ଭ ହେଉହେଉ ତେଣୁ ଫେରିଆସିଲି । ଦେଖିଲି ସେଠାରେ ସାଜସଜ୍ଜାର ବିରାଟ ଆୟୋଜନ । ଠାକୁର ଓ ଠାକୁରଙ୍କୁ ଘର ସଜ୍ଜା ଚାଲିଥାଏ । ଆରତୀପରେ କୀର୍ତ୍ତନର ବୈଠକ ବସିବ ।

 

ପଦ୍ମା କହିଲା– ନୂତନ ଗୋସାଇଁ, ତୁମେ କୀର୍ତ୍ତନ ଶୁଣିବାକୁପରା ଭଲପାଅ, ଆଜି ମନୋହର ଦାସ ବାବାଜୀଙ୍କ କୀର୍ତ୍ତନ ଶୁଣିଲେ ତୁମେ ଅବାକ୍‌ ହୋଇଯିବ । କି ଚମତ୍କାର ତାଙ୍କର କୀର୍ତ୍ତନ !

 

ପ୍ରକୃତରେ ବୈଷ୍ଣବ କବିମାନଙ୍କ ପଦାବଳୀ ଭଳି ମଧୁର ଜିନିଷ ଆଉ କିଛି ଆମ ସାହିତ୍ୟରେ ନାହିଁ । କହିଲ–ପଦ୍ମା ପ୍ରକୃତରେ ମୁଁ ବଡ଼ ଭଲପାଏ ପିଲାବେଳେ ଦୁଇ–ଚାରିକୋଣ ଭିତରେ କେଉଁଠାରେ କୀର୍ତ୍ତନ ହେଉଥିବାର ଶୁଣିଲେ ମୁଁ ଦଉଡ଼ି ପଳାଏ । ଘରେ ଆଦୌ ରହିପାରେ ନାହିଁ । ବୁଝେ ବା ନବୁଝେ ଶେଷ ପର୍ଯ୍ୟନ୍ତ ବସିରହେ । କ’ଣ କମଳଲତା ତୁମେ ଆଜି ଗାଇବ ନାହିଁ ?

 

କମଳଲତା କହିଲା–ନା, ନୂତନ ଗୋସାଇଁ ଆଜି ନୁହେଁ । ମୋର ତ ସେପରି ଶିକ୍ଷା ନାହିଁ । ଏମାନଙ୍କ ଆଗରେ ଗାଇବାକୁ ଲାଜ ମାଡ଼ିବ । ତା’ଛଡ଼ା ସେହି ଦେହଖରାପ ହେବାଦିନରୁ କଣ୍ଠଟା କିପରି ଧରିପକାଇଛି । ଏ ପର୍ଯ୍ୟନ୍ତ ସୁଦ୍ଧା ଭଲ ହୋଇ ନାହିଁ ।

 

କହିଲ–ଲକ୍ଷ୍ମୀ, କିନ୍ତୁ ତୁମ ଗାନ ଶୁଣିବାକୁ ଆସିଛି । ସେ ଭାବୁଛି ମୁଁ ବୋଧହୁଏ ତୁମ ବିଷୟରେ ବଡ଼େଇକରି କହୁଛି ।

 

କମଳଲତା ଳାଜେଇଯାଇ ହସିକରି କହିଲା–ନିଶ୍ଚୟ ବଢ଼େଇକରି କହିଛି–ଗୋସାଇଁ । ତା’ପରେ ଚୁପିଚୁପି ହସି ରାଜଲକ୍ଷ୍ମୀକୁ ଉଦ୍ଦେଶ୍ୟ କରି କହିଲା– ତୁମେ କିଛି ମନେକରିବ ନାହିଁ ଅପା, ଅଳ୍ପ ଯାହାକିଛି ଜାଣେ ତାହା ତୁମକୁ ଆଉଦିନେ ପଛକେ ଶୁଣାଇବି ।

 

ରାଜଲକ୍ଷ୍ମୀ ପ୍ରସନ୍ନ ମୁଖରେ କହିଲା ଆଚ୍ଛା ଅପା, ତୁମର ଯେଉଁଦିନ ଇଚ୍ଛା ସେଦିନ ମୋତେ ଡାକି ପଠାଇବ, ମୁଁ ନିଜେ ଯାଇ ଗାନ ଶୁଣିଆସିବି । ମୋତେ କହିଲା ତୁମେ କୀର୍ତ୍ତନ ଶୁଣିବାକୁ ଏତେ ଭଲପାଅ, କାହିଁ ମୋତେ ତ କେବେ କହିନାହଁ ?

 

: ତୁମକୁ କହିବି କାହିଁକି ? ଗଙ୍ଗାମାଟିରେ ଯେତେବେଳେ ଅସୁସ୍ଥ ହୋଇ ଶଯ୍ୟାଗତ, ସେତେବେଳେ ଦିପହରବେଳଟା ଶୁଖିଲା ଠକ୍‌ ଠକ୍‌ ପଡ଼ିଆକୁ ଚାହିଁ ଚାହିଁ କଟାଏ, କିନ୍ତୁ ଅସହ୍ୟ ସନ୍ଧ୍ୟାବେଳଟା କୌଣସିମତେ ଏକା–ଏକା କଟାଯାଇପାରେ ନାହିଁ ...

 

ରାଜଲକ୍ଷ୍ମୀ ଚଟ୍‌କରି ମୋ ପାଟିରେ ହାତ ଚାପିଦେଇ କହିଲା ଆଉ ଯଦି କିଛି କୁହନା, ତେବେ ଗୋଡ଼ତଳେ ମୁଣ୍ଡ କଚାଡ଼ି ମରିବି । ତା’ପରେ ନିଜେ ଅପ୍ରତିଭ ହୋଇ ହାତ ଉଠାଇନେଇ କହିଲା–କମଳଲତା ଅପା, ଯାଅ କହିଆସ ତ ତୁମ ବଡ଼ ଗୋସାଇଁଙ୍କୁ, ଆଜି ବାବାଜୀ ମହାଶୟମାନଙ୍କ କୀର୍ତ୍ତନପରେ ମୁଁ ଠାକୁରଙ୍କୁ ଗାନ ଶୁଣାଇବି ।

 

କମଳଲତା ସଂଦିଗ୍‌ଧ କଣ୍ଠରେ କହିଲା– କିନ୍ତୁ ବାବାଜୀମାନେ ଟିକିଏ କୁଛୁ କୁଛୁ ହେବେ ଭଉଣୀ ।

 

ରାଜଲକ୍ଷ୍ମୀ କହିଲା ହଁ ସେପରି ସେମାନେ ହୋଇପାରନ୍ତି–କିନ୍ତୁ ଭଗବାନଙ୍କ ନାମ ତ ନେଇହେବ । ବିଗ୍ରହ ମୂର୍ତ୍ତିଙ୍କୁ ହାତବଢ଼ାଇ ହସିଦେଇ କହିଲା– ଏ ହୁଏତ ଖୁସିହେବେ । ବାବାଜୀମାନଙ୍କ ପାଇଁ ମୋର ଚିନ୍ତା ନାହିଁ । କିନ୍ତୁ ମୋର ଏଇ ଦୁର୍ବାସା ଠାକୁରଟି ଯଦି ପ୍ରସନ୍ନ ହୁଅନ୍ତି ନା ତେବେ ଯାଇ ରକ୍ଷାପାଇବି ।

 

କହିଲି–ହେଲେ କିନ୍ତୁ କିଛି ବକ୍‌ଶିସ୍‌ ପାଇବ ।

 

ରାଜଲକ୍ଷ୍ମୀ ଡରିଯାଇ କହିଲା–ରକ୍ଷାକର ଗୋସାଇଁ–ସମସ୍ତଙ୍କ ଆଗରେ ଯେପରି ବକସିସ୍ ଦେଇ ନ ବସେ । କାହିଁକି ନା ତୁମଦ୍ୱାରା ତ କିଛି ଅସାଧ୍ୟ ହୋଇ ନାହିଁ ?

 

ଶୁଣିକରି ବୈଷ୍ଣବୀମାନେ ହସିବାକୁ ଲାଗିଲେ । ପଦ୍ମା ଖୁସିହୋଇ ହାତ ତାଳିମାରି କହିଲା–ମୁଁ ବୁଝିପାରିଛି ।

 

କମଳଲତା ତାକୁ ସ୍ନେହରେ ଚାହିଁ ହସି ହସି କହିଲା–ଦୂର ପୋଡ଼ାମୁହୀଁ–ଚୁପ୍‌କର । ରାଜଲକ୍ଷ୍ମୀ କହିଲା–ନେଇଯାଅ ତ ଭଉଣୀ ଏଇଟାକୁ ଏଠାରୁ । ଜାଣେ ନାହିଁ; କହୁ କହୁ ଆଉ କ’ଣ ହଠାତ୍‌ କହିପକାଇବ ।

 

ଠାକୁରଙ୍କ ସନ୍ଧ୍ୟା ଆରତି ପରେ କୀର୍ତ୍ତନର ଆସର ବସିଲା । ଆଜି ଅନେକ ଆଲୋକ ଲାଗିଲା । ମୁରାରୀପୁରର ଆଖଡ଼ା ବୈଷ୍ଣବମାନଙ୍କୁ ଅଜଣା ନାହିଁ । ନାନା ସ୍ଥାନରୁ ବୈରାଗୀମାନେ ଆଖଡ଼ା ସ୍ଥାନରେ ଆସି ଜମାହେବାକୁ ଲାଗିଲେ । ଏହିପରି ଆୟୋଜନ ପ୍ରାୟ ହୋଇଥାଏ । ମଠରେ ସବୁପ୍ରକାର ବାଦ୍ୟଯନ୍ତ୍ର ମହଜୁଦ ଥାଏ । ଦେଖିଲି ସେଗୁଡ଼ାକ ମଧ୍ୟ ଅଣାହୋଇଛି । ଗୋଟିଏ ପାଖରେ ବୈଷ୍ଣବୀମାନେ–ସମସ୍ତେ ମୋର ପରିଚିତ ଆଉ ଅନ୍ୟପାଖରେ ଅନେକଗୁଡ଼ିଏ ଅଜ୍ଞାତ କୁଳଶୀଳ ବୈରାଗୀମାନେ ଉପବିଷ୍ଟ । ମଝିରେ ବସିଥାନ୍ତି–ବିଖ୍ୟାତ ମନୋହର ଦାସ ଓ ତାଙ୍କ ମୃଦଙ୍ଗବାଦକ । ମୋ ରହୁଥିବା ଘରର ବର୍ତ୍ତମାନ ଅଧିକାରୀ ଏକ ଯୁବକ ସନ୍ନ୍ୟାସୀ ହାରମୋନିୟମରେ ସୁର ଦେଉଥାନ୍ତି । ଏଇଟା ମଧ୍ୟ ପ୍ରଚାର ହୋଇଥାଏ ଯେ କଲିକତାରୁ କିଏ ଜଣେ ସଂଭ୍ରାନ୍ତ ମହିଳା ଆସିଛନ୍ତି ସେହି ହିଁ ଆଜି ଗୀତବୋଲିବେ । ସେ ଯୁବତୀ । ସେ ରୂପସୀ । ସେ ବିତ୍ତଶାଳିନୀ । ତାଙ୍କ ସହିତ ଆସିଛନ୍ତି ଦାସଦାସୀ, ଆସିଛି ବହୁବିଧ ଖାଦ୍ୟ ସଂଭାର ଆଉ ଆସିଛନ୍ତି କିଏ ଜଣେ ନୂତନ ଗୋସାଇଁ–ସେ କୁଆଡ଼େ ଏ ଦେଶର ବାରବୁଲା ଯାତ୍ରୀ ।

 

ମନୋହର ଦାସଙ୍କ କୀର୍ତ୍ତନର ଭୂମିକା ଓ ଗୌରଚନ୍ଦ୍ରିକା ଭିତରେ କେତେବେଳେ ରାଜଲକ୍ଷ୍ମୀ ଆସି କମଳଲତା ପାଖରେ ବସିଯାଇଛି । ହଠାତ୍‌ ବାବାଜୀ ମହାଶୟଙ୍କ ଗଳାଟା କମ୍ପିଉଠିଲା ଏବଂ ମୃଦଙ୍ଗର ବୋଲି ବେସୁରା ହୋଇଉଠିଲା । ସେଇଟା ହୁଏତ ଆକସ୍ମିକ ହୋଇପାରେ । କେବଳ ଦ୍ୱାରିକାନାଥ ଦାସ କାନ୍ଥକୁ ଆଉଜି ସେହିପରି ବସିରହିଥିଲେ । କେଜାଣି ଜାଣିପାରିନଥିବେ ହୁଏତ କିଏ ଆସିଲା କି ନ ଆସିଲା ବୋଲି ।

 

ରାଜଲକ୍ଷ୍ମୀ ପିନ୍ଧିଥାଏ ଖଣ୍ଡିଏ ନୀଳାମ୍ୱରୀ ଶାଢ଼ି । ସେହି ଶାଢ଼ିର ସରୁ ଜରିକାମରେ ଧଡ଼ି ସଙ୍ଗେ ଦେହରେ ପିନ୍ଧିଥିବା ନୀଳରଙ୍ଗର ବ୍ଳାଉଜ ପ୍ରାୟ ମିଶିଯାଇଥାଏ । ସକାଳେ ଓଡ଼ିଆ ପଣ୍ଡାମାନେ ଲଗାଇଦେବା ଚନ୍ଦନ ଛାପିଛାପିକିଆ ହୋଇଯାଇଥାଏ । ଯାହାକୁ ଦେଖିଲେ ମନେହୁଏ ଆଶ୍ୱିନ ମାସର ଧଳାଧଳା ମେଘ ସତେଯେପରି ନୀଳଆକାଶରେ ଭାସିବୁଲୁଛି । ଅତି ଶାନ୍ତଶିଷ୍ଟ ଭଦ୍ରମହିଳା । ମୋଆଡ଼କୁ କଟାକ୍ଷରେ ସୁଦ୍ଧା ଚାହିଁଲା ନାହିଁ, ଯେପରି ସେ ମୋତେ ଆଦୌ ଚିହ୍ନିନାହିଁ-। ତଥାପି ସେ କିପରି ଟିକିଏ ଚାପାହସ ହସିଦେଲା । କେବଳ ତାକୁ ହିଁ ଜଣା କିମ୍ବା ମୋର ବୋଧହୁଏ ଦେଖିବାର ଭୁଲ ହୋଇଥାଇପାରେ–ଅସମ୍ଭବ ନୁହେଁ ।

 

ଆଜି ବାବାଜୀମାନଙ୍କ କୀର୍ତ୍ତନର ଆସର ଆଦୌ ଜମିଲା ନାହିଁ । କିନ୍ତୁ ସେଇଟା ସେମାନଙ୍କର ଦୋଷ ନୁହେଁ ବରଂ ଲୋକମାନଙ୍କର ଅଧୀରତାର ପ୍ରାବଲ୍ୟ ଯଥେଷ୍ଟ ବୋଲି ଧରିନେବାକୁ ହେବ ।

 

ଦ୍ୱାରିକା ଦାସ ଆଖିବୁଜି ରାଜଲକ୍ଷ୍ମୀ ଡାକି କହିଲେ ଭଉଣୀ ଆମ ଠାକୁରଙ୍କୁ ଏଥର ତୁମେ କିଛି ନିବେଦନ କରି ଶୁଣାଅ । ଶୁଣିକରି ଆମେମାନେ ମଧ୍ୟ ଧନ୍ୟହେଉ ।

 

ରାଜଲକ୍ଷ୍ମୀ ସେହିଆଡ଼କୁ ମୁହଁ କରି ବସିଲା । ଦ୍ୱାରିକାଦାସ ଖୋଳଟା ପ୍ରତି ଆଙ୍ଗୁଳି ଦେଖାଇ କହିଲେ ଏଇଟା କିଛି ଅସୁବିଧା କରିବ ନାହିଁ ତ ?

 

ରାଜଲକ୍ଷ୍ମୀ କହିଲା ନା–

 

ଶୁଣିକରି କେବଳ ସେ ନୁହନ୍ତି ମନୋହର ଦାସ ମଧ୍ୟ ମନେମନେ ବିସ୍ମିତ ହୋଇଉଠିଲେ । କାରଣ ସାଧାରଣ ଝିଅମାନଙ୍କଠାରୁ ସେମାନେ ଏତେଟା ବୋଧହୁଏ ଆଶା କରନ୍ତି ନାହିଁ ।

 

ଗାନ ଆରମ୍ଭ ହେଲା । ସଙ୍କୋଚରେ ଜଡ଼ସଡ଼ ହୋଇପଡ଼ିବା କିମ୍ୱା ଭୁଲ ହୋଇପାରେ ହେତୁ ମନରେ ଦ୍ୱିଧାଭାବ ଆଦୌ ନାହିଁ । ନିଃସଂଶୟର କଣ୍ଠସ୍ୱର ଅବାରିତ ଜଳଧାରା ପରି ବହିଚାଲିଲା । ଏ ବିଦ୍ୟାରେ ସେ ଥିଲା ସୁଶିକ୍ଷିତା । ଦିନେ ଏହାଥିଲା ତା’ର ଜୀବିକା । କିନ୍ତୁ ବଙ୍ଗଳାର ନିଜସ୍ୱ ସଙ୍ଗୀତର ଏହି ଧାରାଟାକୁ ଯେ ଏତେ ଯତ୍ନ କରି ଆୟତ୍ତ କରିପାରିଛି ତାହା ଜାଣିନଥିଲି । ପ୍ରାଚୀନ ଓ ଆଧୁନିକ ବୈଷ୍ଣବ କବିଗଣଙ୍କର ଏତେ ବିଭିନ୍ନ ପଦାବଳୀ ଯେ ତା’ର କଣ୍ଠସ୍ଥ ସେ କଥା ଅବା ଜାଣିଥିଲା ! କେବଳ ସୁର, ତାଳରେ ନୁହେଁ, ବାକ୍ୟର ବିଶୁଦ୍ଧତାରେ; ଉଚ୍ଚାରଣର ସ୍ପଷ୍ଟତାରେ, ଏବଂ ପ୍ରକାଶଭଙ୍ଗୀର ମଧୁରତାରେ ଏହି ସନ୍ଧ୍ୟାରେ ସେ ଯେଉଁ ବିସ୍ମୟ ସୃଷ୍ଟି କରିପାରିଲା ତାହା ସଂପୂର୍ଣ୍ଣ ଭାବରେ ଭାବନାତୀତ । ତା’ ଆଗରେ, ପଥରର ଠାକୁର । ପଛକୁ ବସିଛି ମୁଁ ଦୁର୍ବାସା ଠାକୁର । କାହାକୁ ପ୍ରସନ୍ନ କରିବା ପାଇଁ ତା’ର ଏହି ଆରାଧନା କହିବା କଷ୍ଟକର-। ଗଙ୍ଗାମାଟିରେ କରିଥିବା ଅପରାଧ ଯଦି ଏତେ ଟିକିଏ ଏଥିରେ ଧୋଇ ହୋଇ ଯାଇପାରେ । ....କେଜାଣି ଏକଥା ଆଜି ତା’ ମନରେ ଥିଲା କି ନାହିଁ । ସେ ଗାଇବାକୁ ଲାଗିଥିଲା–

 

‘‘ଏକେ ପଦ–ପଙ୍କଜ, ପଙ୍କେ ବିଭୂଷିତ

କଣ୍ଟକେ କରଜର ଭେଲ ।

ତୁୟା ଦରଶନ–ଆସେ କଛୁ ନାହିଁ ଜାନଲୁ,

ଚିରଦୁଃଖ ଅବା ଦୂରେ ଗେଲୁ ।

ତୋହରି ମୁରଲୀ ଯବ ଶ୍ରବଣେ ପ୍ରବେଶଲ

ଛୋଡ଼ନୁ ଗୃହ–ସୁଖ ଆଶ ।

ପନ୍ଥକ ଦୁଃଖ ତୃଣହୁଁ କରିନା ଗଣନୁ

କହତହିଁ ଗୋବିନ୍ଦ ଦାସ ।’’

 

ବଡ଼ ଗୋସାଇଁଙ୍କ ଆଖିରୁ ଧାରା ବହିବାରେ ଲାଗିଥାଏ । ସେ ଆନନ୍ଦରେ ଉଠି ଠିଆହୋଇ ବିଗ୍ରହଙ୍କ କଣ୍ଠରୁ ମଲ୍ଲୀମାଳ ନେଇଆସି ରାଜଲକ୍ଷ୍ମୀ ଗଳାରେ ପିନ୍ଧାଇଦେଇ କହିଲେ–ପ୍ରାର୍ଥନା କରୁଛି ତୁମର ସମସ୍ତ ଅମଙ୍ଗଳ ଯେପରି ଦୂର ହୋଇଯାଏ ଭଉଣୀ....

 

ରାଜଲକ୍ଷ୍ମୀ ମୁଣ୍ଡନୁଆଁଇ ତାଙ୍କୁ ନମସ୍କାର କଲା । ତାପରେ ଉଠିଆସି ସମସ୍ତଙ୍କ ଆଗରେ ମୋ ପାଦରୁ ଧୂଳି ନେଇ ତା’ ମୁଣ୍ଡରେ ମାରିଲା । ଚୁପଚାପ କରି କହିଲା–ଏମାଳା ରଖ । ବକସିସ୍‌ର ଭୟ ଦେଖାଇଥିଲେ ଏଠାରେ ତୁମ ଗଳାରେ ଗଳାଇ ଦେଇଥାନ୍ତି । ଏତିକି କହି ଚାଲିଗଲା ।

 

କୀର୍ତ୍ତନର ଆସର ଶେଷ ହେଲା । ମନେହେଲା ଜୀବନଟା ଯେପରି ମୋର ସାର୍ଥକ ହେଲା ।

 

କ୍ରମଶଃ ପ୍ରସାଦ ବିତରଣ ଆୟୋଜନ ଆରମ୍ଭ ହେଲା । ତାକୁ ଆଢ଼ୁଆଳକୁ ଡାକିନେଇ କହିଲେ–ଏମାଳାକୁ ରଖିଥାଅ । ଏଠାରେ ନୁହଁ, ଘରକୁ ଫେରିଯାଇ ତୁମରି ହାତରୁ ପିନ୍ଧିବି ।

 

ରାଜଲକ୍ଷ୍ମୀ କହିଲା– ଏଠାରେ ଠାକୁରଙ୍କ ମନ୍ଦିରରେ ପିନ୍ଧିପକାଇଲେ ଆଉ ଖୋଲିପାରିବ ନାହିଁ । ବୋଧହୁଏ ଭୟ ଏଇଥିପାଇଁ ?

 

: ନା, ସେ ଭୟ ଆଉ ନାହିଁ । କେବେଠାରୁ ଯାଇଛି । ମୋ ପାଖରେ ଯଦି ସାରା ପୃଥିବୀଟା ଥାଆନ୍ତା ତେବେ ତୁମକୁ ସେଇଟା ଆଜି ଦାନ କରିଥାନ୍ତୁ ।

 

: ଉଃ–କି ଦାତା ! ସେଇଟା ତ ତୁମର ହୋଇ ରହନ୍ତା ।

 

: ତୁମକୁ ଆଜି ଅଶେଷ ଧନ୍ୟବାଦ ।

 

: କାହିଁକି କୁହ ତ ?

 

ଆଜି ମନେହେଉଛି ମୁଁ ତୁମର ଯୋଗ୍ୟ ନୁହେଁ । ରୂପରେ, ଗୁଣରେ, ରସରେ, ଛନ୍ଦରେ, ବିଦ୍ୟାରେ, ବୁଦ୍ଧିରେ, ମୋ ନିଜର ଅଯୋଗ୍ୟପଣିଆର ସନ୍ଧାନ ମୁଁ ପାଇପାରୁଛି ଲକ୍ଷ୍ମୀ । ତୁମ ନିକଟରେ ପ୍ରକୃତରେ ମୁଁ ବଡ଼ କୃତଜ୍ଞ ।

 

ରାଜଲକ୍ଷ୍ମୀ କହିଲା– ଏଥର କିନ୍ତୁ ସତରେ ରାଗ କରିବ ।

 

: ତା’ କରିପାରି, ଭାବୁଛି ଏଉଳି ଐଶ୍ୱର୍ଯ୍ୟ ନେଇ...

 

: କାହିଁକି ଚୋରି ହୋଇଯିବାର ଭୟ ଅଛି କି ?

 

: ନା, ସେପରି ଲୋକ ଆଖିରେ ଦେଖିବାକୁ ପାଇନାହିଁ ଲକ୍ଷ୍ମୀ । ଚୋରି କରି ତୁମକୁ ଧରି ରଖିବା ଭଳି ବଡ଼ ଯାଗା ଅବା ସେ ବିଚରା କାହୁଁ ପାଇବ ?

 

ରାଜଲକ୍ଷ୍ମୀ ଉତ୍ତର ଦେଲା ନାହିଁ । ହାତଟା ମୋର ଟାଣିନେଇ କ୍ଷଣକ ପାଇଁ ଛାତିପାଖରେ ରଖିଲା । ତାପରେ କହିଲା–ଏପରି ଅନ୍ଧକାରରେ ମୁହଁକୁ ମୁହଁ ଯୋଖି ଠିଆହୋଇ ରହିଲେ ଲୋକେ ହସିବେ ଯେ ! କିନ୍ତୁ ଭାବୁଛି ରାତିରେ ତୁମକୁ ଶୋଇବାକୁ ଦେବି କେଉଁଠି–ଜାଗା ତ ନାହିଁ ।

 

: ନଥାଉ, ଯେଉଁଠାରେ ହେଲେ ଶୋଇ ରାତିଟା କାଟିଦେବି ।

 

: ହଁ, ତାହା ତ ହେବ । ହେଲେ ଦେହଟା ତୁମର ଭଲ ନାହିଁ ଯେ !

 

: ତୁମର ଚିନ୍ତା କରିବାର କିଛି ନାହିଁ । ସେମାନେ ଯାହା କିଛି ବ୍ୟବସ୍ଥା ନିଶ୍ଚୟ କରିବେ ।

 

ରାଜଲକ୍ଷ୍ମୀ ଚିନ୍ତିତ ହେଲାଭଳି କହିଲା– ସବୁ ତ ଦେଖିପାରୁଛି । ବ୍ୟବସ୍ଥା କ’ଣ କରିବେ ଅବଶ୍ୟ ଜାଣିନି । କିନ୍ତୁ ଭାବନା ମୋର ନାହିଁ ଆଉ ଅଛି ସେମାନଙ୍କର ! ଆସ; ଯାହା କିଛି ଦୁଇଟା ଖାଇଦେଇ ଶୋଇପଡ଼ିବ ।

 

ପ୍ରକୃତରେ ଲୋକ ଭିଡ଼ ହେତୁ ଶୋଇବାକୁ ଯାଗାନଥିଲା । ସେଇ ରାତ୍ରିରେ ଖୋଲା ବାରଣ୍ଡାରେ ଯାହାହେଉ ମଶାରି ଖଣ୍ଡିଏ ଟଙ୍ଗାଇ ଶୋଇବାର ବ୍ୟବସ୍ଥା ହେଲା । ରାଜଲକ୍ଷ୍ମୀ ପ୍ରଥମେ ଟିକିଏ କୁଛୁ କୁଛୁ ହେବାକୁ ଲାଗିଲା । ହୁଏତ ରାତିରେ ମଝିରେ ମଝିରେ ଆସି ଦେଇଯାଇଥିବ କିନ୍ତୁ ମୋର ନିଦରେ କୌଣସି ବିଘ୍ନ ଘଟିନଥିଲା ।

 

ପରଦିନ ଶେଯ ଛାଡ଼ିବା କ୍ଷଣି ଦେଖିବାକୁ ପାଇଲି ପ୍ରଚୁର ଫୁଲ ତୋଳି ଦୁଇଜଣ ଫେରିଆସୁଛନ୍ତି । ମୋ ପରିବର୍ତ୍ତେ କମଳଲତା ଆଜି ରାଜଲକ୍ଷ୍ମୀ ସଙ୍ଗୀ କରିଥିଲା । ସେଠାରେ ଦୁଇଜଣଙ୍କ ଭିତରେ କି କଥା ହୋଇଥିଲା ମୁଁ ଜାଣେନା, କିନ୍ତୁ ସେମାନଙ୍କ ମୁହଁକୁ ଚାହିଁଦେଇ ମୁଁ ତୃପ୍ତିଲାଭ କଲି । ଯେପରି କେତେଦିନର ଦୁହେଁ ବନ୍ଧୁ । କେତେଦିନର ଆତ୍ମୀୟ । କାଲି ରାତିରେ ଉଭୟେ ଗୋଟିଏ ବିଛଣାରେ ଏକତ୍ର ଶୋଇଥିଲେ । ଜାତିର ବିଚାର ସେଠାରେ ପ୍ରତିବନ୍ଧକ ସୃଷ୍ଟି କରିପାରିନଥିଲା । ଜଣେ ଜଣକ ହାତରୁ ଖାଏ ନାହିଁ ଏଥିପାଇଁ କମଳଲତା ମୋ ନିକଟରେ ହସିକରି କହିଲା–ତୁମେ ଚିନ୍ତା କରନା ଗୋସାଇଁ । ସେ ବନ୍ଦୋବସ୍ତ ଆମର ହୋଇଯାଉଛି । ଆସନ୍ତା ଥରକୁ ମୁଁ ବଡ଼ ଭଉଣୀ ହୋଇ ଜନ୍ମହୋଇ ତା’ ଦୁଇକାନକୁ ମୋଡ଼ି ଦେଇପାରିବି ।

 

ରାଜଲକ୍ଷ୍ମୀ କହିଲା– ତା’ ବଦଳରେ ମୁଁ ଗୋଟାଏ ସର୍ତ୍ତ କରିନେଇଛି ଗୋସାଇଁ । ଯଦି ଆଗ ମରିଯାଏ ତେବେ ତାକୁ ବୈଷ୍ଣବୀଗିରିରୁ ଇସ୍ତଫା ଦେଇ ତୁମ ସେବାରେ ନିଯୁକ୍ତ ହେବାକୁ ପଡ଼ିବ । ତୁମକୁ ଛାଡ଼ି ମୁକ୍ତି ପାଇପାରିବ ନାହିଁ–ଏକଥା ମୁଁ ଭଲକରି ଜାଣେ । ସେତେବେଳେ ଭୂତ ହୋଇ ଅପା ଦେହରେ ପଶିବ । ସେଇ ସିନ୍ଦ୍‌ବାଦର ଅସୁର ଭଳି, କାନ୍ଧରେ ସବାର ହୋଇ ସବୁ କାମ ତାହାଦ୍ୱାରା କରାଇ ତେବେ ଯାଇ ଛାଡ଼ିବ ।

 

କମଳଲତା ହସିଦେଇ କହିଲା– ତୁମର ମରିବା ଦରକାର ନାହିଁ ଭଉଣୀ । ତୁମକୁ କାନ୍ଧରେ ବସାଇ ଚବିଶ ଘଣ୍ଟା ମୁଁ ମଧ୍ୟ ବୁଲିପାରିବି ନାହିଁ ।

 

ସକାଳେ ଚାହାଖାଇ ଗହରର ପତ୍ତା ନେବାପାଇଁ ବାହାରିପଡ଼ିଲି । କମଳଲତା ଆସି କହିଲା–ବେଶୀ ଡେରିକରିବ ନାହିଁ ଗୋସାଇଁ । ଆଉ ତାଙ୍କୁ ମଧ୍ୟ ସଙ୍ଗରେ ଆଣିବ । ଏଣେ ଜଣେ ବ୍ରାହ୍ମଣକୁ ଧରିଆଣିଛି ଠାକୁରଙ୍କ ଭୋଗ ରାନ୍ଧିବା ପାଇଁ । ସେ ଯେମିତି ଅପରିଷ୍କାର; ସେଇପରି ହୁଣ୍ଡା । ରାଜଲକ୍ଷ୍ମୀ ତା’ ସହିତ ଯାଇଛି ସାହାଯ୍ୟ କରିବାପାଇଁ ।

କହିଲି ଭଲ କଲ ନାହିଁ । ରାଜଲକ୍ଷ୍ମୀ ଆଜି ଖାଇବି ସତ କିନ୍ତୁ ତୁମ ଠାକୁର ଉପାସ ରହିବେ ।

କମଳଲତା ଭୟରେ ଜିଭ କାମୁଡ଼ି ପକାଇ କହିଲା– ସେମିତି କଥା କହିବ ନାହିଁ ନୂତନ ଗୋସାଇଁ, ସେ ଶୁଣିପାରିଲେ ନା, ଆଉ ଜଳ ଗ୍ରହଣ କରିବେ ନାହିଁ ।

ହସିଦେଇ କହିଲି– ଚବିଶ ଘଣ୍ଟା ମାତ୍ର ଯାଇ ନାହିଁ କିନ୍ତୁ ତାକୁ ତୁମେ ଠିକ୍ ଚିହ୍ନିପାରିଛ ।

ସେ ମଧ୍ୟ ହସିଦେଇ କହିଲା–ହଁ, ଗୋସାଇଁ । ଭଲକରି ଚିହ୍ନିଛ । ଲକ୍ଷେ ଲୋକରେ ଏପରି ଗୋଟିଏ ଲୋକ ତୁମେ ଖୋଜି ପାଇପାରିବ ନାହିଁ–ଯାହାକୁ କହନ୍ତି ତୁମେ ପ୍ରକୃତରେ ।

ଗହରର ଦେଖା ମିଳିଲା ନାହିଁ । ସେ ଘରେ ନଥିଲା । ତା’ ମାମୁଁ ଝିଅ ଭଉଣୀ ସୁନାମ ଗ୍ରାମରେ ରହେ । ନବୀନ କହିଲା– ସେ ଦେଶକୁ କ’ଣ ଗୋଟାଏ ନୂଆ ବେମାରି ଆସି ପହଁଞ୍ଚିଛି । ଲୋକ ମରୁଛନ୍ତି ବିସ୍ତର । ଦରିଦ୍ର ଆତ୍ମୀୟମାନେ ପିଲାଛୁଆ ଧରି ବିପଦରେ ପଡ଼ିଛନ୍ତି । ସେଥିପାଇଁ ସେ ଚିକିତ୍ସା କରାଇବାପାଇଁ ଯାଇଛି । ଆଜିକୁ ଦଶ ବାର ଦିନ ହେବ କିଛି ଖବର ମିଳିନାହିଁ । ସେ ଭୟରେ କାଠ ପାଲଟି ଯାଇଛି । କିନ୍ତୁ ତା’ ଆଖିକୁ କିଛି ବୁଦ୍ଧିବାଟ ଦିଶୁନାହିଁ । ହଠାତ୍‌ ସେ କାନ୍ଦିଉଠି କହିଲା– ମୋ ବାବୁ ବୋଧହୁଏ ଆଉ ବଞ୍ଚିନାହିଁ । ମୂର୍ଖ ଚଷା ଲୋକ ମୁଁ । କେବେ ଗାଆଁ ବାହାରକୁ ଯାଇ ନାହିଁ । କେଉଁଠି ସେ ଦେଶ । କିପରି ସେଠାକୁ ଯିବାକୁ ହୁଏ ମୁଁ ଜାଣେନି । ନହେଲେ ଘରଦ୍ୱାର ଭାସିଗଲେ ସୁଦ୍ଧା ନବୀନ କ’ଣ ଏଠାରେ ଏଇମିତି ବସି ରହିପାରିଥାନ୍ତା ? ଚକ୍ରବର୍ତ୍ତୀ ମହାଶୟଙ୍କୁ ଦିନରାତି କହି ଚାଲିଛି–ଦୟାକରି ମୋତେ ଟିକିଏ ସଙ୍ଗରେ ନେଇକରି ଚାଲ–ତୁମକୁ ଜମି ବିକି ପଛକେ ଶହେଟଙ୍କା ଦେବି । କିନ୍ତୁ ବିଟୋଳ ବ୍ରାହ୍ମଣ ଆଦୌ ଟଳିଲା ନାହିଁ । ଏକଥା ମଧ୍ୟ କହିରଖୁଛି ବାବୁ । ଯଦି ମୋ ମୁନିବ ମରିଯାଇଥାନ୍ତି ନା, ତେବେ ଚକ୍ରବର୍ତ୍ତୀ ଘରେ ନିଆଁ ଲଗାଇ ମୁଁ ତାକୁ ପୋଡ଼ିବି । ତାପରେ ସେଇ ନିଆଁକୁ ଡେଇଁପଡ଼ି ଆତ୍ମହତ୍ୟା କରିବି । ଏତେବଡ଼ ନିମକହାରାମକୁ ମୁଁ ଜୀଅନ୍ତା ଛାଡ଼ିଦେଇ ଯାଇପାରିବି ନାହିଁ ।

ତାକୁ ସାନ୍ତ୍ୱନା ଦେଇ ପଚାରିଲି– ଜିଲ୍ଲା ନାମ କ’ଣ ଜାଣିଛ ନବୀନ ?

କେବଳ ଶୁଣିଛୁ ନନ୍ଦ ଜିଲ୍ଲାର କେଉଁକଣରେ ଗାଆଁଟିଏ ଅଛି । ଇଷ୍ଟେସନଠାରୁ ଅନେକ ଦୂର ବଳଦ ଗାଡ଼ିରେ ଯିବାକୁ ହୁଏ । ଚକ୍ରବର୍ତ୍ତୀ ଜାଣେ କିନ୍ତୁ ବ୍ରାହ୍ମଣ ତାହା ମଧ୍ୟ କହିବାକୁ ପ୍ରସ୍ତୁତ ନୁହେଁ ।

ନବୀନ ପୁରାତନ ଚିଠିପତ୍ର ସବୁ ସଂଗ୍ରହ କରି ଆଣିଲା । କିନ୍ତୁ ସେସବୁରୁ କିଛି ଠିକଣା ମିଳିପାରିଲା ନାହିଁ । କେବଳ ଏତିକି ମିଳିପାରିଲା ଯେ, ଦୁଇମାସ ପୂର୍ବେ ଚକ୍ରବର୍ତ୍ତୀ ମହାଶୟ ଗହରଠାରୁ ତାଙ୍କ ବିଧବା ଝିଅର ବିବାହ ପାଇଁ ଟଙ୍କା ଆଦାୟ କରିନେଇଛନ୍ତି ।

ବୋକା ଗହରର ଅନେକ ଟଙ୍କା । ସୁତରାଂ ଅକ୍ଷମ ଦରିଦ୍ରମାନେ ଠକିନେବା କଥା ତ । ତେଣୁ ସେଥିପାଇଁ ଦୁଃଖ କରିବାଟା ବୃଥା । କିନ୍ତୁ ଏତେବଡ଼ ସୟତାନୀ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ ।

 

ନବୀନ କହିଲା– ବାବୁ ମରିଗଲେ ତାକୁ ଭଲ । ଏକପ୍ରକାରେ ନିଜଞ୍ଜାଳୀ ହୋଇ ବଞ୍ଚିବ-। ଆଉ ଗୋଟିଏ ହେଲେ କରଜ ବାବଦକୁ ଶୁଝିବାକୁ ପଡ଼ିବ ନାହିଁ ।

 

ଅସମ୍ଭବ ମଧ୍ୟ ନୁହେଁ । ଚକ୍ରବର୍ତ୍ତୀଙ୍କ ଗୃହକୁ ଦୁଇଜଣ ମିଶିକରି ଗଲୁ । ଏପରି ବିନୟୀ, ମଧୁରାଳାପୀ, ପରଦୁଃଖ କାତର ଭଦ୍ରବ୍ୟକ୍ତି ଏ ସଂସାରରେ ଦୁର୍ଲ୍ଲଭ ।

 

କିନ୍ତୁ ବୁଦ୍ଧ ହେତୁ ତାଙ୍କର ସ୍ମୃତିଶକ୍ତି ଏତେ କ୍ଷୀଣ ହୋଇଯାଇଛି ଯେ, କିଛି ତାଙ୍କର ମନେପଡ଼ିଲା ନାହିଁ । ଏପରିକି ଜିଲ୍ଲାର ନାମ ମଧ୍ୟ । ବହୁ ଚେଷ୍ଟାରେ ଗୋଟାଏ ଟାଇମଟେବୁଲ ସଂଗ୍ରହ କରି ଉତ୍ତର ଓ ପୂର୍ବବଙ୍ଗର ସବୁ ଷ୍ଟେସନର ନାମଗୁଡ଼ାକ ଗୋଟି ଗୋଟି କରି ପଢ଼ି ଶୁଣାଇଗଲି । କିନ୍ତୁ ଷ୍ଟେସନର ଆଦ୍ୟଅକ୍ଷର ପର୍ଯ୍ୟନ୍ତ ସେ ସ୍ମରଣ କରିପାରିଲେ ନାହିଁ । ଦୁଃଖ କରି କହିଲେ–ଲୋକେ କେତେ କ’ଣ ଟଙ୍କା କଉଡ଼ି ଧାର ମାଗିନେଇଛନ୍ତି ସେ ସବୁ ମଧ୍ୟ ମୁଁ ମନେରଖିପାରିନାହିଁ । ହଉ ବାବା, ଉପରେ ଧର୍ମ ଅଛି–ସେ ଏହାର ହିଁ ବିଚାର କରିବେ ।

 

ନବୀନ ଆଉ ସହିପାରିଲା ନାହିଁ । ସେ ରାଗରେ ପାଟିକରି କହିଉଠିଲା–ହଁ ସେ ମଧ୍ୟ ତୁମର ବିଚାର କରିବେ ନାହିଁ ଯେ କଲେ; ମୁଁ ବିଚାର କରିବି ।

 

ଚକ୍ରବର୍ତ୍ତୀ ସ୍ନେହାର୍ଦ୍ର ମୃଦୁ କଣ୍ଠରେ କହିଲେ–ନବୀନ ମିଛଟାରେ ରାଗ କରନା ବାବା, ତିନିକାଳ ମୋର ଗଲାଣି ଆଉ ଗୋଟିଏ କାଳ ବାକି ଅଛି । ମନେଥିଲେ ଆଉ ଏତିକି କ’ଣ କହିପାରନ୍ତି ନାହିଁ ? ଗହର କ’ଣ ମୋର ପର ? ସେ ଯେ ମୋର ପୁଅଭଳି !

 

ନବୀନ କହିଲା– ସେସବୁ ମୁଁ ଜାଣେନି । ତୁମକୁ ଶେଷଥର ପାଇଁ କହୁଛି–ବାବୁଙ୍କ ପାଖକୁ ମୋତେ ନେଇଯିବ ତ ଚାଲ । ନଚେତ ଯେଉଁଦିନ ତାଙ୍କର କିଛି ଖରାପ ଖବର ଶୁଣିନେବା ସେତେବେଳକୁ ରହିବ ତୁମେ ଆଉ ମୁଁ ।

 

ଚକ୍ରବର୍ତ୍ତୀ କପାଳରେ କର ମାରି କହିଲେ– ଭାଗ୍ୟ ଏପରି ଶୁଣାଉଛି । ନହେଲେ ନବୀନ ତୁ ଏପରି କଥା କହିପାରନ୍ତୁ ?

 

ଅତଏବ ପୁଣି ଦୁଇଜଣ ଫେରିଆସିଲୁ । ଘର ବାହାରେ ଠିଆହୋଇ ମୁଁ ଆଶା କଲି ଅନୁତପ୍ତ ଚକ୍ରବର୍ତ୍ତୀ ମହାଶୟ ବୋଧହୁଏ ଆମ ପଛେ ପଛେ ଡାକିବାକୁ ଆସିବେ । କିନ୍ତୁ କୌଣସି ଉତ୍ତର ନ ଆସିବାରୁ କବାଟ ଫାଙ୍କରେ ଭଣ୍ଡି ଦେଖିଲି ଚକ୍ରବର୍ତ୍ତୀ ମହାଶୟ ପୋଡ଼ା କଲିକ ଫିଙ୍ଗିଦେଇ ହୁକାରେ ନୂଆ କରି ତମାଖୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି ।

 

ଗହରର ସମ୍ୱାଦ ପାଇଁ ଉପାୟ ଚିନ୍ତା କରି ଯେତେବେଳେ ଆଖଡ଼ାରେ ଆସି ପହଞ୍ଚିଲି ସେତେବେଳକୁ ସମୟ ପ୍ରାୟ ତିନିଟା । ଠାକୁରଘର ବାରଣ୍ଡାରେ ଝିଅମାନଙ୍କର ଭିଡ଼ ଜମିଉଠିଥାଏ-। ବାବାଜୀମାନେ କେହି କେଉଁଠାରେ ନଥାନ୍ତି । ବୋଧହୁଏ ସୁପ୍ରଚୁର ପ୍ରସାଦ ସେବା ପରିଶ୍ରମ ହେତୁ ନିର୍ଜୀବ ହୋଇ କିଏ କେଉଁଠାରେ ବିଶ୍ରାମ କରିଛନ୍ତି । ରାତିକୁ ପୁଣି ଆଉ ଦଫାଏ ପରିଶ୍ରମ କରିବାକୁ ହେବ ସେଥିପାଇଁ ବଳ ସଂଚୟର ତ ପ୍ରୟୋଜନ !

 

ଉଙ୍କିମାରି ଦେଖିଲି ଭିଡ଼ଭିତରେ ଜଣେ ଗଣକ ବସିଛି । ପାଞ୍ଜି, ପୋଥି, ଖଡ଼ି, ସ୍ଲେଟ, ପେନ୍‌ସିଲ ପ୍ରଭୃତି ଗଣନାର ଯାବତୀୟ ଉପକରଣ ତାଙ୍କ ନିକଟରେ । ମୋଉପରେ ସର୍ବାଗ୍ରେ ପଦ୍ମାର ଆଖିପଡ଼ିଲା । ସେ ପାଟିକରି କହିଉଠିଲା–ହେଇ–ନୂତନ ଗୋସାଇଁ ଆସିଲେଣି ।

 

କମଳଲତା କହିଲା– ସେତେବେଳୁ ମୁଁ ଜାଣେ ଗହର ଗୋସାଇଁ ତୁମକୁ ସେଇମିତି ଛାଡ଼ିଦେବେ ନାହିଁ । କ’ଣ ସବୁ ଖୁଆଇଲେ ସେ ?

 

ରାଜଲକ୍ଷ୍ମୀ ତା’ ମୁହଁ ଚାପିଧରି କହିଲା– ଥାଉ ଅପା, ସେସବୁ କଥା ଆଉ ପଚାର ନାହିଁ-

 

କମଳଲତା ତା’ ହାତକୁ ଘୁଞ୍ଜାଇ ଦେଇ କହିଲା– ଖରାରେ ମୁହଁ ଶୁଖିଯାଇଛି । ରାଇଜଯାକର ଧୂଳି ବାଲି ମୁଣ୍ଡସାରା ଲାଗିଛି । ଗାଧୁଆ ପାଧୁଆ ସରିଛି ତ ?

 

ରାଜଲକ୍ଷ୍ମୀ କହିଲା– ତେଲ ଟିକିଏ ମୁଣ୍ଡରେ ମାରିବେ ନାହିଁ । ଗାଧୋଇଥିଲେ ମଧ୍ୟ ଜଣାପଡ଼ିବ ନାହିଁ–ଅପା ।

 

ଅବଶ୍ୟ ସବୁପ୍ରକାର ଚେଷ୍ଟା ନବୀନ କରିଥିଲା । କିନ୍ତୁ ମୁଁ ମାନିନଥିଲି । ଅଗାଧୁଆ, ଅଖିଆ ହୋଇ ମୁଁ ଫେରିଆସିଛି ।

 

ରାଜଲକ୍ଷ୍ମୀ ମହାନନ୍ଦରେ କହିଉଠିଲା– ଜ୍ୟୋତିଷ ମୋ ହାତ ଦେଖି କହୁଛନ୍ତି ମୁଁ ରାଜରାଣୀ ହେବି ।

 

: କ’ଣ ଦେଲ ?

 

ପଦ୍ମା କହିଲା– ପାଞ୍ଚଟଙ୍କା ଦେଲେ । ରାଜଲକ୍ଷ୍ମୀ ଅପାଙ୍କ ପଣତ କାନିରେ ବନ୍ଧାହୋଇଥିଲା ।

 

ମୁଁ ହସିଦେଇ କହିଲି– ମୋତେ ଦେଲେ, ମୁଁ ତାଙ୍କଠାରୁ ଭଲ କହିପାରିବି ।

 

ଗଣକ ଓଡ଼ିଆ ବ୍ରାହ୍ମଣ । ଭଲ ବଙ୍ଗଳା କହିପାରନ୍ତି । ବଙ୍ଗାଳୀ କହିଲେ ହିଁ ଚଳିବ । ସେ ମଧ୍ୟ ହସିଦେଇ କହିଲେ– ନାହିଁ ଆଜ୍ଞା, ଟଙ୍କା ପାଇଁ ନୁହେଁ । ଟଙ୍କା ମୁଁ ଅନେକ ରୋଜଗାର କରୁଛି-। ପ୍ରକୃତରେ ଏପରି ହାତ ଆଉ ମୁଁ ଦେଖି ନାହିଁ । ପରୀକ୍ଷା କରିବେ; ମୋ ହାତ ଦେଖା କଦାପି ବ୍ୟର୍ଥ ହେବ ନାହିଁ ।

 

କହିଲି– ମହାଶୟ । ହାତ ନଦେଖି କିଛି କହିପାରିବେ କି ?

 

ସେ କହିଲେ– ପାରିବି । ଗୋଟାଏ ଫୁଲ ନାଆଁ କହନ୍ତୁ ।

 

କହିଲି– ଶିମିଳି ଫୁଲ ।

 

ଗଣକ ହସିଦେଇ କହିଲେ– ଶିମିଳି ଫୁଲ ହେଉ ! ମୁଁ ଏଇଥିରୁ ଗଣିକରି କହିଦେଇପାରିବି ଆପଣ କ’ଣ ଚାହାଁନ୍ତି ଏହା କରି ସେ ଖଡ଼ିଦ୍ୱାର ଦୁଇମିନିଟ୍‌ ଧରି ଅଙ୍କ କଷି ହିସାବ କରି କହିଲା–ଆପଣ ଗୋଟାଏ ଖବର ଜାଣିବାକୁ ଚାହାଁନ୍ତି ।

 

: କି ଖବର ?

 

ସେ ମୋଆଡ଼କୁ ଚାହିଁ କହିଲା– ମାଲିମକଦ୍ଦମା ଖବର ନୁହେଁ, ଆପଣ ଜଣେ ଲୋକର ଖବର ଜାଣିବାକୁ ଚାହାଁନ୍ତି ।

 

: ଖବରଟା କହିପାରିବେ ଆଜ୍ଞା ?

 

: ପାରିବି । ଖବର ଭଲ । ଦିନେ ଦୁଇଦିନ ଭିତରେ ଜାଣିପାରିବେ ।

 

ଶୁଣିକରି ମନେମନେ ଟିକିଏ ବିସ୍ମିତ ହୋଇଉଠିଲି ଏବଂ ମୋ ମୁହଁକୁ ଚାହିଁ ସମସ୍ତେ ସେକଥା ବୁଝିପାରିଲେ ।

 

ରାଜଲକ୍ଷ୍ମୀ ଖୁସିହୋଇ କହିଲା– ଦେଖିଲେ ତ । ମୁଁ କହୁଛି ଏ ଜଣେ ଭଲ ଗଣକ । କିନ୍ତୁ ତୁମେ ଆଦୌ କିଛି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁ । ହସି ଉଡ଼ାଇଦେଉଛ ।

 

କମଳଲତା କହିଲା– ଅବିଶ୍ୱାସ କାହିଁକି ? ନୂତନ ଗୋସାଇଁ ଦେଖାନ୍ତୁ ତ ଆପଣଙ୍କ ହାତଟା ଜ୍ୟୋତିଷଙ୍କୁ ।

 

ମୁଁ କରତଳ ପ୍ରସାର କରିବା କ୍ଷଣି ଗଣକ ତାକୁ ନିଜ ହାତରେ ଧରି ଦୁଇ ତିନିମିନିଟ୍‌ ଅତି ଯତ୍ନ ସହିତ ନିରୀକ୍ଷଣ କଲାପରେ କହିଲେ– ଆଜ୍ଞା, ଆପଣଙ୍କର ତ ଦେଖୁଛି ବଡ଼ ମାରକ ଦଶା ଅଛି ।

 

: ମାରକ ଦଶା ? କେବେ ?

 

: ଖୁବ୍‍ଶୀଘ୍ର । ବଞ୍ଚିବା–ମରିବାର ପ୍ରଶ୍ନ ।

 

ଚାହିଁ ଦେଖିଲି ରାଜଲକ୍ଷ୍ମୀ ମୁହଁରେ ଆଉ ରକ୍ତ ନାହିଁ । ଭୟରେ ସାଦା ହୋଇଯାଇଛି ।

 

ଗଣକ ମୋ ହାତ ଛାଡ଼ି ରାଜଲକ୍ଷ୍ମୀକୁ କହିଲା– ଦେଖି ମାଆ, ତୁମ ହାତଟା ଆଉଥରେ...

 

: ନା, ମୋ ହାତ ଆଉ ଦେଖିବା ଦରକାର ନାହିଁ । ଦେଖାସରିଛି ।

 

ତା’ର ତୀବ୍ର ଭାବାନ୍ତର ଅତ୍ୟନ୍ତ ସ୍ପଷ୍ଟ । ଚତୁର ଗଣକ ତତ୍‌କ୍ଷଣାତ୍‌ ବୁଝିପାରିଲା–ହିସାବରେ ତା’ର ଭୁଲ ହୋଇନାହିଁ । କହିଲା– ମୁଁ ତ ମାଆ ଦର୍ପଣ ମାତ୍ର । ଯାହା ଛାୟାପଡ଼ିବ ତାହାକୁ ମୁଁ ମୁହଁରେ କହିଥାଏ । କିନ୍ତୁ ଗ୍ରହକୁ ଶାନ୍ତ କରିହୁଏ । ସେଥିପାଇଁ କ୍ରିୟାକର୍ମର ବିଧାନ ଅଛି-। ସାମାନ୍ୟ ଦଶ କୋଡ଼ିଏ ଟଙ୍କା ଖର୍ଚ୍ଚର କଥା ମାଆ...

 

: ତୁମେ ଆମର କଲିକତା ଘରକୁ ଯାଇପାରିବ ?

 

: କାହିଁକି ଯାଇନପାରିବ ମାଆ । ନେଇଗଲେ ଯିବି ।

 

: ଆଚ୍ଛା ।

 

ଦେଖିଲି ଗ୍ରହର ଅଶାନ୍ତି ପ୍ରତି ତା’ର ପୂରା ବିଶ୍ୱାସ ଅଛି । କିନ୍ତୁ ଅଶାନ୍ତଗ୍ରହ ଯେ ପ୍ରସନ୍ନ ହୋଇପାରିବେ ଏଥିରେ ତା’ର ବିଶେଷ ସନ୍ଦେହ ।

 

କମଳଲତା କହିଲା– ଗୋସେଇଁ ଚାଲ, ଚାହା ତିଆରି କରିଦେବି । ସମୟ ହୋଇଗଲାଣି ।

 

ରାଜଲକ୍ଷ୍ମୀ କହିଲା– ମୁଁ ତିଆରିକରି ଆଣୁଛି ଅପା, ତୁମେ ସେ ବସିବାପାଇଁ ସ୍ଥାନଟା ଆଗ ଠିକ୍‌ କରିଦିଅ । ରତନକୁ କୁହ ତମାଖୁ ସଜାଡ଼ିଦେବ । କାଲିଠାରୁ ତା’ ଛାଇ ତ ମୁଁ ଦେଖିବାକୁ ପାଉନାହିଁ ।

 

ଅନ୍ୟ ସମସ୍ତେ ଜ୍ୟୋତିଷ ସହିତ ମିଶି ହୋ–ହୋ ହେଉଥିଲେ–ଆମେମାନେ ଚାଲିଆସିଲୁ ।

 

ଦକ୍ଷିଣର ଖୋଲା ବରଣ୍ଡାରେ ମୋ ପାଇଁ ପଡ଼ିଥିବା ଦଉଡ଼ିଆ ଖଟିଆକୁ ରତନ ଝାଡ଼ିଝୁଡ଼ି ଦେଲା । ତମାଖୁ ଦେଲା । ମୁହଁ ହାତ ଧୋଇବାପାଇଁ ପାଣି ଆଣିଦେଲା । କାଲି ସକାଳଠାରୁ ତା’ର ଛାଇସୁଦ୍ଧା ଦେଖିନାହାଁନ୍ତି । ମାରକ ଦଶା ମୋର ଆସନ୍ନ । କିନ୍ତୁ ପ୍ରଶ୍ନକଲେ ସେ ନିଶ୍ଚୟ କହନ୍ତା–ଆଜ୍ଞା–ନା, ମାରକ ଦଶା ଆପଣଙ୍କର ନୁହେଁ ମୋର ।

 

କମଳଲତା ତଳେ ବାରଣ୍ଡାରେ ବସି ଗହରର ଖବର ପଚାରୁଥିଲା । ରାଜଲକ୍ଷ୍ମୀ ଚାହା ତିଆରିକରି ନେଇଆସିଲା । ମୁହଁଟା ଭାରୀ ଗମ୍ଭୀର ! ଆଗ ଟୁଲରେ କପ୍‌ଟା ରଖିଦେଇ କହିଲା–ଦେଖ ଶହେଥର ତୁମକୁ କହିଥିବି ବଣଜଙ୍ଗଲରେ ଘୂରିବୁଲ ନାହିଁ–ବିପଦ ଘଟିବାକୁ କେତେକ୍ଷଣ ? ତୁମକୁ ଗଳାରେ ଲୁଗାଦେଇ ହାତଯୋଡ଼ୁଛି–କଥାଟା ମୋର ମାନ ।

 

ଏତେ ସମୟ ଧରି ଚାହା ତିଆରି କଲାବେଳେ ରାଜଲକ୍ଷ୍ମୀ ବୋଧହୁଏ ଏହା ଭାବି ସ୍ଥିର କରିଥିଲା–‘‘ଖୁବ୍‌ଶୀଘ୍ର’’’ ଅର୍ଥ ଆଉ କ’ଣ ହୋଇପାରେ ?

 

କମଳଲତା ଆଶ୍ଚର୍ଯ୍ୟହୋଇ କହିଲା– ବଣଜଙ୍ଗଲକୁ ଗୋସେଇଁ କେତେବେଳେ ଗଲେ-?

 

ରାଜଲକ୍ଷ୍ମୀ କହିଲା– କେତେବେଳେ ଯାଉଛନ୍ତି ସେ କଥା କ’ଣ ମୁଁ ଦେଖୁଛି–ଅପା । ମୋର କ’ଣ ସଂସାରରେ ଆଉ କିଛି କାମ ନାହିଁ ?

 

ମୁଁ କହିଲି–ସେ ଦେଖିନାହିଁ । କିନ୍ତୁ ତା’ର ଅନୁମାନ କଥା କହୁଛି । ଜ୍ୟୋତିଷ କଥାଟା ଆଚ୍ଛା ବିପଦ ସୃଷ୍ଟି କରିଦେଇଗଲା ! ଏକଥା ଶୁଣି ରତନ ଅନ୍ୟଆଡ଼େ ମୁହଁ ବୁଲାଇ ଚାଲିଗଲା ।

 

ରାଜଲକ୍ଷ୍ମୀ ପଚାରିଲା– ଗଣକର ଏଥିରେ ଦୋଷ କ’ଣ ? ସେ ଯାହା ଦେଖିବ ତାହା ହିଁ କହିବ ? ପୃଥିବୀରେ ଦଶାବୋଲି କ’ଣ କିଛି ନାହିଁ ? ବିପଦ କ’ଣ କାହାର କେବେ ଘଟେନାହିଁ ?

 

ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବା ବୃଥା । କମଳଲତା ମଧ୍ୟ ରାଜଲକ୍ଷ୍ମୀକୁ ଚିହ୍ନିଛି । ସେ ମଧ୍ୟ ଚୁପ୍‌ ହୋଇ ରହିଲା ।

 

ଚାହା କପ୍‌ଟା ମୁଁ ହାତରେ ଧରିବାକ୍ଷଣି ରାଜଲକ୍ଷ୍ମୀ କହିଲା– ରହ, ଦୁଇଟା ଫଳ ଆଉ ମିଠା ନେଇକରି ଆସେ ।

 

ମୁଁ କହିଲି– ନା ।

 

: ନା, କାହିଁକି ? ନାହିଁ କରିବା ବ୍ୟତୀତ ଭଗବାନ କ’ଣ ତୁମକୁ ‘ହଁ’ କହିବାକୁ ମନା କରିଛନ୍ତି ? କିନ୍ତୁ ମୋ ମୁହଁକୁ ଚାହିଁବାକ୍ଷଣି ଅଧିକ ଉଦ୍‌ବିଗ୍ନ ହୋଇ କହିଉଠିଲା– ତୁମ ଆଖିଦୁଇଟା ଏତେ ନାଲ ଦିଶୁଛି କାହିଁକି ? ପଚା ନଦୀଜଳରେ ଗାଧୋଇ ନାହଁ ତ ?

 

: ନା । ସ୍ନାନ ଆଜି କରିନାହିଁ ।

 

: କ’ଣ ଖାଇଲ ସେଠାରେ ?

 

: କିଛି ଖାଇନି, ଇଚ୍ଛା ମଧ୍ୟ ହେଲା ନାହିଁ ।

 

କ’ଣ ଭାବି ସେ ଆସି ମୋ କପାଳଉପରେ ହାତ ରଖିଲା । ତା’ପରେ ଜାମାଭିତରେ ହାତଗଳାଇ ମୋ ଛାତିରେ ହାତରଖି କହିଲା– ଯାହା ଭାବିଥିଲି–ତା’ ସତ । କମଳଅପା, ଦେଖିଲି, ତାଙ୍କ ଦେହଟା ଗରମ ଲାଗୁଚି ?

 

କମଳଲତା ବ୍ୟସ୍ତହୋଇ ଉଠିଆସିଲା ନାହିଁ–କହିଲା– ହେଲେ ଅବା ଟିକିଏ ଗରମ ହେଉ–ଏଥିରେ ଭୟ କରିବାର କ’ଣ ଅଛି ?

 

ରାଜଲକ୍ଷ୍ମୀ କହିଲା– ତା’ ମାନେ ଜର ଯେ ଅପା !

 

କମଳଲତା କହିଲା– ତାହା ଯଦି ହୋଇଥାଏ, ତୁମେମାନେ ତ ଆଉ ଆସି ପାଣିରେ ପଡ଼ିନାହଁ ? ଆମମାନଙ୍କ ପାଖରେ ଅଛ । ଆମେମାନେ ତା’ର ବ୍ୟବସ୍ଥା କରିବୁ ନାହିଁ ଭଉଣୀ ? ସେଥିପାଇଁ ତୁମର କିଛି ଚିନ୍ତା କରିବାର ନାହିଁ ।

 

ନିଜର ଏହି ଅସଙ୍ଗତ ବ୍ୟାକୁଳତା ହେତୁ ଅପରର ଅବିଚଳିତ ଶାନ୍ତକଣ୍ଠ ରାଜଲକ୍ଷ୍ମୀକୁ ପ୍ରକୃତିସ୍ଥା କଲା । ସେ ଲାଜପାଇ କହିଲା– ସେଇ କଥା କୁହ ଅପା । ଏକରେ ଏଠାରେ ଡାକ୍ତର, ବୈଦ୍ୟ ନାହାନ୍ତି, ତା’ପରେ ଦେଖୁଛି ତାଙ୍କର କିଛି ଗୋଟାଏ ହେଲେ ସହଜରେ ଭଲ ହୁଏନାହିଁ, ଭାରୀ କଷ୍ଟଦିଏ । ପୁଣି କେଉଁଠୁ ଆସି ଏ ପୋଡ଼ାମୁହାଁ ଜ୍ୟୋତିଷଟା ଭୟ ଦେଖାଇଦେଇ ଗଲା ଯେ...

 

: ଦେଖାଇଲେ ଅବା ?

 

: ନା ଭଉଣୀ, ମୁଁ ଦେଖିଛି ଏଙ୍କର ଭଲକଥା ଫଳେନାହିଁ । କିନ୍ତୁ ମନ୍ଦଟି ଠିକ୍‌ ଘଟିଯାଏ ।

 

କମଳଲତା ସ୍ମିତ ହାସ୍ୟକରି କହିଲା– ଭୟ ନାହିଁ ରାଜୁ, ଏ କ୍ଷେତ୍ରରେ ଘଟିବ ନାହିଁ । ସକାଳପହରରୁ ଗୋସେଇଁ ବହୁତ ଖରାରେ ବୁଲାବୁଲି କରିଛନ୍ତି । ତା’ ସଙ୍ଗେ ଠିକ୍‌ ସମୟରେ ଗାଧୋଇ ନାହାଁନ୍ତି । ଖିଆପିଆର ଠିକ୍‌ ନାହିଁ । ସେଥିପାଇଁ ଯାହା ଦେହ ଟିକିଏ ଉଷୁମ ଲାଗୁଛି । କାଲି ସକାଳକୁ ନଥିବ ।

 

ଲାଲୁମାଆ ଆସି କହିଲା– ମାଆ, ରୋଷାଇଘରେ ପୂଜାରୀ ତୁମକୁ ଡାକୁଛି ।

 

: ଯାଉଛି, କହି ସେ କୃତଜ୍ଞତାଭରା ଚାହାଣିରେ କମଳଲତାକୁ ଚାହିଁଦେଇ ଚାଲିଗଲା ।

 

ମୋ ରୋଗ ସମ୍ୱନ୍ଧରେ କମଳଲତା କଥାହିଁ ଫଳିଲା । ଜ୍ୱରଟା ଠିକ୍‌ ସକାଳୁ ସିନା ଓହ୍ଲାଇଗଲା ନାହିଁ ସତ, କିନ୍ତୁ ଦିନେ ଦୁଇଦିନ ଭିତରେ ସୁସ୍ଥ ହୋଇଉଠିଲି । କିନ୍ତୁ ଏଇ ଘଟଣାରେ ଆମ ଭିତରର କଥାଟା କମଳଲତା ଜାଣିପାରିଲା ଏବଂ ଆଉଜଣେ ବୋଧହୁଏ ଟେର ପାଇପାରିଲେ । ସେ ହେଉଛନ୍ତି ବଡ଼ ଗୋସାଇଁଜୀ ।

 

ଯିବାଦିନ ଆମକୁ ଆଢ଼ୁଆଳକୁ ଡାକି କମଳଲତା ପଚାରିଲା ଗୋସାଇଁ ତୁମର ବାହାହେବା ଦିନଟା ମନେଅଛି ?

 

ନିକଟରେ ଦେଖିଲି ଗୋଟାଏ ଥାଳିରେ ଠାକୁରଙ୍କ ପ୍ରସାଦୀ ଚନ୍ଦନ ଓ ଫୁଲମାଳା ।

 

ପ୍ରଶ୍ନର ଉତ୍ତରଦେଇ ରାଜଲକ୍ଷ୍ମୀ କହିଲା– ସେ ଜାଣନ୍ତି ନାହିଁ କିନ୍ତୁ ମୋର ମନେଅଛି ।

 

କମଳଲତା ହସ ହସ ମୁହଁରେ କହିଲା– ଏ କିପରି କଥା ମ ? ଜଣକର ମନେରହିଲା ଆଉ ଜଣକର ରହିଲା ନାହିଁ ?

 

ରାଜଲକ୍ଷ୍ମୀ କହିଲା ଅଳ୍ପ ବୟସ ହୋଇଥିଲା ନା–ସେଇଥିପାଇଁ । ତାଙ୍କର ସେ ଯର୍ଯ୍ୟନ୍ତ ଭଲରକମ ଜ୍ଞାନ ହୋଇନଥିଲା ।

 

: କିନ୍ତୁ ସେ ତୋଠାରୁ ବୟସରେ ବଡ଼ ଲୋ ରାଜୁ ।

 

: ଓଃ ! ଭାରୀ ତ ବଡ଼ ! ମାତ୍ର ପାଞ୍ଚ, ଛଅବର୍ଷର । ମୋ ବୟସ ସେତେବେଳକୁ ଆଠ କି ନଅ ହେବ । ଦିନେ ତାଙ୍କ ଗଳାରେ ମାଳା ପିନ୍ଧାଇଦେଇ ମନେମନେ କହିଲି– ଆଜିଠାରୁ ତୁମେହେଲ ମୋର ବର ! ବର ! ବର ! ଏହା କହି ମୋତେ ଇଙ୍ଗିତରେ ଦେଖାଇ କହିଲା–ଏ ରାକ୍ଷସ କିନ୍ତୁ ସେତେବେଳେ ଠିଆହୋଇ ମୁଁ ଦେଇଥିବା ମାଳାକୁ ଖାଇପକାଇଲେ ।

 

କମଳଲତା ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଫୁଲମାଳକୁ ଖାଇ ପକାଇଲେ କିପରି ?

 

ମୁଁ କହିଲି– ଫୁଲର ମାଳା ନୁହେଁ । ଖାଣ୍ଟି ଭଇଁଚ କୋଳିର ମାଳ । ତାହା ଯାହାକୁ ଦେବ ସେ ନିଶ୍ଚୟ ଖାଇପକାଇବ ।

 

କମଳଲତା ହସିବାକୁ ଲାଗିଲା । ରାଜଲକ୍ଷ୍ମୀ କହିଲା– କିନ୍ତୁ ସେଇଦିନଠାରୁ ମୋର ଦୁର୍ଗତି ଆରମ୍ଭ ହେଲା । ତାଙ୍କୁ ହଜାଇ ବସିଲି । ତାପର କଥା ଆଉ ପଚାର ନାହିଁ–ଅପା, କିନ୍ତୁ ଲୋକମାନେ ଯାହା ଭାବନ୍ତି ତାହା ଆଦୌ ନୁହେଁ । ସେମାନେ କେତେ କ’ଣ ଯେ ନ ଭାବନ୍ତି ! ତାପରେ ଅନେକଦିନ ଧରି କାନ୍ଦି କାନ୍ଦି ଅଣ୍ଡାଳି ଖୋଜିବାକୁ ଲାଗିଲି । ସେତେବେଳକୁ ଠାକୁରଙ୍କର ଦୟା ହେଲା । ଯେପରି ଆପେ ହଠାତ୍‌ ଦିନେ କାଢ଼ିନେଇ ଯାଇଥିଲେ ସେଇପରି ଦିନେ ହାତେ ହାତେ ଆଣି ଦେଇଗଲେ । ଏହା କହି ସେ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା ।

 

କମଳଲତା କହିଲା– ସେଇ ଠାକୁରହିଁ ମାଳା ଓ ଚନ୍ଦନ ପଠାଇଛନ୍ତି ବଡ଼ ଗୋସାଇଁ । ଆଜି ଫେରିଯିବା ବେଳେ ଦୁଇଜଣ ଦୁଇଜଣଙ୍କୁ ପିନ୍ଧାଇଦିଅ ।

 

ରାଜଲକ୍ଷ୍ମୀ ହାତଯୋଡ଼ି କହିଲା– ତାଙ୍କ ଇଚ୍ଛା ସେ ଜାଣନ୍ତି । କିନ୍ତୁ ମୋତେ ସେଭଳି ଆଦେଶ କରନାହିଁ । ମୋ ପିଲାବେଳେ ଯେଉଁ ରଙ୍ଗମାଳା, ଆଜି ମଧ୍ୟ ଆଖିବୁଜିଲେ ସେଇ କିଶୋର ଗଳାରେ ଝୁଲୁଥିବାର ଦେଖିବାକୁ ପାଏ ! ଠାକୁରଙ୍କୁ ଦେଇଥିବା ସେଇ ମାଳା ହିଁ ମୋର ସବୁଦିନ ଯେପରି ରହିପାରିଥାଏ ଅପା ।

 

ମୁଁ କହିଲି– ସେ ମାଳା ତ ମୁଁ ଖାଇପକାଇଛି ।

 

ରାଜଲକ୍ଷ୍ମୀ କହିଲା– ହଁ, ରାକ୍ଷସଟିଏ ତ ! ଏଥର ମୋତେ ପୂରା ଖାଇଯାଅ । ଏହା କହି ସେ ଚନ୍ଦନ ଗିନାରେ ଆଙ୍ଗୁଠି ବୁଡ଼ାଇ ମୋ କପାଳରେ ଛାପ ମାରିଦେଲା ।

 

ସମସ୍ତେ ମିଶି ଦ୍ୱାରିକା ଦାସଙ୍କ ଘରକୁ ଦେଖାକରିବାକୁ ଗଲୁ । ସେ କ’ଣ ଗୋଟାଏ ପୁରାଣ ପଢ଼ିବାରେ ବ୍ୟସ୍ତ ଥିଲେ । ଆଦର କରି ଡାକି କହିଲେ–ଆସ ଭାଇ–ଆସ ।

 

ରାଜଲକ୍ଷ୍ମୀ ତଳେ ବସିପଡ଼ି କହିଲା– ବସିବାକୁ ଆଉ ଯେ ବେଳ ନାହିଁ ଗୋସାଇଁ । ଅନେକ ଉପଦ୍ରବ କରିଛି । ସେଥିପାଇଁ ଯିବା ଆଗରୁ ଆପଣଙ୍କୁ ନମସ୍କାର କରି କ୍ଷମା ଭିକ୍ଷା ମାଗିବା ପାଇଁ ଆସିଲି ।

 

ଗୋସାଇଁ କହିଲେ– ଆମେ ଗରିବ ଲୋକ, ଭିକ୍ଷା ନେଇପାରୁ କିନ୍ତୁ ଦେଇପାରୁ ନାହିଁ–ଭଉଣୀ । ପୁଣି କେବେ ଉପଦ୍ରବ କରିବାକୁ ଆସିବ କହିଲ ଭଉଣୀ ? ଆଶ୍ରମଟି ଆଜି ଯେ ଅନ୍ଧକାର ହୋଇଯିବ ।

 

କମଳଲତା କହିଲା– ସତ କଥା ଗୋସାଇଁ । ସତରେ ମନେହେବ ଆଜି ଯେପରି କେଉଁଠାରେ ଆଲୁଅ ଜଳିଉଠି ନାହିଁ–ସବୁ ଅନ୍ଧକାର ହୋଇଉଠିଛି ।

 

ବଡ଼ ଗୋସାଇଁ କହିଲେ– ଗୀତ ଗାଇବାରେ, ଆନନ୍ଦରେ, ହସରେ, କୌତୁକରେ, ଏ କେତେଦିନ ମନେହେଉଥିଲା ଆମର ଚାରିଆଡ଼େ ବିଦ୍ୟୁତ୍‌ର ଆଲୋକ ଜଳୁଥିଲା । ଏପରି ହେବାର କେବେ ଦେଖିନଥିଲି । ମୋତେ କହିଲା– କମଳଲତା ନାଆଁ ଦେଇଥିଲା ନୂତନ ଗୋସାଇଁ ଆଉ ଆଜିଠାରୁ ମୁଁ ରାଜଲକ୍ଷ୍ମୀ ନାଆଁ ଦେଲି–ଆନନ୍ଦମୟୀ ।

 

ଏଥର ତାଙ୍କ ଉଚ୍ଛ୍ୱାସକୁ ମୋତେ ବାଧାଦେଇ କହିବାକୁ ହେଲା–ବଡ଼ ଗୋସାଇଁ, ବିଦ୍ୟୁତ୍‌ର ଆଲୋକ ତୁମ ଆଖିରେ ଦିଶିଲା, କିନ୍ତୁ ତା’ର କଡ଼କଡ଼ ଧୂନି ଯାହା କାନରେ ଦିନରାତି ପଶେ ତାକୁ ଟିକିଏ ପଚାରନ୍ତୁ । ଆନନ୍ଦମୟୀ ସମ୍ୱନ୍ଧରେ ଅନ୍ତତଃ ରତନର ମତାମତଟା...

 

ରତନ ପଛରେ ଠିଆହୋଇ, ପଳାଇଗଲା ।

 

ରାଜଲକ୍ଷ୍ମୀ କହିଲା– ତାଙ୍କ କଥା ତୁମେ ଶୁଣନି ଗୋସାଇଁ । ସେ ଦିନରାତି ମୋତେ ହିଂସା କରନ୍ତି । ମୋ ଆଡ଼କୁ ଚାହିଁ କହିଲା– ଏଥର ଯେତେବେଳେ ଆସିବି ସେତେବେଳେ ଏଇ ରୋଗା, ଅରସିକ ଲୋକଟିକୁ ଘରେ ତାଲା ପକାଇଦେଇ ଆସିବି । ତାଙ୍କ ଜ୍ୱାଳାରୁ କେଉଁଠାକୁ ଯାଇ କ’ଣ ମୋର ଶାନ୍ତି ଅଛି ?

 

ବଡ଼ ଗୋସାଇଁ କହିଲେ– ପାରିବ ନାହିଁ ଆନନ୍ଦମୟୀ–ପାରିବ ନାହିଁ । ଛାଡ଼ିଦେଇ ଆସିପାରିବ ନାହିଁ ।

ରାଜଲକ୍ଷ୍ମୀ କହିଲା– ନିଶ୍ଚୟ ପାରିବି । ବେଳେବେଳେ ମୋର ଇଛାହୁଏ ଗୋସାଇଁ, ଯେପରି କି ମୁଁ ତାଙ୍କ ଆଗରେ ଶୀଘ୍ର ମରିଯାଆନ୍ତି କି ?

ବଡ଼ ଗୋସାଇଁ କହିଲେ– ଏଭଳି ଇଚ୍ଛା ତ ଦିନେ ବୃନ୍ଦାବନରେ ସେ ମୁହଁରେ ପ୍ରକାଶ କରିଥିଲେ ଭଉଣୀ । କିନ୍ତୁ ପାଇପାରିଲେ ନାହିଁ । ହଁ, ଆନନ୍ଦମୟୀ, କଥାଟା କ’ଣ ତୁମର ମନେ ନାହିଁ ? ସଖୀ ! କାରେ ଦିଏ ଯାବୋ, ତାରା କାନୁ ସେବାର କିବା ଜାନେ...

କହୁ କହୁ ସେ ଯେପରି ଅନ୍ୟମନସ୍କ ହୋଇପଡ଼ିଲେ । ପ୍ରକୃତରେ ପ୍ରେମ କ’ଣ ଅବା ଆମେ ଜାଣିପାରିଛେ ? କେବଳ ଛଳନାରେ ନିଜକୁ ଭୁଲାଇ ବସିଛେ ସିନା ! କିନ୍ତୁ ତୁମେ ଭଉଣୀ ଜାଣିପାରିଛି । ସେଥିପାଇଁ କହୁଛି, ତୁମେ ଯେଉଁଦିନ ଏ ପ୍ରେମକୁ ଶ୍ରୀକୃଷ୍ଣକୁ ଅର୍ପଣ କରିପାରିବ ଆନନ୍ଦମୟୀ...

ଏକଥା ଶୁଣି ରାଜଲକ୍ଷୀ ଯେପରି ଶିହରିଉଠିଲା । ବ୍ୟସ୍ତ ହୋଇ ତାଙ୍କୁ ବାଧାଦେଇ କହିଲା–ଏଭଳି ଆଶୀର୍ବାଦ କରନା ଗୋସାଇଁ । ଏକଥା ଯେପରି କପାଳରେ ନ ଘଟେ । ବରଞ୍ଚ ଆଶୀର୍ବାଦ କର–ଏଇମିତି ହସିଖେଳ କରି ଦିନେ ତାଙ୍କ ଆଗରେ ଚାଲିଯାଏ ।

କମଳଲତା କଥାଟାକୁ ସମ୍ଭାଳି ନେଇ କହିଲା– ବଡ଼ ଗୋସାଇଁ କେବଳ ତୋ ଭଲପାଇବା କଥାଟାକୁ ହିଁ କହୁଛନ୍ତି ରାଜୁ–ଆଉ କିଛି ନୁହେଁ ।

ମୁଁ ବୁଝିପାରିଥିଲି । ଅନୁକ୍ଷଣ ଅନ୍ୟମନସ୍କ ଦ୍ୱାରିକା ଦାସଙ୍କର ଚିନ୍ତାଧାରାଟା ହଠାତ୍‌ ଆଉ ଗୋଟାଏ ଦିଗକୁ ଚାଲିଯାଇଥିଲା ମାତ୍ର ।

 

ରାଜଲକ୍ଷ୍ମୀ ଶୁଷ୍କ ମୁଖରେ କହିଲା– ଏକରେ ତ ଏପରି ଶରୀର–ତାପରେ ଗୋଟାଏ ନା ଗୋଟାଏ ରୋଗ ବରାବର ଲାଗିରହିଛି । ଏକଜିଦିଆ ଲୋକ । କାହା କଥା ଶୁଣିବ ନାହିଁ । ମୁଁ ଦିନରାତି ଯେ କେତେ ଭୟରେ ଥାଏ; ସେକଥା ଆଉ କା ଆଗେ କହିବି ଅବା ?

 

ଏଥର ମନେମନେ ମୁଁ ଉଦ୍‌ବିଗ୍ନ ହୋଇଉଠିଲି । ଯିବାବେଳକୁ କେଉଁଠାର ପାଣି ଯେ କେଉଁଠାରେ ଯାଇ ପହଞ୍ଚିବ ତା’ର ଠିକଣା ନାହିଁ । ମୁଁ ଜାଣେ, ମୋତେ ଅବହେଳା କରି ବିଦାୟ ଦେବା ହେତୁ ଯେଉଁ ଆତ୍ମଗ୍ଳାନି ଧରି ଏଥର ରାଜଲକ୍ଷ୍ମୀ କାଶୀରୁ ଆସିଛି ସେଥିପାଇଁ ସବୁପ୍ରକାର ହାସ୍ୟ–ପରିହାସର ଅନ୍ତରାଳରେ ମଧ୍ୟ କେଉଁ ଗୋଟାଏ ଅଜଣା ଦଣ୍ଡର ଆଶଙ୍କାକୁ ସେ ମନରୁ କୌଣସି ପ୍ରକାରେ ତଡ଼ି ଦେଇପାରୁନଥିଲା । ସେଇଟାକୁ ଶାନ୍ତ କରିବା ଅଭିପ୍ରାୟରେ ହସିଦେଇ କହିଲି–ତୁମେ ଯେତେପ୍ରକାର ମୋ ରୋଗା ଦେହର ନିନ୍ଦା ଲୋକମାନଙ୍କ ଆଗରେ କରନା ଲକ୍ଷ୍ମୀ, ଏ ଦେହର ବିନାଶ ନାହିଁ । ଆଗ ତୁମେ ନ ମଲେ ମୁଁ କିନ୍ତୁ ମରିପାରୁନି–ଏକଥା ନିଶ୍ଚିତ ।

 

କଥାଟାକୁ ସେ ଆଉ କୁହାଇଦେଲା ନାହିଁ । ମୋ ହାତଟା ଖପ୍‌କରି ଧରିପକାଇ କହିଲା–ମୋ ଦେହଛୁଇଁ ଏମାନଙ୍କ ଆଗରେ ତ୍ରିବାର ସତ୍ୟ କର । କୁହ ଏକଥା କଦାପି ମିଥ୍ୟା ହେବ ନାହିଁ । କହୁ କହୁ ହିଁ ତା’ ଦୁଇଆଖିରେ ଲୁହ ତଳତଳ ହୋଇଉଠିଲା ।

 

ସମସ୍ତେ ଅବାକ୍‌ ହୋଇ ରହିଲେ । ସେତେବେଳେ ଲାଜରେ ମୋ ହାତଟା ଛାଡ଼ିଦେଇ ଜୋର କରି ହସି କହିଉଠିଲା–ଏଇ ପୋଡ଼ାମୁହାଁ ଜ୍ୟୋତିଷଟା ମୋତେ ଏମିତି ମିଛଟାରେ ଭୟ ଦେଖାଇ ଦେଇ ଯାଇଛି ଯେ......

 

ଏ କଥାଟା ସେ ସଂପୂର୍ଣ୍ଣ କରିପାରିଲା ନାହିଁ । ମୁହଁର ହସ ଏବଂ ଲଜ୍ଜ୍ୟା ସତ୍ତ୍ୱେ ମଧ୍ୟ ଦୁଇଟୋପା ଲୁହ ତା’ ଗଣ୍ଡଦେଇ ବହିଆସିଲା ।

 

ପୁଣି ଆଉଥରେ ସମସ୍ତଙ୍କ ନିକଟରୁ ଥରଥର କରି ବିଦାୟ ନେବାକୁ ହେଲା । ବଡ଼ ଗୋସାଇଁ କଥାଦେଲେ ଏଥର କଲିକତା ଗଲେ ସେ ଆମଘରେ ପଦାର୍ପଣ କରିବେ ଏବଂ ପଦ୍ମା ଯେହେତୁ ସହର ଦେଖିନାହିଁ, ସେ ମଧ୍ୟ ସଙ୍ଗରେ ଯିବ !

 

ଷ୍ଟେସନରେ ପହଞ୍ଚିବାକ୍ଷଣି ପ୍ରଥମେ ଆଖିରେ ପଡ଼ିଲା ସେହି ‘‘ପୋଡ଼ାମୁହାଁ ଗଣକ’’ । ପ୍ଳାଟଫର୍ମରେ କମ୍ବଳବିଛାଇ ବେଶ୍‌ ଜାକଜକମରେ ବସିପଡ଼ିଛି । ଚାରିପାଖରେ ବେଶ୍‌ ଲୋକ ମଧ୍ୟ ଜମିରହିଥାନ୍ତି ।

 

ପଚାରିଲି– ସେ କ’ଣ ସଙ୍ଗରେ ଯିବ କି ?

 

ରାଜଲକ୍ଷ୍ମୀ ସଲଜ୍ଜ ହସକୁ ଅନ୍ୟଦିଗକୁ ଚାହିଁ ଲୁଚାଇବାକୁ ଚେଷ୍ଟାକଲା–କିନ୍ତୁ ମୁଣ୍ଡ ହଲାଇ ଜଣାଇଲା ଯେ ସେ ମଧ୍ୟ ସଙ୍ଗରେ ଯିବ ।

 

କହିଲି– ନା, ସେ ଯାଇପାରିବ ନାହିଁ ।

 

: କିନ୍ତୁ ଭଲ ନ ହେଉ, ମନ୍ଦ ତ କିଛି ହେବ ନାହିଁ । ତେଣୁ ସଙ୍ଗରେ ଆସୁନା ।

 

: ନା, ଭଲମନ୍ଦ ଯାହାହେଉ ପଛକେ କିନ୍ତୁ ସେ ଯାଇପାରିବ ନାହିଁ । ତାକୁ ଯାହା ଦେବାର କଥା ଦେଇ ଏଇଠାରୁ ତାକୁ ବିଦାୟ କରିଦିଅ । ତା’ର ଗ୍ରହ ଶାନ୍ତି କରିବାର କ୍ଷମତା ଏବଂ ସାଧୁତା ଯଦି କିଛି ଥାଏ ତେବେ ସେ ତାହା ତୁମ ଆଖି ଆଢ଼ୁଆଳରେ କରିପାରେ–

 

: ତେବେ ସେଇଆ କହିଦେଉଛି । ଏହା କହି ସେ ରତନ ହାତରେ ତାକୁ ଡକାଇପଠାଇଲା । ତାକୁ କ’ଣ ଦେଲା ଜାଣିନାହିଁ କିନ୍ତୁ ସେ ଅନେକଥର ମୁଣ୍ଡହଲାଇ ଓ ଅନେକ ଆଶୀର୍ବାଦ କରି ସହାସ୍ୟ ମୁଖରେ ବିଦାୟ ଗ୍ରହଣ କଲା ।

 

ଅଳ୍ପ ସମୟ ପରେ ଟ୍ରେନ ଆସି ପହଞ୍ଚିଲା । ଆମେମାନେ କଲିକତା ଅଭିମୁଖରେ ଯାତ୍ରାକଲୁ ।

 

ରାଜଲକ୍ଷ୍ମୀର ପ୍ରଶ୍ନର ଉତ୍ତରରେ ମୋତେ ଅର୍ଥାଗମର ବୃତ୍ତାନ୍ତଟାକୁ ପ୍ରକାଶ କରିବାକୁ ପଡ଼ିଲା । ଆମ ବର୍ମା ଅଫିସର ଜଣେ ବଡ଼ ସାହେବ ଘୋଡ଼ା ଦୌଡ଼ ଖେଳରେ ସର୍ବସ୍ୱ ହରାଇ ମୋର ଜମାହୋଇଥିବା ଟଙ୍କାକୁ ଧାର ନେଇଥିଲେ । ନିଜେ ହିଁ ସର୍ତ୍ତ କରିଥିଲେ ଯେ କେବଳ ସୁଧ ନୁହେଁ, ସୁଦିନ ଯଦି ଆସେ ଲାଭରୁ ଅଧେ ଦେବେ । ଏଥର କଲିକତା ଆସି ଟଙ୍କାମାଗି ପଠାଇବାରୁ ସେ କରଜର ଚାରିଗୁଣ ପଠାଇଦେଇଛନ୍ତି–ଏତିକି ହେଉଛି ମୋର ସମ୍ୱଳ ।

 

: ସେ କେତେ ?

 

: ମୋ ପକ୍ଷରେ ବେଶୀ । କିନ୍ତୁ ତୁମ ନିକଟରେ ଅତିଶୟ ତୁଚ୍ଛ ।

 

: କେତେ ଶୁଣେ ?

 

: ସାତ, ଆଠହଜାର ହେବ ।

 

: ସେ ସବୁ ମୋତେ ଦେବାକୁ ପଡ଼ିବ ।

 

ଭୟପାଇ କହିଲି– ଏ କି କଥା । ଲକ୍ଷ୍ମୀ ଦାନ କରନ୍ତି । ସେ କ’ଣ ହାତ ପାତନ୍ତି ?

 

ରାଜଲକ୍ଷ୍ମୀ ହସି ହସି କହିଲା– ଲକ୍ଷ୍ମୀ କିନ୍ତୁ ଅପବ୍ୟୟକୁ ସହ୍ୟ କରିପାରନ୍ତି ନାହିଁ । ସେ ସନ୍ନ୍ୟାସୀ–ଫକୀରଙ୍କୁ ବିଶ୍ୱାସ କରନ୍ତିନାହିଁ–ସେମାନେ ଅଯୋଗ୍ୟ ବୋଲି । ଆଣ ସେ ଟଙ୍କା ।

 

: କ’ଣ କରିବ ?

 

: କରିବି ତୁମର ଅନ୍ନବସ୍ତ୍ରର ସଂସ୍ଥାନ । ଏଣିକି ସେତକ ହେବ ଆମର ବଞ୍ଚିବାର ମୂଳଧନ ।

 

: କିନ୍ତୁ ଏତେ ଅଳ୍ପ ମୂଳଧନରେ ଚଳିବ କିପରି ? ତୁମର ଦାସୀ ଚାକରଙ୍କର ପନ୍ଦରଦିନର ଦରମା ଯେ ଏଥିରେ ହୋଇପାରିବ ନାହିଁ । ଏହାପରେ ଅଛି ଗୁରୁ–ପୁରୋହିତ, ତେତିଶକୋଟି ଦେବତା, ଅନେକ ବିଧବାଙ୍କର ଭରଣପୋଷଣ ଦାୟିତ୍ୱ–ସେମାନଙ୍କ କଥା କ’ଣ କରିବ କହିଲ ?

 

: ସେମାନଙ୍କ ପାଇଁ ଚିନ୍ତାକରିବାର କିଛି ନାହିଁ । ସେମାନଙ୍କ ମୁହଁ ବନ୍ଦହେବ ନାହିଁ । ମୋ ନିଜର ଭରଣପୋଷଣ କଥା ହିଁ ଭାବୁଛି; ବୁଝିପାରିଲ ?

 

: ବୁଝିପାରିଛି । ଏଥର ଏଣିକି ଆଉ କ’ଣ ଗୋଟାଏ ଛଳନାକରି ଆପଣାକୁ ଭୁଲାଇ ରଖିବାକୁ ଚାହୁଁଛ–ଏୟା ନା ?

 

ରାଜଲକ୍ଷ୍ମୀ କହିଲା– ନା, ତାହା ନୁହେଁ । ସେସବୁ ଟଙ୍କା ରହିଲା ଅନ୍ୟ କାମ ପାଇଁ । କିନ୍ତୁ ତୁମଠାରୁ ହାତପାତି ଯାହା ନେବି ସେତକ ହେବ ଏଣିକି ମୋର ଭବିଷ୍ୟତର ପୁଞ୍ଜି । କୁଳାଇଲେ ଖାଇବି–ନିଅଣ୍ଟ ହେଲେ ଉପାସରେ ରହିବି ।

 

: ତାହାହେଲେ ତୁମ କପାଳରେ ଏଣିକି ତାହାହିଁ ଅଛି ।

 

: କ’ଣ ଅଛି ? ଉପାସ ତ ? ଏହା କହି ସେ ହସିଦେଇ କହିଲା– ତୁମେ ଭାବୁଛ ସାମାନ୍ୟ । କିନ୍ତୁ ସାମାନ୍ୟକୁ ବଢ଼ାଇ କିପରି ବଡ଼ କରାଯାଇପାରେ ସେ ବିଦ୍ୟା ମୁଁ ଭଲକରି ଜାଣେ-। ଦିନେ ବୁଝିପାରିବ ମୋ ଧନ ସମ୍ପର୍କରେ ତୁମେ ଯାହା ସନ୍ଦେହ କରୁଛ ତାହା ସତ୍ୟ ନୁହେଁ-

 

: ଏକଥା ଆଜି ପର୍ଯ୍ୟନ୍ତ କହିନଥିଲ କାହିଁକି ?

 

: କହିନି ବିଶ୍ୱାସ କରିବ ନାହିଁ ବୋଲି । ମୋ ଟଙ୍କା ତୁମେ ଘୃଣାରେ ଛୁଅଁ ନାହିଁ । କିନ୍ତୁ ତୁମର ବିତୃଷ୍ଣା ହେତୁ ମୋ ଛାତି ଫାଟିଯାଏ ।

 

ବ୍ୟଥିତ ହୋଇ କହିଲି– ହଠାତ୍‌ ଏସବୁ କଥା ଆଜି କାହିଁକି କହୁଛ ଲକ୍ଷ୍ମୀ ?

 

ରାଜଲକ୍ଷ୍ମୀ ମୋ ମୁହଁକୁ ମୁହୂର୍ତ୍ତକ ପାଇଁ ଚାହିଁ ରହି କହିଲା– ଏକଥା ତୁମକୁ ନିଶ୍ଚୟ କଷ୍ଟ ଦେବ; କିନ୍ତୁ ଏହା ଯେ ମୋର ଦିନରାତିର ଭାବନା । ତୁମେ କ’ଣ ଭାବୁଛ ଅସତ୍‌ ପଥରେ ଉପାର୍ଜନ କରି ମୁଁ ଠାକୁର ଦେବତାଙ୍କ ସେବା କରୁଛି ? ସେ ଅର୍ଥରୁ କାଣିକଉଡ଼ିଟି ଯଦି ତୁମ ଚିକିତ୍ସା ପାଇଁ ଖର୍ଚ୍ଚ କରିଥାନ୍ତି ତେବେ କ’ଣ ତୁମକୁ ବଞ୍ଚାଇ ପାରିଥାନ୍ତି ? ଭଗବାନ ମୋଠାରୁ ତୁମକୁ ନିଶ୍ଚୟ କାଢ଼ି ନେଇଥାନ୍ତେ । ମୁଁ ଯେ ତୁମର ହିଁ; ଏକଥା ସତ ବୋଲି ତୁମେ ବିଶ୍ୱାସ କରିପାରୁଛ କାହିଁ ?

 

: ବିଶ୍ୱାସ କରେ ତ ।

 

: ନା, କର ନାହିଁ ।

 

ତାହାର ପ୍ରତିବାଦର ତାତ୍ପର୍ଯ୍ୟ ବୁଝିପାରିଲି ନାହିଁ । ସେ କହିବାକୁ ଲାଗିଲା, କମଳଲତା ସଙ୍ଗେ ତୁମର ପରିଚୟ ଦୁଇଦିନ ହେବ, ତଥାପି ତା’ର ସମସ୍ତ ବ୍ୟଥା ଘୁଞ୍ଚିଗଲା–ସେ ମୁକ୍ତ ହୋଇଗଲା । କିନ୍ତୁ ମୋତେ କେବେ ପଚାରିଲ ନାହିଁ କେଉଁ କଥା । କେବେ କହିଲ ନାହିଁ; ଲକ୍ଷ୍ମୀ ତୁମର ସବୁ ଘଟଣା ମୋତେ ଖୋଲିକରି କହ । କାହିଁକି ପଚାରି ନାହିଁ ? କରିପାରି ନାହିଁ; କେବଳ ଭୟରେ । ତୁମେ ମୋତେ ବିଶ୍ୱାସ କରନାହିଁ ଆଉ ବିଶ୍ୱାସ କରନାହିଁ ଆପଣାକୁ ।

 

କହିଲି– ତାକୁ ମଧ୍ୟ ପଚାରିନଥିଲି କିମ୍ବା ଜାଣିବାକୁ ଚାହିଁନଥିଲି । ସେ ଜୋର କରି ଶୁଣାଇଛି ।

ରାଜଲକ୍ଷ୍ମୀ କହିଲା– ତଥାପି ତ ଶୁଣିଛ ! ସେ ପର । ତା’ର ବୃତ୍ତାନ୍ତ ଶୁଣିବା ଆବଶ୍ୟକ ନାହିଁ ବୋଲି ଶୁଣିବାକୁ ନ ଚାହିଁ ପାରିଥାଅ; କିନ୍ତୁ ମୋତେ କ’ଣ ସେଇଆ କହିବ ନା କ’ଣ ?

: ନା, ତାହା କହିବି ନାହିଁ । କିନ୍ତୁ ତୁମେ କ’ଣ କମଳଲତାର ଚେଲା ? ସେ ଯାହା କରିଛି ତୁମେ କ’ଣ ସେଇଆ କରିବ ?

: ଏପରି କଥାରେ ମୁଁ ଭୁଲିଯିବିନି–ତୁମକୁ ଶୁଣିବାକୁ ହେବ ।

: ଏ ତ ବଡ଼ ମୁଷ୍କିଲ କଥା । ମୁଁ ଶୁଣିବାକୁ ଇଚ୍ଛାକରେ ନାହିଁ–ତଥାପି ଶୁଣିବାକୁ ହିଁ ହେବ-

: ହଁ, ହେବ । ତୁମେ ଭାବୁଛ ଶୁଣିଲେ ହୁଏତ ମୋତେ ଭଲପାଇପାରିବ ନାହିଁ–ହୁଏତ ମୋତେ ବିଦାୟ କରିଦେଇପାର–ଏୟାନା ?

: ତୁମ ବିବେଚନାରେ ସେଇଟା କ’ଣ ସାମାନ୍ୟ କଥା କି ?

ରାଜଲକ୍ଷ୍ମୀ ହସିଉଠି କହିଲା– ନା ସେପରି କିଛି ଆଦୌ ହେବ ନାହିଁ । ତୁମକୁ ଶୁଣିବାକୁ ପଡ଼ିବ । ପୁରୁଷଲୋକ ତୁମେ; ତୁମ ମନରେ ଏତିକି ଜୋର ନାହିଁ ? ଉଚିତ ମନେକଲେ ମୋତେ ଦୂର କରିଦେଇପାର ।

ଏହି ଅକ୍ଷମତାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ମାନିନେଇ କହିଲି– ତୁମେ ଯେଉଁସବୁ ଶକ୍ତିମାନ ପୁରୁଷମାନଙ୍କ କଥା ଉଲ୍ଲେଖ କରି ମୋତେ ଅପଦସ୍ତ କରୁଛ ଲକ୍ଷ୍ମୀ, ସେମାନେ ହେଉଛନ୍ତି ବୀରପୁରୁଷ । ନମସ୍ୟ ବ୍ୟକ୍ତି । ସେମାନଙ୍କ ପାଦଧୂଳି ସହିତ ସମାନ ହେବାଭଳି ଯୋଗ୍ୟତା ମୋର ନାହିଁ । ତୁମକୁ ବିଦାୟ ଦେଇ ଗୋଟିଏ ଦିନ ମୁଁ ବଞ୍ଚି ରହିପାରିବି ନାହିଁ । ବରଂ ତୁମକୁ ଫେରାଇ ଆଣିବା ପାଇଁ ପଛେ ପଛେ ଦୌଡ଼ିବି । ଆଉ ତୁମେ ଫେରି ନ ଆସିଲେ ମୋର ଦୁର୍ଗତିର ସୀମା ରହିବ ନାହିଁ । ଅତଏବ ଏସବୁ ବାଜେ ଆଲୋଚନା ଏଇଠି ବନ୍ଦ ହେଉ ।

ରାଜଲକ୍ଷ୍ମୀ କହିଲା– ତୁମେ ଜାଣ ପିଲାଦିନେ ମାଆ ମୋତେ ଜଣେ ମୈଥିଳୀ ରାଜପୁତ୍ରଙ୍କ ହାତରେ ବିକ୍ରି କରିଦେଇଥିଲା ?

: ହଁ ଆଉ ଜଣେ ରାଜପୁତ୍ରଙ୍କ ମୁହଁରୁ ଅନେକଦିନ ପରେ ଶୁଣିଥିଲି । ସେ ଥିଲେ ମୋର ବନ୍ଧୁ ।

ରାଜଲକ୍ଷ୍ମୀ କହିଲା– ହଁ, ତୁମ ବନ୍ଧୁର ବନ୍ଧୁ ସେ ଥିଲେ । ଦିନେ ମାଆଙ୍କୁ ରାଗିକରି ବିଦାୟ କରିଦେଲି । ସେ ଗାଆଁକୁ ଫେରିଆସି ମୁଁ ମରିଯାଇଛି ବୋଲି ପ୍ରଚାର କରିଦେଲେ । ଏ ଖବର ତ ଶୁଣିଥିବ ?

: ହଁ ଶୁଣିଥିଲି ।

: ଶୁଣିକରି ତୁମେ କ’ଣ ଭାବିଲ ?

: ଭାବିଲି ଆହା ! ଲକ୍ଷ୍ମୀ ମରିଗଲା !

: ଏତିକି ? ଆଉ କିଛି ନୁହେଁ ?

: ଆହୁରି ମଧ୍ୟ ଭାବିଲି, ଯାହାହେଉ କାଶୀରେ ମରି ସଦ୍‌ଗତି ପାଇଗଲା–ଆହା ବିଚାରୀ !

ରାଜଲକ୍ଷ୍ମୀ ରାଗକରି କହିଲା– ଯାଆ ମିଛଟାରେ ଆହା ! ଆହା ! କରି ତୁମକୁ ଦୁଃଖ ଜଣାଇବାକୁ ହେବ ନାହିଁ । ତୁମେ ପଦେହେଲେ ‘‘ଆହା’’ ବୋଲି କହିନ ଏ କଥା ମୁଁ ନିୟମ କରି କହିପାରେ, କାହିଁ ମୋ ଦେହଛୁଇଁ କହିଲ ଦେଖି ?

କହିଲି– ଆଗକାର କଥା କ’ଣ ଠିକ୍‌ ମନେଥାଏ ? କହିଥିଲା ପରି ମନେହେଉଛି ।

ରାଜଲକ୍ଷ୍ମୀ କହିଲା– କଷ୍ଟକରି ଏତେଦିନର ପୁରୁଣା କଥାକୁ ଆଉ ମନେପକାଇ ଲାଭ ନାହିଁ । ମୁଁ ସବୁ ଜାଣେ । ଏତିକି କହି ସେ ଟିକିଏ ଅଟକିଯାଇ କହିଲା– ଆଉ ମୁଁ ? କାନ୍ଦି କାନ୍ଦି ବିଶ୍ୱନାଥଙ୍କୁ ପ୍ରତ୍ୟହ ଜଣାଉଥାଏ–ଏ ତୁମେ କ’ଣ କଲ ! ତୁମକୁ ସାକ୍ଷୀରଖି ଯାହା ଗଳାରେ ମାଳା ଦେଇଥିଲି ଏ ଜୀବନରେ କ’ଣ ତାଙ୍କର ଦେଖା ପାଇପାରିବି ନାହିଁ ? ଏପରି ଅଶୁଚି ହୋଇ ଚିରିଦିନ କଟିବ ? ସେ ଦିନର କଥା ମନେପଡ଼ିଲେ ଆଜି ମଧ୍ୟ ମୋର ଆତ୍ମହତ୍ୟା କରି ମରିବାକୁ ଇଚ୍ଛାହୁଏ ।

 

ତା’ ମୁହଁକୁ ଚାହିଁବାକ୍ଷଣି ଦୁଃଖ ଲାଗିଲା । କିନ୍ତୁ ସେ ମୋର ବାରଣ ମାନିବ ନାହିଁ ଜାଣି ନୀରବ ହୋଇ ରହିଲି ।

 

ଏହି କଥାଗୁଡ଼ାକ ତା’ ଅନ୍ତର ଭିତରେ କେତେଦିନ ଧରି ଗୋଳେଇ ଘାଣ୍ଟି ହେଉଥିଲା । ଆପଣା ଅପରାଧରେ ସେ ଭାରାକ୍ରାନ୍ତ । ସେ ନୀରବରେ କେତେ ମର୍ମାନ୍ତିକ ବେଦନା ହିଁ ସହ୍ୟ କରିଆସିଛି; ତଥାପି ପ୍ରକାଶ କରିବାକୁ ଭରସା ପାଇନାହିଁ, କାଳେ କିଛି କହୁ କହୁ କ’ଣ ହୋଇଯିବ-। ଏତେଦିନ ପରେ ଏହି ଶକ୍ତି ସେ କମଳଲତାଠାରୁ ଶିକ୍ଷା କରିଆସିଛି । ବୈଷ୍ଣବୀ ଆପଣାର ପ୍ରଚ୍ଛନ୍ନ କଳୁଷକୁ ଅନାବୃତ କରି ମୁକ୍ତି ପାଇପାରିଛି । ରାଜଲକ୍ଷ୍ମୀ ନିଜେ ମଧ୍ୟ ଆଜି ଭୟ ଓ ମିଥ୍ୟା ମର୍ଯ୍ୟାଦାର ଶୃଙ୍ଖଳ ଛିଣ୍ଡାଇ ତାହାରିପରି ସରଳଭାବରେ ଠିଆହେବାକୁ ଚାହେଁ–କପାଳରେ ତା’ର ଯାହା ଘଟୁ ନା କାହିଁକି ? ଏ ବିଦ୍ୟା ତାକୁ ଶିକ୍ଷା ଦେଇଛି କମଳଲତା । ସଂସାରରେ ଗୋଟିଏ ହେଲେ ମନୁଷ୍ୟ ନିକଟରେ ଏହି ଦର୍ପିତା ନାରୀ ଯେ ମୁଣ୍ଡ ତଳକୁ କରି ତା’ର ଦୁଃଖର ସମାଧାନ ଭିକ୍ଷା କରିପାରୁଛି ଏକଥା ନିଃସନ୍ଦେହ ଭାବରେ ଅନୁଭବ କରି ମନଭିତରେ କିପରି ତୃପ୍ତି ଅନୁଭବ କଲି ।

 

ଉଭୟେ କିଛିକ୍ଷଣ ନୀରବ ରହିବାପରେ ହଠାତ୍‌ ରାଜଲକ୍ଷ୍ମୀ କହିଉଠିଲା– ରାଜପୁତ୍ର ହଠାତ୍‌ ମରିଗଲେ । କିନ୍ତୁ ମାଆ ପୁଣିଥରେ ମୋତେ ବିକ୍ରି କରିବାପାଇଁ ଚକ୍ରାନ୍ତ କଲା ।

 

: ଏଥର କାହା ନିକଟରେ ?

 

: ଆଉଜଣେ ରାଜପୁତ୍ରକୁ–ସେଇ ତୁମର ବନ୍ଧୁ ରତ୍ନଟି । ଯାହା ସଙ୍ଗରେ ଶିକାର କରିବାକୁ ଯାଇ କ’ଣ ହେଲା ମନେ ନାହିଁ ?

 

କହିଲି–ମନେ ନାହିଁ ବୋଧହୁଏ । ଅନେକ ଦିନର କଥା କିନା ? କିନ୍ତୁ ତା’ପରେ ?

 

ରାଜଲକ୍ଷ୍ମୀ କହିଲା– ଏ ଷଡ଼ଯନ୍ତ୍ର କିନ୍ତୁ ଖଟିଲା ନାହିଁ । କହିଲି– ମାଆ ତୁ ଘରକୁ ଫେରିଯାଆ । ଦଲିଲର ଟଙ୍କା ଯେପରି ପ୍ରକାରେ ହେଉ ମୁଁ ଶୁଝିଦେବି । କହିଲି ଆଜି ରାତିଗାଡ଼ିରେ ଯଦି ନ ଯିବୁ ତେବେ କାଲି ସକାଳୁ ଦେଖିବୁ ନିଜକୁ ମାଆ ଗଙ୍ଗାଙ୍କୁ ବିକ୍ରିକରି ବସିବି । ମୋତେ ଜାଣୁ ତ ମାଆ–ମୁଁ ତୋତେ କଦାପି ମିଛରେ ଭୟ ଦେଖାଉ ନାହିଁ । ମାଆ ଚାଲିଗଲା । ତାରି ମୁହଁରୁ ମୋ ମରଣ ସମ୍ବାଦ ଶୁଣି ତୁମେ ଦୁଃଖ କରି କହିଥିଲ–ଆହା । ମରିଗଲା ! ଏତିକି କହି ସେ ଟିକିଏ ହସିଲା । କହିଲା; ପ୍ରକୃତରେ ସତ ହୋଇଥିଲେ ତୁମ ତୁଣ୍ଡର ସେଇ ‘‘ଆହା’’ ପଦକ ମୋ ପକ୍ଷରେ ଯଥେଷ୍ଟ । କିନ୍ତୁ ଏଣିକି ଯେଉଁଦିନ ସତକୁ ସତ ମରିବି ସେଦିନ ଆଖିରୁ ଦୁଇଟୋପା ଲୁହ ଢାଳିବ, କହିବ; ପୃଥିବୀରେ ଅନେକ ବର–ବଧୂ ଅନେକ ମାଳା ବଦଳ କରିଥିବେ । ସେମାନଙ୍କ ପ୍ରେମରେ ଜଗତ ପରିପୂର୍ଣ୍ଣ ହୋଇଥିବ । କିନ୍ତୁ ତୁମର କୂଳଟା ରାଜଲକ୍ଷ୍ମୀ ତା’ର ନଅବର୍ଷର ସେଇ କିଶୋର ବରଟିକୁ ମନଦେଇ ଯେତେ ଭଲପାଇ ବସିଛି, ଏ ସଂସାରରେ ସେହିଭଳି ଭଲ, କେହି କେବେ କାହାକୁ ପାଇନାହିଁ । ମୋ କାନରେ ସେତେବେଳେ ଏଇ କଥାଗୁଡ଼ାକ କହିବ ତ ? ମୁଁ ମରିଯାଇଥିଲେ ସୁଦ୍ଧା ଶୁଣିପାରିବି ।

 

: ଏ କ’ଣ, ତୁମେ କାନ୍ଦୁଛ ଯେ !

 

ସେ ଆଖିର ଲୁହକୁ ପଣତକାନିରେ ପୋଛିପକାଇ କହିଲା– ନିରୁପାୟ ପିଲାଟା ଉପରେ ତା’ର ଆତ୍ମୀୟ ସ୍ୱଜନମାନେ ଯେତେ ଅତ୍ୟାଚାର କରିଛନ୍ତି ଅନ୍ତର୍ଯ୍ୟାମୀ ଭଗବାନ କ’ଣ ଦେଖିପାରିନାହାନ୍ତି ଭାବୁଛ ? ଏହାର ବିଚାର ସେ କରିବେ ନା ଆଖିବୁଜି ରହିବେ ?

 

କହିଲି– ରହିବା ଉଚିତ ନୁହେଁ ବୋଲି ଭାବୁଛି । କିନ୍ତୁ ତାଙ୍କ କଥା ତୁମକୁ ଭଲ ଜଣା । ମୋଭଳି ପାଷାଣ୍ଡର ପରାମର୍ଶ ସେ କେତେବେଳେ ହେଲେ ଗ୍ରହଣ କରନ୍ତି ନାହିଁ ।

 

ରାଜଲକ୍ଷ୍ମୀ କହିଲା– ଖାଲି ଥଟ୍ଟା !

 

କିନ୍ତୁ ପରକ୍ଷଣରେ ଗମ୍ଭୀର ହୋଇ କହିଲା– ଆଚ୍ଛା ଲୋକମାନେ ଯେ କହନ୍ତି ସ୍ତ୍ରୀ–ପୁରୁଷ ଦୁହିଁଙ୍କର ଧର୍ମ ଏକ ନ ହେଲେ ଚଳେନା, କିନ୍ତୁ ଧର୍ମ–କର୍ମରେ ତୁମର ମୋର ତ ସାପ–ନେଉଳର ସମ୍ପର୍କ । ଆମର ତେବେ ଚଳେ କିପରି ?

 

: ଚଳେ ଠିକ୍‌ ସାପ–ନେଉଳପରି । ଏଣେ ପ୍ରାଣରେ ମରିବାର ଆଶଙ୍କା ଅଛି ତଥାପି ଜଣେ ଜଣକୁ ବଧ କରେନାହିଁ । ଯେତେବେଳେ ଆଶଙ୍କା ହୁଏ ଧର୍ମସାଧନରେ ବିଘ୍ନ ଘଟିବ ବୋଲି; ସେତେବେଳେ ଜଣେ ଅପରକୁ ନିର୍ମମ ହୋଇ ବିଦାୟ କରିଦିଏ ।

 

: ତା’ପରେ କ’ଣ ହୁଏ ?

 

ହସିଦେଇ କହିଲି– ତା’ପରେ ସେ ନିଜେ କାନ୍ଦି କାନ୍ଦି ଫେରିଆସେ । ନାକଘଷି କହେ ମୋର ଅନେକ ଭୁଲ ହୋଇଯାଇଛି । ଏପରି ଭୁଲ ଆଉ କଦାପି ଜୀବନରେ ହେବନାହିଁ । ରହିଲା ମୋର ଜପତପ, ଗୁରୁ–ପୁରୋହିତ । ମୋତେ କ୍ଷମାକର ।

 

ରାଜଳକ୍ଷ୍ମୀ ହସିଲା । କହିଲା–କ୍ଷମା ପାଏ ତ ?

 

: ପାଏ । କିନ୍ତୁ ତୁମ ଗପରେ ତେଣିକି କ’ଣ ହେଲା ?

 

ରାଜଲକ୍ଷ୍ମୀ କହିଲା– କହୁଛି । କ୍ଷଣକପାଇଁ ମୋତେ ଅପଲକ ଦୃଷ୍ଟିରେ ଚାହିଁ କହିଲା–ମାଆ ଗାଆଁକୁ ଫେରିଗଲେ । ମୋତେ ଜଣେ ବୁଢ଼ା ଓସ୍ତାଦ ଗୀତ ନାଚ ଶିଖାଉଥିଲେ । ଲୋକଟି ବଙ୍ଗାଳୀ । ଏକଦା ସନ୍ନ୍ୟାସୀ ଥିଲେ । କିନ୍ତୁ ଇସ୍ତଫାଦେଇ ପୁଣି ସଂସାରୀ ହୋଇଛନ୍ତି । ଘରେ ତାଙ୍କର ମୁସଲମାନ ସ୍ତ୍ରୀ । ସେ ମେତେ ନାଚ ଶିଖାଇବାକୁ ଆସନ୍ତି । ତାକୁ ମୁ ଭାଇବୋଲି ଡାକେ । ପ୍ରକୃତରେ ସେ ମୋତେ ଭାରି ଭଲପାଇଥିଲେ । କାନ୍ଦିକରି କହିଲି– ଭାଇ, ତୁମେ ମୋତେ ରକ୍ଷାକର । ଏସବୁ ମୁଁ ଆଉ ପାରିବି ନାହିଁ । ସେ ଗରିବ ଲୋକ ହଠାତ୍‌ ସାହସ କରିପାରିଲେ ନାହିଁ-। ମୁଁ କହିଲି–ମୋ ପାଖରେ ଯେତେ ଟଙ୍କା ଅଛି ସେଥିରେ ଅନେକଦିନ ଚଳିଯାଇପାରିବା । ତେଣିକି କପାଳରେ ଯାହା ଥିବ ତାହାହେବ । ବର୍ତ୍ତମାନ କିନ୍ତୁ ଏଠାରୁ ପଳାଇଯିବା । ତାପରେ ତାଙ୍କ ସଙ୍ଗରେ କେତେଜାଗା ଘୂରିବୁଲିଲି । ଏହ୍ଲାବାଦ, ଲକ୍ଷ୍ନୌ, ଦିଲ୍ଲୀ, ଆଗ୍ରା, ଜୟପୁର, ମଥୁରା ଶେଷରେ ଆଶ୍ରୟନେଲି ପାଟନାରେ । ଅଧେ ଟଙ୍କା ଜଣେ ମହାଜନ ଗଦିରେ ଜମା ଦେଲି । ଆଉ ଅଧେ ଟଙ୍କାରେ ଭାଗରେ ଗୋଟାଏ ମନୋହରୀ ଓ ଲୁଗା ଦୋକାନ ଖୋଲିଲୁ । ଘର କିଣି ବଙ୍କୁକୁ ଖୋଜିକରି ଆଣି ତାଙ୍କୁ ସ୍କୁଲରେ ଭର୍ତ୍ତି କରିଦେଲି । ତ’ପରେ ଜୀବିକା ଅର୍ଜନ ପାଇଁ ଯାହା କରୁଥିଲି ସେ ସବୁ ତ ତୁମେ ଆଖିରେ ଦେଖିଛ ।

 

ତାହାର କାହାଣୀ ଶୁଣି କିଛି ସମୟ ଚୁପ୍‌ ହୋଇ ରହିଲି । ତାପରେ କହିଲି– ତୁମେ କହୁଛ ବୋଲି ଅବିଶ୍ୱାସ କରିପାରୁ ନାହିଁ । ଆଉ କେହି କହୁଥିଲେ ଭାବିଥାନ୍ତି ମନଗଢ଼ା ଗପଟାଏ କହୁଛି ।

 

ରାଜଲକ୍ଷ୍ମୀ କହିଲା– ବୋଧହୁଏ ମୁଁ ମିଛ କଥା କହିପାରେ ନାହିଁ ?

 

କହିଲି–କହିପାରୁଥାଅ । କିନ୍ତୁ ଆଜି ପର୍ଯ୍ୟନ୍ତ ମୋ ନିକଟରେ କହିପାରି ନାହିଁ ବୋଲି ମୋର ବିଶ୍ୱାସ ।

 

: ଏପରି ବିଶ୍ୱାସ କାହିଁକି ?

 

: କାହିଁକି ? ତୁମର ଭୟ; ମିଥ୍ୟା ଛଳନାରେ କାଳେ ଦେବତା ରୁଷ୍ଟ ହୋଇପାରନ୍ତି ଏବଂ ତୁମକୁ ଶାସ୍ତି ଦେବାକୁ ଯାଇ ମୋର ଅକଲ୍ୟାଣ କରି ବସନ୍ତି !

 

: ମୋ ମନକଥା ତୁମେ ଜାଣିଲ କିପରି ?

 

: ମୋ ମନକଥା ଅବା ତୁମେ ଜାଣିପାର କିପରି ?

 

: ମୁଁ ପାରେ । ସେସବୁ ମୋର ଦିନରାତି ଚବିଶ ଘଣ୍ଟାର ଭାବନା ବୋଲି । କିନ୍ତୁ ତୁମର ତ ତାହା ନୁହେଁ ?

 

: ହେଲେ ଖୁସିହେବ ?

 

ରାଜଲକ୍ଷୀ ମୁଣ୍ଡ ହଲାଇ କହିଲା– ନା, ହେବନି । ମୁଁ ତୁମର ଦାସୀ । ଦାସୀଠାରୁ ଅଧିକ ଆଉ କିଛି ଯେପରି ନ ଭାବିବ; ସେତିକି ମୁଁ ଆଶାକରେ ।

 

ଉତ୍ତର ଦେବାକୁ ଯାଇ କହିଲି–ତୁମେ ସେଇ ଯେ କେଉଁ ପୁରୁଣା ଯୁଗର ମଣିଷ–ସେଇ ହଜାର ବର୍ଷର ପୁରୁଣା ସଂସ୍କାର ଏବେ ମଧ୍ୟ ତୁମ ମନରେ ଅଛି ।

 

ରାଜଲକ୍ଷ୍ମୀ କହିଲା– ସେପରି ମୁଁ ହୋଇପାରିଥାଏ; ପଛକେ ଏଇପରି ଚିରଦିନ ରହେ । ଏହା କହି ସେ ମୁହୂର୍ତ୍ତକ ପାଇଁ ମୋ ମୁହଁକୁ ଚାହିଁ ରହି କହିଲା– ଏ ଯୁଗର ଝିଅମାନଙ୍କୁ ମୁଁ ଦେଖିନାହିଁ ବୋଲି ତୁମେ ଭାବୁଛ ? ଅନେକ ଦେଖିଛି । ବରଞ୍ଚ ତୁମେ ଦେଖି ନାହଁ କିମ୍ୱା ଦେଖିଥିଲେ ବାହାରୁ ଦେଖିଥିବ । ସେମାନଙ୍କ ଭିତରୁ ଜଣକୁ ଆଣିଲ, କିପରି ରହିପାରିବ ତା’ ସଙ୍ଗରେ ? ନାକ ଘଷିଥିବାରୁ ମୋତେ ଥଟ୍ଟା କରିଥିଲ; କିନ୍ତୁ ସେତେବେଳେ ତୁମକୁ ଦଶହାତ ଦୂରରେ ରହି ନାକ ଘଷିବାକୁ ପଡ଼ିବ ।

 

: କିନ୍ତୁ ଏଭଳି କଥା ଯେତେବେଳେ ଆଦୌ ସମ୍ଭବ ନୁହେଁ ସେତେବେଳେ ଝଗଡ଼ା କରି ଲାଭ ନାହିଁ । କେବଳ ଏତିକି ମାତ୍ର କହିପାରେ ଯେ ସେମାନଙ୍କ ସମ୍ୱନ୍ଧରେ ତୁମେ ଅବିଚାର କରିଛ-

 

ରାଜଲକ୍ଷ୍ମୀ କହିଲା– ଅବିଚାର ଯଦି କରିଥାଏ ତେବେ ବେଶୀ ଅବିଚାର କରିନାହିଁ–ସେକଥା କହିପାରେ । ଆଗୋ ଗୋସାଇଁ–ମୁଁ ତ ଅନେକ ବୁଲିଛି । ଅନେକ ଦେଖିଛି । ଯେଉଁଠାରେ ତୁମେମାନେ ଅନ୍ଧ ସେଇଠାରେ ଆମର କିନ୍ତୁ ଦଶଯୋଡ଼ା ଆଖି ଖୋଲାଥାଏ ।

 

: କିନ୍ତୁ ସେ ସବୁ ଦେଖିଛ ରଙ୍ଗୀନ ଚଷମା ପିନ୍ଧି । ସେଥିପାଇଁ ସବୁ ଭୁଲ ଦେଖିଛ । ଯେତେଟା ଆଖି ଥିଲେ ସୁଦ୍ଧା ସେ ସବୁ ବ୍ୟର୍ଥ ।

 

ରାଜଲକ୍ଷ୍ମୀ ହସ ହସ ମୁହଁରେ କହିଲା– କ’ଣ କହିବି ମୋର ହାତ ଗୋଡ଼ ବନ୍ଧା । ନହେଲେ ଏପରି ଜବତ କରନ୍ତି ଯେ ଏଜନ୍ମରେ ଭୁଲିପାରନ୍ତ ନାହିଁ । କିନ୍ତୁ ସେ ସବୁ ଥାଉ–ମୁଁ ସେ ଯୁଗର ଦାସୀ ହୋଇ ରହିଥାଏ । ତୁମ ସେବା ଯେପରି ମୋର ସବୁଠାରୁ ବଡ଼ କାମ ହେଉ । ଏଣିକି ସେଇଆହିଁ କରିବାକୁ ହେବ । ହତଭାଗିନୀ ପାଇଁ ତୁମର ଅନେକ ସମୟ ଏବଂ ଆହୁରି ଅନେକ କିଛି ଯାଇଛି । ଆଉ ନଷ୍ଟ କରିବାକୁ ମୁଁ ଦେବିନାହିଁ ।

 

କହଲି– ଏଇଥିପାଇଁ ତ ମୁଁ ଯେତେଶୀଘ୍ର ପାରେ ମୋର ପୁରୁଣା ଚାକେରିରେ ନିଯୁକ୍ତି ହେବାକୁ ଇଚ୍ଛା କରେ ।

 

ରାଜଲକ୍ଷ୍ମୀ କହିଲା– ଚାକିରି କରିବା ପାଇଁ ଆଉ ତୁମକୁ ମୁଁ ଛାଡ଼ିପାରିବି ନାହିଁ ।

 

: କିନ୍ତୁ ମନୋହରୀ ଦୋକାନ ମୁଁ ତ ଚଳାଇ ପାରିବି ନାହିଁ ।

 

: ଚଳାଇ ପାରିବ ନାହିଁ କାହିଁକି ?

 

: ପ୍ରଥମ କାରଣ ଜିନିଷର ଦାମ୍‌ ମୋର ମନେ ରହିବ ନାହିଁ, ଦ୍ୱିତୀୟ କାରଣ ଦାମ ନେବା ଏବଂ ଚଞ୍ଚଳ ହିସାବ କରି ବାକି ପଇସା ଫେରାଇଦେବା ସେ ମଧ୍ୟ ମୋଦ୍ୱାରା ଅସମ୍ଭବ । ଦୋକାନ ତ ହେବ କିନ୍ତୁ ଖରିଦ୍‌ଦାରଙ୍କ ସହିତ ହାତାହାତି ନହେଲେ ରକ୍ଷା ।

 

: ତେବେ ଗୋଟାଏ ଲୁଗା ଦୋକାନ କର ?

 

: ତାହା ଅପେକ୍ଷା ଗୋଟାଏ ଜିଅନ୍ତା ବାଘ–ଭାଲୁର ଦୋକାନ କରିଦିଅ–ତାକୁ ବରଞ୍ଚ ଚଳାଇବା ସହଜ ହେବ ।

 

ରାଜଲକ୍ଷ୍ମୀ ହସିପକାଇ କହିଲା– ଏକମନରେ ଆରାଧନା କରି କ’ଣ ଶେଷରେ ଏପରି ଗୋଟେ ଅକର୍ମା ମଣିଷ ମୋତେ ଦେଲେ ଯେ ଯାହାକୁ ନେଇ ସଂସାରେ ଏତେ ଟିକିଏ ହେଲେ କାମ କରିହେବ ନାହିଁ ।

 

କହିଲି– ଆରାଧନାରେ ତ୍ରୁଟି ଥିଲା । ସଂଶୋଧନ କରିବା ପାଇଁ ଏବେବି ସମୟ ଅଛି । ବେଶ ହୃଷ୍ଟପୁଷ୍ଟ, ନୀରୋଗ ଡେଙ୍ଗା ଚଉଡ଼ା ଯୁବକ, ଯାହାକୁ କେହି ପରାସ୍ତ କରିପାରିବେ ନାହିଁ କି ଠକାଇ ପାରିବେ ନାହିଁ ସେହିଭଳି ଗୋଟାଏ କର୍ମଠ ଲୋକ ହୁଏତ ମିଳିଯାଇପାରେ । ଯାହାକୁ ଦାୟିତ୍ୱ ଦେଇ ତୁମେ ନିଶ୍ଚିନ୍ତ ହେବ । ଟଙ୍କା କଉଡ଼ି ଦେଇ ନିର୍ଭୟ ହୋଇ ବସିବ, ଆଉ ବରବାଦ କରିବାକୁ ସାବଧାନ ହେବାକୁ ପଡ଼ିନଥିବ । ସବୁଠାରୁ ଲାଭ ହେବ ଯାହାକୁ ଭିଡ଼ଭିତରେ ହଜାଇ ପାରିବାର ଭୟ ନଥିବ ଆଉ ତାକୁ ବେଶ ପୋଷାକ କରାଇ ସଜାଇ ପାରିଲେ ତୃପ୍ତି ମିଳିବ । ତାକୁ ଖାଇବାକୁ ଦେବାରେ ଆନନ୍ଦ ଯେହେତୁ ସେ ତୁମ କଥାରେ ହଁ ଛଡ଼ା ନାହିଁ କରିପାରିବା ଜାଣିନଥିବ... ।

 

ରାଜଲକ୍ଷ୍ମୀ ନିର୍ବାକ ହୋଇ ମୋ ଆଡ଼କୁ ଚାହିଁଥିଲା । ହଠାତ୍‌ ତା’ ସର୍ବାଙ୍ଗରେ ଯେପରି କିଏ କଣ୍ଟା ଫୋଡ଼ି ପକାଇଲା ।

 

ପଚାରିଲା– ଏ କ’ଣ ?

 

: ନା, କିଛି ନୁହେଁ ।

 

: ତେବେ ଶିହରୀଉଠିଲେ ଯେ...

 

ଶ୍ରୀକାନ୍ତ

ରାଜଲକ୍ଷ୍ମୀ କହିଲା– ମୁହଁରେ ମୁହଁରେ ଯେଉଁ ଛବି ତୁମେ ଆଙ୍କିବସିଲ ତହିଁରୁ ଯଦି ଅଧେ ସତ ହୁଏ ତେବେ ଭୟରେ ମୁଁ ମରିଯିବି ।

 

: କିନ୍ତୁ ମୋଭଳି ଏପରି ଅକର୍ମା ଲୋକକୁ ନେଇ ତୁମେ କରିବ ଅବା କ’ଣ ?

 

ରାଜଲକ୍ଷ୍ମୀ ହସକୁ ଚାପି ରଖି କହିଲା– କରିବି ଆଉ କ’ଣ ? ଭଗବାନଙ୍କୁ ଅଭିସଂପାତ ଦେବି ଆଉ ସବୁଦିନ ପାଇଁ ଜଳିପୋଡ଼ି ମରୁଥିବି । ଏ ଜନ୍ମରେ ଆଉ ତ କିଛି ଆଖିରେ ଦେଖିନାହିଁ ।

 

: ଏହାଠାରୁ ବରଞ୍ଚ ମୋତେ ମୁରାରୀପୁର ମଠକୁ ପଠାଇ ଦେଉନାହଁ କାହିଁକି ?

 

: ସେମାନଙ୍କର ଅବା ତୁମେ କେଉଁ ଉପକାର କରିପାରିବ ?

 

: ସେମାନଙ୍କର ଫୁଲ ତୋଳିଦେବି । ଠାକୁରଙ୍କ ପ୍ରସାଦ ପାଇ ଯେତେଦିନ ବଞ୍ଚିବାକୁ ଥିବ ବଞ୍ଚି ରହିବି । ତାପରେ ସେମାନେ ମୋତେ ସେଇ ବକୁଳ ଗଛତଳେ ସମାଧି ଦେବେ । ପିଲା ଲୋକ ପଦ୍ମା ସନ୍ଧ୍ୟାରେ ଆସି ଦୀପ ଜଳାଇଦେଇ ଯିବ ଆଉ କେବେ ଯଦି ତା’ର ଭୁଲ ହୁଏ ତେବେ ସେଦିନ ସନ୍ଧ୍ୟାରେ ଆଉ ପ୍ରଦୀପ ଜଳିବ ନାହିଁ । ଭୋରରୁ ଫୁଲ ତୋଳି ସେଇ ସମାଧି ପାଖଦେଇ ଯେତେବେଳେ ଯିବ କମଳଲତା କେବେ କିମିତି ମୁଠାଏ ମଲ୍ଲୀଫୁଲ ଫିଙ୍ଗି ଦେବ ତ କେଉଁଦିନ ଦେବ କୁନ୍ଦ ଫୁଲ । ଆଉ ପରିଚିତ କେହି କେଉଁଦିନ ଯଦି ବାଟଭୁଲି ଆସନ୍ତି ତାଙ୍କୁ ଦେଖାଇଦେଇ କହିବ–ଏଠାରେ ଅଛନ୍ତି ଆମର ନୂତନ ଗୋସାଇଁ । ଏକ ସେଇ ଯେଉଁ ଉଚ୍ଚ କୁଦଟା ଦେଖୁଛ ଯେଉଁଠିକି ଗୁଡ଼ାଏ ଶୁଖିଲା ମଲ୍ଲୀ ଆଉ କୁନ୍ଦ ଫୁଲ ଜମା ହୋଇ ରହିଛି–ସେଇଠିକି ଗୁଡ଼ାଏ ଶୁଣିଲା ମଲ୍ଲୀ ଆଉ କୁନ୍ଦ ଫୁଲ ଜମା ହୋଇ ରହିଛି–ସେଇଠାରେ ।

 

ରାଜଲକ୍ଷ୍ମୀର ଆଖି ଲୁହରେ ଛଳଛଳ ହୋଇ ଆସିଲା । ପଚାରିଲା– ଆଉ ସେ ପରିଚିତ ଲୋକଟି ସେତେବେଳେ କ’ଣ କରିବ ?

 

କହିଲି– ସେ କଥା ମୁଁ ଜାଣେନି । ହୁଏତ ଅନେକ ଟଙ୍କା ଖର୍ଚ୍ଚ କରି ତା’ ଉପରେ ମନ୍ଦିରଟିଏ ତୋଳିଦେବ ।

 

ରାଜଲକ୍ଷ୍ମୀ କହିଲା– ନା, ହେଲା ନାହିଁ । ସେ ବକୁଳ ତଳ ଛାଡ଼ି ଆଉ ଫେରିଯିବ ନାହିଁ । ଗଛର ଡାଳେଡାଳେ ପକ୍ଷୀମାନେ କରିବେ କଳରବ, ଗୀତ ଗାଇବେ, ଲଢ଼ାଇ କରିବେ, କେତେ ଶୁଖିଲାପତ୍ର ଗଛରୁ ଖସାଇ ପକାଇବେ । ସେ ସବୁକୁ ସମାଧି ଉପରୁ ସଫା କରିଦେବା ହେବ ମୋର କାମ । ସକାଳେ ଲିପିପୋଛି ମାଳ ଗୁନ୍ଥି ଦେବି, ରାତିରେ ସମସ୍ତେ ଶୋଇପଡ଼ିଲେ ବୈଷ୍ଣବ କବିମାନଙ୍କର ଗୀତ ଗାଇ ଶୁଣାଇବି । ତାପରେ ସମୟ ହେଲେ ଡାକି କହିବି–କମଳଲତା ଅପା ମୋତେ ମଧ୍ୟ ଏଇଠାରେ ସମାଧି ଦେବ । ତାଙ୍କ ସହିତ ମୁଁ ହୋଇ ରହିବି । ଏତେ ଟିକିଏ ବି ଫାଙ୍କ ରହିବ ନାହିଁ । ଯିମିତିକି କେହି ଅଲଗା ସମାଧି ବୋଲି ଚିହ୍ନି ନ ପାରନ୍ତି । ଆଉ ଏଇ ନିଅ ଟଙ୍କା, ଦିଅ ମନ୍ଦିର ଗଢ଼ାଇ, କର ରାଧାକୃଷ୍ଣଙ୍କର ମୂର୍ତ୍ତି ପ୍ରତିଷ୍ଠା; କିନ୍ତୁ ତହିଁରେ କାହା ନାମ ଲେଖିବ ନାହିଁ । କୌଣସି ଚିହ୍ନ ରଖ ନାହିଁ । କେହି ନ ଜାଣନ୍ତୁ କେଉଁଠୁ, କିଏ, ଏମାନେ କୁଆଡ଼େ ଆସିଥିଲେ ।

 

କହିଲି– ଲକ୍ଷ୍ମୀ ! କିନ୍ତୁ ତୁମ ମୁହଁର ଅଙ୍କା ଛବିଟି ଯେ ହେଲା ଆହୁରି ମଧୁର । ଆହୁରି ସୁନ୍ଦର ।

 

ରାଜଲକ୍ଷ୍ମୀ କହିଲା– ଏ ତ ଆଉ କଥା ଗୁନ୍ଥା ଛବି ନୁହେଁ ଗୋସାଇଁ । ଏ ଯେ ପ୍ରକୃତି ଛବି । ତଫାତ୍‌ ହେଉଛି; ଏତିକି ମୁଁ ପାରିବି ଆଉ ତୁମେ କରିପାରିବ ନାହିଁ । ତୁମର ଅଙ୍କା କଥାର ଛବି କେବଳ କଥା ହୋଇ ରହିବ ।

 

: କିପରି ଜାଣିଲ ?

 

: ଜାଣେ । ତୁମ ନିଜଠାରୁ ବେଶୀ ଜାଣେ । ଏହାତ ମୋର ପୂଜା । ଏହା ତ ମୋର ଧ୍ୟାନ । ଆହ୍ନିକ ସାରି କାହା ପାଦରେ ଦିଏ ଜଳ ଆଞ୍ଜୁଳି ? କାହା ପାଦରେ ଦିଏ ଫୁଲ ? ସେ’ ତ ତୁମେ ।

 

ତଳୁ ବୋଧହୁଏ ପୂଜାରୀର ଡାକ ଶୁଭିଲା । ମାଆ, ରତନ ନାହିଁ–ଚାହା ତିଆରି ହୋଇଯାଇଛି ।

 

: ଯାଉଛି ଲୋ ମାଆ । କହି ସେ ତତ୍‌କ୍ଷଣାତ୍‌ ପଣତ କାନିରେ ଆଖି ପୋଛି ବାହାରି ଚାଲିଗଲା ।

 

କିଛି ସମୟ ପରେ କପ ଧରି ଫେରିଆସି ମୋପାଖରେ ବସିପଡ଼ି କହିଲା– ତୁମେ ବହି ପଢ଼ିବାକୁ ଏତେ ଭଲପାଅ । ବର୍ତ୍ତମାନ ପଢ଼ାପଢ଼ି କାହିଁକି କରୁନ ?

 

: ତହିଁରୁ ଟଙ୍କା ତ ମିଳିବ ନାହିଁ ?

 

: କ’ଣ ହେବ ସେ ଟଙ୍କା ? ଟଙ୍କା ତ ଆମର ବହୁତ ଅଛି ।

 

ଟିକିଏ ଅଟକି ଯାଇ କହିଲା– ଉପରର ଏଇ ଦକ୍ଷିଣ ଘରଟା ହେବ ତୁମ ପଢ଼ା ଘର । ଦିଅର ଆନନ୍ଦ ବହିକିଣି ଆଣିବ । ଆଉ ମୁଁ ସେ ସବୁକୁ ମୋ ମନମୁତାବକ ସଜାଇ କରି ରଖିବି । ତା’ର ଗୋଟିଏ ପାଖରେ ରହିବ ମୋ ଶୋଇବା ଘର । ଅନ୍ୟପାଖରେ ରହିବ ଆମର ଠାକୁର ଘର-। ଏହି ଘରେ ମୋର ତ୍ରିଭୂବନ ରହିଲା–ଏହା ବାହାରକୁ ଯେପରି ଆଉ କେବେ ଦୃଷ୍ଟି ନପଡ଼େ-

 

ପଚାରିଲି– ତୁମ ରୋଷେଇ ଘର ? ଆନନ୍ଦ ସନ୍ନ୍ୟାସୀ ମଣିଷ । ଏଥିପ୍ରତି ଦୃଷ୍ଟି ନରଖିଲେ ତାକୁ ଯେ ଦଣ୍ଡେ ଏଠାରେ ବାନ୍ଧରଖି ହେବ ନାହିଁ । କିନ୍ତୁ ତା’ର ସଂଧାନ ପାଇପାରିଲି କିପରି ? କେବେ ଆସିବ ସେ ?

 

ରାଜଲକ୍ଷ୍ମୀ କହିଲା– ସନ୍ଧାନ ଦେଇଛନ୍ତି କୁଶାରୀ ମହାଶୟ । ଆନନ୍ଦ ଶୀଘ୍ର ଆସିବ ବୋଲି କହିଛି । ତାପରେ ସମସ୍ତେ ମିଶିଯିବା ଗଙ୍ଗାମାଟିକୁ । ସେଠାରେ କିଛିଦିନ ରହିବା ।

 

କହିଲି– କିନ୍ତୁ ସେଠାକୁ ଯାଇ ଏଥର ତୁମେ ଲାଜ କରିବ ନାହିଁ ତ ?

 

ରାଜଲକ୍ଷ୍ମୀ କୁଣ୍ଠିତ ଭାବରେ ହସିଦେଇ ମୁଣ୍ଡ ହଲାଇ କହିଲା– କିନ୍ତୁ ସେମାନେ ତ କେହି ଜାଣନ୍ତି ନାହିଁ ଯେ କାଶୀରେ ବାଳକାଟି ସନ୍ନ୍ୟାସିନୀ ସାଜିଥିଲି ବୋଲି । ବାଳ ମୋର ଅନେକଟା ବଢ଼ିଛି । ମୋର ସମସ୍ତ ଅନ୍ୟାୟ ଏବଂ ସବୁ ଲଜ୍ୟାକୁ ପୋଛି ଦେବା ପାଇଁ ତୁମେ ମୋ ସଙ୍ଗରେ ଥିବ ଯେ !

 

ଟିକିଏ ଅଟକି ଯାଇ କହିଲା– ଖବର ପାଇଛି ସେଇ ହତଭାଗୀ ମାଳତୀଟା ପୁଣି ଫେରିଆସିଛି । ସଙ୍ଗରେ ତା’ ସ୍ୱାମୀକୁ ଆଣିଛି । ମୁଁ ତାକୁ ଗୋଟାଏ ହାର ଗଢ଼ାଇ କରିଦେବି ।

 

କହିଲି– ହଁ ତାହା ଦେଇପାର । କିନ୍ତୁ ପୁଣି ଯେପରି ଆଉ ଥରେ ସୁନନ୍ଦା ପାଲରେ ନପଡ଼ ।

 

ରାଜଲକ୍ଷ୍ମୀ ତରତର ହୋଇ କହିଉଠିଲା– ନା ଗୋ ନା, ସେପରି ଭୟ ଆଉ ନାହିଁ । ସେ ମୋହ ମୋର ଘୁଞ୍ଚିଛି । ବାପ୍‌ରେ ବାପ ! ଏପରି ଧର୍ମବୁଦ୍ଧି ମୋତେ ଶିଖାଇଲା ଯେ ଆଖିର ଲୁହ ପୋଛୁ ପୋଛୁ ମୋତେ ଦିନରାତି ଅଣ୍ଟିଲା ନାହିଁ । ପାଗଳୀ ଯେ ହୋଇଯାଇନି ଏଇ ଯଥେଷ୍ଟ । ଏହା କହି ସେ ହସିଦେଇ କହିଲା– ତୁମ ଲକ୍ଷ୍ମୀ ଆଉ ଯାହା ହଉନା କାହିଁକି କିନ୍ତୁ ଅସ୍ଥିର ପ୍ରକୃତିର ଆଦୌ ନୁହେଁ । ସେ ସତ୍ୟ ବୋଲି ଯାହା ଥରେ ବୁଝିଥିବ ତହିଁରୁ ତାକୁ କେହି ଟଳାଇ ପାରିବେ ନାହିଁ । ଟିକିଏ ନୀରବ ରହି ପୁଣି କହିଲା–ମୋ ମନଟି ଯେପରି ବର୍ତ୍ତମାନ ଆନନ୍ଦ ସାଗରରେ ଉବୁଟୁବୁ ହେଉଛି । ମୋର ମନେହୁଏ ଏ ସଂସାରରେ ସବୁ କିଛି ମୁଁ ପାଇପାରିଛି । ଆଉ ଅଧିକା କିଛି ଚାହୁଁନି । ଏହା ଯଦି ଭଗବାନଙ୍କର ନିର୍ଦ୍ଦେଶ ହୋଇଥାଏ ଆଉ ଅଧିକା କ’ଣ ହେବ କୁହତ ? ପ୍ରତିଦିନ ପୂଜା ସାରି ଠାକୁରଙ୍କ ଚରଣରେ ନିଜ ପାଇଁ ଆଉ କିଛି କାମନା କରେନି । କେବଳ ପ୍ରାର୍ଥନା କରେ ଏପରି ଆନନ୍ଦ ସଂସାରରେ ଯେପରି ସମସ୍ତେ ପାଇପାରନ୍ତି । ସେଥିପାଇଁ ତ ସାନ ଦିଅର ଆନନ୍ଦ ସନ୍ନ୍ୟାସୀକୁ ଡାକି ପଠାଇଛି–ତାଙ୍କ କାମରେ ଏବେଠାରୁ କିଛି କିଛି ସାହାଯ୍ୟ କରିବି ବୋଲି । କହିଲି–କର ।

 

ରାଜଲକ୍ଷ୍ମୀ ନିଜ ମନରେ କ’ଣ ଯେପରି ଭାବିବାକୁ ଲାଗିଲା । ହଠାତ୍‌ କହିଉଠିଲା–ଦେଖ, ଏଇ ସୁନନ୍ଦା ଝିଅଟିପରି ସତ୍‌, ନିର୍ଲୋଭୀ ଏବଂ ସତ୍ୟବାଦୀନୀ ଝିଅଟିଏ ମୁଁ ଆଦୌ ଦେଖିନାହିଁ । କିନ୍ତୁ ତା’ ମନରୁ ବିଦ୍ୟାର ଅହଂକାର ଯେତେଦିନ ନ ଯିବ ସେତେଦିନ ଏ ବିଦ୍ୟା ତା’ର କୌଣସି ଉପକାରରେ ଲାଗିପାରିବ ନାହିଁ ।

 

: କିନ୍ତୁ ସୁନନ୍ଦାର ବିଦ୍ୟା ଗର୍ବତ ନାହିଁ ।

 

ରାଜଲକ୍ଷ୍ମୀ କହିଲା– ନା, ଇତରଲୋକଙ୍କପରି ନାହିଁ । ଆଉ ସେ କଥା ମଧ୍ୟ ମୁଁ କହୁନି । ସେ କେତେ ଶ୍ଳୋକ, କେତେ ଶାସ୍ତ୍ରକଥା, କେତେ ଗଳ୍ପ–ଉପନ୍ୟାସ ଜାଣେ । ଆମ ଦୁହିଁଙ୍କର ସଂବଧ ମିଥ୍ୟା, ଆଉ ତାହା ମଧ୍ୟ ବିଶ୍ୱାସ କରିପକାଇଥିଲି କିନ୍ତୁ ଭଗବାନ ମୋତେ କୋଳରେ ଧରି ବୁଝାଇଦେଲେ ତାହାଠାରୁ ମିଥ୍ୟାକଥା ଆଉ କିଛି ନାହିଁ । ତେବେ ଦେଖ, ତା’ର ବିଦ୍ୟା ଭିତରେ କେଉଁଠି କିପରି ଭୁଲ ରହିଯାଇଛି । ସେଥିପାଇଁ ଦେଖିଛି ସେ କାହାକୁ ମଧ୍ୟ ସୁଖୀ କରିପାରେ ନାହିଁ, ସମସ୍ତଙ୍କୁ କେବଳ ଦୁଃଖ ଦିଏ । କିନ୍ତୁ ତା’ ବଡ଼ ଯାଆ ତାହାଠାରୁ ଯଥେଷ୍ଟ ମହତ । ସାଦାସିଧା ଲୋକ । ଲେଖାପଢ଼ା ଜାଣନ୍ତିନି, କିନ୍ତୁ ମନଭିତରଟା ଦୟାମାୟାରେ ଭରା । କେତେ ଦୁଃଖୀ ଦରିଦ୍ର ପରିବାରକୁ ମଧ୍ୟ ଲୁଚେଇ ଲୁଚେଇ ପ୍ରତିପାଳନ କରନ୍ତି, ତାହା କେହି ଜାଣିପାରନ୍ତି ନାହିଁ । ଏଇ ଯେ ତନ୍ତୀମାନଙ୍କ ସହିତ ଗୋଟାଏ ମିଳାମିଶା ହୋଇପାରିଲା ତାହା କ’ଣ ସୁନନ୍ଦାଦ୍ୱାରା କେବେ ସମ୍ଭବପର ହୋଇପାରିଥାନ୍ତା ? ତେଜ ଦେଖାଇ ଘରଛାଡ଼ି ଚାଲିଗଲେ ହୋଇଗଲା ଭାବିଛି ? କଦାପି ନୁହେଁ । ସେ କହେ–ବଡ଼ ମାଆ କାନ୍ଦିକାଟି ତା’ ସ୍ୱାମୀର ପାଦ ଧରନ୍ତୁ । ସୁନନ୍ଦା ସାରା ସଂସାର ଆଗରେ ତା’ ଗୁରୁଜନ ଦେଢ଼ଶୁରଙ୍କୁ ଚୋର ବୋଲି ଛୋଟ କରିଦେଲା– ଏଇଟା କ’ଣ ଶାସ୍ତ୍ର ଶିକ୍ଷାର ଜ୍ଞାନ ? ତା’ ପୋଥିର ବିଦ୍ୟା ଯେତେଦିନ ପର୍ଯ୍ୟନ୍ତ ଲୋକମାନଙ୍କ ସୁଖ–ଦୁଃଖ, ଭଲ–ମନ୍ଦ, ପାପ ପୁଣ୍ୟ, ଲୋଭ–ମୋହର ସଙ୍ଗେ ସାମଞ୍ଜସ୍ୟ ରଖିପାରିବ ସେଦିନ ତା’ର ବହି ପଢ଼ା ପାଠ, କର୍ତ୍ତବ୍ୟ ଜ୍ଞାନର ଫଳ ମନୁଷ୍ୟକୁ ଅଯଥା କଷ୍ଟ ଦେବ, ଅତ୍ୟାଚାର କରିବ ଏବଂ ସଂସାରରେ କାହାକୁ ଦେବ ନାହିଁ, ତୁମକୁ କହି ରଖୁଛି ।

 

କଥାଗୁଡ଼ାକ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ପଚାରିଲି–ଏସବୁ ତୁମେ ଶିଖିଲ କାହାଠାରୁ-?

 

ରାଜଲକ୍ଷ୍ମୀ କହିଲା– କେଜାଣି କାହାଠାରୁ । ହୁଏତ ତୁମ ନିକଟରୁ । ତୁମେ ଚାହଁ ନାହିଁ । କିଛି କୁହନାହିଁ । କାହାଉପରେ ଜୋର କର ନାହିଁ । ସେଥିପାଇଁ ତୁମ ନିକଟରୁ ଶିଖିବା ତ କେବଳ ଶିଖିବା ନୁହେଁ–ପ୍ରକୃତରେ ପାଇବା । ହଠାତ୍‌ ଦିନେ ଆଶ୍ଚର୍ଯ୍ୟ ହୋଇ ଭାବିବାକୁ ହୁଏ ଏସବୁ ଆସିଲା କେଉଁଠୁ ? ସେ ଯାହାହେଉ, ଏଥର ଗଲେ ବଡ଼ କୁଶାରୀ ମହାଶୟଙ୍କ ସ୍ତ୍ରୀ ସହିତ ଭାବ ରଖିବି । ସେଥର ତାଙ୍କୁ ଅବହେଳା କରି ଯେଉଁ ଭୁଲ କରିଛି ଏଥର ତାହା ସଂଶୋଧିତ ହେବ । ଯିବ ଗଙ୍ଗାମାଟି ?

 

: କିନ୍ତୁ ବର୍ମା ? ମୋ ଚାକିରି ?

 

: ମୋ ଚାକିରି ? ଏଇ ବର୍ତ୍ତମାନ ପରା କହିଲି– ତୁମକୁ ଚାକିରି କରିବା ପାଇଁ ମୁଁ ଛାଡ଼ିବି ନାହିଁ ।

 

: ଲକ୍ଷ୍ମୀ, ତୁମ ସ୍ୱଭାବଟି ବେଶ୍‌ ଭଲ । ତୁମେ କେବେ କିଛି କହିନାହଁ, କିଛି ଚାହିଁନାହଁ, ଜୋର କରି ନାହଁ କିମ୍ବା କାହାଉପରେ...ଖାଣ୍ଟି ବୈଷ୍ଣବୀ ତିତିକ୍ଷାର ନମୁନା କେବଳ ତୁମ ନିକଟରେ ଦେଖିବାକୁ ମିଳେ ।

 

: ତାହା ବୋଲି ଯାହାର ଯାହା ଖିଆଲ ତାକୁ କ’ଣ ପୂରଣ କରିବାକୁ ହେବ ? ସଂସାରରେ ଆଉ କ’ଣ କାହାର ସୁଖ–ଦୁଃଖ ନାହିଁନା କ’ଣ ? ତୁମେ ନିଜେ ହିଁ ସବୁ !

 

: ଠିକ୍ । କିନ୍ତୁ ଅଭୟା ! ସେ ପ୍ଲେଗକୁ ଭୟ କରିନାହିଁ । ସେ ଦୁର୍ଦ୍ଦିନରେ ଆଶ୍ରୟ ଦେଇ ବଞ୍ଚାଇନଥିଲେ ଆଜି ହୁଏତ ତୁମେ ମୋତେ ପାଇପାରିନଥାନ୍ତ । ଆଜି ସେମାନଙ୍କର କ’ଣ ହେଲା, ଏକଥା ଥରକ ପାଇଁ ଭାବିବ ନାହିଁ ?

 

ରାଜଲକ୍ଷ୍ମୀ ମୁହୂର୍ତ୍ତକ ଭିତରେ କରୁଣା ଓ କୃତଜ୍ଞତାରେ ବିଗଳିତ ହୋଇ କହିଲା–ତେବେ ତୁମେ ରହ । ଆନନ୍ଦକୁ ସଙ୍ଗରେ ନେଇ ମୁଁ ଯିବି । ବର୍ମାକୁ ଯାଇ ସେମାନଙ୍କୁ ଧରିଆଣିବି । ଏଠାରେ ଯାହାହେଲେ ଗୋଟାଏ ଉପାୟ ହୋଇପାରିବ ।

 

: ତା’ ହୁଏତ ହୋଇପାରେ । କିନ୍ତୁ ସେ ବଡ଼ ଅଭିମାନୀ । ମୁଁ ନଗଲେ ହୁଏତ ଆସିବ ନାହିଁ ।

 

: ଆସିବ । ଦସେ ବୁଝିପାରିବ ତୁମେ ହିଁ ଯାଇଛ ସେମାନଙ୍କୁ ଆଣିବାକୁ । ଦେଖ, ମୋକଥା ଆଦୌ ଭୁଲ୍ ହେବ ନାହିଁ ।

 

: କିନ୍ତୁ ମୋତେ ଛାଡ଼ିଦେଇ ଯାଇପାରିବ ତ ?

 

ରାଜଲକ୍ଷ୍ମୀ ପ୍ରଥମେ ଚୁପ୍ ହୋଇ ରହିଲା । ତାପରେ ଅନିଶ୍ଚିତ କଣ୍ଠରେ ଧୀରେ ଧୀରେ କହିଲା– ସେତିକି ତ ମୋର ଭୟ । ହୁଏତ ପାରିବି ନାହିଁ । କିନ୍ତୁ ତା’ ଆଗରୁ ଚାଲ କେତେଦିନ ରହିଆସିବା ଗଙ୍ଗାମାଟିରେ ।

 

: ସେଠାରେ କ’ଣ ତୁମର କିଛି ଜରୁରୀ କାମ ଅଛି କି ?

 

: ଅଛି । କୁଶାରୀ ମହାଶୟ ଖବର ପାଇଛନ୍ତି ପାଖ ପୋଡ଼ାମାଟି ଗାଆଁଟା ସେମାନେ ବିକ୍ରି କରିବେ, ସେଇଟା ଭାବିଛି କିଣିବି । ସେ ଘରଟାକୁ ଭଲକରି ତିଆରି କରାଇବି, ଯେଯରି ସେଠାରେ ରହିବାକୁ ତୁମକୁ କଷ୍ଟ ନହେବ । ସେଥର ଲକ୍ଷ୍ୟ କରିଛି ଅଧିକା ଘର ନଥିବାରୁ ତୁମକୁ କଷ୍ଟ ହେଉଥିଲା ।

 

କହିଲି– ଘର ଅଭାବରୁ କଷ୍ଟ ହେଉନଥିଲା–କଷ୍ଟ ହେଉଥିଲା ଅନ୍ୟ କାରଣରୁ ।

 

ରାଜଲକ୍ଷ୍ମୀ ଇଚ୍ଛା କରି ଏ କଥାରେ କାନ ଦେଲାନାହିଁ, କହିଲା– ମୁଁ ଦେଖିଛି ସେଠାରେ ତୁମ ସ୍ୱାସ୍ଥ୍ୟ ଭଲ ରହୁଥିଲା । ବେଶୀଦିନ ସହରରେ ତୁମକୁ ରଖିବା ପାଇଁ ଭରସା ହେଉନଥିବାରୁ ତ ଶୀଘ୍ର ମଫସଲକୁ ନେଇଯିବା ପାଇଁ ଚାହେଁ ।

 

: କିନ୍ତୁ ଏଇ ଭଙ୍ଗୁର ଦେହଟାକୁ ନେଇ ଯଦି ଅନୁକ୍ଷଣ ତୁମେ ଏତେ ବିବ୍ରତ ରହ, ମନରେ ଶାନ୍ତି ପାଇବ ନାହିଁ ଲକ୍ଷ୍ମୀ ।

 

ରାଜଲକ୍ଷ୍ମୀ କହିଲା– ଏ ଉପଦେଶ ଖୁବ୍‌ ଦରକାରୀ । କିନ୍ତୁ ମୋତେ ସଙ୍ଗରେ ନ ନେଇ ଯଦି ଟିକିଏ ସାବଧାନରେ ଚଳିପାରନ୍ତ ତେବେ ହୁଏତ ଶାନ୍ତି ପାଇପାରନ୍ତି ।

 

ଶୁଣିକରି ଚୁପ ରହିଲି । କାରଣ ଏ ବିଷୟରେ ଯୁକ୍ତି କରିବା କେବଳ ନିଷ୍ଫଳ ନୁହେଁ ଅପ୍ରୀତିକର । ତାହାର ନିଜର ସ୍ୱାସ୍ଥ୍ୟ ଅତୁଟ । କିନ୍ତୁ ସେ ସୌଭାଗ୍ୟ ଯାହାର ନାହିଁ, ବିନା ଦୋଷରେ ଯେ ସେ ନିଜେ ଅସୁସ୍ଥ ହୋଇପାରେ ଏକଥା ସେ କୌଣସିମତେ ବୁଝିବ ନାହିଁ ।

 

କହିଲି–ସହରରେ କେବେ ହେଲେ ରହିବାକୁ ମୁଁ ଇଚ୍ଛା କରେ ନାହିଁ । ସେଥର ଗଙ୍ଗାମାଟି ମୋତେ ଭଲ ଲାଗିଥିଲା । ନିଜ ଇଚ୍ଛାରେ ମଧ୍ୟ ଚାଲିଆସି ନାହିଁ–ଏକଥା ଆଜି ତୁମେ ଭୁଲିଯାଉଛ ଲକ୍ଷ୍ମୀ ?

 

: ନା ଗୋ ନା ଭୁଲି ନାହିଁ । ସାରା ଜୀବନ ଭୁଲିପାରିବି ନାହିଁ । ଏହା କହି ସେ ଟିକିଏ ହସିଦେଲା । କହିଲା ସେଥର ତୁମର ମନେହୋଇଥିଲା ଯେପରି କେଉଁ ଅଚିହ୍ନା ଯାଗାରେ ଯାଇ ପହଞ୍ଚିଛି । କିନ୍ତୁ ଏଥର ଯାଇ ଦେଖିବ ତା’ର ଆକୃତି–ପ୍ରକୃତି ଏପରି ବଦଳିଯିବ ଯେ ତାକୁ ଆପଣାର ବୋଲି ମନେକରିବା ପାଇଁ ଏତେ ଟିକିଏ କଷ୍ଟ ହେବ ନାହିଁ । ଆଉ କେବଳ ରହିବା ପାଇଁ ଘରବାଡ଼ି ନୁହେଁ, ଏଥର ଗଲେ ମୁଁ ବଦଳାଇବି ନିଜକୁ । ଆଉ ସବୁଠାରୁ ବଦଳାଇ ଭାଙ୍ଗି ନୂଆ କରି ଗଢ଼ିବି ତୁମକୁ–ମୋର ନୂତନ ଗୋସାଇଁଙ୍କୁ । କମଳଲତା ଅପା ଆଉ ଯେପରି ଦାବି କରିନପାରେ ଯେ ଥିଲ ତା’ର ପଥ–ବିପଥରେ ଘୂରି ବୁଲିବାର ସଙ୍ଗୀ ବୋଲି ।

 

: ତେବେ ଏଇସବୁ ଭାବି ଭାବି ସ୍ଥିର କରିଛ ?

 

ରାଜଲକ୍ଷ୍ମୀ ହସ ହସ ମୁହଁରେ କହିଲା– ହଁ । ତୁମକୁ କ’ଣ ବିନା ମୂଲ୍ୟରେ ଏଇମିତି ନେଇଯିବି । ତା’ର ଋଣ ପରିଶୋଧ କରିବି ନାହିଁ ? ମୁଁ ଆଉ ଯେ ପ୍ରକୃତରେ ତୁମ ଜୀବନରେ ଆସିଥିଲି ଯିବା ଆଗରୁ ସେହି ଆସିବାର ଚିହ୍ନ ରଖିଯିବି ନାହିଁ ? ଏପରି ନିଷ୍ଫଳା ହୋଇ ଚାଲିଯିବି-? କୌଣସିମତେ ସେପରି ହେବାକୁ ଦେବି ନାହିଁ ।

 

ତାହା ମୁହଁକୁ ଚାହିଁ ଶ୍ରଦ୍ଧା ଓ ସ୍ନେହରେ ଅନ୍ତର ପରିପୂର୍ଣ୍ଣ ହୋଇଉଠିଲା । ମନେମନେ ଭାବିଲି– ନରନାରୀ ଭିତରେ ହୃଦୟ ବିନିମୟ ସାଧାରଣ ଘଟଣା ସଂସାରେ ପ୍ରକୃତରେ ପ୍ରତ୍ୟହ ଏପରି ଘଟି ଚାଲିଛି । ବିରାମ ନାହିଁ ବିଶେଷତ୍ୱ ନାହିଁ । ଆଉ ପୁଣି ଏଇ ଦାନ ଓ ପ୍ରତିଦାନ ହିଁ ବ୍ୟକ୍ତିବିଶେଷଙ୍କ ଜୀବନକୁ ଅବଲମ୍ୱନ କରିକି ବିଚିତ୍ର ବିସ୍ମୟ ଓ ସୌନ୍ଦର୍ଯ୍ୟରେ ଉଦ୍‌ଭାସିତ ହୋଇଉଠେ, ତାହାର ମହିମା ଯୁଗେ ଯୁଗେ ମନୁଷ୍ୟ ମନରେ ଥାଇ ମଧ୍ୟ ସେ ସନ୍ତୁଷ୍ଟ ହୋଇପାରେନା । ଏଇ ସେଇ ଅକ୍ଷୟ ସଂପଦ–ମନୁଷ୍ୟକୁ ଯିଏ ମହତ୍‌ କରେ, ଶକ୍ତିମାନ କରେ, ଅଭାବିତ କଲ୍ୟାଣରେ ସଂପୂର୍ଣ୍ଣ ନୂତନ ରୁପେ ଗଢ଼ି ତୋଳେ ।

 

ପଚାରିଲି– ତୁମେ ବଙ୍କୁର କି ବ୍ୟବସ୍ଥା କରିବ ?

 

: ସେ’ତ ମୋତେ ଆଉ ଚାହେଁ ନାହିଁ । ଭାବେ ଏ ବିପଦ ଦୂର ହେଲେ ହିଁ ଭଲ ।

 

: କିନ୍ତୁ ସେ ଯେ ତୁମର ନିକଟ–ଆତ୍ମୀୟ । ତାକୁ ତୁମେ ଯେ ପିଲାଟିବେଳରୁ ମଣିଷ କରି ଗଢ଼ିଛ ?

 

: ସେହି ମଣିଷ କରିବାର ସମ୍ୱନ୍ଧ ହିଁ ରହିବ । ଆଉ କିଛି ମାନିବି ନାହିଁ । ସେ ତ ମୋର ଆତ୍ମୀୟ ନୁହେଁ ।

 

: ନୁହେଁ କାହିକିଁ ? ଅସ୍ୱୀକାର କରିବ କିପରି ?

 

: ଅସ୍ୱୀକାର କରିବାର ଇଚ୍ଛା ମୋର ନଥିଲା । ଏହା କହି ସେ କ୍ଷଣକାଳ ଚୁପ ରହି କହିଲା–ମୋର ସବୁକଥା ତୁମେ ଜାଣ । ମୋ ବିବାହ ହେବାର ଗପ ଶୁଣିଥିଲ ?

 

: ଶୁଣିଥିଲି ଲୋକଙ୍କ ମୁହଁରୁ । କିନ୍ତୁ ସେତେବେଳେ ମୁଁ ଗାଁରେ ନଥିଲି ।

 

: ନା, ନଥିଲ । ଏପରି ଦୁଃଖର ଇତିହାସ ବୋଧହୁଏ ଆଉ ନାହିଁ । ଏପରି ନିଷ୍ଠୁରତା ବୋଧହୁଏ କେଉଁଠି ହୋଇନାହିଁ । ବାବା ମାଆଙ୍କୁ କେବେ ନେଇନାହାନ୍ତି । ମୁଁ ମଧ୍ୟ ତାଙ୍କୁ କେବେ ଦେଖିନାହିଁ । ଆମେ ଦୁଇଭଉଣୀ ମାମୁଁ ଘରେ ରହି ମଣିଷ । ପିଲାଦିନେ ଜର ଭୋଗି ଭୋଗି ମୋର କି ଚେହେରା ହୋଇଥିଲା ମନେଅଛି ତ ?

 

: ଅଛି ।

 

: ତେବେ ଶୁଣ । ବିନା ଦୋଷରେ ଶାସ୍ତିର ପରିମାଣ ଶୁଣିଲେ ତୁମଭଳି ନିଷ୍ଠୁର ଲୋକର ମଧ୍ୟ ଦୟାହେବ । ଜରଭୋଗି କିନ୍ତୁ ଆମର ମରଣ ହେଲାନାହିଁ । ମାମୁଁ ନିଜେ ମଧ୍ୟ ନାନାପ୍ରକାର ବେମାରୀରେ ଶଯ୍ୟାଗତ । ହଠାତ୍‌ ଖବର ମିଳିଲା ଦତ୍ତମହାଶୟଙ୍କ ପୂଜାରୀ ଆମ ଘରପରି କୂଳୀନ ବ୍ରାହ୍ମଣ । ବୟସ ଷାଠିଏ ପାଖାପାଖି । ଆମେ ଦୁଇଭଉଣୀ ଏକସଙ୍ଗରେ ତାରି ହାତରେ ସମର୍ପିତ ହେବୁ । ସମସ୍ତେ କହିଲେ ଏ ସୁଯୋଗ ହରାଇଲେ ଆଉ ମିଳିବ ନାହିଁ । ସେ ହାଙ୍କିଲେ ଏକଶହ ଆଉ ମାମୁଁ ଦରଦାମ କଲେ ପଚାଶ ଟଙ୍କା । ଏକ ଆସନରେ; ଏକ ସଙ୍ଗରେ ଏଥିରେ କେତେ ଅବା ପରିଶ୍ରମ ଯେ ତହିଁ କି ଏତେ ଟଙ୍କା ? ସେ ପଞ୍ଚସ୍ତରୀକୁ ଖସିଲେ । କହିଲେ– ଆଜ୍ଞା, ଦୁଇ ଦୁଇଟା ଭାଣେଜୀଙ୍କୁ କୂଳୀନ ବଂଶରେ ପାରତ୍ତାର କରିଦେବେ ଆଉ ଦୁଇଟା ବୋଦାର ଦାମ୍‌ ଦେବେ ନାହିଁ ? ପାହାନ୍ତିକୁ ଲଗ୍ନ । ନାନୀ କୁଆଡ଼େ ଚାହିଁଥିଲା । କିନ୍ତୁ ମୋତେ ଗଣ୍ଠିଲି ପରି ବାନ୍ଧିନେଇ ଉତ୍ସଗ କରିଦେଲେ । ସକାଳ ହେବାମାତ୍ରେ ଆଉ ପଚାଶ ଟଙ୍କା ପାଇଁ ଝଗଡ଼ା ଆରମ୍ଭ ହେଲା । ମାମୁଁ କହିଲେ– ଧାରକରି ପରେ ଦେବେ । ସେ କହିଲେ– ମୁଁ ଏତେ ବୋକା ନୁହେଁ । ଏସବୁ କାମରେ ଧାର–ଉଧାର ଚାଲେନାହିଁ । ସେ ତା’ପରେ କୁଆଡ଼େ ଚାଲିଗଲେ-। ଭାବିଲେ ମାମୁଁ ବୋଧହୁଏ ତାଙ୍କୁ ଖୋଜି ବାହାରକରି ବାକି ଟଙ୍କାଦେଇ କାର୍ଯ୍ୟଟା ସଂପୂର୍ଣ୍ଣ କରିବେ । ଦିନେଗଲା ଦୁଇଦିନ ଗଲା । ମାଆ କାନ୍ଦକଟା କଲେ । ଗାଆଁ ଲୋକମାନେ ହସିବାକୁ ଲାଗିଲେ । ମାମୁଁ ଯାଇ ଦତ୍ତମହାଶୟଙ୍କ ନିକଟରେ ଆପତ୍ତି କଲେ କିନ୍ତୁ ବର ଆଉ ଆସିଲେ ନାହିଁ-। ତାଙ୍କ ଗାଆଁରେ ସନ୍ଧାନ ନେବାପରେ ଜଣାପଡ଼ିଲା ସେ ଗାଆଁକୁ ମଧ୍ୟ ଯାଇନାହାନ୍ତି । ଆମ ଦୁହିଁଙ୍କୁ ଦେଖାଇ କିଏ କହେ ଅଧାକପାଳୀ, କେହି କହେ ପୋଡ଼ାକପାଳୀ । ନାନୀ ଲାଜରେ ଘରୁ ବାହାରୁନଥାଏ-। ଛଅମାସ ପରେ ତାକୁ ଥରକପାଇଁ ସେଇ ଶ୍ମଶାନକୁ ନେବାପାଇଁ ବାହାର କରାହୋଇଥିଲା । ଆଉ ଛଅମାସ ପରେ ଖବର ଆସିଲା, କଲିକତାରେ କେଉଁ ହୋଟେଲରେ ପୂଜାରୀ କାମ କରୁ କରୁ ବର ସେଇଠାରେ ମରିଯାଇଛନ୍ତି । ବିବାହ ଆଉ ମୋର ସଂପୂର୍ଣ୍ଣ ହୋଇପାରିଲା ନାହିଁ ।

 

କହିଲି– ପଚିଶଟଙ୍କା ଦେଇ ବର କିଣିଲେ ଏଇ ରକମ ହୋଇଥାଏ ।

 

ରାଜଲକ୍ଷ୍ମୀ କହିଲା– ତଥାପି ସେ ମୋଲାଗି ପଚିଶଟଙ୍କା ପାଇଥିଲା ? କିନ୍ତୁ ତୁମେ ପାଇଥିଲ କ’ଣ ? କେବଳ ଗୋଟାଏ ଭଇଁଚକୋଳିର ମାଳ । ତାହା ମଧ୍ୟ କିଣିବାକୁ ହୋଇ ନାହିଁ । ବଣରୁ ସଂଗ୍ରହ କରିବାକୁ ପଡ଼ିଥିଲା ।

 

କହିଲି– ଦାମ୍‌ ନଥିଲେ ମଧ୍ୟ ତାକୁ ଅମୂଲ୍ୟ କହିଲେ ଚଳେ । ଆଉ ଗୋଟାଏ ଲୋକ ଦେଖି ଦେଖାଇଦେଲ କିଏ ମୋପରି ଅମୂଲ୍ୟ ଧନ ପାଇପାରିଛି ?

 

: ସତରେ ଏ କ’ଣ ତୁମ ମନର କଥା ?

 

: ଜାଣିପାରି ନାହିଁ ?

 

: ନା ଗୋ ନା ଜାଣିପାରି ନାହିଁ । ପ୍ରକୃତରେ ପାରିନାହିଁ । କିନ୍ତୁ.... କହୁ କହୁ ସେ ହସିପକାଇ କହିଲା–ପାଏ କେବଳ ଯେତେବେଳେ ତୁମେ ଶୋଇପଡ଼ । ତୁମ ମୁହଁକୁ ଚାହିଁରହି– କିନ୍ତୁ ଥାଉ ସେ କଥା ସେତିକିରେ । ଆମ ଦୁଇଭଉଣୀଙ୍କ ପରି ଏ ଦେଶରେ ଶହ ଶହ ଝିଅଙ୍କୁ ଶାସ୍ତି ଭୋଗିବାକୁ ପଡ଼େ । ଆଉ କେଉଁଠି ବୋଧହୁଏ କୁକୁର ବିରାଡ଼ିଙ୍କ କପାଳରେ ଏପରି ଘଟିଲେ ମନୁଷ୍ୟ ବୁକୁରେ ଆଘାତ ଲାଗେ । ଏହା କହି ସେ କ୍ଷଣକପାଇଁ ଚାହିଁରହି କହିଲା– ହୁଏତ ତୁମେ ଭାବୁଛ ମୁଁ ମୋ ଅଭିଯୋଗକୁ ବଢ଼େଇକରି କହୁଛି । ଏପରି ଦୃଷ୍ଟାନ୍ତ ଆଉ କେତେଟା ଅବା ମିଳେ-? ଏହାର ଉତ୍ତରରେ ଯଦି କହନ୍ତି–ଗୋଟାଏ ମିଳିଲେ ସୁଦ୍ଧା ତାହା ସାରା ଦେଶର କଳଙ୍କ-। କିନ୍ତୁ ତଥାପି ସେ କଥା କହିବି ନାହିଁ । ମୁଁ କହିବି ଅନେକ ହୁଏ । ଯିବ ମୋ ସଙ୍ଗରେ ସେ ସବୁ ବିଧବାଙ୍କ ନିକଟକୁ ଯେଉଁମାନଙ୍କୁ ମୁଁ ଅଳ୍ପ ବହୁତ ସାହାର୍ଯ୍ୟ କରିଥାଏ । ସେମାନେ ସମସ୍ତେ ସାକ୍ଷ୍ୟଦେଇ କହିବେ ଯେ ସେମାନଙ୍କର ହାତଗୋଡ଼ ବାନ୍ଧି ଆତ୍ମୀୟ ସ୍ୱଜନମାନେ ଏଇପରି ଦୁର୍ଗତିର ଜଳରେ ଫିଙ୍ଗି ଦେଇଛନ୍ତି ।

 

କହିଲି– ସେଥିପାଇଁ ବୋଧହୁଏ ସେମାନଙ୍କ ଉପରେ ତୁମର ଏତେ ମମତା ।

 

: ତୁମର ମଧ୍ୟ ହୋଇଥାନ୍ତା । ଯଦି ଆଖିଖୋଲି ସେମାନଙ୍କର ଦୁଃଖ ଦେଖିପାରିଥାନ୍ତ । ବର୍ତ୍ତମାନଠାରୁ ଗୋଟି ଗୋଟି କରି ମୁଁ ତୁମକୁ ସବୁ ଦେଖାଇଦେବି ।

 

: ମୁଁ ଦେଖିବି ନାହିଁ । ଆଖିବୁଜି ରହିବି ।

 

: ପାରିବ ନାହିଁ । ମୋ କାର୍ଯ୍ୟର; ଦାୟିତ୍ୱ ଦିନେ ମୁଁ ତୁମଉପରେ ନ୍ୟସ୍ତକରି ଚାଲିଯିବି । ସବୁ ଭୁଲିଯାଇପାରିବ କିନ୍ତୁ ସେ କଥା କଦାପି ଭୁଲିପାରିବ ନାହିଁ । ଏହା କହି ସେ ଅଳ୍ପ ସମୟ ନୀରବ ରହିଲାପରେ ହଠାତ୍‌ ତା’ର ପୂର୍ବ କଥା ଅନୁସରଣରେ କହିଉଠିଲା– ହବ ହିଁ ତ ଏପରି ଅତ୍ୟାଚାର । ଯେଉଁ ଦେଶରେ ଝିଅର ବିବାହ ନ ହୋଇପାରିଲେ ଧର୍ମ ଚାଲିଯାଏ, ଜାତିଯାଏ, ଲଜ୍ଜ୍ୟାରେ ସମାଜରେ ମୁହଁ ଦେଖାଇହୁଏ ନାହିଁ, ଅନ୍ଧ–ମୂକ, ଆତୁର କେହି ମଧ୍ୟ ବାଦ ପଡ଼ନ୍ତି ନାହିଁ–ସେଠାରେ ମଣିଷ ଜଣକୁ ଫାଙ୍କିଦେଇ ଅନ୍ୟଟାକୁ ରଖେ । ଏହାଛଡ଼ା ସେ ଦେଶରେ ମନୁଷ୍ୟର ଆଉ କି ଉପାୟ ଅଛି କହ ତ ସେଦିନ ସମସ୍ତେ ମିଳିମିଶି ଯଦି ଆମ ଦୁଇଭଉଣୀଙ୍କୁ ବଳିଦେଇ ନ ଥାନ୍ତେ ନାନୀ ହୁଏତ ମରିନଥାନ୍ତା । ଆଉ ମୁଁ ଏ ଜନ୍ମରେ ଏପରି ଭାବରେ ତୁମକୁ ଆଦୌ ପାଇପାରିନଥାନ୍ତି । ପାଇନଥିଲେ ମଧ୍ୟ ମନଭିତରେ ତୁମେ ଚିରଦିନ ଏଇପରି ପ୍ରଭୁ ହୋଇ ରହିଥାନ୍ତ । ଆଉ ତାହା ଅବା କାହିଁକି ହୋଇଥାନ୍ତା ଯେ ? କାରଣ ମୋତେ ଏଡ଼ାଇଦେଇ ତୁମେ ବେଶୀଦିନ ରହିପାରିନଥାନ୍ତ । ଯେଉଁଠାରେ ହେଉ, ଯେପରି ଭାବରେ ଥାଏନା କାହିଁକି, ତୁମେ ନିଶ୍ଚୟ ଆସି ମୋତେ ନେଇଯାଇଥାନ୍ତ ।

 

କ’ଣ ଗୋଟାଏ ଉତ୍ତର ଦେବି ବୋଲି ଭାବୁଛି । ଏଇ ସମୟରେ ତଳୁ ଡାକ ଶୁଭିଲା–ମାଉସୀ ।

 

ଆଶ୍ଚର୍ଯ୍ୟ ହୋଇ ପଚାରିଲି– ଏ କିଏ ସେ ?

 

: ସେ ଘରର ମଝିଆଁଣୀ ବୋହୂର ପୁଅ, ଏହା କହି ସେ ଇଙ୍ଗିତଦ୍ୱାରା ପାଖ ଘରଟାକୁ ଦେଖାଇ ଉତ୍ତରଦେଲା–କ୍ଷତିଶ, ଉପରକୁ ଆସ ବାବା ।

 

ପରକ୍ଷଣରେ ଗୋଟିଏ ଷୋଳ ସତର ବୟସର ସୁଶ୍ରୀ ବଳିଷ୍ଠ କିଶୋର ଆସି ଘରେ ପ୍ରବେଶ କଲା । ମୋତେ ଦେଖି ପ୍ରଥମେ ସଙ୍କୁଚିତ ହୋଇଉଠିଲା । ପରେ ନମସ୍କାର କରି ତା’ ମାଉସୀକୁ କହିଲା– ଆପଣଙ୍କ ନାମରେ କିନ୍ତୁ ବାରଟଙ୍କା ଚାନ୍ଦା ହୋଇଛି ମାଉସୀ ।

 

: ତାହା ପଛକେ ହେଉ । କିନ୍ତୁ ଅତି ସାବଧାନରେ ଯେପରି ପହଁରିବ । ଯେପରି କିଛି ଦୁର୍ଘଟଣା ନଘଟେ ।

 

: ନାହିଁ, କୌଣସି ଭୟ ନାହିଁ ମାଉସୀ ।

 

ରାଜଲକ୍ଷ୍ମୀ ଆଲମାରି ଖୋଲି ତା’ ହାତକୁ ବାରଟଙ୍କା ବଢ଼ାଇଦେଲା । ପିଲାଟା ସିଡ଼ିରେ ତରତରରେ ଓହ୍ଲାଇ ଯାଉ ଯାଉ କହିଲା– ମାଆ କହିଛନ୍ତି ପଅରଦିନ ସାନ ମାମୁଁ ଆସି ସବୁ ଏଷ୍ଟିମେଟ୍‌ କରିଦେଇଯିବେ । କହି ଊର୍ଦ୍ଧ୍ୱଶ୍ୱାସରେ ଚାଲିଗଲା ।

 

ପଚାରିଲି– ଏଷ୍ଟିମେଟ୍‌ କାହାର ?

 

: ଘରଟା ମରାମତି କରିବାକୁ ହେବନା ? ଦୋତାଲା ଘରଟା ଅଧା କରି ସେମାନେ ପକାଇଛନ୍ତି ପୁରା କରିବାକୁ ପଡ଼ିବ ନାହିଁ ?

 

: ତାହା ତ ହେବ । କିନ୍ତୁ ଏତେ ଲୋକଙ୍କୁ ତୁମେ ଚିହ୍ନିଲ କିପରି ?

 

: ବାଃ, ଏମାନେ ସବୁ ଯେ ପଡ଼ିଶା ଘରର ଲୋକ ! ଯାଏ ତୁମର ଖାଇବା ପ୍ରସ୍ତୁତ କରିବା ସମୟ ହୋଇଗଲାଣି । ଏହା କହି ସେ ଉଠି ତଳକୁ ଚାଲିଗଲା ।

 

ଦିନେ ସକାଳେ ସ୍ୱାମୀଜୀ ଆନନ୍ଦ ଆସି ଉପସ୍ଥିତ । ତାଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାହୋଇଛି ଏକଥା ରତନକୁ ଜଣାନଥିଲା । ସେ ବିଷଣ୍ଣ ମୁହଁରେ ଆସି ମୋତେ ଖବର ଦେଲା–ବାବୁ ଗଙ୍ଗାମାଟିର ସେଇ ସାଧୁଟା ଆସି ପହଞ୍ଚିଛି । ଧନ୍ୟ ତାକୁ କହିବା, ଖୋଜି ଖୋଜି ଆମକୁ ବାହାର କରିପାରିଛି ତ !

 

ରତନ ସବୁପ୍ରକାର ସାଧୁମାନଙ୍କୁ ସନ୍ଦେହ ଆଖିରେ ଦେଖେ । ରାଜଲକ୍ଷ୍ମୀର ଗୁରୁଦେବଙ୍କୁ ତ ସେ ଦୁଇଆଖିରେ ଦେଖିପାରେନା, କହିଲା, ଦେଖନ୍ତୁ ଏ ପୁଣି ଆସିଲାଣି ମାଆଙ୍କୁ କି ଯନ୍ତ୍ରଣା ଦେବ । ଟଙ୍କା ବାହାର କରିନେବା ପାଇଁ କେତେ ଯେ ଫନ୍ଦି ଏଇ ଧାର୍ମିକ ଲୋକଗୁଡ଼ାଙ୍କୁ ଜଣା ।

 

ହସି କରି କହିଲି– ଆନନ୍ଦ ଖୁବ୍ ବଡ଼ ଲୋକର ପୁଅ । ଡାକ୍ତରୀ ପାସ୍‌ କରିଛି । ତା’ ନିଜର ଟଙ୍କା ଦରକାର ନାହିଁ ।

 

: ହଁ–ବଡ଼ ଲୋକର ପିଲା ! ଟଙ୍କା ଥିଲେ କେହି କ’ଣ ଏଇବାଟରେ ଯାଏ ? ଏହା କହି ସେ ତା’ର ସୁଦୃଢ଼ ଅଭିମତ ବ୍ୟକ୍ତ କରି ଚାଲିଗଲା । ରତନର ଅସଲ ଆପତ୍ତି ଏଇଠାରେ ଯେ, ମାଆଙ୍କଠାରୁ କେହି ଟଙ୍କା ବାହାର କରିନେବାରେ ସେ ଘୋର ବିରୋଧୀ । ଅବଶ୍ୟ ତା’ ନିଜ କଥା ସ୍ୱତନ୍ତ୍ର ।

 

ବ୍ରଜାନନ୍ଦ ଆସି ମୋତେ ନମସ୍କାର କଲା । କହିଲା– ପୁଣି ଆସିଲି ଭାଇ । ଖବର ସବୁ ଭଲତ ? ନାନୀ କାହିଁ ?

 

ବୋଧହୁଏ ପୂଜାରେ ବସିଛି, ଖବର ପାଇପାରିନି ନିଶ୍ଚୟ ।

 

: ତେବେ ସମ୍ବାଦଟା ନିଜେ ଦେଇଦେଉଛି । ପୂଜା କରିବା କୁଆଡ଼େ ପଳାଇ ଯାଉନି–ବର୍ତ୍ତମାନ ଟିକିଏ ରୋଷଘର ଆଡ଼େ ଆଖିପକାନ୍ତୁ । ପୂଜାଘର କେଉଁଆଡ଼େ ଭାଇ ? ଭଣ୍ଡାରୀ ଟୋକାଟା ଗଲା କୁଆଡ଼େ...ଚାହା ପାଇଁ ଟିକିଏ ପାଣି ବସାଇ ଦିଅନ୍ତା ।

 

ପୂଜା ଘରଟା ଦେଖାଇଦେଲି । ଆନନ୍ଦ ରତନ ଉଦ୍ଦେଶ୍ୟରେ ଗୋଟାଏ ହୁଂକାର ଛାଡ଼ି ସେହିଦିଗକୁ ପାଦ ବଢ଼ାଇଲା ।

 

ଦୁଇମିନିଟ୍‌ ପରେ ପରେ ଉଭୟେ ଆସି ପହଞ୍ଚିଲେ । ଆନନ୍ଦ କହିଲା– ନାନୀ ପାଞ୍ଚଟା ଖଣ୍ଡେ ଟଙ୍କା ଦେବୁ, ଚାହା ଖାଇସାରି ଟିକିଏ ଶିଆଲଦା ବଜାରଟା ବୁଲିଆସିବି ।

 

ରାଜଲକ୍ଷ୍ମୀ କହିଲା– ପାଖରେ ତ ଗୋଟାଏ ଭଲ ବଜାର ଅଛି ଆନନ୍ଦ, ଏତେଦୂର ଯିବୁ କାହିଁକି ? ଆଉ ତୁ ଅବା ଯିବୁ କାହିଁକି ? ରତନ ଯିବନି ଯେ....

 

: କିଏ ରତନା ? ସେ ଲୋକକୁ ଆଦୌ ବିଶ୍ୱାସ ନାହିଁ ନାନୀ । ମୁଁ ଆସିଛି ବୋଲି ଜାଣିଲେ ସେ ବାଛି ବାଛି ମାଛ କିଣି ଆଣିବ–କହି ସେ ହଠାତ୍‌ ଦେଖିନେଲା ରତନ ଦୁଆରବନ୍ଧ ନିକଟରେ ଠିଆ ହୋଇଛି । ଜିଭ କାମୁଡ଼ିପକାଇ କହିଲା– ଦୋଷଦେବୁନି ରତନ ମୁଁ ଭାବିଥିଲି ତୁ ଘରେ ନାହୁଁ । ଗାଆଁକୁ ଯାଇଛୁ । କାହିଁକିନା ଡାକି ଡାକି କିଛି ଉତ୍ତର ପାଇପାରିନଥିଲି କି ନା !

 

ରାଜଲକ୍ଷ୍ମୀ ହସିବାକୁ ଲାଗିଲା । ମୁଁ ମଧ୍ୟ ନ ହସି ରହିପାରିଲି ନାହିଁ । ରତନ କିନ୍ତୁ ଭ୍ରୂକ୍ଷେପ କଲା ନାହିଁ । ଗମ୍ଭୀର ହୋଇ କହିଲା– ମୁଁ ବଜାରକୁ ଯାଉଛି ମାଆ, କିଷନ୍‌ ଚାହା ପାଇଁ ପାଣି ବସାଇ ଦେଇଛି–କହି ଚାଲିଗଲା ।

 

ରାଜଲକ୍ଷ୍ମୀ କହିଲା– ରତନ ସଙ୍ଗେ ଆନନ୍ଦର ବୋଧହୁଏ ପଡ଼େ ନାହିଁ ?

 

ଆନନ୍ଦ କହିଲା– ତାକୁ ଦୋଷ ଦେଇପାରୁନି ନାନୀ । ସେ ଆପଣଙ୍କର ହିତୈଷୀ । ବାଜେ ଲୋକଙ୍କୁ ଘରେ ପୂରାଇଦିଏ ନାହିଁ । କିନ୍ତୁ ଆଜି ତା’ ସହିତ ବନ୍ଧୁତା କରିବାକୁ ପଡ଼ିବ ନଚେତ୍‌ ଖାଇବାଟା ଭଲ ହୋଇପାରିବ ନାହିଁ । ବହୁଦିନ ହେଲା ଉପବାସୀ ହୋଇ ରହିଛି କିନା ।

 

ରାଜଲକ୍ଷ୍ମୀ ତରତର ହୋଇ ବାରଣ୍ଡାକୁ ଚାଲିଯାଇ ଡାକି କହିଲା– ରତନ ଆଉ କେତେଟା ଟଙ୍କା ନେଇଯା ବାବା, ବଡ଼ ରୋହିମାଛଟାଏ ଦେଖି ଆଣିବୁ । ଫେରିଆସି କହିଲା– ମୁହଁ ହାତ ଧୋଇ ଆସ ମୁଁ ଚାହା ତିଆରି କରି ଆଣୁଛି । ଏହା କହି ସେ ମଧ୍ୟ ତଳକୁ ଓହ୍ଲାଇଗଲା ।

 

ଆନନ୍ଦ କହିଲା– ଭାଇ, ହଠାତ ମୋତେ ତଲବ ହେଲା କାହିଁକି ?

 

: ସେ କୈଫିୟତ୍‌ କ’ଣ ମୁଁ ଦେଇପାରିବି, ଆନନ୍ଦ ?

 

ଆନନ୍ଦ ହସିଦେଇ କହିଲା– ଭାଇଙ୍କର ଦେଖୁଛି ଏବେ ସୁଦ୍ଧା ସେଇ ପୁରୁଣା ରାଗ କମିନାହିଁ । ଆହୁରି ଲୁଚିଛପି ଯିବାର ମତଲବ ନାହିଁ ତ ? ସେଥର ଗଙ୍ଗାମାଟିରେ କି ହଇରାଣରେ ପକାଇ ଦେଇନଥିଲ ? ଏଣେ ସାରା ଗାଆଁର ଲୋକଙ୍କୁ ନିମନ୍ତ୍ରଣ ଆଉ ଘରର ମୁରବି ଯିଏ, ସେ ନିରୁଦ୍ଦିଷ୍ଟ । ମଝିରେ ମୁଁ ନୂଆ ଲୋକ । ଏଣେ ଦଉଡ଼ି ତେଣେ ଦଉଡ଼ି ନାନୀ କାନ୍ଦିବାକୁ ଲାଗିଲେ । ରତନ ଲୋକ ପଠାଇବାର ଉଦ୍ୟୋଗ କଲା–ସେ କି ବିଭ୍ରାଟ ! ଆଚ୍ଛା ଲୋକ ତ ଆପଣ ?

 

ମୁଁ ହସିଦେଇ କହିଲି– ରାଗ ଏଥର ଥଣ୍ଡା ହୋଇଯାଇଛି–ଆଉ ଭୟ କରିବାର କିଛି ନାହିଁ ।

 

ଆନନ୍ଦ କହିଲା– କଦାପି ଭରସା ନାହିଁ । ଆପଣଙ୍କ ଭଳି ନିଃସଙ୍ଗ, ଏକାକୀ ଲୋକମାନଙ୍କୁ ମୁଁ ଭୟ କରେ । କିପରି ଯେ ନିଜକୁ ସଂସାରୀ କରିପକାଇଲେ ସେ କଥା ଅନେକ ସମୟରେ ମୁଁ ଭାବେ ।

 

ମନେମନେ କହିଲି– ଭାଗ୍ୟ । ମୁହଁରେ କିନ୍ତୁ କହିଲି–ଦେଖୁଛି ତାହାହେଲେ ମୋତେ ଭୁଲିଯାଇ ନାହିଁ । ମଝିରେ ମଝିରେ ମନେକରୁଥିଲ ?

 

ଆନନ୍ଦ କହିଲା– ନା ଭାଇ, ତୁମକୁ ଭୁଲିବା ବଡ଼ କଠିନ । ବୁଝିବା ମଧ୍ୟ ବଡ଼ ଶକ୍ତ । ଆଉ ତୁମ ମାୟାକୁ କାଟିବା ହେଉଛି ସବୁଠାରୁ କଷ୍ଟକର ବ୍ୟାପାର । ବିଶ୍ୱାସ ଯଦି ନ ହେଉଛି ତେବେ ନାନୀକୁ ଡାକି ପଚାରିପାର । ଆପଣଙ୍କ ସଙ୍ଗେ ପରିଚୟ ତ ମାତ୍ର ଦୁଇ ତିନି ଦିନର । କିନ୍ତୁ ସେଦିନ ଯେ ନାନୀ ସହିତ କଣ୍ଠ ମିଳାଇ ମୁଁ କାନ୍ଦିପାରିନଥିଲି–ସେଇଟା ନିହାତି ସନ୍ନ୍ୟାସୀ–ଧର୍ମର ବିରୁଦ୍ଧ ବୋଲି ।

 

: ସେଇଟା ବୋଧହୁଏ ନାନୀ ଖାତିରରେ । ତାରି ଅନୁରୋଧରେ ତ ପୁଣି ଏତେଦୂର ଆସିପାରିଲି ।

 

: ନିହାତି ମିଛ କଥା ନୁହେଁ ଭାଇ । ତା’ ଅନୁରୋଧ ତ ଅନୁରୋଧ ନୁହେଁ–ଯେପରି ମାଆଙ୍କର ଡାକ । ପାଦ ଆପଣାଛାଏଁ ଚାଲିବାକୁ ଆରମ୍ଭ କରେ । କେତେ ଘରେ ତ ଆଶ୍ରୟ ନେଇଥିବି; କିନ୍ତୁ ଏପରି ମାୟା କେଉଁଠାରେ ଲାଗିନଥିଲା । ଶୁଣିଛି ଆପଣ ବହୁତ ଦେଶ ବୁଲୁଛନ୍ତି; କିନ୍ତୁ ଏପରି ଲୋକଟିଏ ଆଉ କେଉଁଠି ଦେଖିପାରିଛନ୍ତି ?

 

: ଅନେକ, ଅନେକ ଦେଖିଛି ।

 

ରାଜଲକ୍ଷ୍ମୀ ପ୍ରବେଶ କଲା । ଘରେ ପଶୁ ପଶୁ ସେ ମୋ କଥାଟା ଶୁଣିପାରିଥିଲା–ଚାହା କପ୍‌ଟା ଆନନ୍ଦ ନିକଟରେ ରଖିଦେଇ ସେ ମୋତେ ପଚାରିଲା–କ’ଣ ଅନେକ ?

 

ଆନନ୍ଦ ବୋଧହୁଏ ଟିକିଏ ବିପଦଗ୍ରସ୍ତ ହୋଇପଡ଼ିଲା । ମୁଁ କହିଲି ତୁମରି ଗୁଣର କଥା । ସେ ସନ୍ଦେହ କରୁଥିଲା ବୋଲି ମୁଁ ଜୋର ସହିତ ତା’ର ପ୍ରତିବାଦ କରୁଥିଲି ।

 

ଆନନ୍ଦ ଚାହା କପଟାକୁ ମୁହଁକୁ ନେଉଥିଲା । ହସର ଦାଉରେ ତହିଁରୁ କେତେକ ତଳେ ଚହଲି ପଡ଼ିଗଲା ।

 

ରାଜଲକ୍ଷ୍ମୀ ମଧ୍ୟ ହସିପକାଇଲା ।

 

ଆନନ୍ଦ କହିଲା– ଭାଇ ଆପଣଙ୍କର ଉପସ୍ଥିତ ବୁଦ୍ଧିଟା ଅଦ୍ଭୁତ । ଠିକ୍‌ ଓଲଟା କଥା ଆଖି ପିଛଡ଼ାକେ ମୁଣ୍ଡକୁ ଆସିଲା କିପରି ?

 

ରାଜଲକ୍ଷ୍ମୀ କହିଲା– ଆଶ୍ଚର୍ଯ୍ୟ ହେବାରେ ଏଥିରେ କିଛି ନାହିଁ ଆନନ୍ଦ । ନିଜ ମନକଥା ଚାପି ରଖି ରଖି ଆଉ ଗଳ୍ପ ଫାନ୍ଦି କହି କହି ଏ ବିଦ୍ୟାରେ ସେ ଏକପ୍ରକାର ମହାମହୋପାଧ୍ୟାୟ ହୋଇପାରିଛନ୍ତି ।

 

କହିଲି– ମୋତେ ତାହାହେଲେ ତୁମେ ବିଶ୍ୱାସ କର ନାହିଁ ?

 

: ଏତେ ଟିକିଏ ସୁଦ୍ଧା ନୁହଁ ।

 

ଆନନ୍ଦ ହସିକରି କହିଲା– ବନେଇ ଚୁନେଇ କହିବା ବିଦ୍ୟାରେ ନାନୀ ମଧ୍ୟ କମ୍‌ ନୁହଁ । ସଙ୍ଗେସଙ୍ଗେ ଉତ୍ତର ଦେଇ କହିପକାଇଲା କ’ଣ ନା–ଏତେ ଟିକିଏ ସୁଦ୍ଧା ନୁହେଁ ।

 

ରାଜଲକ୍ଷ୍ମୀ ମଧ୍ୟ ହସିପକାଇ କହିଲା– କେବଳ ଜାଳିପୋଡ଼ି ମାରିବା ଶିଖିଛନ୍ତି । ତୁ କିନ୍ତୁ ଆଉ ବିଳମ୍ବ କରନା–ଚାହା ପିଇ ଗାଧୋଇ ଆ । କାଲି ଗାଡ଼ିରେ ତୁ ଯେ ଖାଇ ନାହୁଁ ତା’ ବେଶ୍‌ ଜାଣିଛି । ତାଙ୍କ ମୁହଁରୁ ମୋ ସୁଖ୍ୟାତି ଶୁଣିବସିଲେ ତୋର ଦିନ ସରିବ ନାହିଁ । ଏହା କହି ସେ ଚାଲିଗଲା ।

 

ଆନନ୍ଦ କହିଲା– ଆପଣଙ୍କ ଭଳି ଏପରି ଦୁଇଟି ଲୋକ ସଂସାରରେ ବିରଳ । ଭଗବାନ ବଡ଼ ଅଦ୍ଭୁତ ଭାବରେ ମେଳ କରି ଆପଣ ଦୁହିଁଙ୍କୁ ଏ ସଂସାରକୁ ପଠାଇ ଦେଇଛନ୍ତି ।

 

: ତା’ର ନମୁନା ଦେଖିପାରିଲ ତ ?

 

ନମୁନା ସେଇ ପ୍ରଥମଦିନ ସାଇଁଥିଆ ଷ୍ଟେସନର ଗଛତଳେ ଦେଖିଥିଲି । ତାପରେ ଆଉ ଗୋଟିଏ ଆଜି ପର୍ଯ୍ୟନ୍ତ ଆଖିରେ ଦେଖିବାକୁ ମିଳିଲା ନାହିଁ ।

 

: ଆହା ! କଥାଗୁଡ଼ାକ ଯଦି ତା’ ଆଗରେ କୁହନ୍ତି ଆନନ୍ଦ !

 

ଆନନ୍ଦ କାମର ଲୋକ । କାମ କରିବାପାଇଁ ତାହାର ଉଦ୍ୟମ ଓ ଶକ୍ତି ବିପୁଳ । ତାକୁ ପାଖରେ ପାଇବାକ୍ଷଣି ରାଜଲକ୍ଷ୍ମୀର ଆନନ୍ଦର ସୀମା ନାହିଁ । ଦିନରାତି ଖାଇବା ପିଇବାର ଆୟୋଜନ ଦେଖି ମୋର ଇଚ୍ଛାହେଲା ଘରଭିତରେ ଲୁଚି ରହିବାକୁ । ଅବିଶ୍ରାନ୍ତ ଦୁଇଜଣଙ୍କର ଯେ କି ମନ୍ତ୍ରଣା ଚାଲିଥାଏ ତହିଁରୁ କିଛି ଜାଣିପାରେ ନାହିଁ, କେବଳ କାନକୁ ଆସିଛି ଯେ ଗଙ୍ଗାମାଟିରେ ଗୋଟାଏ ପୁଅପିଲାଙ୍କ ପାଇଁ ଓ ଗୋଟାଏ ଝିଅପିଲାଙ୍କ ପାଇଁ ସ୍କୁଲ ଖୋଲାହେବ । ସେଠାରେ ବହୁତ ଗରିବ ଏବଂ ଛୋଟ ଜାତିର ଲୋକ ବାସକରନ୍ତି । ଉପଲକ୍ଷ ବୋଧହୁଏ ସେଇମାନେ । ଶୁଣୁଛି ପୁଣି ଗୋଟାଏ ଡାକ୍ତରଖାନା ଖୋଲାହେବ । ଏସବୁ ବ୍ୟାପାରରେ ମୋର କୌଣସିଦିନ କିଛି ପଟୁତା ନ ଥାଏ । ପରୋପକାର କରିବାକୁ ଇଚ୍ଛା ଅଛି କିନ୍ତୁ ଶକ୍ତି ନାହିଁ । କୌଣସି ଗୋଟାଏ କିଛି ଅନୁଷ୍ଠାନ ଠିଆ କରାଇବା ଚିନ୍ତାକରିବା ମାତ୍ରେ ମୋ ମନ ଆଜି ନୁହେଁ କାଲି ଏଇପରି ପଛାଇବାରେ ଲାଗେ । ସେମାନଙ୍କ ନୂତନ ଉଦ୍ୟମ ଭିତରକୁ ମଝିରେ ମଝିରେ ଆନନ୍ଦ ମତେ ଟାଣିବାକୁ ଚାହିଁଛି; କିନ୍ତୁ ରାଜଲକ୍ଷ୍ମୀ ହସିକରି ବାଧାଦେଇ କହିଛି–ତାଙ୍କୁ ଆଉ ମିଶାଅନା ଆନନ୍ଦ, ତୋର ସବୁ ସଂକଳ୍ପ ପଣ୍ଡ ହୋଇଯିବ ।

 

ଶୁଣିବାକ୍ଷଣି ପ୍ରତିବାଦ କରିବାକୁ ହୁଏ–କହିଲି, ଏଇ ଯେ ସେଦିନ କହିଲ ମୋର ଅନେକ କାମ, ଏଣିକି ମୋତେ ବହୁତ କିଛି କରିବାକୁ ପଡ଼ିବ ବୋଲି ।

 

ରାଜଲକ୍ଷ୍ମୀ ହାତଯୋଡ଼ି କହିଲା– ମୋର ଦୋଷ ହୋଇଛି ଗୋସାଇଁ, ଆଉ ଏପରି କଥା କଦାପି ମୁହଁରେ ଧରିବି ନାହିଁ ।

 

: ତେବେ କେଉଁଦିନ କ’ଣ କିଛି କରିବି ନାହିଁ ?

 

: କରିବ ନାହିଁ କାହିଁକି ? କେବଳ ଅସୁସ୍ଥ ହୋଇ ମୋତେ ଆଧାମରା କରିପକାଅ ନାହିଁ, ସେତିକିରେ ମୁଁ ତୁମଠାରେ ଚିରକୃତଜ୍ଞ ହୋଇ ରହିବି ।

 

ଆନନ୍ଦ କହିଲା– ନାନୀ, ପ୍ରକୃତରେ ତୁ ତାଙ୍କୁ ଅକର୍ମା କରିପକାଇବୁ ।

 

ରାଜଲକ୍ଷ୍ମୀ କହିଲା– ମୋତେ କରିବାକୁ ପଡ଼ିବ ନାହିଁ । ଯେଉଁ ବିଧାତା ତାଙ୍କୁ ସୃଷ୍ଟି କରିଛନ୍ତି ସେ ହିଁ ସେପରି ବ୍ୟାବସ୍ଥା କରି ରଖିଛନ୍ତି । କେଉଁଠି ଏତେ ଟିକିଏ ତ୍ରୁଟି ରଖିନାହାଁନ୍ତି ।

 

ଆନନ୍ଦ ହସିବାକୁ ଲାଗିଲା !

 

ରାଜଲକ୍ଷ୍ମୀ କହିଲା– ତା’ ସାଙ୍ଗକୁ ଏଇ ପୋଡ଼ାମୁହାଁ ଗଣକ ଏପରି ଭୟ ଦେଖାଇ ଦେଇଛି ଯେ ସେ ଘରୁ ପାଦକାଢ଼ିଲେ ମୋ ଛାତି ଛକପକ ହେଉଛି । ଯେ ପର୍ଯ୍ୟନ୍ତ ଘରକୁ ଫେରିଆସି ନାହାଁନ୍ତି ସେ ପର୍ଯ୍ୟନ୍ତ କେଉଁଥିରେ ମନ ଲାଗେନାହିଁ ।

 

: ଏହାଭିତରେ ପୁଣି ଗଣକଟିଏ ଜୁଟିଲା କେଉଁଠୁ ? କ’ଣ କହିଲା ସେ ?

 

ମୁଁ ଏହାର ଉତ୍ତରଦେଲି । କହିଲି– ମୋ ହାତଦେଖି ସେ କହିଲା– ମାରକ ଦଶା ଅଛି । ଜୀବନ ମରଣର ସମସ୍ୟା ।

 

: ନାନୀ, ତୁ ଏସବୁ ବିଶ୍ୱାସ କରୁ ?

 

ମୁଁ କହିଲି– ହଁ, କରନ୍ତି । ଅଲବତ୍‌ କରନ୍ତି । ତୁମ ନାନୀ କହନ୍ତି ମାରକ ଦଶା ବୋଲି କ’ଣ ପୃଥିବୀରେ କଥା ନାହିଁ ? କାହାର କ’ଣ କେବେ ବିପଦ ଘଟେନାହିଁ ?

 

ଆନନ୍ଦ ହସିଦେଇ କହିଲା– ଘଟିପାରୁଥାଏ; କିନ୍ତୁ ହାତ ଦେଖି କିଏ କିପରି କହିପାରିବ-?

 

ରାଜଲକ୍ଷ୍ମୀ କହିଲା– ସେ କଥା ଜାଣିନ ଭାଇ । କେବଳ ମୋର ଭରସା ମୋ ଭଳି ଯିଏ ଭାଗ୍ୟବତୀ; ତାକୁ ଭଗବାନ କଦାପି ଏତେବଡ଼ ବିପଦ ଜଳରେ ବୁଡ଼ାଇବେ ନାହିଁ ।

 

ଆନନ୍ଦ ସ୍ତବ୍‌ଧ ହୋଇ ମୁହୂର୍ତ୍ତକପାଇଁ ତା’ ମୁହଁକୁ ଚାହିଁରହି ଅନ୍ୟ କଥା ପକାଇଲା ।

 

ଇତିମଧ୍ୟରେ ଘରର ମରାମତି ବ୍ୟବସ୍ଥା ଆରମ୍ଭ ହେବାକୁ ଲାଗିଥାଏ । ଇଟା–କାଠ ଚୂନ, ସୁରକି, ଝରକା, କବାଟ ଆସି ଗଦାହେବାକୁ ଲାଗିଥାଏ । ପୁରାତନ ଗୃହଟିକୁ ରାଜଲକ୍ଷ୍ମୀ ନୂଆକରି ତୋଳିବାପାଇଁ ଆୟୋଜନ କଲା ।

 

ସେଦିନ ଉପରଓଳି ଆନନ୍ଦ କହିଲା– ଭାଇ, ଚାଲନ୍ତୁ ଟିକିଏ ବୁଲିଆସିବା ।

 

ବର୍ତ୍ତମାନ ବାହାରକୁ ଯିବା ପ୍ରସ୍ତାବ ହେବାମାତ୍ରେ ରାଜଲକ୍ଷ୍ମୀ ଅନିଚ୍ଛା ପ୍ରକାଶ କରି କହିଲା– ବୁଲି ଆସୁ ଆସୁ ଯେ ରାତି ହୋଇଯିବ ଆନନ୍ଦ, ଥଣ୍ଡା ଲାଗିବ ନାହିଁ ?

 

ଆନନ୍ଦ କହିଲା– ଗରମରେ ମଣିଷ ଜଳିପୋଡ଼ି ଯାଉଛି–ଆଉ ଥଣ୍ଡା କେଉଁଠି ?

 

ଆଜି ମୋ ଦେହଟା ଭଲ ଲାଗୁନଥିଲା । କହିଲି– ଥଣ୍ଡା ଲାଗିଯିବାର ଭୟ ନାହିଁ ସତ । କିନ୍ତୁ ଆଜି ଉଠିବାକୁ ଇଚ୍ଛା ହେଉନାହିଁ ଆନନ୍ଦ ।

 

ଆନନ୍ଦ କହିଲା– ଏଇଟା ଆଳସ୍ୟ । ଘରେ ଏପରି ବସି ରହିଲେ ମଣିଷ ଅଳସୁଆ ହୋଇପଡ଼ିବ–ଉଠନ୍ତୁ, ଯିବା ।

 

ରାଜଲକ୍ଷ୍ମୀ ଏହାର ସମାଧାନ କରିବାକୁ ଯାଇ କହିଲା– ଏହା ଅପେକ୍ଷା ଗୋଟାଏ କାମ କରୁନାହଁ ? କ୍ଷତୀଶ ପଅରଦିନ ମୋତେ ଗୋଟିଏ ଭଲ ହାରମୋନିୟମ କିଣିଆଣି ଦେଇଯାଇଛି । ବର୍ତ୍ତମାନ ସୁଦ୍ଧା ସେଇଟା ଦେଖିବାକୁ ସମୟ ପାଇ ନାହିଁ । ମୁଁ ଠାକୁରଙ୍କୁ ଜଣାଇ ଦୁଇଟା ଭଜନ ଗାଉଛି ଆଉ ତୁମେ ଦୁହେଁ ବସି ଶୁଣ । ସନ୍ଧ୍ୟାଟା କଟିଯିବ । ଏହା କହି ସେ ରତନ ଡାକି ବାକ୍‌ସଟାକୁ ଆଣିବାକୁ କହିଲା ।

 

ଆନନ୍ଦ ବିସ୍ମୟ କଣ୍ଠରେ ପ୍ରଶ୍ନକଲା ତୁମକୁ କ’ଣ ସେ ବିଦ୍ୟା ମାଲୁମ ଅଛି କି ?

 

: ସାମାନ୍ୟ ଟିକିଏ । ତାପରେ ମୋତେ ଦେଖାଇ କହିଲା– ପିଲାବେଳେ ତାଙ୍କଠାରୁ ହଁ ଏ ବିଷୟରେ ଖଡ଼ିଛୁଆଁ ହୋଇଥିଲା ।

 

ଆନନ୍ଦ ଖୁସିହୋଇ କହିଲା– ମୁଁ ଦେଖୁଛି ଭାଇ, ତୁମେ ଏପ୍ରକାର ବର୍ଣ୍ଣଚୋର ଆମ୍ବ । ବାହାରୁ ଦେଖି ଜାଣିପାରିବାର ଶକ୍ତି କାହାର ନହିଁ । ଦେଖିବାକୁ କିନ୍ତୁ କଞ୍ଚା ଭିତରେ ରସ ଉପୁଜି ଉଠୁଛି ।

 

ତା’ର ମନ୍ତବ୍ୟ ଶୁଣି ରାଜଲକ୍ଷ୍ମୀ ହସିବାକୁ ଲାଗିଲା । କିନ୍ତୁ ମୁଁ ତହିଁରେ ଯୋଗ ଦେଇପାରିଲି ନାହିଁ । କାରଣ ଆନନ୍ଦ କିଛି ବୁଝିବ ନାହିଁ । ମୋର ଆପତ୍ତିକୁ ଓସ୍ତାଦର ବିନୟ ବାକ୍ୟ ଭାବି ବାଧ୍ୟ କରିବସିବ । ଏବଂ ହୁଏତ ଶେଷରେ ରାଗ କରି ବସିବ । ପୁତ୍ର ଶୋକାତୁରେ ଧୃତରାଷ୍ଟ୍ର–ବିଳାପର ଦୁର୍ଯ୍ୟୋଧନ ଗୀତଟା ଜାଣିଥାଏ । କିନ୍ତୁ ରାଜଲକ୍ଷ୍ମୀ ଗାଇବାପରେ ସେଇଟା ଆଦୌ ସାଜିବ ନାହିଁ ।

 

ହାରମୋନିୟମ ଆସିବା କ୍ଷଣି ପ୍ରଥମେ ସଚରାଚର ପ୍ରଚଳିତ ନିୟମ ଅନୁସାରେ ଗୋଟାଏ ଦୁଇଟା ଠାକୁରଙ୍କ ଭଜନ ବୋଲିବା ପରେ ରାଜଲକ୍ଷ୍ମୀ ବୈଷ୍ଣବ ପଦାବଳୀ ଆରମ୍ଭ କରିଦେଲା । ଶୁଣିକରି ମନେହେଲା ସେଦିନ ମୁରାରୀପୁରରେ ବୋଧହୁଏ ଏପରି ଭାବରେ ଶୁଣିପାରିନଥିଲି । ଆନନ୍ଦ ବିସ୍ମୟରେ ଅଭିଭୂତ ହୋଇପଡ଼ିଲା । ମୋତେ ଦେଖାଇ, ରାଜଲକ୍ଷ୍ମୀକୁ ପ୍ରଶ୍ନକଲା । ଏସବୁ କ’ଣ ତାଙ୍କଠାରୁ ଶିକ୍ଷା ?

 

: ସବୁ କ’ଣ କେହି ଜଣଙ୍କଠାରୁ ଶିଖିପାରେ ?

 

: ତାହା ଅବଶ୍ୟ ସତ । ତାପରେ ସେ ମୋଆଡ଼େ ଚାହିଁ କହିଲା– ଭାଇ, ଏଥର କିନ୍ତୁ ତୁମକୁ ଅନୁଗ୍ରହ କରିବାକୁ ହେବ । ନାନୀ ଏପ୍ରକାର କ୍ଳାନ୍ତ ।

 

: ନା ହେ, ମୋ ଦେହ ଆଦୌ ଭଲ ନାହିଁ ।

 

: ଦେହପାଇଁ ମୁଁ ଦାୟୀ, ଅତିଥିର ଅନୁରୋଧ ରଖିବ ନାହିଁ ?

 

: ରଖିବାର ଶକ୍ତି ନାହିଁ । ଦେହ ମୋର ଭୀଷଣ ଅସୁସ୍ଥ ।

 

ରାଜଲକ୍ଷ୍ମୀ ଗମ୍ଭୀର ହେବାକୁ ଚେଷ୍ଟା କରୁଥିଲା । କିନ୍ତୁ ସମ୍ଭାଳି ହୋଇ ରହିପାରିଲା ନାହିଁ–ହସି ହସି ଗଡ଼ିଗଲା ।

 

ଆନନ୍ଦ ଘଟଣାଟା ଏତେବେଳକୁ ବୁଝିପାରିଲା । କହିଲା– ନାନୀ, ତେବେ କାହାଠାରୁ ଏସବୁ ଶିଖିଛୁ ?

 

ମୁଁ କହିଲି– ଯିଏ ଅର୍ଥ ବଦଳରେ ବିଦ୍ୟା ଦାନ କରନ୍ତି ତାଙ୍କର ନିକଟରୁ । ମୋ ନିକଟରୁ ନୁହେଁ । ତୁମ ଭାଇ ଏ ବିଦ୍ୟାର ଧାର ଧାରନ୍ତି ନାହିଁ ।

 

ଆନନ୍ଦ କିଛି ସମୟ ପାଇଁ ନୀରବ ରହିବାପରେ କହିଲା– ମୁଁ ମଧ୍ୟ ସାମାନ୍ୟ କିଛି ଜାଣେ ନାନୀ, କିନ୍ତୁ ବେଶୀ ଶିଖିବା ପାଇଁ ସମୟ ପାଇପାରି ନାହିଁ । ସୁଯୋଗ ଯେତେବେଳେ ପାଇଛି ସେତେବେଳେ ତୋର ଶିଷ୍ୟତ୍ୱ ଗ୍ରହଣ କରି କିଛି ଶିଖିନେବି । ଆଜି କ’ଣ ଏଇଠି ରହିଯିବ-। ଆଉ କିଛି ଶୁଣାଇବ ନାହିଁ ?

 

ରାଜଲକ୍ଷ୍ମୀ କହିଲା– ଆଜି ତ ସମୟ ନାହିଁ ଭାଇ, ତୁମମାନଙ୍କ ପାଇଁ ରୋଷାଇ କରିବାକୁ ପଡ଼ିବ ଯେ....

 

ଆନନ୍ଦ ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ି କହିଲା– ତା’ ଅବଶ୍ୟ ମୁଁ ଜାଣେ । ସାରା ସଂସାରର ଭାର ଯାହା ଉପରେ, ସମୟ ତାହାର ଖୁବ୍‌ କମ୍‌ । ବୟସରେ କିନ୍ତୁ ମୁଁ ଛୋଟ । ତୋର ଛୋଟ ଭାଇ । ମୋତେ ଶିଖାଇବାକୁ ପଡ଼ିବ । ଅପରିଚିତ ସ୍ଥାନରେ ଏକଲା ସମୟ କଟାଇବାକୁ ଯେତେବେଳେ ଚାହିଁବ ନାହିଁ ସେତେବେଳେ ତୋର ଏହି ଦୟା ସ୍ମରଣ କରିବି ।

 

ରାଜଲକ୍ଷ୍ମୀ ସ୍ନେହରେ ବିଗଳିତ ହୋଇ କହିଲା– ତୁ ଡାକ୍ତର, ବିଦେଶରେ ତୋର ଏଇ ସ୍ୱାସ୍ଥ୍ୟହୀନ ଭାଇଟି ପ୍ରତି ଟିକିଏ ଦୃଷ୍ଟି ରଖିବୁ ଭାଇ । ମୁଁ ଯେତେ ସବୁତକ ଆଦର କରି ତୋତେ ଶିଖାଇଦେବି ।

 

: କିନ୍ତୁ ଏହାଙ୍କ ଛଡ଼ା କ’ଣ ତୋର ଆଉ କିଛି ଚିନ୍ତା ନାହିଁ ନାନୀ ? ରାଜଲକ୍ଷ୍ମୀ ଚୁପ୍ ହୋଇ ରହିଲା ।

 

ଆନନ୍ଦ ମୋତେ ଉଦ୍ଦେଶ୍ୟ କରି କହିଲା– ଭାଇଙ୍କ ଭଳି ଭାଗ୍ୟବାନ ଏପର୍ଯ୍ୟନ୍ତ ଆଖିରେ ଦେଖିନଥିଲି ।

 

ମୁଁ ଏହାର ଉତ୍ତର ଦେଲି । କହିଲି ଏପରି ଅକର୍ମଣ୍ୟ ବ୍ୟକ୍ତି କ’ଣ କେବେ ଦେଖିବାକୁ ମିଳନ୍ତି ଆନନ୍ଦ ? ଭଗବାନ ସେମାନଙ୍କର ଦାୟିତ୍ୱ ନେବାକୁ ଲୋକ ରଖିଦେଇଥାନ୍ତି । ନହେଲେ ସେମାନେ ଅକୂଳରେ ଭାସିଯାଆନ୍ତେ । ଘଟରେ ଲାଗିପାରନ୍ତେ ନାହିଁ । ଏପରି ଭାବରେ ସଂସାରରେ ଭାରସାମ୍ୟ ରଖିବାକୁ ପଡ଼େ ଭାଇ । କଥାଟାକୁ ମିଳାଇ ଦେଖ । ପ୍ରମାଣ ପାଇପାରିବ-

 

ରାଜଲକ୍ଷ୍ମୀ କ୍ଷଣକ ପାଇଁ ନୀରବରେ ଚାହିଁ ରହି–ଉଠି ଚାଲିଗଲା । ତା’ର ଯେ ତେଣେ ଅନେକ କାମ ।

 

ଏହା ଭିତରେ ଦିନ କେତଟା ଭିତରେ ଘର ତିଆରି କାମ ଆରମ୍ଭ ହେଲା । ରାଜଲକ୍ଷ୍ମୀ ଗୋଟାଏ ଘରେ ବନ୍ଦ କରି ଯାତ୍ରାର ଆୟୋଜନ କରିବାକୁ ଲାଗିଲା । ଘରର ଦାୟିତ୍ୱ ରହିଲା ବୁଢ଼ା ଗୁମାସ୍ତା ତୁଳସୀଦାସ ଉପରେ ।

 

ଯିବାଦିନ ରାଜଲକ୍ଷ୍ମୀ ମୋ ହାତକୁ ଖଣ୍ଡିଏ ପୋଷ୍ଟକାର୍ଡ଼ ବଢ଼ାଇ କହିଲା– ମୋର ଚାରିପୃଷ୍ଠା ଚିଠିର ଉତ୍ତର ଏଇ ଆସିଲା । ପଢ଼ିଦେଖ କହି ଚାଲିଗଲା ।

 

ଝିଅପିଲା ହସ୍ତାକ୍ଷରରେ ଦୁଇତିନିଧାଡ଼ି ଲେଖା । କମଳଲତା ଲେଖିଛି– ସୁଖରେ ଅଛି ଭଉଣୀ । ଯାହାଙ୍କ ସେବାରେ ଆପଣାକୁ ନିବେଦନ କରିଛି, ମୋତେ ଭଲରେ ରଖିବାର ଦାୟିତ୍ୱ ଯେ ତାଙ୍କର ଭଉଣୀ । ପ୍ରାର୍ଥନା କରୁଛି ତୁମେମାନେ ଭଲରେ ଥାଅ । ବଡ଼ ଗୋସାଇଁ ତାଙ୍କ ଆନନ୍ଦମୟୀକୁ ଶ୍ରଦ୍ଧା ଜଣାଇଛନ୍ତି ।

 

। ଇତି ।

ଶ୍ରୀ ଶ୍ରୀ ରାଧାକୃଷ୍ଣ ଚରଣାଶ୍ରିତା

କମଳଲତା

 

ସେ ମୋ ନାମ ଉଲ୍ଲେଖ କରିନାହିଁ, କିନ୍ତୁ ଏଇ କେତୋଟି ଅକ୍ଷର ଆଢ଼ୁଆଳରେ କେତେ କଥା ତାହାର ଅବା ନ ରହିଯାଇଛି ! ଖୋଜି ଦେଖିଲି ବୁନ୍ଦାଏ ଆଖିର ଲୁହ କାଳେ କେଉଁଠାରେ ପଡ଼ିଯାଇଥିବ । କିନ୍ତୁ କୌଣସି ଚିହ୍ନ ଦେଖିବାକୁ ପାଇଲି ନାହିଁ ।

 

ଚିଠିଖଣ୍ଡି ହାତରେ ଧରି ଚୁପ୍‌ହୋଇ ବସିରହିଲି । ଝରକା ବାହାରେ ରୌଦ୍ରତପ୍ତ ନୀଳାଭ ଆକାଶ । ପଡ଼ିଶା ଘରର ଦିଓଟି ନଡ଼ିଆଗଛର ପତ୍ର ଫାଙ୍କରେ ତହିଁରୁ କେତେକାଂଶ ଦେଖାଯାଏ । ସେହିଠାରେ ହଠାତ୍‌ ଦୁଇଟି ମୁହଁ ଯେପରି ଭାସିଉଠିଲା ପରି ଲାଗିଲା । ଗୋଟିଏ ମୋର ରାଜଲକ୍ଷ୍ମୀ–କାହାଣୀର ପ୍ରତିମା, ଅପରଟି କମଳତାର–ଅପରିସ୍ଫୁଟ, ଅଜଣା । ସତେ ଯେପରି ସ୍ୱପ୍ନରେ ଦେଖିଥିବା ଛବି ଭଳି ।

 

ରତନ ଆସି ଧ୍ୟାନ ଭାଙ୍ଗିଦେଲା । କହିଲା– ଗାଧୋଇବାର ସମୟ ହେଲାଣି ବାବୁ । ମାଆ କହିପଠାଇଛନ୍ତି ।

 

ଗାଧୋଇବା ସମୟକୁ ବି ହେଳା କରିବାର ସ୍ୱାଧୀନତା ନାହିଁ ।

 

ପୁଣି ଦିନେ ଆସି ଗଙ୍ଗାମାଟିରେ ଉପସ୍ଥିତ ହେବାକୁ ପଡ଼ିଲା । ସେଥର ଆନନ୍ଦ ଥିଲା ଅନାହୂତ ଅତିଥି ଏଥର କିନ୍ତୁ ସେ ଆମର ଆମନ୍ତ୍ରିତ ବାନ୍ଧବ । ଘରେ ଲୋକମାନଙ୍କର ଭିଡ଼ କହିଲେ ନ ସରେ । ଗ୍ରାମର ଆତ୍ମୀୟ ଓ ଅନାତ୍ମୀୟ କେତେ ଲୋକ ଆମମାନଙ୍କୁ ଦେଖିବାକୁ ଆସିଥିଲେ । ସମସ୍ତଙ୍କ ମୁହଁରେ ପ୍ରସନ୍ନ ହସ ଓ କୁଶଳ ପ୍ରଶ୍ନ ।

 

ରାଜଲକ୍ଷ୍ମୀ କୁଶାରୀ ଗୃହିଣୀକୁ ପ୍ରଣାମ କଲା । ସୁନନ୍ଦା ରୋଷାଇଘରେ କାମରେ ବ୍ୟସ୍ତ ଥିଲା । ବାହାରକୁ ଆସି ଆମ ଉଭୟଙ୍କୁ ପ୍ରଣାମ ଜଣାଇ କହିଲା– ଭାଇ, ଆପଣଙ୍କ ଦେହଟା ତ ଖରାପ ଥିଲାପରି ଜଣାପଡ଼ୁଛି ?

 

ରାଜଲକ୍ଷ୍ମୀ କହିଲା– ଭଲ ଆଉ କେବେ ଥିଲା ଭଉଣୀ ? ମୁଁ ତ ପାରିଲି ନାହିଁ । ଏଥର ଯଦି ତୁମେମାନେ କାଳେ ପାରିବ । ଏଇ ଆଶାରେ ତୁମମାନଙ୍କ ପାଖରେ ଛାଡ଼ିଦେଲି ।

 

ମୋର ବିଗତ ଦିନର ଅବସ୍ଥା ବୋଧହୁଏ ବଡ଼ ବୋହୂଙ୍କର ମନେପଡ଼ିଗଲା । ସ୍ନେହାର୍ଦ୍ର କଣ୍ଠରେ ଭରସା ଦେଇ କହିଲେ– ଭୟ କରିବାର କିଛି ନାହିଁ ମାଆ, ଆମ ଏଠିକାର ଜଳବାୟୁରେ ନିଶ୍ଚୟ ସେଦିନ ଦୁଇଟା ଭିତରେ ଭଲ ହୋଇଉଠିବେ ।

 

ଅଥଚ ନିଜେ ଭାବି ଠିକ୍‌ କରିପାରିଲି ନାହିଁ; କ’ଣ ମୋର ହୋଇଛି ଏବଂ କେଉଁଥିପାଇଁ ଅବା ଏତେ ଦୁଶ୍ଚିନ୍ତା !

 

ଏହାପରେ ନାନାବିଧ କାର୍ଯ୍ୟର ଆୟୋଜନ ପୂରାଦମ୍‌ରେ ଆରମ୍ଭ ହେଲା । ପୋଡ଼ାମାଟି କିଣିବାର କଥାବାର୍ତ୍ତା, ଦରଦାମ୍‌ଠାରୁ ଆରମ୍ଭକରି ଶିଶୁ ବିଦ୍ୟାଳୟର ପ୍ରତିଷ୍ଠାପାଇଁ ସ୍ଥାନ ନିରୂପଣ କରିବାରେ କେଉଁଠି ଟିକିଏ ହେଲେ ହେଳା ରହିଲା ନାହିଁ ।

 

କେବଳ ମୁଁ ଯାହା ମନଭିତରେ ଉତ୍ସାହ ଅନୁଭବ କରିପାରୁନଥିଲି । ହୁଏତ ମୋର ସ୍ୱଭାବ, ହୁଏତ ଅବା ଇଚ୍ଛା, କିମ୍ବା ଆଉ କିଛି ଗୋଟାଏ, ଯାହା ମୋ ଦୃଷ୍ଟିର ଅନ୍ତରାଳରେ ଧୀରେ ଧୀରେ ମୋର ପ୍ରାଣଶକ୍ତିର ମୂଳୋଚ୍ଛେଦ କରୁଥିଲା । ଗୋଟିଏ ସୁବିଧା ହେଉଥିଲା ମୋ ଉଦାସୀନତାରେ କେହି ଆଶ୍ଚର୍ଯ୍ୟ ହେଉନଥିଲେ । ଯେହେତୁ ମୋ’ଠାରୁ ଆଉ କିଛି ପ୍ରତ୍ୟାଶ କରିବାଟା ଅସଙ୍ଗତ । ମୁଁ ଦୁର୍ବଳ । ମୁଁ ଅସୁସ୍ଥ । ମୁଁ କେତେବେଳେ ଅଛି ତ କେତେବେଳେ ନାହିଁ । ଅଥଚ କୌଣସି ବେମାରୀ ନାହିଁ । ଖାଏ–ପିଏ–ଶୁଏ । ଆନନ୍ଦ ତାହାର ବିଦ୍ୟା ଅନୁସାରେ ମଝିରେ ମଝିରେ ମୋତେ ହଲଚଲ କରାଇବାକୁ ଚେଷ୍ଟା କଲାମାତ୍ରେ ରାଜଲକ୍ଷ୍ମୀ ସ୍ନେହରେ, ଅନୁଯୋଗ ସହିତ ବାଧାଦେଇ କହିଉଠେ–ତାଙ୍କୁ ଟଣାଟଣି କରି କିଛି ଲାଭ ନାହିଁ ଭାଇ, କ’ଣ ହେଉ ହେଉ କ’ଣ ହୋଇ ବସିବ ସେତେବେଳେ ଆମକୁ ହିଁ ଭୋଗି ମରିବାକୁ ପଡ଼ିବ ।

 

ଆନନ୍ଦ କହେ–ମୁଁ ଯେଉଁ ବ୍ୟବସ୍ଥା କରୁଛି ତହିଁରେ ଭୋଗର ମାତ୍ରା କମିବ ପଛକେ ବଢ଼ିବ ନାହିଁ–ନାନୀ–ଏକଥା ମୁଁ ତୁମକୁ ସାବଧାନ କରି ଆଗରୁ କହିଦେଉଛି ।

 

ରାଜଲକ୍ଷ୍ମୀ ସହଜରେ ମାନିନେଇ କହେ–ସେ କଥା ମୁଁ ଜାଣେ ଆନନ୍ଦ । ଭଗବାନ ମୋ ଜନ୍ମବେଳେ ଏ ଦୁଃଖ ମୋ କପାଳରେ ଲେଖି ରଖିଛନ୍ତି ।

 

ଏହାପରେ ଆଉ ଯୁକ୍ତି କରିବା ଦରକାର ପଡ଼େ ନାହିଁ ।

 

ଦିନ କଟେ କେତେବେଳେ ବହି ପଢ଼ି, କେତେବେଳେ ନିଜର ବିଗତ କାହାଣୀ ଖାତାରେ ଲେଖି, କେତେବେଳେ ଅବା ନିର୍ଜନ ପଡ଼ିଆରେ ଏକାକୀ ବୁଲିଆସି । ଭୋଟିଏ ବିଷୟରେ ମୁଁ ନିଶ୍ଚତ ଯେ କର୍ମର ପ୍ରେରଣା ମୋ ଭିତରେ ନାହିଁ । ଲଢ଼ାଇକରି, ଦଶଜଣଙ୍କ ଭିତରେ ଜଣେ ହେବାଭଳି ସାଧ୍ୟ ମଧ୍ୟ ମୋର ନାହିଁ–ସଂକଳ୍ପ ବି ନାହିଁ । ସହଜରେ ଯାହା ମିଳେ ତାକୁ ଯଥେଷ୍ଟ ବୋଲି ମନେକରେ । ଘରଦ୍ୱାର, ଟଙ୍କାକଉଡ଼ି, ବିଷୟସଂପତ୍ତି, ମାନସଂଭ୍ରମ ଏସବୁ ମୋ ନିକଟରେ ଛାୟାମାୟା । ଅପରର ଦେଖାଦେଖି ନିଜର ଆଳସ୍ୟକୁ ଯଦିବା କେତେବେଳେ କର୍ତ୍ତବ୍ୟ ବୁଦ୍ଧି ତାଡ଼ନାରେ ସଚେତନ କରିବାକୁ ଯାଏ ଅଳ୍ପ ସମୟ ଭିତରେ ଦେଖିବାକୁ ପାଏ, ପୁଣି ସେ ଢୁଳାଇବାକୁ ଲାଗିଲାଣି–ଶତବାର ଠେଲାଠେଲି କଲେ ମଧ୍ୟ ହଲିବାକୁ ନାରାଜ । କେବଳ ଦେଖେ ଗୋଟିଏ ବିଷୟରେ ତୁନ୍ଦ୍ରାତୁର ମନ କଳରବରେ ତରଙ୍ଗାୟିତ ହୋଇଉଠେ । ସେ ଏହି ମରାରୀପୁରର ଦଶଟାଦିନ ସ୍ମୃତିର ଆଲୋଡ଼ନ ହେତୁ । ଠିକ୍‌ ଯେପରି କାନପାଖରେ ଶୁଣିବାକୁ ପାଏ ବୈଷ୍ଣବୀ କମଳଲତାର ସସ୍ନେହ ଅନୁରୋଧ–ନୂତନ ଗୋସାଇଁ, ଏଇଟି କରି ଦିଅନା ! ଏଇ ଯାଃ ସବୁ ନଷ୍ଟକରି ପକାଇଲି ! ମୋର ଗରଜ ସରୁନି ତୁମକୁ କାମ କରିବାକୁ କହିବି–ନ ଉଠିଲେ ନ ଉଠ । ପଦ୍ମା, ପୋଡ଼ାମୁହୀଁ ଗଲାକୁଆଡ଼େ–ଟିକିଏ ପାଣି ବସାଇ ଦିଅନ୍ତା ନାହିଁ–ଚାହା ଖାଇବାର ସମୟ ତୁମର ହେଇଗଲାଣି ଯେ ଗୋସାଇଁ......

 

ସେଦିନ ଚାହା ଖାଇବା ପାତ୍ରଗୁଡ଼ିକ କାଳେ ଭାଙ୍ଗିଯିବ ବୋଲି ସେ ନିଜେ ଧୋଇକରି ରଖୁଥିଲା । ଅବଶ୍ୟ ଆଜି ସେ ସବୁର ଆବଶ୍ୟକତା ଆଉ ନାହିଁ । ତଥାପି ଭବିଷ୍ୟତରେ କାମରେ ଲାଗିପାରେ ଏଇ ଆଶାରେ ସେ ସେସବୁକୁ ସାଇତି ରଖିଥିବ କି ନାହିଁ କିଏ ଜାଣେ ?

 

ଜାଣେ, ସେ ପଳାଇଯିବା ପାଇଁ ଚାହୁଁଥିଲା । କାରଣ ଯଦିଓ ମୁଁ ଜାଣେନା; କିନ୍ତୁ ମନରେ ସନ୍ଦେହ ନାହିଁ ଯେ ମୁରାରୀପୁର ଆଶ୍ରମରେ ତା’ର ଦିନଗୁଡ଼ିକ ସଂକ୍ଷିପ୍ତ ହୋଇଆସୁଛି । ହୁଏତ ଦିନେ ସେ ଏଠାରୁ ବାହାରି ଚାଲିଯାଇପାରେ । ନିରାଶ୍ରୟ ଓ ସମୁଳହୀନ ହୋଇ ସେ ଯେ ରାସ୍ତାରେ ବୁଲି ବୁଲି ଭିକ୍ଷା କରିବ ଏକଥା ଭାବିବାକ୍ଷଣି ଆଖିରେ ଲୁହ ଜମିଆସେ । ଦିଗହରା ମନ ସାନ୍ତ୍ୱନା ଆଶାରେ ରାଜଲକ୍ଷ୍ମୀ ମୁହଁକୁ ଚାହିଁରହେ । ସମସ୍ତଙ୍କର ସର୍ବପ୍ରକାର ଶୁଭ ଚିନ୍ତାରେ ଅବିଶ୍ରାମ କର୍ମରେ ନିଯୁକ୍ତ, ତା’ର ଦୁଇହାତର ଦଶ ଆଙ୍ଗୁଳିରୁ ଯେପରି କଲ୍ୟାଣ ଅଜସ୍ର ଧାରାରେ ଝରିପଡ଼ୁଛି-। ତା’ର ସୁପ୍ରସନ୍ନ ମୁହଁରେ ଶାନ୍ତି ଓ ପ୍ରରିତୃପ୍ତିର କୋମଳ ଛାୟା । କରୁଣାରେ ଓ ମମତାରେ ହୃଦୟ ଯମୁନା ତା’ର ପରିପୂର୍ଣ୍ଣ । ନିରବଚ୍ଛିନ୍ନ ପ୍ରେମର ସର୍ବବ୍ୟାପୀ ମହିମାରେ ମୋ ଚିତ୍ତାଲୋକରେ ସେ ଯେଉଁ ଆସନରେ ଅଧିଷ୍ଠିତା ତାହାର ତୁଳନା କାହା ସଙ୍ଗରେ ହୋଇପାରେନା-

 

ବିଦୁଷୀ ସୁନନ୍ଦାର ଦୁନିର୍ବାର ପ୍ରଭାବ ଅଳ୍ପ ସମୟ ପାଇଁ ତାହାକୁ ଯେଉଁପରି ବିଭ୍ରାନ୍ତ କରିପକାଇଥିଲା ସେଥିପାଇଁ ଦୁଃସହ ଅନୁତାପଦ୍ୱାରା ସେ ପୁଣି ଆପଣା ନିଜତ୍ୱକୁ ଫେରି ପାଇପାରିଛି । ଗୋଟିଏ କଥା ସେ ଆଜିସୁଦ୍ଧା ମୋ କାନେ କାନେ କହେ–ତୁମେ କମ୍‌ ନୁହଁ ଗୋ–କମ୍‌ ନୁହଁ । ତୁମ ଚାଲିଯିବା ବାଟରେ ମୋର ଯେ ସର୍ବସ୍ୱ ଆଖିର ଲୁହରେ ଭାସିହୁଏ ଯେ ଦିନଗୁଡ଼ିକ ମୋର କଟିଥିଲା କିପରି ? ନିଃଶ୍ୱାସ ବନ୍ଦ ହୋଇ ଯାହା ମରିଯାଇପାରି ନାହିଁ, ଏହାହିଁ ଆଶ୍ଚର୍ଯ୍ୟ । ମୁଁ ଉତ୍ତର ଦେଇପାରୁନଥାଏ–କେବଳ ନୀରବରେ ଚାହିଁ ରହିଥାଏ ।

 

ମୋ ସମ୍ପର୍କରେ ଆଉ ତା’ର ଭୁଲ ଧରିବାପାଇଁ ଶକ୍ତି ନାହିଁ । ହଜାରେ କାମ ଥିଲେ ମଧ୍ୟ ସେ–ସମୟ କରି ଶହେଥର ଆସି ମୋତେ ଦେଖିଦେଇଯାଏ । କେତେବେଳେ ହଠାତ୍‌ ଆସି ପାଖରେ ବସେ । ହାତର ବହିଟା କାଢ଼ିନେଇ କହେ–ଆଖିବୁଜି ଟିକିଏ ଶୋଇପଡ଼େ ତ । ମୁଁ ଟିକିଏ ମୁଣ୍ଡରେ ହାତ ବୁଲାଇନିଏ । ଏତେ ପଢ଼ିଲେ ଆଖି ବିନ୍ଧିଉଠିବ ଯେ !

 

ଆନନ୍ଦ ଆସି ବାହାରେ ଥାଇ ପଚାରେ–ଗୋଟାଏ କଥା ଜାଣିବାକୁ ଅଛି, ଭିତରକୁ ଯାଇପାରେ କି ?

 

ରାଜଲକ୍ଷ୍ମୀ କହେ–ପାର । ତୋତେ କ’ଣ କେଉଁଠିକି ଆସିବାକୁ ମନା ଅଛି ଆନନ୍ଦ ?

 

ଆନନ୍ଦ ଘରଭିତରକୁ ପଶିଆସି ଆଶ୍ଚର୍ଯ୍ୟ ହୋଇ କହେ–ଏପରି ଅସମୟରେ ନାନୀ କ’ଣ ତାଙ୍କୁ ଶୋଇପଡ଼ିବାକୁ କହୁଛି କି ?

 

ରାଜଲକ୍ଷ୍ମୀ ହସିଦେଇ ଜବାବ ଦିଏ–ତୋର କ’ଣ କ୍ଷତି ହେଲା ଶୁଣେ ? ନ ଶୋଇଲେ ତୋ ପାଠଶାଳାର ବାଛୁରୀମାନଙ୍କୁ ତ ଆଉ ଚରାଇବାକୁ ଯିବେ ନାହିଁ ।

 

: ନାନୀ ଦେଖୁଛି, ତ ତାଙ୍କୁ ମାଟି କରିଦେବୁ ?

 

: ନହେଲେ ନିଜେ ଯେ ମାଟି ହୋଇଯିବି । ନିଶ୍ଚିନ୍ତ ହୋଇ କେଉଁ କାମ କରିପାରିବ ନାହିଁ ।

 

: ଦେଖୁଛି ତୁମେ ଦୁଇଜଣ ଆସ୍ତେ ଆସ୍ତେ ରାଗିଯିବ–ଏହା କହି ଆନନ୍ଦ ବାହାରି ଚାଲିଯାଏ ।

 

ସ୍କୁଲ ତିଆରି କାମରେ ଆନନ୍ଦର ନିଃଶ୍ୱାସ ମାରିବା ପାଇଁ ଫୁରସତ୍‌ ନାହିଁ । ସମ୍ପତ୍ତି ଖରିଦ ଜଞ୍ଜାଳରେ ରାଜଲକ୍ଷ୍ମୀ ଗଳଦ୍‌ଘର୍ମ । ଏପରି ସମୟରେ କଲିକତାର ଘରୁ ଫେରି ବହୁ ଡାକଘରର ମୋହର ପିଠିରେ ମାରି, ବହୁ ବିଳମ୍ବରେ ନବୀନର ସାଙ୍ଘାତିକ ଚିଠି ଆସି ପହଞ୍ଚିଲା–ଗହର ମୃତ୍ୟୁ ଶଯ୍ୟାରେ । କେବଳ ମୋ ବାଟ ଚାହିଁ ସେ ବଞ୍ଚି ରହିଛି । ଖବରଟା ଯେପରି ଶୂଳଦ୍ୱାରା ମୋତେ ବିନ୍ଧିଲା । ଭଉଣୀ ଘରୁ ସେ କେବେ ଫେରିଛି ମୁଁ ଜାଣେନି । ସେ ଯେ ଏତେଦୂର ପୀଡ଼ିତ ତାହା ମଧ୍ୟ ଶୁଣିବାକୁ ବିଶେଷ ଚେଷ୍ଟା ମଧ୍ୟ କରିନାହିଁ । ଆଜି ଆସି ଶେଷରେ ପହଞ୍ଚିଛି ଶେଷ ସମ୍ବାଦ । ଛଅଦିନ ପୂର୍ବର ଚିଠି–ଏବେ ବଞ୍ଚିଛି କି ନାହିଁ କିଏ କହିପାରିବ ? ଟେଲିଗ୍ରାମ କରି ଖବର ପାଇବା ବ୍ୟବସ୍ଥା ସେ ଦେଶରେ ନାହିଁ–ଏ ଦେଶରେ ମଧ୍ୟ ନାହିଁ । ତେଣୁ ସେପରି ଚିନ୍ତା କରିବା ବୃଥା ।

 

ଚିଠି ପାଇ ରାଜଲକ୍ଷ୍ମୀ ମୁଣ୍ଡରେ ହାତଦେଇ କହିଲା– ତୁମକୁ ଯିବାକୁ ପଡ଼ିବ ତ !

 

: ହଁ ।

 

: ଚାଲ, ମୁଁ ମଧ୍ୟ ସଙ୍ଗରେ ଯିବି ।

 

: ତାହା କ’ଣ ଠିକ୍‌ ହେବ ? ସେମାନଙ୍କର ଏପରି ବିପଦ ସମୟରେ ତୁମର ଯିବାଟା.....

 

ପ୍ରସ୍ତାବଟା ଯେ ଅସଙ୍ଗତ ସେ ନିଜେ ବୁଝିପାରିଲା । ମୁରାରୀପୁର ଆଖଡ଼ା କଥା ସେ ଆଉ ତୁଣ୍ଡରେ ଧରିପାରିଲା ନାହିଁ । କହିଲା–ରତନକୁ କାଲିଠାରୁ ଜର । ସଙ୍ଗରେ କିଏ ଯିବ ? ଆନନ୍ଦକୁ କହିବି ?

 

: ନା ମୋ ଗଣ୍ଠିଲି ବୋହିବା ସେ ନୁହେଁ ।

 

: ତେବେ କିଷନ ସଙ୍ଗରେ ଯିବ ।

 

: ହଁ, ସେ ଯାଇପାରେ । କିନ୍ତୁ ଦରକାର ନଥିଲା ।

 

: ପହଞ୍ଚି, ସେଠାରେ ପ୍ରତିଦିନ ଚିଠି ଦେବ ତ କୁହ ?

 

: ସମୟ ପାଇଲେ ଦେବି ।

 

: ନା, ସେ କଥା ମୁଁ ଶୁଣିବି ନାହିଁ । ଦିନଟିଏ ଯଦି ଚିଠି ନପାଏ ତେବେ ମୁଁ ନିଜେ ପହଞ୍ଚିବି । ତୁମେ ଯେତେ ରାଗ କରନା କାହିଁକି.....

 

ଅଗତ୍ୟା ରାଜି ହେବାକୁ ପଡ଼ିଲା ଏବଂ ପ୍ରତ୍ୟହ ସମ୍ବାଦ ଦେବାର ପ୍ରତିଶ୍ରୁତି ଦେଇ ସେହିଦିନ ହିଁ ବାହାରିପଡ଼ିଲି । ଚାହିଁ ଦେଖିଲି ଦୁଶ୍ଚିନ୍ତାରେ ରାଜଲକ୍ଷ୍ମୀ ମୁହଁ ପାଣ୍ଡୁରବର୍ଣ୍ଣ ହୋଇଯାଇଛି । ସେ ପଣତ କାନିରେ ଆଖି ପୋଛି ଶେଷଥର ପାଇଁ ମୋତେ ସାବଧାନ କରି କହିଲା–ଦେହର ଯତ୍ନ ନେଉଥିବ ।

 

: ହଁ–ଗୋ–ହଁ ।

 

: ଫେରିଆସିବାକୁ ଦିନଟିଏ ସୁଦ୍ଧା ବିଳମ୍ବ କରିବ ନାହିଁ, କୁହ ।

 

: ନା, ତାହା ମଧ୍ୟ କରିବି ନାହିଁ ।

 

ଅବଶେଷରେ ବଳଦଗାଡ଼ି ଷ୍ଟେସନକୁ ଯାତ୍ରା ଆରମ୍ଭ କଲା ।

 

ଆଷାଢ଼ର ଏକ ଅପରାହ୍ନରେ ଆସି ଗହରର ସଦର ଦରଜା ନିକଟରେ ପହଞ୍ଚିଲି । ମୋ ଡାକଶୁଣି ନବୀନ ବାହାରକୁ ଆସି ମୋ ପାଦତଳେ ଅଛାଡ଼ ହୋଇପଡ଼ିଲା । ଯେଉଁ ଭୟ କରୁଥିଲି ତାହା ହିଁ ଘଟିଛି । ଦୀର୍ଘକାୟ ବଳିଷ୍ଠ ପୁରୁଷର ପ୍ରବଳ କଣ୍ଠର ଏଇ ବୁକୁଫଟା କ୍ରନ୍ଦନ ଶୋକର ଗୋଟାଏ ନୂତନ ରୂପ; ଦେଖିବାକୁ ପାଇଲି । ତାହା ଯେପରି ଗଭୀର, ସେହିପରି ବିରାଟ ଏବଂ ସେହିପରି ସତ୍ୟ । ଗହରର ମାଆ ନାହିଁ, ଭଉଣୀ ନାହିଁ, କନ୍ୟା ନାହିଁ କିମ୍ବା ଜାୟା ନାହିଁ । ଅଶ୍ରୁଜଳର ମାଳା ପିନ୍ଧାଇ ଏ ସାଙ୍ଗ ସାଥୀହୀନ ମନୁଷ୍ୟଟିକୁ ବିଦାୟ ଜଣାଇବାକୁ ସେଦିନ କେହିନଥିଲେ ସୁଦ୍ଧା ମନେହୁଏ ସେ ବିନା ସାଜସଜ୍ଜାରେ, କିମ୍ବା ଭୂଷଣହୀନ ହୋଇ କାଙ୍ଗାଳ ବେଶରେ ଯାଇ ନାହିଁ, ତାହାର ଲୋକାନ୍ତରର ଯାତ୍ରାପଥରେ ଶେଷ ପାଥେୟ, ନବୀନ ଏକାକୀ ଦୁଇହାତ ଭରି ଢାଳିଦେଇଛି ।

 

ବହୁସମୟ ପରେ ସେ ଉଠି ବସିବାକ୍ଷଣି ମୁଁ ତାକୁ ପଚାରିଲି–ଗହର କେବେ ମରିଗଲା ନବୀନ ?

 

: ପଅରଦିନ । କାଲି ସକାଳେ ମୁଁ ଯାଇ ତାଙ୍କୁ ମାଟିଦେଇ ଆସିଲି ।

 

: ମାଟି କେଉଁଠି ଦେଲ ?

 

: ନଦୀ ତୀରରେ । ଆମ୍ବ ବଗିଚା ଭିତରେ । ସେ ତ କହିଥିଲେ ।

 

ନବୀନ କହିବାକୁ ଲାଗିଲା– ମାମୁଁ ଝିଅ ଭଉଣୀଘରୁ ଜରନେଇ ଫେରିଲେ । ସେ ଜ୍ୱର ଆଉ କମିଲା ନାହିଁ ।

 

: ଚିକିତ୍ସା କରା ହୋଇଥିଲା ?

 

: ଏଠାରେ ଯାହା ସମ୍ଭବ ସେ ସବୁ ହୋଇଥିଲା । କିନ୍ତୁ କେଉଁଥିରେ କିଛି ହେଲା ନାହିଁ । ବାବୁ ନିଜେ ସବୁ ଜାଣିପାରିଥିଲେ ।

 

: ଆଖଡ଼ାରେ ବଡ଼ ଗୋସାଇଁଜୀ ଆସନ୍ତି ?

 

ମଝିରେ ମଝିରେ ଆସୁଥିଲେ । ନବଦ୍ୱୀପରୁ ତାଙ୍କ ଗୁରୁଦେବ ଆସିଛନ୍ତି ସେଥିପାଇଁ ପ୍ରତିଦିନ ଆସିବାକୁ ସମୟ ପାଆନ୍ତି ନାହିଁ ।

 

ଆଉ ଜଣକର କଥା ପଚାରିବାକୁ ଲାଜ ଲାଗିଲା । ତଥାପି ସଂକୋଚ ଛାଡ଼ି ପଚାରିଲି–ସେଠାରୁ ଆଉ କେହି ଆସନ୍ତି ନାହିଁ ନବୀନ ?

 

: ହଁ, କମଳଲତା

 

: ସେ କେବେ ଆସିଥିଲେ ?

 

: ପ୍ରତିଦିନ । ଶେଷ ତିନିଦିନ ସେ ଖାଇନାହାନ୍ତି, ଶୋଇନାହାନ୍ତି କିମ୍ବା ବାବୁଙ୍କର ବିଛଣା ଛାଡ଼ି ମୁହୂର୍ତ୍ତଟିଏ କୁଆଡ଼େ ଉଠିଯାଇନାହାନ୍ତି ।

 

ଆଉ କିଛି ପଚାରିଲି ନାହିଁ । ଚୁପ୍‌ହୋଇ ରହିଲି ।

 

ନବୀନ ପଚାରିଲା– କୁଆଡ଼େ ଯିବେ ବର୍ତ୍ତମାନ ? ଆଖଡ଼ାକୁ ?

 

: ହଁ ।

 

: ଟିକିଏ ଅପେକ୍ଷା କରନ୍ତୁ କହି ସେ ଭିତରକୁ ଯାଇ ଗୋଟାଏ ଟିଣର ବାକ୍‌ସ ବାହାର କରିଆଣି ମୋ ପାଖରେ ରଖିଦେଇ କହିଲା– ଏଇଟା ଆପଣଙ୍କୁ ଦେବାପାଇଁ ସେ କହିଯାଇଛନ୍ତି ।

 

: କ’ଣ ଅଛି ଏଥିରେ ନବୀନ ?

 

ଖୋଲି କରି ଦେଖନ୍ତୁ, କହି ସେ ମୋ ହାତକୁ ଚାବି ବଢ଼ାଇଦେଲା । ଖୋଲି କରି ଦେଖିଲି–ଦଉଡ଼ିରେ ବନ୍ଧା ହୋଇଥିବା ତା’ କବିତାର ଖାତାଗୁଡ଼ିକ । ଉପରେ ଲେଖିଛ–ଶ୍ରୀକାନ୍ତ, ରାମାୟଣ ଶେଷ କରିବାକୁ ସମୟ ପାଇଲି ନାହିଁ । ବଡ଼ ଗୋସାଇଁକୁ ଦେବୁ । ସେ ଯେପରି ଏହାକୁ ମଠରେ ରଖନ୍ତି–ନଷ୍ଟ ନ ହୋଇଯାଏ । ଦ୍ୱିତୀୟଟି ନାଲି ଶାଲୁକନାରେ ବନ୍ଧା ଗୋଟିଏ ଛୋଟ ପୁଟୁଳି । ଖୋଲି ଦେଖିଲି ତହିଁରେ ନାନା ମୂଲ୍ୟର ଅନେକଗୁଡ଼ିଏ ନୋଟ ଏବଂ ଖଣ୍ଡିଏ ଚିଠି । ସେ ଲେଖିଛି–ଭାଇ, ଶ୍ରୀକାନ୍ତ ମୁଁ ବୋଧହୁଏ ଆଉ ବଞ୍ଚିବିନାହିଁ । ତୁମ ସହିତ ଦେଖାହବ କି ନାହିଁ ଜାଣେନା । ଯଦି ଦେଖା ନ ହୁଏ ନବୀନ ନିକଟରେ ରଖିଗଲି–ନେବ । ଟଙ୍କାଗୁଡ଼ିକ ତୁମ ହାତରେ ଦେଇଗଲି, କମଳଲତାର ଯଦି ଦରକାରରେ ଲାଗିବ ତେବେ ଦେଇଦେବ । ସେ ଯଦି ନନିଏ ତେବେ ତୁମର ଯାହା ଇଚ୍ଛା ତାହା କରିବ । ଆଲ୍ଲା, ତୁମର ମଙ୍ଗଳ କରନ୍ତୁ–ଇତି ଗହର ।

 

ଦାନ ପାଇଁ ଗର୍ବ ନାହିଁ । କିମ୍ବା କାକୁତି ମିନତୀ ନାହିଁ । କେବଳ ମୃତ୍ୟୁ ଆସନ୍ନ ବୋଲି ଜାଣିପାରି ଏଇ କେତୋଟି କଥାରେ ବାଲ୍ୟବନ୍ଧୁର ଶୁଭକାମନା କରି ତାହାର ଶେଷ ନିବେଦନ ରଖି ଦେଇଯାଇଛି । ଭୟ ନାହିଁ, ଦୁଃଖ ନାହିଁ, କିମ୍ବା ହା–ହୁତାଶରେ ମୃତ୍ୟୁକୁ ସେ ବାଧାଦେଇ ନାହିଁ । ସେ କବି । ମୁସଲମାନ ଫକୀର ବଂଶର ରକ୍ତ ତା’ ଶିରାରେ । ସେଥିପାଇଁ ଶାନ୍ତ ମନରେ ଏଇ ଶେଷ ରଚନାଟିକକ ସେ ତା’ର ବାଲ୍ୟ ବନ୍ଧୁ ଉଦ୍ଦେଶ୍ୟରେ ଲେଖିଯାଇଛି । ଏତେ ସମୟ ପର୍ଯ୍ୟନ୍ତ ଆଖିରୁ ମୋର ଆଶ୍ରୁ ପଡ଼ିନଥିଲା । କିନ୍ତୁ ଆଉ ତାକୁ ବାଧା ଦେଇପାରିଲି ନାହିଁ । ବଡ଼ ବଡ଼ ଟୋପା ହୋଇ ଆଖି କଣରୁ ସେସବୁ ବହିବାକୁ ଲାଗିଲେ ।

 

ଆଷାଢ଼ର ଦୀର୍ଘଦିନ ସେତେବେଳକୁ ସମାପ୍ତି ଦିଗରେ ଆଗେଇ ଚାଲିଥାଏ । ପଶ୍ଚିମ ଦିଗନ୍ତ ବ୍ୟାପୀ ଗୋଟାଏ କଳା ମେଘର ସ୍ତର ଆକାଶ ଉପରେ ଉଠିଥାଏ । ତାହାରି କେଉଁ ଏକ ଛୋଟ ଛିଦ୍ର ପଥରେ ଅସ୍ତୋନ୍‌ମୁଖ ସୂର୍ଯ୍ୟରଶ୍ମି ରଙ୍ଗ ହୋଇ ଆସି ପଡ଼ିଲା ପ୍ରାଚୀର ସଂଲଗ୍ନ ସେହି ଶୁଷ୍କ ପ୍ରାୟ ଜାମୁଗଛ ଉପରେ । ଏହାରି ଶାଖାରେ ମାଡ଼ିଥାଏ ଗହରର ମାଧବୀ ଓ ମାଳତୀ ଲତାର କୁଞ୍ଜ । ସେଦିନ କେବଳ କଢ଼ ଧରିଥିଲା, ତହିଁରୁ କେତୋଟି ସେ ମୋତେ ଉପହାର ଦେବାପାଇଁ ଇଚ୍ଛା କରିଥିଲା । କେବଳ କଳା ପିମ୍ପୁଡ଼ି ଭୟରେ ଦେଇପାରିନଥିଲା । ଆଜି ତହିଁରେ ପେନ୍ଥା ପେନ୍ଥା ଫୁଲ । କେତେ ଝରିପଡ଼ିଥାଏ ତଳେ । କେତେ ପବନରେ ଉଡ଼ି ଏଣେତେଣେ ବିଛାଡ଼ି ହୋଇ ପଡ଼ିଥାଏ । ଏଥିରୁ କେତେ ଗୁଡ଼ିଏ ବାଲ୍ୟବନ୍ଧୁର ଶେଷଦାନ ଭାବି ଏକାଠି କରିବାରେ ଲାଗିପଡ଼ିଲି-

 

ନବୀନ କହିଲା– ଚାଲନ୍ତୁ ଆପଣଙ୍କୁ ଛାଡ଼ିଦେଇ ଆସିବି ।

 

କହିଲି– ନବୀନ, ବାହାର ଘରଟା ଟିକିଏ ଖୋଲିଦିଅ ତ–ଥରେ ଦେଖିନେବି ।

 

ନବୀନ ଘର ଖୋଲିଦେଲା । ଆଜି ମଧ୍ୟ ସେଇପରି ରହିଥାଏ ସେହି ବିଛଣାଟି ତକ୍ତପୋଷର ଗୋଟିଏ କୋଣରେ ଗୁଡ଼ିଆ ହୋଇ । ଗୋଟିଏ ଛୋଟ ପେନ୍‌ସିଲ, କେତେଖଣ୍ଡି ଛିଣ୍ଡା କାଗଜ । ଏହି ଘରେ ଗହର ସୁର ଧରି ଶୁଣାଇଥିଲା ତା’ର ସ୍ୱରଚିତ କବିତା–ବନ୍ଦିନୀ ସୀତାର ଦୁଃଖର କାହାଣୀ । ଏଇ ଘରକୁ କେତେଥର ଆସିଛି । କେତେଥର ଖାଇଛି । କେତେଥର ଶୋଇଛି-। କେତେ ଉପଦ୍ରବ କରି ଯାଇଛି । ସେଦିନ ହସ ହସ ମୁହଁରେ ଯିଏ ସବୁ ସହି ନେଇଥିଲା ସେ ଆଜି କିନ୍ତୁ ଏ ଘରେ ନାହିଁ । ଆଜି ସମସ୍ତ ଯିବା–ଆସିବାକୁ ସବୁଦିନ ପାଇଁ ଶେଷ କରିଦେଇ ବାହାରି ଆସିଲି ।

 

ବାଟରେ ନବୀନଠାରୁ ଶୁଣିଲ–ଏହିପରି ଗୋଟିଏ ଛୋଟ ନୋଟର ପୁଟୁଳି ଗହର ତା’ ପିଲାମାନଙ୍କ ହାତରେ ଦେଇଯାଇଛି । ଅବିଶିଷ୍ଟ ଯାହା ସମ୍ପତ୍ତି ରହିଲା ତାକୁ ପାଇବ ତା’ର ମାମୁଁ ଝିଅ ଭଉଣୀ ଏବଂ ତହିଁରୁ କିଛି ଖର୍ଚ୍ଚ କରିବ ତା’ ବାପା ତିଆରି କରିଥିବା ଗୋଟିଏ ମସ୍‌ଜିଦର ରକ୍ଷଣାବେକ୍ଷଣ ପାଇଁ ।

 

ଆଶ୍ରମରେ ପହଞ୍ଚି ଦେଖିଲି ଭାରି ଭିଡ଼ । ଗୁରୁଦେବଙ୍କର ଶିଷ୍ୟ ଶିଷ୍ୟା ଅନେକ ସଙ୍ଗରେ ଆସିଛନ୍ତି । ବେଶ ଜମିକରି ବସିଛନ୍ତି ଏବଂ ଶୀଘ୍ର ବିଦାୟ ନେବାର ଲକ୍ଷଣ ସେମାନଙ୍କ ହାବଭାବରୁ ଜାଣିପାରିଲି ନାହିଁ । ବୈଷ୍ଣବ ସେବା ଆଜି ବିଧିମତ ଚାଲିଥିବାର ଅନୁମାନ କରିପାରିଲି ।

 

ଦ୍ୱାରିକା ଦାସ ମୋତେ ଦେଖି ଅଭ୍ୟର୍ଥନା କଲେ । ମୋ ଆସିବାର କାରଣ ସେ ଜାଣନ୍ତି-। ଗହର ପାଇଁ ଦୁଃଖପ୍ରକାଶ କଲେ କିନ୍ତୁ ମୁଁହରେ ତାଙ୍କର କିପରି ଏକ ଉଦ୍‌ଭ୍ରାନ୍ତ–ବିବ୍ରତ ଭାବ ଦେଖିବାକୁ ପାଇଲି । ଅନ୍ଦାଜ କହି ହୁଏତ ଏତେଦିନ ଧରି ଏତେଗୁଡ଼ିଏ ବୈଷ୍ଣବଙ୍କ ପରିଚର୍ଯ୍ୟା ହେତୁ ସେ କ୍ଳାନ୍ତ ଏବଂ ନିଶ୍ଚିନ୍ତରେ କଥାବାର୍ତ୍ତା ହେବାକୁ ସମୟ ପାଇପାରୁନାହାନ୍ତି ।

 

ଖବର ପାଇ ପଦ୍ମା ଆସିଲା । ଆଜି ତା’ ମୁହଁରେ ହସ ନାହିଁ । କିପରି ସଙ୍କୁଚିତ ସଙ୍କୁଚିତ ଭାବ–ହୁଏତ ପଳାଇଯାଇ ପାରିଲେ ରକ୍ଷା ।

 

ପଚାରିଲି–କ’ଣ କମଳଲତା ଅପା ବୋଧହୁଏ ବର୍ତ୍ତମାନ ବଡ଼ ବ୍ୟସ୍ତ ଅଛନ୍ତି ପଦ୍ମା ?

 

: ନା, ଡାକିଦେବି ଅପାକୁ ? କହି ସେ ଚାଲିଗଲା ।

 

ଏସବୁ ଏପରି ଅପ୍ରତ୍ୟାଶିତ ବୋଲି ମନେହେଲା ଯେ ମନେମନେ ଶଙ୍କିତ ହୋଇଉଠିଲି । କିଛି ସମୟ ପରେ କମଳଲତା ଆସି ନମସ୍କାର କରି କହିଲା–ଆସନ୍ତୁ ନୂତନ ଗୋସାଇଁ ମୋ ଘରେ ବସିବେ ।

 

ମୋ ବିଛଣା ପ୍ରଭୃତି ଷ୍ଟେସନରେ ରଖି କେବଳ ବ୍ୟାଗଟାହିଁ ସଙ୍ଗରେ ଆଣିଥିଲି । ଆଉ ଥିଲା ଗହରର ସେଇ ବାକ୍‌ସଟା ମୋ ଚାକର ମୁଣ୍ଡରେ । କମଳଲତା ଘରେ ବସି ସେଗୁଡ଼ାକ ତାହା ହାତକୁ ଦେଇ କହିଲି–ସାବଧାନରେ ରଖିବ । ଏଥିରେ ଅନେକଗୁଡ଼ିଏ ଟଙ୍କା ଅଛି ।

 

କମଳଲତା କହିଲା– ଜାଣେ । ତାପରେ ଖଟତଳେ ସେଗୁଡ଼ାକ ରଖିଦେଇ ପଚାରିଲା–ତୁମର ଚାହାଖିଆ ବୋଧହୁଏ ହୋଇନି ?

 

: ନା ।

 

: କେତେବେଳ; ଆସିଲ ?

 

: ଓପରଓଳି ।

 

: ଯାଏ, ତିଆରି କରିଆଣେ । ଚାକରକୁ ସଙ୍ଗରେ ନେଇ ଉଠି ଚାଲିଗଲା ।

 

ପଦ୍ମା ମୁହଁ ହାତ ଧୋଇବାପାଇଁ ବୋଧହୁଏ ପାଣିଦେଇ ଚାଲିଗଲା । ଠିଆହେଲା ନାହିଁ-

 

ମୋର ମନେହେଲା ଘଟଣା କ’ଣ ?

 

କିଛି ସମୟ ପରେ କମଳଲତା ଚାହାନେଇ ଆସିଲା । ଆଉ କିଛି ଫଳମୂଳ ମିଷ୍ଟାନ–ଏବେଳାର ଠାକୁରଙ୍କ ପ୍ରସାଦ । ବହୁ ସମୟ ହେଲା କିଛି ଖାଇନଥିଲି, ତେଣୁ ଡେରି ନ କରି ଖାଇବସିଲି ।

 

ଅନିତ ବିଳମ୍ବରେ ଠାକୁରଙ୍କ ଆଳତୀର ଶଙ୍ଖ, ଘଣ୍ଟା ଓ ଛାଞ୍ଜର ଶବ୍ଦ ଶୁଭିଲା ।

 

ପଚାରିଲି– କାହିଁ, ତୁମେ ଗଲ ନାହିଁ ଯେ ?

 

: ନା, ମୋତେ ଯିବାକୁ ମନା ।

 

: ମନା ! ପୁଣି ତୁମକୁ ! ତା’ର ମାନେ !

 

କମଳଲତା ମଳିନ ହସଟିଏ ହସି କହିଲ–ମନା । ମାନେ ମନା ଗୋସାଇଁ । ଅର୍ଥାତ୍‌ ଠାକୁରଙ୍କ ଘରକୁ ଯିବା ମୋତେ ମନା ।

 

ଆହାରପାଇଁ ୠଚି ହେଲା ନାହିଁ । ପଚାରିଲି–ମନାକଲା କିଏ ?

 

: ବଡ଼ ଗୋସାଇଁଙ୍କର ଗୁରୁଦେବ । ତାଙ୍କ ସଙ୍ଗରେ ଆସିଛନ୍ତି ଆଉ ଯେଉଁମାନେ...

 

: କ’ଣ କହିଲେ ସେମାନେ ?

 

: ମୁଁ ଅଶୁଦ୍ଧ । ମୋ ସ୍ପର୍ଶରେ ଠାକୁର କଳୁଷିତ ହେବେ ।

 

ତୁମେ ଅଶୁଦ୍ଧ ! ବିଜୁଳି ବେଗରେ ଗୋଟାଏ କଥା ମନରେ ଜାଗିଉଠିଲା । ପଚାରିଦେଲି–କ’ଣ ଗହରକୁ ନେଇ ?

 

: ହଁ ସେଇଆ ।

 

କିଛି ଜାଣି ନ ଥାଏ । ତଥାପି ପାଟିରୁ ବାହାରିପଡ଼ିଲା–ଏହା ସମ୍ପୂର୍ଣ୍ଣ ମିଥ୍ୟା...ପୁଣି ଅସମ୍ଭବ !

 

: ଅସମ୍ଭବ କାହିଁକି ଗୋସାଇଁ ?

 

: ସେ କଥା ଜାଣେନା କମଳଲତା । କିନ୍ତୁ ଏହାଠାରୁ ବଡ଼ ମିଥ୍ୟାର କଳଙ୍କ ବୋଧହୁଏ ଆଉ ନାହିଁ ? ମନେହୁଏ ମନୁଷ୍ୟ ସମାଜରେ ଏ ତୁମର ମୃତ୍ୟୁପଥର–ଯାତ୍ରୀ ବନ୍ଧୁ ପାଇଁ ଏକାନ୍ତ ସେବାର ବୋଧହୁଏ ଶେଷ ପୁରସ୍କାର ?

 

ତାହାର ଆଖି ଲୁହରେ ଭରିଉଠିଲା । କହିଲା– ସେଥିପାଇଁ, ମୋର ଦୁଃଖ ନାହିଁ । ଠାକୁର ପରା ଅନ୍ତର୍ଯ୍ୟାମୀ । ତାଙ୍କ ନିକଟରେ ତ ଭୟ ନ ଥିଲା । କେବଳ ଥିଲା ତୁମ ନିକଟରେ । ଆଜି ନିର୍ଭୟ ହୋଇପାରି ରକ୍ଷାପାଇଗଲି ଜାଣ ।

 

: ସଂସାରରେ ଏତେ ଲୋକ ମଝିରେ କେବଳ ତୁମର ମୋତେ ଭୟ ଥିଲା ? ଆଉ କାହାକୁ ନୁହେଁ ?

 

: ନା, ଆଉ କାହାକୁ ନାହେଁ, କେବଳ ତୁମକୁ ।

 

ଏହାପରେ ଦୁଇଜଣ ସ୍ତବ୍‌ଧ ହୋଇ ରହିଲୁ । କିଛି ସମୟ ପରେ ପଚାରିଲି–ବଡ଼ ଗୋସାଇଁଜୀ କ’ଣ କହୁଛନ୍ତି ?

 

କମଳଲତା କହିଲା– ତାଙ୍କର ତ କୌଣସି ଉପାୟ ନାହିଁ । ନ ହେଲେ କୌଣସି ବୈଷ୍ଣବ ଯେ ଏ ମଠକୁ ଆସିବେ ନାହିଁ । ଟିକିଏ ପରେ କହିଲା–ଏଠାରେ ରହିବି ନାହିଁ । ଦିନେ ମୋତେ ତ ଯିବାକୁ ପଡ଼ିଥାନ୍ତା କିନ୍ତୁ ଏପରି ଭାବରେ ଯେ ଯିବାକୁ ପଡ଼ିବ ତାହା ଭାବିନଥିଲି । କେବଳ କଷ୍ଟହୁଏ ପଦ୍ମା କଥାପାଇଁ । ପିଲାଟା, ତା’ର କେହି କେଉଁଠି ନାହାଁନ୍ତି । ବଡ଼ଗୋସାଇଁ ତାକୁ ନବଦ୍ୱୀପରୁ ଗୋଟାଇକରି ଆଣିଥିଲେ । ମୁଁ ଚାଲିଗଲେ ସେ ହିଁ କେବଳ କାନ୍ଦିବ । ଯଦି ପାରନ୍ତି ତାକୁ ଟିକିଏ ଦେଖିବେ । ଏଠାରେ ରହିବାକୁ ଯଦି ସେ ନ ଚାହେଁ ତେବେ ତାକୁ ମୋ ନାଆଁ କହି ରାଜୁକୁ ଦେଇଦିଅ–ତାହାର ଯାହା ଭଲ ସେ ତାହାପାଇଁ ସେଇଆ କରିବ ।

 

ପୁଣି କିଛିକ୍ଷଣ ନୀରବରେ କଟିଲା । ପଚାରିଲି– ଏ ଟଙ୍କାଗୁଡ଼ାକ କ’ଣ ହେବ ? କ’ଣ ନେବ ନାହିଁ ?

 

: ନା, ମୁଁ ଭିକାରୁଣୀ । ଟଙ୍କାନେଇ ମୁଁ କ’ଣ କରିବି କୁହତ ?

 

: ତଥାପି ଯଦି ଦରକାରରେ ଆସେ....

 

କମଳଲତା ଏଥର ହସିଲା । କହିଲା– ଦିନେ ତ ମୋର ଅନେକ ଟଙ୍କା ଥିଲା । କ’ଣ ସବୁ ଦରକାରରେ ଆସିଲେ ? ତେବେ ଯଦି କେବେ ଦରକାର ପଡ଼େ ତେବେ ତୁମେ ଅଛ କେଉଁଥିପାଇଁ ? ସେତେବେଳେ ତୁମଠାରୁ ମାଗିନେବି, ଅନ୍ୟର ଟଙ୍କା ନେବି କାହିଁକି ?

 

ଏ କଥାରେ ତାକୁ କ’ଣ ଉତ୍ତର ଦେବି ଭାବିପାରିଲି ନାହିଁ । କେବଳ ତା’ ମୁହଁକୁ ଚାହିଁରହିଲି ।

 

ସେ ପୁଣି କହିଲା– ନା, ଗୋସେଇଁ । ମୁଁ ଟଙ୍କା ଚାହେଁ ନାହିଁ । ଯାହାଙ୍କ ଶ୍ରୀଚରଣରେ ନିଜକୁ ସମର୍ପି ଦେଇପାରିଛି ସେ ମୋତେ କଦାପି ଫିଙ୍ଗିଦେବେ ନାହିଁ । ମୁଁ ଯୁଆଡ଼େ ଯାଏନା କାହିଁକି ସେ ମୋର ସବୁ ଅଭାବ ପୂରଣ କରିବେ । ସୁନାଟିପରା ! ମୋ ପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ ।

 

ପଦ୍ମା ଘରଭିତରକୁ ଆସି କହିଲା– ନୂତନ ଗୋସାଇଁଙ୍କ ପାଇଁ କ’ଣ ପ୍ରସାଦ ଏ ଘରକୁ ଆଣିବି ଅପା ?

 

: ହଁ, ଏଇଠାକୁ ନେଇଆସ । ଚାକରଟିକୁ ଦେଲୁ ?

 

: ହଁ ଦେଇଛି ।

 

ତଥାପି ପଦ୍ମା ଗଲା ନାହିଁ । କ୍ଷଣକ ପାଇଁ ଇତସ୍ତତଃ ହୋଇ କହିଲା– ତୁମେ ଖାଇବ ନାହିଁ ଅପା ?

 

: ଖାଇବି ଲୋ ପୋଡ଼ାମୁହୀଁ–ଖାଇବି । ତୁ ଯେତେବେଳେ ଆସିଛୁ ସେତେବେଳେ କ’ଣ ତୋ ଅପାର ନିସ୍ତାର ଅଛି ?

 

ପଦ୍ମା ଚାଲିଗଲା ।

 

ସକାଳେ ଉଠି କମଳଲତାକୁ ଦେଖିବାକୁ ପାଇଲି ନାହିଁ । ପଦ୍ମା ମୁହଁରୁ ଶୁଣିଲି ସେ ଓପରଓଳିକୁ ଆସେ । ଦିନସାରା କେଉଁଠି ରହେ କେହି ଜାଣନ୍ତି ନାହିଁ । ତଥାପି ନିଶ୍ଚିତ ହୋଇପାରିଲି ନାହିଁ । ରାତି କଥା ମନେପକାଇ କେବଳ ମନରେ ଭୟକରିବାକୁ ଲାଗିଲି–କାଳେ ସେ ପଳାଇଯାଇଥିବ । ଆଉ ଦେଖା ନ ହୋଇପାରେ ।

 

ବଡ଼ ଗୋସାଇଁଙ୍କ ଘରକୁ ଗଲି । ଖାତାଗୁଡ଼ିକ ରଖିଦେଇ କହିଲି– ଏସବୁ ଗହରର ରାମାୟଣ । ତା’ର ଅନ୍ତିମ ଇଚ୍ଛା ଏଗୁଡ଼ିକୁ ମଠରେ ରଖିବାକୁ ।

 

ଦ୍ୱାରିକାଦାସ ହାତ ବଢ଼ାଇ ଗ୍ରହଣ କରି କହିଲେ– ହଁ, ଏଇଠି ରହିପାରିବ ନୂତନ ଗୋସାଇଁ । ଯେଉଁଠାରେ ମଠର ସବୁ ଗ୍ରନ୍ଥ ରହେ, ସେହିଠାରେ ଏସବୁ ରଖିଦେବି ।

 

ଦୁଇ ମିନିଟ୍‌ ମାତ୍ର ନୀରବରହି ପୁଣି ପ୍ରଶ୍ନକଲି । ତା’ ସମ୍ପର୍କରେ କମଳଲତାକୁ ନେଇ ଯେଉଁ ଅପବାଦ ସୃଷ୍ଟି ହୋଇଛି ତାକୁ କ’ଣ ଆପଣ ବିଶ୍ୱାସ କରନ୍ତି ?

 

ଦ୍ୱାରିକା ଦାସ ମୁହଁ ଉଠାଇ କହିଲେ– ମୁଁ ? କଦାପି ନୁହେଁ–କେତେବେଳେ ମଧ୍ୟ ନୁହେଁ-

 

: ତଥାପି ତାକୁ ତ ଏଠାରୁ ଚାଲିଯିବାକୁ ପଡ଼ୁଛି ?

 

: ମୋତେ ମଧ୍ୟ ଯିବାକୁ ପଡ଼ିପାରେ ଗୋସାଇଁ । ନିର୍ଦ୍ଦୋଷୀକୁ ବାହାର କରିଦେଇ ଯଦି ନିଜେ ରହେ, ତେବେ ମିଛଟାରେ ସିନା ଏ ପନ୍ଥାରେ ଆସିଥିଲି ? ମିଛଟାରେ ସିନା ଏତେଦିନ ଧରି ତାଙ୍କର ନାମ ଜପ କରୁଥିଲି ?

 

: ତେବେ କାହିଁକି ତାକୁ ଯିବାକୁ ପଡ଼ିବ ? ଆପଣ ପରା ମଠର କର୍ତ୍ତା ? ଆପଣ ତ ତାକୁ ରଖିପାରନ୍ତି ?

 

: ଗୁରୁ ! ଗୁରୁ ! ଗୁରୁ ! କହି ଦ୍ୱାରିକାଦାସ ମୁହଁ ତଳକୁ କରି ବସି ରହିଲେ । ବୁଝିପାରିଲି ଏହା ଗୁରୁଙ୍କର ଆଦେଶ । ତାକୁ ଅନ୍ୟଥା କରିବା ତାଙ୍କ ଶକ୍ତିର ବାହାରେ ।

 

: ଆଜି ମୁଁ ଚାଲିଯାଉଛି ଗୋସାଇଁ କହି ଘରୁ ବାହାରି ଆସିବା ବେଳେ ସେ ମୁହଁଟେକି ଚାହିଁଲେ । ଦେଖିଲି, ତାଙ୍କ ଆଖିରୁ ଲୁହ ଝରଝର ହୋଇ ବହିଚାଲିଛି । ସେ ମୋତେ ହାତଟେକି ନମସ୍କାର କଲେ ।

 

ମୁଁ ମଧ୍ୟ ପ୍ରତିନମସ୍କାର କରି ଚାଲିଆସିଲି ।

 

କ୍ରମେ ଅପରାହ୍ନ ଗଡ଼ିଯାଇ ସନ୍ଧ୍ୟା ହେଲା । ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ରାତି ଆସିଲା କିନ୍ତୁ କମଳଲତାର ଆଉ ଦେଖା ନାହିଁ । ନବୀନର ଲୋକ ଆସି ମତେ ଷ୍ଟେସନରେ ଛାଡ଼ିଦେବା ପାଇଁ ପହଞ୍ଚିଲା । ବ୍ୟାଗ ମୁଣ୍ଡରେ ଧରି କିଷଣ ଛଟପଟ ହେଉଥାଏ–ଆଉ ସମୟ ନାହିଁ । କିନ୍ତୁ କମଳଲତା ଫେରିଲା ନାହିଁ ।

 

ପଦ୍ମାର ବିଶ୍ୱାସ ଆଉ ଟିକିଏ ପରେ ଆସିବ; କିନ୍ତୁ ମୋର ସନ୍ଦେହ କ୍ରମଶଃ ସତ୍ୟରେ ପରିଣତ ହେଲା । ସେ ଫେରିଆସିଲା ନାହିଁ । ଶେଷବିଦାୟର କଠୋର ପରୀକ୍ଷାକୁ ସମ୍ମୁଖୀନ ହୋଇପାରିବ ନାହିଁ ବୋଲି ପୂର୍ବାହ୍ନରେ ପଳାଇ ଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଖଣ୍ଡିଏ ମଧ୍ୟ ଅଧିକା ଲୁଗା ସଙ୍ଗରେ ନେଇଯାଇ ନାହିଁ । କାଲି ଆତ୍ମପରିଚୟ ଦେଇଥିଲା–ଭିକ୍ଷୁକ, ବୈରାଗିନୀ ବୋଲି । ଆଜି ସେହି ପରିଚୟକୁ ସେ ଅକ୍ଷୁଣ୍ଣ ରଖିପାରିଛି ।

 

ଯିବା ସମୟରେ ପଦ୍ମା କାନ୍ଦିବାକୁ ଲାଗିଲା । ମୋ ଠିକଣା ଦେଇ କହିଲି–ଅପା କହିଥିଲା ମୋ ପାଖକୁ ଚିଠି ଦେବାପାଇଁ । ତୋର ଯାହା ଇଚ୍ଛା ଲେଖି ଜଣାଇବୁ ।

 

: କିନ୍ତୁ ମୁଁ ତ ଭଲକରି ଲେଖିଜାଣି ନାହିଁ–ଗୋସାଇଁ ।

 

: ତୁ ଯାହା ଲେଖିବୁ ମୁଁ ପଢ଼ିପାରିବି ।

 

: ଅପାଙ୍କ ସହିତ ଦେଖା କରି ଯିବୁ ନାହିଁ ?

 

: ପୁଣି ଦେଖାହେବ ପଦ୍ମା । ଆଜି ମୁଁ ଯାଉଛି କହି–ବାହାରିପଡ଼ିଲି ।

 

ବାଟସାରା ଆଖି ଯାହାକୁ ଅନ୍ଧାରରେ ଖୋଜିବାରେ ଲାଗିଥିଲା, ତାହାର ଦେଖା ପାଇଲି ରେଲୱେ ଷ୍ଟେସନରେ । ଲୋକଙ୍କ ଭିଡ଼ରୁ ଦୂରରେ ଠିଆହୋଇଥାଏ । ମୋତେ ଦେଖିପାରି ପାଖକୁ ଆସି କହିଲା–ଖଣ୍ଡିଏ ଟିକେଟ କିଣି ଦେବାକୁ ହେବ ଗୋସାଇଁ ?

 

: ପ୍ରକୃତରେ କ’ଣ ସମସ୍ତଙ୍କୁ ଛାଡ଼ି ଚାଲି ଆସିଲ ?

 

: ଏହାଛଡ଼ା ତ ଆଉ ଉପାୟ ନ ଥିଲା ।

 

: କଷ୍ଟ ହୁଏ ନାହିଁ, କମଳଲତା ?

 

: ଏକଥା କାହିଁକି ପଚାରୁଛ ଗୋସେଇଁ ? ସବୁ ତ ଜାଣ ।

 

: କୁଆଡ଼େ ଯିବ ?

 

ଯିବି ବୃନ୍ଦାବନକୁ, କିନ୍ତୁ ଏତେଦୂରକୁ ଟିକଟ କାଟିବ ନାହିଁ । ତୁମେ ଏଇ ପାଖାପାଖି କେଉଁଠିକି ଟିକେଟ କିଣି ଦେବ ।

 

: ଅର୍ଥାତ୍‌ ମୋଠାରୁ ୠଣ ଯେତେ କମ ହୁଏ ? ତାପରେ ଆରମ୍ଭ ହେବ ଭିକ୍ଷା ! ଯେତେଦିନ ବାଟ ନସରି ପାରିଛି ଏୟାନା ?

 

: ଭିକ୍ଷା କ’ଣ ଜୀବନରେ ପ୍ରଥମ ଥର ପାଇଁ ଆରମ୍ଭ କରିବି ? ଆଉ କ’ଣ କେବେ କରି ନାହିଁ ?

 

ଚୁପ୍‌ ହୋଇ ରହିଲି । ସେ ମୋଆଡ଼କୁ ଚାହିଁ ଆଖି ବୁଲାଇ ନେଇ କହିଲା–ହଉ, ଦିଅ ବୃନ୍ଦାବନକୁ ଖଣ୍ଡେ ଟିକଟ କିଣି ଦିଅ ।

 

: ତେବେ କ’ଣ ମିଶିକରି ଯିବା ।

 

: ତୁମେ କ’ଣ ସେଇଠାକୁ ଯିବ ?

 

: ନା, ସେଠିକି ନୁହେଁ, ତେବେ ଯେତେଦୂର ବାଟ ଏକାଠି ମିଶି ଯାଇପାରିବା ।

 

ଗାଡ଼ିରେ ଉଠି ଦୁହେଁ ବସିଲୁ । ପାଖ ବେଞ୍ଚରେ ମୋ ନିଜହାତରେ ତାପାଇଁ ବିଛଣା କରିଦେଲି ।

 

କମଳଲତା ବ୍ୟସ୍ତ ହୋଇ କହିଉଠିଲା–ଏ କ’ଣ କରୁଛ ଗୋସେଇଁ ?

 

: କରୁଛି ଯାହା କେବେ କାହାପାଇଁ କରିନାହିଁ । ସବୁଦିନ ପାଇଁ ମନେରହିପାରିବ ବୋଲି ।

 

: ସତରେ କ’ଣ ମନେ ରଖିବାକୁ ଚାହଁ ?

 

: ସତରେ ମନେରଖିବାକୁ ଚାହେଁ କି ନାହିଁ ସେକଥା ତୁମ ଛଡ଼ା ଆଉ କେହି ଜାଣିପାରିବେ ନାହିଁ–କମଳଲତା ।

 

: କିନ୍ତୁ ମୋର ଯେ ଅପରାଧ ହେବ ଗୋସାଇଁ ?

 

: ନା, ଅପରାଧ ହେବ ନାହିଁ । ତୁମେ ଆରାମରେ ବସ ।

 

କମଳଲତା ବସିଲା– କିନ୍ତୁ ବହୁତ ସଙ୍କୁଚିତ ହୋଇ ।

 

ଗାଡ଼ି ଚାଲିବାକୁ ଲାଗିଲା– କେତେ ଗ୍ରାମ, କେତେ ନଗର, କେତେ ପଡ଼ିଆ ପାର ହୋଇ ଅଳ୍ପଦୂରରେ ବସି ସେ ତା’ ଜୀବନର କେତେ କାହାଣୀ ଚାପି ଚାଲିଲା । ତାହାର ରାସ୍ତାରେ ବୁଲିବା କଥା, ତାହାର, ବୃନ୍ଦାବନ, ଗୋବର୍ଦ୍ଧନ ଓ ରାଧାକୁଣ୍ଡରେ ରହିବା ବିଷୟ । କେତେ ତୀର୍ଥାଶ୍ରମର ଗଳ୍ପ । ଶେଷରେ ମୁରାରୀପୁରକୁ ଦ୍ୱାରିକା ଦାସ ବାବାଙ୍କ ଆଶ୍ରମକୁ ଆସିବା କଥା ପର୍ଯ୍ୟନ୍ତ । ମୋର ମନେପଡ଼ିଗଲା ସେହି ଲୋକଟିର ବିଦାୟକାଳୀନ କଥା । କହିଲି–ଜାଣିଛ, କମଳଲତା, ଦ୍ୱାରିକାନାଥ ତୁମ କଳକଙ୍କ ବିଶ୍ୱାସ କରନ୍ତି ନାହିଁ ।

 

: କରନ୍ତି ନାହିଁ ?

 

: ଆଦୌ ନୁହେଁ । ମୁଁ ଆସିବା ବେଳେ ସେ କାନ୍ଦିବାକୁ ଲାଗିଲେ । କହିଲେ ନିର୍ଦ୍ଦୋଷୀକୁ ଦୂର କରି ନିଜେ ଯଦି ରହେ ନୂତନ ଗୋସାଇଁ, ତେବେ ଠାକୁରଙ୍କ ନାମ ଜପକରିବା ବୃଥା । ବୃଥା ମୋର ଏ ବାଟକୁ ଆସିବା । ମଠରେ ଯଦି ସେ ନ ରହନ୍ତି ତେବେ ଏପରି ନିଷ୍ପାପ ମଧୁର ଆଶ୍ରମଟି ଏକବାରେ ଭାଙ୍ଗି ନଷ୍ଟ ହୋଇଯିବ ।

 

: ନା, ଯିହ ନାହିଁ । କିଛିହେଲେ ଗୋଟିଏ ପଥ ନିଶ୍ଚୟ ଠାକୁର ଦେଖାଇଦେବେ ।

 

: ଯଦି କେବେ ତୁମକୁ ଡାକରାପଡ଼େ ତେବେ ସେଠାକୁ ଫେରିଯାଇପାରିବ ?

 

: ନା ।

 

: ସେମାନେ ଯଦି ଅନୁତପ୍ତ ହୋଇ ତୁମକୁ ଫେରି ଚାହାନ୍ତି ।

 

: ତଥାପି ମଧ୍ୟ ନୁହେଁ ।

 

ଟିକକ ପରେ କ’ଣ ଯେପରି ଭାବି କହିଲା– କେବଳ ଯିବି ଯଦି ତୁମେ ସେଠାକୁ ଯିବ !

 

: କିନ୍ତୁ କେଉଁଠି ତୁମର ଦେଖା ପାଇପାରିବି ?

 

ଏ ପ୍ରଶ୍ନର ସେ ଉତ୍ତର ଦେଲା ନାହିଁ । ଚୁପ୍‌ କରି ରହିଲା । ବହୁକ୍ଷଣ ନୀରବରେ କାଟିବା କ୍ଷଣି ଡାକିଲି–କମଳଲତା ? ଉତ୍ତର ଆସିଲା ନାହିଁ । ଚାହିଁ ଦେଖିଲି ଗାଡ଼ିର ଗୋଟିଏ କଣରେ ମୁଣ୍ଡ ରଖି ଆଖିବୁଜି ବସିରହିଛି । ଦିନସାରା କ୍ଳାନ୍ତ ହେତୁ ଶୋଇପଡ଼ିଥିବ ଭାବି ତାକୁ ଉଠାଇବା ପାଇଁ ଇଚ୍ଛାହେଲା ନାହିଁ । କାନକୁ ଶୁଭିଲା–ନୂତନ ଗୋସାଇଁ ?

 

ଚାହିଁ ଦେଖେ ସେ ମୋ ଦେହକୁ ହଲାଇ ଦେଇ ଡାକୁଛି । କହୁଛି– ଉଠ, ତୁମର ସାଇଁଥିଆ ଯିବା ଗାଡ଼ି ଠିଆ ହୋଇଛି ।

 

ତରତର ହୋଇ ଠିଆହୋଇପଡ଼ିଲି । ପାଖ କମ୍ପାଟମେଣ୍ଟରେ କିଷଣ ଥିଲା । ଡାକିବା କ୍ଷଣି ସେ ଆସି ବ୍ୟାଗ ଓହ୍ଲାଇନେଲା । ବିଛଣା ବାନ୍ଧିବାକୁ ଯାଇ ଦେଖାଗଲା ଯେ ଯେଉଁ ଦୁଇଖଣ୍ଡରେ ତା’ର ବିଛଣା ତିଆରି କରିଦେଇଥିଲି, ତାକୁ ସେ ଚଉତା ଚଉତି କରିଦେଇ ମୋ ବେଞ୍ଚରେ ଗୋଟିଏ ପାଖରେ ରଖିଦେଇଛି । କହିଲି–ଏତକ ତୁମେ ମଧ୍ୟ ଫେରାଇଦେଲ ? ନେଲ ନାହିଁ ?

 

: କେତେଥର ତ ଚଢ଼ିବାକୁ, ଓହ୍ଲାଇବାକୁ ପଡ଼ିବ । ଏ ବୋଝ ବୋହିବି କେତେବେଳେ-?

 

: ଆଉ ଖଣ୍ଡିଏ ଲୁଗା ତ ସଙ୍ଗରେ ଆଣିନ–ସେଇଟା ବି କ’ଣ ବୋଝ ? ଦୁଇଟା ଲୁଗା ବାହାର କରି ଦେବିକି ?

 

: ବହୁତ ହେଲା । ତୁମ ପିନ୍ଧାଲୁଗା ଭିକାରୁଣୀ କିପରି ସାଜିବ ?

 

: ଲୁଗା ସିନା ମାନିବ ନାହିଁ । କିନ୍ତୁ ଭିକାରୁଣୀକି ତ ଖାଇବାକୁ ପଡ଼ିବ । ପହଞ୍ଚିବାକୁ ଆଉ ଦୁଇଦିନ ଗାଡ଼ିରେ ଲାଗିବ । ଖାଇବ କ’ଣ ? ଯେଉଁ ଖାଇବା ଜିନିଷଗୁଡ଼ାକ ମୋ ସଙ୍ଗରେ ଅଛି ତାକୁ କ’ଣ ଫିଙ୍ଗି ଦେଇଯିବ ? ସେସବୁ ମଧ୍ୟ ଛୁଇଁବ ନାହିଁ ?

 

କମଳଲତା ଏଥର ହସିକରି କହିଲା– ଇସ୍‌–ରାଗ ଦେଖ ! ଛୁଇଁବି ଗୋ ଛୁଇଁବି । ଥାଉ ସେସବୁ । ତୁମେ ଚାଲିଗଲା ପରେ ପେଟ ପୂରାଇ ଗିଳି ବସିବି ।

 

ସମୟ ସରି ଆସୁଥାଏ । ମୁଁ ଓହ୍ଲାଉ ଓହ୍ଲାଉ ସେ କହିଲା– ଟିକିଏ ଠିଆହୁଅ–ନୂତନ ଗୋସାଇଁ, କେହି ନାହାନ୍ତି । ଆଜି ଲୁଚେଇ ତୁମକୁ ଟିକିଏ ନମସ୍କାର କରିପକାଏ । ଏହା କହି ସେ ମୁଣ୍ଡିଆ ମାରି ମୋ ପାଦଧୂଳି ନେଲା ।

 

ପ୍ଲାଟଫର୍ମରେ ଓହ୍ଲାଇପଡ଼ି ଠିଆହେଲି । ରାତି ସେ ପର୍ଯ୍ୟନ୍ତ ପାହିନଥାଏ । ତଳେ ଓ ଉପରେ ଅନ୍ଧକାର ସ୍ତରରେ ଗୋଟାଏ ଭାଗବଣ୍ଟା ଚାଲିଥାଏ । ଆକାଶରେ ଗୋଟିଏ ପ୍ରାନ୍ତର କୃଷ୍ଣପକ୍ଷ ତ୍ରୟୋଦଶୀର କ୍ଷୀଣ ଶୀର୍ଣ୍ଣ ଶଶୀ ଓ ଅପର ପ୍ରାନ୍ତେ ଉଷାର ଆଗମନୀ । ସେଦିନର କଥା ମନେପଡ଼ିଲା । ଯେଉଁଦିନ ଠାକୁରଙ୍କ ଫୁଲ ତୋଳିବା ପାଇଁ ଏହିପରି ସମୟରେ ତା’ର ସଙ୍ଗୀ ହୋଇଥିଲି । ଆଉ ଆଜି....

 

ବଂଶୀ ବଜାଇ, ସବୁଜ ଲଣ୍ଠନ ହଲାଇ ଗାର୍ଡ଼ ସାହେବ ଯାତ୍ରାର ସଂକେତ ଦେଲେ । କମଳଲତା ଝରକା ଭିତରେ ହାତ ବଢ଼ାଇ ଏଇ ପ୍ରଥମ କରି ମୋ ହାତ ଧରିପକାଇଲା । ତା’ କଣ୍ଠରେ ଯେଉଁ ମିନତୀର ସ୍ୱର ତା’ ବୁଝାଇ ଲେଖିହେବ ନାହିଁ । କହିଲା– ତୁମ ପାଖରୁ କେବେ କିଛି ଚାହିଁ ନାହିଁ । ଆଜି ଗୋଟିଏ କଥା ମୋର ରଖିବ ?

 

: ହଁ ରଖିବି । କହି ଚାହିଁ ରହିଲି ।

 

କହିବାକୁ ତାକୁ ଟିକିଏ କଷ୍ଟ ହେଲା । ତାପରେ କହିଲା, ମୁଁ ଜାଣେ ମୁଁ ତୁମର କେତେ ଆଦରର । ଆଜି ବିଶ୍ୱାସ କରି ମୋତେ ତୁମ ତାଙ୍କରି ପାଦତଳେ ସମ୍ପିଦେଇ ନିଶ୍ଚିନ୍ତ ହୁଅ ଆଉ ନିର୍ଭୟ ହୁଅ । ମୋ ପାଇଁ ଭାବି ଭାବି ତୁମେ ଆଉ ମନଦୁଃଖ କରିବ ନାହିଁ ଗୋସାଇଁ ।

 

ହାତ ଛାଡ଼ିଦେଲା । ଗାଡ଼ି ଦୂରରୁ ଦୂରକୁ ଚାଲିବାରେ ଲାଗିଲା । ଗବାକ୍ଷ ପଥରେ ତା’ ଆନତ ମୁଖଉପରେ ପ୍ଲାଟଫର୍ମର ଲାଇଟଗୁଡ଼ା ପଡ଼ି ପଡ଼ି ସବୁଦିନ ପାଇଁ ଅନ୍ଧକାରରେ ମିଳାଇଗଲା ।

 

କେବଳ ମନେହେଲା ସେ ଯେପରି ହାତଯୋଡ଼ି ତା’ର ଶେଷ ନମସ୍କାର ମୋତେ ଜଣାଇଲା ।

Image